Thursday, July 27, 2017

ମାଟି ମହକ ପଢି ସାରିଲା ପରେ


“ମାଟି ମହକର ବିମୁଗ୍ଧ ପାଠକ”
ଏମିତି ତ ସବୁ ଦିନ ଆମ ଆଖିରେ ଶହଶହ ଲେଖା ପଡେ। ସେଥିରୁ କିଛି ଆମେ ପଢିବାରେ ଆଗ୍ରହ ଦେଖାଉ। ତାହା ମଧ୍ଯରୁ କିଛି ଲେଖା ଆମ ହୃ ଦୟର ସ୍ପନ୍ଦନ କୁ ବଢାଇ ଦିଏ। ସେହି ସବୁ ଲେଖା ଭିତରେ ଆମେ ଅନୁଭବ କରୁ ମୌଳିକତା, ମଣିଷପଣିଆର ଛିଟା। ତାହା ଭିତରୁ କିଛି ଲେଖା ପଢିଲା ବେଳେ ଲାଗେ ଆମେ ସେହି ଗଳ୍ପର ଏକ ଅଂଶବିଶେଷ।  କେତେ ବେଳେ ଲାଗେ ଆମେ ନିଜେ ନାୟକ ବା ନାୟିକା  ତ କେତେ ବେଳେ ଲାଗେ ଏକ ଦର୍ଶକ ପରି ଆମେ ଦେଖି ଚାଲୁଛେ କାହାଣୀରେ ଘଟଣା ର ପ୍ରବାହ କୁ। ଧିରେଧିରେ ଲେଖକର ସେ ସୃ ଷ୍ଟି ଆତ୍ମାକୁ କବଳିତ କରେ ଓ ମନ କୁ ନେଇଯାଏ ଏକ ଐନ୍ଦ୍ରଜାଲୀୟ ପରବେଶକୁ। କାହାଣୀ ର ପ୍ରବାହ ଅନୁସାରେ କେତେବେଳେ ଆଖିରୁ ଝରି ଆସେ ଲୁହ ତ କେତେବେଳେ ମୁରୁକି ହସ ବାହାରି ପଡେ।  ମନରେ ଆସେ ଏକ ନିଆରା ପ୍ରଶ୍ନ। ଲେଖକ ଯାହା ଦେଖେ ଆମେ ବି ତ ସେୟା ଦେଖୁ। ଦୃଶ୍ଯ ତ ଉଭୟଙ୍କ ପାଇଁ ସମାନ ତେବେ ଲେଖକ ଆଖିରେ ତାହା ଅଲଗା ଦିଶେ କେମିତି। କଣ ଲେଖକ ପାଖରେ ଅଛି ଦିବ୍ଯ ଦୃଷ୍ଟି। କେମିତି ସେ ପଢି ପାରେ ମନର ଭାଷା। କେମିିତି  ଶୁଣେ ଅକୁହା ଶବ୍ଦ ସବୁ। କେମିତି ସେ ଦେଖିପାରେ ଯାହା ଆମେ ଯେତେ ଚେଷ୍ଟା କଲେ ବି ଦେଖି ପାରୁନା।  ମୋର ନିଜସ୍ବ ମତ ରେ ଯେଉଁ ଲେଖକ ନିଜ ଲେଖନୀ ମାଧ୍ଯମରେ ପାଠକର    ହୃଦୟତନ୍ତ୍ରୀକୁ ଝଙ୍କୃତ କରେ, ମନରେ ସୃଷ୍ଟି କରିପାରେ  ଆଲୋଡନ,ପାଠକ କୁ ବାଧ୍ଯକରେ  ଦେଖିବା ପାଇଁ ନିଜ ପାରିପାର୍ଶ୍ବିକ ଅବସ୍ଥା ଓ ଯିଏ  ଆହ୍ବାନ କରେ ପାଠକ କୁ ନିଜ ଆଚରଣ,ବ୍ଯବହାର ଓ ଚରିତ୍ରରେ କିଛି ପରିବର୍ତ୍ତନ ଆଣିବା ପାଇଁ , ସେ ହିଁ ମହାନ ଲେଖକ। ତାର ସୃ ଷ୍ଟି ହିଁ ମହାନ ସୃ ଷ୍ଟି।
ଏତେ ସବୁ ଉପକ୍ରମର ଅସଲ ଉଦ୍ଦେଶ୍ଯ ହେଲା ମୋ ଆତ୍ମାରେ ନୂଆ କରି ଭରି ଥିବା ମହକ। ଯାହା ମାଟିର। ମାଟି ହେଲା ଆମର ମାଆ। ପ୍ରକାରାନ୍ତରେ କହିବାକୁ ଗଲେ ମାଟିର ମହକ ହେଲା ମାଆର ମହକ। ଶିଶୁ ଠାରୁ ଆରମ୍ଭ କରି ଜୀବନର ଶେଷ କ୍ଷଣ ପର୍ଯ୍ଯନ୍ତ ସେଇ ମାଟି ମାଆର ମହକ ଆମ ଆତ୍ମାକୁ ସୁବାସିତ କରି ରଖିଥାଏ। ଆଉ ସେଇ ବାସ୍ନା କୁ ମୁଁ ଅନୁଭବ କରୁଛି ମୋ ଆତ୍ମାରେ, ମୋ ଶରୀରରେ ସର୍ବୋପରି ମୋ ଜୀବ ସତ୍ତାରେ। ଜଣେ ସାଧାରଣ ପାଠକ ହିସାବରେ “ ମାଟି ମହକ” ମୋ ଭିତରେ ଆଣିଛି ଅଭୁତପୂର୍ବ ପରିବର୍ତ୍ତନ। ନିଜକୁ ଜଣେ ଛୋଟକାଟିଆ ଲେଖକ ହିସାବରେ ଗଢି ତୋଳିବାର ଚେଷ୍ଟା ମୁଁ ପିଲାଟି ଦିନରୁ କରି ଆସିଛି। ମାତ୍ର ଆଜି ଯାଏ କେବଳ ଚେଷ୍ଟା ହିଁ ଚାଲିଛି। କିନ୍ତୁ  “ ମାଟି ମହକ” ର ଲେଖକଙ୍କର ଶବ୍ଦର ଚାତୁରୀ ଓ ଚମତ୍କାରିତାରେ ମୁଁ ଅଭିଭୂତ। ଲେଖକଙ୍କର ସେ ମହାନ ସୃ ଷ୍ଟିକୁ ମୁଁ ଗଳ୍ପ ପଢିବା ପରି ପାଠ କରୁନି।  କାରଣ ବେଶ୍ ସାଧାରଣ।ସାଧାରଣତଃ ଆମ ହାତରେେ ବହି ଖଣ୍ଡିଏ ପଡିଲେ ଆମେ ଗୋଟେ ନିଶ୍ବାସରେ ତାହା ଶେଷ କରିବାରେ ଲାଗିପଡୁ। କିନ୍ତୁ ସେଥିରେ ଅସଲ ସ୍ବାଦ ପାଇବା କଷ୍ଟ। ଉଦାହରଣ ସ୍ବରୂପ, ପାନ ଖଣ୍ଡିଏ କଳରେ ଜାକି ଧିରେଧିରେ ତା ରସ ଆସ୍ବାଦନ କରି କିଛି ସମୟ ପରେ ଚୋବାଇବାରେ ଯେଉଁ ମଜା ଥାଏ ତାହା କଣ ପାଟିରେ ପକେଇଲା ମାତ୍ରେ ଚୋବାଇ ଢୋକି ଦେବାରେ ମିଳିବ? ମୁଁ “ ମାଟି ମହକ”ର ବାସ୍ନାକୁ ଆଘ୍ରାଣ କରୁଛି ଧିରେଧିରେ।
ଏହା ସତ୍ଯ ଯେ ମୁଁ ବହିଟିକୁ ସମ୍ପୂର୍ଣ୍ଣ ରୂପେ ପଢି ସାରିନାହିଁ। ମାତ୍ର ଯେତିକି ପଢିଛି ସେତିକି ରେ ମନରେ ଏତେ ମାତ୍ରାରେ ଭାବାନ୍ତର ହେଲା ଯେ ନିଜକୁ ଆଉ ରୋକି ହେଲାନି। ମନ ବଳାଇଲା ସେ ଅନବଦ୍ଯ ସୃ ଷ୍ଟି ବିଷୟରେ ସମସ୍ତଙ୍କୁ କିଛି ଜଣାଇବା। ଉଦ୍ଦେଶ୍ଯ ହେଲା ସମସ୍ତଙ୍କୁ ଜ୍ଞାତ କରାଇବା ଏ ସୃ ଷ୍ଟିର ଚମତ୍କାରିତା ବିଷୟରେ।
ମୋ ନିଜସ୍ବ ମତରେ ଗଳ୍ପ ଲେଖିବା ଏତେ ସହଜ ବ୍ଯାପାର ନୁହଁ। କିଛି ଗୋଟେ ଲେଖିବା ସମୟରେ ଲେଖକକୁ ବନ୍ଯାପ୍ଳାବିତ ନଦୀରେ ନୌଚାଳନା କରିବା ପରି ଲାଗେ। କାହାଣୀର ପୃ ଷ୍ଠଭୁମି କୁ ଆଗେଇ ନେଲା ବେଳକୁ ଲେଖକ ସାମନା ରେ ଆସେ ସବୁଠାରୁ ବଡ ଆହ୍ବାନ ଶବ୍ଦ ଚୟନର। କେଉଁ ଶବ୍ଦ କାହାଣୀ ପାଇଁ ସର୍ବୋତ୍ତମ ତା ପଛରେ ବେଶ୍ କସରତ କରିବାକୁ ପଡେ। ଲେଖିଲା ବେଳେ ମନ ବି ଅମାନିଆ ଘୋଡା ପରି ଏଣେତେଣେ ଦଉଡି ବାରେ ଲାଗେ।  କେତେ ଭାବନା ମନରେ ଅଡୁଆ ସୁତା ପରି ଗୁଡେଇତୁଡେଇ ହେଉଥାଏ। ଲେଖକର ଚାତୁର୍ଯ୍ଯ ଏହି ସ୍ଥଳରେ ବିଶେଷ କାମ ଦେଇଥାଏ। ମନକୁ ବ୍ଯବସ୍ଥିତ କରି ଧିରସ୍ଥିର ଭାବରେ ଅନୂଭବୀ ଲେଖକ ସବୁ ଅଡୁଆ ସୁତା କୁ ଛିଣ୍ଡାଇ, ଅମାନିଆ ମନକୁ କାବୁ କରି ମାଡିଚାଲେ ନିଜ ଲେଖନୀର ବଳିଷ୍ଠ ପାହୁଣ୍ଡରେ।
ବର୍ତ୍ତମାନ ସୁଦ୍ଧା ଏ ପାଠକ “ ଆମ୍ବାସାଡାର” ଗଳ୍ପ ଆତ୍ମସ୍ଥ କରି ସାରିଲାଣି। “ ମାଟି ମହକ” ବହିର ଏଯାବତ ପଢିଥବା ସମସ୍ତ ଗଳ୍ପରେ ଲେଖକଙ୍କର ସେ ଚାତୁର୍ଯ୍ଯ ଓ ଭାଷା ଉପରେ ଅସିମିତ ନିୟନ୍ତ୍ରଣ ଦେଖିବାକୁ ମିଳେେ। ପ୍ରତିଟି ଗଳ୍ପ ନିଆରା ଓ ପରସ୍ପର ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଗଳ୍ପ ଗୁଡିକରେ  ଭାଷା ପ୍ରୟୋଗର ବିବିଧତା ବି ଦେଖିବାକୁ ମିଳେ।  “ ବୋଲବମ୍” ଗଳ୍ପରେ ନିଚ୍ଛକ କଟକିଆ  ଭାଷାର ପ୍ରୟୋଗ ପ୍ରତିଟି ପାଠକ କୁ ନିହାତି ହସର ଖୋରାକ ଯୋଗାଇବ।   ବର୍ଣ୍ଣନାର ଶକ୍ତିରେ ଲେଖକ ଚୁଲବୁଲ ଯିଏ କି ଏକ କଇଁଛ ତାକୁ ଦେଇଛନ୍ତି ଏକ ନୂତନ ରୂପ। ଘରର ଜଣେ ସଦସ୍ଯା ଭାବରେ ପରିଗଣିତ ହୋଇସାରିବା  ପରେ ସେ ପାଲଟିଛି  ପତ୍ନୀଙ୍କ ବିୟୋଗରେ ମ୍ରିୟମାଣ ଜଣେ ବୃଦ୍ଧଙ୍କର ସାହାରା।  ଠିକ୍ ସେମିତି ଶବ ପଡିଛି ଗଳ୍ପରେ ଅମଣିଷଙ୍କ ପାଶବିକତାରେ ଜୀବନ ହାରିଥିବା ନିରୀହ ଝିଅଟିର ଆତ୍ମା ବିକଳ ହୋଇ ନିଜ ବାପାକୁ ସବୁ କଥା କହିବାର ବିଫଳ ପ୍ରୟାସ କରିବା ଓ ତାର ନିଥର ଶବ ସତ୍କାର ନ ହୋଇ, ହୀନ ରାଜନୀତିର ନାଗଫାଶରେ ପଡି  ବାସି ମଡା ପାଲଟିବା  କାହାର ବି  ହୃଦୟରେ  କମ୍ପନ ସୃ ଷ୍ଟି କରିବ।  “ ଶ୍ରୀମତି ଙ୍କ ବୟସ” ଗଳ୍ପରେ ନାୟିକା ନିଜ ବଢୁଥିବା ବୟସ କୁ ନେଇ ଅତ୍ୟଧିକ ଚିନ୍ତିତ ହେବା ଓ ବିଭିନ୍ନ ଉପାୟରେ ନିଜକୁ ଅଳ୍ପବୟସୀ କରି ଋପାନ୍ତରିତ କରିବାର ଚେଷ୍ଟାରେ ସବୁକିଛି ଭୁଲିଯିବାବେଶ୍ ରୋଚକ ମନେ ହୁଏ। ଆଜିକାଲିର ସମାଜରେ ସୌନ୍ଦର୍ଯ୍ଯ ହିଁ ସବୁ ଜିନିଷର ମାପକାଠି ବୋଲି ନାୟିକା ଭାବିବା ଓ ଜଣେ ନାରୀମାଂସଲୋଭୀ ଲମ୍ପଟ ହାବୁଡରେ ପଡିବା ପରେ ନିଜକୁ ପୁଣି ବ୍ଯବସ୍ଥିତ କରିବା  ହେଲା ଗଳ୍ପର ମେରୁଦଣ୍ଡ। ଗଳ୍ପ ଟି ପଢିଲା ପରେ ସ୍କୁଲ୍ ରେ ପଢିଥିବା ସେ ଗୀତର କିଛି ପଦ ମନେ ପଡିଗଲା----- “ଦେହେ ମନ୍ଦାକିନୀ ରଜ ଲଗାଇ ଗ୍ରାମ ସୁକରୀ କି ହୋଇବ ଗାଈ  ….....ଜନେ ହସିବେ ତହୁଁ ଏହା ହେବ ସାର”।  “ସାଥି ”
ଗଂଳ୍ପରେ ଲେଖକ ପ୍ରେମର ଏକ ଭିନ୍ନ ରୂପ ଆବିଷ୍କାର କରିଛନ୍ତି। ଗଳ୍ପର ନାୟକର ଭାଷାରେ ପ୍ରେମ ର ଭାଷା ଯାହା ନିଜ ପତ୍ନୀଙ୍କୁ ହରାଇ ସମୁଦ୍ର କୂଳରେ ଅବ୍ଯବସ୍ଥିତ ହୋଇ ବୁଲୁଥିବା ସାର୍ ଙ୍କ ପାଇଁ ପ୍ରେମର ପରିଭାକ୍ଷା ନିହାତି ସେୟା ନୁହଁ। “ବୋଲବମ୍” ଗଳ୍ପରେ ଧର୍ମକୁ ନେଇ କେମିତି ଟଙ୍କାର ଖେଳ ଚାଲିଛି ତାହା ବେଶ୍ ସ୍ପଷ୍ଟ। ନାୟକର ସାମ୍ନାରେ  ଯେତେବେଳେ ମାନବିକତା ଓ ଧର୍ମ ଭିତରୁ  ଗୋଟିଏକୁ ବାଛିବାର ସମୟ ଆସିଲା ସେ ମାନବିକତା କୁ ବାଛିଲା ଓ ସେଇଥିରେ ପାଇଲା ଅପାର ଶାନ୍ତି। “ବୋଉ”ଗଳ୍ପରେ ଜଣେ ସନ୍ତାନ ପାଇଁ ମାଆର ଭୁମିକା କଣ ତାହା ଅତି ନିଚ୍ଛକ ଭାବରେ ବର୍ଣ୍ଣିତ। ମାଆ ଚଳତଶକ୍ତି ବିହୀନ ହୋଇ ନିସ୍ତେଜ ପଡିଥିଲେ ମଧ୍ଯ ସନ୍ତାନ ଚାରିପାଖରେ ଏକ ସୁରକ୍ଷାର ବଳୟ ଥାଏ। ଯେତେବେଳେ ଶରୀରରୁ ପ୍ରାଣବାୟୁ ଉଡିଯାଏ ସବୁଠାରୁ ଅଧିକ  ଅସହାୟ ହୋଇପଡେ ସନ୍ତାନ। ସେ ସୁରକ୍ଷା ବଳୟ ଉଭାନ ହୋଇଯିବା ପରେ ସେ ହୋଇଯାଏ ନିଃସହାୟ। ଧନ,ସମ୍ପତ୍ତି କି ପରିବାର ତାକୁ ସେପରି ସୁରକ୍ଷା ବା ଶକ୍ତି କେବେ ମଧ୍ଯ ଦେଇପାରେ ନାହିଁ।  ନାୟକର ନିଜ ମାଆ ପ୍ରତି ଥିବା ଶ୍ରଦ୍ଧା ଓ ଦାୟୀତ୍ବ ପାଠକର ଆଖିତଳ ଓଦା କରିଦେବା ପାଇଁ ଯଥେଷ୍ଟ। “ପ୍ରକୃତି” ଗଳ୍ପରେ ନାୟକ ଜୀବନ ପାଇଁ ଲଢେଇ ଜାରି ରଖିଥିବା ଅନାଥ ଶିଶୁଟିକୁ ଉଦ୍ଧାର କରି ତା ଜୀବନ ବଞ୍ଚାଇବାକୁ ଶତ ଚେଷ୍ଟା କରିବାରେ ମାନବିକତା ର ମହକ ଫୁଟି ଉଠୁଛି।  ଦେବତାରୂପୀ ମଣିଷ ଡାକ୍ତରମାନଙ୍କର ମଣିଷ ଶିଶୁଟିର ଜୀବନ ରକ୍ଷା ପାଇଁ  ପଛଘୁଞ୍ଚା ଦେବା , ଆଜିକାଲିର ଡାକ୍ତର ମାନଙ୍କର ମୁଖା ଖୋଲିବା ପାଇଁ ଯଥେଷ୍ଟ। ଶେଷରେ ମେହନ୍ତର ଦ୍ବାରା ଶିଶୁଟିକୁ ଏକ ପରିବାର ଦେଇ ଲେଖକ ଉଚିତ୍ ନ୍ଯାୟ କରିଛନ୍ତି। ଯଦି ଶିଶୁଟିର ଜୀବନ ଡାକ୍ତର ମାନଙ୍କର ଅହଙ୍କାରର ବହ୍ନିରେ ଜଳି ଯାଇଥାନ୍ତା ପାଠକ ହୃ ଦୟ ନିହାତି ଭାବରେ କ୍ଷତାକ୍ତ ହୋଇଥାନ୍ତା।  “ଲଜ୍ଜିତ ” ଗଳ୍ପରେ ସବୁ ଚକଚକ ଦିଶୁଥିବା ଜିନିଷ ସୁନା ନୁହେଁ ସେ ଉକ୍ତିର ସତ୍ଯତା ଲେଖକ ନିକ ଲେଖନୀ ମାଧ୍ଯମରେ ପ୍ରମାଣିତ କରିଛନ୍ତି। ଗଳ୍ପର ତଥାକଥିତ ଖଳନାୟକଙ୍କ ଦ୍ବରା ତାଙ୍କ ସ୍ତ୍ରୀ ଭୟଙ୍କର ଆଘାତ ପାଇ ଡାକ୍ତରଖାନା କୁ ଆସିବା ଓ ଖଳନାୟକର ନିଜ ସ୍ତ୍ରୀ ପାଇଁ ଅହେତୁକ ଯତ୍ନ ଦେଖାଇବା ଲୋକ ଚରିତ୍ରର ବିବିଧତା କୁ ଉନ୍ମୋଚନ କରୁଛି। ଗଳ୍ପର ନାୟକଙ୍କର ପତ୍ନୀ ଘଟଣା ର ସତ୍ବତା ଜାଣିବା ପରେ ନଜ ସ୍ବାମୀ ଙ୍କ ସାମନାରେ ନତମସ୍ତକ ହେବା ବାସ୍ତବିକ ପ୍ରଶଂସନୀୟ। କାରଣ ନାରୀ ମାନଙ୍କର ମନରେ ସଦା ଭାବନା ଥାଏ ଯେ ସେମାନଙ୍କର ଯତ୍ନ   ସ୍ବାମୀ ମାନେ ସଠିକ୍  ରୂପରେ ନେଉ ନାହାଁନ୍ତି।  ଅନ୍ଯର ଲୋକଦେଖାଣିଆ ଭଲପାଇବା  ଦେଖି ନିଜକୁ ଅସୁରକ୍ଷିତ ମନେ କରୁଥିବା ନାରୀ ମାନଙ୍କ ପାଇଁ ଏହି ଗଳ୍ପ ନିହାତି ଭାବରେ ଆଖି ଖୋଲିଦେବା ପରି ଘଟଣା ରୂପରେ ବିବେଚିତ ହେବ। “ବ୍ରହ୍ମ ପରିବର୍ତ୍ତନ” ଗଳ୍ପରେ  ଜଗନ୍ନାଥଙ୍କୁ ନେଇ ଖେଳ ଖେଳୁଥିବା ଲୋକର ଶେଷ ଅବସ୍ଥା କେମିତି ଭୟାବହ ହେଲା ତାହା ବେଶ୍ ପ୍ରଣିଧାନ ଯୋଗ୍ଯ। ଇଶ୍ବର ସତ୍ତାକୁ ଇତର ମନେ କରୁଥିବା ଜନମାନସ ପାଇଁ ଏ ଗଳ୍ପ ଏକ ଚେତାବନୀ ପରି ମନେ ହୁଏ। ବ୍ଯଙ୍ଗରସ ମିଶ୍ରିତ ଏହି ଗଳ୍ପରେ ମଣିଷର ଧନ ଲୋଭ ଓ ଧନ ପାଇଁ ଈଶ୍ବରଙ୍କୁ ବି ରାସ୍ତାରେ ଠିଆ କରିବାର ଦୁଃସାହାସ  ବେଶ୍ ସ୍ପଷ୍ଟ ଭାବରେ ଦୃଷ୍ଟ। “ଅମଣିଷ ” ଗଳ୍ପରେ ବୃଦ୍ଧ  ନାୟକ ନିଜ ସନ୍ତାନ ର ଆଗମନ ପାଇଁ କେତେ ବିବ୍ରତ ଓ ସେମାନଙ୍କର ଆରାମଦାୟକ ରହଣି ପାଇଁ କେତେ ବ୍ଯସ୍ତ ତାହା ଅତି ନିଚ୍ଛକ ରୂପରେ ବର୍ଣ୍ଣିତ। ମାତ୍ର  ବୃ ଦ୍ଧ ନାୟକଙ୍କର ଶତ ଅନୁରୋଧ ପରେ , ସ୍ବାର୍ଥପର ପୁଅ ନିଜ ସ୍ତ୍ରୀ ଓ ପିଲାଙ୍କୁ ଧରି  ଅତି ଅମାନବିକ ଭାବରେ ଚାଲିଯିବା ହୃ ଦୟରେ କରୁଣା ଭାବ ଜାଗ୍ରତ କରାଉଛି। ନାୟକ ଘୃ ଣା କରୁଥିବା ବସ୍ତିବାସିନ୍ଦା ସେ ରିକ୍ସାବାଲା ର ପରିବାର କୁ ଦଶହରା  ପଡିଆରେ ବୁଲାଇ ନିଜର ବହୁ ଆକାଂକ୍ଷିତ ସ୍ବପ୍ନ କୁ କିଛି ମାତ୍ରାରେ ପୂରଣ କରିବାର ଚେଷ୍ଟା ପ୍ରଶଂସନୀୟ। ମାତ୍ର ନାୟକ ନିଜ ନାତି ନାତୁଣୀଙ୍କୁ ଧରି ଦଶହରା ଦେଖାଇବା, ସେମାନଙ୍କୁ ଗୁପଚୁପ୍ ଚାର୍ଟ ଖୁଆଇବାର ସ୍ବପ୍ନ ସବୁ ମାଟିରେ ମିଶିଗଲା ଖାସ୍ ସେଇ ଅମଣିଷ ମାନଙ୍କ ପାଇଁ ଯେଉଁ ମାନେ ତାଙ୍କ ପୁଅ ଓ ବୋହୁ। ଧିକ୍ ସେମିତି ସନ୍ତାନ ମାନଙ୍କୁ। “ଯୁଦ୍ଧ ବିରତି ” ଗଳ୍ପରେ ପାଗଳା ରାଜାଙ୍କର ପାଗଳାମୀ ନିଜ ପୁଅ ବୋହୁ ଓ ନାତି ନାତୁଣୀ ଙ୍କୁ ଦେଖି ଭଲ ହୋଇଗଲା। ଏହି ଗଳ୍ପରେ ଲେଖକ ମଣିଷର ମାନସିକତା ଉପରେ ଗବେଷଣା କରିଛନ୍ତି। ଯେଉଁ ରୋଗ ଓୌଷଧରେ ଭଲ ହୋଇ ନ ପାରିବ ତାହା ସ୍ନେହ ଓ ଭଲପାଇବାରେ ଅଚିରେ ଭଲ ହୋଇପାରିବ ସେ କଥାର ସତ୍ଯତା ପ୍ରମାଣିତ ହୋଇଛି ଏହି ଗଳ୍ପରେ।  ଗଳ୍ପରେ ହାସ୍ଯରସ ସାଙ୍ଗକୁ ରାଜା ଓ ତାଙ୍କ ସ୍ତ୍ରୀଙ୍କର ଅସହାୟତା ବେଶ୍ ଭଲ ଭାବରେ ଫୁଟାଇ ପାରିଛନ୍ତି ଲେଖକ।
ବର୍ତ୍ତମାନ ଯାଏ ପଢିଥିବା ଶେଷ ଗଳ୍ପ ହେଲା  “ଆମ୍ବାସାଡର”। ଲେଖକଙ୍କର ଲେଖନୀର ଚମତ୍କାରିତା କେତେ ଅଧିକ ତାହା ଏହି ଗଳ୍ପରୁ ବେଶ୍ ଜଣା ପଡେ। ନିର୍ଜୀବ ଗାଡିରେ ଜୀବନ ଭରି ଦେଇଛନ୍ତି ଲେଖକ। ସେହି ଗାଡିର ମାନ, ଅଭିମାନ, ଗର୍ବ, ଗୌରବ କୁ ଏତେ ସୁନ୍ଦର ଭାବରେ ବଖାଣିଛନ୍ତି ଯେ ପଢିବା ଲୋକର ମାନସପଟ୍ଟରେ ଜଣେ ଫୁଲେଇ ନାରୀ ମୂର୍ତ୍ତିର ଚେହେରା ଆପେଆପେ ଭାସି ଉଠୁଛି। ନାନା ଅପମାନ ସହି ସେହି ଗାଡିଟି ପଚିଶ୍ ବର୍ଷ ପଡିରହିବା ପରେ ଖୋଦ୍ ପ୍ରଧାନ ମନ୍ତ୍ରୀଙ୍କର ବାହାନ ରୂପରେ  ନବକଳେବର ପାଇଛି । ଲେଖକ ବିଚାରୀ ଗାଡିଟିକୁ ଉଚିତ୍ ନ୍ଯାୟ ଦେଇଛନ୍ତି।
ଶେଷରେ ଏତିକି କହିବି “ମାଟି ମହକ” କେବଳ ଏକ ଗଳ୍ପ ବହି ନୁହେଁ, ଏହା ଏକ ଅମର କୃ ତି। ପ୍ରତ୍ଯକଟି ଗଳ୍ପ ସ୍ବୟଂସମ୍ପୂର୍ଣ୍ଣ।  ଲେଖକଙ୍କର ମନର ବିବିଧତା ସବୁ ଗଳ୍ପରେ ଅତି ସ୍ପଷ୍ଟ ରୂପରେ ଦେଖାଯାଇଛି। ପାଠକର ବିଶ୍ବାସ ଯେ ଲେଖକଙ୍କର ଲେଖନୀରୁ ଝରୁଥାଉ ଏମିତି କାଳଜୟୀ ସୃ ଷ୍ଟି ଯାହା ଆଧୁନିକ ସାହିତ୍ୟିକ ମାନଙ୍କ ପାଇଁ ନୂତନ ଦିଗଦର୍ଶକ ହୋଇ ଉଭା ହେଉ।  ଲେଖକଙ୍କର ବହୁତ ବହୁତ ଉନ୍ନତି କାମନା ପୂର୍ବକ ମୋର ଯତ୍ କିଞ୍ଚିତ୍  ଅନୁଭବ କୁ ପ୍ରକାଶ କଲି। ଯଦି କିଛି ତୃଟି ଥାଏ କ୍ଷମା ଦେବେ। ସମସ୍ତଙ୍କୁ ଅନୁରୋଧ ଥରେ  ନିଜକୁ “ମାଟି ମହକ”ର ବାସ୍ନାରେ ଭିଜାନ୍ତୁ। ମୁଁ କଣ ଅନୁଭବ କରୁଛି ଆପଣ ନିଜେ ଜାଣିଯିବେ। ଧନ୍ଯବାଦ୍।

Wednesday, July 26, 2017

ବାହାଦୁର



ବାହାଦୁର

ଲେଖକ- © ଅରବିନ୍ଦ ରଥ



ମୁଁ କଲୋନୀ କୁ ନୂଆ ଆସି ଥାଏ। ସେଦିନ ସକାଳେ ବାରଣ୍ଡାରେ ବସି ଚାହା ପିଇଲା ବେଳକୁ ଜଣେ ଅଳ୍ପ ଉଚ୍ଚତା ବିଶିଷ୍ଟ ଲୋକ ଆସି ମୋତେ ନମସ୍କାର କଲା।

– ସଲାମ ସାହାବ୍। ମୁଁ ବାହାଦୁର। ଏ କଲୋନୀରେ ରାତିରେ ଜଗେ। ଆପଣ ନୂଆ ଆସିଲେ ତ, ତେଣୁ ଦେଖା କରିବାକୁ ଚାଲି ଆସିଲି।

ଲୋକଟିର ମୁହଁରେ ଆତ୍ମୀୟତା ଭରି ରହିଥିଲା- ଧିରସ୍ଥିର କଥା । ତା ମୁହଁରେ ନିରୀହତାର ଭଷା ସ୍ପଷ୍ଟ ପଢି ହେଉଥିଲା। କେଜାଣି କାହିଁକି ଲୋକ ଟି ମୋତେ ଭଲ ଲାଗିଲା।

– ହଉ ଠିକ୍ ଅଛି, ଭଲ ହେଲା ଚାଲି ଆସିଲ। ମୁଁ ତ ଏକୁଟିଆ ରହୁଛି, ପରିବାର ଗାଁଆରେ। ମୋ ଅନୁପସ୍ଥିତି ରେ ଘରର ଦାୟୀତ୍ବ ତୁମକୁ ଲାଗିଲା। ହସିହସି କହିଲି ତାକୁ। ସେ ମୁଣ୍ଡ ଟୁଙ୍ଗାରି ହଁ ଭରିଲା।

ରାତିରେ ମୁଁ ଡେରିରେ ଶୁଏ। ଅଫିସ ର କାମ ସାରି କିଛି ପଢାପଢି କରି ଶୋଇଲା ବେଳକୁ ରାତି ଦୁଇ ଟା ପାଖାପାଖି। ମନ ହେଲେ ବାହାରେ ଠିଆହୋଇ ପବନ ଟିକେ ଖାଇବାକୁ ମୋତେ ବହୁତ୍ ଭଲ ଲାଗେ। ସେଦିନ ପୁଣି ଦେଖାହେଲା ବାହାଦୁର। ଭାବିଲି ତା ସହ ତା ଟିକେ ଦୁଖସୁଖ ହେବି। ମୋତେ ଦେଖି ବାହାଦୁର ମୋ ପାଖକୁ ଆସିଲା।

– ସଲାମ୍ ସାବ୍। ଏତେବେଳ ହେଲାଣି ଶୋଇ ନାହାଁନ୍ତି ଯେ? ନିଦ ହେଉନି କି? ଯଦି କହିବେ ଟିକେ ଘଷାମୋଡା କରି ଦେବି।

ଆରେ ନା, ମୋତେ ବାହାରେ ଟିକେ ଠିଆ ହେଲେ ଭଲଲାଗେ ତ ସେଇଥିପାଇଁ ଏଠି ଅଛି। ଆଉ ତୁମ ଖବର କଣ କୁହ।

– ସାହାବ୍ ମୋ ଘର ନେପାଳରେ । ପେଟପାଟଣା ପାଇଁ ଚାଲି ଆସିଛି ଏ ସହର କୁ। ଘରେ ସ୍ତ୍ରୀ ଓ ସାନ ପୁଅ। ଯେତିକି ପାଇସା ପାଉଛି କଷ୍ଟେମଷ୍ଟେ ଚଳିଯାଉଛି।

– ତୁମେ ଜଗିଲେ ପଇସା କେତେ ମିଳେ?

– ସେମିତି କିଛି ଠିକ ନାହିଁ। ଯିଏ ଯାହା ଦିଏ। କିଏ ଦଶ, କିଏ କୋଡିଏ। ମୁଁ କାହାକୁ କିଛି ମାଗେେନି। ଯାହା ମିଳେ ସେତିକିରେ ମୁଁ ସନ୍ତୁଷ୍ଟ। ସନ୍ଧ୍ଯାବେଳେ ଟିଫିନରେ ରୁଟି ଦିଇଟା ଧରି ମୁଁ ବାହାରି ଆସେ ଘରୁ। ରାତି ସାରା ଜଗେ। ଭୋକ ଲାଗିଲେ ଖାଇଦିଏ। ଭୋର ହେଲେ ଘରକୁ ଯାଏ। ତାପରେ କିଛି ସମୟ ଶୋଇ ପୁଣି ବାହାରି ପଡେ ଧାନମିଲ୍ କୁ।

– ଧାନମିଲ୍ କୁ କଣ ପାଇଁ?

ସେଠି କାମ କରେ ସାହେବ୍। ମୁଁ ପାଠ ପଢିଛି। ତେଣୁ ଧାନ ମିଲରେ ହିସାବପତ୍ର କାମ କରେ। ଏଠିକୁ ଆସିବା ଆଗରୁ ଗାଁଆ ସ୍କୁଲରେ ପାଠ ପଢଉ ଥିଲି। ସ୍କୁଲ୍ ଟି କୌଣସି କାରଣ ରୁ ବନ୍ଦ ହୋଇଯିବା ପରେ ପେଟପାଟଣା ପାଇଁ ଆଉ କିଛି ଉପାୟ ନଥିଲା। ମୋ ଚାଚା ଏ ସହରରେ ଥିଲେ । ସେ ମୋତେ ଡାକିଲେ ଏଠିକୁ ଆସିବା ପାଇଁ। ଚାଲି ଆସିଲି ମୁଁ ମୋ ପରିବାର ଧରି। ଆଜିକୁ ୫ ବର୍ଷ ହେବ ଅଛି ଏଇ ସହରରେ। ଭଲ ଲାଗୁଛି ଏ ଯାଗା। ପୁଅ ପଢୁଛି ଏଇ ପାଖ ସ୍କୁଲ୍ ରେ, ସ୍ତ୍ରୀ ମୋର ସିଲେଇ ଭଲ କରେ । ଛୋଟ ଦୋକାନ ଟେ କରିଛି ଘରେ। ସେ ଶାଢି, ଶାୟା, ବ୍ଲାଉଜ୍ ଇତ୍ଯାଦି ସିଲେଇ କରି କିଛି ରୋଜଗାର କରେ। ଘରେ ଅଭାବ ନାହିଁ। ଦି ଓଳି ଭଲରେ ଖାଇ ଚଳିବା ପାଇଁ ପଇସା ମିଳି ଯାଉଛି।

ଗୋଟେ ନିଶ୍ବାସରେ ସବୁ କହିଗଲା ବାହାଦୁର।

--ଆଚ୍ଛା ତୁମେ ପାଠ ପଢିଛ, ଏମିତି ବାହାଦୁର କାମ କରିବା ବେଳକୁ ନିଜକୁ କିଛି ଖରାପ ଲାଗୁନି?

ଖରାପ ଲାଗିବ କଣ ସାହେବ୍। ପରିବାର ଚଳାଇବା ପାଇଁ ପଇସା ଦରକାର। ଯଦି ନିଜକୁ ପାଠୁଆ ଲୋକ ବୋଲି ଭାବି ଜଦି ଚାକିରି ଖୋଜିବି ମୋ ପରିବାର କୁ ଚଳାଇବ କିଏ। ତେଣୁ ଯାହା ବି କାମ ମିଳିଲା ସେ କାମ ରେ ମୁଁ ଖୁସି। କଥାରେ ପରା ଅଛି ପେଟ ପୋଷ ନାହିଁ ଦୋଷ।




କହିବା ଭିତରେ ବାହାଦୁର ତା ବ୍ଯାଗରୁ ଏକ ପୁଡିଆ ବାହାର କଲା । ଦେଖି ଜଣା ପଡୁଥିଲା ତାହା ଏକ ଖାଦ୍ଯ ପୁଡିଆ।

– ସାହେବ ଯଦି ଖରାପ ନ ଭାବିବ ମୋତେ ଟିକେ ପାଣି ଦେବ। ମୋତେ ଆଜି କଲୋନୀର ଜଣେ ବାବୁ ଏ ଖାଇବା ପୁଡିଆଟା ଦେଇଛନ୍ତି। କହିଲେ ଭଲ ହୋଟେଲର ଖାଇବା, ଖାଇ ନେବ। ଆଜି ଘରୁ ଖାଇବା ଆଣିନି। ଯଦି କିଛି ଆପତ୍ତି ନ ଥାଏ ଏଇଠି ବସି ଖାଇ ଦିଅନ୍ତି।

---- ଆରେ ତୁମ ମୁଣ୍ଡ ଖରାପ୍ ନା କଣ। ଆପତ୍ତି କାହିଁକି ରହିବ ଯେ! ଭିତରକୁ ଆସ। ଘରେ ମୁଁ ଏକୁଟିଆ। ଟେବୁଲରେ ବସି ଖାଇନେବ। ଏତିକି କହି ବାଧ୍ଯ କରି ବାହାଦୁର କୁ ଘର ଭିତରକୁ ଆଣିଲି। ସେ ବଡ ସଙ୍କୋଚରେ ପାଦ ଥାପିଥାପି ଆସିଲା ଓ ବହୁତ୍ ବାଧ୍ଯ କରିବା ପରେ ଟେବୁଲରେ ବସିଲା । ରୋଷେଇ ଘରୁ ପ୍ଲେଟ ଓ ପାଣି ବୋତଲ ଆଣି ତାକୁ ଦେଲି। କହିଲି ଆରାମରେ ଖାଇନିଅ। ଯେତେବେଳେ ଚାହିଁବ ମୋ ଘର ଆସିବ, ସଙ୍କୋଚ କରିବନି, ସେଥିରେ ମୁଁ ବହୁତ ଖୁସି ହେବି। ବାହାଦୁର ଆଖିରେ କୃତଜ୍ଞତାର ଭାଷା ସ୍ପଷ୍ଟ ପଢି ହେଉଥିଲା। ମୋତେ ପଚାରିଲା –

– ବାବୁ ତୁମେ ଖାଇଛ କି ନାହିଁ। ହସିହସି ମୁଁ କହିଲି ଆରେ ମୋ ଖାଇପିଇ ସାରିଲିଣି ତୁମେ ଆରାମ ରେ ଖାଅ।

ମୁହଁରୁ ଜଣା ଯାଉଥିଲା ବିଚରା ଭୋକରେ ଥିଲା। ବଡ ଆଗ୍ରହ ର ସହ ଖାଇବା ପୁଡିଆ ଟି ଖୋଲି ପ୍ଲେଟ୍ ରେ ସଜେଇ ରଖିଲା। କେମିତି ଗୋଟେ ଆମ୍ବିଳା ବାସ୍ନା ଖେଳିଗଲା ଘର ଭିତରେ। ବୋଧହୁଏ ଖାଇବା ସବୁ ବାସିଥିଲା ଓ ଦେବା ଲୋକ ଏ କଥା ଜାଣି ପାରି ବାହାଦୁର ହାତରେ ଧରାଇଥିଲା। ସେ ତରକାରୀ ରେ ହାତ ମାରି ଦେଖିଲା ଲାଳୁଆ ହୋଇଯାଇଥିଲା। ମୁଁ ଆଗରେ ବସିଥାଏ। ବାହାଦୁର ମୁହଁରେ କୌଣସି ପ୍ରତିକ୍ରିୟା ନ ଦେଖାଇ ଅନ୍ଯ ପୁଡିଆଟି ଖୋଲି ଫ୍ରାଏଡ ରାଇସ୍ କାଢିଲା। ପ୍ଲେଟ ଢାଳିବା ସମୟରେ ହିଁ ଜଣା ପଡୁଥିଲା ସେ ଖାଦ୍ଯର ଅବସ୍ଥା। କେମିତି ଏକ ଦୁର୍ଗନ୍ଧରେ ତା ମୁହଁର ଭାବଭଙ୍ଗୀ ପରିବର୍ତ୍ତନ ହୋଇଗଲା। ତଥାପି ସେ ଖାଇବା ଗୋଳାଇଲା ,କିନ୍ତୁ ପାଟିକୁ ନେବା ପୂର୍ବରୁ ଦୁର୍ଗନ୍ଧରେ ସେ ଅସ୍ତବ୍ଯସ୍ତ ହୋଇଉଠିଲା।

ବଡ ସଙ୍କୋଚରେ ଛେପ ଢୋକି କହିଲା

--- ସାହେବ ତୁମକୁ ଲାଗୁନି, ଏ ଖାଇବା ସବୁ ନଷ୍ଟ ହୋଇ ଯାଇଛି ବୋଲି। କେମିତି ଗୋଟେ ପଚା ଗନ୍ଧ ବାହାରୁଛି।

ମୁଁ ବଡ ପାଟି ରେ କହିଲି

--- ଫିଙ୍ଗିଦିଅ ସେସବୁ ଅଖାଦ୍ଯକୁ। ଖାଦ୍ଯ ନୁହଁ ତ ବିଷ ସେଗୁଡାକ, ଯିଏ ତୁମକୁ ଦେଲା ସେ ମଣିଷ ନା କଣ। ଏମିତି ବାସିଖାଦ୍ଯ ସେ ତୁମକୁ ଦେବାକୁ ସାହାସ କଲା କେମିତି। ଯିଏ ବି ଖାଇବ ଫୁଡ୍ ପଏଜନିଙ୍ଗରେ ଜୀବନ ଯିବାଛଡା ଅନ୍ଯଗତି ନାହିଁ। ଛିଃ ଏମିତି ଅମଣିଷ ମାନେ ବି ଅଛନ୍ତି ଏ ଦୁନିଆରେ।

ବାହାଦୁର ଆଖିରେ ଲୁହ ଜକେଇ ଆସିଲା। କହିଲା ଆମେ ଗରିବ ବୋଲି ଲୋକମାନେ ଆମକୁ ପଶୁ ଭାବରେ ଦେଖୁଛନ୍ତି। ଆମ ଜୀବନରେ ଖୁସି ନାହିଁ, ହସ ନାହିଁ। ଆମେ କେବଳ ଅନ୍ୟର ଫିଙ୍ଗା ଜିନିଷ ଖାଇ ବଞ୍ଚିବୁ ବୋଲି ଲୋକମାନେ ଭାବୁଛନ୍ତି। ଏପରି ଖାଇବା କୁକୁରକୁ ଦେଲେ ବି ସେ ମୁହଁ ମୋଡି ଚାଲିଯିବ। ମାତ୍ର ସେ ଲୋକ ଚକଚକିଆ ଜରିରେ ପୁରେଇ ମୋତେ ବିଷ ଧରେଇ ଦେଲା। କାହାକୁ କଣ କହିବି ମୁଁ।

ବାହାଦୁର ଭିତରେ ଜଳି ଉଠୁଥିବା ବିଦ୍ରୋହ କୁ ମୁଁ ଠିକ୍ ଦେଖି ପାରିଥିଲି। ସେ ଗରିବ ହୋଇପାରେ। ମାତ୍ର ତାର ଏ ଅବସ୍ଥା ଉପରେ ପରିହାସ କରିବାର ଅଧିକାର କାହାର ମଧ୍ଯ ନାହିଁ। ଯିଏ ବି ତାକୁ ଏ ଜିନିଷ ଦେଲା ସେ ନିହାତି ଭାବରେ ଭାବିଥିବ ଯେ ବାହାଦୁର ପରି ଲୋକ ମାନେ ସମାଜରେ କୁକୁର ବା ଘୁଷୁରୀ ଙ୍କ ଠାରୁ କୌଣସି ଗୁଣରେ କମ ନୁହଁ। ତାଙ୍କୁ ଅଇଁଠା, ବାସି, ପଚା ଯାହା ଦେଲେ ବି ସେ ମନ ଖୁସିରେ ଗ୍ରହଣ କରିବେ। ମୋ ମନ ଭିତରେ କ୍ରୋଧର ବହ୍ନି ଜଳୁ ଥିଲା। ମନ ହେଉଥିଲା ସେଇ ସମୟରେ ସେ ଲୋକ ଘରକୁ ଯାଇ ତା ମୁହଁ ରେ ଖାଇବାତକ ଫିଙ୍ଗି ଆସିବା ପାଇଁ। ମୋ ଭାବନାର ସୁଅ ରେ ରୋକ୍ ଲାଗିଗଲା ବାହାଦୁର ର କଥାରେ। ସାହେବ ମୁଁ ଯାଉଛି। ହାତରେ ଧରିଥିଲା ସେ ବାସି ଖାଇବା ତକ। ତାକୁ ଦେଇଥିବା ପ୍ଲେଟ୍ ଟି ଧୋଇ ପରିଷ୍କାର କରି ଟେବୁଲ ରେ ରଖି ସାରିଥିଲ।

--- ଆରେ ରୁହ ଯିବ କୁଆଡେ। ଆଜି ରାତିରେ ଖାଇବ କଣ?

–---- କିଛି ନାହିଁ ବାବୁ। ଖାଇବି ଆଉ କଣ। ଏସବୁ ଦେଖି ମୋ ଭୋକ ମରିଗଲା। ମନ ଜମା ଭଲ ଲାଗୁନି। ରାତି ତିନିଟା ବାଜିଲାଣି। ପାଣି ପେଟେ ପିଇ ଦେଇଛି। ଆଉ ବା କେତେ ସମୟ, ସକାଳେ ଦେଖିବି, ଘର କୁ ଗଲା ପରେ କିଛି ଖାଇ ନେବି। ଶାନ୍ତ ସରଳ ଭାବରେ କହିଲା ବାହାଦୁର।

ତା କଥା ନ ଶୁଣି ମୁଁ ରୋଷେଇଘରେ ପଶିଲି। ଦେଖିଲି ରୁଟି ଚାରି ପଟ ଅଛି। ଫ୍ରିଜରେ ଛେନା ଅଛି। ଗୋଟେ ପ୍ଲେଟ୍ ରେ ରୁଟି ଛେନା ଓ କିଛି ଚିନି ଆଣିଲି। କହିଲି

--- ମୋ ଘରକୁ ପ୍ରଥମ ଥର ଆସିଛ। କିଛି ନ ଖାଇଲେ ଯାଇ ପାରିବନି। ହସିହସି କହିଲି ଆରେ ମୁଁ ସେ ଲୋକ ପରି ବାସି ଖାଇବା ଦେଇନି। ନିଜେ ରୁଟି କରିଛି। ଆସି ଖାଇ ନିଅ।

ବାହାଦୁର ବୁଲି ଚାହିଁଲା, ମୋ ହାତ ଧରି କାନ୍ଦି ପକେଇଲା। କହିଲା

– ବାବୁ ପେଟ ଭୋକ ଅପେକ୍ଷା ଆତ୍ମାର ଆଘାତ ଟା ବେଶି ହୋଇଯାଇଛି। ବହୁତ ବାଧିଛି ମୋତେ। ସତରେ କଣ ଆମ ମାନଙ୍କର ଜୀବନ ପଶୁଠାରୁ ବି ଖରାପ୍ ? କଣ ଆମକୁ ଲୋକମାନେ ଏଇ ନଜରରେ ଦେଖନ୍ତି ? ଆମେ ମାନେ କଣ ଏ ମଣିଷ ସମାଜର ଏକ ଅଙ୍ଗ ନୁହଁ ?

– ସେମିତି କାହଁକି ଭାବୁଛ ତୁମେ। ଜଣେଲୋକ ପାଇଁ ତୁମେ ସମସ୍ତଙ୍କୁ ଏମିତି ଭାବିବା ଟା ଠିକ ନୁହେଁ। ଭଦ୍ର ସମାଜରେ ବି ବହୁତ ପଶୁମାନେ ମୁଖା ଘୋଡେଇ ଚାଲିଛିନ୍ତି। ସେମାନଙ୍କ ନଜର ରେ ନିଜ ଛଡା ଅନ୍ଯ ସମସ୍ତେ ଇତର ପଶୁ। ତେଣୁ ସେମାନଙ୍କ ପାଇଁ ନିଜ ମନରେ କଷ୍ଟ ଦିଅନି। ଭବିଷ୍ଯତରେ ଯଦି କେହି ତୁମକୁ ଏମିତି କିଛି ଦେଲା ମୁହଁ ଉପରେ ମନା କରିଦେବ। ବାସ୍ କାମ ତମାମ। ଏବେ ସେସବୁ କଥା ଛାଡ। ଗୋଟେ ବଡ ଭାଇପରି କହୁଛି, ଆସି ଖାଇନିଅ।

ବାହାଦୁର ବାଧ୍ଯ ପିଲା ଟି ପରି ଆସି ଟେବୁଲ ରେ ବସି ଖାଇଲା। ମୁଁ ଜାଣି ପାରୁଥାଏ ତା ମନର ଅବସ୍ଥା। ମୋତେ ନିଜକୁ ଖରାପ ଲାଗଥାଏ। କେମିତି ଲୋକ ସବୁ ଅଛନ୍ତି ଏ ଦୁନିଆ ରେ।

ବାହାଦୁର ହାତ ଧୋଇ ସାରିଲା ପରେ ମୁଁ କହିଲି

– ମୋର ଗୋଟେ ଅନୁରୋଧ। ଯେତେ ବେଳେ ଯାହା ଅସୁବିଧା ହେବ ମୋତେ କହିବ। ନିଜ ବଡ ଭାଇପରି ଭାବିବ ମୋତେ।

ହାତ ଯୋଡି ବାହାଦୁର କହିଲା, ସାହେବ ଏତେ ବଡ କଥା କୁହନ୍ତୁନି। ମୋ ପରି ଇତର ମଣିଷ କୁ ନିଜ ଭାଇ ବୋଲି କଣ ପାଇଁ କହୁଛନ୍ତି। ମୁଁ ଆଜି ଅଛି କାଲି କି ନଥିବି। ସହରରେ ବୁଲୁଥିବା ବୁଲାକୁକୁର ପରି ମୋ ଜୀବନ। ଆପଣଙ୍କ ପରି ବଡଲୋକ ମୋତେ ଆଜି ଖାଇବାକୁ ଦେଇ ଯିତିକି ସମ୍ମାନ ଦେଲେ ମୁଁ ସାରା ଜୀବନ ଭୁଲିବିନି। ବାସ୍ ସେତିକି ଯଥେଷ୍ଟ ମୋ ପାଇଁ। ଭଗବାନ ଆପଣଙ୍କୁ ବହୁତ୍ ଖୁସି ଦିଅନ୍ତୁ। ଏବେ ମୁଁ ଯାଉଛି। ଆହୁରି ବହୁତ ଯାଗାରେ ପହରା ଦେବାର ଅଛି। ଚୋର ମାତିଛନ୍ତି ସହରରେ। କିଛି ଅଘଟଣ ଘଟିଗଲେ ସବୁ ଦୋଷ ମୋତେ ହିଁ ଦେବେ। ଅଣ୍ଟାରେ ଖୋସିଥିବା ଭୁଜାଲିକୁ ଖୋଲି ଭଲରେ ପୋଛି ପୁଣି ଯଥାସ୍ଥାନରେ ରଖି ବାହାରକୁ ଚାଲିଗଲା ସେ।

ମୁଁ ନିର୍ବାକ ହୋଇ ଠିଆ ହୋଇ ଭାବୁଥାଏ , ଆଜିକାଲି ସମାଜର ଚଳଣି କୁ। ଧନ୍ଯ ଏ ସମାଜ। ପଛେ ନିଜ କୁକୁର କୁ ଏସି ରୁମରେ ଶୁଆଇବେ, କାର୍ ସିଟରେ ବସେଇ ବଜାର ବୁଲେଇନେବେ, ତାଙ୍କ ମାନଙ୍କ ପାଇଁ ସ୍ନାସ୍ଥ୍ଯକର ଖାଇବା ଆଣିବେ, କିନ୍ତୁ ମଣିଷ ମାନଙ୍କ ପାଇଁ ବାସି, ପଚା ଖାଦ୍ଯ ପୁଡିଆରେ ଗୁଡେଇ ଧରେଇଦେବେ। ଧିକ୍ ଏ ସମାଜ କୁ।

ସେଦିନ ରାତିରେ ଭଲ ନିଦ ହେଲାନି ମୋତେ। ଖାଲି ବାହାଦୁରର ଲୁହ ଛଳଛଳ ଆଖି ଯୋଡିକ ଦିଶୁଥାଏ। କେତେ ବାଧି ଥିବ ବିଚରା ଲୋକଟିକୁ।

ଦିନ ପରେ ଦିନ ବିତି ଚାଲିଲା। ପ୍ରାୟ ସବୁଦିନ ମୋର ଦେଖା ହୁଏ ତା ସହ। ରାତିରେ ସେ ମୋ ଘର ଆଗ ଦେଇ ଗଲା ବେଳେ କିଛି ସମୟ ନିହାତି କଥା ହୁଏ। ଦିନେ ତାକୁ ପଚାରିଲି

– ତୁମେ ଏ ଭୁଜାଲି କୁ କେବେ ବ୍ଯବହାର କରିଛ ନା ସେମିତି ଖାଲି ପାଖରେ ରଖିଛ।

ହସିଲା ବାହାଦୁର। କହିଲା ସାହାବ ମୋ ପୁଅ ବି ତୁମ ପରି ମୋତେ ପଚାରେ ସଦାବେଳେ ଏଇ କଥା। ମୁଁ କରାଟେ ଶିଖିଛି। ଭୁଜାଲି ଚଳାଇବା ସହ ଆହୁରି ଅନେକ ପ୍ରକାର ର ଯୁଦ୍ଧକଳା ବି ଶିଖିଛି । ଅବଶ୍ଯ କେବେ ବ୍ଯବହାର କରିବାର ସୁଯୋଗ ପାଇନି। ଆମ ବାହାଦୁର ଜାତି କୁ ଏ ସବୁ ଶିଖିବାକୁ ପଡେ। ନୋହିଲେ ଆମକୁ କିଏ ବା କାହିଁକି ଖାତିର କରନ୍ତା ।

ସେଦିନ ପ୍ରଥମ ଥର ପାଇଁ ମୁଁ ବାହାଦୁର ର ମାଂଶପେଶୀ ବହୁଳ ହାତ ଦୁଇଟାକୁ ନିରୀକ୍ଷଣ କଲି। ସତରେ ଚଉଡା ବପୁ ଓ ଶକ୍ତ ବାହୁ ଯୋଡା ,ବାହାଦୁର ର ବାହାଦୁରୀ କୁ ଆହୁରି ବଢାଇ ଦେଉଥିଲା।ସେଦିନ ବାହାଦୁର ବହୁତ ବ୍ଯସ୍ତ ଜଣା ପଡୁଥିଲା। ପଚାରିବାରୁ କହିଲା ଯେ

– --ଏଇ କଲୋନୀରେ ଥିବା ରାଏ ବାବୁଙ୍କର ଝିଅ ବାହାଘର ଅଛି। ସେଥିପାଇଁ ମୋତେ ଟିକେ ସାବଧାନ ରହିବାକୁ କହିଛନ୍ତି। ତାଙ୍କ ଘରେ ଗହଳ ଚହଳ ଲାଗି ରହିଛି। ଯାବତୀୟ ଜିନିଷପତ୍ର ବାହାରେ ପଡିଛି। ସେଇଥି ପାଇଁ ମୋତେ ଟିକେ ବେଶି ପହରା ଦେବାକୁ ହେବ। ଆଜି କାଲି ସହରରେ ଚୋରଙ୍କ ଉତ୍ପାତ ବଢି ଯାଇଛି। ସେଥି ପାଇଁ ତାଙ୍କର ବେଶି ଚିନ୍ତା।

– – ଆରେ ତୁମେ ଥାଉ ଥାଉ କାହାର ସାହାସ ଅଛି ଆମ କଲୋନୀରେ ଚୋରି କରିବ। ତୁମେ ତାକୁ ବାଡେଇ ଛତୁ କରି ଦେବାକୁ କେତେ ସମୟ ଲାଗିବ। ଏତିକି କହି ମୁଁ ହସିଲି। ବାହାଦୁର ବି ହସିଲା ଗୋଟେ ମନଖୋଲା ହସ। ବୋଧ ହୁଏ ଏମିତି ପ୍ରଶଂସା ଶୁଣିବା ତା ଭାଗ୍ଯରେ କେବେ ଜୁଟି ନ ଥିଲା।

–- ମୁଁ ଚାଲିଲି ସାହେବ୍। ବହୁତ୍ ଯାଗା ବୁଲିବାର ଅଛି।

ସତ କୁ ସତ ତା ପର ଦିନ ଜଣେ ମଧ୍ଯ ବୟସ୍କ ଲୋକ ହାତରେ ବାହାଘର କାର୍ଡ ଧରି ମୋ ଘରେ ପହଞ୍ଚିଲେ।

--- ଆଜ୍ଞା ମୁଁ ରାମଚନ୍ଦ୍ର ରାଏ। ଏଇ କଲୋନୀରେ ଆପଣଙ୍କ ପଡୋଶୀ। ସହରରେ ଯେଉଁ ବଡ ଲୁଗାଦୋକାନ ଅଛି ତାହା ମୋର। ମୋ ବଡ ଝିଅର ବାହାଘର ଅଛି। ଆପଣଙ୍କ ସହ କେବେ ଦେଖା ହୋଇନଥିଲା। ତେଣୁ କାହା ହାତରେ କାର୍ଡ ନ ପଠେଇ ନିଜେ ଚାଲିଆସିଲି। ନିହାତି ଆସିବେ। ଆପଣଙ୍କ ପରି ସାହେବ ଲୋକ ମୋ ଘରକୁ ଆସିଲେ ମୋ ସମ୍ମାନ ବଢିବ। ମୁଁ ସେଦିନ ସେଲସ୍ ଟାକ୍ସ ଅଫିସକୁ ଯାଇଥିଲି। ଆପଣଙ୍କ ଷ୍ଟାଫ ମାନେ କହିଲେ ଆପଣ ଆମ କଲୋନୀରେ ରହୁଛନ୍ତି ବୋଲି। ଆମ ଭାଗ୍ଯ ଆପଣଙ୍କୁ ଆମ ଗହଣ ରେ ପାଇଛୁ।

ଏକ ନିଶ୍ବାସରେ କହି ସାରିବାପରେ ଲୋକ ଜଣଙ୍କ ମୋ ମୁହଁ କୁ ଚାହିଁଲେ। ମନେମନେ ହସିଲି ମୁଁ। ତା ମାନେ ଏ ବାହାଘର କାର୍ଡ ମୋ ପାଇଁ ନୁହଁ , ଏ କାର୍ଡ ସେଇ ସେଲସ୍ ଟାକ୍ସ ଅଫିସରଙ୍କୁ ଯାହାଙ୍କ ହାତରେ ଦୋକାନୀ ମାନଙ୍କର ଭାଗ୍ଯ ନିର୍ଦ୍ଧାରିତ ହୁଏ। ତଥାପି ସୌଜନ୍ଯତା ଦୃଷ୍ଟିରୁ କହିଲି

– ନିହାତି ଯିବି ଆଜ୍ଞା। ଏ ଦୂର ଯାଗାରେ ଆପଣ ମାନେ ତ ମୋ ପରିବାର। ଗୋଟିଏ କଲୋନୀରେ ରହୁଛେ ଯେତେବେଳେ ଆପଣଙ୍କ ଖୁସିରେ ସାମିଲ ହେବିନି କେମିତି। ଟିକେ ଅପେକ୍ଷା କରନ୍ତୁ । ଚାହା ଟିକେ ପିଇ ଯିବେ। ମୋ କଥା ଶୁଣି ଲୋକ ଜଣକ କୃତ୍ଯକୃ ତ୍ଯ ହୋଇଗଲା।

--- ନାଁ ଆଜ୍ଞା, ଆପଣ ଚାହା କରିବେ ମୁୁଁ ପିଇବି। ସେମିତି ଯମା ହେବନି। ମୋତେ ବହୁତ ଯାଗାରେ କାର୍ଡ ଦେବାକୁ ହେବ। ଆପଣଙ୍କୁ ଅନୁରୋଧ ନିହାତି ଆସିବେ। ଆପଣଙ୍କ ଅଫିସ ର ସବୁ ଷ୍ଟାଫ୍ ମାନଙ୍କୁ ବି କହିଛି ଆସିବା ପାଇଁ।

ଏତିକି କହି ଲୋକଟି ଚାଲିଗଲା। ମୁଁ ଜାଣି ପାରିଲି ତା ମାନେ ଇଏ ସେଇ ରାଏ ବାବୁ ଯାହା ଝିଅ ବାହାଘର ଅଛି। ଏଇ ଲୋକ ପାଇଁ ଆମ ବାହାଦୁର ଏତେ ବ୍ଯସ୍ତ। କାର୍ଡରେ ଥରେ ଆଖି ବୁଲେଇ ନେଲି। ଆଉ ଦୁଇ ଦିନ ପରେ ବାହାଘର।

ସେଦିନ ରାତିରେ ବାହାଦୁର ବେଶ୍ ଖୁସି ଜଣା ପଡୁଥିଲା। ପଚାରିଲାରୁ କହିଲା--

– ଆଜି ରାଏ ବାବୁଙ୍କ ଝିଅ, ମାନେ ସେଇ ଝିଅ ଯାହାର ବାହାଘର ଅଛି, ତାଙ୍କ ବାହାଘରକୁ ମୋ ପରିବାର ସହ ଆସିବାପାଇଁ କହିିଛନ୍ତି। ଏତେ ବଡଲୋକ ମୋତେ ଡାକିଛନ୍ତି । ମୋ ପାଇଁ କେତେ ବଡ କଥା।

ତା କଥା ଶୁଣି ମୁଁ ବି ଖୁସି ହେଲି। ଯାହାହେଉ ଝିଅଟିର ହୃଦୟ ଅଛି। ବାହାଦୁରକୁ ଡାକିଛି ବହୁତ ବଡ କଥା। କାରଣ ରାଏବାବୁ ର ବଡଦୋକାନ ଅଛି, ଧନସମ୍ପତ୍ତି ବି ଅମାପ। ତେଣୁ ତା ଘରକୁ ବହୁତ ବଡବଡିଆ ଲୋକ ଆସିବେ। ସେମିତି ଗୋଟେ ଉତ୍ସବରେ ସାମିଲ ହେବା ବାହାଦୁର ପାଇଁ ଗୌରବ ର କଥା ନିଶ୍ଚୟ। ମୁଁ ଉତ୍ସାହିତ ହୋଇ କହିିଲି-

– ଆରେ ସେ ରାଏ ବାବୁ ମୋତେ ବି ଡାକିଛନ୍ତି। ଯାହା ହେଉ ସେଦିନ ତୁମ ପରିବାର ଲୋକଙ୍କ ସହ ମୋର ସାକ୍ଷାତ ବି ହେଇଯିବ। ତୁମେ ଆସିବ, ଆମେ ସାଙ୍ଗ ହୋଇଯିବା।

ମୋ କଥା ଶୁଣି ଶାଙ୍କୁଡି ହୋଇଗଲା ବାହାଦୁର। କହିଲା ବାବୁ ଆପଣ ମୋ ସହ ଦି ପଦ ଭଲ ରେ କଥା ହେଉଛିନ୍ତି, ତାହା ମୋ ପାଇଁ ବହୁତ୍ ବଡ । ଆପଣଙ୍କ ସହ ଭୋଜିକୁ ଯିବାର ଧୃଷ୍ଟତା ମୁଁ କରିପାରିବିନି। କେତେ ଲୋକ ଥିବେ। ସବୁ କଣ କହିବେ। ଆପଣଙ୍କ ସହ ଦେଖାହେବ ଭୋଜିରେ। ପୁଣି ମୋ ସ୍ତ୍ରୀ ଓ ପୁଅକୁ ନେଇ ମୁଁ ଆସିବି। ତେଣୁ ଅସୁବିଧା ହେବ ଆପଣଙ୍କ ସହ ଗଲେ। ଏମିତି କହି ମୋ କଥା ଟାଳିବାକୁ ଲାଗିଲା ସେ। ତାକୁ ବାଧ୍ଯ କରିବା ଟା ମୋତେ ଉଚିତ୍ ମନେ ହେଲାନି। ହସିହସି ତାକୁ କହିିଲିି ତେବେ ଠିକ୍ ଅଛି। ସେଇ ଭୋଜିରେ ଦେଖା ହେବ ଆମର।

ରାଏବାବୁର ଘର ସେଦିନ ପୃଥିବୀର ସପ୍ତାଶ୍ଚର୍ଯ୍ଯ ଭିତରୁ ଗୋଟିଏ ପରି ଦିଶୁଥିଲା। ବହୁତଳ ପ୍ରାସାଦ ଟି ଉଜ୍ଜଳ ଆଲୋକମାଳାରେ ସଜେଇ ହୋଇ ରହିଥିଲା। ଦୂର ରୁ ଦେଖିଲେ ଲାଗୁଥିଲା ସତେ କି ଢେଙ୍କାନାଳର ଲକ୍ଷ୍ମୀପୂଜା ମେଢ ଚାଲିଛି। ଘର ଆଗରେ ଧାଡି କରି ଥୁଆ ଯାଇଥାଏ ଅତି ଦାମୀକା ଗାଡିମାନ ଯାହାର ମୂଲ୍ଯ ଲାକ୍ଷାଧିକ। ଟେଣ୍ଟ କରିଥିବା ଲୋକଟି ନିଜର ସମସ୍ତ ଜିନିଷ ଲଗେଇ ଥିଲା ବୋଧେ ସେହି ବାହାଘର ରେ,ନହେଲେ ଏମିତି ଇନ୍ଦ୍ରପୁରର ଭ୍ରମ ସୃ ଷ୍ଟି ହୁଅନ୍ତା କିପରି। ଘର ବାହାରେ ସଜେଇ ହୋଇ ରହିଥିଲେ ନୂତ୍ଯାଙ୍ଗନା ମୂର୍ତ୍ତି, ମୟୁର ଆହୁରି କେତେ କଣ। ରାସ୍ତା ପାଖରୁ ବାହାଘର ଯାଗା ଯାଏ ଲମ୍ବି ରହିଥିଲା ଦାମୀ କାର୍ପେଟ୍, କାଳେ ଅତି ବିଶିଷ୍ଟ ଅତିଥି ମାନଙ୍କର ବହୁମୂଲ୍ଯ ଯୋତା ରେ ଧୂଳି ଲାଗିଯିବ। ତା ସାଙ୍ଗକୁ ସେଇ ରାସ୍ତା ଉପରେ ପାଖାପାଖି ପଚାଶ ଜଣ ସିକ୍ଯୁରିଟି ଗାର୍ଡ ହାତରେ ବାଡି ଓ ଟର୍ଚ୍ଚ ଧରି ସାବଧାନ ହେବା ଭଙ୍ଗିରେ ଛିଡା ହୋଇଥିଲେ। ଗାଡି ସବୁ ଆସିବା ମାତ୍ରେ ସେଗୁଡିକୁ ଠିକ୍ ଯାଗାରେ ପାର୍କିଙ୍ଗ କରିବା କାମ ତାଙ୍କର ଥିଲା। ମୁଁ ଆଜିଯାଏ ଯେତେ ବାହାଘର ଯାଇଛି ଏମିତି ହାଇ-ସୋସାଇଟି ବାହାଘରରେ ସାମିଲ ହେବାର ସୌଭାଗ୍ଯ କେବେ ମିଳି ନ ଥିଲା । ଘର ପାଖ ବୋଲି ଚାଲିଚାଲି ଯାଇଥିଲି। ସେମିତି କାହା ସହ ଅତି ଚିହ୍ନା ପରିଚିତ ବି ହୋଇ ନ ଥିଲି। ତେଣୁ ମନରେ ଆଶଙ୍କା ଆସୁଥିଲା, ଯଦି ମୋତେ କେହି ଚିହ୍ନି ନ ପାରିବେ ତେବେ କଣ ହେବ। ତଥାପି, ନିଜ ପଦବୀ ର ଖୋଳ ମୋତେ ସୁରକ୍ଷା ଦେଇଥିଲା। ସିଂହ ଜଙ୍ଗଲରେ ରହୁ କି ପିଞ୍ଜରା ରେ ସେଇ ସିଂହ ହୋଇ ରହିବ। ତେଣୁ ମୁଁ ସୁଟ୍ ପିନ୍ଧେ କି ଗାମୁଛା, ସେଇ ସେଲସଟାକ୍ସ ଅଫିସର ଭାବରେ ମୋ ଓଜନ ଟା ବଜାୟ ରହିବ। ରାଏବାବୁ ର ଗେଟ୍ ପାଖରେ ପହଞ୍ଚିଲା ବେଳକୁ ଉଗ୍ର ଆଧୁନିକ ବେଶରେ ସଜ୍ଜିତ ଦୁଇଜଣ ତରୁଣୀ ମୋ ମୁଣ୍ଡ ଉପରେ ଫୁଲପାଖୁଡା ଓ ଅତର ସିଞ୍ଚନ କରି ଘର ଭିତରକୁ ପାଛୋଟିନେଲେ। ଭିତରେ ଥିବା ନାରୀ ମାନଙ୍କୁ ଦେଖି ମୋର ଆଶ୍ଚର୍ଯ୍ଯର ସୀମା ରହିଲାନି। ସେମାନଙ୍କୁ ଦେଖିଲେ ଲାଗୁଥିଲା ଗହଣା ଦୋକାନର ସମସ୍ତ ଭାର ନିଜ ଶରୀରରେ ବହନ କରି ବାହାଘରରେ ଯୋଗ ଦେବାପାଇଁ ଆସିଛନ୍ତି। ଯାହାକୁ ଦେଖିବ, ଲାଗିବ ସତେକି ଜଗନ୍ନାଥଙ୍କର ସୁନାବେଶର ପ୍ରତିରୂପ। ପ୍ରତି ଟି ନାରୀ ଶରୀରରେ ପାଖାପାଖି ଅଧାକେଜି ସୁନା। ମୋ ଜନ୍ମ ଜାତକରେ ଏମିତି ବେଶରେ ସଜ୍ଜିତା ନାରୀ ମାନଙ୍କୁ ଦେଖିବାର ଅବକାଶ ଜୁଟିନି କେବେ। ସେମାନଙ୍କ ସାମନାରେ ମୁଁ ନିଜକୁ ଏକ ତୁଚ୍ଛ ଜୁଳୁଜୁଳୁଆ ପୋକ ପରି ଅନୁଭବ କରୁଥିଲି। ଜୁଳୁଜୁଳିଆ ପୋକ ର ଉଦାହରଣ ଦେବାର ତାତ୍ପର୍ଯ୍ଯ ଏହିକି ଯେ ମୋ ପାଖରେ ସେଇ ଚାକିରୀ ର ଆଲୋକ ଯାହା ମିଞ୍ଜିମିଞ୍ଜି ହୋଇ ଜଳୁଥିଲା। ବାସ୍ ତା ଛଡା ଆଉ କିଛି ବି ନ ଥିଲା। ହୀନମନ୍ଯତାର ନାଗଫାଶରେ ଗୁଡେଇ ତୁଡେଇ ହେବା ସମୟରେ କାହା ସ୍ବରରେ ନିଜକୁ ବ୍ଯବସ୍ଥିତ କଲି । ଦେଖିଲି ସାମନା ରେ ରାଏ ବାବୁ। ହାତ ଯୋଡି ନମସ୍କାର କରି କହିଲେ

– ମୋ ଭାଗ୍ଯ ଆପଣ ମୋ ଘରେ ପାଦ ପକାଇଲେ। ଅଫିସ ର ଷ୍ଟାଫ୍ ମାନେ ବି ଆସି ଗଲେଣି। ଆଉ ବିଳମ୍ବ ନ କରି ଆସି କିଛି ଖାଇନିଅନ୍ତୁ।

ରାଏବାବୁର କଥା ଶୁଣି ମୁଁ କୃତ୍ଯକୃତ୍ଯ ହୋଇଗଲି।

କିଛି ସମୟ ପାଇଁ ଭୁଲିଗଲି, ଯେଉଁ ଟଙ୍କାଗର୍ବରେ ଏମାନେ ଆଜି ମତ୍ତହସ୍ତୀ ପରି ହେଉଛନ୍ତି, ସେ ପଇସା ଚୋରି ଓ ବେଇମାନିର। ସରକାରଙ୍କୁ ଲକ୍ଷଲକ୍ଷ ଟଙ୍କାର ଟିକସ ଫାଙ୍କି, ଗରିବ ଲୋକଙ୍କ ତଣ୍ଟିରେ ମଡା ପକେଇ ଓ ଯେତେ ପ୍ରକାରର ଅନ୍ଯାୟ, ଅନୀତି କରି ଏଇ ଟଙ୍କା ସବୁ ରୋଜଗାର କରିଛନ୍ତି। ଏମାନଙ୍କ ସ୍ତ୍ରୀ ମାନଙ୍କର ବେକରେ ଶୋଭା ପାଉଥିବା କୋଟିକୋଟି ଟଙ୍କାର ହାରରେ, କେତେ ଗରିବ, ନିରିହ ସ୍ତ୍ରୀ ଲୋକଙ୍କର ମଙ୍ଗଳସୂତ୍ର ବଳି ପଡିଛି ତାର ହିସାବ ନାହିଁ। ଅନ୍ଯର ରକ୍ତଶୋଷି ଜୋକ ଯେମିତି ମୋଟାସୋଟା ହୋଇ ଅୟସରେ ବଞ୍ଚେ, ଏମାନେ ଠିକ୍ ସେଇପରି ନିଧଡକ ବଞ୍ଚୁଛନ୍ତି।

ନିଜକୁ ପ୍ରକୃତିସ୍ଥ କଲି। ନାଁ ମୁଁ ଏମିତି ହେବା ଯମା ବି ସମୀଚିନ ନୁହଁ। ଯଦି ମୋ ମନର ଭାଷା ରାଏବାବୁ ପଢି ଦେବ, କାଲି ସକାଳେ ଲାଞ୍ଚ ଧରି ମୋ ଅଫିସରେ ହାଜର ହୋଇଯିବ। ଗଳାରେ ଟିକେ ହାକିମାତି ଆଣି ପଚାରିଲି

--- ରାଏ ବାବୁ , ଆୟୋଜନ ବେଶ୍ ଜୋରଦାର ହୋଇଛି। ଝିଅ କେଉଁଠାରେ ଅଛି। ତାକୁ ଟିକେ ଦେଖି ଦିଅନ୍ତେ।

ମୋତେ ସେ ଝିଅର ବେଦୀ ପାଖକୁ ନେଇ ପରିଚୟ କରେଇ ଦେଲା। ଝିଅ ମୋ ପାଦ ଛୁଇଁ ପ୍ରଣାମ କଲା ଓ ଆଶିର୍ବାଦ ଦେବା ସହ ତା ହାତରେ ଧରେଇ ଦେଲି ଦୁଇ ହଜାର ଟଙ୍କା ଥିବା ଏକ ଲଫାପା। ସେଠାରୁ ରାଏ ବାବୁ ମୋତେ ଖାଇବା ଯାଗାକୁ ନେଇଗଲେ ଓ ମୋ ଠାରୁ ବିଦାୟ ନେଇ ଅନ୍ଯ ଅତିଥି ମାନଙ୍କ ପାଖକୁ ଚାଲିଗଲେ। ଖାଇବା ଜାଗା ଟି ବାଲିଯାତ୍ରା ପଡିଆ ଠାରୁ କୌଣସି ଗୁଣରେ କମ ନ ଥିଲା। ଯାହା ଯାହା ଚିନ୍ତା କରାା ଯାଇପାରେ ସବୁ ମହଜୁଦ୍ ଥିଲା ସେ ଯାଗାରେ। ମାତ୍ର ମନେମନେ ମୁଁ ଖୋଜୁଥିଲି ବାହାଦୁରକୁ। ସେ କହିଥିଲା ତାକୁ ଡାକିଛନ୍ତି ବୋଲି। ନିହାତି ଆସିଥିବ। ଚାରିଆଡେ ଆଖି ବୁଲେଇଲି, ମାତ୍ର ଏତେ ଗହଳି ରୁ କାହାକୁ ପାଇବା କଷ୍ଟ।

ହଠାତ୍ କୋଳାହଳ ଶୁଭିଲା। ମାର ତାକୁ- - ଶଳା ଭିକାରି କୁଆଡେ ପଶି ଆସିଛି। ଲୋକ ଗଲଳି ଆଡେଇ ଯିବାକୁ ଚେଷ୍ଟା କଲି , ମାତ୍ର ଆଗକୁ ଯାଇ ହେଲାନି। ଦୂର ରୁ ଯାହା ଦିଶିଲା ଜଣେ ସ୍ତ୍ରୀ ଲୋକ ଜଣେ ପୁରୁଷ କୁ ଲୋକଙ୍କ ମାଡରୁ ବଞ୍ଚେଇବାର ପ୍ରୟାସ କରୁଛି। ଲୋକଟି ପେଟରେ ବୋଧେ କିଏ ମାଡ ମାରିଛି, ତଳେ ପଡି କଷ୍ଟରେ ଗଁ ଗଁ କରୁଛି। ପାଖରେ ସାନ ପିଲାଟିଏ ଜୋରରେ କାନ୍ଦୁଛି। ଲୋକଟିର ହାତରେ ନାଲି ଜରିରେ ଗୁଡା ଯାଇଥିବା ଏକ ଗୋଟେ ପ୍ଯାକେଟ୍ ଅଛି। ବୋଧ୍ ହୁଏ ଲୋକ ଟି କିଛି ଉପହାର ଧରି ବାହାଘରକୁ ଆସିଥିଲା। କିନ୍ତୁ ଏ କଣ, ଅନାର୍ଯ୍ଯ ଲୋକଗୁଡା ତାକୁ ଏମିତି ପଶୁ ପରି ମାରି ଚାଲିଛନ୍ତି କାହିଁକି। ଚାରିପଟରେ ତଥାକଥିତ ଭଦ୍ରଲୋକ ମାନେ ପାଟିରେ ହାତ ଦେଇ ତାମସା ଦେଖିବାରେ ବ୍ଯସ୍ତ। କେହି ଜଣେ ବି ଆଗେଇ ଆସି ସେ ଲୋକକୁ ବଞ୍ଚେଇବାର ପ୍ରୟାସ ବି କରୁ ନାହାଁନ୍ତି। ବରଂ କହୁଥାନ୍ତି

– ଆଜିକାଲି ଏ ଭିକାରୀଗୁଡା ଯାହା ହେଉଛନ୍ତି ଏମାନଙ୍କୁ ଗୁଳିକରି ମାରିଦେବା କଥା। ଯୁଆଡେ ବାହାଘର ଭୋଜି ଦେଖିଲେ କୁକୁର ପରି ମାଡି ଆସୁଛନ୍ତି। କେତେ ଜଗିବ ଏମାନଙ୍କୁ। ରାଏବାବୁ ରାଗରେ ଜର୍ଜରିତ ହୋଇ କହୁଥାନ୍ତି

– ଶଳା ଚୋରକୁ ପୋଲିସ୍ ରେ ଦିଅ। ଭିକାରୀ କୋଉଠିକାର। ୟାକୁ ଦେଖିଲେ ମୋ ଗେଷ୍ଟମାନେ କଣ ଭାବିବେ। ୟା ବେଶପୋଷାକ ଦେଖ, କେମିତି ପଶିଲା ସେ ଭିତରେ। ଏତେ ସିକ୍ଯୁରିଟି ଜଗେଇଲା ପରେ ବି ଭିତରକୁ ଆସିଲା କେମିତି। ବାଡାଅ ଶଳା କୁ। ଏମିତି ମାଡ ଦିଅ ଯେମିତି ଜୀବନ ଥିବା ଯାଏ କାହା ବାହାଘର କୁ ଯିବାର ସାହାସ କରିବନି।

ଲୋକଟିର ପାଖରେ ଗଞ୍ଜାକେଶ ଧାରି କିଛି ତରୁଣ ସେଲଫି ନେବାରେ ବ୍ଯସ୍ତ। ଏମିତି ଏକ ଜୀବନ୍ତ ଆକ୍ସନସିନ୍ କୁ ହାତଛଡା କରିବାକୁ ସେମାନେ କେହି ଚାହୁଁ ନଥିଲେ। ସାଙ୍ଗେସାଙ୍ଗେ ସେ ଫଟୋକୁ ଫେସବୁକରେ ଅପଲୋଡ କରିବା ପାଇଁ ସମସ୍ତଙ୍କର ବ୍ଯଗ୍ରତା କାହିଁରେ କଣ।

ଦାମୀ ବୋତଲରୁ ଝରୁଥିବା ମଦରେ ମତୁଆଲା ଥିବା ଯୁବକ ମାନଙ୍କ ପାଇଁ ରାଏବାବୁ ର କଥା ଥିଲା ନିଜ ପୌରୁଷତ୍ବ କୁ ପ୍ରମାଣ କରିବାର ଏକ ମାତ୍ର ସୁଯୋଗ। ସେମାନେ ଦଳି ଦେଇଗଲେ ତଳେ ପଡିଥିବା ଲୋକଟିକୁ। ପାଖରେ ବସିଥିବା ନାରୀଟି ନିଜ ସିନ୍ଦୁର କୁ ବଞ୍ଚାଇବାପାଇଁ ଯେତେ ଚେଷ୍ଟାକଲେ ମଧ୍ଯ ବିଫଳ ହେଉଥିଲା। ତାକୁ ମଧ୍ଯ ଛାଡୁ ନଥିଲେ ଲୋକେ। ପିଶାଚ ଗୁଡାକ ନିରୀହ ପିଲାଟିକୁ ମଧ୍ଯ ବାଡେଇବାକୁ ଲାଗିଲେ। ସତେ ଯେମିତି ଏକ ବିରାଟ ବିଷାକ୍ତ ସାପ ପଶି ଆସିଛି ସେହି ସ୍ଥାନକୁ। ପାଖରେ ଛିଡା ହୋଇଥିବା ନାରୀମୂର୍ତ୍ତି ମାନେ ନିଜର ଶାଢୀ ସଜାଡିବାରେ ବ୍ଯସ୍ତ ଥାଆନ୍ତି। ଲାଗୁଥିଲା ଯେପରି ସେ ଲୋକଟିର ଉପସ୍ଥିତି ଫଳରେ ପରିବେଶ ଟା ବିଷାକ୍ତ ହୋଇଗଲା। ସେମାନଙ୍କର ଯାତନା ସେତିକି ରେ ସରିଲାନି, କିଏ ଜଣେ ଆସି ଲୋକଟି ଉପରେ ଗରମସୁପ୍ ଢାଳିଦେଲା, ଠିକ୍ ଯେମିତି ଜଳଖିଆ ଦୋକାନରେ କୁକୁର ପଶିଗଲେ ଦେକାନୀ ଗରମପାଣି ଫିଙ୍ଗିଦିଏ। ଲୋକଟିର କଥା କହିବାର ଶକ୍ତି ନ ଥାଏ। କେବଳ ନିଜ ଦେହ କୁ ହଲାଇ ଜଣାଉଥାଏ ଯେ ସେ ଆଉ କଷ୍ଟ ସହିପାରୁନି। ଏସବୁ ଲାଗୁଥିଲା ସତେକି ତାଲିବାନୀ ଦେଶର ଦଣ୍ଡ ପ୍ରକ୍ରିୟା ଚାଲିଛି। ସେ ଲୋକଙ୍କ ଭିତରୁ କିଏ ଜଣେ କହିଲା

--- ଆରେ ଦେଖ ତା ହାତରେ ପୁଡିଆ ଟେ ଧରିଛି । ଦେଖିଲେ ଲାଗୁଚି କିଛି ଗୋଟେ ଉପହାର ହୋଇଥିବ। ଚୋର ଟା ଆମ ଝିଅର ଉପହାର ରୁ କିଛି ଚୋରି କରିନି ତ?

ବାସ୍ ନିଆଁ ରେ ଘିଅ ଢାଳିବା ପରି ଏଇ କଥା ଟି ସେଠରେ ଥିବା ଲୋକଙ୍କୁ ଆହୁରି ମତୁଆଲା କରିଦେଲା।

ଶଳା ଚୋର ଏଠି ଚୋରି କରୁଛୁ ନାଇଁ????? ପୁଣି ସାଙ୍ଗରେ ପରିବାର ଧରି ଚୋରି କରୁଛୁ। ତୋ ଜୀବନ ଆଜି ଗଲା ଜାଣ। ଏତିକି କହି ପୁଣି ମାଡର ବର୍ଷା ଆରମ୍ଭ ହୋଇଗଲା। ସ୍ତ୍ରୀ ଲୋକଟିର ଚୁଟି ଧରି ଜଣେ ମଦ୍ଯପ ଟାଣି ଧରି କହିଲା

--- କହ ତୁ କାହା ଗ୍ଯାଙ୍ଗରେ କାମ କରୁଛୁ। ନୋହିଲେ ଏଇ ଯାଗାରେ ତୋର ଚିର ହରଣ କରିବି। ପାଖରେ ଥିବା ପିଶାଚ ଗୁଡା ଆହୁରି ଉତ୍ତେଜିତ ହୋଇ ଚିତ୍କାର କରି ସେ ଉନ୍ମତ୍ତ ମଦ୍ଯପ ଲୋକକୁ ଆହୁରି ଉସୁକାଇବାରେ ଲାଗିଲେ। ସ୍ତ୍ରୀ ଲୋକଟି ପାଟି କରିକରି ତା ତଣ୍ଟି ବସି ସାରିଥିଲା। କେବଳ ନିଜର ଇଜ୍ଜତ ବଞ୍ଚାଇବା ପାଇଁ ପିନ୍ଧା ଶାଢିଟିକୁ ଜାବୁଡି ଧରିଥିଲା ଯାହା।

ମୁଁ ଆଉ ସହି ପାରିଲିନି। ଯେନତେନ ପ୍ରକାରେ ସେ ଭିଡ କୁ ଡେଇଁ ଆଗକୁ ମାଡି ଆସିଲି। ଚିତ୍କାର କରି କହିଲି,

---- ଚୁପ୍ ରୁହ ସବୁ। ଲୋକ ଟାକୁ ମାରିଦେବ ନା କଣ? କେତେ ଆଉ ମାରିବ ତାକୁ , ତା ଦୋଷ କଣ।

ଆଜ୍ଞା, ଆପଣ ବେଶି ଭଦ୍ରଲୋକି ଦେଖାନ୍ତୁନି। ନୋହିଲେ ଆପଣଙ୍କ ଗାଲ ବି ବିଲାତି ପରି ଲାଲ୍ ହୋଇଯିବ।

ସେ ଭିଡ ଭିତରୁ କିଏ ଜଣେ କହିଲା।

ମୁଁ ନିରେଖି ଦେଖିଲି ସେ ଲୋକଟିକୁ। ମୋ ପାଦତଳୁ ଭୁଇଁ ଖସିଯିବା ପରି ଲାଗିଲା। ସେ ଆଉ କେହି ନୁହଁ, ସେ ଥିଲା ମୋର ଅତି ନିଜର ବାହାଦୁର। ତା ମୁହଁ ଫାଟି ରକ୍ତାକ୍ତ ହୋଇଯାଇଥାଏ। ଦେହର ଚାରିଆଡେ ରକ୍ତାକ୍ତ ଆଘାତର ସ୍ବାକ୍ଷର । ପିନ୍ଧିଥିବା ଡ୍ରେସ ଚିରି ଯାଇଥାଏ। କି ଅବସ୍ଥା କରିଛନ୍ତି ଏ ପିଶାଚ ଗୁଡା ନିରିହ ବାହାଦୁରର। ତା ପାଖରେ ସ୍ତ୍ରୀ ଓ ପୁଅ ଅଚେତ ପ୍ରାୟ ପଡିଥାନ୍ତି। ସେମାନଙ୍କ ଦେହରୁ ରକ୍ତଧାର ଛୁଟି ଚାଲିଥାଏ। ରାଗରେ ମୋ ଆଖି ଲାଲ୍ ହୋଇଗଲା। ଚିତ୍କାର କରି କହିଲି

– ସେ ଚୋର ନୁହଁ କି ଭିକାରି ନୁହଁ। ସେ ଆମ କଲୋନୀ ର ବାହାଦୁର। ତାକୁ ରାଏବାବୁଙ୍କର ଝିଅ କହିଥିଲା ପରିବାର ନେଇ ବାହାଘର କୁ ଆସିବାକୁ। ସେଥିପାଇଁ ସେ ଆସିଛି। ହାତରେ ଧରି ଥିବା ପୁଡିଆ ଟି ଚୋରି ଜିନିଷ ନୁହଁ, ବରଂ ସେ କିଛି ଉପହାର ନେଇ ଆସିଥିଲା ଝିଅ କୁ ଦେବାପାଇଁ। ଅଚାନକ ହୋଃ ହାଲା ବନ୍ଦ ହୋଇଗଲା। ସବୁ ନିରେଖି ଦେଖିଲେ ସେ ଲୋକ କୁ। ଆରେ ସତେ ତ, ଇଏ ତ ବାହାଦୁର୍ । ତାକୁ ମାଡ ଦେଇଥିବା ଲୋକ ପଛକୁ ଘୁଞ୍ଚିଗଲେ।

ସେତିକି ବେଳେ ରାଏବାବୁ ଆସି ପହଞ୍ଚିଲେ। ସାଙ୍ଗରେ ଥାଏ ତାଙ୍କ ଝିଅ। କଣ ହେଉଛି ଜାଣିବା ପାଇଁ ଆସିଛି ସେ ମଧ୍ଯ ଚାଲିଆସିଥିଲା ସେହି ଯାଗାକୁ।

ମୁଁ ଏକନିଶ୍ବାସରେ ସବୁ କହିଗଲି। କହିଲି ରାଏବାବୁ ଆପଣଙ୍କ ଝିଅ ଡାକିବାରୁ ବାହାଦୁର ଏଠିକୁ ଆସିଛି। ନୋହିଲେ ସେ ବା କାହିଁକି ଆସି ଥାଆନ୍ତା। ରାଏବାବୁ ଆଖିଲାଲ୍ କରି ଝିଅ ଆଡେ ଚାହିଁଲେ। ଝିଅ ଅତି ସହଜ ଭଙ୍ଗୀରେ କହିଲା

- - ଓଃ କମ୍ ଅନ୍ ପାପା। କିଏ ଏ ବାହାଦୁର, ମୁଁ ତାକୁ କେମିତି ଜାଣିବି! ! ମୋର କାମ ନ ଥିଲା ଯେ ତାକୁ ଡାକୁଥିଲି ମୋ ବାହାଘର କୁ। ଲୋକଙ୍କୁ ନିମନ୍ତ୍ରଣ ତୁମେ କରୁଥିଲ ମୁଁ ନୁହଁ। ମୋର ତ ଏତେ ଫ୍ରେଣ୍ଡ ଯେ ମୁଁ ସେମାନଙ୍କୁ ଡାକି ପାରିଲିନି, ଆଉ ଏ ବାହାଦୁର କୁ ମୁଁ କାହିଁକି ବା ଡାକିବାକୁ ଯିବି। ରିଲାକ୍ସ ପାପା,ଗେଷ୍ଟ୍ ସବୁ ଅଛନ୍ତି ପରା। ଏତିକି କହି ମୁହଁ ମୋଡି ଚାଲିଗଲା।

ଯାହା ସବୁ ମୋ ସାମନା ରେ ଘଟି ଚାଲିଥିଲା ମୋ ଚିନ୍ତା ଶକ୍ତି ବାହାରେ ଥିଲା। ଏମିତି ଗୋଟେ ପରିସ୍ଥିତିରେ ମୁଁ ପଡିବି ବୋଲି କେବେ ଭାବି ବି ନଥିଲି। ନିଜର ପକ୍ଷ ରଖିବାର ସୁଯୋଗ ନା ବାହାଦୁର ପାଖରେ ଥିଲା ନା ଥିଲା ତା ପରିବାର ପାଖରେ। ରକ୍ତର ନଦୀରେ ସେମାନେ ସିକ୍ତ ହୋଇ ପଡି ରହିଥିଲେ ସେଇ କାର୍ପେଟ୍ ଉପରେ।

ରାଏ ବାବୁ ଗର୍ଜନ କରି କହିଲା ଏ ଘୁଷୁରୀ ଗୁଡାକୁ ନେଇ ନଳାରେ ଫିଙ୍ଗି ଦେଇଆସ। ସେଠି ଯାହା ଅଇଁଠା ପଡିଛି ସେମାନେ ଖାଇ ଘରକୁ ଯାଆନ୍ତୁ। ତାଙ୍କ କଥା ନ ସରୁଣୁ ଦୁଇଟା ଲୋକ ଆସି ଶବ ଉଠାଇଲା ପରିି ଘୋଷାରି ନେଲେ ବାହାଦୁର, ତା ସ୍ତ୍ରୀ ଓ ପିଲା କୁ। ମୋତେ ସିଧା ନ ଚାହିଁ ରାଏ ବାବୁ କହିଲା--

--- ଏ କଲୋନି ରେ ଭଦ୍ର ଲୋକଙ୍କ ସଂଖ୍ଯା ବୋଧେ ବେଶି ବଢି ଯାଇଛି। ଯିଏ ସବୁ ଖାଇ ସାରିଲେ ସେମାନେ ନିଜ ଘରକୁ ଯାଇ ପାରନ୍ତି। ଏଠି ରହି ତାମସା କରିବାର ଆବଶ୍ଯକତା ନାହିଁ। ବଡବଡ ଲୋକ ମାନେେ ଆସିବେ ଅଳ୍ପ ସମୟ ଭିତରେ। ଯାହାର ଦେଶସେବା କରିବାର ଅଛି ନିଜ ଘରେ କରିପାର। ମୋ ଘର ଟା ଆଖଡା ନୁହଁ।

ମୁଁ ଠିକ୍ ଜାଣି ପାରିିଲି ସେ କଥା ମୋ ପାଇଁ ଉଦ୍ଦିଷ୍ଟ ଥିଲା। କାରଣ ବାହାଦୁର ର ପକ୍ଷ ନେଲା ବେଳକୁ ମୁଁ ଥିଲି ସମ୍ପୁର୍ଣ୍ଣ ଏକୁଟିଆ।

କାହାକୁ କିଛି ନ କହି ସେ ସ୍ଥାନ ପରିତ୍ଯାଗ କଲି। ସତ କୁ ସତ ଘର ପାଖ ନଳା ରେ ବାହାଦୁର ଓ ତା ପରିବାର କୁ ଫିଙ୍ଗି ଦେଇଥିଲେ ରାଏ ବାବୁର ଚାମଚା ମାନେ। ପାଖରୁ ଦୁଇଜଣ ରିକ୍ସା ବାଲା ଙ୍କୁ ଡାକୁ କିଛି ପଇସା ଦେଇ ଅନୁରୋଧ କଲି ମୋ ଘରକୁ ସେମାନଙ୍କୁ ନେଇଯିବା ପାଇଁ। ବହୁତ ଅନୁରୋଧ ପରେ ସେମାନେ ମୋ ସହ ମିଶି ବାହାଦୁର ଓ ତା ପରିବାରକୁ ମୋ ଘର ଯାଏ ଆଣିଲେ। କିଛି ସମୟ ଗଲାପରେ ବାହାଦୁର ସ୍ତ୍ରୀ ସାଷ୍ଟାମ ହେଲା। ତାକୁ ନିଜ ପରିଚୟ ଦେଇ କହିଲି ବ୍ଯସ୍ତ ନ ହେବା ପାଇଁ। ଡାକ୍ତରଙ୍କୁ ଡାକିଲା ପରେ ଜାଣିଲି ଅତ୍ୟଧିକ ମାଡ ହେବାରୁ ବାହାଦୁରର ଦେହର ଅବସ୍ଥା ଗମ୍ଭୀର ଅଛି। ମେଡିକାଲ୍ରେ ଆଡମିଶନ କରିବାକୁ ହେବ। ପାଖାପାଖି ପନ୍ଦର ଦିନ ପରେ ବାହାଦୁର ସୁସ୍ଥ ହେଲା। ଆଖି ଖୋଲିଲା ପରେ ମୋ ହାତ ଧରି ପିଲା ପରି କଇଁକଇଁ କାନ୍ଦି କହିଲା- -

– ସାହାବ୍ ମୁଁ କେତେବଡ ଭୁଲ କରିଦେଲି। ବଡବଡିଆ ଲୋକଙ୍କ କଥାରେ ପଡି ମୋ ସ୍ତ୍ରୀ ପିଲାଙ୍କୁ କେତେ ଅପମାନ ଦେଲି। ମୋ ଜୀବନ ତ କୁକୁର ପରିଥିଲା, ଲୋକେ ଅଇଁଠା ଦେଉଥିଲେ, ଛିଃ ଛାକର କରୁଥିଲେ। ଶେଷରେ ମୋ ପରିବାର କୁ . . . . । କି ଦୋଷ ଥିଲା ଆମର ??

ବାହାଦୁର ପିଠିରେ ମୁଁ ହାତ ବୁଲେଇ କହିଲି- - ସେମିତି କିଛି ବି ଭାବିବାର ଆବଶ୍ଯକତା ନାହିଁ। ତୁମେ କଣ ମୁଁ ଜାଣିଛି। ସେ ଘଟଣାକୁ ମନରୁ ପୋଛି ନୂଆରୂପରେ ଜୀବନ ଆରମ୍ଭକର। ଆଜିଠାରୁ ତୁମର ବାହାଦୁର କାମ କରିବାର ଆବଶ୍ଯକତା ନାହିଁ। ଆମ ଅଫିସ୍ ରେ ରାତ୍ର ଜଗୁଆଳ ପଦବୀ ଖାଲିଥିଲା। ତୁମକୁ ସେଇ ଯାଗାରେ କାମ କରିବାକୁ ହେବ। ପ୍ରତି ମାସରେ ଦରମା ମିଳିବ। କିଛି ଅସୁବିଧା ହେଲେ ମୋତେ କହିବ। ଜଣେ ବଡ ଭାଇ ପରି ଯାହା ବି ସାହାଯ୍ୟ ଦରକାର ମୁଁ କରିବି।

– କିନ୍ତୁ ଏତେ ଅନ୍ଯାୟ କରିଥିବା ସେ ରାଏବାବୁ ପରି ଲୋକଙ୍କୁ କଣ କେବେ ଦଣ୍ଡ ମିଳିବନି ବାବୁ ? ବଡ ଆତୁର କଣ୍ଠରେ ପଚାରିଲା ବାହାଦୁର।

– ହାଃ ହାଃ ହାଃ ମୁଁ ହସିଲି। କହିଲି ବାହାଦୁର ସବୁକାର୍ଯ୍ଯର ଫଳ ଅଛି। ରାଏ କୁ ଏମିତି ଦଣ୍ଡ ମିଳିଛି ଯେ ସେ ସାତ ଜନ୍ମ ଯାଏ ଭୁଲି ପାରିବନି। ଯେଉଁଦିନ ତୁମକୁ ପଶୁପରି ବାଡେଇ ଘରୁ ଫିଙ୍ଗିଦେଲେ ସେଇଦିନ ରାତିରେ ହିଁ ସେ ଦଣ୍ଡ ପାଇଯାଇଛି। ବାହା ହେବାକୁ ଆସୁଥିବା ବର, ବାଟରେ ଭୀଷଣ ମଦପିଇ ଗାଡି ଚଲାଇବାକୁ ଜିଦ୍ କଲା। ଯେତେ ମନା କଲେ ଶୁଣିଲାନି। ବାଟରେ କିଛି ଯୁବକଙ୍କ ସହ ଗାଡି ଓଭରଟେକିଂ କୁ ନେଇ ଗଣ୍ଡଗୋଳ ହେଲା। ସେମାନେ ମିଳିମିଶି ନିର୍ଧୁମ ଛେଚିଲେ ସବୁ ବରଯାତ୍ରୀ ଓ ବର କୁ। ଏମିତି ଭୟଙ୍କର ମାଡ ଯେ ବର ହାତଗୋଡ ଭାଙ୍ଗି ଚୁନା ହୋଇଗଲା। ସେ ବିବାହବେଦୀକୁ ନ ଆସି ସିଧା ମେଡିକାଲ ବୁହା ହୋଇଗଲା । ରାଏ ଉପରେ, ବରପିତା ଭୀଷଣ ରାଗିଲେ , କାରଣ ବରଯାତ୍ରୀଙ୍କର ସୁରକ୍ଷା ପାଇଁ କିଛି ଆୟୋଜନ କରାଯାଇ ନ ଥିଲା। ଏମିତି ଗଣ୍ଡଗୋଳରେ ଝିଅର ବାହାଘର ହୋଇପାରିଲାନି। ଏତିକି ରେ କଥା ସରିଲାନି। ରାଏ ବାହାଘର ପାଇଁ ଲାକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିଲା। ତା ବେପାରକୁ ଦେଖିଲେ ଏତେ ଟଙ୍କା ପାଖରେ ରଖିଛି ସେ କଥା ବିଶ୍ବାସଯୋଗ୍ଯ ହେଉ ନ ଥିଲା। ତେଣୁ କେହି ଜଣେ ଆୟକର ବିଭାଗ ଓ ସେଲସ ଟାକ୍ସ ବିଭାଗରେ ଆପତ୍ତି ଜଣାଇଲା। ରାଏବାବୁର ଘର , ଦୋକାନ ଓ ଅନ୍ଯ ଯେତେ ଯାଗାରେ ଯାହା ସବୁ ସମ୍ପତ୍ତି ରଖିଛି ସବୁ ଯାଗାରେ ଚଢଉ ହେଲା। ଦେଖାଗଲା ଯେ ଟିକସ ଫାଙ୍କି କୋଟିକୋଟି ଟଙ୍କା ଚାପି ରଖିଛି ରାଏ ବାବୁ। ଏବେ ଟିକସ ଫାଙ୍କି ଅଭିଯୋଗରେ ସେ ଜେଲରେ ଚକି ପେଶୁଛି। ରାଏର ଏ ଅବସ୍ଥା ଦେଖି ମୋତେ ଲାଗୁଛି ଯେ ଉପରବାଲା ସବୁ ଦେଖୁଛି। ଯେସା କୁ ତେସା ନ୍ୟାୟରେ ଏ ସଂସାର ଚାଲିଛି।

ମୁଁ ଲକ୍ଷ କଲି ବାହାଦୁର ଆଖି ଯୋଡିକରେ ଉଜ୍ଜଳତା। ସେ ଅନୁଭବ କରି ପାରୁଥିଲା ତା ପ୍ରତି ଅନ୍ଯାୟ କରିଥିବା ଲୋକମାନେ ଠିକ୍ ଶାସ୍ତି ପାଇଛନ୍ତି। ତା ହାତ ଯୋଡିକ ଉପରକୁ ଉଠାଇ ସେ ପ୍ରଣାମ କରି ଚାଲିଥିଲା ପରମ ନ୍ଯାୟବନ୍ତ ଇଶ୍ବରଙ୍କୁ।

ଧିର ଗଳା ରେ ପଚାରିଲା ବାହାଦୁର-

- ସାହେବ୍ , ଆପଣ କାହିଁକି ମୋର ଏତେ ଯତ୍ନ ନେଉଛନ୍ତି ?

ମୁଁ ହସିହସି କହିଲି ତୁମର ସେସବୁ ଜାଣିବାର ଆବଶ୍ଯକତା ନାହିଁ। କେବଳ ଏତିକି ଜାଣ ଯେ ତୁମ ହୃଦୟଟି ଗଙ୍ଗାଜଳ ପରି ପବିତ୍ର। ମୋର ଆଶା, ତୁମେ ସାରାଜୀବନ ନିଜକୁ ଏମିତି ଶାନ୍ତ, ସରଳ ଓ ପବିତ୍ର କରି ରଖିବ। କଣ ବୁଝିଲା କେଜାଣି, ବାହାଦୁର, ମୁଣ୍ଡ ଟୁଙ୍ଗାରି ହଁ କଲା।

------ସମାପ୍ତ----