Monday, July 30, 2018

ଉପହାର

                                                                                            ଲେଖକ- ଅରବିନ୍ଦ ରଥ



– – ମାଆ ଟିକେ ବଜାରକୁ ଯିବି, ଅଳ୍ପ ସମୟରେ ପଳେଇ ଆସିବି। ମୁଁ ଆସିଲା ପରେ ବାକିଆ କାମ ସବୁ ସାରିଦେବି। ଆପଣ ଯମାରୁ ବ୍ଯସ୍ତ ହୁଅନ୍ତୁ ନାହିଁ। ମାଲିକାଣିଙ୍କୁ ଏତିକି କହି ଯଶୋଦା ଅନୁମତି ପାଇଁ ଅପେକ୍ଷା କରି ରହିଲା।

--- ଆରେ ଏତିକି ବେଳକୁ ବଜାର ଯିବା କ'ଣ ଦରକାର୍, ଆଜି ସଂନ୍ଧ୍ଯାରେ ପରା ଘରକୁ ସବୁ ଲୋକେ ଆସିବେ। କେତେ କାମ ଅଛି ଜାଣିଛୁ ତ? ତୋର ବଜାର ଯିବା ଦରକାର କ'ଣ? ସଦାବେଳେ ତ ମୋ ସାଙ୍ଗରେ ଯାଉ, ଆଜି ଏକୁଟିଆ ଯିବାକୁ ମନ ବଳାଇଲୁ କାହିଁକି କହିଲୁ ଟିକେ ! ବିରକ୍ତିଭରା କଣ୍ଠରେ କହିଲେ କମଳା।

ଯଶୋଦା ସେ ଯାଗାରେ ଛିଡା ହୋଇଥିବାର ଦେଖି, ଚିଡିଲା ପରି କହିଲେ – ହେଉ, ଯିବୁ ଯଦି ଯାଆ, କିନ୍ତୁ ଘଣ୍ଟେ ଭିତରେ ଚାଲିଆସିବୁ। ତୁ ଘରେ ଥାଉଥାଉ, ଯଦି ମୁଁ କାମ କରିକରି ମରିବି ତେବେ ତ କଥା ସରିଲା ଜାଣ। ସେ ସୁନାଚେନ୍ କୁ ଭଲ ରେ ଘୋଡେଇ କି ଯିବୁ। ନ ହେଲେ ଆଜି କାଲି ସହର ର ଯାହା ଅବସ୍ଥା, ବେକ ଲଣ୍ଡା କରି ଦେଇ ଯିବେ ତୁ ଜାଣି ମଧ୍ଯ ପାରିବୁନି।

ଅନୁମତି ପାଇଲା ପରେ ମନ ଖୁସିରେ ଯଶୋଦା ବଜାର ଆଡକୁ ମୁହାଁଇଲା।

ସେଦିନ ସଂନ୍ଧ୍ଯାରେ କମଳା ଓ ହରିବାବୁ ସାଂନ୍ଧ୍ଯ ଭ୍ରମଣ କଲା ବେଳକୁ କାହାର କ୍ରନ୍ଦନ ଶୁଣି ଛିଡା ହୋଇଗଲେ। ଦେଖିଲା ବେଳକୁ ଗଛ ମୂଳରେ ଜଣେ ସ୍ତ୍ରୀ ଲୋକ କାନ୍ଦିବାରେ ଲାଗିଛି। ଘଟଣା କ'ଣ ଜାଣିବାକୁ ସେମାନେ ସ୍ତ୍ରୀ ଲୋକଟିର ପାଖକୁ ଯାଇ କଥାବାର୍ତ୍ତା କଲେ। ସେ କାନ୍ଦିକାନ୍ଦି ସବୁ ଘଟଣା କହିଚାଲିଲା।

ପାଖ ଗାଁଆରେ ତା ଘର। ବୟସ ପାଖାପାଖି ଚାଳିଶି ବା ପଇଁଚାଳିଶି ହେବ। ତା ସ୍ବାମୀ ମହାଜନ ଘରେ ମୂଳିଆ ଭାବରେ ଖଟୁଥିଲା। ଅଳ୍ପ ଦିନତଳେ ବିଲରେ ଚାଷ କରୁଥିବା ସମୟରେ ଟ୍ରାକ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଲା। ସ୍ବାମୀ ସ୍ତ୍ରୀ ଦୁଇଜଣ କୌଣସି ମତେ ଅଳ୍ପ ରୋଜଗାରରେ ଚଳି ଯାଉଥିଲେ। ଘରେ ଅର୍ଥର ଅଭାବ ଥିଲା ସତ, କିନ୍ତୁ ଆନନ୍ଦର ପ୍ରାଚୂର୍ଯ୍ଯତା ଥିଲା। ବିଭାଘରର ଏତେ ବର୍ଷ ପରେ ବି ତାର ସନ୍ତାନ ସନ୍ତତି ନ ଥିଲେ। ସ୍ବାମୀ ଚାଲିଯିବା ପରେ ସଂସାରରେ ତାର ନିଜର ବୋଲି କେହି ରହିଲେ ନାହିଁ। ବାପଘର ଛାଡିବା ଦିନରୁ ତା ସ୍ବାମୀ ହିଁ ତାର ଦେବତା ଥିଲା। ସଂସାରରେ ତା ସ୍ବାମୀ ବ୍ଯତୀତ ଅନ୍ଯ କଥା ଚିନ୍ତା କରିବାର ଅବକାଶ ଆସି ନ ଥିଲା। କିନ୍ତୁ ନିୟତିର ଦାରୁଣ ଆଘାତରେ ବିଚାରି ର ସଂସାର ଉଜୁଡି ଗଲା। କାହା ଭରସାରେ ବଞ୍ଚିବ ଭାବିଲା ବେଳକୁ ମହାଜନର ଲୋଲୁପ ଦୃଷ୍ଟିର ଶିକାର ହେଲା। ତା ସ୍ବାମୀ କରିଥିବା ଉଧାର ପଇସା ଶୁଝିବାକୁ ମହାଜନ ବାରମ୍ବାର ଚାପ ପକାଇବା ଆରମ୍ଭ କଲା। ଏପରିକି ଥରେ ଦୁଇଥର ଘର ଭିତରେ ଧସେଇ ମଧ୍ଯ ପଶିଲା। ସାହିପଡିଶା ଲୋକେ ମୁହଁ ବୁଲେଇ କିଛି ନ ଦେଖିଲା ପରି ଅଭିନୟ କଲେ। କାହିଁକି ବା ସେମାନେ କାଦୁଅରେ ପଶି ଗୋଡ ମଇଳା କରିବେ। ତା ସ୍ବାମୀ ବାହାଘର ସମୟରେ ଦେଇଥିବା ପତଳା ସୁନା ଚେନ୍ ଟି ଉପରେ ସମସ୍ତଙ୍କର ନଜର ଲାଖି ରହିଲା। କାରଣ ସେ ଚେନ୍ ଟିକୁ ଛାଡିଦେଲେ ତାର ନିଜର ସମ୍ପତ୍ତି ବୋଲି କିଛି ନ ଥିଲା। ମହାଜନର ପାପ ଅଭିଳାଷ ପୂର୍ଣ୍ଣ ନ ହେବାରୁ ସେ ଯଶୋଦା କୁ ବାଧ୍ଯ କଲା ରୂଣ ଟଙ୍କା ନ ଶୁଝି ପାରିଲେ ସେ ଘର ତାକୁ ଦେଇଦେବା ପାଇଁ। ନେହୁରା ମିନତି ହୋଇ କିଛିଦିନ ବିତିଗଲା। କିନ୍ତୁ ସେଦିନ ମହାଜନ ଲୋକ ଲଗେଇ ଘର ଭିତରୁ ସବୁ ଜିନିଷପତ୍ର କାଢି ତାଲା ପକେଇ ଦେଲା ଓ କହିଲା ପଇସା ଶୁଝିଲେ ଘର ଚାବି ଦେବ । କାଳେ କାହା ଘରେ ଆଶ୍ରା ନେବ ଭାବି, ଲୋକେ ତାଟି କବାଟ ପକେଇଦେଲେ। ପେଟରେ ଦାନା ପକେଇବାକୁ ପଇସା ନାହିଁ। କୁଆଡେ ଯିବ, କ'ଣ କରିବ ବାଟ ଦିଶିଲାନି ତାକୁ। ସତରେ ତା ସଂସାର ଟା ଉଜୁଡି ଯାଇଥିଲା। ଉପାୟ ନ ପାଇ ସେ ଗଛ ମୂଳରେ ବସି ନିଜ ଭାଗ୍ଯ କୁ ନିନ୍ଦିବାରେ ଲାଗିଥିଲା।

ତା କାହାଣୀ ଶୁଣି କମଳା ଓ ହରି ତାକୁ ଘରକୁ ନେଇ ଆସିଲେ। ଘରେ କାମ କରିବାକୁ ଲୋକଟିଏର ଆବଶ୍ୟକତା ଥିଲା। ସେମାନେ ଭାବୁଥିଲେ ଯଶୋଦା ପରି ଜଣେ ଲୋକକୁ ଘରେ ରଖି କାମଧାମ କରାଇଲେ କିଛି ଅସୁବିଧା ନାହିଁ। ସେମିତି ବି ତାର ନିଜର ବୋଲି କେହି ନାହିଁ, ଦୁନିଆ ନଜରରେ ସେ ସମ୍ପୂର୍ଣ୍ଣ ନିରାଶ୍ରୟ। ମନର କଥା ଖୋଲି କହିଲେ କମଳା। ଯଶୋଦା ପାଖରେ ଆପତ୍ତି କରିବାର କୌଣସି ବଳିଷ୍ଠ କାରଣ ନ ଥିଲା। ହରିବାବୁ ମନେମନେ ଭଗବାନଙ୍କୁ ଅଶେଷ ଧନ୍ଯାବାଦ ଦେଉଥିଲେ। କାରଣ କାମ କରିବା ପାଇଁ କୌଣସି ସର୍ତ୍ତ ରଖିବା ବା ଅଧିକା ଟଙ୍କା ମାଗିବାର ସାହାସ ଯେ ଯଶୋଦା ପାଖରେ ନାହିଁ ; ସେ ଠିକ୍ ରେ ଠଉରାଇ ସାରିଥିଲେ। ତଥାପି ଧର୍ମ କୁ ଆଖିଠାର ମାରିବା ପରି କହିଲେ

-- ଦେଖ୍ ମାଆ, ଆଜିଠାରୁ ତୁ ଆମ ଘରେ ରହିବୁ। ପିଲା ମାନେ ସବୁ ବାହାରେ ରୁହନ୍ତି, ଘରେ କେବଳ ଆମେ ବୁଢାବୁଢୀ ଦୁଇଜଣ। ଘରଲୋକ ପରି ଖାଇପିଇ ଆନନ୍ଦରେ ରହିବୁ ଓ ମାଆଙ୍କୁ କାମଧାମରେ ସାହାଯ୍ଯ କରିବୁ। ତାଙ୍କ ଦେହରେ ତ ହଜାରେ ରୋଗ । ମୁଁ ଅଫିସ୍ କାମରେ ସଦାବେଳେ ବ୍ଯସ୍ତ ରୁହେ, ତେଣୁ ଘରକଥା ବୁଝିବାରେ ହେଳା ହୋଇଯାଏ। ଏବେ ଘରର ଯାବତୀୟ ଦାୟିତ୍ବ ତୋତେ ମୁଣ୍ଡାଇବାକୁ ପଡିବ। କଣ ତୁ ରାଜି ତ?

– – ହଁ ବାବୁ ମୋର କୌଣସି ଥିରେ ଆପତ୍ତି ନାହିଁ, ଆପଣ ମାନେ ମୋ ପାଇଁ ଦେବତା। ମୋତେ କୂଳକିନାରା ଦିଶୁ ନ ଥିଲା, ଜୀବନ ହାରିଦେବି ବୋଲି ଭାବୁଥିଲି, ସେତିକି ବେଳେ ତୁମ ମୋତେ ଶରଣ ଦେଲ । ମୋ ଜୀବନ ଥିବା ଯାଏ ଆପଣଙ୍କର ସେବା କରୁଥିବି ବାବୁ। ମୋତେ କେବେ ଘରୁ ତଡି ଦେବନି। ମୋର ନିଜର ବୋଲି କେହି ନାହିଁ। ଏ ଘରୁ ବାହାର କରିଦେଲେ କେବଳ ମଶାଣି କୁ ଯିବି।

– – ସେମିତି କହନି ଲୋ ମାଆ। ତୁ ଭଲରେ ଚଳିଲେ ସାରା ଜୀବନ ଆମ ପାଖରେ ରହିବୁ। ତୋତେ ମାଗଣା ଖଟାଇବୁ ବୋଲି ଭାବିବୁନି, ପ୍ରତି ମାସରେ ତୋତେ ପନ୍ଦରଶହ ଟଙ୍କା ଦରମା ବି ଦେବି।

– – ଟଙ୍କା କଥା କୁହନି ବାବୁ। ମୋର କିଛି ଲୋଡା ନାହିଁ। ଯାହା କାମ ଦେବ ସବୁ କରିବି, ମୋର ଟଙ୍କା ଲୋଡା ନାହିଁ।

– – ସେପରି କହିଲେ ହେବନି ମାଆ, ପ୍ରତି କାମର ମୂଲ୍ଯ ଥାଏ। ତୋତେ ମାଗଣାରେ ଖଟାଇ, ପାପର ଭାଗୀଦାର ହେବାକୁ ମୁଁ ଚାହୁଁନି।

ସେହିଦିନଠାରୁ ଯଶୋଦାର ନୂଆ ଠିକଣା ହୋଇଗଲା ହରିବାବୁଙ୍କର ଘର। ହରିବାବୁ ମନେମନେ ଆଶ୍ବସ୍ତ ଥିଲେ, କାରଣ ଆଜିକାଲି କାମ କରିବାକୁ ଲୋକଟିଏ ପାଇବା କାଠିକର ପାଠ ହୋଇଗଲାଣି। ତା ପରେ କାମ କରିବା ପାଇଁ ଲୋକ ଠିକ୍ କଲେ ତିନି ଚାରି ହଜାର ଟଙ୍କାରୁ କମ୍ ଦେଲେ କେହି ରାଜିହେବେନି। ପୁଣି ସପ୍ତାହରେ ତାଙ୍କର ଛୁଟି ଦରକାର, କାମ ନ କରିବାର ହଜାର ବାହାନା ଖୋଜିବାରେ ସେମାନେ ଉସ୍ତାଦ୍, ମୁହଁରେ ଜବାବ୍ ଦେବାରୁ ଆରମ୍ଭ କରି, କିଛି ନ କହି କାମକୁ ନ ଆସିବା ଜଞ୍ଜାଳ ବି ଅଛି। ସେସବୁ ଦେଖିଲେ ଯଶୋଦାକୁ ପାଇ ସେ ଲାଭରେ ଅଛନ୍ତି। ସେ ସଦାବେଳେ ଘରେ ରହିବ, କାମ କରିବାର ନିର୍ଘଣ୍ଟ ନାହିଁ ବା ବାହାନା ନାହିଁ। ଯେତେବେଳେ ଯାହା ବରାଦ୍ କଲେ ସେ କରିବାକୁ ବାଧ୍ଯ। ଏତେ କାମକୁ ପନ୍ଦରଶହ ଟଙ୍କା କିଛି ବି ନୁହଁ। ତଥାପି କମଳାଙ୍କ ମନରେ ଶାନ୍ତି ନ ଥିଲା। ସେ ହରିଙ୍କୁ କହି ଚାଲିଥିଲେ-- ଅଜଣା ଅଶୁଣା ଲୋକଟାକୁ ଘରେ ଆଶ୍ରୟ ତ ଦେଲେ, ପୁଣି ଟଙ୍କା କାହିଁକି ଦେବା? ସେ ଘରେ ମାଗଣା ରହିବ, ମାଗଣା ଖାଇବ ; ତେବେ ପଇସା ଦେବାର ଆବଶ୍ଯକତା କ'ଣ ଅଛି? ହରି ନୀରବ ରୁହନ୍ତି, କାରଣ ସେ ଜାଣିଛନ୍ତି ସବୁ କଥାରେ ଅଶାନ୍ତି ହେବା ଗୁଣ ଟା କମଳାଙ୍କ ପାଖରେ ଯଥେଷ୍ଟ ଅଧିକ ଅଛି। କମଳାଙ୍କୁ ବୁଝାଇ କୁହନ୍ତି-- ଆଗେ ଦେଖିବା କାମ କେମିତି କରୁଛି। ଯଦି ଠକିବା ଆରମ୍ଭ କରିବ, ଆମେ ତାକୁ ବିଦା କରିଦେବା। ତା ସହ କୋଉ ଚୁକ୍ତିପତ୍ର କରିଛେ ଯେ ଏତେ ଚିନ୍ତା।

ଆସିବା ଦିନରୁ ଯଶୋଦା ମନଦେଇ କାମ କରିବାରେ ଲାଗିଗଲା। ଘରଝାଡୁ, ପୋଛାପୋଛି, ଲୁଗାଧୁଆ, ବାସନ ମଜା, ରୋଷେଇବାସ ଆଦି କାମରେ ସେ କେବେ କମଳାଙ୍କୁ ହାତ ମରେଇବାକୁ ଦିଏ ନାହିଁ। କେବଳ ସେତିକି ନୁହଁ, ଘରକାମ କରି ସାରିବା ପରେ ସେ କମଳାଙ୍କ ସେବା ଶୁଶୃଷା ରେ ଲାଗିଯାଏ। ତାଙ୍କ ଗୋଡଘଷି ଦେବା, ମୁଣ୍ଡରେ ତେଲ ଲଗେଇଦେବା, ଔଷଧ ଦେବା ଆଦି କାମ ମଧ୍ଯ ଯଶୋଦା ହିଁ କରୁଥିଲା। ପାଖ ଦୋକାନ ରୁ ପରିବାପତ୍ର, କ୍ଷୀର ଆଣିବା କାମ ମଧ୍ଯ ତାକୁ ବଳାଉ ନ ଥିଲା। ମନେମନେ ଖୁସିରେ ଫାଟି ପଡୁଥିଲେ ହରି। କାରଣ ତାଙ୍କର ଅଧାଅଧି ଦାୟିତ୍ବ ଯଶୋଦା ହିଁ ସମ୍ଭାଳୁଥିଲା। ସେତିକି କରିବା ପରେ ମଧ୍ଯ କମଳା ସନ୍ତୁଷ୍ଟ ନ ଥିଲେ। ସମୟ ସମୟରେ ବିନା କାରଣରେ ସେ ଯଶୋଦାକୁ ଗାଳିମନ୍ଦ କରୁଥିଲେ। ବାସି ଖାଇବା ଦେବା, ବାରମ୍ବାର ଡାକି ବିନା କାରଣରେ ଘଣ୍ଟାଘଣ୍ଟା ଛିଡା କରାଇବା ଓ ତା ଦାରିର୍ଦ୍ର୍ଯ ବିଷୟରେ କହି ନାନା ଗଞ୍ଜଣା କଥା କହିବାରେ ସେ ଅଶେଷ ଆନନ୍ଦ ପାଉଥିଲେ। କେବେକେବେ ଯଶୋଦା କଷ୍ଟ ସହି ନ ପାରି କାନ୍ଦି ପକାଉଥିଲା, କିନ୍ତୁ ସେ କାହା ଆଗରେ ବା ଦୁଃଖ ଗାଇବ। ଶୁଣିବା ଲୋକ ତ ସାତ ପର କରିଦେଇ ଚାଲିଗଲା। କେବଳ ଭାଗ୍ଯ କୁ ନିନ୍ଦିବା ଛଡା ଅନ୍ଯ କିଛି କରିବାର ବାଟ ନ ଥିଲା।

ସେଦିନ ହରି ଘରକୁ ଆସିବା ବେଳକୁ କମଳାଙ୍କ ଉଗ୍ର ମୂର୍ତ୍ତି ଦେଖି ପ୍ରମାଦ ଗଣିଲେ। ଭୀଷଣ ଚିତ୍କାର କରି କମଳା ଗାଳି ଦେଇ କହୁଥାଆନ୍ତି – – ତୋ ଓୌକାତ୍ ଭୁଲି ଯାଉଛୁ ନା କଣ? ରାସ୍ତା କଡରେ ବୁଲା କୁକୁର ପରି ପଡିଥିଲୁ, ଆମେ ଘରକୁ ଆଣି ରଖିଲୁ ବୋଲି ମୁଣ୍ଡରେ ଚଢିବୁ? ତୁ ଏକା ଘରଟାକୁ ଟେକି ଧରିଛୁ ଆଉ ମୁଁ ନିକମ୍ମା ହୋଇ ବସିଛି? ମହାରଣା ବାବୁ ସ୍ତ୍ରୀ ତୋତେ ଏତେ ପ୍ରଶଂସା କଲା ବେଳକୁ ତୁ କହିପାରିଲୁନି ଯେ ମୁଁ ଘରର ସବୁ କାମ କରୁଛି ବୋଲି? ସେ ମୋ ମୁହଁରେ କହି ଦେଇଗଲା ଯେ, ତୁ ମୋ ଘରକୁ ଆସିବା ପରେ ମୁଁ ନିକମ୍ମା ହୋଇ ମୋଟା ହୋଇଗଲିଣି। ତୁ ତାଟକା ହୋଇ ଶୁଣୁଥିଲୁ କଣ; ତୋ ମାଲିକାଣୀ କୁ ମୋଟୀ କହିଲା ବେଳକୁ ତୁ ଶୁଣିପାରିଲୁ କେମିତି? ତାକୁ ଚାହା ଜଳଖିଆ ଦେବାକୁ କିଏ କହିଥିଲା, ତୋ ବୋପା ପଇସା ଦେଉଛି ଯେ ମନଇଚ୍ଛା ଖର୍ଚ୍ଚ କରିଚାଲିଛୁ। ଯାହା ତ କାମ କରୁଛୁ ଛାଡ, ସେଥିରେ ଦିନକୁ ଚାରି ଓଳି ନ ଖାଇଲେ ପେଟ ଥଣ୍ଡା ହେଉନି। ଖାଇଯା ସବୁ ଖାଇଯା,ମୋତେ ବି ଖାଇଯା। ହରି ଘଟଣା ଟା କଣ ଅନୁମାନ କରି, ପରିସ୍ଥିତି କୁ ଶାନ୍ତ କରିବାରେ ଲାଗିଲେ। ଯଶୋଦା କୁ ସେ ଯାଗାରୁ ଯିବା ପାଇଁ ଇସାରା କରି ସେ କମଳାଙ୍କୁ କୌଣସି ମତେ ବୁଝାଇ ଚୁପ୍ କରାଇଲେ।

ବିଚାରି ଯଶୋଦାର କୌଣସି ଦୋଷ ନ ଥାଇ ମଧ୍ଯ ସେ ଦୋଷୀ ପରି ମସିଣା ଉପରେ ଶୋଇ ଲୁହ ଗଡାଇବାରେ ଲାଗିଥିଲା। ହରିବାବୁଙ୍କର ବିରାଟ ଘର ଥିଲେ ମଧ୍ଯ ତା ପାଇଁ ଅଦରକାରୀ ଜିନିଷ ରଖିବା ପାଇଁ ବ୍ଯବହୃତ ହେଉଥିବା ଘରଟିକୁ ଦିଆ ଯାଇଥିଲା। ସେଇ ସାନ ଘରଟିରେ ଖଣ୍ଡେ ମସିଣା ଉପରେ ବଚାରିର ସମୁଦାୟ ସଂସାର ଥିଲା କହିଲେ ଚଳିବ। ଦିନରାତି ଅକ୍ଳାନ୍ତ ପରିଶ୍ରମ କରି ସେ ମସିଣାଟି ଉପରେ ଗଡି ପଡିଲେ ତାକୁ ସ୍ବର୍ଗସୁଖ ମିଳିବା ପରି ଲାଗୁଥିଲା। ଆଜି ମାଲିକାଣି ତାକୁ କହିଲେ, ସେ ଦିନରେ ଚାରି ଥର ଖାଉଛି, କିନ୍ତୁ ସତକଥା ତା ଛଡା ଆଉ କେହି ଜାଣି ନାହାଁନ୍ତି। ହରିବାବୁ ଅଫିସ୍ ଗଲା ପରେ ମାଲିକାଣୀ ତାଙ୍କର ଅସଲ ସ୍ବରୂପ ଦେଖାନ୍ତି। ନାନା କଟୁ କଥା କହିବା ସହ ଖାଇବା ଦେବାରେ ମଧ୍ଯ ହେଳା କରନ୍ତି। କାଳେ ସେ ରୋଷେଇ ଘରେ କିଛି ଖାଇନେବ ବୋଲି ମାଲିକାଣି ଗୋଡେଗୋଡେ ଜଗି ରହିଥାଆନ୍ତି। ସେ ଖାଇ ସାରିବା ପରେ ଯାହା ବଳି ପଡେ, ସେତିକି ଖାଇବା ଯଶୋଦା ଭାଗ୍ଯରେ ଲେଖା ଥାଏ। ଭୋକ ଲାଗିଲେ ପାଣି ପିଇ ଶୋଇବା ଛଡା ଅନ୍ଯ ଗତି ନାହିଁ। ଏପରିକି ପାଖରେ ପଇସା ନାହିଁ କହି, ହରିବାବୁ ଦେଉଥିବା ଦରମା ପଇସାରୁ ମଧ୍ଯ କିଛି କିଛି ମାଗି ମାଲିକାଣୀ ନେଇଯାଆନ୍ତି ଓ ଫେରାନ୍ତି ନାହିଁ। ବାହାରକୁ ପରିବା ପତ୍ର କିଣିବାକୁ ଯିବା ସମୟରେ ସେ ବିସ୍କୁଟ୍ ବା ମୁଢି କିଣି ନିଜ ପାଖରେ ରଖିଥାଏ। କେବେ ଯଦି ରାତିରେ ଭୋକ ଲାଗେ ସେଇଥିରୁ କିଛି ଖାଇ ନିଏ। କିନ୍ତୁ ସେତିକି ଖାଇବା ବି ତା ଭାଗ୍ଯରେ ସଦାବେଳେ ନ ଥାଏ। ସେ ବଖରା ରେ ଥିବା ମୂଷା ମାନେ ଅନେକ ସମୟରେ ଖାଇବା ଜିନିଷ କୁ ଖାଇଦିଅନ୍ତି। ପିନ୍ଧିବା ପାଇଁ ମାଲିକାଣି ପାଖରେ ଥିବା ଚିରା ଶାଢୀ ତାକୁ ସଦାବେଳେ ମିଳୁଥିଲା। ବହୁତ ଥର ଭାବିଛି, ବଜାର ଯାଇ ଶାଢୀ ଖଣ୍ଡେ ତା ପାଇଁ କିଣି ଆଣିବ ; କିନ୍ତୁ ସବୁ ଥର ମାଲିକାଣୀ ନାଲି ଆଖି ଦେଖାଇ ତାକୁ ମନା କରନ୍ତି।

କେବେକେବେ ରାଗରେ କୁହନ୍ତି-- ବୁଢୀ ହେଲୁଣି, ଆହୁରି ଛୋପରି ଗୁଣ ମନରୁ ଯାଇନି। ତୋତେ ତ ପିନ୍ଧିବା ପାଇଁ ମୁଁ ଶାଢୀ ଦେଉଛି, ପୁଣି କିଣିବା କଣ ଦରକାର ? ନାଗରୀ ସାଜିବାକୁ ତୋ ବୟସ ଆସୁଛି ନା କଣ? ଏମିତି କଥା ଶୁଣିଲେ ଯଶୋଦାର ମନଟା ଭାଙ୍ଗି ପଡେ। ଭାବେ ମାଲିକାଣୀ ସତ କହୁଛନ୍ତି, ସେ ନୂଆ ପିନ୍ଧୁ ବା ପୁରୁଣା କିଏ ବା ଦେଖୁଛି ତାକୁ !

ସବୁଥର ବଜାର ଗଲା ବେଳେ ଯଶୋଦା ସେମାନଙ୍କର ସାଙ୍ଗରେ ଯାଏ। କିନ୍ତୁ ନିଜ ମନ ଅନୁସାରେ ସେ କିଛି କିଣି ପାରେନାହିଁ। କେବଳ ଜିନିଷ ବୋହିବା ପାଇଁ ତାକୁ ଗଧ ପରି ବ୍ଯବହାର କରାଯାଏ। ବାହାରେ ମାଲିକ ମାଲିକାଣୀ ମଉଜ କରି ଖିଆପିଆ କଲା ବେଳେ ସେ ହୋଟେଲ ସାମନା ରେ ଜଗୁଆଳ ପରି ଛିଡା ହୋଇଥାଏ । ଭୋକ ଲାଗିଲେ ଦୋକାନରୁ ବିସ୍କୁଟ ଖାଇ ପାଣି ମୁନ୍ଦେ ପିଇ ପୁଣି ଅପେକ୍ଷା କରିବାରେ ଲାଗିଯାଏ। କେଜାଣି କାହିଁକି, ସେମାନଙ୍କ ମନରେ ଟିକେ ବି ଦୟା ଆସେନି ! କେବେ ଥରେ ତାକୁ ପଚାରି ଦିଅନ୍ତିନି ଯେ ସେ କଣ ଖାଇବ, କଣ କିଣିବ । ଖରାଦିନେ ପାଦ ପୋଡିଗଲା ପରି ରାସ୍ତା ତାତୁଥିଲେ ବି ସେ ଛିଣ୍ଡା ଚପଲ ହଳେ ମାଡି ମୂର୍ତ୍ତି ପରି ଛିଡା ହୋଇ ମାଲିକ ମାଲିକାଣିଙ୍କ ଅପେକ୍ଷାରେ ଥାଏ। ସେମାନେ କେବେ ପଚାରି ଦିଅନ୍ତିନି ଯେ ଏତେ ଖରାରେ ତାକୁ ଶୋଷ ଲାଗୁଛି କି ନାହିଁ। ଶୀତ ଦିନେ ହାଡଭଙ୍ଗା ଶୀତ କାକରରେ, ପିନ୍ଧା ଶାଢୀକୁ ଗୁଡାଇ ଜାକିଜୁକି ହୋଇ ଛିଡା ହେଲା ବେଳକୁ,ମାଲିକ ମାଲିକାଣୀ ଶୀତବସ୍ତ୍ର ପିନ୍ଧି ଆରାମରେ ବୁଲାଚଲା କରୁଥାଆନ୍ତି।

ଯଶୋଦାର ଜୀବନ ଟା ଧିରେଧିରେ ଜଞ୍ଜାଳମୟ ହୋଇ ଚାଲିଥିଲା। ତା ମନରେ ଥରେଥରେ ଭାବନା ଆସେ ; ସେଦିନ ସେ ଏହି ଲୋକ ମାନଙ୍କ କଥା ବିଶ୍ବାସ କରି ଚାଲିଆସି ଠିକ୍ କଲା ନା ଭୁଲ୍। ତାର ସେ ପତଳା ସୁନା ଚେନ୍ ପାଇଁ ବି ନାନା କଥା କହିବାକୁ ମାଲିକାଣୀ ପଛାନ୍ତି ନାହିଁ। ରାଗ ମନରେ କେବେକେବେ କୁହନ୍ତି-- ତୋ ସ୍ବାମୀ ତୋ ଛାଡି ଆରପୁର କୁ ଗଲା, ଏବେ ସେ ସୁନା ଚେନ୍ କୁ କାହିଁକି ବେକରେ ଝୁଲେଇ ବୁଲୁଛୁ। ତୋ ସ୍ବାମୀ ପାଇଁ ତୁ ରାଣୀ ହୋଇ ଥାଇପାରୁ,କିନ୍ତୁ ଏବେ ତୁ ଆମ ଚାକରାଣୀ । କିଏ ଚୋରୀ କରିନେଲେ ମୁଣ୍ଡ ବାଡେଇଲେ ବି କେହି ଶୁଣିବେନି। ସେ ଭଙ୍ଗୀ ଛାଡି କାମଧାମରେ ମନ ଦେ, କି ବେଳାରେ ତୋ ପରି ଗ୍ରହ ଆମ ଘରେ ପଶିଲା ଯେ, ମନରୁ ଶାନ୍ତି ଉଭାନ ହୋଇଗଲା। ମାଲିକାଣୀଙ୍କ ରାଗର କାରଣ ସେ ବୁଝି ପାରେନି। ତା ପରି ଜଣେ ନିରାଶ୍ରୟ ଲୋକ ପାଇଁ କାହିଁକି ଏତେ ଘୃଣା?ଯଦି ଏତେ ରାଗ, ତାକୁ ବାହାର କାହିଁକି କରି ଦେଉନାହାଁନ୍ତି।

ତାଙ୍କର ରାଗ ଆହୁରି ବଢିଯାଏ ଯେତେବେଳେ ପାଖ ପଡୋଶୀ କୁହନ୍ତି-- ବୁଝିଲେ ଆଜ୍ଞା, ଯଶୋଦା ଆସିଲା ପରେ ଆପଣଙ୍କ ଘରର ରୂପ ପୁରା ବଦଳି ଯାଇଛି। ଯେତେବେଳେ ଦେଖିବ ଘର ପରିଷ୍କାର ପରିଚ୍ଛନ୍ନ ରହୁଛି। ଯବକାଚ ପକେଇ ଖୋଜି ଆଣିଲେ ବି ଧୂଳିଟିକେ ପାଇବା କଷ୍ଟ। ପଡୋଶଙ୍କ କଥା ସବୁ କମଳାଙ୍କ ହୃଦୟରେ ତୀର ପରି ନିବଦ୍ଧ ହୁଏ। ବାରମ୍ବାର ମନରେ ସେଇ କଥା ସବୁ ପ୍ରତିଧ୍ବନିତ ହୋଇ ଚାଲିଥାଏ। ସେ ନିଜର ଅସ୍ତିତ୍ବ ପ୍ରତି ସନ୍ଦିହାନ ହୋଇଉଠନ୍ତି ଓ ଭାବନ୍ତି ଦୁନିଆରେ କମଳା ହିଁ ତାଙ୍କର ସବୁଠାରୁ ବଡ ପ୍ରତିଦ୍ବନ୍ଦୀ। ଅନେକ ଥର ସେ ଭାବନ୍ତି ମିଛ ବାହାନା ଦେଖାଇ ଯଶୋଦାକୁ ତଡି ଦେବା ପାଇଁ, କିନ୍ତୁ ସେପରି କିଛି ପରିସ୍ଥିତି ଉପୁଜେ ନାହିଁ। ଯେଉଁଦିନ କୌଣସି ଲୋକ ଯଶୋଦାର ପ୍ରଶଂସା କରେ, ସେଦିନ ରାତିରେ ତାକୁ ଖାଇବାକୁ ମିଳେ ନାହିଁ। ମିଳେ କେବଳ ଅଭିଶାପ ଓ କଟୁବଚନର ଉପହାର। ହରି ସବୁ ଜାଣି ମଧ୍ଯ ନୀରବ ରୁହନ୍ତି। ମନ ଭିତରେ ଭୀଷଣ କ୍ଷତାକ୍ତ ହେବାପରେ ବି ଯଶୋଦାର ବ୍ଯବହାରରେ ସେମାନଙ୍କ ପ୍ରତି କୌଣସି ପରିବର୍ତ୍ତନ ଆସେ ନାହିଁ। କାରଣ ତା ନଜରରେ ମାଲିକ ମାଲିକାଣୀ ହେଲେ ଜୀବନ୍ତ ଭଗବାନ। ସେହିମାନେ ହିଁ ତାକୁ ନୂତନ ଜୀବନଦାନ ଦେଇଛନ୍ତି। ସେମାନଙ୍କର ବିରୁଦ୍ଧରେ ସେ ଚିନ୍ତା ବା କିପରି କରିବ?

ସେଦିନ ହରି ଓ କମଳାଙ୍କର ପଚିଶତମ ବିବାହ ବାର୍ଷିକୀର ଆୟଜନ ଘରେ ଜୋରଦାର ଚାଲିଥିଲା। ପିଲା ମାନେ ମଧ୍ଯ ଆସିଥିଲେ। ସନ୍ଧ୍ଯାବେଳେ ଗୋଟିଏ ଭୋଜିର ଆୟୋଜନ କରା ଯାଇଥିଲା। ବନ୍ଧୁବାନ୍ଧବ, ହରିଙ୍କ ଅଫିସ କର୍ମଚାରୀ ଓ ପାଖପଡୋଶୀ ମାନେ ଆସିବେ। ଯଶୋଦା କୁ ଫୁରସତ୍ ନାହିଁ। ତିନି ଦିନ ହେଲାଣି ସେ ଦଣ୍ଡେ ନିଶ୍ବାସ ନେବାକୁ ଫୁରସତ୍ ପାଇନି। ପିଲାମାନେ କମଳାଙ୍କ ଗୁଣ ନେଇ ଜନ୍ମ ହୋଇଛନ୍ତି। ପାନ ରୁ ଚୂନ ଖସିଲେ ଗାଳି ଦେଇ ତାର ଅବସ୍ଥା ବେହାଲ କରିଦେଉଛନ୍ତି। ସେସବୁ କୁ ଖାତିର ନ କରି ସେ କାମରେ ମାତିଛି। ଘରଦ୍ବାର, ଅଗଣା ଝାଡୁପୋଛା କରି ଚକଚକ କରି ସାରିଛି। ପ୍ରତି ବଖରା ବୁଲିବୁଲି ସବୁ କାମ ସାରିଛି। ରୋଷେଇ ଦାୟିତ୍ବ ତା ଉପରେ। ପାଖାପାଖି ପଚାଶ ଲୋକ ଖାଇବେ। ଦଶ ପ୍ରକାର ଖାଇବା ତିଆରି ହେବ। ପରିବାପତ୍ର ଓ ବାକି ଜିନିଷପତ୍ର କିଣା ସରିଛି। କେବଳ ରୋଷେଇ ହେବ ଯାହା। ତିନିଦିନ ହେଲାଣି ତା ଖାଇବା ପିଇବା ରେ ଠିକଣା ନାହିଁ। ରାତିରେ କିଛି ବଳିଲେ ତ ଖାଇବା ମିଲିବ! ପିଲାମାନେ ଭଲ ଖାଇବାବାଲା ହୋଇଛନ୍ତି, ଯେତେ ବାଢିଲେ ବି ଥାଳି ନିମିଷକରେ ଖାଲି ହୋଇଯାଉଛି। ଶେଷ ଆଶ୍ରା ତା ବଖରା ରେ ଥିବା ମୁଢି ନୋହିଲେ ମୂଷା ଖଣ୍ଡିଆ କରିଦେଇଥିବା ବିସ୍କୁଟ୍। ପିଲା ମାନଙ୍କ ଆଗରେ ମାଲିକାଣୀଙ୍କ କ୍ରୋଧର ବର୍ଷା ତା ଉପରେ ବେଶୀ ହେଉଛି। ବିନା କାରଣରେ ଗାଳିଫଜିତ୍ କରି ସେ ନିଜ ମାଲିକପଣିଆ ଦେଖାଇବାରେ ତିଳେମାତ୍ର ଅବହେଳା କରୁନାହାଁନ୍ତି। କିନ୍ତୁ ସେ ଆଡକୁ ନଜର ନାହିଁ ତାର। ତା ପାଇଁ ଯେଉଁମାନେ ଜୀବନ୍ତ ଇଶ୍ବର ସେମାନଙ୍କର ବିବାହବାର୍ଷିକୀ ହେବ। କେତେ ଖୁସିର ଦିନ। ପାଞ୍ଚ ଲୋକ ଆସିବେ, ଭଲରେ ମୁଠେ ଖାଇକରି ଗଲେ ମାଲିକ ମାଲିକାଣୀଙ୍କୁ ଆଶିର୍ବାଦ ଦେବେ। ସେ ବହୁତ ଦିନରୁ ମନରେ ଭାବିଛି ମାଲିକ ମାଲିକାଣୀଙ୍କୁ କିଛି ଗୋଟେ ଉପହାର ଦେବ। ସେମାନେ ତା ପାଇଁ ଏତେ କରିଛନ୍ତି ଯେ ସଂସାରର ଯେତେ ମୂଲ୍ଯବାନ ଜିନିଷ ଦେଲେ ବି ନିଅଣ୍ଟ ପଡିବ। ମନରେ କେତେ ଆଶା ନେଇ ବଜାର ଯିବାକୁ ବାହାରିଲା ବେଳକୁ ମାଲିକାଣୀଙ୍କ ତାଗିଦା ପଡିଗଲା।

ହାତରେ ଜରିଗୁଡା ପ୍ଯାକେଟ୍ ଟେ ଧରି ଯଶୋଦା ଘରେ ପଶିଲା ବେଳକୁ ମାଲିକାଣୀଙ୍କ ନଜରରେ ପଡିଗଲା। ସେ ଛିଗୁଲାଇ କହିଲେ-- ଆରେ ଦେଖ ପିଲାମାନେ, ଆମର ବିବାହ ବାର୍ଷିକୀ ହେବ, ଆମେ ଜିନିଷପତ୍ର କିଣାକିଣି କରିନୁ, କିନ୍ତୁ ଆମ ଚାକରାଣୀ ବଜାର ବୁଲି ଜିନିଷ କିଣି ଫେରିଲାଣି। କେତେ ପଇସା ରଖିଛୁ ପାଖରେ ଯେ ଜରି ଭର୍ତ୍ତି କରି ଜିନିଷ କିଣି ଆଣିଲୁ ମ ! ପିଲା ମାନଙ୍କର ଟାହିଟାପରା ଭରା ହସ ଓ ମାଲିକାଣୀଙ୍କ କୁତ୍ସାରଟନାରେ ମନ ଭିତର ଟା ଘାଣ୍ଟି ହୋଇଗଲେ ବି ସେ ମୁହଁରେ ହସ ଖେଳେଇ ଛିଡା ହେଲା।

– ଆଲୋ ଯାଆ ଏ ଯାଗାରୁ, ତୋ ଚନ୍ଦ୍ର ବଦନ ଦେଖିବାକୁ କାହାର ଆଗ୍ରହ ନାହିଁ। ଦୁନିଆ ଯାକର କାମ ପଡିଛି, ତୋ ଭଙ୍ଗୀ ଦେଖିବାକୁ ଆମ ପାଖରେ ସମୟ ନାହିଁ। ଜରିଟିକୁ ତା ବଖରା ରେ ରଖି ସେ ରୋଷେଇ ଘରେ ପଶିଲା। ପେଟରେ ଦାନା ପଡିନି, ଶୋଷରେ ତଣ୍ଟି ଶୁଖିଯାଉଛି। ଭୋକରେ ହଂସା ଉଡିଗଲା ପରି ଲାଗୁଛି। କିନ୍ତୁ ଏବେ ଖାଇବା କଥା କହିଲେ ମାଲିକାଣୀ ମାରି ଗୋଡେଇବେ। ମନେମନେ ଭାବିଲା, ପାଣି ଟିକେ ପିଇ କାମ କରିବ। ଏମିତି ତ କେତେ ରାତି କଟିଛି। ସେ ରୋଷେଇ କରିବାରେ ବ୍ଯସ୍ତଥିଲା ବେଳେ ମାଲିକାଣୀ ପଛରୁ ଆସି କହିଲେ

-- ଶୁଣ୍ କୌଣସି ଜିନିଷରେ ମୁହଁ ମାରିବୁନି, ତୋ ପେଟ ତ ସଦାବେଳେ ଜଳି ଯାଉଛି। ଲୋକେ ଖାଇ ସାରିବା ପରେ ତୁ ଖାଇବୁ। ଦିନେ ନ ଖାଇଲେ ଜୀବନ ପଳେଇବନି। ବଡବଡିଆ ଲୋକବାକ ଆସିବେ, ସେମାନଙ୍କ ଆଗକୁ ଆସିଲେ ଗୋଡ ଛୋଟା କରିଦେବି। ସେଇ ରୋଷେଇଘରେ ରହିଥିବୁ।

ଆଖିରୁ ଲୁହ ପୋଛି ମୁଣ୍ଡ ଟୁଙ୍ଗାରି ହଁ ଭରିଲା ସେ।

– – ଉଁଃ କହିଲା ବେଳକୁ ରାଧା ଦେହରେ ବାଧା ପଶି ଯାଉଛି। ସେ ଛୋପରାମୀ ବନ୍ଦ କରି କାମରେ ମନ ଦେ।

ଲୋକ ସବୁ ଆସିଲେଣି। ଅଳ୍ପ ସମୟ ପରେ କେକ୍ କଟାଯିବ ଓ ତା ପରେ ଲୋକମାନେ ଖାଇବେ। ତା ପେଟ ଭିତରଟା ମନ୍ଥି ହୋଇ ଯାଉଛି, ମୁଣ୍ଡ ଝିମଝିମ ହେବା ପରି ଲାଗୁଛି, ସେ ସକାଳୁ କିଛି ଖାଇନି। ଆଖି ସାମନା ରେ ଖାଦ୍ଯର ଭଣ୍ଡାର, କିନ୍ତୁ ସେସବୁ କୁ ଦେଖିବା ବି ମନା। ମନ ଭିତରେ କୋହ ଉଠି ଆସୁଛି। କିନ୍ତୁ ସେ କାନ୍ଦିବନି,ମାଲିକ ମାଲିକାଣୀଙ୍କର କାଳେ ଅଶୁଭ ହେବ !

କେକ୍ କଟା ବୋଧେ ସରିଗଲାଣି। ଲୋକ ମାନେ ଉପହାର ଦେବାକୁ ଆରମ୍ଭ କଲେଣି। ତା ଉପହାର ଟା ରହିଗଲା ଯେ! କେମିତି ଦେବ? ବଡ ସନ୍ତର୍ପଣରେ ସେ ରୋଷେଇଘରୁ ବାହାରି ତା ବଖରା ଆଡକୁ ଗଲା। ଜରି ବ୍ଯାଗ୍ ଟି ଆଣି ମାଲିକ ମାଲିକାଣୀଙ୍କ ସାମନା ରେ ଛିଡାହେଲା, ଦୁଇ ଜଣଙ୍କ ପାଦ ତଳେ ପଡି ମୁଣ୍ଡିଆ ମାରିଲା ଓ ଜିନିଷକୁ ହରିବାବୁଙ୍କ ହାତ କୁ ବଢେଇ ଦେଲା। ସେ ହସିହସି ଜିନିଷ ଟି ଗ୍ରହଣ କଲେ।

– – ମହାରଣା ବାବୁ ସ୍ତ୍ରୀ କହିଲା, କେତେ ସୁଧାର ଲୋକଟି ଦେଖ। ତା ମାଲିକ ମାଲିକାଣୀଙ୍କୁ ଉପହାର ଦେଲା। ମୁଁ କ'ଣ ମିଛ ଟାରେ ତାକୁ ପ୍ରଶଂସା କରେ, ସେ ଗୋଟେ ଖାଣ୍ଟି ହୀରା। ସବୁ ଦେଖ, କେତେ ପରିଶ୍ରମ କରି ଘରଟାକୁ ଚକମକ କରିଛି, ପୁଣି ରୋଷେଇ ବି କରିଛି। ଆଜି ଖାଇବା ଟା ନିହାତି ଅମୃତ ପରି ଲାଗିବ। ତାକୁ ପ୍ରଶଂସା କରିବାକୁ ହେଉ ବା କମଳାଙ୍କୁ ଚିଡାଇବାକୁ ହେଉ, ମହାରଣାବାବୁ ସ୍ତ୍ରୀ ଏତିକି କହି କମଳାଙ୍କ ଆଡକୁ ଦେଖି ଆଖି ମିଟିକା ମାରିଲା।

ସେତିକି ବେଳକୁ ମାଲିକାଣୀଙ୍କ ଝିଅ ଦଉଡି ଆସି କହିଲା – ମାମା, ମୋ ମୋତିମାଳଟା ରୁମ୍ ରେ ରଖିଥିଲି, ଏତେ ଖୋଜିଲିଣି ମିଳୁନି। ତୁ ଦେଖିଛୁ କି?

– ସେ ଘରକୁ ଯଶୋଦା କେତେ ବେଳେ ଯାଇଥିଲା?

– – ସକାଳେ ତ ସେ ଝାଡୁପାଛା କରୁଥିଲା ମୋ ରୁମ୍ ରେ। ତା ପରଠାରୁ ମିଳୁନି ମାଳଟା। କହିଲା ଝିଅ।

କେହି କିଛି ବୁଝିବା ପୂର୍ବରୁ କମଳା ରାଗରେ ଜର୍ଜରିତ ହୋଇ ଯଶୋଦାର ଚୁଟି ଘିଞ୍ଚି କାନ୍ଥରେ ପିଟିଦେଲେ ଓ କହିଲେ-- ଚୋରଣୀ କୁଆଡେ ନେଲୁ ମୋ ଝିଅର ମାଳ କହ। ସବୁ ଚୋରୀ କରୁଛୁ ତୁ ମୋ ଘରୁ। କାହାକୁ କିଛି କହୁନି ବୋଲି ତି ସାହାସ ବଢି ଯାଉଛି? ଆଜି ଯଦି ମୋ ଝିଅର ଜିନିଷ ନ ଦେବୁ ପୋଲିସ୍ ଡାକି ବନ୍ଧେଇଦେବି। ଗାଳି ସହିତ ଅନବରତ ମାରି ଚାଲିଥିଲେ ସେ ଯଶୋଦା କୁ। ବିଚାରି ଦେହରେ ବଳ ଟିକେ ବି ନ ଥିଲା। ସେ ପ୍ରତିବାଦ ମଧ୍ଯ କରି ପାରିଲାନି। କେବଳ ହାତ ଯୋଡି ତଳେ ବସି ରହିଲା। ତା ନୀରବତା କୁ କମଳା ଦୋଷ ସ୍ବୀକାର କରିବାର ସଙ୍କେତ ମନେ କରି ମନଇଚ୍ଛା ମାରିଚାଲିଲେ। ହରିବାବୁଙ୍କ ଆପ୍ରାଣ ଉଦ୍ଯମ ସତ୍ତ୍ବେ ବିଚାରି ତାଙ୍କ କବଳରୁ ବର୍ତ୍ତି ପାରିଲା ନାହିଁ। ରାଗ ସମ୍ଭାଳି ନ ପାରି କମଳା, ମହାରଣା ବାବୁଙ୍କ ସ୍ତ୍ରୀ ଙ୍କୁ ବି ଭଲମନ୍ଦ କରି ଦୁଇପଦ ଶୁଣାଇଦେଲେ। ପାଟି କରି କହିଲେ--- ଆପଣଙ୍କ ପାଇଁ ଏ ଚୋରଣୀ ର ମୁହଁ ଏତେ ବଢିଯାଇଛି। ଯେଉଁ ଲୋକ କୁ ଯେତିକି ରେ ରଖିବା କଥା ତା ଠାରୁ ଅଧିକ ପ୍ରଶ୍ରୟ ଦେଲେ ଏମିତି ଫଳ ହୁଏ।

ବିଚାରି ର ଚୁଟି ଧରି ଘୋଷାରି ଘୋଷାରି ଘରୁ ବାହାର କରିଦେଲେ। ହରି ସବୁ ଦେଖୁଥିଲେ ମଧ୍ଯ କିଛି କରିବାର ଶକ୍ତି ହରାଇ ସାରିଥିଲେ। ଚତୁର୍ଦ୍ଦିଗରେ କେବଳ ନୀରବତା ବିରାଜମାନ କରୁଥିଲା ଓ ସେ ନୀରବତା କୁ କିଞ୍ଚିତ୍ ପରିମାଣରେ ଦୋହଲାଇ ଦେଉଥିଲା ଯଶୋଦାର କରୁଣ ସ୍ବର-- ମୁଁ ଚୋରଣୀ ନୁହଁ ବାବୁ, ମୋତେ ସେମିତି କୁହନାହିଁ। କେତେ ଖୁସି ରେ ଆପଣ ମାନଙ୍କ ପାଇଁ ଉପହାର ଆଣିଥିଲି, ଏମିତି ହେବ ବୋଲି କେବେ ବି ଭାବି ନ ଥିଲି। ମୁଁ ଚାଲି ଯାଉଛି, ଆପଣଙ୍କ ଘରୁ, କିନ୍ତୁ ମୋତେ ଚୋରଣୀ କୁହନ୍ତୁ ନାହିଁ। କମଳା ତା ମୁହଁ କୁ ଏକ ଶକ୍ତ ଗୋଇଠା ମାରିବାରୁ ବିଚାରି ମୁହଁ ମାଡି ତଳେ ପଡିଲା। କଷ୍ଟରେ ଗୁରୁଣ୍ଡି ଗୁରୁଣ୍ଡି ସେ ଯାଗା ରୁ ଚାଲିଗଲା।

ସେ ଚାଲିଗଲା ପରେ ସବୁ ଘରକୁ ଆସି ଦେଖିଲା ବେଳକୁ ପୁଅ ହାତରେ ସେ ମାଳିଟି ଧରି ତା ଭଉଣୀକୁ ଚିଡାଇବାରେ ବ୍ଯସ୍ତ। ଘଟଣା ବୁଝିବାରୁ ଜଣାଗଲା ଯେ ତା ଭଉଣୀ କୁ ଚିଡାଇବା ପାଇଁ ମୋତିମାଳଟିକୁ ପକେଟ୍ ରେ ଲୁଚାଇ ରଖିଥିଲା। ହରି ମୁଣ୍ଡରେ ହାତ ଦେଇ ବସି ପଡି କହିଲେ, ପୁଅରେ ତୁ କଣ କଲୁ ? ଆମେ ମାନେ କେତେ ବଡ ପାପ କରିଦେଲୁ ତୋ ମୁର୍ଖାମୀ ପାଇଁ। ଥରଥର ହାତରେ ସେ ପ୍ଯାକେଟ୍ ଟି ଖୋଲିଲେ। ତା ଭିତରେ କମଳାଙ୍କ ପାଇଁ ଏକ ଦାମୀ ପାଟଶାଢୀ ଓ ହରିଙ୍କ ପାଇଁ ପ୍ଯାଣ୍ଟସାର୍ଟ କପଡାଥିଲା। ଆବେଗଭରା କଣ୍ଠରେ ହରି କହିଲେ-- ଆରେ ଏ ଶାଢୀ ଟି ମୁଁ ସେ ଦୋକାନ ରେ ଦେଖିଥିଲି କିଛିଦିନ ତଳେ। ଦୋକାନୀ ପାଞ୍ଚ ହଜାର କହିବାରୁ ମୁଁ ନ କିଣି ଫେରିଆସିଲି। ତେବେ କଣ ନିଜର ସର୍ବସ୍ବ ଦେଇ ଯଶୋଦା ଆମ ପାଇଁ ଏ ଉପହାର କିଣିଥିଲା, ଅଥଚ ଆମେ ମାନେ ତାକୁ ଗଳାଧକ୍କା ଦେଇ, ଅପମାନିତ କରି, ଚୋରଣୀର ଆଖ୍ଯା ଦେଇ ତଡିଦେଲେ। ସେ ରାସ୍ତାକୁ ଦଉଡିଲେ ଓ ତାଙ୍କ ପଛରେ କମଳା। ବେଶି ଦୂର ଯିବାକୁ ପଡିଲାନି ସେମାନଙ୍କୁ--- ଘରଠାରୁ ଅନତିଦୂରରେ ଏକ ଆମ୍ବ ଗଛରେ ଝୁଲୁଥିଲା ଯଶୋଦା, ପିନ୍ଧିଥିବା ଶାଢୀଟି ବେକରେ ଗୁଡେଇ ହୋଇଥିଲା। ଗଛରୁ ଯଶୋଦାର ମୃତ ଦେହ ତଳକୁ ଆଣିଲା ବେଳେ ହରି ଚିତ୍କାର କରି କହିଲେ-- ଶେଷକୁ ତୋ ସ୍ବାମୀର ଶେଷ ସନ୍ତକ ସେ ସୁନା ଚେନ୍ କୁ ବିକ୍ରିକରି ଆମ ପାଇଁ ଉପହାର ଆଣିଲୁ, କିନ୍ତୁ ଆମେ ତୋତେ ମୃତ୍ଯୁର ଉପହାର ଦେଲୁ?? କମଳା ମୁହଁ ପୋତି ଲୁହ ଗଡାଉଥିଲେ, ତାଙ୍କ ପାଖରେ କହିବା ପାଇଁ ଶବ୍ଦଟିଏ ମଧ୍ଯ ନ ଥିଲା। ବାକି ଲୋକେ ଘୃଣା ଚକ୍ଷୁରେ ଦୁଇ ଜଣଙ୍କୁ ଦେଖି ସେ ଜାଗାରୁ ଚାଲିଯିବାକୁ ଆରମ୍ଭ କରି ସାରିଥିଲେ।

                                                                    --ସମାପ୍ତ---

Thursday, July 26, 2018

ଲୀଳାମୟ

                                                                                        ଲେଖକ- ଅରବିନ୍ଦ ରଥ 
                                ଆଖି ଆଗରେ ଜନସମୁଦ୍ର। ଏତେ ଲୋକଙ୍କୁ ଦେଖି କାର୍ ଷ୍ଟିୟରିଙ୍ଗ ଧରିବାକୁ ସାହାସ ହେଉ ନ ଥିଲା ମୁନାର। ପଛସିଟ୍ ରେ ବସିଥିବା ସାଙ୍ଗ ମାନେ ତାକୁ କହୁଥାଆନ୍ତି- ଆରେ ତୁ ଏତେ ଦିନ ହେଲା ଗାଡି ଚଲେଇଲୁଣି, ତଥାପି ତୋ ମନରେ ଦମ୍ଭ ପାଉନି? ମାଡିଚାଲ ଆଗକୁ ଯାହା ହେବ ଦେଖାଯିବ, ଜଗା ପାଖକୁ ଯାଉଛେ ଆମେ, କିଛି ଅସୁବିଧା ହେଲେ ସେଇ କାଳିଆ ବୁଝିବ। ସାଙ୍ଗ ମାନଙ୍କର କଥା ଶୁଣି ଗୁମସୁମ ହୋଇଗଲା ମୁନା। କୋହଭରା କଣ୍ଠରେ କହିଲା – – ଯଦି ସେ ଏମିତି ଦୁଃଖ ବୁଝୁଥାଆନ୍ତେ, ମୋ ପ୍ରତି କାହିଁକି ଏପରି ଅନ୍ଯାୟ କଲେ? ସେ ପରା ଜଗତର ନାଥ ଜଗନ୍ନାଥ, ତେବେ ମୋ ବେଳକୁ କାହିଁକି ତାଙ୍କର ପ୍ରେମସୁଧା ଝରିବା ବନ୍ଦ ହୋଇଗଲା। ସେ ବାଜେ କଥା ମୋତେ କୁହନି। ଆଜି କୁ ଦଶ ବର୍ଷହେଲାଣି ସେ କଳାଠାକୁର ମୁହଁ ଚାହିଁନି ମୁଁ, ଆଗକୁ ମଧ୍ଯ ଚାହିଁବାର କୌଣସି ପ୍ରୟୋଜନ ନାହିଁ। ଠାକୁର, ଭକ୍ତି, ଉପବାସ , ନିଷ୍ଠା ସବୁ ଫାଲତୁ କଥା । “ଭଗବାନ” ନାମକ ସତ୍ତା, କେବଳ ଏକ ପ୍ରହେଳିକା ମାତ୍ର। ତୁମପରି ଧର୍ମଭୀରୁ ମାନେ ସେଇ ଅଜ୍ଞାତ ସତ୍ତା ପଛରେ ଯୁଗ ଯୁଗ ଧରି ଅନ୍ଧ ପରି ଗୋଡେଇ ଚାଲିଛ। କଣ ପାଇଛ, କେବେ ନିଜକୁ ପଚାରିଛ? କେବେ ଯଦି ମନର ନିଭୃତ କୋଣରୁ ଭଗବାନଙ୍କର କୃପାବର୍ଷାର ହିସାବ ନିକାଶ କାଢି ଦେଖିବ, ତେବେ ଜାଣି ପାରିବ ଏତେ ବର୍ଷ ଧରି ତୁମେ ମାନେ କିପରି ଭାବରେ ଶୋଷିତ ହୋଇଚାଲିଛ। ଶଠ,ପାଖଣ୍ଡି ପୂଜକ ମାନଙ୍କ ଇନ୍ଦ୍ରଜାଲରେ ପଡି ହନ୍ତସନ୍ତ ହେଲେ ବି, ତୁମ ମାନଙ୍କର ଚେତା ପଶୁନି ଯେ, ଆହୁରି “ଠାକୁର” “ଠାକୁର” କହି ପାଗଳ ହେଉଛ? ମୁନାର ଏପରି କଥା ଶୁଣି ସାଙ୍ଗ ମନେ ଚୁପ ହୋଇ ବସି ରହିଲେ। ସେମାନେ ଜାଣିଥିଲେ ଯେ ମୁନା ଯେତେବେଳେ ତା ଅତୀତ ବିଷୟରେ ଭାବେ ସେ ପାଗଳପ୍ରାୟ ହୋଇଯାଏ। ଜୀବନରେ ଘଟି ଯାଇଥିବା ହୃଦୟବିଦାରକ ଘଟଣାବଳୀର ଭୀଷଣ ଆଘାତରେ ଜର୍ଜରିତ ମୁନା, ଭଲମନ୍ଦର ହିସାବ ରଖିବା ଭୁଲି ସାରିଥିଲା ବହୁତ ଦିନରୁ। ଧର୍ମ, ଦେବତା, ଠାକୁର ଆଦି ନାମ ଶୁଣିଲେ ସେ ଚିହିଁକି ଉଠୁଥିଲା। ତଥାପି ସେମାନେ ସାହାସ କରି ମୁନା କୁ ବୁଝାଇବାକୁ ଚେଷ୍ଟା କରି କହିଲେ-- ସେମିତି କହନି ରେ ସାଙ୍ଗ, ଆଜି ପରା କାଳିଆର ସୁନାବେଶ। ତା ଧାମକୁ ଆସି ଯଦି ଆମେ ଏମିତି ନାସ୍ତିକଙ୍କ ପରି କଥା ହେବା କେମିତି ଚଳିବ କହିଲୁ? ଏତିକି ଶୁଣିବା ପରେ ମୁନାର କ୍ରୋଧ କାହିଁ କେତେ ଗୁଣ ବଢିଗଲା, ସେ ପୁଣି ଚିତ୍କାର କରି କହିଲା – – ମଣିଷର ଦୁର୍ବଳ ମାନସିକତାର ପ୍ରତିଫଳନ ହେଲା “ଭଗବାନ” ନାମକ ଶବ୍ଦଟି। ତୁମ ମାନଙ୍କର ସେ ଜଗା କାଳିଆ ରହୁଥିବା ମନ୍ଦିରରେ, କେବଳ ନିରୀହ ମଣିଷ ମାନଙ୍କର ସରଳ ବିଶ୍ବାସର ବଳୀ ପଡେ। କୃପା ଓ ଆଶିଷ ନାମରେ ଲୋକ ମାନଙ୍କ ଠାରୁ ଲୁଟ୍ କରାଯାଏ ଟଙ୍କା। ତଥାପି ଲୋକେ କଳାଠାକୁରଙ୍କ ନାମ ଶୁଣି ପାଗଳ ହୁଅନ୍ତି। ଘର ଦ୍ବାର ଛାଡି, ସେହି ଭଗବାନ ନାମକ ଅଦୃଶ୍ଯ ସତ୍ତା ପଛରେ ଅନ୍ଧ ପରି ଗୋଡାନ୍ତି। କେବେ ସେ ଲୋକଙ୍କୁ ପଚାରି ଦେଖ, ସେମାନେ ଜୀବନ ରେ ପାଇଛନ୍ତି କ’ଣ? ମୋତେ ପଚାର, ମୁଁ କହିବି ସେମାନେ କଣ ପାଇଛନ୍ତି --- କେବଳ ଲୁହ, କ୍ଷୋଭ,ବିଚ୍ଛେଦ, ବିଫଳତା, ଦାରିଦ୍ର୍ଯତା ଓ ନିସଃଙ୍ଗତା ବ୍ଯତୀତ ଅନ୍ଯ କିଛି ନୁହଁ। ପାଗଳ ଙ୍କ ପରି ଗପି ଚାଲିଥିଲା ମୁନା ମନକୁ ଯାହା ଆସିଲା। ଅବଶ୍ଯ କିଛି ସମୟ ପରେ ପ୍ରକୃତିସ୍ଥ ହୋଇ ସାଙ୍ଗ ମାନଙ୍କୁ କହିଲା-- ମୋତେ କ୍ଷମା କରିଦେବ, ମୁଁ ଭାବବିହ୍ବଳ ହୋଇ କଣ ସବୁ ଏପଟ ସେପଟ କହିଦେଲି। ବେକାରଟାରେ ତୁମ ମାନଙ୍କର ମୁଡ୍ ଖରାପ କରିଦେଲି। ତୁମ ମାନଙ୍କୁ ମନ୍ଦିର ପାଖରେ ଛାଡି ସମୁଦ୍ର କୂଳରେ କିଛି ସମୟ କାଟିବି। ତୁମ କାମ ସରିଲେ ମୋତେ ଫୋନ୍ କରିଦେବ। ରାତିରେ ହୋଟେଲରେ ରହି ସକାଳେ ଫେରିଯିବା। ଯେତେ ଚେଷ୍ଟା କଲେ ମଧ୍ଯ ଗାଡି ଆଗକୁ ଗଡିବାର ଉପାୟ ଦିଶୁନି। ମୋଟରସାଇକେଲ, ସାଇକେଲ,ରିକ୍ସା ଓ ପାଦଚଲା ଲୋକଙ୍କ ଭିଡ ଭିତରେ ଗାଡି ଟି ଅଦୃଶ୍ଯପ୍ରାୟ ଦିଶୁଛି। ଜଗନ୍ନାଥଙ୍କର ସୁନାବେଶ ପାଇଁ ନାହିଁ ନ ଥିବା ଭିଡ। ଯାହା ଜଣା ପଡୁଛି, କାର ପାର୍କିଂ ଯାଗା ପର୍ଯ୍ଯନ୍ତ ଗାଡି ନେଇ ଯିବା ସମ୍ଭବ ନୁହଁ। ସାଙ୍ଗ ମାନଙ୍କୁ କହିଲା ସେହି ଜାଗାରୁ ଓହ୍ଲାଇ ରିକ୍ସାରେ ମନ୍ଦିର ଯାଏ ଯିବାପାଇଁ। ବୁଲୁ କୋମଳ କଣ୍ଠରେ ମୁନା କୁ କହିଲା-- ଆରେ ସାଙ୍ଗ କେତେ ଦିନ ଏମିତି ରାଗ ରଖି ରହିବୁ ଠାକୁରଙ୍କ ଉପରେ। ଆଜି ଚାଲ୍ ଯିବା ତାଙ୍କ ପାଖକୁ। ମନ୍ଦିର ଯିବାକୁ ପଡିବନି, ସେ ତ ରଥ ଉପରେ ବସିଥିବେ। ଭାଗ୍ଯରେ ଥିଲେ ରଥ ଉପରେ ଚଢି ତାଙ୍କୁ କୋଳେଇ ଧରି ନିଜର ସବୁ ଦୁଃଖ ଜଣାଇ ପାରିବୁ। ଆଜି ପରା ସୁନାବେଶ। କାଳିଆ କୁ ଆଜି ଦିନରେ ଯାହା ମାଗିବୁ ସେ ଦେବ। ମୁନା ଗୁରୁଗମ୍ଭୀର ସ୍ବର ରେ କହିଲା-- ତୋ ଠାକୁର ମୋ ମିତା ଓ ବାପାମାଆଙ୍କୁ କୁ ଫେରେଇ ଦେଇ ପାରିବେ? ମୋ ସୁନା ସଂସାର କୁ ପୁଣି ଥରେ ମୋତେ ଦେଇ ପାରିବେ କି? ତୋର ସେ କଳାଠାକୁର ର ଦେହ ପରି ମନ ମଧ୍ଯ କଳା। ସେ ଦୁଃଖ ଛଡା କାହାକୁ କେବେ ଖୁସି ଦେଇଛି ଯେ ମୋତେ ଦେବ? ଛାଡ୍ ସେ କଥା। ତୁମେ ଚଞ୍ଚଳ ଯାଅ, ଭିଡ ବହୁତ ବଢିଗଲାଣି। ସେ ଗାଡି ଭିତରେ ବସି ରହିଲା ଓ ସାଙ୍ଗ ମାନେ ତା ପିଠିରେ ହାତ ଥାପୁଡାଇ ସେ ଯାଗାରୁ ଚାଲିଗଲେ। ଆଜି ଆଖି ଆଗରେ ଅତୀତର ସେ ସ୍ବର୍ଣ୍ଣାଭ ଦିନ ସବୁ ନାଚିଯାଉଛି। ମିତା ସହ ବିଭାଘର ପରେ ତା ଜୀବନ, ଖୁସି ଓ ପୂର୍ଣ୍ଣତାରେ ଭରି ଉଠିଥିଲା। ତା ପରି ମିତା ମଧ୍ଯ ଇଶ୍ବର ବିଶ୍ବାସୀ ଥିଲା। ଥରେ ଥରେ ମିତା କୁହେ-- ଭଗବାନଙ୍କୁ କେତେ ଡାକିଥିଲି ମୋ ଜୀବନରେ ଜଣେ ରାଜକୁମାର ଆସୁ ବୋଲି, ସେ ଏତେ ଦୟାଳୁ ଯେ ମୋତେ ତୁମ ପରି ଜଣେ ସମ୍ରାଟ୍ ଙ୍କୁ ଦେଲେ। ବାପାମାଆ ଓ ମିତାଙ୍କୁ ନେଇ ତା ଘରଟି ହସଖୁସି ରେ ପୂରି ଉଠିଥିଲା। ବାପାମାଆଙ୍କର ସେବା କରିବା, ଘରକରଣା କାମ କରିବା ଓ ଧର୍ମକର୍ମ କାମରେ ତାକୁ ସାହାଯ୍ଯ କରିବାରେ କେବେ ଅବହେଳା କରେନି ମିତା। ସେମିତି ବି , ମୁନା ପିଲାବେଳୁ ଇଶ୍ବର ବିଶ୍ବାସୀ। ଏପରିକି ସେ ପିଲାଦିନରୁ ଆମିଷ ତ୍ଯାଗ କରିଥିଲା। ଘରେ ସବୁ ଦେବାଦେବୀଙ୍କର ଫଟୋ ପୂଜା ପାଇବା ସହ, ମଝିରେ ମଝିରେ ହୋମ ଯଜ୍ଞର ଆୟୋଜନ ମଧ୍ଯ ହେଉଥିଲା। ସେ ଜଗନ୍ନାଥଙ୍କର ବହୁତ ବଡ ଭକ୍ତ ଥିଲା। ବର୍ଷରେ ତିନି ଚାରିଥର ପୁରୀ ନ ଗଲେ ତା ମନରେ ଶାନ୍ତି ଆସୁ ନ ଥିଲା। ନିତିଦିନ ସକାଳୁ ଗାଧୁଆ ସାରି ତାଙ୍କ ସହରରେ ଥିବା ଜଗନ୍ନାଥ ମନ୍ଦିର ଯିବା ଅଭ୍ଯାସ, ମୁନା ପିଲା ବେଳୁ ରଖିଥିଲା। ନିଜର ପରିଶ୍ରମ, ଦେବ ଆଶିର୍ବାଦ ଓ ପିତାମାତାଙ୍କ ଆଶିଷ ବଳରେ ମୁନା ଭଲ ଚାକିରି ପାଇବା ସହ ଜୀବନରେ ଢେର ଉନ୍ନତି ମଧ୍ଯ କରିଥିଲା। କୋମଳ ବଚନ ଓ ମଧୁର ବ୍ଯବହାର ପାଇଁ ସବୁ ଲୋକ ତାକୁ ବେଶ୍ ଭଲ ପାଉଥିଲେ। ଥରେ ମିତା ଜିଦ୍ ଧରି ବସିଲା ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ। ତା ର ମନ ଥିଲା ବାପାମାଆଙ୍କୁ ସାଙ୍ଗରେ ଧରି ପୁରୀ ଯାଇ, ଜଗନ୍ନାଥଙ୍କୁ ଦର୍ଶନ କରି ଅବଢା ପାଇଲା ପରେ ସମୁଦ୍ର କୂଳରେ କିଛି ସମୟ ବିତାଇବା। କୌଣସି ମତେ ବାପାମାଆଙ୍କୁ ରାଜି କରାଇବାରେ ସଫଳ ହେବା ପରେ ମିତା ମନର କଥା ମୁନା କୁ ଜଣାଇଥିଲା। ଅଫିସ୍ ରୁ ଛୁଟି ନେଇ ମୁନା ତା କାରରେ ସେଦିନ ପାହାନ୍ତି ପହରରୁ ବାହାରିଲା ପୁରୀ। ସାଙ୍ଗରେ ବାପାମାଆ ଓ ମିତା। ସମସ୍ତଙ୍କ ମନରେ ଅପାର ଆନନ୍ଦ। ଏତେ ଦିନ ପରେ ସାରା ପରିବାର ପୁରୀ ଯାଇ ଠାକୁର ଦର୍ଶନ କରିବେ ଓ ବୁଲାବୁଲି କରିବେ। ମିତାର ପାଦ ଖୁସି ରେ ତଳେ ପଡୁ ନ ଥାଏ। ମୁନା ଗାଡି ଚଲାଉଥିଲା ବେଳେ ତା ପାଖରେ ବସି ନାନା ଫରମାଇସ୍ କରିବାରେ ସେ ବ୍ଯସ୍ତ ଥାଏ। ପୁରୀରୁ ମୂର୍ତ୍ତି କିଣାହେବ, ବଳିତା ଅଣାଯିବ , ଫେଣୀ ଓ ଗଜା ମଧ୍ଯ ଆସିବ ପାଖ ପଡୋଶୀଙ୍କୁ ବାଣ୍ଟିବା ପାଇଁ। ଯଦି ସୁବିଧା ହବ, ସମୂଦ୍ରକୂଳରୁ ଭଲ ଦକ୍ଷୀଣାବର୍ତ୍ତ ଶଙ୍ଖ ବି ଆସିବ। ଆହୁରି କେତେ କଣ। ପିଲାଙ୍କ ପରି ସେ ଖୁସି ରେ ଲୋଟି ପଡୁଥିଲା। ବାପାମାଆ ପଛ ସିଟରେ ଆଖି ବନ୍ଦ କରି ଶୋଇବାର ପ୍ରାୟାସ କରୁଥିଲେ। କାର୍ ଭିତରେ ଜଗନ୍ନାଥଙ୍କର ସୁମଧୁର ଭଜନ ବାଜି ଚାଲିଥିଲା। ଏକ ପ୍ରକାର ଆଧ୍ଯାତ୍ମିକ ପୂର୍ଣ୍ଣତାରେ ମୁନାର ମନ ରୋମାଞ୍ଚିତ ହୋଇ ଉଠୁଥିଲା। କାରରେ ରଖାଯାଇଥିବା ଜଗନ୍ନାଥଙ୍କ କୁନି ମୂର୍ତ୍ତିକୁ ଚାହିଁ ସେ ନିଜର କୃତଜ୍ଞତା ଜଣାଉଥିଲା। ରାସ୍ତାରେ ସେମିତି ବିଶେଷ ଗହଳି ନ ଥିଲା, ଲାଗୁଥିଲା ସେମାନେ ଜଲଦି ପୁରୀରେ ପହଞ୍ଚିଯିବେ। ସାକ୍ଷୀଗୋପାଳ ପାର ହୋଇଯିବା ପରେ ରାସ୍ତା କଡରେ ଥିବା ନଡିଆ ଗଛ ଗୁଡିକୁ ଦେଖି ମୁନାର ପିଲା ଦିନ କଥା ମନେ ପଡିଯାଉଥିଲା। ସେ ସାନ ଥିଲା ବେଳେ ବସ୍ ରେ ବସି ପୁରୀ ଆସୁଥିଲା ବପାମାଆଙ୍କ ସାଙ୍ଗରେ। “କେତେବେଳେ ଆମେ ପହଞ୍ଚିବା” ପ୍ରଶ୍ନରେ ବାପାଙ୍କୁ ବ୍ଯତିବ୍ଯସ୍ତ କରି ପକାଉଥିବା ବେଳେ, ବାପା କୁହନ୍ତି – ହେଇ ଦେଖ୍ ନଡିଆ ଗଛ ସବୁ ଦିଶିଲାଣି, ଆଉ ଅଳ୍ପ ସମୟରେ ପହଞ୍ଚିଯିବା। ଏତେ ବର୍ଷ ବିତି ଯାଇଥିଲେ ମଧ୍ଯ ମୁନା ମନରେ ବାପାଙ୍କର ସେ କଥା ଘର ବାନ୍ଧି ରହିଯାଇଥିଲା । ତେଣୁ ନଡିଆ ଗଛ ଦେଖି ସେ ଉତ୍ସାହିତ ହୋଇ ସମସ୍ତଙ୍କୁ କହିଲା-- – ହେଇ ଦେଖ ନଡିଆଗଛ ସବୁ ଦିଶିଲାଣି, ଆଉ କମ୍ ସମୟରେ ପହଞ୍ଚିବା ପୁରୀରେ। ପଛ ସିଟ୍ ରୁ ବାପା ମୁରୁକିହସା ଦେଇ କହିଲେ-- ହେଇ ଦେଖ ବୋହୁ ମା, ତୁମ ସ୍ବାମୀ ପିଲା ଥିଲା ବେଳେ ଏଇ କଥା କହି ମୁଁ ତାକୁ ଭୁଲଉଥିଲି, ଆଉ ଆଜି ଏକା କଥା କହି ଆମ ସମସ୍ତଙ୍କୁ ଭୁଲଉଛି। ବଡ ବୁଦ୍ଧିଆ ସ୍ବାମୀ ପାଇଛ ତୁମେ। ଗାଡି ଭିତରେ ସମସ୍ତେ ହସି ଉଠିଲେ। ଠିକ୍ ସେତିକି ବେଳକୁ ପ୍ରଚଣ୍ଡ ଶବ୍ଦରେ କାନ ତାବଦା ପଡିଯିବା ପରି ଲାଗିଲା। ମୁନାର କେବଳ ଏତିକି ମନେ ଅଛି ଯେ ପାଖ ଲୋକ ମାନେ ଭୀଷଣ ଚିତ୍କାର କରୁଥିଲେ ଓ ତା ସାଙ୍ଗକୁ ମିତା ଓ ବାପାମାଆଙ୍କର ଛାତି କୁ ବିଦୀର୍ଣ୍ଣ କଲାପରି ବିକଳ କ୍ରନ୍ଦନ ଶୁଭୁଥିଲା। ତା ପରେ କଣ ହେଲା ସେ ଜାଣିନି। ଡାକ୍ତରଖାନାର ଶେଯରେ ନିଜକୁ ଆବିଷ୍କାର କରି ପାଗଳପ୍ରାୟ ହୋଇ ସମସ୍ତଙ୍କ କଥା ପଚାରିଲା ବେଳକୁ ଜାଣିଲା-- ଗୋଟିଏ ଦଶ ଚକିଆ ଟ୍ରକ କାର ର ପଛ ପଟରୁ ଧକ୍କା ଦେଇ ଗାଡି ଉପରେ ପ୍ରାୟ ଚଢି ଯାଇଥିଲା। ଘଟଣାସ୍ଥଳରେ ତା ବାପାମାଆ ଓ ମିତା ମୃତ୍ଯୁବରଣ କରିଥିଲେ ଓ ବଡ କଷ୍ଟରେ ଗ୍ଯାସ୍ କଟର୍ ରେ କାଟି ତାକୁ ଗାଡି ଭିତରୁ ଉଦ୍ଧାର କରାଯାଇଥିଲା। ଏ ଦାରୁଣ ଖବର ଦେବା ଲୋକଟି ମଧ୍ଯ ଆଖିର ଲୁହ ରୋକି ପାରିଲା ନାହିଁ। ସେ କେବଳ ଏତିକି କହିଲା ଯେ – ବାବୁ, ତୁମକୁ ସେ ଜଗନ୍ନାଥ ବଞ୍ଚେଇଦେଲେ। ନହେଲେ ଏମିତି ଦୁର୍ଘଟଣାରେ କେହି ବଞ୍ଚିବାର ଆଶା ବହୁତ କମ୍ ଥାଏ। ମୁନାର ମୁଣ୍ଡରେ ଏକା ସମୟରେ ଶହ ଶହ ଆଗ୍ନେୟଗିରୀ ବିସ୍ଫୋରିତ ହେଉଥିଲା। ତା ସମ୍ମୁଖରେ ଏପରି ଏକ ବାସ୍ତବତା ଦଣ୍ଡାୟମାନ ବୋଲି ବିଶ୍ବାସ କରିବାକୁ ସେ ପ୍ରସ୍ତୁତ ନ ଥିଲା। ମନ ଭିତରେ ଦୁଃଖ, କ୍ରୋଧ,ଘୃଣା ଓ ବିଦ୍ରୋହଭାବର ସୁନାମୀ ଆସିବା ପରି ଲାଗୁଥିଲା। ଅତି କଷ୍ଟରେ ସେ ଜଗନ୍ନାଥଙ୍କ ଉଦ୍ଦେଶ୍ଯରେ କେବଳ ଏତିକି କହିଥିଲା-- ଛିଃ, ତୁମକୁ ମୁଁ ଆଜିଯାଏ ମୋର ସବୁ କିଛି ବୋଲି ମନେ କରି ପୂଜା କରୁଥିଲି। ଏଡିକି ବିଶ୍ବାସଘାତୀ ତୁମେ! ମୋର ସର୍ବସ୍ବ ଲୁଣ୍ଠନ କରି କାଙ୍ଗାଳ କରିଦେଲ। ତୁମ ଦର୍ଶନ ପାଇଁ ସେମାନେ ଯାଉଥିଲେ, ସେମାନଙ୍କୁ ତୁମେ ମାରି ପାରିଲ କେମିତି? କି ଦୋଷ ବା ପାପ କରିଥିଲେ ସେମାନେ? ଧିକ୍ ତୁମ ଠାକୁର ପଣିଆକୁ, ଧିକ୍ ତୁମର ଅସ୍ତିତ୍ବ। ତୁମ ଦେହ ପରି ମନ ମଧ୍ଯ କଳା, ତୁମେ ଠାକୁର ନୁହଁ, ଅସୁର ଠାରୁ ମଧ୍ଯ ହୀନ। ଦ୍ବାପର ଯୁଗରେ ସମସ୍ତଙ୍କୁ କଳି ଲଗେଇ ମାରିଲ, ଏପରିକି ନିଜ ବଂଶ ଲୋକଙ୍କୁ ବି ଛାଡିଲନାହିଁ ; ମୋ ପରିବାର ପରି ତୁମର ଦୟା ଆସିବ କୁଆଡୁ?? ମୁଁ ନିର୍ବୋଧ ତୁମ ନାମ ଜପ କରି ପାଗଳ ହେଉଥିଲି। ମିତା ତୁମ ପାଖକୁ ଯିବାକୁ ଯିଦ୍ ନ କରିଥିଲେ, ଆଜି ମୋ ସୁନାସଂସାର ହସୁଥାଆନ୍ତା। କଣ କଲ ତୁମେ!!! ଆଜିଠାରୁ ତୁମ ସହ ସମସ୍ତ ସମ୍ପର୍କ ମୁଁ ଛିନ୍ନ କଲି। ଭଗବାନ ନାମକ ଅସ୍ତିତ୍ବ ମୋ ପାଇଁ ଆଜିଠାରୁ ସମାଧି ନେଲା। ବହୁତ ଦିନ ଯାଏ ମୁନା ପାଗଳଙ୍କ ପରି ବୁଲିଲା। ଆତ୍ମହତ୍ଯାର ପ୍ରୟାସ କରି ବିଫଳ ହେଲା ଅନେକ ଥର। ଶେଷରେ ବନ୍ଧୁବାନ୍ଧବ ମାନେ କୌଣସି ମତେ ତାକୁ ପ୍ରକୃତିସ୍ଥ କରାଇବା ପରେ, ସେ ସାଧାରଣ ଜୀବନ ବଞ୍ଚିବାକୁ ଆରମ୍ଭ କଲା। କିନ୍ତୁ ସେ ବଞ୍ଚିବା ମୃତ୍ଯୁଠାରୁ ଭୟଙ୍କର ଥିଲା। ଦିନରାତି ଚବିଶ ଘଣ୍ଟା ମଦ ନିଶାରେ ଚୁର୍ ଥିବା ମୁନା, ନିଜର ଅତୀତ କୁ ଭୁଲିବାକୁ ଚେଷ୍ଟା କରି ସଫଳ ହେଉ ନ ଥିଲା। ସେଦିନର ଦୁର୍ଘଟଣା ତା ଜୀବନ କୁ ଖିନ୍ ଭିନ୍ କରିଦେଇଥିଲା। ସେ ପାଲଟି ଯାଇଥିଲା ଘୋର ନାସ୍ତିକ। ଧର୍ମ ନାମକ ଶବ୍ଦଟି ତା ସମ୍ମୁଖରେ ଉଚ୍ଚାରିତ ହେବା ମାତ୍ରେ ; ସେ ପାଗଳଙ୍କ ପରି ପ୍ରଳାପ କରି ଅଭିସମ୍ପାତ୍ ମାନ ବର୍ଷା କରୁଥିଲା। ସ୍କୁଲ ଦିନର ସାଙ୍ଗ ମାନଙ୍କର ବାରମ୍ବାର ଅନୁରୋଧ କୁ ଏଡାଇ ନ ପାରି ସେ ପୁରୀ ଆସିଥିଲା ଗୋଟିଏ ସର୍ତ୍ତରେ “ତାକୁ କେହି ଠାକୁରଙ୍କ ପାଖକୁ ଯିବା ପାଇଁ ବାଧ୍ଯ କରିବେନାହିଁ”। ଭିଡ ଭିତରେ ଗାଡି ଆଗକୁ ଯାଇ ନ ପାରିବାରୁ ସେ ଗୋଟିଏ ଗଛ ମୂଳରେ ଗାଡି ରଖି ସିଗାରେଟ୍ ପିଇବାକୁ ଆରମ୍ଭ କଲା । ସେତିକି ବେଳେ କାହା ଡାକ ଶୁଣି ପ୍ରକୃତିସ୍ଥ ହୋଇ ଦେଖିଲା, ଜଣେ ବୃଦ୍ଧ ଲୋକ ହାତରେ ପୁଟୁଳିଟିଏ ଧରି ତାକୁ ହାତ ଠାରି ଡାକୁଥିଲେ। ପାଖକୁ ଯାଇ ଘଟଣା କଣ ବୁଝିଲା ବେଳକୁ ଜାଣିଲା, ଲୋକଟି ଘରେ ପହଞ୍ଚିବା ନିହାତି ଜରୁରୀ। ଗାଡି ମୋଟର ତାକୁ ନେବାକୁ ରାଜି ହେଲେନି ବୋଲି ସେ ମୁନା ପାଖକୁ ଆସିଛି। ଲୋକଟିକୁ ଗୋଡରୁ ମୁଣ୍ଡ ଯାଏ ଥରେ ଦେଖିନେଲା ମୁନା, ସାଧାରଣ ବେଶଭୂଷା ବିଶିଷ୍ଟ କଳା ମଚମଚ ରଙ୍ଗର ଲୋକଟି । ହସହସ କଳା ମୁହଁ ସାଙ୍ଗକୁ ଆଖିରେ ସମୁଦ୍ରର ଗଭୀରତା । ସେ ପୁଟୁଳିରେ କଣ ଧରିଛି କେଜାଣି, ଓଜନ ରେ ଭୁଷୁଡି ଗଲା ପରି ଲାଗୁଛି। ସବୁଠାରୁ ରୋଚକ ଥିଲା ଲୋକଟି ମୁଣ୍ଡରେ ପଗଡି ଟୋପି ଟି। ସେ ଟୋପିରେ ମୟୁର ପୁଚ୍ଛଟିଏ ଅତି ସୁନ୍ଦର ଭାବରେ ଲଗା ଯାଇଛି। ତା ସାଙ୍ଗକୁ ଅଣ୍ଟା ରେ ଖୋସା ଯାଇଛି ଏକ ବଂଶୀ। ମନେମନେ ମୁନା ଭାବିଲା ଲୋକଟି କେଉଁ ଯାତ୍ରା ପାର୍ଟିରେ କାମ କରୁଛି କି ଆଉ? ନୋହିଲେ ଏପରି ବେଶରେ ନିଜକୁ ସଜାଇଛି କଣ ପାଇଁ। ସେ ଅତି ବେପରୁଆ ଭାବରେ କହିଲା – ଆଛା ମଉସା, ମୁଁ ତୁମକୁ ମୋ ସାଙ୍ଗରେ ନେବି ବୋଲି ତୁମେ କେମିତି ଭାବିଲ? ତୁମେ ପରା ଦେଖୁଛ, ଭିଡରେ ପଶି ହେବନି ବୋଲି ଏ ଗଛ ମୂଳେ ଆରାମରେ ବିଶ୍ରାମ କରୁଛି, ତେବେ ତୁମକୁ ନେବା ପ୍ରଶ୍ନ ଉଠିଲା କୁଆଡୁ? ସେମିତି କୁହନି ବାବୁ, ତେଣେ ମୋର ଭାଇ ଭଉଣୀ ଦୁଇଜଣ ଅପେକ୍ଷା କରିକରି ବିରକ୍ତ ହୋଇଯିବେଣି । ଠିକ୍ ସମୟରେ ନ ପହଞ୍ଚିଲେ ବଡ ଅସୁନ୍ଦର କଥା ହେବ। ମୁନା ଭାବିଲା ଲୋକଟିର ମୁଣ୍ଡ ଦୋଷ ଅଛି ବୋଧେ। ନୋହିଲେ ଏମିତି ଅସଙ୍ଗତ ବାହାନା ଦେଖାଇ ତାକୁ ଯିବାକୁ ବାଧ୍ଯ କରୁଛି କିପରି? ମନର ଭାବକୁ କୌଣସି ମତେ ଚାପି କହିଲା --- – ଯଦି ଏତେ ଡର ଥିଲା ଭିଡ ହେବା ଆଗରୁ ଚାଲି ଯାଇଥାଆନ୍ତ, ଏ ଅବସ୍ଥାରେ କିପରି ତୁମେ ପହଞ୍ଚିବ ମୋତେ ଟିକେ କହିଲ? ଧରାଯାଉ ମୁଁ ତୁମକୁ ମୋ ଗାଡିରେ ନେବାକୁ ରାଜି ହୋଇଯିବି, ତା ପରେ ମଧ୍ଯ ମୋ ଗାଡି କିପରି ଯିବ ଏ ଭିଡ ଭିତରେ। ମୁଁ ଏମିତି କେଉଁ ଦେଶର ରାଷ୍ଟ୍ରପତି ଯେ ମୋତେ ସବୁ ବାଟ ଛାଡିଦେବେ। – – ହଁ ବାବୁ ସତ କହିଲ, ଟିକେ ଆଗରୁ ମୁଁ ଚାଲିଯାଇଥିଲେ ଭଲ ହୋଇଥାଆନ୍ତା, କିନ୍ତୁ ମୋର ଜଣେ ବନ୍ଧୁ ଆଜି ପୁରୀ କୁ ଆସୁଛନ୍ତି ଖବର ପାଇ ଦଉଡି ଆସିଲି। ମୋ ଉପରେ ରାଗି ସେ ବହୁତ ଦିନ ହେଲାଣି କଥାବାର୍ତ୍ତା ବନ୍ଦ କରି ଦେଇଛନ୍ତି। ଏପରିକି ମୋ ମୁହଁ ମଧ୍ଯ ଚାହୁଁ ନାହାଁନ୍ତି। ମୋର କିଛି ଦୋଷ ନ ଥାଇ ମଧ୍ଯ ମୁଁ ଦୋଷୀ ହୋଇଯାଇଛି। ତାଙ୍କ ମାନଭଞ୍ଜନ କରିବାକୁ ଆସଥିଲି, ଖୋଜିଖୋଜି ପାଇଲିନି ବୋଲି ମନ ଦୁଃଖରେ ଫେରିବାକୁ ବାଧ୍ଯ ହେଉଛି। ସେ ଲୋକଟିିର କାହାଣୀ ଶୁଣିବାକୁ ତିଳେ ମାତ୍ର ଆଗ୍ରହ ନଥିଲା ମୁନାର। ସେ କୌଣସି ପ୍ରକାରେ ସମୁଦ୍ର କୂଳରେ ପହଞ୍ଚିବାକୁ ଚାହୁଁଥିଲା। ଭାବିଲା ଏ ଲୋକଟି ସ୍ଥାନୀୟ ବାସିନ୍ଦା ପରି ଜଣାପଡୁଛି। କିଛି ଗୋଟେ ସର୍ଟକର୍ଟ ରାସ୍ତା ଜାଣିଥିଲେ ଭିଡ କାଟି ଆରାମରେ ଯାଇ ହେବ। ନରମ ଗଳା ସେ ଲୋକଟିକୁ କହିଲା – ଆଛା ଠିକ୍ ଅଛି ମୁଁ ତୁମକୁ ମୋ ସାଙ୍ଗରେ ନେଇଯିବି। ମୋର ସମୁଦ୍ର କୂଳକୁ ଯିବାର ଅଛି। କିଛି ଏମିତି ବାଟ କୁହ ଯେଉଁବାଟରେ ଆମେ ଭିଡରେ ନ ଫସି ଯାଇପାରିବା। – – ହଁ ବାଟ ତ ନିହାତି ଅଛି। ଏତିକି କହି ଲୋକଟି ଶାନ୍ତିରେ ନିଶ୍ବାସ ମାରି ଗାଡିରେ ବସିଲା। ହାତରେ ସେ ପୁଟିଳିିଟି ଜାକି ଧରିଥାଏ। ମୁନା ଗାଡି ଷ୍ଟାର୍ଟ କରି ବାଟ ପଚାରିବାରେ ଲାଗିଲା। ଲୋକଟିର କଥା ଅନୁସାରେ ଗାଡିଟି କେତେ କିଲୋମିଟର ପଛକୁ ନେଇ, ଅନ୍ଯ ଏକ ରାସ୍ତାରେ ସେମାନେ ଯିବାକୁ ଲାଗିଲେ। ମୁନା ଅନୁଭବ କଲା ଗାଡି ଭିତରଟା ଚନ୍ଦନ, କର୍ପୂର ବାସ୍ନାରେ ମହକି ଯାଉଛି। ସେ ଅନୁମାନ କଲା ଲୋକଟି ନିହାତି ପୁରୋହିତ କାମ କରୁଥିବ। ପୁଟୁଳି ଭିତରେ ଦାନ, ଦକ୍ଷିଣା ମେଞ୍ଚେ ଧରି ଘରକୁ ଫେରୁଥିବ। ଗାଡିଟି କିଛି ବାଟ ଯିବା ପରେ ମୁନା ସେ ଲୋକଟି ସହ ଗପିବାକୁ ଆରମ୍ଭ କଲା, କାରଣ ସେ ଲୋକର ଉପସ୍ଥିତି ତା ପାଇଁ ବେଶ୍ ଶାନ୍ତିପ୍ରଦ ଥିଲା। କଥାଛଳରେ ସେ ଜାଣିବାକୁ ପାଇଲା, ଲୋକଟି ମନ୍ଦିର ପାଖରେ ରହୁଛି ଓ ଏକ ଦୋକାନ ମଧ୍ଯ କରିଛି। ସେ ଦୋକାନ ରେ ପୂଜାସାମଗ୍ରୀ ଓ ଭୋଗ ଆଦି ବିକ୍ରୀ କରି ଚଳୁଛି। ସେ ଲୋକଟିକୁ ଛିଗୁଲାଇ କହିଲା, – ମୁଣ୍ଡରେ ମୟୂର ପୂଚ୍ଛ ଓ ଅଣ୍ଟାରେ ବଈଁଶି ଧରି ନିଜକୁ ସେ ଧପାବାଜ୍ କାଳିଆ ପରି କାଇଁ ସଜେଇଛ? – – କଣ କରିବି କହିଲ ବାବୁ ମୋର ଏ ଅଭ୍ଯାସ ପିଲା ବେଳରୁ ଅଛି। କଥାରେ ପରା ଅଛି “ଯାହା ନ ହେଲା ବାଳୁତ କାଳେ ତାହା କି ହେବ ପାଚିଲା ବାଳେ”। ପିଲା ବେଳେ ତ ଏ ଅଭ୍ଯାସ ଛାଡି ହେଲାନି, ବୁଢା ବୟସରେ ଛାଡିବି କେମିତି। – – ମଉସା ଆଜି ପରା ସୁନାବେଶ, ଲକ୍ଷଲକ୍ଷ ଲୋକ ଜମା ହୋଇଥିବେ। ଏମିତି ଅବସରରେ ଦୋକାନରେ ବିକ୍ରୀବଟା ନ କରି କାହିଁକି ସାଙ୍ଗଖୋଜି ବାକୁ ଦଉଡି ଆସିଲ ଯେ? – – ଲୋକଟି ଧିର ଅଥଚ ଗଭୀର ଅର୍ଥପୁର୍ଣ୍ଣ ହସ ଚେନାଏ ମୁହଁରେ ଖେଳାଇ କହିଲା-- ଲକ୍ଷଲକ୍ଷ ଲୋକ ଥିଲେ କଣ ହେବ ବାବୁ, ମୁଁ ଯାହାକୁ ଏତେ ଦିନ ଧରି ଖୋଜୁଛି ସେ ଯଦି ନ ଆସିବ ତେବେ କି ଲାଭ? – – କାହିଁକି? ସେ କଣ ତୁମ ପାଖରୁ ବେଶୀ ଜିନିଷ କିଣେ ନା କଣ, ଏତେ ବନ୍ଧୁ ପ୍ରେମର କାରଣ ? – – ସେ ମୋ ପାଖରୁ କିଛି କିଣେନି, କେବଳ ଦିଏ ତା ନିଚ୍ଛକ ଭଲ ପାଇବା ଓ ଅଗାଧ ବିଶ୍ବାସ। ସେ ପିଲା ଟି ଦିନରୁ ମୋର ପ୍ରିୟ। ବହୁତ ଭଲ ପାଏ ମୁଁ ତାକୁ। ଯେତେ ଭଲମନ୍ଦ ହେବ ସେ ଆଗ ମୋତେ ଖୋଜିବ। ଖୁସି ହେଲେ ମୋତେ କହିବ, କାନ୍ଦିଲେ ମୋ ପାଖରେ ଲୁହ ଝରାଇବ। ନିଜ ପାଇଁ କେବେ ସେ ସାହାଯ୍ଯ ମାଗିନି ମୋତେ, ବେଳେ ବେଳେ କୁହେ “ତୋତେ କଣ କହିବି ସାଙ୍ଗ ତୁ ତ ସବୁ ଜାଣୁ”। ହଠାତ୍ ଚମକି ଉଠିଲା ମୁନା, କାରଣ ସେ ଠାକୁର ଙ୍କ ଆଗରେ ପ୍ରାର୍ଥନା କଲା ବେଳେ ଏହି କଥାଟି କୁହେ-- “ତୁମେ ତ ସବୁ ଜାଣ, ତୁମକୁ ମାଗିବି କଣ”। ଲୋକଟି ଗପି ଚାଲିଥିବା ବେଳେ ପଚାରିଲା-- ଆଛା ବାବୁ ତୁମେ ସୁନାବେଶ ନ ଦେଖି ସମୂଦ୍ରକୂଳ ଯିବାକୁ ବାହାରିଛ ଯେ? କଣ କାଳିଆ ପାଖକୁ ଯିବାକୁ ମନ ନାହିଁ? ବନ୍ଦ କର ମଉସା ସେ ଦଗାବାଜ୍, କୂଟନୀତିଆ, କପଟି କାଳିଆ କଥା। ତା ବିଷୟରେ ଗପିବାକୁ ଇଚ୍ଛା ହେଲେ ମୋ ଗାଡିରୁ ଓହ୍ଲାଇ ଚାଲିଚାଲି ଯାଅ। ମୁଁ ତୁମକୁ ନେଇ ପାରିବିନି ମୋ ସାଙ୍ଗରେ। ମୁନା ର ରାଗ ଦେଖି ଲୋକଟି ସଙ୍କୁଚିତ ହୋଇଗଲା। ସିଟ୍ ରେ ପୁଟୁଳିଟିକୁ ଜାକି ନିରୀହ ଆଖିରେ ମୁନା ମୁହଁ କୁ ଚାହିଁ କହିଲା-- ରାଗନି ବାବୁ, ତୁମକୁ ଆଘାତ ଦେବାକୁ ମୁଁ ପଚାରି ନଥିଲି। ସବୁ ଲୋକ କାଳିଆ ପାଖକୁ ଯାଆନ୍ତି ବୋଲି ପଚାରିଦେଲି, କ୍ଷମା କରିଦେବ। ମୋତେ ମଝିରାସ୍ତାରେ ଓହ୍ଲାଇ ଦେଲେ କୁଆଡେ ଯିବି କହିଲ? ବୁଢା ଲୋକ ମୁଁ ଏତେ ବାଟ କଣ ଚାଲିପାରିବି? ଲୋକଟିର ଚାହାଁଣୀରେ କି ଭାବ ଥିଲା କେଜାଣି ମୁନା, ହୃଦୟରେ ଅନୁଭବ କଲା ଭାବନାର ଭୀଷଣ ଚକ୍ରବାତ। ଅତୀତରୁ ବର୍ତ୍ତମାନ ର ଦୃଶ୍ଯାବଳୀ ତା ଆଖି ସାମନାରେ ନାଚିଗଲା। ମନର କୋହ ଚାପି ନ ପାରି ଭୋ ଭୋ କରି କାନ୍ଦି ଉଠିଲା ଓ ସମସ୍ତ କାହାଣୀ ଲୋକଟି ଆଗରେ କହିବାକୁ ଲାଗିଲା। ଗାଡିଟି ରାସ୍ତାପାର୍ଶ୍ବରେ ଛିଡା ହୋଇଥାଏ ଓ ମୁନା ଚିତ୍କାର କରି ମନର ପ୍ରତ୍ଯକ ବେଦନା, ସେ ଲୋକଟି ଆଗରେ କହିଚାଲିଥାଏ ଓ ଅନବରତ କାଳିଆ ଠାକୁରଙ୍କ ପ୍ରତି ଅଭିସମ୍ପାତ୍ ମାନ ବର୍ଷଣ କରିିଚାଲିଥାଏ, କିନ୍ତୁ ,କାହିଁକି ତାହାର କାରଣ ମୁନା କୁ ମଧ୍ଯ ଅଜଣା ଥାଏ। ସେ ଅନୁଭବ କଲା ଲୋକଟି ତା ମୁଣ୍ଡରେ ହାତ ବୁଲେଇ କହୁଛି-- ସେମିତି ଅଧର୍ଯ୍ଯ ହୁଅନି ବାବୁ। ବିଧିର ବିଧାନ କୁ କେହି ଆୟତ୍ତ କରିପାରିବେ ନାହିଁ। ନିୟତି ଓ କାଳ ଏ ଜଗତରେ ସର୍ବ ଶକ୍ତିଶାଳୀ। ମଣିଷ କଣ, ଭଗବାନ ଚାହିଁଲେ ମଧ୍ଯ ନିୟତିର ଗତି କୁ ପରିବର୍ତ୍ତନ କରି ପାରିବେ ନାହିଁ।ମଣିଷର ଜନ୍ମ ବେଳୁ ପ୍ରାରବ୍ଧ କର୍ମ ସାଙ୍ଗରେ ନେଇ ଆସିଥାଏ, କର୍ମଫଳ ଭୋଗ କରିବାକୁ ହେବ। ତାହା ହି ବିଧି ର ବିଧାନ। ସ୍ବୟଂ ଭଗବାନ ମଧ୍ଯ ପ୍ରକୃତ୍ତିର ନିୟମରୁ ବର୍ତ୍ତି ପାରିବେ ନାହିଁ। ମୃତ୍ଯୁ ଏକ ରୂପାନ୍ତର ମାତ୍ର, ସେଥିରେ ବିଚଳିତ ହେବାର କାରଣ ନାହିଁ। ଶରୀର ପରି ଭଙ୍ଗୁର ଓ କ୍ଷୟଶୀଳ ପଦାର୍ଥ କୁ ମୋହ କରି ମୋହଗ୍ରସ୍ତ ହେଲେ, କେବଳ ଦୁଃଖ ବ୍ଯତୀତ କିଛି ମିଳିବ ନାହିଁ। କିନ୍ତୁ ଯିଏ ଆତ୍ମାକୁ ଭଲ ପାଇବା ଶିଖିଛି, ତା ଜୀବନରେ କେବେ ଦୁଃଖ ନାମକ ଭାବ ସ୍ଥାନ ପାଇପାରିବ ନାହିଁ। ଯାହା ହେବାର ଥିଲା ହୋଇଗଲା, ଏବେ ଚାହିଁଲେ କଣ ସେସବୁ ଫେରି ଆସିବ? କିଛି କାରଣ ଥିବ ବୋଲି ଆଜି ତୁମେ ଜୀବନ ଧାରଣ କରିଛ, ନୋହିଲେ ତୁମେ ବି ଆଜି ସେମାନଙ୍କ ଗହଣରେ ଥାଆନ୍ତ। ସେମାନେ ଏବେ ବି ତୁମ ପାଖରେ ଅଛନ୍ତି, ତୁମେ ଅନୁଭବ କଲେ ଜାଣି ପାରିବ। ଦେହ ସିନା ଚାଲିଗଲା ଆତ୍ମା ତ ଅମର, ସେ କୁଆଡେ ଯିବ? ଚର୍ମଚକ୍ଷୁ ସିନା ସେ ଆତ୍ମାର ସ୍ବରୂପ ଜାଣିବାକୁ ଅକ୍ଷମ, କିନ୍ତୁ ଅର୍ନ୍ତଚକ୍ଷୁ ତ ସର୍ବ ଶକ୍ତିଶାଳୀ। ଭଲରେ ଥରେ ମନର ଚକ୍ଷୁରେ ଦେଖିବାର ପ୍ରୟାସ କର। ସବୁ କିଛି ଜଳଜଳ ଦିଶିବ। ମୋ କଥାର ଯଥାର୍ଥତା ଅନୁଭବ କରି ପାରିବ। ମୋହ ତ୍ଯଗ କରି ପ୍ରକୃତ୍ତିସ୍ଥ ହୁଅ। ତୁମେ ଜୀବନ ର ଲକ୍ଷ୍ଯ ପଥରୁ ବିଚ୍ଯୁତ ନ ହୋଇ କର୍ମ କରିଚାଲ। ମୁନା ଅନୁଭବ କଲା ତା ଶରୀର ଭିତରେ ତୁଳସୀ ଓ କର୍ପୂରର ବାସ୍ନା, ରକ୍ତ ସହିତ ପ୍ରବାହିତ ହେଉଛି। ଲୁହ ଛଳଛଳ ଆଖିରେ ଚାରିଆଡକୁ ଦେଖିଲା...ଆଶ୍ଚର୍ଯ୍ଯ ତା ପାଖରେ ମିତା ହସହସ ମୁହଁରେ ବସିଛି। ପଛକୁ ବୁଲି ଦେଖିଲା ବେଳକୁ ବାପାମାଆ ଦୁଇଜଣ ତାକୁ ଚାହିଁ ହସୁଛନ୍ତି। ସେ କଣ କହିବ କିଛି ଭାବି ପାରିଲାନି। ତା ସାମନା ଘଟି ଯାଉଥିବା ଘଟଣା ସବୁ ସ୍ବପ୍ନ ନା ବାସ୍ତବିକତା!! ଅଚାନକ ସେ ଲୋକଟିର ଡାକରେ ପ୍ରକୃତିସ୍ଥ ହେଲା। ଲୋକଟି ପଚାରିଲା-- କଣ ଭାବୁଛ ବାବୁ, ମୋତେ କିଛି କହିବ? – ମଉସା ତୁମେ ମୋତେ କିଛି କହିଲ କି? – କାଇଁ ନାଁ ତ, ମୁଁ ତୁମକୁ କଣ କହିବାର ସାହାସ କରିପାରିବି। ତୁମେ କେତେ ରାଗରେ ଗାଳିଗୁଲଜ କଲ ବୋଲି ମୁଁ କାନରେ ହାତ ଦେଇ ବସିଥିଲି। ମୁନା ନୀରବରେ ଗାଡି ଚଲେଇବାରେ ଲାଗିଲା। କେଜାଣି କାହିଁକି, ସେ ଗାଡି ନେଇ ଯିବା ବେଳେ ଲୋକେ ରାସ୍ତା ଛାଡି ଦେଉଥିଲେ ବା କୌଣସି କାରଣରୁ ରାସ୍ତାରେ ଥିବା ଭିଡ ଆଡେଇ ହୋଇ ଯାଉଥିଲା। କେତେ ଅଜଣା ରାସ୍ତା ଓ ଲୋକଙ୍କ ଭିଡର ସମୂଦ୍ର ଲଙ୍ଘନ କରି ସେ ମନ୍ଦିର ପଛ ପାଖରେ ପହଞ୍ଚିଲା। ସେ ଅନୁଭବ କରୁଥିଲା ତା ମନରେ ଅପୂର୍ବ ପ୍ରଶାନ୍ତ ଭାବ । କିନ୍ତୁ କାହିଁକି? କେଉଁଆଡେ ଅଦୃଶ୍ଯ ହୋଇଗଲା ତାର କ୍ରୋଧ,ଅଭିଶାପ ସବୁ। ମନ ଭିତରେ କିଏ ଜଣେ କହୁଥିଲା-- ଜଗା ରଥ ଉପରେ ବସିଛି, ଏତେ ପାଖକୁ ଆସିଲୁ, ଅଥଚ ତାକୁ ନ ଦେଖି ଚାଲିଯିବୁ? ସେ ବିଡିବିଡେଇ କହିଲା – ନାଁ ଯିବିନି, ମୁଁ ଯମା ଯିବିନି ତା ପାଖକୁ, ସେ ମହା କପଟୀ, ତା ମୁହଁ ଦେଖିବିନି ମୁଁ। – ବାବୁ, ମୋ ଘର ପାଖେଇ ଆସିଲା। ଗାଡିଟିକୁ ଏଇଠି ରଖି ମୋ ସାଙ୍ଗରେ ଟିକେ ଆସିବ? ଏ ପୁଟୁଳିଟା ଧରି ହେବନି ବୋଧେ, ଗାଡିରେ ବସି ମୋ ମୁଣ୍ଡ ଟିକେ ବୁଲେଇବା ପରି ଲାଗୁଛି। ମୁନା ଭାବିଲା ଲୋକଟିକୁ ଏତେ ବାଟ ଯାଏ ଆଣିଲି ଯେତେବେଳେ ଆଉ କିଛି ବାଟ ପାଇଁ ମନା କାହିଁକି କରିବି। ସେ ମୁଣ୍ଡ ହଲାଇ ହଁ ଭରିଲା। ଲୋକଟି ଆଗରେ ଚାଲିଚାଲି ଯାଉଛି ଓ ପୁଟିଳିି ଟି ଧରି ମୁନା ତା ପଛରେ ଚାଲିଛି। ଲୋକଟି ରଥ ଆଡକୁ ମୁହାଁଇବା ଦେଖି ମୁନା ପାଟି କରି କହିଲା--ହୋ ମଉସା, କୁଆଡେ ମାଡି ଯାଉଛ? ମୁଁ ସେ ରଥ ଆଡକୁ ଯିବିନି। ତୁମ ପୁଟିଳି ନିଅ, ମୁଁ ଚାଲିଲି ମୋ ବାଟରେ। – ବାବୁ ଟିକେ ଖାଲି ରଥ ଉପରକୁ ଯାଇ ଚାଲି ଆସିବି। ତୁମେ ଟିକେ ମୋ ପୁଟୁଳିଟି ଧରି ତଳେ ଛିଡା ହୋଇଥିବ। ସାଙ୍ଗେସାଙ୍ଗେ ଯିବି ଓ ଚାଲି ଆସିବି। ମୁନା ର ଉତ୍ତର କୁ ଅପେକ୍ଷା ନ କରି ଲୋକଟି ଜଗନ୍ନାଥଙ୍କ ରଥ ଉପରକୁ ଚଢିଗଲା। ମୁନା ରାଗରେ ଜଗନ୍ନାଥଙ୍କୁ ଦେଖିଲା। ଆଶ୍ଚର୍ଯ୍ଯ ତାଙ୍କ କଳା କଳା ଚକା ନୟନ କୁ ଦେଖି ସେ ବିମୋହିତ ହୋଇଗଲା। ତା ଶରୀରର ପ୍ରତ୍ଯକଟି ରୋମ ଟାଙ୍କୁରି ଉଠିଲା। ନିଜକୁ ଆୟତ୍ତ କରିବା ଅବସ୍ଥାରେ ନ ଥିଲା ସେ। ଏତେ ଦିନ ଧରି ମନ ଭିତରେ ଚାପି ହୋଇ ରହିଥିବା କୋହ ବୁକୁ ଫଟାଇ ଆଖିରୁ ଝରିବାକୁ ଲାଗିଲା। ତା ନଜର ସାମନା ରେ ଲୋକଟି ଜଗନ୍ନାଥଙ୍କ ମୂର୍ତ୍ତ ପଛକୁ ଗଲା, କିନ୍ତୁ ତଳକୁ ଓହ୍ଲାଇଲା ନାହିଁ। ବହୁତ ସମୟ ଅପେକ୍ଷା କରି ସେ ଚାହିଁ ରହିଲା। ତାକୁ ଦିଶିଲା ରଥ ଉପରୁ ତାକୁ ସେ ଲୋକଟି ହାତଠାରି ଡାକୁଛି। ନିଜ ଅଜାଣତରେ କେତେ ବେଳେ ସେ ଜଗନ୍ନାଥଙ୍କ ମୂର୍ତ୍ତି ସମ୍ମୁଖରେ ପହଞ୍ଚି ସାରିଥିଲା। ରଥରେ ଥିବା ସେବକ ତାକୁ କହିଲା – - -- ବାବୁରେ ରଥ ଉପରକୁ ଚଢିବା ମନା, ତୁ କମିତି ଆସିଲୁ ମୁଁ ଦେଖି ମଧ୍ଯ ପାରିଲି ନାହିଁ। ତୋତେ ନିହାତି କାଳିଆ ଉପରକୁ ଆଣିଥିବ। ହଉ ଆସେ, ତୋ କାଳିଆ କୁ ଭଲରେ ଦର୍ଶନ କର। ଏତିକି କହି ସେବକଟି ମୁନା କୁ ଜଗନ୍ନାଥଙ୍କ ମୂର୍ତ୍ତି ଉପରକୁ ଏକ ପ୍ରକାର ଠେଲିଦେଲା। ମୁନା କୋଳେଇ ଧରିଛି ଜଗତର ନାଥଙ୍କୁ। ତା ଆତ୍ମା,ପ୍ରାଣ ସବୁ ଜଗନ୍ନାଥମୟ ହୋଇ ଯାଇଛି, ଚନ୍ଦନ କର୍ପୂର ଓ ତୁଳସୀ ବାସ୍ନାରେ ଆତ୍ମାପ୍ରାଣ ମହମହ ବାସି ଯାଉଛି। ସେ କିଏ? କଣ ତାର ଅସ୍ତିତ୍ବ? ମନେ ପକାଇଲେ ବି ମନେ ପଡୁନି। ପିଲାଙ୍କ ପରି କଇଁକଇଁ କାନ୍ଦି ଚାଲିଛି ସେ। କାଳିଆ ମୂର୍ତ୍ତି ଉପରେ ମୁଣ୍ଡ ବାଡେଇ କେତେ କଣ କହିଚାଲିଛି। ଚାରିପଟରେ ତା’ର କ’ଣ ହେଉଛି ସେ ଜାଣି ପାରୁନି, ଆତ୍ମା କେବଳ ଜଗନ୍ନାଥ ନାମ ହିଁ ଜପ କରୁଛି। ସ୍ବପ୍ନ ନା ବାସ୍ତବରେ ସବୁ ଘଟି ଯାଉଛି ତା ସମ୍ମୂଖରେ ସେ ଜାଣିବାର ଶକ୍ତି ହରେଇ ସାରିଛି। କେତେ ସମୟ ପରେ ସେ ଚେତା ହରାଇବା ପରି ଅନୁଭବ କଲା। ଚେତା ଫେରିିବା ପରେ ସେ ନିଜକୁ ରଥ ତଳେ ଆବିଷ୍କାର କଲା। ମୁହଁରୁ ଜଗନ୍ନାଥଙ୍କ ଉଦଶ୍ଯରେ ଝରି ଚାଲିଛି ମନ୍ତ୍ର-- “ନୀଳାଚଳ ନିବାସାୟ ନିତ୍ଯାୟ ପରମାତ୍ମନେ, ବଳଭଦ୍ରଂ ସୁଭଦ୍ରାଭ୍ୟାଂ ଜଗନ୍ନାଥୟତେ ନମଃ” ହାତରେ ଲୋକଟିର ପୁଟୁଳି ସେମିତି ହିଁ ଥିଲା। ପାଖ ଲୋକଙ୍କୁ ପଚାରିଲା ସେ ଲୋକଟି ବିଷୟରେ। ସମସ୍ତେ କହିଲେ ସେ ଏକୁଟିଆ ରଥ ପାଖକୁ ଆସିଥିଲା, ତା ସାଙ୍ଗରେ କେହି ବି ନ ଥିଲେ। ସେ ମନ କୁ ମନ କାହା ସହ କଥା ହେଉଥିଲା ବୋଲି ପାଖ ଦୋକାନୀ ମାନେ ମଧ୍ଯ କହିଲେ। ମୁଣ୍ଡ ଗୋଳମାଳ ହୋଇଯାଉଥିଲା ତାର, ତରତର ହୋଇ ସେ ପୁଟୁଳି ଟି ଖୋଲିବା ବେଳକୁ ଦେଖିଲା-- ଗୋଟିଏ ଦକ୍ଷିଣାବର୍ତ୍ତୀ ଶଙ୍ଖ, ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରାଙ୍କ ମୂର୍ତ୍ତି, କିଛି ଫେଣୀ ଓ ଗଜା ସହ କେଇ ବିଡା ବଳିତା। ଭୂଇଁ ଉପରେ ଲଥ୍ କରି ବସି ପଡିଲା ମୁନା। ଏହି ସବୁ ଜିନିଷ ପୁରୀରୁ କିଣିବ ବୋଲି ମିତା ସେଦିନ କହୁଥିଲା, ତେବେ ଏ ଲୋକଟି କେମିତି ଜାଣିଲା? କିଏ ସେ ବ୍ଯକ୍ତି? ଏମିତି ସହସ୍ର କାହିଁକିର ପ୍ରଶ୍ନମାଳା ଭିତରେ ଉବୁଟୁବୁ ହେଲା ବେଳକୁ ପଛରୁ ସାଙ୍ଗ ମାନେ ଏକ ସ୍ବରରେ କହି ଉଠିଲେ-- ଆରେ ମୁନା ତୁ ଏଠି କଣ କରୁଛୁ? ସମୁଦ୍ର ରୁ ଫେରିଲୁଣି ନା କଣ? ମୁନା ଥରଥର କଣ୍ଠରେ ଜଗନ୍ନାଥଙ୍କ ଆଡକୁ ହାତ ବଢେଇ କୋହ ଭରା କଣ୍ଠରେ କହିଲା-- ସେ ମୋତେ ଟାଣି ଆଣିଲା, ତା ପାଖକୁ…….. ଟାଣି ଆଣିଲା ମୋତେ। ମୋ ଜଗା ମୋତେ କୋଳେଇ ନେଲା, ମୋର ଭୁଲ କ୍ଷମା କରିଦେବୁ ଜଗା ,ମୋ ସୁନା ଟା ପରା। ତୁ ମୋତେ ଯାହା ସବୁ ବୁଝେଇଲୁ ମୁଁ ବୁଝିଗଲି। କୁରୁକ୍ଷେତ୍ରରେ ଅର୍ଜୁନଙ୍କୁ ଏପରି ବୁଝାଇ ପ୍ରକୃତିସ୍ଥ କରିଥିଲୁ; ମୁଁ ଛାର ମନୁଷ୍ଯ, ତୋ ଲୀଳାରୁ ବାଦ୍ ପଡିବି କିପରି? ସାଙ୍ଗ ମାନେ କିଛି ବୁଝି ନ ପାରି ପରସ୍ପରର ମୁହଁ ଚାହିଁ ରହିଥିଲେ। ମୁନାର ଏପରି ପରିବର୍ତ୍ତନ ର କାରଣ ଜାଣିବା, ସେମାନଙ୍କ ପାଇଁ ଜଟିଳ ପ୍ରହେଳିକା ସଦୃଶ ଥିଲା। ରଥ ଉପରୁ ଜଗନ୍ନାଥଙ୍କ ଜାଜ୍ଜୁଲ୍ଯମାନ ଦୁଇଗୋଟି ଘୁମନ୍ତ କଳା ଆଖିର ତେଜ ଖଣ୍ଡମଣ୍ଡଳରେ ଅପୂର୍ବ ଦୃଶ୍ଯ ର ସଂରଚନା କରି ଚାଲିଥିଲା। ବଡଦାଣ୍ଡରେ ଭକ୍ତ ଓ ଭଗବାନଙ୍କର ଅପୂର୍ବ ମିଳନରେ, ସ୍ରଷ୍ଟା ଓ ସୃଷ୍ଟି ଉଭୟଙ୍କ ଅନ୍ତରାତ୍ମାରେ ପ୍ରେମସୁଧା ଅବିରତ ପ୍ରବାହିତ ହୋଇ ଚାଲିଥିଲା। 
                                                ---ସମାପ୍ତ--

Tuesday, July 17, 2018

ଚେମେଣିଙ୍କ ମୋବାଇଲ


                                                  ଲେଖା-ଅରବିନ୍ଦ ରଥ

ଅଚାନକ ଟୁଁ ଟାଁ ଶବ୍ଦ ଶୁଣି ଚମକି ଉଠିଲେ ସୁକୁଟା ବାବୁ। ଦେଖିଲେ ଧର୍ମପତ୍ନୀ ଚେମେଣି, ଆନନ୍ଦ ରେ ଘୁଙ୍ଗୁଡି ମାରୁଛନ୍ତି। ଘଣ୍ଟା ଆଡକୁ ନଜର ପକେଇ ଦେଖିଲେ ରାତି ଗୋଟାଏ ବାଜିଛି। ଏ ସମୟରେ ଏମିତି ଅସ୍ବାଭାବିକ ଶବ୍ଦର କାରଣ କ’ଣ ହୋଇ ଥାଇପାରେ ଭାବିଲା ବେଳକୁ ପୁଣି ଶୁଭିଲା ଟୁଁ ଟୁଁ ଟାଁ ଟାଁ। ଚେମେଣିଙ୍କୁ ଡାକି ଉଠେଇ ପଚାରିଲେ – ହେଇ, ଦେଖିଲ କଣ ଗୋଟାଏ ଶବ୍ଦ ହେଉଛି। କିଛି ଭୌତିକ କାଣ୍ଡକାରଖାନା ପରି ଲାଗୁଛି। ଚେମେଣି ତାଙ୍କର ପ୍ରକାଣ୍ଡକାୟ ଶରୀରର ଭାର ଖଟ ଉପରୁ ଲାଘବ କରି ଚିଡାଚିଡା ସ୍ବରରେ କହିଲେ – କଣ ହେଲା ? ରାତିରେ ମଣିଷ କୁ ଟିକେ ଶାନ୍ତିରେ ଶୋଇବାକୁ ଦେବନି ନା କଣ? ସୁକୁଟା ସମସ୍ତ  ବୃତ୍ତାନ୍ତ ଶୁଣାଇଲେ ପରେ ଚେମେଣି ନିହାତି ସହଜ ରୂପରେ ଉତ୍ତର ଦେଲେ-- ଆରେ ଡରିବାର କିଛି ନାହିଁ। ସେଇଟା ଫେସବୁକ୍ ରେ ମେସେଜ୍ ଆସିବାର ଧ୍ବନି। ଏତିକିରେ  ଧୋତି ଓଦା  ନ କରି ଶୋଇପଡ। କିଛି ପ୍ରତିକ୍ରିୟା ଦେବା ଆଗରୁ , ଚେମେଣି ଘୁଙ୍ଗୁଡି ନାଦରେ ଗଗନପବନ ପ୍ରକମ୍ପାଇବା କାର୍ଯ୍ଯ ଜାରି ରଖିଲେ। ଲଣ୍ଡା ମୁଣ୍ଡଟିରେ ହାତ ବୁଲେଇ ଶୋଇବାର ପ୍ରୟାସ କଲେ ସୁକୁଟା।
ସୁକୁଟା ପାହାଡସିଂହ, ବନବିଭାଗରେ ବନରକ୍ଷୀ ଭାବରେ କାର୍ଯ୍ଯରତ। ବୟସ ପାଖାପାଖି ପଚାଶ ହେବ, କିନ୍ତୁ ଆବଶ୍ଯକତାରୁ ଅଧିକ କାର୍ଯ୍ଯଭାର ମୁଣ୍ଡାଇବା ହେତୁ କେଶରାଶି ଭୁପତିତ। ଲଣ୍ଡାମୁଣ୍ଡରେ ଦୁଇ ତିନୋଟି ଧବଳ କେଶ, ସୂଚାଉଥିଲା ଯେ ଅତୀତରେ ଏହି ଟାଙ୍ଗରା ଭୂମି ବି ଶସ୍ଯଶ୍ଯାମଳ ଥିଲା। କାଳର କରାଳ ଗ୍ରାସରେ କାହିଁ କେତେ ସଭ୍ଯତା ଲୋପ ପାଇଯାଇଛି, ତାଙ୍କ କେଶ କଥା ପଚାରେ କିଏ? ସୁକୁଟାଙ୍କ ମୁଖମଣ୍ଡଳର ଅନ୍ଯତମ ଆକର୍ଷଣ ଥିଲା ଦୁଇଗୋଟି ମିଞ୍ଜିମିଞ୍ଜିଆ ଆଖି। ମୁହଁ ତୁଳନାରେ ଆଖି ଦୁଇଟି ସାନଥିଲା ଓ ଭ୍ରୁଲତାର ବର୍ଦ୍ଧିତ ଲୋମରାଶି ସେଗୁଡିକୁ ନିଜ ଆଢୁଆଳରେ ଘୋଡାଇ ରଖିବାର ପ୍ରୟାସରେ ଅବିରତ ଲାଗିରହିଥିଲେ।  ସାଧାସିଧା  ଚେହେରା ବିଶିଷ୍ଟ ସୁକୁଟାଙ୍କର ସେମିତି କିଛି ନାରୀ ଆକର୍ଷଣକାରୀ ଗୁଣ ନ ଥିଲେ ମଧ୍ଯ ଚେମେଣି ଦେବୀ ତାଙ୍କୁ ପସନ୍ଦ କରି ବାହାହୋଇଥିଲେ। ଅବଶ୍ଯ ବିଭାଘରର କାରଣ ଟା ଏଯାବତ ରହସ୍ଯମୟ, କାରଣ ସରକାରୀ ଚାକିରୀ କୁ ଛାଡିଦେଲେ ସୁକୁଟାଙ୍କ ପାଖରେ ସେମିତି କିଛି ବେଶେଷତ୍ବ ନ ଥିଲା। ଅନ୍ଯପକ୍ଷରେ ଚେମେଣି ବିଭାଘର ସମୟରେ ଯଥେଷ୍ଟ ସୁନ୍ଦରଥିଲେ। ଅନ୍ତତଃ ପକ୍ଷେ ତାଙ୍କ ଘରର କାନ୍ଥରେ ଟଙ୍ଗାଯାଇଥିବା କାଚଫ୍ରେମ୍ ରେ ବନ୍ଧା କଳାଧଳା ଫଟୋକୁ ଦେଖିଲେ ସେମିତି ଲାଗୁଛି। ଉଭୟପ୍ରାଣୀ ବିଭାଘରର ପଚିଶତମ ବର୍ଷପୁରାଣି ପାଳିବା ପରେ ମଧ୍ଯ ପ୍ରେମ ନାମକ ଚିଜଟି କଣ ଜାଣିବାକୁ ଅସମର୍ଥ ଥିଲେ। ସମୟ ସମୟରେ ଚେମେଣି ଗଞ୍ଜନାସୂଚକ ବାଣୀ ପ୍ରୟୋଗ କରି କୁହନ୍ତି-- ଆଛା ଭାଲୁଟାକୁ ବାହାହେଲି ଯେ ଜୀବନ ଟା ବରବାଦ ହୋଇଗଲା। ବାଘ ଭାଲୁ ବରଂ ସହରରେ ଆସି ବୁଲାଚଲା କରୁଛନ୍ତି, କିନ୍ତୁ ଏ ମଣିଷଟା ଜଙ୍ଗଲ ଛଡା ଅନ୍ଯ କେଉଁ ଯାଗା ଦୁନିଆଁରେ ଅଛି ବୋଲି ଜାଣିପାରିଲାନି।  ରସ ଚିପୁଡା ଯାଇଥିବା ଆଖୁ ଖାଇବା ଯାହା ଏ ଲୋକ ପାଖରେ ରହିବା ସେୟା। ଯେତେ ଗାଳିମନ୍ଦ ଦେଲେ ବି ସୁକୁଟା ସ୍ଥିତପ୍ରଜ୍ଞ ହୋଇ ରୁହନ୍ତି।  ମନେ ମନେ କୁହନ୍ତି-- ଯାହା ପ୍ରକୃତ୍ତି ଯାହା, କିଏ ଚାହିଁଲେ ବଦଳି ଯିବ ନା କଣ ? କୁଆ କୁ ଯେତେ ଉପାୟରେ ତାଲିମ ଦେଲେ କଣ ସେ କୋଇଲି ପରି ଗୀତ ଗାଇବ ନା ସାପ କୁ ଗୀତା ଭାଗବତ ପଢେଇଲେ ସେ କାମୁଡା ଛାଡି ପିଠି ସଲସଲ କରିବ ? ଯାହାକୁ ଦଇବ ଯେମିତି ଗଢିଛିି ସେ ସେମିତି ରହିବ।
ଏକମାତ୍ର କନ୍ଯାର ବିଭାଘର ସରିଯିବା ପରେ ଚେମେଣିଙ୍କୁ, ସୁକୁଟାଙ୍କ ସହ ଖିଚିରିମିଚିରି ହୋଇ କଳି ଲାଗିବା ପାଇଁ ଯଥେଷ୍ଟ ସମୟ ମିଳୁଥିଲା ଓ ସେ ତାର ସଦୁପଯୋଗ କରୁଥିଲେ। କେମିତି କ’ଣ କରି ଏ ବିପଦରୁ ଉଦ୍ଧାର ପାଇବେ ସେ ଚିନ୍ତାରେ ବୁଡି ରହୁଥିଲେ ସୁକୁଟା। ଜଣେ ସହକର୍ମୀ ଚେମେଣିଙ୍କ ରୋଗର ଅମୋଘ ନିଦାନ ବତାଇଦେଲା। ଦିନେ ସଞ୍ଜବେଳେ ସୁକୁଟା ବତିଶ ଦାନ୍ତ ଦେଖେଇ କିଛି ଗୋଟେ ପ୍ଯାକେଟ ଚେମେଣିଙ୍କ ହାତକୁ ବଢାଇଦେଲେ। ପାରା ପରି ଗୁମୁରି କଳି ଲାଗିବାକୁ ଉପକ୍ରମ କରୁଥିବା ଚେମେଣିଙ୍କ ଚକ୍ଷୁ ଯୋଡିକ କୋଲଗେଟ୍ ଘଷା ଦାନ୍ତ ପରି ଚମକି ଉଠିଲା। ଭୋକିଲା ବାଘୁଣୀ ଶିକାରର ବୁକୁ ଚିରି କଲିଜା କାଢି ଚୋବେଇବା ପରି, ସେ ପ୍ଯାକେଟ କୁ  ନୃଶଂସ ଭାବରେ ବିଦୀର୍ଣ୍ଣ କରି ତା ଭିତରୁ ଉପହାରଟି କାଢି, ସଦ୍ଯ ଜନ୍ମିତ ଶିଶୁ କୁ ତୋଳି ଧରିବା ପରି ହାତରେ ଧରିଲେ। ପ୍ରଶ୍ନିଳ ଆଖିରେ ସୁକୁଟା କୁ ମୁହଁ କୁ ଦେଖନ୍ତେ, ସେ ମୁହଁରେ ହସଲଡୁ ଫୁଟାଇ କହିଲେ
-- କେତେ ଦିନ ହେଲାଣି ତୁମକୁ କିଛି ଗୋଟେ ଉପହାର ଦେବି ବୋଲି ଭାବୁଥିଲି। ଏଇ ମୋବାଇଲ  ଦେଖି ଭାବିଲି, ତାହା ହିଁ ହେବ ତୁମ ପାଇଁ ସବୁଠାରୁ ଭଲ ଉପହାର। ସେ ଦୋକାନୀ ମୋତେ କହିଛି,  ଯାହା ଖୋଜିବେ ସବୁ ପାଇବେ। ମୋବାଇଲରେ ସିମ୍ କାର୍ଡ ଓ ଇଣ୍ଟରନେଟ୍ ପ୍ଯାକ୍ ବି ପଡିଛି। ତୁମେ ସିନେମା, ଗୀତ, ନାଚ, ଧାରାବାହିକ ସବୁ ଦେଖି ପାରିବ। ଟେଲିଭିଜନ ଆଗରେ ବସିବା ଦରକାର ନାହିଁ କି ଧାରାବାହିକର ସମୟକୁ ଅପେକ୍ଷା କରିବାର ନାହିଁ। ଯେତେବେଳେ ଯାହା ମନ ହେବ ଦେଖି ପାରିବ। କେବଳ ସେତିକି ନୁହଁ, ଫେସବୁକ, ହ୍ବାଟସଆପ୍, ଟୁଇଟର  ଓ କେତେ କଣ ଜିନିଷ ଖୁନ୍ଦି ହୋଇ ରହିଛି ଏ ମୋବାଇଲରେ।  “ମେଦିନି ଭିତରେ ରହିଛି ଜାଣ ଅମାପ ଜଳ, ତେତେ ବାହାରିବ ଖୋଳିବ ଯେତେ ପ୍ରକାଶି ବଳ” ଏହି କବିତାର ଭାବାର୍ଥ ମୋବାଇଲ ପାଇଁ ମଧ୍ଯ ଲାଗୁ ହେଉଛି। ତୁମେ ଯେତେ ଖୁଟୁରୁ ଖାଟର କରି ମୋବାଇଲ ସାଙ୍ଗେ ଲାଗିବ, ସେତିକି ନୂଆ ନୂଆ ଜିନିଷ ବାହାରିବ ଓ ତୁମକୁ ଆନନ୍ଦ ଦେବ।  ଗୋଟେ ନିଶ୍ବାସରେ ମୁଖସ୍ଥ କରିଥିବା ସଂଳାପ ସବୁ ଉକାଳି ପକେଇ ଚେମେଣିଙ୍କ ମୁହଁ କୁ ଦେଖିଲେ।
ଗୋଟେ ଥରରେ ସୁକୁଟା ଏତେ କଥା ପ୍ରାଞ୍ଜଳ ଭାବରେ କହିବାର ଦେଖି  ଟିକେ ଆଚମ୍ବିତ ହେଲେ ଚେମେଣି। କାରଣ ; ଖାଲି ଶୁଣିବା ଲୋକ ଯେତେବେଳେ କହିବା ଆରମ୍ଭ କରେ, କିଛି ଗୋଟେ ଫିସାଦିଆ ଚାଲ୍ ଅଛି ବୋଲି ବୁଝାପଡେ।  ଅଚାନକ  ପ୍ରେମର ଏମିତି ବାଦଲଫଟା ବର୍ଷା ଦେଖି ଚେମେଣି କିଛି ଗୋଟେ ଭିତିରିଆ ଉଦ୍ଦେଶ୍ଯ ରଖି ଏ ଉପହାର ଦିଆଯାଇଛି ବୋଲି ମନେ କରି ଜୁଳୁଜୁଳୁ ଦେଖିଲେ।
– ଆରେ ସେମିତି ଦେଖୁଛ କଣ ଯେ? ଝିଅ ସହ ମନଇଛା ଗପି ପାରିବ, ତା ଭଲମନ୍ଦ ଦିନ କୁ ପଚାଶଥର ବୁଝି ପାରିବ। ଝିଅ ସହ ଗପିବାକୁ ଆଉ ଦୂରଭାଷ ଯନ୍ତ୍ରର ଆବଶ୍ଯକତା ନାହିଁ। ଆହୁରି କେତେ କଣ କରି ପାରିବ, ନିଜେ ସିନା ପରିଶ୍ରମ କଲେ ହେବ! !
– ସବୁ ଠିକ୍ ଯେ, କିନ୍ତୁ ତୁମ ପାଖରେ ତ ମୋବାଇଲ ନାହିଁ, ମୋ ପାଖରେ ଥାଇ କଣ ଲାଭ।
– ମୋର ମୋବାଇଲ କଣ ହେବ? ମୋତେ ତୁମ ଛଡା କିଏ ଖୋଜିବ ଯେ ମୁଁ ମୋବାଇଲ ଧରିବି।
କଥାଟା ଶୁଣି ଚେମେଣିଙ୍କ ମନ ହାଲୁକା ହେଲା ଓ ସେ ହସହସ ମୁହଁରେ ମୋବାଇଲ ଧରି ପ୍ରଥମ ଡାକ ଝିଅ କୁ ଦେଲେ। ମାଆ ଝିଅ ମୋବାଇଲରେ କଥା ହୋଇ କୃ ତ୍ଯକୃ ତ୍ଯ ହୋଇଗଲେ ଓ ଚେମେଣି ଜୀବନରେ ପ୍ରଥମ ଥର ସୁକୁଟା ଙ୍କୁ କହିଲେ-- ତୁମ ଉପହାର ପାଇଁ ବହୁତ ଧନ୍ଯବାଦ। ମୁଁ ଆଜି ବହୁତ ଖୁସି। ଚେଙ୍ଗ ମାଛ ମୁଗୁରାରେ ପଶିଛି ଜାଣି ମନେମନେ ବହେ ନାଚିଗଲେ ସୁକୁଟା। ଯାହାହେଉ ଏଥର ତାଙ୍କ ମୁଣ୍ଡରେ ବଜ୍ର ପଡିବା କମିଯିବ। ସତ କୁ ସତ ମୋବାଇଲଟା ଚେମେଣିଙ୍କ ସୁଖଦୁଖର ସାଥୀ ହୋଇଗଲା। ସଞ୍ଜୟ କୁରୁକ୍ଷେତ୍ର ଯୁଦ୍ଧର ବିବରଣୀ ଧୃତରାଷ୍ଟ୍ରଙ୍କୁ  ଦେଲା ପରି ଝିଅ, ଦିନର ଅର୍ଦ୍ଧାଧିକ ସମୟ ଶାଶୁଘର ଖବର ଦେବାରେ ବିତେଇଲା।  ଦିନେ ସକାଳୁ  ଗାୟତ୍ରୀ ମନ୍ତ୍ରର ମଧୁର ଧ୍ବନି ଶୁଣି ସୁକୁଟାଙ୍କ ହାତ ଯୋଡି ହୋଇ ଆସିଲା ବେଳକୁ ମନ୍ତ୍ରଟା ଅଧାରୁ ବନ୍ଦ ହୋଇ ଚେମେଣିଙ୍କ କର୍କଶିଆ ସ୍ବର ଭାସି ଆସିଲା “ହଁ ଲୋ ମାଆ, କହ କଣ ହେଲା”। ଝିଅ ସହ କଥା ହୋଇସାରି ଚେମେଣି ହସି ହସି କହିଲେ ଆରେ ତୁମେ ମନ୍ତ୍ର ଶୁଣି ହାତ ଯୋଡିଦେଲ ଯେ? ସେଇଟା ପରା ମୋବାଇଲ ର ବାଜଣାଧ୍ବନି। ନିଜର ବୋକାମି ପାଇଁ ଲଜ୍ଜିତ ହୋଇଗଲେ ସୁକୁଟା। ଯାହା ହେଉ ମୋବାଇଲଟା ଆସିଲା ଯେ କେତେ କାମ ସୁରୁଖୁରୁ ରେ ହୋଇଯାଉଛି। ପରିବା, କ୍ଷୀର, ସଉଦାପତ୍ର ସବୁ ଘରେ ପହଞ୍ଚିଯାଉଛି, ମୋବାଇଲର ଗୋଟିଏ ଡାକରା ରେ। ଏପରିକି କାମବାଲୀ ବି ସନ୍ଦେଶ ପଠେଇ କହୁଛି “ଆଜି କାମକୁ ଆସି ପାରିବିନି, ସିନେମା ଦେଖି ଯାଉଛି”। 
ପଡୋଶୀ ବରାଳ ବାବୁଙ୍କ ସ୍ତ୍ରୀ, ଚେମେଣିଙ୍କ ହାତରେ ଇଟା ସରକି ମୋବାଇଲ ଦେଖି ପ୍ରମାଦ ଗଣିବା ଆରମ୍ଭ କରିଦେଇଥିଲେ। ସଦାବେଳେ ତାଙ୍କୁ ଟାହିଟାପରା କରି କହୁଥିଲେ-- ନ ଦେଖିଲା ଲୋକ ଦେଖ, କଇଁଛ କାଢିଛି ବେକ”। ଏ ବୁଢୀ ବୟସରେ ଟୋକୀଙ୍କ ପରି ମୋବେଇଲି ଧରି ଫୁଟାଣି ମାରିଲେ  “ଜନେ ହସିବେ ତହୁଁ ଏହା ହେବ ଫଳ”। ସାଇକେଲ ଚଲେଇ ଜାଣି ନ ଥିବା ଲୋକ ବ୍ଯୋମଯାନ ଚଲେଇବା ଯାହା, ତୁମେ ଏ ମୋବାଇଲ ଚଲେଇବା ସେଇୟା। ସୁକୁଟା ବାବୁଙ୍କୁ ଆଉ କିଛି ମିଳିଲାନି ଯେ ତୁମକୁ ମୋବେଇଲି ଟେ ଧରେଇଦେଲେ। 
କିନ୍ତୁ ଭିତିରିଆ କାରଣ ଟା ଏହା ଯେ, ତାଙ୍କ ପାଖରେ ଆମ୍ବ ଟାକୁଆ ଲମ୍ବର ପୁରୁଣା କାଳିଆ ମୋବାଇଲ ଥିଲା। ପରଦା ଟା କଳାଧଳା  ଓ ମୋବାଇଲ ଚଲାଇବାକୁ ସାନ ସାନ ବୋତାମ ଉପରେ ଆଙ୍ଗୁଠି ଚାଳନା କରିବାକୁ ପଡୁଥିଲା। ମୋବାଇଲ ପଛ ପଟେ ମୂଷା ଆଖି ପରି କ୍ଯାମେରା ଥିଲା, ଯେଉଁଥିରେ ଫଟୋ ଉଠେଇଲେ ମହାବଳ ବାଘ ବି ବିଲେଇ ପିଲା ପରି ଦିଶୁଥିଲା। ଅପରପକ୍ଷେ ଚେମେଣିଙ୍କ ମୋବାଇଲ ଉଗ୍ର ଆଧୁନିକ ଥିଲା। ସମ୍ମୁଖ ଭାଗକୁ କବଳିତ କରିଥିଲା ରଙ୍ଗୀନ୍ ପରଦା। ଖାଲି ଛୁଇଁଦେଲେ ମୋବାଇଲଟା କ’ଣ ନାହିଁ କ’ଣ କରି ପକାଉଥିଲା।  ପଛ ପାଖରେ ମୃଗନୟନ ସମ କ୍ଯାମେରା ଶୋଭା ପାଉଥିଲା। ସେଥିରେ ଫଟୋ ଉଠାଇଲେ ଶାଗୁଣା ବି ମୟୁର ପରି ଦିଶୁଥିଲା। ସେ ପୁରୁଣା କାଳିଆ ମୋବାଇଲରେ ଇଣ୍ଟରନେଟ୍ ନାମକ ଚିଜ ର ନାମ ଗନ୍ଧ ନ ଥିବା ବେଳେ, ଚେମେଣିଙ୍କ ମୋବାଇଲରେ ଦିନରାତି ଚବିଶି ଘଣ୍ଟା ଇଣ୍ଟରନେଟ୍ ଚାଲୁଥିଲା। ବରାଳ ବାବୁ ସ୍ତ୍ରୀ ମୋବାଇଲର ବାଜଣାଧ୍ବନି ଢୋଲ ବାଜିଲା ପରି ଶୁଭୁଥିଲା ବେଳେ ଚେମେଣିଙ୍କ ମୋବାଇଲରୁ ନିତି ଦିନ ନୂଆ ଗୀତର ମୂର୍ଚ୍ଛନା ଝରି ଆସୁଥିଲା।   
ବରାଳିଆଣୀଙ୍କ ଟାହିଟାପରା ଗଞ୍ଜଣାରେ ଅତିଷ୍ଠ ହୋଇ ଚେମେଣି ତାଙ୍କ ମୋବାଇଲର କାର୍ଯ୍ଯକାରିତା ବିଷୟରେ ସବିଶେଷ ଜ୍ଞାନ ଆହରଣ କଲେ। ଦରକାର ବେଳେ ଝିଅ ପାଖରୁ କିଛି ବୁଦ୍ଧି ଉଧାର ଆଣିଲେ। କିଛିଦିନ ଅକ୍ଳାନ୍ତ ପରିଶ୍ରମ କରି ଶେଷରେ ସେ ମୋବାଇଲଜ୍ଞାନୀ ହେବାର ଉପାଧି ହାସଲ କଲେ।
ପଡୋଶୀ ପ୍ରମିଳା ମହଲରେ ଚେମେଣିଙ୍କ ମୋବାଇଲ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଯାଇଥିଲା। ଥରେ ବରାଳିଆଣୀଙ୍କ ଟାହିଟାପରାର  ଅନ୍ତ ଘଟାଇ ଚେମେଣି କହିଲେ
-- ମୋ ମାବାଇଲରେ ଚାରି ଜିବି ରାମ ଅଛି ବୋଲି ଏମନ୍ତ ଚାଲୁଛି ଓ ତୁମ ମୋବାଇଲରେ ରାମ କଣ ରାବଣ ବି ନାହିଁ।  ମୋ ମୋବାଇଲ “ଛୁଆଁ ପରଦା” ବାଲା ହେଲା ବେଳକୁ ତୁମର  “ହାତୁଡିପିଟା”। ତୁମର ସେ ଆମ୍ବ ଟାକୁଆର ଦର ଯେତିକି, ମୋ ମୋବାଇଲ ଖୋଳପା ଦର ତା’ଠୁ ବେଶି। ଖାଲି କଣ ସେତିକି, ୟା ଭିତରେ ଗୋଟେ “ମେମୋରି କାର୍ଡ”  ମାନେ “ମନେରଖିବା କାର୍ଡ” ପଡିଛି। ତା’ର ଆକାର ବତିଶି ଜିବି। ତୁମ ଘରଦ୍ବାର, ବଉଁଶ କୁଟୁମ୍ବ ସେ କାର୍ଡ ଭିତରେ ପଶିଯିବେ।  ତା ଭିତରେ ମୁଁ ଯେତିକି ଗୀତ ରଖିଛି, ଯଦି ଆଜି ଠାରୁ ଶୁଣିବା ଆରମ୍ଭ କରିବ ଦଶ ବର୍ଷ ଯାଏ ସରିବନି।  ମୋବାଇଲରେ ଯେଉଁ ପରଶ୍ବଶୁର (ପ୍ରୋସେସର) ପଡିଛି, ଧର୍ କହିଲେ ମାରି ଆଣିବ। ପୁଣି ସିମ୍ ପଡିଛି “ଫୋର୍ ଜି”। ଯେତେ ପାରୁଛ ଫୋନ୍ କର, ମେସେଜ୍ ଦିଅ, ସବୁ ମାଗଣା। ତୁମ ମୋବାଇଲରେ ଲେମ୍ବୁ ଲୁଣଟା ଅଛି ଯେ ଏତେ ମୁହଁ ଫୁଟାଣି ମାରୁଛ??
“ରାମ”  “ମେମୋରି କାର୍ଡ” “ଜିବି” “ପରଶ୍ବଶୁର” “ଫୋର୍ ଜି ” ପରି ଅତ୍ଯାଧୁନିକ ଓ ଦୁର୍ବୋଧ୍ଯ ଶବ୍ଦାବଳୀ ଶୁଣି ବରାଳିଆଣୀ ଓ ଅନ୍ଯ ନାରୀ ମାନଙ୍କର ଆଖିଡୋଳା ପେଣ୍ଡୁ ପରି ଢିମା ହୋଇଗଲା। ଚେମେଣି ନାମକ ନିହାତି ସାଧାରଣ ମହିଳା ମୁହଁରୁ ଏମନ୍ତ କଷ୍ଟକର ଯନ୍ତ୍ରପାତିଆ କଥାବାର୍ତ୍ତା ଶ୍ରବଣଜନିତ ଧକ୍କା ସହିବାର ଅବସ୍ଥାରେ କେହି ନ ଥିଲେ।
ଚେମେଣି କଟାକ୍ଷର ତୀର ବରାଳିଆଣୀଙ୍କ ବୁକୁରେ ତେଣ୍ଟା ପରି ଭୂଷି ହୋଇଗଲା। କ୍ଷୀର ଉତୁରି ଚୁଲିରେ ପଡିବା ପରି, ଦୁଇ ଆଖିରୁ ଲୁହ ଉତୁରି ଟାଆଁସିଆ ଗାଲ ଭିଜେଇଦେଲା। କେଇ ବୁନ୍ଦା ଲୁହ ଗାଲରେ ବସନ୍ତରୋଗ ଜନିତ କ୍ଷୁଦ୍ର ଗର୍ତ୍ତରେ ଲୁଚିଗଲେ।  ସେ କିଛି ନ କହି ରାଗରେ ଜଳି ଉଠି ମନେମନେ କହିଲେ
-- ହଉ ଲୋ ଚେମେଣି, ଆଜି ମୋତେ ଯେତିକି ହନ୍ତସନ୍ତ କଲୁ ତାର ହିସାବ ଗଣି ଗଣି ନେବି, ହେଇ କାନିରେ ଗଣ୍ଠି ପକେଇଲି। ପ୍ରତିଶୋଧ ନ ନେବା ଯାଏ ଏ ଗଣ୍ଠି ଖୋଲିବନି।  କାନି ଖୋଜିଲା ବେଳକୁ ମନେ ପଡିଲା ସେ ଶାଢୀ ନ ପିନ୍ଧି ସାଲଓ୍ବାର କାମିଜ ପିନ୍ଧିଛନ୍ତି। ଅଗତ୍ଯା ଓଢଣୀରେ ଗଣ୍ଠିଟେ ମାରିଦେଇ, ମୁହଁ ଫଣଫଣ କରି ଘରକୁ ଦଉଡିଲେ। ତେଣେ ବରାଳିଆଣୀଙ୍କ ଦର୍ପଦଳନ କରିଥିବାରୁ, ଚେମେଣିଙ୍କ ମନରେ ଗେଣ୍ଡୁଫୁଲ ଫୁଟି ଉଠୁଥାଏ। ଘରକୁ ଯାଇ ନିଜର ବିଜୟ କାହାଣୀ ସୁକୁଟାଙ୍କ ଆଖରେ ବଖାଣି ହସିହସି ତଳେ ଲୋଟିଗଲେ। ସୁକୁଟା ଦୀର୍ଘ ନିଶ୍ବାସ ପକାଇ ଭାବିଲେ,  ଢିଙ୍କି ଯୁଆଡେ ଗଲେ ଧାନ କୁଟିବା ପରି ମୋ ମାଇପ ଯୁଆଡେ ଯିବ, କେବଳ କୁଟା କୁଟି କାମ କରିବ।  ଯାହାହେଉ ତାଙ୍କ ଭାଗ୍ଯ ଭଲ ଯେ ଚେମେଣି ତାଙ୍କୁ ଛାଡି ବାହାରେ ନିଜ କାଳିଶି ରୂପ ଦେଖେଇଲେ। 
ବରାଳିଆଣୀ ଆଖିରେ ନିଦ ନାହିଁ। ଚେମେଣୀ ଙ୍କ କରାଳିଆ ବଦନ ଓ ନାଗ ସାପ ପରି ଆଖି ତାଙ୍କୁ ଦିଶି ଯାଉଛି।  କେଡେ ବଜ୍ଜାତ୍ ମାଇକିନା ଟା! ! ସମସ୍ତଙ୍କ ସାମନାରେ ଇଜ୍ଜତ ବାରଗଣ୍ଡା ଦି କଡା କରିଦେଲା। ସେ ବରାଳ ବାବୁଙ୍କୁ ଉଠେଇ ବହେ କନ୍ଦାଛିଟିକା କରି ନୂଆ ମୋବାଇଲଟେ ଆଣିବାର ଜିଦ୍ ରେ ସଫଳ ହେଲେ। ଚେମେଣିଙ୍କ ମୋବାଇଲର ଅବିକଳ ନକଲ ମୋବାଇଲ ତହିଁ ଆରଦିନ ତାଙ୍କର କୋଳମଣ୍ଡନ କଲା। କାହାକୁ କିଛି ନ କହି, ସେ ମଧ୍ଯ ମୋବାଇଲ ଜ୍ଞାନ ଆହରଣରେ ମନୋନିବେଶ କରିବାରେ ଲାଗିଗଲେ। ବେଶ୍ କିଛି ଦିନ ଯାଏ ଚେମେଣି ଓ ବରାଳିଆଣୀ ମୁହଁ ଚାହଁ ଚୁହିଁ ହେଲେ ନାହିଁ। 
ସୁକୁଟାଙ୍କର ଜୀବନ ରେ ଆନନ୍ଦ ର ବର୍ଷା ଅନବରତ ହେବାରେ ଲାଗିଲା। ତାଙ୍କ ମୁଣ୍ଡଖାଇବା କାମରୁ ନିବୃତ୍ତ ହୋଇ, ଚେମେଣି ଦିନରାତି ଚବିଶ ଘଣ୍ଟା  ମୋବାଇଲର ପରଦା ଆଗରେ ମୁହଁମାଡି ପଡିଲେ । କେତେ ବେଳେ କଥାହେଲେ ତ କେତେ ବେଳେ ଗୀତ ଶୁଣି ଭେରେଣ୍ଡା ରାବ ଦେଲେ, କେତେବେଳେ ସିନେମା ଦେଖି ଲୁହ ଝରେଇେଲ ତ କେତେ ବେଳେ କାହାଣୀ ପଢି ଆନନ୍ଦରେ ଗଦଗଦ ହୋଇଗଲେ। ମୋଟାମୋଟି କହିବାକୁ ଗଲେ ଚେମେଣିଙ୍କ ଅସ୍ତିତ୍ବ ମୋବାଇଲ ଭିତରେ ସିମୀତ ହୋଇଗଲେ। ଏବେ ଗାଧୁଆଘରେ ପଶିଲେ ବି ମୋବାଇଲ ସାଙ୍ଗରେ ଯାଉଥିଇା, ପୂଜା କଲା ବେଳେ ମୋବାଇଲ ମୁହଁରୁ ମନ୍ତ୍ର ଝରି ପଡୁଥିଲା। ପାଣିପାଗ, ଦେଶବିଦେଶର ଖବର ବି ସେଇ ମୋବାଇଲ ହିଁ ଦେଉଥିଲା। ସେହି ଜଡବସ୍ତୁ ଟି ଗୋଟିଏ ଜୀବନ୍ତ ଅସ୍ତିତ୍ବରେ ରୂପାନ୍ତରିତ ହେଉଥିଲା ବେଳେ ସୁକୁଟା ନାମକ ପ୍ରାଣୀ ଟି  ଚେମେଣିଙ୍କ ଜୀବନରେ ନିଜ ସ୍ଥାନ ବିଷୟରେ ଭାବି ଅସ୍ଥିର ହୋଇ ଉଠୁଥିଲା। ଦିନ ଭିତରେ ପାଞ୍ଚ ଦଶ ପଦ କଥା ଛାଡିଦେଲେ ସେମାନଙ୍କ ଭିତରେ ବିଶେଷ କଥାବାର୍ତ୍ତା ହେବାର ଅବକାଶ ନ ଥିଲା।  ଧିରେ ଧିରେ ସୁକୁଟା ଅନୁଭବ କଲେ ଯେ ଚେମେଣିଙ୍କର ଘରଦ୍ବାର ପ୍ରତି ବିଶେଷ ଆଗ୍ରହ ରହୁନି ଓ ସେ ସଦାବେଳେ ଏକ ଅଲଗା  ଦୁନିଆରେ ବିଚରଣ କରୁଛନ୍ତି। ଅବସ୍ଥା ଏପରି ହେଲା ଯେ, ଚେମେଣିଙ୍କୁ ମୋବାଇଲର ବାଜଣାଧ୍ବନି ବିନା କାରଣରେ ଶୁଭିବାକୁ ଲାଗିଲା। ପାଞ୍ଚ ମିନିଟ୍ ରେ ଦଶଥର ମୋବାଇଲ ନ ଦେଖିଲେ ତାଙ୍କୁ ବଡ ଅସ୍ତବ୍ଯସ୍ତ ଲାଗୁଥିଲା। ବିଚାରି ଏକ ପ୍ରକାର ନାଗଫାଶରେ ପଡିଯାଇଛନ୍ତି ବୋଲି ସୁକୁଟା ଅନୁଭବ କରି ପାରୁଥିଲେ।
ସେଦିନ କଲୋନୀର ନାରୀଶକ୍ତି ମାନଙ୍କର ଏକ ବିଶେଷ ପରଛିଦ୍ରଗାନକାରୀ ଉତ୍ସବରେ ଯୋଗ ଦେବା ପାଇଁ ଚେମେଣି ଡାକରା ପାଇ ସଜବାଜ ହୋଇ ବାହାରିଲେ। ଗଲା ବେଳକୁ ସୁକୁଟାଙ୍କୁ କହିଲେ-- ଆଜି ରାତି ରେ ମୁଁ ସେଠାରେ ଖାଇ ଆସିବି, ତୁମେ ପାଉଁରୁଟି କ୍ଷୀର ଖାଇନେବ। ଯଦି ସେ ବରାଳିଆଣୀ ମୋ ସହ କଟକଟ ହୋଇ ଲାଗିବ, ତା ଅବସ୍ଥା ଆଜି ଛାଲଛାଡି କୁକୁର ପରି କରି ଫେରିବି। ତୁମେ ବ୍ଯସ୍ତ ହେବନି।
ଚେମେଣିଙ୍କୁ ବିଦାୟ ଜଣାଇ ସୁକୁଟା ଖଣ୍ଡେ ବିଡିରେ ଦିଆସିଲି ଖେଞ୍ଚା ଦେଇ ପିଣ୍ଡା ଚଉକି ରେ ବସି ରହିଲେ। ତେଣେ ଚେମେଣି ସାଙ୍ଗସାଥୀଙ୍କ ଗହଣରେ ଖଚ ଚୁଗୁଲି ଗପରେ ଗଗନପବନ ମୁଖରିତ କରିବାରେ ଲାଗିଲେ। ଅଚାନକ ବରାଳିଆଣିଙ୍କ ଆବିର୍ଭାବ ତାଙ୍କ ମୁହଁ କୁ ଆମ୍ବିଳା କରିବା ପାଇଁ ଯଥେଷ୍ଟ ଥିଲା। ଦେଢଶୂରକୁ ଦେଖି ନୂଆ ଭାଇବୋହୁ ଲୁଚିବା ପରି ଚେମେଣି ମୁହଁ ଆଡେଇ ଅନ୍ଯ ଆଡକୁ ଚାଲିଗଲେ। କିଛି ସମୟ ପରେ ଦେଖିଲା ବେଳକୁ ବରାଳିଆଣୀ ପାଖରେ କିଛି ସ୍ତ୍ରୀ ଲୋକ ଖୁସି ଗମାତରେ ମାତିଛନ୍ତି। ତାଙ୍କୁ ଟିକେ ଅବାଗିଆ ଲାଗିଲା। ଯେତେହେଲେ କଲୋନୀର ନାରୀ ମାନଙ୍କ ଭିତରେ ସେ ବେଶି ଆଧୁନିକା ଓ ଭଲ ମୋବାଇଲଧାରିଣୀ। ତାଙ୍କ ମୁହଁରୁ ଖାଲି ଯନ୍ତ୍ରପାତିଆ କଥା ଗୁଡା ଗଳଗଳ କରି ବୋହି ଯାଉଛି। ସେତିକି ଶୁଣି ହଜମ କରିବା ଲୋକଙ୍କୁ ମାସେ ଲାଗିଯିବ। ତାଙ୍କ ପରି ବ୍ଯକ୍ତିତ୍ବ କୁ ଛାଡି ସେ ଟାକୁଆଗାଲି, ଦାନ୍ତୁରୀ, ବାଲୁରୀ, ନୁଖୁରାମୁଣ୍ଡି ବରାଳିଆଣୀ ପାଖରେ ହେଳେମେଳେ ହେଲେ କି ଲାଭ ଅଛି? ମନଟା ରାଗରେ ବିଥେଇ କୁନ୍ଥେଇ ହେଲେ ବି  ନିଜକୁ ଶାନ୍ତ କରି ମୋବାଇଲଟିକୁ ଖୁଚୁରୁ ମୁଚୁରୁ କଲେ। କିଛି ସମୟ ପରେ ଖାଇବା ପର୍ବ ଆରମ୍ଭ ହେଲା। ଟେବୁଲରେ ସବୁ ନାରୀ ମାନେ, ପିମ୍ପୁଡି ଚିନିଦାନା ଘେରି ବସିଲା ପରି ବସିଲେ। କିଛି ଗୋଟେ ଦେଖି ଚେମେଣିଙ୍କ ଆଖିରୁ ନିଆଁଝୁଲ ଖସି ପଡିଲା। କଣ ହେଲା ବୁଝିବା ପୂର୍ବରୁ ନିଜ ସ୍ଥାନରୁ ଲମ୍ଫ ପ୍ରଦାନ କରି ସେ ବରାଳିଆଣୀ ଉପରକୁ “ଚୋରଣି”ବୋଲି ଚିତ୍କାର କରିି ଝପଟି ପଡିଲେ। ତା ଚୁଟି ଧରି ଟେବୁଲରେ ମୁଣ୍ଡକୁ ବାଡେଇ ରଡି ଛାଡି କହିଲେ “ ସତ୍ଯାନାଶୀ, ପୋଡାମୁହିଁ, କଲକତି ଚୋରଣି, ମୋ ମୋବାଇଲ ଚୋରି କରିବାକୁ ସାହାସ କଲୁ କେମିତି”। ତା ହାତରୁ ମୋବାଇଲଟା ଛଡାଇ ଆଣିଲା ବେଳକୁ ବରାଳିଆଣୀ ଗୋଟିଏ ନିର୍ଘାତିଆ କର୍ଣ୍ଣମୂଳିଆ ଚାପୁଡା ପକାଇବାରୁ ଚେମେଣିଙ୍କ ଆଖିରୁ ଜୁଳୁଜୁଳିଆ ପୋକ ବାହାରିବା ପରି ଲାଗିଲା। କିଛି ସମୟ ପରେ ଦୁଇଜଣ ନାରୀ, ଭୀମ ଦୁଃର୍ଯ୍ଯୋଧନ ଯୁଦ୍ଧକଲା ପରି ଗଡାତଡା ହୋଇ ସମ୍ମୁଖ ଯୁଦ୍ଧରେ ମାତିଗଲେ। ବିଧା,ଚାପୁଡା,ଗୋଇଠା,ଚିମୁଟା,କାମୁଡା,ରାମ୍ପୁଡା,କଣଠେସା,କହୁଣିମାଡ ଇତ୍ଯାଦି ନାନାଦି ଯୁଦ୍ଧକଳା ପ୍ରଦର୍ଶନପୂର୍ବକ, ନିଜ ନିଜର ସାମର୍ଥ୍ଯ ଦେଖାଇବାରେ କୌଣସି ଅବହେଳା କଲେ ନାହିଁ। ଦିହେଁ ଦିହିଁକି ଭୂଇଁରେ ଗଡାଇ ମନ ଇଛା ଖୋବଣା ମାନ ଦେଇଚାଲିଲେ। ସେମାନଙ୍କ ମୁହଁ ଫାଟି ରକ୍ତ ବାହାରିବା ପରେ ମଧ୍ଯ କେହି କାହାକୁ ଛାଡିବାକୁ ନାରାଜ୍।  ଉପାୟ ନ ପାଇ ବରାଳିଆଣୀ ମୋବାଇଲଟା ନିଜ ଶାଢୀରେ ପୁରେଇଦେଲା, କିନ୍ତୁ କ୍ରୋଧର ଚରମସୀମାରେ ପହଞ୍ଚିଥିବା ଚେମେଣି ତା ଶାଢୀ ଚିରି ମୋବାଇଲଟା ଘିଞ୍ଚି ଆଣିବା ବେଳକୁ ଗୋଟିଏ ଶବ୍ଦ ଶୁଣି ଚୁପ୍ ହୋଇ ଛିଡା ହୋଇଗଲେ। ହାତରେ ଧରିଥିବା ମୋବାଇଲକୁ ତନ୍ନତନ୍ନ କରି ଦେଖି ଜାଣିଲେ ଯେ ଶବ୍ଦଟା ତାଙ୍କ ଟଙ୍କାଥଳିରୁ ଆସୁଛି।  ଦଉଡିଯାଇ ଥଳି କୁ ଖୋଲି ଦେଖନ୍ତେ, ତାଙ୍କ ମୋବାଇଲ ଟି ଅନବରତ ବାଜି ଚାଲିଛି। ଯଦି ତାଙ୍କ ମୋବାଇଲ ଥଳି ଭିତରେ ଅଛି, ସେ ଧରିଥିବା ମୋବାଇଲଟି କାହାର? ଏ ପ୍ରଶ୍ନ ମୁଣ୍ଡରେ ଆସିଲା ବେଳକୁ ସେ ଅନୁଭବ କଲେ ମୁଣ୍ଡରେ କିଛି ଏକ ଶକ୍ତ ପ୍ରହାର। ଉପାୟ ନ ପାଇ ବରାଳିଆଣି ତାଙ୍କ ମୁଣ୍ଡରେ ଚେୟାରଟିଏ ଆଣି ଛେଚି ଦେଇଥିଲା। ସେ ରକ୍ତାକ୍ତ ହୋଇ ଦାନ୍ତ କାମୁଡି ଚେତା ହରେଇ  ପାଟି ମେଲା କରି ପଡିଗଲେ। ବରାଳିଆଣୀ ଘଟଣାର ଭୟାବହତା ଜାଣି ସେ ଜାଗାରୁ ଚମ୍ପଟ ମାରିଲା। କଲୋନୀର ବାକି ସ୍ତ୍ରୀ ଲୋକେ ଚେମେଣିଙ୍କୁ ଶୂନ୍ଯେ ଶୂନ୍ଯେ ଟେକି ନେଇ ସୁକୁଟାଙ୍କୁ ହସ୍ତାନ୍ତର କରି ଚାଲିଗଲେ।
ବେଶ୍ କିଛିଦିନ ବିଛଣାରେ ପଡିବା ପରେ ଚେମେଣି ସୁସ୍ଥ ହେଲେ। ଭଲ ହେବା ଯାଏ ମୋବାଇଲଟି ମୃତ ଶରୀର ପରି ତାଙ୍କ ପାଖରେ ପଡିରହିଥିଲା। ନା ସେ ତାକୁ ଦେଖୁଥିଲେ ନା ଧରୁଥିଲେ। ମୋବାଇଲ  ଆଡକୁ ଦେଖିଲେ, ସେଦିନ ର ଭୟଙ୍କର ଯୁଦ୍ଧ ଓ ବରାଳିଆଣୀର ନିର୍ଘାତ ପ୍ରହାର ତାଙ୍କ ରୁମ ଟାଙ୍କୁରାଇ ଦେଉଥିଲା।  କିଛିଦିନ ଅନ୍ତେ ବିଛଣାରୁ ଭଲ ହୋଇ ଉଠିବାପରେ ସେ ଗେହ୍ଲେଇ ହୋଇ ସୁକୁଟାଙ୍କୁ ପାଖକୁ ଡାକି କହିଲେ-- ହେଇଟି ଶୁଣୁଛ, ଏ ମୋବାଇଲ ଟା ତୁମେ ରଖ, ମୋର ମୋବାଇଲ ଧରିବାକୁ ଆଉ ମନ ନାହିଁ। ବହୁତ ହୋଇଗଲା। ମୋ ଦୁନିଆରେ ମୁଁ ଖୁସି ରେ ଅଛି। ସେ ନିଆଁଲଗା ମୋବାଇଲ ପାଇଁ ମୁଁ ଏତିକି ହନ୍ତସନ୍ତ ହେଲି, କଲୋନୀରେ ମୋ ମାନ ଇଜ୍ଜତ ସବୁ ଗଲା। ଭୁଲ ବୁଝାମଣା ପାଇଁ ବରାଳବାବୁଙ୍କ ସ୍ତ୍ରୀ ସହ ବେକାରଟାରେ ସମ୍ପର୍କ ଖରାପ ହୋଇଗଲା।
ଚେମେଣିଙ୍କ ପରିବର୍ତ୍ତନ ଦେଖି ସୁକୁଟା ବଡ ଆଚମ୍ବିତ ହେଲେ।  ମନେମନେ ଭାବୁଥିଲେ ବରାଳିଆଣୀର ଚଉକି ପାହାରରେ ଚେମେଣିଙ୍କ ମୁଣ୍ଡର ସବୁ ଅଡୁଆ ସୁତା ସିଧା ହୋଇଗଲା ବୋଧେ। ନୋହିଲେ ଯେଉଁ ଚିଜ କୁ ସେ ଦଣ୍ଡେ ଛାଡୁ ନ ଥିଲେ, ତାକୁ ଧରିବାକୁ ମନ ହେଉନାହିଁ କାହିଁକି ?
***********ସମାପ୍ତ*************

Tuesday, July 3, 2018

କର୍ତ୍ତବ୍ଯ


                     
                                                              ଲେଖକ- ଅରବିନ୍ଦ ରଥ
     ବ୍ଯାଙ୍କ ପ୍ରତୀକ୍ଷାଳୟରେ ଅପେକ୍ଷାରତ ଥିଲେ ବୃଦ୍ଧ ଦମ୍ପତ୍ତି। ସେଦିନ ସୋମବାର ଥିଲା, ତେଣୁ ବ୍ଯାଙ୍କରେ ନାହିଁ ନ ଥିବା ଭିଡ ଥିଲା। ବୃଦ୍ଧ ହାତରେ କାଗଜଭର୍ତ୍ତି ଏକ ଫାଇଲ ଧରିଥିଲେ ଓ ତାଙ୍କ  ଚକ୍ଷୁଯୁଗଳରେ ଅସହାୟତା ଓ ଉଦ୍  ବିଗ୍ନତାର ଚିହ୍ନ ସ୍ପଷ୍ଟ ବାରି ହୋଇପଡୁଥିଲା। ନିହାତି ସାଧାରଣ ବେଶ ପୋଷାକ ପରିହିତ ସେହି ବୃଦ୍ଧଙ୍କୁ ଦେଖିଲେ ଲାଗୁଥିଲା ; ଯେମିତି ଏକ ଅନ୍ତହୀନ ଯାତନାର ବହ୍ନିରେ ସେ ଦଗ୍ଧୀଭୂତ।  ବୃଦ୍ଧାଙ୍କର କୋଟରଗତ ଚକ୍ଷୁରେ ନିରାଶା ଓ ଦୁଃଖର ମିଶାମିଶି ଭାବ ଉକୁଟି ଉଠୁଥିଲା।  ଚପରାଶୀ ଡାକରାରେ ମ୍ଯାନେଜରଙ୍କ ପ୍ରକୋଷ୍ଠରେ ଦୁଇଜଣ ପ୍ରବେଶ କଲେ ।  କିଛି ସମୟ ଭିତରେ କଲିଂ ବେଲଟି ଅନବରତ ବାଜିବାରେ ଲାଗିଲା। ଚପରାଶୀ ସେ ଦୁଇଜଣ ବୃଦ୍ଧବୃଦ୍ଧାଙ୍କୁ ଧକ୍କା ମାରି ବାହାର କରିଦେବା ଦେଖାଗଲା।
    ବୃଦ୍ଧାଟି ବିକଳରେ କାନ୍ଦିକାନ୍ଦି କହୁଥାଏ-- ଏତେ ନିର୍ଦ୍ଦୟ ହୁଅନାହିଁ ବାବୁ, ଆମ ଜମା ଟଙ୍କା ତକ ଦୟାକରି ଆମକୁ ଦେଇଦିଅ, ଆମେ ବହୁତ କଷ୍ଟରେ ଚଳୁଛୁ। କିନ୍ତୁ, ତାଙ୍କର ବିକଳ ପ୍ରାର୍ଥନା ବ୍ଯାଙ୍କ କର୍ମଚାରୀଙ୍କ ମନରେ କୌଣସି ପ୍ରତିକ୍ରିୟା ସୃଷ୍ଟି କରିବା ପରି ଲାଗିଲାନି। ଶେଷରେ ବୃଦ୍ଧବ୍ଯକ୍ତି ନୀରବ ହୋଇ ବୃଦ୍ଧାଙ୍କ ହାତ ଧରି ବ୍ଯାଙ୍କରୁ ଅପସରି ଗଲେ।  ସେଠାରେ ଉପସ୍ଥିତ ଥିବା ଲୋକେ କୁହାକୁହି ହେଉଥାଆନ୍ତି-- ଏ ବ୍ଯାଙ୍କ କର୍ମଚାରୀ ମାନେ ବିଚରା ଦୁଇଜଣଙ୍କୁ ଯେପରି ହୀନିମାନିଆ କରୁଛନ୍ତି, ସେମାନେ ଶେଷରେ ଆତ୍ମହତ୍ଯା କରିବାକୁ ବାଧ୍ଯ ହେବେ।
    ଶାନ୍ତ, ସରଳ ଓ  ଛନ୍ଦକପଟହୀନ ଅରୁଣବାବୁଙ୍କର ଦିନେ ଏପରି ଅବସ୍ଥା ହେବ କେହି ଭାବି ନ ଥିଲେ।  ଜଳସେଚନ ବିଭାଗ ର ବଡବାବୁ ପଦବୀରୁ ଦୁଇବର୍ଷ ତଳେ ଅବସର ଗ୍ରହଣ କରି, ଗାଁଆରେ ଗଢିଥିବା ଘରେ, ଧର୍ମପତ୍ନୀ ରମାଙ୍କ ସହ ଜୀବନର ବାକି ସମୟ କାଟିବାକୁ ମନସ୍ଥ କରିଥିଲେ ସେ। ଏକମାତ୍ର ପୁଅ ମୁନା ସହରର ଡାକ୍ତରଖାନାରେ ଜଣେ ନାମଜାଦା ଡାକ୍ତର ରୂପରେ ଅଧିଷ୍ଠିତ। ତେବେ କାହିଁକି ସେମାନଙ୍କର ଏପରି ଦୟନୀୟ ଅବସ୍ଥା ହୋଇଛି? କିଏ ଦାୟୀ ସେମାନଙ୍କ ଦୁର୍ଦ୍ଦିନ ପାଇଁ?
    ମେଟ୍ରିକ୍ ପରୀକ୍ଷାରେ ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ଯରେ ପ୍ରଥମ ହୋଇ ଉତ୍ତୀର୍ଣ୍ଣ ହୋଇଥିଲା ଅରୁଣବାବୁଙ୍କର ଏକମାତ୍ର ପୁଅ ମୁନା। ସେଦିନ ଗର୍ବରେ ଛାତି ଫୁଲେଇ ଚାଲିଲା ବେଳକୁ, ଅନେକ ବନ୍ଧୁବାନ୍ଧବ ଓ ସାଙ୍ଗ,ସାଥୀଙ୍କର  ଶୁଭକାମନା ଅଜାଡି ହୋଇ ପଡୁଥିଲା। ସ୍ବଳ୍ପ ବେତନଭୋଗୀ ଚାକିରିଆ ଅରୁଣବାବୁ, ପୁଅକୁ ଟିଉସନରେ ଦେବା, ଭଲ ସ୍କୁଲରେ ପଢାଇବା ଓ  ଅନ୍ଯାନ୍ଯ ସୁବିଧା ଯୋଗାଇବା ପାଇଁ ଅସମର୍ଥ ଥିଲେ ; କିନ୍ତୁ ତାକୁ ଜଣେ ଶ୍ରେଷ୍ଠ ବିଦ୍ଯାର୍ଥୀ ଭାବରେ ପ୍ରତିଷ୍ଠିତ କରାଇ ପାରିଥିଲେ। ତାଙ୍କର ଦିଗଦର୍ଶନ ଓ ଅକ୍ଳାନ୍ତ ପ୍ରଚେଷ୍ଟା ସହିତ ତାଳ ଦେଇ ପାଠ ପଢି ଚାଲିଥିଲା ମୁନା ଓ ସଫଳକାମ ମଧ୍ଯ ହେଲା। ପୁଅକୁ ଶୁଭକାମନା ଜଣାଇବାକୁ ଆସୁଥିବା ପଡୋଶୀ ମାନଙ୍କୁ ମିଠାଇ ଦେଇ ଆପ୍ଯାୟିତ କରିଚାଲିଥିଲେ ରମା। ତାଙ୍କ ପୁଅର ଉଜ୍ବଳ ଭବିଷ୍ଯତ ପାଇଁ ଦିଅଁ ଦେବତା ଙ୍କ ଉଦ୍ଦେଶ୍ଯରେ ସେ ଅଗଣିତ ମାନସିକ ଯାଚି ଚାଲିଥିଲେ। ରାଜଧାନୀର ସ୍ବନାମଧନ୍ଯ କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପାଠ୍ଯକ୍ରମରେ ନାମ ଲେଖାଇଲା ମୁନା। ଦିନ ପରେ ଦିନ ବିତି ଚାଲିଲା ଓ ମୁନା ପାଠର ଗୋଟିଏ ପରେ ଗୋଟିଏ ସୋପାନ ସଗର୍ବେ ଲଙ୍ଘିଚାଲିଲା। ଅରୁଣବାବୁ ତାକୁ ବରାବର ଗୋଟିଏ କଥା କହି ଚାଲିଥାଆନ୍ତି
    -- ମୁନା , ତୁ ମନ ଦେଇ ପାଠ ପଢ। ମନରେ ଭବିଷ୍ଯତ ପାଇଁ ଲକ୍ଷ୍ଯ ରଖି ଆଗେଇ ଚାଲ, ନିହାତି ସଫଳ ହେବୁ। ତୋ ମାଆ ଓ ମୁଁ, ଗାଁଆରେ ଭଲରେ ଅଛୁ। ଆମପାଇଁ ଚିନ୍ତା ନ କରି ତୋ ଭବିଷ୍ଯତ ନିର୍ମାଣରେ ମନୋନିବେଶ କର।
    ମୁନା ମନରେ ପିଲାଟି ଦିନରୁ ଡାକ୍ତର ହେବାର ଇଛା ପ୍ରବଳ ଥିଲା। ନିଜକୁ ଡାକ୍ତର ରୂପରେ ଗଢିବାର ତପସ୍ଯାରେ ବ୍ରତୀ ହୋଇ, ଦିନରାତି ଅକ୍ଳାନ୍ତ ପରିଶ୍ରମ କରିବାରେ ଲାଗି ପଡିଥିଲା। ପ୍ରବେଶିକା ପରୀକ୍ଷା ପାଇଁ କିଛି ଦିନ ବାକିି ଥିଲା, ସେତିକି ବେଳକୁ ଅରୁଣବାବୁ ବ୍ରେନ୍ ମ୍ଯାଲେରିଆ ରୋଗରେ ଆକ୍ରାନ୍ତ ହେଲେ। ରମା ଓ ମୁନା ବେଶ୍ କିଛି ଦିନ ଧରି ତାଙ୍କର ସେବା ଶୁଶ୍ରୁଶାରେ ଲାଗି ରହିଲେ। ସେତିକି ସମୟ ମୁନାର ପାଠ ପଢାରେ ଘୋର ବ୍ଯାଘାତ ସୃଷ୍ଟିହେଲା। କାହିଁକି କେଜାଣି, ମୁନା ମନରେ ବାପାଙ୍କ ପ୍ରତି ଲୁକ୍କାୟିତ କ୍ରୋଧ ଜନ୍ମ ନେଇସାରିଥିଲା। ସେ ଭାବୁଥିଲା ତା ସ୍ବର୍ଣ୍ଣାଭ ଭବିଷ୍ଯତର ପଥକୁ ତା ବାପା କଣ୍ଟକିତ କରିଥିଲେ। ମନର ଭାବନା କୁ ମନରେ ଚାପି ରଖିଥିଲା ; କିନ୍ତୁ ଯେଉଁ ଦିନ ପ୍ରବେଶିକା ପରୀକ୍ଷାର ଫଳ ବାହାରିଲା, ଉତ୍ତୀର୍ଣ୍ଣ ପ୍ରାର୍ଥୀଙ୍କ ତାଲିକାରେ ନିଜ ନାମ ନ ଦେଖି ସେ ଭୀଷଣ ଭାବରେ ମାନସିକ ଆଘାତ ପାଇଲା। ସିଧା ସଳଖ ଅରୁଣ ବାବୁଙ୍କୁ ଦୋଷ ଦେଇ କହିଲା-- ବାପା, ତୁମ ପାଇଁ ମୋ ଡାକ୍ତର ହେବାର ଆଶା ଧୂଳିସାତ୍ ହୋଇଗଲା।     ପୁଅର ଏତାଦୃଶ  ଆଚରଣରେ ଭୀଷଣ ଭାବରେ କ୍ଷତାକ୍ତ ହେଲେ ଅରୁଣ ବାବୁ। କିନ୍ତୁ ସେ ଥିଲେ ନିରୁତ୍ତର, ପୁଅର ଦୁର୍ଦ୍ଦିନ ପାଇଁ ସେ ଦାୟୀ ବୋଲି ପୁଅ ମୁହଁରୁ ଶୁଣିବା ପରେ ମନେମନେ ସନ୍ତୁଳି ହେଉଥିଇେ। ରମା ପୁଅ କୁ ବୁଝାଇ ଶୁଝାଇ ପୁଣି ଥରେ ପରୀକ୍ଷା ଦେବା ପାଇଁ ରାଜି କରାଇଲେ। ଏଥର କିନ୍ତୁ ମୁନା ଏକ ସର୍ତ୍ତ ରଖିଥିଲା। ପରୀକ୍ଷା ସରିବା ଯାଏଁ ସେ ଘରକୁ ନ ଆସି ସହରରେ ପ୍ରସ୍ତୁତି କରିବ ଓ ସଫଳ ହେବା ପରେ ହିଁ ଘରକୁ ଫେରିବ। ଇଛା ନ ଥିଲେ ମଧ୍ଯ ସେ ସର୍ତ୍ତରେ ରାଜି ହେବାକୁ ବାଧ୍ଯ ହେଲେ ଅରୁଣ। ପୁଅର ଭବିଷ୍ଯତ ପାଇଁ ନିଜର ସ୍ବାର୍ଥର ଜଳାଞ୍ଜଳୀ ଦେବାକୁ ପଡେ ପ୍ରତି ପିତାମାତାଙ୍କୁ, ସେ ବା ବାଦ୍ ପଡିବେ କିପରି ?
    ମୁନା ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲା ସତ, ମାତ୍ର ଆଶାନୁରୂପ ପ୍ରଦର୍ଶନ କରିବାରେ ବିଫଳ ହେଲା ଓ  କୌଣସି ସରକାରୀ ମେଡିକାଲ କଲେଜ୍ ରେ ସିଟ୍ ପାଇଲା ନାହିଁ। ମୁନା ନିଜ ଜିଦ୍ ରେ ଅଟଳ ଥିଲା। କୌଣସି ମତେ ସେ ମେଡିକାଲ ପଢିବାକୁ ଚାହୁଁଥିଲା,କଲେଜ୍ ପଛେ ସରକାରୀ ହେଉ ବା ବେସରକାରୀ। ବେସରକାରୀ ମେଡିକାଲ କଲେଜ୍ ରେ ନାମ ଲେଖାଇବାକୁ ଆବଶ୍ଯକ ପଡୁଥିଲା ଲାକ୍ଷାଧିକ ଟଙ୍କାର। କିନ୍ତୁ ଅରୁଣଙ୍କ ପରି ଜଣେ ସ୍ବଳ୍ପ ବେତନ ଭୋଗୀ କର୍ମଚାରୀ କେମିତି ଯୋଗାଡ କରିବେ ଏତେ ଟଙ୍କା, ସେଇ ଚିନ୍ତାରେ ସେ ବୁଡି ରହୁଥିଲେ। ନାମ ଲେଖାଇବାରେ ବିଳମ୍ବ ହେବାରୁ ମୁନା ମନରେ ଜନ୍ମ ନେଉଥିଲା ବିଦ୍ରୋହ। ସେ ସମୟ ସମୟରେ ଅରୁଣ ଓ ରମାଙ୍କୁ ଦୋଷ ଦେବାରେ ଅବହେଳା କରୁ ନ ଥିଲା।  ଏପରିକି ସିଧା ସଳଖ ଅରୁଣଙ୍କୁ କହୁଥିଲା-- ତୁମ ଦେହ ଯଦି ମୋ ପରୀକ୍ଷା ବେଳକୁ ଖରାପ ହୋଇ ନ ଥାନ୍ତା, ମୁଁ ଆଜି ମେଡିକାଲ ପଢୁଥାନ୍ତି। ବାପା ତୁମ ପାଇଁ ମୋ ଜୀବନ ଟା ବରବାଦ ହୋଇଗଲା।
    ଶେଷରେ ନିରୁପାୟ ହୋଇ ବ୍ଯାଙ୍କର ଦ୍ବାରସ୍ଥ ହେଲେ ଅରୁଣବାବୁ। ନିଜର ସର୍ବସ୍ବ ବନ୍ଧା ପକାଇ ପୁଅ ପାଇଁ ଲାକ୍ଷାଧିକ ଟଙ୍କା କରଜ ରୂପରେ ଯୋଗାଡ କରିବାରେ ସଫଳ ହେଲେ। ବ୍ଯାଙ୍କର ସର୍ତ୍ତଥିଲା, ମୁନା ଚାକିରି କରିବା ପରେ ସମସ୍ତ ରୂଣ ଶୁଝିବା ଆରମ୍ଭ କରିବ। ଡାକ୍ତରୀ ପାଠ ପଢିଥିବା ଲୋକ କେବେ ବେକାର ବସିବାର ନଜିର ନାହିଁ। ତେଣୁ ଅରୁଣ ବାବୁ ଓ ବ୍ଯାଙ୍କ ମ୍ଯାନେଜର ଜାଣିଥିଲେ ଯେ ରୂଣ ଟଙ୍କାଟା ଶୁଝିବାରେ କିଛି ଅସୁବିଧା ଭବିଷ୍ଯତରେ ହେବନାହିଁ।
    ଖୁସି ଖବରଟା ମୁନା କୁ ଶୁଣାଇଲା ବେଳକୁ ମୁନା ମୁହଁରେ ବିଚିତ୍ର ଭଙ୍ଗୀ ଉକୁଟାଇ କହିଲା-- ତୁମର କର୍ତ୍ତବ୍ଯ ହେଲା, ଯେମିତି ବି ହେଉ ମୋତେ ଡାକ୍ତରୀ ପଢାଇବା।  ସେଥିପାଇଁ ଯଦି ଘରଦ୍ବାର ବନ୍ଧା ପଡିଗଲା, ଏତେ ଚିନ୍ତା କରିବାର କଣ ଅଛି। ଅରୁଣଙ୍କ ମୁହଁରେ ଝଲସି ଉଠିଥିବା ଆନନ୍ଦ, ମୁନାର କଠୋର ବାକ୍ଯବାଣରେ ଛିନ୍ନବିଛିନ୍ନ ହୋଇଗଲା। ତଥାପି ମନର ବେଦନା କୁ ମନରେ ଚାପି ଦୀର୍ଘ ନିଶ୍ବାସ ପକାଇ କହିଲେ-- ହଁ ରେ ପୁଅ ତୁ ଠିକ୍ କହିଲୁ। ମୋ ଅନ୍ତେ ଏ ସବୁ ସମ୍ପତ୍ତି ତୋ’ର। ଯଦି ତୋ କାମରେ ଏ ସମ୍ପତ୍ତି ନ ଲାଗିବ, ତେବେ କ’ଣ ଲାଭ ଅଛି ?
    ମୁନା ର କଥାବାର୍ତ୍ତା ନିହାତି ଅରୁଚିକର ମନେ ହେଲେ ମଧ୍ଯ ରମା ନିରୁତ୍ତର ଥିଲେ। ସେ ଭାବୁଥିଲେ ବୋଧହୁଏ ଟଙ୍କା ଯୋଗାଡରେ ବିଳମ୍ବ ହେବାରୁ ମୁନା ମନରେ ବିରକ୍ତିଭାବ ଜନ୍ମ ନେଉଛି।
    ମେଡିକାଲ୍ ପଢିବା ପରଠାରୁ ମୁନା ର ଗାଁଆକୁ ଆସିବା ଯଥେଷ୍ଟ କମି ଯାଇଥିଲା। କିନ୍ତୁ ତା’ର ଚଳିବା ପାଇଁ ମାସ କୁ ମାସ ଟଙ୍କା ପଠେଇବାରେ କେବେ ଅବହେଳା କରୁ ନ ଥାନ୍ତି ଅରୁଣ। ଭଲମନ୍ଦ ବୁଝିବା ପାଇଁ କେବେ କେମିତି ମେଡିକାଲ କଲେଜ୍ କୁ ଗଲେ ମୁନା ବିରକ୍ତ ହେଉଥିଲା। କଲେଜ୍ ରେ ତାର ସାଙ୍ଗ ମାନେ ଥିଲେ ବହୁତ ବଡବଡିଆ ଲୋକଙ୍କର ପିଲା। ସେମାନଙ୍କ ଆଗରେ ଅରୁଣ ଓ ରମାଙ୍କ ପରି ନିହାତି ସାଧାରଣ ଲୋକଙ୍କର ଉପସ୍ଥିତି ତାକୁ ବଡ ଦୃଷ୍ଟିକଟୁ ଲାଗୁଥିଲା ।  ସ୍ନେହରେ ତା ପାଇଁ ଆଣିଥିବା ନାନା ଜାତିର ପିଠା, ମୁଆଁ ଓ ମିଠାଇ, ସେ କେବେ ମଧ୍ଯ ଖାଉ ନ ଥିଲା; ଫିଙ୍ଗି ଦେଉଥିଲା ନଚେତ୍  ପିଅନ ବା ବାହାଦୂର ମାନଙ୍କୁ ଦେଇ ଦେଉଥିଲା।  ଥରେ ମୁନାର ଜଣେ ସାଙ୍ଗ ଅରୁଣ ଓ ରମାଙ୍କୁ ଦେଖି ଦେଇଥିଲା। ସେଦିନ ସବୁ ସାଙ୍ଗ ମିଶି ତା ସହ ବହୁତ ଥଟ୍ଟା ତାମସା କଲେ। କିଛି ପିଲା ଅରୁଣ ଓ ରମାଙ୍କ ଚାଲିଚଳଣର ନକଲ କରି ଚିଡାଇବାରେ ଲାଗିଲେ। ରାତିରେ ବିଛଣା ଉପରେ ଢେର୍ ସମୟ କାନ୍ଦିଲା ସେ। ମନରେ କେବଳ ଗୋଟିଏ ପ୍ରଶ୍ନ ବାରମ୍ବାର ଆନ୍ଦୋଳିତ ହେଉଥାଏ ; କାହିଁକି ତା ବାପା ଏତେ ଗରୀବ ହେଲେ? ମନରେ ତାର ଜନ୍ମ ନେଲା ଏକ ବିଚିତ୍ର ଭାବନା। ସେ ମନରେ ସଂକଳ୍ପ କଲା-- ମୁଁ ଭବିଷ୍ଯତରେ ଭଲ ଡାକ୍ତର ହୁଏ ବା ନ ହୁଏ ପରବାୟ ନାହିଁ, କିନ୍ତୁ ସବୁଠାରୁ ଧନୀ ବ୍ଯକ୍ତି ଭାବରେ ନିଜକୁ ଗଢି ତୋଳିବି। ସେଥିପାଇଁ ମୁଁ କିଛି ବି କରିବି।
    ଡାକ୍ତରୀ ପାଠର ବିଶାଳ ସମୁଦ୍ରରେ ପହଁରିବାରେ ନିମଗ୍ନ ଥିବା,  ମୁନା ମନରୁ ତା ବାପା ମାଆଙ୍କ ପ୍ରତି ଥିବା ଭଲପାଇବା ଓ କର୍ତ୍ତବ୍ୟବୋଧ ଧିରେଧିରେ ବିଲୁପ୍ତ ହେବାକୁ ଲାଗିଲା। ତାକୁ ଲାଗିଲା, ବାପାଙ୍କର କର୍ତ୍ତବ୍ଯ ହେଲା ତାକୁ ପାଠ ପଢାଇବେ, ଖର୍ଚ୍ଚର ସମସ୍ତ ଭାର ବହନ କରିବେ ଓ ତା’ର ପ୍ରତ୍ଯକ ଦାବୀ ପାଳନ କରିବେ। ପ୍ରତିବଦଳରେ ତା କର୍ତ୍ତବ୍ଯ ଥିଲା, କେବଳ ନିଜକୁ ଡାକ୍ତର ରୂପରେ ଅଧିଷ୍ଠିତ କରିବା।
     ଅରୁଣବାବୁ ଚାକିରିରୁ ଅବସର ଗ୍ରହଣ କରିସାରିଥିଲେ ଓ ମୁନା ମେଡିକାଲ କଲେଜ୍ ରୁ ଉତ୍ତୀର୍ଣ୍ଣ ହୋଇ ସାରିଥିଲା। ଅରୁଣ ବାବୁ ଜଣେ ଚାକିରିଆ ହିସାବ ରେ ବ୍ଯାଙ୍କରୁ ନେଇଥିବା ରୂଣ ଶୁଝି ନ ପାରିବା କାରଣରୁ  ଅବସର ନେଲା ପରେ  ତାଙ୍କୁ ମିଳିବାକୁ ଥିବା ଅବସର କାଳୀନ ବକେୟା ଅର୍ଥ ମିଳିପାରୁ ନ ଥିଲା। ଏପରିକି ପେନସନ ମିଳିବ କି ନାହିଁ ସେ ବିଷୟ ମଧ୍ଯ ଅଫିସ ରେ ବିଚାରାଧିନ ଥିଲା। ପୁଅର ପାଠ ପଢା ପାଇଁ ନିଜର ସର୍ବସ୍ବ ବନ୍ଧା ପକେଇ ସାରିଥିବା ଅରୁଣ ବାବୁଙ୍କୁ ଭବିଷ୍ଯତର ଦିନ ଗୁଡିକ ବଡ ଭୟାବହ ଦିଶୁଥିଲା।  ବିଭିନ୍ନ ରୋଗ ଜିନିତ ଶାରିରୀକ ଦୁର୍ବଳତା ଓ ମାନସିକ ଚାପର ଭାର, ତାଙ୍କ ଶରୀରକୁ କୃଶକାୟ କରି ଚାଲିଥିଲା। 
    କେତେ ବର୍ଷ ହେଲାଣି ଘର ଭିତରେ ମୁନାର ନାମ ଉଚ୍ଚାରିତ ହୋଇନାହିଁ। ସେଇ ସହରରେ ମୁନା ନିଜର ନୂତନ ପୃଥିବୀ ସଜାଡିବାରେ ବ୍ଯସ୍ତ ଥିଲା। ଏକ ବେସରକାରୀ ଡାକ୍ତରଖାନା ରେ ସେ ଡାକ୍ତର ଭାବରେ କାର୍ଯ୍ଯ ଆରମ୍ଭ କରି ସାରିଥିଲା।  ପାଖପଡୋଶୀ ମାନେ କୁହନ୍ତି ସେ ଏବେ ସହରର ଜଣେ ନାମଜାଦା ଡାକ୍ତର। ରୋଗୀ ମାନେ ପୋକମାଛି ପରି ତା ଚାରି ପାଖରେ ଘୁରି ବୁଲନ୍ତି। କିନ୍ତୁ ସେ ନିଜ ବାପ ମାଆଙ୍କୁ ଏକ ରକମ ଭୁଲି ଗଲାଣି କହିଲେ ଅତ୍ଯୁକ୍ତି ହେବ ନାହିଁ। ବ୍ଯାଙ୍କର ବକେୟା ରୂଣ ପରିଶୋଧ କରିବା ପାଇଁ ଅନେକ ଥର ନୋଟିସ୍ ଘରକୁ ଆସିଲାଣି। ଏପରିକି ଘର ବାଡି ସବୁ ବ୍ଯାଜାପ୍ତ ହୋଇଯିବ ବୋଲି ଧମକ ମଧ୍ଯ ଆସିଲାଣି। ପ୍ରତି ଥର ନୋଟିସ୍ ଟି ଧରି ଅରୁଣ ବାବୁ ମୁନା ପାଖକୁ ଦଉଡନ୍ତି। ମନ ରେ ଆଶା ଥାଏ କାଳେ ମୁନା କିଛି ଟଙ୍କା ଦେବ, କାଳେ ସବୁ ରୂଣ ପରିଶୋଧ କରିଦେବ। କିନ୍ତୁ ପ୍ରତିଥର ନିରାଶ ମନରେ ଘରକୁ ଫେରନ୍ତି।
    ମୁନା କୁହେ-- ମୋ ଉପରେ କେତେ ଦାୟୀତ୍ବ ତୁମେ କାହୁଁ ଜାଣିବ? ଛୋଟମୋଟ ଚାକିରି କରି ତୁମ ଜୀବନ ର ସବୁ ସମୟ ଗଲା। କିନ୍ତୁ ଏବେ ଦୁନିଆରେ ତିଷ୍ଠିବା ପାଇଁ ବହୁତ ଟଙ୍କା, ପରିଶ୍ରମ ଓ ବୁଦ୍ଧିର ଆବଶ୍ଯକତା ଅଛି। ତୁମେ ମାନେ ତ ମୋ ପାଇଁ ସେମିତି କିଛି କରିନ ! ମୋ ସାଙ୍ଗ ପିଲା ମାନଙ୍କର ବାପା ମାନେ ସେମାନଙ୍କୁ ଯେତିକି ସୁବିଧା ଦେଇ ପାଠ ପଢାଇଛନ୍ତି ତା’ର କାଣିଚାଏ ସୁଦ୍ଧା ମୋ ଭାଗ୍ଯ ରେ ନ ଥିଲା। ତେଣୁ ନିଜକୁ  ପ୍ରତିଷ୍ଠିତ କରିବାକୁ  ଦିନରାତି ଖଟିବାକୁ ପଡୁଛି। ଯଦି ଏ ସମୟରେ ତୁମେ ଟଙ୍କା ମାଗିବାକୁ ଦଉଡି ଆସିବ ମୁଁ କରିବି କ’ଣ? ତୁମେ ସେ କରଜ ନେଇଥିଲ, ସେତିକି ଶୁଝିବା ଦାୟୀତ୍ବ ତୁମର। କିଛି ନହେଲେ ବାପ ହିସାବ ରେ ଏତିକି କଷ୍ଟ ତ ମୁଣ୍ଡାଇବାକୁ ପଡିବ। ମୋର ସେ ଘରବାଡି, ଜମିି କିଛି ଦରକାର ନାହିଁ। ଯଦି ବ୍ଯାଙ୍କ ସେସବୁ ନିଲାମ କରିଦେବ, କିଛି ଅସୁବିଧା ନାହିଁ।
    ଖୁବ୍ କମ ସମୟ କଥାହୋଇ ଅରୁଣଙ୍କୁ ବିଦା କରିଦିଏ ମୁନା। ଏପରିକି ସେ ପଚାରି ପାରନ୍ତିନି, ମୁନା କେଉଁଠାରେ ରହୁଛି, କେମିତି ଚଳୁଛି।  ଘରକୁ ଥରେ ଆସି ବୁଲିଯିବା ପାଇଁ ରମା ଦେଇଥିବା ଖବର ମଧ୍ଯ ଦେବାକୁ ସେ ସୁଯୋଗ ଦିଏନି।
    କିଛି ନ କହି ଲୁହ ଛଳଛଳ ଆଖିରେ ଫେରନ୍ତି ସହରରୁ। ରମା ସବୁ ଜାଣି ମଧ୍ଯ ନ ଜାଣିଲା ପରି ଅଭିନୟ କରି କୁହନ୍ତି-- ପିଲା ଟା ନୂଆ କାମରେ ଅଭ୍ଯସ୍ତ ହେବାପାଇଁ ସମୟ ଲାଗିବ। ସେ’ତ ଚିଡିଚିଡା ପ୍ରକୃତ୍ତିର ପିଲା, ତେଣୁ ତା କଥା ମନକୁ ନିଅନି।
– ସେ ସବୁ କଥା ଠିକ୍ ରମା, କିନ୍ତୁ ଥରେ ଭାବ ଆମେ ମାନେ ଏବେ ଚଳିବା କେମିତି। ମୁଁ ନିଜକୁ ବିକ୍ରି କରିଦେଲେ ବି ସେ ରୂଣ ଶୁଝି ପାରିବି ନାହିଁ। ଏତେ ବର୍ଷ ହେଲାଣି ଟଙ୍କା ଶୁଝି ଚାଲିଛି। କିନ୍ତୁ ମୂଳ ଯାହା ଥିଲା ଏବେ ତା ଠାରୁ ଅଧିକା ଅଛି। କେବଳ ସୁଧ ବାବଦକୁ ମୁଁ ଟଙ୍କା ଦେଇ ଚାଲିଛି। ଏବେ ଆୟ ଟଙ୍କାଏ ବି ନାହିଁ। ଅବସର ନେଲା ପରେ ଅଫିସ୍ ତରଫରୁ ଫଟା ଆହୁଲାଏ ମିଳିଲାନି। କରଜ ଶୁଝାଯାଇନି ବୋଲି ବ୍ଯାଙ୍କବାଲା ଅଫିସ୍ କୁ ଚିଠି କରିଛନ୍ତି। ମୋ କଷ୍ଟାର୍ଜିତ ଟଙ୍କା ପାଇଲା ବେଳକୁ ମୋ ଦେହ ରେ ଜୀବନ ଥିବ ତ? ସେପଟେ ମୁନା କହୁଛି, ବ୍ଯାଙ୍କବାଲା ଘର,ଜମିବାଡି ନିଲାମ କରିନେଲେ ଅସୁବିଧା ନାହିଁ। ସେ ଥରେ ବି ମୋତେ ପଚାରିନି, ଘର ଚାଲିଗଲେ ଆମେ ରହିବା କେଉଁଠି? ଚଳିବା କେମିତି? କଣ ତା’ର କିଛି କର୍ତ୍ତବ୍ଯ, ଦାୟୀତ୍ବ ନାହିଁ ଆମ ପ୍ରତି?
– ସେମିତି ଅଧର୍ଯ୍ଯ ହେଲେ କଣ ଚଳିବ? ଚାଲ ବ୍ଯାଙ୍କରେ ଆମେ ଜମା କରିଥିବା ଟଙ୍କା ଉଠାଇ ଆଣିବା। ସେଥିରେ କିଛି ଦିନ ଚଳିଯାଇପାରିବା। ମୁନା ର ବୟସ ବା କେତେ? ସାନ ପିଲାଟା, ଏତେ କଥା ଭାବିବାକୁ ତା ମୁଣ୍ଡରେ ବୁଦ୍ଧି ଆସିବ କୁଆଡୁ?
    ମନରେ କେତେ ଆଶା ନେଇ ଦୁଇଜଣ ବ୍ଯାଙ୍କକୁ ଯାଇଥିଲେ। ମ୍ଯାନେଜର ହାତ ଗୋଡ ଧରି କେତେ ନେହୁରା ହେଲେ ସେ ରୂଣ ଛାଡ କରିଦେବା ପାଇଁ। କିନ୍ତୁ ମ୍ଯାନେଜର କହିଲେ--
– ଛାଡ କରିଦେବି? କାହିଁକି କାରଣ ଟା କହିଲେ ଭଲା? ପୁଅ ତେଣେ ସହରରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାରେ ଲାଗିଛି। ମ୍ଯାନେଜର ବୋଲି ଚିହ୍ନା ଦେଲା ପରେ ବି, ଆପଣଙ୍କ ପୁତ୍ରମଣି ମୋ ଠାରୁ ମୋଟା ଅଙ୍କର ଫିସ୍ ନେବାରେ ହେଳା କରୁନି। ସେଦିନ ବକେୟା ରୂଣ କଥା କହିବାରୁ ମୋରେ ନାନା କଥା କହି ବେଜ୍ଜିତ କରି ତଡିଦେଲା। ସେମିତି ଲୋକ ପାଇଁ ମୁଁ କାହିଁକି ଦରଦ ଦେଖେଇବି? ଭଲ ରେ ଯଦି ରୂଣ ଟଙ୍କା ନ ଶୁଝିବ, ଘରବାଡି ଜମି ସବୁ ବକ୍ରି କରାଇ ଟଙ୍କା ଅସୁଲ କରିବାର ବାଟ ଆମକୁ ବି ଜଣା ଅଛି।
- - ଆପଣ ଯାହା ଠିକ୍ ବୋଲି ବିଚାର କରିବେ କରନ୍ତୁ, କିନ୍ତୁ ମୋ ଜମା କରିଥିବା ଟଙ୍କା ମୋତେ ଦିଅନ୍ତୁ। ବହୁତ ଅସୁବିଧାରେ ଆମେ ଚଳୁଛୁ। ମୁଁ ଜଣେ ରୋଗୀ। ମୋ ଔଷଧପତ୍ର କିଣିବା ପାଇଁ ପାଖରେ ପଇସା ନାହିଁ। ଆମ ଉପରେ ଟିକେ  ଦୟା କରନ୍ତୁ ଆଜ୍ଞା !!
- - - ହାଃ ହାଃ ହାଃ, ଆରେ ମୋତେ ବୋକା ଭାବିଲ ନା କ’ଣ? ତୁମ ଜମା କରିଥିବା ପଇସା ତୁମକୁ ଦେଇ ହେବନି। ଆଗ ରୂଣ ଟଙ୍କା ଶୁଝିଲା ପରେ କଥାବାର୍ତ୍ତା କରିବ। ମୋ ମୁଣ୍ଡ ନ ଖାଇ ଏ ଯାଗାରୁ ଚାଲିଯାଅ।
    ଗୋଡତଳେ ପଡି କେତେ ନେହୁରା ହେଲେ ଅରୁଣ। ସେ ନିଷ୍ଠୁର ମ୍ଯାନେଜର ଧକ୍କା ମାରି ଦୁଇଜଣଙ୍କୁ ବ୍ଯାଙ୍କରୁ ବାହାର କରିଦେଲା। ତା ପର ଦିନ ଜଣେ ଲୋକ ଆସି ନୋଟିସ୍ ଧରେଇ ଦେଇ ଗଲା। ପଢିବାରୁ ଜଣାଗଲା ଯେ, ଅରୁଣବାବୁଙ୍କର ଘର, ଜମିବାଡି ସବୁ ନିଲାମ କରି ବ୍ଯାଙ୍କ ରୂଣ ଆଦାୟ କରିବ। ଅରୁଣ ଓ ରମାଙ୍କ ଆଖିରୁ ଅନବରତ ଲୁହ ଝରି ଚାଲିଥାଏ। ନିଜ ଚାକିରି ଜୀବନ ର ସବୁଠାରୁ ବଡ ଉପଲବ୍ଧି ଥିଲା ଏହି ଘର। ସ୍ବଳ୍ପ ଦରମାରୁ ଟଙ୍କା ସଞ୍ଚୟ କରି ସେ ଗଢିଥିଲେ ତାଙ୍କ ସ୍ବପ୍ନର ମହଲ, ଯାହାର ଦୁଇ ବଖରା ଛାତଘର ଥିଲା ତାଙ୍କ ପରିବାର ର ନିର୍ଭୟ ଆଶ୍ରୟସ୍ଥଳୀ। ଅଗଣିତ ସ୍ମୃତିକୁ  ବୁକୁରେ ସାଉଁଟିଥିବା ସ୍ବପ୍ନର ମହଲ ଆଜି ନିଲାମ ହେବାର ଦ୍ବାରଦେଶରେ। ଏଇ ମହଲରେ ସେ  ନୂତନ ଜୀବନ ଆରମ୍ଭ କରିଥିଲେ ରମାଙ୍କ ହାତ ଧରି। ମୁନାର ଜନ୍ମ ହୋଇଥିଲା ଏହିଠାରେ। ଏହି ଘରର ଚାରି କାନ୍ଥରେ ପ୍ରତିଧ୍ବନିତ ହେଉଥିଲା ମୁନାର ଦରୋଟି କଥା, ହସ କାନ୍ଦର ଅସରନ୍ତି ଭଣ୍ଡାର। ତାଙ୍କ ପରିବାରର ହସଖୁସି କୁ ବକ୍ଷରେ ସୁରକ୍ଷିତ କରି ରଖି ଆସିଥଲା ଏହି ଘର। କାଳର ତୀବ୍ର ପ୍ରହାରରେ ସେ ଘର ଆଜି ନିଲାମ ହେବାକୁ ଯାଉଛି।
     ନିସ୍ତେଜ ଭାବରେ ରମାଙ୍କୁ ଦେଖିଲେ ଅରୁଣ।  ପିନ୍ଧାଶାଢୀଟି ଠାଏ ଠାଏ ଚିରି ଯାଇଛି। ମୁଣ୍ଡର କେଶ ନୁଖୁରା ହେବାକୁ ଆରମ୍ଭ କଲାଣି।  ସ୍ବାସ୍ଥ୍ଯାବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି। ତାଙ୍କୁ ଦେଖି କାନ୍ଦି ପକେଇଲେ ଅରୁଣ। ପାଖକୁ ଲାଗି ଆସି ଦୁଇ ହାତରେ ତାଙ୍କ ମୁଣ୍ଡରେ ରଖି କହିଲେ-- ମୋତେ କ୍ଷମା କରିଦେବ ରମା, ଜୀବନ ରେ ତୁମକୁ ଅଭାବ ଓ ଦୁଃଖ ଛଡା ଆଉ କିଛି ଦେଇ ପାରିଲିନି।
– ଛିଃ, ସେମିତି ପିଲାଙ୍କ ପରି କାନ୍ଦୁଛ କଣ ଯେ? ମୁଁ ନିଜେ  କାଲି ତୁମ ସହ ମୁନା ପାଖକୁ ଯିବି। ତାକୁ ଦଶ ମାସ ଗର୍ଭରେ ରଖିଛି, ତା ମନ କଥା ଜାଣିପାରିବିନି? ସେ ନିହାତି ଅଭିମାନ କରୁଛି, ମୁଁ ତା ପାଖକୁ କାହିଁକି ଯାଉନି ବୋଲି। ତୁମେ ଦେଖିବ ; କାଲି ମୋତେ ଦେଖି ସେ କେମିତି ପିଲାଙ୍କ ପରି ହେବ।  ତା ରାଗ କଣ ମୋ ଭଲ ପାଇବା ଠାରୁ ବଳେଇଯିବ? ସବୁ ଟଙ୍କା ଶୁଝି ସେ ଆମକୁ ରୂଣମୁକ୍ତ କରିବ। ଆମ ମାନଙ୍କ ପାଇଁ ତା,ର ଯାହା ଦାୟୀତ୍ବ ଅଛି ମୁଁ ତାକୁ ମନେ ପକାଇଦେବି। ତୁମେ ଯମା ବ୍ଯସ୍ତ ହୁଅନାହିଁ।
– ହଁ ରମା ତୁମେ ବୋଧେ ଠିକ୍ କହୁଛ। କାଲି ସକାଳେ ଆମେ ମୁନା ପାଖକୁ ଯିବା। ଦେଖାଯାଉ, ଆମ ଭାଗ୍ଯରେ କଣ ଲେଖା ଅଛି।
    ତା ପରଦିନ ଦୁଇ ଜଣ ସହର ଅଭିମୁଖେ ବାହାରିଲେ। ପୁରୁଣା ବାକ୍ସରୁ ମୋଟେ ପାଞ୍ଚଶହ ଙ୍କା ମିଳିଲା। ସେତିକି ଥିଲା ଶେଷ ସମ୍ବଳ। ଯଦି ମୁନା କିଛି ସାହାଯ୍ଯ ନ କରିବ, ଘରକୁ ଫେରିବା ମୁସ୍କିଲ୍ ହୋଇଯିବ। ସାର୍ଟରେ ପଡିଥିବା ଲୋଚାକୁଚା ଭାଙ୍ଗ ସବୁ କୁ ପାଣିଟିକେ ମାରି ସିଧା କରିବାରେ ଲାଗିଲେ ଅରୁଣ।  ରମା ଚିରା ଶାଢୀରେ ତାଳି ପକେଇ ପିନ୍ଧିଲେ। ପାଦରେ ଘୋରି ହୋଇଯାଇଥିବା ଚପଲଟି ମଡାଇ  ସହର ଅଭିମୁଖେ ବାହାରିଲେ। ହାତରେ ଧରି ଥାଆନ୍ତି କିଛି କାକରା ପିଠା। ପିଲା ଦିନେ ମୁନା କୁ କାକରା ବହୁତ୍ ଭଲ ଲାଗୁଥିଲା। ମନରେ ଥାଏ ଅସରନ୍ତି ଖୁସି, ଏତେ ଦିନ ପରେ ପୁଅ କୁ ଦେଖିବେ। ଲୋକେ ସେମାନଙ୍କୁ ଦେଖିଲେ କହିବେ-- ଦେଖ କେମିତି ଡାକ୍ତର ବାବୁଙ୍କ ବାପା ମାଆ ଆସିଛନ୍ତି। ସେତିକି ଶୁଣି ମନଟା ଶାନ୍ତ ପଡିଯିବ। ମୁନାର ହସହସ ମୁହଁ ଦେଖିଲେ ଅରୁଣଙ୍କ ରାଗ ବି କମିଯିବ।  ବାପାମାଆଙ୍କର  ବହୁତ ଚର୍ଚ୍ଚା କରିବ ମୁନା, ଯାହା ହେଲେ ସେ ନିଜ ରକ୍ତର ଅଂଶ, ରକ୍ତର ବନ୍ଧନ କୁ କଣ ଏମିତି ଛିଡେଇ ପାରିବ?
    ଡାକ୍ତରଖାନା ପହଞ୍ଚିବା ପରେ ଦୁଇଜଣ ଜାଣିଲେ ଯେ ସେଦିନ ମୁନାର ବାହାଘର ଥିଲା। ଚପରାଶୀ କହିଲା-- ଆପଣମାନଙ୍କୁ ଦେଖିଲେ ଲାଗୁନି ଯେ ସାର୍ ଆପଣଙ୍କର ପୁଅ ବୋଲି। ତଥାପି କହୁଛନ୍ତି ଯେତେବେଳେ, ମୁଁ ବିଶ୍ବାସ କରୁଛି। ଆମ ସାର୍ , ଏଇ ମେଡିକାଲର ମାଲିକଙ୍କ ଝିଅ କୁ ବାହା ହେଉଛନ୍ତି। କିନ୍ତୁ ଆପଣ ଯଦି ସାର୍ ଙ୍କ ବାପାମାଆ, ଏ କଥା ଜାଣି ନାହାଁନ୍ତି କେମିତି। ହଁ ହଁ ଠିକ୍ କଥା, ସାର୍ ବୋଧେ ଜାଣିଶୁଣି କହି ନ ଥିବେ।
– କିନ୍ତୁ କାହିଁକି? ଅତିଷ୍ଠ ହୋଇ ପ୍ରଶ୍ନ କଲେ ଅରୁଣ।
 ଆରେ ଯାହା ହେଲେ ବି ସାର୍ ହେଲେ ବ୍ରାହ୍ମଣ ଲୋକ, କିନ୍ତୁ ସେ ଜଣେ ଖ୍ରୀଷ୍ଟିଆନ୍ ଝିଅ କୁ ବାହା ହେଉଛନ୍ତି। ସେଥିପାଇଁ ଲାଜରେ କହି ନ ଥିବେ।
– କିନ୍ତୁ ସେଥିରେ ଲାଜ କରିବାର କଣ ଅଛି? ଧର୍ମ ଅଲଗା ହେଲା ବୋଲି କଣ ଆମେ ବୋହୁକୁ ବାରଣ କରିବୁ ନାଁ କଣ?
– ମୁଁ କେମିତି କହିବି ଆଜ୍ଞା, ମୁଁ ଯାହା ଶୁଣିଛି କହୁଛି। ସାର୍ ମାଲିକ ର ଝିଅ କୁ ଖାଲି ଟଙ୍କା ଲୋଭରେ ବାହା ହେଉଛନ୍ତି। ତାଙ୍କ ଝିଅର ରୂପ ନିହାତି କଦାକାର ଓ ଦେହ ରେ ହଜାର ରୋଗ। ଝିଅର ବୟସ ଆମ ସାରଙ୍କ ଠାରୁ ଢେର୍ ଅଧିକ। ତଥାପି ଟଙ୍କା ଲୋଭରେ ସାର୍ ସେଇ ଝିଅ କୁ ବାହା ହେଉଛନ୍ତି।
    ସେ ଚପରାଶୀ ଠାରୁ ଆଉ କିଛି ନ ଶୁଣି, ସେ ବତେଇଥିବା ଠିକଣାରେ ପହଞ୍ଚିଲେ ଅରୁଣ ଓ ରମା। ଘର ନୁହଁ ତ ରାଜ ଉଆସ। ପ୍ରକାଣ୍ଡ ବଙ୍ଗଳା, ହତା ରେ ତିନି ଚାରିଟି ଦାମିକା ଗାଡି ଓ ବିରାଟ ଫୁଲ ବଗିଚା। ଘର ସାମନା ରେ ଗାଡି ମାନଙ୍କର ଧାଡି ଲମ୍ବିଛି। ସବୁ ଗାଡି ସାମନା ରେ ମୁନା ର ନାମ ସହିତ  “ପାୟଲ୍” ନାମ୍ନୀ ଝିଅର ନାମ ଲେଖା ଯାଇଛି । ବରଯାତ୍ରୀ ଯିବା ପାଇଁ ସଭିଏଁ ପ୍ରସ୍ତୁତ ହେବାରେ ଲାଗିଛନ୍ତି। ଘର ଭିତରକୁ ପଶିଲା ବେଳକୁ ଦରଓ୍ବାନ୍ ବାଟ ଓଗାଳି କହିଲା-- ଭାଗ ଏଠୁ। ଆଜି ସାହେବ୍ ଙ୍କ ବାହାଘର, ଭିକ ମିଳିବନି।
– ତୁମେ ଭୁଲ୍ ବୁଝୁଛ ପୁଅ। ଆମେ ତୁମ ସାହେବ୍ ଙ୍କର ବାପାମାଆ, ଭିକାରୀ ନୁହଁ।
- – ତୁମ ବଦନ ଦେଖ ହୋ ମଉସା। ଦେଖିଲେ ଲାଗୁଛି, ଦୁର୍ଭିକ୍ଷ ଅଞ୍ଚଳରୁ ଆସିଛ। ଏ ମାଉସୀ କୁ ଦେଖିଲେ ଲାଗୁଛି ଯେ ମାସେ ହେଲାଣି ଖାଇନି। ତୁମେ ଯଦି ଆମ ସାହେବ୍ ର ବାପା ମାଆ ତେବେ ମୁଁ ବି ଆମେରିକା ରାଷ୍ଟ୍ରପତି ର ପୁଅ।
    ବାହାରେ ପାଟିଗୋଳ ଶୁଣି ମୁନା ବାହାରକୁ ଆସିଲା। ଦରଓ୍ବାନ କୁ ପାଖକୁ ଡାକି ଘଟଣା କଣ ବୁଝିଲା। ଡାକରା ପାଇ ଦୁଇଜଣ ଯାକ ଭିତରକୁ ଗଲେ।
– – ମୋ ଧନ ରେ, ତୋତେ କେବେ ଠୁ ଦେଖିନି। ପାଖକୁ ଆସେ ରେ ଧନ ତୋତେ ଟିକେ ଗେଲ କରିଦେବି। ଏତିକି କହି ଥରୁଥିବା ଶିରାଳ ହାତ ଦୁଇଟି କୁ ମୁନାର ମୁହଁ ପାଖକୁ ନେଇଗଲେ ରମା।
- - ସେମିତି ମଫସଲିଆଙ୍କ ପରି କାହିଁକି ହେଉଛ ମାଆ। ଲୋକେ ଦେଖିଲେ ହସିବେ। ତୁମଦୁଇ ଜଣଙ୍କୁ ଦେଖିଲେ ଲାଗୁଛି ଭିକ ମାଗିବାକୁ ଆସିଛ। ଛିଃ। ମୁନା ଚାରିପଟକୁ ବ୍ଯସ୍ତ ହୋଇ ଦେଖିବାରେ ଲାଗିଲା। ମନରେ ଡର ଥିଲା କାଳେ କାହା ନଜରରେ ସେ ପଡିଯିବ।
    ପୁଅକୁ ଗେଲଟିକେ କରିବାକୁ ଉଠି ଆସୁଥିବା ରମାଙ୍କର ହାତ ଦୁଇଟି ଫେରି ଆସିଲା ପୂର୍ବସ୍ଥାନ କୁ ଓ ସେ ଲଜ୍ଜା ଓ ଅପମାନ ରେ ଜର୍ଜରିତ ହୋଇପଡିଲେ।
– ଏମିତି କହନି ରେ ପୁଅ, ତୋ ମାଆ ସିଏ। ତୁ ବାହା ହେଉଛୁ ବୋଲି ଆମକୁ ଜଣାଇଲୁନି କଣ ପାଇଁ? ଆମକୁ କଣ ପର କରିଦେଲୁ? ତୋର କଣ ଆମ ପାଇଁ କିଛି ବି ଦାୟୀତ୍ବ ନାହିଁ ? ଏଇ ଦିନ ଦେଖିବାକୁ କଣ ତୋତେ ଆମେ ଜନ୍ମ ଦେଇଥିଲୁ? ଏଇ ସଂସ୍କାର ଶିଖାଇଥିଲୁ ତୋତେ ?
    ରାଗରେ ଜର୍ଜରିତ ହୋଇ ଉଠିଲା ମୁନା। ହାତ ଛିଞ୍ଚାଡି କହିଲା--
– ତୁମ ମାନଙ୍କୁ କହିବା ଜରୁରୀ ମନେ କଲିନି? ତୁମେ ମାନେ ମୋତେ ଦେଇଛ କଣ? ମୋତେ ଦେଖ, ନିଜ ଚେଷ୍ଟାରେ ଏ ବିରାଟ ଘର, ଗାଡି, ଚାକର ବାକର ସବୁ ମୁଁ କରିଛି। ଏବେ ମୁଁ ସଫଳ ହେଲି ବୋଲି ତୁମେ ମାନେ ମୋ ପଛରେ ଦଉଡୁଛ। ତୁମ ମାନଙ୍କର ଲୋଭ ମୋ ଠାରେ ନାହିଁ, ବରଂ ମୋ ଟଙ୍କା ଉପରେ ଅଛି।  ନ ହେଲେ ତୁମେ କେବେ ମୋ ଭଲମନ୍ଦ କଥା ପଚାରି ବୁଝିଛ ? ଗେଟ୍ ରେ ଜଗୁ ଥିବା ଦରଓ୍ବାନ୍ ଠାରୁ ମଧ୍ଯ ହୀନ ତୁମ ମାନଙ୍କର ଅବସ୍ଥା। ତୁମ ମାନଙ୍କୁ ବାପା ମାଆ କହିବାକୁ  ମୋତେ ଲାଜ ଲାଗୁଛି। ମୋ’ର ବଡବଡିଆ ଅତିଥି ମାନେ ଆସିବା ଆଗରୁ ଏଠାରୁ ଦୟା କରି ଚାଲିଯାଅ।
–  ତୋ ମନରେ ଆମ ପାଇଁ ଏତେ ଘୃଣା କାହିଁକି ମୁନା? କି ଦୋଷ କଲୁ ଆମେ? ପ୍ରତି ମାସରେ ତ ତୋ ପାଖକୁ ଆସୁଥିଲି, ତୁ ପଢିବା ଦିନରୁ। ତୋତେ ଚଳିବା ପାଇଁ ଟଙ୍କା ବି ଦେଉଥିଲି। ତେବେ...
– ତୁମର ସ୍ବାର୍ଥ ଥିଲା ବୋଲି ଆସୁଥିଲ।  କାଳେ ମୁଁ ବ୍ଯାଙ୍କର ରୂଣ ଶୁଝିବି କି ନାହିଁ ସେଥିପାଇଁ ଆସୁଥିଲ। ତୁମେ ଦୁଇଜଣ ମହା ସ୍ବାର୍ଥପର। ଚାଲିଯାଅ ମୋ ଘରୁ। ଆଉ କେବେ ତୁମ ମୁହଁ ମୋତେ ଦେଖେଇବନି।
– – ବହୁତ ଖୁସି ଲାଗିଲା ରେ ପୁଅ ତୋ ଉନ୍ନତି ଦେଖି। ତୁ ଭଲରେ ଥାଅା। ତୋ ପାଇଁ କିଛି କାକରା ଆଣିଥିଲି, ଖାଇନେବୁ। ବୋହୂ କୁ ମୋ ତରଫରୁ ଆଶିର୍ବାଦ ଜଣାଇଦେବୁ। ଏତିକି କହି ଶାଢିରେ ଲୋଚାକୋଚା ହୋଇଥିବା ଚାରିଟି ଶହେ ଟଙ୍କିଆ ନୋଟ୍ ମୁନା ହାତ କୁ ବଢାଇଦେଲେ ରମା।
    କିଛି ସମୟ ଭିତରେ ଦରଓ୍ବାନ ଦୁଇ ଜଣଙ୍କର ହାତ ଧରି ବାହାରକୁ ଘୋଷାଡି ନେବାର ଦେଖାଗଲା। କାକରା ଭର୍ତ୍ତି ଜରି ଟି ରାସ୍ତା ରେ ଲୋଟୁଥିଲା ଓ ଦୁଇଟି କୁକୁର ସେତକ ଖାଇବା ପାଇଁ ମାଡଗୋଳ ହେଉଥିଲେ। ଦରଓ୍ବାନ୍ ସେ ଲୋଚାକୋଚା ନୋଟ୍ ସବୁ କୁ ସିଧା କରି ପକେଟ୍ ରେ ପୁରେଇଲା।  ଅରୁଣ ଓ ରମା, ଦୁଇ ଜଣଙ୍କ ମୁହଁରୁ ବଚନ ସ୍ଫୁରୁ ନ ଥିଲା। ପାଦ ଘୋଷାଡି ଘରେ ପହଞ୍ଚିଲା ବେଳକୁ ଦେଖିଲେ ବ୍ଯାଙ୍କର କିଛି କର୍ମଚାରୀ ଘର ସାମନା ରେ ପ୍ରକାଣ୍ଡକାୟ ତାଲା ଝୁଲାଇ ଛିଡା ହୋଇଛନ୍ତି। ଘର ପାଖରେ ଥିବା ବରଗଛ ମୂଳରେ ଲଥ୍ କରି ବସି ପଡିଲେ ଅରୁଣ।  ଆଗାମୀ କାର୍ଯ୍ଯପନ୍ଥା କଣ ହେବ, ତାହା ମୁଣ୍ଡରେ ଜୁଟୁ  ନ ଥିଲା।
    ଗୋଟିଏ ପ୍ରଶ୍ନ ମନ କୁ ବାରମ୍ବାର ଆନ୍ଦୋଳିତ କରୁଥିଲା।  କଣ ସମସ୍ତେ କର୍ତ୍ତବ୍ଯରେ ଏପରି ବନ୍ଧା? କଣ ବ୍ଯାଙ୍କ ର କର୍ତ୍ତବ୍ଯ ଥିଲା ତାଙ୍କର ଘର ଜମିବାଡି ସବୁକୁ ନିଲାମ କରିଦେବା ? କଣ ତାଙ୍କର କର୍ତ୍ତବ୍ଯ ଥିଲା ନିଜର ସର୍ବସ୍ବ ବନ୍ଧା ପକେଇ ପୁଅ ପଢିବା ପାଇଁ ଟଙ୍କା ଯୋଗାଡ କରିବା ? କଣ ମୁନା ର କର୍ତ୍ତବ୍ଯ ଥିଲା ନିଜ ବାପା ମାଆଙ୍କୁ ଗଳା ଧକ୍କା ଦେଇ ତା ଜୀବନ ରୁ ବାହାର କରିଦେବା?
    ସମସ୍ତଙ୍କ କର୍ତ୍ତବ୍ଯର ଚକ୍ରବ୍ଯୁହରେ ପେଶି ହୋଇ ବିଚାରି ରମା ଅଧାପ୍ରାଣ ହୋଇଯିବା ଟା  ତାଙ୍କର କର୍ତ୍ତବ୍ଯ ଥିଲା ନା ଦୁର୍ଭାଗ୍ଯ ଥିଲା?
    ଯାହା ପାଇଁ ଜୀବନ ର ସର୍ବସ୍ବ ବନ୍ଧା ପକେଇଦେଲେ, ସେ ଆଜି ତାଙ୍କୁ ଦାଣ୍ଡର ଭିକାରୀ କରି ଛାଡିଦେଲା। ସେ ଆଉ କିଏ ହୋଇଥିଲେ କ୍ଷମଣୀୟ, କିନ୍ତୁ ସେ ଯେ ନିଜର ରକ୍ତ! ତାକୁ କ୍ଷମା କରିବେ କିପରି?? ରମା, ଅରୁଣଙ୍କ ହାତ କୁ ଜାବୁଡି ଧରି କହିଲେ-- ତୁମେ ଅଧର୍ଯ୍ଯ ହୁଅନି, ସବୁ ଠିକ୍ ହୋଇଯିବ। ମୁଁ ପରା ଅଛି ତୁମ ସହ। ଶୁଖିଲା ହସ ମୁହଁରେ ଫୁଟାଇ ଅରୁଣ କହିଲେ-- ଠିକ୍ କହିଲ ରମା, ସବୁ କିଛି ଠିକ୍ ନ ହେଲେ ବି ଆମକୁ ଠିକ୍ କରିବାକୁ ପଡିବ।  ତୁମେ ସାଥିରେ ଥିଲେ ମୁଁ ହାରିଯିବାର ପ୍ରଶ୍ନ ଉଠୁନି।
                    ---- ସମାପ୍ତ----