Saturday, October 6, 2018

ଯା ଦେବୀ ସର୍ବ ଭୁତେଷୁ


                                                        ଲେଖକ- ଅରବିନ୍ଦ ରଥ




              ଏ ବର୍ଷ ଦୁର୍ଗାପୂଜା ବଜାର ଟା ଭଲରେ ଜମିଛି। ଏମିତି ସାଜସଜ୍ଜା ପୂର୍ବରୁ କେବେ ହୋଇ ନ ଥିଲା ବୋଲି ଲୋକେ କୁହା କୁହି ହେଉଛନ୍ତି। ହେବନି କେମିତି, ଶାସକ ଦଳର ନେତା ରାକା ପରା ହାତ ଖୋଲି ଟଙ୍କା ଖର୍ଚ୍ଚ କରିଛି। ସହର ସାରା ଯେତେ ପୂଜା ମେଢ ଅଛି, ସବୁ ମେଢ ପାଇଁ ସେ ଭଲ ଚାନ୍ଦା ଦେଇଛି। ଯାହାର ସହର ଯାକର ମେଢ ପାଇଁ ଏତେ ଚିନ୍ତା, ନିଜ ସାହି ମେଢ ପାଇଁ କେତେ ଚିନ୍ତା ଥିବ ! ସାହି ମେଢ ପାଇଁ ଦୁଇ ହାତ ଖୋଲି ସେ ଟଙ୍କା ଅଜାଡି ଦେଇଛି। କିନ୍ତୁ ସେ ଟଙ୍କା ତା ନିଜର ବା ଅନ୍ଯ କାହାର କହିବା କଷ୍ଟ। କାରଣ ସାରା ସହର ଜାଣିଛି, ରାକା ନିଜ ଦେହରୁ ମଳି ଟିକେ କାହାକୁ ଦିଏନି। ସେ ନ ଦେଲେ କଣ ହେଲା, ଦେବା ଲୋକ ବହୁତ୍ ଅଛନ୍ତି। ସେହି ଦାତା ମାନଙ୍କ ପାଖରୁ ଟଙ୍କା ଝଡାଇବାର କୌଶଳ ଟା ତାକୁ ବେଶ୍ ଜଣା। କାହାକୁ ଧମକାଇ ତ କାହାକୁ ଛୁରୀ ଦେଖାଇ, ଟଙ୍କା ଖସାଇବାରେ ସେ ଓସ୍ତାଦ୍ । ବେପାରୀ, ଚାକିରିଆ ଓ ସାହି ବାସିନ୍ଦା ଙ୍କ ପାଖରୁ ମଧ୍ଯ ବେଶ୍ କିଛି ଚାନ୍ଦା ଆଦାୟ ହୁଏ। ସବୁ ବର୍ଷ ତୁଳନା ରେ ଏ ବର୍ଷର ରାଜନୈତିକ ପାଣିପାଗ ଟିକେ ଅଲଗା ଅଛି। ଆଗକୁ ନିର୍ବାଚନ ଆସୁଛି, ତେଣୁ ଦଳର ମୁଖିଆ ବହୁତ ଦିନ ଆଗରୁ ଗୋଟି ଚଳାଇବା ଆରମ୍ଭ କରି ଦେଇଛନ୍ତି। ଦୁର୍ଗାପୂଜାରେ ସହରର ଆଖି ଝଲସାଇ ଦେଇ ପାରିଲେ, ଭୋଟ ସବୁ ସେହି ଅନୁପାତରେ ବାକ୍ସରେ ପଡିଯିବ ସେଥିରେ ସନ୍ଦେହ ନାହିଁ। ରାକା ପରି ପୁରୁଣା ଦାଗୀ, ଅପରାଧୀ ଓ କ୍ରୁର ନେତା ହିଁ ଏହି ସହର ପାଇଁ ଠିକ୍ ବୋଲି, ମୁଖିଆ ଆଗରୁ ଅଙ୍କ କଷି ଦେଇଛନ୍ତି। ରାକା ବି ମୁଖିଆଙ୍କୁ କେବେ ନିରାଶ କରିନି। କଳେ ବଳେ କୌଶଳେ ସେ ଲୋକଙ୍କୁ ନିଜ ଦଳ ଆଡକୁ ଟାଣି ରଖିଛି। ସେ ସବୁ ଠିକ୍ ଯେ, ରାକା କୁ ନାରୀ ମାନଙ୍କୁ ସମ୍ମାନ ଦେବା ଜଣା ନାହିଁ। ଦେବ ବା କେମିତି!! ସେ ନିଜେ ପରା ଜାରଜ ସନ୍ତାନ। ସହରର ସବୁଥାନା ରେ ତା ନାମରେ ନାରୀ ଧର୍ଷଣ, ଅତ୍ଯାଚାର ଓ ବଳାତ୍କାର କେଶ୍ ମାନ ଗଡି ଚାଲିଛି। ଶାସକ ଦଳର ଗେହ୍ଲା ପୁଅ ବୋଲି ଜେଲ ର ଚାରିକାନ୍ଥ ଭତରେ ତାକୁ ଆବଦ୍ଧ କରିବାର ସାହାସ କାହାର ହୋଇନି।

                ସେହି ସାହିର ନୀତା ସହରରେ ଗୋଟିଏ ବେସରକାରୀ କମ୍ପାନୀରେ ଚାକିରି କରେ। ବିଚାରି ଭାଗ୍ଯରେ ଜଗତ ଯାକର ଦୁଃଖ ଅଜାଡି ହୋଇ ପଡିଛି। ଘରେ ରୋଗିଣା ମାଆ ଓ ସାନ ଭାଇ, ବାପା ଅସମୟରେ ଦୁର୍ଘଟଣାରେ ଆରପାରି କୁ ଚାଲିଗଲେ। ବାହା ହୋଇ ଘର ସଂସାର କରିବା ବୟସରେ ସେ ଚାକିରି କରି ଘର ଚଳାଉଛି। ସ୍ବଭାବ ରେ ନିହାତି ସରଳ ଓ ଶାନ୍ତଶିଷ୍ଟ ପ୍ରକୃତିର ନୀତା କୁ ଅଫିସ୍ ରେ ଢେର୍ କାମ କରିବାକୁ ପଡୁଛି। ମାଲିକ ଭଲରେ ଜାଣିଛି, ଯାହା କହିଲେ ବି ମିତା ପ୍ରତିବାଦ କରିବନି। ତେଣୁ କମ୍ ଦରମା ରେ ବେଶି କାମ ଆଦାୟ କରିପାରିଲେ , ତାହା ମାଲିକର କର୍ମକୁଶଳତା ଭାବରେ ପରିଗଣିତ ହେବ। କେବେ କେବେ ଘରକୁ ଫେରିଲା ବେଳକୁ ନୀତାର ଡେରି ହୋଇଯାଏ। ଦୁଇଟା ଟାଉନ୍ ବସ୍ ଓ ତା ପରେ ଅଟୋ ରିକ୍ସା ରେ ଘରକୁ ଫେରିବାକୁ ପଡେ। ଫେରିଲା ବେଳେ ତାର ଚୋର ତସ୍କର ଙ୍କୁ ଭୟ ନ ଥାଏ; ଭୟ ଥାଏ ମଣିଷ ମାଂସ ଲୋଭୀ ରାକା ଓ ତା ଅନୁଚର ମାନଙ୍କର। ସବୁଦିନ ତାକୁ ନାନା କଟୁ କଥା କହି ସେମାନେ ହଇରାଣ କରନ୍ତି। କିନ୍ତୁ ଭଗବାନଙ୍କ ଦୟାରୁ ତା ଦେହରେ ହାତ ଲଗେଇବାର ସାହାସ ସେମାନଙ୍କର ନ ଥିଲା। ସାହିରେ ଦୁର୍ଗାପୂଜା ଚାଲିଛି ବୋଲି ନୀତା ମନରେ ଭୟର ମାତ୍ରା କମି ଯାଇଥାଏ। ମେଢ ପାଖରେ ସଦାବେଳେ ଗହଳି ଲାଗି ରହିଥାଏ, ତେଣୁ ସେ ନିଶ୍ଚିନ୍ତ ହୋଇ ଘରକୁ ଫେରେ।

ସେଦିନ ସାନ ଭାଇ ଜିଦି କଲା ମେଢ ଦେଖିଯିବାକୁ ଓ ସଞ୍ଜ ବେଳେ ନୀତା ତାକୁ ପୂଜା ଦେଖେଇବାକୁ ନେଲା। ସେଦିନ ରାକା ବସିଥିଲା ମେଢ ପାଖରେ। ତାକୁ ଦେଖି ନାନା କଥା କହିଲା, କିନ୍ତୁ ନୀତା ନୀରବ ହୋଇ ସବୁ ସହିଗଲା। ସେ ପ୍ରତିବାଦ କରିବାକୁ ସାହାସ ବା କରିବ କିପରି? ତା ଆଖି ସାମନା ରେ ଝିଅ ବୋହୁଙ୍କ ଦେହରେ ରାକା ହସ୍ତ ସଞ୍ଚାଳନ କରୁଥିଲା ଓ ସେମାନେ ଚୁପ୍ ଚାପ୍ ସେ ଜାଗାରେ ଛିଡା ହେବାକୁ ବାଧ୍ଯ ଥିଲେ। ପ୍ରତିବାଦ କଲେ, ପର ଅବସ୍ଥା କଣ ହେବ ଭାବି ସବୁ ଚୁପ୍ ଥିଲେ। ଦୁର୍ଗାଙ୍କୁ ଅପଲକ ନୟନରେ ଚାହିଁ ନିଜ ଦୁଃଖ ବଖାଣିଲା ବେଳେ, ଅଚାନକ ରାକା ତାକୁ ପଛରୁ ଭିଡି ଧରିଲା। ପାଟିରୁ ତାର ବାହାରୁଥାଏ ମଦ ର ଉତ୍କଟ ଦୁର୍ଗନ୍ଧ। ରାକା ତାକୁ ଧରିଥିବା ଅବସ୍ଥାରେ କହିଲା-- କେତେ ଦିନ ଏମିତି କାମ କରି ପରିବାର ପୋଷିବୁ? ମୋ ପାଖକୁ ଥରେ ଚାଲି ଆସ୍, ତୋତେ ରାଣୀ କରି ରଖିବି। ବଡ ଅସହାୟ ହୋଇ ନୀତା ପୂଜକ ଆଡକୁ ଚାହିଁ ତାକୁ ବଞ୍ଚାଇବାକୁ ଅନୁନୟ କଲା। କିନ୍ତୁ ବୃଦ୍ଧ ପୂଜକ ତଳକୁ ମୁଣ୍ଡ ପୋତି ବସି ରହିଲା। କୌଣସି ମନେ ସେ ଯାଗାରୁ ଛାଟିପିଟି ହୋଇ ନୀତା ଘରକୁ ଦଉଡି ଆସିଲା। ଘରେ ପହଞ୍ଚି ଅନେକ କାନ୍ଦିଲା ଓ ନାରୀ ଜନ୍ମ ପାଇ କେତେ କଷ୍ଟ ପାଉଛି ବୋଲି, ଠାକୁରଙ୍କୁ ଅଭିସମ୍ପାତ୍ ମାନ ବର୍ଷଣ କରି ଚାଲିଲା। ଶେଯରେ ସୋଈ ରହିଥିବା ରୋଗୀଣା ମାଆ କଣ ବୁଝିଲେ କେଜାଣି ସେ ମଧ୍ଯ କାନ୍ଦିବାରେ ଲାଗିଲେ।

ରାତିରେ ଅଚାନକ୍ ମାଆଙ୍କ ଦେହ ବହୁତ୍ ଖରାପ ହୋଇଗଲା। ଦେଖିଲା ବେଳକୁ ନିହାତି ଜରୁରୀ ଓୌଷଧର ବୋତଲଟି ଶେଷ ହୋଇଯାଇଛି। ସାଙ୍ଗେ ସାଙ୍ଗେ ସେ ଓୌଷଧ ନ ଦେଲେ ମାଆଙ୍କର କିଛି ଅନିଷ୍ଟ ହୋଇଯିବ। ତାକୁ ଓୌଷଧ ଆଣିବାକୁ ଯିବାକୁ ହେବ। ଯାତ୍ରା ଦେଖା ହୋ ପାରିଲାନି ବୋଲି, ସାନଭାଇ ମନଦୁଃଖରେ ଶୋଇଯାଇଛି। ମାଆ ଅଚେତ୍ ପ୍ରାୟ ହୋଇ ଶେଯରେ ପଡିଛନ୍ତି। ପାଖ ପଡୋଶୀଙ୍କୁ ଡାକିବାକୁ ପାଖରେ ସମୟ ନାହିଁ। ଶେଷରେ ନୀତା ଘର କବାଟ ବନ୍ଦ କରି ବାହାରିଲା ଡାକ୍ତରଖାନା ପରିସରରେ ଥିବା ଓୌଷଧ ଦୋକାନ କୁ। ରାତି ପାଖାପାଖି ବାର ଟା ହେଲାଣି। ବାହାରେ ଲୋକ ବାକ ନାହାଁନ୍ତି କହିଲେ ଚଳେ। ଦୁରରୁ ଦେଖିଲା ମେଢ ଯାଗାରେ କିଛି ଲୋକ ଅଛନ୍ତି। ତା ମନରେ ଟିକେ ସାହାସ ହେଲା। ସେ ନିଶ୍ଚିତ ଥିଲା ଯେ ଏତେ ରାତି ରେ ରାକା ବା ତାର ଅନୁଚର ମାନେ ମେଢ ଯାଗାରେ ନ ଥିବେ। ବଡ ପାହୁଣ୍ଡ ପକାଇ ସେ ଚାଲିବାକୁ ଲାଗିଲା। କିନ୍ତୁ ଏ କଣ ! ରାକା ଓ କିଛି ଲୋକ ମେଢ ପାଖରେ ବସି କଥା ହୋଇ, ହସି ହସି ଗଡି ଯାଉଛନ୍ତି ଓ ସମସ୍ତଙ୍କ ହାତରେ ମଦ ବୋତଲ। ତା ହୃତ୍ ସ୍ପନ୍ଦନ ବଢିଗଲା, ଧମନୀରେ ରକ୍ତ ପ୍ରବାହ ର ବେଗ ମଧ୍ଯ ବଢିଗଲା। ସନ୍ଧ୍ଯା ବେଳର ଘଟଣା ଟା ମନେ ପଡି ଯିବାରୁ, ସେ ଆଗକୁ ବଢିବାର ସାହାସ ହରାଇ ଦେବା ପରି ଅନୁଭବ କଲା । କିନ୍ତୁ ସେ ଓୌଷଧ ନ ଆଣି ପାରିଲେ, ମାଆ ର ଜୀବନ ପ୍ରଦୀପ ଲିଭିଯିବ, ଏଥିରେ ସନ୍ଦେହ ନାହିଁ। ନାଃ... ତାକୁ ଯିବାକୁ ହେବ।

          ସେମାନଙ୍କ ଆଡକୁ ନ ଦେଖି ସେ ଜୋରରେ ଚାଲିବାକୁ ଲାଗିଲା। ସେତିକି ବେଳେ ରାକା ତା ସାମନା ରେ ବାଟ ଓଗାଳି ଛିଡା ହେଲା। ସେ କିଛି କହିବା ପୂର୍ବରୁ ତା ହାତ ଧରି ଘୋଷାଡିବାକୁ ଲାଗିଲା। ଅଟ୍ଟହାସ୍ଯ କରି ରାକା କହୁଥିଲା-- ଯାହା ହେଉ ଏତେ ଦିନ ପରେ ଶିକାର ଟା ମନ କୁ ମନ ହାତରେ ଧରା ଦେଇଛି। କେହି କୁଆଡେ ନାହାଁନ୍ତି, ଚାଲ ତାକୁ ଭିତରକୁ ଟେକିନେବା। ଭୟାର୍ତ୍ତ ହରିଣୀ ପରି ଥରୁଥିଲା ନୀତା, ତା ତଣ୍ଟି ଶୁଖି ଯାଉଥିଲା। ସେ ହାତ ଛିଞ୍ଚାଡି ପଳାଇବାକୁ ଚେଷ୍ଟା କଲା ମାତ୍ର ରାକା ର ବଳିଷ୍ଠ ବାହୁ ବନ୍ଧନରୁ ଖସିଯିବା ଏତେ ସହଜ ନ ଥିଲା। ସେ ଚିତ୍କାର କରିବାକୁ ଚେଷ୍ଟା କଲା, ମାତ୍ର ତା ମୁହଁରେ ରୁମାଲ ମାଡି ରାକା ଚୁପ୍ କରାଇ ଦେଲା। ସେମାନେ ତାକୁ ଟେକି ନେଲେ ପରଦା ପଛପଟକୁ ଯେଉଁଠାରେ ମାଆଙ୍କର ମୂର୍ତ୍ତି ପୂଜା ପାଉଥିଲା । ବୃଦ୍ଧ ପୂଜକ ଟି ଜାକିଯୁକି ହୋଇ ମୂର୍ତ୍ତି ପାଖରେ ଶୋଇଥିଲା। ପାଟିଗୋଳ ଶୁଣି ଉଠି, ରାକାର ଅସୁର ରୂପ ଦେଖି ହତବାକ୍ ହୋଇଗଲା। ରାକାର ଅନୁଚର ମାନେ ତାକୁ ଭୁଜାଲି ଦେଖେଇ ଚୁପ୍ ରହିବାକୁ ଇସାରା ଦେଲେ, ବିଚରା ମୁହଁ ମାଡି ମୂର୍ତ୍ତି ପାଦ ତଳେ ପଡିରହି ଲୁହ ଗଡାଇବାରେ ଲାଗିଲା। ତା ମୁହଁରୁ କେବଳ ଗୋଟିଏ ପ୍ରାର୍ଥନା ବାହାରୁଥାଏ, ମାଆ -- ଏ ଅସୁର ମାନଙ୍କ କବଳରୁ ଝିଅଟିକୁ ରକ୍ଷା କର, ଏହି ସ୍ଥାନରେ ପ୍ରକଟ ହୁଅ ମାତା, ତୋ ଭକ୍ତକୁ ଉଦ୍ଧାର କର।

           ରାକା, ନୀତା କୁ ତଳେ ଫିଙ୍ଗିଦେଲା। ତା ଅନୁଚର ମାନେ ତାଳି ମାରି ଚାରି ପଟରେ ନାଚିବାକୁ ଲାଗିଲେ। ଅଟ୍ଟହାସ୍ଯ କରି ରାକା କହିଲା - - ତୋ ଭାଗ୍ଯ କୁ ମାନିବାକୁ ପଡିବ, ଆଜି ମାଆଙ୍କ ମୂର୍ତ୍ତି ସାମନାରେ ତୋର ସର୍ବସ୍ବ ଲୁଣ୍ଠନ ହେବ। ହାଃ ହାଃ ହାଃ ମୁଁ ରାକା ନୁହଁ....ମୁଁ ହେଲି ମହିଷାସୁର। ଦେଖିବା ତୋତେ ଆଜି ମୋ କବଳ ରୁ କିଏ ରକ୍ଷା କରିବ। ମଦନିଶାରେ ସେ କଣ ନାହିଁ କଣ ଗପି ଚାଲିଥିଲା।

             ନୀତା ମସ୍ତିଷ୍କରେ ଅଗଣିତ ଆଗ୍ନେୟଗିରୀ ଏକ ସମୟରେ ବିଷ୍ଫୋରିତ ହେବାରେ ଲାଗିଥିଲା। ଅଳ୍ପ ସମୟ ମଧ୍ଯରେ ଯାହା ଘଟିବ, ତାହା ତା'ର ବର୍ତ୍ତମାନ, ଭବିଷ୍ଯତ ଓ ଜୀବସତ୍ତାକୁ ଧ୍ବଂସ କରିଦେବ ବୋଲି ସେ ନିଶ୍ଚିତ ଥିଲା। ତେବେ ସେ କଣ ଏ ରାକ୍ଷାସ ପାଖରେ ନିଜକୁ ସମର୍ପି ଦେବ ? ବିନା ଯୁଦ୍ଧରେ ପରାଜୟ ବରଣ କରିନେବ ? ଶରୀର ଭିତରେ ସେ ଅନୁଭବ କଲା ତଡିତ୍ ପ୍ରବାହ। ତା ନିଶ୍ବାସ, ପ୍ରଶ୍ବାସର ବେଗ ବଢିବା ସହ ଶରୀରର ଉଷ୍ଣତା ବଢିବାରେ ଲାଗିଲା ଓ ହୃଦୟର ସ୍ପନ୍ଦନ ହାହାକାର ନ କରି , ଯୁଦ୍ଧଂ ଦେହି ର ଆହ୍ବାନ ଦେଉଛି ବୋଲି ମନେ ହେଲା। ସେ ସ୍ପଷ୍ଟ ଦେଖି ପାରୁଥିଲା ଦୁର୍ଗାମାତାଙ୍କର ତେଜୋଦୀପ୍ତ, ଜାଜୁଲ୍ଯମାନ ରୂପ। ସେ ରୂପରେ କମନୀୟତା ଭାବ ସହ ମିଶ୍ରିତ ହୋଇଥିଲା କ୍ରୁରତାଭରା ଉଗ୍ର ଭାବ। ପଦ୍ମପତ୍ର ପରି ଢଳଢଳ ଚକ୍ଷୁ ଯୁଗଳରେ ଭକ୍ତଙ୍କ ପାଇଁ ଅଭୟ ବାଣୀ ସହିତ, ଶତୃ ମାନଙ୍କ ପାଇଁ ଥିଲା ହଳାହଳ ବିଷ। ପାଦ ତଳେ କ୍ଷତାକ୍ତ ହୋଇ ପଡିଥିବା ମହିଷାସୁର ପ୍ରମାଣିତ କରୁଥିଲା ଯେ ନାରୀ ଦୁର୍ବଳା ନୁହଁ, ଆବଶ୍ଯକ ପଡିଲେ ସେ ଭୀଷଣ ଉଗ୍ର ରୂପ ଧାରଣ କରି ସମଗ୍ର ସୃ ଷ୍ଟି କୁ ବିଧ୍ବଂସ କରିବାର ସାମର୍ଥ୍ଯ ରଖିଛି। ଆଖି ବନ୍ଦ କରି, ଶେଷଥର ପାଇଁ ସେ ଦୁର୍ଗାଙ୍କର ପୂର୍ଣ୍ଣ ସ୍ବରୂପକୁ ମାନସପଟ୍ଟରେ ଅଙ୍କନ କରି ଆଶିଷ ଭିକ୍ଷା କଲା। ସେତେବେଳକୁ ରାକା ତା ପାଖକୁ ଲାଗି ଆସିଲା ଓ ତଳେ ପକାଇବାକୁ ଚେଷ୍ଟା କଲା। ନୀତାର ପ୍ରଚଣ୍ଡ ଧକ୍କାରେ ରାକା ଟଳମଳ ହୋଇ କଚାଡି ହୋଇ ପଡିଗଲା। ସେ ସଗର୍ବେ ମୂର୍ତ୍ତି ସମ୍ମୁଖରେ ଛିଡା ହୋଇ ଚିତ୍କାର କରି କହିଲା-- ମାଆ ମୋତେ ଶକ୍ତି ଦେ-- – ଏ ପାପୀ ମହିଷାସୁର ମାନଙ୍କୁ ଧ୍ବଂସ କରିବାର ସାମର୍ଥ୍ଯ ଦେ। ରାକା ଓ ତା ଅନୁଚର ମାନେ ନୀତା ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଲା। ସେ ଆଖି ପିଛୁଳାକେ ଦୁର୍ଗାମୂର୍ତ୍ତି ପାଖକୁ ଦଉଡି ଯାଇ ଦୁର୍ଗା ଧରିଥିବା ତ୍ରୀଶୂଳ ଟି ହାତରେ ଧରି ସେମାନଙ୍କ ଉପରକୁ ଲମ୍ଫ ପ୍ରଦାନ କଲା। ନୀତା ପରି ଜଣେ ନିହାତି ସାଧାରଣ ନିରିହ ଦୁର୍ବଳ ଝିଅ ର ଏପରି ରୂପ ଦେଖିବ ବୋଲି ରାକା ସ୍ବପ୍ନରେ ସୁଦ୍ଧା କଳ୍ପନା କରି ନ ଥିଲା। ସେ ଭାବୁଥିଲା, ଯାହା ହେଲେ ବି ସେ ଜଣେ ପୁରୁଷ, ତା ଦେହରେ ବଳର ପ୍ରାବଲ୍ଯତା ଅଧିକା ଓ ସେ ନୀତା ପରି ଜଣେ ଅବଳା ନାରୀ କୁ ଅଚିରେ ବଳାତ୍କାର କରି ପାରିବ। କିନ୍ତୁ ସମସ୍ତ ଭାବନା କୁ ଭୂଲୁଣ୍ଠିତ କରି ନୀତା ଦୁର୍ଗାଙ୍କର ତ୍ରିଶୂଳ କୁ ବିଦ୍ଧ କଲା ରାକା ଛାତିରେ। ଘଟଣା କଣ ବୁଝିବା ପୂର୍ବରୁ ରାକାର ପିଠି ପଛ ପଟକୁ ବାହାରି ଯାଇଥିଲା ସେ ତ୍ରିଶୂଳର ସମ୍ମୁଖ ଭାଗ। ଅନ୍ଯ ଅନୁଚର ମାନେ ଭୁଜାଲି ଧରି ଆକ୍ରମଣ କଲେ ନୀତା ଉପରେ। କିନ୍ତୁ କ୍ରୋଧ, ଅପମାନ ଓ ପ୍ରତିହିଂସାର ଅଗ୍ନିରେ ଜଳୁଥିବା ନୀତା ଜଣ ଜଣ କରି ସମସ୍ତଙ୍କୁ ବିଦ୍ଧ କଲା ସେହି ତ୍ରିଶୂଳରେ।

                ରକ୍ତସ୍ନାତା ନୀତା ହାତରେ ତ୍ରିଶୂଳ ଧରି ଛିଡା ହୋଇଥିଲା ଦୁର୍ଗା ମୂର୍ତ୍ତି ପାଖରେ। ବୃଦ୍ଧ ପୂଜକ ଜଣକ ତା ପାଦ ତଳେ ବସି ବନ୍ଦନା କରିବା ଆରମ୍ଭ କରିଦେଇଥିଲା “ଯା ଦେବୀ ସର୍ବ ଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା.....”। କିଛି ସମୟ ପରେ ପ୍ରକୃ ତିସ୍ଥ ହେଲା ନୀତା ଓ ଚତୁଃର୍ପାଶ୍ବର ଅବସ୍ଥା ଦେଖି ଭୟରେ କାନ୍ଦିବାକୁ ଲାଗିଲା। ବୃଦ୍ଧ ପୂଜକ ତା ହାତରୁ ତ୍ରିଶୂଳ ନେଇ ଧୁଆ ଧୁଇ କରି ଦୁର୍ଗାମୂର୍ତ୍ତି ହାତରେ ଧରାଇ ଦେଇ କହିଲା-- ତୁ ଜମା ବ୍ଯସ୍ତ ହେବୁନି ଲୋ ମାଆ, ଏ ସ୍ଥାନରେ ଯାହା କିଛି ବି ହେଲା ମୁଁ କିଛି ବି ଦେଖିନି କି ଜାଣିନି। ମୋତେ ସେମାନେ ଆକ୍ରମଣ କରି ଅଚେତ କରିଦେଇଥିଲେ। ତୁ ଶୀଘ୍ର ଏ ସ୍ଥାନ ଛାଡି ଚାଲିଯାଆ। ଏତିକି କହି ପୂଜକ ପାଖରେ ପଡିଥିବା ଭୁଜାଲି ନିଜ ପେଟରେ ଭୁଷି ତଳେ ପଡିଗଲା।

                                          --ସମାପ୍ତ--

Thursday, October 4, 2018

ବଳି



ଆରେ ପୁଅ ଟିକେ ଚଞ୍ଚଳ ଚାଲ୍, ତେଣେ ବେଶି ଡେରି ହେଲେ ଯାତ୍ରା ସରିଯିବ ଯେ?

ନରିଆ ପଛେପଛେ ବୁଲୁ ତା ଗେଲ ବସରିଆ କାଳୁ କୁ ନେଇ ତରତର ହୋଇ ବାହାରିଲା। ପଛରୁ ନରିଆର ସ୍ତ୍ରୀ ନେତ ପାଟି କରି କହିଲା – ସେ ଯାଗାକୁ କାଳୁ କୁ କାହିଁକି ନେଇ ଯାାଉଛ ଯେ? ତୁମେ କଣ ଜାଣିନ ସେ ଝାଙ୍କରର ମତିଗତି? କାଳୁ ଘରେ ଥାଉ, ତୁମେ ବାପପୁଅ ଯାତ୍ରା ଆଡେ ଘେରାଏ ବୁଲି ଆସ। ଆସିଲା ବେଳେ କାଳୁ ପାଇଁ ହଳେ ଘୁଙ୍ଗୁର ଆଣିବ। ମୋର କେତେ ମନ ଅଛି ତା ବେକରେ ହଳେ ଘୁଙ୍ଗୁର ପିନ୍ଧାଇବା ପାଇଁ। କେତେ ଖୁସି ରେ ପିଲା ଟା ଡିଆଁଚିରା ମାରି ବୁଲିବ।

ନରିଆ ପାଖକୁ ଲାଗି ଆସି ନେତ କାନ ରେ କହିଲା-- ଆଲୋ ତୁ ସେମିତି ଅବୁଝା ହେଲେ ଚଳିବ! ! କାଳୁ କୁ ଗ୍ରାମଦେବତୀ ପାଖରେ ଥରେ ନେଇ ବୁଲେଇ ଆଣିଲେ, ସାପ ବି ମରିବ ବାଡି ବି ଭାଙ୍ଗିବନି। ଯାହା ହେଲେ ବି , ମୁଁ ପରା ମାସେ କାଳ ମାଆ ପାଖରେ ଅଧିଆ ପଡି, ବଳି ଯାଚିଲା ପରେ ଆମ ଘରେ କୁଆଁ କୁଆଁ ଡାକ ଶୁଭିଲା। ବଳି ସିନା ଦେବିନି, କିନ୍ତୁ କାଳୁ କୁ ଥରେ ତା ପାଖକୁ ନେଇ ଦେଖାଇ ଦେବାରେ ଅସୁବିଧା କଣ ଅଛି ? ମାଆ ପାଖରେ ଦ୍ରୋହୀ ହୋଇ ରହିବା ଟା କଣ ଭଲ ହେବ-- ତୁ ନିଜେ ଥରେ ଭାବି ଦେଖ୍ ।

ନେତ ମୁହଁ ପୋତି ଛିଡା ହେଲା। କାଳୁ କୁ ପାଖକୁ ଭିଡି ଆଣି ଗେଲ କରି କହିଲା-- ପୁଅରେ ଘରକୁ ଚଞ୍ଚଳ ଫେରି ଆସିବୁ, ମାଆ ତୋତେ ଚାହିଁ ବସିଥିବ। ଏପଟ ସେପଟ ନ ହୋଇ ଭାଇ ପଛେପଛେ ଚାଲୁଥିବୁ। ଠାକୁରାଣୀଙ୍କ ଉଦ୍ଦେଶ୍ଯରେ ହାତ ଯୋଡି ମନେ ମନେ କଣ ସବୁ ପ୍ରାର୍ଥନା କରିବା ପରେ ବୁଲୁ କୁ କହିଲା--

– ଆରେ ଧନ, ଯାତ୍ରା ଯାଗାରେ ବହୁତ ଭିଡ ହୋଇଥିବ, ଟିକେ ସାବଧାନ ହୋଇ ରହିବୁ, କାଳୁ କୁ ଜମା ଛାଡିବୁନି, ଭିଡରେ ହଜିଗଲେ ଆଉ ମିଳିବନି। କେତେ ଜାତି ର ଲୋକ ଥିବେ ସେ ଯାଗାରେ , ତୁ ହୁସିଆର୍ ନ ହେଲେ ଅସୁବିଧାରେ ପଡିବୁ। ପୁଅ ହାତରେ କୋଡିଏ ଟଙ୍କା ଗୁଞ୍ଜି କହିଲା-- ନେ ଦୁଇଜଣ ଖଜା ଖାଇବ।

ବୁଲୁ ହସିହସି କହିଲା - - - ମାଆ, ତୁ ଜମା ବ୍ଯସ୍ତ ହେବୁନି, ଆମେ ଚଞ୍ଚଳ ଫେରି ଆସିବୁ। କାଳୁ ମୋ ପାଖେ ପାଖେ ଥିବ, ତାକୁ କେମିତି ହଜାଇଦେବି କହିଲୁ?

ଭିଡରେ କାଳେ ହଜିଯିବ ବୋଲି କାଳୁ ବେକରେ ନେତ ଗୋଟିଏ ଫିତା ବାନ୍ଧି ଦେଇଥିଲା ଓ ବୁଲୁ ହାତରେ ଧରାଇ ତାକୁ ସାବଧାନ ରହିବାକୁ ବାରମ୍ବାର କହିଥିଲା।

ବଡବଡ ପାହୁଣ୍ଡ ପକାଇ ବୁଲୁ, ନରିଆ ପଛରେ ଚାଲିଲା ଓ ତା ପଛରେ କାଳୁ ଡିଆଁ ମାରି ଦଉଡିଲା।

ଶରଧାପୁର ଗ୍ରାମର ନରିଆ ମାଝି। ପରିବାର ବୋଇଲେ ସ୍ତ୍ରୀ ନେତ ଓ ଏକ ମାତ୍ର ପୁଅ ବୁଲୁ। ମୂଲ ମଜୁରି କରି ନରିଆ ପେଟ ପାଇଁ ଦାନା ଯୋଗାଡ କରେ। ଗାଁଆ ମୁଣ୍ଡରେ ଏକ ସାନ କୁଡିଆରେ ରହୁଥିବା ନରିଆ ପାଇଁ ତା ପରିବାର ହିଁ ସ୍ବର୍ଗ ଥିଲା। ବିଭାଘର ର ବହୁ ବର୍ଷ ପରେ ମଧ୍ଯ ପିଲାପିଲି ନ ହେବାରୁ, ଉଭୟଙ୍କ ମନରେ ପାଉଁଶ ତଳ ନିଆଁ ପରି ଦୁଃଖ ରହି ଯାଉଥିଲା। କେତେ ଦିଅଁ ଙ୍କ ପାଖରେ ପୂଜା, ମାନସିକ କରିବା ପରେ ମଧ୍ଯ ଏନ୍ତୁଡିଶାଳ ରୁ ଉମେହି ଧୂଆଁ ଉଠିଲାନି। ଶେଷରେ ଗ୍ରାମଦେବତୀଙ୍କ ପାଖରେ ଅଧିଆ ପଡିଲା ନରିଆ। ମାଆଙ୍କୁ ବୋଦା ବଳି ଯାଚନା କରି, ଆଶିର୍ବାଦ ପାଇବା ଆଶାରେ ଚାତକ ପରି ଚାହିଁ ରହିଲା। ବୋଧେ ନରିଆର ନିଷ୍ଠାରେ ଗ୍ରାମଦେବତୀ ସନ୍ତୁଷ୍ଟ ହେଲେ ; ନେତ ଗର୍ଭରୁ ଭୂମିଷ୍ଠ ହେଲା ଗୋରା ତକ ତକ ରାଜକୁମାର ପରି ପୁତ୍ର। ସେଦିନ ଗାଁଆରେ ଲୋକଙ୍କୁ ମିଠା ବାଣ୍ଟିଲା ବେଳେ, ଗୁରୁଜନ ମାନେ ତାକୁ ଚେତେଇ ଦେଇ ମାନସିକ କଥା ମନେ ପକାଇଦେଲେ। ଗ୍ରାମଦେବତୀଙ୍କୁ ବଳି ଯାଚନା କରିଛି ସେ । କିନ୍ତୁ ପୁତ୍ରଜନ୍ମ ଖୁସିରେ ବିଭୋର ହୋଇ ନରିଆ ସେ କଥା ପୁରା ଭୁଲି ଯାଇଥିଲା। ପିଲା ଟା ବଡ ହେବାକୁ ଲାଗିଲା, ମାତ୍ର ସଦା ବେଳେ ଦେହ ଖରାପ ରହିବାରୁ ଡାକ୍ତର ପାଖକୁ ଦଉଡି ନରିଆ ବଡ ହନ୍ତସନ୍ତ ହେଲା। ଗ୍ରାମଦେବତୀ ଙ୍କ ପାଖରେ ଝଡାଫୁଙ୍କା କରିବା ବେଳକୁ ଥରେ ଝାଙ୍କର ବଳିଯାଚନା କଥା ପଚାରିଲା। ନରିଆ ନିଜ ଶପଥ ଭୁଲି ମସ୍ତବଡ ପାପ କରିଛି ବୋଲି ସେ ଚେତେଇ ଦେଇ କହିଲା--- ଦେଖ୍ ନରିଆ, ମାଆଙ୍କ ପାଖେ ଖଚମିଛ ଚଳେନି। ତୁ ବଳି ଦେବୁ ବୋଲି କହି ପାଞ୍ଚ ବରଷ ବିତାଇ ସାରିଲୁଣି, କେତେ ଦିନ ମାଆ କୁ ଠକିବୁ? ପୁଅ ଦେହ ଖରାପ କରି, ମାଆ ତୋତେ ମନେ ପକେଇ ଦେଉଛି ତୋ ଶପଥ କଥା। ଯଦି ସେତିକି ରେ ତୋ ମୁଣ୍ଡରେ ବୁଦ୍ଧି ନ ପଶିବ, ନେଡି ଗୁଡ କହୁଣୀ କୁ ବୋହି ଯିବ। ତା ପରେ ଅଖା ଧୋଉଥିବୁ, ଗୁଣ ଗାଉଥିବୁ।

ଝାଙ୍କର କଥା ଶୁଣି ନରିଆ ଓ ନେତ ମନରେ ପାପ ଛୁଇଁଲା। ଯାହା କଷ୍ଟ ପଡୁ ପଛେ ,ଏଇ ସନ ମାଆଙ୍କ ପୂଜାରେ ବଳି ପକାଇବାକୁ ହେବ। କିଛି ଦିନ ଉତ୍ତାରୁ ପଇସା ଯୋଗାଡ କରି, ନରିଆ ହାଟରୁ ଗୁଲୁଗୁଲିଆ କଳାରଙ୍ଗର ବୋଦାଟିଏ ଧରି ଘରକୁ ଫେରି ନେତ କୁ କହିଲା

– - ଦେଖ୍ ନେତ, ଗ୍ରାମଦେବତୀଙ୍କ ପାଇଁ କେଡେ ସୁନ୍ଦରିଆ ବୋଦାଟିଏ ଆଣିଛି। ଟଙ୍କା ତିନି ଶହ ନେଲା ସତ, କିନ୍ତୁ ଜାତିଆ ଚିଜ ଟେ ମିଳିଛି। ଥରେ ଦେଖିଦେଲେ ମନ ପୁରି ଯାଉଛି। ମାଆଙ୍କ ପାଖରେ ୟାକୁ ବଳି ଦେଲେ ଆମ ପୁଅର ସବୁ ରିଷ୍ଟ କଟିବ, ମାଆ ତାକୁ ଘଣ୍ଟ ଆଢୁଆଳରେ ଘୋଡେଇ ରଖିବେ- - ଭାରି ପ୍ରତ୍ଯକ୍ଷ ମାଆ ସିଏ।

ନେତ ବୋଦାଟି ଆଗରେ କିଛି ଘାସ ପକେଇ ଆଉଁସି ଦେଇ କହିଲା-- କେତେ ସୁନ୍ଦର ନିଷ୍ପାପ ଜୀବ ଟି ହୋଇଛି ଦେଖିଲ! !, ତାକୁ ମାରିବା ପାଇଁ ଝାଙ୍କରର ହାତ ଯିବ ଟି ? ଏ ପ୍ରଶ୍ନର ଉତ୍ତର ନରିଆ ପାଖରେ ନଥିଲା। ସେ କେବଳ ଦୀର୍ଘ ନିଶ୍ବାସ ପକେଇ କହିଲା-- ଯାହା ତା କପାଳରେ ଲେଖା ,ତାକୁ କିଏ ଆନ କରି ପାରିବ?

ଦିନ ପରେ ଦିନ ବିତି ଚାଲିଲା। ବୁଲୁ ସାଙ୍ଗରେ ବୋଦାଟି ପାଣିରେ କ୍ଷିର ପରି ମିଶିଗଲା। ଦୁଇ ଜଣ ଦେଖିବାକୁ ଭାରି ଡଉଲ ଡାଉଲ ଦିଶୁଥିଲେ। ବୋଦାଟିର କୁନି ମୁହଁରେ ଭଗବାନ ସବୁ ସୁନ୍ଦରତା ଖୁନ୍ଦି ଦେଲା ପରି ଲାଗୁଥିଲା। କାଚ ବାଟି ପରି ଆଖି ଦୁଇଟିରେ ନିରିହତା ଉକୁଟି ଉଠୁଥିଲା। ଅଳ୍ପ ଉଚ୍ଚ କପାଳରେ ଶୋଭା ପାଉଥିଲା ପୁନେଇ ଚାନ୍ଦ ସମ ଧଳା ଟୀକା। ଟାଆଁସିଆ ଘଞ୍ଚ କଳା ଲୋମରେ ଘୋଡେଇ ହୋଇ ରହିଥିଲା ତାର ସମଗ୍ର ଶରୀର। ଦିନ ସାରା ଖାଇ ଖାଇ ପେଟଟି ଲାଉ ତୁମ୍ବା ପରି ଝୁଲି ରହୁଥିଲା। କୋଳ କୁ ଟେକି ନେଇ ଗେଲ କରି ଦେବା ପାଇଁ ,ଯେ କେହି ଲୋକର ମନରେ ଯେ ପ୍ରବଳ ଲୋଭ ହେବ, ଏ କଥାରେ ଦ୍ବିମତ ନାହିଁ। ଦୂରରୁ ଦେଖିଲେ ଲାଗିବ ସତେକି ଏକ କଣ୍ଢେଇ ଥାକୁଲୁ ଥାକୁଲୁ ଡିଆଁ ମାରି ଆସୁଛି। ସେ ବଡ ସ୍ନେହ ରଙ୍କୁଣିଆ ଥିଲା। ପାଖରେ ବସିଲେ ବାରମ୍ବାର ମୁହଁ ଘଷି ଗେଲ କରିବାକୁ ଅଳି କରିବାରେ ଅବହେଳା କରୁ ନ ଥିଲା। କରିବନି ବା କେମିତି! ! ବାପାମାଆ ଓ ଛୁଆ ତ ସଦାବେଳେ ତାକୁ ମୁଣ୍ଡରେ ବସେଇ ରଖିଲେ।

ପିଲାଟି ଦିନରୁ ବୁଲୁ ସେଇ ବୋଦା ସାଙ୍ଗରେ ସବୁ ସମୟରେ ଖେଳାବୁଲା କରୁଥିଲା। ଗେଲରେ ତାକୁ କାଳୁ ବୋଲି ଡାକୁଥିଲା। ନରିଆର ଘରେ କେବଳ ଦୁଇଟି ନାଁଆ ସଦାବେଳେ ଶୁଭୁଥିଲା "ବୁଲୁ ଓ "କାଳୁ"। ନରିଆ ଓ ନେତ ଦୁଇ ଜଣଙ୍କ ପାଇଁ କାଳୁ ଆଉ ଗୋଟିଏ ସନ୍ତାନ କହିଲେ ଭୁଲ ହେବ ନାହିଁ। ଘର ଭିତରେ ବୁଲୁ ପାଖରେ ହିଁ ରହୁଥିଲା କାଳୁ,ତାଆରି ପାଖରେ ଖାଇବା, ପିଇବା, ଶୋଇବା ସବୁ କିଛି। ସେ ନାମକୁ ମାତ୍ର ଘାସ ବା ଗଛର ପତ୍ର ଖାଉଥିଲା, ଅର୍ଦ୍ଧାଧିକ ସମୟ ବୁଲୁର ବଳକା ଖାଦ୍ଯ ହିଁ କାଳୁ ଭାଗରେ ପଡୁଥିଲା। ଏକୋଇ ର ବଳା ବିଶିକେସନ ବୁଲୁର ଖାଇବା ପିଇବା ରେ ଯେମିତି କିଛି ଉଣା ନ ହେବ ସେ କଥା ପାଇଁ ସ୍ବାମୀ ସ୍ତ୍ରୀ ସଦାବେଳେ ଜାଗତିଆର ରହୁଥିଲେ। କ୍ଷିର, ଘିଅ ନ ହେଲେ ବୁଲୁ ତଣ୍ଟିରେ ଭାତ ଗଳୁ ନ ଥିଲା। ସେଥିରୁ କିଛି କିଛି କାଳୁ ଭାଗରେ ପଡୁଥିଲା। ତେଣୁ ସେ ମଧ୍ଯ ବୁଲୁ ପରି ଗୁଲୁଗାଲିଆ ହୋଇ ବଢିବାରେ ଲାଗିଥିଲା।

କାଳୁ ବୋଲି ଡାକିଦେଲେ, ସେ ଦଉଡି ଆସି ପାଖରେ ହାଜର ହୋଇଯାଏ। ପାଖରେ ଶୋଇଲେ ମୁହଁ ଗେଞ୍ଜି ତାକୁ ଗେଲ କରିବାକୁ ଅଳି କରେ। କେତେ ବେଳେ ନରିଆ ତାକୁ କୋଳରେ ବସେଇ ଦେହରୁ ଗୁଗୁଚି ଛଡାଇଲାଣି, ତ କେତେ ବେଳେ ନେତ ମୁଣ୍ଡରେ ଥିବା ଧଳା ଚାନ୍ଦକୁ ଘଷିମାଜି ଚକମକ କରିବାରେ ଲାଗିଲାଣି। କେବେକେବେ ନେତ ଗାଁଆ ପୋଖରିରେ ତାକୁ ଭଲରେ ଘଷିମାଜି ଗୋଧୋଇ ଦିଏ। ଦେଖିବା ଲୋକ କୁହନ୍ତି, ନେତ ର ମୁଣ୍ଡ ଗୋଳମାଳ ହୋଇଗଲାଣି, ନ ହେଲେ ଗୋଟେ ବୋଦା ପାଇଁ ଏତେ ସରାଗ କାହା ମନରେ ଥିବ। ନେତ ବଡ ଯତ୍ନରେ ପୋଖରି ହୁଡାରୁ ଦୁବ ଘାସ ତୋଳି କାଳୁ ପାଟିରେ ଦିଏ, ସେ ମନ ଖୁସି ରେ କୁନି ଲାଞ୍ଜଟି ହଲାଇ ସବୁ ଖାଇଦିଏ। ଏତିକି ଭଲପାଇବା ପାଇ, କାଳୁ ବି ଭୁଲି ଯାଇଥିଲା ସେ ମଣିଷପିଲା ନୁହଁ ବୋଲି, କାରଣ ତାର କାର୍ଯ୍ଯକଳାପ ଦେଖିବା ଲୋକ ଭାବିବ, କାଳୁ ନିହାତି ଭାବରେ ପଶୁଦେହରେ ଲୁଚି ରହିଥିବା ମଣିଷ ଆତ୍ମା।

ସେଦିନ ସକାଳୁ ଗାଁଆର ମାଧବ ସାହୁ ଚେତେଇ ଦେଲା ପରି ନରିଆ କୁ କହିଲା-- ଆରେ ସେ ବୋଦା ଟା ପଛରେ କାହିଁକି ବାଇ ହେଉଛୁ, ତାକୁ ବଳି ଦେବା ପାଇଁ ଆଣିଛୁ ନା ଘରେ ପୋଷିବାକୁ ଆଣିଛୁ? ତା ବେକରେ ନାଲି ଫିତା ଟେ ବାନ୍ଧିଲେ ସିନା ସବୁ ଜାଣିବେ ସେ ମାଆର ବଳି ବୋଦା ବୋଲି। ନ ହେଲେ ଗାଁଆର ମାଉଁସ ରଙ୍କୁଣିଆ ଟୋକା କେତେବେଳେ ଟେକି ନେଇ ଆମ୍ବତୋଟାରେ ଭୋଜି କରିଦେବେ ଯେ! !

ମାଧବର କଥା ସବୁ ତୀର ପରି ଗଳିଗଲା ନରିଆ ଛାତିରେ। ସେ ଲଥ୍ କରି ମୁଣ୍ଡରେ ହାତ ଦେଇ ତଳେ ବସିପଡିଲା। ଆରେ ସତେ ତ, ସେ ପୁରା ଭୁଲି ଯାଇଛି ବଳି ଦେବା କଥା। କାଳୁ ପାଇଁ ଏତେ ମୋହ ରଖିଲେ, ତାକୁ ବଳି ମୁହଁକୁ ଠେଲିବ କେମିତି? ନିଜ ପିଲା ପରି ଭଲ ପାଇଲେ କଣ ହେବ, ତାକୁ ସେ ଆସିଛି ଗ୍ରାମଦେବତୀ ପାଖରେ ଉତ୍ସର୍ଗ କରିବା ପାଇଁ। ପିଣ୍ଡାରେ ବସିଥିଲା ବେଳେ କାଳୁ ତା ପାଖକୁ ଦଉଡି ଆସି ମୁହଁ ଘଷି ଗେଲ କରିବାକୁ ଅଳି କଲା। ହଠାତ୍ ତାକୁ ଏକ ଗୋଇଠା ପକାଇଲା ନରିଆ ; ବିଚରା କିଛି ଦୂରକୁ ଛିଟିକି ପଡିଲା। କଣ ହେଲା ବୁଝି ପାରିଲାନି କାଳୁ,ସେ ବା କାହୁଁ ବୁଝିବ ନରିଆ ମନର ଅବସ୍ଥା। କିଛି ସମୟ ଢଳଢଳ ଆଖିରେ ଚାହିଁ, ପୁଣି ଥରେ ସେ ନରିଆ କୋଳରେ ମୁହଁ ଗୁଞ୍ଜିଲା। ଏଥର ନରିଆ ରହି ପାରିଲାନି। ଭୋ ଭୋ କାନ୍ଦି କହିଲା-- ମୋତେ ମୋହଜାଲ ରେ ଛନ୍ଦି ପକାନି ରେ କାଳୁ, ତୋତେ ବଳି ଦେବା ପାଇଁ ମୁଁ ଆଣିଛି। କଣ ବୁଝୁଛୁ ତ? ତୁ ଗ୍ରାମଦେବତୀ ପାଖରେ ହାଣ ଖାଇବୁ। ତୋ ମୁଣ୍ଡ ଛିଡି ତଳେ ପଡିବ, ମରିଯିବୁ ତୁ। କଣ ସେ ବୁଝିଲା କେଜାଣି , ସବୁ ଦିନ ପରି ନରିଆ ଦେହରେ ଘଷିହୋଇ ମେଁ ମେଁ ଡାକ ଦେଇ ଖେଳିବାକୁ ଲାଗିଲା।

ଏସବୁ ଘଟଣା ଚୁପ୍ ଚାପ୍ ଦେଖୁଥିଲା ନେତ। ସେ କଳି ଲାଗିଲା ପରି ଦଉଡି ଆସି, ନରିଆକୁ ମନଇଚ୍ଛା ଶୋଧି ଦେଇଗଲା। କାଳୁ କୁ ନିଜ କୋଳକୁ ଟାଣି ନେଇ କହିଲା-- ଦେଖିବା, କିଏ ମୋ କାଳୁ କୁ ବଳି ଦେବ। ହେଇଟି, କାନେ କାନେ କହି ଦେଉଛି, ଯଦି ମୋ କାଳୁ ଦିହରେ ଆଞ୍ଚୁଡା ଦାଗଟେ ବି ପଡିବ, ମୋ ମଲା ମୁହଁ ଦେଖିବ। ମୁଁ କୋଉ ଗ୍ରାମଦେବତୀ କୁ ଜାଣିନି। କଣ ଏମିତି ସେ କରି ପକାଇଲା ଯେ ତା ପାଖେ ମୋ ପୁଅ କୁ ବଳି ଚଢେଇବି। ତାକୁ ପରା ଲୋକେ ମାଆ ବୋଲି କହୁଛନ୍ତି, କୋଉ ମୁହଁରେ ସେ ବଳି ଖାଉଛି। ଲାଜ ନାହିଁ ତା ମୁହଁ କୁ ଯାହା।

ନରିଆ ତା ମୁହଁରେ ହାତ ରଖି ଚୁପ୍ ହେବାକୁ କହିଲା। ଗାଁଆ ଲୋକେ ଶୁଣିଲେ ନିଆଁପାଣି ବାଛନ୍ଦ କରିଦେବେ ଯେ। ତାକୁ ବୁଝାଇ କହିଲା-- ତୁ କହ ନେତ ମୁଁ କଣ କରିବି। ମାଆ ପାଖରେ ଅଧିଆ ପଡିଲା ବେଳେ ମାନସିକ କରିଥିଲି, ତୁ ଭୁଲି ଗଲୁ କି? ମାଆ କୃପା କଲା ବୋଲି ସିନା ଆମ ଘରେ କୁଆଁ ଡାକ ଶୁଭିଲା। ଆମ ବୁଲୁ କଥା ଭାବ୍ ଥରେ। ଯଦି ତାର କିଛି ଅମଙ୍ଗଳ ହେବ, ତୁ ସମ୍ଭାଳି ପାରିବୁ ଟି ? ଦେବୀ ଅଭିଶାପ ପଡିଲେ ଆମ ସବୁ ଛାରଖାର ହୋଇଯିବା।

– – ସେ ସବୁ କଥା ମୁଁ ଜାଣିନି। ମୋ କାଳୁ ଯଦି ବଳି ଦେବାକୁ ନେବ ମୋ ମଲା ମୁହଁ ଦେଖିବ। ମୋର ଅଧିକା କିଛି କହିବାର ନାହିଁ।

ସେଦିନ ପରଠାରୁ ସଦାବେଳେ ନରିଆ ଅନ୍ଯମନସ୍କ ରହିବାକୁ ଆରମ୍ଭକଲା। ଏମିତି ଏକ ଧର୍ମ ସଙ୍କଟରେ ପଡିବ ବୋଲି ସ୍ବପ୍ନରେ ସୁଦ୍ଧା ଭାବି ନ ଥିଲା। ଗୋଟିଏ ପଟରେ କାଳୁର ଢଳଢଳ ନିରିହ ଆଖି ଓ ଅନ୍ଯ ପଟରେ ଗ୍ରାମଦେବତୀଙ୍କ ରକ୍ତପିପାଷୁ ଲହଲହ ଜିଭ। କାହାକୁ ସେ ଅଧିକ ଗୁରୁତ୍ବ ଦେବ, କାଳୁ ପ୍ରତିଥିବା ମୋହ କୁ ନା ଗ୍ରାମଦେବତୀଙ୍କ ପାଖରେ କରିଥିବା ବଳିଯାଚନା କୁ। ପରିବାରର ହସଖୁସି ରେ ଯେମିତି କାହାର ନଜର ଲାଗି ଯାଇଥିଲା। ସେଦିନର ଘଟଣା ପରେ ନେତ କୁ ବଡ ଅସୁରକ୍ଷିତ ଲାଗୁଥିଲା। ରାତି ଅଧରେ ଚମକି ଉଠି ସେ ପାଟି କରି କାନ୍ଦୁଥିଲା – କାଳୁ ରେ, ମୋତେ ଛାଡି ଯାଆନି--- କେହି ନିଅନି ମୋ କାଳୁ କୁ.... ମୋ ପୁଅ କୁ---- ମାରନି ତାକୁ........। ଚାରିପଟରେ କଣ ଘଟି ଯାଉଛି ସେ ବିଷୟରେ ଅଜ୍ଞ ଥିଲେ, କେବଳ ଦୁଇଜଣ; ବୁଲୁ ଓ କାଳୁ। ସେମାନଙ୍କ ଭଲପାଇବା ଓ ଆତ୍ମୀୟତାରେ କୌଣସି ପ୍ରକାରର ଭଟ୍ଟା ପଡି ନଥିଲା।

ଶେଷରେ ନରିଆ ନିଷ୍ପତ୍ତି ନେଲା, ଗ୍ରାମଦେବତୀଙ୍କ ପାଖକୁ ଯାଇ କ୍ଷମାଯାଚନା କରିବ ଓ ଓଝା ପାଖରେ ନିଜ କାହାଣୀ ଶୁଣାଇବ। ସକାଳୁ ଯାଇ ପହଞ୍ଚିଲା ମନ୍ଦିରରେ। ଯୋଗକୁ ଝାଙ୍କର ଏକୁଟିଆ ମନ୍ଦିରରେ ଥିଲା। ଆଉ ଅଳ୍ପ ଦିନ ପରେ ଠାକୁରାଣୀଙ୍କ ପୂଜା, ତେଣୁ ମନ୍ଦିରକୁ ସାଜସଜ୍ଜା କରିବାରେ ସେ ଲାଗିଥିଲା। ନରିଆ ପାଖରୁ ସବୁ ଶୁଣିବା ପରେ, କିଛି କ୍ଷଣ ଚୁପ୍ ରହି ସେ କହିଲା-- ଦେଖ୍ ନରିଆ, ତୁ ଯାହା କହୁଛୁ ଭାବିଚିନ୍ତି କହୁଛୁ ତ? ମାଆ ପାଖରେ ଏସବୁ ଚଳିବ ନାହିଁ, ତୁ ଜାଣିନୁ ସେ କେତେ ପ୍ରତ୍ଯକ୍ଷ। ତା ପାଖରେ ଜବାବ୍ ଦେଇ ଯଦି କଥା ନ ରଖିବୁ, ତୋ ବଂଶ ତ ବୁଡିବ -- ଆମ ଗାଁଆ ବି ଧ୍ବଂସ ହୋଇଯିବ। ତୋ ପାପର ଦଣ୍ଡ ସବୁ ଗାଁଆ ଲୋକେ ଭୋଗିବେ। ପାଦ ତଳେ ଲମ୍ବ ହୋଇ ପଡିଗଲା ନରିଆ ଓ କେତେ କାକୁତି ମିନତି ହେଲା। ଶେଷରେ ଝାଙ୍କର କୁ କିଛି ଟଙ୍କା ଦେବା ପାଇଁ ମଧ୍ଯ ରାଜି ହେଲା। ଟଙ୍କା କଥା ଶୁଣି ତା ସ୍ବର ଟିକେ ନରମିଗଲା।

ସେ କହିଲା-- ଆରେ ମୋର କଣ ହେବ ଟଙ୍କା, ସବୁ ସେଇ ମାଆର। ତୁ ଦୋଷ କରିଛୁ ଯେତେ ବେଳେ, ତାକୁ ସନ୍ତୁଷ୍ଟ କରିବା କାମ ବି ତୋର। ମୁଁ ଖାଲି ନିମିତ୍ତ ମାତ୍ର। ଏତେ ନେହୁରା ବିକଳ ହେଲୁଣି ଯେତେବେଳେ, ମୁଁ ମାଆ ପାଖରେ କିଛି ସମୟ ଅଧିଆ ପଡେ, ସେ କଣ କହୁଛି ଜାଣିଲା ପରେ ତୋତେ କହିବି।

ନରିଆ ମନ୍ଦିର ପାଖ ଗଛ ମୂଳରେ ଅପେକ୍ଷା କଲା। ଝାଙ୍କର ଭିତରେ ଦୁଇ ତିନି ଘଣ୍ଟା ରହିବା ପରେ ଆସି କହିଲା-- ମାଆ ତୋ ଉପରେ ବହୁତ ରାଗିଛି, ତୋ ବଉଁଶ ବୁଡେଇଦେବ ବୋଲି କହୁଛି। କେତେ ନେହୁରା ହେଲା ପରେ ମାଆ କହିଲା – ଯାଃ ସେ ପାପୀ କୁ କହିବୁ ମନ୍ଦିର ପାଇଁ ଟଙ୍କା ପାଞ୍ଚ ହଜାର ଦେବ। କିନ୍ତୁ ଟଙ୍କା ଦେବା କଥା କାହାକୁ କହିଲେ ମୁଁ ତା ରକ୍ତ ପିଇଦେବି।

ଏତେ ଗୁଡେ ଟଙ୍କା କଥା ଶୁଣି ନରିଆ ମୁଣ୍ଡ ବୁଲେଇ ଦେଲା। ଟଙ୍କା ଦେବାରେ ନିଜର ଅସାମର୍ଥ୍ଯତା ଦେଖାଇ, ଅନ୍ଯ କିଛି ବାଟ ଅଛି କି ବୋଲି ପଚାରିଲା। କିନ୍ତୁ ଝାଙ୍କର ରାଗି ଯାଇ, ତାକୁ ବହୁତ ଗାଳି ଦେଇ କହିଲା-- ସେ ଚାଲାକି ଦେଖାନି, ନୋହିଲେ ଧ୍ବଂସ ହୋଇଯିବୁ। ତୋ କଥାରେ ପଡି ମୁଁ ମାଆ ପାଖେ ଅଧିଆ ପଡିଲି। ଏବେ, ତୁ କଥା ନ ରଖିଲେ ମୋ ପ୍ରାଣ ସେ ନେଇଯିବ। ଭଲ ମଙ୍ଗଳ ଅଛି ତ ଟଙ୍କା ଯୋଗାଡ କରି ଚୁପ୍ ଚାପ୍ ମୋ ହାତରେ ଧରେଇ ଦେବୁ। ନୋହିଲେ ଆଗକୁ ଯାହା ହେବ ମୋତେ ଦାୟୀ କରିବୁନି।

ନରିଆର ଶୁଖିଲା ମୁହଁ ଦେଖି ନେତ ସବୁ ପଚାରି ବୁଝିଲା। କାଳୁର ଜୀବନ ରକ୍ଷା ପାଇଁ ବାଟ ବାହାରି ଗଲା ବୋଲି ଜାଣି ସେ ଖୁସି ରେ ବହେ ନାଚିଗଲା। କାଳୁକୁ ବୋକ ରେ ପୋତି ପକେଇଲା। ଟଙ୍କା କଥା ଶୁଣି ସେ କହିଲା-- ତୁମେ ଏମିତି ବ୍ଯସ୍ତ ହେବାର କାରଣ ନାହିଁ। ମୋ ପାଖେ ଯାହା ସୁନା ଗହଣା ଅଛି ସବୁ ବିକ୍ରି କରିଦିଅ,ମୋର ସେସବୁ ଦରକାର ନାହିଁ, ମୋ କାଳୁ ଜୀବନ ବଞ୍ଚେଇ ଦିଅ। ନେତର ହାତ କୁ ଜାବୁଡି ନରିଆ କହିଲା-- ତୁ କଣ ସତ କହୁଛୁ? ତୋର ସବୁ ସୁନା ଯଦି ବିକ୍ରି କରିଦେବି, ତୁ ପିନ୍ଧିବୁ କଣ? ବାହା ହେଲା ବେଳେ ଯେତିକି ସୁନା ଆଣିଥିଲୁ ସେତିକି ତ ଅଛି ତୋ ପାଖରେ। ମୁଁ ଏତେ ଦିନ ଯାଏ ତୋ ପାଇଁ ଗୋଡ ମୁଦି ଟେ ବି କରି ପାରିଲିନି। ନେତ ହସି କହିଲା-- ତୁମେ, ବୁଲୁ ଓ କାଳୁ ହେଲ ମୋର ଗହଣା, ତୁମ ମାନଙ୍କ ଠାରୁ ଅଧିକା ମୂଲର ଚିଜ ମୋର ଲୋଡା ନାହିଁ। ସବୁ ବିକ୍ରି କରିଦିଅ, ମୋ କାଳୁ କୁ ବଞ୍ଚେଇ ଦିଅ।

ଶେଷରେ ନରିଆ ଝାଙ୍କର ହାତକୁ ଦାବୀ ମୁତାବକ ଟଙ୍କା ଟେକି ଦେଇ ଗ୍ରାମଦେବତୀଙ୍କ ପାଖରେ ମୁଣ୍ଡିଆ ମାରିଲା ଓ ପାଦତଳେ ପଡି କୃତଞତା ଜଣାଇଲା। ମନ୍ଦିର ରେ ଥିବା କିଛି ଗାଁଆ ଲୋକେ ନରିଆକୁ ଘଟଣା କଣ ବୋଲି ପଚାରିଲେ। ମାତ୍ର ସେ କାହାକୁ କିଛି ନ କହି ଘରକୁ ଫେରିଲା। ସେ ଫେରିଲା ବେଳକୁ ଝାଙ୍କର ପାଖକୁ ଡାକି କହିଲା-- ଶୁଣ୍ ନରିଆ, ମାଆ ଆଦେଶ ଦେଇଛି--ଗାଆଁ ପୂଜା ଦିନ ତୋ ବୋଦା କୁ ନେଇ ପୂଜା ଯାଗାକୁ ଆସିବୁ। କେବଳ ମାଆ ପାଖରେ ଥରେ ଦେଖେଇ ନେଇଯିବୁ। ମୁଣ୍ଡ ଟୁଙ୍ଗାରି ହଁ ଭରିଲା ନରିଆ।

ସେଦିନ ନରିଆର ଘରେ ଖୁସିର ଲହରି ଛୁଟିଥିଲା, କୋଳ କୁ ଟେକି ନେଇ ମନ ଭରି କାଳୁ କୁ ଗେଲ କରି ଚାଲିଲା ସେ। ବୁଲୁ କିଛି ବୁଝି ନ ପାରି କେବଳ ବଲବଲ ଚାହୁଁଥାଏ। ନେତ ବୁଲୁ କୁ କହିଲା-- ଏବେ କାଳୁ ଆମକୁ ଛାଡି କୁଆଡେ ଯିବନି ସେ ସବୁ ଦିନ ଆମ ପାଖରେ ରହିବ। ଆଉ କାଳୁ--- ସେ ଡିଆଁ ମାରି ଘର ସାରା ବୁଲି ନିଜର ଖୁସି ଜାହିର୍ କରିବାରେ ଲାଗି ଯାଇଥିଲା। ସେ ବା କଣ ଜାଣିବ, କେତେ ବଡ ବିପଦରୁ ନେତ ଓ ନରିଆ ତାକୁ ବଞ୍ଚେଇଛନ୍ତି।

ଗାଁଆ ଯାତ୍ରା ଆଉ ଅଳ୍ପ ଦିନ ରହିଲା। ନୂଆ ବୋହୁ ବେଶ ହେବା ପରି ମନ୍ଦିର ସଜେଇ ହୋଇ ଗଲାଣି। ଲୋକଙ୍କ ଘରକୁ ବନ୍ଧୁ କୁଣିଆ ମାନଙ୍କର ଧାଡି ଲମ୍ବିବା ଆରମ୍ଭ ହେଲାଣି। ଆଖପାଖର ପନ୍ଦର ଖଣ୍ଡ ଗାଁଆ ଭିତରେ ସବୁଠାରୁ ବଡ ଯାତ୍ରା ଶରଧାପୁରରେ ହେବ। ସେଦିନ ଗ୍ରାମଦେବତୀ ଝାଙ୍କର ଦେହରେ ଆବିର୍ଭାବ ହେବେ-- ଲୋକଙ୍କ ଦୁଃଖ ଶୁଣିବେ, ଆଶିର୍ବାଦ ଦେବେ। ତାଙ୍କ ଆଗରେ ଶହ ଶହ ବୋଦା ଓ କୁକୁଡାଙ୍କ ବଳି ପଡିବ। ସେ ରକ୍ତ କୁ ମାଆ ଓ ତାଙ୍କ ଅନୁଚର ମାନେ ପିଇବେ। ଯେତିକି ପଶୁପକ୍ଷୀଙ୍କୁ ବଳି ଦିଆ ଯାାଇଥିବ, ସେମାନଙ୍କ ମାଂସରେ ହେବ ବିରାଟ ଭୋଜିର ଆୟୋଜନ। ଗାଁଆ ଲୋକେ ନିଜ ନିଜ କ୍ଷମତା ଅନୁସାରେ ଜିନିଷପତ୍ର ଯୋଗାଇବେ ଓ ଗାଁଆ ଦାଣ୍ଡରେ ଲୋକମାନେ ବସି ଭୋଜି ଖାଇବେ। କାହିଁ କେତେ କାଳରୁ ଏ ପ୍ରଥା ଚାଲି ଆସିଛି। ମାଂସ ଟିକେ ଖାଇବା ଲୋଭରେ ଲୋକେ କାହିଁ କେତେ ଦୂରରୁ ଯାତ୍ରା ଦେଖିବାକୁ ଦଉଡି ଆସନ୍ତି। ସେଦିନ କାହାକୁ ଭୋଜି ଖାଇବାରୁ ବାରଣ କରାଯାଏନି, ତେଣୁ ବାହାର ଗାଁଆ ଲୋକେ ସଞ୍ଜବେଳୁ ଗାଁଆ ଦାଣ୍ଡରେ ପତର ବିଛାଇ ମାଉଁସ ଭୋଜି କୁ ଚାତକ ପରି ଚାହିଁ ରହିଥାାନ୍ତି।

ଯାତ୍ରା ଦିନ ଗାଁଆ ଦାଣ୍ଡରେ ରକ୍ତର ନଦୀ ବୁହେ। ଗାଁଆର ବୁଦ୍ଧିଆ ଲୋକେ କୁହନ୍ତି, ମାଆ ସମ୍ମୁଖରେ ବଳି ପଡୁଥିବା ଜୀବଜନ୍ତୁଙ୍କର କାହିଁ କେତେ ଦିନର ତପସ୍ଯା ସଫଳ ହୁଏ। ସେମାନେ ପଶୁ ପକ୍ଷୀ ଜନ୍ମରୁ ମୁକ୍ତି ପାଇ ଭଲ ଯୋନୀ ରେ ପୁର୍ନଜ୍ଜନ୍ମ ନିଅନ୍ତି। ତାଙ୍କ ଦେହ ରୁ ନିଗିଡି ପଡୁଥିବା ରକ୍ତ ସବୁ ଲୋକଙ୍କର ଦୁଃଖଦୁର୍ଦ୍ଦଶା କୁ ଦୂରେଇ ଦିଏ ଓ ସେମାନଙ୍କ ବଳୀଦାନ ଫଳରେ ଲୋକେ ଦୀର୍ଘାୟୁ ,ସୌଭାଗ୍ଯ ଲାଭ କରନ୍ତି। ଗ୍ରାମଦେବତୀଙ୍କ ପାଖରେ କେତେ ଲୋକଙ୍କର ମାନସିକ ଥାଏ ତାର ହିସାବ ନାହିଁ। ସେମାନଙ୍କ ଭିତରୁ କେତେଜଣ ମାଆର ଆଶିଷ ପାଇଛନ୍ତି ସେ କଥା ଭଗବାନଙ୍କୁ ଜଣା; କିନ୍ତୁ ମାଆ ମନ୍ଦିର ରେ ଅଧିଆ ପଡି ସେମାନେ ବଳି ଯାଚନା କରି ନିଜ ନିଜର ସୁଖ, ସମୃଦ୍ଧି କାମନା କରନ୍ତି। ଲୋକେ କୁହନ୍ତି, ମାଆ ପାଖରେ ବଳି ଯାଚିଲେ, ନ ହେବା କାମ ବି ହୋଇଯାଏ। ତେଣୁ ପ୍ରତି ବର୍ଷ ଅଧିକ ମୁଣ୍ଡ ଗଡେ ମାଆ ପାଖରେ ଓ ଗାଁଆ ଦାଣ୍ଡର ମାଟି ବେଶି ଭିଜେ ତଟକା ରକ୍ତରେ। ଝାଙ୍କର କୁହେ-- – ବଳି ଦେଲା ପରେ ପଶୁ ପକ୍ଷୀ ମାନେ, କଷ୍ଟରେ ନୁହଁ ବରଂ ପ୍ରଣାମ ଜଣାଇବା ଉଦ୍ଦେଶ୍ଯରେ ଗୋଡ ହାତ ଛାଟନ୍ତି । ପାଠଶାଠ ପଢି ନ ଥିବା ନରିଆ ଏତେ କଥା ବୁଝି ପାରେନି। ରକ୍ତ ଦେଖିଲେ ତା ଦେହ ହାତ ଥରେ, ତେଣୁ ସେ କେବେ ବି ବଳି ପଡୁଥିବା ଯାଗା କୁ ଯାଏନି।




ଯାତ୍ରା ହେବା ଯାଗା ପାଖେଇ ଆସିଲାଣି। ନରିଆ ବୁଲୁ କୁ ତାଗିଦ୍ କରି କହିଲା-- କାଳୁ ର ରଶି କୁ ଭଲରେ ଧରି ଥା। ବହୁତ୍ ଭିଡ ହୋଇଛି, ଟିକେ ଆନମନା ହେଲା ସେ ଖସି ଦଉଡି ଯିବ। ବୁଲୁ କୁ ଦୂରରୁ ଶୁଭୁଥାଏ ଢୋଲ, ଘଣ୍ଟ, ମାଦଳ ଓ ତୁରୀ ର ବାଜଣା ର ଧ୍ବନି। ମଝିରେ ମଝିରେ କାହାର ଆର୍ତ୍ତ ଚିତ୍କାର ଓ ଲୋକ ମାନଙ୍କର ପାଟି, ତା ଛାତି ଥରେଇ ଦେଉଥାଏ। ସେସବୁ ର କାରଣ କଣ, ଜାଣିବାକୁ ଚାହିଁବାରୁ ନରିଆ ବୁଝାଇ ଦେଲା-- ମାଆ ଙ୍କ ପାଖରେ ବଳି ଦିଆ ଯାଉଛି। ବଳିର ଅର୍ଥ କଣ ଜାଣିବାକୁ ଚାହିଁବାରୁ ନରିଆ ନିରୁତ୍ତର ରହିଲା। ସେ ନିଜେ ବି ଜାଣିନି ବଳିର ଅର୍ଥ କଣ। ଧିର ସ୍ବରରେ କହିଲା – ପୁଅରେ ମାଆଙ୍କ ପାଖରେ ପଶୁପକ୍ଷୀମାନଙ୍କୁ ମରା ଯାଉଛି। କିନ୍ତୁ ବୁଲୁ ମନରେ ପ୍ରଶ୍ନର ପାହାଡ। ସେ ପୁଣି ପଚାରିଲା-- ବାପା, ଗ୍ରାମଦେବତୀ ପରା ଠାକୁରାଣୀ। ପଶୁ,ପକ୍ଷୀ ,ମଣିଷ ସବୁ ତ ତାଙ୍କରି ସନ୍ତାନ, ତେବେ ତାଙ୍କ ପାଖରେ ପୁଣି ବଳି......।

ଏଥର ଚିଡି ଉଠିଲା ନରିଆ-- ଏତେ କଥା ଜାଣିବା ତୋର କଣ ଦରକାର କହିଲୁ? ତୁ ଯାତ୍ରା ଦେଖ୍ ମଜା କର। ସେସବୁ ଜିନିଷ ରୁ ଆମକୁ କଣ ମିଳିବ। ଜଲଦି ଯାତ୍ରା ଦେଖି, ଘରକୁ ଘୁଙ୍ଗୁର ନେଇ ଫେରିଲେ ତୋ ମାଆ କାଳୁ ବେକରେ ଲଗେଇବ, ଭୁଲି ଗଲୁ ନା କଣ? ଚଞ୍ଚଳ ଗଲେ, ଦେଖିବୁ ଗ୍ରାମଦେବତୀ କେମିତି ଝାଙ୍କର ଦେହରେ ଆସିଛନ୍ତି। ତାଙ୍କୁ ଓଳିଗି ହୋଇ ପାଠ ମାଗିଲେ ସେ ବହୁତ ପାଠ ଦେବେ। ଏଥର ବେଶି ପ୍ରଶ୍ନ ନ ପଚାରି ବୁଲୁ ଡିଆଁ ମାରି ମାରି ଚାଲିଲା। ତା ପଛକୁ କାଳୁ ଖୁସି ରେ ଚାଲୁଥିଲା ; କେଉଁଠି କଅଁଳ ପତ୍ର ଦେଖିଲେ ଦଣ୍ଡେ ରହିଯାଇ ସେତକ ପାଟିରେ ଜାକି ପୁଣି ଚାଲୁଥିଲା। କିଛି ବାଟ ଗଲା ପରେ କାଳୁ ଆଗକୁ ବଢିବାକୁ ଅମଙ୍ଗ ହେଲା ପରି ଲାଗିଲା। ଗୋଟିଏ ଯାଗା ରେ ଛିଡା ହୋଇ ସେ ବୁଲୁ ଧରିଥିବା ଦଉଟି କୁ ଟାଣିବାକୁ ଲାଗିଲା।

ବୁଲୁ ତାକୁ ଗେଲରେ କହିଲା-- କାଳୁ ହେଇ ଦେଖ୍ , ଆମେ ଯାତ୍ରା ପଡିଆ କୁ ଆସିଗଲେ । ଏବେ କେତେ ମଜା ହେବ-- ବେଲୁନ, ପେଁକାଳି , କଣ୍ଢେଇ କିଣିବା, ଖଜା ଖାଇବା, ତୋ ପାଇଁ ଘୁଙ୍ଘୁର ବି କିଣିବା। ଯେତେ ଯାହା କହିଲେ ବି କାଳୁ ଅଚଳ ମହାମେରୁ ଛିଡା ହୋଇଛି, ସେ ଜାଗାରୁ ହଲିବାର ନାମ ଧରୁ ନାହିଁ। ଶେଷରେ ନରିଆ କାଳୁକୁ କୋଳରେ ଟେକି ଧରିଲା। ମାତ୍ର କୋଳରେ ଥାଇ ମଧ୍ଯ ସେ ଛାଟିପିଟି ହେଲା-- ସତେକି ସେ ଏକ ନିଶ୍ବାସରେ ଦଉଡି ଘରକୁ ପଳେଇବ, ସେ ସ୍ଥାନରେ ଦଣ୍ଡେ ରହିବାକୁ ତାର ଇଚ୍ଛା ନାହିଁ। ଧିରେଧିରେ ତା ମୁଣ୍ଡକୁ ଆଉଁସିଲା ନରିଆ। ଗେଲ କରି କହିଲା-- ତୋତେ ଖାଲି ମାଆ ଆଗକୁ ଥରେ ନେଇଯିବି ଓ ତା ପରେ ଆମେ ଯାତ୍ରା ବୁଲିବା। ମୋ ସୁନା ଟା ପରା, ବାପା କଥା ମାନିବୁନି? ତା କଥାରେ କି କୁହୁକ ଥିଲା କେଜାଣି, ସୁନା ପିଲା ପରି କାଳୁ ତା କୋଳରେ ବସି ରହିଲା। ଗାଁଆର କିଛି ଲୋକ ନରିଆ କୁ ଦେଖି କହିଲେ-- ଆରେ ନରିଆ, ଯାହା ହେଉ ପିଞ୍ଛାଳିଆ ବୋଦାଟେ ଆଣିଛୁ, ଏମିତି ବଳି ଦେଖି ଗ୍ରାମଦେବତୀ ଖୁସି ହୋଇଯିବେ। ଅନ୍ଯ ଜଣେ ଲୋକ ଦାନ୍ତ ନିକୁଟି କହିଲା-- ଆରେ ଏ ବୋଦା କୁ ଗ୍ରାମଦେବତୀ ଙ୍କୁ ଝାଙ୍କର ଦେଲେ ସିନା ସେ ନେବେ। ଆମ ଗାଁଆ କଣ୍ଟ୍ରାକ୍ଟର ବାବୁକୁ ଏ ବୋଦା ଟା ଦେବ ବୋଲି ଝାଙ୍କର ଆଗରୁ ଜବାବ୍ କରିଛି ପରା। ସେତିକି ଦେଲେ କଣ୍ଟ୍ରାକ୍ଟର ଝାଙ୍କର କୁ କେତେ ବସ୍ତା ସିମେଣ୍ଟ ଦେବ ବୋଲି କଥା ଛିଡିସାରିଛି। ସେ ରାଜନୀତି ବଡ ଗହନ ରେ ଭାଇ, ମୁଣ୍ଡ ଖେଳେଇଲେ ଅସୁବିଧା।

ନରିଆ କିଛି କହିବା ପୂର୍ବରୁ ବୁଲୁ ଚିତ୍କାର କରି କହିଲା-- ସେ ମୋ କାଳୁ, ମୋ ଭାଇ। ତାକୁ ଆମେ ଯାତ୍ରା ବୁଲେଇ ଆଣିଛୁ ବଳି ଦେବା ପାଇଁ ନୁହେଁ। ତୁମେ ସବୁ ଖରାପ ଲୋକ, ସେମିତି ବାଜେ କଥା କଣ ପାଇଁ କହୁଛ?

ସେ ଲୋକ ଗୁଡାକ ଛିଗୁଲାଇ କହିଲେ-- କିରେ ନରିଆ, ତୋର ଏମିତି ବୋଦା ଛୁଆ ଅଛି ବୋଲି ଆଜି ଜାଣିଲୁ। ତୋ ଛୁଆର ମାଂସ ସୁଆଦଟା ଆଜି ସିନା କଣ୍ଟ୍ରାକ୍ଟର ଚାଖିବ, ଆର ସନ କୁ ପୁଣି ଆଉ ଗୋଟେ ବୋଦା ବଳି ଦେବୁ ଯେ ଆମେ ଟିକେଟିକେ ଭୋଗ ପାଇବୁ। ତାଙ୍କ କଥା ଶୁଣି ଭୀଷଣ କ୍ଷତାକ୍ତ ହେଲା ନରିଆ ଓ ବୁଲୁ ରଡି ଛାଡି କାନ୍ଦି ଉଠିଲା। ସେ କାନ୍ଦିକାନ୍ଦି ଘରକୁ ଫେରି ଯିବାକୁ ଅଳି କଲା।

ସେତିକି ବେଳକୁ ଦୃଶ୍ଯ ହେଲା ଶତାଧିକ ବୋଦା ଓ କୁକୁଡାଙ୍କ କଟା ମୁଣ୍ଡ ଭୂଇଁରେ ଲୋଟୁଛି। ଚାରିଦିଗରେ କେବଳ ରକ୍ତର ନଦୀ ବୋହୁଛି। ତା ସାଙ୍ଗକୁ ଶୁଭୁଛି ବିକଳ କ୍ରନ୍ଦନ ଓ ଆର୍ତ୍ତ ଚିତ୍କାର। ଜଣେ ଲୋକ ହାତରେ ଏକ ଧାରୁଆ ଖଣ୍ଡା ଧରି ଗୋଟିଏ ଚୋଟରେ ପଶୁପକ୍ଷୀ ମାନଙ୍କର ମୁଣ୍ଡଗଣ୍ଡି ଅଲଗା କରିଦେଉଛି।

ରକ୍ତନଦୀରେ ଗାଧୋଇ ଝାଙ୍କର ବିକଟାଳ ଚିତ୍କାର କରି କହୁଛି-- ଦିଅ ମୋତେ ବଳି, ଦିଅ ମୋତେ ରକ୍ତ--- ନୋହିଲେ ସମସ୍ତଙ୍କୁ ମାରି ଖାଇଯିବି। ବଡ ଭୟାନକ ଓ ବିଭତ୍ସ ଥିଲା ସେ ଦୃଶ୍ଯ। ନରିଆ ଓ ବୁଲୁ ସେ ଜାଗାରେ ବାନ୍ତି କରି ପକେଇଲେ। ସେ ସମୟରେ କିଏ ଜଣେ ଆସି ନରିଆ କୁ ଟାଣି ନେଲା ଝାଙ୍କର ପାଖକୁ। ନରିଆ ପାଟି କରି କହୁଥାଏ-- ନାଁ ମୁଁ ବଳି ଦେବାକୁ ଆସିନାହିଁ। ମୋ କାଳୁ କୁ ବୁଲେଇବାକୁ ଆଣିଛି। ବୁଲୁ କାନ୍ଦିକନ୍ଦି ଭୂଇଁରେ ଲୋଟି ପଡୁଥାଏ। ମୋ କାଳୁ-- ମୋ କାଳୁ-- କହି ବିକଳରେ ଚିତ୍କାର କରି ଚାଲିଥାଏ। କଣ ହେଉଛି ବୁଝି ନ ପାରି କାଳୁ, ହାତ ଗୋଡ ଛାଟିବା ଆରମ୍ଭ କରି ଦେଇଥିଲା। ସେ ଜାଗାରୁ କୌଣସି ଉପାୟରେ ଖସି ଯିବାକୁ ସେ ଆପ୍ରାଣ ଉଦ୍ଯମ ଚଳାଇଥିଲା। ଅବସ୍ଥା ଏପରି ହେଲା ଯେ, ସେ ନରିଆ ହାତରୁ ତଳକୁ ଡିଆଁ ମାରି ଏଣେ ତେଣେ ଦଉଡିଲା। ଲୋକଙ୍କ କବଳରୁ ନିଜକୁ ଖସାଇ, ନରିଆ ତା ପଛରେ ଗୋଡାଇବାକୁ ଲାଗିଲା। ମାତ୍ର ତଳେ ପଡିଥିବା ରକ୍ତରେ ଗୋଡ ଖସି ଯିବାରୁ ସେ କଚାଡି ହୋଇ ପଡିଲା। ଉଠି ଦେଖିଲା ଜଣେ ଲୋକ କାଳୁକୁ ଜବରଦସ୍ତି ବଳି ଖୁଣ୍ଟ ପାଖକୁ ଘୋଷାରି ନେଉଛି। ବୁଲୁ କୁ ଦୁଇ ଜଣ ଲୋକ ମାଡି ବସିଛନ୍ତି ଓ ମନ୍ଦିର ର ଝାଙ୍କର ପିଶାଚଙ୍କ ପରି ଅଟ୍ଟହାସ୍ଯ କରି ଜିଭ ଲହଲହ କରି କାଳୁ ଆଡକୁ ମାଡି ଯାଉଛି। ସେ ଝାଙ୍କର ଗୋଡ ତଳେ ପଡି ନେହୁରା ହୋଇ କହିଲା-- ମାଆ ଙ୍କ ଆଦେଶ ଅନୁସାରେ ତୁମକୁ ପାଞ୍ଚ ହଜାର ଟଙ୍କା ଦେଲି, ତେବେ କଣ ପାଇଁ ମୋ କାଳୁକୁ ତୁମେ ବଳି ଖୁଣ୍ଟ ପାଖକୁ ନେଉଛ।

ଝାଙ୍କରର ଶକ୍ତ ଗୋଇଠାରେ ସେ ତଳେ ପଡିଗଲା। ଘୋରଘର୍ଘର ନାଦରେ ଝାଙ୍କର କହିଲା-- ମୋତେ ଜାଣି ପାରୁନୁ ମୁର୍ଖ, ମୁଁ ହେଲି ଗ୍ରାମଦେବତୀ। ମୋତେ ରକ୍ତ ଦେ....ମୋତେ ବଳୀ ଦେ...ନୋହିଲେ ତୋ ତଣ୍ଟି କଣା କରିଦେବି। ନରିଆ ଜାଣି ସାରିଥିଲା ଝାଙ୍କର କେବଳ ଅଭିନୟ କରୁଛି ଓ ନିଜ ସ୍ବାର୍ଥ ହାସଲ କରିବାକୁ କାଳୁ କୁ ବଳି ଦେବାପାଇଁ ଟାଣି ନେଉଛି।

ଝାଙ୍କରକୁ ଧକ୍କା ମାରି ସେ କାଳୁ କୁ ବଞ୍ଚାଇବାକୁ ଧାଇଁଲା। କିନ୍ତୁ ହାୟରେ କପାଳ.....ତାକୁ ଲୋକ ମାନେ ଧରି ପକାଇଲେ। ଢୋଲ ଓ ତୁରୀ ବାଜିବାର ଶବ୍ଦରେ କାନର ଅତଡା ଫାଟିଯିବା ପରି ଲାଗୁଥିଲା। କାଳୁ ନିଜର ସମସ୍ତ ଶକ୍ତି ଖଟାଇ ନରିଆ ଆଡକୁ ଚାହିଁ ମେଁ ମେଁ ଡାକିବାରେ ଲାଗିଥିଲା। ତା ଆଖିରେ ଥିଲା ଭୟ ଓ ନିରିହତା। ବିଚରା ବିକଳ ହୋଇ ସତେ ଯେପରି କହୁଥିଲା – ମୋତେ ଏମାନଙ୍କ କବଳରୁ ବଞ୍ଚେଇ ଦିଅ ବାପା, ମାଆ ପାଖକୁ ମୋତେ ନେଇଯାଅ। ମୋତେ ଭୀଷଣ ଡର ଲାଗୁଛି।

କିନ୍ତୁ ନରିଆ ଯେ ଲୋକମାନଙ୍କର ବାହୁ ବନ୍ଧନରେ ଆବଦ୍ଧ, ତାର ହଲିବାର ମଧ୍ଯ ଅବକାଶ ନ ଥିଲା। ବୋଧେ କାଳୁ ଜାଣି ସାରିଥଲା କଣ ହେବାକୁ ଯାଉଛି, ତା ନିରିହ ଆଖିି ଯୋଡିକରେ ଲୁହ ଜକେଇ ଆସୁଥିଲା। ଚାରି ପଟରେ ପଡିଥିବା କଟାମୁଣ୍ଡ ଓ ରକ୍ତ ଦେଖି ତା ଦେହର ଲୋମ ସବୁ ଠିଆ ହୋଇ ଯାଉଥିଲା। ସେ ଜାଣି ପାରିଥିଲା, କିଛି କ୍ଷଣ ମଧ୍ଯରେ ତା ମୁଣ୍ଡ କଟି ଭୂଇଁରେ ଲୋଟିବ। ଶେଷ ଥର ପାଇଁ ସମସ୍ତ ଶକ୍ତି ଖଟାଇ କାଳୁ ଛାତି ଥରାଇ ଦେବା ପରି ଚିତ୍କାର କଲା ମାଁ........ମାଁ..........ସେତିକି ବେଳକୁ ତା ବେକରେ ପଡିଲା ଖଣ୍ଡାର ଶକ୍ତିଶାଳୀ ଚୋଟ। ତା ଆଖିର ଲୁହ ସହିତ ମୁଣ୍ଡଟି କଟି ଭୂଇଁରେ ପଡିଗଲା। ମୁଣ୍ଡବିହୀନ ଗଣ୍ଡିଟି କିଚି ସମୟ ଛଟପଟ ହେବା ପରେ ନିଶ୍ଚଳ ହୋଇଗଲା। ଜଣେ ଲୋକ ରକ୍ତ ଝରୁଥିବା କଟା ମୁଣ୍ଡ ଧରି ଝାଙ୍କର ପାଖରେ ଟେକି ଧରି କହିଲା-- ନେ ମାଆ ରକ୍ତ ନେ.... ନେ ତୋ ବଳି। ନରିଆ ଏବେ ବି ଦେଖି ପାରୁଥିଲା କାଳୁର ନିର୍ଜୀବ ଆଖି ଯୋଡିକ ତା ଆଡକୁ ଲୁହ ଛଳଛଳ ଆଖିରେ ଚାହିଁ ରହିଥିଲା। ତା ମୁଣ୍ଡ କଣ ହୋଇଗଲା ଓ ସେ ଚିତ୍କାର କରି କହିଲା-- ଅସୁର ମାନେ ମୋ ପୁଅ କୁ ମାରିଦେଲେ। କାହାର ବିଧା ଗୋଇଠା ମାଡରେ ସେ ଅଚତ ହୋଇ ସେହି ରକ୍ତଭିଜା ମାଟିରେ ପଡିଗଲା।

ନରିଆ ଅଚେତ ବୁଲୁ କୁ ଧରି ଘରକୁ ଫେରିଲା। ନେତ ପିଣ୍ଡାରେ ସେମାନଙ୍କର ଆସିବାକୁ ଅପେକ୍ଷା କରି ରହିଥିଲା। ଏକ ସାନ ପାଛିଆରେ ସଜ ଦୁବ ଘାସ ତୋଳି ଚାହିଁ ରହିଥିଲା କାଳୁ କୁ ଖୁଆଇବା ପାଇଁ। ମନରେ ତାର କେତେ ସ୍ବପ୍ନ ଥିଲା, କାଳୁ ବେକରେ ଘୁଙ୍ଘୁର ବାନ୍ଧିଲେ ସେ କେମିତି ଡେଇଁବ, ନାଚ କରିବ, ଝୁଣୁଝୁଣୁ କରି ଘର ସାରା ବୁଲିବ.....ଏମିତି କେତେ କଣ। ହଠାତ୍ ନରିଆ କୁ ଏ ଅବସ୍ଥାରେ ଦେଖି ସେ ଚମକି ପଡିଲା। ପାଖକୁ ଦଉଡି ଆସି କାଳୁକୁ ପରସ୍ତେ ଖୋଜି ସାରି ପଚାରିଲା-- ମୋ କାଳୁ କୁଆଡେ ଗଲା? କେଉଁଠି ଛାଡିଲ ତାକୁ? ମୋ ପୁଅ କୁ ସାଙ୍ଗରେ ନ ଆଣି କୁଆଡେ ହଜାଇଦେଲ? କଣ ହେଲା ମୋ ପୁଅର? କେତେ ନେହୁରା ହୋଇ କହିଥିଲି ତାକୁ ଯାତ୍ରା ଯାଗା କୁ ନିଅନି, ମୋ କଥା ଟିକେ ବି ଶୁଣିଲନି?

ନରିଆ ବୁଲୁ କୁ ପିଣ୍ଡାରେ ଶୁଏଇ ଦେଇ ଭୋ ଭୋ କାନ୍ଦି କହିଲା --- ସେମାନେ ଆମ ବୁଲୁ କୁ ମାରିଦେଲେ ନେତ, ଆମ ବୁଲୁ କୁ ଜବରଦସ୍ତି ବଳି ଦେଇଦେଲେ। ଅସୁର ମାନେ ମୋ ପୁଅ କୁ କୋଳରୁ ଛଡେଇ ନେଇ ହାଣିଦେଲେ। ମୁଁ ପାପୀ ସେ ଝାଙ୍କର କଥାରେ ବିଶ୍ବାସ କରି କେତେ ବଡ ଭୁଲ୍ କରିଦେଲି ନେତ....

ଅଗଣାରେ ଥବା କୂଅ ଭିତରେ କିଛି ପଡିବାର ଶବ୍ଦ ଶୁଣି ନରିଆ ଚାରି ଆଡକୁ ଦେଖିଲା ବେଳକୁ ନେତ ତା ପାଖରେ ନାହିଁ। ସେ ପ୍ରାଣବିକଳରେ କୂଅ ପାଖକୁ ଦଉଡିଲା.........

ସେଦିନ ଗ୍ରାମଦେବତୀଙ୍କ ପୂଜାରେ ନରିଆ ପରିବାରରୁ କେତେ ଗୋଟି ବଳି ପଡିଥିଲା ବୋଲି, ଗାଁଆ ଲୋକଙ୍କ ଭିତରେ ଢେର୍ ଦିନ ଯାଏଁ ଆଲୋଚନା ଚାଲିଲା।

                                                      – ସମାପ୍ତ --

Tuesday, October 2, 2018

ଫୁଲଚୋର



            ସବୁଦିନ ସେ ପିଲାଟି ବସିଥାଏ ମନ୍ଦିର ପାହାଚରେ ; ବୟସ ଦଶ କି ବା'ର ହେବ। ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲା ପରି ଭଙ୍ଗିରେ ପାଟି କରି ଚାଲିଥାଏ "ମାଳ ନେବ ମାଳ" । ଆଜିକାଲି ର ବ୍ଯସ୍ତତମ ଦୁନିଆ ରେ ସମୟ ବା କାହା ପାଖରେ ଅଛି ! ଫୁଲ ତୋଳି, ମାଳ ତିଆରି କରି ଠାକୁରଙ୍କୁ ଚଢାଇବା ପାଇଁ ଲୋକଙ୍କ ପାଖରେ ସମୟର ଘୋର ଅଭାବ। ତେଣୁ ପିଲାଟି ହାତକୁ ଟଙ୍କା ଦଶଟା ବଢାଇ ଦେଇ, ମାଳଟିଏ କିଣି ଦେବଦର୍ଶନ କାମ ଟା ସାରିଦେଲେ, ବିଶେଷ କ୍ଷତି ନାହିଁ ବୋଲି ସମସ୍ତେ ଭାବିବା ସ୍ବାଭାବିକ୍। ସ୍ବଭାବରେ ମେଳପୀ ପିଲାଟି ସମସ୍ତଙ୍କୁ ବାନ୍ଧି ରଖିଥିଲା ମିଠା କଥା ଓ ଉତ୍ତମ ବ୍ଯବହାରରେ। ତା ନିରିହ ଆଖି ଯୋଡିକରେ ଯେ କେହି ବି ପଢି ପାରିବ, ବାଲ୍ଯ ଚପଳତା ଓ କର୍ତ୍ତବ୍ଯବୋଧତାର ଫେଣ୍ଟାଫେଣ୍ଟି ରଙ୍ଗ। ମଳିଛିଆ ହାପ୍ ସାର୍ଟ ସାଙ୍ଗକୁ ଗୋଟିଏ ରଙ୍ଗ ଛଡା ପ୍ଯାଣ୍ଟ ପିନ୍ଧି ସେ ବସି ରହି ଥାଏ ଗ୍ରାହକଙ୍କ ଅପେକ୍ଷାରେ । ତେବେ ଏ କଥା ଅନସ୍ବୀକାର୍ଯ୍ଯ ଯେ ପିଲାଟିର ଫୁଲଡାଲାରୁ ସବୁ ଫୁଲ ଖୁବ୍ କମ୍ ସମୟ ଭିତରେ ବିକ୍ରି ହୋଇଯାଏ। ନ ହେବ ବା କାହିଁକି-- ସେ ସବୁ ଦିନ ନୂଆ ନୂଆ ତଟକା ଫୁଲର ସମ୍ଭାର ମେଲି ଗ୍ରାହକଙ୍କୁ ଏପରି ନିମନ୍ତ୍ରଣ କରେ ଯେ, ନ କିଣିଲା ଲୋକ ବି ମାଳଟିଏ କିଣିବାକୁ ବାଧ୍ଯ ହେବ । ବଜାର ରୁ କିଣିଲେ ଦାମ ଯାହା ହେବ, ତା ଠାରୁ କମ୍ ମୂଲ୍ଯରେ ପିଲାଟି ଦିଏ; ତେଣୁ ତା ସାମନା ରେ ନିତିଦିନିଆ ଗ୍ରାହକଙ୍କ ଗହଳି ବେଶ୍ ଅଧିକା ଥାଏ।

ସହରକୁ ନୂଆ କରି ଆସିଥିବା ମାଧବ ବାବୁଙ୍କ ଇଶ୍ବର ଭକ୍ତି ସାଧାରଣ ଲୋକଙ୍କ ତୁଳନା ରେ ଅଧିକା କହିଲେ ଅତ୍ଯୁକ୍ତି ହେବନାହିଁ ; ସବୁଦିନ ସେ ମନ୍ଦିରରେ ଦୁଇ ତିନି ଘଣ୍ଟା ବିତାନ୍ତି। ସାଙ୍ଗରେ ଆଣି ଆସନ୍ତି ନାନା କିସମର ଫୁଲମାଳ। ସାଙ୍ଗସାଥୀ ମାନେ ପଚାରିଲେ ଗର୍ବରେ ଛାତି ଫୁଲେଇ କୁହନ୍ତି-- ଆରେ, ଏତେ ପରିଶ୍ରମ କରି ବଗିଚାରେ ଫୁଲଗଛ ଲଗେଇଛି ଯେତେବେଳେ, ଫୁଲ ନ ଫୁଟି ଯିବ କୁଆଡେ। ନିଜ ବଗିଚା ଫୁଲରେ ମାଳ କରି ଠାକୁରଙ୍କୁ ଚଢାଇବାରେ ଯେଉଁ ଆନନ୍ଦ ସେ କଥା ଅନୂଭବୀ ଲୋକ ହିଁ ଜାଣିପାରିବ। ପ୍ରକୃତରେ, ସେ ନିଜ ବଗିଚା ରେ ନାନା କିସମର ଫୁଲଗଛ ଏତେ ଯତ୍ନରେ ବଢାଇଛନ୍ତି ଯେ, ନ ଦେଖିଲା ଲୋକ ବିଶ୍ବାସ କରିପାରିବନି। ଗୋଲାପ,ଜୁଇ,ଜାଇ,ମଲ୍ଲୀ,ହେନା,ଟଗର,ମଧୁମାଳତୀ,ଗେଣ୍ଡୁ,ମନ୍ଦାର ଆଦି ଅନେକ ଫୁଲ ଗଛର ସମ୍ଭାରରେ ତାଙ୍କ ବଗିଚା ଟି ପୁରିଲା ପରି ଲାଗେ। ଗଛ ମାନଙ୍କୁ ନିଜ ପିଲା ପରି ସେ ସ୍ନେହ ଆଦର କରନ୍ତି। ସେମାନଙ୍କ ପାଇଁ ଖତ,ସାର ଓ ନାନା ପ୍ରକାରର ହରମୋନ୍ ଘରେ ଯଥେଷ୍ଟ ପରିମାଣରେ ମହଯୁଦ ଥାଏ। ପାଣି ଦେବା, ଗଛରୁ ଖରାପ ପତ୍ର ଓ ଫୁଲ ଅଲଗା କରିବା, ମାଟି ଖୋସିବା, ପୋକ ଛଡାଇବା ଆଦି କାମରେ ତାଙ୍କର ଅଧିକାଂଶ ସମୟ ବ୍ଯତୀତ ହୁଏ। ପତ୍ନୀ ବି ତାଙ୍କୁ ଏ କାମରେ ଭରପୁର ସହଯୋଗ କରନ୍ତି। କହିବା ବାହୁଲ୍ଯ ଘର ଅପେକ୍ଷା ବଗିଚା ର ଆକାର ଯଥେଷ୍ଟ ବଡଥିଲା ଓ ପତିପତ୍ନୀଙ୍କର ଅର୍ଦ୍ଧାଧିକ ସମୟ ବଗିଚା ରେ କଟୁଥିଲା।

ଏତେ ଫୁଲ ଫୁଟିଲେ କଣ ହେବ, ସ୍ବଭାବରେ ଟିକିଏ କୃପଣ ସ୍ବଭାବର ପରାକାଷ୍ଠା ହେତୁ ସେ ନିଜ ବଗିଚାରୁ ଗୋଟିଏ ପତ୍ର ମଧ୍ଯ କାହାକୁ ଦେବା ସପକ୍ଷରେ ନ ଥିଲେ। ଅତଏବ୍, ପଡୋଶୀ ମାନେ ଯେତେ ବାହାନା ଦେଖାଇ ଫୁଲଟିକେ ମାଗିଲେ ବି, ମାଧବ ବାବୁଙ୍କର କରୁଣାବର୍ଷା ହେବାର ନଜିର ପ୍ରାୟ ନାହିଁ କହିଲେ ଅତ୍ଯୁକ୍ତି ହେବନାହିଁ। ବରଂ ଉପଦେଶ ଦେବା ଛଳରେ ସେ କୁହନ୍ତି--- ମୁଁ ଗଛ ମାନଙ୍କୁ ନିଜ ପିଲା ପରି ସ୍ନେହ ଆଦର କରେ ଓ ସେମାନଙ୍କ ସହ ମୋର ଆତ୍ମା, ଏକ ଅଦୃଶ୍ଯ ରଜ୍ଜୁରେ ବନ୍ଧା। କିପରି ସେମାନଙ୍କୁ କ୍ଷତାକ୍ତ କରି ଆପଣ ମାନଙ୍କ ହାତରେ ଫୁଲ ଦେବି କହିଲେ ଭଲା! ! ପଡୋଶୀ ମାନେ ପ୍ରତ୍ଯୁତ୍ତରରେ କିଛି କହି ନପାରି ମୁଣ୍ଡ ହଲାଇବା ସାର ହୁଏ।

ସେଦିନ ଶରୀର ଅସୁସ୍ଥ ଥିବା କାରଣରୁ ବଗିଚାରୁ ଫୁଲ ତୋଳି ପାରିଲେନି ମାଧବ ଓ ଖାଲି ହାତରେ ମନ୍ଦିରରେ ପହଞ୍ଚିଲେ। ପିଲାଟିି ପାଖରେ ସତେଜ ଫୁଲର ମାଳ ଦେଖି ଲୋଭ ସମ୍ବରଣ କରି ନ ପରି ଦୁଇଟି ମାଳ କିଣିଲେ। ପାଖରେ ଶହେ ଟଙ୍କାର ଖୁଚୁରା ନ ଥିବା ହେତୁ ପିଲା ଟି କହିଲା-- ବାବୁ, ଦର୍ଶନ ସାରି ଆସିଲା ବେଳେ ବାକି ପଇସା ଦେଇଦେବି। ମାଧବଙ୍କ ମନରେ କାହିଁ କେତେ ପ୍ରଶ୍ନ ଉଙ୍କି ମାରୁଥିଲା।

--- ଏ ପିଲା ଏତେ ସୁନ୍ଦର ସୁସ୍ଥ ସବଳ ଓ ସତେଜ୍ ଫୁଲ ପାଉଛି କେଉଁଠାରୁ ? ନିହାତି ଫୁଲ ବେପାରୀ ମାନଙ୍କ ପାଖରୁ କିଣୁ ନ ଥିବ। ତେବେ କଣ ଏମାନେ ଫୁଲ ଚାଷ କରୁଛନ୍ତି !  ମନରେ ସେଇ ପଶ୍ନଟି ବାରବାର ଉଠୁଥିଲା। ପିଲା ପାଖରୁ ବାକିଆ ପଇସା ନେବା ଅବସରରେ ସେ ପ୍ରଶ୍ନବାଣ ଟି ନିକ୍ଷେପ କରି ଉତ୍ତର ଅପେକ୍ଷା ରେ ରହିଲେ। ପିଲା ଟି ଅତି ନିରିହ ଭାବରେ ଉତ୍ତର ଦେଲା

-- ବାବୁ , ମୋତେ ସେ କଥା ଜଣା ନାହିଁ। ମୋ କାମ ହେଲା ଫୁଲମାଳ ଆଣି ମନ୍ଦିରରେ ବିକ୍ରି କରିବା। ବାକି ସବୁ କଥା ମୋ ବାପା ବୁଝନ୍ତି। ତା ସରଳ ବ୍ଯବହାର ଓ ନିରିହପଣ, ମାଧବଙ୍କ ମନକୁ ବେଶ୍ ଛୁଇଁ ଗଲା। କଥାକଥାରେ ସେ ପିଲା ଟି ବିଷୟରେ ସବୁ ତଥ୍ଯ ହାସଲ କରିନେଲେ।

ପିଲାଟି ସହରତଳି ଅଞ୍ଚଳର ବାସିନ୍ଦା। ଘରେ ବାପ ପୁଅ ଦୁଇଜଣ। ମାଆ କାହିଁ କେତେ କାଳରୁ ମରି ଯାଇଛି। ବାପ କୁଲି ମଜୁରି ସାଙ୍ଗକୁ ଫୁଲ ବ୍ଯବସାୟ କରେ। ସେତିକି ଆୟରେ ଦୁଇ ଜଣ କଷ୍ଟେମଷ୍ଟେ ଚଳି ଯାଆନ୍ତି। ପିଲାଟି ସ୍କୁଲରେ ଚତୁର୍ଥ ଶ୍ରେଣୀ ରେ ପଢେ। ମନ୍ଦିରରୁ ବେପାର ସାରି ଫେରିଲା ପରେ, କଣ ଟିକେ ଖାଇଦେଇ ସେ ସ୍କୁଲ ବାହାରି ଯାଏ। ସ୍କୁଲରୁ ଫେରିଲା ପରେ ବାପା ପାଇଁ ରୋଷେଇ କରି ସେ ଖେଳାଖେଳି କରେ। ରାତିରେ ଦୁଇଜଣ ମିଶି ଖାଇବା ପରେ ସେ ଶୋଇ ପଡେ। ପୁଣି ଭୋର ପାଞ୍ଚଟା ବେଳକୁ ହାତରେ ଫୁଲ ଡାଲା ଧରି ମନ୍ଦିରରେ ସେ ହାଜର ହୋଇଯାଏ। ବାପା ଫୁଲ ଆଣେ ଓ ମାଳ ତିଆରି କରିଦିଏ। ତା କାମ ହେଲା କେବଳ ବିକ୍ରି କରିବା।

ତା କଥା ଶୁଣି ମାଧବ ଦୀର୍ଘ ନିଶ୍ବାସ ଛାଡିଲେ। କେତେ ସଂଘର୍ଷ ଭରା ପିଲାଟିର ଜୀବନ, ସେ ବିଷୟରେ ଭାବି ବ୍ଯଥିତ ହେଲେ। ମନେମନେ ତା ବାପା କୁ ଧନ୍ଯବାଦ ଦେଲେ। ଯାହା ହେଉ ମହାନ ଲୋକଟିଏ ହୋଇଥିବ ନିଶ୍ଚୟ ; ନୋହିଲେ ଦାରିର୍ଦ୍ର୍ଯର କଷାଘାତରେ ତିଳ ତିଳ ଜଳିବା ପରେ ମଧ୍ଯ ପିଲାଟିର ଭବିଷ୍ଯତ ପାଇଁ ତାକୁ ପାଠ ପଢାଉଛି-- ତାହା କଣ କମ୍ ବଡ କଥା ?

ଏଥର ସବୁଦିନ ମନ୍ଦର ଗଲା ପରେ ମାଧବ ପିଲା ଟି ସହ କେଇ ପଦ କଥା ହୋଇ ଯାଆନ୍ତି। ତା ପାଖରୁ ଗୋଟେ ଦୁଇଟା ଫୁଲ ମାଳ ନିହାତି କିଣନ୍ତି। କେବେକେବେ ପିଲା ଟି ପଚାରେ-- ବାବୁ, ତୁମେ ତ ଘରୁ ଏତେ ଫୁଲ ଧରି ଆସୁଛ, ପୁଣି ମୋ ପାଖରୁ କାହିଁକି କିଣି ପଇସା ନଷ୍ଟ କରୁଛ ଯେ? ହସି କୁହନ୍ତି ମାଧବ-- ଆରେ ବୋକା ଠାକୁର ଙ୍କ ପାଇଁ ମାଳ କିଣିଲେ କଣ ପଇସା ନଷ୍ଟ ହୁଏ କି? ସେ ପରା ଆମକୁ ସବୁ ଦେଇଛନ୍ତି, ତାଙ୍କୁ କଣ ଆମେ ଟିକେ ଭଲରେ ଫୁଲ ଟିକେ ଚଢେଇ ପାରିବାନି। ତା ଛଡା, ତୁ ସବୁଦିନ ମନ୍ଦିର ବେଢାରେ ବସି ଠାକୁରଙ୍କ ପାଖ ଲୋକ ହୋଇ ଗଲୁଣି। ତୋ ପାଖରୁ ଫୁଲମାଳ ନ ନେଲେ ଠାକୁର ମୋ ଉପରେ ରାଗିବେନି? ଉଭୟ ହସି ଉଠନ୍ତି।

ଦିନ କେତେଟା ଭିତରେ ମାଧବଙ୍କ ମନରେ ପିଲାଟି ପ୍ରତି ଆତ୍ମୀୟତା ବୃଦ୍ଧି ପାଇ ଯାଇଥିଲା। ଚାକିରି ଜୀବନରୁ ଅବସର ନେବା ପରେ ସେ ଏକୁଟିଆ ହୋଇଯାଇଥିଲେ କହିଲେ ଅତ୍ଯୁକ୍ତି ହେବ ନାହିଁ। ପିଲା ମାନେ ବିଦେଶରେ ଚାକିରି କରୁଥିଲେ। ଦୁଇ ତିନି ବର୍ଷରେ ଥରେ ସେମାନଙ୍କ ସହ ଦେଖା ସାକ୍ଷାତ ହେଉଥିଲା। ଘରେ କେବଳ ସେ, ତାଙ୍କ ପତ୍ନୀ ଓ ଫୁଲ ବଗିଚା। ବାସ୍ ସେତିକି ଥିଲା ତାଙ୍କର ସଂସାର। ପିଲାଟି ସହ କିଛି ସମୟ ଗପସପ କଲେ ତାଙ୍କ ମନ ହାଲୁକା ହୋଇଯାଏ। ବୋଧହୁଏ ଏହି କାରଣରୁ ସେ ପିଲାଟି ମାଧବଙ୍କ ଜୀବନ ପରିଧି ଭିତରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରି ସାରିଥିଲା।

ସେଦିନ ସକାଳୁ, ମାଧବ ବିରାଟ ଚିତ୍କାର କରି ପତ୍ନୀ ଙ୍କୁ ଡାକ ପକାଇଲେ। କିଛି ଅଘଟଣ ଆଶଙ୍କାରେ ପତ୍ନୀ ବଗିଚାରେ ପହଞ୍ଚିବା ପରେ ଜାଣିଲେ ସମସ୍ଯାଟା ନିହାତି ଗମ୍ଭୀର। ବିମର୍ଷ ବଦନରେ ମାଧବ କହିଲେ-- ଦେଖୁଛ, କାଲି ରାତି ରେ କିଏ ବଗିଚାରେ ପଶି ଫୁଲ ଚୋରି କରିନେଇଛି। ଏଇ ଗୋଲାପ ଗଛରେ ପଚିଶି ଟା କଢ ହୋଇଥିଲା, ଏବେ ଅଛି ଚଉଦଟା। ଠିକ୍ ସେମିତି ସବୁ ଗଛରୁ ଦଶ ବାରଟା ଫୁଲ ବା କଢ ଚୋରି ହୋଇଛି। କାହାର କାମ ହୋଇ ପାରେ ବୋଲି ମୋ ମୁଣ୍ଡ ଗୋଳମାଳ ହୋଇ ଯାଉଛି। ପତ୍ନୀ ଜାଣିଥିଲେ ଯେ କୌଣସି ସାଧାରଣ ଲୋକ ପକ୍ଷରେ ଗଛରେ କେତେଟା କଢ ଓ କେତେଟା ଫୁଲ ଅଛି ଗଣି ରଖିବା କଷ୍ଟକର ବ୍ଯାପାର। କିନ୍ତୁ ମାଧବଙ୍କ ପାଖରେ ତାହା ନିହାତି ସାଧାରଣ କଥା। ସେ ଫୁଲ କ'ଣ, ଗଛର ପତ୍ର ଗଣି ରଖିବା ପରି ଲୋକ। କିଛି ସନ୍ତୋଷଜନକ ଉତ୍ତର ନ ଦେଇ ପାରି କେବଳ ମାଧବଙ୍କୁ ସମବେଦନା ଦେବା ଭଙ୍ଗୀରେ କହିଲେ

-- କେମିତି ଜାଣିବା କିଏ ନେଲା ବୋଲି? ସକାଳୁ ତ କେତେ ଲୋକ ପ୍ରାତଃ ଭ୍ରମଣରେ ହାତରେ ବାଡି ଧରି ବୁଲୁଛନ୍ତି। ସେଇ ଅବସରରେ କାହା ବଗିଚାରୁ କିଛି ଫୁଲ, କଢ ହରଣଚାଳ କରି ନେଉଛନ୍ତି। ସେ କାର୍ଯ୍ଯ ଯେ ଏକ ପ୍ରକାରର ସାଂଘାତିକ ଚୋରି ବୋଲି ସେମାନେ ମାନିବାକୁ ନାରାଜ। ସେମାନଙ୍କ ମତରେ ଯେଉଁ ଉପାୟରେ ହେଲେ ବି ଫୁଲ ତ ଠାକୁରଙ୍କ ପାଖରେ ଲାଗିବ, ନିଜ ବଗିଚାରୁ ହେଉ ବା ପର ବଗିଚାରୁ, ସେଥିରେ କ'ଣ ଅଛି। ପତ୍ନୀ ଙ୍କ ଉତ୍ତର ଟା କିଛି ମାତ୍ରାରେ ମନର ବେଦନା କୁ ହାଲୁକା କରିଲେ ବି ସମ୍ପୂର୍ଣ୍ଣ ଉପଶମ କରିବାରେ ଅସମର୍ଥ ଥିଲା। ମାଧବ ବଡ ଅସହାୟ ଭାବରେ କହିଲେ-- ହାଏ ରେ କପାଳ, ଏତେ ପରିଶ୍ରମ କରି ଆମେ ଗଛ ଲଗାଇବା, ଯତ୍ନ ନେବା, ଶେଷରେ ନିଲ୍ଲଜ ମାନେ ଆସି ଏପରି ଚୋରି କରିନେବେ !! ! ଚୋରି ଜିନିଷ ଠାକୁରଙ୍କୁ ଭେଟି ଦେଇ ସେମାନେ ପୂଣ୍ଯ ଅର୍ଜନ କରିବେ ବୋଲି ଯାହା ଭାବୁଛନ୍ତି, ତାହା ନିତାନ୍ତ ଭୁଲ୍। ପତ୍ନୀ ଦୀର୍ଘ ନିଶ୍ବାସ ପକାଇ କହିଲେ-- ସେତିକି ବୁଦ୍ଧି ସେମାନଙ୍କ ମୁଣ୍ଡରେ ଥିଲେ, ଏପରି କାମ କରନ୍ତେ କାହିଁକି?

ସେଦିନ ପରଠାରୁ ମାଧବ ଟିକେ ଅଧିକ ସଚେତନ ରହିବାକୁ ଲାଗିଲେ। ବଗିଚା ଚାରିପଟରେ କଣ୍ଟାତାର ବାଡ ବୁଲାଗଲା। ଗଛ କୁଣ୍ଡ ମାନଙ୍କୁ ବଗିଚାର ଭିତର ପଟରେ ରଖା ଗଲା। ସେ ବା କଣ କରିବେ !! -- ପତିପତ୍ନୀଙ୍କ ଶରୀରରେ ହଜାର ରୋଗ। ମାନସିକ ଚିନ୍ତା ଓ ରୋଗ କୁ ପ୍ରତିହତ କରିବାକୁ, ନିଦ ଓୌଷଧ ଅନିବାର୍ଯ୍ଯ ବୋଲି ଡାକ୍ତର କହିବା ପରେ ସେମାନଙ୍କର ସକାଳୁ ଉଠିବା ଅଭ୍ଯାସରେ ବିରାମ ଲାଗିଛି। ବଗିଚାରେ ଜଗୁଆଳୀ ନିଯୁକ୍ତ କରିବାକୁ ମନସ୍ଥ କରି ଲୋକ ଖୋଜିଲେ। ମାତ୍ର କେହି ମଧ୍ଯ ପାଞ୍ଚ ହଜାର ଟଙ୍କାରୁ କମ୍ ଦରମା ରେ ରାଜି ହେଲେ ନାହିଁ। ଅଗତ୍ଯା କୌଣସି ଉପାୟ ନ ପାଇ ନିଜେ କିଛି ସମାଧାନ କାଢିବେ ବୋଲି ସ୍ଥିର କଲେ। ପଡୋଶୀ ଓ ପାଖ ଦୋକାନୀ ମାନଙ୍କୁ ଅନେକ ପଚରା ଉଚୁରା ପରେ ମଧ୍ଯ କିଛି ସୁଫଳ ମିଳିଲାନି। ସମସ୍ତଙ୍କର ସେଇ ଗୋଟିଏ କଥା-- ଏ ଫୁଲଚୋର ମାନେ ସମ୍ଭ୍ରାନ୍ତ ଶ୍ରେଣୀୟ ଚୋର। ସେମାନେ ସକାଳେ ଢିଲା ପାଇଜାମା ଓ ହାତରେ ବାଡି ଧରି ଚାଲନ୍ତି ସତ, କିନ୍ତୁ ଆକାଶରେ ସୂର୍ଯ୍ଯଙ୍କ ଆଗମନ ସହିତ ସେମାନଙ୍କ ରୂପରେ ଡେର ପରିବର୍ତ୍ତନ ଆସିଯାଏ। ଦାମୀ ଗାଡି, ସୌଖିନ ଘଣ୍ଟା ଓ ଅତ୍ଯାଧୁନିକ ବେଶଭୂଷାରେ ସଜ୍ଜିତ ହୋଇ, ସେମାନେ ଧରାପୃଷ୍ଠରେ ଆବିର୍ଭୁତ ହୁଅନ୍ତି। ସେମାନଙ୍କୁ ଧରିବା କଷ୍ଟକର ବ୍ଯାପାର। କଦବା କ୍ବଚିତ୍ କେବେ ଧରା ପଡିଗଲେ, ସେମାନଙ୍କ ପଦପଦବୀର ତେଜର ପ୍ରତାପ ଆଗରେ ଫୁଲଚୋରି ପରି ଗୌଣ କାର୍ଯ୍ଯ ନିଷ୍ପ୍ରଭ ହୋଇଯାଏ। ସବୁଦିଗରୁ ନିରାଶ ହେବା ପରେ ମାଧବଙ୍କ ମନରେ ଭୀଷଣ ଅସନ୍ତୋଷ ଓ ବିରକ୍ତି ଜମାଟ ବାନ୍ଧିବା ଆରମ୍ଭ କରି ଦେଇଥିଲା।

ଦିନ କୁ ଦିନ ସେ ଫୁଲଗଛ ମାନଙ୍କ ପ୍ରତି ଅଧିକ ଯତ୍ନବାନ ହୋଇ ଉଠୁଥିଲେ। ସବୁଠାରୁ ଅଧିକ ଚିନ୍ତିତ ଥିଲେ, ତାଙ୍କ ବଗିଚାରେ ଅତି ଯତ୍ନରେ ବଢାଇଥିବା ବ୍ରହ୍ମକମଳ ଫୁଲ ପାଇଁ। କିଛି ଦିନ ମଧ୍ଯରେ ଗଛରେ ଫୁଲ ଫୁଟିବ। ତାଙ୍କ ବଗିଚାରେ ବ୍ରହ୍ମକମଳ ଫୁଲ ଫୁଟିବ ତାହା କଣ କମ୍ ସୌଭାଗ୍ଯର କଥା। ଫୁଲଟି ଫୁଟିଲେ, ଲୋକଙ୍କ ସୁଅ ଘରକୁ ଛୁଟିବ। ଖବର କାଗଜରେ ଏକ ରୋଚକ ଖବର ଭାବରେ ସେ ଘଟଣା ପ୍ରକାଶିତ ହେବ। ଲୋକେ କହିବେ-- ଆହା, କି ଧାର୍ମିକ ଲୋକ ଆମ ମାଧବ ବାବୁ, ତାଙ୍କ ବାଡିରେ ବ୍ରହ୍ମକମଳ ପରି ଦୁଷ୍ପ୍ରାପ୍ଯ ପୁଷ୍ପ ଫୁଟିଛି। ଫୁଲ ଫୁଟିନି ତ, ସ୍ବୟଂ ଭଗବାନ ତାଙ୍କ ବଗିଚାରେ ଆବିର୍ଭୁତ ହୋଇଛନ୍ତି। କିନ୍ତୁ, ତାଙ୍କର ସୁନେଲି ସ୍ବପ୍ନରେ କୁଠାରଘାତ କରୁଥିଲା ସେହି ଅଜ୍ଞାତ ଫୁଲଚୋର। ମନରେ ଆଶଙ୍କାର ସର୍ପ ଦଂଶନ କରି ଚେତାଇ ଦେଉଥିଲା-- ଯଦି ସେ ଫୁଲଚୋର, ବ୍ରହ୍ମକମଳକୁ ଚୋରି କରିନିଏ ତେବେ କଣ ହେବ?

ଦିନେ ଦୁଇଦିନ ଅନ୍ତରରେ ବଗିଚାରୁ ଫୁଲଚୋରି ହେଉଥିଲା। ଫୁଲଚୋରକୁ ଧରିବା ପାଇଁ ମାଧବ ଙ୍କର ସମସ୍ତ ଚେଷ୍ଟା ବିଫଳ ହୋଇସାରିଥିଲା। ଅନେକ ଥର ଭାବିଲେ ପୋଲିସ୍ ରେ ଖବର ଦେବେ। କିନ୍ତୁ ନାନା ଜଘନ୍ଯ ଅପରାଧ ସଂଘଟିତ ହେବା ପରେ ମଧ୍ଯ ପୋଲିସ୍ ମାନଙ୍କର ନିଷ୍କ୍ରିୟତା କଥା ମନେ ପକାଇ, ପୋଲିସ୍ ପାଖକୁ ଯାଇ କିଛି ଲାଭ ନାହିଁ ବୋଲି ସେ ନିଶ୍ଚିତ ଥିଲେ। କେମିତି ଏ ଦାରୁଣ ସମସ୍ଯାର ସମାଧାନ କରିବେ ସେହି କଥା ଭାବି, ଦିନ କୁ ଦିନ ଉଦବିଗ୍ନ ହୋଇ ଉଠୁଥିଲେ। ଅବସ୍ଥା ଏପରି ହେଲା ଯେ, ଓୌଷଧ ଖାଇବା ପରେ ମଧ୍ଯ ରାତିରେ ଭଲରେ ନିଦ ହେଲାନାହିଁ। ସାରା ରାତି ବାରମ୍ବାର ବାହାରକୁ ଆସି ଫୁଲଗଛ ମାନଙ୍କୁ ତଦାରଖ କରିବା ପରେ ମଧ୍ଯ ଫୁଲଚୋରି ବନ୍ଦ ହେଉ ନ ଥିଲା। ପତ୍ନୀ ବାରମ୍ବାର ବୁଝାଉଥିଲେ ଯେ ଚୋରଟା କିଛି ଫୁଲ ଚୋରି କରୁଛି, ମାତ୍ର ଗଛ ମାନଙ୍କର କ୍ଷତି କରୁନାହିଁ। ସେ ଚୋରି କରିବା ପରେ ମଧ୍ଯ ଗଛରେ ଢେର୍ ଫୁଲ ରହୁଛି। ତେଣୁ ସେ ଚୋରିକଥା କୁ ହେୟଜ୍ଞାନ କରିବା ପାଇଁ।

ମାତ୍ର ଗମ୍ଭୀର ସ୍ବରରେ ମାଧବ ପଚାରନ୍ତି-- ତୁମ କଥା ଠିକ୍ ଯେ, ଯଦି ଚୋର ଟା ମୋ ବ୍ରହ୍ମକମଳ ଫୁଲ ଚୋରି କରିନେବ? ଏହି ପ୍ରଶ୍ନର ଉତ୍ତର ପତ୍ନୀଙ୍କ ପାଖରେ ନ ଥାଏ। ତେଣୁ ସେ ନୀରବ ହୋଇ ରୁହନ୍ତି।

ପିଲା ମାନେ ଫୋନ୍ ରେ ମାଧବଙ୍କୁ ବୁଝାଇବାକୁ ଚେଷ୍ଟା କଲେ ସେ କୁହନ୍ତି-- ତୁମେ ମାନେ ଯଦି କେବେ ଗଛ ଲଗାଇବ, ମୋ ମନର ବେଦନା ବୁଝି ପାରିବ। ଘରୁ ହଜାର କିଲୋମିଟର ଦୂରରେ ରହି ଭାଷଣ ଦେବା ସହଜ, କିନ୍ତୁ ଘରେ ରହି ଏସବୁ ଘଟଣା ପ୍ରତ୍ଯକ୍ଷରେ ଅନୁଭବ କରିବା କଣ, ତାହା କେବଳ ଅନୁଭବୀ ହିଁ ଜାଣି ପାରିବ।

ଫୁଲଚୋରର ଆବିର୍ଭାବ ପରେ ମାଧବଙ୍କ ଜୀବନ ଓଲଟପାଲଟ ହୋଇ ଯାଇଥିଲା। ସେ ମନ୍ଦିର ଯାଉଥିଲେ, ପିଲା ଟି ସହ କଥା ହେଉଥିଲେ, ଦୋକାନ ବଜାର ମଧ୍ଯ ଯାଉଥିଲେ ; କିନ୍ତୁ ସମସ୍ତ ସ୍ଥାନରେ ତାଙ୍କ ମନରେ ସେଇ ଗୋଟିଏ ଚିନ୍ତା ସବାର ହୋଇ ରହୁଥିଲା " କିଏ ସେ ଫୁଲଚୋର, ତାକୁ ଧରିବେ କେମିତି " । ଅତ୍ୟଧିକ ମାନସିକ ଚାପ ପାଇଁ ମାଧବଙ୍କ ଦେହ ଅସୁସ୍ଥ ହୋଇଯାଇଥିଲା। ଡାକ୍ତରଙ୍କ ପରାମର୍ଶ କ୍ରମେ ସେ କିଛଦିନ ଘରେ ରହି ବିଶ୍ରାମ ନେବାକୁ ମନସ୍ଥ କଲେ। ବ୍ରହ୍ମକମଳ ଫୁଟିବାର ସମୟ ମଧ୍ଯ ଆସନ୍ନପ୍ରାୟ। ଦିନେ ଦୁଇ ଦିନ ଭିତରେ ଫୁଲ ଫୁଟିଯିବ। ତାଙ୍କ ମନରେ ଥାଏ ଅସମ୍ଭବ ଉତ୍କଣ୍ଠା। କାହିଁ କେତେ ଦିନରୁ ମନରେ ସ୍ବପ୍ନ ଥିଲା, ତାଙ୍କ ବଗିଚାରେ ଫୁଟିବ ବ୍ରହ୍ମକମଳ। ସେହି ଫୁଲ ହିଁ ପ୍ରମାଣିତ କରିବ ତାଙ୍କର ଗଛ ପ୍ରତି ଥିବା ଅହେତୁକ ଆକର୍ଷଣ ଓ ଧର୍ମାତ୍ମାଭାବକୁ। କିନ୍ତୁ ଫୁଲଚୋର ଯେ ତାଙ୍କ ପଥକୁ କଣ୍ଟକିତ କରିବାକୁ ଦୃଢପ୍ରତିଜ୍ଞ !! ! ଶେଷରେ ନିଷ୍ପତ୍ତି ନେଲେ, ଶୋଇବାଘରର ଖଟକୁ ଝରକାପାଖକୁ ସ୍ଥାନାନ୍ତରିତ କରି ପରଦା ପଛରୁ ବଗିଚା ଉପରେ ନଜର ରଖିବେ। କୌଣସି ପ୍ରକାରେ, ଫୁଲଚୋର ତାଙ୍କର ଉନ୍ନତ ଚୋରଧରା ଉପାୟ ବିଷୟରେ ସୁରାଖ୍ ପାଇବନି ବୋଲି ସେ ଦୃଢ ନିଶ୍ଚିତ ଥିଲେ। ସେଇଆ ହେଲା ; ଝରକା ପାଖକୁ ଲାଗି ଖଟ ପଡିଲା ଓ ପରଦା ଆଢୂଆଳ ରେ ରହି ଜଣେ ପେଶାଦାର ଗୋଇନ୍ଦା ପରି ସେ ବଗିଚା ପ୍ରତି ନଜର ରଖିବାରେ ଲାଗିଲେ। ଖଟ ତଳେ, ପତ୍ନୀଙ୍କ ଅଜାଣତରେ ଲୁଚାଇ ରଖିଲେ ଗୋଟିଏ ଛୋଟିଆ ଶାବଳ। ଦୈବାତ୍ ଚୋରକୁ ଧରିବାରେ ବିଫଳ ହେଲେ, ଏକ ବର୍ଚ୍ଛା ପରି ଶାବଳକୁ ତା ଉପରକୁ ନିକ୍ଷେପ କରିବାକୁ ସେ ନିଷ୍ପତ୍ତି ନେଇ ସାରିଥିଲେ।

ସେଦିନ ରାତିରେ କିଛି ଶବ୍ଦଶୁଣି ସେ ଚମକି ଉଠିଲେ। ପତ୍ନୀ ଶୋଇଥିଲେ ନିଘୋଡ ନିଦରେ, ତାଙ୍କୁ ନ ଉଠାଇ ପରଦା ତଳୁ ନିରିକ୍ଷଣ କଲେ ବଗିଚାକୁ। ଆଶ୍ଚର୍ଯ୍ଯ !!  ଦେହରେ ଏକ କଳା ରଙ୍ଗର ଚଦର ଘୋଡାଇ କିଏ ଜଣେ ବଗିଚାରେ ଅସ୍ଥିର ପଦଚାରଣ କରୁଛି ଓ ପ୍ରତ୍ଯକ ଗଛ ପାଖକୁ ଯାଇ ଫୁଲ ତୋଳିବାରେ ଲାଗିଛି। ମନରେ ଆନନ୍ଦ ଓ ପ୍ରତିହିଂସାର ମିଶାମିଶି ତଡିତ୍, ପ୍ରବାହିତ ହେବା ପରି ଲାଗିଲା। ଓଃ, ତେବେ ଇଏ ସେହି ଫୁଲଚୋର! ! ମନ ହେଉଥିଲା ତା ଉପରକୁ ଲମ୍ଫପ୍ରଦାନ କରି ତା ତଣ୍ଟି କଣା କରିଦେବା ପାଇଁ। କିନ୍ତୁ ନିଜ ଶରୀରର ଅବସ୍ଥା ଓ ଶକ୍ତି ବିଷୟରେ ଭାବି ନୀରବ ହୋଇଗଲେ। ଅତି ସନ୍ତର୍ପଣରେ ଖଟ ତଳୁ କାଢିଲେ ସେହି ଶାବଳ ଓ ଧିର ପଦକ୍ଷେପରେ ବଗିଚା ଆଡକୁ ଅଗ୍ରସର ହେଲେ। ସମୟ ପାଖାପାଖି ସାଢେ ତିନିଟା, ଆକାଶରେ ଅନ୍ଧକାର ଜମାଟ ବାନ୍ଧି ରହିଛି- -ବାହାରେ କାଉକୋଇଲି ର ରାବ ନାହିଁ- -ସମସ୍ତ ଜଗତ ଗଭୀର ନିଦ୍ରାରେ ଅଭିଭୂତ। ଯଦି ଏସମୟରେ ଜଣେ ଚୋରି କରିବ କିଏ ବା ଜାଣିବ?

ଲୋକଟି ପଛରେ ଛିଡା ହୋଇ, ସମସ୍ତ ଶକ୍ତି ଲଗାଇ ମାଧବ ଚିତ୍କାର କଲେ-- ଆରେ ବଜ୍ଜାତ୍ ଚୋର ! ଏତେ ଦିନ ଧରି ମୋ ଗଛରୁ ଫୁଲଚୋରି କରୁଛୁ? ଦେଖିବା ଆଜି ତୋତେ କିଏ ବଞ୍ଚାଇବ। ଏତିକି କହି ସେ ଲୋକର ଚଦରକୁ ଟାଣି ଦେଲେ। ଚଦରରେ ସେ ତୋଳି ରଖିଥିବା ଫୁଲସବୁ ତଳେ ବିଛାଡି ହୋଇ ପଡିଗଲା। ମାଧବଙ୍କ ସାମନା ରେ ଛିଡା ହୋଇଥିଲା ଧବଳ ଶ୍ମଶୃଧାରୀ ଜଣେ ବୃଦ୍ଧ। ମୁହଁଟି ଡରରେ ଶେତା ପଡିଯାଇଥିଲା। ଶିରାଳ ହାତ ଦୁଇଟି ଯୋଡି ସେ ଥରଥର କଣ୍ଠରେ କହିଲା-- କ୍ଷମା କରିଦିଅ ବାବୁ। ମୁଁ ଗରିବ ଲୋକ, ଫୁଲ ବିକ୍ରି କରିବାକୁ ଏମିତି କାମ କରୁଛି। ମୋତେ ଛାଡିଦିଅ, ଆଉ କେବେ ଆପଣଙ୍କ ବଗିଚାରେ ପଶିବିନି।

ଲୋକଟିର କ୍ଷମା ଯାଚନା, ମାଧବଙ୍କ ମନରେ ବହୁତ ଦିନରୁ ଜମାଟ ବାନ୍ଧି ଆସିଥିବା କ୍ରୋଧ, ନୈରାଶ୍ଯ ଓ ବିଫଳତା ରୂପକ ବାରୁଦରେ ଅଗ୍ନୀସଂଯୋଗ କରିଦେଲା। ସେ ପୈଶାଚିକ ଅଟ୍ଟହାସ୍ଯ କରି କହିଲେ-- କ୍ଷମା କରିଦେବି !! ! ଚୋର କୋଉଠିକାର। ତୋ ପାଇଁ ମୋ ଆଖିରୁ ନିଦ ହଜିଯାଇଛି, ଦେହ ଖରାପ ହୋଇ ମୁଁ ଶେଯରେ ପଡି ରହୁଛି, ତୋତେ କ୍ଷମା ଦେବି !! ଏତିକି କହି ତା ମୁଣ୍ଡରେ ପକାଇଲେ ଏକ ଶକ୍ତ ପ୍ରହାର। ମୁଣ୍ଡ ଫାଟି ରକ୍ତ ଧାର ବୋହି ଚାଲିଲା ଓ ସେ ଲୋକଟି ମାଧବଙ୍କ ଗୋଡ ତଳେ ପଡି ମୁଣ୍ଡିଆ ମାରିବାକୁ ଲାଗିଲା। ମାତ୍ର କ୍ରୋଧ ଜର୍ଜରିତ ମାଧବ ଲୋକଟିକୁ ପ୍ରହାର ପରେ ପ୍ରହାର କରି ଚାଲିଲେ। କଷ୍ଟରେ ଲୋକ ଟି ଗଁ ଗଁ ହୋଇ ସେ ଯାଗାରୁ ଦୌଡି ପଳାଇବାକୁ ଉଦ୍ଯତ ହେଲା ବେଳକୁ, ମାଧବ ତା ଆଡକୁ ନିକ୍ଷେପ କଲେ ହାତରେ ଧରିଥିବା ଶାବଳ। ତାହା ଲୋକଟିର ପିଠିରେ ନିବଦ୍ଧ ହେଲା ଓ କୌଣସି ମତେ ପଡିଉଠି ସେହି ଅବସ୍ଥାରେ ପାଚେରି ଡେଇଁ ପଳାଇଲା। ସମସ୍ତ ଘଟଣା ସରିବା ବେଳକୁ ପତ୍ନୀ ସେ ଜାଗାରେ ପହଞ୍ଚିଲେ। ମାଧବ ବିଜୟସୂଚକ ହସ ହସି ସମସ୍ତ ବୃତ୍ତାନ୍ତ ସଗର୍ବେ ବର୍ଣ୍ଣନା କରି ଚାଲିଲେ। ପତ୍ନୀ ଧିର ସ୍ବରରେ ପଚାରିଲେ-- ସେ ଲୋକଟାକୁ ତୁମେ ଶାବଳରେ ଏତେ ମାରିଛ ଓ ସେ ଶାବଳ ଭୁଷି ହୋଇଥିବା ଅବସ୍ଥାରେ ଏ ଜାଗାରୁ ଯାଇଛି। ଯଦି ତାର କିଛି ହୋଇଯିବ? 

– – କଣ କହୁଛ? ତୁମେ ଭାବୁଛ କି କାଳେ ସେ ମରିଯିବ ବୋଲି। ଆରେ ନାଃ, ଏମିତି କଣ ଲୋକ ମରନ୍ତି। ହେଇ ଦେଖ ମୁଁ କେମିତି ତା ଚୋରିପଣିଆ ଛଡେଇ ଦେଇଛି। ଏତିକି କହି ସେ ଲୋକଟିର ଚାଦରକୁ ଦେଖାଇଲେ। ଚାଦରଟିରେ ଅଗଣିତ କଣା, ଟିକେ ଜୋରରେ ଟାଣିଦେଲେ ଚିରିଯିବା ପରି ଅବସ୍ଥା।

ଘଟଣା ପରଦିନ ମାଧବବାବୁ ଙ୍କ ଦେହରେ ସୁସ୍ଥତା ପରିଲକ୍ଷିତ ହେଲା। ମନରେ ଜମାଟ ବାନ୍ଧିଥିବା ଚିନ୍ତା ସବୁ ଦୂର ହୋଇଯିବା ପରେ, ସେ ପୂର୍ବ ପରି କର୍ମଚଞ୍ଚଳ ହୋଇ ଉଠିଲେ। କହିବା ବାହୁଲ୍ଯ, ସେ ଦିନ ପରଠାରୁ ଫୁଲଚୋରର ଆବିର୍ଭାବ ଆଉ ହେଲା ନାହିଁ। ମାଧବଙ୍କ ମନ୍ଦିର ଯିବା ଯଥାରିତୀ ଚାଲିଲା, କିନ୍ତୁ ସେ ପିଲାଟିକୁ ମନ୍ଦିର ରେ ଦେଖିଲେନି। ଭାବିଲେ ବୋଧେ କୁଆଡେ ସେ ଯାଇଥିବ। ମନେମନେ ସେ ପିଲାଟିକୁ ଖୋଜୁଥିଲେ, ତାଙ୍କର ବୀରତ୍ବ କାହାଣୀ ବଖାଣିବା ପାଇଁ। କାରଣ ପତ୍ନୀଙ୍କର ଆକଟ ମାନି , ଅନ୍ଯ କାହା ଆଗରେ ସେ ଘଟଣା ବିଷୟରେ କହି ନ ଥିଲେ। ଯାହା ହେଲେ ବି, ସେ ଲୋକଟି ପ୍ରତି କରିଥିବା କାର୍ଯ୍ଯବଳୀ ସବୁ ଅପରାଧ ଥିଲା ଏଥିରେ ଦ୍ବିରୁକ୍ତି ନାହିଁ। ସବୁ କାର୍ଯ୍ଯ ଯଥାରିତୀ ଚାଲିଲା, ବଗିଚାରେ ବ୍ରହ୍ମକମଳ ଫୁଟିଲା, ସମ୍ବାଦପତ୍ରରେ ଖବର ପ୍ରକାଶିତ ହେଲା। ପଡୋଶୀ ମାନେ ଓ୍ବାହା ଓ୍ବାହା କଲେ, ମାଧବ ଜଣେ ସଚ୍ଚା ଭକ୍ତ ବୋଲି ସହରରେ ଆଲୋଚନା ମଧ୍ଯ ହେଲା। କେବଳ ଦୁଇଟି ବ୍ଯତିକ୍ରମ ଥିଲା ; ପ୍ରଥମଟି ଥିଲା ପିଲାଟି ମନ୍ଦିରରେ ନ ବସିବା ଓ ଦ୍ବିତୀୟଟି ଫୁଲଚୋରଟି ଅର୍ନ୍ତଧ୍ଯାନ ହୋଇଯିବା। ଦ୍ବିତୀୟ ବ୍ଯତିକ୍ରମର ସ୍ରଷ୍ଟା ସ୍ବୟଂ ମାଧବ ଥିଲେ, ତେଣୁ ସେ ବଷୟରେ ସେ ଚିନ୍ତିତ ନ ଥିଲେ। ମାତ୍ର ପିଲାଟି ନ ଆସିବାର କାରଣ ସେ ଖୋଜି ପାଉ ନ ଥିଲେ। ମନ୍ଦିର ର ଦୋକାନୀ ମାନେ ମଧ୍ଯ କିଛି ତଥ୍ଯ ଦେଇ ପାରୁ ନ ଥିଲେ। ବସ୍ତିରେ ରହୁଥିବା ଜଣେ ଗରିବ ପିଲା ର ଖବର କାହା ପାଖରେ କଣ ପାଇଁ ବା ରହିବ ! 

ଦିନେ କୌଣସି କାରଣରୁ ମାଧବ ବସ୍ତି ପାଖ ଦେଇ ଯିବା ବେଳେ ସେ ପିଲାଟିକୁ ଦେଖିଲେ। କାନ୍ଧରେ ବଡ ଅଖାବ୍ଯାଗ୍ ଝୁଲାଇ ସେ ଜରି ଓ ପାଣି ବୋତଲ ଗୋଟାଉଥିଲା। ତାଙ୍କୁ ଦେଖି ପାଖକୁ ଖୁସି ରେ ଦଉଡି ଆସି ମୁଣ୍ଡିଆ ମାରିଲା। ପିଲାଟିକୁ ଦେଖି ସେ ମଧ୍ଯ ବେଶ୍ ଉତଫୁଲିତ ହୋଇଗଲେ। ତା ଅନୁରୋଧ କ୍ରମେ ପିଲାଟି ଘରକୁ ଗଲେ। ଘର କହିଲେ ଚାରିଟି ବାଉଁଶ ତାଟି ଉପରେ ଜରି ଟଣା ହୋଇଥିବା ରହିବାର ସ୍ଥାନ। ଭିତରେ ପଡିଛି ଏକ ଚିରା ମସିଣା ଓ ଭଙ୍ଗା ଟିଣ ବାକ୍ସ ଉପରେ ଏକ ଫଟୋ। ସେହି ଫଟୋରେ ଝୁଲୁଛି ଫୁଲମାଳ। ସେ ଫଟୋ ଆଡକୁ ପ୍ରଶ୍ନିଳ ଆଖିରେ ଦେଖିବାରୁ

ପିଲାଟି କହିଲା-- ବାବୁ ମୋ ବାପାକୁ କିଏ ଜଣେ ମାରିଦେଲା। ସେଦିନ ସକାଳୁ ସେ ରକ୍ତାକ୍ତ ହୋଇ ଘରକୁ ଫେରିଲା। ମୁଣ୍ଡରେ ଭୀଷଣ ମାଡ ଓ ଦେହ ସାରା ରକ୍ତ ଓ ପିଠିରେ ଏକ ଶାବଳ ଭୁଷି ହୋଇଥିଲା। ପାଖ ଲୋକଙ୍କୁ ଡାକି ଡାକ୍ତରଖାନା ନେଲା ବେଳକୁ ସେ ବାଟରେ ମରିଗଲା। ସେ ମରିବା ପରେ, ମୁଁ ଆଉ ମନ୍ଦିରରେ ଫୁଲ ବିକୁନି ; ସେ ଫୁଲ ଆଣୁଥିଲା ବୋଲି ସିନା ବିକ୍ରି କରି ଚଳୁଥିଲୁ। ସେ ଗଲା ପରେ ପାଖରେ ଫଟା ଆହୁଲା ବି ନାହିଁ। ଜରି,ବୋତଲ ଗୋଟାଇ ଦିନକୁ ପଚିଶି ଟଙ୍କା ପାଉଛି, ସେତିକି ରେ ଚଳୁଛି। ଏତିକି କହି ପିଲାଟି ସେ ଭଙ୍ଗା ବାକ୍ସରୁ ଗୋଟେ ଶାବଳ କାଢି ମାଧବଙ୍କୁ ଦେଖାଇ କହିଲା-- ହେଇ ଦେଖ ବାବୁ, ସେଦିନ ବାପାଙ୍କ ପିଠିରେ କିଏ ଜଣେ ଏଇ ଶାବଳ ଭୂଷି ଦେଇଥିଲା।

ଶାବଳକୁ ଦେଖି ମାଧବ ଚମକି ପଡିଲେ-- ମନେ ପଡିଗଲା ସେଦିନର ଘଟଣା ସବୁ। ତାଙ୍କୁ ଲାଗିଲା ସମଗ୍ର ପୃଥିବୀ ଘୂର୍ଣ୍ଣାୟମାନ, ସେ ତଳେ ପଡି ଯାଉଯାଉ ରହିଗଲେ।

ପିଲାଟି ପଚାରିଲା କଣ ହେଲା ବାବୁ? ମାଧବ ତାକୁ କୁଣ୍ଢାଇ ଭୋ ଭୋ କାନ୍ଦି କହିଲେ - - ତୁ ଜମାରୁ ବ୍ଯସ୍ତ ହେବୁନି ରେ ପୁଅ, ତୁ ପୁଣି ପାଠ ପଢିବୁ-- ଭଲରେ ଦୁଇ ଗୁଣ୍ଡା ଖାଇବୁ-- ଆଜି ଠାରୁ ମୋ ଘରେ ରହିବୁ, ମୋ ପୁଅ ପରି। ମୋତେ କ୍ଷମା କରିଦେବୁ , ମୁଁ ମହାପାପୀ। ପିଲାଟି କିଛି ବୁଝି ନ ପାରି କେବଳ ବଲବଲ କରି ଚାହିଁ ଥାଏ ମାଧବଙ୍କ ମୁହଁକୁ।

                                   **********ସମାପ୍ତ*********