Saturday, August 18, 2018

ଦେଶପ୍ରେମୀ



                                                                              ଲେଖକ- ଅରବିନ୍ଦ ରଥ

                       ରେଳଗାଡିର ଡବା ଭିତରେ ଯାତ୍ରୀ ମାନଙ୍କ ମଧ୍ଯେ ନାହିଁ ନ ଥିବା ଉତ୍ସାହ। ସ୍କୁଲ, କଲେଜର ପିଲା ମାନେ ବିଭିନ୍ନ ବେଶ ପୋଷାକରେ ନିଜକୁ ସଜ୍ଜିତ କରି ଖୁସି ଗପରେ ବ୍ଯସ୍ତ। ଅନ୍ଯଯାତ୍ରୀ ମାନେ, ପିଲା ମାନଙ୍କର ମନରେ ଥିବା ଅପୂର୍ବ ଉଦ୍ଦୀପନାକୁ ଲକ୍ଷ କରି ବେଶ୍ ରୋମାଞ୍ଚିତ। ସମସ୍ତଙ୍କ ଗସ୍ତବ୍ଯ ସ୍ଥଳ ହେଲା ଦେଶର ରାଜଧାନୀ ଦିଲ୍ଲୀ। ଆସନ୍ତା କାଲି ସ୍ବାଧୀନତା ଦିବସ ପାଳିତ ହେବ। ପିଲା ମାନେ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନର ଦୃଶ୍ଯ ସ୍ବଚକ୍ଷୁରେ ଦେଖିବେ। ତାହା କଣ କମ୍ ବଡ କଥା !! ! ପିଲାମାନେ ଦେଶାତ୍ମବୋଧକ ସଙ୍ଗୀତ ମାନ ଗାନ କରିବା ସହ ଅନ୍ତାକ୍ଷରୀ ଖେଳିବାରେ ଲାଗିଛନ୍ତି। ଆଃ କି ମନୋହର ଦୃଶ୍ଯ । ପିଲାମାନଙ୍କୁ ଅପଲକ ନୟନରେ ଚାହିଁ ରହିଛନ୍ତି ଜଣେ ବୃଦ୍ଧ । ବୟସ ପାଖାପାଖି ଷାଠିଏ ହେବ। କୋଳରେ ନିଘୋଡ ନିଦରେ ଶୋଇ ରହିଛି ଏକ ଶିଶୁ ଓ ବୃଦ୍ଧଙ୍କ ପାଖକୁ ଲାଗି ବସିଛି ଜଣେ ନାରୀ, ବୟସ ପାଖାପାଖି ପଚିଶି ହେବ। ତା ଆଖିର ଶ୍ମଶାନ ର ନୀରବତା ଓ ମୁହଁରେ ହତାଶାଭାବର ମୋଟା ଚାଦର। ସେମାନଙ୍କର ସମ୍ମୁଖପାର୍ଶ୍ବ ସିଟ୍ ରେ ବସିଛନ୍ତି ଜଣେ ସୁସ୍ଥସବଳ ବ୍ଯକ୍ତି। ବେଶ୍ ଧନୀକ ଶ୍ରେଣୀର ଓ ସୌଖିନ୍ ମଧ୍ଯ। ଶୀତ ତାପନିୟନ୍ତ୍ରିତ ବଗିରେ ସିଟ ନ ମିଳିବାରୁ ଭାରତୀୟ ରେଳ ସେବା ଓ ସମସ୍ତ ଯାତ୍ରୀ ମାନଙ୍କ ଉଦ୍ଦେଶ୍ଯରେ ଅସମ୍ଭବ ବିରକ୍ତି ଓ କଟୁ କଥା ମାନ ବର୍ଷଣ କରିଚାଲିଛନ୍ତି ଅବିରତ।

ସେ ବଗି ଭିତରେ ବିହଙ୍ଗାବଲୋକନ କଲେ, ଜଣା ପଡୁଛି ଯେ ସଭିଏଁ ନିଜ ନିଜ ଦୁନିଆଁ ରେ ନିମଜ୍ଜିତ। ସେ ସମୟରେ ଅନ୍ଯ ଜଣେ ବେଶ୍ ହୃଷ୍ଟପୃଷ୍ଟ ବ୍ଯକ୍ତିଙ୍କର ଆଗମନ ହେଲା। ବେକରେ ମୋଟା ସୁନାଚେନ୍, ହାତରେ ସୁନାର କଡୁ ଦେଖି ଲାଗୁଛି, ସେ ମଧ୍ଯ କିଛି କମ୍ ସଂଭ୍ରାନ୍ତ ନୁହନ୍ତି। ମୁହଁରେ କୃତ୍ରିମ ହସର ଝଲକ ଖେଳାଇ, ପୂର୍ବରୁ ବସିଥିବା ଧନୀବ୍ଯକ୍ତିଙ୍କ ପାଖରେ ଆସ୍ଥାନ ଜମାଇ ବସିଲେ। ସେ ମଧ୍ଯ ଅନୁରୁପ ଢଙ୍ଗରେ ଦେଶର ଅବସ୍ଥା, ଲୋକ ମାନଙ୍କର ଚଳଣୀ ଓ ସାମାଜିକ ବ୍ଯବସ୍ଥା ଉପରେ ଟିପ୍ପଣୀ ମାନ ଦେଇ ଚାଲିଲେ। ବେନି ଜନଙ୍କର ସମାନ ମାନସିକତା ହେତୁ ଗପସପ ଟା ବେଶ୍ ଜୋର ରେ ଜମିଲା। ଉଭୟଙ୍କ କଥାରୁ ଜଣା ପଡିଲା ପ୍ରଥମେ ବସିଥିବା ବ୍ଯକ୍ତି ଜଣେ ନାମଜାଦା ଡାକ୍ତର। କୌଣସି ସଭାରେ ଯୋଗ ଦେବା ପାଇଁ ଦିଲ୍ଲୀ ଯାଉଛନ୍ତି। ଦ୍ବିତୀୟ ବ୍ଯକ୍ତି ହେଲେ ବିଖ୍ଯାତ ବ୍ଯବସାୟୀ ଓ ସେ ବ୍ଯବସାୟ ବିଷୟକ କାର୍ଯ୍ଯ ନେଇ ରାଜଧାନୀ ଯାଉଛନ୍ତି।

– ବୁଝିଲେ ଆଜ୍ଞା, ଏ ଦେଶର ଅବସ୍ଥା ଯାହା ହେଲାଣି , ନିଶ୍ବାସ ନେବା କଷ୍ଟ ହୋଇଗଲାଣି। ଦେଖୁ ନାହାଁନ୍ତି, ଲୋକ ସବୁ କେମିତି ପୋକମାଛି ପରି ହେଉଛନ୍ତି। ମୁଁ ସଦାବେଳେ ଫ୍ଲାଇଟ୍ ରେ ଯାଏ ; ଭାଗ୍ଯ ଖରାପ ବୋଲି, ନା ଫ୍ଲାଇଟ୍ ମିଳିଲା ନା ମିଳିଲା ପ୍ରଥମ ଏସି ରେ ସିଟ୍। କି ସ୍ବାଧୀନତା ଦିବସ ପାଳନ କରୁଛନ୍ତି ଯେ ଲୋକମାନେ ହାଉଯାଉ ହୋଇ ରାଜଧାନୀ କୁ ଧାଉଁଛନ୍ତି। ଏ ନିଲ୍ଲଠା ପିଲା ମାନଙ୍କୁ ଦେଖିଲେ ମୋ ରକ୍ତ ଗରମ ହୋଇ ଯାଉଛି। ଏମିତି ଦେଶପ୍ରେମ ର ନିଶା ଏମାନଙ୍କୁ ଘାରି ପକେଇଛି ଯେ ପାଟି ତୁଣ୍ଡ କରି ଟ୍ରେନ କୁ ଉଠଉଛନ୍ତି ପକଉଛନ୍ତି। ସତେ କି ଏମାନଙ୍କ ବାପର ସମ୍ପତ୍ତି। ସ୍ବାଧୀନତା ନା ଲେମ୍ବୁଲୁଣ, ଦେଶଟାକୁ ସବୁ ମିଳିମିଶି କି ଶୋଷି ପକଉଛନ୍ତି। ନେତା ଖାଇଗଲେ ଅଧା, ବାକି ଅଧା ଚୋର ଖଣ୍ଟ ଖାଇଗଲେ। ପୁଣି ଦେଶର ସୀମା ରେ ଶତୃ ପଶି କେତେ ବେଳେ ନରସଂହାର କଲାଣି, ତ କେତେ ବେଳେ ଆତଙ୍କବାଦୀ ମାନେ ଲୋକ ମାନଙ୍କୁ ବୋମା ପକେଇ ଉଡେଇ ଦେଲେଣି। ମୋ ମତରେ ସେମାନେ ଲୋକଙ୍କୁ ମାରିବା ଟା ଅନ୍ଯାୟ ନୁହଁ। ଆପଣ ନିଜେ ଦେଖୁନାହାଁନ୍ତି, ଏ ବଗିରେ ଯେତିକି ଲୋକ ଅଛନ୍ତି, ସେଥିରୁ କିଛି ଲୋକଙ୍କୁ ବାଦ୍ ଦେଇ ବାକିି ଲୋକଙ୍କୁ ମାରିି ଦେଲେ ଦେଶର କଣ କ୍ଷତି ହୋଇଯିବ। ଆରେ ଆମେ ସିନା ଲୋକଙ୍କ ଜୀବନ ବଞ୍ଚେଇ ସେବା କରୁଛୁ, ସେମାନେ କରୁଛନ୍ତି କଣ ଅନ୍ନଧ୍ବଂସ କରିବା ଛଡା। ମୋ ପିଲା ମାନଙ୍କୁ ବିଦେଶରେ ପଢାଉଛି,ସେମାନେ ସେ ଦେଶର ନାଗରିକତ୍ବ ବି ଗ୍ରହଣ କରିସାରିଲେଣି । ଆଉ କିଛି ବର୍ଷ ପରେ ମୁଁ ବି ବିଦେଶରେ ରହିବାର ଯୋଜନା କରିଛି। କିଏ ବଞ୍ଚିବ ଏ ଦେଶରେ? ଏମାନେ ପୁଣି କହୁଛନ୍ତି, ଆମେ ସ୍ବାଧୀନ ହେଲୁ। ରଖ ହୋ ତୁମ ସ୍ବାଧୀନତା ତୁମ ପାଖରେ, ଆମର ଲୋଡା ନାହିଁ। ମୁହଁ କଠୋର କରି କହିଲେ ଡାକ୍ତରବାବୁ।

– - ଆଜ୍ଞା, ଯାହା କହିଲେ ଶତକଡା ଶହେ ସତ। ପୂର୍ବ ଜନ୍ମରେ କଣ ପାପ କରିଥିଲି ବୋଲି ଏ ଦେଶରେ ଜନ୍ମ ନେଇଛି, ନୋହିଲେ ଅନ୍ଯ କେଉଁ ଦେଶରେ ଥିଲେ ଏତେ ବେଳକୁ କେତେ ଉନ୍ନତି କରିସାରନ୍ତିଣି। ଯୁଆଡେ ଦେଖିବ କେବଳ ସମସ୍ଯା ଛଡା ଆଉ କିଛି ଦିଶୁନି। ନେତା ମାନେ ତ ଦେଶ କୁ ଖୋଳ କରିବାରେ ଲାଗିଛନ୍ତି, ଆମ ଲୋକ ମାନେ କି କୌଣସି ଗୁଣ ରେ କମ୍ ନାହାଁନ୍ତି। ମୁଁ ବେପାର କରୁଛି, ତେଣୁ ଲୋକଙ୍କ ପ୍ରକୃତି ସହ ବେଶି ଭଲ ଭାବରେ ଅଭ୍ଯସ୍ତ। ମାଗଣା ଦେଲେ ଲୋକେ ପିଚୁ ପିଇ ଯିବେ, କିନ୍ତୁ କାମ ଟିକେ କର କହିଲେ ତାଙ୍କର ହଜାର ବାହାନା ବାହାରିବ। କାମଧାମ ନ କରି ଯଦି ଚୋରି, ତସ୍କରି କରି ବଞ୍ଚି ହେଉଛି କାମ କରିବେ ବା କାହିଁକି। ସକାଳୁ ଖବର କାଗଜରେ ଆଖି ବୁଲେଇ ଆଣିଲେ ଦେଖିବେ ଆମ ଦେଶର ଅବସ୍ଥା କଣ ହେଲାଣି। ନରହତ୍ଯା, ରାହାଜାନୀ, ବ୍ଯାଙ୍କ ଡକାୟତି, ଗୋଷ୍ଠୀ ସଂଘର୍ଷ, ରାଜନୈତିକ ଶତୃତା କୁ ନେଇ ହତ୍ଯାକାଣ୍ଡ, ନାନା ବ୍ଯଭିଚାର କଥା ନିତିଦିନିଆ ହୋଇଗଲାଣି। ମାନବିକତା ବୋଲି ଜିନିଷ ଏବେ ଆମ ଦେଶରେ ଲୋପ ପାଇ ସାରିଲାଣି। ଲୋକ ମାନଙ୍କୁ ସୁରକ୍ଷା ଯୋଗାଉଥିବା ଆଇନ୍ ଆଜି ଅପରାଧୀଙ୍କର ପାଦ ତଳେ ମାଡିମକଚି ହୋଇ ପଡିଛି। ପୋଲିସ୍ ମାନେ ତ ଯାହା ସୁରକ୍ଷା ଦେଉଛନ୍ତି ନ କହିବା ଭଲ, ଆମ ବୀର ଜବାନ ମାନଙ୍କ ଅବସ୍ଥା ବି ତଦ୍ରୁପ। ବଜେଟ୍ ରେ ଚାରି ଭାଗରୁ ଏକ ଭାଗ ଦେଶର ସୁରକ୍ଷା ପାଇଁ ଖର୍ଚ୍ଚ ହେଉଛି। କିନ୍ତୁ ଫଳ ମିଳୁଛି କଣ କହିଲେ ଭଲା!! ଯେତେବେଳେ ଦେଖିବେ, ପଡୋଶୀ ରାଷ୍ଟ୍ରରୁ ଅନୁପ୍ରବେଶ ଚାଲିଛି। ଟେଲିଭିଜନ ପରଦା ରେ ନିତିଦିନ ଦେଖିବେ ସେଇ ଗୋଟିଏ ଖବର, ପଡୋଶୀ ରାଷ୍ଟ୍ର ର ଗୁଳିଗୋଳା ମାଡରେ ଲୋକ ମୃତାହତ ହେଲେ। ମୁଁ ବେଳେବେଳେ ଭାବେ, ଆମ ଜବାନ ମାନେ ସୀମାରେ କରୁଛନ୍ତି କଣ? ଖାଲି ମୁହଁ ଫୁଟାଣି ଯେ ଆମେ ଜବାନ ମାନେ ଦେଶକୁ ମୁଣ୍ଡେଇ ରଖିଛୁ। କିହୋ, ତୁମେ ଯଦି ଏତେ ପାରିବାର , ଲୋକ ମରୁଛନ୍ତି କଣ ପାଇଁ? ମୁଁ ତ ଭାବୁଛି ସାଧାରଣତନ୍ତ୍ର ଦିବସର ପ୍ଯାରେଡ୍ ରେ ଖେଳ କସରତ ଦେଖାଇ ଲୋକଙ୍କୁ ଭୂଆଁ ବୁଲେଇ ଦେଇ ସେମାନେ ବର୍ଷ ତମାମ ନାହିରେ ତେଲ ପକେଇ ଶୋଉଥିବେ। ବାହାସ୍ଫୋଟ ମାରି କହିଲେ ବ୍ଯବସାୟୀ ଭଦ୍ରଲୋକ।

ଏପରି ରୋଚକ ଆଲୋଚନା ରେ କିଛି ତଥାକଥିତ ଭଦ୍ରଲୋକ ଯୋଗ ଦେଇ ଟିପ୍ପଣୀ ମାନ ପ୍ରଦାନ କରିବାରେ ଲାଗିଲେ।

– ଯାହା କହିଲେ ଆଜ୍ଞା! ! ସମସ୍ତେ ଜାଣନ୍ତି ମଦ ମାନେ ମିଲିଟାରି ମଦ। ସେ ମଦର ନିଶା ଅନ୍ଯ କେଉଁଥିରେ ନାହିଁ।ବୋତଲେ ପକେଇଦେଲେ ତ୍ରିଭୂବନ ବୁଲିବା ପରି ଦିଶିବ। ସେଥିରୁ ଟୋପାଏ ମିଳିଲେ ଆମେ ଏତିକି କୃତ୍ଯକୃ ତ୍ଯ ହୋଇଯାଉଛୁ, ତେବେ ଜବାନ ମାନେ ତ ମିଲିଟାରି ମଦର ନଦୀରେ ଭାସୁଥିବେ। ସେମାନଙ୍କ ପାଦ ଠିକ୍ ରେ ପଡୁଥିବ ଟି ?ଏମନ୍ତ ନିଶାରେ ଚୁର୍ ଥାଇ ସେମାନେ ଯାହା ଦେଶ ସେବା କରୁଥିବେ ସହଜରେ ଅନୁମେୟ। କହିଲେ ଜଣେ ମଧ୍ଯ ବୟସ୍କ ବ୍ଯକ୍ତି।

– – ସେତିକି ରେ କଣ କଥା ସରିଲା କି? ସେମାନଙ୍କର ବିଦେଶୀ ଶକ୍ତି ମାନଙ୍କ ସହିତ ଲୁଚା ଚୋରା ସମ୍ପର୍କ ଅଛି। ନୋହିଲେ କସବ୍ ପରି ଦେଶଦ୍ରୋହୀ ଆମ ଦେଶରେ ପଶି ନର ସଂହାର କିପରି କରି ପାରିଲା ଥରେ ଭାବନ୍ତୁ ତ? ସେ ଦେଶଦ୍ରୋହୀ କୁ ସାଙ୍ଗେସାଙ୍ଗେ ନ ମାରି ଜେଲ୍ ରେ ରଖି, ବିଚାର କରି କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ପରେ ଫାଶୀଖୁଣ୍ଟରେ ଝୁଲେଇ, କି ପ୍ରହସନ ଚଳାଉଥିଲେ କେଜାଣି? ସତ କହିଲେ ଆଜ୍ଞା, ଏ ଦେଶରେ ରହିବା ମୁସ୍କିଲ ହୋଇ ଗଲାଣି। ସ୍ବଗତୋକ୍ତି କଲେ ଜଣେ ଜଣେ ଯାତ୍ରୀ।

– – କଣ କହିବି ଆଜ୍ଞା, ଆମ ଅବସ୍ଥା କିଏ ପଚାରେ? ଆମେ ହେଲୁ ଦେଶର ଯୁବ ଗୋଷ୍ଠୀ। ପାଠ ପଢିଲୁ ଚାକିରି ନାହିଁ, କହିଲେ ଲାଞ୍ଚ ଦେଲେ ମିଳିବ। ଚାଷ କରିବାକୁ ମନ ନାହିଁ କି ଆଗ୍ରହ ନାହିଁ। ପାଠ ପଢିଛୁ ବୋଲି ବେପାର କରିଲେ ଇଜ୍ଜତ ଯିବ। ଟଙ୍କା ଖର୍ଚ୍ଚ କରି ଏତେ ପାଠଶାଠ ପଢି ଶେଷରେ ବେକାର ହୋଇ ବୁଲୁଛୁ। କି ସ୍ବାଧୀନତା ମିଳିଲା ଆମକୁ କେଜାଣି? ସେ ସ୍ବାଧୀନତା ନାମକ ଶବ୍ଦର ସଠିକ୍ ଅର୍ଥ ବୁଝାଇ ପାରିବା ପରି ଲୋକ ଟିଏ କାଇଁ ମୋ ନଜର ରେ ପଡିନି ଆଜିଯାଏ। ଭଲ ଥିଲା ଆଜ୍ଞା, ଇଂରେଜ୍ ମାନେ ଆମକୁ ଶାସନ କରୁଥିଲେ। କମ୍ ସେ କମ୍ ଲୋକବାକ ଭଲରେ ଚଳୁଥିଲେ। ତାଙ୍କ ପଛରେ ଗୋଡେଇ ସେମାନଙ୍କୁ ସିନା ଘଉଡେଇ ଦେଲେ, କିନ୍ତୁ ଦେଶଟାକୁ ଚଳେଇ ପାରିଲେ କି? ଆଜି ଦେଶରେ ଇଂରେଜ ମାନେ ଥିଲେ, ଆମେ ସବୁ ବେକାର ନ ବସି, ଚାକିରି ବାକିରି କରି ସାହେବ ହୋଇ ବୁଲୁଥାଆନ୍ତୁ। ଗୋଟିଏ କିମ୍ଭୁତକିମ୍ଭାକାର ବେଶ ବିଶିଷ୍ଟ ପିଲା, ସଂକ୍ଷିପ୍ତ ଭାଷଣ ଦେଇସାରି ଯାତ୍ରୀ ମାନଙ୍କର ମୁହଁ କୁ କିଛି ପ୍ରଶଂସା ପାାଇବା ଆଶା ରେ ଚାହିଁଲା।

ସେତିକି ବେଳେ ବୃଦ୍ଧଙ୍କ ଆଖିରେ ଭୀଷଣ କ୍ରୋଧର ବହ୍ନି ଜଳି ଉଠୁଥିଲା, ଲାଗୁଥିଲା ସତେ କି ଆଗ୍ନେୟଗିରୀ ରୁ ଉତ୍ତପ୍ତ ଲାଭା ସ୍ଫୁରିତ ହେଉଛି। ସେ ନିଜର ସମସ୍ତ ଶକ୍ତି ଲଗାଇ ଚିତ୍କାର କରି କହିଲେ-- ବନ୍ଦ କରନ୍ତୁ ଆପଣଙ୍କ ଫାଲତୁ କଥାବାର୍ତ୍ତା ଓ ସମାଲୋଚନା। ଯେଉଁ ବିଷୟରେ ଜ୍ଞାନ ନାହିଁ , ସେ ବିଷୟରେ କହିବାର ଅଧିକାର ଆପଣ ମାନଙ୍କୁ ଦେଲା କିଏ? ଆପଣ ମାନଙ୍କ ପରି ଦ୍ରୋହୀ ଲୋକ ମାନଙ୍କ ପାଇଁ ଆମ ଦେଶର ଏ ଅବସ୍ଥା ହୋଇଛି। ତାଙ୍କ କୋଳରେ ଶୋଇଥିବା ସାନ ପିଲା ଟି ଚମକି ଉଠି ପଡିଲା ଓ ମାଆ କୋଳ କୁ ଚାଲିଗଲା। ଟ୍ରେନ୍ ରେ ବସିଥିବା ତଥାକଥିତ ଜ୍ଞାନୀ ଓ ବିଚାରବନ୍ତ ଲୋକ ମାନଙ୍କୁ ବୃଦ୍ଧଙ୍କର କ୍ରୋଧ ଜର୍ଜରିତ ବଚନ କଟୁ ଲାଗିଲା ବୋଧେ, ସେମାନେ ମୁହଁ ଛିଞ୍ଚାଡି ତାଙ୍କ ଆଡକୁ ଦେଖିଲେ।

– ହୋ ମଉସା , କଥା ଟା କାହିଁକି ଏତେ ବାଧି ଗଲା ଯେ। ତୁମେ କଣ ସ୍ବାଧୀନତା ସଂଗ୍ରାମୀ ନା ତୁମ ମୁଣ୍ଡରେ ଦେଶଟାକୁ ଟେକି ଧରିଛ ମ! ! ସମସ୍ତ ଯାତ୍ରୀ ହୋଃ ହୋଃ ହୋଇ ହସି ଉଠିଲେ।

ବୃଦ୍ଧ ବସିବା ସ୍ଥାନ ରୁ ଉଠି ଛିଡାହେଲେ। କୋହ ଭରା କଣ୍ଠରେ କହିଲେ--- ହଁ ମୁଁ ମୋ ଦେଶକୁ, ମୋ ମାଆ କୁ ମୋ ମୁଣ୍ଡରେ ଟେକି ଧରିଛି। ତା ଛବି ମୋ ହୃଦୟରେ ଅଛି, ଅଛି ମୋର ଆତ୍ମାରେ। ଶରୀରର ପ୍ରତ୍ଯକ ରକ୍ତ ବିନ୍ଦୁ ମୋ ଦେଶ ପାଇଁ ଉତ୍ସର୍ଗ କରିବାକୁ ମୁଁ ପ୍ରସ୍ତୁତ। ଆପଣ ମାନେ ଯାହା ସବୁ କହିଗଲେ ମୁଁ ନୀରବରେ ଶୁଣିଲି, ଆପଣମାନଙ୍କୁ ହାତଯୋଡି ଅନୁରୋଧ କରୁଛି, ମୋର ଦୁଇ ପଦ କଥା ଶୁଣିବା ହୁଅନ୍ତୁ। କେତେ ଯେ ବଳୀଦାନ ଦେବାପରେ ଆମକୁ ସ୍ବାଧୀନତା ମିଳିଛି, ସେ ବିଷୟରେ ନ ଭାବି, ଆପଣ ମାନେ ସ୍ବାଧୀନତା ବିଷୟରେ ଏପରି ଦାୟିତ୍ବହୀନ ମନ୍ତବ୍ଯ ଦେଉଛନ୍ତି, ଭାବିଲେ ଦୁଃଖ ଲାଗୁଛି।

ମୁଁ ପ୍ରାଇମେରୀ ସ୍କୁଲର ଗରୀବ ଶିକ୍ଷକଟିଏ। କେତେ ବା ଦରମା ପାଉଥିବି , ଆପଣ ମାନେ ଜାଣି ପାରୁଥିବେ। ପୁଅଟିଏ ମୋ ହାତ କୁ ଟେକି ଦେଇ, ସ୍ତ୍ରୀ ଆରପାରି କୁ ଚାଲିଗଲା। ମାଆ ଛେଉଣ୍ଡ ପିଲା ଟି ପାଇଁ ଉଭୟ ବାପା ଓ ମାଆ ହୋଇ ତାକୁ ବଡ କଲି। ତାକୁ ପିଲା ଦିନରୁ ଶିଖାଇଥିଲି, ମାଆ ଏବଂ ମାଟି ମାଆ ସ୍ବର୍ଗଠାରୁ ମଧ୍ଯ ମହାନ୍। ଜୀବନର ପରମ ଓ ଚରମ ଲକ୍ଷ ହେଲା ସେମାନଙ୍କୁ ସମ୍ମାନ ଓ ସୁରକ୍ଷା ଦେବା। ଅତି ସାନ ବୟସରୁ ମୋ ପୁଅ ମନ ଭିତରେ ମାଟି ମାଆ ପାଇଁ ଥିଲ ଅହେତୁକ ଭଲ ପାଇବା ଓ ସମ୍ମାନ। ଦେଶପ୍ରେମ ବିଷୟକ କୌଣସି ଉତ୍ସବ ହେଲେ, ସେ ଯାଇ ସବୁଠାରୁ ଆଗରେ ପହଞ୍ଚି ଯାଉଥିଲା। ମୋ ବାପା ଥିଲେ ଜଣେ ସ୍ବାଧୀନତା ସଂଗ୍ରାମୀ, ତାଙ୍କ ବିଷୟରେ ଜାଣିଥିବା କଥା ସବୁ ମୋ ପୁଅକୁ ଗଳ୍ପ ଭାବରେ କହି ଆସୁଥିଲି। ପୁଅ ମୋର ଭଲ ପାଠ ପଢିଲା ଓ ଖେଳକୁଦରେ ମଧ୍ଯ ସମସ୍ତଙ୍କ ଠାରୁ ଆଗରେ ରହିଲା। ମୁଁ ଓ ଅନ୍ଯ ଶିକ୍ଷକ ମାନେ ତା ଭିତରେ ଦେଖି ପାରୁଥିଲୁ ଏକ ଉଜ୍ବଳ ଭବିଷ୍ଯତର ଆଲୋକ। ସହକର୍ମୀ ମାନେ ମୋତେ କହୁଥିଲେ ଯେ ପୁଅ ବଡ ହେଲେ ନିହାତି ଭାବରେ ବହୁତ ବଡ ଅଫିସର ହେବ ଓ ମୋର ସବୁ ଦୁଃଖ ହରଣ କରିବ। କିନ୍ତୁ ନିୟତି ଚାହୁଁଥିଲା ଅନ୍ଯ କିଛି। ପଡୋଶୀ ରାଷ୍ଟ୍ରର ଗୁଣ୍ଡାଗିରି ବଢି ଚାଲିଥିଲା ଓ ସେ ଖବର ଶୁଣିବା ମାତ୍ରେ ମୋ ପୁଅ ଭୀଷଣ ପ୍ରତିକ୍ରିୟାଶୀଳ ହୋଇ ଉଠୁଥିଲା। ଅନେକ ଥର ତା ଆଖିରେ ଦେଖିଛି ପ୍ରତିଶୋଧର ଜାଜ୍ଜୁଲ୍ଯମାନ ବହ୍ନି।

– – ଥରେ ସେ ମୋତେ ଆସି କହିଲା ବାପା ମୁଁ ଭାବୁଛି ଭାରତୀୟ ସେନାରେ ଯୋଗଦେବି। ଅନେକ ଚିନ୍ତା କରିବା ପରେ ମୁଁ ସ୍ଥିର କଲି, ମୋ ସରା ଜୀବନ ଦେଶ ମାତୃକା ର ସୁରକ୍ଷାରେ ନିୟୋଜିତ କରିବି।

ମନା କରିବାର କୌଣସି ଯୁକ୍ତିଯୁକ୍ତ କାରଣ ନ ଥିଲା, ବରଂ ମୁଁ ଗର୍ବର ସହିତ ତା ନିଷ୍ପତ୍ତି ସହର୍ଷେ ମାନିନେଲି। ସେ ଯେ ସ୍ବାଧୀନତା ସଂଗ୍ରାମୀଙ୍କ ବଂଶର ଦାୟାଦ ; ସ୍ବାଧୀନଚେତା ହେବା ତାର ଅସ୍ଥିମଜ୍ଜାଗତ। ପୁଅ ମୋର ଭାରତୀୟ ସେନା ରେ ଯୋଗ ଦେଲା। ଜଣେ ଅତି କୁଶଳୀ ଯୋଦ୍ଧା ଭାବରେ ନିଜକୁ ପ୍ରତିପାଦିତ କରିବାରେ ସଫଳ ହେଲା। ତା ନେତୃତ୍ବରେ ଅନେକ ବାର ସୀମାରେ ପଡୋଶୀ ରାଷ୍ଟ୍ରର ଗୁଣ୍ଡାଗିରୀ କୁ ମୁହଁ ତୋଡ୍ ଜବାବ୍ ଦେଇଥିଲେ ଜବାନ ମାନେ। ନିଜର ଅନିଚ୍ଛା ସତ୍ବେ , ମୋ ନିଷ୍ପତ୍ତି କୁ ସମ୍ମାନ ଜଣାଇ ବିବାହ ବନ୍ଧନରେ ଆବଦ୍ଧ ହେଲା। ବିବାହର କିଛି ଦିନ ପରେ ଆରମ୍ଭ ହୋଇଗଲା ସୀମାରେ ଯୁଦ୍ଧ। ପଡୋଶୀ ରାଷ୍ଟ୍ରର ସୈନ୍ଯ ମାନେ କାରଗିଲରେ ନିଜର ଆଧିପତ୍ଯ ବିସ୍ତାର କରିବାରେ ଲାଗିଥିଲେ।

ମୁଁ ଓ ବୋହୂ ହସହସ ମୁହଁରେ ବିଦାୟ ଦେଲୁ ପୁଅକୁ।

ଗଲାବେଳେ ସେ କହିଥିଲା-- ଏତେ ଦିନର ସ୍ବପ୍ନ ମୋର, ପୂରଣ ହେବାକୁ ଯାଉଛି ବାପା। ପିଲା ଦିନରୁ ମନରେ କୁହୁଳି ଆସୁଥିବା ଅସନ୍ତୋଷର ବଜ୍ର ଶତୃ ମାନଙ୍କ ଉପରେ ବର୍ଷଣ କରିବାର ବେଳ ଆସିଗଲା। ମୋତେ ଆଶିର୍ବାଦ ଦିଅ, ମାତୃଭୂମିର ସୁରକ୍ଷା ଏବେ ମୋ ହାତରେ।

" ବିଜୟୀ ଭବ" କହି ପୁଅକୁ ମୋର ପଠାଇଲି ଯୁଦ୍ଧଭୂମି କୁ। ଜଣେ ସୈନିକର ବାପା ଭାବରେ ଗର୍ବରେ ମୋ ଛାତି ଚଉଡା ହୋଇଯାଉଥିଲା ସତ ; କିନ୍ତୁ ମନର ନିଭୃତ ଗହ୍ବରରେ ଲୁଚି ବସିଥିବା ଜଣେ ଗରୀବ ଶିକ୍ଷକ ବାପାର ମନରେ ଆସୁଥିଲା ଅସମ୍ଭବ ଭୟ ଓ ଆଶଙ୍କା। ଯଦି ମୋ ପୁଅର କିଛି ହୋଇଯାଏ ତେବେ?? କିନ୍ତୁ ମନର ଆଶଙ୍କାକୁ ଦୂରେଇ, ବୋହୂ କହିଲା-- ବାପା, ଆପଣଙ୍କ ପୁଅ କୌଣସି ସାଧାରଣ ବ୍ଯକ୍ତି ନୁହଁନ୍ତି। ତାଙ୍କ ସହ ଏତିକିି ଦିନ ରହିବା ଭିତରେ ମୁଁ ଦେଖି ପାରିଛି, ଦେଶ ପାଇଁ ତାଙ୍କ ମନରେ ଥିବା ଗଭୀର ପ୍ରେମ ଓ ଉତ୍ସର୍ଗିକୃତ ଭାବନା। ସେ ଜଣେ ଯୋଦ୍ଧା ଓ କୌଣସି ଭାବରେ ତାଙ୍କୁ ପାରିବାରିକ ବନ୍ଧନରେ ବାନ୍ଧି ରଖିବାର ଅର୍ଥ ହେଲା, ତାଙ୍କ ସ୍ବାଧୀନତା କୁ ଦମନ କରିବା। ତାଙ୍କୁ ଜୀବନସାଥୀ ଭାବରେ ପାଇ ମୁଁ ଗର୍ବିତ।

କାରଗିଲ ଯିବା ପରେ ପୁଅ ମୋର ଓ ଗର୍ଭବତୀ ପତ୍ନୀର ଖବର ବୁଝୁଥିଲା । ଟେଲିଭିଜନ୍ ଓ ଖବରକାଗଜରୁ ଆମ ଜବାନ ମାନଙ୍କ ଅପୂର୍ବ ସାହାସ ଓ ଶୌର୍ଯ୍ଯ ଦେଖି ମନରେ ଆନନ୍ଦର ଝରଣା ବୋହିଚାଲିଥିଲା। ଭାରତୀୟ ସେନାର ପ୍ରବଳ ଆକ୍ରମଣରେ ଶତୃ ସୈନ୍ଯ ଛତ୍ରଭଙ୍ଗ ଦେଇ ପଳାୟନ କରୁଥିଲେ। ମୋତେ ଲାଗୁଥିଲା ପୁଅ ମୋର ଶତୃ ପକ୍ଷର ସମସ୍ତ ଅପମାନ ଓ ପ୍ରବଞ୍ଚନାର ପ୍ରତିଶୋଧ ନେଇସାରି ସଗର୍ବେ ଘରକୁ ଫେରିବ। ସେ ଫେରିଲା ସତ,କିନ୍ତୁ କଫିନ୍ ଭିତରେ ତ୍ରିରଙ୍ଗାର କୋଳରେ। ସେଦିନ ମୋ ଆଖିରେ ଲୁହ ନ ଥିଲା, ମୁଁ ଗର୍ବିତ ଥିଲି। ମୋ ପୁଅ ମାଟି ମାଆର ଟେକ ରଖିବାକୁ ପ୍ରାଣ ଉତ୍ସର୍ଗ କରି ଶହିଦ୍ ହୋଇଗଲା। ପୁଅର ସାଥୀ ଜବାନ୍ ମୋତେ କହିଲେ ସମସ୍ତ ବୃତ୍ତାନ୍ତ।

ସେଦିନ ପାହାଡ ଉପରୁ ଶତୃ ପକ୍ଷର ସେନା ଅବିରତ ଗୁଳିଚାଳନା କରି ଚାଲିଥିଲେ। ସେସବୁ ଖାତିର ନକରି ମୋ ପୁଅ ଅନ୍ଯ ସୈନ୍ଯମାନଙ୍କ ନେତୃତ୍ବ ନେଇ କାଳପୁରୁଷ ପରି ପାହାଡ ଚଢି ଚାଲିଥିଲା। ଗୋଡ, କାନ୍ଧ ଓ ପିଠିରେ ଗୁଳି ବାଜି ତାକୁ ଭୁପତିତ କରିବାକୁ ଚେଷ୍ଟା କରିଥିଲା ସତ, କିନ୍ତୁ ଶରୀରର କ୍ଷତ ଅପେକ୍ଷା ମାତୃ ଭୂମିର ସୁରକ୍ଷା ମୋ ପୁଅ ପାଇଁ ବଡ ଥିଲା। ଉପରେ ପହଞ୍ଚିବା ପରେ ଆହୁରି ଭୟଙ୍କର କ୍ରୁଦ୍ଧ ରୂପରେ ସେ ଲଢି ଚାଲିଲା ସୈନ୍ଯ ମାନଙ୍କ ସହ। ଜଣ ପରେ ଜଣ କରି ପାଖାପାଖି ପନ୍ଦର ଜଣ ଶତୃ ସୈନ୍ଯଙ୍କ ହୃଦସ୍ପନ୍ଦନରେ ବିରାମ ଦେବା ପରେ ଅଚାନକ ପଛ ପଟରୁ ଶତୃ ଆକ୍ରମଣ କଲେ। ପୁଅର ପଛରେ ଥିଲେ ପାଞ୍ଚ ଜଣ ଭାରତୀୟ ସୈନିକ, ଯେଉଁମାନେ ଗମ୍ଭୀର ରୂପରେ କ୍ଷତାକ୍ତ ଥିଲେ। ସେମାନେ ଯୁଦ୍ଧ କରିବା ଅବସ୍ଥାରେ ନ ଥିଲେ। ଶେଷରେ ପୁଅ ମୋର ନେଲା ଚରମ ନିଷ୍ଟତ୍ତି। କ୍ଷତାକ୍ତ ସୈନ୍ୟ ମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖି, ଏକାକୀ ହାତରେ କିଛି ବୋମା ଧରି ହସି ହସି ଶତୃ ମାନଙ୍କ ମେଳକୁ ଚାଲିଗଲା। ସେମାନେ ପୁଅକୁ ନିରସ୍ତ୍ର ଦେଖି ମାରିଦେବା ପାଇଁ ଝପଟି ଆସିଲେ। ଦଶଜଣ ଶତୃ ସୈନ୍ଯ ପୁଅର ଶରୀର କୁ ବିଦୀର୍ଣ୍ଣ କରିଚାଲିଲେ ସେମାନେ ଧରିଥିବା ତୀକ୍ଷଣ ଭୁଜାଲି ଦ୍ବାରା। ଅଚାନକ ଶୁଭିଲା ବିସ୍ଫୋରଣ ର ପ୍ରଚଣ୍ଡ ଶବ୍ଦ। ମୋ ପୁଅ ଓ ଶତୃ ସୈନ୍ଯଙ୍କର ଶରୀରର କ୍ଷୁଦ୍ରାତିକ୍ଷୁଦ୍ର ଅଂଶ ବିକ୍ଷିପ୍ତ ହୋଇପଡିଥିଲା ଯୁଦ୍ଧସ୍ଥଳରେ। ମୋ ପୁଅ ଯୁଦ୍ଧଭୂମିରେ ବୀରଗତି ପ୍ରାପ୍ତ ହେଲା। ଯୁଦ୍ଧରେ ଶତୃ ରାଷ୍ଟ୍ର ପରାସ୍ତ ହେଲେ ଓ କାରଗିଲ ପାହାଡ ଉପରେ ଉଡିଲା ତ୍ରିରଙ୍ଗା ଧ୍ବଜା।

ମାତୃ ଭୂମିକୁ ଦେଇଥିବା ବଚନ ରକ୍ଷା କରି ସେ ଶହୀଦ୍ ହେଲା, ମାତ୍ର ମୋ ନାତି ବାପର ମୁହଁ ଦେଖି ପାରିଲାନି, ବୋହୁ ବିଭାଘରର ଅଳ୍ପ ଦିନ ଭିତରେ ବିଧବା ହେଲା। କିନ୍ତୁ ଆମେ କେବେ କାହାକୁ ଦୋଷ ଦେଇନାହୁଁ। ନା ମୋର ଦେଶକୁ, ନା ଏ ବ୍ଯବସ୍ଥା କୁ , ନା ମୋର ଭାଗ୍ଯ କୁ। ନିଜର ମାଆକୁ କଣ କିଏ ଦୋଷ ଦେଇପାରେ? ମୋ ମାଆ ଗରୀବ ହୋଇପାରେ, ଅନ୍ଯ ମାନଙ୍କ ପରି ଅତ୍ଯାଧୁନିକ ନ ହୋଇପାରେ ; କିନ୍ତୁ ସେ ମୋର ମାଆ। ତାକୁ ହତାଦର କରିବି କିପରି? ଆମ ଦେଶର ଜବାନ୍ ମାନେ ଅହର୍ନିଶି ସୀମାରେ ଜଗିରହି ଆମକୁୁ ସୁରକ୍ଷା ଦେଉଛନ୍ତି ବୋଲି ସିନା ଆମେ ଶାନ୍ତିରେ ଜୀବନ ବଞ୍ଚିପାରୁଛେ, ନଚେତ୍ ଅବସ୍ଥା କଣ ହୁଅନ୍ତା ଥରେ ଭାବି ଦେଖନ୍ତୁ। ସିଆଚେନ୍ ପରି ବରଫାବୃତ୍ତ ଉତ୍ତୁଙ୍ଗ ପର୍ବତ ଉପରେ ଆମର ସେନା ରକ୍ତକୁ ବରଫ କରିଦେବା ପରି ଥଣ୍ଡାରେ ଜାଗ୍ରତ ରହି, ଦେଶକୁ ସୁରକ୍ଷା ଦେଉଛନ୍ତି। ସେମାନେ ଶତୃ ସେନାର ଗୁଳିରେ ନୁହଁ, ବରଂ ଅତ୍ଯଧିକ ଥଣ୍ଡାରେ ମୃ ତ୍ଯୁବରଣ କରୁଛନ୍ତି। କଣ ସେମାନଙ୍କର ବଳୀଦାନ ନିରର୍ଥକ? ଜବାନ ମାନଙ୍କର ତ୍ଯାଗ ଓ ବଳୀଦାନର ପ୍ରତିଉପହାର କଣ ସେମାନଙ୍କ ବିରୁଦ୍ଧରେ କୁତ୍ସାରଟନା ଓ ସମାଲୋଚନା? ଆମେ ବେକାର ବୋଲି ଚିତ୍କାର ନ କରି, ଦେଶସେବାରେ ନିଜକୁ ଉତ୍ସର୍ଗ କରି ସେନାରେ ଭର୍ତ୍ତି ହେବା ବିଷୟ କେତେ ଜଣ ଚିନ୍ତା କରୁଛନ୍ତି? କେହି କରିବେନି, କାରଣ ସମସ୍ତଙ୍କର ନିଜ ଜୀବନ ପ୍ରତି ରହିଛି ଅସମ୍ଭବ ଲୋଭ। ଥରେ ନିଜର ମାନସମନ୍ଥନ କଲେ ଜାଣି ପାାରିବେ ଯେ , ଆପଣ ମାନଙ୍କର ଅବଦାନ ଦେଶ ପାଇଁ କଣ? ଯଦି ଅବଦାନ ନାହିଁ, କୁତ୍ସାରଟନା କରିବାର ଅଧିକାର କିଏ ଦେଲା ଆପଣ ମାନଙ୍କୁ? ବାକ୍ଯବାଣ ପ୍ରୟୋଗ କରିବା ଅତି ସହଜ, ଥରେ ଶତୃ ଗୁଳିକୁ ସାମନା କରିବା ବିଷୟ ଭାବନ୍ତୁ ତ! ! ଯଦି ମନରେ ଦେଶ ପାଇଁ ତିଳେମାତ୍ର ପ୍ରେମ ଥିବ, ଜାତୀୟ ସଙ୍ଗୀତ ଶୁଣିଲେ ମନପ୍ରାଣ ରୋମାଞ୍ଚିତ ହୋଇ ଉଠିବ। ଉଡୁଥିବା ତ୍ରିରଙ୍ଗାକୁ ଦେଖିବା ମାତ୍ରେ, ମାନସପଟରେ ଭାସି ଉଠିବ ସଂଗ୍ରାମୀ ମାନଙ୍କ ତ୍ଯାଗ ଓ ତିତିକ୍ଷା ର ଅମରଗାଥା।

ଏବେ ଆପଣ ମାନେ ବିଚାର କରନ୍ତୁ, ଆପଣ ମାନଙ୍କର କଟୁକ୍ତି ଓ ସମାଲୋଚନା କେତେ ଦୂର ଯୁକ୍ତିଯୁକ୍ତ। ଦେଶପ୍ରେମୀ କିଏ, ଆପଣ ମାନେ କୁହନ୍ତୁ।

ଟ୍ରେନ୍ ର ବଗି ଭିତରେ ଶ୍ମଶାନର ନୀରବତା, ସମସ୍ତଙ୍କ ଆଖିରେ ଲୁହ। ବୃଦ୍ଧ ଜଣଙ୍କ ଝୁଲା ବ୍ଯାଗ୍ ରୁ ପୁଅର ଫଟୋଚିତ୍ର କାଢି ସମସ୍ତଙ୍କୁ ଦେଖାଇ ସ୍ଯାଲୁଟ୍ ମାରିଲେ। ତାଙ୍କ ପଛେପଛେ ଅନ୍ଯଯାତ୍ରୀ ମାନେ ସେ ବୃଦ୍ଧଙ୍କୁ ଓ ତାଙ୍କର ବୀରପୁତ୍ରଙ୍କ ଉଦ୍ଦେଶ୍ଯରେ ସଲାମ୍ ଭରିଲେ। ସେ ବ୍ଯବସାୟୀ ଓ ଡାକ୍ତର ବୃଦ୍ଧଙ୍କ ପାଖକୁ ଆସି ପାଦତଳେ ପଡି କ୍ଷମାପ୍ରାର୍ଥନା ପୂର୍ବକ କହିଲେ-- କ୍ଷମା କରିବେ ଆଜ୍ଞା, ଆମର କଥା ଓ ବ୍ଯବହାର ପାଇଁ ଆମେ ଅନୁତପ୍ତ। ଜଣେ ବୀର ସୈନିକଙ୍କ ବିଶାଳ ହୃଦୟବିଶିଷ୍ଟ ପିତା ଭାବରେ ଆମକୁ କ୍ଷମା କରିଦେବେ ଆଶା କରୁଛୁ।

ସେତିକି ବେଳକୁ ପିଲା ମାନଙ୍କର ସମବେତ କଣ୍ଠରୁ " ସାରେ ଜାହାଁ ସେ ଆଚ୍ଛା, ହିନ୍ଦୋସ୍ତାଂ ହମାରା" ସଙ୍ଗୀତ ଝରି ଆସିଲା । ଦେଶପ୍ରେମର ଭାବନାରେ ସମଗ୍ର ଅଞ୍ଚଳଟି ମୋହଗ୍ରସ୍ତ ହେବା ପରି ଲାଗୁଥିଲା।

--------------ସମାପ୍ତ-----------------

Tuesday, August 14, 2018

ଯଦୁର ଜଳଖିଆ ଦୋକାନ



ଲେଖକ- ଅରବିନ୍ଦ ରଥ

                    ସମସ୍ତ ସ୍ଥାନର କିଛି ନା କିଛି ବୈଶିଷ୍ଟତା ଥାଏ। ଯେମିତି ପ୍ରସିଦ୍ଧ ; ହୀରାକୁଦର ନଦୀବନ୍ଧ, ପୁରୀର ଜଗନ୍ନାଥ ମନ୍ଦିର ଓ ସମୁଦ୍ରକୂଳ, କୋଣାର୍କର ସୂର୍ଯ୍ଯ ମନ୍ଦିର, କଟକର ବାରବାଟୀ ଦୁର୍ଗ ଓ କାଠଯୋଡି ; ଠିକ୍ ସେମିତି ମଧୁପୁର ଗ୍ରାମର ଯଦୁ ଗୁଡିଆ ପ୍ରସିଦ୍ଧ ଥିଲା। ଆଖପାଖ ପଚିଶି ସରିକି ଗାଁଆରେ ଯଦୁର ନାମଡାକ ଥିଲା। ତା ନାଁଆ ଶୁଣିଲେ, ଗୋଟିଏ ମଧ୍ଯ ବୟସ୍କ, ତୁମ୍ବା ପେଟିଆ ଓ ଲଣ୍ଡାମୁଣ୍ଡିଆ ଲୋକର ଛବି ମନ କୁ ଆପେଆପେ ଚାଲିଆସେ। ମୁହଁ ଅନ୍ଧାରିଆରୁ ଚୁଲି ପାଖରେ ସେ ନିଜର ସଂସାର ମେଲେଇ ବସେ ସଞ୍ଜବେଳ ଯାଏ। ଦୋକାନ ବୋଇଲେ ଚାଳଘର ବଖରାଏ, ତା ଭିତରେ ଦୁଇଟି କାଠ ଟେବୁଲ ସାଙ୍ଗକୁ ପଥର ଉପରେ ରଖା ଯାଇଥିବା ଇଲେକ୍ଟ୍ରିଖୁଣ୍ଟର ସିମେଣ୍ଟ ବେଞ୍ଚ। ଦୋକାନର ସବୁଠାରୁ ମୂଲ୍ଯବାନ ଚିଜ ଟି ଥିଲା, ଗୋଟିଏ କାଠ ତିଆରି କାଚଲଗା ଆଲମାରୀ। ଯାହା ଭିତରେ ଯଦୁ ଭଳି କିଭଳି ମିଠା ସଜେଇ କରି ରଖିଥାଏ। ସେ ଆଲମାରୀର ଚାରିଟି ଖୁଣ୍ଟ ସଦାବେଳେ ବୁଡି ରହିଥାନ୍ତି ଜଳଜଂତ୍ର ଭିତରେ। ଉଦ୍ଦେଶ୍ଯ ହେଲା ମିଠା ରଙ୍କୁଣିଆ ପିମ୍ପୁଡି ଜନ୍ଦାଙ୍କୁ ଜଣାଇ ଦେବା ଯେ ଆଲମାରୀଟି ସେମାନଙ୍କ ପାଇଁ ନିଷିଦ୍ଧ ଅଞ୍ଚଳ। ଉପରକୁ ଚଢିଲେ ହାତରେ ଦଳି ହୋଇ ନିଜର ସତ୍ତା ହରାଇବା ଛଡା ଅନ୍ଯ ଗତି ନାହିଁ।

ଗାଁଆର ପିଲାପିଚିକା ଠାରୁ ଆରମ୍ଭ କରି ବୁଢାହଡା ସଭିଏଁ ଯଦୁ ଦୋକାନକୁ ମନ୍ଦିର ପ୍ରାୟ ଦେଖନ୍ତି। ସତେକି ଅସରନ୍ତି ଖାଦ୍ଯ ଭଣ୍ଡାରର ଦେବତା ସେଇଠି ବିରାଜମାନ କରିଛନ୍ତି। ବରା, ଗୁଲୁଗୁଲା, କାକରା ପିଠା, ସରୁ ଚକୁଳି ସହ ଗୁଡ, ଆଳୁଚପ,ସିଙ୍ଗଡା, ଲବଙ୍ଗଲତା, ପାନତୁଆ, ମାଲପୁଆ, ଖାସ୍ତାଗଜା, ଗୁଡ ଜିଲାପି, ବୁନ୍ଦିଲଡୁ ଆହୁରି କେତେ ଦରବ ର ପସରା ଏପରି ମେଲି ଥାଏ ଯେ, ଦେଖିବା ଲୋକ ଦଣ୍ଡେ ଭାବିବ, କଣ ଖାଇବ, କଣ ଛାଡିବ। ଜିନିଷ ଦର ବି ସେମିତି ବେଶି ନୁହଁ, ଟଙ୍କା ଦଶଟା ରେ ପେଟ ପୁରିଯିବ। ସବୁଦିନ ସୁରୁଜ ଠାକୁର ଆକାଶ କୁ ଡେଇଁବା ପରେପରେ ଆରମ୍ଭ ହୋଇଯାଏ ଯଦୁ ଦୋକାନ ଆଗରେ ଛୋଟକାଟିଆ ମେଳନ ଉତ୍ସବ। ବୁଢାହଡା ଲୋକେ ପୋଖରିପାଣି ସାରି ଗାଧେଇ ପାଧେଇ କାନ୍ଧରେ ଓଦା ଲୁଗା ପକାଇ ଯଦୁ ଦୋକାନ ଆଗରେ କୁହାଟ ଛାଡନ୍ତି। ନିଜ ପେଟ ପୂଜା କରି ସାରିବା ପରେ ଘରକୁ କଣ ଦୁଇଟା ନେଇ ଯାଆନ୍ତି। ତେଣେ ନାତି ନାତୁଣିଏ ଘରେ ଚାତକ ପରି ଚାହିଁଥାନ୍ତି, ବୁଢା ଗାଧୁଆ ତୁଠରୁ ଫେରିଲା ବେଳେ ସାଙ୍ଗରେ କଣ ନେଇ ଆସିବ ସେଇ ଉତ୍କଣ୍ଠାରେ। ମାଇପି ଓ ବୁଢୀ ମାନେ ଦୋକାନ ଆଗରେ ଛିଡା ହୋଇ ଖାଇବା ଟା ଅସୁନ୍ଦର ହେବ; ତେଣୁ ସେମାନେ ଦୋକାନ ପାଖ ବରଗଛ ମୂଳେ ଛିଡା ହୋଇ ବଡପାଟିରେ କଥା ହୁଅନ୍ତି, ଯେମିତି ଯଦୁ ଜାଣିବ ଯେ ସେମାନେ ଜଳଖିଆ ପାଇଁ ପହଞ୍ଚି ଗଲେ। ସେମାନଙ୍କୁ ଦେଖିବା ମାତ୍ରେ ପାଖକୁ ଯାଇ, କାହାକୁ ମାଆ, କାହାକୁ ଭଉଣୀ କହି ସେମାନଙ୍କ ବରାଦ ଟା ବୁଝି ଦେଇ ଆସେ। ପିଲାଝିଲାଙ୍କ କଥା ନ କହିବା ଭଲ। ହାତରେ ଟଙ୍କେ ଚାରଣା ପଡିଗଲେ, ସେମାନଙ୍କ ଖୁସି ଦେଖେ କିଏ!! !!! ହରିଣଛୁଆ ପରି ଡିଆଁଚିରା ମାରି ଦୋକାନ ଆଗରେ ହାଜର। ପାଖରେ ପଇସା ଅଳପ ଥିଲେ କ'ଣ ହେବ, ବରାଦ ଜିନିଷ ର ତାଲିକା ଢେର୍ ଲମ୍ବା। ମନ କଥା ଜାଣିଲା ପରି, ଯଦୁ ପିଲା ମାନଙ୍କୁ ଅଧିକ ଜିନିଷ ଶାଳପତ୍ର ତିଆରି ଠୋଲାରେ ପୁରେଇ ବଢେଇ ଦିଏ। ପିଲା ମାନଙ୍କୁ କୃତ୍ରିମ ରାଗ ଦେଖେଇ କୁହେ

-- ଆରେ ପିଲେ, ତୁମ ମାନଙ୍କୁ ଏମିତି ଜିନିଷ ଦାନ କରିବି ଯଦି ମୋ ଦେକାନ ଚାଲିବ ତ? ଏଇଥର ଟା ସିନା ଦେଲି, ଆର ପାଳି କୁ ବେଶି ପଇସା ନେଇ ଆସିବ, ନହେଲେ ଯେତେ କନ୍ଦାଛିଟିକା କଲେ ମୁଁ ଜମା ଶୁଣିବିନି। ସେ ସିଙ୍ଘାଣିନାକିଆ ପିଲା ଗୁଡା କଣ ବୁଝନ୍ତି କେଜାଣି, ମୁଣ୍ଡ ଟୁଙ୍ଗାରି ହଁ ଭରି ମନ ଖୁସି ରେ ଡିଆଁ ମାରି ଗାଁଆ ପାଖ ଆମ୍ବତୋଟାକୁ ଦଉଡି ପଳାନ୍ତି।

ସଭିଙ୍କର ପ୍ରିୟ ଜଳଖିଆ ଥିଲା ଗୁଲୁଗୁଲା କୁ ଘୁଘୁନି। ତା ଦୋକାନ ଗୁଲୁଗୁଲା ପରି ଖାଦ୍ଯ ଜଗତରେ ମଳିବ କି ନାହିଁ ସନ୍ଦେହ। ଏମିତି କଡା ଖାସ୍ତା କରି ସେଗୁଡିକୁ ତିଆରି କରିଥିବ ଯେ, ଖାଇଥିବା ଲୋକ ପାଖରେ ଛିଡାହେଲେ କୁଡୁକାଡ ଶବ୍ଦ ଶୁଣି ପାରିବ। ଖାଇ ସାରିବାର ବହୁତ ସମୟ ଯାଏ ହେଉଡି ମାରିଲେ, ମଧୁର ପାନମଧୁରୀର ବାସ୍ନା ରେ ପାଟି ଭିତରଟା ମହକି ଯାଉଥିବ। ସେଇ ଗୁଲୁଗୁଲାର କାଟତି କାହିଁ ରେ କଣ ଓ ପିଲା ବୁଢା ସଭିଙ୍କର ପ୍ରିୟ ଜିନିଷ। ପାକୁଆ ବୁଢା ମାନେ ଦୋକାନ କୁ ଗଲେ, ଯଦୁ ଅତି ଯତ୍ନର ସହ ଗୁଲୁଗୁଲାକୁ ଭାଙ୍ଗି ଗୁଣ୍ଡ କରି ସେଥିରେ ଟିକେ ଘୁଘୁନି ଦେଇ ହାତକୁ ବଢେଇ ଦିଏ। ଚୋବେଇ ନ ପାରିଲେ କଣ ହେବ, ପାଟିରେ କିଛି କ୍ଷଣ ଜାକି ଢୋକିଦେଲା ପରେ, ସେମାନଙ୍କ ମୁହଁରେ ଯେଉଁ ଆତ୍ମ ସନ୍ତୋଷ ଭାବଟି ଉକୁଟି ଆସେ, ତାକୁ ନ ଦେଖିଲା ଲୋକ ବୁଝି ପାରିବନି। ଗାଁଆ ମେହେନ୍ତର ଠାରୁ ଅଫିସର ଯାଏ ସଭିଏଁ ତା ଦୋକାନର ଗ୍ରାହକ। କାହାର କାମ ନିମିତ୍ତ ହେଲେ, ମିଠା ଜିନିଷର ବରାଦଟା ସେ ହିଁ ପାଏ। ମିଠା ଜିନିଷ ର ଭାଗମାପ ତା ଠାରୁ ବେଶି ଭଲ କିଏ ଜାଣିଥିବ ସେ କଥା ବିଶ୍ବାସଯୋଗ୍ଯ ଲାଗେନି।

ଏମିତି ସଚ୍ଚୋଟ ଲୋକଟିଏ ପାଇବା ସମୁଦ୍ର ବାଲିରୁ ମୋତି ପାଇବା ସହ ସମାନ। ଖାଣ୍ଟି ଜିନିଷରେ ସବୁ ଜିନିଷ ତିଆରି କରିବ, ନ ହେଲେ ନାହିଁ। ପ୍ରତି ରବିବାର ସାଇକେଲ ପେଲି ସେ ସହରକୁ ଯାଏ ଜିନିଷ ଖରିଦ୍ କରିବାକୁ। ଅଓ୍ବଲ୍ ନମ୍ବର ତେଲ, ଅଟା, ମଇଦା, ଚାଉଳ ଆଦି ଜିନିଷ ଲଦି ଫେରେ। ସେଦିନ ଦୋକାନ ବନ୍ଦ ରୁହେ, ତେଣୁ ଟକଳିଆ ଗ୍ରାହକଙ୍କ ମନଟା ବିଥେଇ କୁନ୍ଥେଇ ହୁଏ। ମହାଜନ କେତେ ଥର କହିଲାଣି--

-- ଆରେ କାହିଁ ସହରରୁ ଏକ ନମ୍ବର ଜିନିଷ କିଣି କ୍ଷତି ସହୁଛୁ? ମୋ ପାଖରେ ସବୁ ଭେଜାଲ ଜିନିଷ ଅଛି। ଯବକାଚ ପକେଇ ଦେଖିଲେ ବି ଅସଲ ନକଲ ର ଭେଦ ଜାଣି ପାରିବୁନି, ମୋ ପାଖରୁ ନେ। ଓ୍ବାଜିବ୍ ଦର ଲଗେଇବି। କଥା ଆମଦୁଇ ଜଣଙ୍କ ଭିତରେ ଗୁପ୍ତ ରହିବ, କାନ କୁ ଦି କାନ ହେବନି। ତୁ କାହିଁ ଭାବୁଛୁ ଯେ ଭେଜାଲ ଜିନିଷ ଖାଇଲେ ଲୋକ ଝାଡାବାନ୍ତି ହୋଇ ମରିବେ ବୋଲି? ଆଜିକାଲି ତ ସହର ରେ ଲୋକଙ୍କୁ ଭେଜାଲ୍ ନ ଦେଇ , ଭଲ ଜିନିଷ ଦେଲେ ତାଙ୍କର ଝାଡାବାନ୍ତି ହୋଇଯିବ। କଟକ ଚିନ୍ତା ବାଇମୁଣ୍ଡି କୁ ହେଲା ପରି, କାହିଁକି ତୋତେ ଏତେ ଚିନ୍ତା ମାଡି ବସୁଛି? ଥରେ ମୋ ପାଖରୁ ଜିନିଷ ନେଇ ଦେଖ୍ , ଏତିକି ରୋଜଗାର ହେବ ଯେ ତୋତେ ବ୍ଯାଙ୍କରେ ଖାତା ଖୋଲିବାକୁ ପଡିବ।

ହାତ ଯୋଡି ସହଜ ଭାବରେ କୁହେ ସେ-- ବାବୁ, ସେ କାମ ମୋ ଦେଇ ହେବ ନାହିଁ। ମୋର କିଏ ଅଛି ଯେ କାହା ପାଇଁ ପଇସା ସଞ୍ଚିବି। ପେଟ କୁ ଦୁଇ ଓଳି ଦାନା ଓ ଦେହ କୁ କନା ମିଳି ଯାଉଛି, ସେତିକି ଯଥେଷ୍ଟ। ଭଗବାନ ଢେର୍ ଦେଇଛି, ବେଶୀ ଲୋଭ କଣ ପାଇଁ କରିବି ଯେ? ଜୀବନ ଥିବା ଯାଏ ଯଦି ଲୋକଙ୍କୁ ଭଲରେ ଖୁଆଇ ପାରିଲି, ସେତିକି ଯଥେଷ୍ଟ। ମଲା ପରେ ସ୍ବର୍ଗ ନ ମିଳୁ, ନର୍କ କୁ ତ ଯିବିନି।

ମହାଜନ ରାଗିଯାଇ କୁହେ-- ଧେତ୍, ତୁ ତ ଓଥରା ଟା, ତୋତେ ବୁଝେଇଲେ କି ଲାଭ ମିଳିବ। ତୋ ମାଇପ, ପିଲା ଥିଲେ ସିନା ଜାଣନ୍ତୁ; ସଂସାର ଚଳାଇବା ଯାହା ଲୁହା ଗରଡା ଚୋବାଇବା ସେୟା। ଦୁନିଆରେ ସବୁଠାରୁ ମୂଲ୍ଯବାନ ଚିଜ ହେଲା ଟଙ୍କା, ସେତିକି ନ ଥିଲେ କେହି ପଚାରିବେନି ରେ ଯଦୁଆ। ଆଜି ସିନା ବେପାର ଭଲରେ ଚାଲିଛି ବୋଲି ଧରା କୁ ସରା ମଣୁଛୁ ; କାଲି ଯଦି ଦୋକାନ ରେ ମାଛି ନ ଉଡିବେ, ସେତେବେଳକୁ ମୋ କଥା ହେଜୁଥିବୁ।

ସମସ୍ତଙ୍କ ମନରେ ଯଦୁର ଅତୀତକୁ ନେଇ ଅନେକ ପ୍ରଶ୍ନ ଥାଏ। କିନ୍ତୁ ଏତେ ବର୍ଷ ହେଲାଣି କେହି ପଚାରିବାର ସୁଯୋଗ ପାଇ ନାହାଁନ୍ତି। ପାଇବେ ବା କେମିତି, ଦୋକାନ କୁ ଗଲେ ସେ ଗ୍ରାହକଙ୍କ ସୁଃଖଦୁଃଖ ବୁଝିବାରେ ଏମିତି ଲାଗିଯାଏ ଯେ ତାକୁ କିଛି ପଚାରିବାର ଅବକାଶ ଯୁଟି ନ ଥାଏ। ତଥାପି, ଗାଁଆ ପୋଖରି ତୁଠମୂଳିଆ ଫୁସୁରୁ ଫାସୁରୁ କଥାରୁ ଯାହା ଜଣା ପଡେ, ଯଦୁ ର ଅତୀତଟା ବଡ ଦୁଃଖମୟ ଥିଲା। ସେ ପିଲାଥିଲା ବେଳେ ମାଆ ମରିଗଲା ଓ କିଛି ଦିନ ପରେ ବାପା ପୁଣି ହାତ କୁ ଦି ହାତ ହେଲା। ସାବତ ମାଆଟା ଯଦୁର ହସଖୁସିଆ ମୁହଁଟା ଦେଖି ନ ପାରି ନାନା ଯାତନା ଦେଲା। ବାପା ସାମନା ରେ ଖଚ ଚୁଗୁଲି କରି ବିଚରା କୁ ବହେ ମାଡଗାଳି ଖୁଆଇଲା। ଶେଷରେ ଯଦୁର ଜୀବନ ନେବାର ଚେଷ୍ଟା ବି କଲା। ଦିନେ ରାତିରେ ଯଦୁ କାହାକୁ କିଛି ନ କହି ଘର ଛାଡି ସହର ଚାଲିଗଲା। ସହରର ବଡ ଜଳଖିଆ ଦୋକାନ ରେ ରହି କାମ ଶିଖିଲା। ଭଲ କାମ କରୁଛି ଜାଣିବା ପରେ ସେ ଦୋକାନ ର ମୁଖ୍ଯ ମିସ୍ତ୍ରୀ ତାର ଶତୃ ହେଲା। ନିଜ ସ୍ଥାନ ଅସୁରକ୍ଷିତ ହେବ ଭାବି, ନାନା ପେଞ୍ଚ ଫିକର କରି ଦୋକାନରୁ ତଡେଇଦେଲା। କେମିତି ସେ ଏ ଗାଁଆକୁ ଆସିଲା କେହି ଜାଣି ନାହାଁନ୍ତି। କିନ୍ତୁ ଖାଲି ପଡିଥିବା ସରକାରୀ ଯାଗାରେ କୁଡିଆ ଖଣ୍ଡେ କରି ପ୍ରଥମେ ଚାହା ଦୋକାନ ଟେ ଖୋଲିଲା। ବେପାର ଜମିବାରୁ, ଧିରେ ଧିରେ ଦୋକାନ ର କଳେବର ବଢି ଏବେକାର "ଯଦୁ ଜଳଖିଆ ଦୋକାନ " ଭାବରେ ରୂପାନ୍ତରିତ ହେଲା।

ଦିନ ପରେ ଦିନ ବିତି ଚାଲିଲା। ଯଦୁର ଲଣ୍ଡାପ୍ରାୟ ମୁଣ୍ଡରେ ଯେଉଁ କେତେଟି କଳାଚୁଟି ଲହଲହ ହେଉଥିଲେ, ସେମାନେ ଧଳା ପଡିବାକୁ ଆରମ୍ଭ କଲେ। ନାକ ଓ କାନପୁଡାରୁ କେଶ ମାନେ ଟିକେ ବେଶି ବାହାରକୁ ଚାଲିଆସି ପବନରେ ଲହଡି ମାରିଲେ। ଦିନରାତି ନିଆଁ ପାଖରେ ଗୋଟିଏ ଭଙ୍ଗୀରେ ବସିବା କାରଣରୁ ଅଣ୍ଟାବ୍ଯଥା, ପିଠିବ୍ଯଥା ଆଦି ରୋଗ ବଇରାଗ ମଝିରେ ମଝିରେ ତାକୁ ଡାକ୍ତରଖାନା ମୁହାଁ କରିବାକୁ ବାଧ୍ଯ କଲା। ତା ଯତ୍ନ ନେବାକୁ କେହି ନ ଥିଲେ। ଦୋକାନ ରେ ପିଲା ରଖିଥିଲେ, ସେ ବା କିଛି ସାହାଯ୍ଯ କରନ୍ତା। କିନ୍ତୁ ଦୋକାନ ଖୋଲିବା ଦିନରୁ ଯଦୁ ନିଜେ ହିଁ ସବୁ ସମ୍ଭାଳେ, ଏତିକି ଦିନ ଭିତରେ ସେ କାହାର ସାହାଯ୍ଯ ଲୋଡା କରିନି। ଯେତେ ରୋଗ ବାଧିକି ହେଲେ ବି ସେ ଦୋକାନ ଖୋଲିବାରେ କେବେ ହେଳା କରିନି। ଦେହ ଅଖଞ୍ଜ ଲାଗିଲେ ମନେମନେ ଭାବେ-- ଆଜି ଦୋକାନ ଟା ନ ଖୋଲିଲେ ଲୋକେ କେତେ ହଇରାଣ ହରକତ ହେବେ। ସକାଳୁ ବୁଢାବୁଢୀ ମାନେ କାହା ପାଖେ ଚାହା ମୁନ୍ଦେ ପିଇବେ, ଅଫିସ ଯିବା ଲୋକ କାହା ପାଖେ ଟିକେ ଜଳଖିଆ କରିବେ, ଇସ୍କୁଲ ଛୁଟି ହେଲେ ପିଲା ମାନେ କାହା ଦୋକାନ ଆଗରେ ଖେଳ କଉତୁକ କରି ବରା ପକୁଡି ଖାଇବେ। ଏମିତି ଚିନ୍ତା ମାନେ ମାଡି ବସିଲେ ତା ଦେହରୁ ଅଶକତ ଭାବ କଟିଯାଏ ଓ ସେ ଦୋକାନ ଖୋଲି ଚୁଲି ପଛରେ ବସିବାକୁ ସଜବାଜ ହୁଏ।

ଦୋକାନ ଆରମ୍ଭ କରିବା ଦିନରୁ ଆଜିଯାଏ, ଯଦୁର ପକେଟ କେବେ ଖାଲି ପଡିନି। ସେ ରୋଜଗାର କରିଛି ଯେତିକି, ତା ଠାରୁ ଢେର୍ ଅଧିକା ବାଣ୍ଟିଛି। ବଳକା ନିଜିଷ ଗାଁଆର ଗରୀବ ପିଲାଙ୍କୁ ସବୁ ଦିନ ସଞ୍ଜବେଳେ ଦେଇ ଦିଏ। ସେଥିପାଇଁ ତ ସଞ୍ଜ ବେଳେ ତା ଦୋକାନ ଆଗରେ ଲଙ୍ଗଳା ମୁକୁଳା ପିଲା ଓ ଭିକାରିଙ୍କ ଲମ୍ବା ଧାଡି ଲାଗିଥାଏ। ଜିନିଷ ଖରାପ ହେଲେ ଗାତ ଖୋଳି ପୋତି ଦିଏ ସିନା, କାହା ପାଟିରେ ବାଜିବାକୁ ଦିଏ ନାହିଁ। ସବୁଦିନ ସକାଳୁ ଦୋକାନରେ ଟାଙ୍ଗିଥିବା ଲକ୍ଷ୍ମୀ ଠାକୁରାଣୀଙ୍କ ଧୂଆଁ ବାଜି କଳା ପଡି ଆସିଥିବା ଫଟୋ ଆଗରେ ଧୂପ ବୁଲେଇ କୁହେ-- ମାଆ ଲୋ, ମୋ ଉପରେ କୃପାଦୃଷ୍ଟି ରଖିଥିବୁ। ପଇସା ଆସୁ ନ ଆସୁ ପରବାୟ ନାହିଁ, କିନ୍ତୁ ମୋ ଜିନିଷ ଖାଇ ଲୋକଙ୍କ ଦେହ ଖରାପ ନ ହେଉ। ସତ କୁ ସତ ମାଆଙ୍କ କୃ ପାରୁ ସେ ଦୋକାନ ଖୋଲିଥିବା ଦିନ ଠାରୁ ତା ଜିନଷ ଖାଇ କାହାର ପେଟ ଖରାପ ହେବାର ନଜିର ନାହିଁ।

ଏଇ କିଛି ଦିନ ହେଲା ତା ଦୋକାନ ଠୁ କିଛି ଦୂରରେ, ସେଇ ଗାଁଆର ପରମ ଟାଉଟର ଟୋକା ମାଧବ ଜଳଖିଆ ଦୋକାନ ଟେ ଖୋଲିଛି। କିନ୍ତୁ ତା ମନରେ ଟିକେ ବି ଡର ନାହିଁ। ଆରେ, ସେ ବା କାହିଁକି ଡରିବ? ଦୁନିଁଆର ଭଲମନ୍ଦ ଜାଣିବା ଦିନରୁ ସେ ଚୁଲି ପଛରେ ବସି ସିଝୁଛି। ତା ଦେହରୁ ଯେତିକି ଝାଳ ନିଗିଡିଛି ତା ଠାରୁ ବେଶୀ ଗରମତେଲ ଛିଟିକା ପଡି ଫୋଟକା ହୋଇଛି। ଭୋକରେ ପେଟ ଜଳି ଯାଉଥିଲେ ବି ଲକ୍ଷ୍ମୀ ଦୋକାନ ଜିନିଷ ଅଇଁଠା କରିବନି ବୋଲି, ଜଳଖିଆରେ ଟିପ ଛୁଆଁଇନି। ବର୍ଷବର୍ଷ କାଳ ତପସ୍ଯା କଲା ପରି କାମ କରି ବିଭିନ୍ନ ଜିନିଷ ତିଆରି କରିବାର କଳା କୁ ସେ ଆୟତ୍ତ କରିଛି। ସେ ବା କାହିଁକି ଡରିବ, ସେ ଗଞ୍ଜୋଡ, ଜୁଆଡୀ, ଧପାବାଜ୍ ମାଧବକୁ। ଖାଲି କଣ ସହରି ମିସ୍ତ୍ରୀ ଆଣିଲେ ଖାଇବା ଚିଜ ସୁଆଦିଆ ହୋଇଯିବ? ନିଆଁ ପାଣି କଥା, ଯେତେ ବାହାସ୍ଫୋଟ ମାରିଲେ ବି ସବୁ ଲୋକଙ୍କ ହାତରେ ଏ କାମ ହୁଏନି। ତାର ବିଶ୍ବାସ ଥିଲା, ଯେତେ ଯାହା ହେଲେ ବି ଲୋକ ତା ଦୋକାନ ଦୁଆର ଛାଡି କୁଆଡେ ଯିବେନି। ଏତେ ବର୍ଷର ସମ୍ପର୍କ, କଣ ଏମିତି ହଠାତ୍ ଛାଡି ସେମାନେ ମାଧବ ଆଡକୁ ମୁହାଁଇବେ? ସେମାନେ କଣ ଜାଣି ନାହାଁନ୍ତି କି, ଏଇ ମାଧିଆ ପରା ପିଲା ଦିନେ ଫୁଙ୍ଗୁଳା ଦେହରେ ତା ଦୋକାନ ଆଗରେ ହାତପାତି ଛିଡା ହେଉଥିଲା, ବଳକା ଜିନିଷ ଖାଇବା ପାଇଁ। ବାପଛେଉଣ୍ଡ ପିଲା ବୋଲି ଯାହା ଦୟା ଦେଖେଇଥିିଲା, ଅଲାଜୁକ ସେହି ରୂଣ ଶୁଝାଇବାକୁ ତା ଦୋକାନ ପାଖକୁ ଲାଗି ଦୋକାନ ଖୋଲିଛି? ସତରେ ପରା, ଘୋର କଳିଯୁଗ। ଯିଏ ଭଲ କାମ କରିବ ସିଏ ହିଁ କୀଳା ଖାଇବ।

କିଛି ଦିନ ବିତି ଗଲା। ଯଦୁ କୁ ଲାଗିଲା ତା ଦୋକାନ ରେ ଗ୍ରାହକ ଟିକେ ପତଳା ହେବାକୁ ଆରମ୍ଭ କଲେଣି। ଭାବିଲା, ଥରେ ଯାଇ ଲୁଚି ମାଧବ ଦୋକାନ ଆଡେ ଘେରାଏ ବୁଲି ଆସିବ। ମୁଣ୍ଡରେ ଗାମୁଛା ମାରି ତା ଦୋକାନ ଭିତରକୁ ଗଲା। ଯୋଗ କୁ ମାଧବ ଦୋକାନ ରେ ନ ଥିଲା। ସେ ଦେଖିଲା ଦେକାନ ଭିତର ଟା ବଡ ଚକଚକିଆ ହୋଇଛି। ଛାତରୁ ବାଦୁଡି ପରି ପାଞ୍ଚଟା ପଙ୍ଖା ଓ ପୁଞ୍ଜାଏ ଲାଇଟି ଝୁଲିଛି। ପଙ୍ଖା ଏମିତି ପବନ ଫିଙ୍ଗୁଛି ଯେ ଦେହ ଟା ହେମାଳ ହୋଇଯିବ। ନାଲି ରଙ୍ଗର ଗୋଲ ଟେବୁଲ ଦଶ ଟା ସରିକି ପଡିଛି ଓ ପ୍ରତି ଟେବୁଲ ଚାରି ପଟେ ଚାରିଟା ଚେୟାର ସଜେଇ ଦେଲା ପରି ରଖା ଯାଇଛି। ମଝିରେ କାଚ ଜଗ୍ ରେ ପାଣି ସାଙ୍ଗକୁ ସୁନ୍ଦରିଆ କାଚ ଗିଲାସ ବି ରଖା ଯାଇଛି। କାନ୍ଥରେ ଖାଇବା ଚିଜର ବଡ ବଡ ଫଟୋ ସାଙ୍ଗକୁ ଥଣ୍ଡାପାନୀୟର ଛବି ଭାରି ମନଲୋଭା ଦିଶୁଛି। ପଇସା ନେବା ଯାଗାରେ ଜଣେ ଝିଅ ବସିଛି। ଗରାଖଙ୍କ ସାଙ୍ଗେ କଥା ହେଲା ବେଳକୁ ହସିହସି ଭୂଇଁରେ ଲୋଟି ପଡିବା ପରି ତାର ଅବସ୍ଥା। କେବଳ ସେତିକି ନୁହଁ, ସେ ଝିଅ ପାଖରେ ମଣିଷେ ଉଚ୍ଚା ର କାଚ ଦୁଆରବାଲା ଫ୍ରିଜ୍ ରଖା ଯାଇଛି। ଫ୍ରିଜ୍ ଭିତରେ ଭଳି କି ଭଳି ଅଣ୍ଡାପାନୀୟ ଓ ଆଇସକ୍ରିମ ଥାକ ମାରି ସଜା ଯାଇଛି। କାନ୍ଥରେ ଗୋଟେ ରଙ୍ଗୀନ୍ ଟେଲିଭିଜନ୍ ବି ଲାଗିଛି ଓ କେତେ ନାଚଗୀତ ଅନବରତ ଚାଲିଛି। ଜଣେ ଗ୍ରାହକ କୁ ସେ ପଚାରିଲା-- ଭାଇ, ଖାଇବା କେମିତି ହୋଇଛି।

--- କେମିତି ମାନେ?ଖାଇବା ଟା ଖାଇବା ପରି ହୋଇଛି , ଆଉ କେମିତି ହୁଅନ୍ତା।ନିଜେ ଖାଇ ଦେଖୁନ, ମୋତେ କାହିଁକି ପଚାରୁଛ? ନିହାତି ବେପରବାୟ ଢଙ୍ଗରେ କହିଲା ସେ ଲୋକଟି।

ପୁଣି ଜଣଙ୍କୁ ପଚାରିଲା ବେଳକୁ ଜାଣିଲା, ସେ ଲୋକଟି ତାଆରି ଦୋକାନର ପୁରୁଣା ଗ୍ରାହକ। ଯାହା ହେଉ ଲୋକଟି ଯଦୁ ସହ କଥା ହୋଇ ସବୁ କହିଲା।

– ବୁଝିଲ ମଉସା, ତୁମ ଜଳଖିଆର ଯୁଗ ସରିଲା ବୋଲି ଜାଣ। ଆଜିକାଲି ଲୋକଙ୍କୁ ବରା, ଗୁଲୁଗୁଲା ଲୋଡା ନାହିଁ। ସେମାନେ ଚାହୁଁଛନ୍ତି- ପିଜା, ବରଗର, ପେଟିସ୍, ପାସ୍ତା, ମଞ୍ଚୁରିୟାନ୍, ମୋମୋ, ସ୍ପ୍ରିଙ୍ଗ ରୋଲ୍ ଆଦି ଜିନିଷ। ଲୋକଙ୍କ ସ୍ବାଦ ବଦଳିଲାଣି, ଦୁନିଆ ବଦଳିବା ସହ। ତୁମେ ସେଇ ସ୍ବାଧୀନତା ଅମଳର ଜିନିଷ ତିଆରି କଲେ, ଲୋକେ ଖାଇବେ? ଏବେ ଲୋକେ ଭାତ ଡାଲମା ଚାହୁଁ ନାହାଁନ୍ତି, ସେମାନଙ୍କର ବିରିୟାନୀ ସହ ତନ୍ଦୁରୀ ଚିକେନ ଦରକାର। ସେ ଆଳୁଚପ, ସିଙ୍ଗଡା କୁ ମାର ଗୁଳି ; ଏବେ ଲୋକଙ୍କର ଚିଲି ଚିକେନ୍, ଚିକେନ ପକୋଡା, ଚିକେନ୍ ରୋଲ ଦରକାର।

--ପୁଅ, ତୁମେ ଯେଉଁ ଜିନିଷ ସବୁ ର ନାମ ଗଳଗଳ କରି ଗାଇ ଗଲ, ସେଗୁଡାକ ମୋ ତୁଣ୍ଡରେ ଠିକ୍ ରେ ପଶୁନି, ତୁମ ପେଟରେ କେମିତି ପଶିବ କେଜାଣି? ଏ ଜାଗାରେ କଣ ଆମିଷ ନିରାମିଷ ର ବାଛ ବିଚାର ନାହିଁ? ମୁଁ ଦେଖୁଛି ଖାଇବା ଜିନିଷ ଗୁଡାକ ତେଲ ଓ ରଙ୍ଗରେ ଭାସିଲା ପରି ଦିଶୁଛି। ଏସବୁ ଖାଇଲେ ପେଟର ଅବସ୍ଥା କଣ ଜାଣିଛ ତ?

--ସେ ଯୁଗ ଗଲାଣି ମଉସା। ଯେଉଁ ଖାଇବାରେ ତେଲ ବେଶି ଓ ରଙ୍ଗ ନ ଥିବ ସେଗୁଡାକ ଖାଦ୍ଯରେ ଗଣାଯାଉନି ଆଜିକାଲି। ଏମନ୍ତ ଖାଇବା ଦେଖିଲେ ଲୋକର ପାଟି,ଆଖି, ନାକ ସବୁ ସନ୍ତୁଷ୍ଟ ହୋଇଯିବ। ଯୁବ। ପାଣି,ପବନ,ପରିବା,କ୍ଷୀର ସବୁ ତ ଭେଜାଲ୍। ଯେତେବେଳେ ସାରା ଦୁନିଆଁ ଟା ଭେଜାଲିଆ ଢଙ୍ଗରେ ଚାଲିଛି, ଭଲ ଜିନିଷ ଖୋଜୁଛି କିଏ? ବାକି ରହିଲା ଆମିଷ ନିରାମିଷର କଥା। ପାଟି କୁ ସୁଆଦ ଲାଗିଲେ ସେ ବାଛ ବିଚାର କଥା କାହା ମୁଣ୍ଡରେ ପଶୁଛି? ତୁମେ ଆଳୁଚପରେ ଆଳୁ ଚକଟା ପୁରଉଥିଲ, ଏବେ ଆଳୁଚପ୍ ର ଯୁଗ ଯାଇ ମଟନ୍ ଚପ୍, ଚିଙ୍ଗୁଡି ଚପ୍ ଓ ଚିକେନ୍ ଚପ୍ ର ଯୁଗ ପହଞ୍ଚିଲାଣି।

– – କିନ୍ତୁ, ମାଧବ ପରିି ଲୋକ ପାଖରେ ଏତେ ପଇସା ଆସିଲା କୁଆଡୁ?

– – ପଇସା ନୁହଁ ମଉସା , ଟଙ୍କା କୁହ। ସେ ଟଙ୍କା ଗଛ ଲଗେଇଛି। ଯାବତୀୟ ଦୋ ନମ୍ବରି କାମ କରି ଲକ୍ଷଲକ୍ଷ ରୋଜଗାର କରୁଛି। ଗଞ୍ଜେଇ ବେପାର, ମଦ ବେପାର, ଟେଣ୍ଡର ଫିକ୍ସିଂ, ଠିକାଦାରି କାମ ଆହୁରି କେତେ କଣ। କଳା ଟଙ୍କା କୁ ଧଳା କରିବାକୁ ଏ ହୋଟେଲ ଖୋଲିଛି। ତୁମେ ଏତେ ପେଞ୍ଚ ଫାନ୍ଦ ବୁଝିପାରିବନି। ଖାଲିି ଏତିକି ଜାଣ ଯେ ତୁମ ଦୋକାନ, ମାଧବ ଆଗରେ ତିଷ୍ଠିବା ଅସମ୍ଭବ। ଯଦି ପାରୁଛ ଦୋକାନ ବନ୍ଦ କରି ଅନ୍ଯ ବେପାର କର।

ରାଗରେ ପାଚି ଲାଲ୍ ପଡିଗଲା ଯଦୁ। ଶ୍ଯଃ , ଇଏ କାଲିକା ମେଞ୍ଚଡ ଟୋକା, ତାକୁ ବେପାର ରେ ଟକ୍କର ଦେବ!!!? ! ହଉ ଦେଖିବା କଉ ପାଣି କୁଆଡେ ଯାଉଛି। ଏ ବିଷ ଖାଇ ଯେତେବେଳେ ଲୋକେ ଝାଡାବାନ୍ତିରେ ପଡିବେ,ସେତେବେଳକୁ ତା କଥା ହେଜିବେ। ବରଷା ଦିନିଆ ବେଙ୍ଗ କେତେ ରଡିବ ରଡୁ, ସେ ବି ଦେଖିବ, କେତେ ଦିନ ଏ ପେଖନା ଚାଲିବ। ଉପରେ ରାଗିଲେ ବି ଯଦୁର ମନର ଭିତର ଟା ମନ୍ଥି ହେଲା ପରି ଲାଗୁଥିଲା। ଜୀବନ ରେ ପ୍ରଥମ ଥର ପାଇଁ ତାକୁ ବଡ ଅସୁରକ୍ଷିତ ଓ ଡର ଲାଗିଲା। ଲୋକେ ମାଧବର ଚକମକିଆ ଦୋକାନ ଛାଡି ତା ଝାଟିମାଟି ଘେରା ଦୋକାନ କୁ ଆସିବେ ତ? ଏ ଭେଜାଲ ଜିନିଷର ସୈନ୍ଯସାମନ୍ତଙ୍କ ଆଗରେ ତା ଏକନମ୍ବରି ଜିନିଷ ତିଷ୍ଠି ପାରିବେ ତ?

ସବୁଦିନ ପରି ଯଦୁ ଦୋକାନ ଖୋଲି ବସିଲା ସତ କିନ୍ତୁ ବିକ୍ରି କମି କମି ଚାଲିଲା। ସକାଳୁ ସଞ୍ଜ ଯାଏ ବସି ରହିଲେ ବି ତା ତେଲ କଡେଇ ରୁ ସେ ସୁମଧୁର ଚେଁ ଚାଁ ଶବ୍ଦ ଶୁଭିଲାନି। ମାଧବ କି ଯାଦୁ କଲା କେଜାଣି, ଟୋକା ବୁଢା ସବୁ ତା ଦୋକାନ କୁ ପିମ୍ପୁଡି ପରି ଧାଡି ଲମ୍ବେଇଲେ। ସହରରେ ମିଳୁଥିବା ଖାଇବା ଯେତେ ବେଳେ ଗାଁଆରେ କମ୍ ଦାମରେ ମିଳୁଛି ଏ ରଙ୍କରାଡିଆ ଲୋକେ ଛାଡିବେ କୁଆଡୁ? ଅଭ୍ଯାସବଶତଃ ଗାଁଆର ଲଙ୍ଗଳା ପିଲା ଓ ଭିକାରୀ , ଯଦୁ ଦୋକାନ ଛାଡି ମାଧବ ଦୋକାନ ଆଗରେ ବଳକା ଖାଇବା ଜିନିଷ ନେବା ପାଇଁ ଧାଡି ଲଗେଇଲେ। କିନ୍ତୁ ହାୟ ରେ ବିଧାତା, ସେମାନଙ୍କ ଉପରକୁ ଗରମ ତେଲ ଓ ଗରମ ପାଣି ଫୋପଡା ଗଲା । ଆଖି ଆଗରେ ଯଦୁର ସ୍ବପ୍ନର ମହଲ ଚୁରମାର ହେବାକୁ ବସିଲା। ଏବେ ସାରା ଦିନ ବସି ରହିଲେ ବି ଟଙ୍କା ପାଞ୍ଚଟା ବେପାର କରିବା କଷ୍ଟ। ଗଲା ମାସରେ କିଣି ଥିବା ତେଜରାତି ଜିନିଷ ବର୍ତ୍ତମାନ ପର୍ଯ୍ଯନ୍ତ ସରିନାହିଁ। କିନ୍ତୁ ମାଧବ ବସ୍ତା ବସ୍ତା ଜିନିଷ ଗାଁଆ ମହାଜନ ପାଖରୁ ବୋହି ନେଉଛି। ମହାଜନ କେମିତି ଜିନିଷ ବିକେ ସେ ବି ଜାଣିଛି ଓ ଗାଁଆ ଲୋକେ ବି ଜାଣିଛନ୍ତି। ତଥାପି ମୁଣ୍ଡରେ ବୁଦ୍ଧି ପଶୁନି। ମରିବେ ସବୁ, କାହାର କଣ ଯାଉଛି-- ବିରକ୍ତି ରେ ବିଳିବିଳେଇ ଉଠେ ସେ। କିନ୍ତୁ ତା କଥା ଶୁଣିବାକୁ ପାଖରେ କିଏ ଥିଲେ ତ! !! ମନେ ମନେ ଭୀଷଣ ରାଗେ ନିଜ ଉପରେ। ଯଦି ସେ ସବୁ ଟଙ୍କା ଖର୍ଚ୍ଚ ନ କରି ସଞ୍ଚି ଥାଆନ୍ତା, ଆଜି କେତେ ବଡ ଘର ତିଆରି କରି ଅୟସ ରେ ରହୁଥାଆନ୍ତା। ଜମା ଟଙ୍କାର ସୁଧରେ ଚଳି ଯାଉଥାଆନ୍ତା, ବେପାର ହେଲେ ଢୋ ନ ହେଲେ ଢୋ। କିନ୍ତୁ ସେ ହରିଶ୍ଚନ୍ଦ୍ରିଆ ଗୁଣ କାଢି ପାଇଲା କଣ? ତା ହାତରେ ଫଟା ଆହୁଲାଏ ବି ନାହିଁ। ଅବସ୍ଥା, ଏପରି ଯେ ଖାଇବ କଣ ଭାବି ହେଉନି। ସେ ଜାଣି ସାରିଥିଲା ଯେ ଆଉ ତା ଦୋକାନ ରୁ ଜିନିଷ ବିକ୍ରି ହେବାର କୌଣସି ଆଶା ନାହିଁ। ତାର ପୁରୁଣା ଗ୍ରାହକ ମାନେ ସବୁ ମରି ହଜି ଗଲେଣି। ନୂଆ ମାନଙ୍କ ପାଇଁ ସେ ଗୋଟେ ପୁରୁଣାକାଳିଆ ମଫସଲିଆ ଜଳଖିଆ ଦୋକାନୀ। ମାଧବର ଚକମକିଆ ପଙ୍ଖା ଲାଇଟି ଦିଆ ଦୋକାନ, ପ୍ଲାଷ୍ଟିକ୍ ଟେବୁଲ, କାଚ ଗିଲାସ ଛାଡି ସେମାନେ କାହିଁକି ବା ତା ଦୋକାନର ଭଙ୍ଗା ଟେବୁଲ ଓ ସିମେଣ୍ଟ ବେଞ୍ଚକୁ ଆଦର କରିବେ!! ଆଜିକାଲି ଲୋକ ମାନଙ୍କ ପାଖରେ ଦୁଃଖସୁଃଖ ହେବା ପାଇଁ ସମୟ ବା କେଉଁଠୁ ଆସିବ। ସେ ସିନା ଗରାଖଙ୍କ ସୁଖଦୁଃଖ ବୁଝୁଥିଲା, କିନ୍ତୁ ମାଧବ ଦୋକାନର ସେ ଛତରଖାଇ ଝିଅ ଲୋକଙ୍କ ସହ ହସଖୁସି ରେ ଲୋଟି ପଡୁଛି। ଗରାଖ ସେ ଝିଅ କୁ ଛାଡି ତା ସହ କାହିଁକି କଥାଭାଷା ହେବେ। କାହା ପାଖରେ ସମୟ ଅଛି ? ସବୁ ତ ଦଉଡୁଛନ୍ତି "ହା ଟଙ୍କା ହା ଟଙ୍କା ରାବ ଦେଇ"। ଛାଡ, ଗ୍ରାହକଙ୍କୁ ଦୋଷ ଦେଲେ କି ବା ଲାଭ ମିଳିବ!, ତା ଭାଗ୍ଯ ଯେତେବେଳେ ଫଟା, କିଏ କଣ କରି ପାରିବ।

କିଛିଦିନ ହେଲାଣି ଯଦୁ ଦୋକାନ ଖୋଲୁନି। ମାଧବ ବାହାସ୍ଫୋଟ ମାରି ତା ବିଜୟ ଗାଥା ଗାଁଆରେ ଗାଇ ବୁଲୁଛି। ଅଚାନକ ସମସ୍ତଙ୍କ ପାଇଁ ଅଲୋଡା ପାଲଟି ଯାଇଥିବା ଯଦୁ କଥା ପଚାରିବାକୁ ବି କାହା ପାଖରେ ସମୟ ନାହିଁ। ଦୋକାନ ପଛ ଚାଳିଆ ଘରେ ମସିଣା ଉପରେ ପଡି ରହି ଯଦୁ କଷ୍ଟରେ ବିଳିବିଳଉ ଥାଏ। ତିନି ଦିନ ହେଲାଣି ପେଟରେ ଦାନା ପଡିନି। ପାଖରେ ଫଟା ଆହୁଲାଏ ନାହିଁ। ଜୀବନ ଯୁଦ୍ଧରେ ସମ୍ପୁର୍ଣ୍ଣ ପରାସ୍ତ ହେବା ପୂର୍ବରୁ ସେ ଲଢିଛି, କିନ୍ତୁ ନିଷ୍ଫଳ ହୋଇଛି। ମନରେ ଥିବା ଗର୍ବ ଓ ସ୍ବାଭିମାନ କୁ ପାଦ ତଳେ ମାଡି ମକଚି, ସେ ଯାଇଥିଲା ମାଧବ ପାଖକୁ ତିନିଦିନ ତଳେ। କେତେ ନେହୁରା ହୋଇ କହିଥିଲା ତାକୁ ଦୋକାନ ରେ ମିସ୍ତ୍ରୀ କରି ରଖିବା ପାଇଁ। କିନ୍ତୁ ମାଧବ ତା ବେକରେ ଗଳା ଧକ୍କା ଦେଇ ବିଦା କରିଦେଲା। ହାତରେ ଥାଳିଆ ଖଣ୍ଡେ ଧରେଇ କହିଲା-- ଯଦୁ, ତୋ ଦୋକାନୀପଣିଆ ଛାଡିବାର ଦିନ ଆସିଗଲାଣି। ଯଦିପାରୁଛୁ ମୋ ଦୋକାନ ଆଗରେ ଏଇ ଥାଳ ଟା ଧରି ବସ, ଗ୍ରାହକ ଯାହା ଭିକ ଦେବେ ସେଥିରେ ତୋ ଗୁଜୁରାଣ ମେଣ୍ଟିଯିବ। ତୁ ପରା ଚାରିଆଡେ କହିବୁଲୁଛୁ ଯେ ମୋ ପିଲା ଦିନେ ମୋତେ ମାଗଣା ଖାଇବା ଦେଇଛୁ ବୋଲି? ଏବେ ଦେଖ୍ କିଏ କାହା ପାଖରେ ହାତ ପତଉଛି।

ଭୟଙ୍କର ମାନସିକ ଧକ୍କାରେ ଯଦୁର ଆତ୍ମା ଛିନ୍ନବିଛିନ୍ନ ହୋଇଗଲା। କୋହ ସମ୍ଭାଳି ନ ପାରି ଭୋ ଭୋ କାନ୍ଦି କହିଲା-- ମାଧବରେ, ତୋ ପିଲା ଦିନ କଥା ଏତେ ଶୀଘ୍ର ଭୁଲିଗଲୁ? ଏଇ ହାତରେ ତୋତେ କେତେ ଜିନିଷ ଦେଇଛି ମୁଁ, ଶେଷରେ ତୁ ମୋତେ ଭିକାରୀ କରି ସଜେଇଦେଲୁ। ଥାଉ, ମୋର ଭିକାରୀ ହେବାର ନାହିଁ। ତୋ ଦୋକାନ ଭଲରେ ଚାଲୁ,, ତୁ ଭଲରେ ଥାଆ। ଆଉ କଣ କହି ଆଣିଲା ବେଳକୁ ମଦ ନିଶାରେ ଚୁର୍ ଥିବା ମାଧବ ତା ଉପରକୁ ଗରମ ପାଣି ଫିଙ୍ଗି ଦେଇ କହିଲା-- ଭାଗ୍ ମୋ ଦୋକାନ ଆଗରୁ, ଭିକାରୀ କୋଉଠିକାର।

ପାଦ ଘୋଷାରି ଯଦୁ ତା ବସାକୁ ଫେରିଲା। ରାତି ସାରା କାନ୍ଦିକାନ୍ଦି ତକ୍ତପୋଷ ଭିଜାଇଲା ସିନା, ତା ଆତ୍ମା ଶାନ୍ତ ହେଲାନାହିଁ। ସକାଳ କୁ ଦେହରେ ଭୀଷଣ ତାତି। ଭୋକରେ ପେଟ ପୋଡି ଗଲା ପରି ଲାଗୁଛି, ସେଇ ବିଛଣା ଉପରେ ଭକଭକ ବାନ୍ତି କରି ପକେଇଲା। ଉଠିବାକୁ ଯେତେ ଚେଷ୍ଟା କଲେ ବି ଉଠି ହେଉନି, ପାଟି କେମିତି ଖନି ମାରିଦେଲା ପରି ଲାଗୁଛି। ତେବେ କଣ ସେ ଏହି ଅବସ୍ଥାରେ ହିଁ କାଟିବ ଜୀବନର ଶେଷ ମୁହୂର୍ତ୍ତ?

ମାଧବ ଦୋକାନ ନାମ ରେ ନାନା ଆପତ୍ତି ଅଭିଯୋଗ ଆସିବା ପରେ, ସେଦିନ ସକାଳୁ ପୋଲିସ୍ ଓ ଖାଦ୍ଯ ବିଭାଗର ଲୋକେ ଦୋକାନରେ ମିଳିତ ଚଢଉ କଲେ। ଦୋକାନ ଭିତରୁ ଯାହା ମିଳିଲା, ଦେଖିଲେ ଦେହ ଶିତେଇ ଯିବ। ରୋଷେଇ ଘରେ କୁକୁର , କୁଆ, ପାରା, ବଗ ଆଦିଙ୍କର କଟା ମୁଣ୍ଡ ସହ କଟା ଯାଇଥିବା ମାଂସ। ସେଇ ମାଂସରେ ମାଧବ ଦୋକାନରେ ବିଭିନ୍ନ ଖାଇବା ଜିନିଷ ତିଆରି କରାଉଥିଲା। ବିଚରା ଗ୍ରାହକ ମାନେ ଯେଉଁ ବିରିୟାନୀ କୁ ଖାଣ୍ଟି ଖାସି ମାଂସର ଭାବୁଥିଲେ, ତାହା ଅସଲରେ ଥିଲା ବୁଲା କୁକୁରଙ୍କ ମାଂସ। ସେହିପରି ଚିକେନ୍ ନାମରେ ସେ ପରଷୁ ଥିଲା ପାରା,ବଗ, କୁଆ ଆଦିଙ୍କର ମାଂସ। ଅତ୍ଯଧିକ ତେଲ ମସଲା ଓ ମନୋହରୀ ରଙ୍ଗର ଆଢୁଆଳରେ ସେ ଏତେ ଦିନ ଧରି ନିରିହ ଗ୍ରାହକ ମାନଙ୍କୁ ଖାଦ୍ଯ ନାମରେ ବିଷ ଖୁଏଇ ଚାଲିଥିଲା। କେବଳ ସେତିକିରେ କଥା ସରି ନଥିଲା, ଫ୍ରିଜ୍ ଭିତରୁ ପଚାସଢା ବାସି ଖାଇବା ଜିନିଷ ମିଳିଲା, ଯାହାକୁ ଗରମ କରି ପୁଣି ପରଷା ଯାଉଥିଲା। ଦୋକାନ ଭିତରେ ଥିଲା ଏକ ଗୁପ୍ତ ଘର, ତା ଭିତରୁ ପୋଲିସ୍ ପାଇଲେ ପେଟି ପେଟି ମଦ, ଗଞ୍ଜେଇ ଓ ନାନା ନିଶା ଦ୍ରବ୍ଯର ଅସୁମାରୀ ଭଣ୍ଡାର। ଦେଖିବା ଲୋକ ତାଟକା ହୋଇ ଚାହିଁଥିଲେ। ସେମାନଙ୍କର ବାରମ୍ବାର ଦେହ ଖରାପ ର କାରଣ ମାଧବ ହୋଟେଲର ଖାଇବା ବୋଲି ଜାଣି ସାରିବା ପରେ, ସେମାନେ ହୋଃ ହାଲାଃ ଆରମ୍ଭ କରିଦେଇଥିଲେ। ମଣିଷ ଏତେ ଘୃ ଣ୍ଯ ହୋଇପାରେ ବୋଲି ସେମାନେ ଚିନ୍ତା କରି ପାରୁ ନ ଥିଲେ। ମାଧବ ହାତରେ ହାତକଡି ପକେଇ ପୋଲିସ୍ ଘୋଷାରିଲା ବେଳେ ଉତ୍ଯକ୍ତ ଲୋକେ ଟେକା ପଥର ଫିଙ୍ଗିବା ଆରମ୍ଭ କରି ଦେଲେ।

ସେତିକି ବେଳକୁ ଯଦୁ ଦୋକାନ ପାଖରେ ଲୋକ ଗହଳି ଦେଖି ପୋଲିସ୍ ସେ ଆଡକୁ ଗଲେ। ଦୋକାନ ବନ୍ଦ ଅଛି, କିନ୍ତୁ ଦୋକାନ ପଛ ବଖରାଏ ଘରୁ ପଚା ଗନ୍ଧ ଆସୁଛି ଓ ମାଛି ମାନେ ଭଣଭଣ ହୋଇ ଉଡୁଛନ୍ତି। ଗାଁଆ ଲୋକେ ଭାବିଲେ ମାଧବ ସହ ଯଦୁ ମିଶି ଯାଇଛି ଓ ଦୋକାନ ବନ୍ଦ କରି, ତା ଘରେ ମାଧବ ହୋଟେଲ ପାଇଁ ଖାଇବା ତିଆରି କରୁଛି। ଉତ୍ଯକ୍ତ ଲୋକେ ଯଦୁ ଦୋକାନ ଓ ଘର ଉପରକୁ ଢେଲା ମାରିବା ଆରମ୍ଭ କଲେ। "ଟାଣି ଆଣ ତାକୁ" "ଜାଳି ଦିଅ ତା ଦୋକାନ " "ଚୋର ଟା, ମାଧବ ସାଙ୍ଗେ ମିଶି ବେପାର ଚଳାଇଛି" ଆଦି ଧ୍ବନିରେ ସେ ଜାଗାଟି କମ୍ପି ଉଠୁଥିଲା। ଜଣେ ହାବିଲଦାର ଯଦୁ ଘର ଭିତରୁ ରଡି ଛାଡି ବାହାରକୁ ଦଉଡି ଆସିଲା। ପୋଲିସ ଓ ଲୋକମାନେ ସେ ଘର ଭିତରକୁ ଧସେଇ ପଶି ଯାହା ଦେଖିଲେ, ପଥର ଆଖିରୁ ବି ଲୁହ ଝରି ଆସିବ।

ମସିଣା ଉପରେ ମରି ପଡିଥିଲା ଯଦୁ ଓ ତା ମୃତ ଶରୀର ପଚିବାକୁ ଆରମ୍ଭ କରିଦେଇଥିଲା। ମଡା ଟା ଉପରେ ମାଛି ଭଣଭଣ ହେଉଥିଲେ। ବିଚରା ଛାତିରେ ଜାକି ଧରିଥିଲା ତା ପ୍ରିୟ ଚଟୁଟିକୁ, ଯେଉଁଥିରେ ଏତେ ବର୍ଷ ଧରି ନାନା ଜିନିଷ ଛାଣି ଗାଁଆ ଲୋକଙ୍କୁ ପରଷି ଦେଇଥିଲା। ମୁହଁଟି କଷ୍ଟରେ ମୋଡି ହୋଇଯାଇଥିଲା ସତ, କିନ୍ତୁ ଓଠରେ ଥିଲା ମଳିନ ପ୍ରଶ୍ନିଳ ହସ । ତା ମୃତ ଶରୀର ଗାଁଆ ଲୋକ ମାନଙ୍କଠାରୁ କିଛି ଉତ୍ତର ଚାହୁଁଥିଲା, କିନ୍ତୁ ଲୋକେ ଥିଲେ ନିରୁତ୍ତର। କଣ ବା କହିବେ ସେମାନେ ? କିନ୍ତୁ ସମସ୍ତଙ୍କ ମନରେ ସେଇ ଗୋଟିଏ ପ୍ରଶ୍ନ ବାରମ୍ବାର ଆସୁଥିଲା--”ଯଦୁର ମୃତ୍ଯୁ ପାଇଁ ଆମେ ଦାୟୀ ନୁହଁ ତ?” ।

ଏବେ ଯଦୁ ଦୋକାନ ନାହିଁ, ସେ ଯାଗାରେ ତା ସ୍ମୃତିରେ ତିଆରି ହୋଇଛି ଏକ ମୂର୍ତ୍ତି। ଯଦୁ ମୃତ୍ଯୁର ପାପରୁ ତ୍ରାହି ପାଇବା ପାଇଁ ହେଉ ବା ତାକୁ ଚିରଦିନ ମନେ ରଖିବା ପାଇଁ ହେଉ ସେଇ ମୂର୍ତ୍ତିଟି ଗାଁଆ ଲୋକେ ତିଆରି କରିଛନ୍ତି ଓ ସେ ମୂର୍ତ୍ତିଟି ହସହସ ମୁହଁରେ ମନେ ପକେଇ ଦେଉଛି ଯେ - - - ଏ ଜାଗାରେ ଗୋଟିଏ ଜଳଖିଆ ଦୋକାନ ଥିଲା ଓ ତା'ର ନାମ ଥିଲା "ଯଦୁର ଜଳଖିଆ ଦୋକାନ" ।

**********ସମାପ୍ତ************

Saturday, August 11, 2018

ଦାଗୀ



ଲେଖକ- ଅରବିନ୍ଦ ରଥ

ଅନ୍ଧାର ରାତିର ନିର୍ଜନତାର ବୁକୁ ଚିରି ବିକଟାଳ ଶବ୍ଦରେ ମାଡି ଚାଲିଛି ଲୌହଦାନବ। ରେଳଗାଡିଟି ଷ୍ଟେସନ ଛାଡିବାର ବେଶ୍ କିଛି ସମୟ ବିତି ସାରିଛି ଓ ଯାତ୍ରୀ ମାନେ ଶୋଇବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଝରକା ବାଟେ ଧସେଇ ପଶୁଛି ବାହାରର ଶୀତଳ ପବନ;  ଯାହା ଶରୀରର କ୍ଳାନ୍ତି ଓ ଅବସନ୍ନତା କୁ ଦୂର କରିବା ପାଇଁ ଯତ୍ ପରୋନାସ୍ତି ଚେଷ୍ଟା ଚଳାଇଛି। ଗାଡିରେ ସେମିତି ଅସମ୍ଭବ ଭିଡ ନ ଥିଲେ ମଧ୍ଯ ସମସ୍ତ ସିଟ୍ ଯାତ୍ରୀ ମାନଙ୍କ ଦ୍ବାରା ଅଧିକୃତ ଓ ସେମାନେ  କ୍ଳାନ୍ତ ଶରୀରର ବୋଝ ସିଟ୍ ଉପରେ ଥାପି ଦେଇ ପ୍ରାୟ ନିଶ୍ଚିନ୍ତ।  ବସିବାକୁ ସିଟ୍ ନ ପାଇ ଲୋକଟି ଝରକା ପାଖ ରେ ଖବର କାଗଜ ଖଣ୍ଡେ ପାରି ଦେଇ ବସିଛି। ଦେଖିଲେ ଲାଗୁଛି, ମନରେ ଭୀଷଣ ବେଦନା ଓ ଦୁଃଖର ଝଡ କୁ ଶାନ୍ତ କରିବାର ଚେଷ୍ଟା କରି ସେ  ନିସ୍ତେଜ ହୋଇ ପଡିଛି। ଦେହରେ ପଡିଥିବା କଳା ଚାଦର, ଲୋକଟିର ଅତୀତ ଉପରେ ପରଦା ପକାଇବାକୁ ଚେଷ୍ଟା କରୁଛି ।  ସେଇ ଚଦର ତଳେ ମୁହଁ  ଲୁଚାଇ ଚାରିପଟରେ ଥିବା ଦୃଶ୍ଯାବଳୀକୁ ଭଲ ଭାବରେ ନିରୀକ୍ଷଣ କରିବାରେ ସେ ବ୍ଯସ୍ତ ଥିଲା ପରି ମନେ ହେଉଛି।  ସେତିକି ବେଳେ ଗୋଟିଏ ନାରୀ କଣ୍ଠର ବିରକ୍ତିଭରା ମୃଦୁ ଚିତ୍କାରରେ ସେ ଚମକି ପଡିଲା।
- - ଆରେ ତୁ ଅନ୍ଧ ନା କଣ? ଅଭଦ୍ର କୋଉଠିକାର।  ତୋତେ ଭଦ୍ରାମୀ ଜଣା ନାହିଁ! ...କେତେ ଥର ମୋ ଗୋଡରେ ନିଜ ଦେହ ଆଣି ଘଷୁଛୁ।
– – କ୍ଷମା କରିବ ମାଆ, ମୁଁ ଜାଣି ପାରିଲିନି।
ସେତିକି ବେଳେ କୋଡିଏ ବର୍ଷର ଝିଅ ପାଖରେ ବସିଥିବା ଦୁଇଜଣ ଯୁବକ ଟିକେ ଉତ୍ତେଜିତ ହୋଇ ଲୋକଟିର ପାଖକୁ ମାଡିି ଆସିଲେ।  ଭୟରେ ସେ ପଛକୁ ଘୁଞ୍ଚିଗଲା।  ଜଣେ ପିଲା ତାକୁ କହିଲା-- ଆରେ ତୋର ଟିକେଟ୍ ଅଛି ନା ମାଗଣାରେ ଯାଉଛୁ ? ଏ ଜାଗା ରେ ଝିଅ ବୋହୁ ବସିଛନ୍ତି, ତୋତେ ଜାଗା ମିଳିଲାନି ଯେ ସେମାନଙ୍କ ପାଖରେ ଆସି ଘଷି ହେଉଛୁ। ଚୁପ୍ ଚାପ୍ ଏ ଯାଗାରୁ ଚାଲି ଯାଆ ନ ହେଲେ  ଅବସ୍ଥା ଖରାପ୍ କରିଦେବି।
କିଛି ଉତ୍ତର ନ ଦେଇ ସେ ଯାଗାରୁ ଉଠି ଚାଲିଯିବା ସମୟରେ ଝିଅଟି ହୋ ହୋ ହସି କହିଲା-- ଲୋକଟାର ସାହାସ ଦେଖ, ମୁହଁ ଦେଖିଲେ ଦାଗୀ  ପରି ଦିଶୁଛି। ପୁଣି ଝିଅଙ୍କ ପାଖରେ ଗେଞ୍ଜି ହୋଇ ବସିବା ପାଇଁ   ମନ ଛଟପଟ ହୋଇଯାଉଛି।
ଆଉ ଜଣେ ପିଲା ଝିଅର ହସ ସହ ତାଳ ମିଳାଇ କହିଲା – ବୁଝିଲ ମିତା, ତୁମକୁ ଆଉ ପାରି ହେବନି। ତୁମେ ଗୋଡ ଲମ୍ବେଇ ବସିବ ବୋଲି ବିଚରା ଲୋକଟାକୁ ଏ ଯାଗାରୁ ବିଦା କରିଦେଲ! !
ଝିଅଟିର ବିଦ୍ରୁପାତ୍ମକ କଥା ଶୁଣି ଲୋକଟି ଦଣ୍ଡେ ଛିଡା ହୋଇଗଲା। ତା କଥା ଭିତରେ କିଛି ତ ଥିଲା, ଯାହା ଲୋକଟିର ବକ୍ଷଭେଦ କରି ରକ୍ତାକ୍ତ କରି ପକାଇଲା। ଗୁଣୁଗୁଣୁ ସ୍ବରରେ ସେ କହିଲା-- ହଁ...  ମୁଁ ଜଣେ ଦାଗୀ। ଧିର ପଦକ୍ଷେପରେ ଯାଇ ଟ୍ରେନ୍ ର ଶୌଚାଳୟ ପାଖରେ ସେ ବସିଲା।  ତା କାନ ରେ ବାରମ୍ବାର ସେଇ ଗୋଟିଏ କଥା ପ୍ରତିଧ୍ବନିତ ହେଉଥିଲା "ଦାଗୀ”।
ସପନପୁର ଗ୍ରାମର ସୁରିଆ । ସଂସାର ବୋଇଲେ ସେ ଓ ତାର ବୁଢୀ ମାଆ। ଜଣେ ଭଲ କମାର ଭାବରେ ଆଖପାଖ ପାଞ୍ଚ ଖଣ୍ଡ ଗାଁଆରେ ତାର ବେଶ୍ କାଟତି ଥିଲା। ମୁହଁ ଅନ୍ଧାରରୁ କମାରଶାଳରେ ପଶେ ଯେ ରାତିରେ  ଫେରେ। ଦିନ ତମାମ ଲୁହା ଓ ନିଆଁ ସାଙ୍ଗେ ରହିରହି ତାର ଶରୀର ଲୁହା ପରି ଶକ୍ତ ଓ ମନ ନିଆଁ ପରି ସର୍ବଗ୍ରାସୀ ହୋଇ ସାରିଥିଲା।  ସେ ମନରେ କୌଣସି ଭାବ ପାଇଁ ସ୍ଥାନ ନ ଥିଲା।  ଦୁଃଖ, ନିରାଶା ଓ ବିଫଳତା ପରି ଭାବ ମାନ ତା ମନରେ ଅହରହ ଜଳୁଥିବା ନିଆଁରେ ଜଳିପୋଡି ପାଉଁଶ ହୋଇଯାଉଥିଲା।  ସବୁଦିନ ରୋଗୀଣା ମାଆ ପାଇଁ ଖାଇବା ଓ ଓୌଷଧ ଘରେ ରଖି  କମାରଶାଳ ରେ ପଶିଗଲା ପରେ ସେ ଦୁନିଆ ଭୁଲି ଯାଏ। ଦେହର ବଳ, ମନରେ ଥିବା କ୍ରୋଧ ଓ ବିଫଳ ଭାବନା ହାତରେ ଧରିଥିବା ମାର୍ତ୍ତୁଲରେ ମିଶି ଲୁହା ରେ ପଡୁଥିବା ପ୍ରହାର କୁ ଆହୁରି ଶକ୍ତିଶାଳୀ କରି ତୋଳୁଥିଲା। ରାଗ କେମିତି ବା ନ ହେବ!? ବାପାର ଅଚାନକ ମୃତ୍ଯୁ ପରେ ତା ମାଆ ପାଗଳୀପ୍ରାୟ ହୋଇଗଲା। ସେତେ ବେଳକୁ ତାର ବୟସ କମ୍ ଥିଲା।  ବାପ ବଞ୍ଚିଥିଲା ବେଳେ ଚାଷ କରିବା ସହିତ କମାର କାମ ମଧ୍ଯ କରୁଥିଲା। କିନ୍ତୁ ସେ ମରିଗଲା ପରେ ବାପର ଭାଇ ମାନେ ଭଗାରୀ ସାଜିଲେ ଓ ସବୁ ଚାଷ ଜମି ହଡପ କରିନେଲେ। ପାଗେଳୀ ମାଆକୁ ନେଇ ବିଚରା ବାର ଦୁଆର ଶୁଣ୍ଢିପିଣ୍ଡା ହେଲା କିନ୍ତୁ କେହି ଆହା ପଦେ କହିଲେନି। ଯୁଆଡେ ଗଲା କେବଳ ତିରସ୍କାର ଓ ମାଡ ଗାଳି ମିଳିଲା। ଶେଷରେ ଅନ୍ଯ ଉପାୟ ନ ପାଇ କୋମଳ ହାତରେ ଧରିଲା ବାପ ଧରୁଥିବା ମାର୍ତ୍ତୁଲ । କଅଁଳ ହାତରୁ ଚମଡା ବାହାରି କେତେ ଥର ଯେ ରକ୍ତ ବାହାରିଛି ତା'ର ହିସାବ ନାହିଁ।  କେତେ ଥର ନିଆଁ ଝୁଲ ପଡି ଦେହ ହାତ ଫୋଟକା ହୋଇଛି, କିନ୍ତୁ ଆହା ପଦେ କହିବାକୁ କେହି ନ ଥିଲେ। ନିଜ ପେଟ କୁ ଦାନା ନ ଗଲେ ନାହିଁ, ମାଆର ଖାଦ୍ଯ ଓ ଓୌଷଧ କଥା ବୁଝିବା ତା'ର ସବୁଠାରୁ ବଡ କର୍ତ୍ତବ୍ଯ ଥିଲା।
ଦିନ ପରେ ଦିନ ବିତିଯିବା ସହ ସୁରିଆର ହାତ ଓ ଶରୀର ଲୁହା ପରି ଶକ୍ତ ଓ କଠୋର ହୋଇ ଚାଲିଲା। ଅହରହ କସରତ କରି ଗାଁଆର ଅନ୍ଯ ଯୁବକ ମାନଙ୍କର ଦେହ ର ଗଠନ ଯାହା ହୋଇଥିଲା, ତା ଠାରୁ ଢେର୍ ଅଧିକ ଆକର୍ଷଣୀୟ ଓ ସୁଠାମ  ଥିଲା ସୁରିଆର।   ସାରା ଶରୀର ରେ କେବଳ ମାଂଶପେଶୀ ମାନଙ୍କର ପ୍ରାବଲ୍ଯତା ଥିଲା  ଓ ତାକୁ ଦେଖିଲେ ଯେ କେହି ବି ଜଣେ ମଲ୍ଲଯୋଦ୍ଧା ବୋଲି ଭାବିବ ଏଥିରେ କୌଣସି  ସନ୍ଦେହ ନ ଥିଲା। ଗାଁଆର ଯୁବକ ମାନଙ୍କ ଭିତରେ ସୁରିଆ ଥିଲା ଅନନ୍ଯ। ତାର ଦେହ ଲୁହା ପରି ମଜବୁତ୍ ହେଲେ କଣ ହେବ, ମନ ଥିଲା ଫୁଲ ପରି କୋମଳ। ମନରେ କପଟତା ର ଚିହ୍ନ ବର୍ଣ୍ଣ ନ ଥିଲା। ମାଆ ମରିଯିବା ପରେ ପ୍ରାୟ ସଦାବେଳେ ସେଇ କମାରଶାଳ ଭିତରେ କାମରେ ବୁଡି ରହିଥାଏ। ଏତେ ଦିନର କଠିନ ପରିଶ୍ରମ, ଅଧ୍ଯବସାୟ ଫଳରେ ସେ ପାଲଟି ଯାଇଥିଲା ଏକ ନମ୍ବରର କମାର। ଲୋକେ କୁହନ୍ତି , ସୁରିଆର ଲୁହା ଜିନିଷରେ ଥାଏ ଅନନ୍ଯ ବିଶଷତ୍ବ। ନ ରହିବ ବା କିପରି, ସଦାବେଳେ ସେ  ଜଣେ ତପସ୍ବୀ ପରି  ନିମଗ୍ନ  ରହିଥାଏ ନିଜ କାମରେ ।
ପାଖ ଗାଁଆ ଯାତ୍ରାରେ ଜିନିଷ ବିକ୍ରୀ କରି ବେଶ୍ ଦୁଇ ପଇସା କମାଏ। ସେଇ ଯାତ୍ରା ପଡିଆରେ ତାର ସାକ୍ଷାତ ହୋଇଥିଲା ନେତି ସହ।  ପିଲାଟି ଦିନରୁ ବାପାମାଆଙ୍କୁ ହରେଇଥିବା ନେତି, ସୁରିଆ ଭିତରେ କଣ ଦେଖିଲା କେଜାଣି, ତାକୁ ହିଁ ଜୀବନସାଥୀ କରିବା ଜିଦ୍ ରେ ଅଡି ବସିଲା।  ନେତି କୁ ବାହାହେବା ପରେ ସୁରିଆ ଜୀବନ ବ୍ଯବସ୍ଥିତ ହୋ ଇ ଯାଇଥିଲା।  ଜୀବନରେ ଥିବା ସମସ୍ତ ଅସମ୍ପୂର୍ଣ୍ଣତା ଦୂର ହୋଇଯାଇଥିଲା ନେତି ର ସାହଚର୍ଯ୍ଯରେ। ହସ ନାମକ ଭାବ ସହ ଅପରିଚିତ ଥିବା ସୁରିଆ ମୁହଁରେ ଏବେ ହସର ରେଖା ସଦାବେଳେ ଜଳଜଳ ହୋଇ ଦିଶୁଥିଲା। ଝାଟିମାଟି ଘରଟିକୁ ଅଳ୍ପ ମରାମତି କରିଦେବା ପରେ ଦୁଇ ପ୍ରାଣୀ ସେହି ଘରକୁ ସ୍ବର୍ଗସମ କରି ତୋଳିଥିଲେ। ସଞ୍ଚିଲା ପଇସାରେ କିଛି ଚାଷ ଜମି କିଣି ସୁରିଆ ଚାଷ ମଧ୍ଯ କଲା। ଘୋର ଦୁର୍ଦ୍ଦିନର ଘୁର୍ଣ୍ଣିଝଡରେ ପଡି ଆକ୍ତାମାକ୍ତା ହୋଇଯାଇଥିବା ସୁରିଆ ର ଜୀବନରେ ,ଆଶାର ଆଲୋକ ସଞ୍ଚାର କରିଥିଲା ନେତି। ସବୁ କିଛି ଠିକ୍ ଚାଲିଥିଲା। କିନ୍ତୁ, ନିୟତିର ଖେଳ ବଡ ବିଚିତ୍ର : ହସ ଭିତରେ ଲୁହ ଓ ଲୁହ ଭିତରେ ହସ ଫୁଟାଇବାର କଳାରେ ସିଦ୍ଧହସ୍ତ "ଭାଗ୍ଯ”,  ସୁରିଆର ଜୀବନ ରେ ପୁଣି ଥରେ କଲା କ୍ରୁର ପ୍ରହାର।
ଥରେ ସେ ପାଖ ଗାଁଆକୁ ଜିନିଷ ବିକ୍ରି କରିବାକୁ ଯିବା ସମୟରେ ତା ଘରେ, ଗାଁଆ ମହାଜନର ମଦ୍ଯପ ପୁଅ ଜବରଦସ୍ତି ପଶି ନେତି ର ଇଜ୍ଜତ ନେବାକୁ ଚେଷ୍ଟା କଲା।  ବିଚାରି ନେତି  ଆପ୍ରାଣ ଚେଷ୍ଟା କରିବା ପରେ ମଧ୍ଯ ସେ ମାଂସଲୋଭୀ ପିଶାଚର କବଳରୁ ନିଜକୁ ରକ୍ଷା କରିପାରିଲା ନାହିଁ। ସାହି ଭାଇ ସବୁ ଘଟଣା ଦେଖି ମଧ୍ଯ ଚୁପ୍ ରହିବାକୁ ଠିକ୍ ମନେ କଲେ। ସୁରିଆ ପରି ଜଣେ ନିହାତି ସାଧାରଣ ଲୋକ ପାଇଁ କାହିଁକି ବା ସେମାନେ ମହାଜନ ପୁଅ ପରି କ୍ରୁର ଲୋକ ସହ ଶତୃ ତା କରିବେ! ! କେହି ଜଣେ ଖବର ଦେବାରୁ ସୁରିଆ ଏକା ନିଶ୍ବାସରେ ଘରେ ପହଞ୍ଚିଲା, କିନ୍ତୁ ସେତେ ବେଳକୁ ନେତି ଆଉ ଦୁନିଆରେ ନ ଥିଲା।  ମହାଜନ ପୁଅର ଅତ୍ଯାଚାର ପରେ ସେ ସୁରିଆକୁ କେମିତି ମୁହଁ ଦେଖାଇବ ଭାବି, ସବୁଦିନ ପାଇଁ ଆଖି ବୁଜି ଦେଇଥିଲା। ଘର ପାଖ ଆମ୍ବଗଛରୁ ନେତିର ନିଥର ଶରୀର ତଳକୁ ଆଣିଲା ବେଳେ ସିଂହ ପରି ଗର୍ଜନ କହିଲା
–- ନେତି ଲୋ.....ଯାହା ପାଇଁ ତୋର ଏ ଅବସ୍ଥା ହୋଇଛି, ତାଆରି ରକ୍ତ ଆଣି ତୋ ଜୁଇରେ ଭେଟି ଚଢାଇବି।
ଲୋକେ ଭାବିଲେ ଦୁଃଖରେ ବୋଧେ ସେ ପାଗଳ ହୋଇଯାଇଛି। କାହାରି ସାହାଯ୍ଯ ନ ନେଇ, କାନ୍ଧରେ ନେତି କୁ ନେଇ ମଶାଣି କୁ ଗଲା। ଜୁଇ କାଠ ସଜାଇ ନିଆଁ ଲଗାଇଲା ପରେ କହିଲା-- ତୁ ଅପେକ୍ଷା କର ନେତି, ମୁଁ ସାଙ୍ଗେସାଙ୍ଗେ ଆସୁଛି। ସେ ଗାଁଆକୁ ଫେରିବା ଦେଖି ଲୋକେ ଆଚମ୍ବିତ ହେଲେ, କିନ୍ତୁ ତାକୁ କିଛି ପଚାରିବାର ସାହାସ ନ କରିପାରି ଚୁପ୍ ରହିଲେ। କିଛି ସମୟ ପରେ ଦେଖାଗଲା, ସୁରିଆ ହାତରେ ମହାଜନ ପୁଅର ରକ୍ତାକ୍ତ  ମୁଣ୍ଡ। ଲାଗୁଥିଲା ସତେ କି ସୁରିଆ ରକ୍ତର ହୋଲି ଖେଳି ଆସିଛି। ମଶାଣି ରେ ଛାତି ବାଡେଇ ବାହୁନି କାନ୍ଦିବା ବେଳେ ମହାଜନ ପୋଲିସ୍ ଧରି ଆସିଲା ଓ ସୁରିଆ କୁ ସେମାନେ ଘାଷାଡି ନେଇଗଲେ।
ଟ୍ରେନ୍ ଟି ଛିଡା ହୋଇଛି, ଷ୍ଟେସନ ଆସିଲା ବୋଧେ। ଲୋକ ମାନେ ଧାଡି ବାନ୍ଧି ଚଢିବାରେ ବ୍ଯସ୍ତ। ଟିକେ ପଛକୁ ଘୁଞ୍ଚିଗଲା ସୁରିଆ। ଭିତରେ ଛିଡା ହେବାପାଇଁ ଯାଗା ନାହିଁ, ତଥାପି ଲୋକମାନେ ପଶି ଚାଲିଛନ୍ତି। ତାକୁ ଦାଗୀ ବୋଲି କହିଥିବା ଝିଅଟି ତଳକୁ ଓହ୍ଲାଇଥିଲା ବୋଧେ। ହାତରେ ପାଣି ବୋତଲ ଓ କିଛି ଖାଇବା ଜିନିଷ ଧରି ଚଢିଲା। ତା ସାଙ୍ଗରେ ସେଇ ଦୁଇଟା ପିଲା।  ସେମାନଙ୍କ ଭିତରେ ଥଟ୍ଟା ତାମସା ଚାଲିଛି। ଝିଅଟି ସୁରିଆ କୁ ତୀକ୍ଷଣ ନଜରରେ ଚାହିଁଲା, ତଳକୁ ମୁହଁ ପୋତିଦେଲା ସେ।
 --- ଏ ଦାଗୀ, ତୁ ଏଇଠି ବସିଛୁ? ମୁଁ ଭାବିଲି ତୁ ଅପମାନରେ ଟ୍ରେନ୍ ଆଗକୁ ଡେଇଁ ପଡିଲୁ ବୋଲି।
– ସେମିତି କାହିଁକି କହୁଛ ମିତା, ସେ ତୁମର କଣ କ୍ଷତି କଲା ଯେ ତାକୁ ଏତେ ଅପମାନିତ କରୁଛ।
– – ତୁମ ଭଦ୍ରାମୀ ତୁମ ପାଖରେ ରଖ ରାଜେଶ୍। ସେ ଦାଗୀ ଟା ପାଇଁ ଏତେ ଦରଦ କାହିଁକି? ସେ ତୁମ ବନ୍ଧୁ ବାନ୍ଧବ ନା କଣ?
– ଆରେ ଭିତରକୁ ଚାଲ, ତୁମେ ଏମିତି ମାଡଗୋଳ ହେଲା ବେଳକୁ ଟ୍ରେନ୍ ଛାଡିଦେବ ଯେ!  ଏବେ ଠୁ ଯଦି ଏ ଅବସ୍ଥା , ବାହାଘର ପରେ ତୁମ ଦି ଜଣ କେମିତି ହେବ ମୁଁ ଜାଣି ପାରୁଛି। କହିଲା ଆର ପିଲା ଟି।
– କେଜାଣି କାହିଁକି, ଏ ଦାଗୀ ପରି ଲୋକ ମାନଙ୍କୁ ଦେଖିଲେ ମୋତେ ଭୀଷଣ ଘୃ ଣା ଲାଗେ। ଏମାନଙ୍କର ସଭ୍ଯ ସମାଜରେ ରହିବାର ଅଧିକାର ନାହିଁ। ଚିଡିଲା ପରି କହିଲା ମିତା।
– – କିନ୍ତୁ ତାକୁ ଦାଗୀ ବୋଲି କହିବାର ମାନେ କଣ ମିତା?
– – ଦାଗୀ ନ କହି କଣ ମହାପୁରୁଷ ନା ସନ୍ଥ କହିବି?  ତା ମୁହଁ ଦେଖ, ଚେହେରା ଦେଖ, ଆଖି ଦେଖ। ପରମ ଚୋରଟେ ପରି ଦିଶୁଛି। ଛିଃ.....
--- ତୁମେ ଭିତରକୁ ଚାଲ ମିତା, ଆହୁରି ଅନେକ ବାଟ ଯିବାର ଅଛି।
ସେ ଝିଅ ଓ ପିଲା ଦୁଇଜଣ ଙ୍କର କଥା ଶୁଣି ଭୀଷଣ କ୍ଷତାକ୍ତ ହେଲା ସୁରିଆ। ସେ ତ ସେ ପିଲା ମାନଙ୍କୁ କିଛି ବି କହିନି, ତେବେ କାହିଁକି ସେମାନଙ୍କର ଏତେ ଘୃ ଣା। ସେ ଭଲ ଲୋକଙ୍କ ପରି ବେଶପାଷାକରେ ନାହିଁ ବୋଲି, କଣ ତାର ସମ୍ମାନର ସହ ବଞ୍ଚିବାର ଅଧିକାର ବି ନାହିଁ?
ସେତିକି ବେଳେ ଟିକେଟ୍ ଯାଞ୍ଚ କରିବାକୁ ଟିଟି ଆସିଲେ ଓ ସୁରିଆକୁ ଧମକାଇ ପଚାରିଲେ ଟିକେଟ୍ ଅଛି କି ନାହିଁ।  ପକେଟ୍ ଭତରୁ ମୋଡାମୋଡି ହୋଇ ରହିଥିବା ଏକ କାଗଜ କାଢି  ଟିଟି ହାତକୁ ବଢାଇ ଦେଲା ସେ। ଭଲରେ ନିରୀକ୍ଷଣ ଟିଟି  ପଚାରିଲେ--  ଏ କାଗଜ ଆଉ କାହାକୁ ଦେଖେଇନୁ ତ? ମୁଣ୍ଡ ହଲାଇ ନାଁ କଲା ସେ। ଆଗ ଷ୍ଟେସନ୍ ରେ ଓହ୍ଳାଇବ ବୋଲି କହିବାରୁ ଟିଟି ଚାଲିଗଲେ। ଟ୍ରେନ୍ ଚାଲିବାକୁ ଲାଗିଲା ଓ ଜେଲ୍ ରୁ ବାହାରିବା ସମୟରେ ଜେଲର୍ ଦେଇଥିବା କାଗଜକୁ ଭଲରେ ଥରେ ଦେଖି ପୁଣି ପକେଟ ଭିତରେ ପୁରେଇବା ସହ ସୁରିଆ  ଫେରିଗଲା ଅତୀତ କୁ।
ଥାନାରେ ହାତ ଗୋଡ ବାନ୍ଧି ସୁରିଆ କୁ ବହୁତ୍ ମାଡ ମାରିଲେ ପୋଲିସ ଓ ମହାଜନ।  ବାଡି ପରେ ବାଡି ଭାଙ୍ଗି ଚାଲିଲା, କିନ୍ତୁ ସୁରିଆ ପାଟିରୁ କଷ୍ଟସୂଚକ କ୍ଷୀଣ ଚିତ୍କାରଟିଏ ମଧ୍ଯ ବାହାରିଲା ନାହିଁ।  ତା ନାମରେ ମଣିଷମରା କେଶ୍ ଚାଲିଲା। ଆଇନ କାନୁନ ବିଷୟରେ ସେ କଣ ବା  ଜାଣିଛି! କୋର୍ଟ, କଚେରୀ, ଥାନା, ଓକିଲ, ବିଚାରପତି ଆଦି ନାମ ତା ପାଇଁ ସମ୍ପୂର୍ଣ୍ଣ ନୂଆ ଥିଲା। ଭୀଷଣ ଜନଗହଳିପୂର୍ଣ୍ଣ ସ୍ଥାନରେ ଛିଡା ହେଲେ ଯେପରି ବିନା ଚେଷ୍ଟାରେ ପାଦ ଆଗକୁ ବଢିଚାଲେ, ଠିକ୍ ସେମିତି ସୁରିଆ ଥାନା, କୋର୍ଟ, ବିଚାର ଓ ଆଜୀବନ  ଜେଲଦଣ୍ଡ ପରି ପର୍ଯ୍ଯାୟ ମାନ ପାର କରିସାରିଥିଲା ବିନା ପ୍ରଚେଷ୍ଟାରେ।
ସେଦିନ ଅଦାଲତରେ ବିଚାରପତି ପଚାରିଲେ-- ତୁମେ ହତ୍ଯା କରିଛ?
– --ହଁ ହଜୁର୍ ମୁଁ ହତ୍ଯା କରିଛି, ମାତ୍ର ମଣିଷର ନୁହଁ ପିଶାଚର। ସେମିତି ପିଶାଚ ଯେବେ ବି ମୋ ହାବୁଡରେ ପଡିବେ ତାଙ୍କର ଅବସ୍ଥା ମଧ୍ଯ ସେହିପରି ହେବ।
– ବେଶ୍ ତେବେ ତୁମେ ସାରା ଜୀବନ ଜେଲ୍ ର ଚାରିକାନ୍ଥ ଭିତରେ ସଶ୍ରମ କାରାଦଣ୍ଡର ଜୀବନ ବଞ୍ଚିବା ପାଇଁ ପ୍ରସ୍ତୁତ ହୁଅ। ବିରକ୍ତ ହୋଇ କହିଲେ ବିଚାରପତି।
– - ଆପଣଙ୍କ ଆଜ୍ଞା ଶିରୋଧାର୍ଯ୍ଯ ହଜୁର୍, ମୁଁ ପ୍ରସ୍ତୁତ।
ବର୍ଷ ପରେ ବର୍ଷ ବିତି ଚାଲିଲା ଜେଲ୍ ର ଚାରି କାନ୍ଥ ଭିତରେ।  ଏତେ ବର୍ଷ ଭିତରେ ସେ ସିନା ବାହାରକୁ ଯାଇନି କିନ୍ତୁ ତାର ଦୁର୍ନାମ ଜେଲର ପାଚେରୀ ଡେଇଁ  ବାହାରକୁ ଚାଲି ଯାଇଥିଲା।  ଗାଁଆରେ ତାକୁ ଲୋକେ ସୁରିଆ ଦାଗୀ ନାମରେ ଜାଣୁଥିଲେ।  ଉତ୍ତମ ବ୍ଯବହାର ଓ ସାହାଯ୍ଯକାରିତା ଗୁଣ ପାଇଁ ଜେଲରେ ସୁରିଆ ସମସ୍ତଙ୍କର ପ୍ରିୟ ଥିଲା। ଜେଲ୍ ଚାରିକାନ୍ଥ ଭିତରେ ସେ  ଲୁହା କାମ କରିବା କାର୍ଯ୍ଯ ଜାରି ରଖିଥିଲା ଓ ଭଳି କି ଭଳି ଜିନିଷ ମାନ ତିଆର କରି ଯୋଗାଉଥିଲା। ବହୁ ବର୍ଷ ଜେଲ୍ ରେ ରହିବା ପରେ ଦଣ୍ଡ କୋହଳ କରାଯାଇ ତାକୁ ମୁକ୍ତ କରାଗଲା। କିନ୍ତୁ ସେ ବାହାରକୁ ଆସିବାକୁ ଚାହୁଁ ନ ଥିଲା। ବାହାରେ ତାର ଦୁନିଆ ବୋଲି କିଛି ନ ଥିଲା। ନା ଥିଲେ ସାଙ୍ଗ ସାଥୀ ନା ବନ୍ଧୁବାନ୍ଧବ। ଜେଲରୁ ବାହାରି ସିଧା ନେତିର ଶେଷ ଠିକଣା ,ଗାଁଆ ମଶାଣି କୁ ଗଲା। କିନ୍ତୁ ଏ କଣ!! ସେ ଯାଗାରେ ମଶାଣି ନ ଥିଲା;  ବରଂ  ଗଢି ଉଠିଥିଲା ଏକ ନୂଆ ବସ୍ତି। ଗାଁଆ ଭିତରକୁ ପଶିଲା ବେଳେ ଦେଖିଲା, ଲୋକେ ତାକୁ ଦେଖି ତାଟି କବାଟ ପକେଇ ଦେଉଛନ୍ତି। ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା – ଏ ଦାଗୀ ଟା ପୁଣି ଗାଁଆ କୁ ଚାଲି ଆସିଲା! ମଣିଷମରା ଟା , ତା ମୁହଁ ଦେଖିଲେ ଅଶୁଭ ହେବ। ବିନା ବାକ୍ଯବ୍ଯୟରେ ସୁରିଆ ଗାଁଆ ଛାଡି ଚାଲି ଆସିଲା ଦୂର କୁ  ..ବହୁତ୍ ଦୂର ।  କୁଆଡେ ସେ ଯିବ ଜାଣିନି, କିନ୍ତୁ ତାକୁ ଯିବାକୁ ହେବ। ଘଟଣା ଘଟିବାର ଏତେ ବର୍ଷ ପରେ ମଧ୍ଯ ତା ମନରେ ନରହତ୍ଯା ପରି ସଙ୍ଗୀନ ଅପରାଧ ପାଇଁ  ଅନୁତାପ ନାହିଁ, ବରଂ ମନରେ ଅଛି ଅଶେଷ ଆନନ୍ଦ। ସେ  ଜଣେ ଅପରାଧୀ କୁ ଉଚିତ୍ ଦଣ୍ଡ ଦେଇପାରିଛି।
କାହାର ଚିତ୍କାର ଶୁଣି ଭାବନା ରାଜ୍ଯରୁ ଫେରି ଆସିଲା ସୁରିଆ। ଏ କଣ! କେହି ଜଣେ ନାରୀ ବିକଳରେ କାନ୍ଦୁଛି। ସେ ଜାଗାରୁ ଉଠି ଟ୍ରେନର ସିଟ୍ ଆଡକୁ ମୁହାଁଇଲା।  ଚାରି ଜଣ ମଦ୍ଯପ ଯୁବକ ସେ ଝିଅ ଟିକୁ ହଇରାଣ କରିବାରେ ଲାଗିଛନ୍ତି। ପାଖରେ ଥିବା ଲୋକମାନେ ନିଘୋଡ ନିଦରେ ଶୋଇବାର ଅଭିନୟ କରୁଛନ୍ତି। କିଛି ଲୋକ ତ ମୁହଁରେ କମ୍ବଳ ଘୋଡାଇ ବାହାର ଦୁନିଆର ଘଟଣାବଳୀରୁ ନିଜକୁ ଅଲଗା ରଖିବାର ଚେଷ୍ଟାରେ ଲାଗିଛନ୍ତି। ଝିଅ ଟି ସାଙ୍ଗରେ ଆସିଥିବା ପିଲା ଦୁଇଟା ଙ୍କୁ ସେ ଲୋକ ମାନେ ବାଡେଇ ଗୋଟିଏ କୋଣରେ ଚାପି ଧରିଛନ୍ତି। ଝିଅଟି କାନ୍ଦି କାନ୍ଦି ସେମାନଙ୍କୁ ଛାଡିଦେବା ପାଇଁ ଅନୁରୋଧ କରୁଛି, କିନ୍ତୁ ସେ ଲୋକ ମାନଙ୍କ ଆଖିରେ କାମନା ର ନିଆଁ।  ଭୋକିଲା ବାଘ ଶିକାର କୁ ମାଡି ବସିବା ପରି ସେମାନେ ଝିଅଟିକୁ ଚାରି ପଟରୁ ଧରି ପକେଇଛନ୍ତି। କାନ୍ଦିକାନ୍ଦି ସେ ନୟାନ୍ତ ହୋଇ ଗଲାଣି, କିନ୍ତୁ କେହି ଜଣେ ହେଲେ ସାହାଯ୍ଯ ପାଇଁ ଆସୁ ନାହାଁନ୍ତି।
ସୁରିଆ ଆଖିରେ ନାଚି ଗଲା ନେତିର ମୁହଁ। ସେଦିନ ମହାଜନର ପୁଅ ତା ନେତି କୁ ଏମିତି ଖିନ୍ ଭୀନ୍ କରି ଅତ୍ଯାଚାର କରି ଚାଲିଥିବ ଓ ଗାଁଆ ଲୋକେ ସବୁ ଜାଣୁଥିଲେ ବି ନୀରବଦ୍ରଷ୍ଟା ହୋଇ ଦେଖୁଥିବେ। କିଏ ପିଶାଚ? ଅତ୍ଯାଚାର କରୁଥିବା ଲୋକ ମାନେ ନା  ନିଜ ଆଖି ସାମନା ରେ  ଅତ୍ଯାଚାର ହେବାର ଦେଖି ମୁହଁମୋଡି ରହୁଥିବା ଲୋକ ମାନେ?
ଗୁରୁ ଗମ୍ଭୀର କଣ୍ଠରେ ସୁରିଆ କହିଲା-- ସେ ଝିଅ କୁ ଛାଡି ଦିଅ।
ସେ ଦୁର୍ବୁତ୍ତ ମାନଙ୍କ ଭିତରୁ ଜଣେ କହିଲା-- ଆରେ ଦେଖ, ଯୁଗ ଆସି କୁଆଡେ ପହଞ୍ଚିଲାଣି ! ଏବେ ଭିକାରୀ ମାନେ ଆସି ଆମ ମୁହଁରୁ ଶିକାର ଛଡେଇବା କାମ ଆରମ୍ଭ କଲେଣି।
ସୁରିଆ ସ୍ପଷ୍ଟ ଦେଖି ପାରୁଥିଲା ସେ ଝିଅଟି ଆଖିରେ ଭୟ ଓ ଆତଙ୍କର ଛବି। କେହି ରକ୍ଷା ନ କଲେ କିଛି କ୍ଷଣ ଭିତରେ ତାର ସର୍ବସ୍ବ ଲୁଣ୍ଠିତ ହୋଇଯିବ। ବିଚାରୀ ର କେଶ ଅସ୍ତବ୍ଯସ୍ତ, ପିନ୍ଧା ବସନ ଠାଏ ଠାଏ ଚିରି ଯାଇଛି। ହାତ ଓ ମୁହଁରେ ଆମ୍ପୁଡା ଚିହ୍ନ ଓ ଗାଲରେ ମାଡର ସ୍ପଷ୍ଟ ଛବି। ସ୍ଥାନଟି ଭୀଷଣ ମଦ ଓ ସିଗାରେଟ୍ ଗନ୍ଧରେ ଅସ୍ବସ୍ତିକର ଲାଗୁଥିଲା।  ବେଶ୍ କିଛି ସମୟ ଧରି ଏହି ଦୁର୍ବୁତ୍ତ ମାନେ ଏହି ପୈଶାଚିକ କାଣ୍ଡ ଚଲାଇଛନ୍ତି ବୋଲି ଜାଣି ପାରିଲା ସେ।  ଝିଅଟି ପାଖ କୁ ଯାଇ ସେମାନଙ୍କ କବଳରୁ ଉଦ୍ଧାର କରିବାକୁ ଗଲା ବେଳେ ଦେଖିଲା ଝିଅଟି ହାତ ଯୋଡି ତାକୁ କଣ କହୁଛି।  ଆଖି ସାମନାରେ ନେତି ର ମୁହଁ ସ୍ପଷ୍ଟ ରୁ ସ୍ପଷ୍ଟତର ହେବାରେ ଲାଗିଛି। ତା ନେତି କୁ ଚାରି ଜଣ ମାଂସଲୋଭୀ ରାକ୍ଷସ ଘେରି ରହିଛନ୍ତି। ତାକୁ ଯୁଦ୍ଧ କରିବାକୁ ହେବ, ନେତି କୁ ଉଦ୍ଧାର କରିବାକୁ ହେବ।
ସୁରିଆ ଘୋଡାଇ ହେଇଥିବା କଳା ଚାଦରଟି ତଳେ ପଡିଲା। ବଗିରେ ଜଳୁଥିବା ଝାପସା ଆଲୁଅରେ ତା ଶରୀରର ସ୍ଫୀତ ମାଂଶପେଶୀ ଓ ବିଶାଳ ବପୁ ସ୍ପଷ୍ଟ ଦିଶିଲା। ସେ ଚାରି ଜଣଙ୍କ ଭିତରୁ କେହି ଜଣେ ଥଟ୍ଟା କରି କହିଲା – ଆରେ ଭାଇ ଦେଖ, ଏ ଝିଅର ଅଙ୍ଗରକ୍ଷୀ ଆସିଲାଣି। ଆମକୁ ଏବେ ବହୁତ ମାରିବ....ହାଃ ହାଃ ହାଃ
ସେ ଲୋକର ହସ ସମାପ୍ତ ହେବା ପୂର୍ବରୁ ତା'ର ରକ୍ତାକ୍ତ ପାଟିରୁ ଦାନ୍ତ କେତେଟି ତଳେ ଗଳି ପଡିବା ଦୃଶ୍ଯ ହେଲା। ଝିଅ ଟିକୁ ଛାଡି ଦେଇ ବାକି ତିନି ଜଣ ସୁରିଆ ଉପରକୁ ଲମ୍ଫ ପ୍ରଦାନ କଲେ। ମାତ୍ର ସେମାନେ କାହୁଁ ଜାଣିବେ ସୁରିଆର ବଳ ଓ ଶକ୍ତି ବିଷୟରେ। ଲାଗୁଥିଲା ସତେ କି ଜଣେ ଯୋଦ୍ଧା, ଶତୃପକ୍ଷର ସୈନ୍ଯ ମାନଙ୍କୁ ପ୍ରହାର ପରେ ପ୍ରହାର କଷି ଭୁଲୁଣ୍ଠିତ କରିଚାଲିଛି। ତା ଆଖିରେ ଅଗ୍ନୀ ବର୍ଷା ହେଉଥିଲା ଓ ପ୍ରହାର ର ଶବ୍ଦ ଶୁଣିଲେ ଲାଗୁଥିଲା ସତେ କି ଲୁହା ଉପରେ ଲୁହା ପଡିଚାଲିଛି। ପାଳି ପାଳି କରି ସେ ସମସ୍ତ ଦୁର୍ବୁତ୍ତ ମାନଙ୍କୁ ନିର୍ମମ ଭାବରେ ମାରି ସେ ରକ୍ତାକ୍ତ କରି ଚାଲିଥିଲା। ସୁରିଆର ଶକ୍ତି ସମ୍ମୁଖରେ ସେମାନେ ଶକ୍ତିହୀନ ହୋଇ ପଡିଥିଲେ। ସେତିକି ବେଳେ ଜଣେ ଦୁର୍ବୁତ୍ତ ସୁରିଆ ର ପେଟରେ ଛୁରୀ ଭୁଷି ଦେଲା। ଗଭୀର କ୍ଷତ ହେଲା ସତ, କିନ୍ତୁ ତାହା ସୁରିଆ କୁ ଦମନ କରିବା ପରିବର୍ତ୍ତେ ଆହୁରି ଭୟଙ୍କର କରିଦେଲା।  ସେ ଲୋକର ହାତରୁ ଛୁରି ଟାଣି ନେଇ ଜଣ ଜଣ କରି ସମସ୍ତଙ୍କ ବେକ ଉପରେ ଛୁରୀ ଚଲାଇ ଦେଲା ସୁରିଆ। ସମସ୍ତଙ୍କ  ଆଖି ସାମନା ରେ  ଚାରିଟି ପ୍ରାଣହୀନ ଶରୀର ନିଶ୍ଚଳ ହୋଇ ପଡି ରହିଲା। ଝିଅଟି ଆସି ସୁରିଆର ପାଦ ତଳେ ପଡି ଭୋ ଭୋ କାନ୍ଦିବାକୁ ଲାଗିଲା। ସୁରିଆ ସେ ଝିଅ ଟିକୁ ଉଠାଇ କହିଲା – ମାଆ ତୋ ଆଖି ସାମନା ରେ ଯାହା ସବୁ ଘଟିଗଲା ସେସବୁ ଦେଖିବା ପରେ, ଏବେ ମୋତେ ଦାଗୀ ଡାକିଲେ ମୋର କିଛି ଆପତ୍ତି ନାହିଁ। କମ୍ବଳ ଭିତରୁ ଅଭିନେତା ମାନେ ମୁହଁ କାଢି ଦେଖିଲା ବେଳକୁ ସୁରିଆ ହାତରେ ଛୁରୀ ଧରି କହିଲା-- ତୁମେ ମାନେ କେହି କିଛିି ଦେଖିନ, ଯଦି କିଏ ମୁହଁ ଖୋଲିବ ତାର ଅବସ୍ଥା ମଧ୍ଯ ଏମାନଙ୍କ ପରି ହୋଇଯିବ। ଭୀରୁ କାପୁରୁଷ ମାନେ, ତୁମ ସାମନା ରେ ସେ ଲୋକ ମାନେ ଝିଅଟିକୁ ଏତେ ହନ୍ତସନ୍ତ କଲେ,  ତୁମେ ତାକୁ ନ ବଞ୍ଚାଇ ଏଠି ତାମସା ଦେଖୁଥିଲ! ଛିଃ.... କିଛି କ୍ଷଣ ଭିତରେ କମ୍ବଳ ତଳେ ପୁଣି ସେ ମୁହଁ ଗୁଡିକ ଲୁଚିଗଲା।  ସୁରିଆ ଚାରି ଟି ଯାକ ମୃତ ଶରୀର କୁ ଟ୍ରେନ୍ ବାହାରକୁ ନିକ୍ଷେପ କରିବାର କିଛି ସମୟ ପରେ ଝିଅ ଟି ଟ୍ରେନ୍ ର ଚେନ୍ ଟାଣିଦେଲା। ସୁରିଆ କୁ ହାତ ଯୋଡି କହିଲା-- ମୋତେ କ୍ଷମା କରିବେ ଆଜ୍ଞା, ଆପଣ ମୋ ପାଇଁ ଦେବତା। କିନ୍ତୁ ଆପଣ ଏହିକ୍ଷଣି ଏ ଟ୍ରେନ୍ ଛାଡି ଚାଲିଯାଆନ୍ତୁ।  ଆଗ ଷ୍ଟେସନରେ କଣ ହେବ ଭଗବାନଙ୍କୁ ଜଣା। ଏ ଦୁନିଆ ବହୁତ ନିଷ୍ଠୁର, ସେ ଆପଣଙ୍କ ପରି ଦେବତା କୁ ମଧ୍ଯ ଅସୁର ବୋଲି ଅଭିହିତ କରିବାକୁ ପଛାଇବ ନାହିଁ।
ଜଙ୍ଗଲ ଭିତରେ ଲମ୍ବା ପାହୁଣ୍ଡ ପକେଇ ଚାଲିଲା ବେଳେ ସୁରିଆ ମନେମନେ କହୁଥିଲା –  ମୁଁ ଥରେ ଅସୁର ହୋଇଥିଲି, ଆଜି ପୁଣି ଥରେ ହେଲି। କିନ୍ତୁ ଏମିତି ଅସୁର ହେବାରେ ଯେଉଁ ଶାନ୍ତି, ତାହା ବର୍ଣ୍ଣନା କରିବା କଷ୍ଟ। ମୋର ଦେବତା ହେବାରେ ଆଗ୍ରହ ନାହିଁ, ମୋ ସାମନା ରେ ଯଦି କେବେ ଏମିତି ଘଟଣା ର ପୁନରାବୃତ୍ତି ହେବ ମୁଁ ପୁଣି ଅସୁର ହେବାକୁ ପଛାଇବି ନାହିଁ।
*******ସମାପ୍ତ**********

Saturday, August 4, 2018

ପ୍ରେରଣା


ଲେଖା- ଅରବିନ୍ଦ ରଥ

                ସଭାସ୍ଥଳରେ ପହଞ୍ଚିବାରେ ମୋର ଟିକେ ବିଳମ୍ବ ହୋଇଗଲା। ତେଣୁ ପଛ ସିଟ୍ ରେ ବସିବାକୁ ପଡିଲା। ସଭା ନୁହଁ ତ, ଲେଖକ ସମ୍ମିଳନୀ କହିଲେ ଅତ୍ଯୁକ୍ତି ହେବ ନାହିଁ। ବିଶିଷ୍ଟ ଲେଖକ ଦାମୋଦର ମିଶ୍ରଙ୍କୁ ସହରର ଲେଖକ ଓ କବି ମାନଙ୍କ ତରଫରୁ ସମ୍ମାନିତ କରିବାର ଥିଲା। ମୁଁ ନୂଆ କରି ଲେଖାଲେଖି କରୁଥାଏ, ତେଣୁ କିଛି ଶିଖିବାର ଆଶା ନ ନେଇ ସେ ଯାଗାରେ ବେଶ ଭୂଷା ହୋଇ ପହଞ୍ଚିଲି। ଖଦଡ ପଞ୍ଜାବୀ ଓ ଧୋବ ଫରଫର ଧୋତି, ତା ସାଙ୍ଗକୁ ହାତରେ ଗୋଟିଏ ଡାଏରୀ ଓ କଲମ। କାନ୍ଧରେ ଝୁଲି ଥାଏ ଏକ ବ୍ଯାଗ୍, ଦେଖିବା ଲୋକ ନିହାତି ବୁଝିଯିବ ଯେ ମୁଁ ଜଣେ ଆଗ ଧାଡିର ଲେଖକ। ସେ ଯାଗାରେ କେତେ ବେଶଭୂଷାରେ ସଜ୍ଜିତ ହୋଇ କବି, ଲେଖକ ମାନେ ବସିଥାଆନ୍ତି; କିନ୍ତୁ ସଭିଏଁ ନୀରବ। କାଳେ ସେମାନଙ୍କର କଥାରେ କିଛି ଅନାବିଷୃତ ରଚନାର ଆଭାସ ମିଳିଯିବ, ସେହି ଆଶଙ୍କାରେ । ମୋ ପରି ଜଣେ ବେସରକାରି କର୍ମଚାରୀ ସେ ଲେଖକିଆ ଫନ୍ଦିଫିକର ଜାଣି ନ ପାରି ପାଖରେ ବସିଥିବା ଲେଖକଙ୍କ ସହ ଦୁଇ ପଦ କଥା ହେବାକୁ ମନ ବଳାଇଲା ବେଳକୁ, ସେ ତାଙ୍କ ଓଠ ଉପରେ ବିଶି ଆଙ୍ଗୁଠି ଚାପି ନୀରବ ରହିବାକୁ ସଚେତନ କରିଦେଲେ। କିଛି ସମୟ ପ୍ରତୀକ୍ଷା ପରେ ଦାମୋଦର ବାବୁ ଆସିଲେ। ନିହାତି ସାଧାରଣ ବେଶଭୂଷା। ଧଳା ସାର୍ଟ, ଢିଲା ପ୍ଯାଣ୍ଟ ସାଙ୍ଗକୁ ପୁରୁଣା କୋଟ ପିନ୍ଦିଛନ୍ତି। ଭୀଷଣ ଗରମ ଦିନରେ ମଧ୍ଯ ଖଣ୍ଡିଏ ପୁରୁଣା ଶାଲ୍ ଦେହରେ ଗୁଡାଇ ମଞ୍ଚ କୁ ଚଢିଲେ। ତାଙ୍କ ରୂପଭେକ ଦେଖି ମୋତେ ଟିକେ ଅଖାଡୁଆ ଲାଗିଲା।। ମନରେ ଭାବିଲି, ଯାହାହେଉ ତାଙ୍କ ଅପେକ୍ଷା ମୁଁ ବେଶ୍ ଭଲରେ ଅଛି। ଅନ୍ତତଃ ଭଲରେ ଦୁଇ ଖଣ୍ଡ ପିନ୍ଧି ପାରିଲା ପରି ରୋଜଗାର କରିବାକୁ ମୁଁ ସକ୍ଷମ। କହିବା ବାହୁଲ୍ଯ, ମୋର ଦାମୋଦର ବାବୁଙ୍କ ଅତୀତ, ବର୍ତ୍ତମାନ ବା ଭବିଷ୍ଯତ ବିଷୟରେ ତିଳେ ମାତ୍ର ଜ୍ଞାନ ନ ଥିଲା। କେବଳ ଜାଣିଥିଲି ଯେ ସେ ନିଜ ଲେଖା ପାଇଁ ରାଷ୍ଟ୍ରପତିଙ୍କ ଠାରୁ ପୁରଷ୍କାର ପାଇଥିଲେ। ସେତିକି ସୂଚନା ମୋ ପାଇଁ ଯଥେଷ୍ଟ ଥିଲା, ତାଙ୍କୁ ମୋର ଆଦର୍ଶ ଭାବରେ ଗ୍ରହଣ କରିବା ପାଇଁ। ଭାଷଣ ସରିଲା, ଦାମୋଦର ବାବୁଙ୍କ କହିବା ଶୈଳୀ ମୋତେ ବିଶେଷ ପ୍ରଭାବିତ କରି ପାରିଲା ନାହିଁ। ପୁଣି ଭାବିଲି, ନାଁ ଏ ଲୋକ ମୋର ଆଦର୍ଶ ହୋଇ ପାରିବ ନାହିଁ। କିଛି ନ ହେଲେ ମୁଁ ତାଙ୍କ ଅପେକ୍ଷା ଢେର୍ ଉତ୍ତମ ଢଙ୍ଗରେ ଭାଷଣ ଦେଇ ପାରିବି। ତାଙ୍କ ପ୍ରତି ମନରେ ଥିବା ସମ୍ମାନ ଓ ଜିଜ୍ଞାସା ସେତେବେଳକୁ ହ୍ରାସ ପାଇବା ପରି ଲାଗୁଥିଲା।

ଦର୍ଶକ ମାନେ ଦାମୋଦର ବାବୁଙ୍କ ଅଟୋଗ୍ରାଫ୍ ନେବାକୁ ଭିଡ ଲଗାଇଲା ବେଳକୁ ମୁଁ ମୋ ଚେୟାର ରେ ଚୁପଚାପ ବସିଥିଲି। ମୋତେ ଲାଗୁଥିଲା ଏଠି ପ୍ରହସନ ଚାଲିଛି। ରାଷ୍ଟ୍ରପତି ପୁରଷ୍କାର ପାଇଥିବା ଲୋକର ଯେପରି ବ୍ଯକ୍ତିତ୍ବ ହେବା କଥା, ତାହାର କାଣିଚାଏ ଏ ଲୋକ ପାଖରେ ନାହିଁ। ମନରେ ରାଗ ଆସିଲା,ଏମିିତି ଲୋକଙ୍କୁ ବି ପୁରଷ୍କାର ମିଳିପାରୁଛି?

ଦାମୋଦର ବାବୁଙ୍କୁ ବିଦାୟ ଦେବା ପାଇଁ ଯିବା ବେଳକୁ ମୁଁ ମଧ୍ଯ ଲୋକଙ୍କ ପଛରେ ଚାଲିଲି। ଭାବିଲି ବୋଧେ ଲେଖକ ମହାଶୟ ଅଟୋରିକ୍ସା ବା ରିକ୍ସାରେ ଚଢି ଘରକୁ ବାହୁଡିବେ। କିନ୍ତୁ ଏ କଣ? ଗୋଟିଏ ଅତି ଦାମୀକା ଗାଡିର ଚାଳକ ତାଙ୍କୁ ସଲାମ ଠୁଙ୍କି ଦରଜା ଖୋଲି ସ୍ବାଗତ କଲା। ପୁଣି ମନରେ ଆସିଲା, ଦାମୋଦର ବାବୁ ଏତେ ବଡ ଲୋକ ଯେତେବେଳେ ତାଙ୍କୁ ଆଦର୍ଶ ଭାବରେ ଗ୍ରହଣ କଲେ କିଛି ଆପତ୍ତି ନାହିଁ। ଲୋକଙ୍କ ଭିଡ ଆଡେଇ ତାଙ୍କ ପାଖକୁ ଯାଇ ବିନମ୍ରତା ର ସହ ଅଟୋଗ୍ରାଫ୍ ପାଇଁ ଅନୁରୋଧ କଲି। ସେତିକି ବେଳେ ତାଙ୍କୁ ପଚାରିଲି-- ଖରାପ ଭାବିବେନି ଆଜ୍ଞା, ଆପଣ ଏତେ ବଡ ଲୋକ, ଏପରି ବେଶଭୁଷା ହୋଇ ସଭାକୁ କାହିଁକି ଆସିଲେ ଜାଣି ପାରିବି କି?

ସେ ମନଖୋଲା ବସ ହସି କହିଲେ-- କାଇଁ ମୋ ବେଶଭୁଷା ଆପଣଙ୍କୁ ଭଲ ଲାଗିଲାନି କି? ଓଃ ବୁଝିଲି,, ଆପଣ ମୋ କୋଟ୍ ଓ ଶାଲ କଥା ପଚାରୁଛନ୍ତି ନିଶ୍ଚୟ। ମୋ ଜୀବନର ସବୁଠାରୁ ମୂଲ୍ଯବାନ ସମ୍ପତ୍ତି ହେଲା ଏଇ ଦୁଇଟି ଜିନିଷ। ମୋ ବାପା ଲେଖାଲେଖି ପାଇଁ ମୋତେ ସଦାବେଳେ ପ୍ରେରଣା ଦେଉଥିଲେ। ସେ ଚାଲିଯିବା ପରେ, ଆଜିକି ତିରିଶ ବର୍ଷ ହେଲାଣି ତାଙ୍କର କୋଟ ଓ ଶାଲ ମୋତେ ସେହି ପ୍ରେରଣା ଯୋଗାଇ ଆସୁଛନ୍ତି। ଏହି ଦୁଇଟି ଜିନିଷ ପାଖରେ ଥିଲେ ମୋତେ ଲାଗେ, ବାପା ମୋ ପାଖରେ ଅଛନ୍ତି ଓ ଆଗକୁ ବଢିବାର ପ୍ରେରଣା ଯୋଗାଉଛନ୍ତି।

ଦାମୋଦର ବାବୁଙ୍କ ଦାମିକା ଗାଡିଟି ଧୂଆଁ ଉଡାଇ ସେ ଜାଗା ରୁ ଚାଲି ଯାଇଥିଲା। ମୋ ମନ ଭିତରେ ପ୍ରବଳ କୋହ ଉଠି ଆସୁଥିଲା ଓ ମୋର ସ୍ବର୍ଗତଃ ବାପା ଲେଖାଲେଖି ପାଇଁ ମୋତେ ଦେଇଥିବା ସେହି ଝରା କଲମଟିକୁ ମୁଁ ମନେମନେ ପାଗଳଙ୍କ ପରି ଖୋଜି ଚାଲିଥିଲି।

--- ସମାପ୍ତ----

ଗାଈର ଆତ୍ମକାହାଣୀ




                                                               ଲେଖକ- ଅରବନ୍ଦ ରଥ


             ସେଦିନ ପିଲା ମାନଙ୍କୁ ଗାଈର ଆତ୍ମ କାହାଣୀ ଲେଖିବା ପାଇଁ ନିର୍ଦ୍ଦେଶ ଦେଇ ଗୁରୁଜୀ କିଛି ଜରୁରୀ କାମରେ ନିମଗ୍ନ ହେଲେ। ନିର୍ଦ୍ଧାରିତ ସମୟ ମଧ୍ଯରେ ପିଲାମାନେ ନିଜ ନିଜର ଖାତା ଗୁରୁଜୀଙ୍କୁ ବଢାଇଲା ବେଳକୁ, ଗଗନ ଆଖିରେ ଲୁହ ଦେଖି କଣ ହୋଇଛି ବୋଲି ଜାଣିବାକୁ ଗୁରୁଜୀ ଚାହିଁଲେ। ସେ କିଛି ନ କହି ଖାତାଟି ବଢାଇ ଦେଇ ଚୁପଚାପ ନିଜ ବସିବା ସ୍ଥାନ କୁ ଫେରିଗଲା। ସବୁ ପିଲା ମାନଙ୍କର ଲେଖା ପଢି ଗୁରୁଜୀ ଖୁସି ହେଲେ। ସବା ଶେଷରେ ଥିଲା ଗଗନର ଖାତା। ସେ ଲେଖିଥିବା ଆତ୍ମ କାହାଣୀଟି ପଢିଚାଲିଲେ ଅତ୍ଯନ୍ତ ମନଯୋଗ ସହକାରେ। କିଛି ସମୟ ପରେ ତାଙ୍କ ଆଖିରୁ ବୋହି ଚାଲିଲା ଧାରଧାର ଲୁହ। ପିଲାମାନେ କଣ ହେଲା ଭାବି ଚାହିଁ ରହିଲେ ତାଙ୍କ ମୁହଁ କୁ। କିଛି ପିଲା ଭାବିଲେ ବୋଧହୁଏ ଗଗନ ଗୁରୁଜୀଙ୍କୁ କିଛି ଆକ୍ଷେପ କଲା ପରି କଥା ଲେଖିଛି, ତେଣୁ ସେ କାନ୍ଦି ପକେଇଲେ। କିଛି କ୍ଷଣ ପରେ ଗୁରୁଜୀ ଗଗନ ପାଖକୁ ଗଲେ ଓ ତାକୁ କୁଣ୍ଢାଇ ଧରି କହିଲେ-- ତୋର ଏହି ଲେଖା ସମସ୍ତଙ୍କ ଆଖି ଖୋଲିଦେବା ପାଇଁ ଯଥେଷ୍ଟରେ ପୁଅ। ତୋତେ ଅନୁରୋଧ କରୁଛି, ତୁ ଲେଖିଥିବା ଗାଈର ଆତ୍ମ କାହାଣୀକୁ ସମସ୍ତଙ୍କ ଆଗରେ ପଢ। ଗୁରୁଜୀ ନିଜେ ଯାଇ ସ୍କୁଲର ବାକି ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଡାକି ଆଣିଲେ। ଗଳା ଝାଡି ଗଗନ ଆରମ୍ଭ କଲା " ଗାଈର ଆତ୍ମ କାହାଣୀ।


ମୁଁ ଗୋଟିଏ ଗାଈ। ମୋ ନାମ ଚାନ୍ଦ। ରଙ୍ଗ ମଚମଚ କଳା କଳା ହେଲେ ମଧ୍ଯ ମୋ ମୁଣ୍ଡରେ ଚାନ୍ଦ ପରି ଗୋଟିଏ ଧଳା ଗୋଲ ଚିହ୍ନ ଅଛି। ସେଇଥିପାଇଁ ମାଲିକ ମୋ ନାମ ଚାନ୍ଦ ଦେଇଛନ୍ତି। ପିଲା ଟି ଦିନରୁ ମୁଁ ବହୁତ ଗେଲ ବସର ହୋଇ ବଢିଛି। ମୋ ମାଆ ନେତ କୁ ମାଲିକ ବହୁତ ଭଲ ପାଉଥିଲେ। ତା ରଙ୍ଗ ତୋଫା ଗୋରା ଥିଲା ଓ ସେ ଦେଖିବାକୁ ବହୁତ ମୋଟାସୋଟା ଥିଲା। ମାଲିକ କହୁଥିଲେ ମୋ ମାଆ କୁଆଡେ ତାଙ୍କ ଗାଁଆରେ ସବୁଠାରୁ ଭଲ ଗାଈ ଥିଲା। ତା କ୍ଷୀରର ସ୍ବାଦ ଅମୃତ ପରିଥିଲା। ଗାଁଆ ଯାକର ପିଲା ମାନେ ମୋ ମାଆର କ୍ଷୀର ପିଇ ବଡ ହୋଇଥିଲେ। ଆମ ପାଇଁ ମାଲିକ ଗୋଟିଏ ସୁନ୍ଦର ଗୁହାଳ କରି ଦେଇଥିଲେ। ଖାଇବା କୁଣ୍ଡରେ ଯେତେ ବେଳେ ଦେଖିଲେ ବି ଅସରନ୍ତି ଖାଇବା ଭରି ରହୁଥିଲା। ପେଜ, ତୋରାଣି, ଚୋକଡ, ପିଡିଆ, କୁଣ୍ଡା, ଛତୁଆ ଏମିତି କେତେ କଣ। କାଳେ ମଶା ଡାଆଁଶ କାମୁଡିବେ ବୋଲି ସବୁଦିନ ସଞ୍ଜ ବେଳେ ଗୁହାଳରେ ଝୁଣା ଦିଆ ଯାଉଥିଲା। ସବୁଜ ଘାସ ଖାଇବାକୁ ମାଆ ଭଲ ପାଉଥିଲା ବୋଲି, ମାଲିକ ତା ପାଇଁ ସବୁଦିନ ବିଲରୁ ଘାସ ବିଡା ବାନ୍ଧି ଆଣୁଥିଲେ। ମାଆ ସହିତ ମୁଁ ଚରିବାକୁ ପଡିଆ କୁ ଯାଉଥିଲି ଓ ଅନ୍ଯ ବାଛୁରୀଙ୍କ ସହ କେତେ ଖେଳ କୌତୁକ କରୁଥିଲି। ମାଲିକଙ୍କ ସାନପୁଅ ସଦାବେଳେ ମୋ ପାଖେପାଖେ ରହୁଥିଲା। କେତେ ବେଳେ ଆଉଁସୁ ଥିଲା ତ କେତେବେଳେ ମୋ ପେଟରେ ମୁଣ୍ଡ ଦେଇ ଶୋଉଥିଲା। ବଣ ଜଙ୍ଗଲ, ନଦୀ, ଝରଣା, ପଡିଆ ଆଦି ସବୁ ଯାଗାକୁ ବୁଲି ଗଲା ବେଳେ ମାଲିକଙ୍କ ପୁଅ ମୋତେ ହିଁ ନେଇ ଯାଉଥିଲା। ତାଙ୍କ ଘର ଭିତରକୁ ମୋର ଅବାଧ ପ୍ରବେଶ ଥିଲା। କେବେ କେମିତି ଘର ଭିତରେ ମୁଁ ମଳତ୍ଯାଗ କରିଦେଲେ ମାଲିକାଣୀ ବଡ ଯତ୍ନରେ ପୋଛି ଦେଉଥିଲେ। ମାଆ ଓ ଘର ଲୋକଙ୍କ ଭଲ ପାଇବା ପାଇ ମୋତେ ଲାଗୁଥିଲା ମୁଁ ସଂସାର ର ସବୁଠାରୁ ଭାଗ୍ଯବାନ ବାଛୁରୀ।


ସମୟ ବିତିଲା, ମୁଁ ବଡ ହେଲି। ମାଆ ଧିରେଧିରେ ବୁଢୀ ହେବାରେ ଲାଗିଲା। ମାଲିକର ଝାଟିମାଟି ଘର ସମୟକ୍ରମେ ଛାତ ଘର ହେଲା। କିନ୍ତୁ ଆମ ଗୁହାଳଟା ଦିନ କୁ ଦିନ ବେଶି ଭଙ୍ଗାରୁଜା ହେଲାପରି ଦିଶିଲା। ବର୍ଷା ହେଲେ ପାଣି ଗଳିଲା ଓ ମଶା ଡାଆଁଶଙ୍କ ପ୍ରଦୁର୍ଭାବ ବଢି ଚାଲିଲା। କଷ୍ଟ ହେଲେ ବି କହିବୁ କାହାକୁ? ଭଗବାନ ତ କଥା କହିବାର ଶକ୍ତି ଦେଇ ନାହାନ୍ତି। ପୂର୍ବରୁ ଆମ ମାନଙ୍କର ଦେଖାରଖା କରିବାକୁ ଆସୁଥିବା ରଘୁ ଗଉଡ, ବୁଢା ହେଲା ପରେ ଆସିବା ବନ୍ଦ କରିଦେଲା। ମାଆଠାରୁ କ୍ଷୀର ଦୁହିଁବା କାମଠାରୁ ଗାଧୋଇ ଦେଇ ଘଷାମଜା କାମ କରୁଥିଲା ସେଇ ରଘୁ, ସେ ନ ଆସିବାରୁ ଆମ ମାନଙ୍କର ଯତ୍ନରେ ଟିକେ ଉଣା ହେଲା ପରି ଲାଗିଲା। ବାହାର ଦୁନିଆରେ କଣ ହେଉଛି ଜାଣିବାର ଚାରା ନ ଥିଲା। କାରଣ ଆମେ ପୂର୍ବ ପରି ଚରିବାକୁ ଯାଉ ନ ଥିଲୁ, କି ସଞ୍ଜ ବେଳେ ଧୂଳି ଉଡେଇ ଗାଁଆ ଦାଣ୍ଡକୁ ମୁଖରିତ କରୁ ନ ଥିଲୁ। କେବେକେବେ ପାଖପଡୋଶୀଙ୍କ ଗାଈ ମାନେ କୁହନ୍ତି, ଲୋକେ ସବୁ ଗଛ ବୃକ୍ଷ କାଟି ସଫା କରିଦେଲେଣି। ଧାନ ବିଲରେ ଘରଦ୍ବାର ହୋଇ ଗଲାଣି, ସବୁଜ ଘାସ ଟିକେ ଖାଇବା ସ୍ବପ୍ନ ଏବେ। ଆମ ଗୁହାଳ ଏବେ ସପ୍ତାହରେ ଥରେ ଦୁଇ ଥର ସଫା ହେଉଛି। ଆଗରୁ ଖତ ନେବା ପାଇଁ ଲୋକେ ମାଲିକ ଘର ଆଗରେ ଭିଡ ଲଗାଉ ଥିଲେ। ଖତରେ ଘଷି କରି ଜାଳ କରୁଥିଲେ, ଚାଷ ଜମିରେ ପକାଉଥିଲେ, ଘର ଲିପୁଥିଲେ ଓ ଏମିତି କେତେ କଣ କାମ କରୁଥିଲେ। କିନ୍ତୁ ଏବେ ତ ସମସ୍ତଙ୍କ ଘରେ ହିଟର ନୋହିଲେ ଗ୍ଯାସ ରେ ରୋଷେଇ ହେଉଛି, ଘଷି କଥା ଲୋକେ ଭୁଲି ଗଲେଣି। ଘର ଲିପା କଥା ନ କହିବା ଭଲ ; ଯୁଆଡେ ଦେଖିବ କେବଳ ଛାତ ଘର, ମାଟି ଘର ଥିଲେ ସିନା ଲୋକେ ଗୋବର ରେ ଘର ଲିପାପୋଛା କରିବେ। ହଁ, କେବଳ ପୂଜା ପାର୍ବଣ ଥିଲେ ଗୋବର କଥା ମନେ ପଡଛି, ନ ହେଲେ ନାହିଁ। ସଦାବେଳେ ଗୁହାଳ ରେ ବନ୍ଧା ହୋଇ ମାଆ ବିରକ୍ତ ହୋଇଯାଇଥିଲା। ଥରେ ଦଉଡି ହୁଗୁଳାଇ ସେ ବାହାରକୁ ଚାଲିଗଲା। ପାଣୁ ସାହୁ ବିଲରେ ପଶି ଛନଛନିଆ ଧାନ ଖାଇବାରେ ଲାଗିଗଲା। ନୃଶଂସ ପାଣୁ ସାହୁ, ମାଆ କୁ ଘଉଡାଇବାରୁ ସେ ନ ଯିବାରୁ ଏକ ଟାଙ୍ଗିଆରେ ମାଆ ଗୋଡକୁ ହାଣିଦେଲା। ସେ ହମ୍ବାରଡି ପକେଇ ଗୁହାଳରେ ପଶିଲା ବେଳକୁ, ମାଲିକ ତା ଅବସ୍ଥା ଦେଖି ଆଶ୍ଚର୍ଯ୍ଯ ହୋଇଗଲେ। ସେତିକି ବେଳେ ପାଣୁ ସେ ଜାଗାକୁ ଆସି କେତେ ଗଣ୍ଡଗୋଳ କଲା ଓ ମାଆକୁ ବିଷ ଦେଇ ମାରିଦେବ ବୋଲି ଧମକ ଦେଲା। ମାଆ କଷ୍ଟରେ ଗଁ ଗଁ ହେଉଥାଏ, ଗୋଡରୁ ରକ୍ତର ଧାର ଛୁଟୁଥାଏ। ମାଲିକ କୁ ପାଣୁ ବେଜ୍ଜିତ୍ କଲା ବୋଲି, ସେ ସବୁ ରାଗ ମାଆ ଉପରେ ଶୁଝାଇଲା। ବଡ ପାଞ୍ଚଣ ବାଡିରେ ନିର୍ଘାତ ମାଡଦେଲା। ମୁଁ ଯେତେ ଚେଷ୍ଟା କଲି ବେକରୁ ଦଉଡି ଖସାଇ ମାଆ ପାଖକୁ ଯାଇ ପାରିଲିନି। ମାଲିକାଣୀ ରାଗି କହିଲେ-- ସେ ଗାଈଟା ବୁଢୀ ହେଲାଣି, ତାକୁ କାହିଁକି ଘରେ ବେକାରରେ ରଖିଛ। ଖାଲି ମାଗଣାରେ ଖାଇ ଘରେ କାଠ ଗଣ୍ଡି ପରି ପଡିଛି। ତା ପାଇଁ ଆଜି ସେ ନୀଚ୍ଚ ଲୋକଟା କେତେ ବେଜ୍ଜିତ୍ କରିଦେଇଗଲା। ଡାକ୍ତର ଡାକିବା ଦରକାର ନାହିଁ। ତା ଖଣ୍ଡିଆ ମନ କୁ ମନ ଭଲ ହେବ, କରିମ୍ ମିଆଁ ସହ ଟିକେ କଥା ହେଉନ, ଯେତକି ପଇସା ଦେଇ ନେବ ନେଇଯାଉ। ସେ ନାଁଆ ଶୁଣି ମୁଁ ଚମକି ପଡିଲି, କାରଣ କରିମ୍ କେତେ ଗାଈଙ୍କୁ ତା ଧାରୁଆ ଛୁରୀରେ କାଟି ଖଣ୍ଡ ଖଣ୍ଡ କରି ବିକ୍ରୀ କରିଦିଏ। ବିଚାରି ମାଆ ମୋର, କେତେ କଷ୍ଟ ପାଇ କେବଳ ବିକଳରେ ମୋ ଆଡକୁ ଚାହିଁ ଲୁହ ଝରାଇଲା। ମୁଁ କିଛି କରି ପାରିଲିନି। ଶେଷରେ ସେଦିନ ରାତିରେ କରିମ୍ ମିଆଁ ମୋ ମାଆ କୁ ଘୋଷାରି ଘୋଷାରି ଗୁହାଳରୁ ଟାଣି ନେଲା। ମୁଁ ମାଆ ପାଖକୁ ଟିକେ ଯାଇ ଘଷି ବି ହୋଇ ପାରିଲିନି। ମୋତେ ଲାଗୁଥିଲା ମାଆ ମୋତେ କହୁଥିଲା ଏ ସ୍ବାର୍ଥପର ଲୋକ ମାନଙ୍କ ପାଖରୁ ଦଉଡି ପଳାଇବା ପାଇଁ। ସେତେବେଳକୁ ମାଲିକ ମାଲିକାଣୀ ହସି ହସି ଟଙ୍କା ଗଣିବାରେ ବ୍ଯସ୍ତ ଥିଲେ। ତା ପରଦିନ ଶୁଣିଲି, ସେଇଦିନ ରାତିରେ ମୋ ମାଆ କୁ କରିମ୍ ମିଆଁ କେଜି ଦରରେ ବିକ୍ରି କରିଦେଇଛି।


ଦିନ ପରେ ଦିନ ବିତ ଚାଲିଲା। ମୁଁ ବଡ ହେଲି, ମାଲିକ ମାଲିକାଣୀଙ୍କ ବୟସ ବି ବଢିଲା। ମୋ ଅବସ୍ଥା ଦିନ କୁ ଦିନ ଦୟନୀୟ ହୋଇ ଚାଲିଥିଲା। ଘର ଭାଗବଣ୍ଟା ହେବା ପରେ ମୋ ଗୁହାଳ ଥିବା ଜାଗା ଟା ସାନ ପୁଅ ଭାଗରେ ପଡିଲା। ଗୁହାଳ ଭାଙ୍ଗି ନିଜ ପାଇଁ ସାନ ପୁଅ ଘର କରିଦେବା ପରେ ,ମୋତେ ଗଛ ମୂଳରେ ବନ୍ଧାଗଲା। ଖରାତରା ରେ ମୁଁ ସେଇ ଗଛ ମୂଳେ ପଡି ରହିଲି। କେବେ କାହାର ମନ ହେଲେ, ମୋ ଆଗରେ ନଡା କିମ୍ବା ଘାସ ଟିକେ ପକେଇ ଦେଉଥିଲେ, ନୋହିଲେ ସାରା ଦିନ ଓପାସ ରହିବାକୁ ପଡୁଥିଲା। ପୁରୁଣା କଥା ମନେ ପଡି ସଦା ବେଳେ ଆଖିରୁ ଲୁହ ବୋହୁଥିଲା, ମାତ୍ର ସେ ଲୁହ କୁ କେହି ଦେଖି ପାରୁ ନ ଥିଲେ। କେବଳ ସାନ ମାଲିକଙ୍କ ପୁଅ ମୋ ପାଖକୁ ଆସୁଥିଲା ଓ କେତେ କଣ ଗପି ଯାଉଥିଲା। ସେ ମୋତେ ବହୁତ ଭଲ ପାଉଥିଲା ଓ ବାପାମାଆଙ୍କ ନାଲି ଆଖି କୁ ନ ଡରି ଲୁଚେଇ ଲୁଚେଇ ମୋତେ ଖାଇବା ମଧ୍ଯ ଦେଉଥିଲା। ମୁଁ ସମସ୍ତଙ୍କ ଉପରେ ବୋଝ ହୋଇ ଯାଉଥିଲି ଦିନ କୁ ଦିନ। ସେଦିନ କରିମ୍ ମିଆଁ ମାଲିକ କୁ କହିଲା ଯେ ପାଖ ବସ୍ତିରେ ବଡ ପର୍ବ ହେବାର ଅଛି। ଯଦି ମାଲିକ ରାଜି ହେବ ମୋତେ ସେ କିଣି ନେବ। ବହୁତ ସମୟ ଯୁକ୍ତି ତର୍କ ପରେ ମାଲିକ ମୋତେ ବିକ୍ରି କରିବାକୁ ରାଜି ହେଲା ଓ କରିମ୍ ତା ପରଦିନ ସକାଳୁ ମୋତେ ନେଇଯିବ ବୋଲି କଥା ଦେଲା। ସେଦିନ ରାତିରେ ମାଲିକର ସାନ ପୁଅ ରାତି ଅଧରେ ଲୁଚି ଛପି ମୋ ପାଖକୁ ଆସିଲା ଓ ବେକରୁ ଦଉଡି ଫିଟାଇ କହିଲା- ଚାଲି ଯା ଚାନ୍ଦ, ଏ ଦୁନିଆ ରେ ମଣିଷ ଆଉ ନାହାଁନ୍ତି, ସମସ୍ତେ ଅସୁର ପାଲଟି ଗଲେଣି। ସାନ ପୁଅ ମୁହଁରେ ମୁହଁ ଘଷି ମୁଁ ଏକା ନିଶ୍ବାସରେ ଦଉଡିଲି। ତହିଁ ଆର ଦିନ ସକାଳୁ ସହରରେ ପହଞ୍ଚି ପରିବା ବଜାର ପାଖକୁ ଗଲି। ସେଠାରେ କେତେ ଗାଈ ମାନେ ଥିଲେ ଓ ପେଟପୁରା ଖାଇବା ମଧ୍ଯ ଥିଲା। ଆରାମ ରେ ସେଠାରେ କିଛିଦିନ ରହିଲି। ଦିନେ ରାତିରେ ଗୋଟେ ବଡ ଟ୍ରକ୍ ରେ କିଛି ଲୋକ ଆସିଲେ ଓ ଶୋଇଥିବା ଗାଈ ମାନଙ୍କ ଭିତରୁ କୋଡିଏ ପଚିଶିଟି ଗାଈ ଟ୍ରକ୍ ରେ ଲଦି ନେଇଗଲେ। ମୁଁ ଦୋକାନ ପଛରେ ଲୁଚି ଯିବାରୁ ରକ୍ଷା ପାଇଗଲି। ଅନ୍ଯ ମାନଙ୍କୁ ପଚାରିବାରୁ ଜାଣିଲି, ସେମାନେ ସବୁ ଗାଈ ଚୋର। ରାତିରେ ଆସି ରାସ୍ତାରେ ଶୋଇ ଥିବା ଗାଈ ମାନଙ୍କୁ ନେଇ ବିକ୍ରୀ କରି ଦିଅନ୍ତି। ମନରେ ଭାବିଲି, ଆମ ଦେହରେ ତେତିଶ କୋଟି ଦେବତାଙ୍କର ବାସ ଥିଲେ କଣ ହେବ, ଜୀବନ ଆମର ସବୁଠାରୁ ଘୃ ଣ୍ଯ। ମୁଁ ରାସ୍ତାରେ ଅନ୍ଯ ଗାଈଙ୍କ ମେଳରେ ଶୋଇଲି, ଲୋକେ ଗାଳି ଦେଲେ, ଛେପ ପକାଇଲେ, ଗରମ ପାଣି ଫୋପାଡିଲେ, କେବେକେବେ ମଟର ସାଇକେଲ ଚଢାଇଲେ, ତଥାପି ଆମେ ସେଇ ରାସ୍ତା କୁ ଛାଡି ଗଲୁନାହିଁ। ଯିବୁ ବା କୁଆଡେ? ଯୁଆଡେ ଦେଖିବ କେବଳ କଂକ୍ରିଟ୍ ଜଙ୍ଗଲ; ନା ଅଛି ଘାସ ପଡିଆ ନା ଜଙ୍ଗଲ। ଆମେ ଯିବୁ କୁଆଡେ, ଖାଇବୁ କଣ, ରହିବୁ କେଉଁଠାରେ କାହାର ଚିନ୍ତା କରିବାକୁ ସମୟ ନାହିଁ। ସବୁ ଦିନ ସକାଳୁ ଦେଖେ ଗାଈ ମାନଙ୍କର ଶବ ମ୍ଯୁନିସିପାଲିଟି ର ମେହେନ୍ତର ଟାଣିଟାଣି ନେବାର। କାହା ଉପରେ ଟ୍ରକ୍ ଚଢି ଯାଇଛି, କିଏ ଖାଇବା ବେଳେ ବ୍ଲେଡ୍ ଗିଳି ଦେଇଛି ତ କିଏ ପଲିଥିନ୍ ଗିଳି ମରିଯାଇଛି। ମୁଁ ମଧ୍ଯ କୌଣସି ଏକ କାରଣରୁ ମରିଯିବି, ସେ କଥା ମୋତେ ଭଲରେ ଜଣା। କରିବି ବା କଣ? ମୋତେ କିଏ ଉଦ୍ଧାର କରିବ, କିଏ ମୋର ଯତ୍ନ ନେବ, କିଏ ମୋତେ ସ୍ନେହ ଆଦର କରିବ ? ଓଡିଆ ଘରର ଗୌରବ ରୂପରେ ଶୋଭା ପାଉଥିବା ଗୋ ମାତା ଯେ ଆଜି ରାସ୍ତାରେ ପଡି ବଞ୍ଚିବା ପାଇଁ ବିକଳ ହୋଇ ଡାକୁଛି, ସେ କଥା କିଏ ବା ଜାଣିବ। ଯେଉଁ ଦୁନିଆ ରେ ରାସ୍ତା ଉପରେ ଝି୍ଅବୋହୁଙ୍କ ଇଜ୍ଜତ୍ ମାଟିରେ ମିଶୁଛି ଓ ମଣିଷ ରକ୍ତରେ ରାସ୍ତା ଲାଲିମା ଧରୁଛି,ସେ ଜାଗାରେ ଆମର ଅସ୍ତିତ୍ବ ବା କଣ? ଏବେ ମୋ ନିଜ ନାଁଆ ମୁଁ ଭୁଲି ଗଲିଣି, ମନେ ରଖିବି ବା କିପରି?ଏତେ ଦିନ ଧରି ମୋତେ କେହି ନାମ ଧରି ଡାକି ନାହାଁନ୍ତି ଯେ.........! ! ଇଶ୍ବର ସମସ୍ତଙ୍କର ମଙ୍ଗଳ କରନ୍ତୁ।


କାନ୍ଦି କାନ୍ଦିି ସେତେ ବେଳକୁ ଗଗନ ଅଥୟ ହୋଇ ସାରିଥିଲା। ଥରଥର କଣ୍ଠରେ କହିଲା


…............ ମୁଁ ହେଲି ଚାନ୍ଦ, ଏହା ମୋର ଆତ୍ମକାହାଣୀ।





                                              ---ସମାପ୍ତ----