Thursday, October 3, 2019

ଟ୍ରାଫିକି ପୁଲିସି ଜଗିଛି




ଲେଖକ- ଅରବିନ୍ଦ ରଥ


ଟ୍ରାଫିକି ପୁଲିସ ଜଗିଛି

ଗଳିକନ୍ଦି ସାହି ଛକ ବଜାରରେ ପୁଲିସିଙ୍କ ମେଳା ଜମିଛି

ଠେଙ୍ଗାବାଡି ସହ ନଥିପତ୍ର ଧରି ଶିକାର ଅପେକ୍ଷା କରୁଛି

ଗାଳିଚାଳକଙ୍କ ଛାତି ଭିତରଟା ଧାକୁଡୁ ଧାକୁଡୁ କମ୍ପୁଛି

ମୁଖ୍ଯରାସ୍ତା ଛାଡି ସହର କନ୍ଦିରେ ଲୁଚିଛପି ଗାଡି ଗଡୁଛି

ଟ୍ରାଫିକି ପୁଲିସି ଜଗିଛି।।......୨




ତେଲଟାଙ୍କି ଛାଡି ହେଲମେଟ ଦୋକାନେ ଗ୍ରାହକଙ୍କ ଭିଡ ଜମୁଛି

ଏତେ ମୁଣ୍ଡ ପାଇଁ ନାହିଁ ହେଲମେଟ ନିଅଣ୍ଟ ଅବସ୍ଥା ଘାରିଛି।

ମହାଶକ୍ତିଶାଳୀ ପୁଲିସିବାହିନୀ ଗୁଡେଇ ତୁଡେଇ ଧରୁଛି

ବୁଢୀଆଣି ଜାଲେ ମାଛି ଯେହ୍ନେ ଫସେ ଚାଳକ ବିଚରା ଫସୁଛି।

ଟ୍ରାଫିକି ପୁଲିସି ଜଗିଛି।।......୪

ଗଣିଗଣି ତଣ୍ଡ ଭାଙ୍ଗେ ମେରୁଦଣ୍ଡ ଜନତା ଗୁମୁରି କାନ୍ଦୁଛି

ରିପୋର୍ଟ କୁହଇ ଜରିମନା ଭୟେ ଦୁର୍ଘଟଣା ମାତ୍ରା କମିଛି

ପାହାନ୍ତି ପହରୁ ରାତି ଅଧ ଯାଏ ଚାଲାଣ କାଟତି ଚାଲିଛି

ଫାଇନ ଆଦାୟେ ଆମ ରାଜ୍ଯ ପରା ଅଉଲ ନମ୍ବର ପାଇଛି

ଟ୍ରାଫିକି ପୁଲିସି ଜଗିଛି।।..........୫

ମାହାନ୍ତି ମାଇପ ହେଲମେଟ ତଳେ ଧାର ଧାର ଲୁହ ଢାଳୁଛି

କେଡେ ମୁଲାୟମ ସାମ୍ପୁକରା କେଶ ଘୋଡାଲାଞ୍ଜ ପରି ଦିଶୁଛି

କଟକ ବିଖ୍ଯାତ ଗାଙ୍ଗୁଲି ଲଳନା ଆନନ୍ଦରେ ହେଣ୍ଡୁ ମାରୁଛି

ହେଲମେଟ୍ ପିନ୍ଧି ଶହେ ନାଗରଙ୍କ ଗାଡି ପଛ ଲୁଚି ଯାଉଛି

ଟ୍ରାଫିକି ପୁଲିସି ଜଗିଛି।..........୬

ଗୁଣ୍ଡା ବଦମାସ ଖଣ୍ଟଙ୍କ ଉତ୍ପାତ ସହସ୍ରଗୁଣରେ ବଢିଛି

ଚୋର ଧରିବାକୁ ପୁଲିସି ଅଭାବ ଥାନାରେ କୋଲପ ଝୁଲୁଛି

ଝିଣ୍ଟିକା ମାରିଣ ବଣି ପୋଷା ନୀତି ଅତି ସୁରୁଖୁରେ ଚାଲିଛି

ପାନଖଣ୍ଡେ ଜାକି ବୁଲେଟ୍ ରେ ଚଢି କେମିତି ଯିବି ମୁଁ ଭାବୁଛି

ଟ୍ରାଫିକି ପୁଲିସି ଜଗିଛି।...............୭

– ସମାପ୍ତ-






ସହଯାତ୍ରୀ



                    ସହଯାତ୍ରୀ
                        ଲେଖକ- ଅରବିନ୍ଦ ରଥ

        ପୂର୍ବରୁ କେବେ ରାତ୍ରୀକାଳିନ ବସ୍ ରେ ଦୂର ସ୍ଥାନକୁ ଯିବାର ଅନୁଭୁତି  ରିମାର ନଥିଲା । ତେଣୁ ମନରେ ଅନେକ ଆଶଙ୍କା ଓ ଚିନ୍ତା ରହିବା ନିହାତି ସ୍ବାଭାବିକ୍। ସେ କଣ ବା କରି ପାରିଥା'ନ୍ତା। ଉପରିସ୍ଥ ଅଫିସରଙ୍କ ନିର୍ଦ୍ଦେଶ ମାନିବା ଛଡା ଅନ୍ଯ କୌଣସି ଉପାୟ ନାହିଁ।  ଅଗତ୍ଯା ରାଉରକେଲା ପାଇଁ ଟିକେଟ୍ କାଟିବା ପାଇଁ ପିଅନକୁ କହି ସେ ଅଫିସ୍ ରେ ବକେୟା ଥିବା କାମ ସାରିବାକୁ ଲାଗିଲା। ବାଣୀବିହାରରୁ ରାତି ସାଢେ ଆଠଟାରେ ବସ୍ ଛାଡିବ, ତେଣୁ ଖିଆପିଆ ସାରି ବସ୍ ରେ ଚଢିଲେ କାମ ତମାମ୍। ସେମିତି ବି ତାକୁ ବସ୍ ରେ କେବେ ନିଦ ଆସେନି, କେବଳ ଆଖି ବନ୍ଦକରି ମନପସନ୍ଦ ଗୀତ ଶୁଣି ସମୟ କାଟିବା କଥା।
         ପିଲାଟି ଦିନରୁ ବସ୍ ପ୍ରତି ତା ମନରେ ଥିଲା ପ୍ରବଳ ବିତୃଷ୍ଣାଭାବ।  କଲେଜ୍ ରେ ପଢୁଥିବା ବେଳେ ଟାଉନବସ୍ ରେ ଯିବା ଆସିବା କରିବାର ଅନେକ ବିରକ୍ତିକର ଅନୁଭୁତି  ତା ମନରେ ଏବେ ମଧ୍ଯ ସତେଜ୍ ଥିଲା।  କେମିତି ବାଳୁଙ୍ଗା ପିଲାମାନେ ଜାଣିଶୁଣି ଦେହରେ ଧକ୍କା ମାରି ଚାଲିଯାଆନ୍ତି, ଦରବୁଢା ଲୋକେ "ମାଆ ଲୋ ଧନ ଲୋ " କହି ପାଖରେ ବସିବାକୁ କହି ନାନାଦି ଅଶାଳୀନ ବ୍ଯବହାର  କରନ୍ତି , ସଦ୍ଯ ନିଶଗଜୁରା ଯୁବକମାନେ ବିଭିନ୍ନ ଉପାୟରେ ଝିଅଙ୍କ ନିକଟତର ହୋଇ ବନ୍ଧୁତା ସ୍ଥାପନ କରିବାକୁ ଚେଷ୍ଟା ଚଳାନ୍ତି ; ସେସବୁ ସ୍ମୃତି ତା ମନରେ ବସାବାନ୍ଧି ରହିଯାଇଥିଲା।
        ଇତି ମଧ୍ଯରେ କୋଡିଏ ବର୍ଷ ବିତି ଯାଇଥିଲା ଓ ତା ଜୀବନରେ  ଆସି ସାରିଥିଲା ଅନେକ ପରିବର୍ତ୍ତନ । ସେ ଏକ ପ୍ରତିଷ୍ଠିତ ବ୍ଯାଙ୍କରେ କାର୍ଯ୍ଯ କରୁଥିଲା ଓ ଆର୍ଥିକ ଦୃଷ୍ଟିରୁ ସ୍ବାବଲମ୍ବୀ ଥିଲା। ସଠିକ୍ ବୟସରେ ବିବାହ କରିଥିଲେ ମଧ୍ଯ ଦୁର୍ଭାଗ୍ଯହେତୁ ଚିରକୁମାରୀ ହୋଇ ରହି ଯାଇଥିଲା। ମଦ୍ଯପ, ଯୌତୁକଲୋଭୀ ସ୍ବାମୀ ଗଗନର ଅତ୍ଯାଚାର ସହ୍ଯ କରି ନପାରି  ବିବାହର କେଇ ଦିନ ଭିତରେ ସେ ବାପଘରକୁ ଫେରି ଆସିଥିଲା। ନାନା ଚେଷ୍ଟା ସତ୍ତ୍ବେ ସେମାନଙ୍କ ସମ୍ପର୍କ  ର ପୁନଃରୁଦ୍ଧାର ହୋଇ ପାରି ନ ଥିଲା ଓ ଶେଷରେ ସେମାନଙ୍କର ବିବାହ ବିଚ୍ଛେଦ ଘଟିଥିଲା। ରକ୍ଷଣଶୀଳ ସମାଜ ନଜରରେ ରିମା ଦୋଷୀ ଭାବରେ ଉପସ୍ଥାପିତ ହୋଇଥିଲା ଓ ବିବାହ ବିଛେଦ ର ସମସ୍ତ ଦୋଷ ତା ମୁଣ୍ଡରେ ଲଦିଦେଇ ଥିଲେ ସମସ୍ତେ। ମାତ୍ର ସେ ଭାଙ୍ଗି ପଡି ନ ଥିଲା, ବରଂ ଅଧିକ ଶକ୍ତିଶାଳୀ ଭାବରେ ନିଜକୁ ପ୍ରତିଷ୍ଠିତ କରିବାରେ ଲାଗି ପଡିଥିଲା ଓ ସଫଳ ମଧ୍ଯ ହୋଇଥିଲା । ସହରରେ ଏକ ଭଡାଘରେ ସେ ରହୁଥିଲା ନିଜ କ୍ଷୁଦ୍ର ସଂସାରର ପରିଧି ଭିତରେ। ସମ୍ପର୍କର କୋଳାହଳଠାରୁ ଅନେକ ଦୂରରେ ଥାଇ ମଧ୍ଯ  ସେ ଦମ୍ଭ ହାରି ନଥିଲା।  ଜୀବନର ପରବର୍ତ୍ତୀ ପଦକ୍ଷେପ କଣ ହେବ ସେ ବିଷୟରେ ଚିନ୍ତା କରିବାର ଆବଶ୍ଯକତା ମଧ୍ଯ ଅନୁଭବ କରୁ ନଥିଲା।  କିନ୍ତୁ ସହକର୍ମୀ ମାନଙ୍କର ସୁଖସଂସାରକୁ ଦେଖି କେବେ କେମିତି ସେ ଆନମନା ହୋଇ ଯାଉଥିଲା। ତାପରି ଭାଗ୍ଯ ଆଉ କେତେଜଣଙ୍କର ବା ଥିବ?  ଶବର ବା କାହୁଁ ଜାଣିବ ମୋତିର ମୂଲ୍ଯ। ସେହି ନ୍ଯାୟରେ ଗଗନ  ରିମା  ମନର ନିଭୃତକୋଣରେ ଲୁକ୍କାୟିତ ହୋଇଥିବା ପ୍ରେମଭଣ୍ଡାରକୁ  ଆବିଷ୍କାର କରିବା ପୂର୍ବରୁ  ହିଁ  ବିବାହରଜ୍ଜୁ ଛିନ୍ନ ହୋଇ ସାରିଥିଲା। ଅନେକ ରାତିରେ ସେ ଗୁମୁରି ଗୁମୁରି କାନ୍ଦେ ନିଜ ଭାଗ୍ଯକୁ ଦୋଷ ଦେଇ।  ମନକୁ ଯେତେ  ଦୃଢ କରିବାକୁ ଚେଷ୍ଟା କଲେ ମଧ୍ଯ  ତା କ୍ଷତାକ୍ତ କୋମଳ ହୃଦୟଟି  ବାରମ୍ବାର ପ୍ରଶ୍ନ କରେ ରିମାକୁ " ସବୁ ଥାଇ ମଧ୍ଯ ସେ କାହିଁକି ନିଃସଙ୍ଗ"। ପୁଣିଥରେ ବିବାହ କରିବାକୁ ବନ୍ଧୁ ପରିଜନମାନେ ଅନେକଥର ଉପଦେଶ ଦେଇଛନ୍ତି।  ଏପରିକି ପାତ୍ର ଯୋଗାଡକରି ଖବର ମଧ୍ଯ ଦେଇଛନ୍ତି। କିନ୍ତୁ  ତା ଜୀବନରେ ଥରେ ଯାହା ଘଟିଲା ତାହାର ପୁନରାବୃତ୍ତି  ନ ହେବ ବୋଲି କୌଣସି ନିଶ୍ଚିତତା ନାହିଁ। କାହା ଭରସାରେ ପୁଣି ନିଜର ଭବିଷ୍ଯତକୁ  ପୁଣି ଥରେ ଅନିଶ୍ଚିତତାର  ଅନ୍ଧକୂପ  ମଧ୍ଯକୁ ନିକ୍ଷେପ କରି ଥାଆନ୍ତା।  ତେଣୁ ସେ ନୀରବ ଥିଲା। ପୁର୍ନ୍ନବିବାହ କଥା ଉଠିଲେ ସେ ଆଲୋଚନାରୁ ନିଜକୁ ଦୂରରେ ରଖୁଥିଲା। କହିବାକୁ ଗଲେ ତା ଭାଗ୍ଯ ରାମାୟଣର ଅହଲ୍ଯା ପରି ହୋଇ ଯାଇଥିଲା। ଅହଲ୍ଯାକୁ ତ ସ୍ବୟଂ ଶ୍ରୀରାମଚନ୍ଦ୍ର ଉଦ୍ଧାର କରିଥିଲେ, କିନ୍ତୁ ତା ଜୀବନରେ  ଉଦ୍ଧାରକ  ଭୂମିକା ନିର୍ବାହ କରିବାକୁ ଉପଯୁକ୍ତ  ପାତ୍ର ନ ଥିଲେ।
        ବସ୍ ରେ ଚଢିବା ବେଳକୁ ପ୍ରାୟ ସମସ୍ତ ସିଟ୍ ରେ ଲୋକ ବସି ସାରିଥିଲେ।  ଜିନିଷପତ୍ର ରଖି ଝରକାପାଖ ସିଟ୍ ରେ ବସି ସେ  ଖାଲିଥିବା ପାଖସିଟ୍ କୁ ଦେଖି ଶାନ୍ତି ରେ ଦୀର୍ଘନିଶ୍ବାସ ନେଇ କହିଲା- - ଯାହାହେଉ ସେ ଆରାମରେ ଗୋଡହାତ ଲମ୍ବାଇ ବସିପାରିବ। ବସ ଟି ନୂଆ ପରି ଲାଗୁଛି- -ଏସି ଖୁବ୍ ଭଲ ଥଣ୍ଡା କରୁଛି ଓ ବସ୍ ଭିତରେ ନାନା ରଙ୍ଗର ନିଷ୍ପ୍ରଭ ଲାଇଟ୍ ଜଳୁଛି। ସୁମଧୂର ବାସ୍ନାରେ ପରିବେଶଟି ଅନ୍ଯନ୍ତ ମନୋମୁଗ୍ଧକର ଲାଗୁଛି। ଯାତ୍ରୀ ମାନେ ବି ସମ୍ଭାନ୍ତ ଲାଗୁଛନ୍ତି ତେଣୁ ଡରିବାର କୌଣସି କାରଣ ନାହିଁ।  ସେ ସୁରକ୍ଷିତ ଅଛି ବୋଲି ନିଶ୍ଚିତ ହେବାପରେ କାନରେ ଇୟରଫୋନ୍ ଲଗାଇ ଗୀତ ଶୁଣିବାକୁ ଲାଗିଲା।             ଦିନସାରା ଅଫିସ୍ ରେ କାମର ଚାପ ଅଧିକା ଥିଲା , ଘରକୁ ଫେରି ସେ ଟିକେ ବିଶ୍ରାମ ନେବାର ସମୟ ମଧ୍ଯ ପାଇ ନ ଥିଲା। ତେଣୁ ଅଳ୍ପ ସମୟ ଭିତରେ ସେ ତନ୍ଦ୍ରାଛନ୍ନ ହେବା ପରି ଅନୁଭବ କଲା।  ମାତ୍ର କିଛିକ୍ଷଣ ଭିତରେ ତନ୍ଦ୍ରାଭାବ ତୁଟିଗଲା ଓ ସେ ଝରକାବାହାରକୁ ଦେଖିବାକୁ ଲାଗିଲା।  ତା ସାମନା ରେ ବସିଥିଲେ ନବବିବାହିତ ଦମ୍ପତ୍ତି। ସେମାନଙ୍କ ହାବଭାବ ଦେଖି ଲାଗୁଥିଲା ଯେପରି ସେମାନେ ନିଜ ଘର ଭିତରେ ଅଛନ୍ତି।  ଯୁବତୀ ଟି ଯୁବକ କାନରେ କଣ ସବୁ ଫିସଫିସ କରି କହି ଚାଲିଥିଲା ଓ ଉଭୟ ହସରେ ଫାଟି ପଡୁଥିଲେ।  ମଝିରେ ମଝିରେ ଯୁବକଟି ଯୁବତୀ କୁ ପାଖକୁ ଟାଣି ଆଣୁଥିଲା ଓ ତା ଗାଲରେ ଆଙ୍କି ଦେଉଥିଲା ଏକ ସରୁ ଚୁମ୍ବନ। ଏ ଦୃଶ୍ଯ ଦେଖି ରିମା କୁ ବଡ ଅସହଜ ଲାଗିଲା।
     ସେ ଅସ୍ପଷ୍ଟସ୍ବରରେ ଯୁବତୀ ଉଦ୍ଦେଶ୍ଯ କହି ଉଠିଲା-- ଏବେ ଏତେ ଖୁସି ହୋଇ ଯାଉଛୁ, କିଛି ଦିନ ପରେ ଅସଲ ମଜା ଟା ଜାଣିବୁ। ଯେତେବେଳେ ଯୌତୁକ ମାଗି ସ୍ବାମୀ ତୋତେ ବାଡିଆପିଟା କରିବ ସେତେବେଳକୁ ଜାଣିବୁ ଏମାନଙ୍କର ଅସଲ ରୂପ। ଦୁନିଆ ରେ ସବୁ ସ୍ବାମୀ ହେଲେ ଟଙ୍କାଲୋଭୀ ରାକ୍ଷାସ, ତୋ ପାଳି ବି ପଡିବ ଲୋ ଝିଅ- - ଖାଲି ଦିନ ଗଣୁଥା।
    ବିରକ୍ତିରେ ସେମାନଙ୍କ ଉପରୁ ନଜର ହଟାଇ ଅନ୍ଯ ଏକ ସିଟ୍ ରେ ଦେଖିଲା ବସିଛନ୍ତି ସ୍ବାମୀ,ସ୍ତ୍ରୀ ଓ ଏକ ଛୋଟ ପୁଅ। କୌଣସି କଥାକୁ ନେଇ ସ୍ବାମୀସ୍ତ୍ରୀ ଙ୍କ ଭିତରେ ଯୁକ୍ତିତର୍କ ଲାଗିବା ପରି ମନେ ହେଉଥିଲା। ସେ ଦୃଶ୍ଯ ଦେଖି ରିମା ରୋମାଞ୍ଚିତ ହୋଇଗଲା।  ସେ ନିଶ୍ଚିତ ଥିଲା ଯେ ସ୍ବାମୀ ନିହାତି ଭାବରେ ସ୍ତ୍ରୀ ଉପରେ ଅତ୍ଯାଚାର କରୁଥିବ। ନୋହିଲେ ବସ୍ ଭିତରେ ଯୁକ୍ତିତର୍କ ଲାଗୁଛନ୍ତି କାହିଁକି? ତା ମନରେ ପିଲାଟି ପାଇଁ ଦୟାଭାବ ଜାଗ୍ରତ ହେଲା- - ବିଚରା ପିଲା ଟା, କଣ ହେବ ତା ଭବିଷ୍ଯତ ! ବାପାମାଆ ତ ସାରା ଜୀବନ ଏମିତି ଲଢେଇ କରି ବିତେଇଦେବେ, ପିଲା କଥା ବୁଝିବାକୁ ସେମାନଙ୍କ ପାଖରେ ସମୟ ଆସିବ କୁଆଡୁ।
    ବସ୍ ଭିତର କୋଳାହଳ ଧିରେଧିରେ ଥମି ଆସୁଥିଲା ଓ ଯାତ୍ରୀମାନେ ଶୋଇବାର ଉପକ୍ରମ କରୁଥିଲେ। ଭିତରେ ଜଳୁଥିବା ରଙ୍ଗୀନ ଆଲୋକମାଳାରୁ ଅଧିକାଂଶ ଲିଭି ସାରିଥିଲା। ସମୟ ପାଖାପାଖି ଏଗାର ଟା ହେବ। ଝରକା ବାହାରକୁ ଦେଖିଲା ରିମା। ତାକୁ ଲାଗୁଥିଲା ବସ୍ ଟି ସ୍ଥିର ହୋଇ ଗୋଟିଏ ସ୍ଥାନରେ ଅଛି ଓ  ଗଛପତ୍ର,ଘର,ଦୋକାନ ଆଦି ଅହରହ ପଛକୁ ଦୌଡି ଚାଲିଛନ୍ତି।  ସତେକି ସେମାନେ ବିଦାୟ ଦେଇ ସେହି ସ୍ଥାନ ପରିତ୍ଯାଗ କରି ଚାଲିଯାଉଛନ୍ତି। ତା  ଜୀବନ ଓ ବସ୍ ମଧ୍ଯରେ ଥିଲା ଅଜବ ସାମଞ୍ଜସ୍ଯତା। ରିମା ଭାବୁଥିଲା ସେ ସ୍ଥିର ଓ ନିଶ୍ଚଳ ହୋଇ ଜୀବନନୌକା ରେ ବସିଛି ଓ  ସାଙ୍ଗସାଥୀ, ବନ୍ଧୁପରିବାରବର୍ଗ, ମନର ଆଶାଆକାଂକ୍ଷା, କାମନାବାସନା, ମୋହମାୟା ସବୁ କିଛି ତାକୁ ବିଦାୟ ଦେଇ ଚାଲିଯାଉଛନ୍ତି। ସେ ସମସ୍ତଙ୍କୁ ନିଜ ପାଖରେ ରଖିବାକୁ ଚାହୁଁଛି,କିନ୍ତୁ ପାରୁନି। ପିଲାଦିନେ ବାପାଙ୍କ ସ୍କୁଟର ପଛରେ ବସିଲାବେଳେ ବି ତାକୁ ଠିକ୍ ଏମିତି ଲାଗୁଥିଲା ଓ ସେ ଖୁସି ରେ ତାଳି ମାରି କହୁଥିଲା- - - ଦେଖ ବାପା ଗଛ ମାନେ କେମିତି ଦୌଡି ପଛକୁ ପଳାଉଛନ୍ତି। ବାପା ହସିହସି କହୁଥିଲେ  - - ଆରେ ବାଃ, ମୁଁ ତ ଭାବୁଥିଲି ଗଛ ମାନେ ଚାଲି ପାରନ୍ତି ନାହିଁ ବୋଲି, କିନ୍ତୁ ତୁ ସେମାନଙ୍କୁ ଦୌଡିବାର ଦେଖିନେଲୁ।
    ହଠାତ୍ ଆକାଶରେ ବିଜୁଳିର ଚମକ ଦେଖି ରିମାର ମନ ଭିତରଟା ଆନ୍ଦୋଳିତ ହୋଇଗଲା। ବର୍ଷା ବୋଧେ ଆରମ୍ଭ ହୋଇଯିବ ଅଳ୍ପ ସମୟ ଭିତରେ। ବସ୍ ର ଝାପସା ପଡିଆସୁଥିବା କାଚ ପୋଛି ବାହାରକୁ ସେ ଭଲରେ ନିରିକ୍ଷଣ କରିବାକୁ ଲାଗିଲା। ରିମଝିମ ବର୍ଷାରେ ଭିଜିବା ନିଶାରେ ସେ କେତେ ଥର ଯେ ଜ୍ବରରେ ପଡିଛି ତା'ର ହିସାବ ନାହିଁ। କିନ୍ତୁ ବର୍ଷା ଦେଖିଲେ ସେ ନିଜକୁ ରୋକି ପାରେନାହିଁ। ଆକାଶରେ କଳାମେଘର ପସରା ଦେଖି ମୟୁର ନାଚିବା ପରି, ରିମାର ମନ ଭିତରଟା ଝୁମିଯାଏ। ସେ ବର୍ଷାରେ କି କୁହୁକ ଅଛି କେଜାଣି, ତା ଆଗମନରେ ରିମାର ମନ ଭିତରେ ଅନେକ ବର୍ଷ ତଳର ପୁରୁଣା ସ୍ମୃତି ସବୁ ଉଜାଗର ହୋଇଯାଏ।   ସେ  ସ୍ମୃତି ମାନସପଟଳରେ ଭାସି ଉଠିଲେ ରିମା ଅସ୍ତବ୍ଯସ୍ତ ହୋଇଉଠେ। 
    କଲେଜରେ ରେ ପଢୁଥିବା ବେଳେ ଏମିତି  ବର୍ଷାରେ ଭିଜୁଥିବା ସମୟରେ ତା ସାକ୍ଷାତ ହୋଇଥିଲା  ରାଜୁ ସହିତ।  ସେ ରିମା ସାଙ୍ଗେ କଲେଜ୍ ରେ ପଢୁଥିଲା। ସେମାନଙ୍କ ଭିତରେ  ଘନିଷ୍ଠତା  ଓ ଆତ୍ମୀୟତା ବଢିଥିଲା ସତ,କିନ୍ତୁ ଏତେ ବାଟ ଯାଇ ନ ଥିଲା ଯେ ତାକୁ ପ୍ରେମର ଆଖ୍ଯା ଦିଆ ଯାଇ ପାରିଥାଆନ୍ତା।  । ସେହି  ନିବିଡ ସମ୍ପର୍କ କୁ ସେମାନେ ବନ୍ଧୁତା ର ନାମ ଦେଇଥିଲେ ଓ ସାରାଜୀବନ ଏହି ବନ୍ଧୁତା କୁ ଅକ୍ଷତ ରଖିବାକୁ ପ୍ରତିଶୃତିବଦ୍ଧ ଥିଲେ। ସେମାନେ  ଘଣ୍ଟାଘଣ୍ଟା ଧରି ଗପୁଥିଲେ, ବୁଲୁଥିଲେ, ପରସ୍ପର କୁ ନ ଦେଖିଲେ ବ୍ଯସ୍ତ ହୋଇ ଯାଉଥିଲେ ।  ପରସ୍ପରକୁ ଚିଡାଉଥିଲେ, ରାଗୁଥିଲେ ଓ କିଛି କ୍ଷଣ ପରେ ପୁଣି ମିଶୁଥିଲେ।  ରାଜୁ ରିମାକୁ ଚିଡାଇଲା ବେଳେ କୁହେ- - ତୁ କାହିଁକି ଏମିତି ଭୁଷୁଣ୍ଡି ଡାହାଣୀ ପରି ହେଉଛୁ। ରାଗି ଯାଇ ରିମା କୁହେ ଆରେ ମୁଁ ଭୁଷୁଣ୍ଡି ଡାହାଣୀ ହେଲେ ତୁ ହେଲୁ କୁଷ୍ଟରୋଗିଆ ବ୍ରହ୍ମରାକ୍ଷାସ।    ଏହି ଦୁଇଟି ଶବ୍ଦ ଥିଲା ରିମା ଓ ରାଜୁର ଏକାନ୍ତ ବ୍ଯକ୍ତିଗତ। କାରଣ, କାହାକୁ ଗାଳିଦେଲା ବେଳେ ଏମିତି ସୃଷ୍ଟିବାହାର ଶବ୍ଦର ବ୍ଯବହାର କେହି କରୁ ଥିବେ କି ନା ସନ୍ଦେହ । ବାସ୍....ଦୁଇ ଜଣ ହସିହସି ଗଡି ଯାଆନ୍ତି ଓ ରାଗରୁଷା ଭୁଲି ପୁଣି ସାଙ୍ଗ ହୋଇ ଯାଆନ୍ତି।  କଲେଜ୍ ର ଅନ୍ଯ ପିଲାମାନେ ସେମାନଙ୍କୁ  ନେଇ ଅନେକ ଅପପ୍ରଚାର କରୁଥିଲେ  ମଧ୍ଯ  ତାହା ସେମାନଙ୍କ  କାନରେ ପଡିବା ପୂର୍ବରୁ ମଳିନ ପଡିଯାଉଥିଲା।
    ରିତାର ଛୋଟ ଭୁଲ ପାଇଁ ସେ ସମ୍ପର୍କ ରେ ଭଟ୍ଟା ପଡି ଯାଇଥିଲା। ଥରେ ରିତା କାନ୍ଦିକାନ୍ଦି ରାଜୁ କୁ କଲେଜ୍ ପିଲାଙ୍କ ଅପପ୍ରଚାର ବିଷୟରେ କହିଲା। ବହୁତ ବୁଝାଇବା ପରେ ମଧ୍ଯ ରିମା ନ ବୁଝିବାରୁ ରାଜୁ ତାକୁ ପାଖକୁ ଟାଣି ନେଲା ଓ ଓଠରେ ଚୁମ୍ବନ ଆଙ୍କି କହିଲା- - ସେ ପିଲା ମାନେ କଣ କହୁଛନ୍ତି ମୁଁ ଜାଣିନି ରିମା, କିନ୍ତୁ ମୁଁ ତୋତେ କହୁତ ଭଲ ପାଏ ଓ ତୋ ସାଙ୍ଗେ ସାରାଜୀବନ ରହିବାକୁ ଚାହେଁ। ଭୟଙ୍କର ରାଗରେ ଜର୍ଜରିତ ହୋଇ ରିମା ନିଜକୁ ବାହୁବନ୍ଧନରୁ ନିଜକୁ ମୁକ୍ତ କରିନେଇ ରାଜୁ ଗାଲରେ ଦେଲା ଏକ ଶକ୍ତ ଚାପୁଡା। ତାକୁ ମନ ଇଛା ଗାଳି ଦେଇ କହିଲା- - ଧିକ୍ ତୋ ପରି ପିଲା କୁ। ତୋତେ ନିଜର ସବୁଠୁ ଭଲ ସାଙ୍ଗ ଭାବୁଥିଲି କିନ୍ତୁ ତୋ ମନରେ ଏଇଆ ଥିଲା। ତୁମେ ସବୁ ପୁରୁଷ ଗୋଟିଏ ପ୍ରକାର ର, କାମନା ବାସନା ନ ଥାଇ କୌଣସି ସମ୍ପର୍କର ଆଶା ତୁମ ମାନଙ୍କ ପାଖରୁ ଆଶା କରିବା ବୃଥା।   ମୋ ସାମନା ତୁ ଚାଲିଯା.....ତୋ ଜୀବନ ଥିବା ଯାଏ ମୋତେ ତୋ ମୁହଁ ଦେଖାଇବୁନି। ତୋ ସହ ମୋର ଯାହା ବି ସମ୍ପର୍କ ଥିଲା ଆଜିଠାରୁ ଶେଷ ହୋଇଗଲା। କଲେଜ୍  ପିଲା ମାନଙ୍କ ସାମନାରେ ଏପରି ଅପମାନ ପାଇ ରାଜୁର ମୁହଁ କଳା ପଡିଗଲା ଓ ସେ ତଳକୁ ମୁହଁ ପୋତି ଚାଲିଗଲା।
     ସେଦିନ ପରଠାରୁ ରିମା କେବେ ରାଜୁ କୁ ଦେଖିନି। ସେ କୁଆଡେ ଗଲା ସେ ବିଷୟରେ ଜାଣିବାକୁ ଚେଷ୍ଟା କରି ମଧ୍ଯ ବିଫଳ ହୋଇଛି।  ତାକୁ ଥରେ ଦେଖା କରି  ଭୁଲ ମାଗି ସ୍ବୀକାର କରି କହିବାକୁ ଚାହିଁଛି ଯେ, ସେ ବି ତାକୁ ଭଲ ପାଏ। କିନ୍ତୁ ସେଦିନ ଆଉ ଆସିନି। ଗୋଟିଏ କ୍ଷଣର ଭୁଲ ପାଇଁ ସେ ତା ପ୍ରେମ ଓ ବନ୍ଧୁତ୍ବ ଉଭୟଙ୍କୁ ହରାଇ ସାରିଛି। କିନ୍ତୁ ଆଜି ବି ସେ  ଆଲିଙ୍ଗନ ଓ ଚୁମ୍ବନର ଅନୁଭୁତି  ତା ଦେହମନରେ  ତଡିତ୍ ପ୍ରବାହ କରାଇଦିଏ। ରାଜୁ ଦେହର ବାସ୍ନା ତାକୁ ଏବେ ମଧ୍ଯ ଅଥୟ କରେ ଓ ସେହି ସ୍ବର୍ଗୀୟ ମୂହୁର୍ତ୍ତ ରେ କାହିଁକି ଯେ ସମୟର ଚକ ବନ୍ଦ ହୋଇ ନ ଗଲା ସେ ବାରମ୍ବାର ଭାବେ। କାହିଁକି କେଜାଣି, ଏତେ ଦିନ ପରେ ଆଜି ରାଜୁ ବହୁତ ମନେ ପଡୁଛି। ତା ସାମନା ସିଟ୍ ରେ ବସିଥିବା ଦମ୍ପତ୍ତିଙ୍କର କାର୍ଯ୍ଯକଳାପ ତା ମନ ଭିତରେ କାହିଁ କେତେ ଦିନରୁ ସମାଧିସ୍ଥ ହୋଇ ସାରିଥିବା ଭାବନା ସବୁକୁ ପୁନର୍ଜୀବିତ କରାଇବାରେ ଲାଗିଛି।  ବାହାରେ ବର୍ଷାର ପ୍ରକୋପ ବଢି ଚାଲିଥିଲା ଓ ତା ସାଙ୍ଗକୁ ତାଳ ଦେଇ ରିମା ମନରେ ଭାବନାର ଜୁଆର କୂଳଲଙ୍ଘନ କରି ଚାଲିଥିଲା।  ତା ଜୀବନରେ ରାଜୁ ହିଁ ଥିଲା ପ୍ରଥମ ଓ ଶେଷ ପୁରୁଷ ଯିଏ ତାକୁ ସ୍ପର୍ଶ କରିଥିଲା।  ବିବାହ ପରଠାରୁ ଗଗନର କାର୍ଯ୍ଯକଳାପ ଏପରି ଥିଲା ଯେ ରିମା ତାକୁ  କେବେ  ନିଜ ଶରୀର ସ୍ପର୍ଶ କରିବାର ସୁଯୋଗ  ଦେଇ ନ ଥିଲା।  ରିମା ର କମ୍ପିତ ଓଷ୍ଠରୁ ଅସ୍ପଷ୍ଟ ସ୍ବର ରେ ବାହାରି ଆସିଲା- - ଉଫ୍ ରାଜୁ। ତୁମେ ମୋ ପାଖକୁ ଚାଲିଆସ। ମୁଁ ଆଜି ବି ତୁମ ଅପେକ୍ଷାରେ …. ନିଜ ଉପରୁ ନିୟନ୍ତ୍ରଣ ହରାଇବା ପରି ଲାଗିଲା ରିମାକୁ। ଏ ଭାବନା ତା ପାଇଁ ନୂତନ ନଥିଲା। ଏପରି ସ୍ଥଳେ ସେ ଚୁପଚାପ ହୋଇ ଶୋଇପଡେ।  କାରଣ ନିଦ୍ରା ବ୍ଯତୀତ ଅନ୍ଯ କୌଣସି ଇପାୟରେ ତା ମନର ଉଦବେଳନକୁ ଶାନ୍ତ କରିବାର ଉପାୟ ନ ଥାଏ। ଅଗତ୍ଯା ସେ ଆଖି ବନ୍ଦ କରି ଶୋଇବାକୁ ଚେଷ୍ଟା କଲା। କିଛି ସମୟ ଭିତରେ ସେ ଗଭୀର ନିଦ୍ରା ରେ ଅଭିଭୂତ ହୋଇଗଲା।
    ଏକ ଷ୍ଟପେଜ୍ ରେ ବସ୍ କିଛି ସମୟ ପାଇଁ ରହିଲା। ଶ୍ମଶୃ ଧାରୀ  ଜଣେ ଭଦ୍ରବ୍ଯକ୍ତି ସେହି ବସ୍ ରେ ଚଢିଲେ। ତାଙ୍କ ବେଶଭୂଷା ବେଶ୍ ଆଭିଜାତ୍ଯପୂର୍ଣ୍ଣ ଥିଲା ଓ  ମୁଖମଣ୍ଡଳରେ ଗାମ୍ଭୀର୍ଯ୍ଯତା ସ୍ପଷ୍ଟ ବାରି ହୋଇ ପଡୁଥିଲା। ରିମାର ପାଖ ସିଟ୍ ଖାଲି ଥିବାର ଦେଖି ସେହି ସିଟ୍ ରେ  ବସିଗଲେ।  ବସ୍ ର ଗତି ବଢି ଚାଲିଥିଲା ଓ  ସେ ବ୍ଯକ୍ତି ଜଣକ ରିମା ପାଖରୁ ନିରାପଦ ଦୂରତାରେ ରହି ଶୋଇବାକୁ ଚେଷ୍ଟା ଚଳାଇଲେ। କିଛି ସମୟ ପରେ  ସେ ଅନୁଭବ କଲେ,ସହଯାତ୍ରୀ ତାଙ୍କ ଆଡକୁ ଢଳିପଡିଛନ୍ତି ଓ ତାଙ୍କ କାନ୍ଧରେ ମୁଣ୍ଡ ରଖି ଶୋଇବାର ଚେଷ୍ଟା ଚଳାଇଛନ୍ତି। ଧିରେଧିରେ ସେ ଟିକେ ଘୁଞ୍ଚି ଆସିଲେ , ଯେପରି ସହଯାତ୍ରୀଙ୍କର ନିଦ୍ରାରେ ବ୍ଯାଘାତ ନ ହେବ। କିନ୍ତୁ କିଛି ସମୟ ପରେ ପୁଣି ସେହି ଅବସ୍ଥାର ପୁନରାବୃତ୍ତି ହେଲା।  ଭଦ୍ରବ୍ଯକ୍ତି ଦେଖିଲେ ନିଜକୁ ଅଧିକ ଘୁଞ୍ଚିବା ସମ୍ଭବପର ନୁହଁ। ଏ ପରିସ୍ଥିତିରେ ଦୁଇଟି ବିକଳ୍ପ ଉନ୍ମୁକ୍ତ ଥିଲା। ସେ ସହଯାତ୍ରୀଙ୍କୁ ସଚେତନ କରାଇ ପାରିଥା'ନ୍ତେ, ଅବା ତାଙ୍କୁ ନିଜ କାନ୍ଧରେ ମୁଣ୍ଡ ରଖି ଶୋଇବାର ନୀରବ ସମ୍ମତି ଜଣାଇଥା'ନ୍ତେ। ଶେଷରେ  ସେ  ଦ୍ବିତୀୟ ବିକଳ୍ପ କୁ ବାଛି ନେଲେ ଓ ସହଯାତ୍ରୀ ତାଙ୍କ କାନ୍ଧରେ ମୁଣ୍ଡ ରଖି ଆରାମରେ ଶୋଇ ରହିଲେ। ତାଙ୍କ ସହଯାତ୍ରୀ ରିମା ସେତେବେଳକୁ ସ୍ବପ୍ନ ରାଜ୍ଯରେ ବିଚରଣ କରୁଥିଲା। ମନପରଦା ରେ  ରାଜୁର ଉପସ୍ଥିତି ଓ ତା ଶରୀରର ବାସ୍ନା ତା ଇନ୍ଦ୍ରିୟଗଣଙ୍କୁ ବେପଥୁ କରି ଚାଲିଥିଲା। ସେ ଏତେ  ଗଭୀରନିଦ୍ରାରେ  ଅଭିଭୂତ ଥିଲା ଯେ  ତା ପାଖରେ ଖାଲି ଥିବା ସିଟ୍ ରେ କେହି ଜଣେ ବସି ସାରିଲେଣି ବୋଲି ଜାଣିବା ତା ପକ୍ଷରେ ସମ୍ଭବ ନ ଥିଲା।  ଅଳ୍ପ ସମୟ ଭିତରେ ସେହି ଭଦ୍ରବ୍ଯକ୍ତି ମଧ୍ଯ ଶୋଇପଡିଲେ ଓ ତାଙ୍କ କାନ୍ଧରେ ମୁଣ୍ଡ ରଖି ରିମା ଆରାମ ରେ ଶୋଇ ରହିଥିଲା।
         ସାମନା ସିଟରେ ବସିଥିବା ଦମ୍ପତ୍ତିଙ୍କ  ପାଇଁ  ଏପରି ଦୃ ଶ୍ଯ  କୌଣସି ପ୍ରତିଯୋଗିତା ଠାରୁ କମ୍ ନ ଥିଲା। ଯୁବକ ଟି ଯୁବତୀ ସ୍ତ୍ରୀ ର ମୁଣ୍ଡକୁ ଜବରଦସ୍ତି ଟାଣି ଆଣି ନିଜ କାନ୍ଧ ଉପରେ ରଖି  ଶୁଆଇବାର ଚେଷ୍ଟା କଲା ବେଳକୁ, ସ୍ତ୍ରୀ ର  ବିରକ୍ତିଭରା ନାସ୍ତିବାଣୀ ଶୁଣି  ମୁହଁ ଶୁଖାଇ ବସି ରହିଲା।  ପଛସିଟ୍ ରେ  ଚାଲିଥିବା ଘଟଣାର ପରବର୍ତ୍ତୀ ଦୃ ଶ୍ଯ କଣ ହେବ ଭାବି ତା ମନ ରୋମାଞ୍ଚିତ ହୋଇ ଉଠୁଥିଲା।  ଯୁବକ ଟି ଭାବୁଥିଲା ଯଦି ତା ମୁଣ୍ଡ ଟି ପେଚା ପରି ସମ୍ପୂର୍ଣ୍ଣ ବୁଲି ପାରୁଥା'ନ୍ତା  ତେବେ କେତେ ଭଲ ହୁଅନ୍ତା। ତା ମୁହଁର ଭାବ ଲକ୍ଷ କଲେ ଲାଗୁଥିଲା, ନିଜର ଯୁବତୀ ସ୍ତ୍ରୀ ପାଖରେ ସେ ଶ୍ମଶୃ ଧାରୀ ବ୍ଯକ୍ତିଙ୍କୁ ବସାଇ ରିମା ପାଖ ସିଟ୍ ରେ ନିଜେ ବସି ପଡନ୍ତା। ଅନ୍ତତଃ ତା କାନ୍ଧଟି ସେହି ସୁନ୍ଦର ମହିଳାଙ୍କ ତରଙ୍ଗାୟିତ ଘନକେଶ ଆଚ୍ଛାଦିତ ଶିର କୁ ଭରା ଦେବା କାର୍ଯ୍ଯ ରେ ଲାଗି ପାରିଥା'ନ୍ତା।
    ହଠାତ୍ ରିମା ଚିତ୍କାର କରି ଉଠିଲା ଓ ସେ ଭଦ୍ରବ୍ଯକ୍ତିଙ୍କୁ ଗାଳିଗୁଲଜ କରିବାରେ ଲାଗିଲା। ପାଟିତୁଣ୍ଡ ଶୁଣି ଯାତ୍ରୀ ମାନେ ଉଠି ପଡିଲେ ଓ କଣ୍ଡକ୍ଟର ଆସି ଲାଇଟ ଲଗାଇଲା। ରିମା ର ମୁହଁ ରାଗରେ ଲାଲ୍ ପଡି ଯାଇଥାଏ ଓ ସେ ନାନା ଅକଥ୍ଯ ଗାଳିରେ ସେ ଭଦ୍ରବ୍ଯକ୍ତିଙ୍କୁ ଶୋଧି ଚାଲିିଥାଏ। ମାତ୍ର ସେ ବ୍ଯକ୍ତି ଜଣକ ଧିର ସ୍ବରରେ କହୁଥା'ନ୍ତି - - କ୍ଷମା କରିବେ ମହାଶୟା। କିନ୍ତୁ ଆପଣ ନିଜେ ମୋ କାନ୍ଧରେ ମୁଣ୍ଡ ରଖି ଶୋଇଥିଲେ। ମୁଁ ବାରମ୍ବାର ନିଜକୁ ଦୂରେଇବାକୁ ଚେଷ୍ଟା କରିବା ପରେ ମଧ୍ଯ ଆପଣ ବାରମ୍ବାର ମୋ ଉପରକୁ ଝୁଙ୍କି ପଡୁଥିଲେ। ସନ୍ଦେହ ହେଲେ ସାମନା ସିଟ୍ ରେ ବସିଥିବା ଯୁବକଙ୍କୁ ପଚାରି ପାରନ୍ତି। ସେତେବେଳକୁ ଯୁବକର ତଣ୍ଟି ଶୁଖିଗଲା ପରି ଲାଗୁଥିଲା- - କାରଣ ଘଟଣା ଟା ଦେଖିଛି ବୋଲି କହିଲେ, ସ୍ତ୍ରୀ ନିହାତି ପଚାରିବ ଯେ ମୋତେ ଛାଡି ତୁମେ ପଛ ସିଟ୍ ରେ କଣ ଚାଲିଛି କାହିଁକି ଦେଖୁଥିଲ। ତେଣୁ ସେ ଅଜବ ଢଙ୍ଗରେ ମୁଣ୍ଡ ହଲାଇଲା ଯାହାର କିଛି ଅର୍ଥ ନ ଥିଲା।  ଅଧିକ ଉତ୍ତେଜିତ ହୋଇ ରିମା ସେ ଭଦ୍ରବ୍ଯକ୍ତିଙ୍କୁ ଧକ୍କାଏ ପକାଇଲା।  ସେ ଲୋକଟି ବା କେତେ ସହିବ- - ରିମା ଗାଳିର ପ୍ରତ୍ଯୁତ୍ତର ସେ ଦେବା ଆରମ୍ଭ କରିଦେଲେ। ବାସ୍ ଆରମ୍ଭ ହୋଇଗଲା ଘମାଘୋଟ ଯୁଦ୍ଧ।  ବସର ସମସ୍ତ ଯାତ୍ରୀମାନେ ଏପରି ସ୍ବର୍ଗୀୟ ଦୃଶ୍ଯ ଦେଖିବେ ବୋଲି ଚିନ୍ତା କରି ନ ଥିଲେ। ସମସ୍ତେ ଧିରସ୍ଥିର ହୋଇ ନିଜ ସିଟ୍ ରେ ବସି ରହି   ଗଣ୍ଡଗୋଳର  ଜୀବନ୍ତ ଦୃ ଶ୍ଯ  ଉପଭୋଗ କରିବାର ମଜାନେଲେ।
    ରିମା ନିଜର ସମସ୍ତ ଶକ୍ତି ଲଗାଇ ଚିତ୍କାର କରି ସେ ଭଦ୍ର ବ୍ଯକ୍ତିଙ୍କୁ କହିଲା- - ତୁମେ ଜଣେ କୁଷ୍ଠରୋଗିଆ ବ୍ରହ୍ମରାକ୍ଷାସ। ଜଣେ ଆଧୁନିକା, ସୁନ୍ଦରୀ ଓ ସଂଭ୍ରାନ୍ତ ମହିଳାଙ୍କ ମୁହଁରୁ ଏପରି  ଭୟଙ୍କର ଅପଶବ୍ଦବିଶିଷ୍ଟ ଗାଳି ବାହାରି ପାରେ, ତାହା  ଯାତ୍ରୀମାନଙ୍କ ବିଶ୍ବାସ ବାହାରେ ଥିଲା। ଏହି ଗାଳିର ଉତ୍ତର ଭଦ୍ରବ୍ଯକ୍ତି କିପରି ଦେବେ ବୋଲି ଯାତ୍ରୀମାନେ ତାଙ୍କ ମୁହଁକୁ ଚାହିଁ ରହିଲେ।
    ଆଶ୍ଚର୍ଯ୍ଯ.... ଏ ଲୋକଟା କେତେ ଅଲାଜୁକ ଟା ମ ! ଏମିତି ଗାଳି ଖାଇବା ପରେ ବି ଦାନ୍ତ ନେଫେଡୁଛି। କୁଷ୍ଠରୋଗିଆ ବୋଲି ମୋତେ କିଏ କହିଲେ ମୁଁ ତା ଚଉଦପୁରୁଷ ଉଝାଳି ଦେବି, ଆଉ ଇଏ ମହାପୁରୁଷ ବତିଶି ଦେଖେଇ ପାଲା ଲଗେଇଛି। ଏ ଦାଢିଆ ଟା ବୋଧେ ବାବାଜୀ ଫାବାଜୀ ଜାତି ର ମଣିଷ ହୋଇଥିବ। କଣ୍ଡକ୍ଟର ଫିସଫିସ କରି ଗାଡିର କ୍ଲିନରପିଲା  କୁ କହିଲା।
    ଶ୍ମଶୃଧାରୀ  ସେ ଭଦ୍ରବ୍ଯକ୍ତି ମନଖୋଲା ହସରେ ବସ୍ କୁ ପ୍ରକମ୍ପିତ କରି କହିଲେ- - ଆରେ ମୁଁ ଯଦି କୁଷ୍ଠରୋଗିଆ ବ୍ରହ୍ମରାକ୍ଷାସ ତେବେ ତୁ ହେଲୁ ଭୁଷୁଣ୍ଡି ଡାହାଣୀ। କଣ ଗାଳି ଟା ଠିକ୍ ଲାଗିଲା ତ !!!! ଆଶ୍ଚର୍ଯ୍ଯରେ ରିମାର ପାଟି ମେଲା ହୋଇ ରହିଗଲା। ତାକୁ ଲାଗିଲା ଯେମିତି ତା ନିଶ୍ବାସ ଅଟକି ଯାଇଛି। ଲଥ୍ କରି ସେ ସିଟ୍ ଉପରେ ବସି ପଡିଲା। କଣ୍ଡକ୍ଟର ତାଳି ମାରି କହିଲା - - ଓଃ ବାବୁ ପୁରା ଛକ୍କା ଟେ ନାଛିଦେଲ। କାନମୁଣ୍ଡା ଭାଁ ଭାଁ କରିଦେଲା ମେଡେମ୍ ଙ୍କର ଓ ସେ  ଘାଇଲା ହୋଇ  ବସିପଡିଲେ।
    ରିମା  ସେ ଭଦ୍ରବ୍ଯକ୍ତିଙ୍କ ଗାଲରେ ଚାପୁଡା ପରେ ଚାପୁଡା ମାରି କହି ଚାଲିଥିଲା- -  ତୋର  ମୋ ଉପରେ ଏତେ ରାଗ !! ମୁହଁ ବୁଲେଇଦେଲୁ ଯେ ଥରୁଟିଏ ପଛକୁ ବୁଲି ଚାହିଁଲୁନି। ଆରେ ପାଗଳ ମୁଁ ଗୋଟେ ଝିଅ, କେମିତି ତୋତେ କହିଥା'ନ୍ତି ମୁଁ ବି ତୋତେ ଭଲ ପାଉଥିଲି ବୋଲି।  ଆଜି ସାରା ଦୁନିଆ ଆଗରେ ମୁଁ କହିବାକୁ ଚାହୁଁଛି ସେହି କଥା ଯାହା ଏତେ ବର୍ଷ ଧରି ମୋ ଆତ୍ମାକୁ ଖିନଭିନ କରି ଚାଲିଛି। ରାଜୁ ମୁଁ ତୋତେ ଭଲ ପାଏ....ମୁଁ କେବଳ ତୋର ରେ ପାଗଳା....ତୋ ରିମା କୁ  ତୁ କଣ କ୍ଷମା କରିବୁନି ? ରାଜୁ କୁ କୁଣ୍ଢାଇ ଧରି ରିମା ପିିଲାଙ୍କ ପରି କାନ୍ଦି ଚାଲିଥିଲା, ତା ସର୍ବାଙ୍ଗରେ ଚୁମ୍ବନ ବର୍ଷା କରି ଚାଲିଥିଲା।  ପୁରୁଣା ମଦ ପରି ପୁରୁଣା ପ୍ରେମର ନିଶା ବହୁତ ଅଧିକ ବଢି ଯାଇଥିଲା ଓ ସେ ନିଶା ରେ ମତୁଆଲା ହୋଇ ଚାଲିଥିଲା ରିମା।
    ରାଜୁ  ରିମା ର ହାତଧରି  କହିଲା- – ତୁ ପ୍ରକୃତରେ ପାଗିଳି ଟା।  ତୁ ରାଗି ମୋତେ ଯାହା କହିଲୁ ମୁଁ ସତ ବୋଲି ଭାବିଲି ତେଣୁ ତୋ ପାଖରୁ ଦୂରେଇଗଲି। ତୋ ମନରେ କେବେ କଷ୍ଟ ଦେବାକୁ ମୁଁ କେବେ ବି ଚାହିଁନି ରିମା, ଆଜି ବି  ମୁଁ ତୋ ପାଇଁ ଅପେକ୍ଷା କରି ରହିଛି। ମୋ ଦାଢି ଦେଖି କଣ ଜାଣି ପାରୁନୁ କି ମୁଁ ଆଜି ଯାଏ ବାହା ନ ହୋଇ  ଓଥରା ହୋଇ ରହିଛି।  କଣ ମୋତେ ବାହା ହେବୁ ତ ? କେଜାଣି ତୁ ବାହାସାହା ହୋଇ ଡଜନେ ପିଲା ଜନ୍ମ କରି ସାରୁବୁଣି।
    ରିମା କିଛି କହିବା ପୂର୍ବରୁ ବସ ଭିତରେ ଥିବା ଦେଖଣାହାରୀ ମାନେ ସମବେତ କଣ୍ଠରେ କହିଲେ- - ଆରେ ହେବେ ନା ...ହେବେନି କଣ ପାଇଁ ... ନ ହେବାର କିଛି କାରଣ ଅଛି କି ମ୍ଯାଡାମ୍?
    ରିମା ହସିହସି କହିଲା - - ନିହାତି ହେବିରେ ରାଜୁ, କିନ୍ତୁ ଏଥର ଯଦି ମୋତେ ଛାଡିଯିବାକୁ ଚେଷ୍ଟା କରିବୁ  ତୋ ଗୋଡ ଭାଙ୍ଗି ଛୋଟା କରିଦେବି।
    ରାଜୁ କୁ ଜାବୁଡି ଧରି ରିମା ଗପି ଚାଲିଥିଲା ଅନେକ ବର୍ଷର ବକେୟା ଗପ ଓ ତା ଜୀବନର କାହାଣୀ।  ରାଜୁ ତା ମୁଣ୍ଡ ଆଉଁସି କହିଲା- - ଭାଗ୍ଯ ଆମ ଦୁଇ ଜଣଙ୍କୁ ବହୁତ ଦୁଃଖ ଦେଲା, ଏବେ ଆମ ପାଇଁ ସୁଖର ସମୁଦ୍ର ଅପେକ୍ଷା କରି ରହିଛି। କିନ୍ତୁ ମୁଁ ଗୋଟେ କଥା ବୁଝି ପାରୁନି ଯେ ଆମେ ଦୁଇଜଣ ଗୋଟେ ବସ୍ ରେ ଆସିଲେ କେମିତି ଓ ଏସବୁ ଘଟଣା ଘଟିଲା କେମିତି।
    ସାମନା ସିଟ୍ ରେ ବସିଥିବା ଯୁବକ ଟି ସ୍ତ୍ରୀ  ସହ ପାଟିତୁଣ୍ଡ କରି ଦୁଇ ଖୁନ୍ଦା ଖାଇ ମନ ଦୁଃଖରେ ବସି ରାଜୁର କଥା ଶୁଣୁଥିଲା। ଦୀର୍ଘନିଶ୍ବାସ ପକାଇ ସେ କହିଲା- - ସବୁ ସେହି ଭାଗ୍ଯର ଖେଳ, କାହାପାଇଁ  ସିଝା ସନ୍ତୁଳା  ତ  କାହାପାଇଁ କଙ୍କଡାଝୋଳ।
                *****************

Monday, June 10, 2019

ଘର

                                            ଘର   
                                              ଲେଖକ- ଅରବିନ୍ଦ ରଥ      

    ଶୁଣ୍ ନେତ ଆଜି ସଞ୍ଜବେଳେ ମୁଁ କଲିକତା ଚାଲିଯିବି।  ତୋ କଥା ତୁ ବୁଝିବୁ ଓ ପିଲା ମାନଙ୍କର ଦେଖାଶୁଣା କରିବୁ। ସୁବିଧା ହେଲେ ଟଙ୍କା ପଠେଇବି, ନ ହେଲେ ନାହିଁ। ତୋ ସହ ସବୁଦିନ ଝିକଝିକ୍ କରିବାକୁ ମୋ ବଳ ପାଉନି। ଏତିକି କହି ସନତ ବୋତଲରେ ଥିବା ଅବଶିଷ୍ଟ ମଦ, ଗୋଟିଏ ଢୋକରେ ଶେଷ କରି ଉତ୍ତର ଅପେକ୍ଷାରେ ରହିଲା।
    ଆକାଶରେ ଘୋଟି ଆସୁଥିବା କଳାହାଣ୍ଡିଆ ମେଘ କୁ ଚାହିଁ ନେତ କହିଲା-- ଆଜି ପରା ବାତ୍ଯା ଆସୁଛି। ରେଡିଓ ରେ କହୁଥିଲା ଜୋର୍ ରେ ପବନ ବୋହିବ, ଘରଦ୍ବାର ଭାଙ୍ଗିଯିବ। ତୁମେ ଚାଲିଗଲେ ମୁଁ ଦୁଇ ପିଲାଙ୍କୁ ଧରି କାହା ପାଖେ ମୁଣ୍ଡ ଗୁଞ୍ଜିବି? ମୋ ପାଇଁ ତୁମ ମନରେ କିଛି ନ ଥାଉ ପରବାୟ ନାହିଁ, କିନ୍ତୁ ଏ ପିଲା ଦୁଇଟା କଥା ଟିକେ ବିଚାର କର।
    ସାତ ଆଠ ବର୍ଷର ପିଲା ଦୁଇଟି ବାପା ମାଆଙ୍କ ଭିତରେ ଚାଲିଥିବା ଗମ୍ଭୀର ଆଲୋଚନା ର ଟେର ନ ପାଇ ଖେଳରେ ମାତିଥିଲେ। ସାନ ପୁଅ ବଡ ପାଟି ରେ କହୁଥିଲା – ନାନି ଲୋ, ଆଜି ବାତିଆ ଆସିବ, ପବନ ବୋହିବ, କୁଆପଥର ବରଷିବ। କୁଆପଥର ପଡିଲେ ଲେମ୍ବୁ ସରବତ କରି ଆମେ ଦିହେଁ ପିଇବା, ବାପା ମାଆଙ୍କୁ ବି ଦେବା। ଝିଅ ଟା ଉଲ୍ଲସିତ ହୋଇ କହୁଥିଲା- - ସେ ବରଫ କିଛି ଓଦା କନାରେ ସାଇତି ରଖିବା। ସଞ୍ଜ ବେଳେ ତୋରାଣୀ ରେ ପକାଇ ପିଇଲେ ଭାରି ସୁଆଦ ଲାଗିବ।
    ବସ୍ତିରେ ଥିବା ଝାଟିମାଟି ଘର ଭିତରୁ ଚାରି ପ୍ରାଣୀଙ୍କ ଭିନ୍ନ ଭିନ୍ନ କଥାରେ ତିଳେ ମାତ୍ର ପ୍ରଭାବିତ ନ  ହୋଇ ବାତ୍ଯା ସ୍ବଆଗମନ ର ପ୍ରାକପ୍ରସ୍ତୁତି, ଜୋରଦାର୍ ଚଳାଇଥିଲା।
    ରାଜଧାନୀ ଉପକଣ୍ଠରେ ଶହେ ସରିକି କୁଡିଆ, ଝାଟିମାଟି ଓ ପଲିଥିନ୍ ଟଣା ଘର ଓ ଚାରିଶହ ନିହାତି ଗରିବ ଶ୍ରେଣୀର ଲୋକଙ୍କ ସମାହାର ରେ ଗଢି ଉଠିଥିଲା ଏକ ବସ୍ତି। ସହର ର ଆଧୁନିକୀକରଣ ଓ ଚାକଚକ୍ଯତା ର ତେଜରେ ବିତାଡିତ ହୋଇ ବସ୍ତି ବାସିନ୍ଦା ମାନେ ସେହି ସ୍ଥାନ ରେ ନିଜର ସ୍ବର୍ଗ ମାନ ସ୍ଥାପନ କରିଥିଲେ। ସାରା ସହରର ଅଳିଆ, ଆବର୍ଜନା ରେ  ସୃଷ୍ଟି ହୋଇଥିବା କୃତ୍ରିମ ପାହାଡ ର ପାଦଦେଶରେ ଥିବା ସେହି ବସ୍ତି ଓ ବସ୍ତି ବାସିନ୍ଦାଙ୍କର କୌଣସି ସ୍ବତନ୍ତ୍ର ପରିଚୟ ନ ଥିଲା।  ସେମାନେ ଯେ ରକ୍ତ ମାଂସଧାରୀ ମନୁଷ୍ଯ, ଏ କଥା ମାନିବାକୁ ସହରି ମାନେ ଆଦୌ ପ୍ରସ୍ତୁତ ନ ଥିଲେ। ପଶୁଠାରୁ ଉନ୍ନତ ଓ ମନୁଷ୍ଯଠାରୁ ନ୍ଯୁନ ଶ୍ରେଣୀରେ ସେମାଙ୍କୁ ସ୍ଥାନିତ କରାଯାଇଥିଲା। ସେହି ବସ୍ତିରେ ସନତ ନିଜ ପରିବାର ଧରି ବିଗତ କେତେ ବର୍ଷଧରି ରହି ଆସୁଥିଲା।
        ସ୍ବାମୀ,ସ୍ତ୍ରୀ ଓ ଦୁଇ ପିଲା ବେଶ୍ ହସଖୁସି ରେ ଦିନ କାଟି ଚାଲିଥିଲେ। କିନ୍ତୁ  ତାଙ୍କ ପରିବାରରେ,  ସେହି ବସ୍ତିରେ ରହୁଥିବା ଜଣେ ବଙ୍ଗୀୟ ଯୁବତୀର ଅନୁପ୍ରବେଶ ଘଟିବା ପରେ ସବୁକିଛି ଛାରଖାର ହୋଇ ଯାଇଥିଲା।  ଯୁବତୀ ଟି  କି କୁହୁକ କଲା ଭଗବାନଙ୍କୁ ଜଣା, ଖୁବ୍ କମ୍ ଦିନ ମଧ୍ଯରେ ସନତ ପୋଷା ବିଲେଇ ପରି ତା ପାଖରେ ପଡି ରହିଲା। ରୋଜଗାର କରୁଥିବା ଟଙ୍କା,ସମୟ ଓ ଭଲପାଇବା  ତା ପାଦରେ ଅର୍ପଣ କରିବାରେ ଲାଗିଲା। ପ୍ରଥମେ ନେତ ନେହୁରା ହୋଇ ସନତକୁ ଏ କାମରୁ ବିରତ କରିବାକୁ ଚେଷ୍ଟା କଲା। କୌଣସି ଫଳ ନ ମିଳିବାରୁ ସେ ପ୍ରତିବାଦ କରି ଗାଳିଗୁଲଜ କଲା।  ମାତ୍ର  ବଶୀଭୂତ ହୋଇ ସାରିଥିବା ସନତ ଅଧିକ ଉଗ୍ର ରୂପ ଧାରଣ କରି ନେତ କୁ  ପିଟାମରା କଲା। ତା କ୍ରୋଧବହ୍ନିରୁ ନିରିହ ପିଲା ଦୁଇଟା ମଧ୍ଯ ତ୍ରାହି ପାଉ ନ ଥିଲେ। ଦିନେ ମଦ ନିଶା ରେ ଚୁର୍ ହୋଇ ସନତ ଘରକୁ ଫେରିଲା ଓ ନେତ କୁ ରୋକଠୋକ ଶୁଣାଇଦେଲା ଯେ ସେ ବଙ୍ଗାଳୀ ଝିଅ କୁ ବାହା ହେବ ଓ କଲିକତା ଚାଲିଯିବ।  ସେଦିନ ବୁକୁଫଟାଇ ନେତ ବହୁତ କାନ୍ଦିଲା ଓ ସେ ବଙ୍ଗାଳୀ ଝିଅର ଗୋଡ ତଳେ ପଡି ତା ସ୍ବାମୀ କୁ ଫେରାଇ ଦେବାକୁ ନେହୁରା ହେଲା।  କିନ୍ତୁ ସବୁ ନିଷ୍ଫଳ ହେଲା। ସ୍ତ୍ରୀ, ପିଲାଙ୍କର ଅଶୃ , ମୋହ ଓ ସ୍ନେହର ଶିକୁଳିକୁ ବିଛିନ୍ନ କରି ସନତ ଘର ଛାଡି ସେହି ଯୁବତୀ ସହ ରହିବାକୁ ନିଷ୍ପତ୍ତି ନେଇ ସାରିଥିଲା ଲାଗିଲା। ସେ ନେତ କୁ ଦେଇଥିବା ଅସୁମାରୀ ସ୍ବପ୍ନ ଓ ପ୍ରତିଶୃତି ର ଦୁର୍ଗ ଖଣ୍ଡ ବିଖଣ୍ଡିତ ହୋଇ ଭୁଷୁଡି ଚାଲିଥିଲା।  ଭାଗ୍ଯକୁ ନିନ୍ଦି ଘର କୋଣରେ ଗୁମୁରି କାନ୍ଦିବା ଛଡା ଅନ୍ଯ କିଛି ବିକଳ୍ପ ନେତ ପାଖରେ ନ ଥିଲା।
    ଏକ ବ୍ଯାଗ୍ ରେ ସନତ ଜିନିଷପତ୍ର ପୁରାଇବାରେ ଲାଗିଥିଲା। ପିଲା ଦୁଇଟା ତାକୁ ପଚାରି ଚାଲିଥଲେ-- ବାପା କୁଆଡେ ଆମେ ବୁଲିବାକୁ ଯିବା ନା କଣ? ନିତିଆ କାକା ତା ପିଲାଙ୍କୁ ଧରି ପୁରୀ ଯାଇଛି, ଚାଲ ଆମେ ସବୁ ପୁରୀ ଯିବା। ବଡଦେଉଳ ଯିବା, ସମୁଦ୍ର ଦେଖିବା- - କେତେ ମଜା କରିବା।
    ଝିଅ ଟି ଅଳି କରି କହୁଥାଏ- - ବାପା ମୋ ଫ୍ରକ୍ ଟା ଚିରି ଯାଇଛି। କେତେ ଦିନ ହେଲାଣି ମୋ ପାଇଁ ନୂଆ ଜାମା କରିନ, ଏଥର ଗୋଟେ କିଣିଦିଅ। ତୀର୍ଯକ୍ ଚାହାଁଣି ରେ ସେ ପିଲା ମାନଙ୍କୁ ଦେଖିଲା। ଏ ଚାହାଁଣୀ ର ଅର୍ଥ ପିଲା ମାନେ ଭଲରେ ବୁଝୁଥିଲେ। ଭୟଙ୍କର ଗାଳି ଓ ବିଧା,ଚାପୁଡା ଛଡା ଅନ୍ଯ କିଛି ମିଳିବ ନାହିଁ ବୋଲି ସେମାନେ ବୁଝି ପାରି ଚୁପ୍ ରହିଲେ।
     ବାହାରେ ପବନ ର ତେଜ ବେଳକୁ ବେଳ ବଢି ଚାଲିଥିଲା। ସେ ତରତର ହେଉଥିଲା, ଯଥାଶୀଘ୍ର ଜିନିଷ ନେଇ ସେଠାରୁ ଚାଲିଯିବା ପାଇଁ। ତେଣେ ନେତ ଡବାରେ ତା ପାଇଁ ଚୁଡା,ଗୁଡ, ବାଦାମ୍ ଭଜା, ମୁଢି ମୁଆଁ ପୁଞ୍ଜାଏ ପୁରାଇବାରେ ବ୍ଯସ୍ତ ଥିଲା।  ସନତ ସିନା ତାକୁ ପର କରିଦେଲା, କିନ୍ତୁ ସେ କଣ କରି ପାରିବ? ସାତ ଜନମ ପାଇଁ ସେ ତା ସାଥୀ ରହିବ ବୋଲି ପରା ଅଗ୍ନି ଆଗରେ ଶପଥ ନେଇଛି।  ସ୍ବାମୀ  ଭଲରେ ରହିଲେ ତା ମଥାରେ ସିନ୍ଦୁର  ହାତରେ ଚୁଡି ଚହଟୁଥିବ।  ପିଲା ଦୁଇଟା ତାଙ୍କ ବାପ ନାଁଆ ଗର୍ବରେ କହି ପାରୁଥିବେ। ସେ ନିଆଁଲଗା ବଙ୍ଗାଳୀ ଝିଅ ସିନା ତା ସଂସାର ରେ ନିଆଁ ଲଗେଇ ଦେଲା, କିନ୍ତୁ ଦଇବ କୋପରୁ ସେ କଣ ତ୍ରାହି ପାଇ ପାରିବ।  ନର୍କରେ ସଢିବ ସେ, ତା ଉପରେ ପୋକମାଛି ପଡିବେ। ଏମିତି ଘଇତାଚୋର, ବିଟପୀ ନାରୀ ଭାଗ୍ଯରେ ଭଗବାନ କେବେ ମଧ୍ଯ ସୁଖ ଦେବେନି। ଅଭିଶାପର ନିଆଁରେ ସେ ଜଳିପୋଡି ଛାରଖାର ହୋଇଯିବ।
- - ଏଥର ମୁଁ ଚାଲିଲି, ପବନ ବଢିଲାଣି - - ତେଣେ ସେ ଡରୁଥିବ। ତାଗିଦ୍ କରିବା ଭଙ୍ଗୀରେ କହିଲା ସନତ।
- - ବାପା ଆମକୁ ସାଙ୍ଗରେ ନ ନେଇ କୁଆଡେ ଯାଉଛ?ଆମେ ଦି ଜଣ ତୁମ ସହ ବୁଲିବାକୁ ଯିବୁ। ଆମକୁ ତୁମ ସାଙ୍ଗରେ ନିଅ।
- - ଆଉ ଟିକେ ରହି ଯାଅ। ପବନ କମିଗଲେ ଚାଲିଯିବ। ତୁମକୁ ମନା କରିବିନି। ଲୁହ ଛଳଛଳ ଆଖିରେ ନେତ କହିଲା।
    ତା ଚାହାଁଣୀର କାରୁଣ୍ଯତା ର ତୀବ୍ରତା ରେ ପାଷାଣ ତରଳିଯିବା ଆଦୌ ଅସମ୍ଭବ ନ ଥିଲା। ସନତ ମନରେ କିଛି ଭାବାନ୍ତର ହେଲା ବୋଧେ, ସେ ମସିଣା ଉପରେ କିଛି ସମୟ ବସିି ରହିଲା। ଘର ଭିତରେ ଶ୍ମଶାନ ର ନୀରବତା କାୟା ବିସ୍ତାର କରି ଚାଲିଥିଲା।  ଚାରି ପ୍ରାଣୀ ନିଜ ନିଜର ଭାବନାରାଜ୍ଯ ରେ ବୁଡି ରହିଥିଲେ। କେବଳ ସନତ କୁ ଛାଡିଦେଲେ ବାକି ତିନି ଜଣଙ୍କ ଆଖିରୁ ଲୁହ ବୋହି ଚାଲିଥିଲା।
    ପୁଅ ତା ପାଖକୁ ଲାଗି ଆସି ଗେହ୍ଲେଇ ହୋଇ ପଚାରିଲା-- ବାପା ତୁମେ କେବେ ଫେରିବ? ଆମେ କେବେ ଯାତ୍ରା ଦେଖିବାକୁ ଯିବା?
- - ମୁଁ ଜାଣିନି କେବେ ଫେରିବି। ତୋର ସେ ବିଷୟ ରେ ମୁଣ୍ଡ ଖେଳାଇବା ଦରକାର ନାହିଁ।
    ଦିନର ଅର୍ଦ୍ଧାଧିକ ସମୟ ବାପ ପାଖରେ ଗୁଞ୍ଜିଗାଞ୍ଜି ହୋଇ  ଗେଲ ଖାଉଥିବା ସାନ ପୁଅ ବୁଝି ପାରୁ ନ ଥିଲା ଯେ ସେ କି ଦୋଷ କରିଛି। କାହିଁକି ତା ପ୍ରତି ବାପାର ଭଲ ପାଇବା କମି ଯାଇଛି। ସେ ନୀରବ ରେ ମାଆ ପାଖକୁ ଚାଲିଗଲା। ଝିଅ କଣ କହିବ ବୋଲି ଭାବୁଥିଲା, କିନ୍ତୁ ଭାଇର କାନ୍ଦ ଓ ବାପାର କଠୋର ମୁହଁ ଦେଖି ସେ ମଧ୍ଯ ମାଆ ପାଖରେ ଜାକିଜୁକି ହୋଇ ବସି ରହିଲା।
    ହଠାତ୍ କିଛି ଭାଙ୍ଗି ପଡିବାର ଶବ୍ଦରେ ସବୁ ଚମକି ଉଠିଲେ। ବାହାରକୁ ଯାଇ ଦେଖିବା ବେଳକୁ ବସ୍ତି ରେ ଥିବା ବୁଢା ବରଗଛର ବଡ ଡାଳ ଭାଙ୍ଗି ତଳେ ପଡିଥିଲା। ପବନ ର ବେଗ ଯଥେଷ୍ଟ ବଢି ଯାଇଥିଲା ଓ ଅଳିଆ ଗଦାରେ କାହିଁ କେତେ ବର୍ଷରୁ ଗଦା ହୋଇଥିବା ପଲିଥିନ୍, କାଗଜ ଓ ପ୍ଲାଷ୍ଟିକ୍ ବୋତଲ ସବୁ ଆକାଶ ରେ ଉଡୁଥିଲେ। ସନତ ତରତରରେ ଆସି ରେଡିଓ ଲଗାଇଲା। ଘୋଷକ ଚେତାବନୀ ଦେଇ ଚାଲିଥିଲେ ଯେ – ବର୍ତ୍ତମାନ ଫାନି ନାମକ ମହାବାତ୍ଯା ରାଜଧାନୀ ଉପରେ ଜମାଟ ବାନ୍ଧିଛି। ଭୟଙ୍କର ପବନ ଆରମ୍ଭ ହୋଇ ସାରିଛି ଓ ଏ ପରିସ୍ଥିତି ରେ ବାହାରକୁ ବାହାରିବାର ଅର୍ଥ  ଜୀବନ କୁ ବିପନ୍ନ କରିବା। ତେଣୁ ବାତ୍ଯା ସରିବା ଯାଏଁ କେହି ବାହାରକୁ ନ ବାହାରିବାକୁ ଚେତାବନୀ ଦିଆଯାଉଛି। ସେତିକି ରେ ରେଡିଓ ଟି ଅଚାନକ୍ ବନ୍ଦ ହୋଇଗଲା। ବୋଧ୍ ହୁଏ ବ୍ଯାଟେରୀ ସରିଗଲା। ପ୍ରବଳ ବିରକ୍ତି ରେ ସନତ ଘର ଭିତରେ ଚାଲିବାକୁ ଲାଗିଲା।
    ନେତ କୁ ଗାଳି ଦେଇ କହିଲା-- ପୋଡାମୁହୀଁ, ତୁ ମୋ ସୁଖ ଦେଖି ପାରିବୁନି, ଜାଣିଶୁଣି ମୋତେ ଅଟକାଇ ରଖିଲୁ, ଯେମିତି ବାତ୍ଯା ରେ ମୁଁ ବାହାରକୁ ଯାଇ ପାରିବିନି। ତେଣେ ଝିଅ ଟା ଏକୁଟିଆ ଅଛି, କଣ କରୁଥିବ ସେ?
- - ନାନୀ ଲୋ, ବାପାଙ୍କର ଆଉ ଗୋଟେ ଝିଅ ଅଛି ନା କଣ?କାଇଁ ଆମେ ତ କେବେ ଦେଖିନେ। ପୁଅ ଫିସଫିସ କରି କହିଲା।
- - ପାଟି ଚୁପ୍ କର ବୋକା। ବାପା ଶୁଣିଲେ ମାରି ପକେଇବ। ତୁ ଜାଗ୍ରତ ରହି ଦେଖୁ ଥା,  କୁଆପଥର ମାରିଲେ ମୋତେ ଜଣେଇବୁ। ମିଶି କି ଗୋଟେଇବା।
- - ଆରେ ମୁଁ ତ ସେଇଆକୁ ଚାହିଁ କି ବସିଛି। ହିଃ ହିଃ ହିଃ
    ସୁ ସୁ ଗର୍ଜନ କରି ପବନ ମାଡି ଆସୁଥିଲା। ଆକାଶ ଘନକୃଷ୍ଣ ରଙ୍ଗ ରେ ମେଘରେ ଆଛାଦିତ ହୋଇ ସାରିଥିଲା। ବାହାରେ ଗଛ ପତ୍ର ଭାଙ୍ଗିବାର ଶବ୍ଦ ଓ ଲୋକ ମାନଙ୍କର ବିକଟାଳ ଚିତ୍କାର ର ମାତ୍ରା ବଢି ଚାଲିଥିଲା।  ସେତେ ବେଳକୁ ତାଙ୍କ ଘର ର ଛାତ ପବନ ରେ ହଲିବାକୁ ଲାଗିଲା। ସତେ କି ଉଡିଯିବ ଅଳ୍ପ ସମୟ ଭିତରେ। ତା ସାଙ୍ଗକୁ ବର୍ଷା ପାଣି  ଛିଟା ଘର ର ଝରକା ଡେଇଁ ଭିତରକୁ ମାଡି ଆସୁଥିଲା। ପାଖ ଘରର ରାମ ବଡ ପାଟି ରେ ଡାକ ଛାଡିଲା-- ସନିଆ ଭାଇ ଦଉଡି ଆସେ, ମୋ ବାପା ଗଛ ତଳେ ଚାପି ହୋଇଗଲା। ହାତରେ ଟାଙ୍ଗିଆ ଧରି ସନତ ବାହାରିବାକୁ ଚେଷ୍ଟା କଲା। ମାତ୍ର ପବନ ମାଡ ରେ ସେ ଫିଙ୍ଗି ହୋଇ ପଡିଲା ଓ ହାତରୁ ଟାଙ୍ଗିଆ ଛିଟିକି ପଡିଲା। ଚାରି ଆଡକୁ  ସେ ଚାହିଁ ଦେଖିଲା-- ପବନ ର ମାଡରେ ଅନେକ ଘରର ଛାତ ଉପର ଚାଳ ପ୍ରାୟ  ଉଡି ସାରିଥିଲା। କୌଣସି ମତେ  ସେ ରାମ ପାଖରେ ପହଞ୍ଚିଲା- - ମାତ୍ର ସେତେ ବେଳକୁ ବୁଢା ଲୋକଟିର ଶରୀର ମୋଟା ଡାଳ ତଳେ ମେଞ୍ଚା ହୋଇ ପଡିଥିଲା ଓ ରାମ ଛାତି ବାଡେଇ କାନ୍ଦିବାରେ ଲାଗିଥିଲା।
    ନିର୍ଦ୍ଦୟତା ର ସମସ୍ତ ପାଚେରୀ ଡେଇଁ ସାରିଥିଲା ନିଷ୍ଠୁର ପବନ। କାହାର ଦୁଃଖ, ଚିତ୍କାର ବା ରୋଦନ ଶୁଣିବାର ସମୟ ନ ଥିଲା ତା ପାଖରେ। ସେ ଚାହୁଁଥିଲା କେବଳ ଧ୍ବଂସ ଓ ପ୍ରଳୟ । କାଗଜ ଟୁକୁରା ପରି ଉଡି ଚାଲିଥିଲା ଚାଳ ଛପର, ଝାଟିମାଟି ଘର ଓ ଗଛ ପତ୍ର। ପ୍ରଖର ପବନ ସାଙ୍ଗକୁ ବର୍ଷାର ଭୀଷଣ ମାଡ ଶରୀର ର ଚର୍ମ ଭେଦ କରି ହାଡରେ ବାଜିବା ପରି ମନେ ହେଉଥିଲା। ନିଜର ସୁଶୀତଳ କୋମଳ ସ୍ପର୍ଶରେ ଆହ୍ଲାଦିତ କରି ଦେଉଥିବା ପବନ ର ଏପରି ଭୀଷଣ ଉଗ୍ର ରୂପ ଦେଖି ବିଶ୍ବାସ କରିବା କଷ୍ଟକର ହୋଇ ପଡୁଥିଲା।  ଚାହୁଁ ଚାହୁଁ ବସ୍ତିରେ କେବଳ ହା ହା କାର ଶୁଭି ଚାଲିଥିଲା। ଛୋଟ ପିଲା ଙ୍କ କାନ୍ଦ ବୋବାଳି, ନାରୀ ମାନଙ୍କର ଆର୍ତ୍ତ ଚିତ୍କାର ଓ ପୁରୁଷ ମାନଙ୍କର ଘୋ ଘା ଶବ୍ଦର କୋଳାହଳ କୁ ପାଦ ତଳେ ମାଡି ମକଚି ଦେଉଥିଲା ସେହି  ପ୍ରଖର ପବନ। ସୁ ସୁ ଶବ୍ଦ ସାଙ୍ଗକୁ ଭାସି ଆସୁଥିଲା ବଡ ବଡ ଗଛ ଉପୁଡିବାର ଶବ୍ଦ, ଘର ଛାତ ଉଡିଯିବାର ଓ କାନ୍ଥ ଭାଙ୍ଗି ଯିବାର ଶବ୍ଦ। ତା ସାଙ୍ଗକୁ ଭୀଷଣ ଭାବେ ଆଘାତପ୍ରାପ୍ତ ଓ କାନ୍ଥ ତଳେ ଚାପି ହୋଇ ପଡିଥିବା ବସ୍ତିି ବାସିନ୍ଦାଙ୍କ ହୃଦୟ ବିଦାରକ  ବିକଳ ଚିତ୍କାର। ଲାଗୁଥିଲା କିଛି କ୍ଷଣ ମଧ୍ଯରେ ପବନ ସବୁ କିଛି ନିଃଶେଷ କରି,ବସ୍ତି ବାସିନ୍ଦା ମାନଙ୍କୁ ପୋକ ମାଛି ପରି ଦଳି ଭୂଇଁରେ ମିଶେଇ ଦେବ।
    ବସ୍ତି ପାଖକୁ ଲାଗିଥିବା ସୁଉଚ୍ଚ ଅଟ୍ଟାଳିକା ମାନଙ୍କର ଅବସ୍ଥା ମଧ୍ଯ ଅନୁରୂପ ଥିଲା। ଚକମକିଆ ଦାମିକା କାଚ ଝରକା ପଛରେ ବସି ପବନ ର ଉଦ୍ଦଣ୍ଡତା କୁ ଉପଭୋଗ କରୁଥିବା ସହରି ମାନଙ୍କ ପାଇଁ ତା ମନରେ ତିଳେ ମାତ୍ର ଦୟା ନ ଥିଲା।  ଧକ୍କା ପରେ ଧକ୍କା ଦେଇ ସମସ୍ତ କାଚକୁ ଟୁକୁରା ଟୁକୁରା କରି ସେ ନିଜ ସହିତ ଉଡେଇ ନେଲା। କାଚ  ଝରକା ପଛରେ ଲୁଚି ବାତ୍ଯା ଦୃ ଶ୍ଯ ଉପଭୋଗ କରୁଥିବା ଦେଖଣାହାରୀ ମାନଙ୍କ ଦେହରେ କାଚ ଟୁକୁରା ର  କ୍ଷୁଦ୍ରାତି କ୍ଷୁଦ୍ର ଅଂଶ ବିଦ୍ଧ ହୋଇ ଭୟଙ୍କର କ୍ଷତମାନ ସୃ ଷ୍ଟି କରି ଚାଲିଥିଲା।  ଛାତ ଉପରୁ ବିଶାଳକାୟ ପାଣିଟାଙ୍କି ମାନ ବେଲୁନ୍ ପରି ଉଡି ଚାଲିଥିଲେ। ଚତୁର୍ଦ୍ଦିଗରେ କେବଳ ଧ୍ବଂସର ତାଣ୍ଡବ କାୟା ବିସ୍ତାର କରିଥିଲା।
    ସନତର ମୁଣ୍ଡ ଗୋଳମାଳ ହୋଇ ଯାଉଥିଲା।  ବାତ୍ଯାର ଭୀଷଣ ପ୍ରକୋପ ଦେଖି ସେ କିଂକର୍ତ୍ତବ୍ଯବିମୁଢ ହୋଇ ପଡିଥିଲା। ବାହାରେ ପବନ ର ବେଗ ଯେତିକି ଥିଲା, ତା ଠାରୁ ଅଧିକ କ୍ଷୀପ୍ର ଗତିରେ ବୋହି ଚାଲିଥିଲା ତା ମନ ଭିତରେ। ତା  ଆଖି ସାମନା ରେ ବସ୍ତିର କେତେ ଲୋକ ବାତ୍ଯାର ଭୀଷଣ ପ୍ରହାର ପ୍ରତିହତ ନ କରି ପାରି ଆଖି ବୁଜି ସାରିଥିଲେ।  ଆଉ କିଛି ଲୋକ ଆସନ୍ନ ମୃ ତ୍ଯୁ ଅପେକ୍ଷାରେ ଥିଲେ।
     ଦିନରାତି ମଦ ନିଶାରେ ଚୁର୍ ରହି  ସ୍ତ୍ରୀ କୁ ଅନବରତ ପିଟାମରା କରୁଥିବା ହରିର ମୃତ ଦେହ ପାଖରେ ତା ସ୍ତ୍ରୀ ବାହୁନି ବାହୁନି କାନ୍ଦି ଚାଲିଥିଲା। ତା ପିଲା ଦୁଇଟା ଗୋଡ ପାଖରେ ବସି ଆଉଁସି ଚାଲିଥିଲେ, କାଳେ ବାପା ପୁଣି ବସି ଉଠିବ।  ନୂଆ କରି ବାହା ହୋଇଥିବା  ବରଜୁ ତା ସ୍ତ୍ରୀ ର ନିଥର ଦେହକୁ ଧରି ପାଗଳ ପରି ଚିତ୍କାର କରି ଚାଲିଥିଲା। ବିଚାରି ତା ସ୍ବାମୀ କୁ ବଞ୍ଚାଇବାକୁ ଯାଇ କାନ୍ଥ ତଳେ ଚାପି ହୋଇ ଯାଇଥିଲା। କେବଳ ଧ୍ବଂସ,   ମୃ ତ୍ଯୁ ଓ ରୋଦନ ର  ଗୋଲକଧନ୍ଦାରେ ସନ୍ତୁଳି ହୋଇ ଯାଉଥିଲା ସନତ।
    ସେତେ ବେଳକୁ ତା ପୁଅର ବିକଟାଳ ଚିତ୍କାର ଶୁଣି ସେ ପ୍ରକୃତ୍ତିସ୍ଥ ହେଲା ଓ ଏକ ନିଶ୍ବାସରେେ ଘରକୁ ଦଉଡିଲା। ଦେଖିଲା ବେଳକୁ ଘର ପାଖରେ ଥିବା ଗଛଟା ଘର ଉପରେ ଉପୁଡି ପଡିଛି ଓ ନେତ ତା ତଳେ ଚାପି ହୋଇ ରହିଛି। ପିଲା ଦୁଇଟା ତାକୁ ବଞ୍ଚାଇବାକୁ ଚେଷ୍ଟା ଚଳାଇଛନ୍ତି। ଘର ର ଛାତ ସେତେବେଳକୁ ସମ୍ପୂର୍ଣ୍ଣ ଉଡି ସାରିଥିଲା। ପବନ ଓ ବର୍ଷାର ମାଡ ଅହରହ ଦେହ ଉପରେ ଚାବୁକ୍ ପରି ପଡି ଚାଲିଥିଲା।  ସନତ ନିଜର ସମସ୍ତ ବଳ ଖଟାଇ ନେତ କୁ ଟାଣିବାକୁ ଚେଷ୍ଟା କଲା, କିନ୍ତୁ ପାରିଲାନି।
    ନେତ ସେହି ଅବସ୍ଥାରେ ସନତ କୁ କହିଲା-- ହେଇ ଦେଖ, ମୁଁ ବୋଧେ  ଆଉ ବଞ୍ଚିବିନି। ତୁମେ କଲିକତା  ଚାଲିଗଲା ପରେ ମୋ ପିଲା ମାନଙ୍କର କଣ ହେବ  ? ତୁମେ ସେମାନଙ୍କୁ ଟିକେ ଦୟା କରିବ, ନ ହେଲେ ସେମାନେ କୁଆଡେ ଯିବେ ? ତୁମ ସାଙ୍ଗେ ଏତେ ଦିନ ରହିଲି, ଖୁସି ଟିକେ ଦେଇ ପାରିଲିନି,ସଦାବେଳେ ତୁମ ମନରେ କଷ୍ଟ ଦେଲି। ମୋତେ କ୍ଷମା କରିଦେବ। ହାତରେ ଚୁଡି, ମଥାରେ ସିନ୍ଦୁର ନେଇ ମୁଁ  ଆରପୁର କୁ ଯାଉଛି-- ତା ଠୁ ବଳି ଭାଗ୍ଯର କଥା ମୋ ପାଇଁ ଆଉ କିଛି ନାହିଁ। କିନ୍ତୁ  ମୋ  ନିରିହ ପିଲା ଦୁଇଟା.......ଆଖିି ବୁଜି ହୋଇ ଆସୁଥିଲା ନେତର।
    ସନତ ଅନୁଭବ କଲା ବାତ୍ଯାର ପ୍ରଖର ପବନ ତା ମନ ଭିତରେ ଭରି ରହିଥିବା ଅଳିଆ ଆବର୍ଜନା କୁ ବହୁତ ଦୂରକୁ ଫିଙ୍ଗି ଦେଉଛି। ତା ଆଖି ଆଗରେ ନାଚି ଯାଉଥିଲା ପ୍ରଥମଥର ନେତ ର ହାତ ଧରିଥିବାର ଦୃଶ୍ଯ, ପିଲାମାନଙ୍କର ଜନ୍ମ ହେବା ବେଳର ହସଖୁସିର  ଦୃଶ୍ଯ  ଓ ନେତ ର ହସହସ ମୁହଁ।  ପାଗଳଙ୍କ ପରି ସେ ଚିତ୍କାର କଲା--- ନାଃ ନେତ, ତୋର କିଛି ହେବନି- - ମୁଁ ଅଛି ତୋ ସାଙ୍ଗରେ।  ତଡିତ୍ ବେଗରେ ସେ ଟାଙ୍ଗିଆ ଉଠାଇ ଗଛ  ଉପରେ ପ୍ରହାର ପରେ ପ୍ରହାର କରିବାକୁ ଲାଗିଲା। ବୋଧେ ସେ ପ୍ରହାର ସହିତ କାହିଁ କେତେ ଦିନରୁ ତା ମନ ଭିତରେ ଜମାଟ ବାନ୍ଧି ଆସୁଥିବା କ୍ରୋଧ, ଅସମ୍ପୂର୍ଣ୍ଣତା ଓ ନିରାଶାର ଶକ୍ତି ମିଶ୍ରଣ ହୋଇ ଯାଇଥିଲା। ମିଛ ମରିଚିକା ର  ମୋଟା ଆସ୍ତରଣ ଧିରେଧିରେ ଭାଙ୍ଗି ଚାଲିଥିଲାଓ ନେତ ର ହସହସ ମୁହଁ ଟା ଆହୁରି ଜାଜୁଲ୍ଯମାନ ଦିଶୁଥିଲା। ସନତ ହାତରୁ ରକ୍ତ ଝରି  ଟାଙ୍ଗିଆକୁ  ରକ୍ତାକ୍ତ କରି ସାରିଥିଲା। କିନ୍ତୁ ସେ ହାରିବାର ପ୍ରଶ୍ନ ଉଠୁ ନ ଥିଲା। ଶେଷରେ ତା ଦୃଢ ନିଶ୍ଚୟ ସମ୍ମୁଖରେ ପରିସ୍ଥିତି ହାର ମାନିଗଲା। କାଠଗଡ କୁ ଅଲଗା କରି ସେ କୋଳେଇ ଧରିଲା ନେତକୁ।
     ତାକୁ କୁଣ୍ଠାଇ ଧରି ଚିତ୍କାର କରି କହିଲା-- ମୋତେ କ୍ଷମା କରିଦେବୁ ନେତ, ମୁଁ ତୋ ସାଙ୍ଗରେ ଅଛି- - ରହିବି ସବୁଦିନ। ମୋତେ ଛାଡି ତୁ ଯାଇ ପାରିବୁନି।
    ଆକାଶରୁ ଝରି  ପଡୁଥିବା ବର୍ଷା ଟୋପାର ମୋଟା ଚାଦର କୁ ଆଖି ପତାରୁ ପୋଛି ନେତ ଚାହିଁଲା।  ପିଲା ଙ୍କ ସାମନା ରେ ସନତର କୋଳରେ ଥାଇ ଲାଜ ଲାଗୁଥିଲେ ମଧ୍ଯ ସେ ଅଳ୍ପ ହସି କହିଲା – – ଭଗବାନଙ୍କ ଦୟାରୁ ମୋ ଘର ବଞ୍ଚିଗଲା।
    ବାତ୍ଯାରେ ବସ୍ତିର ସମସ୍ତ ଘର ଧ୍ବସ୍ତବିଧ୍ବସ୍ତ ହୋଇ ମାଟିରେ ମିଶି ସାରିଥିଲା ଓ ବସ୍ତି ବାସିନ୍ଦା ମାନଙ୍କର ଆଖିରୁ  ଅନବରତ ଲୁହ ବୋହି ଚାଲିଥିଲା। କିନ୍ତୁ ସନତ,ନେତ ଓ ତା ପିଲା ମାନଙ୍କ ମୁହଁରେ ଅପୂର୍ବ ପ୍ରଶାନ୍ତି ର ଝଲକ ଦେଖିବାକୁ ମିଳୁଥିଲା। ଘରର ଭୌଗଳିକ ସଂଜ୍ଞା ନିରୂପଣ  କରୁଥିବା ଯେଉଁ ସ୍ଥାନଟି ସନତର ଥିଲା, ତାହା ତ ନିଶ୍ଚୟ ଧ୍ବଂସ ପାଇ ସାରିଥିଲା ; ମାତ୍ର, ନେତ ର ଘର ଅକ୍ଷତ ଥିଲା ପ୍ରଚଣ୍ଡ ବାତ୍ଯାକୁ ପ୍ରତିହତ କରି।
    ଧ୍ବସ୍ତ ବିଧ୍ବସ୍ତ ବସ୍ତି କୁ ପଛରେ ଛାଡି ସନତ ନେତକୁ କୋଳରେ ଟେକି ଡାକ୍ତରଖାନା ଅଭିମୁଖେ ବଢି ଚାଲିଥିଲା ଓ ତା ଦୁଇ ପିଲା ତାଳି ମାରି  କୁଆପଥର ଖୋଜିବାରେ ବ୍ଯସ୍ତ ଥିଲେ। ପ୍ରଳୟ ଲକ୍ଷରେ ଆସି ଲାକ୍ଷାଧିକ ଘର ଓ ଜୀବନ କୁ ଧୂଳିସାତ୍ କରିଥିବା ଫାନି, ନେତର ଘର ଭାଙ୍ଗି ପାରି ନ ଥିବାରୁ ନରାଶ ତ ହୋଇଥିବ ନିଶ୍ଚୟ- -  ଅନ୍ତତଃ ଲେଖକ ସେୟା ଭାବୁଛି।
  
                ***************
   

Friday, April 5, 2019

ମାଗିଖିଆ




                                                                                     
ଲେଖକ- ଅରବିନ୍ଦ ରଥ




କେଜାଣି କାହିଁକି, ଲୋକଟାର ଉପସ୍ଥିତି ସାଗର ମନରେ ଅସମ୍ଭବ ବିରକ୍ତି ଉଦ୍ରେକ କରାଉଥିଲା। ହୋଟେଲ ର ଶୀତତାପ ନିୟନ୍ତ୍ରିତ ବାତାବରଣ, ତା ଦେହ ଓ ମନରେ କୁହୁଳି ଚାଲିଥିବା କ୍ରୋଧାଗ୍ନି କୁ ପ୍ରଶମିତ କରିବାକୁ ଯଥେଷ୍ଟ ନ ଥିଲା। ସେ ପ୍ରାୟ ସବୁ ଦିନ ସଂନ୍ଧ୍ଯାବେଳେ ଏଇ ହୋଟେଲ କୁ ଆସେ। କିଛି ସୁସ୍ବାଦୁ ଜଳଖିଆ ଖାଇବା ସହ ରାତ୍ରୀଭୋଜନ ପାଇଁ ଖାଦ୍ଯ ନେଇ ଘରକୁ ଯାଏ। ଦିନସାରା ଅଫିସ୍ ରେ ଖଟିଖଟି ଦେହ ଅବଶ ହୋଇପଡେ। ତେଣୁ ଘରକୁ ଯାଇ ରୋଷେଇ କରି ଖାଇବା ତା ପକ୍ଷରେ ନିହାତି ଅସମ୍ଭବ ବୋଲି ଅନ୍ତତଃ ସେ ମନେକରେ। ସେ ବାହା ସାହା ହୋଇଥିଲେ ପରିସ୍ଥିତି ଟା ନିହାତି ଅଲଗା ହୋଇଥା'ନ୍ତା ; କିନ୍ତୁ ଆଗାମୀ ଦୁଇ ତିନି ବର୍ଷ ଯାଏ ସେ ବିବାହ କରିବାର କୌଣସି ସୂଚନା ମଧ୍ଯ ନ ଥିଲା। ଅତଏବ୍ , ସେ ନିର୍ଦ୍ଧାରିତ କରିଥିବା ଜୀବନଶୈଳୀ, ସବୁ ଦୃଷ୍ଟିରୁ ଉପଯୁକ୍ତ ବୋଲି ସେ ଭାବୁଥିଲା।

ବେଶ୍ କିଛି ଦିନ ହେବ ସେ ଲୋକଟାକୁ ଲକ୍ଷ କରୁଛି। ସେ କିଏ, କଣ ତାର ପରିଚୟ- - ସେ ବିଷୟ ଜାଣିବାର କୌଣସି ଆବଶ୍ଯକତା ଅନୁଭବ କରି ନ ଥଲା ସାଗର। କିନ୍ତୁ ଦିନ ବଢିବା ସହ ତା ମନରେ ସେହି ରହସ୍ଯମୟ ବ୍ଯକ୍ତି ପ୍ରତି ବଢି ଚାଲିଥିଲା ଅସୂୟାଭାବ ଓ ଅସହିଷ୍ଣତା। ଲୋକଟି କାହାର କ୍ଷତି କରେନି, କେବଳ ଅପଲକ ନୟନ ରେ ଚାହିଁ ରହିଥାଏ ହୋଟେଲରେ ଖାଉଥିବା ଲୋକ ମାନଙ୍କୁ। କୌଣସି ଗ୍ରାହକ ଖାଦ୍ଯ ସମାପ୍ତ କରି ଟେବୁଲ ଛାଡି ଉଠିବା ମାତ୍ରେ ସେ ପହଞ୍ଚି ଯାଏ ଓ ବଳକା ଖାଦ୍ଯ କୁ ଯତ୍ନ ସହକାରେ ଜରି ବ୍ଯାଗ୍ ରେ ପୁରାଏ। ତା ପାଖରେ ଥାଏ ଅସରନ୍ତି ଜରି ବ୍ଯାଗ୍ ର ଭଣ୍ଡାର। ପ୍ରତି ଟେବୁଲ ରୁ ସେ ସଂଗ୍ରହ କରିଚାଲେ ବଳକା ଖାଦ୍ଯ ଓ ସାଙ୍ଗରେ ଆଣିଥିବା ବ୍ଯାଗ୍ ପୂର୍ଣ୍ଣ ହୋଇଯିବା ପରେ ସେ ଅନ୍ତର୍ଦ୍ଧାନ ହୋଇଯାଏ। ପ୍ରତିଥର ସେ ଦୋକାନ ମାଲିକ ପାଖକୁ ଯାଇ କିଛି ଟଙ୍କା ବଢାଇ ଦିଏ। କିନ୍ତୁ, ସବୁଠାରୁ ଆଶ୍ଚର୍ଯ୍ଯ କଥା ହେଲା, ହୋଟେଲ ମାଲିକ ଯୋଡହସ୍ତରେ ଲୋକଟି ସହ କିଛି କଥା ହୁଏ ଓ କିଛି ଟଙ୍କା ନେବାକୁ ମନା କରେ।

ଏମିତି ପାଲା ନିତି ଦିନ ଚାଲେ। ପ୍ରଥମେ ସାଗର ଏ ଘଟଣା କୁ ଏତେ ଗୁରୁତ୍ବ ଦେଇ ନ ଥିଲା। କିନ୍ତୁ ତା ସମ୍ମୁଖରେ ଘଟି ଚାଲିଥିବା ଏହି ଅସ୍ବାଭାବିକ ଦୃଶ୍ଯ କୁ କେତେ ଦିନ ବା ଅଣଦେଖା କରି ରହି ପାରି ଥା'ନ୍ତା। ସେ ଲୋକକୁ ଦେଖିଲେ ସାଗର ପାଟିରୁ ସ୍ବତଃସ୍ଫୁର୍ତ୍ତ ଭାବରେ ବାହାରି ଆସେ " ମାଗିଖିଆ କୋଉଠିକାର ”। ମାଗିଖିଆ ହୋଇ ନ ଥିଲେ, ଏମିତି ନିର୍ଲ୍ଲଜ ଭାବରେ ଲୋକଙ୍କ ଅଇଁଠା ଖାଇବା କାହିଁକି ଗୋଟାଉଥା'ନ୍ତା ? ଲୋକର ବେଶ ପୋଷାକ ଦେଖିଲେ ଲାଗିବ ସତେକି ଭଦ୍ରଘର ଲୋକ, କିନ୍ତୁ ସେମାନେ କ'ଣ ଏମିତି ଅଇଁଠା ଖିଆ କାମ କରନ୍ତି?

ଥରେ ସେ ସାଙ୍ଗସାଥୀଙ୍କ ସହ ସେହି ହୋଟେଲରେ ରାତ୍ରୀଭୋଜନ କରୁଥିଲା। ଜଣେ ଅନ୍ତରଙ୍ଗ ସାଙ୍ଗର ଜନ୍ମଦିନ ପାଳନ ଚାଲିଥିଲା ବେଶ୍ ଜାକଜମକରେ। ଟେବୁଲ ଉପରେ ସଜାଇ ରଖା ଯାଇଥିଲା ଅନେକ ପ୍ରକାରର ସୁସ୍ବାଦୁ ବ୍ଯଞ୍ଜନ ଓ ସମସ୍ତେ ମହା ଆନନ୍ଦ ସହକାରେ ଖାଇ ଚାଲିଥିଲେ। ସେତିକି ବେଳେ ଆବିର୍ଭାବ ହେଲା ମାଗିଖିଆ ର ଓ ତାକୁ ଦେଖିବା ମାତ୍ରେ ସାଗର ର ମନ ଅବ୍ଯବସ୍ଥିତ ହୋଇ ଉଠିଲା। ମନ ଭିତରେ ଉତ୍ତାଳ ତରଙ୍ଗ ସୃଷ୍ଟି କରୁଥିବା ଆନନ୍ଦ ରେ ସତେ ଯେମିତି ଭଟ୍ଟା ପଡିଗଲା । ସେ ଗୁମସୁମ ହୋଇ ବସିବା ଦେଖି ଅନ୍ଯ ସାଙ୍ଗ ମାନେ ଘଟଣା କଣ ଜାଣିବାକୁ ଆଗ୍ରହ ପ୍ରକାଶ କଲେ। ସେମାନଙ୍କ ଭିତରେ କିଛି ଆଲୋଚନା ହେବା ପରେ ସମସ୍ତେ ଚୁପିଚୁପିି ହସିବାରେ ଲାଗିଲେ। ଖାଦ୍ଯ ଭର୍ତ୍ତି ପ୍ଲେଟ୍ ଦୁଇଟି ଅନ୍ଯ ଏକ ଟେବୁଲ ଉପରେ ରଖିଦେଇ ସମସ୍ତେ ମାଗିଖିଆର ଆଗମନ କୁ ଅପେକ୍ଷା କରି ରହିଲେ। ସତ କୁ ସତ ସେ ଆସିଲା ଓ ବ୍ଯାଗ୍ ରୁ ଜରିମୁଣା କାଢି ଖାଦ୍ଯ ପୁରାଇବା କୁ ଉଦ୍ଯତ ହେଲା ବେଳକୁ,

ସାଗର ପାଟି କରି କହିଲା- - ଆରେ ହେଃ, ସେଥିରେ ହାତ ମାରନି, ତୁ କଣ ଆମ ଖାଇବା ଟେବୁଲ୍ ରୁ ଖାଇବା ଛଡାଇ ନେବୁ ନା କଣ? ବଡ ନିର୍ଲ୍ଲଜ ଲୋକ ତ? ଆରେ ମାଗିଖିଆ, ତୁ ମଣିଷ ନା କୁକୁର। ଲୋକଙ୍କ ଅଇଁଠା ଖାଉଛୁ, ତୋତେ ଲାଜ ଲାଗୁନି। ଭଦ୍ରଲୋକଙ୍କ ପରି ବେଶଭୂଷା ହୋଇ ଏମିତି ନିଉଛୁଣିଆ କାମ କିପରି କରୁଛୁ?

ଏତିକି କହି ସାଗର ସଗର୍ବେ ସାଙ୍ଗ ମାନଙ୍କୁ ଦେଖିବାକୁ ଲାଗିଲା। କରତାଳିରେ ସ୍ଥାନ ଟି ଫାଟି ପଡିବା ପରି ଲାଗିଲା। ସାଙ୍ଗ ମାନେ କରତାଳି ଦେଇ ସୂଚାଇ ଦେଲେ ଯେ ସାଗର ସେ ଲୋକଟିକୁ ଅତି ଉତ୍ତମ ରୂପରେ ଅପମାନିତ କରିବାରେ ସଫଳ ହୋଇଛି। ସେତିକି ରେ ସାଗର ର ମନ ପୁରିଲାନି ; ସେ ଜୋରରେ ଧକ୍କା ମାରି ଲୋକଟାକୁ ତଳେ ପକାଇ ଦେଇ ଗୋଇଠାଏ ମାରିଲା। ନୀରବରେ ଲୋକଟି ଉଠିଲା ଓ "କ୍ଷମା କରନ୍ତୁ ଆଜ୍ଞା" ବୋଲି କହି ହୋଟେଲ ରୁ ବାହାରକୁ ଚାଲିଗଲା। ଯଦିଓ ସେ ଲୋକର ଛକ୍ଷୁଯୁଗଳରେ ନିର୍ଲ୍ଲିପ୍ତ ଭାବ ସ୍ପଷ୍ଟ ଦିଶୁଥିଲା, ତାହା ସାଗର କୁ ବିଦ୍ରୋହର ପରିଭାଷା ପରି ବୋଧ ହେଲା। କିନ୍ତୁ ସେ କିଛି କହିବା ପୂର୍ବରୁ ଲୋକଟି ସ୍ଥାନ ଛାଡି ଯାଇ ସାରିଥିଲା।

ଏହି ଘଟଣା କିଛି ଲୋକ ଦେଖିଲେ ମଧ୍ଯ କୌଣସି ପ୍ରତିକ୍ରିୟା ଦେଖାଇବା ଉଚିତ୍ ମନେ କଲେନି। ହୋଟେଲ ମାଲିକ, କାର୍ଯ୍ଯବ୍ଯସ୍ତତା ହେତୁ ଏ ଘଟଣା ଦେଖି ପାରିଲା ନ ଥିଲେ। ସାଗର ମନ ଭିତରେ କ୍ରୋଧାଗ୍ନୀ ତୀବ୍ରତ୍ତର ହେବାକୁ ଲାଗିଲା। ଆଶ୍ଚର୍ଯ୍ଯ ! ତା ବୀରତ୍ବର ପରାକାଷ୍ଠା କେହି ଦେଖି ପାରିଲେନି ଓ ଯିଏ ବି ଦେଖିଲା କୌଣସି ପ୍ରତିକ୍ରିୟା ଦେଲା ନାହିଁ। ସେ ହୋଟେଲରେ ଖାଉଥିବା ଲୋକ ମାନଙ୍କୁ ଗାଳି ଗୁଲଜ କରି ଘରକୁ ଫେରିଲା।

ସେଦିନ ରାତିରେ ତା ଆଖିରୁ ନିଜ ହଜି ଯାଇଥିଲା। ଅନେକ ଅବାସ୍ତବ କଳ୍ପନା ରେ ଅସ୍ତବ୍ଯସ୍ତ ହୋଇ ଚାଲିଥିଲା ତା ମନ। ସେ ଭାବୁଥିଲା- - - ମାଗିଖିଆ ଟା କ'ଣ ସବୁ ଖାଇବା ନିଜେ ଖାଇ ଦେଉଥିବ, ନା ତା ଘର ଲୋକଙ୍କୁ ଦେଉଥିବ। ନାଃ,ସେ ବୋଧେ ଖାଦ୍ଯ ସଂଗ୍ରହ କରି ଅନ୍ଯ କେଉଁଠାରେ ବିକ୍ରୀ କରି ଦେଉଥିବ। କିନ୍ତୁ କାହାକୁ? କେଉଁମାନେ ସେ ଅଭାଗା ଗ୍ରାହକ, ଯିଏ ଲୋକଙ୍କ ଉଚ୍ଛିଷ୍ଟ ଖାଦ୍ଯ ଖାଉଥିବେ ଟଙ୍କା ଦେଇ?

ତା ମନରେ ଲୋକଟି ପ୍ରତି ଘୃଣାଭାବ ଚକ୍ରବୃଦ୍ଧି ହାରରେ ବଢି ଚାଲିଥିଲା। ମନ ହେଉଥିଲା ତା ବେକରେ ଗାମୁଛା ପକାଇ ରାସ୍ତାରେ ପିଟିପିଟି ଘୋଷଣା କରିବାକୁ-- ଦେଖ ସବୁ ଏ ମାଗିଖିଆକୁ, ଇଏ ସବୁ ଦିନ ହୋଟେଲରୁ ବଳକା ଖାଇବା ସଂଗ୍ରହ କରି ଲୋକଙ୍କୁ ବିକ୍ରୀ କରୁଛି। ଏମିତି ପାପୀ କୁ ଦଣ୍ଡ ଦେବା ନିହାତି ଆବଶ୍ଯକ। ତାକୁ ପଥର ମାର, ତା ମୁଣ୍ଡ ଫଟାଇ ଦିଅ , ଏ ପାପୀ ମାଗିଖିଆକୁ ଉପଯୁକ୍ତ ଦଣ୍ଡ ଦିଅ।।

ରାତିସାରା ଖଟ ଉପରେ କଡ ଲେଉଟାଇ ସକାଳ କେତେବେଳେ ହୋଇଗଲା ସେ ଜାଣି ମଧ୍ଯ ପରିଲାନି। କିନ୍ତୁ ସେ ଅନୁଭବ କରୁଥିଲା, ମାଗିଖିଆ ଲୋକଟି ତା ଆତ୍ମାକୁ ଭୀଷଣ ଭାବରେ କବଳିତ କରି ସାରିଛି। ବେଳେବେଳେ ଏମିତି ବି ହୁଏ; ମଣିଷ ନିଜ ଅଜାଣତ ରେ ଅଦୃଶ୍ଯ ଶତୃ ତିଆରି କରିଦିଏ ଓ ଶତୃତାର ଲେଲିହାନ ଶିଖାରେ ନିଜକୁ ଜାଳିପୋଡି ଛାରଖାର କରିଦିଏ। କିନ୍ତୁ ବିଡମ୍ବନା ଏହା ଯେ, ଯାହା ପ୍ରତି ସେ ଶତୃତା ଆଚରଣ କରେ, ସେ ଲୋକ ପାଖରେ ଏ ବିଷୟରେ କିଞ୍ଚିତ୍ ସୂଚନା ନ ଥାଏ।

ପୂର୍ବ ଘଟଣା ଘଟିବାର କିଛି ଦିନ ଯାଏ ସେ ମାଗିଖିଆ ଲୋକର ଆବିର୍ଭାବ ସେହି ହୋଟେଲ ରେ ହେଲାନାହିଁ। ସାଗର କୁ ଲାଗିଲା ବୋଧେ ସେଦିନ ର ଘଟଣା ପାଇଁ ଲୋକଟି ଭୟରେ ହୋଟେଲ କୁ ଆସୁନାହିଁ। ଭାବିଲା ଯାଇ ମାଲିକ କୁ ପଚାରିବ, କିନ୍ତୁ ରହିଗଲା। କାଳେ ମାଲିକ ଖରାପ ଭାବିବ ? ଯାହା ହେଲେ ବି, ତା ପରି ଜଣେ ଭଦ୍ରଲୋକ ଯଦି ମାଗିଖିଆ ଲୋକଙ୍କ ବିଷୟ ରେ ପଚାରି ବୁଝିବ, ଲୋକେ କ'ଣ କହିବେ? ମାଗିଖିଆ ର ଅନ୍ତର୍ଦ୍ଧାନ ସହିତ ସାଗର ମନରେ କାୟା ବିସ୍ତାର କରି ଚାଲିଥିବା ଉତ୍କଣ୍ଠା ଓ ଉଦବିଗ୍ନତା ର ଘନକୃଷ୍ଣ ମେଘ ଅପସରି ଯାଉଥିଲା। କାମର ବୋଝରେ ନିଷ୍ପେସିତ ମାନସ ପଟ୍ଟଳରେ ତା ଛବି ମଧ୍ଯ ଝାପସା ଦିଶିବାକୁ ଆରମ୍ଭ କରି ଆସିଥିଲା।

କିନ୍ତୁ ଅଚାନକ୍ ପୁଣି ଥରେ ସେଦିନ ମାଗିଖିଆର ଆବିର୍ଭାବ ହେଲା ହନୁମାନ ମନ୍ଦିର ରେ। ସେଦିନ ଛୁଟି ଥିବାରୁ ସାଗର, ହନୁମାନ ମନ୍ଦିରରେ ଦର୍ଶନ କରି ଭୋଗ ଖାଇବାକୁ ମନସ୍ଥ କରିଥିଲା। ଦର୍ଶନ ସାରି ଭୋଗମଣ୍ଡପ ଆଡକୁ ଅଗ୍ରସର ହେବା ବେଳକୁ ତା ନଜର ପଡିଗଲା ମାଗିଖିଆ ଉପରେ। ସାଧାରଣ ବେଶ ପୋଷାକ ପରିହିତ ମାଗିଖିଆ ଧିର ପଦକ୍ଷେପରେ ଲୋକ ମାନେ ଛାଡି ଯାଇଥିବା ବଳକା ଭୋଗ ଜରି ରେ ପୁରାଇବା କାର୍ଯ୍ଯରେ ଲାଗି ପଡିଥିଲା। କିଛି ଦୟାଳୁ ଭକ୍ତ ସ୍ବତ୍ତଃପ୍ରବୃତ୍ତ ଭାବେ ତାକୁ ଭୋଗ ଯାଚି କରି ଦେଉଥିଲେ। ତାକୁ ଦେଖିବା ମାତ୍ରେ ସାଗରର ସର୍ବାଙ୍ଗ ଶରୀର କ୍ରୋଧରେ କମ୍ପମାନ ହେବାକୁ ଲାଗିଲା। ମନେମନେ କହିଲା-- ଏ ଅନାର୍ଯ୍ଯ ଶେଷକୁ ମନ୍ଦିର ରେ ବି ପହଞ୍ଚିଗଲା। ମାଗିଖିଆ ଏମିତି ମାଗଣାରେ ଖାଇ ଖାଇ ଖୁବ୍ କମ ଦିନ ରେ ସମ୍ପୂର୍ଣ୍ଣ ସଂସାର ଗିଳିଦେବ । ଲୋକଟା ଭଦ୍ର ପୋଷାକ ପିନ୍ଧି ଏପରି ଘୃଣ୍ଯ କାମ କଲା ବେଳକୁ ତା ବିବେକ କିପରି ବାଧା ଦେଉନାହିଁ ବୋଲି , ସେ ନିଜକୁ ପ୍ରଶ୍ନ କରି ଚାଲିଲା। ମାଗିଖିଆର ପୁନଃ ଆବିର୍ଭାବ ସାଗର ର ମନ,ପ୍ରାଣ ଓ ଆତ୍ମାରେ ପୁଣି ଥରେ ତିକ୍ତ ଶତୃତାର ନିର୍ଝରିଣୀ ପ୍ରବାହିତ କରି ଦେଇଥିଲା। ମନ୍ଦିରରେ ଭୋଗ ନ ଖାଇ ସେ ଘରକୁ ଫେରି ଆସିଲା। ବେଳ କୁ ବେଳ ମନ ଅଶାନ୍ତ ହୋଇ ଉଠୁଥିଲା। ତାକୁ ଲାଗୁଥିଲା ଏ ସମଗ୍ର ଜଗତରେ ତା'ର ଏକ ମାତ୍ର ପ୍ରତିଦ୍ବନ୍ଦୀ ହେଲା ମାଗିଖିଆ।

କିନ୍ତୁ କାହିଁକି? ଏତେ ବଡ ସଂସାର ରେ କଣ ଶତୃ ହେବା ପାଇଁ ଲୋକଙ୍କ ଅଭାବ ଯେ, ସେ ମାଗିଖିଆକୁ ନିଜ ଶତୃ ରୂପରେ ବାଛି ନେଇଥିଲା ?

ମାଗିଖିଆ ଲୋକଟିକୁ ଦେଖିବା ମାତ୍ରେ ସେ ପ୍ରତିଥର ଅନୁଭବ କରିଛି ତା ହାତର ଏକ ନିର୍ଦ୍ଦିଷ୍ଟ ଅଂଶରେ ଭୀଷଣ ଜ୍ବାଳା। ସେହି ଜ୍ବାଳା ନିମିଷକରେ ସାଗରର ସମଗ୍ର ଶରୀର କୁ କବଳିତ କରେ ଓ ତା'ର ଅସ୍ତିତ୍ବ କୁ ଧ୍ବସ୍ତବିଧ୍ବସ୍ତ କରି ପକାଏ।

ଅଚାନକ ସମୟର ଚକ ଫେରିଚାଲିଲା ଅତୀତ କୁ- -

ସେଦିନ ବର୍ଷଣ ମୁଖର ରାତ୍ରିକାଳରେ ନାରୀ ଟି ପ୍ରସବ ବେଦନା ର ଅତିଷ୍ଠ ହୋଇ ଉଠୁଥିଲା। ଅନେକ ଲୋକଙ୍କୁ ସାହାଯ୍ଯ ଭିକ୍ଷା କରି ବିଫଳ ହେବା ପରେ, ପୁରୁଷଟି ସାଇକେଲରେ ବସାଇ ତାକୁ ଡାକ୍ତରଖାନା କୁ ନେବାକୁ ମନସ୍ଥ କଲା। ଘନ ଅନ୍ଧକାରରେ ମୁହଁ କୁ ମୁହଁ ଦେଖିବା ମଧ୍ଯ ସମ୍ଭବ ନ ଥିଲା। ଏପରି ସ୍ଥଳେ ପ୍ରସବ ବେଦନା ରେ ଅତିଷ୍ଠ ନାରୀ ଜଣଙ୍କୁ ସୁରକ୍ଷିତ ଭାବରେ ଡାକ୍ତରଖାନା ରେ ପହଞ୍ଚାଇବା, କେତେ ଯେ କଷ୍ଟକର ତାହା ସହଜରେ ଅନୁମେୟ। ଦୁର୍ଯୋଗ କେବେ ଏକୁଟିଆ ଆସେନି, ବରଂ ଅନେକ ଦୁଃଖ ଓ ଲୁହର ଝରଣା ସାଙ୍ଗରେ ନେଇ ଆସେ। ବୋଧ୍ ହୁଏ ସେହି ପୁରୁଷ ଓ ନାରୀ ଙ୍କ ଭାଗ୍ଯରେ ସେମିତି କିଛି ଲେଖାଥିଲା। ଦୃତଗତି ରେ ଆସୁଥିବା ଏକ ମୋଟରଯାନ ସାଇକେଲକୁ ଧକ୍କା ଦେଲା ଓ ପୁରୁଷଟି ସେହି କ୍ଷଣି ମୃତ୍ଯୁବରଣ କଲା। ଭୀଷଣରୂପରେ ଆଘାତପ୍ରାପ୍ତ ନାରୀଟି କିଛି କ୍ଷଣ ପରେ ଏକ ଶିଶୁପୁତ୍ରକୁ ଜନ୍ମ ଦେବା ପରେ ଆଖି ବୁଜିଲା। ସେଦିନ ଭୀଷଣବର୍ଷା ଓ ପ୍ରତିକୂଳ ପରିସ୍ଥିତି, ସେହି ଶିଶୁପୁତ୍ରର ନିଶ୍ବାସ ପ୍ରଶ୍ବାସର ଗତିରୋଧ କରିବାରେ ସଫଳ ହୋଇ ପାରି ନ ଥିଲା। ତା' ପର ଦିନ ସକାଳୁ ଏକ ଆଦିବାସୀ ଦମ୍ପତ୍ତିଙ୍କ ଦ୍ବାରା ଉଦ୍ଧାର ପାଇ ପିଲାଟି ନବଜୀବନ ଲାଭ କଲା। ସୀମିତ ସମ୍ବଳରେ ସେମାନେ କିଛି ଦିନ ପିଲାଟିର ଲାଳନ ପାଳନ କଲେ,କିନ୍ତୁ ଅଭାବ ଓ ଦାରିଦ୍ର୍ଯ ଜର୍ଜରିତ ଅବସ୍ଥାରେ ସେମାନେ କେତେ ଦିନ ବା ପିଲାଟିକୁ ନିଜ ପାଖରେ ରଖି ପାରିଥା'ନ୍ତେ। ପିଲା ଟିକେ ବଡ ହୋଇଯିବା ପରେ ତାକୁ ନେଇ ସହରର ଭିଡ ମଧ୍ଯରେ ଛାଡି ଦେଇ ସ୍ବଗୃହ କୁ ବାହୁଡି ଆସିଲେ। ସେମାନଙ୍କର ଏତାଦୃଶ୍ଯ କାର୍ଯ୍ଯ ନିର୍ମମ ଲାଗିପାରେ ; ମାତ୍ର ନିଜ ପାଖରେ ରଖି ପିଲାଟିକୁ ଅଭାବ ଅସୁବିଧାରେ ତିଳ ତିଳ ଜାଳିବା ଅପେକ୍ଷା, ତାକୁ ନିଜ ଭାଗ୍ଯର ନିର୍ଦ୍ଧାରଣ ନିଜେ କରିବା ପାଇଁ ଛାଡିଦେବା କୁ ସେମାନେ ଶ୍ରେୟସ୍କର ମନେ କରିଥିଲେ।

ସହରରେ ବଞ୍ଚିବା ପାଇଁ ସଂଘର୍ଷ କରି ପିଲାଟିର ଦିନ ବିତିଗଲା। ରୁଟି ପଟେ ପାଇବା ପାଇଁ ସେ କେତେ ବେଳେ ପଶୁ ପାଲଟୁଥିଲା ତ କେତେ ବେଳେ ଭିକାରୀ। କେତେବେଳେ ଜଳଖିଆ ଦୋକାନର ଅଳିଆ ଗଦାରୁ ଗୋଟାଇ ଖାଉଥିଲା ତ କେତେବେଳେ ବାହାଘର ଭୋଜି ସ୍ଥାନରେ ଅଇଁଠା ପତ୍ରରୁ କୁକୁରଙ୍କୁ ଘଉଡାଇ ଖାଇବା ଖୋଜୁଥିଲା। ମନୁଷ୍ଯର ଶରୀର ଧାରଣ କରି ମଧ୍ଯ ସେ ବୁଲାକୁକୁରଙ୍କ ପାଖରେ ଖାଇଛି,ପିଇଛି ଓ ଶୋଇଛି କ୍ଷୁଧାର ତାଡନା କୁ ପ୍ରତିହତ କରି ଜୀବନ ଧାରଣ ପାଇଁ। ସକାଳ ହେଲେ ଦୋକାନ ଦୋକାନ ବୁଲି ହାତ ପତେଇଛି ପେଟ ଚାଖଣ୍ଡକ ପାଇଁ। କ୍ଷୁଧାର ଅସଲ ସ୍ବରୂପ କୁ ସେ ମର୍ମେ ମର୍ମେ ଅନୁଭବ କରିଛି ଓ ତାକୁ ପ୍ରଶମିତ କରିବାର ଅନେକ ପନ୍ଥା ନିଜେ ଖୋଜି କାଢିଛି। ଜୀବନ ଯୁଦ୍ଧରେ ତିଷ୍ଠି ରହିବା ଭିତରେ ସେ ଅନେକ ଉପାଧି ପାଇଛି-- ଘୁଷୁରୀ, ଚୋର, ଖଣ୍ଟ, ଅଇଁଠାଖିଆ, ମାଗିଖିଆ....

ଦିନେ ଚାରିଆଡେ ଖାଦ୍ଯ ସନ୍ଧାନ କରି ନିଷ୍ଫଳ ହେବା ପରେ, କ୍ଷୁଧାର ତାଡନା ସହ୍ଯ କରି ନ ପାରି ସେ ଏକ ଜଳଖିଆ ଦୋକାନ ରୁ ଖଣ୍ଡେ ବରା ଚୋରି କରିବା ବେଳେ ଧରାପଡିଗଲା। ନୃଶଂସ ଦୋକାନୀ ତାକୁ କାଠ ଫାଳିଆ ରେ ବାଡେଇ ଦରମରା କରିବା ପରେ ତା ହାତରେ ତତଲା ଲୁହା ଚିମୁଟା ରେ ଚେଙ୍କ ଦେଇ ଦେଲା। ଅସହ୍ଯ ଯନ୍ତ୍ରଣା ଓ ପୋଡା ମାଂସର ଗନ୍ଧରେ ଜର୍ଜରିତ ହୋଇ ସେ ଚେତାଶୂନ୍ଯ ହେବା ପୂର୍ବରୁ କେବଳ ଏତିକି ଶୁଣି ପାରିଥିଲା-- “ ମାଗିଖିଆ, ଆଉ ଦିନେ ଯଦି ମୋ ଦୋକାନ ପାଖରେ ତୋତେ ଦେଖିବି ଜୀଅନ୍ତା ଜାଳିଦେବି”।

କେହି ଜଣେ ଭଦ୍ରବ୍ଯକ୍ତି ସେଦିନ ଚେତାଶୂନ୍ଯ ହୋଇ ପଡିଥିବା ପିଲା କୁ ଉଦ୍ଧାରକରି ଏକ ଅନାଥ ଆଶ୍ରମ ରେ ରଖାଇବାର ବ୍ଯବସ୍ଥା କରି ଦେଇଥିଲେ। ନିଜ ପରିଶ୍ରମ ବଳରେ ସେହି ପିଲା ଜୀବନର ପାହାଚ ପରେ ପାହାଚ ଚଢି ନିଜକୁ ପ୍ରତିଷ୍ଠିତ କରି ପାରିଥିଲା।

ହଠାତ୍ ସାଗର କାନ ପାଖରେ ଗୁଞ୍ଜରିତ ହେଲା " ମାଗିଖିଆ”। ସେ ଚମକି ଉଠି ଚତୁର୍ଦ୍ଦିଗ କୁ ଦେଖିବାକୁ ଲାଗିଲା।

ଚିତ୍କାର କରି କହିଲା - - ସେ ମାଗିଖିଆ କାହିଁ କେତେ କାଳୁ ସମାଧିସ୍ଥ ହେଲାଣି। ମୁଁ ମାଗିଖିଆ ମାନଙ୍କୁ ଘୃ ଣା କରେ। ସେମାନେ ଦୁର୍ବଳ ଓ ମେରୁଦଣ୍ଡ ବିହୀନ ପ୍ରାଣୀ। ସେମାନଙ୍କର ଏ ଦୁନିଆରେ ରହିବାର କୌଣସି ଅଧିକାର ନାହିଁ। ମାଗିଯାଚି ଖାଦ୍ଯ ଖାଇ ସୁଖ ନିଦ୍ରା ଯିବା ଅପେକ୍ଷା , ସେମାନେ ନିଜ ମୃତ୍ଯୁ ର ଭିକ୍ଷା ମାଗି ଚିରକାଳ ଶାନ୍ତିରେ ଶୋଇଯିବା ହିଁ ଶ୍ରେୟସ୍କର।

ନାଃ ଆଉ ନୁହଁ, ତାକୁ କିଛି କରିବାକୁ ହେବ। ତା ଜୀବନ କୁ ଅବ୍ଯବସ୍ଥିତ କରି ଚାଲିଥିବା ମାଗିଖିଆକୁ ନିଶେଃଷ କରିବାକୁ ହେବ। ନିଜର ବର୍ତ୍ତମାନ ଓ ଭବିଷ୍ଯତକୁ ସୁରକ୍ଷିତ କରିବାକୁ ହେଲେ, ସେ ଲୋକ କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ହେବ। ସେ ଅଟ୍ଟହାସ୍ଯ କରି ଉଠିଲା- - ବାସ୍ ସେଇଆ ହିଁ ହେବ। ଏ ସହର ରେ ସବୁଦିନ କେତେ ଦୁର୍ଘଟଣା ଘଟି ଚାଲିଛି ତାର ହିସାବ ନାହିଁ। ସେମିତି ଆଉ ଏକ ଦୁର୍ଘଟଣା ହେବ ଓ ତା ରାସ୍ତାର କଣ୍ଟା ସବୁଦିନ ପାଇଁ ନିଶ୍ଚହ୍ନ ହୋଇଯିବ। ପୈଶାଚିକ ହସରେ ମୁଖରିତ ହୋଇ ଉଠିଲା ସାଗରର ଶୟନକକ୍ଷ।

ହୋଟେଲରୁ ଲୋକଟି ସବୁଦିନ ପରି ଖାଦ୍ଯଭର୍ତ୍ତି ବ୍ଯାଗ୍ ଧରି ରାସ୍ତାରେ ପହଞ୍ଚିଲା। ସାଗର ଧିର ପଦକ୍ଷେପରେ ତାକୁ ଅନୁସରଣ କରିବାକୁ ଲାଗିଲା। ଲୋକଟି କିଛି ବାଟ ଚାଲି ଚାଲି ଯିବା ପରେ ଏକ ନିର୍ଜନ ସ୍ଥାନ ରେ ଛିଡା ହୋଇ ଚାରି ଆଡକୁ ଦେଖିବାକୁ ଲାଗିଲା। ସାଗର ଭାବିଲା - - ଲୋକଟା ବୋଧେ ଖାଇବା ବିକ୍ରୀ କରିବାକୁ ଗ୍ରାହକ ଖୋଜିବାରେ ଲାଗିଛି। ଅଚାନକ ସେ ଦେଖିଲା କିଛି ନିହାତି ଦରିଦ୍ର ଶ୍ରେଣୀ ର ଲୋକ ଓ ପିଲା, ଲୋକଟି ଆଡକୁ ମନଖୁସି ରେ ଦଉଡି ଆସୁଛନ୍ତି। ସେମାନଙ୍କୁ ଦେଖିଲେ ମନରେ କରୁଣାଭାବ ଜାଗ୍ରତ ହୋଇଯିବ। ସେମାନଙ୍କ ଶରୀରରେ କେବଳ ଥିଲା ଅସ୍ଥି ର ପ୍ରାବଲ୍ଯତା, ପେଟ ଓ ପିଠି ମଧ୍ଯରେ ଦୂରତା ଖୁବ୍ କମ ଥିଲା କହିଲେ ଅତ୍ଯୁକ୍ତି ହେବ ନାହିଁ। କୋଟରଗତ ଚକ୍ଷୁରେ କେବଳ ଦାରିର୍ଦ୍ର୍ଯ ଓ ଅସହାୟତା ର ଭାଷା ସ୍ପଷ୍ଟ ପଢି ହେଉଥିଲା। ପିଲା ମାନଙ୍କୁ ଦେଖିଲେ ଲାଗୁଥିଲା ସେମାନେ କାହିଁ କେତେ ଦିନରୁ କିଛି ଖାଇ ନାହାଁନ୍ତି। କାଉଁରିଆ କାଠି ପରି ହାତ ଗୋଡ ବିଶିଷ୍ଟ ସେହି ପିଲା ମାନଙ୍କର ଏକ ମାତ୍ର ଆଖିଦୃଶିଆ ଅଙ୍ଗ ଥିଲା, ନୁଖୁରା କେଶଯୁକ୍ତ ମୁଣ୍ଡ। ସେ ମୁଣ୍ଡ ଭିତରେ କେବଳ ଥିଲା ଗୋଟିଏ ଚିନ୍ତା-- ହା ଅନ୍ନ...ହା ଅନ୍ନ ।

ଘୃଣାରେ ସାଗର ର ମୁହଁ ବିକୃତ ହୋଇ ଉଠିଲା। ତା ପାଟିରୁ ବାହାରି ପଡିଲା-- ଏ ମାଗିଖିଆ ଚାରିଆଡୁ ଖାଦ୍ଯ ଯୋଗାଡ କରୁଛି ଏମାନଙ୍କୁ ବିକ୍ରୀ କରିବା ପାଇଁ। ଏହି ଦରିଦ୍ର ଲୋକେ ତାକୁ ପ୍ରତିବଦଳ ରେ କ'ଣ ବା ଦେବେ? ଏପରି ଦୁରାଚାରୀ ଲୋକ ପାଇଁ କେବଳ ଏକମାତ୍ର ଦଣ୍ଡ ପ୍ରଯୁଯ୍ଯ; କେବଳ ମୃତ୍ଯୁଦଣ୍ଡ। ସାର୍ଟ ତଳେ ଲୁଚାଇ ରଖିଥିବା ଶାଣିତ ଛୁରି କୁ ହାତରେ ମୁଠାଇ ଧରି ସେ ଲୋକଟି ଆଡକୁ ଅଗ୍ରସର ହେବାକୁ ଲାଗିଲା।

ସେତେବେଳକୁ ଲୋକଟି ତଳେ ବସି ପଡିଥିଲା ଓ ତା ଚାରି ପଟରେ ସେହି ଅନାଥ, ଦରିଦ୍ର, କ୍ଷୁଧାର୍ତ୍ତ ପ୍ରାଣଟି ମାନ ହସ୍ତ ପ୍ରସାରଣ କରି ବସିଥିଲେ। ଅତି ଯତ୍ନ ସହକାରେ ସେ ଗୋଟିଏ ପରେ ଗୋଟିଏ ପୁଡିଆ ଫିଟାଇ ଲୋକ ମାନଙ୍କୁ ଖାଦ୍ଯ ପରଶି ଚାଲିଥିଲା। ସେମାନେ ପରମ ତୃପ୍ତି ରେ ଖାଦ୍ଯ ଖାଇ ଅସରନ୍ତି ଆଶିର୍ବାଦ ରେ ଲୋକଟିକୁ ପୋତି ଚାଲିଥିଲେ। କିଛି ସମୟ ପରେ କିଛି ଅବଗୁଣ୍ଠନବତୀ ନାରୀ ମୂର୍ତ୍ତିଙ୍କର ଆବିର୍ଭାବ ହେଲା ଓ ଲୋକଟି ସେମାନଙ୍କ ହାତକୁ ବଢାଇ ଦେଲା କିଛି ଖାଦ୍ଯ ପୁଡିଆ। ସେମାନେ ସାଷ୍ଟାମ ପ୍ରଣାମ କରି ଚାଲିଗଲେ। ଅଳ୍ପ ସମୟ ଭିତରେ କ୍ଷୁଧାର୍ତ୍ତ ଆତ୍ମା ମାନଙ୍କର ମୁଖ ମଣ୍ଡଳ ପ୍ରସନ୍ନତା ରେ ଜାଜୁଲ୍ଯମାନ ହେବାକୁ ଲାଗିଲା। ଉଲଗ୍ନ ବାଳୁତ ମାନଙ୍କର ଉଦର ଶାନ୍ତ ହେବା ପରେ ସେମାନେ ଖୁସି ରେ ଡିଆଁ ମାରି ଖେଳିବାକୁ ଲାଗିଲେ। ଦେଖିଲେ ଲାଗୁଥିଲା, ସତେକି ଦାରୁଣ ଗ୍ରୀଷ୍ମରେ ଦଗ୍ଧୀଭୂତ ବୃକ୍ଷରାଜି ଗଣ ଶୀତଳ ବୃଷ୍ଟିର କୁହୁକ ସ୍ପର୍ଶରେ ନବଜୀବନ ଲାଭ କରି ପୁଲକିତ ହୋଇ ଉଠିଛନ୍ତି।

ହଠାତ୍ କିଛି ପଡି ଯିବାର ଶବ୍ଦ ଶୁଣି ସେଠାରେ ଉପସ୍ଥିତ ଲୋକେ ଚମକି ଉଠିଲେ। ଦେଖିବା ବେଳକୁ ଜଣେ ହୃଷ୍ଟପୃଷ୍ଟ ଯୁବକ ହାତରେ ତୀକ୍ଷଣ ଛୁରି ଧରିଥିବା ଅବସ୍ଥାରେ, ଖାଦ୍ଯଦାତାଙ୍କ ଚରଣ ତଳେ ଲୋଟି ପଡିଛି। କହିବା ବାହୁଲ୍ଯ, ସାଗର ଲମ୍ବ ହୋଇ "ମାଗିଖିଆ" ନାମକରଣ କରିଥିବା ବ୍ଯକ୍ତିଙ୍କର ପାଦ ତଳେ ଲମ୍ବ ହୋଇ ପଡି ଯାଇଥିଲା।

ସାଗର ର ଚକ୍ଷୁ ଯୁଗଳ ରୁ ଅଶୃଧାରା ବର୍ଷି ଚାଲିଥିଲା। ସେ ପ୍ରଳାପ କରି ଚାଲିଥିଲା-- ମୋତେ କ୍ଷମା କରି ଦିଅନ୍ତୁ, ମୁଁ ମହାପାପୀ। ଆପଣଙ୍କ ପରି ଜଣେ ଦେବତାଙ୍କୁ ମୁଁ ମାରିବାକୁ ଆସିଥିଲି। ଆପଣ ମାଗିଖିଆ ନୁହଁନ୍ତି, ବରଂ ମୁଁ ଆଜନ୍ମ ମାଗିଖିଆ।

ସେଦିନ ଦୋକାନୀ ପାଖରୁ ତତଲା ଚିମୁଟା ରେ ଚେଙ୍କା ଓ ମାଗିଖିଆ ଉପାଧି ପାଇଥିବା ପିଲାଟି ଓ ସାଗର, ଏକ ଓ ଅଭିନ୍ନ, ସେ କଥା ସ୍ବୀକାର କରିବାରେ ତା'ର ତିଳେମାତ୍ର କୁଣ୍ଠା ନ ଥିଲା।

ସେତିକି ବେଳକୁ ବ୍ଯକ୍ତି ଜଣଙ୍କ ସାଗର ହାତରେ ଚେଙ୍କା ଚିହ୍ନ ଦେଖି କିଛି ସମୟ ସ୍ଥିର ହୋଇଗଲେ। ତାକୁ କୋଳ କୁ ଭିଡି ନେଇ କହିଲେ-- ବାବୁ, ତୁମେ ମୋତେ ଜାଣି ପାରୁଛ? ନାଃ, ତୁମେ ବା କେମିତି ଜାଣିବ- - ମୁଁ ପଦ୍ମନାଭ ସାହୁ, ଏହି ସହର ର ବାସିନ୍ଦା। ମୁଁ କ୍ଷୁଧାର୍ତ୍ତ ଲୋକଙ୍କୁ ଖାଦ୍ଯ ଯୋଗାଇବା କାମରେ ଅଧିକାଂଶ ସମୟ ବ୍ଯତୀତ କରେ ଓ ଏହି କାର୍ଯ୍ଯ କୁ ପରମ ଧର୍ମ ମନେକରେ। ହୋଟେଲ,ଭୋଜିଭାତ, ମନ୍ଦିର ଓ ଘରେ ବଳକା ରହି ଯାଉଥିବା ଖାଦ୍ଯ ସବୁ କୁ ଅଯଥାରେ ଫୋପାଡି ଦିଆଯାଏ। କିନ୍ତୁ, ସେହି ଖାଦ୍ଯ କୁ ଭୋକିଲା ପାଟିରେ ଦେଇ ପାରିଲେ , ତା' ଠାରୁ ବଡ ଉପଲବଧି ଆଉ କିଛି ନାହିଁ। ଚାକିରି ରେ ଥିଲା ବେଳେ ମଧ୍ଯ ମୁଁ ଏହି କାମ କରୁଥିଲି, କିନ୍ତୁ ଅବସର ନେବା ପରେ କେବଳ ଏହି କାମ କରୁଛି। ସେଥିରେ ମିଳୁଛି ମୋତେ ସ୍ବର୍ଗୀୟ ଶାନ୍ତି। ଏବେ ତ ପ୍ରାୟ ହୋଟେଲର ମାଲକ ମାନେ ମୋତେ ଦେଖିଲେ ଆଦରରେ ବଳକା ଖାଦ୍ଯ ବଢାଇ ଦିଅନ୍ତି । ପ୍ରତିଦିନ ମୁଁ ସହର ସାରା ବୁଲି କ୍ଷୁଧାର୍ତ୍ତ ମାନଙ୍କ ଉଦର ଶାନ୍ତ କରିବା ସହିତ, ଖାଦ୍ଯ ଅପଚୟ ସମସ୍ଯାର ସମାଧାନ ମଧ୍ଯ କରିବାରେ ସାହାଯ୍ଯ କରେ। ଏ କାମ ପାଇଁ କିଛି ଲୋକ ମୋତେ ଭଲ ପା'ନ୍ତି, କିଛି ଲୋକ ପାଗଳ କୁହନ୍ତି ଓ କିଛି ଲୋକ " ମାଗିଖିଆ” ମଧ୍ଯ କୁହନ୍ତି। ସେ ହସିହସି କହିଲେ।

ବହୁ ବର୍ଷ ତଳେ ଜଣେ କ୍ଷୁଧା ଜର୍ଜରିତ ପିଲା ଦୋକାନ ରୁ ଖାଇବା ଟିକେ ନେଇଗଲା ବୋଲି, ଦୋକାନୀ ତାକୁ ବହୁତ ପିଟିଲା ଓ ହାତରେ ତତଲା ଲୁହା ର ଚେଙ୍କ ଦେଇଦେଲା। ମୁଁ ସେ ପିଲାର ଚିକିତ୍ସା କରାଇବା ପରେ ତାକୁ ଅନାଥ ଆଶ୍ରମରେ ଛାଡି ଦେଇଥିଲି। କାହିଁକି କେଜାଣି, ତୁମକୁ ଦେଖିଲେ ମୋର ସେଦିନ ର କଥା ମନେ ପଡି ଯାଉଛି।

ଜୀବନ୍ତ ଇଶ୍ବରଙ୍କୁ ସମ୍ମୁଖରେ ଦେଖି ସାଗର ମୁକ ପାଲଟିି ଯାଇଥିଲା। ସେ ଭୋ ଭୋ ହୋଇ କାନ୍ଦି ଚାଲିଥିଲା- - ମୁଁ ସେହି ଅଭାଗା ଯାହାର ପ୍ରାଣ ଆପଣ ରକ୍ଷା କରିଥିଲେ। କିନ୍ତୁ ମୁଁ ମହାପାପୀ ଆପଣଙ୍କୁ ମାରିବାକୁ ଆସିଥିଲି। ମୋତେ କ୍ଷମା କରି ଦିଅନ୍ତୁ ହେ ଦେବତାପ୍ରତୀମ ବ୍ଯକ୍ତି। ମୁଁ ମାଗିଖିଆ, ଆଜନ୍ମ ମାଗିଖିଆ। ମୋତେ ଆପଣଙ୍କ ଚରଣରେ ରହିବାର ସୁଯୋଗ ଦିଅନ୍ତୁ। ମୁଁ ପାପୀ ...ମହାପାପୀ।

କହିବା ବାହୁଲ୍ଯ, ଏହି ଘଟଣା ଘଟିବାର କିଛିଦିନ ଉତ୍ତାରୁ ସେହି ଭଦ୍ରବ୍ଯକ୍ତି ଓ ସାଗର, ହାତରେ ଖାଦ୍ଯ ଭର୍ତ୍ତି ପୁଡିଆ ଧରି କ୍ଷୁଧାର୍ତ୍ତ ଲୋକଙ୍କ ଅନ୍ବେଷଣ ରେ ସାରା ସହର ବୁଲି କ୍ଷୁଧାର୍ତ୍ତ ମାନଙ୍କର କ୍ଷୁଧା ନିବାରଣ କରି ଚାଲିଥିଲେ।

ଯିଏ ମାଗି ଖାଏ ସେ "ମାଗିଖିଆ" ଓ ଯିଏ ମାଗି କରି ଦିଏ ସେ "ମାଗିଦିଆ"। ତେବେ ଚାଲନ୍ତୁ ଆମେ ଅତି କମ୍ ରେ ଥରେ ପଦ୍ମନାଭ ବାବୁଙ୍କ ପରି "ମାଗିଦିଆ" ସାଜି ଦେଖିବା।



---ସମାପ୍ତ--

ମାତାଲିଜିମ୍





ମାତାଲିଜିମ୍

                                                                                 ଲେଖକ- ଅରବିନ୍ଦ ରଥ

                      ମଦନା ଘର ସାମନା ରେ ଗାଁଆ ଟା ଯାକର ଲୋକ ଟୁପୁରୁ ଟାପର ହେବାରେ ବ୍ଯସ୍ତ ଥିଲେ। ସନିଆ ମାଆ ପାକୁଆ ପାଟି ପାକୁପାକୁ କରି କହୁଥିଲା-- ଆହାଃ, ଆଜି କି ନ ଦେଖିଲା ଏ ନେତ- - ମୁଁ ଯଦି ଏ ଗୁପତ କଥା ଟା ଆଗରୁ ଜାଣି ଥାଆନ୍ତି ସାରା ଜୀବନ ଏମିତି ଦହଗଞ୍ଜ ହୋଇ ନ ଥା'ନ୍ତି। ତିର୍ଲା ଟା କି ଯାଦୁ ନ କଲା ଭଲା! !!

ବାକି ଯୁଆନ ଟୋକା ମାନେ ଆଖି ମିଟିମିଟି କରି, ସାମନା ରେ ଘଟି ଯାଉଥିବା ଅଭୂତପୂର୍ବ ଘଟଣାବଳୀ କୁ ଆକଣ୍ଠ ପାନ କରିବାରେ ବ୍ଯସ୍ତ ଥିଲେ। ଘର ଭିତରୁ ଜିନିଷପତ୍ର ଫିଙ୍ଗା ଫୋପଡାର ଶବ୍ଦ ଭାସି ଆସିବା ସହ ମଦନାର କରୁଣ ଚିତ୍କାର ମଧ୍ଯ ଶୁଭୁ ଥିଲା-- ମୋତେ ଛାଡି ଦେ, ଆଉ ଦିନେ ଏମିତି ଭୁଲ କରିବିନି। ମାଆ ଓଢଣେଶ୍ବରୀ ଙ୍କ ନିୟମ ଖାଇ କହୁଛି। ଆଜି ଦିନ ଟା ଛାଡି ଦେ.....ଇଲୋ ମାଆ ଲୋ......ମରି ଗଲି ଲୋ ମାଆ......। କିନ୍ତୁ ଏମିତି ପରିସ୍ଥିତି ରେ ମଦନା ପିଲା ମାନଙ୍କର ତାଳି ,ସୁସୁରୀ ମାରି ଖୁସିରେ ଡେଇଁବାର ଶବ୍ଦ ଦେଖଣାହାରୀ ଙ୍କ ମନ ଭିତରେ ଅସମ୍ଭବ ଉତ୍କଣ୍ଠା ଜାତ କରାଉଥିଲା ।

ତତେନେଇପୁର ଗାଁଆ ର ମଦନା ଥମ୍ବ। କଳା ମଚମଚ ମଜଭୁତିଆ ଚେହେରା - - କୁମ୍ଭାଟୁଆ ପରି ଲାଲ୍ ଆଖି ଓ କାନ୍ଧ ଯାଏଁ ଲମ୍ବି ଆସିଥିବା କେଶରାଶି କୁ ଦେଖିଲେ, କୁକୁଡା କଲିଜା ବିଶିଷ୍ଟ ଲୋକର ପାଟିରେ ଯାବ ପଡିଯିବା ଟା ଆଦୌ ଅସମ୍ଭବ ନୁହଁ। ତା ଫଟା ଢୋଲ ପରି ସ୍ବର ଯିଏ ଶୁଣିବ, ଭାବିବ ଈନ୍ଦିର ଦେବଙ୍କ ପେଟ ଗୋଳମାଳ ହୋଇଛି କି ଆଉ? ରୂପ ଟା ଅର୍ଘାସୁରିଆ ପରି ହେଲେ କଣ ହେବ, ମଦନା ଟା ଭାରି ପାରିବାର ପିଲା। ତା ଦେହ ରେ ଅସୁର ପରି ବଳ। କୌଣସି କାମ ରେ ପଛକୁ ହଟିଯିବା ପିଲା ସେ ନୁହଁ। ମନ ପାଇଲେ ଦୁଇ କାନ୍ଧରେ କାଠ ଗଣ୍ଡି ଟେକି ସେ ପାହାଡ ଚଢି ଯିବ । ଇଟା,ସିମେଣ୍ଟ ବସ୍ତା ଆଦି ବୋହି ନେବା ତା ପାଇଁ ପିଲା ଖେଳ ପରି। ସେଥିପାଇଁ ଠିକାଦାର ମାନଙ୍କ ପାଖରେ ତାର ବେଶ୍ କାଟତି। ସେମାନେ ଜାଣିଛନ୍ତି ଯେ ତତନେଇପୁର ଗାଁଆ ରେ କେବଳ ଜଣିଏ ଷେଣ୍ଢ ଅଛି, ତା ନାଁଆ ହେଲା ମଦନା। ଏକବାଗିଆ ମଦନା କୁ କିଛି ବୁଝାଇବା ଟା କାଠିକର ପାଠ ବୋଲି ସଭିଏଁ ଜାଣନ୍ତି। ସେ ଯାହା ବୁଝିଥିବ ସେଇଆ … ଯିଏ ଯାହା କହିଲେ ବି ସେ ହଲଚଲ ହୁଏନି। ତାକୁ ଗେହ୍ଲେଇ, ଭୂଲେଇ କଥା କହିଲେ ସେ ନ କଲା କାମ ବି କରିଦେବ, କିନ୍ତୁ କଥା ବେଲାଇନ୍ ହେଲେ ପରିସ୍ଥିତି ଅସମ୍ଭାଳ କରିଦେବ। ସବୁ ଗୁଣ ଭଲ ଯେ, କିନ୍ତୁ ଗୋଟିଏ ଦୁର୍ଗୁଣ ପାଇଁ ସେ ବଦନାମ ଥିଲା। ଟିକେ ନିଶାପାଣି ନ ହେଲେ ମଦନା ବସିବା ଥାନ ରୁ ଉଠିବନି। ଯୁଆନ ଥିଲା ବେଳେ ମୂଲ ମଜୁରୀ ଲାଗି ଯେତିକି ପଇସା ପାଏ ସବୁ ନିଶା କରିବାରେ ଉଡିଯାଏ। ତା ବାପା ମାଆ ପିଲା ଦିନରୁ ତାକୁ ଅନାଥ କରି ଚାଲି ଯାଇଥିଲେ। ପାଠ ଶାଠ ନ ପଢି ଗାଁଆ ର ବାତରା ପିଲାଙ୍କ ମେଳରେ ବଢି ସେ ପୋଖତ ନିଶାଡି ହୋଇ ଯାଇଥିଲା। ଏମିତି କିଛି ନିଶା ନାହିଁ ଯାହା ସେ ନ କରିଛି। ମଦ, ମହୁଲୀ, ଗଞ୍ଜେଇ, ଅଫିମ ଆଦି ତା ପାଇଁ ଖାଦ୍ଯ ପାନୀୟ ଉଭୟ ଥିଲା। ସକାଳୁ ଉଠିବା ରୁ ରାତି ରେ ଶୋଇବା ଯାଏ ସେ ନିଶାରେ ଚୁର୍ ରହୁଥିଲା। ରାତିରେ ମଦ ପିଇ କେତେ ବେଳେ ଭାଟି ସାମନା ରେ ପଡିଥାଏ, ତ କେତେବେଳେ ନଳା ପାଖରେ। କେବେ କେମିତି ଗାଁଆ ଲୋକେ ଦୟା କରି ତାକୁ ଟେକି ଆଣି ଘର ସାମନା ରେ ଫୋପାଡି ଦେଇ ଯାଆନ୍ତି।

ସିନେମା ଦେଖି ମଦନା ଦୁନିଆ ବିଷୟରେ କିଛି ଜ୍ଞାନ ଆହରଣ କରିଥିଲା। କେବେ କେବେ ଖଣ୍ଡି ଇଂରାଜୀ ବା ହିନ୍ଦୀ ରେ କଥାଭାଷା ହେବାକୁ ସେ ସୁଖ ପାଉଥିଲା। କଥାରେ ଅଛି, ଓଡିଆ ରାଗିଲେ ହିନ୍ଦି ଇଂରାଜୀ ବାହାରେ। ସେ ଟଳମଳ ହେବା ଅବସ୍ଥାରେ କିଏ ଛୋପରାମୀ କରି ତା ସହ ଲାଗିଲେ ନନ୍ ସେନସ୍, ଇଡିୟଟ୍, ଆଇ ଆମ ଗୋଇଙ୍ଗ, ୟୁ ସଟ ଅପ୍ ପରି ଇଂରାଜୀ ଗାଳି ତା ପାଟି ରୁ ବୋହି ପଡେ । ବିହାରୀ ମିସ୍ତ୍ରୀ ମାନଙ୍କ ପାଖରୁ ଶିଖିଥିବା ହିନ୍ଦି କଥା ର ଉପଯୋଗ ସେ ସ୍ଥାନ କାଳ ପାତ୍ର ଦେଖି କରେ। ମଦ ପିଇବାରୁ କିଏ ବାରଣ କଲେ ସେ ଚିଡିଯାଇ କୁହେ-- - ହମ୍ ମଦ୍ ପିଏଗା। କାହା ବାପ୍ ସେ ନେହି ଡରତା ମୈ। କାହା ସେ ପୈସା ଲେକେ ନେହି ପିତା । ମୋର ପଇସା ଖର୍ଚ୍ଚ କରକେ ପିତା ହେ । ତୁମ୍ ଲୋଗ୍ ମୁଣ୍ଡ ନେହି ଖେଳାଓ, ନେହିତୋ ତୁମ୍ଭାରେ ମୁଣ୍ଡ ମେ ପିସ୍ତଲ୍ ଫୁଟାକେ ମାର୍ ଦୁଙ୍ଗା। ପାଠ ଶାଠ ନ ପଢିଥିଲେ କଣ ହେବ, ମଦନାର ଦୁନିଆଦାରୀ ବିଷୟରେ ଢେର୍ ଜ୍ଞାନ ଥିଲା। ବେଳ ଅବେଳ ରେ ଲୋକଙ୍କୁ ସାହାଯ୍ଯ କରିବା, ତାଙ୍କ ବିପଦରେ ଛିଡା ହେବା ଆଦି ଭଲ ଗୁଣ ତା ପାଖରେ ଭରପୁର ହୋଇଥିଲା। ତେଣୁ ଗାଁଆ ଲୋକେ ତାକୁ ଭଲ ପାଉଥିଲେ ଓ ତା ପାଇଁ ଚିନ୍ତା ମଧ୍ଯ କରୁଥିଲେ। ମୁଖିଆ ଶ୍ରେଣୀ ର ଲୋକେ ଜାଣିଥିଲେ ଯେ, ମଦନା କୁ ଗାଁଆ ମଦଭାଟି ପାଖକୁ ଯିବାରୁ ରୋକା ନ ଗଲେ ତା ଜୀବନ ଟା ନଷ୍ଟ ହୋଇଯିବ। ମଦ ପିଇ ପିଇ ସେ କେତେ ଦିନ ବା ବଞ୍ଚିବ।

କିଛି ପୁରୁଖା ଲୋକେ ଦିନେ ତାକୁ ମଦ ନ ପିଇବା ପାଇଁ କହିବାରୁ ସେ କହିଲା – – ହୋଃ ମଉସା ତୁମ ଉପଦେଶ ତୁମ ପାଖରେ ରଖ। ମୋ ନାମ ଟା କଣ ଜାଣିଛ ତ? ମଦନା ଥମ୍ବ। ଦିନ କୁ ଦିନ ମୋ ବୟସ ଯେତିକି ବଢୁଛି "ଥ ” ଅକ୍ଷର ମଦନା ପାଖକୁ ମାଡି ଆସୁଛି। ମ୍ବ କେବଳ ଏକୁଟିଆ ଚାହିଁ ରହିଛି। କିଛି ବୁଝି ନ ପାରି ପାଚିଲା ବାଳିଆ ବୁଢା ମାନେ ଆଖି ତରାଟି ଚାହିଁ ରହିବା ଦେଖି, ସେ ପୁଣି କହିଲା-- ଏବେ ହମ୍ ମଦନା ସେ ମଦନାଥ ହୋ ଗୟା ହୁଁ। ତୁମେ ହିନ୍ଦୀ ଭାଷା ବୁଝୁଛ ତ? ଆରେ ମୁଁ ମଦର ନାଥ ମଦନାଥ ହୋଇ ଗଲିଣି। ମୋତେ ମଦ ପିଇବାରୁ କୌନ୍ ମାଇକାଲାଲ୍ ରୋକେଗା ହୋଃ। ପେଟ୍ ମେ ରାମପୁରୀ ଚଲାଦୁଙ୍ଗା, ଘର ମେ ବମ୍ ପିଙ୍ଗ କେ ଉଡା ଦୁଙ୍ଗା। ମାଇଁ ମୁଣ୍ଡ ଇଜ୍ ବିନ୍ଧିଙ୍ଗ, ତୁମେ ସବୁ ବୁଢା ଏ ଯାଗାରୁ ଗେଟ୍ ଆଉଟ୍ ହୋଇଯାଅ। ବେଶି ପାଟି ନ କରି ସଟ୍ଅପ୍। ଏକେସୁଇଜିମି, ତୁମେ ସବୁ ମୋ ନିଶା ରେ ପାଣି ମିଶେଇଦେଲ। ପୁଣି ଗୋଟେ ଚଢେଇବାକୁ ହେବ।

ଗାଁଆ ସବୁଠାରୁ ବୃଦ୍ଧ ଗୋତ୍ରମାରୁ ମାହାନ୍ତି ମଦନା ର ଆଖି ଯୋଡିକ ଦେଖି ଜିଭ କାମୁଡି ଦେଲେ। ଭୁଲ ସମୟ ରେ ଉପଦେଶ ଟା ଢାଳି ଦେବାରୁ ଏମନ୍ତ ଅବସ୍ଥା ହେଲା ସିନା। ଉପଦେଶ ନେବା ଲୋକ ଯେତେ ବେଳେ ଟାଙ୍କେ ପିଇ ଦେଇଛି, ତାକୁ ସ୍ବୟଂ ବ୍ରହ୍ମା ଆସି କିଛି କହିଲେ ବି ସେ ଇଂରାଜୀ ଗାଳି ଦେଇ ଘଉଡି ଦେବ। କିନ୍ତୁ ମଦନା ର ହିଂରାଜୀଆ ଓଡିଆ ଗାଳି ତାଙ୍କ ପ୍ରାଣ କୁ ବେଶ୍ ବାଧିଲା।ସମସ୍ତଙ୍କ ଅଗୋଚରରେ ସେ ତାଙ୍କ ମଳିଛିଆ ଧୋତି ରେ ଗଣ୍ଠିଟେ ପକେଇ ମନେମନେ କହିଲେ-- ହଉରେ ପୁଅ, ମାଲ୍ ପିଇ ତୁ ଷେଣ୍ଢ କୁ ଭାଗବତ ପଢାଉଛୁ ନାହିଁ? ଆମ ସମୟ ରେ ଆମେ ଯେତିକି ବୋତଲ ଟେକିଛୁ ସେତିକି ଗଦେଇ ଦେଲେ ହିମାଳୟ ପର୍ବତ ଲୁଚିଯିବ, ତୁ ଆମକୁ ମଦ ଦେଖଉଛୁ? ଆମ ସମୟ ରେ କେତେ ସାପ,ବିଛା, କଣ୍ଟିଆ ଆମକୁ କାମୁଡି ମରିଛନ୍ତି ତାର ହିସାବ ଖୋଜିଲେ ଚିତ୍ରଗୁପ୍ତ ପାଞ୍ଜିର ପୃ ଷ୍ଠା କମ୍ ପଡିଯିବ, ଇଏ ଆମକୁ ହାର୍କିନି ଦେଖଉଛି। ସେ ସମୟରେ ଆମ ଦିହରେ ରକତ ନ ବୋହି ନିଶା ବୋହୁଥିଲା, ୟାପ ମଶା କାମୁଡିଲେ ପରା ନିଶାରେ ଗାଳି ଫଜିତ୍ କରୁଥିଲା। ତୋତେ ଯଦି ଭଲରେ ପାନେ ନ ଦେଇଛି ମୋ ନାମ କି ଗୋତ୍ରମାରୁ। ତାଙ୍କ ମନ ଭିତର କଥା ସବୁ ବାହାରକୁ ଶୁଭିଲା କି କଣ, ଧେଣ୍ଡୁଆ ମିଶ୍ରେ ଚିମୁଟି ଦେଇ କହିଲେ-- ମାଲିକେ, ଟିକେ ଧିରେ କୁହ। ମଦନା ଶୁଣିଲେ ଏହି କ୍ଷଣି ତୁମ ଧୋତିହରଣ କରି କବାଡି ଖେଳେଇ ଦେବ। ସେତିକି ରେ ଗୋତ୍ରମାରୁ ଜିଭ କାମୁଡି ବସି ପଡିଲେ, ମାତ୍ର ମନ ଭିତରେ ପ୍ରତିଶୋଧ ର ବହ୍ନି ଚିଲମ ନିଆଁ ପରି ଜଳି ଚାଲିଥିଲା।

ତହିଁ ଆର ଦିନ ସକାଳୁ, ମଦନା ର ଖାସ୍ ସାଙ୍ଗ ଟିଙ୍ଗାଳୁ କୁ ନାଲି ପାଣି ବୋତଲେ ଧରେଇ ଦେଇ, ମଦନା କୁ ବାହାଘର କରାଇ ଦେବା ପାଇଁ ସେ ଉସୁକାଇବାରେ ଲାଗିଲେ। ଟିଙ୍ଗାଳୁ ପ୍ରଥମେ ଅମଙ୍ଗ ହେଉଥିଲା, କିନ୍ତୁ ଯେତେ ବେଳେ ଗୋତ୍ରମାରୁ କହିଲେ-- ଏମିତି ମଦୁଆ ସାଙ୍ଗ ସହ ମିଶୁଛୁ, ତୋ କନିଆ କୁ ସେ ଭଲ ନଜର ରେ ଦେଖୁଥିବ ତ? ନିଶାପାଣି କଥା, ଯଦି ମଦନା କେତେବେଳେ କିଛି କଳଙ୍କିଆ କାମ କରିଦେବ ଗାଁଆ ରେ ମୁଣ୍ଡ ଉଠେଇ ଚାଲି ପାରିବୁ ତ? ମୁଁ ଦେଖୁଛି ସେ ସଦାବେଳେ ତୋ ଘରେ ବସୁଛି, ତୋ କନିଆ ବି ମଦନାଇ ମଦନାଇ କହି ତା ଆଗେ ପଛେ ଡେଉଁଛି।

କଥାଟା ଶୁଣି ଟିଙ୍ଗାଳୁ କି ଦୃଶ୍ଯ ର କଳ୍ପନା କଲା କେଜାଣି, ତା ହାତରୁ ଖାଲି ବୋତଲ ଟା ଖସି ପଡିଲା। ସେ ଘର କୁ ଦୌଡି ଯିବା ଅବସରରେ କହିଲା-- ମୁଁ କଥା ଦଉଛି ମହାନ୍ତିଏ, ଦିନ ସାତଟା ରେ ମଦନା ଘରେ ଖାସି ମାଉଁସ ଭୋଜି ଟେ ହେବ। ଗୋତ୍ରମାରୁ ନିଜ ଧୋତିରେ ଗଣ୍ଠି କୁ ଟିକେ ଚାମୁଡି ଦେଇ କହିଲେ-- ଏଥର କୀଳା ସମ୍ଭାଳ ରେ ମଦନା। ଘରକୁ ମାଇପ ଆସିଲେ ତୋ ବହପ କେମିତି ଛାଡିବ ଦେଖିବୁ। ମୋ ପରି ଜଙ୍ଗଲୀ ସିଂହ କୁ ମୋ ମାଇପ ଛାଲଛାଡି ବିଲେଇ କରିଦେଲା ବରଷ କେଇଟା ରେ। ସିଂହନାଦ ଭୁଲି ମୁଁ ଦିନରାତି ମିଆଉଁ ମିଆଉଁ କରି କାଳ କାଟୁଛି। ବେକ ରେ ଏମିତି ଘଣ୍ଟି ବାନ୍ଧିଛି ଯେ ବାହାରେ ବୁଲାଚଲା କଲାବେଳେ ବି ଟୁଁ ଟୁଁ ଶୁଭୁଛି। ମୋ ନିଶାପାଣି ଅଭ୍ଯାସ ଛଡେଇବାକୁ ପିଠିରେ ତତଲା ଚିମୁଟାରେ ପାହାର ଦେଇ ମାଉଁସ ମେଞ୍ଚା କରିଦେଇଛି। ତା କହୁଣୀ ଠେସା ମାଡ ଖାଇ ବତିଶି ଦାନ୍ତରୁ କୋଡିଏ ଟା ହଜି ସାରିଲେଣି। ଏବେ ପାନ, ଗୁଟୁଖା ବି ପାଟିରେ ପଶିଲେ ହସି ହସି ବାହାରକୁ ଚାଲି ଆସୁଛନ୍ତି। କିହୋ ଚୋବେଇବା ଦାନ୍ତ ମାନେ ତ ହଜି ଗଲେଣି , ପାନ ଗୁଟୁଖାଙ୍କ ଗର୍ବ ଭାଙ୍ଗିବ କିଏ? ମୋ ଅବସ୍ଥା ଯାହା ହେଉଛି, ତା ଠାରୁ କେଇ ଗୁଣ ଭୟଙ୍କର ଅବସ୍ଥା ତୋର କରିଦେବି। ତା ପରେ ଜାଣିବୁ ମୁଁ କିଏ।

ତେଣେ ଟିଙ୍ଗାଳୁ କେତେ ଝିଅଙ୍କ ପଛରେ ମଦନାକୁ ବାହା କରାଇବା ପାଇଁ ଲାଗି ପଡିଲା ତାର ହିସାବ ନାହିଁ। ଶେଷରେ ଗୋତ୍ରମାରୁଙ୍କୁ ଦୁଃଖ ଜଣାଇଲା। ସେ ବି ଚାହିଁ ରହିଥିଲେ କେବେ ଟିଙ୍ଗାଳୁ ତାଙ୍କ ଶରଣ ପଶିବ। କାଳ ବିଳମ୍ବ ନ କରି ସେ ପାଖ ଗାଁଆରେ ରହୁଥିବା ଅକାଟଖିଆ ସାହୁଙ୍କ ଏକମାତ୍ର ପରମ କାଣ୍ଡେଇ କନ୍ଯା ମିସ୍ ଆଣ୍ଡ୍ରୁଲିନା ସହିତ ମଦନାର ବାହାଘର କରିବାକୁ ପ୍ରସ୍ତାବ ଦେଲେ। ଝିଅର ନାମ ଟା ଶୁଣି ଟିଙ୍ଗାଳୁ ମୁଣ୍ଡ ଘୁରାଇ ଦେଲା ପରି ଲାଗିଲା। ସେ କିଛି ବୁଝି ନ ପାରି ବଲବଲ କରି ଚାହିଁବାରୁ ମହାନ୍ତିଏ ସନ୍ଦେହ ମୋଚନ କରି କହିଲେ-- – – ବାବୁ ଟିଙ୍ଗାଳୁ ଝିଅ ଟି ଗୋଟିଏ ଚାଉଳ ରେ ଗଢା। ତା ରୂପ ର ବର୍ଣ୍ଣନା କରିବାକୁ ମୋ ପାଖରେ ଭାଷା ନାହିଁ। ହୋଲି ରେ କଳା ମୁଣ୍ଡଫଟା ରଙ୍ଗ ଉପରେ ବାର୍ଣ୍ଣିସ୍ ରଙ୍ଗ ଢାଳିଦେଲେ ଯେଉଁ ନୂଆ ରଙ୍ଗ ବାହାରିବ ଝିଅଟି ଦେଖିବାକୁ ସେମିତି। ଗାଁଆ ଝିଅ ହେଲେ କଣ ହେବ ତା ରୂପ ଢଙ୍ଗ ସବୁ ଗୋରା ସାଇବ ପରି। ନୂଆ ଦେଖିଥିବା ଲୋକ ଭାବିବ ଇଏ ବୋଧେ ଇଂଲଣ୍ଡ,ହଲାଣ୍ଡ କି ପୋଲାଣ୍ଡ ରୁ ଆସିଛି। ତାଙ୍କ ଗାଁଆ ପିଲେ ତ କୁହନ୍ତି ଏମିତି ପ୍ରାଣୀ ମାନେ ଗ୍ରୀନଲ୍ଯାଣ୍ଡ, ନେଦରଲ୍ଯାଣ୍ଡ, ଆଇସଲ୍ଯାଣ୍ଡରେ ବହୁ ପରିମାଣ ରେ ଦୃଶ୍ଯ ହୁଅନ୍ତି ବୋଲି ବହିରେ ଲେଖା ଅଛି। ସେ ଝିଅ ଓଠରେ ନାଲି ରଙ୍ଗ ନ ମାରିଲେ ବାହାରକୁ ବାହାରେନି। ଆମେ ଯେତିକି ଅଟା, ଚାଉଳ,ଡାଲି ନ କିଣୁଛେ ତାଠାରୁ ବେଶି ସେ ନଖପାଲିସି, ସାମ୍ପୋ, କନା ଡିନସର, କାଖ ବାସ୍ନା ଅତର ଓ କେତେ ଜାତିର କିରିମ୍ କିଣା ରେ ଖର୍ଚ୍ଚ କରେ। ଅକାଟଖିଆର ଭାଗ୍ଯ ଟା ମନ୍ଦ। ଏମିତି ଛୁଆଟେ ତା ଓୌରସ ରୁ କେମିତି ବାହାରିଲା ବୋଲି ଖୋଳତାଡ କଲା ପରେ ଅସଲ କଥା ଟା ଜଣା ପଡିଲା। ଦିନରାତି ଅକାଟଖିଆ ମଦଭାଟିରେ ଅଧିଆ ପଡିଲା ବେଳକୁ ତା ମାଇପ ଲୋକଙ୍କ ଘରେ କାମ ପାଇଟି କରେ। ଆଣ୍ଡରସନ ବୋଲି ଜଣେ ବିଲାତି ସାଇବ ଘରେ ତା ମାଇପ କିଛି ଦିନ କାମ କରିଥିଲା। ସେ ସାଇବ ମଜୁରୀ ସାଙ୍ଗକୁ କି ବକସିସ୍ ଦେଲା ଭଗବାନ ଙ୍କୁ ଜଣା, କିନ୍ତୁ ଅକାଟଖିଆ ଘରେ କୁଆଁ ଡାକ ଶୁଭିଲା। କଥା ଟା କଣ ଅନୁମାନ କରି ଅକାଟଖିଆ ମାଇପ କୁ ଗାଳିଫଜିତ୍ କରି ମାରିବାକୁ ବାହାରିବାରୁ ସାଇବ ଆସି ତାକୁ ରକ୍ଷା କଲା। ତା ସାମନା ରେ ସାଇବ ମାନିଲା ଯେ ସେ ଦୂର ଦେଶରୁ ଆସିଛି ଓ ଶୀଘ୍ର ଚାଲିଯିବ। କିନ୍ତୁ ଅକାଟଖିଆ ଘରେ ସେ ଲଗେଇଥିବା ଗଛଟି ଛାଡି ଦେଇ ଯାଉଛି। ସେଗଛ ବଢାଇବାରେ ଯେମିତି କିଛି ଅସୁବିଧା ନ ହୁଏ ବୋଲି ଛପର ଫାଡି ପଇସା ମଧ୍ଯ ଦେଇଥିଲା। ସେଇ ସାଇବ ହିଁ ଝିଅ ର ନାମ ଆଣ୍ଡ୍ରୁଲିନା ଦେଇଥିଲା। ଏତେ ଗୁଡେ ଟଙ୍କା ଦେଖି ଅକାଟଖିଆ , ରାଗରୁଷା ଭୁଲି ସାଇବ କୁ ଭାତ ମାଉଁସ ଖୁଏଇ ବିଦାୟ ଦେଲା। କିନ୍ତୁ ତା ଅଭିଶାପ ପଡିଲା କି କଣ, ସାଇବ ଟା ମେଲେରିଆ ରେ ପଡି ମରିଗଲା। ଏବେ ସେହି ସାଇବ ର ଝିଅ ବାହା ହେବ ମଦନା କୁ , ଏହା କଣ କମ୍ ଗୌରବ ର କଥା? ଟିଙ୍ଗାଳୁ ମନେ ମନେ ଗୋତ୍ରମାରୁ କୁ ଗାଳି ଦେଇ କହୁଥାଏ-- ମୋ ବେଳକୁ ତୋ ମୁଣ୍ଡରେ ଏତିକି କଥା କଣ ପାଇଁ ପଶିଲାନି ରେ ଟୁହିଁପେଟିଆ ଗୋତ୍ରମାରୁ। ମୁଁ ସେ ସାଇବାଣୀ କୁ ବାହା ହେଇଥିଲେ କେତେ ଭଲ ହେଇ ଥାଆନ୍ତା। ଦୀର୍ଘ ନିଶ୍ବାସ ଟେ ପକେଇ ସେ ମଦନା କୁ ଖୁସି ଖବର ଦେବା ପାଇଁ ସେ ଚାଲିଗଲା।

ଗୋତ୍ରମାରୁ ମହାନ୍ତିଙ୍କ ପେଞ୍ଚୁଆ ବୁଦ୍ଧିର କୂଳକିନାରା ନ ପାଇ ଅକାଟଖିଆ ତାଙ୍କ ଏକ ମାତ୍ର ଝିଅ କୁ ମଦନା ହାତକୁ ଟେକି ଦେଲେ। ବାହାଘର ଦିନ ମଦନା ପେଟେ ମଦ ପିଇ ଗଞ୍ଜେଲ ଟାଣି ବେଦୀ ରେ ଧିରସ୍ଥିର ହୋଇ ବସିଲା। ତା ଦାରୁଭୂତ ମୁରାରୀ ରୂପ ଦେଖି କନ୍ଯାପିତା ଭାରି ଖୁସି ହେଲେ। ଭାବିଲେ ମୋ ଝିଅ ଖେଳିବା ପାଇଁ ଭଲ ଖେଳନା ଟେ ଯୋଗାଡ କରିଦେଲେ ଗୋତ୍ରମାରୁ। ଭୋଜିଭାତ, ହସଖୁସି ରେ ଦିନ କେତେ ଟା ବିତିଗଲା। ଧିରେ ଧିରେ ଆଣ୍ଡ୍ରୁଲିନା ଓ ମଦନା ନିଜ ନିଜ ରୂପ ପ୍ରକଟ କରିବାକୁ ଆରମ୍ଭ କରିବାରେ ଲାଗିଲେ। ପ୍ରେମନିଶା ରେ କିଛି ଦିନ ଡୁବି ରହିବା ପରେ ମଦନା କୁ ଗାଁଆ ଭାଟି ବିକଳ ହୋଇ ଡାକିଲା। ତା ନିଶାଖୋର ସାଙ୍ଗ ସାଥୀ ମାନେ ଘର ଚାରି ପାଖରେ ଚକ୍କର ମାରିବା ଆରମ୍ଭ କରିଦେଲେ। ଶେଷରେ ମଦନା ଭାଟି ରେ ଆସର ଜମାଇବାକୁ ପହଞ୍ଚିଗଲା। ଭାଟି ମାଲିକ ତାକୁ ଦେଖି କୁଣ୍ଢାଇ ପକାଇ ସୁକୁ ସୁକୁ ହୋଇ କାନ୍ଦି ପକାଇ କହିଲେ-- ମୋ ଧନ ଟା ପରା, କେତେ ଦିନ ହେଲାଣି ମାଲ୍ ଟିକେ ମାରିନୁ ବୋଲି କେମିତି ଶୁଖିଲା ଦିଶୁଛୁ। ଆଜି ପଇସା ନ ଦେଇ ମନ ଭରି ମାଲ୍ ପିଇଦେ। ତୋତେ ନ ଦେଖି ମୋ ମନ ଟା କେତେ ଆଟାପାଟା ହେଉଥିଲା ରେ ମଦନା। କଥା ସରିବା ସହିତ ମଦନା ହାତକୁ ଚାଖଣା ଓ ବୋତଲ ଟେକି ଦେଇ ସେ ନିଜ କାମରେ ମାତିଗଲେ। ଢୋକେ ମଦ ପିଇ ମଦନା ଭାବିଲା-- ଆହା କି ଇଶ୍ବର ପରି ଲୋକ ଏ ଭାଟି ମାଲିକ। କି ସୁନ୍ଦୁରିଆ ରସଗୋଲିଆ କଥା! ଘରେ ମାଇପ ଟା ଫଟା ରେଡୁଓ ପରି ଖଟର ଖଟର ହେଇ କାନ ମୁଣ୍ଡ ଭାଁ ଭାଁ କରିଦେଲାଣି। ଟିକେ ଭଲରେ ମାଲ ନ ଚଢେଇଲେ ନିସ୍ତାର ନାହିଁ। ପେଟେ ମଦ ଟାଙ୍କି ଦେଇ ଟଳମଳ ହୋଇ ସେ ଘରକୁ ଫେରିଲା। ଆଣ୍ଡ୍ରୁଲିନା କବାଟ ପାଖରେ ଜଗି ବସିଥିଲା, କାରଣ ସେ ଲିପଷ୍ଟିକ୍ , ଅତର, ସାମ୍ପୁ ଆଣିବାକୁ ବରାଦ ଦେଇଥିଲା। ମଦନା ର ଟଳମଳ ପାଦ ଦେଖି ସେ ରାହା ଧରି କାନ୍ଦିଲା। ମୁଣ୍ଡ ଉପରେ ହାତ ଥୋଇ କାନ୍ଥରେ ମୁଣ୍ଡ ବାଡେଇଲା। କିନ୍ତୁ ମଦନା ତ ଅଚଳ ମହାମେରୁ, ସେ କୌଣସି ପ୍ରତିକ୍ରିୟା ନ ଦେଖାଇ ଖଟ ଉପରେ ଗଡି ପଡିଲା। ତାକୁ ଉଠାଇବାରୁ କେତେ କଣ ହିନ୍ଦୀ, ଇଂରାଜୀରେ କହି ତକିଆରେ ମୁହଁ ମାଡି ପଡିଲା। ଆଣ୍ଡ୍ରୁଲିନା କି ଛାଡିବାର ଲୋକ! ତା ରକ୍ତରେ ସାଇବ ଗୁଣ ବୋହୁଛି। ପାଠରେ ବି ସେ ମଦନା ଠୁ ଢେର୍ ଆଗରେ। ତିନି ଥର ମେଟ୍ରିକ୍ ରେ ଗୁଡୁମ୍ ମାରିଛି। ହେଲେ କଣ ହେବ, ଏଇ ତିନି ବର୍ଷ ସେଇ ଏକା ପାଠ କୁ ଘୋଷି ବେଶ୍ କିଛି ଜ୍ଞାନ ଲାଭ କରିଛି। ସେ ମଦନା ର ଚୁଟି ଝିଙ୍କି ପଚାରିଲା – ମୋ ଲିପିଷ୍ଟିକ୍ ଅତର କୁଆଡେ ଗଲା। ଏଥର ମଦନା ଚିହିଁକି ଉଠି ତା ମୁଣ୍ଡରେ ଗୋଟାଏ ଖୁନ୍ଦା ମାରିଲା। ବିଚାରି ତଳେ ପଡି ଅଚେତ୍ ହୋଇଗଲା ଓ ତା ପର ଦିନ ସକାଳୁ ତା ଚେତା ଫେରିଲା। କିଛି ଦିନ ଯାଏ ଦୁଇ ପ୍ରାଣୀ ଙ୍କ ଭିତରେ କଥାଭାଷା ବନ୍ଦ ରହିଲା।

ଦିନ କୁ ଦିନ ମଦନା ବେଶି ମଦ ପିଇ ମାତାଲ ହୋଇ ଘରକୁ ଫେରିଲା ଓ ଆଣ୍ଡ୍ରୁଲିନା କୁ ବିଧା, ଗୋଇଠା, ଚାପୁଡା ଆଦିରେ ପୋତି ପକାଇଲା। ସବୁ ଦିନ ରାତିରେ ମଦନା ର ପାଟି ଓ ଆଣ୍ଡ୍ରୁଲିନା ର କାନ୍ଦ ଗାଁଆ ପରିବେଶ କୁ ସରଗରମ କରି ରଖିଥାଏ। ମଦନା ଘରକୁ ଫେରିବା ସାଙ୍ଗକୁ ଗାଁଆ ଲୋକେ ତା ପଛରେ ଲୁଚିଛପି ତା ଘର ପାଖକୁ ଯାଆନ୍ତି। ମାଡଗୋଳ, କନ୍ଦାବୋବା ସରିବା ପରେ ନିଜ ନିଜ ଘରକୁ ଫେରି ଯାଆନ୍ତି। ଦିନ ପରେ ଦିନ ବିତି ଚାଲିଲା। ସେମାନଙ୍କ ଓୌରସରୁ ପୁଅଟିଏ ଓ ଝିଅଟିଏ ଜନ୍ମ ନେଲେ। ସେମାନେ ବି ବଡ ବଡ ହୋଇ ଗଲେଣି। କିନ୍ତୁ ମଦନା ଦିନ କୁ ଦିନ ବେଶି ଉତ୍ପାତ ହେବା ଆରମ୍ଭ କରି ଦେଇଥିଲା। ସବୁ ଦିନ ରାତିରେ ଆଣ୍ଡ୍ରୁଲିନା କୁ ମାରିବା ଓ ପିଲାଙ୍କୁ ଗାଳି ଫଜିତ୍ କରିବା ତାର ନିତି ଦିନିଆ ଅଭ୍ଯାସ ହୋଇ ଯାଇଥିଲା । ସେ ଏବେ କଣ୍ଟ୍ରାକ୍ଟର କାମ କରିବା ଆରମ୍ଭ କରିଦେଇଥିଲା ଓ ବେଶ୍ ପଇସା ରୋଜଗାର ମଧ୍ଯ କରୁଥିଲା। କିନ୍ତୁ ସବୁ ଟଙ୍କା ନିଶା ପାଣିରେ ଉଡି ଯାଉଥିଲା। ତେଣେ ଗୋତ୍ରମାରୁ ମଦନା ର ଏ ଅବସ୍ଥା ଦେଖି, ମଦନା କୁ ତା ମାଇପ ସମ୍ଭାଳି ପାରିଲାନିି ବୋଲି ଢେର୍ ଦିନ ଯାଏ ଗାଁଆ ରେ କହି ବୁଲିଲେ। ଶେଷରେ ଅବଶୋଷରେ ଇହଧାମ ତ୍ଯାଗ କଲେ।

ଦିନେ ସହରରୁ ମଦନା ର ଜଣେ ସାଙ୍ଗ ଓ ତାଙ୍କ ସ୍ତ୍ରୀ ଆସିଥିଲେ। ସ୍ତ୍ରୀ ଲୋକଟି ଆଣ୍ଡ୍ରୁଲିନା ସହ କଥା ହୋଇ ସବୁ ଘଟଣା ଜାଣି ବହୁତ ମନ ଦୁଃଖ କଲା। କାନ ରେ ଫିସଫିସ ହୋଇ କିଛି କହିଲା ଓ ବିଦାୟ ନେଲା ବେଳକୁ କହିଲା-- ଭଉଣୀ ମୁଁ ଯାହା କହିଲି ସେଇଆ କରିବ। ଅସୁବିଧା ହେଲେ ସିଧା ମୋ ପାଖକୁ ଚାଲି ଆସିବ। ଏବେ ବହୁତ୍ ହୋଇ ଗଲା, ଆଉ ଏ ଅନ୍ଯାୟ ସହିବା ଦରକାର ନାହିଁ। ବିରସ ବଦନ ରେ ଶୁଖୁଲା ହସ ଫୁଟାଇ ଆଣ୍ଡ୍ରୁଲିନା ସେମାନଙ୍କୁ ବିଦାୟ ଦେଲା।

ସେଦିନ ରାତିରେ ମଧ୍ଯ ପୁଣି ମଦନା ମାତାଲ ହୋଇ ଆସିଲା ଓ ପିଟାମରା ଆରମ୍ଭ କରିଦେଲା। ପିଲା ମାନେ ଗାଳି ଖାଇ କାନ୍ଦବୋବାଳି ଛାଡିଲେ। ସେମାନଙ୍କ ମୁଣ୍ଡ ଆଉଁସି ଆଣ୍ଡ୍ରୁଲିନା କହିଲା – ପିଲା ମାନେ ଆଜି ରାତି ଟା ସହି ନିଅ। କାଲି ଠାରୁ ଏସବୁ ଜିନିଷ ସବୁ ଦିନ ପାଇଁ ବନ୍ଦ ହୋଇଯିବ। ଢେର୍ ରାତି ଯାଏଁ ଆଣ୍ଡ୍ରୁଲିନା ପିଲାଙ୍କ ସହ କିଛି ଗମ୍ଭୀର ଆଲୋଚନା ରେ ବ୍ଯସ୍ତ ରହିଲା। ତା ପର ଦିନ ସକାଳୁ ପୁଅ ମଦଭାଟିରୁ ତିନୋଟି ବୋତଲ ଧରି ଆସିଲା। ଭାଟି ମାଲିକ ପଚାରିବାରୁ ସେ କହିଲା-- ବାପା ଙ୍କୁ କହିବନି ଏ କଥା। ମାଲିକ ହସି ହସି କହିଲା – ତୁ ଚିନ୍ତା କରନି ରେ ପୁଅ। ଯାହା ବାପ ଚଢେ ଘୋଡା, ପିଲା ଚଢେ ଥୋଡା ଥୋଡା। ତୁ ଆରମ୍ଭ କର୍, ତୋ ପଛରେ ମୁଁ ଅଛି। ସିଧା ମୋ ପାଖକୁ ଆସିବୁ ମାାଲ୍ ନେଇ ଚୁପଚାପ ଚାଲିଯିବୁ। କଥା ଏ କାନ କୁ ସେ କାନ ହେବନି। କିନ୍ତୁ ମନେ ମନେ ସେ ଭାବୁଥିଲା ଏ ତିନି ବୋତଲ କାହା ପାଇଁ? ମଦନାର ମାଇପ ନିଶାପାଣି ଆରମ୍ଭ କରିଦେଲା କି ଆଉ?

ସେଦିନ ରାତିରେ ମଦନା ଭୋଜି ଖାଇବାକୁ ଯାଇଥିଲା। ସାଙ୍ଗସାଥୀଙ୍କ ମେଳରେ ଏତେ ପିଇଲା ଯେ ଘରକୁ ଫେରିବା ମୁସ୍କିଲ୍ ହୋଇଗଲା। ସାଙ୍ଗ ମାନେ ଗାଡି ରେ ଆଣି ତାକୁ ଘରେ ଛାଡି ଦେଇ ଗଲେ। ଘରକୁ ପଶିବା ମାତ୍ରେ ତା ପୂର୍ବ ରୂପ ଫେରି ଆସିଲା। କବାଟ ଖୋଲିବାରେ କାହିଁକି ଡେରି ହେଲା ବୋଲି ସେ ଆଣ୍ଡ୍ରୁଲିନା କୁ ଚାପୁଡେ କଷିଦେଲା। କିନ୍ତୁ କିଛି କ୍ଷଣ ପରେ ତା ଆଖିରୁ ଜୁଳୁଜୁଳିଆ ପୋକ ବାହାରିବା ପରି ଲାଗିଲା। ସେତେବେଳକୁ ଆଣ୍ଡ୍ରୁଲିନା ଗୋଟେ ଚଉକଷିଆ ଚାପୁଡା ମାରି ସାରି ଆଉ ଗୋଟିଏ ଦେବା ପାଇଁ ସଜବାଜ ହେଉଥାଏ। ମଦନା ଚିତ୍କାର କରି କହିଲା-- କଣ ହେଲା, ତୁ ମୋତେ ଚାପୁଡା ମାରିଲୁ?

ଆଣ୍ଡ୍ରୁଲିନା ମଦନିଶା ରେ ଚୁର୍ ଥାଇ କହିଲା-- ଆବେ ଚୁପ୍। ସଟ୍ ଅପ୍, ଇଡିୟଟ୍। କାହାକୁ ଧମକାଉଛୁ। ମୁଁ ବି ମାଲ୍ ପକେଇଛି। ଏଥର ସବୁଦିନ ପକେଇବି। ପିଲା ମାନେ ବି ବୋତଲ ଟେକିଛନ୍ତି। ଆଜି ମାର୍ କାହାକୁ ମାରିବୁ। କିଛି ସମୟ ଭିତରେ ଘର ଭିତରଟା ରଣକ୍ଷେତ୍ର ପାଲଟି ଗଲା। ମାଆ ଛୁଆ ମିଶି ମଦନା କୁ ନଡିଆ କୋରି ପକେଇଲା କୋରି ପକେଇଲେ। ବିଧା, ଗୋଇଠା, ଆଞ୍ଚୁଡା, ଚିମୁଟା, ଖୁନ୍ଦା ମାନ ଅହରହ ବର୍ଷଣ ହୋଇ ଚାଲୁଥିଲା। ଆଣ୍ଡ୍ରୁଲିନା ର ବାଇଶି ମହଣିଆ ବିଧା ଗୁଡାକ ମଦନା ପିଠିରେ ଅହରହ ବର୍ଷି ଚାଲିଥିଲା ଓ ମଦନାର ନିଶ୍ବାସ ବନ୍ଦ ହୋଇ ଯିବା ପରି ଲାଗୁଥିଲା। ବେତାଳ ପିଲା ପରି ଛୁଆ ଦୁଇଟା ମଦନା କୁ ରାମ୍ପୁଡି କାମୁଡି ତାଙ୍କ ପ୍ରତି ହୋଇଥିବା ଅତ୍ଯାଚାର ର ପ୍ରତିଶୋଧ ନେଇ ଚାଲିଥିଲେ। ଏମିତି ଶଣ୍ଢୁଆସି ଆକ୍ରମଣ ର ଶିକାର ହେବ ବୋଲି ସେ ସ୍ବପ୍ନରେ ସୁଦ୍ଧା ଭାବି ନ ଥିଲା। ଶେଷରେ ବିକଳ ହୋଇ ସେ କାନ୍ଦି ବାରେ ଲାଗିଲା ଓ ତାକୁ ଛାଡି ଦେବା ପାଇଁ ନେହୁରା ହେଲା। ତା ମଦନିଶା ସିନା ଉତୁରି ଯାଇଥିଲା କିନ୍ତୁ ଆଣ୍ଡ୍ରୁଲିନା ଓ ପିଲାମାନେ ସେମାନଙ୍କ ନିଶା ଉତୁରିବା ଯାଏ ଛେଚାକୁଟା ଚଳାଇଲେ।

ତତନେଇପୁର ଗାଁଆରେ ମଦନା ଘରେ ଏମିତି ଯେ ଏକ ବିରାଟ ନାଟ୍ଯଲୀଳା ଚାଲିବ ବୋଲି ଲୋକେ ଜାଣିଥିଲେ ଖିଆପିଆ ସାରି ଆସି ଥାଆନ୍ତେ। ଭୋକରେ ପେଟ ଭିତରେ ମୂଷା ଦୌଡିବା ଆରମ୍ଭ କଲେ ବି ଲୋକେ ସେ ସ୍ଥାନ ଛାଡି ଯାଉ ନ ଥାନ୍ତି। କିଛି ସମୟ ପରେ ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଲହୁଲୁହାଣ ଅବସ୍ଥାରେ ମଦନା ବାହାରକୁ ଆସିଲା। ଗାଁଆର ସବୁ ଲୋକଙ୍କ ସାମନା ରେ ଆଣ୍ଡ୍ରୁଲିନା ଓ ପିଲାଙ୍କ ଗୋଡ ତଳେ ପଡି ଭୁଲ ମାଗିଲା। ଜୀବନ ଥିବା ଯାଏଁ କେବେ ନିଶା କରିବନି ବୋଲି ଶପଥ ନେଲା ପରେ ପରିସ୍ଥିତି ଶାନ୍ତ ପଡିଲା। ଗାଁଆ ବରଗଛରେ ଗୋତ୍ରମାରୁଙ୍କ ପ୍ରେତ ର ମନ ନା ଖାଲି ଗୋଳେଇ ଘାଣ୍ଟି ହୋଇ ଯାଉଥାଏ। ଯମରାଜଙ୍କୁ ବହେ ଶୋଧାବକା କରି ସେ କହୁଥାଆନ୍ତି-- ଆଉ କିଛି ଦିନ ମୋତେ ବଞ୍ଚିବାକୁ ଦେଇଥିଲେ ମୁଁ ମଦନା ର ଏ ରୂପ ଦେଖି ବହେ ଖୁସି ହୋଇ ଥାଆନ୍ତି ଓ ମୋ ଧୋତି ର ଗଣ୍ଠି ଟା ଫିଟାଇ ମରି ଥାଆନ୍ତି। ତୁମ ପାଇଁ ମୁ ମଲା ବେଳକୁ ଧୋତି ଗଣ୍ଠିଆ ହେଇ ମଲି।

ଘଟଣା ପରଦିନ ମଦନା ଏକ ଶାନ୍ତଶିଷ୍ଟ ଲାଙ୍ଗୁଡ ବିଶିଷ୍ଟ ପ୍ରାଣୀ ରୂପରେ ରୂପାନ୍ତରିତ ହେଲା। ତାକୁ ଗାଁଆ ଭାଟିର ଆଖ ପାଖ ଦେଇ ଯିବାର କେହି କେବେ ଦେଖୁ ନ ଥିଲେ। ତା ଘରେ ଖୁସି ର ଲହରୀ ଛୁଟିଥିଲା। କିଛି ଦିନ ଉତ୍ତାରୁ ପୁଣି ସେହି ସାଙ୍ଗ ଓ ତାଙ୍କ ସ୍ତ୍ରୀ ଆସିଲେ। ନାରୀ ଜଣକ ଆଣ୍ଡ୍ରୁଲିନା କୁ ପଚାରିଲେ – କଣ ଭଉଣୀ ମୋ ମାତାଲିଜିମ୍ ମେଡିସିନ୍ ଟା କେମିତି କାମ ଦେଲା। କିଛି ବର୍ଷ ତଳେ ଫକିରମୋହନଙ୍କ ପେଟେଣ୍ଟ ମେଡିସିନ ଟା ଭଲ କାମ ଦେଉଥିଲା। କିନ୍ତୁ ସେ ମେଡିସିନ୍ ଖାଇ ଖାଇ ଏ ମଦୁଆ ଗୁଡାକ ଗାଲୁଆ ହୋଇଗଲେ। ତେଣୁ ଏଇ କିଛ ଦିନ ହେଲା ନୂଆ ମାତାଲିଜିମ୍ ମେଡିସିନ୍ ବଜାରକୁ ଆସିଛି। ମାତାଲିଆଙ୍କ ପାଇଁ ଏହା ଏକ ଅବ୍ୟର୍ଥ ଓୌଷଧ।

ଆଣ୍ଡ୍ରୁଲିନା ହସିହସି କହିଲା – ଭଉଣୀ ତୁମ ମାତାଲିଜିମ୍ ମେଡିସିନ ମୋ ପରିବାର କୁ ବଞ୍ଚାଇ ଦେଲା। ନୋହିଲେ ମୁଁ ନିଷ୍ପତ୍ତି ନେଇ ସାରିଥିଲି ୟାଙ୍କୁ ସବୁଦିନ ପାଇଁ ଛାଡି ପିଲାଙ୍କୁ ଧରି ବାପ ଘରକୁ ଚାଲିଯିବା ପାଇଁ।

                                            
*****************

Tuesday, April 2, 2019

ସୁକୁଟାସନ

                 
                                                                   
 
                                                                                       ଲେଖକ- ଅରବିନ୍ଦ ରଥ

                              ନିଦରେ ଟଳମଳ ହୋଇ ଯାଉଥିଲେ ମକ୍ରମ ଚମ୍ପତ୍ତିରାୟ ଓରଫ୍ ସୁକୁଟା। ତଥାପି ପାଦ ଘୋଷାରି କିଛି ବାଟ ଚାଲି ଲଥ୍ କରି ବସି ପଡିଲେ। କିଛି ସମୟ ମଧ୍ଯରେ ଖାଲି ଯାହା ଫୁଁ ଫାଁ ଆଓ୍ବାଜ୍ ଭାସି ଆସୁଥିଲା ଓ ଘର ର ନୀରବତା ଖଣ୍ଡ ଖଣ୍ଡ ହୋଇ ଝଡି ପଡୁଥିଲା।
        ମୁଲାୟମ ଗଦିରେ ଚାରି ଖୁରା ବିସ୍ତାରିତ କରି ହାଁ ଫୁଃ କରି ଚାଲିଥିଲେ  ଧର୍ମପତ୍ନୀ ପେଚି ଦେଇ।  ଗତରାତିରେ ସେ କଥା ଦେଇଥିଲେ ଯେ ସୁକୁଟାଙ୍କ ସହ ମିଶି ଯୋଗାଭ୍ଯାସ କରିବେ। କିନ୍ତୁ ରାତ୍ ଗୟି ବାତ୍ ଗୟି ନ୍ଯାୟରେ ସେ ମୁଣ୍ଡରେ ତକିଆ ମାଡି ନିଦ ମାଉସୀଙ୍କ କୋଳରେ ହଜି ଯାଇଥିଲେ। ସୁକୁଟା ଭଲରେ ଜାଣିଥିଲେ, ଏ ସମୟରେ ତାଙ୍କ ନିଦରେ କିଞ୍ଚିତ୍ ମାତ୍ର ବ୍ଯାଘାତ କଲେ ସାରା ଦିନ ସେ ଢଣଢଣା ମାଛି ପରି କାନ ପାଖରେ ଭିଣିଭିଣି ହୋଇ ତାଙ୍କ ଦୁଃଖ,ଦୁର୍ଦ୍ଦଶା ଓ କଷ୍ଟକର ଜୀବନଶୈଳୀ ବିଷୟରେ ଲକ୍ଷେ ଥର କହିବା ସହ, ସୁକୁଟାଙ୍କ ହାତ ଧରି ତାଙ୍କ ଜୀବନ କିପରି ଗୋବରଗଦା ରେ ପରିଣତ ହୋଇଛି ସେ କଥା ମଧ୍ଯ ଗାଇ ଚାଲିବେ। ଶୁଣିବାକୁ କାହାର ବା ଧର୍ଯ୍ଯ ରହିବ? ତେଣୁ ଭୋର ଚାରିଟାରୁ ଅଘଷା ପାଟିରେ ଯୋଗ ବିଛଣା ଧରି ସୁକୁଟା ବୈଠକଖାନା ରେ ନିଜର ଯୋଗ ଆସର ଜମାଇଥିଲେ।
        କପାଳଭାତି କରି ସୁକୁଟାଙ୍କର ପେଟ ଭିତର ରାମ୍ପି ବିଦାରି ହୋଇ ଯାଉଥିଲା। ତା ପରକୁ  ଅନୁଲୋମ ବିଲୋମ, ଦଣ୍ଡବୈଠକ, ଭସ୍ରୀକା,ଧ୍ଯାନ ଆଦି ଅନେକ ପେଞ୍ଚୁଆ ବ୍ଯାୟାମ ନିଜ ନିଜର ପାଳି ପାଇଁ ଅପେକ୍ଷାରତ ଥିଲେ। ଟେଲିଭିଜନ ପରଦା ରେ ଦାଢିଆ ଯୋଗଗୁରୁ ଆଖି ମିଟିମିଟି କରି  ଦଳେ ଶିଷ୍ଯଙ୍କୁ ଧରି ଯୋଗ ଶିଖାଇବାରେ ବ୍ଯସ୍ତ ଥିବାବେଳେ, ଅପଲକ ନୟନ ରେ ସୁକୁଟା ସେସବୁ କୁ ଗଳାଧଃକରଣ କରିଚାଲିଥାନ୍ତି। ଭାବୁ ଥାଆନ୍ତି, ଏ ଦାଢିଆ ବାବା ଙ୍କ ପାଇଁ କେତେ ଯେ ନିରିହ ଲୋକଙ୍କ ସୁଖନିଦ୍ରାରେ ନିଆଁ ଲାଗି ଯାଇଛି ତାହାର ହିସାବ ନାହିଁ।
         କିଛି ଦିନ ତଳେ ଏହି ବାବା ତାଙ୍କ ସହରକୁ ଆସିଥିଲେ। ମୁଣ୍ଡ କୁ ତାଙ୍କର କି  ଦୁର୍ବୁଦ୍ଧି  ଜୁଟିଲା କେ ଜାଣି, ପେଚିଦେଇଙ୍କୁ ସାଙ୍ଗରେ ନେଇ ସେ ଶିବିର କୁ ଯାଇଥିଲେ। ମଞ୍ଚ ଉପରେ ବାବାଙ୍କ କାଣ୍ଡ କାରଖାନା ଦେଖି ତାଙ୍କ ପାଟି ମେଲା ହୋଇଗଲା। ସେ ଯୋଗ ଆସନ କରିବା ଛାଡି, ବାବା ଟା ମଣିଷ ନା ପ୍ଲାଷ୍ଟିକ୍ କଣ୍ଢେଇ ସେହି କଥା ଭାବିବାରେ ଲାଗିଥିଲେ। ବାବା କେତେବେଳେ ବେଙ୍ଗ ପରି ଡିଆଁ ଚିରା ମାରୁ ଥାନ୍ତି ତ କେତେ ବେଳେ ନାଗିନା ନାଚ ରେ ମଦୁଆ ଭୂଇଁରେ ଲୋଟିବା ପରି ଗୁଡେଇ ତୁଡେଇ ହେଉଥାନ୍ତି। ନିଶ୍ବାସ ବାହାରକୁ ଫୁତକାର କରି ଫିଙ୍ଗି, ପେଟକୁ ଏମିତି ଭିତରକୁ ଶୋଷାଡି ନେଉଥାନ୍ତି ଯେ, ତା ଉପରେ ବାଲି ଟ୍ରକ୍ ଟେ ପକେଇଲେ  ବି ଯାଗା ଧରିଯିବ। ତାଙ୍କ ପେଟ ଓ ପିଠି ମଧ୍ଯରେ ଶରୀର ର କିଛି ଯନ୍ତ୍ରପାତି ଥିବ କି ନାହିଁ ସନ୍ଦେହ, କାରଣ ସଦାବେଳେ ତ ସେ ପେଟ କୁ ସାଙ୍କୁଡି ପିଠି ସହିତ ଲଗେଇବାରେ ଲାଗିଲେ, ସେ ଯନ୍ତ୍ରପାତି ଙ୍କ ଅବସ୍ଥା କଣ ହେଉଥିବ? ବିଚରା ଗୁଡା ଶୁଖିଶାଖି ଖଡଖଡା ହୋଇ ଯାଉଥିବେ। କେବଳ ସେତିକି ନୁହଁ, ତାଙ୍କ ଶିଷ୍ଯ ମାନଙ୍କୁ ସେ ବାଧ୍ଯ କରୁଥାନ୍ତି ତାଙ୍କ ପରି ଆସନ କରିବା ପାଇଁ। ପେଣ୍ଡୁ ପରି ଦିଶୁଥିବା ଶିଷ୍ଯ ମାନଙ୍କ ଅବସ୍ଥା ନ କହିବା ଭଲ। କାହାର ପିନ୍ଧା ବସନ ଫାଟି ଗଲାଣି, ତ କାହାର ଜିଭ ପାଟି ବାହାରେ ଲହଲହ ହେଲାଣି।  ଅଧାରୁ ଅଧିକ ଶିଷ୍ଯ ମାନଙ୍କ ବେକରେ, କାନ୍ଧରେ, ଅଣ୍ଟାରେ ପବନ ଅଟକି ଯିବାରୁ ସେ ବୋପାଲୋ ମାଆଲୋ ରଡି ଛାଡି ଶିବିର ଛାଡି ଡିଆଁ ମାରିବାରେ ଲାଗିଥିଲେ। ଅନ୍ଯ କିଛି ଶିଷ୍ଯ ଶିଷ୍ଯା ମନଯୋଗ ଦେଇ ବ୍ଯାୟାମ କରିବା ଅବସରରେ, ତାଙ୍କ ପାଖରେ ବସିଥିବା ଲୋକଙ୍କୁ କହୁଣି ରେ ଠେସା ଦେଲେଣି, ତ କିଏ ଗୋଇଠା ପରେ ଗୋଇଠା ଲଦି ଚାଲିଲେଣି।
        କଳିହୁଡୀ ମାଇପି ଶିଷ୍ଯା ମାନେ ଦାନ୍ତ ରଗଡି ନାଲି ଆଖି ଦେଖେଇ ପାଟି ଚିପିଚିପି କହୁଥାନ୍ତି--     – – ଏ ଦାଢିଆ ବାବା ମଞ୍ଚ ଉପରୁ ଯାଇ ସାରୁ, ତା ପରେ ତୋ ଅବସ୍ଥା କଣ କରିବି ଦେଖିବୁ।  ବାଡିଖାଇ ମୋତେ ଗୋଇଠା ମାରୁଛୁ ନାଇଁ? ଖାଲି ବାହାରକୁ ଥରେ ଚାଲ୍, ତୋ ଚୁଟି ଉପାଡି ଯଦି ଲାଣ୍ଡି କରି ନ ଦେଇଛି ମୁଁ  କି ମହାନ୍ତି ଘର ବୋହୂ।  ଯୋଉ ଗୋଡରେ ମୋତେ ଗୋଇଠା ମାରିଲୁ ସେଇ ଗୋଡ ଦୁଇଟା କୁ ଓପାଡି ତୋ ବେକରେ ହାର କରି ପିନ୍ଧାଇ ଦେବି। 
        ପେଚିଦେଇ ଯୋଗାସନ କରିବାର ବହୁ ପ୍ରୟାସ କରି ବିଫଳ ହେବା ପରେ, ତାଙ୍କ ପାଖରେ ବସିଥିବା ଜବରଦସ୍ତି ପଡାର ଅଶାନ୍ତି କେରକେଟାଙ୍କ ସହ ଦୁଖସୁଖରେ ମାତି ରହିଲେ। ବିଚରା ସୁକୁଟା କିଂକର୍ତ୍ତବ୍ଯବିମୂଢ ହୋଇ ବ୍ଯାୟାମ କରିବାକୁ ଗୋଡହାତ ଛାଟିଲା ବେଳକୁ ତାଙ୍କ ଗୋଡ ସହରର ନାମୀ ଗୁଣ୍ଡା ହୟଗ୍ରୀବ ସିଂହ ଦେହରେ ଛୁଆଁଇ ହୋଇଗଲା। ତା ପରର ଅବସ୍ଥା ଅସମ୍ଭାଳ ହୋଇଗଲା। କୁମ୍ଭାଟୁଆ ପରି ଆଖି କରି ହୟଗ୍ରୀବ ସୁକୁଟାଙ୍କ ବେକରେ ହାତ ରଖି କହିଲା
- - -- ମାଲିକେ, ଟିକେ ବାଗେଇକି ଯୋଗ ଫୋଗ କର। ନହେଲେ ତୁମ ବେଲୁନ୍ ପରି ପେଟରେ ଏମିତି ରାମପୁରୀ ଚଲେଇବି ଯେ ସବୁ ମାଲ୍ ମସଲା ଏଇ ଯାଗାରେ ହରି ଓଁ ହୋଇଯିବ।  ମୋ ନାଁଆରେ ଦଶଟା ମରଡ୍ କେସ୍ ଚାଲିଛି, ତୁମକୁ ମିଶାଇଲେ ଏଗାର ହେବ।
    ଏତିକି ମଧୁର ବଚନ ଶୁଣିବା ପରେ ସୁକୁଟା, କଇଁଛ ପରି ଗୋଡ ହାତ ଜାକିଜୁକି ହୋଇ ବସି ରହିଲେ ଓ ଯୋଗ ଶିବିର ସରିବା ଉତ୍ତାରୁ ପେଚିଦେଇଙ୍କ ପଛରେ ଲୁଚି ରହି ଘରକୁ ଫେରିଲେ। ଯୋଗାସନ କରି ତାଙ୍କ ଛାତି ଭିତର ଟା ଯେତିକି ଧଡଧଡ ହେଉ ନ ଥିଲା, ହୟଗ୍ରୀବ ର କଥା ଶୁଣିବା ପରେ ତା ଅପେକ୍ଷା ଶହେ ଗୁଣ ଅଧିକ ଜୋର ରେ ହେଉଥିଲା। 
          କିଛି ସମୟ ପରେ ତାଙ୍କୁ ବଡ ଅଣନିଶ୍ବାସୀ ଲାଗିଲା। କି ଦୁଃର୍ଭାଗ୍ଯ ତାଙ୍କର - - ! ସାରା ଜଗତ ସ୍ବପ୍ନ ରାଜ୍ଯରେ ବିଚରଣ କଲା ବେଳକୁ ସେ ପେଟ ସାଙ୍କୁଡି, ଅଣ୍ଟା କୁ ମୋଡି, ଗୋଡ କଚାଡି ବ୍ଯାୟାମ କରିବାରେ ବ୍ଯସ୍ତ। ସେତିକି ବେଳକୁ ତାଙ୍କର ଭିଷଣ ମନ ହେଲା ଟିକେ ଶବାସନ କରିବା ପାଇଁ। ସବୁ ଆସନ ମଧ୍ଯରୁ ଏହି ଆସନ ଟି ତାଙ୍କର ସବୁଠାରୁ ପ୍ରିୟ।  ପେଚିଦେଇଙ୍କ ରାଉରାଉ ରାବରେ ଶବାସନ ଭଗ୍ନ ହେଲା ଓ ସେ ଆଖି ମଳି ଦେଖିଲା ବେଳକୁ ପେଚିଦେଇ ହାତରେ ଝାଡୁ ଧରି ସମ୍ମୁଖରେ ଦଣ୍ଡାୟରତା।
    ଦାନ୍ତ ନିକୁଟାଇ ସୁକୁଟା କହିଲେ-- ସବୁ ଆସନ ପରେ ଏଇ ଶବାସନଟା କଲେ ଦେହଟା ତୁଳା ପରି ହାଲୁକା ହୋଇଯାଏ ଓ ବ୍ଯାୟାମର କଷ୍ଟ ଜଣା ପଡେନି। ସେଇଥି ପାଇଁ.....
- - ହଁ  ମ, ତୁମ ବେହେଲ କେତେ ଦେଖିଛି। ଛଅ ଟାରୁ ଉଠି ତୁମ ଶବାସନ ଦେଖୁଛି ଆଉ ଛାତ ଉଡେଇ ଦେଲା ପରି ଘୁଙ୍ଗୁଡି ବି ଶୁଣୁଛି। ବୟସ ଆସି ପଚାଶ ଛୁଇଁଲା, ଏମିତି ପିଲାଙ୍କ ପରି ଠକୁଛ?  ଏମିତି ଯଦି ଯୋଗାଭ୍ଯାସ ଚାଲିବ ତୁମ ଓଜନ ଦୁଇଶହ କୁ ଛୁଇଁବ। ସେଦିନ ଡାକ୍ତର କଣ କହିଲେ ଭୁଲି ଗଲ କି ? ତୁମ ଦେହରେ କି ରକ୍ତ ଅଛି ଯେ ତା ଚାପ ବଢି ଚାଲିଛି। ଡାକ୍ତର ପରା ତୁମ କାନେ କାନେ କହିଥିଲେ ଏମିତି ଅବସ୍ଥା ରହିଲେ ମୁଣ୍ଡ ଶିରା ଫଟାଇ ରକ୍ତ ବାହାରକୁ ଚାଲି ଆସିବ। ତା ସାଙ୍ଗକୁ ମଧୁମେହ ରୋଗ ବି ତୁମକୁ ଅଜଗର ପରି ଜାବୁଡି ଧରିଛି। ଓଜନ ନ କମେଇଲେ ତୁମର ତ କିଛି କ୍ଷତି ହେବନି, ମୋ ଜୀବନ ଟା ସର୍ବସ୍ବାନ୍ତ ହୋଇଯିବ। କେଡେ ସୁନ୍ଦର ପାଟ ଶାଢୀ ସବୁ ଆଲମାରୀ ରେ ସଢି ଯିବେ ଓ ମୋତେ ଧଳା ଲୁଗା ପିନ୍ଧି ହୀନିମାନ ହେବାକୁ ପଡିବ। ସୁନା ଗହଣା ସବୁ ଲକର ରେ ପଡିପଡି ପଚି ଯିବେ ଓ ମୁଁ ଫୁଙ୍ଗୁଳା ହାତରେ ଭାଗ୍ଯ କୁ ନିନ୍ଦୁଥିବି। ଦାଢିଆ ବାବାଙ୍କ ହିସାବ ରେ ଯୋଗବାଗ କରି ଖିଆପିଆ କୁ ଆୟତ୍ତ କଲେ ତୁମର ଅସୁବିଧା ହେବନି ବୋଲି ତୁମକୁ  ଡାକ୍ତର ଚେତେଇ କହିଥିଲେ ପରା? ସେ କଥା ହେଜ ଅଛି ନା ଭୁଲି ଗଲ।
– – ତୁମ କଥା ଠିକ୍ ଯେ.....ମୁଁ ତ ସେଥି ପାଇଁ ଭୋର ଚାରି ଟାରୁ ଯୋଗ ବାଗ ଚଲେଇଛି। କିନ୍ତୁ...
– – ମୁହଁ କୁ ଲାଜ ନାହିଁ ଯାହା, ଶେଷକୁ ମୋତେ ଗାଲୁ ଭୁରୁଡି ମାାରୁଛ।  ନିଜ ସୁବିଧା ଅନୁସାରେ ନୂଆ ଆସନଟେ ବାହାର କରିଛ ତୁମେ। ତା ନାମ ଟା ସୁକୁଟାସନ କାହିଁକି ରଖିଦେଉନ। ହେଇଟି, ଦଶ ଟା ବାଜିଲାଣି , ଆଜି ଅଫିସ୍ ଯିବ ନା ଆହୁରି ଶବାସନ କରିବାକୁ ମନ ଅଛି। ମୁହଁ କୁ ଛିଞ୍ଚାଡି କହିଲେ ପେଚି।
         ସେଦିନ ଅଫିସ୍ ରେ ପହଞ୍ଚିବାରେ ଡେରି ହେବାରୁ ବହେ ଗାଳିମନ୍ଦ ଶୁଣିବାକୁ ପଡିଲା।  ମନକୁ ଉଦାସିଆ କରି ବସି ସେ ଭାବି ଚାଲିଥିଲେ କିଛି ଦିନ ହେଲା ଘଟି ଚାଲିଥିବା ଘଟଣାବଳୀ ସବୁ।
    ମକ୍ରମ ଚମ୍ପତ୍ତି ରାୟ ଏକଦା ଜଣେ ଠୁଣୁଠୁଣିଆ ସୁଦୃଶ୍ଯ ଯୁବକ ଥିଲେ ବୋଲି ଲୋକେ କୁହାକୁହି ହେବା ଆମ କାନ ରେ ପଡିଛି। ତାଙ୍କ ରୂପ ତେଣିକି ଯାହା ଥାଉ, ସରକାରୀ ଚାକିରିର ପାଣି ଦେହ ରେ ପଡିଯିବା ପରେ ତାଙ୍କ ରୂପ ଟା ଦାଉଦାଉ ହୋଇ ଜଳିବାରେ ଲାଗିଥିଲା। ସେଇ ରୂପ ରେ ଟାଣି ହୋଇ ପେଚି ଦେଇଙ୍କ ପିତାଶ୍ରୀ ତାଙ୍କ ଏକ ମାତ୍ର କନ୍ଯାକୁ ଟେକି ଦେଇଥିଲେ ମକ୍ରମଙ୍କ ହାତରେ। କହିବା ବାହୁଲ୍ଯ, ସେ ସମୟରେ  ସମୁଦାୟ ଚାଳିଶି କେଜି ଓଜନ ବିଶିଷ୍ଟ  ମକ୍ରମ ଙ୍କୁ ଗାଁଆରେ ସମସ୍ତେ ସୁକୁଟା ବୋଲି ଡାକୁଥିଲେ।  ତାଙ୍କ ନଡନଡିଆ ରୂପ ରେ ବିମୋହିତ ହୋଇ, କେହି କେହି  କାଠି, କେର୍କଣ୍ଟ,ଚମ୍ପେଇନେଉଳ, ଧେଡ, ଠେଙ୍ଗିଣୀ ଆଦି ନାମରେ ମଧ୍ଯ ନାମିତ କରିଥିଲେ। କଲେଜ୍ ଯିବା ସମୟରେ ନଳି ପ୍ଯାଣ୍ଟ ଖସି ଯିବା ଭୟରେ ସୁକୁଟା ଦୁଇ ତିନିଟି ଲୁଙ୍ଗି ପିନ୍ଧି ପ୍ଯାଣ୍ଟ ପିନ୍ଧନ୍ତି। ନିତମ୍ବ ନାମକ ଅଙ୍ଗ ତାଙ୍କ ଶରୀରରେ ବେଶ୍ କିଛି ବର୍ଷ ଯାଏଁ  ବିକଶିତ ହୋଇ ପାରି ନ ଥିଲା। ଚାକିରି କଲା ପରେ ସେ ଭୋଜରାଜ ସିଂହାସନ ରେ ବସି ବିଭିନ୍ନ ଖାଦ୍ଯ ଅଖାଦ୍ଯ ଗ୍ରହଣ କରିବା ପରେ ହିଁ ସେ ଅଙ୍ଗର ବିକାଶ ଉଛୁଳା ନଦୀ ପରି ହେଲା । ବର୍ତ୍ତମାନ ସମୟରେ ତାକୁ ପ୍ଯାଣ୍ଟ ରେ ଆବଦ୍ଧ କରିବା କାଠିକର ପାଠ ହୋଇ ଗଲାଣି। କେବଳ ସେତିକି ନୁହଁ ପେଟର ଆକାର ମଧ୍ଯ ଦିନ କୁ ଦିନ ବଢି ଚାଲିଥିଲା। ଚୌକି ରେ ବସିଲା ବେଳେ ପେଟ ଟି ଟେବୁଲ୍ କୁ ଠେଲି ପକାଇବା ଚେଷ୍ଟାରେ ଅବିରତ ଲାଗି ରହୁଥିଲା।  ସାର୍ଟ ବୋତାମ ସବୁ ହପ୍ତାର ଛଅ ଦିନ କାଳ ବୋପା କୁ ମଉସା ଡାକି ପେଟ କୁ ଆୟତ୍ତରେ ରଖିବାକୁ ଚେଷ୍ଟା ଚଳାଉଥିଲେ। ଛୁଟି ଦିନରେ ସୁକୁଟା ଧୋତି ଖଣ୍ଡେ ଗୁଡେଇ ହୋଇ ଘରେ ରୁହନ୍ତି। ସେଦିନ ତାଙ୍କର ଅନାବୃତ୍ତ ପେଟଟି ବାହାରକୁ  ସଗର୍ବେ ଝୁଲି ରହିଥାଏ।  ଛଅ ମାସ ତଳେ ଓଜନ ମାପି ଥିଲେ, ଦେଢ କ୍ବିଣ୍ଟାଲ ପାଖାପାଖି ଥିଲେ। ତା ପରଠାରୁ ଓଜନ ମାପିବାର ସାହାସ ସେ କୁଳାଇ ପାରୁ ନ ଥିଲେ। ବଢନ୍ତା ଓଜନ ପାଇଁ ନାନା ରୋଗ ବଇରାଗ ହାତ ଧରାଧରି ହୋଇ ତାଙ୍କ ଦେହ ରେ ଘର ବାନ୍ଧି ସାରିଥିଲେ।  ଉଚ୍ଚ ରକ୍ତଚାପ, ମଧୁମେହ, ବାୟୁଦୋଷ, ବିଭିନ୍ନ ପ୍ରକାର ବାତ ଓ ଆଣ୍ଠୁ ଗଣ୍ଠି ପୀଡାପ୍ରଦାୟୀ ରୋଗ ରେ ସେ ଘାଣ୍ଟି ହେଉଥିଲେ। କିଛି ବାଟ ଚାଲିବା ପରେ ମଇଁଷି ପରି ଧଇଁସଇଁ ହେବା ସହିତ ନିଶ୍ବାସ ମଧ୍ଯ ନେଇ ପାରୁ ନ ଥିଲେ। ଏ ଅବସ୍ଥା ଦେଖି ଜଣେ ସାଙ୍ଗ ଦାଢିଆ ବାବାଙ୍କ ଯୋଗ ଶିବିର ତାଙ୍କ ସହର ରେ ପଡିଥିବା କଥା କହିଲା। ସେ କୁଆଡେ ଲକ୍ଷ ଲକ୍ଷ କାଠ ଗଣ୍ଡି କୁ ଦିଆସିଲି କାଠି ପରି ସରୁଆ କରି ଦେଉଥିଲେ।  ପତଳା ହେବା ଆଶା ରେ ବିଚରା ଶିବିର କୁ ଯାଇଥିଲେ, କିନ୍ତୁ ହୟଗ୍ରୀବ ତାଙ୍କ ଗ୍ରୀବା ମୋଡିଦେବା ଭୟରେ ସେ ଶିବିରରୁ ନିଷ୍ଫଳ ଫେରିଲେ। ସେହି ଦାଢିଆ ବାବାଙ୍କ ଯୋଗ ପାଠ ଟେଲିଭିଜନ୍ ରେ ପ୍ରସାରିତ ହେଉଛି ଜାଣିବା ପରେ ସେ କିଛି ଦିନ ହେଲା ଘରେ ଯୋଗାଭ୍ଯାସ ଚଳାଇଥିଲେ । କିନ୍ତୁ ସବୁଦିନ ଶବାସନ କରିବା ହେତୁ, ଲାଭ ଅପେକ୍ଷା କ୍ଷତି ଅଧିକା ହେଉଥଲା। ତେଣେ ଡାକ୍ତର ଙ୍କ ଚେତାବନୀ ତାଙ୍କ ଜୀବନ ଦୁର୍ବିସହ କରି ଦେଉଥିଲା।  ଏମିତି ଯଦି ଓଜନ ବଢି ଚାଲିବ, ସେ ହୃଦଘାତ ର ଶିକାର ହୋଇ ପାରନ୍ତି ବୋଲି ଜାଣିବା ପରେ, ନିଜକୁ ପତଳା କରିବାର ଚେଷ୍ଟା ସେ ବହୁଗୁଣିତ କରି ଦେଇଥିଲେ।  ତାଙ୍କ ବିଶାଳ ଶରୀର କୁ ଓଲଟାଇ, ଡିଆଁଇ, ମୋଡାମୋଡି କରାଇ  ବ୍ଯାୟାମ କରିବା ନିହାତି କାଠିକର ପାଠ ବୋଲି ହୃଦୟଙ୍ଗମ କରିବା ପରେ, ସେ ଫୁଁ ଫାଁ  ଯୋଗାଭ୍ଯାସରେ ମନୋନିବେଶ କରିଥିଲା। କିଛି ସମୟ ଫୁଁ ଫାଁ କରି ଶବାସନ କରି ସେ ନିଘୋଡ ନିଦରେ ଶୋଇ ପଡୁଥିଲେ ଓ ପେଚି ଦେଇଙ୍କ  ତାଡନା ଶୁଣି ଅଫିସ୍ ଦୌଡୁଥିଲେ।  ତାଙ୍କୁ ପତଳା କରିବା ପାଇଁ ଦୃଢ ନିଶ୍ଚିତ ଥିବା ପେଚି ଦେଇ, ଘରେ କେବଳ ତେଲ,ଲୁଣ,ମସଲା ବିହୀନ ରୋଷେଇ କରୁଥିଲେ।  ସମୁଦାୟ ଦିନର ଖାଦ୍ଯ କୁ ମିଶାଇଲେ ଗୋଟେ ପିମ୍ପୁଡି ର ପେଟ ପୁରିବ କି ନାହିଁ ସନ୍ଦେହ। ତଥାପି ପତଳା ହେବା ନିଶା ରେ ସୁକୁଟା କୌଣସି ମତେ ଚଳାଇ ନେଉଥିଲେ।
        ଏତେ ଚେଷ୍ଟା ପରେ ମଧ୍ଯ ତାଙ୍କ ଓଜନ କମୁ ନ ଥିଲା। ଶେଷରେ ନାନା ବ୍ଯାୟାମ ସମ୍ପର୍କିତ ଯନ୍ତ୍ରପାତି କିଣି ସେ ଝଡିବାକୁ ପ୍ରୟାସ କଲେ। କିଛିଦିନ ପରେ ସେଥିରେ ଲୁଗା, ଗାମୁଛା ଶୁଖାଯିବାର ଘଟଣା ଦୃଷ୍ଟିକୁ ଆସିଲା। ପ୍ରାତଃ ଭ୍ରମଣ ପାଇଁ ଜୋତା ଓ ବାଡି ମଧ୍ଯ କିଣା ହେଲା। କିନ୍ତୁ ଜୋତା ଭିତରେ ବେଙ୍ଗ ପିଲା ପିଚିକା ଧରି ଘର ବାନ୍ଧିବା ଦେଖାଗଲା। ବାଡି ଟି ବୁଲା କୁକୁର ଓ ବିଲେଇଙ୍କୁ ଘଉଡାଇବାରେ ବେଶ୍ କାମ ଦେଲା।  ଏଠାରେ କହି ରଖିବା ଯଥାର୍ଥ ହେବ ଯେ, ଏହି ସବୁ ବିଲକ୍ଷଣ ପାଇଁ ସୁକୁଟାଙ୍କର କୌଣସି ଦୋଷ ନ ଥିଲା। ଯେଉଁ ଦିନ ସେ ବ୍ଯାୟାମ ଯନ୍ତ୍ରରେ ବ୍ଯାୟାମ ଆରମ୍ଭ କଲେ, ତାଙ୍କ ବେକରେ ପବନ ଅଟକି ଗଲା। ଏମିତି ଅଟକିଲା ଯେ ପନ୍ଦରଦିନ ଯାଏଁ ସେ ସୂର୍ଯ୍ଯମୁଖୀ ଫୁଲ ସୂର୍ଯ୍ଯଙ୍କ ଆଡକୁ ଆଖି ତରାଟି ରହିବା ପରି, ଗୋଟିଏ ଦିଗ କୁ ଚାହିଁ ରହିଲେ। ଦଉଡି ଡିଆଁ ରେ ଦୁଇଥର ଡିଆଁ ମାରିବା ବେଳକୁ ଆଣ୍ଠୁ ଭାଙ୍ଗି ତଳେ ପଡିଲେ। ଖାଲି ପଡିଥିଲେ ଚଳିଥାନ୍ତା, କିନ୍ତୁ ପଡିଲା ବେଳେ ଶ୍ବଶୁରଘର ପ୍ରଦତ୍ତ ପୁରୁଣା କାଳିଆ କାରୁକାର୍ଯ୍ଯ ଖଚିତ ମାଟି ସୁରେଇ ଉପରେ ପଡିଲେ। ପେଚିଦେଇ ଆଖିରୁ ଅଶୃବର୍ଷା କରି ଭଙ୍ଗା ସୁରେଇର ଖପରା ଗୋଟାଇବା ଅବସରରେ ସୁକୁଟାଙ୍କ ମୁଣ୍ଡରେ କେତୋଟି ସୁଦୃଶ୍ଯ ପେଣ୍ଡୁ ଜନ୍ମ କରାଇବା ସହିତ ଆଖି ଚାରିପଟ କୁ କଲାଜାମୁଳା କରି ପକାଇଥିଲେ। ଅବଶ୍ଯ ଅଚାନକ ଅତିଥିଙ୍କ ଆଗମନ ହେତୁ ସେ ସୁକୁଟାଙ୍କ ପିଠିରେ ଦୁଇଟି ଝାଡୁ ଭାଙ୍ଗି ପାରିଥିଲେ, ନୋହିଲେ ସେଦିନ ଖଡିକା,ପାତିଆ,ଚଟୁ,ଡଙ୍କି ମାନଙ୍କର ହସ୍ତାକ୍ଷର ତାଙ୍କ ପିଠିରେ ନିହାତି ହୋଇ ଥାନ୍ତା। ପରିସ୍ଥିତି ର ଗମ୍ଭୀରତା କୁ ଶୁଙ୍ଘିଦେଇ ଅତିଥି ସୁକୁଟାଙ୍କ କାନରେ କିଛି ଫୁସଫୁସ କରି କହିଲେ ଓ ସେ ବେଶ୍ ଉଲ୍ଲସିତ ହୋଇଗଲେ। ସେ ଗୁପ୍ତ କଥାଟି ଆପଣ ମାନଙ୍କ ଗୋଚରାର୍ଥେ ଜଣାଉଛି।
        ଅତିଥି କହିଲେ-- ଓଜନ କମାଇବା ପାଇଁ ଏମିତି ହନ୍ତସନ୍ତ ହେବା ଅପେକ୍ଷା ଥରେ ହଗ୍ରମ୍ ବାବାଙ୍କୁ ସାକ୍ଷାତ କରିନେଲେ ଉତ୍ତମ ହେବ। ତାଙ୍କୁ ଖୁବ୍ କମ୍ ଲୋକ ଜାଣିଛନ୍ତି, କିନ୍ତୁ ତାଙ୍କ ପାଖରେ ମେଦହ୍ରାସ କରିବାର ଅମୋଘ ଅସ୍ତ୍ର ଅଛି।
    ବାବାଙ୍କ ନାମକରଣ ବିଷୟରେ ଅନିସନ୍ଧିତ୍ସୁ ହୋଇ ସୁକୁଟା ପଚାରିବାରୁ ଅତିଥି ଟିକେ ବିରକ୍ତ ହୋଇ କହିଲେ-- ଆପଣ ପିଠା ଖାଇବା ଲୋକ, ବିନ୍ଧ କାହିଁକି ଗଣୁଛନ୍ତି?
    କିଛିଦିନ ପରେ ଅତିଥି ସୁକୁଟାଙ୍କୁ ହଗ୍ରମ୍ ବାବାଙ୍କ ଦୁଆରେ ଛାଡିଦେଇ ଚମ୍ପଟ ମାରିଲେ। ପାଦ ଘୋଷାରି ସେ ଭିତରକୁ ଯାଇ ଦେଖିଲେ ବାବା ଓ ଚେଲା କିଛି ଗୋଟାଏ ଗମ୍ଭୀର ଆଲୋଚନା ରେ ବ୍ଯସ୍ତ ଥିଲେ। ତାଙ୍କୁ ଦେଖି ସହାସ୍ଯ ବଦନ ରେ ପାଛୋଟି ନେଇ କହିଲେ-- ମୋର ଭକ୍ତ ଟେଙ୍କାରୁ ପଣ୍ଡା ଆପଣଙ୍କ ସମସ୍ଯା ବିଷୟରେ ମୋତେ ସବିଶେଷ ତଥ୍ଯ ଦେଇଛନ୍ତି।ଏକ ସାନ ବୋତଲରେ କିଛି ତରଳ ପଦାର୍ଥ  ତାଙ୍କ ହାତ କୁ ବଢାଇ ଦେଇ ପୁଣି କହିଲେ- - -  ବତ୍ସ୍ଯ, ପ୍ରଭୁ ଙ୍କୁ କୃପାରୁ ମୁଁ କେତେ ହିମାଳୟ ପର୍ବତଙ୍କୁ  ଇଟା କରି ପକାଇଛି ତାହାର ହିସାବ ନାହିଁ। ବୋତଲ ଭିତରେ ଥିବା ପଦାର୍ଥଟି ତୁମ ମୋଟାପା କମାଇବା ପାଇଁ ଏକ ଅବ୍ଯର୍ଥ ଓୌଷଧ। ମୁଁ ଚାଳିଶି ବର୍ଷ କାଳ ଘୋର ତପସ୍ଯା କରି ଏ ପଦାର୍ଥ ହାସଲ କରିଛି। ଅବଶ୍ଯ ଓୌଷଧର ଦାମ୍ ଟିକିଏ ଅଧିକା, କିନ୍ତୁ ସେତିକି ଦାମ୍ ତୁମ ପରି ଥିଲାବାଲା ଲୋକଙ୍କ ହାତର ମଳି ସହ ସମାନ୍। କେବଳ ଗୋଟିଏ କଥା ମନେ ରଖିବ, ଏ ଓୌଷଧ ସେବନ କରିବା ସମୟରେ ଡାକ୍ତର ଙ୍କ ପାଖକୁ କଦାପି ଯିବ ନାହିଁ। ନୋହିଲେ ସେମାନେ କିଛି ଏଲୋପାଥିକ ଓୌଷଧ ଦେଲେ ମୋ ଓୌଷଧ ଭୀଷଣ କ୍ଷୁବ୍ଧ ହୋଇ ବିସ୍ଫୋରଣ କରିଦେବ। ତୁମ ଜୀବନ ଟି ଅଯଥାରେ ବିପଦରେ ପଡିଯିବ।  ମୋ ଓୌଷଧ ସେବନ କରିବା ପରେ ଦେହର ଚର୍ବି ମହମ ପରି ତରଳି ଶରୀରରୁ ନିଷ୍କାସିତ ହୋଇଯିବ। କିନ୍ତୁ ମନେରଖ ବତ୍ସ୍ଯ ଦିନକୁ ଡଜନେ କଞ୍ଚା ଅଣ୍ଡା ଖାଇବାକୁ ହେବ। ଅଣ୍ଡା ଫଟେଇ ଗିଲାସ ରେ ଢାଳି ଆଖି କାନ ବନ୍ଦ କରି ଢୋକି ଦେବ, ଅରୁଚି ଲାଗିଲେ ମୋ ନାମ ଜପ କରି ଚାଲିବ। ଅଣ୍ଡା ସେବନ କରି ସାରିବା ପରେ ଗରମ ପାଣିର ପଟି ପେଟ ଉପରେ କିଛି ସମୟ ଦେବାକୁ ହେବ ଓ କମ୍ବଳ ଘୋଡାଇ କିଛି ସମୟ ରହିଯିବ। ତା ପରେ ଯାହା ସବୁ ହେବ ନିଜେ ଅନୁଭବ କରିବ ଓ ମୋତେ ମନେ ପକାଉଥିବ। ସାତ ଦିନ ଭିତରେ ତୁମ ଶରୀର ର ପରିବର୍ତ୍ତନ ଦେଖି ନିଜେ ଯଦି ଆଚମ୍ବିତ ନ ହୋଇଯିବ, ମୋ ନାମ ବଦଳାଇ ହଗ୍ରମ ବାବାରୁ ଠଗ୍ରମ୍ ବାବା ରଖି ଦେଲେ ମୋର ଆପତ୍ତି ରହିବନି।
    ହଗ୍ରମ ବାବାଙ୍କ ଚେଲା ହାତରେ ପନ୍ଦର ହଜାର ଟଙ୍କା ଧରାଇ ଅତି ଆନନ୍ଦରେ ଓୌଷଧ ନେଇ ସେ ଘରକୁ ଫେରିଲେ।  ସାଙ୍ଗରେ ଅଣ୍ଡା ପେଟିଏ ଓ ଗୋଟିଏ ନୂଆ କମ୍ବଳ। କମ୍ବଳ ଦେଖି ପେଚିଦେଇ ଚିହିଁକି ଉଠି କହିଲେ-- କିହୋ ତୁମ ମୁଣ୍ଡରେ ଶାଗୁଣା ପର ଝାଡିଛି ନା କଣ ଯେ? ଏ ଗରମ ଦିନରେ କମ୍ବଳ ଘେନି କୁଆଡେ ଆସିଛ। ପୁଣି ଏ ଅଣ୍ଡା ଆଣିବାକୁ ତୁମକୁ କିଏ କହିଲା? ତୁମେ କଣ ଖାଇବ ସେ କଥା ମୁଁ ନିଷ୍ପତ୍ତି ନେବି, ମୋତେ ନ ପଚାରି ଅଣ୍ଡା କଣ ପାଇଁ ଆଣିଲ ଆଗ କୁହ।
    ସୁକୁଟା ସମଗ୍ର ବିଷୟ ବିସ୍ତାରିତ କରି ବୁଝାଇବା ପରେ ପେଚି ଦେଇ ଶାନ୍ତ ହେଲେ। ଅଭିମାନ ମଧ୍ଯ କଲେ ଯେ କାହିଁକି ତାଙ୍କୁ ବାବାଙ୍କ ସାକ୍ଷାତ କରାଇଲେ ନାହିଁ।  ପତଳା ହେବାର ସବୁ କିଛି ବ୍ଯବସ୍ଥା ସରିଥିଲା। ଶୋଇବା ଘରେ ଗରମ ପାଣି ବାଲଟି ମଧ୍ଯ ରଖାଗଲା, ପେଟରେ ସେକ ଦେବା ପାଇଁ। ସୁକୁଟା ଭାବିଲେ ସେଦିନ ରାତିରେ ହିଁ ଓୌଷଧ ସେବନ ଆରମ୍ଭ କରିଦେବେ। ତାଙ୍କ ମନଟା ଛକପକ ହେଉଥାଏ ପତଳା ହେବା ପାଇଁ। ସେ ପତଳା ହେଲେ କେମିତି ଦିଶିବେ, ଅଫିସ୍ ଲୋକେ ତାଙ୍କୁ ଦେଖି କେମିତି ମାଟି କାମୁଡି ପଡିବେ, ଟାହି ଟାପରା କରୁଥିବା ଲୋକ ଙ୍କ ମୁହଁ କେମିତି ବିରୁଡି ବିନ୍ଧିଲା ପରି ଦିଶିବ ଓ ସେ କେମିତି ନୂଆ ଜାମା ପ୍ଯାଣ୍ଟ୍ ପିନ୍ଧି ହିରୋ ମାର୍କା ବୁଲିବେ, ସେ କଥା ଭାବି ମନ ଭିତରଟା ରୋମାଞ୍ଚିତ ହୋଇ  ଉଠୁଥାଏ। ପେଚି ଦେଇ ବିଛଣା ଧରିବା ପରେ ସେ ନିଜ ଚିକିତ୍ସା ଆରମ୍ଭ କରିଦେଲେ। ଗୋଟିଏ ବଡ କଂସା ରେ ଡଜନେ ଅଣ୍ଡା ବାଡେଇ  ସେଥିରେ ଟିକେ ଲୁଣ ପକେଇ ଆଖି କାନ ବନ୍ଦ କରି ପିଇ ଚାଲିଲେ। ଆଇଁଷିଆ ଗନ୍ଧରେ ବାନ୍ତି ଉଠାଇ ଆସୁଥିଲା , କିନ୍ତୁ ମନେ ମନେ ହଗ୍ରମ୍ ବାବାଙ୍କୁ ସ୍ମରଣ କରି ସେ ନୀଳକଣ୍ଠ ଗରଳ ପିଇବା ପରି ଅଣ୍ଡା ତକ ଢୋକି ଦେଲେ।  କିଛି ସମୟ ଉତ୍ତାରୁ ଓୌଷଧ ବୋତଲ ଖୋଲି ଭାବିଲେ - - ସାତ ଦିନ ଅପେକ୍ଷା କରିବା ବଡ କଷ୍ଟକର ହେବ। ଏବେ ଅଧା ବୋତଲ ଓୌଷଧ ଟେକି ଦେଲେ ସକାଳ କୁ କିଛି ଓଜନ ନିହାତି କମି ଯାଇଥିବ। ବୋତଲ ସରିଗଲେ ଆଉ ଆସିବ, ସେଥିପାଇଁ ପରବାୟ ନାହିଁ। ଭାବନା ସରିବା ବେଳକୁ ଅଧା ବୋତଲ ଓୌଷଧ କୁ ସୁକୁଟା ଉଦରସ୍ଥ କରି ସାରିଥିଲେ। କିଛି ସମୟ ପେଟରେ ଗରମ କପଡାର ସେକ ଦେଇ,, ଆପାଦମସ୍ତକ କମ୍ବଳ ଘୋଡି ସେ ଶୋଇଗଲେ।
    ଦଶ ମିନିଟ୍ ଉତ୍ତାରୁ ପେଟ ଭିତରେ ଘୂଡୁଘୁଡୁ, ଖୁଟୁଖୁଟୁ, ପିଁ ପିଁ, କୁଁ କୁଁ, ଟ୍ଯଁ ଟ୍ଯଁ ଆଔ୍ବାଜ୍ ଶୁଭିଲା। ସେ ନିଶ୍ଚିତ ହୋଇଗଲେ ଯେ ଚର୍ବି ତରଳିବା କାମ ଆରମ୍ଭ ହୋଇଗଲା। ବେଳ କୁ ବେଳ ପେଟ ଭିତରେ ଶୁଭୁଥିବା ଶବ୍ଦ ସବୁ ପ୍ରଚଣ୍ଡତର ହେଲା ଓ ପେଟ ଟି ମୋଡି ହେଲାପରି  ଲାଗିଲା।  ଓୌଷଧ ସେବନ ରେ କିଛି ଅନୁଲୋମ ବିଲୋମ ହୋଇଛି ଭାବି ସେ ବାକି ଓୌଷଧ କୁ ଢୋକି ଦେଇ ପେଟରେ ପୁଣି ଗରମ ପାଣି ସେକ ଦେଇ କମ୍ବଳ ଢାଙ୍କି ଦେଲେ। ହଠାତ୍  ଏକ ବିରାଟ ହେଉଡି  ପାଟି ମେଲା କରି ଜବରଦସ୍ତି ବାହାରକୁ ଡେଇଁ ପଡିଲା। ଓଃ କି ଆଇଁସିଣିଷା ଗନ୍ଧ ସେ ହେଉଡି ର। ସୁକୁଟା ନାକରେ ହାତ ରଖି ଦେଲେ। କେଇ ସେକେଣ୍ଡ ପରେ ପଛ ପଟରୁ ଏକ ବିରାଟ ହେଉଡି ବାହାରି ଖଟ କୁ କମ୍ପମାନ କରିଦେଲା। ତାହା ଏତେ ଦୁର୍ଗନ୍ଧଯୁକ୍ତ ଥିଲା ଯେ ଘରେ କାଁ ଭାଁ ଉଡୁଥିବା ମଶା ମାନେ ଅଚେତ୍ ହୋଇ ତଳେ ପଡିଗଲେ।  ଏଥର ପାଟିରୁ ଓ ପଛ ପଟରୁ ମିଳିତ ଭାବରେ ହେଉଡି ମାନେ  କିଳିକିଳା ରାବ ଦେଇ ବାହାରିବାକୁ ଲାଗିଲେ। ସତେ କି ରେଳ ଇଞ୍ଜିନ୍ ରୁ ଧୂଆଁ ବାହାରୁଛି। କେଇ ମିନିଟ୍ ଭିତରେ ଘର ଭିତରଟା ଦୁର୍ଗନ୍ଧିଆ ବାୟୁରେ ଫାଟି ପଡିବା ପରି ଲାଗିଲା।
        ଘୋରଘର୍ଘର ନାଦରେ ଅତିଷ୍ଠ ହୋଇ ପେଚିଦେଇ ଆଖି ଖୋଲିଲା ବେଳକୁ ଘରର ଅବସ୍ଥା ଦେଖି ଚେତା ବୁଡିଗଲେ। ସୁକୁଟା ଙ୍କ ଅଠେଇଶି ପୁରୁଷ ଉଦ୍ଧାର କରି କହିଲେ-- କିଓ ମଇଁଷି ମଢ ଖାଇ ଆସିଛ ନା କଣ, କି ଗନ୍ଧ....ତାଙ୍କ କଥା ସମ୍ପୂର୍ଣ୍ଣ କରିବା ପୂର୍ବରୁ ବାନ୍ତି ଲାଗିବାରୁ ସେ ଗାଧୁଆ ଘରକୁ ଦୌଡିଲେ। ସେତେବେଳକୁ ସୁକୁଟା ପିନ୍ଧା ବସନରେ କିଛି ଉଷୁମ୍ ତରଳ ପଦାର୍ଥ ନିସୃତ ହେବାର ଅନୁଭବ କରି  ପରୀକ୍ଷା କରି ଦେଖିଲା ବେଳକୁ ତାଙ୍କ ଧୋତିଟି ପୀତ ବର୍ଣ୍ଣ ଧାରଣ କରି ସାରିଥିଲା। ବିଳମ୍ବ ନ କରି ସେ ଗାଧୁଆ ଘରୁ ପେଚି ଦେଇଙ୍କୁ ଅଧାବାନ୍ତିଆ ଅବସ୍ଥାରେ ଟାଣି ଆଣି କବାଟ ଦେଇ ପଶିଗଲେ। ଖରକା ଖୋଲି ଧୂପ ଲଗେଇଲା ବେଳକୁ ପେଚିଦେଇଙ୍କୁ ଶୁଭିଲା ସୁକୁଟାଙ୍କ କରୁଣ ଆର୍ତ୍ତନାଦ।
– – ମରିଗଲି ଲୋ ମାଆ, ମୋ ପେଟ କଣ ହେଇ ଯାଉଛି। ମୁଁ ଝାଡାବାନ୍ତି ରେ ପଡିଗଲି ଲୋ ମାଆ.. ମୋତେ ବାଡି ଠାକୁରାଣୀ  ଗ୍ରାସ କରି ହଇଜା କରେଇ ଦେଲେ ଲୋ ପେଚି। ମୋତେ ରକ୍ଷା କର।
    କିଛି ଗୋଟେ ଅସୁବିଧା ହୋଇଛି ମନେ କରି ପେଚି ଦେଇ ଇତଃସ୍ତତଃ ଚାହିଁଲା ବେଳକୁ ଦେଖିଲେ, ଡଜନେ ଅଣ୍ଡାର ଖୋଳପା, ଖାଲି ଓୌଷଧ ଶିଶି ଓ ପୀତବର୍ଣ୍ଣୀ ବିଛଣା।
    କବାଟ ଭାଙ୍ଗି ସୁକୁଟାଙ୍କୁ ଗାଧୁଆ ଘରୁ ଉଦ୍ଧାର କରାଗଲା। ଗାଧୁଆଘରେ ସେ ଝାଡା ଓ ବାନ୍ତିର ସମୁଦ୍ରରେ ନିର୍ବସ୍ତ୍ର ହୋଇ ପହଁରୁଥିବା ଅବସ୍ଥାରେ ପାୟାଗଲେ। କବାଟ ଭାଙ୍ଗିଥିବା ପଡୋଶୀ ଦୁଆର ପାଖରେ ଚେତା ବୁଡି ପଡିଗଲେ ଓ ତାଙ୍କ ଘର ଲୋକ ତାଙ୍କୁ ଟେକିନେଇ ଘରକୁ ଦୌଡି ପଳାଇଲେ। ଏତେ ତୀବ୍ର ଦୁର୍ଗନ୍ଧରେ ବୁଢିଆଣୀ,ଅସରପା, ଝିଟିପିଟି ଜାତୀୟ କ୍ଷୁଦ୍ର ଜୀବ ମାନେ ତଳେ ପଡି ସୁକୁସୁକୁ ହେଉଥିଲେ। ଆମ୍ବୁଲାନସ୍ ରେ ସୁକୁଟା ଡାକ୍ତରଖାନା କୁ ବୁହା ହୋଇଗଲେ। ମେହେନ୍ତର ମାନେ ତାଙ୍କୁ ଟେକି ନେବା ପାଇଁ ପ୍ରଥମେ ଅମଙ୍ଗ ହେଲେ, ମାତ୍ର ଜଣ ପିଛା ହଜାରେ ଟଙ୍କା ଦେବାରୁ ମୁହଁରେ ଗାମୁଛା ଭିଡି ସେ ସୁକୁଟା ଙ୍କୁ ଅଖାବସ୍ତା ପରି ଘୋଷାରି ନେଲେ।  ଡାକ୍ତରଖାନା ରେ  ସାଲାଇନ ଗେଞା ଖାଇ ସୁକୁଟା ପାଖାପାଖି ମାସେ କାଳ ରହିଲେ । କିଛି ଦିନ ଅଚେତ ରହିବା ପରେ ତାଙ୍କ ଚେତା ଫେରିଲା। ଡାକ୍ତରୀ ଅନୁସନ୍ଧାନରୁ  ଜଣା ପଡିଲା ଯେ ଓୌଷଧ ବୋତଲରେ  ଘୋଡା ପାଇଁ ଦିଆ ଯାଉଥିବା ଜୁଲାପ ଥିଲା, ଯାହାକୁ ହଗ୍ରମ୍ ବାବା ପନ୍ଦର ହଜାର ଟଙ୍କାରେ ସୁକୁଟା ଙ୍କୁ ଚୂନ ମାରି ଦେଇଥିଲା।  ଏକା ଥରକେ ଡଜନେ କଞ୍ଚାଅଣ୍ଡା ଖାଇବା, ପେଟରେ ଗରମ ପାଣି ସେକ ଦେବା ଓ କମ୍ବଳ ଘୋଡି ଶୋଇବା ଫଳରେ ପେଟ ଭୀଷଣ ଗରମ ହୋଇ ଏପରି ଅବସ୍ଥା ହୋଇଥିଲା। ଶେଷରେ ସୁକୁଟାଙ୍କର ଯାହା ହେଲା ସାରା ଜଗତ ଜାଣିଲା ଓ ଶୁଙ୍ଘିଲା।
        ମାସେ ପରେ ଘରକୁ ଫେରିଲେ ସୁକୁଟା। ସେତେବେଳକୁ ଦେହରେ ବଳ ନ ଥିଲା କି ମୁଣ୍ଡରେ ବାଳ ନ ଥିଲା। ଆଖି ଦୁଇଟା କୋଟରଗତ ହେବା ସାଙ୍ଗକୁ ଗାଲର ହାଡ ଦିଶୁଥିଲା। ପେଟ ନାମକ ଚିଜଟି ଅଦୃଶ୍ଯ ଥିଲା କହିଲେ ଚଳିବ। ହାତ ଗୋଡ ସବୁ ବାଉଁଶ ଡାଙ୍ଗ ପରି ଦୃଶ୍ଯ ହେଉଥିଲେ।  ସେତିକି ଦିନରେ ତାଙ୍କ ଶରୀର ର ଓଜନ ଆଶାତୀତ ଭାବରେ କମି ଯାଇଥିଲା ଓ ଭୟଙ୍କର ଦୁର୍ବଳତା ହେତୁ ସେ ଭଲରେ କଥା ମଧ୍ଯ  କହି ପାରୁ ନ ଥିଲେ।        
        ହଗ୍ରମ ବାବାଙ୍କ ଠିକଣା ଦେଇଥିବା ଅତିଥି  ତାଙ୍କୁ ଦେଖିବାକୁ ଆସି କହିଲେ-- ହାଃ ହାଃ ହାଃ , କେମିତି ଅଛନ୍ତି ଆଜ୍ଞା।  ଏବେ ପୁରା ସୁସ୍ଥ ତ? କିନ୍ତୁ ହଗ୍ରମ୍ ବାବା ଏତେ ଠକ ବୋଲି ମୁଁ ଜାଣି ନ ଥିଲି। ଓୌଷଧ ନାଁଆରେ ଲୋକଙ୍କୁ ଘୋଡା ଜୁଲାପ ଦେଇ ଭଣ୍ଡାଉଥିଲା । ଭଲ ହେଲା, କିଛି ଦିନ ହେଲା ସେ କୁଆଡେ ଉଭାନ୍ ହୋଇ ଯାଇଛି। କିନ୍ତୁ ଗୋଟେ କଥା ମାନିବାକୁ ପଡିବ, ତା ଓୌଷଧ ଖାଇ ଆପଣଙ୍କ ଓଜନ ଟା ଏକଦମ୍ କମି ଗଲା। ବେଲୁନ୍ ରୁ ପବନ ଚାଲିଗଲେ ଯେମିତି ଦିଶେ ଏବେ ଆପଣ ଠିକ୍ ସେମିତି ଦେଖା ଯାଉଛନ୍ତି। ଏ ଅବସ୍ଥାରେ ଆପଣଙ୍କୁ ନୂଆ ଦେଖିବା ଲୋକ ଭାବିବା ପାଳଭୂତ ବସିଛି।  ସେଥିପାଇଁ ଆପଣ ମୋତେ ଧନ୍ଯବାଦ୍ ଦେବା କଥା। ହାଃ ହାଃ ହାଃ
    ସୁକୁଟା ଘର ସାରା ନଜର ବୁଲାଇ ଗୋଟେ ଠେଙ୍ଗିଣୀ ବାଡି ଖୋଜୁଥିଲେ। ଅତିଥି ମହାଶୟଙ୍କୁ ତଳେ ପକେଇ ପାଞ୍ଚହାତିଆ ଠେଙ୍ଗିଣୀରେ ବହେ ଛେଚିଦେବା ପାଇଁ ତାଙ୍କ ଇଚ୍ଛା ପ୍ରବଳତର ହେଉଥିଲା। ମନରେ ପିଲା ଦିନରୁ ଶିଖିଥିବା ଯାବତୀୟ ଗାଳି ଉବୁଟୁବୁ ହେଉଥିଲେ ବି ତାଙ୍କ ପାଖରେ ପାଟି ଖୋଲି ଗାଳି ଦେବାର ଶକ୍ତି ନ ଥିଲା। କେବଳ ଦାନ୍ତ କଡମଡ କରି ସେ ଅତିଥି ଙ୍କ ଆଡକୁ ଚାହିଁ ରହିଥିଲେ। ଏତେ ସବୁ ଘଟଣା ପରେ ସେ ବାବାର ନାମ କାହିଁକି ହଗ୍ରମ୍ ବାବା ହୋଇଛିି ସେ ଭଲରେ ବୁଝି ପାରିଥିଲେ। ସେ ମନସ୍ଥ କରି ସାରିଥିଲେ ଯେ ଓଜନ କମାଇବା ପାଇଁ ସେ ସୁକୁଟାସନ କୁ ଆଜୀବନ ଆବୋରି ଧରିବେ ସିନା, କିନ୍ତୁ ଏ ଭଣ୍ଡ ବାବା ମାନଙ୍କ ହାବୁଡରେ ଆଉ କେବେ ପଡିବେନି।
                **************

Monday, January 28, 2019

ହରି ମାଷ୍ଟ୍ରେ





                                                  ଲେଖକ- ଅରବିନ୍ଦ ରଥ


               ଯଦୁପୁର ସ୍କୁଲ ର ଯଥେଷ୍ଟ ପୂର୍ବରୁ ଗାଡି ଛିଡା କରିବାକୁ ଆଦେଶ ଦେଇ, ସ୍କୁଲ ପରିଦର୍ଶକ ମହୋଦୟ ଧିର ପଦକ୍ଷେପରେ ଚାଲିବା ଆରମ୍ଭ କଲେ। ସାଙ୍ଗରେ ଥିବା କର୍ମଚାରୀ କୁ ତାଗିଦ୍ କରି କହିଲେ-- ତୁମେ ଅଳ୍ପ ଦୂରରେ ରହି ମୋତେ ଅନୁସରଣ କରୁଥିବ, କିନ୍ତୁ ମୋତେ ନ ଚିହ୍ନିଲା ପରି ଅଭିନୟ କରିବ । ସ୍କୁଲରେ ଥିବା ଶିକ୍ଷକ ଓ କର୍ମଚାରୀ ଓ ପିଲା ମାନେ ଯେପରି ମୋର ପରିଚୟ ଆଗରୁ ନ ପାଇବେ, ସେଥିପାଇଁ ଯତ୍ନବାନ୍ ରହିବ। ମୋ ପାଖରୁ ଇସାରା ପାଇବା ପରେ ହିଁ ପାଖକୁ ଆସିବ, ତା ପୂର୍ବରୁ ନୁହେଁ।

କର୍ମଚାରୀ ଟି ମୁହଁରେ ଶଙ୍କିତ ଭାବ ପ୍ରକାଶପୂର୍ବକ ମୁଣ୍ଡ ହଲାଇ ଆଜ୍ଞା ପାଳନ କରିବାର ସମ୍ମତି ପ୍ରଦାନ କଲା। ନ କରିବ ବା କେମିତି !!!! !! ଆଦେଶ ପାଳନ ରେ କିଞ୍ଚିତ୍ ଅବହେଳା ଲକ୍ଷ କଲେ, ବାବୁ କେମିତି ରାଗି ନିଆଁବାଣ ହୋଇ ଯାଆନ୍ତି, ସେ ବିଷୟ ରେ ଅଫିସ ର ସମସ୍ତ କର୍ମଚାରୀ ଭଲରେ ଅବଗତ ଥିଲେ।

ଅଳ୍ପଦିନ ତଳେ ଗଗନ ସାମନ୍ତରାୟ, ଜିଲ୍ଲା ଶିକ୍ଷାଧିକାରୀ ଭାବରେ ସେହି ଜିଲ୍ଲାରେ ଯୋଗଦାନ କରି ଥା'ନ୍ତି। ତାଙ୍କର ବଳିଷ୍ଠ ବ୍ଯକ୍ତିତ୍ବ, ସାଲିସ ବିହୀନ ଆଭିମୁଖ୍ଯ ,କାର୍ଯ୍ଯକୁଶଳତା ଓ ନିଷ୍କଳଙ୍କ ଚରିତ୍ର ପାଇଁ ସେ ବେଶ୍ ଜଣାଶୁଣା ଥିଲେ। କାର୍ଯ୍ଯକ୍ଷେତ୍ରରେ ଅକର୍ମଣ୍ଯତା ଓ ଆଳସ୍ଯ ପରି ଆୟୁଧ ମାନଙ୍କୁ ଢାଲ କରି ଅବହେଳା ପ୍ରଦର୍ଶନ କରୁଥିବା କର୍ମଚାରୀ ମାନଙ୍କ ମନରେ, ଗଗନ ବାବୁଙ୍କ ଉପସ୍ଥିତି ହିଁ କୋକୁଆ ଭୟ ଉଦ୍ରେକ କରାଇବା ପାଇଁ ଯଥେଷ୍ଟ ଥିଲା। ଅଫିସ୍ ରେ ଯୋଗଦାନ କରିବା ଦିନ ହିଁ ସେ ନିଜର ଆଭିମୁଖ୍ଯ, ସୁସ୍ପଷ୍ଟ ଭାବରେ ସମସ୍ତଙ୍କ ଆଗରେ ପ୍ରକାଶ କରିଥିଲେ। ସେହି ଅଫିସ୍ ର କର୍ମଚାରୀ ଓ ବିଭିନ୍ନ ସ୍କୁଲର ଶିକ୍ଷକ, ଶିକ୍ଷୟତ୍ରୀ ଗଣ ଇତି ମଧ୍ଯରେ ପ୍ରମାଦ ଗଣିବା ଆରମ୍ଭ କରି ଦେଇଥିଲେ। ଜିଲ୍ଲାର ଶିକ୍ଷାନୁଷ୍ଠାନ ଗୁଡିକରେ ଶିକ୍ଷକ ମାନଙ୍କର ଶିକ୍ଷାଦାନ ରେ ଘୋର ଅବହେଳା ଓ ସେହି କାରଣ ରୁ ପରୀକ୍ଷା ରେ ବିଦ୍ଯାର୍ଥୀ ମାନଙ୍କର ନୈରାଶ୍ଯଜନକ ପ୍ରଦର୍ଶନ ଦେଖି ସେ ଭୀଷଣ ଭାବରେ କ୍ଷୁବ୍ଧ ହୋଇ ଉଠିଥିଲେ। ଶିକ୍ଷାନୁଷ୍ଠାନ ଗୁଡିକୁ କୌଣସି ପ୍ରାକ୍ ସୂଚନା ନ ଦେଇ ଅଚାନକ ପରିଦର୍ଶନ କରିବା ଦ୍ବାରା ହିଁ ଏହି ସମସ୍ଯାର କିଛି ସମାଧାନ କରିହେବ ବୋଲି ନିଶ୍ଚିତ ହେବା ପରେ, ସେ ଯଦୁପୁର ବିଦ୍ଯାଳୟକୁ ଅଚାନକ ପରିଦର୍ଶନ କରିବା ନିମିତ୍ତ ପହଞ୍ଚିଥିଲେ।

ସାଙ୍ଗରେ ଥିବା କର୍ମଚାରୀ ପଛରେ ରହିଗଲା ଓ ଗଗନ ବାବୁ ଗନ୍ତବ୍ଯ ସ୍ଥଳ କୁ ଅଗ୍ରସର ହେଲେ। ତାଙ୍କର ପ୍ରତ୍ଯକ ପଦକ୍ଷେପ ସହିତ ତାଳ ଦେଇ ମାନସପଟରେ ସ୍ମୃତି ରୂପକ ଅଶ୍ବ ଧାବମାନ କରି ଚାଲିଥିଲା ବିପରୀତ ଦିଗକୁ , ଅର୍ଥାତ୍ ବର୍ତ୍ତମାନ ରୁ ଅତୀତ କୁ। ସେ ନିଜକୁ ଆବିଷ୍କାର କଲେ ଦଶ ବା'ର ବର୍ଷର ବାଳକ ରୂପରେ।

ଧୂଳି ରାସ୍ତାରେ ପାଦକୁ କଚାଡି ଅନ୍ଯ ପିଲା ମାନଙ୍କ ସହ ମାଡି ଚାଲିଥିଲେ ଗଗନ କାନ୍ଧରେ କନା ତିଆରି ବ୍ଯାଗ୍ ଖଣ୍ଡିଏ ପକାଇ। ବ୍ଯାଗ୍ ଭିତରେ ସଜିଲ କରି ରଖା ଯାଇଥିଲା ଗଣିତ, ସାହିତ୍ଯ, ଭୂଗୋଳ ଇତ୍ଯାଦି ବିଷୟର ବହି ଓ ଖାତା। ତା ସହିତ ଅଧା ସରିଯାଇ ମଳିନ ପଡି ଆସିଥିବା ପେନସିଲ୍ ଓ ବିଭିନ୍ନ କିମ୍ଭୁତକିମ୍ଭାକାର ଚିତ୍ରରେ ଚିତ୍ରିତ ରବର। ରଙ୍ଗ ଛାଡି ବିବର୍ଣ୍ଣ ହୋଇ ଯାଇଥିବା ଜ୍ଯାମିତି ବାକ୍ସରେ ସ୍କେଲ୍, ପ୍ରୋଟାକ୍ଟର, ଡିଭାଇଡର ସାଙ୍ଗକୁ ହନୁମାନଙ୍କର ଫଟୋଟିଏ ରଖା ଯାଇଥିଲା। ହନୁମାନଙ୍କ ବିଶାଳ ଶରୀର ତଳେ ଆତ୍ମଗୋପନ କରିଥିଲା ବାପା ଦାଢିଖିଅର ପାଇଁ ବ୍ଯବହାର କରୁଥିବା ବ୍ଲେଡ୍ ପାତର ଅର୍ଦ୍ଧଭାଗ। ପେନସିଲ୍ କାଟିବା ସାଙ୍ଗକୁ ଆମ୍ବ, ପିଜୁଳି କାଟିବାରେ ସେହି ବ୍ଲେଡ୍ ର ଉପଯୋଗିତା ଯେ ବହୁତ ଅଧିକା ଥିଲା ତାହା ଅନସ୍ବୀକାର୍ଯ୍ଯ। ଗଗନ ସାଙ୍ଗରେ ଘଷି ହୋଇ ଚାଲୁଥିବା ସ୍କୁଲ୍ ର ଅନ୍ଯତମ ନିହାତି ବିଷ୍ଟିଙ୍କ ଶ୍ରେଣୀୟ ପିଲା ଘୋଷଣା କରିବା ଭଙ୍ଗୀରେ ପାଟି କରି କହିଲା-- ଆରେ ଜଲଦି ଚାଲ, ପ୍ରାର୍ଥନା ପୂର୍ବରୁ ନ ପହଞ୍ଚିଲେ "ଢଣଢଣା ମାଛି" କାମୁଡି ଘାଇଲା କରିଦେବ। ସେତିକି ଶୁଣି ପିଲା ମାନେ କିଳିକିଳା ରାବ ଦେଇ ସ୍କୁଲକୁ ଦୌଡିବାକୁ ଆରମ୍ଭ କଲେ। ସେ " ଢଣଢଣା ମାଛି " ନାମରେ ଉପମିତ ବ୍ଯକ୍ତି ଯେ ସେହି ସ୍କୁଲର ଜଣେ ଶିକ୍ଷକ, ସେ ବିଷୟ ସାଧାରଣ ଲୋକ ପକ୍ଷରେ ନିହାତି ଅବୋଧ୍ଯ ହେବା ସ୍ବାଭାବିକ୍।

ଯଦୁପୁର ସ୍କୁଲର ମୁଖ୍ଯ ଆକର୍ଷଣ ଥିଲେ ହରିମାଷ୍ଟ୍ରେ ଓରଫ୍ ଢଣଢଣା ମାଛି। ଅବଶ୍ଯ ଢଣଢଣା ଟି ସାର୍ ଙ୍କର ସାଙ୍ଗିଆ ଥିଲା, ତାଙ୍କର ସମ୍ପୂର୍ଣ୍ଣ ନାମ ଥିଲା ହରିଶଙ୍କର ଢଣଢଣା। ସ୍କୁଲରେ ନାମ ଲେଖାଇବା ଦିନଠାରୁ ଗଗନଙ୍କ ହୃତସ୍ପନ୍ଦନର ଗତି କୁ ବଢାଇ ଚାଲିଥିଲେ ହରି ସାର୍। ସେହି ସ୍କୁଲରେ ହିଁ ସାର୍ ରହୁଥିଲେ ନିଜର ନ୍ଯୁନତମ ନିତ୍ଯ ବ୍ଯବହାର୍ଯ୍ଯ ସାମଗ୍ରୀ ସହିତ। ତାଙ୍କ ଘର କେଉଁ ସ୍ଥାନରେ ବା ତାଙ୍କ ପରିବାରରେ ଅନ୍ଯ କେହି ସଦସ୍ଯ ଅଛନ୍ତି କି ନାହିଁ, ସେ ବିଷୟରେ କେହି କେବେ ଅନୁସନ୍ଧାନ କରି ନ ଥିଲେ, ତେଣୁ ସେ ବିଷୟରେ କାହା ପାଖରେ କୌଣସି ଖବର ନ ଥିଲା। ସମସ୍ତେ କେବଳ ଏତିକି ଜାଣିଥିଲେ , ସାର୍ ଙ୍କର ଘର ବହୁତ ଦୂରରେ ଓ ସେ ପ୍ରାୟତଃ ନିଜ ଗାଁଆ କୁ ଯାଆନ୍ତି ନାହିଁ। ବର୍ଷ ତମାମ୍ ସେହି ସ୍କୁଲଟି ହିଁ ତାଙ୍କର ଘର ଥିଲା ଓ କେବେ କେମିତି ଭଲମନ୍ଦ ବୁଝିବାକୁ ଆସୁଥିବା ଅଭିଭାବକ ମାନେ ଥିଲେ ତାଙ୍କର ଅତିଥି।

ତାଙ୍କ ଚରିତ୍ରରେ ହରି ଙ୍କର ଗୁଣ କମ୍ ଥିଲା, କିନ୍ତୁ ଶଙ୍କର ବା ଶିବ ଙ୍କ ଗୁଣଗାରିମା ତଥା ବ୍ଯକ୍ତିତ୍ବ , ତାଙ୍କର ସମ୍ପୂର୍ଣ୍ଣ ସତ୍ତାକୁ ଆବୋରି ବସିଥିଲା। ସେ ଥିଲେ ଭୀଷଣ କ୍ଷଣକୋପୀ ଓ କଠୋର ସ୍ବଭାବର ବ୍ଯକ୍ତି। ଛଅ ଫୁଟ୍ ପାଖାପାଖି ଉଚ୍ଚତା, ବିଶାଳ ବପୁ ଓ ଆଜାନୁ ଲମ୍ବିତ ଭୂଜା ସାଙ୍ଗକୁ, ନାକ ତଳେ ଶୋଭା ପାଉଥିବା କଳା ମୋଟା ନିଶ, ତାଙ୍କର ବ୍ଯକ୍ତିତ୍ବକୁ ଆହୁରି ଭୟ ଉଦ୍ରେକକାରୀ କରି ତୋଳୁଥିଲା। ତାଙ୍କର କଣ୍ଠସ୍ବର ଏତେ ମାତ୍ରାରେ କର୍କଶ ଥିଲା ଯେ ସାଧାରଣ କୋମଳ କଥା ମଧ୍ଯ ବଜ୍ରପାତ ପରି ଶ୍ରାବ୍ଯ ହେଉଥିଲା। କୌଣସି କାରଣରୁ କ୍ରୋଧିତ ହେଲେ, ତାଙ୍କର ରକ୍ତିମ ପୂର୍ଣ୍ଣଚନ୍ଦ୍ରସମ ଚକ୍ଷୁ ଯୁଗଳରୁ ଅଗ୍ନୀବର୍ଷା ହେବା ପରି ମନେ ହେଉଥିଲା । ହରିମାଷ୍ଟ୍ରେଙ୍କ ଚିରସାଥୀ ଥିଲା ହାତେ ଲମ୍ବର ଏକ ବେତ ବାଡି ଯାହା ସଦାବେଳେ ତୈଳମର୍ଦ୍ଦିତ ହୋଇ ଜାଜୁଲ୍ଯମାନ ଦୃଶ୍ଯ ହେଉଥିଲା। ସ୍କୁଲର ଏପରି କୌଣସି ପିଲା ନାହିଁ, ଯାହାର ଶରୀର ସେ ବେତ ଏକାଧିବାର ସ୍ପର୍ଶ ନ କରିଛି। କେବଳ ସ୍ପର୍ଶ କରିଛି କହିଲେ ଅତ୍ଯୁକ୍ତି ହେବ ବରଂ ସ୍ପର୍ଶକରି ନିଜର ଦାଗ ଛାଡିଛି କହିଲେ ଅଧିକ ଯୁକ୍ତିଯୁକ୍ତ ଲାଗିବ। ହରିମାଷ୍ଟ୍ରେ ଓ ତାଙ୍କ ବେତ ର ମିଳିତ ଆକ୍ରମଣ ହେତୁ ସ୍କୁଲର ଅର୍ଦ୍ଧାଧିକ ପିଲାଙ୍କର ପିନ୍ଧା ବସନ କିପରି ସିକ୍ତ ହୋଇଥିଲା ବୋଲି ଜିଜ୍ଞାସା କଲେ, ଉତ୍ତର ଦେବା ଲୋକଙ୍କର ଅଭାବ ନାହିଁ। ଅନେକ ଭୁକ୍ତଭୋଗୀ ଏପରି ବୃତ୍ତାନ୍ତ ମାନ ବର୍ଣ୍ଣନା କରନ୍ତି ଯେ ଶୁଣିବା ଲୋକ ମନରେ ହରିମାଷ୍ଟ୍ରେଙ୍କ ପ୍ରତି ଭୀଷଣ କ୍ରୋଧ ଭାବ ଚାଲିଆସେ। ସମସ୍ତେ କେବଳ ଗୋଟିଏ ନିର୍ଯ୍ଯାସ କାଢନ୍ତି, ତାହା ହେଲା - - - ଏ ହରି ମାଷ୍ଟ୍ର ସ୍କୁଲ ରେ ଶିକ୍ଷକ ନ ହୋଇ ଦେଶ ସୀମାରେ ସୈନିକ ହୋଇ ଲଢେଇ କରିଥିଲେ ଭଲ ହୋଇ ଥାଆନ୍ତା।

କୌଣସି ପିଲା ପାଠ ପଢାରେ ଅବହେଳା କଲେ ବା ବିଶୃଙ୍ଖଳିତ ଆଚରଣ କଲେ ହରିମାଷ୍ଟ୍ରଙ୍କ କ୍ରୋଧାଗ୍ନୀରେ ଦଗ୍ଧୀଭୂତ ହେଉଥିଲା। ପିଠିରେ ଓ ନିତମ୍ବରେ ବେତ୍ରାଘାତ ସହିତ ନାନା ନିଆରା ଢଙ୍ଗରେ ସେ ପିଲା ମାନଙ୍କୁ ଦଣ୍ଡ ଦେଉଥିଲେ। ସେଥି ମଧ୍ଯରୁ ଦଣ୍ଡ ବୈଠକ ମାରିବା, ଗଛ ଉପରେ ଦଶ ଥର ଚଢି ଓହ୍ଲାଇବା, ମୁଦ୍ରିକା ଅଙ୍ଗୁଳିର ଉପର ପାର୍ଶ୍ବରେ ପେନସିଲ୍ କୁ ଜୋରରେ ଚାପି ଧରି ଗଡାଇବା ଅଥବା ଦୁଇ ଆଙ୍ଗୁଳି ମଧ୍ଯରେ କଲମ ରଖି ଜୋର୍ ରେ ଚାପିଦେବା, ସ୍କୁଲର ହତା କୁ ଝାଡୁ ମାରି ପରିଷ୍କାର କରିବା, କୂଅରୁ ପାଣି ଆଣି ସ୍କୁଲର ପ୍ରତ୍ଯକ ଶ୍ରେଣୀରେ ଥିବା ସୁରେଇରେ ପାଣି ପୁରାଇବା ଆଦି ଅନ୍ଯତମ ଥିଲା। ବେଶି ସଙ୍ଗୀନ ଦୋଷ କରିଥିବା ପିଲା ମାନଙ୍କୁ ସ୍କୁଲର ବଗିଚା ରେ ଘାସ ସଫା କରିବା ଅଥବା ମାଟିହାଣି ଗଛ ଲଗାଇବା ଆଦି କାମର ଦଣ୍ଡ ମଧ୍ଯ ଭୋଗିବାକୁ ପଡୁଥିଲା। କହିବା ବାହୁଲ୍ଯ, ଯଦି କୌଣସି ପିଲା ଦଣ୍ଡ ପାଳନ ରେ ଅବହେଳା କରେ, ତାକୁ ସମାନ ଦଣ୍ଡରେ ଗୋଟିଏ ସପ୍ତାହ ପାଇଁ ଦଣ୍ଡିତ ହେବାକୁ ପଡୁଥିଲା।

ଯଦୁପୁର ଗ୍ରାମରେ ପୋଷ୍ଟମାଷ୍ଟର ରୂପରେ କାର୍ଯରତ ଥିଲେ ଗଗନଙ୍କ ବାପା। ଛୋଟ ଗାଁଆଟିର ତଥାକଥିତ ବଡଲୋକ ମାନଙ୍କ ମଧ୍ଯରେ ସେ ଥିଲେ ଅନ୍ଯତମ। ଏକ ମାତ୍ର ପୁତ୍ରର ପାଠପଢାର ସମ୍ପୂର୍ଣ୍ଣ ଦାୟିତ୍ବ ସେ ନ୍ଯସ୍ତ କରିଥିଲେ ହରିମାଷ୍ଟ୍ରଙ୍କ ଉପରେ। କିନ୍ତୁ, ହରିମାଷ୍ଟ୍ରେ ତାଙ୍କ ବାପାଙ୍କ ପଦବୀ ଦ୍ବାରା ପ୍ରଭାବିତ ହୋଇ ତାଙ୍କ ପ୍ରତି କୋମଳ ମନୋଭବ ପୋଷଣ କରିବା ଟା ଗଗନ କେବେ ଅନୁଭବ କରି ପାରୁ ନ ଥିଲେ। କାରଣ, ଅନ୍ଯ ପିଲାଙ୍କ ପରି ତାଙ୍କ ଅବସ୍ଥା ମଧ୍ଯ ସବୁଦିନ ବେହାଲ ହୋଇ ଚାଲିଥିଲା। ଗଣିତ ନାମକ ବିଷୟର ନାମ ଶୁଣିବା କ୍ଷଣି ତାଙ୍କ ଦେହରେ ଖଇ ଫୁଟିବା ଆରମ୍ଭ କରିଦେଉଥିଲା। ହରିମାଷ୍ଟ୍ରେଙ୍କର ସବୁଠାରୁ ପ୍ରିୟ ବିଷୟ ଥିଲା ଗଣିତ। ପାଟିରେ ପାନ ଖଣ୍ଡେ ଜାକି ଯେତେବେଳେ ସେ କଳାପଟା ଉପରେ ଚକ୍ ଖଡି ଘଷି ଗଣିତର ସୂତ୍ର ମାନ ଲେଖି ଚାଲିଥା'ନ୍ତି, ସେ ସମୟର ପ୍ରସନ୍ନତା ଯେ କେହି ବି ଅନୁଭବ କରି ପାରିବ। ଗଗନ ସବୁ ସୂତ୍ର ମନ ଦେଇ ଶୁଣନ୍ତି ଓ ଲେଖନ୍ତି, କିନ୍ତୁ କଳାପଟାରୁ ସୂତ୍ର ସବୁକୁ ଲିଭାଇ ମାଷ୍ଟ୍ରେ ନୂଆ ସୂତ୍ର ଲେଖିବା ବେଳକୁ , ଗଗନଙ୍କ ମାନସ ପଟ୍ଟଳରୁ ଗଣିତର ପୁର୍ବ ସୂତ୍ର ମାନ ଅଦୃଶ୍ଯ ହୋଇ ଚାଲନ୍ତି। କେବଳ ଗଣିତ କାହିଁକି, ଅନ୍ଯ ବିଷୟ ଗୁଡିକରେ ଗଗନଙ୍କ ଧିମତ୍ତାର ପ୍ରାବଲ୍ଯତା ଯଥେଷ୍ଟ ଉଣାଥିଲା। ସେଥିପାଇଁ ବିଭିନ୍ନ କାରଣ ଦାୟୀ ବୋଲି ଗଗନ ନିଜକୁ ବୁଝାଇ ଚାଲି ଥିଲେ। ଯେପରି କି, ସେଦିନ ଘରକୁ କୁଣିଆ ଆସିଲେ ବୋଲି ପଢି ହେଲାନି, ସେଦିନ ଆମ ପୋଷା କୁକୁର ଟା ହଜିଗଲା ଯେ ମନ ଦୁଃଖ ହୋଇଗଲା ତେଣୁ ପଢି ହେଲାନି, ଭୋଜି ଖାଇ ଘରକୁ ଆସିଲା ପରେ ଭୀଷଣ ନିଦ ମାଡିଲା ତେଣୁ ପାଠ ପଢି ହେଲାନି, ଡାକବାଲା ମଉସାର ଭୂତଗପ ଶୁଣି ଡର ମାଡିଲା ତେଣୁ ପାଠ ମନେ ରହିଲାନି, ଲଣ୍ଠନ କାଚ ଭଲରେ ପୋଛା ହୋଇ ନ ଥିଲା ବୋଲି ଭଲରେ ଅକ୍ଷର ଦିଶିଲାନି..... ଏମିତି ଅଗଣିତ କାରଣ ମାନଙ୍କର ଅସରନ୍ତି ଭଣ୍ଡାର ଗଗନଙ୍କ ପାଖରେ ସଦାବେଳେ ମହଜୁଦ ରହୁଥିଲା। କିନ୍ତୁ ଏହି କାରଣମାଳା ର ଏକାଧିକ ସୁରକ୍ଷାଢାଲ, ଗଗନଙ୍କୁ ସୁରକ୍ଷା ଦେବାକୁ ଅସମର୍ଥ ଥିଲେ। ଅନେକ ସମୟରେ ପାଠ କହି ନ ପାରି ସେ ହରିମାଷ୍ଟ୍ରଙ୍କ ଦଣ୍ଡର ଶିକାର ହେଉଥିଲେ। ପୂର୍ବ ବର୍ଣ୍ଣିତ ପ୍ରତ୍ଯକ ଟି ଦଣ୍ଡ କୁ ସେ ଅଙ୍ଗେ ନିଭାଇଥିଲେ ଓ ତଦ୍ ଜନିତ ଅକଥ୍ଯ ବେଦନା ଓ କଷ୍ଟ କୁ ସହ୍ଯ କରିଥିଲେ।

ତାଙ୍କର ଡଉଲଡାଉଲ ଚେହେରା ପ୍ରତି କଟାକ୍ଷ କରି ସାର୍ କେବେ କେବେ କୁହନ୍ତି- - - ତୁ ତ ଫୁଟବଲ ପରି ଫୁଲି ଚାଲିଲୁ ପାଠ ପଢିବୁ କ'ଣ। ପାଠ ନ ପଢିଲେ ଶେଷରେ ଗାଁଆ ପଡିଆରେ ଗାଈ ଚରାଇବା ସାର ହେବ। ମୋ ପୁଅ ହୋଇଥିଲେ ତୋ ପିଠିରୁ ଛାଲ ଉତାରି ଦିଅନ୍ତି। ତୋ ମୁଣ୍ଡରେ ଗୋବର ଅଛି କି କ'ଣ ମୁଁ ଜାଣି ପାରୁନି। ତୋର ପାଠ ମନେ ରହୁନି କାହିଁକି?

ଅନ୍ଯ କେହି ଲକ୍ଷ କରିଛନ୍ତି କି ନାହିଁ ଜଣାନାହିଁ, କିନ୍ତୁ ପ୍ରତ୍ଯକ ଥର ପୁଅ ବୋଲି କହିବା ପରେ ହରିମାଷ୍ଟ୍ରଙ୍କର କ୍ରୁର ଛକ୍ଷୁ ଯୁଗଳରେ, କାରୁଣ୍ଯତାଭରା ଭାବ ଲକ୍ଷ କରି ପାରନ୍ତି ଗଗନ । କିନ୍ତୁ ସେ ଭାବର କାରଣ କ'ଣ ବୋଲି ପଚାରିବାର ଧୃଷ୍ଟତା ତାଙ୍କ ପାଖରେ ନ ଥିଲା। ସାଙ୍ଗମାନଙ୍କ ସହ ବଦମାସୀ କଲାବେଳେ ଗଗନ ଧରା ପଡି ଅନେକ ଥର ହରିମାଷ୍ଟ୍ରେଙ୍କ ଦ୍ବାରା ଦଣ୍ଡିତ ହୋଇଥିଲେ, ପ୍ରାଗ୍ ଐତିହାସିକ ପ୍ରଣାଳୀରେ। ତାଙ୍କ ମନରେ ହରିମାଷ୍ଟ୍ରଙ୍କ ପ୍ରତି ଥିବା ଭୟର ପ୍ରାବଲ୍ଯତା ଏତେ ଅଧିକ ଥିଲା ଯେ, ସେ ରାତିରେ ଶୋଇବା ସମୟରେ ତାଙ୍କୁ ସ୍ବପ୍ନରେ ଦେଖୁଥିଲେ। କିନ୍ତୁ ଶିକ୍ଷକ ଭାବରେ ନୁହଁ, ବରଂ ଏକ ରାକ୍ଷସ ରୂପରେ। ପ୍ରତିଥର ସେ ଦେଖନ୍ତି ଯେ ହରିମାଷ୍ଟ୍ର ତାଙ୍କୁ ଏକ ମୋଟା ରଶିରେ ବାନ୍ଧି ଫୁଟବଲକୁ ଗୋଇଠା ମାରିବା ପରି ମାରି, ଅଟ୍ଟହାସ୍ଯ କରି ଚାଲନ୍ତି। ନିଦରୁ ଚମକି ଉଠି ସେ କେତେ ଥର ଯେ ଉଠିଛନ୍ତି ତା'ର ହିସାବ ନାହିଁ। ବାପାଙ୍କୁ ହରିମାଷ୍ଟ୍ରଙ୍କ ନାମରେ ଯେତେ ଅଭିଯୋଗ କଲେ ମଧ୍ଯ କିଛି ସୁଫଳ ମିଳୁ ନ ଥିଲା।

ବରଂ ସେ କହୁଥିଲେ-- ଏ ବୟସରେ ଯଦି ଗୁରୁ ମାନଙ୍କ ପାଖରୁ ଗାଳି ନ ଶୁଣିବ, ମାଡ ନ ଖାଇବ ତେବେ ବଡ ମଣିଷ ହେବ କିପରି ? ଶିକ୍ଷକ ମାନଙ୍କ ପାଇଁ ପ୍ରତ୍ଯକ ଟି ପିଲା ଏକ ସୁନା ମୁଣ୍ଡା ପରି। ସୁନା କୁ ତରଳାଇ, ହାତୁଡିରେ ପିଟିବା ପରେ ହିଁ ସୁନ୍ଦର ଅଳଙ୍କାର ମାନ ଗଢାଯାଏ। ତେଣୁ ତୋତେ ଯଦି ଅଳଙ୍କାର ହେବାର ଅଛି ଏ କଷ୍ଟ ସହିବାକୁ ହେବ। ବଡ ହେଲା ପରେ ତୁ ନିହାତି ଅନୁଭବ କରି ପାରିବୁ ହରିମାଷ୍ଟ୍ରଙ୍କ ଗୁରୁତ୍ବ।

ବାପାଙ୍କର କଥା ନିହାତି ଖାପଛଡା ଲାଗେ ଗଗନଙ୍କୁ। ସେ ଭାବନ୍ତି, ବାପା ବୋଧେ ତାଙ୍କୁ ଭଲ ପାଉ ନାହାଁନ୍ତି, ନ ହେଲେ ହରିମାଷ୍ଟ୍ର ପରି ଜଲ୍ଲାଦର ପକ୍ଷ ନିଅନ୍ତେ କାହିଁକି? କେବଳ ତାଙ୍କ ବାପା ନୁହଁ, ସାରା ଗାଁଆର ଅଭିଭାବକ ମାନେ ନିଜ ପିଲାର ଦାୟିତ୍ବ ହରିମାଷ୍ଟ୍ରଙ୍କ ହାତରେ ନ୍ଯସ୍ତ କରି ନିଶ୍ଚିନ୍ତ ଥିଲେ ଓ ପିଲା ମାନଙ୍କର ଆପତ୍ତି ଅଭିଯୋଗ ଉପରେ ତିଳେ ମାତ୍ର ଗୁରୁତ୍ବ ଦେଉ ନ ଥିଲେ।

ଦିନ ପରେ ଦିନ ବିତି ଚାଲିଥିଲା ଓ ହରିମାଷ୍ଟ୍ରଙ୍କ ଦୌରାତ୍ମ୍ଯ କାରଣରୁ ହେଉ ବା ନିଜର ଅଧ୍ଯବସାୟ ପାଇଁ ହେଉ, ଗଗନ ମନଯୋଗ ସହକାରେ ପାଠ ପଢିବାରେ ଲାଗି ଯାଇଥିଲେ। ତାଙ୍କ ମନରେ କେବଳ ଏତିକି ଦୁଃଖ ଥିଲା ଯେ ମାଷ୍ଟ୍ରେ ତାଙ୍କୁ କେବେ ପ୍ରଶଂସା କରୁ ନ ଥିଲେ। ପ୍ରଶଂସା ତ ଦୂରର କଥା, କେବେ ହସି ପଦେ କଥା ମଧ୍ଯ କହୁ ନ ଥିଲେ। ଅନେକ ଥର ଗଗନ ଭାବନ୍ତି-- ଏ ଲୋକଟାର ପୁଅ ନାହିଁ ଭଲ ହୋଇଛି, ନ ହେଲେ ସେ ତା ଅବସ୍ଥା ବାର ଗଣ୍ଡା ଦି' କଡା କରି ସାରନ୍ତାଣି। ସପ୍ତମ ଶ୍ରେଣୀ ବୃତ୍ତି ପରୀକ୍ଷାରେ ଅବତୀର୍ଣ୍ଣ ହେବା ପାଇଁ ଗଗନଙ୍କୁ ବାଛିଥିଲେ ହରିମାଷ୍ଟ୍ରେ। ତାହା ଗୌରବର କଥା ବା ପ୍ରତିଶୋଧ ନେବାର ଏକ ଉପାୟ ବୋଲି ସେ ଜାଣି ପାରୁ ନ ଥିଲେ । ତାଙ୍କ ମନରେ ହରିମାଷ୍ଟ୍ରଙ୍କ ପାଇଁ ପୁଞ୍ଜିଭୂତ ହୋଇ ଚାଲିଥିଲା ପ୍ରବଳ କ୍ରୋଧ ଓ ଅସୂୟାଭାବ।

ଅନେକ ଥର ସେ ଠାକୁରଙ୍କୁ ଗୁହାରି କରି କହୁଥିଲେ-- ପ୍ରଭୋ, ମୁଁ ବେଶି କିଛି ମାଗୁନାହିଁ, କେବଳ ଏ ଢଣଢଣିଆ ମାଛିକୁ ମ୍ଯାଲେରିଆ ଜ୍ବର ରେ ପକେଇ ଦିଅ। ନ ହେଲେ ସେ ସାଇକେଲରେ ଯିବା ବେଳେ ତାକୁ ପୋଖରି ରେ ପକାଇ ହାତଗୋଡ ଭାଙ୍ଗିଦିଅ। ଯଦି ଏତେ କାମ ନ କରି ହେବ ତାକୁ ଏମିତି କରିଦିଅ ଯେ ସେ ଆଉ କଥା କହି ପାରିବନି କି ହାତ ଗୋଡ ହଲେଇ ପାରିବନି। ଠାକୁରଙ୍କୁ ଏତିକି ମାଗିବା ଅବସରରେ ତାଙ୍କ ମନ ଖୁସିରେ କୁରୁଳି ଉଠେ। ସତ୍ଯ ନ ହେଲେ ବି ସେ କଳ୍ପନା ରାଜ୍ଯରେ ତ ହରିମାଷ୍ଟ୍ରେଙ୍କ ଉପରେ ପ୍ରତିଶୋଧ ନେଇ ପାରୁଛନ୍ତି, ତାହା କ'ଣ କମ୍ ଗୌରବ ର କଥା! !!

ସେଦିନ ତାଙ୍କ ଘରକୁ ସହରରୁ ଅତିଥି ମାନେ ଆସିଥିଲେ। ତାଙ୍କ ସହ ଆସିଥିଲା ସପ୍ତମଶ୍ରେଣୀରେ ପଢୁଥିବା ରାହୁଲ୍। ତା ପାଖରୁ ସହରୀ ପାଠ ପଢା କାଇଦା ଶୁଣି ଗଗନଙ୍କ ମୁଣ୍ଡ ଘୁରାଇ ଦେଲା।

ରାହୁଲ୍ କହିଲା-- ସ୍କୁଲରେ ଆମ ସାର୍ ମାନେ କାହାକୁ ଗାଳି ମଧ୍ଯ ଦିଅନ୍ତି ନାହିଁ, ମାଡ ମାରିବା ଦୂରର କଥା। ଇଛା ହେଲେ ପାଠ ପଢିବ, ନ ହେଲେ ନାହିଁ। କେହି ତୁମକୁ କିଛି କହିବେନି। ପରୀକ୍ଷା ରେ ସବୁ ପାଶ୍ ହେବେ ପ୍ରତି ବର୍ଷ। ସେଥିପାଇଁ ତ ପ୍ରତି ବର୍ଷ ସେମାନଙ୍କୁ ବହୁତ ପଇସା ଫିସ୍ ଆକାର ରେ ଦିଆ ଯାଉଛି। ପିଲା ମାନେ ଚାହିଁଲେ ସାର୍ ମାନଙ୍କ ନାଁଆ ରେ ଅଭିଯୋଗ କରି ପାରିବେ ଓ ଅଭିଭାବକ ମାନେ ସ୍କୁଲ ଯାଇ ସେ ସାର୍ ଙ୍କୁ ପାଟିତୁଣ୍ଡ କରି ପାରିବେ। ଗଗନ ପାଖରୁ ସ୍କୁଲ ହତା ସଫା କରିବା, ଗଛ ଲଗାଇବା କଥା ଶୁଣି ରାହୁଲ୍ ହସିହସି ଗଡିଗଲା। କହିଲା ଆରେ ତୁମେ ମାଳି ନା କ'ଣ। ସେ କାମ ତ ମାଳି ମାନେ କରନ୍ତି, ଆମ ପିଲା ମାନେ ସ୍କୁଲ ରେ କୁଟା ଖଣ୍ଡେ ବି ଦୁଇ ଖଣ୍ଡ କରନ୍ତିନି। ରାହୁଲ୍ ର କଥା ସବୁ ଗଗନକୁ ପରୀ ରାଇଜର କାହାଣୀ ପରି ଲାଗୁଥିଲା। କାହିଁ ସହର ର ସେ ଦେବତା ପରି ସାର୍ ଓ କାହିଁ ଏ ଅସୁର ପରି ଢଣଢଣିଆ ମାଛି। ସହର କୁ ଫେରିଯିବା ଅବସରରେ ରାହୁଲ, ଗଗନ ହାତରେ ଖଣ୍ଡେ ସିଗାରେଟ୍ ଧରେଇ ଦେଇ କହିଲା-- ଆରେ ସମୟ ପାଇଲେ ସ୍କୁଲରେ ଏଥିରୁ ଧାପେ ଟାଣିଦେବୁ। ଆମେ ସବୁଦିନ ଟାଣୁଛୁ। ତା ପରେ ଦେଖିବୁ କେତେ ମଜା ଲାଗିବ। ଅମୂଲ୍ଯ ସମ୍ପଦ ପରି ସିଗାରେଟ୍ ଟି ଗଗନର ଜ୍ଯାମିତି ବାକ୍ସର ହନମାନ ଫଟୋ ତଳେ ଲୁକ୍କାୟିତ ଅବସ୍ଥାରେ ରହି, ତହିଁ ଆରଦିନ ସ୍କୁଲ ଗମନ କଲା।

ସାଙ୍ଗସାଥୀଙ୍କ ଆଗରେ ଉତ୍ତେଜିତ ହୋଇ ଗଗନ କହିଚାଲିଥାଏ ସହରର ସ୍କୁଲ ଓ ସାର୍ ମାନଙ୍କ କାହାଣୀ। ପିଲାଙ୍କୁ ଏସବୁ ଅବିଶ୍ବସନୀୟ ମନେ ହେଲେ ମଧ୍ଯ ସେମାନେ ପାଟି ମେଲା କରି ଶୁଣି ଚାଲିଥା'ନ୍ତି । ସେତିକିବେଳେ ଗଗନ ଜ୍ଯାମିତି ବାକ୍ସ ଭିତରୁ କାଢିଲା ସେହି ଅସୀମ ଦୁର୍ମୂଲ୍ଯ ଚିଜ ଟି। ସେଥିରେ ଅଗ୍ନୀସଂଯୋଗ କରି ସିନେମା ଭଙ୍ଗୀରେ ପାଟିରେ ରଖି ବାକି ପିଲା ମାନଙ୍କ ଆଡକୁ ଦେଖିଲା ବେଳକୁ, ସେ ଅନୁଭବ କରି ପାରୁଥିଲା, ପିଲାମାନେ ତା'ର ବଶ୍ଯତା ସ୍ବୀକାର କରି ସାରିଛନ୍ତି ଓ ସେ ଏବେ ସମସ୍ତଙ୍କର ନୂଆ ମୁଖିଆ ପାଲଟି ଯାଇଛି। କିଛି ସମୟ ପରେ ସେହି ଅଞ୍ଚଳଟି ଧୂମ୍ରମୟ ହୋଇ ଉଠିବା ସହିତ, ଗଗନ ଓ ବାକି ପିଲା ମାନେ କାଶି କାଶି ନୟାନ୍ତ ହେବା ଦୃଶ୍ଯ ହେଲା। ଦୁର୍ଯୋଗକୁ ହରିମାଷ୍ଟ୍ରେ ସେହି ବାଟ ଦେଇ ଯାଉଥିଇେ। ସ୍କୁଲ ଛାଡି ପିଲା ମାନେ ସେ ସ୍ଥାନ ରେ କାହିଁକି ମେଳି ବାନ୍ଧିଛନ୍ତି ବୋଲି ଜାଣିବା ପାଇଁ ସେହି ସ୍ଥାନରେ ପହଞ୍ଚି ସେ ଯାହା ଦେଖିଲେ, ତାହା ତାଙ୍କ ପାଇଁ ସ୍ବପ୍ନାତୀତ ଥିଲା। ତା ପରର ଦୃଶ୍ଯ ବର୍ଣ୍ଣନା କରିବା କଷ୍ଟ।

ସ୍ବଭାବରେ କ୍ରୋଧୀ ହରିମାଷ୍ଟ୍ରଙ୍କର ସେହି ରୂପ କେବଳ ଦେଖିଥିବା ଲୋକ ହିଁ ବିଶ୍ବାସ କରିବ। ତାଙ୍କ ହାତରେ ସେ ସମୟରେ ବେତ ବାଡି ନ ଥିଲା, ତେଣୁ ଏକ ଅମରି ଗଛରୁ ଡାଳ ଖଣ୍ଡେ ଭାଙ୍ଗି ସେ ସମସ୍ତଙ୍କୁ ଗାଈ ଗୋରୁଙ୍କୁ ପିଟିଲା ପରି ପିଟି ଚାଲିଲେ। ପିଲାଙ୍କର ବିକଳ ବିତ୍କାର ସହ ହରିମାଷ୍ଟ୍ରଙ୍କ କ୍ରୋଧସିକ୍ତ ଦୁଃଖାଭିଭୂତ ସ୍ବର ଶୁଭୁଥିଲା-- ଛିଃ, ଶେଷରେ ତୁମେ ମାନେ ଏଇଆ କଲ। ମୋ ସ୍ବପ୍ନ, ମୋ ଆଶା କୁ ମାଟିରେ ମିଶେଇ ଦେଲ। ତୁମ ମାନଙ୍କୁ ଭଲ ମଣିଷ କରିବି ବୋଲିି ଘର ଦ୍ବାର ଛାଡି ଏହି ଗାଁଆରେ ପଡି ରହିଛି, କିନ୍ତୁ ତୁମେ ମାନେ ମୋତେ ଏମିତି ଉପହାର ଦେଲ। ଖରାପ ସଙ୍ଗତିରେ ପଡି ମୋର ଏକ ମାତ୍ର ପୁଅ ଆରପାରି କୁ ଚାଲିଗଲା। ତା ଅନ୍ତେ ମୁଁ ତୁମ ମାନଙ୍କୁ ନିଜ ପିଲା ପରି ଦେଖୁଥିଲି, ତୁମେ ଅବାଟ ରେ ନ ଯାଇ ଭଲ ମଣିଷ ହୁଅ ବୋଲି କଡା ଅନୁଶାସନ ରେ ରଖିଥିଲି। କିନ୍ତୁ......ତୁମେ ମାନେ ମୋତେ ଆଜି ମାରିଦେଲ ରେ ପିଲେ....ମୁଁ ହାରିଗଲି।

ଏତିକି କହି ସେ ଚେତାଶୂନ୍ଯ ହୋଇ ପଡିଗଲେ। ଗଗନ ଓ ଅନ୍ଯ ପିଲା ମାନେ ସେ ସ୍ଥାନ ଛାଡି ଭୟରେ ଘରକୁ ପଳାଇଲେ। କଥା ଟା ଗୋପନ ରେ ରହିଲା। ବେଶ୍ କିଛିଦିନ ଧରି ଗଗନ ସ୍କୁଲ ଗଲେ ନାହିଁ। ବାପା କହୁଥିଲେ ଯେ ହରିମାଷ୍ଟ୍ରଙ୍କୁ ହୃଦଘାତ ହୋଇଥିଲା ଓ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ମନ ଭିତରେ ସାର୍ ଙ୍କୁ ଥରେ ଦେଖିବା ପାଇଁ ପ୍ରବଳ ମନ ଥିବା ପରେ ମଧ୍ଯ ସେ ବାପାଙ୍କୁ କିଛି କହି ପାରୁ ନ ଥିଲେ। ଆତ୍ମଗ୍ଳାନୀର ଶିକୁଳିରେ ପଡି ଛଟପଟ ହେବା ଛଡା ତାଙ୍କ ପାଖରେ ଅନ୍ଯ କିଛି ଉପାୟ ନ ଥିଲା। କିଛି ଦିନ ପରେ ଗଗନଙ୍କ ବାପାଙ୍କର ବଦଳି ହୋଇଗଲା ଓ ସେମାନେ ମଧୁପୁର ଛାଡି ଆସିଲେ। ଗାଡି ଭିତରେ ବସି ସକେଇ କାନ୍ଦି ଚାଲିଥିଲେ ଗଗନ। ତାଙ୍କ ଅନ୍ତରାତ୍ମା କହିଚାଲିଥିଲା, ହରି ମାଷ୍ଟ୍ରଙ୍କ ଏ ଅବସ୍ଥା ପାଇଁ ସେ ନିଜେ ଓ ସେ ଠାକୁର ଙ୍କ ପାଖରେ କରିଥିବା ପ୍ରାର୍ଥନା ହିଁ ଦାୟୀ। ସେ ହରିମାଷ୍ଟ୍ରେଙ୍କ ଗୋଡ ତଳେ ପଡି କାନ୍ଦିବାକୁ ଚାହୁଁ ଥିଲେ, ମାତ୍ର ଭାଗ୍ଯ ତାଙ୍କୁ ସେ ସୁଯୋଗ ଦେଲା ନାହିଁ। ବର୍ଷ ପରେ ବର୍ଷ ବିତି ଚାଲିଲା। ପାଠ ପଢି ଗଗନ ଚାକିରି କଲେ। ଏବେ ସେ ଜିଲ୍ଲାର ଶିକ୍ଷା ଅଧିକାରୀ, କିନ୍ତୁ ଏବେ ବିି ତାଙ୍କ ମନରେ ହରିମାଷ୍ଟ୍ରଙ୍କ ମୁହଁ ଟା ଜଳଜଳ ଦିଶି ଯାଏ ଅନକ ସମୟରେ ଓ ଅନୁତାପର ବହ୍ନିରେ ସେ ଜଳି ଉଠନ୍ତି।

ସ୍କୁଲ ହତା ଭିତରେ ପଶିବା ପରେ ସେ ଦେଖିଲେ ଏତେ ବର୍ଷ ପରେ ମଧ୍ଯ ସ୍କୁଲର ବିଶେଷ କିଛି ପରିବର୍ତ୍ତନ ହୋଇ ନାହିଁ । ସ୍କୁଲର ନାମ ଫଳକ ଟି ରଙ୍ଗ ଛାଡି ଅସ୍ପଷ୍ଟ ଦିଶୁଛି। କେଇ ବଖରା ନୂଆ ତିଆରି ହୋଇଛି ସତ, କିନ୍ତୁ ଅବସ୍ଥା ଦୟନୀୟ। ସେ ପଢୁଥିବା ସମୟରେ ଲଗାଇ ଥିବା ଆମ୍ବ ଗଛଟି ବିଶାଳ କାୟା ଧାରଣ କରି ତାଙ୍କୁ ସ୍ବାଗତ କରୁଛି ବୋଲି ମନେହେଲା। ସ୍କୁଲ ହତା ଭିତର ପରିଷ୍କାର ପରିଛନ୍ନ ଓ ତହିଁରେ ଅସରନ୍ତି ଫୁଲ ଗଛର ସମ୍ଭାର ଦେଖି ସେ ବିମୋହିତ ହୋଇଗଲେ। ଆଖି ଆଗରେ ପୁଣି ଥରେ ନାଚି ଉଠିଲା ତାଙ୍କ ପିଲା ଦିନର କଥା। ମୂହୂର୍ତ୍ତକ ପାଇଁ ସେ ବିସ୍ମରିତ ହେଲେ ତାଙ୍କର ସ୍କୁଲ କୁ ଆସିବାର ଅସଲ ଉଦ୍ଦେଶ୍ଯ ସମ୍ପର୍କରେ। ପିଲା ମାନଙ୍କୁ ସେ ନିରେଖି ଦେଖିଲେ। ସମସ୍ତଙ୍କ ଦେହରେ ୟନିଫର୍ମ ଥିଲା ଓ ଖେଳଛୁଟି ହୋଇଥିବାରୁ ସମସ୍ତେ ସ୍କୁଲ ହତା ଭିତରେ ଖେଳକୁଦରେ ମାତିଥିଲେ। କିଛି ପିଲା ଖାଇବାରେ ବ୍ଯସ୍ତ ଥିଲେ।

ସେତିକି ବେଳକୁ ତାଙ୍କ ନଜରରେପଡିଲା କେତେ ଜଣ ପିଲା ସ୍କୁଲ ବାରଣ୍ଡାରେ ଉଠ୍ ବସ୍ ହେଉଛନ୍ତି। ସ୍କୁଲ ରେ କୌଣସି ପ୍ରକାର ର ଶାରୀରିକ ଦଣ୍ଡ ପ୍ରଦାନ କୁ ଅପରାଧ ବୋଲି ଆଇନ ପ୍ରଣୟନ କରାଯିବା ପରେ ମଧ୍ଯ କେଉଁ ଶିକ୍ଷକ ଏପରି ଦୁଃସାହାସ କଲା ବୋଲି ତାଙ୍କ ଭିତରେ କିଛି ସମୟ ପାଇଁ ସୁପ୍ତ ଗଗନ ସାମନ୍ତରାୟ, ଜିଲ୍ଲା ଶିକ୍ଷା ଅଧିକାରୀ ଜାଗ୍ରତ ହୋଇ ଚିତ୍କାର କରିବାକୁ ଲାଗିଲା। ତାଙ୍କୁ ଅନୁସରଣ କରୁଥିବା ଅଧିକାରୀ କୁ ସେ ଇସାରା ଦେଲେ ଓ ସେ ତଡିତ୍ ବେଗ ରେ ତାଙ୍କ ପାଖରେ ଉପସ୍ଥିତ ହେଲା। ସ୍କୁଲ ହତା ରେ ଶିକ୍ଷାଧିକାରୀଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇବା କ୍ଷଣି ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ହେଲେ। ଆଗପଛ ବିଚାର ନ କରି ଗଗନ ସେମାନଙ୍କୁ ମନଇଛା ଗାଳି ଦେଇ ଚାଲିଲେ ଓ ସେମାନେ ମୁଣ୍ଡ ପୋତି ଚୁପ୍ ହୋଇ ଛିଡା ହୋଇଥିଲେ।

ସେ ସମୟରେ କାହାର ଧୀର ଅଥଚ ଗାମ୍ଭୀର୍ଯ୍ଯପୂର୍ଣ୍ଣ ସ୍ବର ଶୁଭିଲା - ମହାଶୟ , ଶିକ୍ଷକ ମାନଙ୍କର କୌଣସି ଦୋଷ ନାହିଁ। ସେ ପିଲା ମାନଙ୍କୁ ମୁଁ ଏପରି କରିବାକୁ କହିଥିଲି, ସେମାନଙ୍କର ଭୂଲ ପାଇଁ। ତାହା କୌଣସି ଶାରୀରିକ ଦଣ୍ଡ ନୁହଁ, ବରଂ ଦୃଷ୍ଟିକୋଣ ବଦଳାଇଲେ ଉଠ୍ ବସ୍ ହେବା ଏକ ବ୍ଯାୟାମ ବୋଲି ବିଚାର କରିବା ଦୋଷାବହ ନୁହଁ। ଏ କଥା ସତ୍ଯ ଯେ, ମୁଁ ଏହି ସ୍କୁଲର ଶିକ୍ଷକ ନୁହଁ, କିନ୍ତୁ ଜଣେ ବୟୌଜ୍ଯେଷ୍ଠ ନାଗରିକ ଭାବରେ ନିଜର କର୍ତ୍ତବ୍ଯ ସମ୍ପାଦନ କରିବାକୁ ମୁଁ ନିତିଦିନ ଏହି ସ୍କୁଲ କୁ ଆସେ ଓ ପିଲାଙ୍କୁ ପଢାଏ।

- - - ଓଃ, କିଛି କମ୍ ସାହାସ ନାହିଁ ତ ଆପଣଙ୍କର? ଶେଷରେ ଆମ ଦେଶର ଅବସ୍ଥା ଏପରି ହେଲା ଯେ ଶିକ୍ଷକ ମାନେ ଶିକ୍ଷାଦାନ କରିବାର ଭାର ବୟୋଜ୍ଯେଷ୍ଠ ବ୍ଯକ୍ତିଙ୍କ ହାତରେ ନ୍ଯସ୍ତ କରିବେ? ଲଜ୍ଯାହୀନ ଆପଣ ଓ ଏହି ସ୍କୁଲର ଶିକ୍ଷକ ମାନେ। ଧିକ୍ ତୁମ ମାନଙ୍କୁ..... ସମ୍ମୁଖରେ ଦଣ୍ଡାୟମାନ ଜଣେ ବୃଦ୍ଧଙ୍କୁ ଦେଖି ସେ ହଠାତ୍ ନୀରବ ହୋଇଗଲେ।

ତାଙ୍କ ସମ୍ମୁଖରେ ଉପସ୍ଥିତ ଥିଲେ ପକ୍ବ କେଶବିଶିଷ୍ଟ ଧବଳ ଶ୍ମଶୃଧାରୀ ଜଣେ ବୃଦ୍ଧ। ତାଙ୍କର ଶରୀର ଦୁର୍ବଳ ଓ ଚକ୍ଷୁ ଯୁଗଳ କୋଟରଗତ ଥିଲା। କିନ୍ତୁ ସେ ତେଜୋଦୀପ୍ତ ଚକ୍ଷୁଦ୍ବୟରେ ଥିଲା ଅତଳ ସମୁଦ୍ରର ଗଭୀରତା। ସୁଉଚ୍ଚ କପାଳ ଓ ମୁଖମଣ୍ଡଳରେ ସ୍ପଷ୍ଟ ଦିଶୁଥିବା କୁଞ୍ଚିତ ରେଖା, ବୃଦ୍ଧଙ୍କର ବୟସାଧିକ୍ଯତା ଓ ପରିପକ୍ବତା କୁ ସୂଚାଉଥିଲା।

ତାଙ୍କୁ ଚିହ୍ନିବାରେ ବିଶେଷ କଷ୍ଟ କରିବାକୁ ପଡିଲା ନାହିଁ, କାରଣ ସେ ଧରି ଥିଲେ ସେହି ବେତ ବାଡି ଯାହାର ସାନ୍ନିଧ୍ଯ ଲାଭ କରି ଗଗନଙ୍କ ପିଲା ଦିନ କଟିଥିଲା। ବୃଦ୍ଧଙ୍କର ଗୋଡ ତଳେ ଲମ୍ବ ହୋଇ ପଡିଗଲେ ଗଗନ ଓ ପାଦ ଧରି ଭେଁ ଭେଁ କାନ୍ଦି ଉଠିଲେ। କେହି କିଛି ବୁଝି ନ ପାରି କେବଳ ଚାହିଁ ରହିଥା'ନ୍ତି। ଶିକ୍ଷକଗଣ ଓ ଗଗନଙ୍କ ସାଙ୍ଗରେ ଆସିଥିବା କର୍ମଚାରୀ ଭାବୁଥିଲେ ବୋଧେ ବାବୁଙ୍କର ଟିକେ ମୁଣ୍ଡ ଦୋଷ ଅଛି, ନୋହିଲେ ଏତେ ବଡ ଅଧିକାରୀ ,ଏ ଦୁର୍ବଳ, ଦରିଦ୍ର, ପରିବାର ବିହୀନ ବୃଦ୍ଧ ଶିକ୍ଷକ ଯିଏ କୋଡିଏ ବର୍ଷ ତଳୁ ଅବସର ନେଇ ସାରିଲାଣି, ତା ଗୋଡ ତଳେ ପଡି କ୍ଷମା ମାଗିବାର କାରଣ କ'ଣ ବା ହୋଇପାରେ?

– ଉଠନ୍ତୁ ମହାଶୟ, କାହିଁକି ମୋତେ ଲଜ୍ଜିତ କରୁଛନ୍ତି। ଯଦି ମୁଁ କିଛି ଦୋଷ କରିଛି ମୋତେ ଦଣ୍ଡିତ କରନ୍ତୁ।

ଥରଥର କଣ୍ଠରେ ପିଲାଙ୍କ ପରି ଆକୁଳ ହୋଇ କହିଚାଲିଥିଲେ ଗଗନ- - - କ୍ଷମା କରିଦିଅନ୍ତୁ ସାର୍ ,ମୋତେ ପ୍ରାୟଶ୍ଚିତ କରିବାକୁ ଦିଅନ୍ତୁ। ଏ ଅଧମ ଆପଣଙ୍କର ସେହି ଅଯୋଗ୍ଯ ଶିଷ୍ଯ, ଯାହାକୁ ଆପଣ ଫୁଟବଲ୍ ଡାକୁଥିଲେ। ହଁ ସାର୍, ମୁଁ ପୋଷ୍ଟମାଷ୍ଟରଙ୍କ ପୁଅ, ଏଇ ସ୍କୁଲ ରେ ସପ୍ତମ ଶ୍ରେଣୀରେ ପଢୁଥିଲି....କିଛି ମନେ ପଡିଲା ସାର୍ ? ମୁଁ ଗଗନ ...

ବୃଦ୍ଧଙ୍କ ଚକ୍ଷୁଦ୍ବୟ ଏକ ସମୟରେ ଆନନ୍ଦ, ପ୍ରାପ୍ତି, ବିସ୍ମୟ ଓ ସନ୍ତୋଷଭାବ ର ପୂର୍ଣ୍ଣତାରେ ପୁରି ଉଠିଲା। ସେ ଗଦଗଦ ହୋଇ କହି ଉଠିଲେ-- ଉଠ ବାପା, କାହିଁକି ଏ ବୃଦ୍ଧକୁ ଲଜ୍ଜିତ କରୁଛ?

ସେଠାରେ ଉପସ୍ଥିତ ପିଲା,ଶିକ୍ଷକ ଓ କର୍ମଚାରୀଙ୍କ ଉଦ୍ଦେଶ୍ଯରେ ବୃଦ୍ଧ ଘୋଷଣା କରି କହିଲେ -- ସମସ୍ତେ ଦେଖନ୍ତୁ, ଏହି ମହାଶୟ ହେଲେ ମୋର ଶିଷ୍ଯ। ପିଲା ଦିନେ ତାଙ୍କୁ ମାରିଛି, ଗାଳି ଦେଇଛି ତା'ର ହିସାବ ନାହିଁ। ସେ ଆଜି ସମାଜରେ ଜଣେ ଯୋଗ୍ଯତମ ବ୍ଯକ୍ତି ଭାବରେ ନିଜକୁ ପ୍ରତିଷ୍ଠିତ କରି ପାରିଛନ୍ତି, ଏହାଠାରୁ ବଡ ପ୍ରାପ୍ତି ମୋ ପାଇଁ ଆଉ କିଛି ନାହିଁ। ସେ ଗଗନ କୁ କୁଣ୍ଢାଇ ଧରି କାନ୍ଦକାନ୍ଦ ହୋଇ କହିଲେ-- ମୋ ଫୁଟବଲ୍ ରେ , ମୋ ପୁଅ ରେ, ତୁ ମୋତେ ଆଜି କନ୍ଦେଇ ଦେଲୁ। ଆଜି ତୁ କେତେବଡ ଲୋକ ହୋଇ ଗଲୁରେ ...

ଗଗନ କେବଳ ଜଣେ ଅବୋଧ୍ଯ ବାଳକ ପରି କାନ୍ଦି ଚାଲିଥିଲେ। ପାଖରେ ଛିଡା ହୋଇଥିବା କର୍ମଚାରୀ ଜଣକ ମନରେ କେବଳ ଗୋଟଏ ପ୍ରଶ୍ନ ବାରମ୍ବାର ଖେଳି ଚାଲିଥିଲା

" ପୁରାତନ ଓ ନୂତନ ଶିକ୍ଷାପ୍ରଣାଳୀରେ କେଉଁଟି ଶ୍ରେଷ୍ଠ " । ଅବଶ୍ଯ ସେହି ସ୍ଥାନ ରେ ହରିମାଷ୍ଟ୍ରେ ଙ୍କ ଉପସ୍ଥିତି ସେ ପ୍ରଶ୍ନର ଉତ୍ତର ସଗର୍ବେ ପ୍ରଦାନ କରି ଚାଲିଥିଲା।



-----ସମାପ୍ତ---