Saturday, February 29, 2020
ଯୋଗ୍ଯପାତ୍ର
ଲେଖକ- © ଅରବିନ୍ଦ ରଥ
ପାତ୍ରରେ ଥିବା ମଦିରା ଗୋଟିଏ ଢୋକରେ ଶେଷ କରିଦେଇ ଯୁବକ ଜଣକ ବୃଦ୍ଧଙ୍କୁ ଆହ୍ବାନ ଦେଇ କହିଲା- - ହେ ମୋର ପରମପୂଜ୍ଯ ଗୁରୁଦେବ,ଦେଖନ୍ତୁ ମୁଁ ଜିତିଗଲି। ଆପଣ ଭାବୁଥିଲେ ନା, ମୋ ଦ୍ବାରା ମଦିରାପାନ ହେବ ନାହିଁ। ହାଃ ହାଃ ହାଃ ଏବେ ସେହି ଶୂନ୍ଯପାତ୍ର ଆଡକୁ ଥରେ ଦୃଷ୍ଟି ନିକ୍ଷେପ କରି ନିଜର ପରାଜୟ ସ୍ବୀକାର କରନ୍ତୁ।
ନିଜର ଅଶ୍ବକେଶସମ ଧବଳ ଶ୍ମଶୃ ଉପରେ ହସ୍ତଚାଳନା କରି ବୃଦ୍ଧ କହିଲେ- - ତୁମେ ସତ୍ଯ କହିଲ ଯୁବକ, ତୁମର ଏତାଦୃଶ ବୀରତ୍ବରେ ମୁଁ ଗଭୀରରୂପେ ପ୍ରଭାବିତ। ଅବଶ୍ଯ ଏକଥା ଭିନ୍ନ ଯେ, ମୁଁ ଯୁବକ ଥିବା ସମୟରେ ଏତିକି ମଦିରାରେ କୁଳୁକୁଞ୍ଚା କରୁଥିଲି। ତଥାପି ତୁମ୍ଭର ବୀରତ୍ବ ଅନସ୍ବୀକାର୍ଯ୍ଯ। ଏବେ ଚାଲ, ଆମେ ଯିବା। ଅଳ୍ପ ସମୟ ମଧ୍ଯରେ ରାଜକୁମାରୀଙ୍କ ସ୍ବୟଂମ୍ବର ଆରମ୍ଭ ହୋଇଯିବ। ଅଧିକ ବିଳମ୍ବ କଲେ ମଦିରାର ପରାକ୍ରମ ସମାପ୍ତ ହୋଇଯିବାର ସମ୍ଭାବନା ଅଛି।
କିଶୋରପୁର ରାଜ୍ଯର ପରମ ପ୍ରତାପୀ ରାଜା ବୀରକିଶୋରଙ୍କର ଏକମାତ୍ର ଅଲିଅଳି କନ୍ଯା ତଥା ରାଜ୍ଯର ରାଜକୁମାରୀଙ୍କର ସ୍ବୟଂମ୍ବରର ଆୟୋଜନ ବଡ ଧୁମଧାମରେ କରାଯାଇଥିଲା। ଏକମାତ୍ର କନ୍ଯାର ନିଷ୍ପତ୍ତିକୁ ସମ୍ମାନ ଜଣାଇ ରାଜା ସ୍ବୟଂମ୍ବରର ଆୟୋଜନ ସନ୍ନିକଟ ଜଙ୍ଗଲରେ କରାଇଥିଲେ। ରାଜକୁମାରୀଙ୍କ ମନରେ ଅଭିଳାଷ ଥିଲା ସେ ଯେଉଁ ପୁରୁଷର ହାତ ଧରିବେ ସେ ସର୍ବଗୁଣ ସମ୍ପର୍ଣ୍ଣ ଓ ପରମ ଶକ୍ତିଶାଳୀ ହୋଇଥିବ। ତେଣୁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତ ପୁରୁଷଙ୍କ ପାଇଁ ସ୍ବୟଂମ୍ବର ସ୍ଥାନ ଉନ୍ମୁକ୍ତଥିଲା। ରାଜାଙ୍କ ମନରେ ଶଙ୍କା ଥିଲା ଯେପରି କୌଣସି ଅଯୋଗ୍ଯ ବ୍ଯକ୍ତି ରାଜକୁମାରୀଙ୍କୁ ବିବାହ ନ କରୁ। ତେଣୁ ଆଗନ୍ତୁକ ମାନଙ୍କ ଉପରେ ସେ କଡା ନଜର ରଖିଥିଲେ ଓ ସେମାନଙ୍କ ବିଷୟରେ ଟିକିନିଖି ଖବର ରଖୁଥିଲେ ନିଜର ଅତ୍ଯନ୍ତ ବିଶ୍ବସ୍ତ ଗୁପ୍ତଚରଙ୍କ ମାଧ୍ଯମରେ।
କିଶୋରପୁରର ଅନତିଦୂରରେ ଥିଲା ମଧୁପୁର ନାମକ କ୍ଷୁଦ୍ରଗ୍ରାମ। ଜନସଂଖ୍ଯା ଅତି ବେଶିରେ ପାଞ୍ଚଶହ ହେବ କି ନାହିଁ ସନ୍ଦେହ। ସେହି ଗ୍ରାମର ବିଶେଷତ୍ବ ଥିଲା ଗ୍ରାମବାସୀଙ୍କ ଆଳସ୍ଯପରାୟଣତା। ବର୍ଷର ଅର୍ଦ୍ଧାଧିକ ସମୟ ଗ୍ରାମବାସୀମାନେ ଆରାମ କରିବାରେ ବ୍ଯତୀତ କରୁଥିଲେ। ଗ୍ରାମ ନିକଟସ୍ଥ ଜଙ୍ଗଲଟି ଭରି ରହିଥିଲା ବିଭିନ୍ନ କିସମର ଫଳନ୍ତି ବୃକ୍ଷରେ ଓ ପଶୁପକ୍ଷୀ ମାନଙ୍କର ସଂଖ୍ଯାଥିଲା ସହସ୍ରାଧିକ। ଅନେକ ସମୟରେ ଜଙ୍ଗଲରୁ ପଶୁପକ୍ଷୀମାନେ ଖାଦ୍ଯ ଅନ୍ବେଷଣରେ ଗ୍ରାମ ଭିତରକୁ ପଶି ଆସୁଥିଲେ ଓ ଗ୍ରାମବାସୀଙ୍କ ଦ୍ବାରା ବିଛାଯାଇଥିବା ଜାଲରେ ପଡି ନିଜେ ଖାଦ୍ଯ ହୋଇ ଯାଉଥିଲେ। ଯେତେବେଳେ ପ୍ରକୃତ୍ତି ଦ୍ବାରା ଗ୍ରାମବାସୀଙ୍କ ଖାଦ୍ଯର ବ୍ଯବସ୍ଥା ହୋଇ ସାରିଥିଲା ,ସେମାନେ ବା ପରିଶ୍ରମ କରିବେ କାହିଁକି ! କାହିଁ କେତେ ପିଢିରୁ ଏପରି ଚାଲି ଆସୁଥିଲା ତାହା କହିବା କଷ୍ଟକର ବ୍ଯାପାର। ସେହି ଗ୍ରାମରେ ବୀରଭଦ୍ର ନାମକ ଏକ ଯୁବକ ବାସ କରୁଥିଲା। ପିଲାଟି ଦିନରୁ ତା ଆଚାର ବ୍ଯବହାର ଓ କାର୍ଯ୍ଯଶୈଳୀ ଦେଖି ଗ୍ରାମବାସୀ ମାନେ ଭବିଷ୍ଯବାଣୀ କରିଥିଲେ ଯେ ଏହି ଯୁବକ ଦିନେ ନା ଦିନେ ଆଳସ୍ଯ ପରାୟଣତା ପାଇଁ ବିଶ୍ବବିଖ୍ଯାତ ହେବ। ବୀରଭଦ୍ର ଦିନରାତି ବିଛଣା ରେ ଆରାମରେ ଶୋଇ ରହୁଥିଲା। ଭୋକ ଲାଗିଲେ ହାତରେ ଧରିଥିବା ଏକ ଘଣ୍ଟି ଜୋରରେ ବଜାଉଥିଲା। କାରଣ ପାଟିକରି ଡାକିବା ଦ୍ବାରା ଶକ୍ତି ଅପଚୟ ହେବ ବୋଲି ସେ ନିଶ୍ଚିତ ଥିଲା। ପିତାମାତା କୌଣସି କାର୍ଯ୍ଯ ସକାଶେ ବୀରଭଦ୍ରକୁ କହିଲେ ସେହି କାମ କେବେ ସମାପ୍ତ ହେବ ତାହା କଳନା କରିବା କଷ୍ଟକର ଥିଲା। ଯେମିତି, ଥରେ ମାତାଙ୍କ ଆଜ୍ଞା ଅନୁସାରେ ବୀରଭଦ୍ର ପାଣି ଆଣିବାକୁ କୂଅକୁ ଗଲା କିନ୍ତୁ ସଂନ୍ଧ୍ଯା ପର୍ଯ୍ଯନ୍ତ ଫେରିଲା ନାହିଁ। ପିତାମାତା ବ୍ଯସ୍ତବିବ୍ରତ ହୋଇ କୂଅ ପାଖକୁ ଦୌଡିଲେ। ସେଠାରେ ପହଞ୍ଚି ଦେଖିଲେ ବୀରଭଦ୍ର କୂଅ ପାଖରେ ପତ୍ର ବିଛାଇ ଆନନ୍ଦରେ ଶୋଇଛି। ତାକୁ ଉଠାଇ ପଚାରିବାରୁ ସେ ଉତ୍ତର ଦେଲା- - ଏପରି ବିଚଳିତ ହେବାର କୌଣସି କାରଣ ନାହିଁ। ଯେଉଁ ଗ୍ରାମବାସୀ ପାଣି ପାଇଁ କୂଅକୁ ଆସୁଛନ୍ତି ସେମାନେ ନିଜ ପାଣି ରୁ କିଛି ମୋ ଗରାରେ ଢାଳି ଦେଉଛନ୍ତି। ଏପରି ବ୍ଯବସ୍ଥା କରିବା ଫଳରେ ମୋତେ ପରିଶ୍ରମ କରିବାକୁ ପଡୁନାହିଁ। ଆଜି ସଂନ୍ଧ୍ଯା ପର୍ଯ୍ଯନ୍ତ ଏତିକି ପାଣି ସଂଗ୍ରହ କରିପାରିଛି। କାଲି ପ୍ରଭାତରୁ ନିହାତି ଅଧିକ ଲୋକେ କୂଅ ପାଖକୁ ଆସିବେ ଓ ମୋ ଗରା ପୂର୍ଣ୍ଣ ହୋଇଯିବ। ତାପରେ ମୁଁ ପାଣିନେଇ ଘରକୁ ଯିବି। ସବୁ କାମ ପାଇଁ ଏତେ ବ୍ଯସ୍ତ ହେବା ଅନୁଚିତ। ତୁମେ ମାନେ ଘରକୁ ଯାଇପାର।
ସେତିକି ବେଳକୁ ବୀରଭଦ୍ରର ମାଆ କୂଅରୁ ପାଣି କାଢି ସାରିଥିଲେ ଓ ସେମାନେ ପରମ ଗୁଣବନ୍ତ ପୁତ୍ରକୁ ଧରି ଘରକୁ ବାହୁଡିଲେ। ଦିନ କୁ ଦିନ ପୁତ୍ରର ଆଳସ୍ଯର ମାତ୍ରା ଏତେ ବଢିଗଲା ଯେ ପିତାମାତା ବ୍ଯସ୍ତହୋଇ ଗ୍ରାମର ପୁରୁଖା ଲୋକଙ୍କ ସହ ବିଚାରବିମର୍ଶ କରିବା ଆରମ୍ଭ କରିଦେଲେ। ଗ୍ରାମର ସବୁଠାରୁ ବୟୌଜ୍ଯେଷ୍ଠ ବ୍ଯକ୍ତି ଉପଦେଶ ଦେଲେ- - ଏଥିରେ ବିଚଳିତ ହେବାର କୌଣସି କାରଣ ନାହିଁ। ଅବିଳମ୍ବେ ପୁତ୍ରର ବିବାହକାର୍ଯ୍ଯ ସମାପନ କରିଦିଅ। ପରିସ୍ଥିତିରେ ନିହାତି ସୁଧାର ଆସିବ।
– – କିନ୍ତୁ ବୀରଭଦ୍ର ପରି ଯୁବକ କୁ କିଏ ବିବାହ କରିବ? ପ୍ରଶ୍ନକଲେ ବୀରଭଦ୍ରର ପିତାମାତା।
ସେସବୁ ପ୍ରଶ୍ନର ଉତ୍ତର ଖୋଜିବା ଅପେକ୍ଷା ବରଂ ବୀରଭଦ୍ରକୁ ନେଇ ଘଞ୍ଚ ଜଙ୍ଗଲରେ ତପସ୍ଯା କରୁଥିବା ମତ୍ସ୍ଯବାବାଙ୍କ ପାଖକୁ ନେଇ ଚାଲିଯାଅ। ସେ ନିହାତି କିଛି ବ୍ଯବସ୍ଥା କରିବେ। ସେହି ବାବା ଅନେକ ବର୍ଷହେବ କେବଳ ମତ୍ସ୍ଯ ଭୋଜନ ପୂର୍ବକ ତପସ୍ଯା କରି ଚାଲିଛନ୍ତି ବୋଲି ମତ୍ସ୍ଯବାବା ଭାବରେ ଖ୍ଯାତ।
ବୀରଭଦ୍ରକୁ ମତ୍ସ୍ଯବାବାଙ୍କ ପାଖକୁ ନେଲେ ଓ ବାବା ଅଭୟ ପ୍ରଦାନ କରି କହିଲେ, ସେ ବୀରଭଦ୍ରର ଜୀବନକୁ ପରିବର୍ତ୍ତନ କରିଦେବେ, କିନ୍ତୁ ତାହା ସମୟ ସାପେକ୍ଷ। କିନ୍ତୁ ତାଙ୍କ ବଚନ ସମାପ୍ତ ହେବା ପୂର୍ବରୁ ବୀରଭଦ୍ରର ଘୁଙ୍ଗୁଡି ନାଦରେ ଅଞ୍ଚଳଟି ପ୍ରକମ୍ପିତ ହେବାପରି ଲାଗିଲା। ନିଦ୍ରାଭିଭୂତ ପୁତ୍ରକୁ ଅଶୃଳ ବିଦାୟ ଦେଇ ପିତାମାତା ସ୍ବଗୃହ ପ୍ରତ୍ଯାବର୍ତ୍ତନ କଲେ।
ମତ୍ସ୍ଯବାବାଙ୍କ ଅତୀତ ବେଶ୍ ରୋମାଞ୍ଚକର ଥିଲା। ଏକଦା ସେ ମାଧବସେନ ନାମରେ ପରିଚିତ ଥିଲେ ଓ କିଶୋରପୁର ରାଜାଙ୍କର ଘନିଷ୍ଠ ବନ୍ଧୁଥିଲେ। ଅସୀମ ବୀରତ୍ବ ଓ ପରାକ୍ରମର ପରାକାଷ୍ଠା ଦେଖାଇ ସେ ରାଜାଙ୍କୁ ଅନେକ ଯୁଦ୍ଧରେ ବିଜୟ ସ୍ବାଦ ଚଖାଇଥିଲେ। ପ୍ରଗାଢ ବନ୍ଧୁତ୍ବର ନିଦର୍ଶନ ସ୍ବରୂପ ରାଜା ତାଙ୍କୁ ପାଞ୍ଚଖଣ୍ଡ ଗ୍ରାମ ଦାନ କରିଥିଲେ। କିନ୍ତୁ ବିଧିର ନିୟମ ବିଚିତ୍ର। ବିବାହପରେ ରାଣୀଙ୍କ ପ୍ରରୋଚନାରେ ପଡି ରାଜା ମାଧବସେନଙ୍କ ପ୍ରତି ଶତୃତା ଆଚରଣ କଲେ। ଏକଦା ମାଧବସେନ କୌଣସି କାର୍ଯ୍ଯବଶତଃ ରାଜାଙ୍କ ପାଖକୁ ଯାଇଥିଲେ ଓ ତାଙ୍କର ଆତିଥ୍ଯତା ସ୍ବୀକାର କରି ରାଜଉଆସରେ ରାତ୍ରୀଯାପନ କରିଥିଲେ। ରାଜାଙ୍କର ଏକ ପ୍ରମୁଖ ବଦଭ୍ଯାସ ଥିଲା ମଦିରାପାନ କରିବା। ଅନେକ ସମୟରେ ସେ ଅତ୍ଯଧିକ ମଦିରାପାନ କରି ହିତାହତ ଜ୍ଞାନ ହରାଇ ବସୁଥିଲେ। ସେଦିନ ରାତ୍ରିଭୋଜନ ପରେ ଅତ୍ଯଧିକ ମଦ୍ଯପାନ କରି ରାଜା ଉତ୍ପାତ ହେବା ଆରମ୍ଭ କରି ଦେଇଥିଲେ। ମାଧବସେନ ରାଜାଙ୍କ ଅନୁରୋଧକ୍ରମେ ମଦିରାପାନ କରି ନିଜର ଶୟନକକ୍ଷକୁ ପ୍ରସ୍ଥାନ କରିବାପରେ ରାଣୀ ଏକ ଭୟଙ୍କର ଷଡଯନ୍ତ୍ର ରଚନା କରିଥିଲେ। ମଧ୍ଯରାତ୍ରରେ ମାଧବସେନଙ୍କୁ ସୈନ୍ଯମାନେ ବନ୍ଦୀ କରିନେଲେ ଓ ରାଜାଙ୍କ ସମ୍ମୁଖରେ ହାଜର କଲେ। ସେଠାରେ ମାଧବସେନ ଦେଖିଲେ କ୍ରନ୍ଦନରତା ରାଣୀ ଓ କ୍ରୋଧ ଜର୍ଜରିତ ରାଜାଙ୍କୁ। ନାନା କୁତ୍ସାରଟନା କରି ରାଜା ମାଧବସେନ ଙ୍କୁ ଧିକ୍କାର କରିଚାଲିଲେ ଓ ବାରମ୍ବାର ପ୍ରଶ୍ନ କରିଚାଲିଥିଲେ ଯେ ତାଙ୍କର ଏତେ ଘନିଷ୍ଠବନ୍ଧୁ ହୋଇ ମଧ୍ଯ ମାଧବସେନ କିପରି ରାଣୀଙ୍କ ପ୍ରତି ଅଶୋଭନୀୟ ଆଚରଣ କରିବାର ଦୁଃସାହାସ କଲେ। ଭାଗ୍ଯଟାଣ ଥିବାରୁ ମାଧବସେନ ମୃତ୍ଯୁଦଣ୍ଡରୁ ବର୍ତ୍ତିଗଲେ କିନ୍ତୁ ତାଙ୍କୁ ରାଜ୍ଯରୁ ବିତାଡିତ କରାଗଲା ଓ ଉପହାର ସ୍ବରୂପ ପାଇଥିବା ପାଞ୍ଚଖଣ୍ଡ ଗ୍ରାମ ଫେରାଇ ନିଆଯାଇ ରାଜାଙ୍କର ଶ୍ଯାଳକଙ୍କୁ ଦାନ କରାଗଲା।
ସେହିଦିନ ଠାରୁ ଘଞ୍ଚ ଜଙ୍ଗଲ ମଧ୍ଯରେ ଆତ୍ମଗୋପନ କରି ରହିଥିଲେ ମାଧବସେନ ମତ୍ସ୍ଯବାବା ରୂପରେ। ନଚେତ୍ ସେ ରାଜାଙ୍କ ଶ୍ଯାଳକ ହାତରେ ମୃତ୍ଯୁ ଲଭିବା ନିଶ୍ଚିତ ଥିଲା। ତପସ୍ଯା କରିବା ନାମରେ ମାଧବସେନ ମନ ଭିତରେ ଜଳୁଥିବା କ୍ରୋଧବହ୍ନିକୁ ଜଳାଇ ଚାଲିଥିଲେ ଓ ସଠିକ୍ ସମୟରେ ରାଜାଙ୍କ ଉପରେ ପ୍ରତିଶୋଧ ନେବାର ଉପାୟମାନ ପ୍ରସ୍ତୁତ କରିବାରେ ବ୍ଯାପୃତ ଥିଲେ। ବୀରଭଦ୍ରର ଆଗମନ ପରେ ତାଙ୍କ ମନ ପ୍ରସନ୍ନ ହୋଇ ଉଠିଥିଲା। ରାଜକୁମାରୀଙ୍କ ସ୍ବୟଂମ୍ବର କଥା ସେ ଜାଣିଥିଲେ ଓ ସେହି ସମୟ ହିଁ ପ୍ରତିଶୋଧ ନେବାର ଉପଯୁକ୍ତ ସମୟ ବୋଲି ସେ ନିଶ୍ଚିତ ଥିଲେ।
ନିଦ ମଳମଳ ଆଖିରେ ବୀରଭଦ୍ର ମତ୍ସ୍ଯବାବାଙ୍କୁ ତା'ର ଆଗମନର କାରଣ ପଚାରିଲା।
- - ବତ୍ସ୍ଯ ତୁମେ କଣ ଜାଣିନାହଁ? ରାଜ୍ଯର ରାଜକୁମାରୀଙ୍କ ସହ ତୁମର ବିବାହ ପାଇଁ ତୁମକୁ ମୋ ପାଖକୁ ଅଣାଯାଇଛି।
- - ବିବାହ ? ପୁଣି ରାଜକୁମାରୀଙ୍କ ସହ ? ମୋର କିନ୍ତୁ ଗୋଟିଏ ସର୍ତ୍ତ ଅଛି। ମୋ ବିଶ୍ରାମ ସମୟରେ ଯେପରି କୌଣସି ପ୍ରତିବନ୍ଧକ ସୃ ଷ୍ଟି ନ ହେବ ସେଦିଗ ପ୍ରତି ରାଜକୁମାରୀଙ୍କୁ ସଚେତନ ରହିବାକୁ ହେବ।
- - ନିଃସନ୍ଦେହ ବତ୍ସ୍ଯ, ତୁମ ପରି ଜଣେ ସୁଯୋଗ୍ଯ ବର ପାଇବା ପରେ ରାଜକୁମାରୀ ସେପରି କୌଣସି ଧୃଷ୍ଟତା କରିବେ ନାହିଁ ମୋର ଦୃଢ ବିଶ୍ବାସ ଅଛି। ତଥାପି ମୁଁ ତାଙ୍କୁ ଏ ବିଷୟରେ ଅବଗତ କରାଇଦେବି। କିନ୍ତୁ ତୁମକୁ ମୋ ଆଦେଶ ଅନୁସାରେ ଚଳିବାକୁ ହେବ। ଆସନ୍ତାକାଲି କିଶୋରପୁର ସନ୍ନିକଟ ଜଙ୍ଗଲରେ ରାଜକୁମାରୀଙ୍କ ସ୍ବୟଂମ୍ବରର ଆୟୋଜନ କରାଯାଇଛି। ତୁମେ ସେହି ସ୍ବୟଂମ୍ବରରେ ନିଜର ଯୋଗ୍ଯତା ପ୍ରମାଣ କରି ରାଜକୁମାରୀଙ୍କ ବେକରେ ପୁଷ୍ପହାର ଦେଇ ବିବାହ କରିବ।
- - ସେକଥା ଠିକ୍ ଯେ, କିନ୍ତୁ ମୋତେ କିଛି କାମ କରିବାକୁ ପଡିବନି ତ? ଯେମିତି କି କୂଅରୁ ପାଣି କାଢିବା, ଗାଈଙ୍କୁ ଗୁହାଳରେ ବାନ୍ଧି ଖାଇବାକୁ ଦେବା, ଅଗଣାରେ ଧାନ ଶୁଖେଇବା ନହେଲେ ଘର ଛପର କରିବା ଆଦି।
ବୀରଭଦ୍ରର କଥା ଶୁଣି ମତ୍ସ୍ଯଦେବଙ୍କ ମୁଣ୍ଡ ଘୁରାଇଦେଲା ପରି ଲାଗିଲା, ସେ କୌଣସି ମତେ ହାସ୍ଯ ସମ୍ବରଣ କରି କହିଲେ- - ତୁମର ଭୟ କରିବାର କୌଣସି କାମ ନାହିଁ। ସେପରି କୌଣସି କାମ କରିବାକୁ ହେବନି। ଏବେ ତୁମେ ଖାଇପିଇ ବିଶ୍ରାମ କର।
ପ୍ରାତଃକାଳରୁ ବୀରଭଦ୍ରକୁ ଉଠାଇ ମତ୍ସ୍ଯଦେବ କହିଲେ-- ସ୍ବୟଂମ୍ବରକୁ ଯିବା ପୂର୍ବରୁ ତୁମକୁ ଏକ ପରୀକ୍ଷା ଦେବାକୁ ହେବ। ଏହି ପାତ୍ରରେ ଥିବା ମଦିରା ଗୋଟିଏ ଥରରେ ଶେଷ କରିବାକୁ ହେବ। ସେତିକି କରି ପାରିଲେ ତୁମେ ବିଜୟୀ ହେବ ଓ ଆମେ ସ୍ବୟଂମ୍ବର ପାଇଁ ଅଗ୍ରସର ହେବା, ନଚେତ୍ ତୁମକୁ ନିଜ ଗ୍ରାମକୁ ପ୍ରତ୍ଯାବର୍ତ୍ତନ କରିବାକୁ ହେବ। ମୁଁ ଜାଣିଛି ତୁମ ପାଇଁ ଏହି କାର୍ଯ୍ଯ କଷ୍ଟକର ହେବ ଓ ମୋର ବିଶ୍ବାସ ତୁମେ ଏଥିରେ ବିଫଳ ହେବ। ତଥାପି ଥରେ ଚେଷ୍ଟା କରିଦେଖ।
ବୀରଭଦ୍ର ଏତିକି କଥା ଶୁଣି ଅପମାନିତ ଅନୁଭବ କଲା ଓ ଗୋଟିଏ ଥରରେ ସମସ୍ତ ମଦିରା ସମାପ୍ତ କରିଦେଲା।
ସ୍ବୟଂମ୍ବର ସ୍ଥାନରେ ଭୀଷଣ ଜନସମାଗମ ହୋଇଥିଲା। ସୁବର୍ଣ୍ଣ ସିଂହାସନରେ ବସିଥିଲେ ରାଜା ବୀରକିଶୋର ଓ ରାଣୀ। ଅନ୍ଯ ଉଚ୍ଚ ଆସନରେ ରାଜାଙ୍କ ଶ୍ୟାଳକ ତଥା ପାରିଷଦ ବର୍ଗ ଆସନ ଗ୍ରହଣ କରିଥିଲେ। ସ୍ବର୍ଗର ଅପସରାସମ ଅତ୍ଯନ୍ତ ସୁନ୍ଦରୀ ରାଜକୁମାରୀ ହାତରେ ବରଣମାଳା ଧରି ସେମାନଙ୍କ ସମ୍ମୁଖରେ ଛିଡା ହୋଇଥିଲେ। ବିଭିନ୍ନ ରାଜ୍ଯର ରାଜକୁମାର ଓ ଆଶାୟୀ ଯୁବକ ମାନେ ବିଭିନ୍ନ ଖେଳ କସରତ ଦେଖାଇ ରାଜକୁମାରୀଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଲାଗିଥିଲେ।ଏସବୁ ଦେଖି ବୀରଭଦ୍ରର କପାଳରେ ସ୍ବେଦବିନ୍ଦୁ ମାନଙ୍କର ପ୍ରାବଲ୍ଯତା ଦୃଶ୍ଯ ହେଲା। ସେ ମତ୍ସ୍ଯଦେବଙ୍କ ହାତଧରି ଫେରିଯିବାକୁ ଅନୁରୋଧ କଲା। ସଠିକ ସମୟର ପ୍ରତୀକ୍ଷାରେ ଥିଲେ ମତ୍ସ୍ଯଦେବ, ସେ କହିଲେ- - ବୀରଭଦ୍ର, ଏ ମଦିରା ର ଶକ୍ତି ଏତେ ଅଧିକା ଯେ କ୍ଷୁଦ୍ର ପିମ୍ପୁଡି କୁ ହାତୀ ସହ ଲଢେଇ କରିବାର ଶକ୍ତି ଦେଇପାରେ। ତୁମେ ତ ଆଜନ୍ମ ବଳବାନ ଓ ଶକ୍ତିଶାଳୀ। ନିଜ ବାହୁର ଶକ୍ତ ମାଂସପେଶୀ ଓ ବିଶାଳ ବପୁ କୁ ଭଲରେ ପରଖି ନିଅ। ତୁମକୁ ନିହାତି କ୍ଷୁଦ୍ର କାମଟିଏ କରିବାକୁ ହେବ। ତା ପରେ ରାଜକୁମାରୀ ଧରିଥିବା ବରଣମାଳା ତୁମ ବେକରେ ଶୋଭା ପାଇବ। ଶରୀରରୁ ଶକ୍ତିହ୍ରାସ ପରି ଅନୁଭବ କରୁଛ କି?ଏଇ ନିଅ, ଆଉଟିକେ ମଦିରାରେ ଗଳାସିକ୍ତ କରିଦିଅ।
ମଦିରାପାନ ପରେ ବୀରଭଦ୍ର ଦେହରେ ପୁଣି ଶତସିଂହର ବଳ ଜାଗ୍ରତ ହୋଇଗଲା। ସେ ନିଜ ବାହୁର ତୁଳା ପରି କୋମଳ ମାଂଶପେଶୀ କୁ ପରଖି ନେଇ କହିଲା- - ଏବେ କୁହନ୍ତୁ ଗୁରୁଦେବ ମୋତେ କଣ କରିବାକୁ ହେବ।
- - କାମ ବିଶେଷ କଷ୍ଟ ନୁହଁ। ରାଜା ଙ୍କ ପାଖକୁ ଯାଇ ତାଙ୍କ ପାଦତଳେ ଲମ୍ବା ହୋଇ ଶୋଇଯିବ ଓ ପ୍ରଣାମ କରିବ। ତତପଶ୍ଚାତ୍ ତାଙ୍କ ଉଭୟ ଗୋଡ ଟାଣିଟାଣି ସିଂହାସନ ଉପରୁ ଘୋଷାଡି ଆଣିବ। ମୁଁ ଜାଣେ ତୁମ ଦ୍ବାରା ଏହି ଅସମ୍ଭବ କାର୍ଯ୍ଯ ହୋଇ ପାରିବ ନାହିଁ। ତଥାପି ପ୍ରୟାସ କର।
- - ହୋଇପାରିବନି?କାହିଁକି ହୋଇ ପାରିବନି, ମୁଁ ବିଦ୍ଯାଳୟରେ ପଢୁଥିବା ସମୟରେ ଏକ ମୋଟା ବେଙ୍ଗର ଗୋଡଧରି ଟାଣି ଆଣିଥିଲି। ମୋ ବୀରତ୍ବ ଦେଖି ବିଦ୍ଯାଳୟର ଶିକ୍ଷକ ଓ ପିଲାମାନେ ଆନନ୍ଦରେ ହସି ପକାଇଥିଲେ। ଯଦି ମୁଁ ବାଳୁତଥିବା ସମୟରେ ଏକ ମୋଟାବେଙ୍ଗର ଗୋଡ ଟାଣି ପାରିଥିଲି ତେବେ ଆଜି ଶତସିଂହର ବଳ ନେଇ ରାଜାଙ୍କ ଗୋଡ କାହିଁକି ଟାଣି ପାରିବିନି। ମୁଁ ଚାଲିଲି ଗୁରୁଦେବ।
କିଛି ସମୟପରେ ରାଜା ସିଂହାସନ ତଳେ ପଡିଥିଲେ ଓ ବୀରଭଦ୍ର ତାଙ୍କ ଗୋଡ ଧରି ଘୋଷାଡିବା କାର୍ଯ୍ଯରେ ଲାଗିଥିଲା। ଉପସ୍ଥିତ ଜନତା, ରାଣୀ,ରାଜକୁମାରୀ ,ସୈନ୍ଯ ଓ ପାରିଷଦବର୍ଗ ମାନଙ୍କ ମୁଖ ଆଶ୍ଚର୍ଯ୍ଯ ରେ ଉନ୍ମୁକ୍ତ ହୋଇ ରହିଥିଲା। କୌଣସିମତେ ନିଜକୁ ବୀରଭଦ୍ର କବଳରୁ ରକ୍ଷାକରି ରାଜା ଛିଡାହେଲେ ଓ କ୍ରୋଧ ଜର୍ଜରିତ ହୋଇ ବୀରଭଦ୍ରକୁ ବନ୍ଦୀ କରିବାକୁ ଆଦେଶ ଦେଲେ।
- - ଆପଣଙ୍କ କନ୍ଯାପାଇଁ ଯୋଗ୍ଯତମ ବ୍ଯକ୍ତି କୁ ବନ୍ଦୀ କରିବା ପରମ ଅନ୍ଯାୟ ହେବ ମହାରାଜ୍। ବୀରଭଦ୍ର ପରି ବୀର ଯୁବକ ହିଁ ରାଜକୁମାରୀଙ୍କ ପୁଷ୍ପମାଳାର ସୁଯୋଗ୍ଯ ଅଧିକାରୀ। ଯେଉଁ ରାଜାଙ୍କ ସମ୍ମୁଖକୁ ଆସିବାକୁ ମୃ ତ୍ଯୁ ମଧ୍ଯ ଭୟ କରେ ତାଙ୍କୁ ଆଜି ଏହି ବୀର ଭୂପତିତ କରିଦେଲା, ଏହାଠାରୁ ବଳି ବୀରତ୍ବ ଆଉ କଣ ହୋଇପାରେ? ଏବେ ଧର୍ମରକ୍ଷା କରି ମୋ ଶିଷ୍ଯ ବେକରେ ରାଜକୁମାରୀ ବରଣମାଳା ଦେଇ ତାକୁ ସ୍ବାମୀ ରୂପରେ ଗ୍ରହଣ କରନ୍ତୁ।
- - ପାଗଳଙ୍କ ପରି ପ୍ରଳାପ କାହିଁକି କରୁଛ ହେ ବୃଦ୍ଧ ସନ୍ଯାସୀ। ଏ ଉଦଭ୍ରାନ୍ତ ଯୁବକ ମଦିରାନିଶାରେ ହିତାହତ ଜ୍ଞାନ ଭୁଲି ଏହି ଧୃଷ୍ଟତା କରିବାର ଦୁଃସାହାସ କରିପାରିଛି। ତା ଗଳା ପାଇଁ ରାଜକୁମାରୀଙ୍କ ପୁଷ୍ପମାଳା ନୁହଁ ବରଂ ଫାଶି ଦଉଡି ହିଁ ଉପଯୁକ୍ତ ହେବ। ଗର୍ଜନ କରିି କହିଲେ ରାଜା।
ଯଦି ଏହା ଆପଣଙ୍କର ନ୍ଯାୟ,ତେବେ କିଛି ବର୍ଷତଳେ ସେହି ମଦିରା ନିଶାରେ ହିତାହତ ଜ୍ଞାନ ଭୁଲି ଆପଣ ମାଧବସେନଙ୍କ ପ୍ରତି କରିଥିବା ଅନ୍ଯାୟର ଦଣ୍ଡ କଣ ହେବା ଉଚିତ୍ ମହାରାଜ?
ରାଜା ବୀରକିଶୋର ନିଶ୍ଚଳ ହୋଇ ଛିଡା ହୋଇଗଲେ। ଉପସ୍ଥିତ ଜନତା କିଛି ବୁଝି ନ ପାରି ବୋକାଙ୍କ ପରି ଚାହିଁ ରହିଥା'ନ୍ତି। କୌଶଳକ୍ରମେ ରାଣୀ ତାଙ୍କ ଭ୍ରାତାଙ୍କ ସହ ସେ ସ୍ଥାନ ପରିତ୍ଯାଗ କଲେ। ରାଜା ସେହି ଧବଳଶ୍ମଶୃଧାରୀ ବୃଦ୍ଧଙ୍କ ପାଖକୁ ଚାଲିଆସିଲେ ଓ କହିଲେ - - ମାଧବସେନ, ମୋ ପରମବନ୍ଧୁ ... ତୁମେ? ମୋତେ କ୍ଷମା କରିଦେବ। ସେଦିନର ଘଟଣା ପାଇଁ ମୁଁ ଭୀଷଣ ଅନୁତପ୍ତ। ମୋ ଉପରେ ପ୍ରତିଶୋଧ ନେବାକୁ ତୁମେ ଶେଷରେ ମୋର ଏକମାତ୍ର କନ୍ଯାକୁ ଏପରି ଯୁବକ ସାଥିରେ ବିବାହ କରାଇବାକୁ କହୁଛ?
ସେତିକିବେଳେ ବୀରଭଦ୍ର ମାଧବସେନଙ୍କ ପାଖକୁ ଆସି କହିଲା- - ଗୁରୁଦେବ, ଆପଣ କହିବା ଅନୁସାରେ ମୁଁ ସବୁ କାମ ସାରିଦେଲି। ରାଜକୁମାରୀ ଜଲଦି ବରଣମାଳାଟା ମୋ ଗଳାରେ ଲମ୍ବାଇଦେଲେ ବିବାହକାର୍ଯ୍ଯଟା ସମାପ୍ତ ହୋଇଯାଆନ୍ତା। କଥା କଣ କି ,ମୋତେ ଭୀଷଣ ନିଦ ଲାଗିଲାଣି, ଯଦି ଅଧିକା ବିଳମ୍ବ ହେବାର ଆଶଙ୍କା ଅଛି ମୁଁ ଟିକେ ବିଶ୍ରାମ ନେଇ ଯାଆନ୍ତି।
ବୀରଭଦ୍ରର କଥାଶୁଣି ରାଜା,ରାଜକୁମାରୀ, ମାଧବସେନ୍ ଓ ଅନ୍ଯ ସମସ୍ତେ ହୋଃ ହୋଃ ହୋଇ ହସି ଉଠିଲେ। କିନ୍ତୁ ସେତିକି ବେଳକୁ ବୀରଭଦ୍ର ଏକ ବୃକ୍ଷତଳେ ଅତ୍ଯନ୍ତ ଆନନ୍ଦରେ ନିଦ୍ରାଭିଭୂତ ହୋଇ ସାରିଥିଲା।
ମାଧବସେନ ହସିହସି କହିଲେ- - ମୋ ଶିଷ୍ଯ ବହୁତ ବଡ ବୀର କିନ୍ତୁ ସେ ବୀରତ୍ବ କେବଳ ଆଳସ୍ଯପରାୟଣତାରେ ଦେଖାଏ। ବିବ୍ରତ ହୁଅନ୍ତୁ ନାହିଁ ମହାରାଜ ରାଜକୁମାରୀଙ୍କ ପାଇଁ ଯୋଗ୍ଯ ପ୍ରାର୍ଥୀ ଆମେ ମାନେ ଚୟନ କରିବା।
--ସମାପ୍ତ--
Friday, February 14, 2020
ରୁମ୍ ନମ୍ବର ତେର
ରୁମ୍ ନମ୍ବର ତେର
ଲେଖକ- © ଅରବିନ୍ଦ ରଥ
ବାଟରେ ବସ୍ ଖରାପ ହେବା କାରଣରୁ ହଷ୍ଟେଲରେ ପହଞ୍ଚିବା ବେଳକୁ ଢେର ବିଳମ୍ବ ହୋଇଯାଇଥିଲା। ବସଷ୍ଟାଣ୍ଡରେ ଥିବା ଅଳ୍ପ କେତୋଟି ଦୋକାନ ସେତେବେଳକୁ ବନ୍ଦ ହୋଇ ସାରିଥିଲା। ଗଗନ ଚାରିଆଡକୁ ଦେଖିଲା, ବସ୍ ରୁ ଓହ୍ଲାଇଥିବା ହାତଗଣତି ଲୋକଙ୍କୁ ଛାଡିଦେଲେ ସେ ଅଞ୍ଚଳରେ କାଉକୋଇଲିଙ୍କ ଦେଖା ନ ଥିଲା। କାନ୍ଧରେ ବ୍ଯାଗ୍ କୁ ଭଲରେ ଭିଡି ଲମ୍ବା ପାହୁଣ୍ଡ ପକାଇ ସେ ହଷ୍ଟେଲ ଅଭିମୁଖେ ଅଗ୍ରସର ହେବାକୁ ଲାଗିଲା। ଘରୁ ବାହାରିଲା ବେଳେ ଯାହା ପଖାଳଗଣ୍ଡେ ଖାଇଥିଲା,ତେଣୁ ପହଞ୍ଚିବା ବେଳକୁ ଭୋକରେ ମୂଷା ଦୌଡିବା ଆରମ୍ଭ କରି ଦେଇଥିଲେ ପେଟରେ। ଚଞ୍ଚଳ ପହଞ୍ଚିଥିଲେ ହଷ୍ଟେଲରେ କିଛି ଖାଇବା ମିଳି ଯାଇଥାନ୍ତା ; କିନ୍ତୁ ଭାଗ୍ଯ ଖରାପ ଯେ ଏତେ ଡେରି ହୋଇଗଲା। ବେଳା ଭଲଥିଲେ, ତା ସାଙ୍ଗରେ ରହୁଥିବା ସାଙ୍ଗ ମାନସ ପାଖରେ କିଛି ଖାଦ୍ଯ ମିଳି ଯାଇପାରେ। ନହେଲେ ରାତି ଟା ପାଣି ପିଇ ବିତାଇବାକୁ ପଡିବ। ମାଆଙ୍କ ଦେହ ଖରାପହେବା ଖବର ପାଇବା ପରେ ସେ କାହାକୁ ନ ଜଣାଇ ଗାଁଆକୁ ଚାଲି ଯାଇଥିଲା। ସେ ଗାଁଆକୁ ଯିବା କଥା ଟା ମାନସ ମଧ୍ଯ ଜାଣି ନ ଥିଲା। ତଥାପି ଆସିଲା ବେଳକୁ ଖଣ୍ଡେ କାଗଜରେ ଲେଖିଦେଇ ଆସିଥିଲା। କେଜାଣି, ମାନସ ଆଖିରେ ସେ ଲେଖା ପଡିଥିବ କି ନାହିଁ।
ହଷ୍ଟେଲ ଜଗୁଥିବା ବାହାଦୁର ଗେଟ୍ ଖୋଲିବାବେଳେ ଅବୋଧ୍ଯ ଭାଷାରେ କଣ ସବୁ ଗୁଣୁଗୁଣୁ ହୋଇ କହି ଚାଲିଲା। ସେ ଏତେ ମଦ ପିଇଥିଲା ଯେ ଅଞ୍ଚଳଟା ଦୁର୍ଗନ୍ଧରେ ଫାଟି ପଡୁଥିଲା।କଣ କହିବାକୁ ଚାହୁଁଥିଲା ତାକୁ ହିଁ ଜଣା। ଗଗନ କେବଳ ଏତିକି ଶୁଣି ପାରିଲା ଯେ- - ରୁମ୍ ନମ୍ବର ତେର ର ପିଲା ତ? ସାବଧାନ ହୋଇ ରହିବ। କିନ୍ତୁ କଣ ପାଇଁ ସାବଧାନ ହେବି ବୋଲି ପଚାରିଲା ବେଳକୁ ସେ ପାଟି ଆଁ କରି ଘୁଙ୍ଗୁଡି ମାରିବାରେ ଲାଗିଲା। ଗଗନ ଭାବିଲା ବେଶିଦିନ ଗାଁଆରେ ରହିଥିବା କାରଣରୁ ପ୍ରିନ୍ସିପାଲ୍ ନିହାତି ବିରକ୍ତ ହୋଇଥିବେ। ହଃ, ସେଥିପାଇଁ ଚିନ୍ତା ନାହିଁ। ତାଙ୍କୁ ଟିକେ ତେଲ ମାରି ଗୋଡ ତଳେ ପଡିଗଲେ ବୁଢା ସବୁ ମାଫ୍ କରିଦେବ।
ହଷ୍ଟେଲର ଶେଷ ଆଡକୁ ଥିଲା ରୁମ୍ ନମ୍ବର ତେର। ବାକି ସବୁ ରୁମ୍ ର ଆଲୁଅ ଲିଭି ସାରିଥିଲା। ଅନ୍ଯଦିନେ ପିଲାମାନେ ସାରାରାତି ବାରଣ୍ଡାରେ ଖୁସିଗମାତରେ ମାତି ଥାଆନ୍ତି, କିନ୍ତୁ ସେଦିନ କେହି ନ ଥିଲେ। ଚତୁର୍ଦ୍ଦିଗରେ କେବଳ ନୀରବତା ବିରାଜମାନ କରୁଥିଲା। ଗଗନକୁ ଆଶ୍ଚର୍ଯ୍ଯ ଲାଗିଲା, କାରଣ ସବୁ ରୁମ୍ ର ଝରକା ବନ୍ଦଥିଲା। କାରଣ ପ୍ରାୟ ସବୁଦିନ ଗରମରୁ ରକ୍ଷା ପାଇବାକୁ ପିଲାମାନେ ଝରକା ଖୋଲାକରି ଶୁଅନ୍ତି। ମଶାଙ୍କ ପ୍ରାଦୁର୍ଭାବ ପାଇଁ ପିଲାମାନେ ଝରକା ବନ୍ଦ କରିଛନ୍ତି ବୋଲି ଗଗନ ଭାବିଲା। ବାରଣ୍ଡାରେ ଲାଗିଥିବା ଅର୍ଦ୍ଧାଧିକ ବାରଲାଇଟ୍ ଜଳୁ ନ ଥିଲା। ଯେଉଁ କେତୋଟି ଜଳୁଥିଲା, କାପାସିଟର ଖରାପ ଥିବା କାରଣରୁ ଧପଧପ କରି ଜଳୁଥିଲା। ନିଶୁନ୍ ରାତିରେ ନିଜକୁ ସମ୍ପୂର୍ଣ୍ଣ ଏକୁଟିଆ ପାଇ, ଗଗନର ମନ ଦବିଯିବା ପରି ଲାଗିଲା। ଏତେଦିନ ଭିତରେ ହଷ୍ଟେଲରେ ଏପରି ଅନୁଭୁତି ତା ପାଇଁ ପ୍ରଥମଥିଲା।
ସଦାବେଳେ ପାଠପଢାରେ ସମୟ ବିତାଉଥିବା ଗଗନ, ଥରେ ରୁମ୍ ରେ ପଶିଲେ ଆଉ ବାହାରକୁ ବାହାରେନି। ହଷ୍ଟେଲମେସ୍ ରେ ପିଲାମାନେ ଅନେକ ସମୟରେ ଗଣ୍ଡଗୋଳ କରନ୍ତି ବୋଲି ସେ ନିଜ ରୁମ୍ ରେ ରୋଷଇକରି ଖାଏ। ଗଗନ ସାଙ୍ଗରେ ରୁମ୍ ରେ ରହୁଥିବା ମାନସ ପିଲା ହିସାବ ରେ ବହୁତ ଭଲଥିଲା ଓ ଭଲ ପାଠ ମଧ୍ଯ ପଢୁଥିଲା। ମାତ୍ର କଲେଜ ର ସିନିୟର ପିଲାମାନେ ତାକୁ ସବୁ ସମୟରେ ହଇରାଣ ହରକତ କରିଚାଲିଥିଲେ। ଅନେକ ସମୟରେ ସେମାନେ ମାନସକୁ ଅପମାନିତ କରିବା ସହିତ ବାଡିଆପିଟା ମଧ୍ଯ କରନ୍ତି। ନିରିହ ମାନସ ସେମାନଙ୍କ ଦ୍ବାରା ଅପମାନିତ ହୋଇ ରୁମରେ ବସି କାନ୍ଦେ ସିନା,କିନ୍ତୁ ପ୍ରତିବାଦ କରିପାରେନି। ଗଗନ ତାକୁ ସଦାବେଳେ ବୁଝାଏ ଯେ, ଦିନେ ନା ଦିନେ ସେ ଦୁଷ୍ଟପିଲା ମାନେ ତାଙ୍କ ଭୁଲ ବୁଝିପାରିବେ ଓ ହଇରାଣ କରିବା ବନ୍ଦ କରିଦେବେ। କିନ୍ତୁ ସେପରି କିଛି ହୁଏ ନାହିଁ। ଯେତେଯାହା ହେଲେ ବି ସେମାନେ ଧନୀକ ଶ୍ରେଣୀର ପିଲାଥିଲେ।ସେମାନଙ୍କ ବିରୁଦ୍ଧରେ ପ୍ରିନ୍ସିପାଲଙ୍କୁ ଅଭିଯୋଗ କରିବାର ସାହାସ କାହାର ବା ହେବ !! ମାନସ ପାଇଁ ଗଗନ କିଛି ସାହାଯ୍ଯ କରିପାରୁ ନଥିଲା, କାରଣ ସେ ପିଲା ମାନଙ୍କ ସହିତ ଶତୃତା କରିବାର ସାହାସ ତା ମନରେ ନଥିଲା।
ବାରଣ୍ଡାରେ ଚାଲୁଥିବା ସମୟରେ ଗଗନକୁ ଲାଗିଲା ପଛରେ କେହିଜଣେ ତାକୁ ଅନୁସରଣ କରୁଛି। ସେ ଲମ୍ବାପାହୁଣ୍ଡ ପକାଇ ଜୋରରେ ଚାଲିବାକୁ ଲାଗିଲା। ଅଚାନକ ଏକ କଳାରଙ୍ଗର ବିଲେଇ ବିକଟାଳ ଶବ୍ଦକରି ତା ଉପରକୁ ଡେଇଁ ପଡିଲା। ଚମକି ପଡି ସେ ପଛକୁ ଘୁଞ୍ଚିଯିବା ବେଳେ ଭାରସାମ୍ଯ ହରାଇ ତଳେ ପଡିଗଲା। ତାକୁ ଲାଗିଲା ତା ଉପରଦେଇ କିଛି ଲୋକ ଦୌଡି ଚାଲିଯାଉଛନ୍ତି।ସେତିକିବେଳେ ତା କାନରେ ଶୁଭିଲା କାହାର ଯନ୍ତ୍ରଣାସିକ୍ତ କରୁଣ ଚିତ୍କାର। ଭୟରେ ତା ପଞ୍ଜରାହାଡ ଥରି ଯିବା ପରି ଲାଗିଲା।
ମରିଗଲି ଲୋ ମାଆ-- - ଭୂତ ଆସିଲା କହି ସେ ଦୌଡିବାକୁ ଲାଗିଲା। ରୁମ୍ ର କବାଟକୁ ଯୋରରେ ଧକ୍କା ଦେଇ ସେ ଚିତ୍କାର କରି କହିଲା - - ଆରେ ମାନସ ମୋତେ ବଞ୍ଚାରେ , ଆମ ହଷ୍ଟେଲରେ ଭୂତ ଅଛନ୍ତି।
ଆଶ୍ଚର୍ଯ୍ଯର କଥା- - କବାଟ ଖୋଲା ଥିଲା। ଗଗନ ପ୍ରାଣବିକଳରେ ରୁମ୍ ଭିତରକୁ ଯାଇ କବାଟ କିଳିଦେଲା। ତା ଦେହରୁ ଗମଗମ ଝାଳ ବୋହି ଯାଉଥିଲା ଓ ଛାତି ଭିତରଟା ଭୟଙ୍କର ରୂପରେ ଧଡ୍ ଧଡ୍ କରି କମ୍ପମାନ ହେଉଥିଲା। ଏକ ଭୟାନକ ଭୌତିକ ଘଟଣାକୁ ସଦ୍ଯ ପ୍ରତ୍ଯକ୍ଷ କରିଥିବା ଗଗନ, ଝାଳରେ ଗୋଟାପଣେ ଭିଜି ଯାଇଥିଲା। କିନ୍ତୁ ରୁମ ଭିତରେ କିଛି ସମୟ ରହିବା ପରେ ତାକୁ ଶୀତ ଲାଗିଲା,କାହିଁକି କେଜାଣି, ରୁମ ଭିତରର ତାପମାତ୍ରା ବାହାର ଅପେକ୍ଷା କମ୍ ଥିଲା। କାଳେ ମାନସ ଶୋଇ ଯାଇଥିବ ଭାବି ସେ ଧିରସ୍ବରରେ ଡାକିଲା- - ଆରେ ମାନସ୍, ସାଙ୍ଗ ଶୋଇ ପଡିଛୁ କି?ମୋତେ ଭୀଷଣ ଡର ଲାଗୁଛି ରେ, ତୁ ଶୁଣୁଛୁ ତ?
କୌଣସି ଉତ୍ତର ନ ପାଇ ସେ ମାନସର ଖଟ ଆଡକୁ ଚାହିଁବାକୁ ଲାଗିଲା। ସେ ରୁମ୍ ରେ ପଶିବା ବେଳକୁ ଲାଇଟ୍ ଜଳୁଥିଲା, ତେଣୁ ମାନସ ସେଠାରେ ଅଛି ବୋଲି ସେ ନିଶ୍ଚିତ ଥିଲା। କାରଣ ମାନସ ସ୍ବଭାବରେ ନିହାତି ଡରୁଆ ଥିଲା ଓ ସେ ଅଧିକାଂଶ ସମୟରେ ଶୋଇବାବେଳେ ଲାଇଟ୍ ଲଗାଇ ରଖୁଥିଲା।
ପ୍ରତି ଆଠ ଫୁଟ ରେ ଦଶ ଫୁଟ ହଷ୍ଟେଲରୁମରେ ଦୁଇଖଣ୍ଡି କାଠ ଖଟ ପଡିଥିଲା। ଖଟ ପାଖରେ ଏକ ସାନ ଟେବୁଲ ପଡିଥିଲା ପଢିବା ପାଇଁ। ଖଟତଳେ ପିଲାଙ୍କର ଟ୍ରଙ୍କ,ବାକ୍ସ ଆଦି ରହୁଥିଲା ଓ ବହିପତ୍ର ସେଇ ଟେବୁଲ ଉପରେ। ମୁଖ୍ଯଦରଜାର ବାମ ପାଖରେ ରଖାଯାଇଥିଲା କିରାସିନି ଷ୍ଟୋଭ୍ ରୋଷେଇବାସ ପାଇଁ। ସେଇ ଷ୍ଟୋଭ୍ ଚାରିପଟେ ଡାଲି,ଚାଉଳ,ପରିବା,ତେଲ,ଲୁଣ ଆଦିର ପସରା ମେଲାଇ ହୋଇ ରହିଥିଲା। ପ୍ରାୟ ସବୁପିଲାଙ୍କ ଟେବୁଲ ଉପରେ ଶୋଭା ପାଉଥିଲା ଏକ ଶହେଟଙ୍କିଆ ଏଫ୍ ଏମ୍ ରେଡିଓ, ଯାହା ମନୋରଞ୍ଜନର ମୁଖ୍ଯ ମାଧ୍ଯମ ଥିଲା। ହଷ୍ଟେଲର ଅନ୍ଯପିଲା ମାନଙ୍କ ନଜରରୁ ଲୁଚାଇ, ଶୋଇବାଖଟ ଉପରେ ଚାଦର ଘୋଡେଇ ରଖାଯାଉଥିଲା ଚୁଡାଭଜା,ମୁଢି ବା ବୁଟ,ମଟର,ଚଣା। ହଷ୍ଟେଲର ଗାଧୁଆଘର ଓ ପାଇଖାନା ଥିଲା ଖଣ୍ଡେ ଦୂରରେ। ଆଗରୁ ଲାଇନ ନ ଲଗାଇଲେ, ନିଜ ପାଳି ପଡିବାକୁ ବେଶ୍ କସରତ କରିବାକୁ ପଡୁଥିଲା। ଗଗନକୁ ଭୀଷଣ ପରିଶ୍ରା ଲାଗୁଥିଲା, ମାତ୍ର ଗାଧୁଆଘର ଯାଏ ଯିବାକୁ ସାହାସ କୁଳାଉ ନ ଥିଲା। ମାନସକୁ ଖଟରେ ନ ଦେଖି ସେ ଭାବିଲା, ମାନସ ବୋଧେ ଗାଁଆକୁ ଯାଇଛି। କାଳେ କିଛି ଲେଖା ଛାଡିଥିବ ଭାବି ଚାରିଆଡେ ଖୋଜିଲା, କିନ୍ତୁ କିଛି ପାଇଲାନି। ଗାଁଆକୁ ଯିବ ବୋଲି ଗଗନ ନିଜ ପାଖରେ ରଖିଥିବା ସବୁ ଚୁଡା,ମୁଢି ଆଦି ଶେଷ କରିଦେଇଥିଲା। ମାନସକୁ ରୁମ୍ ରେ ନ ଦେଖି ବଡ ସନ୍ତର୍ପଣରେ ତା ଖଟର ଚଦରତଳୁ ମୁଢିଡବା ଖୋଲି ତିନିଚାରି କଳ ପାଟିରେ ପକାଇ ଚୋବାଇବାରେ ଲାଗିଲା। ପାଣି ଢୋକେ ପିଇଦେଇ ଶାନ୍ତିରେ ହେଉଡି ମାରି କହିଲା- - ଆହା, ସାଙ୍ଗର ମୁଢି ଥିଲା ବୋଲି ସିନା ଜୀବନ ଟା ବଞ୍ଚିଗଲା ; ନହେଲେ ଆଜି ଭୋକରେ ମରିଥାନ୍ତି। ବାରଣ୍ଡାରେ ଘଟିଥିବା ଘଟଣା ତା ମନକୁ ବାରମ୍ବାର ଆନ୍ଦୋଳିତ କରିଚାଲିଥିଲା ଓ ମନଟା ଦବିଗଲା ପରି ଲାଗୁଥିଲା। ହନୁମାନଙ୍କ ଫଟୋକୁ ମୁଣ୍ଡିଆ ମାରି ସେ ଚାଦର ଘୋଡାଇ ଶୋଇବାକୁ ବାହାରିଲା। ସେତେବେଳକୁ ସମୟ ଜମା ରାତି ଦୁଇଟା, ସକାଳ ପାହିବାକୁ ଅନେକ ସମୟ ବାକିଥିଲା।
କିଛି ସମୟ ପରେ ତାକୁ ଲାଗିଲା ରୁମ୍ ଭିତରେ କିଏ ଅସ୍ତବ୍ଯସ୍ତ ହୋଇ ଚଲାବୁଲା କରୁଛି। ଚାଦର ଭିତରୁ ମୁହଁ କାଢି କିଏ ବୋଲି ଦେଖିବାକୁ ତାର ସାହାସ ନ ଥିଲା। ଅତଏବ ଚାଦର ଭିତରୁ ପଚାରିଲା- - ମାନସ ଆସିଲୁ କିରେ ? କଣ ବାଥରୁମ୍ କୁ ଯାଇଥିଲୁ ନା କଣ? କୌଣସି ଉତ୍ତର ନ ପାଇ ମନଟା ଆହୁରି ଦବିଗଲା। କିନ୍ତୁ ରୁମ୍ ଭିତରେ କିଏଅଛି ବୋଲି ଦେଖିବା କଥା ସେ ଚିନ୍ତା ମଧ୍ଯ କରି ପାରୁ ନଥିଲା। ତାକୁ ଲାଗିଲା ବେଳ କୁ ବେଳ ରୁମ୍ ର ତାପମାତ୍ରା ଆହୁରି କମି ଚାଲିଛି। ତାକୁ ଭୀଷଣ ଶୀତ ଅନୁଭୁତ ହେଲା। ମେ ମାସର ଝାଳବୁହା ଗରମ ରାତିରେ ଏତେ ଥଣ୍ଡା କାହିଁକି ଲାଗୁଛି ବୋଲି ସେ ଜାଣି ପାରୁ ନ ଥିଲା। ଏମିତି କିଛି ସମୟ ବିତିଗଲା। ପୁଣି କିଏ ଚାଲିବାର ଶବ୍ଦ ସ୍ପଷ୍ଟ ଶୁଭିଲା ଓ ସେ ଶବ୍ଦ ତା ଖଟ ପାଖରେ ନୀରବ ହୋଇଗଲା। ସେ ପୁଣି ପଚାରିଲା- - ମାନସ୍ ମୋତେ ଡର ଲାଗୁଛି, ଯଦି ତୁ ମୋ ପାଖରେ ଅଛୁ କିଛି କହୁନୁ କଣ ପାଇଁ?ମୁଁ ପରା ତୋର ଭଲ ସାଙ୍ଗ, ମୋତେ ଡରାଇ ତୋତେ କି ଲାଭ ମିଳିବ କହିଲୁ?
ଏତେ ସମୟ ପରେ ରୁମ୍ ର ନୀରବତା ଭାଙ୍ଗି କିଏ ଜଣେ କହିଲା- - ହୁଁ ମୁଁ ମାନସ । ତୋର ଏତେ ଡରିବା ଦରକାର ନାହିଁ। ମୁଁ ତୋର କିଛି କ୍ଷତି କରିବିନି। ଚୁପଚାପ ଶୋଇପଡ।
କଥା ଟା ଗଗନକୁ ବଡ ବିଚିତ୍ର ଲାଗିଲା। ମାନସ ତ ଏମିତି ଗମ୍ଭୀର ଗଳାରେ କେବେ କଥା ହୁଏନି, ପୁଣି କ୍ଷତି କରିବା କଥା କହୁଛି କାହିଁକି? ସେ ଭାବିଲା ପୁଣି ବୋଧେ ସେ ପିଲାମାନେ ମାନସକୁ ବାଡିଆପିଟା କରିଛନ୍ତି ବୋଲି ମାନସର ମନ ଭଲ ନାହିଁ।
- - ଆରେ ମୁଁ ତୋ ଡବାରୁ ମୁଢି ଟିକେ ଖାଇଦେଇଛି, ଭୀଷଣ ଭୋକ ଲାଗିଲା ତ। ଖରାପ ଭାବିବୁନି ମୋତେ।
- - ହୁଁଃ, ଖରାପ ଭାବିବିନି। ହଉ ଚଦର ତଳେ ଚୁପଚାପ୍ ଶୋଇପଡ। ସକାଳେ କଥାହେବା। କହିଲା ମାନସ।
ରୁମ୍ ରେ ମାନସ ଅଛି ବୋଲି ନିଶ୍ଚିତ ହେବା ପରେ ଗଗନ ମନରେ ସାହାସ ଆସିଗଲା ଓ ଆରାମରେ ଚାଦର ଘୋଡାଇ ଶୋଇରହିଲା। ତାର ମନ ହେଉଥଲା ପଚାରିବାକୁ- - ଆରେ ତୋତେ ଶୀତ ହେଉଛି ନା ମୋତେ ଏକା ଶୀତ ଲାଗୁଛି ? କିନ୍ତୁ ମାନସର ମନର ଅବସ୍ଥା ଦେଖି ପଚାରି ପାରିଲାନି। କିଛି ସମୟପରେ ତାକୁ ଲାଗିଲା କେହି ଜଣେ ବାହୁନି ବାହୁନି କାନ୍ଦୁଛି। ତା ନିଦ ଭାଙ୍ଗିଗଲା ଓ ସେ କାନ ଡେରି ଶୁଣିବାକୁ ଲାଗିଲା। ଏ କଣ? କୌଣସି ବୁଢୀ ଲୋକ କାନ୍ଦିବା ପରି ଶୁଭୁଛି। କିନ୍ତୁ ହଷ୍ଟେଲ ଭିତରକୁ କୌଣସି ପିଲାଙ୍କର ଅଭିଭାବକ ଆସିବା ମନା, ପୁଣି ରାତିରେ ହଷ୍ଟେଲରେ ରହିବାକୁ ଅନୁମତି ପାଇବା ନିହାତି ଅସମ୍ଭବ ଥିଲା। ତେବେ କିଏ ଏ ବୃଦ୍ଧା? ପୁଣି ଶୁଭିଲା ମାନସର କାନ୍ଦ।- ହୁଁ ହୁଁ ଉଁ ଉଁ। ସେ କାନ୍ଦରେ କାରୁଣ୍ଯତା ଅପେକ୍ଷା କ୍ରୋଧ ଓ ବିଫଳତାର ମାତ୍ରା ଅଧିକ ଥିଲା। ଲାଗୁଥିଲା ସେ ଟେବୁଲ ଉପରେ ମୁଣ୍ଡ ବାଡେଇ ଜୋର ଜୋରରେ କାନ୍ଦୁଛି। ଏସବୁ ଘଟଣା ସେଇ ରୁମ୍ ଭିତରେ ଘଟି ଚାଲିଥିଲେ ମଧ୍ଯ ଗଗନର ସାହାସ ନ ଥିଲା ମାନସ କୁ ବୁଝାଇବା ପାଇଁ। ଯେତେବେଳେ ମାନସ ର କାନ୍ଦର ମାତ୍ରା ବଢିଗଲା ସେ ବ୍ଯସ୍ତ ହୋଇ ଉଠିଲା। ସେ ପାଟି କରି କହିଲା- - ଆରେ ମାନସ କଣ ହୋଇଛି ତୋର, କାନ୍ଦୁଛୁ କାହିଁକି? ମାଉସୀ ଆସିଛନ୍ତି କି?
- - ଚୁପ୍ କର ଗଗନ, ତୋତେ କହିଲି ପରା ଚାଦର ଭିତରେ ରହ, ବାହାରକୁ ଦେଖିବାର ସାହାସ ବି କରିବୁନି। ନହେଲେ ଭୟଙ୍କର ବିପଦରେ ପଡିବୁ।
ସେତକିବେଳେ ଗଗନ ଅନୁଭବ କଲା ସେ ନାରୀ ମୂର୍ତ୍ତିଟି ଝଡବେଗରେ ତା ଆଡକୁ ମାଡି ଆସୁଛି। ମାନସ ଚିତ୍କାର କରି କହିଲା- - ରହି ଯାଆ ମାଆ, ସେଇ ଯାଗାରେ ରହିଯା। ମୋ ସାଙ୍ଗ କିଛି ବି ଦୋଷ କରିନି, ତାକୁ ଛାଡି ଦେ।
ଚାଦର ତଳେ ଗଗନ ଗୋଟାପଣେ ଥରିବାରେ ଲାଗିଥିଲା। ତା ରକ୍ତ ପାଣି ଫାଟିଯିବା ମନେ ହେଉଥିଲା। ହୃଦୟର ଗତି ଏତେ ମାତ୍ରାରେ ତୀବ୍ର ହୋଇ ସାରିଥିଲା ଯେ ତାକୁ ଲାଗୁଥିଲା, ଯେ କୌଣସି ସମୟରେ ତା ଛାତି ଫାଟିଯିବ। ବେକରେ ପଡିଥବା ହନୁମାନଙ୍କ ଲକେଟ୍ କୁ ଜାବୁଡି ସେ ମନେମନେ ହନୁମାନ ଚାଳିଶା ବୋଲିବାରେ ଲାଗିଲା। ହଠାତ୍ ରୁମ୍ ଭିତରେ ଭୀଷଣ କୋଳାହଳ ଶୁଭିବା ଆରମ୍ଭ ହେଲା। ବିକଟ ଚିତ୍କାର ଓ ବୁକୁଫଟା କ୍ରନ୍ଦନ ସହିତ ଦୁମ୍ ଦାମ୍ ଶବ୍ଦରେ ରୁମ୍ ଭିତର ଟା ପଡୁଥିଲା ଉଠୁଥିଲା। ମାନସର ଟ୍ରଙ୍କକୁ କେହି ଜଣେ ଘୋଷାରି ରୁମ୍ ଭିତରେ ବୁଲାଇବାକୁ ଲାଗିଲା, ତା ସହ ଶୁଭିଲା ମୁଢି,ଚୁଡା ରଖା ଯାଇଥିବା ଡବାରେ କେହି ଜଣେ ବାଜା ବଜାଇବାର ଶବ୍ଦ ଶୁଭିଲା। ପଚାମାଂସର ଗନ୍ଧ ସାଙ୍ଗରେ ମିଶ୍ରିତ ହୋଇ ଚାଲିଥିଲା ପୋଡାମାଂସର ଗନ୍ଧ ଓ ରୁମ୍ ଭିତରର ଆବହାଓ୍ବା ବେଳକୁ ବେଳ ପୈଶାଚିକ ହୋଇ ଚାଲିଥିଲା। ତା ସାଙ୍ଗକୁ ମାରିଦିଅ ଜାଳିଦିଅ ତଣ୍ଟିକଣା କରିଦିଅ ଆଦି ବିକଟ ଚିତ୍କାର ଗଗନ କାନରେ ଗୁଞ୍ଜରିତ ହେବାକୁ ଲାଗିଲା।
- - - ରହି ଯାଆରେ ଧନ - - ମୋ ସୁନା ଟା ପରା- - ମୋ କଥା ଥରେ ଭାବେ, ସେମିତି କିଛି କରନି ରେ ପୁଅ- - ତୋତେ ମୋ ରାଣ- - ଏମିତି କହି ବୃଦ୍ଧା ଜଣଙ୍କ ରାହାଧରି କାନ୍ଦି ଚାଲିଥିଲେ। ଅଚାନକ୍ କିଛି ଭାରି ଜିନିଷ ଝୁଲିବା ସହ ଗଁ ଗଁ ଓ ହାତଗୋଡ ଛାଟିବାର ଶବ୍ଦ ସ୍ପଷ୍ଟ ଶୁଭିଲା।
ପୁଣି ଶୁଭିଲା ବୃଦ୍ଧାର କରୁଣ ଆର୍ତ୍ତଚିତ୍କାର- - - ମୋ ଧନରେ ମୋତେ ଛାଡି ଯାଆନି ରେ...... ତୁ ପରା ମୋର ଏକୋଇର ବଳା ବିଶିକେସନ। ତୋ ଛଡା ମୋର ଆଉ କିଏ ଅଛି କହିଲୁ? ପାଠପଢି ବଡ ମଣିଷ ହେବୁ ବୋଲି ସହରକୁ ଆସିଲୁ, ଶେଷରେ ଏଇଆ କଲୁ?? ବୃଦ୍ଧାର ଚିତ୍କାର କାହିଁ କେତେଗୁଣରେ ବଢି ଯାଇଥିଲା ଓ ସେ ପୈଶାଚିକ ସ୍ବରରେ କହିଚାଲିଥିଲା କାହାକୁ ଛାଡିବିନି ସମସ୍ତଙ୍କୁ ମାରିଦେବି- - - ମୋ ପୁଅକୁ ଯିଏସବୁ ମାରିଛ ମୁଁ କାହାକୁ ଛାଡିବିନି- - -
ହଠାତ୍ ରୁମ୍ ଭିତରେ ଛାଇଗଲା ଶ୍ମଶାନର ନୀରବତା। ବହୁତ ସାହାସ କରି ଚାଦରକୁ ମୁହଁ ଉପରୁ ଖସାଇ ଗଗନ ଯାହା ଦେଖିଲା, ତା ଦେହହାତ ବରଫ ପରି ଥଣ୍ଡା ହୋଇଗଲା। ଭୟ, ଆଶ୍ଚର୍ଯ୍ଯ ଓ ଆଶଙ୍କାରେ ତା ପାଟି ଜାବ ପଡିଗଲା। ତା ସାମ୍ନାରେ ଝୁଲୁଥିଲା ମାନସର ମୃତଦେହ, ସେ ଦଉଡି ଦେଇ ଆତ୍ମହତ୍ଯା କରି ସାରିଥିଲା। ତାକୁ ଜାବୁଡି ଧରି କାନ୍ଦି ଚାଲିଥିଲା ଜଣେ ବୃଦ୍ଧା। ମାନସର ମୁହଁ କୁ ଗଗନ ନିରେଖି ଦେଖିବା ସମୟରେ ମାନସର ଆଖି ଖୋଲିଗଲା, ଯାହାଥିଲା ରକ୍ତପରି ଲାଲ୍ ଓ ତା ମଧ୍ଯରେ ପ୍ରତିଶୋଧର ବହ୍ନି ଜଳୁଥିଲା। ସେ ବୃଦ୍ଧା କଟମଟ କରି ଗଗନ ଆଡକୁ ଚାହିଁଲା- - ତା ଆଖି ଦୁଇଟି ନିଆଁରଡ ପରି ଜଳୁଥିଲା ଓ ପାଟିରୁ ରକ୍ତଧାର ଝରି ପଡୁଥିଲା। କିଛି ସମୟ ପୂର୍ବରୁ ବାରଣ୍ଡାରେ ଦେଖିଥିବା କଳା ବିଲେଇ ଟା ବୃଦ୍ଧା ପାଖରେ ବସି ଗଗନ ଆଡକୁ ଏକ ଲୟରେ ଚାହିଁ ରହିଥିଲା, ସତେକି ସେ ଗଗନ ଉପରକୁ ଡେଇଁ ପଡିବ। ବୃଦ୍ଧା ପାଟି ମେଲା କରି ଭୟଙ୍କର ହସରେ ରୁମ୍ ଭିତରକୁ କମ୍ପମାନ କରିଦେଲା। ତା ପାଟିଭିତରୁ ଦିଶି ଯାଉଥିଲା ଚକଚକ କରୁଥିବା ମୁନିଆ ଦାନ୍ତ ଗୁଡିକ। ଦୁଇଟି ଭୟାନକ ଶିରାଳ ହାତ ଗଗନର ବେକ ଆଡକୁ ଲମ୍ବି ଆସିଲା। ମାନସ ର ଶରୀର ଦଉଡିରେ ଝୁଲୁଥିଲା ଓ ସେ ମଧ୍ଯ ବିକଟ ଚିତ୍କାର କରି ହସିବାରେ ଲାଗିଲା। ଭୟଙ୍କର ଭାବରେ ଥରିବାକୁ ଲାଗିଲା ଗଗନ ଓ ନିଜର ମୃତ୍ଯୁ ଅବଶ୍ଯମ୍ଭାବୀ ଭାବି ଚେତାଶୂନ୍ଯ ହୋଇ ପଡିଗଲା।
ଘଟଣା ପରଦିନ ଗଗନକୁ ମୂମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଗଲା। ବେଶ୍ କିଛିଦିନ ମେଡିକାଲରେ ପଡିବା ପରେ ସେ ଭଲହେଲା। ପରେ ସେ ଜାଣିବାକୁ ପାଇଲା ଯେ, ସେ ଗାଁଆକୁ ଯିବାର କିଛିଦିନ ମଧ୍ଯରେ, ସିନିୟର ମାନଙ୍କ ଅତ୍ଯାଚାରରେ ବ୍ଯଥିତ ହୋଇ ମାନସ ସେହି ତେର ନମ୍ବର ରୁମ୍ ରେ ଦଉଡିଦେଇ ଆତ୍ମହତ୍ଯା କରିଥିଲା। ଏକମାତ୍ର ପୁଅର ମୃତ୍ଯୁରେ ଭୟଙ୍କର ମାନସିକ ଆଘାତ ପାଇ ମାନସର ମାଆ ମଧ୍ଯ ହୃଦଘାତରେ ପ୍ରାଣ ହରାଇଥିଲା। ମାନସର ମୃତ୍ଯୁ ପରେ ହଷ୍ଟେଲରେ ଆରମ୍ଭ ହୋଇ ଯାଇଥିଲା ବିଭିନ୍ନ ଲୋମହର୍ଷକ ଭୌତିକକାଣ୍ଡର ଅସରନ୍ତି ଘଟଣାକ୍ରମ। ମାନସ ଆତ୍ମହତ୍ଯା ପାଇଁ ଦାୟୀଥିବା ଚାରିଜଣ ସିନିୟର ପିଲା ବଡ ଅସ୍ବାଭାବିକ ରୂପରେ ପ୍ରାଣ ହରାଇଥିଲେ। ଜଣେ ପିଲା ଟ୍ରେନ ସାମ୍ନାରେ,ଜଣେ ନିଜ ହାତର ଶିରା କାଟି,ଜଣେ ଛାତରୁ ଡେଇଁ ଓ ଜଣେ କେମିଷ୍ଟ୍ରି ଲ୍ଯାବ୍ ରେ ଏସିଡ୍ ପିଇ ଆତ୍ମହତ୍ଯା କରିଥିଲା। ହଷ୍ଟେଲପିଲା ମାନେ ଧିରେଧିରେ ହଷ୍ଟେଲଛାଡି ବାହାରେ ମେସ୍ କରି ରହିବା ଆରମ୍ଭ କରି ଦେଇଥିଲେ।
ଏହି ଘଟଣା ଘଟିବାର ବହୁବର୍ଷ ବିତି ଗଲାଣି ଓ ଲୋକମାନଙ୍କ ମାନସପଟ୍ଟରୁ ପ୍ରେତାତ୍ମାର ଭୟଙ୍କର ପ୍ରତିଶୋଧର କାହାଣୀ ଲିଭି ଆସିଲାଣି। କିନ୍ତୁ ଏବେ ବି ହଷ୍ଟେଲ ର ରୁମ ନମ୍ବର ତେର ଖାଲି ପଡିଛି। କାହାର ସାହାସ ନାହିଁ ସେ ରୁମ୍ ରେ ବା ତା ଆଖପାଖ ରୁମ୍ ରେ ରହିବାର । ହଷ୍ଟେଲ୍ ପିଲାମାନେ ଏବେ ବି କୁହନ୍ତି- - ସବୁଦିନ ରାତିରେ ଏକ ଛାୟାମୂର୍ତ୍ତି ହଷ୍ଟେଲ ବାରଣ୍ଡାରେ ବ୍ଯସ୍ତ ହୋଇ ଚଲାବୁଲା କରେ ଓ ଦୁଇ ଆଣ୍ଠୁରେ ମୁହଁ ମାଡି ବଡ ବିକଳ ହୋଇ କାନ୍ଦେ। କେଜାଣି କିଏ ସେ ଛାୟାମୂର୍ତ୍ତି?? ତେର ନମ୍ବର ରୁମ୍ ର ମାନସ୍ ନୁହଁ ତ ???
--------------
ଭାରତବନ୍ଦ
ଭାରତବନ୍ଦ
ଲେଖକ- © ଅରବିନ୍ଦ ରଥ
ଆସନ୍ତାକାଲି ଭାରତବନ୍ଦ; କାରଣ କଣ ରଘୁଆ କୁ ଜଣାନାହିଁ। ବନ୍ଦକୁ ସମର୍ଥନ କରିବ ବା ବିରୋଧ, ସେ ବିଷୟରେ ମଧ୍ଯ ତାର ଜ୍ଞାନ ନାହିଁ। କାହାର କଣ ସୁବିଧା ହେବ ବା ଅସୁବିଧା, ସେ ବିଷୟରେ ଜାଣି ତାର ବା କି ଲାଭ ! ଲୋକେ କହୁଛନ୍ତି ସ୍କୁଲକଲେଜ୍, ଅଫିସ୍,ଦୋକାନ ବଜାର,ଚକଅଖ,ରେଳଗାଡି,ଉଡାଜାହାଜ ସବୁ ବନ୍ଦହେବ। ବନ୍ଦବେଳେ ଯାହା ସବୁ ବନ୍ଦ ହେବ ତାର କୌଣସିଥିରେ କାମ ନାହିଁ। ନା ସେ ଚାକିରି କରିଛି ନା ଦୋକାନ ନା ତା ପିଲାମାନେ ପାଠ ପଢୁଛନ୍ତି। ରିକ୍ସାରେ ବସିବା ତ ତା ପାଇଁ ସ୍ବପ୍ନ , ଏ ରେଳଗାଡି,ଉଡାଜାହାଜ କଥା ପଚାରେ କିଏ। ଦୋକାନ ବଜାରରୁ କିଛି କିଣିବା ପାଇଁ ପାଖରେ ପଇସା ନାହିଁ,ସେସବୁ ବନ୍ଦ ହେଲେ ମଧ୍ଯ ତାର କିଛି ଅସୁବିଧା ହେବାର ନାହିଁ। ଅଳିଆଗଦା ଓ ରାସ୍ତାଘାଟରୁ ଜରି ଗୋଟାଇ ସେ ପରିବାର ଚଳାଏ। ଲୋକଙ୍କ ଫିଙ୍ଗା ଫୋପଡା ଖାଦ୍ଯରେ ତା ପରିବାରର ପାଟି ଚାଲେ। କିଛି ମିଳିଲେ ଖାଇବେ ନହେଲେ ପାଣି ପିଇ ଶୋଇବା କଥା। କିନ୍ତୁ ଭାରତବନ୍ଦ ହେବ ବୋଲି ତା ମନରେ ଥିଲା ଅଫୁରନ୍ତ ଆନନ୍ଦ।
ଆଗକୁ ସରସ୍ବତୀ ପୂଜା ଆସୁଛି। ପିଲା ଦୁଇଟା ନୂଆ ଜାମା ହଳେ ପାଇଁ ଡହଳବିକଳ ହେଉଛନ୍ତି। କିଛି ନ ହେଲେ ଭାରତବନ୍ଦରେ ବ୍ଯବହୃତ ବ୍ଯାନର କପଡା ଓ ପତାକାରେ ପିଲା ଦୁଇଟା ପାଇଁ ଜାମା ହଳେ ତ ସିଲେଇ କରି ପାରିବ। ଭାଗ୍ଯରେ ଥିଲେ ସୁନି ର ଶାଢୀ ପାଇଁ ଖଣ୍ଡେ ଚକମକିଆ କପଡା ବି ମିଳିଯିବ। ରାସ୍ତାରେ ପଡିଥିବା ଦରପୋଡା ଟାୟାର ଯୋଗାଡ କରି ଶୀତରାତିରେ ଜାଳିବାପାଇଁ ଜାଳଟିକେ ଯୋଗାଡ ହୋଇଯିବ। ବନ୍ଦ ପାଳନକାରୀଙ୍କ ଫୋପଡା ମଦବୋତଲରୁ ଢୋକେ ଦୁଇ ଢୋକ ମଦ ମିଳିବା ସହିତ ଖାଲି ବୋତଲ ବିକ୍ରିପାଇଁ ମିଳିଯିବ। ଆଉ କଣ ବା ଦରକାର ରଘୁଆ କୁ ?? ସେ ତ ଠାକୁରଙ୍କୁ ସଦା ବେଳେ ଡାକୁଥାଏ-- ପ୍ରଭୋ, ମାସରେ ଦଶ ବାର ଥର ଏମିତି ଭାରନ୍ଦବନ୍ଦ ହୁଅନ୍ତାନି !!
-------
ତିନି ଟା ପନ୍ଦର
ତିନି ଟା ପନ୍ଦର
ଲେଖକ - © ଅରବିନ୍ଦ ରଥ
ପିକନିକରୁ ଫେରିବା ପରେ ବହୁତ ଥକି ଯାଇଥିଲା ବିଜୟ। ଅସଜଡା ଶେଯରେ ଅବଶ ଦେହକୁ ଲମ୍ବାଇ ଦେବାର କିଛି ସମୟ ଯାଇଛି କି ନାହିଁ; ସେ ଗଭୀର ନିଦ୍ରାରେ ଶୋଇପଡିଲା। ଏକ ଅବିବାହିତ ଯୁବକର ଘର ଯେମିତି ରହିବା କଥା ସେମିତି ହିଁ ଥିଲା ବିଜୟର। ଘରର ଚାରିଆଡେ ମଇଳା ପ୍ଯାଣ୍ଟସାର୍ଟର ପ୍ରଦର୍ଶନୀ ସହିତ ବେଶ୍ ମେଳ ଖାଉଥିଲା ଖାଲି ମଦବୋତଲ,ସିଗାରେଟ୍ ଟୁକୁଡା ଓ ପଲିଥିନ୍ ବ୍ଯାଗ୍ ର ସମ୍ଭାର। ଖଟର ଅବସ୍ଥା ନ କହିବା ଭଲ; ଲାପଟପ୍,ମୋବାଇଲ ଚାର୍ଜର,ପେନ୍ ଡ୍ରାଇଭ୍ ଆଦି ଉପକରଣ ମାନ ଇତଃସ୍ତତଃ ଭାବରେ ଖଟରେ ନିଜର ସ୍ଥାନ ସୁଦୃଢ କରି ରହିଥିଲେ। ଜଣେ ଲୋକ ଶୋଇବା ପାଇଁ ଯେତିକି ସ୍ଥାନ ଆବଶ୍ଯକ କେବଳ ସେତିକି ହିଁ ଖାଲି ଥିଲା ଓ ବିଜୟ ଶୋଇଯିବା ପରେ ସେ ଖାଲି ସ୍ଥାନ ମଧ୍ଯ ପୂର୍ଣ୍ଣ ହୋଇ ଯାଇଥିଲା।
ସହରସାରା ବହୁତ ଖୋଜିବାପରେ ତାକୁ ମିଳିଥିଲା ନିକାଞ୍ଚନ ସ୍ଥାନରେ ଏହି ଘର। ଭଡା ବହୁତ କମ୍ ଥିଲା ଓ ମାଲିକ ରହୁଥିଲା ଅନ୍ଯ ଏକ ସହରରେ। ତେଣୁ ଘରମାଲିକର ଅତ୍ଯାଚାରରୁ ମୁକ୍ତି ପାଇବା ସହିତ ଜୀବନକୁ ସମ୍ପୂର୍ଣ୍ଣ ଉପଭୋଗ କରିବାର ସୁଯୋଗ ପାଇଥିଲା ବିଜୟ। କିନ୍ତୁ ସେ ସ୍ଥାନରେ ଘରଭଡା ନେବାପରେ ବିଜୟକୁ ଆଖପାଖର ଲୋକେ ନାନାକଥା କହି ସେ ଘର ଛାଡି ଚାଲିଯିବାକୁ ଉପଦେଶ ଦେଇଥିଲେ। ସେମାନଙ୍କ କହିବା ଅନୁଯାୟୀ, ବହୁ ବର୍ଷଧରି ସେ ଘର ଖାଲି ଥିଲା ଓ କୌଣସି ଲୋକ ସେ ଘରେ ରହିବାର ସାହାସ କରି ପାରୁ ନ ଥିଲେ। ସହର ଉପକଣ୍ଠରେ ଘର ଟି ଥିଲେ ମଧ୍ଯ ଭଡା ଲାଗି ପାରୁ ନ ଥିଲା। ଘରମାଲିକ ଭଡା କମାଇବା ପରେ ମଧ୍ଯ କୌଣସି ଲୋକ ସେ ଘରକୁ ଆସୁ ନ ଥିଲେ। ଗୁଜବ ଅନୁସାରେ, ସେ ଘରକୁ ଏକ ପ୍ରେତାତ୍ମା ଅକ୍ତିଆର କରି ରଖିଥିଲା। ଅଗଣିତ ପୂଜାପାଠ ଓ ମନ୍ତ୍ରତନ୍ତ୍ର କରିବା ପରେ ମଧ୍ଯ ସେ ଘରକୁ ଆତ୍ମା କବଳରୁ ମୁକ୍ତ କରାଯାଇ ପାରି ନଥିଲା। ଏସବୁ କଥା ବିଜୟ ଉପରେ କୌଣସି ପ୍ରଭାବ ପକାଇ ପାରୁ ନଥିଲା। ସେ ଥିଲା ଘୋର ନାସ୍ତିକ। ଭଗବାନଙ୍କ ସତ୍ତାକୁ ଅସ୍ବୀକାର କରୁଥିବା ଲୋକ, ଭୂତପ୍ରେତଙ୍କ ଉପରେ ଯାହା ବିଶ୍ବାସ କରୁଥିବ ସେକଥା ସହଜରେ ଅନୁମେୟ। ଘରକୁ ଆସିବାର ଦୁଇମାସ ବିତି ସାରିଥିଲା, କିନ୍ତୁ ସେପରି କିଛିି ଅସ୍ବାଭାବିକତା ଲକ୍ଷ୍ଯ କରିପାରୁ ନଥିଲା ବିଜୟ । ସେ ନିଶ୍ଚିତ ଥିଲା ଯେ ଲୋକଙ୍କ ମନଗଢା କାହାଣୀର ପ୍ରକୋପରେ ବିଚରା ଘରଟି ଅଭିଶପ୍ତ ହୋଇ ଯାଇଥିଲା ଯାହା; ନହେଲେ କୌଣସି ପ୍ରେତାତ୍ମା ବା ଦୁଷ୍ଟଶକ୍ତିର ଲେଶ ମାତ୍ର ଚିହ୍ନ ନ ଥିଲା।
ହଠାତ୍ କବାଟରେ କେହି ଜଣେ ଭୀଷଣ ଜୋରରେ ଆଘାତ ଦେଲା ଠକ୍ ଠକ୍ ଠକ୍। ବିଜୟର ନିଦ ଭାଙ୍ଗିଗଲା। ହାତଘଣ୍ଟାକୁ ନିରେଖି ଦେଖିଲା, ସମୟ ଠିକ୍ ରାତି ତିନି ପନ୍ଦର । ବାହାରେ କୁକୁର ମାନଙ୍କର ବିକଟାଳ ଚିତ୍କାର ଅନବରତ ଶୁଭୁଥିଲା, ଲାଗୁଥିଲା ସେମାନେ କାହାର ପିଛା ଭୁକି ଚାଲିଥିଲେ। ଡିସେମ୍ବର ମାସ ଶୀତୁଆ ରାତିର ହାଡଭଙ୍ଗା ଶୀତକୁ ଭ୍ରୁକ୍ଷେପ ନ କରି, ବାହାରେ କେହି ଯେ ଚଲାବୁଲା କରୁଥିବ, ସେକଥା ବିଶ୍ବାସ କରିବା ନିହାତି କଷ୍ଟକର ଥିଲା। ବିଜୟ ଘର ପାଖରେ କୌଣସି ଘର ନ ଥିଲା ଓ ନିକଟସ୍ଥ ଘର ଥିଲା ପାଖାପାଖି ଦୁଇ କିଲୋମିଟର ଦୂରରେ। ଏପରି ପରିସ୍ଥିତି ରେ କୌଣସି ଲୋକ ଆସି ତାକୁ ଡାକୁଥିବ ବୋଲି ଭାବିବା ଅସମ୍ଭବ ଥିଲା। ବିଜୟ ମନ ଭିତରେ ପରସ୍ପରବିରୋଧୀ ଚିନ୍ତାଧାରାର ଘମାଘୋଟ ଯୁଦ୍ଧ ଆରମ୍ଭ ହୋଇ ସାରିଥିଲା। ସେ ଖଟ ଉପରେ ବସି ରହି କବାଟ ଆଡକୁ କାନ ଡେରି ରହିଲା। ପ୍ରକୃତରେ ମୃଦୁ ଆଘାତ କରି କିଏ ଡାକିଲା ବା ପବନରେ ସେପରି ଶବ୍ଦ ସୃଷ୍ଟି ହେଲା, ସେକଥା ଭାବି ଚାଲିଥିଲା ବିଜୟ। ବେଶ୍ କିଛି ସମୟ ର ଅଖଣ୍ଡ ନୀରବତା- - କେବଳ ବିଜୟର ନିଶ୍ବାସ ପ୍ରଶ୍ବାସ ଓ କାନ୍ଥଘଣ୍ଟାର ଟିକଟିକ୍ ଶବ୍ଦ । ବିଜୟ ମନେମନେ କହିଲା- - ଚୋର ଆସିଲା କି ଆଉ? ତା କଥା ସରିଛି କି ନାହିଁ ମିଞ୍ଜିମିଞ୍ଜି ଜଳୁଥିବା ଲାଇଟ୍ ତଳୁ ଶୁଭିଲା ସତ୍ ସତ୍ । ଚମକି ପଡିଲା ବିଜୟ- - କିଏ ପାଟି କରୁଛ? କହି ଚିତ୍କାର କରି ଉଠିଲା। ତା ହୃଦୟର କମ୍ପନ ଭୀଷଣ ଭାବରେ ବଢିଗଲା ଓ କାନ ପାଖରେ ଗୁଞ୍ଜରିତ ହେଲା ଧକ୍ ଧକ୍ ଧକ୍।
ହଠାତ୍ ଏକ ମୋଟା ଝିଟିପିଟି କାନ୍ଥ ର ଏମୁଣ୍ଡ ରୁ ସେ ମୁଣ୍ଡ ଦୌଡି ଚାଲିଗଲା। ବିଜୟ କୁ ଲାଗିଲା ସେ ଝିଟିପିଟି ତା ଆଡକୁ କଟମଟ କରି ଚାହିଁ ରହିଛି।
ଧେତ୍- - ଗୋଟେ ଛାର ଝିଟିପିଟି ମୋତେ ଡରେଇ ଦେଲା। ବୋଧେ ମୋ ମୁଣ୍ଡରୁ ମଦନିଶା ଏତେବେଳ ଯାଏ ଉତୁରିନି, ସେଥିପାଇଁ ଏସବୁ ପାଲା ଚାଲିଛି। ଗୋଟେ ସିଗାରେଟ୍ ନ ଟାଣିଲେ ନିସ୍ତାର ନାହିଁ। ବିଜୟ ପାଟିରୁ ସିଗାରେଟ୍ ର ଧୂମ୍ରକୁଣ୍ଡଳୀ ମାନ ଉର୍ଦ୍ଧ୍ବଗାମୀ ହେବାରେ ଲାଗିଲେ। ସେ ପୁଣି ହାତଘଣ୍ଟାକୁ ଦେଖିଲା- - ସମୟ ତିନି ଟା ପନ୍ଦର। ଟିକେ ଆଶ୍ଚର୍ଯ୍ଯ ଲାଗିଲା ତାକୁ। ସେତେବେଳକୁ ରାସ୍ତାରେ କୁକୁରମାନଙ୍କର କର୍କଶ କ୍ରନ୍ଦନରେ ବିରାମ ଲାଗି ସାରିଥିଲା ଓ ପ୍ରଚଣ୍ଡ ଶୀତର ମୋଟା ଚାଦର ତଳେ ପରିବେଶର କୋଳାହଳ ଯେମିତି ନୀରବି ଯାଇଥିଲା। ସିଗାରେଟ ଟାଣିସାରି ସେ ପୁଣି ଶୋଇବାର ପ୍ରୟାସ କଲା। କଡମାଡି ଶୋଇବା ସମୟରେ ତାକୁ କଷ୍ଟ ହେବାରୁ ବାମ ହାତକୁ ଭଲରେ ଦେଖିବାକୁ ଲାଗିଲା। ହାତରେ କ୍ଷତ ଦେଖି ସେ ଚମକି ପଡି କହିଲା- - ଓଃ, କେତେବେଳେ ଏ ଖଣ୍ଡିଆ ଟା ହେଲା ମୁଁ ଜାଣି ପାରିଲିନି। ଏତେ ସାବଧାନ ହେବା ପରେ ମଧ୍ଯ ମୋତେ କ୍ଷତାକ୍ତ କରିଦେଲା? କିନ୍ତୁ ମୁଁ ବି ତାକୁ ଛାଡିନି, ତା ଅବସ୍ଥା ଯାହା କରିଛି ସେ ସାରା ଜୀବନ ମନେ ରଖିଥିବ।
ଅନିଚ୍ଛା ସତ୍ତ୍ବେ ସେ ପୁଣି ଉଠି ଗାଧୁଆଘରକୁ ଗଲା ଓ କ୍ଷତସ୍ଥାନ ଧୋଇ ଏକ ରୁମାଲ ଗୁଡାଇଦେଲା। ନିଦଭାଙ୍ଗି ଯାଇଥିବାରୁ ତା ମନରେ ମନରେ ବିରକ୍ତି ର ମାତ୍ରା ବଢି ସାରିଥିଲା। ଏକ ବୋତଲରୁ ବାକିଥିବା ମଦ ଗୋଟେ ଢୋକରେ ପିଇ ଦେଇ ପୁଣି ଖଟ ଉପରେ ଗଡି ପଡିଲା।
କିଛି ସମୟ ଯାଇଛି କି ନାହିଁ, ପୁଣି କବାଟ ପାଖରେ ଶୁଭିଲା ଠକ୍ ଠକ୍ ଶବ୍ଦ। ଏଥର ଆଘାତର ମାତ୍ରା ଅଧିକ ତୀବ୍ର ଥିଲା। ତା ସାଙ୍ଗକୁ ଶୁଭିଲା କାହାର କାନ୍ଦିବାର ଶବ୍ଦ ଓ ପାଉଁଜିର ରୁଣୁଝୁଣୁ। ମଦନିଶାରେ ଆଚ୍ଛନ୍ନ ବିଜୟକୁ ଘଟଣାର ଗମ୍ଭୀରତା ସେତେଟା ପ୍ରଭାବିତ କରି ପାରିଲାନି ବୋଧେ; ସେ ଖଟରେ ସେମିତି ପଡି ରହିଲା। କିନ୍ତୁ ବେଳ କୁ ବେଳ କବାଟ ରେ ପଡୁଥିବା ଆଘାତ ଖରକା କୁ ସ୍ଥାନାନ୍ତରିତ ହେଲା। ଏକା ସାଙ୍ଗରେ କବାଟ ଓ ଝରକା ଧଡ୍ ଧଡ୍ ଶବ୍ଦରେ କମ୍ପିବାକୁ ଲାଗିଲେ। ପାଉଁଜି ର ମୃଦୁଶବ୍ଦ ପ୍ରଖରତର ହୋଇ ଝଣଝଣ ହେବାକୁ ଲାଗିଲା ଓ ଧିର କ୍ରନ୍ଦନ ପରିବର୍ତ୍ତିତ ହୋଇ ସାରିଥିଲା ବୁକୁଫଟା ଚିତ୍କାରରେ। ବିଜୟ, କାନରେ ତକିଆ ମାଡିଦେଇ ସେହି ବିକଟ ଶବ୍ଦରୁ ନିଜକୁ ବଞ୍ଚାଇବାର ପ୍ରୟାସ କଲା। ମାତ୍ର ତାକୁ ଲାଗିଲା ସେହି ତକିଆ ଭିତରୁ କେହି ଜଣେ କହୁଛି
- - - ବାବୁ- - - କବାଟ ଖୋଲ, କୋଳି ନେବ ବୋଲି କହୁଥିଲ ପରା।
ବିଜୟ ଦେହରେ ବିଦ୍ଯୁତ୍ ଆଘାତ ଲାଗିବା ପରି ଅନୁଭବ କଲା ଓ ତକିଆ କୁ ଫିଙ୍ଗିଦେଇ ଖଟ ଉପରେ ବସିଗଲା। ତା ଆଖି ସାମନା ରେ କବାଟ ଓ ଝରକା ଦୋହଲିବାରେ ଲାଗିଥିଲା। ଛାତ ଉପରେ କେହିଜଣେ ଦୌଡି ଚାଲିଥିଲା ଓ ଘରର ଚାରିପଟରୁ ବିକଟାଳ କ୍ରନ୍ଦନ ଶୁଭି ଚାଲିଥିଲା। ସେହି ପରିସ୍ଥିତିରେ କଣ କରା ଯାଇପାରେ ବୋଲି ଭାବି ପାରୁ ନ ଥିଲା ବିଜୟ। ମୋବାଇଲକୁ ଥରଥର ହାତରେ ଧରି ସେ ସାଙ୍ଗ ପାଖକୁ ଫୋନ କରିବାକୁ ଚେଷ୍ଟା କଲା। ମାତ୍ର ମୋବାଇଲ ପରଦା ରେ କି ଦୃଶ୍ଯ ଦେଖିଲା କେଜାଣି, ତାକୁ ଧରି ତଳେ କଚାଡି ଦେଲା ଓ ଖଣ୍ଡଖଣ୍ଡ ହୋଇ ମୋବାଇଲ ଟି ଭାଙ୍ଗିଗଲା। ଖଟରୁ ତଳକୁ ଓହ୍ଲାଇବାକୁ ସେ ଆପ୍ରାଣ ଚେଷ୍ଟା କଲା, କିନ୍ତୁ ବିଫଳ ହେଲା। ତାକୁ ଲାଗିଲା ଦୁଇ ଗୋଡକୁ କେହି ଜଣେ ଭିଡି ଧରିଛି। ମନରେ କେବଳ ଗୋଟିଏ କଥା ଆସୁଥିଲା ବିଜୟର, ଯଦି କୌଣସି ମତେ ସେ ଘରୁ ବାହାରି ପାରନ୍ତା,ତେବେ ଏ ଭୟଙ୍କର ବିପଦରୁ ବଞ୍ଚି ପାରନ୍ତା। ପୁଣି ଥରେ ସେ ହାତ ଘଣ୍ଟାକୁ ଦେଖିଲା। କିନ୍ତୁ ଏ କଣ !! ସମୟ ତିନି ଟା ପନ୍ଦର। ସେ ଚିତ୍କାର କଲା- - ଏମିତି ହୋଇ ନ ପାରେ, କିଛି ସମୟ ତଳେ ତ ସମୟ ତିନି ଟା ପନ୍ଦର ହୋଇଥିଲା। ତେବେ ଏବେ ପୁଣି କେମତି ସେତିକି ସମୟ ହୋଇଛି। କାଳେ ହାତଘଣ୍ଟା ବନ୍ଦ ହୋଇ ଯାଇଥିବ ବୋଲି କାନ୍ଥଘଣ୍ଟା କୁ ଦେଖିଲା। କାନ୍ଥଘଣ୍ଟା ରେ ମଧ୍ଯ ବାଜିଥିଲା ତିନିଟା ପନ୍ଦର। ତା ମୁଣ୍ଡ ଗୋଳମାଳ ହୋଇ ଯାଉଥିଲା। ସେ ସ୍ବପ୍ନ ଦେଖୁଛି ନା ବାସ୍ତବତା କୁ ପ୍ରତ୍ଯକ୍ଷ କରୁଛି ଜାଣି ପାରୁ ନ ଥିଲା। ଖାଲି ମଦ ବୋତଲ, ସିଗାରେଟ୍ ପାଉଁଶ ଓ ତା ହାତରେ ବନ୍ଧା ଯାଇଥିବା ରୁମାଲ୍ ପ୍ରମାଣିତ କରୁଥିଲେ ପୂର୍ବରୁ ତିନିଟା ପନ୍ଦର ବାଜି ସାରିଥିଲା , ତେବେ ପୁଣି....
ହଠାତ୍ ରୁମ୍ ରେ ମିଞ୍ଜିମିଞ୍ଜି ଜଳୁଥିବା ଲାଇଟ୍ ଦପ୍ ଦପ୍ କରିବାକୁ ଆରମ୍ଭ କଲା। ବିଜୟ ମନେମନେ ଭାବିଲା ଯଦି ଏ ଲାଇଟ୍ ବନ୍ଦ ହୋଇଯିବ ଘରଟା ପୁରା ଅନ୍ଧାର ହୋଇଯିବ। କାରଣ ବାଥରୁମ୍ ର ଲାଇଟ୍ ଦୁଇଦିନ ତଳୁ ଜଳୁ ନ ଥିଲା ଓ ରୋଷେଇଘରର ଟା ଶୋଇବାଘରଠାରୁ ଢେର୍ ଦୂରରେ ଥିଲା। ସେ ଘରେ ଲାଇଟ୍ ଅଛି କି ନାହିଁ ଜାଣିବାର ଅବକାଶ ତା ପାଖରେ ନ ଥିଲା। କାରଣ ସେ ଘରେ ରୋଷେଇ ନ କରି ହୋଟେଲ ରେ ଖାଉଥିଲା। ତାକୁ ଲାଗିଲା କେହିଜଣେ ଖଟ ଚାରିପଟରେ ଦୌଡିବା ଆରମ୍ଭ କରିଦେଇଛି। ଭୟରେ ବିଜୟର ରକ୍ତ ଜମାଟ ବାନ୍ଧିଯିବା ପରି ଲାଗୁଥିଲା। ପାଦର ଥପ୍ ଥପ୍ ଶବ୍ଦ ସହ ତାଳ ଦେଇ ବଢି ଚାଲିଥିଲା ପାଉଁଜିର ରୁଣୁଝୁଣୁ ଝଙ୍କାର। ତା ସହିତ ବିଜୟ ହାତରେ ହୋଇଥିବା କ୍ଷତରୁ ରକ୍ତ ଝରିବା ଆରମ୍ଭ ହୋଇଗଲା ଓ ଭୀଷଣ ଯନ୍ତ୍ରଣାରେ ସେ ଅସ୍ତବ୍ଯସ୍ତ ହୋଇ ଉଠିଲା। ମୁହଁରେ ପାପୁଲି ଢାଙ୍କିଦେଇ ସେ ତା ଚାରିପଟରେ ଘଟି ଚାଲିଥିବା ଘଟଣାବଳୀରୁ ନିଜକୁ ରକ୍ଷା କରିବାକୁ ଚେଷ୍ଟାକଲା। କିନ୍ତୁ ମୁହଁ ପାଖରେ କାହାର ପ୍ରଖର ନିଶ୍ବାସ ଅନୁଭବ କରି ସେ ଭୟରେ ଥରିବାକୁ ଲାଗିଲା।
କାନ ପାଖରେ ପୁଣି କେହି କହିଲା- - ବାବୁ, ମୁହଁ କାହିଁକି ଲୁଚାଉଛ? କୋଳି ନେବ ପରା !!! ପାପୁଲି ତଳୁ ବିଜୟ ଚିତ୍କାର କଲା- -ତୁ କିଏ? ଚାଲିଯାଆ ମୋ ଘରୁ। ମୋର କୋଳି ରଖିବାର ନାହିଁ।
ଭୟଙ୍କର ଅଟ୍ଟହାସ୍ଯରେ ଘର ଭିତରଟା କମ୍ପମାନ ହେବାକୁ ଲାଗିଲା। ସେ ଅଟ୍ଟହାସ୍ଯର ତୀବ୍ରତା ଏତେ ଅଧିକା ଥିଲା ଯେ ଲାଗୁଥିଲା ଘରଟି ନିମିଷକରେ ଖଣ୍ଡଖଣ୍ଡ ହୋଇ ଭାଙ୍ଗିଯିବ। ବିଜୟ ଅନୁଭବ କଲା ତା କ୍ଷତ ସ୍ଥାନକୁ କେହି ଜଣେ ରାମ୍ପି ପକାଉଛି। କଷ୍ଟରେ ଚିତ୍କାର କରି ସେ ମୁହଁରୁ ପାପୁଲି ହଟାଇ କ୍ଷତ ସ୍ଥାନ କୁ ଧରିବାକୁ ପ୍ରୟାସ କରିବା ସମୟରେ ଯାହା ଦେଖିଲା, ତା ପାଦ ତଳୁ ମାଟି ଖସିଯିବା ପରି ଅନୁଭବ ହେଲା। ତା ସାମ୍ନାରେ ଏକ ରକ୍ତସ୍ନାତା ଯୁବତୀର କ୍ଷତବିକ୍ଷତ ଶରୀର ଥିଲା। ମୁଣ୍ଡର ଖପୁରୀ ଫାଟି ଆଁ ହୋଇ ଯାଇଥିଲା ଓ ଗାଲ ହାଡ ଫାଟି ବାହାରକୁ ବାହାରି ଆସିଥିଲା। ଦେହରୁ ଖଣ୍ଡଖଣ୍ଡ ମାଂସର ଟୁକୁରା ଖଟ ଉପରେ ବିଛାଡି ହୋଇ ପଡିଥିଲା ଓ ସେ ଗୋଡ ଲମ୍ବାଇ ବିଜୟ ସାମନା ରେ ବସି ରହିଥିଲା। ସେ ଯୁବତୀର ତଣ୍ଟି ଟି କଟି ମେଲା ହୋଇ ଯାଇଥିଲା ଓ ସେଥିରୁ ରକ୍ତଧାର ଛୁଟି ଚାଲିଥିଲା। ବିଜୟ କିଛି ପ୍ରତିକ୍ରିୟା ଦେଖାଇବା ପୂର୍ବରୁ ଛିଟିକି ପଡି କାନ୍ଥରେ ବାଜିଲା ଓ ତଳେ ପଡିଗଲା। ଶୁଭିଲା ଯୁବତୀର କର୍କଶ ଚିତ୍କାର-- ସେ ଚିତ୍କାର ରେ ମିଶି ରହିଥିଲା କ୍ରୋଧ, ଘୃଣା ଓ ପ୍ରତିଶୋଧର ବହ୍ନି।
- - ଯଦି କୋଳି ନେବାର ନ ଥିଲା , ମୋତେ କାହିଁକି ପାହାଡ ଉପରକୁ ଡାକିନେଇଥିଲୁ ବାବୁ? ମୁଁ ତୋର କି ଦୋଷ କରିଥିଲି ଯେ ମୋ ଜୀବନ ବରବାଦ୍ କରିବା ପରେ ମୋତେ କଲବଲ କରି ମାରିଦେଲୁ? ପୁଣି ତୋ ମୋବାଇଲରେ ସେ ଜିନିଷ ରେକର୍ଡ କଲୁ ତୋ ପୁରୁଷତ୍ବ ପ୍ରମାଣ କରାଇବାକୁ? ତୋତେ ଆଜି ମୁଁ ଛାଡିବିନି...
ବିଜୟ କେବଳ ହାତଯୋଡି ପଡି ରହିଥିଲା। କିଛି କହିବା ପାଇଁ ତା ଜିଭ ଲେଉଟିବା ଅବସ୍ଥାରେ ନ ଥିଲା। ତା ଛାତି ଉପରେ ସେ ଅନୁଭବ କଲା ଭୀଷଣ ଚାପ, ସତେକି ଏକ ବିରାଟ ପଥର ତା ଛାତି ଉପରେ କେହି ଚାପି ଦେଉଛି। ସେ ବିକଳ ରେ ଗଁ ଗଁ ହୋଇ ଜୀବନ ବଞ୍ଚାଇବାକୁ ପ୍ରାର୍ଥନା କରିବାକୁ ଲାଗିଲା। କେଇକ୍ଷଣ ଭିତରେ ବିଜୟ, ତା ଶରୀରର ପ୍ରତ୍ଯକ ଅଙ୍ଗରେ ଅନୁଭବ କଲା ଭୀଷଣ ଯନ୍ତ୍ରଣା। ତା ଶରୀରର ଅଙ୍ଗମାନ ଖଣ୍ଡ ବିଖଣ୍ଡିତ ହୋଇ ବିଛାଡି ହୋଇ ପଡୁଥିଲା ଘର ଭିତରେ। କାନ ପାଖରେ ଶେଷଥର ପାଇଁ ଗୁଞ୍ଜରିତ ହେଲା- - ତୋତେ ଏତେ ସହଜରେ ମୁଁ ଛାଡିବିନି। ତୁ ମରିବା ପରେ ମଧ୍ଯ ମୋ ପାଖରୁ ବଞ୍ଚି ପାରିବୁନି ବାବୁ।
ସବୁଦିନ ପାଇଁ ଆଖି ବୁଜିବା ପୂର୍ବରୁ ବିଜୟ ଦେଖିଲା କାନ୍ଥଘଣ୍ଟା ଆଡକୁ- - - ସମୟ ବାଜିଥିଲା ତିନି ଟା ପନ୍ଦର।
- - - -
ଶାଗୁଣା
ଶାଗୁଣା
ଲେଖକ- © ଅରବିନ୍ଦ ରଥ
ସେଦିନ ସକାଳେ ହରିଆର ମୃତଦେହ ଆମ୍ବୁଲାନସ୍ ରେ ବୁହାହୋଇ ଗାଁଆକୁ ଫେରିଲା; କିନ୍ତୁ ଶବ ସାଙ୍ଗରେ ଜଗନ କୁ ନ ଦେଖି ଗାଁଆଲୋକେ ଟୁପୁରୁଟାପୁରୁ ହେଲେ। ହରିଆଦେହରେ ଅନେକ ସ୍ଥାନରେ ବ୍ଯାଣ୍ଡେଜ୍ ପଡିଥିଲା,ଆଖିରେ ମଧ୍ଯ ପଟି ଲାଗିଥିଲା। ତିନିଦିନ ତଳେ ବିଲରେ କାମ କରୁଥିବା ବେଳେ ସେ ହଠାତ୍ ଚେତାବୁଡି ପଡି ଯାଇଥିଲା ଓ ସହରରେ ଚାକିରି କରିଥିବା ପୁଅ ଜଗନ, ଖବର ପାଇ ତାକୁ ସାଙ୍ଗରେ ନେଇଯାଇଥିଲା। ଏମିତି କଣ ହୋଇଥିଲା ଯେ ହରିଆ ଦେହକୁ ଡାକ୍ତରମାନେ ଚିରି ପକାଇଥିଲେ- - ତାହା ହିଁ ଥିଲା ଆଲୋଚନାର ମୁଖ୍ଯ ବିଷୟ।
ବିଳମ୍ବ ନ କରି ଶବ ଧରି ଗାଁଆଲୋକେ ମଶାଣି କୁ ଗଲେ। ରମା ବିକଳ ନେହୁରା ହୋଇ ହରିଆକୁ ଧରି କାନ୍ଦି ଚାଲିଥିଲା। ତିନିଦିନ ଭିତରେ ବିଚାରିର ସୁନାସଂସାର ଉଜୁଡି ଯାଇଥିଲା। ସୁସ୍ଥସବଳ ଲୋକଟା ଏମିତି ଅବେଳରେ ଛାଡି ଚାଲିଯିବ ବୋଲି, କିଏ ବା କାହିଁକି ଭାବିବ ?
ମଶାଣି ପାଖରେ ଏକ ଚାରିଚକିଆ ଗାଡିରୁ ଜଗନ ଓହ୍ଲାଇଲା। ଗାଁଆଲୋକେ ଆଶ୍ବସ୍ତ ହେଲେ- - ଯାହାହେଉ ହରିଆ ତା ପୁଅ ହାତରୁ ମୁଖାଗ୍ନୀ ପାଇବ। ଗାଡିଭିତରେ ବସିଥିବା ଜଣେ ସଂଭ୍ରାନ୍ତଲୋକ ଜଗନର ପିଠି ଥାପୁଡାଇ କାନରେ ପିସଫିସ କରି କିଛି କହିଲେ ଓ ଏକ ବଡ ପ୍ଯାକେଟ୍ ଧରାଇଦେଲେ। ଗାଡି ଟି ଧୂଆଁ ଉଡେଇ ଚାଲିଗଲା ପରେ ଗାଁଆଲୋକଙ୍କ ପ୍ରଶ୍ନବାଣରେ ଜଗନ ପୋତି ହୋଇଗଲା। ହରିଆର କଣ ହୋଇଥିଲା ବୋଲି ଜାଣିବାକୁ ଗାଆଁଲୋକଙ୍କ ମନରେ ପ୍ରବଳ ଆଗ୍ରହ ଥିଲା। ଆଗ୍ରହ ନୁହଁ ତ ଡର ଥିଲା- - କାଳେ ସେମାନଙ୍କୁ ହରିଆକୁ ହୋଇଥିବା ରୋଗ ଗ୍ରାସ କରିବ ? ଜଗନ ଗାଁଆଲୋକଙ୍କୁ ନିମିଷକରେ ଭୁଆଁ ବୁଲେଇଦେଲା ଓ ସେମାନେ ଶବଦାହ ପାଇଁ କାଠ ସଜାଡିବାରେ ଲାଗିଲେ।
କିଛି ଦୂରରେ ଏକ ଶାଗୁଣା ବସି ରହି ଏକଲୟରେ ଏସବୁ ଦୃଶ୍ଯ ଦେଖି ଚାଲିଥିଲା।
ସେତିକିବେଳେ ଝଡବେଗରେ ହରିଆର ଝିଅଜ୍ବାଇଁ ପହଞ୍ଚିଲେ ଓ ଜଗନବେକରେ ଗାମୁଛା ପକାଇ ଘୋଷାରିନେଇ ନିର୍ଘାତମାଡ ମାରିଚାଲିଲେ। ରମା ପୁଅକୁ ବଞ୍ଚାଇବାକୁ ଦୌଡି ଆସୁଥିଲା, କିନ୍ତୁ ଝିଅଜ୍ବାଇଁଙ୍କ କଥାଶୁଣି ଅଧାବାଟରେ ଚେତାହରାଇ ପଡିଗଲା।
ଝିଅ କାନ୍ଦିକାନ୍ଦି ଚିତ୍କାର କରିଚାଲିଥିଲା- - ଯୋଉ ବାପା ନିଜ ପେଟକାଟି ତୋତେ ପାଠ ପଢାଇଲା, ଘରବନ୍ଧା ରଖି ଚାକିରିପାଇଁ ଟଙ୍କାଦେଲା, ନିଜେ ବିଲରେ ଖଟି ତୋ ପାଇଁ ଟଙ୍କା ଯୋଗାଡକଲା, ତୁ ତାକୁ ମାରି ବିକିଦେଲୁ??
ଆଶ୍ଚର୍ଯ୍ଯରେ ସମସ୍ତେ ସ୍ଥାଣୁ ପାଲଟିଗଲେ। କେହିକେହି ଭାବିଲେ ଝିଅ ଟା ବୋଧେ ହରିଆ ଅସମୟରେ ମରିଯିବା ଦୁଃଖରେ ଏମିତି କହୁଛି। କିନ୍ତୁ ସମସ୍ତଙ୍କ ପାଦତଳୁ ମାଟି ଖସିଗଲା ଯେତେବେଳେ ଜ୍ବାଇଁ କହିଲେ
- - ଏ କୃତଘ୍ନ, ବାପାଙ୍କୁ ନେଇ ସହରର ସବୁଠାରୁ ବଦନାମ ନର୍ସିଂହୋମ୍ ରେ ଭର୍ତ୍ତି କରିଥିଲା। ସେଠି କାହାର ଚିକିତ୍ସା ହୁଏନି, ବରଂ ମଣିଷ ଅଙ୍ଗର ଚୋରାଚାଲାଣ ହୁଏ। ସେଠାରେ ଡାକ୍ତରମାନେଅପରେସନ କରି ଲୋକଙ୍କ ଶରୀରରୁ ଅଙ୍ଗକାଢି ଚୋରାରେ ବିକ୍ରିକରି କୋଟିକୋଟି ଟଙ୍କା ରୋଜଗାର କରନ୍ତି। ଥୋଡାଏ ଟଙ୍କାପାଇଁ, ଏ ପିତୃହନ୍ତା ପିଶାଚ,ବାପାଙ୍କର ଆଖି,ହୃଦୟ,କିଡନି ସବୁ କିଛି ବିକ୍ରି କରିଦେଇଛି ଦଲାଲଙ୍କ ପାଖରେ। ସେତକିବେଳେ ଜଗନ ଅଣ୍ଟାରେ ଖୋସିଥିବା ପ୍ଯାକେଟ୍ ଟା ତଳେ ପଡିଗଲା ଓ ନୋଟ୍ ସବୁ ମଶାଣିସାରା ବିଛାଡି ହୋଇ ପଡିଲା।
କଣ ହେଲା କେଜାଣି, ସେତେବେଳୁ ବସିଥିବା ଶାଗୁଣା ଟା ବିକଟାଳ ଚିତ୍କାରକରି ଡେଣାଝାଡି ସେ ଜାଗାରୁ ଉଡିଗଲା। ବୋଧେ ସେ ଭାବିଥିବ, ଯେତେବେଳେ ଟଙ୍କା ପାଇଁ ମଣିଷମାନେ ଶାଗୁଣା ପାଲଟି ଗଲେଣି, ତା'ର ବା କି ପ୍ରୟୋଜନ!!!
--- ସମାପ୍ତ-- -
କୁଆ
କୁଆ
ଲେଖକ- Ⓒଅରବିନ୍ଦ ରଥ
ଆରେ ଶୁଣୁଛ, ଘରେ ଆଉ ବାସିରୁଟି ଅଛି କି? ଆଉ ଦୁଇ ଖଣ୍ଡ ଆଣିଲ। କୁଆ ମାନଙ୍କୁ ଆଜି ବୋଧେ ବେଶି ଭୋକ। ତିନି ଟା ଦେଲା ପରେ ବି ତାଙ୍କ ରାଉ ରାଉ ବନ୍ଦ ହେଉନି।
ରାମବାବୁ ପତ୍ନୀଙ୍କ ଉଦ୍ଦେଶ୍ଯରେ ଏତିକି କହି ପେପରପୃଷ୍ଠା ଓଲଟାଇବାରେେ ଲାଗିଲେ। କିଛି ସମୟ ଭିତରେ ମିତା ହାତରେ ଦୁଇଖଣ୍ଡ ରୁଟି ଧରି ଆସି କହିଲେ- - କାଲିର ରୁଟି ଆଉ ନାହିଁ। ଏ ଦୁଇଟା ରୁଟି ଚାରିଦିନ ତଳର,ଟିକେ ଲାଳୁଆ ହୋଇଯାଇଛି ସତ, କିନ୍ତୁ କୁଆଙ୍କୁ ଭଲ ଲାଗିବ। ସେମାନେ ଖାଇଲେ ଆମର ପୂଣ୍ଯ ହେବ। ଜ୍ଯୋତିଷ ପରା କହିଛନ୍ତି, କୁଆ ମାନଙ୍କୁ ରୁଟି ଦେଲେ ଶନିଦେବଙ୍କ କୃପା ମିଳିବ।
- - ସେକଥା ସତ ଯେ,କିନ୍ତୁ କେତେଟା କୁଆ ପାଚେରୀ ସେପଟେ ଅଛନ୍ତି ମୁଁ କଣ ଜାଣି ପାରୁଛି? ଏବେ ଗେଟ୍ ପାଖକୁ ଯାଇ ସେମାନଙ୍କୁ ଦେଖିବା ପାଇଁ ମୋତେ ବହେ କଷ୍ଟ କରିବାକୁ ହେବ। ମୋ ଆଣ୍ଠୁର ଅବସ୍ଥା ଯାହା, ଏ ବୟସରେ ଆଉ କଣ ବସି ଉଠି ହେଉଛି?
- - ତୁମେ ରୁଟି ଛିଡାଇ ପାଚେରୀ ଆର ପଟକୁ ଫିଙ୍ଗ, ମୁଁ ଦେଖି ଦେଇ ଆସୁଛି କେତେଟା କୁଆ ଅଛନ୍ତି। କାଲିଠାରୁ କିଛି ଅଧିକା ରୁଟି ବଳକା ରଖିଦେବା, କହିଲେ ମିତା।
ରାମବାବୁ ରୁଟି ଛିଡାଇ ପାଚେରୀ ସେପଟକୁ ଫିଙ୍ଗିବାରେ ଲାଗିଲେ ଓ ମିତା କୁଆ ମାନଙ୍କର ସଂଖ୍ଯା ଗଣିବାକୁ ଗେଟ୍ ପାଖକୁ ଗଲେ।
କିଛି ସମୟ ପରେ ଲୁହ ଛଳଛଳ ଆଖିରେ ମିତା ଫେରିଲେ ଓ ରାମଙ୍କ ହାତ ଧରି ଗେଟ୍ ପାଖକୁ ନେଇଗଲେ। ପାଚେରୀ ସେପଟର ଦୃଶ୍ଯ ଦେଖି ରାମ ହତବାକ୍ ହୋଇଗଲେ । ତାଙ୍କ ଆଖିରୁ ମଧ୍ଯ ଦୁଇ ଧାର ଲୁହ ଝରିଗଲା ଓ ପାଟିରୁ ବାହାରିଗଲା - - ହେ ଭଗବାନ୍।
କୁଆ ମାନଙ୍କ ମେଳରେ ମୁଣ୍ଡ ତଳକୁ କରି ବସିଥିଲା ଧୂଳି ଧୂସରିତ ଅବସ୍ଥାରେ ପାଞ୍ଚ ଛଅ ବର୍ଷର ପିଲାଟିଏ। ତା ଫୁଙ୍ଗୁଳା ହାଡମୟ ଶରୀର ଉପରେ ଲୋଚାକୁଚା ଚର୍ମର ଚାଦର ଘୋଡାଇ ରହିଥିଲା ଯାହା। କୁଆ ମାନଙ୍କ ପାଖରୁ ରୁଟି ଖଣ୍ଡ ଛିଡାଇ ଉଦରସ୍ଥ କରିବାର ପରିମାଣ ସ୍ବରୂପ, ଦେହର କେଇ ଯାଗାରେ କାଉ ଖୁମ୍ପିବାର କ୍ଷତଚିହ୍ନ ସ୍ପଷ୍ଟ ଦିଶୁଥିଲା। କାଉ ମାନଙ୍କର କର୍କଶ କା କା ଚିତ୍କାର କୁ ଖାତିର ନ କରି ତଳେ ପଡିଥିବା ରୁଟି ଟୁକୁରା ଗୁଡିକୁ ସେ ବିକଳ ହୋଇ ପାଟିରେ ପୁରାଇ ଗିଳି ଚାଲିଥିଲା।
ରାସ୍ତା ଉପରେ ପିଲାଟିର ବୁଭୁକ୍ଷୁ ପ୍ରାଣର କ୍ଷୀଣ ଆର୍ତ୍ତନାଦ ଓ ରୁଟି ଟୁକୁରା ଉପରେ ସ୍ବଅଧିକାର ସାବ୍ଯସ୍ତ ପାଇଁ କୁଆମାନେ କରି ଚାଲିଥିବା କର୍କଶ ଚିତ୍କାର ମଧ୍ଯରେ ଭୀଷଣ ପ୍ରତିଯୋଗିତା ଚାଲିଥିଲା। ମିତା କାନ୍ଦକାନ୍ଦ ହୋଇ କହିଲେ
- - ଆହା ବିଚରା ପିଲା ଟା, ଭୋକ ସମ୍ଭାଳି ନ ପାରି ଶେଷରେ କୁଆ ପାଲଟିଗଲା !!
- - ସମାପ୍ତ- -
ଅଗ୍ନିବର୍ଷା
ଅଗ୍ନିବର୍ଷା
ଲେଖକ- Ⓒଅରବିନ୍ଦ ରଥ
- - ଓଃ ବାପା, ଆଜି ଦିନରେ ବି ଏମିତି ବେଶଭୂଷା ଧରି ଆସିଛ। ମୋ ସାଙ୍ଗମାନେ ଦେଖିଲେ କଣ ଭାବିବେ? ଆଜି ଫଙ୍କସନ୍ ର ମେନ୍ ଆଟ୍ରାକ୍ସନ୍ ମୁଁ ଥିଲି। ଜାଣିଛ - - କେତେ ପିଲା ମୋ ସହ ସେଲ୍ଫି ଉଠେଇଛନ୍ତି, ମୋର କେତେ ପ୍ରଶଂସା କରିଛନ୍ତି। ମୁଁ ଭାବିଥିଲି ତୁମେ ଆଜି ସୁଟ୍ ବୁଟ୍ ପିନ୍ଧି ଆସିବ, ଦେଖିଲା ବେଳକୁ ସେଇ ଢିଲାସାର୍ଟକୁ ମାଟିଆ ରଙ୍ଗର ପ୍ଯାଣ୍ଟ? ତୁମକୁ କାଲିଠାରୁ କେତେଥର କହିଥିଲି, ପୁରା ଫିଟ୍ ହୋଇ ମୋତେ କଲେଜରୁ ନେବାକୁ ଆସିବ। କିନ୍ତୁ ତୁମେ କଣ କେବେ ମୋ କଥା ଶୁଣ ଯେ ଆଜି ଶୁଣିବ! ! ମୋ ସାଙ୍ଗ ମାନଙ୍କ ସହ ତୁମକୁ ଦେଖା କରାଇଥା'ନ୍ତି- - କିନ୍ତୁ......ତୁମେ ତ . . ମୋ ମୁଡ୍ ପୁରା ଅଫ୍ କରିଦେଲ।
ଜନାର୍ଦ୍ଦନଙ୍କୁ ଦେଖି ମିଲି ରାଗରେ ଗରଗର ହେବା ଆରମ୍ଭ କରି ଦେଇଥିଲା। ସେଦିନ କଲେଜରେ ବାର୍ଷିକ ଉତ୍ସବ ଥିଲା ଓ ମିଲି ର ନାଚ ପ୍ରୋଗ୍ରାମ୍ ଥିଲା । ସେ ଖୁବ୍ ଭଲ ନାଚିଲା- -କଲେଜ ର ସବୁପିଲା ଓ ଅତିଥିମାନେ ଢେର ପ୍ରଶଂସା ମଧ୍ଯ କଲେ। ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା- - ମିଲି ପରି ଝିଅ ଟେ ପାଇବା କଷ୍ଟ। ପାଠଶାଠ, ନାଚଗୀତ ସବୁଥିରେ ସେ ଆଗୁଆ। ରୂପ ବି ଏମିତି ଯେ, ଦେଖିବା ଲୋକ ଦଣ୍ଡେ ଚାହିଁ ରହିବ, ସତେକି ଗୋଟେ ଚାଉଳରେ ଗଢା !!!
ମିଲିର କଥା ଶୁଣି ଚିରାଚରିତ ହସହସ ମୁହଁରେ ଜନାର୍ଦ୍ଦନ କହିଲେ- - ଆରେ ମାଆ, ତୁ ସିନା ଦିନ କୁ ଦିନ ଆଧୁନିକା ହୋଇ ଚାଲିଛୁ, କିନ୍ତୁ ତୋ ବାପା କାଲି ଯେମିତି ଥିଲା ଆଜି ବି ସେମିତି ଅଛି।
ମୁହଁ ଫୁଲେଇ ମିଲି କହିଲା - - ହୁଁ, ମୋ ବାପା କାଲି ବି ଭାଲୁ ଥିଲେ, ଆଜି ବି ଭାଲୁ ଅଛନ୍ତି। ଟିକେ ଅନ୍ଯ ପିଲା ମାନଙ୍କ ବାପା ମାନଙ୍କୁ ଦେଖ, କେମିତି ହିରୋ ପରି ଦିଶୁଛନ୍ତି। ଆଉ ତୁମେ- - - ଛାଡ..... ଛାଡ।
ଧିର ମନ୍ଥର ଗତିରେ ସ୍କୁଟରରେ ମିଲିକୁ ବସାଇ ଘର ଅଭିମୁଖେ ବାହାରିଲେ ଜନାର୍ଦ୍ଦନ।
ନିହାତି ସାଧାସିଧା ବ୍ଯକ୍ତିତ୍ବ ଥିଲା ଜନାର୍ଦ୍ଦନଙ୍କର। ସାଧାରଣ ଚାକିରି ଓ ଦୁଇବଖରା ଘର କୁ ଛାଡି ଦେଲେ ତାଙ୍କର ସମ୍ବଳ ଥିଲା ଗୋଟିଏ ପୁରୁଣା ସ୍କୁଟର। ମାଆଛେଉଣ୍ଡ ମିଲିର ଲାଳନପାଳନ ତାଙ୍କର ପରମ କର୍ତ୍ତବ୍ଯ ଥିଲା। ଝିଅକୁ ଭବିଷ୍ଯତରେ ଜଣେ ଉଚ୍ଚଶିକ୍ଷିତା, ସ୍ବାବଲମ୍ବୀ ନାରୀ ଭାବରେ ପ୍ରତିଷ୍ଠିତ କରିବାର ଶପଥ ନେଇ ସେ ଜୀବନନୌକା ବାହି ଚାଲିଥିଲେ । ପିଲାଟି ଦିନରୁ ଯେପରି ମିଲି ମନରେ କେବେ ମାଆର ଅନୁପସ୍ଥିତି ଅନୁଭୁତ ନ ହେବ ସେଥିପାଇଁ ସେ ବେଶ୍ ସଜାଗ ଥିଲେ । ତାଙ୍କର ସ୍ବପ୍ନକୁ ସାକାର କରିବା ଦିଗରେ ମିଲି ମଧ୍ଯ କୌଣସି ଅବହେଳା କରୁନଥିଲା। ଭଲପାଠ ପଢିବା ସହିତ, ନାଚଗୀତରେ ମଧ୍ଯ ସେ ଢେର ସଫଳତା ପାଇଥିଲା। କଲେଜର ଅଧ୍ଯାପକମାନେ ନିଶ୍ଚିତ ଥିଲେ ଯେ ମିଲି ଭବିଷ୍ଯତରେ କୌଣସି ଏକ ଉଚ୍ଚପଦବୀ ବିଶିଷ୍ଟ ଚାକିରି କରିବ। ବୟସ ବଢିବା ସହିତ ମିଲି, ଜନାର୍ଦ୍ଦନଙ୍କର ଏକୁଟିଆପଣକୁ ବୁଝି ପାରୁଥିଲା। ରାତିରେ ମାଆଙ୍କ ଫଟୋ ସାମନାରେ ସେ ବାପାଙ୍କୁ ଅନେକଥର ଗୁମୁରି କାନ୍ଦୁଥିବାର ଦେଖୁଥିଲା ; କିନ୍ତୁ ତାଙ୍କୁ ବୁଝାଇବାର ସାହାସ ତା ମନରେ ନଥିଲା।
ମିଲି ନଜରରେ ଜନାର୍ଦ୍ଦନ ଥିଲେ ଜଣେ ନିହାତି ଭୟାଳୁ ଓ ସନ୍ଦେହୀ ମଣିଷ। ଏପରି ଏକ ମଣିଷ ,ଯାହାକୁ ସବୁ ସ୍ଥାନରେ ଭୟ ଗ୍ରାସ କରିଯାଏ। ତାଙ୍କର କଥା କହିବାର ଶୈଳୀ ଓ ହାବଭାବ ଦେଖିଲେ ଯେ କେହି ବି କହିଦେବ ଯେ, ସେ ଜୀବନରେ କେବେ କାହାସହ ସାଧାରଣ ପାଟିତୁଣ୍ଡ ମଧ୍ଯ କରି ନ ଥିବେ। କେବଳ ସେତିକି ନୁହଁ, ମିଲି ଯଦି କେବେ ତାଙ୍କ ନଜର ଉହାଡରୁ ଦୂରକୁ ଚାଲିଯାଏ, ସେ ଭୀଷଣ ବ୍ଯସ୍ତ ହୋଇପଡନ୍ତି। ଦୁନିଆଯାକର କାମଧାମ ଛାଡି "ମିଲି କୁଆଡେଗଲା?” ପ୍ରଶ୍ନରେ ଆଖପାଖ ଲୋକଙ୍କୁ ମଧ୍ଯ ବ୍ଯସ୍ତ କରି ପକାନ୍ତି।ସେ କାହା ସହିତ ମିଶୁଛି,କୁଆଡେ ଯାଉଛି ଆଦି ପ୍ରତି ତାଙ୍କର ସଦାବେଳେ ତୀକ୍ଷ୍ଣ ନଜର। ତାଙ୍କର ଏ ପ୍ରକୃତ୍ତି ପାଇଁ କଲେଜ୍ ରେ ସାଙ୍ଗମାନେ ମିଲିକୁ ଥଟ୍ଟାପରିହାସ କରନ୍ତି। ଲୋକମାନଙ୍କ ମନରେ ଥିବା ଭାବନା ବିଷୟରେ ସେ ଜନାର୍ଦ୍ଦନଙ୍କୁ ଜଣାଏ, ମାତ୍ର କୌଣସି ପ୍ରତିକ୍ରିୟା ପାଏନାହିଁ। ସେ ମିଲିକୁ ବୁଝାଇ କୁହନ୍ତି- - ତୁ ପିଲାଲୋକ, ବଡ ହେଲେ ଜାଣିବୁ। ଦୁନିଆର ସବୁ ବାପା ମାନେ ମୋ ପରି ଡରନ୍ତି,ସେଥିରେ ନୂଆ ଜିନିଷ କିଛି ନାହିଁ। ମିଲି ବୁଝି ପାରେନି, କେମିତି ସେ ବଦଳାଇ ପାରିବ ତା ବାପାଙ୍କୁ। ରୋଷେଇ କଲେ କାଳେ ଚେଙ୍କା ଲାଗିଯିବ ବୋଲି ମିଲି କୁ ସେ କେବେ ରୋଷେଇ କରିବାକୁ ଦିଅନ୍ତିନି। ଏତେ ବଡ ହେବା ପରେ ମଧ୍ଯ ଗାଡି ଚଲାଇବା ଶିଖାଇଲେନି, କାଳେ ଦୁର୍ଘଟଣା ହୋଇଯିବ । ! ସାଙ୍ଗସାଥୀଙ୍କ ଘରକୁ ଛାଡିବା ଦୂର ର କଥା, ଯଦି ସାଙ୍ଗ ମେଳରେ ମିଲି ବେଶି ସମୟ ବିତାଏ, ତାକୁ ଆକଟ କରି ସେ କୁହନ୍ତି- - ମାଆ ଲୋ, ଏ ଦୁନିଆ ଟା ବହୁତ ଖରାପ। ନିଜେ ସାବଧାନ ନ ରହିଲେ ସବୁ କିଛି ଧ୍ବଂସ ହୋଇଯିବ। ମିଲି କାନ୍ଦିଛି, ଚିତ୍କାର କରିଛି, ପ୍ରତିବାଦ କରିଛି, ହାତ ଯୋଡି ନେହୁରା ହୋଇଛି ଜନାର୍ଦ୍ଦନଙ୍କ ଆଗରେ ; ତାକୁ ଅନୁଶାସନର ଶିକୁଳି ରେ ନ ବାନ୍ଧିବା ପାଇଁ। ରାଗିଛି,ଅଭିମାନ କରିଛି, ରାତି ରାତି ଓପାସ ଶୋଇଛି- - ସ୍ବାଧୀନତାର ସ୍ବାଦ ଟିକେ ଚାଖିବାକୁ। କିନ୍ତୁ ସେ କେମିତି ବା ବୁଝାଇବ ସ୍ବାଧୀନତା ର ଅର୍ଥ, ଏପରି ଏକ ଲୋକକୁ, ଯାହାପାଇଁ ସମଗ୍ର ବ୍ରହ୍ମାଣ୍ଡ ଅବିଶ୍ବାସ,ଚଞ୍ଚକତା ଓ ବିଶ୍ବାସଘାତକତାର ଏକ ଜ୍ବଳନ୍ତ ଅଗ୍ନିପିଣ୍ଡୁଳା ସଦୃ ଶ।
ଜନାର୍ଦ୍ଦନଙ୍କୁ ପିତା ଭାବରେ ମିଲି ଯେତିକି ଭଲ ପାଏ ଓ ସମ୍ମାନ କରେ, ତା ଅପେକ୍ଷା କାହିଁ କେତେ ଗୁଣ ଅଧିକ ଘୃଣାକରେ ଏକ ଭୀରୁ,କାପୁରୁଷ ଓ ନାରୀ-ସ୍ବାଧୀନତା ବିରୋଧୀ ବ୍ଯକ୍ତି ଭାବରେ । ପିଲାଦିନରୁ ମିଲି ଜନାର୍ଦ୍ଦନଙ୍କ ଦେହରେ ଅନେକ କଟା ଦାଗ ଦେଖି ଉତ୍ସୁକତାର ସହ ପ୍ରଶ୍ନ କରେ। ସବୁଥର ସେଇ ଗୋଟିଏ ଉତ୍ତର ମିଳେ; ଗାଈ ଭୁଷି ଦେଇଥିବାରୁ ସେ କ୍ଷତ ସବୁ ହୋଇଥିଲା। ତା ବାପାଙ୍କ ପରି ଭୟାଳୁ ଲୋକ କାହିଁକି ଯେ ଗାଈ ପାଖକୁ ଯାଇ ଭୁଷା ଖାଇଲେ ଭାବି ମିଲି ମନେମନେ ବହୁତ ହସେ। ବେଳେବେଳେ ଭାବେ ତା ବାପାଙ୍କର ନିହାତି ଘନିଷ୍ଠ ବନ୍ଧୁ ସଲିମ୍ ଚାଚାଙ୍କୁ ଏ ବିଷୟ ରେ ପଚାରିବାକୁ, କିନ୍ତୁ ପାରେନି। ଏତେ ବଡ ଦୁନିଆରେ ତା ବାପାଙ୍କର କେବଳ ସେଇ ସଲିମ୍ ଚାଚା ହିଁ ଏକ ମାତ୍ର ବନ୍ଧୁ,ସଖା ସହୋଦର। ସୁଖଦୁଃଖ,ପର୍ବପର୍ବାଣୀରେ ସେଇ ଜଣିଏ ଲୋକର ଉପସ୍ଥିତି ନିହାତି ଅନିବାର୍ଯ୍ଯ। ମିଲିର ଦରକାର ବେଳେ ସଲିମ୍ ଚାଚାଙ୍କ ସାହାଯ୍ଯ ଟା ଆଗ ମିଳେ। ସଲିମ୍ ଚାଚା ଓ ସବନମ୍ ଚାଚି ମିଲି କୁ ନିଜ ଝିଅ ପରି ଭଲ ପାଆନ୍ତି। ତାଙ୍କ ଘରକୁ ଗଲେ ସଲିମ୍ ଚାଚା ଓ ଜନାର୍ଦ୍ଦନ ଅନେକ ସମୟ ବସି ରୁହନ୍ତି ଓ ସବନମ୍ ଚାଚି ମିଲିକୁ ସ୍ବାଦିଷ୍ଟ ବ୍ଯଞ୍ଜନ ଖୁଆଇବାରେ ଲାଗି ଯାଆନ୍ତି।
ସେଦିନ କଲେଜରୁ ବାହାରିବା ସମୟରେ ଚାରିଜଣ ଯୁବକ ମିଲି କୁ ଦେଖି ଅଶ୍ଳୀଳ ଟୀପ୍ପଣୀ ଦେବାରେ ଲାଗିଲେ। କିଛି ସମୟ ବରଦାସ୍ତ କରିବା ପରେ ମିଲି ପ୍ରତିବାଦ କରିବାକୁ ମନସ୍ଥ କଲା ଓ ସେମାନଙ୍କୁ ଚାପୁଡା ମାରିବାକୁ ହାତ ଉଞ୍ଚାଇଲା। ସେତେବେଳକୁ ଜନାର୍ଦ୍ଦନ ସ୍କୁଟର ଧରି ପହଞ୍ଚିଲେ ଓ ମିଲିକୁ ବସିବାକୁ କହିଲେ। ହଠାତ୍ ସେହି ଯୁବକ ମାନେ ମିଲି ପାଖକୁ ଲାଗି ଆସିଲେ ଓ ତା ଶରୀରକୁ ଛୁଇଁବାକୁ ଚେଷ୍ଟାକଲେ। ଲଜ୍ଜା ଅପମାନରେ ତା ଆଖିରୁ ଲୁହ ଝରିଗଲା। କିନ୍ତୁ ଜନାର୍ଦ୍ଦନ ନୀରବ ରହିଲେ ଓ ସେ ସ୍ଥାନରୁ ଯିବାକୁ ବାହରିଲେ। ତାଙ୍କ ନୀରବତା ଯୁବକ ମାନଙ୍କର ଔଦ୍ଧତ୍ଯତା କାହିଁ କେତେ ଗୁଣରେ ବଢାଇଦେଲା। ଜଣେ ଚିତ୍କାର କରି କହିଲା- - ଆରେ ଭାଇ ମାନେ, ଏ ଜଙ୍ଗଲୀଭାଲୁ ପାଖରୁ ଏ ମୟୁରୀ ଟା କେମିତି ଜନ୍ମ ନେଲା, କିଛି ଅଲଗା ଖେଳ ହୋଇଥିବ ନିଶ୍ଚୟ। ଭାଲୁ ଜଙ୍ଗଲରେ ବୁଲୁଥିଲା ବେଳେ ନିହାତି ଏ ମୟୁରୀର ମାଆ କିଛି ଜଘନ୍ଯ ଖେଳ କରିଥିବ ନାଁ........ସେମାନଙ୍କର ବିଷାକ୍ତ ହସରେ ସ୍ଥାନ ଟି କମ୍ପମାନ ହେବା ପରି ଲାଗିଲା।
ଏହାପରେ ମଧ୍ଯ ଜନାର୍ଦ୍ଦନଙ୍କ ନୀରବତା ଦେଖି ମିଲି ସମ୍ଭାଳି ପାରିଲାନି। ଅଭିମାନରେ ଜର୍ଜରିତ ହୋଇ କହିଲା- - ଚାଲ ବାପା, ଜଲଦି ଘରକୁ ଚାଲ। ତୁମ ସାମନା ରେ ସେମାନେ ମୋ ସହ ଏମିତି ବ୍ଯବହାର କରୁଛନ୍ତି ଆଉ ତୁମେ ନୀରବ ହୋଇ ତାମସା ଦେଖୁଛ। ସେମାନଙ୍କୁ ଦୁଇ ଚାପୁଡା ମାରିବା ସ୍ଥାନରେ ମୁହଁ ପୋତି ଛିଡା ହୋଇଛ? ତୁମ ପରି ଲୋକ ସାମନାରେ ଯଦି ସେମାନେ ମୋର ବଳାତ୍କାର କରିଦେବେ , ତେବେ ବି ତୁମର କିଛି ପ୍ରତିକ୍ରିୟା ହେବନି। ଛି ଛି, ଧିକ୍ ତୁମ ବାପାପଣିଆ କୁ। ମୋ ଜନ୍ମ ଉପରେ ଘୃଣା ଲାଗୁଛି ମୋତେ......
ଜନାର୍ଦ୍ଦନଙ୍କ ହାତମୁଠା ଆକ୍ସିଲେରେଟର ଉପରେ ଶକ୍ତ ହୋଇଗଲା ଓ ସେ ଦ୍ରୁତଗତି ରେ କଲେଜ ପରିସରରୁ ମିଲିକୁ ବସାଇ ବାହାରି ଆସିଲେ।
ମିଲି ସେତେବେଳକୁ କାନ୍ଦିକାନ୍ଦି ଅସ୍ତବ୍ଯସ୍ତ ହୋଇ ପଡୁଥିଲା ଓ ଗାଳି ଦେଇ ଚାଲିଥିଲା ଜନାର୍ଦ୍ଦନଙ୍କୁ। ଅଚାନକ ସେ ଯୁବକ ମାନେ ସ୍କୁଟର ସାମନା ରେ ସେମାନଙ୍କ ଜିପ୍ କୁ ଛିଡା କରିଦେଲେ। କୌଣସି ମତେ ଗାଡି ଅଟକାଇର ପ୍ରୟାସ କରି ଜନାର୍ଦ୍ଦନ ବିଫଳ ହୋଇ ତଳେ ପଡିଗଲେ। ଉଠିବା ବେଳକୁ ସେ ଯୁବକ ମାନେ ମିଲିର ହାତଧରି ଟଣାଓଟରା କରିବା ଆରମ୍ଭ କରିଦେଇଥିଲେ। ମିଲି ଆକୁଳ ହୋଇ ସେମାନଙ୍କୁ ପ୍ରାର୍ଥନା କରି ଚାଲିଥାଏ ତାକୁ ଛାଡି ଦେବାପାଇଁ। ପାଖ ଲୋକଙ୍କୁ ସାହାଯ୍ଯ ପାଇଁ ଚିତ୍କାର କରି ଡାକି ଚାଲିଥାଏ, ମାତ୍ର ଦେଖଣାହାରୀ ମାନେ କିଛି ନ ଦେଖିବା ପରି ମୁହଁମୋଡି ଚାଲି ଯାଉଥା'ନ୍ତି। ଜନାର୍ଦ୍ଦନ ସେ ଯୁବକ ମାନଙ୍କ କବଳରୁ ଝିଅ କୁ ଛଡାଇବାର ପ୍ରୟାସ କଲେ। ମାତ୍ର ସେ ମଦ୍ଯପ,ଉଦଭ୍ରାନ୍ତ ଯୁବକ ମାନଙ୍କ ଶକ୍ତ ପ୍ରହାରରେ ଭୂପତିତ ହେଲେ। ଯୁବକ ମାନେ ମିଲିକୁ ଟଣାଓଟରା କରି ଜିପ୍ ରେ ଟେକି ନେଇ ଯିବାକୁ ବାହାରିଲେ। ଜଣେ ଯୁବକ ମିଲି କୁ କାନ୍ଧରେ ଟେକି ଜିପ୍ ଆଡକୁ ଅଗ୍ରସର ହେଉଥିଲା ଓ ଅନ୍ଯ ଯୁବକ ମାନେ ଛୁରୀ ଦେଖାଇ ଜନାର୍ଦ୍ଦନ ଓ ଦେଖଣାହାରୀ ମାନଙ୍କୁ ଡରାଇ ଚାଲିଥିଲେ। ବିକଳ ରେ କାନ୍ଦିକାନ୍ଦି ମିଲି ର ତଣ୍ଟି ପଡିଯିବା ପରି ଲାଗୁଥିଲା। ସେହି ଉଦଭ୍ରାନ୍ତ ପଶୁମାନେ ତା ସହିତ ଯାହା କରିବାକୁ ଯାଉଛନ୍ତି ସେ ଜାଣି ସାରିଥିଲା ଓ ସେମିତି କିଛି ଘଟିଲେ ସେ ଆତ୍ମହତ୍ଯା କରିବାର ନିଷ୍ପତ୍ତି ମଧ୍ଯ ନେଇ ସାରିଥିଲା। ଜନାର୍ଦ୍ଦନ ମିଲିକୁ ଉଠାଇନେଇ ଯାଉଥିବା ଯୁବକର ଗୋଡତଳେ ପଡି କାନ୍ଦିକାନ୍ଦି ମିଲିକୁ ଛାଡିଦେବାକୁ ପ୍ରାର୍ଥନା କରିଚାଲିଲେ। ଜନାର୍ଦ୍ଦନଙ୍କର ଅସହାୟତା ସେ ଯୁବକ ମାନଙ୍କର ସାହାସ କୁ ବହୁଗୁଣିତ କରି ଦେଇଥିଲା। ସେମାନେ ଅଟ୍ଟହାସ୍ଯ କରି କହିଲେ- - ଆରେ ବୁଢା, ତୋ ଝିଅର ଭାଗ୍ଯ କେତେ ଭଲ ଥରେ ଭାବି ଦେଖ୍। ବିଧାୟକଙ୍କ ପୁଅ ପାଖରେ ତୋ ଝିଅ ଭୋଗ ଲାଗିବ, ଖର୍ଚ୍ଚପାଣି ବି ଦିଆଯିବ। ଏ ମାସରେ ଚଉଦ ଜଣଙ୍କ ଶିକାର ସରିଲାଣି ତୋ ଝିଅ କୁ ମିଶାଇଲେ ପନ୍ଦର ହେବ। ବାକି ଚଉଦଜଣ ଜାଣିଥିଲେ ଯେ ପୋଲିସ୍, କୋର୍ଟକଚେରି ଆମର କିଛି କରିପାରିବେନି, ତେଣୁ ସେମାନେ ଚୁପ୍ ରହିଲେ। ଯଦି ତୁମେ ମାନେ ବେଶି ଉତ୍ପାତ ହେବ, କାମ ସରିଲା ପରେ ତୋ ଝିଅର ଲାସ୍ ଧରି ତୋତେ ଘରକୁ ଫେରିବାକୁ ହେବ। ଏତେ ଭାବୁଛୁ କଣ? ଚୁପଚାପ୍ ଚାଲିଯା', ତୋ ଘରେ ଝିଅକୁ ପହଞ୍ଚାଇ ଦିଆଯିବ। ସେତେବେଳକୁ ମିଲିକୁ ସେମାନେ ଜିପ୍ ଉପରକୁ ଚଢାଇ ସାରିଥିଲେ।
- - ତୁମ ମାନଙ୍କୁ ଶେଷଥର ପାଇଁ କହୁଛି, ମୋ ଝିଅକୁ ଛାଡିଦିଅ ଓ ତା ଗୋଡ ତଳେ ପଡି କ୍ଷମାପ୍ରାର୍ଥନା କର। ନହେଲେ ତୁମ ମାନଙ୍କର ଅବସ୍ଥା ଯାହା କରିବି ତୁମେ ସ୍ବପ୍ନରେ ବି କଳ୍ପନା କରି ନ ଥିବ। ସିଂହ ହୁଂକାର ଦେବା ପରି ନିଜର ସମସ୍ତ ଶକ୍ତି ଖଟାଇ ଜନାର୍ଦ୍ଦନ ଗର୍ଜନ କଲେ। ଯୁବକ ମାନଙ୍କର ବିଷାକ୍ତ ଅଟ୍ଟହାସ୍ଯ ଅଚାନକ ନୀରବିଗଲା ଓ ସେମାନେ ଆଶ୍ଚର୍ଯ୍ଯ ହୋଇ ଜନାର୍ଦ୍ଦନଙ୍କୁ ଦେଖିଲେ। ମିଲି ଭାବି ପାରୁନଥିଲା ଯେ ତା ବାପା ଏତେ ରାଗି ପାରନ୍ତି ଓ ଏପରି କଥା କହି ପାରନ୍ତି। ଯୁବକ ମାନେ କିଛି ସମୟ ପାଇଁ ତଟସ୍ଥ ହୋଇ ଛିଡା ହୋଇଗଲେ। ସେହି ଅବସରରେ ମିଲି ଜିପ୍ ରୁ ବାହାରି ଜନାର୍ଦ୍ଦନଙ୍କ ପାଖକୁ ଦୌଡି ଆସିଲା ଓ ମିଲିକୁ ସ୍କୁଟରରେ ବସାଇ ଜନାର୍ଦ୍ଦନ ଦ୍ରୁତ ଗତିରେ ସେ ସ୍ଥାନରୁ ଚାଲିଗଲେ।
ମାତ୍ର ଜିପ୍ ଟି ତାଙ୍କ ପଛରେ ଅନୁସରଣ କରିବାକୁ ଲାଗିଲା। କିଛି ସମୟ ମଧ୍ଯରେ ସେମାନେ ସଲିମ୍ ଚାଚା ଗ୍ଯାରେଜ୍ ରେ ପହଞ୍ଚିଲେ ଓ ମିଲି କାନ୍ଦିକାନ୍ଦି ତାଙ୍କ ଘର ଭିତରକୁ ଦୌଡିଗଲା। ଜିପ୍ ଭିତରୁ ଯୁବକ ମାନେ ଅସଭ୍ଯଭାଷାରେ ଗାଳିଗୁଲଜ କରି ମିଲି କୁ ଉଠାଇ ନେବେ ବୋଲି ଚିତ୍କାର କରୁଥାଆନ୍ତି। ଜନାର୍ଦ୍ଦନ ଗ୍ଯାରେଜ୍ ଭିତରେ ପଶିଗଲେ। ସଲିମ୍ ଚାଚା ମିଲିକୁ ଧରି ବାହାରକୁ ଆସିଲେ ଓ ସେ ଯୁବକ ମାନଙ୍କ ଉଦେଶ୍ଯରେ କହିଲେ- – ଯଦି ଭଲ ଗତି ଅଛି ସାଙ୍ଗେସାଙ୍ଗେ ଏ ସ୍ଥାନରୁ ଚାଲିଯାଅ। ନୋହିଲେ ତୁମ ମାନଙ୍କର କଣ ଯେ ହେବ ଏ କଥା କହିବା ମୁସ୍କିଲ୍। ତୁମେ ମାନେ ଆମ ମିଲି ଦେହରେ ହାତ ଲଗାଇ ବହୁତ ବଡ ଭୁଲ କରିଦେଲ। ଆଜି ବହୁ ବର୍ଷରୁ ଶୋଇ ରହିଥିବା ଆଗ୍ନେୟଗିରି ବିଷ୍ଫୋରଣ କରିବ,ସବୁ ଜାଳିପୋଡି ଛାରଖାର କରିଦେବ। ସ୍ବୟଂ ଭଗବାନ ଚାହିଁଲେ ବି ଆଜି ତୁମକୁ ରକ୍ଷା କରିପାରିବେନି।
ଜଣେ ଯୁବକ ତାଚ୍ଛଲ୍ଯ କରି କହିଲା- - ଆରେ ହେ ବୁଢା, କୋଉ ଆଗ୍ନେୟଗିରି କଥା କହୁଛୁ ବେ ? ଆମେ ମାନେ କିଏ ଜାଣିଛୁ ତ? ଖୋଦ୍ ବିଧାୟକଙ୍କ ପୁଅ ଜିପ୍ ର ଷ୍ଟିୟରିଙ୍ଗ ଧରିଛି। ସେ ମୟୁର ଶିକାର ଟା ସେ କରିବ ବୋଲି ଶପଥ ନେଇ ସାରିଛି। ତୁମେ ବୁଢାମାନେ କଣ କରିବ ଦେଖିବା।ଯଦି ଭଲଗତି ଅଛି ସେ ଝିଅକୁ ଆଣି ଗାଡିରେ ବସେଇଦିଅ, ଆମେ ଚାଲିଯିବୁ। କାମ ସରିବା ପରେ ଟଙ୍କା ସହିତ ତାକୁ ଏଇ ଯାଗାରେ ଛାଡି ଦେଇଯିବୁ। କଥା ନ ମାନିଲେ ଘରେ ପଶି ଉଠେଇନେବୁ। ସହରର କାହାକୁ ବି ଆମ ବିଷୟରେ ପଚାର୍ ସେ କହିଦେବ। ଶିକାର ପଛରେ ଥରେ ପଡିଛୁ ମାନେ ପଛକୁ ହଟିବାର ନାହିଁ। ସେମାନଙ୍କ କଥା ଶୁଣି ସଲିମ୍ ଚାଚା ହୋଃ ହୋଃ ହୋଇ ହସିଲେ। କହିଲେ ଠିକ୍ ଅଛି ତେବେ ସମ୍ଭାଳିବାକୁ ପ୍ରସ୍ତୁତ ହୋଇଯାଅ।
ବୁଲେଟ୍ ର ଗୁରୁଗମ୍ଭୀର ନାଦରେ ସ୍ଥାନଟି ପ୍ରକମ୍ପିତ ହେବାପରି ଲାଗିଲା। ବଜ୍ରସମ କଣ୍ଠରେ କେହି ଜଣେ ଘୋଷଣା କରି କହିଲା- - ମାଆ କାଳୀଙ୍କ ଶପଥ ଖାଇ କହୁଛି, ମୁଁ ଆଜି ତୁମ ମାନଙ୍କ ରକ୍ତରେ ଗାଧୋଇବି।
ମିଲି ଚମକି ପଡି ପଛକୁ ଦେଖିଲା, ନାଲି ରଙ୍ଗର ବୁଲେଟ୍ ରେ ତାର ଅତି ପରିଚିତ ଲୋକକୁ। ବୁଲେଟର ରୂପ ଦେଖିଲେ ଆଖି ଖୋସି ହୋଇଯିବା ପରି ଲାଗୁଥିଲା। ସମ୍ମୂଖ ଭାଗରେ ପାଟି ଆଁ କରି ଛିଡା ହୋଇଥିଲା ଏକ ପିତ୍ତଳ ନିର୍ମିତ ସିଂହ ଓ ବୁଲେଟର ଅର୍ଦ୍ଧାଧିକ ଅଂଶ ପିତ୍ତଳ ଦ୍ବାରା ଆଚ୍ଛାଦିତ ହୋଇ ରହିଥିଲା। ଚାଳକ ପିନ୍ଧିଥିଲା ଛୁରୀ,ଭୁଜାଲୀରେ ସଜ୍ଜିତ ଏକ ଲେଦର୍ ଜ୍ଯାକେଟ୍ , ହାତରେ ଥିଲା କଙ୍କଣ ଓ ବେକରେ ଝୁଲିଥିଲା ସୁନାର ମୋଟା ଚେନ୍। ଚାଳକ ଆଖିରେ ଜଳୁଥିଲା ପ୍ରତିଶୋଧର ବହ୍ନି ଓ ମୁହଁରୁ ବିଚ୍ଛୁରିତ ହେଉଥିବା ଅସମ୍ଭବ ରୁକ୍ଷତା। ମିଲି ପାଟିରୁ ଅଜାଣତରେ ବାହାରି ପଡିଲା …. ବା....ପା !!
ସଲିମ୍ ଚାଚା ମିଲି କୁ କହିଲେ ଝିଅ ଭଲରେ ଦେଖ୍ ଏ ଲୋକକୁ। ତୁ ଜନ୍ମ ହେବା ପରଠାରୁ ଏ ଲୋକର ସତ୍ତା ନିଶ୍ଚିହ୍ନ ହୋଇ ଯାଇଥିଲା। ଇଏ ସେଇ ଲୋକ, ଯାହାକୁ କେବେ ଦେଖିଲେ ବଡ ବଡ ଗୁଣ୍ଡାମାନେ ଲୁଚି ଯାଉଥିଲେ, ଯିଏ ରାସ୍ତା ରେ ଯିବା ବେଳେ ସିଂହ ମଧ୍ଯ ବାଟ ଛାଡି ଦେଉଥିଲା। ତା ସାମନାରେ ଛିଡା ହୋଇ କଥା କହିବାର ସାହାସ ସହରରେ କାହାର ନ ଥିଲା। ଦୁଷ୍ଟ,ଗୁଣ୍ଡା ବଦମାସଙ୍କର ଜେଜେ ବାପା ଥିଲା ଏ ଲୋକ। ଭଲରେ ଦେଖ୍ ତାକୁ। ତା ପାଟି କମ୍ ଖୋଲେ ହାତ ହତିଆର ବେଶି ଚାଲେ। ଏକା ବେଳକେ କୋଡିଏ ଲୋକଙ୍କୁ ଧୂଳି ଚଟାଇ ଦେଇପାରୁଥିବା ସହର ର ଏକମାତ୍ର ଡନ୍ ଥିଲେ ତୋ ବାପା। ସହରରେ ତାକୁ ସବୁ "ଜନ୍” ନାମରେ ଚିହ୍ନୁଥିଲେ। ସେ କାହାଣୀ ବହୁତ ଲମ୍ବା ତୋତେ ମୁଁ ପରେ କହିବି। କିନ୍ତୁ ଏତିକି ଜାଣିଥାଆ ଯେ-- ତୋତେ ଜନ୍ମ ଦେବାପାଇଁ ଜନ୍ ତୋ ମାଆକୁ ନେଇ ମେଡିକାଲ ଯିବା ବାଟରେ ବିରୋଧୀ ଗୋଷ୍ଠୀ ଅଚାନକ ଆକ୍ରମଣ କଲେ। ବହୁ କଷ୍ଟରେ ସେମାନଙ୍କ କବଳରୁ ତୋ ମାଆକୁ ବଞ୍ଚାଇ ଜନ୍ ଆମଘରକୁ ନେଇ ଆସିଲା ଓ ବିରୋଧୀ ମାନଙ୍କର ନିପାତ ପାଇଁ ବାହାରିଗଲା। ସେମାନଙ୍କୁ ସେ ନିମିଷକରେ ଶେଷ କରିଦେଲା। ଫେରିଲା ବେଳକୁ ତୁ ଜନ୍ମ ହୋଇ ସାରିଥିଲୁ, ମାତ୍ର ତୋ ମାଆକୁ ବହୁ ଚେଷ୍ଟା ପରେ ବି ବଞ୍ଚାଇ ହେଲାନି। ମୃତ୍ଯୁଶଯ୍ଯାରେ ତୋ ମାଆ ଜନ୍ ବେକରେ ଶପଥର ଶିକୁଳି ବାନ୍ଧିଦେଇ କହିଥିଲା , ସାଧାରଣ ମଣିଷ ଭାବରେ ବଞ୍ଚି ତୋତେ ବଡ କରିବା ପାଇଁ। ସେହି ଶପଥରେ ସେ ବାନ୍ଧି ହୋଇ ରହିଥିଲା। ତା ଦେହରେ ଥିବା ପ୍ରତ୍ଯକ ଟି କଟା ଦାଗ ଏକାଧିକ ଘମାଘୋଟ ଯୁଦ୍ଧର କାହାଣୀ ନିଜ ଭିତରେ ସାଇତି ରଖିଛି। ତା ଜିନିଷ ମୋ ପାଖରେ ସାଇତା ହୋଇ ରହିଥିଲା ସେଦିନରୁ। ଏ ବୁଲେଟ୍ କୁ ସେ ନିଜ ପ୍ରାଣରୁ ଅଧିକ ଭଲ ପାଉଥିଲା। ତେଣୁ ବୁଲେଟ୍ କୁ ନିଜ ପିଲା ପରି ଯତ୍ନରେ ରଖିଛି ମୁଁ।
ଭୀଷଣ ପାଟିତୁଣ୍ଡ ଶୁଣି ମିଲି ରାସ୍ତା ଆଡକୁ ଦେଖିଲା। ସେତେବେଳକୁ ଜନ୍ ଜିପ୍ ଭିତରେ ପଶି ସେ ଯୁବକ ମାନଙ୍କୁ ଆକ୍ରମଣ କରିବା ଆରମ୍ଭ କରି ଦେଇଥିଲା। ପ୍ରାଣ ବିକଳରେ ସେ ଯୁବକ ମାନେ ପଳାୟନ କରିବାକୁ ଲାଗିଲେ ଓ ତାଙ୍କ ପଛରେ ବୁଲେଟ୍ ଟି ରକେଟ୍ ବେଗରେ ଦୌଡିବାକୁ ଲାଗିଲା। ସଲିମ୍ ଚାଚା ତା ମୋଟର ସାଇକଲରେ ମିଲିକୁ ବସିବାକୁ ଇସାରା ଦେଇ ସାମାନଙ୍କର ପିଛା କଲା। ମିଲି କୁ ଜଣାଇଦେଲା ଯେ ଜନ୍ କୁ ଆୟତ୍ତ କରିବା ଅସମ୍ଭବ। ତାକୁ ରୋକା ନ ଗଲେ ନିଶ୍ଚିତ ଭାବରେ ଚାରି ଜଣଙ୍କ ମୁଣ୍ଡ ରାସ୍ତାରେ ଗଡିବ। ସେମାନଙ୍କୁ ଦୂର ଦୂର ଯାଏ ଜିପ୍ ବା ବୁଲେଟ୍ ର ସ୍ଥିତି ଦୃଶ୍ଯ ହେଉ ନ ଥିଲା।
ସେପଟେ ଜନ୍ ସେ ଯୁବକ ମାନଙ୍କୁ ବାଟରେ ଅଟକାଇବାରେ ସଫଳ ହେଲା। ତା ପରର ଘଟଣା ଅବର୍ଣ୍ଣନୀୟ। ଜନ୍ ର ଭୀଷଣ ଆକ୍ରମଣ କୁ ପ୍ରତିହତ କରିବାର କ୍ଷମତା ସେ ଯୁବକ ମାନଙ୍କ ପାଖରେ ନ ଥିଲା। ପ୍ରହାର ପରେ ପ୍ରହାର ଖାଇ ସେମାନେ ପ୍ରାଣ ବଞ୍ଚାଇବାକୁ ଜନ୍ ପାଖରେ ନେହୁରା ହେବାରେ ଲାଗିଥିଲେ। ଦେଖଣାହାରି ମାନେ ନୀରବ ରେ ଛିଡା ହୋଇ ଚଳଚିତ୍ରସମ ଦୃଶ୍ଯ ଉପଭୋଗ କରି ଚାଲିଥିଲେ। ଜନ୍ ଏଥର ଭୁଜାଲି କାଢି ସେମାନଙ୍କୁ ହାଣିବାକୁ ବାହାରିଲା। ସେତିକି ବେଳେ ସଲିମ୍ ଓ ମିଲି ସେ ସ୍ଥାନ ରେ ପହଞ୍ଚିଗଲେ। ନିଜର ସମସ୍ତ ଶକ୍ତି ଖଟାଇ ସଲିମ୍ ଜନ୍ କୁ ରୋକିବାକୁ ଚେଷ୍ଟା କଲା। ମାତ୍ର ଗୋଟିଏ ଧକ୍କାରେ ସେ ଛିଟିକି ପଡିଲା। ସତେକି ଜନ୍ ଦେହରେ ଶତ ସିଂହର ବଳ ଆସି ଯାଇଥିଲା। ସେ ଚିତ୍କାର କରି କହୁଥିଲା- - ତୁମ ମାନଙ୍କର ଏତେ ସାହାସ୍ , ମୋ ଝିଅ ଦେହରେ ହାତ ଲଗାଇବାର ସାହାସ କଲ। ମୋ ଫୁଲ ପରି କୋମଳ ଝିଅ ଆଖିରୁ ତୁମ ପାଇଁ ଲୁହ ବୋହିଲା...ତୁମ ମାନଙ୍କୁ ଆଜି ଭଗବାନ ବି ବଞ୍ଚାଇ ପାରିବେନି।
ମିଲି ଜନ୍ ର ଗୋଡ କୁ ଜାବୁଡି ଧରି କହିଲା- - ସେମାନଙ୍କୁ ଛାଡିଦିଅ ବାପା। ବହୁତ ଦଣ୍ଡ ଦେଇ ସାରିଲଣି। ସେମାନଙ୍କର କିଛି ହୋଇଗଲେ ଆମେ ସମସ୍ତେ ଅସୁବିଧାରେ ପଡିଯିବା। ତୁମକୁ ପୋଲିସ୍ ବାନ୍ଧି ନେଲେ ମୋର କଣ ହେବ?
ମିଲିର କଥା ଶୁଣି ହଠାତ୍ ଜନ୍ ସ୍ଥାଣୁ ହୋଇ ଛିଡା ହୋଇଗଲା। ତା ଶକ୍ତ ହାତ ମୁଠାରୁ ଭୁଜାଲି ତଳେ ଖସି ପଡିଲା। ସେ ଯୁବକ ମାନଙ୍କ ଉପରେ ଛେପ ପକାଇ କହିଲା- - ମୋ ଝିଅ ଗୋଡତଳେ ପଡିି ଭୁଲ ମାଗ ନେହେଲେ.......
ଯୁବକମାନେ ମିଲି ଗୋଡ ତଳେ ଲମ୍ବତମ୍ବ ହୋଇ ଶୋଇଗଲେ ଓ କ୍ଷମାପ୍ରାର୍ଥନା କରି ଜନ୍ କବଳରୁ ବଞ୍ଚାଇବାକୁ ନେହୁରା ହେଲେ। ମିଲି ସେମାନଙ୍କୁ କ୍ଷମା ଦେବା ସହିତ ଚେତାବନୀ ଦେଇ କହିଲା- - ଯଦି ଭବିଷ୍ଯତରେ କୌଣସି ନାରୀ ପ୍ରତି ଏପରି ବ୍ଯବହାର କରିବ, ସେହିଦିନ ତୁମ ମାନଙ୍କ ଜୀବନର ଶେଷ ଦିନ ବୋଲି ଜାଣିନେବ। ଯୁବକ ମାନେ ପ୍ରାଣ ବଞ୍ଚାଇ ସେ ସ୍ଥାନରୁ ନିମିଷକରେ ଅନ୍ତର୍ଦ୍ଧ୍ଯାନ ହୋଇଗଲେ।
ମିଲି ଦୌଡିଆସି ତା ବାପାଙ୍କୁ କୁଣ୍ଢାଇ କାନ୍ଦିକାନ୍ଦି କହିଲା- - ମୋତେ କ୍ଷମା କରିବ ବାପା, ତୁମକୁ କେତେ କଣ କହିଗଲି।
ଜନାର୍ଦ୍ଦନ ମିଲିର ମୁଣ୍ଡ ଥାପୁଡାଇ କହିଲେ - - ସେମିତି କହନି ରେ ମାଆ। ତୋର କିଛି ଭୁଲ ନାହିଁ, କିନ୍ତୁ ତୋତେ ମୁଁ କେମିତି ବୁଝାଇଥାନ୍ତି ଯେ ମୁଁ ଶପଥର ଶିକୁଳିରେ ବନ୍ଧା । ତୁ ମୋତେ ବହୁତ କଥା ପଚାରିଛୁ, ମାତ୍ର ମୁଁ ନୀରବ ରହିଛି, କାରଣ ମୋ ଅତୀତ ବହୁତ ଭୟଙ୍କର ଥିଲା। ମୁଁ କେବେ ମୋ ଅତୀତ କୁ ଫେରିବାକୁ ଚାହୁଁନି, ମାତ୍ର ଯଦି ତୋ ଉପରେ କିଛି ବିପଦ ଆସିବ ଏ ଜନାର୍ଦ୍ଦନ ନିମିଷକରେ ଜନ୍ ରେ ରୂପାନ୍ତରିତ ହୋଇଯିବ।
ମିଲି ହସକାନ୍ଦ ମିଶ୍ରିତ ସ୍ବରରେ କହିଲା- - ଥାଉ ବାପା, ସେ ଡନ୍ ଜନ୍ ମୋର ଦରକାର ନାହିଁ। ମୋର ସେ ସାଧାସିଧା ବାପା ଦରକାର, ଯାହାକୁ ମୁଁ ଚିଡାଇ ପାରୁଥିବି, ମଫସଲିଆ କହିପାରୁଥିବି। ମୋ ବାପା ହିରୋ ପରି ହୁଅନ୍ତୁ ବୋଲି ଭାବିଥିଲି , କିନ୍ତୁ ଦେଖିଲା ବେଳକୁ ମୋ ବାପା ତ ଏକ ନମ୍ବର ଡନ୍ ବାହାରିଲେ। କିନ୍ତୁ ଜନ୍ ର ବୁଲେଟ୍ ଆଜି ପରଠାରୁ ଜନାର୍ଦ୍ଦନ ଚଳାଇବ। କଣ ରାଜି ତ?
ହସିହସି ଜନାର୍ଦ୍ଦନ କହିଲେ- - ତୋର ସବୁ କଥାରେ ମୁଁ ରାଜି ରେ ମାଆ।
ବୁଲେଟ୍ ରେ ବସି ଜନାର୍ଦ୍ଦନ ଓ ମିଲି ଘରକୁ ଫେରିଲେ। ବାପାଙ୍କୁ ଛିଗୁଲାଇ ମିଲି କହିଲା- - ଯାହାହେଉ, ଆଜି କଲେଜ୍ ରେ ଭଲ ନାଚିଲି ବୋଲି ମୋତେ କେତେ ପୁରସ୍କାର ଏକା ବେଳକେ ମିଳିଗଲା। ସଲିମ୍ ଚାଚା ଭାବୁଥିଲା ଯେ ଆଗ୍ନେୟଗିରିରୁ ଅଗ୍ନିବର୍ଷା ହେବା ପୂର୍ବରୁ ବନ୍ଦ ହୋଇଗଲା, ନହେଲେ ଅବସ୍ଥା କଣ ଯେ ହୋଇ ଥାଆନ୍ତା ତାହା କଳନା କରିବା ମୁସ୍କିଲ।
---------
ସହରୀ ଝିଅର ମୋହଭଙ୍ଗ
ସହରୀ ଝିଅର ମୋହଭଙ୍ଗ
ଲେଖକ-ଅରବିନ୍ଦ ରଥ
ମୋ ସାଙ୍ଗମାନେ ବାହାଘରକୁ ଆସି ପାରି ନଥିଲେ। ସେମାନଙ୍କ ସହ ତୁମର ଦେଖା ମଧ୍ଯ ହୋଇନି, ଏ ଅବସରରେ ସେମାନଙ୍କ ସହ ଦେଖା ବି ହୋଇଯିବ ଓ ଗୋଟେ ଭଲ ବନ୍ଧୁମିଳନ ବିି ହୋଇଯିବ। କାରଣ ପୁଣି କେବେ ଓଡିଶା ଆସିବା ହେବ ଜଣା ନାହିଁ।
ସାର୍ଥକର କଥା ଶୁଣି ଜିନା ଦୀର୍ଘନିଶ୍ବାସ ପକାଇ କହିଲା- - ଓଃ, ତା ମାନେ ତୁମ ସାଙ୍ଗମାନେ ଏତେ ସ୍ପେଶାଲ ଯେ ଆମ ପ୍ଯାରିସ୍ ଟୁର କ୍ଯାନସେଲ୍ କରି ସେମାନଙ୍କ ପାଖକୁ ଯିବାକୁ ମନସ୍ଥ କଲ। ଓକେ, ମୋର ପ୍ରୋବ୍ଲେମ୍ ନାହିଁ। ମାତ୍ର ତୁମକୁ ମୋ ପାଇଁ ଗୋଟେ ଭଲ ଡାଏମଣ୍ଡ ଲକେଟ୍ କିଣିବାକୁ ହେବ। ତାକୁ ପିନ୍ଧି ମୁଁ ତୁମ ସୋ କଲଡ୍ ବନ୍ଧୁମିଳନ କୁ ଯିବି। ସାର୍ଥକ ହସିହସି ସମ୍ମତି ଜଣାଇଲା।
ସାର୍ଥକ ଓ ଜିନା ବିଦେଶରେ ରୁହନ୍ତି। ଏକ ବଡ ସଫ୍ଟଓ୍ବୟାର କମ୍ପାନୀର ମୁଖ୍ଯ ଭାବରେ ସାର୍ଥକ କାର୍ଯ୍ଯରତ ଓ ଅଚଳାଚଳ ସମ୍ପତ୍ତିର ମାଲିକ। ଇଞ୍ଜିନିୟରିଂ ସାରିବା ପରେ ନିଜର ଧିମତ୍ତା ଓ ଦକ୍ଷତା ବଳରେ ଖୁବ୍ କମ୍ ସମୟ ଭିତରେ ସେ ସଫଳତାର ଶିଖର ଛୁଇଁବାରେ ସଫଳ ହୋଇଥିଲା । ଅଫିସ ର କାର୍ଯ୍ଯବ୍ଯସ୍ତତା ଭିତରେ ବୁଡି ରହିବା ହେତୁ ସେ ସାଙ୍ଗସାଥୀ ମାନଙ୍କ ସହିତ ଯୋଗାଯୋଗ ରକ୍ଷା କରିପାରୁ ନଥିଲା। ସେହି ଗୋଟିଏ ସହରରେ ସ୍କୁଲ,କଲେଜ୍ ଓ ଇଞ୍ଜିନିୟରିଂ ପାଠ୍ଯକ୍ରମ ସମାପ୍ତ କରିଥିବାରୁ ସାଙ୍ଗସାଥୀଙ୍କ ସଂଖ୍ଯା ଢେର୍ ଅଧିକ ଥିଲା। ସେମାନଙ୍କ ଭିତରୁ କିଛି ସାଙ୍ଗ ନିଜ ନିଜ କ୍ଷେତ୍ରରେ ପ୍ରତିଷ୍ଠିତ ଥିଲେ ଓ କିଛି ସାଙ୍ଗ ଜୀବନଯୁଦ୍ଧରେ ବିଫଳ ହୋଇ ସାଧାରଣ ଜୀବନ ବଞ୍ଚୁଥିଲେ। ଚାକିରି କରିବା ପରେ ସାର୍ଥକର ବିଭାଘର ହୋଇଗଲା ଓ ଖୁବ୍ କମ୍ ଦିନ ମଧ୍ଯରେ ତାକୁ ବିଦେଶ ଫେରିଯିବାକୁ ହେଲା । ତେଣୁ ବାହାଘର ବଷୟରେ ସମସ୍ତଙ୍କୁ ଖବର ଦେବା ସମ୍ଭବପର ହେଲାନି। ସେଥିପାଇଁ କିଛି ଘନିଷ୍ଠବନ୍ଧୁ ଅଭିମାନ କରି ଅନେକଦିନ ପର୍ଯ୍ଯନ୍ତ କଥାବାର୍ତ୍ତା ବନ୍ଦ କରି ଦେଇଥିଲେ।
ବେଶ୍ କିଛିବର୍ଷ ବିଦେଶରେ ରହିବାପରେ ଜିନାର ଚାଲିଚଳନ ଓ କଥାବାର୍ତ୍ତାରେ ଢେର ପରିବର୍ତ୍ତନ ଆସିଯାଇଥିଲା। କମ୍ପାନୀମୁଖ୍ଯଙ୍କ ଅର୍ଦ୍ଧାଙ୍ଗୀନି ବୋଲି ମନରେ ଗର୍ବର ପରିମାଣ ମଧ୍ଯ ବଢି ଯାଇଥିଲା। ବିଦେଶ ଯିବା ପରେ ସେ ନିଜର ସାଙ୍ଗସାଥୀଙ୍କ ଅସ୍ତିତ୍ବ ବିଷୟରେ ଅଜ୍ଞ ଥିଲା ଓ ସେମାନଙ୍କ ସହିତ କୌଣସି ସମ୍ପର୍କ ରଖିବାକୁ ଚାହୁଁ ନ ଥିଲା। କିନ୍ତୁ ସାର୍ଥକର ଗୁଣ ଠିକ୍ ଓଲଟା ଥିଲା ଓ ତାହା ଜିନା କୁ ବେଶି ବାଧୁଥିଲା। କଥାକଥାରେ ହାଇ ସୋସାଇଟିର ଡିଣ୍ଡିମ ପିଟୁଥିବା ଜିନା ପାଇଁ ସାର୍ଥକର ସାଧାସିଧା ଜୀବନଶୈଳୀ ଅସହ୍ଯ ଥିଲା। ଏହି କାରଣରୁ ବିଦେଶରେ ଥିବା ଭାରତୀୟଙ୍କ ତୁଳନା ରେ ସେ ବିଦେଶୀ ଲୋକଙ୍କୁ ବେଶି ପ୍ରାଧାନ୍ଯ ଦେଉଥିଲା।
ସେଦିନ ଜିନା ନିଜକୁ ଏକ ଅତ୍ଯାଧୁନିକା ବିଦେଶିନୀ ଭାବରେ ସଜାଇ ବନ୍ଧୁମିଳନକୁ ବାହାରିଲା। ସ୍ବଳ୍ପ କପଡା ସାଙ୍ଗକୁ ହୀରା ଓ ସୁନାର ଅଳଙ୍କାର ନିହାତି ବେଖାପ ଲାଗୁଥିଲେ ବି ସାର୍ଥକ ନୀରବ ରହିବାକୁ ଶ୍ରେୟସ୍କର ମନେ କଲା। ନଚେତ୍ ବନ୍ଧୁମିଳନ କୁ ଯିବା ଦୂରେ ଥାଉ,ଘମାଘୋଟ ଯୁଦ୍ଧରେ ଦିନଟା ବିତିଯିବ। ଜିନ୍ସ ଓ ଟି ସାର୍ଟ ପିନ୍ଧି ସାର୍ଥକ ବାହାରିବା ବେଳକୁ ଜିନା ତାକୁ ଆଶ୍ଚର୍ଯ୍ଯ ହୋଇ କହିଲା-- ବୁଝିଲ ସାର୍ଥକ,ତୁମେ ଏତେ ବଡ କମ୍ପାନୀର ଡାଇରେକ୍ଟର ହେଲାପରେ ବି ନିଜ ମଫସଲିଆ ଗୁଣ ଛାଡୁନ। ତୁମ ପାଇଁ ସବୁ ଯାଗାରେ ମୋତେ ହିଁ ଅପଦସ୍ଥ ହେବାକୁ ପଡୁଛି।
ପୁରୀ ନିକଟସ୍ଥ ଏକ ସମୁଦ୍ରକୂଳିଆ ସ୍ଥାନରେ ବନ୍ଧୁମିଳନ କାର୍ଯ୍ଯକ୍ରମର ଆୟୋଜନ କରାଯାଇଥିଲା। ସେଠାରେ ପହଞ୍ଚିବା ବେଳକୁ ପ୍ରାୟ ସମସ୍ତେ ଆସି ସାରିଥିଲେ। ଘଞ୍ଚ ଝାଉଁବଣ ଭିତରେ ଟେଣ୍ଟ ଭିଡାଯାଇଥିଲା ଓ ସୁମଧୂର ସଙ୍ଗୀତର ମୂର୍ଚ୍ଛନା ଭାସି ଆସୁଥିଲା। ସମୁଦ୍ରର ନୀଳାଭ ଫେନିଳ ଜଳରାଶି ଓ ବିସ୍ତୀର୍ଣ୍ଣ ବାଲୁକା ବେଳାଭୂମିର ଦର୍ଶନମାତ୍ରେ ହିଁ ସାର୍ଥକ ମନରୁ ସମସ୍ତ ବିରକ୍ତି,ଅବସାଦ ଓ ବ୍ଯଥା ନିମିଷକରେ ନିଶ୍ଚିହ୍ନ ହୋଇଗଲା। ସମୁଦ୍ରକୂଳିଆ ପବନ ଚିରାଚରିତ ଦୁଷ୍ଟାମୀ ରେ ବ୍ଯସ୍ତ ଥିଲା। ଜିନାର ଆଣ୍ଠୁ ଲୁଚୁ ନ ଥିବା ସ୍ବଳ୍ପବସ୍ତ୍ରକୁ ଉର୍ଦ୍ଧ୍ବଗାମୀ କରିବା ପ୍ରଚେଷ୍ଟାରେ ପବନ ଲାଗି ଯାଇଥିଲା। କୌଣସି ମତେ ଜାକି ଜୁକି ହୋଇ ଜିନା ସାର୍ଥକ ପଛରେ ଟେଣ୍ଟ ଆଡକୁ ଅଗ୍ରସର ହେଲା।
ଅତି ଭଦ୍ରତା ସହକାରେ ସାର୍ଥକ ଓ ଜିନା ଟେଣ୍ଟ ଭିତରେ ପ୍ରବେଶ କରିବା କ୍ଷଣି ସାଙ୍ଗମାନେ କରତାଳି ଦେଇ ସେମାନଙ୍କର ସ୍ବାଗତ କଲେ ଓ ଜିନାକୁ ଭାଉଜ ସମ୍ବୋଧନପୂର୍ବକ ଭକ୍ତିପୂତ ପ୍ରଣାମ ମଧ୍ଯ କଲେ। ବନ୍ଧୁପତ୍ନୀ ମାନେ ଜିନାର କିମ୍ଭୁତକିମ୍ଭାକାର ବେଶଭୂଷା ଦେଖି ଆଚମ୍ବିତ ହେଲେ;କିନ୍ତୁ ମନର ଭାବକୁ ଚାପି ରଖି ଜିନା ସହ କରମର୍ଦ୍ଦନ କରି ବସିବାକୁ ଆମନ୍ତ୍ରଣ କଲେ। ବେଶ୍ କିଛି ସମୟ ଧରି ଅତ୍ଯନ୍ତ ଭଦ୍ର ପରିବେଶର ଧୂଆଁରେ ଟେଣ୍ଟ ଭିତର ପୂର୍ଣ୍ଣ ହୋଇଗଲା। ହାଲୁକା ଜଳପାନ କରିବା ପରେ ନାରୀ ମହଲର ବିଶେଷ ଗପସପର ଆସର ଜମିବାକୁ ଲାଗିଲା। ସେ ସ୍ଥାନରେ ପ୍ରବେଶ କରିବା ସମୟରୁ ହିଁ ଜିନା ଉପସ୍ଥିତ ଅତିଥି ମାନଙ୍କର ବେଶପୋଷାକ ଆଧାରରେ ଏକ ଷ୍ଟାଟସ୍ ରିପୋର୍ଟ ତିଆରି କରି ସାରିଥିଲା। ସେ ନିଶ୍ଚିତ ଥିଲା ଯେ ନାରୀମହଲରେ ସେ ହିଁ ଥିଲା ସୁନ୍ଦରୀ,ଧନୀ ଓ ଅତି ସମ୍ଭ୍ରାନ୍ତ କିସମର ମହିଳା। ଚିରାଚରିତ ଶୈଳୀରେ ସେ ଆରମ୍ଭ କରି ସାରିଥିଲା ତାଙ୍କ ପ୍ରତିପତ୍ତିର ଅସରନ୍ତି କାହାଣୀ। ଉପସ୍ଥିତ ମହିଳା ମାନେ ପାଟି ଆଁ କରି ଆକଣ୍ଠ ପାନ କରି ଚାଲିଥିଲେ ଜିନାର ଆକାଶଛୁଆଁ ଫୁଟାଣିଆ ଗଳ୍ପ ସବୁକୁ। ସାର୍ଥକ ମଧ୍ଯ ସାଙ୍ଗ ମାନଙ୍କ ସହିତ କିଛି କ୍ଷଣ ଓୌପଚାରିକ କଥାବାର୍ତ୍ତା କରି ସମୁଦ୍ରକୂଳକୁ ବୁଲି ଯିବାକୁ ନିମନ୍ତ୍ରଣ ଦେଲା।
ଯିବା ସମୟରେ ସେ ଜିନା କୁ ପଚାରିଲା- - ଜିନା ତୁମ ଯଦି ଏ ସ୍ଥାନରେ କମ୍ଫୋର୍ଟେବଲ୍ ଅନୁଭବ କରୁନ, ଆମ ସାଙ୍ଗରେ ସମୁଦ୍ରକୂଳ କୁ ବୁଲି ଯାଇପାର।
ଜିନା ମୁହଁ ଛିଞ୍ଚାଡି କହିଲା- - ଇ ଇ ଇ , ନୋ ଓ୍ବେ, ଏଠି ମୋଟେ ୟେତେ ଭ୍ବଲ ଫ୍ରାଏଣ୍ଡସ୍ ମିଳ୍ବିଗଲେ , ମୁଁ ଖାହିଁଖି ଥୁମ ସାଙ୍ଗଡେ ସି ବିଚ୍ ରେ ଭୁଲିବି। ଆଇ ଆମ୍ ଫୁଲି କମ୍ଫୋର୍ଟେବଲ୍ ହିଅର୍। ୟୁ ମେ ଗୋ ଏଣ୍ଡ ଏନଜୟ। ଥୁମ ଫ୍ରେଣ୍ଡ ମାନଙ୍କ ଓ୍ବାଇଫ୍ ମାନଙ୍କୁ ଖେତେ ଷ୍ଟୋରୀ ଶୁଣାଇଭା ଭାକି ଆଛି। ସେମାନେ ତ ଖେବେ ଫରେନ୍ ଝାଇ ପାରିଓ୍ବେନି , ଆଟ୍ ଲିଷ୍ଟ ଫରେନ୍ ବିଷୟରେ କିଛି ଝାଣି ଖୁସି ହୁଅନ୍ଥୁ। ୟୁ ପ୍ଲିଜ୍ ଗୋ।
ସାର୍ଥକର କାନରେ ଜଣେ ସାଙ୍ଗ ଫିସଫିସ କରି କହିଲା- - ଆରେ ଶଳା " ସାପ " , ତୋ ମାଇପ ପାଟିରେ ସାପ ପଶିଛି ନା ଆଜନ୍ମ ଖନି । ଏମିତି ଫୁଃ ଫାଃ କଥା କଣ ହଉଛି କିରେ?
ଜିନା କାନରେ ସାପ ଶବ୍ଦଟି ଖୁବ୍ ଜୋରରେ ପ୍ରତିଧ୍ବନିତ ହେଲା। ସେ ଚମକି ପଡି କହିଲା- - ଓଃ ମାଇ ଗଡ୍ । ସାପ?? କେହୁଁଠି ଆଛି ସ୍ନେକ୍। ସୋ ହରିବଲ୍ଲ୍ - - ଓଃ ଡିୟର୍ ସାର୍ଥୁ, ଥୁମେ ମୋତେ ଆଗରୁ କହିବାର ଥିଲା ଯେ ଏମିତି ଡେନଜରସ୍ ଜାଗା କୁ ନେଇ ଆସୁଛ ବୋଲି। ୟୁ ନୋ ନା, ମୋର " ଓଫିଡିଓଫୋବିଆ” ଅଛି ଆଇ ମିନ ଟୁ ସେ- - -ସ୍ନେକ୍ ପାଇଁ ଫୋବିଆ।
- - ହାଃ ହାଃ ହାଃ ଆରେ ଭାଉଜ, ମାଇଣ୍ଡ କଲକି? ତୁମ ପତିଦେବଙ୍କ ପୁରା ନାମଟି ସାର୍ଥକ ପଣ୍ଡା, ତେଣୁ ଆମେ ସ୍ନେହରେ ତାକୁ "ସାପ" ବୋଲି ଡାକୁ।
- - ହିଁଃ ହିଁଃ ୟୁ ନଟି ବୟେଜ୍। ମୁଁ ଥ ଫୁରା ଡରି ଝାଇଥିଲି। ଓକେ ଓକେ ଆମ ଲେଡିଝ୍ ମାନଙ୍କୁ ଛାଡି ଥୁମେ ମାନେ ଝାଇ ଏନଜୟ କର। ଫୁଲେଇ ହୋଇ କହିଲା ଜିନା।
ୟା'ପ ସାପର ମାଇପଟା କି ଭାଷାରେ କଥା ହେଉଛି ବେ। ତା ଜିଭ ଅଛି ନା କଟି ଯାଇଛି, ପାଟି ମେଲେଇ ଦେଖିଲ ଟିକେ।
ସାର୍ଥକ ଜିନା ସପକ୍ଷରେ କହିଲା- - ଆରେ ସେମିତି କୁହନି, ସେ ଫରେନ୍ ବେଶୀ ଦିନ ରହି ଯାଇଛି ତ, ତେଣୁ ତା କଥା ସବୁ ସେମିତି ହୋଇ ଯାଇଛି।
- - ତୁ ଶଳା ଟା କଣ ଗାଁଆ ରେ ରହୁଛୁ କି? କାଇଁ ତୋ କଥା ତ ସେମିତି ଶୁଭୁନି। ଆମକୁ ଲାଗୁଛି ତୁ ଟା ପରମ ମାଇପବୋଲିଆ ହୋଇ ଯାଇଛୁ। ହଉ ଚାଲ୍ ବିଚ୍ କୁ ଖେଳ ଟା ସେଇଠି ଜମିବ।
ସମୁଦ୍ରକୂଳରେ ପହଞ୍ଚିବା କ୍ଷଣି ସାର୍ଥକ ଓ ସାଙ୍ଗ ମାନେ ସତେକି କଲେଜ୍ ଦିନ କୁ ଫେରିଗଲେ। ଚାକିରି,ପ୍ରତିଷ୍ଠା,ଧନସମ୍ପତ୍ତି ଓ ପ୍ରତିପତ୍ତିର ପାଚେରୀ ସବୁ, ଗୋଟିକ ପରେ ଗୋଟିଏ ନିଶ୍ଚିହ୍ନ ହୋଇ ଚାଲିଥିଲା ବେଳାଭୂମିର ବିସ୍ତୀର୍ଣ୍ଣ ବାଲୁକାରାଶି ମଧ୍ଯରେ। ସବୁ ସାଙ୍ଗମାନେ ମିଶି ସାର୍ଥକ କୁ ସମୁଦ୍ର କୁ ଟେକିନେଲେ ଓ ଦଶ ପନ୍ଦରଥର ବୁଡାଇ ଦେଲେ।
- - ଆମକୁ ବାହାଘରକୁ ନ ଡାକିବାର ଦଣ୍ଡ ତୋତେ କେମିତି ଦେବୁ ବୋଲି ଭାବୁଥିଲୁ। ଯାହାହେଉ ଭଲ ସୁଯୋଗ ମିଳିଗଲା।
ଓଦା ସରସର ହୋଇ ସାର୍ଥକ କୂଳ କୁ ଆସିବାପରେ ସାଙ୍ଗ ମାନଙ୍କର ପ୍ଯାଣ୍ଟ ସାର୍ଟ ଟାଣି ଖୋଲିବାରେ ଲାଗିଲା ଓ ସେମାନଙ୍କୁ ସମୁଦ୍ର ଭିତରକୁ ଧକ୍କା ମାରିଚାଲିଲା। କିଛି କ୍ଷଣ ଭିତରେ ସବୁ ସାଙ୍ଗ ଖାଲି ଅଣ୍ଡରଓ୍ବୟାର ପିନ୍ଧି ସମୁଦ୍ର ଭିତରେ ଡିଆଁ ମାରିବାରେ ଲାଗିଲେ। ବିକଟାଳ ଚିତ୍କାର ଓ ନାନା ଶବ୍ଦରେ ଅଞ୍ଚଳ ଟି ପ୍ରକମ୍ପିତ ହେବାକୁ ଲାଗିଲା। ସାଙ୍ଗମାନେ ପରସ୍ପରକୁ ମନଇଚ୍ଛା ଗାଳିଦେଇ ସମୁଦ୍ର ଭିତରେ ଉଦ୍ଦଣ୍ଡ ନୃତ୍ଯ କରିବାରେ ମସଗୁଲ ହୋଇଗଲେ। ଜଣେ ସାଙ୍ଗ ଝାଉଁବଣରେ ଲୁଚାଇ ରଖିଥିବା ମଦ ବୋତଲର ପେଟି ମୁଣ୍ଡାଇ ଅଣ୍ଟା ହଲେଇ ହଲେଇ ଆସି କହିଲା - - ଆୟେ, ମଦ ନବ ମଦ। ଏକଦମ୍ ମୁଣ୍ଡଜାମ୍ ମାଲ୍ , ଢୋକେ ମାରିଦେଲେ ସ୍ବର୍ଗରେ ଉଡିବ। ଆରେ ହେଃ ସାପ, ତୁ ଏତେ ଦିନ ଧରି ବିଦେଶୀ ମାଲ୍ ରେ ପହଁରିଥିବୁ, ଥରେ ଦେଶି ମାଲ୍ ମାରିଦେଖ୍।
ମାଛି ପରି ସମସ୍ତେ ତା ଚାରି ପଟରେ ଘେରି ଗଲେ ଓ ଆକଣ୍ଠ ପିଇ ଚାଲିଲେ। ଜଣେ ସାଙ୍ଗ ମୋବାଇଲରେ ଦ୍ବିଅର୍ଥବୋଧକ ଗୀତ ବଜାଇ ସମସ୍ତଙ୍କୁ ନାଚିବା ପାଇଁ ନିମନ୍ତ୍ରଣ ଦେଲା। ସାର୍ଥକ ଓ ତା ସାଙ୍ଗ ମାନେ ଚିତ୍କାର କରି ନାଚିବାରେ ଲାଗିଲେ। କିଛି ସାଙ୍ଗ ବାଲିରେ ବଡ ଗାତ ମାନ ଖୋଳିଦେଲେ - - ସାର୍ଥକ ଓ ଅନ୍ଯ କିଛି ସାଙ୍ଗଙ୍କୁ ମୁଣ୍ଡ ପର୍ଯ୍ଯନ୍ତ ପୋତିଦେଇ ସେମାନଙ୍କ ଚାରିପଟରେ ଝୁଲି ଝୁଲି ନାଚିବାରେ ଲାଗିଲେ। ସାଙ୍ଗମାନଙ୍କ ଉପସ୍ଥିତି, ମଦ ନିଶାର ଉନ୍ନାଦନା ଓ ସମୁଦ୍ରକୂଳର ସ୍ବର୍ଗୀୟ ପରିବେଶ, ସାାର୍ଥକକୁ ଏକ ଭିନ୍ନ ଦୁନିଆରେ ପହଞ୍ଚାଇ ଦେଇଥିଲା। ଏମିତି ଏକ ସମୟ ତା ଜୀବନରେ ବହୁତ ବର୍ଷପରେ ଆସିଥିଲା। ସେ ସମୟର ପ୍ରତ୍ଯକଟି କ୍ଷଣକୁ ସାର୍ଥକ ମନଭରି ଉପଭୋଗ କରିବାକୁ ଚାହୁଁଥିଲା ଓ କରୁଥିଲା ମଧ୍ଯ। ଏମିତି କେତେ ଘଣ୍ଟା ବିତିଗଲା ଜଣା ପଡିଲାନି। ବିଳମ୍ବ ହେବାରୁ ଜିନା ଓ ବନ୍ଧୁପତ୍ନୀମାନେ ସମୁଦ୍ରକୂଳକୁ ଆସି ଯାହା ଦେଖିଲେ ସେମାନଙ୍କ ଆଖିକୁ ବିଶ୍ବାସ ହେଲାନି।
ସେତେ ବେଳକୁ ସାର୍ଥକ ତଳେ ମୁହଁ ତଳକୁ କରି ଶୋଇ ରହିଥିଲା ଓ ତା ଉପରେ ବେକ ପର୍ଯ୍ଯନ୍ତ ବାଲି ଢଙ୍କାଯାଇ ଏକ ସାପ ଆକୃତି ର ମୂର୍ତ୍ତି ତିଆରି ସରିଥିଲା। ଅନ୍ଯ କିଛି ସାଙ୍ଗ ବାଲି ତଳେ ପୋତି ହୋଇ କୁମ୍ଭୀର,କଇଁଛ ଆଦି ବେଶରେ ସଜେଇ ହୋଇଥିଲେ। ଜଣେ ସାଙ୍ଗ କୁ ବାଲିରେ ମୁଣ୍ଡ ପର୍ଯ୍ଯନ୍ତ ପୋତି ତା ପଛରେ ଏକ ଝାଉଁଡାଳ ଖଞ୍ଜି ମୟୁର କରାଯାଇଥିଲା ଓ କିଛି ସାଙ୍ଗ ଅଣ୍ଡରଓ୍ବୟାର ପିନ୍ଧି ଅଣ୍ଟା ହଲେଇ ନାଚିବାରେ ବ୍ଯସ୍ତଥିଲେ। ସେମାନଙ୍କ ସମ୍ମୁଖରେ ଜଣେ ସାଙ୍ଗ, ହାତରେ ଏକ ବାଡି ଧରି ଛିଡାହୋଇ ରଥରେ ଡାହୁକ ଡାକିବାପରି , ନାନା ଅଶ୍ରାବ୍ଯ ଭାଷାରେ ଗାଳିଦେଇ ଡାକି ଚାଲିଥାଏ....ହୋ ଭକତେ.......
ଜିନା ଓ ବନ୍ଧୁପତ୍ନୀ ମାନଙ୍କ ଡାକରେ କେହି ହଲଚଲ୍ ହେବାର ଦୃ ଶ୍ଯ ହେଲାନି। ସାର୍ଥକ ଉପରେ ଭୀଷଣ ରାଗିଯାଇ ଜିନା କହିଲା- - ସାର୍ଥକ ତୁମେ ସତରେ ଗୋଟେ ଜଙ୍ଗଲୀପଶୁ। ତୁମେ ଏତେ ଚିପ୍ ହୋଇପାର ବୋଲି ମୁଁ ବିଶ୍ବାସ କରି ପାରୁନି। ତୁମକୁ କିଏ ଦେଖିଲେ କହିବ ଯେ ତୁମେ ଫରେନ୍ ରେ ଏତେ ବଡ କମ୍ପାନୀ ର........
- - ଆବେ ଚୁପ୍, ବେଶି ବକବକ କରନି। ପୁଣି ସେଇ ପୁରୁଣା ରେକର୍ଡ ବଜେଇବୁ ତ ତ ନଙ୍ଘା ମାଡ ବଜେଇବି, ବୋପାକୁ ମଉସା ମାଆକୁ ଆଣ୍ଟି ଡାକି ଦୌଡିବୁ। ମଦନିଶାରେ ଚୁର୍ ଥାଇ କହିଲା ସାର୍ଥକ।
ଆରେ ହେ ଦେଖବେ- - ସାପ ମାଇପର ଜିଭ କଅଁଳିଲା, ଦେଖୁନ କେମିତି ଖାଣ୍ଟି ଓଡିଆଣି ପରି କଥା ହେଉଛି।
ଜିନା କୁ ବୁଝାଇବାକୁ ଜଣେ ବନ୍ଧୁପତ୍ନୀ କହିଲେ- - ତୁମେ ଜମାରୁ ମନଦୁଃଖ କରନି ଭଉଣୀ। ଏମାନଙ୍କୁ ପାରି ହେବନି।
କିଏ ଜଣେ ଦୀର୍ଘନିଶ୍ବାସ ଛାଡି କହିଲା " ସବୁ ପୁଅ ଏମିତି ନା "?
କିଏ କହିଲା ବୋଲି ଜିନା ପଛକୁ ବୁଲି ଚାହିଁଲା। ଜଣେ ନାଲି ପାଟଶାଢୀ ପିନ୍ଧା ଗୌରବର୍ଣ୍ଣା ସୁନ୍ଦରୀ ନାରୀ ସେତେବେଳକୁ ହସିବାରେ ଲାଗିଥିଲେ। ତାଙ୍କ ସୀମନ୍ତରେ ଥିଲା ସିନ୍ଦୁର ଓ ବେକରେ ଝୁଲୁଥିଲା ମଙ୍ଗଳସୂତ୍ର। ବେକରେ ପଡିଥିଲା ପତଳା ସୁନାଚେନ୍। କାହିଁକି କେଜାଣି, ତାଙ୍କୁ ଦେଖି ଜିନାର ମନ ଦବିଯିବା ପରି ଲାଗିଲା। ସେ ବେଶ୍ ସରଳ ବେଶଭୂଷାରେ ଥିଲେ ମଧ୍ଯ ତାଙ୍କ ନାରୀତ୍ବର ତେଜ ଚତୁର୍ଦ୍ଦିଗରେ ବିଚ୍ଛୁରିତ ହେବାରେ ଲାଗିଥିଲା।
ଦୋ ଦୋ ପାଞ୍ଚ ହୋଇ ଜିନା ପଚାରିଲା- ହାପଣ ଖିଏ.....କ୍ଷମା ଖଡିବେ ମ୍ଭୁ ଝାଣି ଫାଡିଲିନି।
ନାରୀ ଜଣକ ହସିହସି କହିଲେ - - ଓଃ ସରି, ନିଜ ପରିଚୟ ଦେବାକୁ ମୁଁ ଭୁଲି ଯାଇଥିଲି। ମୁଁ ଏଇ ସାଙ୍ଗେସାଙ୍ଗେ ପହଞ୍ଚିଲି। ଇଏ ତ ସକାଳୁ ଆସି ଆରେଞ୍ଜମେଣ୍ଟରେ ଲାଗିଛନ୍ତି। ଯାହାହେଲେ, ତାଙ୍କ କଲେଜବେଳର ସାଙ୍ଗମାନଙ୍କ ସହ ଗମାତ କରିବା ଟା ତାଙ୍କ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କାମ ନା ! ନାରୀ ଜଣକ ରଥର ଡାହୁକ ଭୂମିକା ନିର୍ବାହ କରୁଥିବା ଯୁବକଙ୍କ ଆଡକୁ ଇସାରା କରି କହିଲେ- - ହେଇ ଦେଖ ତାଙ୍କୁ, ସେ ମୋ ସ୍ବାମୀ। ଆମ ସାଙ୍ଗେ ପଛେ କଥା ହେଲାବେଳେ ମୁହଁରୁ ହସ ବାହାରୁ ନ ଥିବ,କିନ୍ତୁ ସାଙ୍ଗସାଥୀ ମିଳିଗଲେ ମୁଣ୍ଡରେ କେତେ ସଇତାନି ବୁଦ୍ଧି ପଶି ଉତ୍ପାତ ଆରମ୍ଭ ହେବ ତାର ହିସାବ ନାହିଁ।
ସେ ନାରୀ ଜଣଙ୍କର ଶାନ୍ତ ସରଳ ହସହସ ମୁହଁ ଓ କଥାବାର୍ତ୍ତା ଜିନାର ବଡପଣିଆ କୁ କୁଠାରଘାତ କରି ଚାଲିଥିଲା। ସେ କାଳବିଳମ୍ବ ନ କରି ନିଜର ବହୁ ପରିକ୍ଷିତ ଅସ୍ତ୍ର ପ୍ରୟୋଗ କଲା- - ମୋଠେ ହେସଭୁ ଝମା ଭ୍ବଲ ଲାଘେନି। ସୋ ଚିପ୍ ନା । ମୋ ହବିଙ୍କୁ ଦେଖିଲେ ହାପଣ ଭାବି ଫାରୁଛନ୍ତି, ଝେ ସେ ହେତେଭଡ ଖମ୍ଫାନୀର ମାଲିଖ ଭୋଲି?
ଓଃ ସାର୍ଥକଙ୍କ କଥା କହୁଛ ତ, ଆରେ ମୋ ସ୍ବାମୀ ଓ ସେ ପରା ଘନିଷ୍ଠ ବନ୍ଧୁ। ପିଲାବେଳରୁ ସେମାନେ ସାଙ୍ଗ। ନାରୀ ଜଣକ ସେ ଅସ୍ତ୍ରାଘାତକୁ ପଦଦଳିତ କରିବା ଦେଖି ଜିନା ଚିନ୍ତିତ ହୋଇ ପଡିଲା। ପୁଣି ସେ ଆଉ ଏକ ଅସ୍ତ୍ର ନିକ୍ଷେପ କଲା।- - ହାକଚୁଆଲି ମୋ ହବି, ତାଙ୍କ ସାଙ୍ଗମାନେ ଝେତେ ଘରିବ ହେଲେ ବି ମାଇଣ୍ଡ କରନ୍ତିନି। ସେମାନଙ୍କ ଛାଙ୍ଗରେ ଭଲରେ ମିଶନ୍ତି।
ଏଥର ନାରୀ ଜଣଙ୍କର ତୋଫା ଗୋରା ମୁହଁ ଟା ରକ୍ତିମ ଦିଶିଲା। ଜିନା ମନେମନେ କୁରୁଳି ଉଠିଲା, ମାଡ ଟା ଠିକ୍ ଜାଗାରେ ବାଜିଛି। ନଇଁ ପଡିଥିବ ଯେତିକିବେଳେ ବିଧାଏ ମାରିବ ସେତିକି ବେଳେ, ନ୍ଯାୟରେ ସେ ପୁଣି ଛିଗୁଲାଇ ପଚାରିଲା- - ହାପଣଙ୍କର ହବି ଖନ୍ ଖରନ୍ତି? ଧୋଖାନ୍ ଫୋକାନ୍ ଧେଇଛନ୍ତି ନା ଖଲ୍ଟିଭେସନ୍।
ଏଥର ନାରୀଜଣକ ଭୀଷଣ ଭାବରେ ଆଘାତପ୍ରାପ୍ତ ହେଲେ ଓ ରୁକ୍ଷଗଳାରେ କହିଲେ- - ଦେଖ ଭଉଣୀ, କାହାର ଜୀବିକାନିର୍ବାହ ଉପରେ ଟୀପ୍ପଣୀ କରିବାର ଅଧିକାର ତୁମକୁ କିଏ ଦେଲା? କିଏ କଣ କରି ପେଟ ପୋଷୁଛି, ତାହା ସେମାନଙ୍କର ବ୍ଯକ୍ତିଗତ ବ୍ଯାପାର। ତୁମେ ଭଲରେ ଅଛ ବୋଲି, କାହିଁକି ଭାବୁଛ ସାରା ଦୁନିଆର ଲୋକେ ଦୁଃଖରେ ଓ ତୁମ ତଳେ ଅଛନ୍ତି ବୋଲି। ମୁଁ କହିବାକୁ ଚାହୁଁ ନ ଥିଲି କିନ୍ତୁ ତୁମେ ମୋତେ ବାଧ୍ଯ କରିଦେଲ। ଏବେ ଶୁଣ ମୋ ସ୍ବାମୀ କଣ କରନ୍ତି- - ମୋ ସ୍ବାମୀଙ୍କର ଏ ସହରରେ ଦଶଟା ଫ୍ଯାକ୍ଟ୍ରି ଅଛି, ସହର ର ସବୁଠାରୁ ବଡ ବାର ଟା ସପିଙ୍ଗମଲ୍ ଓ ଛଅ ଟା ସିନେମାହଲ୍ ମୋ ସ୍ବାମୀଙ୍କର। ଏହାବାଦ୍ ଆମେରିକାରେ ଦୁଇଟା ବଡ କମ୍ପାନୀ ଅଛି ଓ ସେଥିରେ କେବଳ ଆମ ଓଡିଆ କର୍ମଚାରୀ ମାନେ କାମ କରୁଛନ୍ତି। ମୁଁ ନିଜେ ଏମ ବି ଏ କରିଛି ଓ ସେ ଆମେରିକାନ୍ କମ୍ପାନୀର ସିଇଓ ଅଛି। ଯଦି ମୋ ସ୍ବାମୀଙ୍କ ବିଷୟରେ କିଛି ଅଧିକା ଜାଣିବାକୁ ଚାହିଁବ ବାହାରେ ତାଙ୍କର ପାଞ୍ଚଜଣ ପର୍ସନାଲ୍ ଆସିଷ୍ଟାଣ୍ଟ ବସିଛନ୍ତି, ସେମାନେ ଡିଟେଲ୍ ଡାଟା ଦେଇଦେବେ।
ନାରୀ ଜଣଙ୍କର ସେତିକି କଥା ଶୁଣିସାରି ହଜମ କରିବା ଜିନା ପକ୍ଷରେ ଅସମ୍ଭବ ଥିଲା। ତା ହାତଗୋଡ ଥରିଗଲା ଓ ତଣ୍ଟି ଶୁଖିଗଲା। ସେ ବାଲି ଉପରେ ଲଥ୍ ହୋଇ ବସିପଡିଲା। ନାରୀ ଜଣକ ତା କାନ୍ଧରେ ହାତ ଥାପୁଡାଇ କହିଲେ-- ମୁଁ ତୁମକୁ ଆଘାତ ଦେଇଥିଲେ ମୋତେ କ୍ଷମା କରିଦେବ। ଯେତେ ଯାହାହେଲେ ବି ଆମେ ଓଡିଆଘରର ଝିଅବୋହୁ, ନିଜ ମର୍ଯ୍ଯଦାକୁ ଆମେ ଜଗିବାନି ତ କିଏ ଜଗିବ? ଏ ଧନସମ୍ପତ୍ତି, ପ୍ରତିଷ୍ଠା, ପ୍ରତିପତ୍ତି ସବୁକିଛି କ୍ଷଣସ୍ଥାୟୀ, ଭଙ୍ଗୁର। ଆଜି ଅଛି କାଲି କୁ ନାହିଁ। କିନ୍ତୁ ଦେଖ ସେମାନଙ୍କୁ, କେତେ ଖୁସି ରେ ସେମାନେ ଡେଉଁଛନ୍ତି। ତାଙ୍କ ବନ୍ଧୁତ୍ବ ହିଁ ସେମାନଙ୍କର ସବୁଠାରୁ ବଡ ସମ୍ପତ୍ତି,ସେଥିରେ ଧନୀଗରିବ, ଉଚ୍ଚନୀଚ୍ଚର ଭେଦଭାବ ନାହିଁ। ଏବେ ଚାଲ ଖାଣ୍ଟି ଓଡିଆଣି ପରି ସମୁଦ୍ରକୁ ଯାଇ ଉତ୍ପାତ ହେବା, ମଜା କରିବା। ତୁମ ଜିଭକୁ ଟିକେ ବିଶ୍ରାମ ଦିଅ, ଏତେ କଷ୍ଟ ଶବ୍ଦର ଉଚ୍ଚାରଣ କରିକରି ବିଚରା ଥକି ଯିବଣି।
ନାରୀ ଜଣଙ୍କର ସେଇ କେତେପଦ କଥା ଜିନା କୁ ପ୍ରକୃତିସ୍ଥ କରିଦେବାପାଇଁ ଯଥେଷ୍ଟ ଥିଲା। ସେ ଧିର ଗଳାରେ କହିଲା- - ହଁ ଭଉଣୀ ଚାଲ ଯିବା, ଆଜି ସମୁଦ୍ରରେ ଭରପୁର ମସ୍ତି କରିବା। ସେମାନେ ବି ଦେଖିବେ ଯେ ଆମର ମସ୍ତି ତାଙ୍କ ଅପେକ୍ଷା କୌଣସି ଗୁଣରେ କମ୍ ନୁହଁ। ମୋର ବି କଲେଜ୍ ଦିନର ସେ ମଧୁର ସ୍ମୃ ତି ସବୁ ମନେ ପଡିଯାଉଛି। ଜିନା, ସେ ନାରୀ ଓ ଅନ୍ଯ ବନ୍ଧୁପତ୍ନୀ ମାନେ ହାତ ଧରାଧରି ହୋଇ ସମୁଦ୍ରରେ ପଶି ଖେଳିବାକୁ ଲାଗିଲେ।
ସମୁଦ୍ରରୁ ଉଠୁଥିବା ଉତ୍ତାଙ୍ଗ ଲହଡି ମାନେ ହସିହସି କହୁଥିଲେ- - ଯାହାହେଉ ଏ ସହରୀ ଫିରିଙ୍ଗି ଝିଅଟା ଗୋଟେ ଥରରେ ସାବାଡ ହୋଇଗଲା।
------------------
ଭିନ୍ନ ଏକ ପ୍ରଥମାଷ୍ଟମୀ
ଭିନ୍ନ ଏକ ପ୍ରଥମାଷ୍ଟମୀ
ଲେଖକ- Ⓒଅରବିନ୍ଦ ରଥ
ରୋଷେଇଘରେ ବିରି ଚାଉଳ ବତୁରା ଯାଇଥିବା ଦେଖି ଚିହିଁକି ଉଠିଲା ମିତା। ରାଗରେ ଖୁଲଣାକୁ ଯାହାଇଛା ତାହା ଗାଳିଦେଲା। ଚିତ୍କାର କରି କହିଲା- - ମୋ ଘରେ କଣ ହେବ , ତୋ ପରି ଗୋଟେ ଛାର କାମବାଲୀ ସ୍ଥିର କରିବ ! କାହାକୁ ପଚାରି ବିରି ଚାଉଳ କାହିଁକି ବତୁରାଇଲୁ ?
- - ମାଆ - - କାଲି ପ୍ରଥମାଷ୍ଟମୀ ଅଛି ତ, କାଳେ ତୁମର ମନେ ନ ଥିବ। ତୁମେ ଆମ ରାହୁଲ ବାବାଙ୍କୁ ବନ୍ଦେଇ ଏଣ୍ଡୁରି ପିଠା ଖୁଆଇବ ଭାବି ବିରିଚାଉଳ ବତୁରାଇଥିଲି। ହେଇ ଦେଖୁନ, ପିଠା ପାଇଁ ହଳଦୀପତ୍ର କୁ ନଡିଆ ବି ଆଣିଛି।
- - ଚୁପ୍ କର୍, ସେମିତି ଆଲତୁ ଫାଲତୁ କଥା ମୋ ସାମନାରେ କହିବାର ସାହାସ କରନି। ସେ ପୂଜା ଫୁଜା ମୋତେ ଜମା ଭଲ ଲାଗେନି। ଆଉ ସେ ପିଠା ପ୍ରତି ମୋର ଭୀଷଣ ଆଲର୍ଜି। କେଜାଣି କେମିତି ଲୋକମାନେ ପିଠା ଖାଇବାକୁ ବିକଳ ହୋଇ ଯାଆନ୍ତି। ମୁଁ ହାତଗୋଡ ଭାଙ୍ଗି, ଏତେ ପରିଶ୍ରମ କରି ପାରିବିନି କି କାହାକୁ ପିଠାପଣା କରି ଖୁଆଇ ପାରିବିନି। ତୋତେ ଆଜି ଛାଡି ଦେଉଛି, କିନ୍ତୁ ଖବରଦାର୍ - - ଆଉ ଦିନେ ଯେମିତି ମୋତେ ଉପଦେଶ ଦେବାର ସାହାସ ନ କରୁ କି ପିଠାପଣା କରିବା କଥା ନ କହୁ। ଗାଁଆରେ ବୁଢାବୁଢୀ ଏମିତି ପାଲା ଲଗେଇଲେ ବୋଲି ତ ବିଜୟଙ୍କୁ ସହରରେ ରହିବାକୁ ବାଧ୍ଯ କଲି। ଏ ସହରରେ ବି ଏସବୁ ଫାଲତୁ ଜିନିଷ ମୋ ପିଛା ଛାଡୁନି। ସେ ପାଖଘରେ ରହୁଥିବା ମନସୁର୍ କୁ ଦେଖ୍। ତାଙ୍କ ଘରେ ତ ଏମିତି ପୂଜା ପାର୍ବଣ ନାହିଁ, ସେମାନେ ତ କାଇଁ ପିଠାପଣାରେ ଭାସୁ ନାହାଁନ୍ତି। ତା ସ୍ତ୍ରୀ ସାଫିନା କୁ ଦେଖିଛୁ ତ ? କାମଧାମ କରୁନି ବୋଲି କେମିତି ତା ମୁହଁ, ହାତ,ଦେହ ଚକମକ କରୁଛି। ଦୁନିଆ ଯାକର ଝିଞ୍ଜଟିଆ କାମ ଆମ ଓଡିଆ ମାନେ ହିଁ ବାଛିଛନ୍ତି। ଦେଖୁନୁ କାମ କରିକରି ମୋ ଅବସ୍ଥା କେମିତି ହୋଇଛି। ବାକି ସବୁ ତ ଚାଲାକ୍, ସେମାନେ କାହିଁକି ମୁର୍ଖଙ୍କ ପରି ହାଡଗୋଡ ଭାଙ୍ଗି ଖଟିବେ। ଆରେ ତୋ ନିଜକୁ ଥରେ ଦେଖ୍ , ତୋ ବୟସ କେତେ- - ତୁ କେମିତି ବୁଢୀଙ୍କ ପରି ଦିଶୁଛୁ। ମିତା ରାଗରେ ଅନବରତ ଗର୍ଜି ଚାଲିଥିଲା।
ଶେଷରେ ଖୁଲଣାର ଧୈର୍ଯ୍ଯର ବନ୍ଧ ଭାଙ୍ଗିଗଲା ଓ ସେ ଚିତ୍କାର କରି କହିଲା- - ମାଆ, ରଖ ତୁମ ବଡଲୋକି ତୁମ ପାଖରେ। ମୁଁ ଏମିତି କି ପାପ କରିଦେଲି ଯେ ମୋତେ ଏତେ କଥା କହିଯାଉଛ। ମୋ ଘରେ ସିନା ଦୁଇ ଓଳା ଖାଇବାକୁ ନାହିଁ , ମୋ ସ୍ବାମୀ ସିନା ମଦ ପିଇ ଦିନରାତି ବାହାରେ ଗଡୁଚି, ଦୁନିଆ ଯାକର ଦୁଃଖ ସିନା ମୋତେ ସନ୍ତୁଳି ପକାଉଛି- -ତଥାପି ମୁଁ ଘରେ ବାର ମାସରେ ତେର ପରବ ପାଳୁଛି। ମୁଁ କଷ୍ଟ ସହିଲେ କଣ ହେଲା, ମୋ ସ୍ବାମୀ ଓ ପିଲାକୁ ତ ଠାକୁର ଘଣ୍ଟ ଘୋଡେଇ ରଖିବେ। କାଲି ମୁଁ ଆସିବିନି ମାଆ, ମୋ ପିଲାର ମଙ୍ଗଳ ପାଇଁ କାଲି ପ୍ରଥମାଷ୍ଟମୀ ପୂଜା କରିବି,ଠାକୁରଙ୍କ ପାଖେ ଭୋଗ ଲଗେଇଲା ପରେ ପୁଅକୁ ଏଣ୍ଡୁରି ପିଠା ଖୁଆଇବି। ହଁ, ଆଉଗୋଟେ କଥା, ତୁମ ଘରେ କାମ କରୁଛି ସିନା ମୁଣ୍ଡ ବିକି ଦେଇନି। ଭଲରେ କଥାବାର୍ତ୍ତା ନ କଲେ, ଅଲଗା କାମ କରିବା ଲୋକ ଦେଖ। ସେତକି କହିଲା ବେଳକୁ ଖୁଲଣାର କଣ୍ଠ ବାଷ୍ପରୁଦ୍ଧ ହୋଇ ଉଠୁଥିଲା।
କବାଟକୁ ଧଡ୍ କରି ବନ୍ଦ କରି ଗୋଡହାତ ଲମ୍ବାଇ ସୋଫାରେ ଗଡିପଡିଲା ମିତା । ଗୁଣୁଗୁଣୁ ହୋଇ କହିଲା - - ଖୁଲଣା ଆଜି ରୋଷେଇ କଲାନି ତ , ନ କରୁ, କିଛି ପରବାୟ ନାହିଁ। ଅନଲାଇନରେ ଖାଇବା ଅର୍ଡର କରିଦେଲେ କାମ ଖତମ୍। ଅଳ୍ପ ସମୟ ଭିତରେ ରାହୁଲ ସ୍କୁଲରୁ ଫେରିବ। ତାକୁ ଖୁଆଇ ଶୁଏଇ ଦେଲା ପରେ କଲୋନୀରେ କିଟିପାର୍ଟି କୁ ଯିବା କୁ ହେବ। ପୁଣି ରାତି ରେ ମହାପାତ୍ର ବାବୁଙ୍କ ପରିବାର ସହ ହୋଟେଲ ଯିବାର ଅଛି। ସେଥିପାଇଁ ଶାଢୀ ଗହଣା ପ୍ରସ୍ତୁତ ରଖିବାକୁ ହେବ। ଓଃ ଏତେ କାମ, ଏତେ ଜଞ୍ଜାଳ ଯେ ମଣିଷ କୁ ନିଶ୍ବାସ ନେବାକୁ ଫୁରସତ୍ ନାହିଁ। ଏପଟେ ଚାକରାଣୀ କହୁଛି ପୂଜା କର, ଏଣ୍ଡୁରି ପିଠା କର, ଗେଣ୍ଡୁରି ପିଠା କର - - ଧୁତ୍...ଫାଲତୁ ପାଲା ସବୁ। ଭଲ ହେଲା ମୁଁ ସହରକୁ ଚାଲି ଆସିଛି, ନହେଲେ ଶାଶୁ ବୁଢୀ ମୋ ଜୀବନ ଅଧା କରି ଦେଇଥା'ନ୍ତା। ଗୋବରରେ ଘର ଲିପା ଠାରୁ ଆରମ୍ଭ କରି ହଳଦୀପତ୍ର ତୋଳା, ନଡିଆ କୋରିବା ଆଦି କାମ କରି ମୋ ଚୋପା ଛାଡି ଯାଇଥା'ନ୍ତା। ପିଠା ଦୁଇଟା କରିବ ଯେ ଏତେ ବେହେଲ କଣ ! ସେ ପୂଜା ନକଲେ କି ପିଠା ନ ଖାଇଲେ କଣ ଭାସି ଯିବ ଯେ !!
ସେଦିନ ରାତିରେ ମନସୁର୍ ଘରୁ ଘର୍ ଘର୍ ଆଓ୍ବାଜ୍ ବହୁତ ସମୟଯାଏ ଆସୁଥିଲା ଓ ତା ସହ ପିଲା ମାନଙ୍କର ଖେଳାଖେଳି କରିବାର ଶବ୍ଦ। ମିତା ଚିଡି ଉଠି ବିଜୟଙ୍କୁ କହିଲା- - ଦେଖିଲ, ମନସୁର୍ ଘରୁ କେମିତି ପାଟିତୁଣ୍ଡ ଶୁଭୁଛି। ଏମିତି ହେଲେ ଲୋକେ ଶୋଇବେ କେମିତି! ସାରାଦିନ ଏପଟ ସେପଟ ହୋଇ ମୋ ଅବସ୍ଥା ଖରାପ୍, ରାତିରେ ଏମାନେ ଶାନ୍ତିରେ ଶୁଏଇ ଦେବେନି ବୋଧେ। ବିଜୟ ଧୀର ସ୍ବରରେ କହିଲେ- - କାଲି ରାହୁଲ୍ ର ସ୍କୁଲ ପ୍ରଥମାଷ୍ଟମୀ ପାଇଁ ଛୁଟି ଅଛି। ସକାଳୁ ଉଠିବାକୁ ପଡିବନି, ତୁମେ ଶୋଇବାକୁ ଚେଷ୍ଟା କର। ମନସୁର୍ କୁ କିଛି କହିଲେ କଥା ଟା ଅସୁନ୍ଦର ହେବ।
ପୁଣି ପ୍ରଥମାଷ୍ଟମୀର ନାମ ଶୁଣି ମିତା ଘୁଙ୍ଗୁଡି ମାରି ଶୋଇବାର ଅଭିନୟ କଲା। କାରଣ ପୂଜାପାର୍ବଣ ବିଷୟରେ ପଦେ କଥା କହିଦେଲେ ବିଜୟ ପ୍ରବଚନ ଦେବାକୁ ଆରମ୍ଭ କରିଦେବେ। ସକାଳୁ ଅନବରତ କଲିଂ ବେଲ୍ ବାଜିବାରୁ ମିତା ନିଦଭରା ଆଖିରେ କବାଟ ଖୋଲିଲା।
ସାଫିନା ତା ପୁଅକୁ ଧରି ହସିହସି ଘର ଭିତରକୁ ଏକ ବଡ ପ୍ଯାକେଟ୍ ଧରି ପଶି ଆସି କହିଲା- - ଦିଦି, ଆଜି ପରା ପ୍ରଥମାଷ୍ଟମୀ ପୂଜା । ଦେଖୁନ ମୋ ପୁଅ କୁ କେମିତି ନୂଆ ଜାମା ପିନ୍ଧେଇ ବନ୍ଦେଇ ଦେଇଛି। ଏଇ ନିଅ, ତୁମ ପାଇଁ ଏଣ୍ଡୁରୀ ପିଠା ଆଣିଛି। ପିଠା ପାଇଁ କାଲି ରାତିରେ ବିରି ଚାଉଳ ବଟା ଚାଲିଥିଲା। ମୁଁ ପ୍ରତିବର୍ଷ କଲୋନୀ ଭିତରେ ସମସ୍ତଙ୍କୁ ଏଣ୍ଡୁରୀ ପିଠା ବାଣ୍ଟେ। ଟିକେ ଚାଖି କହିଲ, କେମିତି ହୋଇଛି। ଦିଦି, ତୁମେ କଣ ଏତେ ବେଳ ଯାଏ ପୂଜା କରିନ ? tତୁମ ଦେହ ଭଲ ନାହିଁ କି ?
ମିତାର ପାଟି ଆଶ୍ଚର୍ଯ୍ଯରେ ମେଲା ହୋଇଗଲା। ତା ପାଟିରୁ ବାହାରିଗଲା ତୁମର ପୁଣି ପ୍ରଥମାଷ୍ଟମୀ???
ତା ମନର ଭାବ ସଠିକ୍ ପଢି ପାରି ସାଫିନା କହିଲା- - ଦିଦି ତୁମେ ଭାବୁଛ ନା, ଯେ ଆମେ ତ ହିନ୍ଦୁ ନୁହଁ ତେବେ ପ୍ରଥମାଷ୍ଟମୀ କେମିତି କରୁଛୁ? ଆମ ଧର୍ମ ସିନା ଅଲଗା ; କିନ୍ତୁ ଆମେ ହେଲୁ ଖାଣ୍ଟି ଓଡିଆ, ଆମ ସଂସ୍କୃତି କୁ ଛାଡିବୁ କେମିତି। ପୁଣି ଆମ କଟକ ସହରରେ ଧର୍ମର କିଛି ବିଭେଦ ନାହିଁ, ଏଠି ସବୁ ଧର୍ମ ସମାନ ଓ ସମସ୍ତଙ୍କ ପର୍ବ ବି ସମାନ। ଆମେ ବି ବାରମାସରେ ତେର ପର୍ବ ପାଳନ କରୁ ଠିକ୍ ତୁମ ମାନଙ୍କ ପରି। ସବୁଠାରୁ ବଡ କଥା ହେଲା, ମନସୁର୍ ଓ ସାହିଲ୍ ପିଠାପଣା ଖାଇବାକୁ ପାଗଳଙ୍କ ପରି ହୁଅନ୍ତି। ହେଇ ଦେଖୁନ, କାଲି ରାତିସାରା ପରା ବାପପୁଅ ମୋ ସହ ମିଶି ନଡିଆ କୋରିବା, ହଳଦିପତ୍ର କୁ ସଜେଇ କାଟିବା ଆଦି କାମ ଚଲେଇଥିଲେ। ପିଠା ହେଲେ ଘରେ ଆଉ କିଛି ରୋଷେଇ କରିବା ଦରକାର ହୁଏନି। ବାପପୁଅ ମହା ଆନନ୍ଦରେ ପିଠା ଖିର ଖାଆନ୍ତି। ଅତି ଖୁସିରେ କହି ଚାଲିଥିଲା ସାଫିନା ।
ବିଜୟ ପ୍ଯାକେଟ୍ ଖୋଲି ସବୁଜ ଟହଟହ ହଳଦୀପତ୍ରରେ ଗୁଡା ହୋଇଥିବା ଏଣ୍ଡୁରୀ ପିଠାକୁ ମନ ଭରି ଆଘ୍ରାଣ କରିନେଲେ। ପରମତୃପ୍ତିରେ ତାଙ୍କ ଆଖି ବୁଜି ହୋଇଗଲା। ସେଥିରୁ ଖଣ୍ଡେ ପାଟିରେ ପକାଇ ଖୁସି ରେ ଗଦଗଦ ହୋଇ କହିଲେ - - ଭଉଣୀ, ତୁମ ହାତ ତିଆରି ପିଠା ଖାଇ ମୋ ମାଆ କଥା ମନେ ପଡିଗଲା। ଆଜି ଆମ ଗାଁଆରେ ବହୁତ ଧୁମଧାମ୍ ରେ ପ୍ରଥମାଷ୍ଟମୀ ପାଳନ ହେଉଥିବ। ଗାଁଆର ସବୁ ପିଲାକୁ ଡାକି ଡାକି ମୋ ମାଆ ପିଠା ଖାଇବାକୁ ଦେଉଥିବ। ମୋତେ ଭଲ ଲାଗେ ବୋଲି ସେ ଏଣ୍ଡୁରୀ ପିଠା କଲା ବେଳେ ନଡିଆପୁର ଭରି ଭରି ଦେଇଥାଏ। ତୁମେ ବି ସେମିତି କରିଛ।
ରାହୁଲ ପିଠା ଖାଇ ଡିଆଁ ମାରି କହୁଥାଏ- - ସାଫିନା ଆଣ୍ଟି ଏ ପିଠା ବହୁତ୍ ଟେଷ୍ଟି ହେଇଛି ଓ କେତେ ଭଲ ବାସ୍ନା ହେଉଛି। ମୁଁ ଆଗରୁ ଏମିତିକା ପିଠା କେବେ ବି ଖାଇନି। ମାମା ବଜାରରୁ ମୋ ପାଇଁ କେବେକେବେ ମୋମୋ କିଣି ଆଣେ, କିନ୍ତୁ ଏ ପିଠା ପରି ବାସ୍ନା ଓ ଟେଷ୍ଟ ମୋମୋ ରେ ନାହିଁ। ମୋ ପାଇଁ ଆହୁରି ପିଠା ଦେବ। ତୁମକୁ କେତେ ଜିନିଷ ତିଆରି କରି ଆସିଛି, ମୋ ମମି ତ କିଛି ବି ଜାଣିନି, ଖାଲି ହୋଟେଲରୁ ମଗଉଛି ସବୁ। ହିଃ ହିଃ ହିଃ ।
ସେତେବେଳକୁ ମିତାର ମୁହଁ ଲଜ୍ଜା ଓ ଅପମାନରେ ଜଳି ଯାଉଥିଲା। ସେ କେବଳ କଟମଟ କରି ବିଜୟ ଓ ରାହୁଲ କୁ ଦେଖିବାରେ ଲାଗିଥିଲା। ତା ମନରେ ସାଫିନା ପ୍ରତି ଏତେ ମାତ୍ରାରେ ଇର୍ଷା ଓ ଅସୂୟାଭାବ ବଢି ଯାଇଥିଲା ଯେ ସେ ତାକୁ ପିଠା ପାଇଁ ଧନ୍ଯବାଦ ମଧ୍ଯ ଦେଲାନାହିଁ। ଏମିତି ପରିସ୍ଥିତି ର ସାମନା କେମିତି କରିବ ସାଫିନା ଜାଣି ପାରୁ ନ ଥିଲା। ସେ ମିତା କାନ ପାଖରେ ଧିର ସ୍ବରରେ କହିଲା- - ଦିଦି ମୁଁ ଯାଉଛି, କଲୋନୀର ସମସ୍ତଙ୍କ ଘରେ ପିଠା ବାଣ୍ଟିବାର ଅଛି। ମୋ ସାହିଲ୍ କୁ ଆଶିର୍ବାଦ କର ଯେମିତି ତା'ର ମଙ୍ଗଳ ହେବ। ତୁମେ ଏତେ ସମୟ ଯାଏଁ ଅଗାଧୁଆ ନ ରହି, ଜଲଦି କାମଧାମ ସାରି ପ୍ରଥମାଷ୍ଟମୀ ପୂଜା ଆରମ୍ଭ କରିଦିଅ। ଆଜି ଦିନରେ ରାହୁଲ୍ କୁ ନିହାତି ବନ୍ଦାଇବା ଦରକାର୍।
ଲଜ୍ବା ଅପମାନରେ ଜର୍ଜରିତ ହୋଇ ସାରିଥିବା ମିତାର ମୁହଁ ସାଫିନା ସାମନାରେ ଆପେ ମୋଡି ହୋଇଗଲା। ସେ ମନେମନେ କହିଲା- - ଆଚ୍ଛା ପାଲା ଚାଲିଛି ଏ କଲୋନୀରେ। ପ୍ରଥମେ ଚାକରାଣୀ ଆସି ପାଠ ପଢେଇଲା, ଏବେ ଅନ୍ଯ ଧର୍ମର ଲୋକ ଆସି ପୂଜାପାର୍ବଣ ବିଷୟରେ ଭାଷଣ ଝାଡୁଛନ୍ତି। ନାଃ, ଏ ଯାଗାରେ ରହିବା ସମ୍ଭବ ନୁହଁ। ଅନ୍ଯ କେଉଁଠାରେ ଘରଭଡା ଖୋଜିବାକୁ ହେବ।
ସେପଟେ ମିତାର ମନ ଭିତରେ କୁହୁଳୁଥିବା ଅସୂୟାଭାବ ଓ ହୀନମନ୍ଯତାକୁ ତିଳେ ମାତ୍ର ପ୍ରାଧାନ୍ଯ ନ ଦେଇ, ବିଜୟ ହଳଦୀପତ୍ର ଭିତରୁ ଶୁଭ୍ରକୋମଳ ଏଣ୍ଡୁରି ପିଠା ଗୁଡିକୁ ସଯତ୍ନେ କାଢି ଖାଇବାରେ ନିମଗ୍ନ ଥିଲେ। ହଳଦୀପତ୍ରର ମତୁଆଲା ବାସ୍ନା ତାଙ୍କର ଇନ୍ଦ୍ରିୟଗଣଙ୍କୁ କବଳିତ କରି ଚାଲିଥିଲା ଓ ତାଙ୍କ ମାନସପଟରେ କେବଳ ତାଙ୍କ ମାଆଙ୍କର ଛବି ଉଦଭାସିତ ହୋଇ ଚାଲିଥିଲା।
--ସମାପ୍ତ--
ଛଅଫଡିଆ ଓଉ
ଛଅଫଡିଆ ଓଉ
ଲେଖା- ଅରବିନ୍ଦ ରଥ
ସେଦିନ ସକାଳେ ଆନନ୍ଦ ମନରେ ହୟଗ୍ରୀବ ଚେୟାରରେ ବସି ପେପର ପଢାରେ ନିମଗ୍ନ ଥିଲେ। ଅଚାନକ ମୁହଁ ଫଣଫଣ କରି ମାଳତୀ ଘର ଭିତରକୁ ଝଡ ବେଗରେ ମାଡି ଆସିଲେ। ଘଟଣା କଣ ବୋଲି ହୟଗ୍ରୀବ ପ୍ରେମାଳିଆ ସ୍ବରରେ ପଚାରନ୍ତେ ; ମାଳତୀ ଫିଡିକି ଉଠି ଅଦିନିଆ ମେଘ ପରି ବର୍ଷି ଚାଲିଲେ । ବାହାଘର ପରଠାରୁ ତାଙ୍କୁ ହୟଗ୍ରୀବ ଏକ ରାନ୍ଧୁଣିଆ ପରି ଖଟେଇ ଚାଲିଛନ୍ତି ଓ ରୋଷେଇ ସମ୍ବନ୍ଧିତ କାର୍ଯ୍ଯକଳାପ କରି କିପରି ତାଙ୍କ ଛନଛନିଆ ରୂପ ଶୁଖିଲା ଭେଣ୍ଡିଗଛ ପରି ହୋଇଯାଇଛି,ସେ ବିଷୟ କହିବା ସହ ଲୋତକବର୍ଷଣ ଆରମ୍ଭ କଲେ । ମାଳତୀଙ୍କ ଏପରି ମାନସିକ ଅବସ୍ଥାର ସ୍ରଷ୍ଟା କିଏ ସେକଥା ହୟଗ୍ରୀବ ଭାବି ପାରୁ ନଥାନ୍ତି।
ଦିନର ଆରମ୍ଭ ଟା କେତେ ଭଲରେ ହୋଇଥିଲା। ହୟଗ୍ରୀବଙ୍କ ଅଫିସ ଛୁଟି ବୋଲି ମାଳତୀଙ୍କ ମନ ମଧ୍ଯ ଖୁସି ଥିଲା। ସକାଳୁ ତାଙ୍କ ପାଇଁ ଚାହାକପେ ସାଙ୍ଗକୁ ମୁଢି କଂସେ ଅତି ସରାଗରେ ବାଢିଦେଇ ମାଳତୀ ସାହିଭ୍ରମଣରେ ଯାଇଥିଲେ। ଅନ୍ଯଦିନ ମାନଙ୍କରେ ମାଳତୀ ଅତିକମ୍ ରେ ଦୁଇଘଣ୍ଟା କାଳ ସାହିର ମାଇପି ମାନଙ୍କ ସହ ସୁଖଦୁଃଖ ହେବାରେ ବିତାଇ ଦିଅନ୍ତି। କାହା ସ୍ବାମୀ ମଦପିଇ ସ୍ତ୍ରୀ କୁ ମାରୁଛି, କାହା ଶାଶୁ ବୋହୁ ରୋଷେଇ କଲାବେଳେ ତରକାରିରେ ଲୁଣ ଢାଳି ଦେଉଛି, କାହା ବୋହୁ ଶାଶୁ ଶ୍ବଶୁରଙ୍କୁ ହୀନିମାନ କରୁଛି, କେଉଁ ଟୋକାଟୋକିଙ୍କର ଲୁଚାଣିଆ ପୀରତି ଚାଲିଛି,ସାହିର କାହାଘରେ ନୂଆ ଜିନିଷ କିଣା ହେଲା ଓ ସେ ଟଙ୍କା କେଉଁଠୁ ଯୋଗାଡ କଲେ …...ଏମିତି କେତେ ଯେ କଥାର ନିଶାପ ବସେ ତା'ର ହିସାବ ନାହିଁ। ଅନ୍ଯମାନଙ୍କ ଠାରୁ ମାଳତୀଙ୍କ ବୁଦ୍ଧି ଯେ ଅଧିକ ଏକଥା ସଭିଏଁ ଜାଣନ୍ତି ଓ ସେ ପ୍ରତ୍ଯେକ ସମସ୍ଯାର ସମାଧାନ ଅଚିରେ କରି ପକାନ୍ତି। ଗାଁଆର ମାଇପିମାନେ ତାଙ୍କୁ ଗୋପାଳ ଭାଣ୍ଡଙ୍କ ନାରୀ ଅବତାର ବୋଲି ଉପାଧି ମଧ୍ଯ ଦେଇଛନ୍ତି। ମାଳତୀ ଆଗରୁ କେବେ ଗୋପାଳ ଭାଣ୍ଡଙ୍କ ନାଁଆ ଶୁଣି ନ ଥିଲେ, ତେଣୁ ଭାବୁଥିଲେ ତାଙ୍କୁ ମାଇପି ମାନେ ଥଟ୍ଟା ରହସ୍ଯ କରୁଛନ୍ତି। କିନ୍ତୁ ହୟଗ୍ରୀବଙ୍କ ଠାରୁ ଗୋପାଳଙ୍କ ମାହାତ୍ମ୍ଯ ଶୁଣିବା ପରେ ସେ ଖୁସିରେ ଗଦଗଦ ହୋଇ ଗଦେଇ ହୋଇ ପଡିବା ପରେ କୋଡିଏ ଟଙ୍କାର ଗୁଲୁଗୁଲା ମଧ୍ଯ ବିତରଣ କରିଥିଲେ।
ଅବଶ୍ଯ ଏ କଥା ଭିନ୍ନ ଯେ ଦୁନିଆଁ ଯାକର କୂଟନୀତିଆ ଓ ପରମ ପେଞ୍ଚୁଆ ଉପାୟ ମାନ ଦେବାରେ ମାଳତୀ ଉସ୍ତାଦ୍ ଥିଲେ। ଉଦାହରଣ ସ୍ବରୂପ ସ୍ବାମୀ ସ୍ତ୍ରୀ କୁ ମାରିଲେ ସେ ଉପାୟ ଦିଅନ୍ତି ଯେ ସ୍ବାମୀ ଶୋଇଥିଲା ବେଳେ ତା ମୁହଁରେ କୁକୁର ବିଷ୍ଟା ବୋଳି ଦେବାକୁ। ଶାଶୁ ବୋହୁର ତରକାରୀ ଖରାପ କରିବାକୁ ଲୁଚାଣିଆ ଲୁଣ ପକେଇଦେଲେ, ସେ ଉପାୟ ଦିଅନ୍ତି - - ଶାଶୁ ପାଇଖାନା ଯିବା ସମୟରେ ତା ବାଲଟି ରେ ବିଛୁଆତି ପତ୍ର ଗୁଣ୍ଡ କରି ମିଶାଇ ଦେବାକୁ, ଯେମିତି ବୁଢି କୁଣ୍ଡେଇ କାଣ୍ଡେଇ ରକ୍ତଝୋଳିଆ ହୋଇଯିବ। ବୋହୁ ଯଦି ଶାଶୁ ଶ୍ବଶୁର ଙ୍କୁ ହୀନିମାନ କରେ ତେବେ ସେ ବୁଢାବୁଢୀଙ୍କୁ ବାଟ ବତାଇ କୁହନ୍ତି ଯେ ପୁଅକୁ ସମ୍ପତ୍ତି ରୁ ବେଦଖଲ କରି ଦେବାର ଧମକ ଥରେ ଦିଅ, ତାପରେ ଦେଖିବ କେମିତି ବଇଁଶୀ ବାଜିବ ଆଉ ରାଧା ଥେଇଥେଇ ନାଚିବ। ମାଳତୀଙ୍କ ନିଶାପ ବିଷୟରେ କହିଲେ ମହାଭାରତ ସରିକି ଗ୍ରନ୍ଥ କେତେଟା ରଚନା ହୋଇଯିବା ଟା ଆଦୌ ଅସମ୍ଭବ ନୁହଁ। ତେବେ ତାଙ୍କ ମୁଣ୍ଡରେ ଆଜି କାହା ଭୂତ ସବାର ହୋଇଗଲା ସେକଥା ବିଚରା ହୟଗ୍ରୀବ ଜାଣି ନ ପାରି କୁନ୍ଥେଇବା ଆରମ୍ଭ କରି ଦେଇଥିଲେ। ଶେଷରେ ମାଳତୀ ରହସ୍ଯ ଉପରୁ ପରଦା କାଢି କହିଲେ
- - - ଆଜି ସେ ପଣ୍ଡାଘର ଝିଅ ନାଣ୍ଡି ମୋତେ ଯାହା ହନ୍ତସନ୍ତ କରିଛି ସେ କଥା ନ କହିବା ଭଲ। ତୁମ ପରି ଗୋଟେ ଲଣ୍ଡାମୁଣ୍ଡିଆ ଭାଲୁ ସହ ବାହା ହେଇଛି ବୋଲି ସିନା ଏତିକି ଶୁଣିବାକୁ ପଡିଲା। ମୁଁ ଏ ଗାଁଆକୁ ବୋହୁ ହୋଇ ଆସିଲା ବେଳକୁ ପଣ୍ଡାଘରେ ଚୁଲି ଜଳୁ ନ ଥିଲା। ପୁରୋହିତି କରି ଭିକ ମାଗି ନିଉଛୁଣିଆଟା ବଞ୍ଚୁଥିଲା। ଅବସ୍ଥା ଏମିତି ଥିଲା ଯେ ଗୋଟେ ଧୋତି କୁ ପଣ୍ଡା ମାଇପ ଶାଢୀ କରି ପିନ୍ଧୁ ଥିଲା ଓ ସେଇ ଧୋତିକୁ ସଫା କରି ପଣ୍ଡା ପୁରୋହିତି କରିବାକୁ ଯାଉଥିଲା। ଆଜି ପାଖରେ ପଇସା ହୋଇଗଲା ବୋଲି ତାଙ୍କ ବହପ ଦେଖ। ନାଣ୍ଡି ସେ ବାରିକ ଟୋକା ସହ ଘରୁ ପଳେଇ ବାହା ହୋଇଗଲା। ଲୋକେ କୁହନ୍ତି ସେ ଟୋକା କୁଆଡେ ରାଜଧାନୀରେ ଚାକିରି କରିଛି। ଟୋକା ର ଚାକିରି ଦେଖି ପଣ୍ଡା ଜାତିଫାତି କଥା ଭୁଲି ଝିଅକୁ ସେ ପିଲା ସହ ଛାତି ଫୁଲେଇ ବାହା କରିଦେଲା। ମରଣ ହେଉନି ସେ ରଇଜଳା ପଣ୍ଡା କୁ। ଆଜି ସେ ଡାହାଣି ନାଣ୍ଡି ରାଜଧାନୀ କଥା କହିକହି ମୋ ରକ୍ତ ଶୋଷି ପକେଇଛି। କହୁଛି କଣ ନାଁ, ରାଜଧାନୀରେ କେତେ ବଡବଡ ମହଲ(ଆମ ଭାଷାରେ ମଲ୍) ଅଛି। ସେ ମହଲ ଭିତରେ ନାନା ଜାତିର ଜିନିଷ ମିଳେ- - ଲୁଗା କପଡା ଠୁ ଆରମ୍ଭ କରି ବ୍ୟୋମଜାନ ଯାଏ। ସେ କୁଆଡେ ଦିନକୁ ଦି ଥର ସେ ମହଲ ବୁଲି ଯାଉଛି। ପୁଣି କହୁଛି ରାଜଧାନୀରେ ପରା ଯାହା କୁ ଯେତେ ତାରକା ହୋଟେଲ ଅଛି, ଖାଦ୍ଯ ଏଡେ ସୁଆଦିଆ ଯେ ଖାଇବା ଲୋକ ଆଙ୍ଗୁଠି ଚୋବେଇ ଖାଇଯିବେ। ଏମିତି ଖାଦ୍ଯ ଯିଏ ଥରେ ନ ଚାଖିଛି ତା ଜୀବନ ମାଟି ବୋଲି ଜାଣ। ନାଣ୍ଡି କୁଆଡେ ହପ୍ତାରେ ପାଞ୍ଚଦିନ ସେ ତାରକା ହୋଟେଲ ରେ ଅନ୍ନ ଭୁଞ୍ଜୁଛି । ନ ଦେଖିଲା ଓଉ ଛଅ ଫଡା ପରି, ଗାଁଆ ମାଇପିମାନେ ତା କଥାକୁ ବିଶ୍ବାସ କରି ଆଖି ତରାଟି ସବୁ ପିଇ ଯାଉଛନ୍ତି। ତା ଫୁଟାଣି କଥାରେ ମୋ ବୋପାର କି ଯାଏ ଆସେ; କିନ୍ତୁ ସେ ଘୁଷୁରିମୁହିଁ ନାଣ୍ଡି ମୋତେ ଛିଗୁଲାଇ କହିଲା
- - - ମାଳତୀ ମାଉସି ତେମେ କେବେ ରାଜଧାନୀ ବୁଲି ଯାଇଛ ନା ଏଇ ଗାଁଆ ରେ ଢାମେଣା ପରି ପଡି ରହିଛ। ପଇସାପତ୍ର ଯୋଗାଡ କରି ଥରେ ରାଜଧାନୀ ଆଡେ ବୁଲିଯାଅ- - ତାରକା ହୋଟେଲରେ ଚିକେନ ଚେମେଣି (ଚାଓମିନ୍) କୁ ଚନ୍ଦୁରି ଚିକେନ ଭୁଞ୍ଜ। ତେବେ ସିନା ତୁମ କାଟତି ଗାଁଆ ରେ ରହିବ। ନୋହିଲେ ଏ ସିଙ୍ଘାଣିନାକିଆ ମାଇପି ଆଉ ତୁମ ଭିତରେ କି ଫରକ ରହିବ ଯେ ? ସମାନେ ତ ସେଇ ଜୀଅନ୍ତା ବରା କୁ ଛଟପଟିଆ ଘୁଘୁନି ହୋଟେଲ "କାନ୍ଦବୋବାଳି" ରୁ ଖାଉସେନ୍ତି, ଆଉ ତୁମେ ବି ଖାଉଛ। ଏଠି ଗାଁଆରେ ନିଶାପ କରି ବାହାସ୍ଫୋଟ ନ ମାରି ଥରେ ହଗୁରୁ ( ହୟଗ୍ରୀବଙ୍କୁ ସବୁ ହଗୁରୁ ଡାକନ୍ତି) ମଉସା ପକେଟ ଉସୁଆସ କଲେ ସିନା ଗାଁଆ ଲୋକ ତୁମ ବଡପଣିଆ ଜାଣନ୍ତେ।
- - - ଭିକାରି ଘର ଝିଅ କେତେ ବଡ କଥା ମୋ ମୁହଁରେ ନାଛି ଦେଲା। ସେ ଏମିତି କହିବାର କାରଣ ହେଲା ତୁମର ଛିଣ୍ଡାଳିଆ ପ୍ରକୃତ୍ତି। ଗାଁଆର ସବୁ ଲୋକ ତୁମ କୃପଣିଆ ପ୍ରକୃତ୍ତି ବିଷୟରେ ଭଲରେ ଜାଣିଛନ୍ତି। ଏତେ ବର୍ଷ ଭିତରେ ଥରେ ମୋତେ ରାଜଧାନୀ ନେବା କଥା ଚିନ୍ତା କରିଛ ? ହୋଟେଲ ଖାଇବା ଛାଡ, ବଜାର ରୁ ବରା ଆଳୁଚପ ଦି ଟା ଆଣିଲେ ପରା ତୁମ ପଇସା ସରି ଯାଉଛି।.......
ମାଳତୀ ରେଳଗାଡି ପରି ଖାଲି ଛୁଟି ଚାଲିଥିଲେ ଓ ତାଙ୍କ ମୁହଁରୁ କର୍କଶିଆ ଗାଳି ସବୁ କ୍ଷେପଣାସ୍ତ୍ର ପରି ଛିଟକି ପଡୁଥିଲେ। ହୟଗ୍ରୀବ ଚୁପଚାପ ଲଣ୍ଡାମୁଣ୍ଡରେ ପାଣି କେଇବୁନ୍ଦା ଛିଞ୍ଚି କାକସ୍ନାନ ସାରି ଜାମାପ୍ଯାଣ୍ଟ ପିନ୍ଧି ରାଜଧାନୀ ଯିବାକୁ ମାଳତୀଙ୍କୁ ନିମନ୍ତ୍ରଣ ଦେଲେ। ହଠାତ୍ ଲହୁବର୍ଷା ବନ୍ଦ ହୋଇଗଲା ଓ ମାଳତୀଙ୍କ ମୁହଁରେ ହସର ସୂର୍ଯ୍ଯ ଉକୁଟି ଉଠିଲା। ସେ କାଳବିଳମ୍ବ ନ କରି ଚକମକିଆ ଶାଢି ପିନ୍ଧି ହୟଗ୍ରୀବଙ୍କ ଲୁନା ଗାଡି ପଛରେ ବସି ରାଜଧାନୀ ଭ୍ରମଣରେ ବାହାରିଲେ। ସେତିକି ବେଳକୁ ତାଙ୍କ ମହା ବିଛୁଆତିଆ ଛୁଆ ଦୁଇଟା ଗାଡି ଉପରକୁ ଲମ୍ଫ ପ୍ରଦାନ କରି କହିଲେ
- - ବୁଢାବୁଢୀ ଆମକୁ ଛାଡି କୁଆଡେ ଯାଉଛ। ଆମେ ବି ଯିବୁ, ଆଜି ଇସ୍କୁଲ ଛୁଟି ଅଛି।
ବିଚରା ହୟଗ୍ରୀବ ପିଲାଙ୍କୁ ଭୁଲେଇ କହିଲେ- - ଆରେ ମୁଁ ତୁମ ମାଆକୁ ଡାକ୍ତର ପାଖକୁ ନେଉଛି। ତା ପେଟ ଖରାପ ଅଛି ତ। ପିଲାମାନେ ତ ଆହୁରି ସଇତାନ୍ ; ଦୁଇଜଣ ସମବେତ ସ୍ବରରେ କହିଲେ- - ସେ ମିଛ କଥା ଛାଡ, ଆଜି ସକାଳେ ମାଆ କାନ୍ଦବୋବାଳି ହୋଟେଲରୁ କୋଡିଏ ଟା ବରା କୁ କଂସେ ଘୁଘୁନି ଆମ ହାତରେ ମଗେଇ ତେଣ୍ଡିଛି। ଆମେ ମାଗିଲାରୁ ଛାଞ୍ଚୁଣି ଉଠେଇ ତଡି ଆଣିଲା ପରା.....
ଆଶ୍ଚର୍ଯ୍ଯରେ ହୟଗ୍ରୀବ ମାଳତୀଙ୍କ ମୁହଁକୁ ଦେଖନ୍ତେ , ସେ ଦାନ୍ତ ନେଫେଡି କିଛି ନ ଶୁଣିଲା ପରି କହିଲେ- - ପିଲାମାନେ ଆମ ସାଙ୍ଗରେ ଗଲେ କିଛି ଅସୁବିଧା ନାହିଁ। ଗାଁଆରେ ଫେରି ସେଇମାନେ ତ ସମସ୍ତଙ୍କୁ କହିବେ ଯେ ଆମେ ରାଜଧାନୀ ବୁଲି ଯାଇଥିଲୁ । କାଇଁ ଲୁନା ଭାଙ୍ଗି ଯିବ ନା କଣ? ମୋ ବାହାଘର ବେଳେ ପରା ଏ ଲୁନା ମୋ ବାପା ଯୌତୁକ ଦେଇଥିଲେ। ଖାଣ୍ଟି ଲୁହାରେ ତିଆରି ବୋଲି ତୁମ କାନେ କାନେ କହିଥିଲେ। ଏ ଲୁନା ଦିହରେ ଟ୍ରକ ବାଡେଇ ହେଲେ ସେ ସିନା ଚେପା ହେଇଯିବ, କିନ୍ତୁ ଆମ ଲୁନା ଫୁଡୁଫୁଡୁ କରି ଆରାମ ରେ ଧୂଆଁ ଉଡେଇ ରାସ୍ତାରେ ରାଜା ପରି ଚାଲୁଥିବ।
ମାଆଛୁଆଙ୍କ ମିଳିତ ଆକ୍ରମଣର ପ୍ରତିରୋଧ କରି ନ ପାରି ବିଚରା ସମସ୍ତଙ୍କୁ ଲୁନାରେ ବୋଝେଇ ରାଜଧାନୀ ଚାଲିଲେ। ବାଟସାରା ମାଳତୀ ଓ ପିଲାମାନେ ଏମିତି କିଳିକିଳା ରାବ ଦେଇ ଖୁସି ହେଉଥାନ୍ତି ଯେ ବାଟରେ ଯିବା ଲୋକ ଦଣ୍ଡେ ଛିଡା ହୋଇ ପଡୁଥାନ୍ତି। ଲୁନା ଟି କୁନ୍ଥେଇ କାନ୍ଥେଇ ରାଜଧାନୀ ଭିତରେ ପଶିଲା ବେଳକୁ ଜଣେ ଟ୍ରାଫିକ ପୋଲିସ୍ ବାଡି ଧରି ସେମାନଙ୍କ ଉପରକୁ ଝପଟି ଆସିଲା। କିଛି କହିବା ପୂର୍ବରୁ ଲୁନାରୁ ଚାବି ଟା ଘିଞ୍ଚି ନେଇ ପାଞ୍ଚଶହ ଟଙ୍କା ଫାଇନ୍ ହାଙ୍କି ଦେଲା। ମାଳତୀ ବହୁତ ନେହୁରା ହେବା ପରେ ପଚାଶଟଙ୍କା ହାତଗୁଞ୍ଜା ନେଇ ସେମାନଙ୍କୁ ଛାଡିଲା।
ମାତ୍ର ହୟଗ୍ରୀବଙ୍କୁ କହିଲା- - ଭାଇ ତୁମେ ଯଦି ଏ ଲୁନା ଗାଡିରେ ବଉଂଶ କୁଟୁମ୍ବ ଧରି ବୁଲିବ ତା ଜୀବନ ରହିବ ଟି ? ଦଶବାର ବର୍ଷିଆ ପିଲା ଦୁଇଟା କୁ ଆଗରେ ବସେଇ ଭାଉଜକୁ ପଛରେ ବସେଇ ନେଲା ବେଳକୁ ଲାଜ ଲାଗୁନି? ଯଦି ସମସ୍ତଙ୍କୁ ଧରି ବୁଲିବାର ଏତେ ସଉକ ନାନୋ କାର୍ ଖଣ୍ଡେ କିଣ। ମାଳତୀଙ୍କ କାନରେ କେବଳ ଦୁଇଟି ଶବ୍ଦ ଭଲରେ ବାଜିଲା। ଗୋଟେ ହେଲା ଭାଉଜ ଓ ଅନ୍ଯଟି କାର୍। ସେ ଭଦ୍ରଲୋକି ଦେଖେଇ କହିଲେ - - ଠିକ୍ କଥା କହିଲ ହୋ ମୋ ପୋଲିସି ଦିଅର ବାବୁ। ତୁମେ ହେଲେ ତାଙ୍କୁ ଟିକେ ବୁଝେଇଦିଅ। ଏ ଲୋକଟାକୁ ମୁଁ ତ ପାରିଲିନି, ଯେତେ ଯାହା କହିଲେ ବି ଲୋକଟା ଦାରୁଭୁତ ମୁରାରୀ ପରି ଖାଲି ଆଖି ମିଟିମିଟି କରୁଥିବ, ସବୁ ଶୁଣିବ କିଛି କରିବନି। ଏତେ ବର୍ଷ ହେଲା କହିକହି ଆଜି ଆମକୁ ରାଜଧାନୀ ବୁଲେଇ ଆଣିଛନ୍ତି। ଗୋଟେ ତାରକା ହେଟେଲରେ ଚିକେନ ଚେମେଣି ଟିକେ ଖାଇ ମହଲ ବୁଲି ଘରକୁ ଯିବୁ। ମାଳତୀଙ୍କ ଉଚ୍ଚାରଣ ଶୁଣି ଟ୍ରାଫିକ୍ ପୋଲିସ ମୁଣ୍ଡରୁ ଟୋପି କାଢି କାଖରେ ଜାକି କଣ ସବୁ ଭାବିବାରେ ଲାଗିଲା। ଚିକେନ ଚେମେଣି ଓ ମହଲ ସେ ବୋପା ଅଜା ଚଉଦ ପୁରୁଷରେ ଶୁଣି ନ ଥିଲା। ତେଣୁ ବିଶେଷ ପାଟିତୁଣ୍ଡ ନ କରି ହୟଗ୍ରୀବଙ୍କ ପରିବାରକୁ ସାଷ୍ଟାମ ପ୍ରଣାମ ଠୁଙ୍କି ହୁଇସିଲ୍ ମାରିବାରେ ଲାଗିଲା।
କିଛି ପାନଦୋକାନରେ ପଚରା ଉଚୁରା କରିବା ପରେ ମଧ୍ଯ ତାରକା ହୋଟେଲର ଠିକଣା ମିଳିଲାନି। ତେଣେ ପିଲା ଗୁଡା ଭୋକରେ ଆଉଟୁ ପାଉଟୁ ହୋଇଗଲେଣି। ବଡ ପିଲା ଟା ଲୁନା ରଡ୍ ରେ ବସିବସି କୁନ୍ଥେଇବା ଆରମ୍ଭ କଲାଣି। ଲୁହାରଡ୍ ଟା ଉପରେ ପିଚା ଛେଚା ଖାଇ କେତେ ସମୟ ବା ବସିପାରିବ ! ଶେଷରେ ଜଣେ ଦୋକାନୀ କହିଲା-- ଆଜ୍ଞା, କେଉଁ ତାରକା ହୋଟେଲକୁ ଯିବେ କୁହନ୍ତୁ। ଏକ୍ ସେ ବଢ୍ କର ଏକ ହୋଟେଲ ର ନାଁଆ ମୁଁ ଜାଣିଛି। ଆପଣଙ୍କ ପରିବାର ଓ ଗାଡିକୁ ଦେଖିଲେ ଲାଗୁଛି ଅନ୍ଯ ସହରରେ ନିହାତି ଆପଣମାନେ କେବଳ ତାରକା ହୋଟେଲରେ ହିଁ ଖାଉଥିବେ। ଦୋକାନୀର କଥା ଶୁଣି ମାଳତୀ ଲାଜେଇଗଲେ।
ଯତ୍ନରେ ଲୁନାକୁ ଆଉଁସି କହିଲେ- - ଭାଇ ଠିକ୍ କହିଲ, ଏ ଗାଡି ଟି ମୋ ବାପା ଏ ଲୋକକୁ ଯୌତୁକ ରେ ଦେଇଥିଲେ। ଆମେ ମାନେ ତ ପାଣି ବି ସେଇ ତାରକା ହୋଟେଲ ରେ ପିଉ। ଦେଖୁନ ପିଲା ଗୁଡା କେମିତି ଭୋକରେ ରାମ୍ପୁଡି ବିଦାରି ହେଲେଣି। ତୁମ ପାଖରେ ଯଦି ଆମ୍ପ୍ରୋ ବିସ୍କୁଟ୍ ଅଛି ଦୁଇ ପ୍ଯାକେଟ୍ ଦିଅ। ତେଣିକି ହୋଟେଲ ଗଲେ ମିନେରାଲ ପାଣି ପିଇ ଚିକେନ ଚେମେଣି କୁ ଚନ୍ଦୁର ଚିକେନ ଖାଇବୁ।
ଦୋକାନୀ ଟା ମନେମନେ ବହେ ହସିଲା। କିନ୍ତୁ କାଳେ ଗ୍ରାହକ ମାନେ ଖରାପ ଭାବିବେ ବୋଲି ପାଟି ଚାପିଚାପି କହିଲା- - ନାକ ସିଧାରେ ଗଲେ ରାଜଉଆସ ପରି ତାରକା ହୋଟେଲରେ ପହଞ୍ଚିଯିବେ। ସେ ହୋଟେଲରେ ତାରା ମାନେ ଖଞ୍ଜି ହୋଇ ଅଛନ୍ତି। ସେଇ ତାରକା ହୋଟେଲରେ ଖାଇ କେତେ ଯେ ଲୋକ ଦିନରେ ତାରା ଦେଖିଛନ୍ତି ତା' ହିସାବ ନାହିଁ। ଆପଣଙ୍କ ପରି ବଡବଡିଆ ଲୋକଙ୍କ ପାଇଁ ସେ ହୋଟେଲ ପାଟି ମେଲା କରି ଚାହିଁଛି।
କିଛି ସମୟ ଭିତରେ ଫୁଡୁଫୁଡୁ କରି ହୟଗ୍ରୀବ ଲୁନା କୁ ହୋଟେଲ ପୋର୍ଟିକୋ ତଳେ ଛିଡା କରାଇଲେ। ପିଲା ଦୁଇ ଟା ଡିଆଁ ମାରି ତଳକୁ ଆସିଲେ ଓ ମାଳତୀ ଶାଢୀ ସଜେଇ ବାରେ ଲାଗିଲେ। ସେତିକି ବେଳକୁ ମୋଟା ନିଶ ବାଲା ଏକ ଲୋକ ଘାଉଁଘାଉଁ ଶବ୍ଦ କରି ମାଡି ଆସିଲା। ତାଙ୍କୁ ଦେଖି ହୟଗ୍ରୀବଙ୍କ ପିଳେହି ପାଣି ହୋଇଗଲା। ଲୋକଟା ଧମକେଇ କହିଲା-- ଆବେ ଶାଲା ୟାହାଁ ପେ ଭିକ୍ ନେହିଁ ମିଲେଗା। ବେସରମ୍- - - ଫେମିଲି ଲେକେ ଭିକ୍ ମାଙ୍ଗନେ କେ ଲିୟେ ଲୁନା ଚଢ କେ ଆୟେ ହୋ?
ଖଣ୍ଡି ହିନ୍ଦି ଜାଣିଥିବା ହୟଗ୍ରୀବ ଦମ୍ଭିଲା ସ୍ବରରେ କହିଲେ
- - ହମ୍ ୟାହାଁ ଖାନେ କେ ଲିୟେ ଆୟା ହୁଁ। ଶଳା ହାମ୍ କୋ ଭିକାରି ଭାବତା ହେ, ଭୁଲ ମାଗ୍ ପେହେଲେ, ନେହିଁ ତୋ ତେରା ମୋଟା ନିଶ ଟାଣ୍ କେ ଉପାଡ୍ ଦେଗା। ଏମିତି ଠୁକେଗା କି ତେରା ବୋପା କୋ ମଉସା ଡାକେଗା।
ମୋଟା ନିଶୁଆ ଟା ଚୁପ୍ ହୋଇଗଲା ଓ ହୟଗ୍ରୀବ ବିଜୟଦର୍ପରେ ବଡ ପାହୁଣ୍ଡ ପକାଇ ମାଡି ଚାଲିଲେ। ତାରକା ହୋଟେଲର ରୂପ ଦେଖି ସମସ୍ତଙ୍କ ଆଖି ଖୋସି ହୋଇ ଯାଉଥାଏ। ପ୍ରକୃତରେ ରାଜମହଲ ଠାରୁ କୌଣସି ଗୁଣରେ କମ୍ ନୁହଁ। କେତେଜାତିର ଗଛ, ଫୁଲ, ଝରଣା ଆଦି ହୋଟେଲର ରୂପ କୁ ହଜାର ଗୁଣ ବଢାଇ ଦେଉଥିଲା। ଓ କାଚ ପରି ଚକମକିଆ ଚଟାଣରେ ଚପଲ ଖସି ଯାଉଥିଲା। ଦିନ ଦିହିପହରେ ଯେତିକି ଲାଇଟ୍ ଲାଗିଥିଲା, ସୂର୍ଯ୍ଯ ଦେଖିଲେ ବି ଲାଜେଇ ଯାଇଥାଆନ୍ତା। ଏକ ପ୍ରକାଣ୍ଡ କାଚ କବାଟ ପାଖରେ ଆଉ ଏକ ନିଶୁଆ ହୟଗ୍ରୀବଙ୍କୁ ଦେଖି ସାଲ୍ଯୁଟ୍ ମାରିଲା। ସେ ମଧ୍ଯ ପ୍ରତିସାଲ୍ଯୁଟ୍ ମାରି ନିଶୁଆ କୁ ଅଭିବାଦନ ଜଣାଇଲେ। ମାଳତୀ ଓ ପିଲାମାନେ ମଧ୍ଯ ସାଲ୍ଯୁଟ୍ ମାରିବାରେ ଲାଗିଲେ। ନିଶୁଆ କୁ ଏସବୁ ବଡ ବିଚିତ୍ର ଲାଗିଲା। ସେ ଆଉଥରେ ସାଲ୍ଯୁଟ୍ ମାରିଲା ଓ ହୟଗ୍ରୀବଙ୍କ ସମଗ୍ର ପରିବାର ଅତି ଆନନ୍ଦରେ ତାକୁ ଜବରଦସ୍ତ ସାଲ୍ଯୁଟ୍ ଠୁଙ୍କି ଚାଲିଲେ। ଲୋକଟା ଅପ୍ରସ୍ତୁତ ହୋଇ କବାଟ ଖୋଲି ସେମାନଙ୍କୁ ଭିତରକୁ ଆସିବାକୁ ନିମନ୍ତ୍ରଣ ଦେଲା। ଭିତରକୁ ପଶିବା ସମୟରେ ପୁଣିଥରେ ସମସ୍ତେ କଡାମାର୍କା ସାଲ୍ଯୁଟ୍ ମାରି ଭିତରେ ପଶିଲେ।
ହୋଟେଲ ଭିତରଟି ହିମାଳୟ ପର୍ବତ ଉପରେ ଥିବା ପରି ଲାଗୁଥିଲା। ଏତେ ଥଣ୍ଡା ଯେ ମାଢି କୁ ମାଢି ବାଡେଇ ହୋଇ ବାଜା ବଜେଇବା ଆରମ୍ଭ କରିଦେଇଥିଲେ, ସତେ କି ଦାନ୍ତ ଖସି ପଡିବ। ମିଞ୍ଜିମିଞ୍ଜି ଜଳୁଥିବା ରଙ୍ଗବେରଙ୍ଗ ଆଲୁଅ ରେ ମୁହଁ ଦେଖିବା ମୁସ୍କିଲ ଥିଲା। ସ୍ତ୍ରୀ ଓ ପିଲା ମାନେ କାଳେ ହଜିଗଲେ ଭାବି ହୟଗ୍ରୀବ ରଡି ଛାଡି ଡାକିଲେ- - ହଇଲୋ ହଗୁରା ବୋଉ,କୁଆଡେ ଗଲୁ। ମୋ ପଛେପଛେ ଆସୁ ଥା ନ ହେଲେ ଏକା ହଜି ଯିବୁ। ନିତମ୍ବରେ ଏକ ଶକ୍ତ ଚିମୁଟା ଅନୁଭବ ହେବା ପରେ ହୟଗ୍ରୀବ ପତ୍ନୀଙ୍କ ଅବସ୍ଥିତି ବିଷୟ ରେ ନିଶ୍ଚିତ ହୋଇ ତୁନି ପଡିଲେ। ମାତ୍ର ସେତେବେଳକୁ ସେହି ସ୍ଥାନରେ ବିରାଜମାନ କରୁଥିବା ଅଖଣ୍ଡ ନୀରବତା ହୟଗ୍ରୀବଙ୍କ ଚିତ୍କାରରେ ଭାଙ୍ଗିରୁଜି ଚୁରମାର ହୋଇ ଯାଇଥିଲା ଓ କିଛି ସମୟ ମଧ୍ଯରେ ବସିଥିବା ଲୋକେ ମହୁମାଛି ପରି ଗୁଁ ଗୁଁ ହେବା ଆରମ୍ଭ କରି ହୟଗ୍ରୀବଙ୍କ ପରିବାରକୁ ଦେଖିବାକୁ ଲାଗିଲେ। ସତେ କି ସେମାନେ ମଙ୍ଗଳଗ୍ରହରୁ ଆସିଛନ୍ତି ଓ ସେ ଜାଗାରେ ସେମାନଙ୍କର ଉପସ୍ଥିତି ଏକ ନହାତି ଅପ୍ରାସଙ୍ଗିକ ଘଟଣା।
ମାଳତୀ ସେଠାରେ ବସିଥିବା ଲୋକ ମାନଙ୍କ ପ୍ଲେଟ୍ କୁ ଛଞ୍ଚାଣ ପରି ଦେଖିବାରେ ଲାଗିଥିଲେ। ସେ ଖାଇବାକୁ ଆସିଥିବା ନିଆରା ଜିନିଷ କୁ ଅନ୍ଯ କେହି ଖାଉଛନ୍ତି କି ନାହିଁ ଜାଣିବାକୁ ତାଙ୍କର ମନରେ ପ୍ରବଳ ଉତ୍କଣ୍ଠାଥିଲା। କିନ୍ତୁ ସେ ମିଞ୍ଜିମିଞ୍ଜି ଆଲୁଅରେ କଣ ଟା ବା ଦିଶିବ! !!
ଖୋଜାଖୋଜି କରି ଚାରି ପ୍ରାଣୀ ବସିବା ପାଇଁ ଯାଗା ପାଇଲେ। ସେ ଟେବୁଲ ଉପରେ ଜାତି ଜାତିକା ଛୁରୀ , କଣ୍ଟାଳିଆ ଚାମଚ ଓ କୁନିକୁନି ଶିଶି ରେ ଲୁଣ, ଲଙ୍କାଗୁଣ୍ଡ, ନାଲିଆ, ନେଳିଆ ପାଣି ଆଦି ସଜେଇ ରଖା ଯାଇଥିଲା। ଧୋବ ଫରଫର ଗାମୁଛା କେତେ ଟା ଟେବୁଲରେ ଭଙ୍ଗା ହୋଇ ପଡିଥିଲେ। ଚୌକିରେ ପଡଥିବା ଗଦି ଗୁଡିକ ଡଉଲ ଡାଉଲ ଭାଲୁଛୁଆର ପେଟ ପରି ଲାଗୁଥିଲେ । ଏତେ ସୁନ୍ଦର ବ୍ଯବସ୍ଥା ଦେଖି ହୟଗ୍ରୀବଙ୍କ ମନ ରେ ଲଡୁ ଫୁଟୁଥିଲା ।
ମାଙ୍କଡାମୀ କରୁଥିବା ପିଲା ଦୁଇଟାକୁ ଆକଟ କରି ସେ ଚାରି ଆଡକୁ ଦେଖିଲେ, ଖାଇବା ବରାଦ ନେବାକୁ କେହି ଆସୁଛି କି ନାହିଁ ଜାଣିବାକୁ। କିଛି ସମୟ ବିତିଗଲା ପରେ ସେ ବଡପାଟି ରେ ଡାକିଲେ- - ଆରେ କିଏ ଅଛ, ଇଆଡେ ଟିକେ ଆସ, ପାଣି ଗିଲାସେ ଦିଅ। ଖାଇବାକୁ ଦିଅ। ତାଙ୍କ ପାଟି ରୁ କଥା ଛିଣ୍ଡିଛି କି ନାହିଁ ଜଣେ ଅନିଦ୍ଯ ସୁନ୍ଦରୀ ଝିଅ ଗୋଇଠିଟେକା ଚପଲ ପିନ୍ଧି ଠାକୁରୁ ଠାକୁରୁ ଶବ୍ଦ କରି ମାଡି ଆସିଲା। ଆସୁଆସୁ କହିଲା- - ସରି ସାର୍। ପ୍ଲିଜ୍ ଡୋଣ୍ଟ ମାଇଣ୍ଡ..... ହ୍ବାଟ୍ କ୍ଯାନ୍ ଆଇ ଡୁ ?
ସେତିକି ବେଳକୁ ତାଙ୍କର ବାଳୁଙ୍ଗା ପିଲା ଦୁଇଟା ଝିଅକୁ ଦେଖି ଖିଲିଖିଲି ହସି କହିଲେ- - ଓଃ କଣ ହେଇଛ ମ! !! ପୁରା ଯାତ୍ରା ହିରୋଇଣି ପରି ଦୁଶୁଛ। କି ଆଖି, କି ଚୁଟି - - ତୁମେ କୋଉ ଚାଉଳ ର ଭାତ ଖାଉଛ ମ!!!!! ଝିଅଟା ରାଗିଯିବା ଦେଖି ହୟଗ୍ରୀବ ତରତରରେ କହିଲେ
ଝିଅ ଟା ଆଉ କଣ କହି ଆଣୁଥିଲା। ମାତ୍ର ହୟଗ୍ରୀବ ପାଟିକରି କହିଲେ- - ଆଲୋ ମାଆ ସେ ଇଙ୍ଗି ମିଙ୍ଗି ଡିଙ୍ଗି କଥା ଛାଡି ଓଡିଆରେ କହ। ତୋ ମୁହଁ କୁ ଲାଜ ନାହିଁ ଯେ ବୋପା ମାଆ ମୁହଁରେ କଳା ବୋଳି ଏ ହୋଟେଲ ରେ ବଢାବଢି କାମ କରୁଛୁ !! ତୋ ବେଶଭୂଷା ରୁ କିଏ କହିବ ଯେ ତୁ ଗରିବ ଘର ଝିଅ ବୋଲି। ହଉ ଛାଡ୍ ସେ କଥା- - ଦୌଡିଯାଇ ମୋ ପାଇଁ ଆଇଁଷ ମିଲ୍ ଟେ ଆଣେ। ମାଡାମ୍ ଆଉ ପିଲାଙ୍କ ପାଇଁ ଚେମେଣି ଚିକେନ , ଚିକେନ ଚନ୍ଦୁରୀ ସହିତ ଆଉ ଯାହା ଯାହା ତାରକା ହୋଟେଲିଆ ଖାଦ୍ଯ ଅଛି ଆଣେ । ହଁ ଶୁଣ୍, କଟା ପିଆଜ କୁ ଲୁଣ,ଲଙ୍କା,ଲେମ୍ବୁ ଆଣିବୁ। ଆଲୋ ହୁଣ୍ଡୀ କିଛି ବୁଝୁଛୁ ନା ଖାଲି କୁକୁଡାଅଣ୍ଡା ପରି ତୋ ଆଖି କୁ ମିଟିମିଟି କରୁଛୁ।। ସେ କାନ୍ଦବୋବାଳି ହୋଟେଲ ପରି ପାଣିଆ ଡାଲି ଯମା ବି ଦେବୁନି କହି ଦେଉଛି। ଆଉ ପିଆଜ ନ ଦେଇ ଯଦି ମୂଳା କଟା ଦେବୁ ତେବେ ତୋ ଚାହା ପିଆ ପଇସା ଟା ଗଲା ବୋଲି ଜାଣ୍।
ହୟଗ୍ରୀବଙ୍କ କଥାରେ କି ଜାଦୁ ଥିଲା କେ ଜାଣି ଝିଅଟା କିଛି ସମୟ ମୁଣ୍ଡ କୁଣ୍ଡାକୁଣ୍ଡି କରିବା ପରେ ଫେରେକେଟା ମାରି କଚି ହୋଇ ଗଳି ପଡିଲା। ସାଙ୍ଗସାଙ୍ଗେ ଜଣେ ଟୋକାଳିଆ ପିଲା ଦୌଡି ଆସି ଝିଅ ଟିକୁ ଟେକି ନେଇଗଲା ଓ ହାତରେ ଏକ ମୋଟିଳିଆ ଚକମକିଆ ଖାତା ଧରି ଫେରିଲା। ରୁକ୍ଷ ସ୍ବରରେ ପଚାରିଲା- - ଆପଣ ଏମିତି କଣ କହିଦେଲେ ଯେ ଝିଅ ଟା ଝିଭ କାମୁଡି ଚେତା ବୁଡିଗଲା।
ମାଳତୀ ଦାନ୍ତ ନେଫେଡି କହିଲେ, ସେ କଥା ଡାକ୍ତର କହିବେ ନା ଆମେ କହିବୁ। ତୁ ନିଜେ କହୁନୁ, କାହିଁକି ସେ ଚେତା ବୁଡିଗଲା। ତୁ ଏଡେ ନାଗର ନାଇଁ !!! !! ମନେମନେ ତ ଅଜାଣୁ ଭାତ ଖାଉଛୁ ? ତୁ ଯେମିତି ପଚାରିଲୁ, ସେମିତି ତିହାଡି ଘର ପୁଅ ବରାଳ ଘର ଝିଅ ଚେତାବୁଡିଲା ବେଳେ ପଚାରିଥିଲା। ନିଶାପ ସମୟରେ ମୁଁ ପରା ତା ତଣ୍ଟି ଭିତରୁ ସତ କଥା ଟାଣି ଆଣିଲି। ଏବେ ସେ ଟୋକା ପାଞ୍ଚ ଟା ଛୁଆର ବାପା ହୋଇ ସାରିଲାଣି।
ସରଳ ପ୍ରଶ୍ନର ଏମିତି ଭୟଙ୍କର ଉତ୍ତର ଶୁଣି ଟୋକାଟି ଆଖି ମିଟିମିଟି କରି ଦେଖିଲା। କହିଲା ଆଜ୍ଞା ମାନେ, ମୋତେ କ୍ଷମା କରିଦିଅନ୍ତୁ,ମୋର ଭୁଲ ହୋଇଗଲା। ମେନୁ ଦେଖି ଶୀଘ୍ର ଅର୍ଡର ଦିଅନ୍ତୁ,ଆଜି ବହୁତ ଲୋକ ହୋଟେଲରେ। ମାଳତୀ ଝପଟି ପଡି କହିଲେ ଆରେ ହେଃ ଟୋକା- - - ମିନୁ ଚିନୁ ମହାନ୍ତି ଘରେ ଅଛନ୍ତି। ଆମର କି ଗରଜ ପଡିଛି ଯେ ଆମେ ଖାଇବା ଅର୍ଡର ଦେବା ପାଇଁ ମହାନ୍ତି ଘର ଝିଅଙ୍କୁ ଦେଖିବୁ? ଦୌଡି ଯାଆ ରୋଷଘରକୁ, ଚିକେନ ଚେମେଣି ଦୁଇ ପ୍ଲେଟ୍ ଆଉ ଚନ୍ଦୁରି ଚିକେନ ତିନି ପ୍ଲେଟ୍ ଆଣିବୁ। ସାର ଙ୍କ ପାଇଁ ଅରୁଆଭାତ, ମାଉଁସ ଝୋଳ, ଆଳୁ ଚଟଣି, ବଡିଚୁରା ଆଣିବୁ, ଜଲଦି ଯାଆ। ସେ ଟୋକା ବି ଚେତା ବୁଡିବ ବୁଡିବ ହେଉଥିଲା, କୌଣସି ମତେ ରହିଗଲା। ହୟଗ୍ରୀବଙ୍କ ଚିତ୍କାର ରେ ଅଚାନକ୍ ହୋଟେଲ ଟା କମ୍ପମାନ ହେଲା।
ସେ ପାଟି କରି କହୁଥା'ନ୍ତି- କିରେ ଏଟା ହୋଟେଲ ନା ଡକାୟତ ଖାନା। ଭାତ ପ୍ଲେଟ୍ କୁ ପାଞ୍ଚଶହ ଟଙ୍କା? ଡାଲି ଆଠଶହ? ଆଉ ଯାହା ବି ଲେଖା ଯାଇଛି ସବୁ ହଜାର ଦୁଇ ହଜାର। କଣ ସୁନା ଚାଉଳରେ ଭାତ କରୁଛ କିରେ? ୟାପ ବଡ ସଇତାନ୍ ପାଜି ଲୋକ ତ? ଆମ ଗାଁଆ କାନ୍ଦବୋବାଳି ହୋଟେଲ ରେ ଟଙ୍କା ପାଞ୍ଚଶହରେ ଭୋଜି ଟେ ହୋଇଯିବ। ଇଏ ପାଞ୍ଚଶହ ଟଙ୍କାର ଭାତ ପ୍ଲେଟ୍ ଟେ ବିକୁଛି। ୟାପ ଆଜି ବେପାର ବେପାର କରୁଛ ନା ଆଗରୁ କରିଥିଲ?
ଟୋକାଟା ଦାନ୍ତ ନିକୁଟି କହିଲା- - ହାଃ ମଉସା, ରେଟ୍ ଦେଖି ଆକି ଡୋଳା ଘୁରି ଗଲା ନା କଣ?ତାରକା ହୋଟେଲ ରେ ପଶିବ ମାନେ ସେମିତି ତାରକା ମାର୍କା ଟଙ୍କା ଝଡେଇବାକୁ ପଡିବ। ନହେଲେ ତୁମ ଗାଁଆ ହୋଟେଲରେ ଭାତ ମାଛ ମିଲ୍ ଖାଇ ଘରକୁ ଯିବ। ତୁମ ବେଶପୋଷାକ ରୁ ଜଣା ପଡୁଛି ତୁମେ କେମିତି ହୋଟେଲ ରେ ଖାଇବା ଲୋକ। କିଛି ଖାଇବ ନା ପାଣି ଦୁଇ ବୋତଲ ଦେବି, ପିଇ ଘରକୁ ଯିବ। ପାଣି ବୋତଲ ଦୁଇ ଟା ମାତ୍ର ତିନି ଶହ ପଚାଶ ଟଙ୍କା ପଡିବ।
ପିଲା ଦୁଇଟା ସେତେବେଳକୁ ଭୋକରେ ଟେବୁଲ ଉପରେ ଥିବା ଲୁଣ,ଲଙ୍କାଗୁଣ୍ଡ ଓ ନାଲି ନେଳି ବିଲାତିରସକୁ ଚାଟି ସାରିଲେଣି। ଟଣା ଓଟରା ହେଲା ବେଳକୁ ଟେବୁଲ ର କାଚ ଟା ଦୁମଦାମ କରି ତଳେ ପଡି ଚୁରମାର ହୋଇ ଚାରି ଆଡକୁ ଛିଟିକି ପଡିଲା। କିଛି କାଚ ଟୁକୁରା ଲୋକଙ୍କ ଖାଇବା ଉପରେ ପଡିଲା। ସମ୍ପୂର୍ଣ୍ଣ ନୀରବ ଥିବା ହୋଟେଲ ର ଆବହାଓ୍ବା କୋଳାହଳରେ କମ୍ପି ଉଠିଲା। କିଛି ଲୋକ କାଚ ଚୋବାଇ ପାଟିରୁ ରକ୍ତଧାର ବୁହାଇଦେଲେ। ଖୁବ୍ କମ ସମୟ ଭତରେ ହୋଟେଲ ଭିତରେ ଚିତ୍କାର ଶୁଭିବା ଆରମ୍ଭ ହୋଇଗଲା ଓ ଲୋକେ ଦୌଡାଦୌଡି ଆରମ୍ଭ କରିଦେଲେ।
ଏ ଅବସ୍ଥା ଦେଖି ଦୁଇଟା ଅର୍ଘାସୁର ପରି ଭୁଷୁଣ୍ଡା ଲୋକ ହୟଗ୍ରୀବଙ୍କ ବେକଶଣ୍ଢାରୁ ଧରି ତାଙ୍କୁ ଟେକି ନେଲେ ଓ ପିଲା ଦୁଇଟାକୁ ଗୋଇଠା ମାରି ଫୁଟବଲ୍ ପରି ବାହାରକୁ ଗଡାଇନେଲେ। ମାଳତୀ ଛାଡିଦିଅ ଛାଡିଦିଅ ବୋଲି ବୋବାଳି ଛାଡିଲା ବେଳକୁ ତାଙ୍କୁ କେହି ଜଣେ ମୁଥାଏ ପକାଇଲା। ହୟଗ୍ରୀବଙ୍କ ସମଗ୍ର ପରିବାର ବୋବାଳି ଛାଡି ବାରେ ଲାଗିଲେ।
କାଚ ଭାଙ୍ଗିବା ଓ ଲୋକଙ୍କୁ ରକ୍ତଝୋଳିଆ କରିଥିବାରୁ ହୋଟେଲବାଲା ହୟଗ୍ରୀବଙ୍କୁ ବହେ ଛେଚିଲେ ଓ ଲୁନାକୁ ଜବତ କରିନେଲେ। ଉତ୍ତମ ରୂପେ ଧକ୍କିଆ ବେକିଆ ମାରି ରାସ୍ତା ଉପରେ ଛାଡି ଦେଇ ସେ ନିଶୁଆ ଲୋକଟା "ଭିକାରି କେଉଁଠିକାର" କହି ଚାଲିଗଲା। ବିଧା ଗୋଇଠା ଖାଇ ହୟଗ୍ରୀବ ଓ ମାଳତୀ ରାସ୍ତାରେ ପେଙ୍ଗେଇ ପେଙ୍ଗେଇ ଚାଲୁଥିଲେ ଓ ତାଙ୍କ ପିଲା ଦୁଇଟା ଆଗରେ ଛୋଟା ଠେକୁଆଙ୍କ ପରି କୁଦା ମାରି ଚାଲିଥିଲେ। ମାଳତୀ ଭାବୁଥିଲେ,ସେମାନେ ଗାଁଆ କୁ କେମିତି ଫେରିବେ ଓ ତାଙ୍କ ପିଲା ଦୁଇଟା ଗାଁଆ ଲୋକଙ୍କ ଆଗରେ ତାରକା ହୋଟେଲରେ ଘଟି ଯାଇଥିବା ଘଟଣା ସବୁକୁ କେମିତି ବର୍ଣ୍ଣନା କରିବେ। ଠିକଣା ବତେଇଥିବା ଦୋକାନୀ ଦୋକାନ ବାହାରକୁ ମୁଣ୍ଡ ଟୁଙ୍ଗାରି କଣ ପଚାରିଲା ବେଳକୁ ମାଳତୀ ଦୁନିଆ ଯାକର ଗାଳି ତା ଉପରେ ବର୍ଷଣ କରିଦେଲେ। ଚିକେନ ଚେମେଣି ଖିଆ ନିଶାରେ ବିଚରା ମାନଙ୍କ ଅବସ୍ଥା ଦିନ ବେଳିଆ ଚେମେଣି ପରି ହୋଇ ଯାଇଥିଲା। ମାଳତି ଭାବୁଥିଲେ ପଣ୍ଡାଘର ଝିଅ ନାଣ୍ଡି ଆଜି ତାଙ୍କୁ ଛଅଫଡିଆ ଓଉ ଦେଖେଇଦେଲା।
ଭିନ୍ନ ଏକ ପ୍ରେମ ଦିବସ
ଭିନ୍ନ ଏକ ପ୍ରେମ ଦିବସ
ଲେଖକ- © ଅରବିନ୍ଦ ରଥ
ସେଦିନ ବସ୍ ଭିତରେ ଯୁବକଯୁବତୀ ମାନେ ନାହିଁ ନ ଥିବା ଉତ୍ପାତ କରିବାରେ ଲାଗିଥିଲେ। ପରସ୍ପର କୁ ଥଟ୍ଟାତାମସା କରିବା ସହିତ ଗୋଲାପ,ଚକୋଲେଟ୍ ଆଦି ଉପହାର ଦେଇ ନିଜ ପ୍ରେମର ଅଭିବ୍ଯକ୍ତି କରିବାରେ କୌଣସି ପ୍ରକାରରେ ଅବହେଳା କରିବାପରି ଲାଗୁ ନ ଥିଲା। ସତେକି, ପ୍ରେମସମୁଦ୍ରରେ ନିଜକୁ ବୁଡାଇ ନିଶ୍ଚିହ୍ନ କରିଦେବାକୁ ସେମାନେ ବଦ୍ଧପରିକର ଥିଲେ।
ଜଣେ ଯୁବତୀ ବୃଦ୍ଧଡ୍ରାଇଭରଙ୍କୁ ଆକ୍ଷେପ କରି କହିଲା- - ହୋଃ ମଉସା, ତୁମେ କଣ ଜାଣିନ କି ? ଆଜି ପରା ଭାଲେଣ୍ଟାଇନ୍ ଡେ, ମାନେ ପ୍ରେମଦିବସ। ପରସ୍ପର ପ୍ରତି ପ୍ରେମଭାବ ପ୍ରଦର୍ଶନ କରିବାର ଏକମାତ୍ର ଦିବସ। ଆମେ ସବୁ ଏତେ ରୋମାଣ୍ଟିକ୍ ମୁଡ୍ ରେ ଏନଜୟ କରିବାକୁ ଭାବିଲା ବେଳକୁ, ଏ ପୁରୁଣାକାଳିଆ ଗୀତ ଲଗାଇ କାହିଁକି ବୋର୍ କରୁଛ? " ଏ ମେରେ ବତନ୍ କି ଲୋଗୋ " ଗୀତ ତ ସ୍ବାଧିନତା ଦିବସ ବା ସାଧାରଣତନ୍ତ୍ର ଦିବସ ରେ ବାଜିବା କଥା, ଆଜି କାହିଁକି ବଜାଉଛ? ଗୋଟେ ଜମାଣିଆ ଆଧୁନିକ ପ୍ରେମ ସଙ୍ଗୀତ ବଜାଇ,ଏ ଭାଲେଣ୍ଟଇନ୍ ଦିବସ କୁ ସାର୍ଥକ କରିଦିଅ। ସେ ଯୁବତୀ ସାଙ୍ଗରେ ଅନ୍ଯ ଯୁବକଯୁବତୀ ମାନେ ପାଳି ଧରି ଗୀତ ବଦଳାଇବାକୁ ଚିତ୍କାର କରିବାକୁ ଲାଗିଲେ।
ରାସ୍ତାକଡରେ ବସ୍ ଛିଡା କରିଦେଇ ବୃଦ୍ଧ ଡ୍ରାଇଭର ଜଣକ ଧିର ପଦକ୍ଷେପରେ ସେମାନଙ୍କ ପାଖକୁ ଆସି କହିଲେ- -- ମୋତେ କ୍ଷମା କରିବ ପିଲାମାନେ। ତୁମମାନଙ୍କୁ ବିରକ୍ତ କରିବା ଲକ୍ଷ୍ଯରେ ମୁଁ ଏ ଗୀତ ବଜାଉନି। କଥା କଣକି, ଆଜିଦିନରେ ମୋର ଏକମାତ୍ର ପୁଅ ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇ ଶହୀଦ ହୋଇ ଯାଇଥିଲା। ତୁମରି ବୟସର ହୋଇଥିଲା ସେ। ତୁମମାନଙ୍କୁ ଦେଖି ମୋ ପୁଅ କଥା ମନେ ପଡିଗଲା ତ, ସେଥିପାଇଁ ତା ମନପସନ୍ଦର ଗୀତ ବଜେଇଦେଲି। ତୁମେ ବ୍ଯସ୍ତ ହୁଅନି, ଏଇ ସାଙ୍ଗେସାଙ୍ଗେ ମୁଁ ଗୀତ ବଦଳାଇ ଦେଉଛି।
ଏତିକି କହିବା ବେଳକୁ, ବୃଦ୍ଧଙ୍କ କଣ୍ଠ ବାଷ୍ପରୁଦ୍ଧ ହୋଇ ଉଠୁଥିଲା ଓ ଶୁଷ୍କ ଶ୍ମଶୃପୂର୍ଣ୍ଣ ମୁଖମଣ୍ଡଳରେ ଅସହ୍ଯ ଦୁଃଖ ଓ ବେଦନାର ଚିହ୍ନ ସ୍ପଷ୍ଟ ଦିଶି ଯାଉଥିଲା।
ଲୁହ ଛଳଛଳ ଆଖିରେ ବୃଦ୍ଧ ଡ୍ରାଇଭର ଗାଡିରୁ ଓହ୍ଲାଇବାକୁ ଉଦ୍ଯତ ହେବା ସମୟରେ ସେହି ଯୁବତୀ ତାଙ୍କ ଗୋଡ ତଳେ ଏକ ଗୋଲାପଫୁଲ ରଖି ପ୍ରଣାମ କଲା ଓ ତାଙ୍କ ପକେଟ୍ ରେ ଏକ ଚକୋଲେଟ୍ ପ୍ଯାକେଟ୍ ରଖି, ନିଜର ସମସ୍ତ ଶକ୍ତି ଖଟାଇ ହୁଁକାର ନାଦକଲା- - ଭାରତ ମାତା କି ଜୟ....ପୁଲଓ୍ବାମା ଶହୀଦ୍ ଅମର ରହେ...ବନ୍ଦେ ମାତରମ୍। ଯୁବତୀର ସ୍ବରରେ କି ଯାଦୁଥିଲା କେଜାଣି, ବସ୍ ରେ ଉପସ୍ଥିତ ଥିବା ସମସ୍ତ ଯାତ୍ରୀ ଏକସ୍ବରରେ ଘୋଷଣା କରିବାକୁ ଲାଗିଲେ- - ଭାରତମାତା କି ଜୟ....ଫୁଲଓ୍ବାମା ଶହୀଦ୍ ଅମର ରହେ...ବନ୍ଦେ ମାତରମ୍।
ଶହୀଦ୍ ଜଓ୍ବାନ୍ ଓ ଦେଶମାତୃକା ପ୍ରତି ଥିବା ଅନାବିଳ ପ୍ରେମ ଓ ଭକ୍ତି ପ୍ରଦର୍ଶନପୂର୍ବକ ବସ୍ ରେ ଉପସ୍ଥିତ ଯାତ୍ରୀମାନେ ସେଦିନ ପାଳିଥିଲେ ପ୍ରେମଦିବସ ଏକ ନିଆରା ଢଙ୍ଗରେ । ଜଣଜଣ କରି ଭେଟି ଚାଲିଥିଲେ ପ୍ରେମର ନିଦର୍ଶନ ସ୍ବରୂପ ଗୋଲାପଫୁଲ ସେହି ଅମର ଶହୀଦ୍ ଙ୍କ ଫଟୋଚିତ୍ରରେ, ଯାହା ବୃଦ୍ଧ ଡ୍ରାଇଭର ବସ୍ ର କ୍ଯାବିନ୍ ଭିତରେ ଯତ୍ନ ସହକାରେ ରଖିଥିଲେ।
ତା ସହିତ ତାଳ ଦେଇ ବାଜି ଚାଲିଥିଲା " ଏ ମେରେ ବତନ କେ ଲୋଗୋ” ଗୀତ, ଯାହା ପଥର ଆଖିରୁ ମଧ୍ଯ ଲୋତକବର୍ଷା କରାଇ ଦେବାର କ୍ଷମତା ଧାରଣ କରେ।
Monday, February 10, 2020
ଆଶୁକବି
ଆଶୁକବି
ଲେଖକ- Ⓒଅରବିନ୍ଦ ରଥ
ସହରରୁ ଆସିଥିବା ନିମନ୍ତ୍ରଣ ପତ୍ରଟିକୁ ଛାତିରେ ଧରି ଆଗ ବହେ ନାଚିଗଲେ ଚଣ୍ଟିଆ ମହାନ୍ତି। ଏତେବର୍ଷର କଲମଘୋରା ପରିଶ୍ରମର ଫଳ ତାଙ୍କୁ ମିଳିବାକୁ ଯାଉଛି। ସହରରେ "ସର୍ବନାଶିଆ ସାହିତ୍ଯ ସଂସଦ"ର ବାର୍ଷିକ ଉତ୍ସବରେ ରାଜ୍ଯର ବଛାବଛା କବି ମାନଙ୍କ ମଧ୍ଯରେ ଏକ ଘମାଘୋଟିଆ କବିତା ପ୍ରତିଯୋଗିତା ଅନୁଷ୍ଠିତ ହେବ। ବିଜୟୀ ପ୍ରତିଯୋଗୀଙ୍କୁ ଟଙ୍କା ପାଞ୍ଚହଜାର ସାଙ୍ଗକୁ ମାନପତ୍ରରେ ଭୂଷିତ କରାଯିବ। ଥରେ ସେ ପ୍ରତିଯୋଗିତାରେ ଜିତିଗଲେ ତେଣିକି ଆଉ ଚିନ୍ତା ନାହିଁ। ପ୍ରକାଶକ ମାନେ ଘର ସାମନାରେ ଜିଭ ଲହଲହ କରି ଧାଡି ବାନ୍ଧି ଛିଡାହେବେ। ଏପରିକି ତାଙ୍କ ଦରଲେଖା କବିତା ମାନଙ୍କୁ ବହିରେ ଛପେଇ ଦେବାପାଇଁ କଳି ତକରାଳ କରିବେ। ସେ ବସୁଥିବା ଭଙ୍ଗାଦଦରା ତାରଭିଡା ପ୍ଲାଷ୍ଟିକ ଚେୟାର ଖଣ୍ଡକ ସ୍ଥାନରେ ଫୁଲା ପାଉଁରୁଟି ପରି ଗଦି ବିଶିଷ୍ଟ ଘିରିଘିରି ବୁଲୁଥିବା ଚେୟାର ପଡିବ। ତାଙ୍କ ଟେବୁଲ, ଅର୍ଥାତ୍ ଚାରିଖଣ୍ଡ ବାଉଁଶ ଖୁଣ୍ଟିରେ ପେଟେଇଥିବା ଭଙ୍ଗା କ୍ଯାରମବୋର୍ଡ ଟି ମଧ୍ଯ ବଦଳି ଯିବ। ତା ସ୍ଥାନରେ ପଡିବ ଧୋବ ଫରଫର ମାର୍ବଲ ଗୋଡିଆ, କାଚପିଠିଆ ଏକଦମ୍ ପିଞ୍ଛାଳିଆ ଟେବୁଲଟିଏ। ତା ଉପରେ ଚକମକିଆ ବିଜୁଳିବତୀ ଜାଳି ସେ କବିତା ସବୁ ଚରଚର ଲେଖି ପକେଇବେ। ଗାଁଆରେ ତାଙ୍କୁ ଥଟ୍ଟା ବେହେଲ କରୁଥିବା ନିଉଁଛୁଣିଆ ନିନ୍ଦୁକମାନେ ମୁହଁରେ ମୂଷା ମୁତିଲା ପରି ଭଙ୍ଗୀ କରି ଖାଲି ଯାହା ଜୁଳୁଜୁଳୁ ଦେଖୁଥିବେ।
ଆଉ କାହାର କଣ ହେଉ ବା ନ ହେଉ, କିନ୍ତୁ ସେ ପ୍ରତିଯୋଗିତା ଟା ଜିତି ଗଲେ ତାଙ୍କ ସ୍ତ୍ରୀ ଜାମ୍ବବତୀଙ୍କୁ ଜ୍ବର ହୋଇଯିବ। ସେ କବିତା ଲେଖିଲା ବେଳେ ଜାମ୍ବବତୀ ଏମିତି କଟୁକଥା କୁହନ୍ତି ଯେ ଉଡିଗଲା ଚଢେଇ ଚେତାବୁଡି ଖସି ପଡିବ। କାରଣ ଚଣ୍ଟିଆଙ୍କ କବିତ୍ବକୁ ନେଇ ଜାମ୍ବବତୀ ଭୀଷଣ ଅସନ୍ତୁଷ୍ଟ ଥିଲେ। ଚଣ୍ଟିଆ କବିତା ଲେଖିବାକୁ ବସିବା ମାତ୍ରେ ଜାମ୍ବବତୀଙ୍କର ଜଗତଯାକର କାମ ମନେ ପଡିଯାଏ। ଯେମିତି କି
- - - ଘରେ ବୁଢିଆଣୀ ଜାଲ ଭିଡି ଦେଲେଣି, ସେସବୁ ସଫା ନ କରି କବିତା ଲେଖୁଛ? ଲଜ୍ଜା ନାହିଁ ତୁମ ମୁହଁ କୁ ।
- - - ସାନପୁଅଟା ଛେରି ଛେରି ଛାରପୋକ ପରି ଶୁଖି ଗଲାଣି, ତାକୁ ଡାକ୍ତରଖାନା ନ ନେଇ ନିଆଁଲଗା ପ୍ରେମ କବିତା ଲେଖୁଛ! ଛିଃ ଛିଃ କେମିତି ବାପ ହୋଇଛ କେଜାଣି?
- - -ମୋ ପାଖରେ ପିନ୍ଧିବା ପାଇଁ ଶାଢୀ ଖଣ୍ଡେ ନାହିଁ, ବାପା ଯାହା ଦେଇଥିଲେ ସେତିକି ପିନ୍ଧିପିନ୍ଧି ଛିଡେଇ ସାରିଲିଣି। ମାଇପ ଦିହରେ ଶାଢୀ ଖଣ୍ଡେ ଘୋଡେଇବାକୁ ଟଙ୍କା ନାହିଁ, ଆଉ ଏ ବାଡିପଶା କବିତା ଲେଖୁଛି। ଏ ଅଲାଜୁକ ଲୋକକୁ ବାହା ହୋଇ ମୋ ଜୀବନ ଟା ଦରସିଝା ଅଲଣା ସନ୍ତୁଳା ପରି ହୋଇଗଲା।
ବିଚରା ଚଣ୍ଟିଆ, ପାଟିରେ ମଣ୍ଡା ମାଡି ଚୁପଚାପ ବସି ଗାଳି ଶୁଣନ୍ତି। ପାଟିରୁ କିଛି କଥା ଖସି ଗଲେ ତାଙ୍କ ଅବସ୍ଥା ଯେ ପେଡା ଯାଇଥିବା ଆଖୁ ପରି ହୋଇଯିବ ଏକଥା ତାଙ୍କୁ ଭଲରେ ଜଣା। ଜାମ୍ବବତୀଙ୍କ ବାପାମାଆ କାହିଁକି ପତ୍ନୀଙ୍କ ନାମକରଣ ଏପରି କରିଥଲେ ବୋଲି ସେ ବାହାଘରର ଅଳ୍ପ କିଛିଦିନ ଭିତରେ ଜାଣି ପାରିଥିଲେ। ଦିନେ ସାଧାରଣ କଥାକୁ ନେଇ ଦୁଇଜଣଙ୍କ ଭିତରେ ପାଟିତୁଣ୍ଡ ହେବା ସମୟରେ ଜାମ୍ବବତୀ ଚଣ୍ଟିଆଙ୍କୁ ଶୂନ୍ଯେଶୂନ୍ଯେ ଟେକିନେଇ ତଳେ କଚିଦେଲେ। ପିଚାହାଡଟି ତଳେ ଏପରି ଛେଚି ହୋଇଗଲା ଯେ ବିଚରା ପନ୍ଦରଦିନ ଯାଏ ଅଖିଆ ଅପିଆ ରହିଲେ। କାରଣ ଖାଦ୍ଯ ସିନା ସୁରୁଖୁରୁରେ ପାଟିରେ ପଶିଯିବ କିନ୍ତୁ ଅଖାଦ୍ଯ ବାହାରିବା ବାଟଟି ତ ଜାମ୍ବବତୀଙ୍କ ପ୍ରହାରରେ ଭୀଷଣ ଭାବରେ କ୍ଷତିଗ୍ରସ୍ତ ହୋଇ ଯାଇଥିଲା ବାହାଘରର ଏତେ ବର୍ଷ ପରେ ବି ସେ ଅନେକ ଥର ଜାମ୍ବବତୀଙ୍କ ଦ୍ବାରା ଫିଙ୍ଗାଫୋପଡାର ଶିକାର ହୋଇଛନ୍ତି। କିନ୍ତୁ ତଳେ ଛେଚିହୋଇ ପଡିବା ପୂର୍ବରୁ ଚଣ୍ଟିଆ ନାନା ଅଙ୍ଗଭଙ୍ଗୀ କରି ନିଜର ସମ୍ବେଦନଶୀଳ ଅଙ୍ଗପ୍ରତ୍ଯଙ୍ଗ ମାନଙ୍କୁ ସୁରକ୍ଷିତ ରଖିବାର କଳା ଶିଖିଯାଇଛନ୍ତି। ନିଜର ଝିଣ୍ଟିକାପରି ନଡବଡିଆ ଶରୀରକୁ ହୃଷ୍ଟପୃଷ୍ଟ କରିବାକୁ ମାଛମାଂସ, ନାଲିପାଣି, କାଜୁବାଦାମ ଆଦି କ୍ବିଣ୍ଟାଲ ଦରିଆରେ ଗେଫିବା ପରେ ମଧ୍ଯ ଦେହରେ ଗୋଟିଏ ଗ୍ରାମ ର ମାଂସ ଚଢିନି। ଟିକେ ମୋଟାସୋଟା ହୋଇ ଯାଇଥିଲେ ବୋଧେ ଜାମ୍ବବତୀଙ୍କ ମଲ୍ଲଯୋଦ୍ଧିଆ ପ୍ରହାରରୁ ବଞ୍ଚି ପାରିଥା'ନ୍ତେ।
ମନରେ ବଢୁଥିବା କୋହ ଓ ଆଖିର ଲୁହ ତାଙ୍କୁ କେବେ କବି କରି ଦେଲା ସେ ଜାଣି ପାରିଲେନି। ତାଙ୍କର ଦୁଇ ତିନୋଟି ଲାଗୁଆ ଶ୍ରୋତାଙ୍କ ମତରେ ସେ ଜଣେ ଅତି ଉଚ୍ଚକୋଟ୍ଟୀର ଦରଦୀ କବି। ତାଙ୍କ କବିତା ରେ ଏତେ ଦରଦ ଅଛି ଯେ ଶ୍ରୋତାଙ୍କ ମୁହଁରେ "ହସକୁରା ଗ୍ଯାସ" ଅର୍ଥାତ୍ "ନାଇଟ୍ରସ୍ ଅକ୍ସାଇଡ"ର ସିଲିଣ୍ଡର ଖୋଲି ଦେବା ପରେ ବି ସେ କାନ୍ଦିବ ହିଁ କାନ୍ଦିବ। ସେହି ମହାନ ଲାଗୁଆ ଶ୍ରୋତା ମାନେ ଚଣ୍ଟିଆଙ୍କ କବିତା ଅନେକ ଥର ପାରାଭାଡି ତଳେ, ଛେଳି ଗୋଠ ଭିତରେ ଓ ମାଛ ମାର୍କେଟ ପାଖ ବିଲେଇ ସଭାସ୍ଥଳରେ ଶୁଣିଛନ୍ତି। କିପରି ତାଙ୍କ କବିତା ଶୁଣି ପଶୁପକ୍ଷୀ ଆଦି କାନ୍ଦି ପକାନ୍ତି ବୋଲି ଜଣାଇବା ସହ ନିଜ ଆଖିରୁ ମଧ୍ଯ ଲୁହ ପୋଛନ୍ତି। ଏପରି ଶ୍ରୋତା ପାଇ ନିଜକୁ ଧନ୍ଯ ମଣିବା ସହ ଚଣ୍ଟିଆ କାହାକୁ ରୋହି ମାଛ କେଜିଏ ତ କାହାକୁ ସିଝାଅଣ୍ଡା ପାଞ୍ଚଟା ଉପହାର ସ୍ବରୂପ ଦିଅନ୍ତି। ସେ କବିତା ପଢିବାକୁ ସହର ଯାଉଛନ୍ତି ଶୁଣି ସେମାନେ କେତେ ଖୁସି ହୋଇଯିବେ ଭାବି ଚଣ୍ଟିଆଙ୍କ ମନ ଉତଫୁଲିତ ହୋଇ ଉଠିଲା।
ଗୁହାଳ ଭିତରେ ଲୁଚାଇ ରଖିଥିବା କବିତା ଭିତରୁ କିଛି କବିତା ନିଜ ସାଙ୍ଗରେ ନେଇ ସହର ଯିବାକୁ ଭାବିଲେ। ସ୍ବରଚିତ ଶତାଧିକ କବିତା ମଧ୍ଯରୁ " କାଣ୍ଡେଇ ମାଇପ ମୁହଁରେ ନିଆଁ,” " ପ୍ରେମ ଭାଙ୍ଗିଦେଲା ପଞ୍ଜରାହାଡ", " ଝାଡାତୁଠରେ ପ୍ରେମ”, "ବାହୁବଳୀ ପ୍ରିୟତମା , " ସପ୍ତଫେଣିଆ ବିଭାଘର”, " କର ପ୍ରେମ ନିଅ ନାମ”, "ସାଜିଲି କାଙ୍ଗାଳ ପ୍ରେମିକା ପାଇଁ ”, “ନିଜେ ଚଢିଲି ବାହାବେଦୀ, କେ ଅଛି ମୋର ପ୍ରତିବାଦୀ”ଆଦି କବିତା ତାଙ୍କୁ କାଳଜୟୀ ସୃଷ୍ଟି ପରି ଲାଗିଲା। ସେତକ ସଜେଇ ପକେଟରେ ପୁରାଇବା ସମୟରେ ଗୁହାଳଟି ଥରିଗଲା ଜାମ୍ବବତୀଙ୍କ ଭୟାନକ " କିହୋ ମୁନାର ବାପା ଟିକେ ଏ ଆଡକୁ ଆସିଲ“ ଡାକରେ। ନସରପସର ହୋଇ ସେ ଜାମ୍ବବତୀଙ୍କ ପାଖକୁ ମୁଣ୍ଡ ନୁଆଁଇ ଗଲେ। ଜାମ୍ବବତୀ ତାଙ୍କ ଘଡଘଡିଆ ପଥୁରିଆ ସ୍ବରରେ କହିଲେ
- - କିଛି କାମଧନ୍ଦା ନାହିଁ ନା କଣ? ସେ ଗୁହାଳ ରେ ପଶି କବିତା ଲେଖା ଚାଲିଥିଲା କି ? କେତେଥର କହିଲିଣି ମୋ ସିଲେଇ ସେମିନ ଟା ସଜାଡିବା ପାଇଁ? ତୁମେ ବଞ୍ଚିଥିଲା ବେଳେ ତାକୁ ସଜାଡି ପାରିବ ନା, ମୁଁ ଅଲଗା ଲୋକ ଦେଖିବି।
- - ସଜାଡି ଦେବି ଯେ.....କିନ୍ତୁ ସେଥିପାଇଁ ସହର ଯାଇ ଦିନେ ରହିବାକୁ ହେବ। ଯଦି କହିବ ମୁଁ ଏହି ସାଙ୍ଗେସାଙ୍ଗେ ଚାଲିଯିବି। ଆଗ୍ରହ ସହକାରେ କହିଲେ ଚେଣ୍ଟିଆ।
- - କାଇଁ ସହର ଯିବାକୁ ଏତେ ମନ ମ!!! - - କଣ ମୋ ସଉତୁଣୀ କୁ ସହର ରେ ରଖିଛ ନା କଣ!? ସହର ଯିବା ନାଁଆ ଶୁଣି ତୁମ ଆଖି ଯୋଡିକ ତ ବିରାଡିଆଖି ପରି ଝଲକି ଉଠୁଛି।
- - - ସଉତୁଣୀ !!!! ଜଣକୁ ବାହା ହୋଇ ମୋ ଅବସ୍ଥା ଯାହା ହେଲାଣି, ସାତ ଜନମ ରେ ମୁଁ ବାହା ହେବାକୁ ସାହାସ କରିବିନି, ଆଉ ଇଏ କହୁଛି ସଉତୁଣୀ। ଥୁଃ ଉଉଉ , ମୁହଁରେ ମିଥୁନ ଚକ୍ରବର୍ତ୍ତୀ ପରି ଦେବି ଏକ୍ ଖୁନ୍ଦା ଯେ ଜାମ୍ବବତୀ ରୁ ଆମ୍ବବତୀ ହୋଇଯିବୁ। ମନେମନେ ଗୁଣୁଗୁଣୁ ହୋଇ କହିଲେ ଚଣ୍ଟିଆ।
- - କଣ ମାଛି ପରି ଗୁଣୁଗୁଣୁ ହେଉଛ, ସାଙ୍ଗେସାଙ୍ଗେ ଯାଇ ମୋ ମେସିନ ସଜାଡି ଆଣ। ସହରରେ ରହିବାକୁ ପଡିଲେ କୌଣସି ଧର୍ମଶାଳାରେ ମୁଣ୍ଡ ଗୁଞ୍ଜିଦେବ। ସେ ହୋଟେଲ ଫୋଟେଲରେ ରହିଲେ ମାରିକି ଟାଙ୍କ ଛୋଟା କରିଦେବି।
ଜାମ୍ବବତୀଙ୍କ କଥା ସରିବା ପୂର୍ବରୁ ଚଣ୍ଟିଆ ରାସ୍ତା ଉପରେ ହଳେ ପ୍ଯାଣ୍ଟସାର୍ଟ ଓ ସିଲେଇ ମେସିନ କାଖରେ ଜାକି ଲମ୍ବା ପାହୁଣ୍ଡ ପକେଇ ଚାଲିବା ଆରମ୍ଭ କରି ସାରିଥିଲେ।
ନିମନ୍ତ୍ରଣ ପତ୍ର ଅନୁସାରେ କବି ମାନଙ୍କର ରହିବାର ଆୟୋଜନ ଟା ହୋଟେଲ "କାନ୍ଦବୋବାଳି" ରେ କରା ଯାଇଥିଲା। ହୋଟେଲର ନାମଟା ବଡ ଅଖାଡୁଆ ଶୁଭୁଥିଲେ ବି ସେଇଟା କୁଆଡେ ସହରର ଏକ ନାମୀଦାମୀ ହୋଟେଲ। ଜଣା ପଡୁଥିଲା ଆୟୋଜକ ମାନେ ବେଶ୍ ଥିଲାବାଲା ଲୋକ। ନୋହିଲେ ଏ ଛାର କବି ମାନଙ୍କ ପାଇଁ ଏମିତି ନାମୀ ହୋଟେଲ ଯୋଗାଡ କରିବା ଟା କଣ କମ ବଡ କଥା! ! ବୁଝାବୁଝି କରି ଜାଣିଲେ ଯେ ତହିଁ ଆରଦିନ ସକାଳ ନଅ ଟା' ରେ ପ୍ରତିଯୋଗିତା ହେବ "ସର୍ବନାଶିଆ ସାହିତ୍ଯ ସଂସଦର" ଅଫିସରେ। ହୋଟେଲରୁ ସେଠାକୁ ନେବାକୁ ଅଟୋରିକ୍ସାର ଆୟୋଜନ ବି ହୋଇଛି। ଦିନ ଗୋଟାଏ ସୁଦ୍ଧା ବିଜୟୀ ପ୍ରତିଯୋଗୀଙ୍କ ନାମ ଘୋଷଣା ହେବ ଓ ତା ପରେ ପୁରସ୍କାର ବିତରଣ- - ଶେଷରେ ପ୍ରୀତିଭୋଜନ। ଚଣ୍ଟିଆ ମନେମନେ ହିସାବ କରିନେଲେ ଯେ ଦିନ ତିନି ଟା' ସୁଦ୍ଧା ପୁରସ୍କାର ଓ ସିଲେଇ ମେସିନ ଧରି ସେ ଘରେ ପହଞ୍ଚିଯିବେ। ହୋଟେଲ ପିଲାଟା ଚଣ୍ଟିଆଙ୍କୁ ତାଙ୍କ ରୁମ ଦେଖାଇବାକୁ ଟାଣିନେଲା। ରୁମ୍ ରେ ପହଞ୍ଚି ତାଙ୍କ ମନଟା ଖୁସିରେ ଖଲଖଲ ହୋଇଗଲା। କି ସୁନ୍ଦର ଧୋବ ଫରଫର ଚଦର ଖଟରେ ବିଛାଡି ହୋଇ ପଡିଛି, ତକିଆ ଦୁଇଟି ପେଟ ଫୁଲାଇ ମୁହଁ ମାଡି ପଡିଛନ୍ତି। ଏକ ସୁନ୍ଦରିଆ ଚାଦରକୁ ସିଙ୍ଗଡା ପରି ତିନିକୋଣିଆ କରି ସଜାଇ ରଖାଯାଇଛି, ରାତିରେ ଘୋଡେଇ ହେବା କାମରେ ଆସିବ। ପାଣିଭର୍ତ୍ତି ପ୍ଲାଷ୍ଟିକ ଜାର ପାଖକୁ କାଚଗିଲାସ ଯୋଡିଏ ମୁହିଁ ମାଡି ବସିଥା'ନ୍ତି ଓ ଏକ ସାନଟେବୁଲ ଉପରେ ଖବର କାଗଜ ଓ ଦୁଇ ତିନିଟା ପତ୍ରିକା ସଜେଇ ହୋଇ ବସିଥା'ନ୍ତି। ଚଣ୍ଟିଆଙ୍କ ମନରେ କ୍ଷଣକ ପାଇଁ ଭାବାନ୍ତର ହେଲା ; ଭାବିଲେ ଯଦି ତାଙ୍କ ଶୋଇବାଘରଟା ଏମିତି ରୂପରେ ଥା'ନ୍ତା ଏତେ ବେଳକୁ ସେ ମହାଭାରତ ପରି ଦଶ ବାରଟା ମହାଗ୍ରନ୍ଥ ରଚନା କରି ସାରନ୍ତେଣି। ଭାବନାରାଜ୍ଯରେ ଜାମ୍ବବତୀଙ୍କ ବେଦନିଆ ମୁହଁର ଝଲକ ଖେଳିଯିବା କ୍ଷଣି ସେ ପ୍ରକୃତ୍ତିସ୍ଥ ହୋଇ ହୋଟେଲ ପିଲାଟି ଆଡକୁ ଦେଖିଲେ। ପିଲାଟା ଅନବରତ କାନ ଉପର କୁଣ୍ଡାଇ ମନ୍ଦମନ୍ଦ ହସି ଚାଲିଛି। ସେ ଭାବିଲେ ପିଲାଟାର କାନ ଉପରେ କାଛୁକୁଣ୍ଡିଆ ହୋଇଛି ବୋଧେ, ନହେଲେ ବୁଲା କୁକୁରଙ୍କ ପରି କାନ କୁଣ୍ଡାଉଛି କାହିଁକି ।
ସେତିକି ବେଳକୁ ପିଲାଟି କହିଲା - - ସାରେ, ଟିକେ ଖର୍ଚ୍ଚପାଣି ଦେବେନି? ହାଲୁକା ଶୀତ ପଡି ଆସିଲାଣି, ଚକ୍ ଖଡି ଖଣ୍ଡେ ଟାଣିବା ପାଇଁ ପଇସା ଦିଅନ୍ତୁ। ପିଲାର ବ୍ଯବହାରରେ ଅତ୍ଯନ୍ତ ପ୍ରୀତ ହୋଇ ଚଣ୍ଟିଆ କୋଡିଏ ଟଙ୍କିଆ ନୋଟ ବଢେଇ ଦେଇ କହିଲେ- - ଆରେ ପିଲା, ଯାଆ ମନ ଖୁସିରେ ଚକଖଡି ଟାଣି ବାକି ପଇସା ରେ ସଫଳ ଚୋବେଇଦେବୁ। ସେ ପିଲାଟି ଖୁସି ହୋଇ ଗୁରୁତ୍ବପୂର୍ଣ୍ଣ ସୂଚନା ଦେବା ଶୈଳୀରେ କହିଲା
- - ଆଜ୍ଞା, ରାତି ଆଠଟାରେ ଖାଇବା ପାଇଁ ହୋଟେଲର ଡାଇନିଂ ହଲକୁ ଚାଲି ଆସିବେ। ଆପଣଙ୍କ ରୁମ୍ ରେ ଆଉ ଜଣେ କବି ରହିବେ, ସେ କାଇଁ ଏତେବେଳ ଯାଏ ଆସି ନାହାଁନ୍ତି। ନ ଆସିଲେ ଆପଣ ଆରାମରେ ଗୋଡହାତ ଫାଡି ଶୋଇବେ, ସେ ଆସିଗଲେ ଟିକେ ଅସୁବିଧା ହେବ। କିନ୍ତୁ ଆପଣ ତ ଏତେ ଭଲଲୋକ, ସବୁ କିଛି ଚଳାଇ ନେଇପାରିବେ। ସକାଳ ଆଠ ଟା ସୁଦ୍ଧା କାଉଣ୍ଟର ପାଖକୁ ଚାଲି ଆସିବେ। ଆଠ ଟା ପନ୍ଦରରେ ଗାଡି ଆପଣଙ୍କ ସଭାସ୍ଥାନକୁ ବାହାରିଯିବ। ସହରରେ ଭୀଷଣ ଗହଳି ତ, ଆଗରୁ ନ ଗଲେ ପହଞ୍ଚି ପାରିବେନି। ଗୋଟେ ନିଶ୍ବାସରେ ସବୁ କହିସାରି ପିଲାଟି ଦଣ୍ଡବତ ଠୁଙ୍କି ସେ ସ୍ଥାନରୁ ଚାଲିଗଲା।
ଚଣ୍ଟିଆ ସିଲେଇ ମେସିନ ସଜାଡିବାକୁ ଦେଇସାରି ହୋଟେଲ କୁ ଫେରି ଆସି ନିଜକୁ ପ୍ରସ୍ତୁତ କରିବାରେ ଲାଗିଗଲେ। ତାଙ୍କ କବିତା ମାନଙ୍କ ମଧ୍ଯରୁ “ ସାଜିଲି କାଙ୍ଗାଳ ପ୍ରେମିକାପାଇଁ” କବିତା ଟି ପ୍ରତିଯୋଗିତା ପାଇଁ ସର୍ବୋତ୍ତମ ମନେହେଲା। ତେଣୁ ସେ ନାନା ଅଙ୍ଗଭଙ୍ଗୀ କରି ତାକୁ ଆବୃତ୍ତି କରିବାରେ ଲାଗିଗଲେ। କବାଟରେ ଠକଠକ ଶବ୍ଦ ଶୁଣି ଖୋଲି ଦେଖିଲା ବେଳକୁ ସେ ହୋଟେଲ ପିଲା ଜଣେ ପ୍ରୌଢ ବ୍ଯକ୍ତିଙ୍କୁ ସାଙ୍ଗରେ ଧରି ଛିଡା ହୋଇଛି।
- - ସାରେ, ଏ ବାବୁ ଆପଣଙ୍କ ସହିତ ଏ ରୁମ୍ ରେ ରହିବେ। ଖାଇବା ସମୟ ତ ହୋଇ ଗଲାଣି। ଆପଣ ଦୁଇଜଣ ଶୀଘ୍ର ତଳକୁ ଚାଲି ଆସନ୍ତୁ।
ପୁଣି ସେ ପିଲାଟି କାନ କୁଣ୍ଡାଇବା ଆରମ୍ଭ କରିବା ମାତ୍ରେ ପ୍ରୌଢଲୋକଟି ତା ହାତ କୁ ପଚାଶ ଟଙ୍କିଆ ନୋଟ ବଢେଇଦେଇ ବିଦାୟ ଦେଲା।
- - ହୋଟେଲ ରେଜିଷ୍ଟରରୁ ତୁମ ନାମଟା ଦେଖିଲି, ଯାହା ହେଉ ଏତେ କମ୍ ବୟସରୁ କବି ହୋଇଗଲଣି। ମୁଁ ଆଶୁକବି ମର୍ଦ୍ଦରାଜ ଚମ୍ପତ୍ତିରାୟ, ସାହିତ୍ଯ ଜଗତରେ ମୋତେ ସଭିଏଁ ଚିହ୍ନନ୍ତି। ବର୍ଷସାରା ମୁଁ ବିଭିନ୍ନ ପ୍ରତିଯୋଗିତା ଓ ସାହିତ୍ଯସଭାରେ ଯୋଗଦାନ କରେ। ତୁମ ପରି ନୂଆ କଲମ ଧରୁଥିବା କବିମାନେ ମୋ ସହ କଥା ଟିକେ ହେବା ପାଇଁ ବିକଳ ହୋଇ ଯାଆନ୍ତି। ତୁମ ପରମ ସୌଭାଗ୍ଯ, ତୁମେ ମୋ ସହ ଆଜି ରହିବାର ସୁଯୋଗ ପାଇଛ। କଥାରେ ଅଛି ମହାପୁରୁଷ ମାନଙ୍କର ଉପସ୍ଥିତି ହିଁ ଯଥେଷ୍ଟ, ନିର୍ଜୀବ ବସ୍ତୁ ଦେହରେ ପ୍ରାଣସଞ୍ଚାର କରିବା ପାଇଁ। ମୋ ଦେହରୁ ବାହରୁଥିବା କବିତ୍ବର ଧାସରେ ତୁମର ବି କିଛି ଉନ୍ନତି ନିହାତି ହୋଇଯିବ। କିନ୍ତୁ ମୋ ମନଟା ଭୀଷଣ ଦୁଃଖ, କାରଣ ତୁମପରି ଅନଭିଜ୍ଞ କବି ମାନଙ୍କ ସହ ମୋ ପରି ମହାନକବି କୁ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବାକୁ ହେବ। ପୁରସ୍କାର ଟା ମୋ ନାମ ରେ ଲେଖା ବୋଲି ଆଜିଠାରୁ ଜାଣି ନିଅ, କାଲି ସେ ସ୍ଥାନରେ ବେଶି କାନ୍ଦ ବୋବା ନ କରି ଘରକୁ ଚାଲିଯିବ।
ଗର୍ବରେ ଫାଟି ପଡିବା ଭଙ୍ଗୀରେ ସେ ଲୋକଟି ଚଣ୍ଟିଆଙ୍କ ଉଦ୍ଦେଶ୍ଯରେ ଭାଷଣ ଝାଡି ଉତ୍ତର ଅପେକ୍ଷାରେ ରହିଲା। ତା ହାବଭାବ ଦେଖି ଚଣ୍ଟିଆଙ୍କ ମନଟା ଦବି ଗଲା । ଲୋକଟାର ନାଁଆ ଯେତିକି ବଡ, କଥା ସବୁ ବି ସେମିତି ବାହାସ୍ଫୋଟିଆ। ଫିଙ୍ଗିଦେଲା ପରି ପ୍ରଣାମ ପକାଇ, ଚଣ୍ଟିଆ ତାଙ୍କୁ ଖାଇବାକୁ ଯିବାକୁ କହିଲେ। ଡାଇନିଂହଲ୍ ରେ ମର୍ଦ୍ଦରାଜ ଅନ୍ଯ କବି ମାନଙ୍କ ସାମନାରେ ଅନୁରୂପ ଢଙ୍ଗରେ ଫୁଟାଣି ମାରିବାରେ ବ୍ଯସ୍ତ ରହିଲେ। କିଛି ତରୁଣ କବିଙ୍କୁ ଘୋଷାଡି ଆଣି ତାଙ୍କ ଟିପାଖାତାରେ ଅଟୋଗ୍ରାଫ୍ ଦେଇ ପକାଇଲେ। ଖୁବ୍ କମ୍ ସମୟ ମଧ୍ଯରେ ସେ ନିଜର ଅଦୃଶ୍ଯ ଆଧିପତ୍ଯତା ବିସ୍ତାର କରାଇବାରେ ସଫଳ ମଧ୍ଯ ହୋଇଗଲେ। ଗପସପ ସାରି ନାକ ଯାଏ ଚୁଣ୍ଟିଲା ପରି ଖାଇ ଚାଲିଲେ। ଶେଷରେ ବାଢିବା ଲୋକ ମଧ୍ଯ କହିଲା- - ଆଜ୍ଞା, ଆପଣ ଯଦି ଏମିତି ତେଣ୍ଡି ଚାଲିବେ, ଆମ "କାନ୍ଦବୋବାଳି" ହୋଟେଲରେ କାନ୍ଦବୋବାଳି ପଡି ଯିବ ଯେ। ଦୟା ପରବଶ ହୋଇ ମର୍ଦ୍ଦରାଜେ ଖାଇବା ସ୍ଥାନ ପରିତ୍ଯାଗ କରି ଚଣ୍ଟିଆଙ୍କ ସାଙ୍ଗରେ ରୁମ ଅଭିମୁଖେ ବାହାରିଲେ। ମର୍ଦ୍ଦରାଜେ ଚଣ୍ଟିଆଙ୍କୁ ହେୟଜ୍ଞାନ କରିବା ଆରମ୍ଭ କରିଦେଇଥିଲେ, ପ୍ରାଣକୁ ବାଧୁଥିଲେ ବି ନିରୁପାୟ ଥିଲେ ସେ। ରାତି ଅଧରେ କୁଆଡେ ବା ଯିବେ।
ଖଟ ଉପରେ କ୍ବିଣ୍ଟାଲିଆ ଶରୀରକୁ ବିଛାଡି ଦେଇ ମର୍ଦ୍ଦରାଜେ ଶୋଇବାର ଉପକ୍ରମ କଲେ। ଧିର ସ୍ବରରେ ଚଣ୍ଟିଆ ପଚାରିଲେ - - ଆଜ୍ଞା, କାଲି ପାଇଁ ପ୍ରସ୍ତୁତି କରିବେନି?
- - ହାଃ ହାଃ ପ୍ରସ୍ତୁତି, ପୁଣି ମୁଁ ! ମୁଁ ପରା ଆଶୁ କବି। ପାଟି ଖୋଲିଦେଲେ କବିତା ଗୁଡାକ ଲାଳ ପରି ବୋହିଯିବ। କବିତା ରଚନା ପାଇଁ ମୋ ମସ୍ତିଷ୍କ ଉପରେ କେବେ ଚାପ ପଡେନି। ଠିକ୍ ଜାଗାରେ ସେମାନେ ଝରଝର ହୋଇ ପାଟିରୁ ବୋହି ଚାଲିବେ। ତୁମେ ନୂଆ ପିଲା, ପରିଶ୍ରମ କର। କିନ୍ତୁ, ମୁଁ ଭାବୁଛି ଯେ ତୁମେ ହାରିବ ବୋଲି ଜାଣି ତ ସାରିଲଣି, ତେଣୁ ପରିଶ୍ରମ ନ କରି ଜାକିଜୁକି ହୋଇ ଶୋଇପଡ। ଏତିକି କହି ମୋବାଇଲରେ ଟୁକୁରୁ ଟାକୁରୁ ଆରମ୍ଭ କରିଦେଲେ ମର୍ଦ୍ଦରାଜେ।
କାଳେ ଖଟରେ ଜାଗା ମିଳିବନି ବୋଲି ଭାବି ଚଣ୍ଟିଆ ଖଟ ଉପରେ ଗଡିବା ଆରମ୍ଭ କଲେ। ମନ ତାଙ୍କର ଭୀଷଣ ଅଶାନ୍ତ ଥାଏ। ଦୁର୍ଯୋଗ କୁ ଏମିତି ନିଉଛୁଣିଆ ଲୋକଟା ସହ ତାଙ୍କୁ ଗୋଟେ ଖଟରେ ଗୋଟିଏ ଚାଦର ଘୋଡେଇ ଶୋଇବାକୁ ହେବ। ଶୀତ ଟିକେ ପଡି ସାରିଥିଲା, ନ ହେଲେ ଚାଦର କୁ କିଏ ପଚାରି ଥା'ନ୍ତା। ଅଳ୍ପ ସମୟ ମଧ୍ଯରେ ମର୍ଦ୍ଦରାଜେ ଘୁଙ୍ଗୁଡି ମାରିଲେ। ଘୁଙ୍ଗୁଡି ନୁହଁ ତ ସେଗୁଡା ନଡିଆ ବୋମା ଫାଟିବା ପରି ଶୁଭୁଥିଲା। ବିଚରା ଚଣ୍ଟିଆଙ୍କ ହାତରୁ କବିତା ଲେଖାକାଗଜ ସେ ଘୁଙ୍ଗୁଡି ନାଦରେ ଖସି ପଡୁଥିଲା। ତଥାପି ସେ କବିତା କୁ ମୁଖସ୍ଥ କରିବାରେ ମନପ୍ରାଣ ଦେଇ ଲାଗି ପଡିଥିଲେ। କିଛିି ସମୟ ପରେ ଟୁଁ ଉ ଉ ଉ ଶବ୍ଦ ଶୁଭିଲା। ସେ ଚମକି ଚାରି ଆଡକୁ ଦେଖିବା ବେଳକୁ ମର୍ଦ୍ଦରାଜେ ଗିଲାସରୁ ପାଣି ପିଉପିଉ କହିଲେ - - କଣ କିଛି ଶୁଭିଲା କି? ମୋ ମୋବାଇଲରେ ମେସେଜ୍ ଆସିବାର ଶବ୍ଦ ସେଇଟା। ସାରା ରାତି ଏମିତି କେତେ ମେସେଜ୍ ଆସିବ। ତୁମେ ଜମା ଡରିବନି। ଏତିକି କହି ସେ ପୁଣି ଗଭୀର ନିଦରେ ଶୋଇପଡିଲେ।
ଗୋଟିଏ ପଟେ ଘୋର ଘର୍ଘର ନାଦରେ ଘୁଙ୍ଗୁଡି ଓ ଅନ୍ଯ ପଟେ ଟିଂ... ଟୁଂ... ପୁଁଃ ଉ ଉ ଉ....ଠିସ୍ ଠିସ୍ ଠାଃ.....ଟୁସୁକ୍ ଟୁସୁକ୍......କୁଁ ଉଉଉଉଉ …..ଫିିଟ୍ ଫିଟ୍ ଫିଟ୍ … ସୁଉଉଉଉଉଉ ସଟାକ୍ ସଟାକ୍ ଆଦି ଧ୍ବନିରେ ଚଣ୍ଟିଆଙ୍କ ଆଖିରୁ ଜୁଳୁଜୁଳିଆ ପୋକ ବାହାରିଗଲେ। ସେ ବୁଝି ପାରିଲେନି ମର୍ଦ୍ଦରାଜେଙ୍କ ମୋବାଇଲରେ ଏତେ ମେସେଜ୍ କିଏ ଦେଉଛି। ହଁ ହେଇଥିବ, ଏତେ ବଡ କବି ଯେତେବେଳେ, ଲୋକେ ମେସେଜ୍ ଛାଡୁଥିବେ। ସେ ଦେଖିଲେ ମର୍ଦ୍ଦରାଜେ ଘମ ପରି ପେଟଟିକୁ ଫୁଲାଇ ଚାଦର ନ ଘୋଡେଇ ଶୋଇଛନ୍ତି। ସୁବର୍ଣ୍ଣ ସୁଯୋଗ ହାତଛଡା ନ କରି ଚଣ୍ଟିଆ ଚାଦରକୁ ଆପାଦମସ୍ତକ ଘୋଡାଇ ତା ଭିତରେ ନିଜକୁ ଲୁଚାଇ ରଖିଲେ। କେତେବେଳେ ସେ ଶୋଇପଡିଲେ ନିଜେ ମଧ୍ଯ ଜାଣି ପାରିଲେନି।
ସ୍ବପ୍ନରେ ଦେଖିଲେ, ହାତରେ ପ୍ରଥମ ପୁରସ୍କାର ଧରି ସେ ମନ ଖୁସିରେ ରାସ୍ତା ରେ ଦୌଡି ଚାଲିଛନ୍ତି। ହଠାତ୍ ସାମନାରେ ମର୍ଦ୍ଦରାଜଙ୍କର ଆବିର୍ଭାବ ହେଲା ଓ ସେ ତାଙ୍କ ହାତରୁ ପୁରସ୍କାର ଛଡାଇବାରେ ଲାଗିଗଲେ। ଅନେକ ପ୍ରତିରୋଧ ପରେ ମଧ୍ଯ ମର୍ଦ୍ଦରାଜେ ତାଙ୍କୁ ଛାଡୁ ନ ଥା'ନ୍ତି। ଶେଷରେ ଚଣ୍ଟିଆଙ୍କ ବେକରେ ମସ୍ତବଡ ଧକ୍କିଆ ମାରି ମର୍ଦ୍ଦରାଜେ ପୁରସ୍କାର ଟି ଛଡାଇନେଲେ। ବିଚରା ଚଣ୍ଟିଆ ନିଜକୁ ଆବିଷ୍କାର କଲେ ଏକ ପାଇଖାନା ଟାଙ୍କି ଭିତରେ। ଚାରି ପଟରେ କେବଳ ମଣିଷ ବିଷ୍ଟାର ପଚପଚିଆ କାଦୁଅା ସ୍ତୁପ.. ତା ଭିତରେ ସେ ପହଁରି ଚାଲିଥିଲେ. . .ଓଃ କି ଦୁର୍ଗନ୍ଧ....ବାନ୍ତି ଉଠାଇ ଆଣୁଥିଲା । ଭୟରେ ତାଙ୍କ ଆଖି ଖୋଲିଗଲା। ଦେଖିଲା ବେଳକୁ ଚାଦର ଭିତରେ ମର୍ଦ୍ଦରାଜଙ୍କ ନିତମ୍ବ ପ୍ରବେଶ କରି ସାରିଥିଲା ଓ ସେ ଅନବରତ ଭୟଙ୍କର ଦୁର୍ଗନ୍ଧ ବିଶିଷ୍ଟ ବାୟୁ ଛାଡି ଚାଲିଥିଲେ। ଯେହେତୁ ଚଣ୍ଟିଆ ମୁହଁ ପର୍ଯ୍ଯନ୍ତ ଚାଦରଟି ଘୋଡାଇ ଶୋଇଥିଲେ, ସେ ଦୁର୍ଗନ୍ଧିଆ ବାୟୁ ନାକପୁଡା,କାନପୁଡା ଓ ମେଲାପାଟି ଦେଇ ତାଙ୍କ ଶରୀର ମଧ୍ଯକୁ ଅବାଧ ପ୍ରବେଶ ଚଳାଇଥିଲେ ଅନେକ ସମୟ ଧରି। ଗୋଟିଏ ଡିଆଁରେ ସେ ଗାଧୁଆଘରେ ପହଞ୍ଚି ବାନ୍ତି କରି ପକେଇଲେ।
ସେ କହିଚାଲିଥା'ନ୍ତି ଲୋକଟା ମଣିଷ ନା ପାଡରା ପୋକ ! ମୋବାଇଲରେ ମେସେଜ୍ ଆସୁଛି କହି ହଜାର ଖଣ୍ଡେ ପାଡିଲା, ସେ ଶୋଇ ପଡିବା ପରେ ପୁଣି ପାଞ୍ଚହଜାର ଖଣ୍ଡେ ପାଡି , କାନ ମୁଣ୍ଡ ଭାଁ ଭାଁ କରିଦେଲା। ଲାଗୁଛିି ସତେକି ଘର ଭିତରେ ଦୁର୍ଗନ୍ଧିଆ ବାୟୁର ବହଳିଆ ଆସ୍ତରଣ ପଡିଯାଇଛି। ସେ ଦୁର୍ଗନ୍ଧରେ କାନ୍ଦବୋବାଳି ହୋଟେଲରୁ ପୋକଜୋକ, ମଶାମାଛି ଓ ଝିଟିପିଟି ପରି ଇତର ପ୍ରାଣୀ ସମୂହେ ଧ୍ବଂସ ପାଇ ଯାଇଥିବେ, ଏଥିରେ ସନ୍ଦେହ ନାହିଁ। ଅବସ୍ଥା ଏବେ ଏପରି ଯେ ନିଶ୍ବାସ ପ୍ରଶ୍ବାସ ନେଲା ବେଳକୁ ପାଡ ର ଗନ୍ଧ ଆସୁଛି। ତାଙ୍କ ଇଚ୍ଛା ହେଉଥିଲା ମର୍ଦ୍ଦରାଜ ମୁହଁ ଉପରେ ଯାଇ ଝାଡା ଫେରିଦେବା ପାଇଁ। ଲୋକଟା କି ଅବସ୍ଥା ନ କଲା !! ସେ ଚିନ୍ତାକରୁଥିବା କାର୍ଯ୍ଯଟି କରିବେ ବୋଲି ନିଜକୁ ପ୍ରସ୍ତୁତ କରିବା ସମୟରେ ହଠାତ୍ ତାଙ୍କ ମୁଣ୍ଡ ବୁଲେଇଦେଲା, ପାଟି ରୁ ଫେଣ ବାହାରି ଆସିଲା ଓ ସେ ଗାଧୁଆଘର ଭିତରେ ଚାରି ଖୁରା ଟେକି ଗଳି ପଡିଲେ। ତହିଁ ଆରଦିନ ସକାଳ ଏଗାରଟାରେ ତାଙ୍କ ଆଖି ଫିଟିଲା ବେଳକୁ ସେ ଗାଧୁଆ ଘରେ ଲୋଚାକୋଚା ହୋଇ ପଡିଥିଲେ।
ମର୍ଦ୍ଦରାଜେଙ୍କୁ ନ ଦେଖି ସେ ଭାବିଲେ ମର୍ଦ୍ଦରାଜେ ଗାଧେଇ ପାଧେଇ, ଚହଟ ଚିକ୍କଣ ହୋଇ ସାହିତ୍ଯ ସଭାକୁ ଚାଲି ଯାଇଥିବେ। କିନ୍ତୁ ଲୋକଟା ଏତେ ସ୍ବାର୍ଥପର, ତାଙ୍କୁ ଉଦ୍ଧାର କରିବାର ସାମାନ୍ଯତମ ଚେଷ୍ଟା ନ କରି ଚାଲିଗଲା। ସାଷ୍ଟାମ ହେବା ପରେ ଜିନିଷପତ୍ର ଧରି ଗାଁଆକୁ ଫେରିବେ ବୋଲି ବାହାରିବା ବେଳକୁ ତାଙ୍କ କବିତାଲେଖା କାଗଜ ସବୁ ନ ପାଇ ଚଣ୍ଟିଆ ବ୍ଯସ୍ତ ହୋଇ ଉଠିଲେ। ତାଙ୍କ ନଜରରେ ପଡିଲା ଏକ ଚିରିକୁଟି କାଗଜରେ କେଇଧାଡି ଲେଖା । ସେଥିରେ ଲେଖାଥିଲା- -
ଭୁଲ୍ ବୁଝିବନି ବାବୁ ଚଣ୍ଟିଆ, ଆଶୁକବି ମୁହିଁ ଦିଲଦାରିଆ
ବାୟୁ ଦୋଷ ମୋତେ କଲା ଘାଇଲା, ସାରା ରାତି ବାଡି କବାଟ ଖୋଲା ।।
ସକାଳୁ ଛେରିଛି ପଚିଶ ଥର, ଅବସ୍ଥା ମୋହର ବିଚାର କର
ପାଣି ପରି ବୋହି ଯାଉଛି ଝାଡା, ହୋଇ ମୁଁ ପାରୁନି ଭଲରେ ଛିଡା ।।
ଡାକ୍ତରଖାନାକୁ ଯାଉଛି ମୁହିଁ, କବି ସମ୍ମିଳନୀ କରିବି ତହିଁ
ସାଙ୍ଗରେ ନେଉଛି ତୁମ କବିତା, କାନ୍ଦିବନି ଆହେ ମୋ କବି ଭ୍ରାତା ।।
କି ଖାଦ୍ଯ ଦେଲା ଏ "କାନ୍ଦ ବୋବାଳି”, ହଗୁଛି ମୁଁ ଖାଲି ଚେଙ୍ଗ ହାବେଳି
ମନ ଆନନ୍ଦ ରେ ଘରକୁ ଯିବ, ଆଶୁକବି କଥା ପାଶୋରି ଦେବ।।
ସେ ଗାଧୁଆଘରେ ଅଚେତପଡି ଥିବା ଅବସ୍ଥାରେ, ମର୍ଦ୍ଦରାଜେ ଏତେଥର ଝାଡା ଯାଇଛନ୍ତି ବୋଲି ଜାଣିବା ପରେ ପୁଣିଥରେ ଚଣ୍ଟିଆ ମାଟି କାମୁଡି ଚେତା ହରାଇ ଟଳି ପଡିଲେ। ସେଦିନ "ସର୍ବନାଶିଆ ସାହିତ୍ଯ ସଂସଦ"ର ବାର୍ଷିକ ଉତ୍ସବର କର୍ମକର୍ତ୍ତାଗଣ ଚଣ୍ଟିଆ ଓ ମର୍ଦ୍ଦରାଜ ପରି କବିଙ୍କ ସାନ୍ନିଧ୍ଯ ନ ପାଇ ନିହାତି ମନ ଦୁଃଖ କରିଥିବେ।
- - ସମାପ୍ତ- -
!
ଲେଖକ- Ⓒଅରବିନ୍ଦ ରଥ
ସହରରୁ ଆସିଥିବା ନିମନ୍ତ୍ରଣ ପତ୍ରଟିକୁ ଛାତିରେ ଧରି ଆଗ ବହେ ନାଚିଗଲେ ଚଣ୍ଟିଆ ମହାନ୍ତି। ଏତେବର୍ଷର କଲମଘୋରା ପରିଶ୍ରମର ଫଳ ତାଙ୍କୁ ମିଳିବାକୁ ଯାଉଛି। ସହରରେ "ସର୍ବନାଶିଆ ସାହିତ୍ଯ ସଂସଦ"ର ବାର୍ଷିକ ଉତ୍ସବରେ ରାଜ୍ଯର ବଛାବଛା କବି ମାନଙ୍କ ମଧ୍ଯରେ ଏକ ଘମାଘୋଟିଆ କବିତା ପ୍ରତିଯୋଗିତା ଅନୁଷ୍ଠିତ ହେବ। ବିଜୟୀ ପ୍ରତିଯୋଗୀଙ୍କୁ ଟଙ୍କା ପାଞ୍ଚହଜାର ସାଙ୍ଗକୁ ମାନପତ୍ରରେ ଭୂଷିତ କରାଯିବ। ଥରେ ସେ ପ୍ରତିଯୋଗିତାରେ ଜିତିଗଲେ ତେଣିକି ଆଉ ଚିନ୍ତା ନାହିଁ। ପ୍ରକାଶକ ମାନେ ଘର ସାମନାରେ ଜିଭ ଲହଲହ କରି ଧାଡି ବାନ୍ଧି ଛିଡାହେବେ। ଏପରିକି ତାଙ୍କ ଦରଲେଖା କବିତା ମାନଙ୍କୁ ବହିରେ ଛପେଇ ଦେବାପାଇଁ କଳି ତକରାଳ କରିବେ। ସେ ବସୁଥିବା ଭଙ୍ଗାଦଦରା ତାରଭିଡା ପ୍ଲାଷ୍ଟିକ ଚେୟାର ଖଣ୍ଡକ ସ୍ଥାନରେ ଫୁଲା ପାଉଁରୁଟି ପରି ଗଦି ବିଶିଷ୍ଟ ଘିରିଘିରି ବୁଲୁଥିବା ଚେୟାର ପଡିବ। ତାଙ୍କ ଟେବୁଲ, ଅର୍ଥାତ୍ ଚାରିଖଣ୍ଡ ବାଉଁଶ ଖୁଣ୍ଟିରେ ପେଟେଇଥିବା ଭଙ୍ଗା କ୍ଯାରମବୋର୍ଡ ଟି ମଧ୍ଯ ବଦଳି ଯିବ। ତା ସ୍ଥାନରେ ପଡିବ ଧୋବ ଫରଫର ମାର୍ବଲ ଗୋଡିଆ, କାଚପିଠିଆ ଏକଦମ୍ ପିଞ୍ଛାଳିଆ ଟେବୁଲଟିଏ। ତା ଉପରେ ଚକମକିଆ ବିଜୁଳିବତୀ ଜାଳି ସେ କବିତା ସବୁ ଚରଚର ଲେଖି ପକେଇବେ। ଗାଁଆରେ ତାଙ୍କୁ ଥଟ୍ଟା ବେହେଲ କରୁଥିବା ନିଉଁଛୁଣିଆ ନିନ୍ଦୁକମାନେ ମୁହଁରେ ମୂଷା ମୁତିଲା ପରି ଭଙ୍ଗୀ କରି ଖାଲି ଯାହା ଜୁଳୁଜୁଳୁ ଦେଖୁଥିବେ।
ଆଉ କାହାର କଣ ହେଉ ବା ନ ହେଉ, କିନ୍ତୁ ସେ ପ୍ରତିଯୋଗିତା ଟା ଜିତି ଗଲେ ତାଙ୍କ ସ୍ତ୍ରୀ ଜାମ୍ବବତୀଙ୍କୁ ଜ୍ବର ହୋଇଯିବ। ସେ କବିତା ଲେଖିଲା ବେଳେ ଜାମ୍ବବତୀ ଏମିତି କଟୁକଥା କୁହନ୍ତି ଯେ ଉଡିଗଲା ଚଢେଇ ଚେତାବୁଡି ଖସି ପଡିବ। କାରଣ ଚଣ୍ଟିଆଙ୍କ କବିତ୍ବକୁ ନେଇ ଜାମ୍ବବତୀ ଭୀଷଣ ଅସନ୍ତୁଷ୍ଟ ଥିଲେ। ଚଣ୍ଟିଆ କବିତା ଲେଖିବାକୁ ବସିବା ମାତ୍ରେ ଜାମ୍ବବତୀଙ୍କର ଜଗତଯାକର କାମ ମନେ ପଡିଯାଏ। ଯେମିତି କି
- - - ଘରେ ବୁଢିଆଣୀ ଜାଲ ଭିଡି ଦେଲେଣି, ସେସବୁ ସଫା ନ କରି କବିତା ଲେଖୁଛ? ଲଜ୍ଜା ନାହିଁ ତୁମ ମୁହଁ କୁ ।
- - - ସାନପୁଅଟା ଛେରି ଛେରି ଛାରପୋକ ପରି ଶୁଖି ଗଲାଣି, ତାକୁ ଡାକ୍ତରଖାନା ନ ନେଇ ନିଆଁଲଗା ପ୍ରେମ କବିତା ଲେଖୁଛ! ଛିଃ ଛିଃ କେମିତି ବାପ ହୋଇଛ କେଜାଣି?
- - -ମୋ ପାଖରେ ପିନ୍ଧିବା ପାଇଁ ଶାଢୀ ଖଣ୍ଡେ ନାହିଁ, ବାପା ଯାହା ଦେଇଥିଲେ ସେତିକି ପିନ୍ଧିପିନ୍ଧି ଛିଡେଇ ସାରିଲିଣି। ମାଇପ ଦିହରେ ଶାଢୀ ଖଣ୍ଡେ ଘୋଡେଇବାକୁ ଟଙ୍କା ନାହିଁ, ଆଉ ଏ ବାଡିପଶା କବିତା ଲେଖୁଛି। ଏ ଅଲାଜୁକ ଲୋକକୁ ବାହା ହୋଇ ମୋ ଜୀବନ ଟା ଦରସିଝା ଅଲଣା ସନ୍ତୁଳା ପରି ହୋଇଗଲା।
ବିଚରା ଚଣ୍ଟିଆ, ପାଟିରେ ମଣ୍ଡା ମାଡି ଚୁପଚାପ ବସି ଗାଳି ଶୁଣନ୍ତି। ପାଟିରୁ କିଛି କଥା ଖସି ଗଲେ ତାଙ୍କ ଅବସ୍ଥା ଯେ ପେଡା ଯାଇଥିବା ଆଖୁ ପରି ହୋଇଯିବ ଏକଥା ତାଙ୍କୁ ଭଲରେ ଜଣା। ଜାମ୍ବବତୀଙ୍କ ବାପାମାଆ କାହିଁକି ପତ୍ନୀଙ୍କ ନାମକରଣ ଏପରି କରିଥଲେ ବୋଲି ସେ ବାହାଘରର ଅଳ୍ପ କିଛିଦିନ ଭିତରେ ଜାଣି ପାରିଥିଲେ। ଦିନେ ସାଧାରଣ କଥାକୁ ନେଇ ଦୁଇଜଣଙ୍କ ଭିତରେ ପାଟିତୁଣ୍ଡ ହେବା ସମୟରେ ଜାମ୍ବବତୀ ଚଣ୍ଟିଆଙ୍କୁ ଶୂନ୍ଯେଶୂନ୍ଯେ ଟେକିନେଇ ତଳେ କଚିଦେଲେ। ପିଚାହାଡଟି ତଳେ ଏପରି ଛେଚି ହୋଇଗଲା ଯେ ବିଚରା ପନ୍ଦରଦିନ ଯାଏ ଅଖିଆ ଅପିଆ ରହିଲେ। କାରଣ ଖାଦ୍ଯ ସିନା ସୁରୁଖୁରୁରେ ପାଟିରେ ପଶିଯିବ କିନ୍ତୁ ଅଖାଦ୍ଯ ବାହାରିବା ବାଟଟି ତ ଜାମ୍ବବତୀଙ୍କ ପ୍ରହାରରେ ଭୀଷଣ ଭାବରେ କ୍ଷତିଗ୍ରସ୍ତ ହୋଇ ଯାଇଥିଲା ବାହାଘରର ଏତେ ବର୍ଷ ପରେ ବି ସେ ଅନେକ ଥର ଜାମ୍ବବତୀଙ୍କ ଦ୍ବାରା ଫିଙ୍ଗାଫୋପଡାର ଶିକାର ହୋଇଛନ୍ତି। କିନ୍ତୁ ତଳେ ଛେଚିହୋଇ ପଡିବା ପୂର୍ବରୁ ଚଣ୍ଟିଆ ନାନା ଅଙ୍ଗଭଙ୍ଗୀ କରି ନିଜର ସମ୍ବେଦନଶୀଳ ଅଙ୍ଗପ୍ରତ୍ଯଙ୍ଗ ମାନଙ୍କୁ ସୁରକ୍ଷିତ ରଖିବାର କଳା ଶିଖିଯାଇଛନ୍ତି। ନିଜର ଝିଣ୍ଟିକାପରି ନଡବଡିଆ ଶରୀରକୁ ହୃଷ୍ଟପୃଷ୍ଟ କରିବାକୁ ମାଛମାଂସ, ନାଲିପାଣି, କାଜୁବାଦାମ ଆଦି କ୍ବିଣ୍ଟାଲ ଦରିଆରେ ଗେଫିବା ପରେ ମଧ୍ଯ ଦେହରେ ଗୋଟିଏ ଗ୍ରାମ ର ମାଂସ ଚଢିନି। ଟିକେ ମୋଟାସୋଟା ହୋଇ ଯାଇଥିଲେ ବୋଧେ ଜାମ୍ବବତୀଙ୍କ ମଲ୍ଲଯୋଦ୍ଧିଆ ପ୍ରହାରରୁ ବଞ୍ଚି ପାରିଥା'ନ୍ତେ।
ମନରେ ବଢୁଥିବା କୋହ ଓ ଆଖିର ଲୁହ ତାଙ୍କୁ କେବେ କବି କରି ଦେଲା ସେ ଜାଣି ପାରିଲେନି। ତାଙ୍କର ଦୁଇ ତିନୋଟି ଲାଗୁଆ ଶ୍ରୋତାଙ୍କ ମତରେ ସେ ଜଣେ ଅତି ଉଚ୍ଚକୋଟ୍ଟୀର ଦରଦୀ କବି। ତାଙ୍କ କବିତା ରେ ଏତେ ଦରଦ ଅଛି ଯେ ଶ୍ରୋତାଙ୍କ ମୁହଁରେ "ହସକୁରା ଗ୍ଯାସ" ଅର୍ଥାତ୍ "ନାଇଟ୍ରସ୍ ଅକ୍ସାଇଡ"ର ସିଲିଣ୍ଡର ଖୋଲି ଦେବା ପରେ ବି ସେ କାନ୍ଦିବ ହିଁ କାନ୍ଦିବ। ସେହି ମହାନ ଲାଗୁଆ ଶ୍ରୋତା ମାନେ ଚଣ୍ଟିଆଙ୍କ କବିତା ଅନେକ ଥର ପାରାଭାଡି ତଳେ, ଛେଳି ଗୋଠ ଭିତରେ ଓ ମାଛ ମାର୍କେଟ ପାଖ ବିଲେଇ ସଭାସ୍ଥଳରେ ଶୁଣିଛନ୍ତି। କିପରି ତାଙ୍କ କବିତା ଶୁଣି ପଶୁପକ୍ଷୀ ଆଦି କାନ୍ଦି ପକାନ୍ତି ବୋଲି ଜଣାଇବା ସହ ନିଜ ଆଖିରୁ ମଧ୍ଯ ଲୁହ ପୋଛନ୍ତି। ଏପରି ଶ୍ରୋତା ପାଇ ନିଜକୁ ଧନ୍ଯ ମଣିବା ସହ ଚଣ୍ଟିଆ କାହାକୁ ରୋହି ମାଛ କେଜିଏ ତ କାହାକୁ ସିଝାଅଣ୍ଡା ପାଞ୍ଚଟା ଉପହାର ସ୍ବରୂପ ଦିଅନ୍ତି। ସେ କବିତା ପଢିବାକୁ ସହର ଯାଉଛନ୍ତି ଶୁଣି ସେମାନେ କେତେ ଖୁସି ହୋଇଯିବେ ଭାବି ଚଣ୍ଟିଆଙ୍କ ମନ ଉତଫୁଲିତ ହୋଇ ଉଠିଲା।
ଗୁହାଳ ଭିତରେ ଲୁଚାଇ ରଖିଥିବା କବିତା ଭିତରୁ କିଛି କବିତା ନିଜ ସାଙ୍ଗରେ ନେଇ ସହର ଯିବାକୁ ଭାବିଲେ। ସ୍ବରଚିତ ଶତାଧିକ କବିତା ମଧ୍ଯରୁ " କାଣ୍ଡେଇ ମାଇପ ମୁହଁରେ ନିଆଁ,” " ପ୍ରେମ ଭାଙ୍ଗିଦେଲା ପଞ୍ଜରାହାଡ", " ଝାଡାତୁଠରେ ପ୍ରେମ”, "ବାହୁବଳୀ ପ୍ରିୟତମା , " ସପ୍ତଫେଣିଆ ବିଭାଘର”, " କର ପ୍ରେମ ନିଅ ନାମ”, "ସାଜିଲି କାଙ୍ଗାଳ ପ୍ରେମିକା ପାଇଁ ”, “ନିଜେ ଚଢିଲି ବାହାବେଦୀ, କେ ଅଛି ମୋର ପ୍ରତିବାଦୀ”ଆଦି କବିତା ତାଙ୍କୁ କାଳଜୟୀ ସୃଷ୍ଟି ପରି ଲାଗିଲା। ସେତକ ସଜେଇ ପକେଟରେ ପୁରାଇବା ସମୟରେ ଗୁହାଳଟି ଥରିଗଲା ଜାମ୍ବବତୀଙ୍କ ଭୟାନକ " କିହୋ ମୁନାର ବାପା ଟିକେ ଏ ଆଡକୁ ଆସିଲ“ ଡାକରେ। ନସରପସର ହୋଇ ସେ ଜାମ୍ବବତୀଙ୍କ ପାଖକୁ ମୁଣ୍ଡ ନୁଆଁଇ ଗଲେ। ଜାମ୍ବବତୀ ତାଙ୍କ ଘଡଘଡିଆ ପଥୁରିଆ ସ୍ବରରେ କହିଲେ
- - କିଛି କାମଧନ୍ଦା ନାହିଁ ନା କଣ? ସେ ଗୁହାଳ ରେ ପଶି କବିତା ଲେଖା ଚାଲିଥିଲା କି ? କେତେଥର କହିଲିଣି ମୋ ସିଲେଇ ସେମିନ ଟା ସଜାଡିବା ପାଇଁ? ତୁମେ ବଞ୍ଚିଥିଲା ବେଳେ ତାକୁ ସଜାଡି ପାରିବ ନା, ମୁଁ ଅଲଗା ଲୋକ ଦେଖିବି।
- - ସଜାଡି ଦେବି ଯେ.....କିନ୍ତୁ ସେଥିପାଇଁ ସହର ଯାଇ ଦିନେ ରହିବାକୁ ହେବ। ଯଦି କହିବ ମୁଁ ଏହି ସାଙ୍ଗେସାଙ୍ଗେ ଚାଲିଯିବି। ଆଗ୍ରହ ସହକାରେ କହିଲେ ଚେଣ୍ଟିଆ।
- - କାଇଁ ସହର ଯିବାକୁ ଏତେ ମନ ମ!!! - - କଣ ମୋ ସଉତୁଣୀ କୁ ସହର ରେ ରଖିଛ ନା କଣ!? ସହର ଯିବା ନାଁଆ ଶୁଣି ତୁମ ଆଖି ଯୋଡିକ ତ ବିରାଡିଆଖି ପରି ଝଲକି ଉଠୁଛି।
- - - ସଉତୁଣୀ !!!! ଜଣକୁ ବାହା ହୋଇ ମୋ ଅବସ୍ଥା ଯାହା ହେଲାଣି, ସାତ ଜନମ ରେ ମୁଁ ବାହା ହେବାକୁ ସାହାସ କରିବିନି, ଆଉ ଇଏ କହୁଛି ସଉତୁଣୀ। ଥୁଃ ଉଉଉ , ମୁହଁରେ ମିଥୁନ ଚକ୍ରବର୍ତ୍ତୀ ପରି ଦେବି ଏକ୍ ଖୁନ୍ଦା ଯେ ଜାମ୍ବବତୀ ରୁ ଆମ୍ବବତୀ ହୋଇଯିବୁ। ମନେମନେ ଗୁଣୁଗୁଣୁ ହୋଇ କହିଲେ ଚଣ୍ଟିଆ।
- - କଣ ମାଛି ପରି ଗୁଣୁଗୁଣୁ ହେଉଛ, ସାଙ୍ଗେସାଙ୍ଗେ ଯାଇ ମୋ ମେସିନ ସଜାଡି ଆଣ। ସହରରେ ରହିବାକୁ ପଡିଲେ କୌଣସି ଧର୍ମଶାଳାରେ ମୁଣ୍ଡ ଗୁଞ୍ଜିଦେବ। ସେ ହୋଟେଲ ଫୋଟେଲରେ ରହିଲେ ମାରିକି ଟାଙ୍କ ଛୋଟା କରିଦେବି।
ଜାମ୍ବବତୀଙ୍କ କଥା ସରିବା ପୂର୍ବରୁ ଚଣ୍ଟିଆ ରାସ୍ତା ଉପରେ ହଳେ ପ୍ଯାଣ୍ଟସାର୍ଟ ଓ ସିଲେଇ ମେସିନ କାଖରେ ଜାକି ଲମ୍ବା ପାହୁଣ୍ଡ ପକେଇ ଚାଲିବା ଆରମ୍ଭ କରି ସାରିଥିଲେ।
ନିମନ୍ତ୍ରଣ ପତ୍ର ଅନୁସାରେ କବି ମାନଙ୍କର ରହିବାର ଆୟୋଜନ ଟା ହୋଟେଲ "କାନ୍ଦବୋବାଳି" ରେ କରା ଯାଇଥିଲା। ହୋଟେଲର ନାମଟା ବଡ ଅଖାଡୁଆ ଶୁଭୁଥିଲେ ବି ସେଇଟା କୁଆଡେ ସହରର ଏକ ନାମୀଦାମୀ ହୋଟେଲ। ଜଣା ପଡୁଥିଲା ଆୟୋଜକ ମାନେ ବେଶ୍ ଥିଲାବାଲା ଲୋକ। ନୋହିଲେ ଏ ଛାର କବି ମାନଙ୍କ ପାଇଁ ଏମିତି ନାମୀ ହୋଟେଲ ଯୋଗାଡ କରିବା ଟା କଣ କମ ବଡ କଥା! ! ବୁଝାବୁଝି କରି ଜାଣିଲେ ଯେ ତହିଁ ଆରଦିନ ସକାଳ ନଅ ଟା' ରେ ପ୍ରତିଯୋଗିତା ହେବ "ସର୍ବନାଶିଆ ସାହିତ୍ଯ ସଂସଦର" ଅଫିସରେ। ହୋଟେଲରୁ ସେଠାକୁ ନେବାକୁ ଅଟୋରିକ୍ସାର ଆୟୋଜନ ବି ହୋଇଛି। ଦିନ ଗୋଟାଏ ସୁଦ୍ଧା ବିଜୟୀ ପ୍ରତିଯୋଗୀଙ୍କ ନାମ ଘୋଷଣା ହେବ ଓ ତା ପରେ ପୁରସ୍କାର ବିତରଣ- - ଶେଷରେ ପ୍ରୀତିଭୋଜନ। ଚଣ୍ଟିଆ ମନେମନେ ହିସାବ କରିନେଲେ ଯେ ଦିନ ତିନି ଟା' ସୁଦ୍ଧା ପୁରସ୍କାର ଓ ସିଲେଇ ମେସିନ ଧରି ସେ ଘରେ ପହଞ୍ଚିଯିବେ। ହୋଟେଲ ପିଲାଟା ଚଣ୍ଟିଆଙ୍କୁ ତାଙ୍କ ରୁମ ଦେଖାଇବାକୁ ଟାଣିନେଲା। ରୁମ୍ ରେ ପହଞ୍ଚି ତାଙ୍କ ମନଟା ଖୁସିରେ ଖଲଖଲ ହୋଇଗଲା। କି ସୁନ୍ଦର ଧୋବ ଫରଫର ଚଦର ଖଟରେ ବିଛାଡି ହୋଇ ପଡିଛି, ତକିଆ ଦୁଇଟି ପେଟ ଫୁଲାଇ ମୁହଁ ମାଡି ପଡିଛନ୍ତି। ଏକ ସୁନ୍ଦରିଆ ଚାଦରକୁ ସିଙ୍ଗଡା ପରି ତିନିକୋଣିଆ କରି ସଜାଇ ରଖାଯାଇଛି, ରାତିରେ ଘୋଡେଇ ହେବା କାମରେ ଆସିବ। ପାଣିଭର୍ତ୍ତି ପ୍ଲାଷ୍ଟିକ ଜାର ପାଖକୁ କାଚଗିଲାସ ଯୋଡିଏ ମୁହିଁ ମାଡି ବସିଥା'ନ୍ତି ଓ ଏକ ସାନଟେବୁଲ ଉପରେ ଖବର କାଗଜ ଓ ଦୁଇ ତିନିଟା ପତ୍ରିକା ସଜେଇ ହୋଇ ବସିଥା'ନ୍ତି। ଚଣ୍ଟିଆଙ୍କ ମନରେ କ୍ଷଣକ ପାଇଁ ଭାବାନ୍ତର ହେଲା ; ଭାବିଲେ ଯଦି ତାଙ୍କ ଶୋଇବାଘରଟା ଏମିତି ରୂପରେ ଥା'ନ୍ତା ଏତେ ବେଳକୁ ସେ ମହାଭାରତ ପରି ଦଶ ବାରଟା ମହାଗ୍ରନ୍ଥ ରଚନା କରି ସାରନ୍ତେଣି। ଭାବନାରାଜ୍ଯରେ ଜାମ୍ବବତୀଙ୍କ ବେଦନିଆ ମୁହଁର ଝଲକ ଖେଳିଯିବା କ୍ଷଣି ସେ ପ୍ରକୃତ୍ତିସ୍ଥ ହୋଇ ହୋଟେଲ ପିଲାଟି ଆଡକୁ ଦେଖିଲେ। ପିଲାଟା ଅନବରତ କାନ ଉପର କୁଣ୍ଡାଇ ମନ୍ଦମନ୍ଦ ହସି ଚାଲିଛି। ସେ ଭାବିଲେ ପିଲାଟାର କାନ ଉପରେ କାଛୁକୁଣ୍ଡିଆ ହୋଇଛି ବୋଧେ, ନହେଲେ ବୁଲା କୁକୁରଙ୍କ ପରି କାନ କୁଣ୍ଡାଉଛି କାହିଁକି ।
ସେତିକି ବେଳକୁ ପିଲାଟି କହିଲା - - ସାରେ, ଟିକେ ଖର୍ଚ୍ଚପାଣି ଦେବେନି? ହାଲୁକା ଶୀତ ପଡି ଆସିଲାଣି, ଚକ୍ ଖଡି ଖଣ୍ଡେ ଟାଣିବା ପାଇଁ ପଇସା ଦିଅନ୍ତୁ। ପିଲାର ବ୍ଯବହାରରେ ଅତ୍ଯନ୍ତ ପ୍ରୀତ ହୋଇ ଚଣ୍ଟିଆ କୋଡିଏ ଟଙ୍କିଆ ନୋଟ ବଢେଇ ଦେଇ କହିଲେ- - ଆରେ ପିଲା, ଯାଆ ମନ ଖୁସିରେ ଚକଖଡି ଟାଣି ବାକି ପଇସା ରେ ସଫଳ ଚୋବେଇଦେବୁ। ସେ ପିଲାଟି ଖୁସି ହୋଇ ଗୁରୁତ୍ବପୂର୍ଣ୍ଣ ସୂଚନା ଦେବା ଶୈଳୀରେ କହିଲା
- - ଆଜ୍ଞା, ରାତି ଆଠଟାରେ ଖାଇବା ପାଇଁ ହୋଟେଲର ଡାଇନିଂ ହଲକୁ ଚାଲି ଆସିବେ। ଆପଣଙ୍କ ରୁମ୍ ରେ ଆଉ ଜଣେ କବି ରହିବେ, ସେ କାଇଁ ଏତେବେଳ ଯାଏ ଆସି ନାହାଁନ୍ତି। ନ ଆସିଲେ ଆପଣ ଆରାମରେ ଗୋଡହାତ ଫାଡି ଶୋଇବେ, ସେ ଆସିଗଲେ ଟିକେ ଅସୁବିଧା ହେବ। କିନ୍ତୁ ଆପଣ ତ ଏତେ ଭଲଲୋକ, ସବୁ କିଛି ଚଳାଇ ନେଇପାରିବେ। ସକାଳ ଆଠ ଟା ସୁଦ୍ଧା କାଉଣ୍ଟର ପାଖକୁ ଚାଲି ଆସିବେ। ଆଠ ଟା ପନ୍ଦରରେ ଗାଡି ଆପଣଙ୍କ ସଭାସ୍ଥାନକୁ ବାହାରିଯିବ। ସହରରେ ଭୀଷଣ ଗହଳି ତ, ଆଗରୁ ନ ଗଲେ ପହଞ୍ଚି ପାରିବେନି। ଗୋଟେ ନିଶ୍ବାସରେ ସବୁ କହିସାରି ପିଲାଟି ଦଣ୍ଡବତ ଠୁଙ୍କି ସେ ସ୍ଥାନରୁ ଚାଲିଗଲା।
ଚଣ୍ଟିଆ ସିଲେଇ ମେସିନ ସଜାଡିବାକୁ ଦେଇସାରି ହୋଟେଲ କୁ ଫେରି ଆସି ନିଜକୁ ପ୍ରସ୍ତୁତ କରିବାରେ ଲାଗିଗଲେ। ତାଙ୍କ କବିତା ମାନଙ୍କ ମଧ୍ଯରୁ “ ସାଜିଲି କାଙ୍ଗାଳ ପ୍ରେମିକାପାଇଁ” କବିତା ଟି ପ୍ରତିଯୋଗିତା ପାଇଁ ସର୍ବୋତ୍ତମ ମନେହେଲା। ତେଣୁ ସେ ନାନା ଅଙ୍ଗଭଙ୍ଗୀ କରି ତାକୁ ଆବୃତ୍ତି କରିବାରେ ଲାଗିଗଲେ। କବାଟରେ ଠକଠକ ଶବ୍ଦ ଶୁଣି ଖୋଲି ଦେଖିଲା ବେଳକୁ ସେ ହୋଟେଲ ପିଲା ଜଣେ ପ୍ରୌଢ ବ୍ଯକ୍ତିଙ୍କୁ ସାଙ୍ଗରେ ଧରି ଛିଡା ହୋଇଛି।
- - ସାରେ, ଏ ବାବୁ ଆପଣଙ୍କ ସହିତ ଏ ରୁମ୍ ରେ ରହିବେ। ଖାଇବା ସମୟ ତ ହୋଇ ଗଲାଣି। ଆପଣ ଦୁଇଜଣ ଶୀଘ୍ର ତଳକୁ ଚାଲି ଆସନ୍ତୁ।
ପୁଣି ସେ ପିଲାଟି କାନ କୁଣ୍ଡାଇବା ଆରମ୍ଭ କରିବା ମାତ୍ରେ ପ୍ରୌଢଲୋକଟି ତା ହାତ କୁ ପଚାଶ ଟଙ୍କିଆ ନୋଟ ବଢେଇଦେଇ ବିଦାୟ ଦେଲା।
- - ହୋଟେଲ ରେଜିଷ୍ଟରରୁ ତୁମ ନାମଟା ଦେଖିଲି, ଯାହା ହେଉ ଏତେ କମ୍ ବୟସରୁ କବି ହୋଇଗଲଣି। ମୁଁ ଆଶୁକବି ମର୍ଦ୍ଦରାଜ ଚମ୍ପତ୍ତିରାୟ, ସାହିତ୍ଯ ଜଗତରେ ମୋତେ ସଭିଏଁ ଚିହ୍ନନ୍ତି। ବର୍ଷସାରା ମୁଁ ବିଭିନ୍ନ ପ୍ରତିଯୋଗିତା ଓ ସାହିତ୍ଯସଭାରେ ଯୋଗଦାନ କରେ। ତୁମ ପରି ନୂଆ କଲମ ଧରୁଥିବା କବିମାନେ ମୋ ସହ କଥା ଟିକେ ହେବା ପାଇଁ ବିକଳ ହୋଇ ଯାଆନ୍ତି। ତୁମ ପରମ ସୌଭାଗ୍ଯ, ତୁମେ ମୋ ସହ ଆଜି ରହିବାର ସୁଯୋଗ ପାଇଛ। କଥାରେ ଅଛି ମହାପୁରୁଷ ମାନଙ୍କର ଉପସ୍ଥିତି ହିଁ ଯଥେଷ୍ଟ, ନିର୍ଜୀବ ବସ୍ତୁ ଦେହରେ ପ୍ରାଣସଞ୍ଚାର କରିବା ପାଇଁ। ମୋ ଦେହରୁ ବାହରୁଥିବା କବିତ୍ବର ଧାସରେ ତୁମର ବି କିଛି ଉନ୍ନତି ନିହାତି ହୋଇଯିବ। କିନ୍ତୁ ମୋ ମନଟା ଭୀଷଣ ଦୁଃଖ, କାରଣ ତୁମପରି ଅନଭିଜ୍ଞ କବି ମାନଙ୍କ ସହ ମୋ ପରି ମହାନକବି କୁ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବାକୁ ହେବ। ପୁରସ୍କାର ଟା ମୋ ନାମ ରେ ଲେଖା ବୋଲି ଆଜିଠାରୁ ଜାଣି ନିଅ, କାଲି ସେ ସ୍ଥାନରେ ବେଶି କାନ୍ଦ ବୋବା ନ କରି ଘରକୁ ଚାଲିଯିବ।
ଗର୍ବରେ ଫାଟି ପଡିବା ଭଙ୍ଗୀରେ ସେ ଲୋକଟି ଚଣ୍ଟିଆଙ୍କ ଉଦ୍ଦେଶ୍ଯରେ ଭାଷଣ ଝାଡି ଉତ୍ତର ଅପେକ୍ଷାରେ ରହିଲା। ତା ହାବଭାବ ଦେଖି ଚଣ୍ଟିଆଙ୍କ ମନଟା ଦବି ଗଲା । ଲୋକଟାର ନାଁଆ ଯେତିକି ବଡ, କଥା ସବୁ ବି ସେମିତି ବାହାସ୍ଫୋଟିଆ। ଫିଙ୍ଗିଦେଲା ପରି ପ୍ରଣାମ ପକାଇ, ଚଣ୍ଟିଆ ତାଙ୍କୁ ଖାଇବାକୁ ଯିବାକୁ କହିଲେ। ଡାଇନିଂହଲ୍ ରେ ମର୍ଦ୍ଦରାଜ ଅନ୍ଯ କବି ମାନଙ୍କ ସାମନାରେ ଅନୁରୂପ ଢଙ୍ଗରେ ଫୁଟାଣି ମାରିବାରେ ବ୍ଯସ୍ତ ରହିଲେ। କିଛି ତରୁଣ କବିଙ୍କୁ ଘୋଷାଡି ଆଣି ତାଙ୍କ ଟିପାଖାତାରେ ଅଟୋଗ୍ରାଫ୍ ଦେଇ ପକାଇଲେ। ଖୁବ୍ କମ୍ ସମୟ ମଧ୍ଯରେ ସେ ନିଜର ଅଦୃଶ୍ଯ ଆଧିପତ୍ଯତା ବିସ୍ତାର କରାଇବାରେ ସଫଳ ମଧ୍ଯ ହୋଇଗଲେ। ଗପସପ ସାରି ନାକ ଯାଏ ଚୁଣ୍ଟିଲା ପରି ଖାଇ ଚାଲିଲେ। ଶେଷରେ ବାଢିବା ଲୋକ ମଧ୍ଯ କହିଲା- - ଆଜ୍ଞା, ଆପଣ ଯଦି ଏମିତି ତେଣ୍ଡି ଚାଲିବେ, ଆମ "କାନ୍ଦବୋବାଳି" ହୋଟେଲରେ କାନ୍ଦବୋବାଳି ପଡି ଯିବ ଯେ। ଦୟା ପରବଶ ହୋଇ ମର୍ଦ୍ଦରାଜେ ଖାଇବା ସ୍ଥାନ ପରିତ୍ଯାଗ କରି ଚଣ୍ଟିଆଙ୍କ ସାଙ୍ଗରେ ରୁମ ଅଭିମୁଖେ ବାହାରିଲେ। ମର୍ଦ୍ଦରାଜେ ଚଣ୍ଟିଆଙ୍କୁ ହେୟଜ୍ଞାନ କରିବା ଆରମ୍ଭ କରିଦେଇଥିଲେ, ପ୍ରାଣକୁ ବାଧୁଥିଲେ ବି ନିରୁପାୟ ଥିଲେ ସେ। ରାତି ଅଧରେ କୁଆଡେ ବା ଯିବେ।
ଖଟ ଉପରେ କ୍ବିଣ୍ଟାଲିଆ ଶରୀରକୁ ବିଛାଡି ଦେଇ ମର୍ଦ୍ଦରାଜେ ଶୋଇବାର ଉପକ୍ରମ କଲେ। ଧିର ସ୍ବରରେ ଚଣ୍ଟିଆ ପଚାରିଲେ - - ଆଜ୍ଞା, କାଲି ପାଇଁ ପ୍ରସ୍ତୁତି କରିବେନି?
- - ହାଃ ହାଃ ପ୍ରସ୍ତୁତି, ପୁଣି ମୁଁ ! ମୁଁ ପରା ଆଶୁ କବି। ପାଟି ଖୋଲିଦେଲେ କବିତା ଗୁଡାକ ଲାଳ ପରି ବୋହିଯିବ। କବିତା ରଚନା ପାଇଁ ମୋ ମସ୍ତିଷ୍କ ଉପରେ କେବେ ଚାପ ପଡେନି। ଠିକ୍ ଜାଗାରେ ସେମାନେ ଝରଝର ହୋଇ ପାଟିରୁ ବୋହି ଚାଲିବେ। ତୁମେ ନୂଆ ପିଲା, ପରିଶ୍ରମ କର। କିନ୍ତୁ, ମୁଁ ଭାବୁଛି ଯେ ତୁମେ ହାରିବ ବୋଲି ଜାଣି ତ ସାରିଲଣି, ତେଣୁ ପରିଶ୍ରମ ନ କରି ଜାକିଜୁକି ହୋଇ ଶୋଇପଡ। ଏତିକି କହି ମୋବାଇଲରେ ଟୁକୁରୁ ଟାକୁରୁ ଆରମ୍ଭ କରିଦେଲେ ମର୍ଦ୍ଦରାଜେ।
କାଳେ ଖଟରେ ଜାଗା ମିଳିବନି ବୋଲି ଭାବି ଚଣ୍ଟିଆ ଖଟ ଉପରେ ଗଡିବା ଆରମ୍ଭ କଲେ। ମନ ତାଙ୍କର ଭୀଷଣ ଅଶାନ୍ତ ଥାଏ। ଦୁର୍ଯୋଗ କୁ ଏମିତି ନିଉଛୁଣିଆ ଲୋକଟା ସହ ତାଙ୍କୁ ଗୋଟେ ଖଟରେ ଗୋଟିଏ ଚାଦର ଘୋଡେଇ ଶୋଇବାକୁ ହେବ। ଶୀତ ଟିକେ ପଡି ସାରିଥିଲା, ନ ହେଲେ ଚାଦର କୁ କିଏ ପଚାରି ଥା'ନ୍ତା। ଅଳ୍ପ ସମୟ ମଧ୍ଯରେ ମର୍ଦ୍ଦରାଜେ ଘୁଙ୍ଗୁଡି ମାରିଲେ। ଘୁଙ୍ଗୁଡି ନୁହଁ ତ ସେଗୁଡା ନଡିଆ ବୋମା ଫାଟିବା ପରି ଶୁଭୁଥିଲା। ବିଚରା ଚଣ୍ଟିଆଙ୍କ ହାତରୁ କବିତା ଲେଖାକାଗଜ ସେ ଘୁଙ୍ଗୁଡି ନାଦରେ ଖସି ପଡୁଥିଲା। ତଥାପି ସେ କବିତା କୁ ମୁଖସ୍ଥ କରିବାରେ ମନପ୍ରାଣ ଦେଇ ଲାଗି ପଡିଥିଲେ। କିଛିି ସମୟ ପରେ ଟୁଁ ଉ ଉ ଉ ଶବ୍ଦ ଶୁଭିଲା। ସେ ଚମକି ଚାରି ଆଡକୁ ଦେଖିବା ବେଳକୁ ମର୍ଦ୍ଦରାଜେ ଗିଲାସରୁ ପାଣି ପିଉପିଉ କହିଲେ - - କଣ କିଛି ଶୁଭିଲା କି? ମୋ ମୋବାଇଲରେ ମେସେଜ୍ ଆସିବାର ଶବ୍ଦ ସେଇଟା। ସାରା ରାତି ଏମିତି କେତେ ମେସେଜ୍ ଆସିବ। ତୁମେ ଜମା ଡରିବନି। ଏତିକି କହି ସେ ପୁଣି ଗଭୀର ନିଦରେ ଶୋଇପଡିଲେ।
ଗୋଟିଏ ପଟେ ଘୋର ଘର୍ଘର ନାଦରେ ଘୁଙ୍ଗୁଡି ଓ ଅନ୍ଯ ପଟେ ଟିଂ... ଟୁଂ... ପୁଁଃ ଉ ଉ ଉ....ଠିସ୍ ଠିସ୍ ଠାଃ.....ଟୁସୁକ୍ ଟୁସୁକ୍......କୁଁ ଉଉଉଉଉ …..ଫିିଟ୍ ଫିଟ୍ ଫିଟ୍ … ସୁଉଉଉଉଉଉ ସଟାକ୍ ସଟାକ୍ ଆଦି ଧ୍ବନିରେ ଚଣ୍ଟିଆଙ୍କ ଆଖିରୁ ଜୁଳୁଜୁଳିଆ ପୋକ ବାହାରିଗଲେ। ସେ ବୁଝି ପାରିଲେନି ମର୍ଦ୍ଦରାଜେଙ୍କ ମୋବାଇଲରେ ଏତେ ମେସେଜ୍ କିଏ ଦେଉଛି। ହଁ ହେଇଥିବ, ଏତେ ବଡ କବି ଯେତେବେଳେ, ଲୋକେ ମେସେଜ୍ ଛାଡୁଥିବେ। ସେ ଦେଖିଲେ ମର୍ଦ୍ଦରାଜେ ଘମ ପରି ପେଟଟିକୁ ଫୁଲାଇ ଚାଦର ନ ଘୋଡେଇ ଶୋଇଛନ୍ତି। ସୁବର୍ଣ୍ଣ ସୁଯୋଗ ହାତଛଡା ନ କରି ଚଣ୍ଟିଆ ଚାଦରକୁ ଆପାଦମସ୍ତକ ଘୋଡାଇ ତା ଭିତରେ ନିଜକୁ ଲୁଚାଇ ରଖିଲେ। କେତେବେଳେ ସେ ଶୋଇପଡିଲେ ନିଜେ ମଧ୍ଯ ଜାଣି ପାରିଲେନି।
ସ୍ବପ୍ନରେ ଦେଖିଲେ, ହାତରେ ପ୍ରଥମ ପୁରସ୍କାର ଧରି ସେ ମନ ଖୁସିରେ ରାସ୍ତା ରେ ଦୌଡି ଚାଲିଛନ୍ତି। ହଠାତ୍ ସାମନାରେ ମର୍ଦ୍ଦରାଜଙ୍କର ଆବିର୍ଭାବ ହେଲା ଓ ସେ ତାଙ୍କ ହାତରୁ ପୁରସ୍କାର ଛଡାଇବାରେ ଲାଗିଗଲେ। ଅନେକ ପ୍ରତିରୋଧ ପରେ ମଧ୍ଯ ମର୍ଦ୍ଦରାଜେ ତାଙ୍କୁ ଛାଡୁ ନ ଥା'ନ୍ତି। ଶେଷରେ ଚଣ୍ଟିଆଙ୍କ ବେକରେ ମସ୍ତବଡ ଧକ୍କିଆ ମାରି ମର୍ଦ୍ଦରାଜେ ପୁରସ୍କାର ଟି ଛଡାଇନେଲେ। ବିଚରା ଚଣ୍ଟିଆ ନିଜକୁ ଆବିଷ୍କାର କଲେ ଏକ ପାଇଖାନା ଟାଙ୍କି ଭିତରେ। ଚାରି ପଟରେ କେବଳ ମଣିଷ ବିଷ୍ଟାର ପଚପଚିଆ କାଦୁଅା ସ୍ତୁପ.. ତା ଭିତରେ ସେ ପହଁରି ଚାଲିଥିଲେ. . .ଓଃ କି ଦୁର୍ଗନ୍ଧ....ବାନ୍ତି ଉଠାଇ ଆଣୁଥିଲା । ଭୟରେ ତାଙ୍କ ଆଖି ଖୋଲିଗଲା। ଦେଖିଲା ବେଳକୁ ଚାଦର ଭିତରେ ମର୍ଦ୍ଦରାଜଙ୍କ ନିତମ୍ବ ପ୍ରବେଶ କରି ସାରିଥିଲା ଓ ସେ ଅନବରତ ଭୟଙ୍କର ଦୁର୍ଗନ୍ଧ ବିଶିଷ୍ଟ ବାୟୁ ଛାଡି ଚାଲିଥିଲେ। ଯେହେତୁ ଚଣ୍ଟିଆ ମୁହଁ ପର୍ଯ୍ଯନ୍ତ ଚାଦରଟି ଘୋଡାଇ ଶୋଇଥିଲେ, ସେ ଦୁର୍ଗନ୍ଧିଆ ବାୟୁ ନାକପୁଡା,କାନପୁଡା ଓ ମେଲାପାଟି ଦେଇ ତାଙ୍କ ଶରୀର ମଧ୍ଯକୁ ଅବାଧ ପ୍ରବେଶ ଚଳାଇଥିଲେ ଅନେକ ସମୟ ଧରି। ଗୋଟିଏ ଡିଆଁରେ ସେ ଗାଧୁଆଘରେ ପହଞ୍ଚି ବାନ୍ତି କରି ପକେଇଲେ।
ସେ କହିଚାଲିଥା'ନ୍ତି ଲୋକଟା ମଣିଷ ନା ପାଡରା ପୋକ ! ମୋବାଇଲରେ ମେସେଜ୍ ଆସୁଛି କହି ହଜାର ଖଣ୍ଡେ ପାଡିଲା, ସେ ଶୋଇ ପଡିବା ପରେ ପୁଣି ପାଞ୍ଚହଜାର ଖଣ୍ଡେ ପାଡି , କାନ ମୁଣ୍ଡ ଭାଁ ଭାଁ କରିଦେଲା। ଲାଗୁଛିି ସତେକି ଘର ଭିତରେ ଦୁର୍ଗନ୍ଧିଆ ବାୟୁର ବହଳିଆ ଆସ୍ତରଣ ପଡିଯାଇଛି। ସେ ଦୁର୍ଗନ୍ଧରେ କାନ୍ଦବୋବାଳି ହୋଟେଲରୁ ପୋକଜୋକ, ମଶାମାଛି ଓ ଝିଟିପିଟି ପରି ଇତର ପ୍ରାଣୀ ସମୂହେ ଧ୍ବଂସ ପାଇ ଯାଇଥିବେ, ଏଥିରେ ସନ୍ଦେହ ନାହିଁ। ଅବସ୍ଥା ଏବେ ଏପରି ଯେ ନିଶ୍ବାସ ପ୍ରଶ୍ବାସ ନେଲା ବେଳକୁ ପାଡ ର ଗନ୍ଧ ଆସୁଛି। ତାଙ୍କ ଇଚ୍ଛା ହେଉଥିଲା ମର୍ଦ୍ଦରାଜ ମୁହଁ ଉପରେ ଯାଇ ଝାଡା ଫେରିଦେବା ପାଇଁ। ଲୋକଟା କି ଅବସ୍ଥା ନ କଲା !! ସେ ଚିନ୍ତାକରୁଥିବା କାର୍ଯ୍ଯଟି କରିବେ ବୋଲି ନିଜକୁ ପ୍ରସ୍ତୁତ କରିବା ସମୟରେ ହଠାତ୍ ତାଙ୍କ ମୁଣ୍ଡ ବୁଲେଇଦେଲା, ପାଟି ରୁ ଫେଣ ବାହାରି ଆସିଲା ଓ ସେ ଗାଧୁଆଘର ଭିତରେ ଚାରି ଖୁରା ଟେକି ଗଳି ପଡିଲେ। ତହିଁ ଆରଦିନ ସକାଳ ଏଗାରଟାରେ ତାଙ୍କ ଆଖି ଫିଟିଲା ବେଳକୁ ସେ ଗାଧୁଆ ଘରେ ଲୋଚାକୋଚା ହୋଇ ପଡିଥିଲେ।
ମର୍ଦ୍ଦରାଜେଙ୍କୁ ନ ଦେଖି ସେ ଭାବିଲେ ମର୍ଦ୍ଦରାଜେ ଗାଧେଇ ପାଧେଇ, ଚହଟ ଚିକ୍କଣ ହୋଇ ସାହିତ୍ଯ ସଭାକୁ ଚାଲି ଯାଇଥିବେ। କିନ୍ତୁ ଲୋକଟା ଏତେ ସ୍ବାର୍ଥପର, ତାଙ୍କୁ ଉଦ୍ଧାର କରିବାର ସାମାନ୍ଯତମ ଚେଷ୍ଟା ନ କରି ଚାଲିଗଲା। ସାଷ୍ଟାମ ହେବା ପରେ ଜିନିଷପତ୍ର ଧରି ଗାଁଆକୁ ଫେରିବେ ବୋଲି ବାହାରିବା ବେଳକୁ ତାଙ୍କ କବିତାଲେଖା କାଗଜ ସବୁ ନ ପାଇ ଚଣ୍ଟିଆ ବ୍ଯସ୍ତ ହୋଇ ଉଠିଲେ। ତାଙ୍କ ନଜରରେ ପଡିଲା ଏକ ଚିରିକୁଟି କାଗଜରେ କେଇଧାଡି ଲେଖା । ସେଥିରେ ଲେଖାଥିଲା- -
ଭୁଲ୍ ବୁଝିବନି ବାବୁ ଚଣ୍ଟିଆ, ଆଶୁକବି ମୁହିଁ ଦିଲଦାରିଆ
ବାୟୁ ଦୋଷ ମୋତେ କଲା ଘାଇଲା, ସାରା ରାତି ବାଡି କବାଟ ଖୋଲା ।।
ସକାଳୁ ଛେରିଛି ପଚିଶ ଥର, ଅବସ୍ଥା ମୋହର ବିଚାର କର
ପାଣି ପରି ବୋହି ଯାଉଛି ଝାଡା, ହୋଇ ମୁଁ ପାରୁନି ଭଲରେ ଛିଡା ।।
ଡାକ୍ତରଖାନାକୁ ଯାଉଛି ମୁହିଁ, କବି ସମ୍ମିଳନୀ କରିବି ତହିଁ
ସାଙ୍ଗରେ ନେଉଛି ତୁମ କବିତା, କାନ୍ଦିବନି ଆହେ ମୋ କବି ଭ୍ରାତା ।।
କି ଖାଦ୍ଯ ଦେଲା ଏ "କାନ୍ଦ ବୋବାଳି”, ହଗୁଛି ମୁଁ ଖାଲି ଚେଙ୍ଗ ହାବେଳି
ମନ ଆନନ୍ଦ ରେ ଘରକୁ ଯିବ, ଆଶୁକବି କଥା ପାଶୋରି ଦେବ।।
ସେ ଗାଧୁଆଘରେ ଅଚେତପଡି ଥିବା ଅବସ୍ଥାରେ, ମର୍ଦ୍ଦରାଜେ ଏତେଥର ଝାଡା ଯାଇଛନ୍ତି ବୋଲି ଜାଣିବା ପରେ ପୁଣିଥରେ ଚଣ୍ଟିଆ ମାଟି କାମୁଡି ଚେତା ହରାଇ ଟଳି ପଡିଲେ। ସେଦିନ "ସର୍ବନାଶିଆ ସାହିତ୍ଯ ସଂସଦ"ର ବାର୍ଷିକ ଉତ୍ସବର କର୍ମକର୍ତ୍ତାଗଣ ଚଣ୍ଟିଆ ଓ ମର୍ଦ୍ଦରାଜ ପରି କବିଙ୍କ ସାନ୍ନିଧ୍ଯ ନ ପାଇ ନିହାତି ମନ ଦୁଃଖ କରିଥିବେ।
- - ସମାପ୍ତ- -
!
Subscribe to:
Posts (Atom)










