Sunday, April 26, 2020

ବିଜ୍ଞାପନ






ବିଜ୍ଞାପନ

ଲେଖକ-© ଅରବିନ୍ଦ ରଥ



ଭଲକରି ଦେଖି ନିଅନ୍ତୁ ଏହି ବ୍ଯକ୍ତିଙ୍କର ମୁହଁ କୁ। ତାଙ୍କ ଲଣ୍ଡାମୁଣ୍ଡ ଓ ପେଚାପରି ଆଖି ଯୋଡିକୁ। କିଏ ଜାଣେ କେତେବେଳେ ତାଙ୍କ ମୁଣ୍ଡ ଉପରେ ବସ୍,ଟ୍ରକ ବା ଟ୍ରାକ୍ଟର ଚଢି ମୁଣ୍ଡକୁ ରୋହି ମାଛ ଛିଞ୍ଚଡା ପରି କରିଦେବ- -

ନିଜର ସମସ୍ତ ଶକ୍ତି ଖଟାଇ " ଟେଙ୍ଗେଣା କାଉଁରିକାଠି" ଚ୍ଯାନେଲର ସାମ୍ବାଦିକ ପେଞ୍ଚଡରାମ୍ ଚିତ୍କାର କରି ଚାଲିଥାଆନ୍ତି ରାଜରାସ୍ତା ଉପରେ। ତାଙ୍କ ପାଖକୁ ଏକ ପୁରୁଣା କାଳିଆ ଲୁନା ଗାଡିରେ ଆଉଜି ହୋଇ ପୋଲିସ୍ ମାନଙ୍କ ମେଳରେ ଛିଡା ହୋଇଥିଲା ଟେମ୍ପୁ ମାହାଳିକ।

ଟେମ୍ପୁ ମାହାଳିକ ବୋଲି ଦରବୁଢା ଯୁବକ ପାଖରେ ସେମିତି କିଛି ଗୁଣ ନାହିଁ ଯେ ଲୋକେ ତାକୁ ଚିହ୍ନିବେ। କେବଳ ତା ନାମ ଓ ରୂପ ପାଇଁ ସେ ସଇତାନପୁରରେ ଭୀଷଣ ପ୍ରସିଦ୍ଧ। ଆସନ୍ନପ୍ରସବା ଟେମ୍ପୁର ମାତା ଡାକ୍ତରଖାନା ଯିବା ସମୟରେ ହିଁ ଗର୍ଭସ୍ଥ ଶିଶୁ ଅଟୋରିକ୍ସା ସିଟ୍ ଉପରକୁ ଲମ୍ଫପ୍ରଦାନ ପୂର୍ବକ ଜନ୍ମଗ୍ରହଣ କରିଥିଲା। ମାତାପିତା,ବନ୍ଧୁ ପରିଜନ ଓ ଗାଁଆଟା ଯାକର ଲୋକ କୁହାକୁହି ହେଲେ ଯେ ଏ ଶିଶୁଟି ନିହାତି ଭାବରେ ଏକ ଯୋଗଜନ୍ମା ପୁରୁଷ ଭାବରେ ଖ୍ଯାତ ହେବ। ସଂସାରରେ ଥିବା ଅସରନ୍ତି ଜଞ୍ଜାଳକୁ ସମାପ୍ତ କରିବାପାଇଁ ସେ ଏତେ ତରତର ହୋଇ ଧରାବରଣ କଲା। ନହେଲେ ଡାକ୍ତରଖାନା ପରି ପରିଷ୍କାର ପରିଚ୍ଛନ୍ନ ସ୍ଥାନ ପାଇଁ ଅପେକ୍ଷା ନ କରି ଏକ ଧୁଡୁଧୁଡିଆ ନିଉଛୁଣିଆ ଅଟୋରିକ୍ସା ଭିତରେ କାହିଁକି ବା ଜନ୍ମ ଗ୍ରହଣ କରିଥା'ନ୍ତା। ଶିଶୁର ନାମକରଣ କରିବା ସମୟରେ ବିଭିନ୍ନ ଲୋକ ନାନା ନାମ ବାଛିଲେ। କିନ୍ତୁ ସମସ୍ତଙ୍କ ମୁହଁ ଚୁପ୍ କରିଦେଲା ସଇତାନପୁରର ହେଙ୍ଗୁଳି ପଣ୍ଡା।

ରାଗରେ ସଣସଣ ହୋଇ କହିଲା- - ହୋଃ ମାଲିକେ, ପିଲାଟାକୁ ମୋ ଗାଡି ଭିତରେ ବେଇଦେଲା ପରେ କାଇଁ ମୋ କଥା ତ ଜମାରୁ ମନେ ପଡିଲାନି। ମୋ ଗାଡି ଭିତର ଟା ଏ ରକମ ନାଳ,ରକ୍ତ,ଝାଡାବାନ୍ତିରେ ପଚପଚିଆ କରିଦେଲ ଯେ ଫି ଦିନ ଯାଏଁ ଦୁର୍ଗନ୍ଧରେ ମୁଁ ନିଜେ ଗାଡି ଭିତରେ ପଶି ପାରିଲିନି। ଗାଁଆ ପୋଖରିରେ ନିତି ଦୁଇଓଳି ଗାଧୋଇଲା ପରେ ବି ଗାଡିରୁ ଗନ୍ଧ ଛାଡିଲାନି। ଏବେ ବି ମାଛି ମାନେ ଇଲେକ୍ସନ ଗାଡି ପଛରେ ପିଲା ଦଉଡିଲା ପରି ଭଣଭଣ କରି ଗୋଡଉଛନ୍ତି। ଏତେ ହୀନସ୍ତା କଲା ପରେ ବି ମୋ ଭଡା ବାବଦକୁ ଫଟା ଆହୁଲାଏ ବି ଦେଲନି। ତୁମ ପିଲା ଜନମ ହେବା ଦିନରୁ ମୋ ଟେମ୍ପୁରେ ଜଣେ ହେଲେ ଗରାଖ ଚଢି ନାହାଁନ୍ତି। ମୋତେ ତ ତୁମେମାନେ କିଛି ନ ଦେଇ ଭଲକରି ଦଣ୍ଡି ମାରିଦେଲ ; ଏବେ କିନ୍ତୁ ମୁଁ କିଛି ଦେବାକୁ ଚାହୁଁଛି। ତୁମର ଏ ପେଚାଆଖିଆ ପିଲାର ନାମକରଣ ଟା ମୁଁ କରିବି। ମୋ ଟେମ୍ପୁରେ ସେ ଜନମ ହେଇଛି ମାନେ ତା ନାମ ଟେମ୍ପୁ ଦିଆଯାଉ। କଣ ରାଜି ତ?

ଭଳି କି ଭଳି ନାମ ବାଛିଥିବା ଲୋକ ମାନଙ୍କର ମୁହଁ ଟା ଆମ୍ବିଳିଆ ଦିଶିଲା। ଟେମ୍ପୁ ନା ଫେମ୍ପୁ- - ଇଏ କେମନ୍ତ ନାଁଆ ହୋ? ୟା'ପ ପିଲା ଟା ଉପରେ ଦୁନିଆଁ ଯାକର ଲୋକେ ଚଢିବେ ଏମିତିଆ ନାଁଆଦେଲେ। ଏ ନାଁଆ ଧରି ସେ କି ବଡମଣିଷ ହେବ ଯେ ? ଗୁଣୁଗୁଣୁ ହେଲେ କିଛି ଭଦ୍ରଲୋକେ । କିନ୍ତୁ ହେଙ୍ଗୁଳିର ଏକା ଜିଦି ତା ଗାଡିଭଡା ଓ ସଫେଇତି ବାବଦକୁ ଟଙ୍କା ଦୁଇ ହଜାର ଦିଅ ନହେଲେ ନାମ ଟା ନିଅ। ବହୁ ଆଲୋଚନା ପରେ ସ୍ଥିରହେଲା ଯେ ସର୍ବଦା ଦେବା ଅପେକ୍ଷା ନେବା ଟା ଭଲ। ତେଣୁ ଶିଶୁଟିର ପରିବାରବର୍ଗ ଭଲରେ ନାମ ହେଲେ ଓ ଶିଶୁଟିର ନାମକରଣ ହେଲା ଟେମ୍ପୁ।

ପିଲାଟି ଦିନରୁ ଟେମ୍ପୁର ବିଚକ୍ଷଣ ବୁଦ୍ଧିଦେଖି ଲୋକେ ପାଟିମେଲା କରି ରହିଲେ। ଅତି ଅଳ୍ପ ବୟସରୁ ସେ ନିଜ ବୁଦ୍ଧି ବଳରେ ଆଛାଆଛା ଲୋକଙ୍କୁ ପାଣି ପିଏଇଦେଲା। ସ୍କୁଲରେ ପଢିବା ଦିନରୁ ସେ ବେପାର ବଣିଜରେ ମନପ୍ରାଣ ଓଜାଡିଦେଇ ଲାଗି ପଡିଲା। ସ୍କୁଲସାରଙ୍କ ଆମ୍ବବାଡିରୁ ଆମ୍ବଚୋରି କରି ଆଣି ତାଙ୍କୁ ବିକ୍ରିକଲା। ପିଲାଙ୍କ ପେଣ୍ଟସାର୍ଟରେ ବ୍ଲେଡ୍ ମାରି ଚିରାଚିରି କଲା ଓ ବାପର ସିଲେଇ ଦୋକାନରେ ସିଲେଇ କରେଇ ଟଙ୍କା ଟାଣିଲା। ସ୍କୁଲବ୍ଯାଗ୍ ଭିତରେ ବିଡି,ସିଗାରେଟ୍, ପାନଗୁଟୁଖା, ନଖପାଲିସି, ଲିପଷ୍ଟିକ୍, ଚୁଟିବନ୍ଧା ରବର ଆଦି ବୋଝେଇ କରି ଚଢାଦରରେ ସ୍କୁଲପିଲାଙ୍କୁ ବିକ୍ରିବଟା ବି କଲା। ଗାଁଆଲୋକଙ୍କୁ ସାହାଯ୍ଯ କରିବା ଆଳରେ ଟଙ୍କାନେଇ ବଜାର ସଉଦା କଲା ଓ ପାଞ୍ଚ କୁ ପଚିଶି କରି ହିସାବ ଦେଲା। ଖୁବ୍ ଅଳ୍ପଦିନରେ ପିଲାଟି ସଇତାନପୁରରେ ଢେର ନାମ କମାଇଲା। ଖାଲି ଶାଠରେ ନୁହଁ ପାଠରେ ମଧ୍ଯ ପିଲାର ଭଲ ନାମ ହେଲା। କପି କରିବାର ଫାଞ୍ଚଶହ ଚଉଷଠିଟି ଉପାୟ ସେ କରାୟତ କରିଥିଲା। ପିଲାମାନେ ତା ପାଖରେ ଟଙ୍କା ଜମା କରି ଦୁଇ ଚାରିଟା କପିବୁଦ୍ଧି ନେଇ ପରୀକ୍ଷାରେ ପାଶ୍ କରିଯାଉଥିଲେ। ସମୟର ଚକ ଗଡି ଚାଲିଲା, ଟେମ୍ପୁର ବାପାମାଆ ଦୁନିଆରେ କରଣୀୟ ସମସ୍ତ କାମଧାମ ସାରି ଉପରକୁ ଟିକଟ କାଟିଲେ। ସେମାନଙ୍କ ଜୀବଦ୍ଦଶା ଭିତରେ ଟେମ୍ପୁର ହାଡୁଆ ଶିରାଳିଆ ହାତରେ ଆଉ ଗୋଟିଏ ହାତ ଛନ୍ଦି ହୋଇ ସାରିଥିଲା। ସେଇ ସଇତାନପୁରର ଏକ ସିଂଘାଣିନାକି କନିଆର ହାତ ଧରି ଟେମ୍ପୁ ଜୀବନ ନଉକା ଆଗକୁ ବାହିବାରେ ମନଦେଲା। ପରିବାର ଭଲରେ ଚଳାଇବାକୁ ବେଶି ଟଙ୍କା ଦରକାର ହେବାରୁ କିଛି ଗୋଟେ ବଡକାମ କରିବାକୁ ଟେମ୍ପୁ ମନସ୍ଥ କଲା। ବହୁତ ଚିନ୍ତା କଲାପରେ ସେ ନିଷ୍ପତ୍ତି ନେଲା ଯେ , ପଛେ ଦୁନିଆରେ ସବୁ କିଛି ବନ୍ଦ ହୋଇ ଯାଇପାରେ ; କିନ୍ତୁ ବାହାଘର ଓ ଶୁଦ୍ଧିଘର କେବେ ବନ୍ଦ ହେବନି। ଏଇ ଦୁଇଟା କାମ ପାଇଁ ସବୁଲୋକଙ୍କର ପକେଟ ଉସୁଆସ ହେବା ଟା ଥୟ। ବିଭାଘର ଓ ଶୁଦ୍ଧିଘର କାମ ପାଇଁ ଲୋଡା ଚଉକି ଟେବୁଲ,ସାମିୟାନା,ଲାଇଟ୍,ହଣ୍ଡା କଡେଇ ଡେକଚି,ଦରି,ଗଦି ଆହୁରି କେତେ କଣ, ତା ସାଙ୍ଗକୁ ଭଲ ରୋଷେଇଆ। ଟେମ୍ପୁ ପକ୍ଷରେ ଏସବୁ ଯୋଗାଡଯନ୍ତ୍ର କରିବା ଚୁଟୁକି ମାରିବା ସହିତ ସମାନ। ତା ଲୋକସମ୍ପର୍କ ଅଉଲ ନମ୍ବରର ଥିଲା ଓ ସେ କଥା କହିବା ବେଳକୁ ବାଟୁଳି ବାଜେନି। ତା ସହ କଥା ହେବା ଲୋକ ଦଶ ମିନିଟ୍ ରେ ଦଶଥର ଇନ୍ଦ୍ରଭୂବନ ବୁଲିଆସିବା ଟା ଥୟ। ସମସ୍ତ କଳାକଉଶଳର ସଦୁପଯୋଗ କରିବା ସହ କିଛି ଧାର ଉଧାର କରି ଟେମ୍ପୁ ଏକ ଟେଣ୍ଟହାଉସ ଖୋଲିଲା; ଟେଣ୍ଟ ହାଉସର ନାମ ହେଲା " ଟେମ୍ପରସନ ଟେଣ୍ଟ ହାଉସ ”। କିନ୍ତୁ ବିଚରାର ଭାଗ୍ଯ ଟିକେ କମଜୋର ଥିଲା। ବହୁତ ଧାଁ ଦଉଡ ପରେ ମଧ୍ଯ ବେପାର ଆଶାନୁରୂପ ହେଲା ନାହିଁ। ସେତେବେଳକୁ ସଇତାନପୁର ଗାଁଆରେ ଅନେକ ଟେଣ୍ଟ ହାଉସ୍ ବହୁଦିନ ପୂର୍ବରୁ ନିଧଡକ ବେପାର ଚଳାଇଥିଲେ। ଯେତେ ଯାହା ହେଲେ ବି ଟେମ୍ପୁ ଏ ବେପାର ରେ ନୂଆ। କିଏ ବା ତାକୁ ଚିହ୍ନିବ ନା ବିଶ୍ବାସ କରିବ। ଓ୍ବାଜିବ ଦର ଲଗାଇଲା ପରେ ବି ଲୋକେ ତା ପାଖରୁ ଜିନିଷ ନେବାକୁ କୁନ୍ଥୁକୁନ୍ଥୁ ହେବା ଦେଖି ଟେମ୍ପୁ ମୁଣ୍ଡରେ ଉକୁଣୀ କାମୁଡିବା ଆରମ୍ଭ କଲା।

ବେପାର ଉଦ୍ଦେଶ୍ଯରେ ଗାଁଆମାନକୁ ସୁବିଧାରେ ଯିବା ଆସିବା କରିବା ପାଇଁ ଟେମ୍ପୁ ତା ବାପାର ଲୁନା ଗାଡିକୁ ବ୍ଯବହାର କରୁଥିଲା। ଜୀବନସାରା ଲୁଗାପଟା ସିଲେଇ କରି ବାପା ଏଇ ଲୁନା ଗାଡିଟିକୁ କିଣିଥିଲା। ବାପର ଆୟୁଷ ସିନା ସରିଗଲା କିନ୍ତୁ ସେ ରଙ୍ଗଛଡା ଲୁନାଗାଡି ଟି ଏବେ ମଧ୍ଯ ଧାଁ ଦଉଡ କରିବାକୁ ସକ୍ଷମଥିଲା। ବିଲହିଡ,ନାଳ ନର୍ଦ୍ଦମା, ମୋରମବିଛା ରାସ୍ତା, କାଦୁଅ ପଚପଚ ବସ୍ତି ଭିତରକୁ ବଡ ଆରାମରେ ଲୁନାଟି ଫୁଟୁଫୁଟୁ ଶବ୍ଦ କରି ଟେମ୍ପୁକୁ ବୋଝେଇ ମାଡି ଯାଉଥିଲା। ଦରକାର ବେଳେ ହାଣ୍ଡି ଡେକଚି ,ଦରି, ସାମିଆନା ଭିଡା କପଡାଲତା କୁ ମହା ଆନନ୍ଦରେ ଲୁନାଟି ବୋହି ହେଉଥିଲା। ଲୁନାର ତେଲଟାଙ୍କି ପାଖରେ ପେଟ୍ରୋଲଭିଜା କପଡା ଖଣ୍ଡେ ହଲାଇଦେଲେ ବି ସେତିକି ଶୁଙ୍ଘି ଲୁନାଟି କୋଶେ ଦି କୋଶ ମାଡି ଯିବାକୁ ସମର୍ଥ ଥିଲା। କବାଡିବାଲା ହଜାର ଥର ଟେମ୍ପୁକୁ କହିଛି ଲୁନା ଟି ତାକୁ ଟଙ୍କା ପାଞ୍ଚଶହରେ ବିକ୍ରି କରିଦେବା ପାଇଁ। ମାତ୍ର ଟେମ୍ପୁ ରାଜି ହୁଏନି, ଏମିତି ଏକ ଚମତ୍କାରୀ ଗାଡି କୁ ଶାଗମାଛ ଦରରେ ଛାଡି ଦେବାପାଇଁ।

ବେପାରରେ ଉନ୍ନତି ଆଣିବା ପାଇଁ ଟେମ୍ପୁ ସହରର କିଛି ବୁଦ୍ଧିଆମୁଣ୍ଡିଆ ଲୋକଙ୍କ ସହ ଆଲୋଚନା କରିବାପରେ ନିଶ୍ଚିତ ହେଲା ଯେ, ବିନା ବିଜ୍ଞାପନରେ ବେପାର ବଣିଜ ଅସମ୍ଭବ। ଆଜିକାଲି ଦୁନିଆରେ ବିଜ୍ଞାପନ ନଦେଲେ ଲୋକେ ଯମରାଜାକୁ ବି ଯାମିଆ ମେହେନ୍ତର ଭାବିବା ଅସମ୍ଭବ ନୁହଁ। କେତେ କାଣି,କୁଜି,ଟେରି,ସେନ୍ତେରି ଝିଅ ମୁହଁରେ ପାଉଡର ମାଖି ରାଜକୁମାରୀ ସାଜୁଛନ୍ତି ଓ ବିକ୍ରି ନ ହେବା ଜିନିଷ ବିକ୍ରି କରେଇ ଦେଉଛନ୍ତି ସେହି ବିଜ୍ଞାପନ ମାଧ୍ଯମରେ। ତାମ୍ପଡା ଶୁଖୁଆ ପରି ଗାଲ, ଗଞ୍ଜାଚୁଟି ପରି କେଶ ଓ ନହନହକା ରୂପଧାରୀ ଭେଣ୍ଡିଆ ମାନେ ଟେଲିଭିଜନରେ ବେଶଭୂଷା ହୋଇ ଏମିତି ବିଜ୍ଞାପନ ମାନ କରୁଛନ୍ତି ଯେ ଦେଖିବା ଲୋକେ ଅତରଛିଆ ଦୌଡି ଆସୁଛନ୍ତି ଜିନିଷ କିଣିବାପାଇଁ। ତେଣୁ କୌଣସି ଏକ ଟେଲିଭିଜନ ଚ୍ଯାନେଲରେ ଟେମ୍ପରସନ ଟେଣ୍ଟହାଉସର ବିଜ୍ଞାପନ ଟା ଦେଇଦେଲେ, ଲୋକେ ଘର ସାମନା ରେ ଧାଡିବାନ୍ଧି ଛିଡାହେବେ ଜିନିଷ ନେବାପାଇଁ। ଘରେ ବୁଢାବୁଢୀ ମରିବା ପାଇଁ ସୁକୁସୁକୁ କରିବା ଅବସ୍ଥାରେ ହିଁ ଶୁଦ୍ଧିଘର ପାଇଁ ଟେଣ୍ଟ ବୁକିଙ୍ଗ ସରିଯିବ। ଟୋକାଟୋକିଙ୍କୁ ଆମ୍ବଗଛ,ବୁଦାମୂଳ, ପାଖରିତୁଠ କି କଲେଜପଛ ପଡିଆରେ ଦେଖିବା ମାତ୍ରେ ହିଁ ଘର ଲୋକେ ହାଜର ହେବେ ଟେମ୍ପରସନ ଟେଣ୍ଟ ହାଉସ ପାଖରେ ବାହାଘର ସକାଶେ ଟେଣ୍ଟ ପାଇଁ। ଏହାଠାରୁ ବଳି ସୁବିଧା କଣ ଥାଇପାରେ!

ବହୁତ ବୁଝାବୁଝି କରିବା ପରେ ଟେମ୍ପୁ ହାଜରହେଲା "ପରଛିଦ୍ର " ଟେଲିଭିଜନ ଚ୍ଯାନେଲରେ। ଏକ ମିନିଟର ବିଜ୍ଞାପନ ପାଇଁ ଚାଳିଶି ହଜାର ଟଙ୍କା ସେମାନେ ହାଙ୍କିଲେ। ବିଚରା ଦର ଶୁଣି ପିଚାମାଡି ତଳେ ଲୋଟିଗଲା। ଏତିକି ପଇସାରେ କେତେ ଜିନିଷ କିଣାଯାଇ ପାରିବ, ଖାଲି ବିଜ୍ଞାପନ ପାଇଁ ଯଦି ଏତେ ଟଙ୍କା ଉଡେଇଦେବ ବେପାର କରିବ ଲେମ୍ବୁ ଟା। ମନଦୁଖରେ ଗାଁଆକୁ ଫେରିଲା। ବୁଦ୍ଧିଆଲୋକଙ୍କ ପାଖରୁ ଆଉ କିଛି ଟେଲିଭିଜନ ଚ୍ଯାନେଲର ନାମ ସଂଗ୍ରହ କଲା। ଯେମିତି କି "ଅତର୍ଚ୍ଛବାଣୀ” " ବେଙ୍ଗ ସ୍ପିକିଙ୍ଗ ବେଙ୍ଗୁଲୀ ଲିସନିଙ୍ଗ ” "ସତ୍ଯରମ୍ପା ” "ଦାରୁଣ ସମ୍ବାଦ” " କାଣିବିଲେଇ ” "ତିଳ କୁ ତାଳ ” "ନିଉଜ୍ ୟାଡୁସ୍ୟାଡୁ ” । ଟେମ୍ପୁ ସ୍ଥିରକଲା ଯେ ପୁଣିଥରେ ସହର ଯାଇ ଏ ବିଜ୍ଞାପନ ଗଣିତର ସମାଧାନ ନକଲେ ନିସ୍ତାର ନାହିଁ। ଆଗକୁ ବାହାଘର ଋତୁ ମାଡି ଆସୁଛି। ଠିକ୍ ସମୟରେ ବାଇଗଣ ରୋଇଦେଲେ ବାହାଘର ବେଳକୁ ହନ୍ତସନ୍ତ ହେବାକୁ ପଡିବନି।

ମହାଆନନ୍ଦରେ ଟେମ୍ପୁ ଲୁନା ଚଳାଇ ମନଫୁଲାଣିଆ ଗୀତର ଧାର ଛୁଟାଇ ମାଡି ଯିବା ବେଳକୁ, ଜଣେ ନିଶୁଆ ହାବିଲଦାର ତା ଲୁନା ସାମନାରେ ଏକ ପାଞ୍ଚହାତିଆ ଠେଙ୍ଗାଧରି ଛିଡା ହୋଇଗଲା। ସମସ୍ତ ବଳ ଖଟାଇ ବ୍ରେକ ଚାପିବା ପରେ ମଧ୍ଯ ବ୍ରେକ୍ ଧରିଲାନି,ତେଣୁ ଟେମ୍ପୁ ଦୁଇ ଗୋଡକୁ ରାସ୍ତାରେ ଠେବି ଗାଡି ଅଟକାଇବାର ପ୍ରୟାସରେ ଲାଗି ରହିଲା। ତା ମଳିଛିଆ ଚପଲ ଚକମକିଆ ରାଜରାସ୍ତା ଉପରେ ଘଷିହୋଇ ଆନନ୍ଦରେ ସଁ ସଁ ଡାକଦେଲା ଓ ଲୁନାଟି ନିଶୁଆ ହାବିଲଦାର ତୁମ୍ବା ପେଟକୁ ଛୁଇଁବ ନ ଛୁଇଁବ ଅବସ୍ଥାରେ ରହିଗଲା। ଏମନ୍ତ ଦୃଶ୍ଯ ଦେଖି ଝପଟି ଆସିଲେ ପାଞ୍ଚଛଅ ଜଣ ପୋଲିସ ଓ ଟେମ୍ପୁକୁ ଘେରିଗଲେ।

ଜଣେ ହାବିଲଦାର କହିଲା - - ଆରେ ଏ ଲଣ୍ଡାମୁଣ୍ଡିଆର ସାହାସ ଦେଖ। ହେଲମେଟ୍ ପିନ୍ଧିନି, ଗାଡିରେ ବ୍ରେକ ଲାଗୁନି,ନମ୍ବର ପ୍ଲେଟ କୁକୁର ମୁତ ପିଇପିଇ କୋତରି ଯାଇଛି, ଗାଡିର କାଗଜପତ୍ର ଅଛି କି ନାହିଁ ଜଣାନାହିଁ- - ତା ସାହାସ ଦେଖ, ଆମ ହାବିଲଦାର ଭାଇଟି ଗାଡି ଅଟକାଇବାକୁ ଚେଷ୍ଟାକଲା ବୋଲି ତାକୁ ମାରିଦେବା ଉଦ୍ଦେଶ୍ଯରେ ଗାଡି ଚଢାଇ ଦେଉଥିଲା। ଏ ଲୋକ ନିହାତି ଏକ ଆତଙ୍କବାଦୀ ହୋଇଥିବ। ଆମ ପୋଲିସି ବାହିନୀକୁ ମାରି ଆମ ଦେଶରେ ଆତଙ୍କବାଦ କାମ ପାଇଁ ପଡୋଶୀଦେଶର ପ୍ରଧାନମନ୍ତ୍ରୀ ଏ ଲାଣ୍ଡୁ କୁ ନିହାତି ପଠେଇଛି। ଧର ତାକୁ, ମାଡି ବସ। ହୋ ଭାଇମାନେ ତା ସାର୍ଟ କଲାର ଧରି ଘିଞ୍ଚିଆଣି ଗାଲରେ କୀର୍ତ୍ତନ ଓ ପିଠିରେ ମୃଦଙ୍ଗ ବଜାଇବା କାମ ଆରମ୍ଭ କରିଦିଅ ।

କଣ ହେଉଛି ବୋଲି ବୁଝିବା ପୂର୍ବରୁ ଆଉଜଣେ ପୋଲିସ ଟେମ୍ପୁ ପିଚାରେ ବାଉଁଶବାଡି ଖେଞ୍ଚି ପକେଇଲା, ଯେମିତି ସାପ ମାରିବା ସମୟରେ ଲୋକେ ବାଡିରେ ଖେଞ୍ଚାଖେଞ୍ଚି କରି ପକାନ୍ତି। ବିଚରା ଟେମ୍ପୁ ବିକଳରେ " ମୋ ବୋପାଲୋ ମଲି " ରଡି ଛାଡି ଡେଇଁ ପଡିଲା। ଆତଙ୍କବାଦୀ ନାମଟା ଶୁଣି ବୁଢାଳିଆ ପୋଲିସି ଜଣେ କହିଲା - - ୟା'ପ ଆମ ଚାକିରି ସରିବାକୁ ବସିଲା, କେତେ ବଡବପ ଡନ୍ ଓ ଭଳିକି ଭଳି ଗନ୍ ଦେଖିଛୁ; କିନ୍ତୁ ଆତଙ୍କବାଦୀଟେ ଦେଖି ପାରିଲୁନି। ଦେଖି ଦେଖି ତା ବଦନ ଟିକେ ଦେଖେଇଲ। ହୋଃ ଲଣ୍ଡାମୁଣ୍ଡିଆ ଡାଇଭର,ତୁମ ବଦନ ଟା ଦେଖାନି ଟିକେ।

ଆଉଜଣେ ସୁକୁଟାପେଟିଆ ହାବିଲଦାର କହିଲା-- ବୁଝିଲ ତୁମେ ସବୁ ତୁଚ୍ଛା ଗୋବରିଆ ଗୁଡା। ଲୋକ ଟା ବୋପାଲୋ ମଲି ବୋଲି ରାବ ଦଉଛି, ତୁମକୁ ଶୁଭୁନି ? ତା ମୁହଁ ଦେଖିଲେ ଲାଗୁଛି, ସେ ଜୀବନରେ କେବେ ମଶା ଡାଆଁସଙ୍କୁ ମାରିବାର ସାହାସ କରି ନ ଥିବ। କିନ୍ତୁ ତୁମ ଅଲଜ୍ଯା ମାନଙ୍କୁ ସେ ଆତଙ୍କବାଦୀ ପରି ଲାଗୁଛି - - ନାଇଁ? ଛାଡ ହୋଃ, ପବନାଦଳ। ଆରେ ହେଃ ମାଙ୍କଡମୁହାଁ ଘୁଷୁରି ପିଲା- - ଦେଖା ତୋ କାଗଜପତ୍ର ସବୁ। ଲାଇସେନସ୍, ଫିଟନେସ୍, ପଲ୍ଯୁସନ, ଇନସ୍ଯୁରାନସ୍ ସବୁ ଦେଖା ଗୋଟି ଗୋଟି କରି। ନହେଲେ ଏମିତି ଫାଇନ ହାଙ୍କିବୁ ଯେ ତୋ ନାତି ପଣନାତି ଚାହିଁଲେ ବି ଶୁଝି ପାରିବେନି। ଆଗ କହ ହେଲମେଟ୍ କାହିଁକି ପିନ୍ଧିନୁ?କଣ ତୋ ମୁଣ୍ଡ ଟା ମେଣ୍ଢା ମୁଣ୍ଡ ଠୁ ବି ଟାଣ୍ କି? ଗାଡିର ନମ୍ବର ପ୍ଲେଟ୍ କୁଆଡେ ଗଲା?ମୋତେ ଲାଗୁଛି ଆଜି ତୋ ପାଖରୁ ଅତିକମ୍ ରେ ସତୁରୀ ହଜାର ଟଙ୍କାର ଫାଇନ ଆଦାୟହେବ।

ସି ଅକ୍ଷର ବିବର୍ଜିତ ଟେମ୍ପୁ ଏତେ ଗୁଡାଏ ଇଂରାଜୀଶବ୍ଦ ଶୁଣିଲା ବେଳକୁ ଫାକସିବୁଡ୍ ଅବସ୍ଥାରେ ପହଞ୍ଚି ଯାଇଥିଲା। ତା ଲୁନାର ରଙ୍ଗ ଛାଡି ଖାଲି ଲୁହା କଙ୍କାଳ ଟା ଦିଶୁଥିଲା ଯାହା, ଏପରି ଏକ ଗାଡିର କି କାଗଜପତ୍ର ସେ ରଖିବ। ତା ବାପା ଦିନେହେଲେ କହିନି ଯେ ଗାଡି ଚଳାଇବାକୁ ଲାଇସେନସ ଦରକାର ବୋଲି। ପୁଣି ଗାଡିର କି ଇନସୁରାନସ ଯେ? ସେ କଣ ମଣିଷ ହୋଇଛି ଯେ ମଲା ପରେ ଇନସୁରାନସ ଟଙ୍କା ଘରଲୋକେ ପାଇବେ। ବାକି ରହିଲା ହେଲମେଟ୍ କଥା- - ଗାଁଆରେ ଖରାବର୍ଷାରୁ ରକ୍ଷା ପାଇବାକୁ ଭଲ ଝାମ୍ପିଟାଏ ପିନ୍ଧିଦେଲେ କାମ ତମାମ୍। ଭଲ କଥା କହୁଛନ୍ତି ଏ ପୋଲିସ ବାଲାଏ। ସେ କଣ ସେ ପୁରୁଣା ଝାମ୍ପି ପିନ୍ଧି ସହର ଆସିଥିଲେ ଭଲ ଦିଶିଥା'ନ୍ତା ? ବାକି ରହିଲା ନମ୍ବର ପ୍ଲେଟକଥା। ସେ ମହାନ୍ତିଘର କୁକୁରପଲ ମୁତିମୁତି ନମ୍ବରପ୍ଲେଟର ନମ୍ବର ଲିଭେଇଦେଲେ,ଶେଷକୁ ପୁତ ପିଇପିଇ ବିଚରା ଖୋତରିଗଲା। ଏଥିରେ ତା'ର ଦୋଷ ବା କଣ? ସତୁରୀ ହଜାରରେ କେତେଟା ଶୁନ୍ ବୋଲି ମନେମନେ ହିସାବ କରି ପେଟୁଆ ପୋଲିସ କୁ ଢଳଢଳ ଆଖିରେ ଚାହିଁ ରହିଲା।

ଜଣେ ପୋଲିସ ଟେମ୍ପୁ କାନ ପାଖରେ ଫିସଫିସ କରି କହିଲା- - ବେଶି ଚାଲାକି ନ ଦେଖେଇ ଦୁଇ ହଜାର ଟଙ୍କା ଦେଇ ଦେ, ଛାଡିଦେବି। ଆମ ବଡବାବୁ ଅଳ୍ପ ସମୟ ଭିତରେ ପହଞ୍ଚି ଯିବେ। ସେ ଆସିଲା ପରେ ତୋ ବଇଁଶୀ ଏମିତି ବଜେଇବେ ଯେ ଇନ୍ଦ୍ରପୁର ଯାଏ ଶୁଭିବ। ପକେଟ ଦରାଣ୍ଡି ଟେମ୍ପୁ ମଳିଛିଆ କୋଡିଏ ଟଙ୍କିଆ ନୋଟ ଖଣ୍ଡିଏ କାଢି ପୋଲିସ ହାତକୁ ବଢେଇଦେଇ କହିଲା- - ଏତିକି ପଇସା ଅଛି, ଗାଡିରେ ତେଲ ପକେଇବାକୁ ଆଣିଥିଲି। ଏଡିକି କୁନି ଟଙ୍କାରେ ମଳିଛିଆ ଗାନ୍ଧିମୁଣ୍ଡ ଦେଖି ପୋଲିସବାଲାର ମୁଣ୍ଡକୁ ରାଗ ଚଢିଗଲା। ସେ ଟେମ୍ପୁ ଗାଲରେ ଏକ ଜବରଦସ୍ତ ଖୋବଣୀ ମାରି କହିଲା

- - ଆରେ ହେଃ, କିଏ କୁଆଡେ ଅଛ, ଦୌଡି ଆସ। ଏ ନିମକହାରାମ ମୋ ପରି ଜଣେ ସଫାସୁତର ପୋଲିସିବାଲା ଉପରେ କାଦୁଅ ଫିଙ୍ଗୁଛି। ବାକି ପୋଲିସି ମାନେ କିଛି ବୁଝି ନପାରି ସେହି ବୁଢା ପୋଲିସି ର ସାର୍ଟପ୍ଯାଣ୍ଟରେ କାଦୁଅଛିଟା ଖୋଜିବାରେ ଲାଗିଲେ। ବୁଢା ବିରକ୍ତ ହୋଇ କହିଲା- - ଆରେ ଏ ଶଳା ମୋତେ ଲାଞ୍ଚ ଯାଚୁଛି। ଲାଞ୍ଚ ବାବଦକୁ ଟେମ୍ପୁ ଯାଚୁଥିବା କୋଡିଏ ଟଙ୍କିଆ ନୋଟକୁ ଦେଖି ସମସ୍ତେ ହସିହସି ଭୂଇଁରେ ଗଡିଗଲେ। ଜଣେ ଛିଗୁଲାଇ କହିଲା- - ଯାହା ହେଉ ଏ ଲୋକ ବୁଢାର ଦର ଠିକ୍ କଷିଛି। ମୁଁ ପ୍ରଥମରୁ କହିଛି ପରା ବୁଢା ଦିହମୁଣ୍ଡରେ ଖାଲି ଗୋବର। ଏମିତି ଲୋକ ସାଙ୍ଗରେ କାମ କଲେ ଆମ ଦରଦାମ ବି ଖସିଯିବ।

ସେତିକି ବେଳକୁ ମାଡି ଆସିଲେ " ଟେଙ୍ଗେଣା କାଉଁରିକାଠି" ଚ୍ଯାନେଲର ବରିଷ୍ଟ ସାମ୍ବାଦିକ ପେଞ୍ଚଡରାମ୍। ଚିତ୍କାର କରି ଅଞ୍ଚଳ କମ୍ପାଇଦେଲେ। କ୍ଯାମେରାମ୍ଯାନ କୁ ଇସାରା ଦେଇ ନିଜ ମୁହଁ ପାଖରେ ମାଇକ ରଖି ଚିତ୍କାର କରି କହିଲେ - - -ଦେଖନ୍ତୁ ଏହି ଲୋକକୁ, ଭଲରେ ଥରେ ତା ମୁହଁ ଦେଖି ନିଅନ୍ତୁ। ହେଲମେଟ୍ ନ ପିନ୍ଧି ସେ ଯେଉଁ ଅପରାଧ କରିଛି ତାହା କ୍ଷମାଯୋଗ୍ଯ ନୁହଁ। ଏ ଲୋକ ଯଦି ଦୁର୍ଘଟଣାରେ ମରିଯାଏ ତା ଘରଲୋକେ ଅନାଥ ହୋଇ କାନ୍ଦିକାନ୍ଦି ମରିଯିବେ। ସେମାନଙ୍କ ମୃତ୍ଯୁ ପାଇଁ ଏଇ ସଇତାନ ଦାୟୀ ରହିବ। ସେମାନଙ୍କର ମୃତ୍ଯୁ ହେବନି ବନ୍ଧୁଗଣ, ଏହି ଲୋକ ହେଲମେଟ୍ ନ ପିନ୍ଧି ତାଙ୍କୁ ମାରିଦେବ। ଇଏ ଏକ ନର ହତ୍ଯାକାରୀ ରାକ୍ଷାସ, ସମାଜ ପ୍ରତି ଏକ ଭୟଙ୍କର ବିପଦ। ତା ପାଖରେ କୌଣସି କାଗଜପତ୍ର ନାହିଁ। ସେ ସରକାରଙ୍କୁ ଟିକସ ନ ଦେଇ ବର୍ଷବର୍ଷ କାଳ ଟିକସଫାଙ୍କି ପରି ଭୟାବହ କୁତ୍ସିତ ଅପରାଧ କରିଆସୁଛି। ଆଜି ଦେଶରେ ଯେଉଁ ଆର୍ଥିକ ମାନ୍ଦାବସ୍ଥା ଚାଲିଛି ସେଥିପାଇଁ ମଧ୍ଯ ଏହି ଲୋକ ଦାୟୀ। ସ୍କଟଲ୍ଯାଣ୍ଡର ଏକ ରିପୋର୍ଟ ଅନୁସାରେ ଭାରତର ଜିଡିପି ଆଜି ତିନି ବା ଚାରିରେ ପହଞ୍ଚିଛି କେବଳ ଟିକସଫାଙ୍କିବା କାରଣରୁ।

ଭଲରେ ଦେଖି ନିଅନ୍ତୁ ଏ ନରରାକ୍ଷାସର ବିଳାସପୂର୍ଣ୍ଣ ଲୁନାଗାଡିକୁ। ଯେଉଁ ଦେଶରେ ପିଲା ଭୋକ ଓପାସରେ ପ୍ରାଣତ୍ଯାଗ କରୁଛନ୍ତି ସେ ଦେଶରେ ଏମାନଙ୍କ ପରି ନରରାକ୍ଷାସ ମାନେ ଚଳାଉଛନ୍ତି ବିଳାସପୂର୍ଣ୍ଣ ଯାନବାହାନ ଯାହାର ପଲ୍ଯୁସନ ସାର୍ଟିଫିକେଟ୍ ନାହିଁ। ଉଗାଣ୍ଡାରୁ ପ୍ରକାଶିତ ଏକ ଖବର ଅନୁଯାୟୀ ଗାଡିରୁ ବାହାରୁଥିବା ବିଷାକ୍ତଧୂଆଁ କାରଣରୁ ଚୀନରେ କୋରୋନା ପରି ରୋଗ ର ସୃ ଷ୍ଟି ହୋଇଛି। ଚୀନରେ ପୋକମାଛି ପରି ମାରି ଚାଲିଥିବା ଲୋକଙ୍କ ମୃତ୍ଯୁପାଇଁ ମଧ୍ଯ ଏହି ଲୋକ ହିଁ ଦାୟୀ। ଏତିକି ରେ କଥା ସରୁନି ବନ୍ଧୁଗଣ, ଏହି ଲୋକର ଗାଡିରୁ ବାହାରୁଥିବା ଘନକୃଷ୍ଣ ଧୂଆଁ ସକାଶେ ଓଜୋନ୍ ଲେୟାର ଫାଟି ଆଁ ହୋଇଗଲାଣି। ଫଳରେ ସୂର୍ଯ୍ଯର ଅତି ବାଇଗଣି ରଶ୍ମୀ ପୃଥିବୀପୃଷ୍ଟକୁ ଧସେଇ ପଶି ସମସ୍ତ ହିମଖଣ୍ଡ ମାନଙ୍କୁ ତରଳାଇ ପକାଇଲାଣି। ସେଥିପାଇଁ ସମୁଦ୍ର କୂଳଲଙ୍ଘନ କରି ଦେଶର ଅଧାଅଧି ଜାଗା ଗିଳି ସାରିଲାଣି। ନିସନ୍ଦେହରେ କୁହାଯାଇପାରେ ଗ୍ଲୋବାଲ ଓ୍ବାର୍ମିଂ ପାଇଁ ଏହି ଲୋକ ହିଁ ଦାୟୀ। ଗୋଟିଏ ନିଶ୍ବାସରେ ଏତିକି କହିସାରି ସାମ୍ବାଦିକ ଟେମ୍ପୁ ମୁହଁକୁ ଦେଖିଲେ। ବିଜୟସୂଚକ ହସରେ ତାଙ୍କ ମୁହଁ ଟି ଚକମକିଆ ଦିଶିଲା। ଟେମ୍ପୁ ସେସବୁ କଥା ନଶୁଣି କାନ ଉପରେ ଜାକିଥିବା ଏକ ଖଣ୍ଡିଆ ବିଡି ଟାଣିବାରେ ବ୍ଯସ୍ତ ଥିବାର ଦେଖି ସାମ୍ବାଦିକ ରାଗିଗଲେ। ଚିତ୍କାର କରି କହିଲେ- - ଆରେ ହେଃ କ୍ଯାମେରାମ୍ଯାନ୍ ଟିକେ ଜୁମ୍ କରି ଏ ଲୋକର ମୁହଁ ଭଲରେ ଦେଖା। ଦେଖ ଭାଇମାନେ ଏ ଖଳନାୟକକୁ। ପୃଥିବୀ କୁ ଧ୍ବଂସ କରିବାକୁ ସେ ପଣ ନେଇ ଆସିଛି ଓ ହେଲମେଟ ନ ପିନ୍ଧି ସେ ନିଜ ଭୟଙ୍କର ଷଡଯନ୍ତ୍ରର ଅୟମାରମ୍ଭ କରୁଛି ଆଜିଠାରୁ। ତା ସାଙ୍ଗକୁ ଧୂମ୍ରପାନ ପରି ସଙ୍ଗୀନ କାର୍ଯ୍ଯକରି ବିଡିଧୂଆଁ ସହିତ କ୍ଯାନସର ଜୀବାଣୁ ଖଣ୍ଡମଣ୍ଡଳରେ ବିଞ୍ଚିଚାଲିଛି। କାଲି ସକାଳେ ଯଦି ଆପଣ,ମୁଁ ବା ଏ ପୋଲିସମାନେ କ୍ଯାନସରରେ ପଡିବା, ତାହାର କାରଣ ମଧ୍ଯ ଏ ଅପରାଧୀର ବିଡିଟଣା ହେବ। ଆପଣମାନଙ୍କ ଟେଲିଭିଜନ ସ୍କ୍ରିନ୍ ରେ ଦିଆଯାଇଥିବା ନମ୍ବର ରେ ଏସ ଏମ ଏସ କରି କୁହନ୍ତୁ- - ଏ ଅପରାଧୀ ପାଇଁ ଉପଯୁକ୍ତ ଦଣ୍ଡ କଣ ହେବା ଦରକାର। ଫାଶୀ ନା ଏନକାଉଣ୍ଟର।

ଟେଲିଭିଜନ ନାମ ଶୁଣି ଟେମ୍ପୁର ଆଖି ଦୁଇଟି ଚମକି ଉଠିଲା। ସେତିକି ବେଳକୁ ସାମ୍ବାଦିକ ତା ମୁହଁ ପାଖରେ ମାଇକ୍ କୁ ଗେଞ୍ଜିଦେଲେ ଓ କ୍ଯାମେରାମ୍ଯାନ୍ କୁ ଇସାରା ଦେଲେ। ପେଞ୍ଚଡରାମ ଟେମ୍ପୁକୁ ସାବଧାନ କରିଦେଇ କହିଲେ- - ଆହେ ଲାଣ୍ଡୁଭାଇ, ଆମ ପ୍ରୋଗ୍ରାମଟା ଲାଇଭ୍ ଚାଲିଛି। ଯାହା କହିବ ଭାବିଚିନ୍ତି କହିବ, ସବୁ ଲୋକ ଦେଖୁଛନ୍ତି ବୋଲି ମନରେ ରଖି ନିଜ କଥା କହିବ।

ଟେମ୍ପୁ ଆଖି ଛଳଛଳ କରି କହିଲା- - ଆଜ୍ଞା ମୁଁ ଟେମ୍ପୁ ମାହାଳିକ, ସଇତାନପୁରରେ ମୋ ଘର। ବଡ କଷ୍ଟରେ ପଇସା ଯୋଗାଡ କରି ଏକନମ୍ବର ଟେଣ୍ଟ ହାଉସଟେ କରିଛି। ବାହାଘର, ଶୁଦ୍ଧିଘର ପାଇଁ ଯାହା ଦରକାର ସବୁ ଜନିଷ ମୁଁ ଓ୍ବାଜିବ୍ ଦରରେ ଯୋଗେଇଦେବି। ଆପଣଙ୍କ ସେବା କରିବାର ସୁଯୋଗ କେବଳ ଥରେ ମାତ୍ର ଦିଅନ୍ତୁ। ମୁଁ ଗ୍ଯାରେଣ୍ଟି ଦେଉଛି ଯେ ବଜାରଦରରୁ କମ୍ ଦରରେ ଜିନିଷ ଯୋଗେଇଦେବି।

- - ଆବେ ହେଃ, ପାଗଳ ଟା କିରେ। ମୁଁ ଆଗରୁ କହିଲି ପରା ଯେ ପ୍ରୋଗ୍ରାମ୍ ଟା ଲାଇଭ୍ ଚାଲିଛି, ଲକ୍ଷଲକ୍ଷ ଲୋକ ଦେଖୁଛନ୍ତି। ପାଗଳଙ୍କ ପରି କଣ ଗପୁଛୁ? ତୋ ଅପରାଧ ବିଷୟ ରେ କହ, କାହିଁକି ଏ ଘୋର ଅପରାଧ କରିବାକୁ ସ୍ଥିର କଲୁ କହ, କିଏ ସବୁ ଏ ଷଡଯନ୍ତ୍ରରେ ସାମିଲ ଅଛନ୍ତି ସେମାନଙ୍କ ନାମ କହ। କହି ଉଠିଲେ ପେଞ୍ଚଡରାମ ଓ ପୁଣି କ୍ଯାମେରାମ୍ଯାନକୁ ଇସାରାଦେଲେ ଟେମ୍ପୁ ଆଡକୁ କ୍ଯାମେରା ଜୁମ୍ କରିବାକୁ ।

କହୁଛି ଆଜ୍ଞା, ଏଥର ଭଲରେ କହିବି। ଆଜ୍ଞା ମାନେ, ମୋର ଆପଣ ମାନଙ୍କୁ ହାତଯୋଡି ନିବେଦନ, ମୋତେ କେବଳ ଥରେ ସେବାର ସୁଯୋଗ ଦିଅନ୍ତୁ। ଯାହାଘରେ ମୁଁ ଥରେ ବାହାଘର ପାଇଁ ଜିନିଷ ଦେବି ତା ଘରେ ଶୁଦ୍ଧିଘର ହେଲେ ସବୁ ଜିନିଷ ମାଗଣାରେ ଯୋଗାଇଦେବି। ଏ ସୁବର୍ଣ୍ଣ ସୁଯୋଗ ହରାନ୍ତୁ ନାହିଁ। କେବଳ ଥରେ ସଇତାନପୁରର ଟେମ୍ପୁ କୁ ସେବା କରିବାକୁ ଦିଅନ୍ତୁ।

ଆରେ , ଏ ଶଳାଟା ପୁରା ପାଗଳ ବୋଧେ। ଛାଡ- - - ଲାଇଭ୍ ପ୍ରୋଗ୍ରାମ ଟା ସବୁ ଲୋକେ ଦେଖି ସାରିବେଣି। ରାଗରେ ଜର୍ଜରିତ ହୋଇ କହିଲେ ପେଞ୍ଚଡରାମ୍।

ଜଣେ କନେଷ୍ଟବଳ ଟେମ୍ପୁକୁ କାନ ପାଖେ କହିଲା ବଡବାବୁ ଡାକୁଛନ୍ତି ଜଲଦି ଆସେ।

- - ଝିଅ ବାହାଘର ପାଇଁ ଚାରିଆଡେ ଖୋଜିଖୋଜି ଟେଣ୍ଟ ଜିନିଷ ପାଉନି। ଆଉ ଦୁଇଦିନ ପରେ ବାହାଘର। ବିଭାଘର କାମ ତୁ କରିପାରିବୁ ? କହିଲେ ବଡବାବୁ।

- - ଆହା, କି ଭାଗ୍ଯ ମୋର ମହାପ୍ରଭୋ। ନିହାତି କରିବି, ମୋତେ ଟିକେ ଛାଡିଦେଲେ ଏଇ ସାଙ୍ଗେସାଙ୍ଗେ ଗାଁଆକୁ ଯାଇ ଜିନିଷପତ୍ର ଲଦି ସଞ୍ଜବେଳକୁ ଆପଣଙ୍କ ଘରେ ପହଞ୍ଚି କାମ ଆରମ୍ଭ କରି ଦିଅନ୍ତି। ଖୁସିରେ ଗଦଗଦ ହୋଇ କହିଲା ଟେମ୍ପୁ।

ପେଡାଲ ମାରି ଲୁନା ଷ୍ଟାର୍ଟ କଲା ଟେମ୍ପୁ ଓ ପେଞ୍ଚଡରାମଙ୍କୁ କହିଲା - - ଆଜ୍ଞା ଆପଣଙ୍କୁ ମୁଁ ଜୀବନରେ କେବେ ଭୁଲିବିନି। ଆପଣଙ୍କ ଦ୍ବାରା ହୋଇଥିବା ବିଜ୍ଞାପନ ପାଇଁ ମୁଁ ବାହାଘରର ପ୍ରଥମ ଅର୍ଡର ଟା ପାଇଲି। ପେଞ୍ଚଡରାମ୍ ରାଗରେ ଜର୍ଜରିତ ହୋଇ ବଡବାବୁଙ୍କ ଆଡକୁ ଦେଖିଲେ ଓ ବଡବାବୁ ତାଙ୍କୁ କହିଲେ - - ଆରେ ଗରିବଲୋକ ଟା, କିଛି ଜାଣିନି। ତାକୁ ଫାଇନ ନ କରି ଛାଡି ଦେବା ଟା "ଗୋଟେ ପ୍ରକାର ଖୁସି ଆଉ"।

ଲୁନାଟି ଗଡିବାକୁ ଆରମ୍ଭ କରିଛି କି ନାଇଁ ପରଛିଦ୍ର ଟେଲିଭିଜନର ସାମ୍ବାଦିକା ନାକଫୋଡି ସାମନ୍ତରାୟ ଟେମ୍ପୁ ଅଟକାଇ କହିଲେ- - ଆଜ୍ଞା ମୁଁ ଆପଣଙ୍କ ଦୁଃଖ ବୁଝିପାରୁଛି। ଆପଣଙ୍କୁ ଓ ଗାଡିକୁ ଦେଖିଲେ ଲାଗୁଛି ଲକ୍ଷେ ଟଙ୍କାର ତଣ୍ଡ ଗଣିଥିବେ। ତଥାପି ଆପଣ ହସୁଛନ୍ତି। ଆପଣଙ୍କ ପ୍ରତିକ୍ରିୟା ନେବାକୁ ଚାହୁଁଛି। ଏବେ ଏ ପ୍ରୋଗ୍ରାମ ଦେଖୁଥିବା ଲୋକଙ୍କୁ କିଛି କହିବାକୁ ଚାହିଁବେ? ପ୍ରଥମେ କୁହନ୍ତୁ ଆପଣଙ୍କୁ କେମିତି ଲାଗୁଛି?

ମନଖୋଲା ହସଟେ ହସି ଟେମ୍ପୁ କହିଲା- - ଆଜି ମୋତେ ବହୁତ ଖୁସି ଲାଗୁଛି,କୋଟିନିଧି ପାଇବା ମନେ ହେଉଛି। ଲୋକମାନଙ୍କୁ ମୋର ଅନୁରୋଧ ଯଦି କେତେବେଳେ ଏମିତି ପରିସ୍ଥିତିିରେ ପଡିଥିବା ବେଳେ ଟେଲିଭିଜନ ବାଲା ଆପଣଙ୍କ କଟା ଘାଆରେ ଲୁଣ ଢାଳିବାକୁ ଆସିବେ, ଆପଣମାନେ ବ୍ଯସ୍ତ ନ ହୋଇ ନିଜ ଜିନିଷର ବିଜ୍ଞାପନ କରିଦେବେ। କିଛି ନ ହେଲେ ବହୁତ ଟଙ୍କା ବଞ୍ଚିଯିବ।

- - ବିଜ୍ଞାପନ??କଣ କହୁଛନ୍ତି ଆପଣ?ବ୍ଯସ୍ତ ହୋଇ ପଚାରିଲେ ନାକଫୋଡି ମ୍ଯାଡାମ୍।

ସେତେବେଳକୁ ଟେମ୍ପୁ, ଲୁନାରୁ ଧୂଆଁ ଉଡାଇ ମନଫୁଲାଣିଆ ଗୀତର ଝରଣା ବୁହାଇ ସେ ସ୍ଥାନରୁ ଅନ୍ତର୍ଦ୍ଧାନ ହୋଇ ସାରିଥିଲା।

---- ସମାପ୍ତ--

ଦେବତା






ଦେବତା

ଲେଖକ- © ଅରବିନ୍ଦ ରଥ

- - ଦେଖନ୍ତୁ ବିଜୟବାବୁ। ଆପଣ ଭଲରେ ଜାଣନ୍ତି ମୋତେ ବୁଲେଇ ବଙ୍କେଇ କଥା କହି ଆସେନି। ତେଣୁ ସିଧାସିଧା କହୁଛି। କାଲି ସକାଳୁ ମୋ ଘର ଖାଲି କରି ଦିଅନ୍ତୁ। ଯେତିକି ସିକ୍ଯୁରିଟି ଟଙ୍କା ଜମା କରିଥିଲେ ସେତକ ଭଡା ବାବଦକୁ ରଖିନେଲି ବୋଲି ବୁଝିନେବେ। ଆପଣଙ୍କ ସହ ମୋ ହିସାବ କିତାବ ସେତିକିରେ ସରିଲା। କାଲି ସକାଳୁ ଯେମିତି ମୋ ହାତରେ ଘରଚାବି ଟା ଥାଏ, ସେତିକି ଧ୍ଯାନ ରଖିବେ। ନଚେତ ଯାହାହେବ ସେଥିପାଇଁ ମୋତେ ଦାୟୀ କରିବେନି। ଡାକ୍ତର ବିଜୟଙ୍କ ମୁହଁରେ ରୋକଠୋକ ଭାବରେ ଏତିକି କହି ଘରମାଲିକ ରାଘବ ମହାନ୍ତି କିଛି ଉତ୍ତର ଆଶାରେ ଅପେକ୍ଷା କରି ରହିଲେ।

- - କିନ୍ତୁ ଏ ଅବସ୍ଥାରେ ମୁଁ କୁଆଡେ ଯିବି ଆଜ୍ଞା। ସମଗ୍ର ଦେଶରେ କରୋନା ର ତାଣ୍ଡବ। ଲକ୍ ଡାଉନ୍ ଓ ସଟ୍ ଡାଉନ ବରାବର ଲାଗି ରହିଛି। ଏବେ ଜାହ୍ନବୀ ସାତମାସର ଗର୍ଭବତୀ, ତାକୁ ଏପରି ଅବସ୍ଥାରେ କୁଆଡେ ନେଇଯିବି? ତା ପରେ ମୋତେ ସାଙ୍ଗେସାଙ୍ଗେ ଘର ମିଳିବ କୁଆଡୁ? ଲକ୍ ଡାଉନ ହୋଇଯିବା କାରଣରୁ ମୋ ବାପାମାଆ କିମ୍ବା ଶାଶୁ ଶ୍ବଶୁର ଏଠାକୁ ଆସି ପାରିବେନି। ଆପଣମାନଙ୍କ ଭରସାରେ ମୋ ଗର୍ଭବତୀ ସ୍ତ୍ରୀ କୁ ଛାଡି ମୁଁ ଡ୍ଯୁଟି କୁ ନିଶ୍ଚିନ୍ତ ହୋଇ ଯାଏ। ମାଉସୀ ତ ଜାହ୍ନବୀକୁ ନିଜ ଝିଅ ପରି ଦେଖନ୍ତି ଓ ଲିଜା ତ ତାକୁ ନାନୀ ବୋଲି ଡାକେ। ତେବେ ମୁଁ କି ଅକ୍ଷମଣୀୟ ଅପରାଧ କରିଦେଲି ଯେ ରାତାରାତି ଆପଣ ମୋତେ ତଡିଦେବାକୁ ବସିଛନ୍ତି ? ସେତିକି କହିବା ବେଳକୁ ବିଜୟଙ୍କ କଣ୍ଠ ବାଷ୍ପରୁଦ୍ଧ ହୋଇ ଉଠୁଥିଲା।

- - ସେସବୁ ବାଜେ କଥା କହି ମୋତେ ଭୂଲାଇବାକୁ ଚେଷ୍ଟା କରନି ବିଜୟ। ତୁମ ମାଉସୀ ଓ ଲିଜା ଦୁଇଜଣ ଯାକ ମୋ ନିଷ୍ପତ୍ତିରେ ସହମତ। ସେମାନେ ମଧ୍ଯ ଚାହାଁନ୍ତି ତୁମେ ଅବିଳମ୍ବେ ଘର ଖାଲିକର। ତୁମେ ଚାହିଁଲେ ଜାହ୍ନବୀକୁ ପଚାରି ପାର। ଆଜି କୁ କେତେ ଦିନ ହେଲାଣି ସେମାନେ ତୁମଘରକୁ ଯାଇ ନାହାଁନ୍ତି ସେକଥା ତ ଅନ୍ତତଃ ତୁମେ ଜାଣିବା ଦରକାର। ରାଘବ ଏସବୁ କହିବା ସମୟରେ କବାଟଫାଙ୍କରୁ ତାଙ୍କ ସ୍ତ୍ରୀ ଓ ଝିଅ ଲୁଚିଲୁଚି ଦେଖୁଥିବାର ଲକ୍ଷ କଲେ ବିଜୟ। ଅଧିକ ଯୁକ୍ତି ନ କରି ସେ ରାଘବଙ୍କୁ ଅନୁରୋଧ କରି କହିଲେ, ମୋତେ ଟିକେ ସମୟ ଦିଅନ୍ତୁ।

- - ସମୟ?? ଧୁତ୍.......କୁଆଡୁ ସବୁ ଆସୁଛ ତୁମେମାନେ କେଜାଣି? ମାତ୍ର ଦୁଇଦିନ ସମୟ ଦେଲି। ତାପରେ ବି ଯଦି ଘର ଖାଲି ନ କର, ଲୋକ ଲଗେଇ ଘରୁ ବାହାରକୁ ଫିଙ୍ଗିଦେବି। ଏତିକି କହିବା ସହିତ ବିଜୟଙ୍କ ମୁହଁ ଉପରେ କବାଟ ଧଡ୍ କରି ବନ୍ଦକରି ଚାଲିଗଲେ ରାଘବ।

ଦିନରାତି ଅକ୍ଳାନ୍ତ ପରିଶ୍ରମ କରି ଥକି ଯାଇଥିବା ଡାକ୍ତର ବିଜୟ ଗାଧୁଆଘରେ ପଶିଲେ। ଲୁଗାପଟାକୁ ଓ୍ବାସିଂ ମେସିନରେ ପକାଇ ସାନିଟାଇଜ୍ କରି ଭଲରେ ଗାଧୋଇ ବାହାରକୁ ଆସି ପତ୍ନୀ ଜାହ୍ନବୀଙ୍କୁ ଡାକିଲେ। ଶୋଇବାଘରୁ ଜାହ୍ନବୀଙ୍କର କାନ୍ଦିବାର ଶବ୍ଦ ଶୁଣି କିଛିକ୍ଷଣ ପାଇଁ ସେ ବିଚଳିତ ହୋଇଉଠିଲେ। ସେତେବେଳକୁ ଜାହ୍ନବୀ କାନ୍ଦିକାନ୍ଦି ନୟାନ୍ତ ହୋଇ ସାରିଥିଲେ। ଘଟଣାକଣ ବୁଝିବା ବେଳକୁ ଜଣାପଡିଲା ଯେ ସେଦିନ ରାଘବ, ତାଙ୍କ ସ୍ତ୍ରୀ ଓ ଝିଅ ଲିଜା ଅନେକ ଥର ଆସି ଘର ଛାଡିବାକୁ ଧମକ ଦେଇ ଯାଇଛନ୍ତି। କଣ କରିବେ ସ୍ଥିର କରି ନ ପାରି ଜାହ୍ନବୀ ବିଜୟଙ୍କୁ ଧରି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ। ବିଜୟ ବ୍ଯସ୍ତ ହୋଇ ପଚାରିଲେ - - ସେମାନେ ତ ଆମ ମାନଙ୍କୁ ତାଙ୍କ ପୁଅବୋହୂ ପରି ଦେଖୁଥିଲେ। ତାଙ୍କ ଘରର ପ୍ରତିଟି ଖୁସିଦୁଃଖରେ ସେମାନେ ଆମକୁ ହିଁ ଖୋଜୁଥିଲେ। ତୁମ ପାଖରେ ମାଉସୀ ଘଣ୍ଟାଘଣ୍ଟା ଧରି ବସୁଥିଲେ ଓ କେବେକେବେ ନିଜେ ରୋଷେଇ କରି ହାତରେେ ଖୁଆଇ ଦେଉଥିଲେ। ଲିଜା ତୁମ ମୁଣ୍ଡଗୋଡ ଘଷିବାଠାରୁ ଆରମ୍ଭ କରି ଘରକାମରେ ମଧ୍ଯ ସାହାଯ୍ଯ କରୁଥିଲା। ତେବେ ଅଚାନକ କଣ ହୋଇଗଲା ଯେ ସେମାନେ ଆମକୁ ସାତପର କରିଦେଲେ। ଆମେ ତ ସେମାନଙ୍କୁ କେବେ ଅସମ୍ମାନ କରିନାହେଁ କିମ୍ବା ଏପରି କୌଣସି ବ୍ଯବହାର ଦେଖାଇନେ ଯାହା ସେମାନଙ୍କ ମନରେ ଆଘାତ ଦେବ। ତେବେ ଏପରି କଣ ଘଟିଗଲା ଯେ ସେମାନେ ଆମ ମୁହଁ ମଧ୍ଯ ଚାହିଁବାକୁ ନାରାଜ୍ ଓ ଅବିଳମ୍ବେ ଘର ଛାଡିଦେବାକୁ କହୁଛନ୍ତି? ଜାହ୍ନବୀ ଆଖିରୁ ଲୋହ ପୋଛୁପାଛୁ କହିଲେ- ରାଘବ ମଉସା କହୁଥିଲେ ତୁମେ କାଳେ ଦିନ ତମାମ କରୋନା ରୋଗୀଙ୍କ ଚିକିତ୍ସା କରୁଛ। ତୁମ ଦେହରେ ମଧ୍ଯ ଭୂତାଣୁ ଆସିବାର ଭୟ ଅଛି। ଯଦି ସେପରି କିଛି ହୁଏ ସେମାନେ ସମସ୍ତେ କରୋନା ରୋଗରେ ପଡିଯିବେ। ସାହିପଡିଶା ମାନେ ତାଙ୍କୁ ଅଭିଯୋଗ କରି କହୁଛନ୍ତି ଯେ ଆମମାନଙ୍କୁ ଘର ଛାଡିବାକୁ ନ କହିଲେ ସେମାନେ ରାଘବ ମଉସାଙ୍କୁ ବାସନ୍ଦ କରିଦେବେ। କିଛିଦିନ ହେଲାଣି ମାଉସୀ ଓ ଲିଜା ମୋ ପାଖକୁ ଆସିବା ବନ୍ଦ କରିଦେଇଛନ୍ତି ଓ କେବେ କେମିତି ଦେଖା ହେଲେ ବାଧିଲା ପରି କଥା କହୁଛନ୍ତି। ତୁମେ କାମ ଚାପରେ ରହୁଛ ବୋଲି ମୁଁ ତୁମକୁ କିଛି କହି ପାରୁନି। କିନ୍ତୁ ଆଜି ସେମାନେ ଆସି ମୋତେ ବହୁତ ବେଜ୍ଜିତ୍ କଲେ ଓ ଘର ଛାଡିବାକୁ ଧମକ ଦେଲେ। ଏ ଅଜଣା ସହରରେ ଆମର କିଏ ବା ଅଛି। ଆମେ କୁଆଡେ ଯିବା? ମୋ ଅବସ୍ଥା ଏପରି ଯେ ମୁଁ କିଛି କରିବାକୁ ଅସମର୍ଥ। କାମବାଲୀ ତ ଆଜିକୁ ପନ୍ଦରଦିନ ହେଲା ଆସୁନି। ଜିନିଷପତ୍ର ଧରି ରାତାରାତି କୁଆଡେ ଘର ଖୋଜିବା। ବଡ ଅସହାୟ ହୋଇ କହିଲେ ଜାହ୍ନବୀ।

ସେଦିନ ରାତିରେ ଦୁଇଜଣ ଯାକ ଓପାସ ରହିଲେ। ଖଟର ଦୁଇ ପାର୍ଶ୍ବରେ ଦୁଇଟି ବ୍ଯଥିତ ପ୍ରାଣ ଏହି ଭୟଙ୍କର ବାସ୍ତବିକତା କୁ କିପରି ସାମନା କରିବେ ଭାବୁଭାବୁ ସକାଳ ହୋଇଗଲା। ନିତ୍ଯକର୍ମ ସାରିବାକୁ ବିଜୟ ବାଥରୁମକୁ ଯାଇ ଦେଖିଲେ ପାଣି ଆସୁନି। ଆଶ୍ଚର୍ଯ୍ଯ କଥା। ସେ ଏତେଦିନ ଧରି ରହିବା ଭିତରେ ପାଣି ନ ଆସିବାର ନଜିର କେବେ ନଥିଲା। ତେବେ ଆଜି କଣ ହେଲା। ତରତର ହୋଇ ସେ ରାଘବଙ୍କ ପାଖକୁ ଯାଇ ପାଣି ନ ଆସିବାର କାରଣ ବୁଝିବାକୁ ବାହାରିଲେ। ରାଘବଙ୍କ ସ୍ତ୍ରୀ କବାଟ ଖୋଲି ବଡ କର୍କଶ ସ୍ବରରେ କହିଲେ- - ସକାଳୁ କାହିଁକି ରାଉରାଉ ହେଉଛ। ଆଜି ଘର ଛାଡୁଛ ତ ?

- - ହଁ ଛାଡିବି ମାଉସୀ, କିନ୍ତୁ ସକାଳୁ ପାଣିଟୋପେ ଆସୁନି , ଟିକେ ଦେଖିଲ କଣ ହୋଇଛି? ପାଣି ନାହିଁ ବୋଲି କିଛି ବି କାମ ହୋଇନି। ଜାହ୍ନବୀ.......... ବାକ୍ଯ ପୂରଣ କରିପାରିଲେନି ବିଜୟ।

- - ମାଉସୀ ନା ଚୋପା। କିଏ କାହାର ମାଉସୀ ବା। ସେ ଟାଉଟରି ଆଉ କାହାକୁ ଦେଖେଇବ। ହେଇଟି, ଏବେ ପାଣି ବନ୍ଦ କରିଛି। ସଂନ୍ଧ୍ଯାସୁଦ୍ଧା ଘର ନ ଛାଡିଲେ ଲାଇନ କାଟିଦେବି। ତାପରେ ବି ନ ଛାଡିଲେ ଘରେ ତାଲା ଠୁଙ୍କିଦେବି। ତାପରେ ମାଉସୀ ସୁଆଗ ଛାଡିଯିବ। କହିଲା କଣ ନା ମାଉସୀ। ତୋ ମାଇପକୁ ଧରି ଯେତେ ଶୀଘ୍ର ଚାଲିଯିବୁ ସେତେ ଭଲ।

- - ମୋ ସହ ଏମିତି ଅଭଦ୍ର ବ୍ଯବହାର କାହିଁକି କରୁଛନ୍ତି। ମୁଁ ଜଣେ ଡାକ୍ତର ବୋଲି ଆପଣ ଭୁଲି ଯାଉଛନ୍ତି ବୋଧେ। ଆପଣ ମାନଙ୍କକ ଦେହ ଖରାପବେଳେ ଓ ମୋ ପାଖରୁ ମାଗଣା ଔଷଧ ନେଲାବେଳେ ତ ବେଶ ଭଲରେ କଥା ହେଉଥଲେ। ଏବେ କାହିଁକି ଦେହରେ ନିଆଁ ଚରି ଯାଉଛି? ନିଜ କ୍ରୋଧକୁ ପାରୁ ପର୍ଯ୍ଯନ୍ତ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ବିଜୟ, କିନ୍ତୁ ପାଟିରୁ ଉପରୋକ୍ତ ବାକ୍ଯ ବାହାରିଗଲା। ସେତିକି ଶୁଣିବା ପରେ ରାଘବଙ୍କ ସ୍ତ୍ରୀ ଚିତ୍କାର କରି ବିଜୟଙ୍କୁ ଶୋଧାବକା କରିବାରେ ଲାଗିଗଲେ। ସେ ବାରମ୍ବାର କହୁଥାନ୍ତି ତୁ ଡାକ୍ତର ନା ଚୋପା। ତୋ ପାଇଁ ମୋ ଘରେ ସବୁ ଲୋକ କରୋନା ରେ ପଡିବେ। ତୁ ଆଉ ତୋ ମାଇପ ସିନା ବଞ୍ଚଯିବ, ଆମମାନେ ମରିବୁ। ରଇଜଳା ଏଇ ସାଙ୍ଗେସାଙ୍ଗେ ଘର ଛାଡୁଛୁ ନା ଦେଖିବ। ତୋ ମାଇପ ଚୁଟି ଧରି ଘୋଷାଡି ଘର ବାହାରକୁ ଫିଙ୍ଗିଦେବି। ପାଟିତୁଣ୍ଡ ଶୁଣି ଭିତରେ ରାଘବ ଓ ଲିଜା ବାହାରକୁ ଆସିଲେ। ସକାଳୁ କଣ ଗୋଟେ ତାମସା ଚାଲିଛି ଦେଖିବାକୁ ଆଖପାଖ ଲୋକ ମାନେ ମଧ୍ଯ ଚାଲିଆସିଲେ। କିଛି ସମୟ ଭିତରେ ରାଘବଙ୍କ ପରିବାର ଓ ପଡୋଶୀ ମାନଙ୍କ କଠୋର ବାକ୍ଯବାଣରେ ବିଜୟଙ୍କ ହୃଦୟ ଶତଧାବିଦୀର୍ଣ୍ଣ ହୋଇଗଲା। କଲୋନୀର ଲୋକମାନେ ବିଜୟଙ୍କୁ ଭଲରେ ଦୁଇପଦ ଶୁଣାଇବାକୁ ଭୁଲିଲେନି। କିନ୍ତୁ ପଛକୁ ହଟି ନଯାଇ ବିଜୟ ସେମାନଙ୍କୁ କରୋନା ବିଷୟରେ ସଚେତନ କରିବାକୁ ଚେଷ୍ଟାକଲେ। ବାରମ୍ବାର ହାତ ଧୋଇବା, ସାମାଜିକ ଦୂରତ୍ବ ରଖିବା ଓ ଲକଡାଉନ ନିୟମ କୁ ପାଳନ କରିବା ସହିତ ଜ୍ବର,କାଶ,ଥଣ୍ଡା ଆଦି ରୋଗ ହେଲେ ଡାକ୍ତରଙ୍କୁ ଦେଖାଇବା ଦ୍ବାରା ହିଁ କରୋନାକୁ କବଳିତ କରାଯାଇପାରିବ। କିନ୍ତୁ ଅନ୍ଧରାଜ୍ଯରେ ଦର୍ପଣ ବିକିଲେ କିଏ ବା କିଣିବ ?

ହଠାତ୍ ରାଘବ ଅତିମାତ୍ରାରେ ଉତ୍ତେଜିତ ହୋଇ ବିଜୟଙ୍କ ବେକରେ ଏକ ଶକ୍ତିଶାଳୀ ଧକ୍କା ଦେଇ କହିଲେ- - ଦେଖ୍ ଡାକ୍ତର, ଯଦି ଭଲମଙ୍ଗଳ ଅଛି ମୋ ଘର ସାଙ୍ଗେସାଙ୍ଗେ ଛାଡ୍। ନହେଲେ ମୋ ଘରେ ଥିବା ସେ ପୁରୁଣାଖଣ୍ଡା ବହୁତ ଦିନପରେ ତାଜାରକ୍ତର ସ୍ବାଦ ଚାଖିବ। ମୋ ଅତୀତ ବିଷୟରେ ତୁ କିଛି ବି ଜାଣିନୁ। ଏବେ ମଧ୍ଯ ମୋ ନାମରେ ଦଶ ଟା ଫୌଜଦାରୀ ମାମଲା ଚାଲୁଛି।

କହୁଣୀରୁ ବୋହି ଚାଲିଥିବା ରକ୍ତଧାରକୁ ପୋଛି ବିଜୟ ରାଘବଙ୍କ ମୁହଁକୁ ଚାହିଁଲେ। ତାଙ୍କ ଅଜାଣତରେ ଆଖିରୁ ବୋହି ଚାଲିଥିଲା ଲଜ୍ବା,ଅପମାନ ଓ କ୍ଷୋଭସିକ୍ତ ଅଶୃଧାରା। କେବଳ ଏତିକି କହିପାରିଲେ- - ଧନ୍ଯବାଦ ରାଘବ ବାବୁ। ଆପଣ ମଣିଷତ୍ବର ଯେଉଁ ନିଆରା ନିଦର୍ଶନ ଦେଖାଇଲେ ମୁଁ ଜୀବନ ଥିବା ଯାଏଁ ଭୁଲି ପାରିବିନି। କିଛି ସମୟ ଭିତରେ ଡାକ୍ତରଖାନାର ଏକ ଗାଡି ପହଞ୍ଚିଲା। ବିଜୟ ଓ ଜାହ୍ନବୀ ହାତରେ ଦୁଇଟି ବ୍ଯାଗ୍ ଧରି ବାହାରିଲେ। ବିଜୟ ଘର ଚାବିଦେବା ପାଇଁ ରାଘବଙ୍କ ପାଖକୁ ଗଲେ। ବନ୍ଦ କବାଟ ଭିତରୁ ରାଘବଙ୍କ ପାଟି ଶୁଭିଲା- - ଚାବି ସେଇଠି ପକେଇ ଦେଇଯାଅ। ଯେତିକି ଜିନିଷ ଛାଡିଦେଇ ଗଲ ସେତକ ନେବାପାଇଁ ଆଉ ଥରେ ଦୌଡି ଆସିବନି। ଭବିଷ୍ଯତରେ ମୋ ଘରର ଆଖପାଖରେ ଯେମିତି ନଜର ନ ଆସ ସେକଥା ଧ୍ଯାନ ରଖିବ। ତାଙ୍କ କଥା ଶେଷ ହେବା ପୂର୍ବରୁ ଗାଡିଟି ଧୂଆଁ ଉଡାଇ ସେ ସ୍ଥାନରୁ ଯାଇ ସାରିଥିଲା।

ଗାଡି ଭିତରେ ବିରାଜମାନ କରୁଥିଲା ଅସମ୍ଭବ ନୀରବତା। ଗାଡିର ଘଁ ଘଁ ଶବ୍ଦ ଉଭୟ ବିଜୟ ଓ ଜାହ୍ନବୀଙ୍କୁ ଆହ୍ବାନ ଜଣାଇ ଚାଲିଥିଲା କିଛି କଥାବାର୍ତ୍ତା ହେବାପାଇଁ। କାରଣ ସେ ଗାଡିଟି ମଧ୍ଯ ନୀରବତାର ଆଘାତ ସହିବା ଅବସ୍ଥାରେ ନଥିଲା।

ଛକ,ବଜାର,ବସଷ୍ଟାଣ୍ଡ,ହାଟ,ସହର ସବୁସ୍ଥାନରେ ବିରାଜମାନ କରୁଥିଲା ଅସମ୍ଭବ ନୀରବତା। ଯେଉଁ ସହରରେ ରାତିଦିନର କିଛି ପାର୍ଥକ୍ଯ ନ ଥିଲା, ଯେଉଁ ରାସ୍ତାର ବୁକୁ ଉପରୁ ଗାଡିମୋଟର ଓ ମନୁଷ୍ୟ ମାନଙ୍କର ବୋଝ କେବେ କମୁ ନଥିଲା ସେମାନେ ଆଜି ଆଶ୍ଚର୍ଯ୍ଯ ହୋଇ ଚାହିଁରହିଥିଲେ ଭାଗ୍ଯର କୃର ପ୍ରହାରକୁ। ବିଜ୍ଞାନର ଜୟଗାନ କରି ସମଗ୍ର ବିଶ୍ବ ଓ ଜୀବମଣ୍ଡଳକୁ ପାଦତଳେ ମାଡିମକଚି ଆକ୍ତାମାକ୍ତା କରିଚାଲିଥିବା ମନୁଷ୍ଯକୁ ଆଜି ଗୃହବନ୍ଦୀ କରିଦେଇଥିଲା ଏକ କ୍ଷୁଦ୍ରାତିକ୍ଷୁଦ୍ର ଭୂତାଣୁ। " ମୁଁ ମୁଁ " ର ହୁଙ୍କାର ନାଦରେ ଗଗନପଗନ ପ୍ରକମ୍ପିତ କରିଚାଲିଥିବା ମନୁଷ୍ଯର ଔଦ୍ଧତ୍ଯକୁ କ୍ଷୁଦ୍ର ବାଲିକଣାକୁ ପବନ ଉଡାଇଦେବା ପରି ଉଡାଇ ଦେଇଥିଲା କରୋନା ଭୂତାଣୁ। ସମ୍ପର୍କର ସେତୁ ବାନ୍ଧି ସ୍ବାର୍ଥ ହାସଲ କରି ଚାଲିଥିବା ସ୍ବାର୍ଥପର ମନୁଷ୍ଯର ସମ୍ପର୍କ ରଜ୍ଜୁକୁ ଖିନଭିନ କରିଦେଇଥିଲା ସେ ଘାତକ ଭୂତାଣୁ। ସ୍ବାର୍ଥାନ୍ଧ ମନୁଷ୍ଯର ବିଷାକ୍ତ ନିଶ୍ବାସ ପ୍ରଶ୍ବାସକୁ ନିଜର ବାହନ କରି ସଗର୍ବେ ମାଡି ଚାଲିଥିଲା କରୋନା ବିଶ୍ବବିଜୟ କରି ମନୁଷ୍ଯର ସତ୍ତା ବିଲୋପ କରିବାର ଦୃଢ ପଣନେଇ। ନିଜର ଧନସମ୍ପତ୍ତି,ଗର୍ବ ଅହଙ୍କାର ଓ ଆତ୍ମବଡିମାର ଗରଳକୁ ମନୁଷ୍ୟ ପିଇ ଚାଲିଥିଲା ଘରର ଚାରିକାନ୍ଥ ଭିତରେ ଆବଦ୍ଧ ହୋଇ। ସେ ଚିତ୍କାର କରୁଥିଲା,ବିଳାପ କରୁଥିଲା, ପ୍ରାର୍ଥନା କରୁଥିଲା କରୋନା ସମ୍ମୁଖରେ। ନିଜ ଜୀବନ ବଞ୍ଚାଇବାକୁ କାକୁତିମିନତି ହୋଇ ହୋଇ ଚାଲିଥିଲା। କିନ୍ତୁ କରୋନା କରିଚାଲିଥିଲା ଅଟ୍ଟହାସ୍ଯ। ସର୍ବଶକ୍ତମାନ ଓ ଇଶ୍ବରଙ୍କ ଶ୍ରେଷ୍ଠସୃଷ୍ଟି ମନୁଷ୍ଯର ଏ ଦୟନୀୟ ଅବସ୍ଥା ତାକୁ ବେଶ୍ ଆମୋଦିତ କରୁଥିଲା ନିଶ୍ଚୟ। ସଂସାରର ପଶୁପକ୍ଷୀଗଣ ଆତଙ୍କିତ ଥିଲେ, ସେମାନେ ଭାବୁଥିଲେ ତାଙ୍କ ପ୍ରତି ଚିରଦିନ ଅକଥନୀୟ ଅତ୍ଯାଚାର କରି ଚାଲିଥିବା ମନୁଷ୍ୟ ନାମକ ପ୍ରାଣୀ କାଳର ପ୍ରଚଣ୍ଡ ଆଘାତରେ ନିଶ୍ଚିହ୍ନ ହୋଇ ଯାଇନି ତ ! ଅରଣ୍ଯରୁ କେବେକେବେ ପଶୁମାନେ ସହର ମଧ୍ଯକୁ ପଶି ଆସୁଥିଲେ ଦେଖିବା ପାଇଁ ମନୁଷ୍ଯର ଉନ୍ନତିର ସ୍ବାକ୍ଷର ସବୁକୁ। ଗଛରେ ବିଭିନ୍ନ କିସମର ପକ୍ଷୀମାନେ ବେଶ୍ ଆମୋଦିତ ହୋଇ ଦେଖୁଥିଲେ ଗୃହବନ୍ଦୀ ମନୁଷ୍ଯର ଆପଣା ପ୍ରାଣ ବଞ୍ଚାଇବାର କଳାକୌଶଳକୁ। ରାସ୍ତାରେ ବୁଲାକୁକୁର ଆଜି ଛାତିଫୁଲାଇ ଚାଲୁଥିଲା ସଗର୍ବେ । ତା ଉପରକୁ ଗରମତେଲ ବା ଢେଲା ଫୋପାଡିବାକୁ ଆଜି କେହି ନ ଥିଲେ । କୌଣସି ଗାଡିଚକା ତଳେ ପଡି ନିଷ୍ଠୁର ମୃତ୍ଯୁକୁ ପ୍ରତ୍ଯକ୍ଷ କରିବାର ଅବକାଶ ମଧ୍ଯ କୁକୁରର ନ ଥିଲା। ନଦୀମାନେ ଆଜି ଶାନ୍ତିରେ ନିଶ୍ବାସ ମାରୁଥିଲେ ଓ ଜଳଚର ଜୀବଗଣ ଆନନ୍ଦରେ ନୃତ୍ଯ କରୁଥିଲେ। କଳ କାରଖାନାର ବିଷାକ୍ତ ପାଣି ପ୍ରଭାବରେ ଏବେ ମରୁ ନ ଥିଲେ କୌଣସି ଜଳଚର ଓ ନଦୀ ମାନଙ୍କର ପାଣି ସ୍ଫଟିକ ସମ ପରିଷ୍କାର ହୋଇ ସାରିଥିଲା। ବୃକ୍ଷରାଜିଗଣ ନିଜର ସୁନ୍ଦର ରୂପ ଦେଖି ଆଶ୍ଚର୍ଯ୍ଯ ହୋଇଯାଉଥିଲେ। ଲାକ୍ଷାଧିକ ଗାଡି ଓ କଳକାରଖାନାରୁ ନିର୍ଗତ ଘନକୃଷ୍ଣ ଧୂମ୍ରମଣ୍ଢଳ ଏବେ ସେମାନଙ୍କର ମନୋରମ ହରିତ୍ ବର୍ଣ୍ଣକୁ କୃଷ୍ଣକାୟ କରୁନଥିଲା। ସେମାନେ ମଧ୍ଯ ନିଶ୍ବାସ ପ୍ରଶ୍ବାସ ନେଉଥିଲେ ପରମଶାନ୍ତିରେ। ପ୍ରଦୂଷଣରେ ମୃତପ୍ରାୟ ହୋଇ ସାରିଥିବା ବାୟୁମଣ୍ଡଳରୁ ଧିରେଧିରେ ନିଶ୍ଚିହ୍ନ ହୋଇ ଚାଲିଥିଲା ପ୍ରଦୂଷଣର କରାଳ ଛାୟା। ପ୍ରକୃତ୍ତି ଲେଉଟି ଆସୁଥିଲା ତାର ପ୍ରକୃତରୂପକୁ। ସତେକି କୌଣସି ଶତାୟୁ ବୃଦ୍ଧା ରୂପାନ୍ତରିତ ହୋଇ ପାଲଟି ଯାଇଥିଲା ଏକ ପରମ ସୁନ୍ଦରୀ ଅନୁଢା କିଶୋରୀ ।

କରୋନା ନିଜର କାୟା ବିସ୍ତାର କରି ପାଲଟି ଯାଇଥିଲା ଏକ ଭୟଙ୍କର ଦାନବ। ନିମିଷକରେ ମନୁଷ୍ଯ ଶରୀର ମଧ୍ଯକୁ ପ୍ରବେଶକରି ସେ ବୁଣି ଚାଲୁଥିଲା ମୃତ୍ଯୁର ଭୟଙ୍କର ଜାଲ। ଧିରମନ୍ଥର ଗତିରେ ଶରୀରର ପ୍ରତ୍ଯେକ କୋଷିକାକୁ ଆକ୍ରମଣ କରି ରୂପାନ୍ତରିତ କରାଉଥିଲା ନିଜ ରୂପରେ। ଶେଷରେ ମନୁଷ୍ଯର ଶରୀର କରୋନାମୟ କୋଷିକାରେ ଆବଦ୍ଧ ହୋଇ ପ୍ରାଣାନ୍ତକ ଯାତନା ସହିବାକୁ ବାଧ୍ଯ ହେଉଥିଲା। ମହାଶକ୍ତଶାଳୀ କରୋନା ସହ ଯୁଦ୍ଧରେ ପରାସ୍ତ ହେବା ପରେ ମନୁଷ୍ଯର ପ୍ରାଣପକ୍ଷୀ ଶରୀର ଛାଡି କୌଣସି ପରାସ୍ତ ଯୋଦ୍ଧାସମ ପଳାୟନ କରିବାକୁ ବାଧ୍ଯ ହେଉଥିଲା । ପରମ ଶକ୍ତିଶାଳୀ ଇଶ୍ବରଙ୍କ ଚିରଉନ୍ମୁକ୍ତ ଦ୍ବାର ମଧ୍ଯ ବନ୍ଦ ହୋଇ ସାରିଥିଲା ଦୁଃଖ ଜର୍ଜରିତ ମନୁଷ୍ଯ ପାଇଁ। ମନ୍ଦିର,ମସଜିଦ୍,ଗୀର୍ଜା ଓ ଚର୍ଚ୍ଚ ମାନଙ୍କ କବାଟ ପଛରେ ବିଭିନ୍ନରୂପରେ ବସି ରହି ସେ ପ୍ରତ୍ଯକ୍ଷ କରିଚାଲିଥିଲେ ତାଙ୍କ ସୃଷ୍ଟିର ଶ୍ରେଷ୍ଠଜୀବର ଏ ଦୁରାବସ୍ଥା। ସେତିକିବେଳେ ତାଙ୍କ ସମ୍ମୁଖରେ ଆବିର୍ଭାବ ହେଲା କରୋନା ଦାନବ ଓ ଅଟ୍ଟହାସ୍ଯ କରି କହିଲା- - ହେ ପରମ ଶକ୍ତିଶାଳୀ ଇଶ୍ବର,ଦେଖ ମୋର ଶକ୍ତି ଓ ଶୌର୍ଯ୍ଯ। ତୁମର ଶ୍ରେଷ୍ଠ ସୃଷ୍ଟି କିପରି ଆଜି ପୋକମାଛି ମାନଙ୍କ ପରି ମୃତ୍ଯୁଲାଭ କରୁଛନ୍ତି। ସେମାନେ ପ୍ରାଣ ବଞ୍ଚାଇବାକୁ ନିଜକୁ ଘରର ଚାରିକାନ୍ଥ ମଧ୍ଯରେ ଆବଦ୍ଧ କରି ରଖିଛନ୍ତି। ମାତ୍ର ସେମାନେ କଣ ମୋ ପ୍ରହାର ରୁ ନିଜକୁ ବଞ୍ଚାଇ ପାରିବେ ?? ମୁଁ ପରମ ଶକ୍ତିଶାଳୀ, ଗୋଟି ଗୋଟି କରି ସମସ୍ତଙ୍କର ପ୍ରାଣହରଣ କରିବି। ଦାନବର କଥାଶୁଣି ଇଶ୍ବର ହସିଲେ।

ଦାନବ ଚିତ୍କାର କଲା- - ହେ ଇଶ୍ବର, ମୋ ପାଖରୁ ପରାସ୍ତ ହେବାପରେ ମଧ୍ଯ ତୁମେ ହସି ପାରୁଛ ? ତ୍ରେତୟାଯୁଗ ଓ ଦ୍ବାପର ଯୁଗ କଥା ମନେ ପକାଉଛ କି? ସେ ସମୟରେ ତୁମେ ଦାନବଙ୍କ ବିନାଶ କରି ଧର୍ମ ସଂସ୍ଥାପନ ପାଇଁ ମାନବ କୂଳରେ ଜନ୍ମ ନେଉଥିଲ। ମାନବଜାତିକୁ ବଞ୍ଚାଇବାକୁ ତୁମେ କେତେ ଦାନବ ଅସୁରଙ୍କ ପ୍ରାଣ ସଂହାର କରିଛ ତାହାର ହିସାବ ନାହିଁ। ସେ ସମୟରେ ଦାନବଗଣ ଶରୀର ଧାରଣକରି ଧରାପୃଷ୍ଠରେ ରାଜୁତି କରୁଥିେ ବୋଲି ସିନା ତୁମେ ସଂହାର କରିପାରିଲ। କିନ୍ତୁ ଏବେ ମୁଁ ମନୁଷ୍ଯ ଶରୀରକୁ ମୋର ବିଚରଣ ସ୍ଥଳ କରିନେଇଛି। ମୋତେ ବିନାଶ କରିବାକୁ ତୁମକୁ ମନୁଷ୍ଯ ମାନଙ୍କୁ ବଧ କରିବାକୁ ହେବ। କଣ ପାରିବ ତ ? ଏ ଘୋର କଳିଯୁଗରେ ତୁମେ ସମ୍ପୂର୍ଣ୍ଣ ବଳହୀନ ଓ ନିସ୍ତେଜ ହୋଇ ଦେବସ୍ଥଳ ମାନଙ୍କରେ ପଡିରହିଛ। ମାନବଜାତି କେବଳ ନିଜ ବିଶ୍ବାସରେ ତୁମକୁ ବଞ୍ଚାଇ ରଖିଛି, ନହେଲେ ତୁମର ଅସ୍ତିତ୍ବ ତ ବହୁ ପୂର୍ବରୁ କାଳର କରାଳ ଗର୍ଭରେ ଲୀନ ହୋଇ ସାରିଲାଣି। ଏତେ ତୁମ ପାଖରେ କୌଣସି ଚମତ୍କାର କରିବାର ଶକ୍ତି ନାହିଁ। ତେଣୁ ନୀରବରେ ବସି ରହି ମୋ ପ୍ରକୋପ କୁ ଉପଭୋଗ କର।

ହସିହସି ଇଶ୍ବର କହିଲେ- - ରେ ମୁର୍ଖ ଦାନବ। ଏତିକି ଜାଣି ରଖିଥା ଯେ ମୋ ଭକ୍ତ ମାନଙ୍କ ସହ ମୁଁ ଅଙ୍ଗାଙ୍ଗୀ ଭାବରେ ଜଡିତ। ଦେବସ୍ଥାନ ମାନଙ୍କରେ ମୋର ପ୍ରତିକୃତ୍ତି ଅଛି ସତ, ମାତ୍ର ମୁଁ ତ ମୋ ଭକ୍ତ ମାନଙ୍କର ହୃଦୟରେ ନିବାସ କରେ। ଭକ୍ତ ମାନଙ୍କର ମୋ ପାଖକୁ ଆସି ଗୁହାରି କରିବାର ଆବଶ୍ଯକତା ନାହିଁ। ସେମାନଙ୍କ ମନର ପ୍ରତ୍ଯେକଟି ଭାବନା ମୋ ପାଖରେ ପହଞ୍ଚେ। ଭକ୍ତ ମାନଙ୍କ ପାଇଁ ସେ ଭାବନା ର ନାମ ପ୍ରାର୍ଥନା ହୋଇପାରେ, ମାତ୍ର ମୋ ପାଇଁ ତାହା ଭକ୍ତର ଅନ୍ତରାତ୍ମାର ପରିପ୍ରକାଶ ମାତ୍ର। ତୋ ମନରେ ଭ୍ରାନ୍ତ ଧାରଣା ଅଛି ଯେ ମୁଁ ଏହିକ୍ଷଣି ଧରାପୃଷ୍ଠରେ ଉପସ୍ଥିତ ନାହିଁ। କିନ୍ତୁ ଥରେ ଭଲରେ ଦେଖ, ମୁଁ ଉପସ୍ଥିତ ଅଛି ଲାକ୍ଷାଧିକ ସଂଖ୍ଯାରେ। ମୁଁ କେବଳ ନୀରବଦ୍ରଷ୍ଟା ଭାବରେ ଉପସ୍ଥିତ ନାହିଁ, ବରଂ ଯୋଦ୍ଧା ରୂପରେ ଅବତୀର୍ଣ୍ଣ କରିଛି। ରୋଗୀ ସେବା କରୁଥିବା ସେ ଧବଳ ପୋଷାକଧାରୀ ନରନାରୀ ମାନଙ୍କୁ କେବେ ଦେଖିଛୁ ? ସେମାନଙ୍କ ଭିତରେ ମୁଁ ହିଁ ଅଛି। ସେମାନଙ୍କ ମାଧ୍ଯମରେ ମୁଁ ନିପାତ କରିବି ତୋତେ। ରେ ଦାନବ, ଗର୍ବରେ ବୃଥା ଆସ୍ଫାଳନ କରିବାରୁ ନିଜକୁ ନିବୃତ୍ତ ରଖ, ତୋ ବିନାଶ ସୁନିଶ୍ଚିତ। ମୋର ଶ୍ରେଷ୍ଠକୃତ୍ତିକୁ ବିନାଶ କରିବାର ଯେଉଁ ଦୁରାଶା ମନରେ ପୋଷଣ କରିଛୁ ତାକୁ ପରିତ୍ଯାଗ କରି ଏହିକ୍ଷଣି ମର୍ତ୍ତ୍ଯମଣ୍ଡଳରୁ ଅପସରି ନଗଲେ ତୋ ପରିଣତି ଭୟାବହ ହେବ।

କରୋନା ଦାନବ ଅଟ୍ଟହାସ୍ଯ କରି କହିଲା ଓ ତୁମେ ଡାକ୍ତର ଓ ସ୍ବାସ୍ଥ୍ଯକର୍ମୀ ମାନଙ୍କ କଥା କହୁଛ ତ? ସେମାନେ ପୁଣି ମୋ ସହ ଯୁଦ୍ଧ କରିବେ ? ଦେହହାତ ଓ ମୁହଁରେ ସୁରକ୍ଷାକବଚ ପିନ୍ଧି ବେକରେ ହୃଦୟସ୍ପନ୍ଦନ ମାପଯନ୍ତ୍ର ଧରି ସେମାନେ ମୋ ସହ ଯୁଦ୍ଧ କରିବାର ଦୁଃସାହାସ କରିବେ ? ଭାବୁଛ କି ସେମାନେ ମୋ ପ୍ରହାରରୁ ନିସ୍ତାର ପାଇଯିବେ ? ମୁଁ କାହାକୁ ଛାଡିବିନି, ସମସ୍ତ ପରାସ୍ତ ହୋଇ ମୃତ୍ଯୁ ଲଭିବା ନିଶ୍ଚିତ। ହେ ଇଶ୍ବର, ଥରେ ତୁମ ଯୋଦ୍ଧା ଡାକ୍ତର ବିଜୟର ଅବସ୍ଥା ଦେଖ। ତୁମ ଯୋଦ୍ଧାମାନଙ୍କୁ ସେହି ମନୁଷ୍ଯ ମାନେ କିପରି ତିରସ୍କାର କରି କେତେ ହୀନିମାନ କରୁଛନ୍ତି। ଯେତେବେଳେ ମନୁଷ୍ଯ ମାନେ ମନୁଷ୍ଯ ମାନଙ୍କର ଶତୃ ପାଲଟି ଗଲେଣି ସେହି ସ୍ଥଳରେ ବାହ୍ଯଶତୃ ର ଆବଶ୍ଯକତା କଣ ବା ଅଛି?

ରେ ଦାନବ, କୌଣସି ନିଷ୍କର୍ଷରେ ପହଞ୍ଚିବା ପୂର୍ବରୁ ଧର୍ଯ୍ଯ ଧରିବା ଶିଖ। ଅପେକ୍ଷା କର ଓ ଆଗକୁ କଣ ହେଉଛି ଦେଖିଚାଲ। ମନୁଷ୍ଯ ଭିତରେ ଉଭୟ ଦେବତ୍ବ ଓ ଦାନବତ୍ବ ବାସ କରନ୍ତି। ପରିସ୍ଥିତି ଓ ଆବଶ୍ଯକତା ଅନୁଯାୟୀ ମନୁଷ୍ଯ ନିଜ ପ୍ରକୃତ୍ତିର ପରିପ୍ରକାଶ କରେ। ଏହାର ଅର୍ଥ ଏହା ନୁହଁ ଯେ ସମଗ୍ର ମନୁଷ୍ଯ ଜାତି ଦାନବତ୍ବରେ କବଳିତ। ସମୟ ଆସିଲେ ମୋ ଉକ୍ତିର ଯଥାର୍ଥତା ତୁମେ ଅନୁଭବ କରିପାରିବ। ମୁଖମଣ୍ଡଳରେ ଅପୂର୍ବ ତେଜ ପରିସ୍ଫୁଟିତ କରାଇ କହିଲେ ଇଶ୍ବର।

ବେଶ କିଛି ସମୟପରେ ନୀରବତା ଭାଙ୍ଗି ଡ୍ରାଇଭର ରାମ ପଚାରିଲା- - ସାର୍, ମାଡାମଙ୍କ ଚେକଅପ ପାଇଁ କୁଆଡେ ଯିବା କି? ଡାକ୍ତରଖାନାରୁ ବାରମ୍ବାର ଫୋନ ଆସୁଛି। କାଳେ ପୁଣି ଛଅଜଣ କରୋନା ପଜିଟିଭ ଆଡମିଟ ହୋଇଛନ୍ତି। ଆପଣଙ୍କ ଫୋନ ବନ୍ଦଅଛି ବୋଲି ମୋତେ ସେମାନେ ଫୋନ କରିଚାଲିଛନ୍ତି। ବିଜୟ କୌଣସି ମତେ ନିଜକୁ ପ୍ରକୃତିସ୍ଥ କରି କହିଲେ- - ରାମ, ମୁଁ ବିରାଟ ସମସ୍ଯାରେ ପଡିଯାଇଛି। ଘରମାଲିକ ମୋତେ ଘରୁ ବାହାର କରିଦେଲା। ତା ମନରେ ଭୟ ଯେ ମୋ ପାଖରୁ ତାକୁ କରୋନା ରୋଗ ଡେଇଁଯିବ। ମାଡାମଙ୍କର ଅବସ୍ଥା ଦେଖୁଛ। ଚାରିଆଡେ ଲକଡାଉନ ଚାଲିଛି। ଏ ସହରରେ ମୋର କେହି ଚିହ୍ନାଜଣା ବି ନାହାଁନ୍ତି। ଏମିତି ଅବସ୍ଥାରେ ମୁଁ କୁଆଡୁ ଭଡାଘର ଖଣ୍ଡେ ପାଇବି କହିଲ ? ମୋ ମୁଣ୍ଡ କିଛି କାମ କରୁନି ।

ସେତେବେଳକୁ ଜାହ୍ନବୀଙ୍କ ଆଖିରୁ ଅନବରତ ଲୁହ ଝରି ଚାଲିଥିଲା। ସ୍ଫୀତ ଉଦର ଉପରେ ହାତ ବୁଲାଇ ସେ ଗୁଣୁଗୁଣୁ ହୋଇ କହିଚାଲିଥିଲେ - -ତୁ ବ୍ଯସ୍ତ ହେବୁନି ରେ ଧନ,ଆମର କିଛି ହେବନି। ଭଗବାନ ସବୁ ଠିକ୍ କରିଦେବେ। ତାଙ୍କ କୋଳମଣ୍ଡନ କରିବାକୁ ଆସୁଥିବା ଆଗନ୍ତୁକଟି ପାଇଁ ସେ ନିଜର ଶୋଇବା ଘରଟିକୁ କେତେ ଯତ୍ନରେ ସଜାଇଥିଲେ ସେସବୁ ଦୃଶ୍ଯ ତାଙ୍କ ମାନସପଟ୍ଟଳରେ ଭାସି ଉଠୁଥିଲା। କାନ୍ଥରେ ଭଳିକୁ ଭଳି ଫଟୋ ସହିତ ଖଟର ଚାରିପଟରେ ନାନାଜାତିର ଖେଳନା ସଜାଡି ରଖିଥିଲେ। ସେ ରହୁଥିବା ଘରେ ନବଜାତକଟିର ଆଗମନ ଓ ତା'ର ପରବର୍ତ୍ତୀ କାର୍ଯ୍ଯକଳାପ ବିଷୟରେ ଭାବି ସେ ଅନେକ ସମୟରେ ଆମୋଦିତ ହୋଇ ଉଠୁଥିଲେ। ଲିଜା ସବୁବେଳେ କହୁଥିଲା - - ଭାଉଜ , ପିଲା ଜନ୍ମହେଲା ପରେ ସବୁ ଦାୟିତ୍ବ ମୁଁ ନେବି। ତାକୁ ତେଲମାଲିସ କରିବା, ଗାଧୋଇଦେବା କାମ ମୁଁ କରିଦେବି, ତୁମେ ଜମାରୁ ବ୍ଯସ୍ତ ହୁଅନି। ଭାଇ ତାଙ୍କ କାମରେ ବ୍ଯସ୍ତଥିଲେ କଣ ହେଲା ଆମେ ମାନେ ତ ଅଛୁ ନା, ଚିନ୍ତା କାହିଁକି କରୁଛ। ସବୁ ଭଲରେ ଭଲରେ ହେବ। ଯେଉଁ ଲିଜା ତାଙ୍କୁ ଭାଉଜ ଭାଉଜ ଡାକି ପିଛା ଛାଡୁ ନଥିଲା ସେ ଆଜି ତାଙ୍କ ମୁହଁ ଉପରେ କେତେ କଣ ବକିଗଲା। ସେସବୁ କଥା ଭାବିବା ମାତ୍ରକେ ଜାହ୍ନବୀଙ୍କ ହୃଦୟରୁ କୋହ ଉଠି ଆସୁଥିଲା।

ରାମ କିଛିକ୍ଷଣ ଭାବିବାପରେ କହିଲା- - ଆଜ୍ଞା ମୁଁ ମେଡିକାଲର ଜଣେ ଛୋଟ କର୍ମଚାରୀ। ଯଦି ଖରାପ ନ ଭାବିବେ ଗୋଟେ କଥା କହିବି? ବିଜୟ ସମ୍ମତି ଦେବା ପରେ ସେ କହିଲା- - ଏବେ ସାରା ସହରରେ ଘର ମିଳିବା ମୁସ୍କିଲ୍। ଡାକ୍ତର ବା ଡାକ୍ତରଖାନାର କର୍ମଚାରୀଙ୍କୁ କେହି ଘରଭଡା ଦେଉନାହାଁନ୍ତି। ପୂର୍ବରୁ ରହି ଆସୁଥିବା ଲୋକଙ୍କୁ ଘରମାଲିକ ମାନେ କେତେ ବେଜ୍ଜିତ୍ କରି ଘରୁ ତଡିଦେଉଛନ୍ତି। ଏମାନେ ମଣିଷ ନୁହଁନ୍ତି ଆଜ୍ଞା ବରଂ ସବୁ ଗୋଟେ ଗୋଟେ ଅସୁର। କରୋନାଠାରୁ ମଧ୍ଯ ଆହୁରି ଭୟଙ୍କର ଏମିତିଆ ଘରମାଲିକ ମାନେ। କିନ୍ତୁ ଆପଣ ଚାହିଁଲେ ମୁଁ ସାହାଯ୍ଯ କରିପାରନ୍ତି। ମୁଁ ଏଇ ସହରରେ ଗୋଟେ ଘରଟିଏ ତିଆରି କରିଛି। ବିଶେଷ ବଡ ନହେଲେ ବିି ସାନ ପରିବାରଟିଏ ପାଇଁ ଯଥେଷ୍ଟ ଜାଗାଅଛି। ଏଇ ଗଲାମାସରେ ଘର ପ୍ରତିଷ୍ଠା କରିଛି। ଚାକିରି ସରିଲେ ସେଇ ଘରେ ଆମେ ବୁଢାବୁଢୀ ରହିବୁ ବୋଲି ବିଚାର କରିଛୁ। ଯଦି ଆପଣ ଖରାପ ନ ଭାବିବେ ସେଇ ଘରେ କିଛିଦିନ ପାଇଁ ରହି ଯାଆନ୍ତେ। ବିଜୟଙ୍କ ଆଖିରୁ ଦୁଇଟୋପା ଲୁହ ଝରିଗଲା। ଘୋର ନିରାଶା ମଧ୍ଯରେ ଆଶାର ଆଲୋକ ଚତୁର୍ଦ୍ଦିଗରେ ଉଦଭାସିତ ହେବାରେ ଲାଗିଲା। ରାମ ଗପ ଚାଲିଥାଏ-- - ଆପଣ ବ୍ଯସ୍ତ ହେବେନି ମାଆ, ସାର୍ ମେଡିକାଲ ଗଲା ପରେ ମୁଁ ମୋ ସ୍ତ୍ରୀ କୁ ଆଣି ଆପଣଙ୍କ ପାଖରେ ଛାଡିଦେବି। ସେ ଦିନତମାମ ଆପଣଙ୍କ ପାଖେପାଖେ ରହିବ। ସାରଙ୍କୁ ଛାଡି ଆଣିବା ସମୟରେ ତାକୁ ନେଇ ମୁଁ ଘରକୁ ଚାଲିଯିବି।

ସେକଥା ଠିକ୍ ଯେ କିନ୍ତୁ ତୁମ ଘରେ ରୋଷେଇବାସ କିଏ କରିବ ଯେ? ପଚାରିଲେ ବିଜୟ।

ଘରେ ମୋ ଝିଅ ଅଛି ଆଜ୍ଞା, କଲେଜ ପଢା ସାରି ଘରେ ବସିଛି। ତାକୁ ଘରକାମ ବଳେଇ ଯିବନି,ସେ ସବୁ କରିଦେବ। ଆପଣ ସେସବୁ କଥା ଭାବନ୍ତୁନି। ଆପଣଙ୍କ ଦାୟିତ୍ବ ମୁଁ ନେଲି। ଆପଣ ନିଶ୍ଚିନ୍ତ ରୁହନ୍ତୁ।

ନୂଆଘରେ ଜାହ୍ନବୀ ପାଦ ଦେବାପରେ ଶାନ୍ତିରେ ନିଶ୍ବାସ ମାରିଲେ। ରାମ ନିଜ ଘରୁ ଖଟ ଚେୟାର ଆଦି ଆଣି ନୂଆ ଘରେ ପକାଇ ସବୁ ସୁବିଧା କରିବା ପରେ ବିଦାୟ ନେଲା। ଏବେ ବିଜୟ ଓ ଜାହ୍ନବୀ ନିଶ୍ଚିନ୍ତ ଥିଲେ। ଅନ୍ତତଃ, ଆଗନ୍ତୁକ ଟି ଧରାବରଣ କରିବା ପୂର୍ବରୁ ତା ପାଇଁ ଏକ ସୁରକ୍ଷିତ ସ୍ଥାନ ଯୋଗାଡ ହୋଇ ସାରିଥିଲା। ବିଜୟଙ୍କ ଛାତି ଉପରେ ମୁଣ୍ଡ ରଖି ଜାହ୍ନବୀ ଶୋଇପଡିଥିଲେ। ତାଙ୍କ ଗାଲ ଉପରେ ବୋହି ଚାଲିଥିବା ଲୁହଧାର ଶୁଖି ସାରିଥିଲା ଓ ମୁହଁରେ ଝଟକୁଥିଲା ପ୍ରଶାନ୍ତିର ଫଲଗୁଧାରା। ଶୂନ୍ଯକୁ ଦୃଷ୍ଟି ନିକ୍ଷେପ କରି ଗଭୀର ଚିନ୍ତାମଗ୍ନ ଅବସ୍ଥାରେ ବସି ରହିଥିଲେ ବିଜୟ। କିପରି ମାନବସମାଜ କୁ କରୋନା କବଳରୁ ରକ୍ଷା କରାଯିବ ସେହି ଚିନ୍ତା ତାଙ୍କ ଆତ୍ମାପ୍ରାଣକୁ ଆଚ୍ଛନ୍ନ କରି ରଖିଥିଲା। ତାଙ୍କ ମୁହଁରୁ ଅସ୍ପଷ୍ଟ ସ୍ବରରେ ବାହାରି ଆସିଲା- - - ଏବେ ମୁଁ ସମ୍ମୁଖ ଯୁଦ୍ଧ ପାଇଁ ପ୍ରସ୍ତୁତ, ତୁ ହାରିବା ପାଇଁ ପ୍ରସ୍ତୁତ ହୋଇ ଯା କରୋନା।

ଦିନ ପରେ ଦିନ ବିତି ଚାଲିଲା। କରୋନା ଯୁଦ୍ଧରେ ପ୍ରବଳ ପରାକ୍ରମର ସହିତ ଡାକ୍ତର ଓ ସ୍ବାସ୍ଥ୍ଯକର୍ମୀ ମାନେ ଆଗେଇ ଚାଲିଲେ। ରାତିଦିନ ଅକ୍ଳାନ୍ତ ପରିଶ୍ରମ କରି ଶହଶହ କରୋନା ସଂକ୍ରମିତ ଲୋକଙ୍କୁ ମୃତ୍ଯୁମୁଖରୁ ଫେରାଇ ଆଣିଲେ। ଯୁଦ୍ଧ ଯେତେ ଭୟଙ୍କର ହୋଇ ଚାଲିଲା ସେମାନେ ସେତିକି ପରାକ୍ରମର ସହିତ ଯୁଦ୍ଧ କରିଚାଲିଲେ। ନୂତନ ଉପାୟମାନ ଅବଲମ୍ବନ କରି କରୋନା ଦାନବକୁ କବଳିତ କରିବାର ସମସ୍ତ ପ୍ରକାର ଚେଷ୍ଟା ଚାଲିଲା ଓ ସେଥିରେ ସେମାନେ ସଫଳ ମଧ୍ଯ ହେଲେ। କିଛି ଯୋଦ୍ଧା ଆଘାତପ୍ରାପ୍ତ ଓ ହେଲେ ତ କିଛି ବୀରଗତି ପ୍ରାପ୍ତ ହେଲେ। ଯୋଦ୍ଧାମାନଙ୍କର ଆତ୍ମବିଶ୍ବାସ ଭାଙ୍ଗିଯିବା ପରିବର୍ତ୍ତେ ଆହୁରି ଦୃଢ ହୋଇଚାଲିଲା। ଯୋଦ୍ଧା ମାନଙ୍କର ସଂଖ୍ଯା ବଢିବା ସହିତ ନୂତନ ରଣକୌଶଳର ପ୍ରୟୋଗ ହେବାରେ ଲାଗିଲା। ପ୍ରଥମଥର ପାଇଁ କରୋନା ଦାନବର ହୃଦୟରେ କମ୍ପନ ସୃଷ୍ଟିହେଲା। ତେବେ କଣ ସତରେ ଇଶ୍ବର ଏ ଯୋଦ୍ଧା ମାନଙ୍କ ଶରୀରରେ ପ୍ରବେଶ କରି ଯୁଦ୍ଧ ଚଳାଇଛନ୍ତି। ସେ ବିଡ୍ ବିଡ୍ ହୋଇ କହିଲା- - ସେ କପଟୀ ଇଶ୍ବରଙ୍କ ମାୟା କାହାକୁ ବା ଜଣା ? ସେଥିପାଇଁ ତ କଥାରେ ଅଛି " କରି କରାଉଥାଏ ସେହି, ତା ବିନୁ ଅନ୍ଯ ଗତି ନାହିଁ। "

ମାନବରୂପୀ ଇଶ୍ବରମାନଙ୍କ ପ୍ରତି ଲୋକମାନଙ୍କର ଭକ୍ତି ଓ ଆନୁଗତ୍ଯତା ଧିରେଧିରେ ବୃଦ୍ଧି ପାଇଚାଲିଲା। ଘରଚିନ୍ତାରୁ ମୁକ୍ତ ହେବାପରେ ବିଜୟ ମନପ୍ରାଣ ଦେଇ କରୋନା ରୋଗୀଙ୍କ ଚିକିତ୍ସାରେ ବ୍ଯାପୃତ ରହିଲେ। ନିଜର ଭଦ୍ର ଆମାୟିକ ବ୍ଯବହାର ଓ ମିଷ୍ଟଭାଷୀ ଗୁଣ ପାଇଁ ସେ ଡାକ୍ତର,କର୍ମଚାରୀ ଓ ରୋଗୀମାନଙ୍କ ମହଲରେ ବିଶେଷ ଆଦୃତ ହେଲେ। ଦିନେ ସେ ମେଡିକାଲରେ ବସିଥିବା ସମୟରେ ଜଣେ ଭୀଷଣ ଅସୁସ୍ଥ ବ୍ଯକ୍ତିଙ୍କୁ ଦୁଇଟି ନାରୀମୂର୍ତ୍ତ ଟେକିଟେକି ଆଣିଲେ। କାହାକୁ କିଛି ନ କହି ସେମାନେ ସେହି ବ୍ଯକ୍ତିଙ୍କୁ ଡାକ୍ତରଖାନା ବାରଣ୍ଡାରେ ଫିଙ୍ଗିଦେଇ ଅନ୍ତର୍ଦ୍ଧ୍ଯାନ ହୋଇଗଲେ। କର୍ମଚାରୀମାନେ ଘଟଣାର ଗମ୍ଭୀରତା ଉପଲବଧି କରି ସେ ବ୍ଯକ୍ତିଙ୍କୁ ତତ୍କାଳ ଭିତରକୁ ନେଇଗଲେ। ରୋଗୀ ମୁହଁରେ ଅମ୍ଳଜାନ ମାସ୍କ ଲଗାଇବା ସମୟରେ ବିଜୟ ଚମକି ଉଠିଲେ। ତାଙ୍କର ଜାଣିବାକୁ ବାକି ରହିଲାନି ଯେ ସେହି ବ୍ଯକ୍ତି ଜଣକ କିଏ। ମନରେ ପ୍ରତିଶୋଧର ଆଗ୍ନେୟଗିରି ବିସ୍ଫୋଟିତ ହେବାପାଇଁ ପ୍ରସ୍ତୁତି ଚଳାଇଥିଲା ; କିନ୍ତୁ ନିଜ କର୍ତ୍ତବ୍ଯ ପ୍ରତି ସମ୍ପୂର୍ଣ୍ଣ ରୂପେ ସମର୍ପିତ ଥିବା ବିଜୟଙ୍କ ଆତ୍ମାରେ ଦେବତ୍ବର ପରିପ୍ରକାଶ ଘଟିଲା ଓ ସେ ଭୀଷଣଭାବେ ଅସୁସ୍ଥ ସେହି ବ୍ଯକ୍ତିଙ୍କର ଚିକିତ୍ସା ଆରମ୍ଭ କରିଦେଲେ। ବୟସାଧିକ୍ଯ ହେତୁ ତାଙ୍କ ଶରୀରରେ କରୋନା ଭୂତାଣୁ ଭୟଙ୍କର ଅବସ୍ଥାରେ ସଂକ୍ରମିତ ହୋଇ ସାରିଥିଲା। ଫୁସଫୁସରେ ପାଣି ଜମି ସାରିଥିଲା ଓ ସେ ଭଲରେ ନିଶ୍ବାସ ମଧ୍ଯ ନେଇ ପାରୁ ନ ଥିଲେ। ନିଜ ସମ୍ମୁଖରେ ମୃତ୍ଯୁର ପଦଧ୍ବନି ଶୁଣି ସେ ମ୍ରିୟମାଣ ହୋଇ କେବଳ ହାତ ଯୋଡି ଚାଲିଥିଲେ ଯାହା। ବିଜୟ ନିଜର ସମସ୍ତ ଅଭିଜ୍ଞତା ଓ ଜ୍ଞାନକୌଶଳ ଖଟାଇ ସେହି ବ୍ଯକ୍ତିଙ୍କୁ ସୁସ୍ଥ କରିବାରେ ଲାଗିପଡିଲେ। ଦିନ ପରେ ଦିନ ବିତି ଚାଲିଲା ଓ ବ୍ଯକ୍ତିଙ୍କର ସ୍ବାସ୍ଥ୍ଯରେ ଉନ୍ନତି ପରିଲକ୍ଷିତ ହେଲା। ଏତେ ଭୟଙ୍କର ରୂପରେ କରୋନା ସଂକ୍ରମିତ ବ୍ଯକ୍ତି ଯେ ପୁଣି ସୁଣି ସୁସ୍ଥ ହୋଇ ପାରିବେ, ସେ ଆଶା ଅନ୍ଯ ଡାକ୍ତର ମାନେ ଛାଡିଦେଇଥିଲେ। କିନ୍ତୁ ବିଜୟଙ୍କ ପାଇଁ ତାହା ଥିଲା ଜୀବନର ସବୁଠାରୁ ବଡ ଆହ୍ବାନ। ଯେଉଁଦିନ ସେ ବ୍ଯକ୍ତି ସୁସ୍ଥ ହୋଇ ଉଠିବସିଲେ ଭୋର ସମୟରୁ ବିଜୟଙ୍କ ପାଖକୁ ଡାକ୍ତରଖାନାରୁ ଫୋନ୍ ଆସିଲା। କାଳବିଳମ୍ବ ନକରି ସେ ଡାକ୍ତରଖାନାରେ ପହଞ୍ଚିଲେ। ଅନ୍ଯ କର୍ମଚାରୀ ମାନେ କହିଲେ ଯେ ବ୍ଯକ୍ତି ଜଣକ ତାଙ୍କୁ ସୁସ୍ଥ କରିଥିବା ଡାକ୍ତରଙ୍କ ବିଷୟରେ ପଚାରି ପଚାରି ସମସ୍ତଙ୍କର ମୁଣ୍ଡ ଖରାପ କରିସାରିଲେଣି।

ଚକ୍ଷୁ ଅର୍ଦ୍ଧନିମୀଳିତ କରି ଖଟ ଉପରେ ଶୋଇ ରହିଥିଲେ ସେହି ବ୍ଯକ୍ତି। ଧିର ପଦକ୍ଷେପରେ ପ୍ରବେଶକଲେ ବିଜୟ। ତାଙ୍କର ସମଗ୍ର ଶରୀର ଆଚ୍ଛାଦିତ ହୋଇ ରହିଥିଲା ସୁରକ୍ଷା ପୋଷାକରେ ଓ ମୁହଁରେ ଥିଲା ଧଳା ମାସ୍କ। ଏପରି ବେଶରେ ତାଙ୍କ ପରିଚୟ ଜାଣିବାର କୌଣସି ଅବକାଶ ନ ଥିଲା। ସେ ବ୍ଯକ୍ତି ବଡ କଷ୍ଟରେ ଖଟରୁ ଉଠିବାକୁ ଚେଷ୍ଟା କଲେ, ମାତ୍ର ବିଫଳ ହେଲେ। ଯୋଡ ହସ୍ତରେ କେବଳ ଏତିକି କହିଲେ- - ହେ ମାନବରୂପୀ ଇଶ୍ବର, ମୋତେ ପ୍ରାଣଦାନ ଦେଇଥିବାରୁ ଅଜସ୍ର ଧନ୍ଯବାଦ। ମୁଁ ଚିରକାଳ ଆପଣଙ୍କର ସେବକ ଭାବରେ ରହିବି। ଆପଣ ମୋତେ ଆଦେଶ କରନ୍ତୁ, ଯାହା କହିବେ ମୁଁ କରିବାକୁ ପ୍ରସ୍ତୁତ।

ମାସ୍କ ପଛରେ ଲୁକ୍କାୟିତ ଥିବା ଚେହେରାରେ ଆତ୍ମସନ୍ତୋଷଭରା ହସଟିଏ ଖେଳିଗଲା। ବିଜୟ ହସିହସି କହିଲେ- - ମଉସା,ଯଦି ପାରିବ କେବଳ ଏତିକି କରିବ। ଭବିଷ୍ଯତରେ କେବେ ଡାକ୍ତର ବା ସ୍ବାସ୍ଥ୍ଯକର୍ମୀ ମାନଙ୍କୁ ଏପରି ହନ୍ତସନ୍ତ କରିବ ନାହିଁ ବା ସେମାନଙ୍କୁ ଦୂର୍ ଦୂର୍ ମାର୍ ମାର୍ କରିବ ନାହିଁ।

ବିଜୟ ତୁମେ..........ଆଉ କିଛି କହିପାରିଲେନି ସେହି ବ୍ଯକ୍ତି ତାଙ୍କ କଣ୍ଠ ବାଷ୍ପରୁଦ୍ଧ ହୋଇଉଠିଲା। ଭୋ ଭୋ ହୋଇ କାନ୍ଦି ସେ ଯୋଡ ହସ୍ତରେ କହି ଚାଲିଥିଲେ – ମୋତେ କ୍ଷମା କରିଦେବ ବିଜୟ, ମୁଁ ମହାପାପୀ। ତୁମକୁ ଓ ଜାହ୍ନବୀକୁ ବହୁତ ଅପମାନ ଦେଇଛି, ଅନ୍ଯାୟ କରିଛି। ଜଣେ ଗର୍ଭବତୀ ନାରୀର ଅଭିଶାପ ଫଳରେ ଆଜି ମୁଁ ଏ ଦଶା ଭୋଗୁଛି। କାହା କଥା ନ ମାନି ମୁଁ ସବୁଦିନ ସଂନ୍ଧ୍ଯାରେ ସାଙ୍ଗମାନଙ୍କ ସହ ତାସ୍ ଖେଳୁଥିଲି। ସେମାନଙ୍କ ଭିତରେ କିଛି ଦିନ ତଳେ ମୁମ୍ବାଇରୁ ଫେରିଥିବା ମୋର ଘନିଷ୍ଠ ବନ୍ଧୁ ନିରାକାର ବାବୁ ମଧ୍ଯଥିଲେ। ତାଙ୍କୁ ଜ୍ବର ଓ ଭୀଷଣ କାଶ ହେଉଥଲା। ଆମେ ସମସ୍ତେ ସନ୍ଦେହ କରି ତାସ୍ ଖେଳ ବନ୍ଦ କରିଦେଲୁ। ମାତ୍ର ସେତିକି ବେଳକୁ ସେ ଏହି ରୋଗକୁ ମୋତେ ଉପହାର ସ୍ବରୂପ ଦେଇ ସାରିଥିଲେ ବୋଧେ। ମୋତେ ଅସୁସ୍ଥ ଲାଗିବା ପରେ ବହୁତଥର ଅନୁରୋଧ କଲି ତୁମ ମାଉସୀ ଓ ଲିଜାକୁ ମୋତେ ଡାକ୍ତରଖାନା ନେଇଯିବା ପାଇଁ।କାଳେ କରୋନା ହୋଇଛି ବୋଲି ତୁମ ମାଉସୀ ଓ ଲିଜା ମୋ ମୁହଁ ଚାହୁଁ ନ ଥିଲେ ବା ମୋ ପାଖକୁ ଆସୁ ନ ଥିଲେ। ମୋତେ ଡାକ୍ତରଖାନା ନେଲେ ଲୋକେ ଜାଣିଯିବେ ମୋତେ କରୋନା ହୋଇଛି ଓ ଲିଜାର ବାହାଘର ହୋଇ ପାରିବନି। ସେହି ଭୟରେ ମୋର ଦେଶୀ ଚିକିତ୍ସା ଚାଲିଲା। ଘରକୋଣରେ ଏକ ପୋଷା କୁକୁର ପଡି ରହି ମୋର ଭାଗ୍ଯକୁ ନିନ୍ଦିବା ଛଡା କିଛି ଋପାୟ ନଥିଲା। । ଅବସ୍ଥା ବେଶୀ ଖରାପ ହେବାରୁ ସେମାନେ ମୋତେ ଟେକି ଆଣି ଡାକ୍ତରଖାନା ବାରଣ୍ଡାରେ ଫିଙ୍ଗିଦେଇ ଚାଲିଗଲେ। ଯତେବେଳେ ମୋ ସ୍ତ୍ରୀ ଓ ଝିଅ ମୋ ସହ ଏପରି ବ୍ଯବହାର କଲେ ଆଉ କାହା କଥା କଣ କହିବି। ଆଉ କିଛି କହିପାରିଲେନି ରାଘବ।

ହେ ଭଗବାନ୍, ଆମକୁ ମାଉସୀ ଓ ଲିଜାକୁ ସାଙ୍ଗେସାଙ୍ଗେ ପରୀକ୍ଷା କରିବାକୁ ପଡିବ। ସେମାନେ ବି ସଂକ୍ରମିତ ହୋଇ ପାରନ୍ତି। ତା ଛଡା କଲୋନୀରେ ତାସ୍ ଖେଳୁଥିବା ଅନ୍ଯଲୋକ ମାନଙ୍କୁ ମଧ୍ଯ ପରୀକ୍ଷା କରିବାକୁ ହେବ। ଆପଣଙ୍କ କଥାରୁ ଲାଗୁଛି ସେ ଯାଗାର କମ୍ଯୁନିଟି ଟ୍ରାନ୍ସମିଶନ ହୋଇସାରିବଣି। ବିଜୟ ସାଙ୍ଗେସାଙ୍ଗେ ପୋଲିସକୁ ଓ ଅନ୍ଯ କିଛି ଲୋକଙ୍କୁ ଫୋନ ଲଗାଇବାରେ ଲାଗିଗଲେ। ରାଘବ ଯୋଡହସ୍ତରେ ତାଙ୍କ ଆଡକୁ ଚାହିଁ କେବଳ କାନ୍ଦି ଚାଲିଥିଲେ।

ଇଶ୍ବରଙ୍କର ଅଟ୍ଟହାସ୍ଯର ମାତ୍ରା ଏତେ ତୀବ୍ର ଥିଲା ଯେ କରୋନା ଦାନବର କର୍ଣ୍ଣଯୁଗଳରୁ ରକ୍ତ ବୋହିବା ଆରମ୍ଭ ହୋଇଗଲା। ସେ ଚିତ୍କାର କରି କହିଲା- - ବନ୍ଦ କର ତୁମର ଅଟ୍ଟହାସ୍ଯ ଇଶ୍ବର....ବନ୍ଦକର। ଇଶ୍ବର ଅଟ୍ଟହାସ୍ଯ କରୁଥିବା ଅବସ୍ଥାରେ କହିଲେ- - ରେ ଦାନବ, ତୋତେ କହୁଥିଲି ନା, ଏତେ ଶୀଘ୍ର କୌଣସି ନିଷ୍କର୍ଷରେ ପହଞ୍ଚିବା ପୂର୍ବରୁ ଅପେକ୍ଷା କର। ଏବେ ତୁ ସ୍ବଚକ୍ଷୁରେ ଦେଖ୍ ମୋ ଶ୍ରେଷ୍ଠସୃଷ୍ଟିର ପ୍ରଚଣ୍ଡ ଆକ୍ରମଣ। ତୋର ପରାଜୟ ଓ ବିଲୟ ସୁନିଶ୍ଚିତ। ତୋତେ ବିନାଶ କରିବା ପାଇଁ ମୁଁ ଡାକ୍ତର ଓ ସ୍ବାସ୍ଥ୍ଯକର୍ମୀ ମାନଙ୍କ ଶରୀରରେ ପ୍ରବେଶ କରିସାରିଛି। ଯଦି ପାରିବୁ ମୋ ଆକ୍ରମଣକୁ ପ୍ରତିହତ କରି ଦେଖା।

ଇଶ୍ବର ଓ କରୋନା ଦାନବର କଥୋପକଥନ ବିଷୟରେ ସମ୍ପୂର୍ଣ୍ଣ ଭାବରେ ଅଜ୍ଞ ଥିବା ରାଘବ ହାତଯୋଡି ପ୍ରାର୍ଥନା କରି କହି ଚାଲିଥିଲେ- - ହେ ପ୍ରଭୋ, ଏ ମାନବରୂପୀ ଦେବତା ମାନଙ୍କୁ ସୁରକ୍ଷା ପ୍ରଦାନ କର। ମୁଢ ଲୋକମାନଙ୍କୁ ସଦବୁଦ୍ଧି ଦିଅ ଯେପରି ଏହି ଦେବତା ମାନଙ୍କ ପ୍ରତି କେହି ଦୁର୍ବ୍ଯବହାର ପ୍ରଦର୍ଶନ ନକରିବେ । ମୁଁ କରିଥିବା ଘୋର ପାପ ଯେପରି ଅନ୍ଯ କେହି ନ କରନ୍ତୁ ସେତିକି ମୋର ପ୍ରାର୍ଥନା।

ସେତିକି ବେଳେ ସୁରକ୍ଷା ପୋଷାକରେ ସମଗ୍ର ଶରୀରକୁ ଆଚ୍ଛାଦିତ କରି ବାହାରିଲେ କରୋନା ଯୋଦ୍ଧାଗଣ। ସେମାନଙ୍କୁ ବକ୍ଷରେ ବହନ କରି ଯୁଦ୍ଧକ୍ଷେତ୍ରକୁ ନେଇଯିବା ପାଇଁ ଅପେକ୍ଷାରତ ଥିଲା ରଥ ସଦୃଶ ଆମ୍ବୁଲାନ୍ସ। ହଠାତ୍ ଡାକ୍ତରଖାନାରେ ହଟଚମଟ ହେବାଦେଖି ଜଣେ ବୃଦ୍ଧବ୍ଯକ୍ତି କାର୍ଯ୍ଯରତ ଏକ କର୍ମଚାରୀକୁ ପଚାରିଲେ - - ଏ ମାନବରୂପୀ ଦେବତା ମାନେ ପୁଣି କୁଆଡେ ବାହାରିଲେ ଯେ ? ହସିହସି କହିଲା ସେହି କର୍ମଚାରୀ- – ଯିବେ ଆଉ କୁଆଡେ ମଉସା। କରୋନା କୁ ମୂଳରୁ ନିପାତ ନ କରିବା ଯାଏ ଏ ଦେବଯୋଦ୍ଧା ମାନେ କଣ ଚୁପ୍ ବସି ପାରିବେ ?

----------








Friday, April 3, 2020

ଧୂଆଁ

                   
                          

   ଧୂଆଁ
             ଲେଖକ-@ ଅରବିନ୍ଦ ରଥ
       


 ଯାହାହେଉ ଏତେ  ଦିନପରେ  ଏକ ଭୟଙ୍କର ସମସ୍ଯାରୁ ମୁକ୍ତି ମିଳିଗଲା। ଭଗବାନ କରନ୍ତୁ ଏପରି ଅବସ୍ଥା ଆଉକିଛି ଦିନ ଚାଲୁ। ଆସିବା ଦିନରୁ  ଗୋଟେ ପାଲା ଚଲେଇଥିଲେ ଏମାନେ,ଏବେ ଠିକ୍ ବୁଦ୍ଧି ଶିଖୁଥିବେ ଯେ।
        ରମାଙ୍କ ଉଦ୍ଦେଶ୍ଯରେ ଏତିକି କହି ବିଜୟ ସାମନ୍ତରାୟ ଖାଲି ଚାହାକପକୁ ଟିପୟ ଉପରେ ରଖି ଟେଲିଭିଜନର ଚ୍ଯାନେଲ ବଦଳାଇବାରେ ଲାଗିଲେ। ସ୍ବାମୀଙ୍କ କଥାର କି ଉତ୍ତର ଦେବେ ହଠାତ୍ ଭାବି ନ ପାରି ରମା କହିଲେ - - ଯାହାହେଉ ଏତେ ଦିନ ପରେ ତୁମକୁ ଟିକିଏ ଶାନ୍ତି ତ ମିଳିଲା,ତାହା କଣ କମ୍ ବଡ କଥା।  ତୁମ ପ୍ରାର୍ଥନାର ତୀବ୍ରତା ଅନୁଭବ କରି ଇଶ୍ବର ସେମାନଙ୍କ କୃତକର୍ମର ଦଣ୍ଡ ଦେବାପରି ଲାଗୁଛି।  ରମାଙ୍କର କଥା ବିଜୟଙ୍କର ଅହଂ କୁ ଆଘାତ କଲା ବୋଧେ ,  ସେ ଉଚ୍ଚସ୍ବରରେ କହିଲେ- - ଛାଡ ତୁମ ମୁହଁରୁ ଦି'ପଦ  ଭଲକଥା ଶୁଣିବା ମୋ ଭାଗ୍ଯରେ ଅତୀତରେ ନ ଥିଲା,ଏବେ ନାହିଁ ଓ ଭବିଷ୍ଯତରେ ମଧ୍ଯ ରହିବନି।  ତୁମକୁ କହିବା ଅପେକ୍ଷା ବରଂ କାନ୍ଥ କବାଟ ସହ କଥାହେବା ଭଲ।
        ବିଜୟ ଚାକିରିରୁ ଅବସର ଗ୍ରହଣ କରିବାପରେ ସହର ଉପକଣ୍ଠରେ ବହୁଦିନରୁ କିଣିଥିବା ଜାଗାରେ ଏକ ସୁଦୃଶ୍ଯ ଅଟ୍ଟାଳିକା ନିର୍ମାଣ କରିଥିଲେ।  ଆଜିକୁ ଛଅସାତ ବର୍ଷ ହେଲାଣି ପୁଅ ଗଗନ  ବିଦେଶରେ ଚାକିରି କରୁଛି। ଇତି ମଧ୍ଯରେ ତା ଅଫିସରେ କାମ କରୁଥିବା ଏକ ଓଡିଆ ଝିଅ ସହିତ ବିବାହ ମଧ୍ଯ କରିସାରିଛି। ତା ପୁଅକୁ ଦୁଇବର୍ଷ ହୋଇଗଲାଣି କିନ୍ତୁ ବିଜୟ ଓ ରମାଙ୍କ ଭାଗ୍ଯରେ ତାକୁ ଦେଖିବାର ସୁଯୋଗ ସେ ପର୍ଯ୍ଯନ୍ତ ଆସିନଥିଲା। ଘର ପ୍ରତିଷ୍ଠା ସମୟରେ ବୋହୁ ଓ ନାତିକୁ ସାଙ୍ଗରେ ଧରି ଆସିବାକୁ ଗଗନ କଥା ଦେଇଥିଲା। ମାତ୍ର କାର୍ଯ୍ଯବ୍ଯସ୍ତତା ହେତୁ ଆସିପାରିଲାନି। ଅବଶ୍ଯ ସେମାନେ ଭିଡିଓକଲ୍ ମାଧ୍ଯମରେ ନୂଆ ଘରଦେଖି ବେଶ୍ ଖୁସିି ଥିବା ପରି ଲାଗୁଥିଲେ। ସବୁ ଠିକ୍ ଥିଲା ଯେ, କିନ୍ତୁ ବୋହୁର ତାଚ୍ଛଲ୍ଯଭରା କଥା ବିଜୟଙ୍କ ମନରେ ଆଘାତ ଦେଇଥିଲା। ଘର ଦେଖି ସେ ମୁହଁରେ ବିଷାକ୍ତ ହସ ଫୁଟାଇ କହିଲା- - ଆରେ ପାପା, ତୁମ ଓଲ୍ଡ ଏଜ୍ ରେ ଏତେ ବଡ ଘର କରିଦେଲ ସିନା,କିନ୍ତୁ ମେଣ୍ଟେନ୍ କରି ପାରିବ ତ ? ତୁମ ଦୁଇଜଣଙ୍କ ଦେହରେ ତ ହଜାର ରୋଗ, ନିଜ ଯତ୍ନ ନେବ ନା ଘରର ଯତ୍ନ ନେବ। ସେ ଘରଟା ବିକ୍ରିକରି ଭୁବନେଶ୍ବରରେ ଗୋଟେ  ଆପାର୍ଟମେଣ୍ଟ କିଣିଦିଅ। ଆମେ ତ ଏତେ ବିଜି ଯେ ନିଜ କଥା ବୁଝିବାକୁ ସମୟ ନାହିଁ ସେ ଘରକଥା କିଏ ବୁଝିବ ଯେ ? ଘର ପଛରେ ଏତେ ଟଙ୍କା ଖର୍ଚ୍ଚ ନ କରି ତୁମ ନାତି ନାମରେ ଫିକ୍ସ ଡିପୋଜିଟ୍ କରି ଦେଇଥିଲେ ଭବିଷ୍ଯତ ରେ ତା କାମରେ ଆସିଥା'ନ୍ତା।
         ବୋହୂ ଆଉ କିଛି କହି ଆଣୁଥିଲା, ମାତ୍ର ଅଚାନକ କଲ୍ କଟିଗଲା। ଉଭୟ ରମା ଓ ବିଜୟ ଜାଣି ସାରିଥିଲେ ଯେ ଗଗନ କଲ୍ କାଟିଦେଇଥିଲା କାଳେ ବୋହୁ ଅଧିକା କିଛି କହିଦେବ ସେହି ଭୟରେ।  ସାରାଜୀବନ କଳ୍ପନା କରି ଆସୁଥିବା ସ୍ବପ୍ବର ମହଲ ବିପକ୍ଷରେ କଟୁକଥା ଶୁଣି ସେତେବେଳକୁ ବିଜୟଙ୍କ ନୟନ ଯୁଗଳ ଆଦ୍ର ହୋଇ ସାରିଥିଲା।  ସେ ବିକଳ ହୋଇ ରମାଙ୍କ ଆଡକୁ ଚାହିଁ, ତାଙ୍କ  ଘରତିଆରି ନିଷ୍ପତ୍ତିର ଯଥାର୍ଥତା ବିଷୟରେ ନୀରବ ପ୍ରଶ୍ନ କରି ଚାଲିଥିଲେ। ପରିସ୍ଥିତିର ଗୁରୁତ୍ବକୁ ବୁଝିପାରି ରମା କହିଲେ- -  ଛାଡ ସେ ପିଲା ମାନଙ୍କ କଥା। ସେମାନେ କାହୁଁ ଜାଣିବେ ସ୍ବାଧୀନତାର ପ୍ରକୃତ ସ୍ବାଦ। ପାରାଭାଡି ପରି ଆପାର୍ଟମେଣ୍ଟରେ ହଜାର ନୀତିନିୟମ ମାନି ଚଳିବା ଓ  ନିଜେ ତିଆରି କରିଥିବା ଘରେ ଅଖଣ୍ଡ ସ୍ବାଧୀନତା ନେଇ ବଞ୍ଚିବାର ପାର୍ଥକ୍ଯ। ବୋହୂ ନିଜ ବୁଦ୍ଧି ଅନୁସାରେ ଯାହା କହିଲା ତାହା ତା ପାଇଁ ଠିକ୍ ହୋଇପାରେ, ମାତ୍ର  ଆମମାନଙ୍କ ପାଇଁ ନୁହେଁ। ବିଶାଳ ବେଳାଭୂମି ସଦୃଶ ରାଜଧାନୀରେ କ୍ଷୁଦ୍ରାତିକ୍ଷୁଦ୍ର ବାଲୁକାକଣା ଭାବରେ ନିଜର ପରିଚୟ ଖୋଜିବା ଅପେକ୍ଷା ସମୁଦ୍ର ଭିତରେ ଦ୍ବୀପ ଭାବରେ ପରିଚିତ ହେବାର ଶ୍ରେୟ ନିହାତି ଅଧିକା।  ଚାଲ, ଆମେ ମନକୁ ଭାରାକ୍ରାନ୍ତ ନ କରି ଆମ ସ୍ବପ୍ନର ମହଲକୁ ସଜାଇବା। ରମାଙ୍କ ସ୍ପଷ୍ଟ ଦମ୍ଭୋକ୍ତି ଓ ଆତ୍ମବିଶ୍ବାସଭରା ଚାହାଁଣୀ ବିଜୟଙ୍କୁ ନିମିଷକରେ ପ୍ରକୃତିସ୍ଥ କରିଦେଲା।  ସେଦିନ ପରଠାରୁ ବିଜୟଙ୍କ ଘର ତିଆରି  ନିଷ୍ପତ୍ତି ଉପରେ କୌଣସି ଆଲୋଚନା ହୋଇନାହିଁ, ଯଦି ବା କେବେ ବୋହୂ ସେ  ବିଷୟରେ ଆଲୋଚନା କରିବାକୁ ଆରମ୍ଭ କରୁଥିଲା ରମା କଥାର ମୋଡ ବଦଳାଇ ଦେଉଥିଲେ।
        ସତରେ ତାହାଥିଲା ବିଜୟ ଓ ରମାଙ୍କର ସ୍ବପ୍ବର ମହଲ।  ସେହି ମହଲରେ ଲାଗିଥିବା ଇଟା,ବାଲି,ସିମେଣ୍ଟ,ଲୁହାଛଡ,ରଙ୍ଗ ଆଦି ପାର୍ଥିବ ବସ୍ତୁ ମାନ  ଜୀବନ୍ତ ହୋଇ ଉଠିଥିଲେ ବିଜୟ ଓ ରମାଙ୍କ ପରିଶ୍ରମ, ନିଷ୍ଠାପରତା, ତ୍ଯାଗ,ପ୍ରେମର କୁହୁକ ସ୍ପର୍ଶରେ। ବାଲକୋନିରେ ଛିଡା ହୋଇ ବଗିଚାରେ ଫୁଟିଥିବା ଲାଲ୍ ଗୋଲାପ ଓ ଅନ୍ଯସବୁ ଫୁଲମାନଙ୍କ ସମ୍ଭାର ଦେଖି ବିଜୟଙ୍କ ମନଭିତରେ ଅପୂର୍ବଶାନ୍ତି ଖେଳିଯାଉଥିଲା। ଯେତେବେଳେ ରମା  ବଗିଚାରେ ଫଳିଥିବା ବାଇଗଣର ଭଜା ସହିତ ବଗିଚାର ଲାଲ ଟୁକୁଟୁକୁ ଲଙ୍କା  ଓ ପଖାଳଭାତ ବାଢି ଦିଅନ୍ତି ,ବିଜୟଙ୍କ ପେଟ ଗୋଟିଏ ଗୁଣ୍ଡା ଭାତ  ଖାଉଖାଉ ପୁରି ଉଠେ। ରମା ବାଇଗଣ ଭାଜିଲା ବେଳକୁ ବିଜୟ ଙ୍କୁ ଶୁଣେଇ କୁହନ୍ତି- - ହଇହୋ ଶୁଣୁଛ, ଦେଖ ତୁମେ ହାଟରୁ ଆଣିଥିବା ବାଇଗଣ ଚାରା କେଡେ ଗୁଲୁଗୁଲିଆ ହୋଇ ବଢିଛି। ତୁମେ ସିନା ମାଟିକୁ ଭଲରେ ଖୋସି ସାର ଦେଲ ବୋଲି ଏତେ ସୁନ୍ଦର ବାଇଗଣ ଫଳିଛି। ଖାଇବା ଲୋକ ବି ଦ୍ବନ୍ଦରେ ପଡିଯିବ, ଏ ବାଇଗଣ ଭଜା ନା କଣ୍ଟା ନ ଥିବା ମାଛଭଜା।
        ରମାଙ୍କ କଥା ଶୁଣିଲା ବେଳକୁ ବିଜୟଙ୍କ ମନ ଆନନ୍ଦରେ କୁରୁଳି ଉଠେ। ସେ ଗେହ୍ଲେଇ ହୋଇ ରମାଙ୍କୁ କୁହନ୍ତି- - ଆରେ ମୋତେ ସେସବୁ ବିଷୟରେ କଣ ଜଣା ଅଛି କି? ତୁମ କହିବା ଅନୁସାରେ ମୁଁ ବଗିଚା କାମ କଲି,ଅସଲ ଶ୍ରେୟ ତ ତୁମକୁ ମିଳିବା କଥା।  ତାଓ୍ବାରେ ବାଇଗଣ ଭଜାକୁ ଓଲଟାଇ ଭାଜିବା ବେଳକୁ ରମା ମନେମନେ ହସି କୁହନ୍ତି- - ଦେଖିଲ, ବୁଢା ବୟସରେ ବି ଏ ଲୋକ କେମିତି ପିଲାଙ୍କ ପରି ହେଉଛନ୍ତି।
        ଏମିତି ବିଜୟ ଓ ରମାଙ୍କ ଜୀବନ ଅତି ଆନନ୍ଦରେ ବିତି ଚାଲିଥିଲା। ଦିନେ ହଠାତ୍ କିଛି ଲୋକଙ୍କର ପାଟିତୁଣ୍ଡ ଶୁଭିବାରୁ ବିଜୟ  ଘଟଣା କଣ ଜାଣିବା ପାଇଁ ଛାତ ଉପରକୁ ଗଲେ। ସେ ଦେଖିଲେ ତାଙ୍କ ଘର ପାଖରେ ଥିବା ବିସ୍ତୀର୍ଣ୍ଣ ପଡିଆରେ କିଛି ଲୋକ ତମ୍ବୁ ଟାଣିବାରେ ବ୍ଯସ୍ତ। କିନ୍ତୁ ସେ ପଡିଆ ତ ସରକାରୀ ଜାଗାରେ ଅଛି। ତେବେ ଏମାନେ କେମିତି ସେ ଜାଗାରେ ତମ୍ବୁ ଲଗାଉଛନ୍ତି। ବିଜୟଙ୍କ ମନ ଗୋଳେଇଘାଣ୍ଟି ହେବାରେ ଲାଗିଲା। ଟିକେ ଆସୁଛିି ବୋଲି  ରମାଙ୍କୁ କହି ସେ ପଡିଆ ଆଡକୁ ଅଗ୍ରସର ହେଲେ। ସେ ଲୋକମାନଙ୍କୁ ପଚରା ଉଚୁରା କରି ଜାଣିଲେ ଯେ କିଛି ପରିବାର ଏକ କ୍ଷୁଦ୍ର ବସ୍ତି କରି ସହରରେ ରହୁଥିଲେ। ସେମାନଙ୍କୁ ସେ ସ୍ଥାନରୁ ଉଚ୍ଛେଦ କରି ଦିଆଗଲା,ମାତ୍ର ରହିବା ପାଇଁ କୌଣସି ଜାଗା ଦିଆଗଲା ନାହିଁ। ପ୍ରତି ପରିବାରରେ ଛୋଟ ପିଲା,ବୃଦ୍ଧବୃଦ୍ଧା,ସ୍ତ୍ରୀ ଲୋକ ଆଦିଥିଲେ।  ସବୁଦିଗରୁ ନିରାଶ ହେବାପରେ ସେମାନେ ଏହି ପଡିଆକୁ ଦେଖିଲେ ଯାହା ଅନେକ ବର୍ଷ ହେଲା ଖାଲି ପଡିଥିଲା। ଅନ୍ଯ ବ୍ଯବସ୍ଥା ନ ହେବା ଯାଏ ସେମାନେ ସେଠାରେ ରହିବାର ନିଷ୍ପତ୍ତି ନେଇଥିଲେ। ଏସବୁ କଥା ଶୁଣି ବିଜୟ ଭ୍ରୁକୁଞ୍ଚନ କରି କହିଲେ- - ଆରେ ତୁମ ମାନଙ୍କ ସାହାସ ତ କିଛି କମ୍ ନୁହଁ। ସରକାରୀ ଜାଗା ମାଡିବସି ରହିବ,ପୁଣି କାଲି ସକାଳେ ଦାବି  କରିବ ଯେ ଏ ଯାଗାର ପଟ୍ଟା ଆମ ନାମରେ କରାଯାଉ। ଏମିତି କରି ତୁମେମାନେ ସରକାରୀ ଜାଗାକୁ ହଡପ କରିବାକୁ ବସିଛ। ମୁଁ ସାଙ୍ଗେସାଙ୍ଗେ ପୋଲିସକୁ ଖବର ଦେଉଛି। ବିଜୟଙ୍କ ପାଟିରୁ କଥା ସରିଛିକି ନାହିଁ ଜଣେ ଅତି ବୃଦ୍ଧଲୋକ ତାଙ୍କ ଗୋଡତଳେ ପଡି ପ୍ରାର୍ଥନା କରି କହିଲା- - ହଜୁର୍ ଆମ ଉପରେ ଦୟାକର। ଆମେ ନିହାତି ଗରିବ ଲୋକ। ଓଳିଏ ଖାଇଲେ ଓଳିଏ ଓପାସ ରହୁ। ମୂଲମଜୁରି କରି ଯାହାଟିକେ ମିଳେ ସେତିକି ରେ ବଞ୍ଚୁ । ଆମ ପରିବାରରେ ଛୋଟପିଲା,ବଢିଲା ଝିଅ ଓ ସ୍ତ୍ରୀ ଲୋକମାନେ ଅଛନ୍ତି। ଆଜିକାଲି ସହରର ଅବସ୍ଥା ଯାହା ମୁଣ୍ଡ ଉପରେ ଛାତ ନଥିଲେ  ମଣିଷବାଘ ମାନେ କାହାକୁ କେତେବେଳେ ଝାମ୍ପିନେବେ ତା'ର ଠିକଣା ନାହିଁ। ଆମେ କାହାର କିଛି କ୍ଷତି କରିବୁନି ହଜର୍। ଆମକୁ  ଏହି  ଜାଗାରେ ରହିବାକୁ ଦିଅ, ଇଶ୍ବର ତୁମର ମଙ୍ଗଳ କରିବେ।  ସେ ବୃଦ୍ଧ ଲୋକ କୁ ଦେଖିବା ପରେ ଅନ୍ଯ ସମସ୍ତେ ଅନୁରୁପ ଢଙ୍ଗରେ ବିଜୟଙ୍କ ପାଖରେ ନେହୁରା ହେବାରେ ଲାଗିଲେ। ଏକ ଅଜଣା ଆନନ୍ଦରେ ଶିହରିତ ହେଲା ବିଜୟଙ୍କ ମନ। ପଡିଆର ମାଲିକ  ସେ ନୁହଁନ୍ତି ମାତ୍ର ସେଠାରେ ରହିବାକୁ ଲୋକେ ତାଙ୍କ ପାଖରୁ ଅନୁମତି ମାଗୁଛନ୍ତି। ତାଙ୍କୁ ଅନୁଭବ ହେଲା ସେ ଜଣେ ରାଜା ଓ ପ୍ରଜାମାନେ ତାଙ୍କ ପାଖରେ ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ଖଣ୍ଡେ ପାଇଁ ପ୍ରାର୍ଥନା କରୁଛନ୍ତି। ଚାହାଁଣୀରେ ପ୍ରଖରତା  ଓ କଣ୍ଠରେ ଗମ୍ଭୀରତାର ପୁଟ ଚଢାଇ ସେ କହିଲେ- - ଆଚ୍ଛା ଠିକ୍ ଅଛି,କିନ୍ତୁ ତୁମ ମାନଙ୍କୁ ଅନୁମତି ଦେଲେ ମୋତେ ମିଳିବ କଣ ? ଆମେ ଆପଣଙ୍କ ସେବା କରିବୁ ଜହୁର୍, ଯାହା କାମ ଦେବେ କରିବୁ। କେବେ ଆପଣଙ୍କୁ ଅବଜ୍ଞା କରିବୁ ନାହିଁ, ଆମପ୍ରତି ଦୟା କରନ୍ତୁ।  ସେ ବୃଦ୍ଧ ସହିତ ଅନ୍ଯମାନେ ସମସ୍ବରରେ କହିଲେ। ବେଶ୍ ତେବେ ଠିକ୍ ଅଛି,କାଲି ସକାଳୁ ଦୁଇଜଣ ମୋ ଘରକୁ ଆସିବ। ବାଡିବଗିଚା କାମ କରିବ ଓ ଯାହା କାମ ବରାଦ କରିବି ସବୁ କରିବ, କଣ ରାଜି ତ ? ଗାମ୍ଭୀର୍ଯ୍ଯଭରା ସ୍ବରରେ କହିଲେ ବିଜୟ। ହଜୁର୍,ଯାହା କାମଦେବେ ଆମେ କରିବୁ,କହିଲେ ବୃଦ୍ଧ।
    ଏକ ରାଜ୍ଯଜୟ କରିବାର ଆନନ୍ଦରେ ଭରି ଉଠୁଥିଲା ବିଜୟଙ୍କ ଆତ୍ମା। ସେ ଖୁସିରେ ଗଦଗଦ ହୋଇ ଏକଥା ରମାଙ୍କୁ ଜଣାଇଲେ। ନିହାତି ସାଧାରଣ ଭାବରେ ରମା କହିଲେ- - ସେ ପଡିଆ ତ ଆମର ନୁହଁ,ତୁମେ ସେମାନଙ୍କ ଉପରେ ଏତେ ହାକିମାତି ଦେଖାଇବା କଣ ଦରକାର ଥିଲା ଯେ! ! ଏମିତି ନିରସ ଉତ୍ତରର ଆଶା କରି ନଥିଲେ ବିଜୟ, ସେ ମନେମନେ ଭାବିଲେ ମୋ ପାଖରେ ରାଜା ହେବାର ସମସ୍ତ ଗୁଣ ଅଛି, ମାତ୍ର ରମାଙ୍କ ପାଖରେ ରାଣୀ ହେବାର ଗୁଣ ଲେଶ ମାତ୍ର ନାହିଁ। ସେ କେବଳ ଜଣେ ଅତି ସାଧାରଣ ନାରୀ।
    ତା ପରଦିନ ସକାଳୁ ଦୁଇଜଣ ଲୋକ ବିଜୟଙ୍କ ଘରକୁ ଆସି ବଗିଚା କାମରେ ଲାଗିଗଲେ। ସେମାନଙ୍କ ଉପରେ ହୁକୁମ ଝାଡି ବେଶ୍ କିଛି ସମୟ ଧରି  କାମ କରାଇବାରେ ଲାଗିଗଲେ ବିଜୟ। ଲୋକ ଦୁଇଟି କାମଧାମ ସାରି ଯିବାକୁ ଉଦ୍ଯତ ହେବାବେଳେ ରମା ଦୁଇକପ ଚାହା ଓ କିଛି ବଳକାରୁଟି ସେମାନଙ୍କ ହାତକୁ ବଢାଇଦେଲେ। ଲୋକ ଦୁଇଟି ପ୍ରଥମେ ସଙ୍କୋଚ କରୁଥିଲେ କିନ୍ତୁ ବିଜୟଙ୍କ ଆଦେଶ ପାଇବାପରେ ସେତକ ଗ୍ରହଣ କଲେ। କେଇଢୋକରେ ଚାହାକପ ଖାଲିକରି ଧୁଆଧୁଇ କରି ପିଣ୍ଡା ଉପରେ ଓଲଟାଇ ରଖିଦେଇ ରୁଟି ତକ ଗାମୁଛାରେ ଗୁଡାଇ ଯିବାକୁ ବାହାରିଲେ। ବିଜୟ ପଚାରିଲେ ଆରେ ସେ ରୁଟି ତୁମକୁ ଖାଇବାକୁ ଦିଆଗଲା ପରା,ଅଣ୍ଟିରେ ଯାକୁଛ କଣ? ଲୋକ ଦୁଇଜଣ ଭୟାର୍ତ୍ତ ଅବସ୍ଥାରେ ପରସ୍ପରକୁ ଚାହିଁଲେ। ଜଣେ ଛେପଢୋକି କହିଲା - - ହଜୁର, ଏତିକି ରୁଟି ଘରକୁ ନେଇଗଲେ ଆମ ପରିବାରର ସାରାଦିନର ଖାଇବା ବ୍ଯବସ୍ଥା ହୋଇଯିବ। ଘର  ଯୋଗାଡ କରିବାରେ ଲାଗିଲୁ ବୋଲି କେହି କାମ କୁ ଯାଇ ନାହାଁନ୍ତି ତେଣୁ ଖାଇବାକୁ କିଛିନାହିଁ।  ଘଟଣାର ଗମ୍ଭୀରତା ଓ ଅଧିକ ସାହାଯ୍ଯ ନ କରି ପାରିବାର ଅନିଚ୍ଛାହେତୁ ବିଜୟ କହିଲେ ହଉଠିକ୍ ଅଛି,ତୁମେ ମାନେ ଏବେ ଯାଇପାର। କାଲି ସକାଳୁ ପହଞ୍ଚିଯିବ। ବିଜୟଙ୍କ ଚାଲାକି ଭଲରେ ବୁଝି ପାରିଥିଲେ ରମା କିନ୍ତୁ ନୀରବ ରହିଲେ।
    ବେଶ୍ କିଛିଦିନ ବିତି ଯାଇଥିଲା। ଛିଣ୍ଡାଦଦରା ତମ୍ବୁ ଗୁଡିକ ସମୟକ୍ରମେ ଚାଳଘରେ ପରିବର୍ତ୍ତିତ ହୋଇ ସାରିଥିଲା ଓ ପଡିଆରେ ଇତଃସ୍ତତଃ ହୋଇ ଗଢି ଉଠିଥିବା ଜନପଦଟି ବସ୍ତିରେ ରୂପାନ୍ତରିତ ହୋଇ ଯାଇଥିଲା। ଖେଳପଡିଆରେ ଏବେ କୁନିପିଲାଙ୍କ ଖେଳ କସରତ ସହ ନାରୀମାନଙ୍କ ସମାଗମ ଦେଖିବାକୁ ମିଳୁଥିଲା। ଦିନତମାମ ସେହି ନାରୀମାନେ କିଛି ନା କିଛି କାମରେ ବ୍ଯସ୍ତ ରହୁଥିଲେ। କିଏ ବିଞ୍ଚଣା ବୁଣୁଥିଲା ତ କିଏ ପ୍ଲାଷ୍ଟର ଅଫ୍ ପ୍ଯାରିସର ମିଶ୍ରଣ ବିଭିନ୍ନ ମୂର୍ତ୍ତିର ଢାଞ୍ଚାରେ ଢାଳି ଚାଲୁଥିଲା।  କିଏ  ଝାଡୁ ତିଆରି ରେ ଲାଗିଥିଲା ତ କିଏ ବେଲୁନ୍ ଫୁଙ୍କି ବାଉଁଶବାଡିରେ ସଜାଇ ବାନ୍ଧୁଥିଲା। ପୁଣି କିଛି ନାରୀ ପଡିଆରେ ପଥର ସଜାଇ ଚୁଲି ତିଆରି କରି ରୁଟି ବା ଭାତ ତିଆରିରେ ଲାଗି ରହୁଥିଲେ।  ଖୁବ୍ କମଦିନ ଭିତରେ ସେହି ଲୋକମାନେ ଦୁଇପଇସା ରୋଜଗାର କରିବାକୁ ସବୁପ୍ରକାର ପନ୍ଥା ଆପଣାଇବାରେ ଲାଗି ପଡିଥିଲେ। ବାଲକୋନିରେ ଛିଡା ହୋଇ ବିଜୟ ନିଜ ପ୍ରଜାମାନଙ୍କର ଚଳଚଞ୍ଚଳ ଜୀବନଶୈଳୀ ଦେଖି ଆମୋଦିତ ହୋଇ ଉଠୁଥିଲେ।  ଭାବୁଥିଲେ ସେହି ପଡିଆରେ ରହିବାକୁ ଯଦି ସେ ଅନୁମତି ଦେଇ ନ ଥା'ନ୍ତେ ଏ ଲୋକ ମାନଙ୍କର ଅବସ୍ଥା କଣ ହୋଇଥାଆନ୍ତା। ପଡିଆ ସାମ୍ନାଦେଇ ବିଜୟ ଗାଡିରେ ଯିବାର ଦେଖିଲେ ବସ୍ତିର ସେହି ବୟୋବୃଦ୍ଧ ବ୍ଯକ୍ତି ଲମ୍ବାଚୌଡା ମୁଣ୍ଡିଆ ମାରି ନିଜର ଆନୁଗତ୍ଯତା ପ୍ରକାଶ କରିବାରେ କେବେ ଅବହେଳା କରୁ ନ ଥିଲା। ବିବାହର ଏତେବର୍ଷ ପରେ ରମା ଆବିଷ୍କାର କରି ପାରୁଥିଲେ ବିଜୟଙ୍କ ଚରିତ୍ରର ଏକ ଭିନ୍ନଦିଗ। ବନ୍ଧୁବାନ୍ଧବଙ୍କ ସହ କଥାହେବା ବେଳେ ବିଜୟ ସଦାବେଳେ କହୁଥିଲେ ସେହି ବସ୍ତିବାସିନ୍ଦାଙ୍କ କଥା। କିପରି ତାଙ୍କ କରୁଣା ଲାଭ କରି  ବସ୍ତିଟି ସରକାରୀ ଯାଗାରେ ମୁଣ୍ଡ ଟେକି ପାରିଛି ସେହି କଥା ସେ ଶତାଧିକବାର ପ୍ରକାଶ କରି ଚାଲୁଥିଲେ। ଏକ ଭଲ ଚାକିରି, ଲକ୍ଷ୍ମୀସମ ପତ୍ନୀ, ସୁଯୋଗ୍ଯ ପୁତ୍ର ଓ ବିରାଟ ଅଟ୍ଟାଳିକା ଅପେକ୍ଷା ଅଧିକ ମୂଲ୍ଯବାନ ଉପଲବଧି ଥିଲା ସେହି ବସ୍ତି ; ଅନ୍ତତଃ ବିଜୟଙ୍କ ଦୃଷ୍ଟିକୋଣରୁ ଦେଖିଲେ।
    ରମା ବେଶ୍ ବୁଝି ପାରୁଥିଲେ ଯେ ନିଜର ଏକମାତ୍ର ପୁତ୍ରର ସ୍ବାର୍ଥପରତା ଓ ହେୟଜ୍ଞାନ ଭାବର ବହ୍ନିରେ ଅହରହ ଜଳି ଚାଲିଥିବା ବିଜୟଙ୍କ ଜୀବନ,ବସ୍ତିବାସିନ୍ଦାଙ୍କ ଆଗମନ ଫଳରେ ଆନନ୍ଦମୟ ହୋଇ ଉଠିଥିଲା। ମାସରେ ଥରେ ଦୁଇଥର ବିଦେଶରୁ ପୁଅ ଫୋନ୍ କରେ ଭଲମନ୍ଦ ବୁଝିବା ପାଇଁ। ନାତିଆପିଲାର ମୁହଁଟିକେ ଦେଖିବାକୁ ବିଜୟ ଓ ରମା ଅନେକ ଥର କହିବା ପରେ ମଧ୍ଯ  ସେ ସୌଭାଗ୍ଯ ବୋହୂ ଦିଏନାହିଁ।  କେବେ ପୁଅ ଫୋନ କରିବ ବୋଲି ଦୁଇପ୍ରାଣୀ ଚାତକ ପରି ଚାହିଁ ରୁହନ୍ତି, ମାତ୍ର ଫୋନ୍ ରେ ପୁଅବୋହୂଙ୍କର ଛିଃ  ଛାକର କଥା ଶୁଣି ମନ ଟା ଭାଙ୍ଗିଯାଏ। ରାତିରେ ଦୁଇଜଣ ପରସ୍ପରକୁ ଲୁଚାଇ ଅନେକ ସମୟଯାଏ କାନ୍ଦନ୍ତି। ଏ ଦୁଃଖ ବିଷୟରେ କାହାକୁ ବା କହିବେ। ଯେଉଁ ବିଜୟ ଦିନେ ଲୋକଙ୍କ ସାମ୍ନାରେ ଗର୍ବ ସହକାରେ ଛାତି ଫୁଲାଇ କହୁଥିଲେ ପୁଅ ବିଦେଶରେ ଚାକିରି କରିଛି, ସେ ଏବେ ପୁଅ କଥା ପଡିଲେ ନୀରବ ରୁହନ୍ତି। ଦୀର୍ଘଶ୍ବାସ ପକାଇ କୁହନ୍ତି- - ହଁ, ପୁଅ,ବୋହୂ  ଓ ନାତି ସବୁ ବିଦେଶରେ । ପୁଅ ବଡ କମ୍ପାନୀରେ ଚାକିରି କରିଛି, ବର୍ଷକୁ ଆୟ ଲାକ୍ଷାଧିକ,କିନ୍ତୁ ଆମ ପାଇଁ ସେମାନଙ୍କ ପାଖରେ ସମୟ ନାହିଁ।
    ବାଲକୋନିରେ ଛିଡା ହୋଇ ବିଜୟ ଓ ରମା ଦେଖନ୍ତି ବସ୍ତିରେ ଖେଳୁଥିବା କୁନିକୁନି ପିଲାଙ୍କୁ। ବସ୍ତିର ବୁଢାବୁଢୀ ମାନେ ପିଲାଙ୍କୁ କୋଳକୁ ଟେକି ନେଇ ଗେଲ କରି ଦିଅନ୍ତି,ସେମାନଙ୍କ ସହ ଖେଳନ୍ତି ଓ ଗପ କୁହନ୍ତି।  ସେସବୁ ଦେଖିଲେ ଉଭୟଙ୍କ ଆତ୍ମାରେ ଭରିଉଠେ ବିରାଟ ଶୂନ୍ଯତା ଓ ବିବଶତା। ବିଜୟ ଭାବନ୍ତି, ଏତେ ବଡଘର ସେ କାହା ପାଇଁ କଲେ,ଯାହାପାଇଁ ଏ ଘର ତିଆରି କରିଛନ୍ତି ତାଙ୍କ ଆଖିରେ ତ ଆଧୁନିକତାର କଳାଚଷମା ଲାଗିଛି। କେବେକେବେ ତାଙ୍କ ମନରେ ଭୀଷଣ କ୍ରୋଧ ଜାଗିଉଠେ,ଭାବନ୍ତି ପୁଅକୁ ଫୋନ କରି ମନଇଚ୍ଛା ଗାଳିଦେବେ। କିନ୍ତୁ ରହିଯାଆନ୍ତି, ପୁଅ ପରା କହିଛି ଯେ ଅତି ଦରକାର ନହେଲେ ଫୋନ୍ ନ କରିବାକୁ। ସେ କୁଆଡେ ବହୁତ ବ୍ଯସ୍ତ ରହୁଛି ଓ ସଦାବେଳେ ବଡଲୋକଙ୍କ ମେଳରେ ରହୁଛି। ବିଜୟଙ୍କ ପରି ଛୋଟଲୋକର ଫୋନ୍ ଉଠାଇବାକୁ ସେ ବା କାହିଁକି ଉଚିତ୍ ମନେକରିବ ? ଏମିତି ଦିନେ ବିଜୟଙ୍କ ମନ ଖରାପ ଥିବା ସମୟରେ ବସ୍ତିର ଲୋକ ଦୁଇଜଣ ତାଙ୍କ ଘରକୁ କାମ କରିବାକୁ ଆସିଲେ ନାହିଁ। ବିଜୟଙ୍କୁ ଲାଗିଲା ଭଲରେ ଦୁଇ ପଇସା ଆୟ କରିବା ପରେ ବସ୍ତି ଲୋକଙ୍କ ମୁଣ୍ଡକୁ ପିତ୍ତ ଚଢିଯାଇଛି। ସେ ରମାଙ୍କୁ ନ ଜଣାଇ ବସ୍ତି କୁ ଗଲେ ଓ ବାସିନ୍ଦାଙ୍କୁ ମନଇଚ୍ଛା ଶୋଧି ଚାଲିଲେ। ପ୍ରକୃତରେ ତାଙ୍କ ଘରକୁ କାମ କରିବାକୁ ଆସୁଥିବା ଲୋକ ଦୁଇଜଣ ସହରକୁ କୌଣସି ଜରୁରୀ କାମରେ ଯାଇଥିବା ହେତୁ ଆସି ପାରି ନ ଥିଲେ। ମାତ୍ର ବିଜୟଙ୍କୁ ବୁଝାଇବ କିଏ? ବସ୍ତିର ସେହି ବୃଦ୍ଧବ୍ଯକ୍ତି ହାତ ଯୋଡି କ୍ଷମା ପ୍ରାର୍ଥନା କରିବାପରେ ମଧ୍ଯ ବିଜୟଙ୍କ ରାଗ ଶାନ୍ତ ହେଲାନାହିଁ। ସେ ରୋକଠୋକ ଶୁଣାଇ କହଲେ  ତୁମ ମାନଙ୍କର ମୋ ଘରକୁ ଆସି କାମ କରିବାର ଆବଶ୍ଯକତା ନାହିଁ। ଟଙ୍କା ଦୁଇପଇସା ରୋଜଗାର କରି ତୁମେମାନେ ଧରାକୁ ସରା ମନେ କରିବା ଆରମ୍ଭ କଲଣି। କିନ୍ତୁ ଏତିକି ଭୁଲି ଯାଉଛ ଯେ ମୁଁ ତୁମକୁ ଏ ଯାଗାରେ ରହିବାକୁ ଅନୁମତି ଦେଇ ନଥିଲେ  ତୁମ ମାନଙ୍କର ଅବସ୍ଥା କଣ ହୋଇ ଥାଆନ୍ତା। ତୁମେ ସବୁ ଛୋଟଲୋକ ହୋଇ ବଞ୍ଚୁଛ ଓ ଛୋଟଲୋକ ହୋଇ ମରିବ। ଧିକ୍ ତୁମ ଜୀବନ କୁ।
        ଘରକୁ ଆସିବାପରେ ସେ ଅନେକ ସମୟ ଧରି ଗୁମସୁମ ହୋଇ  ବସିରହିଲେ। ରମା ବାରମ୍ବାର ପଚାରିବା ପରେ ମଧ୍ଯ କୌଣସି ଉତ୍ତର ମିଳିଲା ନାହିଁ।  ବିଜୟଙ୍କୁ ଲାଗୁଥିଲା ତାଙ୍କ ପ୍ରଜାମାନେ ତାଙ୍କ ବିରୁଦ୍ଧରେ ଏକ ବିରାଟ ଷଡଯନ୍ତ୍ର ରଚନା କରିଛନ୍ତି ଓ କାମ କୁ ନଆସି ସେମାନେ ତାହାର ପ୍ରାକ୍ ସୂଚନା ଦେଇ ସାରିଛନ୍ତି। ତା ପରଦିନ ସକାଳୁ ଲୋକ ଦୁଇଟି କାକୁସ୍ଥ ହୋଇ ବିଜୟଙ୍କ ସାମ୍ନାରେ ଛିଡା ହୋଇଥିଲେ ଓ ବିଜୟଙ୍କ ମୁହଁରୁ ଅନବରତ ଗାଳିର ବର୍ଷଣ ଚାଲି ରହିଥିଲା।  ବିଜୟ ନିଜ ନିଷ୍ପତ୍ତିରେ ଅଟଳଥିଲେ ଓ ସେମାନଙ୍କୁ ଗାଳିମନ୍ଦ ଦେଇ ଫେରାଇଦେଲେ। ବିଜୟଙ୍କ କଥାବାର୍ତ୍ତାରୁ ଘଟଣା ବିଷୟରେ ସମ୍ଯକ ସୂଚନା ରମାଙ୍କୁ ମିଳି ସାରିଥିଲା, ମାତ୍ର ସେ ନୀରବ ଥିଲେ।
        ମାତ୍ର ଗୋଟିଏ ଦିନରେ ପରିସ୍ଥିତି ବଦଳି ଯାଇଥିଲା।  ବାଲକୋନିରେ ଛିଡାହୋଇ ବିଜୟ କ୍ରୋଧ ଜର୍ଜରିତ ହୋଇ ବସ୍ତି ବାସିନ୍ଦାଙ୍କୁ ଦେଖି ଚାଲିଥିଲେ। ଏବେ ପଡିଆରେ ଇତଃସ୍ତତଃ ଖେଳୁଥିବା ପିଲା ମାନେ ତାଙ୍କ ଆଡକୁ ଚାହିଁ ଖତେଇହେବା ପରି ଲାଗୁଥିଲେ। ନାରୀ ମାନଙ୍କର ଗପସପ ବୋଧେ ତାଙ୍କ ବିଷୟରେ ହିଁ  ଥିଲା,ନହେଲେ ସେମାନେ ଏମିତି ହସିହସି ଗଡି ଯାଉଥିଲେ କାହିଁକି। ସେହି ବୟୋବୃଦ୍ଧର ଶୁଷ୍କ ଚାହାଁଣୀରେ ବିଜୟଙ୍କୁ ଦୃଶ୍ଯ ହେଉଥିଲା ବିଦ୍ରୋହର ବହ୍ନି। ଲାଗୁଥିଲା ସେହି ବୃଦ୍ଧ ମନେମନେ ହସି କହିଚାଲିଥିଲା- - ଦେଖିଲ ତ ହଜୁର୍, ଆମେମାନେ କିପରି ଆପଣଙ୍କୁ ଭଲକରି ବୁଦ୍ଧିି ଶିଖାଇଦେଲୁ।  ଛିଃ...ବୋଲି ଚିତ୍କାର କରି ବିଜୟ ଘର ଭିତରକୁ ପଶିଗଲେ। କିଛିକ୍ଷଣ ପରେ ପୁଣି ବାଲକୋନିକୁ ଆସି ରମାଙ୍କୁ ଡାକି କହିଲେ- - ଆରେ ଦେଖିଲ, ଏ ବସ୍ତି ବାସିନ୍ଦା ମାନେ କେମିତି ଚୁଲି ଜାଳୁଛନ୍ତି ଯେ ଚତୁର୍ଦ୍ଦିଗ ଧୂମ୍ରମୟ ହୋଇ ଯାଉଛି। ସେମିତି ତ ମୋର ଶ୍ବାସରୋଗ ଅଛି। ଯଦି ଏମାନେ ଏମିତି ଧୂଆଁ କରିବେ ଖୁବ୍ କମ ଦିନ ଭିତରେ ମୋ ଦେହ ଖରାପ ହୋଇଯିବ। ସହଜ ସ୍ବରରେ ରମା କହିଲେ - - ଆରେ ସେମାନେ କୋଇଲାରେ ଆଞ୍ଚ କରୁଛନ୍ତି, ଧୂଆଁ ତ ହେବ ନିଶ୍ଚୟ। ଗରିବ ଲୋକ ସେମାନେ,କଣ ବା କରିବେ ?
- -     ସେମାନଙ୍କ ପାଇଁ ତୁମମନରେ ଏତେ ଦରଦ କାହିଁକି କହିଲ ଟିକେ, ନିମକହାରାମ ଗୁଡା ମୋ କଥାକୁ ଅମାନ୍ଯ କଲେ। ତୁମେ ଶେଷରେ ତାଙ୍କ କାମକୁ ସମର୍ଥନ କରୁଛ?ଲାଜ ଲାଗୁନି ତୁମକୁ ? ବିରକ୍ତିର ଚରମସୀମାରେ ପହଞ୍ଚି କହିଲେ ବିଜୟ। ରମା ବିଜୟଙ୍କ ମନର ଅବସ୍ଥା ବୁଝି ପାରି ଧୀରସ୍ବରରେ କହିଲେ- - ତୁମେ ବ୍ଯସ୍ତ ହୁଅନାହିଁ, ମୁଁ ବସ୍ତି କୁ ଯାଇ ସେମାନଙ୍କୁ ତାଗିଦ୍ କରିଦେଇ ଆସିବି।
- -     ତୁମେ କୁଆଡେ ଯିବା ଦରକାର ନାହିଁ, ମୁଁ ଏବେ ହିଁ ଯାଉଛି, ସେମାନଙ୍କୁ ଭଲରେ ପାନେ ଦେଇ ଆସିବି। ବିଜୟ ଏତିକିକହି ବସ୍ତିମୁହାଁ ହେଲେ। ରମା ବାଲକୋନିରେ ଛିଡାହୋଇ ଦେଖୁଥିଲେ ବିଜୟ ଓ ତାଙ୍କ ଚାରିପଟରେ ହାତଯୋଡି ଛିଡା ହୋଇଥିବା ବସ୍ତି ବାସିନ୍ଦାଙ୍କୁ।
    ବିଜୟ ବାରମ୍ବାର କହିବାପରେ ମଧ୍ଯ ବସ୍ତିରୁ ସକାଳେ ଓ ସଂଞ୍ଜବେଳେ ଉଠୁଥିବା ଧୂମ୍ରକୁଣ୍ଡଳର ନଭଶ୍ଚୁମ୍ଭୀ  ଆକୃତି  ପ୍ରଶମିତ ହେବାର କୌଣସି ଲକ୍ଷଣ ଦେଖାଗଲା ନାହିଁ। ଅବଶ୍ଯ ବସ୍ତି ଓ ବିଜୟଙ୍କ ଘରର ଦୂରତା ଯେତିକି ଥିଲା, ସେତିକିରେ  ଧୂଆଁର ଲେଶମାତ୍ର ଅଂଶ ଘରେ ପ୍ରବେଶ କରିବାର ଅବକାଶ ନଥିଲା। ମାତ୍ର ସେ ଧୂଆଁ ତ ଉଠୁଥିଲା ବିଜୟଙ୍କ ଅନ୍ତରାତ୍ମାରୁ,  ତାକୁ କିଏ ବା ପ୍ରଶମିତ କରିପାରି ଥାଆନ୍ତା। ଏବେ ସବୁଦିନ ସକାଳେ ଓ ସଂନ୍ଧ୍ଯାରେ ବିଜୟ ବସ୍ତିକୁ ଯାଇ ଭୀଷଣ ପାଟିତୁଣ୍ଡ କରି ଫେରୁଥିଲେ, ମାତ୍ର ତା ପରଦିନ ସକାଳୁ ବସ୍ତିରୁ ଧୂଆଁର ବହଳିଆ ପରସ୍ତ ପୁଣି ଉର୍ଦ୍ଧ୍ବଗାମୀ ହେବାକୁ ଲାଗୁଥିଲା। ଦିନ କୁ ଦିନ ବିଜୟଙ୍କୁ ସମ୍ଭାଳିବା ରମାଙ୍କ ପକ୍ଷରେ ଅସମ୍ଭବ ହେବାକୁ ଲାଗିଲା। ଏବେ ସେ ନିଜର ସାଙ୍ଗସାଥୀ ଓ ବନ୍ଧୁବାନ୍ଧବଙ୍କ ସାମ୍ନାରେ  ବସ୍ତିବାସିନ୍ଦାଙ୍କ ବିପକ୍ଷରେ ବିଷୋଦଗାର କରିବାରେ ଲାଗିଲେ।  ସମସ୍ତେ ବିଜୟଙ୍କୁ ସେହି ଗୋଟିଏ କଥା କହିଲେ- - କାହିଁକି ସେମାନଙ୍କ ପଛରେ ଲାଗିଛ। ସେମାନେ ତ ନିଜ ଦୁଃଖ ସମ୍ଭାଳି ପାରୁନାହାଁନ୍ତି ଅନ୍ଯର ସୁଖ କଥା ସେମାନେ ବା ଭାବିବେ କିପରି।  ବନ୍ଧୁପରିଜନଙ୍କର ଏପରି ନୀରସ କଥା ଶୁଣି ବିଜୟଙ୍କ ମନର ଉଦବିଗ୍ନୀତା ଆହୁରି ବଢିଯାଏ। ସେ ଭାବିପାରନ୍ତିନି ଲୋକମାନେ କେମିତି ବୁଝି ପାରୁନାହାଁନ୍ତି ଯେ  ତାଙ୍କ ସାହାଯ୍ଯ ବିନା ବସ୍ତିର ଇତରଲୋକଙ୍କ ମୁଣ୍ଡ, ଚାଳଛପର ଘରେ ସୁରକ୍ଷିତ ରହିପାରି ନଥାନ୍ତା।ଏମିତି ବେଶ୍ କିଛିଦିନ ବିତିଗଲା ଓ ରମାଙ୍କ ପକ୍ଷରେ ବିଜୟଙ୍କ ବ୍ଯବହାର ନିତିଦିନିଆ ପାଲଟିଗଲା।
    ସେଦିନ ଟେଲିଭିଜନରେ ଏକ ସମ୍ବାଦ ଶୁଣି ବିଜୟ ସୋଫା ଉପରେ ଲଥ୍ କରି ବସିପଡିଲେ।  କୋରୋନା ନାମ୍ନୀ ଏକ ଭୂତାଣୁର ସଂକ୍ରମଣ ଫଳରେ ଚୀନଦେଶରେ ଲୋକମାନେ ପୋକମାଛି ପରି ମୃତ୍ଯୁମୁଖରେ ପଡୁଥିଲେ ଓ ସେ ଭୂତାଣୁ ଅତି କ୍ଷୀପ୍ରଗତିରେ ଅନ୍ଯଦେଶ ମାନଙ୍କୁ ସଂକ୍ରମିତ କରିବାରେ  ଲାଗିପଡିଥିଲା। ରମାଙ୍କୁ ଏ ବିଷୟରେ ଖବର ଦେବାପରେ  ସେ ଭାବିଲେ ତାଙ୍କ ପୁଅବୋହୂ ଓ ନାତିର କଥା। ଏ ଦାରୁଣ ବିପତ୍ତି ବିଷୟରେ ସେମାନଙ୍କୁ ଜଣାଇଦେବା ସମୀଚୀନ ମନେକରି ସେ ପୁଅ ପାଖକୁ ଫୋନ୍ ଲଗାଇଲେ। ଦୁଇତିନି ଥର ଚେଷ୍ଟା କରିବାପରେ ପୁଅ ଫୋନ୍ ଧରିଲା ଓ ଭୀଷଣ ବିରକ୍ତିରେ ଅସମୟରେ ଫୋନ କରିବାର କାରଣ ପଚାରିଲା। ଥତମତ ହୋଇ ବିଜୟ କହିଲେ- - ପୁଅରେ, ଟିଭିରେ କୋରୋନା ବିଷୟରେ ଶୁଣି  ମନଟା ଅସ୍ତବ୍ଯସ୍ତ ହୋଇଗଲା। ସେଥିପାଇଁ ଫୋନ କରିଦେଲି। ତୁ ଟିକେ ସାବଧାନରେ ଚଳିବୁ ଓ ବୋହୂ ଓ ନାତିର ଯତ୍ନ ନେବୁ। ଯାହାହେଲେ ବି ତୁ ବିଦେଶରେ ରହୁଛୁ, ତୋ ମାଆ ଓ ମୋର ମନ କଣ ବୁଝୁଛି.......... ଏତିକି କହିପାରିଥିଲେ ବିଜୟ। ସେପଟରୁ ଗଗନ ଗର୍ଜନ କରି କହିଲା- - କାହିଁକି ବେକାରଟାରେ ମୁଣ୍ଡ ଖରାପ କରୁଛ ବାପା। ଆମେ ଆମ କଥା ବୁଝିପାରିବୁନି ଯେ ତୁମେ ଆମକୁ ଉପଦେଶ ଦେଉଛ ? ମଣିଷ ଏଠି କାମ କରିକରି ଅଧାପ୍ରାଣ ହେଲାଣି, ଆଉ ତୁମକୁ ଥଟ୍ଟା ଲାଗୁଛି ନାଇଁ ! ତୁମେ ସିନା ଖାଇପିଇ ଆରାମ କରୁଛ, ସେଥିପାଇଁ ଏ ଫାଲତୁ ନିଉଜ୍ ଦେଖି ମୁଣ୍ଡ ଖରାପ କରୁଛ। ବେକାରଟାରେ ମୋ ସମୟ ନଷ୍ଟକଲ। ଫୋନ ରଖ, ମୋର ବହୁତ କାମ ଅଛି। ହଁ, ଆଉ ଗୋଟେ କଥା,ଭବିଷ୍ଯତରେ ଏମିତି ଫାଲତୁରେ ମୋତେ ଡିଷ୍ଟର୍ବ କରିବନି ।  ଦରକାର ହେଲେ ମୁଁ ଫୋନ୍ କରିବି।
        ବିଜୟଙ୍କ ଛଳଛଳ ଆଖି ଦେଖି ରମା ଉତ୍କଣ୍ଠା ସହକାରେ କଣ ହୋଇଛି ବୋଲି ପଚାରିଲେ।  ମନ  ଭିତରୁ ଉଠି ଆସୁଥିବା କୋହକୁ ଚାପିବାର ଶତଚେଷ୍ଟା କରି ବିଫଳ ହେବାପରେ ବିଜୟ ରମାଙ୍କ ହାତକୁ ଜାବୁଡି ଧରି ଭୋ ଭୋ କରି କାନ୍ଦିଉଠିଲେ।  ବଡକଷ୍ଟରେ କେବଳ ଏତିକି କହିପାରିଲେ ଯେ- - ରମା, ତୁମ ପୁଅକୁ ଫୋନ୍ କରି ମୁଁ ମସ୍ତବଡ ଅପରାଧଟାଏ କରି ବସିଲି। ସେ ମୋତେ ମନଇଚ୍ଛା ଗାଳିଦେଲା ଓ ଭବିଷ୍ଯତରେ ଏମିତି ବିରକ୍ତ ନ କରିବାକୁ ଚେତାବନୀ ମଧ୍ଯଦେଲା। ଅଳ୍ପ ସମୟ ମଧ୍ଯରେ ଚାରିଟି ଆଖିରୁ ଧାରାଶ୍ରାବଣ ବୋହି ଚାଲିଥିଲା ଓ  ଦୁଇଟି ବ୍ଯଥିତ ପ୍ରାଣ  ଅବ୍ଯକ୍ତ ବେଦନାର ବହ୍ନିରେ ଦଗ୍ଧୀଭୂତ ହୋଇ ଚାଲିଥିଲେ।
        ଆଖିରୁ ଲୁହ ପୋଛି ବିଜୟ ଚାରିଆଡକୁ ଦେଖି ଭୟରେ ସାଙ୍କୁଡି ଗଲେ- - ଏ କଣ, ତାଙ୍କ ଘର ଭିତରେ ଧୂଆଁ କେଉଁଠାରୁ ଆସିଲା। ଘନକୃଷ୍ଣ ବର୍ଣ୍ଣର ଧୂଆଁରେ ଝାପସା ଦିଶୁଥିଲା ରମାଙ୍କ ବିଷର୍ଣ୍ଣ ବଦନ ଓ  ଲୋତକାପ୍ଳୁତ  ନୟନଯୁଗଳ।  ସେ ମନକୁ ମନ କହିଉଠିଲେ- - ଆରେ ବସ୍ତିର ଧୂଆଁ ମୋ ଘରେ ମଧ୍ଯ ପ୍ରବେଶ କରିଗଲା ନା କଣ ? .......ନାଁ ନାଁ ତାହା ହୋଇ ନପାରେ- - ବସ୍ତିରୁ ଉଠୁଥିବା ଧୂଆଁ ତ ବରଫସମ ଶୁଭ୍ର, କଦାପି କୃଷ୍ଣବର୍ଣ୍ଣୀ  ନୁହେଁ-- - ତେବେ ଏହି ଘନକୃଷ୍ଣ ଧୂଆଁ , ତାଙ୍କ ମାନସିକ ଅବସ୍ଥାର ପ୍ରତିଫଳନ ନୁହେଁ ତ ?
    ତା ପରଦିନ ସକାଳୁ ହାତରେ ଚାହାକପ୍ ଧରି ବିଜୟ ଏକଲୟରେ ଚାହିଁ ରହିଥିଲେ ସେହି ବସ୍ତି ଆଡକୁ। କେଜାଣି କାହିଁକି, ବସ୍ତିବାସିନ୍ଦାଙ୍କ ପାଇଁ  ତାଙ୍କ ମନରେ ଅହରହ ଜନ୍ମ ନେଉଥିବା କ୍ରୋଧ ଓ ଅସୂୟାଭାବର  ବିଶାଳକାୟ ଢେଉ ଭଟ୍ଟାଗ୍ରସ୍ତ ହୋଇ ପଡିଥିଲା। ସେଦିନ ବିଜୟ ପାଟିତୁଣ୍ଡ କରିବାକୁ ବସ୍ତିକୁ ଗଲେ ନାହିଁ। ବୈଠକଖାନାରେ ବସି  ଟିଭିରେ ନିଉଜ୍ ଦେଖିବାରେ ଲାଗିଲେ।  କୋରୋନା ସମ୍ପର୍କିତ ଖବର ଶୁଣି ତାଙ୍କ ପାଦତଳୁ ମାଟି ଖସିଯିବା ପରି ଲାଗିଲା। ସମଗ୍ର  ପୃଥିବୀରେ କୋରୋନା ମହାମାରୀ ରୂପ ଧାରଣକରି ମୃତ୍ଯୁର ତାଣ୍ଡବ ଚଳାଇଥିଲା। ଅତ୍ଯାଧୁନିକ ଜ୍ଞାନକୌଶଳ ଓ ବିଜ୍ଞାନର ଦୁରୁପଯୋଗ କରି ଧରାକୁ ସରା ମଣୁଥିବା ମନୁଷ୍ଯଗଣ ଏକ କ୍ଷୁଦ୍ରାତିକ୍ଷୁଦ୍ର  ଭୂତାଣୁର ଭୀଷଣ ପ୍ରହାରରେ ପରାସ୍ତ ହୋଇ ମୃତ୍ଯୁଫାଶରେ ଆବଦ୍ଧ ହୋଇ ଚାଲିଥିଲେ। ସମଗ୍ର ବିଶ୍ବର ବୈଜ୍ଞାନିକ,ଚିକିତ୍ସକ ଓ ବୁଦ୍ଧିମାନ ବୋଲାଉଥିବା ମନୁଷ୍ଯଗଣ କୋରୋନା ଭୂତାଣୁର ଆଦିଅନ୍ତ ପାଉନଥିଲେ। ଚିକିତ୍ସା ତ ଦୂରର କଥା,କେମିତି ଭୂତାଣୁ ସଂକ୍ରମଣରୁ ରକ୍ଷା ମିଳିବ ତାହା ମଧ୍ଯ ଜାଣି ପାରୁ ନ ଥିଲେ। ବିଜୁଳିପରି କ୍ଷୀପ୍ରଗତିରେ କୋରୋନା ଆସି ଭାରତରେ ପ୍ରବେଶ କରିବାର ଖବର ଶୁଣି  ରମା ଓ ବିଜୟ ସ୍ତମ୍ଭୀଭୂତ ହୋଇଗଲେ। କେବଳ ନିଜକୁ ଘର ମଧ୍ଯରେ ଆବଦ୍ଧ କରି ଏହି ଭୂତାଣୁ କବଳରୁ ବର୍ତ୍ତିହେବ ବୋଲି ତୁହା କୁ ତୁହା ଖବର ପ୍ରସାରିତ ହେବାରେ ଲାଗିଥିଲା। ବିପଦର ଆଶଙ୍କା କରି ବିଜୟ ମୋଟରକାର ନେଇ ସହର ଗଲେ ଓ ଅଧିକ ମାତ୍ରାରେ ଅତ୍ଯାବଶ୍ଯକ ସାମଗ୍ରୀ କିଣି ଘରକୁ ଫେରିଲେ। କେତେଦିନ ଏ ବିପଦ ଚାଲିବ ଜାଣିବାର ବାଟ ନଥିଲା। ଖବର ପ୍ରସାରଣକାରୀ ଗଣମାଧ୍ଯମ ପ୍ରତିନିଧିଙ୍କ ସ୍ବରରେ ଅଜଣା ଆଶଙ୍କା ଓ ଭୟକୁ ବେଶ୍ ବାରି ପାରୁଥିଲେ ବିଜୟ। ତାଙ୍କ ଆଶଙ୍କା ସତ୍ଯରେ ପରିଣତ ହେଲା ଯେତେବେଳେ ସ୍ବୟଂ ପ୍ରଧାନମନ୍ତ୍ରୀ ସମ୍ପୁର୍ଣ୍ଣ ଦେଶରେ ଲକଡାଉନ୍ ଘୋଷଣା କଲେ । ଯିଏ ଯେଉଁଠାରେ ଅଛି ସେହିଠାରେ ସ୍ଥାଣୁ ପାଲଟିଯିବାକୁ ଆଦେଶଥିଲା। ଘରୁ କେହି ନ ବାହାରିବାକୁ ଚେତାବନୀ ଦେବା ସହିତ ଆଦେଶ ନ ମାନିଲେ ଭୟଙ୍କର ଦଣ୍ଡର ବ୍ଯବସ୍ଥା ମଧ୍ଯଥିଲା । କାଳେ ପୁଅ ଫୋନ୍ କରିବ ବୋଲି ସେଦିନ ସାରା ରାତି ଦୁଇପ୍ରାଣୀ ଫୋନ ପାଖରେ ତପସ୍ଯା କରିବା ପରି ପଡିରହିଲେ। କିନ୍ତୁ ନା ପୁଅ ଫୋନ୍ କଲା ନା ସେମାନେ କରିବାର ସାହାସ ଜୁଟାଇ ପାରିଲେ। ତା ପରଦିନ କେତେବେଳେ ସୂର୍ଯ୍ଯଙ୍କର ଆବିର୍ଭାବ ହେଲା ବିଜୟଙ୍କୁ ଜଣାପଡିଲାନି। କିନ୍ତୁ ଜଣା ପଡିଲା ପରିବେଶରେ ଅହେତୁକ ନୀରବତା ଓ ଭୟର  ଆସର। ପୃଥିବୀର ଘୂର୍ଣ୍ଣନ ସତେକି ରହିଯାଇଥିଲା। ନିଉଜ୍ ରେ କୋରୋନା ସମ୍ପର୍କିତ ଖବର ଶୁଣିଶୁଣି ବିଜୟଙ୍କ ମନପ୍ରାଣ ବ୍ଯଥିତ ହୋଇଗଲା। ସେ ବାଲକୋନିରେ ଛିଡା ହୋଇ ଶୂନ୍ଯଦୃଷ୍ଟିରେ ଚାହିଁ ରହିଲେ ବସ୍ତି ଆଡକୁ। ସେଦିନ ଧୂମ୍ର ବଳୟର ଘନତା ବେଶ୍ କମ୍  ଥିଲା। ସବୁଦିନ ଜଳୁଥିବା ଚୁଲିର ସଂଖ୍ଯା କମିଯାଇଥିଲା ବୋଧେ। ବସ୍ତବାସିନ୍ଦାଙ୍କ ମୁଖମଣ୍ଡଳରୁ ସ୍ପଷ୍ଟ ବାରିହୋଇ ପଡୁଥିଲା ଏକ ଅଜଣା ଭୟର ଆତଙ୍କ। ସେମାନଙ୍କର ଗତିବିଧି ଧୀରମନ୍ଥର ଥିଲା ଓ ସେମାନେ ଗମ୍ଭୀର ଆଲୋଚନାରେ ବ୍ଯାପୃତ ଥିବାପରି ଲାଗୁଥିଲେ।
    ଏସବୁ ଦେଖି  ଆନନ୍ଦିତ ହୋଇଉଠିଲେ ବିଜୟ। ବଡପାଟିରେ ରମାଙ୍କୁ ଡାକି କହିଲେ- - ଆରେ ଶୁଣୁଛ ଆସ ଦେଖିବ ଆଜି କେମିତି ବସ୍ତିରୁ ଧୂଆଁ ଉଠିବା କମି ଯାଇଛି। ସେମାନେ ବୋଧେ ନିଜ ଭୁଲ ବୁଝିପାରିଛନ୍ତି। ଦେଖୁନ ନିଜ ଭିତରେ କେମିତି ଆଳାପ  ଆଲୋଚନା ଚଳାଇଛନ୍ତି।  ରମା କହିଲେ ବସ୍ତିବାସିନ୍ଦା ନିଜ କୃତକର୍ମର ଫଳ ପାଉଛନ୍ତି। କିନ୍ତୁ ତାଙ୍କ ଉତ୍ତରରେ ସନ୍ତୁଷ୍ଟ ନଥିଲେ ବିଜୟ ଓ ସେ ମୁହଁ ଫଣଫଣ କରି ଟିଭି ଆଗରେ ବସିଲେ କୋରୋନା ବିଷୟରେ ତାଜା ଖବର ପାଇବା ଆଶାରେ। ପ୍ରତ୍ଯେକ ଚ୍ଯାନେଲରେ ସେଇ ଗୋଟିଏ ଆଲୋଚନା "କୋରୋନା”। ଚାରିଆଡେ ଲକ୍ ଡାଉନ ହେବା ଫଳରେ ଲୋକ ମାନଙ୍କର ନାହିଁନଥିବା ଅସୁବିଧାର ବିବରଣୀ ସହିତ କୋରୋନାରୁ ବଞ୍ଚିବାର ଉପାୟମାନ ନୂଆ ଢଙ୍ଗରେ ପରିବେଶିତ ହେବାରେ ଲାଗିଥିଲା। ଚାହାକପ୍ ହାତରେ ଧରି ପୁଣି ବସ୍ତି ଆଡକୁ ଚାହିଁବାରେ  ଲାଗିଲେ ବିଜୟ। ସେଦିନ ବସ୍ତିରେ ଅପେକ୍ଷାକୃତ ଅଧିକ ଗହଳି ଜଣା ପଡୁଥିଲା। ବୋଧେ କେହି କାମ କୁ ଯାଇ ନଥିଲେ। ବସ୍ତି ପିଲାଙ୍କର ଖେଳକୁଦ ଓ ଖାଇବାର ଆସର ତାଙ୍କ ନଜରରେ ପଡିଲାନି। ସେତିକିବେଳେ ରମା କହିଲେ ଆରେ ସେମାନଙ୍କର ଚୁଲି ଜଳିବ କେମିତି , ଚାରିଆଡେ ପରା ଲକ୍ ଡାଉନ ଚାଲିଛି। ଟିଭିରେ ଦେଖଉଛି ପରା ଯିଏ ବି ବାହାରକୁ ବାହାରିବ ତାକୁ ପୋଲିସ ବାନ୍ଧିନେବ। ଦୀର୍ଘନିଶ୍ବାସ ପକାଇ ବିଜୟ କହିଲେ - - ହୁଁ, ଦେଖାଯାଉ କଣ ହେଉଛି। ଆମପାଇଁ ମୁଁ ଢେର ଜିନିଷପତ୍ର କିଣି ଆଣିଛି। ଆମ ବଗିଚାରେ ପ୍ରାୟ ସବୁ ପ୍ରକାରର ପରିବା ଅଛି। ମୁଁ ଭାବୁଛି ଲକ୍ ଡାଉନ ତିନି ଚାରି ମାସ ଯାଏ  ହେଲେ ବି ଆମର କୌଣସି ଅସୁବିଧା ହେବନାହିଁ।
    ସେଦିନ ବାରମ୍ବାର ବାଲକୋନିରେ ଛିଡା ହୋଇ ବିଜୟ ଏକଲୟରେ ଚାହିଁ ରହୁଥିଲେ ବସ୍ତି ଆଡକୁ। ତାଙ୍କୁ ଶୁଭୁଥିଲା ସାନପିଲା ମାନଙ୍କର ବିକଳକ୍ରନ୍ଦନ ଓ ନାରୀମାନଙ୍କର ଉଚ୍ଚସ୍ବରରେ କଥାବାର୍ତ୍ତା। ସକାଳେ ସେ ଦେଖିଥିଲେ ଧୂଆଁର ଏକ ଦୁର୍ବଳ ରେଖା କିନ୍ତୁ ସଂନ୍ଧ୍ଯା ବେଳକୁ ବସ୍ତିରେ ଧୂଆଁର ଲେଶମାତ୍ର ଚିହ୍ନ ନ ଥିଲା। ବିଜୟଙ୍କ ମନରେ ବିଚିତ୍ର ଭାବନାମାଳା ଉଙ୍କି ମାରିବାରେ ଲାଗିଥିଲା। ଏତେଦିନରୁ ଲଢି ଆସୁଥିବା ଯୁଦ୍ଧରେ ସେ ବିଜୟୀ ହେବାପରେ ମଧ୍ଯ ମନରେ କାହିଁକି କେଜାଣି ଭୀଷଣ ଉଦବୀଗ୍ନତା ଲାଗି ରହିଥିଲା।  ତା ପରଦିନ ସକାଳୁ ବସ୍ତି ସାମ୍ନାରେ ପୋଲିସଗାଡି ଦେଖି ସେ ଆଶ୍ଚର୍ଯ୍ଯ ହୋଇଗଲେ।  ସାହାସ ସଞ୍ଚୟ କରି ସେଠାରେ ପହଞ୍ଚିବା ପରେ ଜଣା ପଡିଲା, ସେ ଅଞ୍ଚଳରୁ ବାହାରକୁ ନଯିବା ପାଇଁ ପୋଲିସ ତାଗିଦ କରୁଛି। ଜଣେ ପୋଲିସ ବିଜୟଙ୍କୁ କହିଲା- - ଆଜ୍ଞା। ଆପଣଙ୍କ ବୟସ ଯାହା ଆପଣ ଘରେ ରହିବା କଥା। ନହେଲେ କେତେବେଳେ କୋରୋନା ଗିଳିଦେବ ଜାଣି ପାରିବେନି। ଚୁପଚାପ ଘରକୁ ଚାଲିଯାଆନ୍ତୁ ଓ ଘରଭିତରେ ନିଜକୁ ଆବଦ୍ଧ କରି ରଖନ୍ତୁ। ଫେରିବା ସମୟରେ ସେ ଦେଖିଲେ ବସ୍ତିର ବୟୋବୃଦ୍ଧ ବ୍ଯକ୍ତି ନେହୁରା ହୋଇ ପୋଲିସକୁ କିଛି କହୁଛି, ମାତ୍ର ପୋଲିସ ବାଡି ଉଠାଇ ତାକୁ ଚେତାବନୀ ଦେଉଛି।
    ତା'ପର ଦିନ ସକାଳୁ ବସ୍ତିକୁ ଆଚ୍ଛନ୍ନ କରି ରଖିଥିଲା ଶ୍ମଶାନର ନୀରବତା। ବସ୍ତିବାସିନ୍ଦା ମାନେ  ନିଜ ଘରଭିତରେ ଆବଦ୍ଧ ହୋଇ ରହିଥିଲେ। ନା ଦିଶୁଥିଲା ପିଲାମାନଙ୍କର ଖେଳକୁଦ ନା ଶୁଭୁଥିଲା ନାରୀ ମାନଙ୍କର କୋଳାହଳ। ସବୁଠାରୁ ଆଶ୍ଚର୍ଯ୍ଯର କଥା ଥିଲା ସେଦିନ ବସ୍ତିରେ ଚୁଲି ଜଳୁନଥିଲା ଓ  ଧୂଆଁର ନାମଗନ୍ଧ ନ ଥିଲା। କେଜାଣି କାହିଁକି ବିଜୟଙ୍କୁ ଚତୁର୍ଦ୍ଦିଗ ଧୂମ୍ରମୟ ଦିଶିଲା। ସେଦିନ ବସ୍ତିରୁ ସିନା ଧୂଆଁ ଉଠୁ ନ ଥିଲା କିନ୍ତୁ  ବିଜୟଙ୍କ  ଆତ୍ମା,ପ୍ରାଣ ଓ ଶରୀର ଧୂମ୍ରମୟ ହୋଇ ସାରିଥିଲା। ଦିନ କେତେବେଳେ ସରିଗଲା ଜଣା ପଡିଲାନି, ସଞ୍ଜବେଳେ ମଧ୍ଯ ବସ୍ତିରେ ସକାଳ ଦୃଶ୍ଯର ପୁନରାବୃତ୍ତି ହେଲା। ବିଜୟଙ୍କ ମନ ଅସ୍ଥିର ହୋଇଉଠିଲା। ରମା ଲୁଚିଲୁଚି କାନ୍ଦୁଥିଲେ,କାରଣ ପୁଅବୋହୂଙ୍କର କୌଣସି ଖବର ଆସୁନଥିଲା। ଏତେ ଗମ୍ଭୀର ସମସ୍ଯାରେ ମଧ୍ଯ ସେମାନେ ବୃଦ୍ଧ ବାପାମାଆଙ୍କର ଖବର ଜାଣିବା ପାଇଁ ଥରେହେଲେ ଫୋନ କରି ନ ଥିଲେ। ବିଜୟ ବୁଝିପାରୁଥିଲେ ରମାଙ୍କ ମନର ଅବସ୍ଥା,କିନ୍ତୁ ସେ ନାଚାରଥିଲେ। କଣ ଭାବିଲେ କେଜାଣି,ରମାଙ୍କୁ କହିଲେ ଚାଲଟିକେ ବସ୍ତି ଆଡକୁ ଯାଇ ଦେଖିବା, କାହିଁକି ବସ୍ତିରୁ ଧୂଆଁ ଉଠୁନାହିଁ ସେ ବିଷୟ ବୁଝିଆସିବା।
        ରମା ଆଶ୍ଚର୍ଯ୍ଯ ହୋଇ ବିଜୟଙ୍କୁ ଚାହିଁ  ଶାଣିତସ୍ବରରେ କହିଲେ  - - ଦୟାକରି ତୁମର ପାଗଳାମୀ ବନ୍ଦ କର। ସେମାନେ ତେଣେ ଭୋକ ଓପାସରେ ମରନ୍ତୁ,କିନ୍ତୁ ସେମାନଙ୍କ ଉପରେ ତୁମର ପ୍ରଭୂତ୍ବ ଜାହିର କରିବାର ଲାଳସା ଯାଉନି। କେମିତିକା ମଣିଷ ତୁମେ କେଜାଣି? କୁଆଡେ ଗଲା ତୁମର ମଣିଷତ୍ବ? ଛି.....  ମୋର ତୁମ ସାଙ୍ଗରେ ଯିବାର ନାହିଁ ତୁମେ ନିଜେ ଯାଇ ଦେଖ। ବାହାଘରର ଏତେ ବର୍ଷ ଭିତରେ ବିଜୟ  ରମାଙ୍କର ଏପରି  ରୂପ  କେବେ ଦେଖିନଥିଲେ । ସେ  ଲଥ୍ କରି ସୋଫା ଉପରେ ବସି ପଡିଲେ।  କୌଣସି ପ୍ରତିକ୍ରିୟା ନ ଦଖାଇ ରମାଙ୍କ ହାତଧରି ବସ୍ତି ଆଡକୁ ବାହାରିଲେ।
    ବସ୍ତିରେ ବିଜୟ ଓ ରମାଙ୍କୁ ଘେରି ରହିଥିଲେ ସମସ୍ତ ବସ୍ତିବାସିନ୍ଦା।  ବୟୋବୃଦ୍ଧ ଜଣକ ହାତଯୋଡି ବିଜୟଙ୍କୁ କହିଲେ - - ଆମଦ୍ବାରା କିଛି ଭୂଲ ହୋଇଗଲା କି ହଜୁର୍।  ବସ୍ତିର ପିଲାମାନେ ରାହାଛାଡି କାନ୍ଦୁଛନ୍ତି,ଯେତେ ବୁଝାଇଲେ ବି ସେମାନେ ଚୁପ୍ ହେଉ ନାହାଁନ୍ତି। ଆମେ ସିନା ଭୋକ ସମ୍ଭାଳି ବଞ୍ଚିବା ଶିଖି ଯାଇଛୁ କିନ୍ତୁ ସେମାନେ ତ.....ଆଉ କିଛି କହି ନପାରି ସେ ଭୋ ଭୋ ହୋଇ କାନ୍ଦି ଉଠିଲେ।  ଗମ୍ଭୀର କଣ୍ଠରେ ବିଜୟ କହିଲେ- - ଆରେ ଯଦି ସେମାନେ କାନ୍ଦୁଛନ୍ତି ତେବେ ଖାଇବାକୁ ଦେଉନ କାହିଁକି?
- - କଣ ଦେବୁ ହଜୁର୍, କାହାଘରେ ଦାନା ଖଣ୍ଡେ ନାହିଁ। ପୋଲିସ ଧମକ ଦେଇ କହିଛି ବାହାରକୁ ନ ବାହାରିବାପାଇଁ। କାମକୁ ନଗଲେ ଆମେ ରୋଜଗାର କରିବୁ କଣ ଓ ଖାଇବୁ କଣ? ସମସ୍ତେ କହୁଛନ୍ତି ବାହାରକୁ ଗଲେ ରୋଗ ମାରିଦେବ,କିନ୍ତୁ ବାହାରକୁ ନ ଗଲେ ଆମେ ଭୋକରେ ମରିଯିବୁ ହଜୁର୍। ବିଜୟ ବସ୍ତିବାସିନ୍ଦାଙ୍କ ଶୁଷ୍କ ମୁହଁ ମାନଙ୍କୁ ଦେଖି ଚାଲିଥିଲେ। କାନ୍ଦିକାନ୍ଦି ସେମାନଙ୍କ ଆଖିରୁ ଲୁହ ବାହାରିବା ବନ୍ଦ ହୋଇ ସାରିଥିଲା। ପିଲାମାନଙ୍କର ତଣ୍ଟି ବସି ସାରିଥିଲା ଓ ସେମାନଙ୍କ କ୍ଷୁଦ୍ର ଶରୀର ମାନ ନିସ୍ତେଜ ହୋଇ ପଡୁଥିଲା।  ବିଜୟଙ୍କ ଆବିର୍ଭାବ ସେମାନଙ୍କ ପାଇଁ  ସ୍ବୟଂ ଇଶ୍ବରଙ୍କ ଆଶିର୍ବାଦ ପରିଥିଲା। କାନ୍ଦିକାନ୍ଦି ସେମାନେ ନିଜ ଦୁଃଖଦୁର୍ଦ୍ଦଶାର  କାହାଣୀ ମାନ ବଖାଣି ଚାଲିଥିଲେ। ସେସବୁ କଥା ଶୁଣି ରମା କୋହ ସମ୍ଭାଳି ନପାରି କାନ୍ଦି ଉଠିଲେ ଓ ବିଜୟଙ୍କ ହାତଧରି ଘରକୁ ଚାଲିଆସିଲେ। ବେଶ୍ କିଛି ସମୟ ଗୁମସୁମ ବସିବା ପରେ ରୋଷେଇଘରେ ପଶିଲେ ରମା।  ଖାଇବା ଟେବୁଲରେ ହାତରେ ରୁଟିଧରି ବସିଥିଲେ ବିଜୟ। ରୁଟି ଓ ବିଜୟଙ୍କ ପାଟି ମଧ୍ଯରେ ଥିଲା ଧୂଆଁର ଏକ ବହଳିଆ ଆସ୍ତରଣ,ସେଥିପାଇଁ ବୋଧେ ରୁଟି ଖଣ୍ଡକ ପାଟିର ବାଟ ନପାଇ ବିଜୟଙ୍କ ହାତରୁ ତଳକୁ ଖସି ପଡିଲା। ବିଜୟ ନିଜର ସମସ୍ତ ଶକ୍ତି ଖଟାଇ ଚିତ୍କାର କରି କହିଲେ- - ନାଁ, ମୋ ପ୍ରଜାମାନେ ଭୋକ ଓପାସରେ ଛଟପଟ ହେଲାବେଳେ ମୁଁ ଖାଇପାରିବିନି। ମୋତେ ହିଁ ସେମାନଙ୍କ କଥା ବୁଝିବାକୁ ହେବ।   ଏକ ବଡବ୍ଯାଗ୍ ରେ କିଛି ଜିନିଷ ଧରି  ବିଜୟ ଝଡବେଗରେ ବସ୍ତି ଅଭିମୁଖେ ଦୌଡିବାକୁ ଲାଗିଲେ।  ରମା କିଛି କହିବା ପୂର୍ବରୁ ବିଜୟ ଅନ୍ତର୍ଦ୍ଧ୍ଯାନ ହୋଇ ସାରିଥିଲେ। ବାଲକୋନିରୁ ଛିଡାହୋଇ ରମା ବସ୍ତି ଭିତରେ ବିଜୟଙ୍କୁ ଖୋଜିବାରେ ଲାଗିଥିଲେ। ଆଉ ବିଜୟ.....
     ସେ ବସିଥିଲେ ନିଜ ପ୍ରଜାମାନଙ୍କ ଗହଣରେ। ସେମାନଙ୍କ ହାତକୁ ଟେକି ଚାଲିଥିଲେ ଚାଉଳ,ଅଟା,ଚୁଡା,ବିସ୍କୁଟ୍,ଚିନି,ତେଲ,ଲୁଣ ଆଦି ଓ କିଛି ନିର୍ଦ୍ଦେଶ ଦେଇ ଚାଲିଥିଲେ। କିଛି ସମୟ ଭିତରେ ବସ୍ତି ମଧ୍ଯରୁ ଉଠିବାକୁ ଲାଗିଲା ଧୂଆଁର ପତଳା ଧାର ଯାହା ଧିରେଧିରେ କାୟାବିସ୍ତାର କରି ସଗର୍ବେ ଉର୍ଦ୍ଧ୍ବମୁଖୀ ହେବାରେ ଲାଗିଲା। ରାତିର ସେହି ବିଳମ୍ବିତ ପ୍ରହରରେ ହାତରେ ବିସ୍କୁଟ୍ ଧରି ପିଲାମାନେ ଖୁସିରେ ଦୌଡାଦୌଡି କରିବା ଦୃଶ୍ଯହେଲା। ବସ୍ତିର ନାରୀମାନେ ରୋଷଇକାମରେ ଲାଗିପଡିଥିଲେ ଓ ନିମିଷକରେ ବସ୍ତିବାସିନ୍ଦାଙ୍କ  ଦୁର୍ଦ୍ଦଶାର କଳାବାଦଲ ଭିତରୁ  ଆଶାର ସୂର୍ଯ୍ଯ ସହାସ୍ଯ ବଦନରେ ଉଙ୍କି ମାରି ଚାଲିଥିଲା।
    ସ୍ଫଟିକସମ ଶୁଭ୍ର ଧୂଆଁର ମୋଟା ଚାଦର ଭିତରୁ ବିଜୟ ହସିହସି ବାହାରି ଆସୁଥିଲେ। ତାଙ୍କ ମୁଖମଣ୍ଡଳରେ ଖେଳି ଚାଲିଥିଲା ଅପୂର୍ବ ଆନନ୍ଦ ଓ ପରିପୂର୍ଣ୍ଣତା। ଯେଉଁ ଧୂଆଁ ପାଇଁ ସେ ନିଜର ସମସ୍ତ ସୁଖଶାନ୍ତି ହରାଇ ସାରିଥିଲେ,ଆଜି ସେହି ଧୂଆଁ ତାଙ୍କ ଆତ୍ମା,ପ୍ରାଣରେ ଭରିଚାଲିଥିଲା ନୂତନ ସୁଗନ୍ଧ ଓ ସ୍ବର୍ଗୀୟତାର  ଅନୁଭୂତି। ଅଜାଣତରେ ରମାଙ୍କ ପାଟିରୁ  ବାହାରି ଆସିଲା- - ତୁମ ହାତ ଧରିବା ଦିନରୁ ମୋତେ ସମସ୍ତେ କହୁଥିଲେ ଯେ ତୁ ଜଣେ ରାଜକୁମାରକୁ ବାହା ହେଉଛୁ। ଆଜି ଏତେବର୍ଷ ପରେ ମୁଁ ଅନୁଭବ କରୁଛି ସେ ଉକ୍ତିର ସତ୍ଯତା- - -ସତରେ ତୁମେ ଜଣେ ରାଜା ଓ ମୁଁ ତୁମର ରାଣୀ।  ସେତିକି ବେଳେ ପଛରୁ ବିଜୟ କହିଲେ - - ଆରେ କଣ ଗୁଣୁଗୁଣୁ ହେଉଛ, ଜଲଦି ଖାଇବା ବାଢ, ମୋତେ ଭୀଷଣ ଭୋକ। ଆଖିରୁ ବୋହି ଆସୁଥିବା ଦୁଇଧାର ଲୁହ ପୋଛିନେଇ ମୁଣ୍ଡରେ ଓଢଣାଦେଇ ରମା ବିଜୟଙ୍କ ଗୋଡତଳେ ମୁଣ୍ଡିଆ ମାରି କହିଲେ-- ହେ ରାଜା, ମୋ ଭୁଲ ପାଇଁ ମୋତେ କ୍ଷମା କରିଦେବ। ରମାଙ୍କୁ ନିଜ ଆଡକୁ ଟାଣିନେଲେ ଓ ତାଙ୍କ ମୁଣ୍ଡକୁ ନିଜ ଛାତି ଉପରେ ରଖି କହିଲେ- - ହେଇ ଶୁଣ, କଣ କହୁଛି ମୋ ହୃଦୟର ସ୍ପନ୍ଦନ। ତୁମ ନାମ ଶୁଣିପାରୁଛ  ତ? ବିପଦ ଯେତେ ବିଶାଳ ହେଉ, ଆମେ ଲଢିବା ଓ ଜିତିବା। କୋରୋନା ବିରୁଦ୍ଧରେ ଆମର ଯୁଦ୍ଧ ଏହିକ୍ଷଣରୁ ଆରମ୍ଭହେଲା। ମନରେ ବିଶ୍ବାସ ରଖ। ଆମେ ଜିତବା  ଓ  କୋରୋନା ବି ହାରିଯିବ ଆମପାଖରୁ। ସେ ଘୋଷଣା କରି କହିଲେ- - ଆସ କୋରୋନା ଆସ, ସମ୍ମୁଖ ଯୁଦ୍ଧ ପାଇଁ  ଆମେ ପ୍ରସ୍ତୁତ।
    ସମଗ୍ରବିଶ୍ବରେ ମୃତ୍ଯୁର ତାଣ୍ଡବ ରଚି ଚାଲିଥିବା କୋରୋନା ସେଦିନ ବିଜୟଙ୍କ ଯୁଦ୍ଧଂଦେହୀ ହୁଙ୍କାର ଓ ବସ୍ତିରୁ ଉଠି ଚାଲିଥିବା ଧୂଆଁର  ବହଳିଆ ଆସ୍ତରଣ ଦେଖି  କିଛିକ୍ଷଣ ପାଇଁ ସ୍ତମ୍ଭୀଭୂତ ହୋଇଯାଇଥିବ ନିଶ୍ଚୟ।
                    - -ସମାପ୍ତ- -