Wednesday, January 5, 2022

ଅଧର୍ମବିତ୍ତ

 



ଅଧର୍ମବିତ୍ତ

ଲେଖକ- ଅରବିନ୍ଦ ରଥ

ଅନେକଦିନର ଟଣାଓଟରା ଘୋଷରା ଘୋଷରି ଆଲୋଚନା ପରେ ମଧ୍ଯ କେଉଁ ରଙ୍ଗର ଗାଡିଟା କିଣା ଯିବ ସ୍ଥିର ହୋଇ ପାରିଲାନି। ଘଡିକେ ଘୋଡା ଛୁଟୁଛି, ତାକୁ ଆକଟ କରିବ କିଏ। ସେଦିନ ସକାଳେ ରାସ୍ତାରେ ଛନଛନିଆ ସୁନେଲି ରଙ୍ଗର ଗାଡିଟେ ଯିବା ଦେଖି ଟିମିଣିଦେବୀ କହିଲେ "ଆହା କି ଛନଛନିଆ ରଙ୍ଗଟି ହୋଇଛି ଦେଖ। ଗାଡିଟି ଆମର ଏଇ ରଙ୍ଗର କିଣିଲେ କେମିତି ହୁଅନ୍ତା? ଦେବବାବୁ କିଛି କହିବାକୁ ପାଟିମେଲା କରିଛନ୍ତି କି ନାହିଁ, ତାଙ୍କ ଅଲଟ୍ରାମଡର୍ଣ୍ଣ ପୁତ୍ରମଣିଙ୍କ ଯାବତୀୟ ଇଂରାଜିମିଶା ବଚନ ଥୋଡେ ଝରି ପଡିଲା। ଅଙ୍ଗ୍ ପଙ୍ଗ୍ ଟଙ୍ଗ୍ କରି କଣ ସବୁ କହିଗଲା ସେକଥା ବୁଝିବାକୁ କାହା ବୋପାର ବି ଜୁ ନାହିଁ। ଶେଷ ଆଡକୁ ଯେଉଁ କେତୋଟି ଓଡିଆ କଥା ଥପଥପ ହୋଇ ଗଳି ପଡିଲା ସେଥିରୁ ବୁଝାଲା ଯେ ସୁନେଲିରଙ୍ଗଟା ଗୋଟାଏ ନିହାତି ଶସ୍ତା ରଙ୍ଗ। ସେ ରଙ୍ଗର ଗାଡିଟା ଗୋଟେ ସର୍କସ ଗାଡି ବାଗିଆ ଦିଶିବ। ଆଜୀବନ ସୁନେଲି ରଙ୍ଗ ପଛରେ ଦୌଡିଦୌଡି ଥକି ପଡି ନଥିବା ଟିମିଣି ଗୁଣଗୁଣୁ ହୋଇ କହିଲେ " ଇଏ ବୋପା ପୁଅ ଦୁଇଟା ସୁନେଲି ରଙ୍ଗ ଦେଖିଲେ କାହିଁକି ଏମିତି ବିଛୁଆତି ଲାଗିଲା ପରି ହୁଅନ୍ତି କେଜାଣି? ପୁଅ ମୋର ସୁନେଲିରଙ୍ଗକୁ ଶସ୍ତା କହୁଛି -- ହଉ, ଖାଲି ଥରେ ବାହାଘର ଟା ସରିଯାଉ। ତାପରେ ସିନା ଜାଣିବ ସୁନେଲି ରଙ୍ଗର ମହତ୍ତ୍ବ କଣ”।

ତେଣେ ଦେବବାବୁ ଟିମିଣିଙ୍କ ବେକରେ ଝୁଲୁଥିବା ପନ୍ଦରଦିନ ପୁରୁଣା ସୁନା ହାରଟିକୁ ଦେଖି ଦୀର୍ଘନିଶ୍ବାସ ଛାଡି ନିଜକୁ ଶୁଭିଲା ପରି କହିଲେ- - ହାଏରେ ବିଧାତା, ମାଇକିନାକୁ ସୁନା ଆଉ ସୁନେଲି ରଙ୍ଗ ଛଡା ଆଉ କିଛି ଦିଶୁନାହିଁ କାହିଁକି।

ପୁଅ କହିଲା ଗାଡିର ରଙ୍ଗଟା କର୍କଶିଆ କଳା ହେବା ଦରକାର। ଏମିତି କଳା, ଯେମିତି ପଡୋଶି ଦାମବାବୁଙ୍କ ମାଲିକାଣି- - ମାନେ ତାଙ୍କ ଧର୍ମପତ୍ନୀ। ସେହି ରଙ୍ଗର ଗାଡି ହେଲେ ଲକ୍ଷେଥର ଧୋଇଲେ ବି ରଙ୍ଗ ମଳିନ ପଡିବନି। ଆଞ୍ଚୁଡା ମାଞ୍ଚୁଡା ଦାଗ ଦିଶିବନି। କପଡା ଖଣ୍ଡେ ଧରି ଝାଡିଦେଲେ ଗାଡି ଚକଚକ କରିବ,ଧୋଇବା ବି ଦରକାର ନାହିଁ। ପରମଶତୃ ଦାମବାବୁଙ୍କ ଧର୍ମପତ୍ନୀ କଥା ପଡିବା ମାତ୍ରକେ ଟିମିଣିଦେବି ପୁଅର ପ୍ରସ୍ତାବରେ ସାଙ୍ଗେସାଙ୍ଗେ ମୋହର କୁଟିଦେଲେ। କିନ୍ତୁ ସେତିକିବେଳକୁ ଘର ଭିତରୁ କିଳିକିଳିଆ ରାବ ଛାଡି ଦୌଡି ଆସିଲା ଦେବବାବୁଙ୍କ ପଚିଶିଟି ବସନ୍ତକୁ ଲମ୍ବ ଡିଆଁ ମାରିଥିବା ଅଲିଅଳି ସୁକନ୍ଯା ଫୋନାଲିସା। ଦାନ୍ତଗଜୁରି କହିଲା- - ସେ ଫାଲତୁ କଥା ସବୁ ବନ୍ଦ କର। ଗାଡିର ରଙ୍ଗ କେବଳ ଗୋଲାପି ଛଡା ଅନ୍ଯ କିଛି ହୋଇ ପାରିବ ନାହିଁ। ତୁମେ ମାନେ ମୁର୍ଖ, କଣ ଏତିକି ଜାଣିନ ଯେ ପ୍ରମର ରଙ୍ଗ ହେଲା ଗୋଲାପି। ଗୋଲାପର ରଙ୍ଗ ବି ଗୋଲାପି। ଜିଲାପିର ରଙ୍ଗ,ଲିପଷ୍ଟିକ୍ ରଙ୍ଗ, ମହାନ୍ତିବାବୁଙ୍କ ଛାତର ରଙ୍ଗ, ବର୍ଷାଛଡା ଆକାଶର ରଙ୍ଗ, ବୁଢା ପାତି ମାଙ୍କଡ ଉହୁଁର ରଙ୍ଗ,ଚାପୁଡାଖିଆ ଗାଲର ରଙ୍ଗ ଚୁମ୍ବନ ଖିଆ ଓଠର ରଙ୍ଗ ସବୁ ଗୋଲାପି। ପୁଣି ଓଡିଆ ଆଲବମ୍ ଖୋଜି ଦେଖ ଗୋଟେ ସୁନ୍ଦର ଗୀତ ଅଛି "ଗୋଲାପି ଗୋଲାପି”। ଆଉ ମାଇଁ ଡିୟର୍ ଡେଡି, ଦର୍ପଣରେ ଥରେ ପାଟି ମେଲା କରି ଦେଖ- - କେମିତି ପାନ ଚୋବେଇ ତୁମ ପାଟିର ରଙ୍ଗ ବି ଗୋଲାପି।

ରାତିଦିନ ତିକତକ(ଟିକ୍ ଟକ୍) ଓ ହୀନସ୍ତାଗ୍ରାମରେ(ଇନଷ୍ଟାଗ୍ରାମ୍) କୁନି ଭିଡିଓ ମାନ ଛାଡି ଲକ୍ଷେ ବଜାରିଙ୍କ ପ୍ରଶଂସା ସାଉଁଟିବାରେ ଜୀବନ କାଟୁଥିବା ଝିଅର ବେହିଆମି କଥା ଶୁଣି ଦେବଙ୍କୁ ଭୀଷଣ ରାଗ ଲାଗୁଥିଲା- - କିନ୍ତୁ ଯେତେବେଳେ ତାଙ୍କ ପାନଖିଆ ପାଟିର ଗୋଲାପି ରଙ୍ଗ ର ପ୍ରଶଂସା ହେଲା , ମନ କୁ ମନ ପାଟିରେ ଜାବ ପଡିଗଲା। ଝିଅକୁ ଗାଳି ଫଜିତ୍ କରିବାକୁ ଜିଭ ଲେଉଟିଲାନି। ଘରର ସବୁଲୋକ ଗାଡି ବିଷୟରେ ନିଜ ମତ ଦେଲା ବେଳକୁ ଦେବବାବୁଙ୍କ ମୁଣ୍ଡରେ ଜଗତ ଯାକର ଚିନ୍ତା ତା ତା ଥେଇ ନାଚ କରିବାରେ ବ୍ଯସ୍ତ ଥିଲେ।

କେତେ ସୁଖରେ ଦିନ ସବୁ ବିତି ଯାଉଥିଲା, ଏ ଦାମ ମାଇପ ତାଙ୍କ ହସିଲା ସଂସାରରେ ଦିଆସିଲି ଖେଞ୍ଚିଦେଲା। ସହର ଯାକରେ ଏ ପେଞ୍ଚଦିଆ ଦାମକୁ କିଏ ବା ନ ଜାଣେ। କିଲିଟର ଅଫିସିରେ କିରାଣି ଚାକିରି ସିନା କରିଛି, ତା ହାକିମାତି ଠାଣି ଦେଖିଲେ ସ୍ବୟଂ ରାଷ୍ଟ୍ରପତିଙ୍କ ଆଖି ମଧ୍ଯ ଟେରା ହୋଇଯିବ। କିହୋ ଲୋକେ ସିନା ଦୁଇ ହାତରେ ଲାଞ୍ଚ ମିଛ ଖାଆନ୍ତି, ଏ ଦାମ ତ ଲାଞ୍ଚ ପୋଖରିରେ ଦିନରାତି ବୁଡି ରହୁଛି। ସାରା ସହରରେ କାହା ପକେଟରେ ଯେ ଦାମ ହାତ ନ ମାରିଛି ତାହାର ହିସାବ ନାହିଁ। କିନ୍ତୁ ଲୋକଟାର ବେଳା ଭଲ। ଭିଜିଲାନସ୍ ବାଲା ଯେତେ ଛିଙ୍କା ଛିଙ୍କି କଲେ ମଧ୍ଯ ଦାମର ଚୁଟି ବଙ୍କା କରି ପାରନ୍ତିନି। ଘୁଷୁରିପିଲା ପଙ୍କ ପାଣିରେ ଦିନରାତି ଲୋଟିଲା ପରି ତଳ ଠୁଁ ଉପର ସବୁ ତ ସେଇ ଲାଞ୍ଚ ପାଖରିରେ ଘରଦ୍ବାର କରି ରହିଛନ୍ତି ; କିଏ ବା ଧରିବ କାହାକୁ। ଚପରାଶି ଚାକିରି କରି ଦାମର ଘର ସାମନା ରେ ଦୁଇଟା କାର୍ ଡାହାଳ କୁକୁର ପରି ଛିଡା ହୋଇଛନ୍ତି। ମୋଟର ସାଇକେଲ ଚାରିଟା ଖଣ୍ଡେ ପାଚେରି ପାଖରେ ସତୃଷ୍ଣ ନୟନରେ ଚାହିଁ ରହି ଥାଆନ୍ତି କାଳେ ସେମାନଙ୍କୁ କିଏ ନେଇ ବଜାର ଆଡେ ଘେରାଏ ବୁଲାଇ ଆଣିବ। ନହେଲେ ଏ ଚାରି ଚକିଆ ମାନେ ଘରେ ପଶିବା ଦିନରୁ ସେମାନଙ୍କୁ କେହି ବାସିଚୁଟିରେ ପଚାରୁ ନାହାଁନ୍ତି। ଦାମର ପିଲାଝିଲା କହିଲେ ଦୁଇଟା ଭେଣ୍ଡିଆ ପୁଅ ଓ ତିନିଟା ଅଭିଆଡି ଝିଅ। ସେମାନଙ୍କ ପାଇଁ ଦାମର ଚିନ୍ତା ନାହିଁ। ବାପ ନମ୍ବରି ହେଲେ ତା ପିଲା ମାନେ ଦଶ ନମ୍ବରି। ଧାଡି ଦେଖେଇଲେ ମାଡିଯିବା ପିଲା ସେମାନେ। ଘରେ ଟଙ୍କା ପଇସାର ଅଭାବ ନାହିଁ। ଯେତିକି ଅଛି ସାତ ପୁରୁଷ ଖାଇଲେ ସରିବନି।

ଦାମ ବିଷୟରେ ଭାବି ଦେବ ବିରକ୍ତିରେ କହି ଉଠିଲେ - - କିହୋ ଖୁସି ହେଲେ ନିଜେ ଘରେ ହୁଅ। ସହରସାରା ବାଇଦ ବଜାଇବାର କଣ ଅଛି। ତୁମ ବାଇଦରେ କାହାର କଣ କେତେବେଳେ ଫାଟୁଛି ସେକଥା ବି ତୁମେ ମାନେ ଭାବିବା ଦରକାର। ସେଦିନ ର ଘଟଣା ଟା ଆଖି ସାମ୍ନାରେ ଟ୍ରାଫିକ୍ ପୋଷ୍ଟ ପାଖରେ ମାଇଗୁଲି ନାଚିବା ପରି ନାଚିଗଲା।

ସେଦିନ ଟେମେଣି ମନ୍ଦିରରୁ ଦର୍ଶନ ସାରି ଫେରିଲା ବେଳକୁ ଦାମର ହିଡିମ୍ବାରୂପୀ ମାଇପ ଚକମକିଆ କାରରେ ସହରରୁ ଫେରୁଥିଲା। ଜାଣିଶୁଣି ଟେମେଣିଙ୍କୁ ଡାକି ନିଜ ପାଖରେ ବସାଇ ଏତିକି ବାହାସ୍ଫୋଟିଆ କଥାସବୁ କହିଲା ଯେ ଟେମେଣି ଢେରଦିନ ଯାଏଁ ରାତିଅନିଦ୍ରା ହୋଇ ବୁଲିଲେ। ତାଙ୍କ ନାକପୁଡାରୁ କାର ଭିତରର ମୋହନୀୟ ବାସ୍ନା ସାଙ୍ଗକୁ ଦାମ ମାଇପ ପାଟିର ଭୁରୁକୁଟିଆ ଗନ୍ଧ ଢେର ଦିନ ଯାଏ ଛାଡିଲାନି। ଦାମ ମାଇପ କହିବା ଅନୁସାରେ ସେ ପାଇଖାନାକୁ ଛାଡି ଆଉ ଯୁଆଡେ ବି ଯାଏ କେବଳ ଚାରି ଚକିଆ ଗାଡିରେ ଯାଏ ; ସହର ରାସ୍ତାରେ ତା ପାଦ କେବେ ପଡିନି। ଦାମ ତା ପାଇଁ ହଳେ ଅଉଲ ନମ୍ବର ଡ୍ରାଇଭର ଖଞ୍ଜି ଦେଇଛନ୍ତି। କଳା ଗାଡି ପାଇଁ ଗୋରା ଡ୍ରାଇଭର ଓ ଧଳା ଗାଡି ପାଇଁ କାଳିଆ ଡ୍ରାଇଭର। ସେ ପାଳି କରି କଳା ଧଳା ଗାଡିରେ ଯାଏ, ଯେବେ ମନ କୁ ଯାହା ଟେକିଲା। ତିନି କିଲୋ ମିଟର ରାସ୍ତା ଭିତରେ ସେ ଟେମେଣିଙ୍କ କାନରେ କେତେ କଣ ଫୁଙ୍କି ଦେଇଗଲା ଯେ ତାଙ୍କ ଅବସ୍ଥା ବାରଗଣ୍ଡା ଦି କଡା ହୋଇଗଲା। ଦେବ ଓ ପିଲାମାନଙ୍କ ଅକ୍ଳାନ୍ତ ଚେଷ୍ଟା ଉତ୍ତାରୁ ଟେମେଣି ନିଜ ହେତୁ ପାଇ ସମସ୍ତ ଘଟଣା ଭକଭକ କରି ଉଗାଳି ଦେଇଗଲେ। ଦେବଙ୍କୁ କିଛି ଫରକ ପଡିଲାନିି କିନ୍ତୁ ପିଲା ଦୁଇଟା ରାଗରେ ଦାନ୍ତ କିଟିମିଟି କରିବାରେ ଲାଗିଲେ। ତାଙ୍କ ମାତାଶ୍ରୀଙ୍କୁ ଦାମ ମାଇପ କକରଛନିଆ କରି ବେଜ୍ଜିତ୍ କରିଛି କହି ଘରଦ୍ବାର କମ୍ପମାନ କରି ପକେଇଲେ। ହରତାଳ କରି ପିଲା ଦୁଇଟା ଭୂଇଁରେ ଲୋଟି ପଡି ଚିତ୍କାର କରି ଚାଲିଲେ ଯେ "ଆମର ବି ଗାଡି ଦରକାର, ଆଜି ଯଦି ଆମେ ଚାରି ଚକିଆ ଗାଡିରେ ଯିବା ଆସିବା କରୁ ଥାନ୍ତେ,ଲୋକେ ଆମକୁ ଏମିତି ହନିମାନିଆ କରୁ ନଥାନ୍ତେ ”। ବାହାଘର ପରେ ଦେବଙ୍କ ହାତ ଧରିବା ପରେ ସେ ଯାହା ଥରେ କାରରେ ବସି ଶାଶୁ ଘରକୁ ଆସିଥିଲେ। ତା ପରଠାରୁ କେବେ କାର ଗାଡିରେ ବସିବା କଥା ତାଙ୍କର ମନେ ପଡୁନି। ଦେବଙ୍କର ଧତରା ସ୍କୁଟରର ଫଟା ସିଟ୍ ରେ ବସି ସେ ଚଉଦ ବ୍ରହ୍ମାଣ୍ଡ ବୁଲି ସାରିଲେଣି। କାରରେ ବସିବା କଥା ସେ କେବେ ସ୍ବପ୍ନରେ ଭାବି ନ ଥିଲେ। କିନ୍ତୁ ଦାମ ମାଇପର ବାହାପିଆ କଥା ହଜମ କରି ନପାରି ସେ ବି ପିଲାଙ୍କ କଥାରେ ସ୍ବର ମିଳାଇ କହିଲେ - - ହଁ ମୋର କାର ଟେ ନିହାତି ଦରକାର। ସେ କାଳୀ ଘଷୁରି ମୋତେ ଯେତିକି ବେଜ୍ଜିତ୍ କରିଛି ତାକୁ କଣ ଏତେ ସହଜରେ ଭୁଲିଯିବି। ନୂଆ କାରରେ ବସି ତା ଘର ସାମନାରେ ବାର ପନ୍ଦରଟା ଘେରା ମାରିଲା ପରେ ଯାଇ ମୋ ଆତ୍ମା ଶାନ୍ତି ପାଇବ।

ଦେବ କଥାର ଗୁରୁତ୍ବ ବୁଝି ନ ପାରି କହିଦେଲେ - - ଶାନ୍ତ ହୁଅ ଟିମିଣି। ତୁମ କଥା ମୁଁ ବୁଝିଗଲିଣି। ଆମେ ବି କାର ଟେ କିଣିବା। ବାସ୍ ଦେବଙ୍କ ପାଟିରୁ କଥା ସରିଛି କି ନାହିଁ ଘରେ ଉତ୍ସବ ପାଳନ ଆରମ୍ଭ ହୋଇଗଲା। ମାଆ ଓ ପିଲାମାନେ ହରିଣ ଛୁଆ ପରି ଡିଆଁଚିରା ମାରି ଘର ଭିତର ଖେଦି ଦେଇଗଲେ।

ସେଦିନ ପରଠାରୁ ଦେବବାବୁଙ୍କ ଘରେ ପ୍ରାୟ ସବୁ ଆଲୋଚନା ପର୍ଯ୍ଯାଲୋଚନାର ଠିପି ବନ୍ଦ ହୋଇଗଲା। ଆଖି ଖୋଲିବା ଠାରୁ ବନ୍ଦ ହେବା ଯାଏଁ କେବଳ ଗାଡି ଚର୍ଚ୍ଚା ଚାଲିଲା। ଦେବ ବହୁତ ଚେଷ୍ଟା କଲେ ସମସ୍ତଙ୍କୁ ବୁଝାଇବାକୁ ଯେ ଗାଡି କିଣା କଥାକୁ ସେ ଏମିତି ମଜାରେ କହି ଦେଇଥିଲେ। କିନ୍ତୁ ପରିବାରର ପ୍ରତିଟି ସଦସ୍ଯ ଏମିତି ପ୍ରତିକ୍ରିୟା ଦେଖେଇଲେ ଯେ ଦେବଙ୍କ ପିଠିଫାଠ୍ ଅବସ୍ଥା ହୋଇଗଲା। ସେ ଭଲରେ ଜାଣିଗଲେ ଯେ ଦେଇଥିବା ବଚନ ଅନ୍ଯଥା ହେଲେ ତାଙ୍କ ଦାନାପାଣିରେ କୋଲପ ପଡିଯିବ। ଟିମିଣିଙ୍କ ଦେହମନପ୍ରାଣରେ ଦାଉଦାଉ ହୋଇ ଜଳୁଥିବା ଅପମାନର ବହ୍ନି କେବଳ ଚାରିଚକିଆ ଗାଡିର ଆଗମନରେ ହିଁ ନିର୍ବାପିତ ହେବ।

କିନ୍ତୁ ଦେବ ଏତେ ଟଙ୍କା ଯୋଗାଡ କରିବେ କେମିତି? ଅନ୍ଯ ମାନଙ୍କ ପରି ସେ ତ ଲାଞ୍ଚମିଛ ବେପାର ଚଳେଇ ନାହାଁନ୍ତି ଯେ ଲକ୍ଷ୍ମୀ ଘର ଦୁଆରେ ଟଙ୍କା ବର୍ଷିଦେଇ ଯିବେ। ଯାହା ଦରମା ଗଣ୍ଡାକ ମିଳେ ସେତିକି ରେ ତାଙ୍କର ସଂସାର ଚଳେ। ଯଦିି କେବେ କେହି ପକେଟରେ କିଛି ଅଦରମା ଗେଞ୍ଜି ଦିଅନ୍ତି ସେ ଭୀଷଣ ବିରୋଧ କରନ୍ତି। ଜଙ୍ଗଲ ବିଭାଗରେ ଫରେଷ୍ଟର ଚାକିରି ତାଙ୍କର। ଅଗନା ଅଗନି ବନସ୍ତ କୋଳରେ ଚପଲ ଘୋଷାରି ଜୀବନର ଅର୍ଦ୍ଧାଧିକ ସମୟ ବିତି ସାରିଲାଣି। ନିରିହ ନିଷ୍ପାପ ଜାଳେଣିକାଠ ଚୋର ଠୁଁ ଆରମ୍ଭ କରି ଚନ୍ଦନ ତସ୍କର ଯାଏଁ ସଭିଙ୍କ ପିଠିରେ ସେ ରକ୍ତଝୋଳିଆ ମାଡ ଠୁଙ୍କିଛନ୍ତି। ଆଇନ କାନୁନରେ ଖିଲାପ ହେଲେ ସେ ନିଜ ବୋପାର ନୁହଁ, ଏହି ସଂଳାପ କହିକହି ଜିଭରେ ବିଣ୍ଡି ବସି ସାରିଲାଣି। ତାଙ୍କ ଉପର ଅଫିସର ମାନେ ଚନ୍ଦନକାଠ ତିଆରି ଖଟରେ ଚାରିକାତ ମେଲେଇ ଶୋଇଲା ବେଳେ ସେ ଫୋଲ୍ଡିଙ୍ଗ୍ ଖଟରେ କଡ ଲେଉଟାଇ ରାତି କାଟିଛନ୍ତି। ସେମାନଙ୍କ ଖାସ୍ କମରାରେ ହାତୀଦାନ୍ତ ସୋଫା ଶୋଭା ପାଇଲା ବେଳକୁ ତାଙ୍କ ବୈଠକଖାନାରେ ନିଲକମଲ କମ୍ପାନୀର ପ୍ଲାଷ୍ଟିକ ଟେବୁଲ ଛାତକୁ ପାଟି ମେଲେଇ ଚାହିଁ ରହିଛି। ଅଫିସରଙ୍କ ସ୍ତ୍ରୀ ପିଲେ ଜଙ୍ଗଲ ଗେଷ୍ଟହାଉସରେ ଜଙ୍ଗଲି ପଶୁପକ୍ଷୀଙ୍କ ମାଂସ ଭିଡିବା ବେଳକୁ ବିଚରା ଦେବ ଖାରପାଣିଆ ଶୁଖୁଆ ଓ ପିଆଜ ସାଙ୍ଗେ ପଖାଳ ତେଣ୍ଡିଛନ୍ତି। ତାଙ୍କରି ସାଙ୍ଗସାଥିଏ ବି ଢେର୍ ମାଲମସଲା କମେଇଛନ୍ତି। ଗୋଟେ କାଠଚୋରକୁ ଛାଡିଦେଲେ ଉପର ଠୁଁ ତଳ ସମସ୍ତଙ୍କ ପକେଟ ଗର୍ଭବତୀ ହୋଇଯାଏ କେବଳ ଦେବଙ୍କୁ ଛାଡି। ତାଙ୍କ ବାପାଙ୍କର ସେହି ଶିକ୍ଷାକୁ ସେ ଆଜି ଯାଏଁ କାନିରେ ଗଣ୍ଠିମାରି ଧରିଛନ୍ତି- - ପୁଅରେ ଜୀବନରେ କେବେ ବେଇମାନି ପଇସା ଉପାର୍ଜନ କରିବାକୁ ମନ ବଳାଇବୁନି। ସବୁବେଳେ ଗୋଟିଏ କଥା ମନେ ରଖିଥିବୁ ଯେ "ଅଧର୍ମ ବିତ୍ତ ବଢେ ବହୁତ,ଗଲା ବେଳେ ଯାଏ ମୂଳ ସହିତ"। ତାଙ୍କ ସଚ୍ଚୋଟଗୁଣ ପାଇଁ ଲୋକେ ଯେତିକି ଭଲ ପାଆନ୍ତି ସେତିକି ଚିଡନ୍ତି ସହକର୍ମୀ ଓ ଉପର ଅଫିସର ମାନେ। ଜଣେ ଅଣଓଡିଆ ହାକିମ ଦେବଙ୍କୁ ଦେଖିଲେ ଖଣ୍ଡି ଓଡିଆରେ ଥଟ୍ଟା କରି କୁହେ- - ଦେବବାବୁ ଆପନ୍ ଗୋଟାଏ ଜଙ୍ଗଲି ଭାଲୁ, ଖୁଦ୍ ତୋ କୁଛ୍ ଖାତା ନେହିଁ, ହାମକୋ ବି ଦେତା ନେହିଁ। ତୁମର୍ ଟାଙ୍ଗ୍ ଯୋଡାକୁ ବାନ୍ଧି କୁଅ ମେ ଫିକି ଦେବା ଚାହିଏ। ହାକିମ କୁ ସେ ବା କଣ କୁହନ୍ତେ- - ଦାନ୍ତ ନେଫେଡି ଆଜ୍ଞା ହଜୁର୍ କହି ସଲାମ୍ ଠୁଙ୍କନ୍ତି।

ପ୍ରଥମେ ଟିମିଣିଙ୍କୁ ଦେବଙ୍କର ଏ ସଚ୍ଚୋଟପଣିଆ ଭାରି ସୁଖ ଲାଗୁଥିଲା। କିନ୍ତୁ ବୟସ ଓ ଆବଶ୍ଯକତା ବଢିବା ସାଙ୍ଗକୁ ସଚ୍ଚୋଟପଣିଆ ଟା ପାଣିଚିଆ ଲାଗିଲା। ନିଜ ସାଙ୍ଗମାନେ ବେକରେ ଭଳିକି ଭଳି ସୁନା ହାର ପିନ୍ଧି ବୁଲିଲା ବେଳକୁ ଟିମିଣି ଚୋର ପରି ମୁହଁ ଘୋଡେଇ ରହୁଥିଲେ। ସମସ୍ତଙ୍କର ସେଇ ଗୋଟିଏ ପ୍ରଶ୍ନ- - କିଓ,ଝିଅ ବାହାଘର କରିବନି କି? ଦେବ ଚାକିରି ରେ ଥିଲା ବେଳେ ସିନା ଥୋଡେ କାଠ ଜିନିଷ କରି ଦିଅନ୍ତ। ସେ ଏତେ କାଠଚୋରଙ୍କୁ ଧରୁଛନ୍ତି ନିଜ ପାଇଁ କିଛି ରଖି ପାରୁ ନାହାଁନ୍ତି ? କିଛି ନହେଲେ ହାତୀଦାନ୍ତ କେତେଟା ଯୋଗାଡିଦେଲେ ବାହାଘର ଖର୍ଚ୍ଚଟା ଆରାମରେ ଉଠିଯାଆନ୍ତା ପରା। ଅତିଥି ମାନଙ୍କର ଏହି ପ୍ରଶ୍ନର ଉତ୍ତର ପାଖରେ ଥାଇ ମଧ୍ଯ ଦେଇ ପାରନ୍ତିନି ଟିମିଣି। ଦେବଙ୍କ ଆଡକୁ ପ୍ରଶ୍ନଟି ଠେଲିଦେଇ ଉତ୍ତର ଶୁଣିବା ଅପେକ୍ଷାରେ ରୁହନ୍ତି। ଦେବଙ୍କର ଉତ୍ତର ଆସେ କେବଳ ଏକ ଶୁଷ୍କ ହସରେ। ବିଷର୍ଣ୍ଣ ବଦନରେ ସେ ପ୍ରଶ୍ନକର୍ତ୍ତାଙ୍କୁ ଦେଖନ୍ତି ଅତି ଅସହାୟ ହୋଇ। ତାଙ୍କର ଅସହାୟତା କେହି ବୁଝି ପାରୁ କି ନାହିଁ ଜଣାନାହିଁ କିନ୍ତୁ ଟିମିଣି ଠିକ୍ ବୁଝି ପାରନ୍ତି। ସାଙ୍ଗେସାଙ୍ଗେ ସେ କଥାର ମଙ୍ଗ ବୁଲାଇ ଦିଅନ୍ତି। ତାଙ୍କ ସାମନାରେ କେହି ଦେବଙ୍କର ବେଇଜ୍ଜତ କରୁ ସେ କଦାପି ସହ୍ଯ କରି ପାରନ୍ତି ନାହିଁ। ଟିମିଣିଙ୍କୁ ମଧ୍ଯ ଦୋଷ ଦେଇହେବ ନାହିଁ। ବିବାହରେ ଏତେ ବର୍ଷପରେ ମଧ୍ଯ ସେ କେବେ ଦେବଙ୍କୁ କୌଣସି ଜିନିଷ ପାଇଁ ବାଧ୍ଯ କରି ନାହାଁନ୍ତି। ଯେତିକି ଅଟା ସେତିକି ରୁଟି ନ୍ଯାୟରେ ସେ ଘର ଚଳାଇ ଆସିଛନ୍ତି ଏଯାବତ୍। ଦେବ ଓ ଟିମିଣିଙ୍କ ସମ୍ପର୍କର ଦୃଢତା ଲୌହଠାରୁ ଶକ୍ତ ଥିଲା ଓ ପ୍ରେମର ଗଭୀରତା ଥିଲା ସମୁଦ୍ର ଠାରୁ ମଧ୍ଯ ଅଧିକ। ଆଜି ଟିମିଣିଙ୍କ ଆତ୍ମାକୁ ବାଧିଛି ବୋଲି ସେ ଗାଡି କିଣିବା ପାଇଁ ଜିଦ୍ କରୁଛନ୍ତି। ନୋହିଲେ ସେ କଣ ଜାଣି ନାହାଁନ୍ତି ଯେ ଝିଅର ବିବାହ ବୟସ ଗଡିଯିବା ପରେ ମଧ୍ଯ ବିବାହ ହୋଇ ପାରୁନାହିଁ। ପୁଅର ପାଠ ପଢା କେବେଠାରୁ ସରିଲାଣି,କିନ୍ତୁ ଚାକିରି ର ଦେଖା ନାହିଁ। ସେମାନେ ରହୁଥିବା ଘରର ଛାତରୁ ସିମେଣ୍ଟ ଖଣ୍ଡ ଖସିଲାଣି। ପାଚେରି ଭୁଷୁଡିବାକୁ ବସିଲାଣି। ବକେୟା କାମର ତାଲିକା ଅନେକ ଲମ୍ବା, ତା ସାଙ୍ଗକୁ ଦରକାର ବହୁତ ଟଙ୍କା। ଯମା ପାଞ୍ଚ ବର୍ଷ ପରେ ଚାକିରି ସରିଯିବ। ତା ଭିତରେ ସବୁ ଜଞ୍ଜାଳ ନ ତୁଟାଇଲେ ପିଠିରେ ପଡିବାକୁ କେହି ନାହିଁ। ବେଳେବେଳେ ଆଗତ ଅନିଶ୍ଚିତ ଭବିଷ୍ଯତର ରୂପରେଖ କଥା ଭାବି ଦେବଙ୍କ କପାଳ ଭାରି ହୋଇଯାଏ। ଅଜାଗା ଘାଆର ବେଦନା ତାଙ୍କ ପାଇଁ ଅସହ୍ଯ ହୋଇଉଠେ। କିନ୍ତୁ ସେ ଦୁଃଖର ଭାର ବାଣ୍ଟି ପାରନ୍ତିନି ଟିମିଣିଙ୍କ ସହିତ। ଏତେ ବର୍ଷକାଳ ଜାକିମାଡି ସଂସାରର ରଥ ଗଡାଇ ଆସିଥିଲେ,ମାତ୍ର କାର କିଣା ସମସ୍ଯା ତାଙ୍କ ଅସ୍ତିତ୍ବକୁ ଦୋହଲାଇ ଦେଇଥିଲା। ଅନେକ ଚିନ୍ତା କରିବା ପରେ ସେ ସ୍ଥିର କଲେ କିଛି ନ ହେଲେ ଗାଁଆରେ ଥିବା ପୁରୁଖା ଜମି ଖଣ୍ଡକ ବିକ୍ରି କରିଦେବେ। ଫଳେପୁଷ୍ପେ ଯେତିକି ମିଳିବ ଅନ୍ତତଃ ଗାଡି କିଣାର ଅଗ୍ରୀମ ତ ଦିଆ ଯାଇପାରିବ। ତେଣିକି ମାସିକ କିସ୍ତି ଦରମାରୁ କଟିବ। କିନ୍ତୁ ଏହି ବିଷୟରେ ସେ ଘରର ଅନ୍ଯ ସଦସ୍ଯଙ୍କ ସହ ଆଲୋଚନା କରିବାକୁ ଉଚିତ୍ ମଣି ନ ଥିଲେ।

ସେଦିନ ସଂନ୍ଧ୍ଯାରେ ପୁଅ ଘର ଭିତରେ ରଡି କରି କଣ ସବୁ କହିଚାଲିଥିଲା। କାନ ଡେରି ଶୁଣିଲେ ଦେବ। କଥାଟା ସତରେ ବେଶ୍ ରୋମାଞ୍ଚକ ଥିଲା। ଦାମର ପୁଅ ଗୋଟେ ତିନି ଲକ୍ଷ ଟଙ୍କିଆ ମୋଟର ସାଇକେଲ କିଣି ସହର ସାରା ଘରଚଟିଆ ପରି ଘୁରି ବୁଲିଛି ବୋଲି ପୁଅ ଖବର ଦେଲା। ଗାଡି ଟା ଦେଖିବାକୁ କୁଆଡେ ଚିତାବାଘ ପରି। ଏମନ୍ତ ରୂପ ଯେ ଦେଖିବା ଲୋକ ଦଣ୍ଡେ ଚାହିଁ ରହିବ। ମୋଟର ସାଇକେଲର ଦାମ୍ ଶୁଣି ଦେବଙ୍କ ମୁଣ୍ଡ ବୁଲାଇଦେଲା। ତିନି ଲକ୍ଷ……. ସେତିକି ଟଙ୍କାରେ ତ ଦୁଇ ବଖରା ଘର ତୋଳା ଯାଇ ପାରିବ। ସେ ଗୁଣୁଗୁଣୁ ହୋଇ କହିଲେ ଗାଡିର ଦର ଯେତିକି ଦାମର ମେଟ୍ରିକ ଫେଲ ପୁଅର ଦର ତା ଠାରୁ ଯଥେଷ୍ଟ କମ୍। ସେ ଅକାଳ କୁଷ୍ମାଣ୍ଡ ତିନି ଲକ୍ଷ ଟଙ୍କିଆ ମୋଟର ଚଢୁଛି...ହାଏ ରେ ବିଧାତା। ତାଙ୍କ ହୃତସ୍ପନ୍ଦନ ବଢିଗଲା। ଯଦି ତାଙ୍କ ପୁଅ ଗୋଟେ ସେମିତିକା ମୋଟର ସାଇକେଲ ବରାଦ କରେ ତେବେ…..। ଜଲଦି କାର ନ କିଣି ଦେଲେ ନିସ୍ତାର ନାହିଁ। ସ୍ଥିର କଲେ ତହିଁ ଆରଦିନ ସକାଳୁ ଗାଁଆକୁ ଯାଇ ଜମି ଖଣ୍ଡକ ବିକ୍ରି କରିଦେବେ ଓ ନୂଆ କାର ଘରକୁ ଆଣି ସମସ୍ତଙ୍କୁ ଚମକାଇ ଦେବେ। ରାତିରେ ଟିମିଣିଙ୍କୁ ଜମି ବିକ୍ରି କଥା କହିଲେ ଦେବ। କାହିଁକି କେଜାଣି, ଟିମିଣି ବୋକାଙ୍କ ପରି ବଲବଲ ଚାହିଁ ରହିଲେ ଦେବଙ୍କୁ। ତାଙ୍କ ଆଖିର ଭାଷା ପଢି ପାରୁ ନଥିଲେ ଦେବ। ସେ ଆଶା କରୁଥିଲେ ଟିମିଣି କହିବେ – ଆମର ଗାଡି କିଣା କଥା ସ୍ଥଗିତ ରହୁ। ଆଗ ଝିଅକୁ ବିଭା କରିଦେବା,ପୁଅ ପାଇଁ କିଛି କର୍ମ ସଂସ୍ଥାନ ଯୋଗାଡ କରିଦେବା। ତା ପରେ ଯାଇ ଗାଡି କଥା ଚିନ୍ତା କରିବା। କିନ୍ତୁ ସେପରି କିଛି ହେଲା ନାହିଁ। ଗୋଟିଏ ପଟେ ଅପମାନର ବହ୍ନି ଓ ଅନ୍ଯ ପଟରେ କୃର ବାସ୍ତବିକତାର ଦୋ ଛକିରେ ଛିଡା ହୋଇଥିଲେ ଟିମିଣି। ତାଙ୍କ ହୃଦୟ କହୁଥିଲା ବାସ୍ତବିକତାକୁ ସାମ୍ନା କରିବାକୁ ମାତ୍ର ମସ୍ତିଷ୍କ ଜିଦ୍ ଧରି ଥିଲା ତାଙ୍କ ପ୍ରତି ହୋଇଥିବା ଅପମାନର ପ୍ରତିଶୋଧ ପାଇଁ। ଏ କଥା ଟିମିଣି ଭଲରେ ଜାଣି ଥିଲେ ଯେ ଦାମ ସହିତ ପ୍ରତିଯୋଗିତା କରିବାର କ୍ଷମତା ଦେବଙ୍କ ପାଖରେ ନଥିଲା। ତଥାପି ମନର ନିଭୃତ କୋଣରେ ଲୁଚି ରହିଥିବା ଅଭିମାନ ନୂଆ ଗାଡି କିଣା ପାଇଁ ପ୍ରେରିତ କରି ଚାଲିଥିଲା । ଦେବ ଓ ଟିମିଣି ଉଭୟ ନୀରବ ଥିଲେ ମାତ୍ର ଉଭୟଙ୍କ ମନରେ ଚିନ୍ତାର ବିଶାଳକାୟ ଢେଉ ମାନ ଅହରହ ଲହଡି ଭାଙ୍ଗି ଚାଲିଥିଲେ।

ଭୋର୍ ଚାରି ଟା ପାଖାପାଖି ହେବ ଦାମ ଘରୁ ଭୀଷଣ ପାଟିଗୋଳ ଶୁଭିଲା। କିଛି ଗୋଟେ ଅଘଟଣ ଘଟି ଗଲା ଭାବି ଦେବ ତରତର ହୋଇ ହାତରେ ଟର୍ଚ୍ଚ ଧରି ବାହାରକୁ ବାହାରିଲେ,ତାଙ୍କୁ ଅନୁସରଣ କଲେ ଟିମିଣି। ଦାମ ଘର ସାମ୍ନାରେ ଛିଡା ହୋଇଥିଲା କିଛି ସରକାରି ଗାଡି ଓ ପୋଲିସ୍ ଜିପ୍। ଗେଟ୍ ଖୋଲି ପଶିବା ବେଳକୁ ଜଣେ ପୋଲିସ ଦେବଙ୍କୁ ଅଟକାଇ କହିଲା- - ହୋ ସାଇବ,ବାହାଘର ଭୋଜି ଖାଇବାକୁ ଆସିଲ ନା କଣ ? ତୁମକୁ ବୁଝା ପଡୁନି କି, ଏ ଲୋକ ଘରେ ପରା ଭିଜିଲାନସ୍ ରେଡ୍ ପଡିଛି। ଏ ଲୋକ ଲାଞ୍ଚ ଖାଇଖାଇ କେତେ ଲକ୍ଷ ଟଙ୍କା କେଉଁଠି ଲୁଚାଇ ରଖିଛି ତାର ହିସାବ ନାହିଁ। ସୁନା ରୂପା ଗହଣାଗାଣ୍ଠି ଗଣ୍ଠିଲି ମାରି ଥୁଆ ହୋଇଛି। ୟା'ପ ନିଜକୁ ଭାରି ଚାଲାକ ଭାବୁଥିଲା। କିନ୍ତୁ ଯେତେ ଚାଲାକି କଲେ ମଧ୍ଯ କେହି ଭିଜିଲାନସ୍ ହାକିମ ହେଣ୍ଟାଳ ସିଂ ନଜର ରୁ ବଞ୍ଚି ପାରିଲାଣି ଯେ ଇଏ ବଞ୍ଚିବ ? ହେଣ୍ଟାଳ ଅନେକ ଦିନରୁ ଓର ଉଣ୍ଡିି ବସିଥିଲା କେବେ ଖାପୁ କରି ମାଡି ବସିବ ବୋଲି। ଆଜି ଗ୍ରହ ଯୋଗ ଭଲ ଥିଲା, ହେଣ୍ଟାଳ ଚାଞ୍ଛି ଦେଲା। ଏବେ ଏ ଲୋକର ଅବସ୍ଥା ଏମିତି ହେବ ଯେ ତାକୁ ମାଇପ ଶାଢୀରେ ପ୍ଯାଣ୍ଟ ସାର୍ଟ କରି ପିନ୍ଧିବାକୁ ପଡିବ। ମହାବାତ୍ଯା ପରି ହେଣ୍ଟାଳ ସବୁକିଛି ପୋଛି ଦେଇଯିବ। ପୋଲିସ ଟା ଗାଡୁରୁ ଗାଡୁରୁ ହୋଇ କେତେ କଣ ଗପି ଚାଲିଥିଲା। ଟିମିଣି ଏକ ଲୟରେ ଚାହିଁ ରହିଥିଲେ ଦାମ ଘରର ଏକ ଦର ଆଉଜା ଝରକା ଆଡକୁ। ଘର ଭିତରେ କେବଳ ଦୌଡାଦୌଡି ଚାଲିଥିଲା। ରହିରହି ଶୁଭୁଥିଲା ଦାମର ଆତୁର କ୍ରନ୍ଦନ- - ଛାଡି ଦିଅନ୍ତୁ ଆଜ୍ଞା, ମୁଁ ଭିକାରି ପାଲଟି ଯିବି, ଏଇ ଥରଟା ମୋତେ କ୍ଷମା କରି ଦିଅନ୍ତୁ। ହାତରେ ଏକ ମୋଟା ବାଡି ଧରି ଘର ଭିତରେ ଘୁରି ବୁଲିଥିଲା ଜଣେ ଛଅ ଫୁଟିଆ ମୋଟା ନିଶ ଥିବା ଲୋକ। ତା ଆଦେଶ ମୁତାବକ ବାକି ଲୋକମାନେ ଆଲମାରିର ତାଲା ଭାଙ୍ଗି ପକାଉଥିଲେ, ଚଟାଣ ଛାତ ଆଦି ଖୋଳି ପକାଉଥିଲେ। ଆଉ ସମ୍ଭାଳି ପାରିଲେନି ଟିମିଣି। ଦେବଙ୍କୁ ଟାଣି ଘରକୁ ନେଇ ଆସିଲେ।

ପୂର୍ବ ଆକାଶରେ ସିନ୍ଦୁରା ଫାଟି ଆସୁଥିଲା। ସକାଳର ଥଣ୍ଡା ପବନର ହାଲୁକା ସ୍ପର୍ଶରେ ଦେହ ରୋମାଞ୍ଚିତ ହୋଇ ଉଠୁଥିଲା। ଚଢେଇଙ୍କ କିଚିରି ମିଚିରି ଗୀତ ସାଙ୍ଗକୁ ଗାଈ ମାନଙ୍କ ହମ୍ବା ରଡିରେ ମୁଖରିତ ହୋଇ ଚାଲିଥିଲା ନିଘୋଡ ନିଦରେ ଶୋଇଥିବା ଅଞ୍ଚଳ ଟି। ଦାମ ଘର ସାମନାରେ ଜନଗହଳି ଧିରେଧିରେ ବଢି ଚାଲିଥିଲା ଓ ତା ସାଙ୍ଗକୁ ଲୋକ ମାନଙ୍କର ଟାହି ଟାପରାରେ ପରିବେଶର ଆବହାଓ୍ବା ଗରମ ହୋଇ ଯାଇଥିଲା। ଦେବଙ୍କର ମନେ ପଡି ଯାଉଥିଲା ବାପାଙ୍କର ସେହି ଅମୃତବାଣୀ- - ଅଧର୍ମବିତ୍ତ ବଢେ ବହୁତ,ଗଲା ବେଳେ ଯାଉ ମୂଳ ସହିତ। ଗାଧୁଆ ପାଧୁଆ ସାରି ଦେବ ବାହାରିଲେ ଗାଁଆକୁ ଜମି ବିକ୍ରି କରିବା ପାଇଁ। ପୁଅ ଝିଅ ଦୁଇଟା ବାପାଙ୍କର ଗାଁଆକୁ ଯିବାର ଅଭିପ୍ରାୟ କଥା ଜାଣି ଉଲ୍ଲସିତ ହୋଇ ଉଠୁଥିଲେ। ସମସ୍ତଙ୍କୁ ଆଶ୍ଚର୍ଯ୍ଯ କରି ଟିମିଣି ପଚାରିଲେ- - ଏତେ ସକାଳୁ କୁଆଡେ ବାହାରିଲ?

- - ରାତିରେ କହିଥିଲି ପରା ଗାଁଆକୁ ଯିବି ବୋଲି । ସେ ଜମି ଖଣ୍ଡକ ବିକ୍ରି….

-କିଛି ଦରକାର ନାହିଁ ଜମିି ବିକ୍ରି କରିବା।

- - ଜମି ବିକ୍ରି ନକଲେ ଗାଡି ପାଇଁ ଟଙ୍କା କୁଆଡୁ ଆସିବ?

- - ଗାଡି କିଣିବା ବି ଦରକାର ନାହିଁ। ଆମର ଯେତିକି ଅଛିି ସେତିକି ରେ ଆମେ ଖୁସି। କଥାରେ ପରା ଅଛି "ମାଗି ଆଣିଲା ତିଅଣ ସୁଡୁକେ", ଆଜି ଜମି ବିକ୍ରି କରିଦେଲେ କାଲି ସକାଳକୁ ଝିଅ ବାହାଘର ପାଇଁ ଟଙ୍କା କୁଆଡୁ ଆସିବ।

ଟିମିଣିଙ୍କ ପାଟିରୁ କଥା ସରିଛି କି ନାହିଁ ପୁଅଝିଅ ଦୁଇଟା ତାଙ୍କ ଆଡକୁ ଝପଟି ଆସିି କହିଲେ- - କଣ କହିଲୁ - - ଗାଡି କିଣା ହବନି? ଦାମ ମାଇପର ଅପମାନ କଥା ଭୁଲି ଗଲୁ ନା କଣ?

ହଠାତ୍ କଲିଂବେଲ୍ ବାଜି ଉଠିଲା। କବାଟ ପାଖରେ ଛିଡା ହୋଇଥଲା ସେହି ଛଅ ଫୁଟିଆ ମୋଟା ନିଶ ଥିବା ଲୋକ ଟି। ତାକୁ ଦେଖି ଟିମିଣିଙ୍କ ଛାତି ଭିତରଟା ଥରି ଉଠିଲା ଓ ସେ ମନେମନେ ପ୍ରମାଦ ଗଣିଲେ। ଗୁରୁଗମ୍ଭୀର କଣ୍ଠରେ ଲୋକଟା କହିଲା- - କଣ ମାଡାମ୍ ଅତିଥିଙ୍କୁ ଏମିତି ବାହାରେ ଛିଡା କରିବେ? ଭିତରକୁ ଆସିବାକୁ କହିବେନି। ମୁଣ୍ଡରେ ଭଲରେ ଓଢଣା ଢାଙ୍କି ଟିମିଣି ଲୋକଟିକୁ ଘରକୁ ପାଛୋଟି ଆଣିଲେ। ଲୋକଟାର ଢିମାଢିମା ଆଖି ଯୋଡିକ ବିଜୁଳି ବେଗରେ ଘର ଭିତରେ କଣ ସବୁ ଖୋଜି ପକାଇଲା। ଲୋକଟିର ପରିଚୟ ଦେବଙ୍କୁ ଅଜଣା ନ ଥିଲା। ସେ କିଂକର୍ତ୍ତବ୍ଯବିମୁଢ ଅବସ୍ଥାରେ ଛିଡା ହୋଇ ରହିଲେ। ଦେବଙ୍କ ଘର କବାଟ ପାଖରେ କିଛି ପୋଲିସ ଟହଲ ମାରୁଥିଲେ। ସେମାନଙ୍କୁ ଦେଖି ଦେବଙ୍କ ପିଲା ମାନଙ୍କ ପିଳେହି ପାଣି ହୋଇ ସାରିଥିଲା। ଲୋକଟି ଖଣ୍ଡେ ପ୍ଲାଷ୍ଟିକ ଚେୟାର ଟାଣି ବସି ମନଖୋଲା ହସିଲା। କହିଲା- - ମୁଁ ଯାହା ଶୁଣିଥିଲି ଶତ ପ୍ରତିଶତ ସତ୍ଯ। ଆରେ ମୋ ପରିଚୟ ଟା ଦେବାକୁ ଭୁଲି ଗଲି ଯେ। ମୁଁ ହେଣ୍ଟାଳ ସିଂ ଭିଜିଲାନସ ଏସ ପି। ଆପଣଙ୍କ କୁବେର ପଡୋଶି ଘରେ ରାତି ସାରା ଢେର ପରିଶ୍ରମ କରି ଥକି ପଡିଛି। ଚାହା କପେ ମିଳିଗଲେ ଭଲ ହୁଅନ୍ତା। ଟିମିଣି କାଳ ବିଳମ୍ବ ନ କରି ଚାହା ଓ ବିସ୍କୁଟ ପରଶିଦେଲେ। ବାହାରେ ଛିଡା ହୋଇଥିବା ପୋଲିସ୍ ମାନେ ମଧ୍ଯ ଚାହାପାନରେ ଆପ୍ଯାୟିତ ହେଲେ। ଚୌକିରୁ ଉଠି ହେଣ୍ଟାଳ ସିଂ ଦେବଙ୍କ ହାତକୁ ଭିଡି ନେଇ କହିଲା- - ଆଜ୍ଞା, ଆପଣ ମାନଙ୍କ ପରି ସଚ୍ଚୋଟ ଅଫିସରଙ୍କ ପାଇଁ ଏ ଦେଶ ଚାଲିଛି। ବହୁତ ଶୁଣିଥିଲି ଆପଣଙ୍କ ବିଷୟରେ, ଆଜି ନିଜେ ଦେଖିଲି। ଆପଣ ସମ୍ମତି ଦେଲେ ଆମ ବିଭାଗ ତରଫରୁ ଆପଣଙ୍କୁ ସମ୍ବର୍ଧ୍ଧିତ କରିବାକୁ ଭାବୁଛୁ।

ଦେବ ସଂକୁଚିତ ହୋଇ କହିଲେ--ଆଜ୍ଞା, ମୁଁ ଜଣେ ସାମାନ୍ଯ ଫରେଷ୍ଟର। ଆପଣଙ୍କ ପରି ବଡ ସାହେବ ମୋ ଘରକୁ ଆସି ଚାହା ପିଇଲେ ତାହା ହିଁ ମୋ ପାଇଁ ସୌଭାଗ୍ଯର କଥା।

ସେମିତି କୁହନ୍ତୁନି ଆଜ୍ଞା, ସର୍ବୋପରି ଆପଣଙ୍କ ପରି ଜଣେ କଳଙ୍କମୁକ୍ତ ସଚ୍ଚୋଟ ସରକାରି କର୍ମଚାରୀ ପାଇବା ବିରଳ। ଯଦି ସବୁ କର୍ମଚାରୀ ଆପଣଙ୍କ ପରି ହୁଅନ୍ତେ ଦେଶର ରୂପରେଖ ବଦଳି ଯାଆନ୍ତା। ଆପଣଙ୍କ ନିଷ୍ପତ୍ତି ମୋତେ ନିଶ୍ଚୟ ଜଣାଇବେ। ଏତେ ସ୍ବାଦିଷ୍ଟ ଚାହା ପାଇଁ ଆପଣଙ୍କୁ ଅନେକ ଧନ୍ଯବାଦ ମାଡାମ୍। ଏବେ ମୁଁ ଆସୁଛି। ହେଣ୍ଟାଳ ସିଂ ଘର ଛାଡିଲେ।

ଦେବଙ୍କ ଘର ଭିତରେ ବିରାଜମାନ କରୁଥିଲା ଅଖଣ୍ଡ ନୀରବତା। ଦେବଙ୍କୁ ଲାଗୁଥିଲା ଏତେ ଦିନର ତପସ୍ଯାର ଫଳ ତାଙ୍କୁ ମିଳି ଯାଇଛି। ସେ ସମୟରେ ପିଲାମାନେ ବାପାଙ୍କ ଗୌରବୋଜ୍ବଳ ଚରିତ୍ର ପାଇଁ ପ୍ରଥମଥର ପାଇଁ ଗର୍ବ ଅନୁଭବ କରୁଥିଲେ।

ଆଉ ଟିମିଣି---- ସେ ତ ଏକ ଲୟରେ ଚାହିଁ ରହିଥିଲେ ଦେବଙ୍କୁ- - ଠିକ୍ ଯେମିତି ଚାହିଁ ଥିଲେ ସେଦିନ, ଯେଉଁଦିନ ଦେବଙ୍କ ସହ ତାଙ୍କର ବାହାଘର ଠିକ ହୋଇଥିଲା। ଦେବ କନ୍ଯାପିତାଙ୍କୁ ରୋକଠୋକ କହି ଦେଇଥିଲେ ଯେ ସେ ସରକାରି ଚାକିରି କରନ୍ତି ସତ,ମାତ୍ର କୌଣସି ପରିସ୍ଥିତିରେ ମଧ୍ଯ ସେ ଲାଞ୍ଚମିଛର ଆଶ୍ରା ନେବେ ନାହିଁ। ବାସ୍ ସେତିକି କଥା ଶୁଣି ଟିମିଣି ଏତେ ଖୁସି ହୋଇଯାଇଥିଲେ ଯେ ସାଙ୍ଗେସାଙ୍ଗେ ବିଭାଘର ପ୍ରସ୍ତାବରେ ସମ୍ମତି ଜଣାଇଥିଲେ। ଟିମିଣିଙ୍କ ଆଖିରୁ ଏକାସାଙ୍ଗରେ ଝରି ପଡୁଥିଲା ଅନୁତାପ ଓ ଗର୍ବର ଅଶୃ । ଦାମ ମାଇପ ତାଙ୍କୁଯେତିକି ଅପମାନିତ କରିଥିଲା ତା ଠାରୁ ହଜାର ଗୁଣ ଅଧିକ ଅପମାନର ବର୍ଷାରେ ଦାମର ପରିବାର ଭାସି ଚାଲିଥିଲେ। ଦାମର ହାତରେ ହାତକଡି ପଡି ସାରିଥିଲା ଓ ଘର,ଗାଡି,ସମ୍ପତ୍ତି ସବୁ କୋରଖ ହେବା ଅପେକ୍ଷାରେ ଥିଲେ। ଦେବଙ୍କ ପିଲା ଦୁଇଟା ଯଥେଷ୍ଟ ବଡ ହୋଇ ସାରିଥିଲେ,କିନ୍ତୁ ସେଦିନ ତାଙ୍କୁ କୁଣ୍ଢେଇ ପକାଇ କହିଲେ- - ବାପା ତୁମେ ସତରେ ଜଣେ ହିରୋ। ଦେବଙ୍କ ମୁହଁରେ ଫୁଟି ଉଠୁଥିଲା ଅପୂର୍ବ ପ୍ରଶାନ୍ତି ର ଝଲକ। ଏସବୁ ଦେଖି ଝରକା ଫାଙ୍କରୁ ସୂର୍ଯ୍ଯଦେବ ମୁରୁକି ମୁରୁକି ହସୁଥିଲେ।

                                                                    ******

Friday, May 1, 2020

କାହାଣୀ ଏକ ରାତିର







କାହାଣୀ ଏକ ରାତିର

ଲେଖକ- ଅରବିନ୍ଦ ରଥ




ଭାଇମାନେ ତୁମେମାନେ ମୋତେ ଟିକେ ସାହାଯ୍ଯକରି ପାରିବ କି? ଆଜି ରାତିରେ ମୋର ଗାଁଆ ମଶାଣିରେ ଟିକେ ଜରୁରି କାମଅଛି। ରାତି ବାରଟା ବେଳକୁ ସେଠାକୁ ଯିବାକୁ ହେବ। ଯଦି ମୋ କାମ ହୋଇଗଲା ତୁମେମାନେ ଯାହା ମାଗିବ ଦେବି। ସମସ୍ତଙ୍କ ଉଦ୍ଦେଶ୍ଯ କହିଲା ଗଗନ।

ଗଗନ କଥାଶୁଣି ସାଙ୍ଗମାନେ ହସିହସି ଗଡିଗଲେ। ଜଣେ କହିଲା ଆରେ ସାଙ୍ଗ ବେଶି ପାଠପଢି ତୋ ମୁଣ୍ଡ ବୋଧେ ଖରାପ ହୋଇଗଲାଣି। ତୋତେ ଅନ୍ଯ କିଛି ବୁଦ୍ଧି ଜୁଟିଲାନି ଯେ ମଶାଣି ଯିବା କଥା କହୁଛୁ। ଭୁତୁଣୀ ପ୍ରେମିକା ଖୋଜୁଛୁ ନା କଣ? ଅନ୍ଯ ସାଙ୍ଗମାନେ ହୋଃ ହୋଃ ହୋଇ ହସି ଉଠିଲେ ଓ ଗଗନ ମନମାରି ବସିରହିଲା। ପିଲାଦିନରୁ ଗଗନ ସହ ଅତି ଘନିଷ୍ଠ ଭାବରେ ମିଶୁଥିବା ରାମକୁ ଅନ୍ଯ ସାଙ୍ଗ ମାନଙ୍କର ବ୍ଯବହାର ଆଦୌ ଭଲ ଲାଗିଲାନି। ସେ ଚିଡିଉଠି କହିଲା - - ଆରେ ତୁମେମାନେ ତ ଗାଁଆରେ ରହିଲ, ଦୁନିଆ ବିଷୟରେ କଣ ଜାଣିଛ କହିଲ ଭଲା। ଗଗନ ସହରରେ ପଢୁଛି। କେତେଲୋକଙ୍କ ସହ ମିଶୁଛି,କେତେ ବହି ପଢୁଛି ଓ କାହିଁକେତେ ଜାଗାରେ ବୁଲାବୁଲି ବି କରିଛି। ସେ ବେଶି ଜାଣିଛି ନା ତୁମେ ଜାଣିଛ? ତୁମେ ତ ସକାଳୁ ସଞ୍ଜଯାଏଁ ମନ୍ଦିର ବେଢାରେ ତାସ୍ ବାଡେଇବ, ଆଉ ଜାଣିବ ଲେମ୍ବୁ ଟା। ସେ ଯଦି କିଛି କହୁଛି ତା ପଛରେ କିଛି କାରଣ ଥିବ। କଥା ଟା ଭଲରେ ନ ଶୁଣି ଟାହିଟାପରା କରି ଉଡେଇ ଦେଇ କି ଖୁସି ପାଉଛ କେଜାଣି। ଏତେ ଦିନପରେ ସହରରୁ ଫେରି ସିଧା ଆମ ପାଖକୁ ଦେଖା କରିବାକୁ ଦୌଡିଛି କିନ୍ତୁ ତୁମେ ସବୁ ତା ସହ ଏମିତି ବ୍ଯବହାର କରୁଛ? ଲଜ୍ଜା ଲାଗୁନି ତୁମ ମାନଙ୍କୁ। ତୁ ମୋତେ କହ ଗଗନ ଯାହା କହିବାକୁ ଚାହୁଁଛୁ, ଏ ନିମକହାରାମ ମାନଙ୍କୁ କିଛି କହିବା ଦରକାର ନାହିଁ।

ରାମର ଯୁକ୍ତି ବଳିଷ୍ଠ ଥିଲା। ତେଣୁ ଅନ୍ଯ ପିଲାମାନେ ଗଗନ ପାଖକୁ ଲାଗି ଆସି କହିଲେ- - ଭୁଲ୍ ବୁଝିିବୁନି ସାଙ୍ଗ, ଏତେ ଦିନପରେ ତୋତେ ଦେଖିଲୁ ବୋଲି ଟିକେ ଖୁସି ଗମାତ କରିଦେଲୁ। ଆମ କଥା ମନକୁ ନ ନେଇ ମଞ୍ଜିକଥାଟା କହ। ଏଥର ଗଳାଝାଡି ଗଗନ କହିବା ଆରମ୍ଭ କଲା।

- - -ଦେଖ ଭାଇମାନେ, ଭୂତପ୍ରେତ କଥା ଶୁଣିବା ମାତ୍ରେ ତୁମେ ସବୁ ମୋ ସହ ଟାହିଟାପରା ଆରମ୍ଭ କରିଦେଲ। କିନ୍ତୁ ଗୋଟେ କଥା ଜାଣିରଖ, ଭୂତମାନେ ସଦାବେଳେ ଆମ ଚାରି ପାଖରେ ଥାଆନ୍ତି। ସେମାନଙ୍କୁ ଆମେ ଦେଖିପାରୁନେ ବୋଲି ବିଶ୍ବାସ କରୁନେ। ତୁମମାନେ ତ ଜାଣିଛ ପିଲାଦିନରୁ ମୋର ଭୂତମାନଙ୍କ ପ୍ରତି କେତେ ଦୁର୍ବଳତା ଅଛି। ଆମ କଲେଜର ଜଣେ ପିଲା ର ଏ ବିଷୟରେ ବହୁତ ଅଧିକ ଜ୍ଞାନଅଛି। ଦେଶବିଦେଶର ଅନେକ ଭୂତକଥା ସେ ମୋତେ ସବୁଦେଳେ କୁହେ ଓ ସତସତିକା ଭୂତଙ୍କ ଭିଡିଓ ମଧ୍ଯ ଦେଖେଇଛି। ପ୍ରଥମେ ମୋତେ ବହୁତ ଭୟ ଲାଗୁଥିଲା କିନ୍ତୁ ଏବେ ଆଉ ମନରେ ଡରଭୟ ନାହିଁ। ସେଇ ସାଙ୍ଗ ମୋତେ ଗୋଟେ ପ୍ରସ୍ତାବ ଦେଇଛି। ମଶାଣିରେ କୁଆଡେ ଭୂତପ୍ରେତଙ୍କୁ ଖାଲି ଆଖିରେ ଦେଖିହେବ। ସେ କହିଛି ଭୂତର ଗୋଟେ ଫଟୋ ଉଠାଇ ତାକୁ ଦେଇ ପାରିଲେ ମୋତେ ଦଶ ହଜାର ଟଙ୍କା ଦେବ। ଆମେମାନେ କଣ ଏତିକି କାମ କରିପାରିବାନି? ଏକା ନିଶ୍ବାସ ରେ କହି ଚାଲିଥିଲା ଗଗନ।

ସେତେବେଳକୁ ଆକାଶରୁ ସୂର୍ଯ୍ଯଙ୍କର ଅସ୍ତିତ୍ବ ଲିଭି ଆକାଶର ରକ୍ତିମ ରଙ୍ଗ ଧିରେଧିରେ କୃଷ୍ଣବର୍ଣ୍ଣ ଧାରଣ କରି ଚାଲିଥିଲା। ଗାଆଁ ଶେଷମୁଣ୍ଡରେ ଥିବା ବୁଢା ବରଗଛ ମୂଳରେ ଗଗନକୁ ଘେରି ବସିଥିବା ପିଲାମାନଙ୍କ ମନରେ ଭୟ ଓ ଆଶଙ୍କାର ମାତ୍ରା ଧିରେଧିରେ ବଢି ହସହସ ମୁହଁ ଗୁଡିକରେ ଗମ୍ଭୀରତାର ବାଦଲ ଜମାଟ ବାନ୍ଧିବାକୁ ଆରମ୍ଭ କରିସାରିଥିଲା। ଗଗନକୁ ଏତେଦିନ ପରେ ପାଖରେ ପାଇ ସାଙ୍ଗମାନେ ବହୁତ ଖୁସିଥିଲେ ଓ ସେମାନେ ଏତେ ଶୀଘ୍ର ଘରକୁ ଫେରିବାକୁ ଚାହୁଁ ନଥିଲେ। କାରଣ ମଧ୍ଯ ବେଶ୍ ଶକ୍ତିଶାଳୀ ଥିଲା। ସହରରୁ ଗାଆଁକୁ ଆସିବା ବେଳେ ଗଗନ ସାଙ୍ଗ ମାନଙ୍କ ପାଇଁ ବିଦେଶୀ ମଦ ଓ ନାନା ପ୍ରକାରର ସିଗାରେଟ୍ ପ୍ଯାକେଟ୍ ଆଣି ଆସିଥାଏ। ସେହି ପ୍ରସାଦରୁ ଟିକେ ପାଇବା ପାଇଁ ସେମାନେ ଗଗନର ଆସିବା ବାଟକୁ ଚାତକ ପରି ଚାହିଁ ରହିଥାନ୍ତି। କିଛି ସାଙ୍ଗଙ୍କ ମନରେ ଆଶଙ୍କା ଥାଏ ଯେ ସେମାନେ ଗଗନର କଥାକୁ ହସରେ ଉଡାଇଦେବାର ଫଳ କିଛି ବି ହୋଇପାରେ। ଅବକାରୀ ଚିଜ ସବୁ କାହାକୁ ନଦେଇ ଗଗନ ନିଜ ଘରକୁ ଫେରିଯିବାର ମଧ୍ଯ ସମ୍ଭାବନା ଥିଲା। ତେଣୁ ଅନ୍ଯ ଉପାୟ ନପାଇ ସେମାନେ ବାଧ୍ଯ ପିଲାଙ୍କ ପରି ଚୁପଚାପ ଗଗନର କଥା ଶୁଣିବାକୁ ବସି ରହିଥିଲେ। ଶ୍ରୋତାମଣ୍ଡଳୀଙ୍କ ଆଗ୍ରହ ବଢାଇବା ଲକ୍ଷରେ ଗଗନ ପକେଟରୁ ଏକ ଦାମୀକା ସିଗାରେଟ ପ୍ଯାକେଟ୍ କାଢି ସେମାନଙ୍କ ଉଦ୍ଦେଶ୍ଯରେ ବଢାଇଲା। ସମସ୍ତଙ୍କ ମୁହଁରେ ଖୁସିର ଚମକ ଖେଳିଗଲା।

ପାଟିରୁ ସିଗାରେଟ ଧୂଆଁର କୁଣ୍ଡଳୀ କାଢି ଆକାଶକୁ ଫିଙ୍ଗି ଚିନୁ କହିଲା- - ଆରେ ଭାଇ ଗଗନ, ତୋ କଥା ଆଉ କିଏ ବିଶ୍ବାସ କରୁ ବା ନ କରୁ ମୁଁ କିନ୍ତୁ କରୁଛି। ମୁଁ ଯେତେବେଳେ ମୋ କଥା କାହାକୁ କୁହେ ସମସ୍ତେ ହସନ୍ତି ବୋଲି ମୁଁ ବାଧ୍ଯରେ ଚୁପ୍ ରୁହେ। କିନ୍ତୁ ଆଜି ସମସ୍ତଙ୍କୁ ଶୁଣିବାକୁ ପଡିବ। ମୁଁ ନିଜ ଆଖିରେ ଭୂତ ଦେଖିଛି। ସେଦିନ ମୁଁ କାମରେ ପାଖ ଗାଁଆକୁ ଯାଇଥିଲି। ଫେରିଲା ବେଳକୁ ରାତି ହୋଇଗଲା। ଭାବୁଥିଲି ରାତିରେ ସେହି ଗାଁଆରେ ରହିଯାଇଥାନ୍ତି କିନ୍ତୁ ଘରକଥା ମନେ ପଡିବାରୁ ବାହାରି ଆସିଲି। ମନରେ କିନ୍ତୁ ଡରଥାଏ ଯେ ଗାଁଆକୁ ଫେରିବା ପାଇଁ ମୋତେ ଜଙ୍ଗଲ ରାସ୍ତା ଦେଇ ଆସିବାକୁ ହେବ। କିଛି ଅନ୍ଯ ଉପାୟ ନ ଥିଲା, ତେଣୁ ମୁଁ ଜୋରରେ ସାଇକେଲ ଚଲାଇବାକୁ ଲାଗିଲି ଯେମତି ଜଙ୍ଗଲରାସ୍ତା ଟା ଶୀଘ୍ର ପାର ହୋଇଯିବି। ସେଦିନ ଆକାଶରେ ଚାନ୍ଦ ନଥିଲା, କିଟିମିଟିଆ ଅନ୍ଧାର ରାତି। ମୁହଁକୁ ମୁହଁ ଦିଶୁନଥିଲା। ତା ସାଙ୍ଗକୁ ଜଙ୍ଗଲୀ ରାସ୍ତାରେ ବିଲୁଆଙ୍କ ହୁକେ ହୋ ଡାକ ମଝିରେ ମଝିରେ ଶୁଭି ଚାଲିଥିଲା। ଜଙ୍ଗଲ ଯେତିକି ଘଞ୍ଚ ହୋଇ ଚାଲିଥିଲା ମୋ ମନରୁ ସାହାସ ସେତିକି ସରିସରି ଆସୁଥିଲା। ଦୂର ଦୂର ଯାଏ ନା ଘରଥିଲା ନା କୌଣସି ଗାଡିମୋଟର। ମନେମନେ ଭାବୁଥିଲି ଯେ ମୋ ମୁଣ୍ଡକୁ କାହିଁକି ଦୁର୍ବୁଦ୍ଧି ଜୁଟିଲା କେଜାଣି ?! ରାତିରେ ରହି ସକାଳୁ ଆସିଥିଲେ କେତେ ଭଲ ହୋଇଥାଆନ୍ତା। ସେତିକି ବେଳେ ଗଛ ଉପରୁ କଣ ଗୋଟେ ଧଡ୍ କରି ପଡିବା ପରି ଶୁଭିଲା। ବିଶ୍ବାସ କର, ମୋ ଦେହରକ୍ତ ପାଣି ଫାଟିଯିବା ପରି ଲାଗିଲା। ଗୋଟେ ସେକେଣ୍ଡରେ ପାଦରୁ ଆରମ୍ଭ ମୁଣ୍ଡ ଯାଏଁ ବିଜୁଳି ଦୌଡିଯିବା ପରି ମନେହେଲା। ହାତଗୋଡ ଝିମଝିମ ହେବା ସହ ମୋ ତଣ୍ଟି ଶୁଖିଗଲା। ଏତେ ଶବ୍ଦକରି କଣ ପଡିଲା ବୋଲି ମୁଁ ଭାବି ପାରୁ ନ ଥାଏ। ନିଜକୁ ବୁଝାଇ କହିଲି, ମାଙ୍କଡ ବା ଅନ୍ଯ କୌଣସି ପଶୁ ଗଛରୁ ଡେଇଁ ପଡିଥିବ ବୋଧେ। ମନରେ ଦମ୍ଭଧରି ଠାକୁରଙ୍କୁ ଡାକି ଚଞ୍ଚଳ ସାଇକେଲ ପେଡାଲ ମାରିବାରେ ଲାଗିଲି। ଅନ୍ଧାର ରାତିରେ ରାସ୍ତା ଭଲରେ ଦିଶୁ ନ ଥିଲା, କୌଣସି ମତେ ସାଇକେଲକୁ ରାସ୍ତା ମଝିରେ ଚଳାଇଲେ ବିପଦ ନାହିଁ ବୋଲି ମୁଁ ରାସ୍ତା ଉପରୁ ନଜର ହଟାଉ ନ ଥିଲି । ମୋତେ ଲାଗୁଥିଲା ରାସ୍ତାର ଦୁଇପଟରେ ଗଛମାନେ ବିପରୀତ ଦିଗରେ ଦୌଡିବାକୁ ଆରମ୍ଭ କରିଦେଇଥିଲେ। କିଛି ଗଛର ବଡବଡ ଡାଳ ବ୍ରହ୍ମରାକ୍ଷାସର ଗୋଡ ପରି ତଳକୁ ଝୁଲି ରହିବା ପରି ମନେ ହେଉଥିଲା। କେଜାଣି କାହିଁକି, ପୂର୍ବରୁ ଶୁଣିଥିବା ଭୂତପ୍ରେତଙ୍କ କାହାଣୀ ସବୁ ମୋ ମନକୁ ବାରମ୍ବାର ଚାଲି ଆସୁଥିଲା। କେମିତି ଜଙ୍ଗଲ ଭିତରେ ହାଡବାଇ,ଡାହାଣୀ,ଚିରିଗୁଣୀ ମାନେ ବୁଲନ୍ତି ଓ ମଣିଷ ଦେଖିଲେ ତଣ୍ଟିକଣା କରି ରକ୍ତ ଚଁ ଚଁ କରି ପିଇଦିଅନ୍ତି ସେ କଥା ମନେ ପଡିଲା ମାତ୍ରକେ ମୋ ପାଦଦୁଇଟା ହିମଶୀତଳ ହୋଇଯିବା ପରି ଲାଗୁଥିଲା। ଜେଜେବାପା ସଦାବେଳେ କୁହନ୍ତି,ସେମାନେ କୁଆଡେ ଅନେକଥର ଜଙ୍ଗଲରାସ୍ତାରେ ବ୍ରହ୍ମରାକ୍ଷାସ ହାବୁଡରେ ପଡିଥିଲେ। ଗଛ ଉପରୁ ବ୍ରହ୍ମରାକ୍ଷାସ ଗୋଡ ଲମ୍ବାଇ ତଳକୁ ବସିଥାଏ। ଦେଖିବା ଲୋକ ଭାବିବ ଗଛରୁ ଡାଳଖଣ୍ଡେ ଭାଙ୍ଗି ପଡିଛି କି ଆଉ ।! ଯେମିତି ମଣିଷ ଗଛ ପାଖରେ ପହଞ୍ଚିଯାଏ,ବ୍ରହ୍ମ ରାକ୍ଷାସ ଗୋଟେ କ୍ଷେପାରେ ପାଟିରେ ପୁରେଇ ଚଳୁ କରିଦିଏ। ପିଲାଦିନେ ଜେଜେବାପାଙ୍କ ପାଖରୁ ଏକଥା ଶୁଣିବା ମାତ୍ରକେ ମୋ ପ୍ଯାଣ୍ଟ ଓଦା ହୋଇ ଯାଉଥିଲା। ମୋ ଭାଗ୍ଯ ଦେଖ,ସେଦିନ ମୁଁ ସେହି ଜଙ୍ଗଲରାସ୍ତାରେ ଯାଉଥିଲି ଯେଉଁଠି ଅତୀତରେ ବ୍ରହ୍ମରାକ୍ଷାସ ରହୁଥିଲା। ଭୟରେ ଜଡସଡ ହୋଇ ମୋ ଦେହରୁ ଝାଳ ଝରଣା ପରି ବୋହି ଚାଲିଥିଲା। ହଠାତ ମୋ କାନ ପାଖରେ କିଏ ଜଣେ ଫିସଫିସ କରି କହିଲା- - ଚିନୁ, ଚିନୁରେ-- ସେ ଡାକଟା ମୋର ସ୍ପଷ୍ଟ ମନେ ଅଛି, ଯେମିତି କାହାର ତଣ୍ଟି ଚିପିଦେଲେ ଗଁ ଗଁ ହୋଇ ଶବ୍ଦ ବାହାରିବ ଠିକ୍ ସେମିତି ଶୁଭୁଥିଲା ସେ ଡାକ। ସେତିକି ଶୁଣିବା ମାତ୍ରକେ ମୋତେ ରାତିର ଅନ୍ଧକାର ଆହୁରି ଘଞ୍ଚ ଲାଗିଲା। ମେରୁଦଣ୍ଡ ଭିତରେ କିଛି ଗୋଟେ ଝାଇଁ ଝାଇଁ କରି ଦୌଡିଗଲା। ହାତଗୋଡ ଏପରି ଥରିଲା ଯେ ମୁଁ ଦୁଲଦାଲ କରି ସାଇକେଲରୁ ତଳେ ଖସି ଖସିପଡିଲି। ମୋର ଭଲରେ ମନେ ଅଛି, ବରଫ ପରି ହିମଶୀତଳ ପବନ ହାବୁକାଏ ମୋ ଦେହର ସର୍ବାଙ୍ଗ ଛୁଇଁ ଚାଲିଗଲା। ମୋ ହାତଗୋଡରେ ପ୍ରାଣ ନଥିବା ପରି ମନେହେଲା। ସମସ୍ତ ବଳ ଲଗାଇ ଥରିଥରି ଉଠିଲି ଓ ସାଇକେଲ ପେଡାଲ ଜୋରରେ ମାରିବାରେ ଲାଗିଲି। କିନ୍ତୁ ସାଇକେଲର ହ୍ଯାଣ୍ଡଲ ସିଧା ରଖିବା ମୋ ପାଇଁ କଷ୍ଟକର ହୋଇଗଲା। ସାଇକେଲର ଓଜନ ହଠାତ ଏତେ ବଢିଯାଇଥିଲା ଯେ ଗୋଟିଏ ପଟକୁ ଢଳିଯିବା ପରି ଲାଗୁଥିଲା। ସତେକି ସାଇକେଲ ପଛରେ କିଏ ଜଣେ ବସି ପଡିଛି। ପଛକୁ ବୁଲି ଚାହିଁବାର ସାହାସ ମୋ ମନରେ ନଥିଲା। ମୁଁ ଅନୁଭବ କଲି ମୋ କାନ ପାଖରେ ହାଡ ଚୋବାଇବାର କଡମଡ ଶବ୍ଦ। ଭୟରେ ଚିତ୍କାର କରି ମୁଁ ପଛକୁ ବୁଲି ଚାହିଁଲି, କିନ୍ତୁ କେହି ନ ଥିଲେ। କେବଳ ଯାହା ରାସ୍ତାକୁ ଅକ୍ତିଆର କରି ରଖିଥିବା ଅନ୍ଧାର ରାତି ମୋତେ ପିଛା କରି ଚାଲିଥିଲା। ମୋ ସାଇକେଲ ଆଗରେ କେହିଜଣେ ଚାଲିଚାଲି ଯିବାର ଦେଖି ମନରେ ଟିକେ ସାହାସ ଆସିଲା। ବିକଳ ହୋଇ ମୁଁ ସେ ଲୋକ ପାଖକୁ ଯାଇ ମୋତେ ରକ୍ଷା କର ବୋଲି ପାଟି କରି କହିଲି।

- - ଆରେ ଚିନୁ ତୁ? ଲୋକଟି ପାଟିରୁ ଏତିକି ଶୁଣି ମୋ ଦେହରେ ଶତସିଂହର ବଳ ଚାଲିଆସିଲା।

- - ଆରେ ଦନେଇ ଅଜା, ତୁମେ ଏ ଅନ୍ଧାର ରାତିରେ କୁଆଡେ ଚାଲିଚାଲି ଯାଉଛ ଯେ? ମୁଁ ପଚାରିଲି। ସେ ଆମ ଗାଁଆର ଦନେଇ ଅଜାଥିଲେ। ସେ କହିଲେ ଯେ କାମଥିଲା ବୋଲି ପାଖ ଗାଁଆକୁ ଯାଇଥିଲେ। ଜଣେ ଲୋକ ସହ ମୋଟର ସାଇକେଲରେ ଫେରୁଥିଲେ। ଗାଡି ଖରାପ ହେଲା ବୋଲି ସେ ଲୋକ ତା ଗାଁଆକୁ ଫେରିଗଲା ଓ ତାଙ୍କୁ ଚାଲିଚାଲି ଫେରିବାକୁ ପଡିଲା। ମୁଁ ତାଙ୍କୁ ସାଇକେଲ ପଛରେ ବସାଇ ନିଶ୍ଚିନ୍ତ ହୋଇଗଲି। କିନ୍ତୁ ସେ ବସିବାପରେ ସାଇକେଲର ଓଜନ ଆହୁରି ବଢିଯିବା ପରି ଲାଗିଲା। ତାଙ୍କୁ ଥଟ୍ଟାରେ କହିଲି- - ଅଜା ତୁମକୁ ଆଈ କଣ ଗେଫଉଛି ଯେ ହାତୀ ପରି ଓଜନିଆ ପାଲଟି ଯାଇଛ ? ସେ ଖାଲି ହସିଲେ କିନ୍ତୁ କିଛି କହିଲେନି। ରାସ୍ତାସାରା ମୁଁ ତାଙ୍କ ସାଙ୍ଗରେ ଗପିଗପି ଆସିଲି କିନ୍ତୁ ସେ କେବଳ ହୁଁ ହାଁ କହି ଉତ୍ତର ଦେଇ ଚାଲିଥିଲେ। ଭଗବାନଙ୍କ ଦୟାରୁ ରାତି ଅଧରେ ଘର ପାଖରେ ପହଞ୍ଚିଲି। ସାଇକେଲ ରଖେଇ ପଛକୁ ବୁଲି ଦେଖିଲା ବେଳକୁ ଦନେଇ ଅଜା ସାଇକେଲ ପଛରେ ନାହାଁନ୍ତି। ମନେମନେ ଭାବିଲି ବୁଢା ମୋ ସହ ଗମାତ କରିବାକୁ ଗାଁଆମୁଣ୍ଡରେ ଡେଇଁ ପଡିଥିବ,କାଲି ସକାଳେ ତା ଚୋପା ଛଡେଇବି। ଘର ଭିତରକୁ ପଶିଲା ବେଳକୁ ବୋଉ ମୋତେ ଧରି କାନ୍ଦି ପକେଇ କହିଲା - - ପୁଅରେ ମାଆ ଦୁର୍ଗାଙ୍କ କୃପାରୁ ତୁ ଭଲରେ ଘରେ ପହଞ୍ଚିଗଲୁ। କାହିଁକି ବୋଉ ଏମିତି କହିଲା ବୁଝି ହେଲାନି। ବାପା କୁଆଡେ ଯାଇଛନ୍ତି ପଚାରିବାରୁ ବୋଉ କହିଲା- - ବାପା ମଢ ନେଇ ମଶାଣି ଯାଇଛନ୍ତି। ମୁଁ ଚମକି ପଡି ପଚାରିଲି କାହାର କଣ ହେଲା କି ବୋଉ?

ବୋଉ କହିଲା-- ଆମ ସାହିର ଦନେଇ ପାଖ ଗାଁଆକୁ ଯାଇଥିଲେ। ଜଣେ ଲୋକସାଙ୍ଗରେ ମୋଟର ସାଇକେଲରେ ଗାଁଆକୁ ଫେରିଲାବେଳେ ଜଙ୍ଗଲ ରାସ୍ତାରେ ମୋଟର ସାଇକେଲର ଦୁର୍ଘଟଣା ହୋଇଗଲା। ସେ ଲୋକଟି ଓ ଦନେଇ ସେହି ଯାଗାରେ ମରିଗଲେ। ଡେରି ହେବାରୁ ତାଙ୍କ ପୁଅ ଖୋଜିବାକୁ ଗଲାବେଳକୁ ଦେଖିଲା ଦନେଇ ରକ୍ତ ଜୁଡୁବୁଡୁ ହୋଇ ରାସ୍ତା ଉପରେ ମରି ପଡିଥିଲେ। ବୋଉ ପାଟିରୁ ଏ କଥା ଶୁଣି ମୋ ଛାତି ଭିତରଟା ଫାଟି ପଡିବା ପରି ଲାଗିଲା। ମୁଁ ଚିତ୍କାର କରି କହିଲି- - କଣ ଦନେଇ ଅଜା ?? ସେ ତ ମୋ ସାଙ୍ଗରେ ସାଇକେଲରେ ବସି ଆସିଲେ। ସେତିକି କହି ମୁଁ ଚେତା ବୁଡିଗଲି। ଢେରଦିନ ଯାଏଁ ଭୀଷଣ ଦେହ ଖରାପରେ ପଡିବା ପରେ ରାକା ଗୁଣିଆ ମୋ ଦେହରୁ ଭୂତ ଛଡାଇଲା। ସେ ଭୂତ କାହାରଥିଲା ମୁଁ ଆଜିଯାଏ ଜାଣି ପାରିଲିନି। ଦନେଇ ଅଜାର, ସେ ଲୋକର ନା ଅନ୍ଯ କାହାର।

ନିଜର ଭୌତିକ ଅନୁଭୁତିକୁ ପ୍ରାଞ୍ଜଳ ଭାବରେ କହିବା ସମୟରେ ଚିନୁ ଆଖି ସାମନାରେ ସେଦିନର ଘଟଣାବଳୀ ଜୀବନ୍ତ ହୋଇ ଉଠୁଥିଲା। ଶ୍ରୋତାମଣ୍ଡଳୀଙ୍କ ମଧ୍ଯରେ ଥିଲା ଅସମ୍ଭବ ନୀରବତା। ଚିନୁର କାହାଣୀ ଯେ ଏତେ ଭୟାବହ ହୋଇଥିବ ସେମାନେ କଳ୍ପନା କରି ପାରୁନଥିଲେ। ଗାଁଆ ପିଲାମାନେ ଦନେଇ ମରିବା ଓ ତା ପରେ ଚିନୁର ଦେହ ଖରାପ ହେବାର କଥା ଜାଣିଥିଲେ। କିନ୍ତୁ ସେମାନେ ଜାଣି ନଥିଲେ ମୃତ୍ଯୁପରେ ଦନେଇର ଭୌତିକକାଣ୍ଡ ବିଷୟରେ। ସେତେବେଳକୁ ରାତ୍ରିର ଗଭୀରତା ବେଶ୍ ବଢି ସାରିଥିଲା। ଅମାବାସ୍ଯା ରାତିର ଚନ୍ଦ୍ରବିହୀନ ଆକାଶରେ ମିଞ୍ଜିମିଞ୍ଜି ଦିଶୁଥିବା ତାରାମାନେ ବାଦଲ ପଛରେ ଲୁଚକାଳି ଖେଳିବାରେ ବ୍ଯସ୍ତଥିଲେ। କେବଳ ଗଗନ ବ୍ଯତୀତ ଅନ୍ଯ ସମସ୍ତେ ଭୟରେ ଶିହରି ଉଠୁଥିଲେ। ସାଇଁସାଇଁ ବହୁଥିବା ପବନ ସେହି ବୁଢା ବରଗଛର ପତ୍ର ମାନଙ୍କୁ ଏପରି ରୂପରେ ନଚାଇବାରେ ବ୍ଯସ୍ତ ଥିଲା ଯେ ଲାଗୁଥିଲା ଗଛ ଉପରୁ କେହିଜଣେ ଅସ୍ପଷ୍ଟ ସ୍ବରରେ ଗୀତ ଗାଉଛି। ଗଛରୁ ଇତଃସ୍ତତଃ ହୋଇ ଝୁଲି ରହିଥିବା ଓହଳ ମାନ ଦେଖିଲେ ଲାଗୁଥିଲା ଯେପରି ଗଛ ଉପରୁ କିଛି ଅଶରୀରୀ ଗୋଡ ଲମ୍ବାଇ ବସି ରହିଛନ୍ତି। ମଝିରେ ମଝିରେ ପେଚା ଓ ବାଦୁଡି ମାନଙ୍କର ରାବ ସହ ବିଲୁଆ ମାନଙ୍କର ବିକଟାଳ ଚିତ୍କାର ପରିବେଶକୁ ଆହୁରି ଭୟାନକ କରି ଗଢି ତୋଳୁଥିଲା। ଗାଆଁର ଅଧିକାଂଶ ଘରେ ତାଟି କବାଟ ପଡି ସାରିଥିଲା। ଲଣ୍ଠନ ଓ ଡିବିରି ମାନଙ୍କର ଫିତାଗଣ ଆକଣ୍ଠ କିରୋସିନ୍ ପିଇ ନିଦ ଟଳମଳ ହୋଇ ଆଲୋକ ଦେବାରେ ଆଳସ୍ଯପରାୟଣତା ଦେଖାଇବା ଆରମ୍ଭ କରି ସାରିଥିଲେ। ଅମାବାସ୍ଯାର ଅନ୍ଧକାର ଏକ ମୋଟା କଳାଚାଦର ବିସ୍ତାରିତ କରି ସମଗ୍ର ଅଞ୍ଚଳକୁ ଉଦରସ୍ଥ କରି ଅଖଣ୍ଡ ରାଜୁତି ଆରମ୍ଭ କରି ସାରିଥିଲା।

- - - ଗପସପରେ ଏତେ ସମୟ ବିତିଗଲାଣି ଜାଣି ହେଲାନି। ଦେଖିଲ, କେତେ ରାତି ହୋଇଗଲାଣି।ଜଲଦି ଘରକୁ ନ ଗଲେ ବହୁତ ଗାଳି ପଡିବ। ଗଗନ ,ଚାଲ ଏବେ ସମସ୍ତେ ଘରକୁ ଫେରିବା। ବ୍ଯସ୍ତ ହୋଇ କହି ଉଠିଲା ରାମ।

ଗଗନର କିନ୍ତୁ ଏତେ ଶୀଘ୍ର ଘରକୁ ଫେରିବାର ଇଚ୍ଛା ନ ଥିଲା। ସେ ଭାବି ନ ଥିଲା ଯେ ଚିନୁ ନିଜର କାହାଣୀ ଶୁଣାଇ ଏତେ ସମୟ ନଷ୍ଟ କରିଦେବ। ସେ ବ୍ଯାଗ୍ ରୁ ବିଦେଶୀ ମଦ ବୋତଲ କାଢି କହିଲା- -ଆରେ ଏତେ ଜଲଦି ଘରକୁ ଯାଇ କଣ କରିବ । ତୁମେ ମାନେ ଚାଲିଗଲେ ଏ ଜିନିଷର କଣ ହେବ ଯେ ?

ରାମ ଅନିଚ୍ଛା ପ୍ରକାଶ କରି କହିଲା- - ନାଇଁ ସାଙ୍ଗ, ଏବେ ଏ ଜିନିଷ ପିଇ ଘରକୁ ଗଲେ କଥା ସରିଲା ବୋଲି ଜାଣ। ମୋ ବାପା ଯେମିତି ଲୋକ ମୋତେ ଘରୁ ବାହାର କରିଦେବେ, କାଲି ଦେଖିବା। ଏତିକି କହି ରାମ କାନ୍ଧରେ ଗାମୁଛା କୁ ଚଉତାଇ ପକାଇ ଘରକୁ ଯିବାକୁ ବାହାରିଲା। ରାମ ପଛେପଛେ ଅନ୍ଯ ସାଙ୍ଗ ମାନେ ବି ବାହାରିଲେ। ଗଗନ କେମିତି ସେମାନଙ୍କୁ ରଖାଇବ ବୋଲି ଉପାୟ ପାଉ ନଥାଏ। କିନ୍ତୁ ଅସଲ କଥାଥିଲା , ଚିନୁର କାହାଣୀ ଶୁଣିବା ପରେ ଅନ୍ଯ ପିଲା ମାନଙ୍କ ମନରେ ଭୟର ମାତ୍ରା ଏତେ ବଢି ଯାଇଥିଲା ଯେ ସେମାନେ କେମିତି ଯାଇ ଘରେ ପହଞ୍ଚିବେ ସେହି କଥା ଭାବି ଚାଲିଥିଲେ। ଗଗନର ସାଙ୍ଗମାନେ ଭୂତର ଅସ୍ତିତ୍ବ ଅଛି ବୋଲି ବିଶ୍ବାସ କରୁଥିଲେ ଓ କୌଣସି ନା କୌଣସି ସୂତ୍ରରୁ ତାହାର ପ୍ରମାଣ ମଧ୍ଯ ପାଇ ସାରିଥିଲେ। କିନ୍ତୁ ମୁକ୍ତକଣ୍ଠରେ ତାହା ସ୍ବୀକାର କରିବାକୁ ରାଜି ନ ଥିଲେ।

ଅନ୍ଯପକ୍ଷରେ ଗଗନ ମନରେ ଅନ୍ଯକିଛି ଯୋଜନା ନେଇ ଆସିଥିଲା। ପ୍ରକୃତରେ ସେ ଭୂତପ୍ରେତଙ୍କ ଉପରେ ଅନ୍ତରରୁ ବିଶ୍ବାସ କରୁନଥିଲା। " ଯାହା ନ ଦେଖିବ ବେନି ନୟନେ ପରତେ ନ ଯିବ ଗୁରୁ ବଚନେ " ନ୍ଯାୟର ବିଶ୍ବାସୀ ଥିଲା ଗଗନ। ସାଙ୍ଗମାନଙ୍କୁ ରଖାଇବା ପଛରେ ଉଦ୍ଦେଶ୍ଯ ଥିଲା ମଶାଣିରେ କାଳେ ତାକୁ ଏକୁଟିଆ ଲାଗିବ। ପିଲାଦିନରୁ ଅନେକ ଭୂତପ୍ରେତଙ୍କ ଗପ ପଢି ସେ ଭାବୁଥିଲା ଭୂତପ୍ରେତ ମାନେ କେବଳ କାହାଣୀର ଚରିତ୍ର ଛଡା ଅନ୍ଯ କିଛି ନୁହଁ। ଅନ୍ଯପକ୍ଷରେ ସହରରେ ରହୁଥିବା ସାଙ୍ଗ ପାଖକୁ ମଶାଣିରୁ କୌଣସି ସାଙ୍ଗର ଫଟୋ ଉଠାଇ ପଠାଇଦେଲେ ସେ ଭୂତ ବୋଲି ବିଶ୍ବାସ ନ କରିବାର କିଛି କାରଣ ନ ଥିଲା। ମାତ୍ର ଦୁର୍ଯୋଗକୁ ତା'ର ସବୁ ଯୋଜନା ଫସର ଫାଟିଯାଇଥିଲା। ସାଙ୍ଗମାନଙ୍କ ସହ ଭୋଜି କରି ଆସିବାରେ ଡେରି ହେବ ବୋଲି ସେ ଘରେ କହି ଦେଇଥିଲା। ତେଣୁ ସେ ନିଶ୍ଚିନ୍ତ ଥିଲା। ଚିନୁର କାହାଣୀ ଶୁଣି ତାକୁ ଭୀଷଣ ହସ ଲାଗୁଥିଲା ମାତ୍ର କୌଣସି ମତେ ହସଚାପି ସେ କାହାଣୀ ଶୁଣି ଚାଲିଥିଲା। ମନେମନେ ଭାବୁଥିଲା ଯଦି ତା ସହ ଏମିତି ଘଟଣା ଘଟନ୍ତା କେତେ ଭଲ ହୁଅନ୍ତା।

ଚାରିଆଡକୁ ଚାହିଁଲା ଗଗନ, ସାଙ୍ଗମାନେ ସବୁ ଘରକୁ ଯାଇ ସାରିଥିଲେ। ସେହି ବୁଢା ବରଗଛର ଚଉତରା ଉପରେ ସେ ଏକୁଟିଆ ବସି କଣ କରିବ ଭାବୁଥିଲା। ପକେଟରୁ ମୋବାଇଲ କାଢି ଦେଖିଲା । ରାତି ଏଗାରଟା ବାଜିଲାଣି। ସିଗାରେଟରେ ଅଗ୍ନୀସଂଯୋଗ କରି ସେ କିଛି ଭାବିବାକୁ ଲାଗିଲା। ସିଗାରେଟ ସରିବା ସହିତ ଗୋଟିଏ ବିଦେଶୀ ମଦ ବୋତଲ ମଧ୍ଯ ତଳେ ଗଡିଲା। ଏଥର ଗଗନ ମନରେ ଆତ୍ମବିଶ୍ବାସ କାହିଁ କେତେ ଗୁଣ ବଢିଗଲା। ମୁଣ୍ଡକୁ ନିଶା ଚଢିବା ସହିତ ସେ ନିଜ ସହ ଗପସପ ଆରମ୍ଭ କରିଦେଲା। ଧିରେଧିରେ ରାତିର ଘନତା ବଢିବା ସହିତ ଓ ଚତୁର୍ଦ୍ଦିଗରେ ଅସମ୍ଭବ ନୀରବତା ରାଜୁତି କରିବା ଆରମ୍ଭ କଲା। ମଝିରେ ମଝିରେ ହାଲୁକା ପବନ ବୋହି ଗଛର ପତ୍ର ମାନଙ୍କୁ ଦୋଳାୟମାନ କରିବାରେ ଲାଗିଥିଲା। ଗଛର ଡାଳପତ୍ରରୁ ଖସଖସ ଶଦ୍ଦ ରହିରହି ଭାସି ଆସୁଥିଲା। ଶୀତଳ ପବନର କୋମଳ ସ୍ପର୍ଶ ଓ ମଦନିଶାର ପ୍ରକୋପ ଗଗନକୁ କିଛି ସମୟ ପାଇଁ ତନ୍ଦ୍ରାଭିଭୂତ କରିଦେଇଥିଲା। ହଠାତ୍ କାହା ଡାକରେ ସେ ଚମକି ଉଠିଲା। ଦେଖିଲା ବେଳକୁ ତା ସାମ୍ନାରେ ଜଣେ ଲୋକ ଛିଡା ହୋଇଛି। ଚୋର ବା ଡାକୁ ହୋଇଥିବ ଭାବି ଗଗନ ମୋବାଇଲକୁ ପକେଟରେ ପୁରାଇ ପଚାରିଲା - - କିଏ ତୁମେ, ଏଠି କଣ କରୁଛ? ସେ ଲୋକଟି ଅନୁରୂପ ପ୍ରଶ୍ନ ଗଗନକୁ ପଚାରିଲା। କଣ ଉତ୍ତର ଦେବ ଗଗନ ଭାବି ପାରିଲାନି। ସେତେବେଳ ଯାଏଁ ମଦନିଶାରେ ଚୁର୍ ଥିବା ଗଗନ କହିଲା - - ଆରେ ମୁଁ ଭୂତ ଦେଖିବାକୁ ବସିଛି। ଦେଖିବି, ତା ଫଟୋ ଉଠେଇ ପଇସା କମେଇବି। ତୁମର କିଛି କହିବାର ଅଛି କି ? ଯଦି ନାହିଁ ମୋ ପାଖରୁ ଗେଟ୍ ଆଉଟ୍ ହୋଇଯାଅ।

ଲୋକଟି ହସିହସି କହିଲା- - ଆରେ ବାବୁ ତୁମେ ଏତେ ରାଗିବାର କିଛି କାରଣ ନାହିଁ। ତୁମେ ଯାହାକଲେ ମୋର କିଛି ଯାଉନି କି ଆସୁନି। ମୁଁ ସବୁ ରାତିରେ ଏଇ ଗଛମୂଳକୁ ଆସି ଘେରାଏ ବୁଲି ଯାଏ। ଏତେ ରାତିରେ କେବେ କାହାକୁ ଦେଖେନି, ଆଜି ତୁମକୁ ଦେଖିଲି ବୋଲି ପଚାରିଦେଲି। ରାଗ ଶାନ୍ତ କର, କେହି ତ କୁଆଡେ ନାହାଁନ୍ତି। ମୋ ସହ ଟିକେ ଗପସପ କର। ମୋତେ ଭଲ ଲାଗିବ ଆଉ ତୁମକୁ ମଧ୍ଯ। ଏଥର ଗଗନକୁ ଲାଗିଲା ଲୋକଟା ସେମିତି ନୁହଁ ଯେମିତି ସେ ଭାବୁଥିଲା।

- - ଆଛା ତୁମେ ରୁହ କେଉଁଠି? ପଚାରିଲା ଗଗନ

- - ସେ ମଶାଣି ପାଖରେ ଘର ଖଣ୍ଡେ କରିଛି। ସେଇଠି ରହୁଛି।

- - ହାଃ ହାଃ ଆରେ ଦୁନିଆ ସାରା କୁଆଡେ ଜାଗା ମିଳିଲାନି ଯେ ଶେଷରେ ମଶାଣି ପାଖରେ ଘର କରି ରହିଲ। ତୁମ ମନରେ ଡରଭୟ ନାହିଁ ନା କଣ?

- - ନାଇଁ ଗଗନ। ଡରିବି କାହାକୁ। ଭୂତପ୍ରେତ ମାନେ ତ ସଦାବେଳେ ଆମ ଚାରି ପାଖରେ ରୁହନ୍ତି। ଆମ ତାଙ୍କୁ ସିନା ଦେଖି ପାରୁନେ। ଯିଏ ସଦାବେଳେ ଆମ ଚାରିପଟରେ ବୁଲୁଛନ୍ତି ତାଙ୍କୁ ବା କାହିଁକି ଡରିବି ଯେ?

ଲୋକଟିର କଥା ଶୁଣି ଗଗନର ପାଦ ତଳ ଥଣ୍ଡା ହୋଇଯିବା ପରି ଲାଗିଲା। ଏ ଲୋକଟା ତା ନାଁଆ କେମିତି ଜାଣିଲା ? ସେ ବ୍ଯସ୍ତ ହୋଇ ପଚାରିଲା ଆରେ ତୁମେ ମୋ ନାଁଆ କେମିତି ଜାଣିଲ। ସାଙ୍ଗ ମାନଙ୍କୁ ଭୂତପ୍ରେତଙ୍କ ବିଷୟରେ ମୁଁ ଯାହା ସବୁ କହୁଥିଲି ତୁମେ ମୋତେ ସେସବୁ କଥା କିପରି କହୁଛ?

- - ନାଇଁ ଗଗନ, ସେମିତି ଭାବନି। ତୁମେ ସାଙ୍ଗ ମାନଙ୍କ ସହ ଗପସପ କଲା ବେଳେ ମୁଁ ଗଛର ଆରପଟରେ ଶୋଇ ସବୁ ଶୁଣୁଥିଲି। ସୁଲୁସୁଲିଆ ପବନରେ ମୋତେ ଛାଇ ନିଦ ହୋଇଯାଇଥିଲା। ନିଦ ଭାଙ୍ଗିଲା ବେଳକୁ ଦେଖିଲି ତୁମେ ଶୋଇଛ। ତେଣୁ ଏଠି ଅପେକ୍ଷା କରିଥିଲି କେତେବେଳେ ଉଠିବ ବୋଲି।

ସେ ଲୋକର ରହସ୍ଯମୟ ଢଙ୍ଗରେ ଆବିର୍ଭାବ ଓ ବହୁଦିନର ଚିହ୍ନା ପରି କଥାବାର୍ତ୍ତା , ଗଗନ ମନରେ ଭୟ ସୃ ଷ୍ଟି କରାଇବା ପାଇଁ ଯଥେଷ୍ଟଥିଲା। ତରତର ହୋଇ ସେ ମୋବାଇଲ କାଢି ସମୟ ଦେଖିଲା । ରାତି ବାର ଟା ' କୋଡିଏ। ଅଜାଣତରେ ତା ପାଟିରୁ ବାହାରି ପଡିଲା- - ଆରେ ରାତି ବାରଟା ବାଜିଗଲା, ମୋତେ ଜଣା ବି ପଡିଲାନି। ଧେତ୍ ଏ ଲୋକଟା ସହ ଗପ କରୁକରୁ କେତେ ଡେରି ହୋଇଗଲା। ଚିଡି ଉଠି ଗଗନ କହିଲା- - ହଉ ହେଲା, ଏବେ ଗପସପ ସେତିକି ଥାଉ। ଚାଲ ଟିକେ ମଶାଣି ଆଡେ ଯିବା। ମଶାଣି ଭିତରେ ତୁମେ ଗୋଟେ ଗଛ ପଛରେ ଛିଡା ହୋଇଯିବ। ମୁଁ ଫଟୋଟେ ଉଠେଇବି। ଆରେ ତୁମକୁ ସେଥିପାଇଁ ପାଉଣା ବି ଦେବି। ଏତିକି କହି ଗଗନ ପକେଟରୁ ଖଣ୍ଡେ ଶହେ ଟଙ୍କିଆ ନୋଟ୍ କାଢି ସେ ଲୋକ ସାମ୍ନାରେ ହଲାଇ ନିଜ ପକେଟରେ ପୁରାଇଲା। ଲୋକଟି କିଛି ପ୍ରତିକ୍ରିୟା ନ ଦେଖାଇ କହିଲା- - କଣ ଭୂତ ଫଟୋ ଉଠାଇବା ନାମରେ ମୋ ଫଟୋ ଉଠାଇ ସାଙ୍ଗକୁ ଦେବ ଓ ପଇସା ବି ଝଡେଇବ ? ଏହା ତ ଜମା ଭଲ କଥା ନୁହଁ। ସତସତିକା ଭୂତ ଦେଖିଲେ ତୁମେ ଫଟୋ ଉଠାକଥା ଭୁଲିଯିବ ଗଗନ। ସେମାନଙ୍କ ସହ ଥଟ୍ଟାତାମସା କରିବା ବହୁତ ବିପଦପୂର୍ଣ୍ଣ ଅଟେ।

ଏଥର ଗଗନ ସତସତିକା ରାଗିଯାଇ କହିଲା- - ମୋର ସବୁ କଥା ତ ଶୁଣିଛ, ତେବେ ଏତେ ଭଦ୍ରଲୋକି ଦେଖେଇ ହେଉଛ କାହିଁକି। ତୁମେ ଯାହା ଭାବୁଛ ସେୟା କରି ଟଙ୍କା ଝଡେଇବି। ଏଥର ଖୁସି ତ? ହଁ ଆଉ ଗୋଟେ କଥା ଭଲରେ ମନେରଖ। ସେ ଭୂତପ୍ରତଙ୍କ ଓକିଲ ସାଜି ମୋ ସହ ଯୁକ୍ତି କରିବାର ଆବଶ୍ଯକତା ନାହିଁ। ଭୂତ ଥିଲେ ତୁମେ ମଶାଣି ପାଖରେ ଘର କରି ରହି ନ ଥାନ୍ତ କି ରାତି ଅଧରେ ଭୂତଙ୍କ ପରି ବୁଲୁ ନ ଥାନ୍ତ। ଭୂତପ୍ରେତ ନାମ ନେଇ ବେକାରଟାରେ ଖାଲି ଲୋକଙ୍କ ମୁଣ୍ଡ ଖରାପ କରିବା କଥାଯାହା।

ଲୋକଟି ବଡ ଅଜବ ଶବ୍ଦରେ ହସିହସି କହିଲା - - ମାନିଲେ ଭୂତ ନ ମାନିଲେ କାଠ।

ଗଗନକୁ ତା ପଛରେ ଆସିବାକୁ ଇସାରା ଦେଇ ଲୋକଟି ଆଗରେ ଚାଲିବାକୁ ଲାଗିଲା। ସେ ପର୍ଯ୍ଯନ୍ତ ଗଗନ ଲୋକଟିର ମୁହଁକୁ ଭଲରେ ଦେଖି ପାରି ନ ଥିଲା। ଦେଖିବ ବା କେମିତି , ଅମାବାସ୍ଯାର ଘୋର ଅନ୍ଧକାର ରାତିରେ କାହାର ବା ମୁହଁ ଦିଶିବ ? ଆକାଶରେ ମିଞ୍ଜିମିଞ୍ଜି କରୁଥିବା ତାରାମାନେ ନିଜ କ୍ଷମତା ଅନୁସାରେ ପୃଥିବୀକୁ ଆଲୋକିତ କରିବାକୁ ଚେଷ୍ଟା ଚଳାଇଥିଲେ। ସେତିକି ଆଲୋକରେ ଅନ୍ତତଃ ରାସ୍ତାଘାଟ ସ୍ପଷ୍ଟ ଦେଖିହେଉଥିଲା। କିନ୍ତୁ କାହାର ମୁହଁ ଦେଖି ଚିହ୍ନିବା ସମ୍ଭବପର ନ ଥିଲା। ମୋବାଇଲ ଟର୍ଚ୍ଚ ବ୍ଯବହାର କରିବାକୁ ଗଗନ ଚାହୁଁନଥିଲା। ଦୈବାତ୍ ଚାର୍ଜ ସରିଗଲେ ଦରକାର ବେଳେ କାହାକୁ ଫୋନ ମଧ୍ଯ କରିହେବନି। ତେଣୁ ସେ ଅଧିକା କିଛି ନଭାବି ସେ ଲୋକକୁ ଅନୁସରଣ କରିବାକୁ ଲାଗିଲା। ଲୋକଟିର କ୍ଷୀପ୍ର ଗତିରେ ଚାଲି କେଉଁଆଡେ ଅଦୃଶ୍ଯ ହୋଇଗଲା। ବାଧ୍ଯହୋଇ ଗଗନ ମୋବାଇଲ ଟର୍ଚ୍ଚ ଲଗାଇ ଆଗକୁ ଦେଖିବାକୁ ଲାଗିଲା। ତା କାନ ପାଖରେ ହଠାତ୍ ଗୁଞ୍ଜରିତ ହେଲା- - ଗଗନ, କାହାକୁ ଖୋଜୁଛ? ମୁଁ ପରା ତୁମ ପଛରେ ଅଛି। ତୁମେ ଏତେ ଶୀଘ୍ର ଚାଲୁଛ ଯେ ମୁଁ ପଛେଇଗଲି।

ଭୟରେ ଶିହରି ଉଠିଲା ଗଗନ। ତା ହାତରୁ ମୋବାଇଲ ତଳେ ପଡିଗଲା ଓ ବ୍ଯାଟେରୀ, ଖୋଳ ଆଦି ଅଲଗା ହୋଇଗଲା। ଭୟ ମିଶ୍ରିତ କ୍ରୋଧରେ ଗଗନ ଚିତ୍କାର କରିଉଠିଲା- - ଆରେ ମୋତେ ଡରଉଛ ନା କଣ? ଭୂତଙ୍କ ପରି କାହିଁକି ହେଉଛ? ଭଦ୍ରଲୋକଙ୍କ ପରି ବ୍ଯବହାର କର। ନହେଲେ ମୁଁ ଘରକୁ ଫେରିଯିବି। ଦରକାର ନାହିଁ ମୋର ମଶାଣି କୁ ଯିବା। ତୁମ ଶହେଟଙ୍କା ବି ପାଣିରେ ପଡିବ ବୋଲି ଜାଣିରଖ।

- - ଏତିକି ରେ ଡରିଗଲ ଗଗନ ? ମଶାଣି କୁ ଯିବାକୁ ସାହାସ ଅଛି ତ? ମୋ ପଛେପଛେ ଆସ। ବିଚିତ୍ର ସ୍ବରରେ କହିଲା ସେ ଲୋକ।

ସେତେବେଳକୁ ଗଗନର ମଦନିଶା ସମ୍ପୂର୍ଣ୍ଣ ଉତୁରି ସାରିଥିଲା। ହୃଦୟ କମ୍ପନର ମାତ୍ରା ଏତେ ବଢି ଯାଇଥିଲା ଯେ ତାକୁ ଲାଗୁଥିଲା ଯେ କୌଣସି ସମୟରେ ଛାତିଚିରି ତା ହୃଦୟ ବାହାରକୁ ଚାଲିଆସିବ। ଦେହରୁ ବୋହୁଥିବା ଗମଗମ ଝାଳରେ ସେତେବେଳକୁ ସେ ତିନ୍ତି ସାରିଥିଲା। ଲୋକଟି ଉପରେ ଧ୍ଯାନ ନ ଦେଇ ସେ ଚାଲିବାକୁ ଲାଗିଲା। ଅଳ୍ପଦୂରରେ ଗାଁଆ ମଶାଣିର ଝାପସା ଆକୃତି ଦିଶିଯାଉଥିଲା। ବିଭିନ୍ନ ବିଶାଳ ଆକୃତି ବିଶିଷ୍ଟ ଗଛ ମାନଙ୍କ ଦ୍ବାରା ପରିବେଷ୍ଟିତ ହୋଇ ରହିଥିଲା ମଶାଣି। ବହୁବର୍ଷ ତଳେ ଜଣେ ସଂପର୍କୀୟଙ୍କୁ ଦାହ କରିବାକୁ ବାପାଙ୍କ ସାଙ୍ଗରେ ଗଗନ ଏହି ମଶାଣିକୁ ଆସିଥିଲା। ସେତେବେଳକୁ ମଶାଣିର ରୂପ ତାକୁ ଭୟାନକ ଲାଗୁଥିଲା ଓ ବାପାଙ୍କ ପଛରେ ଲୁଚିରହି ଶୀଘ୍ର ଘରକୁ ଫେରିଯିବା ପାଇଁ ଜିଦି କରି ସେ କାନ୍ଦିକାନ୍ଦି ନୟାନ୍ତ ହୋଇ ଯାଇଥିଲା। ଇତି ମଧ୍ଯରେ ବହୁବର୍ଷ ବିତି ସାରିଥିଲା ,ମାତ୍ର ମଶାଣିର ରୂପରେ ବିଶେଷ କିଛି ପରିବର୍ତ୍ତନ ଆସି ନଥିଲା। କେବଳ ସେହି ଗଛ ମାନଙ୍କର ଆକାର ବଢି ଯାଇଥିଲା ଯାହା। କିଛି ସମୟ ମଧ୍ଯରେ ସେ ମଶାଣି ପାଖରେ ପହଞ୍ଚି ଶାନ୍ତିରେ ନିଶ୍ବାସ ମାରିଲା। ସେ ସ୍ଥାନରୁ ଗାଁଆର ରୂପ ଦେଖି ଗଗନ ଆଶ୍ଚର୍ଯ୍ଯ ହୋଇଗଲା। ଆକାଶରେ ମିଞ୍ଜିମିଞ୍ଜି କରୁଥିବା ତାରା ଓ ଗାଁଆରେ ଜଳୁଥିବା କିଛି ଲାଇଟ୍ ମଧ୍ଯରେ ବିଶେଷ ପ୍ରଭେଦ ଥିବା ପରି ଦିଶୁ ନ ଥିଲା। ଲାଗୁଥିଲା ସତେକି ଆକାଶ ନିଜର କାୟା ବିସ୍ତାର କରି ତା ଗାଁଆକୁ ଆଲିଙ୍ଗନବଦ୍ଧ କରିନେଇଛି। ହଠାତ ତା କାନରେ ପଡିଲା କୁକୁର ମାନଙ୍କର ବିକଟାଳ ଚିତ୍କାର। ସେମାନେ କାହାକୁ ଗୋଡାଇ ଭୁକିବା ପରି ମନେ ହେଉଥିଲା। କିନ୍ତୁ ଏତେ ରାତିରେ ମଶାଣି ପାଖରେ ସେମାନେ କାହାକୁ ଭୁକୁଥାଇ ପାରନ୍ତି ବୋଲି ଗଗନ ଭାବିପାରିଲା ନାହିଁ। ତା ମନରେ ଭୟ ଧିରେଧିରେ କାୟା ବିସ୍ତାର କରି ଚାଲିଥିଲା। ମାତ୍ର ସେ କାହାକୁ ଡରୁଥିଲା ନିଜେ ମଧ୍ଯ ଜାଣି ପାରୁ ନ ଥିଲା। କିପରି ଶୀଘ୍ର ସେ ଘରକୁ ଯିବ ସେକଥା ଭାବି ବ୍ଯସ୍ତ ହୋଇ ଉଠିଲା। ଗଗନର ମାନସପଟ୍ଟଳରେ ଖେଳି ଚାଲିଥିଲା ଚିନୁ କହିଥିବା କାହାଣୀର ଦୃ ଶ୍ଯମାନ। ଏବେ ସେ ଅନୁଭବ କରି ପାରୁଥିଲା ରାତିର ନିର୍ଜନ ପ୍ରହରରେ ଏପରି ଏକ ଭୌତିକ ସ୍ଥାନରେ ଏକୁଟିଆ ରହିବାର ଅନୁଭୁତି।

ଚିତ୍କାର କରି ଗଗନ କହିଲା- - ଆରେ ତୁମେ ପୁଣି କୁଆଡେ ଚାଲିଗଲ ? ମୋ ସହ ଦୟାକରି ଲୁଚକାଳି ଖେଳିବା ବନ୍ଦକର। ଜଲଦି ଆସ ମୁଁ ଫଟୋ ଉଠାଇ ଘରକୁ ଫେରିଯିବି। ଏ ସ୍ଥାନରେ ରହିବାକୁ ମୋର ତିଳେ ମାତ୍ର ଇଚ୍ଛା ନାହିଁ। ଗୋଡ ପାଖରେ କିଛି କଠିନ ବସ୍ତୁର ସ୍ପର୍ଶରେ ଗଗନ ଚମକି ଉଠିଲା। ଟର୍ଚ୍ଚ ମାରିଦେଖିଲା ବେଳକୁ ଏକ ମଣିଷ ଖପୁରୀ ତା ପାଦତଳେ ପଡିଥିଲା। ଗଗନ କୁ ଲାଗିଲା ସେ ଖପୁରୀ ଟି ତା ଆଡକୁ ଚାହିଁ ଅଟ୍ଟହାସ୍ଯ କରିବାକୁ ଯାଉଛି। ମୋବାଇଲ ଟର୍ଚ୍ଚର ଆଲୋକ କିଛି ଦୂରକୁ ପକାଇ ଗଗନ ଦେଖିଲା ଚାରିପଟର ବିଭତ୍ସ ଦୃଶ୍ଯ। ଚତୁର୍ଦ୍ଦିଗରେ ବିଛାଡି ହୋଇ ଦରପୋଡା କାଠ,ପାଉଁଶ,ମଣିଷ ଖପୁରୀ,ହାଡ, ଛିଣ୍ଡା କମଳ,ତକିଆ, ଚପଲ , ଭଙ୍ଗାହାଣ୍ଡି, ମାଠିଆ ଆଦି ପଡି ରହିଥିଲା। ଭୟ ଓ ଘୃଣାରେ ଗଗନର ଆଖି ବନ୍ଦ ହୋଇଗଲା। ତାକୁ ଲାଗିଲା କେହିଜଣେ ତା ସାମ୍ନାରେ ଦୌଡି ପଳାଇଲା। ପାଦ ଶବ୍ଦ ଓ ପବନର ହାଲୁକା ସ୍ପର୍ଶ ସେ ଭଲରେ ଅନୁଭବ କରି ପାରୁଥିଲା। ପୁଣି ଲାଇଟ୍ ମାରି ଦେଖିଲା, ଗଛ ପଛରେ କେହି ଜଣେ ଲୁଚି ଲୁଚି ତାକୁ ଦେଖୁଛି। ମୋବାଇଲ ଲାଇଟରେ ସେହି ଆକୃତି ର ଅଧା ଅଂଶ ଦିଶୁଥିଲା ଓ ବାକି ଅଧା ଲୁଚି ରହିଥିଲା ଗଛ ପଛରେ। ହାଲୁକା ପବନରେ ଗଛର ପଛପଟରୁ ଉଡି ଚାଲିଥିଲା ଘନକଳା ରଙ୍ଗର ଲମ୍ବାଲମ୍ବା କେଶ। ଥରଥର ହାତରେ ଲାଇଟ ଅଳ୍ପ ଉପରକୁ ପକାଇ ଗଗନ ଯାହା ଦେଖିଲା ତା ପାଦ ତଳୁ ମାଟି ଖସି ଯିବାପରି ଲାଗିଲା। ରଡନିଆଁ ପରି ଜଳି ଚାଲିଥିବା ଦୁଇଟି ଆଖି ଗଗନ ଆଡକୁ ଗଛ ଉହାଡରୁ ଚାହିଁ ରହିଥିଲେ। ଭୟରେ ସେ ମୋବାଇଲର ଟର୍ଚ୍ଚ ବନ୍ଦ କରିଦେଇ ସେ ଲୋକକୁ ନିଜର ସମସ୍ତ ଶକ୍ତି ଖଟାଇ ଡାକିବାକୁ ଲାଗିଲା। ଏଥର ସେ ଲୋକର ଉତ୍ତର ଆସିଲା ଏକ ଉଚ୍ଚ ଗଛ ଉପରୁ- - ହଁ କୁହ ଗଗନ। କଣ ମଶାଣି କୁ ଆସି ଭଲ ଲାଗୁଛି ତ ? ମନଭରି ଫଟୋ ଉଠାଇଚାଲ। ତୁମେ ଖୋଜୁଥିବା ଜିନିଷ ଆଜି ମଶାଣିରେ ଭରପୁର ରହିଛନ୍ତି। ତୁମେ ବୋଧେ ଜାଣିଥିବ, ଆଜି ହେଲା ଅମାବାସ୍ଯା। ହାଃ ହାଃ ହାଃ।

ଗଗନର ପାଟି ଖନି ମାରି ଆସିଲା- - ସେ ନେହୁରା ହୋଇ ପଚାରିଲା- - କି କି କି କିଏ ତୁମେ। ତୁମେ ମଣିଷ ନାଁ ଅନ୍ଯକିଛି?

- - ହାଃ ହାଃ ହାଃ ତୁମେ ଏତେ ବୋକା ନୁହଁ ଗଗନ। ଏତିକି ସମୟ ଯାଏଁ ଜାଣି ପାରିଲନି ମୁଁ କଣ ବୋଲି? ଆହୁରି ପ୍ରମାଣ ଦରକାର? ଚିନୁ ଯାହାସବୁ କହୁଥିଲା ମନେ ଅଛି ତ ? ମୁଁ ପରା ଦନେଇ। ଚିନୁ ଦେହରେ ରହିଲି ବୋଲି ଗୁଣିଆ ଜୋରଜବରଦସ୍ତି କରି ମୋତେ ଆଣି ଏ ମଶାଣିରେ ବାନ୍ଧି ପକେଇଲା। ସେଦିନ ଠୁଁ ଗାଁଆକୁ ଯାଇନି। ଯାହାହେଉ ଏବେ ଯିବାରେ ଆଉ ଅସୁବିଧା ହେବନି। ଏତିକି କହିବା ସହିତ ଗଛ ଉପରୁ କିଛି ଓଜନଦାର ଜିନିଷ ଭୁଷଭାଷ ହୋଇ ପଡିବାର ଶବ୍ଦହେଲା। ସେହି ଶବ୍ଦ ସହିତ ତାଳଦେଇ ସମସ୍ତ ଗଛରୁ ବିକଟାଳ ଚିତ୍କାର କରି ଜିନିଷମାନ ପଡିବା ଆରମ୍ଭ ହୋଇଗଲା। ଏମିତି ଏକ ପରିସ୍ଥିତିରେ ପଡିବ ବୋଲି ଗଗନ ସ୍ବପ୍ନରେ ସୁଦ୍ଧା ଭାବିନଥିଲା। କଳ୍ପନା ଠାରୁ ବାସ୍ତବିକତାର ରୂପ ଯେ ଏତେ ଭୟଙ୍କର ହୋଇପାରେ ବୋଲି ସେ ଆଶା କରିନଥିଲା। ଭୂତପ୍ରେତଙ୍କ ଅସ୍ତିତ୍ବକୁ ନେଇ ସନ୍ଦିହାନ ଥିବା ଗଗନ ଭୟଙ୍କର ଅଶରୀରୀ ମାନଙ୍କର ହାବୁଡରେ ପଡି ସାରିଥିଲା। ପାଗଳଙ୍କ ପରି ଚିତ୍କାର କରି ସେ କହିଚାଲିଲା- - ତୁ ମସ୍ତବଡ ପାଜି,ଖଣ୍ଟ, ବଦମାସ ଲୋକ। ଆମମାନଙ୍କର ସବୁ କଥାଶୁଣିସାରି ସେଇ ସସବୁ କଥା କହି ମୋତେ ଡରାଇବାକୁ ଚେଷ୍ଟା କରୁଛୁ। ତୁ ଯେମିତି ତୋ ଘରଲୋକ ମାନେ ବି ସେମିତି। ତୁମେମାନେ ଯେତେ ଚେଷ୍ଟାକଲେ ମଧ୍ଯ ମୋତେ ଡରାଇ ପାରିବନି। କିଛି ଭୂତପ୍ରେତ ନାହାଁନ୍ତି ସବୁ ମିଛ। ଡାହା ମିଛ ସବୁ। ଏତିକି କହି ସେ ମୋବାଇଲ ଟର୍ଚ୍ଚକୁ ଚାରି ଆଡକୁ ବୁଲାଇବାକୁ ଲାଗିଲା। କିନ୍ତୁ ଏ କଣ, ! ପ୍ରତି ଗଛ ଉହାଡରୁ ଅସ୍ପଷ୍ଟ ଭାବରେ ଦିଶିଯାଉଥିଲା ବିକୃତ ଆକୃତି ବିଶିଷ୍ଟ ଭୟଙ୍କର ମୁହଁ ମାନ। କାହାର ମୁହଁ ଅଧା ପୋଡି ଯାଇଥିଲା ତ କାହାର ଆଖି ପଦାକୁ ବାହାରି ପଡିଥିଲା। କାହାର ଦେହସାରା ରକ୍ତରେ ଜୁଡୁବୁଡୁ ହୋଇଥିଲା ତ କାହାର ମୁଣ୍ଡ ପଛପଟକୁ ଢଳି ପଡିଥିଲା। ସେହିସବୁ ମୂର୍ତ୍ତି ଗୁଡିକ ଧିର ମନ୍ଥର ଗତିରେ ଗଗନ ଆଡକୁ ଅଗ୍ରସର ହେବାରେ ଲାଗିଥିଲେ। ଗଗନ ପାଟିକରିବାକୁ ଚାହିଁଲା ମାତ୍ର ତାର ପାଟିରେ ଜାବ ପଡି ଯାଇଥିଲା। ଦୌଡି ସେ ସ୍ଥାନରୁ ପଳାଇବାକୁ ଚେଷ୍ଟାକଲା , ମାତ୍ର ତା ହାତଗୋଡ ହଲୁ ନ ଥିଲା। ମୋବାଇଲରୁ ଚାର୍ଜ ସରିଗଲା କି କଣ, ଧପଧପ କରି ମୋବାଇଲ ଲାଇଟ ବନ୍ଦ ହୋଇଗଲା। କାନ ପାଖରେ କାହାର ବିକଟାଳ ଚିତ୍କାର ଶୁଣି ଗଗନ କାନର ପରଦା ଫାଟି ଯିବା ପରି ଲାଗିଲା। ସେ ଅନୁଭବ କଲା ତା ଦେହରେ ଅନେକ ହାଡମୟ ଶରୀରର ଉତପ୍ତ ସ୍ପର୍ଶ। ସତେକି ସେହି ହାଡ ଗୁଡିକ ପରଖି ଦେଖୁଥିଲେ ଗଗନର ଶରୀର, ଠିକ୍ ଯେପରି କାଟିବା ପୂର୍ବରୁ କଂସେଇ ଖାସିକୁ ପରୀକ୍ଷା କରେ। ଧିରେଧିରେ ଗଗନକୁ ଲାଗିଲା ତା ଆଖି ସାମ୍ନାରେ ଅନ୍ଧକାର ଘୋଟି ଯାଉଛି, ଦେହର ରକ୍ତ ପାଣି ଫାଟି ଚାଲିଛି। ଲାଗୁଥିଲା ସତେକି ଏହିକ୍ଷଣି ତା ଛାତି ଫାଟିଯିବ। ବେକ ପାଖରେ କାହାର ଶିରାଳ ହାତର ସ୍ପର୍ଶରେ ସେ ଶିହରି ଉଠିଲା। ନିଜକୁ ବଞ୍ଚାଇବାକୁ ଚେଷ୍ଟାକରି ବିଫଳ ହେଲା। ପ୍ରଚଣ୍ଡ ଧକ୍କାରେ ସେ ତଳେ ପଡିଗଲା ଓ ତା ଉପରେ ଅନୁଭବ କଲା ଅନେକ କଂକାଳମୟ ଶରୀର ମାନଙ୍କର ଆତଯାତ। ଗଗନର ଆଖି ବନ୍ଦ ହୋଇଗଲା।

କୋଳାହଳ ଶୁଣି ଗଗନ ଆଖି ଖୋଲି ଦେଖିଲା ତା ସାଙ୍ଗ ମାନଙ୍କ ମେଳରେ ତା ବାପା ମଶାଣି ଭିତରେ କାନ୍ଦୁଛନ୍ତି। ସକାଳ ହୋଇସାରିଥିଲା ଓ ରାତିର ସେହି ଭୟଙ୍କର ଦୃଶ୍ଯମାନ ଅପସରି ଯାଇଥିଲା। ସେ ଭାବିଲା କିଛି ସମୟ ଗଛ ପଛରେ ଲୁଚି ରହି ମଜା ଦେଖିବ। ବାପା ଓ ସାଙ୍ଗ ମାନେ ତାକୁ ଖୋଜିଖୋଜି ହାଲିଆ ହୋଇଯିବା ପରେ ସେ ବାହାରକୁ ଆସି ସମସ୍ତଙ୍କୁ ଚମକାଇ ଦେବ। ସାଙ୍ଗମାନଙ୍କୁ କହିବ- - ଆରେ ତୁମେମାନେ ମୋତେ ସିନା ଛାଡି ଚାଲିଗଲ, କିନ୍ତୁ ମୁଁ ମଶାଣିରେ ଭୂତ ଦେଖିଲି ଓ ଫଟୋ ବି ଉଠାଇଲି। ଯେଉଁ ଦଶହଜାର ଟଙ୍କା ମିଳିବ ସେଥିରେ କାହାର ଭାଗ ରହିବନି, ସବୁ ଟଙ୍କା ମୋର। ବହୁତ ସମୟ ଧରି ସେ ଅପେକ୍ଷା କଲା ମାତ୍ର ତାକୁ କେହି ଖୋଜିବା ପରି ଲାଗିଲାନି। ସମସ୍ତେ କାଠ ସଜାଇବାରେ ଲାଗିଥିଲେ। ଗଗନ ଚମକି ପଡିଲା- - ତାଙ୍କ ଘରେ କାହାର କିଛି ହୋଇ ଗଲା କି ଆଉ ? ! ବୋଉର ଦେହ ତ ଠିକ୍ ଥିଲା, ସାନଭାଇ ତ ତା ଚାକିରି ଜାଗାରେ ଅଛି। ତେବେ କିଏ ଆଉ ହୋଇଥାଇ ପାରେ ? ସାହିରେ କିଏ ମରିଗଲା କି ଆଉ ? ଏମିତି କେତେ କଣ ଭାବିଲା ବେଳକୁ ଧଳା ଚାଦରରେ ଘୋଡା ହୋଇଥିବା ଶବକୁ ସମସ୍ତେ ମିଶି ଜୁଇ ଉପରକୁ ଉଠାଇଲେ। ଗଗନ ପାଟିରୁ ବାହାରି ପଡିଲା- - ଆହା, ଶବଟି ରକ୍ତାକ୍ତ ହୋଇ ଯାଇଛି। କେମିତି ମୋଡିମାଡି ହେଲା ପରି ଲାଗୁଛି। ନିହାତି ଗାଡିମୋଟର ମାଡି ଯାଇଥିବ। ସେ ବିଳମ୍ବ ନକରି ବାପାଙ୍କ ପାଖକୁ ଯିବାକୁ ବାହାରିଲା। କିନ୍ତୁ ସେତିକି ବେଳେ କେହିଜଣେ ତାକୁ ପଛରୁ ଭିଡି ଧରିଲା। ନିଜକୁ ମୁକ୍ତ କରିବାକୁ ଗଗନ ଚେଷ୍ଟା କରି ବିଫଳ ହେଲା। ତା ବାପା ଧଳା ଚାଦର କୁ ଶବର ମୁହଁ ଉପରୁ ଉଠାଇ ବିକଳ ହୋଇ କାନ୍ଦିବାକୁ ଲାଗିଲେ। ସେ ମୁହଁ ଦେଖିବା ମାତ୍ରକେ ଗଗନ ସ୍ଥାଣୁ ପାଲଟିଗଲା। ସେ ନିଜ ଆଖିକୁ ବିଶ୍ବାସ କରି ପାରୁ ନ ଥାଏ। କାରଣ ଜୁଇ ଉପରେ ଜାକିମାଡି ହୋଇ ରକ୍ତାକ୍ତ ଅବସ୍ଥାରେ ଶୋଇ ରହିଥିଲା ନିଜେ ଗଗନ। ହଁ ତାହା ଗଗନର ଶବଥିଲା। ପୂର୍ବରାତିରେ ତାକୁ ଶବରେ ରୂପାନ୍ତରିତ କରିଦେଇଥିବା ଅଶରୀରୀ ମାନେ ଗଛ ଉପରୁ ଗଗନ ଆଡକୁ ଚାହିଁ ଅଟ୍ଟହାସ୍ଯ କରିବାରେ ଲାଗିଥିଲେ। ଯାହା ଶୁଣି ପାରୁଥିଲା କେବଳ ଗଗନର ଆତ୍ମା। ଭୂତପ୍ରେତଙ୍କର ଅସ୍ତିତ୍ବ ବିଷୟରେ ଗବେଷଣା କରୁକରୁ ଗଗନ ସେତେବେଳକୁ ନିଜେ ଭୂତ ପାଲଟି ସାରିଥିଲା । ଏତିକି ଥିଲା କାହାଣୀ ସେଇ ରାତିର।

****************