Tuesday, November 28, 2017

ଉଦରୋପାଖ୍ଯାନମ୍


           ଉଦରୋପାଖ୍ଯାନମ୍
ଲେଖା-ଅରବିନ୍ଦ ରଥ

ଗଲା ମାସ ରେ କିଣିଥିବା ସାର୍ଟ ଟା ଆଉ ଦେହରେ କଣ୍ଟ ହଉନି। ପେଟଟା ଭୁଷୁଡି ବାହାରକୁ ଆସିଲା ପରି ପ୍ରତୀୟମାନ ହେଲାଣି। ଯେନତେନ ପ୍ରକାରେଣ ପେଟକୁ ଭିତରକୁ ଖାଙ୍କି ସାର୍ଟର ବୋତାମ ଦେଲାବେଳକୁ ଝାଳରେ ଥରେ ଗାଧୋଇ ସାରିଲେଣି ଚକରା ବାବୁ। ସେପଟେ ପତ୍ନୀଙ୍କର କୋକିଳ ରାବ ଟି ବେଳ କୁ ବେଳ କର୍କଶ ହୋଇ କାକରାବରେ ପରିବର୍ତ୍ତିତ ହୋଇସାରିଲାଣି। ଏକ ପ୍ରକାର ଦଉଡି ଯାଇ ପହଞ୍ଚିଲେ ଖାଇବା ଟେବୁଲ ପାଖରେ। ପ୍ଲେଟ୍ ରେ ସଜେଇ ରଖା ଯାଇଛି ପୋଲିଓ  ଗ୍ରସ୍ତ ତିନି ଟି ଇଡିଲି ଓ ଆଞ୍ଜୁଳାଏ ଧଳା ଚଟଣି। ସକାଳ ଜଳଖିଆର ଏମନ୍ତ ରୂପ ଦେଖି ଚକରା ଙ୍କ ମୁଣ୍ଡରେ ତେନ୍ତୁଳିଆ ବିଛା କାମୁଡିବା ଆରମ୍ଭ କଲା।  ମନ ଭିତରେ ରାଗ , ନାଥୁ ଜଳଖିଆ ଦୋକାନ ରେ ଜଳୁଥିବା ଚୁଲି ନିଆଁ  ଠାରୁ ଢେର ବେଶି ହେଲେ ବି କୌଣସି ପ୍ରକାରେ କଣ୍ଠରେ ପାଣିଚିଆ ପ୍ରେମ ଭାବ ଜାଗ୍ରତ କରି କହିଲେ--
– --ଆଜି ପୁରି ତରକାରି ମିଳିଲାନି କି? ନ ହେଲେ ଅନ୍ଯ ଦୋକାନରୁ ଘେନି ଆସିଥାନ୍ତେ। ଏ ଇଟିଲି ଖାଇ କଣ ଏତେ ସମୟ ରହିହେବ।
ଏ କଥା ରେ କି ପ୍ରକାର ର ଭାବ ଥିଲା କେଜାଣି, ଶ୍ରୀମତି ତତଲା ତେଲ କଢେଇରେ ପାଣି ଛିଟା ମାରିଲେ ଯେମିତି ଚଡଚଡ ଡାକ ଦିଏ ସେମିତି ଗରଜି ଆସିଲେ।
ଓଃ ଭାରି ପୁରି ଖାଇବାକୁ ମନ ତ। ଆଇନା ସାମନା ରେ ଥରେ ନିଜ ଘମ ପରି ଫୁଲୁଥିବା ପେଟ କୁ ଦେଖ।  ସେ ଏମିତି ବଢୁଛି ଯେ ସାର୍ଟର ବୋତାମ ମାନେ ବି ବୋପା ଲୋ ମାଆ ଲୋ ଡାକ ଛାଡିି ତଳେ ଗଡି ପଡୁଛନ୍ତି।  ଗଲା ମାସ କିଣିିଥିବା ଫରମାଲ ସାର୍ଟ ଟା ଚର୍ମଚିପା ( ସ୍କିନ୍ ଫିଟ୍) ସାର୍ଟ ହୋଇସାରିଲାଣି।  ଜିନିଷର ଦରଦାମ୍ ପରି ତୁମ ଓଜନ ଟା  ହୁ ହୁ ହୋଇ ବଢିଚାଲିଛି। …........
କବାଟ ଖୋଲି ବାହାରକୁ ଚାଲି ଆସିଲେ ଚକରା। ସକାଳଟାରୁ ପତ୍ନୀଙ୍କର ଏମନ୍ତ ହିଂସ୍ର ରୂପ ଦେଖି ଛାତି ଭିତରେ ହୃତପିଣ୍ଡଟା ଧାକୁଧାକୁ ହୋଇ ନାଚ କରୁଥାଏ।  ମନ କୁ ସ୍ଥିର କରି ମଟରସାଇକେଲଟାକୁ ଧୁକୁଧୁକୁ କରି ଅଫିସ୍ ରେ ପହଞ୍ଚିଲା ବେଳକୁ ସମୟ ଏଗାରଟା।  ପେଟ ଭିତରଟା ଖାଲି ରାମ୍ପୁଡି କାମୁଡି ପକଉଥାଏ। କାହୁଁ ୧୫ ପଟ ପୁରି, ଦୁଇଗିନା ବହଳିଆ ମଟର ତରକାରି ଓ ସହ ଦଶ ଟଙ୍କିଆ ଦୁଇଟା ରସଗୋଲା  ଓ କାହୁଁ ଛାର ପୋଲିଓ ଗ୍ରସ୍ତ ଇଟିଲି ସହ ପାଣିଚିଆ ମଟର ଝୋଳ।  କି ପାପ କଲେ କେଜାଣି, ଆଜି ସକାଳୁ ଶନି ଠାକୁର କୋପ କଲେଣି। ଅଫିସ କାମରେ ମନ ଜମା ଲାଗୁନି। ପେଟ ସିନା ଥଣ୍ଡା ଥିଲେ ମୁଣ୍ଡରେ ବୁଦ୍ଧି ଜୁଟିବ। କିନ୍ତୁ ସେ ନିରୁପାୟ।  ଫାଇଲ ଓଲଟେଇବାରେ ମନ ଦେଲେ। ଉପର ହାକିମଙ୍କ କଡା ତାଗିଦ୍।  କାମ ରେ ହେଳା କଲେ ମାଲକାନଗିରି ବଦଳି କରିବାର ଭୟ ବି ଘଣ୍ଟାରେ ତିନିଥର ଦେଖେଇ ବାରେ କେବେ କାର୍ପଣ୍ଯ କରନ୍ତିନି।
ଟେବୁଲ ଆଗରେ ହାକିମ ଯିବା ସମୟରେ ଚକରା ନିରେଖି ଦେଖିଲେ ତାଙ୍କ ପେଟ। ତାଙ୍କ ପେଟ ଟା ବିଶେଷ ବଡ ନ ହେଲେ ବି ସାନ କୁହା ଯାଇପାରିବନି।  ଅନ୍ତତଃ ସେ ଚାଲିଲା ବେଳେ ଥାକୁଲୁ ଥାକୁଲୁ ହୋଇ ନୃତ୍ଯ କରୁନାହିଁ। ମନେମନେ କେତେ ଗୁହାରି କରି ଠାକୁର ଙ୍କୁ କହିଲେ
– ପ୍ରଭୋ, ମୋ ହାକିମଙ୍କ ସୁଖ ମୋ ଠାରୁ ଢେର ଗୁଣ ଅଧିକ ହେଉ, ତାଙ୍କ ସୁଖ ସାଙ୍ଗକୁ ପେଟ ଟି ସେଇମିତି ବଢି ଚାଲୁ।
ଠାକୁର ସେ ମରମ ବେଦନା ବୁଝିଲେ କି ନାହିଁ ଜଣା ନାହିଁ କିନ୍ତୁ ଚକରା ବାବୁଙ୍କ ପାଖରେ ବସିଥିବା ସୁକୁଟି ପେଟିଆ ମଦନା ପାନଖିଆ ଦାନ୍ତ ନିକୁଟି କହିଲା--
– – ଯାହା ହେଲେ ଆମ ହାକିମଙ୍କ ପରି କିଏ ହେବ। ଏତେ ବୟସରେ ବି ନିଜ ଦେହ କୁ ଯେମିତି ଖେଳୁଆଡ ରକମ କରି ରଖିଛନ୍ତି ତାହା ଦେଖିବା କଥା। ହାକିମଙ୍କ ପେଟ ତାଙ୍କ ବୋଲ ମାନି ଅଛି ପୋଷା କୁକୁର ପରି।  ଯେତେ ଖାଇଲେ ବି ସେଇ ସାର୍ଟ ବୋତାମ ପଛରେ ଜାକି ଜୁକି ହୋଇ ବସିଥିବ। ଆଗକୁ ଆସିବାର ଚେଷ୍ଟା ବି କରିବନି। କିନ୍ତୁ ଆମ ଅଫିସରେ ଲୋକ ଅଛନ୍ତି ପାଣି ପିଇଦେଲେ ବି ସାର୍ଟ ବୋତାମ ଛିଡି ଭୁଇଁରେ ଲୋଟିବ ଓ ପେଟ ଟି ପୂର୍ଣ୍ଣମୀ ଚାନ୍ଦ ପରି ବାହାରକୁ ଫିଟି ଆସିବ।
ଚକରା ବାବୁ  ହାକିମଙ୍କ ପ୍ରଶଂସା ଶୁଣି ଯେତିକି ଖୁସି ନ ହେଲେ ତା ଠାରୁ ବେଶି କ୍ଷତାକ୍ତ ହେଲେ ସେ ଟୋକା ର ଛିଗୁଲା କଥା ଶୁଣି। ଆଜି କାଲିକା ଟୋକା ଗୁଡାକ ବଡ ସାନ ମାନୁ ନାହାଁନ୍ତି। ବାପ ଧୋତିରେ ଦଉଡି ବାନ୍ଧି କହିବେ ଆମ ବୋପା ଅଜା ମାଙ୍କଡ ଥିଲେ।
ଛାଡ...... ସକାଳ ଟା ଉଜୁଡି ଯାଇଛି , ସେଇ ପ୍ରକାରେ ଦିନ ଟା ବି ବିତିବ।  ମନ ଭତରେ କେତେ ଆଶା ଥିଲା ପତ୍ନୀ ସୁକୁଟି ଦେବୀ ସକାଳ ଜଳଖିଆ ଟା ସିନା ଉଜାଡି ଦେଲେ, ଦିହି ପହର ଖାଇବା ଟା ଅନ୍ତତଃ ଦମଦାରିଆ ହେଉ। ବାର ଟା ବୁଧବାର। ସବୁ ବୁଧୁବାର ଦିନ ସୁକୁଟି ଦେବୀ କେଡେ ଯତନ ରେ ଧୋବ ଫରଫର ଅରୁଆ ଭାତ ସାଙ୍ଗକୁ ବହଳିଆ ହରଡ ଡାଲି,  କୁକୁଡା କଷା ଓ ମାଛ ତରକାରି  ପରଶିି ଦିଅନ୍ତି। ଥାଳି ଚାରିପଟରେ ସଜେଇ ଦିଅନ୍ତି ଗୋଲ କଟା ପିଆଜ, ଲେମ୍ବୁ,ଲଙ୍କା ଓ ଲୁଣ।  ଘର ଭିତରକୁ ପଶୁ ପଶୁ ନାକ ଭିତରେ ସେ କଷା ମାଂସର ବାସ୍ନା ସୁ ସୁ ହୋଇ ବାତ୍ଯା ପରି ପଶି ଯାଏ। ହାତ ଧୋଇଲା ବେଳକୁ ପାଟିରୁ ଲାଳ ସରସର ହୋଇ ବୋହିଯାଉଥାଏ। ଦାନ୍ତ ମାନେ ଆନନ୍ଦରେ ଗଦଗଦ ହୋଇଯାଆନ୍ତି। ସତେକି ନିଜ ଭିତରେ ଗପସପ ଆରମ୍ଭ କରନ୍ତି, କୁକୁଡା କୁ କେମିତି ରାମ୍ପୁରି ବିଦାରି ପକେଇବେ ସେଇ ଭାବନା ରେ। ପଞ୍ଚ ଇନ୍ଦ୍ରିୟ ଜୋରଦାର ପ୍ରତିଦ୍ବନ୍ଦିତା କରନ୍ତି ନିଜ ନିଜର ଆଧିପତ୍ଯ ଜାହିର କରିବାକୁ। 
ପୁରୁଣା ସ୍ମୃ ତିର ବରଷାରେ ଭିଜି ଘର ଭିତରକୁ ପାଦ ରଖିଲା ବେଳକୁ ସୁକୁଟୀ ଦେବୀ ଖାଇବା ଟେବୁଲ ଆଗରେ ତାଙ୍କ ଶଙ୍ଖି ବିଲେଇ ସମ ଫୁଲୁକା ବଦନ ରେ ମନ୍ଦମନ୍ଦ ହସ ଉକୁଟାଇ ଅପେକ୍ଷାରତ। କେଜାଣି କାହିଁକି ଚକରା ବାବୁଙ୍କୁ ସେ ହସରେ କିଛି ଗୋଟେ ଚକ୍ରାନ୍ତର ଆଭାଷ ହେଲା। ମନ କଥା ମନରେ ରଖି ହାତ ଧୋଇଲା ବେଳକୁ ଅନୁଭବ କଲେ ଆଜି ତାଙ୍କ ଇନ୍ଦ୍ରିୟ ମାନେ ସୁପ୍ତପ୍ରାୟ।  ସକାଳର ପ୍ରହାର ଏତେ ଭୟଙ୍କର ଥିଲା ଯେ ସବୁ ଇନ୍ଦ୍ରିୟ ନିଜ ନିଜର  ସତ୍ତା ହରେଇ ସାରିଥିଲେ ବୋଧେ। ଘର ଭିତରେ ବାସ୍ନାର ଭୟଙ୍କର ନୀରବତା। କାଇଁ ଅରୁଆ ଭାତ ର ସେ ମହମହ ବାସ୍ନା ଆସୁନି.....ନାକ ପୁଡା କୁ କେଞ୍ଚି ପକେଇ ଅସ୍ତବ୍ଯସ୍ତ କରିଦେଲା ପରି କୁକୁଡା କଷାର ବି ନାମଗନ୍ଧ ନାହିଁ। କଥା କଣ ?? ଟେବୁଲ ପାଖରୁ ସୁକୁଟିଦେବୀଙ୍କର ପ୍ରେମବୋଳା ଡାକ ଶୁଣି ଗୋଟିଏ ଡିଆଁରେ ହାଜର ହେଲେ। ମନରେ ଭାବନା ଥିଲା,  ସେ  ସକାଳ ଜଳଖିଆ ମାଧ୍ଯମ ରେ କରିଥିବା ଅତ୍ଯାଚାର ପାଇଁ ଅନୁତପ୍ତ ଥିବେ। ସେଇ କାରଣରୁ କଣ୍ଠରେ ଏତେ ମଧୁରତା।
ଖାଇବା ପରଷା ଆରମ୍ଭ ହେଲା। ଆଗ ଉଷୁନା ଭାତ। ତା ପରେ ଗିନା ରେ ପାଣିଚିଆ ଡାଲି। ପାଖକୁ ଅଧା ପୋଡି ଯାଇଥିବା ଭେଣ୍ଡି ଭଜା। ସବା ଶେଷରେ ତେଲ ମସଲା ର ନାମ ଗନ୍ଧ ନ ଥିବା ପାଣି ସରସର ସନ୍ତୁଳା।  ଜଉବନ ଯାଏ ସୁନ୍ଦରୀ କନିଆ ବାହା ହେବା ଆଶାରେ ମତୁଆଲା ଭେଣ୍ଡିଆ ର ବାହାଘର ଆଲକାତରା ରଙ୍ଗିଆ ,ଠାକରା ଗାଲିଆ, ପେଚା ଆଖିଆ ଝିଅ ସହ ହେଲେ ଯେମନ୍ତ ପରିସ୍ଥିତି ହେବ , ସେ ଅବସ୍ଥା ଚକରା ବାବୁଙ୍କର ହୋଇ ସାରିଥିଲା। ମନ ଭିତରେ ଦୁଃଖ, ରାଗ, ବିରକ୍ତି, ଘୃଣା, ହତାଶିଆ, ସବୁ କିଛି ହରେଇ ଦେବାର, ସଂସାର ଉଜୁଡି ଯିବାର , ଭୟଙ୍କର ଚକ୍ରାନ୍ତର ଶିକାର ହେବାର ଭାବ ମାନେ ହାଉଯାଉ ହେବା ଆରମ୍ଭ କରି ଦେଇଥିଲେ। କିଏ ଆଗ ବାହାରକୁ ଆସି ନିଜ ରୂପ ଦେଖେଇବେ ସେଇ ଟଣା ଓଟରା ରେ ବ୍ଯସ୍ତ ଥିଲା ବେଳେ, ଛାତ କୁ ଦୋହୋଲାଇ ଦେଲା ପରି କଣ୍ଠରେ ସବୁ କିଛି ସ୍ଥିର ହୋଇଗଲା।  ସୁକୁଟି ଦେବୀଙ୍କ ହୁଙ୍କାର ଶୁଣି ଚକରା ବାବୁ  ପାଟି ସୁଆଦ ଭୁଲି ଏକ ପ୍ରକାର ଢୋକି ପକେଇଲେ ସବୁ ଖାଦ୍ଯ।
ସେପଟରୁ ସାବାସି ମିଳିଲା । ଏମିତି କିଛି ଦିନ ଖାଇଲେ ପେଟ ଟି ପଞ୍ଜରା ହାଡ ସହିତ ସମାନ ରେଖାରେ ରହିବ। ନିଜ ସୀମା ସରହଦ ଭୁଲି ଆଗକୁ ଆସିବ ନାହିଁ।  ଶତୃ  ମାନଙ୍କୁ ଦମନ ନିମନ୍ତେ ଯେପରି ଗୁଳିଗୋଳାର ଆବଶ୍ଯକତା ଅଛି, ସେମିତି ବଢିଲା ପେଟକୁ ଯଥା ସ୍ଥାନ କୁ ଫେରେଇ ବାକୁ କିଛି ଅସ୍ତ୍ର ପ୍ରୟୋଗ କରିବାକୁ ହେବ। ବାହାଘରର ପଚିଶ ବର୍ଷ ଭିତରେ ସୁକୁଟି ଦେବୀଙ୍କ ନିଷ୍ପତ୍ତି ଖିଲାପରେ ଉଁ ଚୁଁ କରି ନ ଥିବା ଚକରା ବାବୁ ମୁଣ୍ଡ ପାତି ହଁ ଭରିଲେ। ମନେ ମନେ ଭାବୁଥିଲେ କିଏ କହିଲା ପୁରୁଷ ଅତ୍ଯାଚାରିତ ହେଉ ନାହାଁନ୍ତି। ସେପରି କହିବା ଲୋକ କୁ ଏଠି କୁ ଡାକି ଆଣିଲେ ଦେଖନ୍ତା ପୁରୁଷ ଅତ୍ଯାଚାରର ଭୟଙ୍କର ରୂପ।  ମନ ଭିତର ଟା ମନ୍ଥି ହୋଇ ଯାଉଛି। ପେଟ ଟି ଯେମିତି କହୁଛି – ମୋତେ ପଛେ କାଟି ଫିଙ୍ଗି ଦିଅ କିନ୍ତୁ ଏପରି ଅତ୍ଯାଚାର କରନାହିଁ।  ବାକି ଇନ୍ଦ୍ରିୟ ମାନେ ଚକରା ବାବୁଙ୍କ ବୋଲ ମାନିବାକୁ ନାରାଜ। କିନ୍ତୁ ସେମାନଙ୍କୁ କିଏ ବା ବୁଝେଇବ ଏମିତି ଦୁର୍ଦ୍ଦିନ ର ପ୍ରଥମ ଓ ଶେଷ କାରଣ ସୁକୁଟି ଦେବୀ ବୋଲି।
          ସେଦିନ ରାତିରେ ସୁକୁଟି ଦେବୀ ଯୁବତୀ ସୁଲଭ ହାସ୍ଯ ବଦନରେ ଗୋଟେ ଜରି ବ୍ଯାଗରେ କିଛି ଉପହାର ଧରେଇଦେଲେ। ଚକରା ବାବୁଙ୍କ ବେନି ନୟନ ଫେଡି ହୋଇଗଲା। ବାହାଘରର ଏତେ ବର୍ଷ ଭିତରେ ତାଙ୍କ ପାଖରୁ ଉପହାର କଣ, ଇଞ୍ଚିକିଆ ଓଢଣ ଟେ ମିଳିନି। ତେବେ ଆଜି କେମନ୍ତ ପଶ୍ଚିମ ଦିଗରେ ଦିବାକର ଉଙ୍କି ମାରିଲେ।  ପିଲାଟି ପରି ଜରି ବ୍ଯାଗ ଟି ହାତରୁ ଛଡାଇ ନେଇ ଛିନ୍ ଭିନ କରି ଦେଖି ପକେଇଲେ ଭିତର ଟା। ବ୍ଯାଗ୍ ଭିତରେ ଦୁଇହଳ ଧୋବ ଫରଫର ଜୋତା, ହଳେ ଢିଲା ଜାମା ପ୍ଯଣ୍ଟ, ଗାନ୍ଧି ବୁଢା ଅମଳର ଆଲାର୍ମ ଘଣ୍ଟା।  ପରୀକ୍ଷା ଖାତାରେ ବୀଜଗଣିତର ପ୍ରଶ୍ନ ଦେଖି ପିଲା ଯେମିତି କୂଳକିନାରା ନ ପାଇ ମାଷ୍ଟ୍ର ମୁହଁକୁ ବଲବଲ କରି ଚାହେଁ, ସେମତି ଅବସ୍ଥାରେ ଚକରା କିଛି ସମୟ ରହିଲେ। ପରିଷ୍କାର ଭାଷାରେ ସୁକୁଟୀ ବୁଝେଇଦେଲେ, କାଲି ସକାଳ ଚାରିଟାରୁ ଘଣ୍ଟାରେ ଆଲାର୍ମ ଦେଇ ଉଠିବାକୁ ହେବ। ହାତରେ କୁକୁର ଘଉଡା ବାଡି ଗୋଟେ ଧରି ନୂଆ ଜାମାପ୍ୟାଣ୍ଟ ଓ ଜୋତା ପିନ୍ଧି ପ୍ରାତଃ ଭ୍ରମଣରେ ଯିବାକୁ ହେବ। କିଛି ପରିଶ୍ରମ ନ କଲେ ସେ ଘମ ପେଟ କଣ ଭିତରକୁ ଯିବ? 
ରାତିରେ ପେଟ କୁ କିଛି ଦାନା ଗଲା କି ନାହିଁ ସେ ବିଷୟରେ ଆମ ପାଖରେ କିଛି ଖବର ନାହିଁ, କିନ୍ତୁ  ସକାଳ ଚାରିଟାରେ ନୂତନ ବେଶରେ ଚକରା ବାବୁ ପାଦ ଘୋଷାରି ରାସ୍ତାରେ ଚାଲିବାର ଦେଖାଗଲା।
ଓଃ କି ଯନ୍ତ୍ରଣା। ଶନିସପ୍ତା ପଡିଛି ବୋଧେ। ନୋହିଲେ ଏପରି ପ୍ରାଣାନ୍ତକ ପୀଡା ବରଷି ପଡୁଛି କେଉଁ କାରଣରୁ।  ସବୁଦିନ ମଟରସାଇକେଲରେ ବସି  ଏଇ ରାସ୍ତାରେ ଯିବା ଆସିବା କରନ୍ତି। ଆଜି ପ୍ରଥମଥର ପାଇଁ ପାଦ ପଡିଛି। କି ଭାଗ୍ଯ ଏ ରାସ୍ତାର। କେଇ ପାଦ ଚାଲିଲା ପରେ ଦଣ୍ଡେ ଛିଡା ହୋଇ ଚାରି ଆଡକୁ ଦେଖିଲେ। ସବୁ ଘରେ ତାଟି କବାଟ ପଡିଛି। ଲୋକେ ମହା ଆନନ୍ଦରେ ଶୋଇଥିବେ ପରା। ଟିକେ ଭଲ କରି କାନେଇଲେ ଘୁଙ୍ଗୁଡି ଶବ୍ଦ ଶୁଭିବ। କାହା ଭାଗ୍ଯରେ ଏପରି ନିଆଁ ଲାଗିଛି ଯେ ରାତି ଅଧଟାରେ ନିଦ ଭର୍ତ୍ତି ଆଖିରେ କୁନୁମୁନିଆ ହୋଇ ରାସ୍ତାରେ ଜୋତା ଘଷିବ। ହାବୁକାଏ ପବନ ରେ ଦୋହଲି ଗଲେ ଚକରା।
– ଆରେ ଏ କଣ!  ମହାନ୍ତିଆଣି, ପଣ୍ଡିଆଣି, ବେହେରାଣି, ନାୟକାଣି ଆହୁରି କେତେ ଆଣି କାଣି ମାନେ ହାତରେ ବେଲଣା କାଠି ଲମ୍ବର ବାଡି ଧରି ଧଇଁସଇଁ ହୋଇ ମାଡି ଆସୁଛନ୍ତି।  ଚେହେରା ଦେଖିଲେ ଲାଗୁଛି ସତେ କି ହିଡିମ୍ବା କି ସୃପଣଖା। ଦିନ ଆଲୁଅରେ ସ୍ନୋ, ଲିପଷ୍ଟିକ, ପାଉଡର ମାଖି ଅସଲ ଚେହେରା ଟି  ଅଲଗା ଦିଶେ। କିନ୍ତୁ ବିନା ସାଜସଜ୍ଜା ବିଶିଷ୍ଟ ଭୟଙ୍କର ମୁଖମଣ୍ଡଳକୁ ଲୋକଲୋଚନକୁ ନ ଆଣିବା ଉଦ୍ଦେଶ୍ଯରେ, ମୁହଁରେ ଓଢଣୀ ଅଧା ଘୋଡା ହୋଇରହିଛି, ତେଣୁ ଭଲରେ ଦୃଶ୍ଯ  ହେଉନି। କିନ୍ତୁ ଗୋଟିଏ  ଦାନା ଚାଉଳ  ଚିପି,  ହାଣ୍ଡି ଭିତରେ ଭାତର ଅବସ୍ଥା ଜଣା ପଡିବା ପରି , ସେହି ଆଣି କାଣି ମାନଙ୍କର ଚେହେରା ର ଅବସ୍ଥା ଅନୁମାନ କରିହେଉଥିଲା।  ଚାଲିଲା ବେଳେ ମଇଁଷି ମାନଙ୍କ ପରି ସଁ ସଁ ଶବ୍ଦ ଉଚ୍ଚାରଣ ପୂର୍ବକ ରାସ୍ତା ରେ ଧୂଳି  ଉଡେଇ ମାଡିଚାଲିଛନ୍ତି। ସେମାନଙ୍କୁ ଦେଖି ଭକ୍ତିରେ ଦୁଇ ହାତ ଯୋଡି ହୋଇଗଲା। କାରଣ ଦୈବାତ୍ କ୍ରୋଧ ପରବଶ ହେଲେ, ଆଣି କାଣି ମାନେ ଯେ ପାଦରେ ପିମ୍ପୁଡି ଦଳିଲା ପରି ଦଳି ଚାଲିଯିବେ ସେଥିରେ ତିଳେ ମାତ୍ର ସନ୍ଦେହ ନାହିଁ।
ଲାଗୁଛି ଯେମିିତି ପାଦରେ କେତେ ମହଣ ଓଜନର ବେଡି ପଡିଛି। ହାତେ ମାପି ଚାଖଣ୍ଡେ ଚାଲିବା ନ୍ଯାୟରେ ଚକରା ବାବୁ ଅଗ୍ରଗତି ହେଉଛନ୍ତି।  ନାରୀସେନା ମାନଙ୍କର ପଟୁଆର ଢେର ଆଗକୁ ଚାଲିଗଲାଣି। ସେମାନଙ୍କ ସହ ତାଳ ଦେଇ ଚାଲିବା,  ଫିନିଫିନିଆ କାର ପଛରେ ଧୋକଡା ରିକସା ଗୋଡେଇବା ପରି ହେବ। 
          ପଛରୁ ଶୁଭିଲା  ବିକଟାଳ ହସ। ପଛରେ ଦେଖିଲା ବେଳକୁ ଦଳେ କଲେଜ ପଢୁଆ ପୁଅ ଝିଅ ଖୁସି ଗମାତ କରି ମାଡି ଆସୁଛନ୍ତି।  ରୂପ ଦେଖିଲେ ଲାଗିବ ସତେ କି ଦୁର୍ଭିକ୍ଷ ଅଞ୍ଚଳରୁ ଆସିଛନ୍ତି। କୋରଡ ପଶିଆ ଆଖି, ତାମ୍ପଡା ଶୁଖୁଆ ଗାଲ, ଆମ୍ବୁଲ ଠାକରିଆ ନିତମ୍ବ ଧାରି  ଯୁବକ ଯୁବତୀ ମାନଙ୍କ ପାଇଁ  ପ୍ରାତଃଭ୍ରମଣ ଟା ଗୋଟେ ପ୍ରେମାଳିଆ ଅବସର ବିନୋଦନ ପରି ଲାଗୁଛି। ସେମାନେ ବି ଧୁଳି ଉଡେଇ ଚାଲିଗଲେ। ଚକରା ବାବୁ ଶହେ ମିଟର ସରିକି ଅତିକ୍ରମ କରି ସାରିଲେଣି। ତାଙ୍କ ପଛକୁ ଆଉ ଏକ ଆପେକ୍ଷାକୃତ ପତଳା ଭିଡରେ, ଓଜନରେ ଶତକଧାରୀ କିଛି ପ୍ରୌଢ ବଡ କଷ୍ଟରେ କଚ୍ଛପ ଗତିରେ ଆସୁଛନ୍ତି । ସେମାନଙ୍କୁ ଦେଖି ଚକରାଙ୍କ ମୁହଁରେ ପ୍ରଶାନ୍ତିର ଝଲକ ଖେଳିଗଲା। ଏହି ମାନେ ହିଁ ତାଙ୍କର ଉପଯୁକ୍ତ ପ୍ରତିଦ୍ବନ୍ଦୀ। ପାହୁଣ୍ଡ ଟିକେ ବଡ ପଡିବାକୁ ଲାଗିଲା।
କାହା ଡାକରେ ପଛକୁ ବୁଲି ଦେଖିଲେ। ତାଙ୍କ ପଡୋଶୀ ବଳ ବାବୁ। ଓଜନ ପାଖାପାଖି ପାଞ୍ଚ କୋଡି ପଚିଶ। ତାଙ୍କ ଜୋତା, ଜାମାପ୍ଯାଣ୍ଟ ଦେଖି ଚକରା ଆଚମ୍ବିତ ହେଲେ। ଜାଆଁଳା ଭାଇ ପରି ପୁରାପୁରି ସମାନ।  ବଳବାବୁଙ୍କ ପେଟଟି ଜାମାଟିକୁ ଚିରିବାକୁ ପ୍ରସ୍ତୁତ ଥିଲା ପରି ଲାଗୁଛି। ଅମଣିଆ ଷଣ୍ଢ ପରି ବାହାରକୁ ମୁଣ୍ଡ ଟୁଙ୍ଗାରି ବସିଛି। ଦେଖିଲେ ଲାଗୁଛି ସତେକି ଆମ୍ବସାଡର ଗାଡିର ବନେଟ୍। ବଡ ଧଇଁସଇଁ କଣ୍ଠରେ ଧକେଇ ଧକେଇ ବଳ ବାବୁ ନିଜ ଦୁଃଖ ବଖାଣି ବସିଲେ। ସବୁ ଶୁଣିଲା ପରେ ଚକରା ଜାଣିଲେ, ସେ କେବଳ ଏ ଯାତନା ଶିକାର ହୋଇନାହାଁନ୍ତି। ଆହୁରି କେତେ ପେଟଧାରି ଲୋକେ ସମ ଦୁଃଖରେ ଆଉଟୁ ପାଉଟୁ। ଏହା ମଧ୍ଯ ଆବିଷ୍କାର କଲେ ଯେ ଶ୍ରୀମତି ବଳ ଓ ସୁକୁଟି ଦେବୀଙ୍କର ଭୟଙ୍କର ଷଡଯନ୍ତ୍ରର ଶିକାର ଉଭୟେ ହୋଇଛନ୍ତି। କିଛି ବାଟ ଗଲାପରେ ଗୋଟିଏ ନୂଆଁଣିଆ ଟୁଙ୍ଗି ଦୋକାନରେ ଭିଡ ଦେଖି ଦଣ୍ଡେ ଅଟକି ଗଲେ। ଦୋକାନ ଚାରିପଟରେ ଶତକ ଓଜନଧାରୀ ଲୋକ ମାନେ ମାଛି ପରି ବେଢି ଠିଆ ହୋଇଛନ୍ତି।  ଚକରା ବଡ ଆଗ୍ରହ ସହକାରେ ବଳ ବାବୁଙ୍କୁ ଦେଖିଲେ। ବଳ ବାବୁ କହିଲେ ଆରେ ପ୍ରାତଃ ଭ୍ରମଣର ଅସଲ ମଜା ଏବେ ଆସିବ।
ଭିଡ ଆଡେଇ ଭିତରକୁ ପଶି ଚକରା ବାବୁ ଚକିତ ହୋଇଗଲେ। କି ସୁନ୍ଦର ଗୋଲ ଗୋଲ ପୁରି ଛଣା ଚାଲିଛି। ତା ସହ ବହଳିଆ ମଟର ତରକାରି, ବରା, ପିଆଜି, ଘୁଘୁନି, ଲଡୁ, ରସଗୋଲା ଆହୁରି କେତେ କଣ। ସବ୍ ଜାନତା ପରି ବଳ ବାବୁ କହିଲେ ଆରେ ଏମିତି ଜଳଖିଆ ସାରା ପୃଥିବୀରେ ମିଳିବନି। କି ସୁଆଦ....। ଖାଇବା ଲୋକ  ସ୍ବର୍ଗ ସୁଖ ପାଇବ ଜାଣ।
ଟିକେ ଦୋ ଦୋ ପାଞ୍ଚ ହୋଇ ଚକରା ପଚାରିଲେ--- ଦାନ୍ତ ଘଷିନେ, ପୁଣି ଚାଲିବାକୁ ଆସିଛେ। ଏସବୁ ଖାଇଲେ କିଛି ଅସୁବିଧା ହେବନି ତ?
ସେ ପ୍ରଶ୍ନର ଉତ୍ତର ମିଳିଲା କି ନାଁ ଭଗବାନଙ୍କୁ ଜଣା। କିନ୍ତୁ ଅଳ୍ପ ସମୟ ପରେ ଚକରା ବାବୁ ପୁରି ତରକାରି ଓ ମିଠା  ଏକ ପ୍ରକାର ଗିଳି ପକଉଥିବାର ଦୃଶ୍ଯହେଲା। କେତେ ଦିନରୁ ଶୋଇ ପଡିଥିବା ଇନ୍ଦ୍ରିୟଗଣ ଆନନ୍ଦରେ ନୃତ୍ଯ ଆରମ୍ଭ କରିଦେଲେ।  ଦୋକାନ ରୁ ଗହଳି କମି ଗଲାଣି। କିନ୍ତୁ ବଳ ବାବୁ ଓ ଚକରା , ଅଭିମନ୍ଯୁ ପରି ବ୍ଯୁହ ଭତରେ ଯୁଦ୍ଧରତ। ସବୁ ସରିଗଲା ବୋଲି ଦୋକାନୀ କହିଲା ପରେ ପ୍ରକୃତିସ୍ଥ ହେଲେ।  ପଇସାଟା ଘରେ ରହିଗଲା ବୋଲି ଚକରା ଚିନ୍ତା ପ୍ରକଟ କରିବା ମାତ୍ରେ, ବଳ ବାବୁ ଅଭୟଦେଇ କହିଲେ, ଏ ଦୋକାନରେ ବାକି ଖାତା ଖୋଲି ଦେଇଛି। ମାସିକିଆ ପଇଠ କରିବାକୁ ଯୋଗାଡ ବି କରିଛି। ତେଣୁ ଅଚିନ୍ତା ରହି, କାଲି ସକାଳେ ନିଜ ନାମଟି ସେଇ ଖାତାରେ ଲେଖାଇ ଦେବାକୁ। ସୁଅରେ ଭାସି ଯାଉଥିବା ପିମ୍ପୁଡି କୁ ଶୁଖିଲା ପତ୍ର ମିଳିଲେ ଯେମିତି କୋଟିନିଧି ପାଇଲା ପରି ଲାଗେ, ସେମିତି ଲାଗୁଥିଲା ଚକରା ବାବୁଙ୍କୁ। ଯାହା ହେଉ ଏଥର ପ୍ରାତଃ ଭ୍ରମଣରେ ଆସିବାକୁ ଆଉ କୁନ୍ଥୁକୁନ୍ଥୁ ହେବାର ଆବଶ୍ଯକତା ନାହିଁ।
ମଧ୍ଯାହ୍ନ ଭୋଜନ ଓ ରାତ୍ରୀ ଭୋଜନରେ ସୁକୁଟି ଦେବୀ ଯାହା ବି ପରଶିଦେଲେ ଚକରା ବିନା ଦ୍ବିଧାରେ ଗିଳି ଚାଲିଲେ। ଏ ପ୍ରକାରର ପରିବର୍ତ୍ତନ ଦେଖି ସୁକୁଟିଙ୍କ ଖୁସିର ଠିକଣା ରହିଲାନି। ସବୁ ଦିନ ଭୋର ଚାରିଟା ବେଳେ ଚକରା ବେଶଭୁଷା ହୋଇ ହାତରେ କୁକୁର ଘଉଡା ବାଡି ଧରି ରାସ୍ତାରେ ଅପେକ୍ଷା କରିବାର ଦେଖାଗଲା ବଳ ବାବୁଙ୍କୁ।  ଏ ଦୁଇ ମହାପୁରୁଷଙ୍କ ମେଳରେ ଦିନେ ଚାଲିବାର ସୌଭାଗ୍ଯ ଏ ଅକିଞ୍ଚନ କୁ ମିଳିଲା।
ସେମାନଙ୍କ ଶ୍ରୀମୁଖରୁ ସବୁ କାହାଣୀ ଶୁଣିବା ପରେ ପଦେ ଗୀତ ଗାଇବାକୁ ମନ ବଳେଇଲା “ ଆ ଲୋ ମୁତୁରୀ ଶୋଇବା, ତୁ ତ ମୁତୁରୀ ମୁଁ ତ ମୁତୁରୀ ହେଁସ କାହିଁ ପାଇଁ ଧୋଇବା ”.
*************************************

Saturday, November 18, 2017

ପିଲା ଦିନର ସେ ମଧୁର ସ୍ମୃ ତି

ପିଲା ଦିନର ସେ ମଧୁର ସ୍ମୃ ତି
ଲେଖା- ଅରବିନ୍ଦ ରଥ

ପିଲା ଦିନର ସେ ମଧୁର ସ୍ମୃ ତି କୁ,  କେତେ ମୁଁ ଯେ ଆଜି ଝୁରୁଛି
ଚାଲିଗଲା କାହିଁ ଏତେ ଯେ ଚଞ୍ଚଳ,  ସେଇ କଥା ବସି ଭାବୁଛି।।
ଛନ୍ଦ କପଟର ଚିହ୍ନ ତ ନ ଥିଲା,  ସବୁ ଥିଲେ ମୋର ଆପଣାର
ଲଜ୍ଯା ସଙ୍କୋଚର କେତେ ଉର୍ଦ୍ଧେ ଥିଲି,ପୁରା ଗାଁଆ ମୋର ପରିବାର
ଗୁଲି ଦଣ୍ଡା ଖେଳ, ଆମ୍ବ ଗଛ ଡାଳ  ଆଖି ଆଗରେ ମୋ ନାଚୁଛି
ସାଙ୍ଗସାଥୀ ମେଳେ ନିର୍ଧୁମ ଖରାରେ, କେତେ ଯେ ଦୁଷ୍ଟାମୀ କରିଛି।।

ପିଲା ଦିନର ସେ ମଧୁର ସ୍ମୃ ତି କୁ,  କେତେ ମୁଁ ଯେ ଆଜି ଝୁରୁଛି.........

ନିର୍ମଳ ଆକାଶ, ଶୀତଳ ପବନ, ଗାଁ ଦାଣ୍ଡ ଧୂଳି ଅମୃତ
ଗୋଧୂଳି ଲଗ୍ନରେ ଗାଈ ପଟୁଆର,ହେଲା ସତେ ଆଜି ବିସ୍ମୃତ
ଚାରିପଟ ମୋର ଦିଶୁଥିଲା ବଡ,ଆଜି କେତେ ସାନ ଦିଶୁଛି

ପିଲା ଦିନର ସେ ମଧୁର ସ୍ମୃ ତି କୁ,  କେତେ ମୁଁ ଯେ ଆଜି ଝୁରୁଛି।।


କଅଁଳ ଖରାରେ ଦୁବ ଘାସ ଶେଯେ, କେତେ ଥର ମୁଁ ଯେ ଶୋଇଛି
କୋଇଲି ର ମିଠା କୁହୁତାନ ରାବେ ଆତ୍ମା ମୋ ଝଙ୍କୃତ ହୋଇଛି, 
ପଦ୍ମଭର୍ତ୍ତି ଆମ ଗାଁ ଗାଡିଆରେ ପହଁରି ପହଁରି ଖେଳିଛି
କେରାଣ୍ଡି,ମାଗୁର,ଶେଉଳ ମାଛଙ୍କୁ ଗାମୁଛା ପକେଇ ଧରିଛି
ପିଲା ଦିନର ସେ ମଧୁର ସ୍ମୃ ତିକୁ, କେତେ ମୁଁ ଯେ ଆଜି ଝୁରୁଛି।

ବାପାଙ୍କ ଆକଟ, ଅବଧାନ ଛାଟ ଲାଗୁଥିଲା ସତେ କେତେ ଡର
ପଣକିଆ ଘୋଷା  ଥିଲା କେତେକଷ୍ଟ, ଯାଉଥିଲି ଭୁଲି ବରାବର,
ମିଛ ଜ୍ବର ପାଇଁ, କାଖ ତଳେ ରଖି  ରସୁଣ କୋଲାକୁ ଶୋଇଛି
ଦେହେ ତାତି ଦେଖି ,ମୋ ମାଆ ଆଖିରୁ ଲୁହ କେତେ ଥର ଝରିଛି
ପିଲା ଦିନର  ସେ ମଧୁର ସ୍ମୃ ତିକୁ, କେତେ ମୁଁ ଯେ ଆଜି ଝୁରୁଛି

ସଞ୍ଜ ନଇଁଗଲେ ଡିବିରି ଆଲୁଏ,ଦିଶୁଥିଲା ସବୁ କେତେ ଭଲ
ତଳେ ଚକାପାରି, ସିଲଟ କୁ ଧରି ପାଠ ପଢିବାରେ ମସଗୁଲ,
ଖଡି ଥାଏ  ସେଇ ଗୋଟିଏ ଯାଗାରେ, ମନ ଘୁରୁଥାଏ  ଅଣାୟତ
ଆଖିଦୁଇ ମୋର ହୋଇଯାଏ ମୁଦି,ସପନ ରାଇଜେ ଆତଯାତ।
 ନ ଶୁଅ ରେ ଧନ ପାଠେ ଦିଅ ମନ, ବୋଉ ଡାକ ଶୁଣି ଚେତିଛି
ପିଲା ଦିନର ସେ ମଧୁର ସ୍ମୃ ତିକୁ  କେତେ ମୁଁ ଯେ ଆଜି ଝୁରୁଛି।।

କେତେ ଯେ ଚଞ୍ଚଳ ଗଡିଗଲା ବେଳ, ଅତିକ୍ରାନ୍ତ ହେଲା ପିଲା ଦିନ
ବାଲ୍ଯକାଳର ସେ ସ୍ବର୍ଣ୍ଣାଭ ଚିତ୍ର କୁ  ଧୁମ୍ରମୟ କଲା ବର୍ତ୍ତମାନ,
ରୂପାନ୍ତରଣ ର  ସ୍ରୋତରେ ଭାସିଲା ଛନ୍ଦହୀନ ସେହି ବାଲ୍ଯମନ
କ୍ରୋଧ,ହିଂସା, କ୍ଷୋଭ, ଦୁଃଖ ଓ ନିରାଶା ସମ୍ମୁଖରେ ହେଲେ ବିଦ୍ଯମାନ ।।
କପଟରେ ଭରା ସଂସାର ଜୁଇରେ ଅହରହ ମୁଁ ଯେ ଜଳୁଛି
ପିଲା ଦିନର ସେ ମଧୁର ସ୍ମୃ ତିକୁ କେତେ ମୁଁ ଯେ ଆଜି ଝୁରୁଛି।
*****************


Tuesday, November 14, 2017

ସ୍ବାଧୀନତା

                   
                        ଲେଖା- ଅରବିନ୍ଦ ରଥ
    ---ଓଃ  ମମି ମୋତେ ବିରକ୍ତ କରନି କହୁଛି ପରା। ତୁ  କେମିତି  ଜାଣିବୁ ସ୍ବାଧୀନତାର ଅର୍ଥ। ସାରା ଜୀବନ ତ ଘର ଚାରିକାନ୍ଥ ଭିତରେ କାଟିଲୁ।  ନା କାହା ସହ ମିଶିଲୁ ନା କୁଆଡେ ବାହାରିଲୁ। ବାହାର ଦୁନିଆରେ କେତେ କଣ ପରିବର୍ତ୍ତନ ହୋଇଗଲାଣି ତୋର ସେ ବଷୟରେ କି ଜ୍ଞାନ ଅଛି ?
 ମୁହଁ ଫଣଫଣ କରି ଗୋଟେ ନିଶ୍ବାସରେ କହିଗଲା ମିତା।
    ତା ଭାବଭଙ୍ଗୀ ଦେଖି ରାଧା ଚୁପ୍ ରହିବାକୁ ଠିକ୍ ମନେକଲେ। ଯାହା ହେଲେ ବି ବଢିଲା ଝିଅର ଚିନ୍ତା ତ ସଦା ବେଳେ ଲାଗିରହିବ। ମୋହନ  ତ ସଦା ବେଳେ ନିଜ କାମରେ ବ୍ୟସ୍ତ। ତାଙ୍କର ସବୁବେଳେ ସେଇ ଗୋଟିଏ  କଥା
-- ମୋ କାମ ହେଲା ଟଙ୍କା କମେଇବା। ବାକି ଯାହା ରହିଲା ସେ ସବୁର ଦାୟୀତ୍ବ ତୁମର। ଯେତେବେଳେ ଟଙ୍କା ଦରକାର ମୋତେ କହିବ।
    ଘରେ ଜମା ତିନି ପ୍ରାଣୀ। ବାପା, ମାଆ ଓ ଝିଅ। ମୋହନ ଜଣେ ବ୍ଯବସାୟୀ, ରାଧା ଗୃହିଣୀ ଓ ଝିଅ ମିତା, ଯିଏ ଏବେ  କଲେଜରେ ପାଠ ପଢୁଛି। 
    ରାଧା ଗାଁ ସ୍କୁଲରେ ଯେନେତେନ ପ୍ରକାରେଣ ମେଟ୍ରିକ୍ ଖଣ୍ଡିକ ପାଶ କରି ସାରିବା ପରେ ମୋହନ ବାବୁଙ୍କ ହାତ ଧରିଲେ।  ବାହାଘର ପରେ ଘର ଜଞ୍ଜାଳ ସମ୍ଭାଳୁ ସମ୍ଭାଳୁ କେତେ ବେଳେ ଚୁଟି ଧଳା ହୋଇଗଲା ସେ ଆଡକୁ କେବେ ନଜର ବି ଯାଇନି।  ଏବେ ସ୍ବାମୀ ସ୍ତ୍ରୀ ଙ୍କର ଏକ ମାତ୍ର ଲକ୍ଷ୍ଯ ଝିଅଟିର ହାତ କୁ ଦି ହାତ କରିବା। ଝିଅ କଲେଜ ରୁ ପାଶ୍ କରି ସାରିବା ପରେ ହିଁ ଏ ଜଞ୍ଜାଳ କୁ ସାରିଦେବାକୁ ଦୁହେଁ ମନସ୍ଥ କରିଛନ୍ତି।
     ମୋହନ ବଡ ଧିରସ୍ଥିର ମିଜାଜର ଓ ମିଷ୍ଟଭାଷୀ। କିନ୍ତୁ ମିତା, ପିଲା ଦିନରୁ ଗେଲବସର ହୋଇ ମୁହଁଖୋର ପାଲଟି ଯାଇଥିଲା। କଥା କଥାରେ ଜବାବ୍ ଦେବା ଓ କଟୁ କଥା କହି ଅପରପକ୍ଷ କୁ ଚୁପ୍ କରାଇବା ଗୁଣ ରେ ସେ ମାହିର୍ ହୋଇ ସାରିଥିଲା । ଏକ ମାତ୍ର ସନ୍ତାନ ଭାବରେ, ତା ଉପରେ ପିଲାଟି ଦିନରୁ ଅଜାଡି ହୋଇ ପଡିଥିଲା ଅସରନ୍ତି ଭଲ ପାଇବା। କାଳେ ମିତା ର ଲାଳନପାଳନ ରେ କିଛି ତୃଟି ରହିଯିବ ସେ ଆଶଙ୍କା ରେ ମୋହନ ସଦାବେଳେ ଯତ୍ନବାନ ରହୁଥିଲେ। କାଳକ୍ରମେ ମିତା ର ଶବ୍ଦକୋଷ ରେ ଅଳି ଅର୍ଦ୍ଦଳି ନାମକ ଶବ୍ଦମାନ ବିଲୁପ୍ତ ହୋଇ କେବଳ ଦାବୀ ନାମକ ଶବ୍ଦର ବହୁଳ ବ୍ଯବହାର ଦେଖିବାକୁ ମିଳୁଥିଲା। ସବୁ ଦିନ ସେ କିଛି ନା କିଛି ନୂଆ ଜିନିଷ ଆଣିବାକୁ ଦାବୀ କରେ।  ସେଥିରେ କିଛି ବିଭ୍ରାଟ ହେଲେ ଗୋଡ ହାତ ଛାଟି କାନ୍ଦିବା ସହ ଜିନିଷପତ୍ର ଫିଙ୍ଗା ଫୋପଡା କରେ। ବାପା ମାଆ ଝିଅର ଏପରି ବ୍ଯବହାର କୁ ପିଲାଳିଆମି ଭାବି ଅଣଦେଖା କରି ଦିଅନ୍ତି।
        ସତ କହିବାକୁ ଗଲେ ମୋହନ କେବେ ବି ମିତା କୁ ଝିଅ ହିସାବ ରେ ବଢାଇବାର ପକ୍ଷରେ ନ ଥିଲେ। ତାଙ୍କ ମତରେ ଆଜିକାଲି ଝିଅ ଓ ପୁଅ ଭିତରେ କିଛି ଫରକ ନାହିଁ। ଏମିତି କିଛି କାମ ନାହିଁ ଯାହା ଝିଅ ମାନେ କରି ନ ପାରିବେ। ତେବେ ଝିଅ ମାନଙ୍କ ପାଇଁ ଏତେ କଟକଣା କଣ ପାଇଁ ?ତେଣୁ ପିଲା ଟି ଦିନରୁ ଝିଅ ମାନଙ୍କ ପାଇଁ ଉଦ୍ଦିଷ୍ଟ କଟକଣା ତା ପାଇଁ ନ ଥିଲା ।
         କର୍ତ୍ତବ୍ଯ ଦୃ ଷ୍ଟିରୁ କେବେ କେମିତି ରାଧା ଚେତାଇଲା ପରି କହୁଥିଲେ---
– ସେ ପର ଘର ର ସମ୍ପତ୍ତି। ତାକୁ ଏତେ ମୁହଁ ଦେଲେ କାଲି ସକାଳେ ସେ ଶାଶୁ ଘରେ ଚଲି ପାରିବ ତ?
– ଆରେ ଛାଡ ସେ ପୁରୁଣାକାଳିଆ କଥା ସବୁ। ଦୁନିଆ ଆସି କେଉଁଠି ପହଞ୍ଚିଲାଣି। ତୁମେ ସେଇ କଳାଧଳା ଯୁଗରେ ଅଛ ଆଜି ଯାଏ? ତାଚ୍ଛଲ୍ଯ କରି କୁହନ୍ତି ମୋହନ।
    ଦାବୀ ମୁତାବକ ମୋହନଙ୍କ ପାଖରୁ ପାଇଥିବା  ନୂଆ ମୋବାଇଲ ଧରି ମିତା ସେଦିନ କଲେଜ୍ ଗଲା।  ପିଲା ମାନେ ସବୁ କେତେ ଦାମୀକା ମୋବାଇଲ ଧରି ଆସୁଛନ୍ତି। ସେ ବା କାହିଁକି ପଛରେ ରହିବ।
– ଏ ମମି ଦେଖିଲୁ ମୋ ଆଡକୁ। ତୋ ଫଟୋଟେ ଉଠାଏ।  ଆରେ ତୋ ନୁଖୁରା ଚୁଟି ଗୁଡାକୁ ଟିକେ ଭଲରେ ସଜେଇ ଦେ। ନହେଲେ ଯିଏ ଦେଖିବ କହିବ ମୋ ମମି ଚାକରାଣି ପରି ଦିଶୁଛି।
    କଥାଗୁଡା ତୀର ପରି ଭେଦ କରିଗଲା ରାଧାଙ୍କ ହୃଦୟରେ। ମୁହଁରେ ଶୁଖିଲା ହସଟେ ଫୁଟେଇ ଠିଆ ହେଲେ। 
    ମିତା କଲେଜ ବାହାରି ଗଲାଣି ଓ ମୋହନ ଦୋକାନରେ। ଆଜି କାହିଁକି କେଜାଣି ନିଜ ଅସ୍ତିତ୍ବ ନେଇ ରାଧା ଭୀଷଣ ଭାବେ ଚିନ୍ତିତ ଥିଲେ।  ଅତୀତ ର ସେ ଘଟଣା ସବୁ ଆଜି ଆଖି ଆଗରେ ଚଳଚିତ୍ରର ଦୃଶ୍ଯ ପରି ନାଚି ଯାଉଥିଲା। ପିଲା ଦିନରୁ ରାଧାଙ୍କର ବାପା ମାଆଙ୍କର ଦେହାନ୍ତ ହୋଇ ଯାଇଥିଲା ଓ ସେ ତାଙ୍କ ମାମୁଁ ମାଇଁଙ୍କ ଦ୍ବାରା ପାଳିତ ହୋଇଥିଲେ। ବାପା ମାଆଙ୍କର ସ୍ନେହ ଓ ଭଲପାଇବା କଣ ସେ ଜାଣିବାର ସୁଯୋଗ ପାଇ ନ ଥିଲେ।  ମୁଣ୍ଡରୁ ବୋଝ ହାଲୁକା କରିବା ପାଇଁ ମାମୁଁ ତାଙ୍କ ବିଭାଘର ମୋହନଙ୍କ ସହିତ କରାଇ ଦେଇଥିଲେ। ବୟସରେ ଯଥେଷ୍ଟ ବଡ ମୋହନ ବିନା ଯୌତୁକରେ ରାଧାଙ୍କ ହାତ ଧରିଥିଲେ। କାରଣ ସେ ଭଲରେ ଜାଣି ଥିଲେ ତାଙ୍କ ବର୍ଦ୍ଧିତ ବୟସ ଯୋଗୁଁ  ଯୋଗ୍ଯ କନ୍ଯା ପାଇବା ସେତେଟା ସହଜ ନ ଥିଲା।  ଜନ୍ମ ରୁ ଦୁଃଖ ସହି ଆସିଥିବା ରାଧାଙ୍କ ପାଇଁ ସେ ବିଭାଘର ରେ କିଛି ନୂତନତ୍ବ ଥିବା ସେ ଜାଣି ପାରୁ ନ ଥିଲେ। ସେ ଜାଣିଥିଲେ ଯେ  ମାମୁଁ ତାଙ୍କ ମୁଣ୍ଡର ବୋଝ ଅନ୍ଯ ଜଣେ ଲୋକର ମୁଣ୍ଡ କୁ ଟେକି ଦେଇ ନିଶ୍ଚିନ୍ତ ହୋଇ ଯାଇଥିଲେ।
    ବିବାହ ପରଠାରୁ ପ୍ରଶଂସା ବୋଲି ଶବ୍ଦର ବ୍ଯବହାର ତାଙ୍କ ପାଇଁ କେବେ ହେବାର ସେ ମନେ ପକାଇ ପାରୁ ନ ଥିଲେ। ଝିଅ ଜନ୍ମ ହେଲା ବୋଲି ବନ୍ଧୁବାନ୍ଧବଙ୍କ ପାଖରୁ ତାଙ୍କୁ ବହୁତ ଗଞ୍ଜଣା ଶୁଣିବାକୁ ପଡିଥିଲା।  ଝିଅ ଜନ୍ମ ହେବାର ବେଶ୍  କିଛି ଦିନ ଯାଏ  ମୋହନ  ଗୁମସୁମ୍ ରହୁଥିଲେ ଓ ତାଙ୍କର ନୀରବତା ର  କାରଣ ରାଧା ଜାଣି ପାରିଲେ ମଧ୍ଯ ପ୍ରତିକାର ର ଉପାୟ ନ ପାଇ ଚୁପ୍ ରହୁଥିଲେ।  ।  ଧିରେଧିରେ ସବୁ ସାଧାରଣ ହେବାକୁ ଲାଗିଲା। ନିଜ ପରିବାର କୁ ଠିକ୍ ରେ ଚଳାଇବା ହିଁ ତାଙ୍କ ର ଏକ ମାତ୍ର ବ୍ରତ ଥିଲା । ବେଶି ପାଠ ପଢି ନାହାନ୍ତି ବୋଲି କେବେ କେମିତି ମୋହନ ମଧ୍ଯ ଟାହିଟାପରା କରିପକାନ୍ତି ନିଜ ସାଙ୍ଗସାଥିଙ୍କ ମେଳରେ।  ମୁହଁରେ ଶୁଷ୍କ ହସ ଫୁଟାଇ ଅପମାନର ଗରଳ ଆକଣ୍ଠ ପିଇ ଯାଆନ୍ତି,  କିନ୍ତୁ କେବେ ପ୍ରତବାଦ କରି ନାହାନ୍ତି। କରିବେ ବା କେମିତି?
    ହେତୁ ପାଇବା ଦିନରୁ ତାଙ୍କ ମାଇଁ କାନେକାନେ କହି ରଖିଥାଆନ୍ତି---
--- ମରଦ ଯାହା କହିବ ହୁଁ ଭରିବୁ। ସେମାନେ ପରା ଆମଠୁ ବେଶୀ ଜ୍ଞାନୀ। ମରଦ ମୁହଁରେ ଜବାବ୍ ଦେବାର ଅର୍ଥ ହେଲା ତାକୁ ଅପମାନ ଦେବା। ଆଉ ଯଦି ଅପମାନ ପାଇ ମରଦ ହାତ ଛାଡିଦେବ ତୋ ସଂସାର ଭାସିଯିବ। ମରଦ ପିଲା ର କଣ ଅଛି। ଆଜି ତୋତେ ଛାଡିବ କାଲି ସକାଳେ ଆଉ କାହା ହାତ ଧରି ସଂସାର ଚଳେଇବ। କିନ୍ତୁ  ମାଇପି ପିଲାର ଭାଗ୍ଯ ମାଟି ହାଣ୍ଡିପରି। ଥରେ ଭାଙ୍ଗିଗଲେ ଗଲା, ସାରା ଜୀବନ ଖପରା ହୋଇ ଜୀବନ ବଞ୍ଚିବାକୁ ପଡିବ। ଯଦି କେବେ ତୋ ମରଦ ସହ ଅପଡ ହୋଇ ଆମ ଘର କୁ ଆସିବୁ ମାଡ ଦେଇ ତୋ ଗୋଡ ଛୋଟା କରିଦେବି। 
    ମାଇଁ ଙ୍କୁ ମଧ୍ଯ  ଦେଖି ଆସିଛନ୍ତି ରାଧା ସେଇ ମାଟି ହାଣ୍ଡି ରୂପରେ। ଜବାବ୍ ଦେବା ଦୂରେ ଥାଉ , ମାମୁଁ ଙ୍କ ମୁହଁ ଉପରେ କଥା କହିବାର ସାହାସ ନଥିଲା ତାଙ୍କର। କେବଳ ଓଢଣୀ ଭିତରୁ ମୁଣ୍ଡ ଟୁଙ୍ଗାରି ହଁ କରିବା ବ୍ଯତୀତ ଆଉ କିଛି କରୁ ନ ଥିଲେ। ମାମୁଁ ଙ୍କ କଥା ବା ନିଷ୍ପତ୍ତି ଉପରେ ନାହିଁ କରିବାର ଅଧିକାର କେବେ ନ ଥିଲା ତାଙ୍କର। ସେମିତିକା ଅଧିକାରର ଆବଶ୍ଯକତା ଅଛି ବୋଲି ବି ସେ କେବେ ଅନୁଭବ କରି ନ ଥିଲେ।
    ଆଜି ଭାବୁଛନ୍ତି  ରାଧା ସ୍ବାଧୀନତା ବିଷୟରେ। ବାହାଘର ହେଲାବେଳେ ରାଧାଙ୍କ ମନରେ ଥିଲା, ସେ କେବେ ବି ଅନ୍ଧ ଭାବରେ ନିଜ ସ୍ବାମୀ କଥାରେ ହଁ ଭରିବେ ନାହିଁ। ତାହା ହିଁ ହେବ ତାଙ୍କ ପାଇଁ ସ୍ବାଧୀନତା। ସେ ପ୍ରକାରର ସ୍ବାଧୀନତା ତ ସେ ପାଇ ସାରିଛନ୍ତି। ତେବେ କାହିଁକି ତାଙ୍କ ମନ ଅଶାନ୍ତ? କାହିଁକି  ଲାଗୁଛି ଯେ  ତାଙ୍କ ଆପାଦ ମସ୍ତକ ଏକ ଅଦୃଶ୍ଯ  ଶିକୁଳିରେ ବନ୍ଧା ହୋଇରହିଛି।
    ମିତା ଯେ ଧିରେଧିରେ ନିଜ ସରହଦ ଭୁଲି ଉଛୃଙ୍ଖଳ ହୋଇଯାଉଛି ସେ କଥାରେ ଦ୍ବିମତ ନାହିଁ। ତାକୁ ତାଗିଦ୍ ନ କରି ମୋହନ ଏପରି ପ୍ରଶ୍ରୟ ଦେବା କୁ ସେ ଆଦୌ ସହଜ ଭାବରେ ଗ୍ରହଣ କରି ପାରୁନଥିଲେ। ଚାହିଁଲେ ବି କିଛି କହି ପାରୁ ନ ଥିଲେ। ସେଇ ଜାଗାରେ ହିଁ ନିଜକୁ ପରାଧୀନତାର  ଶିକୁଳିରେ ଆବିଷ୍କାର କରିବାକୁ ବାଧ୍ଯ ହେଉଥିଲେ।
– --     ପାପା, ଆସ ଦେଖିବ ମୋ ଫେସବୁକ୍ ରେ କେତେ ସାଙ୍ଗ ହୋଇ ଗଲେଣି। ସାତ ଶହରୁ ଅଧିକା ପିଲା ମୋ ଲିଷ୍ଟରେ ଅଛନ୍ତି। ଆହୁରି ଶହେ ପିଲା ଫ୍ରେଣ୍ଡ୍  ରିକ୍ବେଷ୍ଟ୍ ପଠେଇଛନ୍ତି। ସମୟ ଦେଖି ସେମାନଙ୍କୁ ଆସେପ୍ଟ କରିବି। ମୋହନ ଙ୍କ ହାତକୁ ମୋବାଇଲ୍ ଟା ବଢେଇ ଦେଲା ମିତା।
--- ଆରେ ମା....ଏମାନେ ସବୁ କିଏ। ଏ ପୁଅ ଗୁଡାକ ଏମିତି କଣ ବେଶଭୁଷା ହୋଇଛନ୍ତି। ଦେଖିଲେ ପ୍ରେତ ଦେଖିଲା ପରି ଲାଗୁଛି। ଆଉ ଝିଅ ମାନେ ଏମିତି କଣ ଡ୍ରେସ୍ ପିନ୍ଧିଛନ୍ତି। ଏ ପୁଅ ଗୁଡାକ ତୋତେ ଏମିତି ଖରାପ ଫଟୋ ଓ ମେସେଜ ଦେଇଛନ୍ତି କଣ ପାଇଁ??   ଟିକେ ବିରକ୍ତ ହୋଇ ପଚାରିଲେ ମୋହନ।
--- ମୁଁ ଜାଣିଥିଲି ତୁମେ ସେମିତି କହିବ। ତୁମେ ବି ମମି ପରି ପୁରୁଣାକାଳିଆ। ମୋ ସ୍ବାଧୀନତା ଉପରେ ରୋକ୍ ଲଗେଇବାର କିଛି ବି ଅଧିକାର ନାହିଁ ତୁମର ପାପା। ମୋ ନିଜ ହିସାବରେ ମୁଁ ବଞ୍ଚିବି, ମିଶିବି, ଖେଳିବି, ବୁଲିବି....ଯାହା ଚାହିଁବି କରିବି। ମୋ ଉପରେ କେହି ବି ରୋକ୍ ଲଗେଇ ପାରିବେ ନାହିଁ। ତୁମେ କଣ ନାରୀ ସ୍ବାଧୀନତା ବିଷୟରେ କିଛି ଜାଣିନ ନା କଣ?  ମୁଁ ହେଲି ଆଜିର ନାରୀ। ବହୁ ଦିନ କାଳ ପୁରୁଷ ମାନେ ନାରୀ ମାନଙ୍କୁ ପାଦ ତଳେ ଦବାଇ ରଖିଲେ.....ଏବେ ସେସବୁ ଚଳିବ ନାହିଁ...... କେବଳ ମୁଁ ନୁହଁ, ମୋ ସାଙ୍ଗ ମାନେ ମଧ୍ଯ ଏମିତି ସ୍ବାଧୀନ ଭାବରେ ବଞ୍ଚୁଛନ୍ତି। ତେବେ ତୁମେ ମୋ ପାଇଁ ଏତେ ନିୟମ କାନୁନ କାଢିବା କଣ ଠିକ୍ ହେଉଛି ?  ଉଚ୍ଚ ସ୍ବରରେ ଏତିକି କହି ମିତା ମୋହନଙ୍କ ହାତରୁ ମୋବାଇଲା ଛଡାଇ ନେଇ  ତା ରୁମ୍ ରେ ପଶି ଗଲା।
     କିଛି ପ୍ରତିକ୍ରିୟା ଦେଖାଇବା ପୂର୍ବରୁ ମିତା ଘର ଭିତରେ ନିଜକୁ ବନ୍ଦ କରି ଜିନଷପତ୍ର ଫିଙ୍ଗା ଫୋପଡା ଆରମ୍ଭ କରିଦେଇଥିଲା।  ମୋହନ କିଛି ଦିନ ହେଲାଣି ମିତା ର ସ୍ବଭାବ ଓ ଶରୀରରେ ଅନେକ ପରିବର୍ତ୍ତନ ଲକ୍ଷ କରି ପାରୁଥିଲେ। ତା ମଧ୍ଯରେ ବିରକ୍ତିଭାବର ମାତ୍ରା ଯଥେଷ୍ଟ ବଢି ଯାଇଥିଲା। ଛୋଟମୋଟ  କଥାରେ ସେ ରାଧାକୁ ଅନେକ କଟୁ କଥା କହିବାର, ମୋହନ ନିଜେ ଶୁଣୁଥିଲେ ମଧ୍ଯ କିଛି କହୁ ନ ଥିଲେ। ସେ ଭାବୁଥିଲେ ମିତା କେବଳ ସ୍ବଭାବବଶତଃ ଏମିତି କହୁଛି।  କିନ୍ତୁ  ତାଙ୍କ ସହ ମିତା ଯେପରି କଥାବାର୍ତ୍ତା କଲା,  ତାହାର ଉଦ୍ଦେଶ୍ଯ  ତାଙ୍କୁ କେବଳ ଅପମାନିତ କରିବାଥିଲା ବୋଲି ସେ ବେଶ୍ ଜାଣି ପାରୁଥିଲେ।
    ନିଜ କାର୍ଯ୍ଯରେ ବ୍ଯସ୍ତ ଥିବା ହେତୁ ଝିଅ କଣ ପାଠ ପଢୁଛି ବୋଲି  ପଚାରିବାର ସୁଯୋଗ କେବେ ମିଳେନି ତାଙ୍କୁ। ତାଙ୍କ ସହ ମିତା ଯେବେ ବି କଥା କୁହେ, ତା'ର ଏକ ମାତ୍ର କାରଣ ଥାଏ କିଛି ନା  କିଛି ଦାବୀ। ସେତିକି ମିଳି ଗଲା ପରେ ପୁଣି କିଛି ଦିନ ପାଇଁ ବାପ ଝିଅଙ୍କ ଭିତରେ କଥାବାର୍ତ୍ତା ର ବିରାମ ଲାଗିଯାଏ।  ଗୋଟିଏ ଦୁର୍ଭେଦ୍ଯ ପାଚେରୀ ର ଗୋଟିଏ ପାର୍ଶ୍ବରେ ଥିଲା ମିତା ଓ ଅନ୍ଯ ପାର୍ଶ୍ବରେ ଥିଲେ ମୋହନ ଓ ରାଧା।
    ସେଦିନ ରାତିରେ ପ୍ରଥମଥର ପାଇଁ ମୋହନ କହିଲେ--
--- ତୁମେ ସତ କହୁଥିଲ। ପିଲା ଟା ଏବେ ଆମ ଅକ୍ତିଆର ରୁ ବାହାରକୁ ଯିବା ଆରମ୍ଭ କଲାଣି। ସବୁ ଭୁଲ ମୋର। ମୁଁ ତାକୁ ଆରମ୍ଭରୁ ମୁହଁଖୋର କରାଇ ଦେଇଛି। ସବୁଠାରୁ ବଡ ଭୁଲ ହେଲା ତାକୁ ସେ ମୋବାଇଲ ଟା ଦେବା। କ୍ଯାନସର ପରି ସେ ମୋବାଇଲ ମୋ ପିଲାକୁ ନିଜର ସମ୍ପୂର୍ଣ୍ଣ ଅକ୍ତିଆର କୁ ନେଇସାରିଲାଣି। ସେ ଆମ ପୂର୍ବ ମିତା ହୋଇ ନାହିଁ, କେମିତି ଗୋଟେ ଅଜଣା ଅଚିହ୍ନା ଲାଗୁଛି ।
    ମୁଣ୍ଡ ପୋତି ବସିଥିଲେ ରାଧା ସବୁଦିନ ପରି। କିନ୍ତୁ ସେଦିନ ମୁହଁ ଖୋଲି କହିଲେ
– ହଁ ସତ କହିଲ। ତୁମେ ହିଁ ମୁହଁ ଦେଇଛ....  ଆକଟ ବି କରିବ ତୁମେ। ମିତା ସାରା ଦିନ ଭିତରେ ମୋ ସହ ପଦେ ବି କଥା ହେଉନି। ଏବେ ନା  ତାର କିଛି ଦାବୀ ଅଛି ନା  କିଛି ଅଭିଯୋଗ। କଲେଜରୁ ଫେରିବା ପରେ ତା ରୁମ ଭିତରେ ପଶୁଛି ଯେ ବାହାରୁଛି ତା ପରଦିନ। ଏପରିକି ଖାଇବା ପାଇଁ ମଧ୍ଯ ଆସୁନାହିଁ। ସେଇ ଘର ର ଦରଜା ବାହାରେ ଖାଇବା ଥାଳି ଧରି ମୁଁ ଠିଆ ହେଉଛି ଓ ସେ ହାତ ଲମ୍ବେଇ ନେଇଯାଉଛି।  ଘର ଭିତର ବାଟ ସଦାବେଳେ ବନ୍ଦ ରହୁଛି।  ଆମ ସହ ରହୁଛି ସତ ମାତ୍ର ସେ ଆମ ପାଖରେ ନାହଁ। ବଢିଲା ଝିଅ ସେ, କଣ ଆକଟ କରିବି ଜାଣି ପାରୁନି। କାଳେ ରାଗ ରେ କଣ କରିଦେବ ସେ ଡରରେ ତାକୁ କିଛି କହିବାକୁ ଭୟ ଲାଗୁଛି।  ମୋତେ ଲାଗୁଛି ଆମ ମିତା କୁ ଥରେ ଡାକ୍ତରଙ୍କୁ ଦେଖେଇଦେବା। ସେ  ପାଗଳୀ ହୋଇଯାଇନି ତ...........
    ଘର ଭିତରେ ବେଶ୍  କିଛି ସମୟ ଯାଏ ନୀରବତା ବିରାଜମାନ କଲା।
    ଏବେ ମିତା ର ହାବଭାବରେ ଢେର୍ ପରିବର୍ତ୍ତନ ଦୃଶ୍ଯ ହେଉଥିଲା। ହାତରୁ ମୋବାଇଲ ଛାଡିବାର ନାମ ମଧ୍ଯ ସେ ନେଉନି।  ଦିନରାତି ଚୁପି ଚୁପି କଥା ଚାଲିଛି। ବହୁତ୍ ସମୟ ସେ ମୋବାଇଲରେ କିଛି ଲେଖିବାରେ ବ୍ଯସ୍ତ ରହୁଥିଲା। ରହସ୍ଯମୟ ହୋଇଚାଲିଥିଲା ତା ବ୍ଯକ୍ତିତ୍ବ। ଗୋଟିଏ ଛାତ ତଳେ ରହି ବି ସେ ଜଣେ ଅଜଣା ବାଟୋଇ ପରି ନିଜ ଜୀବନ ବଞ୍ଚୁଥିଲା। ସବୁଠାରୁ ବଡ ଆଶ୍ଚର୍ଯ୍ଯ କଥା ଥିଲା ମୋବାଇଲ ଏବେ ତାର ଜୀବନ ପାଲଟିସାରିଥିଲା  ତାହା ଏପରି ଏକ ଦୁର୍ମୂଲ୍ଯ ଚିଜ ଯାହାର ଏକ ମାତ୍ର ମାଲିକ ହେଲା ମିତା। ମୋବାଇଲ କୁ ମୋହନ ବା ରାଧା ଛୁଇଁବା ଦୂରେ ଥାଉ, ଯଦି କେତେ ବେଳେ ତା ପାଖ ଦେଇ ଚାଲିଗଲେ ମିତା ରାଗ ରେ ଜର୍ଜରିତ ହୋଇଯାଏ।
---- କଣ ଏ ଘରେ ମୋର ପ୍ରାଇଭେସି ବୋଲି କିଛିନାହିଁ। ମୋ ବ୍ଯକ୍ତିଗତ ଜୀବନ ରେ ହସ୍ତକ୍ଷେପ କରିବାର ଅଧିକାର କାହାର ବି ନାହିଁ।
    କେବେ କେମିତି ଟିଭି ଆଗରେ ବସି ମୋବାଇଲ ରେ କିଛି ଟୁପୁରୁ ଟାପର କରିଲା ବେଳେ ରାଧା କିଛି ଦୂର ରେ ବସି ଦେଖୁଥାନ୍ତି ଝିଅର ଏ ନୂତନ ରୂପ କୁ---
  --- ଆଲୋ ମାଆ କଣ ସବୁ ଲେଖି ପକଉଛୁ।
– ତୁ କଣ ଜାଣିବୁ ଏହାର ଅର୍ଥ କଣ? ଏ କାମ କୁ ଚାଟିଙ୍ଗ କୁହନ୍ତି। ମାନେ ମୋବାଇଲରେ ଲେଖା ମାଧ୍ଯମରେ କଥାବାର୍ତ୍ତା। ତୁ ତ ମଫସଲିଆ ଲୋକ, ତଥାପି ଜାଣିଥା.... ତୋ ଝିଅ ଫେସବୁକ୍ ରେ ଚହଳ ପକେଇ ଦେଇଛି। କଲେଜର ସବୁ ବଡବଡିଆ ପୁଅ ମାନେ ମୋର ସାଙ୍ଗ। ଅନ୍ୟ ଝିଅ ମାନେ ତ ମୋ ସହ କଥାବାର୍ତ୍ତା ବନ୍ଦ କରିଦେଲେଣି। ସବୁ ପୁଅ ମୋତେ ଡାକୁଛନ୍ତି ତାଙ୍କ ସହ ଯିବା ପାଇଁ ପାର୍କ, ସିନେମା,ମେଳା, ଗୁପ୍ ଚୁପ ଖାଇ।  ଓଃ … କେମିତି ତୋତେ କହିବି ମୋ ଅନୁଭବ..
 ଟିକେ ବିରକ୍ତି ରେ ରାଧା କହିଲେ--
--- କାଇଁ ତୋତେ ଖାଲି ପୁଅ ସାଙ୍ଗ ମିଳୁଛନ୍ତି। କଲେଜ୍ ସାରା କେହି ବି ଝିଅ ନାହାଁନ୍ତି ସାଙ୍ଗ ହେବାକୁ।
ଚିହିଁକି ଉଠିଲା ମିତା--
– ମମି ଖବରଦାର୍। ମୋ ସ୍ବାଧୀନତା ଉପରେ କିଛି କହିଲେ ଭଲ ହେବନି। ମୁଁ ହଜାର ଥର କହିଛି, କାହା ସହ ମିଶିବି କେମିତି ମିଶିବି ସେ କଥା ମୋ ଉପରେ ଛାଡି ଦେ। ତୋ ମୁଣ୍ଡରେ ସେତିକି ମସଲା ନାହିଁ ଯେ ତୁ ମୋତେ ପାଠ ପଢେଇବୁ। ଏବେ ପୁଅ ଝିଅ ଭିତରେ କିଛି ତଫାତ୍ ନାହିଁ। ପୁଅ ମାନେ ଯାହା କରୁଛନ୍ତି ସେ ସବୁ କାମ ମୁଁ ଅତି ଆରାମରେ କରି ପାରୁଛି। ଆଉ ଦିନେ ସେମିତି ଫାଲତୁ କଥାବାର୍ତ୍ତା କଲେ ମୁଁ ସୁଇସାଇଡ୍ କରିଦେବି ଓ ସୁଇସାଇଡ୍ ନୋଟ୍ ରେ ଲେଖିବି ଯେ ତୁମେ ମାନେ ମୋତେ ମାନସିକ ନିର୍ଯ୍ଯାତନା ଦେଇ ମରିବାକୁ ବାଧ୍ଯ କଲ।
    ନିଜ ରୁମ୍ ରେ ପଶି ଧଡ୍ କରି କବାଟ ବନ୍ଦ କରିଦେଲା ମିତା।
    ମିତାର ଏମିତି କଥା ଶୁଣି ରାଧା କାନ୍ଦି ପକେଇଲେ। କେତେ ବଡ କଥା କହିଦେଲା ଆଜି ସେ। ଜନ୍ମକଲା ମାଆ ସାମନାରେ ଆତ୍ମହତ୍ଯା କଥା କହୁଛି?
 ସେତିକି ବେଳେ କବାଟ ପାଖରେ କାହାର ଡାକିବାର ଶବ୍ଦ ହେଲା।
    ରାଧାଙ୍କ ସାମନାରେ ଚବିଶ ପଚିଶ ବର୍ଷର ପିଲାଟେ। ଚୁଟି ଗୁଡାକ ଗଞ୍ଜା ଚୂଳ ପରି ଠିଆ ହୋଇ ରହିଛି। ଦୁଇ ହାତରେ ନାଗସାପ ଚିତା କୁଟେଇଛି। ନହନହକା ଅଣ୍ଟା। ଜିନ୍ସ ପ୍ଯାଣ୍ଟଟିରୁ ରଙ୍ଗ ଛାଡି ଠାଏଠାଏ ଚିରିଯାଇଛି। କାନରେ ଦୁଇଟା କୁଣ୍ଡଳ, ହାତରେ ପିତ୍ତଳ କଡା। ଓଜନ କଣ୍ଟାରେ ଠିଆ କରିଦେଲେ ତିରିଶ କିଲୋ ହେବନି କି ନାହିଁ ସନ୍ଦେହ। ହାତରେ ଧରିଛି ଇଟା ଆକାରର ମୋବାଇଲ। ଆଖି ଗୁଡା ବିଷାକ୍ତ ସର୍ପ ପରି ଚାରିଆଡ ଘୁରି ବୁଲୁଛି। ଦାନ୍ତ ଗୁଡିକ ଗୁଟଖା ଖାଇ ରଚିଗଲା ପରି ଦିଶୁଛି। ସେ ପିଲା କୁ ଦେଖି କେମିତି ଏକ ଅଜଣା ଭୟରେ ଶିହିରି ଉଠିଲେ ସେ।
--- ଆଣ୍ଟି , ମିତା କୁଆଡେ ଗଲା କି?
--- ତୁମେ କିଏ ପୁଅ  ମୁଁ ତ  ତୁମକୁ ଜାଣିଲା ପରି ଲାଗୁନି।
--- ହାଃ ହାଃ ଆଣ୍ଟି ମୋତେ ଆପଣ କେମିତି ଜାଣିବେ। ମୁଁ ରକି, ମିତା ର ଫେସବୁକ ଫ୍ରେଣ୍ଡ।  ଏଇ ତିନି ଦିନ ତଳେ ମିତା ସହ ବନ୍ଧୁତା ହେଲା। ସେ ଆଜି ମୋତେ ଡାକିଛି  ତା ସହ ପାର୍କ ଯିବା ପାଇଁ।
     ରାଧା ଙ୍କର ମୁଣ୍ଡ ଗୋଳମାଳ ହେଲା ପରି ଲାଗିଲା। ଏଡିକି ମେଞ୍ଚଡ ପିଲାର ଏତେ ସାହାସ..... ତାଙ୍କ ଝିଅ କୁ ନେଇ ବୁଲି ଯିବ ବୋଲି ।
– - ଚୁପ୍ ଚାପ୍ ଚାଲିଯା ଏ ଯାଗାରୁ। ମିତା କୁଆଡି ବି ଯିବନି। ତୋର ର ବହୁତ୍ ସାହାସ ମୁଁ ଦେଖୁଛି।
    ହେଃ ବୁଢୀ କାଇଁ ପାଟି କରୁଛୁ। ତୋର ଏତେ ସାହାସ କେମିତି ହେଲା ମୋ ସାଙ୍ଗ ସହ ଅଭଦ୍ରାମୀ କରିବାକୁ। ଜାଣିଛୁ ତ ସେ କିଏ? ଏ ସହର ର ସବୁ ଠୁ ବଡ ଧନୀ ବିକାଶ ସାମନ୍ତରାୟଙ୍କର ପୁଅ ସେ। ଘର ବାହାରକୁ ଆସି ଦେଖ୍ ସେ କେଉଁ ଗାଡିରେ ଆସିଛି। ସେ ଗାଡିର ଦାମ୍ ଯାହା ଆମର ଘରଦ୍ବାର, ଜମିବାଡି ବିକ୍ରିକଲେ ବି ସେତିକି ହେବନି।  ମୁଁ କୁଆଡେ ଯିବି କାହା ସହ  ଯିବି ସେ କଥା ମୋତେ ବୁଝିବାକୁ ଦେ। ତୋର ଅନୁମତି ମୋର ଦରକାର ନାହିଁ.....ବଡ ରୁକ୍ଷ ଭାବରେ କହିଗଲା ମିତା।
    ଜଣେ ବାହାର ଲୋକ ସାମନା ରେ ନିଜ ଝିଅ ପାଖରୁ ବୁଢୀ ଶବ୍ଦ ସହ ବାକି ସବୁ ଆକ୍ଷେପ ଶୁଣି ପଥରପ୍ରାୟ ହୋଇ ଯାଇଥିଲେ ରାଧା। ସେ ଟୋକା ଟା ଏପରି ପରିସ୍ଥିତି ଦେଖି ବଡ ତାଚ୍ଛଲ୍ଯ କଲା ପରି ହସି ହସି କହିଲା
----  ଓଲ୍ଡ ଲେଡି........ଏବେ ଜାଣିଲ ତ ....ମୁଁ କିଏ? ମୋତେ ଏମିତିି ଆଶ୍ଚର୍ଯ୍ଯ ହୋଇ ଦେଖୁଛ କଣ? ଏହା ମୋର ଲେଟେଷ୍ଟ୍ ଷ୍ଟାଇଲ୍।  କାନର କୁଣ୍ଡଳ କୁ ଟିକେ ହଲେଇଦେଇ ଆଖି ନଚେଇ କହିଲା ସେ ଟୋକା ଟା।
    ମିତା କବାଟ କୁ ଜୋରରେ ଗୋଇଠା ଟେ ମାରି ବାହାରି ଗଲା। ସେ ଗୋଇଠା ଟା କବାଟ  ସହ ରାଧାଙ୍କ ଆତ୍ମାରେ ବି ବାଜିଲା। ସେ ଲଥ୍ କରି ତଳେ ବସି ପଡିଲେ।
---- ଆରେ ଏମିତି ବସିଛ କଣ? କଣ ହେଲା ତୁମର....  ମିତା କୁଆଡେ ଗଲା। କିଛି ତ କୁହ..... ମୋହନ ବଡ ବ୍ଯସ୍ତ ହୋଇ ପଚାରିଲେ ରାଧାଙ୍କୁ। 
– ମିତା ମୋତେ ବୁଢୀ କହିଲା, ଗାଳି ଦେଲା....ଗୋଟେ ଅଚିହ୍ନା ବଜାରି ପିଲା ସହ କୁଆଡେ ବାହାରକୁ ଚାଲିଗଲା।
     ମୋହନ ନିଜ କ୍ରୋଧ ଉପରୁ ନିୟନ୍ତ୍ରଣ ହରାଇ ସାରିଥିଲେ। ମନେମନେ ଭାବିଲେ ଆଜି ଯାହା ହେଲେ ବି ମିତା କୁ ଭଲ କରି ପାନେ ଦେବାକୁ ହେବ। ସେ ନିଜକୁ କଣ ବୋଲି ଭାବୁଛି କି?
    ସେଦିନ ଘରେ ଚୁଲି ଜଳିନି। ସ୍ବାମୀ ସ୍ତ୍ରୀ ଦିହେଁ ଅପେକ୍ଷା କରି ରହିଲେ ମିତାର ଆସିବା ବାଟକୁ। ସଂନ୍ଧ୍ଯା ହେଲା.... ରାତି ହେଲା... ତଥାପି ମିତା ର ଦେଖା ନାହିଁ।
    ସ୍କୁଟର ଧରି ମୋହନ ଚାଲିଲେ ବିକାଶ ସାମନ୍ତରାୟ ବୋଲି ଲୋକର ଘରକୁ। କାରଣ ମିତା ର କହିବା ଅନୁସାରେ ସେ ପିଲା ବିକାଶ ସାମନ୍ତରାୟର ପୁଅ। କିନ୍ତୁ ମୋହନଙ୍କ ମୁଣ୍ଡରେ ବଜ୍ର ପଡିଗଲା...ଯେତେ ବେଳେ ସେ ଜାଣିଲେ ବିକାଶ ସାମନ୍ତରାୟ ର କେହି ପୁଅ ନାହାଁନ୍ତି। ତିନି ଝିଅ ଓ ପତ୍ନୀଙ୍କ ସହ ସେ ରୁହନ୍ତି ବିଦେଶରେ।
    ତେବେ ସେ ପିଲା ମିତା କୁ..... ନାଁ ନାଁ ସେମିତି ହୋଇ ନ ପାରେ। ଆଇନ କାନୁନ୍ ବୋଲି କିଛି ଏ ଦେଶ ରେ। ଲୋକ କଣ ଏତେ ମାତ୍ରାରେ ବଦମାସୀ କରି ପାରିବେ। ସବୁ ଯାଗା ବୁଲିବୁଲି ମୋହନ ଖୋଜୁଥାଆନ୍ତି ପ୍ରାଣ ଠାରୁ ଅଧିକା ପ୍ରିୟ ମିତାକୁ। କିନ୍ତୁ କୁଆଡେ ଗଲା ସେ ? କେତେ ଆଉ ଖୋଜିବେ। ମନେ ମନେ ଭାବିଲେ ଘରକୁ ଯାଇ ରାଧାଙ୍କୁ ଧରି ପୋଲିସ୍ ପାଖରେ ଆସି ଗୁହାରି କରିବେ।
    ଘର ସାମନା ରେ ସ୍କୁଟର ରଖି ପାଦ ଘୋଷାରି ଘର ଦରଜା ଖୋଲିଲେ। ରାଧା ତଳେ ଅଚେତ ହୋଇ ପଡିଛନ୍ତି। କଣ ହୋଇଛି ବୋଲି ଦଉଡି ଯାଇ ଦେଖିଲା ବେଳକୁ ତାଙ୍କ ପାଖରେ ଅତି ଅସଞ୍ଜତ ଅବସ୍ଥାରେ ପଡି ରହିଛି ମିତା। ଦେହ ସାରା ଆମ୍ପୁଡା ଓ କାମୁଡା ଦାଗ। ପିନ୍ଧିଥିବା ଡ୍ରେସ୍ ଠାଏଠାଏ ଚିରି ଯାଇଛି। ପାଟିରୁ ତାର ଭାସି ଆସୁଛି ମଦ ର ଗନ୍ଧ। ହାତରେ ଜାବୁଡି ଧରିଛି ତା ପ୍ରାଣପ୍ରିୟ ମୋବାଇଲଟି। ମୋବାଇଲର କାଚ ଭାଙ୍ଗିଯାଇଛି।
ମିତା ବଡ କଷ୍ଟରେ  ବିଳିବିଳେଇ ହେଉଛି.......
------ ଦୟାକରି ମୋତେ ଛାଡି ଦିଅ …. ମୁଁ ତୁମର କଣ କ୍ଷତି କରିଛି। ମୋ ଜୀବନ କୁ ଏମିତି ନଷ୍ଟ କରିଦିଅନି ପ୍ଲିଜ୍....ଦରକାର ନାହିଁ ମୋର ସ୍ବାଧୀନତା... ମୋତେ ନେଇ ଘରେ ଛାଡିଦିଅ। ତୁମେ ମୋତେ ମିଛ କହିଲ... ଶେଷରେ ଏ ପଶୁ ମାନଙ୍କ ପାଖରେ ମୋତେ ଛାଡିଦେଲ। ଛିଃ ଛିଃ ଧିକ୍ ତୁମ ପୁରୁଷତ୍ବ କୁ।
    ମିତାକୁ ଦେଇଥିବା ସ୍ବାଧୀନତାର ହାର ଯେ ତାକୁ ବିଷାକ୍ତ ସର୍ପ ଭାବରେ ଦଶଂନ କରିବ ଏହା ମୋହନଙ୍କ ଚିନ୍ତାଶକ୍ତି ବାହାରେ ଥିଲା।  ଉଗ୍ର ଆଧୁନିକତା ର ନାଗଫାଶରେ  ନିଜକୁ କବଳିତ କରି ସର୍ବସ୍ବ ଲୁଣ୍ଠନ କରାଇବାର ଅର୍ଥ ଯେ ସ୍ବାଧିନତା ନୁହେଁ, ଏହି କଥା ବୁଝାଇବା ପୂର୍ବରୁ  ମିତା ର ଜୀବନ ଛାରଖାର ହୋଇ ସାରିଥିଲା।
                *****************************