Wednesday, August 23, 2017

କୁଳାଙ୍ଗାର



 
                                                କୁଳାଙ୍ଗାର

                                                    ଲେଖକ-  ଅରବିନ୍ଦ ରଥ


                             ଜନ୍ମଦିନ ପାଇଁ ପାଳନ ପାଇଁ ଘର ବହୁତ ଭଲରେ ସଜା ଯାଇଛି। ରଙ୍ଗବେରଙ୍ଗର ବେଲୁନ୍ ଓ ଲିଚୁ ଲାଇଟ୍ ରେ ଘରଟି ପୁରି ଉଠିଛି। କାନ୍ଥରେ “ହାପି ବାର୍ଥ ଡେ”ଲେଖାଥିବା ବ୍ଯାନର୍। ଟେବୁଲ୍ ରେ ଥୁଆ ଯାଇଛି ଏକ ବଡ କେକ୍। ଦେଖିଲେ ଲାଗୁଛି ବଡ ଧୁମ୍ ଧାମ ରେ ଜନ୍ମଦିନ ପାଳନର ପ୍ରସ୍ତୁତି ହୋଇଛି। ହଁ କଥାଟା କିଛି ମାତ୍ରାରେ ସତ ; ଆଜି ବିଟୁର ଜନ୍ମ ଦିନ। ସେ କେତେ ଜିଦି କରିଥିଲା ତା ପାଇଁ ବେଲୁନ୍ ଓ ବଡ କେକ୍ ଆଣିବା ପାଇଁ। କିନ୍ତୁ........ଯାହାର ଜନ୍ମଦିନ ପାଳନ ପାଇଁ ଏତେ ପ୍ରସ୍ତୁତି ସେ ଆଜି ଘରେ ନାହିଁ। କଣ ହେଲା ତାର? ତେବେ ସେ କଣ............

“ବିଟୁ” ଚାରିପାଞ୍ଚ ବର୍ଷର ଗୁଲୁଗୁଲିଆ ପିଲା ଟି ; ତାକୁ ଯିଏ ଦେଖିବ ଦଣ୍ଡେ ଚାହିଁ ରହିବ। ଗୋରା ତକତକ ଚେହେରା ସାଙ୍ଗକୁ ମିଠା କଥାରେ ସମସ୍ତଙ୍କୁ ବାନ୍ଧିରଖିବାରେ ଉସ୍ତାଦ୍ ସେ। ଯୁଆଡେ ଯିବ ଖୁବ୍ କମ ସମୟ ଭିତରେ ସମସ୍ତଙ୍କୁ ଆପଣାର କରିଦେବ। କଲୋନୀ ଭିତରେ ଏମିତି କେହି ନାହିଁ, ଯିଏ ବିଟୁ କୁ ଭଲ ନ ପାଆନ୍ତି। ଯିଏ ବି ଦେଖେ କୁହେ --- ପିଲା ଟା ପୁରା ରାଜକୁମାର ପରି ଦିଶୁଛି। ପାଖ ପଡୋଶୀ ମାନଙ୍କର ବେଶୀ ଆଦର ତା ପାଇଁ। ସାନ ଟି ଦିନରୁ ତାଙ୍କରି ଆଗରେ ବଢି ଆସିଛି ସେ। ବିଟୁ ର ବାପା ମୋହନ ଜଣେ ସରକାରି କର୍ମଚାରୀ ଓ ମାଆ ରୀନା ଜଣେ ଗୃହିଣୀ। ଦୁଇଜଣଙ୍କର ଏକୋଇର ବଳା ବିଶିକେସନ ସେ। ତାକୁ ଦଣ୍ଡେ ନ ଦେଖିଲେ କେହି ରହିପାରନ୍ତିନି। ପିଲା ଦିନରୁ କେବେ କୌଣସି ଜିନିଷ ପାଇଁ ମନା କରନ୍ତିନି ମୋହନ। ଯେଉଁ ପ୍ରକାର ଖେଳନା ବିଟୁର ଦରକାର ସବୁ ଆସି ପହଞ୍ଚିଯାଏ। ଖେଳିଖେଳି ମନ ଭରିଗଲେ ସେ ସବୁକୁ ସଜେଇ ରଖିଦିଏ ଗୋଟେ ଆଲମାରୀ ଭିତରେ। କେବେ ଖେଳନା ଭାଙ୍ଗେନି ସେ। ରୀନା ତାକୁ କୋଳକୁ ଟେକି ନେଇ ଗେଲକରି କୁହନ୍ତି

--- କେତେ ବୁଦ୍ଧି ଆମ ବିଟୁର, ସବୁ ଜିନିଷ କେତେ ଯତ୍ନରେ ରଖୁଛି ସେ। ବଡ ହେଲେ ଏମିତି ଯତ୍ନରେ ପାଠ ପଢି ବହୁତ୍ ବଡ ଅଫିସର ହେବ। ମୋହନ କୁହନ୍ତି --ଆରେ ପିଲା ଟା ଆଗ ବଡ ହେଇଯାଉ। ଏତେ ତରତର କଣ ପାଇଁ। ଦୁଇ ଜଣ ହସି ପକାନ୍ତି। ସେମାନଙ୍କ ମୁହଁ କୁ ବଲବଲ କରି ଦେଖୁଥାଏ ବିଟୁ।

ପିଲାଟି ଦିନରୁ ଡ୍ଯାଡି ମମିଙ୍କୁ ଛାଡିଦେଲେ ଆଉ କେହି ନାହିଁ ବିଟୁର। ଜେଜେବାପା , ଜେଜେମାଆ, ଅଜାଆଈଙ୍କର ବିଟୁ ଜନ୍ମ ପୂର୍ବରୁ ସ୍ବର୍ଗବାସ ହୋଇସାରିଥିଲା।ସେମାନଙ୍କୁ ଫଟୋରେ ଦେଖେ ସେ। ମୋହନ ଓ ରୀନା ତାଙ୍କ ଘରର ଏକକ ସନ୍ତାନ। ତେଣୁ ଦାଦା, କାକା, ପିଉସି, ମାମୁଁ , ମାଉସୀ ପରି ସମ୍ପର୍କ ବିଷୟରେ ଅଜ୍ଞ ଥିଲା ବିଟୁ। କିନ୍ତୁ ଡ୍ଯାଡି ମମିଙ୍କ ଭଲପାଇବା ଏତେ ଅଧିକ ଥିଲା ଯେ, ବାହାର ଦୁନିଆ ସହ କେବେ ନିକଟତର ହେବାର ସୁଯୋଗ ତା ପାଇଁ ଆସିନଥିଲା। ତା ପାଇଁ ପୃଥିବୀର ଅର୍ଥ ଥିଲା ଡ୍ଯାଡି, ମମି ଓ ସେଇ ଘର। ସବୁବେଳେ ଡ୍ଯାଡି ମମିଙ୍କ ସହ ପାର୍କ ଯାଏ। ସେମାନେ ପାର୍କ ଚାରିପଟରେ ଚାଲିବା ବେଳେ ବିଟୁ ନିଜ ଖେଳରେ ବ୍ଯସ୍ତ ଥାଏ। କେତେବେଳେ ବଲ୍ ସାଙ୍ଗରେ ତ କେତେବେଳେ କଣ୍ଢେଇ ସହ। ବେଶ୍ ହସଖୁସିରେ ଦିନ କେମିତି ବିତେ ଜଣା ବି ପଡେନି। ସେଇ କଲୋନୀର କୁନି ପିଲାମାନେ ତା ସାଙ୍ଗରେ ଖୁବ ମସ୍ତି କରନ୍ତି। ପଡୋଶୀ ଶର୍ମାବାବୁଙ୍କ ପୁଅ ରାହୁଲ୍ ତାର ସବୁଠାରୁ ବଡ ସାଙ୍ଗ। ବେଶି ସମୟ ରାହୁଲ୍ ସହ ବିତୁଥିଲା। ସେ ପିଲାଟା ବି ଭାରି ସ୍ନେହୀ, ସଦାବେଳେ ଆସି ବିଟୁ ପାଖରେ ପହଞ୍ଚିଯାଏ। ଡ୍ଯାଡି ଅଫିସ ଗଲାପରେ ମମି ରୋଷେଇ ଓ ଅନ୍ଯକାମରେ ଲାଗି ଯାଆନ୍ତି। ସେତିକିବେଳେ ବିଟୁ ନିଜଭିତରେ ମଜ୍ଜି ରହେ। ଟିଭିଦେଖା ସହ ଖେଳନା ଧରି ଖେଳିଲା ବେଳକୁ ମମି ଆସି ତାକୁ ନେଇଯାଆନ୍ତି ଗାଧୁଆଘରକୁ। ଗାଧୋଇ ସାରିଲା ପରେ ଖାଇଦେଇ ଆରାମରେ ଶୋଇଯାଏ ସେ। ଶୋଇଲାବେଳେ ମମି କେତେ ଆଦରରେ ଗପ କୁହନ୍ତି । କେତେ ବେଳେ ବୁଢୀ ଅସୁରୁଣି ଗପ ତ କେତେବେଳେ ରାଜକୁମାର ଓ ରାକ୍ଷାସ ଗପ। କେତେବେଳେ ନିଦ ଆସିଯାଏ ଜଣା ବି ପଡେନି। ଉଠିଲା ବେଳକୁ ଡ୍ଯାଡି ଆସି ଘରେ ପହଞ୍ଚିଯାଆନ୍ତି। ତାଙ୍କ ଉପରକୁ ସେ ଖୁସିରେ ଡେଇଁ ପଡେ। ଡ୍ଯାଡି ତାକୁ ଛାତିରେ ଜାବୁଡି କେତେ ଗେଲ କରିପକାନ୍ତି। ପକେଟରୁ ଚକୋଲେଟ୍ କାଢି ବଢେଇ ଦିଅନ୍ତି ବିଟୁ ହାତକୁ।ବିଟୁର ଖୁସି କହିଲେ ନ ସରେ। ଡ୍ଯାଡି ମୋ ପାଇଁ ଚକୋଲେଟ ଆଣିଛନ୍ତି କହି ଘର ଟା ସାରା ନାଚିବୁଲେ।

ସକାଳେ ବଗିଚାରେ ବସି ପ୍ରଜାପତି ମାନଙ୍କୁ ଦେଖେ। ଡ୍ଯାଡି କୁହନ୍ତି ଯେ ପ୍ରଜାପତିମାନେ କୁଆଡେ ସଂବାଳୁଆପୋକରୁ ବାହାରନ୍ତି। ସଂବାଳୁଆ ନାଆଁ ଶୁଣିଲେ ଭୀଷଣ ଡରମାଡେ ତାକୁ। ସେ ଆହୁରି ସାନ ଥିଲା ବେଳେ ଗୋଟେ ସଂବାଳୁଆକୁ ମାଡି ଦେଇଥିଲା। ଗୋଡସାରା ଶୁଙ୍କ ପଶି ଏତେ କାଟିଲା ଯେ ସେ କାନ୍ଦିକାନ୍ଦି ଅଥୟ। ଶେଷରେ ଡାକ୍ତରଖାନା ଯିବାକୁ ପଡିଲା। ଯେତେବେଳେ ପ୍ରଜାପତିଟେ ତା ଆଗରେ ଉଡିଯାଏ ସେ ଭାବେ ଡ୍ଯାଡି ବୋଧେ ମିଛ କହୁଥିବେ। ନହେଲେ ଏତେ ସୁନ୍ଦର ପ୍ରଜାପତି, ଯାହା ଦେହରେ ଏତେ ରଙ୍ଗ, ସେ କେମିତି ବାହାରିବ ସଂବାଳୁଆ ଠାରୁ। ଗଛରେ ଚିଁ ଚାଁ କରୁଥିବା ଚଢେଇରାବ, ନାଲିଆ ଶାଗୁଆ, କଙ୍କି ମାନଙ୍କର ମେଳି ଓ ଦୁଷ୍ଟ ଗୁଣ୍ଡୁଚି ମୂଷାର ଖେଳ ତାକୁ ବେଶ ଆମୋଦିତ କରେ। ବଗିଚାର ସେଇ ନରମଘାସ ଉପରେ ଶୋଇରହି ତା କୁନିମୁଣ୍ଡରେ କେତେକଥା ଚିନ୍ତା କରିଯାଏ। ବେଳେବେଳେ ଭାବେ ଏତେ ବଡ ଆକାଶଟା ଯଦି ଆମ ଉପରେ ମାଡି ପଡିବ ଆମେ କୁଆଡେ ଯିବା ? ଦିନ ବେଳା ଆକାଶସାରା ଆଖିବୁଲେଇ ଖୋଜେ ସେ ତାରା, ମାତ୍ର ଗୋଟେ ବି ଦିଶେନି। କିନ୍ତୁ ରାତିହେଲେ ଏତେ ତାରା କୁଆଡୁ ପୁଣି ଚାଲିଆସନ୍ତି ସେ ସଦାବେଳେ ଭାବେ।

ଥରେ ମମି କୁ ପଚାରିଲା---- ମମି ତୁ ଜାଣିଛୁ ଦିନବେଳା କଣପାଇଁ ତାରାମାନେ ଦିଶନ୍ତିନି ?

ପୁଣି ନିଜେ ବଡ ଆଗ୍ରହ ରେ କୁହେ--- ଆରେ ସୂର୍ଯ୍ଯର ପରା କେହି ସାଙ୍ଗ ନାହାଁନ୍ତି। ସେ ଏତେ ଗରମ କରୁଛି ବୋଲି କେହି ତା ସହ ମିଶନ୍ତିନି, ସେଇଥିପାଇଁ ତାରାମାନେ ଲୁଚିଯାଆନ୍ତି। କିନ୍ତୁ ଜହ୍ନମାମୁଁ ତ ସଦା ବେଳେ ଥଣ୍ଡା କରନ୍ତି ନା, ତେଣୁ ତାଙ୍କର ଏତେ ତାରା ସାଙ୍ଗ ଅଛନ୍ତି।

ବିଟୁର ଗୁୁଲୁଗୁଲିଆ କଥା ଶୁଣି ନିଜକୁ ଭାଗ୍ଯବାନ ମନେକରନ୍ତି ମୋହନ। କାମର ଯେତେ ବି ଚାପଥାଉ ପଛେ, ବିଟୁ ର ସେ କଅଁଳ ଦୁଇପଦ କଥାଶୁଣି ଦେଲେ ସବୁ ଚାପ ଓ ଚିନ୍ତା କୁଆଡେ ଦୂରେଇ ଯାଏ।

ସେଦିନ ରୀନା ରାଗ ତମତମ ହୋଇଘରକୁ ଆସି ମୋହନଙ୍କୁ ଭଲ କରି ଦୁଇ ପଦ ଶୁଣେଇଦେଲେ।

- - ପଡୋଶୀ ଶର୍ମାବାବୁଙ୍କ ପୁଅ ର ଆଡମିଶନ ପ୍ଲେ ସ୍କୁଲରେ କରିସାରିଲେଣି ସେମାନେ। କିନ୍ତୁ ଏତେବେଳ ଯାଏ ବିଟୁର ହୋଇନାହିଁ।

- - ଆରେ ରୁହ ଏତେ ବିବ୍ରତ ହେଲେ ଚଳିବ? ବିଟୁର ବୟସ ଦେଖ। ତାକୁ ଏତେବେଳୁ ସ୍କୁଲରେ ଦେବା ମୋତେ କାଇଁ ଜମା ଠିକ୍ ଲାଗୁନି।

ରୀନା କିଛି ଶୁଣିବାକୁ ତୟାର ନଥିଲେ। ବହୁ ବାକ୍ ବିତଣ୍ଡା ପରେ, ଦିନେ ସକାଳ ସାତଟାରୁ ବିଟୁ ନିଜକୁ ଆବିଷ୍କାର କଲା ଗୋଟେ ପ୍ଲେ ସ୍କୁଲର ବାରଣ୍ଡାରେ।

– - ଡ୍ଯାଡି ମୋତେ ଘରକୁ ନେଇ ଚାଲ, ମୋତେ ବହୁତ ଡର ଲାଗୁଛି-- ମୁଁ ଯମା ଦୁଷ୍ଟ ହେବିନି--- ତୁମର ସବୁ କଥା ମାନିବି।

– ମମି, ତୁ ଟିକେ ଶୁଣ୍ ମୋ କଥା-- ମୁଁ ଘରକୁ ଯିବି--- କଣ ପାଇଁ ମୋତେ ଏଠିକୁ ଆଣିଲ---ମୁଁ ଜମା ରହିବିନି ଏ ଯାଗାରେ।

–--ଆରେ ସେମିତି କାହିଁକି ହଉଛୁ। ଦେଖ୍ କେତେ ପିଲା ଆସିଛନ୍ତି। ସେମାନଙ୍କ ସହ ମିଶିବୁ, ଖେଳିବୁ। ଏତେ ଡର କଣ ପାଇଁ? କେତେ ଖେଳନା ଅଛି,ମନ ଭରି ଖେଳିବୁ-- କହିଲେ ମୋହନ।

କିଛି ଗୋଟେ କହିଆସୁଥିଲା ବିଟୁ, ମାତ୍ର ସ୍କୁଲର ଆୟା ତା ହାତ ଧରି ଟାଣିନେଲା ଭିତରକୁ।

ସେଦିନ ବହୁତ କାନ୍ଦିଛି ସେ। ଏତେ ସାନପିଲାଟା ; ଡ୍ଯାଡି ମମିଙ୍କୁ ଛାଡି ପିଲା ଦିନରୁ ଦଣ୍ଡେ ବି ଏକୁଟିଆ ରହିନି। କାହାପାଖରେ ସମୟ କାଟିବା ତା ପାଇଁ ସ୍ବପ୍ନ। ସେଦିନ ସେ ବହୁତ କାନ୍ଦିଲା। ମାତ୍ର ମମି ଓ ଡ୍ଯାଡି କେହି ଶୁଣିଲେନି। କଂସେଇଖାନାରେ ଛେଳିକୁ ଛାଡି ଆସିଲା ପରି ତାକୁ ବଡ ନିର୍ଦ୍ଦୟ ହୋଇ ଛାଡିଆସିଲେ। ସ୍କୁଲରେ ରହିବା ସମୟ ତକ କାନ୍ଦରେ ଗଲା। ଶେଷରେ ସ୍କୁଲରୁ ଫୋନ ଆସିଲା – ଆପଣ ଆସି ପିଲାକୁ ନେଇଯାଆନ୍ତୁ, ନହେଲେ ସେ କାନ୍ଦିକାନ୍ଦି ଅଚେତ୍ ହୋଇଯିବ। ରାଗ ତମତମ ହୋଇ ମୋହନ୍ ତାକୁ ଘରକୁ ନେଇଆସିଲେ। ରୀନା ରାଗରେ କହିଲେ

-- ଏମିତି ହେଲେ ଗଧ ହୋଇ ରହିଥିବୁ। ତୋ ସାଙ୍ଗ ପିଲା ମାନେ ସବୁ ଆଗେଇଯିବେ।

କିଛି ବୁଝି ପାରୁ ନ ଥିଲା ବିଟୁ। ସ୍କୁଲରେ କଣ ହୁଏ ଜଣା ନ ଥିଲା ତାକୁ। ସେ କେବଳ ଏତିକି ଜାଣିଲା, ସ୍କୁଲରେ ଜଣେ ମିସ୍ ସବୁ ପିଲାଙ୍କୁ ଗାଳି ଦେଇ ଚୁପ୍ ହୋଇ ଖେଳିବାକୁ କହୁଥିଲେ। କିଏ ଅବାଧ୍ଯ ହେଲେ କାନ ମୋଡି ପିଠିରେ ବିଧା ମାରୁଥିଲେ। କିନ୍ତୁ ଏମିତି ତ ଘରେ ବି ସେ ଖୁସିରେ ଖେଳୁଥିଲା ,ସେଥିପାଇଁ ସ୍କୁଲ ଯିବା କଣ ଦରକାର?

ସ୍କୁଲ ଯିବା ପରଠାରୁ ବିଟୁ ଜୀବନରେ ମସ୍ତବଡ ପରିବର୍ତ୍ତନ ଆସିଯାଇଥିଲା। ଏଥର ମମି ତାକୁ ସବୁ କଥାରେ ଆକଟ କରୁଥିଲେ, ବୋଧେ ତାକୁ ଆଉ ଭଲ ପାଉନଥିଲେ। ଡ୍ଯାଡି ବି ଆଗ ପରି ଗେଲ କରୁ ନ ଥିଲେ। ଦିନରାତି ଯେତେବେଳେ ଦେଖିଲେ, ମମି ବିଟୁ କୁ ଏ,ବି,ସି,ଡି ଶିଖାଇବାରେ ଲାଗିଲେ । ସକାଳୁ ଆଖିରେ ନିଦ ଭର୍ତ୍ତି ଥାଏ। ମନ ହେଉଥାଏ ଡ୍ଯାଡିଙ୍କ ପାଖରେ ଜାକି ହୋଇ ଶୋଇବା ପାଇଁ, କିନ୍ତୁ ମମି ଆସି ଶେଯରୁ ଘାଷାରି ନେଇ ସ୍କୁଲ ପାଇଁ ତୟାର କରନ୍ତି। କିଛି ସମୟ ଭିତରେ ସ୍କୁଲ ବସ୍ ଚାଲିଆସେ। ଆଖିରେ ଲୁହ ସେମିତି ଥାଏ, ମାତ୍ର ବିଟୁ ଚାଲିଯାଏ ସ୍କୁଲକୁ।

ସ୍କୁଲରୁ ଖବର ଆସିଲାଣି ବହୁତ୍ ଥର-- ବିଟୁ ପିଲା ମାନଙ୍କ ସାଙ୍ଗରେ ମିଶି ପାରୁନି। ସଦାବେଳେ ଉଦାସ ରହୁଛି। ଯାହା ପଢେଇଲେ ଧରି ପାରୁନି, ହସ୍ତାକ୍ଷର ଠିକ୍ ନାହିଁ, ଖେଳରେ ବି ଆଗ୍ରହ ନାହିଁ ...ଏମିତି କେତେ ଅଭିଯୋଗ। ବିଟୁ କିଛି ବୁଝି ପାରେନି। ସେ କାହାର କଣ କ୍ଷତି କରିଛି ଯେ ସାରା ଦୁନିଆ ତା ପଛରେ ପଡି ଯାଇଛନ୍ତି।

ଘରକୁ ଆସିଲା ପରେ ଏବେ ମମି ତାକୁ ଆଉ କୋଳକୁ ନେଇ ଗେଲ କରୁନାହାଁନ୍ତି ; ବରଂ ପଚାରୁଛନ୍ତି ଆଜି କଣ ହେଲା ସ୍କୁଲରେ? ତା ମନ ମୁତାବକ ଖାଇବା ଆଉ ତାକୁ ମିଳୁନି। ଯାହା ପାଟିକୁ ନ ରୁଚିବ ସେଇ ଜିନିଷ ଖାଇବାକୁ ବାଧ୍ଯ କରୁଛନ୍ତି ଡ୍ଯାଡି ଓ ମମି। ଏମିତି ଖାଇଲେ କୁଆଡେ ମୁଣ୍ଡରେ ବେଶି ବୁଦ୍ଧି ହେବ। ପାର୍କରେ ଖେଳିବା ସ୍ବପ୍ନ ହୋଇଗଲାଣି। ଡ୍ଯାଡି କହୁଛନ୍ତି ଏମିତି ଖେଳିଖେଳି କୁଆଡେ ସେ ବେଶି ଚଗଲା ହୋଇଗଲାଣି। ଏବେ ବିଟୁର ଜୀବନ ରେ ଅଛି କେବଳ ସେଇ ଏ,ବି,ସି,ଡି ଆଉ ଅନେକ ପାଠ। ଡ୍ଯାଡି ଓ ମମି ଆଉ ପଚାରୁ ନାହାଁନ୍ତି – ବିଟୁ ବୁଲିଯିବୁ? ବରଂ ପଚାରୁଛନ୍ତି ଆଜି କଣ ଶିଖିଲୁ। ଟିଭିରେ କାର୍ଟୁନ୍ ଦେଖିବା ବି ମନା। ଟିଭି ଦେଖା ଅଭ୍ଯାସ ହୋଇଗଲେ ସେ ଆଉ ପଢିବନି ବୋଲି ସ୍କୁଲ୍ ର ମିସ୍ କହିଛନ୍ତି। ସେଦିନ ସ୍କୁଲରେ ମିସ୍ ତାକୁ ଦୁଇ ଚଟକଣି ମାରିଲେ, ପୁଣି ଆଣ୍ଠେଇବାକୁ କହିଲେ। କାରଣ ଥିଲା ସେ ନିଜେ ଆଣିଥିବା କେକ୍ ସାଙ୍ଗମାନଙ୍କୁ ନ ଦେଇ ଏକୁଟିଆ ଖାଇଦେଲା। ବୁଝି ପାରେନି ବିଟୁ, କଣ ଦୋଷ ତାର ?

କାଇଁ ତାକୁ ତ କେବେ କେହି ସାଙ୍ଗ ତାଙ୍କ ଜିନିଷ ଦେଇନାହାଁନ୍ତି। ମିସ୍ କହିଲେ – ତୁମକୁ ସେୟାର କରିବା ଗୁଣ ଶିଖିବାକୁ ପଡିବ। ନହେଲେ ବଡ ହେଲେ ସ୍ବାର୍ଥପର ହୋଇଯିବ। ସ୍ବାର୍ଥପର ଶବ୍ଦର ଅର୍ଥ କଣ ସେ ଜାଣି ପରିଲାନି କି ତାକୁ ବୁଝେଇବାକୁ କାହାର ଆଗ୍ରହ ନ ଥିଲା। ଏବେ ସେ ଡ୍ଯାଡି ମମିଙ୍କୁ କିଛି ପଚାରିଲେ ସେମାନେ କୁହନ୍ତି-- ଯଦି ମନ ଦେଇ ପାଠ ନ ପଢିବୁ କିଛି ଜାଣି ପାରିବୁନି। ସବୁ ଜିନିଷ ସେଇ ସ୍କୁଲରେ ଶିଖାଯାଉଛି । ଏତେ ଟଙ୍କା ଦେଇ ତୋତେ ପଢଉଛୁ ମାନେ, ତୁ ସବୁ ଜିନିଷ ସେଇଠୁ ଶିଖିବୁ। ବିଟୁ ଜାଣି ପାରେନି ପଚାରିବ କାହାକୁ। ସେଦିନ ଡ୍ଯାଡିଙ୍କୁ ପଚାରିଲା ଜଗନ୍ନାଥଙ୍କର ହାତ ନାହିଁ କଣ ପାଇଁ।

କିନ୍ତୁ ସେ ବିରକ୍ତ ହୋଇ କହିଲେ ପାଠ କୁ ଛାଡି ଦେଇ ତୋର ଅନ୍ଯ ସବୁ କଥା ଜାଣିବାକୁ ବହୁତ୍ ଆଗ୍ରହ। ସ୍କୁଲ୍ ରେ ଯାହା ପଢା ଯାଉଛି ଆଗ ସେସବୁ ଜାଣିବାକୁ ଚେଷ୍ଟା କର, ଅନ୍ଯ କଥା ଜାଣିବାକୁ ସାରା ଜୀବନ ପଡିଛି।

ମିସ୍ ଙ୍କୁ ପଚାରିଲାରୁ ସେ ଚଟକଣିଟେ ପକେଇ କହିଲେ-- କାଲିର ହୋମଓ୍ବାର୍କ ତ କରିନୁ, ଏ ସବୁ କଥା ପଚାରିଲେ କଣ ମୁଁ ତୋତେ ଛାଡି ଦେବି ନା କଣ ? କାଲି ପଢେଇଥିଲି ପରା, କହିଲୁ ଆପଲ୍ ର ସ୍ପେଲିଙ୍ଗ କଣ?ବିଟୁ ବଲବଲ କରି ମିସ୍ ମୁହଁକୁ ଚାହିଁଲା।

–-- ଆପଲ୍ ମାନେ ସେଓ। ମୋତେ ଆପଲ୍ ବହୁତ୍ ଭଲ ଲାଗେ। ଡ୍ୟାଡି ମୋ ପାଇଁ ଆପଲ୍ ଆଣି ଆସନ୍ତି। ଗାଲରେ ଆଉ ଏକ ଶକ୍ତଚାପୁଡା ପକେଇଲେ ମିସ୍ । ବିରକ୍ତିରେ କହିଲେ

-- କେମିତିପିଲା ସବୁ ଆସୁଛନ୍ତି ଏ ସ୍କୁଲ୍ କୁ ଛିଃ। ଏମାନଙ୍କ ମୁଣ୍ଡରେ ଗୋବର ଅଛି ନା କଣ?

ଘରକୁ ଯାଇ ମମି ଙ୍କୁ ସବୁ କଥା କହିଲା ସେ, ମାତ୍ର ମମି କହିଲେ ତୋତେ ଠିକ ହୋଇଛି। ସେଠିକୁ ପଢିବାକୁ ଯାଉଛୁ ନା ଏ ବାଜେ କଥା ହେବାକୁ ଯାଉଛୁ। ପାଠ ତ ମନେ ରହୁନି, ଏମିତି ସବୁ କଥା ପଚାରିଲା ବେଳକୁ ବହୁତ ବୁଦ୍ଧି ଆସିଯାଉଛି ମୁଣ୍ଡରେ।

ଜଗନ୍ନାଥଙ୍କର ହାତ ପରି ବିଟୁର ମନ ଟା ବି ଖଣ୍ଡିଆ ହୋଇଗଲା, କିନ୍ତୁ କିଏ ଦେଖିବ ତାକୁ? ଏବେ ଶୋଇଲା ବେଳେ ଡ୍ୟାଡି ଆଉ ଗପ କହୁନାହାଁନ୍ତି। ସେ ବି ଜିଦ୍ କରୁନି। ତା ପାଠ ବହି ଗୁଡା ଭୁତ ପରି ଲାଗୁଛନ୍ତି, ଆଉ ସ୍କୁଲର ମିସ୍ ଓ ଟିଚର ମାନେ ରାକ୍ଷାସ ପରି। ସେମାନଙ୍କ ପାଖରେ ତ ସବୁ ସମୟ ଯାଉଛି ଆଉ ଗପ ଶୁଣିବ କଣ।

ଆଜି ମିସ୍ ରିପୋର୍ଟ କାର୍ଡ ଦେଇଛନ୍ତି। ସବୁ ବିଷୟରେ “ସି” ନ ହେଲେ “ଡି” ଗ୍ରେଡ୍ ମିଳିଛି। ଖୁସିରେ ମମିକୁ ଦେଖେଇଲା-- ଦେଖ୍ ମମି ମୁଁ କେମିତି ଗ୍ରେଡ୍ ପାଇଛି। ଦେଖିବାପରେ ମମି ଚିହିଁକି ଉଠିଲେ-- କୁଳାଙ୍ଗାର..ମୁର୍ଖ,ଗଧ ବୋଲି କହି ଗାଳିଦେଲେ। ସେଦିନ ଖାଇବାକୁ ବି ଦେଲେନି। କହିଲେ ତୋ ପରି କୁଳାଙ୍ଗାର ପୁଅ ଜନ୍ମ କରି ମୁଁ କେତେ ବଡ ପାପ କଲି। ପୁଣି ଡ୍ୟାଡି ଆସିଲା ପରେ ମାଡ ଦେଲେ। କହିଲେ ସବୁ ସୁବିଧା ଦେଲା ପରେ ବି ପିଲାଟା ଗଧ ହୋଇ ରହିଲା।

ତା ପର ଦିନ ସକାଳେ ଶର୍ମାବାବୁଙ୍କ ସ୍ତ୍ରୀ ଆସି କଟା ଘାଆରେ ଚୁନ ଲଗେଇ ଦେଇଗଲେ। କହିଲେ

– – ବୁଝିଲେ ମ୍ଯାଡାମ୍ , ଆମ ରାହୁଲ୍ ସବୁ ବିଷୟରେ “ଏ” ପ୍ଲସ ପାଇଛି। ଶୁଣିଲି ବିଟୁର ସବୁ ଖରାପ ହୋଇଯାଇଛି। କଣ କରିବା, ବିଟୁର ବୁଝିବାଶକ୍ତି ଟିକେ କମ୍ ବୋଲି ମିସ୍ କହୁଥିଲେ। ସେ କିଛି ବୁଝିପାରୁନି କି ଆଗ୍ରହ ଦେଖଉନି। ତାକୁ ଟିକେ ଦେଖନ୍ତୁ। ନହେଲେ ଭବିଷ୍ଯତରେ ଆପଣମାନଙ୍କ ନାଁଆ ବୁଡେଇ ଦେବ ଯେ...।

ସେ ଯିବାପରେ ରୀନା ବିଟୁ କୁ ବହୁତ୍ ମାରିଲେ,ମୋହନ୍ ବି ଅଫିସରୁ ଆସି ବହୁତ ଗାଳିଦେଲେ। କାନ୍ଦିକାନ୍ଦି ତା ତଣ୍ଟି ବସି ଗଲାଣି। ମୋହନ ମୁହଁ ଛିଞ୍ଚାଡି କହିଲେ – – ଏ ପିଲା ଟା ପାଇଁ ମୋ ମାନ ଇଜ୍ଜତ୍ ସବୁ ମାଟିରେ ମିଶିଯିବ।

କେହି ପଚାରିଲେନି ତାକୁ ଯେ ତାର କଣ ଦରକାର। ବିଚରା ମନରେ କୋହ ଉଠିଆସୁଥିଲା। କିନ୍ତୁ ସେ ଆଉ କାନ୍ଦି ପାରୁ ନ ଥିଲା। ସେ ଚାହୁଁ ଥିଲା ମମି ତାକୁ କୋଳ କୁ ଟେକି ନେଇ ଗେଲ କରନ୍ତୁ, ଡ୍ଯାଡି ତାଙ୍କ କାନ୍ଧରେ ବସେଇ ବୁଲାନ୍ତୁ। ତା ଆଖିରୁ ଲୁହ ପୋଛି ଦୁଇ ଜଣ କୁହନ୍ତୁ-- ଆମ ରାଜା ବେଟା ଆଖିରେ ଲୁହ କଣ ପାଇଁ ? ସେ ତ ବହୁତ୍ ସାହାସୀ, ବହୁତ୍ ଭଲ। ସୋଫାରେ ମୁହଁ ତଳକୁ କରି ଅପରାଧୀ ପରି ବସି ରହିଥିଲା ବିଟୁ ଓ ଡ୍ଯାଡି ମମି ପରସ୍ପର କୁ ଗାଳି ଦେବାକୁ ଲାଗିଥିଲେ। ଉଭୟ ଉଭୟଙ୍କୁ ଦୋଷ ଦେଇ ବିଟୁ ର ପାଠରେ ଦୁର୍ବଳତା ପାଇଁ ଦାୟୀ କରିବାରେ ଲାଗିଥିଲେ।

ମମି ର କୋଳ, ଡ୍ୟାଡିଙ୍କର ଗେଲ, ଦୁଇ ଜଣଙ୍କ ଭଲପାଇବା ସବୁ କିଛି ଦୂରେଇ ଯାଇଥିଲା ତା ଜୀବନରୁ। ଏବେ ତ ସେମାନେ ତା ସହ କଥା ମଧ୍ଯ ହେଉ ନ ଥିଲେ। ଡ୍ଯାଡି ଆଗରୁ ଅଫିସ୍ ରୁ ଆସି ତା ସହ ଖେଳୁଥିଲେ, ମୋଟର ସାଇକେଲ୍ ରେ ବସେଇ ବଜାର ବୁଲେଇ କେତେ ଜିନିଷ କିଣୁଥିଲେ। ସେ ମୁହଁ ଶୁଖେଇ ବସିଲେ ତାକୁ କୁତୁରୁ କାଳିଆ କରି ହସେଇ ହସେଇ ବେଦମ୍ କରି ପକାଉଥିଲେ। କିନ୍ତୁ ଏବେ ଅଚାନକ୍ ସେ ସମସ୍ତଙ୍କ ପାଇଁ ଅଲୋଡା ପାଲଟି ଯାଇଥିଲା। ତା ମୁହଁର ହସ ବା ଆଖି ର ଲୁହ କାହା ପାଇଁ କିଛି ମୂଲ୍ଯ ରଖୁ ନ ଥିଲା।

ବିଟୁ.... ଏ ବିଟୁ... କଣ ଶୁଭୁନି ନାଁ କଣ ? କେତେ ଥର ଡାକିଲିଣି ପରା। କଣ କାଲା ହୋଇ ଗଲୁ ନା କଣ? ମମିଙ୍କ କଥାରେ ଚମକି ପଡିଲା ସେ।

– -- ଶୁଣ୍ ରାହୁଲ୍ କୁ ଜଣେ ସାର ନାଚ ଶିଖେଇବାକୁ ଆସୁଛନ୍ତି। ସେ ତୋତେ ବି ନାଚ ଶିଖେଇବେ। ଆଜିକାଲି ଖାଲି ପାଠ ପଢିଲେ ହେବନି, ନାଚ ଗୀତ ସବୁ ଶିଖିବାକୁ ପଡିବ।

କିଛି ଉତ୍ତର ନ ଦେଇ ମୁଣ୍ଡ ପୋତି ବସିଲା ସେ। ଯେମିତି କାହା କଥା ଶୁଣିବାରେ ଆଗ୍ରହ ନାହିଁ ତାର।

ସେଦିନ ନାଚ ଶିଖେଇବା ପାଇଁ ଜଣେ ସାର୍ ଆସିଲେ। ତାଙ୍କୁ ଦେଖି ବିଟୁ ହସି ପକେଇଲା, କାରଣ ସେ ସାର୍ ହୋଇ ମିସ୍ ଙ୍କ ପରି କଥାବାର୍ତ୍ତା କରୁଥିଲେ। ମମି ଗାଳିଦେଇ କହିଲେ ସାର୍ ଯାହା ଶିଖେଇବେ ଶିଖିବୁ। ସବୁ ଦିନ ସଂନ୍ଧ୍ଯାବେଳେ ନାଚ ଶିଖାଚାଲିଲା। ଗୋଡ ଟିକେ ଏପଟ ସେପଟ ହେଲେ ସାର୍ ବାଡିରେ ଗୋଡକୁ ମାରୁଥିଲେ । ମାଡରେ ଗୋଡ ଲାଲ୍ ପଡିଗଲେ ବି ମମି କିଛି କୁହନ୍ତିନି। ସେମିତି ମାଡ ପଡିଲେ କୁଆଡେ ସେ ଭଲରେ ନାଚ ଶିଖିବ। ଏବେ ଆଉ ମାଡ ଗାଳି କାଟୁନି ବିଟୁକୁ। ଉଠିବାଠାରୁ ଶୋଇବା ଯାଏ ଆଉ କିଛି ମିଳୁ ନ ମିଳୁ, ମାଡଗାଳି ସମସ୍ତଙ୍କ ପାଖରୁ ଢେର ମିଳୁଛି। ରାତିରେ ଗୋଡ କାଟିଲେ ସେ ମମି କୁ ଘଷି ଦେବାକୁ କହୁନି ; ବରଂ କାନ୍ଦିକାନ୍ଦି ଶୋଇପଡୁଛି। ଥରେ ସେ କହିଥିଲା; କିନ୍ତୁ ମମି ରାଗି କହିଲେ-- – ମୁଁ କଣ ତୋ ହଳିଆ ନାଁ କଣ? ଦିନରାତି ଘର କାମ କରି ମୋ ନିଜ ଅବସ୍ଥା ଯାହା ହେଉଛି, କେହି ଆହା ପଦେ କହିବାକୁ ନାହିଁ। ସେଥିରେ ପୁଣି ତୋର ସେବା ଦରକାର।

ରାତିରେ ବିଟୁ କୁ ନିଦ ହେଉ ନ ଥିଲା, କଡ ଓଲଟାଇ ରାତି କେତେ ବେଳେ ସରିଯାଏ ସେ ଜାଣି ମଧ୍ଯ ପାରେନି। ତାର ଜମା ପାଠ ହେଉ ନ ଥିଲା ନାଚ ଶିଖିବା ମଧ୍ଯ ତା ଦ୍ବାରା ହେଉ ନ ଥିଲା। ଯିଏ ଦେଖିଲା ତାକୁ ଗାଳି ଦେଉଥିଲା। ରାହୁଲ୍ ତା ସହ ସାଙ୍ଗ ହେଉଥିଲା, ମାତ୍ର ସବୁ ପିଲାଙ୍କ ଆଗରେ ତାକୁ ଚିଡାଉଥିଲା। ସେ ସଦାବେଳେ କହୁଥିଲା --ବିଟୁ ମୁଣ୍ଡରେ କୁଆଡେ ଗୋବର ଅଛି। ସେ ପାଠ ପଢି ପାରିବନି, ଖେଳି ପାରିବନି ବା ନାଚି ପାରିବନି। ସେ ଗୋଟେ ବିରାଟ ଗଧ।

ରାହୁଲ୍ କଥାରେ ଅନ୍ଯ ସାଙ୍ଗ ମାନେ ହସୁଥିଲେ ଓ ଚିଡାଉଥିଲେ। ବିଭିନ୍ନ ଭଙ୍ଗୀ କରି ବିଟୁ କୁ ଦେଖାଉଥିଲେ ଗଧ କେମିତିି ଜିନିଷ ବୁହେ, କେମିତି ବୋବାଏ। ପିଲା ମାନଙ୍କ ସହ ଖେଳିବାକୁ ଗଲେ ସେମାନେ ବିଟୁ କୁ ଘଉଡାଇ ଦେଇ କୁହନ୍ତି-- ତୋ ସାଙ୍ଗେ ଖେଳିଲେ ନି ମିଶିଲେ ଆମେ ବି ଗଧ ହୋଇଯିବୁ ବୋଲି ଆମ ଘରେ କହିଛନ୍ତି। ତୁ ଦୂର ରେ ରହ, ଆମ ପାଖକୁ ଆସେନି।

ସେଦିନ ଏକ ଅଦ୍ଭୁତ ସ୍ବପ୍ନ ସେ ଦେଖିଲା। ସେ ଗୋଟେ ଗଧ ହୋଇ ଯାଇଛି। ରାହୁଲ୍ ତା ପିଠି ଉପରେ ବସି ବାଡି ରେ ଜୋର ରେ ବାଡାଉଛି ଓ ବାକି ସାଙ୍ଗ ମାନେ ତାଳି ମାରି ହସୁଛନ୍ତି। ସେ ଚମକି ଉଠି ପଡିଲା। ସ୍ବପ୍ନ ଦେଖୁଥିଲା ବୋଲି ଜାଣିବା ପରେ ହସ ଲାଗିଲା ତାକୁ। ଖଟ ଉପରେ ବସି ଜୋର ରେ ହସିବାକୁ ଲାଗିଲା। ଚମକି ଉଠି ପଡିଲେ ମୋହନ ଓ ରୀନା।

– –- ଆରେ ପାଗଳ ହୋଇ ଗଲୁ ନାଁ କଣ? ଏମିତି ରାତି ଅଧରେ ହସୁଛୁ କଣ ପାଇଁ।

– – ହସି ହସି ବିଟୁ ଉତ୍ସାହିତ ହୋଇ କହିଲା, ମମି ଏବେ ସ୍ବପ୍ନ ଦେଖିଲି ଯେ ମୁଁ ଗୋଟେ ଗଧ ହୋଇ ଯାଇଛି, ମୋର ଲାଞ୍ଜ ଅଛି ଓ ଚାରି ଟା ଗୋଡ ଅଛି----- ଆଉ କଣ କହିଥାନ୍ତା ବୋଧେ, କିନ୍ତୁ ଡ୍ଯାଡି ତା ଗାଲରେ ଏକ ପ୍ରଚଣ୍ଡ ଚାପୁଡା ମାରି କହିଲେ

– -- କେଉଁ ଜନ୍ମ ରେ କି ପାପ କରିଥିଲି ଯେ ଏ କୁଳାଙ୍ଗାର ଟା ଜନ୍ମ ହେଲା – – ଜୀବନ ଦୁର୍ବିସହ କରିଦେଲାଣି ପିଲା ଟା। ଏମିତି ଉତ୍ପାତ ହେଲେ ତାକୁ ନେଇ ହଷ୍ଟେଲ୍ ରେ ଛାଡିବାକୁ ପଡିବ। ଦିନ ସାରା ଅଫିସ୍ ରେ ମୁଁ ଗଧ ପରି ଖଟୁଛି, କିନ୍ତୁ ନିଜକୁ ଗଧ ରୂପରେ ସ୍ବପ୍ନ ଦେଖୁଛି ଏ କୁଳାଙ୍ଗାର।

ଭେଁ କରି କାନ୍ଦି ଉଠିଲା ସେ। ଭାବିଥିଲା ଡ୍ଯାଡି ତାକୁ କୋଳ କୁ ଟାଣିନେଇ ଚୁପ୍ କରେଇବେ, ମମି ତାକୁ ଗେଲ କରିବେ। କିନ୍ତୁ ସେ ଡ୍ଯାଡିଙ୍କ ଠାରୁ ମାଡ ଓ ମମିଙ୍କ ଠାରୁ ଗାଳି ଖାଇ ଭୀଷଣ ଭାବରେ ଦୁଃଖିତ ହେଲା।

--- – ମୋତେ କେହି ଭଲ ପାଉନାହାଁନ୍ତି। ମୁଁ କାହାର ପୁଅ ନୁହଁ। ଏମିତି ଗୁମୁରି ଗୁମୁରି କାନ୍ଦିଲା ବିଟୁ। କାନ୍ଦି କାନ୍ଦି କିଛି ସମୟ ପରେ ସେ ଶୋଇପଡିଲା।




ଆଜି ବିଟୁର ଜନ୍ମଦିନ। ସ୍କୁଲ୍ ର ସାଙ୍ଗ ମାନଙ୍କୁ ସେ ଡାକିଛି, ବହୁତ୍ ମଜା ହେବ। କେତେ ଲୋକ ଆସିଛନ୍ତି। ଡ୍ଯାଡିଙ୍କର ଅଫିସର ବି ଆସିଛନ୍ତି। କେକ୍ କଟା ସରିଲା ପରେ ସବୁ ଖାଇଲା ବେଳକୁ ଡ୍ଯାଡିଙ୍କର ସାର ପଚାରିଲେ-- ଆରେ ରାଜା ବେଟା, ତୁ ପରା ସ୍କୁଲ ଗଲୁଣି। ଦେଖି କହିଲୁ ଆପଲର ସ୍ପେଲିଙ୍ଗ।

ବିଟୁର ଜମା ମନେ ପଡୁନି। ଡ୍ଯାଡିଙ୍କର ସାର୍ କଣ ଜାଣି ନାହାଁନ୍ତି କି, ସେ ସ୍କୁଲ୍ ରେ ବି କହି ପାରେନି ବୋଲି-- ପୁଣି କଣ ପାଇଁ ପଚାରିଲେ। ସେ ଦେଖିଲା ଡ୍ୟାଡି ମମି ରାଗିଲେଣି ବହୁତ୍। ଆଜି ଜନ୍ମ ଦିନଟାରେ ବି ମାଡ ଖାଇବ ବୋଧେ।




– ଆରେ ବୋକା ପରି ଠିଆ ହେଇଛୁ କଣ? କହୁନୁ କ'ଣ ପାଇଁ। ରାଗରେ କହିଲେ ମୋହନ।

ସେତିକି ବେଳକୁ କୁଆଡେ ଥିଲା ରାହୁଲ ଦଉଡି ଆସି କହିଲା

– ଅଙ୍କଲ୍ ତାକୁ ପଚାରିଲେ କଣ ହେବ? ସେ କିଛି କହିପାରିବନି। ସେଇଥି ପାଇଁ ତ ସ୍କୁଲରେ ସବୁ ଦିନ ମାଡ ଖାଉଛି। ବରଂ ମୁଁ କହିଦେଉଛି । ଏତିକି କହି ଆଖି ନଚେଇ ସେ ଆପଲ୍ ର ବନାନ୍ କହି, ବିଟୁ ମୁହଁ କୁ ଚାହିଁଲା।

ରାହୁଲର କଥା ଶୁଣି ଅଫିସର ଜଣଙ୍କ ଚୁପ୍ ହୋଇ ଠିଆହେଲେ। ଶର୍ମାବାବୁଙ୍କ ସ୍ତ୍ରୀ ଏମିତି ଏକ ସୁବର୍ଣ୍ଣ ସୁଯୋଗର ଅପେକ୍ଷାରେ ଥିଲେ।

– -କଥା କଣ କି, ବାପା ମାଆ ସିନା ଟିକେ ଦେଖିଲେ ପିଲା ପଢିବ, ନ ହେଲେ ତ ଏମିତି ହେବ।

– – ଆରେ ସେମିତି କାହିଁକି କହୁଛ। ଆମ ବିଟୁ ବଢିଆ ପଢିବ, ବ୍ଯସ୍ତ ହେଲେ ଚଳିବ। ଭଦ୍ରଲୋକିର ଚରମ ସୀମାରେ ପହଞ୍ଚି କହିଲେ ଶର୍ମାବାବୁ।

ଏତେ ଲୋକଙ୍କ ସାମନାରେ ଅପମାନିତ ହେବ ବୋଲି ଭାବି ନ ଥିଲା ବିଟୁ, ପୁଣି ତା ଜନ୍ମଦିନରେ। ତା ପକ୍ଷ ନେବାକୁ କେହି ବି ନ ଥିଲେ। ନିହାତି ଅସହାୟ ହୋଇ ଜାକିଜୁକି ଠିଆ ହେଲା କାନ୍ଥ କୁ ଆଉଜି। ଏତିକି ସମୟ ଭିତରେ ଯାହା ସବୁ ହୋଇଗଲା ତାହା ହଜମ କରିବା ଅବସ୍ଥାରେ ନ ଥିଲେ ରୀନା। ମୋହନ ରାଗରେ ଜର୍ଜରିତ ହେଉଥିଲେ ବି ଏତେ ଲୋକଙ୍କ ସାମନା ରେ ନିଜକୁ ଯଥା ସମ୍ଭବ ବ୍ଯବସ୍ଥିତ କରି ରଖିଥିଲେ।

ଅଚାନକ ରୀନା ଆସି ଟାଣିନେଲେ ବିଟୁର ହାତ ଓ ଗୋଟେ ରୁମ୍ ଭିତରକୁ ପଶିଗଲେ। ତା ଗାଲରେ ମାରି ଚାଲିଲେ ଚାପୁଡା ପରେ ଚାପୁଡା।

– – ଗଧ, ମୁର୍ଖ କୋଉଠିକାର। ତୋ ପାଇଁ ରାସ୍ତାରେ ଚାଲିବା ବି ମୁସ୍କିଲ ହୋଇଯିବ। ମରି ଯାଉନୁ ଯାହା। କୁଳାଙ୍ଗାର ମୁହଁ କୁ ଲାଜ ନାହିଁ ଟିକେ।

ବିଟୁ ଆଉ କାନ୍ଦି ପାରୁ ନ ଥିଲା। ଏମିତି ଭାବରେ ଆଜି ତା ଜନ୍ମଦିନ ଟା ପାଳନ ହେବ ସ୍ବପ୍ନରେ ସୁଦ୍ଧା ଭାବି ନ ଥିଲା।

– – ମମି ଚାଲ ଆଗ କେକ୍ ଟା କାଟିଦେବା। ମୋତେ ଭୋକ ହେଲାଣି ଜୋର। ଧିର ସ୍ବରରେ କହିଲା ବିଟୁ।

– ଅଲାଜୁକ କୋଉଠିକାର। ଏତେ ସବୁ ହେଲା ପରେ ବି ତୋତେ ଲାଜ ଲାଗୁନି, କେକ୍ କାଟିବୁ?

ଗାଲରେ ବସିଲା ବିଟୁର ଆଉ ଏକ ଶକ୍ତ ଚାପୁଡା।

– – ହାଃ ହାଃ ହାଃ , ମୁଁ ଗଧ, ମୁଁ ଅଲାଜୁକ, ମୁଁ କୁଳାଙ୍ଗାର......ଆଜି ମୋ ଜନ୍ମ ଦିନ.....ହାଃ ହାଃ … ହାପି ବାର୍ଥ ଡେ ଟୁ ମି..... ପାଗଳଙ୍କ ପରି ପ୍ରଳାପ କରି ଚାଲିଲା ବିଟୁ। ବେଳ କୁ ବେଳ ଜୋର ଜୋରରେ ହସି ବାକୁ ଲାଗିଲା। ପୁଣି କାନ୍ଦିଲା-

----ଉଁ.....ଉଁ ମୋତେ ତୁମେ ମାରିଲ ମମି। ମୋ ଜନ୍ମ ଦିନରେ ମାରିଲ। ମୁଁ ଆଉ କେକ୍ କାଟିବିନି। ମୁଁ କିଛି ଖାଇ ପାରିବିନି, ବେଲୁନ୍ ଫଟେଇ ପାରିବିନି। ଉଁ ଉଁ

– – ହଁ ମୁଁ କୁଳାଙ୍ଗାର..... ତୁମର କୁଳାଙ୍ଗାର ମୁଁ......

ବିଟୁ ର ଦେହ ଥରିଲା, ମୁଣ୍ଡ କଣ ହୋଇଗଲା। ନିସ୍ତେଜ ହୋଇ ସେ ଦୁମ୍ କରି ପଡିଗଲା।

ଡାକ୍ତରଖାନା ଆଇ.ସି.ୟୁ ରେ ଶୋଇ ରହିଥିଲା ବିଟୁ। ସମଗ୍ର ଶରୀରରେ ନାନା ପ୍ରକାରର ମେସିନ୍ ଲାଗି ରହିଥିଲା ଓ ଡାକ୍ତରଙ୍କ କପାଳରେ ଚିନ୍ତାର ରେଖା।

ମୋହନ ଓ ରୀନା ବ୍ଯସ୍ତ ହୋଇ ଡାକ୍ତରଙ୍କୁ ପଚାରିଲେ-- – କଣ ହୋଇଛି, କେବେ ସେ ଠିକ୍ ହେବ। ଆଉ ଦୁଇ ଦିନ ପରେ ତା ସ୍କୁଲ୍ ରେ ଡ୍ଯାନସ୍ କମ୍ପିଟିସନ। କୁଳାଙ୍ଗର ପିଲାଟାର ଦେହ ଏତିକି ବେଳେ ଖରାପ ହେବାର ଥିଲା!

ଉଦାସ ମୁହଁରେ ତାଚ୍ଛଲ୍ୟ ଭରା ହସ ଫୁଟେଇ ଡାକ୍ତର କହିଲେ- ଅତ୍ଯଧିକ ମାନସିକ ଚାପ ହେତୁ ନର୍ଭସ୍ ବ୍ରେକ ଡାଉନ ହୋଇଛି ବିଟୁର। ଅବସ୍ଥା ସାଙ୍ଘାତିକ। କଣ ହେବ, କହିବା ମୁସ୍କିଲ୍। ଯାହାହେଉ, ଗୋଟେ ଶିଶୁର ପାଠ ଓ ନାଚ ପାଇଁ ଏତେ ସଚେତନ ଆପଣଙ୍କ ପରି ବାପାମାଆ ଙ୍କ ଦର୍ଶନ କରି ମୋ ଜୀବନ ଧନ୍ଯ ହୋଇଗଲା। ଭଲ ହେବ, ସ୍କୁଲରେ ଖବର ଦେଇଦିଅନ୍ତୁ ଯେ ଆପଣଙ୍କ ପୁଅର ଅବସ୍ଥା ସାଙ୍ଘାତିକ। କଣ ହେବ କିଛି କହି ହେବନି। ଯଦି ତା ଜୀବନ ରହେ ସେ ନିହାତି ସ୍କୁଲ୍ କୁ ଯିବ।

ଡାକ୍ତର ମନେମନେ ଭାବୁଥିଲେ ଯେ ଶେଯରେ ଶୋଇଥିବା ନିରିହ କୋମଳମତି ପିଲା ଟି “କୁଳାଙ୍ଗାର” ନା ପିଲାଟିର ବାଲ୍ଯ ଚପଳତା, ଆଶା ଓ ସ୍ନେହ ରଙ୍କୁଣିଆ ମନକୁ ତିଳତିଳ କରି ଜାଳି ଦେଇଥିବା ଏ ଆସୁରକ ପ୍ରବୃତ୍ତି ର ଦମ୍ପତ୍ତି “କୁଳାଙ୍ଗାର”।

                                         ****************





Saturday, August 12, 2017

ଟିପୁ






ଟିପୁ



ଲେଖକ : ଅରବିନ୍ଦ ରଥ




ସକାଳୁ ସକାଳୁ ରାମଘର ଆଗରେ ଜନସମୁଦ୍ର। ପୋଲିସଗାଡି ଠିଆ ହୋଇଛି। ଆମ୍ବୁଲାନସ୍ ପାଖରେ କିଛି ଲୋକ ଠିଆ ହୋଇଛନ୍ତି। ଧଳାଚାଦର ଘୋଡାଯାଇ ତିନିଟି ରକ୍ତାକ୍ତ ମୃତଶରୀର ସେଇ ଆମ୍ବୁଲାନସ୍ ପାଖରେ ରଖାଯାଇଛି। ଲୋକଙ୍କ ଭିତରେ ଅସମ୍ଭବ ଉତ୍କଣ୍ଠା। ଘଟଣା କଣ ଜାଣିବାକୁ ସମସ୍ତେ ବ୍ଯଗ୍ର। ଭିତରୁ ଶୁଭୁଥାଏ ଏକ ନାରୀର ବୁକୁଫଟା ଚିତ୍କାର। ମୋତେ ଛାଡି ଯାଆନି ରେ ଧନ, ମୋ ଜୀବନ ତୁ.....ଯଦି ତୁ ଚାଲିଯିବୁ, ମୁଁ ଏ ଜୀବନ ଆଉ ଧାରିବି ନାହିଁ। ଏଇ ଶୁଣୁଛ, କିଛି କର। ମୋ ଧନ କୁ ବଞ୍ଚେଇ ଦିଅ।

ଆରେ ଏ ତ କମଳାର ସ୍ବର ପରି ଶୁଭୁଛି। ତେବେ କଣ ରାମର ପୁଅ..........

----------------------------------------------------------------------------




ସେଦିନ ରାତିରେ ଭୟଙ୍କର ବର୍ଷା। ଆକାଶରେ ବିଜୁଳିର ଚମକ ରାତ୍ରିର ଅନ୍ଧକାର ଦୂର କରେଇବା ପାଇଁ ଯଥେଷ୍ଟ ଥିଲା। ବର୍ଷାର ଟୋପା ଗୁଡିକ ତୀର ପରି ଦେହରେ ଭେଦ କରୁଥାଏ । ପାଖ ଗାଁଆକୁ ଯାତ୍ରା ଦେଖିବାକୁ ଯାଇଥିଲେ ବାପପୁଅ। ଯିବା ବେଳକୁ ଆକାଶ ଥିଲା ସମ୍ପୂର୍ଣ୍ଣ ପରିଷ୍କାର। କିନ୍ତୁ କିଛି ସମୟ ଭିତରେ ସବୁ କିଛି ଓଲଟପାଲଟ ହୋଇଗଲା। ଖରାଦିନ ଟାରେ ଏମିତି ବାଦଲଫଟା ବର୍ଷା ହେବ କିଏ ବା ଜାଣି ଥିଲା। ପେଣ୍ଡାଲ ଉପରେ ଯାତ୍ରା ଆରମ୍ଭ ହୋଇଛି କି ନାହିଁ, ଏମିତି କାଚି ଦେଲା ବର୍ଷା ଯେ, କଳାକାର ମାନଙ୍କର ପାଉଡର ବୋଳା ମୁହଁରୁ ସବୁ ରଙ୍ଗ ଉତୁରି ଗଲା। ଯାତ୍ରା ହିରୋଇନ୍ ମାନଙ୍କର ମୁହଁରେ ଲାଗିଥିବା କଜ୍ଜଳ, ପାଉଡର, ଲିପଷ୍ଟିକ୍ ଓ ଆହୁରି କେତେ ସାମଗ୍ରୀ ବର୍ଷା ପାଣିରେ ବତୁରି ବୋହିବାକୁ ଲାଗିଲା। ଉର୍ବଶୀ ପରି ଦିଶୁଥିବା ନାରୀମୂର୍ତ୍ତି ମାନେ କିଛି ସମୟ ଭିତରେ ହିଡିମ୍ବା, ସୃପଣଖା ରୂପ ଧାରଣ କଲେ। ଠିକ ସେହି ସମୟରେ ଜେନେରେଟର ବି ଖରାପ ହୋଇଗଲା। ଅଗତ୍ଯା ଲୋକେ ଛିନଛତର ହୋଇ ଯିଏ ଯୁଆଡେ ପାରିଲେ ଦଉଡିଲେ ବର୍ଷାରୁ ବଞ୍ଚିବା ପାଇଁ।

ରାମ କେତେ ସରାଗ ରେ ପୁଅ କୁ ନେଇ ଯାଇଥିଲା ଯାତ୍ରା ଦେଖିବାକୁ। ସବୁ ଆଶା , ବର୍ଷା ପାଣିରେ ଧୋଇଗଲା। ରାଜୁ - - ବୟସ ଜମା ୧୦ । ଭାରି ଗୁଲୁଗୁଲିଆ ପିଲାଟା- - ତାକୁ ଥରେ ଦେଖିଦେଲେ ମନ ପୁରିଯିବ। ରାମ ର ଏକୋଇର ବଳା ବିଶିକେସନ ସେ। ବାପା, ମାଆ ଓ ପିଲା କୁ ନେଇ ହସଖୁସିର ସଂସାର। ସ୍ତ୍ରୀ କମଳାଟିକେ ମୁଖରା ହେଲେ ବି ତା ଅନ୍ତରରେ ସ୍ନେହର ଝରଣା ଅନବରତ ବୋହୁଥାଏ। ମନେମନେ ହସୁଥିଲା ରାମ। କମଳା ସହ କଳି ଲାଗି ପୁଅକୁ ନେଇ ଆସିଥିଲା ଯାତ୍ରା ଦେଖିବାକୁ। କିନ୍ତୁ ଇନ୍ଦ୍ରଦେବତା ଦାଉ ସାଧିଲେ।

ରାସ୍ତା ଉପରେ ଛୁଟୁଥିଲା ବର୍ଷାପାଣିର ଫୁଆରା। ରାଜୁ ପାଣିରେ ଛପଛପ କରି ଡିଆଁମାରି ଦୌଡୁଥାଏ। ହଠାତ୍ ବୁଦା ଭିତରୁ କିଛି ଶବ୍ଦ ଶୁଣି ସେ ଠିଆ ହୋଇଗଲା । ଭଲ କରି କାନେଇ ଶୁଣିବାରୁ ଶୁଭିଲା ଏକ କୁକୁରର କୁଁ କୁଁ ଶବ୍ଦ।

--- ବାପା, ଆସ ଦେଖିବ , ଏ ବୁଦା ଭିତରୁ କୁକୁରଟେ କୁଁ କୁଁ କରୁଛି।

ରାମ କଥାଟାକୁ ଆଡେଇ ଦେଇ କହିଲା--

– ଆରେ ବର୍ଷାରେ ଭିଜି ଯାଇଥିବ। ସେ ମନ କୁ ମନ ଯିବ, ତାକୁ ଦେଖି କି ଲାଭ। ଚଞ୍ଚଳ ଚାଲେ ଯିବା। ତେଣେ ବୋଉ ଘରେ ବ୍ଯସ୍ତ ହେଉଥିବ।

ରାମ କଥା ନ ଶୁଣି ରାଜୁ ବୁଦା ଭିତରୁ କୋଳେଇ ଆଣିଲା ସେ କୁକୁର ଛୁଆଟିକୁ। ଅଣ୍ଟିରେ ଜାକି କହିଲା

– ଚାଲ ବାପା ଜଲଦି ଘରକୁ ଯିବା।

ରାମ ମନରେ ସେ କୁକୁରକୁ ଦେଖିବାକୁ କୌଣସି ଆଗ୍ରହ ନ ଥିଲା। ଭାବିଲା,ରାଜୁ ସେ କୁକୁର କୁ ଘରେ ପହଞ୍ଚିବା ପରେ ବଳେ ଛାଡିଦେବ। ମଣିଷ ସ୍ପର୍ଶ ପାଇ କୁକୁରଟି ବି ଚୁପ୍ ହୋଇଗଲା। ବାପ,ପୁଅ ଓ କୁକୁର ଛୁଆ ଓଦା ସରସର ହୋଇ ଘରେ ପହଞ୍ଚିଲେ। ଘରେ ପାଦ ନ ଦେଉଣୁ କମଳା ଗରଗର ହୋଇ ବହେ ଶୋଧାବକା କରିଗଲା। ପୁଣି ସେ କୁକୁର ଛୁଆ କୁ ଦେଖି ତା ରାଗ ଆହୁରି ବଢିଗଲା।

ସେ ରାଜୁକୁ କହିଲା କୁକୁର ଛୁଆଟାକୁ ନେଇ ବାହାରେ ଛାଡି ଦେବା ପାଇଁ। କିନ୍ତୁ ରାଜୁର ଏକା ଜିଦି।

-- ସେ ଆମ ଘରେ ରହିବ। ମୋ ସାଙ୍ଗ ମାନେ ସବୁ କୁକୁର ପାଳିଛନ୍ତି। ମୁଁ ବି ୟାକୁ ପାଳିବି। କହି କୁକୁରଟିକୁ ଆଉଁସି ଦେଉଥାଏ।

ଘରେ ଜଳୁଥିବା ଡିବିରି ଆଲୁଅରେ ରାମ ଦେଖିଲା କୁକୁର ଛୁଆଟିକୁ। ରଙ୍ଗ ତାର ସମ୍ପୂର୍ଣ୍ଣ ଧଳା। ଡଉଲଡାଉଲ ମୁହଁଟିରେ ଦୁଇଟି କଳାଆଖି ଖୁବ ମାନୁଥିଲା। ଦେହରେ ନରମ ଗଦି ପରି ଲୋମ। ତା ସାଙ୍ଗକୁ ବେକରେ ଲାଗିଛି ଏକ ନାଲି ରଙ୍ଗର ବେଲ୍ଟ। ଭଲ କରି ନିରେଖି ଦେଖିଲା ସେଇ ବେଲ୍ଟରେ ଝୁଲିଥିଲା ଏକ ଲକେଟ୍ ଓ ସେଥିରେ ଲେଖାଥିଲା “ଟିପୁ”। ନିହାତି କାହାର ପୋଷା କୁକୁର ହୋଇଥିବ। ଦେଖିଲେ ଲାଗୁଛି ପୁରା ଜାତିଆ କୁକୁରଟା। ନିଜ ଅଜାଣତରେ ରାମ, ରାଜୁର ପକ୍ଷ ନେବା ଆରମ୍ଭ କରିଦେଲା। କମଳା କୁ କହିଲା--

– ଓହୋ, ଯଦି ପିଲାଟିର ମନ ଅଛି ତାକୁ ଆମେ ପାଳିବା। ଅସୁବିଧା କଣ? ଆଜି କାଲି ଦୁନିଆରେ କୁକୁରଟେ ସବୁ ଘରେ ଥିବା ନିହାତି ଦରକାର। କିଛି ନହେଲେ ଚୋର ଦାଉରୁ ତ ରକ୍ଷା ମିଳିବ।

କିଛି ନ କହି ମୁହଁ ମୋଡି ଚାଲିଗଲା କମଳା। ବାପା ମାଆ କଣ କଥା ହେଉଛନ୍ତି, ସେ ବିଷୟରେ ନିଘା ନ ଥିଲା ରାଜୁର, ସେ ତ କୁକୁର ସହ ଖେଳିବାରେ ବ୍ଯସ୍ତଥିଲା। ରାମ କୁକୁର ଆଡକୁ ହାତ ବଢେଇଲା ଓ କୁକୁରଟି ସାଙ୍ଗେସାଙ୍ଗେ ହ୍ଯାଣ୍ଡସେକ କରିବାକୁ ବଢାଇଦେଲା ଗୋଟିଏ ଗୋଡ। ବାସ ସେତିକି ରେ ରାମ ପୁରା କୃତ୍ଯକୃତ୍ଯ ହୋଇଗଲା। କହିଲା – ଆଜିଠୁ ତୁ ମୋ ଘରେ ରହିବୁରେ ଟିପୁ। ତୁ ମୋ ଘରର ଗୋଟେ ସଦସ୍ଯ। କଣ ବୁଝୁଥିଲା ଟିପୁ କେଜାଣି, ଲାଙ୍ଗୁଡ ହଲେଇ ରାମଆଡକୁ ବଡ ଆଗ୍ରହ ସହକାରେ ଚାହିଁ ରହିଥିଲା।

ଆରେ ଟିପୁ ତ କିଛି ଖାଇ ନ ଥିବ। ଏତେ ସମୟ ବର୍ଷାରେ ଭିଜି ଯାଇଛି ପରା। ତାକୁ ପୋଛାପୋଛି କରି ଉଷୁମ କ୍ଷୀର ପିଇବାକୁ ଦେଲେ ବୋଧେ ସୁସ୍ଥ ଅନୁଭବ କରିବ। କମଳା କଣ ଭାବିଲା କେଜାଣି ଗୋଟେ ଗିନାରେ ଟିକେ କ୍ଷୀର ଆଣି ଟିପୁ ଆଗରେ ଥୋଇଦେଇ କହିଲା--

– ତୁମ ବାପ ପୁଅଙ୍କ କର୍ମର ଦଣ୍ଡ ଏ ବିଚରା କାହିଁକି ସହିବ। ସେ ଖାଇପିଇ ଥାଉ ଘରେ, ମୋର କଣ ଯାଉଛି।

ରାମ କଣେଇ ଚାହିଁଲା କମଳା ମୁହଁକୁ। ତା ମୁହଁରୁ ଝରି ପଡୁଥିଲା ଗୋଟେ ମାଆର ସ୍ନେହ। ଅଜାଣତରେ କମଳା ଉଠାଇ ନେଲା ଟିପୁ କୁ ନିଜ କୋଳକୁ। ରାମ ଆଡେ ଚାହିଁ କହିଲା-

– ମୁଁ ଯେତେ ବେଳେ ପିଲା ଥିଲି ଏମିତି ଗୋଟେ କୁକୁର ପାଳିଥିଲି। କିନ୍ତୁ ଏ ଟିପୁ, ତା ଅପେକ୍ଷା ଅଧିକ ସୁନ୍ଦର।

କମଳା ହୃଦୟରୁ ଝରି ଆସୁଥିଲା ମମତାର ନିର୍ଝରିଣୀ। ଯାହା ହେଲେ ବି ଟିପୁ ତ ଗୋଟିଏ ଶିଶୁ। ବିପଦରେ ପଡିଥିବା ଶିଶୁ ପାଇଁ ତ ମାଆ ର ପଣତକାନି ସଦାବେଳେ ଖୋଲାଥାଏ। ସେତେବେଳେ ମଣିଷ ବା ପଶୁର ବାଛ ବିଚାର ନ ଥାଏ। ନିଜେ କମଳା ଯୋଗାଡ କରି ଦେଲା ଟିପୁ ପାଇଁ ଏକ ଶେଯ। ଘରେ ପଡିଥିବା ପୁରୁଣା ଚାଦର ଘୋଡାଇ ତା ପିଠି ଥାପୁଡେଇବାରେ ଲାଗିଲା। ଖୁବ୍ କମ ସମୟ ଭିତରେ ଟିପୁ ଶୋଇଗଲା ନିଘୋଡ ନିଦରେ।

---- କିଓ ଶୁଣୁଛ, ରାଜୁ କୁଆଡେଗଲୁ ଜଲଦି ଆସେ। ଡାକ ଛାଡିଲା କମଳା।

ବାପପୁଅ ଦୁଇଜଣ ଦଉଡି ଆସିଲେ କଣ ହୋଇଛି ଜାଣିବା ପାଇଁ। ଦେଖିଲା ବେଳକୁ ଟିପୁ ଦେହରେ ଭୀଷଣ ତାତି,ତା ଆଖିଖୋଲୁନି। ନାଁ ଧରି ଡାକିଲେ ଟିକିଏ ଲାଞ୍ଜ ହଲେଇ ପୁଣି ଶୋଇରହୁଛି। ରାଜୁ କାନ୍ଦିବା ଆରମ୍ଭ କରିଦେଲା। ରାମ କହିଲା ପୁଅକୁ ବ୍ଯସ୍ତ ନ ହେବା ପାଇଁ କହି ଟିପୁ କୁ ନେଇ ପଶୁଡାକ୍ତରଖାନା କୁ ଗଲା।




କିଛି ସମୟ ଭିତରେ ରାମ ଆସିଲା ଟିପୁ କୁ କୋଳରେ କାଖେଇ।

– ଡାକ୍ତର କହିଲେ ବର୍ଷାରେ ଭିଜିଛି ବୋଲି ଜ୍ବର ହୋଇଯାଇଛି। ସେ ଓୌଷଧ ଦେଇଛନ୍ତି। ଆରେ ହଁ, ଡାକ୍ତର ବାବୁ ଟିପୁ କୁ ଦେଖି କହିଲେ, ସେ ଭାରି ଦାମିକା କୁକୁର। କଣ ଲାବ୍ରାଡର ନାଁ କଣ ଗୋଟେ ନାଁଆ କହିଲେ ମୋର ମନେ ପଡୁନି। ଏଇ ଜାତିର କୁକୁର ମାନଙ୍କୁ ପୋଲିସ କୁକୁର କୁହନ୍ତି। ସେମାନଙ୍କର ଶୁଙ୍ଘିବା ଶକ୍ତି ବହୁତ୍ ଅଧିକା। ଆଜି ଯାହା ଶୁଙ୍ଘିବେ ସାରା ଜୀବନ ମନେ ରଖିବେ। ମୋତେ ସେ ପଚାରିଲେ କୋଉଠୁ ଆଣିଲି ବୋଲି। ମୁଁ ମିଛରେ କହିଦେଲି ଯେ ସହର ରେ ରହୁଥିବା ମୋ ସାଙ୍ଗ ରାଜୁ କୁ ଉପହାର ଦେଇଛି।

ଟିପୁର ଗୁଣଗାରିମା ଶୁଣି ବାପମାଆ, ପିଲା ଖୁସିରେ ଗଦଗଦ ହୋଇଯାଉଥିଲେ । ସେଦିନର ବର୍ଷାରାତି ଯେଉଁ ଅମୂଲ୍ଯ ଉପହାରଟି ଦେଲା ତାକୁ କେମିତି ସାଇତି ରଖିବେ ତାହା ଥିଲା ବଡ କାମ।

ରାଜୁ ସେଦିନ ସ୍କୁଲ ଗଲାନି। କମଳା ବି ଟିପୁର ପାଖ ଛାଡି ଯାଉ ନ ଥାଏ। ଦୁଇଦିନ ଭିତରେ ଟିପୁର ଜ୍ବର ଛାଡିଗଲା। ସେଦିନ ସକାଳୁ ଟିପୁ ନିଜେ ଯାଇ କମଳା ଗୋଡରେ ଘଷି ହେବାରୁ ସେ ପଚାରିଲା –

--କିରେ ଟିପୁ କଣ ଭୋକ ଲାଗିଲା ନା କଣ?

ଲାଙ୍ଗୁଡ ହଲେଇଦେଲା ଟିପୁ ଓ ରୋଷେଇଘର ଆଡକୁ ଦଉଡି ଗଲା। କମଳାର ମନ କୁଣ୍ଢେମୋଟ ହୋଇଗଲା। ରାଜୁ ସ୍କୁଲରୁ ଆସି ଖେଳରେ ମାତି ରୁହେ ଟିପୁ ସହ। କମଳା ଥର କୁ ଥର ଖାଇବାକୁ ଦିଏ। କେତେ ବେଳେ ସର ତ କେତେ ବେଳେ କ୍ଷିର। ଖୁବ୍ କମଦିନ ଭିତରେ ଟିପୁ ର ଚେହେରା ବାଗେଇ ଗଲା। ଗୋରାଦେହଟା ତାର ଚକଚକ କରି ଏମିତି ଦିଶିଲା ଯେ ଦେଖିବା ଲୋକ ଦଣ୍ଡେ ଠିଆ ହୋଇଯିବ। ଟିପୁ ବୋଲି ଡାକଦେଲେ ନିମିଷକରେ ଲାଙ୍ଗୁଡ ହଲାଇ ପାଖରେ ସେ ହାଜର ହୋଇଯାଉଥିଲା। କମଳା ବେଳେବେଳେ କହେ –

--ଆରେ ଟିପୁ ସଦା ବେଳେ ତ ଖାଲି ହସିଲୁ, ତୋତେ କଣ ଏ ଜାଗା ଭଲ ଲାଗୁଛି କିରେ?

ଲାଙ୍ଗୁଡ ହଲେଇ ପାଖକୁ ଲାଗିଆସେ ଟିପୁ। କମଳା ଗୋଡରେ ମୁଣ୍ଡ ଘଷି ପକାଏ। ସେ ଘରର ସାନପୁଅ ପାଲଟି ଯାଇଥିଲା । ଭୋକ ଲାଗିଲେ ସିଧା ଯାଇ କମଳା ପାଖରେ ହାଜର ହୋଇଯାଏ। ରାମ ଯଦି ବଗିଚାରେ କିଛ କାମ କରେ ଟିପୁ ସେ ଜାଗାରେ ମଧ୍ଯ ପହଞ୍ଚିଯାଏ। କେତେବେଳେ ରାଜୁ ସହ ବଲ୍ ଖେଳେ ତ କେତେ ବେଳେ ଘାସ ଉପରେ ଶୋଇ ରହି ରାମ କୁ ଦେଖୁଥାଏ।

ରାସ୍ତାରେ ଚାଲିଲା ବେଳେ ଟିପୁର ଠାଣି ଦେଖି ରାଜା ମହାରାଜା ବି ଲାଜେଇଯିବେ। ତା ଚାଲିରେ ରାଜକୀୟତା ଫୁଟି ଉଠୁଥିଲା। ତା ଆଡକୁ ଚାହିଁ ଭୁକୁଥିବା କୁକୁର ମାନଙ୍କୁ କେବଳ ଗୋଟେ ଚାହାଁଣି ରେ ଚୁପ୍ କରାଇ ଦେବାର କ୍ଷମତା ଟିପୁ ପାଖରେ ଥିଲା। ଦୈବାତ୍ କୌଣସି କାରଣରୁ ସେ ଭୁକିବା ଆରମ୍ଭ କଲେ ଗୁରୁଗମ୍ଭୀର ଶବ୍ଦରେ ସମଗ୍ର ଅଞ୍ଚଳ ଥରି ଯାଉଥିଲା ।

ଆଜି ଟିପୁକୁ ତିନି ମାସ ପୁରିଲା। ତିନି ମାସରେ ସେ ଯାହା ରୂପ ଧାରଣ କଲାଣି ଯିଏ ବି ଦେଖିବ ଲୋଭେଇଯିବ। ପିଠି ଉପରର ଲୋମ ଗୁଡାକ ଦେଖିଲେ ଲାଗିବ ଯେମିତି କାଶ୍ମୀରି ଗାଲିଚା ବିଛା ଯାଇଛି। ପିଠି ର ଚମଡା ତଳେ କମଳାର ସ୍ନେହର ପରଶ, ପରସ୍ତ ପରସ୍ତ ହୋଇ ବସିଯାଇଛି। କହିବାର ଅର୍ଥ ହେଲା, ଟିପୁ କୁ ଦେଇଥିବା କ୍ଷୀର,ସର,ଲହୁଣି ଚର୍ବି ଆକାରରେ ଟିପୁର ପିଠିର ଶୋଭାବର୍ଦ୍ଧନ କରୁଛନ୍ତି। ପାଦର ପଞ୍ଝା ଗୁଡିକ ପୁରା ସିଂହ ପଞ୍ଝା ପରି ଦିଶୁଛି। ତା ସାଙ୍ଗକୁ ଅଧା ଲଇଁ ଯାଇଥିବା ମୋଟା ଲାଞ୍ଜଟି ଦେଖିଲେ ଲାଗିବ ସତେ କି ଏକ ବାଳୁତ ଅଜଗର ଝୁଲୁଛି। ବେକରେ ପଡିଥିବା ସେ ବେଲ୍ଟ ଏବେ ବେକରେ ଗଳୁନି। ତା ପାଇଁ ରାମ ବଜାର ରୁ ସୁନ୍ଦର ନାଲିରଙ୍ଗର ପଟି କିଣି ଆଣିଛି। କିନ୍ତୁ ଟିପୁ ଲେଖାଥିବା ଲକେଟ୍ ସେଇ ନୂଆ ପଟିରେ ବି ଶୋଭା ପାଉଛି। ଏବେ ଟିପୁ କେବଳ ରାମ ର ନୁହଁ ବରଂ ସେ ସାହି ର ସମସ୍ତଙ୍କର ଗେଲବସର ଓ ପ୍ରିୟପାତ୍ର। କିଏ ଡାକିଦେଲେ, ଟିପୁ ସେମନାଙ୍କ ଘରକୁ ଯାଏ। କିଏ ବିସ୍କୁଟ୍ ଦିଏ ତ କିଏ ମିଠା। କାହା ଘରେ ଆଇଁଷପାଣି ହେଲେ ସେମାନେ ଡାକି ନିଅନ୍ତି ଟିପୁକୁ। କିନ୍ତୁ ଘରେ ଖାଇବାକୁ ଦେଲାବେଳେ ଯଦି ଟିପୁ ନ ଖାଏ କମଳା କାନ୍ଦି ସକେଇ ସକେଇ କୁହେ, ମୋ ପୁଅ ହୋଇ ତୁ ୟା ତା ଘରେ ଖାଇବୁ, ମୁଁ ତୋତେ ଚାହିଁଚାହିଁ ମରିବି।

କଣ ବୁଝେ ଟିପୁ କେଜାଣି, କମଳାର ପାଖକୁ ଲାଗି ଆସେ। ପାଦକୁ ତାର ଚାଟିଦିଏ। ସତେ ଯେମିତି କିଛି ଭୁଲ କରି ଦେଇଛି। କାନଦୁଇଟା ପଛକୁ କରି କମଳାର ପଛରେ ଲସରପସର ହୁଏ। କାହା ଘରକୁ ଟିପୁ ଯାଉ ସେ କଥା କମଳାର ଜମା ପସନ୍ଦ ହୁଏନି। ରାମ କୁ ଅଭିଯୋଗ କରି କୁହେ-

--- ଏ ଟିପୁ କୁ ତୁମେ ସମ୍ଭାଳ ଏବେ। ଯେତିକି ବଡ ହେଉଛି ସେତିକି ଦୁଷ୍ଟାମୀ ବଢି ଚାଲିଛି। ତାର କଣ ଦରକାର ଥିଲା ସେ ହାଡୁ ଘରେ ଯାଇ ଶୁଖୁଆ ଖାଇବା। ଲୋମ ଝଡିଗଲେ ସେ କଣ ଆସି ବୁଝିବ ନାଁ କଣ। ପଚାର ତାକୁ, କଣ ମୋ ଘରେ ଖାଇବାକୁ ନାହିଁ ଯେ ୟା ତା ଘରେ ପଶି ଖାଇବ। ଏମିତି କଲେ ତା ପାଇଁ ଗୋଟେ ଗୋରୁ ବନ୍ଧା ଚେନ ଆଣି ଦିଅ। ସକାଳୁ ସଞ୍ଜ ଯାଏ ବାନ୍ଧିରଖିବି, ରାତିହେଲେ ଖୋଲିବି। ସବୁ ଫାଜଲାମି ଛାଡି ଯିବ।

ରାମ କିଛି ଉତ୍ତର ନଦେଇ ମୁଣ୍ଡ ଟୁଙ୍ଗାରୁଥାଏ। ରାଜୁ , ଟିପୁ ପାଖରେ ବସି ଶୁଣୁଥାଏ ସବୁ। ଆଉ ଟିପୁ....ସେ ତ ଚୋରଙ୍କ ପରି କାନପଛକୁ କରି ରାଜୁ ପଛରେ ଲୁଚି ଥାଏ। କମଳା ଯଦି କେତେବେଳେ ରାଗିଯାଏ, ଟିପୁର ଆଶ୍ରୟଦାତା ହେଲା ରାଜୁ। ରାମ ଜାଣିଛି, ଟିପୁକୁ ବାନ୍ଧିବା କଥାଟା କେବଳ ପାଣିର ଗାର। କାରଣ ଟିପୁର ସ୍ବାଧିନତା ରେ ଟିକେ ବି ଆଞ୍ଚ ଆସିଲେ ସବୁଠାରୁ ବେଶି ବାଧିବ କମଳାକୁ। ତା ପାଇଁ ରାଜୁ ଓ ଟିପୁ ମଧ୍ଯରେ କିଛି ଅନ୍ତର ନାହିଁ। ସେ କେବେ ଚିନ୍ତା ବି କରିନି ଯେ ଟିପୁ ଗୋଟେ କୁକୁର ବୋଲି।

ଯଦି କେତେ ବେଳେ କେହି ଭୁଲ୍ ରେ ବି ଟିପୁ କୁ କୁକୁର କହିଦେଲେ କଥା ସରିଗଲା ବୋଲି ଜାଣ। ସେଦିନ ସାହି ର ମହାନ୍ତିଆଣି କମଳାଘରକୁ ଆସି କହିଲେ--

– ଆଲୋ କମଳା, ଆମ ଘରେ କାଲି ମାଂସ ହେଇଥିଲା। ସବୁ ଖାଇଲା ପରେ ବି ବଳିଗଲା। ମୋର ମନେ ନାହିଁ ଏତକ ଫ୍ରିଜ୍ ରେ ରଖିବାକୁ। ସବୁ ନଷ୍ଟ ହୋଇଗଲା। ମୁଁ ଭାବିଲି ଫିଙ୍ଗିବି କଣ ପାଇଁ, ତୁମ କୁକୁର କୁ ଦେଇଦେଲେ କେତେ ଖୁସିରେ ଖାଇଦେବ। ପୁରା ଖାସିମାଂସ। ଖାଲି ଯାହା ଟିକେ ଆମ୍ବିଳା ବାସ୍ନା ବାହାରୁଛି। ତୋ କୁକୁର ଭାଗ୍ଯ ଟାଣ୍ । ଆଜି ଖାସି ମାଂସ ତା ଭାଗ୍ଯରେ ଲେଖା।

କମଳା ମୁହଁରୁ ବଚନ ବାହାରୁ ନ ଥିଲା। ସେ କଣ କହିବ ଭାବିପାରୁ ନ ଥାଏ। ମାତ୍ର, ଛାତି ଭିତରଟା ମନ୍ଥି ହୋଇ ଯାଉଥିଲା। କଣ ଭାବି ମହାନ୍ତିଆଣି ଟିପୁ କୁ ଏମିତି କହିଲେ ଓ ତା ପାଇଁ ବାସି ପଚା ଜିନିଷ ଆଣି ଦେବାକୁ ବାହାରିଲେ, ସେଇ କଥା ମନରେ ଆଣି କାନ୍ଦି ପକେଇଲା କମଳା। ସକେଇ କହିଲା ସେ କୁକୁର ନୁହଁ ; ମୋ ପୁଅ.......

ସେ ଏ ବାସି ଜିନିଷ ଖାଇବନି।

ମହାନ୍ତିଆଣି କି ଛାଡିବା ଲୋକ। ତାଚ୍ଛଲ୍ଯ କରି କହିଲା “ ଆରେ ହେଃ, ନ ଦେଖିବା ଲୋକ ଦେଖ, କଇଁଛ କାଢିଛି ବେକ” ଦେଖ ହୋ କୁକୁରପୁଅ ସୁଆଗ। ମୁହଁ କୁ ଲାଜ ନାହିଁ ଯାହା।

ସେ ଆଃ ଚୁଃ ଚୁଃ କରି ଟିପୁ କୁ ଡାକିଲା ଓ କିଛି ଦୂରରେ ସେ ବାସିମାଂସ ତକ ଢାଳିଦେଲା। ଉଦ୍ଦେଶ୍ଯ ଥିଲା କମଳା ସାମନାରେ ଟିପୁ ସେ ଜିନିଷ ଖାଉ। ଯଦି ସେତକ ସେ ଖାଇଦେବ, କମଳାକୁ ଭଲ କରି ଦି ପଦ ଶୁଣେଇ ହେବ।

କୋହ ଭରା ଥରଥର କଣ୍ଠରେ କହିଲା କମଳା--

--- ଦେଖ୍ ଟିପୁ ଯଦି ତୁ ମୋ ପୁଅ ହୋଇଥିବୁ, ଏ ଜାଗା ରୁ ଇଞ୍ଚେ ବି ଘୁଞ୍ଚିବୁନି। ତୋତେ ମୋ ରାଣ।

ଟିପୁ ଲାଗି ଆସିଲା କମଳା ପାଖକୁ। ଗୋଡ ପାଖରେ ଗେଞ୍ଜିହୋଇ ଶୋଇପଡିଲା। ପାଖ ପଡିଶା କିଛିଗୋଟେ ରୋଚକ ଦୃଶ୍ଯର ଆଶାରେ ଗହଳି କରିବା ଆରମ୍ଭ କରି ସାରିଥିଲେ। ମହାନ୍ତିଆଣି ଅନବରତ ଆହାଃ ଚୁଃ ଚୁଃ କରି ଡାକିବାରେ ବ୍ଯସ୍ତଥିଲା। କିନ୍ତୁ, ଅଚଳ ମହାମେରୁ ପରି ସ୍ଥିରଥିଲା ଟିପୁ। ମୁହଁରେ ତାର ଗମ୍ଭୀରତା ସ୍ପଷ୍ଟ ବାରି ହୋଇପଡୁଥିଲା। ଶେଷରେ ସେ ନଛୋଡବନ୍ଧା ସ୍ତ୍ରୀ ଲୋକଟି ତଳେ ପଡିଥିବା ମାଂସରୁ ଖଣ୍ଡେ ଉଠେଇ ଟିପୁ ଆଡକୁ ପକେଇ କହିଲା--

--- ଏ କୁକୁର ବୋଧେ କେବେ ମାଂସ ଖାଇନି, ନହେଲେ ଏମିତି ବୋକାଙ୍କ ପରି ଚାହାଁନ୍ତା କଣ ପାଇଁ?

ସେ ନିଶ୍ଚିତଥିଲା ଟିପୁ ଆଗ୍ରହ ସହକାରେ ମାଂସଟିକୁ ଖାଇଦେବ। କିନ୍ତୁ ସବୁଭାବନାକୁ ଧ୍ବସ୍ତବିଧ୍ବସ୍ତ କରି ମହାନ୍ତିଆଣିକୁ ଚାହିଁ ଉଚ୍ଚସ୍ବରରେ ଭୁକିବାକୁ ଲାଗିଲା ଟିପୁ। ସେ ଭୁକିବା ରେ ଥିଲା କ୍ରୋଧ, ଘୃଣା ଓ ବିରକ୍ତିର ଭାବ। ଘରକୁ ଆସିବା ଦିନରୁ କେବେ ଏମିତି ଭୁକିବାର ଦେଖି ନ ଥିଲା କମଳା। ବେଳ କୁ ବେଳ ଭୁକିବାର ମାତ୍ରା ବଢିବାରେ ଲାଗିଲା। କାଳେ କାମୁଡି ଦେବ ସେ ଭୟରେ ମହାନ୍ତିଆଣି ଯାଗା ଛାଡି ପଳାଇଲା। କମଳାର ମୁହଁ କୁ ଥରେ ଦେଖିଲା ଟିପୁ, ଧିର ପଦକ୍ଷେପରେ ଅଗ୍ରସର ହେଲା ସେ ମାଂସ ପଡିଥିବା ଯାଗାକୁ। ଜମିଥିବା ଲୋକଙ୍କର ଉତ୍କଣ୍ଠା ପହଞ୍ଚିସାରିଥିଲା ଚରମସୀମାରେ। କଣ କରିବ ଟିପୁ? କଣ ସେ ଭୂଇଁରେ ପଡିଥିବା ବାସି ଜିନିଷ ଖାଇବ, କଣ ସେ କମଳାର ତା ପ୍ରତି ଥିବା ଭଲ ପାଇବା କୁ ମାଟିରେ ମିଶେଇଦେବ?

କମଳା ଧିର ସ୍ବରରେ କହିଲା ଟିପୁ........ ମୋ ଧନରେ....ସେ ଜିନିଷ ତୁଣ୍ଡରେ ଦେ ନି।

ଏତିକି କହି ଲଥ୍ ହୋଇ ଭୁଇଁରେ ବସି ପଡିଲା। ଟିପୁ କମଳା ଆଡକୁ ଥରେ ଚାହିଁଲା ଓ ବାଲି ରାମ୍ପି ଘୋଡେଇ ପକାଇଲା ଭୂଇଁରେ ପଡିଥିବା ସେ ବାସି ମାଂସ ସବୁକୁ। ଜମିଥିବା ଲୋକେ ନିଜ ଆଖିକୁ ବିଶ୍ବାସ କରି ପାରୁ ନ ଥିଲେ। ସାହି ପିଲାଏ ସିଟି ହୁଇସିଲ୍ ମାରି ଜାଗାଟାକୁ କମ୍ପାଇ ଦେଲେ। ସିନେମାର ଅତି ସୁନ୍ଦର ଦୃଶ୍ଯ ଦେଖିଲେ ଯେମିତି ମନ କୁ ମନ ତାଳିମାରି ହୋଇଯାଏ, ସେମିତି କିଛି ଲୋକ ତାଳି ମାରିଦେଲେ। ଟିପୁ ଲାଗି ଆସିଲା କମଳା ପାଖକୁ। ତାକୁ କୁଣ୍ଢେଇ ପକେଇ କମଳା ଭୋ ଭୋ କାନ୍ଦି ଉଠିଲା। ସେ କାନ୍ଦ ଥିଲା ମାତୃତ୍ବର, ଅନାବିଳ ସ୍ନେହ ଓ ଭଲ ପାଇବାର। ସେତିକିବେଳେ ରାମ ଓ ରାଜୁ ବଜାର ରୁ ଆସି ପହଞ୍ଚିଲେ। କମଳାର କାନ୍ଦୁରା ମୁହଁ ଦେଖି, କଣ ହୋଇଛି ବୋଲି ରାମ ପଚାରିଲା। ଅଣ୍ଟିରୁ କିଛି ପଇସା କାଢି କମଳା କହିଲା ---ଏବେ ବଜାରକୁ ଯାଇ ମୋ ପୁଅ ପାଇଁ ଖାସି ମାଂସ ଆଣ। ରାଜୁ ବଲବଲ କରି ଚାହିଁ ଥାଏ। କାନ୍ଦୁରା ମୁହଁରେ ହସ ଫୁଟେଇ କମଳା କହିଲା ମୋ ଦୁଇ ପୁଅଙ୍କ ପାଇଁ ଆଣିବ।

ଟିପୁ ପାଇଁ କମଳାର ଭଲ ପାଇବା ଦିନ କୁ ଦିନ ବଢି ଚାଲିଥିଲା। ସେ କେବେ ବି ରାଜୁ ଓ ଟିପୁ ଭିତରେ କିଛି ଫରକ ଦେଖୁ ନ ଥିଲା। ରାଜୁ କୁ ଗାଧେଇ ପାଧେଇ ଖାଇବାକୁ ଦେଇ ସ୍କୁଲ ଛାଡିବା ପରେ ପଡେ ଟିପୁର ପାଳି। ସବୁଦିନ ପରିଷ୍କାର କରି ଗାଧେଇ ପୋଛାପୋଛି କରିଦିଏ କମଳା। ତାପରେ ଗରମ କ୍ଷୀର ସହ ଦଶପଟ ରୁଟି ବାଢିଦିଏ ଅତି ଆଦରରେ। ଟିପୁ ଖାଇ ନ ସରିବାଯାଏ ଯାଗାଛାଡି ଯାଏନି। ଯଦି କେବେ ଟିପୁ ରୁଟି ଖାଇବାକୁ ଅମଙ୍ଗ ହୁଏ , କମଳା ର ଚିନ୍ତା ବଢିଯାଏ। କାଳେ ପେଟରେ କୃମି ହୋଇଥିବ, କାଳେ ଦେହ ଖରାପ ହୋଇଥିବ ଏମିତି କେତେକଣ ଭାବି ମୁହଁ ଶୁଖେଇ ବସେ। ରାମ କୁ ବାଧ୍ଯ କରେ ପଶୁ ଡାକ୍ତରଖାନା କୁ ଯାଇ ବୁଝି ଆସିବା ପାଇଁ। ରାମ ଘନଘନ ଡାକ୍ତରଖାନା ଆସିବା ଦେଖି ଦିନେ ଡାକ୍ତର ହସି କହିଲେ

- – ଆରେ ରାମ , କଣ ନିୟମ ଅଛି ଯେ ଟିପୁ ସବୁ ଖାଇବା ସବୁଦିନ ଶେଷ କରିବ। ତାର ବି ମନ ଅଛି। କେବେ ଇଛା ନ ହେଲେ ଖାଉ ନ ଥିବ। ସେଥିପାଇଁ ବିବ୍ରତ ହେବାର କିଛି ନାହିଁ। ତୁମେ ଟିପୁ କୁ ଯେମିତି ପାଳିଛ , କେଉଁ ବାପାମାଆ ନିଜ ଜନ୍ମକଲା ପିଲାକୁ ଏମିତି ପାଳୁ ନ ଥିବେ। ନିଶ୍ଚିନ୍ତ ରୁହ, ସେ ପୁରା ଠିକ୍ ଅଛି।

ଏତିକି ଶୁଣି ଗର୍ବରେ ଫାଟିଯାଏ ରାମ ର ଛାତି। ଯାହା ହେଉ ଟିପୁ ପାଇଁ ପ୍ରଶଂସା ଟିକେ ତ ପାଉଛି।

ରାତିରେ ଶୋଇଲାବେଳେ ଟିପୁ ଖଟତଳେ ଶୁଏ। ବଡଲୋକଙ୍କ ପରି ଘୁଙ୍ଗୁଡି ବି ମାରେ। ତା ଘୁଙ୍ଗୁଡି ଶୁଣି ହସିପକାଏ କମଳା। – ଦେଖ ମ , ପିଲା ଟା କେତେ ନିଶ୍ଚିନ୍ତରେ ଶୋଇଛି। ଟିପୁ ଶୋଇଲା ବେଳେ ଗୋଡହଲେଇ ଦଉଡିବାପରି ହୁଏ ଅନେକ ସମୟରେ। ରାଜୁ କୁହେ – ଦେଖ ବାପା ଟିପୁ ସ୍ବପ୍ନ ଦେଖୁଛି କେମିତି। ସେ ନହାତି ସ୍ବପ୍ନରେ ମୋ ସହ ଦଉଡା ଦଉଡି ଖେଳୁଥିବ ନା। ମୁଣ୍ଡ ଟୁଙ୍ଗାରେ ରାମ।

ସେ ଭାବେ ଟିପୁ ଆସିବା ଦିନ ଠୁ ତା ଘର ଟା ହସଖୁସିରେ ଭରିଉଠିଛି। ଟିପୁ କଥା ନ କହିପାରିଲେ ବି ତା ଆଖିରେ ସବୁ କଥା କେତେ ସ୍ପଷ୍ଟ ଭାବରେ କହି ଦେଉଛି। ହସକାନ୍ଦ, ରାଗରୂଷା ସବୁ ତ କରୁଛି ସେ। ସତରେ ଟିପୁ କୁ ଛାଡି ଦଣ୍ଡେ ରହିବା ମୁସ୍କିଲ ତା ଘରର ପ୍ରତ୍ଯକ ସଦସ୍ଯ ପାଇଁ। ଅଜାଣତରେ ତା ହାତ ଉଠିଯାଏ ଜଗନ୍ନାଥଙ୍କ ଉଦ୍ଦେଶ୍ଯରେ। ----- ହେ କାଳିଆ ମୋ ଟିପୁ କୁ ଲମ୍ବା ଆୟୁଷ ଦେବୁ। ମୋ ଜୀବ ଥିବା ଯାଏ ସେ ମୋ ଆଗରେ ଏମିତି ଖେଳୁଥାଉ ବୁଲୁଥାଉ। ମୋ ଦ୍ବିତୀୟ ପୁଅ ସେ। ତାକୁ ଘଣ୍ଟ ଘୋଡେଇ ରଖିଥିବୁ ସଦାବେଳେ।

ସେଦିନ ରାମ ବଡଖୁସିରେ ଘରକୁ ଆସିଲା। ହାତରେ ଥିଲା କମଳାପାଇଁ ଶାଢୀ, ରାଜୁ ପାଇଁ ଡ୍ରେସ୍ ଓ ଟିପୁ ପାଇଁ ଗୋଟେ ନୂଆ ଚେନ୍ ଯାହାକୁ ସେ ବେକରେ ଲଗେଇବ। ତା ସହ ମିଠା ପ୍ଯାକେଟ୍ ବି ଆଣିଥିଲା। ଟିପୁ ମୁଣ୍ଡ ଠୁ ଗୋଡ ଯାଏ ଶୁଙ୍ଘି ଦେଇଗଲା । ରାମର ହାତ ଚାଟି ଘରକୁ ସ୍ବାଗତ କଲା। ଟିପୁ ବେକରେ ସୁନ୍ଦରଚେନକୁ ରାମ ଅତି ଯତ୍ନରେ ଝୂଲାଇଦେଇ କହିଲା

– ଆରେ ବାଃ। ପୁରା ରାଜା ପରି ଦିଶୁଛି ଆମ ଟିପୁ ଏ ଚେନରେ। ଏତିକି କହି ପିିଠି ଥାପୁଡେଇ ଦେଲା। ଟିପୁ ଦଉଡି ଗଲା ରୋଷେଇଘରକୁ କମଳା କୁ ତା ନୂଆ ଚେନ୍ ଦେଖେଇବା ପାଇଁ।

--- ଆରେ କମଳା ଆଜି ଧାନ ବିକ୍ରି ବାବଦ କୁ ଥିବା ସବୁ ବକେୟା ଟଙ୍କା ମିଳିଗଲା। ପୁରା ଲକ୍ଷେ ଟଙ୍କା । ଏଇ ନିଅ ଯତ୍ନ ସହକାରେ ଆଲମାରୀ ରେ ଚାବି ପକେଇ ରଖିଦେବ। କାଲି ମୁଁ ବ୍ଯଙ୍କରେ ନେଇ ଡିପୋଜିଟ୍ କରିଦେବି।

– କିନ୍ତୁ ଏତେ ଗୁଡେ ଟଙ୍କା ଘରେ ରହିବ , କିଛି ଅସୁବିଧା ନାହିଁ ତ? ଏ ଚୋର ଗୁଡାକ ଯେମିତି ଉତ୍ପାତ ହେଉଛନ୍ତି ମନରେ ଡର ପଶି ଯାଉଛି। ସେଦିନ ଆମ ଗାଁଆମୁଣ୍ଡରେ ରହୁଥିବା ସ୍କୁଲ ହେଡ୍ ମାଷ୍ଟ୍ର ଘରେ ପଶି ଚୋରମାନେ କଳାକନା ବୁଲେଇ ଦେଲେ। ବ୍ଯସ୍ତ ହୋଇ କହିଲା କମଳା।

– ଆରେ ଡରୁଛ କଣ ମ। ଟିପୁ ଅଛି ପରା। ତାକୁ କଉ ଚୋର ବଳେଇ ଯିବ ନା କଣ? ଆରେ ଟିପୁ ଭଲରେ ଦେଖିଥା, ତୋ ମାଆର ଟଙ୍କା ଏଇ ଆଲମାରୀରେ ଅଛି, ତାକୁ ଭଲରେ ଜଗିଥିବୁ। କହି ହସି ପକେଇଲା ରାମ। ଟିପୁ କଣ ବୁଝିଲା କେଜାଣି ଆଲମାରୀ ପାଖକୁ ଯାଇ ଆଲମାରୀ କୁ ଶୁଙ୍ଘି ପୁଣି ରାମ ପାଖରେ ଆସି ଘଷି ହେଲା। ତାକୁ ଆଉଁସିଲା ବେଳେ ରାମ କହିଲା ମୋ ପୁଅ ସବୁ ବୁଝୁଛି, ଭାରି ଚାଲାକ୍ ସେ।

ନୂଆ ଡ୍ରେସ୍ କୁ ପିନ୍ଧି ରାଜୁ ଆସି ଟିପୁ କୁ କହିଲା ଦେଖି କହିଲୁ କେମିତି ଲାଗୁଛି। ତୋ ଚେନ ଟା ବେଶି ଭଲ ନା ମୋ ଡ୍ରେସ୍ ଟା ଭଲ କହ। କମଳା ଓ ରାମ ହସି ପକେଇଲେ। ଖିଆପିଆ ସରିଲା ପରେ ରାମ ଘରର ଦରଜା ଆଉଥରେ ପରଖି ଦେଖିଲା। ଟିପୁ ଆସି କମଳା ପାଖରେ ଘଷି ହେବାରେ ଲାଗିଲା। ବାରମ୍ବାର ତା ଚେନ ଟା ଦେଖେଇ ଲାଞ୍ଜ ହଲେଇଲା। ରାମ କଣ କିରେ ଟିପୁ, ତୋ ଚେନ ତୋତେ ବେଶି ଭଲ ଲାଗୁଛି ନା? କେତେ ଆଉ ଫୁଲେଇ ହେବୁ ଯେ।

ରାଜୁ କହିଲା “ ବାପା କାଲି ମୁଁ ଟିପୁ କୁ ଧରି ସ୍କୁଲ କୁ ଯିବି। ମୋ ସାଙ୍ଗମାନଙ୍କୁ ତା ନୂଆଚେନ ଦେଖେଇବି। ସେମାନେ ଦେଖିଲେ କେତେ ଖୁସିହେବେ । ଏକାବେଳକେ ହସିଉଠିଲେ ରାମ ଓ କମଳା। ଟିପୁ ସେମାନଙ୍କ କଥା ଶୁଣି ଲାଞ୍ଜ ହଲେଇବାରେ ବ୍ଯସ୍ତଥିଲା। କମଳା ଟିପୁକୁ କୋଳକୁ ଟେକି ନେଇ କହିଲା- -

“ ମୋ ସୁନା ଗୁଲୁଗୁଲିଆ ପୁଅକୁ କାହା ନଜର ନ ଲାଗୁ । ଆରେ ହେଃ, ତୁମେ ମିଠା ଆଣିଥିଲା ପରା। ମୁଁ କାହାକୁ ଦେଇନି, ପୁରା ଭୂଲି ଯାଇଛି, ମୁଁ ଆଣୁଛି ସମସ୍ତେ ଖାଇ ଶୋଇବା।

--- ମିଠା ବଢିଆ ହୋଇଛିି ବାପା, ଟିପୁ କୁ ଆଉ କେତେ ଟା ଦଉନ।

– ନା ରେ ପୁଅ , ଟିପୁ ବେଶି ମିଠା ଖାଇଲେ ତାର କୃମି ହେବ । ଝଡିଯିବ ବିଚରା ଟା। ଆଜି ଏତିକି ଖାଉ, କାଲି ପୁଣି ରୁଟି ଖାଇଲା ବେଳେ ଖାଇବ।

ମହାତୃପ୍ତିରେ ମିଠା ଖାଇ ଟିପୁ ଖଟତଳକୁ ପଶିଗଲା। ତା ଶୋଇବା ସମୟ ହୋଇଯାଇଥିଲା।

ରାମର ଆଖି କେତେବେଳେ ଲାଗି ଯାଇଛି ସେ ଆଡକୁ ନିଘା ନାହିଁ। ବାହାରେ କିଛି ଖସଖସ ଶୁଭିଲା। ଟିପୁ ଭୁକିବା ଆରମ୍ଭ କରିଦେଲା। ରାମ ଧଡପଡ ହୋଇ ଉଠିପଡିଲା। ଦେଖିଲା ଟିପୁ ଘର କବାଟ ପାଖରେ ଠିଆହୋଇ ଜୋରରେ ଭୁକୁଛି। ସେ ଆଉଁସିଦେଲା ଟିପୁକୁ। କହିଲା ଚାଲ ଶୋଇବା , ବୋଧେ ବିଲେଇ ହୋଇଥିବ। କିନ୍ତୁ ଟିପୁ ସେମିତି ଭୁକି ଚାଲିଥାଏ। ରାମ ଚିଡିଯାଇ କହିଲା- – ଆରେ ଏମିତି ଭୁକିବୁ ତ ତୋ ବୋଉ ଆଉ ରାଜୁ ଉଠିପଡିବେ। କିଛି ନାହିଁ କହିଲି ପରା। ଚାଲ ଶୋଇବା। ଏଥରକ ଟିପୁ ଚୁପ୍ ହୋଇଗଲା। ମାତ୍ର ସେ ଭୀଷଣ ବ୍ଯସ୍ତ ହେଲା ପରି ଲାଗୁଥାଏ। ସେଆଡକୁ ରାମ ଗୁରୁତ୍ବ ନ ଦେଇ କହିଲା-- ଶୁଣ୍ ପୁଅ, ମୋତେ ଜୋରରେ ନିଦ ଲାଗିଲାଣି। ମୁଁ ଟିକେ ଶୋଉଛି। ଘର ତୋତେ ଲାଗିଲା । ତୁ ସଜାଗ ଥିବୁ। ଲାଞ୍ଜ ହଲେଇଲା ଟିପୁ।

କିଛିସମୟ ଭିତରେ ଜୋରରେ ଶୋଇପଡିଲା ରାମ। କମଳା ଓ ରାଜୁ ବି ନିଘୋଡ ନିଦରେ ଶୋଇଥିଲେ। କିନ୍ତୁ ଟିପୁ ଆଖିରେ କିନ୍ତୁ ନିଦ ନ ଥିଲା। ସେ କବାଟ ଆଡକୁ ଚାହିଁ ବସିଥିଲା । ସତେ କି ବାହାରେ କିଏ ଅଛି। କବାଟ ଖଟଖଟ୍ ହେଲା। ଟିପୁ ପୁଣି ଭୁକିବା ଆରମ୍ଭକଲା। ଧିରେଧିରେ ଜୋରରେ କବାଟ ଟି ଧଡ୍ ଧଡ୍ ହେଲା। ଟିପୁ ଦଉଡି ଯାଇ ରାମର ଗୋଡ କୁ ଚାଟିଲା। ମାତ୍ର ନିଦରୁ ଉଠିବାକୁ ରାମ ନାରାଜ୍। କମଳା ପାଖକୁ ଯାଇ ତା ଶାଢୀ ଟାଣିଲା। ଦିନସାରା ଖଟି କ୍ଳାନ୍ତହୋଇ ଅଚେତନ ପ୍ରାୟ ଶୋଇଥିଲା କମଳା। ଉପରେ ପଥର ପଡିଲେ ବି ଉଠିବାର ଶକ୍ତି ନାହିଁ। ଦଉଡି ଗଲା ଟିପୁ କବାଟ ପାଖକୁ। ଦେଖିଲା କବାଟ ଠିଆ ମେଲା ହୋଇପଡିଛି। ତିନିଜଣ ଲୋକ ମୁହଁରେ କଳା କନା ବାନ୍ଧି ଠିଆ ହୋଇଛନ୍ତି। ହାତରେ ଅଛି ଭୁଜାଲି। ଟିପୁ ପାଇଁ ପରୀକ୍ଷାର ବେଳ। ସବୁ ଭଲ ପାଇବାର ମୂଲ ତାକୁ ଆଜି ଶୁଝିବାକୁ ହେବ।

ସେମାନେ କିଛି ବୁଝିବା ଆଗରୁ ଟିପୁ ସେମାନଙ୍କୁ ଆକ୍ରମଣ କଲା। ଗୋଟେ ଚୋର ର ଗୋଡ କୁ କାମୁଡି ଧରିଲା ସେ। ଯେତେ ଚେଷ୍ଟାକଲେ ମଧ୍ଯ ଗୋଡ ଖସେଇ ନ ପାରି ସେ ଭୁଜାଲିରେ ମାରିଲା ଏକ ଶକ୍ତ ଚୋଟ। କ୍ଷତାକ୍ତ ଟିପୁ ଭୟଙ୍କର ରାଗିଗଲା ଓ ଚୋରର ଗୋଡକୁ ଅତି ନିର୍ମମ ଭାବେ ଝୁଣିବାରେ ଲାଗିଲା। ଅଳ୍ପ ସମୟ ଭିତରେ ସେ ଚୋର ତଳେ ପଡିଗଲା। ଅନ୍ଯ ଦୁଇଜଣ ହାତରେ ଭୁଜାଲି ଧରି ଟିପୁକୁ ଆକ୍ରମଣ କରି ଶେଷ କରିଦେବାକୁ ମନସ୍ଥ କରି ସାରିଥିଲେ। କିନ୍ତୁ ଟିପୁ.......ଏକ କୁଶଳୀ ଯୋଦ୍ଧାପରି ଟିପୁ ନିଜ କ୍ଷତକୁ ପରବାୟ ନ କରି ସମ୍ମୁଖ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲା।

ସେ ଦୁଇଜଣ ଆକ୍ରମଣ କଲାବେଳେ ଟିପୁ ଘର ଭିତରେ ଦଉଡିବାରେ ଲାଗିଲା। ଘର ଭିତର ଅନ୍ଧାର ଥିବାରୁ ସେମାନେ ଟର୍ଚ୍ଚମାରି ତାକୁ ଖୋଜିବାରେ ଲାଗିଲେ। ହଠାତ୍ ଟିପୁ ସେମାନଙ୍କୁ ପଛ ପଟରୁ ଆକ୍ରମଣ କଲା। ନିଜର ସମସ୍ତ ଶକ୍ତି ଲଗାଇ ଟିପୁ ଜଣେ ଚୋରର ତଣ୍ଟିକୁ କାମୁଡି ଧରିଲା। ବିକଳରେ ଚୋର ଗଁ ଗଁ ହେବାକୁ ଲାଗିଲା। ମାତ୍ର ଟିପୁ କବଳରୁ ସେ ନିଜକୁ ମୁକ୍ତ କରିବାରେ ବିଫଳହେଲା। ତା ତଣ୍ଟିରୁ ଛୁଟିଚାଲିଥିଲା ରକ୍ତଧାର। କିନ୍ତୁ ସେତିକି ସମୟ ଭିତରେ ଅନ୍ଯଚୋର, ଭୁଜାଲି ରେ ଟିପୁ କୁ ଅନବରତ ହାଣିବାରେ ଲାଗିଥିଲା।

ଓଃ, କି ହୃଦୟ ବିଦାରକ ଥିଲା ସେ ଦୃଶ୍ଯ। ଯେଉଁ ଟିପୁ ଦେହରେ କେବେ କଣ୍ଟା ମଧ୍ଯ ଫୁଟି ନ ଥିଲା ତା ଦେହରେ ସୃଷ୍ଟି ହୋଇଚାଲିଥିଲା କ୍ଷତ ପରେ କ୍ଷତ। କିନ୍ତୁ ଅଦମ୍ଯ ସାହାସ ଓ ସହନଶୀଳତାର ପ୍ରତିମୂର୍ତ୍ତି ଟିପୁ, ସେ ଚୋର କୁ କାମୁଡି ଚାଲିଥିଲା ଅନବରତ। ଟିପୁର ଶୁଭ୍ରକୋମଳ ଦେହ ଟି ରକ୍ତସ୍ନାତ ହୋଇ ସାରିଥିଲା ଓ ଶରୀରର ପ୍ରତ୍ଯକ ସ୍ଥାନରେ ଦିଶୁଥିଲା ଗଭୀର କ୍ଷତ। ଭୀଷଣକଷ୍ଟ ଓ ରକ୍ତସ୍ରାବ ହେତୁ ଟିପୁ ଅଚାନକ ତଳେ ଲୋଟି ପଡିଲା।

ସେ ଚୋର ନିଶ୍ଚିତ ହୋଇଗଲା ରେ ଟିପୁର ମୃତ୍ଯୁ ଆସନ୍ନପ୍ରାୟ। ସେ ଧିର ପଦକ୍ଷେପରେ ରାମ ଶୋଇଥିବା ବଖରା ଆଡକୁ ଆଗେଇଲା। କିନ୍ତୁ ଅନ୍ଯ ଦୁଇଚୋରଙ୍କ ମୃତ୍ଯୁ ଦେଖି ସେ କିଛି ମାତ୍ରାରେ ବିଚଳିତ ହୋଇଯାଇଥିଲା । ଶୀଘ୍ର ଚୋରି କରି ନ ପଳାଇଲେ ଅବସ୍ଥା ଭୟାବହ ହେବ,ଏଥିରେ କୌଣସି ସନ୍ଦେହ ନ ଥିଲା।

ରାମ ବେକରେ ଅନୁଭବ କଲା ଏକ ଧାରୁଆ ଅସ୍ତ୍ର। ସେ ଆଖି ଖୋଲିବା ମାତ୍ରେ ଚିତ୍କାର କରିବାକୁ ଚେଷ୍ଟାକଲା, ମାତ୍ର ଚୋର ବେକରେ ଭଜାଲିର ଚାପ ଅଧିକା କରି କହିଲା- - ଚୁପଚାପ ଆଲମାରୀ ଚାବି ଦେଇ ଦେ, ନ ହେଲେ ସମସ୍ତଙ୍କୁ ଶେଷ କରିଦେବି। ରାମ ଚାହୁଁଥିଲା ଚିତ୍କାର କରି ଡାକିଦେବ ଟିପୁ କୁ, କିନ୍ତୁ ସେ ନିରୁପାୟ ଥିଲା। ତକିଆତଳୁ ଚାବି କାଢିଦେଇ ସେ ଚୋର ହାତକୁ ବଢାଇଦେଲା।

ହଠାତ୍ ଟିପୁର ବିକଳ ଚିତ୍କାର ଶୁଭିଲା ଘଟଣା କଣ ହୋଇଛି ବୁଝିବାକୁ ଆଉ ବାକି ରହିଲାନି।

କମଳା ଚମକି ଉଠି ଦେଖିବା ବେଳକୁ, ସେ ଚୋର ଆଲମାରୀ ଖୋଲି ଟଙ୍କା ସବୁକୁ ଏକ ଜରିବ୍ଯାଗରେ ପୁରେଇବାରେ ବ୍ଯସ୍ତଥିଲା। କଣ କରିବ ବୁଝି ନପାରି କମଳା, ଏକ ଢାଳରେ ଚୋର ମୁଣ୍ଡକୁ ଦେଲା ଏକ ମସ୍ତବଡ ପ୍ରହାର। ଏମିତି ଅତର୍କିତ ଆକ୍ରମଣରେ କିଂକର୍ତ୍ତବ୍ଯବିମୁଢ ହୋଇ ଚୋର ତଳେ ବସିପଡିଲା ଓ ରାମ ଏକ ଲାଠିରେ ପିଟିଚାଲିଲା ସେ ଚୋରକୁ।

ଟିପୁର ବିକଳ ସ୍ବର ଶୁଣି କମଳା ଦୌଡିଗଲା। ସେ ଯାହା ଦେଖିଲା ତା ପାଦ ତଳୁ ମାଟି ଖସିଯିବା ପରି ଅନୁଭବ କଲା। ରକ୍ତର ନଦୀରେ ପହଁରୁଥିଲା ବିଚରା ଟିପୁ। ତା ଦେହରେ ସୃଷ୍ଟି ହୋଇ ସାରିଥିଲା ଅନେକ ଗଭୀର କ୍ଷତ ଓ ତା ପାଖରେ ପଡି ରହିଥିଲା ଦୁଇଟି ନିଥର ରକ୍ତାକ୍ତ ଶରୀର। କମଳାର ଆଖିରେ ଛାଇଗଲା ଘୋର ଅନ୍ଧକାର। ଟିପୁର ଏ ଅବସ୍ଥା ତା ଚିନ୍ତାଶକ୍ତି ବାହାରେ ଥିଲା। ଏତିକି ସମୟରେ ତା ସୁନାସଂସାର ନିୟତିର କ୍ରୁର ପରିହାସର ଶିକାର ହୋଇ ଧୁ ଧୁ ହୋଇ ଜଳିବାରେ ଲାଗିଥିଲା। ଟିପୁକୁ କୋଳେଇ ନେଇ ମୁଣ୍ଡ ଆଉଁସିବା ସମୟରେ ଶୁଭିଲା ରାମର ଆର୍ତ୍ତଚିତ୍କାର




--ପୁଅ ଟିପୁ ବଞ୍ଚା ମୋତେ। ଏ ଚୋର ମୋତେ ମାରି ଦେବ, ତୁ ଦଉଡି ଆସ୍।

ଉଠିବାର ଶକ୍ତି ନଥିଲା ଟିପୁର। କିନ୍ତୁ ବଡ କଷ୍ଟରେ ନିଜର ସମସ୍ତଶକ୍ତି ଜୁଟାଇ ଝଡବେଗରେ ରାମ ପାଖକୁ ଦୌଡିଗଲା ଟିପୁ। ସେତେବେଳକୁ ଚୋର ରାମ ବେକକୁ ହାଣିବାକୁ ଉଦ୍ଯତ ହେଉଥିଲା।

ଟିପୁ ସିଧା ଚୋର ଉପରକୁ ଲମ୍ଫଦେଇ ତା ବେକରେ ଝୁଲି ପଡିଲା। ଟିପୁ କବଳରୁ ନିଜକୁ ବଞ୍ଚାଇବାକୁ ଚୋର ପ୍ରାଣମୂର୍ଚ୍ଛା ଉଦ୍ଯମ କରି ବିଫଳ ହେଲା। ଶେଷରେ ସେ ହାତରେ ଧରିଥିବା ଭୁଜାଲି କୁ ଟିପୁ ବେକରେ ବିଦ୍ଧକରି ଭୂଇଁରେ ଲୋଟି ପଡିଲା। କିଛିକ୍ଷଣ ମଧ୍ଯରେ ସେ ଚୋର ମଧ୍ଯ ଆଖି ବୁଜିଦେଲା।

ମାତ୍ର ଟିପୁ........... ସେ ତଳେ ପଡି ରାମ ଆଡକୁ ଲୁହ ଛଳଛଳ ଆଖିରେ ଚାହିଁ ରହିଥିଲା। ତା ଦେହରେ ସୃଷ୍ଟ କ୍ଷତରୁ ରକ୍ତଧାର ବୋହି ଚାଲିଥିଲା ଓ ଶରୀର ନିସ୍ତେଜ ହୋଇ ଆସୁଥିଲା। ଭୀଷଣ କଷ୍ଟରେ ବିଚରା କେବଳ ଗଁ ଗଁ କରୁଥିଲା ଯାହା। କମଳା ପାଗଳଙ୍କ ପରି ବାହୁନି କାନ୍ଦି ଚାଲିଥିଲା। କେମିତି ସେ ଟିପୁକୁ ବଞ୍ଚାଇବ ଭାବି ପାରୁ ନଥିଲା। ପଣତକାନି ଚିରି ଟିପୁଦେହରୁ ରକ୍ତ ପୋଛିବାରେ ଲାଗିଥିଲା। କିନ୍ତୁ ସେ ରକ୍ତନଦୀରୁ ଅନବରତ ଝରି ଚାଲିଥିଲା ରକ୍ତ। କ୍ଷତ ମାନଙ୍କର ଭୀଷଣତା ଦେଖି କମଳା ଓ ରାମର ଦେହ ଶିତେଇ ଉଠିଲା। ଟିପୁ କୁ କୋଳକୁ ଟାଣିନେଇ କମଳା ଭୋ ଭୋ କରି କାନ୍ଦି ରାମକୁ ପଚାରି ଚାଲିଥିଲା

- - “ମୋ ପୁଅ କଣ ମୋତେ ଛାଡି ଯିବ, କଣ ଏଇଥି ପାଇଁ ତାକୁ ଘରକୁ ଆଣିଥିଲ? ”

ରାମ ନିରୁତ୍ତର ଥିଲା। ଯେଉଁ ନିଷ୍ଠୁର ସତ୍ଯ କୁ ସାମନା କରିବାକୁ ଯାଉଥିଲା ସେଥିପାଇଁ ସାହାସ କୁଳାଉଥିଲା ବୋଧେ। ଟିପୁ ପାଖରେ ବାକିଥିଲା ଅଳ୍ପ କେତୋଟି ନିଶ୍ବାସ। ସେତିକି ସରିଗଲେ ସବୁ କିଛି ଶେଷ ହୋଇଯିବ। ଖାଲି ହୋଇଯିବ ତା ଘର। କିଏ ତା ପଛେପଛେ ବିଲ କୁ ଯିବ, କିଏ ରାଜୁ ସହ ଖେଳିବ, କିଏ କମଳାର ପଣତ କାନି ପଛରେ ସଦା ବେଳେ ଲୁଚିବ, କିଏ ମଣିଷଙ୍କ ପରି ସବୁ କଥାରେ ମୁହଁର ଭାବ ଦେଖେଇବ.... ଏମିତି କେତେ ପ୍ରଶ୍ନର ଉତ୍ତର ଖୋଜିବାରେ ସେ ଅକ୍ଷମ ଥିଲା।

ଟିପୁ ଆଖିରୁ ବୋହି ଆସିଥିଲା ଦୁଇଧାର ଲୁହ। ସେ କମଳାକୁ ଚାହିଁ ରହିଥିଲା ଗୋଟିଏ ଲୟରେ। ସେ ଚାହାଁଣୀରେ ଭରି ରହିଥିଲା ଶବ୍ଦର ସମୂଦ୍ର ଯାହା କେବଳ କମଳା ହିଁ ବୁଝି ପାରୁଥିଲା। ଭୀଷଣ ମାନସିକ ଆଘାତରେ ଜର୍ଜରିତ କମଳା ମଧ୍ଯ ବାକଶକ୍ତିବିହୀନ ହୋଇ ଚାହିଁ ରହିଥିଲା ଟିପୁକୁ। କମଳା ମାତୃତ୍ବ ର ହୃଦୟବିଦାରକ ଚିତ୍କାର କୁ ବୋଧେ ଶୁଣି ପାରୁଥିଲା ଟିପୁ। ବହୁ କଷ୍ଟରେ ଟିପୁ କମଳା କୋଳରେ ମୁଣ୍ଡରଖି, ନେଲା ଏକ ଦୀର୍ଘନିଶ୍ବାସ ଓ ଧିର ସ୍ବରରେ କିଛି ଶବ୍ଦକଲା। ବାସ୍....ତାପରେ ସବୁ କିଛି ନୀରବ ହୋଇଗଲା। ରାମ ଓ କମଳାର ହୃଦୟ ଭିତରୁ ବଜ୍ରପାତ ପରି ସ୍ପନ୍ଦନ ସ୍ପଷ୍ଟ ଶୁଭୁଥିଲା,କିନ୍ତୁ ଟିପୁର ଛାତି ଭିତରେ ବିରାଜମାନ କରୁଥିଲା ଶ୍ନଶାନର ନୀରବତା।

ଘର ବାହାରେ ଲୋକମାନଙ୍କର ଗହଳି ଜମି ସାରିଥିଲା। ପୋଲିସ୍ ମଧ୍ଯ ଆସି ପହଞ୍ଚି ସାରିଥିଲା। ଲୋକମାନେ କୁହାକୁହି ହେଉଥିଲେ ସେହି ଡକାୟତ ମାନଙ୍କ ବିଷୟରେ ଯେଉଁମାନେ ସେଦିନ ରାତିରେ ତିନି ଟି ଯାଗାରେ ଘରମାଲିକ ମାନଙ୍କୁ ହାଣି ଡକାୟତି କରିଥିଲେ। ଡକାୟତଙ୍କୁ ମାରି ରାମ ପରିବାରକୁ ବଞ୍ଚାଇବାରେ ଟିପୁର ଭୂମିକା ବିକ୍ଷୟରେ ସମାନେ ଆଲୋଚନା କରି ଚାଲିଥିଲେ।

କିନ୍ତୁ ଘର ଭିତରେ......

କମଳା ଟିପୁର ମୃତ ଶରୀର ଟାକୁ କୋଳରେ ଧରି ବାହୁନି ବାହୁନି କାନ୍ଦି ଚାଲିଥିଲା। ରାମ ଟିପୁର ମୁଣ୍ଡ କୁ ଆଉଁସି କହିଚାଲିଥିଲା - - ଏମିତି ଆମକୁ ଛାଡି ଯାଆନି ରେ ପୁଅ, ଥରେ ଆଖି ଖୋଲି ଦେଖ୍, ସକାଳ ହେଲାଣି ପରା, ଆଜି ମୋ ସାଙ୍ଗରେ ବିଲକୁ ଯିବୁନି?




ରାଜୁ କିଛି ବୁଝି ନ ପାରି ପଚାରି ଚାଲିଥିଲା– - କଣ ହୋଇଛି ଟିପୁର। ସେ ଶୁଣୁନି କଣ ପାଇଁ, ଉଠୁନି କଣ ପାଇଁ? ତା ଦେହରେ ଏତେ ଖଣ୍ଡିଆ କିଏ କଲା?

ରାମ ଟିପୁର ବେକରେ ଝୁଲୁଥିବା ଲକେଟ୍ ରୁ ରକ୍ତର ଛିଟା ଲିଭାଇ ଆଉଥରେ ମନ ଭରି "ଟିପୁ" ନାଁଆ ଟା ଦେଖିନେଲା।

ମୋ ଟିପୁରେ....... ବୋଲି ବିକଳ ଚିତ୍କାର କରି ଚେତା ବୁଡିଗଲା।




*****************ସମାପ୍ତ*******************

Thursday, August 10, 2017

ବନ୍ଧନ

ବନ୍ଧନ ଲେ : ଅରବିନ୍ଦ ରଥ –- ହରି ନନା ପୁଅ ବହୁତ ବଡ ପରୀକ୍ଷାରେ ପାସ୍ କରିଛି। ତା ପାଇଁ ଏବେ ସିଧା କଲେକ୍ଟର ଚାକିରିଟା ଥୁଆ। ନାଥୁ ପାନ ଦୋକାନରେ ପାନ ଚୋବାଇବାରେ ବ୍ଯସ୍ତ ଦୁଇଜଣ ଲୋକଙ୍କର କଥାବାର୍ତ୍ତା ମହାଜନ କାନରେ ପଡିଲା। ଘଟଣା କଣ ଜାଣିବା ପାଇଁ ଲୋକଙ୍କୁ ପଚାରିବାରେ ଜାଣିଲା ଯେ ସେଇ ଗାଁଆରେ ପାନ ଦୋକାନ କରି ପେଟ ପୋଷୁଥିବା ହରିର ପୁଅ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି। ସେ ହରିକୁ ଦେଖିଛି; ନିହାତି ଗରୀବ ଓ ନିରିହ ଲୋକଟେ। ତା ସ୍ତ୍ରୀ ଅନେକ ଦିନରୁ ଆରପାରିକୁ ଗଲାଣି। ବହୁତ କଷ୍ଟ କରି ପୁଅ କୁ ପାଠ ପଢେଇ ମଣିଷ କରିଛି। ଯାହା ହେଉ ତା ପିଲା ଟା କୁଳରେ ଲାଗିଗଲା। ଘରକୁ ଯାଇ ଖବରଟା ଦେଲା ବେଳକୁ ରୀତା ଦଉଡି ଆସି କହିଲା -- – - କଣ ହେଲା! ! ଗଗନ ଆଇଏଏସ୍ ପାଇଗଲା। ସେ ପରା ଆମ କଲେଜ୍ ପିଲା, ଭଲ ପାଠ ପଢୁଥିଲା। କିନ୍ତୁ ସେ ମଫସଲିଆ ଚୁଡା ମାର୍କା ପିଲା ପୁଣି କଲେକ୍ଟର ହେବ??? ରୀତାଆଖିରେ ତାଚ୍ଛଲ୍ଯଭରା ଭଙ୍ଗୀ ବେଶ ବାରି ହୋଇ ପଡୁଥିଲା। – ସେମିତି କହନି ରୀତା। ତୁ ଆଜି ଯାହାକୁ ମଫସଲିଆ କହୁଛୁ, ସେ କାଲି ସକାଳେ ଗୋଟେ ଜିଲ୍ଲାକୁ ଶାସନ କରିବ। କ୍ଷମତା, ପ୍ରତିପତ୍ତି ଓ ପ୍ରତିଷ୍ଠା ତା ପାଦ ତଳେ ଆସି ଲୋଟିବ। ଖାଲି ଭାବି ଦେଖ୍ , ଏମିତି ଗୋଟେ ନିପଟ ମଫସଲ ଗାଁଆର ପିଲା ନିଜ ପରିଶ୍ରମ ବଳରେ କଣ କରି ଦେଖେଇଦେଲା। କହିଲେ ମହାଜନ। ମହାଜନଙ୍କ ଅସଲ ଉଦ୍ଦେଶ୍ଯଟା ଥିଲା ପୁରା ଅଲଗା। ରୀତା ପରି ଉଦ୍ଧତ, କମ ପାଠୋଇ ଓ ଶାଳୀନତା ବିହୀନ ବିବାହଯୋଗ୍ଯା ଝିଅ ପାଇଁ ବର ଖୋଜିବା ତାଙ୍କ ପାଇଁ କାଠିକର ପାଠ ଥିଲା। ସେ ମନେମନେ ଭାବୁଥିଲେ ଗଗନ ଚାକିରି ଟା କରିବା ଆଗରୁ କୌଣସି ମତେ ତାଙ୍କ ଝିଅ କୁ ତା ସହ ବାହାଘର କରେଇଦେଲେ ସାରା ଜୀବନ ପାଇଁ ନିଶ୍ଚିନ୍ତ ହୋଇ ରହିବେ। – --ଆଛା ରୀତା, ତୁ ଗଗନ ସହ କେବେ କଥା ହୋଇଛୁ କି ନାହିଁ? --- ଛିଃ...... ମୁଁ କାହିଁକି ସେ ଫଟିଚର ସହ କଥା ହେବି ମ। ତାକୁ ଥରେ ଦେଖିଲେ ତୁମେ ନିଜେ ଜାଣିବ ସେ କେତେ ଗାଉଁଲିଆ। ତା ପାଖରେ ଜମା ଦୁଇ ଖଣ୍ଡ ପ୍ଯାଣ୍ଟ ସାର୍ଟ। ସେଇଆକୁ ପାଳି କରି ପିନ୍ଧି କଲେଜ କୁ ଆସେ। ନା କାହା ସହ ମିଶେ, ନା ବୁଲାବୁଲି କରେ। ଯେତେବେଳେ ଦେଖିବ ଖାଲି ପାଠ ଆଉ ପାଠ। ବୁଝିଲ ବାପା, ସେ ତୁମ ଜମାନା ର ପୁରୁଣା ସିନେମା ହିରୋ। ହାଃ ହାଃ ହାଃ ମହାଜନ ଜାଣିଶୁଣି ଚୁପ୍ ରହିଲେ। ଏବେ ନିଜ ମନ କଥାଟା ରୀତାକୁ କହିଦେଲେ ଖେଳଟା ବିଗିଡି ଯାଇପାରେ। ମାଧପୁର ଗାଁଆର ମହାଜନ ବିକ୍ରମ ସାମନ୍ତରାୟ , ଅଚଳାଚଳ ସମ୍ପତ୍ତିର ଅଧିକାରୀ- - ପରିବାର କହିଲେ ସ୍ବାମୀ,ସ୍ତ୍ରୀ ଓ ଏକ ମାତ୍ର ଝିଅ ରୀତା। ରୀତା ପିଲାଟି ଦିନୁ ଅଭାବ କଣ ଜାଣିନି। ଯେତେବେଳେ ଯାହା ଦରକାର ସବୁ ଆସି ଗୋଡ ପାଖରେ ହାଜର। ପିଲା ଟି ଦିନରୁ ଅତି ଗେହ୍ଲାରେ ବଢି ଓୌଦ୍ଧତ୍ଯ ଗୁଣ ବି ବଢିଯାଇଛି ବହୁତ୍ ଅଧିକ। ମହାଜନର ଝିଅ, ବୋଲି କହି ବୁଲି ବଡଲୋକି ଦେଖାଇହେବା ଟା ପିଲାଟି ଦିନରୁ ଅଭ୍ଯାସଗତ। ସମସ୍ତେ ତା ବିଷୟରେ ଜାଣନ୍ତି, ତେଣୁ ତା ସହ କଥା ହେଲା ବେଳେ ହାତେ ମାପି ଚାଖଣ୍ଡେ ଚାଲିବା ନ୍ଯାୟରେ ଚାଲନ୍ତି। ପାଠର “ପ” ଅକ୍ଷର ଜାଣି ନଥାଏ ସେ। କିନ୍ତୁ ବାପ ପଇସା ବଳରେ ଯେନତେନ ପ୍ରକାରେଣ କଲେଜ୍ ମାଟି ମାଡିବାରେ ସକ୍ଷମ ହୋଇଥିଲା। ସେଇ ଗାଁଆର ହରି ସାହୁ, ଆର୍ଥିକ ସ୍ଥିତି ବହୁତ୍ ଖରାପ ଓ ତା ଦେହରେ ହଜାର ରୋଗ। ସେ ସାନ ଦୋକାନ ଖଣ୍ଡେକରି ପରିବାର ଚଳାଏ। ସେଇ ରୋଜଗାରରେ ପାଠ ପଢେ ଏକ ମାତ୍ର ପୁଅ ଗଗନ। ଘର ବୋଲି କହିଲେ ଗାଏମୋଟ ଦୁଇ ବଖରା। ଚାଳ ପଡିଥିବା ଘରଟି ଖରାବର୍ଷାରୁ ଯେନତେନ ପ୍ରକାରେଣ ବଞ୍ଚାଇ ଦିଏ ବାପ ପୁଅଙ୍କୁ। ବାପ ଦୋକାନରୁ ଆସି ଭାତ ଶାଗ ଟିକେ ରୋଷେଇ କରିଦିଏ। ପାଟି ସୁଆଦ ଖାଇବାକୁ ପାଖରେ ପଇସା ନାହିଁ। ସେଇ ଖାଇବାକୁ ଅମୃତ ମଣୋହୀ ପରି ଉଦରସ୍ଥ କରନ୍ତି ଦୁହେଁ ପରମ ତୃ ପ୍ତିରେ। ଗଗନର କେବଳ କାମ ହେଲା କଲେଜ ଯିବା ଓ ପାଠ ପଢିବା । ବାପ ବରାବର ତାଗିଦ୍ କରେ --- ଭଲ ପାଠ ପଢି ଚାକିରିଟେ କଲେ ମୋ ଦୁଃଖଯିବ। ତୋ ମାଆ ତ ଅନାଥ କରି ଚାଲିଗଲା। ମୋ ଦେଇ ଯେତିକି ହେବ ଜୀବ ଥିବା ଯାଏ କରିବି। ତା ପରେ ତୋ କଥା ତୁ ବୁଝିବୁ। ମୋ ପାଖରେ ନା ଜମି ବାଡି ଅଛି ନା ଧନରତ୍ନ। ତୋତେ ଏ ଭଙ୍ଗାଘର ଛଡା ଆଉ କିଛି ଦେଇପାରିବିନି ରେ ପୁଅ। ତୋ ମାଆ ଚାଲିଗଲା ବୋଲି ମୁଁ କୁଆଡେ ଯାଇନି ତୋତେ ଛାଡି। ସଦା ବେଳେ ତୋ ପାଖରେ ଛାଇ ପରି ରହିଛି। ପଇସା କମେଇବା ପାଇଁ ବହୁତ ସୁଯୋଗ ଆସିଛି। ଖାଲି ତୋତେ ଛାଡି ଯିବିନି ବୋଲି ଏଇ ଗାଁଆ ରେ ପଡି ରହିଛି। ତଥାପି ମନରେ ମୋର ଦୁଃଖ ନାହିଁ। ମୋ ଯୁଆନ୍ ପୁଅଟା ମଣିଷ ହୋଇଗଲେ, ମଲା ପରେ ତୋ ମାଆକୁ ଗର୍ବର ସହିତ ମୁହଁ ଦେଖେଇ ପାରିବି। କହୁକହୁ ଆଖିରୁ କେଇ ଟୋପା ଲୁହ ଝରି ପଡେ। ଗଗନ ଚୁପ ହୋଇ ସବୁ ଶୁଣୁଥାଏ। ତା ବାପର ସ୍ନେହ ଓ ଭଲପାଇବା ଦେଖି ନିଜକୁ ବଡ ଭାଗ୍ଯବାନ ମନେକରେ। ଯାହା ପାଖେ ଏମିତି ବାପ ଥିବ, ତା ପାଇଁ ସଂସାର ରେ ଅସମ୍ଭବ ବୋଲି କିଛି ନାହିଁ ବୋଲି ମନେମନେ ଭାବେ। ମହାଜନେ କୌଣସି ମତେ ନିଜ ଅସଲ ଉଦ୍ଦେଶ୍ୟଟା ରୀତାକୁ ଜଣେଇଲେ। ତାକୁ ବୁଝେଇଲେ – --ଶୁଣ୍ ଝିଅ, ଗଗନ ଦେଖିବାକୁ କେମିତି, ତା ରୂପଭେକ, ଘର ପରିବାର କଥା ସବୁ ଭୁଲି ଯାଆ। କେବଳ ଗୋଟେ ଜିନିଷ ମନେ ରଖ ସେ ଭବିଷ୍ଯତର କଲେକ୍ଟର ହେବ। ଯଦି ତୋତେ ତା ସହ ବାହା କରେଇ ଦେବାରେ ମୁଁ ସଫଳ ହେବି ଜାଣିବୁ ଆମେ ସବୁ ଉଦ୍ଧାର ପାଇଯିବା। ତୁ ନିଜକୁ ଗଗନର ସ୍ତ୍ରୀ କହି ଗର୍ବ କରିବା ଦରକାର ନାହିଁ, ବରଂ ଗର୍ବ କରିବୁ କଲେକ୍ଟରଙ୍କ ସ୍ତ୍ରୀ କହି। । ସେଦିନ ସକାଳେ ରୀତା ଆସି ପହଞ୍ଚିଲା ଗଗନ ଘରେ। ହାତରେ ଖବର କାଗଜ ଓ ବଡ ମିଠା ପୁଡିଆ। ଗଗନ ବାପର ଗୋଡ ତଳେ ପଡି ପ୍ରଣାମ କରି କହିଲା – – ଆଜ୍ଞା, ମୁଁ ମହାଜନଙ୍କ ଝିଅ ରୀତା। ଗଗନଙ୍କ ସହ କଲେଜ୍ ରେ ପଢୁଥିଲି। ଆଜି ହିଁ ଜାଣିଲି ଗଗନ ଭାରତୀୟ ପ୍ରଶାସନିକ ସେବାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଆଉ ରହି ହେଲାନି। ସେଇଥିପାଇଁ ଚାଲି ଆସିଲି ଗଗନଙ୍କୁ ଦେଖା କରିବାକୁ। କିଛି ନ ବୁଝି ପାରି ହରି ଡାକ ପକାଇଲେ ଗଗନକୁ। ସେ ଆସିଲା ମାତ୍ରେ ରୀତା ଏକ ରକମ କୁଣ୍ଢେଇ ପକାଇ କହିଲା ---- ଓଃ ଗଗନ, ତୁମେ ଜାଣି ପାରିବନି ମୁଁ କେତେ ଖୁସି ଆଜି। ତୁମ ପାଇଁ ଆଜି ସାରା ଗାଁଆ ଗର୍ବିତ। ଗଗନ ଟିକେ ସଙ୍କୁଚିତ ହୋଇଗଲା। ସେ ବିଶ୍ବାସ କରି ପାରିଲାନି ଯେ ଯେଉଁ ରୀତା ତା ସହ କଲେଜ୍ ରେ ଦିନେ କଥା ବି ହେଇନି, ସେ ତା ଘରକୁ ଆସି ଏମିତି ରୂପରେ ବଧାଇ ଦେବ ବୋଲି। କିଛି ସମୟ କଥା ହୋଇ ରୀତା ଚାଲିଗଲା। ଗଲା ବେଳେ କହିଲା ପୁୁଣି କାଲି ଆସିବ ବୋଲି। କିନ୍ତୁ କାହିଁକି ରୀତା ଆସିବ, ସେ କଥା ବୁଝି ପାରିଲାନି। ମହାଜନଙ୍କର ପ୍ରଥମ ତୀରଟା ଠିକଣା ଜାଗାରେ ବାଜିଥିଲା। ହରି ହସିହସି ଛିଗୁଲାଇ ପଚାରିଲେ ପୁଅ କୁ ପଚାରିଲେ – – କିରେ, ଏ ମହାଜନ ଝିଅ କଣ ପାଇଁ ଆସିଥିଲା। ତୋ ସାଙ୍ଗ ନାଁ କଣ? । ଗଗନ କିଛି ନକହି ଚୁପ୍ ରହିଲା। ବେଳକାଳ ଉଣ୍ଡି ମହାଜନ ନିଜେ ହାଜର ହେଲେ ଗଗନ ଘରେ। ---- ଆସନ୍ତୁ ମହାଜନ ଆଜ୍ଞା, ଆଜି କେମିତି ଏ ଗରୀବ ଲୋକର ଘରେ ପାଦ ଦେଲେ। ସଙ୍କୁଚିତ ହୋଇ ପ୍ରଶ୍ନ କଲେ ହରି। – – ଆରେ ସେମିତି କହି ମୋତେ ଲଜ୍ଜିତ କରନ୍ତୁନି ହରିବାବୁ। ମୁଁ ମୋ ଝିଅର ବିଭାଘର ପାଇଁ ଆପଣଙ୍କ ପୁଅ ସହ ପ୍ରସ୍ତାବ ପକେଇବାକୁ ଆସିଛି। ଯଦି ଆପଣ ହଁ କରନ୍ତେ ମୋ ଝିଅ କୁ ହସିହସି ବିଦା କରନ୍ତି ଆପଣଙ୍କ ଘରକୁ। – ଆରେ, ଏତେ ବଡ ଖୁସିର କଥା ମହାଜନେ। ମୋ ଭାଗ୍ଯ, ଆପଣଙ୍କ ଘରୁ ମୁଁ ପ୍ରସ୍ତାବ ପାଇଲି। ମାତ୍ର ମୋ ପରି ଗୋଟେ ଗରୀବ ଲୋକ ଘରେ ଆପଣ କଣ ସତରେ ବନ୍ଧୁ ବାନ୍ଧିବେ, ନା ମଜା କରୁଛନ୍ତି। ---- ସେମିତି କୁହନ୍ତୁନି ଆଜ୍ଞା। ଆପଣ କଣ ଭୁଲି ଗଲେ କି, ଆପଣ ପରା ଆମ ହାକିମ ଗଗନ ବାବୁଙ୍କ ବାପା। ଘର ସାନ ହେଲେ କଣ ହେବ, ଆମ ଗଗନବାବୁ ପରା କେତେ ବଡଲୋକ। କାଲି ସକାଳେ ସେ କଲେକ୍ଟର ହୋଇ ଶାସନ କରିବେ। ଚାକର, ବାକର ତାଙ୍କ ଆଗରେ ପୋକ ମାଛି ପରି ହାଉଯାଉ ହେବେ। ତାଙ୍କ କଲମ ରେ କେତେ ଗାଁଆ ସହରର ଭାଗ୍ଯ ନିର୍ଦ୍ଧାରଣ ହେବ। ଠିକ ସମୟରେ ଠିକଣା ତୀର ମାରି ଚୁପ ହୋଇଗଲେ ମହାଜନେ। --- ସବୁ କଥା ଠିକ ଯେ......ଆପଣଙ୍କ ଝିଅ କଣ ଏଠି ଚଳି ପାରିବ ? ମୋ ଘର ଅବସ୍ଥା ତ ଦେଖୁଛନ୍ତି। ଏତେ ଅଲିଅଳିରେ ବଢିଥିବା ରାଜକୁମାରୀ ପରି ଝିଅ କଣ ମୋ ଘରେ ଗୋଟେ ରାତି ବି ରହି ପାରିବ? ମହାଜନେ କହିଲେ ଆପଣ ଜମା ବ୍ଯସ୍ତ ହୁଅନ୍ତୁନି। ମୁଁ ଦୁଇ ମାସ ଭିତରେ ଏ ଜାଗାରେ ନୂଆ ଘର ଠିଆ କରିଦେବି। ସବୁ ବ୍ଯବସ୍ଥା ମଧ୍ଯ ଖଞ୍ଜି ଦେବି। ଯେତେ ବେଳେ ଆସିବେ ସେମାନେ ଏଇ ଘରେ ରହିବେ। ନୋହିଲେ ଚାକିରି ଜାଗାରେ ତ ସଦା ବେଳେ ଦୁଇ ଜଣ ରହିବେ। ନାଁ କହିବାର ଜୁ ନ ଥିଲା ହରି ଙ୍କର। ମହାଜନର ସବୁ କଥା ତାଙ୍କୁ ଠିକ ଲାଗୁଥିଲା। ତେଣୁ ସେ ମୁଣ୍ଡ ଟୁଙ୍ଗାରି ହଁ ଭରିଲେ। ଗଗନ ଆଡେ ଦେଖିବାରୁ ସେ କିଛି ନ କହି କେବଳ ହସିଲା। ହରି ଜାଣିଗଲେ ପୁଅର ମନ କଥା। ବାହାଘର ତାରିଖ ଠିକ ହେବା ପରେ, ଦିନେ ସକାଳେ ମୂଲିଆ ମିସ୍ତ୍ରୀ ଧରି ଖୋଦ୍ ମହାଜନେ ଆସି ପହଞ୍ଚିଗଲେ। କହିଲେ ଘର କାମ ଆଜିଠୁ ଆରମ୍ଭ। ଯେତେବେଳେ ସେମାନେ ସବୁ ମିଶି ସେ ଚାଳ ଘରଟିକୁ ନିହାତି ନିର୍ମମ ଭାବରେ ଭାଙ୍ଗି ଦେଉଥିଲେ ହରି ଠିଆ ହୋଇ ଲୁହ ଝରାଉଥିଲେ। କେତେ କାହାଣୀ, କେତେ ସ୍ମୃ ତି ଏଇ ଚାଳ ଘରେ ବସା ବାନ୍ଧିଥିଲା। ଗଗନ ର ପିଲାଦିନ, ତାଙ୍କ ସ୍ବର୍ଗବାସୀ ସ୍ତ୍ରୀ ସହ ବିତେଇଥିବା ସେ ଅଭୁଲା ମୂହୂର୍ତ୍ତ ସବୁ ମାଟିରେ ମିଶିଯିବା ପରି ଲାଗୁଥିଲା। ଦୀର୍ଘନିଶ୍ବାସ ପକାଇ ସେ କେବଳ ଦେଖି ଚାଲିଥିଲେ, ମତାମତ ଦେବାର ଅଧିକାର ବୋଧେ ସେ ହରାଇ ସାରିଥିଲେ ସେତେବେଳେ। ତା ପରଦିନ ରୀତା ଜିନ୍ସ ପ୍ଯାଣ୍ଟ୍ ଓ ଟି ସାର୍ଟ ପିନ୍ଧି ସେ ଜାଗା ରେ ହାଜର ହୋଇଗଲା। ହରିଙ୍କୁ ବେଖାତିରିଆ ପ୍ରଣାମ ଟେ ପକେଇ, ଘରଟା କେମିତି ରୂପ ରେ ହେବ ସେ ବିଷୟ ମୂଲିଆ ମିସ୍ତ୍ରୀଙ୍କୁ ବୁଝେଇବାକୁ ଲାଗିଲା। ସେ ଠିଆ ହୋଇଥିଲା ବେଳେ ଘନଘନ ଫୋନ ଆସୁଥିଲା ତା ପାଖକୁ। କେତେ ବେଳେ ଚୁପିଚୁପି ତ, କେତେବେଳେ ଅଟ୍ଟହାସ୍ଯ କରି ହସି କଥା ହେବାରେ ବ୍ଯସ୍ତ ଥିଲା ସେ। ହରିଙ୍କ ମନରେ ଅଶ୍ବସ୍ତି ଭାବର ମାତ୍ରା ଯଥେଷ୍ଟ ବଢି ଯାଇଥିଲା। ସେ ଚମକି ପଡିଲେ ଯେତେ ବେଳେ ରୀତା ତାଙ୍କୁ କହିଲା--- --- ହେଇ ଶୁଣିଲ, ଟିକେ ପାଣି ଆଣିଲ ପିଇବି। ବହୁତ୍ ଖରା ଏ ଯାଗାରେ। କେମିତି ରହୁଥିଲ ବାପ ପୁଅ ଏମିତି ଯାଗାରେ। ମହାଜନେ ନାଲି ଆଖି ଦେଖେଇବାରୁ ରୀତା ଚୁପ୍ ରହିଗଲା, ନୋହିଲେ ଆହୁରି କଣକଣ କହି ଯାଇଥାନ୍ତା। -----ଖରାପ ଭାବିବେନି ଆଜ୍ଞା, ଆଜିକାଲି ର ପିଲା ତ.....କଥାବାର୍ତ୍ତାରେ ବାଗବାଇଶ ନାହିଁ। ପାମ୍ପଳେଇ ହୋଇ କହିଲେ ଜମିଦାର । କିଛି ନ କହି ମୁହଁ ପୋତି ଠିଆ ହେଲେ ବୃଦ୍ଧ ହରି। ରୀତାର ବ୍ଯବହାର ତାଙ୍କ ମନରେ ଦେଲା ଭୀଷଣ ଆଘାତ । ମନଟା ଖାଲି ଗୋଳେଇ ଘାଣ୍ଟି ହେଲା।ଗଗନ ପରି ନିରିହ ପିଲାକୁ ରୀତା ଠିକ୍ ରେ ରଖିବ କି ନାହିଁ, ତାହା ହିଁ ଥିଲା ବଡ ଚିନ୍ତା। ସେ ତ ତଳ ବରଡା, କେତେବେଳେ ଖସି ଯିବେ ଠିକ ନାହିଁ। କିନ୍ତୁ ଯେଉଁ ପୁଅକୁ ସେ ଆଜି ଯାଏ ଏତେ ଯତ୍ନରେ ପାଳି ଆସିଲେ, ଯଦି ତାର ମନରେ ରୀତା କଷ୍ଟ ଦିଏ , ସେ ଦେଖି ପାରିବେ ତ? ଏହି କଥା ମନକୁ ବାରମ୍ବାର ଆନ୍ଦୋଳିତ କରି ଚାଲିଥିଲା। ସବୁ ଆଶା ଆଶଙ୍କା କୁ ପଛରେ ପକେଇ ମହା ଧୁମଧାମରେ ବାହାଘର ସରିଲା । ଯାନି ଯଉତୁକରେ ପୋତି ହୋଇଗଲା ସେ ନୂଆ କରି ତିଆରି କରା ଯାଇଥିବା ଘର । ଘରଟିରେ ହରିଙ୍କ ପାଇଁ ଯାଗା ନାହିଁ ନ ଥିଲା। ଯେଉଁ ଦୁଇ ବଖରା ଚାଳ ଥିଲା, ସେତିକି ଛାତ ହେଲା। ଗୋଟିଏ ଘର ଗଗନର ଶୋଇବା ଘର ଓ ଅନ୍ଯଟି ବୈଠକଖାନା, ବାସ୍ ସେତିକି। ତେଣୁ ବୈଠକଖାନାର ଗୋଟିଏ କଣରେ ରହିବେ ବୋଲି ମନସ୍ଥ କଲ ହରି। ଦିନ କେତେଟା ଚଳାଇ ଦେଲେ ହେବ। ପୁଅ ବୋହୁ ତ ପୁଣି ନିଜ ଚାକିରି ଯାଗା କୁ ଯିବେ। ସେତେବେଳେ ସେ ଅତି ଆରାମ ରେ ପୁଅ ବଖରା ରେ ରହିବେ। ଭାବିଲେ ହରି। ବାହାଘରର ଦିନ ଦୁଇଟା ଯାଇଛି କି ନାହିଁ, ରୀତା ମୁହଁ ଫଣଫଣ କରି ଆସି ହରିଙ୍କୁ କହିଲା-- --- ଭଦ୍ରାମୀ ଜଣା ନାହିଁ ନାଁ କଣ। ଏ ବୈଠକଖାନା ରେ ମୋଜାଇକ ଲଗା ଯାଇ ସୁନ୍ଦର କରା ଯାଇଛି। ବଡବଡିଆ ଲୋକ ଆସିଲେ ବସିବେ ବୋଲି, ମୋ ବାପା ଦାମୀ ସୋଫା ଦେଇଛନ୍ତି। ତା ସାଙ୍ଗକୁ କେତେ ସୁନ୍ଦର ଜିନିଷ ଲଗା ଯାଇଛି। ଏଇ ଘରଟାରେ ଧଣ୍ଡ ସାପ ପରି ନ ଗଡି ଆଉ କୁଆଡେ ଶୋଇଲେ ହୁଅନ୍ତାନି। ଏମିତି ଦୁର୍ଗନ୍ଧ ହେଉଛି ଘରଟା ଯେ ଆସିବା ଲୋକ ନାକ ଟେକିବେ। --- ଆଲୋ ମାଆ, ଜମା ଦୁଇ ବଖରା ଘର। କୁଆଡେ ଆଉ ଯିବି???? ଚିହିଁକି ଉଠିଲା ରୀତା--- –--କଣ ହେଲା, ମୋ କଥା ଉପରେ ଜବାବ୍ ଦଉଛ। ଜାଣିଛ ମୁଁ କାହା ଝିଅ? ମୋ ବାପା କଣ ତୁମ ପରି ଭିକାରୀ ପାଇଁ ମହଲ ଟେ କରିଥାଆନ୍ତେ ନାଁ କଣ? ଭାତ ଶାଗ ଖାଇଖାଇ ଜୀବନ ଗଲା, ଆଉ ଇଏ ମୋତେ ଦେଖଉଛି ବଡ ଲୋକିଆ। ତଳେ ଲଥ୍ କରି ବସି ପଡିଲେ ହରି। କଣ ନ ଶୁଣିଲା ତାଙ୍କ କାନ ଆଜି। ନିଜ ଘରେ ସେ ଆଜି ଅଲୋଡା ହୋଇଗଲେ। ବାହାଘର ଦୁଇଦିନ ଯାଇନି ଏ ଅବସ୍ଥା, ଆଗକୁ କଣ ହେବ ଭାବି ତାଙ୍କ ମୁଣ୍ଡ ଗୋଳମାଳ ହୋଇଯାଉଥାଏ। ଏତିକି ବେଳେ ହସିହସି ଘରେ ପଶିଲା ଗଗନ । --- ବାପା, ମୋତେ କାଲି ଯିବାକୁ ହେବ। ଗାଁଆରୁ ଦୁଇଶହ କିଲୋମିଟର ଦୂର ସହରରେ ମୋ ପୋଷ୍ଟିଙ୍ଗ ହୋଇଛି। ବଡ ସହର, ସେ ଜାଗାରେ ସରକାରୀ କ୍ବାର୍ଟର ଅଛି। ଭାବୁଛି ଆଜି ରାତି ରେ ବାହାରି ଯିବି। ନାଁ କଣ କହୁଛ? ଥରଥର ଗଳାରେ କହିଲେ ହରି-- --ଆରେ ପୁଅ, ମୋତେ ପଚାରୁଛୁ କଣ, ମୁଁ କଣ ବା ଜାଣିଛି। ତୁ ଯେଉଁଠି ବି ଥାଆ ଖୁସିରେ ରହ। --- ଆରେ ତୁମେ ସେମିତି କହିଲେ ଚଳିବ? ତୁମେ ଯେଉଁ କାମ କରିବ ପ୍ରଥମେ ବାପାଙ୍କୁ ପଚାରି କରିବ। ସେ ପରା ଆମର ସାକ୍ଷାତ ଇଶ୍ବର। ମୁହଁରେ ଅଭିନୟର ପରଦା ଢାଙ୍କି କହିଲା ରୀତା। ହରି ବିଶ୍ବାସ କରି ପାରିଲେନି। ଏଇ କିଛିି ସମୟ ଆଗରୁ ମୁହଁ ଖିଙ୍କାରୀ ତାଙ୍କୁ ଅପମାନିତ କରିଥିବା ରୀତା, ଏତେ କୋମଳ କଣ୍ଠରେ କଥା ହେଉଛି କିପରି? ଧନ୍ଯ ଏ ଅଭିନୟ.... ---- ବାପା ତୁମେ ମୋ ବଖରା ରେ ରହିବ। ଟେଲିଭିଜନ ଅଛି, ମନ ହେଲେ ଦେଖିବ। ଲାଇନ କଟିଗଲେ ବି ବତୀ ଜଳିବ, ଇନଭର୍ଟର ଲଗାଇ ଦେଇଛି। ନିଜେ କୂଅରୁ ପାଣ ଜମା ବି କାଢିବନି। ପାଣି ପମ୍ପର ସୁଇଚ୍ ମାରିଦେଲେ ପାଣି ଉଠିବ। ମୁଁ ସେଠି ସବୁ ଠିକ୍ କରି ସାରିବା ପରେ ତୁମକୁ ମୋ ପାଖକୁ ନେଇଯିବି। ଆମେ ସମସ୍ତେ ମିଶି ମୋ ଚାକିରି ସ୍ଥାନରେ ରହିବା। ଏକ ନିଶ୍ବାସରେ କହିଚାଲିଥିଲା ଗଗନ। କବାଟ ଫାଙ୍କରେ ସବୁ ଶୁଣୁଥିଲା ରୀତା। ଜିନିଷ ପତ୍ର ଧରି ବାହାରିଲା ବେଳେ ହରିଙ୍କ ପାଦ ତଳେ ମୁଣ୍ଡିଆଟେ ମାରିଲା। ଗଗନ କାର୍ ରେ ବସି ସାରିଥିଲା ଓ ଡ୍ରାଇଭର ସହ କିଛି କଥା ହେବା ବେଳକୁ, ରୀତା ଘର ଭିତରକୁ ପଶିଯାଇ ହରିଙ୍କୁ ଡାକ ଛାଡିଲା। – - ବାପାଟିକେ ଭିତରକୁ ଆସିଲେ, ଗୋଟେ ଜିନିଷ ପାଉନି। ହରି ପହଞ୍ଚିଲା ବେଳକୁ ରୀତା ଗଗନ ଓ ବୈଠକଖାନାରେ ତାଲା ପକାଇ ସାରିଥିଲା। ତାଙ୍କୁ ଦେଖି କହିଲା ---- ଘରେ ଏତେ ଦାମୀ ଜିନିଷ ଅଛି ତ । କାଳେ ଚୋରି ହୋଇଯିବ, ସେଇ ଭୟରେ ତାଲା ପକାଇ ଦେଲେ। ତୁମେ ଦୋକାନ ରେ ଆରାମ ରେ ଚଳି ପାରିବ। ନିରୁତ୍ତର ରହି ମୁଣ୍ଡ ହଲାଇଲେ ହରି। ତାଙ୍କ ପ୍ରତିବାଦ ବା ମତାମତ ଶୁଣିବା କୁ ଅପେକ୍ଷା ନ କରି ରୀତା ବାହାରକୁ ଚାଲିଗଲା। ଗାଡି ଧୂଆଁ ଉଡେଇ ଚାଲିଗଲା। ମାତ୍ର ହରିଙ୍କ ହୃଦୟରେ କେବଳ ନିଆଁ ଛଡା ଆଉ କିଛି ନଥିଲା। ନିହାତି ଯତ୍ନରେ ପାଳି ଥିବା ଗୁଲୁଗୁଲିଆ ଛେଳିକୁ ବଳି ମୁହଁ କୁ ଠେଲି ଦେଲେ ଯେମିତି ଲାଗେ ଠିକ ସେପରି ଲାଗୁଥିଲା ତାଙ୍କୁ। ଗଗନ ର ଜୀବନକୁ ଚଞ୍ଚକତା କରି ପଶି ଆସିଥିବା ମହାନ ଖେଳୁଆଡ ରୀତାର ଆଗାମୀ ଖେଳ କଣ ହେବ, ସେ କଥା ସେ ଭାବୁଥିଲେ। ପଡିଶା ନାଥୁ ମାହାଳିକ ଆସି କହିଲା-- -- ହରି ଭାଇ ଯାହା ହେଉ, ଏବେ ତୁମ ଜୀବନ ରେ ଦୁଃଖ ବୋଲି ଆଉ କିଛି ନାହିଁ। ଭଗବାନ ତ ସବୁ ଖଞ୍ଜି ଦେଲେ। ଏମିତି ସୁନା ନାକି ବୋହୁଟିଏ ପାଇଲ। ପୁଅ ବି କିଲିଟର ହେଲା। ଏବେ ଖାଲି ନାତି, ନାତୁଣୀଙ୍କୁ ଧରି ଖେଳେଇବା କଥା ଚିନ୍ତାକର। ଦୀର୍ଘ ନିଶ୍ବାସଟେ ପକେଇ କହିଲେ ହରି-- --- ହଁ ରେ ନାଥୁ, ଯାହା କହିଲୁ। ସବୁ ସେଇ କାଳିଆର ଇଛା। ସହରକୁ ଆସିଲା ପରେ ରୀତାର ଚରିତ୍ରରେ ହେଲା ଅଦ୍ଭୁତ ପରିବର୍ତ୍ତନ। ଗଗନ ଜିଲ୍ଲାପାଳ ଭାବେ ଅଧିଷ୍ଠିତ ହେବା ପରେ, କ୍ଷମତା, ପ୍ରତିପତ୍ତି ଓ ପ୍ରତିଷ୍ଠାର ଖାପମାପ ନ ଥିଲା। କିନ୍ତୁ ଗଗନ ଅପେକ୍ଷା ବେଶୀ କ୍ଷମତା ଥିଲା ରୀତା ପାଖରେ। ଗାଁଆ କଲେଜରେ ପାଠ ପଢିଥିବା ରୀତା, ଅଫିସ୍ ର ନିହାତି ଗୁରୁତ୍ବପୂର୍ଣ୍ଣ କାମ ଗୁଡିକରେ ହସ୍ତକ୍ଷେପ କରିବାକୁ ଲାଗିଲା। ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ଯାଳୟକୁ ସେ ଚଳାଇଲା ବୋଲି କହିଲେ ଅତ୍ଯୁକ୍ତି ହେବ ନାହିଁ। ଖୁବ କମ ଦିନରେ ଘର ଭିତରଟା ଦାମୀ ଉପହାରରେ ପୂର୍ଣ୍ଣ ହେବାରେ ଲାଗିଲା। ସବୁ ଦିନ କିଏ ନା କିଏ , କିଛି ଉପହାର ଧରି ଆସୁଥିଲେଓ ସହାସ୍ଯ ବଦନରେ ସବୁ ଗ୍ରହଣ କରୁଥିଲା ରୀତା। ଗଗନ ପଚାରିଲେ ହସି କହୁଥିଲା –- ଆରେ ତୁମେ ଏ ଜିଲ୍ଲାର ଜିଲ୍ଲାପାଳ। ଏମିତି କେତେ ଲୋକ ଆସିବେ। କଥାରେ ଅଛି “ରାଜା ଘରକୁ ଖାଲି ହାତରେ ଯିବା କଥା ନୁହଁ ” ସେଇ ନ୍ଯାୟରେ ଲୋକମାନେ ଏମିତି ଉପହାର ନେଇ ଆସୁଛନ୍ତି। ବଡ ଲୋକ ମାନଙ୍କ ପାଖରେ ଏ ସବୁ ଜିନିଷ ନିହାତି ସାଧାରଣ। ସେ ପ୍ରଥମେ ଏ ସବୁ ବ୍ଯାପାର କିଛି ବୁଝି ପାରୁ ନ ଥିଲା। ରୀତା ପ୍ରତି ଥିବା ଅଗାଧ ବିଶ୍ବାସ ଓ ଭଲପାଇବା ହେତୁ ସେ କେବେ ରୀତାର ମନ୍ଦ ଉଦ୍ଦେଶ୍ଯ ବିଷୟରେ ଭାବି ପାରି ନ ଥିଲା। କାଳକ୍ରମେ ରୀତା ଗଗନ ଅଫିସ ର କର୍ମଚାରୀ ମାନଙ୍କ ଉପରେ ଜୁଲୁମ କରିବା ଆରମ୍ଭ କରିବାକୁ ଆରମ୍ଭ କଲା ଓ ନିହାତି ଅଭଦ୍ରୋଚିତ ବ୍ଯବହାରରେ ଅନେକ ପଦସ୍ଥ କର୍ମଚାରୀ ମାନଙ୍କୁ ଅପମାନିତ କଲା।ଏପରିକି ଫାଇଲ ଧରି ଆସୁଥିବା ଅଫିସର ମାନେ ମଧ୍ଯ ରୀତା ର ରୋଷର ଶିକାର ହେଉଥିଲେ ଅନେକ ସମୟରେ। ଦିନେ ଜିଲ୍ଲାପାଳ ଅଫିସ ରେ କାର୍ଯ୍ଯରତ ଜଣେ ବରିଷ୍ଠ ଅଫିସର କିଛି କାମରେ ଆବାସିକ କାର୍ଯ୍ଯାଳୟ କୁ ଆସିଥିଲେ। ସେଦିନ ଗଗନ ର ଦେହ ଟିକେ ଭଲ ନ ଥିଲା ବୋଲି ସେ ଗଡପଡ ହେଉଥିଲା। ତାହାର ସୁଯୋଗ ନେଇ ରୀତା ବସିଥିଲା ଅଫିସ ଚେୟାରରେ। ବରିଷ୍ଠ ଅଫିସର ଜଣକ ରୀତାକୁ ନମସ୍କାର କରିବା ପରେ କହିଲେ-- – ମାଡାମ୍ , ମୁଖ୍ଯମନ୍ତ୍ରୀଙ୍କ ଅଫିସରୁ ଫୋନ ଆସିଛି। କିଛି ଅତି ଜରୁରୀ ତଥ୍ଯ ଦେବାକୁ ହେବ । ସେଥିପାଇଁ ମୁଁ ନିଜେ ଦଉଡି ଆସିଲି। ଟିକେ ସାର ଙ୍କ ସହ କଥା ହେଇଯାଇଥିଲେ କାମଟି ସୁଚାରୁ ରୂପରେ ସରି ଯାଆନ୍ତା। – ରୀତା ମୁହଁ କୁ ମୋଡି କହିଲା, କି ଜରୁରୀ କଥା ମ। ମୋ ସହ ଆଲୋଚନା କରୁ ନାହାଁନ୍ତି। କଣ ମୋ ମୁଣ୍ଡରେ ବୁଦ୍ଧି ନାହିଁ ବୋଲି ଭାବୁଛନ୍ତି ନା କଣ? – ନାଇଁ ମାଡାମ୍ ସେମିତି କାହିଁ ଭାବୁଛନ୍ତି। କଥା ଟା ନିହାତି ଜରୁରୀ ଅଛି। ବେଶି ସମୟ ଗଡି ଗଲେ ଅସୁବିଧା ହେବ। ଚିହିଁକି ଉଠିଲା ରୀତା। – - ଆରେ ହେଃ....କିଛି ନକହିଲା ରୁ ମୁଣ୍ଡରେ ଚଢୁଛୁ ନାଁ କଣ। ତୁ ଭୁଲି ଗଲୁ କି ମୁଁ ଜିଲ୍ଲାପାଳ ଙ୍କ ସ୍ତ୍ରୀ ବୋଲି । କେମିତି କଥା ହେବାକଥା କଣ ଜାଣିପାରୁନୁ ନାଁ କଣ? ତୁ ମୋତେ ଦେଖେଇବୁ ଜରୁରୀ କଣ? ଯାଃ ପଳା ଏଠୁ। ସାର୍ ଙ୍କ ଦେହ ଖରାପ। ଦେଖା ହୋଇପାରିବ ନାହିଁ। ---କିନ୍ତୁ ମାଡାମ୍........ ଆବେ ମାଡାମ୍ କଣ? ଯାଉଛୁ ନା ନାହିଁ। ---ମାଡାମ୍ କ୍ଷମା କରିବେ। ମୁଁ ଆପଣଙ୍କ ଅଫିସ ର ପିଅନ ନୁହଁ। ମୁଁ ଜଣେ ବରିଷ୍ଠ ଓଏଏସ୍ ଅଫିସର। ଏମିତି ବ୍ଯବହାର କଣ ପାଇଁ କରୁଛନ୍ତି। ମୁଁ ବାରମ୍ବାର କହୁଛି ଯଦି କାମ ଟି ନ ହୋଇ ପାରିଲା ସାର୍ ନିଜେ ଅସୁବିଧାରେ ପଡିବେ। ଆବେ ଯାଃ …... ସେ କିଛି ଅସୁବିଧାରେ ପଡିବେନି। ତୋର କିଛି ଚିନ୍ତା କରିବାର ନାହିଁ। କହିଲା କଣ ନା ଓଏଏସ୍ ଅଫିସର। ଏତିକି କହି ରୀତା ଅଫିସ ଟେବୁଲରେ ଥିବା ପେପରଓ୍ବେଟ୍ ଟା ଫିଙ୍ଗି ଦେଲା। ସେ ଲୋକ ଜଣଙ୍କ କିଛି ନକହି ଚୁପ୍ ଚାପ୍ ସେ ଜାଗାରୁ ଚାଲିଗଲେ। କିନ୍ତୁ ସେ ଲୋକ ଜଣଙ୍କର ତାଚ୍ଛଲ୍ଯଭରା କଥା ରୀତା ଦେହରେ ତୀର ପରି ଗଳି ଯାଇଥିଲା। ସେ ପ୍ରତିଶୋଧ ନେବା ପାଇଁ ବିକଳ ହୋଇଉଠିଲା। ସକେଇ ସକେଇ ଯାଇ ଗଗନ ପାଖରେ ପହଞ୍ଚିଲା। --- ମୋତେ ନେଇ ମୋ ବାପ ଘରେ ଛାଡି ଦେଇ ଆସ। ମୁଁ ଆଉ ଏଠି ଜମା ରହିବିନି। --- କଥା କଣ ହେେଲା ରୀତା, ତୁମେ ଏତେ କାନ୍ଦୁଛ କଣ ପାଇଁ। କଣ ହୋଇଛି ମୋତେ କୁହ। କିଏ କଣ କହିଲା କି ତୁମକୁ। --- ଛାଡ ସେ କଥା। ମୁଁ ତ ଗାଁଆରୁ ଆସିଛି। ତୁମେ ସିନା ଜିଲ୍ଲାପାଳ। କିନ୍ତୁ ତୁମ ଅଫିସ ର କଣ ସବୁ ଲୋକ ମୋ ଉପରେ ହାକିମାତି ଦେଖେଇବେ। ମୋର କଣ ନିଜର କିଛି ମାନ ସମ୍ମାନ ନାହିଁ। ସେ ଲୋକ ଟା ତୁମ ଅଫିସରୁ ଆସି ମୋତେ କହିଲା ତୁମକୁ ଉଠାଇବା ପାଇଁ। ମୁଁ କହିଲି ଦେହ ଭଲ ଲାଗୁନି ବୋଲି ସାର ଟିକେ ଆରାମ କରୁଛନ୍ତି। ଆପଣ ଟିକେ ବସନ୍ତୁ। ମାତ୍ର ସେ ଲୋକଟା ଯାହା ଇଛା ତାହା ମୋତେ ଶୋଧି ଦେଇଗଲା। ମୋତେ ଗାଁଉଲି, ମୁର୍ଖ ଆହୁରି କେତେ କଣ କହିଗଲା। କଣ ଏଇ ସମ୍ମାନ ପାଇବାକୁ ତୁମ ହାତ ଧରି ଥିଲି। ଯଦି ଜିଲ୍ଲାପାଳଙ୍କ ସ୍ତ୍ରୀ ପାଇଁ ଏମିତି ବ୍ଯବହାର, ସାଧାରଣ ଲୋକଙ୍କ ପାଇଁ କଣ ଥିବ। ତୁମେ ତ ସବୁ ବିଚାର କରୁଛ, ଏବେ ନିଜେ ବିଚାର କର କଣ କରିବ ତୁମେ ନ୍ଯାୟ। ସବୁ କଥା ଶୁଣି ଗଗନର ମୁଣ୍ଡ ଗୋଳମାଳ ହୋଇଗଲା। ପ୍ରଥମ ଥର ପାଇଁ ତା ଭିତରର ପୌରୁଷତ୍ବଟା ସିଂହ ପରି ହୁଙ୍କାର ଛାଡିଲା। ସେ କହିଲା-- --- ତୁମେ ଜମା କାନ୍ଦନି ରୀତା। ତୁମକୁ ଯିଏ ଏମିତି ବ୍ଯବହାର ଦେଖେଇଛି ତାକୁ ମୁଁ ଜମା ଛାଡିବିନି। ତାକୁ ସସପେଣ୍ଡ କରିବି। ତା ନାଁଆରେ ଡିପାର୍ଟମେଣ୍ଟାଲ ପ୍ରୋସିଡିଙ୍ଗ ଆରମ୍ଭ କରିବି। ତୁମେ ଜମା ବି କାନ୍ଦନି। ମନେ ମନେ ହସିଲା ରୀତା। ତୀର ଟା ଠିକ ଜାଗାରେ ଲାଗିଲା। ଯାହା ହେଉ ଏବେ ଗଗନ ତାର ହାତମୁଠାରେ। ଯେମିତି ନଚେଇବ ସେମିତି ନାଚିବ ସେ। ରାଗ ତମତମ ହୋଇ ଗଗନ ଅଫିସ କୁ ବାହାରିଲା। ପିଅନ କୁ ଖାଲି ପଚାରିଲା କିଏ ଆସିଥିଲା ବୋଲି। ପିଅନ କହିଲା ତ୍ରିପାଠୀ ବାବୁ ଆସିଥିଲେ। ବାସ୍ ତ୍ରିପାଠୀ ବାବୁ ଉପରେ ଅଗ୍ନୀ ବର୍ଷଣ କରିବାକୁ ବାହାରିଗଲା ସେ। ରୁମ୍ ଭିତରେ ରୀତା ବସି ହସୁଥଲା ଗଗନର ବୋକାମୀ କୁ ଦେଖି। ଅଫିସରେ ପଶି ତ୍ରିପାଠୀ ବାବୁଙ୍କୁ ଡକେଇ ମନ ଇଚ୍ଛା ଶୋଧିଦେଇଗଲା। – ତୁମ ପରି ଲୋକ ଗୁଡାକୁ ଜେଲ ରେ ପୁରେଇ ଦେବା କଥା। ଏତେ ବୟସ ହେଲାଣି ବ୍ଯବହାର କେମିତି କରନ୍ତି ତୁମକୁ ଜଣା ନାହିଁ। ତୁମ ପରି ଲୋକ ଗୁଡାକ ପାଇଁ ଦେଶର ଏମିତି ଅବସ୍ଥା। --- ସାର୍ ମୋ କଥା ଟିକେ ଶୁଣନ୍ତୁ। ମୋତେ ଟିକେ କହିବାକୁ ଦିଅନ୍ତୁ ସାର୍। କଥା ଟା ବହୁତ୍ ଗମ୍ଭୀର। ଚୁପ୍ କର। ମୋ ସାମନା ରେ ଜବାବ ଦେଉଛ। ସାହାସ ତ କିଛି କମ ନୁହଁ। ମୁଁ ଆଜି ହିଁ ତୁମ ନାମରେ ପ୍ରୋସିଡିଙ୍ଗ କରିବି। ତୁମର ସାହାସ କେମିତି ହେଲା ମୋ ସ୍ତ୍ରୀ ସହ ଏମିତି କଥା ହେବା ପାଇଁ। ତୁମ ନିଜର ଓୌକାତ୍ କଣ ଭୁଲି ଯାଉଛ ନାଁ କଣ। --- ହଁ ହେଲା ସାର୍ । ମୋ ବିରୁଦ୍ଧରେ ଯାହା ଚାହୁଁଛନ୍ତି କରନ୍ତୁ ମୋର ପରବାୟ ନାହିଁ। ସେମିତି ରେ ବି ମୁଁ ଆଉ ତିନି ମାସ ପରେ ଅବସର ନେବି। ଖାଲି ଆପଣଙ୍କୁ ଏତିକି କହିବାର ଅଛି ଯେ ଆପଣଙ୍କର ବଦଳି ମାଲକାନଗିରି କୁ ହୋଇଯାଇଛି। ଆଜି ହିଁ ରିଲିଭ୍ ହେବେ, କାଲି ସକାଳୁ ଜଏନ୍ କରିବେ। ବାସ୍ ଏତିକି କହିବାର ଥିଲା। ଏବେ ଆପଣ ଯାହା ଚାହୁଁଛନ୍ତି କୁହନ୍ତୁ। ମୁଁ ଖାଲି ଶୁଣିବି। ଗୋଟେ ପଦ କଥା କହିବିନି। ---କଣ?? କିନ୍ତୁ କାହିଁକି? ଏମିତି ଅଚାନକ୍। ଆଶ୍ଚର୍ଯ୍ଯ ହୋଇପଚାରିଲା ଗଗନ। ମୋତେ କିଛି କହିବାକୁ ଦେଲେ ତ ମୁଁ କହିବି ସାର୍। ମୁଖ୍ଯମନ୍ତ୍ରୀଙ୍କ ଅଫିସରୁ ଫୋନ ଆସିଥିଲା କିଛି ଜରୁରୀ ବିଷୟରେ । ମୁଁ ସେଇ ବିଷୟରେ ଆଲୋଚନା କରିବାକୁ ଆପଣଙ୍କ ଘରକୁ ଯାଇଥିଲି। ସେଠି ମୋତେ ମ୍ଯାଡାମ୍ ଯାହା ଇଛା ତାହା କହି ତଡି ଦେଲେ। ଆପଣଙ୍କୁ ଫୋନ କରିବାକୁ କେତେ ଚେଷ୍ଟାକଲି। ମାତ୍ର ଫୋନ ସୁଇଚ୍ ଅଫ୍ ଥିଲା। ମୁଖ୍ଯମନ୍ତ୍ରୀଙ୍କ ଅଫିସକୁ ଠିକ ସମୟରେ ତଥ୍ଯ ଯୋଗାଇ ନଦେବାର ଦଣ୍ଡ ସ୍ବରୂପ ଆପଣଙ୍କୁ ରାତାରାତି ବଦଳି କରି ଦିଆଗଲା। କେବଳ ସେତିକି ନୁହଁ, ଆପଣ କାର୍ଯ୍ଯରେ କାହିଁକି ଅବହେଳା କଲେ ଓ କାହିଁକି ଆପଣଙ୍କ ଉପରେ ଆକ୍ସନ୍ ନ ନିଆଯିବ ସେ କୈଫୟତ ଆଜି ସଂନ୍ଧ୍ଯା ସୁଦ୍ଧା ଦେବାପାଇଁ କଡା ନିର୍ଦ୍ଦଶ ଆସିଛି। ହେଇ ଦେଖନ୍ତୁ ଚିଠି। ସାପ ମୁହଁରେ ଗଦ ଦେଲା ପରି ଚୁପ୍ ହୋଇଗଲା ଗଗନ। ତା ମୁହଁ ଭୁରୁଡି କୁଆଡେ ମିଳେଇ ଯାଇଥିଲା। କଣ ସବୁ ହୋଇଗଲା ସେ ଜାଣି ବି ପାରୁ ନଥିଲା। କେତେ ବଡ ଅସୁବିଧାରେ ପକେଇ ଦେଲା ରୀତା। କଣ କାହା ସ୍ତ୍ରୀ ଏମିତି ବି ହୋଇପାରେ। ଅଫିସରୁ ରିଲିଭ୍ ହେବାପରେ ନତମସ୍ତକ ହୋଇ ଗଗନ ଆସିଲା ବେଳେ ତ୍ରିପାଠୀ ବାବୁ ପାଖକୁ ଆସି କହିଲେ-- --- କ୍ଷମା କରିବେ ସାର୍। ମୁଁ ଜାଣେ ଯାହା ହେଲା ସେଥିରେ ଆପଣଙ୍କର ତିଳେ ମାତ୍ର ଭୁଲ ନାହିଁ। କିନ୍ତୁ ଦଣ୍ଡ ତ ଆପଣଙ୍କୁ ଭୋଗିବାକୁ ପଡିଲା। ଜଣେ ଗୁରୁଜନ ହିସାବ ରେ ମୋର ଅନୁରୋଧ ରକ୍ଷା କରିବେ। ଅଫିସ କାମ ରେ ଆପଣ ନିଜେ ମନ ଦିଅନ୍ତୁ। ସ୍ତ୍ରୀ ଅର୍ଦ୍ଧାଙ୍ଗିନୀ ହୋଇପାରେ, ମାତ୍ର ଅଫିସ କାମରେ ସ୍ତ୍ରୀ ର ଭୂମିକା କିଛି ନାହିଁ। ସେ ଦାୟିତ୍ବ କେବଳ ଆପଣଙ୍କର। ଯଦି ଆଜି ଆପଣ ନିଜେ ଏ ଦାୟୀତ୍ବ କୁ ନିଭାଇ ଥାଆନ୍ତେ ଏ ଦଶା ଭୋଗିବାକୁ ପଡି ନ ଥାନ୍ତା। ମୋର ମାଡାମଙ୍କ ସହ କିଛି ଶତୃତା ନାହିଁ। କିନ୍ତୁ ମ୍ଯାଡାମ ମୋ ନାମରେ ଯାହା ସବୁ କହିଗଲେ ସେଥି ପାଇଁ ମୁଁ ଭୀଷଣ ବ୍ଯଥିତ। ଆପଣ ଭଲ ଲୋକ। ମୋର ଆଶା ଆପଣ ନିଜକୁ ସମ୍ଭାଳି ନେବେ। ଯଦି କିଛି ଅଧିକା କହି ଦେଇଥାଏ ମୋତେ କ୍ଷମା ଦେବେ। କିଛି ନ କହି ଗଗନ ଅଫିସରୁ ଆସିଲା। ଘରେ ପଶିଲା ବେଳକୁ ରୀତା ଜିନ୍ସ ପ୍ଯାଣ୍ଟ ଓ ଟି ସାର୍ଟ ପିନ୍ଧି, ଫୁଲ ଭୋଲ୍ଯମ୍ ରେ ଗୀତ ଶୁଣିବାରେ ବ୍ଯସ୍ତ। ତାକୁ ଦେଖିଲେ ଲାଗୁଥିଲା ଯେ ସେ କୁଆଡେ ବୁଲି ଯିବାକୁ ବାହାରିଛି। ବୋଧେ ରୀତା ମନେ ମନେ ଭାବିଥିବ ତ୍ରିପାଠୀ ବାବୁ ଉପରେ କିଛି ଆକ୍ସନ ନିଆ ଯାଇଥିବ। ତେଣୁ ସେଇ ବିଜୟର ଖୁସି ମନେଇବାରେ ବ୍ଯସ୍ତ। --- ଆରେ ଏମିତି କଣ ମୁହଁ କୁ ହାଣ୍ଡି କରି ଅଫିସ ରୁ ଆସିଛ। ସେ ତ୍ରିପାଠୀ ର ଚାକିରୀ ଖାଇଲ ନା ନାହିଁ ? ବୁଢା ବେଶି ବଡଲୋକି ଦେଖେଇ ହେଉଥିଲା। ଭଲ କି ପାନେ ଦେଲ କି ନାହିଁ ମ ? ବଡ ଆଗ୍ରହ ସହକାରେ ଗୋଟେ ନିଶ୍ବାସରେ କହିଗଲା ରୀତା। ଗଗନ କିଛି ପ୍ରତିକ୍ରିୟା ନ ଦେଖେଇ ଗମ୍ଭୀର ସ୍ବରରେ କହିଲା – – ମୋର ବଦଳି ମାଲକାନଗିରି କୁ ହୋଇ ଯାଇଛି। କାଲି ସକାଳେ ଜଏନ କରିବାକୁ ହେବ। ମୋତେ ଆଜି ରାତିରେ ବାହାରିବାକୁ ପଡିବ। ଆରେ ତୁମର ବଦଳି କାଇଁ ହେଇଗଲା। ଏମିତି ଅଚାନକ୍। କିନ୍ତୁ ଗୋଟେ କଥା ଶୁଣି ରଖ, ମୋର ସେ ମାଲକାନଗିରି ଯିବାର ନାହିଁ। ମୁଁ ଏଇ ସହର ରେ ରହିବି। ତୁମ ଇଛା ଯୁଆଡେ ବଦଳି ହୋଇ ଯାଉଛ ଯାଆ। ସେ ବଦଳି କଥା ଛାଡ। ଆଗ କୁହ ତ୍ରିପାଠୀ ବୁଢା ର ଚାକିରି ଗଲା ନା ନାହିଁ। --- ମୋତେ ଆଶ୍ଚର୍ଯ୍ଯ ଲାଗୁଛି ରୀତା, ଏତେ ବଡ ଘଟଣାଟେ ଘଟିଗଲା କିନ୍ତୁ ତୁମର କିଛି ପରବାୟ ନାହିଁ। ଆରେ ମୁଁ କଣ କାହାର ଚାକିରି ଖାଇବି, ମୋ ନିଜ ଚାକିରି ରହିଲେ ସିନା? –-କଣ ତୁମ ଚାକିରି ଯିବାର ଅବସ୍ଥା ଆସିଗଲାଣି। ହେଇଟି ଗୋଟେ କଥା ମନେ ରଖ। ଯଦି ତୁମ ଚାକିରି ଯିବ ମୋତେ ଆଗ ମୋ ବାପ ଘରେ ନେଇ ଛାଡି ଦେବ। ତୁମ ଚାକିରି ଛଡା ଆଉ କିଛି ନାହିଁ ତୁମ ପାଖରେ। ସାରା ଗାଁ ଜାଣିଛି ତୁମ ଘରର ଅବସ୍ଥା କଣ। ଆଉ ଦିନେ ମୋ ସାଙ୍ଗେ ସେମିତି ଅଖାଡୁଆ କଥାବାର୍ତ୍ତା କରିବନି। ମୁଁ ହେଲି ମହାଜନ ଘର ଝିଅ। ତୁମ ପରି ଦରିଦ୍ର ଘରୁ ଆସିନି। ଗୋଟେ ଦିନ ଭିତରେ ସବୁ କିଛି ଓଲଟପାଲଟ ହୋଇ ଯାଉଥିଲା। କଣ ସବୁ ଘଟି ଯାଉଥିଲା ବୁଝି ପାରୁ ନ ଥିଲା ଗଗନ। ରୀତା ର ମୁଡ୍ ଦେଖି ତା ସହ କିଛି ଯୁକ୍ତି କରିବାକୁ ଠିକ୍ ମନେ କଲାନି। ଘରେ ପିଅନ, ଚପରାଶୀ ବି ଅଛନ୍ତି। କଣ ଭାବିବେ ସେମାନେ। କଣ ରହିବ ତାର ଇଜ୍ଜତ। ଏମିତି କେତେ କଣ ଭାବି ସେ ମୁକ ପାଲଟି ଯାଇଥିଲା। ସାଙ୍ଗେସାଙ୍ଗେ ମାଲକାନଗିରି ଅଭିମୁଖେ ବାହାରିବାକୁ ହେବ। ସେ କଣ ଖାଇବ, କଣ ନେବ ସେ ବିଷୟରେ ଚିନ୍ତା ନାହିଁ ରୀତା ର। ଯେମିତି ଗଗନ ର ଦୋଷ ପାଇଁ ବଦଳି ହୋଇଛି। ରୁମ୍ ଭିତରେ କବାଟ ଦେଇ ପଶିଲା ରୀତା। ରୁମ କୁ ଗଲା ବେଳକୁ କହିଲା କାଲି ମୁଁ ମୋ ବାପ ଘରକୁ ଯାଉଛି। ଯେବେ ତୁମେ ନେବାକୁ ଆସିବ ମୋ ମନ ହେଲେ ମୁଁ ଆସିପାରେ ନ ଆସି ବି ପାରେ। ସେ କଥା ସମୟ ଆସିଲେ ଦେଖାଯିବ। – ଗାଁଆ କୁ ଯଦି ଯିବ ଟିକେ ବାପା ଙ୍କୁ........... ଗଗନର କଥା ଶେଷ ହେବାକୁ ଦେଲାନି ରୀତା। ଚିତ୍କାର କରି କହିଲା , କଣ ହେଲା ତୁମ ବାପାଙ୍କ ପାଖକୁ ଯିବି। ମୋ ଯୁଗ ଯାଉ ନ ଥିଲା ଯେ ସେ ଭିକାରୀ ପାଖକୁ ଯିବି। ଆଉ ଅପମାନ ସହିବାର ଶକ୍ତି ନ ଥିଲା ଗଗନ ର। ଚୁପଚାପ୍ ବ୍ଯାଗ ଧରି ବାହାରି ଗଲା ମାଲକାନଗିରି। ସେଦିନ ରାତିର ଘଟଣା ଏକ ଗଭୀର କ୍ଷତ ସୃଷ୍ଟି କରିଥିଲା ରୀତା ଓ ଗଗନର ବୈବାହିକ ସମ୍ପର୍କ ଭିତରେ। ସବୁ ଦୋଷ ରୀତାର ବୋଲି ଜାଣି ମଧ୍ଯ ଗଗନ କିଛି କହି ନଥିଲା। କିନ୍ତୁ ଗଗନର କିଛି ଦୋଷ ନାହିଁ ବୋଲି ଜାଣିଲା ପରେ ବି ରୀତା ତାକୁ ଅପମାନିତ କରିବାର ସୁଯୋଗ ଛାଡି ନ ଥିଲା। ଶବ୍ଦ ସବୁ ବରଫ୍ ପରି ଜମାଟ ବାନ୍ଧି ଆସୁଥିଲା ଓ ଅବିଶ୍ବାସ ଓ ସନ୍ଦେହ ର କୁହୁଡି ଧିରେଧିରେ ସବୁ କିଛି ଝାପସା କରି ପକଉଥିଲା। ଠିକ୍ ଓ ଭୁଲ ମଧ୍ଯରେ ଥିବା ରେଖାଟା ବଡ ଅସ୍ପଷ୍ଟ ଦିଶୁଥିଲା। ଗଗନ ମନରେ ବ୍ଯାକୁଳତା ଥିଲା ରୀତା କୁ ଛାଡି କେମିତି ଏକୁଟିଆ ରହିବ, ମାତ୍ର ରୀତା ମନରେ ଥିଲା ଅସମ୍ଭବ ଦୁଃଖ । କାରଣ ଏ ସହରରେ ଥିବା ପ୍ରତିପତ୍ତି ଗୋଟେ ରାତି ରେ ମିଳେଇ ଯିବ। ରୀତା କୁ ଗଗନ ର ମୁହଁ ଦିଶୁ ନ ଥିଲା, ଦିଶୁଥିଲା କେବଳ ସେହି ପଦବୀ ଯାହାକୁ ଘୋଡେଇ ହେଲା ପରେ ହିଁ ଗଗନ ର ବ୍ଯକ୍ତିତ୍ବ ସମ୍ପୂର୍ଣ୍ଣ ହେଉଥିଲା। ଗୋଟିଏ ଝଟକାରେ ରୀତା ତା ବାପ ଘରେ ଓ ଗଗନ ମାଲକାନଗିରି ରେ। ଅଫିସରେ ଜଏନ କରି ସାରିବା ପରେ ଗଗନ ଆତ୍ମଚିନ୍ତନରେ ବୁଡି ରହିଲା। କଣ ତାର ଭୁଲ୍, କେଉଁ କାରଣରୁ ତାକୁ ଏ ଦଣ୍ଡ ଭୋଗିବାକୁ ହେଲା ସେ ବିଷୟ ଭାବିବାକୁ ଲାଗିଲା। ନାଁ ଏମିତି ଭାଙ୍ଗିଗଲେ ହେବନି। ତାକୁ ଦୃଢ ହେବାକୁ ହେବ। ନିଜକୁ କଠୋର କରିବାକୁ ହେବ। ନିଜର ଦକ୍ଷତା ଦେଖାଇବାକୁ ହେବ। ବାସ୍ ସେ ଲାଗିଗଲା ନିଜ କାମ ରେ। ମନ ପ୍ରାଣ ଦେଇ କାମ ରେ ଲାଗିଗଲା। ଅଧିକାଂଶ ସମୟ ଅଫିସରେ ବସି ଯେତେ ପୁରୁଣା ଓ ଅଡୁଆ କାମର ଜଞ୍ଜାଳ ତୁଟାଇବାରେ ଲାଗିଲା। ଜିଲ୍ଲାାପାଳ ହିସାବ ରେ ପ୍ରତି ଟି ଗାଁଆ କୁ ନିଜେ ଯାଇ ତଦାରଖ କଲା। ଲୋକ ମାନେ କେମିତି ସବୁ ସୁବିଧା ପାଇବେ ସେ ବିଷୟରେ ଯଥେଷ୍ଟ ଧ୍ଯାନ ଦେବାରେ ଲାଗିଲା। ଦିନରାତି ର ଅକ୍ଳାନ୍ତ ପରିଶ୍ରମ ଧିରେଧିରେ ଫଳ ଦେବାରେ ଲାଗିଲା । ନିଜ ଜିଲ୍ଲା ରେ ଅନେକ ଉନ୍ନତି ମୂଳକ କାର୍ଯ୍ଯ କରି ସେ ସମସ୍ତଙ୍କର ପ୍ରଶଂସାଭାଜନ ହେଲା। କିନ୍ତୁ ମନେମନେ ସେ ନିଜ ବାପା ଓ ରୀତାର ଅନୁପସ୍ଥିତି କୁ ପ୍ରତି କ୍ଷଣରେ ଅନୁଭବ କରୁଥିଲା। ବହୁତ୍ ଦିନ ପରେ ସେ ଛୁଟି ନେଇ ଗାଁଆକୁ ଗଲା। ରୀତା ତାକୁ ଦେଖି ଖୁସି ହେଲାନି, ବରଂ ପଚାରିଲା ବଡ ତାଛଲ୍ୟଭରା କଣ୍ଠରେ-- --- କଣ ମାଲକାନଗିରି ର ହାକିମ, ଚାକିରି ଅଛି ନାଁ ଗଲା। ଏମିତି ସ୍ବାଗତ ର ଆଶା କରି ନଥିଲା ଗଗନ। ତଥାପି ମନ କୁ ବ୍ଯବସ୍ଥିତ କରି ଧିର ଗଳାରେ କହିଲା – – ରାଗନି ରୀତା । ଚାଲ ଘରକୁ ଯିବା । ସେପଟେ ବାପା ଅପେକ୍ଷା କରି ଥିବେ ଯେ। – କଣ ହେଲା ଘରକୁ ଯିବି? କେଉଁ ମୁହଁରେ ଡାକୁଛ ମୋତେ। ତୁମକୁ ଲାଜ ଲାଗୁନି ଟିକେ। ମୋତେ ଏ ଗାଁଆରେ ପକେଇ ଦେଇ ସେଠି ଅୟସ କରୁଛ। ଆଉ ଏଇଲେ ସୁଆଗ ବହି ପଡୁଛି ନାଇଁ? ମୋର ସେ ଭିକାରୀ ଘରର ଦୁଆର ମାଡିବାର ନାହିଁ। ଗୋଟେ ଅଯୋଗ୍ଯ ଲୋକର ହାତ ଧରି ଜୀବନଟା ବରବାଦ ହେଇଗଲା। କଣ ଉତ୍ତର ଦେବ ସେ କଥା ଜାଣି ପାରୁ ନ ଥିଲା ଗଗନ। ମହାଜନ ଗଗନ ପାଖକୁ ଆସି ତା ହାତ ଧରି ନେଇଗଲେ। – ପୁଅ ରୀତା ର ମନ ଜମା ଭଲ ନାହିଁ। ତାକୁ ଯେତେ ବୁଝେଇଲେ ବି ସେ ବୁଝୁନି। ମୋତେ ଖାଲି କହୁଛି ଗୋଟେ ଅଯୋଗ୍ଯ ଲୋକ ହାତରେ ମୋତେ ଟେକି ଦେଲ। ତାର ତୁମ ଉପରେ ଭୀଷଣ ରାଗ। ତାକୁ ଯେତେ ଥର ତୁମ ପାଖକୁ ନେବାକୁ ଚେଷ୍ଟା କଲି ସେ ଜମା ରାଜି ହେଉନି। ତା ଦେହ ବି ଭଲ ନାହିଁ। କହି ଟିକେ ଛେପ ଢୋକିଲେ ମହାଜନ। --- କିନ୍ତୁ କଣ ହୋଇଛି ରୀତାର। ମୋତେ କିଛି ଖବର ଦେଲେନି ଯେ??? ବଡ ବ୍ଯକୁଳ ହୋଇ ପଚାରିଲା ଗଗନ। ଖେଁ ଖେଁ ହସି କହିଲେ ମହାଜନ-- --- ସେମିତି କିଛି ବିଶେଷ ବ୍ଯସ୍ତ ହେବାର ନାହିଁ ମ। କଥା ଟା କଣ କି ରୀତା ଏଇ ପାଞ୍ଚ ଦିନ ତଳେ ମେଡିକାଲରେ ଗର୍ଭପାତ କରେଇଛି ତ। ସେଇଥି ପାଇଁ........... ଗଗନ ମୁଣ୍ଡରେ ଯେମିତି ବଜ୍ର ଖସି ପଡିଲା। – କିନ୍ତୁ କାହିଁକି? କାହା ଅନୁମତି ରେ ଏତେ ବଡ ନିଷ୍ପତ୍ତି ନେଲା ସେ। କଣ ସେ ପିଲା ଉପରେ ମୋର କିଛି ବି ଅଧିକାର ନଥିଲା। କାନ୍ଦି ଉଠିଲା ସେ। ମୋତେ ନ ପଚାରି ମୋ ପିଲାଟାକୁ ମାରି ଦେଲା। ସେ ନାରୀ ନା ରାକ୍ଷାସୀ। ଆପଣ ସବୁ ଜାଣି ବି ଚୁପ୍ ରହିଲେ କେମିତି। ମହାଜନ ନିରୁତ୍ତର। ରୀତା ଘର ଭିତରୁ ଝଡ ବେଗରେ ମାଡି ଆସିଲା। --- କଣ କହିଲ, ମୁଁ ରାକ୍ଷାସୀ। କିଛି କମ ସାହାସ ନାହିଁ ତ ତୁମର। ମୋ ଘର ଆଗରେ ଠିଆ ହୋଇ ମୋ ବିଷୟରେ ଏମିତି କଥା କହୁଛ, ମୋ ବାପାଙ୍କୁ ଅପମାନ କରୁଛ। ଗୋଟେ ଭିକାରି ର ପୁଅ ତୁମେ, ବ୍ଯବହାର ଜାଣିବ କୁଆଡୁ। ଯା ବାହାର୍ ମୋ ଘରୁ। ତୋ ପରି ଲୋକ ସହ ମୋର ରହିବାର ନାହିଁ। ଆରେ ତୋ ସହ ରହିବିନି ବୋଲି ସେ ପିଲା କୁ ମାରିଦେଲି। ଜାଣିଲୁ ତ ଏବେ। ଯାଃ..... ଯାହା କରିବା କଥା କର। ବେଶି ବକ୍ ବକ୍ କଲେ ଯୌତୁକ ଠୁଙ୍କିଦେବି ଯେ ବାପ ପୁଅ ଭିତରକୁ ଯିବ। ଗଗନ କୁ ଏକ ପ୍ରକାର ମାରିବାକୁ ଉଦ୍ଯତ ହେଲା ରୀତା। ମହାଜନ ସବୁ ଦେଖି ବି ନିରୁତ୍ତର। ଯେମିତି ସେ ଏ ଦୃ ଶ୍ଯ କୁ ମନଭରି ଉପଭୋଗ କରୁଥିଲେ। ଆଉ କିଛିକହିବାର ବା ଶୁଣିବାର ନ ଥିଲା ଗଗନ ର। ଆଖିର ଲୁହ ଆଖିରେ ଧରି ସେ ଏକ ମୁହାଁ ହୋଇ ଦଉଡିଲା ନିଜ ଘରକୁ। ପହଞ୍ଚି ଦେଖିଲା ତା ବାପ ସେଇ ଦେକାନ ଭିତରେ ଜାକିଜୁକି ହୋଇ ଶୋଇଛନ୍ତି। ତାକୁ ଦେଖି ଖୁସିରେ କୁଣ୍ଢେଇ ପକେଇଲେ। – ଆରେ ବୋହୁ କାଇଁ। କିନ୍ତୁ ବାପା, ତୁମେ ଏ ଦୋକାନ ଘରେ କଣ ପାଇଁ ? ସେ ଦୁଇ ବଖରା ଘରେ କଣ ରହିବାକୁ ଭଲ ଲାଗିଲାନି କି? ଏତିକି କହି ସେ ଘର ଭିତରେ ପଶି ଦେଖିଲା ଯେ ଦୁଇଟି ଯାହା ବଖରା ରେ ପଡଛି ବଡବଡ ତାଲା। ସେ ଆଶ୍ଚର୍ଯ୍ଯ ହୋଇ ପଚାରିଲା-- ---- ବାପା ଏ ଘର ତାଲା କିଏ ପକେଇଲା। ତା ମାନେ ଆଜି ଯାଏ ତୁମେ ଏଇ ଦେକାନ ଘରେ ରହୁଥିଲ। ହରି ବାବୁ ନିରୁତ୍ତର। କିନ୍ତୁ ଗଗନ ସବୁ କିଛି ବୁଝି ସାରିଥିଲା। ରୀତା ର ଭୟଙ୍କର ସ୍ବଭାବ ସହ ସେ ବେଶ୍ ପରିଚିତ ଥିଲା। କିନ୍ତୁ ସେଥିରୁ ତା ବାପା ବି ବାଦ୍ ପଡି ନାହାଁନ୍ତି ସେ କଥା ସେ ଜାଣି ନ ଥିଲା। ବଡ ଅସହାୟ ହୋଇ ଗଗନ କହିଲା – – ବାପା ଆଜି ରାତି ରେ ଆମେ ଦୁଇ ଜଣ ଏ ଦୋକାନ ଘରେ ଶୋଇବା। କାଲି ସକାଳେ ଦୁଇ ଜଣ ଯାକ ଯିବା ମୋ କର୍ମସ୍ଥାନ କୁ। ମୁଁ ଆଉ ଏକୁଟିଆ ରହି ପାରିବିନି। ଏତିକି କହି ଗଗନ ତା ବାପାଙ୍କୁ କୁଣ୍ଢାଇ ଧରି ଭେଁ ଭେଁ କାନ୍ଦିଲା। ହରି ତାଙ୍କ ବୋହୁର କାଣ୍ଡକାରଖାନା ବିଷୟରେ ଅବଗତ ଥିଲେ। ତେଣୁ ଗଗନକୁ କିଛି ବି ନ ପଚାରି ତା ମୁଣ୍ଡ ଆଉଁସି କହିଲେ-- ---ଆରେ ପିଲାଙ୍କ ପରି କାନ୍ଦୁଛୁ କଣ? ତୋ ବାପା ପରା ବଞ୍ଚିଛି। ତୋ ଆଖିରେ ଲୁହ ଦେଖିଲେ ତୋ ବୋଉ କଣ ସହିବ। ଏତିକି କହି ହରି ପୁଅର ମୁଣ୍ଡ ଆଉଁସିବାରେ ଲାଗିଲେ। ଅତି କମ ସମୟ ଭିତରେ ଗଗନ ଶୋଇପଡିଲା ନିଘୋଡ ନିଦରେ, ଯେମିତି କେତେ ବର୍ଷ ହେଲାଣି ସେ ଶୋଇନି। ତା ପର ଦିନ ସକାଳୁ ଗଗନ ର ପିଲା ଦିନ ସାଙ୍ଗ ବିନୋଦ ଆସି କହିଲା-- --- ସାଙ୍ଗ ମୋତେ ଖରାପ ଭାବିବୁନି, କେତେ ଦିନ ହେଲାଣି ତୋତେ ଖବର ଦେବି ବୋଲି ଭାବୁଥିଲି। ରୀତା ଓ ତା ବାପା ତୋ ନାଁ ବିକି ବହୁତ ପଇସା କମେଇଛନ୍ତି। ତୋର ପ୍ରଥମ ପୋଷ୍ଟିଙ୍ଗ ସମୟରେ ଦୁଇ ଜଣ ଯାକ ବହୁତ ଲୋକଙ୍କର କାମ କରେଇ ଦେବା ପାଇଁ ଲକ୍ଷଲକ୍ଷ ଟଙ୍କା ନେଇଛନ୍ତି। ବଡବଡ କମ୍ପାନୀ ମାନଙ୍କ ପାଖରୁ ତୋ ନାମରେ ମଧ୍ଯ ଢେର୍ ଟଙ୍କା ନେଇଛନ୍ତି। ତୋ ଅଫିସରେ ଚାକିରି କରେଇ ଦେବ କହି ମହାଜନ ଆମ ଗାଁଆର ବହୁତ୍ ପିଲାଙ୍କ ପାଖରୁ ଜହାର ହଜାର ଟଙ୍କା ନେଇଛି। ଯଦି କିଏ ପଚାରୁଛି ସେମାନେ କହୁଛନ୍ତି ଯେ ତୁ ପଇସା ଖାଇଦେଲୁ କିନ୍ତୁ କାମ କଲୁନି ବୋଲି। ହଁ ଆଉ ଗୋଟେ କଥା ଶୁଣ୍। ରୀତା ଆଉ ଗୋଟେ କାହାକୁ ଭଲ ପାଉଛି। ସେ ଲୋକ ବି ବରାବର ତା ଘରକୁ ଆସୁଛି। ସବୁ ଜାଣିଛି ମହାଜନ, କିନ୍ତୁ କିଛି କହୁନି। ସେ ଲୋକର କୁଆଡେ ବିରାଟ ବଡ କମ୍ପାନୀ ଅଛି। ବିଦେଶରେ ବି ବ୍ଯାପାର ଅଛି। ସେ ଜାଣେ ରୀତା ତୋତେ ବାହା ହେଇଛି ବୋଲି। ସେ ଲୋକର ଗୋଟେ ସର୍ତ୍ତ ଥିଲା ଯେ ରୀତା ପେଟରେ ବଢୁଥିବା ତୋ ପିଲା ଟା ରାସ୍ତାରେ କଣ୍ଟା ସାଜିଛି। ତାକୁ ସଫା କରିଦେଲେ ସେମାନଙ୍କର ବାହାଘର ପାଇଁ ରାସ୍ତା ପରିଷ୍କାର। ଆହୁରି......... ବିନୋଦ ପାଟିରେ ହାତ ଦେଇ ଗଗନ ଚୁପ୍ ରହିବାକୁ କହିଲା। ସେତିକି ଥାଉରେ ସାଙ୍ଗ, ଆଉ ଶୁଣି ପାରିବିନି। ସେ ଦୁଇ ଜଣଙ୍କ ପଛରେ ଠିଆ ହୋଇଥିବା ହରି ସବୁ ଶୁଣୁଥିଲେ। ତାଙ୍କ ଆଖିରୁ ଧାରଧାର ଲୁହ ବୋହି ଯାଉଥିଲା। କିଛି ପ୍ରତିକ୍ରିୟା ନ ଦେଖେଇ ସେ ଗଗନ କୁ କହିଲେ-- – ପୁଅ ଚାଲ ଜଲଦି ଯିବା। ଆଉ ଏଠି ରହି ହେବନି। ଗଗନ ଓ ରୀତା ଭିତରେ ଥିବା ସମ୍ପର୍କଟା ଜଳିପୋଡି ପାଉଁଶ ହୋଇସାରିଥିଲା। ସେ ପାଉଁଶ କୁ ନିରେଖି ଦେଖିଲେ ଦିଶୁଥିଲା ଆଉ କେବେ ଯୋଡି ନ ହୋଇପାରିବା ପରି ସେ ବିବାହ ବନ୍ଧନ, ଯାହା ନିଜ ଅସ୍ତିତ୍ବ ହରେଇସାରିଥିଲା ଲୋଭ, ବିଶ୍ବାସଘାତକତା, ଚଞ୍ଚକତା ଓ ଶଠତା ପରି ଅସ୍ତ୍ର ମାନଙ୍କ ଦ୍ବାରା। **********ସମାପ୍ତ************

Tuesday, August 1, 2017

ଇନ୍ଦ୍ରଜାଲ


                 ଇନ୍ଦ୍ରଜାଲ
   
                ଲେଖକ-ଅରବିନ୍ଦ ରଥ

               କେତେ ଯେ ନିର୍ଦ୍ଦୟ,  ନୃଶଂସ ହୃଦୟ
ଧାରଣ କରିଛ ତୁମେ,
ରୁକ୍ଷ ବ୍ଯବହାର  କାହିଁକି ମୋ ପାଇଁ
ଭାବେ ମୁଁ ଯେ ମନେମନେ।।

ପ୍ରେମ ଫାଶେ ମୋତେ ଆବଦ୍ଧ କରିଲ
କିଛି ନ ପାରିଲି ଜାଣି,
ଇନ୍ଦ୍ରଜାଲ ତୁମ ଥିଲା ଶକ୍ତିଶାଳୀ
ନିଜ ଆଡେ ନେଲା ଟାଣି।।

କିଶୋରୀ ବୟସେ ଦେଖାଇଲ ମୋତେ
କେତେ ଯେ ସୁନେଲୀ ସ୍ବପ୍ନ,
ବୟସ ମୋ ଅଳ୍ପ ଶୁଣି ତୁମ ଗଳ୍ପ
                                                                      ପାଗଳ ହେଲା ମୋ ମନ।।

ଶୁଣି ମିଠା କଥା ଭୁଲି ଗଲି ବ୍ଯଥା
ପିତା ମାତା ହେଲେ ପର,
ମର୍ଯ୍ଯାଦା ସଂସ୍କାର ପରମ୍ପରା ଭୁଲି
ତୁମ ସାଙ୍ଗେ କଲି ଘର।।

ମନ୍ଦିରରେ ଦେଇ ମଥାରେ ସିନ୍ଦୁର 
ଅର୍ଦ୍ଧାଙ୍ଗିନୀ କଲ ମୋତେ,
ସାତ ଜନମ କୁ ସଙ୍ଗୀ କଲ ବୋଲି
ଦେଇ ଥିଲ କଥା ସତେ।।

ମାତ୍ର ସବୁ ସ୍ବପ୍ନ ଭୁଲୁଣ୍ଠିତ ହେଲା
କଲ ଯେବେ ଅତ୍ଯାଚାର,
ଯୌତୁକ ଲୋଭରେ ଭୁଲିଗଲ ସବୁ
କେତେ ତୁମେ ସ୍ବାର୍ଥପର ।।
ସ୍ନେହବୋଳା କଥା ହୋଇଲା ଅତୀତ
ଟଙ୍କାଲୋଭ କଲା ଅନ୍ଧ,
ଜାଣି କି ପାରୁନ ଆଣିବି କେଉଁଠୁ
ଦାବୀ ମୁତାବକ ଅର୍ଥ।।

ପିତାମାତା ପରେ, ତୁମ ପାଶେ ଜାଣ 
ନେଇଛି ଆଶ୍ରୟ ସ୍ବାମୀ,
ତୁମେ ଯଦି ମୋତେ କର ହୀନିମାନ
କେମନ୍ତେ ପ୍ରାଣ ଧାରିବି।।

ମୋତେ ଚଳାଇବା ତୁମରି ଦାୟୀତ୍ବ
ଯାଉଛ କି ସତେ ଭୁଲି,
ଆଣି ନ ପାରିବି ଟଙ୍କା,ସୁନା,ରୂପା
ଦିଅ ପଛେ ମାଡ ଗାଳି।।

ତୁମ ଭରସାରେ ଛାଡିଦେଲି ସତେ
ସ୍ବର୍ଗପରି ମୋର ଘର,
ନରକ ଯାତନା ଲେଖା ମୋ ଭାଗ୍ଯରେ
ଭାଗ୍ଯର ଖେଳ ନିଷ୍ଠୁର।।

ରାଜକନ୍ଯା ସମ ପାଳିଥିଲେ ବାପା
ଶୁଣିନି ମୁଁ ଟାଣ କଥା,
ମାଆ ପଣତର ସୁରକ୍ଷା କବଚେ
ଭୁଲିଛି ବେଦନା ବ୍ଯଥା।।
ସାନସାନ ମୋର ଅଳି ଅର୍ଦ୍ଦଳିକୁ 
ଦିଅନ୍ତି ଗୁରୁତ୍ବ କେତେ,
ଯାହା ଚାହୁଁ ଥାଏ ମିଳିଯାଏ ସବୁ
ହସିଖେଳି ଦିନ ବିତେ।।
ସେସବୁ ସୁଖକୁ  ନିଜେ ତ୍ଯାଗ କଲି 
ତୁମକୁ ଭରସା କରି,
ଏବେ ଲୁହ ଢାଳି ବିବଶ ହୋଇଲେ
କେ ଶୁଣିବ ମୋ ଗୁହାରି।।
ଆପଣା ର ହସ୍ତେ ଜିହ୍ବା ମୁଁ ଛେଦିଛି
କେ କରିବ ପ୍ରତିବାଦ,
ନିଜ ଧ୍ବଂସ ପାଇଁ କେବଳ ମୁଁ ଦାୟୀ
ସହିବାକୁ ମୁଁ ତ ବାଧ୍ଯ।।
ସାଙ୍ଗ ସଖୀ ମୋର ଶୁଣ ଏହି କଥା
ଉପଦେଶ ବୋଲି ମଣ,
ଇନ୍ଦ୍ରଜାଲ ଦିଶୁ ଯେତେ ମନୋରମ
ତହିଁରେ ନ ଦିଅ ମନ।।
ସେସବୁ ସପନ ହଳାହଳ ବିଷ
ଜାଳି ପୋଡି ଦେବ ପ୍ରାଣ,
ଚୋରାବାଲି ପରି ଟାଣି ନେବ ଗୋଡ
ନ ପାଇବ ତ୍ରାହି ଜାଣ।।
କେତେ ଜଳିଛନ୍ତି , ଜଳିବେ ଆଗକୁ 
ସେ ଅଗ୍ନୀ ନ ହେବ ଶାନ୍ତ,
ଇନ୍ଦ୍ରଜାଲ ଜାଣ ମହାଶକ୍ତିଶାଳୀ
ବଞ୍ଚିବା ତହିଁରୁ କଷ୍ଟ।।
ଆଧୁନିକତାର ଦ୍ବାହି ଦେଇ କେବେ
ହରାଇ ଦିଅନି ମାନ,
ଚରିତ୍ର ତୁମର  ନିଷ୍କଳଙ୍କ କରି 
ଛିଡାଅ ହେ ଇନ୍ଦ୍ରଜାଲ।।
ସୂର୍ଯ୍ଯସମ କର ତେଜସ୍ବୀ ସ୍ବରୂପ
ଜଳି ଯିବେ ଦୁଷ୍ଟଜନ,
ଗଙ୍ଗାଜଳ ପରି ପବିତ୍ର ଆତ୍ମାକୁ 
କିଏ ବା କରିବ ହୀନ। ।
ବଚନକୁ ମୋର ସାଧାରଣ ଭାବି
କଲ ଯଦି ହେୟଜ୍ଞାନ,
ମୋ ପରି ବି ତୁମେ ହାରିବ ଜୀବନ
ଇନ୍ଦ୍ରଜାଲ ନେବ ପ୍ରାଣ।।
---------ସମାପ୍ତ---------