Thursday, May 31, 2018

କର୍ମବୀର


ଲେଖକ- ଅରବିନ୍ଦ ରଥ

ଆଜ୍ଞା, ଆପଣ  ଟିକେ ଦୟା କଲେ ମନ୍ତ୍ରୀଙ୍କ ସାକ୍ଷାତ ମିଳି ଯାଅାନ୍ତା। ଆମ ଅଞ୍ଚଳର ଅବସ୍ଥା ନ କହିବା ଭଲ।  ପାଣି ନାହି, ବିଜୁଳି ନାହିଁ, ରାସ୍ତା ନାହିଁ, ଘର ନାହିଁ କି ଖାଇବା ନାହିଁ। ପତ୍ର ଲେଖିଲେଖି ହାତ ବିଣ୍ଡା ପଡିଯିବାରୁ  ଏ ଖରା ଦିନଟାରେ ତିରିଶି କିଲୋମିଟର ଆସିଲୁ ଶଗଡ ଗାଡିରେ।  ଆମ ଅବସ୍ଥା ଦେଖି ଟିକେ ବିଚାର କରନ୍ତୁ।
– – କାହାର ସମସ୍ଯା ନାହିଁ ଯେ? ସମସ୍ଯା ଅଛି ବୋଲି ତ ନେତା, ମନ୍ତ୍ରୀ, ସରକାରୀ କର୍ମଚାରୀ ମାନେ ଅଛନ୍ତି। ଯଦି ସବୁ ଲୋକ ଖୁସିରେ ରହିବେ, ଏସବୁ ସଂସ୍ଥା ଚାଲିବ କେମିତି। ସବୁ ଲୋକ ତ ସମସ୍ଯା ନେଇ ଆସୁଛନ୍ତି। ତେଣୁ, ମନ୍ତ୍ରୀଙ୍କର କଡା ତାଗିଦ୍ କାହାକୁ ଭିତରକୁ ନ ଛାଡିବା ପାଇଁ।  ମୁହଁ  ଛିଞ୍ଚାଡି ମନ୍ତ୍ରୀଙ୍କ ପିଆଦା କହିଲା।
– – ଆପଣ ଖାଲି ଥରେ କୁହୁନ୍ତୁ ଯେ ତାଙ୍କ ଗାଁଆ ସଇତାନପୁର ରୁ ଲୋକମାନେ ଭେଟିବାକୁ ଆସିଛନ୍ତି। ସେ ବଳେ ଆମକୁ ଭିତରକୁ ଡାକି ଚାହା ପାଣି ଦେଇ ସବୁ କଥା ବୁଝିବେ।
– – କାଇଁ  ଭୁରୁଡି ମାରୁଛ ମଉସା, ବୟସ ଦେଖ ଅଶୀ ଛୁଇଁବଣି। ଏ ବୟସରେ ମିଛ କୁହନି, ଯମ ଘୋଷାଡି ନେବ। ଆମେ ସବୁ ଜାଣିଛୁ ଯେ ମନ୍ତ୍ରୀ ଙ୍କ ଘର ଭୋଙ୍ଗସର୍ ରେ, ମାନେ ରାଜଧାନୀରେ। ସେ ତୁମ ଗାଁଆରେ କେବେ ଜନମ ହେଲେ ବା !
ଗୋବରା ସାହୁଙ୍କ ବହୁତ ଅନୁନୟ ବିନୟ ହେବା ପରେ ପିଆଦା ଟି ମନ୍ତ୍ରୀଙ୍କ ଖାସ୍ କମରା ଭିତରେ ପଶିଲା ଓ କେଇ ସେକେଣ୍ଡ ପରେ ବାହାରକୁ ଆସି କହିଲା-- ମନ୍ତ୍ରୀ କହିଲେ, ସେ ସଇତାନ ପୁର ବୋଲି ଗୋଟେ ଗାଁଆ ଅଛି ବୋଲି ଜାଣି ନାହାଁନ୍ତି।  ସେ ବହୁତ ବ୍ଯସ୍ତ ଅଛନ୍ତି ଓ ଦେଖା ଦେବାକୁ ମନା କଲେ। ଆହୁରି କହିଛନ୍ତି,  ଯଦି ତୁମେ ମାନେ ଏ ଜାଗା ରୁ ନ ଯିବ ପିଚାରେ ସୁଟ୍ ଓ ହାତରେ ଆମ୍ପ୍ରୋ ବିସ୍କୁଟ୍ ଦେଇ ବିଦା କରିବା ପାଇଁ।
ଗୋବରା ଓରଫ୍ ଗୋବର୍ଦ୍ଧନ ସାହୁ, ସଇତାନପୁର ଗ୍ରାମର ଜଣେ ପୁରୁଖା ଲୋକ। ସ୍ବାଧୀନତା ସଂଗ୍ରାମ ବେଳେ କେତେ ଥର ଜେଲ୍ ଯାଇ ଦେଶ ପ୍ରେମର ନିଦର୍ଶନ ଦେଖାଇଛନ୍ତି। ତାଙ୍କର ତ୍ଯାଗ ଓ ବଳୀଦାନ ପାଇଁ ସାରା ଦେଶର ସମବାୟ ଜନତା ଭକ୍ତିପୂତ ପ୍ରଣାମ ଜଣାନ୍ତି, ପ୍ରତିବର୍ଷ ଜାନୁୟାରୀ ଛବିଶି ଓ ଅଗଷ୍ଟ ପନ୍ଦର ଦିନ। ସେ ସ୍ବାଧୀନତା ସଂଗ୍ରାମୀ ଭତ୍ତା ମଧ୍ଯ ପାଆନ୍ତି ସରକାରଙ୍କ ତରଫରୁ। ପରମ ସହିଷ୍ଣ ଓ ଉଦାରବାଦୀ ମନୁଷ୍ଯ ହିସାବରେ  ସାରା ରାଜ୍ଯରେ ସୁପରିଚିତ ଓ ବିଶେଷ ପାଠ ନ ପଢିଲେ ମଧ୍ଯ ରାଜନୀତି ବିଜ୍ଞାନ ରେ ଅଗାଧ ପାଣ୍ଡିତ୍ବ ର ଅଧିକାରୀ। ଏହି ପରିଚୟ ପ୍ରଦାନ ସମ୍ବଳିତ ଅନୁଚ୍ଛେଦଟି ସରକାରୀ ଅଫିସର ନଥିପତ୍ରରୁ ଅବିକଳ ଉଦ୍ଧୃତ ହୋଇଛି। ଏବେ ଗୋବରାଙ୍କର ପ୍ରକୃତ ସ୍ବରୂପ ବାବଦରେ  ଆଲୋକପାତ କରିବା।
ସ୍ବାଧୀନତା ସଂଗ୍ରାମୀ ଗୋବର୍ଦ୍ଧନ ସାହୁ  ଓରଫ୍ ଗୋବରାଙ୍କର ନାମାବଳୀ ସଇତାନପୁର ଗ୍ରାମବାସୀଙ୍କ ମୁହଁରେ ଅଛି।  ତାଙ୍କୁ ଗୋଦରା ଗୋଡିଆ ଗୋବରା, ଗୋବୁ, ଗେବା , ନିଲଜ୍ଜିଆ, ଛୋପରା, ପର ସ୍ତ୍ରୀ ନିଆ, କଳିହା, କୁମ୍ଭୀପେଟିଆ ,ମହା ପର୍ପଞ୍ଚିଆ,ଡମ୍ଫାଳିଆ, ଟିଙ୍ଗଶୁଳିଆ, କୁମ୍ଭାଟୁଆ ଆଖିଆ  ଏମିତି କେତେ ନାମରେ ସମ୍ବୋଧନ କରନ୍ତି ଗ୍ରାମବାସୀ। କିଏ କିଏ କୁହନ୍ତି ସଇତାନପୁର ର ନାମକରଣ ଗୋବରା ଜନ୍ମ ହେଲା ପରେ ହୋଇଛି।  ନୋହିଲେ ପୂର୍ବ  କାଳରେ ଗାଁଆର ନାମ ତାନପୁର ଥିଲା। ଏହି ପ୍ରବାଦ ପଛରେ ଯଥାର୍ଥତା ଥିବା ପରି ମନେ ହୁଏ ; କାରଣ ଗ୍ରାମରେ ତାନପୁରା ବଜେଇବା ଲୋକଙ୍କ ସଂଖ୍ଯା ଅପେକ୍ଷାକୃତ ଅଧିକାଥିଲା ଅତୀତରେ। ଗୋବରାଙ୍କ ପ୍ରତିଟି ନାମ ପଛରେ ଗୋଟିଏ ଲେଖାଏଁ କାହାଣୀ ଅଛି, ସମୟର ଅଭାବ ହେତୁ ସେସବୁକୁ ସ୍ଥାନିତ କରିବା ସମ୍ଭବ ନୁହଁ। ପାଠକଙ୍କ ସନ୍ଦେହ ବିମୋଚନ ହେତୁ, ସଂକ୍ଷେପରେ ଗୋଟିଏ କାହାଣୀ ଅବତାରଣା କରାଗଲା।  ଇଂରେଜ ଶାସନ କାଳରେ ସବୁ ଗାଁଆର ପୁରୁଷ ଲୋକଙ୍କୁ ଜେଲ୍ ଭିତରେ ଠୁଙ୍କି ଦିଆ ଯାଉଥିଲା। ସେ ସମୟର ସ୍ବାଧୀନତା ସଂଗ୍ରାମୀ ଧୋକଡ ମାଝିଙ୍କୁ  ହାତକଡି ପକେଇ ପୋଲିସ୍ ଘିଞ୍ଚିବା ବେଳକୁ ତାଙ୍କ କନ୍ଯାରତ୍ନଙ୍କ ବଖରାରୁ ଗୋବରା ଦିଗାମ୍ବର ଅବସ୍ଥାରେ ଉଦ୍ଧର ହେଲେ। “ଧୁଆ ମୂଳା ଅଧୂଆ ମୂଳା ସମାନ” ନ୍ଯାୟରେ ସେ ବି ହାତକଡି ପିନ୍ଧି ଜେଲ୍ ଚାଲିଲେ।  ସମୟକ୍ରମେ ଅସଲ କଥା ଟା ଲୁଚିଗଲା ଓ ଗୋବରା କହିବୁଲିଲେ
-- ମୁଁ ସେ ଇଂରେଜ୍ ମାନଙ୍କୁ ଭଲ କି ପାନେ ଦେଇଛି। ଦେହରେ ଖଦଡ ଜାମା ପିନ୍ଧିଥିଲି ଓ ମୁଣ୍ଡରେ ଗାନ୍ଧୀ ଟୋପି। ମୋତେ ଯେତେବେଳେ ବାନ୍ଧିବାକୁ ଆସିଲେ ମୁଁ ନିର୍ବସ୍ତ୍ର ହୋଇଗଲି, କାରଣ ମୁଁ ଚାହୁଁ ନ ଥିଲି ସେ ଗାଈ ମାଉଁସଖିଆ ଫିରଙ୍ଗୀ ମାଙ୍କଡ ମାନଙ୍କର ହାତ ମୋ ପରମପୂଜ୍ଯ ବାପୁଜୀଙ୍କ ହାତବୁଣା ଜାମାପଟା  କି  ଟୋପିରେ ଲାଗୁ।
- - କଣ କହିଲ ଗୋବରା ଭାଇ, ସେ ଜାମାପଟା ଓ ଟୋପି ବାପୁ ତୁମକୁ ଦେଇଥିଲେ?
– – ଆରେ ଦେବେନି କେମିତି ଯେ? ଫୁଙ୍ଗୁଳା ପାଦରୁ କାତି ଛଡେଇ ଫୋଟକା କରି ଯେତିକିି ସତ୍ଯାଗ୍ରହ ମୁଁ କରିଛି, ନିଜେ ବାପୁ ସେତିକି କରି ନ ଥିବେ। ମୋ ମୁଣ୍ଡରେ ଯେତିକି ଚୁଟି ନାହିଁ, ତା ଠାରୁ ଢେର୍ ଅଧିକା ଇଂରେଜିଆ ଠେଙ୍ଗୀଣି ଖାଇଛି।  ଏତେ ଥର ଜେଲ୍ ଯାଇଛି ଯେ ସେ ଜେଲ କୋଠରି  ପିଣ୍ଡାରେ ମୋ ପିଚା ର ଦାଗ ବସିଯାଇଛି।
– ଆଛା ଗୋବରା ଭାଇ, ତୁମେ ଜେଲ୍ ଯିବା ବିଷୟରେ ଅନ୍ଯ କୁକଥା ମାନ ଶୁଣିବାକୁ ମିଳୁଛି। କଣ ସତ ନା କଣ?
– – ଆରେ ହେଃ ମାଗିଖିଆ, କୁଷ୍ଠରୋଗିଆ ରତନି, କଣ କହିଲୁ? ଆରେ ମୁଁ କାହିଁକି ତା ଝିଅ ସହ ଲସରପସର ହେବି, ନା କଣ ପାଇଁ ତା ଘରେ ଛାତ କଣା କରି ପଶିବି।  ତୁ କାହିଁକି ଭାବୁଛୁ ଯେ ଧୋକଡ ମାଝି ଘରେ ନାହିଁ ବୋଲି , ତା ଝିଅ ମୋତେ ଖବର ଦେଇଥିଲା ତା ଘରକୁ ଯିବା ପାଇଁ ?  ମୋତେ ଯାହା କହୁଛୁ କହ, କିନ୍ତୁ ସେ ଝିଅ ନାମରେ କହି କାହିଁକି ବଦନାମ କରୁଛୁ?
--- ଇଏ କି  ପ୍ରକାରର ଗାଲୁଆ କଥା ଗୋବରା ଭାଇ। ମୁଁ କଣ ସେକଥା କିଛି କହିଛି?  ନିଜ ଆଡୁ ସବୁ କହୁଛ ତୁମେ।
ଏତିକି ରେ ରାଗିପାଚି ଲାଲ୍ ହୋଇଯାଏ ଗୋବରା ଓ ସ୍ଥାନ ଛାଡି ଚାଲିଯାଏ। ଟାଉଟରିଆ କଥା ଓ ପର୍ପଞ୍ଚିଆ ବୁଦ୍ଧି ବଳରେ ଗୋବରା ପାଲଟିଗଲା ସ୍ବଧୀନତା ସଂଗ୍ରାମୀ ଓ ପାଞ୍ଚ ଲୋକ  ତାକୁ ସଲାମ ଠୁଙ୍କିଲେ। 
ସେହି ଗୋବରା ସାହୁକୁ ଗାଁଆ ଲୋକେ ଖାଇବା ପିଇବା ଦେଇ ମନ୍ତ୍ରୀ ପାଖକୁ ଆଣିଥିଲେ, ଗାଁଆର ସମସ୍ଯା ବିଷୟରେ କହିବା ପାଇଁ। କାନ୍ଦୁରୁ ବାରିକ ପୁଅ ମନ୍ତ୍ରୀ ଚକ୍ରପାଣି ବାରିକ ତାଙ୍କରି ଗାଁଆ ଲୋକ। ପିଲା ଦିନେ ସବୁ ଲୋକଙ୍କ ଚୁଟି କାଟି ପେଟ ପୋଷୁଥିଲା ଚକ୍ରପାଣିର ବାପା। ଓଳିଏ ଖାଇଲେ ଆର ଓଳିକୁ ପାଣି ପିଇ ଶୋଉଥିଲା। ରାତିରେ ଛିଣ୍ଡା ମସିଣାରେ ଶୋଇ ଆକାଶର ତାରା ଗଣିଗଣି ଦିନ ଯାଇଛି। କାଲି କି ଯିଏ ଅଣିଏ ଦୁଇପଇଶି ପାଇଁ ପାଦ ତଳେ ପଡୁଥିଲା, ସେ ଆଜି ମନ୍ତ୍ରୀ ହୋଇ କେତେ ବହପ ଦେଖଉଛି। ଚକ୍ରପାଣି କଲେଜ୍ ରୁ ତାଜନୀତି ବିଜ୍ଞାନ ପଢି ଫେରିଲେ କଣ ହେବ, ଅସଲ ରାଜନୀତି ପାଠଟା ତାକୁ ଗୋବରା ପଢେଇଛି। ଲୋକଙ୍କର ଭାବନା ସହ ଖେଳିବା, ଟଙ୍କାରେ ତଉିଲି ମଦ ମାଂସ ଦେଇ ଭୋଟ୍ କିଣିବା, ମିଛ ପ୍ରତିଶୃତି ଦେଇ ଠକିବା ଆଦି ଜ୍ଞାନର ଗୁଢ ରହସ୍ଯ ଶିଖାଇଛି। କିନ୍ତୁ ଟୋକା ଟା ଏମିତି ଭାବରେ ବଦଳିଯିବ ବୋଲି ଆଶା ନ ଥିଲା । ଗୋବରା ଗୁରୁ ହିସାବ ରେ ଯେତିକି ଦକ୍ଷିଣା ମାଗିଥିଲା ତାର କାଣିଚାଏ ବି ଦେଲାନି। ନିର୍ବାଚନ ରେ ଜିତି ଗଲେ, ରାଜଧାନୀରେ ଗୋଟେ ଘର, ଗାଁଆରେ ପାଞ୍ଚ ଏକର ଚାଷ ଜମି, ନଗଦ ବାର ଲକ୍ଷ ଟଙ୍କା, ଚାରି ପିଲାଙ୍କୁ ଚାକିରୀ ଏମିତି କେତେ କଣ ଦେବ ବୋଲି କଥା ଦେଇଥିଲା  ଚକ୍ରପାଣି, କିନ୍ତୁ ସବୁ କଥା ଭୁଲିଗଲା। ଏବେ ଅବସ୍ଥା ଏପରି ଯେ ତା ଦୁଆର ମୁହଁରୁ ଫେରେଇ ଦେଲା। ଶଗଡରେ ବାକି ଲୋକେ ମୁହଁ ମାରି ବସିଲା ବେଳକୁ, ଗୋବରା ର ମନରେ କେତେ କଣ ଭାବନା ଜନ୍ମ ନେଉଥିଲା। ତାର ଏକ ମାତ୍ର ଲକ୍ଷ୍ଯ ଥିଲା ପ୍ରତିଶୋଧ। 
ମନେ ମନେ କହିଲା-- ରହ ରେ ପୁଅ ଚକରା, ତୋତେ ଏମିତି ପାନେ ଦେବି ଯେ ବୋପା ଖିଅର କରୁଥିବା ଖୁର ଓ ଭଙ୍ଗା ଆରସୀ କଥା ମନେ ପଡିଯିବ। ଏବେ ତୋ ଗାଁଆ କୁ ଚିହ୍ନୁନୁ ତ ! ତୋ ଚଉଦପୁରୁଷଙ୍କର ଯଦି ଶ୍ରାଦ୍ଧ ସମସ୍ତଙ୍କ ଆଗରେ ନ କରେଇ ଦେଇଛି ମୋ ନାମ  ପର୍ପଞ୍ଚିଆ ଗୋବରା ନୁହଁ। 
ଗାଁଆରେ ଶଗଡ ପଶିଲା ବେଳକୁ ସେ  ଚକରା ଘର ଆଡକୁ ଟିକେ ଆଖି ବୁଲେଇ ଦେଖିଲା। ବିରାଟ ଆକ୍ରାନ୍ତରେ ଚାଳ ଘର ତିଆରି ହୋଇଚି। ଘର ଆଗରେ ପଚାଶ ସରିକି ଗାଈ। ଗାଁଆରେ ପିଇବାକୁ ପାଣି ଟୋପେ ନାହିଁ, କିନ୍ତୁ ତା ଘର ସାମନା ରେ ଚାରି ଟା ନଳକୂଅ।  ବିଜୁଳୀ ବତୀ ଜଳିଲେ କେମିତି ଦିଶେ ଗାଁଆର ଅଧା ଲୋକ ଦେଖି ନାହାଁନ୍ତି, କିନ୍ତୁ ତା ଘର ପାଖରେ ନୂଆ କରି ଟ୍ରାନସଫରମର ଟାଏ ବସିଛି। ଘର ପାଖକୁ ଲାଗି ବିରାଟ ଗୋଦାମ, ଧାନ ଚାଉଳ ବସ୍ତା ଥାକ ମାରି ରଖା ଯାଇଛି। ଆଉ ଗୋଟେ ବଖରାରେ କିରାସିନି ର ବଡ ବଡ ବ୍ଯାରେଲ୍ ଥୁଆ ଯାଇଛି।  
ଖରା ରେ ମୁଣ୍ଡ ଝାଇଁ ମାରିଦେଉଛି। ବୈଶାଖ ମାସିଆ ଖରା, ଏ ବୟସରେ ସହି ହେଉଛି କୁଆଡୁ? ମୁଣ୍ଡରେ ପକେଇଥିବା ଗାମୁଛାଟାରୁ ଧୂଆଁ ବାହାରି ଗଲାଣି। ବଳଦ ଯୋଡିକର ଜିଭ ହାତେ ବାହାରି ଗଲାଣି। ପାଣି ଟୋପେ ପିଇବାକୁ ସେମାନେ ଡହଳ ବିକଳ ହେଲେଣି। ନଳକୂଅ ପାଖରେ ଶଗଡ ରଖି ସବୁ ଲୋକ ମନ ଇଛା ପାଣି ପିଇ ଦେଇଗଲେ। ବଦଳଙ୍କୁ ପାଣି ଦେଲା ବେଳକୁ, କଳା ଭୁଷୁଣ୍ଡିଆ ଲୋକଟେ ଠେଙ୍ଗା ଧରି ସମସ୍ତଙ୍କୁ ପାହାରେ ଲେଖାଏଁ କଷି ଦେଇ କହିଲା-- ଭାଗ ଭିକାରୀ ମାନେ, ଏଡେ ବହପ ଯେ ମନ୍ତ୍ରୀଙ୍କ ନଳକୂଅରୁ ପାଣି ପିଇବ।
ସେଦିନ ସଞ୍ଜ ବେଳେ ଗୋବରା ତା ଘରେ ଜରୁରୀ କାଳୀନ ବୈଠକ ବସାଇଲା। ଗାଁଆର କିଛି ବୁଦ୍ଧିଆ ଲୋକେ ସେ ବୈଠକରେ ବସି କଣ ସବୁ ଟୁପୁରୁ ଟାପର କଥା ହେଲେ। ଶେଷରେ ଗୋବରା କହିଲା-- ଦେଖିବା ଏବେ କାହାର ବଳ ଅଧିକା, ଏ ଚାରି କୋଡି ପୁରନ୍ତା ଗୋବରା ର ନା ସେ ବାରିକ ପିଲା ଚକରା ର।
କିଛି ଦିନ ଉତ୍ତାରୁ ପୁଣି ଦଳେ ଲୋକ ମନ୍ତ୍ରୀଙ୍କ ପାଖକୁ ଗଲେ। ଏଥର ଦେଖା ମିଳିଗଲା। କାରଣ ମନ୍ତ୍ରୀଙ୍କୁ ବୈଶାଖ ମେଳା ପାଇଁ ଆମନ୍ତ୍ରଣ କରାଯାଇଥିଲା ଓ ସଭା ଶେଷରେ “କର୍ମବୀର” ଉପାଧିରେ ସମ୍ମାନିତ କରାଯିବାର କାର୍ଯ୍ଯକ୍ରମ ଥିଲା। ମନ୍ତ୍ରୀ ଓ କର୍ମଚାରୀ ମାନେ ନଥିପତ୍ର ଓ  ଦସ୍ତାବିଜ ଖୋଜି ନିଜର କର୍ମ ଗୁଡିକର ହିସାବ ଖୋଜିବାରେ ଲାଗିପଡିଲେ।  ଦୁର୍ଯୋଗ କୁ ସେମିତି କିଛି ଆଖିଦୃଶିଆ କର୍ମ ନଜର କୁ ଆସିଲାନାହିଁ। କେବଳ ଗୋଟିଏ କର୍ମର ହିସାବ ଥିଲା, ତାହା  ହେଲା  ସହରର ଗୋଟିଏ  ଲୁଗା ଦୋକାନ କୁ ମନ୍ତ୍ରୀ ଉଦଘାଟନ କରିଥିଲେ।  ମନ୍ତ୍ରୀ ବିଳିବିଳେଇ କହିଲେ-- ଆରେ ପାଖଣ୍ଡୀ ମାନେ, ମୁଁ କଣ ଏତେ ଦିନ ହେଲାଣି କିଛି କର୍ମ କରିନି? ତେବେ ମୋତେ କାହିଁକି ସେ ଉପାଧିଟା ମିଳୁଛି। 
ଜଣେ ଚାଟୁକାର କହିଲା --- ଏ ମହାପୁରୁଷଙ୍କ ମତରେ “ଖାଦ୍ଯ, ଉପାଧି ଓ ପଦବୀ ” ମିଳିବା ମାତ୍ରେ ଝାମ୍ପି ପଡିବା କଥା, ଅକାରଣ ରେ କାରଣ ଖୋଜିବାର କିଛି କାରଣ ନାହିଁ।
ସୁଦିନ ଟି ଆସି ପହଞ୍ଚିଗଲା। ମନ୍ତ୍ରୀ ନିଜ ତରଫରୁ ତିରିଶି ଟି ସମ୍ବାଦପତ୍ରର ସାମ୍ବାଦିକଙ୍କୁ ଡାକିଥିଲେ, ଉପାଧି ବିଷୟଟା ଖବରକାଗଜରେ ବଡ ଅକ୍ଷରରେ ଛାପିବା ପାଇଁ। ତାଙ୍କ ସହ ଟେଲିଭିଜନ ଓ ଫଟୋଗ୍ରାଫର୍ ମାନଙ୍କୁ ବି ଡକା ଯାଇଥିଲା।  କାମ ପଛେ ଯାହା ହେଇଥାଉ କିଏ ଦେଖିଛି ନା ଜାଣୁଛି, ଖବରକାଗଜ ଓ ଟେଲିଭିଜନ ରେ ମୁହଁ ଟା ଦିଶିଗଲେ ଯଶ କାହିଁ କେତେ ଦୂର ବ୍ଯାପୀ ଯିବ।  ଯେଉଁ ଗାଁଆରେ ଘର ଘର ବୁଲି ବାପ ଖିଅର କରୁଥିଲା , ସେଇ ଗାଁଆ ଲୋକେ  ଉପାଧି  ଦେବେ କିଛି କମ୍ ବଡ କଥା ନୁହଁ। ଭାବନା ର ସୁଅ ସହ ଗାଡିଟା ରାସ୍ତା ଉପରେ ଛିଡା ହୋଇଗଲା। ଦେଖିଲା ବେଳକୁ ଗୋଟିଏ ଶଗଡ କୁ ବେଶଭୁଷା କରି ଲୋକେ ହାତରେ ଫୁଲମାଳା ଧରି ଅପେକ୍ଷାରତ।  ଗାଁଆ, ଆହୁରି ଅଧ କିଲୋମିଟର ଦୂରରେ। ଏତେ ବାଟରୁ ସ୍ବାଗତ କରିବାର ଅଭିପ୍ରାୟ ପଚାରିବାରୁ ଜଣାଗଲା ଯେ, ଗାଁଆ ଲୋକେ ପ୍ରକୃତିର କୋଳରେ ବସେଇ ମନ୍ତ୍ରୀଙ୍କୁ ପାଛୋଟି ନେବା ଆଶାରେ ଚାତକ ପରି ଖରାତରାକୁ  ଖାତିର ନ କରି ଚାହିଁ ରହିଛନ୍ତି।  କାନରେ ସେ ଚାଟୁକାର ପୁଣି ଫିସଫିସ କରି କହିଲା “ ଜନତା ର ସମ୍ମାନ କୁ ସମ୍ମାନ ଜଣେଇଲେ ସମ୍ମାନ ବଢେ” ବିରୋଧୀଙ୍କ ପାଟି ରେ କୋଲପ ପଡିଯିବ ଆଜ୍ଞା, ଏ ପଟୁଆର ଦେଖିଲେ। କିଛି ନ ଭାବି ଡେଇଁ ପଡନ୍ତୁ ଶଗଡ କୁ। ମୁଁ ଆପଣଙ୍କ ପଛରେ ଅଛି। କିଛି ପ୍ରତିକ୍ରିୟା ଦେଖାଇବା ପୂର୍ବରୁ ମନ୍ତ୍ରୀ ଶଗଡରେ ବସି ଗାଁଆ ଅଭିମୁଖେ ଯାତ୍ରା ଆରମ୍ଭ କରି ଦେଇଥିଲେ।  କାହୁଁ ଶୀତତାପ ନିୟନ୍ତ୍ରିତ ଗାଡିର ସୁଃଖଦ ଯାତ୍ରା ଓ କାହୁଁ ଧୁ ଧୁ ଖରା ବେଳଟାରେ ଶଗଡ ଯାତ୍ରା। ବିଚରା ମନ୍ତ୍ରୀଙ୍କର ମୁହଁଟା  ପାତି ମାଙ୍କଡ ନିତମ୍ବ ରଙ୍ଗ ଧାରଣ କରୁଥିଲା। ଆଗରେ ସମବେତ ଜନତା ର ଜୟ ଧ୍ବନିରେ ସବୁ ବେଦନା ଲୁଚିବାର ପ୍ରୟାସ କରୁଥିଲେ ବି ଲୁଚି ପାରୁ ନ ଥିଲା। ପେପରବାଲା ଏମନ୍ତ ଦୃଶ୍ଯର  ଫଟୋ ଉଠାଇଲା ବେଳେ ସେ ମୁହଁ ଟାକୁ ଢାଙ୍କି ପକେଇଲେ। ରାସ୍ତା ସାରା ବୋଲୁଅ, ଢେଲା ର ଅପୂର୍ବ ସମାଗମ। ଧାକୁଡୁ ଧାକୁଡୁ ଢାଇ ଢାଇ ହୋଇ ଶଗଡ ଚାଲିଛି। ବଦଳଙ୍କ ବେକରେ ବାଉଁଶ ତିଆରି ଘଣ୍ଟା ଢଁ ଢଁ ହୋଇ ବାଜି ଚାଲିଛି । ସେଇ ଘଣ୍ଟି ଶବ୍ଦ ସୂଚାଇ ଦେଉଛି ରାସ୍ତାର ଅବସ୍ଥା। ଶଗଡ ଉପରେ ନାମକୁ ମାତ୍ର ଗଦିଟିଏ ପଡିଛି, ଯେଉଁ ଥିରେ ମନ୍ତ୍ରୀ ମହୋଦୟଙ୍କ ବିଶାଳ ନିତମ୍ବ ମାଡି ହୋଇ ପଡିଛି। ଏତେ ମାତ୍ରାରେ ଛେଚା କୁଟା ହେବା କାରଣରୁ ହେଉ ବା ଅସହ୍ଯ ଖରା ପାଇଁ ହେଉ, ପେଟ ଭିତରେ ପ୍ରକୃତିର ଦୁଇ ନମ୍ବର ଡାକଟା ରହି ରହି ଶୁଭୁଛି। ରେଳଗାଡି ଷ୍ଟେସନ ଛାଡିବା ଆଗରୁ ପେଁ କାଳି ମାରିବା ପରି, କିଛି ସମୟ ଅନ୍ତରାଳରେ ମନ୍ତ୍ରୀ ଟିକେ ଉପରକୁ ଉଠି ପେଁ କାଳି ମାରିବାରେ ବ୍ଯସ୍ତ।  ଚାଟୁକାର ଟି ଏମନ୍ତ ବିଷାକ୍ତ ବାୟୁର ପ୍ରଭାବରେ ସଜ୍ଞାହୀନ ଅବସ୍ଥାକୁ ଆସିବା ଉପରେ। ଗାଁଆ ଭିତରେ ପହଞ୍ଚିବା ବେଳକୁ ମନ୍ତ୍ରୀଙ୍କର ଧୋତି ଭିତରର ଅବସ୍ଥା ଦୟନୀୟ, ଦଶ ବାରଟି ବଥ ଜନ୍ମ ନେବାର ସୂଚନା ସ୍ପଷ୍ଟ ଦିଶୁଛି। ବିରକ୍ତ ହୋଇ ଚାଟୁକାର କୁ କହିଲେ-- ଛିଃ କି କଦର୍ଯ୍ଯ ରାସ୍ତା। କାହା ନିର୍ବାଚନ ମଣ୍ଡଳୀ ଏଇଟା। ମୁଁ ମୁଖ୍ଯମନ୍ତ୍ରୀଙ୍କ ଆଗରେ ଫେରାଦ ଦେବି।
କୁଟୀଳିଆ ହସଟେ ଫିଙ୍ଗି ଚାଟୁକାର କହିଲା – କ୍ଷମା କରିବେ ହଜୁର୍। ଏଇଟା ପରା ଆପଣଙ୍କ ନିର୍ବାଚନ ମଣ୍ଡଳୀ। ନିଜ ବିଷୟରେ ଫେରାଦ ଦେଲେ କଥା ଟା ଟିକେ ଅସୁନ୍ଦର ହେବନି?
ସମ୍ମୁଖରେ ସ୍ବାଧୀନତା ସଂଗ୍ରାମୀ ଗୋବର୍ଦ୍ଧନଙ୍କୁ ଦେଖି ମନ୍ତ୍ରୀଙ୍କ ଧୋତି ଢିଲା ହେଲା ପରି ଲାଗିଲା। ତାଙ୍କ ପାଦ ତଳେ ପଡିବେ, ନା ହାତ ଯୋଡି ପ୍ରଣାମ କରିବେ ନା କଣ କରିବେ ଭାବିଲା ବେଳକୁ ଚାଟୁକାର କହିଲା-- ଆପଣ ହେଲେ ମନ୍ତ୍ରୀ, ତେଣୁ ଟିକେ ଗମ୍ଭୀର ହୋଇ ଓଠ ମେଲା ନ କରି ମନ୍ଦମନ୍ଦ ହସି ସଭା ଯାଗା କୁ ଚାଲିବା ହୁଅନ୍ତୁ।  ମନ୍ତ୍ରୀ ଚାରିଆଡକୁ ଆଖି ବୁଲେଇଲେ। ଗାଁଆ ସାରା ଲୋକ ଜମା ହୋଇଛନ୍ତି, କିନ୍ତୁ ସଭା ହେବ କେଉଁଠାରେ। ସାମିଆନା ଭିଡା ଯାଇନି, ଚଉକି ପଡିନି, ଡାକବାଜି ଯନ୍ତ୍ର ନାହିଁ। ପୁଣି ଚାହିଁଲେ ଚାଟୁକାର ଆଡକୁ। ସେ କିଛି ସମୟ ପରେ ଫେରି କହିଲା-- ଆଜ୍ଞା ସମ୍ପୂର୍ଣ୍ଣ ଗ୍ରାମୀଣ ଠାଣୀରେ ସଭା ହେବ। ଆପଣ ବସିବେ ଖଜୁରୀ ପତ୍ରରେ ନିର୍ମିତ ଚଟାଇରେ।  ପାଖରେ ବାକି ଭଦ୍ର ଲୋକ ବସିବେ। ଜନତା ଓ ସାମ୍ବାଦିକ ମାନେ ମାଟି ମାଆ କୋଳରେ ଲୋଟି ପଡିବେ। ସେମାନଙ୍କର ଆସ୍ଥାନର ଲୋଡା ନାହିଁ। ଚାଲନ୍ତୁ ଆଜ୍ଞା,ପ୍ରବଳ ଖରା ହେଲାଣି। ବିଳମ୍ବ କଲେ ମୁଣ୍ଡ ଚୁଟି ସବୁ ଫୁରୁସି ଯିବ। 
– ଯିବା ଯେ, କେହି ଥଣ୍ଡା  ପାଣି ଟୋପେ ବି ଦେଲେନି। ଜଳଖିଆ ଟିକେ ନ ଦେଲେ ନାହିଁ, ଲୁଣିଆ କାଜୁ ଟିକେ ତ ଦେବା କଥା। ସବୁଠାରୁ ଅସୁବିଧାଜନକ  ଘଟଣା ହେଲା, ସଭା ଜାଗାରେ ପଙ୍ଖା ଲାଗିନି। ଯାହା ହେଲେ ମୁଁ ମନ୍ତ୍ରୀ ଲୋକ। ହଉ ଛାଡ, ଚାଲ ସଭାକୁ।
– ଆଜ୍ଞା ପଙ୍ଖାର ଆୟୋଜନ ଟା  ପ୍ରାକୃ ତିକ ଢଙ୍ଗରେ କରାଯାଇଛି। ଆପଣ ବସିବା ଯାଗା ର ଉଭୟ ପଟରେ ଦୁଇଜଣ ଶଶକବଦନୀ କନ୍ଯା ହାତରେ ତାଳ ବିଞ୍ଚଣା ଧରି ଛିଡା ହୋଇଛନ୍ତି। ଆପଣ ଖାଲି ମାଟି ଉପରେ ଆସ୍ଥାନ ଜମେଇବା ପରେ ସେମାନେ ହେଲିକେପ୍ଟର ପରି ବିଞ୍ଚଣା ବୁଲେଇବାରେ ଲାଗିଯିବେ। ଚାଟୁକାର କହିଲା।
ସଭା କାର୍ଯ୍ଯ ଆରମ୍ଭ ହେଲା। ଚଟାଇ ଉପରେ ବଡ କଷ୍ଟରେ ମନ୍ତ୍ରୀ ପଦ୍ମାସନରେ ଚକାମାଣ୍ଡୁ ପାରି ବସିଲେ। ଗୋଡ ଓ ପୃଥୁଳ ଜଙ୍ଘ  ଦ୍ବୟ ନିଜ ଭିତରେ କଳି ତକରାଳ କରିବା ଆରମ୍ଭ କରିଦେଲେ। କାରଣ ଆଜି ଯାଏ , କେହି କାହା ଉପରେ ଚଢିବାର ଅବସର ଆସି ନ ଥିଲା।  ଶେଷରେ ମନ୍ତ୍ରୀ ଦୁଇ ଗୋଡ ମେଲା କରି, ପିଲା ଦେହରେ ମାଆ ତେଲ ଲଗାଇଦେବା ଭଙ୍ଗୀରେ ବସିବାକୁ ବାଧ୍ଯ ହେଲେ। ଜଣେ ଗ୍ରାମବାସୀ ତାଙ୍କ ହାତକୁ ପାଣି ଗିଲାସେ ବଢେଇଦେଲା। ପାଟିରେ ଦେଇ ଥୁଃ ଥୁଃ କରି ଫିଙ୍ଗିଦେଲେ। ଲୋକଟି ଦାନ୍ତ ନେଫେଡି କହିଲା – ଆମ ଗାଁଆ ପୋଖରୀ ପାଣି ଆଜ୍ଞା, ନଳକୂଅ କାମ କରୁନି ବୋଲି ଆମେ ଏଇ ପାଣି  ସବୁଦିନ ପିଉଛୁ।  ସେ ପୋଖରୀରେ ଗାଧୁଆ, ଲୁଗା କଚା, ଶୌଚକାମ ଓ ଗାଈ ପୋଢ ଧୂଆ କାମ ହେଲେ ବି ପାଣି ଶୁଖୁନି। ଆମ ପାଇଁ ତାହା ଅମୃତ, ଆପଣଙ୍କୁ କେମିତି ଲାଗିଲା ପାଣିର ସ୍ବାଦ?  କଣ ଗୋଟେ କହି ଆଣିଲା ବେଳକୁ ଚାଟୁକାର ଓଠରେ ମଝିରେ ବିଶି  ଆଙ୍ଗୁଠି ଠିଆ କରେଇ ଚୁପ୍ ରହିବାକୁ ଇସାରା ଦେଲା। ମନ୍ତ୍ରୀ ଗାରୁଗାରୁ କହିଲେ –- ଆରେ କିଏ କୁଆଡେ ଅଛ, ଟିକେ ମିନେରାଲ ପାଣି ଦିଅ। 
– ଆଜ୍ଞା, ଆପଣଙ୍କୁ ମିନେରାଲ ଖୋଜି ପିଇବାକୁ ପଡିବନି ବୋଲି, ସେବା ରେ  ପୁରା ଖଣି ପାଣି ଲଗେଇ ଦେଇଛୁ। ତା ଭିତରେ ଯାହା କୁ ଯେତେ ମିନେରାଲ ଖୁନ୍ଦି ହୋଇ ବସିଛନ୍ତି। ଯଦି କହିବେ ନଳକୂଅରୁ ପାଣି ଦେବୁ, କିନ୍ତୁ ସେ ପାଣିରେ ଚୁମ୍ବକ ବୁଡେଇ ପିଇବାକୁ ପଡିବ। ଆଜି ଯାଏ ଯେତିକି ଲୁହା ଗୁଣ୍ଡ ବାହାରିଲାଣି, ସବୁ ମିଶିଲେ ଛୋଟକାଟିଆ କୁତବମୀନାର ଟିଏ ଛିଡା ହୋଇଯିବ। କିଏ ଜଣେ ପଛ ପଟରୁ କହିଲା।
ସେତିକି ବେଳେ ନାରୀଟିଏ ହାତରେ ଗିଲାସଟିଏ ଧରିି ଆସିଲା। ମନ୍ତ୍ରୀଙ୍କୁ ଓଳଗି ହୋଇ କହିଲା-- ମାହାପୁରୁ, ଟିକେ ସରବତ ପିଇ ଦିଅନ୍ତୁ।  ଢୋକେ ସରବତ ପିଇ ମନ୍ତ୍ରୀ ଗିଲାସ ଟାକୁ ଫିଙ୍ଗି ଦେବାକୁ ବାହାରିଲେ, କିନ୍ତୁ ପୁଣି ସେ ଚାଟୁକାର ଟା ଛିଙ୍କିବାରୁ ତୁନି ହୋଇ ବସିଲେ। ଅତ୍ଯନ୍ତ ଭଦ୍ରତା ସହକାରେ ପଚାରିଲେ-- ଆଛା, ଭଉଣୀ ଏହା  କି  ରକମ ର ସରବତ। ପୃଥିବୀ ପୃଷ୍ଠର ଫଳରୁ ତିଆରି ନା ସ୍ବର୍ଗକୁ ନିଶୁଣୀ ପକେଇ ଫଳ ଆଣି ତିଆରି କଲ। ଏ ସରବତ ରେ ଚିନି ପଡେ, ନା ଲୁଣ ପଡେ ନା କଣ ପଡେ ଟିକେ କହିବ କି?
– – ହିଃ ହିଃ ମାଆଲୋ ମରିଯାଆନ୍ତି କି। ଆଜି ମନ୍ତ୍ରୀ ମୋ ସହ କଥା ହେଲେ। ନାରୀ ଟି  ଲାଜରେ ପାଚିଲା କଲରା ପରି ଦିଶିଲା। ଖୁସି ରେ ଗଦଗଦ ହୋଇ କହିଲା-- ଏ ସରବତର ନାମ କାନ୍ଧିପତରିଆ ସରବତ।
– ମାନେ?
– ମାନେ ଆଉ କଣ, ନଳକୂଅରୁ ବାଲଟି ରେ ପାଣି ଆଣିସାରି ସେଥିରେ ପୁଞ୍ଜେ କାନ୍ଧିଆ ପତ୍ର ଚକଟି ପକେଇବ। ତା ପରେ ଗିଲାସ ରେ ଢାଳି ଲୋକଙ୍କ ମୁହଁରେ ପାଟି ମେଲା କରି ଢାଳି ଦେବ। ଆମେ ତ ସବୁ ଦିନ ପିଲାଙ୍କୁ ସେମିତି ସରବତ ପିଆଉଛୁ। ଚିନି ପରି ମହରଗ ଜିନିଷ ଆମେ କୁଆଡୁ ପାଇବୁ। ଭଲ ଲାଗିଲା କି,  ଆଉ ଗିଲାସେ ଦେବି  !!!? ସ୍ନହରେ ଗଦଗଦ ହୋଇ କହିଲା ନାରୀ ଟି।
ଚାଟୁକାରଟିି ମନ୍ତ୍ରୀଙ୍କ ଅବସ୍ଥା ଦେଖି ହସିହସି ବେଦମ୍ ହୋଇ ଯାଉଥାଏ।  ସାମ୍ବାଦିକ ମାନେ ବି ଏପରି ଚର୍ଚ୍ଚାର ଭିତିରି ଅର୍ଥଟା ଭଲରେ ବୁଝି ସାରିଥିଲେ। କିନ୍ତୁ ମୁହଁରେ ଗାମ୍ଭୀର୍ଯ୍ଯତା ଉକୁଟାଇ ସେମାନେ ମନ୍ତ୍ରୀଙ୍କର ବିଭିନ୍ନ ଭଙ୍ଗୀର ଫଟୋ ଉଠାଇବାରେ ବ୍ଯସ୍ତ ଥିଲେ। ଟିକେ ଦୂରରୁ ବସି ଗୋବରା ସବୁ ଲକ୍ଷ୍ଯ କରୁଥାଏ । ସବୁ କାର୍ଯ୍ଯକ୍ରମ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ଚାଲିବାରୁ ସେ ଆଶ୍ବସ୍ତ ଥିଲା। ସେତିକି ବେଳେ ଲୋକଟେ ଦଉଡିି ଆସି କହିଲା – ଭାଇ ମାନେ ଦଉଡି ଚାଲ,  ସଭା ସେତିକି ରେ ଥାଉ। ତେଣେ କାନ୍ଦୁରୁ ବାରିକ ଘରେ ନିଆଁ ଲାଗିଗଲାଣି। ଘର ଭତରେ କଣ ଥିଲା କେଜାଣି ତାଳ ଗଛ ଏତିକି ଉଚ୍ଚାରେ ନିଆଁ ଫୁତକାର ମାରି ଜଳୁଛି।
  କଥାଟା ଶୁଣି ମୁହଁଟାକୁ  ବିଚିକୁଟିଆ କରି  ମନ୍ତ୍ରୀ   କହିଲେ--- ଆରେ କିଏ ସେ କାନ୍ଦୁରୁ ବାରିକ।
ଭିଡ ଭିତରୁ ଗୋବରା ବାହାରି କହିଲା-- ଆପଣ ଜାଣିବେନି ଆଜ୍ଞା, ଆପଣ ହେଲେ ଭୋଙ୍ଗସର୍ ବାସିନ୍ଦା। ସେ ବୁଢା ଆମ ଗାଁଆର ବାରିକ ଥିଲା,କେବେ ଠୁ ମଲାଣି। ତା ପୁଅ ସହରରେ କୀଳାପୋତେଇ କାମ କରି ଢେର୍ ଅଧର୍ମ ବିତ୍ତ ବଢେଇଏଇ ଘରେ ଠୁଳ କରୁଥିଲା।  ମୂଳ ସହିତ ସବୁ ଅଗ୍ନୀଦେବ ଗିଳିଦେଲେ।  ବ୍ଯସ୍ତ ହୁଅନ୍ତୁ ନାହିଁ, ଆମ ଗାଁଆରେ ଏମିତି ନିତି ଦିନ ନିଆଁ ଲାଗି ଘର ପୋଡେ, ଦମକଳ ବାଲା ବି ଆସନ୍ତିନି।  ଏ ନିଉଁଛୁଣିଆ ଗାଁଆ କୁ କିଏ ବା କାହିଁକି ଆସିବ। ସଭା କାମ ଆଗେଇବା। ଆପଣ ଭାଷଣ ଦିଅନ୍ତୁ, ତା ପରେ ଆମେ “କର୍ମବୀର ” ଉପାଧିଟା ଆପଣଙ୍କୁ ପ୍ରଦାନ କରିବୁ। 
ଗୋବରାର କଥା ଶେଷ ହେଲା ବେଳକୁ ମନ୍ତ୍ରୀ ଅତରଛିଆ ତତଲା ରାସ୍ତାରେ ଖାଲି ପାଦରେ  ଦଉଡୁଥିଲେ। “ମୋ ଘର ପୋଡିଗଲାରେ, ମୁଁ ବରବାଦ ହୋଇଗଲି, ଦମକଳ କୁଆଡେ ଗଲା, ପୋଲିସ କାଇଁ” ଡାକ ଛାଡିଲା ବେଳକୁ ଆଖିରୁ ଲୁହ ଧାର ବୋହି ଯାଉଥାଏ। ଚାଟୁକାର ଟି କଣ କରିବ ବୁଝି ନପାରି ମନ୍ତ୍ରୀଙ୍କ ପଛରେ ଦଉଡିଲା ଓ ତା ପଛରେ ସବୁ ସମ୍ବାଦିକ। 
ଗୋବରା ଗାଁଆ ଲୋକଙ୍କୁ କହିଲା-- କେମିତି ଲାଗିଲା “କର୍ମବୀର” ଉପାଧି ଟା। ପୁଅ ମୋ ସହ ଛୋପରାମୀ କରୁଥିଲା। ଏବେ ନିଆଁ ଲିଭଉଥିବ ଗୁଣ ଗାଉଥିବ।  ଲୋକେ କହିଲେ – ଗୋବରା ଟା ସ୍ବାଧୀନତା ସଂଗ୍ରାମୀ ନ ହେଲେ କଣ ହେବ, ବୁଦ୍ଧି ପୁରା ସଂଗ୍ରାମିଆଙ୍କ ପରି ପାଇଛି।
– ସମାପ୍ତ--

Wednesday, May 30, 2018

ଫେସବୁକିଆ ବାବା


             
ଲେଖକ- ଅରବିନ୍ଦ ରଥ

ଗୋଟିଏ  ଘର ଆଗରେ ଭୀଷଣ ଜନଗହଳି ଲାଗିଛି।  କେତେ ପ୍ରକାର  ଯୁବକ,ଯୁବତୀ,ଦରବୁଢା,ଦରବୁଢୀ ଓ ବୟସର ବିଭିନ୍ନ ସୋପାନରେ ଉପନୀତ ମନୁଷ୍ଯ ମାନଙ୍କର ଅପୂର୍ବ ସମାଗମ। ନିହାତି ଜଣେ ମହାପୁରୁଷଙ୍କର ବିଜେସ୍ଥଳୀ ହୋଇଥିବ। ନଚେତ୍ ପାହାନ୍ତି ପହରୁ ଏପରି  ଦୃଶ୍ଯ ଦେଖାଯିବାର ନଜିର ପ୍ରାୟ ନାହିଁ କହିଲେ ଚଳେ। ଟିକେ ଖୋଳତାଡ କରିବାରୁ ସବୁ କଥା ଜଣା ପଡିଗଲା। ସେ ଘର ଟି ସାଧାରଣ ଘର ନ ଥିଲା, ତାହା ଥିଲା ସ୍ବୟଂ ଫେସବୁକିଆ ବାବାଙ୍କର ଆସ୍ଥାନ। ସମାଜରେ ବିଭିନ୍ନ  ବାବା ମାନଙ୍କର  ଅଭ୍ଯୁଦୟ ସହିତ କୌଣସି ସମ୍ପର୍କ ନ ଥିଲା ଏହି ବାବାଙ୍କର। ସେ ଧର୍ମ  ବା ଭଗବାନଙ୍କ ନାମରେ ଲୋକଙ୍କୁ ଠକୁ ନ ଥିଲେ, ବା ବନ୍ଧ୍ଯା ଜନନୀ କୋଳରେ ପିଲା ଖେଳେଇବାର ପ୍ରତିଶୃତି ଦେଉ ନ ଥିଲେ।  ପୂଜା, ହୋମ, ଯଜ୍ଞ, ତାବିଜ,ତୁଟୁକା, ଗୁଣି ଗାରେଡି ବା ବଶୀକରଣ କାମ ମଧ୍ଯ କରୁ ନ ଥିଲେ। ତେବେ କଣ ଥିଲା, ବାବାଙ୍କର ମହିମା? କେଉଁଠାରୁ ତାଙ୍କର ଉତ୍ପତ୍ତି, ସେ ବିଷୟ ଜାଣିବାର ଆଗ୍ରହ ରୋକି ହେଲା ପରି ଲାଗୁନି। ତେବେ ଚାଲନ୍ତୁ ପ୍ରଥମେ ବାବାଙ୍କର ଧରାପୃଷ୍ଠରେ ଆବାହନର କାହାଣୀ କିଞ୍ଚିତ୍ ଜାଣିବା।
ରାଜ୍ଯର ମାନଚିତ୍ରରେ ସୋରିଷ ଦାନାଟିଏ ସମାନ ଜାଗା ଦଖଲ କରିଛି ମକୁନ୍ଦପୁର ନାମକ ଗ୍ରାମ। ସହର ଠାରୁ ଅନତିଦୂରରେ ଥିବା କାରଣ ରୁ, ସହର ଠାଣୀ  ଗ୍ରାମର ଲୋକମାନଙ୍କର ଅସ୍ଥି,ମଜ୍ଜାରେ ଠେସି ହୋଇ ପଶିଯାଇଛି। “ ବାପ କୁ ଡ୍ଯାଡି  ମାଆ କୁ ମମି, ଶୁଖା ଖଡଖଡ ପଡିଛି ଜମି” ସଂସ୍କୃତି ର ପ୍ରଚଳନ ଥିଲା ମକୁନ୍ଦପୁରରେ। ଘରେ ପଛେ ଚୁଲି ନ ଜଳୁ, ପିଲା ସକାଳୁ ଇଟିଲି, ଦୋଷା ଖାଇବାକୁ ରାହା ଧରି କାନ୍ଦିବ।  ପେଟ୍ରୋଲ  ପକେଇବାକୁ  ପଇସା ନ ଥିଲେ ବି ଭେଣ୍ଡିଆ ମାନେ ଚାନ୍ଦା କରି ଦଶ ଟଙ୍କାର ପେଟ୍ରୋଲ ପକେଇ ଫେରା ମାରିବେ। ଯୁବତୀ ପଛେ  ଗୁଣ୍ଡିଚିଦାନ୍ତୀ ଟେଣ୍ଟେଇଗୋଡୀ ହୋଇଥାଉ, ଚର୍ମଚିପା ଜାମା ପିନ୍ଧି ମନ୍ଦମନ୍ଦ ହସି ରାସ୍ତାରେ ଚାଲିବେ। ବୃଦ୍ଧମାନେ “ସତୁରୀ” ଶବ୍ଦରୁ "ହର୍ସ୍ବ ଉ" ଓ "ଦୀର୍ଘ ଇ" ମାତ୍ରାକୁ  ପରିତ୍ଯାଗ କରି ନିଜର ବୟସ କହିବେ।  ବର୍ଷର ଛଅଟି ଋତୁରେ ଆଖିରେ କଳା ଚଷମା ଲଗାଇ ବୁଲିବାର  ମହାନ ସଂସ୍କୃତି,ସେଇ ମକୁନ୍ଦପୁର ଗ୍ରାମରେ ପ୍ରଚଳିତ।
ସେହି ମହାନ ଗ୍ରାମରେ ଧଣ୍ଡୁଆ ସେଠୀର କୋଳମଣ୍ଡନ କରିଥିଲା  ଯୋଗ୍ଯପୁତ୍ର ଟିଙ୍ଗାଳୁ। ଦନ୍ଥଡା ଛୁରୀ ଓ ଢିମା ଢିମା ନାଲି ଆଖିର ବଳରେ କୌଣସି ମତେ ମେଟ୍ରିକ୍ ପାଶ କରି ଗାଆଁ କଲେଜ୍ ରେ ପାଠ ପଢିଲା।  କଲେଜ୍ ରେ ଉନ୍ନତ ମାନର ଗୁଣ୍ଡାମୀ ଓ ଛୋପରାମୀ ବଳରେ ବଳୀୟାନ ହୋଇ ପାଖାପାଖି ତିନି କୋଡି ପାଞ୍ଚ ପନ୍ଦର( ଆମ ଭାଷାରେ ଅଶି)  ପ୍ରତିଶତ ନମ୍ବର ରଖି ପାଶ୍ କଲା। କଲେଜ ପାଠରେ ମୁଣ୍ଡି ମାରି ସାରିବା ପରେ, ଧଣ୍ଡୁଆ ଟଙ୍କା ପେଡି ଖୋଲିଦେଲା। ଫଣା ହଲେଇ ଇଞ୍ଜିନିଗିୟର କଲେଜରେ ପଇସା ବିଷ ଫୁତକାର କଲା। ଟିଙ୍ଗାଳୁ ର ଭାଗ୍ଯ ଜୋର୍ ଥିଲା, ସହରରେ ଥିବା ଏକ କଲେଜ୍ ରେ ନାମ ଲେଖାଇବା ପାଇଁ ଖର୍ଚ୍ଚବାର୍ଚ୍ଚ ଛିଣ୍ଡିଗଲା ପରେ, ଟିଙ୍ଗାଳୁ ଗୋଟିଏ ଫଟଫଟିରେ କଲେଜ୍ ଯିବା ଆସିବା କଲା।  ନାମ ଲେଖା ସିନା ହୋଇଗଲା, କିନ୍ତୁ ପାଠର କଳେବର ଦେଖିଲା ପରେ ବିଚରା କିଛି ଦିନ ମେଡିକାଲରେ ପାଟି ମେଲା କରି ପଡିଲା। ଛୁଞ୍ଚି ବାଟେ ସାଲାଇନ୍ ଖାଇ, ମେଡିକାଲର ଛାତ କୁ ଚାହିଁ ତା ଭବିଷ୍ଯତ ବିଷୟରେ ଭାବିବାକୁ ଲାଗିଲା। ଇଞ୍ଜିନିଗିୟର  ପାଠର ହିଂସ୍ର ସିଂହରୂପ କାୟା ମନକୁ ଆସିବା ମାତ୍ରେ ବିଚରା ବିଛଣାର ଚଦର ବଦଳାଇବାକୁ ପଡୁଥିଲା।  ଡାକ୍ତର କହିଲେ ଘୋର ମାନସିକ ଚାପରେ ଟିଙ୍ଗାଳୁ ଚାପି ହୋଇ ମେଞ୍ଚା ହୋଇଯାଇଛି। ମୁଣ୍ଡ ଭିତର ଦହି ଚହଲି ଯାଇଛି ଓ ମସ୍ତିଷ୍କରେ ଥିବା କୁଞ୍ଚୁକୁଞ୍ଚିଆ ପଦାର୍ଥ ସବୁ ସ୍ଥାନେ ସ୍ଥାନେ ଢିଲା ହୋଇଯାଇଛି। ପ୍ରତିକାର କ’ଣ ବୋଲି ଧଣ୍ଡୁଆର ଜିଜ୍ଞାସା ହେବାରୁ ଡାକ୍ତର କହିଲେ-- କିଛି ଦିନ ପିଲା ଟାକୁ ଛାଡି ଦିଅ। ମୁଣ୍ଡର କିଚିମିଟିଆ ଚିଜ ସବୁ ସାଷ୍ଟାମ ହୁଅନ୍ତୁ ଓ ଚହଲା ଦହିଟା ବସିଯାଉ । ପିଲାଟିକୁ ଦେଖିଲେ ଲାଗୁଚି, ପାଠର ବୋଝ ଓ ଚିନ୍ତାରେ ଏପରି ହୋଇଛି। ଏକମାତ୍ର ବାଟ ହେଲା, ତା ଉପରେ ପାଠର ଚାପ ପ୍ରୟୋଗ କରନି। ତାକୁ ମହାଦେବଙ୍କ ଷଣ୍ଢ ପରି ଛାଡିଦିଅ। କିଛି ଦିନ ବୁଲାଚଲା କଲା ପରେ ସେ ବାଟ କୁ ଆସିବ। ସବୁ ଶୁଣି ସାରି ଧଣ୍ଡୁଆ ବୁଝିଲା ଯେ , ଡାକ୍ତର କହିଲେ ପୁଅକୁ ମହାଦେବଙ୍କ ଷଣ୍ଢ କରିଦିଅ। ଡାକ୍ତରଖାନାରୁ ଟିଙ୍ଗାଳୁ କୁ ନେଇ ଫେରିଲା ବେଳେ ସେ ଦଣ୍ଡେ ଶିବ ମନ୍ଦିର ଆଗରେ ରହିଲା। ପୁଅ ବେକରେ ଶିବଙ୍କ ପାଖରୁ ଫୁଲମାଳାଟେ ଆଣି ପକେଇ କହିଲା-- ପୁଅରେ ଡାକ୍ତର କହିଲେ ତୋତେ ମହାଦେବଙ୍କ ଷଣ୍ଢ କରିଦେବା ପାଇଁ ଓ ପାଠର ଚାପ ନ ଦେବା ପାଇଁ। ତୋ ପାଇଁ ତ ସବୁ ଆଣି ଦେଉଛି, ପାଠ ସବୁ ବ୍ଯାଗ୍ ବସ୍ତାନୀରେ ନ ରଖି ମୁଣ୍ଡଉଛୁ କଣ ପାଇଁ ଯେ ଚାପ ପଡୁଛି ? ହଉ ଛାଡ୍ ସେକଥା, ତୋ ଅବସ୍ଥା ତ ଗଲାଣି, ଭାଳିହେଲେ କି ଲାଭ ମିଳିବ। ମୋ ସୁନା ଟା ପରା, ତୁ ମହାଦେବଙ୍କ ଷଣ୍ଢ ହୋଇ କିଛିଦିନ ଚରିବୁଲି ଖିଆ ପିଆ କର, ରାତି ହେଲେ ମନ୍ଦିର ବାରଣ୍ଡାରେ ଗଡିପଡିବୁ। ଦିହ ଭଲ ହେଲେ ଘରକୁ ଆସିବୁ। ମୋ ଧନଟା ପରା, ଡାକ୍ତର ମୋ କାନେକାନେ ଏସବୁ କହିଛନ୍ତି। ତୋ ଜୀବନ ନାଟିକା କଥା,  ଟିକେ ଅନୁଲୋମ ବିଲୋମ ହୋଇ ଡାକ୍ତର କଥା ନ ମାନିଲେ ବେକ ମୋଡି ପଡିବୁ।  
ଟିଙ୍ଗାଳୁ ମନେମନେ ବହେ ହସିଲା ବାପାର ପଣ୍ଡିତିଆମି ଦେଖି।  ଭାବିଲା, ଭଲ ହେଲା,ଏବେ ଆରାମ ରେ ଜୀବନ ବିତିବ ମନ୍ଦିର ରେ। ପାଠଶାଠ ଚୁଲି କି ଯାଉ, କିଏ ପଚାରେ ସେ ଫାଲତୁ କଥା। କିନ୍ତୁ ସେ ଚଳିବ କେମିତି ସେ କଥା ଭାବୁଥିଲା। ବାପ କହି ଦେଇ ଯାଇଛି,ଚରିବୁଲି ଖାଇବା ପାଇଁ, ତା ପାଖରୁ କିଛି ଆଶା କରିବା ବୃଥା। ବରଂ ତା ବାପା ଶାନ୍ତିରେ ନିଶ୍ବାସ ମାରୁଥିବ। ଏତେ ବର୍ଷ ହେଲାଣି ଟିଙ୍ଗାଳୁ, ବାପକୁ ସହସ୍ର ଉପାୟରେ ହନ୍ତସନ୍ତ କରିଛି।  ଜୋକ ରକ୍ତ ଶୋଷିବା ପରି ଟଙ୍କା ସବୁ ଶୋଷି ନେଇଛି,  ବାପ ପକେଟ, ଆଲମାରୀ ଓ ଗଦି ତଳୁ। ସେତିକି ବେଳେ ଧଳାରଙ୍ଗର ମାରୁତି କାର୍ ଟିଏ ମନ୍ଦିର ପାଖ ପୋଖରୀ ଆଡକୁ ବୁଲିଲା। ଚାରି ଜଣ ଯୁବକ ଗାମୁଛା ପିନ୍ଧି ଅତରଛିଆ  ପଡିଆ ଭିତରେ ଦେଉଳ ଗଢିବାକୁ ଦୌଡିଲେ। ସେମାନେ ପୋଖରୀରେ ଶୌଚ ହେଲା ବେଳକୁ ଟିଙ୍ଗାଳୁ କୁ ଦେଖି ଚମକି  ପଡିଲେ। ଜଣେ ଆର ଜଣକୁ ଖେଞ୍ଚି କହିଲା
-- ଆରେ ଇଏ ମଣିଷ ନା ହାଡବାଇ ପିଶାଚ ନା ବସନ୍ତଋତିଆ ଆମ୍ବ ଗଛ।
–  ଶ୍ଯଃ, ତୁ ଟା ପାଗଳ ଟା । ମଣିଷ ଚିହ୍ନି ପାରୁନୁ ? କଣ କହୁଛୁ ?
– ଆରେ ଦେଖୁନୁ, ପିଲାଟାର ଚୁଟି  ସବୁ କେମିତି ଆମ୍ବ ଗଛର ନୂଆପତ୍ର କଅଁଳାରଙ୍ଗ ହୋଇଛି।  ସମୁଦାୟ ଓଜନ ପାଖାପାଖି ଅଠତିରିଶି କେଜି ହେବ ବୋଧେ। ଆଖି ଯୋଡିକ ଦେଖିଲେ ଲାଗୁଛି, ଯେମିତି ବିଲେଇ ମାଛ ଖାଇବାକୁ ମାଗୁଛି।  ବାଉଁଶକଣି ପରି ହାତ ଯୋଡିକରେ ମାଂଶପେଶୀ ଦେଖିଲେ ଲାଗୁଛି ପିଲାର ହାତ କୁ ନେଉଳ କାମୁଡି ଫୁଲେଇ ଦେଇଛି। ଗୋଡ ଯୋଡିକ ବଗ ଗୋଡ ପରି ନଳିଆ ଓ ମାଂସବିହୀନ।
– – ହଁ  ହେଲା ହେଲା, ସେତିକି ଥାଉ। ସବୁଯାଗା ରେ ତୋ ଇଣ୍ଟରନେଟିଆ ବୁଦ୍ଧି ଦେଖେଇବାର ଆବଶ୍ଯକତା ନାହିଁ। ଦର ଛଞ୍ଚା ହୋଇ ପୋଖରୀରେ ବସିଛେ, ଭୁଲି ଯାଉଛୁ ନା କଣ? ଜଲଦି ଚାଲ , ନହେଲେ ସିଆଡେ ବାହାଘର ସରିଯିବ।  ବାହାଘରର ମଧ୍ଯସ୍ଥି ଯଦି ବରସହିତ ନ ଯାଇ, ସାଙ୍ଗ ମାନଙ୍କ ସହ ଯିବ ଅବସ୍ଥା ଏଇଆ ହେବା ଛଡା ଅନ୍ଯଗତି ନାହିଁ।
– – ଯିବା  ଯେ, କିନ୍ତୁ ମୋ ଭବିଷ୍ଯବାଣୀ ଟା କେମିତି ସତ ହେଲା ଦେଖିଲ ତ? ମୁଁ କହୁଥିଲି ନା ଆଜି ଜଣେ ଏପରି ବ୍ଯକ୍ତି ସହ ଦେଖା ହେବ, ଯିଏ ଆମ ଚାରିଜଣଙ୍କ ଜୀବନର ଗତିପଥ ବଦଳାଇଦେବ।
– – ହଁ ରଖ୍ ତୋ ଭବିଷ୍ଯବାଣୀ ଜ୍ଯୋତିଷଙ୍କ ବାଛୁରୀ। ତାକୁ ଦେଖିଲେ ଲାଗୁଛି, ପାଖରେ ଫଟା ପାହୁଲାଏ  ନାହିଁ। ତା ପାଖରେ ପଇସା ଥିଲେ ତ ଚିଟଫଣ୍ଡରେ ଲଗେଇ ପଇସା ଟାଣି ହେବ। ପିଲା ର ଅବସ୍ଥା ବାରଗଣ୍ଡା ଦି କଡା ହେଲା ପରି ଲାଗୁଛି, ସିଏ ଆମକୁ କନ୍ଦମୂଳ ଟା ଉଦ୍ଧାର କରି ଜୀବନ ର ଗତିପଥ ବଦଳେଇ ଦେବ।
ଜଣେ ଝାମ୍ପୁଲା ମୁଣ୍ଡିଆ ଲୋକ, ଘଡଘଡ ସ୍ବର ରେ କହିଲା-- ଆରେ ତୁମେ ମାନଙ୍କ ଠାରୁ ମୋ କାମ ବେଶୀ। ଯଦି ମୁଁ ନ ଯିବି ବରକନ୍ଯାଙ୍କର ଫଟୋ ଉଠେଇବ କିଏ, ଆଲବମ୍ କେମିତି ହେବ, ବାହାଘର କ୍ଯାସେଟ୍ କେମିତି ହେବ। ମୋର ଶୀଘ୍ର ଯିବା ଦରକାର।
ପ୍ଯାଣ୍ଟ ସାର୍ଟ ପିନ୍ଧି ସଜବାଜ ହେବା ଭିତରେ ଟିଙ୍ଗାଳୁ ସହ ସେ ଚାରି ଜଣ ଲୋକଙ୍କର ପରିଚୟ ଓ ଭାବର ଆଦାନ ପ୍ରଦାନ ସରିଥିଲା।  ବେଦନାଭରା କାହାଣୀ ଶୁଣି ଆଖି ଛଳଛଳ କରି , କାର ର ପଛ ସିଟ୍ ରେ ଜାଗା ଦେଇ ଚାରିଜଣ ଲୋକ ମହାଦେବଙ୍କ ଷଣ୍ଢକୁ ପ୍ରଥମେ ସେ ବାହାଘର ଓ ପରେ ସହର କୁ ନେଇଗଲେ।  ବିଭିନ୍ନ କ୍ଷେତ୍ରରେ ଅଗାଧ ପାଣ୍ଡିତ୍ବର ଅଧିକାରୀ ଥିବା ଚାରିଜଣ ଗୁରୁଙ୍କ ଗହଣରେ ନିଜକୁ ପାଇ କୃତ୍ଯକୃତ୍ଯ ହୋଇ ଉଠୁଥିଲା ଟିଙ୍ଗାଳୁ।
କିଛିଦିନ ଅନ୍ତରାଳରେ ମହାଦେବଙ୍କ ଷଣ୍ଢ ଧଣ୍ଡୁଆ କବାଟରେ କରାଘାତ କଲେ। କବାଟ ଖୋଲି ଧଣ୍ଡୁଆର ଆଖି ଫାଡି ହୋଇଗଲା ପରି  ଲାଗିଲା। ସମ୍ମୁଖରେ ଛିଡା ହୋଇଥିଲେ ଜଣେ ଲଣ୍ଡିତ ମସ୍ତକ, କାନରେ କୁଣ୍ଡଳ ଓ ବେକରେ ମାଳା  ପରିହତ, ଧବଳବସ୍ତ୍ରରେ ଆଚ୍ଛାଦିତ, ଅଳ୍ପ ଶ୍ମଶୃଧାରୀ ଯୁବକ। ଦୁଇ ଭୃଲତାର ମଧ୍ଯରେ ଶୋଭା ପାଉଛି ହନୁମାନଙ୍କ ନାରଙ୍ଗୀ  ସିନ୍ଦୁର ର ଠିଆ ଟୀକା। ଶରୀରରୁ ଆଭା, ହ୍ଯାଲୋଜେନ୍ ବିଜୁଳିବତୀ ପରି ବିଚ୍ଛୁରିତ ହେଉଛି। କର୍ପୂର ବାସ୍ନାରେ ସ୍ଥାନଟି ପୂଜାସାମଗ୍ରୀ ଦୋକାନ ପରି ମହକି ଯାଉଛି। ଗୋଟିଏ ହାତରେ ରୁଦ୍ରାକ୍ଷମାଳା ଓ ଅନ୍ଯ ହାତଟିରେ ଗୋଡଭଙ୍ଗା ପିଢା ସଦୃଶ କିଛି ଜିନିଷ।  ହାତର ଦଶଟି ଆଙ୍ଗୁଠିରେ ପଥରବସା ମୂଦିର ଅପୂର୍ବ ସମ୍ଭାର ଓ ମଣିବନ୍ଧରେ “ଓଁ” ଲିଖିତ ଏକ ହାତଚେନ୍।  ପଦ୍ମ ପରି ପାଦ ଯୁଗଳ କାଷ୍ଠନିର୍ମିତ କଠଉରେ ଉପବିଷ୍ଟ ହୋଇଛନ୍ତି। ଆଗନ୍ତୁକଙ୍କୁ ଦେଖି ଧଣ୍ଡୁଆ ପାଟିରୁ ଅଜାଣତରେ ବାହାରିଗଲା-- କୁଆଡେ ଗଲୁ ଲୋ ତଣ୍ଟିଫୋଡି, ଦଉଡି ଆସେ। ଆମ ଘର ଆଗରେ ମାହାପୁରୁ  ଛିଡା ହୋଇଛନ୍ତି। ତାଙ୍କ କୃପା ହେଲେ ଆମ ଟିଙ୍ଗାଳୁ ଫେରିଆସିବ।  ଚୁଲିରେ ଗୋବର ଲେପୁଥିବା ଜଣେ ବିଶାଳକାୟୀ ନାରୀ ମେଦିନୀଫଟା ଦୁମ୍ ଦୁମ୍ ନାଦ ରେ ଦଉଡି ଆସି, ଆଗନ୍ତୁକଙ୍କୁ ଦେଖିଲେ। କିଛି ସମୟ ପରେ ଧଣ୍ଡୁଆର ଲଣ୍ଡା ମୁଣ୍ଡଟିରେ, ଦୁଇଟି ଗୋବର ଲଗା ପାପୁଲି ର ଚିହ୍ନ   ଉକୁଟି ଉଠିଲା।
– – ତୁମ ମୁହଁ କୁ ଲାଜ ନାହିଁ ଯାହା, ନିଜର ଗୋଟେ ବୋଲି  ପୁଅ କୁ ଚିହ୍ନି ପାରୁନ? କେଜାଣି,  ତୁମର କେତେ ଯାଗା ରେ ମାଇପ ଥିବେ, କେତେ ପିଲା ଥିବେ, ନୋହିଲେ ମୋ ଏକୋଇ ର ବଳା ବିଶିକେସନ କୁ ଚିହ୍ନି ପାରନ୍ତନି?
ଧଣ୍ଡୁଆ ପୁଅକୁ ବଲବଲ କରି ଦେଖୁଥିଲା। ତାକୁ ମହାଦେବଙ୍କ ଷଣ୍ଢ କରି ଛାଡିଥିଲା, କିନ୍ତୁ ସେ ଫେରିଲା ବାବା ହୋଇ। ହାଏ ରେ କପାଳ। କେତେ ବଡ ଭୁଲ୍  ହୋଇଗଲା। ଏବେ ସେ ଯୌତୁକ ପଇସା ଓ ସୁନା ଗହଣା କେମିତି ଝଡେଇବ। କେମିତି ନାତି ନାତୁଣୀଙ୍କ ସହ ଖେଳିବ। ତଣ୍ଟିଫୋଡିର ସେବା କୋଉ ବୋହୂ କରିବ ? ପିଲାଟା ଓଥରା ରହିଥିଲେ ଚଳିଥାଆନ୍ତା ; ଏକା ବେଳକେ ବାବା ହୋଇଗଲା। କେତେ କଣ ଚିନ୍ତା ତା ମୁଣ୍ଡ ଭିତରେ  ବ୍ରାହ୍ମଣୀ ବେଙ୍ଗ ପରି ରଡାକୀଳା କରୁଥିଲେ। ସେ ନିର୍ମିନେଷ ନୟନରେ ସେ ଗୋଡ ଭଙ୍ଗା ପିଢାଟିକୁ ଦେଖୁଥିଲା। ସନ୍ଦେହମୋଚନ କରି ପୁଅ ବୁଝାଇଦେଲା ଯେ ସେ ଫେସବୁକ୍ ବାବା ହୋଇ ଫେରିଛି। ସେ ଜିନିଷ ଟା ପିଢା ନୁହଁ, ତାକୁ ଲାପଟପ୍ କୁହନ୍ତି। ମାନେ ତାହା ଗୋଟିଏ କଂପ୍ଯୁଟର। ତଥାପି ବାପର ଆଖିରେ ଅବୁଝାପଣର ଲେଞ୍ଜରା ଦେଖି ସେ ଚୁପ୍ ରହିବାକୁ ଠିକ୍ ମନେକଲା। କାରଣ ଧଣ୍ଡୁଆ ତାଙ୍କ ଗାଁଆ ଚାଟଶାଳୀର ଓକ୍ସଫୋର୍ଡ ଫେରନ୍ତା ମହାଜ୍ଞାନୀ, ତାକୁ ବୁଝାଇବା ଯାହା ସମୁଦ୍ର ଭିତରୁ ପାଣି ଓଝାଳିବା ସେୟା।
ଦିନ କେତେଟା ଭିତରେ ଗାଆଁ ପାଖ ବରଗଛ ମୂଳରେ ଫେସବୁକ ବାବାଙ୍କ ଆଶ୍ରମ ଖୋଲିଗଲା। ବାବା ଗୋଟିଏ ବଖରାରେ ଲ୍ଯାପଟପ୍ ଖୋଲି ବସିଲେ। ତାଙ୍କର ଚାରିଜଣ ସହରୀ ଲୋକ ବି ଆଶ୍ରମରେ ପଦାର୍ପଣ କଲେ। ଆଶ୍ରମର ସେବା ଗୋଟିଏ ପଇଡ ପରି ଥିଲା। ଅର୍ଥାତ୍, ପଇଡରୁ ପାଣି ପିଇ ହେବ ତା ପରେ ନାଳି ଖାଇ ହେବ। କତା ରେ ଝୁଣା ଦେଇ ହେବ, ଝୋଟ ତିଆରି କରି ପାପୋଛ, ଗଦି କରିହେବ। ପଇଡ ପାକଳ ହେଲେ ନଡିଆ ରୂପେ ପୂଜାରେ ନୋହିଲେ ରୋଷେଇରେ ବ୍ଯବହାର କରିହେବ। ନଡିଆରୁ ତେଲ କାଢି ହେବ, ନଡିଆ କୋରା କରିହେବ।  ନଡିଆର ସଦୁପଯୋଗ କରିସାରିବା ପରେ ଜାଳ ମଧ୍ଯ କରିହେବ। ଠିକ୍, ସେପରି ଆଶ୍ରମରେ ଯୋଗ ଶିକ୍ଷା, ଜ୍ଯୋତିଷ ଗଣନା, ଫଟୋ ଉଠା, ଇଣ୍ଟରନେଟ୍ ସେବା , ଫେସବୁକ୍ ର ଯାବତୀୟ ସେବା ଯୋଗାଇ ଦିଆ ଯାଉଥିଲା।
 ଫେସବୁକ୍ ବିଭାଗ ଟି ବାବା ନିଜ ହାତରେ ରଖିଥିଲେ। ଅଗଣିତ ଭକ୍ତ ମାନଙ୍କର ଫେସବୁକ୍ ଜନିତ ସମସ୍ଯାର ସମାଧାନ ଅଚିରେ କରି ପାରୁଥିଲେ। ମୋବାଇଲରେ ଫେସବୁକ୍ ର ଖାତା ଖୋଲିବା, ନାମ ଦରଜ କରିବା, ଖାତା ସଂଚାଳନ କରିବା, ବାର୍ତ୍ତା ପଠାଇବା, ଚିତ୍ର ଉତ୍ତୋଳନ କରି ଫେସବୁକ୍ ରେ ଛାଡିବା ଆଦି କାମରେ ଭକ୍ତ ମାନଙ୍କୁ ମାର୍ଗଦର୍ଶନ ଦେଉଥିଲେ। ଏହା ବ୍ଯତୀତ, ଭକ୍ତଙ୍କ ଫେସବୁକ୍ ଖାତା ରେ କିପରି ପସନ୍ଦର ବେଶୀ ବୁଢା ଆଙ୍ଗୁଠି ଟେକା ଚିହ୍ନ ଆସିବ, ସେମାନଙ୍କର ଫଟୋ ଓ ଚଳତ୍ ଦୃଶ୍ଯ ବେଶି ଲୋକଙ୍କ ପାଖକୁ ବଣ୍ଟାବଣ୍ଟି ହୋଇଯିବ ଆଦି କାମରେ ବାବା ନିଜେ ପ୍ରତ୍ଯକ୍ଷ ସହାୟତା କରୁଥିଲେ। ଫେସବୁକ୍ ଖାତାର ମୁଖମଣ୍ଡଳରେ କିପରି ଅତି ସୁନ୍ଦର ଫଟୋଟିଏ ଲାଗିବ, ସେ ଜିନିଷ କ୍ଯାମେରାମ୍ଯାନ ଙ୍କ ସହାୟତା ରେ ହେଉଥିଲା।  ଫଟୋଟିଏ ଉଠାଇବା ପରେ ସେ ବେଶ୍ କିଛି ସମୟ କଂପ୍ଯୁଟର ପରଦା ସାମନା ରେ ଆଖି ଫାଡି ବସୁଥିଲେ ଓ ମୂଷିକ ନାମକ ସାନ ଯନ୍ତ୍ର କୁ ଆଗପଛ କରି ଫଟୋ କୁ ଜୀବନ୍ତ କରି ତୋଳୁଥିଲେ। ତାଙ୍କ ହାତର ଯାଦୁ ଏପରି ଥିଲା ଯେ, ଢେଲି ଆଖିଆ,  ବେଲ କପାଳିଆ, ସୁକୁଟୀ ଗାଲି, ବେହେଡାଦାନ୍ତୀ, କୋଇଲା ରଙ୍ଗିଆ ଝିଅଟିର ଫଟୋ ମୃଗନୟନୀ, ମସୃଣଗାଲୀ, ମୁକ୍ତାଦାନ୍ତିଆ, ପୁନେଇଚାନ୍ଦ ରଙ୍ଗିଆ ରେ ପରିବର୍ତ୍ତିତ ହେଉଥିଲା। ଟିକେ ବେଶୀ ଗାନ୍ଧୀମୁଣ୍ଡଙ୍କର ଦର୍ଶନ କରାଇଲେ  ମୁହଁର ପ୍ରତ୍ଯକଟି ଅଙ୍ଗ କୁ ବଦଳ କରି ହିରୋଇନ୍ ମାନଙ୍କର ଅଙ୍ଗ ଯୋଡା ଯାଇପାରୁଥିଲା । ସେମିତି କି, କେର୍କଣ୍ଟୀ ନାଏକର ମିଞ୍ଜିମିଞ୍ଜିଆ ଆଖି ଯୋଡିକ ବଦଳ କରି ମାଧୁରୀ ଦିକ୍ଷିତ ଆଖି ଲାଗିଗଲା, ଶୁଖିଲା ଓଉଫଡା ପରି ଓଠ କୁ ବଦଳ କରି ଶ୍ରୀଦେବୀ ଓଠ ଲାଗିଗଲା। କହିବା ବାହୁଲ୍ଯ ଯେ, କେତେ ସୁକୁଟି ସାହୁ ସେଇ ଫେସବୁକ୍ ବାବାଙ୍କ କୃପାରୁ ଆଞ୍ଜଲ ପ୍ରିୟା ହୋଇ ହାତ କୁ ଦି ହାତ ହୋଇ ଗାଁଆ ଛାଡିଛନ୍ତି। କେବଳ ପିଲା ନୁହଁନ୍ତି, ବୟସ୍କ ଲୋକ ମାନେ ବି ବାବାଙ୍କ ପାଖରେ ଭିଡ ଜମାନ୍ତି। ସେମାନଙ୍କ ପାଇଁ ଦର୍ଶନୀ ଟା ଟିକେ ଅଧିକା ଲାଗେ। ବୟସ ଓ ନାମ ଲୁଚାଇ, ସେମାନଙ୍କର ଖାତା ଖୋଲା ଯାଏ ଓ ନୂତନ ନାରୀ  ବନ୍ଧୁ ମାନଙ୍କ ସହ ଚିହ୍ନା ପରିଚିତ କରାଇ ଦିଆଯାଏ। ଥରେ ଦୁଇ ଥର ମୋବାଇଲରେ ଖୁଡୁରୁ ଖାଡର ଲେଖାଲେଖି କରି ହାତ କାଟିଲେ ପୁଣି ସେମାନେ ବାବାଙ୍କ ପାଖକୁ ଦଉଡନ୍ତି। ବାବାଙ୍କର ସ୍ବତନ୍ତ୍ର ଫୋନ୍ ରେ ଭକ୍ତ ମାନଙ୍କୁ ନାରୀ ମାନଙ୍କ ସାଙ୍ଗରେ କଥାଭାଷା ବି କରାଇ ଦିଆଯାଏ। ଅବଶ୍ଯ ସେଥିପାଇଁ ଟିକେ ଖର୍ଚ୍ଚ ଅଧିକା ଲାଗେ। ବୟସ୍କ ଭକ୍ତ ମାନଙ୍କର ସେ ଆଡକୁ ଖାତିର୍ ନାହିଁ। ଚୁଟି ଝଡି ଗଲା ପରେ ଯଦି ଯୁବତୀ ମାନଙ୍କ ସହ ମନଖୋଲା କଥା ହେବାର ସୁଯୋଗ ମିଳୁଛି, ପଇସା କଥା ପଚାରେ କିଏ?ପଇସା ତ ହାତ ର ମଳି, ଆଜି ଗଲା ପୁଣି କାଲିକି ଫେରିବ।
କେବଳ ସେତକି ନୁହଁ, ବାବାଙ୍କ ମହିମାରୁ ଭକ୍ତ ମାନଙ୍କ ପାଇଁ ବିଭିନ୍ନ ଶିକ୍ଷଣୀୟ କାର୍ଯକ୍ରମର ଆୟୋଜନ ମଧ୍ଯ କରାଯାଇଥାଏ। କିଛିଦିନ ଅନ୍ତରାଳରେ ପ୍ରାଦେଶିକ ଫେସବୁକିଆ ବନ୍ଧୁମିଳନ କାର୍ଯ୍ଯକ୍ରମ ହୁଏ। ବିଭିନ୍ନ ଫେସବୁକ୍ ଖାତାଧାରୀ ମାନଙ୍କ ମଧ୍ଯରେ ଚିହ୍ନା ଜଣା କରାଇ ସାରିବା ପରେ, ଫେସବୁକ୍ ର ଭବିଷ୍ଯତ, ଉନ୍ନତ କାର୍ଯ୍ଯକାରୀତା ଓ  ବିଭିନ୍ନ ଫେସବୁକ ସମ୍ପର୍କିତ ବ୍ଯକ୍ତିଗତ ସମସ୍ଯା ବିଷୟରେ ଆଲୋକପାତ କରାଯାଏ। ଯଦି କୌଣସି ଭକ୍ତ ଶତ ଚେଷ୍ଟା ପରେ ମଧ୍ଯ ବନ୍ଧୁଟିଏ ନ କରି ପାରିଲା, ଆଶ୍ରମରେ ଉପଲବ୍ଧ ଜ୍ଯୋତିଷ ସେବା ଯୋଗାଇ ଦିଆଯାଏ। ଗ୍ରହ ପଥର, ମୁଦି, ତୁଟୁକା, ବଶୀକରଣ ମାଳା ସବୁ ମିଳେ ଆଶ୍ରମରେ।  ଭକ୍ତ ଟି ଆଶ୍ଚର୍ଯ୍ଯ ହେବାକୁ ବାଧ୍ଯ ହୁଏ। କାରଣ ହାତରେ ମୁଦି ପିନ୍ଧି ସାରିବା ବେଳକୁ ଫେସବୁକ ଖାତାରେ ଦଶ କି  ପନ୍ଦର ବନ୍ଧୁ ଅନୁରୋଧର ସୂଚନା ଟୁଁ ଟାଁ କରି ଚାଲିଆସିଥାଏ।  ଟଙ୍କା ଖର୍ଚ୍ଚ ହେଲେ ପରବାୟ ନାହିଁ। କାରଣ, ଆଶ୍ରମରେ ବାବାଙ୍କର ଜଣେ ସହଯୋଗୀ ଦଶ ନେଲେ ମାସକରେ ଶହେ ଫେରାନ୍ତି।  ଭକ୍ତେ କୁହନ୍ତି – “ଚିଟାଫାନ୍ଦ”  କଲେ ପଇସା ବଢି ଯାଏ, ନଦୀରେ ବର୍ଷାଦିନେ ପାଣି ବଢିଲା ପରି। ଭକ୍ତ ମାନେ ଫେସବୁକ୍ ସେବା, ଜ୍ଯୋତିଷ ସେବା, ଫଟୋ ଉଠା ସେବା ଓ ଟଙ୍କା ବଢା ସେବା ପାଇ ନିଜକୁ ଧନ୍ଯ ମନେ କରୁଥିଲେ। ଖୁବ୍ କମ୍ ଦିନ ଭିତରେ ଗାଁଆର ଅର୍ଦ୍ଧାଧିକ ସେନ୍ତେରି, ଛେନ୍ତେରି, ଦାନ୍ତୁରି, ବାନ୍ଦରି, ଟେଁଟେଁଇ ଗୋଡୀ, ଟୁହିଁ ପେଟିଆ, ସୁକୁଟା ଗାଲି ଝିଅ ଫେସବୁକ୍ ବାବାଙ୍କ ଦୟାରୁ ବାହା ହୋଇ ଗାଁଆ ଛାଡିଲେ। ସେହିପରି, ନଳିଗୋଡିଆ, ଥନ୍ତଲ ପେଟିଆ, ଟଁଇଁସିଆ,  ସୁକୁଟା ଛାତିଆ, ବେହେଡା ଦାନ୍ତିଆ, ଏଣ୍ଡୁଅ ମୁଣ୍ଡିଆ, ଟେରା, କଣା, କୂଜା ଟୋକା ମାନଙ୍କ ଘରେ ସଞ୍ଜ ବେଳେ ଓଢଣୀ ପକେଇ ବୋହୂ ମାନେ ସଞ୍ଜ ବତୀ ଜାଳିଲେ। ମନୋହରୀ ଦୋକାନ ରୁ ଚୁଟିରଙ୍ଗ କଳା କରିବା ଚିଜ ର ବିକ୍ରି ଆଶାତୀତ ଭାବରେ ବଢିଗଲା। ବୟସ୍କା ମାନଙ୍କ ପାଇଁ ରାତି ପିନ୍ଧା ଢିଲା ଜାମା ଯାହାକୁ ନାଇଟି କୁହନ୍ତି, ତାହାର ବିକ୍ରି ମଧ୍ଯ ବଢିଗଲା।  ବାବାଙ୍କର ଖ୍ଯାତି ବଢି ଚାଲିଲା ଓ ତା ସହ ବଢି ଚାଲିଲା ବାବା ଓ ସହଯୋଗୀଙ୍କ ବ୍ଯାଙ୍କରେ ପଇସା ର ଥାକ। ଗାଁଆ ସାରା ଲୋକେ କାମ ଧାମ ବନ୍ଦ କରି ଦିନରାତି ମୋବାଇଲ ଧରି ବସିଲେ, ନ ହେଲେ ବାବାଙ୍କ ଆଶ୍ରମରେ ଡେରା ପକାଇଲେ। ମୋବାଇଲ୍, ସିମ୍ କାର୍ଡ, ଚାର୍ଜର, ବ୍ଯାଟେରୀ ଆଦିର ବିକ୍ରି କାହିଁ କେତେ ଗୁଣ ବଢିଗଲା। ଲୋକେ ଟିଉସନ ପଢି ଅକ୍ଷର ଶିଖିଲେ ଫେସବୁକ୍ ରେ ଖାତା ଖୋଲି ଗପସପ କରିବା ପାଇଁ। ଅବସ୍ଥା ଏପରି ହେଲା ଯେ ମାଆ ଫେସବୁକ୍ ରେ ସନ୍ଦେଶ ଦେଲା ବାପ ଓ ପିଲା ମାନଙ୍କୁ ଯେ – – ଖାଇବା ବଢା ଯାଇଛି ଆସ ଖାଇବ। ଲୋକେ ଫେସବୁକ୍ ର ମୁଖମଣ୍ଡଳରେ ନିଜ ଚହଟ ଚିକ୍କଣ ଫଟୋ ଦେଖି ଏତେ ବିମୋହିତ ହୋଇଯାଇଥିଲେ ଯେ ଘର ଗୁଡିକର ଆରସୀ ଉପରେ ଧୂଳି ବସିବାକୁ ଆରମ୍ଭ କରି ଦେଇଥିଲା।
ଦିନେ ଅଚାନକ୍ ରାତି ଅଧିଆ ପୋଲିସ୍ ଆସି ବାବା ଓ ତାଙ୍କ ସହଯୋଗୀ ମାନଙ୍କୁ ନିର୍ଧୁମ ଛେଚି ରାସ୍ତାରେ ଚଲାଇ ଚଲାଇ ନେଲା। କିଛି ଭକ୍ତ ପ୍ରତିବାଦ କରିବାରୁ, ସେମାନେ ମଧ୍ଯ ପ୍ରସାଦ ଟିକେ ଟିକେ ପାଇଲେ ପୋଲିସ୍ ପାଖରୁ। ଘଟଣା ର ବିବରଣୀ ତା ପର ଦିନ ସକାଳୁ ଜଣା ପଡିଲା।
ସହରର ଜଣେ ଫେସବୁକିଆ ଭକ୍ତିନୀ ପୋଲିସ୍ ପାଖରେ ଆପତ୍ତି କଲେ ଯେ ତାଙ୍କର ମୁଣ୍ଡ ଅନ୍ଯ ଜଣେ ଫୁଙ୍ଗୁଳା ବିଦେଶୀ ନାରୀର ଦେହରେ କେମିତି ଯୋଡି ହୋଇଯାଇଛି ଓ ସେଇ ଫଟୋଟା ତାଙ୍କ ଫେସବୁକ୍ ଖାତାରେ ସମସ୍ତଙ୍କୁ ପ୍ରଣାମ ଜଣାଇ କହୁଛି-- ମୋ ପାଖକୁ ପଇସା ନେଇ ଆସ। ପୋଲିସ୍ ଅକଲ ଗୁଡୁମ୍ ମାରିଦେଲା, ଇଏ କି ପ୍ରକାରର ଅପରାଧ ବୋଲି। ଶିବ ସିନା ଦେବତା ବୋଲି  ତାଙ୍କ ପୁଅର ମୁଣ୍ଡ କାଟି ହାତୀ ମୁଣ୍ଡଟେ ଯୋଡିଦେଲେ, ଏ ମଣିଷ ମାନେ ବି ଏମିତି କରି ପାରୁଛନ୍ତି ? ଶେଷରେ ଜ୍ଞାନୀ ପୋଲିସ୍ ଆସି ଛାନଭିନ୍ କଲା ପରେ ଘଟଣା ପଦାକୁ ଆସିଲା। ସେ ମୁଣ୍ଡ ଯୋଡା କାମ ଟା ବାବାଙ୍କ ଲାପଟପ୍ ରେ ହୋଇଥିଲା। ବାବା ଏମିତି କରି ଲୋକଙ୍କୁ ବ୍ଲାକମେଲ୍ କରି ପଇସା ରୋଜଗାର କରୁଥିଲା। କ୍ଯାମେରାମ୍ଯାନ ମହୋଦୟ ଝିଅ ମାନଙ୍କର ବିଭିନ୍ନ ଭଙ୍ଗୀର ଫଟୋ ଉଠାଇବା ପରେ,  ଇଣ୍ଟରନେଟ୍ ଓ କଂପ୍ଯୁଟରରେ ପାରଦର୍ଶୀତା ଥିବା ବାବାଙ୍କ ସହଯୋଗୀ, କଂପ୍ଯୁଟର ମାଧ୍ଯମରେ ସେମାନଙ୍କର ଆଗରେ, ପଛରେ, ତଳେ ଫୁଙ୍ଗୁଳା ପିଲାଙ୍କୁ ଛିଡା କରାଇ ଫଟୋର ନକଲ କରିଦେଉଥିଲେ।  ଝିଅ ମାନଙ୍କୁ ପଇସା ଦେବାର ଭୟ ଦେଖାଉଥିଲେ ଓ ହେଳା କଲେ ସେ ଫଟୋ କୁ ବିଭିନ୍ନ  ଫେସବୁକ୍ ଖାତା ରେ ଛାଡି, ପଇସା କମଉଥିଲେ।  କିଛି ଝିଅଙ୍କୁ ପଇସା ଦେଇ ପାଖରେ ରଖିଥିଲେ ଓ ବୟସ୍କ ଲୋକ ମାନଙ୍କ ସହ ଫେସବୁକ ଓ ଫୋନରେ କଥା କରାଉଥିଲେ। ଅଧିକା ପଇସା ଟାଣି ଝିଅ ମାନଙ୍କୁ ସେ ଲୋକ ମାନଙ୍କ ପାଖକୁ ମଧ୍ଯ ପଠାଉଥିଲେ। କେବଳ ସେତିକି ନୁହଁ, ଜ୍ଯୋତିଷ ବାବୁ ଓ ଚିଟ୍ ଫଣ୍ଡବାବୁ ମଧ୍ଯ ଧମକ ଚମକ ଦେଇ  ଭକ୍ତ ମାନଙ୍କଠାରୁ ପଇସା ଟାଣୁଥିଲେ। କିଏ ଅରାଜି ହେଲେ, ସେମାନଙ୍କର ଗୁପ୍ତ କଥା ବାହାରେ ପ୍ରଘଟ କରିଦେବାର ଭୟ ଦେଖାଉଥିଲେ।
ଫେସବୁକ ବାବାଙ୍କୁ ପୋଲିସ୍ ବାନ୍ଧିନେବା ପରେ, ଗାଁଆର ପ୍ରତି ଘରେ ପୁରୁଷ ମାନଙ୍କର ମୁଣ୍ଡରେ ଅଗଣିତ ଆବୁ ଜନ୍ମ ନେଲା। ସୁକୁଟା ଗାଲ ଗୁଡିକ ନାଲି ପଡି ଫୁଲିଗଲେ। ଓୌଷଧ ଦୋକାନରୁ ଡେଟଲ୍, ସାଭଲନ୍, ବ୍ଯାଣ୍ଡେଜ୍, ହ୍ଯାଣ୍ଡିପ୍ଲାଷ୍ଟ ଓ ପୀଡା ନିବାରଣୀ ବଟିକା  ଆଦି ଖାଲି ହୋଇଗଲା।  ସ୍ବଦେଶୀ ଆନ୍ଦୋଳନ ସମୟରେ ବିଦେଶୀ ଲୁଗା ନିଆଁରେ ପଡିବା ପରି, ପ୍ରତ୍ଯକ ଘର ଆଗରେ ମୋବାଇଲ ମାନେ ଭାଙ୍ଗିରୁଜି ଗଡଗଡା ମାରୁଥିଲେ।
ଧଣ୍ଡୁଆ, ତଣ୍ଟିଫୋଡିକୁ କହୁଥିଲା – ମୋର ଯଦି ଆଉ କେତେଟା ମାଇପ କି ପିଲା ଥାଆନ୍ତା ଏ ଦଶା ଦେଖିବାକୁ ପଡି ନ ଥାଆନ୍ତା। ଚୋର ଟା ମୋର ଚାରି କୂଳ କୁ ଭସେଇ ଦେଇଗଲା।
---- ସମାପ୍ତ----

Monday, May 28, 2018

ସମ୍ପର୍କ

ଲେଖକ- ଅରବିନ୍ଦ ରଥ

– – ତୁମେ ଦୟାକରି ଶୀଘ୍ର ଘରକୁ ଚାଲିଆସ, ମୋ ମୁଣ୍ଡ କିଛି କାମ କରୁନି,ଟିକେ ଜଲଦି ଆସ।
ଫୋନ୍ ରେ ରମାଙ୍କ ଶଙ୍କିତ, କମ୍ପିତ ଓ ଆତୁର ସ୍ବର ଶୁଣି କିଛ କ୍ଷଣ ସ୍ଥାଣୁ ପାଲଟିଗଲେ ଯଦୁ। ଜିଜ୍ଞାସା , ରୋକି ନ ପାରି ପଚାରିଲେ-- କଣ ହୋଇଛି କୁହ ? ମୁଁ ଅଫିସ୍ ରେ ଅଛି,ବୁଲୁ ଠିକ୍ ଅଛି ତ? ସେପଟରୁ କେବଳ ସୁଁ ସୁଁ ହୋଇ କାନ୍ଦିବାର ଶବ୍ଦ ଛଡା ଅନ୍ଯ କିଛି ଶୁଭୁ ନ ଥିଲା। କାଳବିଳମ୍ବ ନ କରି ସେ ଘରେ ପହଞ୍ଚିଲେ, କିନ୍ତୁ କବାଟ ଖୋଲି ଘର ଭିତରେ ପଶିବାର ସାହାସ କୁଳାଉ ନ ଥିଲା। କିଏ ଜାଣେ, କେଉଁ ଭୟଙ୍କର ବାସ୍ତବିକତା ତାଙ୍କୁ ଅପେକ୍ଷା କରି ରହିଛି।
ଯଦୁବାବୁ ; ଜଣେ ନହାତି ଭଦ୍ର ଓ ଶାନ୍ତ ସ୍ବଭାବ ବିଶିଷ୍ଟ ଲୋକ ଭାବରେ ବେଶ୍ ଜଣାଶୁଣା । ଜଗତପୁର ଗାଁଆ ଡାକଘରେ ପୋଷ୍ଟମାଷ୍ଟର ରୂପେ କାର୍ଯ୍ଯରତ। ପରିବାର କହିଲେ ସେ, ତାଙ୍କ ପତ୍ନୀ ରମା ଓ ପାଞ୍ଚ ବର୍ଷର ପୁଅ ବୁଲୁ।  ନିଜର  କାର୍ଯ୍ଯଦକ୍ଷତା, ଲୋକସମ୍ପର୍କ ଓ ସାହାଯ୍ଯକାରୀ ଗୁଣ ପାଇଁ, ଗାଁଆର ସବୁ ଲୋକ ଯଦୁବାବୁଙ୍କୁ ବହୁତ ଭଲ ପାଆନ୍ତି। ବାହାଘର ପୂର୍ବରୁ ଯଦୁ ଙ୍କ ପିତା ମାତାଙ୍କର  ସ୍ବର୍ଗବାସ ହୋଇ ସାରିଥିଲା। ପିତାମାତାଙ୍କର ଏକମାତ୍ର ସନ୍ତାନ ଯଦୁ, ବିବାହ କରିଥିଲେ ସୁଦୂର ସହରରେ ବାସ କରୁଥିବା ରମାଙ୍କୁ। ନିୟତି ର ଲୀଳା ବଡ ବିଚିତ୍ର ; ଯଦୁଙ୍କ ପରି ରମା ମଧ୍ଯ ଅନାଥ ଥିଲେ। ଜଣେ ସମ୍ପର୍କୀୟ କାକାଙ୍କର ଘରେ ସେ ପାଳିତ ହୋଇଥିଲେ। ସ୍ବଭାବରେ  ନିହାତି ନିରୀହ  ଓ  ସରଳ ବିଶ୍ବାସୀ ଥିବା କାରଣରୁ, କାକାଙ୍କ ପରିବାର ଲୋକ ତାଙ୍କୁ ବେଶ୍ ନିର୍ଯ୍ଯାତନା ଦେଉଥିଲେ। ଘରର ସବୁ କାମ କରିବା ଠାରୁ କାକାଙ୍କର ଦୁଇ ପିଲାଙ୍କ ଯତ୍ନର ଭାର ରମାଙ୍କ ଉପରେ ନ୍ଯସ୍ତଥିଲା।   କେବେ କିଛି ଭୁଲ ଭଟକା ହେଲେ, ଅକଥ୍ଯ ଗାଳି ଓ ମାଡ ଖାଇବା ତାଙ୍କର ଭାଗ୍ଯ ପାଲଟି ଯାଇଥିଲା। ଯେନତେନ ପ୍ରକାରେଣ ମେଟ୍ରିକ୍ ପାଶ କରିବା ପରେ, ତାଙ୍କ ପାଠରେ ଡୋରି ବନ୍ଧା ସରିଥିଲା। ଯୋଗକୁ କୌଣସି ସୂତ୍ରରୁ ରମାଙ୍କର ସନ୍ଧାନ ପାଇ, ବିନା ଯୌତୁକରେ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ ଯଦୁ। ବିନା କୌଣସି ପ୍ରତିବନ୍ଧକରେ ବିବାହ କାର୍ଯ୍ଯ ସମ୍ପର୍ଣ୍ଣ ହେଲା।  ବାହାଘର ପରେ ରମାଙ୍କ ସହ ସମ୍ପର୍କ ରଖିଲେ କାଳେ ଟଙ୍କା ଖର୍ଚ୍ଚ କରିବାକୁ ହେବ ଭାବି,  କାକା ସମସ୍ତ ସମ୍ପର୍କ ଛିନ୍ନ କରି ଦେଇଥିଲେ।  ଏପରିି କି  ବିବାହ ପରେ, ଝିଅ ଲେଉଟାଣୀ ପର୍ବ ପାଳନ କରିବାକୁ  ରମାଙ୍କ ପାଖରେ ଲେଉଟାଣୀ ଘର ନ ଥିଲା।  ରମାଙ୍କ ଜୀବନରେ ସମ୍ପର୍କ ଓ ଭଲପାଇବାର ଘୋର ଅଭାବ ପରିଲକ୍ଷିତ ହେଉଥିଲା। କେବେ କେବେ ଅତୀତରେ ତାଙ୍କ ପ୍ରତି ଘଟିଯାଇଥିବା ଅନ୍ଯାୟ ବିଷୟରେ ଭାବି ସେ ଅବ୍ଯବସ୍ଥିତ ହୋଇପଡୁଥିଲେ। କିନ୍ତୁ ତା'ଙ୍କ ଜୀବନରେ ଥିବା ସମସ୍ତ ଅପୂର୍ଣ୍ଣତାରେ ପୂର୍ଣ୍ଣଛେଦ ପକାଇଥିଲେ ଯଦୁ। ବିବାହ ପରଠାରୁ ସବୁ କିଛି ବଦଳି ଯାଇଥିଲା। କର୍କଶ ଓ ବେଦନାପ୍ରଦାୟୀ ଗାଳିର ସ୍ଥାନ ନେଇ ସାରିଥିଲା ମଧୁବୋଳା କୋମଳ ବଚନ। ପ୍ରହାର, ଧକ୍କା ଓ ଗୋଇଠା ସ୍ଥାନ, ଦଖଲ କରିଥିଲା ରୋମାଞ୍ଚଭରା ମଧୁର ସ୍ପର୍ଶ। ସେମାନଙ୍କ ଜୀବନରେ ପ୍ରେମ ଓ ପୂର୍ଣ୍ଣତାର ସମୁଦ୍ରରେ ଆନନ୍ଦର ଢେଉ ଲହଡି ମାରୁଥିଲା। ଯାବତୀୟ ଘରକରଣା ସମ୍ବନ୍ଧୀୟ କାର୍ଯ୍ଯରେ ନିପୂଣା ରମା, ଘରଟିକୁ ସ୍ବର୍ଗ ରେ ରୂପାନ୍ତରିତ କରି ପାରିଥିଲେ । ପୂଜା ପାର୍ବଣ, ଓଷା ବାର, ରୋଷେଇ, ସିଲେଇ ଏମିତି ଅନେକ କ୍ଷେତ୍ରରେ ରମାଙ୍କର ଦକ୍ଷତା ବେଶ୍ ଅଧିକା ଥିଲା। ମଦନପୁର ଗାଁଆ ଲୋକେ ତାଙ୍କୁ ନିଜର ବୋହୂ ଭାବରେ ସମ୍ନାନ ଓ ଭଲ ପାଇବା ଦେଖାଇବାରେ କେବେ ହେଳା କରୁ ନ ଥିଲେ। 
ରମା ଓ ଯଦୁ, ପରସ୍ପର ମଧ୍ଯରେ ସମସ୍ତ ସମ୍ପର୍କର ମଧୁରତା କୁ ଆବିଷ୍କାର କରିବାରେ ନିମଗ୍ନ ଥିବା ସମୟରେ, ସେମାନଙ୍କର କୋଳମଣ୍ଡନ କରିଥିଲା ବୁଲୁ। ପିଲାଟିଏର ଆଗମନ ପରେ ଉଭୟଙ୍କର ଜୀବନ ଚଳଚଞ୍ଚଳ ହୋଇଉଠିଥିଲା। ଜୀବନର ସବୁଠାରୁ ଗୁରୁତ୍ତ୍ବପୂର୍ଣ୍ଣ କର୍ତ୍ତବ୍ଯ ପାଲଟି ଯାଇଥିଲା ବୁଲୁର ଲାଳନ ପାଳନ। ତା’ର ରଙ୍ଗ ତୋଫା ଗୋରା ଓ ଚେହେରା ଡଉଲ ଡାଉଲ। କୁଞ୍ଚୁକୁଞ୍ଚିଆ ଚୁଟି ସହିତ କଳା ଆଖି ଯୋଡିକ ଦେଖିଲେ ମନ ପୂରିଗଲାପରି ଲାଗୁଥିଲା। କେଉଁ ରାଜ୍ଯର ରାଜକୁମାର ପରି ଦିଶୁଥିବା ବୁଲୁ,  ଖୁବ୍ କମ୍ ଦିନ ମଧ୍ଯ ରେ ସାରା ଗାଁଆ କୁ ନିଜ ପ୍ରେମର ରଜ୍ଜୁରେ ବାନ୍ଧି ଦେଇଥିଲା। ପିଲାଟି ଦିନରୁ ତା ଭିତରେ ବିକଶିତ ହୋଇ ସାରିଥିଲା ଅନେକ ସୁଗୁଣ। ଗୁରୁଜନଙ୍କୁ ସମ୍ମାନ , ସାନ ମାନଙ୍କୁ ସ୍ନେହ ଓ ସମସ୍ତଙ୍କ ସହ ମିଳିମିଶି ଚଳିବା ଆଦି ବିଶେଷ ଗୁଣର ଅଧିକାରି ଥିଲା ବୁଲୁ।  ତା ମୁହଁରେ ସବୁ ସମୟରେ ଚେନାଏ ହସ ଲାଖି ରହିଥାଏ। 
କେବେ କେବେ ବୁଢୀ ମାନେ ବୁଲୁ ର ଗାଲ ଆଉଁସି ଦେଇ  ଥଟ୍ଟା କରି କୁହନ୍ତି – --  ଆମ ବୁଲୁ ବଡ ହେଲେ ପରମ ରସିକ ନାଗର ହେବ।  ତାକୁ ବାହା ହେବା ପାଇଁ ଅଭିଆଡି ଝିଅ ମାନଙ୍କ ଭିତରେ ହାଣକାଟ ହୋଇଯିବ। ଯାହା ହେଲେ ବି ଆମେ ବୁଲୁ କୁ ବାହା ହେବା। କ’ଣ କିରେ ବୁଲୁ, ଆମକୁ ବାହା ହେବୁ ତ? ଧୋକଡୀ ବୁଢୀ ମାନଙ୍କ ଥଟ୍ଟା ତାମସାର ଅର୍ଥ ବୁଝି ନପାରି ବୁଲୁ ମୁଣ୍ଡ ହଲେଇ ହଁ ଭରେ ଓ ସମସ୍ତଙ୍କ ଓଠରେ ହସ ର ଝରଣା ବୋହି ଯାଏ । ଗାଁଆରେ ଥିବା ପ୍ରତ୍ଯକ ଟି ଘର ବୁଲୁ ପାଇଁ ସଦାବେଳେ ଉନ୍ମୁକ୍ତ ଥିଲା। ଆଖି ଖୋଲିବା ପରେ, ବାପା ମାଆଙ୍କ ବ୍ଯତୀତ ସେହି ଗାଁଆର ଲୋକମାନେ ଥିଲେ ତା’ର ବନ୍ଧୁ ପରିଜନ। ତେଣୁ ସ୍ବାଭାବିକ ଭାବରେ ତା ପାଇଁ ସେହି  ଗାଁଆଟି ଥିଲା ବାଲ୍ଯଲୀଳାର ଉପଯୁକ୍ତ ସ୍ଥାନ।  
ରମା କିଛି କାମରେ ବ୍ଯସ୍ତ ଥିଲା ବେଳେ ବୁଲୁ ପଡିଶା ଘରେ ଖେଳାଖେଳି କରେ। ସମସ୍ତଙ୍କୁ ନିଜର କରି ପାରିବାର କଳା ସେ ପିଲାଟି ଦିନରୁ ଶିଖିଥିଲା ; ତେଣୁ ଗାଁଆ ଲୋକ ମାନଙ୍କୁ ସେ  ଜେଜେ, ଜେଜେ ମା, ଅଜା, ଆଈ, କାକା, ଖୁଡୀ, ମାମୁଁ, ମାଇଁ, ମାଉସୀ, ନାନୀ, ଭାଇ ଆଦି ନାମରେ ସମ୍ବୋଧନ କରୁଥିଲା। ସମସ୍ତଙ୍କ ପାଇଁ ବୁଲୁ ପାଲଟି ଯାଇଥିଲା ଏକ ଜୀବନ୍ତ କଣ୍ଢେଇ। କିଏ କାଖ କରି ବୁଲାଇ ନେଲାଣି, ତ କିଏ ପାଖରେ ବସାଇ ଗପ ଶୁଣାଇଲାଣି, ଆଉ କିଏ ଅତି ଯତ୍ନରେ ଖୁଆଇ ଦେଲାଣି।  କେବେ କେମିତି ଯଦୁ ବାବୁଙ୍କର ଅନୁମତି ନେଇ ବୁଲୁ କୁ ଗାଁଆର ପୁରୁଖା ଲୋକେ ଯାତ୍ରା ଦେଖେଇବାକୁ ନିଅନ୍ତି। ଘରକୁ ଫେରିଲା ବେଳେ ବୁଲୁ  ହାତରେ ଥାଏ ବେଲୁନ୍, ପେଁ କାଳୀ , ବେଙ୍ଗବାଜା  ଓ କେତେ ପ୍ରକାର ର ମିଠାଇ। ଯଦୁବାବୁ କୃତ୍ରିମ ରାଗ ଦେଖାଇକୁହନ୍ତି-- ମଉସା, ଏସବୁ ଆଣିବା କଣ ଦରକାର ଥିଲା? ବୁଲୁ କୁ ଏତେ ଭଲ ପାଇବା ଦେଉଛ, କାଲି କୁଆଡେ ବଦଳି ହେଲେ ସେ ନୂଆ ଯାଗାରେ ଚଳି ପାରିବ ତ? 
– – ସେମିତି ଅମଙ୍ଗଳିଆ କଥା କୁହନି ପୁଅ, ତୁମର କାଇଁ କୁଆଡେ ବଦଳି ହେବ ମ ! ତୁମେ ସବୁ ଦିନ ଆମ ପାଖରେ ରହିବ। ଆଉ ରହିଲା ବୁଲୁ କଥା, ସେ ଖାଲି ତୁମର ପୁଅ ନୁହଁ , ଆମ ମାନଙ୍କର ନାତି ମଧ୍ଯ। ଅଜା ହିସାବରେ କ’ଣ ଏତିକି ଆଣିବାର ଅଧିକାର ଆମର  ନାହିଁ ?
ସେ ଆଲୋଚନାରେ ମୁଣ୍ଡ ନ ଖେଳାଇ ବୁଲୁ ମିଠାଇ ଖାଇ ବେଙ୍ଗ ବାଜା ବଜେଇବାରେ ବ୍ଯସ୍ତ ଥାଏ।  ବୁଲୁ ର ଦେହ ପା ବିଷୟରେ ଯଦୁଙ୍କ ଅପେକ୍ଷା ଗାଁଆ ଲୋକେ ବେଶି ସଚେତନ ଥିଲେ। ସେଦିନ, ଖେଳୁଖେଳୁ ବୁଲୁ ତଳେ ପଡିଯିବାରୁ ଆଣ୍ଠୁ ଓ କହୁଣୀ ଖଣ୍ଡିଆ ହୋଇଗଲା। କାନ୍ଦି କାନ୍ଦି ପିଲା ଟା ଲାଲ୍ ପଡିଗଲା।  ପାଖ ପଡିଶାଙ୍କ ଅବସ୍ଥା ସେଦିନ ଦେଖିଲା ପରି ହୋଇଥିଲା। ସବୁ ଲୋକ ଯଦୁଙ୍କ ଘର ଆଗରେ ବସି ରହିଲେ। ତାଙ୍କୁ ଲାଗୁଥିଲା ସତେ କି ଖଣ୍ଡିଆ ଟା ସେମାନଙ୍କ ଦେହରେ ହୋଇଛି। 
– ଆଃ, ବିଚରା ରାଜା ଛୁଆ ଟା, କେତେ ହୀନସ୍ତା ହେଲା।  ମୁଁ ମନା କରୁଛି,  ସନା ବୋଉ କୁ ରାସ୍ତା ଉପରେ ବାଲି ପକାନି ବୋଲି, ସେ କାହା କଥା ଶୁଣିଲେ ତ ହେବ। ତା ଭୁଲ୍ ପାଇଁ ବିଚରା ପିଲା ଟା କେତେ ହନ୍ତସନ୍ତ ହେଲା।  ଗାରୁଗାରୁ ହୋଇ କହୁଥାନ୍ତି ଗାଁଆର ସବୁଠାରୁ ବୟୋଜ୍ଯେଷ୍ଠ ବ୍ଯକ୍ତି। ସେପଟେ, ବିଚାରି ସନା ବୋଉ ଭୁଲ୍ କରିଛି ଜାଣିବା ପରେ, ବୁଲୁ ପାଖରେ ବସି ରହି ତାକୁ ବୋଧ କରିବାରେ ବ୍ଯସ୍ତ।  ଘଟଣା ପରଦିନ ସୁସ୍ଥ ହୋଇ ବୁଲୁ ପୁଣି ଖେଳିବାକୁ ବାହାରିଲା। କିନ୍ତୁ ଯଦୁଙ୍କ ମନକୁ ସେଇ ଗୋଟିଏ ପ୍ରଶ୍ନ ବାରମ୍ବାର ଆନ୍ଦୋଳିତ କରୁଥାଏ , କୁଆଡେ ବଦଳି ହେଲେ ରମା ଓ ବୁଲୁ ଚଳି ପାରିବେ ତ?
କଥାରେ ଅଛି ଆକାଶରେ ଇନ୍ଦ୍ରଧନୁ ପରି  ଜୀବନରେ  ସୁଖର ଅବଧି  ବହୁତ କମ ଥାଏ।  ଓଠର ହସ ବୋଧେ ଆଖି ପାଇଁ ଅସହ୍ଯ ହୁଏ।  ସେଥିପାଇଁ ତ,  ଓଠରେ ହସ ଖେଳିବାକୁ ଆରମ୍ଭ କରିବା ମାତ୍ରେ, ଆଖିର ନିଭୃତ କୋଣରେ  ଲୁହ ମାନେ ଜମାଟ ବାନ୍ଧିବାରେ ଲାଗି ଯାଆନ୍ତି। ସତେକି ,ସେମାନେ ଜାଣି ଥାଆନ୍ତି ଯେ, ଏହା ପରେ ସେମାନଙ୍କର କାମ ଆରମ୍ଭ ହୋଇଯିବ। ମୁହଁରୁ ହସର ସାଗର ଶୁଖି ଲୁହର ଝରଣା ବୋହିବାକୁ ବେଶୀ ସମୟ ଲାଗେନି। ସେମିତି କିଛି ହେଲା ଯଦୁଙ୍କ ଜୀବନରେ। ଦିନେ ବିମର୍ଷ ବଦନରେ ଘରକୁ ଫେରି, ସହରକୁ ବଦଳି ହୋଇଯିବା କଥା ଟା ରମାଙ୍କୁ କହିଲେ। ହୃଦୟ ଭିତରେ କିଛି ଗୋଟେ ଭାଙ୍ଗି ଯିବାର ଅନୂଭବ କଲେ , କିନ୍ତୁ ମୌନ ରହିଲେ। ଲୁହ ଛଳଛଳ ଆଖିରେ ପଚାରିଲେ --- କେବେ ଯିବାକୁ ହେବ?
– ଗୋଟେ ସପ୍ତାହ ଭିତରେ। ସହର ପୋଷ୍ଟ ଅଫିସ୍ ରେ କାମ ପ୍ରବଳ।  ସହକର୍ମୀ ମାନେ ଟିକେ ଅସହିଷ୍ଣୁ ପ୍ରକୃତି ର । ମୋର ପ୍ରମୋଶନ୍ ହୋଇଛି ଜାଣିବା ପରେ ସେମାନଙ୍କର ଅସୂୟା ଭାବ ଆଉ ଟିକେ ବଢି ଯାଇଥିବ।  ଚାକିରି କରିଛି ଯେତେବେଳେ ସବୁ ସହିବାକୁ ହେବ।  ମୋର ତୁମ ମାନଙ୍କ ପାଇଁ ବେଶୀ ଚିନ୍ତା। ଗାଁଆରୁ ଆମ ମାନଙ୍କୁ ଯେତିକି ଭଲପାଇବା ମିଳୁ ଥିଲା ତାହା ସହରରେ କଣ ମିଳିବ? ମୋ ପରିବାର ପାଲଟି ଯାଇଥିଲା ଏଇ ଗାଁଆଟି। ତାକୁ ଛାଡି ଯିବା କଥା ଭାବିଲେ ମନ ଭିତରଟା କେମିତି ମନ୍ଥି ହୋଇଗଲା ପରି ଲାଗୁଛି। ବୁଲୁ, ବଦଳି ଓ ସହର ଯିବା କଥା ଶୁଣି ବାହାରକୁ ଦୌଡି ଗଲା ଓ ସମସ୍ତଙ୍କୁ ଏ କଥା ଜଣେଇ ଦେଲା। କିଛି ସମୟ ଭିତରେ ଯଦୁବାବୁଙ୍କ ଘର ଆଗରେ ଜନସମୁଦ୍ର ଲାଗିଗଲା। କେବେ ନା କେବେ ବଦଳି ହେବ ବୋଲି ସବୁ ଜାଣିଥିଲେ, ମାତ୍ର ଏତେ ଜଲଦି  ହେବ ବୋଲି ଭାବି ନ ଥିଲେ।  ବୁଲୁ କୁ ଯାତ୍ରା ଦେଖେଇବାକୁ ନେଇଥିବା ସେ ବୃଦ୍ଧ  ଜଣକ ଅଭିମାନ ଭରା ସ୍ବରରେ ଯଦୁଙ୍କୁ କହିଲେ-- ଏବେ ଖୁସି ହେଲ ତ ପୁଅ ? ଆମକୁ ଛାଡି ସହର ଯିବାକୁ ତୁମର ମନ ବଡ ବ୍ଯାକୁଳ ଥିଲା ; ଭଗବାନ ବି ତୁମ ଡାକ ଶୁଣିଲେ। ଏବେ ଯାଅ ମନ ଖୁସିରେ ତୁମ ସହର କୁ। କିନ୍ତୁ ମନେ ରଖ, ପ୍ରତି ଦିନ ପ୍ରତି ମୁହୂର୍ତ୍ତରେ ଆମ ମାନଙ୍କର କଥା ଭାଳି ହେଉଥିବ। ତୁମେ ଯାଅ ଆମ ମନ ଦୁଃଖ ନାହିଁ, କିନ୍ତୁ ଆମ ବୋହୁ ଓ ନାତିଆ ଟୋକା ବି ଚାଲିଯିବେ?  ଏତିକି କହିଲା ବେଳକୁ ତାଙ୍କର କଣ୍ଠ ବାଷ୍ପରୁଦ୍ଧ ହୋଇଗଲା।
ସବୁ ଲୁହ, ଅଭିମାନ ଓ ରାଗ ରୂଷା କୁ ପଛରେ ଛାଡି ତିନି ପ୍ରାଣୀ ସହରରେ ପହଞ୍ଚିଲେ। ଯାହା ହେଉ, ସରକାରଙ୍କ ତରଫରୁ ସରକାରୀ ଘର ଖଣ୍ଡେ ମିଳିଗଲା, ଆଖପାଖରେ କେତୋଟି ସରକାରୀ କର୍ମଚାରୀଙ୍କ ଘର ଅଛି।   ମୋଟାମୋଟି କହିଲେ ଗାଁଆ କୁ ଜାକିମାଡି ଅତି ଛୋଟ କରିଦେଲେ ଯେମିତି ଦିଶିବ, ପାଖାପାଖି ସେମିତି ଦିଶୁଥିଲା ଯଦୁଙ୍କର ନୂଆ ଠିକଣା। ଆମ୍ବତୋଟା, ପୋଖରୀ, କିଆବୁଦା ମୂଳ, ମୋରମ ବିଛା ରାସ୍ତା, ଭାବବତ ଟୁଙ୍ଗୀ, ପାଳଗଦା, ଶଗଡ,  ସୁଲୁସୁଲିଆ ପବନ କିଛି ନ ଥିଲା ସେ କୋଲୋନୀ ବା ସହରରେ । ସହରୀ ଲୋକ ମାନଙ୍କ ପାଖରେ ସମୟର ଘୋର ଅଭାବ। କେହି କାହାର ମୁହଁ ଚାହିଁବାକୁ ଫୁରସତ ନାହିଁ।  ସମସ୍ତଙ୍କ ମୁହଁରେ କେମିତି ଗୋଟେ ଅଚିହ୍ନା ଭାବ ଉକୁଟି ଉଠୁଛି।  ସବୁଠାରୁ ଘୋର ଅଭାବ ଅଛି ଗୋଟିଏ ଜିନିଷର ; ତାହା ହେଲା ମନ ଖୋଲା ହସ। ଟିକେ ହସିଦେଲେ ଯେମିତି ବହୁତ ପଇସା ଖର୍ଚ୍ଚ ହୋଇଯିବ ବା ଚରିତ୍ରର ଗାମ୍ଭୀର୍ଯ୍ଯତା ଟା ଫିକା ପଡିଯିବ।  କଂକ୍ରିଟ୍ ଜଙ୍ଗଲର ଗହଳି, ଡାକବାଜି ଯନ୍ତ୍ରର କୋଳାହଳ,ଗାଡି ମୋଟର ର ଘୁଁ ଘାଁ ଶବ୍ଦ ଓ ଫେରିବାଲାଙ୍କ ଡାକରେ ପରିବେଶଟା ବଡ ଅଶ୍ବସ୍ତିକର ଲାଗୁଛି।  ପାଟିଖୋଲି ହାବୁକାଏ ନିର୍ମଳ ପବନର ସ୍ବାଦ ଆସ୍ବାଦନ କରିବାର ଚେଷ୍ଟା କଲେ ମିଳୁଛି, ଦରପୋଡା କଞ୍ଚା କୋଇଲା ଓ ଗାଡି ଧୂଆଁର ଦୁର୍ଗନ୍ଧଯୁକ୍ତ ବାସ୍ନା।  କେମିତି ଦିନ କାଟିବେ ସେ କଥା ଚିନ୍ତା କରି ଅତିଷ୍ଠ ହୋଇଯାଉଥିଲେ ଯଦୁ।
            ସେ ଅଫିସ ଚାଲିଗଲା ପରେ ରମା ଓ ବୁଲୁ କୌଣସି ମତେ ଘରେ ସମୟ ବିତାଉଥିଲେ। ପାଖପଡିଶାଙ୍କ ସହିତ ସେତେବେଳ ଯାଏ କୌଣସି ଚିହ୍ନା ପରିଚୟ ହୋଇ ନ ଥିଲା। ସେମାନେ ଆସିବା ପରେ କିଛି ଲୋକ, ନନ୍ଦନକାନନ କୁ ନୂଆ ଜନ୍ତୁ ଆସିବା ପରି ଦେଖିଲେ, ମାତ୍ର କବାଟ ବନ୍ଦ କରି ଘର ଭିତରକୁ ପଶିଗଲେ। ରମାଙ୍କୁ ଲାଗିଲା ସତେକି ସେମାନେ ଜବରଦସ୍ତି, ପୂର୍ବରୁ ରହିଥିବା ଲୋକ ମାନଙ୍କର ସ୍ବାଧୀନତାର ଲକ୍ଷ୍ମଣରେଖା ଲଙ୍ଘନ କରି ଧସେଇ ପଶିଯାଇଛନ୍ତି। ସବୁବେଳେ ଲୋକ ମାନଙ୍କର ଗହଣରେ ରହୁଥିବା ବୁଲୁ ସମ୍ପୂର୍ଣ୍ଣ ଏକୁଟିଆ ହୋଇ ଯାଇଥିଲା।  ବୁଲୁ ଦୁନିଆର  ପରିଧି,  ଗାଁଆର ବିଶାଳ ବୃତ୍ତରୁ ସଙ୍କୁଚିତ ହୋଇ ବନ୍ଦୀ ହୋଇଯାଇଥିଲା ଏକ ବିନ୍ଦୁରେ।  ତା’ର ସମ୍ପର୍କର ଅଭିଧାନରୁ ଅଜା, ଆଈ, ଜେଜେ, ଜେଜେ ମା, କାକା,ଖୁଡୀ, ମାମୁଁ, ମାଇଁ, ମାଉସୀ, ନାନୀ, ଭାଇ ଆଦି ଶବ୍ଦ ହକି ଯାଇଥିଲା, ବାସ୍ ଥିଲା ଦୁଇଟି ଶବ୍ଦ, ବାପା ଓ ମାଆ।  କାଚକେନ୍ଦୁ ପରି ନିର୍ମଳ ଜଳରାଶିରେ ଆନନ୍ଦରେ ପହଁରୁଥିବା ତିନି ଟି ମାଛ, ପଡି ଯାଇଥିଲେ ପୁତିଗନ୍ଧମୟ, ଆବର୍ଜନାଭରା ନର୍ଦ୍ଦମା ଭିତରେ। ସବୁଦିନ ସଂନ୍ଧ୍ଯାରେ ଯଦୁ ପରିବାର ଧରି ବଜାର ବୁଲିବାକୁ ଯାଆନ୍ତି ଓ କେବେ କେବେ ବୁଲୁ କୁ ଶିଶୁ ଉଦ୍ଯାନ କୁ ନିଅନ୍ତି। କିନ୍ତୁ, ସବୁଜାଗାରେ ବୁଲୁର ଆଖି କିଛି ଖୋଜୁଥିବାରେ ବ୍ଯସ୍ତ ଥାଏ। ରମା ଓ ଯଦୁ ଜାଣି ପାରନ୍ତି ବୁଲୁର ମାନସିକ ଅବସ୍ଥା।
– – ପିଲା ଟା ଆସିବା ଦିନରୁ କାହା ସହ ଖେଳିବାର ସୁଯୋଗ ପାଇନି। ସହରର ନୂଆ ପରିବେଶରେ ଅଭ୍ଯସ୍ତ ହେବାକୁ  ତାକୁ ବେଶ୍ କିଛି ସମୟ ଲାଗିଯିବ। ଦୀର୍ଘଶ୍ବାସ ପକାଇ ଯଦୁ ବୁଝାଇଲା ପରି ରମାଙ୍କୁ କୁହନ୍ତି।
ଏବେ ସହରରେ ଶିଶୁ ମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ ସ୍କୁଲରେ ବୁଲୁର ନାମ ଲେଖା ହୋଇଛି। ସେଠାରେ ପାଠ ପଢାଯାଏନି,  ପିଲାମାନେ  କେବଳ ଖେଳିବେ ଓ ମଜା କରିବେ।  ଯାହାହେଉ ସ୍କୁଲ ଯିବା ପରେ ବୁଲୁର ମନ ଟିକେ ହାଲୁକା ହେଲା ପରି ଲାଗୁଛି। ତା ମୁହଁରୁ ଲିଭି ଯାଇଥିବା ହସର ଝଲକ ଟିକେଟିକେ ଦେଖିବାକୁ ମିଳୁଛି।  ସବୁଠାରୁ ବଡ କଥା ହେଲା ତାଙ୍କ ପାଖ ଘରର ଦୁଇ ପିଲା ସେଇ ସ୍କୁଲ କୁ ଯାଉଛନ୍ତି ଓ ବୁଲୁ ସହିତ ସେମାନେ ଭଲରେ ମିଳାମିଶା କରୁଛନ୍ତି। ଦିନେ ବୁଲୁ ବହୁତ୍ ଯିଦ୍ ଧରିଲା ପାଖ ଘରକୁ ବୁଲି ଯିବା ପାଇଁ। ଅନ୍ଯ ଉପାୟ ନ ପାଇ ରମା ପଡୋଶୀଙ୍କ ଘରକୁ ଗଲେ।  ରମାଙ୍କୁ ଦେଖି ଗୃହକର୍ତ୍ତ୍ରୀ ଜଣଙ୍କ ଟିକେ ଅପ୍ରସ୍ତୁତ ହେବା ଭଙ୍ଗୀରେ ଆସିବାର କାରଣ ପଚାରିଲେ। ବଡ ସଙ୍କୋଚରେ ରମା କାରଣ ଟା ଜଣାଇଲେ। ସେ ରମାଙ୍କୁ ବସବା ପାଇଁ ମଧ୍ଯ କହିଲେ ନାହିଁ। ସେମିତି ଠିଆ ହୋଇ ପରସ୍ପର ଭିତରେ ପରିଚୟ ଆଦାନ ପ୍ରଦାନ କାର୍ଯ୍ଯଟା ସରିଲା। ବୁଲୁ ସେ ଆଡକୁ ନଜର ନ ଦେଇ ଦୁଇ ପିଲାଙ୍କ ସହ ଖେଳିବାରେ ମାତି ଯାଇଥିଲା। ଟିକେ ବିରକ୍ତିଭରା ସ୍ବରରେ ନିଜ ପିଲା ମାନଙ୍କୁ ଆକଟ କରିବା ସହିତ, ନାରୀ ଜଣକ ବେପରୁଆ ଠାଣୀରେ ରମାଙ୍କୁ ଏକ ପ୍ଲାଷ୍ଟିକ ଚେୟାରରେ ବସିବାକୁ କହିଲେ। ସୋଫା ଉପରେ ନିଜେ ଗୋଡ ଲମ୍ବାଇ ବସି କହିଲେ-- ଆପଣ ମାନେ ବୋଧେ ସହର କୁ ନୂଆ ଆସିଛନ୍ତି ; ଆଗରୁ ଗାଁଆରେ ରହୁଥିଲେ? ରମାଙ୍କର ଉତ୍ତର କୁ ଅପେକ୍ଷା ନ କରି ପୁଣି କହିଲେ-- ଆମ ମିଷ୍ଟର ତହସିଲ ଅଫିସରେ କାମ କରନ୍ତି। ଆଉ ଆପଣଙ୍କର ? 
– ସେ ପୋଷ୍ଟ ଅଫିସ୍ ରେ କାମ କରନ୍ତି।
- - କଣ ପିଅନ ନା କଣ?
– – ନାଁ, ସେ ପୋଷ୍ଟମାଷ୍ଟର ଅଛନ୍ତି।
– – ଓଃ, ଏମିତି କଥା ତାହା ହେଲେ। କାଇଁ ଆପଣଙ୍କୁ ଦେଖିଲେ ଜଣା ପଡୁନି ତ? ତାଚ୍ଛଲ୍ଯଭରା ସ୍ବରରେ କହିଲେ ସେ।
ରମା କିନ୍ତୁ ପଢିପାରୁଥିଲେ ନାରୀଟିର ଆଖିରେ ତାଙ୍କ ପ୍ରତି ଥିବା ହେୟଭାବକୁ। ଭାବନା ର ସୂଅରେ ଢେଲାଟେ ପକେଇ ପୁଣି ପଶ୍ନ ଆସିଲା --- ଆପଣଙ୍କର ଶିକ୍ଷାଗତ ଯୋଗ୍ଯତା କେତେ? କିଛି ପାଠ ପଢିଛନ୍ତି ନା ନାହିଁ?
– ମୁଁ ଗାଁଆ ସ୍କୁଲରୁ ମେଟ୍ରିକ୍ ପାଶ୍ କରିଛି।
– – ହାଃ ହାଃ ହାଃ କଣ କହିଲେ ମେଟ୍ରିକ୍ ମାନେ ଦଶମ ? ଏତେ କମ୍ ପାଠ ପଢଛନ୍ତି? ଆପଣଙ୍କ ମିଷ୍ଟର ବାହାହେବାକୁ ରାଜି ହେଲେ କେମିତି ? କ’ଣ ତାଙ୍କୁ ଯୌତୁକରେ ପୋତି ପକେଇଲେ ନା କଣ?
ରମାଙ୍କର ଆଖି ଜକେଇ ଆସିଲା, କିଛି ନ କହି ଚୁପଚାପ୍ ବୁଲୁ କୁ ଧରି ଘରକୁ ଫେରିଲେ। କାନ୍ଦକାନ୍ଦ ହୋଇ ସବୁ କଥା ଯଦୁଙ୍କୁ କହିଲେ। କିଛି ସମୟ ଗୁମସୁମ୍ ବସିବା ପରେ ଯଦୁ କହିଲେ-- ଏ ଦୁନିଆ ଟା ଏମିତି, ରମା। ଲୋକଙ୍କୁ ସବୁଠାରୁ ଅଧିକ ଆନନ୍ଦ ମିଳେ ଅନ୍ଯ କୁ ଦୁଃଖ ଦେଇ। ସେସବୁ ଜିନିଷ ମନରୁ ପୋଛି ଦିଅ। ପିଲା ଟା ଏତେ ଦିନ ପରେ ନୂଆ ସାଙ୍ଗ ପାଇ ଖୁସି ହୋଇଛି। ଆମକୁ ତାକୁ ଖୁସି କରିବାକୁ ହେବ। ତୁମେ ସେ ସ୍ତ୍ରୀ ଲୋକ ସହ ବେଶି ସମୟ କଥାବାର୍ତ୍ତା କରିବାର ଆବଶ୍ଯକତା ନାହିଁ, ବୁଲୁ ଟିକେ ଖେଳାଖେଳି କରିବା ପରେ ତୁମେ ଚାଲି ଆସିବ।
ସେ ଲୋକଟି ବିଷୟରେ ଖବର ନେବାରୁ ଯଦୁ ଜାଣିବାକୁ ପାଇଲେ ,ଯେ ଲୋକଟା ଧିରସ୍ଥିର ପ୍ରକୃତିର ; କିନ୍ତୁ ସ୍ତ୍ରୀ ବଡ ଉଦ୍ଧତ। ଏହି କାରଣରୁ ତାଙ୍କ ଘରେ ସଦାବେଳେ  ଅଶାନ୍ତି ଲାଗି ରହିଥାଏ।  ଦିନେ ସଂନ୍ଧ୍ଯାବେଳେ ଯଦୁ ନିଜେ ସେ ଲୋକଟି ପାଖକୁ ଗଲେ ଓ କିଛି  ସମୟ କଥାବାର୍ତ୍ତା ହୋଇଫେରିଲେ। ଲୋକଟି ତହସିଲ୍ ଅଫିସ ରେ କିରାଣି ଚାକିରୀ କରୁଥିଲା ଓ ତା ପଦବୀ ଠାରୁ ଯଦୁଙ୍କ ପଦବୀ ଉଚ୍ଚରେ ଥିବା କାରଣରୁ ଯଥେଷ୍ଟ ସମ୍ମାନ ଦେଖେଇଲା। ଏବେ ସେ ଲୋକ ଘରକୁ ବୁଲୁ ଖେଳିବାକୁ ଗଲେ, କୌଣସି ଅସୁବିଧା ନାହିଁ ବୋଲି ଦୁହେଁ ନିଶ୍ଚିନ୍ତ ଥିଲେ।
କିନ୍ତୁ ସେ ନାରୀଟିର ମନରେ କାହିଁକି କେଜାଣି ବୁଲୁ ପ୍ରତି ଭୀଷଣ ଇର୍ଷାଭାବ ଜନ୍ମ ନେଇଥିଲା। ହୋଇପାରେ ଯେ ବୁଲୁର ରୂପ ଓ ସ୍ବାସ୍ଥ୍ଯ ତା ପିଲା ମାନଙ୍କ ଠାରୁ ଢେର୍ ଅଧିକା ଥିଲା। ବୁଲୁର ବ୍ଯବହାର ଓ ଚାଲିଚଳଣ ପାଇଁ  ପାଖ ପଡିଶା ମାନେ କେବେକେବେ ସେ ସ୍ତ୍ରୀ ଲୋକର ଆଗରେ କହି ଦେଉଥିଲେ-- ଆମ ପୋଷ୍ଟମାଷ୍ଟର ସାର୍ ଙ୍କ ପୁଅ  ପୁରା ରାଜକୁମାର ପରି ହୋଇଛି, ଦେଖିବା ଲୋକ ଦଣ୍ଡେ ଛିଡା ହୋଇଯିବ। ବେଶ୍ କିଛି ଦିନ ଧରି ବୁଲୁ ସେ ଲୋକର ପିଲା ମାନଙ୍କ ସହ ଖେଳିଲା। କଲୋନୀର ଅନ୍ଯ ପିଲା ମାନେ ମଧ୍ଯ ଖେଳରେ ମିଶିଲେ ଓ ବୁଲୁ କଲୋନୀର ବାକି ଲୋକ ମାନଙ୍କର ଆଖିର ତାରା ପାଲଟି ଗଲା।  
ଦିନେ ବୁଲୁ ସେ ପିଲା ମାନଙ୍କ ସହ ଖେଳିଲା ବେଳକୁ ଅଚାନକ୍ ସ୍ତ୍ରୀ ଲୋକଟି ଆସି ତା ପିଠିରେ ବିଧାଏ ମାରିଦେଲା। ଲୁହ ଛଳଛଳ ଆଖିରେ ବୁଲୁ ତା ମୁହଁ କୁ ଚାହିଁବାରୁ ସେ କହିଲା-- ଗୋଡ ନ ଧୋଇ କାହିଁକି ମୋ ଘରେ ପଶିଗଲୁ। ତୋତେ ମାରିଛି ବୋଲି ଯଦି କାହାକୁ କହିବୁ, ମୁଁ ତୋ ବାପାଙ୍କୁ କହିଦେବି ଯେ ତୁ ମୋ ପୁଅକୁ ବାଡେଇଲୁ ବୋଲି।  ଏମିତି ବ୍ଯବହାରର କାରଣ କିଛି ବୁଝି ପାରି ନଥିଲା ନିରୀହ ବୁଲୁ। ବାପାଙ୍କ ଡରରେ ଚୁପ୍ ରହିବାକୁ ବାଧ୍ଯ ହେଲା ଓ ମୁହଁରେ ହସ ଫୁଟାଇବାକୁ ଚେଷ୍ଟା କରି ଘରକୁ ଫେରିଲା। କାହାଠାରୁ ଗାଳି ପଦେ ଖାଇ ନ ଥିବା ବୁଲୁ ର ମନରେ ଭୀଷଣ ଆଘାତ ଲାଗିଥିଲା। କିନ୍ତୁ, ସେ ତ ଗୋଡ ନ ଧୋଇ ଭୁଲ୍ କରିଛି, କହିବ କାହାକୁ? ଏଥର ସବୁ ଦିନ କିଛି ନା କିଛି କାରଣ ନେଇ  ସ୍ତ୍ରୀ ଲୋକଟି ବୁଲୁ କୁ ଗାଳି ଦେଲା ଓ ବାଡିଆପିଟା କରି ନାଲି ଆଖି ଦେଖାଇ ଚୁପ୍ ରହିବାକୁ ବାଧ୍ଯ କଲା। ତା ପିଲା ମାନେ ମଧ୍ୟ ବୁଲୁ କୁ ଗଧ, କୁକୁର, ଘୁଷୁରୀ, ମଫସଲିଆ କହି ଚିଡାଇବାରେ ଲାଗି ଯାଇଥିଲେ। ତାଙ୍କ ଘରକୁ ବୁଲୁର ଯିବାକୁ ଇଛା ନ ଥିଲା, କିନ୍ତୁ ସେ ଧୂର୍ତ୍ତ ସ୍ତ୍ରୀ ଲୋକଟି ନାନା କଥା କହି ବୁଲୁକୁ ଡରାଇ ଆସିବାକୁ ବାଧ୍ଯ କରି ରଖିଥିଲା।
- - ଦେଖ୍ ବୁଲୁ ଯଦି ତୁ ଆମ ଘରକୁ ନ ଆସିବୁ, ତୁ ଚୋରି କରୁଛୁ ବୋଲି ତୋ ବାପାଙ୍କୁ କହିଦେବି, ତୋ ବାପାଙ୍କୁ ପୋଲିସ୍ ଦ୍ବାରା ବନ୍ଧେଇ ଦେବି, ନ ହେଲେ ତୁମ ଘରେ ସାପ ଛାଡି ଦେବି। ବହୁତ୍ ଖେଳ ହୋଇଗଲା, ଏବେ ସେ କନା ଧରି ଟିଭି, ଫ୍ରିଜ୍ ପୋଛିବାରେ ଲାଗି ଯା। ମନେରଖ୍ ଏଠି କଣ କରୁଛୁ ବୋଲି କାହାକୁ କହିଲେ, ତୋ ଅବସ୍ଥା ଖରାପ କରିଦେବି। ଏପରି କଥା, ବଡ କର୍କଶ ସ୍ବରରେ ସ୍ତ୍ରୀ ଲୋକଟି ବୁଲୁ କୁ ଧମକାଇବା ଭଙ୍ଗୀରେ କୁହେ ।
ବିଚରା ବୁଲୁ ପ୍ରତି ସେମାନଙ୍କର ଅତ୍ଯାଚାରର ମାତ୍ରା ବଢି ଚାଲିଥିଲା। ଯେଉଁ ପିଲା ମାନଙ୍କ ସହ ଖେଳିବାକୁ ଏତେ ମନ ନେଇ ଆସିଥିଲା ସେହି ପିଲା ମାନେ ତାକୁ ବିଧା, ଗୋଇଠା ମାରିବାର ସୁଯୋଗ ହାତଛଡା କରନ୍ତି ନାହିଁ। ସ୍କୁଲ୍ ରେ ସବୁ ପିଲା ମାନଙ୍କ ସାମନା ରେ ବୁଲୁ କୁ କୁହନ୍ତି-- ଦେଖ ପିଲା ମାନେ, ଏ ପିଲା ଆମ ଘରେ କାମ କରୁଛି। ସ୍ବଭାବରେ ଶାନ୍ତଶିିଷ୍ଟ ବୁଲୁ ଅପମାନର ଗରଳ କୁ ପିଇଚାଲିଥିଲା ନୀରବରେ।  କେହି ଜାଣିବାର ବାଟ ବି ନ ଥିଲା, କାରଣ ସ୍ତ୍ରୀ ଲୋକଟିର କଦର୍ଯ୍ଯ ବ୍ଯବହାର ପାଇଁ ତା ଘରକୁ ପ୍ରାୟ କେହି ଯାଉ ନ ଥିଲେ। କେବେ କେବେ ବୁଲୁ କୁ ଅଇଁଠା ଖାଇବାକୁ ଦେବା, ତଳେ ବସେଇବା ଓ ବିନା କାରଣରେ କାନ ଧରି ଉଠବସ୍ କରାଇବାରେ ସ୍ତ୍ରୀ ଲୋକଟି ବହୁତ ଆନନ୍ଦ ପାଉଥିଲା। ଧିରେ ଧିରେ ବୁଲୁ ତାଙ୍କ ଘରକୁ ଯବା ପାଇଁ ଅମଙ୍ଗ ହେଲା। ମାତ୍ର ସେ ସ୍ତ୍ରୀ ଲୋକଟି ନିଜେ ରମାଙ୍କ ପାଖକୁ ଆସି ମିଠା କଥା କହି ବୁଲୁର ହାତ ଧରି ତାଙ୍କ ଘରକୁ ନେଇ ଯାଉଥିଲା। ସରଳ ବିଶ୍ବାସୀ ରମା ଭାବୁଥିଲେ, ବୋଧେ ସ୍ତ୍ରୀ ଲୋକଟି ନିଜ ଭୁଲ୍ ବୁଝି ପାରିଛି ଓ ତା ବ୍ଯବହାର ପାଇଁ ଅନୁତପ୍ତ। ସେଥିପାଇଁ ନିଜ ଆଡୁ ଆସି ବୁଲୁ କୁ ତାଙ୍କ ଘରକୁ ଡାକି ନେଉଛି। ବୁଲୁ ସହିତ ସାଙ୍ଗ ହେବା ପାଇଁ ପିଲାମାନେ ମିଳି ଯବାରୁ ରମା ଓ ଯଦୁ ଆଶ୍ବସ୍ତ ଥିଲେ ଓ ତାଙ୍କର ଆଶ୍ବସ୍ତି ର ଚାଦର ତଳେ ଲୁଚି ଯାଉଥିଲା ବୁଲୁ ପ୍ରତି ହେଉଥିବା, ପ୍ରତ୍ଯକ ଟି   ଅତ୍ଯାଚାର।
ବୁଲୁ  ଭିତରେ ଭିତରେ ଜଳିବାକୁ ଆରମ୍ଭ କରିଦେଇଥିଲା। ତା ମୁହଁରୁ ହସର ଝରଣା ଶୁଖି ଆସୁଥିଲା। ସଦାବେଳେ କେମିତି ଅନ୍ଯମନସ୍କ ରହୁଥିଲା।  ସ୍ବାସ୍ଥ୍ଯ ମଧ୍ୟ ବିଗିଡିବା ପରି ଲାଗୁଥିଲା। ରମା ଭାବୁଥିଲେ ପିଲା ଟା ନୂଆ କରି ସ୍କୁଲ ଯାଉଛି ବୋଲି ଏମିତି ହେଉଥିବ।  ଶୋଇଲା ବେଳେ “ମୋତେ ମାରନି” କହି ବିଳବିଳେଇ ଉଠୁଥିଲା। କାଳେ ଦୁସ୍ବପ୍ନ ଦେଖୁଥିବ ଭାବି ସେ କଥାକୁ ରମା ଓ ଯଦୁ ଗୁରୁତ୍ବ ଦେଉ ନ ଥିଲେ।  ଦିନେ ଦିନେ ବୁଲୁ ନିରୀହ ଭାବରେ ପଚାରେ-- ବାପା, ମଣିଷ ମାନେ କଣ ଗଧ, ଘୁଷୁରୀ, କୁକୁର ହୋଇପାରନ୍ତି ? ପୋଲିସ୍ କଣ ଲୋକ ମାନଙ୍କୁ ବାନ୍ଧି ବହୁତ ବାଡିଆପିଟା କରି ମାରିଦିଏ? ରାତି ରେ ଶୋଇଥିଲା ବେଳେ ଯଦି ଘରେ ସାପ ପଶି ଆମ ସମସ୍ତଙ୍କୁ କାମୁଡି ଦେବ, ଆମେ କଣ ମରିଯିବା?  ମୋଚିଘର ପିଲାର ଅର୍ଥ କ'ଣ ବାପା?
         ଏମିତି ଉଦ୍ଭଟ ପ୍ରଶ୍ନ ଶୁଣି ଉଭୟେ ବଡ ଆଶ୍ଚର୍ଯ୍ଯରେ ପଚାରନ୍ତି-- କୁଆଡୁ ଏସବୁ କଥା ଶିଖିଲୁ ବୁଲୁ? ପିଲାମାନେ ଏମିତି କହିବା ଜମା ବି ଠିକ୍ ନୁହଁ, ଲୋକେ ଶୁଣିଲେ ତୋତେ ଖରାପ୍ ଭାବିବେ।  ଚୁପ୍ ହୋଇଯାଏ ବୁଲୁ। ସେ ସ୍ତ୍ରୀ ଲୋକର ନାଲିଆଖି ମନେ ପଡିଯାଏ ଓ ରମା, ଯଦୁଙ୍କ ଆକଟ ତା ପାଟିରେ ତାଲା ପକେଇ ଦିଏ। 
ବିଚରା ବୁଲୁ, ସହରର ଚକ୍ରବ୍ଯୁହ ଭିତରେ ପଶି ତା’ର କୁନି ହାତରେ କାହା ସହିତ ବା ଲଢେଇ କରିପାରିବ? ମନେ ମନେ ଭାବେ କେତେ ଭଲ ଥିଲେ ଗାଁଆର ଲୋକେ। କେତେ ଭଲ ପାଉଥିଲେ ତାକୁ। କିନ୍ତୁ ସହରରେ ବିନା କାରଣରେ କେବଳ ମାଡ ଗାଳି ଖାଇବାକୁ ପଡୁଛି। ଶୋଇଲା ବେଳେ ରମାଙ୍କୁ କୁହେ-- ମାଆ ଆମେ କେବେ ଗାଁଆକୁ ଯିବା ଯେ? ସମସ୍ତଙ୍କ କଥା କହୁତ ମନେ ପଡୁଛି। ମୋତେ ଏ ସହରରେ କିଛି ଭଲ ଲାଗୁନି, ଏଠି ରହିବାକୁ ମୋ ମନ ହଉନି। ମୋତେ ଗାଁଆ କୁ ନେଇଚାଲ। ରମା କିଛି କହିବା ଆଗରୁ ବିଚରା ଶୋଇ ପଡିଥାଏ। 
ସେଦିନ ଯଦୁ ଅଫିସ୍ ରେ ଥିଲେ। ବୁଲୁ ଖେଳିବାକୁ ଯାଇଥିଲା। କିଛି ସମୟ ପରେ କାନ୍ଦିକାନ୍ଦି  ଚିତ୍କାର କରି  ବୁଲୁ ଘର ଭିତରେ ପଶିଗଲା। ଦେଖିଲା ବେଳକୁ ମୁଣ୍ଡ ଫାଟି ରକ୍ତଧାର ବୋହିଚାଲିଛି। ଦେହ ସାରା ମାଡ ଦାଗ। ଗାଲରେ ଚଟକଣି ମାରିବାର ଦାଗ ସ୍ପଷ୍ଟ ଦିଶୁଛି।  ହାତଗୋଡରେ  ମାଡ ବାଜି ନୋଳା ଫାଟିଯାଇଛି। 
– ମୋ ଧନରେ କ’ଣ  ହେଲା ତୋର, କିଏ ତୋତେ ମାରିଲା କହ ? ବୁଲୁ କୁ ଛାତିରେ ଜାବୁଡି ବିକଳ ହୋଇ କାନ୍ଦି ଚାଲିଥିଲେ ରମା।
– ମାଆ, ତୁମେ ବାପାଙ୍କୁ କିଛି କହିବନି। ମୁଁ ଗୋଟେ ଭୁଲ କରିଦେଇଛି। ସେ ପିଲା ମାନଙ୍କ ସହ ଖେଳିଲା ବେଳେ ମୋ ହାତ ବାଜି ତାଙ୍କ ଘରର ଫୁଲଦାନୀ ଗୋଟେ ଭାଙ୍ଗିଗଲା। ଦୁଇ ଭାଇ ଓ ତାଙ୍କ ମାଆ ମିଶି ମୋତେ ବହୁତ ମାରିଲେ। କହିଲେ, ଯଦି କାହାକୁ ମାଡ ବିଷୟରେ କହିବି, ଆମ ସମସ୍ତଙ୍କୁ ପୋଲିସ୍ ଦ୍ବାରା ବନ୍ଧେଇଦେବେ। ପୋଲିସ୍ ଆମ ସମସ୍ତଙ୍କୁ ବାଡେଇକି ମାରିଦେବ। ତୁମେ କାହାକୁ କିଛି କହିବନି ମାଆ। ମୁଁ ଆଉ ତାଙ୍କ ଘରକୁ କବେ ଯିବିନି। ମୋତେ ଲୁଚେଇ ଦିଅ ମାଆ, ନହେଲେ ସେମାନେ ପୁଣି ମାରିବେ। ମୋତେ ବହୁତ କାଟୁଛି, ଓଃ ମୋ ମୁଣ୍ଡ କ'ଣ ହୋଇଯାଉଛି। ମାଆ ମୁଁ ମରିଯିବିନି ତ?
– – କହିବିନି ରେ ଧନ, କାହାକୁ କିଛି କହିବିନି। ତୁ ମୋତେ କହ କଣ ସବୁ ହୋଇଛି। ରମା ଙ୍କ ପାଦ ତଳୁ ପୃଥିବୀ ଖସି ଗଲା ପରି ଲାଗୁଥିଲା। ଏତେ ଧିରସ୍ଥିର ପିଲା ଏମିତି କଥା କହୁଛି ବୋଲି ବିଶ୍ବାସ ହେଉ ନ ଥିଲା ତାଙ୍କର।
ପ୍ରଥମ ଦିନଠାରୁ ଘଟି ଚାଲିଥିବା ସବୁ ଘଟଣା ଗୋଟି ଗୋଟି କରି ବଖାଣି ଚାଲିଥିଲା ବୁଲୁ। ରମାଙ୍କୁ ଲାଗୁଥିଲା ଯେପରି ତାଙ୍କ ସୁନାସଂସାରରେ ନିଆଁ ଲାଗିଯାଇଛି। ଜଣେ ନାରୀ ଓ ମାଆ ହୋଇ, ସେ ସ୍ତ୍ରୀଲୋକଟି କେମିତି ପିଶାଚି ପାଲଟି ଯାଇଥିଲା ସେଇ ବିଷୟରେ ଭାବି କ୍ରୋଧରେ ଜଳି ଯାଉଥାଏ ତାଙ୍କ ମନ। ଇଚ୍ଛା ହେଉଥାଏ, ସେହିକ୍ଷଣି ସେ ପିଶାଚି ର ଚୁଟିି ଧରି ବିଚ୍ ରାସ୍ତାରେ ଘୋଷାଡି ବାଡେଇବା ପାଇଁ। ତାଙ୍କର ଫୁଲ ପରି କୋମଳ ବୁଲୁର ଅବସ୍ଥା କେତେ ଦୟନୀୟ କରିଦେଇଛନ୍ତି ସେମାନେ!
   ଯଦୁ ପହଞ୍ଚିବା ପରେ ବୁଲୁ କୁ ଡାକ୍ତରଖାନା କୁ ନେଲେ।  ବୁଲୁର ନିଷ୍ପାପ ପ୍ରାଣ ଓ କୋମଳ ଶରୀର  ସେ ନାରୀଟିର ପୈଶାଚିକ ଯାତନା ସହି ନପାରି  ନିସ୍ତେଜ ହୋଇ ଆସୁଥିଲା।  ବହୁ ଚେଷ୍ଟା ପରେ ସେ ସୁସ୍ଥ ହେଲା। ଘଟଣା ବିଷୟରେ ଯଦୁ ପୋଲିସ୍ ରେ ଖବର ଦେଲେ ଓ ଉପଯୁକ୍ତ କାର୍ଯ୍ଯାନୁଷ୍ଠାନ ନିଆଗଲା ସେ ଭୟଙ୍କର ପିଶାଚି ପ୍ରବୃତ୍ତି ବିଶିଷ୍ଟ ନାରୀ ଉପରେ।
ଡାକ୍ତରଖାନାର ଶେଯରେ ଶୋଇ ଖନେଇ ଖନେଇ ବୁଲୁ ରମାଙ୍କୁ ପଚାରିଲା-- ମାଆ,  ବାପାଙ୍କୁ କିଛି କହିନ ତ?
– ନା ରେ ପୁଅ କିଛି କହିନି। ତୁ ଜଲଦି ଭଲ ହୋଇଗଲେ ଆମେ ଗାଁଆକୁ ଯିବା। ସେଇ ଗାଁଆରେ ରହିବା। ଏ ସହର ମୋତେ ଜମା ଭଲ ଲାଗୁନି,  କହିଲେ ରମା।
ପ୍ରଶ୍ନିଳ ଆଖିରେ ବୁଲୁ ଚାହିଁଲା ଯଦୁଙ୍କ ମୁହଁକୁ।
– ମାଆ ଠିକ୍ କହୁଛି ବୁଲୁ। ଆମେ ଏଥର ଗାଁଆରେ ରହିବା। ତୁ ଶିଘ୍ର ଭଲ ହୋଇଯା। କେତେ ମଜା କରିବାକୁ ବାକି ଅଛି ଗାଁଆରେ।
ସମ୍ପର୍କର ଏତେ ଗୁଡିଏ ସ୍ବରୂପ ଦେଖିଲା ପରେ ରମା ମନେମନେ ଭାବୁଥିଲେ ଏ ଦୁନିଆରେ କେବଳ ମଣିଷ ଅଛନ୍ତି,ନା ମଣିଷ ଶରୀର ଭିତରେ ପିଶାଚ ମାନେ ମଧ୍ଯ ଅଛନ୍ତି।
                                                     – ସମାପ୍ତ--

Thursday, May 24, 2018

ରାଜଦୂତ୍

                                                                                               
                          ଲେଖକ- ଅରବିନ୍ଦ ରଥ

ରାସ୍ତା ଉପରେ ଖଣ୍ଡ ବିଖଣ୍ଡିତ ହୋଇ ପଡିଛି ଗୋଟିଏ ଦାମୀକା ମୋଟର ସାଇକେଲ୍। ଚାଳକ ର ଅବସ୍ଥା ନ କହିବା ଭଲ। ଦେହର କୌଣସି ଯାଗା ଏପରି ନାହିଁ, ଯେଉଁ ଠାରେ କ୍ଷତ ନ ହୋଇଛି, ଦେଖିଲେ ଲାଗୁଛି ସତେ କି ରକ୍ତର ହୋଲି ଖେଳିଛି । ପାଖରେ ଜମା ହୋଇଛନ୍ତି ଶତାଧିକ ଦେଖଣାହାରୀ ; ଦୁର୍ଘଟଣା ଯାଗାରୁ ନିରାପଦ ଦୂରତା ରେ ରହି, ଗାଡି ଚଳାଇବାର ଜ୍ଞାନ ଓ କୌଶଳ ବଖାଣିବାରେ ବ୍ଯସ୍ତ।
 କିଏ କହୁଛି-- ସେ ଏପରି ଚଲେଇଥିଲେ ଦୁର୍ଘଟଣା ହୋଇ ନ ଥାନ୍ତା। ତ କିଏ କହୁଛି, ଏମିତି କଣ ଓଭରଟେକ୍ କରିବା କଥା ? ପୁଣି କିଏ କହୁଛି-- ଏମାନେ ଧନୀ ଘରର ପିଲା। ଲକ୍ଷେ ଟଙ୍କିଆ ଗାଡି ଧରି ରାସ୍ତା କୁ ନିଜ ପୈତୃକ ସମ୍ପତ୍ତି ଭାବିଲେ ଏମିତି ଲହୁଲୁହାଣ ହୋଇ ରାସ୍ତା ରେ ପଡିବା ଛଡା ଅନ୍ଯ ଗତି ନାହିଁ।  କିଛି ସାଇକେଲ୍ ଧାରୀ ସବଜାନତା ଲୋକ କହୁଛନ୍ତି-- ଆରେ, ଏମିତି ଦୁର୍ଘଟଣା ହେଉଛି ବୋଲି ସିନା ଆମେ ସବୁ ଦାମୀକା ମୋଟରସାଇକେଲ ଛାଡି ସାଇକେଲ୍ ପେଲୁଛୁ, ଜୀବନ ଟା ବଞ୍ଚିଯାଉଛି ଅତି କମ୍ ରେ। ଆଉ କିଛି ଯୁବକ, ଚାଳକ କୁ ବଞ୍ଚାଇବା କଥା ନ ଭାବି ମୋବାଇଲ ରେ ଫଟୋ ଉଠେଇବାରେ ବ୍ଯସ୍ତ। ଚାଳକ ର ପ୍ରତ୍ଯକଟି ଆଘାତ ଯେମିତି ମୋବାଇଲ କ୍ଯାମେରା କଏଦ କରିବ, ସେଥିପାଇଁ ସେମାନେ ବଡ ବିବ୍ରତ।  ଟିକିଏ କମ୍ ବୁଦ୍ଧି ସମ୍ପର୍ଣ୍ଣ, ଅର୍ଦ୍ଧ ଆଧୁନିକ ପିଲା ମାନେ ଚାଳକ ର ପାଖରେ ବସି ସେଲଫି ନେବାରେ ହେଳା କରୁ ନ ଥାନ୍ତି।  
ଯୌବନର ଶେଷାବସ୍ଥା ରୁ ପାଦ ଉଠାଇ  ପ୍ରୌଢତାର ପ୍ରାରମ୍ଭୀକି ଆବସ୍ଥାରେ ପାଦ ଥାପୁଥିବା ଜଣେ ମହାଜ୍ଞାନୀ ଟାଉଟର ଜାତୀୟ  ଲୋକ କହିଲେ-- ଆରେ ଭାଇ ମାନେ, ଏ ପିଲା ନିହାତି କୋଟିପତି ଘର ଛୁଆ ହୋଇଥିବ। ଗାଡିକୁ ଦେଖିଲେ ଇଏ “ହାୟାବୁସା” କମ୍ପାନୀର  ପରି ଲାଗୁଛି। ଦାମ୍ ଅତି କମ୍ ରେ ପନ୍ଦର ଲକ୍ଷ ହୋଇଥିବ। ଗାଡି ନୁହଁ ତ, ଇଏ ପବନସୂତ ହନୁମାନଙ୍କ ଅବତାର। ଏକ୍ସିଲେଟର ଉପରେ ମାଛି ବସିଲେ ବି ଗାଡିର ବେଗ ଦୁଇଶହ କିଲୋମିଟର ପ୍ରତି ଘଣ୍ଟା ଛୁଇଁବ। ଯେମିତି ଗାଡି କୁ ସେମିତି ଚାଳକ ଦରକାର। ଏ ମେଞ୍ଚଡ ଟୋକା ଦେହରେ ଦୁଇ ଶହ ଛଅ ଖଣ୍ଡି ହାଡ ସ୍ପଷ୍ଟ ଦିଶୁଛି। ସେ ଲୁନା ଚଲେଇଲେ ପାଞ୍ଚ ଗଡା ମାରି ପଡିବ, ତା ଦେହରେ ଏ ଗାଡି କୁ ଆୟତ୍ତ କରିବାର ତାକତ କୁଆଡୁ ଆସିବ ? ସେ ପିନ୍ଧିଥିବା ଚମଡା ଜ୍ଯାକେଟ୍ ଓ ହାତରେ ଗ୍ଲୋବସ୍ ଦେଖିଲେ ଜଣା ପଡୁଛି, ପିଲା ଦୂର ଯାଗାକୁ ବାତରା ତୀର୍ଥ କରି ଯାଉଥିଲା।
– – ଭାଇ ସେ ବାତରା ତୀର୍ଥ ଟା କଣ ବୁଝାପଡିଲାନି।
– – ଆରେ, ଲୋକେ ଯେମିତି ଧର୍ମ କରିବାକୁ ତୀର୍ଥ ଯାଆନ୍ତି ; ଏମାନେ ସେମିତି ଦାମୀକା ଗାଡି ଧରି ଘୁଁ ଘାଁ କରି ଚଉଦିଗକୁ ବିନା କାରଣରେ ଖେଦି ଯାଆନ୍ତି। ଧନୀଘର ଛୁଆ, ଅପର୍ଯ୍ଯାପ୍ତ ପଇସା। ଖର୍ଚ୍ଚ କରିବାର ବାଟ ନ ପାଇଲେ, ଗାଡି ଧରି ପୃଥିବୀ ଚାରି ପଟେ ଘେରା ମାରିଦେବେ।
ଜମା ହୋଇଥିବା ଲୋକଙ୍କ ଭିତରେ ଜ୍ଞାନସୁଧା ସିଞ୍ଚନ କରି ସେ ଲୋକଟି ଅତି କମ୍ ସମୟରେ ପ୍ରଭାବ ବିସ୍ତାର କରିବାରେ ସଫଳ ହୋଇଥିଲା। କିଏ ଜଣେ କହିଲା, ପିଲା ଟା ପାଟି ପାକୁପାକୁ କରି ପାଣି ମାଗୁଛି। ଦେବା କି ନାହିଁ?
– କିହୋ ଭାଇ, ତାକୁ ମାରିବ ନା କଣ? ପାଣି ଟୋପେ ଦେଲେ ଯଦି ତଣ୍ଟିରେ ଠାକିଯିବ, ବିଚରା ବ୍ରୟଲର୍ କୁକୁଡା ପରି ବେକ ମୋଡି ପଡିଯିବ। ସେମିତି ପଡିଥାଉ ସେ, କଥାରେ ଅଛି “ଆପଣା କଲା କର୍ମମାନ, ଆଗୁଁ ହୋଇବ ସାବଧାନ”। ସେ ସାବଧାନ ହେଲାନି ତା’ର ଭୁଲ୍। ଆମେ କଣ କରି ପାରିବା ?
– ତାକୁ ମେଡିକାଲ୍ ନେଇଯିବା କି? ନା ପୋଲିସ୍ ରେ ଖବର ଦେବା? ଚାଲ ଦମକଳବାଲା ଙ୍କୁ ଡାକିବା।
- -କିଏ ସେ ପଣ୍ଡିତଙ୍କ ବାଛୁରୀ ଯିଏ ଏ କଥା କହିଲା, ଟିକେ ବଦନ ଟା ଦେଖେଇଲ। କିହୋ, ଡାକ୍ତରଖାନା କି ପୋଲିସ୍ ପାଖରେ ଖବର ପହଞ୍ଚିଲେ ଅବସ୍ଥା କଣ ହେବ ଜାଣିଛ ତ? ସବୁଲୋକ ପାଟିମେଲା କରି ରହିବାରୁ ସେ ପୁଣି ଗଳାଝାଡି କହିଲା-- ଧର ସେ ପିଲା ଡାକ୍ତରଖାନା ଯାଇ ଭଲ ହୋଇଗଲା। ସେ ତ ଘରକୁ ଯିବ, କିନ୍ତୁ ଖବର ଦେବା ଲୋକ ଥାନା, କଚେରି ଦୌଡି ଦୌଡି ପକେଟ୍ ଓ ପାଦର ଚପଲ ଛିଡାଇବା ସାର ହେବ। ପୋଲିସ୍ ଏମିତି ପଚରା ଉଚୁରା କରିବ ଯେ ଲାଗିବ ତୁମେ ସେ ପିଲାଟାକୁ ଗାଡି ମଡେଇ ଦେଲ। ଆଉ ଦମକଳବାଲାଙ୍କୁ ଆଜି ଡାକିଲେ ସେ କାଲି ପହଞ୍ଚିବେ।
କେମିତି ଦୁର୍ଘଟଣା ହେଲା, କେତେବେଳେ ହେଲା, କିଏ ସବୁ ଥିଲେ, ସେ କେମିତି ପଡିଲା, ବାଁ ପଟ ମାଡି ନା ଡାହାଣ ପଟ ମାଡି , ପଡିଲା ପରେ କେତେ ଗଡା ମାରିଲା, କିଳିକିଳା ରଡି ଛାଡିଲା କି ନାହିଁ, ପଡିଲା ସାଙ୍ଗେସାଙ୍ଗେ ମୁଣ୍ଡ ଫାଟିଲା ନା ଆଗରୁ ଫାଟିଥିଲା, ତା ପାଖରେ ଡ୍ରାଇଭିଙ୍ଗ ଲାଇସେନସ୍ ଥିଲା କି ନାହିଁ, ତୁମେ ତାକୁ କେମିତି ଜାଣିଲ, ଏତେ ଲୋକ ତ ଥିଲେ ତୁମେ କାଇଁ ଖବର ଦେଲ, ପଡିଲା ପରେ ସେ ପିଲା କୁ ତୁମେ ଉଠେଇଲ କି ; ଯଦି ହଁ , ତା ପାଖରେ କେତେ ଟଙ୍କା ଥିଲା ଗଣିଛ କି, ତୁମେ ତା ପାଖରୁ ଟଙ୍କା ପଇସା ନେଇ ଯାଇନ ବୋଲି କଣ ପ୍ରମାଣ ଅଛି। ଏମିତି ହଜାରେ ପ୍ରଶ୍ନରେ ତୁମ ମାନଙ୍କ ଚୁଟି ଉପୁଡିଯିବ ଭାଇମାନେ। ତେଣୁ ସେ ଆଡକୁ ନଜର ନ ଦେଇ ଥିରି ହୋଇ ଛିଡା ହୁଅ। ଯାହାର କୁଣ୍ଡେଇ ହେଉଛି, ସେ ପୋଲିସ୍ କୁ ଖବର ଦିଅ ନହେଲେ ଡାକ୍ତରଖାନା କୁ ନିଅ। ଗୋଟେ ନିଶ୍ବାସରେ ଅନର୍ଗଳ ଓଜସ୍ବିନୀ ଭାଷଣ ଦେଇ ଲୋକଟି ଛେପ ଢୋକି, ଜନତାଙ୍କର ପ୍ରତିକ୍ରିୟା ଅପେକ୍ଷାରେ ରହିଲା। ସମବେତ ଜନତାଙ୍କ ପାଦ କେଇ ପାହୁଣ୍ଡ ପଛକୁ ଫେରିଗଲା। ସମସ୍ତଙ୍କ ମନରେ ସେଇ ଗୋଟିଏ ଆଶା,  କିଏ ଜଣେ ଅତି ମୁର୍ଖ, ଗଣ୍ଡ ଜାତୀୟ ପ୍ରାଣୀ  ଆସି ପିଲାଟିକୁ ଜୀବନଦାନ ଦେବେ, ନଚେତ୍ ସ୍ବୟଂ ଭଗବାନ ପିଲାଉଦ୍ଧାର ପାଇଁ ଧରାପୃଷ୍ଠରେ ଅବତୀର୍ଣ୍ଣ ହେବେ।
ଏତେ ଲୋକଙ୍କର ଗହଳି ଦେଖି ପାଖାପାଖି ସତୁରୀ ବର୍ଷୀୟ ହରବାବୁ ଅଟକି ଗଲେ। ଗାଡି ଠିଆ କରି ପାଖକୁ ଆସି ସମସ୍ତ ଘଟଣାର ସବିଶେଷ ବିବରଣୀ ସେ ମହାଜ୍ଞାନୀ ଲୋକଠାରୁ ଜାଣିଲେ। କଣ କରି ପାରିବେ, ଭାବିଲା ବେଳକୁ ତାଙ୍କ ଗାଡି ପାଖରେ କୋଳାହଳ ଶୁଭିଲା। ପଛକୁ ବୁଲି ଦେଖିଲେ, ଲଫଙ୍ଗା ଟୋକା ସବୁ ତାଙ୍କ ଗାଡିର ଫଟୋ ଉଠାଇବାରେ ବ୍ଯସ୍ତ। ସତେ ଯେମିତି ମଙ୍ଗଳ ଗ୍ରହର ଉଡନ୍ତା ଥାଳିଆ ତାଙ୍କ ସମ୍ମୁଖରେ ଉଭା ହୋଇଛି।  ସମସ୍ତଙ୍କ ମୁଖମଣ୍ଡଳରେ କେତେ ଜାତି ର ଭାବ। କିଏ ଆଶ୍ଚର୍ଯ୍ଯ, କିଏ ବିବ୍ରତ, କାହା ମୁହଁରେ “ ଏ ଗାଡି ଧରାପୃଷ୍ଠରେ ଏବେ ମଧ୍ଯ ଅଛି?” ର ଭାବ। କିଏ କହୁଛି, ଏମିତି ଗାଡି ମୋ ଜେଜେ ବାପାର ଥିଲା, କିଏ କହୁଛି ମୋ ଗୋସେଇଁ ବାପା ଚଲଉଥିଲା, କିଏ କହୁଛି ମୋ ଅଣି ଅଜା, ପଣିଅଜାଙ୍କ ପାଖେ ଏମିତି ଗାଡି ଗଣ୍ଡେ ଦି କଡା ଥିଲା। ବଗୁଲିଆ ଟୋକା ମାନଙ୍କ କବଳରୁ ଗାଡିଟି ଏକ ପ୍ରକାର ଛଡେଇ ଆଣି ନିଜ ପାଖରେ ଷ୍ଟାଣ୍ଡ ମାରି, ହାତ ଡେରି ଛିଡା ହେଲେ ହର। 
– – ଆରେ ବାଃ, ସାଇବ ଏ ଗାଡି ଟା ରାଜଦୂତ୍ ନା କଣ? ଏହାର  ନବ କଳେବର କେଉଁଠି କଲ? ଦେଖିଲେ ପୋଲିଓ ଗ୍ରସ୍ତ  ବୁଲେଟ୍ ଗାଡି ପରି ଲାଗୁଛି। ମହାଜ୍ଞାନୀ ଏତିକି କହି, ହରଙ୍କର ଉତ୍ତର ଅପେକ୍ଷାରେ ରହିଲେ।  କିନ୍ତୁ, ନିରୁତ୍ତର ଥିଲେ ହର। ଆଖି ସାମନାରେ ନାଚି ଯାଉଥିଲେ ସେ ହଜିଲା ଦିନସବୁ।
ହର ସାମନ୍ତରାୟ, ସେହି ସହରର ନାମଜାଦା ବ୍ଯବସାୟୀ, କେବଳ ସେ ସହର କାହିଁକି, ଅନ୍ଯ ସହରରେ ମଧ୍ଯ ତାଙ୍କର ବିଶାଳକାୟ ଦୋକାନ ମାନ ଅଛି। ନିହାତି ଭଦ୍ର ଓ ସରଳ ବ୍ଯକ୍ତିତ୍ବର ଅଧିକାରୀ। ନିିଜ ପ୍ରଚେଷ୍ଟାରେ ଜଳବିନ୍ଦୁ କୁ ମହାସମୂଦ୍ରରେ ରୂପାନ୍ତରିତ କରିପାରିଛନ୍ତି ସେ। ତାଙ୍କ ସଂଘର୍ଷ ଓ ସଫଳତାରେ ସବୁଠାରୁ  ବଡ  ଅବଦାନ ଅଛି ତାଙ୍କ ରାଜଦୂତର। ଲୌକିକ ଦୃଷ୍ଟିକୋଣରୁ “ରାଜଦୂତ” ଏକ ମୋଟର ସାଇକେଲ ହୋଇପାରେ ;  କିନ୍ତୁ ହରଙ୍କ ପାଇଁ ସେ ଏକ ଜୀବନ୍ତ ଅସ୍ତିତ୍ବ। ମାନ ଅଭିମାନ, ସ୍ନେହ ପ୍ରେମ, ତ୍ଯାଗ ତିତିକ୍ଷା ଓ ଦାୟୀତ୍ବବୋଧତାର ସମଷ୍ଟିକରଣରେ ଗଢି ଉଠିଥିଲା ରାମବାବୁଙ୍କର ରାଜଦୁତ୍।
ବ୍ଯବସାୟ ଆରମ୍ଭ ହେବା ସମୟରେ, କିଛି ଟଙ୍କା ଧାର ଉଧାର କରି ସେ କିଣିଥିଲେ କଳାରଙ୍ଗର ଏକ ରାଜଦୁତ୍ ; ଯାହା ସେ ସମୟରେ ରାସ୍ତାର ରାଜା ଥିଲା । ଗୁରୁଗମ୍ଭୀର ଧୁନ୍ ଧୁନ୍ ଶବ୍ଦରେ ସଙ୍ଗୀତର ମଧୂର ମୂର୍ଚ୍ଛନା ତୋଳି ରାସ୍ତାରେ ତୀର ବେଗରେ ଦୌଡିବା ସମୟରେ ଦେଖଣାହାରିଏ ଦଣ୍ଡେ ଛିଡା ହୋଇ ପଡୁଥିଲେ। ହରବାବୁଙ୍କର ଶ୍ଯାମଳବର୍ଣ୍ଣୀ ଶରୀର କୁ ବେଶ୍ ମାନୁଥିଲା କଳା ମଚ୍ ମଚ୍ ରଙ୍ଗର ରାଜଦୂତ୍।   କେବେକେବେ ସେ ଧର୍ମପତ୍ନୀଙ୍କୁ କୁହନ୍ତି – – ଗାଡିଟିକୁ କୌଣସି ଉପାୟରେ ନବେ ଡିଗ୍ରୀ ଅବସ୍ଥାରେ ଛିଡା କରିଦେଲେ ଲାଗିବ, ଜଣେ ବପୁବନ୍ତ ପୁରୁଷ ଛିଡା ହୋଇଛି। ହେଡ୍ ଲାଇଟ୍ ଟି ମସ୍ତକ , ହ୍ଯାଣ୍ଡଲ୍  ଟି ହସ୍ତଯୁଗଳ,  ତେଲଟାଙ୍କି ଟି ବିଶାଳ ବକ୍ଷଦେଶ, ତେଲଟାଙ୍କି  ଓ  ସିଟ୍ ର ମିଳନ ସ୍ଥଳଟି ସରୁ କଟି  ଓ ଲମ୍ବା ଚଉଡା ସିଟ୍ ଟି  ଦୁଇଟି ଗୋଡ।  କଣ ସତ କହୁଛି ନା ମିଛ?
– – “ତୁମେ ଜଣେ ଭଲ ବ୍ଯବସାୟୀ ହେବା ସହ, ଏତେ ଭଲ କବି ବୋଲି ମୁଁ ଆଜି ଜାଣିଲି।  ପତ୍ନୀଙ୍କର ଏମିତି କଥା ଶୁଣି ହସି ଉଠନ୍ତି ହର।  ଗାଡିଟି ପାଇଁ ଗଭୀର ଭଲପାଇବା ଜନ୍ମ ନେଇଥିଲା ତାଙ୍କ ମନରେ ଓ ସେ ରାଜଦୁତ୍ କୁ କାଳୁ ବୋଲି ଡାକିବା ଆରମ୍ଭ କରିଦେଇଥିଲେ। ଗାଡିର ନାମକରଣ ହେବା ଦିନ ସତ୍ଯନାରାୟଣ ପାଲା କରି ସିରିଣି ବାଣ୍ଟିଥିଲେ ସାଇଭାଇଙ୍କ ଭିତରେ। କେତେ ଜଣଙ୍କୁ କଥାଟା ଟିକେ ଅପ୍ରାସଙ୍ଗିକ ଲାଗିଲେ ବି ହରଙ୍କର ବ୍ଯକ୍ତିତ୍ବ ଆଗରେ ସେ ଅପ୍ରାସଙ୍ଗିକତା ଲୁଚି ଯାଇଥିଲା।  ଦାଣ୍ଡ ଘରେ କାଳୁ ପାଇଁ ଥିଲା ସ୍ବତନ୍ତ୍ର ସ୍ଥାନ। ସବୁ ଦିନ ଗାଡି ଧୁଆ ହେଉଥିଲା। ବାହାରକୁ ବାହାରିବା ପୂର୍ବ ରୁ ପତ୍ନୀ ସିନ୍ଦୁର ଟୋପା ଦେଇ ଆଳତୀ ବୁଲାଇବାରେ କେବେ ହେଳା କରୁ ନ ଥିଲେ।  କାଳୁ ଧିରେଧିରେ ହରବାବୁଙ୍କ ଜୀବନର ଏକ ଅବିଛେଦ୍ଯ ଅଙ୍ଗ ପାଲଟିଗଲା। କେବେ ଦିନେ ମଧ୍ଯ କାଳୁ କୁ ଅନ୍ଯ କାହାକୁ ଚଲାଇବାକୁ ହର ଦେବାର ନଜିର୍ ନଥିଲା।  ହଁ, କେବଳ ଥରେ ନିଜର ଅତି ଘନିଷ୍ଠ ବନ୍ଧୁଙ୍କର ମାସାଧିକ  କାଳର ଅନୁରୋଧକୁ ଏଡାଇ ନ ପାରି, ସେ କାଳୁ କୁ କିଛି ସମୟ ପାଇଁ ତାଙ୍କ ହାତ କୁ ଟେକି ଦେଇଥିଲେ। ମାତ୍ର କାଳୁ କୁ ଷ୍ଟାର୍ଟ କରିବାରେ ଅସମର୍ଥ ହେଲେ ସେହି ବନ୍ଧୁ।  ହର, ବନ୍ଧୁଙ୍କ ହାତରୁ କାଳୁକୁ ନେଇ ଗୋଟିଏ ଥରରେ ଷ୍ଟାର୍ଟ କରିଦେଲେ। କିନ୍ତୁ ମନ ମାନୁ ନ ଥାଏ। କାଳୁର ଶବ୍ଦ ଓ ଚାଲି କେମିତି ଖାପଛଡା ଲାଗିଲା ତାଙ୍କୁ। ବେଶ୍ କିଛି ସମୟ ଚାହିଁ ରହିଲେ ରାସ୍ତାକୁ, କାଳୁ ନଜର ଆଢୁଆଳରୁ ଅଦୃଶ୍ଯ ହେବାଯାଏ। କିଛି ସମୟ ପରେ ସେ ବନ୍ଧୁ, କାଳୁ କୁ ଗଡେଇ ଗଡେଇ ଆଣିଲେ। ଦେଖିଲା ବେଳକୁ ହାତ, ଗୋଡରେ ଠାଏ ଠାଏ ଖଣ୍ଡିଆ ହୋଇ ରକ୍ତ ବାହାରୁଛି।  ଚମକି ଉଠିଲେ ହର। କାଳୁ ର କିଛି ହୋଇନି ତ ! ସେ ଭୂଇଁ ଉପରେ ଲଥ୍ କରି ବସି ପଡିଲେ। ଦେଖିଲା ବେଳକୁ କାଳୁ ର ବିଭିନ୍ନ ଯାଗାରୁ ରଙ୍ଗ ଛାଡି ଯାଇଛି ଓ ତେଲ ଟାଙ୍କିଟି ଚେପା ହୋଇଯାଇଛି। ବନ୍ଧୁଙ୍କୁ କୌଣସି ସମବେଦନା ନ ଦେଖେଇ ସେ କାଳୁ କୁ ଘର ଭିତରକୁ ଆଣିଲେ। ହରଙ୍କର ଏତାଦୃଶ ବ୍ଯବହାରରେ ଭୀଷଣ କ୍ଷୁବ୍ଧ ହୋଇ ବନ୍ଧୁ ସେ ଜାଗା ପରିତ୍ଯାଗ କଲେ।  ହରଙ୍କର ଆଖିରେ ସ୍ପଷ୍ଟ ଦିଶୁଥିଲା ଅସହାୟତା। ତାଙ୍କର ମୁର୍ଖାମୀ ପାଇଁ ବିଚରା କାଳୁ ଆଜି କ୍ଷତାକ୍ତ ହେଲା।  ଗ୍ଯାରେଜ୍ ରେ ବସି ବାରମ୍ବାର ମିସ୍ତ୍ରୀ କୁ କହୁଥିଲେ-- ବାବୁ ଟିକେ ଧିରେ କାମ କର। କାଳୁକୁ କଷ୍ଟ ହେବ ଯେ! କାଳୁ କିଏ, ଜାଣିବାର ତିଳେ ମାତ୍ର ଆଗ୍ରହ ନ ଥିବା ମିସ୍ତ୍ରୀ ମାର୍ତ୍ତୁଲ୍ ରେ ଢୋ ଢା ବାଡେଇ ବଙ୍କା ତେଲ ଟାଙ୍କି  କୁ ସିଧା କରିବାରେ ଲାଗିଥିଲା।
ସ୍ତ୍ରୀ, ପିଲା ମାନଙ୍କୁ କାଳୁ ପିଠିରେ ବସେଇ ବଜାର ନେଲା ବେଳେ ହର କୁହନ୍ତି-- ଆରେ ଆମେ ତ ମଜା କଲେ , କାଳୁ ପାଇଁ କଣ ନେବା କୁହ? କେବେ ନୂଆ ହାତମୁଠା, ତ କେବେ ନୂଆ ସିଟ୍ କଭର, ପୁଣି କେବେ ନୂଆ ରଙ୍ଗ ବେରଙ୍ଗିଆ ଲାଇଟ୍। ଗୋଟିଏ ସାନ ପିଲା ପରି, କାଳୁ ପାଇଁ ସବୁଦିନ କିଛି ନା କିଛି ନୂଆ ଜିନିଷ ଆସୁଥାଏ।  କାଳୁ କେବଳ ଭଲପାଇବା ନେଇନାହିଁ, ତା ଠାରୁ ଢେର୍ ଅଧିକା କର୍ତ୍ତବ୍ଯବୋଧତା ଦେଖେଇଛି।  ହରଙ୍କୁ ପିଠିରେ ବସାଇ ରାଜ୍ଯର ଅର୍ଦ୍ଧାଧିକ ଜିଲ୍ଲା ବୁଲେଇଛି, କିନ୍ତୁ କେବେ ମଝି ରାସ୍ତାରେ ଧୋକା ଦେଇନାହିଁ। ଗାଁଆ ପାଖ ପୁରୁଣୀ ନଦୀରେ କେତେ ଥର ବଢିଲା ପାଣିର ବୁକୁ ଚିରି  ହର,ତାଙ୍କ ସ୍ତ୍ରୀ ଓ ପିଲା ମାନଙ୍କୁ  ପାର କରେଇଛି।  ବଡବଡ ଘାଟି ସବୁ କୁ ଫୁତକାର ମାରି ଚଢିଛି।  ବଣ ଜଙ୍ଗଲ ଭରା ଅଞ୍ଚଳରେ, କିଟିମିଟିଆ ଅନ୍ଧାରର ମୋଟା ଆସ୍ତରଣ କୁ ନିଜ ହେଡ୍ ଲାଇଟ୍ ରେ ବିଦୀର୍ଣ୍ଣ କରି ହରଙ୍କୁ ସୁରକ୍ଷିତ ଗନ୍ତବ୍ଯସ୍ଥଳରେ ପହଞ୍ଚାଇଛି।  
ଦିନେ ହର କୌଣସି ଜରୁରୀ କାମରେ ସହର କୁ ଯାଇଥିଲେ। ବାଟରେ ପଡେ ଜଗୁଆଳୀ ବିହୀନ ଏକ ରେଳ ଧାରଣା। ପ୍ରାୟ ସେ ସମୟରେ ରେଳଗାଡି ଯିବା ଆସିବା କରେ ନାହିଁ। ତେଣୁ ନିଶ୍ଚିନ୍ତ ହୋଇ ରେଳ ଧାରଣା ପାର କରିବାକୁ ଭାବିଲା ବେଳକୁ ଅଚାନକ୍ କାଳୁର ଷ୍ଟାର୍ଟ ବନ୍ଦ ହୋଇଗଲା। ଏକରକମ ଅଚଳ ମହାମେରୁ ପରି ସେ ଛିଡା ହୋଇରହିଲା।  ଷ୍ଟାର୍ଟ ମାରି ଥକି ଗଲେ ହର। କ’ଣ ହୋଇଛି ବୋଲି ନିରେଖି ଦେଖିଲା ବେଳକୁ, ରେଳଇଞ୍ଜିନ୍ ର ଛାତିଥରା ହର୍ଣ୍ଣରେ ଚମକିି ଉଠିଲେ ସେ।  ଓଃ ! କି ମର୍ମନ୍ତୁଦ ଦୃଶ୍ଯ। ରେଳଟି ଜଣେ ମୋଟର ସାଇକେଲ ଆରୋହୀ ର ଶରୀର କୁ ଛିନ୍ନବିଛିନ୍ନ କରି ଚାଲିଗଲା।  ବିଚରା  ଆରୋହୀଟି ରେଳ ଆସୁଛି ଜାଣି  ନ ପାରି ଆଗକୁ ଚାଲି ଆସିଲା ଓ ନିମିଷକରେ କାଗଜ ଟୁକୁରା ପରି ବିଦୀର୍ଣ୍ଣ ହୋଇଗଲା। ତେବେ କଣ କାଳୁ ଜାଣି ପାରିଥିଲା ଆଗାମୀ ବିପଦ କୁ ? କଣ କାଳୁ ର ଶରୀର ଜୀବନ୍ତ ? ଏମିତି କେତେ ପ୍ରଶ୍ନ ଅସମାହିତ ହୋଇ ରହିଯାଇଥିଲା ହରଙ୍କ ମନ ଭିତରେ।  ସମୟର ଚକ ଗଡି ଚାଲିଲା।  ବୟସ ବଢିବା ସହ ଦାୟୀତ୍ବ ଓ କାମର ଚାପ ବଢିଚାଲିଲା।  ବ୍ଯବସାୟ, ଘର ଓ ଗାଡି ମୋଟର ସଂଖ୍ଯାରେ ବୃଦ୍ଧି  ଘଟିଲା। ଏବେ ହରବାବୁ ସହରର ନାମଜାଦା ବ୍ଯବସାୟୀ।  ବିରାଟ ବଡ ବଙ୍ଗଳା ରେ ସବୁ ଗାଡି ପାଇଁ ତିଆରି କରାଯାଇଛି ପୃଥକ୍ ଗ୍ଯାରେଜ୍। କିନ୍ତୁ କାଳୁ ପାଇଁ ରହିଛି ଏକ ସ୍ବତନ୍ତ୍ର  ଘର। ତାକୁ ଗ୍ଯାରେଜ୍ କୁହା ଯାଇପାରିବନି, କାରଣ ସେଇ ଘରେ ହରବାବୁଙ୍କର ଚେୟାର, ଟେବୁଲ୍ ଓ ଗୋଟିଏ ଖଟ ମଧ୍ଯ ପଡିଛି। ବ୍ଯବସାୟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ସେ ଏହିଠାରେ ହିଁ  ନିଅନ୍ତି। 
  ଏବେ ଗାଡି ସମାଜରେ କାଳୁ ଏକ ପ୍ରକାରର ବିଲୁପ୍ତ ଗାଡି ହିସାବରେ ଗଣ୍ଯ ଓ ତା ପାଇଁ ଆବଶ୍ଯକୀୟ ଯନ୍ତ୍ରପାତି ମିଳିବା ଦୂରୂହ ବ୍ଯାପାର। ମାତ୍ର, ହରବାବୁଙ୍କର ଚିହ୍ନା ଗାଡି ମିସ୍ତ୍ରୀ ହିଁ ଦେଖାଶୁଣା କରେ କାଳୁର। ସେ ଜାଣିଛି, ହରବାବୁଙ୍କ ଜୀବନରେ କାଳୁର ମହତ୍ତ୍ବ କଣ ଅଛି। ପିଲାମାନେ କାର୍ ରେ ଯିବା ଆସିବା କରନ୍ତି। କେବେ କେହି କାଳୁ ବିପକ୍ଷରେ ପଦେ କଥା କହିବାର ସାହାସ କରି ନାହାଁନ୍ତି। ନୋହିଲେ ଆଜିକାଲି ରାଜଦୁତ୍ ମୋଟର ସାଇକେଲକୁ ଦେଖିବାକୁ ହେଲେ, କବାଡିଖାନା ବା ଲୋକଙ୍କର ବାଡିପଟର ଅଳିଆ ଗଦା କୁ  ଯିବାକୁ ହେବ।  ହର ସଦାବେଳେ  କାଳୁ ସାଙ୍ଗରେ ଦୋକାନ ଯାଆନ୍ତି। ପୁଅ ବୋହୁଙ୍କର ହଜାରେ ବାରଣ କୁ ବେଖାତିର କରନ୍ତି ସେ କୁହନ୍ତି – –  ମୋ ଜୀବନ ଥିବା ଯାଏ କାଳୁ ମୋ ସହ ରହିବ। ମୋ ପରେ କାଳୁକୁ ଗୋଟେ କାଚ ଘରେ ସାଇତି ରଖିବ। ଖବରଦାର୍, କାଳୁ କୁ ବିକ୍ରି କରିବା ବା ଅନ୍ଯକୁ ଦେବା କଥା ଚିନ୍ତା ମଧ୍ଯ କରିବନି।  ତାଙ୍କ ନିଷ୍ପତ୍ତି ର ବିରୋଧ କରିବାର ସାହାସ ଘରେ କାହାର ମଧ୍ଯ ନ ଥିଲା। ତେଣୁ ସେହି ନିଷ୍ପତ୍ତି ହିଁ ନିୟମ ପାଲଟି ଯାଇଥିଲା।
ହର, ଦୁର୍ଘଟଣାରେ ଭୀଷଣ ଭାବେ ଆଘାତପ୍ରାପ୍ତ ପିଲାଟିର ପାଖକୁ ଗଲେ। ଭଲରେ ନିରେଖି ଦେଖିଲେ ତାକୁ। ଏବେ ମଧ୍ଯ ରକ୍ତର ଧାର ବୋହି ଚାଲିଛି କିନ୍ତୁ ଶରୀରରେ  ପ୍ରାଣ ଅଛି।  ଯଦି ଏହି ସମୟରେ ଡାକ୍ତରଖାନା ନିଆଯିବ ପ୍ରାଣ ବଞ୍ଚିଯାଇପାରେ। ଆମ୍ବୁଲାନସ୍  ବା ପୋଲିସ୍ ରେ ଖବର ଦେବାର ସମୟ ନାହିଁ। ଟିକେ ବି ବିଳମ୍ବ ହେଲେ ପ୍ରାଣପକ୍ଷୀ ଉଡିଯିବ। ଆଗପଛ ବିଚାର ନ କରି ଜନତାଙ୍କୁ ଅନୁରୋଧ କଲେ, କୌଣସି ମତେ ପିଲାଟିକୁ ଡାକ୍ତରଖାନା ନେବାରେ ତାଙ୍କୁ ସାହାଯ୍ଯ କରିବାପାଇଁ। କିନ୍ତୁ  ତାଙ୍କର କଥାଟି ଲୁହବୁହା ଗ୍ଯାସ୍ ପରି କାମ ଦେଲା। ଅର୍ଦ୍ଧାଧିକ ଲୋକ ବିପଦପୂର୍ଣ୍ଣ ଭବିଷ୍ଯତର ଆଶଙ୍କାରେ ଜାଗା ପରିତ୍ଯାଗ କଲେ। ସେ ମହାଜ୍ଞାନୀ ଟାଉଟରଟି ଆସି କହିଲା-- ଆଜ୍ଞା, ଆମକୁ କଣ ବୋକା ଭାବିଲେ କି ? ସେତିକି ବୁଦ୍ଧି  କଣ ଆମ ମୁଣ୍ଡରେ ଜୁଟୁ ନ ଥଲା  ?  କିନ୍ତୁ ଯଦି ପିଲାଟାକୁ ନେଲା ବେଳକୁ ସେ ମରିଯିବ, କିଏ ଦାୟୀ ରହିବ? ସେ କଥା ଭାବନ୍ତୁ ଥରେ। କୀଳା ତା ବାଟରେ ଶନୈ ଶନୈ ଯାଉଛି, ତାକୁ ସିଟି ମାରି ଡାକିବାର କୌଣସି ପ୍ରୟୋଜନ ନାହିଁ।
– ସେ ଫାଲତୁ କଥା ବନ୍ଦ କର। ମନରେ ଏତେ ଡର ଅଛି ତ ଏ ଜାଗାରେ ଛିଡା ହୋଇ ତାମସା ଦେଖୁଛ କଣ ପାଇଁ? ଯଦି ଆମ ନିଜ ପିଲା ଏମିତି ରାସ୍ତାରେ ପଡିଥିବ ଓ ଲୋକେ ତୁମ ପରି ଭାଷଣ ଝାଡୁଥିବେ, କଣ ହେବ ଚିନ୍ତା କରି ପାରୁଛ ତ?
ଜୋକ ମୁହଁରେ ଲୁଣ ଦେଲା ପରି ସେ ଲୋକଟା ଚୁପ୍ ହୋଇଗଲା। ସେଠାରେ ଜମା ହୋଇଥିବା ଲୋକେ ସନ୍ଦେହ ଚକ୍ଷୁରେ ମହାଜ୍ଞାନୀକୁ ଚାହିଁବାକୁ ଲାଗିଲେ। 
- - ହଉ ଆଜ୍ଞା, ଆପଣ ଠିକ୍ ମୁଁ ଭୁଲ। ପିଲାଟାକୁ ମେଡିକାଲ ନେବା, ମୁଁ ଧରି ବସିବି ସେଥିରେ ବି ମୁଁ ରାଜି। କିନ୍ତୁ ନେବା କେଉଁଥିରେ ? ଡାକ୍ତରଖାନାର ଦୂରତା ପାଖାପାଖି ତିରିଶ କିଲୋମିଟର,ପାହାଡିଆ ରାସ୍ତା।  ଏ ପିଲା ର ଅବସ୍ଥା ଯାହା, କାଳେ ସେ ମରିଯିବ ବୋଲି କେହି  ରାଜି ହେବେନି। ତେବେ ନେବା କେଉଁଥିରେ।
ନୀରବ ହୋଇ ହର ରାଜଦୂତ୍ ପାଖକୁ ଗଲେ, ସିଟ୍ ଉପରେ ହାତ ଥୋଇକହିଲେ-- ମୋ ରାଜଦୂତ୍ ରେ  ନେବା।  ଯଦି ଅନ୍ଯ କେହି ନିଜ ଗାଡି ଦେବା ପାଇଁ  ଆଗ୍ରହୀ ଅଛନ୍ତି, ତାଙ୍କ ଗାଡିରେ ନେବା।
ଲୋକଙ୍କ ଭିତରେ ଚାପା ଗୁଞ୍ଜରଣ।  ସମସ୍ତେ ବଲବଲ କରି ହରଙ୍କର ମୁହଁକୁ ଦେଖି ଭାବୁଥାଆନ୍ତି ଲୋକଟିର ସ୍କୃ  ଟିକେ ଢିଲା ଅଛି ବୋଧେ। ନୋହିଲେ ଶତାୟୁ ବୃଦ୍ଧ ସମ ରାଜଦୂତ ଗାଡିରେ ଜଣେ ମୂମୂର୍ଷୁ ଲୋକକୁ ପାହାଡିଆ ରାସ୍ତାରେ ଡାକ୍ତରଖାନା ନେବା କଥା ଚିନ୍ତା କରୁଛି କିପରି? 
ଲୋକଙ୍କର ସମାଲୋଚନା, ଆଲୋଚନା ଓ ପର୍ଯ୍ଯାଲୋଚନା କୁ ଧୂଆଁରେ ଉଡେଇ କାଳୁ, ଚିରାଚରିତ ଗୁରୁଗମ୍ଭୀର ଧ୍ବନିରେ “ଧୁନ... ଧୁନ... ଧୁନ” କରି ମାଡିଚାଲିଥିଲା ରାସ୍ତା ଉପରେ ଗୋଟେ ଚିତା ବାଘପରି। ଟାଉଟର ଲୋକ ଜଣକ ପିଲାଟାକୁ ଜାବୁଡି ଧରି ଭାବୁଥିଲା-- ବେକାର ଟାରେ ଭଦ୍ରଲୋକି ଦେଖେଇ ଆଜି ଭଲ ନାମ ନେଲି।  ଗାଡିଟି ଗନ୍ତବ୍ଯସ୍ଥଳରେ ପହଞ୍ଚିବନାହିଁ ଓ ଯେ କୌଣସି ସମୟରେ ପିଲାଟା ମରିଯାଇପାରେ  ବୋଲି ସେ ନିଶ୍ଚିତ ଥିଲା। ସେସବୁ କୁ ବେଖାତିର କରି ହର ଗାଡିର ବେଗ ବଢେଇ ଚାଲିଥିଲେ। ଅଳ୍ପ ସମୟ ଭିତରେ ସବୁ ଗାଡିଙ୍କୁ ପଛରେ ଛାଡି, କାଳୁ ସଗର୍ବେ  ଲକ୍ଷ୍ଯପଥରେ ରକେଟ୍ ପରି ଛୁଟିବା ଆରମ୍ଭ କଲା।  କିମ୍ଭୁତ କିମ୍ଭାକାର ଶରୀର ବିଶିଷ୍ଟ ଉଗ୍ର ଆଧୁନିକ ଶୈଳୀରେ ନିର୍ମିତ ମୋଟର ସାଇକେଲ ସବୁ, କାଳୁ କୁ ଆଖି ଫାଡି ଦେଖିବାରେ ବ୍ଯସ୍ତ ଥିଲେ।  ସେମାନଙ୍କ ମନରେ ଗୋଟିଏ ପ୍ରଶ୍ନ-- ରାସ୍ତାରେ ବିଜୁଳି ବେଗରେ ଦୌଡୁଥିବା ଏ ପ୍ରପିତାମହ  ଜଣଙ୍କର ପରିଚୟ କ’ଣ ? ସେ କେଉଁ ଉପାଦାନ ରେ ଗଢା, ପୃଥିବୀବାସୀ ନା  ଅନ୍ଯଗ୍ରହର ବାସିନ୍ଦା !
– – ଆଜ୍ଞା, ଟିକେ ଧିରେ ଚଲାନ୍ତୁ, ଆପଣଙ୍କର ଓ ଗାଡିର ବୟସକୁ ଟିକେ ସମ୍ମାନ ଦିଅନ୍ତୁ । ନୋହିଲେ ଏ ପିଲା ସହ ଆମେ ମାନେ ମଧ୍ଯ ମେଡିକାଲରେ ପଡିବା। ଆପଣ ଯେମିତି ଚଲାଉଛନ୍ତି, ମୋତେ ଲାଗୁଛି ଗାଡିର ଚକା ବାହାରି ଯିବ।
- - ବିଶ୍ବାସ ରଖନ୍ତୁ ଆପଣ। ମୋ କାଳୁ  କେବେ ଧୋକା ଦେଇନି। ଅନ୍ତତଃ ଏମିତି ଅବସ୍ଥାରେ କେବେ ବି ନୁହଁ।
- - ଆଜ୍ଞା କଣ କହିଲେ କାଳୁ? ସେ କିଏ? ଆପଣଙ୍କର କୁକୁର ନାଁ କଣ? ତା’ର ଏ ସ୍ଥାନରେ କି କାମ ?
- - ମୋ ରାଜଦୂତ୍ ର ନାମ ହେଲା କାଳୁ। ହସିହସି କହିଲେ ହର।
- - ଓଃ, ତାହା ହେଲେ ଏମିତି କଥା। ଲୋକଟି ମୁଣ୍ଡରେ ହାତ ପିଟି ଭାବିଲା, ଆଚ୍ଛା ପାଗଳାବୁଢା  ହାବୁଡରେ ପଡିଲି ଆଜି। ଶେଷକୁ ଗାଡି କୁ ନାମ ଧରି ଡାକୁଛି ? ବୟସ ସତୁରୀ କିନ୍ତୁ ଗାଡି ଚଲଉଛି, କଲେଜ୍ ଟୋକାଙ୍କ ପରି।  ପବନରେ ବୁଢାର ପାଚିଲା ଚୁଟି ଉଡି ଯାଆନ୍ତା କି, ଆଖି ଡୋଳା ଓଲଟି ପଡନ୍ତା କି ? ଗାଡି ସହ ଲୋକଟିର ପଞ୍ଜରା ହାଡ ଥରିଗଲା ପରି ଲାଗୁଛି। ପାହାଡ ଆରମ୍ଭ ହୋଇଗଲାଣି। ଯଦି ଏତିକି ବେଳେ ଗାଡିଟା ବନ୍ଦ ହୋଇଯିବ, ପିଲାଟା ସ୍ବାହା ହୋଇଯିବ। ମନରେ ସମୁଦ୍ର ଲହଡି ପରି ଉଦବେଳିତ ହେଉଥିବା କୁଚିନ୍ତା ସବୁକୁ  ଦମନ କରି  ସେ ସାବଧାନ ହୋଇ ବସିଲା।
ଜଣେ ପୋଖତ ଗାଡି ଚଳାଳି ପରି ହର, ଅଙ୍କାବଙ୍କା ପାହାଡିଆ ରାସ୍ତାରେ ଆଗକୁ ମାଡିଚାଲିଥିଲେ। ଲୋକଟି ଉଦ୍ଦେଶ୍ଯରେ କହିଲେ -- ଆଉ ଦଶ କିଲୋମିଟର ରହିଲା। ବ୍ଯସ୍ତ ହେବାର କାରଣ ନାହିଁ, ଆମେ ପହଞ୍ଚିଯିବା। ପିଲାଟି କେମିତି ଅଛି।
– - ଆଜ୍ଞା, ଭଲ ଅଛି ବୋଲି ତ କହି ହେବନି, କିନ୍ତୁ ଛାତି ଭିତରେ ଘାଇଲା ହୃତପିଣ୍ଡଟା “ଧୁଡୁ  ଧୁଡୁ ଧୁ....ଡୁ ଧୁ...........ଡୁ ହୋଇଚାଲିଛି। ମଝିରେ ମଝିରେ ହିକ୍କା ମାରି ପାଟି ମେଲା କରି ଦେଉଛି।
 ପିଲାଟି ପ୍ରତି ଲୋକଟିର ବ୍ଯଙ୍ଗାତ୍ମକ ଭାବ ଦେଖି ହର ମନେମନେ ଚିଡି କହିଲେ -- କି କୁତ୍ସିତ ଚିନ୍ତାଧାରା ଲୋକଟାର, ଛିଃ।
ସେତିକି ବେଳକୁ କାଳୁର ବେଗ ଅଚାନକ କମିଲା ପରି ଲାଗିଲା। ବେଗ ବଢାଇବାକୁ ଚେଷ୍ଟା କରି ବିଫଳ ହେଲେ ହର। ତିନି ଚାରି ଥର ଧକ୍କା ମାରିବା ପରି ହୋଇ କାଳୁ ରାସ୍ତା ମଝିରେ ଛିଡା ହୋଇଗଲା। ବଜ୍ର ପଡିଲା ପରି ଲାଗିଲା ହରଙ୍କୁ। ଏମିତି କଦାପି ହୋଇ ନ ପାରେ। ଏ ସଙ୍ଗୀନ ଅବସ୍ଥାରେ କାଳୁ ହାତ ଛାଡିଦେବ, ସେ କଥା ତାଙ୍କର  ଚିନ୍ତାଶକ୍ତି ବାହାରେ ଥିଲା।  ଲୋକଟି ପଛପଟରୁ ଦାନ୍ତ ନିକୁଟି କହିଲା-- ଆଜ୍ଞା, ଆପଣଙ୍କ କାଳୁ ଓ ପିଲାଟିର ଜୀବନ ନାଟିକା ଏଇଠି ସରିଲା।  ବ୍ରିଟିଶ୍  ଅମଳର ଗାଡିକୁ ଆପଣ ଯେମିତି ରାମ୍ପି ବିଦାରି ଚଲେଇଲେ , ବିଚରାର ହୃଦୟ ବିଦୀର୍ଣ୍ଣ ହୋଇଯାଇଥିବ। ମୋତେ ଲାଗୁନି, ଆଉ ସେ ଷ୍ଟାର୍ଟ ହେଲାପରି।  ବରଂ ଆମେ ଅନ୍ଯ ଗାଡିକୁ ହାତ ଦେଖେଇ ରଖିବାକୁ ଚେଷ୍ଟା କଲେ ଡାକ୍ତରଖାନାରେ ପହଞ୍ଚିଯିବା। ସେ ଲୋକଟି ପିଲାକୁ ଧରି ଗାଡିରେ ବସିଥିଲା ଓ ହର କୌଣସି ମତେ ଗାଡିରୁ ଓହ୍ଲେଇଲେ। ଇଞ୍ଜିନ୍ ରୁ ନିଆଁ ଧାସ ପରି ତାତି ବାହାରୁଛି।  କେବଳ ସିଟ୍ କୁ ଛାଡିଦେଲେ, କାଳୁର ସମଗ୍ର ଶରୀର ଅଗ୍ନୀ ପିଣ୍ଡୁଳାସମ ଉତ୍ତପ୍ତ। 
କାଳୁ ସାମନାରେ ହର ହାତଯୋଡି ଛିଡାହୋଇ କହିଲେ-- କାଳୁ, ମୁଁ ଜାଣେ ତୋତେ ଭୀଷଣ କଷ୍ଟ ହେଉଛି। କିନ୍ତୁ ଯଦି ଏପରି ସମୟରେ ତୁ ମୋ ହାତ ଛାଡିଦେବୁ ପିଲାଟି ମରିଯିବ।  ମୋ ଧନଟା ପରା, ଆଉ ଅଳ୍ପ ବାଟ। ତୁ ଅନ୍ଯ ମାନଙ୍କ ପାଇଁ ଗୋଟେ ଗାଡି ହୋଇପାରୁ, କିନ୍ତୁ ମୋ ପାଇଁ ଏକ ଜୀବନ୍ତ ଅସ୍ତିତ୍ବ।  ତୁ ମୋତେ କେବେ ନିରାଶ କରିନୁ, ଆଜି ତୋ ଆଗରେ ହାତଯୋଡି ଏ ପିଲାଟିର ପ୍ରାଣଭିକ୍ଷା କରୁଛି। ଲମ୍ବ ହୋଇ ରାସ୍ତାଟା ଉପରେ ଶୋଇଗଲେ ହର, କାଳୁ କୁ ଦଣ୍ଡବତ ମାରିବା ଭଙ୍ଗୀରେ। 
– ଲୋକ ଟା ସତସତିକା ପରମ ପାଗଳା ଟା। କିସ ନ ଦେଖିଲା ମୋ ନୟନ ଆଜି। ଗୋଟେ ଗାଡି  କୁ ଏ ପାଗଳା ଯେମିତି ଦଣ୍ଡବତ ହେଉଛି, ସେଇ ଫଟୋ ଖବରକାଗଜରେ ବାହାରିବା କଥା। ଆଜି କାହା ମୁହଁ ଚାହିଁଥିଲି କେଜାଣି, ସୃ ଷ୍ଟି ବାହାର ଜିନିଷ ମୋ ଚକ୍ଷୁ ସାମନାରେ ଘଟି ଚାଲିଛି। ମନ କୁ ମନ ବିଡି ବିଡେଇ ଲୋକଟି କହିଲା।
ତେଲ ଟାଙ୍କିରେ ହାତ ବୁଲେଇ ହର କହିଲେ-- କାଳୁ, ଚାଲ ଏବେ ଯିବା। ସେ ପିଲାର ଜୀବନ ବଞ୍ଚେଇବାକୁ ହେବ।
ଗୋଟିଏ ଥରରେ କାଳୁ ପୁଣି ଥରେ ଧୁନ୍ ଧୁନ୍ ଶବ୍ଦ କରିବା ଆରମ୍ଭ କରିଦେଲା। ଖୁସିରେ ହର ଗୋଟିଏ ଚୁମା ନିକ୍ଷେପ କଲେ ତା  ଉଦ୍ଦେଶ୍ଯରେ।  ସାମନାରେ ଘଟି ଚାଲିଥିବା ଘଟଣା କୌଣସି ଚଳଚିତ୍ରର ଦୃଶ୍ଯଠାରୁ କମ୍ ନ ଥିଲା। କିଛି ସମୟ ଭିତରେ କାଳୁ ସଗୌରବେ ଡାକ୍ତରଖାନା ହତାରେ ପ୍ରବେଶ କଲା। ପିଲାଟିର ଚିକିତ୍ସା ଯଥାଶିଘ୍ର ଆରମ୍ଭ ହୋଇଗଲା। ମହାଜ୍ଞାନୀ ଲୋକଟି ଆଖି ମଳି ହର ଓ ତାଙ୍କ କାଳୁ କୁ ଦେଖିବାରେ ନିମଗ୍ନ ଥିଲା। ହର କାଳୁ ଦେହରେ ଲାଗିଥିବା ଧୂଳି ଝାଡିବାରେ ବ୍ଯସ୍ତଥିଲେ। ଲୋକଟିର ମନରେ ଖାଲି ଗୋଟିଏ ପ୍ରଶ୍ନ ବାରବାର ଉଠୁଥିଲା-- କାଳୁ କଣ ସତରେ ଜୀବନ୍ତ ? ଅଜାଣତରେ ଲୋକଟିର ଦୁଇ ହାତ, କାଳୁ ଉଦ୍ଦେଶ୍ଯରେ ପ୍ରଣାମ କରିବା ମୁଦ୍ରାରେ ଉଠିଗଲା।
*******************

Wednesday, May 23, 2018

ଅନାଥ


ଲେଖକ- ଅରବିନ୍ଦ ରଥ
ଆକାଶରୁ ଅଗ୍ନୀ ଅବିରତ ଧାରା ରେ ବର୍ଷି ଚାଲିଛି। ପ୍ରଚଣ୍ଡ ରୌଦ୍ରତାପ ହେତୁ ଗଛ ମାନଙ୍କର ଶାଖା, ପ୍ରଶାଖା, ପତ୍ର ଝାଉଁଳି ପଡିଛନ୍ତି। ନଦୀ, ପୋଖରୀ ଓ ପୁଷ୍କରିଣୀ ଆଦି ଶୁଷ୍କପ୍ରାୟ ଓ ରାସ୍ତାଘାଟ ଜନମାନବଶୂନ୍ଯ। ରାଜରାସ୍ତାରେ ତତଲା ପିଚୁର ବାଷ୍ପ ଉଠି, ମରୁଭୂମିରେ ମରିଚିକାର ଭ୍ରମ ସୃଷ୍ଟି କରୁଛି।  ବେଶ୍ କିଛିଦିନ ହେବ ପୃଥିବୀ ଉପରେ ଇନ୍ଦ୍ରଦେବଙ୍କ କୋପ ର ବଜ୍ର ପଡିଛି ସିନା , ମାଟିକୁ ଭିଜାଇଲା ପରି ପାଣିଟୋପେ ପଡିନି। ଚତୁର୍ଦ୍ଦିଗରେ କେବଳ ଶ୍ମଶାନର ନୀରବତା। ସେହି ନୀରବତା କୁ ଭଙ୍ଗ କରି କିଛି ଗାଡି, ରାସ୍ତାର ତତଲା ପିଚୁର ମୋଟା ଚାଦରକୁ ବିଦୀର୍ଣ୍ଣ କରି ମାଡିଚାଲିଛନ୍ତି। ନିଜ ଚର୍ତ୍ତୁଃପାର୍ଶ୍ବ ର ଦାରୁଣ ପରିବେଶକୁ ବେଖାତିର କରି ଜଣେ ବୃଦ୍ଧ, ମୁଣ୍ଡରେ ଚିରା ଗାମୁଛା ଖଣ୍ଡିଏ ଘୋଡିହୋଇ, ହାତରେ କିଛିଲେଖା ଥିବା ଏକ ପଟି ଧରି କାହାପାଇଁ ଅପେକ୍ଷାରତ।  ଭଲରେ ଦେଖିବାରୁ ଜଣାପଡୁଛି ସେ ପଟି ଟିରେ  “ଖାଦ୍ଯ ପ୍ରସ୍ତୁତ” ବୋଲି ଲେଖାଅଛି। ଏତିକି ଜଣା ପଡୁଛି ଯେ, ଆସୁଥିବା ଗାଡି ମାନଙ୍କ ଉଦ୍ଦେଶ୍ଯରେ ଏହା ଏକ ସୂଚନା ମାତ୍ର। ରାସ୍ତାଠାରୁ କେଇ ଫୁଟ ଦୂରରେ ଏକ ହୋଟେଲ୍। ବିଶେଷ ବଡ ନହେଲେ ବି, ଛୋଟ କୁହାଯାଇ ପାରିବନି। ହୋଟେଲ ର ଭିତର ଦୃଶ୍ଯକୁ ଲୁଚାଇ ରଖିଛି କଳାକାଚ ଲାଗିଥିବା କବାଟ ଓ ଝରକା।  ସାମନାରେ କିଛି ଗାଡି ମୋଟରର ଉପସ୍ଥିତି ପ୍ରମାଣ କରୁଛି ଯେ ହୋଟେଲ ଟି ଭଲ ବ୍ଯବସାୟ କରୁଛି।  ଜନମାନବ ଶୂନ୍ଯ ରାସ୍ତାର ଉଭୟ ପାର୍ଶ୍ବରେ କେବଳ ଟାଙ୍ଗରା ଭୂଇଁ କୁ ଛାଡିଦେଲେ ଅନ୍ଯ କିଛି  ଦୃଷ୍ଟିଗୋଚର ହେଉନି। କାହିଁ କେତେ ମାଇଲ୍ ଯାଏ, ଦୋକାନ ବଜାର ପାଇବା କଷ୍ଟ। ଏମିତି ପରିସ୍ଥିତିରେ ସେଇ ହୋଟେଲ୍ ହିଁ ସମସ୍ତଙ୍କର ସାହା ଭରସା। ବୃଦ୍ଧଲୋକର ଆଖିରେ କେବଳ ପ୍ରତୀକ୍ଷା ବ୍ଯତୀତ ଅନ୍ଯ କୌଣସି ଭାବ ପରିଲକ୍ଷିତ ହେଉନାହିଁ। ତା’ର ଘର୍ମାକ୍ତ ଶରୀର, ଶେତାଳିଆ ଆଖି ଓ ଶିରାଳ ହାତର ଥରଥର ଅବସ୍ଥା ଦେଖିଲେ ଜଣା ପଡୁଛି ସେ ବହୁତ ସମୟ ଧରି ସେହି ଖରାରେ ଛିଡା ହୋଇରହିଛି।
ମଧୁପୁର ଗ୍ରାମର ଅଥାନି ସାହୁ। ବୟସ ପାଖାପାଖି ସତୁରୀ ହେବ। ଘରେ ରୋଗିଣା ସ୍ତ୍ରୀ, ଯିଏ ବର୍ଷର ଅର୍ଦ୍ଧାଧିକ କାଳ ବିଛଣାରେ ପଡିରୁହେ। କିଛିଦିନ ତଳେ ହୋଟେଲ୍ ରେ କାମ କରୁଥିବା ଏକମାତ୍ର  ପୁଅ  ଗୋପାଳ , ସେହି ହୋଟେଲ୍ ରେ ଗ୍ଯାସ୍ ସିଲିଣ୍ଡର ଫାଟିବାରୁ ମୃତ୍ଯୁବରଣ କରିଛି।  ଗୋପାଳ ଚାଲିଯିବା ପରେ, ତା’ର ସ୍ତ୍ରୀ ଓ ଚାରିବର୍ଷର ଝିଅର ସବୁ ଦାୟୀତ୍ବ ଅଥାନି ଉପରେ ନ୍ଯସ୍ତ। ବଳ ବୟସ ଥିଲା ବେଳେ ଅଥାନି ବସଷ୍ଟାଣ୍ଡରେ ହକର କାମ କରୁଥିଲା। ତାର ଗୁରୁଗମ୍ଭୀର ସ୍ବର ର ଯାଦୁରେ ଯାତ୍ରୀମାନଙ୍କୁ ଟାଣି ଆଣୁଥିଲା ବସ୍ ଭିତରକୁ। ଅଥାନି ଯେଉଁ ବସ୍ ଆଗରେ ଛିଡା ହେଉଥିଲା, ସେ ବସ୍ ରେ କେବେ ସିଟ୍ ଖାଲି ପଡୁ ନ ଥିଲା। ଯାତ୍ରୀ ମାନଙ୍କୁ ଭାଇ, ମାଆ, ଭଉଣୀ ଆଦି ସମ୍ବୋଧନ କରି ବସ୍ ଭିତରକୁ  ପାଛୋଟି ନେଲା ବେଳର ଦୃଶ୍ଯ  ଯିଏ  ଦେଖିଛି, ସେ ହିଁ ଜାଣି ପାରିବ ଅଥାନି ବ୍ଯକ୍ତିତ୍ବର ପରାକାଷ୍ଠା। ଧିରେଧିରେ ବୟସ ବଢିବା କାରଣରୁ ଦେହରେ ନାନା ବେମାରୀ ଜନ୍ମ ନେଲା ଓ  ଅଥାନିର ସ୍ବର ର ଗାମ୍ଭୀର୍ଯ୍ଯତା  କମିଚାଲିଲା। ବସଷ୍ଟାଣ୍ଡରେ ଗୁଣ୍ଡାଗିରି ଓ ଜୋର ଜବରଦସ୍ତି କରି ଯାତ୍ରୀ ମାନଙ୍କୁ ନିଜ ଗାଡିକୁ ଟାଣି ନେବା ପ୍ରତିଯୋଗିତା ରେ ବାରମ୍ବାର ହାରି, ସେ ହକର୍ ଚାକିରୀ ପରିତ୍ଯାଗ କଲା। ଚାକିରୀ ଛାଡିବା ପଛରେ ଅନ୍ଯ କାରଣ ଟି ଥିଲା ପୁଅ ଗୋପାଳର ବାହାଘର ଓ ଏକ ହୋଟେଲ୍ ରେ ରୋଷେଇଆ ଭାବରେ ନିଯୁକ୍ତି। ଗାଁଆ ପାଖ ହୋଟେଲ ଟି ଆଖପାଖ ଅଞ୍ଚଳରେ ସୁସ୍ବାଦୁ ଖାଦ୍ଯ ପାଇଁ ବେଶ୍ ପ୍ରସିଦ୍ଧି ଲାଭ କରିଥିଲା। ରାଜରାସ୍ତା ପାଖରେ ଦୂର ଦୂର ଯାଏ କୌଣସି ହୋଟେଲ ନ ଥିବା କାରଣରୁ ହୋଟେଲର ବିକ୍ରୀ ଯଥେଷ୍ଟ ଅଧିକା ଥିଲା। ଗୋପାଳ ଦରମା ଟଙ୍କାରେ ସମସ୍ତଙ୍କର ଆବଶ୍ଯକତା ପୂର୍ଣ୍ଣ ହେବା ସହ, କିଛି ସଞ୍ଚୟ ମଧ୍ଯ ହେଉଥିଲା। ପୁଅ ଚାକିରୀ କଲା ପରେ ଭଙ୍ଗରା ଚାଳ ଘରର ରୂପଭେକ ବଦଳି ଆଜବେସଟସ୍ ଘରକୁ ରୂପାନ୍ତରିତ ହୋଇସାରିଥିଲା।  କିନ୍ତୁ ଏକ ଦୁର୍ଦ୍ଦିନରେ ଗ୍ଯାସ୍ ସିଲିଣ୍ଡର ଫାଟି ଗୋପାଳ ଆରପାରି କୁ ଚାଲିଗଲା। ହୋଟେଲ ଟି ଜଳିପୋଡି ପାଉଁଶ ହୋଇଯାଇଥିଲା। ଖବର କାଗଜରେ ଘଟଣା ବିଷୟରେ ବାହାରିଲା ସତ, କିନ୍ତୁ ସେଥିରେ ଗୋପାଳର ମୃ ତ୍ଯୁ କଥା କିଛି ଲେଖା ନ ଥିଲା। ଜୀବନ ବୀମା ପଇସା ସାହାଯ୍ଯରେ ହୋଟେଲ କିଛି ଦିନ ଭିତରେ ପୁଣି ନିଜ ପୂର୍ବ ରୂପ ଭେକ ଫେରି ପାଇଲା।  ଫେରିଲାନି କେବଳ ଗୋପାଳ, ତା ଚିତା ଜଳିବା ସହ ଅଥାନି ପରିବାରର ଭବିଷ୍ଯତ ଜଳିପୋଡି ଛାରଖାର ହୋଇଯାଇଥିଲା। ମାଲିକ ଅନୁକମ୍ପା କରି, ନାଲି ଆଖି ଦେଖେଇ ଟଙ୍କା ଦୁଇହଜାର ଅଥାନି ହାତରେ ଧରେଇ କହିଲା-- ପୋଲିସ୍ ପାଖକୁ ଗଲେ ଓ କୋର୍ଟ କଚେରୀ ମାମଲା ରେ ପଡିଲେ ଘରଦ୍ବାର ବିକ୍ରୀ କରିବାକୁ ପଡିବ। ଯାହା ହେଲା, ସେ କଥା ଭୁଲି ଯା। ହକର କାମ କରି ଯାତ୍ରୀଙ୍କୁ ବସ୍ କୁ ଟାଣୁଥିଲୁ, ଏବେ ସେଇ କାମ କରି ଲୋକଙ୍କୁ ମୋ ହୋଟେଲ୍ କୁ ଟାଣିବୁ। ଦିନ କୁ ପଚାଶ ଟଙ୍କା ଦେବି। କଣ ରାଜି ତ?
ମାଲିକର  କଥା ନିହାତି ଅପ୍ରାସଙ୍ଗିକ ଓ ଅଯୌକ୍ତିକ ଲାଗୁଥିଲେ ମଧ୍ଯ ଅଥାନି ପାଖରେ ଅନ୍ଯ କିଛି ଚାରା ନ ଥିଲା। ରୋଗୀଣା ସ୍ତ୍ରୀ, ଗୋପାଳ ର ସ୍ତ୍ରୀଓ ଝିଅର ଭରଣପୋଷଣ ପାଇଁ ସେ  ଦୁନିଆର ସବୁ ସର୍ତ୍ତମାନିବାକୁ  ପ୍ରସ୍ତୁତ ଥିଲା। ତା ପରଦିନ ସକାଳୁ ପୁରୁଣା ସାଇକେଲ୍ ଟି ମରାମତି କରି ଅଥାନି ହୋଟେଲ ଗଲା। ସକାଳ ସାତଟାରୁ ସନ୍ଧ୍ଯା ସାତଟା ତା’ର ଠିକଣା  ଥିଲା  ରାଜରାସ୍ତାର ପାର୍ଶ୍ବରେ ଥିବା  ହୋଟେଲର ସାମନା ଯାଗା।  ସକାଳୁ ତୋରାଣୀ ମୁନ୍ଦିଏ ପିଇ ସେ ବାହାରି ଆସେ ଓ ସଞ୍ଜ ବୁଡିବା ବେଳକୁ ପାଉଣା ନେଇ ଘରକୁ ଫେରେ। ସେତିକି ପଇସାରେ ଘର ଚଳାଇବା ନିତାନ୍ତ ଅସମ୍ଭବ ହେଲେ ମଧ୍ଯ ପରିବାର ଚଳାଇବାର ଅନ୍ଯ କୌଣସି ରାସ୍ତା ନ ଥିଲା। ମାଲିକ ଭଲରେ ଜାଣିଥିଲା ଅଥାନିର ଦୁରାବସ୍ଥା ବିଷୟରେ, ତେଣୁ ତା ପାଖରୁ ଯେତେ ଉପାୟରେ କାମ ହାସଲ କରାଯାଇପାରେ ସେ କରି ଚାଲିଥିଲା। ପ୍ରତିବାଦ କରିବାର ସ୍ବର କେବେ ଠାରୁ ହଜେଇ ସାରିଥିଲା ଅଥାନି, କେବଳ ଯନ୍ତ୍ରବତ୍ ଆଦେଶ ପାଳନ କରିବା ହିଁ ତା’ର ଭାଗ୍ଯ ହୋଇସାରିଥିଲା।
ସବୁଦିନ ପରି ସେଦିନ ମଧ୍ଯ ସେ ଗ୍ରାହକ ଆଶାରେ ଛିଡା ହୋଇଥିଲା ସକାଳୁ । କିନ୍ତୁ ଭୟଙ୍କର ଖରା ପାଇଁ  ଲୋକଙ୍କର ସଂଖ୍ଯା ଅପେକ୍ଷାକୃତ କମ୍ ଥିଲା।   ମାଲିକ ତିନି ଚାରିଥର ଡାକି ତାଗିଦ୍ କରି କହିଲାଣି-- କଣ ଶୋଇପଡୁଛୁ ନା କଣ?  ଲୋକ କୁଆଡେ ଗଲେ ଆଜି। ରାସ୍ତାରେ ଛିଡା ହୋଇଛୁ ନା ଗଛମୂଳେ ବସି ଢୁଳଉଛୁ। ଏମିିତି କାମ କରିବୁ ଯଦି ଟଙ୍କା ଟେ ବି ଦେବିନି।  ଯା ଭାଗ୍ ଏଠୁ।
ନିଜ ଠାରୁ  ବୟସରେ ଢେର୍ ସାନ ମାଲିକ ଠାରୁ, ସମସ୍ତଙ୍କ ଆଗରେ ଗାଳି ଖାଇବା ବହୁତ୍ ଅପମାନଜନକ ହେଲେ ବି ଅଥାନି ସେ ଗରଳ କୁ ପିଇଦେଇଥିଲା ସବୁଦିନ ପରି। କିନ୍ତୁ ତା ମନଟା ଉଦାସ ହୋଇଗଲା। ମାଲିକ କଣ ଜାଣିବ ତା ଅବସ୍ଥା କେମିତି ହେଉଛି ! ଛାଇ ଭିତରେ ବସି  ଶୀତତାପଯନ୍ତ୍ରର  ଥଣ୍ଡା ପବନ ରେ ଟେଲିଭିଜନ୍ ଦେଖବାରେ ମସଗୁଲ ଥିବା ଲୋକ, କେମିତି ବୁଝିବ ଯେ ଏତେ ଖରା ରେ ଦେହର   ଶେଷ ବିନ୍ଦୁଝାଳ ବି ଶୁଖି ସାରିଲାଣି। ଶୋଷରେ ଜିଭ ତଣ୍ଟି ଅଠା ହୋଇଯାଉଛି।  ତତଲା ମାଟି ଓ  ତା ପାଦ ଭିତରେ ପାଚେରୀ ହୋଇ ଛିଡା ହୋଇଥିବା  ଛିଣ୍ଡା ଚପଲଟି  ତାତି ସମ୍ଭାଳିବା ଅବସ୍ଥାରେ ନାହିଁ। ଗଛ ଛାଇ  ତ ଦୂର ର କଥା, ସେ ଛିଡା ହୋଇଥିବା ଯାଗାରେ ଦୁବଘାସ ଟିଏ ର ମଧ୍ଯ ଅସ୍ତିତ୍ବ ନାହିଁ।
ସେତିକି ବେଳେ ହୋଟେଲରେ କାମ କରୁଥିବା ଦଶ ବାର ବର୍ଷର ପିଲା ଧାଇଁ ଆସି  ଅଥାନି ହାତ କୁ ପାଣି ଗିଲାସେ ବଢେଇଦେଇ କହିଲା-- ଅଥାନି ଅଜା, ମନ କାଇଁ ମାରିଛୁ ଯେ, ମାଲିକ କଣ କହିଲା କି ? ମନ ଉଣା କରନି, ସେ ଲୋକଟା ମଣିଷ ନୁହଁ ଅସୁର। ଦେଖୁନୁ, କାଲିି ସେ ଅଇଁଠା ବାସନରୁ ଅଧାଖିଆ ମାଛ ଟେ ଖାଇଦେଲି ବୋଲି କେମିତି  ମୋ ପିଠିରେ ନିଆଁ ଚେଙ୍କ ଦେଇଛି।  ଖାଲି ସେତିକି ନୁହଁ, ରାତି ରେ ମଦ ପିଇ ସବୁ ପିଲା ମାନଙ୍କୁ ଗାଈଗୋରୁ ପରି ମାରୁଛି ଓ କେତେ ଅକଥା କହୁଛି।  ଦିନରାତି ନିଜେ ଏସି ରେ ବସି ଢୁଳଉଛି, କିନ୍ତୁ ଆମେ ପଙ୍ଖା ଲଗେଇଦେଲେ ଇଲେକ୍ଟ୍ରି ବିଲ୍ ବଢିଯିବ ବୋଲି ଘାଉଁ କରି ମାଡି ଆସୁଛି। ହୋଟେଲ ରେ ଏତେ ଜାତିର ଖାଇବା ତିଆରି ହେଉଛି, କିନ୍ତୁ ଆମ ଭାଗ୍ଯରେ ସବୁ ଦିନ ସେଇ ଗୋଡିଭର୍ତ୍ତି ଭାତ ଆଉ ପାଣିଆ ଡାଲମା। ଜିନିଷ ନଷ୍ଟ ହୋଇଗଲେ ଫିଙ୍ଗିଦେବ ସିନା ଆମକୁ ଦେବନି, କହିବ ଖାଇଲେ ତୁମର ଅଭ୍ଯାସ ହୋଇଯିବ। ଗଲା ମାସରେ ଆମ ଗାଁଆର ମିଥୁନ ସେ ବାସନ ମଜା ଜାଗାରୁ ଦି ପୁଟ କୁକୁଡା ମାଉଁସ ଆଣି ଭାତ ସହ ଖାଇବ ବୋଲି ବସିଥିଲା। ମାଲିକ କେମିତି ଜାଣିଲା କେଜାଣି, ମିଥୁନର ଚୁଟି ଘୋଷାରୀ କାନ୍ଥରେ ବାଡେଇ ଦେଲା। ପାଟିରେ ଭାତ ଗୁଣ୍ଡା ଧରି ପିଲାଟା ରକ୍ତଝୋଳିଆ ହୋଇ ପଡିଗଲା।  ସେତିକି ରେ ମାଲିକ ମନ ଶାନ୍ତ ହେଲାନି ଯେ ଗରମ ପାଣି ତା ଦିହ ଯାକ ଢାଳିଦେଲା।  ବିଚରା, ମରିବ ମରିବ ହୋଇ ମେଡିକାଲ୍ ରେ ପଡିଛି । ଡାକ୍ତର କହୁଛି ପଇସା ନ ଦେଲେ ବଞ୍ଚେଇ ହେବନି, କିନ୍ତୁ  ତା ମାଆ ପାଖରେ ଏତେ ପଇସା ଆସିବ କୁଆଡୁ? ଲୋକେ କହୁଛନ୍ତି ମିଥୁନ ଆଉ ବଞ୍ଚିବନି।  ତୁ ତ ସଦାବେଳେ ରାସ୍ତା କୁ ଜଗି ରହିଲୁ ; ଏ ମାଲିକ ର ଫନ୍ଦିଫିକର ଜାଣିବୁ କୁଆଡୁ। ଆମ ଗାଁଆ ଲୋକେ କହୁଛନ୍ତି ମାଲିକ ସାନ ପିଲା ମାନଙ୍କୁ ବାହାର ରାଜ୍ଯରେ ବିକ୍ରି କରିଦେଉଛି।  କାଳେ ମୋତେ ବିକି ଦେବ ବୋଲି ମନରେ ମୋର ଭୀଷଣ ଡର।
ଅଥାନି ପିଲାଟିର ପିଠି ଦେଖି ଚମକି ପଡିଲା। ଲୁହା ଚେଙ୍କ ସ୍ପଷ୍ଟ ଦିଶୁଛି, ମାଂସ ସବୁ ମେଞ୍ଚା ହୋଇଗଲା ପରି ଲାଗୁଛି। ବ୍ଯସ୍ତ ହୋଇ ପଚାରିଲା-- ଆରେ ପୁଅ, ଓୌଷଧ ଟିକେ ଲଗେଇଲୁ କି ନାହିଁ? ଘାଆ ଟା ଯଦି ବିସିରିପି ଯିବ ବହୁତ କଷ୍ଟ ପାଇବୁ।
– ଅଜା, ଓୌଷଧ,ମଇଲମ ଆମ ଭାଗ୍ଯରେ ନାହିଁ। ହୋଟେଲ୍ ପଛରେ ଥିବା ବିଶଲ୍ଯକରଣୀ ପତ୍ର ଟିକେ ଛେଚି ଲଗେଇଦେଇଛି, ବଳେ ଶୁଖିଯିବ। ଆଜି ସକାଳୁ ମାଲିକ ମୋତେ ଧମକାଇ କହିଛି, ଯଦି ଏ କଥା କାହା ଆଗରେ କହିବି ମୋତେ ଗାଡି ଆଗକୁ ଫିଙ୍ଗି ଦେବ।
- -  ଏ ଜାଗାରୁ ଅନ୍ଯ କୁଆଡେ ପଳଉନୁ କଣ ପାଇଁ। ସବୁ ଜାଣି,  ମରିବାକୁ କାହିଁକି ପଡିଛୁ ଯେ? ମୋ ପୁଅ କୁ ଏଇ ଲୋକ ମାରିଦେଲା,  କେହି ଜାଣିଲେନି ସେକଥା। ତୁମ ମାନଙ୍କ ଅବସ୍ଥା ଦେଖିଲେ ଲାଗୁଛି ସେ ଜାଣି ଶୁଣି ମୋ ପୁଅକୁ ଜାଳି ଦେଲା।
--- କୁଆଡେ ଯିବି ଅଜା, ନାନୀ ବାହାଘର ପାଇଁ ମୋ ବାପା ମାଲିକ ଠୁ ପଇସା ଧାର ନେଇଥିଲା। କେତେ ପଇସା ନେଇଥିଲା ଆମେ କେହି ଜାଣିନୁ। ବାପା ଟଙ୍କା ଶୁଝି  ନ ପାରି ଆରପାରି କୁ ଚାଲିଗଲା।  ସେଇ ପଇସା ଶୁଝିବାକୁ ମୋତେ ଆଜିକି ଚାରିବର୍ଷ ହେଲା ମାଲିକ ଗୋରୁ ଗାଈ ପରି ଖଟଉଛି। ମୋର ଦରମା  ବୋଲି କିଛି ନାହିଁ।  ଦିନରାତି ଖଟିବି, ବଦଳରେ ଦୁଇ ଓଳି ଖାଇବି। କେବେ ସେ କରଜ ଶୁଝିବା ସରିବ ମୁଁ ନିଜେ ବି ଜାଣିନି।
ସେତିକି ବେଳେ କାହାର ଗର୍ଜନରେ ଅଥାନି ଓ ସେ ପିଲା ଚମକି ଉଠିଲେ। ହାତରେ ଏକ ରୁଲ୍ ବାଡି ଧରି ମାଲିକ ସେମାନଙ୍କ ପଛରେ ଛିଡା ହୋଇଛି। ସେମାନେ କିଛି କହିବା ଆଗରୁ ରୁଲ୍ ବାଡିରେ ଦୁଇଜଣଙ୍କୁ ଜୋର କରି କେଇ ପାହାର କଷି ଦେଇ କହିଲା-- ନିକମା ଦୁଇଟା, ଏଠି କି ପାଲା ଲଗେଇଛ? କାମ ନ କରି ଏଠି ଖୁସି ଗମାତ ଚାଲିଛି,  ନାଇଁ ! ଆଉ ଯଦି ଦୁଇଜଣଙ୍କୁ ଗପିବାର ଦେଖିଲି, ମୁହଁରେ ନିଆଁରଡ ଫିଙ୍ଗି ଦେବି। ରୁଲ୍ ବାଡିର ପାହାର ଟା ପିଲାଟିର ପୋଡି ଯାଇଥିବା ଯାଗା ରେ ବାଜିଲା କି କଣ, ପିଲା ଟି ଭେଁ ଭେଁ କରି ଭୂଇଁରେ ଗଡିଗଲା। ସେତିକି ରେ ମାଲିକ ମନ ଶାନ୍ତ ହେଲାନି, ଜୋତାରେ ପିଲାର ପେଟକୁ ମାରିଲା ଏକ ଶକ୍ତ ଗୋଇଠା। ବିଚରା ଗଁ ଗଁ କରି ଗୁରୁଣ୍ଡି ଗୁରୁଣ୍ଡି ସେ ଯାଗାରୁ ଚାଲିଗଲା।  ମାଲିକ ଠାରୁ ମାଡ ଖାଇ ଅଥାନି ଅପମାନର ବହ୍ନିରେ ଜର୍ଜରିତ ହୋଇସାରିଥିଲା।  ତା ପରି ଜଣେ ଦୁର୍ବଳ ବୃଦ୍ଧ ଲୋକକୁ କିଏ ଏମିତି ନୃଶଂସ  ଭାବରେ ମାରିବ, ସେ କଥା ହଜମଯୋଗ୍ଯ ନ ଥିଲା। ସେ ମନରେ ସିଦ୍ଧାନ୍ତ ନେଇ ସାରିଥିଲା ଯେ, ଆଉ  ହୋଟେଲ୍ ରେ କାମ କରିବ ନାହିଁ। ଆଜି ପରଠାରୁ ସେ ପଛେ ମୂଲ ଲାଗିବ, କିନ୍ତୁ ଏଇ ମାଲିକ ପାଖରେ ବେଜ୍ଜିତ୍ ହେବାକୁ ଆସିବ ନାହିଁ।
ସେତିକି ବେଳକୁ ତା ନାତୁଣୀର  ନିଷ୍ପାପ ମୁହଁଟା ଆଖି ଆଗରେ ଝଲସି ଉଠିଲା। ଆଜି ତା’ର ଜନ୍ମଦିନ। ଆସିଲା ବେଳେ ସେ ଦରୋଟି କଥାରେ ଅଥାନି କୁ କହିଥିଲା-- ଜେଜେ, ଆଜି ମୋ ଜନମ ଦିନ।  ଫେଲିଲା ବେଲେ ହୋତେଲ ଲୁ  ମୋ ପାଇ ଲୁଟି ତଲକାଲି ଆଣିବ। ଗୋତେ ଖେଲନା ବି ଆନିବ।  ମୁଁ ତା ସହ ଖେଲିବି ଦିନସାଲା। କନ ଆନିବ ତ?
ହସିହସି ଅଥାନି ନାତୁଣୀ ମୁଣ୍ଡରେ ହାତ ରଖି କହିଲା-- ଆଣିବି ଲୋ ମାଆ, ତୁ ଯାହା କହିବୁ ସବୁ ଆଣିଦେବି। ଭଗବାନ ତୋତେ ଲମ୍ବା ଆୟୁଷ ଦିଅନ୍ତୁ। ଆଜି ସେ ନାତୁଣୀ କୁ କଥା ଦେଇଛି, ତା ପାଇଁ ଜିନିଷ ନେବାକୁ ହେବ। ବାପଛେଉଣ୍ଡ ପିଲାଟିର ଭାଗ୍ଯରେ ହସ ବୋଲି କିଛି ରହିଲାନି। ସେ ଶେଯରୁ ଉଠିଲା ବେଳକୁ ଅଥାନି ହୋଟେଲ ଆଗରେ ପହଞ୍ଚି ସାରିଥାଏ ଓ  ଫେରିଲା ବେଳେ ନାତୁଣୀ ଶୋଇସାରିଥାଏ। ଦିନ ସାରା ବିଚାରୀ କାହା ସହ ଖେଳିବ ; ତା ମାଆ ଆଖିରୁ ତ ଆଜିଯାଏ ଲୁହ ଶୁଖିନି।  ସ୍ତ୍ରୀ ଦିନ ତମାମ ଖଟରେ ଆକାଶ କୁ ଚାହିଁ ପଡିରହିଥାଏ। ଘର ଭିତରେ ବସି ନଡିଆ ସଢେଇ, କୁଟା କାଠି ଓ କିଛି ଫୁଲ ଧରି ନାତୁଣୀ ଖେଳ ଚଲେଇଥାଏ। କେବେକେବେ ବାପ କଥା ମନେ ପଡିଲେ ରାହା ଛାଡି କାନ୍ଦେ। ପାଖ ଘରର ପିଲାମାନେ ଯେତେବେଳେ “ ତୋ ବାପ କୁଆଡେ ଗଲା ବୋଲି”  ଛିଗୁଲାଇ ପଚାରନ୍ତି , ଝିଅଟି ଅତି ନିରୀହ ଭାବରେ କୁହେ “ବାପା ହୋତେଲ ଲେ ମଲିଗଲା”।  ସେ ପିଲା ମାନଙ୍କୁ କଣ ଖୁସି ଲାଗେ କେଜାଣି, ତାଳି ମାରି ନାଚିନାଚି କୁହନ୍ତି “ଦେଖରେ ୟା ବାପ ମରିଗଲା”। ସେ ଯାଗାରୁ କାନ୍ଦିକାନ୍ଦି ଝିଅଟି ଘରକୁ ଚାଲିଆସେ। ବେଶ୍ କିଛି ସମୟ ଯାଏ ଘରେ କାନ୍ଦ ବୋବାଳି ଚାଲେ। ଅଥାନି ବୁଝି ପାରେନି, ଗାଁଆର ସାନ ପିଲା ମାନଙ୍କ ମୁଣ୍ଡରେ ଏମିତି ସଇତାନୀ ବୁଦ୍ଧି ଆସେ କୁଆଡୁ? ହଁ, ଆସିବନି କଣ ପାଇଁ, ଆଜିକାଲି ତ ସବୁ “ଓଳିଆରୁ ପଡି ଗଜା” କହିବ କାହାକୁ।
ଆଖି ଲୁହରେ ରାସ୍ତାଟା  ଝାପସା ଦିଶିବାରୁ, ଗାମୁଛାରେ ଆଖିକୁ ଟିକେ ଭଲରେ ମଳି ସେ ରାସ୍ତା ଆଡକୁ ନଜର ପକାଇଲା । ଯାହା ହେଉ ପିଲାଟା ପାଣି ଟୋପେ ଦେଲା, ନୋହିଲେ ଜୀବନ ଛାଡି ଯାଇଥାଆନ୍ତା। ଦୂରରୁ ଚାରି ଚକିଆ ଗାଡିଟେ ଆସୁଛି ବୋଧେ। ହାତ ଟେକି ସେ ପଟିଟାକୁ ଉପରକୁ ଉଠାଇ ଧରିଲା। ତା ପାଖରେ ଗାଡି ଟି ଆସି ରହିଲା ଓ କାଚ ତଳକୁ ଖସିଲା-- ଗାଡିରେ ସ୍ବାମୀ, ସ୍ତ୍ରୀ  ଓ ଗୋଟେ ପାଞ୍ଚ ବର୍ଷର କୁନିଝିଅ।
– କଣ ମଉସା, ହୋଟେଲ୍ ରେ ଖାଇବା ଅଛି ତ?
- - ହଁ ବାବୁ ସବୁ ଅଛି। ଆମିଷ ,ନିରାମିଷ, ଭାତ, ରୁଟି ଯାହା ଖୋଜିବେ ସବୁ ମିଳିବ। ଆଜି କଙ୍କଡା ତରକାରୀ ତିଆରି କରାଯାଇଛି। ସପ୍ତାହରେ ଥରେ ହୁଏ, ଚିଲିକା କଙ୍କଡା ଆଜ୍ଞା, ଥରେ ଖାଇଲେ ପାଟିରୁ ଛାଡିବନି। ତା ସାଙ୍ଗକୁ  ପିନିରି, ଛତୁ, ମଞ୍ଚୁରିୟାନ ବି ଅଛି,  ଆଉ ଆମ ସାନ ମାମା ପାଇଁ  ଆଇସକ୍ରିମ୍, ଚକୋଲେଟ୍ ।
ଅଥାନିର କଥାରେ ଭରି ରହିଥିଲା ଆତ୍ମୀୟତା।  ଦୟନୀୟ ଅବସ୍ଥା ପାଇଁ ହେଉ ବା ଅଥାନିର ବାକଚାତୁରୀ ପାଇଁ ହେଉ, ଗାଡିର ମୁହଁ ହୋଟେଲ ଆଡକୁ  ବୁଲିଲା। ସେ ଶାନ୍ତିରେ ନିଶ୍ବାସ ମାରିଲା।
ସେ ଗାଡି ପଛକୁ ଆଉ ତିନିଟି ଗାଡି ହୋଟେଲ ଆଡକୁ ମୁହାଁଇଲା। ଯୋଗ କୁ ତିନିଟି ଗାଡି ରେ ପାଖା ପାଖି ପନ୍ଦର ଲୋକ ବସିଥିଲେ।
– – ଯାହା ହେଉ ଭଗବାନ ବଞ୍ଚେଇଦେଲେ। ଥିଲାବାଲା ଲୋକ ପରି ଲାଗୁଛନ୍ତି। କିଛି ଭଲ ଜିନିଷ ଖାଇବେ ନିହାତି, ବେଶ୍ ଭଲ ବିକ୍ରୀ ହେବ ହୋଟେଲର ମନେ ମନେ କହିଲା ଅଥାନି।
ସଫଳତା ଠାରୁ ବଡ ଓୌଷଧ ଦୁନିଆରେ ନାହିଁ। ତାହା ଏପରି ଏକ ଓୌଷଧ, ଯାହା ଦୁଃଖ, ଶୋକ, କଷ୍ଟ ସବୁ କୁ ନିମିଷକରେ ଦୂରେଇ ଦିଏ।  ସେହି ନ୍ଯାୟରେ, ଅଥାନି ମନରେ ଥିବା ସମସ୍ତ ବେଦନା ଦୂରେଇ ଯାଇଥିଲା। ସୂର୍ଯ୍ଯଙ୍କର ପ୍ରଚଣ୍ଡ ଅଗ୍ନୀବର୍ଷା, ଅଥାନିର ଆତ୍ମବିଶ୍ବାସ ଆଗରେ ନିଷ୍ପ୍ରଭ ହୋଇପଡୁଥିଲା। ଜୀବନ ଯୁଦ୍ଧରେ ଲଢେଇ କରି ଜିତିବାର ପ୍ରଣ କରିଥିବା ଅଥାନି ଏକକ ଯୋଦ୍ଧା ଭାବରେ ଅଖିଆ, ଅପିଆ  ଲଢି ଚାଲିଥିଲା। ସେଦିନ ଖରାବେଳେ ସେ କିଛି ଖାଇବା ପାଇଁ ଆଣି ନ ଥିଲା। ନହେଲେ ସବୁଦିନ ଜରି ରେ କିଛି ମୁଢି ବା ଚୂଡାଭଜା ଆଣି ଦିହିପହର ଖାଇବାଟା ଚଳାଇ ନିଏ।
ହୋଟେଲରୁ ବାହାରି ରାସ୍ତା ଉପରକୁ ଚଢିବା ପୂର୍ବରୁ ଗାଡିଟି ପୁଣି ତା ପାଖରେ ଆସି ରହିଲା। କବାଟ ଖୋଲି ସେ କୁନି ଝିଅଟି ଅଥାନି ହାତ କୁ ଖାଦ୍ଯ ପୁଡିଆ ଓ ଗୋଟେ ଚକୋଲେଟ୍ ବଢେଇ ଦେଲା। ନାରୀ ଜଣକ କହିଲେ-- ଖରାପ ଭାବିବନି ମଉସା, ଏ ପୁଡିଆରେ କିଛି ଖାଦ୍ଯ ଅଛି, ଯାହା ଆମେ ଅଇଁଠା କରିନୁ। ଆମେ ବହୁତ ଦୂରବାଟ ଯିବୁ। ଘରେ ପହଞ୍ଚିଲା ବେଳକୁ ଖରାପ ହୋଇ ଯାଇପାରେ। ତୁମେ ଖାଇନେବ। ଏତେ ଭଲ ଖାଇବା ଯାଗାର ଠିକଣାଟେ ଦେବାରୁ ବହୁତ ଧନ୍ଯବାଦ।  ଗାଡିରେ ବସିଥିବା ପୁରୁଷ ଲୋକଟି ଅଥାନି ହାତକୁ ଶହେ ଟଙ୍କା ନୋଟ ଖଣ୍ଡେ ବଢେଇ ଦେଇ କହିଲେ-- ପୁଣି କେବେ ଆସିଲେ ଦେଖାହେବ। ଅଥାନି ଆଶିର୍ବାଦ ଦେବା ଭଙ୍ଗୀରେ କୁନି ଝିଅଟିର ମୁଣ୍ଡରେ ହାତ ରଖି କହିଲା-- ଭଗବାନ, ଆପଣ ମାନଙ୍କର ମଙ୍ଗଳ କରନ୍ତୁ।
ଗାଡିଟି ଧୂଳି ଉଡେଇ ଚାଲିଗଲା।  ଅଥାନିର ଦୁଇ ହାତ କୃ ତଜ୍ଞତା ରେ ଯୋଡି ହୋଇଗଲା ଓ  ସେଇ ଯୋଡା ହାତ ଆକାଶକୁ ଟେକି କହିଲା-- ଧନ୍ଯ ତୁମ ଲୀଳା ପ୍ରଭୋ, ଧନ୍ଯ ତୁମ କୃପା। ମୋ ନାତୁଣୀ ପାଇଁ କେମିତି ଜିନିଷ ଯୋଗାଡ କରିବି ଭାବିଲା ବେଳକୁ ମୋ ହାତରେ ସବୁ ଧରାଇ ଦେଇ ଚାଲିଗଲ।
ପଛରେ କାହାର ପାଦଶବ୍ଦ ଶୁଣି ବୁଲି ଚାହିଁଲା  ବେଳକୁ, ମାଲିକ ହାତରେ ରୁଲ୍ ବାଡିି ଧରି ଛିଡା ହୋଇଛି।  ଅଥାନି ମୁହଁରୁ କଥା ବାହାରିବା ଆଗରୁ ସେ ବାଡିଟିରେ ଅତି ନିର୍ଦ୍ଦୟ ଭାବରେ ମାଡ ଆରମ୍ଭ କରିଦେଲା।
– ଏଇ ଲୀଳା ଚଲେଇଛୁ ରାସ୍ତାରେ ଛିଡା ହୋଇ। ତୁ ଏତେ ବଡ ହାକିମ ଯେ ଆମ ହୋଟେଲର ଖାଇବା ତୋ ଘରକୁ ପାର୍ଶଲ ହୋଇଯିବ। କାଢ୍ ସେ ଶହେ ଟଙ୍କିଆ ନୋଟ୍। ଗ୍ରାହକ ଆମକୁ ପଇସା ଦେଲା ବେଳେ ରିହାତି କର ବୋଲି କଳି ଲାଗିବେ, କିନ୍ତୁ ତୁମ ମାନଙ୍କ ହାତକୁ ନୋଟ୍ ବଢେଇ ଦେଇ ଚାଲିଯିବେ। ମୁଁ ହୋଟେଲ ଖୋଲିଛି ନା ଭିକାରୀଖାନା?
- - ମୋତେ ବିଶ୍ବାସ କର ବାବୁ, ମୁଁ ତାଙ୍କୁ କିଛି ମାଗିନି। ସେମାନେ ନିଜ ଆଡୁ ଦେଲେ। ଆଜି ମୋ ନାତୁଣୀର ଜନ୍ମ ଦିନ। ତାକୁ ଏତିକି ଜିନିଷ ଦେଲେ ସେ ବହୁତ୍ ଖୁସି ହେବ। କହିଲା ବେଳକୁ ଛାତିରେ କୋଟିନିଧି ପାଇଲା ପରି ସେ ଖାଦ୍ଯ ପୁଡିଆ, ଚକୋଲେଟ୍  ଓ ନୋଟ୍ କୁ ଜାବୁଡି ଧରିଥିଲା ଅଥାନି।
ମାଡ ଖାଇ ମୁଣ୍ଡ ଓ କାନ ପାଖରୁ ରକ୍ତ ଧାର ବୋହି ଚାଲିଥିଲା। ପେଟରେ ବାଜିଥିବା ଗୋଇଠା ଯୋଗୁଁ ଭିତର ଟା ଛିଣ୍ଡିଗଲା ପରି ଲାଗୁଥିଲା। ତା  ଛାତିରେ ମାଲିକ ଧକ୍କା ମାରିବାରୁ ସେ ତଳେ ପଡିଗଲା। ଖାଦ୍ଯ ପୁଡିଆଟା  ଚିରି ବିଛାଡି ହୋଇ ପଡିଲା ରାସ୍ତା ଉପରେ। ସେତିକି ରେ ମାଲିକ ର ମନ ମାନିଲାନି ଯେ ଖାଦ୍ଯ ଉପରେ ବାଲି ପକେଇଦେଲା। ପୈଶାଚିକ ହସ ହସି କହିଲା-- ନେ ତୋ ନାତୁଣୀ କୁ ଦେବୁ। ଏମାନେ ପୁଣି ଜନ୍ମ ଦିନ ପାଳିବେ!!!!,ତୋ ମୁହଁ କୁ ଲାଜ ନାହିଁ ଯାହା। କାଲି ଠୁ ଯହି ହୋଟେଲ ମୁହଁ ମାଡିବୁ ମାରି ଜଙ୍ଗଲରେ ଫିଙ୍ଗିଦେବି। ଚୋର କୋଉଠିକାର।
ଅଥାନି ମୁହଁରୁ କଥା ବାହାରୁ ନ ଥିଲା। ମନ ଭିତରର କୋହ ଏତେ ବଢି ଯାଇଥିଲା ଯେ କଣ୍ଠ ବାଷ୍ପରୁଦ୍ଧ ହୋଇ ଆସୁଥିଲା। ଦିନ ସାରା ପରିଶ୍ରମ କରି ଏମିତି ପାଉଣା ମିଳିବ ବୋଲି ସେ ସ୍ବପ୍ନରେ ସୁଦ୍ଧା ଭାବି ନ ଥିଲା। ମାଲିକ, ତା ହାତରୁ ଶହେ ଟଙ୍କିଆ ନୋଟ୍ ଓ ଚକୋଲେଟ ଟି ଛଡାଇନେଲା , ସେଦିନ ର ଦରମା ମଧ୍ଯ ଦେଲାନି।   ସାଇକେଲ ଦୋକାନ ସାମନାରେ ଛିଡା ହୋଇ ଟଙ୍କା ଗଣୁଥିଲା ଅଥାନି।  ସମୁଦାୟ ଦୁଇଶହ ପଚାଶ ଟଙ୍କା। ପୁରୁଣା ସାଇକେଲର ବିକ୍ରି ଦର ଟା କିଛି ମନ୍ଦ ନୁହଁ। ଦୋକାନ ରୁ ନାତୁଣୀ ପାଇଁ ରୁଟି, ତରକାରୀ ଓ ମିଠା କିଣିଲା।  ଗୋଟେ ସୁନ୍ଦରିଆ କଣ୍ଢେଇ ଓ ପେଁ କାଳୀ ସହ ନୀଳ ରଙ୍ଗର ଡ୍ରେସ୍ ବି ଆଣିଲା।
ଚାଲିବା ପାଇଁ ଦେହରେ ବଳ ନାହିଁ। ମୁଣ୍ଡ ଘୁରାଇବା ସହ, ଛାତି ଭିତରଟା ମନ୍ଥିଦେଲା ପରି ଲାଗୁଛି। ପେଟ ଭିତର ର ବେଦନା ସମ୍ଭାଳି ହେଉନି, ବୋଧେ ମାଲିକର ଗୋଇଠା ବାଜିବା ଫଳରେ ପେଟ ଭିତରେ କ୍ଷତ ହୋଇଯାଇଛି। ନୋହିଲେ, କିଛି ନ ଖାଇ ମଧ୍ଯ ଏମିତି ରକ୍ତ ବାନ୍ତି ହେଉଛି କଣ ପାଇଁ ?  ଦେହ ସାରା ରକ୍ତଧାର ବୋହିଚାଲିଛି। ବଡ କଷ୍ଟରେ ପାଦ ଘୋଷାରି ଘରେ ପହଞ୍ଚିଲା ବେଳକୁ ନାତୁଣୀ ଦୁଆର ପାଖରେ ବସି ତାକୁ ଜଗିଛି।
– ଜେଜେ, ମୋ  ଜିନିଛ  ଆନିଲ କି ନାଇ କୁହ।
– ହଁ ରେ ମାଆ, ତୋ ପାଇଁ ସବୁ ଆଣିଛି। ଆଜି ମୋ ସୁନା ରୁଟି, ତରକାରୀ ଖାଇବ। ନୂଆ ଜାମା ପିନ୍ଧିବ, କଣ୍ଢେଇ ଖେଳିବ।
ଝିଅଟିର ଆଖିରେ ଖେଳିଗଲା ଖୁସିର ଝଲକ। କୁନି ହାତରେ ଜିନିଷ ସବୁ ଧରି ଘର ଭିତରକୁ ମନ ଖୁସି ରେ ଦଉଡିଗଲା। ଦିନ ସାରାର ପ୍ରଣାନ୍ତକ ପୀଡା ଓ ବେଦନାରେ ଅତିଷ୍ଠ  କ୍ଷତବିକ୍ଷତ ଅଥାନି ଆଖି ଆଗରେ ଅନ୍ଧକାର ଛାଇଗଲା। ପାଟି କରି କାହାକୁ ଡାକିବା ପୂର୍ବରୁ ଘର ବାରଣ୍ଡାରେ ବେକମୋଡି କଚାଡି ହୋଇପଡିଲା।  ମୁଣ୍ଡ, ହାତରୁ ଝରୁଥିବା  ରକ୍ତ  ମାଟି ଉପରେ ଜମାଟ ବାନ୍ଧିଲା ବେଳକୁ ଘର ଭିତରୁ ଆର୍ତ୍ତନାଦ ଶୁଭୁଥିଲା--- ଶେଷରେ ତୁମେ ବି ଆମକୁ ଅନାଥ କରି ଚାଲିଗଲ??
*********


Sunday, May 20, 2018

କୃଷ୍ଣଚୂଡାର ରଙ୍ଗ




ଲେଖକ-ଅରବିନ୍ଦ ରଥ

                    ଶୋଇବା ଘରର ବିରାଟ ପଲଙ୍କ ଉପରେ ଇତଃସ୍ତତଃ ହୋଇ ପଡିଛି ଆଲମାରୀ ଭିତରେ ରଖା ଯାଇଥିବା ଜିନିଷପତ୍ର ଗୁଡିକ। ଟଙ୍କା, ସୁନା ଗହଣା, ଦରକାରୀ କାଗଜପତ୍ର, ଲୁଗାପଟା ଏମିତି କେତେ କଣ। ବାରମ୍ବାର ଆଲମାରୀ ପାଖରୁ ସେଇ ଜିନିଷପତ୍ରର କ୍ଷୁଦ୍ର ପାହାଡ ପାଖକୁ ଦଉଡୁଛନ୍ତି, ପାଖାପାଖି ପଞ୍ଚାବନ ବର୍ଷୀୟ ପ୍ରୌଢ। ହଜିଯାଇଥିବା ଜିନିଷ  ନିହାତି ମୂଲ୍ଯବାନ ହୋଇଥିବ ବୋଧେ ; ନ ହେଲେ ଶୀତତାପଯନ୍ତ୍ରର ହେମାଳତାକୁ ନିଷ୍ପ୍ରଭ କରି ତାଙ୍କର ସମଗ୍ର ଶରୀର ଘର୍ମାକ୍ତ ହୋଇ ଉଠିଛି କାହିଁକି? ମୁହଁରେ ଉକୁଟି ଉଠିଥିବା ସ୍ବେଦବିନ୍ଦୁର ପ୍ରାବଲ୍ଯତା ଦେଖାଇ ଦେଉଛି , ମନ ଭିତରେ ଘନୀଭୂତ ହେଉଥିବା ବ୍ଯଗ୍ରତା, ବ୍ଯାକୁଳତା ଓ କିଛି ଦୁର୍ଲ୍ଲଭ ଚିଜ ହଜାଇ ଦେବାର ବ୍ଯର୍ଥତା କୁ।

             ବେଶ୍ କିଛି ଦିନ ହେଲାଣି ରାମବାବୁଙ୍କର ଉଦ୍ଭଟ କଥା ଗୁଡିକର ମାତ୍ରା ଟିକେ ବଢି ଯାଇଛି ; ଅନ୍ତତଃ, ରାଧା ଓ ପିଲାମାନେ ଏହା ଅନୁଭବ କରୁଥିଲେ ମଧ୍ଯ ନୀରବ ରହିବାକୁ ଶ୍ରେୟ ମଣୁଥିଲେ। ଅଫିସ୍ ରୁ ଫେରିବା ପରେ ଚାହାକପ୍ ହାତରେ ଧରି ସେ ନିମଗ୍ନ ହୋଇ ଚାହିଁ ରହୁଥିଲେ, ଘର ଅଗଣାରେ ଥିବା ବିଶାଳକାୟ କୃଷ୍ଣଚୂଡା ଗଛକୁ। କେବେକେବେ ଚାକର ମାଧବ କୁ ଡାକି କହୁଥିଲେ-- ଆରେ , ଦେଖ୍ ସେ କୃଷ୍ଣଚୂଡା ଗଛକୁ, ଦେଖିଲୁ କେମିତି ଛନଛନିଆ ହୋଇ ବଢିଛି। ନିୟତି କେତେ ଯତ୍ନରେ ତା ଫୁଲ ସୃଷ୍ଟି କରିଛି କେବେ ଭାବିଛୁ? ଫୁଲରେ ସଜେଇ ହୋଇଥିବା ଆମର ଏ ଗଛକୁ ଦେଖିଲେ ରାସ୍ତାରେ ଯାଉଥିବା ଲୋକେ ଦଣ୍ଡେ ଛିଡା ହୋଇଯିବାର ତୁ କେବେ ଦେଖିନୁ? ଏତେ ସୁନ୍ଦର ଗଛ କୁ ଦେଖିଲେ ତୋତେ ଖୁସି ଲାଗୁନି?

ମାଲିକଙ୍କ କଥା ଶୁଣି କିଛି ପ୍ରତ୍ଯୁତ୍ତର ଦେବାର ସାହାସ ନ ଥାଏ ବୃଦ୍ଧ ମାଧବର। କାହିଁ କେତେ ଦିନରୁ ସେ ରାମବାବୁଙ୍କ ପରିବାର ସହ ସଂଶ୍ଳିଷ୍ଟ ; କିନ୍ତୁ  ମାଲିକଙ୍କର ଏ ରୂପଟି ସହ ସେ ଅନଭ୍ଯସ୍ତ ଥିଲା। ଭୀଷଣ କ୍ରୋଧୀ ଓ ବଦରାଗୀ ମାଲିକ ଯେ ଏମିତି ପିଲାଙ୍କ ପରି ନିରିହ ଶୈଳୀରେ କଥା ହେବେ, ଏହା ତା ପାଇଁ କମ୍ ଗୌରବ ର କଥା ନୁହଁ। ସେ ମୁଣ୍ଡ ଟୁଙ୍ଗାରି କୁହେ-- ସତ କହିଲ ବାବୁ, ଏ ଗଛକୁ ଦେଖିଲେ ମନର ସବୁ ପୀଡା ଚାଲିଯାଏ ଓ ଆନନ୍ଦର ଫୁଆରା ଖେଳିଯାଏ। ରାମବାବୁ ଜାଣନ୍ତି ଯେ, ତାଙ୍କ ପ୍ରଭୂତ୍ବର ତେଜ ସମ୍ମୁଖରେ ନିସ୍ତେଜ ଭୃତ୍ଯ ପାଖରେ , ତାଙ୍କ କଥାକୁ କାଟିବାର କୌଣସି ଅବକାଶ ନାହିଁ। ତଥାପି ମାଧବର ସମ୍ମତିସୁଚକ କଥା ଶୁଣି ସେ ଆମୋଦିତ ହୁଅନ୍ତି।

ସ୍ଥାନ, କାଳ, ପାତ୍ର ନିର୍ବିଶେଷରେ, ରାମବାବୁଙ୍କର ଅତୀତ ସ୍ମୃତି ରୋମନ୍ଥନ କାର୍ଯ୍ଯ ଜାରି ରହିଥିଲା ଅବିରତ। ପ୍ରାୟ ସମସ୍ତଙ୍କୁ ସେ କୃଷ୍ଣଚୁଡା ଗଛର ସୌନ୍ଦର୍ଯ୍ଯ ଓ ମନମୋହିନୀ ରୂପ ବିଷୟରେ ଉଣା ଅଧିକା ସୂଚନା ଦେବାରେ ଅବହେଳା କରୁ ନ ଥିଲେ।

– ପିଲାଦିନେ ମୁଁ ଗାଁଆରେ ଏମିତି କରୁଥିଲି, ସେମିତି କରୁଥିଲି, ଏମିତି ପହଁରୁ ଥିଲି, ସେମିତି ଖେଳୁଥିଲି ଇତ୍ଯାଦି କାର୍ଯ୍ଯାବଳୀର ବୃତ୍ତାନ୍ତ ଘର ଲୋକଙ୍କୁ ଶୁଣାଇବାରେ ତାଙ୍କୁ ମିଳୁଥିଲା ଅଶେଷ ଆନନ୍ଦ। ସେ ସବୁ ଶୁଣିବାରେ, କାହାର ଲେଶମାତ୍ର ଆଗ୍ରହ ନ ଥିଲେ ମଧ୍ଯ; ବିସ୍ଫାରିତ ଚକ୍ଷୁ କରି ଶୁଣି ଚାଲୁଥିଲେ ତାଙ୍କର ବାଳସୁଲଭ ଉତ୍ସାହ କୁ ସମ୍ମାନ ଜଣାଇ। ପିଲାଦିନର କଥା ସବୁକୁ ବର୍ଣ୍ଣନା କରିବା ବେଳେ ଯିଏ ରାମବାବୁଙ୍କୁ ଦେଖିବ, ଭାବିବ ବୋଧେ ଚଳଚିତ୍ରର ଦୃଶ୍ଯପରି ସବୁ ସ୍ମୃତି ଗୁଡିକ ତାଙ୍କ ସାମନା ରେ ସଶରୀରେ ଧାବମାନ ହେଉଛି। କାହିଁ କେତେବର୍ଷ ତଳର ପୁରୁଣା ସ୍ମୃତିର ଚେହେରା, ବୋଧେ ତାଙ୍କୁ ଦିଶୁଥିଲା ସଦ୍ଯ ପ୍ରସ୍ଫୁଟିତ ଗୋଲାପଫୁଲ ପରି।

କିନ୍ତୁ ପତ୍ନୀ ରାଧା, ରାମବାବୁଙ୍କ ଚରିତ୍ରର ଏହି ଦିଗଟିକୁ ଅତି ନ୍ଯୁନ ଓ ଗୁରୁତ୍ବହୀନ ଭାବରେ ଦେଖନ୍ତି। ତାଙ୍କୁ ଲାଗେ ରାମବାବୁଙ୍କ ପରି ଜଣେ ଉଚ୍ଚପଦସ୍ଥ ଅଫିସର ମୁହଁରେ, ଗାଁଆ ଶବ୍ଦର ଉଚ୍ଚାରଣ ଟା ନିହାତି ଅପ୍ରାସଙ୍ଗିକ । କଦବା କ୍ବଚିତ୍ ରାମବାବୁ ତାଙ୍କ ଗାଁଆ କିମ୍ବା ପିଲାଦିନର କଥା ସହକର୍ମୀଙ୍କ ଆଗରେ ପ୍ରକାଶ କରିବାକୁ ଉଦ୍ଯତ ହେବାର ଦେଖିଲେ, ରାଧା କଥାର ମୋଡ ବୁଲାଇଦେବାକୁ ଭୁଲନ୍ତି ନାହିଁ। ଏତେ ବଡ ଅଫିସରଙ୍କର ଅତୀତ ଯେ ଗାଁଆ ମାଟିଧୂଳିରେ କଟିଛି, ସେ କଥା ଜାଣିଲେ କାଳେ ସମସ୍ତଙ୍କର ରାମବାବୁଙ୍କ ପ୍ରତି ସମ୍ମାନ କମିଯିବ, ସେଇ ଭୟ ରାଧାଙ୍କୁ ସର୍ବଦା ଗ୍ରାସ କରି ରଖିଥିଲା। ପ୍ରକାଣ୍ଡକାୟ ବଙ୍ଗଳା, ଗାଡି, ଚାକର ବାକର ଓ ଜିନିଷପତ୍ରର ଅପରୂପ ସମ୍ଭାର ଗହଣରେ ଜୀବନ ର ଅର୍ଦ୍ଧାଧିକ ସମୟ ବ୍ଯତୀତ କରିସାରିବା ପରେ, କାହିଁକି ରାମବାବୁ ନିଜର ଅତୀତ କୁ ନେଇ ଏତେ ମାତ୍ରାରେ ଗମ୍ଭୀର ହୋଇ ଉଠିଛନ୍ତି, ସେ କଥାଟି ବର୍ତ୍ତମାନ ସୁଦ୍ଧା ତାଙ୍କ ପାଇଁ ଏକ ଅସମାହିତ କୁହେଳିକା ସଦୃଶ ଦଣ୍ଡାୟମାନ। ପୁଅଝିଅ ବଡ ହୋଇସାରିଲେଣି, ଗୋଟିଏ ବେସରକାରୀ ସଂସ୍ଥାରେ ପୁଅଟି ମ୍ଯାନେଜର ରୂପରେ କାର୍ଯ୍ଯ କରୁଛି ଓ ଝିଅ ପାଇଁ ବରପାତ୍ର ଖୋଜା ଚାଲିଛି। ତାକୁ ଏଇ ବର୍ଷ ବାହାଘର କରାଇଦେବାକୁ ଉଭୟ ମନସ୍ଥ କରିସାରିଛନ୍ତି। ଗମ୍ଭୀର ସ୍ବଭାବ ବିଶିଷ୍ଟ ରାମବାବୁ, ବୟସ ଓ ଚାକିରି ର ସୋପାନ ପରେ ସୋପାନ ଅତିକ୍ରମ କରି ଉଚ୍ଚ ପଦବୀରେ ଅଧିଷ୍ଠିତ। ସାମାଜିକ ପ୍ରତିଷ୍ଠା, ସମ୍ମାନ ଓ ସଫଳତାର ଶୀର୍ଷସ୍ଥାନରେ ପହଞ୍ଚିବା ପରେ, ତାଙ୍କର ମନରେ ଆଗକୁ ବଢିବାର ସ୍ବପ୍ନ ଧିରେଧିରେ ଅସ୍ତମିତ ହେବାରେ ଲାଗିଛି। ଆଉ କିଛି ବର୍ଷ ପରେ ଚାକିରିରୁ ଅବସର ନେବେ। ସବୁ କ୍ଷେତ୍ରରେ, ତାଙ୍କରି ବୟସର କର୍ମଚାରୀଙ୍କ ଠାରୁ ଢେର୍ ଆଗରେ ଅଛନ୍ତି ରାମବାବୁ। ତିରିଶି ବର୍ଷର ବୈବାହିକ ବନ୍ଧନ ମଧ୍ଯରେ ରାଧା, ରାମବାବୁଙ୍କର ଜୀବନର ପ୍ରତ୍ଯେକ ଅଙ୍କ ସମାହିତ କରି ସାରିଛନ୍ତି , କେବଳ ଗାଁଆପ୍ରୀତି କୁ ଛାଡି। ଏମିତି କିଛି କିଛି ଅଛିଣ୍ଡା ଅଙ୍କ ସଭିଙ୍କ ଜୀବନରେ ଥାଏ ଓ ସେ ସବୁକୁ ଅସମାହିତ ରହିବାକୁ ଛାଡିଦେଲେ, ବିଶେଷ କ୍ଷତି ନାହିଁ ହୃଦବୋଧ ହୋଇ ସାରିଥିଲା ରାଧାଙ୍କର।

ସେଦିନ ରାତିରେ ଖାଇବା ଟେବୁଲ ପାଖରେ ରାମବାବୁ ଅନ୍ଯମନସ୍କ ଭାବରେ ବସିବା ଦେଖି ରାଧା ପଚାରିଲେ-- କଣ ହୋଇଛି ତୁମର? ଏମିତି ଗୁମସୁମ୍ ହୋଇ କାହିଁକି ବସିଛ ଯେ?

– - କିଛି ନାହିଁ ମ, କଥା କଣ କି ; ମୁଁ ଭାବୁଥିଲି କାଲି ରବିବାର ଅଛି। ଗାଁଆ ଆଡେ ଟିକେ ବୁଲି ଆସିଲେ କେମିତି ହୁଅନ୍ତା? ପିଲା ମାନେ ଆଜି ଯାଏ ମୋ ଗାଁଆ ଦେଖି ନାହାଁନ୍ତି। ମୋ ପିଲାଦିନ ସ୍ମୃତି ଗୁଡିକ ବିଷୟରେ ଏତେ କହିଛି, ସେମାନେ ସ୍ବଚକ୍ଷୁରେ ସେ ସବୁ ଜାଗା ଦେଖିଲେ କେତେ ଖୁସି ହେବେ ଭାବିଲ !

           ରାମବାବୁଙ୍କ ଏହି କଥାରେ କୌଣସି ଭାବରେ ପ୍ରଭାବିତ ନ ହେବା ପାଇଁ ମନରେ ପ୍ରଣ କରିଥିବା ରାଧା, ବେଶ୍ ଗମ୍ଭୀର ସ୍ବରରେ ଆଦେଶ ଦେବା ପରି କହିଲେ --- ଆରେ ଝିଅ ଅଳ୍ପ ଦିନ ପରେ ବାହା ହୋଇଯିବ। ପୁଅ ବିଦେଶ ଯିବାକୁ ଜିଦ୍ କରୁଛି। କେବଳ ବାହାଘର ସରିଯାଉ ବୋଲି କହି ମୁଁ ତା ଜିଦ୍ କୁ ଟାଳି ଚାଲିଛି। ଆଗକୁ ସେମାନଙ୍କ ପାଖରେ ଆମ ପାଇଁ ସମୟ ଥିବ କି ନାହିଁ ସନ୍ଦେହ, ଗାଁଆ କଥା ପଚାରେ କିଏ ? ଆମ ବାହାଘର ଠାରୁ ଆଜି ଯାଏ ତୁମ ଗାଁଆକୁ ଆମେ କେବେ ଯାଇନେ। ଏବେ ଅଚାନକ୍ ଏମିତି ପ୍ରେମ କାହିଁକି ଝରି ପଡୁଛି ଟିକେ କହିଲ ? କଣ କିଛି ଗୁପ୍ତଧନ ଲୁଚାଇ ରଖିଛ ନା କଣ ? ସେ ବେକାର ଯାଗାକୁ ଯିବାର କିଛି ଆବଶ୍ଯକତା ନାହିଁ। କାମ ନ ଥିଲେ ଏମିତି ସବୁ ଚିନ୍ତା ମୁଣ୍ଡରେ ପଶେ। ତାଙ୍କ ମୁଖମଣ୍ଡଳରେ ଉକୁଟି ଉଠୁଥିଲା ବିଦ୍ରୁପ ଓ ତାଚ୍ଛଲ୍ଯଭାବ।
     ରାମବାବୁ ରାଧାଙ୍କର ମୁହଁକୁ ସିଧା ଚାହିଁ, ଧିର କିନ୍ତୁ ଗୁରୁଗମ୍ଭୀର ସ୍ବରରେ  କହିଲେ-- ତୁମେ ଭୁଲି ଯାଅନି ରାଧା ମୁଁ କିଏ ? ମୁଁ ରାମଚନ୍ଦ୍ର ସାମନ୍ତରାୟ, ଯାହା ସାମନା ରେ ଛିଡା ହେବା ପାଇଁ ମଧ୍ଯ ଲୋକ ମାନେ ଭୟ କରନ୍ତି। ନିଜ ପ୍ରଚେଷ୍ଟାରେ ମୁଁ ଅତିକ୍ରମ କରିଛି ରାମୁ ରୁ ରାମଚନ୍ଦ୍ର ହେବାର ଦୂରତା। କାହାର ସାହାଯ୍ଯ ବା ହାତଟେକା କୁ କେବେ ଆଶା କରିନି। ମୋ କଥା କୁ ଏତେ ଗୁରୁତ୍ବହୀନ ଭାବିବାର ସାହାସ ତୁମର ହେଲା କିପରି? ମୁଁ ତୁମର ଅନୁମତି ମାଗୁନି, ମୋର ନିଷ୍ପତ୍ତି ଜଣାଉଛି। 
     ରାଧା ଲକ୍ଷ୍ଯ କରି ପାରୁଥିଲେ ରାମବାବୁଙ୍କ ମୁହଁରେ ଗମ୍ଭୀରତା ଓ ହାକିମସୁଲଭ ଠାଣୀ। ନିଜ ଅଫିସ୍ ରେ ସେ ଏମିତି କଥା ହୁଅନ୍ତି ବୋଲି ଅନ୍ଯ କର୍ମଚାରୀ ମାନେ ବହୁତ ଥର ତାଙ୍କ ଆଗରେ ପ୍ରକାଶ କରିଛନ୍ତି।

ରାଧା ଜାଣି ସାରିଥିଲେ ତାଙ୍କ ବାକ୍ଯବାଣରେ କ୍ଷତାକ୍ତ ହୋଇଛନ୍ତି ରାମବାବୁ। କ୍ଷମା ପ୍ରାର୍ଥନା କରି, ପରଦିନ ସକାଳୁ ଗାଁଆକୁ ବାହାରିବାର ସମ୍ମତି ଦେବାଛଡା ଅନ୍ଯ କିଛି ଚାରା ନ ଥିଲା ତାଙ୍କ ପାଖରେ।

ରାମବାବୁ ନିଜେ ଗାଡି ଚଲାଉଛନ୍ତି। ପାଖରେ ବସିଛି ଝିଅ, ପଛରେ ରାଧା ଓ ପୁଅ। ମନରେ ତାଙ୍କର ଉତଫୁଲ୍ଲତା ଜଳଜଳ ହୋଇ ଦିଶିଯାଉଛି। ସହର ଠାରୁ ମାତ୍ର ଅଶି କିଲୋମିଟର ଦୂରରେ ତାଙ୍କ ଗାଁଆ ମଦନପୁର, ଆଧୁନିକତା ଓ ବିକାଶର କୁହୁକ ସ୍ପର୍ଶଠାରୁ ଢେର୍ ଦୂରରେ। ରାମବାବୁ ଭଲରେ ପାଠପଢି ମଣିଷ ହେବେ ବୋଲି, ତାଙ୍କ ବାପା ସହରରେ ରହିବା ଆରମ୍ଭ କରିଦେଇଥିଲେ କାହିଁ କେତେବର୍ଷ ତଳୁ। କିନ୍ତୁ ଗାଁଆଲୋକଙ୍କ ସହିତ ସମ୍ପର୍କ ବଜାୟ ଥିଲା। କାଳକ୍ରମେ ବାପାମାଆ ଚାଲିଯିବା ପରେ, ରାମବାବୁଙ୍କ ପାଇଁ ଗାଁଆଟି ପାଲଟିଗଲା ଏକ ଦୁର୍ଗମ, ଦୂରାନ୍ତ ସ୍ଥାନ। କାର୍ଯ୍ଯବ୍ଯସ୍ତତା ଓ ପରିବାର ଜଞ୍ଜାଳର ଅଡୁଆସୂତା ଖୋଲିବାରେ ଜୀବନର ଅର୍ଦ୍ଧାଧିକ ସମୟ ବ୍ଯତୀତ କରିସାରିବା ପରେ ,ଅଚାନକ ଗାଁଆର ମୋହ ତାଙ୍କୁ କାହିଁକି ଆକ୍ତାମାକ୍ତା କରିଦେଇଥିଲା ସେ ନିଜେ ମଧ୍ଯ ଜାଣି ନ ଥିଲେ ।

ଗାଡି ଚଲାଇବା ବେଳେ ସେ ଭାବୁଥିଲେ ଗାଁଆରେ କାହା ପାଖକୁ ଯିବେ। କାରଣ ତାଙ୍କ ସମ୍ପର୍କୀୟ ମାନେ କାହିଁ କେତେଦିନରୁ ଜମିବାଡି ବିକ୍ରିକରି ଅନ୍ଯତ୍ର ଚାଲିଯାଇଛନ୍ତି। ସେତିକିବେଳକୁ ତାଙ୍କର ମନେ ପଡିଲା ସରଖୁଡୀଙ୍କ କଥା। ସେ ପିଲା ଥିଲା ବେଳେ ତାଙ୍କ ବାପାଙ୍କ କୁଟୁମ୍ବର ଦନେଇ କାକା ନୂଆ ବାହା ହୋଇଥିଲେ। ନୂଆ ବୋହୁ ପାଖରେ ରାମ ଓ ଗାଁଆ ସାରା ପିଲା ଭିଡ ଜମାଇ ରଖୁଥିଲେ ଦିନତମାମ। କାହିଁକି କେଜାଣି ସରଖୁଡୀଙ୍କୁ ପ୍ରଥମରୁ ବହୁତ ମାନୁଥିଲେ ରାମ ; ସେ ବି ସ୍ନେହ ଦେବାରେ କେବେ ଉଣା କରିନାହାଁନ୍ତି। ସବୁଦିନ ସଞ୍ଜ ନଇଁବା ପରେ ସରଖୁଡୀଙ୍କ ଚାରିପଟେ ପିଲାମାନେ ଘେରି ବସିରୁହନ୍ତି। କିଛି ସମୟ ସେ ପିଲାମାନଙ୍କୁ ପାଠ ପଢାନ୍ତି। କେତେବେଳେ ପଣକିଆ ତ କେତେବେଳେ ମିଶାଣ ଫେଡାଣ। ପାଠଚୋର ପିଲା ସବୁ ଧିରେଧିରେ ତାଙ୍କ ପାଖରୁ ଖସି ପଳାନ୍ତି। କିନ୍ତୁ ରାମ ତାଙ୍କ ପାଖରେ ବସି ମନଦେଇ ପଢନ୍ତି। ପାଠପଢା ସରିଲା ପରେ ନିତିଦିନ ସେ ନୂଆ କାହାଣୀର ପେଡି ଖୋଲି ବସନ୍ତି। ରାଜାରାଣୀ ଗପରୁ ଆରମ୍ଭ କରି ବୁଢୀ ଅସରୁଣୀ ଗପ ସରଖୁଡୀଙ୍କ ମୁହଁରୁ ଝରି ଆସେ। କେବେକେବେ ଡରରେ ରାମ ଖୁଡିଙ୍କ କୋଳରେ ମୁହଁ ମାଡି ଲୁଚି ଯାଆନ୍ତି ଓ କେତେବେଳେ ମନଖୁସି ରେ ତାଳି ମାରି ତାଙ୍କ ଚାରି ପଟରେ ଘୁରି ବୁଲନ୍ତି। 
  ଖୁଡି କୁହନ୍ତି-- ରାମ, ତୁମେ ଜାଣିଛ କି ନାହିଁ, ଏଇ କୃଷ୍ଣଚୂଡା ଗଛରେ ଠାକୁର ରୁହନ୍ତି। ଏଇ ନାଲି ଫୁଲ ସବୁ ସେ ନିଜେ ରଙ୍ଗ ଦେଇ ଏତେ ସୁନ୍ଦର କରିଛନ୍ତି। ତୁମେ ମନଦେଇ ପାଠ ପଢିଲେ ଏ ଗଛରେ ଆହୁରି ଫୁଲ ଫୁଟିବ। ସେମିତି ହେଲେ ତୁମେ ଜାଣିବ ଯେ ଠାକୁର ତୁମ ଉପରେ ବହୁତ ଖୁସି ଅଛନ୍ତି।

ଠାକୁରଙ୍କୁ ଖୁସି କରି ଗଛରେ ବେଶି ଫୁଲ ଫୁଟାଇବା ପାଇଁ ରାମ, ସରଖୁଡୀ ପଢାଉଥିବା ପାଠ ସବୁ କୁ ଗଳାଧଃକରଣ କରିବାରେ ଅବହେଳା କରିନ୍ତି ନାହିଁ। ଦିନେ କୃଷ୍ଣଚୁଡା ଫୁଲର ଏକ ବଡମାଳ ସରଖୁଡୀଙ୍କୁ ଦେବା ପାଇଁ ମନସ୍ଥକରି ସେ ଗଛ ଉପରେ ଚଢିଥିଲେ। ଦୁର୍ଯୋଗକୁ ଗଛର ଡାଳ ଭାଙ୍ଗିଗଲା ଓ ବିଚରା ରାମ ତଳେ କଚାଡି ହୋଇପଡିଲେ। ସମସ୍ତେ ତାଙ୍କୁ ଗାଳିଗୁଲଜ କଲେ ଓ ଦୁଷ୍ଟ ହେଉଛୁ କହି ତାଗିଦ୍ କଲେ। ଘରକୁ ଆସି ସରଖୁଡୀ ଏମିତି ଦୁଷ୍ଟାମୀ ନ କରିବାକୁ କହିବା ବେଳକୁ , ରାମ  ଅସଲ କଥାଟି କହିଲେ। ତାଙ୍କ କଥା ଶୁଣି ଖୁଡୀ କାନ୍ଦିକାନ୍ଦି କହିଲେ – ତୁମେ ସେମିତି କାହିଁକି କରୁଥିଲ ରାମ! ଯଦି ବେଶୀ ଖଣ୍ଡିଆ ଖାବରା ହୋଇଥାଆନ୍ତା, ଅବସ୍ଥା କଣ ହୋଇଥାଆନ୍ତା କହିଲ! ଯଦି ତୁମେ ମୋତେ ଫୁଲମାଳ ଦେବାକୁ ଚାହୁଁଛ, ତେବେ ବହୁତ୍ ପାଠ ପଢ ଓ ବଡ ହାକିମ ହୁଅ। ତା ପରେ ଯାଇ ମୋ ପାଇଁ ଗୋଟେ ସତସତିକା ସୁନାମାଳ ଆଣିଦେବ। କଣ ରାଜି ତ!

    ମୁଣ୍ଡ ଟୁଙ୍ଗାରି ରାମ ହଁ ଭରିଲେ ଓ ଖୁଡୀ ତାଙ୍କୁ କୋଳେଇ ନେଲେ। ସେଦିନ ପରଠାରୁ ରାମଙ୍କ ପ୍ରତି ଅଧିକ ଯତ୍ନବାନ ହୋଇଯାଇଥିଲେ ଖୁଡୀ। କେମିତି ସେ ଭଲ ଭାବରେ ସବୁ ପାଠ ପଢି ମନେ ରଖିବେ ସେ ଚେଷ୍ଟାରେ ଅବିରତ ଲାଗି ରହିଥାନ୍ତି।

ଗାଁଆ ସ୍କୁଲରେ ପ୍ରାଥମିକ ଶିକ୍ଷା ସରିବାପରେ, ରାମ ସହରରେ ପଢିବେ ବୋଲି ବାପା ନିଷ୍ପତ୍ତି ନେଲେ। ବାପାଙ୍କ ବନ୍ଧୁବାନ୍ଧବଙ୍କ ଅନିଚ୍ଛା ସତ୍ତ୍ବେ ରାମଙ୍କୁ ସହର ଯିବାକୁ ପଡିଲା। ତାଙ୍କର ସାଙ୍ଗସାଥୀ ଓ ବନ୍ଧୁପରିଜନ ଙ୍କୁ ଛଳଛଳ ଆଖିରେ ବିଦାୟ ଜଣାଇବା ବେଳେ, ରାମଙ୍କର ଆଖି ଖୋଜୁଥିଲା ତାଙ୍କର ସବୁଠାରୁ ପ୍ରିୟ ସରଖୁଡୀଙ୍କୁ। କିନ୍ତୁ ସେଦିନ ଖୁଡୀ ତାଙ୍କୁ ବିଦାୟ ଜଣାଇବାକୁ ଆସି ନ ଥିଲେ। ପରେ ସେ ଜାଣିବାକୁ ପାଇଲେ ଯେ ଘର ଭିତରେ ଖୁୁୁଡୀ କାନ୍ଦୁଥିଲେ, ନିଜର ଅତିପ୍ରିୟ ମଣିଷଟି ଦୂରକୁ ଚାଲିଯିବାର ଦୁଃଖରେ। 
   କିଛିଦିନ ପରେ ବାପାଙ୍କ ସହ ରାମ ଆସିଥିଲେ ଗାଁଆକୁ ଓ ସାରା ଦିନ ପିଲା ମାନଙ୍କ ସହ ହସିଖେଳି ବତେଇ ଦେଲେ। ଶେଷରେ ସେ ଗଲେ ଖୁଡୀଙ୍କ ପାଖକୁ। ଅଭିମାନ ଭରା କଣ୍ଠରେ ଖୁଡୀ କହିଲେ-- ରାମୁ, ତୁମେ ତ ସହର ରେ ରହି ବାବୁ ହୋଇ ଗଲଣି ; ମୋ ପରି ଛୋଟ ଲୋକ କଥା କାହିଁକି ମନେ ରଖିବ ? ନିଜ ଭୁଲ୍ ବୁଝିପାରି ସେ କ୍ଷମା ମାଗିଥିଲେ ଓ ଖୁଡୀ ହସିହସି ତାଙ୍କୁ କୋଳେଇ ନେଇ କହିଲେ

– – ରାମୁ, ମନ ଦେଇ ପାଠ ପଢିବ, ବଡ ହାକିମ ହେବ; କିନ୍ତୁ ହାକିମ ହେଲେ ମୋତେ ଓ ଆମ ଗାଁଆ କୁ ଭୁଲି ଯିବନି ତ !

ଧିରେ ଧିରେ ତାଙ୍କ ପାଠର ଚାପ ସହିତ ଓ ବାପାଙ୍କ କାମର ଜଞ୍ଜାଳ ବଢିଲା। ତେଣୁ ରାମଙ୍କୁ ନ ନେଇ ବାପା ଗାଁଆ କୁ ଯାଇ ସମସ୍ତଙ୍କୁ ଦେଖାଶୁଣା କରି ଫେରି ଆସନ୍ତି। ନୂତନ ସାଙ୍ଗସାଥୀ ଓ ପରିବେଶରେ ନିଜକୁ ଅଭ୍ଯସ୍ତ କରିବାରେ ବ୍ଯସ୍ତ ଥିବା ରାମଙ୍କ ମାନସପଟ୍ଟରେ ଗାଁଆର ସ୍ମୃ ତି ଧିରେଧିରେ ମଳିନ ହେବାକୁ ବସିଲା।

ହଠାତ୍ ଗାଡି ଛିଡା କରିଦେଲେ ରାମବାବୁ। ଉତ୍ସାହିତ ହୋଇ କହିଲେ-- ହେଇ ଦେଖ, ପାଖେଇ ଆସିଲା ମୋ ଗାଁଆ। ସ୍କୁଲ୍ ବସ୍ ରୁ ପିଲା ଓହ୍ଲାଇଲା ବେଳେ, ମୁହଁରେ ଯେମିତି ଅପୂର୍ବ ଆନନ୍ଦର ରଙ୍ଗ ଲେସି ହୋଇଥାଏ , ଠିକ୍ ସେମିତି ଭାବ ଫୁଟି ଉଠୁଥିଲା ତାଙ୍କ ମୁଖମଣ୍ଡଳରେ। ପିଲାମାନେ ଓ ରାଧା କେଉଁ ପ୍ରତିକ୍ରିୟା ଦେଖେଇବେ ତାହା ସ୍ଥିର କରି ପାରୁ ନ ଥିଲେ। ମନ ଭିତରେ ଗୁମୁରି ଉଠୁଥିବା ଅସନ୍ତୋଷ କୁ ବଡକଷ୍ଟରେ ଚାପି ରଖିଥିଲେ ପିଲା ମାନେ। କାରଣ ରବିବାର ଦିନ ସାଙ୍ଗମାନଙ୍କ ସହ ପାର୍ଟି କରିବା, ନହେଲେ ସିନେମା ଦେଖିବାର କାର୍ଯ୍ଯକ୍ରମ ଫସର ଫାଟିଯାଇଥିଲା। ରାମବାବୁଙ୍କ ମନ ରଖିବାକୁ ରାଧା ପିଲାମାନଙ୍କ ଉଦ୍ଦେଶ୍ଯରେ କହିଲେ-- ପିଲାମାନେ, ଆଜି ଆମର ପିକନିକ୍ ବୋଲି ଭାବ। ଏମିତି ପରିବେଶ ତୁମେ କେବଳ ସିନେମା ରେ ଦେଖିଥିବ, ନହେଲେ ବହିରେ ପଢିଥିବ। ଆଜି ନିଜ ଆଖିରେ ଦେଖିବାର ସୁଯୋଗ ପାଇଛ, ତେଣୁ ଏ ପ୍ରାକୃତିକ ସୌନ୍ଦର୍ଯ୍ଯକୁ ମନଭରି ଉପଭୋଗ କର। ଯାହାହେଉ, ରାଧାଙ୍କର କଥାଟା ରାମବାବୁଙ୍କ ମନ କୁ ପାଇଲା, ଷ୍ଟିୟରିଙ୍ଗ ଉପରେ ହାତ ମୁଠା ଶକ୍ତ ହେବା ଦେଖି ରାଧା ସେ କଥା ଜାଣି ପାରିଥିଲେ ।

ଧୂଳି ଧୂସରିତ ସର୍ପିଳ ରାସ୍ତା ଉପରେ ରାମବାବୁ ଗାଡି ଚଲେଇ ବହୁତ ବ୍ଯସ୍ତ ହୋଇ କିଛି ଖୋଜିବାରେ ଲାଗିଥିଲେ। ଝିଅ ପଚାରିବାରୁ ଉତ୍ତର ଦେଲେ-- ଆରେ ମା, ରାସ୍ତା ର ଦୁଇପଟରେ କେତେ ଗଛଥିଲା। ଆମେ ସେ ଗଛରେ କେତେ ଡାଳମାଙ୍କୁଡି ଖେଳୁଥିଲୁ। ହେଇ ଦେଖ୍, ଏ ଜାଗାରେ ଗୋଟେ ବହୁତ ବଡ ତାଳ ଗଛ ଥିଲା। ମୁଁ ବହୁତ୍ ଥର ସେ ଗଛରେ ଚଢି ତାଳ ତୋଳିଛି। ଆଉ ସେ ପଟକୁ ଦେଖ୍, ଗୋଟେ ବଡ ପୋଖରୀ ଥିଲା। କାଚକେନ୍ଦୁ ପରି ନିର୍ମଳ ପାଣିରେ ତାହା ବର୍ଷସାରା ଭରି ରହୁଥିଲା। କୁଆଡେ ସବୁ ଗଲା? ମୁଁ କିଛି ଜାଣି ପାରୁନି। ସେଇ ପାଖରୀରେ ପହଁରିଲା ବେଳେ ,କେତେ ଯେ ମାଛ ମାରିଛି ତା’ର ହିସାବ ନାହିଁ। ସାଙ୍ଗମାନଙ୍କ ସହ ପୋଖରୀ ପାଖ ବରଗଛ ମୂଳେ ଭୋଜି ବି କରିଛି। କିନ୍ତୁ ସେ ଗଛ ବି କାଇଁ ଦିଶୁନି? ଗାଁଆ ଟା ଏମିତି ଖାଁ ଖାଁ ଲାଗୁଛି କଣ ପାଇଁ? ମୁଁ ପିଲା ଥିଲାବେଳେ କେତେ ଚାଷଜମି ଥିଲା, ରାସ୍ତାର ଦୁଇ ପାଖରେ। ଦେଖିଲେ ଲାଗୁଥିଲା ସତେ କି ପୃଥିବୀମାତା ସବୁଜ ରଙ୍ଗର ଶାଢୀ ପିନ୍ଧିଛି। କିନ୍ତୁ କୁଆଡେ ଗଲା ସବୁ! କିଏ ଚୋରାଇ ନେଲା ? ସେତିକି ବେଳକୁ ରାମବାବୁଙ୍କ ମୁହଁରେ ଅସହାୟତା ବେଶ୍ ବାରି ହୋଇ ପଡୁଥିଲା। ତାଙ୍କ କଳ୍ପନା ଓ ବାସ୍ତବତା ଭିତରେ ଯେ ଏତେ ଫରକ ଆସିଯାଇଥିବ ତାହା ବିଶ୍ବାସ କରିବା ସମ୍ଭବ ନ ଥିଲା।

ସେ ପାଟି କରି ଉଠିଲେ-- ଆରେ, ମୋ ସ୍କୁଲ୍ କୁଆଡେ ଗଲା? ଏଇ ଜାଗାରେ ତ ଥିଲା। ଅବଧାନେ ଚଟାଣରେ ବସି ମୋତେ ଖଡି ଛୁଆଁଇ ଥିଲେ, ଚାଳଘରେ ଚାଲିଥିଲା ସ୍କୁଲ ଆମର। ସେଇ ଯାଗାରେ ଗୋଟେ ବହୁତ୍ ବଡ ଆମ୍ବ ଗଛ ଥିଲା। ମୋ ନାଁଆ ଲେଖିଥିଲି ସେଇ ଗଛରେ। କାଇଁ ସେ ଗଛ ବି ଦିଶୁନି। ଗାଁଆ ସାରା କଣ୍ଟେଇ କୋଳିର ଗଛ ଭରି ରହିଥିଲା। ତୁମେ ମାନେ ସେ କୋଳି କେବେ ଖାଇନ। ବହୁତ୍ ମିଠା ଲାଗେ। କିନ୍ତୁ ସେ ଗଛର ନାମଗନ୍ଧ ନାହିଁ। କଣ ହୋଇଗଲା ସବୁ।

ରାଧା ଲକ୍ଷ୍ଯ କରି ପାରୁଥିଲେ ରାମବାବୁଙ୍କର ମନର ଅବସ୍ଥା। ଭିତରୁ ଭାଙ୍ଗି ପଡିବାର ସମସ୍ତ ଲକ୍ଷଣ ବେଶ୍ ବାରିହୋଇ ପଡୁଥିଲା। କାହାର କିଛି କହିବାର ଅବକାଶ ନ ଥିଲା। ଗାଡି ଭିତରେ କେବଳ ଜଣେ ହିଁ ବକ୍ତା ଥିଲେ ଓ ଅନବରତ ଗପି ଚାଲିଥିଲେ। ଶ୍ରୋତା ମାନେ ଜାଣିଥିଲେ, ସେ ସମୟରେ ତାଙ୍କର ପାଟି ବନ୍ଦ କରିବାର ପ୍ରୟାସ ଯଦି କେହି କରିବ, କେବଳ ପ୍ରଳୟ ହେବ। ପାଖରେ ବସିଥିବା ଝିଅ ଦେଖି ପାରୁଥିଲା ବାପାଙ୍କ ଆଖିକୋଣରେ ଲୁଚିବାକୁ ବୃଥା ପ୍ରୟାସ କରୁଥିବା କେଇବୁନ୍ଦା ଲୁହ। ସେତେ ବେଳକୁ ରାମବାବୁଙ୍କର ମାନସ ପରଦାରେ ଚାଲିଥିଲା ଦୁଇଟି ଦୃଶ୍ଯ ସମାନ୍ତରାଳ ଗତିରେ। ଗୋଟିଏ ସ୍ବର୍ଣ୍ଣାଭ ଅତୀତର ଓ ଅନ୍ଯଟି ନିଷ୍ଠୁର ବର୍ତ୍ତମାନର। ସେ ଦୁଇଟି ଦୃଶ୍ଯରେ କୌଣସି ସମାନତା ନଥିଲା। ତାଙ୍କୁ ଲାଗୁଥିଲା କ୍ରୁର ସମୟ, ଅତୀତ ଓ ବର୍ତ୍ତମାନ ମଧ୍ଯରେ ଟାଣି ଦେଇଛି ଏକ ଅଲଙ୍ଘନୀୟ, ଦୁର୍ଭେଦ୍ଯ ପାଚେରୀ।

ଗାଡିର ବେଗ ଯଥେଷ୍ଟ କମି ସାରିଥିଲା ଓ ମଝିରେ ମଝିରେ ଷ୍ଟାର୍ଟ ବନ୍ଦ ହୋଇଯାଉଥିଲା । ବାପାଙ୍କର ଏ ଅବସ୍ଥା ଦେଖି ପୁଅ ଗାଡି ଚଲାଇଲା ଓ ରାମବାବୁ ସାଙ୍କୁଡିମାଙ୍କୁଡି ହୋଇ ବାଧ୍ଯ ପିଲାଟି ପରି ବସି, ବାହାରକୁ ଜୁଳୁଜୁଳୁ କରି ଚାହିଁବାରେ ଲାଗିଲେ। ମନରେ ଚାଲୁଥିବା ଅତୀତ ଦୃଶ୍ଯାବଳୀର ବେଗ ଏତେ ବଢିଯାଇଥିଲା ଯେ, ତାକୁ ମୁହଁରେ ପ୍ରକାଶ କରିବାକୁ ସେ ଅସମର୍ଥ ଥିଲେ। ତେଣୁ କେବଳ ଠାର ଓ ଇଙ୍ଗିତ ମାଧ୍ଯମରେ ସେ ମନର ଭାବ କହିବାକୁ ଲାଗିଲେ। ତାଙ୍କୁ ଲାଗିଲା ସବୁଆଡେ ନାହିଁ ନାହିଁ ର ଚିତ୍କାର। ଯାହା ଥିଲା କିଛି ନାହିଁ ଓ ଯାହା ଅଛି ତାହା ନ ଥିଲା ଓ ରହିବା କଥା ମଧ୍ଯ ନୁହେଁ। ସେ ଜାଣି ପାରୁ ନ ଥାନ୍ତି ରାସ୍ତାରେ ଏତେ ଟ୍ରକ୍ ଓ ରାସ୍ତାତିଆରି କରିବାରେ ବ୍ଯବହୃତ ଗାଡି କ’ଣ ପାଇଁ ରଖାଯାଇଛି। କିଛି ସମୟ ପରେ ସେ ସନ୍ଦେହ ବି ଦୂରୀଭୁତ ହୋଇଗଲା। ରାସ୍ତା ଖୋଳିବା, ମୋରମ ପିଚୁ ବିଛାଇବା ଆଦି କାମ ଯୋରସୋରରେ ଚାଲିଛି। ଚତୁର୍ଦ୍ଦିଗ କୁ ଅକ୍ତିଆର କରି ରଖିଛନ୍ତି ରାସ୍ତା କାମ କରୁଥିବା ଲୋକ, ଟ୍ରକ୍, ରୋଲର୍, ମାଟିଖୋଳା ସେମିନ୍ , ପିଚୁ ଡ୍ରମ୍ , ବାଲି, ଗୋଡି,ଓ ମାଟିର କ୍ଷୁଦ୍ର ପାହାଡ ମାନେ। ଆଖି ସାମନା ରେ ସ୍ବପ୍ନ ଓ କଳ୍ପନାର ସୌଧ ଭାଙ୍ଗିରୁଜି ଛାରଖାର ହେବାରେ ଲାଗିଥିଲା। ତରଳ ପିଚୁରୁ ବାହାରୁଥିବା କୃଷ୍ଣବର୍ଣ୍ଣର ଧୂଆଁରେ ଧୂମ୍ରାଭ ହୋଇଯାଉଥିଲା ଚତୁର୍ଦ୍ଦିଗ ଓ ତା ସହ ତାଳ ଦେଇ ରାମବାବୁଙ୍କର ଆଖି ଆଗରେ ଛାଇ ଯାଉଥିଲା ଅନ୍ଧକାର। କାହିଁକି, ଆଜି ତାଙ୍କ ଗାଁଆ କୁ ସେ ନିଜେ ମଧ୍ଯ ଚିହ୍ନି ପାରୁନାହାନ୍ତି, ସେ ପ୍ରଶ୍ନରେ ମନ ବାରମ୍ବାର ଆନ୍ଦୋଳିତ ହୋଇଉଠୁଥିଲା।

ରାଧା ଓ ପିଲାମାନେ ଆନନ୍ଦିତ ହେଉଥିଲେ ରାମବାବୁଙ୍କର ଏ ଅବସ୍ଥା ଦେଖି। ସେମାନେ ଭାବୁଥିଲେ-- ଯାହା ହେଉ, ଏତେ ଦିନ ପରେ, ରାମବାବୁଙ୍କର ପିଲାଦିନ ସ୍ମୃତିର ବେଲୁନ୍ ସବୁ ବିକଟାଳ ଶବ୍ଦ କରି ଫାଟିବାରେ ଲାଗିଛନ୍ତି।ଲାଗୁଥଲା, ଯେପରି ଗାଡିଟିରେ ସମସ୍ତେ ବିଚାରବୁଦ୍ଧି ସମ୍ପର୍ଣ୍ଣ, ରାମବାବୁଙ୍କ ବ୍ଯତୀତ, କାରଣ ସେ ଏକ ନିପଟ ମଫସଲ ଗାଁଆର ଦଶ ବାର ବର୍ଷର ପିଲା ପରି ବଲବଲ କରି ବାହାରକୁ ଚାହିଁ କଣ ସବୁ ଗୁଣୁଗୁଣୁ ହୋଇ କହିଚାଲୁଥିଲେ। ଆଗକୁ କିଛି ରୋମାଞ୍ଚ ବାକି ନାହିଁ ଜାଣି, ଝିଅ ଆଖି ବନ୍ଦ କରି ଟିକେ ଶୋଇବାକୁ ଚେଷ୍ଟାକଲା। କିନ୍ତୁ ପୁଣି ଶୁଭିଲା ସେହି କର୍ଣ୍ଣକଟୁ ଆଦେଶ

-- ଆରେ ପୁଅ, ରହ ଟିକେ। ଗାଡି ଠିଆ କଲୁ, ମୁଁ ଟିକେ ଦେଖି ଦେଇ ଆସେ। ଆମ ଗାଁଆର ଭାଗବତ ଟୁଙ୍ଗୀ ଏଇ ଜାଗାରେ ଥିଲା। ତା ପରେ ଆମର ସାହି ଆରମ୍ଭ ହେବ। ଯାହାହେଉ ଆମେ ଠିକ୍ ରାସ୍ତାରେ ଆସିଛେ। ପିଲାଦିନେ ସବୁ ସଂନ୍ଧ୍ଯାରେ ଆମେ ଭାଗବତ ଟୁଙ୍ଗୀରେ ବହୁତ ସମୟ ବସୁଥିଲୁ। ଭାଗବତ ପଢା ଶୁଣିବା ସହିତ, ନାନା ରକମର ଗପ ମଧ୍ଯ ଶୁଣୁଥିଲୁ ଗାଁଆର ପୁରୁଖା ବୁଢାଲୋକ ମାନଙ୍କ ପାଖରୁ। ମର୍ଫି କମ୍ପାନୀର ବଡ ରେଡିଓ ଥିଲା ଆମ ଟୁଙ୍ଗୀରେ। ଖବର ଠାରୁ ଆରମ୍ଭ କରି ଗୀତ ଶୁଣିବା ପାଇଁ ଗାଁଆଟା ଯାକର ଲୋକ ଭିଡ ଜମଉଥିଲେ। କିନ୍ତୁ ସେ ଟୁଙ୍ଗୀର ଅସ୍ତିତ୍ବ ବି ନାହିଁ। ହଉ ଛାଡ ! ସାହି ଭତରକୁ ଗାଡି ନେଇଚାଲ। ବେଶୀ ସମୟ ରହିବାନି, ଖାଲି ମୁହଁ ଟିକେ ମାରି ଦେଇ ଫେରିଯିବା।

ପୁଅ ମନେମନେ ଭୀଷଣ ହସୁଥିଲା ବାପାଙ୍କର ଦୁରାବସ୍ଥା ଦେଖି। ବାପା କଣ ଏତିକି ଜାଣି ପାରୁନାହାନ୍ତି ଯେ ,ଦୁନିଆ କେତେ ଜଲଦି ବଦଳି ଯାଉଛି। ତିନି ବର୍ଷ ତଳେ ସହରର ରୂପ ଯାହା ଥିଲା ଏବେ ନାହିଁ। ଯଦି ଏତେ ବର୍ଷ ପରେ ବାପା ନିଜ ଗାଁଆକୁ ସେଇ ପିଲାଦିନ ରୂପରେ ଖୋଜିବେ ପାଇବେ କୁଆଡୁ! ମନର ଭାବନା ମନରେ ଚାପି ସେ ଗାଡି ଚଲେଇବାରେ ମନଦେଲା।

ରାମବାବୁ ଦେଖି ବିଶ୍ବାସ କରି ପାରୁ ନ ଥିଲେ ସାହିର ଅବସ୍ଥା। ହାତଗଣତି କେତେଟି ଘର ଛାଡିଦେଲେ, ବାକି ସବୁ ଜରାଜୀର୍ଣ୍ଣ ଅବସ୍ଥାରେ ପଡିଛନ୍ତି। କାହା ଦୁଆର ଆଗରେ ଗାଈ ବନ୍ଧା ହେବାର ଦେଖିଲେନି ବୋଲି ଟିକେ ବିରକ୍ତ ହେଲେ। ପିଲାଦିନେ ସେ ଦେଖିଥିଲେ, ସମସ୍ତଙ୍କ ଘର ଆଗରେ ଗାଈ ଗୁହାଳ ଓ ଗୋଟେ ଦୁଇଟା ଶଗଡ ନିହାତି ରହୁଥିଲା। କିନ୍ତୁ ଏବେ କଣ ପାଇଁ ନାହିଁ, ତା’ର କାରଣ କିଏ ବତାଇ ପାରିବ ସେ ବିଷୟରେ ଭାବୁଥିଲେ। କଣ ଭାବୁଥିଲେ ସେ ବିଷୟରେ କିଞ୍ଚିତ୍ ସୂଚନା ନ ଦେଇ ପୁଅ କୁ କହିଲେ-- ହେଇ ଦେଖ୍, ମୋ ଆଖି ଉପରକୁ ଗୋଟେ କଟା ଦାଗ ଦିଶୁନି? ଶଗଡ ଉପରେ ବସି ଖେଳିଲା ବେଳକୁ ତଳେ କଚାଡି ହୋଇ ପଡିଥିଲି ମୁଁ। ମୁଣ୍ଡରେ ଦଶଟା ଷ୍ଟିଚ୍ ପଡିଥିଲା। କହିଲା ବେଳକୁ ମନ ଭିତର ଟା ରୋମାଞ୍ଚିତ ହୋଇ ଉଠୁଥୁଲା ତାଙ୍କର।

ରାଧା ଓ ପିଲା ମାନଙ୍କ ମନରେ ଗୋଟିଏ ପ୍ରଶ୍ନ ବାରମ୍ବାର ଉଙ୍କି ମାରୁଥିଲା। ରାମବାବୁ ତାଙ୍କର ମାନସିକ ସନ୍ତୁଳନ ହରାଇ ଦେଇ ନାହାଁନ୍ତି ତ? କାଇଁ ଏମିତି ଖାପଛଡା ବ୍ଯବହାର ଆଗରୁ କେବେ ଦେଖେଇ ନ ଥିଲେ। ଗାଡିର କାଚ ତଳୁକୁ ଖସାଇ ରାମ ଖୋଜିଚାଲିଥାନ୍ତି ସରଖୁଡୀଙ୍କ ଘରର ଅସ୍ତିତ୍ବ।

- - ଆରେ ପୁଅ ଟିକେ ଭଲରେ ଦେଖ୍, ସରଖୁଡୀଙ୍କ ଘର ପାଖରେ ଗୋଟେ ବଡ କୃଷ୍ଣଚୂଡା ଗଛ ଥିଲା। ପିଲା ଦିନେ କେତେ ସେ ଗଛ ମୂଳେ ଖେଳିଛି ତାର ହିସାବ ନାହିଁ। ନାଲି ରଙ୍ଗର ଫୁଲରେ ସଜେଇ ହୋଇ ଗଛଟିର ରୂପ ରକ୍ତିମ ଆକାଶ ପରି ଦିଶେ। ସରଖୁଡୀ କିଏ ଜାଣି ପାରିଲୁ ତ ! ଆରେ ମୁଁ ତାଙ୍କ କଥା ସବୁ ବେଳେ କୁହେ, ଭୁଲି ଗଲୁନା କଣ?

ପୁଅ ସାଙ୍ଗେସାଙ୍ଗେ କହିଲା-- ହଁ ବାପା, ମୋର ମନେ ଅଛି, ଆଉ କହିବା ଦରକାର ନାହିଁ।

ଅସଲ କଥାଟା ହେଲା – ସରଖୁଡୀଙ୍କ ବାବଦରେ ରାମବାବୁ ପିଲା ମାନଙ୍କୁ ଏତେ ଥର ସେହି ସମାନ କଥା କହିଛନ୍ତି ଯେ ,ସେମାନଙ୍କ ମନରେ ଅଧିକା କିଛି ଶୁଣିବାର ଆଗ୍ରହ ବା ଧର୍ଯ୍ଯ ନ ଥିଲା।

ସେତିକି ବେଳେ ରାମବାବୁ ଦେଖିଲେ ଆଗରୁ ଜଣେ ବୃଦ୍ଧା ବାଡି ଧରି ଚାଲିଚାଲି ବଡ କଷ୍ଟରେ ଆସୁଛି। ଗାଡିରୁ ତଳକୁ ଓହ୍ଲେଇ ପଚାରିଲେ-- ମାଉସୀ, ଦନେଇ ବାବୁଙ୍କ ଘରଟା କୁଆଡେ ଟିକେ କହିବେ କି ? ସେପଟରୁ ବୃଦ୍ଧାଙ୍କ ଆଖି ଦୁଇଟି ନିଆଁରଡ ପରି ଜଳି ଉଠିଲା। ଚିତ୍କାର କରି କହିଲେ-- ତୁମ ମାନଙ୍କୁ ମରଣ ହେଉନି ଯାହା। ସାରା ଗାଁଆଟାକୁ ଛାରଖାର କରିଦେଲା ପରେ, ପୁଣି କଣ ନେବା ପାଇଁ ଆସିଛ। ଚାଲିଯାଅ ଏଠୁ। କେତେ ଜଣଙ୍କୁ କହିବି ମୋ ଗିରସ୍ତ କେତେ ବର୍ଷ ହେଲାଣି ଆରପାରି କୁ ଚାଲି ଗଲେଣି। ଆମ ଘର ନେଲ, ଜମି ନେଲ ତେବେ କ୍ଷତିପୂରଣ ଟଙ୍କା ଟା ଦଉନ କଣ ପାଇଁ? ମୁଁ ମରିଗଲା ପରେ ସବୁ ଟଙ୍କା ନିଜେ ଗିଳି ଦେବାକୁ ବସିଛ ବୋଧେ। ଏତିକି କହି ସେ ବାଡିଟି ଉଞ୍ଚାଇଲା ବାଡେଇବା ଉଦ୍ଦେଶ୍ଯରେ।
   ରାମବାବୁଙ୍କ ସର୍ବାଙ୍ଗ ଥରି ଉଠିଲା, ସେ ନିଜ ଆଖିକୁ ବିଶ୍ବାସ କରିପାରୁ ନ ଥିଲେ। ଅତି କଷ୍ଟରେ କହିିଲେ-- ସରଖୁଡୀ ତୁମେ?? ଚମ୍ପାଫୂଲ ପରି ରଙ୍ଗ ବିଶିଷ୍ଟ ସରଖୁଡୀ ଙ୍କର ଏ କି ଅବସ୍ଥା? କି ବିଭତ୍ସ ଦିଶୁଛି ତାଙ୍କର ରୂପ। କୁଆଡେ ଗଲା ସେ ନାଲିଶାଢୀ, ହସିଲା ମୁହଁ ଓ ସ୍ନେହବୋଳା କଥା। ଅତୀତରେ ସେ ଦେଖିଥିବା ସରଖୁଡୀ ଓ ବର୍ତ୍ତମାନ ତାଙ୍କ ସାମନା ରେ ଛିଡା ହୋଇଥିବା କୁଞ୍ଚିତଚର୍ମ ଧାରୀ ବୃଦ୍ଧାଙ୍କ ମଧ୍ଯରେ ଚିନାଏ ମାତ୍ର ସାମଞସ୍ଯ ଥିଲା ପରି ମନେ ହେଉନି। ତେବେ କଣ ସମୟ, ସରଖୁଡୀଙ୍କୁ ବି ଛାଡିଲାନି ! ଓଃ.. ତେବେ ସେଦିନ ର ରକ୍ତିମ କୃଷ୍ଣଚୂଡା ଫୁଲ ର ରଙ୍ଗ, କାଳ ପ୍ରଭାବରେ ବିବର୍ଣ୍ଣ ହୋଇଯାଇଛି।

      ଥତମତ ହୋଇ ସାହାସ ସଞ୍ଚୟ କରି କହିଲେ--- ଖୁଡୀ ମୋତେ କଣ ଚିହ୍ନି ପାରୁନ? ମୁଁ ପରା ତୁମର ରାମୁ। ତୁମ କଥା ମାନି ମୁଁ ପାଠ ପଢି ବଡ ହାକିମ ହୋଇଯାଇଛି। ଏବେ ଜାଣି ପାରିଲ ତ ?

ଧରିଥିବା ବାଡିରେ ପାହାରେ କଷିଦେଇ ବୃଦ୍ଧା କହିଲେ--- କିଏ ସେ ରାମୁ, ମୁଁ ଜାଣିନି। ତୋ ହାକିମଗିରି ରଖ୍ ତୋ ପାଖର। ତୋତେ ସରକାର ପଠେଇଛି ମୁଁ ଜାଣିଛି । ରାସ୍ତା କରିବ ବୋଲି ଆମ ଗାଁଆ, ଘର, ଝାଟିମାଟି ସବୁ ଉଜାଡି ଦେଲ, ଯାହାକୁ ପଇସା ଦେଲ ସେ ଗାଁଆ ଛାଡି ସହର ଚାଲିଗଲା। ମୋ ଗିରସ୍ତ ମଲା, ପିଲା ଗୁଡା ମଦ ପିଇ ଚୋରି କରି ଜେଲ ଗଲେ। ମୁଁ ମରିଗଲେ କାମ ସରିବ। ଗାଁଆ ମରିଗଲା, ମୁଁ ବି ମରିଯିବି। ତୁ ଏବେ ଖୁସି ତ? କହୁନୁ ତୁ ଖୁସି ତ? ପୋଡାମୁହାଁ ମରଣ ହେଉନି ତୋତେ, ତୋ ବଉଁଶ ବୁଡୁନି ଯାହା।

ମୁଣ୍ଡ ଗୋଳମାଳ ହୋଇଯାଉଥିଲା ରାମବାବୁଙ୍କର। ପାଦ ତଳୁ ମାଟି ଖସି ଯାଉଥିଲା। ମାନସପଟ୍ଟରେ ଦୃଶ୍ଯ ସବୁ ଝାପସା ଦିଶିବାକୁ ଆରମ୍ଭ କଲା। ଅତୀତ, ବର୍ତ୍ତମାନ ଓ ଭବିଷ୍ଯତ ସବୁ ମିଶି ଏକାକାର ହୋଇ ମୁଣ୍ଡ ଭିତରେ ତାଣ୍ଡବ କରିବା ଆରମ୍ଭ କରିଦେଲେ। “ଓଃ... କଣ ସବୁ ହୋଇଗଲା” କହି ଭୂଇଁରେ କଚାଡି ହୋଇ ସେ ପଡିଗଲେ। ପୁଅ ବଡ କଷ୍ଟରେ ଉଠେଇ ତାଙ୍କୁ ଘରକୁ ଆଣିଲା। ଡାକ୍ତର ଦେଖି କହିଲେ ଭୟଙ୍କର ମାନସିକ ଆଘାତ ହେତୁ ରାମବାବୁଙ୍କ ଦେହର ଅବସ୍ଥା ଗମ୍ଭୀର ଅଛି।

ତା ପରଦିନ ସକାଳୁ ଆଲମାରୀ ଖୋଲି ସବୁ ଜିନିଷ ଇତଃସ୍ତତଃ ପକେଇ ରାମବାବୁ ପାଗଳଙ୍କ ପରି ଖୋଜି ଚାଲିଥିଲେ ନିଜ ଗାଁଆ ଓ ପିଲାଦିନକୁ। କେବଳ ଆଲମାରୀ କାହିଁକି ; ଖଟତଳ, ଛାତ ଉପର, ରୋଷେଇଘର ଠାରୁ ଆରମ୍ଭ କରି ଠାକୁର ଘର ସବୁ ଯାଗାରେ ଖୋଜି ଚାଲିଥିଲେ।

ରାଧା ଓ ପିଲା ମାନଙ୍କୁ ପଚାରି ଚାଲିଥିଲେ ଅନବରତ-- ଆରେ କାହିଁକି ସବୁ ଏମିତି ମୂର୍ତ୍ତି ପରି ବସି ରହିଛ। ଟିକେ ଖୋଜିି ଦିଅ ମୋ ପିଲାଦିନ କୁ। ଟିକେ ଦୟା କର ମୋ ଉପରେ, ମୋ ଗାଁଆ ମୋତେ ଫେରେଇ ଦିଅ। ତୁମକୁ ହାତ ଯୋଡୁଛି ପରା, ଟିକେ ଭଲରେ ଖୋଜ, ସରଖୁଡୀ ଙ୍କ ପାାଇଁ ଏତେ କୃଷ୍ଣଚୂଡା ଫୁୁୁଲ ରଖିଥିଲି, କିିିଏ ଚୋରି କରି ନେଲା। କିଏ ନେଇଗଲା ମୋ ସରଖୁଡୀ ଓ କୃଷ୍ଣଚୂଡାର ରଙ୍ଗ ।

ଲୁହ ଛଳଛଳ ଆଖିରେ ରାମବାବୁଙ୍କୁ ଆମ୍ବୁଲାନସ୍ ଭିତରକୁ ନେଲା ବେଳକୁ ରାଧା କାନ୍ଦିକାନ୍ଦି କହୁଥାନ୍ତି-- ସବୁ ତ ଠିକ୍ ଚାଲିଥିଲା।  କିନ୍ତୁ ତାଙ୍କ ପିଲାଦିନ ସ୍ମୃତି ଓ ଗାଁଆ ମୋ ସଂସାର କୁ ଉଜାଡି ଦେଲା।

   ରାମବାବୁ ପିଲାଦିନେ ପିନ୍ଧୁଥିବା ଗୋଟିଏ ଗାରପକା ସାର୍ଟକୁ ଛାତିରେ ଜାବୁଡି ଧରି କହୁଥାଆନ୍ତି--- ତୋତେ ଆଉ ଯମା ଯିବାକୁ ଦେବିନି। ଏତେ ଦିନପରେ ବଡ କଷ୍ଟରେ ମିଳିଛୁ ; ତୋତେ ଆଉ ଛାଡିବିନି। ଆରେ କିଏ କୁଆଡେ ଅଛ, ଆମ ଗଛରୁ ଦୁଇଟା କୃଷ୍ଣଚୁଡା ଫୁଲ ଆଣନ୍ତନି !! ମୁଁ ଟିିକେ ସରଖୁୁଡୀଙ୍କୁ ଦେଇଆସନ୍ତି। ହେଇ, ମୁଁ ସାର୍ଟ ପିନ୍ଧି ବାହାରିଲି।

                                                      *****