Thursday, June 28, 2018
ଯୋଗାଡିଆ ପ୍ରେମ
ଲେଖକ-ଅରବିନ୍ଦ ରଥ
କାଗଜ ଉପରେ ମୁଣ୍ଡଟିକୁ ମାଡି ପକେଇ, କଣ ସବୁ ରସ ରସ ଲେଖିବାରେ ମଦନା ବ୍ଯସ୍ତ ଥିଲା ବେଳେ, ମାଧବ ଦୋକାନ ଭିତରକୁ ଧସେଇ ପଶିଗଲା। ମଦନା କାଗଜ ଟା ଲୁଚେଇବା ଆଗରୁ ସେ ଚିଲ ପରି ଝାମ୍ପି ନେଇ ଏକା ନିଶ୍ବାସରେ ଲେଖା ଥିବା ଚିଜ ସବୁ ପଢିଗଲା। ସେ ଲେଖାର କିଞ୍ଚିତ୍ ସୂଚନା ଏଠାରେ ନ ଦେଲେ ମହାଭାରତ ଅଶୁଦ୍ଧ ହୋଇଯିବାର ଯଥେଷ୍ଟ ଆଶଙ୍କା ରହିଛି। ତେଣୁ ସେ ଲେଖାର ଅବିକଳ ନକଲ ପ୍ରଦାନ କରାଗଲା---
ମୋ ନୟନ ପିତୁଳା ସୋନାଲିକା,
ନିବେଦନର ଅଭିପ୍ରାୟ ଏହିକି ଯେ, ଅଧୀନ ତୁମ ପ୍ରେମରେ ଭୟଙ୍କର ରୂପରେ ପଡିଯାଇଛି। ତୁମ ଚେହେରା ସିନା ମୁହାଁମୁହିଁ ଦେଖିନି, କିନ୍ତୁ ଫଟୋ ଦେଖି ମନରେ କେରାଣ୍ଢି ମାଛ ପରି ହସଖୁସି ସବୁ ଡିଆଁଚିରା ମାରୁଛନ୍ତି। ସୋନାଲିକା; କି ବେଳା ରେ ଦଇବ ତୁମକୁ ଗଢିଛି ! ଆଖି ନୁହଁ ତ ସେଗୁଡା କଳା ସଂବାଳୁଆ ତଳେ ସଜନା ମଞ୍ଜି ସଜେଇଲା ପରି ଦିଶୁଛି। ଗାଲ ଦୁଇଟି ମାଙ୍କଡ ପିଚା ପରି ନାଲିଆ ଏବଂ ଓଠ ପାକଳ ଲିଚୁ କୋଳି ପରି ହେଇଛି। ନାକ ଟି ଦେଖିଲେ ପାତୁ ଜଳଖିଆ ଦୋକାନ ର ପକୁଡି ପରି ଦୁରୁଶ ହେଉଛି। ତୁମ କାନ ଦୁଇଟି କୁ ଦେଖିଲେ ମାଆର ଠାକୁର ଘରେ ସଜା ଯାଇଥିବା ଲକ୍ଷ୍ମୀ ଠାକୁରାଣୀ କୁଲା ପରି ଦିଶୁଛି। ମୁଣ୍ଡର ସାମ୍ପୂ କରା ଚୁଟି ସବୁ ମୋତେ ଲେଉଟାଣିଆ ଶାଗ ପରି ଲାଗୁଛି। ବେକ ନୁହଁ ତ ସେ ଲମ୍ବୁଡିଆ ଲାଉ ପରି........
--- ଆରେ ହେ ବଜ୍ଜାତିଆ ମାଧବ, ମୋ ଚିଠି ଦବୁ ନା ଦେଖିବୁ ଏଇଲେ। ଦେବି ଏକ ବ୍ରହ୍ମ ଚାପୁଡା ଯେ ବାପ କୁ ଅଙ୍କଲ୍ ଡାକି ଭୂଇଁ ଶୁଙ୍ଘିବୁ।
--- ଓଃ, ଦୋକାନ ରେ ପରିବା ବିକ୍ରୀ ଚାଲିଛି ନା ପ୍ରେମ ଚାଲିଛି ମଦନା ଭାଇ। ତୁ ନଭ୍ ଲେଟର୍ ଲେଖୁଛୁ ନା ନଳକୂଅ ଖୋଳାଇବା ପାଇଁ ବି ଡି ଓ ପାଖକୁ ଦରଖାସ୍ତ ଲେଖୁଛୁ? ତୋ ମୁହଁ କୁ ଲାଜ ନାହିଁ ଯାହା।
କିଛି ନ କହି ମଦନା ମୁହଁ ମାଡି ବସି ରହିଲା।
ସକାଳୁ ପାଣିପାଗଟା ଟିକେ ଅଖାଡୁଆ ହୋଇଯିବାରୁ ମଦନାର ମନ ଟା ଆମ୍ବିଳିଆ ହୋଇଯାଇଥିଲା। ବଜାରରେ ମଦନା ର ପରିବା ଦୋକାନ ବେଶ୍ ଜଣାଶୁଣା। ପରିବାପତ୍ର, ଫଳମୂଳ, ତେଜରାତୀ ଜିନିଷ ଓ ମୋବାଇଲ ଭାଉଚର ବିକ୍ରୀ କରି ସେ ଖୁବ୍ କମ ଦିନ ଭିତରେ ବଡ ବ୍ଯବସାୟୀ ପାଲଟିି ଯାଇଥିଲା। ବଡ କଷ୍ଟରେ କୌଣସି ମତେ ଅଷ୍ଟମ ପାଶ୍ କରି, ଇଂରାଜୀର ଛବିଶି ଅକ୍ଷର ଓ ତୃତୀୟ ଶ୍ରେଣୀ ପିଲା କରି ପାରୁଥିବା ଗଣିତରେ ଅଗାଧ ପାଣ୍ଡିତ୍ଯ ଲାଭ କରିବା ସହ ଦୋକାନ ରେ ବସିବସି ହିସାବ ପତ୍ର ଓ ଅନ୍ଯ ବେପାରିଆ ପେଞ୍ଚୁଆ ବୁଦ୍ଧି ହାସଲ କରି ପାରିଥିଲା । ମଦନା ର ବାପା ଅଥାନି ଗାଁଆର କର୍ମକୋଢିଆଙ୍କ ଭିତରେ ସଦାବେଳେ ପ୍ରଥମ ସ୍ଥାନରେ ରହୁଥିଲା। ସାରା ଜୀବନ କେବଳ ତାସ୍ ଖେଳ, ଗୁଲିଗପ ଓ ଅଫିମଖିଆରେ ସମୟ କାଟି ଏବେ ରୋଗୀଣା ହୋଇ ବିଛଣା ଧରି ପଡିଛି। ମଦନା ମାଆ, ଅଥାନିର ସେବା କରିକରି ବଡ ଦହଗଞ୍ଜ ଅବସ୍ଥାରେ ଦିନ କାଟୁଛି। ଘରକୁ ବୋହୂଟିଏ ଆଣିବାର ଆବଶ୍ଯକତା ଦିନ କୁ ଦିନ ବଢି ଚାଲିଛି। ମାତ୍ର, ମଦନା ରୂପର ପରାକାଷ୍ଠା ଏତେ ଅଧିକା ଥିଲା ଯେ ଆଖପାଖ ଗାଁଆର ଝିଅ ମାନେ ତା ସହ ବାହାଘର ହେବା କଥା ଶୁଣିଲେ, ଦଉଡି ନ ହେଲେ ମୂଷାମରା ବିଷ ଧରି ବାପାମାଆଙ୍କୁ ଡରାନ୍ତି। ପିଲା ଟା ଦେଖିବାକୁ ସେମିତି ବିଶେଷ ମନ୍ଦ ନ ହେଲେ ବି କିଛି ଆଳୁଦୋଷ ସମ୍ପର୍ଣ୍ଣ ଥିଲା। ତା ମୁହଁ ତୁଳନା ରେ ଆଖି ଯୋଡିକ ଅପେକ୍ଷାକୃତ ବଡ ଓ ନାକ ଟି ଚେପେଟା ଥିଲା। ଦାନ୍ତ ଦୁଇଧାଡି ପାଟି ଭିତରେ ରହିବା ପରିବର୍ତ୍ତେ କଇଁଛ ବେକ କାଢିବା ପରି ବାହାରକୁ ନେଫେଡି ହୋଇ ରହୁଥିଲେ। ଦେଖିବା ଲୋକ ଜାଣି ପାରିବନି ମଦନା ହସୁଛି, କାନ୍ଦୁଛି ନା ଖତେଇ ହେଉଛି। ସେସବୁ ଠିକ୍ ଥିଲା ଯେ, ପ୍ରତି ପାଞ୍ଚ ମିନିଟ୍ ରେ ସେ ପଚିଶି ଥର ଜିଭ ଲହଲହ କରି ନିଜ ଓଠ କୁ ଚାଟି ଆଖି ମିଟିମିଟି କରୁଥିଲା। ପ୍ରଥମେ ତାକୁ ଯିଏ ଦେଖିବ, ଭାବିବ ଲହଲହ ଜିଭ କରି ତାକୁ ଗିଳିବ କି ଆଉ ! ହାତ ଗୋଡ ସବୁ କାଉଁରିଆ କାଠି ପରି ସରୁଥିଲା, ଅଥଚ ପେଟଟି ଲାଉତୁମ୍ବା ପରି ବାହାରକୁ ଭୁଷୁଡି ପଡିଥିଲା। ତାକୁ ଜଳାନ୍ତକ ରୋଗ ହୋଇଥିଲା କି କଣ କେଜାଣି, ବର୍ଷ ତମାମ ଦେହରେ ପାଣି ଟୋପେ ଢାଳୁ ନ ଥିଲା। ଖରା ଦିନେ ଝାଳ ବାହାରି ଦେହର ମଳି ସବୁ ରାସ୍ତାରୁ ପିଚୁ ବାହାରିଲା ପରି ବାହାରି ଦେହ ସାରା ଠାଏ ଠାଏ ଲାଗିଥାଏ। ସେସବୁ କୁ ସେ ସଯତ୍ନେ ଗାମୁଛାରେ ପୋଛେ ଓ ସେଇ ଗାମୁଛାରେ ପରିବା ପତ୍ରରେ ମାଛି ବସିଲେ ଘଉଡାଏ। କେବେକେବେ ସେଓ ର ରଙ୍ଗ କେତେ ନାଲିଆ, ଗ୍ରାହକ ଙ୍କୁ ଦେଖେଇବା ପାଇଁ ସେଇ ଗାମୁଛା ରେ ଘଷିମାଜି ପକେଇଲା ବେଳକୁ ନାଲିଆ ସେଉର ରଙ୍ଗ କାଳିଆ ହୋଇଯିବାର ନଜିର କିଛି କମ୍ ନାହିଁ।
ତା ଦୋକାନରେ ମୋବାଇଲ୍ ରିଚାର୍ଜ କରିବାକୁ କେତେ ଜାତିର ପ୍ରାଣୀ ମାନେ ଆସନ୍ତି। ଝିଅଙ୍କ ତୁଳନା ରେ ବେଶି ପୁଅ ଆସନ୍ତି । କାରଣ ଟା ଜାଣିବାକୁ ଥରେ ସେ ଗୋଟେ ପିଲାକୁ ପଚାରିବାରୁ ଜାଣିଲା ଯେ, ପୁଅ ମାନେ ସବୁ ଝିଅ ମାନଙ୍କ ମୋବାଇଲରେ ରିଚାର୍ଜ କରି ଦିଅନ୍ତି, ତେଣୁ ସେମାନଙ୍କର ଦୋକାନ ଆସିବାର ଆବଶ୍ଯକତା ନ ଥାଏ। ତା ଦୋକାନ କୁ ମକୁନ୍ଦା ନାମକ ପିଲା ନିତିଦିନ ଆସେ। କଲେଜ୍ ପଢୁଆ ପିଲା ସେ ; ତା ରଙ୍ଗଢଙ୍ଗ ଦେଖିଲେ ଯାତ୍ରାପାର୍ଟିର ନାୟକ ପରି ଲାଗେ। ମଝିସୁନ୍ଥା କରି ସାମ୍ପୋକରା ଚୁଟି କୁ ଦୁଇ ଫାଳକରି କୁଣ୍ଡେଇ, ଆଖିରେ କଳା ଚଷମା ଲଗେଇ, ଦୁଇ କାନରେ କାନଗେଞ୍ଜା ଯନ୍ତ୍ର ଗେଞ୍ଜି, ବେକକୁ ବଗ ପରି ହଲେଇ ସେ ଯେତେ ବେଳେ ଆସେ ମଦନା ମନଟା ରାମ୍ପିବିଦାରି ହୋଇଯାଏ। ପିଲାଟାର ପାଠ ଘର ଶୂନ ବୋଲି ଯିଏ ବି ଦେଖିବ ଜାଣି ପାରିବ, କିନ୍ତୁ ତା ସାଙ୍ଗରେ ସବୁ ଦିନ ନୂଆ ଝିଅ ମାନେ ଆସନ୍ତି। ମଦନା ଭାବେ, ପିଲା ଟା ଦେହରେ କୃଷ୍ଣଙ୍କର ଆଲକାତରିଆ ରଙ୍ଗରୁ ଟିକେ ଛିଞ୍ଚି ହୋଇ ପଡିଛି ନିହାତି। ନୋହିଲେ ଏ ମେଞ୍ଚଡ ଟୋକା ଏତେ ଝିଅଙ୍କୁ ଧରି ଥେଇଥେଇ ନାଚୁଛି କିପରି। ମନଟା ତା’ର ଉଦାସିଆ ହୋଇଯାଏ। ବୋପା ଟା ଟିକେ ଭଦ୍ର ଲୋକ ହୋଇଥିଲେ ଆଜି ସେ ହାତରେ ନିକିତି ଧରି ଦୋକାନ ରେ ବସି ନ ଥାନ୍ତା। କଲେଜ୍ ରେ ଠାଣୀ ମାରି, ଝିଅ ପିଲାଙ୍କୁ ସାଇକେଲ ପଛରେ ବସେଇ ତ୍ରିଭୂବନ କମ୍ପେଇ ସାରନ୍ତାଣି। ଏ ମେଞ୍ଚଡ ପିଲା ତା ଦୋକାନ ରୁ ଆଇସକ୍ରିମ୍ କିଣି ଝିଅଙ୍କୁ ଦେଉଛି, କିନ୍ତୁ ସେ ପୁଞ୍ଜାପୁଞ୍ଜା ଝିଅଙ୍କୁ ଆଣି ଫ୍ରିଜ୍ ଭିତରେ ପୁରେଇ କୁହନ୍ତା-- କେତେ ଖାଇବ ଖାଅ, ଆଇସକ୍ରିମ୍ ଖାଇ ଫ୍ରିଜ୍ ଖାଇଗଲେ ବି ମୋର ଫିକର୍ ନାହିଁ। ଆରେ, ମୋ ନିଜ ଦୋକାନ ପରା।
ମଦନା ଦୋକାନ କୁ ମାଇପି ପିଲା ମାନେ ଆସିଲେ ଆଖି ତଳକୁ କରି ଛିଡା ହୁଅନ୍ତି। ତା ମୁହଁ ଚାହିଁଲେ କଅଣ କିଣିବାକୁ ଆସିଛନ୍ତି କାଳେ ଭୁଲିଯିବେ ସେଇ ଡର ରେ। ତା ବ୍ଯତୀତ ମଦନା ଯେପରି ତା ଜିଭ ଲହଲହ କରି ଲୋକଙ୍କ ସହ କଥାବାର୍ତ୍ତା କରେ, ଟିକେ ଅସାବଧାନ ହେଲେ ମୁହଁରେ ଛେପର ସମୁଦ୍ର ବୋହିଯିବାର ଯଥେଷ୍ଟ ଆଶଙ୍କା ଥାଏ। କିଛି ଲୋକ ତା କଥା ଭଲରେ ବୁଝି ପାରନ୍ତିନି। ଜିଭ ଟା ସିନା ଦାନ୍ତରେ ଠିକ୍ ରେ ଠେସେଇହେଲେ ବଚନ ସୁନ୍ଦର ହେବ, ଯଦି ଜିଭ ଓ ଦାନ୍ତର ଦୂରତା ଅଲଙ୍ଘନୀୟ ଥିବ ଶବ୍ଦ ମାନଙ୍କର ଅବସ୍ଥା କଣ ହେବ ତାହା ସହଜରେ ଅନୁମେୟ? ଏମିତି କିଛି ଅନିବାର୍ଯ୍ଯ କାରଣ ରୁ ମଦନାର ଶବ୍ଦ ଅଭିଧାନ ରେ ଅର୍ଦ୍ଧାଧିକ ଶବ୍ଦର ଉଚ୍ଚାରଣ କିମ୍ଭୁତକିମ୍ଭାକାର ଥିଲା। ବୁଝି ପାରୁଥିବା ଲୋକ ବୁଝିବ ନୋହିଲେ ଚପଲରେ ସେକିବା ସାର ହେବ।
ପିଲା ଦିନୁ ଶୁଣି ଆସିଛି ସବୁ ସଫଳ ପୁରୁଷଙ୍କ ସଫଳତା ପଛରେ ଜଣେ ନାରୀର ହାତ ଥାଏ। କିନ୍ତୁ ତା ସଫଳତା ପଛରେ ବେପାରିଆ ବେଇମାନି ବୁଦ୍ଧି, ପାଞ୍ଚ କୁ ପଚିଶି କରିବାର କଳା, ଶୁଖା ପରିବା ରେ ପାଣି, ହରମୋନ ଦେଇ ତଟକା କରିବାର ତୁଟୁକା ଓ ଅଗଣିତ ପେଞ୍ଚଦିଆ ବୁଦ୍ଧି ର ହାତ ଅଛି ସିନା, କୌଣସି ନାରୀ ର ନାହିଁ। ସେ ସଫଳ ହୋଇ ପାରିଛି, ଏବେ ଖାଲି ଦରକାର ଗୋଟେ ନାରୀର ହାତ। ମାଆ ବି ସକାଳ ପହରୁ ରାତି ଯାଏ “ବାହା ହେଇ ବୋହୁଆଣେ” ନାଦ ରେ ଗଗନପବନ ପ୍ରକମ୍ପିତ କରୁଛି। କିନ୍ତୁ ଝିଅ ଟେ ମିଳିଲେ ତ ବାହା ହେବ। ଜୀବନ ର ଚଉତିରିଶି ଟି ହୋଲିରେ ରଙ୍ଗ ସିନା ଖେଳିଛି, ତା ଜୀବନ ଟା ଧଳା କାଗଜ ପରି ରଙ୍ଗହୀନ।
ଦିନେ ଦୋକାନ ରେ ମୁହଁ କୁନ୍ଦୁରେଇ ବସିଥିଲା ମଦନା। ମକୁନ୍ଦା ଏପରି ଧାନ ଉଁସୁଆଁ ହାଣ୍ଡି ପରି ମୁହଁର କାରଣ ଜାଣିବାକୁ ଚାହିଁବାରୁ, ସେ କୋହ ଚାପି ନ ପାରି ମନର ସବୁ ବେଦନା କୁ ଗଳଗଳ କରି ଉଦ୍ଗାର କରିପକାଇଲା। ରୁମାଲ କାଢି ମୁହଁରୁ ତିନି ସେର ସରିକି ଛେପ ପୋଛି, ରମାଲକୁ ଚିପୁଡି ପକେଟରେ ପୁରେଇଲା ମକୁନ୍ଦା। ପାଟିରେ ଗୁଟୁଖାଟେ ପକେଇ ଗଳା ଝାଡି କହିଲା
-- ଓଃ, “ଏଇ କଥା କୁ ନାଆ ପେଲିଦେଲି କଲିକତା କୁ”। ମଦନା ଭାଇ, ତୁମେ ଏ ମକୁନ୍ଦା କୁ ଜାଣିନ। ମୋ ରୂପଟା ସିନା ମେଞ୍ଚଡ, କିନ୍ତୁ ମୁଁ ଭୟଙ୍କର ଖେଚଡ। ତୁମେ ମୋ ମାାଆ ପେଟର ଭାଇ ନ ହେଲେ କଣ ହେଲା, ମୁଁ ତୁମକୁ ଭାଇ ବୋଲି ମାନି ଆସିଛି। ତୁମ ପାଇଁ ଝିଅ ମିଳିବେନି?? ଦେଖିବା କେମିତି ମିଳିବେନି। ଏମିତି ପିଞ୍ଛାଳିଆ ବୁଦ୍ଧି କରିବି ଯେ ଝିଅ କଣ, ଝିଅର ମାଆ ବି ତୁମ ପାଖରେ କଲେଇ ପୋକ ପରି ଉଡି ବୁଲିବେ। ଆରେ, ମୋ ପଛରେ ପରା କୋଡିଏ ପଚିଶି ଝିଅ ଦିନ ତମାମ ବୁଲୁଛନ୍ତି। କିନ୍ତୁ “ମୋ ପାଖେ ସମୟ ନାହିଁ” କହି ସେମାନଙ୍କୁ ବିଦା କରି ଦେଉଛି। ସେମାନେ କହୁଛନ୍ତି, ମୁଁ କୁଆଡେ ସଲମାନ୍ ଖାନ୍ ର ପୂର୍ବରୂପ ପରି ଦିଶୁଛି ; ମାନେ, ଯେତେବେଳେ ସେ ନୂଆନୂଆ ବହି କରୁଥିଲା। ଆଉ କିଛି ବର୍ଷ ଭିତରେ ମୋ ହାତଗୋଡର ମାଂଶପେଶୀ ସବୁ ଗୋବା ଗୋବା ହୋଇ ବାହାରିଯିବ, ଆଉ ମୁଁ ବି ସାର୍ଟ ବୋତାମ ଖୋଲି ଥେଇଥେଇ ନାଚିବି। ଆମ ମେସ୍ ର ପିଲା ମାନେ ମୋତେ ମକୁନ୍ଦା ନ ଡାକି ଗୋବିନ୍ଦା ଡାକନ୍ତି। ମୋ ନାଚ ଦେଖିଲେ ରମ୍ଭା, ଉର୍ବଶୀ ବି ବିଲୁଆ ଗାତରେ ପଶି ଯିବେ।
ମକୁନ୍ଦା ର ଗାଲୁ ପବନ ଏତେ ଯୋରରେ ବୋହିଲା ଯେ ମଦନା ପାଟି ମେଲା ହୋଇ ରହିଗଲା। ସେ ଜିଭ କାଢିବା ଭୁଲି, ଆଖି ତରାଟି ସବୁ କଥା ଢକଢକ କରି ପିଇଚାଲିଥିଲା। ତେଣେ ପାଟିରୁ ଲାଳ ବୋହି ଗାମୁଛା ତିନ୍ତିବା ଅବସ୍ଥା। ବେଦନିଆ ସ୍ବରରେ ସେ କହିଲା,
– – ହଁ ରେ ମକୁନ୍ଦା, ତୋତେ ଭଗବାନ ସାନ ସଲମନ ଖାନ୍, ଗୋବିନ୍ଦା କରି ଗଢିଛନ୍ତି, ତୋ ଭାଗ୍ଯ। କିନ୍ତୁ ମୋ ବେଳକୁ ବିରାଡି ଛିଙ୍କିଲା ନା ଠାକୁରଙ୍କ ଛାତିରେ ଝିଟିପିଟି ପଡିଲା କେଜାଣି, ମୋତେ ଏମିତି ଧିକଜୀବନିଆ କରି ପୃଥିବୀକୁ ଫିଙ୍ଗିଦେଲେ। ଗାମୁଛାରେ ପାଟିର ଲାଳ, ମୁଣ୍ଡର ଝାଳ ଓ ଆଖିର ଝୋଳ ପୋଛି କହିଲା ମଦନା।
--- ମାର ଗୁଲି ସେ ଭଗବାନଙ୍କୁ। ମୁଁ ତୁମକୁ ଉଦ୍ଧାର କରିବି। ମୁଁ କୃଷ୍ଣ ହେଲେ ତୁମେ ହେଲ ଅର୍ଜୁନ। ତୁମର ସେ ମରହଟ୍ଟିଆ ମୋବାଇଲ ଟା ହେଲା ଗାଣ୍ଡିବ ଧନୁ। ସେଇ ଧନୁରୁ ମୁଁ ଯେମିତି ଶିଖେଇବି ସେମିତି ତୀର ନାଛି ଦେଇଯିବ। ଝିଅ ଗୁଡା ଆଉଟୁ ପାଉଟୁ ହୋଇ ତୁମ ପାଖକୁ ଦଉଡିବେ। କିନ୍ତୁ ମଦନା ଭାଇ ସେତେବେଳକୁ ମୋତେ ଚିହ୍ନିବ ତ?
– – ତୁ ଯେମିତି କହୁଛୁ, ଯଦି ସେତିକି କରି ଦେବୁ, ତୋ ପାଦ ଧୋଇ ସେ ପାଣି କୁ ପାଞ୍ଚ ଲିଟିରିଆ ବୋତଲରେ ରଖି ସାରା ଜୀବନ ଅମୃତ ପାଇଲା ପରି ପାଉଥିବି। ଭକ୍ତି ରେ ଗଦଗଦ ହୋଇ କହିଲା ମଦନା।
ଏ ଘଟଣା ଘଟିବାର ଦୁଇ ଦିନ ପରେ ଗୋଟିଏ ଗୋଲାପୀ ରଙ୍ଗର ଲଫାପାରେ ଜଉମୁଦ ମରାଯାଇ ଏକ ଚିଠି ଆସି ମଦନା ପାଖରେ ପହଞ୍ଚିଲା। ଚିଠି ଖୋଲିଲା ବେଳକୁ ଦୋକାନ ଭିତର ଟା ମହମହ ଭାସିଗଲା। ସେ ଅକ୍ଷର ନୁହଁ ତ ବାଇଗଣ ମଞ୍ଜି। ସେ ସାତ ଜନ୍ମ ତପସ୍ଯା କଲେ ବି ସେମିତି ଚିଠି ଲେଖିପାରିବନି। ସେଥିରେ ଲେଖାଥିଲା--
ପ୍ରିୟ ମଦନା ,
ଆମ କଲେଜ ହିରୋ ମକୁନ୍ଦା ଓରଫ ସାନ ସଲମନ ଖାନ ଠାରୁ ତୁମ ବିଷୟରେ ଶୁଣି କାନ୍ଦିକାନ୍ଦି ତିନିି ଥର ଚେତା ବୁଡିଲି। ଟିକେ ଭଲ ପାଇବା ପାଇବାକୁ ତୁମର ରଙ୍କରାଡିଆ ଅବସ୍ଥା ଦେଖିଲେ ବରଫ ବିି ତରଳି ଯିବ। ତୁମ ରୂପ ଯାହା ବି ହୋଇଥାଉ ମୋର ପରବାୟ ନାହିଁ, ତୁମ ହୃଦୟଟା କଟକ ଦାମ ମହାରାଜ କଚୋଡିି ଚାଟ୍ ପରି କୁଡୁକୁଡିଆ ଓ ଖଟାମିଠା ମିଶା। ସେ ହୃଦୟରେ ମୋ ପ୍ରେମର ଚାମୁଚ ଖେଞ୍ଚି ଖାଇବାରେ ମୋର ତିଳେ ମାତ୍ର ଆପତ୍ତି ନାହିଁ। ଆଜିକାଲି ପ୍ରେମ ଚାଲୁ ଗୋପାଳ ପରି ଫିକା ଓ ବାସ୍ନାବିହୀନ। କିନ୍ତୁ ମୁଁ ତୁମକୁ କଥା ଦେଉଛି ମୋ ପ୍ରେମର ବାସ୍ନା ବାବା ଶହେ ଷାଠିଏ ଜର୍ଦ୍ଦା ପରି ତାଜା ଓ କଡାମାର୍କା। ଏ ପ୍ରେମର ଡବା ଖୋଲିଲେ ନାକପୁଡା ଭିତର କୁଣ୍ଡେଇ ହୋଇଯିବ, ଆଖି ଡୋଳା ନାଲିଆ ପଡିଯିବ। କିନ୍ତୁ,ମୋର କିଛି ସର୍ତ୍ତ ଅଛି, ଯାହା ତୁମକୁ ମାନିବାକୁ ପଡିବ। ମୋ ସହ କେବଳ ଚିଠିପତ୍ର ନୋହିଲେ ମୋବାଇଲ୍ ମେସେଜ୍ ରେ କଥାବାର୍ତ୍ତା ହେବ। ମୋବାଇଲ ନମ୍ବର ଟା ଚିଠିରେ ଦେଇଛି, କିନ୍ତୁ ଫୋନରେ କଥା ହେବା ପାଇଁ ବାଧ୍ଯ କରିବନି। ମୋତେ ଉପହାର ବହୁତ ଭଲଲାଗେ, ତେଣୁ ଦେବାରେ କଞ୍ଜୁସି କରିବନି। ମୁଁ ନିଶ୍ବାସ ନେବାକୁ ଭୁଲି ଯିବି ହେଲେ ଆଇସକ୍ରିମ୍ ଖାଇବାକୁ କେବେ ବି ଭୁଲି ପାରିବିନି। ସମୟ ସୁବିଧା ଦେଖି ମକୁନ୍ଦା ହାତରେ ସେ ଜିନିଷ ଟି ମୋ ପାଖକୁ ନିହାତି ପଠାଉଥିବ। ହଁ, ଆଉ ଗୋଟିଏ ଛୋଟ କଥା। ଯଦି କେତେବେଳେ କେମିତି ପଇସାପତ୍ର ଦରକାର ପଡିଲା ମୋତେ ସାହାଯ୍ଯ କରିବ। ମୁଁ ତୁମର ହେବା ପରେ, ମୋର ସବୁ ଜିନିଷ ତୁମର ଓ ତୁମର ସବୁ ଜିନିଷ ମୋର। କିଛି ଦିନ ଏମିତି ପ୍ରେମଲୀଳା ଚାଲିଲା ପରେ, ଯଦି ମୋତେ ଲାଗିବ ଯେ ତୁମେ ମୋ ପାଇଁ ଯୋଗ୍ଯ ବରପାତ୍ର, ମୁଁ ନିଜେ ତୁମ ଘରେ ଶଶରୀରେ ପହଞ୍ଚିବି। ମୋ ଫଟୋ ଟି ଚିଠି ଭିତରେ ଦେଇଛି। ତୁମେ ଭାବିବ ସେଇ ଫଟୋ ଭିତରେ ମୁଁ ଅଛି। ମୋ ଫଟୋ ସହ ମନଇଛା ଗପିପାରିବ, ସେଥିପାଇଁ କିଛି କଟକଣା ନାହିଁ। ମୋ ଚିଠିଟି ପାଇଲା ପରେ ନିହାତି ମୋତେ ଚିଠି ଦେଇ, ତୁମ ମନ କଥା ଜଣାଇବ। ମୁଁ ରହିଲି.... ତୁମର କେବଳ ତୁମର ସୋନାଲିକା।
ଚିଠି ଟି ଗୋଟେ ନିଶ୍ବାସରେ ପଢି ସାରି ମଦନା ମୁଣ୍ଡରୁ ଝାଳ ପୋଛିଲା। ତା ଭାଗ୍ଯ ଏମିତି ଭାବରେ ବଦଳିଯିବ ବୋଲି ସ୍ବପ୍ନରେ ସେ ଭାବି ନ ଥିଲା। ଚିଠିଟିକୁ କେଉଁଠି ରଖିବ ସେ କଥା ଭାବିଲା ବେଳକୁ ତା ମୁଣ୍ଡ ଗୋଳମାଳ ହୋଇଗଲା। ଚାରିଆଡେ ତ କୁଢକୁଢ ଅସନା ଜିନିଷ ଗଦେଇ ହୋଇ ପଡିଛି। ତା ସ୍ବପ୍ନର ନାୟିକା ରହିବ କେଉଁଠି ? ଦୋକାନ ଭିତରେ ଆଖି ବୁଲେଇ ଦେଖିଲା , ପରିବା ବସ୍ତା, ପଚା ପରିବା, ତେଜରାତି ଜିନିଷ ଓ ଅନେକ ଅଦରକାରୀ ଜିନିଷରେ ଦୋକାନ ଟା ଏକରକମ ଅଳିଆଗଦା ପରି ଦିଶୁଛି। ନାଁ ...ଏ ଯାଗାରେ ରଖିହେବନି। ପୁଣି ଘର ଭିତରକୁ ଦଉଡିଲା। ଚାରି ଆଡ ଖୋଜିଖୋଜି ଶେଷରେ ଟଙ୍କା ରଖା ଆଲମାରି ଲକର ଭିତରେ ଯତ୍ନରେ ରଖିଦେଲା ସେ ଚିଠି ଓ ଫଟୋ କୁ। ଦୋକାନ ରେ ବସି ମନେ ମନେ ହସୁଥାଏ...
ତା ହେଲେ ତାକୁ ଏଥର ପ୍ରେମ ହୋଇଗଲା। ତା ନାୟୀକା ର ନାମ ସୋନାଲିକା। ହଁ, ସତରେ ସୁନା ପରି ଝିଅଟା ହୋଇଛି। ଫଟୋ ରେ ଏମିତି ଦିଶୁଛି ତ ସତସତିକା କେଡେ ସୁନ୍ଦର ହୋଇଥିବ। କାଗଜରେ ତା ନାମ ଓ ଝିଅ ଟିର ନାମ ଲେଖି ମଝିରେ ଯୁକ୍ତ ଚିହ୍ନ ଦେଇ, ଅନେକ ସମୟ ଯାଏ ଚାହିଁ ରହିଲା। ତାକୁ ଲାଗିଲା ଦୁନିଆଁ ର ରଙ୍ଗ ଅଚାନକ ବଦଳି ଯାଇଛି। ପବନରେ କେମିତି ଗୋଟେ ଅଜଣା ବାସ୍ନା ଖେଳିବୁଲି ତା ମନ କୁ ମତୁଆଲା କରିଦେଉଛି। ଏତେ ଦିନ ଧରି କୋଇଲି ଡାକ ଓ କାଉ ରାବର ପାର୍ଥକ୍ଯ ଜାଣି ପାରୁ ନ ଥିବା ମଦନା କୁ କୋଇଲିର କୁହୁତାନ ଆଜି କେତେ ମଧୂର ଲାଗୁଛି। ବାଦଲରେ, ଗଛର ପତ୍ର ଉହାଡରେ, ଦୂର ପାହାଡରେ, ଲୋକଙ୍କ ଭିଡ ଭିତରେ ; କାହିଁକି ତାକୁ ଆଜି କେବଳ ସୋନାଲିକାର ଚେହେରା ଦିଶୁଛି। ପାଖ ଦୋକାନ ରେ ଚବିଶି ଘଣ୍ଟା ବାଜୁଥିବା ଗୀତର ପ୍ରତ୍ଯକଟି ଶବ୍ଦ ତାକୁ ଆଜି ଏତେ ଅର୍ଥପୂର୍ଣ୍ଣ କାହିଁକି ଲାଗୁଛି। ସେ ଦୋକାନୀ ଟା ଜାଣି ଗଲାକି ଆଉ, ତାର ଓ ସୋନାଲିକା ର ପ୍ରେମ ବିଷୟରେ। ନୋହିଲେ ଏମିତି ପ୍ରେମାଳିଆ ଗୀତ ଗୁଡାକ କାହିଁକି ବଜାଉଛି? ଆଜି ଗ୍ରାହକ ମାନେ ଦର ମୂଲଚାଲ କଲା ବେଳେ ସେ ବିରକ୍ତ ହେଉନି, ବରଂ ଗ୍ରାହକଙ୍କୁ ସୁହାଇବା ଦରରେ ଜିନିଷ ବିକ୍ରି କରୁଛି। କାହିଁକି ତା ମନରେ ଆଜି ଏତେ ଦୟା ଉବୁରି ପଡୁଛି, ଯେଉଁ ଭିକାରୀ ବୁଢାକୁ କେବେ ଅଧୁଲିଟିଏ ଦେଇନି ତାକୁ ପାଖକୁ ଡାକି ପାଞ୍ଚଟଙ୍କା ଓ ବିସ୍କୁଟ୍ ପ୍ଯାକେଟ୍ ଟିଏ ଦେବା ପାଇଁ ମନ ବଳଉଛି। ଓଃ, ସେ ପ୍ରେମ ରେ ପଡି ଯାଇଛି ପରା।
ସେ କିଛି ଲେଖିବ ସୋନାଲିକା କୁ, ନହେଲେ ମେସେଜ୍ ଟେ ପଠେଇବ ମୋବାଇଲରେ। ତା ମୋବାଇଲ ନମ୍ବର ତ ଚିଠିରେ ରହିଗଲା। ସାହାସ ହେଲାନି କିଛି ମେସେଜ୍ ଲେଖିବାକୁ। ତା ପାଠଶାଠର ଜ୍ଞାନ ଯାହା, କିଛି ଭୂଲ ଭଟକା ଲେଖିଦେଲେ କଥାଟା ବିଗିଡି ଯାଇପାରେ। ହଁ, ସେ ଚିଠି ଲେଖିପାରିବ। ପିଲା ଦିନେ ଅନେକ ଚିଠି ଲେଖିଛି ପରୀକ୍ଷା ଖାତାରେ। ଯାହା ଭାବୁଛି ଲେଖିଦେବ, ସେଥିରେ କଣ ଅଛି? ମନଧ୍ଯାନ ଦେଇ ଚିଠିଟା ଲେଖିଲା ବେଳକୁ ମାଧବ ଆସି ସବୁ ମାରା କରିଦେଲା। ରାଗରେ ସେ ଦରଲେଖା ଚିଠିଟାକୁ ଚିରି ଦେଇ ମନମାରି ବସିଲା। ଏମନ୍ତ ଅବସ୍ଥା ଦେଖି ଦୋକାନ ରୁ ମାଧବ ଚମ୍ପଟ ମାରିଲା। ସେତିକି ବେଳକୁ ମକୁନ୍ଦା ଦାନ୍ତ ଦୁଇଧାଡି ନେଫେଡି ଦୋକାନ ରେ ପଶି ମଦନା କୁ କହିଲା--
--- କଣ ମଦନା ଭାଇ ସବୁ ଠିକ୍ ଚାଲିଛି ତ? ସୋନାଲିକା ତୁମକୁ ଚିଠି ଦେଇଥିଲା, ପାଇଛ କି ନାହିଁ? ତୁମେ କିଛି କହିଲେ ମୁଁ ତାକୁ ଖବର ଦେବି ସେଥିପାଇଁ ଆସିଲି। ମୋର ତେଣେ ବହୁତ କାମ ପଡିଛି।
ସୋନାଲିକା ର ନାମ ଶୁଣିଲା ବେଳକୁ ମଦନା ଛାତି ଭିତରେ କଣ ଗୋଟେ ଖସି ପଡିଲା ପରି ଲାଗିଲା। ଲୋମମୂଳ ସବୁ ଟାଙ୍କୁରୀ ଉଠିଲା, ନ ଚାହିଁଲେ ବି କଣ୍ଠସ୍ବର ଟା ଥରି ଉଠିଲା। ସେ ଧିର ସ୍ବରରେ କହିଲା-- ଚିଠି ପାଇଲି ଓ ସବୁ ବୁଝିଲି। ସେଇ ଚିଠିର ଉତ୍ତର ଲେଖିଲା ବେଳକୁ ଏ ନିଉଛୁଣିଆ ମାଧବ ଟା ସବୁ ବେଙ୍ଗାଳିଆ କରିଦେଲା। ମୋତେ ଲାଗୁଛି ମୁଁ ଚିଠି ଲେଖି ପାରିବିନି। ମୋର ଜ୍ଞାନ ଯାହା, ଯଦି ଟିକେ ଓଲଟ ପାଲଟ ହୋଇଯିବ, ମୋ ଘର ତିଆରି ହେବା ଆଗରୁ ଭୁଷୁଡି ଯିବ।
– – ଠିକ୍ କହିଲ ଭାଇ। ମୋତେ ତୁମ ମନକଥା ସବୁ କୁହ, ମୁଁ ସବୁ କଥା ନେଇ ସୋନାଲିକା ପାଖରେ ଉଗାଳି ଦେବି। ଚିଠି ଲେଖିବା ଯାହା, ମୋ ମାଧ୍ଯମରେ ବାର୍ତ୍ତା ପଠେଇବା ସେୟା। ପୂରାଣ କାଳରେ ତ ସେମିତି ପ୍ରେମ ଚାଲିଥିଲା, ତେଣୁ ଚିନ୍ତା କାହିଁକି?
ମକୁନ୍ଦା ର କାନ ପାଖରେ ଅଧଘଣ୍ଟା ସରିକି ମଦନା କଣ ସବୁ ଚଭର ଚଭର ହୋଇ ଗପି ଦେଇଗଲା। ତା ହାତରେ ଆଇସକ୍ରିମ୍ ପୁଞ୍ଜାଏ ଦେଇ କହିଲା-- ମୋ ମନର କଥା ଯାହା କହିଲି ସବୁ କହିଦେବୁ ରେ ଭାଇ, କିଛି ଭୁଲିବୁନି। ମକୁନ୍ଦା ଆଇସକ୍ରିମ୍ ନେବାକୁ ରାଜି ହେଲାନି, କହିଲା-- ମୋତେ ଏ ଆଇସକ୍ରିମ ଲାଞ୍ଚ ଦିଅନି, ମୁଁ ପରା ତୁମର ଭାଇ। ପରିବା ଉପରେ ପାଣି ଛିଞ୍ଚି ମଦନା କହିଲା-- ଆରେ ପୁଅ ତୋତେ ଦେଇନି ମ ! ମୋ ସୋନାଲିକା ପାଇଁ ଦେଇଛି।
ପ୍ରାୟ ସବୁଦିନ ଏମିତି ବେପାର ଚାଲିଲା। ଗୋଲାପୀ ଲଫାପା ରେ ଚିଠି ପହଞ୍ଚିଲା ଓ ମକୁନ୍ଦା କାନ ରେ ଚିଠିର ଉତ୍ତର ମଦନା ଫୁଙ୍କିବାରେ ଲାଗିଲା। ପ୍ରେମ ରଙ୍ଗରେ ରଙ୍ଗେଇ ହେଲା ପରେ ମଦନା ଚରିତ୍ରରେ ବହୁତ ପରିବର୍ତ୍ତନ ଆସି ଯାଇଥିଲା। ବର୍ଷ ତମାମ ଅଗାଧୁ ଷଣ୍ଢ ରୂପରେ ବୁଲୁଥିବା ମଦନାର ଗାଧୁଆ ଘର ନଳାରେ ଦିନକୁ ଦୁଇ ଓଳି ସାବୁନ, ସାମ୍ପୋ ଫେଣ ଓ ପାଣିର ସୂଅ ବୋହିବାକୁ ଲାଗିଲା। ପ୍ରତିଦିନ ସଫା ଜାମା ପ୍ଯାଣ୍ଟରେ ଅତର ଛିଞ୍ଚି ସେ ଦୋକାନରେ ବସିଲା। ଦେଖିବା ଲୋକ ତାଟକା ହୋଇଗଲେ। କିଏ କିଏ କହିଲେ ମଦନା ଦେହରେ ପିଶାଚ ପଶିଛି। ନୋହିଲେ ଦିନ କେତେଟାରେ ଲୋକଟାର ରୂପ ଭେକ ବଦଳିଗଲା କିପରି? ତା ଦୋକାନ ର ଅନେକ ଗ୍ରାହକ ଥିଲେ, ସେମାନଙ୍କ ଭିତରେ ଜଣେ ଦାନ୍ତ ଡାକ୍ତର ଥିଲେ। ସେ ମଦନା କୁ ବାଧ୍ଯ କରି ତାଙ୍କ କ୍ଲିନିକ କୁ ନେଇଗଲେ ଓ ଦୁଇଧାଡି ଦାନ୍ତ କୁ ଟଣା ଓଟରା କରି ତାର ଭିଡି ପାଟି ଭିତରକୁ ଠେସିଦେଲେ। ଜନମ ବେଳରୁ ବାତେରାଙ୍କ ପରି ବାହାରେ ପବନ ଖାଉଥିବା ଦୁଇଧାଡି ଦାନ୍ତ ପାଟି ଭିତରେ ଜାକିଜୁକି ହୋଇ ବସିଲେ। ସେମାନେ ପାଟିରେ ପଶିଗଲା ପରେ ମଦନାର ରୂପରେ ଯଥେଷ୍ଟ ପରିବର୍ତ୍ତନ ଆସିଯାଇଥିଲା। ରାମଦେବ ବାବାଙ୍କ ର ପେଟ ଖଙ୍କାଳିଆ ବ୍ଯାୟାମ ଓ ଫୁଁ ଫାଁ ନିଶ୍ବାସ ଟଣାଛଡା ଯୋଗ ବିଯୋଗ ର ପ୍ରହାରରେ ତା’ର ଗର୍ଭୀଣି ବେଙ୍ଗ ପରି ପେଟ ଛାତି ସହ ସମାନ ରେଖାରେ ରହିଲା। ଏବେ ମଦନା ଗୋଟେ ସୁଦୃଶ୍ଯ ଯୁବକରେ ପରିବର୍ତ୍ତିତ ହୋଇଯାଇଥିଲା। ଆଲମାରୀ ଭିତରେ ଥିବା ତା ପ୍ରେୟସୀର ଫଟୋ କୁ ଦିନରେ ହଜାର ଥର ଦେଖି ବୋକ ଦେବାରୁ ଫଟୋ ଉପରେ ଥିବା ଜରିଲଗା ଆବରଣଟି ଟିକେ କୁଚାମୁଚା ହୋଇଯିବାରୁ ତା ମନଟି ଭାଙ୍ଗି ପଡିଲା। ସେ ମକୁନ୍ଦା କୁ କେତେ କାକୁତି ମିନତି ହୋଇ ଆଉ ଗୋଟେ ଫଟୋ ଦେବାପାଇଁ, ସୋନାଲିକା କୁ ଖବର ଦେବାକୁ କହିଲା। ତେଣେ ମକୁନ୍ଦାର ପ୍ରକୃ ତି ରେ ଢେର ପରିବର୍ତ୍ତନ ଆସିଯାଇଥିଲା । ସେ ଦିନର ଅର୍ଦ୍ଧାଧିକ ସମୟ ଦୋକାନ ରେ କଟାଇବାକୁ ଲାଗିଲା। ସୋନାଲିକା ଏଇଆ କହିଛି, ସେଇଆ କହିଛି, ଏ ଜିନିଷ ମାଗିଛି, ଏତେ ଟଙ୍କା ମାଗିଛି କହି ଦୁଇ ହାତରେ ମଦନାର ପକେଟ ଖାଲି କରିବାକୁ ଲାଗିଲା। ବିଚରା ନିରୀହ ମଦନା, ମକୁନ୍ଦାର ଫନ୍ଦି ଫିକର ଜାଣି ନପାରି ସବୁ ଫରମାଇସ ପୂରଣ କରିବାକୁ ଲାଗିଲା। ପ୍ରେମ କରିଛି ମାନେ ଖର୍ଚ୍ଚାନ୍ତ ହେବାକୁ ପଡିବ, ସେଥିପାଇଁ ଚିନ୍ତା କଲେ କି ଲାଭ? ଦିନେ ସକାଳୁ ମକୁନ୍ଦା ଧଇଁସଇଁ ହୋଇ ଆସି କହିଲା ଯେ ସୋନାଲିକା ର ଦେହ ଭୀଷଣ ଖରାପ, ମେଡିକାଲରେ ପଡିଛି। ଟଙ୍କା କୋଡିଏ ହଜାର ଦରକାର,ସେତିକି ନ ହେଲେ ବିଚାରୀ ପିଣ୍ଡରୁ ପ୍ରାଣ ପକ୍ଷୀ ଉଡିଯିବ। ଏ ଖବର ଶୁଣି ମଦନା ହାଲୁକ ଶୁଖିଗଲା। ଘର ଭିତରକୁ ଦଉଡିଯାଇ ଫଟୋଟିକୁ ଗେଲ କରି, ପୂଜାଘରେ ଠାକୁରାଣୀଙ୍କ ଆଗରେ ରଖି କେତେ କନ୍ଦାଛିଟିକା କଲା। ଟଙ୍କା କୋଡିଏ ହଜାର ମକୁନ୍ଦା କୁ ଧରେଇ କହିଲା-- ସୋନାଲିକା କୁ ଟିକେ ଦେଖିବାକୁ ବହୁତ ମନ ହଉଛି। କିଛି ନ ହେଲେ ଦୂରରୁ ଟିକେ ଦେଖନ୍ତି।
– ନାଁ ଭାଇ ସେ କଥା କୁହନି। ସେ ଜାଣିଲେ ସବୁ ଫସର ଫାଟିଯିବ, ଟଙ୍କା ଗଣି ପକେଟରେ ପୁରେଇ ମକୁନ୍ଦା କହିଲା।
ଦିନସାରା ଚାହିଁ ରହିଲା ମଦନା, କାଳେ କିଛି ଖବର ଆସିବ, କିନ୍ତୁ ନିରାଶ ହେଲା। ମନ ଭିତରଟା ରାମ୍ପୁଡି ହୋଇଗଲା ପରି ଲାଗୁଛି। ସେ ଦିନଟା ଚାହିଁ ଚାହିଁ ଗଲା। ତା ପର ଦିନ କୁ ଆଉ ସମ୍ଭାଳି ନ ପାରି, ଦୋକାନ ବନ୍ଦ କରି ସହର ଆଡକୁ ମୁହାଁଇଲା। ଡାକ୍ତରଖାନା ଓ ସବୁ ନର୍ସିଂହୋମ୍ ରେ ଖୋଜି ବୁଲିଲା ସୋନାଲିକା କୁ। କିନ୍ତୁ କେଉଁଠାରେ ତାକୁ ପାଇଲା ନାହିଁ। କ’ଣ କରିବ ଭାବି ପାରୁ ନ ଥାଏ। ଶେଷକୁ ଭାବିଲା ମକୁନ୍ଦା ରହୁଥିବା ମେସ୍ କୁ ଗଲେ କିଛି ଖବର ମିଳି ଯାଇପାରେ। ସେନାଲିକାର ବାରଣ କୁ ନ ମାନି, ବାରମ୍ବାର ଫୋନ କରିବାକୁ ଲାଗିଲା, କିନ୍ତୁ କେହି ଉଠେଇଲେନି। ମନରେ ତାର ପାପ ଛୁଇଁଲା । ବହୁତ ଲୋକଙ୍କୁ ପଚରା ଉଚୁରା କରି ସେ ମକୁନ୍ଦା ମେସ୍ ପାଖରେ ପହଞ୍ଚିଲା। ଦୁଆର ପାଖରେ ଛିଡା ହୋଇ ଆଉଥରେ ସୋନାଲିକା ଦେଇଥିବା ନମ୍ବରରେ ଫୋନ୍ ଲଗେଇଲା। ଏଥର କିଏ ଜଣେ ଉଠେଇ କହିଲା-- କାହାକୁ ଖୋଜୁଛନ୍ତି?
--- ସୋନାଲିକା......
ସେପଟୁ କେତେ ଜଣ ପିଲାଙ୍କର ହୋଃ ହୋଃ ହସ ଶୁଭି ଫୋନଟି କଟିଗଲା।
ସେ ଘର ଭିତରେ ପିଲାମାନଙ୍କର କଥା ଶୁଣି ପାରିଲା। ମକୁନ୍ଦା କାହାକୁ ରାଗରେ କହୁଥିବାର ଶୁଭିଲା
--- ଆରେ ମୁର୍ଖ କାହିଁକି ମୋ ଫୋନ୍ ଟା ଉଠେଇଲୁ, ତୋ ମୁଣ୍ଡରେ ଗୋବର ପଶିଛି ନା କ’ଣ। ଯଦି ସେ ମଦନା ଜାଣିବ ଯେ ଏସବୁ ଖେଳର ନାୟକ ମୁଁ ବୋଲି, ସେ ମୋତେ ଛାଡିବ ତ?
– ଭାଇ କଣ କହୁଛ କିଛି ବୁଝା ପଡୁନି। କିଏ ମଦନା ? କଣ ଜାଣିବ?
– – ଆଜି ଯାଏ ତୁମେ ମୋ ପଇସା ରେ ଯେତିକି ଅୟସ କରିଛ ସେ ପଇସା ମୋର ନୁହଁ, ସେସବୁ ମଦନା ର। ସେଇ ମଦନା ଯାହାକୁ ମୁଁ ମିଛିମିଛିକା ପ୍ରେମ ଜାଲରେ ଫସେଇ ଟଙ୍କା ଟାଣି ଚାଲିଛି। ମୁଁ ଭାବିଥିଲି ଆଜି ଗାଁଆ କୁ ଚାଲିଯିବି, ତା ପରେ ଖେଳ ଖତମ୍। କିନ୍ତୁ ତୁ ସବୁ ବେକାର କରିଦେଲୁ। ସେ ହେଲା ବେପାରୀ ପିଲା, ନିହାତି ଅସଲ କଥାଟା ଜାଣିଯିବ। ତୁମ ମାନଙ୍କୁ ପ୍ରଥମରୁ ସବୁ କହୁଛି ଶୁଣ। ପିଲା ମାନଙ୍କ ଆଗରେ ମକୁନ୍ଦା ନିଜର ଚାଲାକିପଣିଆ ଓ ମଦନାର ବୋକାମୀ କଥା ବଖାଣିବାରେ ଲାଗିଲା।
ମେସ୍ ର ସବୁ ପିଲା ହସିହସି ବେଦମ୍ ହୋଇ ସାରିଥିଲେ। କିଏ ଜଣେ ପଚାରିଲା-- ସବୁ ଜାଣିଲି ଯେ, କିନ୍ତୁ ସୋନାଲିକା କିଏ?
– ଆରେ ସୋନାଲିକା ଆମ କଲେଜ୍ ରେ ପଢୁଥିଲା,, ଭୁଲି ଗଲୁ ନା କଣ? ସେ ମଦନା ଘର ପାଖାପାଖି ରୁହେ। ତାକୁ ଥରେ ମୁଁ ପ୍ରେମ କରିବାକୁ କହିଲି ଯେ, ମୋ ଗାଲରେ ସାତ ନମ୍ବର ଚପଲର ଦାଗ ବସେଇଦେଲା। ମୁଁ ଶପଥ କରିଥିଲି, ନିହାତି ପ୍ରତିଶୋଧ ନେବି। ସେଇ ସୋନାଲିକାର ଫଟୋ ମଦନା କୁ ଧରେଇ, ମିଛିମିଛିକା ଚିଠି ଲେଖି ତାପାଖରୁ ଜିନିଷପତ୍ର ଓ ଟଙ୍କା ଝଡେଇ ମୁଁ ପ୍ରତିଶୋଧ ନେଇଚାଲିଛି।
– କିନ୍ତୁ ସୋନାଲିକା ଯଦି ଜାଣିଯିବ?
– ଆରେ ଜାଣିବ କଣ? ମୁଁ ନିଜେ ତାକୁ ସବୁକଥା କହିଛି, କଣ କରିବା କଥା କରୁ। ମୁଁ ବି ଦେଖିବି ତାର କେତେ ଦମ୍ ଅଛି।
ମେସ୍ ର ପିଲାଗୁଡା କିଳିକିଳା ରଡି କରି ହସିହସି ଗଡି ଯାଉଥାନ୍ତି। ଭିତରୁ ମଦ ମାଂସ ଓ ସିଗାରେଟର ଭୁରୁକୁଟିଆ ଗନ୍ଧ ବାହାର ଯାଏ ଭାସି ଆସୁଥାଏ। ମଦନା ସବୁ ଶୁଣୁଥାଏ ନୀରବରେ। ତା ଆଖିରୁ ଅମାନିଆ ଲୁହ ବୋହି ଚାଲିଥାନ୍ତି ଅନବରତ। ସେ ମେସ୍ ଭିତରକୁ ଧସେଇ ପଶିଲା, ତାକୁ ଦେଖି ପିଲା ମାନେ ଯେ ଯୁଆଡେ ଡେଇଁ ପଳାଇଲେ। ମକୁନ୍ଦାର ବେକରେ ଗାମୁଛା ପକେଇ ଚାପୁଡା ପରେ ଚାପୁଡା ମାରି ଚାଲିଲା ସେ। ତା ମୁହଁରେ ଲେଣ୍ଡାଏ ଛେପ ଥୁକି କହିଲା--- ଛିଃ ଧିକ୍ ତୋ ଜୀବନ, ବିଶ୍ବାସଘାତକ କୋଉଠିକାର। ତୁ ନାଗସାପ ଠାରୁ ବି ଭୟଙ୍କର ଓ ବିଷଧର। ତୋତେ ଉପରବାଲା ନିହାତି ଦଣ୍ଡଦେବେ। ମୁହଁ ତଳକୁ ପୋତି ଚୁପଚାପ୍ ଛିଡା ହୋଇଥାଏ ମକୁନ୍ଦା।
ଘର ଆଗରେ ଅଟୋରିକ୍ସା ଦେଖି ମଦନା ଟିକେ ଆଶ୍ଚର୍ଯ୍ଯ ହେଲା। ତା ଘରକୁ କେହି ଆସିବାର ନ ଥିଲା। ସେମିତି କେହି କୁଣିଆ ନାହାଁନ୍ତି, ଯିଏ ବୁଲିବାକୁ ଆସିବ। ତେବେ କଣ ତା ବାପା.......
ହସହସ ମୁହଁରେ ମାଆ ତାକୁ ଘରକୁ ପାଛୋଟି ନେଇ କହିଲେ-- ହଇରେ ପୁଅ, ଭିତରେ ତୁ ଏତେ କାରସାଦି କଲୁ ମୁଁ ମାଆ ହୋଇ ମଧ୍ଯ ଜାଣି ପାରିଲିନି। ସେଠିକୁ ଚାଲ୍। ତୋତେ ବାହା ହେବ ବୋଲି ଝିଅଟିଏ ଆସି ଘରେ ବସିଛି।
– ସେମିତି ବାଜେ କଥା ମୋତେ କହନି ମାଆ, ମୋ ମନ ଭଲ ନାହିଁ। ମୋତେ ଟିକେ ଏକୁଟିଆ ଛାଡି ଦେ।
– – ଏକୁଟିଆ କେମିତି ଛାଡିଦେବୁ ମଦନା ବାବୁ। ତୁମକୁ ଛାଡିବୁନି ବୋଲି ତ ତୁମ ଘରକୁ ଆସିଛୁ। ଜଣେ ପ୍ରୌଢ ମହିଳା ଏ କଥା କହି ହସିବାକୁ ଲାଗିଲେ।
ମୁଣ୍ଡରେ ଓଢଣା ପକେଇ ଝିଅଟିଏ ଆସି ମଦନା ଆଗରେ ଛିଡା ହୋଇଗଲା। ସେ କିଛି କହିବା ଆଗରୁ ଓଢଣୀ ଭିତରୁ ମୁହଁଟି ବାଦଲ ଉହାଡରୁ ଚନ୍ଦ୍ର ବାହାରିବା ପରି ଉଙ୍କି ମାରିଲା। ମଦନା ପାଟିରୁ ଅସ୍ପଷ୍ଟ ସ୍ବରରେ ବାହାରି ପଡିଲା
---- ଆରେ ସୋନାଲିକା ତୁମେ???????
---- ସମାପ୍ତ---
Sunday, June 24, 2018
ଭୁଖା
ଭୁଖା
ଲେଖକ- ଅରବିନ୍ଦ ରଥ
ଦୋକାନ ଠାରୁ ଅନତିଦୂରରେ ପ୍ରବଳ ଜନଗହଳି ଦେଖି ଟିକେ ଆଚମ୍ବିତ ହୋଇଗଲେ ମଧୁବାବୁ। ପାଖକୁ ଯାଇ ଦେଖିଲା ବେଳକୁ ପୋଲିସ ଭିଡ ଦୂରେଇବାରେ ବ୍ଯସ୍ତ। ଗହଳି ଭେଦ କରି ବଡ କଷ୍ଟରେ ଯାହା ଦେଖିଲେ ତାଙ୍କର ଆଶ୍ଚର୍ଯ୍ଯର ସୀମା ରହିଲାନି। ରକ୍ତାକ୍ତ ହୋଇ ଭୂଇଁରେ ମୁହଁ ମାଡି ଲୋଟିଛି ଏକ ଶବ। ଶରୀରର ପ୍ରତ୍ଯେକ ଅଙ୍ଗରେ ଗଭୀର କ୍ଷତ ଚିହ୍ନ। ଦେଖିଲେ ଲାଗୁଛି ଅତି ନିର୍ମମ ଭାବରେ କିଏ ଲୋକଟିକୁ ହତ୍ଯା କରିଛି। ଡାକ୍ତରଖାନା କର୍ମଚାରୀ ମାନେ ଶବ ବ୍ଯବଚ୍ଛେଦ ପାଇଁ ନେବାକୁ ଉଠାଇଲା ବେଳେ ମୃତଲୋକର ମୁହଁ ଦେଖି ହତବମ୍ବ ହୋଇଗଲେ ମଧୁବାବୁ।
“କାଲି ରାତି ର ଦେଖିଥିଲି, ତେବେ କଣ କାଲି ମୁଁ ଦୋକାନରୁ ଯିବା ପରେ.......” ମନେମନେ ବିଳିବିଳେଇ ଉଠିଲେ ସେ।
ନୂତନ ଭାବରେ ଗଢି ଉଠିଥିବା ସହରର ଆୟତନ ବେଶ୍ ଛୋଟ ଥିଲା। ଦେଶର ବିକାଶ କାରଣରୁ ହେଉ ବା ଜନସଂଖ୍ଯା ବିସ୍ଫୋରଣ କୁ ଧାରଣ କରିବାକୁ ହେଉ , ପୁରାତନ ଗ୍ରାମ ଗୋରଖପୁର ରୂପାନ୍ତରିତ ହୋଇଥିଲା ଗାୟତ୍ରୀନଗର ରେ। ସହର ହେବା ପୂର୍ବରୁ, କିଛି ଅତି ଗରୀବ ଲୋକଙ୍କର ଝାଟିମାଟି ଘରର ସମାହାରରେ ଗଢି ଉଠିଥିଲା ଏକ ବସ୍ତି। ବସ୍ତି ବାସିନ୍ଦା ମାନେ ସେହି ଜାଗାଟିକୁ ନିଜର ଭିଟା ମାଟି ଭାବରେ ଦେଖି ଆସୁଥିଲେ କାହିଁ କେତେ କାଳରୁ। ସେହି ଜାଗାର ମାଲିକାନା କାହାର ଥିଲା ଓ ସେମାନଙ୍କର ଅଧିକାର କଣ ଥିଲା, ସେ ବିଷୟରେ କେବେ ଚିନ୍ତା କରିବାର ଅବକାଶ ଯୁଟି ନ ଥିଲା। କ୍ରମବର୍ଦ୍ଧିଷ୍ଣୁ ସହରର ସ୍ଥୁଳ କାୟା ବିସ୍ତାରିତ ହୋଇ ଗୋରଖପୁର ନାମକ ଗ୍ରାମକୁ ନିଶ୍ଚିହ୍ନ କରିଦେବା ପରେ, ଜନ୍ମ ନେଇଥିଲା ନୂତନ ସହର ଗାୟତ୍ରୀ ନଗର। ବସ୍ତି ବାସିନ୍ଦା ମାନଙ୍କର ଝାଟିମାଟି ଘର, ଆଶା, ଆକାଂକ୍ଷା, ସ୍ବପ୍ନ ଓ ଭବିଷ୍ଯତ, ପ୍ରକାଣ୍ଡକାୟ ଲୌହ ଯନ୍ତ୍ର ମାନଙ୍କ ଚକା ତଳେ ଧ୍ବସ୍ତବିଧ୍ବସ୍ତ ହୋଇ, ନିଜର ସତ୍ତା ହରାଇ ସାରିଥିଲେ। ବାସିନ୍ଦା ମାନେ କୁଆଡେ ଗଲେ ତା’ର ହିସାବ କାହା ପାଖରେ ନ ଥିଲା, କିନ୍ତୁ ସେମାନଙ୍କର ଲୁହ ଓ ଅଭିଶାପର ବହ୍ନି ଅଦୃଶ୍ଯ ଅବସ୍ଥାରେ ଅହରହ ଘୁରି ବୁଲୁଥିଲା ଗାୟତ୍ରୀ ନଗରରେ।
ମଧୁବାବୁ ଗାୟତ୍ରୀ ନଗରରେ ଏକ ଜାଗା କିଣି ସେଠାରେ ନିଜର ବ୍ଯବସାୟ ଆରମ୍ଭ କରିଥିଲେ। ଅତ୍ଯାଧୁନିକ ବୈଦୁତିକ ସରଞ୍ଜାମ ସମ୍ଭାରରେ ଭରପୁର ଥିବା ତାଙ୍କର ଦୋକାନଟି ବେଶ୍ ଭଲରେ ଚାଲିଥିଲା। ଅଳ୍ପ କିଛିଦିନ ଭିତରେ ସେ ଅଞ୍ଚଳର ବିଶିଷ୍ଟ ବ୍ଯବସାୟୀ ଭାବରେ ଲୋକେ ତାଙ୍କୁ ଚିହ୍ନିବା ଆରମ୍ଭ କରିଦେଇଥିଲେ। ସେ ଲୋକ ହିସାବ ରେ ଭୀଷଣ ବଦରାଗୀ ପ୍ରକୃତିର ଥିଲେ ଓ ସାନସାନ କଥାରେ କ୍ରୋଧ ଜର୍ଜରିତ ହେବା ତାଙ୍କର ଅଭ୍ଯାସ ଥିଲା। ବ୍ଯବସାୟରେ ଦୁଇ ପୁଅ ତାଙ୍କୁ ସାହାଯ୍ଯ କରୁଥିଲେ ଓ ପିତାଙ୍କର କ୍ରୋଧର ବଜ୍ର ଯେପରି ଗ୍ରାହକଙ୍କ ଉପରେ ନ ପଡେ ସେଥିପାଇଁ ସେମାନେ ବିଶେଷ ଯତ୍ନବାନ ଥିଲେ। ଦୋକାନ ର ପାଖରେ କିଛି ଲୋକଙ୍କର ଘର ଥିଲା ଓ ସେମାନେ ଘରର ତଳ ମହଲାରେ ଦୋକାନ ମାନ ଖୋଲିଥିଲେ। ଗାୟତ୍ରୀ ନଗରର ଜନସଂଖ୍ଯା ସେତେ ବେଶୀ ନ ଥିଲେ ମଧ୍ଯ ଦିନସାରା ଜନଗହଳି ଲାଗିରହୁଥିଲା। ଲୋକମାନେ ଜିନିଷ ପତ୍ର କିଣା କିଣି ପାଇଁ ସେହି ସହର ଉପରେ ନିର୍ଭରଶୀଳ ଥିଲେ।
ସବୁକ୍ଷେତ୍ରରେ ସମୃଦ୍ଧ ଥିବା ମଧୁବାବୁ ଦୋକାନ ଆସିବା ମାତ୍ରେ ସବୁଦିନ ଭୀଷଣ ବିରକ୍ତ ହୋଇଉଠୁଥିଲେ ; କାରଣ ଥିଲା ଜଣେ ପ୍ରୌଢ ଲୋକ । ସେ ଲୋକଟି ସବୁଦିନ ରାତିରେ ତାଙ୍କ ଦୋକାନ ବାରଣ୍ଡାରେ ଶୋଉଥିଲା ଓ ଦୋକାନ ଖୋଲିବା ପର୍ଯ୍ଯନ୍ତ ଅପେକ୍ଷା କରି ରହୁଥିଲା। ମଧୁବାବୁ ଗାଳି ଫଜିତ୍ କରିବା ପରେ ସେ ଦିନ ତମାମ କୁଆଡେ ଅଦୃଶ୍ଯ ହୋଇଯାଏ, କିନ୍ତୁ ପରଦିନ ସକାଳେ ପୁଣି ସେହି ସମାନ ଦୃଶ୍ଯର ପୁନରାବୃତ୍ତି ହେଉଥିଲା।
ଲୋକଟିର ଜୀର୍ଣ୍ଣଶୀର୍ଣ୍ଣ ଶରୀର, ମୁଣ୍ଡର ଅସ୍ତବ୍ଯସ୍ତ କେଶରାଶି, କୋଟରଗତ ଚକ୍ଷୁ ଓ ହସ୍ତଯୁଗଳର ଶିରାଳ ରୂପ ଦେଖିଲେ ଜଣା ଯାଉଥିଲା ସେ ନିହାତି ଗରୀବଶ୍ରେଣୀର ହୋଇଥିବ। ନିଷ୍ପ୍ରଭ, ମାଂସବିହୀନ ମୁଖମଣ୍ଡଳରେ ଉକୁଟି ଉଠୁଥିବା କୁଞ୍ଚିତ ରେଖା, ତାର ବ୍ଯକ୍ତିତ୍ବକୁ ଆହୁରି ଦୟନୀୟ କରି ଗଢି ତୋଳୁଥିଲା। ତା’ର ଚାହାଁଣୀରେ ଥିଲା ଶ୍ମଶାନର ନୀରବତା ଓ ଅଦମ୍ଯ ଶୋଷ। କାହିଁକି କେଜାଣି, ସଦାବେଳେ ଅପଲକ ନୟନରେ ଚାହିଁ ରହୁଥିଲା ମଧୁବାବୁଙ୍କ ଦୋକାନ ଆଡକୁ ; ସତେକି କିଛି ଅତି ମୂଲ୍ଯବାନ ସମ୍ପତ୍ତି ସେଇ ଦୋକାନରେ ଲୁଚି ରହିଛି। ସଦାବେଳେ ଚୁପ୍ ଚାପ୍ ରହୁଥିବା ଲୋକଟିର ଦାରିର୍ଦ୍ର୍ଯ, ତା ମୁହଁରେ ଲାଖି ରହୁଥିବା ଚେନାଏ ହସ ର ରେଖାକୁ ନିଶ୍ଚିହ୍ନ କରିପାରି ନ ଥିଲା। ଯେତେ ଗାଳି ମନ୍ଦ ଦେଲେ ବି ସେ କୌଣସି ପ୍ରତିବାଦ ନ କରି ନୀରବ ହୋଇ ସେ ଦୋକାନ ଆଗରୁ ଚାଲିଯାଉଥିଲା। ଦେହରେ କେବଳ ଲଜ୍ଜା ନିବାରଣ କରିବାକୁ ପିନ୍ଧୁଥିଲା ଏକ ଚିରା ଫଟା ସାର୍ଟ ଓ ଖଣ୍ଡେ ଲୁଙ୍ଗି। ଦେଖିଲେ ଜଣା ପଡେ, କାହିଁ କେତେ ଦିନରୁ ସେଗୁଡିକ ସଫା କରିନି। ପୁଙ୍ଗୁଳା ପାଦରେ ଦୃଶ୍ଯ ହେଉଥିବା ଖଣ୍ଡିଆ ମାନ ସୂଚାଉଥିଲା, ଜୀବନ ସଂଗ୍ରାମରେ ସେ ଅବିରତ କରିଚାଲିଥିବା ଯୁଦ୍ଧର ଗାଥା। ତା’ର ସମୁଦାୟ ସମ୍ପତ୍ତି ଏକ ନୀଳ ରଙ୍ଗର ଜରି ବ୍ଯାଗ ଭିତରେ ସୁରକ୍ଷିତ ହୋଇ ରହିଥଲା, ଯାହାକୁ ସେ ସଦାବେଳେ କାଖତଳେ ଜାକି ରଖୁଥିଲା। ସେ କ’ଣ ଖାଏ, କ’ଣ ପିଏ କେହି ଜାଣିବାର ଅବକାଶ ନ ଥିଲା। ଜାଣିବ ବା କିଏ ? ସେ ଯାଗାରେ ତ ସବୁ ଲୋକ ନୂଆ।
କାହିଁକି କେଜାଣି, ଲୋକଟିର ଉପସ୍ଥିତି ମଧୁବାବୁଙ୍କ ମନ ଭିତରେ ଭୀଷଣ ଅଶ୍ବସ୍ତିକର ଭାବନା ସୃଷ୍ଟି କରାଉଥିଲା। ବାରମ୍ବାର ମନା କରିବା ଓ ଅପମାନିତ କରିବା ପରେ ମଧ୍ୟ ଲୋକଟିର ପ୍ରକୃତିରେ କୌଣସି ପରିବର୍ତ୍ତନ ଆସୁ ନ ଥିଲା। ତାଙ୍କୁ ଲାଗୁଥିଲା, ଲୋକଟି ଦୋକାନ ଉପରେ ଅଧିକାର ଜାହିର କରିବା ସହିତ, ତାଙ୍କ ପ୍ରଭୂତ୍ବ ଉପରେ ବିରାଟ ପ୍ରଶ୍ନବାଚୀ ଚିହ୍ନ ଆଙ୍କି ଚାଲିଥିଲା ନିତି ଦିନ। ମନର କୌତୁହଳ ଦମନ କରି ନ ପାରି ଦିନେ ମଧୁବାବୁ ପଡୋଶୀଙ୍କୁ ସେ ଲୋକଟି ବିଷୟରେ ପଚାରିଲେ।
- - ଓଃ ଆପଣ ତାହା ହେଲେ ସେ “ଭୁଖା” ପାଇଁ ଏତେ ଚିନ୍ତା କରୁଛନ୍ତି। ଯମା ବ୍ଯସ୍ତ ହୁଅନ୍ତୁ ନାହିଁ ଆଜ୍ଞା, ସେ ଚୋର ନୁହଁ କି ପାଗଳ ନୁହଁ। ଭିକ ମାଗି ଯାହା ପାଏ ସେତିକି ରେ ଚଳିଯାଏ। କୌଣସି କଥାରେ ତାର ଆପତ୍ତି ନ ଥାଏ। କିଏ ଭିକ ଦେଲେ ହସୁ ଥାଏ, ନ ଦେଲେ ବି ହସୁଥାଏ। କିଛି ଖାଇବା ଜିନିଷ ପାଇଲେ ମନ ଖୁସି ରେ ନିଏ। ତା ପେଟରେ ସଦା ବେଳେ ଭୋକ ଥାଏ ବୋଲି ମୁଁ ତାକୁ “ଭୁଖା” ନାମରେ ସମ୍ବୋଧିତ କରେ। ତା ବିଷୟରେ ସେମିତି କିଛି ଖାସ୍ ଖବର ନାହିଁ ମୋ ପାଖରେ। ତେବେ ମୋ ଘରେ କରୁଥିବା ଚାକରାଣୀ କହୁଥିଲା ସେ ପୂର୍ବରୁ ଏଇ ବସ୍ତିରେ ରହୁଥିଲା। ଏବେ ସେ ଆପଣଙ୍କ ଦୋକାନ ର ବାରଣ୍ଡା କୁ ସେ ନିଜର ଘର କରି ନେଇଛି ବୋଲି କହିଲେ ଭୁଲ ହେବ ନାହିଁ। ଦିନ ସାରା ଯୁଆଡେ ଥାଉ ପଛକେ ରାତି ରେ ଯାହା ହେଲେ ବି ସେ ଆପଣଙ୍କ ବାରଣ୍ଡାରେ ଶୋଇବ। ଏତେ ଖାଲି ଜାଗା ଥିଲେ ବି ସେ କାହିଁକି ଆପଣଙ୍କ ଦୋକାନ ଆଗରେ ଶୁଏ, ସେ କାରଣ କେହି ଜାଣି ନାହାଁନ୍ତି। ଆପଣ ତ ନିଶ୍ଚିନ୍ତ ରହିବା କଥା, ବିନା ଦରମା ରେ ଜଣେ ରାତ୍ର ଜଗୁଆଳ ଆପଣଙ୍କୁ ମିଳି ଯାଇଛି।
ପଡୋଶୀଙ୍କ ପାଖରୁ ପରୋକ୍ଷରେ ଲୋକଟିର ପ୍ରଶଂସା ଶୁଣି ମନେମନେ ବିରକ୍ତ ହେଲେ ମଧୁବାବୁ। ଟିକେ ଚଢା ଗଳାରେ କହିଲେ-- ଦରକାର ନାହିଁ ମୋର ସେମିତି ରାତି ଜଗୁଆଳୀ, ସକାଳେ ବାରଣ୍ଡା ଟା ଯେମିିତିି ଦୁର୍ଗନ୍ଧ ହେଉଛି ଥରେ ଶୁଙ୍ଘିଥିଲେ ଆପଣ ଏମିତି କୁହନ୍ତେ ନାହିଁ। ସବୁଦିନ ସକାଳୁ ଅଲକ୍ଷଣାର ମୁହଁ ଦେଖିଲେ ଦିନଟା ଅଶୁଭ ହେଲା ପରି ଲାଗୁଛି। ତା ଥୋବରା ମୁହଁ ଦେଖିବାର ଆଗ୍ରହ ମନରେ ନ ଥିଲେ ବି, ମୋତେ ସବୁ ଦିନ ଦେଖିବାକୁ ପଡୁଛି ଓ ସେ ଯିବା ପରେ ଫିନାଇଲ ପକେଇ ବାରଣ୍ଡା ଧୋଇବାକୁ ପଡୁଛି। ମୋତେ ତ ଲାଗୁଛି ଲୋକଟା କୌଣସି ଚୋର ଗ୍ଯାଙ୍ଗ ର ସଦସ୍ଯ ହୋଇଥିବ। କିଏ ଜାଣେ, ମୋ ଦୋକାନ ରେ କଳା କନା ବୁଲାଇବାର ଉଦ୍ଦେଶ୍ଯ ରଖି ମୋ ଦୋକାନ ଆଗରେ ଅଧିଆ ପଡୁଥିବ।
ପଡୋଶୀ ତାଙ୍କ କଥାରେ କୌଣସି ଗୁରୁତ୍ବ ନ ଦେବା ଦେଖି, ଉତ୍ତେଜିତ ହୋଇ କହିଲେ
– – ମୋତେ ଲାଗୁଛି, ଆପଣଙ୍କର ସେ ବିଷୟରେ କିଞ୍ଚିତ୍ ଚିନ୍ତା ନାହିଁ। ନୋହିଲେ ସେ ଲୋକଟାକୁ ଧକ୍କା ମାରି ବିଦାୟ କରିବା କଥା ଭାବିବା ଛାଡି ତାର ଗୁଣଗାନ କରନ୍ତେ ନାହିଁ।
ମଧୁବାବୁଙ୍କ କ୍ରୋଧୀ ପ୍ରକୃତି ବିଷୟରେ ପଡୋଶୀ ଜାଣିଥିଲେ, ତେଣୁ କିଛି ନ କହି ସେ ମଧୁବାବୁଙ୍କୁ ସହାସ୍ଯ ବଦନରେ ବିଦାୟ ଦେଲେ। ଅସ୍ଥିର ମନରେ ଦୋକାନ ରେ ବସି, ମଧୁବାବୁ ସେ ଲୋକଟି ବିଷୟରେ ଭାବିବାବୁ ଲାଗିଲେ। ତାଙ୍କୁ ଲାଗିଲେ ସେ ଲୋକଟା ଗୋଟେ ମସ୍ତବଡ ଚୋର ହୋଇଥିବ। ରାତିରେ ବାରଣ୍ଡାରେ ଶୋଇବାର ବାହାନା କରି କେବେ ତାଙ୍କ ଦୋକାନ ରେ କଳାକନା ବୁଲାଇଦେବ। ସେ ପୁଅ ମାନଙ୍କୁ ଡାକି ସବୁ କଥା କହିଲେ। କିନ୍ତୁ ସେମାନେ କୌଣସି ଆଗ୍ରହ ନ ଦେଖେଇବା ଅନୁଭବ କରିପାରି ଆହୁରି ଉତ୍ତେଜିତ ହୋଇ ଘରକୁ ଚାଲିଗଲେ। ଯିବା ବାଟରେ ଭାବିଲେ ସେ ଲୋକଟି କୁଆଡେ ଯାଉଛି, କଣ କରୁଛି ସେ ବିଷୟରେ କିଛି ତଥ୍ଯ ହାସଲ କରିବାପାଇଁ। ବଜାର ଭିତର ସାରା ମଧୁବାବୁଙ୍କ ଆଖି ଖୋଜିଚାଲିଥିଲା ସେଇ ଲୋକଟିକୁ ଯାହାକୁ ପଡୋଶୀ “ଭୁଖା” ନାମରେ ନାମକରଣ କରିଥିଲେ। ଯୋଗକୁ ମନ୍ଦିର ସାମନା ରେ ତାକୁ ଆବିଷ୍କାର କଲେ। କିଛି ଦୂରରେ ଛିଡା ହୋଇ ସେ ଲୋକଟିକୁ ନିରୀକ୍ଷଣ କରିବାରେ ଲାଗିଲେ ଓ ମୋବାଇଲରେ ତାର ଫଟୋ ଉଠାଇଲେ। ଲୋକଟି ନିହାତି ଅନାସକ୍ତ ଭାବରେ ବସିଥିଲା ମନ୍ଦିର ପାହାଚରେ। କାହାକୁ କିଛି ମାଗୁ ନ ଥିଲା, କେବଳ ଚୁପଚାପ ହାତ ପତେଇ ବସି ରହିଥିଲା। କିଏ ଦୟାରେ କିଛି ଦେଲେ, ତା ପ୍ରତି ଆଶିର୍ବାଦ ଦେବା ଭଙ୍ଗୀରେ ଦୁଇ ହାତ ଟେକିି ଦେଉଥିଲା। ବହୁତ ସମୟ ଛିଡା ହୋଇ ଦେଖିବା ପରେ ତାଙ୍କୁ ଲୋକଟିର ଚାଲିଚଳଣରେ କିଛି ଅସ୍ବାଭିକତା ଦେଖାଦେଲା ନାହିଁ। ତଥାପି ତାଙ୍କ ମନ ରୂପକ ଜ୍ବାଳାମୁଖୀରୁ ବୋହି ଚାଲିଥିବା ଉତ୍ତପ୍ତ ଲାଭା ସଦୃଶ କ୍ରୋଧ ଓ ସନ୍ଦେହ ପ୍ରଶମିତ ହେବାର କୌଣସି ଲକ୍ଷଣ ଦେଖାଗଲା ନାହିଁ।
ତା ପରଦିନ ସକାଳୁ ପୁଣି ସେ ଲୋକଟି ମଧୁବାବୁଙ୍କୁ ଦେଖିଲା ପରେ ଦୁଇହାତ ଯୋଡି ନମସ୍କାର କରିବା ପରେ ବାରଣ୍ଡାରୁ ଚାଲିଯିବାକୁ ଉଦ୍ଯତ ହେଲା। ତା ମୁହଁ ଦେଖିବା ମାତ୍ରେ ମଧୁବାବୁ ନିଜ ଉପରୁ ନିୟନ୍ତ୍ରଣ ହରାଇଦେଲେ। ଦୋକାନ ଭିତରୁ ଏକ ବାଡି ଆଣି ସେ ଲୋକଟି ନିର୍ଘାତ ପ୍ରହାର କରି କହିଲେ--
-- – ଆଉ ଯଦି ମୋ ଦୋକାନ ଆଗକୁ ଆସିବୁ, ତୋ ହାତ ଗୋଡ ଭାଙ୍ଗି ନଦୀରେ ଭସେଇ ଦେବି। ସେ ଦୁଇହାତ ଯୋଡି, କାଖତଳେ ସେହି ନୀଳ ଜରିଟିକୁ ଜାକି ସେମିତି ହସ ହସ ମୁହଁରେ ଛିଡା ହୋଇ ରହିଥିଲା। ସେ ହସ ମଧୁବାବୁଙ୍କ କ୍ରୋଧକୁ ଆହୁରି ଭୟଙ୍କର ଭାବରେ ପ୍ରଜ୍ବଳିତ କରାଇବା ପାଇଁ ଯଥେଷ୍ଟ ଥିଲା। ସେ ଲୋକଟି ଉପରକୁ ଏକ ପ୍ରକାର ଲମ୍ଫପ୍ରଦାନ କରି ଗୋଇଠା ପରେ ଗୋଇଠା ମାରି ଚାଲିଲେ। ତଳେ ପଡି ଲୋକଟି ବିକଳରେ ଗଁ ଗଁ ହେବାକୁ ଲାଗିଲା। ପୁଅ ମାନେ ଓ ପଡୋଶୀ ଆସି ମଧୁବାବୁଙ୍କ କବଳରୁ ଲୋକଟିକୁ ଉଦ୍ଧାର କଲେ। କଷ୍ଟରେ ଭୂଇଁରୁ ଉଠି ଲୋକଟି ସମ୍ପୂର୍ଣ୍ଣ ନୀରବ ହୋଇ ବଡ କଷ୍ଟରେ ଛୋଟେଇ ଛୋଟେଇ ସେ ଜାଗାରୁ ଚାଲିଗଲା। ଚେୟାର ରେ ବସି ଏକ ପୈଶାଚିକ ଆନନ୍ଦର ଅନୁଭିତିରେ ମସଗୁଲ ଥିଲେ ମଧୁବାବୁ। ତାଙ୍କୁ ଲାଗୁଥିଲା ଏତେ ମାଡ ଖାଇବା ପରେ ଲୋକଟି ଜୀବନ ଥିବା ଯାଏ ତାଙ୍କ ଦୋକାନ ପାଖକୁ ଆସିବ ନାହିଁ। ପୁଅ ମାନେ ଓ ପଡୋଶୀ, ମଧୁବାବୁଙ୍କର ଏପରି କାର୍ଯ୍ଯକଳାପରେ ଭୀଷଣ ବ୍ଯଥିତ ଥିଲେ ମଧ୍ଯ କିଛି କହିବାର ସାହାସ ଜୁଟାଇ ପାରୁ ନ ଥିଲେ। ସେମାନଙ୍କୁ ଲାଗୁଥିଲା ବୋଧହୁଏ ଦୁର୍ବଳ ଲୋକ ଉପରେ ବଳ ଜାହିର କରି ସବଳ ଲୋକ ମାନେ ଏମିତି ପୈଶାଚିକ ଆନନ୍ଦର ମଜା ନିଅନ୍ତି। ସେତିକି ବେଳକୁ ମଧୁବାବୁଙ୍କର ଜଣେ ପୁରୁଣା କର୍ମଚାରୀ ଦୋକାନକୁ କିଛି ଜିନିଷ କିଣିବା ପାଇଁ ଆସିଲା।
– – ଆରେ ନଖି, ତୁ କେମିତି ଆଜି ମୋ ଦୋକାନ କୁ ଆସିଲୁ? ଆଜି କାଲି କଣ କରୁଛୁ, ତୋ ଦେଖା ଦର୍ଶନ ମିଳୁନି।
– – ଆଜ୍ଞା, ମୁଁ ଏବେ ଗୋଟେ କମ୍ପାନୀରେ ଚାକିରି କରୁଛି। ଝିଅ ବାହାଘର ପାଇଁ କିଛି ଜିନିଷପତ୍ର କିଣିବାକୁ ଆସିଛି। ଯାହାହେଲେ ବି ଆପଣ ମୋର ପ୍ରଥମ ମାଲିକ, ସେ କଥା କଣ ମୁଁ ଭୁଲିଯିବି? ଆପଣଙ୍କର ଇଟାଭାଟି ଥିଲା ବେଳେ ଏଇ ହାତରେ କେତେ ଇଟା ପୋଡିଛି ବାବୁ। ଆପଣଙ୍କ ପରି ବଡ ଲୋକ ମାନଙ୍କର ଆଶିର୍ବାଦ ବଳରେ ସିନା ମୁଁ ଦୁଇ ଗୋଡରେ ଛିଡା ହୋଇଛି। ନୋହିଲେ ଏ ନଖି କୁ କିଏ ପଚାରୁଥିଲା ?
ନଖିର ପ୍ରଶଂସାବାଣୀରେ ଟିକେ ଉଲ୍ଲସିତ ହୋଇଗଲେ ମଧୁବାବୁ। ପୁଅ ମାନଙ୍କୁ ଡାକି କହିଦେଲେ ଭଲ ଜିନିଷ ରିହାତି ଦରରେ ନଖି କୁ ଦେବା ପାଇଁ। ସେତିକି ବେଳକୁ ତାଙ୍କର ମନେ ପଡିଗଲା ନଖି ଗାୟତ୍ରୀନଗର ହେବା ପୂର୍ବରୁ ଗୋରଖପୁରରେ ରହୁଥିଲା। ତାଙ୍କର ଆଖି ଦୁଇଟି ଉଜ୍ବଳ ହୋଇ ଉଠିଲା। ଯାହାହେଉ ଏତେ ଦିନର ପ୍ରତୀକ୍ଷାର ଅବସାନ ଘଟିବ। ସେ ଲୋକଟା ବିଷୟରେ ସବୁ ତଥ୍ଯ ନଖି ପାଖରୁ ଆରାମରେ ମିଳିଯିବ। ସେ ନଖିକୁ ପାଖକୁ ଡାକି ଲୋକଟିର ଫଟୋ ଦେଖାଇ ତା ବିଷୟରେ ପଚାରିଲେ। ମନରେ ସନ୍ଦେହ ଥାଏ, କାଳେ ସେ ଲୋକଟାକୁ ନଖି ଜାଣି ପାରିବ କି ନାହିଁ। କିନ୍ତୁ ମଧୁବାବୁଙ୍କ ପାଖରୁ ଲୋକଟିର ବେଶଭୂଷା ଓ ଚାଲିଚଳଣ ବିଷୟରେ ଶୁଣି ଓ ଫଟୋଟିକୁ ତନ୍ନତନ୍ନ କରି ଦେଖି ଉଲ୍ଲସିତ ହୋଇ ନଖି କହିଲା
-- ମୁଁ ଜାଣିଲି ଆଜ୍ଞା, ଆପଣ ସୁରିଆଭାଇ ବିଷୟରେ କହୁଛନ୍ତି। ସେ ଏବେ ସହରର ଶିବ ମନ୍ଦିର ଆଗରେ ଭିକ ମାଗି ଚଳୁଛି। କିନ୍ତୁ ସବୁଦିନ ରାତିରେ ଏଇ ଗାୟତ୍ରୀ ନଗରରେ ଶୋଉଛି।
– ଆରେ ନଖି ଗାୟତ୍ରୀ ନଗରରେ ନୁହଁ, ମୋ ଦୋକାନ ଆଗରେ ଶୋଉଛି। ତାକୁ ଯେତେ ମାଡ ଗାଳି ଦେଲେ ବି ସେ ଲୋକଟା ଏ ଯାଗା ଛାଡି ଯାଉନାହିଁ। କଣ ଟିକେ ଉପାୟ ମୋତେ ଦେ, ତାକୁ ଦେଖିଲେ ମୋ ରକ୍ତ ଗରମ ହୋଇଯାଉଛି। ଆଜି ସକାଳେ ନିଲ୍ଲଠାଟାକୁ ଭଲକରି ବାଡେଇଛି। ଯେତେ ମନା କଲେ ବି ମୋ କଥା ଶୁଣିଲାନି, ତେଣୁ ମୋ ପ୍ରକୃତ ରୂପ ଦେଖେଇବାକୁ ପଡିଲା।
– – ଆଜ୍ଞା, କାହିଁକି ତାକୁ ବାଡଉଥିଲେ, ସେ ଲୋକଟାର ପ୍ରକୃତି ଯମାରୁ ମନ୍ଦ ନୁହଁ। ସେ ଆମ ଗୋରଖପୁର ବସ୍ତିର ନେତା ଥିଲା । କାଳର କରାଳ ପାଟିରେ ବିଚରା ସର୍ବସ୍ବାନ୍ତ ହୋଇ ଆଜି ଭିକାରୀ ସାଜିଛି।
– – ସେ ବାହାସ୍ଫୋଟିଆ କଥା ନ କହି ଅସଲ କଥା କହ ନଖି।
– – ସୁରିଆ ଭାଇ ଆମ ବସ୍ତିର ହୀରା ଥିଲା ବାବୁ। ଦେହରେ ଥିଲା ସିଂହ ପରି ବଳ। ତା ପରି ଲୋକଟେ ସଂସାର ଭିତରେ ମିଳିବା କଷ୍ଟ। ଅନ୍ଯର ସୁଖ ପାଇଁ ନିଜ ଜୀବନ କୁ ବାଜି ଲଗେଇ ଦେବା ପରି ଲୋକ ସିଏ। ବସ୍ତିଲୋକଙ୍କର ସବୁ ସୁଖ ଦୁଃଖରେ ଛିଡା ହେଉଥିଲା ସୁରିଆ ଭାଇ। ଡାକ୍ତରଖାନା, ଥାନା, ମଶାଣି, ବନ୍ଧୁଘର ଯୁଆଡେ ଡାକିବେ ସେ ହାଜର ହୋଇ ଯାଉଥିଲା। ବସ୍ତିର ନର୍ଦ୍ଦମା ସଫେଇ ହେଉ, କ୍ଲବ ଘରେ ନାଚଗୀତ ହେଉ, ଭସାଣୀ ଶୋଭାଯାତ୍ରା ହେଉ ବା ବସ୍ତି ବାସିନ୍ଦାଙ୍କ ସ୍ବାର୍ଥ ପାଇଁ ଲଢେଇ ହେଉ,ସବୁଥିଲେ ଆଗ ଖୋଜା ପଡୁଥିଲା ସୁରିଆ ଭାଇକୁ। ସେ ନ ଆସିଲା ଯାଏ ବସ୍ତିବାସିନ୍ଦା ମାନେ କୌଣସି କାମ କରୁ ନ ଥିଲେ। ସମସ୍ତଙ୍କ ପରିବାରର ସଦସ୍ଯ ଥିଲା ସୁରିଆ ଭାଇ। କାହା ଘରେ ଲୋକେ ଦିହ ଖରାପରେ ପଡି କାମ କୁ ଯାଇ ନ ପାରିଲେ,ସେ ସେମାନଙ୍କ ଭାଗ କାମ କରି ପାଉଣା ଆଣି ଧରାଇ ଦେଉଥିଲା । ଅନ୍ଯର ଦୁଃଖ ଦେଖିଲେ ସେ କାନ୍ଦି ପକଉଥିଲା। ଭୋକିଲା ଲୋକ ଦେଖିଲେ ନିଜ ଖାଇବା ଥାଳିରୁ ଉଠି ସେ ଲୋକକୁ ଖାଇବା ଭୁଞ୍ଜାଇବା ପରି ଲୋକ ଥିଲା ସିଏ।
– – ଆରେ ହେଃ ନଖି, ସେମିତି ପାଗଳାଙ୍କ ପରି କାହିଁକି ବକି ଯାଉଛୁ । ତୋତେ ସେ ଲୋକ ବିଷୟରେ ପଚାରିଲି ନା ତା ବିଷୟରେ ପ୍ରଶଂସାଗୀତ ଗାଇବା ପାଇଁ କହିଲି। ମୋ ପାଖରେ ସମୟ ନାହିଁ ଏମିତି ଫାଲତୁ କଥା ଶୁଣିବାକୁ। ଯଦି କିଛି ନ ଜାଣିଛୁ ତୋ ଜିନିଷ ନେଇ ପଳା ମୋ ଦୋକାନ ରୁ।
ସେ ଲୋକଟିର ପ୍ରଶଂସା ଶୁଣିବା ପରେ ମଧୁବାବୁଙ୍କ ମନ ଭିତରେ ଇର୍ଷାର ମାତ୍ରା କାହିଁ କେତେ ଗୁଣ ବଢି ଯାଇଥିଲା। ଗୋଟେ ନିହାତି ତୁଚ୍ଛ, ନଗଣ୍ଯ ଭିକାରିର ପ୍ରଶଂସା ତାଙ୍କ ମନର ଅହଙ୍କାର ସୌଧକୁ ଭୀଷଣ ଧକ୍କା ଦେବାପାଇଁ ଯଥେଷ୍ଟ ଥିଲା। ନଖି ତା ପୂର୍ବ ମାଲିକର ବଦରାଗୀ ଗୁଣ ବିଷୟରେ ଭଲ ଭାବରେ ଅବଗତ ଥିଲା। ଟିକେ ଟିକେ କଥାରେ ନିଆଁବାଣ ହୋଇ ଯାଉଥିବା ମଧୁବାବୁ ମୁହଁରେ କ୍ରୋଧର ବହ୍ନି ଦେଖି ସେ ନିଜକୁ ସଞ୍ଜତ କରି ଗଳା ଝାଡି କହିଲା
– – ଆଜ୍ଞା, ଗାୟତ୍ରୀ ନଗର ତିଆରି ହେଲା ବେଳେ ସବୁ ବସ୍ତିବାସିନ୍ଦାଙ୍କୁ ଜୋର ଜବରଦସ୍ତି କରି ଏ ଯାଗାରୁ ତଡି ଦିଆଗଲା। କିଛି ଲୋକ ପଇସା ନେଇ ଚୁପଚାପ ଜାଗା ଛାଡି ଚାଲିଗଲେ ଓ ସୁରିଆ ପରି କିଛି ଜିଦିଆ ଲୋକ ଏ ଜାଗା ଛାଡି ଯିବେନି ବୋଲି ସଫା ଶୁଣାଇଦେଲେ। ଅବସ୍ଥା ଏମିତି ହେଲା ଯେ ବସ୍ତି ର ସବୁ ଲୋକ ଚାଲିଯିବା ପରେ ମଧ୍ଯ ସୁରିଆ ଭାଇ, ତା ସ୍ତ୍ରୀ ଓ କୁନି ପୁଅ ଗୋଟିଏ କୁଡିଆରେ ପଡି ରହିଲେ । ତା’ର ଏକା ଜିଦ୍, ସେ ତାଙ୍କ ଭିଟାମାଟିି ଛାଡି କୁଆଡେ ଯିବନି। ଏବେ ଆପଣଙ୍କ ଦୋକାନ ଯେଉଁ ଜାଗାରେ ଛିଡା ହୋଇଛି ସେଇ ଯାଗାରେ ସୁରିଆର ଚାଳିଆ ଥିଲା। ତା ହସଖୁସିର ସଂସାର ରେ ଲୁହର ଚିହ୍ନବର୍ଣ୍ଣ ନ ଥିଲା। ନିଜ ପରିବାର ର ସୁରକ୍ଷା ପାଇଁ କିଛି ବି କରିବା ପାଇଁ ପ୍ରସ୍ତୁତ ଥିଲା ସେ। କେବଳ ପ୍ରସ୍ତୁତ ନ ଥିଲା, ଏ ଜାଗା ଛାଡି ଯିବା ପାଇଁ। ଦିନେ ସେ କାମ କୁ ଯାଇଥିବା ସମୟରେ ଠିକାଦାର ର ଭଡାଟିଆ ଗୁଣ୍ଡା ଆସି ସୁରିଆ ଭାଇ ସ୍ତ୍ରୀର ସର୍ବସ୍ବ ଲୁଟିନେଲେ। ସେତିକି ରେ ତାଙ୍କ ମନ ମାନିଲାନି ଯେ ଚାଳିଆ ସହ ସୁରିଆ ଭାଇର ସ୍ତ୍ରୀ ଓ କୁନିପୁଅଟିକୁ ଜୀଅନ୍ତା ଜାଳିଦେଲେ। କାମରୁ ଫେରି ସୁରିଆ ଭାଇ ଦେଖିଲା, ତା ପରିବାର ଓ ଚାଳିଆ ସହ ଗୋରଖପୁରର ନାଁଆ ବି ନିଆଁରେ ଜଳିପୋଡି ପାଉଁଶ ହୋଇଯାଇଛି। ସ୍ତ୍ରୀ ଓ ପୁଅର ଚିତା ଜଳାଇବା ବି ତା ଭାଗ୍ଯରେ ନ ଥିଲା। ସେଇ ପୋଡିଯାଇଥିବା ଘରୁ କିଛି ପାଉଁଶ ଜରି ବ୍ଯାଗ୍ ରେ ଧରି ପାଗଳଙ୍କ ପରି ଦଉଡିଲା ସେ। ଘଟଣା ପରଦିନ ଠାରୁ ଗାୟତ୍ରୀନଗର ଜନ୍ମ ନେଲା, କିନ୍ତୁ ସୁରିଆଭାଇ ର ପତ୍ତା ମିଳିଲାନି। ବହୁତ୍ ଦିନ ପରେ ତାକୁ ଆମେ ଶିବ ମନ୍ଦିର ପାହାଚ ଉପରେ ଦେଖିଲୁ। ତା ଉଜ୍ଜଳ ଆଖି ଓ ହସହସ ମୁହଁ କୁ ଛାଡିଦେଲେ ଅନ୍ଯ ସବୁ ଜିନିଷ ହଜି ଯାଇଥିଲା ସୁରିଆ ଭାଇର। ସେତିକି କହିଲା ବେଳକୁ ନଖିର ଆଖିରେ କେଇ ବୁନ୍ଦା ଲୁହ ଜକେଇ ଆସିଲା।
ସବୁ ଶୁଣି ସାରି ମଧୁବାବୁ ଗମ୍ଭୀର ସ୍ବରରେ କହିଲେ – ଆଚ୍ଛା ତୁ ଜିନିଷ ନେଇ ଏବେ ଯାଆ।
ସୁରିଆର ହୃଦୟ ବିଦାରକ ଅତୀତ ବିଷୟରେ ଜାଣିବା ପରେ ମଧ୍ଯ ତାଙ୍କ ମନରେ ସୁରିଆ ପ୍ରତି କୌଣସି ସମବେଦନା ବା କରୁଣାଭାବ ଜାତ ହୋଇ ନ ଥିଲା। ବରଂ ସେ ସୁରିଆ ପାଇଁ ଅଧିକ ଅସହିଷ୍ଣୁ ହୋଇ ପଡିଲେ। ତାଙ୍କୁ ଲାଗିଲା ସୁରିଆ ତାଙ୍କ ଦୋକାନ ଜାଗାରେ ନିଜର ଅସ୍ତିତ୍ବ ଜାହିର କରିବାପାଇଁ ଦୋକାନ ବାରଣ୍ଡାରେ ଶୋଉଛି। ସେ ଭାବି ପାରିଲେ ନାହିଁ ଯେ, ବୋଧହୁଏ ନିଜର ପ୍ରାଣଠାରୁ ପ୍ରିୟ ସ୍ତ୍ରୀ ଓ ପୁଅର ସମାଧି ପାଖରେ ସବୁଦିନ ରାତିରେ ଶୋଇ, ସୁରିଆ ମନରେ ପୂର୍ଣ୍ଣତାର ଭାବନା ଆସୁଥିବ।
ବେଶ୍ କିଛିଦିନ ଯାଏ ମଧୁବାବୁଙ୍କ ନଜର ସାମନା କୁ ସୁରିଆ ଆସିଲାନି। କିନ୍ତୁ ସେ ଜାଣି ପାରୁଥିଲେ ସବୁଦିନ ରାତିରେ ଦୋକାନ ବାରଣ୍ଡାରେ ସୁରିଆ ନିହାତି ଶୋଉଛି। ନହେଲେ ସବୁ ଦିନ ସକାଳୁ ଦୋକାନର ବାରଣ୍ଡା ଏମିତି ଦୁର୍ଗନ୍ଧ ଛାଡୁଛି କହିଁକି ?
ସେଦିନ ଦୋକାନରେ ପୂଜା ହେଉଥିଲା। ପାଖ ପଡୋଶୀ ମାନେ ଦୋକାନ କୁ ଆସି ପ୍ରସାଦ ଖାଇ ଘରକୁ ଫେରୁଥିଲେ। ମଧୁବାବୁଙ୍କ ପୁଅ ଦେଖିଲା କିଛି ଦୂରରେ ସୁରିଆ ଅପଲକ ନୟନରେ ଦୋକାନ ଆଡେ ଚାହିଁ ରହିଛି। କେହି ନ ଜାଣିବା ପରି ସେ ଗୋଟିଏ ଖଲି ରେ ପ୍ରସାଦ ନେଇ ସୁରିଆ କୁ ଦେଇ କହିଲା-- ଆଜି ଆମ ଦୋକାନ ରେ ପୂଜା ହୋଇଛି, ତୁମେ ପ୍ରସାଦ ପାଇନେବ। କିନ୍ତୁ ବାପାଙ୍କ ସାମନା କୁ ଆସିବ ନାହିଁ, ତାଙ୍କ ପ୍ରକୃତି ତୁମେ ଜାଣିଛ। ମନଖୋଲା ହସି ସୁରିଆ କହିଲା-- ଜାଣିଛି ବାବୁ, ସବୁ ଜାଣିଛି। ସେଥିରେ ତାଙ୍କର ଦୋଷ ନାହିଁ। ଭଗବାନ ତୁମର ମଙ୍ଗଳ କରନ୍ତୁ। ସେତିକି କହି ମହା ତୃପ୍ତିରେ ସେ ପ୍ରସାଦ ଖାଇବାରେ ଲାଗିଲା। ସେତିକି ବେଳକୁ କାହାର ଗର୍ଜନରେ ଚମକି ଉଠିଲା ସୁରିଆ। ଦେଖିଲା ବେଳକୁ ତା ସାମନା ରେ ମଧୁବାବୁ ଛିଡା ହୋଇଛନ୍ତି।
– ତୁ ପ୍ରକୃତରେ ଗୋଟେ କୁକୁର ଠାରୁ ବି ହୀନ। ଏତେ ମାଡ ଦେଲା ପରେ ବି ତୋ ମୁହଁରେ ଲାଜ ନାହିଁ ଯେ ମୋ ଦୋକାନ ମୁହଁ ମାଡିଲୁ? ପୁଣି ମୋ ପୂଜାର ପ୍ରସାଦ ଖାଉଛୁ ଅଲକ୍ଷଣା !!
ସୁରିଆ କିଛି ପ୍ରତିକ୍ରିୟା ଦେଖାଇବା ପୂର୍ବରୁ ପାଖରେ ପଡିଥିବା ଏକ ପଥର ଆଣି ମଧୁବାବୁ ତା ଆଡକୁ ଫିଙ୍ଗିଲେ। ପଥରଟି ଆଖି ପାଖରେ ବାଜିଲା। ରକ୍ତ ଧାରକୁ ହାତରେ ଚାପି ସୁରିଆ ଖାଇବା ଛାଡି କାନ୍ଦି କାନ୍ଦି ସେ ଜାଗାରୁ ଚାଲିଗଲା। ବିଜୟସୂଚକ ହସ ହସି ମଧୁବାବୁ କହିଲେ-- ଯାହା ହେଉ ଏତେ ମାଡ ଖାଇଲା ପରେ, ଅନ୍ତତଃ ଲୋକଟା ଆଖିରେ ଆଜି ଲୁହ ଦେଖିଲି। ନୋହିଲେ ସବୁଦିନ ମାଡଖାଇ ଦାନ୍ତ ନେଫେଡୁଥିଲା।
ତା ପରଦିନ ସକାଳର ଘଟଣାବଳୀ ମଧୁବାବୁଙ୍କ ମୁଣ୍ଡ ଗୋଳମାଳ କରିବାକୁ ଯଥେଷ୍ଟ ଥିଲା। ତାଙ୍କ ସାମନା ରେ ମେଡିକାଲ କର୍ମଚାରୀ ମାନେ ସୁରିଆର ରକ୍ତାକ୍ତ, କ୍ଷତାକ୍ତ ଦେହକୁ ବ୍ଯବଚ୍ଛେଦ ପାଇଁ ନେଉଥିଲେ। ଜଣେ କର୍ମଚାରୀ କହୁଥିଲା-- ଆହାଃ, ବିଚରା ଲୋକଟିକୁ କେତେ ବିଭତ୍ସ ଭାବରେ ଭୁଜାଲି ରେ ହାଣି ପକେଇଛନ୍ତି। ଦେଖୁନ, ତା ଦେହ ସାରା ଦେହରେ ଭୁଜାଲି ମାଡର କେତେ ଚୋଟ ପଡିଛି।
ସୁରିଆର ଶବ ସେ ଜାଗାରୁ ନିଆ ସରିଥିଲା। ପୋଲିସ୍ ପାଖ ପଡୋଶୀ ମାନଙ୍କୁ ପଚରା ଉଚୁରା କରୁଥିଲା। ପାଖ ପଡୋଶୀଙ୍କ ଚାକର ପିଲାର କଥାବାର୍ତ୍ତା ଓ ରଙ୍ଗଢଙ୍ଗରେ ସନ୍ଦେହ ହେବାରୁ ପୋଲିସ୍ ତାକୁ ଦୁଇ ବାଡି ପକେଇ ପଚାରିଲା
– “କଣ ଜାଣିଛୁ କହ, ନୋହିଲେ ହାଜତରେ ପୁରେଇ ଭଲରେ ଠୁଙ୍କିବି” । ପୋଲିସ୍ ନାଲି ଆଖି ଦେଖି ପିଲାଟା କାନ୍ଦି କାନ୍ଦି ସବୁ ଘଟଣା କହିବାକୁ ଲାଗିଲା।
ପିଲାଟି କହିଲା--- ଆଜ୍ଞା, ରାତି ରେ ମୁଁ ପରିଶ୍ରା କରିବାକୁ ବାହାରକୁ ଆସିଥିଲି। ଦେଖିଲି, ସବୁଦିନ ପରି କାଲି ରାତିରେ ବହୁତ ଡେରିରେ ଭୁଖା ମଧୁବାବୁଙ୍କ ବାରଣ୍ଡାରେ ଶୋଇବାକୁ ଆସିଥିଲା।
ପିଣ୍ଡାରେ ମୁଣ୍ଡ ବାଡେଇ ରାହା ଧରି କାନ୍ଦି କହୁଥିଲା-- ଆଜି ଦିନରେ ଭଗବାନ ତୁମ ଦୁଇଜଣଙ୍କୁ ମୋ ପାଖରୁ ଛଡେଇନେଲେ। ସେଦିନ ମୁଁ କାମ ରୁ ଫେରିଲା ବେଳକୁ ସେ ଅସୁର ମାନେ ତୁମ ମାନଙ୍କୁ ପାଉଁଶ କରିଦେଇଥିଲେ। ତୁମ ଦୁଇଜଣଙ୍କୁ ଛାତିରେ ଜାକି ସେଦିନ ଠାରୁ ବୁଲୁଛି, ହେଲେ ମୋ ମନର ନିଆଁ କୁ କିଏ ଲିଭେଇବ। ମୋତେ କଣ ପାଇଁ ଛାଡି ଗଲୁ ରେ ମୁନା.....ଲୋ ମୁନା ବୋଉ ତୁ କେମିତି ମୋତେ ଏକା କରି ଚାଲିଗଲୁ। ତୋର ମନେ ଅଛି ନା, ଥରେ ମୁଁ କହିଥିଲି, ମୁଁ ବଞ୍ଚିଥିବା ଯାଏ ତୁମ ଦୁଇଜଣଙ୍କୁ ଜଗି ରହିଥିବି। ସେଇଥି ପାଇଁ ତ, ଏତେ ମାଡ ଗାଳି ଖାଇଲା ପରେ ବି ମୁଁ ତୁମ ଦୁଇଜଣଙ୍କ ସମାଧି ଆଗରେ ସବୁ ରାତିରେ ଜଗି ବସୁଛି। ନାଃ....ଆଉ ମୁଁ ପାରିବିନି, ବହୁତ ଥକି ଗଲିଣି। ତୁମ ମାନଙ୍କୁ ଛାଡି ମୁଁ ଆଉ ବଞ୍ଚି ପାରିବିନି। ବହୁତ ଜଲଦି ତୁମ ପାଖକୁ ଚାଲିଯିବି।
ସେତିକି ବେଳକୁ ଚାରି ଜଣ ଲୋକ ମୁହଁରେ କଳାକନା ବାନ୍ଧି ସେ ଜାଗା କୁ ଆସିଲେ। ସେମାନେ ଭୁଖା କୁ ଧମକାଇ ସେ ଯାଗାରୁ ଚାଲିଯବାକୁ କହି ଭୁଜାଲି ଦେଖେଇଲେ। ସେମାନେ ନିହାତି ଡକାୟତ ହୋଇଥିବେ ଆଜ୍ଞା... ମଧୁବାବୁଙ୍କ ଦୋକାନରୁ ଡକାୟତି କରିବାକୁ ଆସିଥିବେ। ଭୁଖା ସେମାନଙ୍କର ଧମକ ରେ ଡରି ନ ଯାଇ, ସେମାନଙ୍କୁ ଚାଲି ଯିବାକୁ କହିଲା। ମାତ୍ର ଜଣେ ଲୋକ ତାକୁ ଧକ୍କାଟେ ମାରି ତଳେ ପକେଇଦେଲା। କିନ୍ତୁ ଆଜ୍ଞା, ଭୁଖା ବାଘ ପରି ଗର୍ଜନ କରି ତଳୁ ଉଠିଲା ଓ ସେ ଲୋକ ମାନଙ୍କ ସହ ଲଢେଇ କରିବାକୁ ଲାଗିଲା। ବିଶ୍ବାସ କରିବେନି ଆଜ୍ଞା, ଭୁଖା ଦେହରେ ଏତେ ବଳ ଥିବ ବୋଲି ମୁଁ ଜାଣି ନଥିଲି। ଏକୁଟିଆ ଲୋକଟା ଚାରି ଚାରିଟା ଡକାୟତଙ୍କ ସହ ଖାଲି ହାତରେ ଲଢିଲା ଓ ସେମାନଙ୍କୁ ଦୋକାନ ବାରଣ୍ଡା ଚଢାଇବାକୁ ଦେଲାନି। ଜଣେ ଡକାୟତ ଭୁଜାଲିରେ ଚୋଟ ମାରିଲା ଭୁଖାକୁ। ଚୋଟ ଖାଇସାରିବା ପରେ ଆହୁରି ଭୟଙ୍କର ହୋଇଗଲା ଭୁଖା ଓ ସେ ଡକାୟତ ହାତରୁ ଭୁଜାଲି ଛଡେଇ ସମସ୍ତଙ୍କୁ ଜଖମ କରିବାରେ ଲାଗିଲା। କାହାକୁ ଛାଡିନି ସେ, ସବୁ ଡକାୟତଙ୍କ ମୁହଁ, କାନ୍ଧ, ପିଠି ଓ ହାତରେ ଭୁଜାଲି ଚୋଟ ବସେଇଛି। ଜଣେ ଲୋକ କେତେ ଜଣଙ୍କ ସହ ଲଢି ପାରିବ ! ସେମାନେ ମିଳି ମିଶି ଭୁଖାର ହାତ ଧରି ପେଟରେ ଭୁଜାଲି ଚଲେଇଦଲେ। ଜଣ ଜଣ କରି ଚାରି ଜଣ ଯାକ ଭୁଖା ଦେହରେ ଚୋଟ ପରେ ଚୋଟ ମାରି ଚାଲିଲେ। ମୋ ଆଗରେ ସବୁ ଘଟଣା ଏତେ ଜଲଦି ଘଟି ଗଲା ଯେ, ମୋ ଚେତା ହଜିଗଲା ପରି ଲାଗିଲା। ମୋ ତଣ୍ଟି ଶୁଖିଗଲା ଆଜ୍ଞା, କାହାକୁ ଡାକିବି କଣ କରିବି କିଛି ଜାଣି ପାରିଲିନି। ସେତିକି ବେଳକୁ ସେମାନେ ଭୁଖାକୁ ଘାଷାରି ନେଇ ରାସ୍ତାରେ ଫିଙ୍ଗିଦେଲେ। ବିଚରା ଭୁଖା ଦେହରୁ ରକ୍ତର ଝରଣା ବୋହି ଚାଲିଥିଲା। ଗଁ ଗଁ ହୋଇ ସେ କେବଳ “ମୁନା ରେ ମୋ ଧନ” ବୋଲି ଚିତ୍କାର କରୁଥିଲା। ଛଟପଟ ହୋଇ ଜୀବନ ଛାଡିବା ବେଳକୁ ମଧୁବାବୁଙ୍କ ଦୋକାନ ଆଡକୁ ଅପଲକ ଆଖି ରେ ଚାହିଁ ରହିଥିଲ। ଡକାୟତ ମାନେ ଜଖମ ହୋଇ ସେ ଯାଗାରୁ ଦଉଡି ପଳେଇଲେ। ସବୁ ମୁଁ ନିଜ ଆଖିରେ ଦେଖିଛି ଆଜ୍ଞା, କିନ୍ତୁ କାଳେ ମୋତେ କେହି ଦୋଷ ଦେବ ବୋଲି ଡରରେ ଚୁପ୍ ରହିବା ଠିକ୍ ବୋଲି ଭାବିଲି।
--- ମୁର୍ଖ କୋଉଠିକାର। ସେତିକି ବେଳେ ଯଦି କାହାକୁ ଡାକି ଦେଇଥାନ୍ତୁ ଲୋକଟାକୁ ଡାକ୍ତରଖାନା ନେଇଥିଲେ ତାର ଜୀବନ ବଞ୍ଚି ଯାଇଥାନ୍ତା। ବିରକ୍ତ ହୋଇ କହିଲେ ପୋଲିସ ବାବୁ।
ମଧୁବାବୁ ଲଥ୍ କରି ତଳେ ବସି ପଡିଲେ। ମନ ଭିତରେ ସେତେବେଳ ଯାଏ ଫୁଟୁଥିବା ଆଗ୍ନେୟଗିରୀର ଉତ୍ତପ୍ତ ଲାଭା ପରି କ୍ରୋଧ ଓ ଅହଙ୍କାର ଶୀତଳ ହୋଇ ଅଶୃ ରୂପରେ ଦୁଇ ଆଖିରୁ ଅବାରିତ ଝରି ଚାଲିଥିଲା। ପଶ୍ଚାତାପ ଓ ଅନୁତାପର ବହ୍ନି ତାଙ୍କର ପ୍ରାଣ ଓ ଆତ୍ମାକୁ ତିଳ ତିଳ କରି ଜାଳିବା ଆରମ୍ଭ କରିଦେଇଥିଲା। ସୁରିଆ ଓରଫ ଭୁଖା ପ୍ରତି ସେ କରିଥିବା ଅତ୍ଯାଚାର , ବିଷଧର ସାପ ପରି ତାଙ୍କ ହୃଦୟକୁ ଅହରହ ଦଂଶନ କରିଚାଲିଥିଲା। ସୁରିଆ ମରି ପଡିଥିବା ଯାଗାର କିଛି ଦୂରରେ ନୀଳ ରଙ୍ଗର ଜରିଟି ମେଞ୍ଚା ହୋଇ ପଡିଥିଲା। ତାକୁ ଖୋଲି ଦେଖିଲେ ମଧୁବାବୁ। କିଛି ପାଉଁଶ ଓ ହାତ ଚୁଡି ଛଡା ଅନ୍ଯ କିଛି ନ ଥିଲା ସେ ଜରିରେ। ଆଖି ସାମନା ରେ ନାଚି ଯାଉଥିଲା ସୁରିଆର ହସହସ ଚେହେରା। ନିୟତି ର ଖେଳ ଏତେ କୃର ହୋଇପାରେ, ତାର ପ୍ରମାଣ ସେ ପାଇ ସାରିଥିଲେ।
ନିଜକୁ ପଚାରି ଚାଲିଥିଲେ ସେ-- କାହିଁକି ସେ ନିଜକୁ ଏତେ ଅସୁରକ୍ଷିତ ଭାବୁଥିଲେ ସୁରିଆ ସାମନା ରେ? କାହିଁକି ସେ ପଶୁ ପରି ବ୍ଯବହାର କଲେ ଏତେ ନିରୀହ ଲୋକଟିକୁ ? କାହିଁକି ତାକୁ ଖାଇବା ଯାଗାରୁ ପଥର ମାରି ତଡିଦେଲେ? ସେଦିନ ରାତିରେ ସୁରିଆ ଖାଉଥିଲା ତାଙ୍କ ଦୋକାନ ପୂଜାର ପ୍ରସାଦ, ଯାହା ଥିଲା ତାର ଶେଷ ଖାଦ୍ଯ, କିନ୍ତୁ ସେତକ ବି ତାକୁ ସମ୍ପୂର୍ଣ୍ଣ ଖାଇବାକୁ ଦେଇ ନ ଥିଲେ । କାହାକୁ ସୁରକ୍ଷା ଦେଉଥିଲା ଭୁଖା? ତାର ଭିଟାମାଟି କୁ, ନା ତାର ମରିଯାଇଥିବା ପରିବାର କୁ, ନା ତାଙ୍କ ଦୋକାନ କୁ? ଏମିତି ସହସ୍ର “କାହିଁକି” ର ଘୂର୍ଣ୍ଣିବଳୟରେ ଆକ୍ତାମାକ୍ତା ହୋଇ ଉଠୁଥିଲେ ସେ। ସୁରିଆର ନିର୍ଲିପ୍ତ, ନିରାସକ୍ତ ଓ ଶାନ୍ତ ହସହସ ମୁହଁ ତାଙ୍କ ଆଖି ସାମନାରେ ନାଚି ଚାଲିଥିଲା। “ମୋତେ କ୍ଷମା କରିଦେବ ସୁରିଆ” କହି ଚିତ୍କାର କରିବା ବେଳକୁ, ହଠାତ୍ ଛାତିରେ ଭୀଷଣ ଯନ୍ତ୍ରଣା ଅନୁଭବ କଲେ ଓ ଭୂଇଁ ଉପରେ କଚାଡି ହୋଇ ପଡିଲେ।

Subscribe to:
Posts (Atom)