Thursday, July 28, 2016

କେତେ ତୁହି ବଡ

କେତେ ତୁହି ବଡ


କେତେ ବଡ ଆଜି ହୋଇଗଲୁ ତୁହି
ଦିଶେ ତୋତେ ସବୁ ଛୋଟ।।
ଯେଉଁ ଚାଳ ଘରେ ବଡ ତୁହି ହେଲୁ
ଲାଗେ ତା ଶୁଖୁଆ ହାଟ ।।
 ମୋଜାଇକି ଘରେ ଜୀବନ କାଟିଲୁ
ଜଳେ ଚାରି ଆଡେ ବତୀ,
ମାଟି ପିଣ୍ଡା ତୋର ପାଶୋରି ତୁ ଦେଲୁ
ଭୁଲିଲୁ ଡିବିରି ବତୀ।।
ଚାଓମିନ୍ ଆଉ ବିରିୟାନି ଖାଇ
ଆଣିଲୁ ପେଟରେ ରୋଗ,
ପଖାଳ କଂସାକୁ ବଡିଚୁରା ପାଗ
ତୋତେ ନ ଲାଗଇ ବାଗ।।
ଦିଅଁ ଦେବତାଙ୍କୁ ମନରୁ ତୁ କାଢି
ହୋଇଲୁ ନାସ୍ତିକ ଯୋଗୀ,
ଅଯଥା ଚିନ୍ତାରେ ଛଟପଟ ହୋଇ
ହେଲୁ ମାନସିକ ରୋଗୀ।।
ବାପା ମା ଆଜି ଅଲୋଡା ତୋ ପାଇଁ
ହେଲେ ବୋଲି ବୁଢା ବୁଢି,
ବାପା ପରିଚୟ ଦେବାକୁ ପଡିଲେ
ହେଉ ଖାଲି ଭିଡି ମୋଡି।।
ଦୁରୁବଳ ତୋର ବୁଢି ମାଆ ଟିକୁ
ଚାକରାଣି ପରି ଦେଖୁ,
ଖଟେଇ ଖଟେଇ ଅଧା ପ୍ରାଣ କରି
ଭୋକ ଉପାସ ରେ ରଖୁ।।
ତୋର ମାଇପଠୁ, ପୁଅ ଝିଅ ଯାଏ
ଅଟନ୍ତି ନବାବ ନାତି,
କଳିଗୋଳ କରି ସମୟ ବିତାନ୍ତି
ଘରେ ନାହିଁ ତୋର ଶାନ୍ତି।।
ବାପ ମାଆଙ୍କର ଋଣକୁ ନ ଶୁଝି
କେତେ ଅତ୍ୟାଚାର କରୁ,
ସେମାନେ ଭାବନ୍ତି ପ୍ରାଣଧନ ଆମ
ଯାହା କରୁଅଛି କରୁ।।

ପାଇଛୁ କି ସୁଖ, ଭାବି ଥରେ ଦେଖ
ରୋଗିଣା ଦେହ କୁ ଧରି,
ଘରେ ଗଣ୍ଡଗୋଳ ପିଲାଙ୍କ ଜଞ୍ଜାଳ
 ଏକୁଟିଆ ହେଉ ଝୁରି।।
ମୁଖରା ତୋ ସ୍ତ୍ରୀ,ଅଭଦ୍ର ତୋ ପିଲା
ଜାଣନ୍ତି ପାଖ ପଡୋଶୀ,
ତାଙ୍କ ପାଇଁ ବୋଲି କେତେ ପାପ କରୁ
ଭାବିଛୁ କି ଥରେ ବସି।।
ସବୁ ପାଇ ମଧ୍ଯ କାଙ୍ଗାଳ ତୁ ଅଟୁ
ଦେଖି ତୋତେ ଲାଗେ ଦୟା,
ମିଛ ମରିଚିକା ପଛରେ ଦୌଡିଲେ
ମିଳିବକି ତୋତେ ଛାୟା।।
ପାପ ହାଣ୍ଡି ତୋର ଯିବ ବେଗେ ପୁରି
ଆଉ କର ନାହିଁ ପାପ,
ଆଉ କେତେ ଦିନ ଅନ୍ଧାରେ ରହିବୁ,
ଜାଣି ସଭିଙ୍କର ରୂପ।।
ତୋ ବୁଢି ମାଆର ସ୍ନେହର ପଣତ
ଆଜି ବି ତୋ ପାଇଁ ଖୋଲା,
ବୁଢା ବାପଟିର କରୁଣ ନୟନ
ତୋର ପ୍ରତୀକ୍ଷାରେ ମେଲା।।
ବଡରୁ ହୋଇଯା ସାନ ତୁହି ବେଗେ
ଚଞ୍ଚଳ ଆସେ ତୁ ଫେରି,
ବାପା ମାଆଙ୍କର ପାଦ ତଳେ ରହି
ବାକି ଜିବନ ଦେ ସାରି।।

 ********()**********









ବନ୍ଦ


ବନ୍ଦ
ଅରବିନ୍ଦ ରଥ
ଆରେ ରାକା, ତୋତେ ସିଂ ସାହେବ ଡାକିଛନ୍ତି। କଣ ଜରୁରୀ କଥା ଅଛି। ଏତିକି କହି ସିଂ ସାହେବଙ୍କର ଚାକର, ଅପେକ୍ଷା କରି ରହିଲା। କାଠ କବାଟ ଖୋଲି ବାହାରିଲା ରାକା। ରାତି ଅନ୍ଧାର ଠାରୁ ଆହୁରି କଳା ଦିଶୁଥିଲା ତା ଦେହ। ଉଚ୍ଚତା ପାଖାପାଖି ୬ ଫୁଟ୍ ଦୁଇ ଇଞ୍ଚ । କରସତ କରିକରି ତା ହାତ ଗୁଡିକ ଲୁହା ପରି ଶକ୍ତ। ବିଶାଳ ଛାତି  ଓ ଚଉଡା କାନ୍ଧ। ଦେଖିଲେ ଲାଗିବ ସତେ କି ଜଣେ ମଲ୍ଲ ଯୋଦ୍ଧା ।
“ଆରେ ସପନି ବାବୁ। ଏତେ ରାତିରେ କୁଆଡେ ଆସିଛ?” ପଚାରିଲା ରାକା, ଭଦ୍ରତାର ସହ। କଣ ଏମିତି ଜରୁରୀ କାମ ପଡିଲା ଯେ ସାହେବ ରାତି ଅଧରେ ମନେ ପକେଇଲେ। ସପନି କହିଲା

-----କଣ ଗୋଟେ ଅତି ଜରୁରୀ କାମ ପଡିଛି ବୋଲି ସାହେବ ଡକେଇ ପଠେଇଲେ। ତୁ ତାଙ୍କ ପାଖକୁ ଗଲେ ସେ କହିବେ।
ରାକା କହିଲା  “ ମୋ ସ୍ତ୍ରୀ ର ଦେହ ଖରାପ୍। ସାନ ଝିଅର ବୟସ ଜମା ଦୁଇ। ତା ଦେହରୁ ବି ତାତି ଛାଡୁନି। ସେଇଥି ପାଇଁ ଦୁଇ ଦିନ ହେଲା ଘରୁ କୁଆଡେ ବାହାରକୁ ଯାଇନି। ସାହେବ ଡାକୁଛନ୍ତି ଯଦି ଚାଲ ଯିବା ମାତ୍ର ଟିକେ ଜଲଦି ପଳେଇ ଆସିବା। ପା ଖ ପଡିଶା କେହି ନାହାନ୍ତି ଯତ୍ନ ନେବାକୁ। ଏତିକି କହି ରାକା ସପନି ସହ ଆସିଲା।
ସିଂ ସାହେବ ଆଖପାଖର ସବୁଠାରୁ  ବଡ ଧନୀ ଲୋକ। ଘର ନୁହଁ ତ ରାଜ ଉଆସ। ଅସରନ୍ତି ସମ୍ପତ୍ତି। ବେପାର ସାଙ୍ଗକୁ ରାଜନୀତି ବି କରନ୍ତି। ରାକା ତାଙ୍କର  ଡାହାଣ ହାତ। ସାହେବ ଆଖପାଖରେ ସୁଧ ବେପାର ବି କରନ୍ତି। ରାକା ଯାଏ ସୁଧ ଓ ମୂଳ ଅସୁଲ କରିବାକୁ। ରାକାର ବିଶାଳ ଶରୀର କୁ ଦେଖି ଅଧା ଲୋକ ପଇସା ଫେରେଇ ଦିଅନ୍ତି। ଆଉ ଯଦି କିଏ କଥା ନ ମାନେ ତେବେ ରାକା ମାଡପିଟ୍ କରିବାକୁ ପଛାଏ ନାହିଁ। ଯେନତେନ ପ୍ରକାରରେ ପଇସା ଆଣେ। ଥାନା ବାବୁ ତ ସାହେବଙ୍କ ଘର ଲୋକ ପରି। ଏତେ ବାଡିଆପିଟା କରି ମଧ୍ଯ ରାକା ନାମରେ କେବେ କେସ୍ ହେବା କଥା କେହି ଜାଣି ନାହାନ୍ତି। ସାହେବର ଯାହା ବି ଜରୁରୀ କାମ ପଡେ ଅାଗ ଖୋଜା ଯାଏ ରାକା କୁ।କାମ ବଦଳରେ ମୋଟା ଅଙ୍କର ପଇସା ପାଏ ସେ। କାମ କଲା ବେଳେ ଭୁଲ୍ ଠିକ ର ହିସାବ  କେବେ  ରଖିନି।  କିଛି କଷ୍ଟ ନାହିଁ ତା ପାଇଁ। ଭୁଜାଲି, ତଲଓ୍ବାର ଚଲାଇବାରେ ଓସ୍ତାଦ୍ । ତା ସାଙ୍ଗକୁ ହାତରେ ସିଂହ ପରି ବଳ। ମାଡପିଟ୍ ହେଲେ ଏକୁଟିଆ ସେ ପଚାଶ୍ ଲୋକଙ୍କୁ ଧୁଳି ଚଟେଇ ଦେବାର ନଜିର ଅଛି।
ରାକା ପହଞ୍ଚି ଦେଖିଲା, ସାହେବ୍ ସୋଫାରେ ଚିନ୍ତାମଗ୍ନ ହୋଇ ବସି ଛନ୍ତି। ଆଗରେ ଠିଆ ହୋଇଛନ୍ତି ତାଙ୍କର ପାଳିତ ଗୁଣ୍ଡା ମାନେ। କିଛି ଗୋଟେ ଗମ୍ଭୀର ଆଲୋଚନା ଚାଲିଛି।
– – --- ଆରେ ରାକା ଆସ୍ , ତୋରି ଅପେକ୍ଷାରେ ଥିଲି ବହୁତ୍ ବଡ କାମ। ପଇସା ପାଇଁ ଚିନ୍ତା ନାହିଁ। କିନ୍ତୁ ବିଫଳ ହେଲେ ସବୁଠୁ ବଡ କ୍ଷତି ମୋର ହେବ। ଇଲେକ୍ସନରେ ଟିକେଟ୍ ବି ମିଳି ନ ପାରେ।
ରାକା ହାତ ଯୋଡି କହିଲା  “ ହୁକୁମ କରନ୍ତୁ ହଜୁର୍ । ଆଜି ଯାଏ କିଛି ବି କାମ ରାକାକୁ ବଳେଇ ଯାଇନି। ତେଣୁ ଆପଣ ନିଶ୍ଚିନ୍ତ ରୁହନ୍ତୁ। ଯାହା କହିବେ ସେ କାମ ହେବ। ”
ସାହେବ ମୁହଁରେ ସଇତାନି ହସ।
– –   ମୁଁ ଜାଣି ଥିଲି ରାକା ତୁ ସେଇଆ କହିବୁ। ତୋ ମୁହଁରୁ ଏଇ ଦି ପଦ କଥା ଶୁଣିବା ପାଇଁ ଏତେ ରାତିରେ ତୋତେ ଡକେଇଲି। ମନ ଟା ହାଲକା ହୋଇଗଲା। ଏବେ ଶୁଣ୍  କାମ ଟା କଣ।
କାଲି ସକାଳ ଛଅ ରୁ ରାତି ଛଅ ଓଡିଶା ବନ୍ଦ। ବସ୍ , ଟ୍ରକ୍, ଗାଡି, ଦୋକାନ, ସ୍କୁଲ, କଲେଜ୍ ସବୁ ବନ୍ଦ। ଚଢେଇ ଛୁଆ ଉଡିବେନି। ଉପରୁ ଆଦେଶ ଆସିଛି ଏମିତି କରିବା ପାଇଁ। ଯିଏ ନ ମାନିବ ରକ୍ତ ବୋହିବ। ମାରପିଟ୍ କର, ରକ୍ତ ବୁହାଅ, ହରଣଚାଳ କର, ଯାହା କରୁଛ କର  ; କିନ୍ତୁ ବନ୍ଦ ସଫଳ ହେବା ଦରକାର। ଯାହା ହେବ ମୁଁ  ବୁଝିବି। ରାକା, ତୋ  ଉପରେ ରହିଲା ମେଡିକାଲ ଛକ। ବହୁତ ଅଧିକା ଦୋକାନ ବଜାର, ଆଉ ଲୋକଗହଳି ସେଇ ଯାଗାରେ। ଯେତକ ଦୋକାନୀ ସବୁ ମୋ ବିରୋଧି ଗୋଷ୍ଠୀର। ସବୁ ଥର ବଦମାସି କରନ୍ତ ସେମାନେ। ଆମକୁ ସବୁ ଜାଗାରେ ନୀଚା ଦେଖେଇବା ତାଙ୍କର ଅଭ୍ଯାସ। ସେମାନଙ୍କୁ ଏଥର ପାନେ ଦେବାକୁ ପଡିବ। ଯଦି କିଏ ବି କିଛି ବିରୋଧ କରନ୍ତି ସିଧା  ଗଣ୍ଡି ରୁ ମୁଣ୍ଡ ଅଲଗା କରି ଦେବୁ। ହାଇକମାଣ୍ଡ ଙ୍କ କଡା ତାଗିଦା ଏଥର। ଯଦି ବନ୍ଦ ବିଫଳ ହୁଏ ,ତେବେ ମୋ ପାଇଁ ପାର୍ଟିର ଟିକେଟ  ମଧ୍ଯ ମନା ହୋଇଯିବ। ତୋ ସାଙ୍ଗରେ ଆଉ କେତେ ଜଣଙ୍କୁ ବି ପଠେଇବି। ଯାହା ହତିଆର ଦରକାର ନେ, ବନ୍ଧୁକ, ବୋମା ସବୁ ନେ। ଯାହା ଇଛା କର, କିନ୍ତୁ ବନ୍ଦ ସଫଳ ହେବା ଦରକାର।
ଗୋଟେ କଥା ମନେ ରଖ ରାକା, ଏ ବନ୍ଦ ପାଳିଲା ବେଳେ ରକ୍ତ ଝରିବ ଆଉ ଟଙ୍କା ଉଡିବ।  ବୋହିଲା ରକ୍ତ କୁ ମାଟି ପିଇ ଯିବ, ଆଉ ଉଡିଲା ଟଙ୍କାକୁ ତୁମ ମାନଙ୍କର ପକେଟ୍। ଏତିକି କହି ଅଟ୍ଟହାସ୍ଯ କରି ଉଠିଲା ସାହେବ୍ । ରାକା ଧିର ସ୍ବରରେ କହି ଆସୁଥିଲା  “ ସାହେବ୍ ମୋ ସ୍ତ୍ରୀ ର ଦେହ ଖରାପ ଅଛି। ମୁଁ..... ନିଜ କଥାକୁ ପୂରଣ କରି ପାରିଲାନି ରାକା। ସାହେବର ଭୟଙ୍କର ଅଟ୍ଟହାସ୍ଯରେ ମିଳାଇ ଗଲା
ନିଜ ଚୌକିରୁ ଉଠିଲା ସାହେବ। ଗୁମାସ୍ତା କୁ ଡାକି କାନରେ କଣ ଫୁସଫୁସ କରି କହିଲେ।
ଗଲା ବେଳକୁ କହିଲେ, ତୁମ ମାନଙ୍କୁ କଣ କରିବାକୁ ହେବ ଗୁମାସ୍ତା ବୁଝାଇ ଦେବ। ଏବେ ସମସ୍ତଙ୍କୁ ଦୁଇ ହଜାର ଟଙ୍କା ମିଳିବ। ପୁଣି କାଲି ସଂନ୍ଧ୍ଯାରେ ବସିବା । ବନ୍ଦ ସଫଳ ହେଲେ କାଲି ରାତିରେ ହେବ ବିରାଟ ଭୋଜି, ଆଉ ଯଦି ବିଫଳ ହେବ …...., ସାହେବର ମୁହଁର ମାଂସପେଶୀ  ଶକ୍ତ ହୋଇଗଲା। ସମସ୍ତଙ୍କ ଆଡକୁ ଗାମ୍ଭୀର୍ଯ୍ଯଭରା ଚାହାଁଣୀ ଦେଇ ଚାଲିଗଲା।
ଗୁମାସ୍ତା ସମସ୍ତଙ୍କୁ ପାଖକୁ ଡାକି କହିଲା ହାଇକମାଣ୍ଡଙ୍କ କଡା ତାଗିଦ୍।ବନ୍ଦ ସଫଳ କରିବାକୁ ହେବ। ନୋହିଲେ ପରିଣାମ ଭୟାବହ ବିରୋଧି ଲୋକ  ଲାଗିଛନ୍ତି ଏ ବନ୍ଦ ବିଫଳ କରିବାକୁ। ସାହେବ କଣ କହିଲେ ସବୁ ଶୁଣିଲ। ଆଉ କଣ କହିବି। ଯଦି କିଛି ଓଲଟପାଲଟ ହେବ, ସାହେବ କାହାକୁ ଛାଡିବନି। ପାଣି ପରି ଟଙ୍କା ବୁହା ଚାଲିଛି। ପୋଲିସ, ବ୍ଯବସାୟୀ, ଗାଡି ମାଲିକଙ୍କ ପକେଟ କୁ ଯାଉଛି ଥାକଥାକ ଟଙ୍କା। ତଥାପି ସାହାସ କୁଳଉନି। ଟିକେଟ୍ କାଳେ ହାତରୁ ଚାଲି ଯିବ ସେଇ ଭୟରେ ସାହେବ ଆଖିରେ ନିଦ ନାହିଁ। ସବୁ ଯାତି ର ହାତ ହତିଆର, ବୋମା, ବନ୍ଧୁକ ସାହେବ ମଗେଇ ରଖିଛି। ଆଜି ରାତିରେ ସବୁ ଛକରେ ପହଞ୍ଚି ଯିବ ହତିଆର। ଭୋର ଚାରିଟା ବେଳକୁ କାମ ଆରମ୍ଭ। ସବୁ ପହଞ୍ଚି ଯିବ ଛକ ଗୁଡିକରେ। କାଗଜରେ ସମସ୍ତଙ୍କ ନାଁ ଆଉ କାହାକୁ କେଉଁ ଛକ ଦିଆ ଯାଇଛି ଲେଖା ଯାଇଛି। ଏତିକି କହି ସମସ୍ତଙ୍କ ହାତରେ ଦୁଇ ହଜାର ଲେଖାଏ ଧରାଇ ଦେଲା ଗୁମାସ୍ତା। ଗଲା ବେଳକୁ କହିଗଲା ଆମ ଲୋକ ମାନେ ପ୍ରତି ଛକରେ ମୋଟର ସାଇକେଲରେ ବୁଲିବେ। ପ୍ରତି କ୍ଷଣରେ ସାହେବ ନଜର ରଖିବ ତୁମ ଉପରେ। ତେଣୁ ହୁସିଆର ଥିବ।  ଫୁସଫସ୍ କରି କହିଗଲା  “ ଏଥର ସାହେବ ର ମୁଣ୍ଡକୁ ରକ୍ତ ଚଢି ଯାଇଛି, କିଛି ଭୁଲଭଟକା ହେଲେ କାହାକୁ ବି ଛାଡିବନି। ସିଧା ଶେଷ କରିଦେବ।
ରାକା ଆକାଶକୁ ଚାହିଁଲା। କାଳରାତ୍ରି ପରି ମନେ ହେଲା ତାକୁ। କଳା ଆକାଶରେ ଚିକମିକ୍ କରୁଥିବା ତାରା ମାନଙ୍କୁ ଚାହିଁ ଦୀର୍ଘଶ୍ବାସ ପକେଇଲା। ମନେମନେ ଭାବିଲା କେତେ ଭାଗ୍ଯବାନ ଏ ତାରା ସବୁ। ଦୁନିଆର ଅନ୍ତହୀନ ସମସ୍ଯା ଠାରୁ କେତେ ଦୂରରେ। ନୀରବ, ନିଶ୍ଚିନ୍ତ ଓ ଶାନ୍ତ ସେମାନେ। ଜହ୍ନ ନ ଥିଲା ବେଳେ, ଏଇମାନେ ତ ଚେଷ୍ଟା କରନ୍ତି ପୃଥିବୀ କୁ ଆଲୁଅ ଦେବା ପାଇଁ। ମନେ ପଡିଗଲା ପିଲା ଦିନେ ଶୁଣିଥିବା ଗପ ସବୁ ନିଜ ଜେଜେମାଆ ଠାରୁ। ଜେଜେମା ସଦା ବେଳେ କୁହେ  “ ଆରେ ରାକା। ମୁଁ ସଦା ବେଳେ ତୋରି  ପାଖରେ ଥିବି। ମଲା ପରେ ଆକାଶରେ ତାରା ହୋଇ ତୋତେ ଦେଖୁଥିବି, କେବେ ବି ଖରାପ ବାଟରେ ଯିବୁନି । ନୋହିଲେ ମୋ ମନ ବହୁତ ଦୁଖ ହେବରେ ପୁଅ।
----------ଆଜି ଜେଜେମା ତାରା ମାନଙ୍କ ଭିତରେ ଥାଇ ଦେଖୁଥିବ ମୋତେ। କଣ ହେଉ ଥିବ ତା ମନର ଅବସ୍ଥା। ମୋ ପରିସ୍ଥିତି ବୁଝୁଥିବ ନା ମୋତେ ଦୋଷ ଦେଉଥିବ। ହଠାତ୍ ଗାଲ ଉପରେ ଅନୁଭବ କଲା କିଛି ଉଷୁମ ଜିନିଷ। ହାତ ମାରିଲା ବେଳକୁ ଆଖିରୁ ଝରି ଆସୁଛି ଧାରଧାର ଲୁହ। ରାକା ବୁଝି ପାରିଲାନି କଣ ପାଇଁ ସେ କାନ୍ଦୁଛି ? ଜେଜେମା ର କଥା ଭାବି, ନା ପରିସ୍ଥିତିର ଚାପରେ, ନାଁ ଆଉ କିଛି ଅବ୍ଯକ୍ତ ବେଦନା।
ବଡବଡ ପାହୁଣ୍ଡ ପକେଇ ସେ ଚାଲିଲା ଘରକୁ। ମଝିରେ ମଝିରେ ଆକାଶକୁ ଚାହିଁ କହୁଥାଏ, ମୁଁ ବି ଯିବି ତୋ ପାଖକୁ , ସେଇ ଆକାଶକୁ। ମୋ ପାଇଁ  ଟିକେ ଜାଗା ରଖିଥା। ଘରେ ପହଞ୍ଚି ରାକା ଦେଖିଲା ସ୍ତ୍ରୀ ଶେଯ ଉପରେ ବାନ୍ତି କରି ଅଚେତ ହୋଇ ପଡିଛି। ଝିଅ ତାର ସେଇ ବାନ୍ତି ଉପରେ ଶୋଇ ଶୀତରେ ଥରୁଛି। ସ୍ତ୍ରୀ କୁ ପାଣି ପିଆଇ ସାଷ୍ଟାମ କଲା ସେ। ଝିଅକୁ ସଫା କରି ପାଖରେ ବସି ଧିରେଧିରେ ଆଉଁସିଲା ସ୍ତ୍ରୀ ର ମୁଣ୍ଡକୁ। କବାଟରେ ଶୁଭିଲା ଠକଠକ୍ ଶବ୍ଦ। କବାଟ ଖୋଲି ଦେଖେ ତ ଶାଶୁ ଶ୍ବଶୁର  ଆସି ପହଞ୍ଚିଛନ୍ତି। ରାକା ତାଙ୍କୁ ଦେଖି ଖୁସିରେ ଗଦଗଦ୍ ହୋଇଗଲା। କହିଲା ଯାହା ହେଉ ଆପଣ ମାନେ ଆସିଗଲେ। ଭଗବାନ ଆପଣଙ୍କୁ ପଠେଇଲେ ମୋ ପାଖକୁ। ମାଆ ଝିଅଙ୍କ ଦେହ ବହୁତ ଖରାପ। ତାତିରେ ଖଇ ଫୁଟିଯିବ। ଆସନ୍ତା କାଲି ଓଡିଶା ବନ୍ଦ। ନା ଡାକ୍ତର ପାଖକୁ ଯାଇହେବ, ନା ପାଖରେ ଅଛି ବଇଦ।
– ଶ୍ବଶୁର କହିଲେ  “ ଆମ ଗାଁ ର ପିଲା ଟିଏ କହିଲା ଯେ ମାଆ ଝିଅ ଙ୍କର ଦେହ ଖରାପ ବୋଲି। ସେଇଥି ପାଇଁ ଆଜି ରାତି  ରେ ଚାଲି ଆସିଲୁ। ଗାଡି ମଟର ମିଳିଲାନି। ବୁଢାବୁଢି ଦୁଇ ଜଣ ଚାଲିଚାଲି ପଳେଇ ଆସିଲୁ।”
ରାକା ମନେ ମନେ ତା  ଶ୍ବଶୁରଙ୍କୁ ଅଶେଷ     କୃତଜ୍ଞତା ଦେଉଥାଏ। ରାକା ନିଜ ଆଡୁ କହିଲା
“ମୋତେ ପାହାନ୍ତିଆରୁ ବାହାରି ଯିବାକୁ ହେବ।ସାହେବଙ୍କର କାମ। ଫେରିଲା ବେଳକୁ କାଲି ରାତି। ସାବିର ଜମା ହୋସ ଆସୁନି।ଝିଅର ଜ୍ବର ଟିକେ କମିଛି। ତଥାପି ଭରସା ନାହିଁ, ପୁଣି ବଢିପାରେ। ଡାକ୍ତରକୁ ଦେଖେଇ ସବୁ ଔଷଧ ଆଣିଛି। ତେଣୁ ବ୍ଯସ୍ତ ହେବାର କିଛି ନାହିଁ।”
ଏତିକି କହି ରାକା ଶ୍ବଶୁର ହାତରେ କିଛି ପଇସା ଧରେଇ ଦେଲା। କହିଲା ଦରକାର ହେଲେ ଖର୍ଚ୍ଚ କରିବେ। କିନ୍ତୁ କାଲିଦିନ ସାରା ଜମା ବି ପଦା କୁ ବାାରିବେନି। ଭୀଷଣ ଗଣ୍ଡଗୋଳ ହେବାର ଆଶଙ୍କା ଅଛି।
ଶ୍ବଶୁର ରାକାର ପିଠି ଥାପୁଡାଇ କହିଲେ “ ତୁମେ ଜମା ବ୍ଯସ୍ତ ହେବନି ପୁଅ, ସବୁ ଠିକ ହୋଇଯିବ।ଆମେ ଆସିଲୁ ପରା ସେଇଥିପାଇଁ। କିନ୍ତୁ ପୁଅ ତୁମେ କୁଆଡେ ଯିବ ଏ ବନ୍ଦ ସମୟରେ?
ସେ କିଛି ଖୋଲି କହି ପାରିଲାନି। ଖଲି ଏତିକି କହିଲା ସାହେବ ପାଖରେ ରହିବାକୁ ହେବ। କାମ କିଛି ନାହିଁ। ମାତ୍ର ଯିବାକୁ ହେବ। ଶ୍ବଶୁର ମୁଣ୍ଡ ହଲାଇ ସମ୍ମତି ଦେଲେ। ବେକା ଲୋ ସେ। ନିରିହ ପ୍ରଶ୍ନ ଟିଏ ପଚାରିଲେ।
  “ ଆଚ୍ଛା ପୁଅ ଏ ବନ୍ଦ କଣ ପାଇଁ ହୁଏ। ବନ୍ଦ ହେଲେ ତ ଆମର କ୍ଷତି ହୁଏ ସଦା ବେଳେ। ତେବେ ଲାଭ ହୁଏ କାହାର। ଲୋକ ତ ନାହିଁ ନ ଥିବା ହଇରାଣ ହୁଅନ୍ତି। ଗାଡି ଭାଙ୍ଗେ, ଦୋକାନ ଜଳେେ, ଘର ପୋଡେ, ବନ୍ଦ କରିବା ଲୋକ ମାନେ ମୁହଁରେ କଥା ନ ହୋଇ ଖଣ୍ଡା ତଲଓ୍ବାରରେ କଥା ହୁଅନ୍ତି। ରକ୍ତ ଝରେ, ଝିଅ ବୋହୁଙ୍କ ଇଜ୍ଜତ ମାଟିରେ ମିଶେ। ଗାଡି ମଟର ସବୁ ବନ୍ଦ ହେବାରୁ ନା କୁଆଡେ ଯାଇ ହୁଏ, ନା ଆସି ହୁଏ। ଘରେ କିରାସିନି କି ଚାଉଳ ସରିଗଲେ, ହାତ ଗୋଡ ବାନ୍ଧି ବସିବାକୁ ପଡେ ଭୋକ ଉପାସରେ। କିଛି ନ ମାନି ବାହାରକୁ ବାହାରିଲେ ପଥର ମାଡରେ ମୁଣ୍ଡ ଫାଟିବ, ନ ହେଲେ ଭୁଜାଲି ଚୋଟରେ ବେକ କଟିବ।ତେବେ କଣ ପାଇଁ ଏ ବନ୍ଦ। ” ଏକ ନିଶ୍ବାସରେ କହିଗଲେ ବୁଢା। ପୁଣି କହିଲେ...
---- ଗଲା ବର୍ଷ ରାଧୁ ସାରଙ୍କ ପୁଅକୁ ସାପ କାମୁଡି ଥିଲା। ସେଦିନ ଭାରତ ବନ୍ଦ ଥିଲା। ଚାରିଆଡେ ଖାଲି ଧ୍ବଂସର ତାଣ୍ଡବ। ସେତିକି ବେଳେ ରାଧୁ ଜୀବନ ବିକଳରେ ନିଜ ପୁଅକୁ କାନ୍ଧରେ ପକେଇ ଦଉଡିଲା ଡାକ୍ତରଖାନାକୁ। ଆମେ ଦଉଡିଲୁ ତାଙ୍କ ପଛେପଛେ। କୁଆଡୁ ଆସିଗଲେ ଦଳେ ଗୁଣ୍ଡା, ହାତରେ ତଲଓ୍ବାର ଓ ଠେଙ୍ଗା ଧରି। ଆମେ କିଛି କହିବା ପୂର୍ବରୁ ବାଡେଇ ନେଲେ ଆମ ସମସ୍ତଙ୍କୁ ଗୋରୁ ଗାଈ ପରି।
 କହିଲେ “ ତୁମ ଜୀବନ କୁ ଡର ନାହିଁ, ଯେ ବନ୍ଦ ଥିଲା ବେଳେ ବାହାରକୁ ବାହାରୁଛ। ଚୁପଚାପ ଘରକୁ ଫେରି ଯାଅ, ନୋହିଲେ ବେକ କାଟି ରାସ୍ତାରେ ଫିଙ୍ଗି ଦେବୁ। ”
ରାଧୁ କେତେ ନେହୁରା ବିକଳ ହୋଇ କହିଲା ଯେ ତା ପୁଅ କୁ ସାପ କାମୁଡି ଦେଇଛି। ଦେହରେ ଜୀବନ ଅଛି। ଡାକ୍ତର ପାଖକୁ ନେଲେ ପିଲାଟି ବଞ୍ଚିଯିବ। ମାଟିରେ ଗଡି ଗଡି ସେ ଗୁଣ୍ଡାଙ୍କର ଗୋଡହାତ ଧରି କେତେ କାନ୍ଦିଲା। ପୁଅ ପାଟିରୁ ଫେଣ ବାହାରି ଆସୁଥାଏ, ଦେହ ନୀଳ ହୋଇ ଯାଉଥାଏ। ରାଧୁ କହୁଥାଏ, ଆରେ ପିଲେ ତୁମ ମାନଙ୍କୁ ମୁଁ ସ୍କୁଲରେ ପଢେଇଛି। ମୋରି ପିଲା ତୁମେ ମାନେ । ଏ ବୁଢା ମଣିଷଟାକୁ ଏମିି ହନ୍ତସନ୍ତ କରନାହିଁ। ମୋର ସବୁ ଟଙ୍କାପଇସା ନେଇ ଯାଅ। ମୋ ପୁଅଟାକୁ ଟିକେ ଦୟା କର। ଡାକ୍ତର ପାଖକୁ ଗଲେ ବଞ୍ଚିଯିବ ସେ।
ସେଇ ଗୁଣ୍ଡା ଭିତରୁ ଜଣେ କହିଲା--ଡାକ୍ତର ପାଖକୁ ଯିବା କଥା ଭୁଲି ଯା। ଆଜି କେହି କୁଆଡେ ନାହାନ୍ତି। ସବୁ ଆମ ଡର ରେ ଘର ଭିତରେ ତାଲା ପକେଇ ବସିଛନ୍ତି। ତୁ ଏକୁଟିଆ ମରଦପଣିଆ ଦେଖାନି। ଚୁପ୍
ଚାପ୍ ପଳା ଏଠୁ। ଆଉ ଜଣେ ଛିଗୁଲେଇ କହିଲା-- ଆରେ ମିଛ କଥା କହନି ଜମା। ଆଜି ଆମ ପାର୍ଟି ବନ୍ଦ ଡାକରା ଦେଇଛି ମାନେ ସାପ ବି ଗାତରୁ ବାହାରିବନି। ତେବେ ତୋ ପୁଅକୁ ସାପ କାମୁଡିଲା କେମିତି। ଏମିତି କହି ହୋଃ  ହୋଃ  ଅଟ୍ଟହାସ୍ଯ କଲେ ସବୁ।
ତାଙ୍କ ଭିତରୁ ଜଣେ ଅଳ୍ପ ବୟସର ପିଲା କହିଲା ଆରେ ରାଧୁ ତୋ ପୁଅ ମରିବନି ରେ, ଜମା ଡରନି।
--- ତୋ ତୁଣ୍ଡ ସୁତୁଣ୍ଡ ହେଉ , ମୋ ପୁଅ ଟି ବଞ୍ଚିଯାଉ। କିନ୍ତୁ କେମିତି.. ପଚାରିଲା ରାଧୁ।
ପିଲା ଟା ଆହୁରି ଯୋରରେ ହସି ହସି କହିଲା  ଆରେ ଆଜି ଏ ବନ୍ଦ ପାଇଁ  ଯମରାଜା ବି ଆସିବନି। ଯଦି ଆସିବ ତାକୁ  ଲଙ୍ଗଳା କରି ମଇଁଷି ପିଠିରେ ବସେଇ ନର୍କକୁ ପଠେଇ ଦେବୁ। ଏବେ କହ ତୋ ପୁଅର ପ୍ରାଣ ନେବ କିଏ....

---ଏମିତି ଅନ୍ଯାୟ କରନି , ଭଗବାନ ସହିବେନି। ଯଦି ମୋ ପୁଅର କଣ ହେଇ ଯାଏ ତୁମେ ସବୁ ନର୍କରେ ସଢିବ। ବିକଳ ହୋଇ କହିଲା ରାଧୁ।
ସେଇ ଭିତରୁ ଜଣେ ମୋଟାସୋଟା ଗୁଣ୍ଡା କହିଲା “ ଆବେ ଚୁପ୍ କର, କେତେ ବକବକ ହେଉଛୁ। ପୁଅ ମଲେ ମରିବ। ଆଉ ଗୋଟେ ଜନ୍ମ କରି ଦେବୁ। ଶଳା ଦେଶର ଅବସ୍ଥା ଏଠି କଣ ଜାଣିଛୁ? ସେଇଥି ପାଇଁ ତ ଏ ବନ୍ଦ। ଆଜି ଲୋକେ ନିଶ୍ବାସ ନେଲେ ବି ତାହା ବନ୍ଦ କରିଦେବୁ। ତେବେ ଯାଇ ସରକାର ଶୁଣିବ ଆମ କଥା। ତୋ ପୁଅ କଣ, ଆଜି  ଯଦି ହଜାରେ ଲୋକଙ୍କୁ ସାପ କାମୁଡେ, ସବୁ ମରିବେ । ମରୁ ଶଳା, ଶହୀଦ ହେଇଯାଉ ଆମ ବନ୍ଦ ପାଇଁ।
 ଏ ସବୁ ଘଟଣା ହେବା ବେଳେ ଅତି ଅଳ୍ପ ଦୂରରେ ପୋଲିସ ଠିଆ ହୋଇ ସବୁ ଦେଖୁଥିଲା। ମାତ୍ର କିଛି ନ ଦେଖିଲା ପରି ଅଭିନୟ କରୁଥିଲା। ସେଇ ଭୁଇଁରେ ପଡିପଡି ପିଲାଟିର ଜୀବନ ଛାଡିଗଲା। ପୁଅର ଶବକୁ କୋଳେଇ ଛାତି ଫଟେଇ କାନ୍ଦିଲା ରାଧୁ। ଆମ ଆଖିରୁ ଧାରଧାର ଲୁହ ଝରି ଯାଉଥାଏ।  କଣ ସବୁ ଘଟିଗଲା ଜାଣିବା ଆଗରୁ, ଆଉ ଥୋକେ ଗୁଣ୍ଡା ଆସି ଆମ ସମସ୍ତଙ୍କୁ ବାଡେଇ ବାଡେଇ ଘଉଡେଇ ଦେଲେ।
 ସେଇ ଦିନ ଠାରୁ ରାଧୁ ପାଗଳ ହୋଇ ଯାଇଛି। ଗାଁ ଦାଣ୍ଡରେ ବିକଳ ହୋଇ ହାତରେ ପତାକା ଖଣ୍ଡେ ଧରି କହି ବୁଲୁଛି  “ ସବୁମରିବ, ଆଜି ପରା ଭାରତ ବନ୍ଦ ଚାଲିଛି। ”
 ତା ମାନେ କଣ ବନ୍ଦର ଅର୍ଥ ଲୋକଙ୍କୁ ମାରିବା। ଦରିଦ୍ର ଅସହାୟ ଲୋକର ମଜା ଉଡେଇବା। ବନ୍ଦ ହେଲେ ସବୁ ଠୁ ବେଶୀ କ୍ଷତି ହୁଏ ସାଧାରଣ ଲୋକର। ତେବେ କଣ ପାଇଁ ସେମାନେ ବି ଆଗେଇ ଆସନ୍ତି ଏ ବନ୍ଦ ପାଇଁ। କଣ ଦଶ ବାରଟା ଗୁଣ୍ଡାଙ୍କର ସାମନା ଲୋକେ କରି ପାରନ୍ତିନି। ଏତିକି କହି ବୁଢା ଚୁପ୍  ହୋଇଗଲା।  ମୁହଁଟା ଗମ୍ଭୀର ଦିଶିଲା। ରାକାର କାନ୍ଧ ଉପରେ ହାତ ପକେଇ କହିଲା--
ପୁଅ ଆଜିବି ଛାତି ଭିତରଟା ମୋର ଜଳୁଛି। ସେଦିନ ରାଧୁର ପୁଅ ଛଟପଟ ହୋଇ ମାଟିରେ ଗଡିଲା ବେଳେ ମୁଁ ଠିଆ ହୋଇଥିଲି ସେଇ ଗୁଣ୍ଡା ମାନଙ୍କୁ ଡରି। ମନ ହେଉଥିଲା ନିଆଁ ଲଗେଇ ଦେବାକୁ ସେମାନଙ୍କ ଦେହରେ। ଆଜି ଭାବୁଛି ଯେ ମୁଁ ବି ସେଇ ଡରୁଆ ଲୋକମାନଙ୍କ ଭିତରୁ ଜଣେ, ଯିଏ ମାଇଚିଆ ପରି ଠିଆ ହୋଇଥିଲା, ହାତ ଯୋଡି ଗୁଣ୍ଡା ମାନଙ୍କ ସାମ୍ନାରେ। ଆଜି ବି ମନ ଭିତରଟା ଜଳି ପୋଡି ଯାଉଛି ସେ ଘଟଣାଟି ମନେ ପଡିଲେ।ପିଲାଟା ମୋ  ଆଗରେ  ମରିଗଲା, ମୁଁ କିଛି ବି କରି ପାରିଲିନି। ଏବେ ବି ରାଧୁର ସେ ଚେେହେରାଟା ଜଳଜଳ ହୋଇ ନାଚି ଯାଉଛି  ମୋ ଆଗରେ।
ଏତିକି କହି  ବୁଢାର ପାଉଁଶିଆ ଆଖି ଯୋଡିକରେ ଲୁହ ଜକେଇ ଆସିଲା। ଲଣ୍ଠନର ଝାପସା ଆଲୁଅରେ ସେ ଲୁହ, ତରଳ ସୁନା ପରି ଚିକଚିକ୍ କରୁଥିଲା।
ରାକାର ଛାତି ଭତରଟା ମନ୍ଥି ହୋଇଗଲା  ପରି ଲାଗିଲା। ତା ଆଖି ଆଗରେ ନାଚି ଗଲା ସେ କରି ଥିବା ଅପରାଧର ଲମ୍ବା ତାଲିକା। କେତେ ଲୋକଙ୍କୁ ବାଡେଇଛି, ରକ୍ତ ବୁହାଇଛି ତାର ହିସାବ ନାହିଁ। କାଇଁ ଦିନେ ବି ତା ମନରେ ଏମିତି ଭାବାନ୍ତର ହୋଇ ନାହିଁ। ଜୀବନରେ ପ୍ରଥମ ଥର ପାଇଁ ସେ ଅନୁଭବ କଲା ଯେ ଯେତିକି ରକ୍ତ ସେ ବୁହାଇଛି, ତା ଠାରୁ କାହିଁ କେତେ ଗୁଣ ଅଧିକା ଲୁହ ଝରାଇଛି। ମନ ଭିତରେ କେମିତି ଗୋଟେ ଡରୁଆପଣ ସେ ଅନୁଭବ କଲା। ଯଦି ବନ୍ଦ ସମୟରେ ତା ସ୍ତ୍ରୀ ବା ଝିଅର କିଛି ଅସୁବିଧା ହୁଏ ? କଣ ସେମାନଙ୍କ ଅବସ୍ଥା ବି ରାଧୁ ପୁଅ ପରି ହେବ...
ତା ମନର ବ୍ଯସ୍ତତା ଠଉରାଇ  ପାରିଲା ବୁଢା। କହିଲା  “ ତୁମେ ଟିକେ ଗଡି ପଡ ପୁଅ। ମୁୁଁ ତୁମକୁ ଉଠେଇ ଦେବି”
ଚୁପଚାପ୍ ରାକା ଗଡି ପଡିଲା ମସିଣା ଉପରେ। ଆଖିରେ ନିଦର ନାମ ଗନ୍ଧ ନାହିଁ। ଆଖି ଆଗରେ ଖାଲି ନାଚୁଛି ଗୋଟେ ବୁଢା ଲୋକର ଚେହେରା ଯିଏ ନିଜ ପୁଅର ଶବ ଧରି କାନ୍ଦୁଛି ଓ କହୁଛି “ ମୋ ପୁଅ କୁ ସାପ ନୁହଁ, ବନ୍ଦ ମାରିଦେଲା। ”
ସ୍ତ୍ରୀ ଦେହରେ ହାତ ପକେଇ ଦେଖିଲା , ତାତି ଟିକେ କମିଛି। ସବୁ ଚିନ୍ତାରୁ ମୁକ୍ତ ହୋଇ ଶୋଇଛି ସେ ଗାଢ ନିଦରେ। ଝିଅ କୁ ଗେଲ କରି କହିଲା
---ମାଆଲୋ ଜଲଦି ଭଲ ହୋଇଯା। ତୋତେ କେତେ ଜାଗା ବୁଲେଇ ନେବି, ଖେଳନା କିଣି ଦେବି।
ମନେମନେ ଭାବିଲା ରାକା। ଯଦି ଏ ସବୁ କାମ ଛାଡି ମେହେନତ କରିବ। ଅନ୍ଯ ଦେହରୁ ରକ୍ତ ନ ଝରାଇ  ନିଜ ଦେହରୁ ଝାଳ ବୁହେଇ ପଇସା କମେଇବ, ତେବେ କଣ ସେ ଶାନ୍ତି ପାଇବ। ନାଃ ଆଉ ନୁହେଁ। ଏ ପାାପର ପଙ୍କ ରେ ସେ ଆଉ ଘାଣ୍ଟି ହେବନି। ଆଜି ପରଠାରୁ ସେ ନିଜ ଶିଙ୍ଗରେ  ମାଟି ତାଡିବ। ମୂଲ ଲାଗିବ,  ପଥର ହାଣିବ, ପେପର ବିକିବ.... କିଛି ବି କରିବ କିନ୍ତୁ ଅନ୍ଯାୟ କରିବ ନାହିଁ।
କେତେ ଥର କଡ ଲେଉଟାଇଲା ପରେ ରାକା ବାହାରକୁ ଆସିଲା। ଚାହିଁଲା ଆକାଶ କୁ। ସକାଳ ହେବାକୁ ଆହୁରି ସମୟ ଅଛି। ଆକାଶରେ ତାରା ମାନଙ୍କର ସମ୍ଭାର। ଭସା ବାଦଲ ସବୁ ତାରା ମାନଙ୍କୁ ଲୁଚେଇ ବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ କିଛି କ୍ଷଣ ପରେ ବାଦଲ ଅପସରି ଯାଉଛି ଓ ତାରା ମାନେ ସେଇ ହସହସ ମୁହଁରେ ଦେଖୁଛନ୍ତି ତାକୁ। ଆକାଶରେ ସୂର୍ଯ୍ଯ ଉଦୟ ହୋଇନାହିଁ କିନ୍ତୁ ତା ମନ ଆକାଶରେ ଆଜି ନୂତନ ସୂର୍ଯ୍ଯ ଉଇଁଲା ପରି ଲାଗୁଛି। ଏ ସୂର୍ଯ୍ଯ ଆଣିଛି ଚେତନାର ନୂଆ ଆଲୋକ। ଯାହା, ତା ମନରେ ଥିବା ପାପ ଅନ୍ଧକାରକୁ ଦୁରେଇ ବାରେ ଲାଗିଛି। ପାପର ବାଦଲକୁ ଅପସାରି ଦେଇ ପୂଣ୍ଯର ତାରା ମାନଙ୍କୁ ପୁଣିଥରେ ଚମକାଇ ବାକୁ ହେବ।
ରାକା ଘରେ ଲୁଚେଇ ରଖିଥିବା ହାତ ହତିଆର ସବୁ କୁ ଆଉ ଥରେ ପରଖି ନେଲା। ତାକୁ ଏବେ ବାହାରିବାକୁ ପଡିବ। ଯୁଦ୍ଧକ୍ଷେତ୍ରକୁ ଗଲା ପରି ବେଶ ବାନ୍ଧିଲା। ମୁଣ୍ଡରେ ପଗଡି ଓ ବଡ ସିନ୍ଦୁର କଲି କପାଳରେ। ରଙ୍ଗ ଛାଡି, ମୁହଁ ଝାପସା ଦିଶୁଥିବା ଜଗନ୍ନାଥଙ୍କର ଫଟୋ କୁ ମୁଣ୍ଡିଆ ମାରିଲା ବେଳକୁ  ଶ୍ବଶୁର ଆସି ପହଞ୍ଚିଲେ।
---ପୁଅ ନିଶ୍ଚିନ୍ତ ହୋଇ ଯାଅ। ଜଗନ୍ନାଥ ସବୁ ଠିକ୍ କରିବେ। ସାବି ଆଉ ସାନ ଝିଅ ପାଇଁ ବ୍ଯସ୍ତ ହେବନି। ମୁଁ ତାଙ୍କ ପାଖେପାଖେ ଅଛି।
 ରାକା ଲମ୍ବା ପାହୁଣ୍ଡ ପକେଇ ବାହାରିଲା ରାସ୍ତକୁ। ଶେଷ ଥର ପାଇଁ ଚାହିଁଲା ଆକାଶ କୁ।
---- ଜେଜି , ଏଇ ଶେଷ ଥର ପାଇଁ ମୁଁ ଯାଉଛି ଅବାଟରେ। ଆଜି ପରଠାରୁ ଏ ସଇତାନି କାମ ସବୁ ଦିନ ପାଇଁ ବନ୍ଦ କରିଦେବି। ଆଜି ଦିନଟା ମାଫ୍ କରିଦେବୁ।


ଛକରେ ପହଞ୍ଚିଲା ବେଳକୁ ସାହେବର ଅନ୍ଯ ଗୁଣ୍ଡା ମାନେ ବସିଥାନ୍ତି। ଭୀମା, ଶଙ୍କର, ଜଗା ଓ ଆହରିି ଅନେକ। ସମସ୍ତଙ୍କ ନାମରେ ଥିବା ଅପରାଧର ତାଲିକା ବେଶ ଲମ୍ବା। ହତ୍ଯା, ଧର୍ଷଣ, ରାହାଜାନି, ଲୁଟପାଟ୍ ଓ ଆହୁରି ଅନେକ ଅପରାଧର ବରଣମାଳାରେ ସବୁ ସଜେଇ ହୋଇ ଥାଆନ୍ତି।
--- ଆସ ରାକା ଭାଇ, ତୁମ ଅପେକ୍ଷାରେ ଥିଲୁ ସବୁ। ଖେଳ ଆଜି ଜମେଇକି ହେବ। ଦିନରେ ରକ୍ତର ହୋଲି ଆଉ ରାତିରେ ସାହେବ ଘରେ ଦୀପାବଳି।
କିଛି ନ କହି ରାକା ସେମାନଙ୍କ ଆଡେ ଟିକେ ଦେଖିଲା।
 “ଖରାପ ଭାବିଲ କି ଭାଇ, ମଜା କରୁଥିଲି ମ”... କହିଲା ଶଙ୍କର।
ଶଙ୍କର ସାହବର ସାର୍ପ ସୁଟର ଭିତରୁ ଜଣେ।  ତା ଲକ୍ଷ୍ଯ ଅବ୍ଯର୍ଥ। ବନ୍ଧୁକରୁ ଥରେ ଗୁଳି ଛୁଟିଲେ ଜୀବନ ବଞ୍ଚାଇବାର ଅବକାଶ ବି ମିଳେନି। ସମସ୍ତେ କୁହନ୍ତି ଶଙ୍କର କଥା କମ କୁହେ ଆଉ ଗୁଳି ମାରେ ବେଶି। ତେଣୁ ତାକୁ ଦେଖିଲେ ବଡବଡ ଗୁଣ୍ଡାମାନେ ବି ପ୍ରମାଦ ଗଣନ୍ତି।
--- ସାହେବର କଡା ତାଗିଦ। କାହାକୁ ଜଖମି କରି ଛାଡିବନି। ସିଧା ଶେଷ କରିଦେବ। ଜୀବନ ଥିଲେ ସିନା କହିବ ତାକୁ କିଏ ମାରିଲା ବୋଲି। ତେଣୁ ହାତ ହତିଆର ଧରି ସବୁ ସଜାଗ ରୁହ। କିଏ ବି ବିରୋଧ କଲେ, ଯମପୁର ପଠେଇବାର ବ୍ଯବସ୍ଥା ସାଙ୍ଗେସଙ୍ଗେ କର। କହିଲା ଭୀମା।
ରାକା ନିଜ ମାଂସପେଶୀକୁ ଦୃଢ କରି କହିଲା “ ରାକାର ହାତ ହିଁ ଯଥେଷ୍ଟ। ଥରେ ଯିଏ ୟା କବଜାରେ ପଡିବ ହାଡଗୋଡ ଚୁନା ହୋଇଯିବ।” ଚୁପ୍ ହୋଇଗଲା ଭୀମା।
  ଛକରେ କିଛି ଦୋକାନୀ ଆସି ବୁଲାବୁଲି କରୁଥିଲେ। ସାଙ୍ଗେସାଙ୍ଗେ ଭୀମା “ ମାର ଶଳାଙ୍କୁ”କହି ଦଉଡି ଗଲା। ସେମାନେ ଭୟରେ ଛତ୍ରଭଙ୍ଗ ଦେଲେ। ଚିତ୍କାର କରି କହିଲା
– ଆବେ ତୋ ସାଙ୍ଗସାଥୀଙ୍କୁ କହିଦେବୁ ଏ ଛକ କୁ ଯିଏ ଆସିବ ସିଧା ଶେଷ କରିଦେବି।
ରାକା ହସି ପକେଇଲା।
ଚିହିଁକି ଉଠିଲା ଭୀମା। କହିଲା ଆବେ ହସୁଛୁ କଣ ? କଣ ତାମସା ଚାଲିଛି ବୋଲି ଭାବୁଛୁ ନାଁ କଣ?
ରାକା ମୁଣ୍ଡକୁ ପିତ୍ତ ଚଢିଗଲା।
–--ମୁହଁ ସମ୍ଭାଳି କଥାବାର୍ତ୍ତାକର ଭୀମା। ନୋହିଲେ ତୋ ଠୁ ମୁଣ୍ଡ ଗଡେଇବା ଆରମ୍ଭ କରିଦେବି।
ଦୁଇ ଜଣଙ୍କୁ ଅନ୍ଯମାନେ ରଖେଇ ଦେଲେ। ନହେଲେ ଭୟଙ୍କର ମାଡପିଟ୍ ହୋଇ ଯାଇଥାନ୍ତା।
ଭୀମା ସମ୍ଭାଳି ପାରେନି ରାକାକୁ। କାରଣ ସାହେବ ସଦାବେଳେ ରାକା କୁ ଅଧିକ ଗୁରୁତ୍ବ ଦିଏ।
ସଦାବେଳେ ରାକା ବିରୁଦ୍ଧରେ ସାହେବକୁ କୁହେ । ମାତ୍ର ସାହେବ ଜାଣିଛି କିଏ କଣ। ତେଣୁ ରାକା ପାଇଁ  ମନରେ ଅଛି ସ୍ବତନ୍ତ୍ର ସ୍ଥାନ।
 ସମୟ ଆସି ଆଠଟା। ସାହେବର ଜଣେ ଅନୁଚର ପାଟି କରି କହିଲା। ଭାଇ ମାନେ ଏବେ ଖେଳ ଆରମ୍ଭ ହୋଇଯିବ। ସବୁ ସଜାଗ ରୁହ। ଏତିକି ବେଳକୁ ରାକା ଦେଖିଲା ଦଶ ବାର ଜଣ ଲୋକ ହାତରେ ଖଣ୍ଡା ତଲଓ୍ବାର ଧରି ତାଙ୍କ ଆଡକୁ  ମାଡି ଆସୁଛନ୍ତି। ବୁଝିବାକୁ ବାକି ରହିଲାନି ଯେ ଏମାନଙ୍କୁ ଖବର ଦେଇଛନ୍ତି ସେଇ ଦୋକାନୀ ମାନେ ଯେଉଁ ମାନଙ୍କୁ ଭୀମା ଘଉଡେଇ ଥିଲା। ସାହେବର ଗୁଣ୍ଡାମାନେ ହତିଆର ଧରି ପ୍ରସ୍ତୁତ ହୋଇଗଲେ ଯୁଦ୍ଧ ପାଇଁ।
ଦୁଇ ପଟୁ ଚିତ୍କାର କରି ଦଉଡି ଆସିଲେ ପରସ୍ପରକୁ ଆକ୍ରମଣ କରିବା ପାଇଁ।
ଏତିକି ବେଳକୁ କୁଆଡୁ ଥିଲା, ପୋଲିସ ଗାଡି ଆସି ପହଞ୍ଚଗଲା। ପୋଲିସ ଧମକେଇ କହିଲା କିଏ ବି ନିଜ ଜାଗାରୁ ହଲିଲେ ଗୁଳି କରି ଉଡେଇଦେବି।
 ସାମନା ପଟୁ ଦଉଡି ଆସୁଥିବା ଲୋକ ମାନେ ଯାଗା ଛାଡି ପଳେଇଲେ।
ସାହେବର ଗୁଣ୍ଡା ମାନେ ହାତଯୋଡି ଗଲେ ପୋଲିସ ପାଖକୁ। ଜଣେ କହିଲା ସାର ଗୁଳି କରିବେ ଯେ ଆଗ ସାହେବ ପଠେଇଥବା ପ୍ରସାଦ ଟିକେ ପାଇ ଦିଅନ୍ତୁ। ପୋଲିସ ମୁହଁରେ କୁଟୀଳ ହସ।
ଇସାରା ପାଇ ରାକା ହାତରେ ଏକ କାଗଜ ଠୁଙ୍ଗା ଧରି ପୋଲିସ ପାଖକୁ ଗଲା। ହାତରୁ ନେଇ ପରଖିନେଲା ପରେ ପୋଲିସ କହିଲା
–- ଆବେ, ତୋ ସାହେବକୁ କହିଦେବୁ ପ୍ରସାଦ ଟିକେ ବେଶି ଦେବ। ନୋହିଲେ ମୋର ଅଧାରୁ ଅଧିକ  କର୍ମଚାରୀ ଟିକେ ବି ପ୍ରସାଦ ପାଇବେନି। ସକାଳ ପ୍ରସାଦ ତ ଗଲା। ଏବେ ଦିହି ପହର ଖାଇବା, ସନ୍ଧ୍ଯା ଜଳଖିଆ ଓ ରାତ୍ରୀ ଭୋଜନଟା ବେଶ ଭଲରେ ପଠେଇବାକୁ ମନେ କରି କହିଦେବ। ପୋଲିସ ଗାଡି ଧୂଆଁ ଉଡେଇ ଚାଲିଗଲା। ଶାନ୍ତିରେ ନିଶ୍ବାସ ମାରିଲେ ସାହେବର ଗୁଣ୍ଡା ମାନେ।
  ଡାକ୍ତରଖାନା ପିଣ୍ଡାରେ ଲାଗିଥିବା ଘଣ୍ଟାକୁ ଚାହିଁଲା ରାକା। ସମୟ ଆସି ଦଶ ଟା ହେଲା। କେହି କୁଆଡେ ନାହାନ୍ତି। ରାତିରେ ନ ଶୋଇ ଥକା ଲାଗୁଥିଲା। କାନ୍ଥକୁ ଆଉଜି ବସି ପଡିଲା ଟିକେ। ଭାବିଲା କଣ କରୁଥିବେ ତା ସ୍ତ୍ରୀ ଓ ଝିଅ। ରାଧୁର କଥା ମନରୁ ଜମା ଯାଉ ନ ଥାଏ। ଲାଗୁଥାଏ ଯିମିତି ତା ତଣ୍ଟି ପାଖରେ କିଛି ଗୋଟେ ଜାକି ହୋଇ ଯାଇଛି। କାନ୍ଦିଲା ବେଳେ କୋହ ଉଠିଲେ ଯେପରି ଲାଗେ ସେମିତି ଲାଗୁଥିଲା ତାକୁ।
“ଧର ଶାଳି କୁ । ମୁଁହରେ ଏସିଡ୍ ପକା। ଜମା ଛାଡନି ତାକୁ। ” ଏମିତି ପାଟି ଶୁଣି ଉଠ ପଡିଲା ରାକା। ଶୁଭିଲା ଜଣେ ନାରୀର କରୁଣ କାନ୍ଦଣା। କଣ ହୋଇଛି ବୋଲି ଦଉଡି ଗଲା। ଦେଖିଲା ଜଣେ ସ୍ତ୍ରୀ ଲୋକ କାନ୍ଦିକାନ୍ଦି କହୁଛି-
 “ମୋତେ  ମାରିଦିଅ, ହାଣି ଦିଅ, ଜାଳି ଦିଅ  ଯାହା କରୁଛ କର, କିନ୍ତୁ ମୋ ସ୍ବାମୀଙ୍କୁ ବଞ୍ଚେଇ ଦିଅ।”
କାନ୍ଧରେ ବୋହିଛି ଜଣେ ପୁରୁଷ ଲୋକକୁ। ସ୍ତ୍ରୀ ଲୋକଟିର ଦେହରେ ରକ୍ତର  ଦାଗ। ମୁଣ୍ଡ ଫାଟି ଯାଇଛି ଓ ଅନକ ଯାଗାରେ କଟା ଦାଗ। ବୋଧେ ତା ଉପରେ ଆକ୍ରମଣ ହୋଇଛି। ପୁରୁଷ ଲୋକଟି ନିସ୍ତେଜ ହୋଇ ପଡିଛି। ତା ଦେହରେ ବି ଆଘାତର ଚିହ୍ନ।
ସ୍ତ୍ରୀ ଲୋକଟି କହୁଥାଏ “ ମନା କଲା ପରେ ବି ଆଜି ବିଲକୁ ଗଲେ। ଘରକୁ ଆସି କହିଲେ ସାପ କାମୁଡି ଦେଲା , ଆଉ ଅଚେତ ହୋଇ ପଡିଗଲେ। ଯେତେ ଡାକିଲେ ବ ଶୁଣୁ ନାହାନ୍ତି। ଦେହରେ ଜୀବନ ଅଛି। ଡାକ୍ତର ଦେଖିଲେ ଭଲ କରିଦେବେ।  କି ଅବସ୍ଥା କଲୁ ଲୋ ଦଇବ.....ମୋ ମଥାରୁ ସିନ୍ଦୁର ପୋଛି ଦେବୁନିରେ ଦଇବ।”
 ତା କାନ୍ଦ ଦେଖି ପଥର ବି ତରଳି ଯିବ। କିନ୍ତୁ ସାହେବର ଗୁଣ୍ଡା ମାନେ ତ ଅସୁର। ତାଙ୍କ ମନରେ ଭାବାନ୍ତର ନାହିଁ ଟିକେ ବି। ସେଇ ଭିତରୁ ଜଣେ କହିଲା  ---
– - ଯଦି ଭଲ ଗତି ଅଛି ପଳା ଏଠୁ, ନହେଲେ ତୋର ଓ ତୋ ସ୍ବାମୀର ମୁଣ୍ଡ ଏଇ ରାସ୍ତା ଉପରେ ଗଡେଇ ଦେବି।
 ସବୁ ଘଟଣା ଦେଖି ରାକାର ମୁଣ୍ଡ ଗରମ ହୋଇଗଲା। ମନେ ପଡିଗଲା ରାଧୁ ପୁଅର କଥା। ଶ୍ବଶୁର କହିଥିବା କଥା ଗୁଡା ସବୁ କାନ ପାଖରେ ଶୁଭିବାକୁ ଲାଗିଲା। ପାଦ ତଳେ ଭୂମି ଥରିବାକୁ ଲାଗିଲା।  କଣ୍ଠ ବାଷ୍ପରୁଦ୍ଧ ହୋଇଗଲା।
ତାଗିଦ୍ କଲା ପରି ଗୁଣ୍ଡା ମାନଙ୍କୁ କହିଲା, ଛାଡି ଦିଅ ତାକୁ। ଦେଖି ପାରୁନ ସ୍ତ୍ରୀ ଲୋକଟା ଏମିତି କଣ କହୁଛ।
ଏମିତି ଏକ ସୁଯୋଗର ଅପେକ୍ଷାରେ ଥିଲା ଭୀମା। ଚଢା ଗଳାରେ କହିଲା ଆବେ ରାକା, ନିଜ ଔକାତ ଭୁଲନି। ତୋ ଦୟା ତୋ ପାଖରେ ରଖିଥା। ମୋତେ ମନା କରିବାର ଅର୍ଥ ହେଲା ସାହେବ କୁ ମନା କରିବା। ଆଉ ତାର ଫଳ କଣ ହେବ ତୁ ତ ଜାଣିଛୁ। ସାହେବ କାହାକୁ ଛାଡିବନି। ମୋ କାନେକାନେ ସେ କହିଛି, ଯଦି ଆମ ଭିତରୁ କିଏ କାମ କରିବାରେ ଖିଲାପ କରେ ତାକୁ ଶେଷ କରିଦେବା ପାଇଁ। ତୁ କଣ ମୋ ହାତରେ ଶେଷ ହେବା ପାଇଁ ଚାହୁଁଛୁ।
ରାକା କିଛି ନ ଶୁଣି ସ୍ତ୍ରୀ ଲୋକଟିକୁ ପଚାରିଲା “ କଣ ହେଇଛି ୟାର।”
--- ସାପ କାମୁଡି ଦେଇଛି ବାବୁ। ତାକୁ ବଞ୍ଚେଇ ଦିଅ। ବେଶୀ ଡେରି ହେଲେ ଆଉ ଜୀବନ ବଞ୍ଚିବନି। ଏତିକି କହି ସେ ତା ସ୍ବାମୀର ସାପ କାମୁଡା ଜାଗା ଦେଖେଇଲା। ଦାନ୍ତର ଚିହ୍ନ ସହିତ ସ୍ଥାନଟି  କଳା ପଡି ଯାଇଥିଲା। ଦେହର ରଙ୍ଗ ଧିରେଧିରେ ନୀଳ ପଡି ଆସୁଥିଲା।
ପଦୁଟିଏ କଥା ନ କହି ରାକା ସେ ଲୋକଟିକୁ ନିଜ କାନ୍ଧକୁ ନେଲା। ଡାକ୍ତରଖାନାର ଗେଟ୍ ପାଖରେ ଚିତ୍କାର କରି କହିଲା
---ଆରେ କିଏ ଅଛ କବାଟ ଖୋଲ। ଡାକ୍ ଡାକ୍ତରକୁ । ନହେଲେ ବୋମା ପକେଇ ଉଡେଇ ଦେବି ଏ ଡାକ୍ତରଖାନା କୁ।
ବୋମା କଥା ଶୁଣି କବାଟ ଖୋଲିଗଲା। ରାକା ସିଧା ଡାକ୍ତର ପାଖକୁ ଯାଇ କହିଲା “ କିଛି ବି କର, କିନ୍ତୁ ୟା ଜୀବନ ବଞ୍ଚାଅ। ନୋହିଲେ ଏଇ ଯାଗାରେ ତୋର ମୁଣ୍ଡ ଗଡେଇ ଦେବି। ରାକାର ଆଖିରେ ନିଆଁ। ଡାକ୍ତର କିଛି ନ କହି ଚିକିତ୍ସାରେ ଲାଗି ପଡିଲେ।
ଗେଟ୍ ବାହାରକୁ ରାକା ଆସି ଗେଟ୍ ରେ ତାଲା ପକେଇ ବସିଲା। ଯାହା ଦେଖିଲା ନିଜ ଆଖିକୁ ବିଶ୍ବାସ କରିପାରିଲାନି। ଗୁଣ୍ଡାମାନେ ସ୍ତ୍ରୀ ଲୋକଟିକୁ ବିବସ୍ତ୍ର କରି ରାସ୍ତାରେ ଚଲାଇ କହୁଥାନ୍ତି--
 ଯଦି କିଏ ବି ଆମ କଥା ନ ମାନିବ ତା ଅବସ୍ଥା ୟା ଠୁ ବି ଖରାପ କରାଯିବ। ଭଲମଙ୍ଗଳ ଥିଲେ କେହି ବି ବାହାରକୁ ଆସନି।
ରାକାର ହୃତ୍ ସ୍ପନ୍ଦନ ବଢିଗଲା। କପାଳର ଦୁଇ ପାଖରେ ଥିବା ଶିରା ଧକଧକ କରିବା ଆରମ୍ଭ କଲା।  ଠିଆ ହୋଇ କହିଲା  “ ଏବେ ଆରମ୍ଭ ହେଲା ଅସଲ ଯୁଦ୍ଧ। ଏକ ଯୋଦ୍ଧା ପରି ଲମ୍ଫ ଦେଲା ଗୁଣ୍ଡା ମାନଙ୍କ ଉପରକୁ। ସ୍ତ୍ରୀ ଲୋକଟି ଦେହରେ ଘୋଡେଇ ଦେଲା କାନ୍ଧରେ ପକେଇ ଥିବା ଗାମୁଛାକୁ। ତାକୁ ନେଇ ଡାକ୍ତରଖାନା ଗେଟ୍ ପାଖରେ ଛାଡି ପୁଣି ଫେରିଲା ଯୁଦ୍ଧ କ୍ଷେତ୍ରକୁ।
 ଦଉଡି ଆସିଲା ଭୀମା, ପକେଇଲା ଏକ ଶକ୍ତ ଧକ୍କା ରାକାକୁ। ଘେରିଗଲେ ବାକି ଗୁଣ୍ଡାମାନେ। ଆରମ୍ଭ ହୋଇଗଲା ମାଡ ରାକା ଉପରେ।
କିନ୍ତୁ ଏତେ ସହଜ ନୁହେଁ ରାକାକୁ ହରାଇବା। ନିଜର ସମସ୍ତ ବଳ ଖଟାଇ ଉଠିଲା ରାକା। ଜଣ ପରେ ଜଣକୁ ଟେକି ଫୋପାଡି ଦେଲା ଫୁଟବଲ୍ ପରି। ସଦର୍ପେ  ଠିଆ ହୋଇ ଆହ୍ବାନ ଦେଲା ସବୁ ଗୁଣ୍ଡାଙ୍କୁ ସମ୍ମୁଖ ଯୁଦ୍ଧ ପାଇଁ। ଭୀମା ଦଉଡି ଆସିଲା ଏକ ତଲଓ୍ବାର ଧରି ରାକା ପେଟରେ ଭୁଷିବା ପାଇଁ। ମାତ୍ର ରାକା ସେ ଚୋଟରୁ ନିଜକୁ ବଞ୍ଚାଇ ଭୀମା ପେଟରେ ଦେଲା ଏକ ଶକ୍ତ ମୁଥା। ଫୋପାଡି ହୋଇ ପଡିଲା ସେ। ପେଟକୁ ଜାବୁଡି ଭୂଇଁରେ  ଗଡିବାକୁ ଲାଗିଲା।
ପଛରୁ ଶୁଭିଲା ସାହେବର ସ୍ବର। ବୋଧେ କିଏ ଖବର ଦେଇଦେଲା ରାକାର କାରନାମା ବିଷୟରେ।
--- ନମକହାରାମ, ମୋ ଲୋକଙ୍କୁ ମାରୁଛୁ। ମୋ କୁକୁର ହୋଇ ମୋତେ କାମୁଡିବାକୁ ବାହାରିଛୁ।
ସାହେବ ହାତରେ ବନ୍ଧୁକ୍।
--ପାଗଳ କୁକୁରର ପାଗଳାମି ଗୁଳି ଦେଇ ଠିକ କରାଯାଏ। ପ୍ରସ୍ତୁତ ହୋଇଯାଆ ମରିବାକୁ।
ଏତିକି କହି ସାହେବ ରାକା କୁ ଗୁଳି କରିବାକୁ ବନ୍ଧୁକ ଉଠାଇଲା।
ଠିକ୍ ସେତିକି ବେଳେ ଶୁଭିଲା ଭୀଷଣ କୋଳାହଳ। ଶହଶହ ଲୋକ ହାତରେ ଠେଙ୍ଗାବାଡି ହାତରେ ଧରି ମାଡି ଆସୁଥାନ୍ତି। ଏକ ସ୍ବରରେ କହୁଥାନ୍ତି –
  --- “ବନ୍ଦ ଆଉ ଚଳିବ ନାହିଁ , ଅନ୍ଯାୟ ଆଉ ସହିବୁ ନାହିଁ, ଆନ୍ଦୋଳନକାରୀ ପଳାଇ ଯାଅ, ନୋହିଲେ ମରିବ ସଜାଗ ରୁହ।
କେହି କିଛି ବୁଝିବା ଆଗରୁ ସାହେବ ଓ ତା ଲୋକ ମାନଙ୍କୁ ଟେକି ନେଲେ । ବୁଝିବାକୁ ବାକି ରହିଲାନି ଯେ ବନ୍ଦ ବିରୋଧରେ ବାହାରିଛନ୍ତି ଏ ଲୋକମାନେ।
ରାକା ମନେମନେ କହିଲା ରାଧୁର ଲୁହ ଆଜି ଏ ଆନ୍ଦୋଳନର ରୂପ ନେଇଛି। ସେ ଜନସମୁଦ୍ରର ଆଗକୁ ପଳାଇଗଲା ରାକା। ଏକ ବଡ ଠେଙ୍ଗା ଧରି  ବଡ ପାଟିରେ କହିଲା
 “   ଭଡାଟିଆ ଗୁଣ୍ଡା ଦୂରେଇ ଯାଅ, ନୋହିଲେ ବୋହିବ ରକ୍ତର ସୁଅ”
ଡାକ୍ତରଖାନାରୁ କର୍ମଚାରୀ ଜଣେ ଦଉଡି ଆସି କହିଲା
– ବାବୁ ସେ ଲୋକଟି ବଞ୍ଚିଗଲା। ସ୍ତ୍ରୀ ଲୋକଟି ବି ଭଲ ଅଛି।
ଏତିକି ଶୁଣି ରାକା କେତେ ଶାନ୍ତି ପାଇଲା ତାହା ଭାଷାରେ ବର୍ଣ୍ଣନା କରିବା କଷ୍ଟ। ଆତ୍ମସନ୍ତୋଷରେ ଭରିଗଲା ତା ମନ।
ଏଥର ଆହୁରି ଉତ୍ସାହର ସହ ରାକା କହିଲା ଏବେ ଏ “ ବନ୍ଦ” କୁ ସବୁ ଦିନ ପାଇଁ ବନ୍ଦ କରିଦେବାକୁ ହେବ। ଆସ ଭାଇମାନେ ଚାରିଆଡେ ଏହି ଆନ୍ଦୋଳନକୁ ଆଗେଇ ନେବା।

ହସି ହସି ଆକାଶକୁ ଚାହିଁ କହିଲା ରାକା--
--- ଜେଜି, ଭାବୁଥିଲି ଆଜି ତୋ  ପାଖକୁ ଯାଇଥାନ୍ତି, ମାତ୍ର ଭାଗ୍ଯରେ ନ ଥିଲା। ଆଉ କେତେ ଦିନ ଅପେକ୍ଷା କରିଥା, ତୋ ନାତୁଣୀର ବାହାଘର ସାରିବା ପରେ ଯିବା କଥା ଚିନ୍ତା କରିବି।

*********ସମାପ୍ତ*********

ମଣିଷ ବାଘ

ଲେଖକ-ଅରବିନ୍ଦ ରଥ

ସେଦିନ ସକାଳୁ ପବି ଚା ଦୋକାନରେ ଗହଳି ଜମି ଆସୁଥିଲା । କାହାର ବିନା ଚିନି ଚାହା ତ କାହାର ପୁରା ମିଠା, କିଏ କହୁଛି ନାଲି ଦରକାର, ତ କାହାର ପୁରା କଡା ମାର୍କା । କିଛି ବିରକ୍ତି ଭାବ ପ୍ରକାଶ ନ କରି ସେ ଗ୍ରାହକଙ୍କ ବରାଦ ପୂରଣ କରିଚାଲିଥିଲା । ସେ ଛକରେ ପବି ଚାହାର ଆଦର ବେଶି । ବିକ୍ରି ଯେମିତି ଲାଭ ବି ସେମିତି । ମଧୁର ବ୍ୟବହାର ଓ ଚାହାର ଗୁଣବତ୍ତା ପାଇଁ ପବି ଚାହା ଦୋକାନ ଢେର ନାମ କମେଇ ସାରିଥିଲା

କୁଟୁମ୍ବ ପୋଷିବାର ଏକମାତ୍ର ସାହାରା ଥିଲା ଚାହା ଦୋକାନ l ଘରେ ସ୍ତ୍ରୀ ଓ କଲେଜ ପଢୁଆ ଝିଅ । ଝିଅ କଲେଜ ଯିବା ପରେ ସ୍ତ୍ରୀ ଘରେ କାମ ଧାମ ସାରି ଅପେକ୍ଷା କରେ ବାପ ଝିଅଙ୍କ ଫେରିବା ବାଟକୁ । ଘର ବୋଇଲେ ଦୁଇ ବଖରିଆ ଖପରିଲି ଘର। ଭଗବାନଙ୍କ ଦୟାରୁ ମୁଣ୍ଡ ଗୁଞ୍ଜି ବାକୁ ଜାଗା ଟିକେ ଅଛି, ସେତିକି ଯଥେଷ୍ଟ। ଯୋଗ କୁ ଘର ପାଖରେ ତାକୁ ଜାଗା ଖଣ୍ଡିଏ ମିଳି ଯାଇଥିଲା ଦୋକାନ କରିବା ପାଇଁ। ଡାକେ ବାଟରେ ଦୋକାନ ଥିଲା, ତେଣୁ ଘର ଉପରେ ନଜର ରଖିବାକୁ ମଧ୍ଯ ସୁବିଧା ହେଉଥିଲା।

ସେଦିନ ସକାଳେ ପବି ଚା ଦୋକାନରେ ଜୋରଦାର ଚର୍ଚ୍ଚା ଚାଲିଥିଲା । ସହରରେ କୁଆଡ଼େ ବାଘ ମାତିଛନ୍ତି, ଜଙ୍ଗଲ ବାଘ ନୁହଁ ମଣିଷ ବାଘl ସେମାନଙ୍କର ରକ୍ତ ଲୋଡ଼ା ନାହିଁ; ଦରକାର ମଣିଷ ଦେହ । ପବି କିଛି ବୁଝି ନ ପାରି ସମସ୍ତଙ୍କ ମୁହଁକୁ ବଲବଲକରି ଅନେଇ ରହିଲା। ଜଣେ ଟୋକା କହିଲା " ପବି ଭାଇ ତୁମ ପାଖରେ ଏ ମଣିଷ ବାଘ ମାନଙ୍କ ବିଷୟ ରେ କିଛି ଖବର ଅଛି କି ନାହିଁ କହୁନ ଯେ! – - ଏମିତି ବୋକା ପରି କାହିଁକି ଚାହିଁଛ ?

-- ନାଇଁ ରେ ପୁଅ କଣ ହୋଇଛି କି ? କାଇଁ ମୁଁ ଏ ବିଷୟରେ କିଛି ଜାଣିନି ତ।

ଟୋକା ଟା କହିଲା " ଆରେ ଆଜିକାଲିକା ଧନୀ ଘରର ଯୁବକମାନେ ପରା ପାଲଟିଛନ୍ତି ମଣିଷ ବାଘl ପାଖରେ ଅଛି ଅପର୍ଯ୍ୟାପ୍ତ ପଇସା ଓ ସମୟ। ସେମାନଙ୍କର ପାଠ ପଢିବା ଦରକାର ନାହିଁ ,ବାପା ମାନେ ଏତେ ପଇସା ରଖିଛନ୍ତି ଯେ ସାତ ପୁରୁଷ ଖାଇଲେ ବି ସରିବନି । ନା କିଛି କାମ ଅଛି, ନା କିଛି ଚିନ୍ତା । କଥା ରେ ଅଛି କାମ ବା ଚିନ୍ତା ନ ଥିଲେ ମଣିଷ ନାନା ଅନୀତି କାର୍ଯ୍ଯରେ ମାତେ। ଏ ଯୁବକ ମାନେ ସେହି ଶ୍ରେଣୀର।

ପବି ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଲା। ବଡ଼ ସଙ୍କୋଚ ରେ ପଚାରିଲା " କଣ କରନ୍ତି ଏ ମଣିଷ ବାଘ ମାନେ" ? ଆମ ଗାଁଆ ନାଚପାର୍ଟିରେ ଯେମିତି ବାଘ ବେଶ ଧରି ନାଚନ୍ତି, ଏମାନେ ସେପରି କିଛି କରନ୍ତି କି?

ଯୁବକଟା ପବି ର ନିରିହ ଉତ୍ତରରେ ନିଜ ହସ ସମ୍ଭାଳି ନ ପାରି କହିଲା-- ବୁଝିଲ ପବି ଭାଇ, ତୁମେ ଆଉ ହବନି, ଏତେ ବୋକା ହେଲେ ଏ ଦଗାବାଜ୍ ଦୁନିଆରେ ଚଳି ପାରିବ ତ!! ତୁମେ ମୋ କଥା ବୁଝି ପାରିବ କି ନାହିଁ ଜାଣିନି ତଥାପି କହୁଛି ଶୁଣ ; ଏବେ ଆମ ମାଆ ଭଉଣୀମାନେ ଆଉ ନିରାପଦ ନୁହନ୍ତି । ଘର,ବାହାର, ବଜାର, ସିନେମା ହଲ୍ ସବୁ ଯାଗାରେ ଏ ବାଘ ମାନେ ବ୍ୟାପି ଗଲେଣି। ଯେତେବେଳେ ଯାହାକୁ ପାଇଲେ ଅସମ୍ମାନ କରୁଛନ୍ତି, ଯେଉଁ ଝିଅ ଭଲ ଲାଗିଲା ତାକୁ ଉଠେଇ ନେଉଛନ୍ତି। ଏଇ କିଛି ଦିନ ଭିତରେ କେତେ ଝିଅଙ୍କ ଇଜ୍ଜତ ଗଲାଣି ତାର ହିସାବ ନାହିଁ। ପ୍ରଥମେ ଝିଅ ମାନେ ନିଖୋଜ ହେଉଛନ୍ତି ଓ କିଛି ଦିନ ପରେ ସେମାନଙ୍କ ମୃତ ଶରୀର ମିଳୁଛି ପୋଖରି,ଜଙ୍ଗଲ ବା ନଳା ଭିତରୁ । ତିନିଦିନ ତଳେ ବାହାଘର ବେଦିରୁ ମଙ୍ଗୁଳୁ ସାହୁର ଝିଅ କୁ ଉଠାଇ ନେଲେ, ଦୁଇ ଦିନ ପରେ ଜଙ୍ଗଲ ଭିତରେ ତା ମୃତ ଶରୀର ଝୁଲୁଥିଲା ଗୋଟେ ପୁରୁଣା ବରଗଛରେ। ସେତିକି ନୁହଁ, ସହରତଳ ବସ୍ତିର ଝିଅ ବୋହୂଙ୍କ ଭିତରୁ କେତେ ଜଣଙ୍କ ସମାନ ଅବସ୍ଥା ହୋଇଛି ଏଇ କିଛି ମାସ ଭିତରେ। କିଏ କଣ ବା କରିବ; ପୋଲିସ କୋର୍ଟ ସବୁ ତାଙ୍କ ହାତରେ, ପାଖରେ ପଇସାର ଅଭାବ ନାହିଁ । ଯିଏ ମୁହଁ ଖୋଲିଲା ପଇସା ପକେଇ ଚୁପ୍ କରିବାରେ ଏମାନେ ସିଦ୍ଧହସ୍ତ । ଏମାନେ କେବେ କାହା ଉପରେ କି ପ୍ରକାର ଅତ୍ଯାଚାର କରିବେ ସେ କଥା ଭଗବାନ ବି କହି ପାରିବେନି।

ଏସବୁ କଥା ଶୁଣି ପବି ମନରେ ପାପ ଛୁଇଁଲା । ଯାହାହେଲେ ବି, ଘରେ ଅଛି ବଢିଲା ଝିଅ। ଝିଅର ସୁରକ୍ଷା ତା ପାଇଁ ସବୁଠାରୁ ବଡ଼ କଥା । କଲେଜ୍ ଯିବା ଦିନରୁ ପବି ଝିଅ କୁ ଯଥେଷ୍ଟ ସଚେତନ କରାଇଥିଲା । ଅଜଣା ଯୁବକଙ୍କ ସହ ନ ମିଶିବା ଓ କାହାସହ ବୁଲାବୁଲି ନ କରି କେବଳ ପାଠରେ ମନ ଦେବା ପାଇଁ ସେ ଝିଅ କୁ ବରାବର ତାଗିଦ୍ କରୁଥିଲା। କିନ୍ତୁ ଆଜିକାଲି ଦୁନିଆ ରେ ନିଜେ ଯେତେ ଭଲ ହେଲେ କଣ ହେବ, ଦୁନିଆ ଟା ତ ଖରାପ।

ସେଦିନ ଘରକୁ ଫେରି ପବି ଦେଖିଲା ଯେ ଝିଅ କାନ୍ଦୁଛି । ବଡ଼ ବ୍ୟସ୍ତ ହୋଇ ସବୁ କଥା ବୁଝିବାରୁ ଜାଣିଲା ଯେ, ଝିଅର ସାଙ୍ଗକୁ କଲେଜରୁ ସମସ୍ତଙ୍କ ସାମନା ରେ କିଛି ଯୁବକ ଜବରଦସ୍ତି ହରଣଚାଳ କରିନେଇଛନ୍ତି । ସାରା କଲେଜର ପିଲା ଓ କର୍ମଚାରୀ ସେଠାରେ ଥିଲେ, ମାତ୍ର କେହି ଜଣେ ବି ପ୍ରତିବାଦ କଲେନି। ଝିଅର ବାପା ଥାନାରେ ଏତଲା ଦେଲା ପରେ ବି କେହି ଗୁହାରି ଶୁଣିଲେନି। ପବି ମନେ ମନେ କହିଲା-- ଓଃ, ତା ମାନେ ସେ ମଣିଷବାଘ ମାତି ଥିବା ଖବର ଟା ମିଛ ନୁହଁ।

ପବି ର ମନ ଭିତରଟା ମନ୍ଥି ହୋଇଗଲା। ଚାରିଆଡ ଅନ୍ଧାର ଦିଶିଲା। ଆଜି ଯଦି କଲେଜର ଗୋଟେ ଝିଅକୁ ନେଇ ଗଲେ, କାଲି ସକାଳେ ଆଉ ଜଣକୁ ନେବେ। ତାଙ୍କୁ ଦମନ କରିବାକୁ କେହି ନାହିଁ। ପବି ମୁଣ୍ଡକୁ ଏକ ବୁଦ୍ଧି ଯୁଟିଲା। ଥାନାବାବୁ ତା ଦୋକାନକୁ ଚାହା ପିଇବାକୁ ଆସନ୍ତି। ଭାବିଲା ଥାନାକୁ ଯାଇ ଥରେ ଦେଖା କରିଦେବ। ଥାନା ବାବୁ ତ ସଦାବେଳେ ତା ଦୋକାନରୁ ଚାହା ମଗେଇ ପିଅନ୍ତି, ଅବଶ୍ଯ ପଇସା ଆଜି ଯାଏ କେବେ ଦେଇ ନାହାଁନ୍ତି। ପବିକୁ ଏ ଜିନିଷ ନୂଆ ଲାଗେନି, କାରଣ ପୋଲିସ ମାନେ ନିଅନ୍ତି, କେବେ ଦେବାର କେହି ଦେଖି ନାହାନ୍ତି। ତା ମନରେ ଗର୍ବ ଥାଏ ଯେ ପୋଲିସବାବୁ ତା ପାଖରୁ ଚା ପିଉଛନ୍ତି। ତାହା କେତେ ବଡ ସମ୍ମାନର କଥା। ତେଣୁ ତାଙ୍କୁ ଚାହା କପ୍ ବଢାଇଦେଇ ଏ ଘଟଣା ବିଷୟରେ କହିଦେଲେ ସେ କିଛି ଖରାପ ଭାବିବେ ନାହିଁ।

ଅନେକ ପ୍ରଶ୍ନ ଓ ଆଶଙ୍କାରେ ତା ମନ ଅସ୍ତବ୍ଯସ୍ତ ହୋଇ ଉଠିଲା ଓ ସେ ଥକ୍କା ହୋଇ ଶେଯରେ ଗଡି ପଡିଲା । କିଛି ସମୟ ପରେ ଦେଖିଲା ଏକ ଅଦ୍ଭୁତ ସ୍ବପ୍ନ- - ତିନି ଜଣ ଯୁବକ ତା ଝିଅ ପଛରେ ଦୌଡୁଛନ୍ତି, ସମସ୍ତଙ୍କ ହାତରେ ଧାରୁଆ ଛୁରୀ ଚକଚକ କରୁଛି। ସେମାନଙ୍କ ମୁହଁରେ ଉକୁଟି ଉଠୁଛି ପୈଶାଚିକତା ଓ ଅଟ୍ଟହାସ୍ଯ କରି ସେମାନେ ଝିଅ କୁ ଧରିବାକୁ ହାତ ଲମ୍ବାଉଛନ୍ତି । ଝିଅ ର ପିନ୍ଧା ବସନ ଠାଏ ଠାଏ ଚିରି ଯାଇଛି ଓ ମୁଣ୍ଡର କେଶ ସବୁ ଅସ୍ତବ୍ଯସ୍ତ ହୋଇଯାଇଛି। ସେ ବିକଳ ହୋଇ କାନ୍ଦୁଛି ଓ ସମସ୍ତଙ୍କୁ ଗୁହାରି କରୁଛି ତାକୁ ବଞ୍ଚେଇବା ପାଇଁ। ସେ ଜାଗାରେ ବହୁତ ଲୋକ ଛିଡା ହୋଇଛନ୍ତି, ମାତ୍ର କେହି ଜଣେ ବି ଆଗେଇ ଆସୁନାହାନ୍ତି ସାହାଯ୍ଯ କରିବାକୁ, କେବଳ ନିଜ ଭିତରେ ଫିସଫିସ କଥା ହୋଇ ସେମାନେ ପ୍ରତିବାଦ କରିବା ପରି ଲାଗୁଛନ୍ତି। ସ୍ବପ୍ନରେ ସେ ନିଜକୁ ଆବିଷ୍କାର କଲା ବଡ ଦୟନୀୟ ଅବସ୍ଥା ରେ। ତା ହାତ ଗୋଡ ବେଡିରେ ବନ୍ଧା ଯାଇଛି ଓ ପାଟି ରେ ଏକ କନା ବିଣ୍ଡା ଦେଇ ବାନ୍ଧି ଦିଆ ଯାଇଛି। ସେ କେବଳ ଗଁ ଗଁ କରି ଚିତ୍କାର କରିବାର ପ୍ରାୟାସ କରିଚାଲିଛି। ଆଖି ରୁ ତା ବୋହି ଚାଲିଛି ଲୁହ ର ଝରଣା। ନିଜ ସାମନା ରେ ଝିଅର ଏ ଅବସ୍ଥା ଦେଖି ମଧ୍ଯ ସେ ନିରୁପାୟ ଓ ଅସହାୟ। ଠିକ ସେତିକି ବେଳେ ଗଗନ ପବନ ପ୍ରକମ୍ପିତ କରି ଦେଲା ବାଘର ହେଣ୍ଟାଳ ଧ୍ବନି। ସେହି ତିନି ଜଣ ଦୁର୍ବୁତ୍ତଙ୍କ ପଛରେ ଏକ ପ୍ରକାଣ୍ଡ ବଳଶାଳୀ ଶରୀର ବିଶିଷ୍ଟ ବାଘ, ଲାଞ୍ଜ ହଲାଇ ଶିକାର କରିବା ଭଙ୍ଗୀରେ ଧିର ମନ୍ଥର ଗତିରେ ଅଗ୍ରସର ହେଉଥିଲା। ତା ଆଖିରେ ଥିଲା କ୍ରୋଧ ଓ ପ୍ରତିଶୋଧର ବହ୍ନି। ଭୀଷଣ ଗର୍ଜନ କରି ବାଘ ଲମ୍ଫ ପ୍ରଦାନ କରୁଛି ସେଇ ଯୁବକ ମାନଙ୍କ ଉପରକୁ ଓ ତଣ୍ଟି କଣା କରି ପିଇ ଯାଉଛି ସେମାନଙ୍କର ରକ୍ତ। ଝିଅ ବଞ୍ଚି ଯାଉଛି ସେମାନଙ୍କ କବଳରୁ। ବାଘଟି ପବି ପାଖକୁ ଆସି ଖୋଲି ଦେଉଛି ତା ବନ୍ଧନ ଓ ସେ ବାଘକୁ କୁଣ୍ଢାଇ ଧରୁଛି; ସତେକି ବାଘ ଟି ତାର ଅତି ପରିଚିତ।

ଚମକି ଉଠିଲା ପବି। ଏ ଅଜବ ସ୍ବପ୍ନ ଦେଖି ତା ଶରୀର ଘର୍ମାକ୍ତ ହୋଇ ଉଠିଥିଲା ଓ ତଣ୍ଟି ଶୁଖିଗଲା ପରି ଲାଗୁଥିଲା। ଝିଅର ଖଟ ପାଖକୁ ଯାଇ ଦେଖିଲା, ସେ ଶୋଇଛି ଗଭୀର ନିଦ୍ରା ରେ। ଆଶ୍ବସ୍ତ ହେଲା ସେ, କିନ୍ତୁ କାହିଁକି ଏପରି ସ୍ବପ୍ନ ଦେଖିଲା ସେ କାରଣ ଖୋଜି ପାଇଲା ନାହିଁ।

ତା ପର ଦିନ ସେ ଦୋକାନ ରେ ବସି ଦେଖିଲା ଝିଅ କଲେଜରୁ ଚାଲିଚାଲି ଫେରୁଥିଲା। ଝିଅ କୁ ପାଖକୁ ଡାକି ସେ ହାତକୁ ଏକ ବିସ୍କୁଟ୍ ବଢାଇଦେଇ ଘରକୁ ଯିବାକୁ କହିଲା। ସେତିକି ବେଳେ ତା ନଜର ପଡିଲା ତିନି ଜଣ ଯୁବକଙ୍କ ଉପରେ। ସେମାନେ ଏକ ମୋଟର ସାଇକେଲରେ ଧିରମନ୍ଥର ଗତିରେ ଝିଅର ପିଛା କରୁଥିଲେ। ଅନ୍ଯ କେହି ଲୋକ ଏ ବିଷୟ ଜାଣି ପାରିଥିବେ କି ନାହିଁ ପବି ଜାଣି ନ ଥିଲା, କିନ୍ତୁ ଏକ ବଢିଲା ଝିଅର ବାପା ହିସାବ ରେ ସେ ଯୁବକ ମାନଙ୍କର ଅସଲ ଉଦ୍ଦେଶ୍ଯ ଠଉରାଇ ପାରୁଥିଲା। ଝିଅ ସେ ବିଷୟରେ କିଛି ବି ଆଭାସ ପାଇ ନ ଥିଲା । ଝିଅ ଘର ଭିତରକୁ ଯିବା ପର୍ଯ୍ଯନ୍ତ ସେ ଯୁବକ ମାନେ ପିଛା କରୁଥିଲେ ଓ ପବିର ଘରକୁ ନଜର କରିବା ପରେ ସେ ଜାଗାରୁ ଚୁପଚାପ ପଳାଇଲେ। ତା ମନରେ ବାରମ୍ବାର ଆସି ଯାଉଥିଲା ଗତରାତି ରେ ଦେଖିଥିବା ସେ ଅଜବ ସ୍ବପ୍ନର ଦୃଶ୍ଯାବଳୀ। ହାତ ମୁଠା କରି ଭାବିଲା ତାକୁ କିଛି କରିବାକୁ ହେବ,ନୋହିଲେ ବହୁତ ଡେରି ହୋଇଯିବ। ସାଙ୍ଗେସାଙ୍ଗେ ଦୋକାନ ବନ୍ଦ କରି ସେ ଥାନା କୁ ଗଲା। ଥାନା ବାବୁଙ୍କୁ ଜୁହାର ପକାଇ ନିଜ ପରିଚୟ ଦେଇ ସବୁ ଘଟଣା କହିଲା। କିନ୍ତୁ ଥାନାବାବୁ ଅବିଚଳିତ ରହି ନିଜ କାମରେ ଲାଗିଲେ। ପବି ଉଚ୍ଚ ସ୍ବରରେ କହିଲା-- ଆଜ୍ଞା ସହରରେ ମଣିଷ ବାଘ ମାତିଛନ୍ତି ଓ ଝିଅବୋହୁଙ୍କ ମାନ ଇଜ୍ଜତ ଲୁଟିବାରେ ଲାଗିଛନ୍ତି। ଆପଣ କିଛି ନ କଲେ ସେମାନେ ମୋ ଝିଅ କୁ ଉଠାଇନେବେ। କାନ୍ଧରେ ପକାଇଥିବା ମଳିଛିଆ ଗାମୁଛାରେ ଆଖି ପୋଛି ସେ ପୋଲିସ୍ ବାବୁଙ୍କ ଉତ୍ତର କୁ ଚାହିଁ ରହିଲା।

ଥାନାବାବୁଙ୍କୁ ପବିର ଉଚ୍ଚ ସ୍ବର ଭଲ ଲାଗିଲାନି କି କଣ, ସେ ବଡ ପାଟି କରି ପବି କୁ ବାହାରକୁ ଚାଲିଯିବାକୁ କହିଲେ। ଏହା ମଧ୍ଯ କହିଲେ ଯେ, ଯଦି ତା ଝିଅ କୁ କେବେ କେହି ଉଠାଇ ନେବ ତେବେ ଆସି ଆପତ୍ତି କରିବାପାଇଁ। ଆଉ ଜଣେ ଥାନା ବାବୁ ଥଟ୍ଟା କରି କହିଲା-- ଆରେ ମଣିଷବାଘ ମାତିଛି ଯଦି ତୁ ଫରେଷ୍ଟ ଅଫିସ କୁ ଯାଆ। ଥାନା କୁ ଆସି କାହିଁକି ମୁଣ୍ଡ ଖରାପ କରୁଛୁ। ସେ ବାବୁର ଟାହିଟାପରା ଭରା କଥାରେ ବାକି ସବୁ ହସି ଉଠିଲେ ଓ ପବିର ଅଭିଯୋଗ, କଟାକ୍ଷଭରା ହସର ଫୁଆରା ଭିତରେ କେଉଁ ଆଡେ ହଜିଗଲା।

ସେ ହତବାକ୍ ହୋଇ ଠିଆ ହୋଇଗଲା। ବିଶ୍ବାସ ହେଲାନି ଯେ, ଯେଉଁ ମାନେ ଲୋକଙ୍କ ସୁରକ୍ଷା ପାଇଁ ଅଛନ୍ତି ସେମାନଙ୍କର ଏପରି ବ୍ଯବହାର। ଛିଃ.....କଣ ହେବ ଏ ଦେଶର ଅବସ୍ଥା। ବ୍ଯଥିତ ମନରେ ପୁଣି ଦୋକାନ ଖୋଲି ବସିଲା।

ଜଣେ ଯୁବକ ଗ୍ରାହକର ଡାକରେ ସେ ପ୍ରକୃତିସ୍ଥ ହୋଇ ଦେଖିଲା ବେଳକୁ ଆଶ୍ଚର୍ଯ୍ଯ ହୋଇଗଲା। ତା ଝିଅ କୁ ପିଛା କରୁଥିବା ଯୁବକ ମାନଙ୍କ ମଧ୍ଯରୁ ଜଣେ ତା ଦୋକାନ ରେ ଗ୍ରାହକ ସାଜି ଛିଡା ହୋଇଛି। ବାକି ଦୁଇ ଜଣ ମୋଟର ସାଇକେଲ ରେ ବସି ତା ଘର ଆଡକୁ ଚାହିଁ କିଛିି ଆଲୋଚନା କରିବାରେ ବ୍ଯସ୍ତ ଥିଲେ। ମନ ର ଭାବ କୁ ମନରେ ରଖି ପବି ଅତି ସହଜ ଭାବରେ ପଚାରିଲା

--- ବାବୁ, ତୁମେ ମାନେ କଣ ଏଇ ସହର ର। କାଇଁ ଆଗରୁ ତୁମକୁ କେବେ ଦେଖିନି।

ଯୁବକ ତାଚ୍ଛଲ୍ଯଭରା ସ୍ବର ରେ କହିଲା -- ଆମେ ଏ ସହର ର ନୁହଁ, ଏ ସହର ହେଲା ଆମର। ମୋ ବାପା ଜଣେ ମନ୍ତ୍ରୀ। ବାକି ଦୁଇ ଜଣ ସାଙ୍ଗଙ୍କ ବାପା ମାନେ କୋଟିପତି ବ୍ଯବସାୟୀ। ତୋ ମୁଣ୍ଡ କେତେ ଯେ ତୁ ଏ ସବୁ ଜାଣିବୁ। ଚୁପଚାପ ଚାହା ଓ ସିଗାରେଟ୍ ଦେ । ତୋ ଭାଗ୍ଯ ଟାଣ୍ , ଆମେ ତୋ ଦେକାନରୁ ଚାହା ପିଉଛୁ; ନ ହେଲେ ଆମେ କୁଳୁକୁଞ୍ଚା ବି ପଞ୍ଚତାରକା ହୋଟେଲରେ କରୁ। ଆଜି ଜାଣିଲୁ, ଏ ଯାଗାରେ ଗୋଟେ ଛନଛନିଆ ହରିଣି ରହୁଛି। ଖାସ୍ ତାହାରି ପାଇଁ ଆସିଛୁ ଆମେ। ହରିଣି ଦେଖିଲୁ ଓ ତା ଘର ବି ଦେଖିଲୁ, ଏବେ ଶିକାର କରିବାରେ ମଜା ଆସିଯିବ। ତୁ ଜାଣି ନଥିବୁ ହରିଣି ମାଂସ କେତେ ମିଠା, ତୋତେ କହି ଲାଭ କଣ। ଯୁବକଟା ଆଉ କିଛି କହିଥାଆନ୍ତା କି କଣ, ବାକି ଦୁଇଜଣ ତାକୁ ଚୁପ୍ ରହିବାକୁ ଇସାରା ଦେଲେ।

ପବି ପାଦ ତଳୁ ଭୁଇଁ ଖସି ଗଲା ପରି ଲାଗିଲା। ତା ସାମନା ରେ ଥିଲେ ସେହି ମଣିଷ ବାଘ ମାନେ । ସେମାନେ ଆସିଥିଲେ ତା ଅଲିଅଳି ଝିଅର ଶିକାର କରିବା ପାଇଁ। ସ୍ବପ୍ନ ରେ ସେ ଦୃ ଶ୍ଯ ସବୁ ପୁଣି ଥରେ ଦିଶିବାକୁ ଲାଗିଲା । ତାକୁ ଚାରି ଆଡ ଅନ୍ଧାର ଦିଶିଲା ସେ ମୁଣ୍ଡରେ ହାତ ଦେଇ ବସି ପଡିଲା । କାହାକୁ କଣ ବା କହିବ, କିଏ ସାହାଯ୍ଯ କରିବ ତାକୁ। ପୋଲିସ୍ ପାଖକୁ ଗଲେ,ସେମାନେ କହୁଛନ୍ତି ଘଟଣା ଘଟିବା ପରେ ଖବର ଦେବା ପାଇଁ। ତେବେ ସେ କଣ ଅପେକ୍ଷା କରି ରହିବ ନିଜ ଝିଅ ଉପରେ ଅତ୍ଯାଚାର ହେବା ପର୍ଯ୍ଯନ୍ତ, ନା ନିଜେ କିଛି ଉପାୟ କରିବ? କେତେବେଳୁ ସେ ଯୁବକ ମାନେ ଚାହା ପିଇ ପଇସା ନ ଦେଇ ଚାଲିଗଲେ ସେଆଡକୁ ନିଘା ନାହିଁ। ମନରେ ଖାଲି ଗୋଟିଏ ଚିନ୍ତା, କେମିତି ସଂହାର କରିବ ଏ ମଣିଷ ବାଘ ଗୁଡାକୁ।

ଦୁଇ ଦିନ ଚାଲିଗଲା। ସେଦିନ ଝିଅ ଘରକୁ ଫେରି ତା ମାଆ କୁ ଭିଡି ଧରି ଜୋର ରେ କାନ୍ଦିବାକୁ ଲାଗିଲା। ପଚାରିବାରୁ ଜଣାଗଲା ଯେ କଲେଜ୍ ରୁ ନିଖୋଜ ହୋଇ ଯାଇଥିବା ଝିଅଟିର କ୍ଷତବିକ୍ଷତ ଫୁଙ୍ଗୁଳା ମୃତ ଶରୀର ପାଖ ଜଙ୍ଗଲରୁ ମିଳିଛି। ପବି ଲକ୍ଷ୍ଯ କଲା ତା ଝିଅ ଡର ରେ ଥରୁଛି। ସେ ପାଖରେ ବସି ବୁଝାଇବାକୁ ଲାଗିଲା। କିଛି ସମୟ ପରେ ଝିଅ ସାଷ୍ଟାମ ହେଲା ପରେ କହିଲା-- ବାପା ତିନି ଜଣ ଯୁବକ ସଦାବେଳେ ମୋ ପିଛା କରୁଛନ୍ତି ଓ ଅଭଦ୍ର କଥା କହୁଛନ୍ତି। ଆଜି ଘରକୁ ଫେରିଲା ବେଳେ ସେମାନେ ମୋ ପଛରେ ଗୋଡାଉଥିଲେ। ବହୁତ୍ ଡର ଲାଗୁଛି ବାପା, ତୁମେ କିଛି କର, ନହେଲେ ସେମାନେ......

– – ତୁ ଜମାରୁ ଡରନି ମୋ ମାଆ। କାଲି ଠାରୁ ତୁ ପଦାକୁ ବାହାରିବୁନି। କିଛି ଦିନ ପାଇଁ କଲେଜ୍ ବନ୍ଦ କରି ଦେ। ଏ ସମସ୍ଯା ର ସମାଧାନ ମୁଁ କରିବି। ମୋ ଉପରେ ବିଶ୍ବାସ ରଖ୍। ଏ କଥାରେ ଝିଅ ର କାନ୍ଦ ସିନା ବନ୍ଦ ହୋଇଗଲା, କିନ୍ତୁ ପବି ମନରେ ପ୍ରତିହିଂସା ଦାଉଦାଉ ହୋଇ ଜଳିବାକୁ ଲାଗିଲା। ସେ ଯୁବକ ମାନଙ୍କର ଧୃଷ୍ଟତା ଦେଖି ଯେ ଯେତିକି ଆଶ୍ଚର୍ଯ୍ଯ ହେଉଥିଲା, ତା ଅପେକ୍ଷା ଅଧିକ ବିଚଳିତ ହୋଇ ଉଠୁଥିଲା।

ଏ ଘଟଣା ର ପରଦିନ ପବି ବଜାର କୁ ଯିବା ଅବସରରେ ପୁଣି ସେ ଯୁବକ ମାନେ ଆସି ଘର ସାମନା ରେ ତା ଝିଅର ନାମ ଡାକି ନାନା ଆପତ୍ତିଜନକ କଥା କହିଲେ। ସାଇଭାଇ ପାଖରେ ଥିଲେ, ମାତ୍ର ନୀରବଦ୍ରଷ୍ଟା ହୋଇ ଦେଖୁଥିଲେ। ଘରକୁ ଫେରିବା ପରେ ପବି ସବୁ କଥା ଶୁଣି ପୁଣି ଥାନା କୁ ଗଲା। କିନ୍ତୁ ଥାନାବାବୁ ତାକୁ ଧକ୍କା ଦେଇ ସେଠାରୁ ବିଦା କରିଦେଲେ। ତାର କେବଳ ଏତିକି ଭୁଲ୍ ଥିଲା ଯେ ସେ, ମନ୍ତ୍ରୀଙ୍କ ପୁଅର ନେତୃତ୍ବରେ ଏସବୁ କାମ ହେଉଛି ବୋଲି କହିଦେଲା। ସେଠାରୁ ନିରାଶ ହୋଇ ଫେରିବା ପରେ ପବି ଗାଁଆ ପାଖ ପୋଖରି ପାଖରେ କିଛି ସମୟ ବସି ଭାବିବାକୁ ଲାଗିଲା।

ସେ ଦେଖିଲା ଗୋଟିଏ ବେଙ୍ଗ ଜିଭ ଲମ୍ବାଇ ଗୋଟିକ ପରେ ଗୋଟିଏ କଙ୍କି ଙ୍କୁ ଖାଇ ଚାଲିଛି। ଠିକ୍ ସେତିକି ବେଳେ ପଦ୍ମପତ୍ର ତଳେ ନିଜକୁ ଲୁଚାଇ ରଖିଥିବା ଏକ ଧଣ୍ଡ ସାପର ଅଚାନକ ଆବିର୍ଭାବ ହେଲା । ନିମିଷକରେ ସେ ବେଙ୍ଗକୁ ପାଟିରେ ଧରି ପାଣି ଭିତରେ ପଶିଗଲା। କଙ୍କି,ବେଙ୍ଗ ଓ ସାପ ମଧ୍ଯରେ ଚାଲିଥିବା ଖାଦ୍ଯ ଓ ଖାଦକର ଏ ଖେଳ ତାକୁ ବେଶ୍ ରୋଚକ ମନେ ହେଲା। ତା ମନରେ କିଛି ଭାବାନ୍ତର ହେଲା ଓ ସେ ମୁଣ୍ଡରେ ପଗଡି କୁ ଜୋର କରି ବାନ୍ଧି ବଜାର ଆଡକୁ ଲମ୍ବା ପାହୁଣ୍ଡ ପକାଇ ଚାଲିବାରେ ଲାଗିଲା।

ସେଦିନ ସଂନ୍ଧ୍ଯାବେଳେ ପୁଣି ସେ ଯୁବକ ମାନେ ଏକ କାର୍ ରେ ଆସିଲେ ଓ ପବି ଦୋକାନ ରୁ ଚାହା ପିଇ ସିଗାରେେଟ୍ ଟାଣିଲେ। ସେମାନଙ୍କ କଥାର କିୟଦଂଶ ପବି କାନ ରେ ପଡିଲା।

- - ଆଜି ରାତିରେ କାମ ତମାମ୍ କରିବାକୁ ହେବ। ଆମକୁ ଏ ଯାଗାର ଲୋକ ମାନେ ବହୁତ ଥର ଦେଖିଲେଣି। ଝିଅ ଟା ଆମ ବିଷୟରେ କାହାକୁ କହିଦେଲେ ଅସୁବିଧାରେ ପଡିଯିବା।

- - ହଁ ସାଙ୍ଗ ସତ କହୁଛୁ। ସେ କଲେଜ୍ ଝିଅର ଶବ ମିଳିବା ପରେ ବାପା ମୋତେ ତାଗିଦ୍ କରିି କହିଛନ୍ତି, ଏ ସବୁ ମାମଲା ରେ ନ ପଡିବା ପାଇଁ। ଆଗକୁ ନିର୍ବାଚନ ଅଛି। ନୋହିଲେ ବିରୋଧୀ ଗୋଷ୍ଠୀ ଲୋକେ ଅବସ୍ଥା ନୟାନ୍ତ କରିଦେବେ।

- - ତୁମେ ମାନେ ଏତେ ଡରିଲେ ହେବନି ସାଙ୍ଗ। ଆଜିର ଶିକାର ପରେ ଆମେ କିଛିି ଦିନ ପାଇଁ ବାହାର ରାଜ୍ଯକୁ ଚାଲିଯିବା। ମାମଲା ଥଣ୍ଡା ପଡିଲେ ଫେରିବା। ଏତେ କାଣ୍ଡ କରି ସାରିଲେଣି, କିଏ ଆମର କଣ କରିପାରିଛି। ଯେମିତି କହିଛି ସେମିତି କରିବା। ଆଜି ରାତିି ବାର ଟା ରେ ଖେଳ ଆରମ୍ଭ ହେବ। ମୋ ଫାର୍ମ ହାଉସରେ ସବୁ ବ୍ଯବସ୍ଥା କରି ସାରିଛି।

କିଛି ନ ଶୁଣିଲାପରି ପବି ତଳକୁ ମୁଣ୍ଡ ପୋତି ଚାହା ଛାଣିବାରେ ଲାଗିଥାଏ। ଜଣେ ଯୁବକ ଶହେ ଟଙ୍କିଆ ନୋଟ୍ ଟେ ଫିଙ୍ଗି ଦେଇ କହିଲା-- ନେଃ, ତୋ ବାକିଆ ପଇସା ବି ରଖିନବୁ। ଆଜି ଗୋଟେ ଖୁସିର ଦିନ, ତୁ ବି ମନ ଖୁସି କର।

ଗାଡିଟି ଧୂଆଁ ଉଡାଇ ଚାଲିଗଲା। ପବି ଦୋକାନ ବନ୍ଦ କରି ଘରକୁ ଆସିଲା। ଝିଅ ଓ ସ୍ତ୍ରୀ ଙ୍କୁ ଦେହ ଭଲ ଲାଗୁନି ବୋଲି କହି ଚଞ୍ଚଳ ବିଛଣା ଧରିଲା। କିନ୍ତୁ ସେ ଶୋଇ ପାରିଲାନି ତା ମନ କୁ ବାରମ୍ବାର ସେ ଦେଖିଥିବା ସ୍ବପ୍ନ ଓ ସେ ଯୁବକ ମାନଙ୍କର କଥା ଆସୁଥିଲା।

         ରାତି ପାଖାପାଖିି ବାର ଟା ବେଳକୁ ପବି ଘର ପାଖରୁ କିଛି ଦୂରରେ ଏକ ଗାଡି ଛିଡା ହେବାର ଶବ୍ଦ ଶୁଭିଲା। ସେତେବେଳକୁ ସମଗ୍ର ଅଞ୍ଚଳ ତନ୍ଦ୍ରାଭିଭୂତ ହୋଇ ସାରିଥାଏ। ରାତିର ନିର୍ଜନ ପ୍ରହରରେ କେବଳ କିଛି କୁକୁରଙ୍କ ଭୁକିବାର ଶବ୍ଦ ଯାହା ଶୁଭୁଥାଏ। ସେତିକି ବେଳେ ସେମାନଙ୍କ ଭିତରୁ ଜଣେ ଯୁବକ ଚିତ୍କାର କରି ଉଠିଲା “ବାଘ” ”ବାଘ”। କିଛି ସମୟ ମଧ୍ଯରେ ଯୁବକ ର ବିକଟ ଚିତ୍କାର ର ପରିସମାପ୍ତି ଘଟିଲା ଗଁ ଗଁ ଶବ୍ଦରେ। ବାକି ଦୁଇ ଜଣ ଯୁବକ ପବି ଘରର ନିକଟତର ହୋଇ ସାରିଥିଲେ। ହଠାତ୍ ଆଉ ଜଣେ ଯୁବକ ଉଭାନ୍ ହୋଇଗଲା। ସେ ପାଟି ଖୋଲିବାର ମଧ୍ଯ ଅବକାଶ ପାଇଲାନି, କେବଳ ଯାହା ଶୁଭଥିଲା ଛିନ୍ନ ଗଳାରୁ ଝରି ଆସୁଥିବା ରକ୍ତର ପିଚପିଚ ଶବ୍ଦ। ତିନି ଜଣଙ୍କ ମଧ୍ଯରୁ କେବଳ ଜଣେ ଯୁବକ ବଞ୍ଚିଥିଲା ଓ ଭୟରେ ତା ହାତ ପାଦ ପଥର ପାଲଟି ଯାଇଥିଲା। ନିଜ ସମ୍ମୁଖରେ ଦୁଇଜଣ ଘନିଷ୍ଠ ବନ୍ଧୁଙ୍କର ଅସ୍ବାଭିବିକ ମୃ ତ୍ଯୁ ଦେଖି ସେ ଅଚେତ୍ ପ୍ରାୟ ହୋଇ ଯାଉଥିଲା। ଅଚାନକ୍ ସେ ଅନୁଭବ କଲା ତା ମୁହଁରେ ଏକ ଶକ୍ତ ପଞ୍ଝାରେ ଆଞ୍ଚୁଡିବାର କଷ୍ଟ। କିଛି ପ୍ରତିକ୍ରିୟା ଦେଖାଇବା ପୂର୍ବରୁ ମୁହଁରୁ ତା ସ୍ବତଃସ୍ଫୁର୍ତ୍ତ ଭାବରେ “ ବାଘ ” ବୋଲି ବାହାରି ପଡିଲା। କିନ୍ତୁ ଏ ଶବ୍ଦ ଉଚ୍ଚାରିତ ହେବା ସହିତ ସେ ମଧ୍ଯ ଭୂଇଁ ଉପରେ ମୁହଁ ମାଡି ପଡିଗଲା। ଛିନ୍ନ ଗଳାରୁ ବୋହୁଥିବା ରକ୍ତ ମାଟି ରଙ୍ଗକୁ ଲୋହିତବର୍ଣ୍ଣ କରିସାରିଥିଲା।

ପବିର ଘର ପାଖରେ ପାଟି ତୁଣ୍ଡ ଶୁଣି ପଡୋଶୀ ହରିଆ ବାହାରକୁ ଆସି ଝାପସା ଆଲୁଅ ରେ ଦେଖିଲା ତିନି ଜଣ ଯୁବକଙ୍କ ଭୂଲୁଣ୍ଠିତ ଶରୀର ଓ ଏକ ବାଘ ପରି ଦୃଶ୍ଯ ହେଉଥିବା ଚତୁଷ୍ପଦ। ପଲକ ପକାଇବା ପୂର୍ବରୁ ସେ ଜନ୍ତୁ ଟି କେଉଁଆଡେ ଉଭାନ୍ ହୋଇଗଲା। ବାଘ ଆସିଲା ବୋଲି ଚିତ୍କାର କରି ହରିଆ ସମସ୍ତଙ୍କୁ ଉଠାଇବାରେ ଲାଗିଲା। ଅଳ୍ପ ସମୟ ଭିତରେ ସେ ଅଞ୍ଚଳର ଲୋକେ ଘଟଣା ସ୍ଥାନରେ ପହଞ୍ଚି ପାଟିତୁଣ୍ଡ ଆରମ୍ଭ କରିଦେଲେ। ଆଖି ମଳିମଳି ପବି ଘରୁ ବାହାରି ହରିଆ କୁ ଘଟଣା କଣ ବୋଲି ପଚାରିଲା।

ହରିଆ ଉତ୍ତେଜନା ର ଚରମସୀମା ରେ ପହଞ୍ଚି ଥରଥର କଣ୍ଠରେ କହିଲା-- ପବି ଭାଇ, ତୋ ଭାଗ୍ଯ ଭଲ। ମୋ ଆଖି ଆଗରେ ଗୋଟେ ମହାବଳ ବାଘ ତିନିଜଣ ଯୁବକଙ୍କ ତଣ୍ଟିକଣା କରି ରକ୍ତ ଚଁ ଚଁ କରି ପିଇଗଲା। ମୁଁ ପଥର ମାରି ତାକୁ ଘଉଡାଇବାକୁ ଚେଷ୍ଟାକଲି। ମାତ୍ର ସେ ହେଣ୍ଟାଳ ଛାଡି ମୋ ଆଡକୁ ଝପଟି ଆସିଲା। ମୁଁ କି ଛାଡିବା ଲୋକ! ! ଟାଙ୍ଗିଆ ଧରି ତା ଉପରକୁ ମାଡି ଗଲି। ବାଘ ଟା ଭୟରେ ଲାଙ୍ଗୁଡ ଜାକି ଦଉଡି ପଳାଇଗଲା। ଜମା ହୋଇଥିବା ଲୋକେ ହରିଆ କୁ ପ୍ରଶଂସା ରେ ପୋତି ପକାଇଲେ। ପୋଲିସ୍ ଖବର ପାଇ ଆସି ପହଞ୍ଚି ଲୋକଙ୍କୁ ପଚରା ଉଚୁରା କଲା। ଘଟଣାର ଏକ ମାତ୍ର ପ୍ରତ୍ଯକ୍ଷଦର୍ଶୀ ହରିଆ ଘଟଣା କୁ ଏତେ ସୁନ୍ଦର ଭାବରେ ବର୍ଣ୍ଣନା କଲା ଯେ, ଶୁଣିବା ଲୋକ ମନରେ ହରିଆ ର ବୀରତ୍ବ ପାଇଁ ସମ୍ମାନ ଆପଣାଛାଏଁ ଚାଲି ଆସୁଥିଲା। ତିନିଟି ଯୁବକଙ୍କ ଶବ ଦେଖିଲେ ଯେ କେହି ବି ମତ ଦେଇଥାନ୍ତା ଯେ ସେମାନେ ବାଘ ଦ୍ବାରା ହତ ହେଲେ। ବଡବଡିଆ ଲୋକଙ୍କ ପୁଅ ବୋଲି ସେମାନଙ୍କ ଶବ ବ୍ଯବଚ୍ଛେଦ ମଧ୍ଯ ହେଲାନାହିଁ। ସବୁ ଯାଗାରେ ଖବର ପ୍ରଚାରିତ ହୋଇଗଲା ସହରରେ ସତସତିକା ବାଘ ମାତିଛି। ବାଘ ପାଟିରେ ମଣିଷ ରକ୍ତ ଲାଗିଛି ଯେତେବେଳେ ସେ ଆହୁରି ଶିକାର କରିବ, କେତେ ଲୋକଙ୍କ ତଣ୍ଟି କଣା କରି ରକ୍ତ ପିଇଯିବ ତା'ର ହିସାବ ନାହିଁ।

ସେଦିନ ସକାଳେ ଚାହା ଦୋକାନରେ ମଣିଷବାଘଙ୍କ ବିଷୟରେ ଚର୍ଚ୍ଚା ନ ଥିଲା; ଚର୍ଚ୍ଚା ଥିଲା ସତସତିକା ବାଘ ବିଷୟରେ। ପବି ମୁରୁକି ହସାଦେଇ କହିଲା-- ସତସତିକା ବାଘ ଥାଉ ଥାଉ ଯଦି ମଣିଷ ମାନେ ବାଘ ପାଲଟିବେ ତେବେ ଅବସ୍ଥା ଏଇଆ ହେବା ଛଡା ଅନ୍ଯ ଗତି ନାହିଁ।

ପବି ର ଅନ୍ତରାତ୍ମାରେ ହସୁଥିଲା ସେହି ବାଘ, ଯିଏ ସେଦିନ ନିଶାର୍ଦ୍ଧ ରଜନୀରେ ତିନି ତିନି ଟି ଦୁରାତ୍ମାଙ୍କର ଶିକାର କରିଥିଲା। ଏ ଘଟଣା ପରଠାରୁ ମଣିଷବାଘ ମାନେ ସହରରେ ଅନ୍ଯ କିଛି ଘଟଣା ଘଟାଇଥିବାର ଖବର ଅନ୍ତତଃ ମୋ ପାଖରେ ନାହିଁ।

--- ସମାପ୍ତ---

ଖୁଚୁରା



       ଖୁଚୁରା
                  ଅରବିନ୍ଦ ରଥ

ହାତରେ ଏକ ଟୁକୁରା କାଗଜ ଧରି କୁମୁଦ ବୁଲି ଚାଲିଥିଲା ଗୋଟିଏ ଦୋକାନ ରୁ ଆଉ ଗୋଟେ ଦୋକାନ। ସମସ୍ତଙ୍କୁ ପଚାରି ବୁଝୁ ଥିଲା ସେଇ ଲୋକ ଟି ବିଷୟରେ ଯିଏ ତା ଜୀବନର ସଂଜ୍ଞା ବଦଳେଇ ଦେଇଥିଲା।  ଇଏ ସେଇ ଲୋକ ଯାହା ସହ  ତାର ନା ଥିଲା ପରିଚୟ  ନା କୌଣସି ଚିହ୍ନାଜଣା। ଘଟଣାଟି ଏଇପରି।
କୌଣସି ଏକ ଜରୁରୀ କାମରେ କୁମୁଦ ଯାଇଥିଲା ସହରକୁ। ପାଖରେ ଥିଲା ଯଥେଷ୍ଟ ଟଙ୍କା। ବସ୍ ରୁ  ଓହ୍ଲାଇଲା ପରେ ଆଉଥରେ ଦେଖିନେଲା ନିଜ କାଗଜ ପତ୍ର ଓ ଟଙ୍କା। ସବୁ ଠିକ୍ ଅଛି ବୋଲି ଦେଖିବା ପରେ ସେ ନିଶ୍ଚିନ୍ତ ହେଲା। ତାକୁ ଜଲଦି କାମ ସାରି ନିଜ ଘରକୁ  ଫେରିବାକୁ ହେବ। ଅଚିହ୍ନା ସହର। କେହି ଜଣା ଶୁଣା ଲୋକ ବି ନାହାନ୍ତି। ତେଣୁ ମନରେ ଭୟ ଆସିବା ସ୍ବାଭାବିକ। ତେଣୁ ସେ ଚଞ୍ଚଳ କାମ ସାରିବାକୁ ବାହାରି ପଡିଲା।  ମନରେ ଭାବନା ଥାଏ, କାଳେ ବେଶୀ ଡେରି ହେବ ଫେରିବାକୁ। କିଛି ନ ହେଲେ ହୋଟେଲରେ ରାତି କଟେଇବାକୁ ପଡିବ। ଯେହେତୁ ପାଖରେ ଯଥେଷ୍ଟ ପଇସା ଥାଏ କୁମୁଦର ସେଥି ପାଇଁ ଡର ନ ଥିଲା। ମାତ୍ର ଏ ଅଚିହ୍ନା ସହରରେ ବେଶି ସମୟ ରହିବାକୁ ତାର ମନ ନ ଥିଲା।  କୁମୁଦ ଅଫିସରେ ପହଞ୍ଚି ଗଲା। ବୁଝାବୁଝି କରି ଜାଣିଲା ଯେ, ଯେଉଁ  ଅଫିସର ପାଖରେ ତାର କାମ ଅଛି ସେ ଡେରିରେ ଆସିବେ। ତେଣୁ ଅପେକ୍ଷା କରିବା ଛଡା ଅନ୍ଯ ଗତି ନାହିଁ। ସକାଳୁ ଘରୁ ଆସିଲା ବେଳେ କାଳେ ଡେରି ହେବ ବୋଲି ଭଲରେ ଖାଇ ପାରି ନ ଥିଲା। ଭବିଲା କଣ ଟିକେ ଖାଇ ଦେଇ ଆସିଲେ ଆଉ ଚିନ୍ତା ନ ଥିବ। ମନିପର୍ସ କୁ ଦେଖିନେଲା ଥରେ। ପାଖରେ ପାଖାପାଖି ଦଶ ହଜାର ଟଙ୍କା ଅଛି। କେବଳ ହଜାର ଟଙ୍କିଆ ନୋଟ ଗୁଡା। ସେ ଜାଣି ଶୁଣି ହଜାର ଟଙ୍କିଆ ନୋଟ ଧରି ଆସି ଥିଲା। କାରଣ ସହରରେ ଚୋରିର ଭୟ। ବଡ ନୋଟ ନେଲେ ପର୍ସଟି ବେଶି ମୋଟା ଦିଶିବନି। ଏମିତି ହେଲେ ସେ ପକେଟମାରଙ୍କ ଠାରୁ ରକ୍ଷା ପାଇଯିବ। ବାକି ଯାହା ଖୁଚୁରା ଥିଲା ବସ୍ ଭଡା ଦେବାରେ ଚାଲି ଗଲା। ଆଜି କାଲି ଯେଉଁ ଦୋକାନ କୁ ଯିବ ସେ ଆଗ ଖୁଚୁରା ମାଗିବେ। ତେଣୁ ପାଖରେ ଦଶ ଟଙ୍କିଆ ନୋଟ୍ ପାଞ୍ଚଟି ରଖିଥିଲା। ଗୋଟେ ହୋଟେଲ୍ ରେ ବସି ଖାଇବା ବରାଦ ଦେଲା। ପେଟ ଭରି ଖାଇ ସାରିଲା ପରେ ବିଲ୍ ଦେଲା ବେଳକୁ ଦେଖିଲା ମୋଟ ୪୫ ଟଙ୍କାର ବିଲ୍। ଦୋକାନ ପିଲା ହାତକୁ ସେଇ ଦଶ ଟଙ୍କିଆ ପାଞ୍ଚଟି ବଢାଇ ଦେଲା। ପିଲା ଟି ବାକି ପଇସା ଫେରସ୍ତ କଲା ବେଳକୁ କହିଲା
.... ବାବୁ ଆପଣ ଏତେ ବଡ ଲୋକ...ମୋ ହାତ ଖର୍ଚ୍ଚ ପାଇଁ କିଛି ଦିଅନ୍ତୁ। ବାବୁ ସମ୍ବୋଧନ ଶୁଣି କୁମୁଦ ମନ ଟା କୁରୁଳି ଉଠିଲା। ସାଙ୍ଗେସାଙ୍ଗେ ବଢାଇ ଦେଲା ପାଞ୍ଚ ଟଙ୍କା ସେ ପିଲା ହାତକୁ। ପିଲାଟି ବି ଖୁସି ହୋଇ ଗଲା। କେତେ ଜୁହାର ପକେଇ ଦେଲା। କହିଲା ବାବୁ ଆଉ ଥରେ ନିହାତି ଆସିବେ ଆମ ହୋଟେଲକୁ। କୁମୁଦ ଏଥର ପୁଣି ଚାଲିଲା ଅଫିସରେ ନିଜ କାମ ସାରିବାକୁ। ବହୁତ୍ ସମୟ ଅପେକ୍ଷା କରିବା ପରେ ଅଫିସରେ ତା କାମ ସରିଲା। ଦେଖିଲା ଘଣ୍ଟାରେ ୬ ଟା ବାଜିଛି। ଭୋକବି ହେଲାଣି। ଅଫିସ୍ ପାଖରେ ଗୋଟେ ସାନ ଜଳଖିଆ ଦୋକାନ। ଗରମ୍ ଗରମ୍ ବରା ଛଣା ହେଉଛି।  କୁମୁଦ କହିଲା
 “ ଏ ବାବୁ ଗରମ୍ ବରା ଦେଲ..ଘୁଘୁନି ଦେବନି, କେବଳ ଲଙ୍କା ଆଉ ଟିକେ ଳୁଣ ଦେବ।”
 ଦୋକାନୀ ଟା ବଡ ଆବାଗିଆ ସ୍ବରରେ ପଚାରିଲା , “ବାବୁୁ ଖୁଚୁରା ପଇସା ଅଛି ତ” ?
 କୁମୁଦ କହିଲା ରୁହ ଦେଖେ। ମନି ପର୍ସଟା ପୁରା ଅଣ୍ଡାଳି ଦେଖିଲା କେବଳ ହଜାର ଟଙ୍କିଆ ନୋଟ୍  ଅଛି। କହିଲା ଖୁଚୁରା ନାହିଁ।ଖାଲି ହଜାର ଟଙ୍କିଆ ଗୁଡା ଅଛି।କାଇଁ ମୁଁ ଖାଇ ସାରିଲା ପରେ ପଇସା ଦେଲେ ତୁମେ ମୋତେ ଖୁଚୁରା କରି ଦେବନି କି।
ଦୋକାନୀ ବରା ଦେବା ପାଇଁ ସଜବାଜ ହେଉ ଥିଲା, ମାତ୍ର କୁମୁଦର କଥା ଶୁଣି ତା ମୁହଁ କୁ ଚାହିଁଲା। କର୍କଶ ସ୍ବରରେ ପଚାରିଲା
 ...ଖୁଚୁରା ଅଛିକି ନାହିଁ କୁହ ମ..ଏତେ ପାଠ ଶୁଣିବାକୁ ସମୟ ନାହିଁ ମୋ ପାଖେ। ଆଜିକାଲି ଯାହାକୁ ଦେଖିଲେ ଖାଲି ହଜାର ଟଙ୍କିଆ ନୋଟ୍ ଦେଖଉଛନ୍ତି। କଉ ଗଛରେ ଫଳୁଛି ନା କଣ ମ....
କୁମୁଦକୁ ବଡ ଅପମାନ ଲାଗିଲା।
କହିଲା ..ବେଶି ବଡ ବଡ କଥା କହନି। ମୋ ପାଖରେ ଯେତିକି ପଇସା ଅଛି ତୋ ଦେକାନ ଟାକୁ ପୁରା କିଣି ଦେବି। ଦୋକାନୀ ଦାନ୍ତ ନିକୁଟି କହିଲା
...ହେଃ ଯାଅମ....ମୋର ଦୋକାନ ବିକିବାର ନାହିଁ। ଆଗ ଦେକାନ ଦେଖ। ବଇନି ସମୟରେ ତୁମ ପରି ଲକ୍ଷ୍ମୀଛଡା ଲୋକଟେ ହାବୁଡରେ ପଡିଲାଣି ଯେ ଆଜି ବେପାର କଣ ହେବ ଜାଣି ହଉନି। ଜଦି ହଜାର ଟଙ୍କିଆ ଧରି ବୁଲୁଛ ଯାଉନ ବଡ ହୋଟେଲରେ ଖାଇବ। ଏ ଦି ଟଙ୍କିଆ ବରା ପାଇଁ କାଇଁ ଏତେ ସରାଗ।

କୁମୁଦର ମୁହଁ ଶୁଖି କଳା ହୋଇଗଲା, ଏମିତି ଅପମାନିତ ହେବ ବୋଲି ସେ ସ୍ବପ୍ନରେ ବି ଭାବି ନ ଥିଲା। ପାଖ ଲୋକମାନେ ବି କୁମୁଦକୁ ଦେଖି ବଡ ତାଚ୍ଛଲ୍ଯ କରି କହିଲେ
...ଦେଖ ଭାଇ ମାନେ ଦେଖ ଏ ମହା ପୁରୁଷଙ୍କୁ...ପାଖରେ ବରା ଖାଇବାକୁ ପଇସା ନାହିଁ, ଇଏ କୁଆଡେ ଦୋକାନଟା କିଣି ପକେଇବେ।
 ସେ ଯାଗା ଛାଡି କୁମୁଦ ପଳେଇ ଆସିଲା। ଲଜ୍ଜା ଓ ଅପମାନରେ ତା ମୁହଁ କଳା ପଡି ଯାଇଥିଲା। ଏମିତି ଅବସ୍ଥା ତାର ହେବ ସେ କେବେ ବି ଭାବି ନ ଥିଲା।
ମନରେ କେତେ କଣ ଚିନ୍ତା ଅଡୁଆ ସୁତା ପରି ଗୁଡେଇ ହୋଇ ଯାଉଥିଲା। ନିଜକୁ ଆବିଷ୍କାର କଲା ବସଷ୍ଟାଣ୍ଡରେ। ପଚାରି ବୁଝିଲାଯେ ବସ ଅଛି ରାତି ଦଶଟାରେ। ଏତେ ସମୟ କରିବ କଣ। ବସ୍ କଣ୍ଡକ୍ଟରକୁ କହିଲା ଟିକେ ଖୁଚୁରା କରି ଦେବା ପାଇଁ। ମାତ୍ର ହୋଇ ପାରିଲାନି। ସେ କହିଲା ଯେ --ଆଜ୍ଞା ଲୋକେ ତ ଟିକେଟ୍ କାଟି ନାହାନ୍ତି, ଏତେ ବେଳୁ ଖୁଚୁରା କୁଆଡୁ ଆସିବ? କିନ୍ତୁ ଖୁଚୁରା ହେଲେ ମୁଁ ନିହାତି ଦେବି, ଅପେକ୍ଷା କରନ୍ତୁ।
ଧିରେ ଧିରେ ଭୋକର ମାତ୍ରା ବଢି ଚାଲିଲା। ଦେଖିଲା ପାଖରେ ଥଣ୍ଡାପାଣିର ପାଇପ୍ ଲାଗିଛି। କିଛି ବିଚାର ନକରି ବିକଳରେ ତଣ୍ଟି ଯାଏ ପାଣି ପିଇ ଦେଲା। କିନ୍ତୁ  ଭୋକକୁ କଣ ପାଣି ଦ୍ବାରା ଶାନ୍ତ କରା ଯାଇପାରେେ? କିଛି ସମୟ ପରେ ପୁଣି ସେଇ କଷ୍ଟ ତାକୁ କବଳିତ କଲା। ପାଖରେ ଯଥେଷ୍ଟ ପଇସା ଅଛି। କିନ୍ତୁ ଖୁଚୁରା ନାହିଁ ବୋଲି ସେ ନିଜକୁ ଦରିଦ୍ର ମନେ କଲା। ଦୋକାନ ପରେ ଦୋକାନ ଘୁରି ବୁଲିଲା ସେଇ ଗୋଟିଏ ପ୍ରଶ୍ନ କୁ ନେଇ....ଭାଇ ତୁମ ପାଖରେ ହଜାର ଟଙ୍କିଆ ନୋଟ୍ ର ଖୁଚୁରା ହେବ? ଆଉ ସବୁ ଯାଗାରୁ ସେଇ ଏକା ଉତ୍ତର “ନାଁ”। ବେଳକୁ ବେଳ ସେ ଅସ୍ଥିର ହୋଇ ଉଠୁଥାଏ। କଣ କରିବ ମୁଣ୍ଡକୁ କିଛି ବୁଦ୍ଧିବାଟ ଦିଶୁ ନ ଥାଏ।  ମନେମନେ ଭାବିଲା ଯାହା ପଇସା ପଡୁ ପଛେ ଗୋଟେ ବଡ ହୋଟେଲରେ ପଶିବ। ସେଠିରେ ସବୁ ଜିନିଷର ମୂଲ୍ଯ ଅଧିକ। ତେଣୁ ଖୁଚୁରା ମିଳି ଯିବ। ସେପରି ଏକ ହୋଟେଲର ଦୁଆର ମୁହଁରେ ଠିଆ ହୋଇ ଯିବ କି ନାହିଁ ଭାବିଲା ବେଳକୁ ମନେ ପଡି ଗଲା ଯେ ତା ଝିଅର ଆଡମିସନ ପାଇଁ ପଇସା ଦରକାର। ମାଆର ଓୌଷଧ, ବାପାଙ୍କ ଚଷମା, ସ୍ତ୍ରୀ ର କାନ ଫୁଲ ଓ ଗାଁ ଘରର ଚାଳ ଛପର...ସବୁ ତ ବାକି ଅଛି।
ବହୁତ୍ ପଇସା ଦରକାର...ଏମିତି ଅବସ୍ଥାରେ ତାର ହୋଟେଲରେ ଯାଇ ଦାମିକା ଖାଦ୍ଯ ଖାଇବା କୌଣସି ଆଡୁ ଯୁକ୍ତିଯୁକ୍ତ ଲାଗୁନି। ଆପେଆପେ ପାଦ ଫେରି ଆସିଲା ପଛକୁ। କିଛି ଉପାୟ ନ ପାଇ ଲଥ୍ କରି ବସି ପଡିଲା ବସଷ୍ଟାଣ୍ଡରେ ପଡି ଥିବା ଏକ ବେଞ୍ଚ ଉପରେ। ଭୋକରେ ମୁଣ୍ଡ ବୁଲେଇ ଦେଉଥାଏ। ଦେହରେ ଜୀବନ ନ ଥିଲା ପରି  ଲାଗୁଥାଏ ତାକୁ। ସେ ସକାଳେ ଯାହା ଜଳଖିଆ ଖାଇଥିଲା। ତା ପର ଠାରୁ ପେଟରେ ଦାନାଟିଏ ବି ପଡିନି। କେତେ ସମୟ ତାକୁ ଏମିତି ରହି ବାକୁ ହେବ। ଗାଁ  ରେ ପହଞ୍ଚିଲା ବେଳକୁ ରାତି ହୋଇ ଯିବ। ତା ପରେ ଯା। ଯାହା ଗଣ୍ଡେ ଖାଇବ। ସେତେ ବେଳକୁ ଚେତା ରହିଲେ ହେଲା। ବସଷ୍ଟାଣ୍ଡରେ ଅନେକ ଲୋକଙ୍କୁ ଦେଖିଲା। ସେମାନେ କିି ନା କିଛି ଖାଇବାରେ ବ୍ଯସ୍ତ। କିଏ ଜରି ଭିତରୁ କଣ କାଢି ଖାଉଛି, ତ ଆଉ କିଏ ଖାଇବା ଡବା ଧରି ବସିଛି।  ଚାରି ଆଡକୁ ଆଖି ବୁଲେଇ ଦେଖିଲା ଯେ ହୋଟେଲରେ ବି ଲୋକ ଗହଳି। ସମସ୍ତେ ଖାଇବାରେ ବ୍ଯସ୍ତ। ଆଶ୍ଚର୍ଯ୍ଯ, ସେ ଆଜି ଯାଏ କେବେ ଲକ୍ଷ୍ଯ କରି ନ ଥିଲା ଯେ ସଦା ବେଳେ କିଏ ନା କିଏ କିଛି ନା କିଛି ଖାଉଛି। ମନେ ପଡି ଗଲା ତାର ସେହି ଅତି ପରିଚିତ କଥା। ଯାହା ସେ ଛୁଆ ଦିନୁ ଶୁଣି ଆସିଛି।
“ ସବୁ ନାଟ ଏଇ ପେଟ ଚାଖଣ୍ଡକ ପାଇଁ”। ସେ ନିଜେ ଅନୁଭବ କଲା ଭୋକର ତୀବ୍ରତା କେତେ ଅଧିକ। ମନ ହେଉଥିଲା, ସବୁ ମଣିଷତ୍ବ ତ୍ଯାଗ କରି କାହାଠୁ ବି ଖାଇବା ଛଡେଇ ନିଜ ଭୋକ ମେଣ୍ଟେଇବ। ପିଲା ଦିନେ ପଢିଥିବା ମିଦାସ୍ ରାଜାଙ୍କ କଥା ମନେ ପଡିଲା ତାର। ରାଜା ଯାହା ଛୁଇଁଲେ ସବୁ ସୁନା ହୋଇଯାଉଥିଲା। ଶେଷରେ ଏପରି ଅବସ୍ଥା ହେଲା ଯେ ଖାଇବା ଜିନିଷରେ ହାତ ମାରୁମାରୁ ଖାଦ୍ଯ  ବି ସୁନା ହୋଇଗଲା। ଏତେ ବଡ ଧନୀ ରାଜା ଭୋକଉପାସରେ ପ୍ରାଣତ୍ଯାଗ କଲେ। ଆଜି ତାର ଅବସ୍ଥା ମଧ୍ଯ ପାଖାପାଖି ସେଇପରି।
ଏମିତି ଭାବୁଭାବୁ ପାଖରେ ଜଣେ ବୁଢା ଲୋକ ଆସି ବସିଲା। ହାତରେ ଗଣ୍ଠିଲି ଧରିଛି। ବେଶଭୁଷାରୁ ଜଣା ପଡୁଛି, ବୋଧେ ଜଣେ ଗରୀବ ଶ୍ରେଣୀର ଲୋକ ହୋଇଥିବ।
ପଚାରିଲା ବାବୁ କୁଆଡେ ଯିବ।
 ବଡ କଷ୍ଟରେ କୁମୁଦ କହିଲା ଭଗବାନପୁର..
.ସେ ଲୋକଟି ବୋଧେ କୁମୁଦର ଅବସ୍ଥାକୁ ଠଉରେଇ ପାରିଲା।
ପଚାରିଲା ତୁମ ଦେହ ଭଲ ନାହିଁ କି?
କୁମୁଦ କିଛି ନ କହି ଚୁପ୍ ହୋଇ ବସିଲା। କାରଣ କଥା କହିବାର ଶକ୍ତି ବି ନ ଥିଲା ତା ପାଖରେ। ଏମିତି ଚୁପଚାପ କିଛି ସମୟ ଚାଲିଗଲା। ଘଣ୍ଟାରେ ଜମା ୮ ଟା ବାଜିଛି। ଆହୁରି ବହୁତ ସମୟ ବାକି ଅଛି। ଭୋକର ମାତ୍ରା ବଢି ବଢି ଯାଉଛି। ଅଚାନକ୍ କୁମୁଦ ପଚାରିଲା-
..ମଉସା ତୁମ ପାଖରେ ହଜାର ଟଙ୍କାର ଖୁଚୁରା ହେବ। ସକାଳୁ କିଛି ଖାଇନି। ପାଖରେ ଅଛି  ଦଶ ହଜାର ଟଙ୍କା। ମାତ୍ର ସବୁ ହଜାର ଟଙ୍କିଆ ନୋଟ୍। କେତେ ଆଡୁ ନିରାଶ ଓ ଅପମାନିତ ହେଲିଣି ଏଇ ଖୁଚୁରା ସକାଶେ। ଏତିକି କହି ସେ ନିଜ ମନି ପର୍ସଟି କାଢି ବୁଢାଲୋକଟିକୁ ଦେଖେଇଲା। ପ୍ରକୃତରେ ସେତେବେଳକୁ କୁମୁଦର ମୁଣ୍ଡ କାମ କରିବା ବନ୍ଦ କରି ଦେଇଥିଲା। କଣ କହୁଛି ସେ ନିଜେ ମଧ୍ଯ ଜାଣି ନ ଥିଲା। କେବଳ ଏତିକି ଜାଣି ଥିଲା ; କିଛି ସମୟ ଭିତରେ କିଛି ନ ଖାଇଲେ ସେ ଚେତା ବୁଡି ଯିବ ସେଇଯାଗାରେ।
ବୁଢା ଲୋକଟି କିଛି ନ ବୁଝିଲା ପରି ଚାହିଁଲା କୁମୁଦକୁ। କହିଲା
…...ବାବୁ ହଜାର ଟଙ୍କିଆ ନୋଟ୍ ମୁଁ କେବେ ଦେଖିନାହିଁ। ତାକୁ ଖୁଚୁରା କଲେ କେତେ ଟଙ୍କା ହେବ ବି ଜାଣି ନାହିଁ। ମୋ ପାଖରେ କୁଆଡୁ ଆସିବ ଖୁଚୁରା। ତା ଉତ୍ତର ଶୁଣି କୁମୁଦ ଚୁପ୍ ହୋଇଗଲା। ଖାଲି ଏତିକି କହିଲା
...ଅଜବ ଏ ସହର, ଅଜବ ଏହାର ଲୋକ....ଛାଡ!  ଭାଗ୍ଯରେ ଯାହା ଅଛି ଭୋଗିବାକୁ ହେବ।
ବୁଢା ନିଜ ଗଣ୍ଠିଲି ଭିତରୁ କିଛି ଖୋଜିବାରେ ଲାଗିଲା। କିଛି ସମୟ ପରେ କୁମୁଦ ହାତକୁ ଲୁଚା କୁଚାହୋଇଥିବା କିଛି ନୋଟ୍ ବଢେଇ ଦେଲା। କହିଲା
 ...ବାବୁ ଦେଖିଲୁ କେତେ ପଇସା ଅଛି। ବସ୍ ରେ ଯିବାକୁ ଆଣିଥିଲି। ତୁ ନେଇ ଯା। ମୁଁ ଆଜି ନ ହେଲେ କାଲି ଯିବି। ସେମିତି କିଛି ଦରକାର ନାହିଁ ଆଜି ଯିବା। ବନ୍ଧୁ ଘରକୁ ଯାଇ ଥାନ୍ତି। ତୁ ଯମା କିଛି ଭାବେନି, ଯାହା ଅଛି ନେଇ ଯା। ପରେ ସୁବିଧା ହେଲେ ମୋତେ ଫେରେଇ ଦେବୁ। ମୋତେ ସବୁ ଏଠି ବଟ ବୁଢା ବୋଲି ଡାକନ୍ତି। ଏଇ ଗାଁ ପାଖ ସ୍କୁଲ ଗେଟ୍ ପାଅରେ ବାଦାମ ବିକେ ମୁଁ। ଯାହାକୁ ପଚାରିବୁ ବଟ ବୁଢା ଘର କେଉଁଠି, ତୋତେ ନେଇ ପହଞ୍ଚେଇ ଦେବେ। ତୁ ଆଗ କିଛି ଖାଇ ଦେ।
କୁମୁଦ ଆଗ ପଛ ବିଚାର ନ କରି ବୁଢା ହାତରୁ ଟଙ୍କା ତକ  ନେଇ ଗଣିଲା । ସେଥିରେ ଥିଲା ୯୫ ଟଙ୍କା। କହିଲା ମଉସା ତୁମେ ଏ ହଜାର ଟଙ୍କା ରଖିନିଅ, ମୁଁ ପରେ ଆସି ନେଇ ଯିବି । ମୋ ପାଇଁ ତୁମେ କଣ ପାଇଁ ହଇରାଣ ହେବ। ବୁଢା କହିଲା, ଥାଉ ବାବୁ। ତୁ ଯାଇ ଆଗ ଖାଇନେ। ମୁଁ ଅଛି ଏଇ ସହରରେ। ତୁ ମୋତେ ଏଇ ସହରରେ ପାଇବୁ ଯେବେ ଆସିବୁ।  ମୋର ଟଙ୍କା ଦରକାର ନାହିଁ। ମୋ ଘର ଏଇ ପାଖରେ। ମୁଁ ଘରକୁ ପଳେଇବି।  ତୁ ଖାଇ ସାରି ଆସେ। ମୁଁ ବସିଛି ଏଇଠି। ତୁ ଆସିଲେ ମୁଁ ଯିବି।
କୁମୁଦ ଏକ  ରକମ ଦଉଡି ଗଲା ପାଖ ଦେକାନ କୁ। ସେଠିରେ ମନ ଭରି ଖାଇଲା। କେତେ ଆଶିର୍ବାଦ ଦେଲା ସେ ବୁଢା କୁ ମନେମନେ। ପେଟ ଶାନ୍ତ ହେଲା ପରେ ତାକୁ ସୁସ୍ଥ ଲାଗିଲା। ଦେହରେ ବଳ ବି ଆସିଲା। ହୋଟେଲ୍ ରେ ପଇସା ଦେଇ ସାରି ଦଉଡି ଆସିଲା ସେଇ ବେଞ୍ଚ ପାଖକୁ ଯେଉଁଠାରେ ବୁଢା ତାକୁ ଜୀବନଦାନ ଦେଇ ଥିଲା। ଆସି ଦେଖିଲା ବେଳକୁ ସେଠାରେ ସେ ଲୋକ ଟି ନ ଥିଲା। ବହୁତ୍ ଖୋଜିଲା ପରେ ବି ତାକୁ ଆଉ ପାଇଲାନି। ଏତିକି ବେଳକୁ ବସ୍ ହର୍ଣ୍ଣ ମାରିଲା। ତରତର ହୋଇ ବସ୍ ରେ ଚଢିଗଲା କୁମୁଦ। ତାକୁ ଦେଖି ବସ୍ କଣ୍ଡକ୍ଟର କହିଲା
 ...ବାବୁ ଖୁଚୁରା ହୋଇଗଲା। ଦିଅ ତୁମ ହଜାର ଟଙ୍କା ମୁଁ ଖୁଚୁରା କରି ଦେଉଛି।
କୁମୁଦ ଚୁପଚାପ ବଢାଇ ଦେଲା ହଜାର ଟଙ୍କା ଓ ତାକୁ ବଦଳାଇ କଣ୍ଡକ୍ଟର ଦେଲା ଦଶଟି ଚକଚକିଆ ଶହେ ଟଙ୍କିଆ ନୋଟ୍। କୁୁମୁଦ ଖୁସିରେ ସେ ନୋଟ୍ ଗୁଡିକୁ ଛାତିରେ ଧରି ପକେଇଲା। କଣ୍ଡକ୍ଟର କିଛି ବୁଝି ନ ପାରି ଚାହିଁ ରହିବା ଦେଖି କୁମୁଦ କହିଲା.....
  ଭଲ ହେଲା ଏବେ ଖୁଚୁରା ଦେଲ, ନ ହେଲେ ସେ ମଣିଷ ରୂପୀ ଦେବତାଙ୍କର ଦର୍ଶନ ଆଜି ମିଳି ନ ଥାନ୍ତା। ଆଉ ଡେରି ନ କରି ସେ ଏକ ଟୁକୁରା କାଗଜରେ ଲେଖିଦେଲା “ ବଟ ବୁଢା, ମଣିଷରୁପୀ ଦେବତା”
      ଆଜି ସେଇ ଦେବତା କୁ ଖୋଜୁଛି କୁମୁଦ ସହର ସାରା। ମାତ୍ର ବୋକାଟା ଏତିକି ଜାଣିନି ଯେ ଭଗବାନ ଏତେ ସହଜରେ ମିଳନ୍ତି ନାହିଁ ବୋଲି।

###### ସମାାପ୍ତ #######

ଭୌତିକ କାଣ୍ଡ



                                                                                      ଲେଖକ-ଅରବିନ୍ଦ ରଥ

ରାଜୁ କୁ ମୋଟର ସାଇକେଲ୍ ଯୋର ଚଲାଇବାର ନିଶା ସଦା ବେଳେ ଘାରିଥାଏ। ହାତରେ ଗାଡି ଖଣ୍ଡେ ପଡିଲେ ସେ ଆଉ ଇନ୍ଦ୍ର ଚନ୍ଦ୍ର ମାନେନି। ଜନଗହଳି ରାସ୍ତାରେ ଯୋର ଗାଡି ଚଲାଇ ଯିବାର ମଜା ଅଲଗା ବୋଲି ରାଜୁ ସଦା ବେଳେ କୁହେ। କେତେ ଥର ତା ଗାଡି ଦୁର୍ଘଟଣାରୁ ବଞ୍ଚିଛି ତାର ହିସାବ ନାହିଁ। ସେକଥା ପଚାରିଲେ ହସିଦେଇ କୁହେ --- "ଆରେ ଜୀବନ ମରଣ ଆମ ହାତ ରେ ନାହିଁ। ଯେତେବେଳେ ଯାହା ହେବାର ଥିବ ହେବ। ଡରିବାର କଣ ଅଛି "।

ଏମିତି କଥା ଶୁଣି କେହି ରାଜୁକୁ ଉପଦେଶ ଦେବାକୁ ବି ଭୟ କରନ୍ତି। ସେମିତି ଦେଖିଲେ ସେ କାହାର କିଛି କ୍ଷତି କରେନି ; ବରଂ ଅନ୍ଯକୁ ସାହାଯ୍ଯ କରି ଆନନ୍ଦ ପାଏ। ଘରେ ବୁଢା ବାପ ଓ ମାଆ। ରୋଜଗାର ବୋଲି କିଛି ନାହିଁ। ମଝିରେ କିଛି ଠିକାଦାରି କାମ ପାଇଲେ ବେଶ୍ କିଛି ରୋଜଗାର ହୋଇ ଯାଏ ଓ ସେଥିରେ ଚାଲେ ତା ସଂସାର। ବଡ କଷ୍ଟରେ ପଇସା ଯୋଗାଡ କରି ଗୋଟେ ମୋଟର ସାଇକେଲ କିଣିଛି ରାଜୁ। ମହା ଆନନ୍ଦ ରେ ବୁଲୁଥାଏ ସେ ନିଜ ସ୍ବପ୍ନ ସବାରୀରେ।

ଏମିତି ଦିନେ ଠିକାଦାରି କାମ ପାଇଁ ସେ ଯାଉଥିଲା ଏକ ପାହାଡିଆ ରାସ୍ତାରେ। ଅଙ୍କାବଙ୍କା ରାସ୍ତାରେ ମୋଟର ସାଇକେଲ ଚାଲୁଥିଲା କ୍ଷୀପ୍ର ଗତିରେ। ମନେ ମନେ ଗୀତ ବୋଲି ସେ ଦେଖୁଥିଲା ପ୍ରକୃତିର ଅବର୍ଣ୍ଣନୀୟ ସୌନ୍ଦର୍ଯ୍ଯ। ଶୁନ୍ ଶାନ୍ ରାସ୍ତାରେ ନ ଥିଲା କାଉ କୋଇଲିର ଚିହ୍ନ। ଗାଡିର ବେଗ ଧିରେ ଧିରେ ବଢିବାରେ ଲାଗିଥିଲା। ଏମିତି ଲାଗୁଥିଲା ସତେ ଯେମିତି ରାଜୁ ଦୌଡ ଲଗାଉଛି ପବନ ସହ। ମନେ ମନେ ହସି ସେ କହୁଥିଲା ଏବେ ଯଦି ଯମରାଜା ବି ଆଗକୁ ଆସିବ ତାକୁ ଉଡେଇ ଚାଲିଯିବ। ମନରେ ନା ଥିଲା ଶଙ୍କା ନା ଆଶଙ୍କା। ସାପ ପରି ରାସ୍ତାରେ ରକେଟ୍ ପରି ଛୁଟି ଚାଲିଥିଲା ମୋଟରସାଇକେଲ। ଅଚାନକ୍ କିଏ ଜଣେ ଲୋକ ରାସ୍ତା ପାର ହେବା ଦେଖିଲା। କିଛି ବୁଝିବା ଆଗରୁ ସେ ଲୋକଟି ଛିଟିକି ପଡିଲା ରାସ୍ତା କଡକୁ। ରାଜୁ ନିଜକୁ ଆବିଷ୍କାର କଲା ମଝି ରାସ୍ତାରେ। ଗାଡିଟି ପଡିଛି ଖଣ୍ଡେ ଦୂରରେ। ତା ଦେହ ସାରା ଖଣ୍ଡିଆ ହୋଇଯାଇଥାଏ, ମୁଣ୍ଡ ବୁଲେଇ ଦେଉଥାଏ। ଆଉ ବୁଝିବାକୁ ବାକି ରହିଲାନି ଯେ ତା ଗାଡି ଧକ୍କାରେ କିଏ ଜଣେ ପଞ୍ଚତ୍ବପ୍ରାପ୍ତି ପାଇଛି। ରାସ୍ତାରେ ବିଛାଡି ହୋଇ ପଡିଥିଲା ତା'ର ଜିନିଷପତ୍ର। ବଡ କଷ୍ଟରେ ଉଠି ରାଜୁ ଖୋଜିଲା ସେ ଲୋକକୁ ଯାହା ଦେହରେ ଗାଡି ଧକ୍କା ହେଲା। ତା ନଜର ରେ ପଡିଲା ଖଣ୍ଡେ ଜରି। ଖୋଲି ଦେଖିଲା ବେଳକୁ କିଛି ଓୌଷଧ ଓ ମେଡିକାଲର ଚିଠା। ଜାଣିବାକୁ ବାକି ରହିଲାନି ଲୋକ ଟି ଓୌଷଧ ନେଇ ଫେରିଲା ବେଳେ ଦୁର୍ଘଟଣା ଘଟିଲା। ମାତ୍ର ସେ ଲୋକ ଟିର ଦେଖା ନାହିଁ।

ରାଜୁ ମନେ ମନେ କହିଲା---- ଲୋକଟି ମରି ଗଲା କି ଆଉ !!!!!

ରାସ୍ତା କଡକୁ ଯାଇ ଯାହା ଦେଖିଲା ଆଖିକୁ ବିଶ୍ବାସ ହେଲାନି। ପାଖରେ ଥିଲା ଏକ ଗଭୀର ଖାଇ, ତଳୁ ଦେଖିଲେ ମୁଣ୍ଡ ବୁଲାଇ ଦେଉଥିଲା। ସେ ନିଶ୍ଚିତ ଥିଲା ଯେ ଲୋକଟି ବୋଧେ ସେହି ଖାଇ ଭିତରେ ପଡି ମରି ଯାଇ ଥିବ। ତା ଛାତିର ସ୍ପନ୍ଦନ ବଢି ଗଲା, ଆଖିକୁ ଜାଲଜାଲୁଆ ଦିଶିଲା। କ'ଣ ସବୁ ଅଚାନକ ଘଟିଗଲା।

ତା ମାନେ କଣ ସେ ଜଣେ ଲୋକକୁ ମାରି ଦେଲା???? କଣ ହେବ ଏବେ ? ସେ କିଛି ଭାବି ପାରିଲାନି। ଜଦି କିଏ ଏ କଥା ଜାଣିବ, ପୋଲିସ୍ କେଶ୍ ହେବ। ପୋଲିସ ବାନ୍ଧି ଜେଲରେ ପୁରେଇବ। ଏମିତି କେତେ କଣ ଭାବନା ମୁଣ୍ଡରେ ପଶି ତାକୁ ପାଗଳପ୍ରାୟ କରି ଦେଉଥାଏ । ମୁଣ୍ଡରେ ହାତ ଦେଇ କିଛି ସମୟ ବସି ରହିଲା।

ଭାବିଲା, ଏ ଘଟଣା କେହି ବି ଦେଖି ନାହାନ୍ତି। ସେ ପର୍ଯ୍ଯନ୍ତ କେହି ସେ ରାସ୍ତାରେ ଯିବା ଆସିବା ମଧ୍ଯ କରି ନାହାନ୍ତି। ତେଣୁ କଥାକୁ ଲୁଚେଇଦେଲେ, ସାରା ଜୀବନ ଏ ରହସ୍ଯ କେହି ଭେଦି ପାରିବେନି। ତରତର ହୋଇ ରାସ୍ତାରେ ପଡିଥିବା ଓୌଷଧ ଜରିକୁ ସେ ଫିଙ୍ଗିଦେଲା ସେହି ଖାଇକୁ ଯେଉଁ ଠାରେ ସେ ଲୋକର ସତ୍ତା ନିଶ୍ଚିହ୍ନ ହୋଇଯାଇଥିଲା। ଚୁପଚାପ୍ ସେ ଯାଗାରୁ ପଳେଇଲା ; ମାତ୍ର ମନରେ ଥାଏ ଦ୍ବନ୍ଦ ଓ ଆଶଙ୍କା। ମନ ରେ ବାରମ୍ବାର ଗୋଟିଏ କଥା ଉଙ୍କି ମାରୁଥାଏ -- କିଏ ସେ ଲୋକ, କେଉଁଠି ତା ଘର? କେମିତି ତା ଘର ଲୋକେ ଜାଣିବେ ଏ ଦୁର୍ଘଟଣା ବିଷୟରେ?

ନିଜକୁ ପ୍ରକୃତିସ୍ଥ କରି ଭାବିଲା , ନିଜକୁ ବଞ୍ଚାଇବାକୁ ହେଲେ ତାକୁ ସେ ଯାଗା ଛାଡି ଯିବାକୁ ହେବ ଓ ଏ ଘଟଣା ବିଷୟରେ ସ୍ବପ୍ନରେ ବି କାହାକୁ କହିବା ବିପଜ୍ଜନକ। ଅଗତ୍ଯା ସେ ଯାଗାରୁ ରାଜୁ ତରତର ହୋଇ ଚାଲିଗଲା। ଯାହାହେଉ ଗାଡିଟି ଗୋଟିଏ ଥରରେ ଷ୍ଟାର୍ଟ ହୋଇଗଲା ବୋଲି ରାଜୁ ସେ ଜାଗାକୁ ଅର୍ନ୍ତଧ୍ଯାନ ହେବାରେ ସଫଳ ହେଲା। ମାତ୍ର ଧକ୍କା ଖାଇ ଥିବା ଲୋକ ଟି ଖାଇ ଭିତରେ ପଡି ମୃତ୍ୟୁବରଣ କଲା। ଘରକୁ ଫେରିବା ପରେ ମଧ୍ଯ ସେ ନିଜକୁ ପ୍ରକୃତିସ୍ଥ କରିପାରୁ ନ ଥିଲା। ଆଖି ବନ୍ଦ କରିବା ମାତ୍ରେ ଦିଶିଯାଉଥିଲା ସେ ଦୁର୍ଘଟଣାର ଚିତ୍ର। ସତେକି ତା ଆଖି ସାମନା ରେ ସେ ଘଟଣା ଘଟି ଚାଲିଛି ଅବିରତ, ନିରବଚ୍ଛିନ୍ନ ଭାବରେ।

ଅନୁତାପ ଓ ଭୟରେ ଜର୍ଜରିତ ରାଜୁ ଘରେ ଲୁଚି ରହିବାକୁ ଠିକ୍ ମନେକଲା। କେବଳ ଭାବୁଥାଏ, ଯଦି ପୋଲିସ୍ ଆସି ତା ହାତ ରେ ହାତକଡି ପକେଇ ବାନ୍ଧିନିଏ ସେ କଣ କରିବ। ଭାଙ୍ଗି ଯାଇ ଥିବା ଗାଡି ଓ ଦେହରେ ଖଣ୍ଡିଆ ଦେଖି ପଡୋଶୀଙ୍କର ଜିଜ୍ଞାସା ର ଉତ୍ତର ସେ ଅତି ସହଜ ଭାବରେ ଦେବାରେ ସଫଳ ହେଲା। ଅଚାନକ, ସାମନାରେ ଗାଈ ଆସିଯିବାରୁ ଗାଡି ଟି ଦୁର୍ଘଟଣାଗ୍ରସ୍ତ ହେଲା ବୋଲି ସମସ୍ତଙ୍କୁ ସେ ସଫେଇ ଦେବାରେ ଲାଗିଲା । ଘଟଣାଟି ସମ୍ପୂର୍ଣ୍ଣ ଭାବରେ ଲୁଚି ଯାଇଥିଲା କହିଲେ ଅତ୍ଯୁକ୍ତି ହେବନାହିଁ । ପାଖାପାଖି ଦଶ ଦିନପରେ ଖବର କାଗଜର କୋଣରେ ପ୍ରକାଶିତ ଏକ କ୍ଷୁଦ୍ର ସମ୍ବାଦ ତା ନଜରରେ ପଡିଲା--"ଅଜଣା ଗାଡି ଧକ୍କାରେ ଆଦିବାସି ଯୁବକର ମୃତ୍ୟୁ"।

ଏକ ନିଶ୍ବାସରେ ପଢିଗଲା ଖବରକୁ ; ଆଶ୍ବସ୍ତ ହେଲା ଏହା ଦେଖି ଯେ, ଧକ୍କା ଦେଇଥିବା ଲୋକର ପରିଚୟ ସେ ସମ୍ବାଦରେ ନ ଥିଲା । କିନ୍ତୁ ସେହି ଖବରରେ ଲେଖା ଥିଲା ଯେ, ଲୋକଟିର ସ୍ତ୍ରୀ ବେମାର ଥିଲା ଓ ସେ ଓୌଷଧ ନେଇ ଘରକୁ ଫେରିଲା ବେଳେ ଘଟିଥିଲା ଏ ଘଟଣା। ସଠିକ୍ ସମୟରେ ଓୌଷଧ ନ ପାଇ ସ୍ତ୍ରୀ ଟି ମଧ୍ଯ ମୃତ୍ଯୁବରଣ କରିଥିଲା। ଏହା ପଢି ରାଜୁର ମନ ଦବି ଗଲା, ମନକୁ ପାପ ଛୁଇଁଲା ଓ ଆତ୍ମଗ୍ଳାନିରେ ମନ ଘାଣ୍ଟିଚକଟି ହୋଇଗଲା। କିନ୍ତୁ ସେ କରିବ ବା କଣ? କାହାକୁ ଘଟଣା ବିଷୟରେ କହିଲେ ନିଜେ ହଇରାଣରେ ପଡିବ। ବେଶ୍ କିଛି ଦିନ ଯାଏ ରାଜୁ ଗୁମସୁମ ରହିଲା। ଯାହା ହେଲେ ବି ତା ହାତ ରେ ମଣିଷ ମରିଛି, ବଡ ଜଘନ୍ଯ ପାପ!! କି ପ୍ରାୟଶ୍ଚିତ କରିବ? ନିରୁପାୟ ହୋଇ ଠାକୁରଙ୍କୁ ଡାକିଲା ତାକୁ କ୍ଷମା କରି ଦେବାକୁ।

ସେଦିନ ପର ଠାରୁ ରାଜୁ ମୋଟର ସାଇକେଲ୍ ବେଗ ଆପେ ଆପେ କମି ଗଲା। ଗାଡି ଚଲେଇଲା ବେଳେ, ସେଦିନ ର ଘଟଣା ତା ଆଖି ଆଗରେ ଭାସି ଉଠେ ଓ ଗାଡିର ବେଗ ମନ କୁ ମନ କମି ଯାଏ। ସେ ପାହାଡିଆ ରାସ୍ତାରେ ଯିବାକୁ ସାହାସ କୁଳେଇ ପାରେନି। କିନ୍ତୁ ଦିନେ, ଠିକାଦାରି କାମରେ ତାକୁ ଯିବାକୁ ପଡିଲା ସେଇ ରାସ୍ତାରେ, ଯେଉଁ ସ୍ଥାନରେ ତା ହାତରେ ଜଣେ ନିରିହ ଲୋକର ପ୍ରାଣ ଯାଇଥିଲା।

ବର୍ଷାଦିନିଆ ଆକାଶରେ ଥିଲା ମେଘର ପସରା। ମଝିରେ ମଝିରେ ଟିକେ ବରଷି, ବର୍ଷା ନିଜର ଅସ୍ତିତ୍ବ ଜାହିର କରୁଥିଲା। ସେ ଜାଗା କୁ ଯିବ କି ନାହିଁ, ଭାବିଲା ବେଳକୁ ସଞ୍ଜ ହୋଇ ଆସୁଥାଏ। ଇଞ୍ଜିନିୟର ଖବର ପଠାଇଥିଲେ, ଯାହା ହେଲେ ବି ତାକୁ ଯିବାକୁ ହବ । ଅନ୍ଯ କିଛି ବାଟ ନ ପାଇ ରାଜୁ ବାହାରିଲା ସେହି ରାସ୍ତା ଦେଇ। କିନ୍ତୁ, କିଛି ଅଘଟଣ ଘଟିଯିବାର ଭୟ ଓ ଆଶଙ୍କା ରାଜୁର ମନକୁ କବଳିତ କରି ଚାଲିଥିଲା। ମନ୍ଥର ଗତିରେ ଗାଡି ଚଳାଇ ପାହାଡି ରାସ୍ତାକୁ ଉଠିବା ଆଗରୁ ସେ ଦେଖିଲା, କଳା ମଚ୍ ମଚ୍ ରଙ୍ଗର ଜଣେ ଲୋକ, ତାକୁ ଜୁଳୁଜୁଳୁ କରି ଦେଖୁଛି। ଗାଡି ପାଖକୁ ନେବାରେ, ସେ କହିଲା-- – ବାବୁ ମୋତେ ଟିକେ ତୁମ ସାଙ୍ଗରେ ନେଇ ଯିବ ! ପାହାଡ ଉପରେ ମୋ ଗାଁ, ମୋତେ ଟିକେ ସେଠିକୁ ନେଇ ଚାଲ୍ ବାବୁ। ବର୍ଷା ଦିନେ ସେଠିକୁ ଯିବା ଭାରି କଷ୍ଟ।

ବିନା ଦ୍ବିଧାରେ ରାଜୁ ସେ ଲୋକଟିକୁ ଗାଡିରେ ବସାଇ, ଭାବିଲା-- ଅନ୍ତତଃ, କିଏ ଜଣେ ସାଙ୍ଗରେ ଥିଲେ, ଏ ଭୀତିପ୍ରଦ ରାସ୍ତାରେ ଯିବାର ଭୌତିକ ଅନୁଭୂତିରୁ ତ୍ରାହି ମିଳିଯିବ।

ଗାଡି କିଛି ବାଟ ଯିବା ପରେ ଲୋକ ଟି କହିଲା – – ବାବୁ ଟିକେ ଧିରେ ଗାଢି ଚଲେଇ ନେବୁ। ଏ ଯାଗା ରେ ବହୁତ୍ ଦୁର୍ଘଟଣା ହୁଏ।

ରାଜୁ ଦେହରେ ବିଦ୍ଯୁତ୍ ଆଘାତର ଝଟକା ମାରିବା ପରି ଲାଗିଲା। ସେ ଭାବିଲା -- ଲୋକ ଟି କଣ ଜାଣି ପାରିଛି ସେ ଗୋପନ ରହସ୍ଯ ?? ନ ଜାଣିଲା ପରି ରାଜୁ ପଚାରିଲା, କି ଦୁର୍ଘଟଣା କିରେ?

ଲୋକ ଟି କିଛି ସମୟ ଚୁପ୍ ରହିଲା। କହିଲା --ବାବୁ ସବୁ କଥା ଜାଣି, ଅଜଣା ହେଉଛୁ ନାଇଁ?

ଅଧକା ଯୁକ୍ତି ନ କରି ରାଜୁ ଗାଡି ଚଲାରେ ମନ ଦେଲା ଓ ଧିରେ ଧିରେ ପାହାଡିଆ ରାସ୍ତାରେ ଉଠିଲା। ଦୁର୍ଘଟଣା ଯାଗା ଆସିବାକୁ ଆଉ କିଛି ବାଟ ବାକି ଥିଲା, ଅଚାନକ୍ ସେ ଲୋକ ଟି କହିଲା – – ବାବୁ ଗାଡି ରଖ, ମୁଁ ଓହ୍ଲେଇବି।

ଏଥର ରାଜୁ କୁ ଟିକେ ଭୟ ଲାଗିଲା। ମନେ ମନେ ଭାବିଲା ଏ ଲୋକ ଏ ଜାଗା ରେ କାହିଁକି ରହିଲା। ସେ କଣ ସବୁ ଜାଣି ଏମିତି ଅଭିନୟ କରୁଛି?? ମନରେ ଉଠୁଥିବା ଭାବନାର ଅଡୁଆ ସୁତା ସଜାଡୁ ସଜାଡୁ ସେ ଲକ୍ଷ୍ଯ ଯୋରରେ ବର୍ଷା ପଡିବା ଆରମ୍ଭ ହୋଇଯାଇଛି। ଆକାଶରେ କଳା ହାଣ୍ଡିଆ ମେଘ , ତା ସାଙ୍ଗକୁ ବିଜୁଳି ଓ ଘଡଘଡି। କଣ କରିବ, ମୁଣ୍ଡକୁ ବୁଦ୍ଧିବାଟ ଦିଶୁ ନ ଥାଏ। ଲୋକ ଟିର ମୁହଁ କୁ ଦେଖିଲା, ସେ ଅବିଚଳିତ ହୋଇ ଠିଆ ହୋଇଥିଲା । ବେଳ କୁ ବେଳ ବର୍ଷାର ପ୍ରକୋପ ବଢି ଚାଲିଥିଲା। ସେ ଜାଣି ପାରିଲା ଯେ, କୌଣସି ପରିସ୍ଥିତି ରେ ମଧ୍ଯ ଆଗକୁ ଯିବା ସମ୍ଭବ ନୁହଁ। ରାଜୁର ଅସହାୟତା ଦେଖି, ସେ ଲୋକଟି କହିଲା, ବାବୁ ବ୍ଯସ୍ତ ହେଉଛୁ କି ? ମୋ ଘର ଏଇ ପାଖରେ, ଚାଲ ଆମ ଘରକୁ ଯିବା। ବର୍ଷା ଛାଡିଲେ ଚାଲିଯିବୁ।

ସେ ସମୟରେ ରାଜୁ ପାଖରେ ଅନ୍ଯ କିଛି ଚାରା ନ ଥିଲା। ସେ ଲୋକ କୁ କହିଲା ହଉ ଚାଲ୍ ଯିବା ତୋ ଘରକୁ। ଗାଡି ଟି ରାସ୍ତା ଉପରେ ରଖି ଲୋକଟିର ପଛରେ ଚାଲିଲା ରାଜୁ । ଅଣଓସାରିଆ ପାହାଡିଆ ରାସ୍ତା, ଟିକେ ଅସାବଧାନ ହେଲେ ପଡି ଯିବାର ଭୟ। ସନ୍ଧ୍ଯା ହୋଇ ଆସୁଥାଏ। ଲୋକ ଟିର ମୁହଁ ଭଲରେ ଦିଶୁ ନ ଥାଏ। ଯାହା ପଚାରିଲେ ଲୋକଟି କେବଳ " ହୁଁ" "ହୁଁ" କହି ଉତ୍ତର ଦେଉଥାଏ। ସେ ଲକ୍ଷ୍ଯ କଲା ଲୋକଟି ଛୋଟେଇ ଛୋଟେଇ ଚାଲୁ ଥାଏ। ବଡ ସାହାସର ସହ ରାଜୁ ପଚାରିଲା ତାକୁ '' କଣ ହେଇଛି କିରେ, ଗୋଡ ଜଖମ ହେଇଛି କି? ସେଇ ସମାନ ଉତ୍ତର। ହୁଁ...... ଏଥର କିନ୍ତୁ ସେ ଉତ୍ତରରେ ବିରକ୍ତି ଥିଲା।

କିଛି ବାଟ ଗଲାପରେ ଲୋକ ଟି ଏକ ଭଙ୍ଗା କୁଡିଆ ଆଡକୁ ଇସାରା ଦେଖାଇ କହିଲା-- ଆସେ ମୋ ଘରକୁ। ଘରକୁ ଦେଖି ରାଜୁ କିଛି ବୁଝି ପାରିଲାନି। ଭଙ୍ଗା ଦଦରା ଘରଟିର ଚାଳ ଅଧା ଉଡି ଯାଇଛି। ବର୍ଷା ପାଣି ଚାରି ଆଡେ ଜମି ବଡ ବିକୃତ ଓ ଭୀତିପ୍ରଦ ପରିବେଶ ସୃଷ୍ଟି କରୁଥିଲା।

ଏ ଘରେ କେହି ରହୁ ନାହାନ୍ତି କିରେ?? ଏମିତି କଣ ହେଇଛି ଘର?

ନାଁ ବାବୁ। ମୁଁ ଆଉ ମୋ ସ୍ତ୍ରୀ ରହୁ ଥିଲୁ ଏଠି। ଏବେ ବି ରହୁଛୁ ଏଇଠି। ଯିବୁ କୁଆଡେ ?

କିଛି ବୁଝି ପାରିଲାନି ରାଜୁ, ଏ ଲୋକ ଏମିତି କଣ କହୁଛି। ମନେ ମନେ ଭାବିଲା, ଓଡିଆ ବ୍ଯାକରଣ ଏ ଆଦିବାସି ଲୋକ ଜାଣିବେ କୁଆଡୁ। ଅପାଠୁଆ ଲୋକ ବୋଲି ଅତୀତ କାଳ ଓ ଭବିଷ୍ଯତ କାଳ ବିଷୟରେ ଜ୍ଞାନ ରହିବ ବା କୁଆଡୁ। ଲୋକ ଟି ଘର ଭିତରକୁ ପଶି ବାହାରକୁ ଆସି କହିଲା--

--ବାବୁ ଡିବିରି ରେ କିରାସିନି ନାଇଁ। ଏଇ ଅନ୍ଧାରରେ ବସିବାକୁ ହେବ। ଘରେ କନ୍ଦ କେତେଟା ଅଛି, ଭୋକ ଲାଗିଲେ କହିବୁ। ଭାରି ସୁଆଦ ଲାଗିବ, ତୋ ସହରରେ ଏମିତି ଜିନିଷ ମିଳିବନି।

ରାଜୁ ଭାବିଲା ସେ ମହା ଅସୁବିଧା ରେ ପଡିଗଲା। ଅଚିହ୍ନା ଏ ଲୋକ ଓ ଅଜବ ତା ବ୍ଯବହାର। ବର୍ଷା ଓ ଅନ୍ଧାର ରାତିରେ କେମିତି ସେ ରହିବ ? ଏମିତି ଭାବିଲା ବେଳକୁ ଦେଖିଲା, ସେ ଲୋକ ଟି କୁଆଡେ ଚାଲିଗଲା। କଣ କରିବ ଭାବି ଭାବି ଏପଟ ସେପଟ ହେଲା। ସେତିକି ବେଳେ ଘର ଭିତରୁ କାହାର କାନ୍ଦିବା ଶବ୍ଦ ଶୁଭିଲା। କିଏ ଜଣେ ସ୍ତ୍ରୀ ଲୋକ ବାହୁନି ବାହୁନି କାନ୍ଦୁଛି। ତା ପାଖରେ ଥିବା ମୋବାଇଲ୍ ଲାଇଟ୍ ରେ ଦେଖିବାକୁ ଚେଷ୍ଟା କଲା, ମାତ୍ର ଅନ୍ଧାରରେ କିଛି ଦେଖା ଗଲାନି। ତାକୁ ଧିରେଧିରେ ଭୟ ଲାଗିବାକୁ ଆରମ୍ଭ ହେଲା।

ଭିତରୁ ଶୁଭୁଥାଏ " ମୋତେ ଛାଡି କୁଆଡେ ଗଲ....ମୁଁ କଣ କଲି...କଣ ପାଇଁ ତୁମକୁ ଓୌଷଧ ପାଇଁ କହିଲି..... ହସି ହସି ଗଲ, କିନ୍ତୁ ଫେରିଲା ତୁମ ମଲା ଦେହ।

ଚମକି ପଡିଲା ରାଜୁ। ଭାବିଲା ଏ ଘର କାହାର....ଯେଉଁ ଲୋକଟି ତା ଗାଡି ଧକ୍କା ରେ ମରିଗଲା ତାର କି ଆଉ????

ତା ପାଦ ତଳୁ ମାଟି ଖସିଲା ପରି ଲାଗିଲା। କିଛି ବାଟ ନ ପାଇ ଏକ ନିଶ୍ବାସରେ ଦୌଡିଲା ସେ ଯାଗାରୁ। ଅନ୍ଧାରରେ କିଛି ଦିଶୁ ନ ଥାଏ, ଝୁଣ୍ଟେଇ ପଡିଲା ଗୋଟେ ପଥର ଉପରେ। ଉଠିଲା ବେଳକୁ ଦେଖିଲା ତା ଦେହ ଖଣ୍ଡିଆ ହୋଇ ଯାଇଛି, ତଥାପି କୌଣସି ମତେ ଦଉଡି ଗାଡି ପାଖକୁ ଆସିଲା। ଦୂରରୁ ଦେଖିଲା କିଏ ଜଣେ ଗାଡି ପାଖରେ ଠିଆ ହୋଇଛି। ତା ମନରେ ଖାଲି ଗୋଟେ ପ୍ରଶ୍ନ ଉଠୁଥିଲା, ସେ ଲୋକର ସ୍ତ୍ରୀ ତ ମରି ଯାଇଥିଲା, ତେବେ ଘର ଭିତରେ କାନ୍ଦୁ ଥିଲା କିଏ?

ଗାଡି ପାଖରେ ପହଞ୍ଚି ଦେଖିଲା ଲୋକ ଟି ତା ଆଡକୁ ପଛ କରି ଠିଆ ହୋଇଛି। ରାଜୁ ଜାଣି ପାରିଲା ଏଇ ଲୋକ ଟି ତା ସହ ବସି ଆସିଥିଲା।ବଡ କଷ୍ଟରେ ତା ପାଖକୁ ଯାଇ ପାହଞ୍ଚିଲା। ସେତେ ବେଳକୁ ବର୍ଷା ଛାଡି ଯାଇ ଥାଏ। ବ୍ଯସ୍ତ ହୋଇ ରାଜୁ ପଚାରିଲା, କିଏ ତୁ? ଲୋକଟି କିଛି କହିଲାନି। ଅନ୍ଧାରରେ କିଛି ଦିଶୁ ନ ଥାଏ। ତା ପିଠିରେ ହାତ ଦେଇ ରାଜୁ ନିଜ ଆଡକୁ ବୁଲେଇ ଦେଲା। ଲୋକଟିର ଦେହ ଓଦା ଲାଗୁଥାଏ। ରାଜୁ ଭାବିଲା ବୋଧେ ବର୍ଷା ପାଣି ହୋଇଥିବ। କିନ୍ତୁ ପିଠିରେ ହାତ ମାରିଲାରୁ ସେ ଜାଣି ପାରିଲା ଯେ ଲୋକଟିର ଦେହରୁ ମାଂସ ଖଣ୍ଡେ ଗଳି ପଡିଲା। ଅଚାନକ ସେ ଜାଗାରେ ଭୀଷଣ ଗନ୍ଧର ଲହରି ଭାସିଲା ପରି ଲାଗିଲା। ରାଜୁ ଜାଣି ପାରିଲା ସେ ଏକ ଭୟଙ୍କର ବିପଦରେ ପଡି ଯାଇଛି। ଭୁତ ପ୍ରେତରେ ବିଶ୍ବାସ ନ ଥିଲେ ବି ସେ ଜାଣି ସାରିଥିଲା ସେ ଭୂତ ହାବୁଡରେ ପଡି ଯାଇଛି। ଏତିକି ବେଳେ ଏକ କର୍କଶ ସ୍ବରରେ ପ୍ରକୃତିସ୍ଥ ହେଲା ସେ।

ଲୋକଟି କହିବା ଆରମ୍ଭ କଲା,-- ବାବୁ, ଏବେ ତୁ ଜାଣି ସାରିଥିବୁ ମୁଁ କିଏ। ମୁଁ ସେଇ ଲୋକ ଯାହାକୁ ସେଦିନ ତୁ, ଧକ୍କା କରି ମାରି ଦେଇଥିଲୁ। ଆଉ ସେ କୁଡିଆରେ ଯିଏ କାନ୍ଦୁ ଥିଲା ସେ ମୋ ସ୍ତ୍ରୀ, ଯିଏ ଓୌଷଧ ନ ପାଇ ମରିଥିଲା ସେଇ ଦିନ ମୋତେ ଧକ୍କା କରି ତୁ ଖାଇ ଭିତରେ ପକେଇ ଦେଲୁ, ତୁ ମୋତେ ନ ବଞ୍ଚେଇ ବଡ ଆରାମରେ ଖସି ପଳେଇଲୁ ଓ ମୁଁ ଛଟପଟ ହୋଇ ମଲି। କଣ ଭାବିଥିଲୁ ତୋତେ ଦଣ୍ଡ ମିଳିବନି ? ଆମ ଦୁଇ ଜଣଙ୍କର ଆତ୍ମା ଅତୃପ୍ତ ହୋଇ ଘୁରି ବୁଲୁଛି ଖାଲି ପ୍ରତିଶୋଧ ନେବା ପାଇଁ। ସେଦିନଠୁ ମୁଁ ଚାହିଁ ବସିଛି ତୋ ଆସିବା ବାଟକୁ। ଆଜି କିଏ ତୋତେ ବଞ୍ଚେଇବ ଦେଖିବି ମୁଁ।

ମଝିରେ ମଝିରେ ବିଜୁଳି ଆଲୁଅରେ ଦିଶି ଯାଉ ଥାଏ ସେ ଲୋକର ଭୟଙ୍କର ମୁହଁ। ଦେହର ମାଂସ ପଚି ଯାଇଛି, ଦେହ ସାରା ରକ୍ତ । ଆଖି ଦୁଇଟି ନିଆଁ ରଡ ପରି ଜଳୁଛି, ମୁହଁର ଅଧା ଅଂଶ ନାହିଁ, ବୋଧେ ପଥର ମାଡରେ କଟି ଯାଇଛି। ରାଜୁର ମୁହଁ ଶେତା ପଡି ଆସୁଥାଏ। ଚାହିଁଲେ ବି ସେ ଜାଗାରୁ ହଲିବାର ଶକ୍ତି ହରେଇ ସାରିଥାଏ। ସେ ଅନୁଭବ କଲା ଦୁଇଟି ଶିରାଳ ହାତ ଲମ୍ବି ଆସିଲା ତା ବେକ ପାଖକୁ।

ରାଜୁ ପାଗଳ ପରି ପ୍ରଳାପ କଲା -- – ମୋତେ ଛାଡିଦେ......କ୍ଷମା କରି ଦେ.....ମୁଁ ଜାଣିଶୁଣି ତୋତେ ଧକ୍କା କରିନି, ତାହା ଏକ ଦୁର୍ଘଟଣା ଥିଲା।

ଏକ ଜୋର ଧକ୍କାରେ ତଳେ ପଡିଗଲା ରାଜୁ। ଅଶରିରୀଟି କହିଲା, ଯଦି ତୋର ଭୁଲ୍ ନ ଥିଲା ପଳେଇଲୁ କଣ ପାଇଁ? ମୋତେ କାହିଁକି ବଞ୍ଚେଇବାକୁ ଚେଷ୍ଟା କଲୁନି, ମୁଁ ସେ ଖାଇରେ ପଡି ଛଟପଟ ହୋଇ ମରିଗଲି। କାହାକୁ ଖବର ଦେଇଥିଲେ ମୁଁ ବଞ୍ଚି ପାରିଥାନ୍ତି।

ରାଜୁ ମନେ ମନେ ଠାକୁରଙ୍କୁ ଡାକିବା ଆରମ୍ଭ କରି ଦେଇଥିଲା। ତାକୁ ଲାଗୁଥିଲା ଏ ବିପଦରୁ ଆଉ ବର୍ତ୍ତିବା ସମ୍ଭବ ନୁହେଁ। ପାଦେ ପାଦେ ପଛେଇ ଚାଲିଲା। ଅଚାନକ୍ କାନରେ ପୁଣି ଶୁଭିଲା ସେଇ ସ୍ତ୍ରୀ ଲୋକର କାନ୍ଦଣା। ପଛକୁ ବୁଲି ଦେଖିଲା ଏକ ସ୍ତ୍ରୀ ଲୋକ କେଶ ମୁକୁଳା କରି ଦୁଇ ହାତ କୁ ଲମ୍ବାଇ ଠିଆ ହୋଇଛି। ମୁହଁ ଦିଶୁ ନ ଥାଏ, ମାତ୍ର ରାଜୁ ଅନୁଭବ କରି ପାରୁଥାଏ ସ୍ତ୍ରୀ ଲୋକ ଟି ଧିରେ ଧିରେ ତା ଆଡକୁ ଅଗ୍ରସର ହେଉଥାଏ। ଏବେ ସେ ନାରୀ ଟି କାନ୍ଦ ବନ୍ଦ କରି ଜୋର ରେ ଅଟ୍ଟହାସ୍ଯ କରିବାରେ ଳାଗିଲା। ଏତେ ତୀବ୍ର ସେ ହସ ଯେ ରାଜୁ କୁ ଲାଗିଲା ତା କାନ ଫାଟି ଯିବ। ଦୁଇ ଅଶରୀରି ଙ୍କ ମୁହଁରୁ ଗୋଟିଏ କଥା ଶୁଣୁଥାଏ ରାଜୁ “ଆଜି ତୋତେ କିଏ ବଞ୍ଚେଇବ ଦେଖିବା, ମରିବା ପାଇଁ ପ୍ରସ୍ତୁତ ହୋଇ ଯା।

ଦେହରୁ ଗମ୍ ଗମ୍ ଝାଳ ବୋହି ଯାଉଥିଲା ଓ ସେ ନିରୁପାୟ ହୋଇ ନିଜ ଆସନ୍ନ ମୃତ୍ଯୁ କୁ ଅପେକ୍ଷା କରି ରହିଲା। ତା କାନ ରେ ବାରମ୍ବାର ଗୁଞ୍ଜରି୍ ହେଉଥାଏ ସେ ଅଶରୀରି ର ବାକ୍ଯ। ଯୋରରେ ଗାଡି ଚଲେଇବୁ ତ ଚଲା, ଆଜି ମୁଁ ବି ଦେଖିବି କେତେ ଯୋରରେ ଯିବୁ ତୁ। ରାଜୁ ଛାଟିପିଟି ହୋଇ ସେ ଯାଗାରୁ ଉଦ୍ଧାର ପାଇବା ପାଇଁ ନିଜ ଗାଡି ପାଖକୁ ଦଉଡିବା ଆରମ୍ଭ କଲା। ଗାଡି ଉପରେ ବସି ଷ୍ଟାର୍ଟ କରିବାକୁ ଯେତେ ଚେଷ୍ଟା କଲା ବିଫଳ ହେଲା। କିଏ ଜଣେ ତା ବେକ ଚିପିବାକୁ ଆରମ୍ଭ କଲା। କିନ୍ତୁ ରାଜୁ ସେ ସବୁ କୁ ଖାତିର ନ କରି ପ୍ରାଣ ବିକଳରେ ଗାଡି ଷ୍ଟାର୍ଟ କରିବାରେ ଲାଗିଲା। ଦୁଇ ଅଶରୀରି ପାଖକୁ ଲାଗି ଆସି କହିଲେ, ତୋତେ ଆମ ସହ ଯିବାକୁ ହେବ, ଏକୁଟିଆ କୁଆଡେ ଯାଉଛୁ। ଆମେ ବି ଯିବୁ ତୋ ସହ।

ରାଜୁ ଅନୁଭବ କଲା, ତା ଗାଡି ଉପରେ ସେମାନେ ବସିବାର କମ୍ପନ। ଗାଡି ଟି ମନ କୁ ମନ ଗଡି ବାରେ ଲାଗିଲା। ସେ ଆଶ୍ଚର୍ଯ୍ଯ ହେଲା କାରଣ ଗାଡି ଜମା ବ ଷ୍ଟାର୍ଟ କରିନି ସେ। ପଲକ ନ ପଡୁଣୁ ଗାଡି ର ବେଗ ବଢିବାରେ ଲାଗିଲା। ସେମାନେ କହୁଥାନ୍ତି, ଦେଖ୍ ଏମିତି ଲାଗେ ନା ଯୋରରେ ଗଲେ??? ଏବେ ଦେଖ ମରିଲା ବେଳେ କେମିତି ଲାଗେ।

ଗାଡି ଟି ଧିରେ ଧିରେ ପାହାଡି ରାସ୍ତାର ଧାର ଆଡକୁ ମୁହାଁଇଲା। ରାଜୁ ର ହାତ କେବଳ ନାମ କୁ ମାତ୍ର ହ୍ଯାଣ୍ଡଲ୍ ଉପରେ ଥାଏ ଓ ସେଇ ପ୍ରେତାତ୍ମା ମାନେ ହିଁ କାବୁ କରିି ରଖି ଥାନ୍ତି ଗାଡି କୁ। ମୃତ୍ଯୁ ଅବଶ୍ବମ୍ଭାବି ଜାଣି ରାଜୁ ସବୁ ଭଗବାନ୍ ଙ୍କ ଉପରେ ଛାଡିଦେଲା। ଶେଷଥର ପାଇଁ ତାଙ୍କୁ ନେହୁରା ହୋଇ କହିଲା-- ସେଦିନ ମୋର କିଛି ଦୋଷ ନ ଥିଲା, ମୁଁ ଜାଣି ଶୁଣି ଏ ପାପ କରି ନାହିଁ। ସେ ଘଟଣା ପାଇଁ ମୁ ଅନୁତପ୍ତ।ତଥାପି ଯଦି ମୋତେ ଦଣ୍ଡ ମିଳିବାର ଥିବ ତାହା ମୋ ଭାଗ୍ଯ।ଏତିକି କହି ଚୁପ୍ ହୋଇଗଲା।

ହଠାତ୍ ସବୁ ସ୍ଥିର ହୋଇଗଲା। ଗାଡି ଟି ରହି ଗଲା ସେଇ ଯାଗାରେ। ତା ଆଗରେ ଉଭା ହେଲେ ଦୁଇ ପ୍ରେତାତ୍ମା ନିଜ ପ୍ରକୃତ ଋପ ରେ। ସେମାନେ କହିଲେ ---ତୋ ଉପରେ ପ୍ରତିଶୋଧ ନେବା ପାଇଁ ଆମେ ସେଦିନ ଠୁ ଅତୃପ୍ତ ହୋଇ ଘୁରି ବୁଲୁଥିଲୁ।କିନ୍ତୁ ତୋର ମନର ଅବସ୍ଥା ଓ କଥା ଶୁଣି ଆମେ ଜାଣି ପାରୁଛୁ ତୁ ଜାଣି ଶୁଣି ଏ ପାପ କରିନୁ। ଯାଃ ତୋତେ କ୍ଷମା କଲୁ। କିନ୍ତୁ ମନେ ରଖ ଯଦି ଆଉ କେବେ ବି ଏମିତି ବେପରୁଓ୍ବା ଗାଡି ଚଲେଇବୁ,ସେହି କ୍ଷଣି ହିଁ ତୋତେ ଭୟଙ୍କର ମୃତ୍ଯୁ ର ଉପହାର ଆମେ ମାନେ ହିଁ ଦେବୁ। ଏବେ ଚାଲିଯା ଏଠୁ। ତୋତେ ଜୀବନ ଦାନ ଦେଲୁ।

ରାଜୁର କାନ ରେ ଆଉ କିଛି ଶୁଭୁ ନ ଥାଏ, ସେ ପଥର ହୋଇ ଯାଇଥାଏ । ଚେତା ହରାଇ ସେଇ ରାସ୍ତା ଉପରେ ଟଳି ପଡିଲା। ଆଖି ଖୋଲିଲା ବେଳକୁ ନିଜକୁ ଆବିଷ୍କାର କଲା ନିଜ ଘରେ। ତା ବୁଢାବାପା ପାଖରେ ବସି ହାତ ଆଉଁସୁ ଥାନ୍ତି। କହିଲେ--- ରାଜୁ ରେ ତୋ ଚେତା ଆଜିକୁ ଦୁଇ ଦିନ ହେଲା ନ ଥିଲା। ଡାକ୍ତର କହିଲେ ଭୟଙ୍କର ମାନସିକ ଧକ୍କା ପାଇଁ ଏମିତି ହେଲା। ତୋତେ ଖୋଜି ଖୋଜି ଆମେ ପାଇଲୁ ସେ ପାହାଡି ରାସ୍ତାରେ। ତୁ ଅଚେତ ହୋଇ ପଡି ଥିଲୁ। ତୋତେ ଜଗି ବସି ଥିଲେ ଦୁଇ ଜଣ ଆଦିବାସି ଲୋକ। ସ୍ବାମୀ ସ୍ତ୍ରୀ ହେବେ ବୋଧେ। ପଚାରିଲା ରୁ କିଛି ବି କହିଲେନି। ଖାଲି କହିଲେ ତୁମ ପୁଅ ସେ ପାହାଡ ତଳକୁ ଖସି ପଡି ଥାଆନ୍ତା। ଏଇଠି ଗାଡି ଟି ଖସି ଯିବାରୁ ପଡି ଚେତା ବୁଡି ଗଲା। ଏବେ ତୁମ ପୁଅ ତୁମକୁ ଲାଗିଲା। ସେ ଚେତା ଫେରିଲେ ଖାଲି ଏତିକି କହିଦେବ, ଗାଡି ସାବଧାନରେ ଚଲେଇବ, ନୋହିଲେ ଜୀବନ କେତେବେଳେ ବି ଚାଲିଯାଇ ପାରେ। ବାକ୍ଯ ଶୁନ୍ଯ ହୋଇ ସବୁ ଶୁଣୁଥାଏ ସେ। ଆଉ ବୁଝିବାକୁ ବାକି ରହିଲାନି ଯେ, ସେଇ ପ୍ରେତାତ୍ମା ଦୁଇଟି ତାକୁ ଜଗି ବସି ଥିଲେ। ଆପେ ଆପେ ତା ଦୁଇ ହାତ ଶୂନ୍ଯ କୁ ଉଠିଗଲା। କହିଲା --ପ୍ରଭୁ ସେମାନଙ୍କୁ ମୁକ୍ତି ଦିଅ। ମୁଁ ପାପୀ ଦଣ୍ଡ ମୋତେ ମିଳୁ। ଆଖିରୁ ଧାର ଧାର ଳୁହ ବୋହି ଯାଉଥାଏ। ତା ବାପା ଚୁପ୍ ଚାପ୍ ରାଜୁ ର ଏ ଋପ ଦେଖୁଥାନ୍ତି, ଯାହା ଏତେ ବର୍ଷ ଭିତରେ ସେ କେବେ ଦେଖି ନ ଥିଲେ। ସେ ଯାହା ବି ହେଉ, କିନ୍ତୁ ରାଜୁ ସହିତ ଘଟିଥିବା ଭୌତିକ କାଣ୍ଡ ତା ଜୀବନ ର ଗତିପଥ ବଦଳାଇ ଦେବା ପାଇଁ ଯଥେଷ୍ଟ ଥିଲା।

******************ସମାପ୍ତ***************

ମିନି ର ଗଛ

                 ମିନିର    ଗଛ
                            ଅରବିନ୍ଦ  ରଥ

ମିନି ସେଦିନ ଭାରି ଖୁସିରେ ହାତରେ ଏକ ଗୋଲାପ ଗଛ ଧରି ଘରେ ପହଞ୍ଚିଲା। ଛୋଟ କୁଣ୍ଡରେ ଗୋଲାପ ଗଛଟି ନୂଆ ଜନ୍ମ ହୋଇଥିବା ଛୁଆଟିଏ  ପରି ଦିଶୁଥାଏ। ବଡ ଯତ୍ନ ସହକାରେ ମିନି ସେ ଗଛକୁ ନେଇ ଘରେ ସବୁ ଲୋକଙ୍କୁ ଦେଖେଇ କହିଲା  “ ଦେଖ ସବୁ, ମୋ ନୂଆ ଗଛ। ଆଜି ଠାରୁ ସେ ମୋ ପାଖରେ ରହିବ ସଦା ବେଳେ। ମୁଁ ତାର ଯତ୍ନ ନେବି ଓ ତାକୁ ଏକ ବଡ ଗଛ କରିଦେବି। ସେଥିରେ ସବୁ ଦିନ ଫୁଲ ଫୁଟିବ, ସେ ଫୁଲରେ ଠାକୁର ପୂଜା ହେବେ। ଏମିିତି କେତେକଥା ଅନବରତ କହି ଚାଲୁଥାଏ  ମିନି। ”

ମିନିର ବୟସ ଯମାରୁ ଆଠ। ପିଲାଟି ଦିନରୁ ମନରେ ଗଛ ପାଇଁ ଅହେତୁକ ଆଗ୍ରହ। ମାଆ ଯେତେବେଳେ ବାଡିରେ ଗଛ କାମ କରନ୍ତି, ମିନି ବସି ଥାଏ ତାଙ୍କରି ପାଖରେ। କେତେବେଳେ ସାର ଦିଆ ଯିବ, କେତେବେଳେ ପତ୍ର ସବୁ କଟା ଯିବ, ପୋକ ଲାଗିଥିଲେ କେମିତି ତାର ଉପଚାର କରାଯିବ , ସେସବୁ ଜିନିଷ ନିରେଖି  ଦେଖେ  ସେ। କେଉଁ ଗଛରେ ଫୁଲ ଫୁଟିଲେ ସବୁଠାରୁ ବେଶି ଖୁସି ହୁଏ ମିନି। ଘରେ ଗୋଟେ ପରସ୍ତ ନାଚିଯାଏ ସେ। ସତେ ଯେମିତି ବହୁତ ବଡ ଉପହାରଟେ ପାଇଯାଇଛି। ମାଆ ସଦାବେଳେ କୁହନ୍ତି  “ ଆମ ମିନି  ଗଛ ମାନଙ୍କୁ ନିଜ ପିଲା ପରି ଦେଖେ। କାହାର ଦେହ ଖରାପ ହେଲା, କାହା ମନ ଦୁଃଖ ସବୁ ଦିଶିଯାଏ  ମିନିକୁ।  ତାଙ୍କରି ପାଇଁ ତା ମନ ଖୁସି ହୁଏ ଓ ଦୁଃଖି ବି ହୁଏ। ”  ସବୁ ସଦସ୍ଯଙ୍କୁ, ମିିନିର ଗଛ ପାଇଁ ଏମିତି ସ୍ନେହ ବେଶ ରୋଚକ ଲାଗେ।
ନିଜ ପଢା ଟେବୁଲରେ ସଜାଇ ରଖିଲା ଗଛଟିକୁ। ପଢା ଟେବୁଲ ଠିକ ଝରକା ପାଖରେ। ତେଣୁ ପବନ ଓ  ସୂର୍ଯ୍ଯ କିରଣ ପାଇବାରେ ଅସୁବିଧା ନାହିଁ।  ଗଛଟି ଛୋଟ ହେଲେ ବି ପତ୍ରରେ ଭରପୁର ହୋଇ ଥିଲା। ଦେଖିଲେ ମନ ପୁରିଯିବ। ଯତ୍ନର ସହ ଏକ କପଡା ଧରି ପତ୍ର ଗୁଡିକୁ ପୋଛି ପକେଇଲା। ସେଦିନ ଗଛର ନାମକରଣ ବି କରିଦେଲା। –
“ ଆଜିଠୁ ତୋ ନାମ ହେଲା ରୋଜି। ବୁଝିଲୁ ତ। ତୋତେ ସବୁ ସେଇ ନାଁଆରେ ଡାକିବେ।  ତୁ ମୋର ପୋଷା ଗଛ। ସଦାବେଳେ ମୋ ପାଖରେ ରହିବୁ। ଯାହା ମନରେ ଦୁଃଖହେବ ମୋତେ କହିବୁ। ଦେହ ଖରାପହେଲେ କି କଣ କହିବାକୁ ଇଛାଥିଲେ ମୋତେ କହିବୁ। ” ଗଛ ସହ ଗପ ଆରମ୍ଭ କରିଦେଲା ସେ।

ସାନ ପିଲା ହେଲେ ମଧ୍ଯ ଦୁନିଆଦାରି ବିଷୟରେ ବେଶ୍ ଜ୍ଞାନଥିଲା ମିନିର।  ସେ ଗଛଟିକୁ ନିଜ ଝିଅ ହିସାବରେ ପାଳିବାକୁ ଲାଗିଲା। ପାଣି ଦେଇ ସାରି ପଚାରେ “ ଦେଖିଲୁ,  ଆଉ ପାଣି ପିଇବୁ ନା ସେତିକି।। ଶୁଖିଲା ପତ୍ର ଛିଡାଇ ଦେଇ ପଚାରେ “ତୋତେ କାଟୁନି ତ?”  ଭାଇ ଭଉଣୀ ମାନେ ଗଛ ପାଖକୁ ଆସିଲେ ମିନି ବାରଣ କରି କୁହେ, କେହି ଲାଗନି ରୋଜି ସହ। ସେ ପିଲା ଟା। ତା ପତ୍ର କେହି ଛିଡାଇବନି, ତାକୁ କାଟିବ। ସେମାନେ ବି ସଜାଗ ହୋଇ ବସନ୍ତି ଗଛ ପାଖରେ। ବହୁତ ସମୟ ଯାଏ ଚାହିଁ  ରହି ପଚାରନ୍ତି --
–  “ ମିନି ଅପା , କେବେ ରୋଜି ଆମକୁ ଫୁଲ ଦେବ ”
ମିନି  କୁହେ  “ ରୋଜିକୁ ଏମିତି ବ୍ଯସ୍ତ କରନି, ସେ ଆଗ ବଡ ହୋଇଯାଉ। ଏତେ ଫୁଲ ଦେବ ଯେ ସମ୍ଭାଳି ପାରିବନି। ଏମିତି କହି ହସିହସି ଗଡି ଯାଏ।  ସାନ ଭାଇ ଭଉଣି ମାନେ କିଛି ବୁଝି ନ ପାରି ମିନି ମୁହଁକୁ ବଲବଲ କରି ଚାହାନ୍ତି। 
ସ୍କୁଲ ଗଲା ବେଳକୁ ମିନି ସେ ଗଛଟିକୁ ସବୁ ଦିନ କୁହେ, ତୁ ଯମା ଡରିବୁନି। ଏଇଟା ତୋ ନୂଆ ଘର। ତୁ ଆରାମରେ ଖାଇିପିଇ ଥିବୁ। ମୁଁ ଜଲଦି ପଳେଇ ଆସିବି ସ୍କୁଲରୁ। ତା ପରେ ଆମେ ବହୁତ ଗପିବା। ସ୍କୁଲ ରୁ ଫେରିବା ପରେ ଦଉଡି ଯାଏ ଗଛ ପାଖକୁ। ହାତରେ ଟେକି ଗେଲ ଟିିକେ କରିଦିଏ। କୁହେ, ସଦାବେଳେ ଖୁସିରେ ଥାଆ, ମୁଁ ଅଛି ତୋ ପାଖେପାଖେ। ମିନିର ସବୁ ଦିନର କାମ ହେଲା, ଗଛର ପତ୍ର ମାନଙ୍କୁ ନିରେଖି ଦେଖିବା।  କାଳେ କେଉଁଠି ପୋକ ଲାଗିଥିବ କି ପତ୍ର ପୋଡି ଯାଇଥିବ। ଯଦି ସେମିତି କିଛି ଆଖିରେ ପଡେ ସାଙ୍ଗସାଙ୍ଗେ ସଫାକରି ଦିଏ ସେ। କୁନି ପିଲାଙ୍କ ଯତ୍ନ ନେଲା ପରି ସେ ଗଛର ଯତ୍ନ ନିଏ। ଘରଲୋକ ମାନଙ୍କୁ ଟିକେ ଅଜବ ଲାଗେ ମିନିର ବ୍ଯବହାର। ସଦା ବେଳେ ଗଛ ପଛରେ ସମୟ କାଟିବା ଭଲ ଲାଗେନି ସେମାନଙ୍କୁ। 

ଦିନେ ସକାଳୁ ମିନି ଜୋରରେ କାନ୍ଦିକାନ୍ଦି ମାଆଙ୍କ ପାଖକୁ ଆସି କହିଲା ଯେ ରୋଜିର ଦେହ ଖରାପ ହୋଇ ଯାଇଛି।  ପତ୍ର ସବୁ ଶୁଖିଲା ପରି ଦିଶୁଛି।  କିଛି ପତ୍ରଝଡି ଯାଇଛି। ରୋଜିର କିଛି ହୋଇ ଯିବନି ତ? 
ମାଆ କହିଲେ ଯମାରୁ ବ୍ଯସ୍ତ ହୁଅନି ରେ ଝିଅ। କିଛି ହୋଇନି ତୋ ରୋଜିର। ସବୁ ଗଛର ପତ୍ର ସେମିତି ଝଡେ ଓ ନୂଆ ପତ୍ର କଁଅଳେ। ତୁ ଅଧୈର୍ଯ୍ଯ ହେଲେ ଚଳିବନି। କିଛି ଦିନ ଅପେକ୍ଷା କର, ପୁଣି ବହୁତ ପତ୍ର କଅଁଳିବ। 
ସତକୁ ସତ ସବୁ ପତ୍ର ଝଡି ଗଛ ଟା ଲଣ୍ଡା ଦିଶିଲା। ମିନି ମନ ଏତେ ଦୁଃଖ ହେଲା ଯେ ସେ ଖାଇବା ପିଇବା ଛାଡି ଦେଲା। ସଦାବେଳେ ସେଇ ଗୋଟିଏ ଚିନ୍ତା, ତା ରୋଜିର କଣ ହୋଇଗଲା। ଗଛ ପାଖରେ ବସି ଲୁହ ଗଡାଇ କୁହେ ତୋର କଣ ହେଲା ରୋଜି। କଣ ପାଇଁ ତୋର ଏମିତି ହେଲା। ଜଲଦି ଭଲ ହୋଇ ଯା।  ଏମିତି ଚିନ୍ତା ରେ ପଡି ପଡି ମିନି କୁ ଜ୍ବର ହୋଇଗଲା। ଶୋଇଲା ବେଳେ ବିି ସେ ବାଉଳେଇ ହୋଇ କହୁଥାଏ  “ ଜଲଦି ଭଲ ହୋଇ ଯା ରୋଜି , ମୋତେ ଛାଡି କୁଆଡେ ଯାଆନି। ” 
ଡାକ୍ତର ଆସି ଦେଖିଲେ ମିନି କୁ। କହିଲେ ଅତ୍ଯଧିକ ମାନସିକ ଚାପ ପାଇଁ ପିଲାଟିକୁ ଜ୍ବର ଛାଡୁନି।  ଉପଦେଶ ଦେଲେ ତାକୁ ଖୁସି ରଖିବା ପାଇଁ। ଗଲା ବେଳେ କହିଲେ  “ ବ୍ଯସ୍ତ ହେବାର କିଛି ନାହିଁ। ଯେତେବେଳେ ପିଲା ର ମନ ଭଲ ହୋଇଯିବ ଦେହ ବି ଠିକ ହୋଇଯିବ।”  ମିନି ଓ ରୋଜି ପାଖାପାଖି ଥାଆନ୍ତି। ଦୁଇ ଜଣ ଅସୁସ୍ଥ। ଘର ଲୋକ ବ୍ଯସ୍ତ ହେବା ସ୍ବାଭାବିକ। 
  ମିନି ଶୋଇଯିବା ପରେ ମାଆ ଯାଇ ଦେଖିଲେ ସେ ଗୋଲାପ ଗଛଟିକୁ। କୁଣ୍ଡରୁ କାଢି ଦେଖିଲା ବେଳକୁ ଗଛର ଚେର ରେ ଉଈ ଲାଗି ଯାଇଛି। ଏତେ ବେଳକେ କାରଣ ଟି ଜାଣି ମାଆ ଆଶ୍ବସ୍ତ ହେଲେ। ଗଛର ଏପରି ଅବସ୍ଥାର କାରଣ ଉଈ। ଅତି ଯତ୍ନର ସହକାରେ ମୁଳରୁ ସବୁ ମାଟି କାଢି ମାଆ ଉଈ ସବୁ ସଫା କରିଦେଲେ। ନୂଆ ମାଟିରେ କିଛି ସାର ଦେଇ ପୁଣି ଥରେ ଗଛଟିକୁ ପୋତି ଦେଲେ କୁଣ୍ଡରେ। କିଛି ହରମୋନ ମଧ୍ଯ ଦେଇଦେଲେ ଗଛଟି ଠିକରେ ବଢିବା ପାଇଁ।  ଗଛଟି ଏଥର ବଞ୍ଚିଯିବ ଏ କଥା ମାଆ ଜାଣିଥିଲେ। 
ତା ପର ଦିନ ସକାଳେ ମିନି ଦେଖିଲା ଗଛଟି ସୁସ୍ଥ ଦିଶୁଛି। ଖୁସିରେ ମାଆଙ୍କୁ ଡାକ ପକେଇ କହିଲା  “ମାଆ ଆସ ଦେଖିବ, ରୋଜିର ଦେହ ଆଜି ବୋଧେ ଭଲ ଅଛି। ତା ସ୍ବରରେ ଉତ୍ସାହ ଥିଲା। ମାଆ ଜାଣିଗଲେ ଏବେ ମିନିର ଦେହ ବି ଠିକ ହୋଇଯିବ। ସତ କୁ ସତ ସଂନ୍ଧ୍ଯା ବେଳକୁ ଗଛର ରୂପରେ ଆଶ୍ଚର୍ଯ୍ଯଜନକ ପରିବର୍ତ୍ତନ ଆସିଲା। ମିନି ଧିରେଧିରେ ସୁସ୍ଥ ହେବା ଆରମ୍ଭ କଲା। ତା ପର ଦିନ ସକାଳେ ମିନି ଓ ରୋଜି ସୁସ୍ଥ ହୋଇଗଲେ।  ମିନି ଗଛଟି ପାଖରେ ବସି କହିଲା “ଦେଖିଲୁ ତ, ତୋ ଦେହ ଖରାପ ଥିଲା ବୋଲି ମୁଁ ବି ଅସୁସ୍ଥ ହୋଇଗଲି। ତୁ ସଦା ବେଳେ ଭଲରେ ରହିଲେ ମୁଁ ବି ଭଲରେ ରହିବି। ଗଛ ଟି କେମିତି ଭଲ ହେଲା ସେ କଥାଟି ମାଆ ଗୁପ୍ତ ରଖିଲେ। କିଛିଦିନ ଗଲା ପରେ ମିନିର ଗଛ ଛନଛନିଆ ହୋଇ ବଢିବାକୁ ଲାଗିଲା। ଦେହରେ ପତ୍ରର ଅପୂର୍ବ ସମ୍ଭାର।  କୁଣ୍ଡ ଭିତରେ ଗଛଟିକୁ ଦେଖିଲେ ପେଟ ପୁରି ଯିବ।  ଦିନେ ସ୍କୁଲରୁ ଫେରି ମିନି ଦେଖିଲା ଗଛଟି ଦେହରେ କଅଁଳିଛି କିଛି କଢ। ଦେଖି ତା ମନ କୁଣ୍ଢେମୋଟ ହୋଇଗଲା। ଖୁସିରେ ପରସ୍ତେ ନାଚି ଗଲା ସେ। ସମସ୍ତଙ୍କୁ ବୁଲିବୁଲି କହିଲା--
 “ ରୋଜି ଦେହରେ ଏବେ ଫୁଲ ଫୁଟିବ। କେତେ ସୁନ୍ଦର ଦିଶିବ ସେ। ସେ ଫୁଲ ଠାକୁରଙ୍କୁ ଲଗେଇବା।”
ଘରଲୋକେ ବି ଖୁସି ହୋଇଗଲେ ଖବରଟି ଶୁଣି। ସବୁ ଯାଇ ଦେଖିଲେ। ସତ କୁ ସତ ପାଞ୍ଚ ଦଶ ଟି କଢ ଆସିଥିଲା ଗଛଟିରେ। ସେଦିନ ରାତିରେ ରୋଜି ଆଖିରେ ନିଦ ନାହିଁ। କେତେ ବେଳେ ଫୁଲ ଫୁଟିବ ଚାହିଁ ରହିଲା। କେତେ ବେଳେ ଆଖି ପଡି ଯାଇଛି ତାର। ଏକ ସ୍ବପ୍ନ ଦେଖିଲା। ରୋଜି ଏକ ଝିଅରେ ରୂପାନ୍ତରିତ ହୋଇଯାଇଛି। ହାତରେ ଧରିଛି ବହୁତ ଗୁଡିଏ ଫୁଲ। କହୁଛି  “ ନିଅ ମିନି ନାନୀ ଏସବୁ ତୁମ ପାଇଁ। କେତେ କଣ ଗପି ଯାଉଛି ରୋଜି।”
ନିଦ ଭାଙ୍ଗିଗଲା ମିନିର। ଦେଖିଲା ବେଳକୁ ରୋଜି ଦେହରେ ଫୁଟିସାରିଛି ଫୁଲ। ଯାହା ଦେଖିଲା ତାହା ସ୍ବପ୍ନ ନା ସତ୍ଯ ଜାଣି ପାରିଲାନି। ଘଣ୍ଟା ଦେଖିଲା ରାତି ଚାରିଟା ବାଜିଛି। ଏତେ ରାତି ରେ କାହାକୁ ଉଠେଇ ଦେବ ଏ ଖୁସି ଖବର। ଖୁସିରେ ତା ଆଖିରୁ ନିଦ ହଜି ଗଲା। ଲାଲ୍ ରଙ୍ଗର ଫୁଲ ଗୁଡିକ ଏତେ ସୁନ୍ଦର ଦିଶୁଥିଲା ଯେ ସେଠାରୁ ନଜର ହଟେଇବା   ମୁସ୍କିଲ ଥିଲା ମିନି ପାଇଁ। 
ତୁ କଣ ସତରେ ମୋ ପାଖକୁ ଆସିଥିଲୁ ରୋଜି, ପଚାରିଲା ମିନି।  ମୁଁ ତୋତେ ବହୁତ ଭଲ ପାଏ। ଗଛଟିକୁ ଗେଲ କରି ପକେଇଲା ମିନି।
ସେଦିନ ସକାଳେ ଘରେ ଗୋଟେ ଉତ୍ସବର ଆୟୋଜନ ହୋଇଗଲା। ମିନିର ରୋଜି ଆଜି ଫୁଲ ଦେଇଛି। ଲାଲ ଗୋଲାପ ଫୁଲ। ବଗିଚାରେ ଯେତେ ଗଛ ଅଛି ସବୁଠାରୁ ସୁନ୍ଦର ଫୁଲ ରୋଜି ଗଛର। ମାଆ ବି ସେଇ କଥା କହିଲେ। ଏତିକି ଶୁଣି ମିନି ର ମନ କୁଣ୍ଢେମୋଟ ହୋଇଗଲା।  ସାନ ଭାଇ ଭଉଣୀ ମାନେ ଘରେ ପରସ୍ତେ ନାଚି ଗଲେ, ରୋଜିର ଜୟ ଗାନ କରି। 
ବଡ ଭାଇ କହିଲେ “ଏତେ ସୁନ୍ଦର ଫୁଲକୁ ବଜାରରେ ବିକିଲେ ଗୋଟାକୁ ପନ୍ଦର ଟଙ୍କା ରେ ବିକ୍ରି ହୋଇଯିବ।”
ଭାଇଙ୍କ କଥା ଜମାରୁ ଭଲ ଲାଗିଲାନି ମିନି କୁ। ସେ ଭେଁ ଭେଁ କରି କାନ୍ଦି ପକେଇଲା। 
“ମୋ ରୋଜିର ଫୁଲ ମୁଁ କାହାକୁ ଦେବିନି। ତା ଫୁଲ ମୁଁ କେବେ ବି ବଜାରରେ ବିକ୍ରି କରିବାକୁ ଦେବିନି। ସେ ମୋ ରୋଜି। କେବଳ ମୋର ସେ।”
 ବଡ ଭାଇ ବହୁତ୍ ବୁଝାଇ ଶାନ୍ତ କଲେ ମିନିକୁ। କହିଲେ “ ଆରେ ବୋକି ମୁଁ କଣ ତୋ ଫୁଲ ବିକ୍ରି କରିବା କଥା କହୁଥିଲି କି ? ମୁଁ କହିଲି ଏ ଫୁଲ ଏତେ ସୁନ୍ଦର ଯେ, ଯିଏ ଦେଖିବ ସିଏ ଲୋଭେଇ ଯିବ।
ମିନି ବୁଝିଲା ପରେ ଚୁପ୍ ହେଲା। ବାପା ଅଫିସରୁ ଆସିଲା ପରେ ମିନି ଦେଖେଇଲା ରୋଜିର ଦେହରେ ଆସିଥିବା ଫୁଲର ଅପୂର୍ବ ସମ୍ଭାରକୁ। ବାପା ଖୁସି ହୋଇଗଲେ ଓ କହିଲେ  “ ଆରେ ବାଃ ମିନି, ଏତେ ସୁନ୍ଦର ଫୁଲ ଦେଖି ମୋ ମନ ପୁରା ଖୁସି ହୋଇଗଲା। ବହୁତ ଭଲରେ ରଖିଛୁ ରୋଜି କୁ। ସେଇଥି ପାଇଁ ସେ ଦେଲା ଏତେ ଭଲ ଫୁଲ।” ମୁଣ୍ଡ ଟୁଙ୍ଗାରିଲା ମିନି।

ବାପା ମାଆ କଥା ହେଉଥିଲେ ଯେ ମିନିର ଗଛଟି ପୁରା ଫଟୋରେ ଦିଶୁଥିବା ଗଛ ପରି  ଦିଶୁଛି। ବାପା କହିଲେ 
“ ଆସନ୍ତା କାଲି ଆମ ଅଫିସର ଘରକୁ ଆସିବେ ବୋଲି କହିଛନ୍ତି। ତାଙ୍କର ଚର୍ଚ୍ଚା ଭଲରେ କରିବାକୁ ହେବ। କିଛି ରୋଷେଇ କରି ଆପ୍ଯାୟିତ ନ କଲେ ଆଗକୁ ଅଛି ପ୍ରମୋଶନ। ଆରେ ହଁ ,କାଲି ଘରକୁ ଟିକେ ସଜେଇ ରଖିବାକୁ ହେବ।  ଡାଇନିଂ ଟେବୁଲରେ ଖାଇଲା ବେଳେ ମିନି ର ଗୋଲାପ ଗଛଟିକୁ ରଖିଦେଲେ ବହୁତ ସୁନ୍ଦର ଦିଶିବ।”
ମାଆ ବି ରାଜି ହେଲେ ସେ କଥାରେ।
ମିନି ଖୁସି ହୋଇଗଲା। ଦଉଡିଗଲା ଗଛ ପାଖକୁ। 
କହିଲା “ ମୋ ସୁନ୍ଦରୀ ରୋଜି। ତୁ ଏତେ ସୁନ୍ଦର ହେଇଛୁ ବୋଲି କାଲି ବାପାଙ୍କ ଅଫିସର ତୋତେ ଦେଖିବେ। ଆଉ କିଛି ଫୁଲ ଫୁଟେଇ ଦେ, ବହୁତ ସୁନ୍ଦର ଦିଶିବୁ।”
ଏଠାରେ କହିବା ବାହୁଲ୍ଯ ଯେ ତା ଗଛରୁ ଗୋଟିଏ ଫୁଲ କାହାକୁ ଦେଇ ନ ଥିଲା ମିନି। ମନରେ ଭୀଷଣ ଲୋଭ। କିଏ ଫୁଲ ମାଗିଲେ କୁହେ “ ରୋଜି କୁ କଷ୍ଟ ହେବ ଫୁଲ ଛିଡେଇଲେ।”
ତେଣୁ ଗଛରେ ଫୁଲ ଖୁନ୍ଦି ହୋଇଥାଏ। 
ସେଦିନ ଠିକ ସମୟରେ ଆସି ଅଫିସର ପହଞ୍ଚିଗଲେ। ତାଙ୍କ ସାଙ୍ଗରେ ତାଙ୍କ ପାଞ୍ଚ ବର୍ଷର ଝିଅ ଓ ଧର୍ମପତ୍ନୀ। ସସମ୍ମାନେ ସେମାନଙ୍କୁ ଆଣି ଘରେ ବସାଇଲେ ବାପା ଓ ମାଆ। ମିନି ଓ ତାର ଭାଇ ଭଉଣୀ ମାନେ ଆସି ଅଫିସରଙ୍କୁ ନମସ୍କାର କଲେ। ଅଫିସର ଘର ର ସାଜସଜ୍ଜା ଦେଖି ବହୁତ୍ ଖୁସି ହେଲେ। କିଛି ସମୟ କଥାବାର୍ତ୍ତା ପରେ ବାପା ଡାକିଲେ ଅଫିସରଙ୍କୁ ଖାଇବା ପାଇଁ। ଅଫିସରଙ୍କ ସ୍ତ୍ରୀ ଭାରି ଖୁସି ହେଲେ ମିନିର ଫୁଲ ଗଛ ଦେଖି। ଏତେ ଫୁଲ ପୁଟିଥିବା ଦେଖି ସେମାନେ ବହୁତ ଆଶ୍ଚର୍ଯ୍ଯ ହେଲେ। ମିନିର ବାପା ମାଆ ସେ ଗଛ ବିଷୟରେ ବର୍ଣ୍ଣନା କଲେ। କେମିତି ସେ ଗଛଟିକୁ ମିନି ନିଜ ଝିଅ ବୋଲି କହି ତାର ଯତ୍ନ ନେଉଛି ସେ କଥା ବି କହିଲେ। ମିନି ଖୁସିରେ କୁରୁଳି ଉଠୁଥାଏ। ଖାଇଲା ବେଳେ ମିନି ଲକ୍ଷ୍ଯ କଲା ଅଫିସରଙ୍କ ସ୍ତ୍ରୀ ବାରମ୍ବାର ଗଛଟିକୁ ଆଉଁସି ବାର। ମନରେ ତାର ଇଛା ଥାଏ କହିଦେବା ପାଇଁ ଗଛରେ ନ ଲାଗିବାକୁ। ମାତ୍ର ବାପା କାଳେ କିଛି ଭାବିବେ ସେଥିପାଇଁ ଚୁପ୍ ହୋଇ ବସିଥାଏ। ଅଫିସର ଖୁସିରେ ଖାଇ ସାରିଲେ ଓ ବହୁତ ଖୁସି ଜଣା ପଡୁଥିଲେ। ତାଙ୍କ ନିଜ ଆଡୁ ଅଫିସରଙ୍କ ସ୍ତ୍ରୀ କହିଲେ ଏ ଗଛଟିକୁ ସାଙ୍ଗରେ ନେଇ ଗଲେ ହୁଅନ୍ତା। ଆମ ଘରେ ବହୁତ୍ ସୁନ୍ଦର ଦିଶିବ ଏ ଗଛଟି। ଅଫିସର ବି କହିଲେ - - ହଁ ଭଲ କଥାଟେ କହିଲ, ମୁଁ ବି ସେଇଆ ଭାବୁଥିଲି। ଏ କଥା ଶୁଣି ମିନି ପାଦ ତଳୁ ଭୁଇଁ ଖସିଗଲା ପରି ଲାଗିଲା। ହଠାତ୍ ସେ କାନ୍ଦିବା ଆରମ୍ଭ କରିଦେଲା। ମିନିର ବାପା ମାଆ ଏମିତି କିଛି ଗୋଟେ ଘଟିବ ସେଥିପାଇଁ ଆଦୌ ପ୍ରସ୍ତୁତ ନଥିଲେ। ଏ ପରିସ୍ଥିତିରେ ସେମାନେ କଣ କହିବେ ବା କଣ କରିବେ ମୁଣ୍ଡକୁ କିଛି ଜୁଟିଲାନି। ଗୋଟେ ପଟେ ଅଫିସରଙ୍କୁ ମନା କରି ବାର ସାହାସ ନଥିଲା, ଅନ୍ଯ ପଟେ ମିନି ପାଖରୁ ଗଛ ନେଇଯିବା ଅର୍ଥ ମିନିର ଜୀବନ ନେଇଯିବା। ସେମାନେ ମୁଣ୍ଡ ପୋତି ଠିଆ ହୋଇ ରହିଲେ। ଅଫିସର ଟିକେ ବିରକ୍ତ ହେଲା ପରି କହିଲେ--
“ କଣ ଗଛଟି ମିଳିବ ନା ନାହିଁ। ନା ଆମେ ଯିବୁ।”
ତାଙ୍କ ସ୍ତ୍ରୀ ଙ୍କ ମୁହଁରେ ବି ବିରକ୍ତିର ଚିହ୍ନ। ସେ ଟିକେ ଚିଡିଲା ପରି କହିଲେ “ ମିନି ତୁମେ ଆଉ ଗୋଟେ ଗଛ ଆଣି ନିଜ ପାଖରେ ରଖ। ଏ ଗଛଟା ଆମକୁ ଦେଇଦିଅ। ମିନି ତାଙ୍କ କଥା ଶୁଣି ବେଶି କାନ୍ଦିଲା।
ଅଫିସରଙ୍କ ଝିଅ କାହାକୁ ଅପେକ୍ଷା ନକରି ଗଛର ଛୋଟ କୁଣ୍ଡକୁ କାଖେଇ ଧରି କହିଲା-
“ ବାପା ଚାଲ ଯିବା। ଏ ଗଛଟି ମୋର। ମୁଁ ତାକୁ ନିଜ ପାଖରେ ରଖିବି।”
ମିନି ଆଉ ସମ୍ଭାଳି ପାରିଲାନି। କହିଲା ମୋ ରୋଜି କୁ ମୋତେ ଦେଇ ଦେ। ଏତିକି କହି ଗଛଟିକୁ ଛଡାଇ ନେଲା ସେ ଝିଅ ପାଖରୁ। ଅଫିସର ରାଗରେ ନିଆଁବାଣ ହୋଇଗଲେ। ମିନିର ବାପାଙ୍କୁ କହିଲେ--
“ ଆପଣଙ୍କ ଝିଅକୁ ଭଦ୍ରାମୀ ଜଣା ନାହିଁ ନା କଣ। ମୋ ଝିଅକୁ କନ୍ଦେଇ ଦେଲା । ଏତେ ସାହାସ। ଏବେ ଆମେ ଆସୁଛୁ। ଆପଣ ଗଛଟିକୁ ନେଇ ଗାଡି ପାଖକୁ ଆସନ୍ତୁ।”
ମିନିର ବାପା ହତବାକ୍ ହୋଇଗଲେ। ମିନିର କାନ୍ଦକୁ ଅଣଦେଖା କରି , ମିନିର ଜୀବନ ଠାରୁ ବି ଅଧିକ ପ୍ରିୟ ରୋଜି କୁ ହାତରେ ଧରି ବାଧ୍ଯ ପିଲା ପରି ଚାଲିଲେ ଅଫିସରଙ୍କ ପଛରେ। ବାରମ୍ବାର ଭୁଲ ମାଗିବା ପରେ ବି ଅଫିସରଙ୍କ ରାଗ ଶାନ୍ତ ହେଲାନି। 
ଅଫିସରଙ୍କ ଗାଡି ଧୂଆଁ ଉଡେଇ ଚାଲିଗଲା ମିନିର ପ୍ରାଣକୁ ସାଙ୍ଗରେ ନେଇ।
ମିନି ପାଗଳପ୍ରାୟ ହୋଇଗଲା। ଭୂଇଁରେ ଲୋଟି କାନ୍ଦିଲା। ଏମିତି କିଛି ଘଟିଯିବ ତା କଳ୍ପନା ବାହାରେ ଥିଲା। ସେ ବାପାଙ୍କ ଗୋଡ ଧରି କହିଲା –
“ ବାପା, ମୋ ରୋଜିକୁ ମୋ ପାଖକୁ ଆଣ ଭାରି। ସେ ମୋତେ ଖୋଜିଖୋଜି ମରିଯିବ। ତୁମ ସାରଙ୍କୁ କୁହ ତାକୁ ମୋତେ ଦେଇଦେବେ। ତାଙ୍କର ତ ବହୁତ ପଇସା। ସେ ନିଜେ ବଜାରରୁ ଆହୁରି ଭଲ ଗଛ କିଣି ପାରିବେ। ମାଆ, ତୁ ଟିକେ ବାପାଙ୍କୁ କହ। ସେ ଜମା ଶୁଣୁ ନାହାନ୍ତି। 
ମିନିର କଣ୍ଠ ବାଷ୍ପରୁଦ୍ଧ ହୋଇ ଆସୁଥାଏ। ଯେତେ ଉଠେଇଲେ ବି ସେ ସେମିତି ପାଗଳ ପରି କାନ୍ଦୁଥାଏ। ସେ ରାହା  ଧରି କାନ୍ଦିବା ଆରମ୍ଭ କଲା। କେବଳ ରୋଜି ରୋଜି ହୋଇ ଅଚେତହୋଇ ପଡିଗଲା।
ବାପା ମିନିକୁ ଉଠାଇଲା ବେଳେ ଦେଖିଲେ ଦେହରେ ଭୀଷଣ ଜ୍ବର। ତାକୁ ନେଇ ଶୁଆଇ ଦେଲେ ଶେଯରେ। ଆଖିରୁ ଅନବରତ ବୋହି ଯାଉଥାଏ ଲୁହ। ଏମିତି ଅବସ୍ଥା ଦେଖି ପଥର ବି ତରଳି ଯିବ। ବେଳ କୁ ବେଳ ମିନିର ଅବସ୍ଥା ଖରାପ ହେବାକୁ ଲାଗିଲା। ଶେଷରେ  ଡାକ୍ତରଙ୍କ ପାଖକୁ ନେବାକୁ ପଡିଲା ମିନିକୁ। ପରୀକ୍ଷା କଲା ପରେ ଡାକ୍ତର କହିଲେ ମିନିର ମନରେ ଲାଗିଛି ଭୀଷଣ ମାନସିକ ଆଘାତ। ଅଳ୍ପ ବୟସ ହେତୁ ସେ ଆଘାତ ସମ୍ଭାଳିବାର କ୍ଷମତା ମିନିର ନାହିଁ। ବେଶି ସମୟ ଏମିତି ଲାଗି ରହିଲେ ମିନିର ଜୀବନ ପ୍ରତି ବିପଦର ଆଶଙ୍କା ରହିଛି। ଡାକ୍ତରଖାନା ପିଣ୍ଡାରେ ଲଥ୍ କରି ବସି ପଡିଲେ ମିନିର ବାପା। ନିଜକୁ ଧିକ୍କାର କରିବାରେ ଲାଗିଲେ। ଯଦି ମିନିର ଗଛଟିକୁ ଖାଇବା ଟେବୁଲରେ ନ ରଖି ଥାଆନ୍ତେ ଏ ଅବସ୍ଥା ଦେଖିବାକୁ ପଡି ନ ଥାନ୍ତା। ଏବେ ଗଛ ତ ଗଲା, ତା ସହ ମିନିର ଜୀବନ ବି ବାଜିରେ ଲାଗିଗଲା। 
ଯେତେ ଯାହା କଲେ ବି  ମିନିର ହୋସ ଆସୁନି। ଆଖି ବନ୍ଦ କରି ପାଗଳଙ୍କ ପରି ପ୍ରଳାପ କରି କହୁଛି--
“ ରୋଜି ତୁ ମୋତେ ଛାଡି କୁଆଡେ ଯାଆନି। ମୋ ସୁନାଟା ପରା। ତୋ ଫୁଲ କେତେ ସୁନ୍ଦର ହୋଇଛି ଜାଣିଛୁ ? ଏମିତି ଫୁଲ ଆଉ କାହା ପାଖରେ ନାହିଁ। ତୋର କଣ ଦରକାର ମୋତେ କହ। ଡର ଲାଗୁଛି କି ତୋତେ ? ଯମା ଡରନି। ମୁଁ ତୋ ପାଖରେ ଅଛି ପରା। କେହି ନେବେନି ତୋତେ। ତୁ ପରା ମୋର....... 
ପୁଣି ଯୋରରେ କାନ୍ଦି କହୁଛି ନିଅନି ମୋ ରୋଜିକୁ ମୋ ପାଖରୁ। ତାକୁ ନେଲେ ମୁଁ ମରିଯିବି। ସେ ବି ବଞ୍ଚିବନି ମୋ ବିନା। ଅଲଗା କରନି ଆମକୁ। ଛାଡିଦିଅ.........
ମିନି କପାଳରେ ହାତ ରଖିଲେ ମାଆ। ବେଳକୁ ବେଳ ଦେହର ଉତ୍ତାପ ବଢି ଚାଲିଛି। ଏମିତି ଚାଲିଲେ ସେ ପାଗଳ ହୋଇଯାଇପାରେ। ସେ ଭାବିଲେ ଅଫିସରଙ୍କ ଘରକୁ ଯିବେ। ମାଗି ଆଣିବେ ମିନିର ଗଛ। କିନ୍ତୁ ବାପା କହିଲେ ଯେ କାଳେ ଅଫିସର ବିରକ୍ତ ହୋଇ ଗାଳିଗୁଲଜ କରିବେ। ରାଗିଲେ ତାଙ୍କ ଚାକିରି ଉପରେ ବିପଦ ଅଛି।  ଚକ୍ରବ୍ଯୁହରେ ଫସି ଯାଇଥିଲେ ବାପା। ଗୋଟେ ପଟେ ତାଙ୍କ ଅଲିଅଳି ଝିଅର ଜୀବନ ଓ ଅନ୍ଯପଟେ ତାଙ୍କ ଚାକିରି।
ସକାଳ ହୋଇ ଆସୁଥିଲା। ବାପା ମନସ୍ଥ କରିନେଇଥିଲେ କଣ କରିବାକୁ ହେବ। ସାଇକେଲରେ ଚାଲିଲେ ଅଫିସରଙ୍କ ଘରକୁ। ବାଟ ସାରା ଭାବୁଥାଆନ୍ତି କଣ କହିବେ ଓ କେମିତି ମାଗିବେ ଗଛ। କେତେବେଳେ ଆସି ଅଫିସରଙ୍କ ଘର ଆଗରେ ପହଞ୍ଚିଗଲେ ଜଣା ବି ପଡିଲାନି।
ଗେଟ ପାଖରେ ଥିବା ବାହାଦୁରକୁ ସବୁ କଥା କହି କାନ୍ଦି ପକେଇଲେ। ଟିକେ ହାଲୁକା ଲାଗିଲା ମନ। ବାହାଦୁରର ବୟସ ପାଖାପାଖି ୬୦ ହେବ। ସେ ବୁଝି ପାରିଲା ମନର ବେଦନା। ଏକଥା ବି କହିଲା ଯେ ଗତକାଲି ରାତିରେ ଫୁଲ ଗଛକୁ ନେଇ ଅଫିସର ଓ ତାଙ୍କ ସ୍ତ୍ରୀଙ୍କ ଭିତରେ ଜୋରଦାର ଗଣ୍ଡଗୋଳ ଲାଗିଛି।  ଅଫିସର ବିରକ୍ତ ହୋଇ ପତ୍ନୀଙ୍କୁ କହିଲେ---
 “ କଣ ଯୁଆଡେ ଯାହା ଦେଖିବ ସବୁ ଉଠେଇ ନିଜ ଘରେ ପୁରେଇ ଦେବ ନା କଣ ? ଏମିତି କରିକରି ମୋ ଘର ଜିନିଷରେ ଭରିଗଲାଣି। ଚୌକି, ଟେବୁଲ, ଖଟ, ଟେଲିଭିଜନ ଆଉ ଯେତକ ସଜେଇବା ଜିନିଷ ଘରେ ଅଛି, ସବୁ ତ ଏଇ ଉପାୟରେ ହାତେଇଚ ତୁମେ। ଶେଷରେ ଫୁଲ ଗଛକୁ ବି ଛାଡିଲନି। ମୋ ଇଜ୍ଜତ ପାଇଁ ଟିକେ ବି ସଚେତନ ନୁହଁ ତୁମେ। ମୋ ଅଧସ୍ତନ କର୍ମଚାରୀ ସେ। କଣ ଭାବିଥିବ ? ତା ପିଲାର ଅବସ୍ଥା ଦେଖିପାରିଲନି, କେମିତି ବିକଳ ହୋଇ କାନ୍ଦୁଥିଲା। ସେ ଜାଗାରେ ବାଧ୍ଯହୋଇ ତୁମକୁ ସମର୍ଥନ କଲି। ମାତ୍ର ମୋ ବିବେକ ମୋତେ ଜାଳି ପୋଡି ଦେଉଥିଲା। ସେ ଝିଅର ନିରୀହ ଆଖିରେ ଥିବା ଘୃଣା ଓ ଅବିଶ୍ବାସ ଭାବ ଦେଖିପାରିଲନି । ସତରେ ପଥର ହୋଇ ଗଲଣି ତୁମେ। କେବଳ ଲୋଭ ଛଡା ତୁମ ଜୀବନରେ ଆଉ କିଛି ନାହିଁ।
ଏତିକି ଶୁଣି ଅଫିସରଙ୍କ ସ୍ତ୍ରୀ ନିଆଁବାଣ ହୋଇ ମନଇଛା ଗାଳି ଦେଲେ। କହିଲେ –
“ ତୁମ ପରି ନିକମା ଲୋକ କୁ ବାହା ହୋଇ ମୋ ଜୀବନ ନର୍କ ହୋଇ ଯାଇଛି। ବେଶି ସଚ୍ଚୋଟ ପଣିଆ ଦେଖେଇ ହେଉଛ । ତୁମ ସାଙ୍ଗସାଥି ମାନେ ମହଲ ପରେ ମହଲ ଠିଆ କଲା ବେଳକୁ ତୁମେ ସେଇ ଆଦର୍ଶକୁ ଧରି ଚାଟିବାରେ ବ୍ଯସ୍ତ। ୟାଠୁ ତାଠୁ ଜିନିଷ ଆଣିବିନି କଣ ପାଇଁ? ଆରେ ତୁମର ଯେତେବେଳେ କିଛି ଆଣିବାର କ୍ଷମତା ନାହିଁ ବେଶି ବକବକ୍ କରୁଛ କାହିଁକି ।”
ବାସ୍ ଏତିକିରେ ସାହେବଙ୍କ ରାଗ ପଞ୍ଚମକୁ ଚଢିଗଲା ଓ ସେ ଫୁଲ ଗଛଟିକୁ ଗାଡି ଭିତରୁ କାଢି ବାହାରେ ପକେଇଦେଲେ। କହିଲେ --
“ଆଜିଠାରୁ ମୁଁ ତୁମକୁ ନେଇ କୁଆଡେ ବି ଯିବିନି। ଦେଖିବା ନିଜେ କୁଆଡେ ଯାଇ କେତେ ଜିନିଷ ଆଣିବ”
ତାପରେ ତ ସାରା ରାତିି ଚାଲିଛି ଝଗଡା। ସକାଳୁ ଅଫିସରଙ୍କ ସ୍ତ୍ରୀ ବ୍ଯାଗ ଆଟାଚି ଧରି ନିଜ ବାପଘରକୁ ଗଲେଣି। ଅଫିସର ପେଟେ ମଦ ପିଇ ଶୋଧାବକା ଚଲେଇଛନ୍ତି।
ମିନିର ବାପା ଉତ୍କଣ୍ଠାର ସହ ପଚାରିଲେ ଆଉ ସେ ଗଛଟି।
ବାହାଦୁର ହସହସ ମୁହଁରେ ବାପାଙ୍କ ହାତରେ ଧରେଇଦେଲା ଗଛଟିକୁ। ସେ କହିଲା--
ଗଛଟିକୁ ଫିଙ୍ଗିଲା ବେଳେ ମୁଁ ଥିଲି। ଯତ୍ନରେ ଆଣି ନିଜ ପାଖରେ ରଖିଥିଲି। ମନେମନେ ଭାବିଥିଲି ଆଜି ନିଜେ ଯାଇ ଆପଣଙ୍କ ଘରେ ଦେଇ ଆସିଥାନ୍ତି।
ମିନି ବାପାଙ୍କ ଆଖିରୁ ଦୁଇ ବୁନ୍ଦା ଲୁହ ଝରିଗଲା।  ନିଜ ଝିଅପରି ଗେଲ କରି ପକେଇଲେ ଗଛଟିକୁ। କହିଲେ ରୋଜି, ତୋ ବିନା ମୋ ମିନି ର ଜୀବନ ଆଉ ନାହିଁ କହିଲେ ଚଳିବ। ଜଲଦି ଚାଲ ମୋ ଝିଅକୁ ବଞ୍ଚେଇ ଦେ। 
ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ଦେଖିଲେ ଘରଲୋକେ କାନ୍ଦୁଛନ୍ତି। ତାଙ୍କ ମନକୁ ପାପ ଛୁଇଁଲା। ପଚାରିବାରୁ ଜାଣିଲେ ଯେ ଯଦି  ମିନି ଏମିତି ଅବସ୍ଥାରେ ଆଉ କିଛି ସମୟ ରହିବ କୋମା କୁ ଚାଲିଯିବାର ସମ୍ଭାବନା ବେଶି।  ମିନି ଦେହରୁ ତାତି କମୁ ନ ଥିଲା ଓ ଚେତା ଜମା ବି ଆସୁ ନଥିଲା। ଅତି କଷ୍ଟରେ ଖାଲି ଗୋଟିଏ କଥା କହୁଥିଲା--
“ କେତେବେଳେ ଆସିବୁ ରୋଜି। ଜଲଦି ଆସେ, ତୁ ନ ଆସିଲେ ମୁଁ ମରିଯିବି।”
ଡାକ୍ତରଙ୍କ ମୁଣ୍ଡ ବି କାମ କରୁ ନଥିଲା। ଏତେ ବର୍ଷର ଅଭିଜ୍ଞତା ଭିତରେ ଏମିତି ଘଟଣା ସେ କେବେ ବି ଦେଖି ନଥିଲେ। ସାମାନ୍ଯ ଗଛ ପାଇଁ କେହି ଏତେ ମାତ୍ରାରେ ପାଗଳପ୍ରାୟ ହୋଇପାରେ ତାହା ବିଶ୍ବାସ କରିବା କଷ୍ଟଥିଲା।
ମିନିର ବାପା ମୃତସଞ୍ଜିବନୀ ଆଣିଲା ପରି ଶେଯ ପାଖରେ ରଖିଦେଲେ ଗୋଲାପ ଗଛଟିକୁ। ଧିରେ ଧିରେ ମିନିର ନାକ ପାଖରେ ଶୁଙ୍ଘାଇଲେ ସେ ଗଛର ଫୁଲ।
ସମସ୍ତଙ୍କ ଆଶ୍ଚର୍ଯ୍ଯର ସୀମା ରହିଲାନି ଯତେବେଳେ ମିନି  ଖନେଇ ଖନେଇ କହିଲା--
“ ତୁ ଆସିଗଲୁ ରୋଜି......କେତେ ଖୋଜୁଥିଲି ତୋତେ, ଏତିକି କହି ଭୋ ଭୋ କାନ୍ଦିବା ଆରମ୍ଭ କଲା।”
ମାଆ ମିନିକୁ ଧରିବାକୁ ଦଉଡି ଆସିଲା ବେଳେ ଡାକ୍ତର ବାରଣ କରି କହିଲେ-
“ ତାକୁ କାନ୍ଦିବାକୁ ଦିଅନ୍ତୁ। ମନ ଭିତରେ ଯାହା କିଛି  ଅଛି ଲୁହ ଆକାରରେ  ବାହାରି ଯିବା ପରେ ସେ ଠିକ ହୋଇଯିବ। ବ୍ଯସ୍ତ ହେବାର କାରଣ ନାହିଁ।”
କିଛି ସମୟ ପରେ ମିନି ଆଖି ଖୋଲିଲା। ତା ସାମନାରେ ଫୁଲର ସମ୍ଭାର ନେଇ ଚାହିଁଛି ଅତି ନିଜର ରୋଜି। ହଁଁ କେବଳ ତାର ରୋଜି। ମିନି କୁନି ପିଲାଟିଏ ପରି ଗେଲ କରି ପକେଇଲା ସେ ଗୋଲାପ ଗଛଟିକୁ। ଆଶ୍ଚର୍ଯ୍ଯର କଥା ଗୋଲାପ ଗଛରେ କଣ୍ଟା ଥିଲେ ବି ଗୋଟିଏ କଣ୍ଟା ପଶିଲାନାହିଁ ମିନି ଗାଲରେ। ରୋଜି କୁ କୋଳରେ ଧରି ମିିନି ଶୋଇଗଲା ନିଘୋଡ ନିଦରେ। ଯେମିତି କେତେ ଦିନରୁ ସେ ନ ଶୋଇ ଚାହିଁ ରହିଥିଲା ରୋଜିର ଫେରିବା ବାଟକୁ। ଘରଲୋକେ ଉତ୍କଣ୍ଠାର ସହ ଚାହିଁ ରହିଥାଆନ୍ତି। କିଛି ସମୟପରେ ମିନି ଉଠିଲା। ଆଖିରେ ସେଇ ଚମକ। ମୁହଁରେ ଅପୂର୍ବ ପ୍ରଶାନ୍ତି।  ତାକୁ ଦେଖିଲେ ଲାଗୁଥିଲା ଯେ ତା ଦେହ ବୋଧେ କେବେ  ଖରାପ ନଥିଲା। ଡାକ୍ତରଖାନାର ଶେଯରୁ ଓହ୍ଲେଇ ଆଗେଇଲା ମିନି ହାତରେ ରୋଜି କୁ ଧରି। କହୁଥାଏ –
“ ଚାଲ ତୋତେ ଟିକେ ଖରା ଖୁଏଇ ଦିଏ। ଖରା ନ ଖାଇ କେମିତି ଅବାଗିଆ ଦିଶଛୁ ତୁ।”
ସେଠାରେ ଉପସ୍ଥିତ ସବୁ ଲୋକଙ୍କ ଆଖିରେ ଲୁହ। ଏପରିକି ଡାକ୍ତରବାବୁ ବି ରୁମାଲ କାଢି ନିଜ ଆଖି ପୋଛିଲେ।
ମିନି ଆଶ୍ଚର୍ଯ୍ଯ ହୋଇ ପଚାରିଲା--
ଆରେ ସବୁ କାନ୍ଦୁଛ କଣ ପାଇଁ, ଦେଖୁନ ମୋ ରୋଜି କେମିତି ହସୁଛି ତୁମ ମାନଙ୍କ ଲୁହ ଦେଖି।”
ବାପା ମାଆ କୋଳେଇ ନେଲେ ମିନି କୁ । କହିଲେ ଚାଲ ମାଆ ଘରକୁ ଯିବା। ରୋଜିର ଘର କଥା ବହୁତ ମନେ ପଡିଲାଣି।
ଡାକ୍ତର ମନେ ମନେ ଭବୁଥିଲେ-
“ ଅଜବ ଏ ସ୍ନେହ। ସ୍ନେହର ପରିଭାଷା ମନେ ପକେଇଲା ବେଳେ ଭାବୁଥିଲେ ନିଜ କଥା। କାଇଁ ସେ କେବେ ତ ଏମିତି ସ୍ନେହ ଦେଖେଇ ନାହାନ୍ତି ନିଜ ବାଡିରେ ଥିବା ଗଛ ମାନଙ୍କୁ। ମିନି ପାଇଁ ତାଙ୍କ ହାତ ମନ କୁ ମନ ଉଠି ଆସୁଥିଲା ପ୍ରଣାମ କରିବାକୁ। ପିଲା ମାନେ ଯେ ସତରେ ଇଶ୍ବରଙ୍କ ପ୍ରତିଛବି, ସେ କଥା ସେ ହୃଦୟଙ୍ଗମ କରି ସାରିଥିଲେ ବୋଧେ।
************ସମାପ୍ତ*********