ଶୁଖିଲା
ପତ୍ର
ଅରବିନ୍ଦ
ରଥ
ଶିଶୁ
ଉଦ୍ଯାନର
ବେଞ୍ଚ
ଉପରେ
ମୁହଁ
ପୋତିି
ବସିଥାନ୍ତି
ଗଗନ
ବାବୁ।
ଆଖିରୁ
ଅବାରିତ
ଅଶୃ
ବୋହି ଚାଲିଥାଏ।
ଭିତରୁ
କୋହ
ଉଠି
ଆସୁଥାଏ।
ତାଙ୍କୁ
ବୁଝାଇବ
ବା
କିଏ।
ତାଙ୍କ
ଚାରିପାର୍ଶ୍ବରେ
କେବଳ
ଘନ
ଅନ୍ଧକାର
ହିଁ
ଦିଶୁଥାଏ।
ମନ
ଭିତରେ
ଅତୀତର
ଭାବନା
ଗୁଡିକ
ମହାବାତ୍ଯାର
ଝଡ
ପରି
ବୋହି
ଚାଲିଥାଏ।
ସେ
ଏମିତି
ଏକ
ଦିନ
ଦେଖିବେ, ତାଙ୍କ
କଳ୍ପନା
ବାହାରେ
ଥିଲା।
ନିଜ
ଜୀବନ
କାଳରେ
କେତେ
ଗଳ୍ପ, ଉପନ୍ଯାସରେ
ସେ
ପଢିଥିଲେ
ବୟସ
ହୋଇଯିବା
ପରେ
ଲୋକ
ମାନଙ୍କର
ଅବସ୍ଥା
ବିଷୟରେ।
ପଢିଲା
ବେଳେ
ମନରେ
ଭାବନା
ଆସେ, କେମିତି
ହୋଇପାରନ୍ତି
ଲୋକ
ମାନେ
ଏତେ
ନିଷ୍ଠୁର।
କିନ୍ତୁ
ଆଜି
ଜୀବନ
ଗଳ୍ପରେ
ନାୟକ
ସେ
ନିଜେ।
ଗଳ୍ପରେ
ପଢିଥିବା
ଘଟଣା
ଗୁଡିକର
ପ୍ରବାହ
ତାଙ୍କ
ଜୀବନରେ
ଠିକ
ସେଇପରି
ହେଉଛି
ଯେମିତି
ଗଳ୍ପରେ
ବର୍ଣ୍ଣିତ।
ତେବେ
କଣ
ସବୁ
କାହାଣୀରେ
ବୃଦ୍ଧ
ନାୟକର
ଶେଷ
ଅବସ୍ଥା
ଏହିପରି।
ମୁହଁରୁ
ଚାହା
ର
ଛିଟା
ପୋଛି
ସିଧା
ହୋଇ
ବସିଲେ।
ଚାହା
ଫିଙ୍ଗିଥିବା
ଲୋକ
ଆଉ
କେହି
ନୁହଁ, ତାଙ୍କର
ବୋହୁ
ଗୀତା।
ସେଇ
ଗୀତା
ଯାହାକୁ
ସେ
ନିଜେ
ଚୟନ
କରିଥିଲେ
ନିଜ
ପୁଅ
ପାଇଁ।
କହିବାକୁ
ଗଲେ
ଗୀତା
ଭିତରେ
ସେମିତି
କିଛି
ନ ଥିଲା
ଯାହା
ଦେଖି
ତାଙ୍କ
ପୁଅ
ରାଜି
ହୋଇଥାଆନ୍ତା
ବିଭାଘର
ପାଇଁ।
ସେ
ଅଞ୍ଚଳର
ଏକ କୁଳୀନ
ବ୍ରାହ୍ମଣ
ପରିବାରର
ସଦସ୍ଯା
ଥିଲା
ଗୀତା।
ତା
ବାପା
ଜଣେ
ଜଣାଶୁଣା
ଜ୍ଯୋତିଷ
ଥିଲେ।
ପାଖ
ଗାଁଆ
ର ଲୋକେ
ତାଙ୍କରି
ଉପରେ
ନିର୍ଭର
କରି
ଚଳୁଥିଲେ
ନିଜ
ଭଲ
ମନ୍ଦ
ବିଷୟରେ
ଜାଣିବା
ପାଇଁ।
ଗଗନ
ବାବୁଙ୍କୁ
ବି
ଜ୍ୟୋତିଷି
ପାଠ
ଜଣା
ଥିଲା।
ଗଣନା
କରି
ଦେଖିଥିଲେ
ଯେ
ବିଭାଘର
ପରେ
ପୁଅର
ଭାଗ୍ଯ
ରେ
ଉନ୍ନତିି
ଯୋଗ
ରହିଛି।
ପରିବାର
ର ଚଳଣି
ବେଶ୍
ସ୍ବଚ୍ଛନ୍ଦ
ଥିଲା।
ଗୀତା
ଦେଖିବାକୁ
ଅନିଦ୍ଯ
ସୁନ୍ଦରୀ
ନ ହେଲେ
ବି
ତା
ଗଠଣ
ଭଲ
ଥିଲା।
ତେଣୁ
ପୁଅର
ମନ ନ
ପାଇବାର
କିଛି
କାରଣ
ନ
ଥିଲା।
ପୁଅ
ଅମିତ୍
କୁ
ଜନ୍ମ
ଦେଇସାରି
ଆଖି
ବୁଜିଥିଲେ
ଗଗନ
ବାବୁଙ୍କ
ଧର୍ମପତ୍ନୀ ଶାନ୍ତି।
ତେଣୁ
ଏକାଧାରରେ
ବାପା
ଓ ମାଆ
ର
ଦାୟିତ୍ବ
ନିଭାଇବାକୁ
ପଡୁଥିଲା
ତାଙ୍କୁ।
ଚାକିରି
ସହିତ
ପୁଅର
ଲାଳନପାଳନ
ରେ
କେବେ
ହେଳା
କରିନାହାନ୍ତି
ସେ।
ସେଇ
କାରଣରୁ
ପୁଅ
ଆଜି
ଯୋଗ୍ଯ
ହୋଇପାରିଛି।
ନିଜ
କଷ୍ଟାର୍ଜିତ
ଧନ
କୁ
ପୁଅର
ପଢା
ପାଇଁ
ଅକୁଣ୍ଠ
ଭାବରେ
ଖର୍ଚ୍ଚ
କରିଛନ୍ତି।
ବାହାଘର
ପାଇଁ
ଦେଖାଦେଖି
କରିବା
ବେଳକୁ
ପୁଅ
କିରାଣି
ଚାକିରି
କରିସାରିଥିଲା।
ମାତ୍ର
ପଢାପଢି
କରୁଥିଲା
ଉଚ୍ଚ
ପଦବୀ
ନିମନ୍ତେ
ହେଉଥିବା
ପରୀକ୍ଷାରେ
ଅବତୀର୍ଣ୍ଣ
ହେବାପାଇଁ।
ଗଗନ
ବାବୁଙ୍କ
ବୟସ
ବଢିବା
ସାଙ୍ଗକୁ
ଦୁର୍ବଳତା
ଗ୍ରାସ
କରୁଥିଲା।
ଘରର
ସବୁ
କାମ
ସହ
ଅଫିସ
କାମ
କରିବା
ସହଜ
ହେଉ
ନ ଥିଲା
ଜମାରୁ।
ଏପଟେ
ପୁଅ
ର
ଖାଇବା
ପିଇବା
ଠିକ୍
ନହେଲେ
ସେ
ପାଠ
ପଢି
ତା
ଲକ୍ଷ୍ଯ
କୁ
କେମିତି
ହାସଲ
କରିବ, ସେଇ
ଚିନ୍ତାରୁ
ମୁକ୍ତି
ପାଇଁ
ତ
କନିଆ
ଖୋଜା
ଚାଲିଛି
। ପୁଅ
ବି
ନିଜ
ବାହାଘରର
ଦାୟିତ୍ବ
ଦେଇଥିଲା
ବାପାଙ୍କୁ।
ଜନ୍ମ
ବେଳୁ
ତ ସବୁ
ଜିନିଷ
ଯୋଗାଡ
କରିଥିଲେ
ବାପା।
ତେବେ
ବାହାଘରଟା
କଣ
ପାଇଁ
ବ୍ଯତିକ୍ରମ
ହେବ।
ଗଗନ
ଚାହିୁଥିଲେ
ତାଙ୍କ
ବୋହୁ
ଟି
ଘରକାମ
ଟିକେ
ଜାଣି
ଥାଉ।
କଣ
ଦି’
ଟା
ରୋଷେଇ
କରିଦେଲେ
କାମ
ସରିଲା
। ଘରେ
ବିଶେଷ
ଜଞ୍ଜାଳ ନାହିଁ।
ବୋହୁ
କୁ
ପୁଅର
ଦାୟିତ୍ବ
ଦେଇ
ନିଜକୁ
ମୁକ୍ତ
କରିବାକୁ
ଚାହୁଁଥିଲେ
ସେ।
ବିନା
ଯୌତୁକରେ
ବିଭାଘର
ହେଲା।
କେବଳ
ଝିଅ
ଚଳିବା
ପାଇଁ
ଯାହା
ଖଟ, ପଲଙ୍କ
ଓ କିଛି
ସୁନା
ଅଳଙ୍କାର।
କନ୍ଯାପିତାଙ୍କର
ଏକା
ଜିଦ୍, ଗୋଟିଏ
ବୋଲି
ଝିଅ, ଖାଲିହାତରେ
ବିଦା
କରିବି
କେମିତି।
ତାଙ୍କ
ଇଚ୍ଛାକୁ
ସମ୍ମାନ
ଜଣାଇ
ଚୁପ୍
ରହିଲେ
ଗଗନ।
ସଂସ୍କାରୀ
ଘରୁ
ଝିଅ
ଆଣି
ନିଜକୁ
ଧନ୍ଯ
ମନେ
କରୁଥିଲେ।
ଯାହା
ହେଲେ
ଗାଁଆ
ର ଝିଅ।
ଆଧୁନିକତା
ର
ସ୍ପର୍ଶରୁ
ବହୁତ୍
ଦୂରରେ।
ବାହାଘର
ପରେ
ବୋହୁ
ଅତି
ଭକ୍ତି
ଦେଖେଇ
ତାଙ୍କ
ମନ
ଜିଣି
ନେଇଥିଲା।
ଘର
କାମରେ
ନିପୁଣା
ଥିଲା
ବୋହୁ।
କିଛି
କହିବା
ଆଗରୁ
ସବୁ
କରି
ଦେଉଥିଲା।
ଗଗନ
ତାକୁ
କେବେ
ବୋହୁ
ହିସାବ
ରେ
ଦେଖୁ
ନ ଥିଲେ
ବରଂ
ସେ
ଥିଲା
ତାଙ୍କର
ଅଲିଅଳି
ଝିଅ।
ପାହାନ୍ତିଆରୁ
ଉଠି
ନିତ୍ଯକର୍ମ
ସାରି
ଯେତେ
ବେଳେ
ବୋହୁ
ଠାକୁର
ଘରେ
ପୂଜା
କରେ
ଗଗନ
ବାବୁଙ୍କର
ମନେ
ପଡିଯାଏ
ଅମିତ୍
ର ବୋଉ
କଥା।
ଠିକ
ଏମିତି
ହିଁ
ଥିଲା
ସେ।
ନିଜକୁ
ବଡ
ଭାଗ୍ଯବାନ
ମନେ
କରୁଥିଲେ
ସେହି
କାରଣ
ରୁ। ପାଦ ଛୁଇଁ ଆଶିର୍ବାଦ ନେଇ
ବୋହୁ ରୋଷେଇ ଘରେ ପଶେ। ଗଗନ
ବାବୁଙ୍କୁ ଗରମ ଚାହା କପ୍ ଟିଏ
ଧରେଇ ଦେଇ ଲାଗିଯାଏ ରୋଷେଇବାସ
ରେ। ଅଫିସ୍ ଯିବା ଆଗରୁ ଭାତ,ଡାଲି,
ତରକାରୀ
ଓ କିଛି ଗୋଟେ ଭଜା ତିଆରି କରି
ସଜେଇ ରଖେ ଖାଇବା ଟେବୁଲ ଉପରେ।
ପେଟପୁରା ଖାଇ ଗଗନ ବାବୁ ବାହାରି
ଯାଆନ୍ତି ଅଫିସକୁ। ପାଖ ପଡୋଶୀ
ବି ତାରିଫ କରନ୍ତି ବୋହୁ କୁ।
କୁହନ୍ତି ଏମିତି ବୋହୁ ଭାଗ୍ଯରେ
ଥିଲେ ମିଳେ। ଛାତି ଚଉଡା ହୋଇଯାଏ
ତାଙ୍କର। ଯାହା ହେଲେ ବି ନିଜେ
ବାଛିଛନ୍ତି ସେ। ମନରେ ଗର୍ବ ବା
ନ ଆସିବ କେମିତି।
ଦିନ
ପରେ ଦିନ ବିତି ଚାଲିଲା ହସ ଖୁସିରେ।
ତାଙ୍କ ଗଣନା ମଧ୍ଯ ସତ୍ଯ ହେଲା।
ଅମିତ୍ ଗୋଟେ ଭଲ କମ୍ପାନୀରେ
ଚାକିରୀ ପାଇଲା। ଭଲ ଦରମା ସାଙ୍ଗକୁ
କମ୍ପାନୀ ଗାଡି ମଧ୍ଯ ଦେଲା।
ବାହାଘର ର ଦୁଇ ବର୍ଷ ଭିତରେ ଗଗନ
ବାବୁ ନାତିର ମୁହଁ ଦେଖିଲେ। ଘରେ
ଖୁସିର ହିସାବ ନାହିଁ। ସ୍ତ୍ରୀ
ଙ୍କ ଫଟୋ ସାମନାରେ ଠିଆ ହୋଇ ଆଖିରୁ
ଲୁହ ଝରାଇ ଗଗନ ମନେମନେ କୁହନ୍ତି--
--- ତୁମେ
ସିନା ମଝି ଦରିଆରେ ମୋତେ ଛାଡି
ଚାଲିଗଲ, କିନ୍ତୁ
ତୁମ ଅସ୍ତିତ୍ବ ମୋ ସହ ଅଛି ସଦାବେଳେ।
ଆଜି ଦେଖ ଆମ ପରିବାର କେମିତି
ହସୁଛି। ସବୁ ସ୍ବପ୍ନ ମୋର ସଫଳ
ହୋଇଛି। କିଛି ଅବଶୋଷ ନାହିଁ।
କେବଳ ଅପେକ୍ଷା କରିଛି ସେଇ ଦିନକୁ
ଯେବେ ମୁଁ ପୁଣି ତୁମ ପାଖକୁ ଯିବି।
ଚାକିରି କରିବା ପରେ ଅମିତ୍ ବି
ଯତ୍ନ ନେବାରେ ହେଳା କରୁନି।
କେମିତି ସେ ଅଫିସ ଯିବେ ବୋଲି ଦୁଇ
ଚକିଆ ଗାଡି ଖଣ୍ଡିଏ ବି କିଣି
ଦେଇଛି। ସେ ଗାଡି ଚଲେଇ ଯିବା ବେଳେ
ଗଗନ ଭାବନ୍ତି, ସାରା
ଜୀବନ ପଇସା ସଞ୍ଚୟ କଲେ ପୁଅ ପାଇଁ।
ନିଜର ସୁଖ, ସ୍ବାଚ୍ଛନ୍ଦ୍ଯ
କିଛି ଅଛି ବୋଲି କେବେ ବି ଭାବି
ନାହାନ୍ତି। ଚାକିରି କାଳ ସରିବା
ଉପରେ ହେଲେ ବି ସେ କେବେ ଗାଡି
କିଣିବା କଥା ଚିନ୍ତା କରି ନ ଥିଲେ।
ଯାହା ହେଉ ପୁଅ ତାଙ୍କର ଭଲ ଉପହାର
ଦେଇଛି।
ଘର
ସଉଦାପତ୍ରରୁ ଆରମ୍ଭ କରି ଅନ୍ଯାନ୍ଯ
ଖର୍ଚ୍ଚ ତୁଲାନ୍ତି ସେ ନିଜେ।
ପୁଅ କୁ ବାରଣ କରନ୍ତି ଟଙ୍କା
ଖର୍ଚ୍ଚ କରିବା ପାଇଁ। ଘରର ମୁଖିଆ
ଥାଉଥାଉ ପୁଅ ଉପରେ କଣ ପାଇଁ ଅଧିକ
ଚାପ ପଡିବ ସେଇ କଥା ଭାବି ନିଜ
ଦରମା ସବୁ ଘର ପଛରେ ଖର୍ଚ୍ଚ
କରିଦିଅନ୍ତି। ଆଗରୁ ଯାହା ସଞ୍ଚିଥିଲେ
ପୁଅ ର ପଢା ଓ ବିଭାଘରରେ ସାରିଦେଲେ।
ଏବେ ଯାହା ଦରମା ଆସୁଛି ଘର ପଛରେ
ଯାଉଛି। ଏବେ କାହା ପାଇଁ ବା ପଇସା
ରଖିବେ। ଏ ଦୁନିଆରେ ଆଉ କେତେ ଦିନ
ରହିବେ ଯେ ଏତେ ମୋହମାୟାରେ ଛନ୍ଦି
ହେବେ।
ଅଫିସ୍
ରିୁ ଫେରି ନାତି ସହ ଢେର ସମୟ
ଖେଳାଖେଳି କରି ସମୟ କେମିତି ବିତେ
ଜଣା ବି ପଡେନି। ନାତି ଟୋକା ବି
ଜେଜେ ବାପା ବୋଲି ପାଗଳ। ତାଙ୍କରି
ପାଖରେ ଖାଇବା, ପିଇବା,
ଶୋଇବା
ସବୁ କିଛି କରେ। ଖେଳିଲା ବେଳେ
ପୁରାଣ, କିମ୍ବଦନ୍ତୀର
ଗପ ସବୁ ଶୁଣାନ୍ତି ସେ। ଲକ୍ଷ୍ଯ
ହେଲା ନାତି ଟୋକା ଆମ ଦେଶର ଗୌରବଜ୍ଜଳ
ଅତୀତ ବିଷୟରେ ଜାଣିବ। ତା ଚରିତ୍ର
ନିଷ୍କଳଙ୍କ ହେବ। ପିଲା ଟି ଦିନରୁ
ତାକୁ ଭଲରେ ଗଢିଲେ ଆଗାମୀ ଦିନରେ
ଭଲ ମଣିଷଟିଏ ହେବ। ଜ୍ଯୋତିଷ ପାଠ
ଭଲରେ ଜାଣି ଥିବାରୁ ବେଳେବେଳେ
ପାଖ ପଡୋଶି ଆସନ୍ତି ଗଗନ ବାବୁଙ୍କ
ପାଖକୁ। ନିଜନିଜ ସମସ୍ଯାର ସମାଧାନ
କିପରି କରିବେ ବୁଝି କୃତ୍ଯକୃତ୍ଯ
ହୋଇ ଯାଆନ୍ତି। ଗୀତା ବି ସେମାନଙ୍କୁ
ଚାହା ଜଳଖିଆ ଦେଇ ଆପ୍ଯାୟିତ
କରିବାରେ ହେଳା କରେନି। ଖୁସି
ରେ ଗୀତା ର ମୁଣ୍ଡ ଉପରେ ହାତ ରଖି
ସେ କୁହନ୍ତି--
---ମାଆ
ଲୋ, ତୋ
ଶାଶୁ ଆଜି ବଞ୍ଚିଥିଲେ କେତେ ଖୁସି
ହୋଇଥାଆନ୍ତା, ତୋ
ପରି ସୁନାନାକି ବୋହୁଟିଏ ପାଇ।
ଚାହୁଁଚାହୁଁ
ଦିନ ବିତିଗଲା। ଗଗନ ବାବୁଙ୍କ
ଚାକିରୀରୁ ଅବସର ନେବାର ଦିନ ଆସି
ପହଞ୍ଚି ଗଲା। ଅଫିସରେ ତାଙ୍କୁ
ବିଦାୟକାଳୀନ ଅଭ୍ଯର୍ଥନା ଦେଲା
ବେଳେ ଗଗନ ବାବୁ କହିଲେ-
– ଜୀବନ
ବହୁତ ସମୟ ଅଫିସରେ ବିତେଇଛି।
ମନପ୍ରାଣ ଦେଇ କାମ କରିଛି। କିନ୍ତୁ
ତା ଭିତରେ ମୋ ପରିବାର କୁ ଯେତିକି
ସମୟ ଦେବା କଥା ସେଥିରେ ଉଣା କରିଛି।
ଅବସର ନେବା ପରେ ମୋର ସମସ୍ତ ସମୟ
ମୋ ପରିବାର କୁ ଦେବି। ବାକି ଜୀବନ
ସେମାନଙ୍କ ହସଖୁସି ଦେଖି ବିତିଯିବ।
ସେମାନେ ବି ଖୁସି ହେବେ ।
କିନ୍ତୁ
ସେଦିନ ଅଫିସରୁ ଘରକୁ ଫେରିବା
ପରେ ମନଟା କେମିତିକା ଭାଙ୍ଗିଯିବା
ପରି ଲାଗୁଥିଲା। କିଛି ଗୋଟେ ହରାଇ
ଦେବାର ଅନୁଭବ ତାଙ୍କୁ ଗ୍ରାସ
କରୁଥିଲା। ସକାଳ ଦଶ ଟା’ରୁ ସନ୍ଧ୍ଯା
ଯାଏ ସମୟ କେମିତି ବିତୁଥିଲା ସେ
ଜାଣି ପାରୁ ନ ଥିଲେ। ଫାଇଲ୍ କାମ
ରେ ଏମିତି ମଜ୍ଜି ରହୁଥିଲେ ଯେ
ଚର୍ତୁଃପାର୍ଶ୍ବରେ କଣ ହେଉଥିଲା
ଜାଣିବାର ଆଗ୍ରହ ବି ନ ଥିଲା।
କିନ୍ତୁ କାଲି ଠାରୁ ଏକ ନୂଆ ଜୀବନର
ଆରମ୍ଭ ହେବ। ସବୁ ଥିବ କିନ୍ତୁ
ତାଙ୍କର ଏଇ ଚାକିରୀଟି ନ ଥିବ।
ଘର ସାମନା ରେ ଗାଡି ରଖି ଦଣ୍ଡେ
ଦେଖିଲେ । ଜୀବନ କାଳ ଭିତରେ ବହୁ
ଘାତ ପ୍ରତିଘାତ ସହି ଏଇ ଘରଟିକୁ
ତିଆରି କରିଛନ୍ତି ସେ। ଏଇ ଘର ହିଁ
ତାଙ୍କର ଶେଷ ଆଶ୍ରା।
ଘରକୁ
ପଶିଲା ବେଳକୁ ଶୁଭିଲା ଅମିତ୍ ଓ
ଗୀତା କିଛି ଗୋଟେ ବିଷୟକୁ ନେଇ
ଯୁକ୍ତି କରୁଛନ୍ତି। ଆଶ୍ଚର୍ଯ୍ଯ
ହେଲେ ସେ। କଣ ହୋଇପାରେ କଥା ଯେ
ଏତେ ବଡ ପାଟିରେ ଗୀତା ଚିତ୍କାର
କରୁଛି। ଅମିତ କହୁଛି-
– ଗୀତା
ଟିକେ ଚୁପ୍ କର। ବାପା ଏବେ ଆସୁଥିବେ
। ସେ ଜାଣିଲେ କଣ ଭାବିବେ।
ଗୀତା
ବଡ ପାଟି କରି କହୁଥାଏ--
---------ଭାବିଲେ
ମୋର ଭାସିଗଲା। ଶଳା ବାପ ପୁଅ
ଦି’ଟା ମୋତେ ଚାକରାଣି କରି ରଖିଛ।
ମୋର ଆଉ କିଛି କାମ ନାହିଁ। ଗୋତି
ଶ୍ରମିକ ପରି ଦିନରାତି ଖଟୁଥିବି।
ସେ ବୁଢା ଆଜି ଠୁ ମୋ ବେକରେ ଝୁଲିବ
ଚବିଶ ଘଣ୍ଟା। ଚାକିରି ତ ସରିଲା,
ଏବେ
ସେ କରିବ କଣ। ମୁର୍ଦ୍ଦାର ପରି
ପଡି ରହିବ ଘରେ। ତାକୁ ଦେଖା କରିବାକୁ
ଆସିବେ ଶହେ ଲୋକ। ଆଉ ତାଙ୍କୁ ମୁଁ
ଚାହା ଜଳଖିଆ ଦେଇ ପୋଷୁଥିବି।
ବୁଢା ଯାହା ପଇସା ପାଇବ ସେତକ ଆଗ
ହାତକୁ ଆଣ ତାପରେ ଯାଇ ଯାହା କଥା।
ମୋ ପାଇଁ ସେ ସୁନା ଚେନ ଟା ଆଣିବ
ସେଇ ପଇସା ରେ। ନୋହିଲେ ଘରେ ନିଆଁ
ଲଗେଇ ଦେବି। ତୁମ ପରି ଅଣପୁରୁଷା
ଲୋକ କୁ ବାହା ହୋଇ ମୋ ଜୀବନ ଟା
ମାଟି ହୋଇଗଲା। ମୋ ସାଙ୍ଗ ମାନେ
କୁଆଡେ କେତେ ଅୟସ କଲା ବେଳକୁ ମୁଁ
ବାସନ ମାଜି, ଘର
ପୋଛି ଦିନ କାଟୁଛି। ବାହାରକୁ
ଦିନେ ବୁଲେଇ ନେବାର ବି ଯୋଗ୍ଯତା
ନାହିଁ ତୁମର। ବଢିବଢି କଥା କଣ
କହୁଛ। ସେ ବୁଢା କୁ କହିଦିଅ। ନିଜ
ବ୍ଯବସ୍ଥା ନିଜେ କରୁ। ମୋ ବାପା
ମାଆଙ୍କୁ ଦିନେ ଘରକୁ ଆଣି ପାରିଲିନି,
କିନ୍ତୁ
ତୁମ ବୋପାର ସେବା କରିକରି ଦରବୁଢୀ
ହେଲିଣି। ବହୁତ୍ ହେଲା,
ଆଉ
ନୁହଁ। କିଛି ଗୋଟେ ଫଇସଲା କର
ନୋହିଲେ ତୁମ ବୋପା ପୁଅ ନାଁରେ
ଯୌତୁକ କେଶ୍ ଠୁଙ୍କି ମାମୁଁ ଘରେ
ପୁରେଇ ଦେବି।
ଗଗନ
ବାବୁଙ୍କ ମୁଣ୍ଡରେ ବଜ୍ରପାତ
ହେଲା ପରି ଲାଗିଲା। ତାଙ୍କ କାନ
କୁ ବିଶ୍ବାସ ହେଲାନି ଯାହା ଶୁଣିଲେ।
ତା ମାନେ ତାଙ୍କ ସହ ଖେଳ ଖେଳି
ଚାଲିଥିଲେ ପୁଅବୋହୁ। ମନରେ ଏତେ
ବିଷ ରଖି କେମିତି ଏତେ ଭଲରେ ଅଭିନୟ
କରିଚାଲିଥିଲେ ସେମାନେ। ତାଙ୍କ
ହାତଗୋଡ ଥରିଲା ପରି ଲାଗିଲା।
ମୁଣ୍ଡ ଏତେ ଯୋରରେ ବୁଲେଇଲା ଯେ
ସେ ନିଜ ଉପରୁ ନିୟନ୍ତ୍ରଣ ହରାଇ
ତଳେ କଚାଡି ହୋଇ ପଡିଲେ। ପଡିବା
ପୂର୍ବରୁ ବଡ ପାଟିରେ ଡାକିଲେ –
---- ଅମିତ୍........
ନିଜକୁ
ଆବିଷ୍କାର କଲେ ବିଛଣା ଉପରେ।
ପାଖରେ ଅମିତ୍ ଓ ଗୀତା ଠିଆ
ହୋଇଥାଆନ୍ତି। ନାତି ଟୋକା ମୁଣ୍ଡ
ଆଉଁସି ଦେଉଥାଏ। ବଡ କଷ୍ଟରେ ଗଗନ
ବାବୁ କହିଲେ
--- ମୋର
କଣ ହେଲା ମୁଁ କିଛି ଜାଣି ପାରିଲିନି
ରେ ପୁଅ। ମୁଣ୍ଡ ଟା ବୁଲେଇ ଦେଲା।
ସେ
ଲକ୍ଷ୍ଯ କଲେ ଗୀତା ମୁହଁ ମୋଡି
ଚାଲିଗଲା।
କିଛି
ହେଇଛି କି ଅମିତ୍। ମୋତେ କିଛି
ଲୁଚାନି, କଣ
ହୋଇଛି ତୋର।
– କିଛି
ନାହିଁ ବାପା। ତୁମେ ଆରାମ କର।
କାଲି କଥା ହେବା। କହି ଚାଲିଗଲା
ଅମିତ୍।
ସେ
ଆଶା କରିଥିଲେ ପୁଅ ବୋହୁ ପାଖରେ
ବସି ତାଙ୍କ ସହ ଦି ପଦ କଥା ହେବେ।
ତାଙ୍କ ଦେହର ଅବସ୍ଥା ଦେଖି କିଛି
ସେବା କରିବେ। ମାତ୍ର ଏ କଣ?
ସେପଟୁ
ଗୀତା ବଡ ପାଟିରେ ଡାକିଲା
– ମୁନା
ସାଙ୍ଗେସାଙ୍ଗେ ଏଠିକୁ ଆସେ।
ସେତିକି ସେବା କର। ଏପଟେ ପାଠ ନ
ସାରିଲେ , କାଲି
ସ୍କୁଲରେ ଟିଚର ପିଠିରେ କୂଅ ଖୋଳି
ଦେବେ।
ଗେହ୍ଲେଇ
ହୋଇ ନାତି କହିଲା, ଜେଜେ
ମୁଁ ଯାଉଛି। ନ ହେଲେ ମମି ମୋତେ
ପୁଣି ମାରିବ।
–---- ମାରିବ???
ଆଶ୍ଚର୍ଯ୍ଯ
ହୋଇ ପଚାରିଲେ ସେ। ତୋତେ କଣ ସେ
ମାରେ?
ହଁ
ଜେଜେ। ମୁଁ ତୁମ ସହ ଯେତେ ବେଳେ
ବି ବସେ , ତା
ପରେ ମମି ମୋତେ ବହୁତ୍ ମାରେ। ମୋତେ
କୁହେ ବୁଢା ଲୋକଙ୍କ ପାଖକୁ ଗଲେ
ରୋଗ ହବ। ତୋ ଜେଜେଙ୍କୁ ଛୁଇଁବୁନି।
ତୁମେ ମୋତେ ଯେତେ ଗପ କୁହ,
ମମିକୁ
ମୁଁ କହିଲେ ସେ କୁହେ ଯେ ଏଗୁଡା
ସବୁ ବାଜେ କଥା। ମଫସଲିଆ କଥା।
ତୁମଠୁ ମୋତେ ଗପ ଶୁଣିବାକୁ ବି
ମନା କରେ।
ହଉ
ତୁ ଯାଆ। କାଲି ଆସିବୁ। ଏତିକି
କହି ଗଗନ ଆଖି ବନ୍ଦ କରି ପଡି ରହିଲେ।
ଆଜି କଣ ସବୁ ହୋଇ ଯାଉଛି ତାଙ୍କ
ସହ। କଣ ଭାବି ସେ ଘରେ ପଶିଥିଲେ
ଆଉ ହେଉଛି କଣ। ଏକ ବିରାଟ ଷଡଯନ୍ତ୍ର
ର ଶିକାର ହୋଇଯିବା ପରି ମନେ ହେଇଥିଲା
ତାଙ୍କୁ। ଏଇ ଗୀତା, ଯିଏ
ନିପଟ ମଫସଲରୁ ଆସିଛି ସେ ଆଜି
ଆଧୁନିକତାର ଡିଣ୍ଡିମ ପିଟୁଛି।
ଶିକ୍ଷାଗତ ଯୋଗ୍ଯତା ବୋଇଲେ ଦଶମ
ଫେଲ୍, ତଥାପି
ସେ ପୁରାଣ ବର୍ଣ୍ଣିତ ଗପ ଗୁଡିକୁ
ମଫସଲିଆ କହିବାର ଦୁଃସାହାସ
କରିପାରୁଛି। ଛାଡ, ଭାବି
ଲାଭ କଣ? ଯେତେବେଳେ
ଆପଣା ସୁନା ଭେଣ୍ଡି ଅନ୍ଯ କାହାକୁ
ଦୋଷ ଦେଲେ କଣ ହେବ।
ଘଣ୍ଟା
ଦେଖିଲେ। ରାତି ବାର ଟା ବାଜିଲାଣି।
ଅଥଚ ତାଙ୍କୁ କେହି ବି ଖାଇବାକୁ
ଡାକି ନାହାନ୍ତି। ଆଜି ଯାଏ ତ
ଏମିତି ହୋଇ ନ ଥିଲା। ଗୀତା ଯାହା
ବି କରୁ କିନ୍ତୁ ଅମିତ୍ କୁ ତ ବୁଝିବା
ଦରକାର ଯେ ବାପ ତାର ନ ଖାଇ ଏତେ
ବେଳ ଯାଏ ଚାହିଁ ରହିଛି। ବଡ କଷ୍ଟରେ
ଉଠିଲେ ସେ । ମୁଣ୍ଡ ଏବେ ବି ଭାରି
ଲାଗୁଛି। ଅମିତ୍ ରୁମ ର ଲାଇଟ୍
ଲାଗିଛି। ଭାବିଲେ ତାକୁ ଯାଇ ଡାକି
କହିବେ ଖାଇବା ଦେବା ପାଇଁ।
--- ଅମିତ୍
…..ଅମିତ୍
… ଆରେ ବୋହୁ କୁ କହ ଖାଇବାକୁ ଦେବ।
ରାତି ବାର ଟା ବାଜିଲାଣି ପରା।
ମୋତେ ଭୋକ ହେଲାଣି। ଆଜି ସଂନ୍ଧ୍ଯା
ବେଳୁ କିଛି ଖାଇନି ଯେ।
କିଛି
ଉତ୍ତର ଆସିଲାନି। ଅମିତ୍ ନିଜ
ରୁମରେ ବସିଛି। ଗୀତା ସହ କଥାବାର୍ତ୍ତା
ଚଲେଇଛି। ମଝିରେ ମଝିରେ ଜୋର ରେ
ହସୁଛି, ଅଥଚ
ଡାକିଲେ ଉତ୍ତର ଦେଉନି।
ଶେଷରେ
ଗଗନ ନିଜେ ଗଲେ ଅମିତ୍ ରୁମ କୁ।
କବାଟ ପାଖରେ କହିଲେ –
---- ଆଲୋ
ମାଆ ଗୀତା। ମୋ ପାଇଁ କଣ ଟିକେ
ବାଢି ଦେ। ଭୋକ ଲାଗିଲାଣି। ସେତେ
ବେଳୁ ଅମିତ୍ କୁ ଡାକୁଛି ,
ସେ
ଶୁଣୁନି କଣ ପାଇଁ।
ରୁମ୍
ରୁ ଦୁଇ ଜଣ ବାହାରକୁ ଆସିଲେ। ଗୀତା
କହିଲା – ବାପା ଖାଇବା ତ ସରି ଗଲାଣି।
ଆପଣ ଆଜି ଖାଇବେ ବୋଲି ମୁଁ ଜାଣି
ନଥିଲି। ସନ୍ଧ୍ଯା ବେଳୁ ଯୋଉ ପାଲା
କଲେ, ମୋତେ
ଲାଗିଲା କାଲି ସକାଳୁ ଉଠିବେ ବୋଲି।
କିନ୍ତୁ ତୁଚ୍ଛା ଛୋପରାମୀ ଦେଖେଇ
ପଡିଥିଲେ ବୋଲି ଏବେ ଜାଣିିଲି।
ନହେଲେ ଦେହ କଣ ହଉଛି ବୋଲି କହି
ଗଡି ଯାଉଥିଲେ, ପୁଣି
ଭୋକ କେମିତି ଗ୍ରାସ କରିଗଲା
ଆପଣଙ୍କୁ। ଏ ଟା ଘର ନା ହୋଟେଲ।
ଯିଏ ଯେତେ ବେଳେ ପାରିବ ଖାଇବ।
ଗଗନ
ଧିର ସ୍ବର ରେ କହିଲେ -
--- କିନ୍ତୁ
ମାଆ ଲୋ, ମୋତେ
ପଚାରି ବି ଦେଲୁନି ଖାଇବି କି
ନାହିଁ ବୋଲି। ଏତେ ଡେରି ହେଲା
ବୋଲି ସିନା ମୁଁ ଉଠି କି ଆସିଲି।
ଚିହିଁକି
ଉଠିଲା ଗୀତା-
--- କଣ
ହେଲା? ଡାକିଲିନି?
ମୁଁ
କଣ ତୁମ ହଳିଆ ନା ଚାକର। ଡାକିବି
କଣ ହୋ। ଭୋକ ଲାଗିଲେ ବଳେ ଆସି
ଖାଇବ, ଏତେ
ଗୁଆ ନିମନ୍ତ୍ରଣ କଣ ଦରକାର। ଆଜି
ଠୁ ତ ଘରେ ରହି ଅନ୍ନ ଧ୍ବଂସ କରିବ।
ପୁଣି ସେଥିପାଇଁ ବିି ନିମନ୍ତ୍ରଣ
ଦରକାର? ସେ
ସାଇବ କାଇଦା ରଖ ହୋ ତୁମ ପାଖରେ।
ଗଗନ
ବାବୁ ଚିଡି ଉଠି କହିଲେ--
---ଗୀତା
କଣ ତୋ ମୁଣ୍ଡ ଖରାପ୍ ନା କଣ?
ସେତେ
ବେଳୁ ଦେଖୁଛି ମନ ଇଚ୍ଛା ବକି
ଯାଉଛୁ। ତୋତେ କଣ ଏଇଥି ପାଇଁ ବୋହୁ
କରି ଆଣିଥିଲି। ମୋତେ ଅପମାନ ଦେବୁ
ବୋଲି? ଆରେ
ଅମିତ୍ ତୁ କଣ ପାଇଁ ଚୁପ୍ ହୋଇ ଠିଆ
ହୋଇଛୁ। ତୋ ବୁଢା ବାପକୁ ଏମିତି
ଅପମାନିତ ହେବାର ଦେଖି କଣ ତୋତେ
ଖୁସି ଲାଗୁଛି ନା କଣ?
ବାପା
ଗୀତା ଯାହା କହୁଛି ଠିକ କହୁଛି।
ଆପଣଙ୍କର ଚାକିରି ଆଉ ନାହିଁ।
ତେଣୁ ଏବେ ଆମ ନିୟମରେ ଆପଣଙ୍କୁ
ଚଳିବାକୁ ହେବ। ନିଜ ମନମାନି କଲେ
ଆଉ ହବନି। ସେ ବିଚାରି କେତେ କାମ
କରିବ। ତା ଉପରେ ବି ବହୁତ୍ ଚାପ
ପଡୁଛି। ସେ କହିବନି ତ ଆଉ କଣ କରିବ।
ନିଜ
କାନକୁ ବିଶ୍ବାସ କରି ପାରିଲେନି
ଗଗନ , ତାଙ୍କ
ପୁଅ ଏ କଥା କହୁଛି ବୋଲି। ଭୋ ଭୋ
ହୋଇ କାନ୍ଦି ଉଠିଲେ। ମୁନା କବାଟ
ଫାଙ୍କରୁ ସବୁ ଦେଖୁ ଥିଲା। ଦଉଡି
ଆସି ତାଙ୍କୁ କୁଣ୍ଢେଇ ଧରି କହିଲା
--ଜେଜେ
କଣ ହେଲା କାନ୍ଦୁଛ କଣ ପାଇଁ।
ଏତିକି
ବେଳେ ଗୀତା ତାକୁ ଭିଡି ନେଇ ଗାଲରେ
ଲଗାଇଲା ଶକ୍ତ ଚାପୁଡା। ପିଲା ଟି
ଭୂଇଁରେ ଲୋଟିଗଲା କାନ୍ଦିକାନ୍ଦି।
ଏତିକି ରେ ଶେଷ ହେଲା ନାହିଁ ଯେ
ପିଠିରେ ବିଧାଚାପୁଡା ମାରି
ଚାଲିଲା। ବିକଳ ରେ କାନ୍ଦୁଥାଏ
ସେ। ଅମିତ୍ ବି ମାରିଲା ଦୁଇ ଚାପୁଡା
ମୁନା କୁ। ସକେଇ ସକେଇ ମୁନା ରୁମ୍
ଭିତରକୁ ଦଉଡି ଚାଲିଗଲା।
ଆଉ
ସମ୍ଭାଳି ବାର ଶକ୍ତି ନ ଥିଲା
ଗଗନଙ୍କର। ସେ ଚୁପ୍ ଚାପ ନିଜ
କୋଠରୀ କୁ ଆସିଲେ। ଆଖିରେ ଲୁହ,
ପେଟରେ
ଭୋକ। ଏମିତି ଏକ ଦିନ ଦେଖିବାକୁ
ପଡିବ ସେ ଚିନ୍ତା ବି କରି ନଥିଲେ।
ଶେଯରେ ଗଡିଲା ବେଳେ କେତେ ବେଳେ
ଆଖି ଲାଗିଯାଇଛି ସେ ଜାଣି ବି
ନାହାନ୍ତି।
----- ଅନୁଭବ
କଲେ ତାଙ୍କ ମୁଣ୍ଡ ଆଉଁସୁଛି କିଏ
ଜଣେ ନାରୀମୂର୍ତ୍ତି। ଆରେ
ଶାନ୍ତି?????
--- ମନ
ଉଣା କରନାହିଁ। ମୁଁ ଅଛି ସଦା ବେଳେ
ତୁମ ପାଖରେ। ଏତିକି ରେ ଭାଙ୍ଗି
ପଡିଲେ କଣ ହବ?
ତୁମେ
ନିଜକୁ ଶକ୍ତ କର। କୌଣସି ପରିସ୍ଥିତି
ରେ ବି ନିଜ ଉପରୁ ବିଶ୍ବାସ ହରାଅ
ନାହିଁ। ତୁମେ ଜିତିବ......
ମୁଁ
ଜାଣିଛି ତୁମେ ଜିତିବ। ଏତିକି
କହି ନାରୀ ମୂର୍ତ୍ତି ଟି ଅଦୃଶ୍ଯ
ହୋଇଗଲା।
ଚମକି
ଉଠି ପଡିଲେ ଗଗନ। ଓଃ ତା ମାନେ ସେ
ସ୍ବପ୍ନ ଦେଖୁଥିଲେ। ଝରକା ବାଟେ
ବାହାରକୁ ଚାହିଁଲେ। ସକାଳ ହୋଇଯିବା
ଉପରେ। ବାରଣ୍ଡା କୁ ଆସି ଦେଖିଲେ,
ସବୁ
ଶୋଇଛନ୍ତି। ଗୀତାର ଦେଖା ନାହିଁ।
ସବୁ ଦିନେ ତ ସେ ଉଠି ପୂଜା କାମ
ସାରି ଦେଇଥାଏ। ତେବେ ଆଜି କଣ ପାଇଁ
ଏ ବ୍ଯତିକ୍ରମ। ବାରଣ୍ଡାରେ
ପଡିଥିବା ଚେୟାର ରେ ଲଥ୍ କରି ବସି
ପଡିଲା। ଆଜି ପୁଣି କଣ ହେବ କିଏ
ଜାଣେ?
ଦିନ
ନଅ ଟା ବେଳକୁ ଗୀତା ଉଠି ବାହାରକୁ
ଆସିଲା। ଆସୁଆସୁ ପଚାରିଲା
--- କଣ
ସାରା ରାତି ଏଇଠି ପହରା ଦେଉଥିଲେ
ନା କଣ?
ଚୁପ୍
ରହିଲେ ଗଗନ।
--- ମାଆ
ଲୋ ଟିକେ ଚାହା ଦବୁ କି?
ଭୋକ
ବି ଲାଗୁଛି କଣ ଟିକେ ଦବୁ ଖାଇବା
ପାଇଁ।
କିଛି
ନ କହି ଫଣଫଣ ହୋଇ ରୋଷେଇ ଘରେ ପଶିଗଲା
ଗୀତା। ଅଳ୍ପ ସମୟ ଭିତରେ ଖଣ୍ଡେ
ଥାଳିଆରେ କିଛି ମୁଢି ଓ ଗିଲାସ
ରେ ଚାହା ଧରି ଆସିଲା। ଟେବୁଲ ଉପରେ
କଚି ଦେଇ କହିଲା
---- ଏତେ
ସକାଳୁ ପଲଉ କି ବିରିଆନି ତିଆରି
ହେଇନି। ଯାହା ଦେଇଛି ଚୁପଚାପ
ଖାଇଦିଅ।
ଭୋକରେ
ଆଉଟୁ ପାଉଟୁ ହେଉଥିବା ଗଗନ ପୁଢି
ମୁଠେ ପାଟିରେ ପକେଇଲେ। ଆରେ ଏ
କଣ? ଏ
ମୁଢି ତ ପୁରା ସିପି ଯାଇଛି। ଜଣା
ପଡୁଛି କେଉଁ ଡବାରେ ବାସି ରହି
ଯାଇଥିବା ମୁଢି। ଆଉ ଖାଇ ନ ପାରି
ଚାହା ଟିକେ ପାଟିରେ ଦେଲେ। ଚାହା
ନୁହଁ ତ ବିଷ। କ୍ଷୀର ଟୋପେ ବି
ପଡିନି। ଚିନି ର ନାଁ ଗନ୍ଧ ନାହିଁ।
କେବଳ ଚାହା ପତି ଓ ପାଣି ର ମିଶ୍ରଣ।
ଧିର
ଗଳାରେ କହିଲେ ଗଗନ--
---- ମାଆ
ଗୀତା। ଏ ଗୁଡାକ କଣ ମଣିଷ ଖାଆନ୍ତି।
ମୁଁ ତୋ ବାପା ହୋଇଥିଲେ କଣ ମୋତେ
ଏମିତି ଖାଇବାକୁ ଦେଇଥାନ୍ତୁ?
ଗଗନ
ବାବୁଙ୍କର ଏତିକି କଥା ହିଁ ପରମାଣୁ
ବୋମା ପରି ବିସ୍ଫୋଟିତ ହେଲା।
--- ଆବେ
ହେ ବୁଢା। ପାଗଳ କୋଉଠିକାର। ମୋ
ବାପା ଙ୍କ ବିଷୟରେ କହିଲୁ?
ତୋର
ଏତେ ସାହାସ। ମୋ ବାପା ତୋ’ଠୁ
କେତେ ପଇସା ଖାଇଥିଲେ। ଶଳା କୁକୁର
ବଂଶ ତୋର। ତୁ ମରିବୁ,
ପୋକ
ମାଛି ପଡିବେ ତୋ ଉପରେ। ତୁ ମୋତେ
ଆଜି କେତେ ବଡ କଥା କହିଦେଲୁ।
ଏମିତି କହି ବଡ ପାଟିରେ କାନ୍ଦିବାକୁ
ଲାଗିଲା ଗୀତା।
ଅମିତ୍
ଦଉଡି ଆସିଲା।
--- କଣ
ହେଲା ଗୀତା? କିଏ
କଣ କହିଲା? ବୁଝିଲ
ବାପା, ତୁମେ
ଆମକୁ ଆଉ ଶାନ୍ତି ରେ ବଞ୍ଚିବାକୁ
ଦେବନି। ଏତିକି ଅଶାନ୍ତି କଲେ ଭଲ
ଲୋକ ବି ପାଗଳ ହୋଇଯିବ। ରିଟାୟାର
କରିବାର ଦିନେ ନ ଯାଉଣୁ ଯଦି ଏମିତି
ଉତ୍ପାତ ଆରମ୍ଭ ହେଲାଣି,
ଆଗକୁ
କଣ ହେବ। ତୁମ ପାଖରେ କିଏ ରହିବ।
ତୁମେ ତ ଭଲ ଲୋକ କୁ ବି ପାଗଳ କରିଦେବ।
ଗୋଟେ ନିଶ୍ବାସ ରେ କହିଗଲା ଅମିତ୍।
ମୁଁ
…......କିଛି
ଗୋଟେ କହି ବାକୁ ଯାଉଥିଲେ ଗଗନ।
ଗୀତା ଚିତ୍କାର କରି ଉଠିଲା
----- ଶଳା
ବେଇମାନ ଲୋକ। ମୋ ବାପାଙ୍କୁ ଗାଳି
ଦେଲୁ। ମୋ ପରିବାର କୁ ଭିକାରୀ
କହିଲୁ। କି ରାଗ ଶୁଝଇଛୁ ମୋ ଉପରେ।
କଣ ତୋର ଅସୁବିଧା ମୁଁ କଲି। ତୋ
ପାଇଁ ଖଟିଖଟି ମୋର ଅଧାପ୍ରାଣ
ହେଲା । କିନ୍ତୁ ତୁ ଆଜି ମୋତେ କଣ
ନ କହିଲୁ। ହେଇଟି.......ତୁମ
ପାଗଳ ବୋପାର କିଛି ବ୍ଯବସ୍ଥା
କର, ନ
ହେଲେ ମୁଁ ମୁନା କୁ ନେଇ ମୋ ବାପ
ଘରକୁ ଚାଲିଲି। ମୋ ବୋପାର ଢେର
ସମ୍ପତ୍ତି ଅଛି ମୋତେ ପୋଷିବା
ପାଇଁ। ଦରକାର ହେଲେ ତୁମେ ବି ଚାଲ।
ମୋ ବାପା ତୁମକୁ ବି ସାରା ଜୀବନ
ପୋଷିବେ।
ଗୀତା
ଓ ଅମିତ୍ ମନଇଚ୍ଛା ଗାଳି ଦେଇଗଲେ।
ମୁଣ୍ଡ ପୋତି ଚୁପ୍ ହୋଇ ବସି
ରହିଥାଆନ୍ତି ଗଗନ। ମୁନା ବଡ ଅସହାୟ
ହୋଇ କବାଟ ଫାଙ୍କରୁ ସବୁ ଦେଖୁଥାଏ
। କାଳେ ମାଆ ମାରିବ ସେ ଭୟରେ
ବାହାରକୁ ଆସୁ ନଥାଏ।
ଅଚାନକ
ଗୀତା ଝଡ ବେଗରେ ମାଡି ଆସି ଚାହା
ଗିଲାସ ଟା ଗଗନ ଙ୍କ ମୁହଁ ଉପରକୁ
ଫିଙ୍ଗି ଦେଇ କହିଲା
----- ଯାଃ
ଭାଗ୍ ଏଠୁ। ମୋ ଘରୁ ପଳା। ତୋର ଏଠି
ରହିବାର ଅଧିକାର ନାହିଁ। ଯଦି ଏ
ଘରେ ପଶିବୁ ବେକରେ ଦଉଡି ଦେଇ
ଝୁଲିବି ମୁଁ। ତା ସାଙ୍ଗରେ ପାଳିଆ
ଧରିଲା ଅମିତ୍। ହଁ ବାପା ସେ ଯାହା
କହୁଛି ସେଇଆ କର। ମୋ ପରିବାର କୁ
ତୁମ ପାଗଳାମୀ ପାଇଁ ଧ୍ବଂସ କରି
ଦିଅନି। କୁଆଡେ ବି ଯାଅ ,
କିନ୍ତୁ
ଆମ ବେକରେ ଆଉ ଝୁଲିବାକୁ ଚେଷ୍ଟା
କରନି।
କାନ୍ଦି
ଉଠିଲେ ଗଗନ।
– ବେଶ୍
କହିଲୁ ରେ ପୁଅ, ତୋତେ
ପିଲା ଟି ଦିନରୁ ସବୁ ଭଲପାଇବା
ଦେଇ ବଢେଇ ଥିଲି ଏଇଆ ଶୁିଣିବା
ପାଇଁ। ନିଜକୁ ଭୁଲି ତୋ ପାଇଁ
ବଞ୍ଚି ରହିଥିଲି ଏଇ ଦିନ ଦେଖିବା
ପାଇଁ। ମୋ ପାଇଁ କେହି ନିଜର କ୍ଷତି
କରିବାର ଆବଶ୍ଯକତା ନାହିଁ। ମୁଁ
ଯାଉଛି ଏ ଘର ଛାଡି। ଆଉ ଫେରିବିନି।
ମୁନା
ଦଉଡି ଆସି ଗଗନଙ୍କୁ କୁ ଧରି ପକେଇ
କହିଲା
----ଜେଜେ
ମୁଁ ବି ଯିବି ତୁମ ସହ। ମୋତେ ବି
ନେଇ ଯାଆ।
ଗୀତା
ମୁନା ର ପେଟ କୁ ଲକ୍ଷ୍ଯ କରି ମାରିଲା
ଏକ ଶକ୍ତ ଗୋଇଠା। ପେଟ ଧରି ବସି
ପଡିଲା ମୁନା। ତାକୁ ଉଠେଇବାକୁ
ଗଗନ ଯାବାକୁ ବାହାରିଲା ବେଳେ
ଗୀତା କହିଲା
----ଥାଉ
ସେତିକି ନାତି ସୁଆଗ। ସେ ମରି
ଯିବନି। କିନ୍ତୁ ଯଦି ତୁ ଏ ଯାଗାରୁ
ନ ଯିବୁ ତା ବେକ ଉପରେ ମଡା ପକେଇ
ତାକୁ ମାରି ନିଜେ ଆତ୍ମହତ୍ଯା
କରିଦେବି।
ଗଗନ
କିଛି କହିବା ଅବସ୍ଥାରେ ନ ଥିଲେ।
କାନ୍ଥରୁ ଶାନ୍ତିଙ୍କର ଫଟୋଟିକୁ
କାଢି ଛାତିରେ ଚାପି ଧରି ଧିରଧିରେ
ଘରୁ ବାହାରକୁ ଚାଲି ଆସିଲେ। ତାଙ୍କ
ପଛରେ ରହି ଯାଇଥିଲା ସାରା ଜୀବନର
ତପସ୍ଯା ଓ ଉପଲବଧି ସବୁ । ସେଇ ଘର
ଯେଉଁ ଠାରେ ସେ ଖୁସି ସମୟ ବିତେଇଥିଲେ
ଶାନ୍ତିଙ୍କ ସହ। ମନେ ପଡି ଯାଇଥିଲେ
ଶାନ୍ତି ଙ୍କୁ ଦେଇଥିବା କଥା
---- ଏଇ
ଘରର ଚାରି କାନ୍ଥ ଭିତରେ ହିଁ ଶେଷ
ନିଶ୍ବାସ ତ୍ଯାଗ କରିବା।
ଶାନ୍ତି
ନିଜ ବଚନ ରକ୍ଷା କରି ଥିଲେ। ମାତ୍ର
ଗଗନଙ୍କ ଭାଗ୍ଯରେ ସେତିକି ବି
ଲେଖା ନ ଥିଲା।
ଘର
ପାଖରେ ଥିବା ଶିଶୁ ଉଦ୍ଯାନ ରେ
ପଡିଥିବା ବେଞ୍ଚରେ ଲଥ୍ କରି ବସି
ପଡିଲେ ସେ। ମୁନା କୁ ଆଣି ସେ ଆସନ୍ତି
ସବୁ ଦିନ ଏଇ ଯାଗାକୁ। କେତେ ଖେଳନ୍ତି
ତା ସହ। ସବୁ ଜିନିଷ ଅତୀତ ହେବାକୁ
ଯାଇଛି। ଯେଉଁ ଦୋଳିରେ ମୁନା
ଖେଳୁଥିଲା ତାକୁ ଧିରେଧିରେ
ଆଉଁସିଲେ। ଆସିଲା ବେଳକୁ ମୁନା
କୁ ଟିକେ ଗେଲ ବି କରି ହେଲାନି।
କଣ ହେଉ ଥିବ ତା ମନର ଅବସ୍ଥା।
କୁନି ପିଲା ଟା। କଣ ବା ବୁଝୁଥିବ
ସେ। ମୋ ପାଇଁ କେତେ ମାଡଗାଳି
ଖାଇଲା। ଏମିତି ମନେମନେ ଭାବିବାରେ
ଲାଗିଥାନ୍ତି।
ଏବେ
ସେ କରିବେ କଣ? କୁଆଡେ
ଯିବେ? ସେ
ସମୟରେ କାହା କଥା ମନେ ପଡୁ ନ ଥାଏ
ତାଙ୍କର। ଜ୍ଞାତି ପରିଜନଙ୍କୁ
ପାଖକୁ ଗଲେ ଅମିତ୍ ଅଯଥାରେ ବଦନାମ
ହେବ। ଯାହା ହେଲେ ନିଜ ରକ୍ତ ସେ।
ତାର କ୍ଷତି ସ୍ବପ୍ନରେ ବିି ଭାବିବା
ଅସମ୍ଭବ ଥିଲା । ସବୁ କାହାଣୀରେ
ନାୟକ ର ଶେଷ ଠିକଣା ବୃଦ୍ଧାଶ୍ରମ।
ତେ ସେ ବା କାହିଁକି ବ୍ଯତିକ୍ରମ
ହେବେ। ଶାନ୍ତିଙ୍କର ଫଟୋକୁ ଛାତିରେ
ଜାକି ଧରି ଚାଲିଲେ ବୃ ଦ୍ଧାଶ୍ରମ
ଅଭିମୁଖେ। ଝଡ ମୁହଁରେ ପଡିଥିବା
ଶୁଖିଲା ପତ୍ରଟିଏ ପରି ସେ ଉଡି
ଚାଲିଥିଲେ। ଏଇ ପତ୍ର ଯେ ଦିନେ
ସବୁଜ ଥିଲା ଓ ଗଛର କୋଳରେ ଶୋଭା
ପାଉଥିଲା ସେ କଥା ମନେ ପକେଇବାର
ସାହାସ ହରାଇ ସାରିଥିଲେ ଗଗନ।
************************************