Saturday, December 15, 2018

ବୁଢା

ଲେଖକ- ଅରବିନ୍ଦ ରଥ ସେଦିନ -- - - ଝିପିଝିପି ବର୍ଷାରେ ମୁଣ୍ଡରେ ଝାମ୍ପି ଲଗାଇ ଆଜବେସଟସ୍ ଘର ଛାତ ଉପରେ, ଟିଭି ଆଣ୍ଟେନା କୁ ବୁଲାଇ ରାମ ବଡ ପାଟିରେ ପଚାରିଲେ -- ଆରେ ପୁଅ ବୁଲୁ, ଦେଖିଲୁ ଏବେ ଟିଭି ଠିକ୍ ରେ ଆସିଲା ତ! ବୁଲୁ ପାଖରୁ କିଛି ଉତ୍ତର ଆସିଲାନି, କିନ୍ତୁ ସେ ଜୋର ରେ ତାଳି ମାରି ଖୁସି ହେବାର ଶବ୍ଦ ଶୁଣି ସେ ଜାଣି ପାରିଲେ ଯେ ,ଏବେ ତାଙ୍କ ଏକୋଇର ବଳା ବିଶିକେଶନ ଭଲ ରେ “ଶକ୍ତିମାନ” ସିରିୟଲ୍ ଦେଖି ପାରିବ। ବର୍ଷାର ଧାରା ବଢି ଚାଲିଥିଲା ପରେ ମଧ୍ଯ ସେ ଆଣ୍ଟେନା କୁ ସେହି ଅବସ୍ଥାରେ ଧରି ବସିଥିଲେ, ସିରିୟଲ୍ ସରିବା ଯାଏଁ। ସେଦିନ ବର୍ଷାର ମୋଟା ବିନ୍ଦୁ ସବୁ ଫିକା ପଡି ଯାଇଥିଲା ବୁଲୁର ଖୁସି ସାମନା ରେ। ତଳକୁ ଓହ୍ଲାଇବା ପରେ ପତ୍ନୀ ଲତା ହସିହସି କହିଲେ-- ବଡବଡିଆ ମାନେ ଠିକ୍ କହିଛନ୍ତି ; ପିଲା ମାନଙ୍କ ଖୁସି ଦେଖିଲେ ବାପା ମାନେ ନିଜ କଷ୍ଟ ଭୁଲି ଯାଆନ୍ତି। ଆତ୍ମସନ୍ତୋଷ ଭରା ହସ ରେ ଉଜ୍ଜଳ ହୋଇ ଉଠିଥିଲା ରାମଙ୍କ ମୁଖ ମଣ୍ଡଳ। ଏଥର ଲତା ଟିକେ ଚିଡେଇଲା ପରି କହିଲେ – ବୁଢା ର ହସ ଦେଖ ! ମୋଟା ନିଶରୁ ନିଗିଡି ଆସୁଥିବା ବର୍ଷା ପାଣିକୁ ଆଙ୍ଗୁଠିରେ ପୋଛି, ଲତାଙ୍କ ଉପରକୁ ଛିଞ୍ଚାଡି ରାମ କହିଲେ-- ହେଁ....ମୁଁ ବୁଢା!!!! ଆରେ ତୁମେ ବୁଢୀ ହୋଇଯିବଣି, ସେଥିପାଇଁ ଭଲରେ ଦିଶୁ ନ ଥିବ। ନ ହେଲେ ମୋ ପରି ଯୁଆନ୍ ମରଦ କୁ ବୁଢା କୁହନ୍ତ ! ଏବେ- - - ବୁଲୁ ମୁମ୍ବାଇରେ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ କାର୍ଯ୍ଯରତ। ଘରେ ପତ୍ନୀ ଓ ଏକ ମାତ୍ର ପୁଅ। ଲତା ଙ୍କ ସ୍ବର୍ଗବାସ ପରେ ସେ ବାଧ୍ଯ କରି ରାମଙ୍କୁ ନେଇ ଆସିଛି ନିଜ ପାଖକୁ। ସେଦିନ ସକାଳୁ ଅଭିମାନ ଭରା ସ୍ବରରେ ରାମ ବୋହୁ କୁ କହିଲେ-- ଆଲୋ ମାଆ , ମୋ ଟିଭିରେ କିଛି ଓଡିଆ ଚ୍ଯାନେଲ୍ ଆସୁନାହିଁ, ତୁ ଟିକେ ପୁଅ କୁ କୁହନ୍ତୁନି ! ବୋହୁ କିଛି ନ ଶୁଣିଲା ପରି ମୁହଁ ମୋଡି ଚାଲିଗଲା ଓ ରାମ ବିଛଣା ଉପରେ ନୀରବ ହୋଇ ବସି ରହିଲେ। କାହା ସହ ବା କଥା ପଦେ ହେବେ। ପାଖରେ ଅଛନ୍ତି, ନା କେହି ସାଙ୍ଗ, ନା ବନ୍ଧୁବାନ୍ଧବ। ବୋହୁ ମଧ୍ଯ ଏକ ବେସରକାରୀ ଅଫିସ୍ ରେ କାର୍ଯ୍ଯରତା। ସମସ୍ତେ ନିଜ ନିଜ କର୍ମକ୍ଷେତ୍ର କୁ ଚାଲିଗଲା ପରେ ରାମ ଝରକା ବାହାରକୁ ଦେଖି ଭାବନ୍ତି-- ଏ ସହର ପରି ତାଙ୍କ ପୁଅ ବୋହୁ ମଧ୍ଯ ସଦାବେଳେ ବ୍ଯସ୍ତ। ନାତି ଟୋକା କୁ ଦିନରେ ଥରେ ଦେଖିଲେ ଯଥେଷ୍ଟ। ସ୍କୁଲ୍, ଟିଉସନ୍, ନାଚ ଶିଖା ରେ ପିଲା ଟା ଦହଗଞ୍ଜ ହୋଇ ଯାଉଛି। ଏ ବୁଢା ଜେଜେ ବାପା ପାଖରେ କି ସୁଖ ପାଇବ ଯେ ପାଖକୁ ଆସିବ। ତାଙ୍କର ଏକ ମାତ୍ର ସାହା ଭରସା ଥିଲା ତାଙ୍କ ବଖରା ରେ ପୁଅ ଲଗାଇଥିବା ପୁରୁଣା କାଳିଆ ଟେଲିଭିଜନ୍। ଦୁଃଖ କେବଳ ଏତିକି ଯେ, ସେଥିରେ ଗୋଟିଏ ମଧ୍ଯ ଓଡିଆ ଚ୍ଯାନେଲ୍ ଆସୁ ନଥିଲା। ଦେଶବିଦେଶର ଖବର ବା ଘରଭଙ୍ଗା ସିରିୟଲ୍ ଦେଖି ତାଙ୍କୁ ବା କି ଲାଭ ମିଳିବ? ନିଜ ରାଜ୍ଯର ହାନିଲାଭ ଖବର ତ ଟିକେ ଜାଣିହେଉନି। ଭିଟାମାଟି କୁ ଛାଡି, ଏତେ ଦିନ ସେ କେବେ ବାହାରେ ରହି ନ ଥିଲେ। ତେଣୁ ଗାଁଆରେ କଣ ହେଉଥିବ, ଘରବାଡି ର ଅବସ୍ଥା କେମିତି ଥିବ, ବନ୍ଧୁବାନ୍ଧବ ମାନେ କେମିତି ଥିବେ ଆଦି ଚିନ୍ତା ରେ ତାଙ୍କ ମନ ଭିତରଟା ଗୋଳେଇ ଘାଣ୍ଟି ହୋଇ ଯାଉଥିଲା। ପୁଅ ପାଖକୁ ଆସିବା ଦିନଠାରୁ ସେ ଗୃହବନ୍ଦୀ ହୋଇ ରହିଛନ୍ତି ; ବେଳେବେଳେ ବଡ ଅସହାୟ ଲାଗୁଛି। ଗାଁଆ କଥା ବହୁତ ମନେ ପଡୁଛି, କିଛି ନ ହେଲେ ତାଙ୍କ ସମସ୍କନ୍ଧ ଲୋକ ତ ଥିଲେ। ସେମାନଙ୍କ ସହ ଦିନ କେମିତି କଟି ଯାଉଥିଲା ଜଣା ବି ପଡୁ ନ ଥିଲା। ଲୋକଙ୍କ ଗହଣ ରେ ଦୁଃଖସୁଖ ହେଲା ବେଳକୁ , ବୟସର ଅକର୍ମଣ୍ଯତା ଓ ଲତାଙ୍କ ଅନୁପସ୍ଥିତି ର ପୀଡା ସେତେ ବେଶୀ ଜଣା ପଡୁ ନ ଥିଲା। କିନ୍ତୁ, ଏବେ ଲାଗୁଛି ଯେ ଲତା ତାଙ୍କୁ ମଝି ରାସ୍ତା ରେ ଏକୁଟିଆ ଛାଡି ଚାଲିଯିବା ସହ, ଅସରନ୍ତି ଦୁଃଖ ଓ ନିଃସଙ୍ଗତା ଭେଟି ଦେଇଗଲେ। ଦିନ ବିତିବା ସହ ତାଙ୍କ ଦେହରେ ଅନେକ ରୋଗ ନିଜ ନିଜର ଅସ୍ତିତ୍ବ ଜାହିର କରିବା ଆରମ୍ଭ କରିଦେଇଥିଲେ ଓ ସେ ବନ୍ଦୀ ହୋଇ ପଡୁଥିଲେ ଅବସନ୍ନତା ଓ ଅସୁସ୍ଥତାର ବୁଢିଆଣୀ ଜାଲ ମଧ୍ଯରେ। ସହରରେ ତାଙ୍କୁ ଅଣନିଶ୍ବାସୀ ଲାଗୁଥିଲା। ବୁଲୁ ପାଖରେ ଆସି ରହିବା ଫଳରେ କିଏ ଖୁସି ପାଇଲା, ସେ ନିଜେ ମଧ୍ଯ ଜାଣି ପାରୁ ନାହାଁନ୍ତି। ଆସିବା ଦିନଠାରୁ ସେ ନିଜ ବଖରା ରେ କୌଣସି ପୁରୁଣାକାଳିଆ ଜିନିଷ ପରି ପଡି ରହିଛନ୍ତି। ପୁଅ ବୋହୁଙ୍କ ପାଇଁ ସେ ଏକ ବୋଝ, ଯାହାକୁ ରଖି ହେବନି କି ଫିଙ୍ଗି ହେବନି। ନାତିଆ ଟୋକା ପାଇଁ ସେ ଅନ୍ଯଗ୍ରହର ଅବୋଧ୍ଯ ଜୀବ। ଉଭୟଙ୍କ କଥା ଉଭୟଙ୍କ ପାଇଁ ଦୁର୍ବୋଧ୍ଯ ; ନା ନାତି ତାଙ୍କ କଥା ବୁଝି ପାରୁଛି, ନା ମନ ଭିତରେ ତା ପାଇଁ ଥିବା ଅନାବିଳ ପ୍ରେମକୁ ଅନୁଭବ କରି ପାରୁଛି। ମଫସଲିଆ ମଳିମୁଣ୍ଡିଆ ଜେଜେ ବାପା ସହ ସେ ବା କଣ କଥା ହେବ? ସେ ତ ଓଡିଆ ବି ଭଲରେ କହି ପାରୁନି। ଘରେ ବାପାମାଆଙ୍କ ସହ ଓ ବାହାରେ ସାଙ୍ଗସାଥୀଙ୍କ ସହ, ସେ ସଦା ବେଳେ ହିନ୍ଦୀ ବା ଇଂରାଜୀ ରେ କଥା ହେଉଛି। ଓଡିଆ କହିଲେ ଖନେଇ ଖନେଇ କହୁଛି ବଡ କଷ୍ଟରେ। କେବେ କେମିତି ଓଡିଆରେ ଟିକେ କହିଲେ ତା ମାଆ ଆଖି ଦେଖେଇ କହୁଛି-- ସେମିତି ମଫସଲିଆ ପରି କାହିଁକି କଥା ହେଉଛୁ। କନଭେଣ୍ଟ ସ୍କୁଲରେ ଏତେ ଟଙ୍କା ଦେଇ ତେତେ ପଢଉଛୁ, କଣ ମଫସଲିଆ ହୋଇ ବାହାରିବୁ ବୋଲି? ଏମିତି ପରିସ୍ଥିତିରେ ତାଙ୍କ ଜୀବନଟା ଏକ ଲକ୍ଷହୀନ ନୌକା ପରି ଇତଃସ୍ତତଃ ହୋଇ ଭାସି ଚାଲିଥିଲା। ପୁଅ ବୋହୁ ତାଙ୍କୁ କେବେ କଡା କଥା କହୁ ନ ଥିଲେ ; କିନ୍ତୁ ନୀରବ ରହି ସେମାନେ ଯାହା କହୁଥିଲେ, ସେ ଭାଷା ବୁଝିବା ଲୋକର ଦେହରୁ ମାଂସ ଖସି ପଡିବ। ସେମାନଙ୍କ ମୁହଁରେ ରାମ ଲକ୍ଷ କରି ପାରୁଥିଲେ ମନ ଭିତରେ କୁହୁଳି ଉଠୁଥିବା ଅସନ୍ତୋଷର ବହ୍ନି। ସବୁଦିନ ତୁଣ୍ଡକୁ ଖାଇବା ନେବା ବେଳେ ସେ ବୁଲୁ ପାଖରୁ ଶୁଣନ୍ତି ଟଙ୍କା ରୋଜଗାର କରିବା କେତେ କଷ୍ଟ। ଘର ସଉଦାରେ କେତେ ପଇସା ଖର୍ଚ୍ଚ ହେଉଛି, ତାଙ୍କ ଓୌଷଧ କିଣାରେ କେତେ ଖର୍ଚ୍ଚ ହେଉଛି, ଆଦି ଅନେକ ଅନ୍ତହୀନ ଖର୍ଚ୍ଚର ହିସାବ। ସେ ବୁଝି ପାରନ୍ତିନି ବୁଲୁ ତାଙ୍କ ପାଖରେ ଏପରି ହିସାବପେଡି ଖୋଲି ବସିବାର କାରଣ କଣ ହୋଇପାରେ। ସେ ତ କପର୍ଦ୍ଦକଶୂନ୍ଯ ହୋଇ ସାରିଛନ୍ତି ବହୁ ଦିନ ତଳୁ। ବୁଲୁ କୁ ବଡ ମଣିଷ କରିବା ପାଇଁ ସେ ନିଜର ସର୍ବସ୍ବ ଖର୍ଚ୍ଚ କରିସାରିଛନ୍ତି। ବାକି ଯାହା ବଳକା ଥିଲା ରୁଗ୍ଣ ଲତାଙ୍କ ଚିକିତ୍ସାରେ ଶେଷ ହୋଇ ଯାଇଥିଲା। କାଇଁ ସେତେବେଳେ ସେ କେବେ ବୁଲୁ ପାଖରେ ଏମିତି ଖର୍ଚ୍ଚର ହିସାବ କରି ନାହାଁନ୍ତି ତ ! ଅଗଣିତ କିନ୍ତୁ,କାହିଁକି ଓ କିପରି ର ପ୍ରଶ୍ନଜାଲରେ ସେ ଆକ୍ତାମାକ୍ତା ହୋଇ ଚାଲିଛନ୍ତି ପୁଅ ପାଖକୁ ଆସିବା ଦିନ ପରଠାରୁ। ଅନେକ ଦିନ ହେଲାଣି ବୁଲୁ ତାଙ୍କୁ ବାପା ବୋଲି ସମ୍ବୋଧନ କରିବା ବନ୍ଦ କରି ଦେଇଥିଲା। ପୁଅ ଆଦର୍ଶରେ ଅନୁପ୍ରାଣିତ ହୋଇ ବୋହୁ ମଧ୍ଯ ତାଙ୍କୁ କିଛି ସମ୍ବୋଧନ କରିବାର ଆବଶ୍ଯକତା ଅନୁଭବ କରୁ ନ ଥିଲା। ଘରର ଅଦରକାରୀ ଜିନିଷ ରଖିବା ବଖରା ରେ ସ୍ଥାନ ମିଳିଥିଲା ରାମଙ୍କୁ। ଗୋଟିଏ କାଠପଟା ର ଖଟ, ପୁରୁଣା କନ୍ଥାର ଗଦି ଓ ମଇଳା ଚାଦର ଥିଲା ତାଙ୍କ ସମ୍ବଳ। ପୁରୁଣା ଟେଲିଭିଜନ୍ ଓ ଭଲରେ ବୁଲୁ ନ ଥିବା ସିଲିଂ ଫ୍ଯାନ୍ ଥିଲା, ବୁଲୁ ତାଙ୍କ ସୌଖିନ୍ ଜୀବନଯାପନ ପାଇଁ କରିଥିବା ସବୁଠାରୁ ବଡ ବ୍ଯବସ୍ଥା। ପବନ ଆସିବା ପାଇଁ ଥିବା ଛୋଟ ଝରକା ରେ ସେ ବାହାର ଦୁନିଆଁର ରୂପରେଖ ଦେଖି ପାରୁଥିଲେ ଓ ଅନୁମାନ କରୁଥିଲେ ସେ ଅପହଞ୍ଚ ଦୁନିଆର ଅବସ୍ଥିତି। ବୁଲୁ ପାଖକୁ ଯିବା ପରଠାରୁ ବାହାର ଜଗତ କୁ ଦର୍ଶନ କରିବାର ସୁଯୋଗ ତାଙ୍କୁ ମିଳୁ ନ ଥିଲା। ପୁଅ ବୋହୁଙ୍କର କଡା ତାଗିଦ୍ ଥିଲା ଯେ --- ଆପାର୍ଟମେଣ୍ଟ ରେ ବହୁତ ବଡବଡିଆ ଲୋକ ରହୁଛନ୍ତି ; ତେଣୁ ବାହାରକୁ ଯିବା କିଛି ଦରକାର ନାହିଁ। ସେହି ଧମକ୍ ମିଶ୍ରିତ ପରାମର୍ଶର ଲକ୍ଷ୍ମଣରେଖା ପାର କରିବାର ସାହାସ ରାମଙ୍କ ପାଖରେ ନ ଥିଲା। ଏକଥା ନୁହଁ ଯେ, ପୁଅବୋହୁଙ୍କ ସାଙ୍ଗ ମାନେ ସେଠାକୁ ଆସନ୍ତିନି। ସେମାନେ ବରାବର ଆସନ୍ତି ଓ ପ୍ରତି ସପ୍ତାହରେ ଘରେ ଛୋଟ ମୋଟିଆ ଭୋଜି ଓ ହସ ଖୁସିର ଆସର ମଧ୍ଯ ଜମେ। ଘରକୁ ଅଚାନକ୍ ଅତିଥି ଆସିଗଲେ ଲୋକେ ଭାଙ୍ଗି ଆସୁଥିବା ପୁରୁଣା ଟେବୁଲରେ ନୂଆ କପଡା ପକାଇ ଘୋଡାଇ ଲୁଚାଇ ଦେବା ପରି, ରାମ ରହୁଥିବା ବଖରା ସାମନାରେ ସେମାନେ ପରଦା ଟାଣି, ସେ ଘରେ ତାଙ୍କର ଅସ୍ତିତ୍ବକୁ ନିଶ୍ଚିହ୍ନ କରି ଦେଉଥିଲେ। ଏପରିକି ପୁଅ କୁ ମଧ୍ଯ ତାଗିଦ୍ କରିଥାନ୍ତି, ଯେପରି ସେ ଭୁଲରେ ମଧ୍ଯ ସେ ବଖରା କୁ ନ ଯିବ। ସେ ଆସିବାର ଏତେ ଦିନ ପରେ ମଧ୍ଯ କେହି ଜାଣି ନ ଥିଲେ ଯେ ବୁଲୁ, ତା ସ୍ତ୍ରୀ ଓ ପୁଅ ବ୍ଯତୀତ ଜଣେ ଚତୁର୍ଥ ବ୍ଯକ୍ତିର ସତ୍ତା ସେହି ଘରେ ଥିଲା। ଏସବୁ ଘଟଣା ଏବେ ଦେହସୁହା ହୋଇ ଗଲାଣି। ଆଗରୁ ଏସବୁ ଦେଖି ରାମ ଆଣ୍ଠୁ ରେ ମୁଣ୍ଡ ମାଡି କେତେ ଯେ କାନ୍ଦିଛନ୍ତି, ତା'ର ହିସାବ ନାହିଁ। ସେତେବେଳେ ତାଙ୍କୁ କେବଳ ଲତାଙ୍କ ହସହସ ମୁହଁ ଟା ଦେଖାଯାଏ। ମନେମନେ ସେ ଗାଳି ଦିଅନ୍ତି ଲତାଙ୍କୁ, କାହିଁକି ତାଙ୍କୁ ଏତେ ବଡ ଦୁନିଆ ରେ ଏକାକୀ କରି ଚାଲିଗଲେ। ପୁଣି କେବେ କୁହନ୍ତି--ଭଲ ହେଲା ସେ ଚାଲି ଯାଇଛି, ନ ହେଲେ ମୋର ଏ ଅବସ୍ଥା ଦେଖି ସେ ସମ୍ଭାଳି ପାରି ଥାଆନ୍ତା ତ! !! ସେଦିନ କାହିଁକି କେଜାଣି, ବୋହୁ ଏମିତି ମୁହଁ ମୋଡି ଚାଲିଯିବାଟା ତାଙ୍କୁ ବହୁତ ବାଧିଥିଲା। ସେ ନିଶ୍ଚୟ କରିଥିଲେ, ପୁଅ ଆସିଲେ ସବୁ କହିବେ ଓ ଟିଭିରେ ଯେମିତି ହେଲେ ଓଡିଆ ଚ୍ଯାନେଲ୍ ଲଗାଇବା ପାଇଁ କହିବେ। କିନ୍ତୁ କହିବେ କେମିତି ଜାଣି ପାରୁ ନ ଥାନ୍ତି। ସମସ୍ତେ ଟେବୁଲରେ ଖାଇ ସାରିବା ପରେ ତାଙ୍କ ଖାଇବା ପାଳି ପଡେ। ଥାଳିରେ ବୋହୁ ଯାହା ବାଢି ଦେଇଥାଏ, ତାକୁ ନେଇ ସେ ନିଜ ବଖରାକୁ ଆସି ସେଠାରେ ଖାଆନ୍ତି ଓ ବାସନଧୋଇ ରୋଷେଇ ଘରେ ରଖି ଦିଅନ୍ତି। ସେ ଖାଇବା ଟେବୁଲ୍ ଟା କୁଆଡେ ବହୁତ୍ ଦାମିକା କାଚ ରେ ତିଆରି, ଟିକେ ଅନୁଲୋମ୍ ବିଲୋମ୍ ହେଲେ ଖରାପ ହୋଇଯିବ- - ଏକଥା ବୋହୁ ହଜାର ଥର କହିଛି। ନାତି ଖାଇ ତାଙ୍କ ଶୋଇବାଘରେ ଟେଲିଭିଜନ୍ ଦେଖୁଛି। ପୁଅବୋହୁ ଟେବୁଲ୍ ରେ ବସି ଖାଉଥାନ୍ତି। କେତେ ପ୍ରକାର ର ଖାଇବା ଜିନିଷ ଟେବୁଲ୍ ରେ ସଜାଯାଇ ରଖାଯାଇଛି। ଆଜି ବୋଧେ କିଛି ବିଶେଷ ଖୁସିର ଦିନଥିବ, ନୋହିଲେ ପୁଅ ଏତେ ଖୁସି କାହିଁକି ଜଣା ପଡୁଛି - - ମନେ ମନେ ଭାବିଲେ ସେ। ବଡ ସନ୍ତର୍ପଣ ରେ ଯାଇ ସେ ପୁଅ ପାଖରେ ଚୁପଚାପ ଛିଡା ହେଲେ। ବୋହୁ ମୁହଁରେ ପୁଞ୍ଜିଭୂତ ହୋଇ ଆସୁଥିବା ବିରକ୍ତି ଓ ଘୃଣାଭାବ କୁ ଆଡ ଆଖିରେ ନ ଚାହିଁ ସେ ଗଳାଝାଡି କିଛି କହିବାକୁ ଆରମ୍ଭ କରିଛନ୍ତି କି ନାହିଁ, ବୋହୁ ମୁହଁ ଛିଞ୍ଚାଡି କହିଲା-- – ଟିକେ ଅପେକ୍ଷା କରିହେଲାନି! !! ଦିନ ସାରା ମଣିଷ ଖଟିଖଟି ଆସିବ, ଟିକେ ଶାନ୍ତିରେ ଖାଇଲା ବେଳକୁ ଆସି ପାଖରେ ହାଜର୍ ? ଶାନ୍ତିରେ ଟିକେ ଖାଇବାକୁ ବି ଦେବେନି - - ଛିଃ..। ଏତିକି କହି ସେ ଖାଇବା ଥାଳି ଧରି ରାଗ ତମତମ ହୋଇ ଶୋଇବାଘରେ ପଶି ଧଡ୍ କରି କବାଟ କିଳିଦେଲା। ଘଟଣା ଟା ଏତେ ଅଚାନକ୍ ଘଟିଗଲା ଯେ, ବୁଲୁ କଣ ପ୍ରତିକ୍ରିୟା ଦେଖାଇବ ଜାଣି ନ ପାରି ରାମଙ୍କ ମୁହଁ କୁ ରାଗରେ ଦେଖିବାକୁ ଲାଗିଲା। ମନକୁ ସ୍ଥିର କରି ରାମ ଦୃଢ ସ୍ବରରେ କହିଲେ - - ବୁଲୁ କେତେ ଥର କହିଲିଣି, ମୋ ଟେଲିଭିଜନ୍ ରେ ଓଡିଆ ଚ୍ଯାନେଲ୍ ଟିକେ ଲଗେଇ ଦେ, କେହି ବି ଶୁଣୁନ ! ଆଜି ବୋହୁ କୁ କହିଲି ଯେ ସେ ମୁହଁ ମୋଡି ଚାଲିଗଲା। ମୁଁ ଦିନସାରା ଘର ଭତରେ ପଡି ପଡି କଣ କରିବି ଥରେ ଭାବ୍। ମୋ ଧନ ଟା ପରା, କାଲି ଯାହା ହେଲେ ବି ଟିକେ ଓଡିଆ ଚ୍ଯାନେଲ୍ ଲଗେଇବାର ବ୍ଯବସ୍ଥା କରି ଦେ। ଅଳି କରିବା ସ୍ବରରେ କହିଲେ ସେ। ତାଙ୍କ ନିହାତି ସାଧାରଣ ଅଳି ଯେ ଏତେ ଭୟଙ୍କର ରୂପ ନେବ ସେ ଭାବି ନ ଥିଲେ। ବୋହୁ ଶୋଇବା ଘରୁ ଚିତ୍କାର କରି ବାହାରି ଆସି କହିଲା-- କଣ ହେଲା ! ତୁମ ସେବା କରି କରି ମୋ ଅଣ୍ଟା ଏଣେ ଭାଙ୍ଗିଯାଉ, ସେ ଦିଗ କୁ ନଜର ନାହିଁ, ଏଣେ ପୁଅ ପାଖରେ ସୁଆଗ ଦେଖେଇ ମୋ ନାଁଆରେ ଚୁଗୁଲି କରୁଛ ? ଲାଜ ଲାଗୁନି ତୁମକୁ ? ମୋ ଘର ଲୋକ ତ ଦିନେ କାଳେ ମୋ ପାଖକୁ ଆସି ପାରିଲେନି, କିନ୍ତୁ ତୁମେ ନାଗସାପ ପରି କୁଣ୍ଡଳୀ ମାରି ବସିଛ ଯେ, ମୋ ଜୀବନ ଅଧା କରି ସାରିଲଣି। ବୁଲୁ ନିଜ ସ୍ତ୍ରୀ ତ ହାତ ଧରି ତାକୁ ନେହୁରା ହୋଇ ଚୁପ୍ ହେବାକୁ କହିଲା ଓ ଶୋଇବା ଘରକୁ ନେଇଗଲା। ରାମ ସେଇ ଟେବୁଲ୍ ପାଖରେ ଛିଡା ହୋଇ ଶୁଣୁଥା'ନ୍ତି ବୁଲୁର କଥା - - ଆରେ ସେ ବୁଢା କଥା କୁ କାହିଁକି ଏତେ ଖରାପ୍ ଭାବୁଛ। ସେ ଗାଉଁଲୀ ଲୋକଟା କଥାବାର୍ତ୍ତା କରି ଜାଣିନି। ଘରେ ବସି ବସି ପାଗଳ ହୋଇ ଗଲାଣି, ଯେତେବେଳେ ଦେଖିଲେ ଖାଲି ଟିଭି ଦେଖିବ ବୋଲି ଯିଦି କରୁଛି। କାଲିଠାରୁ ସେ ଟିଭି ଟା ସେ ଘରୁ ବାହାର କରି ଆଣିଲେ ଜଞ୍ଜାଳ ସରିବ। କେତେ ଦିନ ଆଉ ସେ ବଞ୍ଚିବ ଯେ ତା ସହ ଲାଗିବା ; ସେ ତା ବାଟ ରେ ଥାଉ। ଆଜି ମୁଁ ପ୍ରମୋଶନ୍ ପାଇଛି, ଏ ଖୁସିର ଦିନକୁ ଭଲରେ ଉପଭୋଗ ନ କରି, ସେ ବୁଢା କଥା ରେ ମନ ଖରାପ କରିବା ଟା କଣ ଠିକ୍ ? ହେଇ ଦେଖ ପ୍ରମୋଶନ୍ ହେବା ଖୁସି ରେ ଖାସ୍ ତୁମ ପାଇଁ ଏ ହୀରାହାର ଟା ଆଣିଛି। ପିନ୍ଧି ଦେଖିଲ ଟିକେ, କେମିତି ମାନୁଛି ତୁମକୁ। ବୋହୁ ପ୍ରତ୍ଯୁତ୍ତରରେ କଣ କହିଲା ଶୁଣିବାର ଧର୍ଯ୍ଯ ରାମଙ୍କ ପାଖରେ ନ ଥିଲା। ସେଦିନ ବର୍ଷାରେ ଭିଜି ପୁଅକୁ ଟିଭି ଦେଖାଇଲା ବେଳେ ଲତାଙ୍କ ମୁହଁରୁ ବୁଢା ଡାକଟା ଶୁଣୁ ତାଙ୍କ ମନ ଭିତରଟା ରୋମାଞ୍ଚିତ ହୋଇ ଉଠିଥିଲା। କିନ୍ତୁ ଆଜି ପୁଅ ମୁହଁରୁ ସେହି ବୁଢା ଡାକଟି ଶୁଣିବା ପରେ ତାଙ୍କ ପାଦ ତଳୁ ମାଟି ଖସିଯିବା ପରି ଲାଗିଲା। ସେଦିନ ମୋଟା ନିଶରୁ ନିଗିଡି ଆସୁଥିବା ବର୍ଷା ପାଣିକୁ ଆଙ୍ଗୁଠିରେ ପୋଛିଆଣି, ଲତାଙ୍କ ଉପରକୁ ଛିଞ୍ଚାଡି ସେ ମାଦକତା ଭରା ସ୍ବରରେ ପ୍ରଶ୍ନ କରିଥିଲେ --ହେଁ!! !!!!! ମୁଁ ବୁଢା?? କିନ୍ତୁ ଆଜି, ଆଖିରୁ ଅବାରିତ ଝରି ଆସୁଥିବା ଲୁହ ପୋଛିଲା ବେଳେ, ସେ ଭୋ ଭୋ କାନ୍ଦି ଆକାଶକୁ ଚାହିଁ ଲତାଙ୍କୁ କହି ଚାଲିଥାଆନ୍ତି-- ହଁ ବୁଢା, ମୁଁ ବୁଢା। ଦେଖ ଲତା, ତୁମ ପୁଅ ମୋତେ କେମିତି ବୁଢା କହିଲା....ତା ବାପ କୁ ବୁଢା କହିଲା। ଦେଖୁଛ ତ ତୁମେ !!! ମୁଁ ରହିବିନି ତା ଘରେ - - ଗାଁଆ କୁ ଚାଲିଯିବି। ବାହାର କବାଟ ଖୋଲିବାର ଶବ୍ଦ ଶୁଣି ମଦନିଶା ରେ ଚୁର୍ ଥିବା ବୋହୁ ପଚାରିଲା-- ଆରେ ସେ ବୁଢା କ'ଣ ଘର ବାହାରକୁ ଚାଲିଗଲା ନାଁ କଣ? ବୁଲୁ ଅସୁରଙ୍କ ପରି ଅଟ୍ଟହାସ୍ଯ କରି କହିଲା-- ଆରେ ଯାଉ ବୁଢା କେତେବାଟ ଯିବ, ବଳେ ଫେରିବନି !! ଏଇଟା ଗାଁଆ ନୁହେଁ, ମୁମ୍ବାଇ ସହର। ସେ ବାହରକୁ ବାହାରିଲେ ସହର ର ରୂପରେଖ ଦେଖି ଭୟରେ ପୁଣି ଘରକୁ ବଳେ ଫେରି ଆସିବ। ଦୁଇ ଜଣ ହୋଃ ହୋଃ ହୋଇ ହସିବାକୁ ଲାଗିଲେ। କିନ୍ତୁ ସେମାନଙ୍କର ଆକଳନ ଭୁଲ୍ ଥିଲା। ପୁରୁଣା ଧୋତି ଖଣ୍ଡିଏ ପିନ୍ଧି, କାନ୍ଧରେ ଗାମୁଛା ପକାଇ ଫୁଙ୍ଗୁଳା ପାଦରେ ରାମ କେଉଁ ଏକ ଅଜଣା ଦିଗରେ ମାଡି ଚାଲିଥିଲେ। ନିଶାର୍ଦ୍ଧ ରଜନୀର ନୀରବତା କୁ ବିଦୀର୍ଣ୍ଣ କରି ଚାଲିଥିଲା ତାଙ୍କର ଆତୁର କ୍ରନ୍ଦନର ସ୍ବର -- ଏ ବୁଢା କୁ ଟିକେ ତା ଗାଁଆ କୁ ନେଇଯାଅ ବାବୁ, ବହୁତ ଧର୍ମ ହେବ। ମୋ ଉପରେ ଟିକେ ଦୟା କର... ମୋତେ ଗାଁଆ କୁ ନେଇ ଯାଅ। ସ୍ଥାନ, କାଳ ଓ ପାତ୍ର ର ପ୍ରକାରାନ୍ତରେ ଗୋଟିଏ ଶବ୍ଦର ଅର୍ଥ କେମିତି ଆନନ୍ଦପ୍ରଦାୟୀ ଓ ମଧୁବୋଳା ଅଥବା ହଳାହଳ ବିଷ ପରି ତିକ୍ତ ଓ ହୃଦୟବିଦୀର୍ଣ୍ଣକାରୀ ହୋଇପାରେ, ତାହାର ଜ୍ବଳନ୍ତ ଉଦାହରଣ ଲତା ଓ ବୁଲୁ ବ୍ଯବହାର କରିଥିବା “ବୁଢା” ଶବ୍ଦର ପ୍ରୟୋଗ ଅତି ସ୍ପଷ୍ଟ ଭାବରେ ପ୍ରମାଣିତ କରି ଦେଇଥିଲା। - - ସମାପ୍ତ- - !

Friday, December 7, 2018

ସନ୍ଯାସୀ


                                           ସନ୍ଯାସୀ
                        ଲେଖକ- ଅରବିନ୍ଦ ରଥ

        ଧାର୍ମିକ ଗୁରୁ ତେଣ୍ଟାରାମ୍ ଙ୍କ  ଆଶ୍ରମରୁ ପ୍ରବଚନ ଶୁଣି ଆସିବା ପରଠାରୁ ଜଟିଆ ବାବୁଙ୍କ ପ୍ରକୃତି ରେ କିଛି ବିଲକ୍ଷଣ ଲକ୍ଷ୍ଯ କରି, ପତ୍ନୀ କୁନ୍ଥେଇ ଙ୍କ ମନ ଭିତରଟା ଗୋଳେଇଘାଣ୍ଟି ହେବାରେ ଲାଗିଥିଲା। ସେଦିନର ସକାଳ ଓ ଅନ୍ଯଦିନ ର ସକାଳ ମଧ୍ଯରେ ବେଶ୍ ବ୍ଯତିକ୍ରମ ବାରି ହୋଇ ପଡୁଥିଲା।  ସୋଫା ଉପରେ ଜଟିଆ ବାବୁ,  ଶଙ୍ଖି ବିଲେଇ ଚୁଲି ପାଖରେ ବସି ଉଷୁମ୍ ଟାଣିଲାପରି ଜାକିଜୁକି ହୋଇ ବସିଥିଲେ। ତାଙ୍କ ଢିମା ଆଖିରେ ପ୍ରଶ୍ନାବଳୀ ମାନଙ୍କର ଛେଚାକୁଟା ଲଢେଇ ଭଲରେ ଦୃଶ୍ଯ ହେଉଥିଲା ଓ ସେ ଆଖି ମିଟିମିଟି କରି ଚାରିଦିଗ କୁ ପ୍ରଶ୍ନିଳ ଭଙ୍ଗୀରେ ଚାହିଁ ଚାଲିଥିଲେ।  ଦଶପଦ ପଚାରିଲେ ପଦେ କହୁଥିଲେ ; ତାହା ମଧ୍ଯ ହୁଁ ହାଁ ଢୁଁ ଢାଁ ମାଧ୍ଯମରେ, ସତେ କି ତଣ୍ଟିର କଣ୍ଟିଆ ମାଛ ଠାକି ଯାଇଛି। କଲେଜ୍ ପଢୁଆ  ଦୁଇ ପୁଅଝିଅ ବାପାଙ୍କର ଏମନ୍ତ ବିଚିତ୍ର ରୂପ ଦେଖି, ମୋବାଇଲରେ ଫଟୋ ଉଠେଇ ଫେସବୁକ୍ ରେ ଛାଡିବାର ଦୁର୍ବାର ଲାଳସା ଯଥା ସମ୍ଭବ ଚାପି ରଖିଥିଲେ । ଫେସବୁକ୍ ରେ ଏପରି ଫଟୋ ଦେଖିଲେ, ବାପାଙ୍କର ସାଙ୍ଗସାଥୀ ବନ୍ଧୁବାନ୍ଧବ ତ ଯାହା କହିବେ ସେ କଥା ନ କହିବା ଭଲ ; କିନ୍ତୁ ପୁଅଝିଅଙ୍କର ଫେସବୁକିଆ  ଫେରେଣ୍ଡ ମାନେ,  ସେମାନଙ୍କ ଅବସ୍ଥା ଯେ ବାରଗଣ୍ଡା ଦି କଡା କରିଦେବେ, ଏଥିରେ ସନ୍ଦେହ ନାହିଁ। ଭବିଷ୍ଯତରେ ଆବଶ୍ଯକ ହେଲେ ବାପାଙ୍କୁ କଳାଡାକ (ବ୍ଲାକମେଲ୍) କରିବା ଉଦ୍ଦେଶ୍ଯରେ, ଲୁଚେଇ ଛପେଇ ଫଟୋ କେତୋଟି ଉଠାଇ ସେମାନେ କଲେଜ୍ ଚାଲିଗଲେ। କୁନ୍ଥେଇ, ଯେତେ ଉପାୟ ରେ ବୁଝାଶୁଝା କଲେ ମଧ୍ଯ ଜଟିଆ ଅଚଳ ମହାମେରୁ ପରି ବସି ରହିବା ଦେଖି, ସେ କିଛି ବହୁ ପରିକ୍ଷିତ ଅସ୍ତ୍ର ପ୍ରୟୋଗ କରିବାକୁ ଆରମ୍ଭ କଲେ।
    ପ୍ରଥମ ଚରଣ ରେ  କାନ୍ଦଣା ଲହରୀ ର ସୁଅ ଭାସି ଆସିଲା।  ଲହରେଇ ଦୋହରେଇ ବିଥେଇ କୁନ୍ଥେଇ ସେ ରାହା ଛାଡି କାନ୍ଦିଲେ
-- ମୋ ସଂସାର ଭାସି ଗଲା ଲୋ ମାଆ......ମୋ ରାଜକୁମାର କୁ କିଏ ପାଳଭୂତ କରିଦେଲା ଲୋ ମାଆ....... ହସିଲା ଖେଳିଲା ଲୋକ କୁ କିଏ ଚଡକମରା ତାଳ ଗଛ କରିଦେଲା ଲୋ ମାଆ....ଆ..ଆ .. ହା..ଆଆ....।
    କାନ୍ଦଣାର କୌଣସି ପ୍ରଭାବ ତ  ପଡିଲାନି, ବରଂ ଜଟିଆ ବାବୁଙ୍କ ମୁଖମଣ୍ଡଳରେ ଅଧିକ ଗାମ୍ଭୀର୍ଯ୍ଯତା ଫୁଟି ଉଠିଲା। ଦ୍ବିତୀୟ ଚରଣରେ କୁନ୍ଥେଇ ଦେବୀ,, ଅତୀତରେ  ଅନେକ ବାର ପ୍ରୟୋଗ କରିଥିବା “ ଘର ଛାଡି ଚାଲିଯିବି”  ଅସ୍ତ୍ରର ପ୍ରୟୋଗ କଲେ, କିନ୍ତୁ ତାହା ମଧ୍ଯ ନିଷ୍ଫଳ ହେଲା। ସେତେବେଳକୁ କୁନ୍ଥେଇଙ୍କ ଧର୍ଯ୍ଯର ବନ୍ଧ ଭାଙ୍ଗି ମୁଣ୍ଡକୁ ପିତ୍ତ ଚଢି  ସାରିଥିଲା। ଦୋଷ ଛଡାଇବାକୁ ସେ ଶେଷଥର ପାଇଁ ଜଟିଆବାବୁଙ୍କର ଏମନ୍ତ ରୂପରଙ୍ଗର କାରଣ ବିଷୟରେ ଗେହ୍ଲେଇ ପଚାରିଲେ।  ତଥାପି  କୌଣସି ଉତ୍ତର ଆସିଲା ନାହିଁ। ଶେଷରେ ସେ ରୋଷେଇଘରେ ଦୁମ୍ ଦୁମ୍ କରି ପଶିଗଲେ ଓ ଅର୍ଦ୍ଧାଧିକ ପିଞ୍ଛ ଭାଙ୍ଗିଯାଇ ଥିବା ପହଁରା ଟି ଆଣି, ଜଟିଆଙ୍କର ଚୁଟିରୁ ଆରମ୍ଭ କରି ପାଦ ନଖ ଯାଏ ଛେଚି ଦେଇଗଲେ। ମାଡ କୁ ମହାଦେବଙ୍କ ଡର, ଏ ଜଟିଆ ବାବାଙ୍କୁ ପଚାରେ କିଏ? ମାଡ ସବୁ ଏମିତି କୁଆପଥର ପରି ବର୍ଷା ହୋଇଗଲା ଯେ, ଜଟିଆଙ୍କ ଆଖି ଆଗରେ ଚିଲ ଶାଗୁଣା ଉଡିଲା ପରି ଦିଶିଲେ। ମନେ ମନେ ଭାବିଲେ, ଆଗରୁ ରୋଷେଇଘର ପାଇଁ ଭଲ ପହଁରା ଟେ ଆଣିଥିଲେ ଅନ୍ତତଃ, ଆଜି ମାଡ ସବୁ ଏତେ ବେଦନା ଦାୟକ ହୋଇ ନ ଥାଆନ୍ତା। ଭାବନା ର ଦହିହାଣ୍ଡିରେ ଠେଙ୍ଗା ବାଡେଇ, କୁନ୍ଥେଇ ବୀରା ନାରୀ ପରି ପ୍ରଶ୍ନ କଲେ
-- ଏ ବୁଢା ବୟସରେ କାହିଁକି ଏତେ ଛୋପରାମୀ ବାହାରୁଛି କହିଲ ଭଲା? ବୟସ ଆସି ଷାଠିଏ ହେଲା, ଚାକିରି ସରିଲା ପରେ ଘରେ ବସିଲ-- ପିଲାଝିଲାଙ୍କ ଭବିଷ୍ଯତ ଦେଖିବ କଣ , ଏମିତି ପ୍ରକୃତ୍ତିଛଡା ଗୁଣ  ବାହାର କରୁଛ?ଲାଜ ଲାଗୁନି ମୁହଁ କୁ? ପାଟିରେ କଣ ଡାଇନୋସର୍ ଅଣ୍ଡା ପଶିଛି ଯେ କଥା ବାହାରୁନି?
    ଶେଷରେ ଜଟିଆଙ୍କ ଶ୍ରୀମୁଖରୁ ବଚନ ସ୍ଫରିଲା। ମାଡର ବେଦନା ଓ ମନରେ ଉଦବେଳିତ ହେଉଥିବା ତେଣ୍ଟାରାମ୍ ଙ୍କର ପ୍ରବଚନ, ଗୋଳିଆଘଣ୍ଟା ହୋଇ ଚିତ୍କାର ଆକାର ରେ ବାହାରି ଆସିଲେ।  ସେ କ୍ଷୀଣ ସ୍ବରରେ କହିଲେ
– – କାଲି ପ୍ରବଚନରେ ସତ କହୁଥିଲେ ଗୁରୁଦେବ, ଗୃହସ୍ଥୀର ଜୀବନ କଣ୍ଟକିତ ଓ ସମସ୍ଯାବହୁଳ। ଜୀବନ ର ତିନିଟି ଆଶ୍ରମ ମୁଁ ସଫଳରୂପେ ପାର କରି ସାରିଛି। ଏବେ ଶେଷ ଆଶ୍ରମ  “ସନ୍ଯାସ” ପାଇଁ  ନିଜକୁ ପ୍ରସ୍ତୁତ କରି, ମୋକ୍ଷପ୍ରାପ୍ତି ପାଇଁ ତପସ୍ଯା କରିବାକୁ ହେବ। ସଂସାର ର ମୋହମାୟାରେ ଛାଲଛଡା ଶୁକରୀ ପରି ଘାଣ୍ଟି ହେବାର ସମୟ ଅତିବାହିତ ହୋଇ ସାରିଛି। ମୋ ଘର ହେବ ଘଞ୍ଚ ଅରଣ୍ଯରେ ଓ ସଖା ସହୋଦର ହେବେ ଲେଙ୍ଗୁଟି ମରା ଲଣ୍ଡାମୁଣ୍ଡିଆ ସନ୍ଯାସୀ ଗଣ। ଫଳମୂଳ ହେବ ମୋର ଖାଦ୍ଯ ଓ ଇଶ୍ବର ଭକ୍ତି ହେବ ମୋ କର୍ମ।  ଅରଣ୍ଯରେ କୌଣସି ଏକ ବୃକ୍ଷ ତଳେ ତୃଣ ଆସନ ବିଛାଇ, ହାତରେ କମଣ୍ଡଳୁ ଧାରଣ କରି ,ଏକନିଷ୍ଠ ହୋଇ ମୋକ୍ଷପ୍ରାପ୍ତି ସକାଶେ ମୋତେ କୁଚ୍ଛ୍ର ସାଧନା କରିବାକୁ ହେବ। ମୋର କେବଳ ମୋକ୍ଷ ଦରକାର....ମୋକ୍ଷ। ଜୟ ବାବା ତେଣ୍ଟାରାମ୍ କି.....
    କୁନ୍ଥେଇ ଏପରି ପାଗଳିଆ କଥା ଶୁଣି ସେ ଭଙ୍ଗା ପହଁରା କୁ ଆଉଥରେ ମୁଠାଇ ଧରନ୍ତେ, ଜଟିଆ କୋମଳ ସ୍ବରରେ କହିଲେ
    -- ମାତା, ମୁଁ  ସନ୍ଯାସୀ ହୋଇ ଯାଇଛି।  ତେଣ୍ଟାରାମ୍ ଙ୍କ ପ୍ରବଚନ ମୋ ଅନ୍ତରାତ୍ମା କୁ ଗାଈ ଦୁହିଁଲା ପରି ଦୁହିଁ ପକାଇଛି। ସଂସାର ଯାକର ନାରୀ ମୋର ମାତା, ତୁମେ ଏ ସମ୍ବୋଧନର  ବ୍ଯତିକ୍ରମ ନୁହଁ। ବ୍ରହ୍ମଚର୍ଯ୍ଯ, ଗାର୍ହ୍ଯସ୍ଥ ଓ ବାନପ୍ରସ୍ଥ ଆଶ୍ରମରେ ଜୀବନ ର ତୃତୀୟାଂଶ ବ୍ଯତୀତ ହୋଇ ସାରିଛି। ଅବଶିଷ୍ଟ ଜୀବନ କୁ  ମୋକ୍ଷପ୍ରାପ୍ତି  ପାଇଁ ଉତ୍ସର୍ଗ କରିବି। ତାହା ହିଁ ହେବ ମୋର ଶେଷ ଆଶ୍ରମ। ଜୟ ତେଣ୍ଟାରାମ କି....ଏତିକି କହି ଶୂନ୍ଯ କୁ ଚାହିଁ ଦଣ୍ଡବତ ହେଲେ।
    ହାତରୁ ପହଁରା ଛାଡି କୁନ୍ଥେଇ ରଡି ଛାଡି କାନ୍ଦି ପକାଇ ଥରଥର କଣ୍ଠରେ କହିଲେ
    -- ହେଇଟି... ମୁଁ ଚାଣ୍ଡାଲୁଣି କି ଦୋଷ କଲି ଯେ ତୁମେ ବାବାଜୀ ହେବାକୁ ବାହାରିଲ। ଏ କଥା ଶୁଣିଲେ ଲୋକେ କଣ କହିବେ, ମାନ ଇଜ୍ଜତ ଆମର ରହିବ ଟି? ଝିଅ ର ବାହାଘର ଖୋଜା ଚାଲିଛି, ମାସ କେଇଟା ରେ ତା କାମ ସାରିଦେଲେ ଜଞ୍ଜାଳ ଯିବ। ଘର କାମ ବି ଅଧା ପନ୍ତରିଆ ହୋଇ ପଡିଛି, ଘର କୁ ବୋହୁ ଆସିଲେ ଚଳିବ କିପରି? ଏତେ ଜଞ୍ଜାଳ ମୁଣ୍ଡରେ ଅଛି, ତା ପରେ ମଧ୍ଯ ବାବାଜୀ ହେବାର ବୁଦ୍ଧି ତୁମ ମୁଣ୍ଡରେ ପଶୁଛି କେମିତି?
    - - ବାବାଜୀ କୁହନି ମାତା, ସନ୍ଯାସୀ କୁହ। ମୁଁ ଆଜିଠାରୁ ସନ୍ଯାସୀ ଜଟିଆ ବାବା ନାମରେ ଖ୍ଯାତ ହେବି।  ତେଣ୍ଟାରାମ୍ ବାବାଙ୍କ ଆଶ୍ରମ ରେ ଆଜି ଦୀକ୍ଷା ଗ୍ରହଣ ସମାବେଶ ହେବ। ମୋ ପାଚିଲା ଚୁଟି କୁ ବିସର୍ଜନ କରି, ଗୈରିକ ବସ୍ତ୍ର ଧାରଣ କରି ମୁଁ ସନ୍ଯାସୀ ହେବି। ସାଂସାରିକ ଜଞ୍ଜାଳ ର ବୋଝରେ ମୋତେ ଚାପିି ଦିଅ ନାହିଁ, ବାବାଙ୍କ କୃପାରୁ ମୋକ୍ଷପ୍ରାପ୍ତି ସହଜ ରେ ହେବ।  ତୁମେ ମଧ୍ଯ ନିଜ ମୋକ୍ଷପ୍ରାପ୍ତି ପାଇଁ ରାସ୍ତା ବାଛ, ଆଉ ବିଳମ୍ବ କରନାହିଁ। ଏତିକି କହି ସେ ପୁଣି ମୌନବ୍ରତ ଧାରଣ କରି ସାଫାରେ ପୂର୍ବମୁଦ୍ରାରେ ଜାକି ହୋଇ ବସିଲେ।
    କାହା ପାଖରୁ ସାହାଯ୍ଯ ନେଇ ଏ ଦାରୁଣ ବିପତ୍ତିର ସାମନା କରିବେ କୁନ୍ଥେଇ ଭାବି ପାରୁ ନ ଥାନ୍ତି। ଯାହାକୁ ଏ କଥା କହିବେ, ସମସ୍ତେ ତାଙ୍କୁ ହିଁ ଦୋଷ ଦେବେ। କାରଣ, କୁନ୍ଥେଇଙ୍କ ହୃଦୟଟି  ତାଳ ସଜ ପରି କୋମଳ ହେଲେ କଣ ହେବ,  କଣ୍ଠସ୍ବର ଟି ଫଟାଢୋଲ ପରି ଢାଉଁଢାଉଁଆ। ଅନେକ ସମୟରେ ସେ ସାଧାରଣ ଭାବେ କଥା ହେଲେ ମଧ୍ଯ, କଳି ତକରାଳ କରିବା ପରି ଲାଗେ। ଖାସ୍ ଏହି କାରଣ ରୁ ପାଖ ପଡୋଶୀ ମାନେ, ତାଙ୍କ ସହ ମିଳାମିଶା କରିବାକୁ ଭୟ କରନ୍ତି। ଠୋଃ  ଠାଃ କଥାବାର୍ତ୍ତା  ଓ ସ୍ଥାନ କାଳ ପାତ୍ର ବିଚାର ନ କରି ନିଜ ମତ ରଖିବାର ଅଭ୍ଯାସ ହେତୁ, ପଡିଶା ମାନେ ତାଙ୍କୁ  କାଣ୍ଡେଇ ନାନୀ  ବୋଲି ସମ୍ବୋଧନ କରନ୍ତି। କିନ୍ତୁ ଜଟିଆ ବାବୁଙ୍କ ସହ ବିତାଇଥିବା ପାଖାପାଖି ଚାଳିଶି ବର୍ଷର ବୈବାହିକ ବନ୍ଧନରେ, ଏପରି ଅବସ୍ଥା କେବେ ଆସିନାହିଁ ଯେ ସେ ସନ୍ଯାସୀ ହେବାର ଅବସର ଆସି ପହଞ୍ଚିବ। ଅବଶ୍ଯ ଏ କଥା ଭିନ୍ନ ଯେ, ଏତିକି ବର୍ଷ ଭିତରେ ସେ ଅଗଣିତ ବାର ଜଟିଆ ବାବୁଙ୍କ ସହ ଭୟଙ୍କର ସମ୍ମୁଖ ଯୁଦ୍ଧରେ ଅବତୀର୍ଣ୍ଣ ହୋଇ ବିଜୟଲାଭ କରିଛନ୍ତି ଓ ପ୍ରତ୍ଯକ ଥର ଯୁଦ୍ଧରେ ପରାଜିତ ହେବା ପରେ ଜଟିଆବାବୁ ମୁହଁ ଓହଳାଇ କିଛି ଦିନ ରହିବା ପରେ ପୁଣି ସାଧାରଣ ଅବସ୍ଥା କୁ ଫେରି ଆସନ୍ତି। ଅନେକ ବାର କୁନ୍ଥେଇ ଘରଛାଡି ଚାଲିଯିବାର ଧମକ ଦେଲେ ମଧ୍ଯ, ଘର ଏରୁଣ୍ଡିବନ୍ଧ ଡେଇଁ କୁଆଡେ ଯାଇ ନାହାଁନ୍ତି।      କ୍ରୋଧୀ ପ୍ରକୃତ୍ତି ବିଶିଷ୍ଟା କୁନ୍ଥେଇଙ୍କ ମନରେ ଥିଲା ଜଟିଆଙ୍କ ପାଇଁ ଅନାବିଳ ଭଲପାଇବା ଓ ଭକ୍ତିଭାବ। ଗଣ୍ଡଗୋଳିଆ ଦିନସବୁ କୁ ବାଦ୍ ଦେଲେ ଅନ୍ଯ ଦିନରେ ସେ ଜଟିଆଙ୍କ ଭଲମନ୍ଦ ବୁଝିବାରେ କେବେ ଅବହେଳା କରନ୍ତିନି। ପାହାନ୍ତି ପହରୁ ଉଠି ଘରର ଯାବତୀୟ କାମ ସାରିବା ସହ, ରୋଷେଇବାସ ଓ ଅନ୍ଯାନ୍ଯ କାମରେ ସେ କେବେ ପଛକୁ ହଟିବାର କେବେ କେହି ଦେଖିନାହିଁ। ଚାକିରି ରୁ ଅବସର ନେବା ପରେ ଜଟିଆ  ସଦାବେଳେ ମନ ଉଣା କରି ଟେଲିଭିଜନ ଆଗରେ ବସିବାରୁ, ସେ ନିଜେ  ତାଙ୍କୁ  ତେଣ୍ଟାରାମ୍ ଙ୍କ ଆଶ୍ରମ କୁ ଯିବାକୁ ଉପଦେଶ ଦେଇଥିଲେ। କାଳେ ଧର୍ମକଥା ଶୁଣି ଜଟିଆଙ୍କ ମନ ରେ କିଛି ପରିବର୍ତ୍ତନ ଆସିବ ବୋଲି ସେ ଆଶା କରିଥିଲେ। କିନ୍ତୁ ସେହି ଉପଦେଶ ଯେ ତାଙ୍କ ସୁନାସଂସାର ରେ ନିଆଁ ଲଗେଇଦେବ ସେ ବା କାହିଁକି ଭାବିଥାଆନ୍ତେ?
    ତାଙ୍କ ମନରେ ଆସିଲା କାଳେ ନୀରବ ରହିଲେ ଜଟିଆ ପୂର୍ବ ଅବସ୍ଥା କୁ ଫେରି ସାଧାରଣ ଭାବରେ ଚଳିବେ, ତେଣୁ ସେ ବିନା ବାକ୍ଯବ୍ଯୟରେ ରୋଷେଇଘରେ ପଶିଲେ। ସେତିକି ବେଳେ ଘର ସାମନା ରେ ଗାଡିଟିଏ ରହିବାର ଶବ୍ଦ ଶୁଣି ପରଦା ଆଢୂଆଳରୁ ଦେଖିଲେ,  ଗୈରିକ ବସ୍ତ୍ର ପରିହିତ ଦୁଇଜଣ ଲଣ୍ଡିତ ବ୍ଯକ୍ତି କବାଟରେ କରାଘାତ କରିବାକୁ ଉଦ୍ଯତ ହେଉଛନ୍ତି। ସେ ଦିଗ କୁ ଅଣଦେଖା କରି କୁନ୍ଥେଇ ରୋଷେଇ କାମରେ ମନ ଦେଲେ। କିଛି ସମୟ ଉତ୍ତାରୁ ଜଟିଆ ରୋଷେଇଘର କବାଟ ପାଖରେ ଧିର ସ୍ବରରେ କହିଲେ-- କିହୋ ଶୁଣୁଛ...ମୁଁ ଟିକେ ଆସୁଛି।
    ରୋଷେଇଘରୁ ବାହାରିଲା ବେଳକୁ ଗାଡିଟି ଧୂଆଁ ଉଡେଇ ଜଟିଆଙ୍କୁ ନେଇ ସେ ଯାଗା ରୁ ଅନ୍ତର୍ଦ୍ଧାନ ହୋଇ ସାରିଥିଲା।
    ତେଣ୍ଟାରାମ୍ ଙ୍କ ଆଶ୍ରମରେ ଅନେକ ଭକ୍ତ ଦେଖି ଜଟିଆ ଆହ୍ଲାଦିତ ହୋଇ ଉଠିଲେ। ତାଙ୍କ ସମବୟସ୍କ ଅନେକ ବ୍ଯକ୍ତି ଲଣ୍ଡିତ ମସ୍ତକ ହୋଇ, ସନ୍ଯାସୀ ରୂପେ ଜନ୍ମ ନେବାର ପ୍ରାକ୍ ପ୍ରସ୍ତୁତି ଚଳାଇଥିଲେ। ସମସ୍ତଙ୍କ ମୁହଁରେ ଥିଲା ଅପୂର୍ବ ପ୍ରଶାନ୍ତି ଓ ସେମାନଙ୍କ ଚକ୍ଷୁରେ ଉକୁଟି ଉଠୁଥିଲା ରକ୍ତିମ ଆଭା। ସେ ଅନୁଭବ କରି ପାରୁଥିଲେ ଭକ୍ତ ମାନଙ୍କ ମନରେ ଭକ୍ତିଭାବ ଗଦଗଦ ହୋଇ ବୋହିଯିବାର କଳକଳ ଶବ୍ଦ। ବ୍ଯସ୍ତ ହୋଇ ମନେମନେ କହି ପକାଇଲେ
    -- ଆହାଃ, ମୁଁ ଚାଣ୍ଡାଳ କେଡେ ଭୁଲ୍ ଟାଏଁ ନ କଲି! ! ବହୁ ପୂର୍ବରୁ ତେଣ୍ଟାରାମ୍ ଙ୍କ ଦେଖା ମିଳିଥିଲେ,ଏବେ ସୁଦ୍ଧା ସନ୍ଯାସୀ ପାଲଟି ସାରି ଥାଆନ୍ତି ଓ ମୋକ୍ଷପ୍ରାପ୍ତିର ଦିନ ବେଶି ଦୂରରେ  ନ ଥାଆନ୍ତା। 
    କିଛି ସମୟ ମଧ୍ଯରେ ସେ ନିଜକୁ ଆବିଷ୍କାର କଲେ ତେଣ୍ଟାରାମ୍ ଙ୍କ ଖାସ୍ ପ୍ରକୋଷ୍ଠରେ। ସେ ପ୍ରକୋଷ୍ଠଟି କୌଣସି ନାମୀ ଦାମୀ ହୋଟେଲର ଅତିଥି ଅଭ୍ଯର୍ଥନା ଗୃହ ପରି ଦୃଶ୍ଯ ହେଉଥିଲା। ଚତ୍ତୁଃର୍ପାଶ୍ବରେ ବାବା ଓ ତାଙ୍କର ଗୁରୁଙ୍କର ନାନା ଭଙ୍ଗୀର ଫଟୋଚିତ୍ର  ଟଙ୍ଗା ଯାଇଥିଲା।  ଭାରତବର୍ଷର ପାଖାପାଖି ସମସ୍ତ ବଡବଡିଆ ଲୋକଙ୍କ ସହ ବାବାଙ୍କ ଫଟୋ ଦେଖି ଜଟିଆ ବିମୋହିତ ହୋଇଗଲେ। କେବଳ ସେତିକି ନୁହଁ, "ପୃଥିବୀରେ ବସବାସ କରୁଥିବା ବିଭିନ୍ନ ରଙ୍ଗରୂପର ଲୋକଙ୍କ ସହ ବାବାଙ୍କ ଫଟୋ ମଧ୍ଯ ଥିଲା।  ସେମାନଙ୍କ ଦେଖିଲେ ସ୍ପଷ୍ଟ ଜଣା ପଡୁଥିଲା, ସେମାନେ ପାତିମାଙ୍କଡିଆ, କେନ୍ଦୁକାଠିଆ, ବେଲୁନ୍ ପେଟିଆ,ଚିଲି ଚିକେନିଆ,ଆମାଜନିଆ ଜନଜାତିର ମନୁଷ୍ଯ।  ଜଟିଆଙ୍କୁ ସବୁଠାରୁ ଅଧିକ ଆକୃଷ୍ଟ କଲା  ଲଣ୍ଡିତ ମସ୍ତକ, ଗୈରିକ ବସ୍ତ୍ର ପରିହିତ ବ୍ଯକ୍ତି ମାନଙ୍କ ସହ ବାବାଙ୍କ ଫଟୋଚିତ୍ର। ସେ ଅନୁମାନ କରି ପାରୁଥିଲେ ଏମାନେ ନିହାତି ମୋକ୍ଷ ଦିଗର ଯାତ୍ରୀ ହୋଇଥିବେ, ବୋଧ୍ ହୁଏ ଏତିକି ବେଳକୁ ସେମାନଙ୍କର  ମୋକ୍ଷପ୍ରାପ୍ତି  ହୋଇ ସାରିବଣି।
    ଏକ ଆରାମ ଦାୟକ ଚେୟାରରେ  ବସି ବାବା ଗୁଣ୍ଠୁଣି ହାତୀ ପରି ଝୁଲି  ଝୁଲି ଲାପଟପ୍ ରେ କିଛି ଖୁଚୁରୁ ଖାଚୁରୁ କରୁଥିବା ଅବସ୍ଥାରେ ପ୍ରଶ୍ନ କଲେ-- ବତ୍ସ୍ଯ , ତୁମେ ସନ୍ଯାସୀ ହେବା ପାଇଁ ପ୍ରସ୍ତୁତ ତ? ବାବାଙ୍କର ଅମୃତବଚନ ଶୁଣି ଜଟିଆ କୃତ୍ଯକୃତ୍ଯ ହୋଇ ଭୂଇଁରେ ଲମ୍ବତମ୍ବ ହୋଇ ଶୋଇଗଲେ। ଭକ୍ତିରେ ତାଙ୍କ କଣ୍ଠ ଥରି ଉଠିଲା, କମ୍ପିତ ସ୍ବରରେ କହିଲେ - - - ପ୍ରଭୋ, ମୁଁ ପ୍ରସ୍ତୁତ।
- -   ସବୁ ସେହି ପରମେଶ୍ବରଙ୍କ କରୁଣା। ସମସ୍ତ ଦୁଃଖର ଓ ମୋହମାୟାର କାରଣ ଅର୍ଥ। ମୋକ୍ଷ ପାଇବାକୁ ହେଲେ, ତୁମ୍ଭକୁ ଅର୍ଥ ପ୍ରତି ଥିବା ଅହେତୁକ ଲୋଭ ତ୍ଯାଗ କରିବାକୁ ହେବ। ଖାଲି ହାତରେ ଏ ସଂସାର କୁ ଆସିଥିଲ , ତେଣୁ ତୁମେ କିପରି ଖାଲି ହାତରେ ସଂସାର ତ୍ଯାଗ କରି ମୋକ୍ଷ ପାଇବ, ତାହାର ବ୍ଯବସ୍ଥା ଆମ୍ଭେ କରିଦେବୁ, ନିଶ୍ଚିନ୍ତ ରୁହ। ଠିକ୍ ଅଛି ବତ୍ସ୍ଯ ତୁମ୍ଭ କୁ ଆମ୍ଭର ଅନୁଚର ମାନେ ମୋକ୍ଷପ୍ରାପ୍ତିର ପ୍ରଣାଳୀ ସବିସ୍ତାରେ ବୁଝାଇ ଦେବେ। ଆଜି ସଂନ୍ଧ୍ଯା ରେ ମୁଁ ଏହି ସ୍ଥାନରୁ ପ୍ରସ୍ଥାନ ନେବି।  ସମୟର ସ୍ବଳ୍ପତା ହେତୁ ତୁମ୍ଭ ସହ ଅଧିକ ଆଳାପ କରିବା ସମ୍ଭବ ହେଉନି।  ତୁମେ ବିବ୍ରତ ହୁଅନି, ଆମ୍ଭର ମୋକ୍ଷପ୍ରାପ୍ତି ପ୍ଯାକେଜ୍ ର ସଦସ୍ଯ ମାନଙ୍କ ସହ ମୁଁ  ବ୍ଯକ୍ତିଗତ ସମ୍ପର୍କ ରଖେ।
– ହେଁ ... ମୋକ୍ଷପ୍ରାପ୍ତି ପ୍ଯାକେଜ୍???? ଜଟିଆଙ୍କ କାନ ପାଖରେ ପ୍ଯାକେଜ୍ ଶବ୍ଦଟା ଖଞ୍ଜଣି ବାଜିଲା ପରି  ଗୁଞ୍ଜରିତ ହେବାକୁ ଲାଗିଲା ଓ ପାଟି ମେଲା ହୋଇଗଲା।
    କିଛି ପ୍ରଶ୍ନ ପଚାରିବା ପୂର୍ବରୁ ଅନୁଚର ମାନେ ତାଙ୍କୁ ଅନ୍ଯ ଏକ ବଖରା କୁ ଏକ ପ୍ରକାର ଘୋଷାରି ନେଲେ। ସେଠାରେ ଅଳ୍ପ ନିଶ ଗଜୁରା କିଛି ଯୁବକ ଲାପଟପ୍ ସାମନା ରେ  କାଗଜପତ୍ର ମେଲାଇ ବସିଥିଲେ।  ବାବାଙ୍କ ଅନୁଚର ମାନେ ବାହାରକୁ ଚାଲିଗଲେ ଓ ମହମହ ବସ୍ନା ରେ ଜାଗାଟିକୁ କମ୍ପେଇ ଜଣେ ଅନିଦ୍ଯ ସୁନ୍ଦରୀ ଯୁବତୀ ମନ୍ଦ ମନ୍ଦ ହସି ପ୍ରବେଶ କଲେ ଓ ମଧୁର ବାଣି ବର୍ଷଣ ପୂର୍ବକ କହିଲେ-
– - ଭକ୍ତ ମହାଶୟ ଆପଣଙ୍କୁ ଆମ ଗହଣ ରେ ପାଇ ଆମେ  ଭାଗ୍ଯବାନ ମନେ କରୁଛୁ। ଆପଣଙ୍କୁ ସଂକ୍ଷେପରେ ମୁଁ ମୋକ୍ଷପ୍ରାପ୍ତି ପ୍ଯାକେଜ୍ ବିଷୟ ରେ କିଞ୍ଚିତ୍ ସୂଚନା ପ୍ରଦାନ କରୁଛି। ଆଜୀବନ ସଦସ୍ଯ ହେବା ପାଇଁ ପଚିଶି ଲକ୍ଷ ଟଙ୍କା, ଦଶ ବର୍ଷ ପାଇଁ କୋଡିଏ ଲକ୍ଷ ଟଙ୍କା, ପାଞ୍ଚ ବର୍ଷ ପାଇଁ ଷୋହଳ ଲକ୍ଷ ଟଙ୍କା ଓ ବର୍ଷିକିଆ ଟ୍ରାଏଲ୍ ପ୍ଯାକ୍ ପାଇଁ ଦଶ ଲକ୍ଷ ଟଙ୍କା।  ଦଶ ବର୍ଷ, ପାଞ୍ଚ ବର୍ଷ ଓ ବର୍ଷିକିଆ ଭକ୍ତ ମାନେ ଟପ୍ ଅପ୍ ମୋକ୍ଷ ପ୍ଲାନ୍ ନେଲେ ଦେବାକୁ ପଡିବ ବର୍ଷକୁ ପନ୍ଦର ଲକ୍ଷ ଟଙ୍କା।  ଆଜୀବନ ସଦସ୍ଯଙ୍କ ଆତ୍ମା ମୋକ୍ଷ ପାଇବାର ଗ୍ଯାରେଣ୍ଟି ଆମେ ଦେଉଛୁ।  ଆଜୀବନ ସଦସ୍ଯଙ୍କ ମୃତ୍ଯୁ ପରେ, ମୃତ ଶରୀର କୁ ହିମାଳୟର ହିମଛାୟା ତଳେ ସମାଧିସ୍ଥ କରିବା ଦାୟିତ୍ବ ଆମେ ବହନ କରିବୁ। କିନ୍ତୁ ଅନ୍ଯ ସବୁ ପ୍ଯାକେଜ୍ ର ସଦସ୍ୟ ମାନେ ଅସମୟରେ ମୃତ୍ଯୁବରଣ କଲେ ସେମାନଙ୍କ ଅନ୍ତିମ ସଂସ୍କାର ପାଇଁ ଆବଶ୍ଯକ ଅର୍ଥ ଅଗ୍ରୀମ ଗ୍ରହଣ କରାଯିବାର ବ୍ଯବସ୍ଥା ଅଛି।     ମୃତ୍ଯୁ ପରେ ଆତ୍ମାକୁ ମୋକ୍ଷ ଦିଗରେ ଅଗ୍ରସର କରିବେ ତେଣ୍ଟାରାମ୍ ଙ୍କ ଗୁରୁ ଭୃଷୁଣ୍ଡାରାମ୍। ସେ କେବଳ ଏହି କାର୍ଯ୍ଯ କୁ ତ୍ବରାନ୍ବିତ କରିବାକୁ ସ୍ବର୍ଗଲୋକରେ ଅଧିଷ୍ଠିତ ଓ ଅଗଣିତ ଭକ୍ତଙ୍କ ମୋକ୍ଷପ୍ରାପ୍ତି ଦିଗରେ ସାହାଯ୍ଯ ସାରିଲେଣି। ଏଥିରେ ସନ୍ଦେହ ହେଲେ ମୋକ୍ଷ ପାଇ ସାରିଥିବା  ପୂଣ୍ଯାତ୍ମା ମାନଙ୍କ ସହ କଥାବାର୍ତ୍ତା କରିବା ପାଇଁ ପ୍ଲାଞ୍ଚେଟ୍ କଲ୍ ର ବ୍ଯବସ୍ଥା ଆମ୍ଭ ଆଶ୍ରମରେ ଉପଲବଧ।  ଆପଣଙ୍କ ବ୍ଯାଙ୍କ ଆକାଉଣ୍ଟ ନମ୍ବର, ଆଧାର କାର୍ଡ, ଜମିଜମା ର କାଗଜପତ୍ର ଓ ସ୍ଥାବର ଅସ୍ଥାବର ସମ୍ପତ୍ତିର ତାଲିକା ଦେବାକୁ ହେବ। ଦୈବାତ୍ କେବେ ଆବଶ୍ଯକତା ପଡିଲେ ଆପଣଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତିରୁ କିଛି ଆର୍ଥିକ ସହାୟତା ନିଆଯାଇ ପାରେ, ଏତଦ୍ ବ୍ଯତୀତ ଆପଣଙ୍କର ସମ୍ପତ୍ତି ଅନୁସାରେ ସଂସାର ପ୍ରତି ଥିବା ଲୋଭ, ମୋହ, ମାୟାର ମାତ୍ରା ସଠିକ୍ ଆକଳନ  କରି, କେଉଁ ପ୍ଯାକେଜ୍ ଆପଣଙ୍କ ପାଇଁ ଉପଯୁକ୍ତ ସେ ବିଷୟରେ ମଧ୍ଯ  ଦିଗ୍ ଦର୍ଶନ ଦିଆଯାଇ ପାରିବ।  ଥରେ ସନ୍ଯାସୀ ହେଲେ ଆପଣଙ୍କୁ ହିମାଳୟର ପାଦଦେଶରେ ଅବସ୍ଥିତ “ତେଣ୍ଟାରାମ୍ ଅରଣ୍ଯ”କୁ ଯାଇ ତପସ୍ଯା କରିବାକୁ ହେବ। ସେଠାରେ ସାତ୍ତ୍ବିକ ଖାଦ୍ଯ ପାନୀୟର ବ୍ଯବସ୍ଥା ଅଛି। ଏହି ଦେଖନ୍ତୁ ସେ ଅରଣ୍ଯସ୍ଥିତ ରେଷ୍ଟୁରାଣ୍ଟ ର ମେନୁ କାର୍ଡ। ରାତ୍ରିରେ ବିଶ୍ରାମ ପାଇଁ ଶୟନକକ୍ଷର ମଧ୍ଯ ବ୍ଯବସ୍ଥା ଅଛି, ଏଇ ନିଅନ୍ତୁ ଦର ତାଲିକା। ସ୍ବାସ୍ଥ୍ଯଗତ ସମସ୍ଯା ଦେଖାଦେଲେ ସେଠାରେ ଏକ ବିରାଟ ନର୍ସିଂହୋମ୍ ମଧ୍ଯ ଅଛି। ସମସ୍ତ ପ୍ରକାର ଚିକିତ୍ସା ସୁଲଭ ଦରରେ କରାଯିବ ଓ ଆମ ସହ ଯିବା ପୂର୍ବରୁ ଆପଣଙ୍କୁ ଜୀବନରକ୍ଷକ “ତେଣ୍ଟାରାମ୍ ସ୍ବାସ୍ଥ୍ଯ ବୀମା” କମ୍ପାନୀରେ ପଞ୍ଜିକରଣ କରିବାକୁ ହେବ। ବୀମା ଦେୟ ବର୍ଷକୁ ମାତ୍ର କୋଡିଏ ହଜାର। ଆମ ସହ ଯିବା ପାଇଁ ବିଭିନ୍ନ ଯାନର ବ୍ଯବସ୍ଥା ଅଛି, ତାହାର ଦର ତାଲିକା ଦେଖି ନିଅନ୍ତୁ। ହଁ, ଏକ ଜରୁରୀ ସୂଚନା ସନ୍ଯାସୀ ହେବା ପରେ ଆପଣଙ୍କୁ ତେଣ୍ଟାରାମ୍ ବାବାଙ୍କ ବ୍ରାଣ୍ଡର ଗେରୁଆ ବସ୍ତ୍ର, କଠଉ ଓ କମଣ୍ଡଳୁ ବ୍ଯବହାର କରିବାକୁ ହେବ। ଯେହେତୁ ଏ ସବୁ ସାମଗ୍ରୀ ବଜାରରେ ମିଳୁନାହିଁ, ଆମେ ଏହି ସାମଗ୍ରୀ ମାତ୍ର ଦଶହଜାର ଟଙ୍କାରେ ଯୋଗାଇ ଦେବୁ। ଯଦି ପୂର୍ବରୁ ଲଣ୍ଡିତ ମସ୍ତକ ହୋଇ ଆସିବେ ଭଲ କଥା ନୋହିଲେ ଆମେ ଆପଣଙ୍କୁ ଅତି ଯତ୍ନର ସହ ଲଣ୍ଡା କରିଦେବୁ।  ତେବେ କୁହନ୍ତୁ ମହାଶୟ ଆପଣ କେଉଁ ପ୍ଯାକେଜ୍ ପାଇଁ ଆଗ୍ରହୀ?
    ସେତେବେଳକୁ ଜଟିଆଙ୍କ ପିଳେହି ପାଣି ହୋଇ ସାରିଥିଲା। ସେହି ଯୁବତୀର ବକ୍ଷ ବିଦୀର୍ଣ୍ଣକାରୀ ବଚନବର୍ଷା, ତାଙ୍କ ମୋକ୍ଷ ପାଇବାର ନିଶା ଚୁରମାର୍  କରିବାକୁ ଯଥେଷ୍ଟ ଥିଲା। ସ୍ବଭାବରେ କୃପଣ, ଜଟିଆ ଜୀବନକାଳ ମଧ୍ଯରେ ଗଣେଷପୁଜା ପାଇଁ କାହାକୁ ଦଶ ଟଙ୍କା ଦେଇଥିବେ କି ନାହିଁ ସନ୍ଦେହ। ମୋକ୍ଷ ପାଇବା ପାଇଁ ଲାକ୍ଷାଧିକ ଟଙ୍କାଖର୍ଚ୍ଚ ଓ ଜଟିଳ ପ୍ରଣାଳୀ ବିଷୟରେ ଜାଣିବା ପରେ, ଶୀତତାପ ନିୟନ୍ତ୍ରିତ ବଖରା ରେ ମଧ୍ଯ ତାଙ୍କ ଦେହଟି ଝାଳରେ ତିନ୍ତି ସାରିଥିଲା।
    ଯୁବତୀଟି ମଧୁର ଅଥଚ ଚେତାବନୀ ଦେବା ସ୍ବରରେ କହିଲା-- ଆଜ୍ଞା ସମୟ ନଷ୍ଟ କରନ୍ତୁ ନାହିଁ। ଅରଣ୍ଯରେ ତପସ୍ଯା ପାଇଁ ସ୍ଥାନ ର ଅଭାବ ଅଛି। ବିଳମ୍ବ କଲେ ଅଯଥା ରେ ନିରାଶ ହେବେ, ପୁଣି ଥରେ ସ୍ଥାନ ଖାଲି ହେବାକୁ ବର୍ଷାଧିକ କାଳ ଲାଗି ଯାଇପାରେ।
    ଜଟିଆଙ୍କ ମୁହଁରେ କୋଲପ ପଡିଯାଇଥିଲା । ଚେଷ୍ଟା କରି ମଧ୍ଯ ସେ ପଦୁଟିଏ କଥା କହି ପାରୁ ନ ଥିଲେ। ବଡ କଷ୍ଟରେ ଥତମତ ହୋଇ କହିଲେ-- ଏତେ  ଗୁଡେ  ଟଙ୍କା ଲାଗିବ ବୋଲି ମୁଁ ଜାଣି ନ ଥିଲି। ମୁଁ ଟିକେ ଚିନ୍ତା କରି କହିବି। ଭାବୁଛି କିଛି ଦିନ ଅପେକ୍ଷା କରିଯିବି, ଆର ବର୍ଷ ଆଡକୁ ସେ ବିଷୟରେ ଚିନ୍ତା କରିବି। ବାବାଙ୍କ ମୋକ୍ଷପ୍ରାପ୍ତି ପ୍ଯାକେଜ୍ ର ବର୍ଣ୍ଣନା ଶୁଣି ମୋତେ ଲାଗୁଛି ମୋର ଆଉ ମୋକ୍ଷ ଦରକାର ନାହିଁ। ମଲା ପରେ ଆଉ ଥରେ ଜନ୍ମ ନେବି ପଛକେ ଏତେ ଟଙ୍କା  ଖର୍ଚ୍ଚ କରିବି ନାହିଁ।
    ଜଟିଆଙ୍କ ଉତ୍ତର ଶୁଣି , ଅନିଦ୍ଯ ସୁନ୍ଦରୀ ଯୁବତୀ ଟି ଦାନ୍ତ ନିକୁଟି ହାଡବାଇ ପରି ତାଙ୍କ ଆଡକୁ ଝପଟି ଆସିଲା।  ନାନା ଅଶ୍ରାବ୍ଯ ଭାଷାରେ ଗାଳି ଫଜିତ୍ କରି  ଦରିଦ୍ର, ଭିକାରି,ବାଡିଖିଆ, ରଇଜଳା, ଗାଡଶୁଆ ଆଦି ଗାଳିରେ ପୋତି ପକେଇଲା। କିନ୍ତୁ ସେ ବା କାହୁଁ ଜାଣିବ, ଜଟିଆ ହେଲେ କଂସାରି ଘର ପାରା, ତାଙ୍କୁ ଏ କୁଲା ଢାଉଁ ଢାଉଁ ଡରା କି କାଟୁ କରିବ ! ଏ ଯୁବତୀ ଯେତିକି ଗାଳି ଦେଲା ତାହା ଜଳଖିଆ ମଧ୍ଯ ନୁହଁ, ସେ ତ ମାସରେ ତିନି ଚାରି ଥର କୁନ୍ଥେଇଙ୍କ ପାଖରୁ  ଗାଳି ଫଜିତ୍ ର ଭରପୁର  ଭୋଜି ଖାଆନ୍ତି।
     କଣ ଭାବିଲେ କେଜାଣି, ସେ ଦାନ୍ତ ନିକୁଟି ସେ ଯୁବତୀ କୁ ଖତେଇ ହୋଇ କହିଲେ - - ଆଲୋ ମାଆ ତୁ ଯଦି ସନ୍ଯାସିନୀ ହୋଇଛୁ, ଲାଣ୍ଡିମୁଣ୍ଡିଆ କାହିଁକି ହୋଇନୁ, ତୋର ମୋକ୍ଷ ଦରକାର ନାହିଁ କି ? ତୁ ଟିକେ କହିଲୁ ମୋତେ କେଉଁ ପ୍ଯାକେଜ୍ କିଣିଛୁ?  ଏପରି ଅପ୍ରତ୍ଯାଶିତ ଅପମାନଜନକ କଥା ଶୁଣି ଯୁବତୀଟି ଭେରେଣ୍ଡା ରଡି ଛାଡି ଦଉଡି ପଳାଇଲା। ଜଟିଆ ଆଉ କିଛି କାରନାମା ଦେଖାଇ ଥାନ୍ତେ କି କଣ, ବାବାଙ୍କ ଅନୁଚର ମାନେ ଆସି ତାଙ୍କୁ ଭଲରେ ଛେଚାକୁଟା କରି ରାସ୍ତା ରେ ଫିଙ୍ଗି ଦେଇ ଆସିଲେ।
    କବାଟରେ କାହାର ଆଘାତ ଶୁଣି କୁନ୍ଥେଇ ବାହାରକୁ ଆସି ଜଟିଆଙ୍କ ଧାନ ବେଙ୍ଗଳିଆ ରୂପ ଦେଖି ଚମକି ପଡିଲେ। ଜଟିଆ ଦେଖିଲେ କୁନ୍ଥେଇଙ୍କ ଆଖି ଦୁଇଟି କାନ୍ଦି କାନ୍ଦି ଆଖିଧରା ରୋଗୀ ପରି ଲାଲ୍ ପଡି ଯାଇଥିଲା।  ରାଗ ଅଭିମାନରେ ଜର୍ଜରିତ କୁନ୍ଥେଇ ଝପଟି ଆସି ଜଟିଆଙ୍କୁ ଧକ୍କାଟେ ମାରି କହିଲେ-- ସନ୍ଯାସୀ ହେବାର ଅଛି ଯଦି ହୁଅ, ମୋର କିଛି କହିବାର ନାହିଁ ;  କିନ୍ତୁ ଆମ ମାଆ ପିଲା ତିନି ଜଣଙ୍କୁ ଟିକେ ବିଷ ଦେଇ ଦିଅ, ଆମେ ମରିଯିବା ପରେ ଯାହା ଇଛା କର।
    କୁନ୍ଥେଇଙ୍କ ପାଞ୍ଚ ମହଣିଆ ଧକ୍କା ଖାଇ ଜଟିଆ ଖଣ୍ଡେ ଦୂରରେ ଫିଙ୍ଗି ହୋଇ ପଡିଲେ। ଝାଡିଝୁଡି ହୋଇ ଆସି କୁନ୍ଥେଇଙ୍କୁ କୁଣ୍ଢେଇ ଧରି କହିଲେ-- ଦରକାର ନାହିଁ ମୋର ମୋକ୍ଷ । ତୁମେ ଓ ପିଲା ମାନେ ହେଲ ମୋ ଇଶ୍ବର ଓ ଏ ଘର ହେଲା ମୋ ମନ୍ଦିର। ତୁମ ହାତ ଧରିଲାବେଳେ ଶପଥ କରିଥିଲି, ତୁମକୁ କୌଣସି ପରିସ୍ଥିତିରେ ମଧ୍ଯ ଏକୁଟିଆ ଛାଡିବିନି। ଆଜି ସେ ଶପଥ କୁ ଅଣଦେଖା କରି ମୁଁ ଭୁଲ୍ କରିଛି, ମୋତେ କ୍ଷମା କରିଦେବ। କୁଆଡେ ଗଲା ସେ ଚଗଲା ମୁନା, ଡାକ ତାକୁ। ତାକୁ କୁହ,  ଆଜି ହାଇଦର ହୋଟେଲ୍ ରୁ ଚିକେନ୍ ବିରିୟାନୀ, ଚିଲି ଚିକେନ୍ ଓ ମଟନ୍ କିମା ଆଣୁ ; ଜମେଇ କି ଖାଇବା।
– – ତେବେ ତୁମ ସନ୍ଯାସୀ ହେବା କଥା ଓ ମୋକ୍ଷ ? ବ୍ଯସ୍ତ ହୋଇ ପଚାରିଲେ କୁନ୍ଥେଇ।
         ହୋଃ  ହୋଃ  ହସିଲେ ଜଟିଆ,  କହିଲେ--
    ସର୍ବଧର୍ମାନ୍ ପରିତ୍ଯଜ୍ଯ ମାମେକଂ ଶରଣଂ ବ୍ରଜ,
           ଅହଂ ତ୍ବା ସର୍ବପାପେଭ୍ଯୋ ମୋକ୍ଷୟିଷ୍ଯାମି ମା ଶୁଚଃ ।।
ଶ୍ରୀମଦ୍ ଭଗବତ୍ ଗୀତା ର “ମୋକ୍ଷ ସନ୍ଯାସ ଯୋଗ” ଅଠର ଅଧ୍ଯାୟ  ଛଅଷଠି  ନମ୍ବର ଶ୍ଳୋକରେ  ଭଗବାନ୍ ଶ୍ରୀ କୃଷ୍ଣ, ଅର୍ଜୁନ୍ ଙ୍କୁ ବୁଝାଇ କହିଛନ୍ତି  - - ସକଳ ଧର୍ମ ପରିତ୍ଯାଗ କରି କେବଳ ଏକମାତ୍ର ମୋ ଶରଣ ନିଅ। ମୁଁ ତୁମକୁ ସର୍ବପାପରୁ ମୁକ୍ତ କରିଦେବି, ତୁମେ କେବେ ଶୋଚନା କରନାହିଁ, ମୁଁ ତୁମକୁ ମୋକ୍ଷ ଦେବି।
    କିଛି ବୁଝି ନ ପାରି କୁନ୍ଥେଇ ବଲବଲ କରି ଚାହିଁବାରୁ, ଜଟିଆ ବୁଝାଇ କହିଲେ-- ଭଗବତ୍ ଗୀତା ର ଏହି ଶ୍ଳୋକ ମୁଁ ଜୀବନରେ ଲାକ୍ଷାଧିକ ବାର ପଢିଥିଲି, କିନ୍ତୁ ଏହାର ପ୍ରକୃତ ଭାବାର୍ଥ ଆଜି ବୁଝିପାରିଲି। ସେହି ପରମ କାରୁଣିକ ଜଗନ୍ନାଥଙ୍କ ପାଖରେ ମୁଁ ଆଜିଠାରୁ ଶରଣ ନେଲି, ଯଦି ସେ ମୋତେ  ମୋକ୍ଷ ଦେବେ, ଭଲ , ନଦେଲେ ବି ଭଲ।  ମୋ ମନରେ କିଛି ଅନୁଶୋଚନା ନାହିଁ।
    କବାଟ ଫାଙ୍କରେ  ଝିଅ ମିନି ,ବାପା ମାଆଙ୍କ ମଧ୍ଯରେ ଯୁଦ୍ଧ, ପ୍ରେମ ସମ୍ଭାଷଣ ଓ ଧର୍ମଚର୍ଚ୍ଚା ଦେଖି ଭାଇ କୁ ପଚାରିଲା-- ଭାଇ, ବାପା କଣ ସତରେ ଲଣ୍ଡାମୁଣ୍ଡିଆ ଡ୍ରାଇଭର ହୋଇ ସନ୍ଯାସୀ ପାଲଟି ଜଙ୍ଗଲରେ ତପସ୍ଯା କରିବେ ?
     ହସି ହସି ପୁଅ ମୁନା  କହିଲା-- ଆଲୋ ହୁଣ୍ଡି ତୁ ଶୁଣିଲୁନି କି !  ଏବେ ଆମ ସନ୍ଯାସୀଙ୍କର, ହାଇଦର ବିରିୟାନୀ, ଚିଲି ଚିକେନ୍ ଓ ମଟନ୍ କିମା ଖାଇବାର ଝୁଙ୍କ ଚଢିଛି । ମୁଁ ଆଗ ଖାଇବା ଟା ଆଣି ଆସେ, ଖିଆପିଆ ସରିଲା ପରେ ସେ ବିଷୟରେ ଆଲୋଚନା କରିବା।
    ମୋକ୍ଷପ୍ରାପ୍ତିର ପଥ ଅତୀବ କଷ୍ଟସାଧ୍ଯ ଓ କଣ୍ଟକିତ ; ଏକଥା ଅନ୍ତତଃ ଜଟିଆ ଙ୍କୁ ଧାର୍ମିକ ଗୁରୁ ତେଣ୍ଟାରାମ୍ ଙ୍କ ମୋକ୍ଷପ୍ରାପ୍ତି ପ୍ଯାକେଜ୍ ଭଲରେ ବୁଝାଇ ଦେଇଥିଲା।  ସେଦିନ ପରଠାରୁ ସେ ଭୁଲରେ ମଧ୍ଯ କେବେ ସନ୍ଯାସୀ ହେବା କଥା ତୁଣ୍ଡରେ ଧରିବାର କେହି ଶୁଣି ନାହାନ୍ତି।
                --ସମାପ୍ତ--