Friday, May 12, 2017

ମୋବାଇଲ ନିଶା


ଆହା ମୋବାଇଲ

               ଲେଖକ-ଅରବିନ୍ଦ ରଥ


ଆମ ସାହି ପିଲା ସୁକୁଟା ମାଝି କୁ
ମୋବାଇଲ ନିଶା ଘାରିଛି,
ଦିନ ରାତି ଖାଲି ମୋବାଇଲ ଧରି
ଟୁପୁରୁ ଟାପୁରୁ କରୁଛି।।

ଘର ତାର ଏବେ ଥୁଣ୍ଟା ବରଗଛ
ତାଆରି ମୂଳରେ ବସୁଛି,
ପଚାରିଲେ ଦାନ୍ତ ନିକୁଟାଇ କୁହେ
ଏଠି ସିଗିନାଲ ଧରୁଛି।।

କାମ ଧାମ ସବୁ ଭୁଲି ସେ ଗଲାଣି
ସାଙ୍ଗଙ୍କୁ ଦେଲାଣି ପାଶୋରି,
ମୋବାଇଲ ମଧ୍ଯେ ସଂସାର ତାହାର
ନେଲାଣି ସନ୍ଯାସ ଆବୋରି ।।

ବାପ ଲାଗେ ମୂଲ ମେରୁଦଣ୍ଡ ଭାଙ୍ଗି
ମାଆ କରେ କାମ ପାଇଟି,
ସୁକୁଟା ଆମର ନିକ୍କମା ଙ୍କ ବାପ,
ମସ୍ତି କରେ ଡେ ନାଇଟି ।।

କାମ ପାଇଁ ଯଦି କହିଦେଲା କିଏ
ତ୍ରିଭୁବନ ଜାଣ କମ୍ପିବ,
ଭେଣ୍ଡିଆ ପିଲା କୁ ଟେନସନ ଦେଲ
ସୁକୁଟା ଆମର ଗର୍ଜିବ।।



ଛାଡିଦେବି ଘର ପିଇବି ଜହର,
ନୋହିଲେ ନଦୀ ରେ ବୁଡିବି
ଫାଲତୁ କଥାରେ କଚକଚ ହେଲେ,
ଇହଧାମ ତ୍ଯାଗ କରିବି।।

ସୁକୁଟା ଡରାଣ ଭୟଙ୍କର ଜାଣ
ବାପା ମାଆ ଛାତି ଧଡପଡ,
କାଳେ ଧନମଣି ଜୀବନ ହାରିବ
ସେ ଚିନ୍ତାରେ ଦୁହେଁ ଜଡସଡ ।।

ରୁଷିଲେ ସୁକୁଟା ମୁହଁ ହାଣ୍ଡିକରି
ବସଇ ଘରର ଅଗଣାରେ,
ଅନ୍ନଜଳ ଜାଣ ତ୍ଯାଗ ସେ କରଇ
ଅଭିନୟ କରେ ତୁଚ୍ଛାଟାରେ।।

ବାପା ମାଆ ତାର ମୁର୍ଖ ବୋଲି ଜାଣି
କରେ ଅତ୍ଯାଚାର ନାନାବିଧ,
କାର୍ଡ ରିଚାର୍ଜ ଟଙ୍କା ମିଳିଲେ
ସୁକୁଟା ମାହାପ୍ରୁ ହେବେ କ୍ଷୁବ୍ଧ।।

ଚିରା ଶାଢିକାନି ଗଣ୍ଠି ଖୋଲି ମାଆ
ବଢାଇ ଦିଅଇ କିଛି ଟଙ୍କା,
ସେତିକିରେ ହୁଏ କ୍ରୋଧ ଶାନ୍ତ ତାର
ହସି ଦିଏ କରି ଓଠ ବଙ୍କା।।

ପଚାରିଲେ କିଏ ମୋବାଇଲ କଥା
ଉଠଇ ଚିହିଁକି କରି ପାଟି,
କିସ ଗଲା ତୁମ ବୋପା ଅଜାଙ୍କର
ପାଲଟୁଛ କାଇଁ ଝିଟିପିଟି।।

ମୋ ବାପ ପଇସା ଖର୍ଚ୍ଚ ମୁଁ କରୁଛି
ପତଉନି ହାତ କାହା ପାଖେ,
ମୋବାଇଲ ଧରେ, ରକେଟରେ ଚଢେ
ତୁମର ବା କେତେ ଯାଏ ଆସେ।।


ମୋବାଇଲ ଜାଣ ହୃଦୟ ମୋହର
ପ୍ରାଣ ପକ୍ଷୀ ଅଛି ତାର ମଧ୍ଯେ,
ବଞ୍ଚି ପାରିବି ତାକୁ ଛାଡି ମୁଁ ଯେ
କୃଷ୍ଣ ସେ ମୋହର ମୁହିଁ ରାଧେ।।

ଫେସବୁକ୍, ଟ୍ବିଟର, ହ୍ବାଟସଆପ ସବୁ
ଚଳନ୍ତି ଠାକୁର ମୋର ପାଇଁ,
ଲାଇକ୍, କମେଣ୍ଟ୍,, ଟ୍ବିଟ୍ ମେସେଜ୍
ଭଜନ,ଜଣାଣ ହେ ଗୋସାଇଁ।।

ନୁଆ ଷ୍ଟାଇଲର ଭକ୍ତିରସ ଇଏ
ପାନ କର ମଜା ଜାଣି ଯିବ,
ଜୀବ ଥିବା ଯାଏ ମୋବାଇଲ ଭକ୍ତ
ସାଜି ଅମୃତ ପିଉଥିବ।।

ଫ୍ରେଣ୍ଡ ରିକ୍ବେଷ୍ଟ୍ ପାଇଗଲେ କେବେ
ଜାଣିବ ତୁମର ଭାଗ୍ଯ ଟାଣ,
ଫଟୋରେ ଲାଇକ୍ ଗୋଟିଏ ମିଳିଲେ
ଆନନ୍ଦର ନାହିଁ ପଟାନ୍ତର।।

ଥିଲେ କିଛି ପୂଣ୍ଯ ପାଇଯିବ ଜାଣ
କମେଣ୍ଟ, ସେୟାର ବରଦାନ,
ପରମାତ୍ମାପ୍ରାପ୍ତି ପରାୟେ ଆନନ୍ଦ
ମିଳିବ ହେ ଶୁଣ ସୁଧିଜନ।।



ଯେତେ ବେଶି ଥିବେ ଫ୍ରେଣ୍ଡ୍ ତୁମର
ସେତେ ଯେ ଇଜ୍ଜତ କମେଇବ,
ପ୍ରଧାନମନ୍ତ୍ରୀ ଠୁ ହିରୋଇନ ଯାଏ
ଦିନ ରାତି ଚାଟ୍ କରୁଥିବ।।


ଆମ ଗାଁ ପିଲା ସିଙ୍ଘାଣିନାକିଆ
କାଳିଆ କୋତରି ଝିଅ ସବୁ,
ଫେସନ ଷ୍ଟାଇଲ୍ କିଛି ଜାଣନ୍ତି
ବୁଝାଇବ କିଏ କୁହ ବାବୁ।।

ପାଞ୍ଚ ଜଣ ଖଣ୍ଡେ ଗାର୍ଲଫ୍ରେଣ୍ଡ୍ ମୋର
କରେ ମୁଁ ଯେ ଗପ ଦିନରାତି,
କାହାରି ବଦନ ଦଣ୍ଡେ ଦେଖିଲେ
ମିଳେନା ମୋତେ ଯେ ଟିକେ ଶାନ୍ତି।।

ହାତରୁ ଯଦି ବା ମୋବାଇଲ ଗଲା
ଝୁରିଝୁରି ମୋର ଯିବ ପ୍ରାଣ,
ବିରାଟ ସଂସାର ହୋଇବ ଅସାର
ଜାଣି ରଖ ଆହେ ବନ୍ଧୁଗଣ।।

ଫେସବୁକ ବାଟେ ପାଇଲା ପ୍ରେୟସୀ
ସୁକୁଟା ପ୍ରେମିକ ସରଦାର,
ଠାକରା ଗାଲରେ ହସର ଫୁଆରା
ଗ୍ରାମ ବସ୍ତି କଲା ଥରହର।।

ଖିଆପିିଆ ସବୁ ବରଗଛ ମୂଳେ
ପ୍ରେମାଳାପ ଚାଲେ ଅହରହ,
ବାପ ନେଇ ଯାଏ ଦି ଓଳି ଖାଇବା
କେମନ୍ତେ ଛାଡିବ ପୁତ୍ରମୋହ।।


ଗୋଡ କୁ ଟେଙ୍ଗେଇ ନାଚେ ଥେଇଥେଇ
ସେଲଫି ଉଠାରେ ମସଗୁଲ,
ପ୍ରେୟସୀ କହିଛି ଗଛ ପରେ ଚଢି
ଫଟୋ ଟେ ଉଠାଅ ଧନ ମୋର।।


ପ୍ରେୟସୀର କଥା ହେବ ଅନ୍ଯଥା
ଚଢିଗଲା ଜାଣ ପ୍ରେମ ଜ୍ଜର,
ସୁକୁଟା ଚଢିଲା ବରଗଛ ପରେ
ସେଲଫି ନେବାକୁ ତରବର।।

କାଳିଆ ମୁହଁରେ ସବୁଜ ଚଷମା
ଓଠ କୁ କରିଲା ଟିକେ ବଙ୍କା,
ହସହସ ମୁହଁ କରିଲେ ଟିକେ
ସେଲଫି ପଡିବ ଜାଣ ଫିକା।।

ଗଛଡାଳେ ଥିଲା ବଡ ମହୁଫେଣା
ପ୍ରେମାନ୍ଧ ସୁକୁଟା ଦେଖିଲା,
ପୋଜ୍ ନେଉନେଉ ପଡିଗଲା ଗୋଡ
ବଡ ମହୁଫେଣା ଭାଙ୍ଗିଗଲା।।

ସହସ୍ର ସଂଖ୍ଯାରେ ମହୁମାଛି ଗଣ
ଗଗନ ପବନ ଆଚ୍ଛାଦିଲେ,
ଗଛ ପାଶେ ଜାଣ କଳା ବାଦଲର
ରୂପ ନେଇ ସବୁ ବିଚରିଲେ।।

କିଏ ସେ ଅଧମ କେଡେ ନରାଧମ
ଭାଙ୍ଗିଦେଲା ଆମ ମହୁଫେଣା,
କରିବା ଦଂଶନ ,ନେବା ତା ଜୀବନ
କ୍ରୋଧ ଜର୍ଜରିତ ମାଛି ସେନା।।



ସୁକୁଟା ବିଚରା କିଛି ଜାଣଇ
ପୋଜ ଦେବାରେ ଅଛି ଧ୍ଯାନ,
ପାନଖିଆ ପାଟି ମେଲେଇ ରଖିଛି
ପ୍ରେୟସୀ ଦେଖିବ ତା ବଦନ।।

ଦେଖିଲା ଆଗରେ ବାଦଲ ପରାୟେ
ମହୁମାଛିଙ୍କର ସୈନ୍ଯଗଣ,
ବୁଝିବା ଆଗରୁ ବିନ୍ଧିନେଲେ ତାକୁ
ତାଳୁରୁ ତଳିପା ଗୋଟାପଣ।।

ଆଖି ,କାନ, ପାଟି, ଗୋଡହାତ, ପିଠି
ଦଂଶନ ପୀଡାରେ ଅସ୍ତବ୍ଯସ୍ତ,
ବୁକୁଫଟା ରଡି ଛାଡିଲା ସୁକୁଟା
ନିମିଷକେ ହେଲା ଭୂପତିତ।।

ପିନ୍ଧା ବସନ ଯେ ଗଛରେ ଝୁଲିଲା
ମୋବାଇଲ ହାତୁ ଗଲା ପଡି,
ଦିଗମ୍ବର ରୂପ ଧାରଣ ପୂର୍ବକ
ସୁକୁଟା ଦଉଡେ ଜାଗା ଛାଡି।।

ଆହା କି ନିର୍ଦ୍ଦୟ ମହୁମାଛି ଗଣ
ହୋଇଲା କିବା କ୍ରୋଧ ଶାନ୍ତ,
ଗୋଡାଇ ଗୋଡାଇ କରନ୍ତି ଦଂଶନ
ସୁକୁଟା ହେଲା କି ହନ୍ତସନ୍ତ।।

ପାଶେ ଥିଲା ଏକ ଗୋବର ପୋଖରି
ଘୁଷୁରୀ କରନ୍ତି ସନ୍ତରଣ,
ପୋକଜୋକ, ଜିଆ, ବିଛା କଣ୍ଟିଆ
ଆନନ୍ଦେ କରନ୍ତି ବିଚରଣ।।




ଆଗପଛ ଆଉ କରି ବିଚାର
ଗୋବର ପାଣିରେ ଦେଲା ଲମ୍ଫ,
ଆହା କି ଦୁଃର୍ଭାଗ୍ଯ ସୁକୁଟା ହିରୋ ଙ୍କ
ପହଁରୁଛି ପାଶେ ନାଗ ସାପ।।

କାଳେ ଦଂଶିଦେବ ନାଗ ସାପ ତାକୁ
ଗୋବର ପୋଖରି ଭୟଙ୍କର,
ଅକାଳେ ଉଡିବ ପ୍ରାଣପକ୍ଷୀ ଜାଣ
ପାଇବେ କେହି ଶବ ତାର।।

କଷ୍ଟକରି କେତେ ଆସିଲା ବାହାରି
ପୁଚ ପୋଖରିରେ କରି ସ୍ନାନ,
ଦେହେ ଆସ୍ତରଣ କଞ୍ଚା ଗୋବର
ବିବସ୍ତ୍ର ଶରୀର ଦୃ ଶ୍ଯମାନ।।

ଚୁଟି ରୁ ଆଙ୍ଗୁଠି ପାଉଁରୁଟି ସମ
କେଡେ ବେଗି ଆହା ଗଲା ଫୁଲି,
ଠାକରା ଗାଲ ଟି ଦିଶେ ଗୋଲଗୋଲ
ପାରୁନି ସେ ଆଉ ଆଖିଖୋଲି।।

ଗାଁ ବାତେରା ଟୋକା ତାକୁ ଦେଖି
ମାରିଲେ କମେଣ୍ଟ ଘନଘନ,
ଭାବିଲେ ସତେ କି ପାଗଳ ବୁଲୁଛି
ଭୁଲିଛି କି ହିତାହିତ ଜ୍ଞାନ।।

ସୁକୁଟା କଣ୍ଠରୁ ବାକ୍ଯ ସ୍ଫୁରଇ
ବେଦନା ରେ ଦେହ ଯାଏ ପୋଡି,
ପରିଚୟ ନିଜ ଦେଇ ପାରଇ
ଠିଆ ହେଲା ଖାଲି ହାତ ଯୋଡି।।



ସେହି ଦିନ ଠାରୁ ଏକ ମାସ ଯାଏ
ସୁକୁଟା କରିଲା ବନବାସ,
ମୋବାଇଲ ନିଶା ଗଲା ଯେ ଉତୁରି
ସେଲଫି କଲା ତାର ସର୍ବନାଶ।।

ଆଜିର ସୁକୁଟା କେତେ ଯେ ସୁଧାର
ବାପ ସହ କରେ ଚାଷବାସ,
ମୋବାଇଲ ନାମ ପଡିଗଲେ କେବେ
ଛାଡିଦିଏ ଏକ ଦୀର୍ଘଶ୍ବାସ।।
-----------ସମାପ୍ତ-----------