Saturday, December 15, 2018
ବୁଢା
Friday, December 7, 2018
ସନ୍ଯାସୀ
ସନ୍ଯାସୀ
ଲେଖକ- ଅରବିନ୍ଦ ରଥ
ଧାର୍ମିକ ଗୁରୁ ତେଣ୍ଟାରାମ୍ ଙ୍କ ଆଶ୍ରମରୁ ପ୍ରବଚନ ଶୁଣି ଆସିବା ପରଠାରୁ ଜଟିଆ ବାବୁଙ୍କ ପ୍ରକୃତି ରେ କିଛି ବିଲକ୍ଷଣ ଲକ୍ଷ୍ଯ କରି, ପତ୍ନୀ କୁନ୍ଥେଇ ଙ୍କ ମନ ଭିତରଟା ଗୋଳେଇଘାଣ୍ଟି ହେବାରେ ଲାଗିଥିଲା। ସେଦିନର ସକାଳ ଓ ଅନ୍ଯଦିନ ର ସକାଳ ମଧ୍ଯରେ ବେଶ୍ ବ୍ଯତିକ୍ରମ ବାରି ହୋଇ ପଡୁଥିଲା। ସୋଫା ଉପରେ ଜଟିଆ ବାବୁ, ଶଙ୍ଖି ବିଲେଇ ଚୁଲି ପାଖରେ ବସି ଉଷୁମ୍ ଟାଣିଲାପରି ଜାକିଜୁକି ହୋଇ ବସିଥିଲେ। ତାଙ୍କ ଢିମା ଆଖିରେ ପ୍ରଶ୍ନାବଳୀ ମାନଙ୍କର ଛେଚାକୁଟା ଲଢେଇ ଭଲରେ ଦୃଶ୍ଯ ହେଉଥିଲା ଓ ସେ ଆଖି ମିଟିମିଟି କରି ଚାରିଦିଗ କୁ ପ୍ରଶ୍ନିଳ ଭଙ୍ଗୀରେ ଚାହିଁ ଚାଲିଥିଲେ। ଦଶପଦ ପଚାରିଲେ ପଦେ କହୁଥିଲେ ; ତାହା ମଧ୍ଯ ହୁଁ ହାଁ ଢୁଁ ଢାଁ ମାଧ୍ଯମରେ, ସତେ କି ତଣ୍ଟିର କଣ୍ଟିଆ ମାଛ ଠାକି ଯାଇଛି। କଲେଜ୍ ପଢୁଆ ଦୁଇ ପୁଅଝିଅ ବାପାଙ୍କର ଏମନ୍ତ ବିଚିତ୍ର ରୂପ ଦେଖି, ମୋବାଇଲରେ ଫଟୋ ଉଠେଇ ଫେସବୁକ୍ ରେ ଛାଡିବାର ଦୁର୍ବାର ଲାଳସା ଯଥା ସମ୍ଭବ ଚାପି ରଖିଥିଲେ । ଫେସବୁକ୍ ରେ ଏପରି ଫଟୋ ଦେଖିଲେ, ବାପାଙ୍କର ସାଙ୍ଗସାଥୀ ବନ୍ଧୁବାନ୍ଧବ ତ ଯାହା କହିବେ ସେ କଥା ନ କହିବା ଭଲ ; କିନ୍ତୁ ପୁଅଝିଅଙ୍କର ଫେସବୁକିଆ ଫେରେଣ୍ଡ ମାନେ, ସେମାନଙ୍କ ଅବସ୍ଥା ଯେ ବାରଗଣ୍ଡା ଦି କଡା କରିଦେବେ, ଏଥିରେ ସନ୍ଦେହ ନାହିଁ। ଭବିଷ୍ଯତରେ ଆବଶ୍ଯକ ହେଲେ ବାପାଙ୍କୁ କଳାଡାକ (ବ୍ଲାକମେଲ୍) କରିବା ଉଦ୍ଦେଶ୍ଯରେ, ଲୁଚେଇ ଛପେଇ ଫଟୋ କେତୋଟି ଉଠାଇ ସେମାନେ କଲେଜ୍ ଚାଲିଗଲେ। କୁନ୍ଥେଇ, ଯେତେ ଉପାୟ ରେ ବୁଝାଶୁଝା କଲେ ମଧ୍ଯ ଜଟିଆ ଅଚଳ ମହାମେରୁ ପରି ବସି ରହିବା ଦେଖି, ସେ କିଛି ବହୁ ପରିକ୍ଷିତ ଅସ୍ତ୍ର ପ୍ରୟୋଗ କରିବାକୁ ଆରମ୍ଭ କଲେ।
ପ୍ରଥମ ଚରଣ ରେ କାନ୍ଦଣା ଲହରୀ ର ସୁଅ ଭାସି ଆସିଲା। ଲହରେଇ ଦୋହରେଇ ବିଥେଇ କୁନ୍ଥେଇ ସେ ରାହା ଛାଡି କାନ୍ଦିଲେ
-- ମୋ ସଂସାର ଭାସି ଗଲା ଲୋ ମାଆ......ମୋ ରାଜକୁମାର କୁ କିଏ ପାଳଭୂତ କରିଦେଲା ଲୋ ମାଆ....... ହସିଲା ଖେଳିଲା ଲୋକ କୁ କିଏ ଚଡକମରା ତାଳ ଗଛ କରିଦେଲା ଲୋ ମାଆ....ଆ..ଆ .. ହା..ଆଆ....।
କାନ୍ଦଣାର କୌଣସି ପ୍ରଭାବ ତ ପଡିଲାନି, ବରଂ ଜଟିଆ ବାବୁଙ୍କ ମୁଖମଣ୍ଡଳରେ ଅଧିକ ଗାମ୍ଭୀର୍ଯ୍ଯତା ଫୁଟି ଉଠିଲା। ଦ୍ବିତୀୟ ଚରଣରେ କୁନ୍ଥେଇ ଦେବୀ,, ଅତୀତରେ ଅନେକ ବାର ପ୍ରୟୋଗ କରିଥିବା “ ଘର ଛାଡି ଚାଲିଯିବି” ଅସ୍ତ୍ରର ପ୍ରୟୋଗ କଲେ, କିନ୍ତୁ ତାହା ମଧ୍ଯ ନିଷ୍ଫଳ ହେଲା। ସେତେବେଳକୁ କୁନ୍ଥେଇଙ୍କ ଧର୍ଯ୍ଯର ବନ୍ଧ ଭାଙ୍ଗି ମୁଣ୍ଡକୁ ପିତ୍ତ ଚଢି ସାରିଥିଲା। ଦୋଷ ଛଡାଇବାକୁ ସେ ଶେଷଥର ପାଇଁ ଜଟିଆବାବୁଙ୍କର ଏମନ୍ତ ରୂପରଙ୍ଗର କାରଣ ବିଷୟରେ ଗେହ୍ଲେଇ ପଚାରିଲେ। ତଥାପି କୌଣସି ଉତ୍ତର ଆସିଲା ନାହିଁ। ଶେଷରେ ସେ ରୋଷେଇଘରେ ଦୁମ୍ ଦୁମ୍ କରି ପଶିଗଲେ ଓ ଅର୍ଦ୍ଧାଧିକ ପିଞ୍ଛ ଭାଙ୍ଗିଯାଇ ଥିବା ପହଁରା ଟି ଆଣି, ଜଟିଆଙ୍କର ଚୁଟିରୁ ଆରମ୍ଭ କରି ପାଦ ନଖ ଯାଏ ଛେଚି ଦେଇଗଲେ। ମାଡ କୁ ମହାଦେବଙ୍କ ଡର, ଏ ଜଟିଆ ବାବାଙ୍କୁ ପଚାରେ କିଏ? ମାଡ ସବୁ ଏମିତି କୁଆପଥର ପରି ବର୍ଷା ହୋଇଗଲା ଯେ, ଜଟିଆଙ୍କ ଆଖି ଆଗରେ ଚିଲ ଶାଗୁଣା ଉଡିଲା ପରି ଦିଶିଲେ। ମନେ ମନେ ଭାବିଲେ, ଆଗରୁ ରୋଷେଇଘର ପାଇଁ ଭଲ ପହଁରା ଟେ ଆଣିଥିଲେ ଅନ୍ତତଃ, ଆଜି ମାଡ ସବୁ ଏତେ ବେଦନା ଦାୟକ ହୋଇ ନ ଥାଆନ୍ତା। ଭାବନା ର ଦହିହାଣ୍ଡିରେ ଠେଙ୍ଗା ବାଡେଇ, କୁନ୍ଥେଇ ବୀରା ନାରୀ ପରି ପ୍ରଶ୍ନ କଲେ
-- ଏ ବୁଢା ବୟସରେ କାହିଁକି ଏତେ ଛୋପରାମୀ ବାହାରୁଛି କହିଲ ଭଲା? ବୟସ ଆସି ଷାଠିଏ ହେଲା, ଚାକିରି ସରିଲା ପରେ ଘରେ ବସିଲ-- ପିଲାଝିଲାଙ୍କ ଭବିଷ୍ଯତ ଦେଖିବ କଣ , ଏମିତି ପ୍ରକୃତ୍ତିଛଡା ଗୁଣ ବାହାର କରୁଛ?ଲାଜ ଲାଗୁନି ମୁହଁ କୁ? ପାଟିରେ କଣ ଡାଇନୋସର୍ ଅଣ୍ଡା ପଶିଛି ଯେ କଥା ବାହାରୁନି?
ଶେଷରେ ଜଟିଆଙ୍କ ଶ୍ରୀମୁଖରୁ ବଚନ ସ୍ଫରିଲା। ମାଡର ବେଦନା ଓ ମନରେ ଉଦବେଳିତ ହେଉଥିବା ତେଣ୍ଟାରାମ୍ ଙ୍କର ପ୍ରବଚନ, ଗୋଳିଆଘଣ୍ଟା ହୋଇ ଚିତ୍କାର ଆକାର ରେ ବାହାରି ଆସିଲେ। ସେ କ୍ଷୀଣ ସ୍ବରରେ କହିଲେ
– – କାଲି ପ୍ରବଚନରେ ସତ କହୁଥିଲେ ଗୁରୁଦେବ, ଗୃହସ୍ଥୀର ଜୀବନ କଣ୍ଟକିତ ଓ ସମସ୍ଯାବହୁଳ। ଜୀବନ ର ତିନିଟି ଆଶ୍ରମ ମୁଁ ସଫଳରୂପେ ପାର କରି ସାରିଛି। ଏବେ ଶେଷ ଆଶ୍ରମ “ସନ୍ଯାସ” ପାଇଁ ନିଜକୁ ପ୍ରସ୍ତୁତ କରି, ମୋକ୍ଷପ୍ରାପ୍ତି ପାଇଁ ତପସ୍ଯା କରିବାକୁ ହେବ। ସଂସାର ର ମୋହମାୟାରେ ଛାଲଛଡା ଶୁକରୀ ପରି ଘାଣ୍ଟି ହେବାର ସମୟ ଅତିବାହିତ ହୋଇ ସାରିଛି। ମୋ ଘର ହେବ ଘଞ୍ଚ ଅରଣ୍ଯରେ ଓ ସଖା ସହୋଦର ହେବେ ଲେଙ୍ଗୁଟି ମରା ଲଣ୍ଡାମୁଣ୍ଡିଆ ସନ୍ଯାସୀ ଗଣ। ଫଳମୂଳ ହେବ ମୋର ଖାଦ୍ଯ ଓ ଇଶ୍ବର ଭକ୍ତି ହେବ ମୋ କର୍ମ। ଅରଣ୍ଯରେ କୌଣସି ଏକ ବୃକ୍ଷ ତଳେ ତୃଣ ଆସନ ବିଛାଇ, ହାତରେ କମଣ୍ଡଳୁ ଧାରଣ କରି ,ଏକନିଷ୍ଠ ହୋଇ ମୋକ୍ଷପ୍ରାପ୍ତି ସକାଶେ ମୋତେ କୁଚ୍ଛ୍ର ସାଧନା କରିବାକୁ ହେବ। ମୋର କେବଳ ମୋକ୍ଷ ଦରକାର....ମୋକ୍ଷ। ଜୟ ବାବା ତେଣ୍ଟାରାମ୍ କି.....
କୁନ୍ଥେଇ ଏପରି ପାଗଳିଆ କଥା ଶୁଣି ସେ ଭଙ୍ଗା ପହଁରା କୁ ଆଉଥରେ ମୁଠାଇ ଧରନ୍ତେ, ଜଟିଆ କୋମଳ ସ୍ବରରେ କହିଲେ
-- ମାତା, ମୁଁ ସନ୍ଯାସୀ ହୋଇ ଯାଇଛି। ତେଣ୍ଟାରାମ୍ ଙ୍କ ପ୍ରବଚନ ମୋ ଅନ୍ତରାତ୍ମା କୁ ଗାଈ ଦୁହିଁଲା ପରି ଦୁହିଁ ପକାଇଛି। ସଂସାର ଯାକର ନାରୀ ମୋର ମାତା, ତୁମେ ଏ ସମ୍ବୋଧନର ବ୍ଯତିକ୍ରମ ନୁହଁ। ବ୍ରହ୍ମଚର୍ଯ୍ଯ, ଗାର୍ହ୍ଯସ୍ଥ ଓ ବାନପ୍ରସ୍ଥ ଆଶ୍ରମରେ ଜୀବନ ର ତୃତୀୟାଂଶ ବ୍ଯତୀତ ହୋଇ ସାରିଛି। ଅବଶିଷ୍ଟ ଜୀବନ କୁ ମୋକ୍ଷପ୍ରାପ୍ତି ପାଇଁ ଉତ୍ସର୍ଗ କରିବି। ତାହା ହିଁ ହେବ ମୋର ଶେଷ ଆଶ୍ରମ। ଜୟ ତେଣ୍ଟାରାମ କି....ଏତିକି କହି ଶୂନ୍ଯ କୁ ଚାହିଁ ଦଣ୍ଡବତ ହେଲେ।
ହାତରୁ ପହଁରା ଛାଡି କୁନ୍ଥେଇ ରଡି ଛାଡି କାନ୍ଦି ପକାଇ ଥରଥର କଣ୍ଠରେ କହିଲେ
-- ହେଇଟି... ମୁଁ ଚାଣ୍ଡାଲୁଣି କି ଦୋଷ କଲି ଯେ ତୁମେ ବାବାଜୀ ହେବାକୁ ବାହାରିଲ। ଏ କଥା ଶୁଣିଲେ ଲୋକେ କଣ କହିବେ, ମାନ ଇଜ୍ଜତ ଆମର ରହିବ ଟି? ଝିଅ ର ବାହାଘର ଖୋଜା ଚାଲିଛି, ମାସ କେଇଟା ରେ ତା କାମ ସାରିଦେଲେ ଜଞ୍ଜାଳ ଯିବ। ଘର କାମ ବି ଅଧା ପନ୍ତରିଆ ହୋଇ ପଡିଛି, ଘର କୁ ବୋହୁ ଆସିଲେ ଚଳିବ କିପରି? ଏତେ ଜଞ୍ଜାଳ ମୁଣ୍ଡରେ ଅଛି, ତା ପରେ ମଧ୍ଯ ବାବାଜୀ ହେବାର ବୁଦ୍ଧି ତୁମ ମୁଣ୍ଡରେ ପଶୁଛି କେମିତି?
- - ବାବାଜୀ କୁହନି ମାତା, ସନ୍ଯାସୀ କୁହ। ମୁଁ ଆଜିଠାରୁ ସନ୍ଯାସୀ ଜଟିଆ ବାବା ନାମରେ ଖ୍ଯାତ ହେବି। ତେଣ୍ଟାରାମ୍ ବାବାଙ୍କ ଆଶ୍ରମ ରେ ଆଜି ଦୀକ୍ଷା ଗ୍ରହଣ ସମାବେଶ ହେବ। ମୋ ପାଚିଲା ଚୁଟି କୁ ବିସର୍ଜନ କରି, ଗୈରିକ ବସ୍ତ୍ର ଧାରଣ କରି ମୁଁ ସନ୍ଯାସୀ ହେବି। ସାଂସାରିକ ଜଞ୍ଜାଳ ର ବୋଝରେ ମୋତେ ଚାପିି ଦିଅ ନାହିଁ, ବାବାଙ୍କ କୃପାରୁ ମୋକ୍ଷପ୍ରାପ୍ତି ସହଜ ରେ ହେବ। ତୁମେ ମଧ୍ଯ ନିଜ ମୋକ୍ଷପ୍ରାପ୍ତି ପାଇଁ ରାସ୍ତା ବାଛ, ଆଉ ବିଳମ୍ବ କରନାହିଁ। ଏତିକି କହି ସେ ପୁଣି ମୌନବ୍ରତ ଧାରଣ କରି ସାଫାରେ ପୂର୍ବମୁଦ୍ରାରେ ଜାକି ହୋଇ ବସିଲେ।
କାହା ପାଖରୁ ସାହାଯ୍ଯ ନେଇ ଏ ଦାରୁଣ ବିପତ୍ତିର ସାମନା କରିବେ କୁନ୍ଥେଇ ଭାବି ପାରୁ ନ ଥାନ୍ତି। ଯାହାକୁ ଏ କଥା କହିବେ, ସମସ୍ତେ ତାଙ୍କୁ ହିଁ ଦୋଷ ଦେବେ। କାରଣ, କୁନ୍ଥେଇଙ୍କ ହୃଦୟଟି ତାଳ ସଜ ପରି କୋମଳ ହେଲେ କଣ ହେବ, କଣ୍ଠସ୍ବର ଟି ଫଟାଢୋଲ ପରି ଢାଉଁଢାଉଁଆ। ଅନେକ ସମୟରେ ସେ ସାଧାରଣ ଭାବେ କଥା ହେଲେ ମଧ୍ଯ, କଳି ତକରାଳ କରିବା ପରି ଲାଗେ। ଖାସ୍ ଏହି କାରଣ ରୁ ପାଖ ପଡୋଶୀ ମାନେ, ତାଙ୍କ ସହ ମିଳାମିଶା କରିବାକୁ ଭୟ କରନ୍ତି। ଠୋଃ ଠାଃ କଥାବାର୍ତ୍ତା ଓ ସ୍ଥାନ କାଳ ପାତ୍ର ବିଚାର ନ କରି ନିଜ ମତ ରଖିବାର ଅଭ୍ଯାସ ହେତୁ, ପଡିଶା ମାନେ ତାଙ୍କୁ କାଣ୍ଡେଇ ନାନୀ ବୋଲି ସମ୍ବୋଧନ କରନ୍ତି। କିନ୍ତୁ ଜଟିଆ ବାବୁଙ୍କ ସହ ବିତାଇଥିବା ପାଖାପାଖି ଚାଳିଶି ବର୍ଷର ବୈବାହିକ ବନ୍ଧନରେ, ଏପରି ଅବସ୍ଥା କେବେ ଆସିନାହିଁ ଯେ ସେ ସନ୍ଯାସୀ ହେବାର ଅବସର ଆସି ପହଞ୍ଚିବ। ଅବଶ୍ଯ ଏ କଥା ଭିନ୍ନ ଯେ, ଏତିକି ବର୍ଷ ଭିତରେ ସେ ଅଗଣିତ ବାର ଜଟିଆ ବାବୁଙ୍କ ସହ ଭୟଙ୍କର ସମ୍ମୁଖ ଯୁଦ୍ଧରେ ଅବତୀର୍ଣ୍ଣ ହୋଇ ବିଜୟଲାଭ କରିଛନ୍ତି ଓ ପ୍ରତ୍ଯକ ଥର ଯୁଦ୍ଧରେ ପରାଜିତ ହେବା ପରେ ଜଟିଆବାବୁ ମୁହଁ ଓହଳାଇ କିଛି ଦିନ ରହିବା ପରେ ପୁଣି ସାଧାରଣ ଅବସ୍ଥା କୁ ଫେରି ଆସନ୍ତି। ଅନେକ ବାର କୁନ୍ଥେଇ ଘରଛାଡି ଚାଲିଯିବାର ଧମକ ଦେଲେ ମଧ୍ଯ, ଘର ଏରୁଣ୍ଡିବନ୍ଧ ଡେଇଁ କୁଆଡେ ଯାଇ ନାହାଁନ୍ତି। କ୍ରୋଧୀ ପ୍ରକୃତ୍ତି ବିଶିଷ୍ଟା କୁନ୍ଥେଇଙ୍କ ମନରେ ଥିଲା ଜଟିଆଙ୍କ ପାଇଁ ଅନାବିଳ ଭଲପାଇବା ଓ ଭକ୍ତିଭାବ। ଗଣ୍ଡଗୋଳିଆ ଦିନସବୁ କୁ ବାଦ୍ ଦେଲେ ଅନ୍ଯ ଦିନରେ ସେ ଜଟିଆଙ୍କ ଭଲମନ୍ଦ ବୁଝିବାରେ କେବେ ଅବହେଳା କରନ୍ତିନି। ପାହାନ୍ତି ପହରୁ ଉଠି ଘରର ଯାବତୀୟ କାମ ସାରିବା ସହ, ରୋଷେଇବାସ ଓ ଅନ୍ଯାନ୍ଯ କାମରେ ସେ କେବେ ପଛକୁ ହଟିବାର କେବେ କେହି ଦେଖିନାହିଁ। ଚାକିରି ରୁ ଅବସର ନେବା ପରେ ଜଟିଆ ସଦାବେଳେ ମନ ଉଣା କରି ଟେଲିଭିଜନ ଆଗରେ ବସିବାରୁ, ସେ ନିଜେ ତାଙ୍କୁ ତେଣ୍ଟାରାମ୍ ଙ୍କ ଆଶ୍ରମ କୁ ଯିବାକୁ ଉପଦେଶ ଦେଇଥିଲେ। କାଳେ ଧର୍ମକଥା ଶୁଣି ଜଟିଆଙ୍କ ମନ ରେ କିଛି ପରିବର୍ତ୍ତନ ଆସିବ ବୋଲି ସେ ଆଶା କରିଥିଲେ। କିନ୍ତୁ ସେହି ଉପଦେଶ ଯେ ତାଙ୍କ ସୁନାସଂସାର ରେ ନିଆଁ ଲଗେଇଦେବ ସେ ବା କାହିଁକି ଭାବିଥାଆନ୍ତେ?
ତାଙ୍କ ମନରେ ଆସିଲା କାଳେ ନୀରବ ରହିଲେ ଜଟିଆ ପୂର୍ବ ଅବସ୍ଥା କୁ ଫେରି ସାଧାରଣ ଭାବରେ ଚଳିବେ, ତେଣୁ ସେ ବିନା ବାକ୍ଯବ୍ଯୟରେ ରୋଷେଇଘରେ ପଶିଲେ। ସେତିକି ବେଳେ ଘର ସାମନା ରେ ଗାଡିଟିଏ ରହିବାର ଶବ୍ଦ ଶୁଣି ପରଦା ଆଢୂଆଳରୁ ଦେଖିଲେ, ଗୈରିକ ବସ୍ତ୍ର ପରିହିତ ଦୁଇଜଣ ଲଣ୍ଡିତ ବ୍ଯକ୍ତି କବାଟରେ କରାଘାତ କରିବାକୁ ଉଦ୍ଯତ ହେଉଛନ୍ତି। ସେ ଦିଗ କୁ ଅଣଦେଖା କରି କୁନ୍ଥେଇ ରୋଷେଇ କାମରେ ମନ ଦେଲେ। କିଛି ସମୟ ଉତ୍ତାରୁ ଜଟିଆ ରୋଷେଇଘର କବାଟ ପାଖରେ ଧିର ସ୍ବରରେ କହିଲେ-- କିହୋ ଶୁଣୁଛ...ମୁଁ ଟିକେ ଆସୁଛି।
ରୋଷେଇଘରୁ ବାହାରିଲା ବେଳକୁ ଗାଡିଟି ଧୂଆଁ ଉଡେଇ ଜଟିଆଙ୍କୁ ନେଇ ସେ ଯାଗା ରୁ ଅନ୍ତର୍ଦ୍ଧାନ ହୋଇ ସାରିଥିଲା।
ତେଣ୍ଟାରାମ୍ ଙ୍କ ଆଶ୍ରମରେ ଅନେକ ଭକ୍ତ ଦେଖି ଜଟିଆ ଆହ୍ଲାଦିତ ହୋଇ ଉଠିଲେ। ତାଙ୍କ ସମବୟସ୍କ ଅନେକ ବ୍ଯକ୍ତି ଲଣ୍ଡିତ ମସ୍ତକ ହୋଇ, ସନ୍ଯାସୀ ରୂପେ ଜନ୍ମ ନେବାର ପ୍ରାକ୍ ପ୍ରସ୍ତୁତି ଚଳାଇଥିଲେ। ସମସ୍ତଙ୍କ ମୁହଁରେ ଥିଲା ଅପୂର୍ବ ପ୍ରଶାନ୍ତି ଓ ସେମାନଙ୍କ ଚକ୍ଷୁରେ ଉକୁଟି ଉଠୁଥିଲା ରକ୍ତିମ ଆଭା। ସେ ଅନୁଭବ କରି ପାରୁଥିଲେ ଭକ୍ତ ମାନଙ୍କ ମନରେ ଭକ୍ତିଭାବ ଗଦଗଦ ହୋଇ ବୋହିଯିବାର କଳକଳ ଶବ୍ଦ। ବ୍ଯସ୍ତ ହୋଇ ମନେମନେ କହି ପକାଇଲେ
-- ଆହାଃ, ମୁଁ ଚାଣ୍ଡାଳ କେଡେ ଭୁଲ୍ ଟାଏଁ ନ କଲି! ! ବହୁ ପୂର୍ବରୁ ତେଣ୍ଟାରାମ୍ ଙ୍କ ଦେଖା ମିଳିଥିଲେ,ଏବେ ସୁଦ୍ଧା ସନ୍ଯାସୀ ପାଲଟି ସାରି ଥାଆନ୍ତି ଓ ମୋକ୍ଷପ୍ରାପ୍ତିର ଦିନ ବେଶି ଦୂରରେ ନ ଥାଆନ୍ତା।
କିଛି ସମୟ ମଧ୍ଯରେ ସେ ନିଜକୁ ଆବିଷ୍କାର କଲେ ତେଣ୍ଟାରାମ୍ ଙ୍କ ଖାସ୍ ପ୍ରକୋଷ୍ଠରେ। ସେ ପ୍ରକୋଷ୍ଠଟି କୌଣସି ନାମୀ ଦାମୀ ହୋଟେଲର ଅତିଥି ଅଭ୍ଯର୍ଥନା ଗୃହ ପରି ଦୃଶ୍ଯ ହେଉଥିଲା। ଚତ୍ତୁଃର୍ପାଶ୍ବରେ ବାବା ଓ ତାଙ୍କର ଗୁରୁଙ୍କର ନାନା ଭଙ୍ଗୀର ଫଟୋଚିତ୍ର ଟଙ୍ଗା ଯାଇଥିଲା। ଭାରତବର୍ଷର ପାଖାପାଖି ସମସ୍ତ ବଡବଡିଆ ଲୋକଙ୍କ ସହ ବାବାଙ୍କ ଫଟୋ ଦେଖି ଜଟିଆ ବିମୋହିତ ହୋଇଗଲେ। କେବଳ ସେତିକି ନୁହଁ, "ପୃଥିବୀରେ ବସବାସ କରୁଥିବା ବିଭିନ୍ନ ରଙ୍ଗରୂପର ଲୋକଙ୍କ ସହ ବାବାଙ୍କ ଫଟୋ ମଧ୍ଯ ଥିଲା। ସେମାନଙ୍କ ଦେଖିଲେ ସ୍ପଷ୍ଟ ଜଣା ପଡୁଥିଲା, ସେମାନେ ପାତିମାଙ୍କଡିଆ, କେନ୍ଦୁକାଠିଆ, ବେଲୁନ୍ ପେଟିଆ,ଚିଲି ଚିକେନିଆ,ଆମାଜନିଆ ଜନଜାତିର ମନୁଷ୍ଯ। ଜଟିଆଙ୍କୁ ସବୁଠାରୁ ଅଧିକ ଆକୃଷ୍ଟ କଲା ଲଣ୍ଡିତ ମସ୍ତକ, ଗୈରିକ ବସ୍ତ୍ର ପରିହିତ ବ୍ଯକ୍ତି ମାନଙ୍କ ସହ ବାବାଙ୍କ ଫଟୋଚିତ୍ର। ସେ ଅନୁମାନ କରି ପାରୁଥିଲେ ଏମାନେ ନିହାତି ମୋକ୍ଷ ଦିଗର ଯାତ୍ରୀ ହୋଇଥିବେ, ବୋଧ୍ ହୁଏ ଏତିକି ବେଳକୁ ସେମାନଙ୍କର ମୋକ୍ଷପ୍ରାପ୍ତି ହୋଇ ସାରିବଣି।
ଏକ ଆରାମ ଦାୟକ ଚେୟାରରେ ବସି ବାବା ଗୁଣ୍ଠୁଣି ହାତୀ ପରି ଝୁଲି ଝୁଲି ଲାପଟପ୍ ରେ କିଛି ଖୁଚୁରୁ ଖାଚୁରୁ କରୁଥିବା ଅବସ୍ଥାରେ ପ୍ରଶ୍ନ କଲେ-- ବତ୍ସ୍ଯ , ତୁମେ ସନ୍ଯାସୀ ହେବା ପାଇଁ ପ୍ରସ୍ତୁତ ତ? ବାବାଙ୍କର ଅମୃତବଚନ ଶୁଣି ଜଟିଆ କୃତ୍ଯକୃତ୍ଯ ହୋଇ ଭୂଇଁରେ ଲମ୍ବତମ୍ବ ହୋଇ ଶୋଇଗଲେ। ଭକ୍ତିରେ ତାଙ୍କ କଣ୍ଠ ଥରି ଉଠିଲା, କମ୍ପିତ ସ୍ବରରେ କହିଲେ - - - ପ୍ରଭୋ, ମୁଁ ପ୍ରସ୍ତୁତ।
- - ସବୁ ସେହି ପରମେଶ୍ବରଙ୍କ କରୁଣା। ସମସ୍ତ ଦୁଃଖର ଓ ମୋହମାୟାର କାରଣ ଅର୍ଥ। ମୋକ୍ଷ ପାଇବାକୁ ହେଲେ, ତୁମ୍ଭକୁ ଅର୍ଥ ପ୍ରତି ଥିବା ଅହେତୁକ ଲୋଭ ତ୍ଯାଗ କରିବାକୁ ହେବ। ଖାଲି ହାତରେ ଏ ସଂସାର କୁ ଆସିଥିଲ , ତେଣୁ ତୁମେ କିପରି ଖାଲି ହାତରେ ସଂସାର ତ୍ଯାଗ କରି ମୋକ୍ଷ ପାଇବ, ତାହାର ବ୍ଯବସ୍ଥା ଆମ୍ଭେ କରିଦେବୁ, ନିଶ୍ଚିନ୍ତ ରୁହ। ଠିକ୍ ଅଛି ବତ୍ସ୍ଯ ତୁମ୍ଭ କୁ ଆମ୍ଭର ଅନୁଚର ମାନେ ମୋକ୍ଷପ୍ରାପ୍ତିର ପ୍ରଣାଳୀ ସବିସ୍ତାରେ ବୁଝାଇ ଦେବେ। ଆଜି ସଂନ୍ଧ୍ଯା ରେ ମୁଁ ଏହି ସ୍ଥାନରୁ ପ୍ରସ୍ଥାନ ନେବି। ସମୟର ସ୍ବଳ୍ପତା ହେତୁ ତୁମ୍ଭ ସହ ଅଧିକ ଆଳାପ କରିବା ସମ୍ଭବ ହେଉନି। ତୁମେ ବିବ୍ରତ ହୁଅନି, ଆମ୍ଭର ମୋକ୍ଷପ୍ରାପ୍ତି ପ୍ଯାକେଜ୍ ର ସଦସ୍ଯ ମାନଙ୍କ ସହ ମୁଁ ବ୍ଯକ୍ତିଗତ ସମ୍ପର୍କ ରଖେ।
– ହେଁ ... ମୋକ୍ଷପ୍ରାପ୍ତି ପ୍ଯାକେଜ୍???? ଜଟିଆଙ୍କ କାନ ପାଖରେ ପ୍ଯାକେଜ୍ ଶବ୍ଦଟା ଖଞ୍ଜଣି ବାଜିଲା ପରି ଗୁଞ୍ଜରିତ ହେବାକୁ ଲାଗିଲା ଓ ପାଟି ମେଲା ହୋଇଗଲା।
କିଛି ପ୍ରଶ୍ନ ପଚାରିବା ପୂର୍ବରୁ ଅନୁଚର ମାନେ ତାଙ୍କୁ ଅନ୍ଯ ଏକ ବଖରା କୁ ଏକ ପ୍ରକାର ଘୋଷାରି ନେଲେ। ସେଠାରେ ଅଳ୍ପ ନିଶ ଗଜୁରା କିଛି ଯୁବକ ଲାପଟପ୍ ସାମନା ରେ କାଗଜପତ୍ର ମେଲାଇ ବସିଥିଲେ। ବାବାଙ୍କ ଅନୁଚର ମାନେ ବାହାରକୁ ଚାଲିଗଲେ ଓ ମହମହ ବସ୍ନା ରେ ଜାଗାଟିକୁ କମ୍ପେଇ ଜଣେ ଅନିଦ୍ଯ ସୁନ୍ଦରୀ ଯୁବତୀ ମନ୍ଦ ମନ୍ଦ ହସି ପ୍ରବେଶ କଲେ ଓ ମଧୁର ବାଣି ବର୍ଷଣ ପୂର୍ବକ କହିଲେ-
– - ଭକ୍ତ ମହାଶୟ ଆପଣଙ୍କୁ ଆମ ଗହଣ ରେ ପାଇ ଆମେ ଭାଗ୍ଯବାନ ମନେ କରୁଛୁ। ଆପଣଙ୍କୁ ସଂକ୍ଷେପରେ ମୁଁ ମୋକ୍ଷପ୍ରାପ୍ତି ପ୍ଯାକେଜ୍ ବିଷୟ ରେ କିଞ୍ଚିତ୍ ସୂଚନା ପ୍ରଦାନ କରୁଛି। ଆଜୀବନ ସଦସ୍ଯ ହେବା ପାଇଁ ପଚିଶି ଲକ୍ଷ ଟଙ୍କା, ଦଶ ବର୍ଷ ପାଇଁ କୋଡିଏ ଲକ୍ଷ ଟଙ୍କା, ପାଞ୍ଚ ବର୍ଷ ପାଇଁ ଷୋହଳ ଲକ୍ଷ ଟଙ୍କା ଓ ବର୍ଷିକିଆ ଟ୍ରାଏଲ୍ ପ୍ଯାକ୍ ପାଇଁ ଦଶ ଲକ୍ଷ ଟଙ୍କା। ଦଶ ବର୍ଷ, ପାଞ୍ଚ ବର୍ଷ ଓ ବର୍ଷିକିଆ ଭକ୍ତ ମାନେ ଟପ୍ ଅପ୍ ମୋକ୍ଷ ପ୍ଲାନ୍ ନେଲେ ଦେବାକୁ ପଡିବ ବର୍ଷକୁ ପନ୍ଦର ଲକ୍ଷ ଟଙ୍କା। ଆଜୀବନ ସଦସ୍ଯଙ୍କ ଆତ୍ମା ମୋକ୍ଷ ପାଇବାର ଗ୍ଯାରେଣ୍ଟି ଆମେ ଦେଉଛୁ। ଆଜୀବନ ସଦସ୍ଯଙ୍କ ମୃତ୍ଯୁ ପରେ, ମୃତ ଶରୀର କୁ ହିମାଳୟର ହିମଛାୟା ତଳେ ସମାଧିସ୍ଥ କରିବା ଦାୟିତ୍ବ ଆମେ ବହନ କରିବୁ। କିନ୍ତୁ ଅନ୍ଯ ସବୁ ପ୍ଯାକେଜ୍ ର ସଦସ୍ୟ ମାନେ ଅସମୟରେ ମୃତ୍ଯୁବରଣ କଲେ ସେମାନଙ୍କ ଅନ୍ତିମ ସଂସ୍କାର ପାଇଁ ଆବଶ୍ଯକ ଅର୍ଥ ଅଗ୍ରୀମ ଗ୍ରହଣ କରାଯିବାର ବ୍ଯବସ୍ଥା ଅଛି। ମୃତ୍ଯୁ ପରେ ଆତ୍ମାକୁ ମୋକ୍ଷ ଦିଗରେ ଅଗ୍ରସର କରିବେ ତେଣ୍ଟାରାମ୍ ଙ୍କ ଗୁରୁ ଭୃଷୁଣ୍ଡାରାମ୍। ସେ କେବଳ ଏହି କାର୍ଯ୍ଯ କୁ ତ୍ବରାନ୍ବିତ କରିବାକୁ ସ୍ବର୍ଗଲୋକରେ ଅଧିଷ୍ଠିତ ଓ ଅଗଣିତ ଭକ୍ତଙ୍କ ମୋକ୍ଷପ୍ରାପ୍ତି ଦିଗରେ ସାହାଯ୍ଯ ସାରିଲେଣି। ଏଥିରେ ସନ୍ଦେହ ହେଲେ ମୋକ୍ଷ ପାଇ ସାରିଥିବା ପୂଣ୍ଯାତ୍ମା ମାନଙ୍କ ସହ କଥାବାର୍ତ୍ତା କରିବା ପାଇଁ ପ୍ଲାଞ୍ଚେଟ୍ କଲ୍ ର ବ୍ଯବସ୍ଥା ଆମ୍ଭ ଆଶ୍ରମରେ ଉପଲବଧ। ଆପଣଙ୍କ ବ୍ଯାଙ୍କ ଆକାଉଣ୍ଟ ନମ୍ବର, ଆଧାର କାର୍ଡ, ଜମିଜମା ର କାଗଜପତ୍ର ଓ ସ୍ଥାବର ଅସ୍ଥାବର ସମ୍ପତ୍ତିର ତାଲିକା ଦେବାକୁ ହେବ। ଦୈବାତ୍ କେବେ ଆବଶ୍ଯକତା ପଡିଲେ ଆପଣଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତିରୁ କିଛି ଆର୍ଥିକ ସହାୟତା ନିଆଯାଇ ପାରେ, ଏତଦ୍ ବ୍ଯତୀତ ଆପଣଙ୍କର ସମ୍ପତ୍ତି ଅନୁସାରେ ସଂସାର ପ୍ରତି ଥିବା ଲୋଭ, ମୋହ, ମାୟାର ମାତ୍ରା ସଠିକ୍ ଆକଳନ କରି, କେଉଁ ପ୍ଯାକେଜ୍ ଆପଣଙ୍କ ପାଇଁ ଉପଯୁକ୍ତ ସେ ବିଷୟରେ ମଧ୍ଯ ଦିଗ୍ ଦର୍ଶନ ଦିଆଯାଇ ପାରିବ। ଥରେ ସନ୍ଯାସୀ ହେଲେ ଆପଣଙ୍କୁ ହିମାଳୟର ପାଦଦେଶରେ ଅବସ୍ଥିତ “ତେଣ୍ଟାରାମ୍ ଅରଣ୍ଯ”କୁ ଯାଇ ତପସ୍ଯା କରିବାକୁ ହେବ। ସେଠାରେ ସାତ୍ତ୍ବିକ ଖାଦ୍ଯ ପାନୀୟର ବ୍ଯବସ୍ଥା ଅଛି। ଏହି ଦେଖନ୍ତୁ ସେ ଅରଣ୍ଯସ୍ଥିତ ରେଷ୍ଟୁରାଣ୍ଟ ର ମେନୁ କାର୍ଡ। ରାତ୍ରିରେ ବିଶ୍ରାମ ପାଇଁ ଶୟନକକ୍ଷର ମଧ୍ଯ ବ୍ଯବସ୍ଥା ଅଛି, ଏଇ ନିଅନ୍ତୁ ଦର ତାଲିକା। ସ୍ବାସ୍ଥ୍ଯଗତ ସମସ୍ଯା ଦେଖାଦେଲେ ସେଠାରେ ଏକ ବିରାଟ ନର୍ସିଂହୋମ୍ ମଧ୍ଯ ଅଛି। ସମସ୍ତ ପ୍ରକାର ଚିକିତ୍ସା ସୁଲଭ ଦରରେ କରାଯିବ ଓ ଆମ ସହ ଯିବା ପୂର୍ବରୁ ଆପଣଙ୍କୁ ଜୀବନରକ୍ଷକ “ତେଣ୍ଟାରାମ୍ ସ୍ବାସ୍ଥ୍ଯ ବୀମା” କମ୍ପାନୀରେ ପଞ୍ଜିକରଣ କରିବାକୁ ହେବ। ବୀମା ଦେୟ ବର୍ଷକୁ ମାତ୍ର କୋଡିଏ ହଜାର। ଆମ ସହ ଯିବା ପାଇଁ ବିଭିନ୍ନ ଯାନର ବ୍ଯବସ୍ଥା ଅଛି, ତାହାର ଦର ତାଲିକା ଦେଖି ନିଅନ୍ତୁ। ହଁ, ଏକ ଜରୁରୀ ସୂଚନା ସନ୍ଯାସୀ ହେବା ପରେ ଆପଣଙ୍କୁ ତେଣ୍ଟାରାମ୍ ବାବାଙ୍କ ବ୍ରାଣ୍ଡର ଗେରୁଆ ବସ୍ତ୍ର, କଠଉ ଓ କମଣ୍ଡଳୁ ବ୍ଯବହାର କରିବାକୁ ହେବ। ଯେହେତୁ ଏ ସବୁ ସାମଗ୍ରୀ ବଜାରରେ ମିଳୁନାହିଁ, ଆମେ ଏହି ସାମଗ୍ରୀ ମାତ୍ର ଦଶହଜାର ଟଙ୍କାରେ ଯୋଗାଇ ଦେବୁ। ଯଦି ପୂର୍ବରୁ ଲଣ୍ଡିତ ମସ୍ତକ ହୋଇ ଆସିବେ ଭଲ କଥା ନୋହିଲେ ଆମେ ଆପଣଙ୍କୁ ଅତି ଯତ୍ନର ସହ ଲଣ୍ଡା କରିଦେବୁ। ତେବେ କୁହନ୍ତୁ ମହାଶୟ ଆପଣ କେଉଁ ପ୍ଯାକେଜ୍ ପାଇଁ ଆଗ୍ରହୀ?
ସେତେବେଳକୁ ଜଟିଆଙ୍କ ପିଳେହି ପାଣି ହୋଇ ସାରିଥିଲା। ସେହି ଯୁବତୀର ବକ୍ଷ ବିଦୀର୍ଣ୍ଣକାରୀ ବଚନବର୍ଷା, ତାଙ୍କ ମୋକ୍ଷ ପାଇବାର ନିଶା ଚୁରମାର୍ କରିବାକୁ ଯଥେଷ୍ଟ ଥିଲା। ସ୍ବଭାବରେ କୃପଣ, ଜଟିଆ ଜୀବନକାଳ ମଧ୍ଯରେ ଗଣେଷପୁଜା ପାଇଁ କାହାକୁ ଦଶ ଟଙ୍କା ଦେଇଥିବେ କି ନାହିଁ ସନ୍ଦେହ। ମୋକ୍ଷ ପାଇବା ପାଇଁ ଲାକ୍ଷାଧିକ ଟଙ୍କାଖର୍ଚ୍ଚ ଓ ଜଟିଳ ପ୍ରଣାଳୀ ବିଷୟରେ ଜାଣିବା ପରେ, ଶୀତତାପ ନିୟନ୍ତ୍ରିତ ବଖରା ରେ ମଧ୍ଯ ତାଙ୍କ ଦେହଟି ଝାଳରେ ତିନ୍ତି ସାରିଥିଲା।
ଯୁବତୀଟି ମଧୁର ଅଥଚ ଚେତାବନୀ ଦେବା ସ୍ବରରେ କହିଲା-- ଆଜ୍ଞା ସମୟ ନଷ୍ଟ କରନ୍ତୁ ନାହିଁ। ଅରଣ୍ଯରେ ତପସ୍ଯା ପାଇଁ ସ୍ଥାନ ର ଅଭାବ ଅଛି। ବିଳମ୍ବ କଲେ ଅଯଥା ରେ ନିରାଶ ହେବେ, ପୁଣି ଥରେ ସ୍ଥାନ ଖାଲି ହେବାକୁ ବର୍ଷାଧିକ କାଳ ଲାଗି ଯାଇପାରେ।
ଜଟିଆଙ୍କ ମୁହଁରେ କୋଲପ ପଡିଯାଇଥିଲା । ଚେଷ୍ଟା କରି ମଧ୍ଯ ସେ ପଦୁଟିଏ କଥା କହି ପାରୁ ନ ଥିଲେ। ବଡ କଷ୍ଟରେ ଥତମତ ହୋଇ କହିଲେ-- ଏତେ ଗୁଡେ ଟଙ୍କା ଲାଗିବ ବୋଲି ମୁଁ ଜାଣି ନ ଥିଲି। ମୁଁ ଟିକେ ଚିନ୍ତା କରି କହିବି। ଭାବୁଛି କିଛି ଦିନ ଅପେକ୍ଷା କରିଯିବି, ଆର ବର୍ଷ ଆଡକୁ ସେ ବିଷୟରେ ଚିନ୍ତା କରିବି। ବାବାଙ୍କ ମୋକ୍ଷପ୍ରାପ୍ତି ପ୍ଯାକେଜ୍ ର ବର୍ଣ୍ଣନା ଶୁଣି ମୋତେ ଲାଗୁଛି ମୋର ଆଉ ମୋକ୍ଷ ଦରକାର ନାହିଁ। ମଲା ପରେ ଆଉ ଥରେ ଜନ୍ମ ନେବି ପଛକେ ଏତେ ଟଙ୍କା ଖର୍ଚ୍ଚ କରିବି ନାହିଁ।
ଜଟିଆଙ୍କ ଉତ୍ତର ଶୁଣି , ଅନିଦ୍ଯ ସୁନ୍ଦରୀ ଯୁବତୀ ଟି ଦାନ୍ତ ନିକୁଟି ହାଡବାଇ ପରି ତାଙ୍କ ଆଡକୁ ଝପଟି ଆସିଲା। ନାନା ଅଶ୍ରାବ୍ଯ ଭାଷାରେ ଗାଳି ଫଜିତ୍ କରି ଦରିଦ୍ର, ଭିକାରି,ବାଡିଖିଆ, ରଇଜଳା, ଗାଡଶୁଆ ଆଦି ଗାଳିରେ ପୋତି ପକେଇଲା। କିନ୍ତୁ ସେ ବା କାହୁଁ ଜାଣିବ, ଜଟିଆ ହେଲେ କଂସାରି ଘର ପାରା, ତାଙ୍କୁ ଏ କୁଲା ଢାଉଁ ଢାଉଁ ଡରା କି କାଟୁ କରିବ ! ଏ ଯୁବତୀ ଯେତିକି ଗାଳି ଦେଲା ତାହା ଜଳଖିଆ ମଧ୍ଯ ନୁହଁ, ସେ ତ ମାସରେ ତିନି ଚାରି ଥର କୁନ୍ଥେଇଙ୍କ ପାଖରୁ ଗାଳି ଫଜିତ୍ ର ଭରପୁର ଭୋଜି ଖାଆନ୍ତି।
କଣ ଭାବିଲେ କେଜାଣି, ସେ ଦାନ୍ତ ନିକୁଟି ସେ ଯୁବତୀ କୁ ଖତେଇ ହୋଇ କହିଲେ - - ଆଲୋ ମାଆ ତୁ ଯଦି ସନ୍ଯାସିନୀ ହୋଇଛୁ, ଲାଣ୍ଡିମୁଣ୍ଡିଆ କାହିଁକି ହୋଇନୁ, ତୋର ମୋକ୍ଷ ଦରକାର ନାହିଁ କି ? ତୁ ଟିକେ କହିଲୁ ମୋତେ କେଉଁ ପ୍ଯାକେଜ୍ କିଣିଛୁ? ଏପରି ଅପ୍ରତ୍ଯାଶିତ ଅପମାନଜନକ କଥା ଶୁଣି ଯୁବତୀଟି ଭେରେଣ୍ଡା ରଡି ଛାଡି ଦଉଡି ପଳାଇଲା। ଜଟିଆ ଆଉ କିଛି କାରନାମା ଦେଖାଇ ଥାନ୍ତେ କି କଣ, ବାବାଙ୍କ ଅନୁଚର ମାନେ ଆସି ତାଙ୍କୁ ଭଲରେ ଛେଚାକୁଟା କରି ରାସ୍ତା ରେ ଫିଙ୍ଗି ଦେଇ ଆସିଲେ।
କବାଟରେ କାହାର ଆଘାତ ଶୁଣି କୁନ୍ଥେଇ ବାହାରକୁ ଆସି ଜଟିଆଙ୍କ ଧାନ ବେଙ୍ଗଳିଆ ରୂପ ଦେଖି ଚମକି ପଡିଲେ। ଜଟିଆ ଦେଖିଲେ କୁନ୍ଥେଇଙ୍କ ଆଖି ଦୁଇଟି କାନ୍ଦି କାନ୍ଦି ଆଖିଧରା ରୋଗୀ ପରି ଲାଲ୍ ପଡି ଯାଇଥିଲା। ରାଗ ଅଭିମାନରେ ଜର୍ଜରିତ କୁନ୍ଥେଇ ଝପଟି ଆସି ଜଟିଆଙ୍କୁ ଧକ୍କାଟେ ମାରି କହିଲେ-- ସନ୍ଯାସୀ ହେବାର ଅଛି ଯଦି ହୁଅ, ମୋର କିଛି କହିବାର ନାହିଁ ; କିନ୍ତୁ ଆମ ମାଆ ପିଲା ତିନି ଜଣଙ୍କୁ ଟିକେ ବିଷ ଦେଇ ଦିଅ, ଆମେ ମରିଯିବା ପରେ ଯାହା ଇଛା କର।
କୁନ୍ଥେଇଙ୍କ ପାଞ୍ଚ ମହଣିଆ ଧକ୍କା ଖାଇ ଜଟିଆ ଖଣ୍ଡେ ଦୂରରେ ଫିଙ୍ଗି ହୋଇ ପଡିଲେ। ଝାଡିଝୁଡି ହୋଇ ଆସି କୁନ୍ଥେଇଙ୍କୁ କୁଣ୍ଢେଇ ଧରି କହିଲେ-- ଦରକାର ନାହିଁ ମୋର ମୋକ୍ଷ । ତୁମେ ଓ ପିଲା ମାନେ ହେଲ ମୋ ଇଶ୍ବର ଓ ଏ ଘର ହେଲା ମୋ ମନ୍ଦିର। ତୁମ ହାତ ଧରିଲାବେଳେ ଶପଥ କରିଥିଲି, ତୁମକୁ କୌଣସି ପରିସ୍ଥିତିରେ ମଧ୍ଯ ଏକୁଟିଆ ଛାଡିବିନି। ଆଜି ସେ ଶପଥ କୁ ଅଣଦେଖା କରି ମୁଁ ଭୁଲ୍ କରିଛି, ମୋତେ କ୍ଷମା କରିଦେବ। କୁଆଡେ ଗଲା ସେ ଚଗଲା ମୁନା, ଡାକ ତାକୁ। ତାକୁ କୁହ, ଆଜି ହାଇଦର ହୋଟେଲ୍ ରୁ ଚିକେନ୍ ବିରିୟାନୀ, ଚିଲି ଚିକେନ୍ ଓ ମଟନ୍ କିମା ଆଣୁ ; ଜମେଇ କି ଖାଇବା।
– – ତେବେ ତୁମ ସନ୍ଯାସୀ ହେବା କଥା ଓ ମୋକ୍ଷ ? ବ୍ଯସ୍ତ ହୋଇ ପଚାରିଲେ କୁନ୍ଥେଇ।
ହୋଃ ହୋଃ ହସିଲେ ଜଟିଆ, କହିଲେ--
ସର୍ବଧର୍ମାନ୍ ପରିତ୍ଯଜ୍ଯ ମାମେକଂ ଶରଣଂ ବ୍ରଜ,
ଅହଂ ତ୍ବା ସର୍ବପାପେଭ୍ଯୋ ମୋକ୍ଷୟିଷ୍ଯାମି ମା ଶୁଚଃ ।।
ଶ୍ରୀମଦ୍ ଭଗବତ୍ ଗୀତା ର “ମୋକ୍ଷ ସନ୍ଯାସ ଯୋଗ” ଅଠର ଅଧ୍ଯାୟ ଛଅଷଠି ନମ୍ବର ଶ୍ଳୋକରେ ଭଗବାନ୍ ଶ୍ରୀ କୃଷ୍ଣ, ଅର୍ଜୁନ୍ ଙ୍କୁ ବୁଝାଇ କହିଛନ୍ତି - - ସକଳ ଧର୍ମ ପରିତ୍ଯାଗ କରି କେବଳ ଏକମାତ୍ର ମୋ ଶରଣ ନିଅ। ମୁଁ ତୁମକୁ ସର୍ବପାପରୁ ମୁକ୍ତ କରିଦେବି, ତୁମେ କେବେ ଶୋଚନା କରନାହିଁ, ମୁଁ ତୁମକୁ ମୋକ୍ଷ ଦେବି।
କିଛି ବୁଝି ନ ପାରି କୁନ୍ଥେଇ ବଲବଲ କରି ଚାହିଁବାରୁ, ଜଟିଆ ବୁଝାଇ କହିଲେ-- ଭଗବତ୍ ଗୀତା ର ଏହି ଶ୍ଳୋକ ମୁଁ ଜୀବନରେ ଲାକ୍ଷାଧିକ ବାର ପଢିଥିଲି, କିନ୍ତୁ ଏହାର ପ୍ରକୃତ ଭାବାର୍ଥ ଆଜି ବୁଝିପାରିଲି। ସେହି ପରମ କାରୁଣିକ ଜଗନ୍ନାଥଙ୍କ ପାଖରେ ମୁଁ ଆଜିଠାରୁ ଶରଣ ନେଲି, ଯଦି ସେ ମୋତେ ମୋକ୍ଷ ଦେବେ, ଭଲ , ନଦେଲେ ବି ଭଲ। ମୋ ମନରେ କିଛି ଅନୁଶୋଚନା ନାହିଁ।
କବାଟ ଫାଙ୍କରେ ଝିଅ ମିନି ,ବାପା ମାଆଙ୍କ ମଧ୍ଯରେ ଯୁଦ୍ଧ, ପ୍ରେମ ସମ୍ଭାଷଣ ଓ ଧର୍ମଚର୍ଚ୍ଚା ଦେଖି ଭାଇ କୁ ପଚାରିଲା-- ଭାଇ, ବାପା କଣ ସତରେ ଲଣ୍ଡାମୁଣ୍ଡିଆ ଡ୍ରାଇଭର ହୋଇ ସନ୍ଯାସୀ ପାଲଟି ଜଙ୍ଗଲରେ ତପସ୍ଯା କରିବେ ?
ହସି ହସି ପୁଅ ମୁନା କହିଲା-- ଆଲୋ ହୁଣ୍ଡି ତୁ ଶୁଣିଲୁନି କି ! ଏବେ ଆମ ସନ୍ଯାସୀଙ୍କର, ହାଇଦର ବିରିୟାନୀ, ଚିଲି ଚିକେନ୍ ଓ ମଟନ୍ କିମା ଖାଇବାର ଝୁଙ୍କ ଚଢିଛି । ମୁଁ ଆଗ ଖାଇବା ଟା ଆଣି ଆସେ, ଖିଆପିଆ ସରିଲା ପରେ ସେ ବିଷୟରେ ଆଲୋଚନା କରିବା।
ମୋକ୍ଷପ୍ରାପ୍ତିର ପଥ ଅତୀବ କଷ୍ଟସାଧ୍ଯ ଓ କଣ୍ଟକିତ ; ଏକଥା ଅନ୍ତତଃ ଜଟିଆ ଙ୍କୁ ଧାର୍ମିକ ଗୁରୁ ତେଣ୍ଟାରାମ୍ ଙ୍କ ମୋକ୍ଷପ୍ରାପ୍ତି ପ୍ଯାକେଜ୍ ଭଲରେ ବୁଝାଇ ଦେଇଥିଲା। ସେଦିନ ପରଠାରୁ ସେ ଭୁଲରେ ମଧ୍ଯ କେବେ ସନ୍ଯାସୀ ହେବା କଥା ତୁଣ୍ଡରେ ଧରିବାର କେହି ଶୁଣି ନାହାନ୍ତି।
--ସମାପ୍ତ--
Tuesday, November 27, 2018
ଜୀବନର କେତେ ରଙ୍ଗ
ଲେଖକ- ଅରବିନ୍ଦ ରଥ
– – ଏ ରିକ୍ସା ଯିବୁ କିରେ? ଟିକେ ଚଢା ଗଳାରେ ପଚାରିଲା ରାମ।
– – ହଁ ବାବୁ କୁଆଡେ ଯିବୁ କହ, ଯିବିନି କଣ ପାଇଁ ?
– – ହଉ ଚାଲ୍। ସାଙ୍ଗେସାଙ୍ଗେ ହୋଟେଲ୍ ର ଠିକଣାଟି ପଢି ଶୁଣେଇ ଦେଲା ରାମ। ପଚାରିଲା କେତେ ନେବୁ କହ।
ରିକ୍ସା ବାଲା ଟି କହିଲା – – ତୋତେ କଣ ଦର କହିବି ବାବୁ, ଏତେ ବଡ ସାହେବ ପରି ଲାଗୁଛୁ। ଯାହା ଠିକ୍ ଭାବିବୁ ଦେବୁ।
ସାହେବ୍ ସମ୍ବୋଧନ ଶୁଣି ରାମ ଟିକେ ଖୁସି ହେଇଗଲା ; କହିଲା ହଉ ଚାଲ ଯିବା।
ରାମ ଗୋଟିଏ କମ୍ପାନୀରେ କାମ କରେ। ଅଫିସ୍ କାମ ନେଇ ଭୁବନେଶ୍ବର ଆସିଥିଲା। ରାତିରେ ରହିବା ପାଇଁ କମ୍ପାନୀ ତରଫରୁ ଘର ଠିକ୍ ହୋଇ ସାରିଥଲା ପୂର୍ବ ରୁ। ତେଣୁ କେବଳ ଠିକଣାରେ ପହଞ୍ଚିଗଲେ ଚିନ୍ତା ଗଲା।
ରାମ ଲକ୍ଷ୍ଯ କଲା ରିକ୍ସାବାଲା କୁ , ସେ ନିହାତି ଗରିବ ଜଣା ଯାଉଥିଲା। ପିନ୍ଧିଥିଲା ଏକ ଚିରା ଗଞ୍ଜି ଓ ଗାମୁଛା। ମୁଣ୍ଡରେ ନୁଖୁରା କେଶ ଓ ପେଜୁଆ ଆଖି ଦୁଇଟି ରେ ନିରାଶା ଭାବ ଫୁଟି ଉଠୁଥିଲା। ଉଭୟ ହାତ ଦୁଇଟି ରେ ଶିରା ପ୍ରଶିରା ର ଉପସ୍ଥିତି ସୁସ୍ପଷ୍ଟ ଦିଶୁଥିଲା ଓ ପତଳା ଗୋଡ ଦୁଇଟି ରେ ପେଣ୍ଡୁ ପରି ଫୁଲି ରହିଥିବା ମାଂସପେଶୀ, ଲୋକଟିର ପରିଶ୍ରମଭରା କଷ୍ଟକର ଜୀବନ ଶୈଳୀ ବିଷୟ ରେ ବଖାଣିବା ପରି ମନେ ହେଉଥିଲା। ରାମ ରିକ୍ସାରେ ଚଢିବା ପରେ ଲୋକଟି ରାସ୍ତା ଉପରେ ଦୃଷ୍ଟି ନିବଦ୍ଧ କରି ମନ ଫୁଲାଣିଆ ଗୀତ ଗାଇ ସେ ପେଡାଲ୍ ମାରି ବାରେ ବ୍ଯସ୍ତ ରହିଲା। ସେତେବେଳକୁ ପାଖାପାଖି ରାତି ଦଶ ଟା ହୋଇ ସାରିଥିଲା। ରାସ୍ତାଘାଟରୁ ଗହଳି କମି ସାରିଥିଲା, ମାତ୍ର କାଁ ଭାଁ ମୋଟର ସାଇକେଲ କେତେଟା ପ୍ରଚଣ୍ଡ ଶବ୍ଦ କରି ତୀର ପରି ଛୁଟି ଚାଲିଥିଲେ ରାତିର ଘନ ଅନ୍ଧକାରର ମୋଟା ଚାଦର କୁ ବିଦୀର୍ଣ୍ଣ କରି। ନ ହେଲେ ଚତୁଃପାର୍ଶ୍ବ ରେ କେବଳ ନୀରବତା ହିଁ ବିରାଜମାନ କରୁଥିଲା। ନୀରବତାର ପାଚେରୀରେ ଆଘାତ କରି ଭାଙ୍ଗି ରାମ ପଚାରିଲା,
“ ତୋ ନାଁ କଣ?
– – ମୋ ନାଁ କେଶବ, ମୋତେ ସବୁ କେଶୁ ବୋଲି ଡାକନ୍ତି।
– – ତୋ ଘର କୁଆଡେ, ତୁ ରହୁଛୁ କେଉଁଠି ? ତୋ ବିିଷୟ ରେ କିଛି କହ।
ମୋର ଘର ନାହିଁ ବାବୁ। ରାତି ରେ ମୁଁ ଯେଉଁଠି ଶୁଏ ସେଇ ଟା ମୋ ଘର। କେବେ ଗଛ ତଳେ ତ କେବେ କାହା ବାରଣ୍ଡାରେ। କେବେ ଏଇ ରିକ୍ସାରେ, ତ ଆଉ କେବେ ରାସ୍ତା କଡରେ। ଏମିତି କହିଲେ ଚାରି ଆଡେ ମୋ ଘର। ଏ ରିକ୍ସା ମୋର ନୁହଁ ; ଦିନ ସାରା ଖଟି ଯାହା ରୋଜଗାର କରେ ତହିଁ ରୁ ମାଲିକ କୁ ଦିଏ ପଚାଶ ଟଙ୍କା ଭଡା ବାବଦ କୁ। ଯାହା ବଳି ପଡେ ସେତିକି ମୋ କମାଣି। ଏକୁଟିଆ ଲୋକ ମୁଁ, କାହା ଦାୟିତ୍ବ ନେଇ ପାରିବିନି ବୋଲି ହାତ କୁ ଦି ହାତ ହୋଇନି। ବାପା ମାଆ କାହାକୁ କୁହନ୍ତି ମୁଁଁ ଜାଣିନି ବାବୁ। ବସ୍ତି ଲୋକେ କୁହନ୍ତି, ଜନ୍ମ ହେଲା ପରେ ମୋତେ କୁଆଡେ ନାଳ ରେ ଫିଙ୍ଗି ଦିଆ ଯାଇଥିଲା। ସେଇ ବସ୍ତି ରେ ମୋ ପିଲା ଦିନ କଟିଛି। ଯେବେଠୁ ଦୁନିଆ ବିଷୟରେ ଜାଣିଲି ; ନିଜକୁ ଦେଖିଛି ଏଇ ରାସ୍ତା କଡରେ। ଗୋଟେ ନିଶ୍ବାସରେ କହି ଗାମୁଛା ରେ ଆଖି ପୋଛିଲା ସେ।
ରାମ କୁ ତାଜୁବ୍ ଲାଗିଲା। ଲୋକଟିର ଅତୀତ ଯେ ଏତେ ତିକ୍ତମୟ ହୋଇଥିବ ସେ ଅନୁମାନ କରି ପାରି ନ ଥିଲା। କଥା କୁ ଟିକେ ହାଲୁକା କରିବାକୁ ସେ ଧିର ସ୍ବର ରେ ପଚାରିଲା
…...ଆଛା ତୁ ଖିଆପିଆ କେମିତି କରୁ? ରେଷେଇ ବାସ କରୁ କେମିତି?
ପଛ ଆଡକୁ ଚାହିଁ ମୁହଁରେ ଶୁଖିଲା ହସ ଉକୁଟାଇ ସେ କହିଲା
– – ମୋର କିଛି ବି ଠିକ୍ ନାହିଁ, କେବେ ମିଳିଲେ ଖାଏ ନୋହିଲେ ପାଣି ପିଇ ଶୁଏ। ମୋ ପାଖରେ, ସବୁ ଦିନ ପଇସା ରୁହେନି। ମାଲିକ କୁ ଦେଲା ପରେ ଯାହା ପଇସା ରୁହେ, ସେଥିରେ ଚଳିବା କଷ୍ଟ। କେବେକେବେ ମନ୍ଦିରରୁ ଟିକେ ଖାଇବା ମିଳି ଯାଏ। ନହେଲେ କିଏ କଣ ଦେଲେ ସେଥିରେ ଚଳି ଯାଏ । ପ୍ରଭୁଙ୍କ ଦୟାରୁ, ଜୀବନ ବଞ୍ଚାଇବା ପାଇଁ ଯେତିକି ଖୋରାକ ଦରକାର ସେତିକି ମିଳିଯାଏ।
ଏମିତି ଜଣେ ଲୋକ ସହ ସାକ୍ଷାତ ହୋଇ ନ ଥିଲା ରାମ ର। କେବଳ ସମ୍ବାଦପତ୍ରରେ ସେ ପଢେ ଗରୀବ ଲୋକ ମାନଙ୍କର ଦୟନୀୟ ଅବସ୍ଥା ବିଷୟରେ। କିନ୍ତୁ ସେଥିରେ ଯେ ଏତେ ମାତ୍ରାରେ ସତ୍ଯତା ଥାଏ ସେ କଳ୍ପନା କରି ନ ଥିଲା। ଦୁଇଜଣଙ୍କ ମଧ୍ଯରେ ହୋଇଥିବା ଗମ୍ଭୀର ବାର୍ତ୍ତାଳାପରେ ବିରାମ ଲାଗିବା କ୍ଷଣି, ନୀରବତା ନିଜର ଆଧିପତ୍ଯ ବିସ୍ତାର କରିବାରେ ବିଳମ୍ବ କରି ନ ଥିଲା। ନୀରବତା ର ମୋଟା ପାଚେରୀ ଉପରେ, କେବଳ ମୃଦୁ ଆଘାତ ଦେଇ ଚାଲିଥିଲା ରିକ୍ସା ପେଡାଲ ଓ କେଶବ ର ନିଶ୍ବାସ ପ୍ରଶ୍ବାସର ସଁ ସଁ ଶବ୍ଦ।
ଧିର ଗତିରେ ରିକ୍ସାଟି ଗନ୍ତବ୍ଯ ସ୍ଥଳ ଦିଗରେ ଅଗ୍ରସର ହେବା ସାଙ୍ଗକୁ, ରାମ କଳ୍ପନା ଦୁନିଆରେ ବିଚରଣ କରିବା ଆରମ୍ଭ କରି ଦେଇଥିଲା। କେମିତି ତାର ପ୍ରମୋଶନ ହେବ, ଅଧିକା ଟଙ୍କା ରୋଜଗାର ହେବ, ସ୍ତ୍ରୀ ପାଇଁ ସୁନା ଗହଣା ଓ ପିଲା ଙ୍କ ପାଇଁ ଖେଳନା ନେବ, ସହର ଭିତରେ ଏକ ସୁନ୍ଦର ଫ୍ଲାଟ୍ କିଣିବ ; ଏମିତି କେତେ ଅଡୁଆ ଚିନ୍ତାରେ ବୁଡି ରହି ଥିଲା ସେ। ହଠାତ୍ ଦେଖିଲା ରିକ୍ସା ଆଗକୁ ମାଡି ଆସିଲେ ଦୁଇ ଜଣ ଉଦଭ୍ରାନ୍ତ ଯୁବକ। ସେମାନେ ରାସ୍ତା ରେ ନିହାତି ବେପରୁଆ ଢଙ୍ଗରେ ଟଳମଳ ହୋଇ ଚାଲୁଥିଲେ ଓ ସେମାନଙ୍କ ହାବଭାବରୁ ସ୍ପଷ୍ଟ ଜଣା ପଡୁଥିଲା, ମଦନିଶା ରେ ନିଜକୁ ସମ୍ଭାଳିବା ଅବସ୍ଥା ରେ ସେମାନେ ନ ଥିଲେ।
କେଶବ ରିକ୍ସାକୁ ଆୟତ୍ତ କରିବାକୁ ବ୍ରେକ୍ ମାରିବା ପରେ ମଧ୍ଯ , ଚକା ସେମାନଙ୍କ ଦେହରେ ଟିକେ ଛୁଇଁ ହୋଇଗଲା। ବାସ୍ ସେତିକି ଯଥେଷ୍ଟ ଥିଲା, ଯୁବକ ଦୁଇଜଣଙ୍କୁ ଭୟଙ୍କର ପଶୁରେ ପରିଣତ କରିଦେବା ପାଇଁ।
ବିକଟାଳ ଶବ୍ଦ କରି ନାନା ଅସଭ୍ଯ ଭାଷାରେ ଗାଳି ଗୁଲଜ କରି ସେମାନ କେଶବ ଉପରକୁ ଝପଟି ଆସିଲେ।
ଜଣେ କେଶବ କୁ ଟାଣି ଆଣିଲା ଓ ତା ଗାଲରେ ଚାପୁଡା ମାରି ଚାଲିଲା। ଅନ୍ଯ ଯୁବକ ମୁଥ ମାରି ଚାଲିଲା କେଶୁର ପେଟରେ। ସେମାନେ ରାସ୍ତା ଉପରେ ତାକୁ ପକାଇ ନିହାତି ନିର୍ମମ ଭାବରେ ପ୍ରହାର ପରେ ପ୍ରହାର କରି ଚାଲିଲେ। ଅଚାନକ ସବୁ ଘଟି ଗଲା। ସେ ପରିସ୍ଥିତି ରେ ନିଜକୁ ସୁରକ୍ଷିତ ରଖିବା ଉଚିତ୍ ହେବ, ନା ସେମାନଙ୍କ କବଳରୁ କେଶବ କୁ ଉଦ୍ଧାର କରିବା ଯୁକ୍ତିଯୁକ୍ତ ହେବ ସେ ବିଷୟ ରାମ ସ୍ଥିର କରି ପାରୁ ନ ଥିଲା। ବିବେକ ର ତାଡନା ସହି ନ ପାରି ସେ ବାରମ୍ବାର ସିଟ୍ ରୁ ଉଠିବାକୁ ଚେଷ୍ଟା କରୁଥିଲା, କିନ୍ତୁ ନିଜକୁ ସୁରକ୍ଷିତ ରଖିବାର ଜନ୍ମଜାତ ପ୍ରବୃତ୍ତିର ରଜ୍ଜୁରେ ବାନ୍ଧି ହୋଇ ପୁଣି ବସି ପଡୁଥିଲା।
ଶେଷରେ ସେ ଚିତ୍କାର କରି କେଶବ କୁ ଉଦ୍ଧାର କରିବାକୁ ଲୋକ ମାନଙ୍କୁ ଡାକିବାକୁ ଲାଗିଲା।
ସେତେ ବେଳକୁ ମାଡ ଖାଇ କେଶବ ଭୁଇଁ ରେ ଗଡୁ ଥାଏ ଓ ଯନ୍ତ୍ରଣାରେ ଚିତ୍କାର କରୁଥାଏ। ଲୋକ ମାନେ ଦଉଡି ଆସିବାରୁ ପିଲା ଦୁଇଟା ଜାଗା ଛାଡି ପଳେଇଲେ।
ରାମ ଦେଖିଲା କେଶବର ମୁହଁ ଫାଟି ଯାଇଛି, ଦେହ ସାରା ମାଡର ଚିହ୍ନ, ବିଚରା ଯନ୍ତ୍ରଣାରେ କାନ୍ଦିବାରେ ଲାଗିଥିଲା। ଦେଖଣାହାରୀ ଙ୍କ ସଂଖ୍ଯା ଅଧିକ, କିନ୍ତୁ କେହି ଜଣେ ହେଲେ ଆଗକୁ ଆସି ସାହାଯ୍ଯ କରିବାକୁ ନାରାଜ୍। କଣ କରିବ ଚିନ୍ତା କଲା ରାମ ; ଏ ସ୍ଥାନ ଛାଡି ପଳେଇବ, ନା ସାମନା କରିବ କଠୋର ବାସ୍ତବତାକୁ। ଯଦି ବାସ୍ତବତାକୁ ସାମନା କରିବ,ତେବେ କେଶବକୁ ସାଙ୍ଗେସାଙ୍ଗେ ଡାକ୍ତରଖାନା କୁ ନେବାକୁ ହେବ, ତାର ଯତ୍ନ ନେବାକୁ ହେବ। ଅନ୍ଯଥା, ସେ ଅତି ଆରାମ ରେ ସେ ଜାଗାରୁ ଚାଲିଯାଇ ପାରିବ। ଜଣେ ରିକ୍ସାବାଲା କୁ ସାହାଯ୍ଯ ନ କଲେ, କେହି ତାକୁ ଦୋଷ ମଧ୍ଯ ଦେଇ ପାରିବେନି। କିନ୍ତୁ ତା ବିବେକ!!! !!! ସେ ତ, ବାଧା ଦେଇ ସାମନାରେ ଛିଡା ହୋଇଛି। ଜଣେ ଆହତ ଲୋକ କୁ ଉଦ୍ଧାର ନ କରି, ତାକୁ ରାସ୍ତା ଉପରେ ଏମିତି ଅବସ୍ଥାରେ ଛାଡି ଚାଲିଯିବା ଯେ ଜଣେ ଭୀରୁ, କାପୁରୁଷର କାର୍ଯ୍ଯ, ଏହା ମନ ଭିତରେ ବାରମ୍ବାର ପ୍ରତିଧ୍ବନିତ ହେବାରେ ଲାଗିଛି। ବିବେକ ଓ ମନ ର ବଳ କଷାକଷିରେ ଆକ୍ତାମାକ୍ତା ହେବା ସମୟରେ , ଥରଥର କଣ୍ଠରେ କେଶବ ଡାକ ଦେଲା – – ଚାଲ୍ ବାବୁ ତୋତେ ତୋ ଯାଗାରେ ଛାଡି ଦେବି।
ରାମ ପାଟି କରି କହିଲା
" କଣ ତୋ ମୁଣ୍ଡ ଖରାପ ନା କଣ? ଦେହରେ ଏତେ ଖଣ୍ଡିଆ ହେଲା ପରେ ବି, ତୁ ରିକ୍ସା ଚଲାଇବା କହୁଛୁ?
– – ଆମ ଜୀବନର କିଛି ମୂଲ୍ଯ ନାହିଁ ବାବୁ। ଯିଏ ପାରିବ ମାରିବ, ଗାଳି ଦେବ-- – ଆମେ ସହିବୁ, ପୁଣି ଉଠି କାମ କରିବୁ। ଏଇଟା ତ ଆମ ଭାଗ୍ଯ। ଏ ଖଣ୍ଡିଆ ଦେଖି ଡରି ଗଲୁ କି ବାବୁ? ଏମିତି କେତେ କଣ ସବୁ ଦିନ ହୁଏ, କେତେ ହିସାବ ରଖିବି। ମୋ ଜୀବନ ର ଆରମ୍ଭ ନାଳ ଭିତରୁ ହୋଇଛି, ପୁଣି ସେଇ ନାଳ ଭିତରେ ଜୀବନ ଯିବ। ଆଜି ନ ହେଲେ କାଲି ମରିବି ;ଏଥିରେ ଡରିବାର କଣ ଅଛି। ପୋକମାଛି ଓ ମୋ ଭିତରେ କିଛି ଫରକ୍ ନାହିଁ, ସେମାନେ ବରଂ ମୋ ଅପେକ୍ଷା ଭଲରେ ବଞ୍ଚୁଥିବେ।
ଏତିକି କହି ସେ ଉଠିବାକୁ ଚେଷ୍ଟାକରି ତଳେ କଚାଡି ହୋଇ ପଡିଗଲା
ରାମ ସ୍ପଷ୍ଟ ଦେଖି ପାରୁଥିଲା କେଶବର ମୁହଁ ; ଓଠ ଓ ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ବୋହି ଚାଲିଥିଲା ଧାରଧାର ରକ୍ତ। ମୁଣ୍ଡରେ ହୋଇଥିବା ଆଘାତ ରୁ ରକ୍ତସ୍ରାବ ର ମାତ୍ରା ଅଧିକା ଥିଲା ଓ ଏମିତି ବେଶି ସମୟ ଚାଲିଲେ କେଶବ ର ଜୀବନ ମଧ୍ଯ ଚାଲିଯିବାର ସମ୍ଭାବନା ଥିଲା। କେଶବ ପୁଣି ଥରେ ଉଠିବାର ପ୍ରୟାସ କରିବା ବେଳକୁ ଧରି ପକେଇଲା ରାମ। କହିଲା ମୋର ଆଉ ଆଗକୁ ଯିବା ଦରକାର ନାହିଁ। ତୋତେ ଏହି କ୍ଷଣି ଡାକ୍ତରଖାନା କୁ ନେବାକୁ ହେବ।
କେଶୁ ନେହୁରା ହୋଇ କହିଲା-- ବାବୁ ମୋର ଦୋଷ ନାହିଁ। ବିନା କାରଣରେ ସେମାନେ ମୋତେ ମାରିଲେ। ଏବେ ତୋତେ ତୋ ଯାଗାରେ ନ ଛାଡିଲେ, ତୁ ମୋତେ ଟଙ୍କାଟେ ବି ଦେବୁନି। ଆଜିର ଭଡା ମାଲିକ କୁ ନ ଦେଲେ ସେ ମୋତେ ପୁଣି ମାରିବ।
ତା କଥା ଶୁଣି ରାମ ଆଖିରେ ଲୁହ ଜକେଇ ଆସିଲା। ମନ ଭିତରେ ଭଗବାନ ଙ୍କ ଉଦ୍ଦେଶ୍ଯରେ କେବଳ ଗାଳି ହିଁ ବାହାରୁଥିଲା। ତାଙ୍କ ସୃଷ୍ଟି ରେ କେତେ ଜଘନ୍ଯ ପାପାଚାର ଚାଲିଛି ଓ ସେ ସବୁ କିଛି ନୀରବ ରେ ଦେଖି ଚାଲିଛନ୍ତି। କେଶବ ପରି ଦୁର୍ବଳ ଲୋକ ମାନଙ୍କ ଉପରେ, ସମାଜର ତଥାକଥିତ ସଭ୍ଯ ଓ ବଳଶାଳୀ ଲୋକ ଙ୍କର ଅତ୍ଯାଚାର ସୀମା ସରହଦ ଟପିଗଲା ପରି ମନେ ହେଉଛି। କେଶବକୁ କୋଳ କୁ ଟେକି ନେଇ ସେ କହିଲା-- ତୁ ବ୍ଯସ୍ତ ହେବାର କାରଣ ନାହିଁ। ତୋ କାମ ର ପାଉଣା ତୋତେ ନ ଦେଇ ମୁଁ ଯେ ଚାଲିଯିବି, ସେ କଥା ତୁ ଭାବିଲୁ କିପରି?
କିଛି କହିବାକୁ ଉଦ୍ଯତ ହେଉଥିଲା କେଶବ, କିନ୍ତୁ ହଠାତ୍ ଅଚେତ୍ ହୋଇଗଲା। ଏ ଅବସ୍ଥା ଦେଖି ପାଖରେ ଯମା ହୋଇ ଥିବା ଲୋକେ ବାଟ ଭାଙ୍ଗି ଚାଲିଗଲେ, କେଶୁ ମରିଗଲା ଭାବି। ଅନ୍ଯ କିଛି ବିଚାର କରିବାର ଅବକାଶ ନ ଥିଲା ରାମ ପାଖରେ। ସ୍ବାର୍ଥପର ଦୁନିଆର ଅସଲ ସ୍ବରୂପ ତା ନଜର ସାମନା ରେ ପ୍ରତ୍ଯକ୍ଷ ହୋଇ ସାରିବା ପରେ, ସେ ଅନ୍ଯ କାହା ଉପରେ ଯେ ନିର୍ଭର କରିବ, ଅନ୍ତତଃ ସେହି ପଥ ଉନ୍ମୁକ୍ତ ନ ଥିଲା।
ଦୁଇ ହାତରେ ଆହତ କେଶବ କୁ ଧରି ଏକ ଅଟୋ ରିକ୍ସା ଅଟକାଇ ଡାକ୍ତରଖାନା ନେବାକୁ ନିର୍ଦ୍ଦେଶ ଦେଲା। ଅଟୋରେ କେଶୁ ଯନ୍ତ୍ରଣାରେ ଚିକ୍ତାର କରି ଚାଲିଥିଲା। କିଛି ବୁଝି ନପାରି ଅଟୋ ବାଲା ଜଣକ ଆହତ କେଶବ ବିଷୟରେ ଜିଜ୍ଞାସା କଲା। ରାମ ଚଟାପଟ୍ ଉତ୍ତର ଦେଲା-- ସେ ମୋ ଭାଇ। ଗାଡିରୁ ପଡି ଖଣ୍ଡିଆ ଖାବରା ହୋଇ ଯାଇଛି।
କେଶବ ର ଦାରିର୍ଦ୍ର୍ଯ ଜର୍ଜରିତ ଅବସ୍ଥା ଓ ରାମର ଚକମକିଆ ବେଶପୋଷାକ ସହିତ “ସେ ମୋ ଭାଇ ” ଉକ୍ତିର ଅବିଶ୍ବସନିୟତା ଜଳଜଳ ଦିଶୁଥିଲେ ମଧ୍ଯ ଅଟୋରିକ୍ସା ଚାଳକଟି ଚୁପ୍ ରହିବାକୁ ଶ୍ରେୟ ମନେକଲା।
ସେମାନେ ଡାକ୍ତରଖାନା ପାଖାପାଖି ପହଞ୍ଚି ସାରିଥିଲେ ଓ ରାମ ମନେମନେ କହି ଚାଲିଥିଲା-- ତୁ ବ୍ଯସ୍ତ ହ'ନି ରେ କେଶବ, ତୋ'ର କିଛି ହେବନି-- ତୁ ଏକୁଟିଆ ନାହୁଁ। ମୁଁ ତୋ ସାଙ୍ଗରେ ଅଛି। ବୋଧେ ସେ ଜାଣି ପାରିଥିଲା ଯେ କେବଳ ନିଜ ପାଇଁ ବଞ୍ଚିଲେ ଜୀବନ ର କିଛି ସାର୍ଥକତା ନ ଥାଏ ; ଅସଲ ଜୀବନ ତ ସେୟା, ଯାହା ଅନ୍ଯ ମାନଙ୍କ ପାଇଁ ବଞ୍ଚାଯାଏ। ନିଜ ଜୀବନ ରେ ଦେଖି ଥିବା ଅନେକ ରଙ୍ଗର ଜାଜୁଲ୍ଯମାନ ରୂପ ମଧ୍ଯରୁ ଏହି ରଙ୍ଗର ଓୌଜଲ୍ଯତା ଯେ ଯଥେଷ୍ଟ ଅଧିକ, ଅନ୍ତତଃ ରାମ ଭଲରେ ହୃଦୟଙ୍ଗମ କରି ସାରିଥିଲା ।
******ସମାପ୍ତ********
Tuesday, November 6, 2018
ଅନ୍ଧାର ଦୀପାବଳି
ଲେଖକ- ଅରବିନ୍ଦ ରଥ
ଏତେ ବଡ ପଡିଆରେ ଶୋରିଷ ପକେଇବାକୁ ଜାଗା ନାହିଁ। ପଡିଆ ଭିତରେ ଛତୁ ଫୁଟିଲା ପରି ବାଣ ଦୋକାନ ଗୁଡିକ ବିଛାଡି ହୋଇ ପଡିଛନ୍ତି। ଦୋକାନୀ ମାନେ ନିଜର କଳା କୌଶଳ ଦେଖାଇବାରେ ବ୍ଯସ୍ତ ; କିଏ ବାଣ ମାନଙ୍କ ବଷୟରେ କିଞ୍ଚିତ୍ ସୂଚନା ଦେଇ ଲୋକ ଙ୍କୁ ଦୋକାନ ଆଡକୁ ଟାଣି ନେଉଛି, ତ କିଏ ପିଲା ଙ୍କ ହାତରେ ବାଣ ଟିଏ ଧରେଇ ବାଣ ର ଚମତ୍କାରିତା ବିଷୟ ବୁଝାଇବାରେ ବ୍ଯସ୍ତ। କିଛି ଦୋକାନୀ ପିଲା ମାନଙ୍କୁ ଚକମକିଆ ଲିଚୁ ଲାଇଟ୍ ଦେଖାଇ ନିଜ ଦୋକାନ କୁ ଆକୃଷ୍ଟ କରିବା ଚେଷ୍ଟାରେ ଲାଗି ଥାଆନ୍ତି। ସେ ଜାଗାର ଆବହାଓ୍ବାରୁ ଏତିକି ତ ବୁଝା ପଡୁଛି ଯେ , ଗ୍ରାହକ ମାନଙ୍କ ଭିତରେ ବାଣ କିଣିବାର ଅଦମ୍ଯ ଆଗ୍ରହ, କୂଳଥଳ ନ ମାନିବାକୁ ପ୍ରସ୍ତୁତ। ନ ହେବ ବା କେମିତି ! ପାଗ ତ ପୁରା ଅନୁକୂଳ ଅଛି। ଶୀତ ର ପ୍ରକୋପ ଧିର ମନ୍ଥର ଗତିରେ ବଢି ଚାଲିଥିଲେ ମଧ୍ଯ, ଦିନବେଳା ସୂର୍ଯ୍ଯଦେବଙ୍କର ଉଗ୍ରରୂପ ଦେଖିବାକୁ ମିଳୁଛି। ପବନ ର ଗତି ମଧ୍ଯ ନିଷ୍କ୍ରିୟପ୍ରାୟ ; ଏମିତି ପରିସ୍ଥିତିରେ ବାଣ ବିକ୍ରିର ଧାରାକୁ ବନ୍ଦ କରିବା ପରି କୌଣସି ପ୍ରତିବନ୍ଧକ ଦୃଶ୍ଯ ହେଲା ପରି ଲାଗୁନି।
ସେହି ପଡିଆର ଗୋଟିଏ କୋଣରେ ଲୋଚାକୋଚା ହୋଇ ବସିଥିଲା ଜଣେ ବୃଦ୍ଧା ; ସାମନା ରେ ଥୁଆ ହୋଇଥିଲା ମାଟି ଦୀପ ଭର୍ତ୍ତି ଏକ ବାଉଁଶ ପାଛିଆ। ତା ପାଖକୁ ରଙ୍ଗ ବେରଙ୍ଗ ର କିଛି ବଡ ଦୀପ ଓ କେଇ ବିଡା କାଉଁରିଆ କାଠି। ବିଚାରି ସକାଳୁ ପସରା ମେଲାଇ ବସିଥିଲା, କିନ୍ତୁ ଗୋଟିଏ ହେଲେ ଦୀପ ବିକ୍ରୀ ହୋଇ ପାରି ନ ଥିଲା। ପାହାନ୍ତି ପହରୁ ବଡ କଷ୍ଟରେ ଜିନିଷ ପତ୍ର ଧରି ପଡିଆ କୁ ଦୀପ ବିକ୍ରି କରିବା ଆଶାରେ ଆସିଥିଲା ଓ କିଛି ସମୟ ଏକ ବାଣ ଦୋକାନ ପାଖରେ ବସିଥିଲା।
କିନ୍ତୁ ଦୋକାନ ର ମାଲିକ ବୁଢୀ କୁ ବହେ ଭଲ ମନ୍ଦ ଶୁଣାଇ କହିଲା-- ତୁ ବେଶି ଚାଲାକି ଦେଖାନି ବୁଢୀ, ଆମେ ପଇସା ଖର୍ଚ୍ଚ କରି ଏ ଜାଗା ରେ ଦୋକାନ ଦେଇଛୁ। ତୁ ମାଗଣା ରେ ଜାଗା ଅକ୍ତିଆର କରି ଦୀପ ବିକ୍ରି କରିବାକୁ ଭାବିଛୁ ନାଇଁ ! ଭଲରେ ଏ ଜାଗା ଛାଡି ଚାଲି ଯା, ନ ହେଲେ ତୋ ଜିନିଷ ସହ ତୋତେ ନେଇ ପୋଖରି ରେ ଫିଙ୍ଗି ଦେବି।
ବୁଢୀ ମନରେ ଛନକା ପଶିଗଲା। ତା ଦେହରେ ବା କେତେ ବଳ, ଓଳିଏ ଖାଇଲେ ଓଳିଏ ଓପାସ ରହୁଛି। କିଏ ଧକ୍କା ଟେ ପକେଇଲେ ମଧ୍ଯ ଦେହରୁ ପ୍ରାଣ ଚାଲିଯିବ, କେହି ଆହା ପଦେ କହିବାକୁ ନ ଥିବେ। ଏ ଦୁନିଆ ଟା କେତେ ଭୟଙ୍କର ତା ଠାରୁ ଅଧିକ ଭଲରେ କିଏ ଜାଣିଛି ! ଗଲା ସନ ନିଜ ଭେଣ୍ଡିଆ ପୁଅ ଜଗୁ ର ଜୁଇ ଜଳିବା ସେ ଦେଖିଛି। ପିଲା ଟା ତାର କେଡେ ସୁଧାର ଥିଲା, ମାଛି କୁ ମ ବୋଲି କୁହେନି। ତା କାମ ଭଲ ତ ସେ ଭଲ, ମୂର୍ତ୍ତି ସାଙ୍ଗକୁ ହାଣ୍ଡି, ମାଠିଆ ଗଢି ବେଶ୍ ଭଲ ରୋଜଗାର କରୁଥିଲା। ପୂଜା ପାର୍ବଣ, କାମ ନିମିତ୍ତରେ ତା ପୁଅ ଜଗୁ କୁ ଆଗ ଖୋଜା ପଡେ। ସାରା ସହର ଜାଣିଛି, ଜଗୁ ପରି ମୂର୍ତ୍ତି ଗଢିବାର କଳା ଅନ୍ଯ କାହା ପାଖରେ ନାହିଁ। ମାଟି ମୂର୍ତ୍ତି ଭିତରେ ପ୍ରାଣ ସଞ୍ଚାର କରିବା କାମ କେବଳ ଜଗୁ ହିଁ କରିପାରେ। ହଜାର ମୂର୍ତ୍ତି ଭିତରେ, ଜଗୁ ତିଆରି ମୂର୍ତ୍ତି ବାରି ହୋଇ ପଡେ। ସେଥି ପାଇଁ ତ ପୂଜା ପାର୍ବଣ ଦିନ ପାଖେଇ ଆସିଲେ, ତା ଘରେ ଲୋକ ମାନଙ୍କ ଭିଡ ଆରମ୍ଭ ହୋଇଯାଏ। କେତେ ଲୋକଙ୍କର କେତେ ଜାତିର ବରାଦ। କିନ୍ତୁ ଯେତେ କାମ ପଡିଲେ ବି ଜଗୁ ପଛଘୁଞ୍ଚା ଦିଏନି। କୁମ୍ଭାର ଘର ପିଲା ସିଏ, ମାଟି ମାଆକୁ ନିଜ ଆତ୍ମାରେ ଧରି ବୁଲୁଛି, ଜନ୍ମ ହେଲା ଦିନରୁ। ରାତି ଦିନ ଏକ କରି କାମ କରେ ଓ ଲୋକଙ୍କ ବରାଦ ପୂରଣ କରେ। ଗ୍ରାହକଙ୍କୁ ଠକିବା ବା ମିଠା କଥା କହି ବେଶି ଟଙ୍କା ଟାଣି ନେବା ନିୟମରେ ସେ ବିଶ୍ବାସ କରେନି। କାମ ଅନୁସାରେ ପ୍ରାପ୍ଯ ଦାବୀ କରେ ଓ ଏହି ନିଆରା ଗୁଣ ପାଇଁ ଦିନ କୁ ଦିନ ତା ଗ୍ରାହକଙ୍କ ସଂଖ୍ଯା ବଢିଚାଲେ। ଜଗୁର ସ୍ତ୍ରୀ ଓ ପାଞ୍ଚ ବର୍ଷର ଗୁଲୁଗୁଲିଆ ପୁଅ ବେଳ ଅବେଳ ରେ ଜଗୁକୁ ସାହାଯ୍ଯ କରୁଥିଲେ। ଦିହରେ ହଜାର ରୋଗ ଥିଲେ ମଧ୍ଯ ବୁଢୀ ଦରକାର ବେଳେ ଜଗୁ ପାଖରେ ଛିଡା ହୋଇଥାଏ। ମୂର୍ତ୍ତି ରଙ୍ଗ କରିବା, ମୂର୍ତ୍ତି ତିଆରି ଛାଞ୍ଚ ସଫା କରିବା ଓ ମାଟି ଦଳିବା ଆଦି କାମରେ ବୁଢୀ ପୁଅ କୁ ସାହାଯ୍ଯ କରେ। କେବେ କେମିତି ହାଣ୍ଡି, ମାଠିଆ ବିକ୍ରି କରିବାକୁ ହାଟକୁ ମଧ୍ଯ ନେଇଯାଏ। କେତେ ହସ ଖୁସିରେ ବୁଢୀର ସଂସାର ଚାଲିଥିଲା। କିନ୍ତୁ ପୋଡାମୁହାଁ ଭାଗ୍ଯ ତା ପରିବାରର ସୁଖ ଦେଖି ପାରିଲାନି। ସେଦିନ ବଜାର ରୁ ଫେରିଲା ବେଳେ ଜଗୁ କୁ ଏକ ଅଜଣା ମୋଟର ସାଇକେଲ ଧକ୍କା କରିଦେଇ ଚାଲିଗଲା। ପିଲା ଟା ଖଣ୍ଡିଆ ଖାବରା ହୋଇ ରାସ୍ତାରେ ବହୁତ ସମୟ ପଡି ବିକଳ ହୋଇ ଲୋକଙ୍କୁ ସାହାଯ୍ଯ ମାଗିଲା। କେହି ଆହା ପଦେ କରି ଥାଆନ୍ତେ ଭଲା ! ଛଟପଟ ହୋଇ ବିଚରା ଆରପାରି କୁ ଚାଲିଗଲା। ସେ ଚାଲି ଗଲାନି ଯେ, ଘର ଟାକୁ ଛାରଖାର କରିଦେଇ ଗଲା। ଥରେ ବି ଭାବିଲାନି, ସେ ଗଲା ପରେ ବୁଢୀ ମାଆ, ବିଧବା ସ୍ତ୍ରୀ ଓ ବାପ ଛେଉଣ୍ଡ ପୁଅ କେମିତି ବଞ୍ଚିବେ !
ସେ କଥା ସବୁ ମନେ ପଡିଯିବାରୁ ବୁଢୀ ଆଖିରେ ଲୁହ ଜକେଇ ଆସିଲା। ପୁଅ ମରିବାର ଆଜିକି ଛଅ ମାସ ହୋଇଗଲା। ତା ସ୍ତ୍ରୀ ଏକ ପ୍ରକାର ପାଗଳୀ ହୋଇ ଯାଇଛି କହିଲେ ଚଳିବ। ମନ କୁ ମନ କଣ ସବୁ ଗପି ଚାଲିଛି, ସେ ନିଜେ ଜାଣି ଥିବ। ଦୁଇ ଥର ବେକରେ ଦଉଡି ଦେଇ ମରିବାକୁ ଚେଷ୍ଟା କଲାଣି, ଯୋଗ କୁ ପାଖ ପଡୋଶୀ ମାନେ ଦେଖି ତାକୁ ବଞ୍ଚେଇଲେ। ପୁଅ ଚାଲିଯିବା ପରେ, ବୋହୁ ବୁଢୀ କୁ କଣ ସାହାଯ୍ଯ କରିବ, ସେ ତ ନିଜେ ବୁଢୀ ପାଇଁ ବୋଝ ହୋଇ ଯାଇଛି। ଘର କାମ, ରୋଷେଇ ବାସ, ନାତିଆ ଟୋକା ର ଭଲ ମନ୍ଦ ବୁଝିବା କାମ, ସବୁ ବୁଢୀ ଭାଗରେ। ତା ଦେହ ରେ ବା କେତେ ବଳ ! ତଥାପି ଛାତିରେ ପଥର ରଖି ସେ ଆଗେଇ ଚାଲିଛି। ମନରେ ପଣ କରିଛି, ଦେହରେ ଜୀବନ ଥିବା ଯାଏ ବୋହୁ, ନାତିଙ୍କ ଯତ୍ନ ନେଉଥିବ। ତା ଅନ୍ତେ ସେମାନେ ନିଜ କଥା ବୁଝିବେ। ଥର ଥର ହାତରେ ଯେତିକି ପାରୁଛି ହାଣ୍ଡି, ମାଠିଆ, ମାଟି ଦୀପ ତିଆରି କରୁଛି। ହାଟ ବଜାର ରେ ବିକ୍ରି କରି ଯାହା ଦୁଇ ପଇସା ମିଳୁଛି, ସେତିକି ରେ ଘର ଚଳି ଯାଉଛି।
ଦୀପାବଳି ପର୍ବ ଆସିବାରୁ ବୁଢୀ ମନରେ କାହିଁ କେତେ ଖୁସି। ପୁଅ ଥିଲା ବେଳେ ଦୀପାବଳି ବଡ ଜାକଜମକରେ ପାଳନ କରନ୍ତି ସେମାନେ। ଦୁର୍ଗାପୂଜା ଓ ଲକ୍ଷ୍ମୀ ପୂଜା ସମୟରେ ପୁଅ ଢେର ପଇସା ରୋଜଗାର କରେ। ତେଣୁ ଦୀପାବଳି ରେ ହାତ ଖୋଲା ଖର୍ଚ୍ଚ କରିବାରେ ଅସୁବିଧା ହୁଏନି। ସମସ୍ତଙ୍କ ପାଇଁ ନୂଆ ଜାମାପଟା ଆସେ, ଘର ଛପର ହୁଏ, ନାନା ଜାତିର ସୁଆଦିଆ ଖାଦ୍ଯ ତିଆରି ହୁଏ। ରାତିରେ ଘର ଅଗଣାରେ ଗୋବର ଲିପି, ସୁନ୍ଦରିଆ ଝୋଟି ପକାଇବା ପରେ,ମାଟି ଦୀପରେ ଜଡା ତେଲ ଦେଇ ଧାଡି କରି ସଜେଇ ଦିଏ ବୁଢୀ। ନାତିଆ ଟୋକା ବୁଢୀ ପାଖରେ ଲସର ପସର ହୋଇ ଅଳି କରୁଥାଏ ବାଣ ଫୁଟାଇବା ପାଇଁ। ଝିରିଝିରି ଓ କୁମ୍ପୀ ବାଣ ପାଇଁ ସେ ଟୋକା ର ଭାରି ସଉକ। କୁମ୍ପୀ ବାଣ ରୁ ନିଆଁ ଛିଟିକା ଆକାଶ କୁ ବିଛାଡି ହୋଇ ପଡିଲା ବେଳେ ପିଲା ଟା ତାଳି ମାରି ଖୁସି ରେ ନାଚିଯାଏ। ପୁଅ ମନ ଖୁସି କରିବାକୁ ଜଗୁ, ନାନା ଜାତି ର ବାଣ ଧରି ଆସିଥାଏ। ଚକ୍ରୀ ବାଣ, ସାପ ବାଣ, ରକେଟ୍, ତାଳ ଫୋଟକା ଏମିତି କେତେ ରକମ ର ବାଣ ଗୋଟେ ବଡ ଜରି ମୁଣିରେ ସଜିଲ କରି ରଖିଥାଏ ଜଗୁ। କୁହୁକ ପେଡିରୁ ନୂଆ ଜିନିଷ ମାନ ବାହାରିଲା ପରି ଲାଗୁଥାଏ ନାତିଆ ଟୋକା କୁ।
ଖନେଇ ଖନେଇ କୁହେ-- ବାପା ଆଉ ଗୋତେ ତୁମ୍ପୀ ବାନ ଥୁଟାଅ। ମୋତେ ଗୋଟେ ଥିଲଥିଲ୍ ବାନ ଦିଅ।
ତାକୁ ହସିହସି କୋଳକୁ ଟାଣି ନିଏ ଜଗୁ। କପାଳ ରେ ବୋକ ଦେଇ କୁହେ-- ଧନରେ ତୋ ପାଇଁ ତ ସବୁ ବାଣ ଆଣିଛି। ସବୁ ଗୋଟି ଗୋଟି କରି ଫୁଟାଇବା, ତୁ ଜମା ବ୍ଯସ୍ତ ହ' ନି।
କେଉଁ ଆଡେ ଚାଲିଗଲା ସେ ଦିନ ସବୁ। ତିନି ଦିନ ହେଲାଣି ନାତି ବୁଢୀ ପଛରେ ଗୋଡେଇବାରେ ଲାଗିଛି। ଦୀପାବଳି ଅଛି, ତାକୁ ବାଣ ଫୁଟାଇବାର ଅଛି। ବାପ ଗଲା ପରେ ନାତି ର ସବୁ ଅଳି ଅର୍ଦ୍ଦଳି ବୁଢୀ ଭାଗରେ ପଡିଛି। ବାଳୁତ ପିଲା ଟା, ସେ ବା କାହୁଁ ବୁଝିବ , ଏ ଦୁନିଆଁ ରେ ଟଙ୍କା କମେଇବା କେତେ କଷ୍ଟ ବୋଲି ! ନାତି ପିଲା ମନରେ ଦୁଃଖ ଦେବନି ବୋଲି ମନରେ ପଣ କରିଥିଲା ବୁଢୀ; ତେଣୁ ମାଟି ଦୀପ କିଛି ତିଆରି କରି ସେ ବଜାର କୁ ଆଣିଛି ବିକ୍ରୀ କରିବାକୁ। ଯାହା କିଛି ପଇସା ମିଳିବ, ସେତିକି ରେ ନାତି ପାଇଁ ବାଣ ନେଇ ଯିବ। ତା ପେଟକୁ ଦାନା ଯାଉ କି ନ ଯାଉ ପରବାୟ ନାହିଁ, କିନ୍ତୁ ନାତି ପିଲା ଆଖିରେ ଲୁହ ସେ ଦେଖି ପାରିବନି।
– --ଏ ବୁଢୀ, ଟଙ୍କା ରେ କେତେ ଟା ଦୀପ ଦେବୁ କହ।
କାହା ଡାକ ରେ ଚମକି ଉଠିଲା ବୁଢୀ। ମଳିଛିଆ ପଣତକାନିରେ ଆଖିରେ ଜମାଟ ବାନ୍ଧିଥିବା ଲେଞ୍ଜରା ଓ ଲୁହର ମୋଟା ପରସ୍ତ ପୋଛି ଦେଖିଲା, ସାମନା ରେ ଛିଡା ହୋଇଛନ୍ତି ଜଣେ ପ୍ରୌଢ। ମୁହଁ ରେ ଶୁଖିଲା ହସ ଫୁଟାଇ କହିଲା-- କେତେ ନେବ କି ବାବୁ?
– ଆରେ ବୁଢୀ, ତୁ ବେଶି ବାକଚାତୁରୀ ଦେଖାନି, ତୋତେ ପଚାରିଲି ପରା ଗୋଟେ ଟଙ୍କା ରେ କେତେ ଟା ଦବୁ ବୋଲି।
– ଟଙ୍କାରେ ଦୁଇ ଟା ବାବୁ। ଦଶ ଟଙ୍କାରେ ପଚିଶି ଟା ଦେବି। କେତେ ଟଙ୍କା ର ଦେବି ବାବୁ?
- - ହେଃ, ତୁମେ ସବୁ ଡକାୟତ ନା କଣ? ମାଟି ଦୀପ ଟଙ୍କା ରେ ଦୁଇଟା!!! ସେ ଦୋକାନୀ ଟଙ୍କାରେ ଚାରି ଟା ଦେଉଥିଲା ମୁଁ ନ ଆଣି ତୋ ପାଖ କୁ ଆସିଲି, ଆଉ ତୁ ମୋତେ ଦିନ ରେ ତାରା ଦେଖଉଛୁ ନାହିଁ?
--- ସେମିତି କୁହନି ବାବୁ, ସବୁ ଜିନିଷ ର ଦର କେତେ ବଢୁଛି ତୁମେ ତ ନିଜେ ଜାଣିଛ। ଏ ମାଟି ଦୀପ ବିକ୍ରି କରି ମୁଁ କେତେ ପଇସା ପାଇବି ଭଲା ! ତୁମେ ତ ନିଜେ ଜାଣିଛ, ବାଣ ଦୋକାନରେ ଶହେ ଟଙ୍କା ଦେଲେ ବି ପାଞ୍ଚ ଛଅ ଟା ବାଣ ମିଳୁଛି। ତଥାପି ଲୋକେ ବ୍ଯାଗ୍ ଭର୍ତ୍ତି କରି ବାଣ କିଣୁଛନ୍ତି। ପୁଣି ବାଣ ଦୋକାନରେ ଦର ମୂଲଚାଲ କରିବାକୁ ଫୁରସତ୍ ନାହିଁ। ପୋକ ମାଛି ପରି ଲୋକ ମାଡ ହେଉଛନ୍ତି ବାଣ କିଣିବାକୁ। ସେ ବାଣ ତୁଳନା ରେ ମୋ ମାଟି ଦୀପର ମୂଲ୍ଯ ନଗଣ୍ଯ। ତଥାପି ଗ୍ରାହକ, ଆମ ସହ ମୂଲଚାଲ କରୁଛନ୍ତି।
ବୁଢୀ ପାଟିରୁ ଏ କଥା ସିନା ବାହାରିଗଲା, କିନ୍ତୁ ସେ ସାବଧାନ ହୋଇ ଜିଭ କାମୁଡି ଉପରକୁ ଚାହିଁଲା। ସେତେ ବେଳକୁ ସେ ଗ୍ରାହକ ରାଗ ରେ ପାଚି ଲାଲ୍ ପଡି ଯାଇଥିଲା। ମୁହଁ ଛିଞ୍ଚାଡି କହିଲା-- ତୁ ବାମନ ହୋଇ ଚନ୍ଦ୍ର କୁ କାହିଁକି ହାତ ବଢଉଛୁ ? ସାରାଜୀବନ ଲାଗିଲେ ବି ତୁ ବାଣ ବିକ୍ରି କରି ପାରିବୁନି, ତୋ ମାଟି ଦୀପ ନେଇ ଖୁସି ରେ ରହ। ତୁ ଯାହା ଦର ଲଗଉଛୁ, ତୋ ପାଖରୁ କେହି ଖଣ୍ଡିଏ ଦୀପ କିଣିବେନି। ଲାଜ ନାହିଁ ଯାହା ତୋ ମୁହଁ କୁ। ଗ୍ରାହକଟି କଣ ସବୁ ଗାଳି ଦେଇ ସେ ଜାଗା ରୁ ଚାଲିଗଲା। ବୁଢୀ ଦୀର୍ଘ ନିଶ୍ବାସ ଛାଡି ଅନ୍ଯ ଗ୍ରାହକଙ୍କ ଅପେକ୍ଷା ରେ ରହିଲା। କେଜାଣି କାହିଁକି, ତା ଆଖି ସାମନା ରେ ନାତି ଟୋକାର ମୁହଁ ଟା ବରାବର ଆସି ଯାଉଛି। ତାକୁ ବୋଦେ ସେ ବହୁତ ମନେ ପକାଉଥିବ। ପିଲା ଟା କେତେ ମନ ନେଇ ଚାହିଁ ବସିଥିବ ତା ଫେରିବା ବାଟ କୁ। ତା ମନରେ କେତେ ନୂଆ ଫନ୍ଦି ଫିକର ଜୁଟୁଥିବ ବାଣ ଫୁଟାଇବା ପାଇଁ। ଯେତେ ତାହା ହେଲେ ବି ଆଜି ବୁଢୀ କୁ ବାଣ ନେଇ ଘରକୁ ଯିବାକୁ ହେବ ; ପିଲାଟା ର ଶୁଖିଲା ମୁହଁ ଦେଖି ସେ ସହି ପାରିବନି।
ସୂର୍ଯ୍ଯ ଆସି ମୁଣ୍ଡ ଉପରେ ହେଲେଣି, କିନ୍ତୁ ବୁଢୀ ର ବଇନି ପଡିନି। ବଡ ଆଶ୍ଚର୍ଯ୍ଯ କଥା। ଲୋକ ମାନେ ମାଟି ଦୀପ କିଣୁ ନାହାଁନ୍ତି କାହିଁକି, ସେ ଜାଣି ପାରୁନି। ଯାହା କୁ ଦେଖିଲେ ବୋଝେ ବାଣ, ମହମବତୀ, ଲିଚୁ ଲାଇଟି ଧରି ଯାଉଛନ୍ତି। ଲୋକେ କଣ ଭୁଲି ଗଲେ କି ! ମାଟି ଦୀପ ନ ଜଳିଲେ ସେ କି ଦୀପାବଳି ? ବାଣ ତ ବାହାଘର ଦିନ ଫୁଟୁଛି, ଠାକୁର ବିସର୍ଜନ ଦିନ ବି ଫୁଟୁଛି, ନେତା ମନ୍ତ୍ରୀ କି ବଡବଡିଆ ଲୋକ ଆସିଲେ ବି ଫୁଟୁଛି। କିନ୍ତୁ ସେଦିନ କଣ ଦୀପାବଳି ପାଳନ ହେଉଛି ନା କ'ଣ। ମାଟି ଦୀପ ଜଳିଲେ ସିନା ଦୀପାବଳି ହେବ, ଏ ଲୋକ ସବୁ ଏମିତି ଭୁଲି ଯାଉଛନ୍ତି କାହିଁକି ? ହଁ--- କାହାକୁ ବା କହିବ। ଘୋର କଳିକାଳ ଆସିଲାଣି, ବୁଝାଇବ କାହାକୁ। ଆଜିକାଲି ଲୋକେ କେଉଁ ନୀତି ନିୟମ ମାନୁଛନ୍ତି ଯେ ଦୀପାବଳିର ବିଧି ମାନିବେ। ବାଣ ଫୁଟାଇବା ଟା ଆଜିକାଲି ଏକ ପ୍ରକାର ପ୍ରତିଯୋଗିତା ହୋଇଗଲାଣି। ଗାଁଆ ସହର ରେ ଯାହା ଘରେ ଯେତେ ସମୟ ବାଣ ଫୁଟିବ, ସେ ସେତେ ପାରିବାର ଲୋକ ବୋଲି ସଭିଏଁ ଭାବୁଛନ୍ତି। ଯାହା ଘର ଛାତରୁ ଆକାଶ କୁ ଯେତେଟା ରକେଟ୍ ବାଣ ଉଠିଲା ସେ ସେତିକି ଥିଲାବାଲା ଲୋକ। ଲୋକେ ଗାଡି ମୋଟର ରେ ତେଲ ଭରି ବିନା କାରଣ ରେ ବୁଲିବେ, କିନ୍ତୁ ଜଡା ତେଲ ଟିକେ କିଣି ମାଟି ଦୀପ କେତେଟା ଜାଳିଲେ ଟଙ୍କା ସରିଯିବ ବୋଲି ଭାବିବେ। ପାଞ୍ଚ ଶହ ଟଙ୍କା ଦେଇ ଚାଇନା ପଟାକା କିଣିବେ, କିନ୍ତୁ ପାଞ୍ଚ ଟଙ୍କା ଦେଇ ଦୀପ କିଣିଲେ ତାଙ୍କ ପକେଟ୍ ରେ ମାଡ ପଡିଲା ବୋଲି ଭାବିବେ। ଶହେ ଟଙ୍କାର ବାଣ କୁ ଦୁଇ ଶହ ଟଙ୍କା କିଣିଲା ବେଳେ ଦର ମୂଲଚାଲ କରିବାକୁ ଜିଭ ଲେଉଟିବନି, କିନ୍ତୁ ତା ପରି ଦୀପ ବିକାଳି ପାଖରୁ ଦୀପ କେଇଟା କିଣିଲା ବେଳକୁ ଦୁନିଆ ଜାକର ନୀତି ନିୟମ ଓ ବିକ୍ରିବଟା ବିଷୟ କଥା ଅନବରତ ଗପି ଚାଲିବେ। ଧନ୍ଯ ରେ ମଣିଷ!
ପଣତ କାନିରେ ବୁଢୀ ଦୀପ ଉପରେ ଜମାଟ ବାନ୍ଧି ଆସୁଥିବା ଧୂଳି କୁ ଝାଡି ପଡିଆ ଆଡକୁ ଚାହିଁଲା। ଲୋକ ଗହଳି କମିବ କଣ, ବଢିବାରେ ଲାଗିଛି। ଗ୍ରାହକ ମାନେ ଠେଲାପେଲା ହୋଇ ବାଣ କିଣିବାରେ ବ୍ଯସ୍ତ। କିଛି ଦୋକାନୀଙ୍କ ଜିନିଷ ସରିଯିବାରୁ ସେମାନେ ପେଡି ପୁଟୁଳି ଧରି ଘରକୁ ବାହୁଡି ବାକୁ ବାହାରି ଲେଣି। ଆଉ କିଛି ଦୋକାନୀ, ଆହୁରି ଜିନିଷ ଆଣି ବିକ୍ରି ଚାଲୁ ରଖିଛନ୍ତି। ମୁଣ୍ଡରେ ହାତ ବାଡେଇ କହିଲା-- ହାଏ ରେ କପାଳ, ସକାଳୁ ଏତେ ବେଳ ଯାଏ ଜମାରୁ ଦଶ ଟଙ୍କାର ବିକ୍ରି ହୋଇଛି। ଲୋକେ ମୁହଁ ମୋଡି ତାକୁ କେତେ ବୋଲିବାଣୀ ଶୁଣାଇ ଯାଉଛନ୍ତି, କିନ୍ତୁ କିଣିବା ଲୋକଙ୍କ ସଂଖ୍ଯା ଶୂନ ବୋଲି କହିଲେ ଚଳିବ। ତେବେ କଣ ସେ ଖାଲି ହାତରେ ଘରକୁ ଫେରିବ? ନାତି ପାଇଁ ବାଣ ନେଇ ପାରିବନି? ଜଗତ ସାରା ଲୋକେ ଦୀପାବଳି ରେ ଖୁସିଗମାତ କରିବା ବେଳକୁ ସେ ଆଖିରେ ଆଖିଏ ଲୁହ ନେଇ ଘରକୁ ଫେରିବ?
ଶେଷରେ ସେ ଲୋକଙ୍କୁ ଦୀପ କିଣିବାକୁ ନେହୁରା ହେଲା। ଟଙ୍କାରେ ଦଶଟା ଦୀପ ଦେବ ବୋଲି କହିଲା। ତା ପରେ ମଧ୍ଯ ବିକ୍ରି ସେମିତି ଆଖି ଦୃଶିଆ ହେଲାନି। ବରଂ, ପଡିଆର ଅନ୍ଯ ପାଖରେ ଦୀପ ବିକ୍ରି କରୁଥିବା ଲୋକଟି ଆସି ବୁଢୀ କୁ ଧମକାଇ କହିଲା-- ଯଦି ଲୋକଙ୍କୁ ମାଗଣା ଦୀପ ଦେବାର ଅଛି ଏଠିକୁ ଆସିଛୁ କଣ ପାଇଁ? ଲୋକେ ତୋ ଦର ଶୁଣିଲେ, ଆମ ମାନଙ୍କ ପାଖରେ ମାଛି ବି ଉଡିବନି। ଟଙ୍କା ରେ ଦୁଇଟା ଲେଖାଏଁ ଦୀପ ବିକ୍ରି କରି ନ ପାରିଲେ, ପଡିଆ ଛାଡି ଚାଲି ଯାଆ। ନୋହିଲେ ତୋ ପାଛିଆ ସହ ତୋତେ ନେଇ ବାହାରେ ଫିଙ୍ଗି ଦେବି। ଲୋକଟାର ନାଲି ଆଖି ଓ ଟାଉଁଟାଉଁ କଥା ଶୁଣି ବୁଢୀର ତଣ୍ଟି ଶୁଖିଗଲା। ସେ କାନ୍ଦକାନ୍ଦ ହୋଇ ନେହୁରା ହୋଇ କହିଲା-- ବାବୁ, ମୋ ନାତି ପାଇଁ ବାଣ କିଣିବାକୁ ପଇସା ଦରକାର। ମୋତେ ଟିକେ ଦୟା କର। ଏତେ ବେଳ ହେଲାଣି, ସେମିତି ଆଖି ଦୃଶିଆ ବିକ୍ରି ହେଲାନି। ସମସ୍ତେ କହୁଛନ୍ତି ମୁଁ କୁଆଡେ ଦୀପ ର ଦର ଅଧିକା କହୁଛି।
– – ହେଃ ବୁଢୀ, ସେମିତି ଫାଲତୁ ଯୁକ୍ତି ମୋ ସହ କରନି। ଯାହା କହିଲି କରିବୁ ନହେଲେ ଯାହା ହେବ ସେଥି ପାଇଁ ମୋତେ ଦୋଷ ଦେବୁନି। ଏତିକି କହି ଲୋକଟା ରାଗରେ ଗରଗର ହୋଇ ସେ ଯାଗାରୁ ଚାଲିଗଲା।
ଏଥର ବୁଢୀ କୋହ ସମ୍ଭାଳି ନ ପାରି ପିଲାଙ୍କ ପରି କାନ୍ଦି ଉଠିଲା। ତାକୁ ଚାରିଆଡ ଅନ୍ଧାର ଦିଶିଲା। କି ଦୋଷ ସେ କରିଛି ଯେ ତାକୁ ଏମିତି ହନ୍ତସନ୍ତ ହେବାକୁ ପଡୁଛି ବୋଲି, ଚିତ୍କାର କରି ଅଭିଶାପ ଦେଇ ଚାଲିଲା ଠାକୁରଙ୍କୁ। କିନ୍ତୁ କିଏ ବା ଶୁଣିବ ତା କାନ୍ଦଣା ; ସମସ୍ତେ ନିଜ ନିଜ ଦୁନିଆଁ ରେ ବ୍ଯସ୍ତ। ସେତିକି ବେଳେ ପଡିଆ ଭିତରୁ ଜୋର୍ ପାଟିତୁଣ୍ଡ ଶୁଭିଲା। ବୋଧେ ଦୁଇ ଜଣ ଦୋକାନୀଙ୍କ ଭିତରେ ପ୍ରବଳ ଗଣ୍ଡଗୋଳ ଲାଗିଗଲା। ଜଣେ ଦୋକାନୀ ରାଗରେ ଅନ୍ଧ ହୋଇ ଜଳନ୍ତା ମହମବତୀ ଫିଙ୍ଗିଦେଲା ଅନ୍ଯ ଦୋକାନୀର ବାଣ ଦୋକାନ ଭିତରକୁ। ନିମିଷକରେ ବାଣ ଦୋକାନରୁ ଧୂଆଁ ଉଠିଲା ଓ ପ୍ରଚଣ୍ଡ ଶବ୍ଦ କରି ବାଣ ଫୁଟିବାର ଶବ୍ଦ ଶୁଭିଲା। ଅନ୍ଯ ଦୋକାନୀ ଟି ଆଗପଛ ବିଚାର ନ କରି ସେ ଦୋକାନୀ କୁ ଏକ ଛୁରୀ ରେ ଆକ୍ରମଣ କଲା। ଦୋକାନୀ ଟି ତଳେ ପଡି ଗଁ ଗଁ ହେଲା ବେଳକୁ ଅନ୍ଯ ଦୋକାନୀଟି ନିଜ ସାର୍ଟ ଖୋଲି ସେଥିରେ ନିଆଁ ଲଗାଇ ପାଖ ବାଣ ଦୋକାନ ଭିତର କୁ ନିକ୍ଷେପ କଲା। ଚାହୁଁ ଚାହୁଁ ନିଆଁ, ସବୁ ଦୋକାନ କୁ ବ୍ଯାପୀ ଗଲା ଓ ପଡିଆ ଭିତର ଟା ଧୂଆଁ ଓ ବାଣ ର ପ୍ରଚଣ୍ଡ ଶବ୍ଦରେ କମ୍ପମାନ ହେବାକୁ ଲାଗିଲା। ଭୟରେ ଲୋକେ ଦଉଡିବାକୁ ଆରମ୍ଭ କଲେ ଓ ଦଳାଚକଟା ଆରମ୍ଭ ହୋଇଗଲା। କିଛି ଦୋକାନୀ ନିଆଁରେ ପୋଡି, ପଡିଆ ଭିତରେ ପ୍ରାଣ ବଞ୍ଚାଇବାକୁ ଦଉଡିବାକୁ ଲାଗିଲେ। ବୁଢୀ କିଛି ପ୍ରତିକ୍ରିୟା ଦେଖାଇବା ପୂର୍ବରୁ , ପାଛିଆରେ ରଖା ଯାଇଥିବା ମାଟି ଦୀପ ସବୁ ଲୋକଙ୍କ ପାଦ ତଳେ ପଡି ଚୁରମାର ହୋଇ ସାରିଥିଲା। ସେ ଦୀପ ଗୁଡିକ ସହ ବୁଢୀ ମନରେ ଥିବା ସ୍ବପ୍ନ ଓ ତା ନାତିଆ ଟୋକାର ଆଶା ମଧ୍ଯ ମାଟିରେ ମିଶି ସାରିଥିଲା। ଲୋକ ମାନଙ୍କର ଦଳାଚକଟାରେ ବୁଢୀ ତଳେ ପଡିଗଲା ଓ ଲୋକେ ତାକୁ ମାଡି ମକଚି ତା ଉପରେ ଦଉଡିବା ଆରମ୍ଭ କରିଦେଇଥିଲେ। ଚାରି ଆଡେ କେବଳ ଶୁଭୁଥିଲା ବିକଳ ଚିତ୍କାର ଓ ଆର୍ତ୍ତନାଦ। ପ୍ରବଳ ଧୂଆଁ , ଅଗ୍ନୀର ନଭଶ୍ଚୁମ୍ଭୀ ଲେଲିହାନ ଶିଖା ଓ ପୋଡାମାଂସ ର ଗନ୍ଧରେ ପଡିଆଟି ଭୟଙ୍କର ହୋଇ ଉଠିଥିଲା। କେହି ଜଣେ ବୁଢୀର ହାତ ଧରି ଘୋଷାଡି ବାହାରକୁ ଟାଣି ଆଣିଲା। ଦୁର୍ବଳ ହାତରେ ବୁଢୀ ପ୍ରତିବାଦ କରି କିଛି କହିବାକୁ ଚାହୁଁଥିଲା, ମାତ୍ର ସେ କଥା ଶୁଣିବାକୁ କାହା ପାଖରେ ସମୟ ନ ଥିଲା।
କିଛି ଦୂରରେ ବୁଢୀ ବସି ଦେଖୁଥିଲା ସେ ଭୟଙ୍କର ଦୃଶ୍ଯକୁ। ଦମକଳ ଗାଡି, ପୋଲିସ୍ ଓ ଆମ୍ବୁଲାନସ୍ ଗାଡି ମାନଙ୍କର ବିକଟାଳ ଚିତ୍କାର ରେ ଖଣ୍ଡମଣ୍ଢଳ କମ୍ପି ଉଠୁଥିଲା। ଆହତ ଲୋକ ଓ ପରିଜନଙ୍କର ବିକଳ କ୍ରନ୍ଦନ ଶୁଣିଲେ ଛାତି ଫାଟିଗଲା ପରି ଲାଗୁଥିଲା। ନିମିଷକ ରେ କଣ ସବୁ ଘଟିଗଲା, ସେ କଥା ବିଶ୍ବାସ କରିବା ମଧ୍ଯ କଷ୍ଟକର ଥିଲା। ସଞ୍ଜ ନଇଁ ଆସୁଥିଲା, ବୁଢୀ ସହର ଆଡକୁ ଦେଖିଲା। ସବୁ ଲୋକଙ୍କ ଘର ର ଛାତ ଉପରେ ଲିଚୁ ଲାଇଟ୍ ଲଗା ସରିଥିଲା। କିଛି ଲୋକ ବାଣ ଫୁଟାଇବା ଆରମ୍ଭ କରି ସାରିଥିଲେ। ସେ କିଛି ବୁଝି ପାରୁ ନ ଥିଲା, ସହି ସହର ର ଗୋଟିଏ ସ୍ଥାନ ରେ ମୃ ତ୍ଯୁ ର ତାଣ୍ଡବ ଚାଲିଥିଲା ବେଳେ, ଲୋକେ କେମିତି ନିଜ ଘରେ ଆରାମ ରେ ରହି ଉତ୍ସବ ପାଳନ ରେ ଲାଗିଛନ୍ତି। ତେବେ କଣ ଏ ଦୁନିଆଁ ରେ ମଣିଷ ପଣିଆ ଆଉ ନାହିଁ ? ବେଳ କୁ ବେଳ ବାଣ ଫୁଟା ପର୍ବ ଜୋର ଧରିଲା ଓ ବାଣ ର ପ୍ରଚଣ୍ଡ ଶବ୍ଦରେ ପଡିଆ ପାଖରେ ଜମା ହୋଇଥିବା ଲୋକଙ୍କ କାନ୍ଦଣା ଶବ୍ଦ ଫିକା ପଡି ଆସିଲା। ବୁଢୀ ଆଖି ଆଗରେ ବରାବର ତା ନାତିର ମୁହଁ ନାଚି ଉଠୁଥିଲା। ବିଚରା କେତେ ଆଶା ନେଇ ଚାହିଁ ଥିବ ବାଣ ଫୁଟାଇବା ପାଇଁ।
ନାଃ ---- ତାକୁ କିଛି କରିବାକୁ ହେବ। ଯାହା ହେଲେ ବି ବାଣ ନେଇ ଘରକୁ ଫେରିବାକୁ ହେବ।
ଲୁଚି ଲୁଚି ବୁଢୀ ସେ ପଡିଆ ଭିତରେ ପଶିଲା। ସେତେବେଳ ଯାଏ, କିଛି ଲୋକଙ୍କର ଦରପୋଡା ଶବ ପଡି ରହିଥିଲା ପଡିଆ ଭିତରେ। ଦମକଳ ଆସି ନିଆଁ ଲିଭାଇ ସାରିଥିଲେ ମଧ୍ଯ, କିଛି ଦୋକାନ ଭିତରୁ ଅଳ୍ପ ଧୂଆଁ ବାହାରୁଥିଲା । ସନ୍ତର୍ପଣ ରେ ବୁଢୀ ପାଦ ଥାପି ଚାଲିଲା। ମନରେ ଆଶା ଥାଏ, ଯଦି କିଛି ବାଣ ମିଳିଯିବ ନାତି ପାଇଁ ନେଇଯିବ। ସେତିକି କରି ପାରିଲେ, ସାରା ଦିନ ର ପ୍ରାଣାନ୍ତକ ପୀଡା ପ୍ରତିବଦଳରେ କିଛି ଭଲ ଫଳ ମିଳିଲା ବୋଲି କୁହା ଯାଇପାରିବ। ଭଗବାନ ଙ୍କ ଦୟାରୁ ଗୋଟିଏ ଦୋକାନ ରେ କିଛି ବାଣ ପଡିଥିବାର ଦେଖି ପାରିଲା ବୁଢୀ। ଆଗପଛ ବିଚାର ନ କରି ପଣତ କାନି ମେଲାଇ ସବୁ ବାଣ ଭର୍ତ୍ତି କରିବାରେ ଲାଗିଲା। ଚୋରି କରୁଛି ବୋଲି ସେ ଭଲରେ ଜାଣି ଥିଲା, କିନ୍ତୁ ତା ପାଖରେ ଅଜସ୍ର ଯୁକ୍ତି ଥିଲା ଏହି ଚୋରି କୁ ଯୁକ୍ତିଯୁକ୍ତ ବୋଲି ପ୍ରମାଣିତ କରିବାକୁ। ଦୋକାନ ଭିତରୁ ଉଠାଉଥିବା ପ୍ରତ୍ଯକ ବାଣ ସହିତ, ତା ମନରେ ଖେଳି ଚାଲିଥିଲା ଅମାପ ଆନନ୍ଦ ଓ ଆତ୍ମସନ୍ତୋଷ ଭାବ। ଯାହା ହେଉ, ଅନ୍ତତଃ ତା ନାତିଆ ଟୋକାର ଦୀପାବଳି ଟା ଆଜି ଜୋରସୋର୍ ରେ ପାଳନ ହେବ। ପିଲା ଟା ଏତେ ବାଣ ଦେଖି, ଖୁସି ରେ ବହେ ନାଚିଯିବ। ଏତେ ଜାତି ର ବାଣ ବୁଢୀ ଜୀବନ କାଳ ଭିତରେ କିଣି ପାରି ନ ଥାଆନ୍ତା ; କିନ୍ତୁ ଭାଗ୍ଯ ଆଜି ତା ପାଇଁ କୁହୁକ ପେଡି ଖୋଲି ଦେଇଛି। ଏ ସୁବର୍ଣ୍ଣ ସୁଯୋଗ ସେ ହାତଛଡା କରନ୍ତା ବା କିପରି? ଅଣ୍ଟିରେ ଧରି ପାରିଲା ପରି ବାଣ ବୋଝେଇ କରି ସେ ଧିରେ ଧିରେ ପଡିଆ ବାହାରକୁ ଯିବାକୁ ଲାଗିଲା। ବାଣ ର ଓଜନ ହେତୁ ପାଦ ଠିକ୍ ରେ ନ ପଡି ଟଳଟଳ ହେଉଥିଲା। ତା ସାଙ୍ଗକୁ ଲୋକଙ୍କ ଦଳାଚକଟା ରେ ଦେହ ସାରା ଖଣ୍ଡିଆ ଖାବରା ହୋଇ ରକ୍ତ ମଧ୍ଯ ବାହାରୁ ଥିଲା। କଷ୍ଟେମଷ୍ଟେ ପଡିଆ ର ଶେଷ ମୁଣ୍ଡରେ ପହଞ୍ଚିଲା। ଆଗରେ ପୋଲିସ୍ ଗାଡି ଓ ଲୋକ ଗହଳି, ତେଣୁ ଅନ୍ଯ ରାସ୍ତାରେ ଯିବାକୁ ହେବ। ଗୋଟେ ଛୋଟ ନଳା ଅଛି ଯାହା, ତାକୁ ପାର ହୋଇ ଗଲେ ମୁଖ୍ଯ ରାସ୍ତା। ନଳା ପାଖରେ ପହଞ୍ଚି ଧିରେ ଧିରେ ପାଦ ଆଗକୁ ବଢାଇଲା। କିନ୍ତୁ ବିଚାରି ର ଫଟା କପାଳ, ପାଦ ଖସି ଯିବାରୁ ଦୁମଦାମ୍ ହୋଇ ସେ ଶୁଖିଲା ନଳା ଭିତରେ ଗଳି ପଡିଲା। ସେ ପଡିବା ସହ, ଅଣ୍ଟିରେ ଜାକିଥିବା ବାଣ ଫୁଟିବାକୁ ଆରମ୍ଭ କଲା। ନଳା ପାଖରେ ବାଣ ଫୁଟିବାର ଶବ୍ଦ ଶୁଣି ପୋଲିସ୍ ଓ ଲୋକ ମାନେ ସେ ଦିଗ କୁ ଦଉଡିବା ଆରମ୍ଭ କଲେ।
ନଳା ଭିତରେ ବୁଢୀ ପଡିଥିଲା ; ଦେହଟି ଜଳିଯାଇ ବିଭତ୍ସ ଦିଶୁଥିଲା ଓ ଦେହ ସାରା ବାରୁଦ ଲେସି ହୋଇ ରହିଥିଲା। ଗଁ ଗଁ ହୋଇ କହି ଚାଲିଥିଲା-- ଦେଖ୍ ମୋ ନାତିଆ ଟୋକା-- ତୋ ପାଇଁ କେତେ ଜାତି ର ବାଣ ଆଣିଛି। ତୁ ଆଜି ମନ ଭରି ବାଣ ଫୁଟା। ତୋ ଜେଜି ଆଜି ଦୋକାନ ର ସବୁ ବାଣ ନେଇ ଆସିଛି ଖୁସି ରେ ଫୁଟେଇବୁ ବୋଲି। ଏମିତି ଦୀପାବଳି କେବେ ପାଳି ଥିଲୁ କି ମୋ ନାତିଆ ରାଜା -----
ନଳା ରୁ ବାହାରକୁ କାଢିଲା ବେଳକୁ ବୁଢୀ ଦେହରେ ଜୀବନ ନ ଥିଲା। ବିଚାରି ର ଦେହଟି ପାଖାପାଖି ସମ୍ପୂର୍ଣ୍ଣ ପୋଡି ଯାଇଥିଲା। ହାତରେ ସେ ଜାବୁଡି ଧରିଥିଲା ଏକ ବାଣ ଯାହା ଫୁଟି ସାରିଥିଲା ଓ ତା ହାତର ଦୁଇଟା ଆଙ୍ଗୁଠି ଛିଡି ତଳକୁ ଝୁଲି ରହିଥିଲା। ଏତେ କଷ୍ଟ ପାଇ ବୁଢୀ ଦେହରୁ ଜୀବନ ଯାଇଥିଲେ ମଧ୍ଯ, ତା ମୁହଁରେ ହସ ସେମିତି ସତେଜ୍ ଥିଲା ଓ ଆତ୍ମସନ୍ତୋଷରେ ଭରି ରହିଥିଲା।
ସେଦିନ ର ଦୀପାବଳି, ଆନନ୍ଦ ପରିବର୍ତ୍ତେ କେତେ ଯେ ଲୁହ ଆଣି ଆସିଥିଲା ତାହା କଳନା କରିବା ଦୁଃସାଧ୍ଯ ବ୍ଯାପାର। ବିଚାରି ନିରିହ ବୁଢୀ ଓ ତା ପରିବାର ପାଇଁ ତାହା ଥିଲା ଅନ୍ଧାର ଦୀପାବଳି। ସେ ଘଟଣା ପରେ ବୁଢୀର ବୋହୂ ଓ ନାତିଆ ଟୋକାର ଅବସ୍ଥା କ'ଣ ହୋଇଥିବ, ତାହା ପାଠକ ମାନେ ନିହାତି ହୃଦୟଙ୍ଗମ କରି ପାରୁଥିବେ।
--ସମାପ୍ତ--