Sunday, May 6, 2018
ନିମୋ
ଲେଖକ-ଅରବିନ୍ଦ ରଥ
ହରିବାବୁଙ୍କ ମୁହଁରୁ ବଚନ ସ୍ଫୁରୁ ନ ଥିଲା। କେବଳ ଅସହାୟ ହୋଇ ଛିଡା ହେବା ଛଡା ଅନ୍ଯ କିଛି ଉପାୟ ନ ଥିଲା।କଣ କରିବେ ସେ ବିଷୟ ମୁଣ୍ଡରେ ପଶୁ ନ ଥିଲା। ଚାରି ପଟରେ କେବଳ ଅନ୍ଧକାର ଦିଶୁଥିଲା ତାଙ୍କୁ। ପତ୍ନୀ ମିତାଙ୍କ ବହୁବାର ଡାକିବା ସତ୍ତ୍ବେ ନୀରବ ନିଶ୍ଚଳ ହୋଇ ଆଖିରୁ ଲୁହ ଗଡାଇବାରେ ଲାଗିଥିଲେ ସେ। କିନ୍ତୁ କାହିଁକି?
ରବିବାର ସକାଳୁ ବାରଣ୍ଡାରେ ବସି ପେପର ପଢିବା ସମୟରେ ପାଖ ଘର ପିଲା ଆସି ହରିବାବୁଙ୍କୁ ଖବର ଦେଲା, ଗାଁଆ ପୋଖରି ରେ ମାଛ ମରା ଚାଲିଛି। ଜଲଦି ଗଲେ ଭଲ ମାଛ ମିଳିବ। ଡେରି ନ କରି ସାଇକେଲ୍ ରେ ବ୍ଯାଗ୍ ଟେ ଝୁଲେଇ ତରବର ହୋଇ ପୋଖରି ପାଖକୁ ଗଲା ବେଳେ ମିତା ଙ୍କୁ ମସଲା ବାଟିବା ପାଇଁ ବରାଦ ଦେଇଗଲେ। ଯାହା ହେଉ ଏତେ ଦିନ ପରେ ପୋଖରି ମାଛର ସ୍ବାଦ ପାଟି ଚାଖିବ। ନୋହିଲେ ଆନ୍ଧ୍ରମାଛ ଖାଇଖାଇ ପାଟିର ସ୍ବାଦ ବିଗିଡି ଗଲାଣି। ଯୋଗକୁ ଚିହ୍ନା ଲୋକଟେ ମିଳିଗଲା। ଫେରିଲା ବେଳକୁ ବ୍ୟାଗ୍ ରେ ବଡରୋହି ମାଛ ସହିତ କିଛି ସାନ ମାଛ ହରିବାବୁଙ୍କ ସହ ଫେରିଲେ। ମିତା ବି ଦେଖି କହିଲେ ଯେ ବହୁତ ଭଲ ମାଛ। ପୁରା ତାଜା ଅଛି। କିଛି ମାଛ ତ ବଞ୍ଚିଛନ୍ତି। ଭଲରେ ନିରେଖି ଦେଖିଲେ ହରିବାବୁ। ଆରେ ସତେ ତ! କିଛି ମାଛ ବ୍ଯାଗ୍ ଭିତରେ ଡିଆଁ ଡେଇଁ କରୁଛନ୍ତି। ମସଲା ବଟା ସରିଥିଲା। ବିଳମ୍ବ ନ କରି ମିତା ମାଛ ବାଛିବାକୁ ବାରି ପଟକୁ ଗଲେ। କିଛି ସମୟ ପରେ ସେ ହରିଙ୍କୁ ଡାକ ଛାଡିଲେ। ଦେଖିଲା ବେଳକୁ ଗୋଟିଏ ସାନ ମାଛ ଡେଇଁ ମାଛ ମାନଙ୍କର ଦଳରୁ ଅଲଗା ହୋଇଯାଇଛି। ତାହା ଦେଖିବାକୁ ମିତା ଡାକ ପକେଇଥିଲେ, କିନ୍ତୁ ହରିବାବୁ ମନେମନେ ଭାବିଲେ, ଏ ମାଛଟିକୁ ବାଲଟିରେ ରଖିଲେ କେମିତି ହୁଅନ୍ତା?
ବେଳେବେଳେ ମନରେ ଏମତି ପିଲାଳିଆମି ଜନ୍ମ ନିଏ ସମସ୍ତଙ୍କ ମନରେ। ମିତା ବି ପ୍ରତିବାଦ କଲେନି। ବରଂ କହିଲେ-- ସେ ନାଲି ରଙ୍ଗର ବାଲଟିରେ କିଛି ପାଣି ଦେଇ ରଖିଦିଅ। ପିଲାମାନେ ଦେଖିଲେ ଖୁସିହେବେ। ମାଛଟି ପାଣିଟିକେ ପାଇଲା ପରେ ଖୁସିରେ ଚକ୍ରାକାର ହୋଇ ଘୁରିବାକୁ ଲାଗିଲା। ଗୋଟେ ଜୀବନ ବଞ୍ଚେଇ ଦେବାର ଖୁସି ଅନୁଭୁତ ହେଲା ହରିବାବୁଙ୍କୁ। ପିଲାମାନେ ବି ଖୁସିରେ କହିଲେ-- ହଁ ବାପା ଆମେ ଏ ମାଛଟିକୁ ଗୋଟେ କାଚ ଜାରରେ ରଖିବା। ଦେଖୁନ କେମିତି ଜୁଳୁଜୁଳୁ କରି ଆମକୁ ଦେଖୁଛି। ହରି ଓ ପିଲାମାନେ ଏ କାମରେ ମାତିଲା ବେଳକୁ ମିତା ବାକି ମାଛ ମାନଙ୍କର କାତି ଛଡେଇ, ଗାଲିସି କାଟି, ପେଟକୁ ଚିରି ପୁଟା ଆଦି କାଢି ଭଲରେ ଧୋଇ ସାରିଥିଲେ। ବଡ ଯତ୍ନରେ ପିତ୍ତଟିକୁ କାଢିଲେ ସେ। ସାନସାନ ଖଣ୍ଡରେ କାଟି ରୋଷେଇ ଘରକୁ ଗଲେ। ହରି ମନ ଖୁସିରେ କହିଲେ- ପିଲା ମାନେ ଆଜି ଆମେ ମାଛ ତରକାରି ଓ ମାଛ ଛଣା ଖାଇବା। ଆମ ଗାଁଆ ପୋଖରିର ମାଛ। ବହୁତ ସୁଆଦ ଲାଗିବ। ପିଲାମାନେ ବି ଖୁସି ରେ ତାଳି ମାରିଲେ।
ବାଲଟିରେ ମାଛଟି ରହିଲା ପରେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଗଲା। ପିଲାମାନେ ଓ ହରି ମଝିରେ ମଝିରେ ତାକୁ ଦେଖିଦେଇ ଆସୁଥାନ୍ତି। ମାଛଟି ଟିକେ ସୁସ୍ଥ ଅନୁଭବ କଲା ପରେ ଆନନ୍ଦରେ ପାଣିରେ ପହଁରି ଖେଳିବାକୁ ଲାଗିଲା। ବୈଠକଖାନାରେ ବାଲଟିକୁ ରଖି ଗାଧେଇ ପାଧେଇ ହରି ଖାଇବାକୁ ବସିଲେ। ପିଲାମାନେ ସେତେ ବେଳକୁ ଖାଇସାରିଥିଲେ। କିନ୍ତୁ ମାଛଭଜା ପାଟି କୁ ନେଲା ବେଳକୁ କେମିତି ମାଡିମାଡି ପଡିଲା ତାଙ୍କୁ। ମନରେ ଭାବିଲେ ଯେଉଁ ମାଛଟିକୁ ସେ ବାଲଟିରେ ଛାଡିଛନ୍ତି ତା’ର ବନ୍ଧୁପରିଜନଙ୍କୁ ନିହାତି ନିର୍ଦ୍ଦୟ ରୂପେ ହତ୍ଯାକରି ସେମାନେ ଖାଇବାକୁ ବାହାରିଛନ୍ତି।
ମନର ଭାବନା କୁ ଯଥାସମ୍ଭବ ଦମନ କଲା ପରେ ବି ମୁହଁରେ ସେ ଭାବନା ର ଛାପ ସ୍ପଷ୍ଟ ଦିଶୁଥିଲା। ମିତାଙ୍କ ଜିଜ୍ଞାସା ର ଉତ୍ତର ଦେଲା ବେଳକୁ ବଡ ଅପ୍ରସ୍ତୁତ ଅନୁଭବ କରୁଥିଲେ ସେ। ମିତା ବି ହସି କଥାଟିକୁ ଉଡେଇ ଦେଲେ। ସେ ବି କରନ୍ତେ କଣ? ସ୍ବାମୀଙ୍କର ଏମିତି ରୂପ ସହ ସେ ଅଭ୍ଯସ୍ତ ନ ଥିଲେ। କାଳେ ଦୋକାନୀ ଠକି ଦେବ ବୋଲି ହରି ନିଜେ ଘରେ କୁକୁଡା ମାରି ମାଂସ କାଟନ୍ତି। କେତେ ଥର ଘରେ ଖାସି ବି କଟା ହୋଇଛି ଓ ମିତା ସହଯୋଗ କରିଛନ୍ତି। ଖାସି ମାନଙ୍କର ନୀରିହ ଆଖିର ଭାଷା ପଢି ପାରୁଥିଲେ ବି ମିତା ନିରୁତ୍ତର ରହୁଥିଲେ। ବେକରେ ଛୁରି ବାଜିବା ପରେ ରକ୍ତ ଧାର ପିଚ୍ ପିଚ୍ ବୋହିଲା ବେଳକୁ ମାଟି ଓ ମିତାଙ୍କ ଆଖି ଉଭୟ ଓଦା ହୋଇଯାଉଥିଲା। କିଛି ସମୟ ଭିତରେ ଖାସିର ପ୍ରାଣ ବିହୀନ ଶରୀର ଖିନଭିନ୍ ହୋଇ ଯାଉଥିଲା ଓ ରୋଷେଇ ପାଇଁ ପ୍ରସ୍ତୁତ ହେଉଥିଲା ବ୍ଯଞ୍ଜନ ରୂପରେ। ସେସବୁ ବଡ ବିଭତ୍ସ ଲାଗୁଥିଲା ପ୍ରଥମେ ମିତାଙ୍କୁ। କିନ୍ତୁ ହରିଙ୍କର ଆମିଷ ପ୍ରତି ଅହେତୁକ ଆଗ୍ରହ ଦେଖି ସେ ଚୁପ୍ ରହୁଥିଲେ। ପିଲାମାନେ ବଡ ହୋଇଗଲା ପରେ ଘରେ ପଶୁପକ୍ଷୀ ମାନଙ୍କୁ ହତ୍ଯା କରିବାର କାର୍ଯ୍ଯରୁ ବିରତ ହେଲେ ହରି। ମାତ୍ର ତାଙ୍କ ମନରେ ସଦାବେଳେ ଅଶାନ୍ତି, କାରଣ ତାଙ୍କ ମତରେ ଦୋକାନୀ ମାନେ ମାଂସ ଦେଲାବେଳେ ଠକି ଦେଉଛନ୍ତି। ହରିଙ୍କ ପରି ଚରିତ୍ରର ଲୋକଙ୍କ ମନରେ ଗୋଟିଏ ମାଛ ପାଇଁ ଦରଦ ଭାବ ଉଦ୍ରେକ ହେବା ନିହାତି ହାସ୍ଯାସ୍ପଦ ବିଷୟ ଓ ଅବିଶ୍ବନୀୟ ମଧ୍ଯ।
କଣ ହେଲା କେଜାଣି ହରିବାବୁ ମାଛ ଖଣ୍ଡିଏ ପାଟିକୁ ନେଇ ପାରିଲେନି। କଣ ରୋଷେଇ ଭଲ ହେଇନି କି ବୋଲି ପଚାରିଲେ ମିତା। କିନ୍ତୁ କିଛି ନ କହି ହରିବାବୁ ହାତ ଧୋଇ ପୁଣି ସେଇ ବାଲଟି ପାଖକୁ ଯାଇ ମାଛଟିର ଗତିବିଧି ଲକ୍ଷ୍ଯ କରିବାକୁ ଲାଗିଲେ। ମାଛଟି ହରି ବାବୁଙ୍କୁ ଦେଖି ବାଲଟି ଭିତରେ ଘୁରି ବୁଲିଲା। କେମିତି ଅଜଣା ଖୁସିରେ ହରିଙ୍କ ମୁହଁଟି ଉଜ୍ଜଳ ହୋଇଗଲା। ସେ ପାଟି କରି କହିଲେ-- ମିତା ଆସ ଦେଖିବ, ମାଛ ଟା ବଞ୍ଚିଛି। ପାଣି ଭିତରେ କେମିତି ଖୁସିରେ ଖେଳୁଛି। ମୋତେ ଦେଖି ସେ ପାଣିରେ ଘେରା ମାରି ପହଁରୁଛି। ସ୍ବାମୀଙ୍କର ଏପରି ବାଳସୁଲଭ ଖୁସି ଦେଖି ମିତାଙ୍କ ମନ ରୋମାଞ୍ଚିତ ହୋଇଗଲା। ହାତରେ କିଛି ମୁଢି ଧରି ମିତା ଆସି କହିଲେ-- ପିଲା ଦିନେ ମୁଁ ଗୋଟେ ମାଛ ବିଲରୁ ପାଇ ଘରେ ରଖିଥିଲି। ତାକୁ ମୁଢି, ଭାତ ଦେଉଥିଲି। ସେ ଖୁସି ରେ ଖାଉଥିଲା। ଦେଖିବା ଇଏ ଖାଉଛି କି ନାହିଁ। ମାଛଟି ଟପ୍ କରି ଗୋଟେ ଦାନା ମୁଢି ପାଟିରେ ଧରି ପାଣିରେ ବୁଡିଗଲା। ଖୁସିରେ ତାଳି ମାରି ହରି କହିଲେ – ଆରେ ବାଃ, ତୁମ ହାତରୁ ସେ ଖାଦ୍ଯ ଖାଉଛି ତ ! ବେଶ୍ ଭଲ ହେଲା। ଏଥର ମୁଁ ନିଶ୍ଚିନ୍ତ।
ହରି ଓ ମିତାଙ୍କ ଅଜାଣତରେ ମାଛଟି ସେମାନଙ୍କର ହୃଦୟ ଭିତରେ ବସା ବାନ୍ଧି ପହଁରା ଆରମ୍ଭ କରିଦେଇଥିଲା ସେତେବେଳକୁ। ପାଟି ଶୁଣି ଦୁଇ ପିଲା ବି ପହଞ୍ଚି ସେ ଖୁସି ରେ ସାମିଲ୍ ହେଲେ। ସାନ ପୁଅ କହିଲା-- ଆମେ ମାଛଟିର ନାମ “ନିମୋ” ଦେବା। ମୁଁ କାର୍ଟୁନ୍ ରେ ଦେଖିଛି, ନିମୋ ବୋଲି ଗୋଟେ ମାଛ ବହୁତ ଗୁଲୁଗୁଲିଆ ଓ ସେ ସମସ୍ତଙ୍କ ସାଙ୍ଗେ ମିଶେ। ସେହି କ୍ଷଣ ଠାରୁ ନିମୋ, ହରିବାବୁଙ୍କ ପରିବାର ର ଏକ ସଦସ୍ଯ ହୋଇଗଲା।
ନିମୋ ସମୟକ୍ରମେ ବାଲଟିରୁ ଏକ କାଚବାକ୍ସକୁ ସ୍ଥାନାନ୍ତରିତ ହେଲା। ବଜାରରୁ ତା ପାଇଁ ମାଛ ଖାଦ୍ଯ ବି ଆସିଲା। ପିଲା ମାନେ ପାଖକୁ ଆସିଲେ କାଚବାକ୍ସ ଭିତରେ ଥାଇ ନିମୋ ଖେଳ ଦେଖାଏ। ମନ ଆନନ୍ଦରେ ଏପଟରୁ ସେପଟ ପହଁରି ଯାଏ। ବେଳେବେଳେ ମିଟିମିଟି କରି ସମସ୍ତଙ୍କ ମୁହଁ କୁ ଦେଖୁଥାଏ। ନିମୋ ର କାଚବାକ୍ସ ଆଗରେ ଗୋଟିଏ ଚଉକି ପଡିଥାଏ। ହରି ଅଧିକାଂଶ ସମୟ ସେଇ ଚଉକି ରେ ବସି ନିମୋ କୁ ଦେଖୁଥାଆନ୍ତି। ଅନେକ ସମୟରେ ତାଙ୍କୁ ଲାଗେ ସେ ନିଜେ ପାଣିରେ ପହଁରୁଛନ୍ତି। ପିଲା ଦିନର ସେ ମଧୁର ସ୍ମୃ ତି ଗୁଡିକ ମନରେ ଉଙ୍କି ମାରିବାକୁ ଆରମ୍ଭ କରିଦିଏ। ଗାଁଆ ପୋଖରିରେ ଘଣ୍ଟା ଘଣ୍ଟା ଧରି ପହଁରିବା ଓ ସାଙ୍ଗ ମାନଙ୍କ ସହିତ ପାଣି ଭିତରେ କିଏ କେତେ ସମୟ ବୁଡି ରହି ପାରିବାର ପ୍ରତିଯୋଗିତା କଥା ମନେ ପଡିଯାଏ। ସେ ଭାବନ୍ତି, ଆଜି ଯାଏ କାହିଁକି ତାଙ୍କର କୌଣସି ପଶୁପକ୍ଷୀଙ୍କ ପାଇଁ ପ୍ରେମଭାବ ଜାଗ୍ରତ ହୋଇନି? ବରଂ ତାଙ୍କ ନଜରରେ ମଣିଷ ଓ ପଶୁ ପକ୍ଷୀଙ୍କ ଭିତରେ କେବଳ ଗୋଟିଏ ନିବିଡ ସମ୍ପର୍କ ଅଛି। ତାହା ହେଲା ଖାଦ୍ଯ ଓ ଖାଦକର। ସେମାନେ ହେଲେ ଖାଦ୍ଯ ଓ ମଣିଷ ହେଲା ଖାଦକ। ସେଥିପାଇଁ ତ ପ୍ରତି ଦିନ ଲକ୍ଷଲକ୍ଷ ନିରୀହ ପଶୁପକ୍ଷୀ, ଖାଦ୍ଯ ଭାବରେ ପରଷା ଯାଉଛନ୍ତି ସାରା ପୃଥିବୀରେ। ଆଦିମ କାଳରୁ ତ ଚାଲିଆସିଛି ଏହି ରୀତି। ଦିନ କୁ ଦିନ ବଢି ଚାଲିଛି ସିନା କମିବାର ନାମ ନେଉନି। ସେତେ ବେଳେ ତାଙ୍କର ମନେ ପଡିଯାଏ ସେ କରିଥିବା ଅଗଣିତ ପଶୁ ହତ୍ଯା ବିଷୟରେ। ଛେଳି ବା କୁକୁଡାର ବେକରେ ଧାର ଦିଆ ଛୁରି ଚଲେଇବା ବେଳକୁ ସେମାନଙ୍କର ଆତୁର ଚିତ୍କାର ଓ ବେକ କଟି ଗଲାପରେ ରକ୍ତର ଫୁଆରା ର ଦୃଶ୍ଯ ଆଖି ଆଗରେ ନାଚି ଉଠେ। କାଇଁ, ତାଙ୍କ ମନରେ ତ କେବେ ଏ ପ୍ରଶ୍ନ ଉଠିନି ଯେ, ସେ ନିରୀହ ପଶୁପକ୍ଷୀ ମାନଙ୍କର ଦୋଷ କଣ ଥିଲା? ବାହାଘର ପରେ ଥରେ ମିତା ଗୋଟେ କୁକୁଡା କୁ ଅତି ଗେଲବସରିଆ କରି ରଖିଥିଲେ। ତା ନାଁଆ ଦେଇଥିଲେ ନାଲୁ। ମୋଟା ସୋଟା ହୋଇ ବେଶ୍ ସ୍ବାସ୍ଥ୍ଯବାନ ଥିଲା ସେ କୁକୁଡା। ମିତା କେବେ ସ୍ବପ୍ନରେ ବି ଭାବି ନ ଥିଲେ ଯେ ହରି ତାକୁ ମାରିଦେବେ ଓ ତାଆରି ମାଂସ ପରଶି ଦେବେ ସାଙ୍ଗ ମାନଙ୍କୁ। ଅନେକ ଦିନ ଧରି ଗୁମୁରି କାନ୍ଦିଥିଲେ ମିତା। ବାହାଘର ପରେ ହରିଙ୍କ ପରେ ସେ କୁକୁଡା ଟି ଥିଲା ତାଙ୍କର ଅତି ନିଜର। କିନ୍ତୁ ସେ ଖାଦ୍ଯ ରୂପରେ ଯେ ଅତିଥି ମାନଙ୍କୁ ପରଷାଯିବ ଏ କଥା ସେ ବା କାହୁଁ ଜାଣିଥାଆନ୍ତେ। ଅନେକ ଦିନ ଧରି କଥାବାର୍ତ୍ତା ବନ୍ଦ କରିଦେଇଥିଲେ ହରିଙ୍କ ସହ। ସେଇ ଦିନ ଠାରୁ ତାଙ୍କର ମନରେ କି ଭାବାନ୍ତର ହେଲା କେଜାଣି, ସେ କେବେ ମଧ୍ଯ ପଶୁପକ୍ଷୀଙ୍କୁ ପୋଷିବା ସପକ୍ଷରେ ନ ଥିଲେ । ସବୁ ଘଟଣା ଚଳଚିତ୍ରର ଦୃଶ୍ଯ ପରି ହରିଙ୍କ ଆଖି ସାମନା ରେ ନାଚି ଯାଉଛି। ମିତାଙ୍କ ଡାକରେ ପ୍ରକୃତିସ୍ଥ ହେଲେ ସେ। – ଏବେ ଚାଲ ଶୋଇବ, ରାତି ବହୁତ୍ ହେଲାଣି ଯେ। ତୁମ ଗେଲବସରିଆ ନିମୋ କୁ ଶୋଇବାକୁ ଦିଅ। ସେ କେତେ ସମୟ ତୁମ ମୁହଁ କୁ ଚାହିଁ ବସିଥିବ ଯେ? ମିତାଙ୍କର କଥାରେ ଭରି ରହିଥିଲା ଆତ୍ମୀୟତା ।
ନିମୋ ଏବେ ଘରର ମୁଖ୍ଯ ଆକର୍ଷଣ। ଦିନ କେତେଟା ଭିତରେ ସମଗ୍ର ପରିବାରକୁ ତାର ନିରୀହ ଆଖିରେ ବାନ୍ଧି ପାରିଥିଲା ସେ। ତା’ର କାଚ ବାକ୍ସ ଆଗରେ ସଦା ବେଳେ କିଏ ନା କିଏ ଛିଡା ହୋଇଥିବାର ଦେଖିବାକୁ ମିଳିଲା। ସାନ ପିଲାଗୁଡା ନିମୋ ସହ ଗପସପ ବି ଆରମ୍ଭ କରିଦେଇଥିଲେ। ମାଛ ହେଲେ କଣ ହେବ, ନିମୋ ବି ଅନୁରୂପ ସ୍ନେହର ବର୍ଷା କରିବାରେ କାର୍ପଣ୍ଯତା ଦେଖାଉ ନ ଥିଲା। ତା ନାମ ଧରି ଡାକି ଦେଲେ ପାଣି ଭିତରେ ଚକ୍କର ମାରିବା ଆରମ୍ଭ କରି ଦେଉଥିଲା, ଭୋକ ଲାଗିଲେ ପାଟି ପାକୁପାକୁ କରି ଖାଦ୍ଯ ମାଗିବାରେ ବି ହେଳା କରୁ ନ ଥିଲା। ଘରର କାର୍ଯ୍ଯ ନିର୍ଘଣ୍ଟରେ ଯୋଡା ଯାଇ ସାରିଥିଲା ଆଉ ଏକ ସଦସ୍ଯର ଭଲମନ୍ଦ। ନିମୋ ର ପାଣି ବଦଳା ଯିବ, ନିମୋ ପାଇଁ ଖାଇବା ଆସିବ, ନିମୋର କାଚବାକ୍ସରେ ଗୋଟେ ଲାଇଟ୍ ଲାଗିବ...ଏମିତି କେତେ କଣ। କହିବାକୁ ଗଲେ ଘରଟା ନିମୋମୟ ହୋଇସାରିଥିଲା।
ଦିନେ ସକାଳୁ ସକାଳୁ ପାଖ ଘର ପିଲା ଟା ଖବର ଦେଲା ଆଜି ପୁଣି ପୋଖରି ରେ ମାଛ ମରା ଯାଉଛି। ଘରର ସମସ୍ତେ ଏ କଥା ଶୁଣିଲେ ବି ନିରୁତ୍ତର ରହିଲେ। ହରିଙ୍କର ଅନାଗ୍ରହ ଦେଖି ପିଲା ଟା ଯିବାକୁ ବାହାରିବା ବେଳେ ତା ନଜର କାଚବାକ୍ସ ଉପରେ ପଡିଗଲା। ପାଖକୁ ଯାଇ ନିରେଖି ଦେଖି କହିଲା-- ଆରେ ବାଃ, ଏଇଥି ପାଇଁ ପୋଖରି ପାଖକୁ ଯିବା ପାଇଁ ମନ ନାହିଁ କି? ଭଲ ଡଉଲ ଡାଉଲ ମାଛଟି ହେଇଛି ତ ! ବେସର ଦେଇ ତୁଣ କରିଦେଲେ ପାଟି ରୁ ଛାଡିବନି। ନିଜେ ଯଦି ନ ଖାଇବ, ମୋତେ ଦେଇ ଦିଅ। ମୋର ବି ଆଜି ସେଠିକୁ ଯିବାକୁ ମନ ହେଉନି। ପିଲାଟାର କଥା ସରିଛି କି ନାହିଁ ଚିତ୍କାର କରି ଉଠିଲେ ହରି।-- ଭାଗ୍ ଏଠୁ ମାଗିଖିଆ କେଉଁଠିକାର। ଯିବୁ ନା ଦେଖିବୁ ଏଇଲେ। ପିଲାଟା ଡରରେ ସେ ଯାଗା ଛାଡି ପଳେଇଲା।
ମିତା ଲକ୍ଷ୍ଯ କରି ପାରୁଥିଲେ ହରିଙ୍କ ହୃଦୟରେ ଲାଗିଥିବା କ୍ଷତ ଓ ଆଖିରେ ଜକେଇ ଆସୁଥିବା ଲୁହର ପ୍ରାବଲ୍ଯତା କୁ। କୋହଭରା କଣ୍ଠରେ ହରି କହିଲେ-- ଦେଖିଲ ସେ ପିଲା ଟା କଣ କହିଦେଇଗଲା ? ମୋ ନିମୋ କୁ ନେଇ ସେ ଖାଇବାକୁ ଭାବିଛି। ଛିଃ....ସେ ପିଲା ଟା ମଣିଷ ନା ପଶୁ । ହରିଙ୍କର ହାତ ଉପରେ ହାତ ଥାପି ମିତା କହିଲେ-- ଛାଡ ସେମାନଙ୍କ କଥା। ମୋତେ ବି ସେ ପିଲାର କଥା ଶୁଣି ଭୀଷଣ ରାଗ ଲାଗିଲା। କିନ୍ତୁ ସେମାନେ କଣ ଜାଣିବେ, ନିମୋ ଆମ ପାଇଁ କଣ ଗୁରୁତ୍ବ ରଖେ। ହରିଙ୍କର ମୁହଁରୁ ସ୍ପଷ୍ଟ ପଢି ହେଉଥିଲା ତାଙ୍କ ହୃଦୟର ଭାଷା। ନିମୋ ପାଇଁ ସେ କେତେ ମାତ୍ରାରେ ଚିନ୍ତିତ , ଯେ କେହି ବି କହି ଦେଇ ପାରିବ। କାଚବାକ୍ସ ପାଖରେ ହରି ଛିଡା ହୋଇ ନିମୋ କୁ କହିଲେ-- ମୋ ନିମୋ, ତୁ ମୋତେ ଛାଡି କୁଆଡେ ଯିବୁନି। ସଦା ବେଳେ ଏମିତି ମୋ ପାଖରେ ଥିବୁ। ତୋ ସହ କେଉଁ ଜନ୍ମର କି ସମ୍ପର୍କ ଥିଲା ଜାଣେନି, କିନ୍ତୁ ତୋ ବିନା ରହିବା ଅସମ୍ଭବ।
ମିତା ଏବେ ନିମୋ ପାଇଁ ଅଧିକ ଯତ୍ନବାନ ହୋଇ ଯାଇଥିଲେ। ତା’ର ଖାଇବା ଓ ପାଣି ବଦଳାଇବା ଯେମିତି ଠିକ୍ ଭାବରେ ହେବ ସେ ନିଜେ ତଦାରଖ କରୁଥିଲେ। ନିମୋ ପାଇଁ ବାରି ପଟ କୂଅରୁ ପାଣି ଆସୁଥିଲା। କାହିଁ କେତେ ଦିନରୁ ସେ କୂଅଟି ହରିବାବୁଙ୍କ ବାରିପଟରେ ରହିଛି ତା’ର ହିସାବ ନାହିଁ। କେବେ କେବେ ହରି ଭାବନ୍ତି ସେଇ କୂଅରେ ନେଇ ନିମୋ କୁ ଛାଡିଦେବେ। ପ୍ରକୃତି କୋଳରେ ପୁଣି ନିମୋ ନିଜ ଘରସଂସାର କରି ରହିବ। କିନ୍ତୁ ମନରେ ଥିବା ଅଫୁରନ୍ତ ସ୍ନେହ ତାଙ୍କୁ ଏ କାମ କରାଇବାକୁ ଦିଏ ନାହିଁ। ଏ ବିଷୟରେ ମିତାଙ୍କୁ ସେ ଅନେକ ଥର କହିଛନ୍ତି। କିନ୍ତୁ ମିତା ଭଲରେ ଜାଣିଥିଲେ ଯେ ହରି କେବେ ନିମୋ କୁ ଛାଡିବେ ନାହିଁ।
ସବୁଦିନ ପରି ସେ ଦିନ ରାତିରେ, ସାରା ପରିବାର ର ଲୋକ କାଚବାକ୍ସ ପାଖରେ ବସି ନିମୋ ସହ ଖେଳରେ ମାତିଲେ। ସେ ମଧ୍ଯ ସମସ୍ତଙ୍କ ମନ ଖୁସି କରିବା ପାଇଁ ଭଳି କି ଭଳି ଖେଳ ଦେଖେଇବାରେ ଲାଗିଥିଲା। ପିଲା ମାନେ ଯେତେ ବେଳେ କହୁଥିଲେ- ନିମୋ ଟିକେ ଚକ୍କର ମାରିଦେଲୁ, ସେ ସାଙ୍ଗେସାଙ୍ଗେ ପାଣି ଭିତରେ ଘେରା ମାରି ବୁଲିବା ଆରମ୍ଭ କରିଦେଉଥିଲା। ସେଇ କାଚବାକ୍ସଟି ଥିଲା ନିମୋ ପାଇଁ ପୋଖରି ଓ ହରିବାବୁଙ୍କର ପରିବାର ଲୋକେ ଥିଲେ ତାର ଆତ୍ମୀୟ ସ୍ବଜନ। ପିଲା ମାନେ ବାକ୍ସ ଭିତରେ ସାନ ସାନ ପ୍ଲାଷ୍ଟିକ୍ ମାଛ ଛାଡି ଦେଇଥିଲେ। କେବେକେବେ ନିମୋ ସେମାନଙ୍କ ସହ ଖେଳରେ ମାତିଯାଏ। ଭୋକ ଲାଗିଲେ ପାଣି ଉପରକୁ ମୁଣ୍ଡ ଟୁଙ୍ଗାରି ପାଟି ପାକୁପାକୁ କରେ। କିଛି ଖାଇବା ମିଳିଗଲେ ପୁଣି ଖେଳରେ ମାତିଯାଏ। ଢେର ରାତି ଯାଏ ନିମୋ ସହ ସମୟ କଟାଇବା ପରେ ସମସ୍ତେ ଶୋଇବାକୁ ଗଲେ। ତା ପରଦିନ ନିମୋ ର ପାଣି ବଦଳାଯିବ। ତେଣୁ ପିଲା ମାନଙ୍କ ମନରେ ଖୁସି ବହୁତ ଅଧିକା ଥିଲା। ପାଣି ବଦଳାଇବା ସମୟରେ ନିମୋ କୁ ବାଲଟି ରେ ରଖା ଯାଏ। ପିଲା ମାନେ ତାକୁ ଛୁଇଁବାର ସୁଯୋଗ ପାଆନ୍ତି ଓ ନିମୋ ତା’ର କୁନି ପାଟିରେ ପିଲା ମାନଙ୍କର ଆଙ୍ଗୁଠି କୁ ଚୁମା ଦିଏ। ପାଣି ବଦଳା ସରିବା ପରେ ପୁଣି ସେ ଚାଲିଯାଏ ତା’ର ଦୁନିଆ କୁ। ଏହି ଧାରା କେତେ ଦିନ ଧରି ବେଶ୍ ସୁରୁଖୁରୁ ରେ ଚାଲିଥିଲା।
ସେଦିନ ବାଲଟି ଭିତରେ ନିମୋ ପିଲା ମାନଙ୍କ ସହ ବେଶ୍ ଖେଳିଲା। ତା’ର ଡର ଛାଡି ଯାଇଥିଲା କି କଣ, ପିଲା ମାନଙ୍କ ହାତ ପାଖରେ ଘଷି ହୋଇ ଗେଲ ମଧ୍ଯ ହେଉଥିଲା। ସାନ ପୁଅ ତାକୁ ହାତରେ ଟେକି ଧରିଲା ପରେ ବି ନିମୋ ଚୁପଚାପ୍ ପାପୁଲି ଭିତରେ ଥିଲା। ମିତା ଦେଖିପାଟି କରି କହିଲେ-- ଆରେ ତାକୁ ପାଣିରେ ଛାଡିଦେ। ବାହାରେ ବେଶି ସମୟ ରଖିବା ଯମା ବି ଠିକ୍ ନୁହଁ। କହିବା ବାହୁଲ୍ଯ, ମିତା କେବେ ବି କହୁ ନ ଥିଲେ ଯେ ନିମୋ ମରିଯିବ ବୋଲି। ନଚେତ୍ ସାଧାରଣତଃ କହିବା କଥା ତାକୁ ପାଣିରେ ଛାଡି ଦେ ନୋହିଲେ ସେ ମରିଯିବ। ପୁଅ ଯତ୍ନର ସହ ନିମୋ କୁ ପାଣି ରେ ଛାଡିଦେଲା। କାଚବାକ୍ସରେ ପାଣି ପୁରେଇ ସାରିବା ପରେ ନିମୋ କୁ ପାଣିରେ ଛାଡି କିଛି ଖାଦ୍ଯ ପକେଇଦେଲେ ହରି। ତା ପରେ ନିଜ କାମ ରେ ଲାଗି ପଡିଲେ। କିଛି ସମୟ ପରେ ପୁଅ ପାଟି କରି କହିଲା-- ବାପା, ଦଉଡି ଆସ, ନିମୋ ର କଣ ହେଇଯାଉଛି। ହରି ଏକ ପ୍ରକାର ଦୌଡି ଆସିଲେ। ମିତା ବି ରୋଷେଇ ଘରୁ ଆସି ପହଞ୍ଚି ଦେଖିଲେ ନିମୋ ନିସ୍ତେଜ ହୋଇ ଆସୁଛି।-- ଏବେ ତ ଖେଳୁଥିଲା, ଏମିତି ଅଚାନକ କଣ ହେଲା? ବିବ୍ରତ ହୋଇ କହିଲେ ହରି। ସେତେବେଳକୁ ତାଙ୍କର ହୃତ୍ ସ୍ପନ୍ଦନର ଗତି ଢେର ବଢି ଯାଇଥିଲା। ସେ ବିକଳ ହୋଇ ଡାକିଲେ “ନିମୋ” “ଏ ନିମୋ” । ବହୁତ୍ କଷ୍ଟରେ ନିମୋ ଟିକେ ପହଁରିବାକୁ ଚେଷ୍ଟା କଲା, ମାତ୍ର ବିଫଳ ହୋଇ ତଳେ ପଡିଗଲା। କେବଳ ପାଟି ପାକୁପାକୁ କରି ହରିଙ୍କ ମୁହଁରେ ଦୃଷ୍ଟି ନିବଦ୍ଧ କରି ରଖିଥିଲା। ବିକଳ ହୋଇ ହରି ସେ କାଚ ବାକ୍ସରେ ହାତ ଥାପୁଡାଇଲେ। କାଳେ ନିମୋ କୁ ଶୁଭିବ, କାଳେ ସେ ପୁଣି ଉଠି ଚକ୍କର ମାରି ପହଁରିବ। କିନ୍ତୁ ନା, ସେମିତି କିଛି ବି ହେଲାନି। ନିମୋ ର ଶରୀର ଧିରେ ଧିରେ ନିସ୍ତେଜ ହୋଇ ଆସିଲା। କଣ କରିବେ , କାହାକୁ ଡାକି ପଚାରିବେ ବୁଝି ପାରୁ ନ ଥିଲେ ହରି। ଗୋଟେ ପୋଖରି ମାଛର ଦେହ ଖରାପ ବିଷୟରେ କିଏ ବା କାହିଁକି ମୁଣ୍ଡ ଖେଳେଇବ।
ସେ ଏକ ପ୍ରକାର କାନ୍ଦି ଉଠି ବଡ ପାଟିରେ ଡାକିଲେ – ମୋ ନିମୋ, ଉଠ୍ ତୋର କଣ ହୋଇଛି ଯେ। ଧନରେ, ତୁ କଣ ମୋ କଥା ଶୁଣିବୁନି, ମୋ ସହ ଖେଳିବୁନି? ଥରେ ମୋତେ ଦେଖ୍ ନିମୋ, କିନ୍ତୁ ସେତିକି ବେଳକୁ ନିମୋର ଶରୀର ନିସ୍ତେଜ୍ ହୋଇସାରିଥିଲା। ପିଲାମାନେ ପାଟି କରି କାନ୍ଦିବା ଆରମ୍ଭ କରି ଦେଇଥିଲେ। ମିତା ନିର୍ବାକ୍ ହୋଇ ଦେଖୁଥିଲେ ନିମୋ,ହରି ଓ ପିଲା ମାନଙ୍କୁ।
ସେତିକି ବେଳକୁ ପାଖ ଘରର ପିଲା ଟା ଆସି କହିଲା – ହରିକାକା, ସେ କୂଅରୁ ପାଣି ଆଣିବନି, ସକାଳେ ସରକାରଙ୍କ ତରଫରୁ କିଛି ଲୋକ ଆସି କୂଅରେ ବ୍ଲିଚିଙ୍ଗ ପାଉଡର ପକେଇଛନ୍ତି। ସନ୍ଧ୍ଯାବେଳକୁ ପାଣି ବ୍ଯବହାର କରିବ ବୋଲି କହିଯାଇଛନ୍ତି।
ବୁକୁଫଟା ଚିତ୍କାର କରି ହରି କହି ଉଠିଲେ--- ମୁଁ ତୋତେ ରଖି ପାରିଲିନି ରେ ନିମୋ... ମୁଁ ତୋତେ ମାରିଦେଲି।
***************************************
Subscribe to:
Post Comments (Atom)
No comments:
Post a Comment