Monday, January 28, 2019

ହରି ମାଷ୍ଟ୍ରେ





                                                  ଲେଖକ- ଅରବିନ୍ଦ ରଥ


               ଯଦୁପୁର ସ୍କୁଲ ର ଯଥେଷ୍ଟ ପୂର୍ବରୁ ଗାଡି ଛିଡା କରିବାକୁ ଆଦେଶ ଦେଇ, ସ୍କୁଲ ପରିଦର୍ଶକ ମହୋଦୟ ଧିର ପଦକ୍ଷେପରେ ଚାଲିବା ଆରମ୍ଭ କଲେ। ସାଙ୍ଗରେ ଥିବା କର୍ମଚାରୀ କୁ ତାଗିଦ୍ କରି କହିଲେ-- ତୁମେ ଅଳ୍ପ ଦୂରରେ ରହି ମୋତେ ଅନୁସରଣ କରୁଥିବ, କିନ୍ତୁ ମୋତେ ନ ଚିହ୍ନିଲା ପରି ଅଭିନୟ କରିବ । ସ୍କୁଲରେ ଥିବା ଶିକ୍ଷକ ଓ କର୍ମଚାରୀ ଓ ପିଲା ମାନେ ଯେପରି ମୋର ପରିଚୟ ଆଗରୁ ନ ପାଇବେ, ସେଥିପାଇଁ ଯତ୍ନବାନ୍ ରହିବ। ମୋ ପାଖରୁ ଇସାରା ପାଇବା ପରେ ହିଁ ପାଖକୁ ଆସିବ, ତା ପୂର୍ବରୁ ନୁହେଁ।

କର୍ମଚାରୀ ଟି ମୁହଁରେ ଶଙ୍କିତ ଭାବ ପ୍ରକାଶପୂର୍ବକ ମୁଣ୍ଡ ହଲାଇ ଆଜ୍ଞା ପାଳନ କରିବାର ସମ୍ମତି ପ୍ରଦାନ କଲା। ନ କରିବ ବା କେମିତି !!!! !! ଆଦେଶ ପାଳନ ରେ କିଞ୍ଚିତ୍ ଅବହେଳା ଲକ୍ଷ କଲେ, ବାବୁ କେମିତି ରାଗି ନିଆଁବାଣ ହୋଇ ଯାଆନ୍ତି, ସେ ବିଷୟ ରେ ଅଫିସ ର ସମସ୍ତ କର୍ମଚାରୀ ଭଲରେ ଅବଗତ ଥିଲେ।

ଅଳ୍ପଦିନ ତଳେ ଗଗନ ସାମନ୍ତରାୟ, ଜିଲ୍ଲା ଶିକ୍ଷାଧିକାରୀ ଭାବରେ ସେହି ଜିଲ୍ଲାରେ ଯୋଗଦାନ କରି ଥା'ନ୍ତି। ତାଙ୍କର ବଳିଷ୍ଠ ବ୍ଯକ୍ତିତ୍ବ, ସାଲିସ ବିହୀନ ଆଭିମୁଖ୍ଯ ,କାର୍ଯ୍ଯକୁଶଳତା ଓ ନିଷ୍କଳଙ୍କ ଚରିତ୍ର ପାଇଁ ସେ ବେଶ୍ ଜଣାଶୁଣା ଥିଲେ। କାର୍ଯ୍ଯକ୍ଷେତ୍ରରେ ଅକର୍ମଣ୍ଯତା ଓ ଆଳସ୍ଯ ପରି ଆୟୁଧ ମାନଙ୍କୁ ଢାଲ କରି ଅବହେଳା ପ୍ରଦର୍ଶନ କରୁଥିବା କର୍ମଚାରୀ ମାନଙ୍କ ମନରେ, ଗଗନ ବାବୁଙ୍କ ଉପସ୍ଥିତି ହିଁ କୋକୁଆ ଭୟ ଉଦ୍ରେକ କରାଇବା ପାଇଁ ଯଥେଷ୍ଟ ଥିଲା। ଅଫିସ୍ ରେ ଯୋଗଦାନ କରିବା ଦିନ ହିଁ ସେ ନିଜର ଆଭିମୁଖ୍ଯ, ସୁସ୍ପଷ୍ଟ ଭାବରେ ସମସ୍ତଙ୍କ ଆଗରେ ପ୍ରକାଶ କରିଥିଲେ। ସେହି ଅଫିସ୍ ର କର୍ମଚାରୀ ଓ ବିଭିନ୍ନ ସ୍କୁଲର ଶିକ୍ଷକ, ଶିକ୍ଷୟତ୍ରୀ ଗଣ ଇତି ମଧ୍ଯରେ ପ୍ରମାଦ ଗଣିବା ଆରମ୍ଭ କରି ଦେଇଥିଲେ। ଜିଲ୍ଲାର ଶିକ୍ଷାନୁଷ୍ଠାନ ଗୁଡିକରେ ଶିକ୍ଷକ ମାନଙ୍କର ଶିକ୍ଷାଦାନ ରେ ଘୋର ଅବହେଳା ଓ ସେହି କାରଣ ରୁ ପରୀକ୍ଷା ରେ ବିଦ୍ଯାର୍ଥୀ ମାନଙ୍କର ନୈରାଶ୍ଯଜନକ ପ୍ରଦର୍ଶନ ଦେଖି ସେ ଭୀଷଣ ଭାବରେ କ୍ଷୁବ୍ଧ ହୋଇ ଉଠିଥିଲେ। ଶିକ୍ଷାନୁଷ୍ଠାନ ଗୁଡିକୁ କୌଣସି ପ୍ରାକ୍ ସୂଚନା ନ ଦେଇ ଅଚାନକ ପରିଦର୍ଶନ କରିବା ଦ୍ବାରା ହିଁ ଏହି ସମସ୍ଯାର କିଛି ସମାଧାନ କରିହେବ ବୋଲି ନିଶ୍ଚିତ ହେବା ପରେ, ସେ ଯଦୁପୁର ବିଦ୍ଯାଳୟକୁ ଅଚାନକ ପରିଦର୍ଶନ କରିବା ନିମିତ୍ତ ପହଞ୍ଚିଥିଲେ।

ସାଙ୍ଗରେ ଥିବା କର୍ମଚାରୀ ପଛରେ ରହିଗଲା ଓ ଗଗନ ବାବୁ ଗନ୍ତବ୍ଯ ସ୍ଥଳ କୁ ଅଗ୍ରସର ହେଲେ। ତାଙ୍କର ପ୍ରତ୍ଯକ ପଦକ୍ଷେପ ସହିତ ତାଳ ଦେଇ ମାନସପଟରେ ସ୍ମୃତି ରୂପକ ଅଶ୍ବ ଧାବମାନ କରି ଚାଲିଥିଲା ବିପରୀତ ଦିଗକୁ , ଅର୍ଥାତ୍ ବର୍ତ୍ତମାନ ରୁ ଅତୀତ କୁ। ସେ ନିଜକୁ ଆବିଷ୍କାର କଲେ ଦଶ ବା'ର ବର୍ଷର ବାଳକ ରୂପରେ।

ଧୂଳି ରାସ୍ତାରେ ପାଦକୁ କଚାଡି ଅନ୍ଯ ପିଲା ମାନଙ୍କ ସହ ମାଡି ଚାଲିଥିଲେ ଗଗନ କାନ୍ଧରେ କନା ତିଆରି ବ୍ଯାଗ୍ ଖଣ୍ଡିଏ ପକାଇ। ବ୍ଯାଗ୍ ଭିତରେ ସଜିଲ କରି ରଖା ଯାଇଥିଲା ଗଣିତ, ସାହିତ୍ଯ, ଭୂଗୋଳ ଇତ୍ଯାଦି ବିଷୟର ବହି ଓ ଖାତା। ତା ସହିତ ଅଧା ସରିଯାଇ ମଳିନ ପଡି ଆସିଥିବା ପେନସିଲ୍ ଓ ବିଭିନ୍ନ କିମ୍ଭୁତକିମ୍ଭାକାର ଚିତ୍ରରେ ଚିତ୍ରିତ ରବର। ରଙ୍ଗ ଛାଡି ବିବର୍ଣ୍ଣ ହୋଇ ଯାଇଥିବା ଜ୍ଯାମିତି ବାକ୍ସରେ ସ୍କେଲ୍, ପ୍ରୋଟାକ୍ଟର, ଡିଭାଇଡର ସାଙ୍ଗକୁ ହନୁମାନଙ୍କର ଫଟୋଟିଏ ରଖା ଯାଇଥିଲା। ହନୁମାନଙ୍କ ବିଶାଳ ଶରୀର ତଳେ ଆତ୍ମଗୋପନ କରିଥିଲା ବାପା ଦାଢିଖିଅର ପାଇଁ ବ୍ଯବହାର କରୁଥିବା ବ୍ଲେଡ୍ ପାତର ଅର୍ଦ୍ଧଭାଗ। ପେନସିଲ୍ କାଟିବା ସାଙ୍ଗକୁ ଆମ୍ବ, ପିଜୁଳି କାଟିବାରେ ସେହି ବ୍ଲେଡ୍ ର ଉପଯୋଗିତା ଯେ ବହୁତ ଅଧିକା ଥିଲା ତାହା ଅନସ୍ବୀକାର୍ଯ୍ଯ। ଗଗନ ସାଙ୍ଗରେ ଘଷି ହୋଇ ଚାଲୁଥିବା ସ୍କୁଲ୍ ର ଅନ୍ଯତମ ନିହାତି ବିଷ୍ଟିଙ୍କ ଶ୍ରେଣୀୟ ପିଲା ଘୋଷଣା କରିବା ଭଙ୍ଗୀରେ ପାଟି କରି କହିଲା-- ଆରେ ଜଲଦି ଚାଲ, ପ୍ରାର୍ଥନା ପୂର୍ବରୁ ନ ପହଞ୍ଚିଲେ "ଢଣଢଣା ମାଛି" କାମୁଡି ଘାଇଲା କରିଦେବ। ସେତିକି ଶୁଣି ପିଲା ମାନେ କିଳିକିଳା ରାବ ଦେଇ ସ୍କୁଲକୁ ଦୌଡିବାକୁ ଆରମ୍ଭ କଲେ। ସେ " ଢଣଢଣା ମାଛି " ନାମରେ ଉପମିତ ବ୍ଯକ୍ତି ଯେ ସେହି ସ୍କୁଲର ଜଣେ ଶିକ୍ଷକ, ସେ ବିଷୟ ସାଧାରଣ ଲୋକ ପକ୍ଷରେ ନିହାତି ଅବୋଧ୍ଯ ହେବା ସ୍ବାଭାବିକ୍।

ଯଦୁପୁର ସ୍କୁଲର ମୁଖ୍ଯ ଆକର୍ଷଣ ଥିଲେ ହରିମାଷ୍ଟ୍ରେ ଓରଫ୍ ଢଣଢଣା ମାଛି। ଅବଶ୍ଯ ଢଣଢଣା ଟି ସାର୍ ଙ୍କର ସାଙ୍ଗିଆ ଥିଲା, ତାଙ୍କର ସମ୍ପୂର୍ଣ୍ଣ ନାମ ଥିଲା ହରିଶଙ୍କର ଢଣଢଣା। ସ୍କୁଲରେ ନାମ ଲେଖାଇବା ଦିନଠାରୁ ଗଗନଙ୍କ ହୃତସ୍ପନ୍ଦନର ଗତି କୁ ବଢାଇ ଚାଲିଥିଲେ ହରି ସାର୍। ସେହି ସ୍କୁଲରେ ହିଁ ସାର୍ ରହୁଥିଲେ ନିଜର ନ୍ଯୁନତମ ନିତ୍ଯ ବ୍ଯବହାର୍ଯ୍ଯ ସାମଗ୍ରୀ ସହିତ। ତାଙ୍କ ଘର କେଉଁ ସ୍ଥାନରେ ବା ତାଙ୍କ ପରିବାରରେ ଅନ୍ଯ କେହି ସଦସ୍ଯ ଅଛନ୍ତି କି ନାହିଁ, ସେ ବିଷୟରେ କେହି କେବେ ଅନୁସନ୍ଧାନ କରି ନ ଥିଲେ, ତେଣୁ ସେ ବିଷୟରେ କାହା ପାଖରେ କୌଣସି ଖବର ନ ଥିଲା। ସମସ୍ତେ କେବଳ ଏତିକି ଜାଣିଥିଲେ , ସାର୍ ଙ୍କର ଘର ବହୁତ ଦୂରରେ ଓ ସେ ପ୍ରାୟତଃ ନିଜ ଗାଁଆ କୁ ଯାଆନ୍ତି ନାହିଁ। ବର୍ଷ ତମାମ୍ ସେହି ସ୍କୁଲଟି ହିଁ ତାଙ୍କର ଘର ଥିଲା ଓ କେବେ କେମିତି ଭଲମନ୍ଦ ବୁଝିବାକୁ ଆସୁଥିବା ଅଭିଭାବକ ମାନେ ଥିଲେ ତାଙ୍କର ଅତିଥି।

ତାଙ୍କ ଚରିତ୍ରରେ ହରି ଙ୍କର ଗୁଣ କମ୍ ଥିଲା, କିନ୍ତୁ ଶଙ୍କର ବା ଶିବ ଙ୍କ ଗୁଣଗାରିମା ତଥା ବ୍ଯକ୍ତିତ୍ବ , ତାଙ୍କର ସମ୍ପୂର୍ଣ୍ଣ ସତ୍ତାକୁ ଆବୋରି ବସିଥିଲା। ସେ ଥିଲେ ଭୀଷଣ କ୍ଷଣକୋପୀ ଓ କଠୋର ସ୍ବଭାବର ବ୍ଯକ୍ତି। ଛଅ ଫୁଟ୍ ପାଖାପାଖି ଉଚ୍ଚତା, ବିଶାଳ ବପୁ ଓ ଆଜାନୁ ଲମ୍ବିତ ଭୂଜା ସାଙ୍ଗକୁ, ନାକ ତଳେ ଶୋଭା ପାଉଥିବା କଳା ମୋଟା ନିଶ, ତାଙ୍କର ବ୍ଯକ୍ତିତ୍ବକୁ ଆହୁରି ଭୟ ଉଦ୍ରେକକାରୀ କରି ତୋଳୁଥିଲା। ତାଙ୍କର କଣ୍ଠସ୍ବର ଏତେ ମାତ୍ରାରେ କର୍କଶ ଥିଲା ଯେ ସାଧାରଣ କୋମଳ କଥା ମଧ୍ଯ ବଜ୍ରପାତ ପରି ଶ୍ରାବ୍ଯ ହେଉଥିଲା। କୌଣସି କାରଣରୁ କ୍ରୋଧିତ ହେଲେ, ତାଙ୍କର ରକ୍ତିମ ପୂର୍ଣ୍ଣଚନ୍ଦ୍ରସମ ଚକ୍ଷୁ ଯୁଗଳରୁ ଅଗ୍ନୀବର୍ଷା ହେବା ପରି ମନେ ହେଉଥିଲା । ହରିମାଷ୍ଟ୍ରେଙ୍କ ଚିରସାଥୀ ଥିଲା ହାତେ ଲମ୍ବର ଏକ ବେତ ବାଡି ଯାହା ସଦାବେଳେ ତୈଳମର୍ଦ୍ଦିତ ହୋଇ ଜାଜୁଲ୍ଯମାନ ଦୃଶ୍ଯ ହେଉଥିଲା। ସ୍କୁଲର ଏପରି କୌଣସି ପିଲା ନାହିଁ, ଯାହାର ଶରୀର ସେ ବେତ ଏକାଧିବାର ସ୍ପର୍ଶ ନ କରିଛି। କେବଳ ସ୍ପର୍ଶ କରିଛି କହିଲେ ଅତ୍ଯୁକ୍ତି ହେବ ବରଂ ସ୍ପର୍ଶକରି ନିଜର ଦାଗ ଛାଡିଛି କହିଲେ ଅଧିକ ଯୁକ୍ତିଯୁକ୍ତ ଲାଗିବ। ହରିମାଷ୍ଟ୍ରେ ଓ ତାଙ୍କ ବେତ ର ମିଳିତ ଆକ୍ରମଣ ହେତୁ ସ୍କୁଲର ଅର୍ଦ୍ଧାଧିକ ପିଲାଙ୍କର ପିନ୍ଧା ବସନ କିପରି ସିକ୍ତ ହୋଇଥିଲା ବୋଲି ଜିଜ୍ଞାସା କଲେ, ଉତ୍ତର ଦେବା ଲୋକଙ୍କର ଅଭାବ ନାହିଁ। ଅନେକ ଭୁକ୍ତଭୋଗୀ ଏପରି ବୃତ୍ତାନ୍ତ ମାନ ବର୍ଣ୍ଣନା କରନ୍ତି ଯେ ଶୁଣିବା ଲୋକ ମନରେ ହରିମାଷ୍ଟ୍ରେଙ୍କ ପ୍ରତି ଭୀଷଣ କ୍ରୋଧ ଭାବ ଚାଲିଆସେ। ସମସ୍ତେ କେବଳ ଗୋଟିଏ ନିର୍ଯ୍ଯାସ କାଢନ୍ତି, ତାହା ହେଲା - - - ଏ ହରି ମାଷ୍ଟ୍ର ସ୍କୁଲ ରେ ଶିକ୍ଷକ ନ ହୋଇ ଦେଶ ସୀମାରେ ସୈନିକ ହୋଇ ଲଢେଇ କରିଥିଲେ ଭଲ ହୋଇ ଥାଆନ୍ତା।

କୌଣସି ପିଲା ପାଠ ପଢାରେ ଅବହେଳା କଲେ ବା ବିଶୃଙ୍ଖଳିତ ଆଚରଣ କଲେ ହରିମାଷ୍ଟ୍ରଙ୍କ କ୍ରୋଧାଗ୍ନୀରେ ଦଗ୍ଧୀଭୂତ ହେଉଥିଲା। ପିଠିରେ ଓ ନିତମ୍ବରେ ବେତ୍ରାଘାତ ସହିତ ନାନା ନିଆରା ଢଙ୍ଗରେ ସେ ପିଲା ମାନଙ୍କୁ ଦଣ୍ଡ ଦେଉଥିଲେ। ସେଥି ମଧ୍ଯରୁ ଦଣ୍ଡ ବୈଠକ ମାରିବା, ଗଛ ଉପରେ ଦଶ ଥର ଚଢି ଓହ୍ଲାଇବା, ମୁଦ୍ରିକା ଅଙ୍ଗୁଳିର ଉପର ପାର୍ଶ୍ବରେ ପେନସିଲ୍ କୁ ଜୋରରେ ଚାପି ଧରି ଗଡାଇବା ଅଥବା ଦୁଇ ଆଙ୍ଗୁଳି ମଧ୍ଯରେ କଲମ ରଖି ଜୋର୍ ରେ ଚାପିଦେବା, ସ୍କୁଲର ହତା କୁ ଝାଡୁ ମାରି ପରିଷ୍କାର କରିବା, କୂଅରୁ ପାଣି ଆଣି ସ୍କୁଲର ପ୍ରତ୍ଯକ ଶ୍ରେଣୀରେ ଥିବା ସୁରେଇରେ ପାଣି ପୁରାଇବା ଆଦି ଅନ୍ଯତମ ଥିଲା। ବେଶି ସଙ୍ଗୀନ ଦୋଷ କରିଥିବା ପିଲା ମାନଙ୍କୁ ସ୍କୁଲର ବଗିଚା ରେ ଘାସ ସଫା କରିବା ଅଥବା ମାଟିହାଣି ଗଛ ଲଗାଇବା ଆଦି କାମର ଦଣ୍ଡ ମଧ୍ଯ ଭୋଗିବାକୁ ପଡୁଥିଲା। କହିବା ବାହୁଲ୍ଯ, ଯଦି କୌଣସି ପିଲା ଦଣ୍ଡ ପାଳନ ରେ ଅବହେଳା କରେ, ତାକୁ ସମାନ ଦଣ୍ଡରେ ଗୋଟିଏ ସପ୍ତାହ ପାଇଁ ଦଣ୍ଡିତ ହେବାକୁ ପଡୁଥିଲା।

ଯଦୁପୁର ଗ୍ରାମରେ ପୋଷ୍ଟମାଷ୍ଟର ରୂପରେ କାର୍ଯରତ ଥିଲେ ଗଗନଙ୍କ ବାପା। ଛୋଟ ଗାଁଆଟିର ତଥାକଥିତ ବଡଲୋକ ମାନଙ୍କ ମଧ୍ଯରେ ସେ ଥିଲେ ଅନ୍ଯତମ। ଏକ ମାତ୍ର ପୁତ୍ରର ପାଠପଢାର ସମ୍ପୂର୍ଣ୍ଣ ଦାୟିତ୍ବ ସେ ନ୍ଯସ୍ତ କରିଥିଲେ ହରିମାଷ୍ଟ୍ରଙ୍କ ଉପରେ। କିନ୍ତୁ, ହରିମାଷ୍ଟ୍ରେ ତାଙ୍କ ବାପାଙ୍କ ପଦବୀ ଦ୍ବାରା ପ୍ରଭାବିତ ହୋଇ ତାଙ୍କ ପ୍ରତି କୋମଳ ମନୋଭବ ପୋଷଣ କରିବା ଟା ଗଗନ କେବେ ଅନୁଭବ କରି ପାରୁ ନ ଥିଲେ। କାରଣ, ଅନ୍ଯ ପିଲାଙ୍କ ପରି ତାଙ୍କ ଅବସ୍ଥା ମଧ୍ଯ ସବୁଦିନ ବେହାଲ ହୋଇ ଚାଲିଥିଲା। ଗଣିତ ନାମକ ବିଷୟର ନାମ ଶୁଣିବା କ୍ଷଣି ତାଙ୍କ ଦେହରେ ଖଇ ଫୁଟିବା ଆରମ୍ଭ କରିଦେଉଥିଲା। ହରିମାଷ୍ଟ୍ରେଙ୍କର ସବୁଠାରୁ ପ୍ରିୟ ବିଷୟ ଥିଲା ଗଣିତ। ପାଟିରେ ପାନ ଖଣ୍ଡେ ଜାକି ଯେତେବେଳେ ସେ କଳାପଟା ଉପରେ ଚକ୍ ଖଡି ଘଷି ଗଣିତର ସୂତ୍ର ମାନ ଲେଖି ଚାଲିଥା'ନ୍ତି, ସେ ସମୟର ପ୍ରସନ୍ନତା ଯେ କେହି ବି ଅନୁଭବ କରି ପାରିବ। ଗଗନ ସବୁ ସୂତ୍ର ମନ ଦେଇ ଶୁଣନ୍ତି ଓ ଲେଖନ୍ତି, କିନ୍ତୁ କଳାପଟାରୁ ସୂତ୍ର ସବୁକୁ ଲିଭାଇ ମାଷ୍ଟ୍ରେ ନୂଆ ସୂତ୍ର ଲେଖିବା ବେଳକୁ , ଗଗନଙ୍କ ମାନସ ପଟ୍ଟଳରୁ ଗଣିତର ପୁର୍ବ ସୂତ୍ର ମାନ ଅଦୃଶ୍ଯ ହୋଇ ଚାଲନ୍ତି। କେବଳ ଗଣିତ କାହିଁକି, ଅନ୍ଯ ବିଷୟ ଗୁଡିକରେ ଗଗନଙ୍କ ଧିମତ୍ତାର ପ୍ରାବଲ୍ଯତା ଯଥେଷ୍ଟ ଉଣାଥିଲା। ସେଥିପାଇଁ ବିଭିନ୍ନ କାରଣ ଦାୟୀ ବୋଲି ଗଗନ ନିଜକୁ ବୁଝାଇ ଚାଲି ଥିଲେ। ଯେପରି କି, ସେଦିନ ଘରକୁ କୁଣିଆ ଆସିଲେ ବୋଲି ପଢି ହେଲାନି, ସେଦିନ ଆମ ପୋଷା କୁକୁର ଟା ହଜିଗଲା ଯେ ମନ ଦୁଃଖ ହୋଇଗଲା ତେଣୁ ପଢି ହେଲାନି, ଭୋଜି ଖାଇ ଘରକୁ ଆସିଲା ପରେ ଭୀଷଣ ନିଦ ମାଡିଲା ତେଣୁ ପାଠ ପଢି ହେଲାନି, ଡାକବାଲା ମଉସାର ଭୂତଗପ ଶୁଣି ଡର ମାଡିଲା ତେଣୁ ପାଠ ମନେ ରହିଲାନି, ଲଣ୍ଠନ କାଚ ଭଲରେ ପୋଛା ହୋଇ ନ ଥିଲା ବୋଲି ଭଲରେ ଅକ୍ଷର ଦିଶିଲାନି..... ଏମିତି ଅଗଣିତ କାରଣ ମାନଙ୍କର ଅସରନ୍ତି ଭଣ୍ଡାର ଗଗନଙ୍କ ପାଖରେ ସଦାବେଳେ ମହଜୁଦ ରହୁଥିଲା। କିନ୍ତୁ ଏହି କାରଣମାଳା ର ଏକାଧିକ ସୁରକ୍ଷାଢାଲ, ଗଗନଙ୍କୁ ସୁରକ୍ଷା ଦେବାକୁ ଅସମର୍ଥ ଥିଲେ। ଅନେକ ସମୟରେ ପାଠ କହି ନ ପାରି ସେ ହରିମାଷ୍ଟ୍ରଙ୍କ ଦଣ୍ଡର ଶିକାର ହେଉଥିଲେ। ପୂର୍ବ ବର୍ଣ୍ଣିତ ପ୍ରତ୍ଯକ ଟି ଦଣ୍ଡ କୁ ସେ ଅଙ୍ଗେ ନିଭାଇଥିଲେ ଓ ତଦ୍ ଜନିତ ଅକଥ୍ଯ ବେଦନା ଓ କଷ୍ଟ କୁ ସହ୍ଯ କରିଥିଲେ।

ତାଙ୍କର ଡଉଲଡାଉଲ ଚେହେରା ପ୍ରତି କଟାକ୍ଷ କରି ସାର୍ କେବେ କେବେ କୁହନ୍ତି- - - ତୁ ତ ଫୁଟବଲ ପରି ଫୁଲି ଚାଲିଲୁ ପାଠ ପଢିବୁ କ'ଣ। ପାଠ ନ ପଢିଲେ ଶେଷରେ ଗାଁଆ ପଡିଆରେ ଗାଈ ଚରାଇବା ସାର ହେବ। ମୋ ପୁଅ ହୋଇଥିଲେ ତୋ ପିଠିରୁ ଛାଲ ଉତାରି ଦିଅନ୍ତି। ତୋ ମୁଣ୍ଡରେ ଗୋବର ଅଛି କି କ'ଣ ମୁଁ ଜାଣି ପାରୁନି। ତୋର ପାଠ ମନେ ରହୁନି କାହିଁକି?

ଅନ୍ଯ କେହି ଲକ୍ଷ କରିଛନ୍ତି କି ନାହିଁ ଜଣାନାହିଁ, କିନ୍ତୁ ପ୍ରତ୍ଯକ ଥର ପୁଅ ବୋଲି କହିବା ପରେ ହରିମାଷ୍ଟ୍ରଙ୍କର କ୍ରୁର ଛକ୍ଷୁ ଯୁଗଳରେ, କାରୁଣ୍ଯତାଭରା ଭାବ ଲକ୍ଷ କରି ପାରନ୍ତି ଗଗନ । କିନ୍ତୁ ସେ ଭାବର କାରଣ କ'ଣ ବୋଲି ପଚାରିବାର ଧୃଷ୍ଟତା ତାଙ୍କ ପାଖରେ ନ ଥିଲା। ସାଙ୍ଗମାନଙ୍କ ସହ ବଦମାସୀ କଲାବେଳେ ଗଗନ ଧରା ପଡି ଅନେକ ଥର ହରିମାଷ୍ଟ୍ରେଙ୍କ ଦ୍ବାରା ଦଣ୍ଡିତ ହୋଇଥିଲେ, ପ୍ରାଗ୍ ଐତିହାସିକ ପ୍ରଣାଳୀରେ। ତାଙ୍କ ମନରେ ହରିମାଷ୍ଟ୍ରଙ୍କ ପ୍ରତି ଥିବା ଭୟର ପ୍ରାବଲ୍ଯତା ଏତେ ଅଧିକ ଥିଲା ଯେ, ସେ ରାତିରେ ଶୋଇବା ସମୟରେ ତାଙ୍କୁ ସ୍ବପ୍ନରେ ଦେଖୁଥିଲେ। କିନ୍ତୁ ଶିକ୍ଷକ ଭାବରେ ନୁହଁ, ବରଂ ଏକ ରାକ୍ଷସ ରୂପରେ। ପ୍ରତିଥର ସେ ଦେଖନ୍ତି ଯେ ହରିମାଷ୍ଟ୍ର ତାଙ୍କୁ ଏକ ମୋଟା ରଶିରେ ବାନ୍ଧି ଫୁଟବଲକୁ ଗୋଇଠା ମାରିବା ପରି ମାରି, ଅଟ୍ଟହାସ୍ଯ କରି ଚାଲନ୍ତି। ନିଦରୁ ଚମକି ଉଠି ସେ କେତେ ଥର ଯେ ଉଠିଛନ୍ତି ତା'ର ହିସାବ ନାହିଁ। ବାପାଙ୍କୁ ହରିମାଷ୍ଟ୍ରଙ୍କ ନାମରେ ଯେତେ ଅଭିଯୋଗ କଲେ ମଧ୍ଯ କିଛି ସୁଫଳ ମିଳୁ ନ ଥିଲା।

ବରଂ ସେ କହୁଥିଲେ-- ଏ ବୟସରେ ଯଦି ଗୁରୁ ମାନଙ୍କ ପାଖରୁ ଗାଳି ନ ଶୁଣିବ, ମାଡ ନ ଖାଇବ ତେବେ ବଡ ମଣିଷ ହେବ କିପରି ? ଶିକ୍ଷକ ମାନଙ୍କ ପାଇଁ ପ୍ରତ୍ଯକ ଟି ପିଲା ଏକ ସୁନା ମୁଣ୍ଡା ପରି। ସୁନା କୁ ତରଳାଇ, ହାତୁଡିରେ ପିଟିବା ପରେ ହିଁ ସୁନ୍ଦର ଅଳଙ୍କାର ମାନ ଗଢାଯାଏ। ତେଣୁ ତୋତେ ଯଦି ଅଳଙ୍କାର ହେବାର ଅଛି ଏ କଷ୍ଟ ସହିବାକୁ ହେବ। ବଡ ହେଲା ପରେ ତୁ ନିହାତି ଅନୁଭବ କରି ପାରିବୁ ହରିମାଷ୍ଟ୍ରଙ୍କ ଗୁରୁତ୍ବ।

ବାପାଙ୍କର କଥା ନିହାତି ଖାପଛଡା ଲାଗେ ଗଗନଙ୍କୁ। ସେ ଭାବନ୍ତି, ବାପା ବୋଧେ ତାଙ୍କୁ ଭଲ ପାଉ ନାହାଁନ୍ତି, ନ ହେଲେ ହରିମାଷ୍ଟ୍ର ପରି ଜଲ୍ଲାଦର ପକ୍ଷ ନିଅନ୍ତେ କାହିଁକି? କେବଳ ତାଙ୍କ ବାପା ନୁହଁ, ସାରା ଗାଁଆର ଅଭିଭାବକ ମାନେ ନିଜ ପିଲାର ଦାୟିତ୍ବ ହରିମାଷ୍ଟ୍ରଙ୍କ ହାତରେ ନ୍ଯସ୍ତ କରି ନିଶ୍ଚିନ୍ତ ଥିଲେ ଓ ପିଲା ମାନଙ୍କର ଆପତ୍ତି ଅଭିଯୋଗ ଉପରେ ତିଳେ ମାତ୍ର ଗୁରୁତ୍ବ ଦେଉ ନ ଥିଲେ।

ଦିନ ପରେ ଦିନ ବିତି ଚାଲିଥିଲା ଓ ହରିମାଷ୍ଟ୍ରଙ୍କ ଦୌରାତ୍ମ୍ଯ କାରଣରୁ ହେଉ ବା ନିଜର ଅଧ୍ଯବସାୟ ପାଇଁ ହେଉ, ଗଗନ ମନଯୋଗ ସହକାରେ ପାଠ ପଢିବାରେ ଲାଗି ଯାଇଥିଲେ। ତାଙ୍କ ମନରେ କେବଳ ଏତିକି ଦୁଃଖ ଥିଲା ଯେ ମାଷ୍ଟ୍ରେ ତାଙ୍କୁ କେବେ ପ୍ରଶଂସା କରୁ ନ ଥିଲେ। ପ୍ରଶଂସା ତ ଦୂରର କଥା, କେବେ ହସି ପଦେ କଥା ମଧ୍ଯ କହୁ ନ ଥିଲେ। ଅନେକ ଥର ଗଗନ ଭାବନ୍ତି-- ଏ ଲୋକଟାର ପୁଅ ନାହିଁ ଭଲ ହୋଇଛି, ନ ହେଲେ ସେ ତା ଅବସ୍ଥା ବାର ଗଣ୍ଡା ଦି' କଡା କରି ସାରନ୍ତାଣି। ସପ୍ତମ ଶ୍ରେଣୀ ବୃତ୍ତି ପରୀକ୍ଷାରେ ଅବତୀର୍ଣ୍ଣ ହେବା ପାଇଁ ଗଗନଙ୍କୁ ବାଛିଥିଲେ ହରିମାଷ୍ଟ୍ରେ। ତାହା ଗୌରବର କଥା ବା ପ୍ରତିଶୋଧ ନେବାର ଏକ ଉପାୟ ବୋଲି ସେ ଜାଣି ପାରୁ ନ ଥିଲେ । ତାଙ୍କ ମନରେ ହରିମାଷ୍ଟ୍ରଙ୍କ ପାଇଁ ପୁଞ୍ଜିଭୂତ ହୋଇ ଚାଲିଥିଲା ପ୍ରବଳ କ୍ରୋଧ ଓ ଅସୂୟାଭାବ।

ଅନେକ ଥର ସେ ଠାକୁରଙ୍କୁ ଗୁହାରି କରି କହୁଥିଲେ-- ପ୍ରଭୋ, ମୁଁ ବେଶି କିଛି ମାଗୁନାହିଁ, କେବଳ ଏ ଢଣଢଣିଆ ମାଛିକୁ ମ୍ଯାଲେରିଆ ଜ୍ବର ରେ ପକେଇ ଦିଅ। ନ ହେଲେ ସେ ସାଇକେଲରେ ଯିବା ବେଳେ ତାକୁ ପୋଖରି ରେ ପକାଇ ହାତଗୋଡ ଭାଙ୍ଗିଦିଅ। ଯଦି ଏତେ କାମ ନ କରି ହେବ ତାକୁ ଏମିତି କରିଦିଅ ଯେ ସେ ଆଉ କଥା କହି ପାରିବନି କି ହାତ ଗୋଡ ହଲେଇ ପାରିବନି। ଠାକୁରଙ୍କୁ ଏତିକି ମାଗିବା ଅବସରରେ ତାଙ୍କ ମନ ଖୁସିରେ କୁରୁଳି ଉଠେ। ସତ୍ଯ ନ ହେଲେ ବି ସେ କଳ୍ପନା ରାଜ୍ଯରେ ତ ହରିମାଷ୍ଟ୍ରେଙ୍କ ଉପରେ ପ୍ରତିଶୋଧ ନେଇ ପାରୁଛନ୍ତି, ତାହା କ'ଣ କମ୍ ଗୌରବ ର କଥା! !!

ସେଦିନ ତାଙ୍କ ଘରକୁ ସହରରୁ ଅତିଥି ମାନେ ଆସିଥିଲେ। ତାଙ୍କ ସହ ଆସିଥିଲା ସପ୍ତମଶ୍ରେଣୀରେ ପଢୁଥିବା ରାହୁଲ୍। ତା ପାଖରୁ ସହରୀ ପାଠ ପଢା କାଇଦା ଶୁଣି ଗଗନଙ୍କ ମୁଣ୍ଡ ଘୁରାଇ ଦେଲା।

ରାହୁଲ୍ କହିଲା-- ସ୍କୁଲରେ ଆମ ସାର୍ ମାନେ କାହାକୁ ଗାଳି ମଧ୍ଯ ଦିଅନ୍ତି ନାହିଁ, ମାଡ ମାରିବା ଦୂରର କଥା। ଇଛା ହେଲେ ପାଠ ପଢିବ, ନ ହେଲେ ନାହିଁ। କେହି ତୁମକୁ କିଛି କହିବେନି। ପରୀକ୍ଷା ରେ ସବୁ ପାଶ୍ ହେବେ ପ୍ରତି ବର୍ଷ। ସେଥିପାଇଁ ତ ପ୍ରତି ବର୍ଷ ସେମାନଙ୍କୁ ବହୁତ ପଇସା ଫିସ୍ ଆକାର ରେ ଦିଆ ଯାଉଛି। ପିଲା ମାନେ ଚାହିଁଲେ ସାର୍ ମାନଙ୍କ ନାଁଆ ରେ ଅଭିଯୋଗ କରି ପାରିବେ ଓ ଅଭିଭାବକ ମାନେ ସ୍କୁଲ ଯାଇ ସେ ସାର୍ ଙ୍କୁ ପାଟିତୁଣ୍ଡ କରି ପାରିବେ। ଗଗନ ପାଖରୁ ସ୍କୁଲ ହତା ସଫା କରିବା, ଗଛ ଲଗାଇବା କଥା ଶୁଣି ରାହୁଲ୍ ହସିହସି ଗଡିଗଲା। କହିଲା ଆରେ ତୁମେ ମାଳି ନା କ'ଣ। ସେ କାମ ତ ମାଳି ମାନେ କରନ୍ତି, ଆମ ପିଲା ମାନେ ସ୍କୁଲ ରେ କୁଟା ଖଣ୍ଡେ ବି ଦୁଇ ଖଣ୍ଡ କରନ୍ତିନି। ରାହୁଲ୍ ର କଥା ସବୁ ଗଗନକୁ ପରୀ ରାଇଜର କାହାଣୀ ପରି ଲାଗୁଥିଲା। କାହିଁ ସହର ର ସେ ଦେବତା ପରି ସାର୍ ଓ କାହିଁ ଏ ଅସୁର ପରି ଢଣଢଣିଆ ମାଛି। ସହର କୁ ଫେରିଯିବା ଅବସରରେ ରାହୁଲ, ଗଗନ ହାତରେ ଖଣ୍ଡେ ସିଗାରେଟ୍ ଧରେଇ ଦେଇ କହିଲା-- ଆରେ ସମୟ ପାଇଲେ ସ୍କୁଲରେ ଏଥିରୁ ଧାପେ ଟାଣିଦେବୁ। ଆମେ ସବୁଦିନ ଟାଣୁଛୁ। ତା ପରେ ଦେଖିବୁ କେତେ ମଜା ଲାଗିବ। ଅମୂଲ୍ଯ ସମ୍ପଦ ପରି ସିଗାରେଟ୍ ଟି ଗଗନର ଜ୍ଯାମିତି ବାକ୍ସର ହନମାନ ଫଟୋ ତଳେ ଲୁକ୍କାୟିତ ଅବସ୍ଥାରେ ରହି, ତହିଁ ଆରଦିନ ସ୍କୁଲ ଗମନ କଲା।

ସାଙ୍ଗସାଥୀଙ୍କ ଆଗରେ ଉତ୍ତେଜିତ ହୋଇ ଗଗନ କହିଚାଲିଥାଏ ସହରର ସ୍କୁଲ ଓ ସାର୍ ମାନଙ୍କ କାହାଣୀ। ପିଲାଙ୍କୁ ଏସବୁ ଅବିଶ୍ବସନୀୟ ମନେ ହେଲେ ମଧ୍ଯ ସେମାନେ ପାଟି ମେଲା କରି ଶୁଣି ଚାଲିଥା'ନ୍ତି । ସେତିକିବେଳେ ଗଗନ ଜ୍ଯାମିତି ବାକ୍ସ ଭିତରୁ କାଢିଲା ସେହି ଅସୀମ ଦୁର୍ମୂଲ୍ଯ ଚିଜ ଟି। ସେଥିରେ ଅଗ୍ନୀସଂଯୋଗ କରି ସିନେମା ଭଙ୍ଗୀରେ ପାଟିରେ ରଖି ବାକି ପିଲା ମାନଙ୍କ ଆଡକୁ ଦେଖିଲା ବେଳକୁ, ସେ ଅନୁଭବ କରି ପାରୁଥିଲା, ପିଲାମାନେ ତା'ର ବଶ୍ଯତା ସ୍ବୀକାର କରି ସାରିଛନ୍ତି ଓ ସେ ଏବେ ସମସ୍ତଙ୍କର ନୂଆ ମୁଖିଆ ପାଲଟି ଯାଇଛି। କିଛି ସମୟ ପରେ ସେହି ଅଞ୍ଚଳଟି ଧୂମ୍ରମୟ ହୋଇ ଉଠିବା ସହିତ, ଗଗନ ଓ ବାକି ପିଲା ମାନେ କାଶି କାଶି ନୟାନ୍ତ ହେବା ଦୃଶ୍ଯ ହେଲା। ଦୁର୍ଯୋଗକୁ ହରିମାଷ୍ଟ୍ରେ ସେହି ବାଟ ଦେଇ ଯାଉଥିଇେ। ସ୍କୁଲ ଛାଡି ପିଲା ମାନେ ସେ ସ୍ଥାନ ରେ କାହିଁକି ମେଳି ବାନ୍ଧିଛନ୍ତି ବୋଲି ଜାଣିବା ପାଇଁ ସେହି ସ୍ଥାନରେ ପହଞ୍ଚି ସେ ଯାହା ଦେଖିଲେ, ତାହା ତାଙ୍କ ପାଇଁ ସ୍ବପ୍ନାତୀତ ଥିଲା। ତା ପରର ଦୃଶ୍ଯ ବର୍ଣ୍ଣନା କରିବା କଷ୍ଟ।

ସ୍ବଭାବରେ କ୍ରୋଧୀ ହରିମାଷ୍ଟ୍ରଙ୍କର ସେହି ରୂପ କେବଳ ଦେଖିଥିବା ଲୋକ ହିଁ ବିଶ୍ବାସ କରିବ। ତାଙ୍କ ହାତରେ ସେ ସମୟରେ ବେତ ବାଡି ନ ଥିଲା, ତେଣୁ ଏକ ଅମରି ଗଛରୁ ଡାଳ ଖଣ୍ଡେ ଭାଙ୍ଗି ସେ ସମସ୍ତଙ୍କୁ ଗାଈ ଗୋରୁଙ୍କୁ ପିଟିଲା ପରି ପିଟି ଚାଲିଲେ। ପିଲାଙ୍କର ବିକଳ ବିତ୍କାର ସହ ହରିମାଷ୍ଟ୍ରଙ୍କ କ୍ରୋଧସିକ୍ତ ଦୁଃଖାଭିଭୂତ ସ୍ବର ଶୁଭୁଥିଲା-- ଛିଃ, ଶେଷରେ ତୁମେ ମାନେ ଏଇଆ କଲ। ମୋ ସ୍ବପ୍ନ, ମୋ ଆଶା କୁ ମାଟିରେ ମିଶେଇ ଦେଲ। ତୁମ ମାନଙ୍କୁ ଭଲ ମଣିଷ କରିବି ବୋଲିି ଘର ଦ୍ବାର ଛାଡି ଏହି ଗାଁଆରେ ପଡି ରହିଛି, କିନ୍ତୁ ତୁମେ ମାନେ ମୋତେ ଏମିତି ଉପହାର ଦେଲ। ଖରାପ ସଙ୍ଗତିରେ ପଡି ମୋର ଏକ ମାତ୍ର ପୁଅ ଆରପାରି କୁ ଚାଲିଗଲା। ତା ଅନ୍ତେ ମୁଁ ତୁମ ମାନଙ୍କୁ ନିଜ ପିଲା ପରି ଦେଖୁଥିଲି, ତୁମେ ଅବାଟ ରେ ନ ଯାଇ ଭଲ ମଣିଷ ହୁଅ ବୋଲି କଡା ଅନୁଶାସନ ରେ ରଖିଥିଲି। କିନ୍ତୁ......ତୁମେ ମାନେ ମୋତେ ଆଜି ମାରିଦେଲ ରେ ପିଲେ....ମୁଁ ହାରିଗଲି।

ଏତିକି କହି ସେ ଚେତାଶୂନ୍ଯ ହୋଇ ପଡିଗଲେ। ଗଗନ ଓ ଅନ୍ଯ ପିଲା ମାନେ ସେ ସ୍ଥାନ ଛାଡି ଭୟରେ ଘରକୁ ପଳାଇଲେ। କଥା ଟା ଗୋପନ ରେ ରହିଲା। ବେଶ୍ କିଛିଦିନ ଧରି ଗଗନ ସ୍କୁଲ ଗଲେ ନାହିଁ। ବାପା କହୁଥିଲେ ଯେ ହରିମାଷ୍ଟ୍ରଙ୍କୁ ହୃଦଘାତ ହୋଇଥିଲା ଓ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ମନ ଭିତରେ ସାର୍ ଙ୍କୁ ଥରେ ଦେଖିବା ପାଇଁ ପ୍ରବଳ ମନ ଥିବା ପରେ ମଧ୍ଯ ସେ ବାପାଙ୍କୁ କିଛି କହି ପାରୁ ନ ଥିଲେ। ଆତ୍ମଗ୍ଳାନୀର ଶିକୁଳିରେ ପଡି ଛଟପଟ ହେବା ଛଡା ତାଙ୍କ ପାଖରେ ଅନ୍ଯ କିଛି ଉପାୟ ନ ଥିଲା। କିଛି ଦିନ ପରେ ଗଗନଙ୍କ ବାପାଙ୍କର ବଦଳି ହୋଇଗଲା ଓ ସେମାନେ ମଧୁପୁର ଛାଡି ଆସିଲେ। ଗାଡି ଭିତରେ ବସି ସକେଇ କାନ୍ଦି ଚାଲିଥିଲେ ଗଗନ। ତାଙ୍କ ଅନ୍ତରାତ୍ମା କହିଚାଲିଥିଲା, ହରି ମାଷ୍ଟ୍ରଙ୍କ ଏ ଅବସ୍ଥା ପାଇଁ ସେ ନିଜେ ଓ ସେ ଠାକୁର ଙ୍କ ପାଖରେ କରିଥିବା ପ୍ରାର୍ଥନା ହିଁ ଦାୟୀ। ସେ ହରିମାଷ୍ଟ୍ରେଙ୍କ ଗୋଡ ତଳେ ପଡି କାନ୍ଦିବାକୁ ଚାହୁଁ ଥିଲେ, ମାତ୍ର ଭାଗ୍ଯ ତାଙ୍କୁ ସେ ସୁଯୋଗ ଦେଲା ନାହିଁ। ବର୍ଷ ପରେ ବର୍ଷ ବିତି ଚାଲିଲା। ପାଠ ପଢି ଗଗନ ଚାକିରି କଲେ। ଏବେ ସେ ଜିଲ୍ଲାର ଶିକ୍ଷା ଅଧିକାରୀ, କିନ୍ତୁ ଏବେ ବିି ତାଙ୍କ ମନରେ ହରିମାଷ୍ଟ୍ରଙ୍କ ମୁହଁ ଟା ଜଳଜଳ ଦିଶି ଯାଏ ଅନକ ସମୟରେ ଓ ଅନୁତାପର ବହ୍ନିରେ ସେ ଜଳି ଉଠନ୍ତି।

ସ୍କୁଲ ହତା ଭିତରେ ପଶିବା ପରେ ସେ ଦେଖିଲେ ଏତେ ବର୍ଷ ପରେ ମଧ୍ଯ ସ୍କୁଲର ବିଶେଷ କିଛି ପରିବର୍ତ୍ତନ ହୋଇ ନାହିଁ । ସ୍କୁଲର ନାମ ଫଳକ ଟି ରଙ୍ଗ ଛାଡି ଅସ୍ପଷ୍ଟ ଦିଶୁଛି। କେଇ ବଖରା ନୂଆ ତିଆରି ହୋଇଛି ସତ, କିନ୍ତୁ ଅବସ୍ଥା ଦୟନୀୟ। ସେ ପଢୁଥିବା ସମୟରେ ଲଗାଇ ଥିବା ଆମ୍ବ ଗଛଟି ବିଶାଳ କାୟା ଧାରଣ କରି ତାଙ୍କୁ ସ୍ବାଗତ କରୁଛି ବୋଲି ମନେହେଲା। ସ୍କୁଲ ହତା ଭିତର ପରିଷ୍କାର ପରିଛନ୍ନ ଓ ତହିଁରେ ଅସରନ୍ତି ଫୁଲ ଗଛର ସମ୍ଭାର ଦେଖି ସେ ବିମୋହିତ ହୋଇଗଲେ। ଆଖି ଆଗରେ ପୁଣି ଥରେ ନାଚି ଉଠିଲା ତାଙ୍କ ପିଲା ଦିନର କଥା। ମୂହୂର୍ତ୍ତକ ପାଇଁ ସେ ବିସ୍ମରିତ ହେଲେ ତାଙ୍କର ସ୍କୁଲ କୁ ଆସିବାର ଅସଲ ଉଦ୍ଦେଶ୍ଯ ସମ୍ପର୍କରେ। ପିଲା ମାନଙ୍କୁ ସେ ନିରେଖି ଦେଖିଲେ। ସମସ୍ତଙ୍କ ଦେହରେ ୟନିଫର୍ମ ଥିଲା ଓ ଖେଳଛୁଟି ହୋଇଥିବାରୁ ସମସ୍ତେ ସ୍କୁଲ ହତା ଭିତରେ ଖେଳକୁଦରେ ମାତିଥିଲେ। କିଛି ପିଲା ଖାଇବାରେ ବ୍ଯସ୍ତ ଥିଲେ।

ସେତିକି ବେଳକୁ ତାଙ୍କ ନଜରରେପଡିଲା କେତେ ଜଣ ପିଲା ସ୍କୁଲ ବାରଣ୍ଡାରେ ଉଠ୍ ବସ୍ ହେଉଛନ୍ତି। ସ୍କୁଲ ରେ କୌଣସି ପ୍ରକାର ର ଶାରୀରିକ ଦଣ୍ଡ ପ୍ରଦାନ କୁ ଅପରାଧ ବୋଲି ଆଇନ ପ୍ରଣୟନ କରାଯିବା ପରେ ମଧ୍ଯ କେଉଁ ଶିକ୍ଷକ ଏପରି ଦୁଃସାହାସ କଲା ବୋଲି ତାଙ୍କ ଭିତରେ କିଛି ସମୟ ପାଇଁ ସୁପ୍ତ ଗଗନ ସାମନ୍ତରାୟ, ଜିଲ୍ଲା ଶିକ୍ଷା ଅଧିକାରୀ ଜାଗ୍ରତ ହୋଇ ଚିତ୍କାର କରିବାକୁ ଲାଗିଲା। ତାଙ୍କୁ ଅନୁସରଣ କରୁଥିବା ଅଧିକାରୀ କୁ ସେ ଇସାରା ଦେଲେ ଓ ସେ ତଡିତ୍ ବେଗ ରେ ତାଙ୍କ ପାଖରେ ଉପସ୍ଥିତ ହେଲା। ସ୍କୁଲ ହତା ରେ ଶିକ୍ଷାଧିକାରୀଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇବା କ୍ଷଣି ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ହେଲେ। ଆଗପଛ ବିଚାର ନ କରି ଗଗନ ସେମାନଙ୍କୁ ମନଇଛା ଗାଳି ଦେଇ ଚାଲିଲେ ଓ ସେମାନେ ମୁଣ୍ଡ ପୋତି ଚୁପ୍ ହୋଇ ଛିଡା ହୋଇଥିଲେ।

ସେ ସମୟରେ କାହାର ଧୀର ଅଥଚ ଗାମ୍ଭୀର୍ଯ୍ଯପୂର୍ଣ୍ଣ ସ୍ବର ଶୁଭିଲା - ମହାଶୟ , ଶିକ୍ଷକ ମାନଙ୍କର କୌଣସି ଦୋଷ ନାହିଁ। ସେ ପିଲା ମାନଙ୍କୁ ମୁଁ ଏପରି କରିବାକୁ କହିଥିଲି, ସେମାନଙ୍କର ଭୂଲ ପାଇଁ। ତାହା କୌଣସି ଶାରୀରିକ ଦଣ୍ଡ ନୁହଁ, ବରଂ ଦୃଷ୍ଟିକୋଣ ବଦଳାଇଲେ ଉଠ୍ ବସ୍ ହେବା ଏକ ବ୍ଯାୟାମ ବୋଲି ବିଚାର କରିବା ଦୋଷାବହ ନୁହଁ। ଏ କଥା ସତ୍ଯ ଯେ, ମୁଁ ଏହି ସ୍କୁଲର ଶିକ୍ଷକ ନୁହଁ, କିନ୍ତୁ ଜଣେ ବୟୌଜ୍ଯେଷ୍ଠ ନାଗରିକ ଭାବରେ ନିଜର କର୍ତ୍ତବ୍ଯ ସମ୍ପାଦନ କରିବାକୁ ମୁଁ ନିତିଦିନ ଏହି ସ୍କୁଲ କୁ ଆସେ ଓ ପିଲାଙ୍କୁ ପଢାଏ।

- - - ଓଃ, କିଛି କମ୍ ସାହାସ ନାହିଁ ତ ଆପଣଙ୍କର? ଶେଷରେ ଆମ ଦେଶର ଅବସ୍ଥା ଏପରି ହେଲା ଯେ ଶିକ୍ଷକ ମାନେ ଶିକ୍ଷାଦାନ କରିବାର ଭାର ବୟୋଜ୍ଯେଷ୍ଠ ବ୍ଯକ୍ତିଙ୍କ ହାତରେ ନ୍ଯସ୍ତ କରିବେ? ଲଜ୍ଯାହୀନ ଆପଣ ଓ ଏହି ସ୍କୁଲର ଶିକ୍ଷକ ମାନେ। ଧିକ୍ ତୁମ ମାନଙ୍କୁ..... ସମ୍ମୁଖରେ ଦଣ୍ଡାୟମାନ ଜଣେ ବୃଦ୍ଧଙ୍କୁ ଦେଖି ସେ ହଠାତ୍ ନୀରବ ହୋଇଗଲେ।

ତାଙ୍କ ସମ୍ମୁଖରେ ଉପସ୍ଥିତ ଥିଲେ ପକ୍ବ କେଶବିଶିଷ୍ଟ ଧବଳ ଶ୍ମଶୃଧାରୀ ଜଣେ ବୃଦ୍ଧ। ତାଙ୍କର ଶରୀର ଦୁର୍ବଳ ଓ ଚକ୍ଷୁ ଯୁଗଳ କୋଟରଗତ ଥିଲା। କିନ୍ତୁ ସେ ତେଜୋଦୀପ୍ତ ଚକ୍ଷୁଦ୍ବୟରେ ଥିଲା ଅତଳ ସମୁଦ୍ରର ଗଭୀରତା। ସୁଉଚ୍ଚ କପାଳ ଓ ମୁଖମଣ୍ଡଳରେ ସ୍ପଷ୍ଟ ଦିଶୁଥିବା କୁଞ୍ଚିତ ରେଖା, ବୃଦ୍ଧଙ୍କର ବୟସାଧିକ୍ଯତା ଓ ପରିପକ୍ବତା କୁ ସୂଚାଉଥିଲା।

ତାଙ୍କୁ ଚିହ୍ନିବାରେ ବିଶେଷ କଷ୍ଟ କରିବାକୁ ପଡିଲା ନାହିଁ, କାରଣ ସେ ଧରି ଥିଲେ ସେହି ବେତ ବାଡି ଯାହାର ସାନ୍ନିଧ୍ଯ ଲାଭ କରି ଗଗନଙ୍କ ପିଲା ଦିନ କଟିଥିଲା। ବୃଦ୍ଧଙ୍କର ଗୋଡ ତଳେ ଲମ୍ବ ହୋଇ ପଡିଗଲେ ଗଗନ ଓ ପାଦ ଧରି ଭେଁ ଭେଁ କାନ୍ଦି ଉଠିଲେ। କେହି କିଛି ବୁଝି ନ ପାରି କେବଳ ଚାହିଁ ରହିଥା'ନ୍ତି। ଶିକ୍ଷକଗଣ ଓ ଗଗନଙ୍କ ସାଙ୍ଗରେ ଆସିଥିବା କର୍ମଚାରୀ ଭାବୁଥିଲେ ବୋଧେ ବାବୁଙ୍କର ଟିକେ ମୁଣ୍ଡ ଦୋଷ ଅଛି, ନୋହିଲେ ଏତେ ବଡ ଅଧିକାରୀ ,ଏ ଦୁର୍ବଳ, ଦରିଦ୍ର, ପରିବାର ବିହୀନ ବୃଦ୍ଧ ଶିକ୍ଷକ ଯିଏ କୋଡିଏ ବର୍ଷ ତଳୁ ଅବସର ନେଇ ସାରିଲାଣି, ତା ଗୋଡ ତଳେ ପଡି କ୍ଷମା ମାଗିବାର କାରଣ କ'ଣ ବା ହୋଇପାରେ?

– ଉଠନ୍ତୁ ମହାଶୟ, କାହିଁକି ମୋତେ ଲଜ୍ଜିତ କରୁଛନ୍ତି। ଯଦି ମୁଁ କିଛି ଦୋଷ କରିଛି ମୋତେ ଦଣ୍ଡିତ କରନ୍ତୁ।

ଥରଥର କଣ୍ଠରେ ପିଲାଙ୍କ ପରି ଆକୁଳ ହୋଇ କହିଚାଲିଥିଲେ ଗଗନ- - - କ୍ଷମା କରିଦିଅନ୍ତୁ ସାର୍ ,ମୋତେ ପ୍ରାୟଶ୍ଚିତ କରିବାକୁ ଦିଅନ୍ତୁ। ଏ ଅଧମ ଆପଣଙ୍କର ସେହି ଅଯୋଗ୍ଯ ଶିଷ୍ଯ, ଯାହାକୁ ଆପଣ ଫୁଟବଲ୍ ଡାକୁଥିଲେ। ହଁ ସାର୍, ମୁଁ ପୋଷ୍ଟମାଷ୍ଟରଙ୍କ ପୁଅ, ଏଇ ସ୍କୁଲ ରେ ସପ୍ତମ ଶ୍ରେଣୀରେ ପଢୁଥିଲି....କିଛି ମନେ ପଡିଲା ସାର୍ ? ମୁଁ ଗଗନ ...

ବୃଦ୍ଧଙ୍କ ଚକ୍ଷୁଦ୍ବୟ ଏକ ସମୟରେ ଆନନ୍ଦ, ପ୍ରାପ୍ତି, ବିସ୍ମୟ ଓ ସନ୍ତୋଷଭାବ ର ପୂର୍ଣ୍ଣତାରେ ପୁରି ଉଠିଲା। ସେ ଗଦଗଦ ହୋଇ କହି ଉଠିଲେ-- ଉଠ ବାପା, କାହିଁକି ଏ ବୃଦ୍ଧକୁ ଲଜ୍ଜିତ କରୁଛ?

ସେଠାରେ ଉପସ୍ଥିତ ପିଲା,ଶିକ୍ଷକ ଓ କର୍ମଚାରୀଙ୍କ ଉଦ୍ଦେଶ୍ଯରେ ବୃଦ୍ଧ ଘୋଷଣା କରି କହିଲେ -- ସମସ୍ତେ ଦେଖନ୍ତୁ, ଏହି ମହାଶୟ ହେଲେ ମୋର ଶିଷ୍ଯ। ପିଲା ଦିନେ ତାଙ୍କୁ ମାରିଛି, ଗାଳି ଦେଇଛି ତା'ର ହିସାବ ନାହିଁ। ସେ ଆଜି ସମାଜରେ ଜଣେ ଯୋଗ୍ଯତମ ବ୍ଯକ୍ତି ଭାବରେ ନିଜକୁ ପ୍ରତିଷ୍ଠିତ କରି ପାରିଛନ୍ତି, ଏହାଠାରୁ ବଡ ପ୍ରାପ୍ତି ମୋ ପାଇଁ ଆଉ କିଛି ନାହିଁ। ସେ ଗଗନ କୁ କୁଣ୍ଢାଇ ଧରି କାନ୍ଦକାନ୍ଦ ହୋଇ କହିଲେ-- ମୋ ଫୁଟବଲ୍ ରେ , ମୋ ପୁଅ ରେ, ତୁ ମୋତେ ଆଜି କନ୍ଦେଇ ଦେଲୁ। ଆଜି ତୁ କେତେବଡ ଲୋକ ହୋଇ ଗଲୁରେ ...

ଗଗନ କେବଳ ଜଣେ ଅବୋଧ୍ଯ ବାଳକ ପରି କାନ୍ଦି ଚାଲିଥିଲେ। ପାଖରେ ଛିଡା ହୋଇଥିବା କର୍ମଚାରୀ ଜଣକ ମନରେ କେବଳ ଗୋଟଏ ପ୍ରଶ୍ନ ବାରମ୍ବାର ଖେଳି ଚାଲିଥିଲା

" ପୁରାତନ ଓ ନୂତନ ଶିକ୍ଷାପ୍ରଣାଳୀରେ କେଉଁଟି ଶ୍ରେଷ୍ଠ " । ଅବଶ୍ଯ ସେହି ସ୍ଥାନ ରେ ହରିମାଷ୍ଟ୍ରେ ଙ୍କ ଉପସ୍ଥିତି ସେ ପ୍ରଶ୍ନର ଉତ୍ତର ସଗର୍ବେ ପ୍ରଦାନ କରି ଚାଲିଥିଲା।



-----ସମାପ୍ତ---

Wednesday, January 2, 2019

କମ୍ବଳ

କମ୍ବଳ ଲେଖକ-ଅରବିନ୍ଦ ରଥ ସେ ବର୍ଷ ଶୀତର ପ୍ରକୋପ ଭୟଙ୍କର ଥିଲା। ପୁରୁଖା ଲୋକଙ୍କ ମତରେ, ବିଗତ କେତେ ବର୍ଷ ଧରି ଏମିତି ଶୀତ ପଡି ନ ଥିଲା। ଦିନବେଳା ସୂର୍ଯ୍ଯଦେବଙ୍କର ନିଷ୍କ୍ରିୟତା ଓ ପଞ୍ଜରା ଥରାଇ ଦେବା ପରି ହେମାଳ ପବନର ପ୍ରାବଲ୍ଯତା ର ଅକୁଣ୍ଠ ସହଯୋଗ ପାଇ, ରାତ୍ରିକାଳରେ ଶୀତ ନିଜର ଭୀଷଣ କାୟା ବିସ୍ତାର କରି ଜନଜୀବନ ଅସ୍ତବ୍ଯସ୍ତ କରିବାରେ କୌଣସି କାର୍ପଣ୍ଯତା ପ୍ରଦର୍ଶନ କରୁ ନ ଥିଲା। ଘନ କୁହୁଡିର ମୋଟା ଆସ୍ତରଣରେ ସହରର ବିଶାଳକାୟ କାୟା ଲୁକ୍କାୟିତ ହୋଇଯାଉଥିଲା। ରାସ୍ତାର ଦୁଇ ପାର୍ଶ୍ବରେ ଜଳୁଥିବା ବିଜୁଳିବତୀ ମାନଙ୍କର ନିଷ୍ପ୍ରଭ ଆଲୋକ, ଜନମାନବ ଶୂନ୍ଯ ରାସ୍ତାକୁ ଆଲୋକ ଦେଖାଇବା ଅପେକ୍ଷା କୁହୁଡିର ଦୁଃର୍ଭେଦ୍ଯ ବଳୟ ମଧ୍ଯରେ ନିଜ ଅସ୍ତିତ୍ବ ଜାହିର କରିବାପାଇଁ ଅଧିକ ଚେଷ୍ଟିତ ଥିବା ପରି ମନେ ହେଉଥିଲା। ସହର ର ବାସିନ୍ଦା ମାନେ ସଞ୍ଜ ବେଳୁ କବାଟ ବନ୍ଦ କରି, ଘରେ ରୁମ୍ ହିଟର ଲଗାଇ ଶୀତବସ୍ତ୍ର ପିନ୍ଧିବା ପରେ ମଧ୍ଯ, ଶୀତର ପ୍ରଚଣ୍ଡ ପ୍ରହାର ରୁ ତ୍ରାହି ପାଇ ପାରୁ ନ ଥିଲେ। ଲାଗୁଥିଲା ସତେକି ଆକାଶରୁ ବରଫ ବର୍ଷା ହେଉଛି। ଘରର କାନ୍ଥ, ଛାତ, ପିଣ୍ଡା, କବାଟ ଝରକା ର ଅବସ୍ଥା ମଧ୍ଯ ତଦୃପ ଥିଲା। ଲାଗୁଥିଲା ସତେ କି ଥଣ୍ଡା ବଳୟରେ ସମସ୍ତେ କବଳିତ। ଯେତେବେଳେ ଥିଲା ବାଲା ଲୋକଙ୍କର ଏପରିି ଅବସ୍ଥା, ଗରିବ ଲୋକଙ୍କ କଥା ପଚାରେ କିଏ। ସହରି ଲୋକମାନେ ଏତେ ଶୀତରେ ଗରମ ପାଣିରେ ହାତ ମାରିବେ କି ନାହିଁ ସନ୍ଦିହାନ ଥିବା ବେଳେ, ଗରିବ ଲୋକେ ବରଫସମ ପାଣିରେ ଗାଧୁଆ, ଶୌଚକ୍ରିୟା ଓ ଅନ୍ଯାନ୍ଯ କର୍ମ କରିବାକୁ ବାଧ୍ଯ ହେଉଥିଲେ। ମୋଟା କମ୍ବଳ ଭିତରେ ଥାଇ ସହରି ଲୋକେ ଶୀତର ପ୍ରକୋପକୁ ପ୍ରତିହତ କରିବାକୁ ଅସମର୍ଥ ଥିବା ବେଳେ, ଗରିବ ଲୋକେ ଛିଣ୍ଡା ହେଁସ ଭିତରେ ଥରିଥରି ନିଜ ଭାଗ୍ଯ କୁ ନିନ୍ଦୁଥିଲେ। ଦାମୀ ସୁରା ର ଆଲିଙ୍ଗନରେ ଚେତନାଶୂନ୍ଯ ହୋଇ ଯାଉଥିବା ଧନୀ ଲୋକ, ରାସ୍ତାରେ ଶସ୍ତା ମଦ ପିଇ ଗରିବ ରିକ୍ସାବାଲାର ଚିତ୍କାର ମଶ୍ରିତ ଗୀତ ଶୁଣି ଭୃକୁଞ୍ଚନ କରି ଉଠୁଥିଲା। କିନ୍ତୁ ସେ ଜାଣି ପାରୁ ନ ଥିଲା ଯେ, ସେ ଚିତ୍କାର ମିଶ୍ରିତ ଗୀତ କୌଣସି ଉପଲବଧି ବା ଆନନ୍ଦ ର ନ ଥିଲା ; ବରଂ ଭୟଙ୍କର ଶୀତର ଦାରୁଣ ପ୍ରହାରକୁ ପ୍ରତିହତ କରିବାର ଏକ ସୁକ୍ଷ୍ମ ପ୍ରୟାସ ଥିଲା। ଲୋକ ମାନଙ୍କ ମଧ୍ଯରେ କେବଳ ଶୀତ ବିଷୟକ ଚର୍ଚ୍ଚା ଜୋର ଧରିଥିଲା। କାଁ ଭାଁ ଖୋଲି ଥିବା ଚାହା ଦୋକାନ ଆଗରେ ବେଶ୍ ଭିଡ ଜମୁଥିଲା। ଗରିବ ଗୁରୁବା ଲୋକେ ଦେହରେ ଚିରା ଗାମୁଛା ଘୋଡି ହୋଇ କାଠ ଗଣ୍ଡି ଜାଳି ନିଆଁ ପୁଆଁଇ ହେବା ବେଳେ, ଆକାଶକୁ ଚାହିଁ ପ୍ରଶ୍ନ କରୁଥିଲେ-- କେବେ ତ୍ରାହି ମିଳିବ ଏ ହାଡଭଙ୍ଗା ଶୀତରୁ ପ୍ରଭୋ, ରକ୍ଷାକର ଆମକୁ, ନୋହିଲେ ପ୍ରାଣପକ୍ଷୀ ଉଡିଯିବ। ଏ ପ୍ରଶ୍ନ ଶୁଣି ଇଷତ୍ ହସି ଶୀତ କହୁଥିଲା-- ନାଃ, ଏତେ ଶୀଘ୍ର ନୁହଁ, ଯେ ପର୍ଯ୍ଯନ୍ତ ମୋ କରାଳ ରୂପ ସହ ସମସ୍ତଙ୍କର ପରିଚିତି ନ କରାଇଛି, ଅନ୍ତତଃ ସେ ପର୍ଯ୍ଯନ୍ତ ନୁହଁ। ପ୍ରଚଣ୍ଡ ଥଣ୍ଡା ସତ୍ତ୍ବେ ସେଦିନ ରାତିରେ ଏକ ବାହାଘର ଉତ୍ସବ ରେ ଯୋଗ ଦେବା ପାଇଁ ଶଶିବାବୁଙ୍କୁ ଯିବାକୁ ପଡିଲା। ସ୍ଥାନ ଟି ବେଶୀ ଦୂର ନୁହଁ, କିନ୍ତୁ ଶୀତର ପ୍ରକୋପ ଦେଖି ପତ୍ନୀ ମିତା, ଶଶିବାକୁ ଙ୍କ ସାଙ୍ଗରେ ଯିବାକୁ ମଙ୍ଗିଲେ ନାହିଁ। ଅଗତ୍ଯା ସେ ଏକୁଟିଆ କାର୍ ରେ ଗନ୍ତବ୍ଯସ୍ଥଳ କୁ ଗଲେ। ପୁରୁଣା ବନ୍ଧୁ ମାନଙ୍କ ମେଳରେ ସମୟ କେମିତି ବିତିଗଲା ଜଣା ପଡିଲାନି ଓ ରାତି ପାଖାପାଖି ଦଶ ଟା ବାଜିଗଲା। ସେତିକି ବେଳେ ଘରକୁ ଶୀଘ୍ର ଫେରିବାର ଡାକରା ପାଇ ଶଶିବାକୁ ବିଦାୟ ନେବାକୁ ପ୍ରସ୍ତୁତ ହେବା ସମୟରେ , ପୁରୁଣା ବନ୍ଧୁ ବିଜୁ ଓ ମନୋଜ୍ ତାଙ୍କ ସାଙ୍ଗରେ କାର୍ ରେ ଫେରିବାକୁ ପ୍ରସ୍ତାବ ଦେଲେ। ବାହାରକୁ ଆସି ଦେଖିଲା ବେଳକୁ ଚତ୍ତୁଃପାର୍ଶ୍ବରେ କୁହୁଡିର ଘନ ଆସ୍ତରଣ ଓ ରାସ୍ତାଘାଟ ଜନମାନବଶୂନ୍ଯ। ପରିହାସ ଛଳରେ ବିଜୁ କହିଲେ-- କଣ ଶଶି, ଆଜି ଘରକୁ ଫେରିବା ନା, କେଇ ବୋତଲ ବିଦେଶୀ ସୁରା ନେଇ କୌଣସି ଏକ ହୋଟେଲ ରେ ରାତ୍ରୀଯାପନ କରିବା। ମନୋଜ୍ ମଧ୍ଯ ବିଜୁଙ୍କ କଥାରେ ତାଳ ଦେଇ କହିଲେ-- ହଁ ଶଶି ସେଇଆ ହିଁ କରିବା, ଏ ଶୀତ ରାତିରେ ଘରକୁ ଥରିଥରି ଫରିବା ଅପେକ୍ଷା ହୋଟେଲ୍ ରେ ରହି ଏ ଶୀତ ରାତିର ମଜା ଉଠାଇବା ଟା ବରଂ ଭଲ ହେବ। ଗାଡି ଷ୍ଟାର୍ଟ୍ କରି ଶଶି ହସିହସି କହିଲେ-- ଆରେ ତୁମ ଦୁଇ ଜଣଙ୍କର ପେଟେଣ୍ଟ ମେଡିସିନ୍ ଖାଇବାକୁ ମନ ବଳାଉଛି ନା କଣ? ଏମିତି ଦୁର୍ବୁଦ୍ଧି ମୁଣ୍ଡରେ କାହିଁକି ଜୁଟୁଛି। ଆଉ ଦୁଇ ବର୍ଷ ପରେ ଚାକିରି ରୁ ଅବସର ନେବ, ନିଜ ବୟସ ଭୁଲି କଲେଜ୍ ପିଲାଙ୍କ ପରି କାହିଁକି ହେଉଛ? କିରେ ବିଜୁ - - ତୁ ଭୁଲି ଗଲୁଣି କି, କେମିତି କଲେଜ୍ ରେ ମଦ ପିଇ ପ୍ରିନସିପାଲ୍ କୁ ବାଡେଇ ହାଜତ ମୁହାଁ ହୋଇଥିଲୁ? ଆଉ ମନୋଜ୍ ସେହି ଘଟଣା କୁ ନେଇ ତୁମ ଘରେ କେତେ କାଣ୍ଡ କାରଖାନା ହୋଇଥିଲା ସବୁ ପାଶୋରି ଗଲୁ ନା କଣ? ତିନି ସାଙ୍ଗ ଏକା ବେଳକେ ହସି ଉଠିଲେ। କିଛି ବାଟ ଯିବା ପରେ ଏକ ପାନ ଦୋକାନ ଆଗରେ ଶଶିବାବୁ ଗାଡି ଠିଆ କରି ସିଗାରେଟ୍ ଟାଣି ଯିବାକୁ ଦୁଇ ବନ୍ଧୁଙ୍କୁ ନିମନ୍ତ୍ରଣ ଦେଲେ। ସେତେବେଳକୁ ଆଖପାଖରେ କାଉକୋଇଲି ର ଚିହ୍ନବର୍ଣ୍ଣ ନ ଥିଲା। ସେ ଦୋକାନୀ ଟି ଲଣ୍ଠନ ଆଲୁଅ ରେ ବସି ରାସ୍ତା ଆଡକୁ ଦେଖି ଚାଲିଥିଲା। – କିରେ ବାବୁ, ଦୋକାନ ବନ୍ଦ କରି ଘରକୁ ନ ଯାଇ ଏତେ ସମୟ ହେଲା ବସିଛୁ ଯେ। ପଚାରିଲେ ବିଜୁ - - ଆଜ୍ଞା, ଏତିକି ଶୀତ ପଡୁଛି ଯେ ଘର କୁ ଯିବା ସମ୍ଭବ ନୁହଁ। ମୋ ଗାଁଆ ସହରରୁ ପାଞ୍ଚ କିଲୋମିଟର ଦୂର। ସାଇକେଲରେ ଗଲେ ଘରେ ପହଞ୍ଚିଲା ଦେଳକୁ ବରଫ ପାଲଟି ଯାଇଥିବି। ତେଣୁ ଏଇ ଦୋକାନ ରେ ରାତି ରେ ଶୋଇପଡେ। - - କିନ୍ତୁ ଏମିତି ହାଡ ଭଙ୍ଗା ଶୀତରେ ଦେହରେ ଗାମୁଛା ଖଣ୍ଡେ ପକାଇ ତୁ ରହୁଛୁ କେମିତି? ଆମ ମାନଙ୍କ ଦେହରେ ଜ୍ଯାକେଟ୍, ମୁଣ୍ଡରେ ଟୋପି ଓ ମଫଲର ଦେଲା ପରେ ବି ଶୀତ ସମ୍ଭାଳି ହେଉନି। ତୋ ଦେହଟା କଣ ଇସ୍ପାତ୍ ରେ ଗଢା ଯେ ତୋତେ ଶୀତ ହେଉନି ? ପରିହାସ କରିବା ଢଙ୍ଗରେ ପଚାରିଲେ ମନୋଜ୍। - - - ନାଇଁ ବାବୁ,ପାଖରେ ପଇସା ନ ଥିଲେ ଦେହ ମନ ସବୁ ପଥର ପାଲଟି ଯାଏ। ଗରିବ ଲୋକ ପାଇଁ ଶୀତ,ବର୍ଷା,ଖରା କେବଳ ଋତୁ ର ନାମ ଯାହା। ଜୀବନ ସାରା କଷ୍ଟ ସହି ସହି ଦେହଟା ଜଡ ପାଲଟି ଗଲାଣି। ଆମକୁ କଣ ଏ ଶୀତ ଡରାଇ ପାରିବ ! ବିଜୁ ଓ ମନୋଜ ସିଗାରେଟ୍ ରେ ଅଗ୍ନୀ ସଂଯୋଗ କରି ଧୂମ୍ର କୁଣ୍ଡଳୀ ମାନ ତିଆର ବାରେ ଲାଗିଲେ। କିନ୍ତୁ ଗମ୍ଭୀର ହୋଇଗଲେ ଶଶିବାବୁ। ଦୋକାନୀ ର କେଇ ପଦ କଥା ତାଙ୍କ ଅନ୍ତରାତ୍ମା କୁ ଦୋହଲାଇ ଦେବା ପରି ଲାଗିଲା। ସେ ନୀରବ ରେ ଗାଡିକୁ ଯିବାକୁ ଉଦ୍ଯତ ହେବାର ଦେଖି ମନୋଜ୍ ଥଟ୍ଟା କରି କହିଲେ-- କଣ ଶଶି, ଲୋକଟାର ଅଭିନୟ ଭରା କଥା ତୁମକୁ ଗମ୍ଭୀର କରି ଦେଲା ନା କଣ? ଆରେ ଏମାନେ ଅଭିନୟ କରିବାରେ ଉସ୍ତାଦ୍। ଟିକେ ଭଲମନ୍ଦ ପଚାରିଲେ ଏମିତି ଭାଷଣ ଦେବେ ଯେ ଶୁଣିବା ଲୋକର ପାଦ ତଳୁ ମାଟି ଖସି ଯିବ। ଶଶି ନିରୁତ୍ତର ରହିଲେ। ସେତିକି ବେଳକୁ ତାଙ୍କ ନଜର ପଡିଲା ଦୋକାନ ପାଖ ଆଳିଦା ଗଦା ଉପରେ। ଛିଣ୍ଡା କାଗଜ,ଜରି ଓ କନା ର ସ୍ତୁପ ଭିତରେ କେତେଟି କୁକୁର ଙ୍କ ମେଳରେ ଏକ ବୃଦ୍ଧା ଜାକିଜୁକି ହୋଇ ଶୋଇଥିବାର ଦେଖି ସେ ଚମକି ପଡିଲେ। ପ୍ରଥମେ ଭାବିଲେ ବୃ ଦ୍ଧାଟି ମରି ଯାଇଛି ; କିନ୍ତୁ ପାଖକୁ ଯାଇ ନିରେଖି ଦେଖିଲା ବେଳକୁ ସେ ଶୀତରେ ଥରି ଥରି ସେ କାଗଜ ଟୁକୁରା ସବୁ ଦେହ ଉପରେ ଘୋଡାଇବାରେ ବ୍ଯସ୍ତ। କିଛି ଗୋଟେ ରୋଚକ ଦୃଶ୍ଯର ଆଶାରେ ଅନ୍ଯ ଦୁଇ ବନ୍ଧୁ ସେ ସ୍ଥାନ କୁ ଚାଲି ଆସିଲେ। - - ଆରେ ବାଃ, ବଢିଆ ଦୃ ଶ୍ଯ ତ ! କାଲି ଏ ଫଟୋ କୁ ଫେସବୁକ୍ ରେ ଛାଡି ଦେଲେ କେତେ ଲୋକଙ୍କ ମତାମତ ମିଳିଯିବ। ପ୍ରଶାସନ ର ଅକର୍ମଣ୍ଯତା ର ଏହା ଠାରୁ ବଡ ପ୍ରମାଣ କଣ ହୋଇ ପାରେ! ଉଲ୍ଲସିତ ହୋଇ କହିଲେ ବିଜୁ। - - ହଁ ସତ କହୁଛ ବିଜୁ, ଏ ବର୍ଷର ଶୀତ ମଣିଷ ଓ କୁକୁରଙ୍କୁ ଏକାକାର କରିଦେଲା ଶୀର୍ଷକ ରେ ରୋଚକ ଖବରଟିଏ ମଧ୍ଯ ପ୍ରକାଶ କରିହେବ ଖବର କାଗଜ ରେ। ଟିକେ ଭଲରେ କେତେ ଟା ଫଟୋ ନିଅ, ଯଦି ପାରୁଛ ସେ ବୁଢୀ କୁ ଉଠାଇ ଦୁଇ ପଦ କଥା ବି ହୋଇଯାଅ। ତା ସାଙ୍ଗରେ ତିନି ସାଙ୍ଗ ସେଲଫି ନେଇଗଲେ, ଆମ ସାଙ୍ଗ ମହଲରେ ପ୍ରମାଣ କରି ପାରିବା ଯେ ଏଇ ବୟସ ରେ ମଧ୍ଯ ଆମେ ରାତି ଅଧରେ ରାସ୍ତା ରେ ବୁଲି ଫୁଟ୍ ପାଥର ଲୋଙ୍କ ସହ ଫଟୋ ଉଠାଇ ପାରୁଛୁ। କେତେ ଗୌରବର କଥା ଥରେ ଭାବି ଦେଖ । ଗଦଗଦ ହୋଇ କହିଗଲେ ମନୋଜ୍। ପାଖରେ ପାଟି ତୁଣ୍ଡ ଶୁଣି ବୃଦ୍ଧାଟି ଟୁକୁରା କାଗଜ ଓ ଜରି ଭିତରୁ ମୁଣ୍ଡ କାଢି ସେମାନଙ୍କ ଆଡକୁ ଦେଖିଲା। ଗୁରୁଣ୍ଡି ଗୁରୁଣ୍ଡି ପାଖକୁ ଆସି ଥରଥର କଣ୍ଠରେ କହିଲେ-- ବାବୁ ମୁଁ କିଛି ଖାଇନି, ଭୀଷଣ ଭୋକ ଲାଗୁଛି। ଏତେ ଶୀତ ଲାଗୁଛି ଯେ ମୁଁ ସମ୍ଭାଳି ପାରୁନି। ମୋତେ କଣ ଟିକେ ଖାଇବାକୁ ଦିଅ, କମ୍ବଳ ଖଣ୍ଡେ ଦେଲେ ଘୋଡାଇ ହୁଅନ୍ତି। ଅଧିକା କିଛି କହିବା ଆଗରୁ ମନୋଜ୍ ବୃଦ୍ଧା ହାତ କୁ ଏକ ବିସ୍କୁଟ୍ ପ୍ଯାକେଟ୍ ବଢାଇ ଦେଇ କହିଲେ ନେ ଖାଆ। ଟିକେ ମୁହଁ ଟେକି ହସିଲୁ, ତୋ ଫଟୋ ଟେ ଉଠାଇବି। ସେତିକି ବେଳକୁ ତିନି ଟା କୁକୁର ଛୁଆ ସେ ବୁଢୀ ପାଖରେ ଆସି ଘଷି ହେଲେ ଓ ବୁଢୀ ବିସ୍କୁଟ୍ ପ୍ଯାକେଟ୍ ଖୋଲି ତିନିଟି ବିସ୍କୁଟ୍ ସେମାନଙ୍କ ଆଡକୁ ପକାଇଲା ପରେ ନିଜେ ଖଣ୍ଡେ ଖାଇବାକୁ ଉଦ୍ଯତ ହେଲା। ମନୋଜ୍ ଚିତ୍କାର କରି ଗାଳି ଦେଇ କହିଲେ-- ଚୋରଣୀ ବୁଢୀ କେଉଁଠିକାର, ତୁ ନିଜେ ଭୋକରେ ମରି ଯାଉଛୁ ବୋଲି ତୋତେ ବିସ୍କୁଟ୍ ଦେଲି, ତୁ କୁକୁର ଙ୍କୁ ଦେଉଛୁ? ବୁଢୀ ଡରିଯାଇ ପୁଣି ସେ କାଗଜ ଟୁକୁରା ଭିତରେ ଲୁଚିବାର ପ୍ରୟାସ କଲା। କୁକୁର ମାନେ ମନୋଜ୍ ଆଡକୁ ଚାହିଁ ଭୁକି ବାକୁ ଆରମ୍ଭ କଲେ। ଏସବୁ ଘଟଣା ରେ ମନୋଜ୍ ରାଗିଗଲେ ଓ ବୁଢୀ କୁ ମନଇଚ୍ଛା ଗାଳି ଦେଇ ଗାଡି ପାଖକୁ ଚାଲିଗଲେ। ତାଙ୍କୁ ମନାଇବାକୁ ବିଜୁ ସେ ଯାଗାରୁ ଚାଲିଗଲେ। ଶଶିବାବୁ ନିର୍ମିଶେଷ ନୟନ ରେ ଏସବୁ ଦୃ ଶ୍ଯ ଦେଖି ଚାଲିଥିଲେ। ମନୋଜ୍ ଓ ବିଜୁ ଙ୍କ ଓୌଦ୍ଧତ୍ଯ ଓ ବଡପଣିଆ ତାଙ୍କ ମନରେ ଭୀଷଣ କ୍ରୋଧ ଜାତ କରାଇଥିଲେ ମଧ୍ଯ ସେ ପୁରୁଣା ବନ୍ଧୁତ୍ବର ସମ୍ପର୍କ କୁ ସମ୍ମାନ ଜଣାଇ ନୀରବ ଥିଲେ। ଧିରେ ବୁଢୀ ପାଖକୁ ଯାଇ ପଚାରିଲେ – ଆଉ ବିସ୍କୁଟ୍ ଦେବି? ସେ ଶଙ୍କିତ ଆଖିରେ “ହଁ ଦିଅ” ବୋଲି ଇସାରା ଦେଲା। ଦୋକାନୀ ପାଖରୁ କେଇ ପ୍ଯାକେଟ୍ ବିସ୍କୁଟ୍ ଆଣି ସେ ବୁଢୀ ହାତ କୁ ବଢାଇଦେଲେ। ସେ କୃ ତ୍ଯକୃତ୍ଯ ହୋଇ ଦୁଇ ହାତ ଯୋଡି ଦେଲା। କୁକୁର ମାନେ ମଧ୍ଯ ଲାଞ୍ଜ ହଲାଇ ସେମାନଙ୍କର ଖୁସି ଜାହିର କଲେ। ଖାଇ ସାରିବା ପରେ ବୁଢୀ ବଡ କଷ୍ଟରେ ଥରି ଥରି କହିଲା-- ବାବୁ, ଏତେ ଥଣ୍ଡାରେ ମୁଁ ମରିଯିବି। ମୋ ପାଖରେ ଚିରା ଶାଢୀ ଖଣ୍ଡିଏ ଛଡା କିଛି ବି ନାହିଁ। ମୋତେ କମ୍ବଳ ଖଣ୍ଡିଏ ଦିଅନ୍ତନି! ତୁମେ ଦେହରେ ଏତେ ପୋଷାକ ପିନ୍ଧିଲା ପରେ ମଧ୍ଯ ତୁମକୁ ଏତେ ଶୀତ ହେଉଛି। ମୋ କଥା ଥରେ ଭାବ ବାବୁ। ଶଶିବାବୁଙ୍କ ନୀରବତା ର ଅର୍ଥ ବୁଢୀ ବେଶ୍ ବୁଝି ପାରୁଥିଲା। ତେଣୁ ସେ କୁକୁରଙ୍କ ମେଳରେ ପୁଣି ସେହି କାଗଜ ଓ ଜରି ଟୁକୁଡା ତିଆରି ସ୍ତୁପ ଭିତରେ ନିଜକୁ ଲୁଚାଇବାର ଚେଷ୍ଟା ରେ ଲାଗି ପଡିଲା। ପୁଣି ଥରେ ସେ ଦୋକାନୀ ପାଖକୁ ଆସି ଶଶି ବାବୁ ସେ ବୁଢୀ ବିଷୟରେ ଜାଣିବାକୁ ଚେଷ୍ଟା କଲେ। ଦୋକାନୀ ର ସୂଚନା ଅନୁସାରେ କିଛି ଦିନ ତଳେ ବୁଢୀ କୁ ତା ପୁଅ ସହର କୁ ଆଣିଥିଲା ଡାକ୍ତର ଦେଖାଇବାକୁ। କିନ୍ତୁ ଡାକ୍ତର ପାଖକୁ ନ ନେଇ ତା ଦେକାନ ସାମନା ରେ ଛାଡି କେଉଁଆଡେ ଚାଲିଗଲା । ବୁଢୀଟି ମୁର୍ଖ ତେଣୁ ସେ କିଛି ଜାଣି ନ ପାରି ଭାବିଲା ପୁଅ ବୋଧେ ଜରୁରୀ କାମରେ ସହର ଭିତର କୁ ଯାଇଛି, ପୁଣି ତାକୁ ନେଇ ଗାଁଆ କୁ ଫେରିବ। କିନ୍ତୁ ପୁଅର ଅସଲ ଉଦ୍ଦେଶ୍ଯ ଥିଲା ବୁଢୀ ଦାୟିତ୍ବରୁ ନିଜକୁ ମୁକ୍ତ କରିବା। କାଳେ ବୁଢୀର ଦେଖାଶୁଣା କରିବାରେ ଖର୍ଚ୍ଚାନ୍ତ ହେବ ଏହି ଆଶଙ୍କା ରେ ସେ ବୁଢୀ କୁ ସହରରେ ଛାଡି ଚାଲିଗଲା। କିନ୍ତୁ ନିର୍ବୋଧ ବୁଢୀ ଏବେ ମଧ୍ଯ ମନରେ ଆଶା ବାନ୍ଧି ବସିଛି ଯେ ତା ପୁଅ ଆସିବ ଓ ତାକୁ ଡାକ୍ତରଙ୍କୁ ଦେଖାଇ ଗାଁଆକୁ ନେଇଯିବ। ଦିନ ସାରା ସେ ଲୋକଙ୍କୁ ମାଗିି ଯାଚି ଯାହା ପାରେ ଖାଏ। ରାତି ହେଲେ ସେଇ କୁକୁରଙ୍କ ମେଳରେ ଅଳିଆ ଗଦା ପାଖରେ ଶୁଏ। ଦୋକାନୀ ପାଖରୁ ସବୁ ଶୁଣିବା ପରେ ଦୀର୍ଘ ନିଶ୍ବାସ ଛାଡିଲେ ସେ। ତାଙ୍କ ଆଖି ଆଗରେ ନାଚି ଯାଉଥିଲା ଏକ କୃତଘ୍ନ ପୁଅର ମୁହଁ, ଯିଏ ନିଜ ଜନ୍ମକଲା ମାଆର ବିଶ୍ବାସରେ ବିଷ ମିଶାଇ ତାକୁ ଶୀତ କାକର ରାତିରେ କୁକୁରଙ୍କ ମେଳରେ ଶୋଇବାକୁ ବାଧ୍ଯ କରି ଦେଇଛି। ସେ ଉତ୍ତେଜିତ ହୋଇ ଦୋକାନୀ କୁ ପଚାରିଲେ-- ତୁମେ ସବୁ ଦେଖି ଚୁପ୍ ରହିଛ କେମିତି, ତୁମକୁ ଟିକେ ମଧ୍ଯ ଖରାପ ଲାଗୁନି। ସେ ବୁଢୀର ଟିକେ ଯତ୍ନ ନେଲେ କଣ ହୁଅନ୍ତାନି? ଶଶିବାବୁଙ୍କ କଥା ଶୁଣି ଦୋକାନୀ ଟିକେ ରାଗି ଯାଇ କହିଲା-- ବାବୁ, ବହୁତ ଲୋକ ଭାଷନ ଦେଇ ଚାଲିଯାଆନ୍ତି। ସାହାଯ୍ଯ କରିବା କଥା ଆସିଲେ କିଏ କୁଆଡେ ବାଟ ଭାଙ୍ଗି ଯାଆନ୍ତି ଯେ ସେମାନଙ୍କର ପତ୍ତା ମିଳେନି। ମୋ ଘର ଲୋକଙ୍କୁ ତ ଦୁଇ ବକ୍ତ ଖାଇବାକୁ ଦେଇ ପାରୁନି, ଜଗତ ଉଦ୍ଧାର କରିବି କଣ? ପାଖରେ ମୋର ପଇସା ଥିଲେ ମୁଁ ମଧ୍ଯ ଆପଣଙ୍କ ପରି ଭାଷଣ ଦେଉଥାଆନ୍ତି। ଆପଣ ଯାଆନ୍ତୁ , ମୁଁ ଦୋକାନ ବନ୍ଦ କରିବି। ବେକାର ଟାରେ କାହିଁକି ରାତି ରେ କଳି ତକରାଳ କରୁଛନ୍ତି? ସେତେବେଳେ ବିଜୁ ଓ ମନୋଜ୍ ଆସି ଶଶିବାବୁଙ୍କୁ ଏକ ପ୍ରକାର ଟାଣିଟାଣି ଗାଡି ପାଖକୁ ନେଇଗଲେ। ଉଭୟଙ୍କର ଆପତ୍ତି ଥିଲା ଯେ, ବେକାର ଲୋକଙ୍କ ଟାଉଟରି କଥାରେ ଏତେ ସମୟ ନଷ୍ଟ କଲା ବେଳକୁ ଥଣ୍ଡାରେ ଅବସ୍ଥା ବେହାଲ ହୋଇ ଗଲାଣି। ତେଣେ ସେମାନଙ୍କ ଘରି ବାରମ୍ବାର ଫୋନ୍ ଆସୁଛି ସେମାନଙ୍କ ବିଳମ୍ବର କାରଣ ଜାଣିବା ପାଇଁ। ଶଶି ଗମ୍ଭୀର ହୋଇ ଗାଡି ଚଲାଇବା ଦେଖି ଉଭୟ ବନ୍ଧୁ ତାଙ୍କୁ ବୁଝାଇବାରେ ଲାଗିଲେ। ଏ ଦୁନିଆ ରେ ସମସ୍ତ ଗରିବ ଲୋକ ଟାଉଟର ଓ ସେମାନେ କିଛି ଫାଇଦା ପାଇବା ଆଶାରେ ମିଛ କାହାଣୀ ମାନ ଶୁଣାଇ ଲୋକଙ୍କ ମନରେ ସେମାନଙ୍କ ପାଇଁ ଦୟା ସୃଷ୍ଟି କରାନ୍ତି ବୋଲି , ଶଶିବାବୁଙ୍କୁ ହୃଦବୋଧ କରାଇବାରେ ଲାଗିଗଲେ। ଗାଡି ଟି କିଛି ବାଟ ଚାଲିବା ପରେ ଏପଟ ସେପଟ କଥାରେ ଶଶିବାବୁଙ୍କ ମନରେ ପରିବର୍ତ୍ତନ ଆସି ଯାଇଥିଲା ଓ ତିନି ସାଙ୍ଗ ନିଜ ନିଜ ମଧ୍ଯରେ ହସଖୁସି କରି ଗନ୍ତବ୍ଯସ୍ଥଳରେ ପହଞ୍ଚି ଯାଇଥିଲେ। ଘରେ ପଶିଲା ବେଳକୁ ରାତି ବାର ଟା। ସେଦିନ ସବୁଠାରୁ ଅଧିକ ଶୀତ ପଡିଥିଲା ଓ ରୁମ୍ ହିଟର ର ତାତି ମଧ୍ଯ ତେଜହୀନ ଲାଗୁଥିଲା। ପୋଷାକ ବଦଳାଇ ଶଶି ବାବୁ ରୁମ୍ ହିଟର ସାମନା ରେ ବସି ହାତ ଗୋଡ ସେକି ହେବା ବେଳକୁ ମିତା ଗଭୀର ନିଦ ରେ ଶୋଇ ସାରିଥିଲେ। ତେଣୁ ତାଙ୍କ ସହିତ ସେ ବୁଢୀ ବିଷୟରେ କିଛି କଥା ହେବାର ଅବକାଶ ନ ଥିଲା । ଶଶିବାବୁ ଘୋଡାଇ ହୋଇ ପଡିଲେ ତାଙ୍କର ଅତି ପ୍ରିୟ କାଶ୍ମୀରୀ କମ୍ବଳ ଟି। ଉଦ୍ଧତ ଶୀତ ର ଗର୍ବଭଞ୍ଜନ କରିବାରେ ତାଙ୍କର ଏହି କମ୍ବଳଟି ଯେ ସମ୍ପୂର୍ଣ୍ଣ ସକ୍ଷମ, ସେ ଏକଥା ଭଲରେ ଜାଣିଥିଲେ। ମିତାଙ୍କ ସହ ବିଭାଘର ହେବା ପରେ ସେମାନେ ଥରେ କାଶ୍ମୀର ବୁଲି ଯାଇଥିଲେ ଓ ସେଠାରୁ ଏହି କମ୍ବଳ ଟି ଆଣିଥିଲେ। କମ୍ବଳଟି ହାଲୁକା ହେଲେ ମଧ୍ଯ ପ୍ରଚଣ୍ଡ ଶୀତ କୁ ପରାହତ କରିବାରେ ସିଦ୍ଧହସ୍ତ ଥିଲା। ତାକୁ ଆପାଦମସ୍ତକ ଘୋଡାଇ କିଛି ସମୟ ରହିଲେ ଦେହରୁ ଝାଳ ବୋହି ଯିବାର ନଜିର ମଧ୍ଯ କିଛି କମ୍ ନ ଥିଲା। ସେ କମ୍ବଳ ରେ କେବଳ ଶଶିବାବୁଙ୍କର ଅଖଣ୍ଡ ଅଧିକାର ଥିଲା ଓ ତାକୁ ପରିବାରର ଅନ୍ଯ କୌଣସି ସଦସ୍ଯ ଛୁଇଁବାର ଦୃଷ୍ଟାନ୍ତ ବିରଳ କହିଲେ ଅତ୍ଯୁକ୍ତି ହେବନାହିଁ। ଶୀତର ପ୍ରବେଶ ସହିତ ସେହି କମ୍ବଳକୁ ଆଲମାରୀରୁ ଆବାହନ କରାଯାଏ ଓ ଶୀତଋତୁର ପ୍ରସ୍ଥାନ ହେବା ପରେ, ଯତ୍ନର ସହିତ ଡ୍ରାଏ ଓ୍ବାସ୍ କରି ଆଲମାରୀ ରେ ରଖି ଦିଆ ଯାଏ। ପାଖାପାଖି ତିରିଶି ବର୍ଷ ଧରି କମ୍ବଳଟି ଏହି ଉପାୟରେ ଶଶିବାବୁଙ୍କ ସେବା ରେ ଲାଗି ଆସିଅଛି। ପରିବାର ର ଅନ୍ଯ ସଦସ୍ଯ ମାନେ ଭଲରେ ଜାଣି ଥିଲେ ଶଶିବାବୁ ଓ ସେହି କମ୍ବଳ ମଧ୍ଯରେ ଥିବା ନିବିଡ ସମ୍ପର୍କ ବାବଦରେ। ତେଣୁ ସେହି କମ୍ବଳର ସୁରକ୍ଷା ଓ ଯତ୍ନ ପାଇଁ ସମସ୍ତେ ସଜାଗ ମଧ୍ଯ ଥିଲେ। ମୁହଁ ଉପରେ କମ୍ବଳ ଢାଙ୍କି ବିଛଣାରେ ଆଖି ବନ୍ଦ କରି ଶୋଇବାକୁ ଚେଷ୍ଟା କଲେ ଶଶିବାବୁ। କିନ୍ତୁ ତାଙ୍କ ସାମନା ରେ ସେ ବୁଢୀର ମୁହଁ ବାରମ୍ବାର ଚାଲି ଆସୁଥିଲା। କାଗଜର ଅଳିଆ ଗଦା ଭିତରେ କୁକୁରଙ୍କ ମେଳରେ ଜାକିଜୁକି ହୋଇ ବସିଥିବା ସେ ବୁଢୀର ନିରିହ ଆଖି ଦୁଇଟି ତାଙ୍କ ଆଡକୁ ଦେଖିଲା ପରି ତାଙ୍କୁ ଲାଗୁଥିଲା। ସବୁଠାରୁ ଆଶ୍ଚର୍ଯ୍ଯର କଥା ଥିଲା, ଏତେ ବର୍ଷଧରି ତାଙ୍କୁ ଉଷ୍ମତା ଲହରୀ ରେ ଭିଜାଇ ଥିବା କାଶ୍ମୀରୀ କମ୍ବଳର ପରାକାଷ୍ଠା ସେଦିନ କମିଯବା ପରି ଲାଗୁଥିଲା। ଆପାଦ ମସ୍ତକ କମ୍ବଳଲ ଢାଙ୍କିବା ପରେ ମଧ୍ଯ ତାଙ୍କ ଶରୀରରେ ସୀତ ଶିହରଣ ସୃ ଷ୍ଟି କରି ଚାଲିଥିଲା। ସେ ଥରି ଉଠୁଥିଲେ, ଥଣ୍ଡାରେ ମାଢି ରେ କମ୍ପନ ସୃ ଷ୍ଟି ହେଉଥିଲା ଓ ରୋମ ଟାଙ୍କୁରୀ ଉଠୁଥିଲା ଲୋମରାଜି। ରୁମ୍ ହିଟର ର ତାତି ମଧ୍ଯ ଯଥେଷ୍ଟ ନ ଥିଲା ଥଣ୍ଡା ଦୂର କରିବା ପାଇଁ। ଶୀତରେ ଥରି ଉଠୁଥିବା ବୁଢୀର ମୁହଁ ଆଖି ସାମନା କୁ ଆସିବା ମାତ୍ରେ ସେ ନିଜେ ଶୀତରେ ଥରି ଉଠୁଥିଲେ। ଥଣ୍ଡା ପଡି ଯାଉଥିଲା ତାଙ୍କ ହାଡ, ମାଂସ, ଶିରା ପ୍ରଶିରା ଓ ଶରୀର ର ପ୍ରତ୍ଯକ ଟି କୋଷିକା। କର୍ଣ୍ଣ ଗହ୍ବର ରେ ବାରମ୍ବାର ଗୁଞ୍ଜରିତ ହୋଇ ଉଠୁଥିଲା ବୁଢୀ ର କଥା --ବାବୁ, ଏତେ ଥଣ୍ଡାରେ ମୁଁ ମରିଯିବି। ମୋ ପାଖରେ ଚିରା ଶାଢୀ ଖଣ୍ଡିଏ ଛଡା କିଛି ବି ନାହିଁ। ମୋତେ କମ୍ବଳ ଖଣ୍ଡିଏ ଦିଅନ୍ତନି! ତୁମେ ଦେହରେ ଏତେ ପୋଷାକ ପିନ୍ଧିଲା ପରେ ମଧ୍ଯ ତୁମକୁ ଏତେ ଶୀତ ହେଉଛି। ମୋ କଥା ଥରେ ଭାବ ବାବୁ। ତାଙ୍କୁ ଲାଗିଲା ବିଛଣା ଟି ଧିରେ ଧିରେ ବରଫ ପାଲଟି ଯାଉଛି। ଚାଦର, ଚକିଆ ସବୁ କିଛି ପାଲଟି ଯାଉଛି ବରଫ ର ଏକ ସ୍ତୁପ। ଚତୁଃର୍ଦିଗରେ କେବଳ ବରଫର ସ୍ତୁପ। ହେମାଳ ପବନ ରେ ଦେହର ରକ୍ତ ଜମାଟ ବାନ୍ଧି ଯାଉଛି। ଓଃ କି ଥଣ୍ଡା..... ମୃ ଦୁ ଚିତ୍କାର କରି ଉଠିଲେ ସେ। ଯଦି ଛାତ ଘର ଭିତରେ ରୁମ୍ ହିଟର୍ ଲଗାଇ, କାଶ୍ମୀରୀ କମ୍ବଳ ଘୋଡାଇ ତାଙ୍କର ଏ ଅବସ୍ଥା, କଣ ହେଉଥିବ ସେ ବୁଢୀର ! ତା ପାଖରେ ତ ଚିରା ଶାଢୀ ଛଡା ଅନ୍ଯ କିଛି ନାହିଁ। ଟୁକୁରା ଜରି କାଗଜ ଓ କୁକୁରଙ୍କ ମେଳ ରେ ସେ କଣ ରୋକି ପାରୁଥିବ ଶୀତ ର ଏ ଦାରୁଣ ପ୍ରହାର କୁ ! ସେ ଶୋଇଥିବା ଭୂଇଁ କଣ ଉଷ୍ମତା ଦେଇପାରୁଥିବ ! ବୁଢୀ ମାଆ କୁ ଶୀତ ରାତି ରେ ମରିବା ପାଇଁ ଛାଡି ଦେଇ କଣ ତା ପୁଅ ଶାନ୍ତି ରେ ଶୋଇ ପାରୁଥିବ? ସେତିକି ବେଳକୁ ଆଖି ଆଗରେ ନାଚି ଉଠିଲା ମନୋଜ୍ ଓ ବିଜୁଙ୍କର କଟାକ୍ଷ ଭରା ବିଦ୍ରୁପ ହସ ଓ କଥା-- – ସବୁ ଗରିବ ଲୋକ ଟାଉଟର୍। ସେମାନେ କେବଳ ଅନୁକମ୍ପା ପାଇବାକୁ ଅଭିନୟ କରନ୍ତି। ତାଙ୍କ ମୁଣ୍ଡ ଗୋଳମାଳ ହୋଇ ଯାଉଥିଲା। କିଏ ସତ କହୁଛି କିଏ ମିଛ ସେ କିଛି ବୁଝି ପାରୁ ନ ଥିଲେ। ସେ ଭାବୁଥିଲେ ମନୋଜ୍ ଓ ବିଜୁ ଙ୍କୁ ବୁଢୀର ଦୟନୀୟ ଅବସ୍ଥା କେଉଁ ପ୍ରକାର ରେ ମିଛ ଅଭିନୟ ପରି ଲାଗିଲା। କଡ ଓଲଟାଇ ଦେଖିଲା ବେଳକୁ ମିତା ଗଭୀର ନିଦ୍ରାରେ ଶୋଇଛନ୍ତି। ଶଶିବାବୁଙ୍କ ମନ ଭିତରେ ଅଣଚାସ ପବନ ପରି ବୋହି ଚାଲିଥିବା ଝଡର କିଞ୍ଚିତ୍ ଆଭାସ ସେ ପାଇବାରେ ଅସମର୍ଥ। ଶଶିବାବୁ ହଠାତ୍ ପାଟି କରି ଉଠିଲେ-- ହଁ ମାଆ ତୋତେ ମୁଁ କମ୍ବଳ ଦେବି। ମୋ କାଶ୍ମୀରୀ କମ୍ବଳ ଦେବି। ଚମକି ଉଠି ପଡିଲେ ମିତା। ସେ କିଛି କହିବା ପୂର୍ବରୁ କମ୍ବଳଟି କାଖରେ ଜାକି ଏକ ରକମ ଦୌଡି ବାହାରକୁ ଚାଲିଗଲେ ଶଶିବାବୁ। ଗାଡି ଷ୍ଟାର୍ଟ କରି ଏକ ମୁହାଁ ହୋଇ ସେ ବୁଢି ପାଖରେ ପହଞ୍ଚିଲେ। ସେତେବେଳକୁ ବୁଢୀ ଶୀତରେ ଅସ୍ତବ୍ଯସ୍ତ ହୋଇ ଗଁ ଗଁ ଡାକ ଛାଡି ଭୂଇଁ ରେ ଗଡି କାନ୍ଦିବାରେ ଲାଗିଥିଲା। ମୋ ପୁଅ କୁଆଡେ ଗଲୁ ରେ, ମୁଁ ଶୀତ ରେ ମରି ଯିବି ରେ କହି ରାହା ଛାଡି ପାଟି କରି ଚାଲିଥିଲା। ଶଶିବାବୁ ବୁଢୀ ପାଖକୁ ଯାଇ ତା ଦେହ ରେ ନିଜର କାଶ୍ମୀରୀ କମ୍ବଳ ଖଣ୍ଡକ ଘୋଡାଇ ଦେଇ କହିଲେ-- ମାଆ ଲୋ, ଚାଲ୍ ଘର କୁ ଯିବା। ତୁ ମୋତେ କମ୍ବଳ ମାଗି ଥିଲୁ ନା,ଏଇ ଦେଖ୍ ତୋ ପାଇଁ ମୁଁ କାଶ୍ମୀରୀ କମ୍ବଳ ଆଣିଛି। ବୁଢୀ କାନ୍ଦ ବନ୍ଦ କରି ବଲବଲ କରି ଶଶିବାବୁଙ୍କ ମୁହଁ କୁ ଚାହିଁ ରହିଥିଲା। ଗାଡି ରେ ବୁଢୀ କୁ ବସାଇଲା ବେଳେ ସେ ଅନୁଭବ କଲେ ଶରୀର ରେ ଉଷ୍ମତା। ସମଗ୍ର ସହର କୁ କବଳିତ କରି ଥରାଇ ଚାଲିଥିବା ପ୍ରଚଣ୍ଡ ଥଣ୍ଡା ବଶୀଭୂତ ହୋଇ ସାରିଥିଲା ଶଶିବାବୁଙ୍କ ମହନୀୟତା ସମ୍ମୁଖରେ ଓ ବାଧ୍ଯ ହୋଇ ତାଙ୍କ ଶରୀର କୁ ଆଚ୍ଛାଦିତ କରିଦେଇ ଥିଲା ଆଶିର୍ବାଦ ରୂପକ ଦୁର୍ଭେଦ୍ଯ ପାଚେରୀ ମଧ୍ଯରେ। ଶଶିବାବୁଙ୍କ ଅନ୍ତରାତ୍ମା ତାଙ୍କୁ ବିବଶ କଲା ବସ୍ତ୍ର ଓ ଗୃହହୀନ ବୃଦ୍ଧାକୁ ଉଦ୍ଧାର କରିବା ପାଇଁ। ତେବେ ପାଠକ ଗଣ, ଏ ଭୟଙ୍କର ଶୀତରେ ଜର୍ଜରିତ ହେଉଥିବା ଗରିବ ଲୋକଙ୍କୁ ଖଣ୍ଡିଏ ଲେଖାଏ କମ୍ବଳ ଦାନ କରି ସେମାନଙ୍କ ଜୀବନ ବଞ୍ଚାଇବାରେ କାର୍ପଣ୍ଯତା କରିବା, ଆମପାଇଁ କେତେଦୂର ସମୀଚିନ ଆପଣ ମାନେ ବିଚାର କରନ୍ତୁ। --ସମାପ୍ତ--