Friday, April 20, 2018

ସୁବର୍ଣ୍ଣସେତୁ

ସୁବର୍ଣ୍ଣସେତୁ
ଲେଖା- ଅରବିନ୍ଦ ରଥ

ଫିସ୍ ରୁ ଫେରି ଗାଧୁଆ ଘରକୁ ପଶିଲା ବେଳକୁ, ଚେମିଦେବୀ ଗେହ୍ଲେଇ ପଣିଆର ଶୀର୍ଷସ୍ଥାନରେ ପହଞ୍ଚି ଡାକିଲେ-- ହଇହୋ ଶୁଣୁଛ, ଗୋଡହାତ ଧୋଇ ଟିକେ ଜଲଦି ଆସ। ତୁମ ପାଇଁ ଗରମ ବରା ଓ ଘୁଘୁନି କରିଛି। ଥଣ୍ଡା ହୋଇଗଲେ ସ୍ବାଦ ପଳେଇବ।
ଶୁଖି ଯାଇଥିବା ଗଛରେ ପାଣି ଟୋପେ ପଡିଲେ ଯେମିତି ଗଛଟା କୁତୁକୁତିଆ ହୋଇଯାଏ, ସେଇ ଅବସ୍ଥା ଭଗିବାବୁଙ୍କର ହେଲା।  କଣ ନ ଶୁଣିଲା ଆଜି ତାଙ୍କ କାନ ? ସେ ସ୍ବପ୍ନ ଦେଖୁଛନ୍ତି ନା ସତ ବୋଲି ହାତକୁ ଟିକେ ଚିମୁଟି ଦେଖିଲେ।  ସକାଳୁ ଆଜି କାହା ମୁହଁ ଦେଖିଥିଲେ କେଜାଣି ଖାଲି ଶୁଭ ଚିଜ ଗୁଡା କୁଆପଥର ପରି ବରଷି ଯାଉଛି।  ଅଫିସ୍ ରେ ବଡବାବୁ କାହିଁ କେତେ ଦିନୁ ବକେୟା ଥିବା ନଗଦ ପଚାଶ ହଜାର ଟଙ୍କା ବଢେଇ ଦେଇ କହିଲେ-- ଭଗିବାବୁ, ଏରିଅର ପଇସାଟା ଆପଣଙ୍କୁ ଆଗ ଦେଲି। ସେଥିପାଇଁ କମ୍ ଝାଳ ବୁହେଇବାବୁ ପଡିନି। ଯାହା ହେଲେ ଆପଣଙ୍କ ମୋର ଖାସ୍ ଲୋକ, ତେଣୁ ଆପଣଙ୍କ ପ୍ରାପ୍ଯଟା ଆଗ ତୁଟିଯାଉ। କଥାର ଭିତିରିଆ ଅର୍ଥଟା ଠଉରାଇ ଭଗିବାବୁ ଦୁଇହଜାର ଟଙ୍କା ବଡବାବୁ ପକେଟ୍ ରେ ଠେସି ଦେଲା ବେଳକୁ, ବଡବାବୁ ଲାଜେଇ କହିଲେ-- ଏସବୁ ଜିନିଷ କଣ ଭଲ? ମୁଁ ତ ମୋ କାମ କଲି, ସେଥିରେ ମୋତେ ଟଙ୍କା ଦେବାର କଣ ଅଛି। ଅବଶ୍ଯ ସେତିକି କହିସାରିଲା ବେଳକୁ କୋଡିଏଟି ଶହେ ଟଙ୍କିଆ ନୋଟ୍ ବଡବାବୁର ଦୁଇ ଆଙ୍ଗୁଠି ଭିତରେ ଗଣି ହୋଇ ପକେଟ ରେ ପଶି ସାରିଥିଲେ। ବାକି ଅଠଚାଳିଶି ହଜାର ଟଙ୍କା ଦିନସାରା ପକେଟ କୁ ତତେଇ ରଖିଥିଲା। ମନରେ କେତେ ଭାବନା ବାଛୁରି ଛୁଆ ପରି ଡିଆଁଚିରା ମାରୁଥିଲେ। ସେ ଟଙ୍କା କୁ କେମିତି ଖର୍ଚ୍ଚ କରିବେ ସେ ଭାବନାରେ ଅଫିସ ସମୟ ପାର ହୋଇଗଲା। ଘରେ ପହଞ୍ଚିଲା ବେଳକୁ ଅର୍ଦ୍ଧାଙ୍ଗିନୀଙ୍କର ସୁସ୍ବାଗତ, ତାଙ୍କ ମାନସପଟରେ ପଚିଶି ବର୍ଷତଳର ସୁମଧୁର ମୂହୁର୍ତ୍ତ ଗୁଡିକୁ ଟିଭିରେ ଦେଉଥିବା ବିଜ୍ଞାପନ ପରି ନଚେଇ ଦେଇଗଲା।
ସେ ସ୍ପଷ୍ଟ ଶୁଣି ପାରୁଥିଲେ ତେଲ କଡେଇରେ ବରା ମାନଙ୍କର ଚେଁ ଚାଁ ରାବ। ହାତ ଗୋଡ ଦରଧୁଆ କରି ଟେବୁଲ ପାଖରେ ପାଟି ମେଲା କରି ବସି ରହିଲେ। ଧୋବ ଫରଫର ଚିନାମାଟି ପ୍ଲେଟ୍ ରେ ସଜେଇ ହୋଇ ନାଲି ଟୁକୁଟୁକୁ ସାଧବ ବୋହୁ ପରି ବରା ଗୁଡିକ ପାଖକୁ ପାଖ ବସିଥିଲେ। ତାଙ୍କ ପାଖରେ ବିଲାତି ବାଇଗଣ ଓ ଲଙ୍କାର କାଦୁଆ ରସ କେଇ ଟୋପା, ମାର୍କଣ୍ଡି ମୁହଁରେ ଚନ୍ଦନ ଟିପା ପରି ଦୃଶ୍ଯ ହେଉଥିଲେ। ନୀଳ ରଙ୍ଗର ଗିନା ଉପରେ ଅଧ ଇଞ୍ଚ ସରିକି ଚାମଚର ଲାଞ୍ଜ ଅଂଶଟି ଦିଶୁଥିଲା । ବହଳିଆ ଘୁଘୁନି ଭିତରେ ମୁହଁ ମାଡି ବିଚରା  ଅଣନିଶ୍ବାସି ହୋଇ ସାରିଥିଲା ସେତେ ବେଳକୁ। ଭଗିବାବୁ ଆଉ ଲୋଭ ସମ୍ଭାଳି ନ ପାରି ଏକା ବେଳକେ ଦୁଇଟା ବରା ରାଡୁମାଡୁ କରି ଚୋବେଇ ଦେଇ, ସୁଡୁକେ ଘୁଘୁନି ହାପୁଡି ଦେଲେ। ଓଃ କି ଶାନ୍ତି।  ସବୁଦିନ ଅଫିସ୍ ରୁ ଫେରିଲା ବେଳକୁ ଚେମି ଦେବୀଙ୍କର କାଳିଶିଲଗା ରୂପ ସହ ଅଭ୍ଯସ୍ତ ଭଗିବାବୁଙ୍କୁ ଆଜି ନୂଆ ବାହା ହେଲା ପରି ଲାଗୁଥିଲା। ଅଧିକାଂଶ ଦିନ ସେ ନିଜେ ଚାହା ତିଆରି କରି ମୁଢି ବେଲେ ଧରି ପାକୁଳି କରନ୍ତି। ନ ହେଲେ ଫେରିଲା ବେଳକୁ କଣ ଟିକେ ପାଟିରେ ପକେଇ ଦେଇ ଘରକୁ ଆସନ୍ତି। ସୂର୍ଯ୍ଯ କେଉଁ ଦିଗରୁ ଉଦୟ ହେଲେ ଭାବି ବରା ଚୋବେଇଲା ବେଳକୁ ଚେମି ପଚାରିଲେ-- ଆଜି ଅଫିସ୍ ରେ କଣ ସବୁ ହେଲା।
ଏ  ପ୍ରଶ୍ନ ସହ ଅଭ୍ଯସ୍ତ ନ ଥିଲେ ଭଗିବାବୁ। ଗୁରୁତ୍ବ ନ ଦେଇ କହିଲେ – ଯେମିତି ସବୁ ଦିନ ଯାଏ।
କିନ୍ତୁ ଉତ୍ତର ଟି ବୋଧେ ଚେମିଦେବୀଙ୍କୁ ପସନ୍ଦ ଆସିଲାନି। ସେ ପ୍ରାକ୍ କାଳିଶି ରୂପ ଧାରଣ କରି ପଚାରିଲେ-- ସେ ବାକ୍ ଚାତୁରୀ ଛାଡ ମ! ଯାହା ପଚାରୁଛି କହୁନ କଣ ପାଇଁ? ଆଜି ବେହେରା ବାବୁଙ୍କ ସ୍ତ୍ରୀ ଫୋନ୍ କରିଥିଲେ। ବେହେରା ବାବୁ ତାଙ୍କ ସ୍ତ୍ରୀ କୁ ତୁମ ଅଫିସ୍ ବିଷୟରେ ଭଲ ଖବରଟେ ଦେଲେ। କିନ୍ତୁ ତୁମେ ଏମିତି ଅଜାଣୁ ଭାତ ଖାଉଛ କଣ ପାଇଁ ?ବେହେରା ବାବୁ ସ୍ତ୍ରୀ ନାମ ଶୁଣିଲା କ୍ଷଣି ବରା ଗୁଡା ଅଲଣା ଲାଗିବା ଆରମ୍ଭ ହେଲା। ବହଳିଆ ଘୁଘୁନି ଟା ଏକଦମ୍ ପାଣିଚିଆ ହୋଇଗଲା।  ଦାନ୍ତ ମଝିରେ ବରା ପେଷଣ କାର୍ଯ୍ଯଟା ବି ଅଧାରେ ରହିଗଲା। ଛେପ ଢୋକି ପଚାରିଲେ କଣ କହୁଥିଲେ?
– ସେଇ କଥା ଯାହା ତୁମେ ମୋତେ ଏତେ ବେଳ ଯାଏ ଲୁଚେଇ ରଖିଛ। ଏତେ ଦିନ ହେଲା ବାହାଘର ହେଲାଣି କେତେ ହନ୍ତସନ୍ତ କରି ମାରୁଛ ମୋତେ। ମୋତେ ମରଣ ହେଉନି ଯାହା। କେତେ ଆଦରରେ ବରା ଘୁଘୁନି କଲି, ଘୁଷୁରି ପରି ଚରି ଯାଉଛ, ମୋତେ ଥରେ ପଚାରିଛ କି ମୁଁ ଖାଇଲିଣି କି ନାହିଁ। ଏଡିକି ସ୍ବାର୍ଥପର, ବେହିଆ ତୁମେ। ଭଗିବାବୁଙ୍କର ସୁନେଲି ଯାତ୍ରାର ଅନ୍ତ ଘଟିଲା ସେହିକ୍ଷଣି। ଚେମି ଦେବୀ ସମ୍ପୂର୍ଣ୍ଣ କାଳିଶି ରୂପରେ ଅବତୀର୍ଣ୍ଣ ହେବା ଆଗରୁ ଭଗିବାବୁ ହାତ ଧୋଇ ଚଉକିରେ ଦୋଷ କରିଥିବା ପିଲା ପରି ବସି ରହିଲେ। ଯାହା ହେଉ ବୁଦ୍ଧି ପ୍ରୟୋଗ କରି ନାଲି ଟୁକଟୁକୁ ବରା କେତେଟିକୁ ପେଟ ଭିତରୁ ଠେଲି ସାରିଥିଲେ, ନୋହିଲେ ଅବଶୋଷ ରହିଯାଇଥାନ୍ତା।
ବେହେରାବାବୁ ହେଲେ ଭଗିବାବୁଙ୍କର ସହକର୍ମୀ। କିନ୍ତୁ ତାଙ୍କ ନାରଦିଆ ପ୍ରକୃତି ପାଇଁ ଅଫିସ୍ ରେ ଢେର ଶତୃ ଅର୍ଜନ କରିସାରିଥିଲେ। ଭଗିବାବୁ ଓ ଚେମିଦେବୀଙ୍କର ଭିତରେ ଯେତିକି ଯୁଦ୍ଧ ହୋଇଛି ତାହାର ଆୟୋଜନ, ସଂଚାଳନା ଓ ନିର୍ଦ୍ଦେଶନା ବେହେରା ବାବୁର ସ୍ତ୍ରୀ କରୁଥିଲେ ବିଗତ କେତେ ବର୍ଷ ଧରି।  ସାନ କଥାଟିକୁ ମାଜିମୁଜି ମୋଟା କରି ସେଥିରେ ବାରୁଦ ଭର୍ତ୍ତି କରି, ଚେମିଙ୍କ ହାତରେ ଧରେଇ ଦିଆସିଲି ମାରିବା କାମ ତାଙ୍କର। ସେତିକି ରେ ଶାନ୍ତି ମିଳେନି ବୋଲି ଘଟଣା ଘଟିବାର ପରଦିନ ସବିଶେଷ ବିବରଣୀ ନେବା ପାଇଁ ମଧ୍ଯ ଆସନ୍ତି। ଚେମିଙ୍କ ନଜରରେ ବେହେରା ବାବୁର ସ୍ତ୍ରୀ ହିଁ ଆଦର୍ଶ ମହିଳା। ତାଙ୍କୁ ନାରୀଶକ୍ତିର ଟ୍ରାନସଫରମର କହିଲେ ଅତ୍ଯୁକ୍ତି ହେବ ନାହିଁ। ବର୍ଷସାରା ସେ ଚେମି ଦେବୀଙ୍କୁ କହୁଥାନ୍ତି-- ଆଜି ବେହେରା ବାବୁ ମୋ ପାଇଁ ଅମୁକ ଚେନ୍ ଆଣିଲେ, ସମୁକ କାନଫୁଲ ଆଣିଲେ। ଭଗିବାବୁ ଆଣିନାହାଁନ୍ତି?? କେତେ ନିର୍ଦ୍ଦୟ ଲୋକ ସେ! ଆପଣ ବି କେତେ ସହୁଛନ୍ତି, ମୁଁ ଥିଲେ ଏତେ ବେଳକୁ ଭଗିବାବୁ ଙ୍କୁ ଭଗେଇ ସାରନ୍ତିଣି। ଆମେ ନାରୀ ମାନେ ଅବଳା, ଦୁର୍ବଳା ବୋଲି ସିନା ଏମିତି ଅତ୍ଯାଚାର ସହୁଛେ। ପୁରୁଷ ମାନେ ନିଜ ଇଚ୍ଛାରେ ଖର୍ଚ୍ଚ କରିବେ,ଫାଲତୁ ଜିନିଷ କିଣିବେ। ଆମର କଣ ସେ ଅଧିକାର ନାହିଁ ?  ଭଗିବାବୁ ଆପଣଙ୍କୁ ଯାହା ଦେଉଛନ୍ତି ସେ ଜିନିଷ ଦେଖିଲେ ପାଣୁ ମେହେନ୍ତରର ମାଇପ ବି ନାକରେ କାଠି ଗେଞ୍ଜି ହସିବ। ମୋ କାନ, ବେକ, ହାତ, ଗୋଡ ଯୁଆଡେ ଦେଖିବେ ଖାଲି ସୁନା ଗହଣା ଭର୍ତ୍ତି। ମୁଁ ବେହେରା ବାବୁଙ୍କୁ କହିଛି, ମାସକୁ ଯଦି ଗୋଟେ ସୁନା ଜିନିଷ ନ ଦିଅ, ମୁଁ ଚାଲିଲି ମୋ ବାପ ଘରକୁ। କାହିଁକି ଦେବେନି ଯେ ? ସେମାନେ କହିବେ ଆମେ ହେଲୁ ସୁନାନାକି ବୋହୁ। ଯଦି ଆମେ ସୁନାନାକି ହୋଇ ପାରିବା ତେବେ ସୁନାବେକିଆ,ସୁନାହାତିଆ, ସୁନାଗୋଡିଆ, ସୁନାକାନିଆ,ସୁନାଅଣ୍ଟିଆ, ସୁନାବଳାଗଣ୍ଠିଆ ହେଲା ବେଳକୁ ଏତେ ଆପତ୍ତି କଣ ପାଇଁ ? ନେବା ଆମର ଜନ୍ମ ସିଦ୍ଧ ଅଧିକାର ଓ ଦେବାକୁ ସେମାନେ ବାଧ୍ଯ। ନ ଦେଇ ଯିବେ କୁଆଡେ, ବୋପାକୁ ମଉସା ଡାକି ଦେବେ।
ସେତିକି ଶୁଣିଲା ପରେ ଚେମି ଦେବୀଙ୍କ ନିଶ୍ବାସ ପ୍ରଶ୍ବାସର ଗତି ବଢି ରେଳ ଇଞ୍ଜିନ୍ ପରି ସଂ ସଂ ହେବାକୁ ଆରମ୍ଭ କରେ। ଦେହ ଭିତରେ ଶତସିଂହିର ବଳ ମାଡିଆସେ। ଆଇନା ଆଗରେ ନିଜକୁ ଥରେ ପରଖି ଦେଖନ୍ତି। ତାଙ୍କୁ ବି ବିଶ୍ବାସ ହୁଏ ଯେ , ବେହେରା ବାବୁ ସ୍ତ୍ରୀ ଯାହା କହିଲେ ଅକ୍ଷରେ ଅକ୍ଷରେ ସତ୍ଯ। ସୁନା ନାହିଁ ତ ଜୀବନ ନାହିଁ। ବଞ୍ଚିବା ପାଇଁ ଜଳର ଆବଶ୍ଯକତା ଯେମିତି ଅଛି, ସୁନାର ମଧ୍ଯ ସେତିକି ଅଛି। ଖାଦ୍ଯ,ବସ୍ତ୍ର ଓ ବାସଗୃହ ପରି, ସୁନା ମଧ୍ଯ ଏକ ମୌଳିକ ଆବଶ୍ଯକତା। ଏ କଥା ପୁରୁଷ ସମାଜ କୁ ମାନିବାକୁ ହେବ। ନାରୀ ପାଇଁ ମୁଣ୍ଡରେ ଓଢଣା ଯେତିକି ଲୋଡା, ଦେହରେ ଗହଣା ତାଠାରୁ ଅଧିକା ଲୋଡା। ଆଖି ଆଗରେ ନାଚିଯାଏ ବେହେରାଣୀଙ୍କ ସୁନା ଗହଣାର ସମ୍ଭାର। କାନରେ ଫୁଲ, ନାକରେ ଫୁଲ,ଆଙ୍ଗୁଠିରେ ମୁଦି, ହାତରେ ସୁନା କଙ୍କଣ, ବେକରେ ହାର, ଅଣ୍ଟାରେ ହାର, ଗୋଡ ବଳାଗଣ୍ଠିରେ ଗହଣା। ସେଇ ଗହଣା ପାଇଁ ତ ବେହେରାଣୀଟି ମଣିଷ ପରି ଦିଶେ। ନୋହିଲେ ତା'ର ସିମ୍ପାଞ୍ଜି ରୂପ ଦେଖିଲେ ଦେଖଣାହାରି ଭୂଇଁ କାମୁଡି ପଡିଯିବ। କେବେକେବେ ମନରେ ଭୀଷଣ ବିଦ୍ରୋହ ଉଠେ। ଆମ ଦାବୀ ମାନିନିଅ କହି ତାଙ୍କର ଦୁଇ ହାତ ନାରା ଦେବା ପାଇଁ ଉପରକୁ ଉଠିଯାଏ। ମନକୁ ମନ କୁହନ୍ତି ଭଗିବାବୁ ମୁର୍ଦ୍ଦାବାଦ୍ , ମୋର ଦାବି ପୂରଣ କର... ଇତ୍ଯାଦି। ବେହେରା ବାବୁ ସ୍ତ୍ରୀ ଆସିବା ପରଦିନ ଭଗିବାବୁଙ୍କ ଚନ୍ଦା ମୁଣ୍ଡରେ ତିନି ଚାରିଟି ଆବୁ ଜନ୍ମ ନେଇଥାନ୍ତି। ମୁହଁରେ ଆମ୍ପୁଡା ଦାଗ ବି ସୁସ୍ପଷ୍ଟ ଦିଶେ। କେବେ କେବେ କଂଗ୍ରେସ୍ ପାର୍ଟିର ଚିହ୍ନ ମଧ୍ଯ ଦୃ ଶ୍ଯ ହୁଏ।
ଭାବନାର ସୁଅରେ ଭାସି ଗଲା ବେଳକୁ ଚେମି ଦେବୀଙ୍କର ଗଗନପବନ ପ୍ରକମ୍ପିତ କଲା ପରି କିଳିକିଳା ରାବରେ ସେ ପ୍ରକୃତିସ୍ଥ ହେଲେ।
– ସେ ଏରିଅର ଟଙ୍କା ଆଗ କାଢ। ମୋତେ ଲୁଚେଇବାକୁ ସାହାସ କଲ କେମିତି? ଆଜି ବଜାର ଯାଇ ସେ ସୁନା ହାରଟା ଆଣିବି। କେତେ ବର୍ଷ ହେଲାଣି ମୋତେ ଭୂଆଁ ବୁଲଉଛ ପଇସା ନାହିଁ କହି। ଆଜି ସେସବୁ ଚଳିବ ନାହିଁ। କଣ ଶୁଭୁଛି କି ନାହିଁ?
--ଏଇ ଗଲା ମାସରେ ପରା ନାକ ଫୁଲ ହଳେ ଆଣିଥିଲି?
ଚେମି ଦେବୀ ଚିତ୍କାର କରି ଉଠିଲେ-- ଲୋଭି ରାକ୍ଷାସ କଣ କହିଲ? ତାକୁ ମୋ ନିଜ ପଇସାରେ କିଣି ଥିଲି। ମୋ ସଞ୍ଚିଲା ଟଙ୍କାରୁ ତିନି ହଜାର ଦେଇଛି, ବାକି ଟଙ୍କା ତୁମେ ଦେଲ ବୋଲି ଫୁଟାଣି କଣ ମାରୁଛ ?
– ସେଇ ବାକି ଟଙ୍କା ଟା ସତର ହଜାର ଯେ? ଏତିକି କହି ଜିଭ ଟା କାମୁଡି ଦେଲେ ଭଗି।
କିନ୍ତୁ ସେତେ ବେଳକୁ ଚିନାମାଟି ପ୍ଲେଟ୍ ଓ ଗିନା ତଳେ ଭାଙ୍ଗି ପଡି ସାରିଥିଲା। ଗୁମୁରି ଗୁମୁରି ସକେଇ ହେଉଥିବା ଚେମିଙ୍କର କାନ୍ଦର ତୀବ୍ରତା ମହାବାତ୍ଯାର ରୂପ ନେଇସାରିଥିଲା। ଭଗିବାବୁଙ୍କର ଚଉଦ ପୁରୁଷଙ୍କୁ ଓଝାଳି ସାରିବା ପରେ, ତାଙ୍କର ଏକପିତା ଠାରୁ ଜନ୍ମ ହେବାର ସତ୍ଯତା ଉପରେ ବିରାଟ ପ୍ରଶ୍ନ ଚିହ୍ନ ସ୍ପଷ୍ଟ ଆଙ୍କି ସାରିଥିଲେ ଚେମିଦେବୀ। ଶୋଇବା ଘରେ କିଛି ଜିନିଷ ତଳେ କଚାଡି ହୋଇ ପଡିବାର ଶବ୍ଦ ଶୁଣି ପାରିଲେ ବି ସେ ଆଡକୁ ଯିବାର ସାହାସ ନଥିଲା। ରାତିରେ ରୋଷେଇଘରେ ଅଗ୍ନୀଦେବଙ୍କର ଆବାହନ ମଧ୍ଯ ହେଲାନି। ତେଣୁ ମୁଢି ପାକୁଳି କରି ପେଟେ ପାଣି ପିଇ ବାରଣ୍ଡାରେ ଜାକିଜୁକି ହୋଇ ଭଗିବାବୁ ପଡିରହିଲେ। ମନରେ ଆଶା ଥିଲା ସକାଳକୁ ପରିସ୍ଥିତିରେ କିଛି ଟା ପରିବର୍ତ୍ତନ ଆସି ଯାଇଥିବ। କିନ୍ତୁ ସେ ଆଶା ପାଣିଫୋଟକା ପରି ମିଳାଇ ଗଲା ଯେତେ ବେଳେ ଚେମିଦେବୀ ବିରାଟ ବ୍ଯାଗ୍ ଧରି ବାପ ଘରକୁ ଯିବାକୁ ବାହାରିଲେ। ଭଗିବାବୁ ଭଲରେ ଜାଣି ସାରିଥିଲେ, ଯଦି ଚେମି ବାପଘରକୁ ପ୍ରସ୍ଥାନ କରିବେ କଲୋନିରେ କାହାକୁ ମୁହଁ ଦେଖେଇବା କଷ୍ଟ ହୋଇଯିବ। ସହରରେ ପଢୁଥିବା ପୁଅଝିଅ କଣ ହେଲା ବୋଲି ବିକଳ ହୋଇ ଘରକୁ ଦଉଡିବେ। ଆଗକୁ ସେମାନଙ୍କର ପରୀକ୍ଷା। 
ତା ସାଙ୍ଗକୁ ବେହେରାର ସ୍ତ୍ରୀ ଦିନକୁ ଦଶଥର ପଚାରିବ-- ଭଗିବାବୁ, ଚେମି କୁଆଡେ ଯାଇଛନ୍ତି ନା କଣ? ତାଙ୍କ ସହ କଥା ହୋଇନି ଯେ ପେଟ ଟା ବାୟୁଦୋଷ ଆକ୍ରାନ୍ତ ହେଲାପରି ଲାଗୁଛି।
ଚେମି ବାପଘରକୁ ଗଲେ ସମସ୍ତଙ୍କର କ୍ଷତି ହେବା ଟା ଜଳଜଳ ହୋଇ ଦିଶିଯାଉଛି। ଟଙ୍କା ପଛେ ଗଲେ ଯାଉ ମାନଇଜ୍ଜତ ବଞ୍ଚିଯାଉ। ଟଙ୍କା ଆଜି ନାହିଁ କାଲି କି ଆସିବ, ଇଜ୍ଜତ ଥରେ ଗଲେ ଆସିବା ମହା କଷ୍ଟ।
ବୁଲାକୁକୁର ବିସ୍କୁଟ୍ ଖାଇବାକୁ ବିକଳ ହୋଇ ଗୋଡ ପାଖରେ ଲେସେଇ ହେଲା ପରି, ଭଗିବାବୁ ଚେମିଙ୍କ ପାାଖକୁ ଲାଗି କହିଲେ-- ଆରେ ଏତେ ରାଗ କଣ ଯେ? ମୁଁ ତ କାଲି ଘରକୁ ଆସିଲା ପରେ ମୋ ମୁହଁରେ ସୁଆଦିଆ ବରା ମାଡିଦେଲ। ତାକୁ ଖାଇ ମୁଁ ଏମିତି ବିଭୋର ହେଲି ଯେ ସବୁ ଭୁଲି ଗଲି। ତୁମ ହାତ ତିଆରି ଚିଜ ସାମନା ରେ ପଇସା ର କି ମୂଲ। ହଉ ହେଲା, ମୋର ଦୋଷ ମାନୁଛି। ମୋର ଭୁଲ୍ ହୋଇଛି, ମୋତେ କ୍ଷମା କରିଦିଅ। କିନ୍ତୁ ସେତେବେଳ ଯାଏ ଚେମି ଦେବୀ ମୂର୍ତ୍ତି ପରି ଛିଡା ହୋଇଥାନ୍ତି। ମୁହଁରେ ଭାବଭଙ୍ଗୀ ପରିବର୍ତ୍ତନ ହେବାର ଚିହ୍ନବର୍ଣ୍ଣ ନାହିଁ। ଭଗି ବାବୁଙ୍କୁ ହେଜ ହେଲା ଯେ ଅସଲ ଭୋଗ ଟା ନ ଦେଲେ କଣ ଦେବୀ ପ୍ରସନ୍ନ ହେବେ? ପକେଟରୁ ଟଙ୍କା ବଣ୍ଡିଲ୍ ଟା  ତାଙ୍କ ହାତକୁ ସମର୍ପି ଦେଲା ପରେ, ଚେମି ଦେବୀଙ୍କର ଓଉଫଡା ପରି ଓଠଧାରରୁ ହସ ଧାରେ କୁନି ପିଲାର ପରିଶ୍ରା ପରି ବୋହି ଆସିଲା। ଭୋଗରାଗ ଠିକ୍ କାମ ଦେଉଛି ଜାଣିଲା ପରେ ଭଗିବାବୁ ଚେମିଙ୍କ କର୍କଶିଆ ହସ୍ତ ଯୁଗଳଧରି ଅନୁରୋଧ କରି କହିଲେ- ଆଜି ପଛେ ଅଫିସ୍ ଡେରିରେ ଯିବି, ତୁମ ହାର କିଣା କାମ ଟା ଆଗ ସାରିବି।
ସେ ବାକ୍ଯରେ କି କୁହୁକ ଥିଲା କେଜାଣି, ଚେମିଦେବୀ ଙ୍କର ସର୍ବାଙ୍ଗ ଆନନ୍ଦରେ ଝୁମି ଉଠିଲା। ନାଗ ସାପ ପରି ଆଖି ଯୋଡିକରେ କୋହିନୂର ହୀରାର ଚମକ ଖେଳିଗଲା। ଓଠ ଗୁଡିକ ଏପରି ମେଲେଇ ଗଲେ ଯେ ଦେଖିବା ଲୋକ ଭାବିବ, ଆଉ ଟିକେ ପରେ ବୋଧେ କାନକୁ ଛୁଇଁଯିବେ। ଖୁସି ରେ ପାଟି ମେଲା ହୋଇଯିବାରୁ ତଣ୍ଟି ଭିତରର ଘଣ୍ଟିକା ଟି ମନ୍ଦିର ଘଣ୍ଟି  ସଦୃଶ  ବୋଧ ହେଲା। ଭଗିବାବୁ ଦେଖି ପାରୁଥିଲେ ଚେମିଙ୍କ ମୁହଁରେ ବୟସର ଛାପ। ହସିଲା ବେଳକୁ ଗାଲର ଚର୍ମ କୁଞ୍ଚିତ ହୋଇ ଗୋଧି ଚମଡାର ରୂପ ଧାରଣ କରୁଥିଲା ଧିରେଧିରେ। କହିବା ବାହୁଲ୍ଯ, ଭଗିବାବୁଙ୍କର ମନ ହେଇଥିଲା, ଗୋଟିଏ  ତେଲ ଦିଆ ବେତ ବାଡିରେ ଚେମିଙ୍କୁ ନିର୍ଘାତ ଛେଚିବା ପାଇଁ। କିନ୍ତୁ କରିବେ କଣ? ସେ ପୁରୁଷ ଜାତିରେ ଜନ୍ମ ଗ୍ରହଣ କରିଛନ୍ତି। ପାଟି ଖୋଲିଲେ, ମାମୁଁ ଘରେ କିଛି ଦିନ ରହିବାକୁ ପଡିବ। ତା ସାଙ୍ଗକୁ ଚାକିରି ଓ ମାନସମ୍ମାନ ଯିବାଟା ସୁଧରେ ମିଳିବାର ଯଥେଷ୍ଟ ସମ୍ଭାବନା ଅଛି।
ଅଳ୍ପ ସମୟ ଭିତରେ ରୋଷେଇ ଘରେ ଅଗ୍ନୀ ଦେବତାଙ୍କ ଲେଲିହାନ ଶିଖାରେ ଭାତ,ଡାଲି, ତରକାରୀ ଓ ଭଜା ପ୍ରସ୍ତୁତ ହୋଇଗଲା। ପାଟିକୁ ରୁଚୁଛି କି ନାହିଁ ସେ ଭାବନା ପରିତ୍ଯାଗ କରି ଭଗିବାବୁ ଗୁଣ୍ଡାଗୁଣ୍ଡା କରି ସବୁ ଉଦରସ୍ଥ କରିବାରେ ଲାଗିଗଲେ। ତେଣେ ଚେମି ଦେଇ ବେଶଭୂଷା ବାକ୍ସ ଖୋଲି ମୁହଁଟିରେ ସ୍ନୋ, ପାଉଡର, ଓଠ ରଙ୍ଗ, କଜ୍ବଳ ବୋଳି ପକେଇଲେ। ନାଲି ରଙ୍ଗର ଶାଢୀଟେ ପିନ୍ଧି, ଦେହରେ ଅତର ଛିଞ୍ଚି  କାନ୍ଧରେ ଝୁଲାବ୍ଯାଗ୍ ଟିଏ ଧରି ବାହାରିଲେ। ଅଳ୍ପ ସମୟ ଭିତରେ ଦୁଇ ପ୍ରାଣୀ ସ୍କୁଟରରେ ବସି ଗହଣା ଦୋକାନ ଅଭିମୁଖେ ବାହାରିଲେ। ସୁନା ଚେନ୍ ଖୋଜିଖୋଜି ଦଶ ବାରଟା ଦୋକାନ ବୁଲିବା ପରେ ଗୋଟିଏ ଯାଗାରେ ସେମାନେ ସ୍ଥିର ହେଲେ। ସେଇ ଦୋକାନରୁ ଜିନିଷ କିଣନ୍ତି ବୋଲି ବେହେରାଣି ଦିନକୁ ଦଶଥର ଚେମିଦେବିଙ୍କ ଆଗରେ ବଖାଣନ୍ତି। ଦୋକାନୀ ଟି ଚେମି ଦେବୀଙ୍କର ରୂପର ଭୂୟସୀ ପ୍ରଶଂସା କରି ବେକରେ ସତଚାଳିଶି ହଜାର ଟଙ୍କାର ସୁନା ଚେନ୍ ଟିଏ ଝୁଲେଇବାରେ ସଫଳ ହୋଇ ଶାନ୍ତିରେ ନିଶ୍ବାସ ମାରିଲା। ସେତେ ବେଳକୁ ଭଗିବାବୁଙ୍କର ଲଣ୍ଡାମୁଣ୍ଡରୁ ଝାଳ ନିଗିଡି ଦୁଇଟା ରୁମାଲ ଓଦା ହୋଇ ସାରିଥିଲା। ସେହି ଟଙ୍କା କୁ କେତେ ଉପାୟରେ ଖର୍ଚ୍ଚ କରିବାର ଆଶାର ଜୁଇ ହୁତୁହୁତୁ ହୋଇ ଜଳୁଥିବାର ଦେଖିଲେ ବି ନିରୁପାୟ ହୋଇ ଦେଖିବା ଛଡା ଅନ୍ଯଗତି ନ ଥିଲା। ମନରେ ଭାବୁଥିଲେ କଳିଯୁଗ ବିଷୟରେ। ପିଲା ଦିନେ ଶୁଣିଥିଲେେ କଳିକାଳର ପ୍ରବେଶ ଏହି ସୁନା ମାଧ୍ଯମରେ ହୋଇଥିଲା।  ଏବେ ସେ କାହାଣୀର ଯଥାର୍ଥତା  ହୃଦୟଙ୍ଗମ କରୁଥିଲେ। ଚାଲାକ ଗହଣା ଦୋକାନୀ ଟି ଟଙ୍କା ଗଣିସାରି ଭଗିବାବୁ ଙ୍କୁ ଥଣ୍ଡାପାନୀୟରେ ଆପ୍ଯାୟିତ କଲା। ମନେମନେ ଭାବିଲେ ଯାହା ହେଉ ଏ ଥଣ୍ଡା ପଇସାଟା ତ ବଞ୍ଚିଗଲା। ଦୋକାନରୁ ବାହାରିଲା ବେଳକୁ ଚେମି ଦେବୀଙ୍କର ଦୋକାନୀ ସହ କଥାବାର୍ତ୍ତାର କିଛି ଅଂଶ କାନରେ ପଡିଲା। ଟିକେ ଭଲରେ କାନେଇବାରୁ ଶୁଣିଲେ ଚେମିଦେବୀ ଦୋକାନୀକୁ ପଚାରୁଛନ୍ତି ଯେ ବେହେରା ବାବୁ ଓ ତାଙ୍କ ସ୍ତ୍ରୀ ଗହଣା କିଣିବାକୁ ଆସନ୍ତି କି ନାହିଁ। ପ୍ରତ୍ଯୁତ୍ତର ରେ ଦୋକାନୀ କହିଲା--- ଆଜ୍ଞା କାହିଁକି ସେ ଅଲକ୍ଷଣା ଛିଣ୍ଡାଳିଆ ଲୋକ ଗୁଡାକର କଥା କହୁଛନ୍ତି। ସେମାନେ ମୋ ଦୋକାନ କୁ ଆସନ୍ତି ସତ, କିନ୍ତୁ ଆଜି ଯାଏ ଗୋଟିଏ ଗ୍ରାମର ସୁନା ଗହଣା କିଣି ନାହାଁନ୍ତି। ଚେମିଦେବୀଙ୍କର ପ୍ରଶ୍ନିଳ ଆଖି ଦେଖି ପୁଣି କହିଲା-- ସେ ବେହେରାଣୀ ଦେହ ଯାକରେ ଯେତିକି ଗହଣା ଅଛି , ସବୁ ମିଶେଇଲେ ହଜାର ଟଙ୍କା ବି ହେବନି। ସବୁ ଯାକ ନକଲି ଗହଣା। ସେ ମୋ ଦୋକାନ ରୁ ଗହଣାର ଡିଜାଇନ ଦେଖେ ଓ ଗୋଟେ ଟୁଣୁଟୁଣିଆ ବଣିଆ ପାଖରେ ନକଲି ଗହଣା ତିଆରି କରେ। କିନ୍ତୁ ସବୁ ଯାଗାରେ କହେ ମୋ ଦୋକାନ ରୁ କିଣିଛି ବୋଲି। ତାକୁ ସବୁ ଲୋକଙ୍କ ଆଗରେ କେତେ ଥର ବେଜ୍ଜିତ୍ କଲା ପରେ ବି ତା ଗୁଣରେ କିଛି ପରିବର୍ତ୍ତନ ଆସିନି। ପୁଣି ହସିହସି କହିଲା-- ମୁଁ ଜାଣିପାରୁଛି ଆଜ୍ଞା, ସେ ଆପଣଙ୍କୁ ବି ଦିନରେ ତାରା ଗଣେଇ ଦେଇଥିବ।
ଦୋକାନ ରୁ ବାହାରିଲା ବେଳକୁ ଚେମି ଦେବୀଙ୍କର ମୁହଁଟା ଖଟା ଆମ୍ବ ଖାଇଲା ପରି ଦିଶୁଥିଲା। ପୁରା ଚୁପ୍ ହୋଇ ଭଗିବାବୁଙ୍କୁ ଘରକୁ ଫେରିବାକୁ କହିଲେ। ଘରେ ଭଗିବାବୁଙ୍କୁ ଚାହା କପେ ଦେଇ କହିଲେ-- ମୋ ଦେହ ଟିକେ ଭଲ ଲାଗୁନି, ତୁମେ ଅଫିସ୍ ଯାଅ ମୁଁ ଟିକେ ଶୋଇବି।
ଅଫିସ୍ ରୁ ଘରକୁ ଫେରିଲା ବେଳେ ଚେମି ଦେବୀ ଙ୍କର କାଳିଶି ରୂପ ର ତେଜ ବାହାର କବାଟ ଯାଏ ଦିଶୁଥିଲା। କାହାକୁ ଗୋଟେ ମନ ଇଚ୍ଛା ବକି ଚାଲିଥିଲେ। କବାଟ ପାଖରେ ଟିକେ କାନେଇ ବାରୁ ଭଗିବାବୁ ଜାଣିଲେ ଆଜି ପାଳି ପଡିଛି ବେହେରାଣୀର। ଅଳ୍ପ ସମୟ ପରେ ବେହେରାଣି ମୁହଁ ହାଣ୍ଡି କରି ଲସରପସର ହୋଇ ଦଉଡି ପଳେଇଲା।  ଘରକୁ ପଶିଲା ମାତ୍ରେ ଚେମିଦେବୀ କଅଁଳିଆ କଣ୍ଠରେ କହିଲେ-- ଆରେ ତୁମେ ଆସିଗଲ କି, ହଉ ଭଲ ହେଲା। ମୁଁ ଆଜି ତୁମ ପାଇଁ ପକୁଡି ଛାଣିଛି। ହାତ ଗୋଡ ଧୋଇ ଆସ ମିଶିକି ଖାଇବା। ସେ ଘରଭାଙ୍ଗି ବେହେରାଣୀ ଆସିଥିଲା। ତାକୁ ଆଜି ଯାହା କହିଛି ଜୀବନ ଥିଲା ଯାଏ ଭୁଲିବନି। କାଲି ଆମେ କିଣିଥିବା ସୁନା ଚେନ୍ ଟା ଝିଅ ପାଇଁ ସାଇତି ରଖିଛି। ଛୁଟିରେ ସେ ଆସିଲେ ତାକୁ ଦେଖେଇବି।
ବାହାଘରର ଏତେ ବର୍ଷ ପରେ ଭଗିବାବୁ ଙ୍କୁ ଚେମିଦେବୀଙ୍କର ମୁହଁଟା ବହୁତ୍ ସୁନ୍ଦର ଲାଗିଲା। ତାଙ୍କ ଛାତି ଭିତରୁ ପ୍ରେମ, ହୀରାକୁଦ ଡ୍ଯାମ୍ ରୁ ପାଣି ଛୁଟିଲା ପରି ବୋହିଚାଲିଥିଲା। ଅଜାଣତରେ ତାଙ୍କ ପାଟିରୁ ବାହାରିଗଲା-- ତୁମ ପାଇଁ ଆଉ ଗୋଟେ ସୁନା ଚେନ୍ କିଣି ଦେବି। ମୋ ପାଖରେ ଟିକେ ପଇସା ହୋଇଯାଉ।
ହସିହସି ନିହାତି ସାଧାରଣ ଭାବରେ ଚେମିଦେବୀ କହିଲେ – ମୋର ସୁନା ଚେନ୍ ଦରକାର ନାହିଁ।   ପ୍ରକୃତରେ ମୁଁ ସୁନା ଜିନିଷ କୁ ଦେହ ରେ ନ ପିନ୍ଧି ମନରେ ପିନ୍ଧୁଥିଲି ବୋଲି ତୁମେ ଏତିକି ହନ୍ତସନ୍ତ ହେଲ। ଏବେ ସେମିତି ଭୁଲ୍ କେବେ ବି ହେବନି।
ଭଗିବାବୁଙ୍କୁ ପକୁଡିର ସ୍ବାଦ ଅମୃତ ପରି ଲାଗୁଥିଲା। ସେ ଭାବୁଥିଲେ ବେହେରାଣୀ ଟା ନାୟିକା ନା ଖଳନାୟିକା। ସେ ଯାହା ବି ହେଉ କିନ୍ତୁ ଗୋଟିଏ ସୁନା ଚେନ୍ ପାଇଁ  ଚେମିଦେବୀ ଓ ତାଙ୍କ ଭିତରେ ଗଢି ଉଠିଲା ଏକ ସୁବର୍ଣ୍ଣସେତୁ।
*****************************

Wednesday, April 11, 2018

କନ୍ଯାଦେଖା


                                   ଲେଖକ- ଅରବିନ୍ଦ ରଥ
ସଇତାନପୁର ର ମକୁରୁ ମହାଜନ ଲଣ୍ଡା ମୁଣ୍ଡଟିକୁ ଆଉଁସି ମଧ୍ଯସ୍ଥିକୁ ପଚାରିଲେ-- ହଇହୋ ମକ୍ରମ ପୁରୋହିତେ, ଏଥର ଝିଅ ଦେଖା ପର୍ବଟା ଭଲରେ ଯିବ ତ। ଗଲା ଥର ତ କେତେ ସପନ ଦେଖେଇଲେ, କିନ୍ତୁ କନ୍ଯାବାପର ଧୋତି କିଣିବାକୁ ବି ପଇସା ଥିଲା ପରି ଲାଗିଲାନି। ସେ ଲୋକର ମୋ  ଘରେ ହଳିଆ ହେବାର ଯୋଗ୍ଯତା ନାହିଁ, ସମୁଦି ହେବାର ସ୍ବପ୍ନ ଦେଖୁଥିଲା କେମିତି ? ମୋ ସ୍ତ୍ରୀ ଆରପାରି କୁ ଗଲା ବୋଲି ସିନା ମୋତେ ଏତେ ହୀନସ୍ତା ହେବାକୁ ପଡୁଛି । ନୋହିଲେ ପୁଅ ପାଇଁ ବୋହୁ ଖୋଜା କାମ ଟା କଣ ମୋତେ ବଳେଇ ଯାଇଥାନ୍ତା ?
ପୋକଖିଆ ଦାନ୍ତ ନିକୁଟି ପୁରୋହିତ ମକ୍ରମ କହିଲା – ଆଜ୍ଞା କଣ କରିବି, ଏତେ ଆଡକୁ ନିଘା ନ ଥିଲା ବୋଲି ଭୁଲ ଟାଏ  ସିନା କରିଦେଲି , ଏଥର ସେପରି ଭୁଲ ହେବ ନାହିଁ। ମୁଁ ସେ ଲୋକ କୁ ହଜାର ଥର କହିଛି। ଆମ ମହାଜନେ ଏମିତି ସେମିତି ଲୋକ ନୁହଁନ୍ତି। ବାପ ଅଜା ଅମଳରୁ ଜମିବାଡି ସବୁ ପୋକ ମାଛି ପରି ତାଙ୍କ ପାଖେ ହାଉଜାଉ ହେଉଛନ୍ତି।  ଜମିଦାରି ପ୍ରଥା ଚାଲିଗଲେ କଣ ହେବ, ଆମ ମହାଜନ ଙ୍କର ଜମିଦାରିଆ ଠାଣି ଆଜି ଯାଏ ସେମିତି କାଏମ ରହିଛି। ଘରେ ଚାକର ବାକର ହଳିଆ ମୂଲିଆ ବାଡଇ କୁଟି ହେଉଛନ୍ତି। ସୁନା ରୂପା ଗହଣା ଗାଣ୍ଠିର ହିସାବ ନାହିଁ। ଆଲମାରୀ ଗୁଡା ଓହଳି ପଡିଛି। ଯେତିକି ସୁନା ଚେନ ଆଲମାରୀରେ ସଜେଇ ରଖା ଯାଇଛି, ସେତିକି ବେକ ନାହିଁ ଝୁଲେଇବାକୁ।  ଆଉ କିଛି କହିବାକୁ ମକ୍ରମ ପାଟି ମେଲା କଲାବେଳକୁ, ମହାଜନେ ଶହେ ଟଙ୍କିଆ ନୋଟ ଖଣ୍ଡିଏ ହାତ ଗୁଞ୍ଜି ଦେଇ କହିଲେ, ଯାହା ହେଉ ଯେତିକି କହିଛ ସେତିକିରେ ଗାଡି ଦଉଡିବ।  କନ୍ଯାଦେଖାର ଦିନ ତାରିଖ ଧାର୍ଯ୍ଯ କରି ମକ୍ରମ ଓଳଗି ହୋଇ ବିଦାୟ ନେଲା।
ମକୁରୁ ମହାଜନଙ୍କ ପୁଅ କୁରୁପା ସେ ଅଞ୍ଚଳର ନାମଜାଦା ପିଲା। ସରସ୍ବତୀ ଙ୍କୁ ବହୁତ ପୂଜା କରି ଯେତିକି ପାଠ ମିଳିଲା, ସେତିକି ବ୍ଯବହାର କରି କେବଳ ଦସ୍ତଖତ ଟିଏ କରି ଜାଣିଲା। ଗୋଟିଏ ଶ୍ରେଣୀରେ ବର୍ଷାଧିକ କାଳ ପାଠ ପଢିବା ପରେ, ଗାଁଆ ମାଷ୍ଟ୍ରଙ୍କ ସୁପାରିଶ କ୍ରମେ କୁରୁପାର ପାଠରେ ଡୋରି ବନ୍ଧାହେଲା।  ମକୁରୁ ବି କହିଲେ, ଯେ ମହାଜନ ପୁଅ କଣ ଏତେଦିନ ଇସ୍କୁଲ ଯିବ। ପଇସା ଫିଙ୍ଗିଲେ ସରସ୍ବତୀ ଦେବୀ ଆସି ପାଠ ବାଟି ପିଏଇ ଦେଇ ଯିବେ। ଏତିକି ଛାର କାମ ପାଇଁ ପିଲା ଟା କଣ ପାଇଁ ବର୍ଷବର୍ଷ ଦହଗଞ୍ଜ ହେବ। ଗେଲବସରିଆ ଏକୋଇର ବଳା ବିଶିକେସନ କୁରୁପା ଧରା କୁ ସରା ମଣିଲା। ବୟସ ବଢିବା ସହ ବଦମାସୀ ବି ବଢିଲା। ମାରପିଟ୍ କରିବା, ଚୋରୀ କରିବା ଆଦି କାମ ରେ ସେ ଅଞ୍ଚଳରେ ବେଶ୍ ନାମ କମେଇଲା। ମହାଜନ ପୁଅ ବୋଲି କେହି ପାଟି ନ ଫିଟେଇ ତାକୁ ଆହୁରି ସାହାସୀ କରିଦେଇଥିଲେ।  ଘରେ ପଇସା ଅଭାବ ନାହିଁ , ତେଣୁ ନିଶ୍ଚିନ୍ତ ହୋଇ କୁରୁପା ଚାରି ଦଉଡି କଟା ହୋଇ ଜୀବନ ବିତଉ ଥିଲା।  କିନ୍ତୁ ମକୁରୁ ପରି କୃପଣ ଲୋକ ପୃଥିବୀରେ ଥିବେ କି ନାହିଁ ସନ୍ଦେହ। ଦିଆସିଲି କାଠି କୁ ବ୍ଲେଡ୍ ରେ ଦୁଇ ଫାଳ କରି ଜଳେଇବା ଲୋକ ସିଏ।  କୃପଣ ଲୋକେ ତ ମାଛ ତେଲ ରେ ମାଛ ଛାଣନ୍ତି କିନ୍ତୁ ମକୁରୁ ମହାଜନ ତୁଚ୍ଛା ପାଣିରେ ମାଛ ଛାଣିଦେବା ଲୋକ।
ନିଜର ଏକମାତ୍ର ଯୋଗ୍ଯ ପୁତ୍ର ପାଇଁ କନ୍ଯା ଯୋଗାଡିବା ପାଇଁ ବିଚରା ଆଣ୍ଠୁ ଗଣ୍ଠି  ଛିଡେଇ ଚେଷ୍ଟା ଚଲେଇଛି। କିନ୍ତୁ  କୁରୁପା ଚରିତ୍ର ର ତେଜ ଏତେ ଜୋର ରେ ଦାଉ ଦାଉ ଜଳୁଥିଲା ଯେ କନ୍ଯାପିତା ମାନେ କନ୍ଯା ଦେବାକୁ ରାଜି ନ ଥିଲେ। ତଥାପି ମକ୍ରମ ପୁରୋହିତ ହାତଗୋଡ ହଲେଇ କିଛି କନ୍ଯା ଯୋଗାଡ କରିଛନ୍ତି। କନ୍ଯାଦେଖା ପର୍ବ ବି ସରିଛି। କିନ୍ତୁ ଯୌତୁକ ଅଙ୍କଟା ଛିଣ୍ଡୁନି ବୋଲି ବରଯାତ୍ରୀ ବାହାରିପାରୁନି।ମହାଜନିଆ ଠାଣିରେ ଚର୍ଚ୍ଚା ପାଇବା ଆଶାରେ ମକୁରୁ ବେଶ ଭୂଷା ହୋଇ ବାହାରେ ସିନା, କିନ୍ତୁ ସବୁ ଦିନ କପାଳ ଲେଖା ସମାନ ନ ଥାଏ। କେଉଁ ଥର କନ୍ଯା ଘର ବରା, ସିଙ୍ଗଡା, ଆଳୁଚପ୍, ମିଠାରେ ଭସେଇଲାଣି ତ କେଉଁ ଦିନ ଲେମ୍ବୁ ସରବତ ପିଇ ଫେରିବାକୁ ପଡିଛି। ତଥାପି ଚେଷ୍ଟା ଚାଲିଛି। କିଛି ଗୋଟେ ତ ହେବ ନିଶ୍ଚୟ।  ଏଥର ମକ୍ରମ ପୁରୋହିତ, କୁକୁରପେଟା ଗ୍ରାମରେ କନ୍ଯା ଘରର ସନ୍ଧାନ ଦେଇଛି। ଝିଅଟି ସୁନ୍ଦର ନ ହେଲେ କଣ ହେବ, ପଇସା ପତ୍ରରେ ବରପାତ୍ର କୁ ପୋତି ଦେବ ବୋଲି ଶୁଣି ମକୁରୁ ମନ ଟା କୁଲୁକୁଲୁ ହୋଇଯାଉଛି। 
କିନ୍ତୁ ସେ କୁକୁରପେଟା ଗାଁଆ ନାମ ଟା ଶୁଣିଲା ପରଠାରୁ ମନ ଟା ଟିକେ ବିଚିକୁଟିଆ ଲାଗୁଛି। ଦୁଇ ମାସ ତଳେ ସେଇ ଗାଆଁରେ ତା ମୁଣ୍ଡ ପଗଡି ଗଡିବା ଅବସ୍ଥା କୁ ପଳେଇ ଆସିଥିଲା।  କନ୍ଯା ଦେଖିବାକୁ ଯିବା ଅବସରରେ, ଗାଁଆର ବିଖ୍ଯାତ ରାଢ ଗୁଡୁମ୍ ବଳିୟାରସିଂହ ଘରକୁ ଯାଇଥିଲା। ବାହାଘର କଥା ଟା ଆରମ୍ଭ ହେବା ଆଗରୁ ମକୁରୁ, ଜାନି ଯଉତୁକ କଥାଟା ଛିଡେଇ ଦେବ ବୋଲି ଭାବିଲା ବେଳକୁ, ସେ କନ୍ଯା ଟା କାଳିସୀ ମାଡିଲା ପରି ନାଚି ଦେଇ ଗଲା। କେତେ ଆଇନ କାନୁନ ପଢେଇ, ପୋଲିସ୍ କୁ ଖବର ଦେବାକୁ ବାହାରିଲା। କହିଲା କଣ ନା, ଯୌତୁକ ନେବା ଓ ଦେବା ଉଭୟ ଅପରାଧ।  ମନରେ ବହେ ଗାଳି ଦେବାକୁ ଇଛା ହେଲେ ବି ମକୁରୁ ଜୋକ ମୁହଁରେ ଲୁଣ ଦେବା ପରି ଚୁପ୍ ହୋଇ ଠିଆ ହୋଇଥିଲା। ପୋଲିସ୍  କଥା ଶୁଣି ତା ଲଣ୍ଡା ମୁଣ୍ଡରୁ ଥପ ଥପ ଝାଳ ନିଗିଡି ଗଲା।  ପାଟି ରେ ଲୁଗା ବିଣ୍ଡା ଦେଇ ସେ ଜାଗାରୁ ଚମ୍ପଟ୍ ମାରିବାକୁ ତର ସହିଲାନି। ପୁଣି ସେଇ ଗାଁଆ କୁ ଯିବାକୁ ହେବ।
ମାଆ ରାହାବଳୀଙ୍କୁ ଦେଶି କୁକୁଡା ଟିଏ ଯାଚନା କରି  ଘରୁ ବାହାରିଲା। ପୁଅ କୁରୁପା ଗାଁଆ ଟାଉଟରଙ୍କ ସହ ଗଞ୍ଜେଇ ସେବନ ରେ ବ୍ଯସ୍ତ ଥିବାର ଦେଖି ,ମକୁରୁ ନିଜ ସାଙ୍ଗରେ ମକ୍ରମ ମହାଜନ ଙ୍କୁ ନେଇ କନ୍ଯାଦେଖା ପର୍ବ ପାଇଁ ପ୍ରସ୍ଥାନ କଲା। ଗାଁଆ ଭିତରେ ଗାଡିଟି ପଶିଲା ବେଳକୁ ଦେଖିଲା କିଏ ଜଣେ ନାରୀ ଗଛ ଉହାଡରୁ ଲୁଚି ତାଙ୍କୁ ଦେଖୁଥିଲା। ମକ୍ରମ କୁ ସେ ବିଷୟରେ ପଚାରିବାରୁ ସେ କହିଲା-- ମହାଜନେ, ଆପଣ ଙ୍କ ବୟସ ପରା ସେଇ ତିରିଶରେ ଅଟକି ଯାଇଛି। କିଏ ଦେଖିଲେ କହିବ କି, ଆପଣଙ୍କୁ ତିନି କୋଡି ପୁରିଲାଣି ବୋଲି। ସେଇ ଯୁବକ ପରି ରୂପ ଦାଉଁ ଦାଉଁ ହୋଇ ଜଳୁଛି। ଲୋକେ ଭାବୁଥିବେ ଆପଣ ବରପାତ୍ର ବୋଲି। ସୁନ୍ଦର ଫୁଲ ପାଖକୁ ମହୁମାଛି ଟାଣି ହୋଇ ଆସିଲା ପରି, ଗାଁଆର ଅଭିଆଡି ଝିଅ ମାନେ ଆପଣଙ୍କୁ ଦେଖି କୁତୁକୁତୁ ହୋଇ ଲୁଚି ଦେଖୁଥିବେ।
କଥାଟା ମକୁରୁ ମହାଜନ ର ଠିକ୍ ମର୍ମରେ ବାଜିଲା। ପାଉଁରୁଟି ପରି ଫୁଲିଲା ଗାଲ ଦୁଇଟାରେ ହାତ ବୁଲେଇ ଟିକେ ଲାଜ ମିଶା ସ୍ବରରେ କହିଲା-- ବୁଝିଲ ପୋରୋହିତେ, ତୁମେ ଆଉ ହବନି। କଥା କୁହାରେ ତୁମକୁ କିଏ ପାରିବ କହିଲ।
ଗାଡି ଟି ଯାଇ କନ୍ଯା ଘର ଦୁଆରେ ଲାଗିଲା। ତରତର ହୋଇ ମକୁରୁ ଘରେ ପଶିଗଲା, କାଳେ ଗୁଡୁମ୍ ବଳିୟାରସିଂହ କାନ ରେ କଥାଟା ପଡିଯିବ ବୋଲି। କନ୍ଯାପିତା ସସମ୍ମାନେ ଦୁଇଜଣଙ୍କୁ ଘରକୁ ପାଛୋଟି ନେଲେ।  ସୋଫାରେ  ବସିଲା ବେଳକୁ ସେ ଦେଖିଲା ଟେବୁଲ୍ ରେ ଭଳି କି ଭଳି ଜଳଖିଆ ଅତି ଯତ୍ନ ରେ ମୁଣ୍ଡ ଟୁଙ୍ଗାରି ଅନେଇଛନ୍ତି।  ତିନି ଚାରି ଜାତି ର ମିଠା ଓ  ବରା, ସିଙ୍ଗଡା, ଆଳୁଚପ୍ ମାନେ ଦୁଇ ଧାଡି ଦାନ୍ତ ମଝିରେ ପେଶୀ ହୋଇଯିବା ଆଶାରେ ଅପେକ୍ଷାରତ। ଆମ୍ବରସ ଦୁଇ ଢୋକ ପିଇ ମକୁରୁ ଗଳା ଝାଡି କହିଲା-- ଆଜ୍ଞା, ମୋ ଘର ବିଷୟରେ ମକ୍ରମ ପୁରୋହିତେ ଉଣା ଅଧିକେ ବଖାଣି ଥିବେ। ତେଣୁ ସେ ବିଷୟରେ କହି ସମୟ ସାରିବା କଣ ପାାଇଁ। ଝିଅ କୁ ଡାକିଲେ ଟିକେ ଦେଖି ଦିଅନ୍ତେ। ଏତିକି କହି ସାରିବା ବେଳକୁ ଟେବୁଲ ରେ ସଜା ହୋଇଥିବା ଜଳଖିଆରୁ ଦୁଇଟା ସିଙ୍ଗଡା କମି ସାରିଥିଲେ।
– ଆଜ୍ଞା, ଆପଣଙ୍କ ବିଷୟରେ ମୁଁ ସବୁ ଶୁଣିଛି। ବହୁତ ବଡ ଲୋକ ଆପଣ। ମୁଁ ଆଜ୍ଞା ଗରୀବ ଲୋକ। ଝିଅ ଟି ମୋର କଲେଜ ରେ ପାଠ ପଢୁଛି। ଘର କାମ ସବୁ ଜାଣିଛି। ସମସ୍ତଙ୍କ ମନ ଜିଣିବାରେ ତାକୁ କେହି ପରିବେନି। ଭଲ ଗୀତ ବି ଗାଏ। କିନ୍ତୁ ରୂପରଙ୍ଗ ଟିକେ ଉଣା ବୋଲି ମନଟି ସଦାବେଳେ ଉଦାସିଆ କରି ରଖୁଛି। ତା ସାଙ୍ଗ ସାଥି ମନେ ହାତ କୁ ଦି ହାତ ହୋଇ ପିଲା ଖେଳେଇଲେଣି, କିନ୍ତୁ ମୋ ଝିଅ......ଏତିକି କହି କନ୍ଯପିତା ଟିକେ ସୁକୁସୁକୁ ହୋଇ କାନ୍ଦି ପକେଇଲେ। କାନ୍ଧରେ ହାତ ପକେଇ ମକୁରୁ କହିଲେ-- ସେ କଥା ଛାଡନ୍ତୁ, ଟିକେ ଝିଅ କୁ ଦେଖିସାରି ମୁଁ  ସାଙ୍ଗେସାଙ୍ଗେ ବାକି କଥା ବିଚାର କରିବି ।
ପରଦା ଆଢୁଆଳରୁ କନ୍ଯାର ମୁହଁ ଟି ଦିଶିଲା। ତାକୁ ଦେଖିଲା ପରେ ମକୁରୁ ମନେ ମନେ କହିଲା-- ଆରେ ଇଏ ତ କୁରୁପା ମାଆ ଠୁ ଢେର ସୁନ୍ଦର।  ରଙ୍ଗ ଟିକେ କମ୍ ହେଲେ କଣ ହେବ ଗଠଣ ଭଲ ଅଛି। କୁରୁପା ର ଅର୍ଘାସୁରିଆ ରୂପ ସହ ଏ କନିଆ ର ଯୋଡି ବେଶ୍ ମାନିବ।  କନ୍ଯାର ବ୍ଯବହାର ବି ଉତ୍ତମ। ଗୋଡ ତଳେ ମୁଣ୍ଡିଆ ମାରି ହାତ ଯୋଡି ମକୁରୁ ଆଗରେ ଛିଡା ହେଲା। ଯାହା ହେଲେ ପାଠ ଶାଠ ପଢିଛି, ବ୍ଯବହାର ନ ଜାଣିବ କେମିତି।
କହିବାକୁ ଗଲେ ମକୁରୁ ମନ କୁ କନିଆଟି ବେଶ୍ ପାଇଲା। ପ୍ଲେଟ୍ ରେ ଥବା ଶେଷ ରସଗୋଲା କୁ ଚାକୁଳାଇଲା ବେଳକୁ କହିଲା-- ଯାହା ହେଉ ଏତେ ଦିନ ପରେ ମୋ ଘରକୁ ଯୋଗ୍ଯ ବୋହୁଟିଏ ମିଳିଲା। ମକ୍ରମ ପୁରୋହିତ ପାଣିପାଗ ଦେଖି  ଜାଣି ପାରିଲା ଯେ କନ୍ଯାଟି ପସନ୍ଦ ହୋଇଛି। ସବୁଠାରୁ ବଡ କଥା ହେଲା ସେମାନେ ପୁଅ ବିଷୟରେ କିଛି ପଚାରିଲେନି। ସେମାନେ ଜାଣିଛନ୍ତି ମହାଜନର ଅଚଳାଚଳ ସମ୍ପତ୍ତି। ବସି ଖାଇଲେ ବି ସରିବନି। ପୁଅ ରୋଜଗାର କରୁ କି ବେକାର ବସୁ ପରବାୟ ନାହିଁ। କନ୍ଯାପିତା ବି  ଝିଅବୋଝ ଉତ୍ତାରିବାରେ ବ୍ଯସ୍ତ, ତେଣୁ ପୁଅ ବିଷୟରେ ବେଶି କିଛି ଛାନଭିନ୍ କଲେ କାଳେ ମହାଜନେ ହାତରୁ ଖସିଯିବେ, ସେଇ ଭୟରେ ତୁନି ପଡି ବସିଲେ।
କନ୍ଯାକୁ ଘର ଭିତରକୁ ବିଦା କରିଦେଇ ମକୁରୁ ଅସଲ ଆଲୋଚନା କୁ ପାଦ ବଢେଇଲା। ଝିଅର ପିତାମାତା ଓଦା ବିଲେଇ ପରି ଜୁଳୁଜୁଳୁ ହୋଇ ତାଙ୍ ମୁହଁ କୁ ଚାହିଁ ବସିଥାନ୍ତି।
– କନ୍ଯା ଟି ପସନ୍ଦ ହେଲା, କିନ୍ତୁ ଦେବା ନେବା ବିଷୟରେ କିଛି କହିଲେନି ଯେ। ମକୁରୁ ଜମିଦାରିଆ ଠାଣି ରେ ପଚାରିଲା।
– ଯାହା କହିବେ ସବୁ ଦେବି ଆଜ୍ଞା। ଗୋଟିଏ ବୋଲି ଝିଅ। ଟଙ୍କା ତିନି ଲକ୍ଷ ସାଙ୍ଗକୁ ସୁନା ଗହଣା,ଗାଡି, ଖଟ,ପଲଙ୍କ, ଟିଭି, ଫ୍ରିଜ୍ ଓ ସବୁ ଘରକରଣା ଜିନିଷ ବି ଦେବି।
ଫାଶରେ ମାଛଟି ଭଲରେ ପଡିବା ଦେଖି ମକୁରୁ ମନେମନେ କୁହାଟ ମାରିବା ଆରମ୍ଭ କରି ଦେଇଥିଲା । କୁରୁପା ପରି ଅଳସୁଆ, ଗଞ୍ଜୋଡ, ନିକମ୍ମା ପିଲା ପାଇଁ ଏମିତି ଝିଅ ଓ ଯୌତୁକ ଢେର ଅଧିକା ଥିଲା। ତଥାପି ମନ ରୁ ଲୋଭ ଛାଡୁଛି କୁଆଡୁ। ମୁହଁ ଟାକୁ ଟିକେ ବିଚିକୁଟିଆ କରି କହିଲା – ଆଜ୍ଞା, ଜମିଦାର ଘରେ ବନ୍ଧୁ ବାନ୍ଧିବେ। ଦର ଟିକେ ବଢେଇଲେ ସିନା ହେବ। ଏତେ କମ୍ ଟଙ୍କାରେ କଣ ଶାଗ ସିଝିବ?
– ମହାଜନେ, ଏତିକି ଦେଲା ବେଳକୁ ମୋର ଦଫାରଫା ଶେଷ ହୋଇଯିବ। ଜମିବାଡି ବିକି ଏତିକି ଯୋଗାଡ କରି ପାରିବି। ଆପଣ ଟିକେ ଦୟା କଲେ ମୋ ପରି ଅକିଞ୍ଚନ ଟି ଉପକୃତ ହୁଅନ୍ତା। କନ୍ଯାମାତା ମଧ୍ଯ ଆଖିରୁ ଲୁହ ଝରେଇ ଦୁଃଖ ପ୍ରକାଶିବାରେ  ଅବହେଳା କଲେନି। ବହୁତ ନେହୁରା ହୋଇ ବିଚରା ଦୁଇଟି ମକୁରୁ ଗୋଡ ତଳେ ପଡିଗଲେ। ତଥାପି ମକୁରୁ ନିଜ ଜିଦ୍ ରେ ଅଟଳ। ମକ୍ରମ ମଝିରେ ଟିକେ ଭଦ୍ରଲୋକି ଦେଖେେଇବାକୁ ବାହାରିଲା ବେଳକୁ, ମକୁରୁ ର ନାଲିଆଖି ଦେଖି ଚୁପ୍ ହୋଇ ବସିଲା। ଶେଷରେ ମକୁରୁ ରୋକଠୋକ୍ ଶୁଣେଇଦେଲା-- ଟଙ୍କା ପାଞ୍ଚ ଲକ୍ଷ ନ ହେଲେ ହବନି। ଯଦି ହଁ କରିବ, ଏଇ ମାସରେ ବାହାଘର ସାରିଦେବି।
ସେତିକି ବେଳେ ଘର ଭିତରକୁ ଝିଅଟିଏ ମୁଣ୍ଡରେ ଓଢଣା ଦେଇ ପଶିଲା। ମକୁରୁ ପ୍ରଶ୍ନିଳ ଆଖିରେ ଦେଖିବାରୁ କନ୍ଯାପିତା କହିଲେ-- ଝିଅର ସାଙ୍ଗ ଆସିଛି।
କଥା ଟାକୁ ନିହାତି ଗୁରୁତ୍ବହୀନ ମନେକରି ମକୁରୁ ଦରକଷାରେ ଲାଗିଲା। ବହୁତ ଅନୁନୟ ବିନୟ ହେବା ପରେ ସାଢେ ଚାରି ଲକ୍ଷ ଟଙ୍କାରେ କଥା ଛିଡିଲା। କାନ୍ଦିକାନ୍ଦି ଫୁଲିଯାଇଥିବା ଆଖି ଚାରିଟି ରେ ଟିକେ ଖୁସି ର ଝଲକ ଦେଖିବାକୁ ମିଳିଲା। ସେତିକି ବେଳକୁ ଝିଅର ଡାକରେ ପିତାମାତା ଭିତରକୁ ଗଲେ। ବିଜୟସୂଚକ ହସରେ ମକ୍ରମ ଆଡକୁ ଦେଖିଲେ ମହାଜନେ।  ଭକ୍ତିରେ ମକ୍ରମ ର ଦୁଇ ହାତ ଯୋଡି ହୋଇଗଲା।କନ୍ଯାପିତା ଆସି କହିଲେ-- ଆଜ୍ଞା, ଝିଅ ଅଳି କରୁଛି। ଆପଣ ମାନେ ଆଜି ଆମ ଘରେ ଖାଇକରି ଯିବେ। ସେତିକି ଶୁଣି ମକୁରୁ  ଛାତି ଭିତରଟା ଖୁସିରେ କୁରୁଳି ଉଠିଲା। ଝିଅ ଟା ସବୁ ଗୁଣ ରେ ପାରଙ୍ଗମ ଜଣା ପଡୁଛି। ତା ଘରର ବୋହୁ ହେବା ପାଇଁ ଯୋଗ୍ଯତମ ପ୍ରାର୍ଥୀନୀ ପରି ଲାଗିଲା ତାକୁ। 
ଝିଅର ମାଆ କହିଲେ -- ନିଜ ହାତରେ ରୋଷେଇ କରି ପରଷି ଦେବାକୁ ଝିଅର ମନ ବ୍ଯାକୁଳ ହୋଇ ଉଠିଛି।  ଅଳ୍ପ ସମୟରେ ରୋଷେଇ ସାରିଦେବ। ଅରୁଆ ଭାତ, ଖାସି ମାଂସ ଝୋଳ, ବିଲାତି ବାଇଗଣ ଖଟା ଓ ପାମ୍ପଡ।  କ୍ଷିରି କରିବାରେ ମୋ ଝିଅ କୁ କେହି ପାରିବେନି।  କେତେ ଯତନ ରେ କ୍ଷିରି ବି ତିଆରି କରୁଛି। ଆପଣ ଟିକେ କଷ୍ଟ କରି ବସିବା ହେଲେ ଆମେ ସମସ୍ତେ ଖୁସି ହୁଅନ୍ତୁ।
ଏମିତି ଅଚାନକ ସୁଖାଦ୍ଯର ବର୍ଷାରେ ଭିଜିବେ ବୋଲି ମକୁରୁ ଓ ମକ୍ରମ ସ୍ବପ୍ନରେ ବି ଭାବି ନ ଥିଲେ। ଖାସି ଝୋଳ କଥା ଶୁଣିଲା ବେଳ ଠୁ ମକୁରୁ ମହାଜନର ଦାନ୍ତ କୁଣ୍ଡେଇ ହେବା ଆରମ୍ଭ ହୋଇଯାଇଥିଲା। ଥଟ୍ଟା କରି ମକ୍ରମ କୁ ପଚାରିଲେ-- କିହୋ ପୁରୋହିତେ, ଆପଣ ତ ଆମିଷ ଖାଇବେନି। ନିରାମିଷ ରେ ଚଳେଇ ଦେବେ, ନା କଣ? ମକ୍ରମ ଭୀଷଣ ପ୍ରତିବାଦ କରି କହିଲେ-- କାହିଁକି ଯେ, ମୁଁ କଣ ହୋମ କରୁଛି ନା ଯଜ୍ଞ ଯେ ଆଇଁଷ ଖାଇବିନି। ଆମର ଭବିଷ୍ଯତରେ ବୋହୁ ମାଆ ରାନ୍ଧଣା ରାନ୍ଧିବେ ଆଉ ମୁଁ ଖାଇବିନି? ସେମିତି କଦାପି ହେବନି, ବିଷ ଦେଲେ ବି ଖାଇଦେବି। ସବୁ ଏକା ସାଙ୍ଗରେ ହସି ଉଠିଲା ବେଳକୁ ରୋଷେଶାଳରେ କନ୍ଯା ଓ ତାର ସାଙ୍ଗ କିଛି ଗୋଟେ ଗମ୍ଭୀର ଆଲୋଚନାରେ ବ୍ଯସ୍ତ ଥିଲେ।
କିଛି ସମୟ ଭିତରେ ଟେବୁଲରେ ଖାଦ୍ଯ ପରଶା ଗଲା। ନଅଙ୍କ ଦୁର୍ଭିକ୍ଷିଆଙ୍କ ପରି ଦୁଇ ଜଣ କାଡୁମାଡୁ କରି ସବୁ କିଛି ଚୋବେଇ, କାମୁଡି ସଫା କରଦେଲେ।  ଖାଇବା ଅନ୍ତେ କ୍ଷିରିର ଶେଷ ବିନ୍ଦୁ ଚାଟିସାରି ହସହସ ମୁହଁରେ ମକୁରୁ କହିଲେ-- ଏବେ ପୁଣି ଦେଖା ହେବ ବିବାହ ବେଦୀରେ। ଯେତିକି କହିଲେ ସେତିକି ରୁ ପାହୁଲାଏ ଯେମିତି ଉଣା ନ ହୁଏ। ନୋହିଲେ ମଙ୍ଗୁଳା ଝିଅଟି କୁ ଘରେ ଧରି ବସିବେ ଆପଣ ମାନେ। ଥଟ୍ଟା ରେ କହିଥିବା କଥାର ଗୁରୁତ୍ବ କୁ କନ୍ଯାପିତା ମାତା ଭଲରେ ଜାଣି ସାରିଥିଲେ, କେବଳ ମୁଣ୍ଡ ହଲେଇ ହଁ କଲେ।
ମକୁରୁ ଓ ପୁରୋହିତଙ୍କୁ ବିଦା କରି କନ୍ଯାପିତା ଲଥ୍ କରି ସୋଫାରେ ବସି ପଡିଲେ। ସେତେ ବେଳକୁ ରୋଷେଇ ଘରୁ ହସର ବନ୍ଯା ଭାସି ଆସୁଥିଲା। କାନ ଡେରିବାରୁ, କଣ ଶୁଣିଲେ କେଜାଣି ସେ ବି ହସି ହସି ବେଦମ୍ ହୋଇଗଲେ।
ଗାଡି କିଛି ବାଟ ଗଡିଲା ପରେ ଫୁଢୁରୁ...... ଫୁଟ୍ ଫୁଟ୍ ହୋଇ କିଛି ଗୋଟେ ଆଓ୍ବାଜ୍ ଶୁଭିଲା। ମକୁରୁ ମହାଜନେ ବିରକ୍ତିରେ ମକ୍ରମ ଆଡକୁ ଦେଖନ୍ତେ ସେ ଦାନ୍ତ ନିକୁଟାଇ କହିଲା-- ଟିକେ ବେଶି ଖାଇ ଦେବାରୁ ବାୟୁଦେବ ନିମ୍ନଗାମୀ ହୋଇଛନ୍ତି। ରାସ୍ତା ଟା ଧକଡ ଚକଡିଆ ଅଛି ତ ତେଣୁ ଆୟତ୍ତ କରି ହେଉନି। ସେତିକି ବେଳକୁ ଗାଡି ଭିତର ଟା ଦୁର୍ଗନ୍ଧରେ ରେ ଫାଟି ପଡିଲା ପରି ଲାଗିଲା। ମକ୍ରମ ସ୍ପଷ୍ଟ ଶୁଣିଲା ମହାଜନଙ୍କ  ଧୋତି ତଳୁ -- ଠୁର୍ ର୍ ର୍ ର୍ … ଟୁସ୍ ର ଶବ୍ଦ। ତା ପରେ ପରେ ଢୁଁ …....ଟୁକ୍ ଟୁକ୍  ପୁର୍ ର୍ ର୍ ର୍ । ଲାଗିଲା ଗାଡି ର ଛାତ ଟା ଉଡିଯିବ। ପାଞ୍ଚ ଦିନରେ ବାସି ମଡା ପରି ଦୁର୍ଗନ୍ଧ। କିନ୍ତୁ ମହାଜନିଆ ଲୋକ, ସେମାନେ ବାୟୁ ଛାଡିଲେ ବି ଅତର ବାସିବାକୁ ବାଧ୍ଯ। ଭିତରୁ ଉକୁଟାଇ ଆସୁଥିବା ବାନ୍ତିଟାକୁ ଯାକିମାଡି ଭିତରେ ପୁରେଇଲା ବେଳକୁ ପୁଣି ଶୁଭିଲା..........ଖୁର୍ ଖୁର୍ ଖୁର୍ ଟୁକ୍ ଠୁକ୍ ଫାର୍ ର୍ ର୍ । ଏଥର ଗନ୍ଧ ଟା ଅସହ୍ଯ। ବିକଳରେ ଗାଡି ରଖିବାକୁ କହିଲା ମକ୍ରମ। ସେତେ ବେଳକୁ  ଦୁଇ ଜଣଙ୍କ ପେଟ ଭିତରେ ଘଡଘଡି ମାରିବା ପରି ଧ୍ବନି ମାନ ଶୁଭିବାକୁ ଆରମ୍ଭ କରିଦେଲାଣି। ଉଭୟ ଜାଣି ସାରିଥିଲେ ଆଉ ବିଳମ୍ବ କଲେ, ପିନ୍ଧା ବସନ ପୀତ ରଙ୍ଗ ଧାରଣ କରିବାର ସମ୍ଭାବନା କୁ ଏଡେଇ ଦିଆ ଯାଇ ନ ପାରେ। ଏକ  ରକମ ଗାଡି ଭିତରୁ ଲମ୍ଫ ପ୍ରଦାନପୂର୍ବକ,  ଲୋକ ଦୁଇ ଟି   ପୋଖରି ମୁହାଁ ହୋଇ ଦଉଡିଲେ।  ପୋଖରି ଭିତରେ ପଶିବା ଓ ବାହାରିବା କାର୍ଯ୍ଯ ଅବାରିତ ଧାରାରେ ଚାଲିଥାଏ। କହିବା ବାହୁଲ୍ଯ, ପୋଖରି ପାଖରେ ଦୁଇଜଣ ମହାପୁରୁଷ ଅନ୍ଯ ଏକ ପୋଖରି ତିଆରିବାରେ ବ୍ଯସ୍ତ ଥିଲେ। ସେପଟରେ ଗୁଡୁମ୍ ବଳିଆରସିଂହ ର ଝିଅ କନ୍ଯା କାନରେ କହିବାର ଶୁଣାଗଲା- ଆଲୋ ମିତ, ସେ ଜୁଲାପ ଶିଶିଟା ଫିଙ୍ଗିବୁନି। ପୁଣି କିଏ ଯୌତୁକ ଲୋଭୀ ରାକ୍ଷାସ ଆସିଲେ କାମରେ ଆସିବ। ତେଣେ ମହାଜନ ଓ ପୁରୋହିତ ପିଚକାରୀ ମାରିବାରେ ନିଶ୍ଚୟ ବ୍ଯସ୍ତ ଥିବେ। ପୋଖରି ଭିତରେ ଶରୀରର ଅର୍ଦ୍ଧାଂଶ ବୁଡାଇ ଦୁଇଟି ବ୍ଯଥିତ ଆତ୍ମା ମନେମନେ ଭାବୁଥିଲେ, ଆଚ୍ଛା କନ୍ଯାଦେଖା ହେଲା ଆଜି।
*********************