କଣ୍ଢେଇ
ଲେଖା- ଅରବିନ୍ଦ ରଥ
ଧଇଁସଇଁ ହୋଇ ଘର ଆଗରେ ପହଞ୍ଚିଲା ମଦନା। ଗୋଡରେ ପଥର ବାଜି ଖଣ୍ଡିଆ ହୋଇଯାଇଛି। ତାର ସେ ଆଡକୁ ନିଘା ନାହିଁ। ହାତରେ କଣ ଗୋଟେ ଜାକିଜୁକି ଧରିଛି। ତା ମୁହଁରୁ ବ୍ଯସ୍ତ ଭାବ ସ୍ପଷ୍ଟ ଦିଶୁଛି। ପେଜୁଆ ଆଖିରୁ ମନ ଭିତର ର ଦୁଃଖଟା ବାଦଲ ତଳେ ଲୁଚିଥିବା ଜହ୍ନ ପରି ଉଙ୍କି ମାରୁଛି। କିନ୍ତୁ ଏ କଣ? ତା ଘର ଆଗରେ ଏତେ ଲୋକ କଣ ପାଇଁ ଜମା ହୋଇଛନ୍ତି। ମିଲିର ଏକ ମାତ୍ର ସାଙ୍ଗ ନଖି ଏମିତି କାନ୍ଦିକାନ୍ଦି ଭୂଇଁରେ ଲୋଟି ଯାଉଛି କଣ ପାଇଁ? ତେବେ କଣ ସେ ଆସିବାରେ ଡେରି କରିଦେଲା, ନା ସମୟର ଚକ ଜଲଦି ଗଡିଗଲା..... ଲୋକ ମାନଙ୍କୁ ଆଡେଇ ମଦନା ଘର ଆଡକୁ ଅଗ୍ରସର ହେବାରେ ଲାଗିଲା। ତାକୁ ଦେଖି ଜମା ହୋଇଥିବା ପଡୋଶୀ ଗୁଡା ମୁହଁ ତଳକୁ ପୋତି ଛିଡା ହେଲେ।
---- ଆରେ କଣ ହେଲା.... ମୋତେ କିଛି ତ କୁହ।
କିନ୍ତୁ ସମସ୍ତଙ୍କ ମୁହଁରେ ଝଡ ପୂର୍ବର ନିସ୍ତବ୍ଧତା। କେହି କିଛି କହିବାକୁ ନାରାଜ୍। ତେବେ କଣ ମିଲି.......
ଚାରିଆଡେ ଦଶହରା ପୂଜାର ଗହଳି ଆରମ୍ଭ ହୋଇଗଲାଣି। ଦୋକାନ ଗୁଡିକରେ ଭଳିକି ଭଳି ଜିନିଷର ସମ୍ଭାର ଦେଖି ଆଖି ଖୋସି ହୋଇଯାଉଥାଏ। ସବୁଦିନ ପରି ଆଜି ବି ସେଇ ଖେଳନା ଦୋକାନ ଆଗରେ ଅପଲକ ନୟନରେ ଚାହିଁ ରହିଥିଲା ମିଲି। କେଜାଣି କାହିଁକି ସେ ପରୀ କଣ୍ଢେଇଟା ଉପରୁ ଜମା ନଜର ହଟେଇ ପାରୁ ନ ଥିଲା । କେତେ ସୁନ୍ଦର ହୋଇଛି ମ, ଦେଖିଲେ ଲାଗୁଛି ଏହିକ୍ଷଣି ବାହାରକୁ ଆସି କଥା କହିବ। ତା ଦେହରେ ନାଲି ରଙ୍ଗର ଜାମା ଟା ବହୁତ୍ ମାନୁଛି। ସୁନେଲି ରଙ୍ଗର କେଶରେ ହେୟାର କ୍ଲିପ୍ ବି ଲାଗିଛି। ତା ସାଙ୍ଗକୁ ପାଦ ତଳେ ଜୋତା ଓ ହାତରେ ଭ୍ଯାନିଟି ବ୍ଯାଗ୍। ମିଲିର ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା କଣ୍ଢେଇଟିର ନୀଳ ଆଖି ଦୁଇଟି। ସେ ଆଖି ଉପରୁ ଯେତେ ଚାହିଁଲେ ବି ନଜର ହଟେଇ ପାରୁ ନ ଥିଲା। ବେକରେ ଝୁଲିଛି ଚକମକିଆ ପଥର ବସାଏକ ଚେନ୍। ଚୁମ୍ବକ ଲୁହାକୁ ଟାଣିଲା ପରି ଟାଣି ଧରିଥାଏ ସେ କଣ୍ଢେଇଟା ମିଲିର ମନକୁ। କେମିତି ସେ କଣ୍ଢେଇଟା କୋଳକୁ ଆସିବ ଓ ତା ସହିତ ଖେଳିବ ଅସରନ୍ତି ସମୟ ଯାଏ ସେଇ ଭାବନା ରେ ସେ ବୁଡି ରହିଥିଲା।
ମିଲି, ଜମା ଆଠ ବର୍ଷର କୁନି ଝିଅଟେ। ମାଆ ପିଲା ଦିନରୁ ଛାଡି ଆରପାରି କୁ ଚାଲି ଯାଇଛି। ବାପ ରିକ୍ସା ଟାଣେ ଏଇ ସହରରେ। ସେତିକି ରେ ପଇସା ଅଣ୍ଟେନି ବୋଲି ମିଲି ସକାଳୁ ବାହାରି ପଡେ ଜରି,କାଗଜ ଓ ବୋତଲ ଉଠେଇବା ପାଇଁ। ଦିନସାରା ଖରାତରା ରେ ବୁଲି ସେ ବଡ ଅଖା ବ୍ଯାଗ୍ ଟା ଭର୍ତ୍ତି କଲେ, ମାଲିକ ଦବ ଦଶ ଟଙ୍କା। ସେତିକି ପଇସା ଧରି କୋଟିନିଧି ପାଇଲା ପରି ଖୁସିରେ ଦଉଡି ଆସେ ଘରକୁ। ଦିନସାରା ବାହାରେ ଯାହା ଟିକେ ଖାଇବା ମିଳେ ସେତିକି ଖାଇ ନଳକୂଅରୁ ପେଟେ ପାଣି ପିଇ ଦିଏ। ଦିନ ଖାଇବା ଟା ଯାହା ହେଲେ ବି ଚଳିବ,କିନ୍ତୁ ରାତିରେ ଭାତ ସାଙ୍ଗକୁ ବାପା ଆଣିଥିବା ଆଳୁଚପ୍ ନ ହେଲେ ବରା ଟେ ଖାଇଦେଲେ ତା ମନ ଟା ତୃପ୍ତ ହୋଇଯାଏ। ସେତିକି ଖାଇବା ରେ ବାପ ଝିଅଙ୍କ ପେଟ ପୁରୁ କି ନ ପୁରୁ ଆତ୍ମା ଶାନ୍ତି ରେ ପୁରି ଉଠେ। ତା ବାପା ମଦନା ଦିନ ସାରା ଖଟିଖଟି ଭଙ୍ଗା ଗଛପରି ପଡି ରହେ। କୁନିକୁନି ହାତରେ ବାପର ଗୋଡ ହାତ ଘଷିଦିଏ ମିଲି। ବାପ କୁ ତାର କଷ୍ଟ ହେଉଥିବ ଯେ..
ପାହାନ୍ତା ପହରୁ ମଦନା ମିଲି କୁ ଉଠେଇ ଦେଇ ରିକ୍ସା ନେଇ ବାହାରି ପଡେ। କିଛି ମସୟ ଭିତରେ ପହଞ୍ଚି ଯାଏ ମିଲିର ଏକ ମାତ୍ର ସାଙ୍ଗ ନଖି। ବାପ ଛେଉଣ୍ଡ ପିଲା ଟା। ତା ମାଆ ଲୋକଙ୍କ ଘରେ କାମ ପାଇଟି କରି ପେଟ ପୋଷେ। ପୁଅ ନଖି ଘର ଚଳାଇବା ପାଇଁ ବଡ ଅଖାବ୍ଯାଗ୍ ଧରି ବାହାରି ଯାଏ ମିଲି ସହ। ସେଇ ଜରି ଉଠା ସମୟ ତକ ସେମାନେ ଖେଳନ୍ତି ,ଗପନ୍ତି, ମିଶି ଖାଇବା ବି ଖୋଜନ୍ତି। ସବୁ କିଛି ଠିକଠାକ୍ ଚାଲିଥିଲା। କିନ୍ତୁ ଯେବେ ଠୁ ମିଲି ଦୋକାନ ରେ ସେ କଣ୍ଢେଇ ଟିକୁ ଦେଖିଲାଣି କେମିତି ଆନମନା ହୋଇ ରହୁଛି।
– ଆରେ ମିଲି କଣ ହେଇଛି ତୋର, ଏମିତି ଭାବୁଛୁ କଣ ଯେ?
– ନଖି, ସେ ଦୋକାନ ରେ ସଜେଇ ହୋଇ ବସିଥିବା କଣ୍ଢେଇଟା ଦେଖିଛୁ? କେତେ ସୁନ୍ଦର ହୋଇଛି ନା। ଯଦି ଆମପାଖରେ ସେ କଣ୍ଢେଇଟା ଥାଆନ୍ତା କେତେ ମଜା ହୁଅନ୍ତା। କେତେ ଖେଳନ୍ତେ ଆମେ ତା ସହ। ପୁରା ମଣିଷ ପିଲା ଟେ ପରି ଦିଶୁଛି।
– ସେ କଥା ଠିକ୍ ଯେ ସେ ଜିନିଷ କୁ କଣ ତୁ କିଣି ପାରିବୁ? କେତେ ଦର ପଡିବ ବୁଝିଛୁ?
– ଆରେ ନାଁ, ମୋର କଣ ଏତେ ସାହାସ ଅଛି ଯେ ଦୋକାନରୁ ଯାଇ ଦର ବୁଝିବି?। ଆଛା, ନଖି ତୁ କହିଲୁ କେତେ ଦର ହୋଇଥିବ ସେ କଣ୍ଢେଇ ର। ବହୁତ ମହରଗ ହେଇଥିବ ନାଇଁ?
– ହିଃ ହିଃ ହିଃ.... ଭୁଲି ଯା ମିଲି ସେ କଣ୍ଢେଇ କୁ। ଆଲୋ ବେଶୀ ଦର ନ ଥିଲେ ସେ ଦୋକାନ ରେ କଣ ପାଇଁ ସଜେଇ ହୋଇ ବସି ଥାଆନ୍ତା। ତୁ ମନ ଉଣା କରନି, ମୋ ମାଆକୁ କହିଦେବି ତୋ ପାଇଁ କନାରେ କଣ୍ଢେଇଟେ କରିଦବ। ମୋ ପାଇଁ କରି ଦେଇଛି ଯେ ମୁଁ ମନଭରି ଖେଳୁଛି। ନାଁ କଣ କହୁଛୁ?
– ମୁଁ ତୋତେ କଣ କହୁଛି ତୁ ମୋତେ କଣ କହୁଛୁ? ମୋର ସେଇ କଣ୍ଢେଇଟା ଦରକାର। ଟିକେ ଚାଲିଲୁ ଯିବା ସେ ଦୋକାନ କୁ।
ଦୁଇ ଜଣ ଯାଇ ପହଞ୍ଚିଲେ ଦୋକାନ ରେ। ବେଶୀ ଭିଡ ନାହିଁ। ମିଲି ର ସାହାସ ହେଉ ନ ଥିଲା ଦୋକାନ ଭିତର କୁ ପଶିବାକୁ....... ସେ ନଖି କୁ ଠେଲିଲା।
ନଖି ର ବି ସାହାସ ହେଲାନି। ସେ ମିଲି କୁ ଧରି ସେ ଦୋକାନ କୁ ଲାଗି କାନ ଡେରି ଛିଡା ହେଲା। ଜଣେ ସ୍ତ୍ରୀ ଲୋକ କଣ୍ଢେଇ କୁ ଧରି ଏପଟ ସେପଟ କରୁଛି।
ବୀରପୁଙ୍ଗବ ପରି ନଖି ଯାଇ ଦୋକାନ ପାହାଚ ପାଖରେ ଛିଡା ହେଲା। କାନ ଡେରି କଣ ଶୁଣିଲା କେଜାଣି ଦଉଡି ଆସିଲା ମିଲି ପାଖକୁ.......
– ଆଲୋ ମିିଲି, ସେ ସ୍ତ୍ରୀ ଲୋକଟାକୁ ଦୋକାନୀ କହିଲା କଣ୍ଢେଇର ଦର ଦୁଇଶହ ଟଙ୍କା। ସ୍ତ୍ରୀ ଲୋକ ଟା କହିଲା ଏତେ ଦର କଣ ଯେ, କମେଇଲେ ନେବି। ମାତ୍ର ସେ ଦୋକାନୀ କହିଲା ଟଙ୍କାଟେ ବି କମେଇବନି। ମାଇପି ଲୋକଟା ମୁହଁ ଭୁରିଡି କରି ପଳେଇଲା।
ସେତିକି ଶୁଣି ମିଲି ଅଚାନକ୍ ଭେଁଭେଁ ହୋଇ କାନ୍ଦିବା ଆରମ୍ଭ କଲା। ନଖି ବୁଝି ସାରିଥିଲା ସେ କାନ୍ଦର କାରଣ ଟା। ଦୁଇ ଶହ ଟଙ୍କା ଟା ସେ ଦୁଇ ଜଣଙ୍କ ପାଇଁ ନିହାତି ଅପହଞ୍ଚ ବିଷୟ ଥିଲା।
– – ନଖି, ମୁଁ କଣ ଜମା ସେ କଣ୍ଢେଇ ଟା କିଣି ପାରିବିନି!!!!! ?!!!!!
– ଆରେ ରହ ତୁ ଏତେ ବ୍ଯସ୍ତ କଣ ପାଇଁ ହେଉଛୁ। ଚାଲ୍ ଆମେ ଯେତିକି ପଇସା ସେ ଟିଣ ଡବାରେ ପୁରେଇ ମାଟି ତଳେ ପୋତିଛେ ସେତିକି ଗଣିବା। କେତେ ପଇସା ହେଉଛି ଆଗ ଦେଖିବା।
ଦୁଇ ଜଣ ଜାଣିଥିଲେ ସେ ଡବାରେ କେତେ ପଇସା ଅଛି। ତଥାପି ମନ ବୁଝେଇବାକୁ ଗଲେ।
– ଆରେ ଏ ଡବାରେ ଗାଏମୋଟ ବାଇଶି ଟଙ୍କା ପଚାଶ ପଇସା ଅଛି। ଏତିକି ପଇସା ରେ କଣ ହେବ?
– ସେମିତି କହନି ସେ ନଖି । ସେ କଣ୍ଢେଇ ଟା ନ ପାଇଲେ ମୁଁ ଆଉ ରହି ପାରିବିନି ଜମା। ଯେମିତି ହେଲେ ତାକୁ ଆଣିବାକୁ ହେବ।
ନଖି ମୁଣ୍ଡ କୁଣ୍ଡେଇ ମିଲିର କେବେ ପୂରଣ ହେବାର ଆଶା ନ ଥିବା ସ୍ବପ୍ନ ବିଷୟରେ ଭାବୁଥିଲା, ମାତ୍ର ପାଟିକୁ ଚୁପ୍ କରି ରଖିଥିଲା। କିଛି ବି କହିଲେ ମିଲି ଆଖିରୁ ପୁଣି ବୋହିବାକୁ ଆରମ୍ଭ ହେବ ଲୁହର ବନ୍ଯା। ସେ ବଡମୁଣାଟା ଦେଖି କହିଲା
– ମିଲି, ଏତେ ବେଳ ହେଲାଣି, ଆଜି ମୁଣି ଟା ଅଧା ବି ହେଇନି। ଆଜି ବୋଧେ ମାଲିକ ଦଶ ଟଙ୍କା ଦେବନି। ପାଞ୍ଚ ଟଙ୍କା ଧରି ଆସିବାକୁ ହେବ।
ମିଲି କିନ୍ତୁ ନିରୁତ୍ତର ଥିଲା। ନଖି କଥାରେ କୌଣସି ପ୍ରତିକ୍ରିୟା ଦେଖେଇବାର ଆବଶ୍ଯକତା ଅନୁଭବ କଲାନି ସେ।
ପରିସ୍ଥିତି କୁ ହାଲୁକା କରିବାକୁ ନଖି ସେ ଛିଣ୍ଡା ବ୍ଯାଗ୍ ରୁ କାଢିଲା ଗୋଟେ ଭଙ୍ଗା ଦର୍ପଣ।
– - ଦେଖିଲୁ ମିଲି, ତୁ କଣ ସେ କଣ୍ଢେଇ ଠୁ କମ୍ ସୁନ୍ଦର ଦିଶୁଛୁ ନା କଣ? କଣ ପାଇଁ ତୋ ସୁନ୍ଦୁରିଆ ମୁହଁଟାକୁ ଆଲୁରୁବାଲୁରୁ କରୁଛୁ କହିଲୁ.....
ନିଜ ମୁହଁ କୁ ନିରେଖି ଦେଖିଲା ମିଲି। ନୁଖୁରା ଚୁଟି, କାହିଁ କେତେ ଦିନରୁ ତେଲ ବାଜିନି ସେ ଚୁଟିରେ। ଚୁଟି ଗୁଡା କେମିତି ଖଇରିଆ ରଙ୍ଗ ଦିଶୁଛି । ବହୁତ୍ ଦିନରୁ ସେ କୁଣ୍ଡେଇନି ବୋଲି ଜଟ ବି ଭିଡି ଦେଲାଣି। ମୁହଁଟା ଶେତାଳିଆ ଦିଶୁଛି। ଆଖି ଗୁଡାକ କୋରଡକୁ ଗଲାଣି। ଗାଲ ଦି ଟା ଭିତରକୁ ପଶି ଯାଇଛି, ସତେ କି ମାଣେ ଚାଳ ଧରିବ ତା ଗାଲରେ। ସାନ ପିଲା ଟେ ହେଲେ ବି ଚମଡା ଟା ଗୋଧି ଚମଡା ପରି ରୁକ୍ଷ ଦିଶୁଛି।
-ଓଃ ….. ନଖି ସେ ଆଇନା କୁ ହଟେଇ ଦେ ମୋ ଆଗରୁ।
ନିଜ ମୁହଁର ଏମିତି ଅବସ୍ଥା ଦେଖି ଘାବରେଇ ଗଲା ମିଲି। କାହିଁ କେତେ ଦିନରୁ ସେ ଆଇନା ରେ ମୁହଁ ଦେଖିନି। ଦେଖିବାର ଅବକାଶ ବି ଆସିବ କୁଆଡୁ। ସକାଳ ପାହି କେତେବେଳେ ସଞ୍ଜ ହୋଇଯାଏ ସେ ଜାଣି ପାରେନି। ଆଜି ଦିନ ସାରା କଣ ହେଲା ବୋଲି ଭାବିଲା ବେଳକୁ, ତା ଆଗରେ ଆସି ପହଞ୍ଚିଯାଏ ଆଉ ଗୋଟେ ଦିନ।
ମିଲି ମନରେ ଏବେ ଦୁଇଟି ଛବି। ଗୋଟେ ତା ନିଜର ଆଉ ଗୋଟେ ସେ ପରୀ କଣ୍ଢେଇର। ସେ ପୋଇଲି ପରି ଦିଶିଲା ବେଳକୁ କଣ୍ଢେଇଟା ମହାରାଣୀ ପରି ଦିଶୁଛି। ତଥାପି ତାର ସେଇ କଣ୍ଢେଇଟା ଦରକାର। ଯେତେ ଯାହା ହେଲେ ବି ଦରକାର। ସେ ପରା ତାର ଅତି ନିଜର ପରି। ଦେଖିବା ଦିନରୁ ତ ସେ ତା ମନ, ପ୍ରାଣ ଭିତରେ ପଶି ଯାଇଛି। ତାଆରି ଭାବନାରେ ତ ସଦା ବେଳେ ସେ ବାଉଳା ହେଉଛି।
- - ନଖି, ମୋ ଦେହ ଭଲ ଲାଗୁନି, ତୁ ମାଲିକ ପାଖକୁ ଯାଆ। ମୁଁ ଘରକୁ ଯାଉଛି। ମୋ ମୁଣ୍ଡ କଣ ହେଇଯାଉଛି।
- - ହଉ ଠିକ୍ ଅଛି। କିନ୍ତୁ କାଲି କୁ ଆସିବୁ କି ନାହିଁ ।
- - ଜାଣିନି, କାଲି ଆସୁ ଦେଖିବା। ମୋ ପାଇଁ ଗୋଟେ କାମ କରିବୁ ନଖି, ଆମେ ଯେତିକି ପଇସା ରଖିଛେ ସେତିକି ନେଇ ସେ ଦୋକାନୀ କୁ ଦବୁ। କହିବୁ ସେ ପରୀ କଣ୍ଢେଇ କୁ କାହାକୁ ବିକିବନି। ସେତିକି କାମ ମୋ ପାଇଁ କରି ଦେବୁ ନା?
- - ନଖି ପାଖରେ କହିବାକୁ କିଛି ନ ଥିଲା। ସେ ମୁଣ୍ଡ ହଲେଇ ହଁ କଲା।
- - ଆଲୋ ମା , ତୋ ଦେହ ଭଲ ଲାଗୁନି ନା କଣ? ଆଜି ଏତେ ବେଳୁ ଶୋଇଛୁ ଯେ। ଆସେ ଆଜି ତୋ ପାଇଁ ଚାର୍ଟ ଆଣିଛି। ଖାଇଦେ, ଭାରି ସୁଆଦ ଲାଗୁଛି।
– ନାଇଁ ବାପା, ମୋ ଦେହ ଜମା ଭଲ ଲାଗୁନି। ଆଛା କହିଲ ଦେଖି....ଦୁଇଶହ ଟଙ୍କା ବହୁତ୍ ବେଶୀ ନା କମ୍।
– ବହୁତ୍ ଅଧିକା ଲୋ ଝିଅ....କିନ୍ତୁ ତୋର କଣ ଦରକାର କହୁନୁ।
- - ଆଛା ବାପା, ତୁମ ପାଖରେ କଣ ସେତିକି ପଇସା ଅଛି?
– - ନାଇଁ ରେ ମାଆ, ତୋର ଏ ଗରୀବ ବାପ ପାଖରେ ଏତେ ଗୁଡେ ଟଙ୍କା ଆସିବ କୁଆଡୁ?
- - ତୋର କଣ ଦରକାର କହୁନୁ ମୋତେ? ମୁଁ ତୋ ପାଇଁ ଆଣି ଦେବି।
- - - ବାପା ଦଶହରା ପାଇଁ ଚାରିଆଡେ କେତେ ଗହଳି। ସବୁ ପିଲା ନୂଆ ଜାମା, ପ୍ଯାଣ୍ଟ କିଣିବାରେ ଲାଗିଛନ୍ତି। ଖେଳନା, ବାଜା, ବେଲୁନ ଆହୁରି କେତେ କଣ....ମୁଁ ଜରି ଉଠେଇ ଗଲା ବେଳକୁ ଦେଖୁଛି ସବୁଦିନ। ମୁଁ ଯାହା ମାଗିବି ମୋତେ ଦେବ ବାପା?
– - କହୁନୁ, ଯଦି ମୁଁ ତୋ ପାଇଁ ଆଣି ପାରିବି ନିହାତି ଆଣିଦେବି।
- - ବାପା, ମୁଁ ଗୋଟେ ପରୀ କଣ୍ଢେଇ ଦେଖିଛି। ଦେଖିବା ପାଇଁ ଏତେ ସୁନ୍ଦର ଯେ, ଯିଏ ବି ଦେଖିବ ତା ନଜର ହଟିବନି। ତାକୁ ଦେଖିଲେ ଲାଗିବ ସେ ସାଙ୍ଗେସାଙ୍ଗେ ବାହାରକୁ ଆସି ତୁମ ସହ ଖେଳିବ। ବାପା, ମୁଁ ଆଜି ଯାଏ କିଛି ଜିନିଷ ପାଇଁ ଲୋଭ କରିନି, କିନ୍ତୁ ସେ କଣ୍ଢେଇ ଟା ମୋର ଦରକାର। କୁହ ବାପା, ମୋ ପାଇଁ ତାକୁ ଆଣି ଦେବ ତୁମେ? ଅତି ଉତ୍ତେଜିତ ହୋଇ ଗୋଟେ ନିଶ୍ବାସରେ କହିଗଲା ମିଲି। କହିଲା ବେଳେ ତା ନୀରିହ ଆଖି ଯୋଡିକ ଚମକିଲା ପରି ଜଣା ପଡୁଥିଲା।
– ହଁ ଯେ..... ତା ଦର କେତେ , ଆଉ ମିଳୁଛି କେଉଁ ଦୋକାନ ରେ।ଛେପ ଢୋକି ପଚାରିଲା ମଦନା।
- - ବାପା ସେ ପରୀ କଣ୍ଢେଇଟା, ବଜାର ପାଖ କଣ୍ଢେଇ ଦେକାନରେ ମିଳୁଛି। ତା ଦର ହେଲା ଦୁଇଶହ ଟଙ୍କା।
- - କଣ ହେଲା..........ଏତେ ଟଙ୍କା ସେ କଣ୍ଢେଇ ଟା। ଦାମ୍ ଶୁଣି ମଥା ଘୁରେଇ ଦେଲା ମୋର। ଆରେ ସେତିକି ପଇସା ରେ ପରା ଆମେ ମାସେ କାଳ ଆରାମରେ ଦୁଇ ଓଳି ଭଲରେ ଖାଇ ପିଇ ରହି ପାରିବା। ସେଇ ପଇସାରେ ଆମ ଭଙ୍ଗାଚାଳ ଟା ମରାମତି ହୋଇଯିବ। ତୋ ପାଇଁ ଭଲରେ ଜାମା ଖଣ୍ଡେ କିଣି ପାରୁନି, ଏତେ ପଇସାଦେଇ କଣ୍ଢେଇଟେ କେମିତି ଆଣିବି ଲୋ ମାଆ।
ମଦନା ର କଣ୍ଠଟା ଟିକେ ଗମ୍ଭୀର ହୋଇ ଆସିଥିଲା। ସେତିକି ବାରି ସାରିଥିଲା ମିଲି। କିନ୍ତୁ ସେ କଣ କରିବ?କେମିତି ବୁଝେଇବ ବାପକୁ ତା ଜୀବନରେ ପରୀର ଗୁରୁତ୍ବ କଣ ବୋଲି। ସେ ବି ବୁଝି ପାରୁଥିଲା ତା ବାପର ଦୟନୀୟ ଅବସ୍ଥା। ସେ ଭଲରେ ଜାଣିଛି ଯେ ସେତିକି ପଇସା ଯୋଗାଡ କରି ପରୀ କୁ ଆଣିବା ଅସମ୍ଭବ ପ୍ରାୟ। କିନ୍ତୁ ମନର ଘୋଡାକୁ କିଏ ବା ବାନ୍ଧି ପାରିଛି ଯେ ସେ ପାରିବ।
– – କିରେ ମାଆ କାନ୍ଦୁଛୁ କଣ ପାଇଁ। ସେ ପରୀ କୁ ଭୂଲି ଯା। ଆମ ପରି ଗରୀବ ଲୋକେ ସେମିତି ସ୍ବପ୍ନ ଦେଖିଲେ କେବଳ କାନ୍ଦିବା ଟା ହିଁ ସାର। ଭୁଲିଯା ତାକୁ.... ଟିକେ ଚଢା ଗଳାରେ କହିଲା ମଦନା।
ଚୁପଚାପ୍ ହୋଇ କଡ ମାଡି ଶୋଇ ପଡିଲା ମିଲି। ମନରେ ତାର ଝଡ ଉଠୁଛି, ଆଉ କେବଳ ସେ ହିଁ ଅନୁଭବ କରିପାରୁଛିି ସେ ଝଡର ତୀବ୍ରତା। ଆଖି ଆଗରେ ତାର ନାଚୁଛି କେବଳ ପରୀ ର ହସହସ ମୁହଁ ଆଉ ସେ ଚକମକିଆ ଆଖି ଦୁଇଟି। କୁନି ପିଲା ଟା ଜୀବନରେ ସେଇ ଗୋଟିଏ ଜିନିଷ ପାଇଁ ଜିଦି ଧରିଥିଲା, ମାତ୍ର କିଏ ପୂରଣ କରିପାରିବ ସେ ଜିଦି କୁ..... କେହି ବି ତ ନାହିଁ। ତା ବାପ ରିକ୍ସା ଚଲାଏ, ଦୁଇଶହ ଟଙ୍କା ଆଣିବ କୁଆଡୁ? ମୁଣ୍ଡରେ କିଛି ପଶୁ ନଥିଲା ତାର। ସେଦିନ ବହୁତ୍ ମନେ ପଡିଲା ତା ମାଆର କଥା। ମାଆର ଭଲପାଇବା କଣ ସେ ଜାଣି ପାରିଲାନି। ତା ମୁହଁଟା କେମିତି ମନେ ପକେଇଲେ ବି ମନେ ପଡୁନି। ତାକୁ ଜନମ କରିବାର ବର୍ଷେ ପରେ ତ ନିଆଶ୍ରୀ କରିଚାଲିଗଲା ଆରପାରିକୁ। ଯଦି ସେ ଆଜି ଥାଆନ୍ତା ତେବେ କଣ ତା ଲୁହ ଦେଖି ପାରି ଥାଆନ୍ତା? ନଖି କୁହେ ତା ମାଆ ତାର ସବୁ କଥା ଶୁଣେ। ଯାହା ଅଳି କରେ ମାଆ ସବୁ ଯୋଗେଇ ଦିଏ। ଯଦି ମାଆ ତାର ବଞ୍ଚିଥାଆନ୍ତା କଉ ବାବୁ ଘରେ କାମ ପାଇଟି କରି ପଇସାଟିକେ ଯୋଗାଡ କରିଥାଆନ୍ତା ନିହାତି। ପରୀ ପାଇଁ ତାକୁ ଏତେ ହୀନିମାନିଆ ହେବାକୁ ପଡନ୍ତାନି। ହଠାତ୍ ତାକୁ ଦିଶିଲା ତା ଆଖି ସାମନା ରୁ କିଏ ଜଣେ ପରୀ କୁ ଛଡେଇ ନେଉଛି ତା ପାଖରୁ।
---- ପରୀ, ମୋତେ ଛାଡି ଯାଆନି ଲୋ.... ମୁଁ କେମିିତି ରହିବି ତୋ ବିନା।.. ବାପା ତୁମେ କିଛି କରି ମୋ ପାଇଁ ପରୀ କୁ ଆଣି ପାରିବନି?
କିଛି ଉତ୍ତର ନ ପାଇ ମିଲି ମୁଣ୍ଡ ବୁଲେଇ ଦେଖିଲା ତା ବାପା ଶୋଇ ଘୁଙ୍ଗୁଡି ମାରୁଛି।
ତାର ଏମିତି ଅବସ୍ଥାରେ କେହି ବି ସାନ୍ବନା ଦେବାକୁ ନ ଥିଲେ। ମାଆ ଥିଲେ ତା କୋଳରେ ମୁଣ୍ଡ ରଖି କେତେ କାନ୍ଦିଥାଆନ୍ତା ସେ। କିନ୍ତୁ...... କି ଫଟା କପାଳ ତାର। ନା ତାକୁ ବୋକ ଦେବାକୁ ମାଆ ଅଛି, ନା ସେ ବୋକ ଦେବାକୁ ପରୀ ଅଛି।
– ମିଲି....ଏ ମିଲି...ଆଲୋ ଏତେ ବେଳ ହେଲାଣି କଣ ହେଁସ ଛାଡିନୁ। ଦେହ ଅକସ ଲାଗୁଛି କି? ହଉ ଶୁଣ୍, ଆଜି ବାହାରକୁ ଯାଆନି। ତୋ ପାଇଁ ପଖାଳ ଟିକେ ଆଉ ଆଳୁ ତୁଣ ଟିକେ କରିଦେଇଛି। ତାକୁ ଖାଇ ଘରେ ଶୋଇଥିବୁ। ମୁଁ ଆଜି ସହଳ ଚାଲିଆସିବି। ନଖି ମାଆ କୁ କହିଦେଇ ଯାଉଛି, ସେ ତୋ ଉପରେ ନିଘା ରଖିଥିବ। ଦେହ ବେଶୀ ଖରାପ ଲାଗିଲେ ନଖି ମାଆ ପାଖକୁ ଚାଲିଯିବୁ....... ଆଲୋ ଶୁଣୁଛୁ କି ନାହିଁ ମ----
ମିଲି ନିରୁତ୍ତର, ଅଭିମାନର ପଥର ସବୁ ତା ତଣ୍ଟି ପାଖରେ ଲଦି ହୋଇ ତା କଣ୍ଠ କୁ ବନ୍ଦ କରିଦେଇଛି। ରାତି ସାରା କାନ୍ଦିକାନ୍ଦି ଆଖିରେ ଲେଞ୍ଜରା ଭର୍ତ୍ତି। ତକିଆ ଟା ଲୁହରେ ଭିଜି ଯାଇଛି। ସେସବୁ କାଳେ ବାପା ଜାଣିଯିବ ଭାବି ଶେଯରେ ପଡି ରହି ବଡ କଷ୍ଟରେ କହିଲା--
--- ହୁଁଃ.....କିନ୍ତୁ ବାପା ତୁମେ ମୋ ପାଇଁ ପରୀ କୁ ଆଣି ଦେବ କି ନାହିଁ?
ତରତରରେ ବାହାରି ଯାଉଥିବା ମଦନା ଟିକେ ଚିଡିଲା ପରି କହିଲା -
– କଉ ପରୀ ମ, ସେମାନେ ତ ସ୍ବର୍ଗରେ ଥାଆନ୍ତି...ତାଙ୍କୁ ଆଣିବା କଣ ଖେଳଘର କଥା ନା କଣ? ବେକାର ଟାରେ କାଲି ଠୁ ଗଜର ଗଜର ହଉଛୁ । କିଛି କଣ୍ଢେଇ ଆଣି ହବନି... ମୁଁ ଯାଏ ତେଣେ ମୋର ଡେରି ହେଲାଣି।
– – ଆଛା …......ହଉ ଠିକ୍ ଅଛି। ମୁହଁ ତଳକୁ ପୋତି କହିଲା ମିଲି।
ଘରୁ ବାହାରକୁ ଆସି ଦୀର୍ଘ ନିଶ୍ବାସ ପକେଇଲା ମଦନା। ସେ ଜାଣିଛି ମିଲିର କଣ ଦରକାର ଓ କଣ ପାଇଁ ତା ଦେହ ଖରାପ। କିନ୍ତୁ ସେ କଣ କରିବ? ଦିନ ସାରା ଖଟିଲେ ବି ଦୁଇ ଓଳି ଭଲରେ ଖାଇବା ମିଳୁନି। ଏମିତି ଅବସ୍ଥାରେ ମିଲି ପାଇଁ ଏତେ ଦାମିକା କଣ୍ଢେଇଟେ ଆଣିବା ନିହାତି ଅସମ୍ଭବ ବ୍ଯାପାର। ସେ ଭାବିଥିଲା ମିଲି ଟା ପିଲା ଲୋକ। ନିଜେ ବୁଝିଯିବ। ତେଣୁ ତାକୁ ଆଉ ବୋଧ କରିବାକୁ ଉଚିତ୍ ମନେ କଲାନି।
ଷ୍ଟେସନ୍ ପାଖରେ ରିକ୍ସା ଧରି ଗ୍ରାହକ ପାଇଁ ଅପେକ୍ଷା କଲା ବେଳକୁ ଦେଖିଲା ନଖି ତା ଆଡକୁ ଦଉଡି ଆସୁଛି।
– ମଦନା କାକା, ଜଲଦି ଚାଲ-- ତେଣେ ମିଲି ରାସ୍ତା ଉପରେ ଚେତା ହରେଇ ପଡିଛି। ମୁଣ୍ଡରୁ ରକ୍ତ ବାହାରୁଛି।
– -ଆରେ କଣ ହେଲା ମୋ ଝିଅର। ସେ ରାସ୍ତାକୁ କେମିତି ଗଲା। ତା ଦେହ ଭଲ ନାହିଁ ବୋଲି ତ ଘରେ ଶୋଇଥିଲା।
– - ହବ ଆଉ କଣ?ଆମ ମିଲି ପରା ସେ ପରୀ କଣ୍ଢେଇ ପଛରେ ବାୟାଣୀ ହୋଇ, ଯାଇଥିଲା ସେଇ ଦୋକାନ କୁ। ତା ଦିହରେ ତ ବଳ ନାହିଁ, ମୁଣ୍ଡ ବୁଲେଇ ପଡିଲା ସେଇ ନୂଆ ଖୋଳା ହେଇଥିବା ନାଳ ଭିତରେ । କେହି ବି ଆସିଲେନି ଉଠେଇବାକୁ। ମୁଁ ସେଇ ପାଖରେ ଥିଲି, ଟାଣି କାଢିଲା ବେଳକୁ ଦେଖିଲି ମୁଣ୍ଡରୁ ରକ୍ତ ବାହାରୁଛି। ତୁମେ ଜଲଦି ଚାଲ.....
ଖଟ ଉପରେ ଶୋଇଛି ମିଲି। ମୁଣ୍ଡରେ ପଟି ଓ ଶେଯ ପାଖରେ ଓୌଷଧ ଶିଶି । ମୁଣ୍ଡରେ ପଟି ଭିଡିଲା ବେଳକୁ ଡାକ୍ତର କହିଲେ ପିଲା ଦେହରେ ଜ୍ବର ଅଛି। ରକ୍ତ ପରୀକ୍ଷା କଲେ ଜଣାପଡିବ କଣ ହୋଇଛି। କିନ୍ତୁ ପରୀକ୍ଷାରୁ କିଛି ବାହାରିଲାନି। ସେ କହିଲେ କିଛି ଗୋଟେ ଚିନ୍ତାରେ ପିଲାଟାକୁ ଜ୍ବର ହୋଇଛି। ପଚାରିଲେ ମଦନା କୁ
-- ତୁମ ଝିଅ କଣ ପାଠକୁ ଡରୁଛି ନା କଣ?ସେଥି ପାଇଁ ବି ହୋଇପାରେ।
କିଛି ନ କହି ମୁଣ୍ଡ ଆଉଁସିଲା ସେ, କେମିତି କହିବ ଯେ ମିଲି କେବେ ସ୍କୁଲ୍ ର ଦାଣ୍ଡ ଦୁଆର ବି ମାଡିନି ବୋଲି। ତା ହେତୁ ଆସିବା ଦିନରୁ କାନ୍ଧରେ ଅଖା ବୋହି ବାପର ଘର ଚଳେଇବା ବୋଝକୁ ଦୁଇ ଭାଗ କରିଚାଲିଛି।
ମିଲିର ମୁଣ୍ଡକୁ ଧିରେ ଧିରେ ସାଉଁଳୁଥିଲା ବେଳେ ଶୁଣିଲା--
- – ପରୀ ଲୋ.... ତୋତେ କଣ ମୁଁ ସତରେ ପାଇପାରିବିନି। ତୋତେ କେତେ ଝୁରି ହଉଛି, ତୁ କଣ କିଛି ଜାଣି ପାରୁନୁ ? କେତେ ସଜବାଜ ହେଇ ବସିଛୁ ଦୋକାନ ଭିତରେ ଆଉ ମୁଁ ତୋ ପାଇଁ ଏଠି ବାଇଆ ହଉଛି। ଥରେ ମୋ ପାଖକୁ ଚାଲି ଆସେ ଲୋ ଧନ..... ତୋତେ ଦେଖିଲେ ମୋର ସବୁ ଦୁଃଖ ଦୂର ହୋଇଯିବ.......
- - ସେ କଣ୍ଢେଇଟା ମିଲି କୁ ଏମିତିି ଭାବରେ କବଳିତ କରିବ, ସ୍ବପ୍ନରେ ସୁଦ୍ଧା ଭାବି ନ ଥିଲା ମଦନା। ସେ ଜାଣି ସାରିଥିଲା ତା ଝିଅର ଜୀବନଟା ଏବେ ଗୋଟେ ଚକାଭଉଁରୀ ଭିତରେ ଫଶି ଯାଇଛି। ତାକୁ ଯଦି କିଏ ଉଦ୍ଧାର କରି ପାରିବ, ସେ ହେଲା କେବଳ ସେ କଣ୍ଢେଇ ଟା। କିନ୍ତୁ ଏତେ ପଇସା ଆଣିବ କୁଆଡୁ? ଭାବିଲା ତା ରିକ୍ସା ଟା ବିକିଦେବେ ନ ହେଲେ ବନ୍ଧା ପକେଇ ଟଙ୍କା ଆଣିବ। ପୁଣି ଭାବିଲା ସେ ରିକ୍ସା ଟି ହିଁ ତାର ଭାତହାଣ୍ଡି। ତାକୁ ଛାଡିଦେଲେ ତ ଦୁଇ ଜଣ ଯାକ ଭୋକ ଉପାସରେ ମରିଯିବେ। କିନ୍ତୁ ମିଲି କୁ ଦେଖିଲେ ଛାତି ଭିତରଟା କୋରି ହେଲା ପରି ଲାଗୁଛି। ଗୋଲାପ ଫୁଲ ପରି ଝିଅଟି ତାର ସାଙ୍କୁଡି ମାଙ୍କୁଡି ହୋଇ ପଡିଛି। ପିଲାବେଳର ସେ ଗୁଲୁଗୁଲିଆ ଚେହେରା ଆଉ ନାହିଁ। ଏବେ ତ ଖାଲି ହାଡ ଉପରେ ଚମଡା ଟିକେ ଘୋଡେଇ ଅଛି ଯାହା। ମିଲି ଦେହ ରେ ହାତ ମାରି ଦେଖିଲା
… ଦେହରେ ଖଇଫୁଟା ତାତି। ଡାକ୍ତର ତ ପଥି ଦେଲେ କିନ୍ତୁ ପିଲାଟାର ତାତି ନ କମି ବେଳକୁ ବେଳ ବଢୁଛି। ନିଦରେ ଖାଲି ବାଉଳି ଚାଉଳି ହେଇ ପରୀ ଲୋ... ପରୀ ଲୋ... ଡାକଛାଡୁଛି।
ତା ଗଣ୍ଠିଧନର ଏମିତି ଅବସ୍ଥାରେ ସେ କରିବ କଣ? ତା ଭାଗ୍ଯଟା ହିଁ ଏମିତି। ପୁଣି ଭାବିଲା – ଆଜି ଯାଏ ମିଲି କିଛି ବି ଜିନିଷ ପାଇଁ କେବେ ଅଳି କରିନି। ସେ ଯାହା ବି ଦେଇଛି କୌଣସି ଥିରେ ତାର ଆପତ୍ତି ନାହିଁ। କେତେ ପୂଜା,ପାର୍ବଣ ଯାଇଛି ତାର ହିସାବ ନାହିଁ। କିନ୍ତୁ କେବେ ଦିନେ ବି ପିଲା ଟା ଅଝଟ କରିନି ନୂଆ ଜାମାପଟା ପାଇଁ। ଯଦି ତାର ମାଆ ବଞ୍ଚିଥାଆନ୍ତା ତେବେ କଣ ପିଲାଟା ଏମିତି ହିନୀମାନିଆ ହେଇ ବଢିଥାଆନ୍ତା?
ମିଲି କୁ ବର୍ଷେ ହେଲା ବେଳକୁ ରୋଗରେ ପଡି ଆରପାରି କୁ ଚାଲିଗଲା କମଳା। ଆଜି କାହିଁକି କେଜାଣି କମଳାର ଅନୁପସ୍ଥିତିରେ ଘାଇଲା ହୋଇଯାଉଥିଲା ସେ। ଗୋଟେ ଟିଣ ବାକ୍ସରେ ସାଇତା ହୋଇ ରହିଛି କମଳାର ଅସ୍ତିତ୍ବର ସନ୍ତକ ମାନ। ବାକ୍ସ ଖୋଲି ଦେଖିଲା ଦୁଇ ତିନିଟି ଶାଢୀ, କିଛି କାଚ ଚୁଡି ଓ ହଳେ ରୂପା ପାଉଁଜି। ବହୁତ୍ କଷ୍ଟରେ ପଇସା ସଞ୍ଚି ମଦନା ଉପହାର ଦେଇଥିଲା ସେ ହଳକ ପାଉଁଜି।
କାନେ କାନେ କହିଯାଇଛି କମଳା-
– ମୋ ଝିଅ କୁ ବିଦା କଲା ବେଳେ ଏଇହଳକ ମୋ ଝିଅ କୁ ଦେବ। ତାକୁ ନାଇ ମୋ ଝିଅ ରୁଣୁଝୁଣୁ କରି ଚାଲିବ।ମୋ ନିଶ୍ବାସ ବେଳ କୁ ବେଳ ସରି ଆସୁଛି। ମୋ ଝିଅଟିକୁ ଭଲରେ ରଖିବ। ତା ଆଖିରେ କେବେ ଲୁହ ଦେବନି। ମୁଁ ସେପାରି ରୁ ଦେଖୁଥିବି ସବୁ।
ମଦନା ର ହାତ ଧରିଥିବା ଅବସ୍ଥାରେ କମଳା ଆରପାରି କୁ ଚାଲିଗଲା। କମଳା ଯିବା ପରେ, ତାକୁ ହି ନିଭାଇବାକୁ ପଡିଛି ଉଭୟ ବାପା ଓ ମାଆର ଦାୟୀତ୍ବ। କିନ୍ତୁ ଆଜି ଯାଏ ସେ କେବେ ଭାବିନି କେତେ ଦୂର ସଫଳ ହୋଇଛି।
ମିଲି ଆଡକୁ ଦେଖିଲା.... ମନେ ମନେ ହସୁଛି ସେ... ନିହାତି ପରୀ କଣ୍ଢେଇ ସ୍ବପ୍ନରେ ମସଗୁଲ୍ ଥିବ। କିନ୍ତୁ ସେ କଣ୍ଢେଇ ଟି ନ ପାଇ ଯଦି ତାର କିଛି ହୋଇଯାଏ ତେବେ? କାହାକୁ ଧରି ବଞ୍ଚିବ ସେ...କଣ ଜବାବ୍ ଦେବ କମଳାକୁ.. ତଳେ ଲଥ୍ ହୋଇ ବସି ପଡିଲା। ସାନ ପିଲାଟାକୁ ଗାଳି ଦେଇ ବଡ ପାପଟେ କଲା ପରି ଲାଗିଲା ତାକୁ।
ବାକ୍ସ ଭିତରୁ ସେ ପାଉଁଜି ହଳକ ଧରି ଝରକା ବାହାରକୁ ଦେଖିଲା। ସିନ୍ଦୁରା ଫାଟିଲାଣି, ଆଜି ପରା ମାଆ ଦୁର୍ଗତିନାଶିନୀଙ୍କ ପୂଜା। ଦୁଇ ହାତ ଯୋଡି ପ୍ରାର୍ଥନା କରି କହିଲା--
– ମାଆ ଲୋ....... ମୋ ମିଲି କୁ ରକ୍ଷାକର। ତା ଦାୟୀତ୍ବ ତୋତେ ଲାଗିଲା।
ମିଲି ଶୋଇଛି ନିଘୋଡ ନିଦରେ। ତା ପାଖରେ ଗୋଡ ହାତ ଲମ୍ବେଇ ଟିକେ ଗଡି ପଡିଲା। ଦେହରେ ହାତ ମାରି ଦେଖିଲା ଭୀଷଣ ତାତି। ଚିରା ଚଦରଟି ମିଲି ଦେହରେ ଘୋଡେଇ ଦେଲା।
--- ବାପା.... ଏ ବାପା ….ମୋ ପରୀ କୁ ଆଣିଲ କୁ ନାହିଁ... ସେ ଖାଲି ମୋ ପାଖକୁ ଆସିବ ବୋଲି ବିକଳ ହେଉଛି। ତାକୁ ସେ ଦୋକାନ ରେ ରହିବାକୁ ଜମା ଭଲ ଲାଗୁନି... ତାକୁ ମୋ ପାଖକୁ ଆଣିଦିଅ ବାପା....ମୁଁ ଆଉ କେବେ କିଛି ମାଗିବିନି, ଏଇଥରଟା ମୋ କଥା ଶୁଣ......
ମଦନା ହଠାତ୍ ଦଉଡିବାକୁ ଆରମ୍ଭ କଲା । ହାତରେ ଥାଏ କମଳାର ପାଉଁଜି ହଳକ। ଦୋକାନ ଭିତରେ ଝଡପରି ପଶି ସେ କଣ୍ଢେଇଟା କୁ ଉଠାଇଲା।
--- ହେଃ ହେଃ ରଖ୍ ତାକୁ। ତୁ ଜାଣିଛୁ ତା ଦାମ୍ କେତେ? ଚୋର ଟା ନା କଣ....ସିଧା ଦୋକାନ ଭିତରୁ ଜିନିଷ ଉଠଉଛୁ.. କିଛି କମ୍ ସାହାସ ନାହିଁ ତ ତୋର?
କିଛି ବି କହିଲାନି ମଦନା ପ୍ରତ୍ଯୁତ୍ତରରେ। ସେ ପାଉଁଜି ହଳକ ଦୋକାନୀ ହାତରେ ଧରେଇ କହିଲା--
--ଭାଇ ଏତିକି ଅଛି ମୋ ପାଖରେ। କଣ୍ଢେଇଟା ନ ନେଲେ ମୋ ଝିଅର ଜୀବ ଚାଲିଯିବ। ଦୟା କର ଟିକେ ମୋତେ।
ଦୋକାନୀଟା କଣ ଭାବିଲା କେଜାଣି ମଦନା କୁ କିଛି ନ କହି ପାଉଁଜି ହଳକ ଡ୍ରୟରରେ ପୁରେଇଲା।
ଭିଡ ଆଡେଇ ଘର ଭିତରେ ପଶି ମଦନା ଦେଖିଲା ମିଲି ଜାକିଜୁକି ହୋଇ ପଡିଛି। ଦେହ ରେ ପ୍ରାଣ ଅଛି କି ନା ଜାଣିବା କଷ୍ଟ। ମସିଣା ପାଖରେ ବସି ତା ମୁଣ୍ଡରେ ହାତ ଥୋଇଲା।
– ମାଆ ମିଲି ….. ଆଖି ଖୋଲି ଦେଖିଲୁ କିଏ ଆସିଛି। କିନ୍ତୁ ମିଲିର ଶରୀର ପୂର୍ବବତ୍ ନିଶ୍ଚଳ। ଟିକେ ହଲେଇ ଦେଲା ମିଲିକୁ... ମାଆ ଲୋ ଥରେ ଦେଖ୍ .. ମୁଁ ପରା ତୋ ପରୀ କୁ ମୋ ସାଙ୍ଗରେ ଘେନି ଆସିଛି।
ସେଇ “ପରୀ” ଶବ୍ଦରେ କି କୁହୁକ ଥିଲା କେଜାଣି ମିଲି କଷ୍ଟରେ ଆଖି ଖୋଲି ଦେଖିଲା। ମୁଣ୍ଡ ହଲେଇ ମଦନା କୁ ଡାକିଲା ପାଖକୁ। ତାର ଥରଥର ହାତରେ ପରୀକୁ ନେଇ ଛାତିରେ ଜାକି ଧରି ଭୋ ଭୋ ହୋଇ କାନ୍ଦି ଉଠିଲା। କେତେ ଗେଲ କରି ପକେଇଲା ତା ମୁହଁ, ଆଖି ଓ ବେକରେ। ପାଖରେ ଜମିଥିବା ଲୋକ ମାନଙ୍କର ଆଖି ତଳ ଓଦା ହେଇସାରିଥିଲା ସେତେ ବେଳକୁ।
ମଦନା ଦେଖୁଥିଲା ମିଲିର ପରମତୃପ୍ତ ଚେହେରା। ଶେତା ପଡି ଆସୁଥିବା ଆଖି ଦୁଇଟିରେ ଖୁସିର ଝଲକ ଖେଳି ଆସୁଥିଲା ଧିରେଧିରେ।
କାନ ପାଖରେ ଧିର ସ୍ବରରେ କହିଲା ମଦନା
– ମାଆଲୋ , ତୋ ମାଆ ଆଣିଦେଇଛି ଏ ପରୀ କୁ ତୋ ପାଇଁ।
********* ସମାପ୍ତ**********
Tuesday, September 26, 2017
Monday, September 11, 2017
ଆତ୍ମାର ପ୍ରତିଶୋଧ
ଆତ୍ମାର ପ୍ରତିଶୋଧ
ଅରବିନ୍ଦ ରଥ
ରେଳ ଧାରଣା ଉପରେ ନିଜକୁ ଆବିଷ୍କାର କଲା ଜଗା। ମୁଣ୍ଡରୁ ଝରି ଆସୁଥିବା ରକ୍ତ ଆଖି ପାଖରେ ଜମାଟ ବାନ୍ଧି ଦେଇଛି। ଠିକ୍ ରେ ଆଖି ଖୋଲିହେଉନି। କିନ୍ତୁ ସେ ଏଠିକୁ ଆସିଲା କେମିତି। ହାତ ଗୋଡ ହଲେଇବାକୁ ଚେଷ୍ଟା କଲା, ମାତ୍ର ଏ କଣ? ତା ହାତ ଗୋଡ ନିସ୍ତେଜ ହୋଇଯାଇଛି। ହଲିବାର ବି ଜୁ ନାହିଁ। ଅଳ୍ପ ଦୂରରେ ରେଳ ଷ୍ଟେସନ। ରେଳଗାଡି ଇଞ୍ଜିନର କର୍କଶ ଶବ୍ଦ ସ୍ପଷ୍ଟ ଶୁଭୁଛି। ସେ ଏତିକି ତ ଜାଣି ସାରିଥିଲା, ଯଦି କିଛି ସମୟ ଭିତରେ ଉଦ୍ଧାର ନ ପାଏ ତେବେ ତାର ବିଶାଳ ବପୁବନ୍ତ ଶରୀର ଟା ପରିବର୍ତ୍ତିତ ହେବ ଏକ ମାଂସ ପିଣ୍ଡୁଳାରେ। ଗଁ ଗଁ ଶବ୍ଦ କରି ଚିତ୍କାର କରିବାକୁ ଲାଗିଲା। କିନ୍ତୁ ସେ ପାଟି ବି କରିପାରୁନି। ସେ ଦେଖିଲା ରେଳ ଧାରଣାରୁ ଅଳ୍ପ ଦୂରରେ ଛିଡା ହୋଇଛି ଏକ ଛାୟାମୂର୍ତ୍ତି। ଦେଖିଲେ ଲାଗୁଛି ବାର ତେର ବର୍ଷର ଝିଅ । ସେ ଝିଅଟି ତା ଆଡକୁ ଏକ ଲୟରେ ଚାହିଁଛି। ଆଖିରେ ପ୍ରତିଶୋଧର ବହ୍ନି। ମୁଣ୍ଡ ଗୋଳମାଳ ହୋଇଯାଉଥିଲା ତାର। ସ୍ବପ୍ନ ଦେଖୁଛି ନା ବାସ୍ତବରେ ସବୁ ଘଟି ଯାଉଛି ଜାଣି ନ ପାରି କେବଳ ଭାଗ୍ଯ କୁ ନିନ୍ଦିବାରେ ଲାଗିଲା। ସେତିକି ବେଳେ ସେ ଅନୁଭବ କଲା ରେଳ ଧାରଣାରେ କମ୍ପନ। ତେବେ କଣ ଷ୍ଟେସନରୁ ଟ୍ରେନ ଛାଡିଲା? ତା ପାଖରେ ପହଞ୍ଚିବାକୁ ଅତିି ବେଶିରେ ଦଶ ମିନିଟ ଲାଗିବ, ଆଉ ତା ଜୀବନ ଟା ଶେଷ ହୋଇଯିବ? ସେତିକିବେଳେ ସେ ଝିଅଟି ତା ଆଡକୁ ଚାହିଁ ହସିବା ଆରମ୍ଭ କଲା। xxxxxxxx
ଜଗା କୁ ସେ ସହରରେ କିଏ ବା ନ ଜାଣେ। ଛଅଫୁଟ୍ ପାଖାପାଖି ଉଚ୍ଚତା, ବେଶ୍ ହୃଷ୍ଟପୃଷ୍ଟ ଚେହେରା। ମୋଟା ନିଶ ସାଙ୍ଗକୁ ପଠାଣ ଭଙ୍ଗୀର ଦାଢିରେ ମୁହଁ ଆହୁରି ରୁକ୍ଷ ଦିଶୁଥିଲା। ଚବିଶ୍ ଘଣ୍ଟା ମଦ ନିଶାରେ ଚୁର ଥିବା ଜଗାର ନାଲିଆ ଆଖିରେ କୃରତା ଫୁଟି ଉଠୁଥିଲା। ବେକରେ ବାଘନଖୀ ଲକେଟ୍ ସାଙ୍ଗକୁ ହାତରେ ପିତ୍ତଳ କଡା ତା ଚରିତ୍ରକୁ ଆହୁରି ଭୟାନକ କରିଦେଉଥିଲା। ଚଉଡା ଛାତିରେ କେତେଟା ବଡ କଟା ଦାଗ ତା ବ୍ଯକ୍ତିତ୍ବକୁ କରି ଦେଉଥିଲା ଅଧିକ ରହସ୍ଯମୟ।
ଜଗତ ଯାକର ଯେତକ ଦୁଇ ନମ୍ବରି କାମ, ସବୁଥିରେ ବେଶ୍ ନାମ କମେଇ ସାରିଥିଲା ଖୁବ କମ ଦିନ ଭିତରେ। ହତ୍ଯା, ଚୋରି, ରାହାଜାନୀ ଓ ଡକାୟତି କରି ସେ କେତେଥର ଯେ ଜେଲ ଯାଇଛି ତାର ହିସାବ ନାହିଁ, ତଥାପି ବାଟକୁ ଆସିନି । ମଣିଷ ମାରିବା ଟା ତା ପାଇଁ ନିହାତି ସାଧାରଣ କଥା। କିଛି ଦିନ ତଳେ ଜଣେ ଲୋକ ପାଖରୁ ଟଙ୍କାଭର୍ତ୍ତି ବ୍ଯାଗ ଟାଣିବା ବେଳକୁ ସେ ପ୍ରତିରୋଧ କଲା ବୋଲି ବିଚ୍ ରାସ୍ତାରେ ଗଳାକାଟି ଦେଲା। କେବଳ ସେତିକି ନୁହଁ, ଅଳ୍ପଦିନ ତଳେ ଅବସର ଗ୍ରହଣ କରିଥିବା ସରକାରୀ କର୍ମଚାରୀ ମହାନ୍ତି ବାବୁଙ୍କ ଘରୁ ସେଦିନ ରାତି ରେ ଚୋରୀ କରିବା ପାଇଁ ପଶିଥିଲା ଜଗା। ପାଖାପାଖି ଚାରିଲକ୍ଷ ଟଙ୍କା ପାଇଥିଲେ ମହାନ୍ତିବାବୁ ସରକାର ଠାରୁ ଅବସର ଗ୍ରହଣ କରିବା ପରେ। ମୁଣ୍ଡ ଉପରେ ଝିଅ ବାହାଘର ବୋଲି ଟଙ୍କା ଘର ଆଲମାରୀରେ ଥିଲା। ସେତକ ଜବରଦସ୍ତି ନେଲା ବେଳକୁ ବୁଢାବୁଢୀ କେତେ ନେହୁରା ହେଲେ। ଟଙ୍କା ନ ଦେଲେ ଝିଅ ବାହାଘର ହୋଇପାରିବନି। ତାଙ୍କ ମାନ ଇଜ୍ଜତ ସବୁ ଯିବ। ଟିକେ ବି ଦୟା ଆସିଲାନି ଜଗା ମନରେ। ବରଂ ସେମାନେ ବେଶୀ ପାଟିକଲେ ବୋଲି ଦୁଇ ଜଣ ଯାକର ବେକ କାଟିଦେଲା ଓ ଗାଧୁଆ ଘରେ ଶବ ଲୁଚାଇ ଟଙ୍କା ଧରି ଫେରାର ହୋଇଗଲା। ମାନବରୂପୀ ପିଶାଚ ପାଲଟି ସାରିଥିଲା ସେ। ସେଦିନ ପ୍ଲାଟଫର୍ମରେ ଜଣେ ମହିଳା ତାଙ୍କ ଛଅ ମାସର ଶିଶୁ କୁ ଧରି ଟ୍ରେନରେ ଚଢିବା ସମୟରେ ଜଗା ହାବୁଡରେ ପଡିଗଲେ। ତାଙ୍କ ବେକରେ ଥିଲା ଏକ ସୁନା ଚେନ ଯାହା ଛଡାଇବା ସମୟରେ ସେ ଜୋରରେ ପାଟି କଲେ। ଆଗପଛ ବିଚାର ନକରି ସେ ମାଆ ଓ ଶିଶୁକୁ ଠେଲି ଦେଲା ଟ୍ରେନ୍ ଲାଇନ କୁ ଓ ଚେନ ଧରି ଫେରାର ହୋଇଗଲା। ଘଟଣା କଣ ବୁଝିବା ବେଳକୁ ସେ ନାରୀ ଓ ପିଲାଟିର ଖଣ୍ଡବିଖଣ୍ଡିତ ଶବ ପଡିଥିଲା ରେଳଲାଇନ ରେ। ସମସ୍ତେ ଭାବିଲେ ବୋଧେ ଗୋଡ ଖସିଗଲା ସେମାନଙ୍କର। କିନ୍ତୁ କେହି ଜାଣି ପାରିଲେନି ଅସଲ ଘଟଣାଟା। ଜଗା ଭାଗ୍ଯ ଏତେ ଟାଣ ଯେ ସବୁ ମାମଲାରୁ ଖଲାସ ହୋଇଛି। ଟଙ୍କାର ଲୋଭରେ ସେ ଏମିତି ମତୁଆଲା ହୋଇଯାଇଥିଲା ଯେ ଭଲମନ୍ଦ ବିଚାର କରିବାର ଶକ୍ତି ହରେଇ ସାରିଥିଲା। ତାକୁ ଆକଟ କରିବ କିଏ? ଜଗା ସଦାବେଳେ କହିବୁଲେ ଯେ ତା ପାଟି ଅପେକ୍ଷା ଭୁଜାଲି ବେଶି କଥା କୁହେ। କଥା ଟା ବି ମିଛ ନୁହଁ, ନିହାତି ଛୋଟ କଥାରେ ବି ଭୀଷଣ ରାଗିଯାଏ ସେ ଓ କିଛି ନା କିଛି କରି ବସେ।
ଲୋକମାନେ କୁହନ୍ତି ଜଗା ଆଗରୁ ଏମିତି ନ ଥିଲା। ସେ ବି ଅନ୍ଯ ମାନଙ୍କ ପରି ବିତାଉଥିଲା ସାଧାରଣ ଜୀବନ। ବାହା ହୋଇ ଘରସଂସାର କରିଥିଲା। ତାର ଗୋଟେ ସାନ ଝିଅ ବି ଥିଲା। ମାତ୍ର ଏ ସହର କୁ ଆସିବା ପରେ ତା ସ୍ତ୍ରୀ ଆଉ ଜଣେ ଲୋକ ସହ ଫେରାର ହୋଇଗଲା ଓ ଯିବା ପୂର୍ବରୁ ତା କୁନି ଝିଅଟିକୁ ବିଷ ଦେଇ ମାରିଦେଲା। ସେଦିନ ଠାରୁ ଜଗା ପାଲଟି ଯାଇଥିଲା ନରପିଶାଚ। ଖୋଜି ବୁଲିଲା ତା ସ୍ତ୍ରୀ ଓ ତା ପ୍ରେମୀକୁ ଓ ନିର୍ମମ ଭାବରେ ହତ୍ଯା କରି ପ୍ରତିଶୋଧ ନେଲା। ତା ପର ଠାରୁ ତା ଚରିତ୍ରରେ ହେଲା ଅଭୂତପୂର୍ବ ପରିବର୍ତ୍ତନ। ରକ୍ତହୋଲିର ରଙ୍ଗରେ ଏମିତି ରଙ୍ଗେଇ ହୋଇ ସାରିଥିଲା ଯେ ତା ଭିତରର ଭଲ ମଣିଷଟା ବି ସଦା ବେଳେ ଚାହିଁଲା ରକ୍ତର ଭୋଗ। ସହରକୁ ନୂଆ ଆସିଥିବା ଇଞ୍ଜିନିୟର ଦମ୍ପତିଙ୍କୁ ହତ୍ଯା କରି ସବୁକିଛି ଲୁଟି ନେଲା ପରେ, ଆତ୍ମ ଗୋପନ କରିବାକୁ ମୁମ୍ବାଇ ପଳାଇଥିଲା କିଛି ଦିନ।
ସେ ମୁମ୍ବାଇ ସହରରୁ ଫେରିଲା ପରେ ବେଶି ଉତ୍ପାତ ହେବାକୁ ଆରମ୍ଭ କରିଛି। ଶୁଣିବା କଥା ସେ ଏବେ ଝିଅ ଚାଲାଣରେ ମାତିଛି। ରାସ୍ତାଘାଟରୁ ଝିଅ ମାନଙ୍କୁ ହରଣଚାଳ କରି ବିକ୍ରି କରୁଛି ଦଲାଲ ମାନଙ୍କୁ । ବେଶ୍ ମୋଟା ରକମର ପଇସା ବି ମିଳୁଛି ଓ ପୋଲିସ ହାତରେ ଧରା ପଡିବାର ଭୟ ବି କମ।
ସେଦିନ....
– ଆରେ ମାମା, ତୁମ ମମି ମୋତେ ପଠେଇଛନ୍ତି ତୁମକୁ ଘରକୁ ନେବା ପାଇଁ। ତୁମକୁ ଦେବା ପାଇଁ ଚକୋଲେଟ୍ ଟେ ବି ଦେଇଛନ୍ତି। କହିଛନ୍ତି ଝିଅକୁ ଜଲଦି ଘରକୁ ଆଣିବ, କିଛି ଜରୁରୀ କାମ ଅଛି।
--- କିନ୍ତୁ ଅଙ୍କଲ୍ ତୁମେ କିଏ, ମୁଁ ତ ତୁମକୁ ଜାଣିନି। କାଇଁ ମମି ମୋତେ କିଛି କହିନି। କିଛି ସମୟ ଭାବିଲା ଝିଅ ଟି। ହଠାତ୍ ହସିହସି କହିଲା ଯେ, ଆରେ ହଁ ଆଜି ମୋ ଜନ୍ମଦିନ ଅଛି ,ସେଥିପାଇଁ ବୋଧେ ମମି ଡାକିଥିବେ । ଆଜି ତ ମୋ ପାଇଁ ଗୋଟେ ବଡ କେକ୍ ର ଅର୍ଡର ଦିଆ ଯାଇଛି। ସଂନ୍ଧ୍ଯା ବେଳେ ମୋ ସାଙ୍ଗ ମାନେ ବି ଆସିବେ। ଘରେ ପାର୍ଟି ହେବ।
କହିଲା ବେଳକୁ ଝିଅଟିର ଆଖିରେ ଦିଶୁଥିଲା ଖୁସିର ଝଲକ। ସେ ଉତ୍ସାହିତ ଜଣା ପଡୁଥିଲା।
--- ତୁମେ ଟିକେ ଅପେକ୍ଷା କର ଅଙ୍କଲ, ମୁଁ ସାଙ୍ଗେସାଙ୍ଗେ ବ୍ଯାଗ ଧରି ଆସୁଛି।
ଜଗା ମୁହଁରେ ପିଶାଚର ହସ। ତା ପାଇଁ ଆଉ ଗୋଟେ ଶିକାର ତୟାର । ସ୍କୁଲ ଠାରୁ ଅଳ୍ପ ଦୂରରେ ଭ୍ଯାନ୍ ଟି ଠିଆ କରିଛି। ସେଇଥିରେ ନେଇଯିବ ଝିଅ ଟିକୁ। ଦଲାଲ ହାତରେ ଟେକି ଦେଇ ନିଜ ପ୍ରାପ୍ଯ ପାଇଗଲା ପରେ କାମ ତମାମ।
– ଚାଲ ଯିବା ଅଙ୍କଲ। ମୁଁ ଆସିଗଲି, ଜଲଦି ଚାଲ। ଆଜି ମୁଁ କେତେ ମଜା କରିବି। ତୁମେ ବି ମୋ ଜନ୍ମଦିନ କୁ ଆସିବ ଅଙ୍କଲ। ବହୁତ୍ ମଜା ହେବ। କେମିତି କେଜାଣି ବହୁତ କମ ସମୟ ଭିତରେ ଝିଅଟି ଜଗାକୁ ବିଶ୍ବାସ କରିଯାଇଥିଲା। ବୋଧହୁଏ ଜନ୍ମଦିନ ପାଳିବାର ଖୁସି ରେ ସେ ଭୁଲି ଯାଇଥିଲା ସବୁ।
– ସେଇଠି ଗାଡି ଅଛି। ତୁମେ ସେଠିକୁ ଚାଲ । ଆଜି ତୁମ ଜନ୍ମଦିନ ନା। ଆଉ ଗୋଟେ ଚକୋଲେଟ୍ ମୋ ତରଫରୁ ନିଅ। ଭାରି ସ୍ପେଶାଲ ଚକୋଲେଟ୍। ଥରେ ଖାଇଲେ ପାଟିରୁ ଛାଡିବନି।
ଝିଅଟି ଚକୋଲେଟ୍ ନେଇ ଖାଇବାରେ ଲାଗିଲା।
– ମୋ ମୁଣ୍ଡଟା କେମିତି କେମିତି ଲାଗୁଛି ଅଙ୍କଲ୍। ଚାରିଆଡ ଘୁରିବା ପରି ଦିଶୁଛି। ମୋତେ ଜଲଦି ଘରକୁ ନେଇ ଚାଲ।
--- ବ୍ଯସ୍ତ ହୁଅନି ଯମା। ତୁମେ ସ୍କୁଲରୁ ପାଠ ପଢି ଆସିଲ ବୋଲି ସେମିତି ଲାଗୁଛି। ଆରାମରେ ଆଖି ବନ୍ଦ କରି ଟିକେ ଶୋଇପଡ। ଆମେ ପନ୍ଦର ମିନିଟ୍ ରେ ଘରେ ପହଞ୍ଚିଯିବା।
ଜଗା ଏମିତିି ହିଁ ଚାଲାଣ କରେ ଝିଅ ମାନଙ୍କୁ। ସେମାନଙ୍କୁ ବେହୋସ୍ କରି ଗାଡିରେ ଶୁଏଇ ଦେଇ ଅତି ଆରାମରେ ପହଞ୍ଚାଇ ଦିଏ ଦଲାଲ ପାଖରେ। କେହି ସନ୍ଦେହ କରିବାର ପ୍ରଶ୍ନ ବି ଉଠୁନି। ଯଦି କେତେ ବେଳେ କିଏ ପଚାରିଦିଏ, ଅତି ସହଜ ଭାବରେ ଉତ୍ତର ଦିଏ ଯେ ତା ଝିଅର ଦେହ ଖରାପ। ଡାକ୍ତରଖାନା କୁ ନେଇ ଯାଉଛି।
ଗାଡିର ପଛ ସିଟ୍ ରେ ଶୋଇ ରହିଛି ଝିଅଟି। ଗାଡି ଯାଇ ପହଞ୍ଚିଲା ଦଲାଲ ଘର ପାଖରେ।
--- ଆରେ ଜଗା ଏ କଣ? ଏତେ ସାନ ପିଲା ଟାକୁ ଟେକି ଆଣିଛ ଯେ। ୟାକୁ ନେଇ ମୁଁ କାହାକୁ ବିକିବି। ଏତେ ଦିନ କାମ କଲଣି , ତା ପରେ ବି ଏମିତି ଭୁଲ କରୁଛ। ଯଥା ଶିଘ୍ର ନେଇ ତାକୁ ଛାଡିଦିଅ ଯେଉଁଠୁ ଆଣିଥିଲ। କିଛି କାମରେ ଆସିବନି ସେ।
--- କିନ୍ତୁ.....
– ଦେଖ ଜଗା, ଯୁକ୍ତି କରି ଲାଭ ନାହିଁ। ଯାହା କହିିଲି ସେଇଆ କର। ଏବେ ତୁମେ ଆସିପାର।
ବିରକ୍ତିରେ ଚିହିଁକି ଉଠିଲା ଜଗା। ବେକାର ଟାରେ ଆଜି ତା ଦିନ ଟା ବରବାଦ ହୋଇଗଲା। ଝିଅଟାକୁ ଏବେ ଛାଡିବ କେମିତି। ସେ ତ ଜଗାର ମୁହଁ ଦେଖି ଦେଇଛି। ଯଦି କାହା ଆଗରେ କହି ଦେବ ତେବେ କଥା ସରଯିବ। ଆଉ କିଛି ସମୟ ଭିତରେ ତାର ହୋସ୍ ଆସିଯିବ। ତା ପରେ କଣ କରିବ ସେ।
--- ଅଙ୍କଲ୍....ଅଙ୍କଲ୍ ମୋତେ ଏମିତି ବାନ୍ଧିଦେଇଛ କଣ ପାଇଁ? ମୁଁ କଣ ଦୋଷ କଲି ତୁମର। ଆଜି ମୋ ଜନ୍ମଦିନ। ଦୟାକର ମୋ ଉପରେ, ମୋତେ ମୋ ମମି ବାବାଙ୍କ ପାଖକୁ ନେଇଚାଲ ପ୍ଲିଜ୍। ଆଜି ଆମ ଘରେ ପାର୍ଟି ଅଛି। ମୋ ସାଙ୍ଗମାନେ ଆସିବେ। ମୁଁ ଘରେ ନ ପହଞ୍ଚିଲେ ମମି ବାବା କେତେ କାନ୍ଦିବେ। ତୁମେ ମୋତେ ମିଛ କଥା କହି ତୁମ ସାଙ୍ଗରେ ଆଣିଲ ଭାରି। ତୁମକୁ ଭଗବାନ ଦଣ୍ଡଦେବେ।
ଅନବରତ କହି ଚାଲିଥିଲା ସେ ସାନ ଝିଅଟି। କିନ୍ତୁ ଜଗା ଥିଲା ପୁରୁଣା ଦାଗୀ। ତା ଉପରେ ଏସବୁ କଥାର କିଛି ପ୍ରଭାବ ପଡୁ ନ ଥିଲା। କିନ୍ତୁ ଝିଅ ଟି ବେଳ କୁ ବେଳ ବେଶି କାନ୍ଦିବାରେ ଲାଗିଲା ଓ ଛାଟିପିଟି ହେଲା। ମମି ବାବା ମୋତେ ବଞ୍ଚାଅ ବୋଲି ରାହା ଧରି କାନ୍ଦିଲା।
--- ଜମା ବେଶି ପାଟି କରନା। ନୋହିଲେ ତୋତେ ମାରିଦେବି।
କିନ୍ତୁ ସାନ ପିଲା ଟା କଣ ବା ବୁଝିବ।ସେ ସେମିତି ରାହା ଧରିକାନ୍ଦିବାରେ ଲାଗିଲା। ଜଗା ମନରେ ଭୟ ପଶିଗଲା। ଯଦି ବାଟରେ ପୋଲିସ ହାବୁଡରେ ପଡିଯିବ ସବୁ କଥା ସରିଯିବ। ବାକିତକ ଜୀବନ ଜେଲରେ ସଢିବାକୁ ପଡିବ। ତାକୁ କିଛି ଗୋଟେ କରି ଝିଅଟିର ପାଟି ବନ୍ଦ କରିବାକୁ ହେବ। ତାକୁ ଘରେ ନେଇ ଛାଡିବା, ବାଘ ମୁହଁରେ ହାତ ପୁରେଇବା ସହ ସମାନ। ତେଣୁ ଶେଷ କରିଦେବା ଟା ହିଁ ବୁଦ୍ଧିମାନର କାମ ହେବ। ଆଗରେ ଦେଖିଲା ରେଳ ଫାଟକ ପଡିଛି। ଗାଡି ମାନଙ୍କର ଲମ୍ବା ଲାଇନ ଲାଗିଛି। ଟିକେ ଦୂରରେ ଠିଆ ହେଲା। ଫାଟକ ଖୋଲି ସବୁ ଗାଡି ଯାଇ ସାରିଲା ପରେ ଆଗକୁ ବଢିଲା, କିନ୍ତୁ ତା ଗାଡି ରେଳ ଧାରଣାର ପାଖରେ ଥିବା ସରୁ ରାସ୍ତାରେ ଆଗେଇବାରେ ଲାଗିଲା।
--- ମୋତେ କୁଆଡେ ନେଇ ଯାଉଛ। ପ୍ଲିଜ୍ ମୋତେ ଛାଡି ଦିଅ। ତୁମକୁ ଭଗବାନଙ୍କ ରାଣ। ମୁଁ କାହାକୁ କିଛି କହିବିନି। ଦୟାକର ମୋ ଉପରେ। ମୋତେ ଛାଡିଦିଅ। ନେହୁରା ହୋଇ କାନ୍ଦୁଛି ଝିଅଟି।
ଜଗା ଥରେ ପଛକୁ ଚାହିଁ ନେଲା। ତା ପଛରେ କେହି ଆସୁ ନାହାଁନ୍ତି ତ? ଝିଅର ମୁହଁଟି କାନ୍ଦିକାନ୍ଦି ଫୁଲି ଯାଇଛି। ହାତଗୋଡ ଛାଟିବା ଫଳରେ ଦଉଡି ବନ୍ଧାଯାଗା ଠାଏ ଠାଏ କଟି ଯାଇଛି। ସ୍କୁଲ ଡ୍ରେସ୍ ଟା ବି ଲୋଚାକୋଚା ହୋଇ ଯାଇଛି। ଜଗା ଭଲ କି ନିରେଖି ଦେଖିଲା ସେ ଝିଅର ଦୁଇ ଆଖିକୁ। ସତରେ ନୀରିହ ପିଲା ଟାକୁ ଆଣିଲା ଭାରି। ତା ଅଜାଣତରେ ମନ ଭିତରେ ଆସିଗଲା ତାର କୁନି ଝିଅର କଥା। ଯଦିି ତା ଝିଅ ବଞ୍ଚିଥାନ୍ତା ଏତିକି ବଡ ହୋଇଥାନ୍ତା। ତା ଝିଅ ପାଖରେ ଥିଲେ ସେ କଣ ଏମିତି ପାପ ରାସ୍ତାରେ ଚାଲୁଥାନ୍ତା? ନିଜ ଭାବନା କୁ ସଞ୍ଜତ କରିନେଲା ଜଗା। ସେ ଭଲରେ ଜାଣିଥିଲା ଭଲପାଇବା ଏମିତି ଗୋଟେ ଅସ୍ତ୍ର ଯାହା ତା ଭିତରର ପଶୁକୁ କାବୁ କରିଦେଇପାରେ। କିନ୍ତୁ ସେ ଜମା ବି ଚାହିଁ ନଥିଲା ସେମିତି କିଛ ହେଉ ବୋଲି। ରେଳ ଧାରଣା ପାଖରେ ଗାଡି ରଖିଲା। ଝିଅଟିକୁ ସେଇ ଅବସ୍ଥାରେ ଟେକି ଆଣିଲା।
--- କଣ କରିବ ମୋତେ କୁହ? ମୋତେ କଣ ତୁମେ ମାରି ଦେବ ନା କଣ? ମୋତେ ଛାଡି ଦିଅ, ମୁଁ କାହାକୁ କିଛି କହିବିନି। ଆଜି ମୋ ଜନ୍ମ ଦିନ ଅଛି। ପ୍ଲିଜ...... ଭଗବାନ ରକ୍ଷା କର ମୋତେ। ମୋତେ ମାରିଦେଲେ ମୋ ମମି ବାବା କାନ୍ଦିକାନ୍ଦି ମରିଯିବେ। ସେମାନେ ମୋତେ ବହୁତ ଭଲ ପାଆନ୍ତି। ପାଗଳ ହୋଇଯିବେ ସେମାନେ। ତୁମେ ବହୁତ୍ ଖରାପଲୋକ। ଗୋଟେ ଥର ମୋତେ ଛାଡି ଦିଅ, ମୁଁ ମୋ ଘରକୁ ଯିବି। ବାବା ମମି ବହୁତ୍ ମନେ ପଡୁଛନ୍ତି। କଣ ମୁଁ ଆଉ ତାଙ୍କୁ ଜମା ବି ଦେଖି ପାରିବିନି?
ଝିଅଟି ଅତି ବିକଳ ହୋଇ କାନ୍ଦୁଥାଏ। କିନ୍ତୁ ଜଗା ସେତେ ବେଳକୁ ପିଶାଚ ପାଲଟି ଯାଇଥାଏ। ତା କାନରେ କିଛି ପଡୁ ନ ଥାଏ। ଝିଅଟିର ବିକଳ କାନ୍ଦ ଶୁଣି ସେ ଦୟା ଦେଖେଇବ କଣ, ହସିବାରେ ଲାଗିଲା ।
– ଶୁଣ୍ ଝିଅ। ସବୁ ସେଇ ଭାଗ୍ଯର ଖେଳ । ତୋ ଭାଗ୍ଯରେ ଲେଖାଥିଲା ଯେ ଜନ୍ମଦିନରେ ତୁ ମରିବୁ। କିଏ କଣ ବା କରିପାରିବ। ଏବେ ତୋ ପାଇଁ ଭଗବାନ ବି ମୁଁ , ଆଉ ଯମ ବି ମୁଁ। ଯେତେ କାନ୍ଦିଲେ ବିି ଜଗା ତୋତେ ଛାଡିବନି। ତୋତେ ମରିବାକୁ ହେବ।
କଣ ହେଲା କେଜାଣି ଝିଅ ଟି ଚୁପ୍ ହୋଇଗଲା। ବୋଧେ ସେ ଜାଣି ସାରିଥିଲା ତା ଜୀବନ ଖୁବ କମ ସମୟରେ ଶେଷ ହେବାକୁ ଯାଇଛି। ଜଗା କାନ ରେ ଖାଲି ଏତିକି ପଡିଲା
--- ମୁଁ ଫେରିବି, ନିହାତି ଫେରିବି। ତୁମେ ମାନେ ମନ ଦୁଃଖ କରିବନି ବାବା ମମି,ମୁଁ ପୁଣି ଆସିବି।
ଜଗା କୁ ସାଧାରଣ ଲାଗିଲା ଝିଅଟିର କଥା। ମରଣ କୁ ଏତେ ପାଖରେ ଦେଖିଲେ ମଣିଷ ଏମିତି ବାଚାଳ ପରି ହେବା ସ୍ବାଭାବିକ।
ଡେରି ନ କରି ଝିଅଟିକୁ ନେଇ ଶୁଆଇଦେଲା ରେଳ ଧାରଣା ଉପରେ।
--- ବୋଧେ ଏକ୍ସପ୍ରେସ୍ ଟ୍ରେନ୍ ଆସୁଛି। ଝିଅଟିର କାମ ଖୁବ କମ୍ ସମୟ ଭିତରେ ସରିଯିବ। ବେଶି କଷ୍ଟ ପାଇବନି। ଗୋଟେ ସେକେଣ୍ଡରେ ଶରୀରଟା ଖିନ୍ ଭିନ ହୋଇ ଯିବ। ଆଜି ଦିନ ଟା ଖରାପ ରେ ଗଲା। ଏ କାମ ସାରି ଘରକୁ ଯାଇ ଭଲରେ ଗାଧେଇ ଶୋଇ ପଡିଲେ ଟିକେ ଭଲ ଲାଗିବ। ମନେମନେ ଗୁଣୁଗୁଣୁ ହୋଇ କହିଲା ଜଗା।
--- ଅଙ୍କଲ୍ ଟିକେ ଦୟାକର ମୋ ଉପରେ। ମୁଁ ତୁମର କିଛିି କ୍ଷତି କରିନି, କାହାର ବି କ୍ଷତି କରିନି। କଣ ପାଇଁ ମୋତେ ଏମିତି କରୁଛ। ମୁଁ ଯଦି ତୁମ ଝିଅ ହୋଇଥାଆନ୍ତି ତେବେ କଣ ମୋତେ ଏମିତି କରିଥାଆନ୍ତ? କାହାକୁ କିଛି ବି କହିବିନି ତୁମ ବିଷୟରେ। ମୋତେ ଛାଡି ଦିଅନା ପ୍ଲିଜ୍ …..। ମୋତେ ଭୀଷଣ ଡର ଲାଗୁଛି ଅଙ୍କଲ। ମୋତେ ଟିକେ ଧରିଦିଅ। ମୋ ଉପରେ କଣ ଟ୍ରେନ୍ ଚଢିଯିବ? ମୋତେ କଣ ଏମିତି ମାରିଦେବ ତୁମେ?
ଝିଅଟି ଅନବରତ ପାଟି କରିଚାଲିଥିଲା। କିନ୍ତୁ ଜଗା.....ପ୍ରତିକ୍ରିୟା ବିହୀନ ହୋଇ ଏକ ଲୟରେ ଚାହିଁଥିଲା ସେ ଝିଅକୁ ।
– ତୁ ଯେତେ ପାଟିକଲେ ବି କିଛି ହେବନି। ଚୁପ୍ ଚାପ ଆଖି ବନ୍ଦ କରି ଶୋଇପଡ। କିଛି ସମୟପରେ ତୁ ମୁକ୍ତି ପାଇଯିବୁ।
ଟ୍ରେନ୍ ଯାଇ ସାରିଲାଣି। ରେଳ ଧାରଣାସାରା ପଡିରହିଛି ମାଂସଖଣ୍ଡ ଓ ରକ୍ତ। ଜଗା ମୁହଁରେ ହାତ ମାରିଲା। ମୁହଁରେ ତାର ପଡିଛି ରକ୍ତର ଛିଟା ଓ ଦେହରେ ମାଂସର ସାନ ଟୁକୁରା ସବୁ। ତାକୁ ଭୀଷଣ ବାନ୍ତି ଲାଗିଲା। ସେ ଜାଗାରେ ଆଉ ରହିବା ସମ୍ଭବ ନୁହଁ। ଗାଡି ଷ୍ଟାର୍ଟ କରି ଏକ ମୁହାଁ ହୋଇ ଘରକୁ ଫେରି ଆସିଲା। ଆଇନା ଆଗରେ ଦେଖିନେଲା ନିଜ ମୁହଁକୁ। ଇସ୍ କି ବିଭତ୍ସ ଦିଶୁଛି। ସାବୁନ ଘଷି ମୁହଁ ରୁ ରକ୍ତ ଦାଗ ସଫା କଲା। ତାକୁ ପ୍ରଥମ ଥର ପାଇଁ ଲାଗିଲା ଯେତେ ଧୋଇଲେ ବି ସେ ରକ୍ତ ଦାଗ ମୁହଁରୁ ଛାଡୁନି। ବୋଧେ ରକ୍ତଛିଟା ତା ଶରୀରକୁ ଭେଦ କରି ଆତ୍ମା ଉପରେ ପଡି ସାରିଥିଲା। ଭଲରେ ସଫା କଲା ପରେ ବି ତାକୁ ଲାଗୁଥିଲା ଗାଲ ଉପରେ ଆସ୍ତରଣ ଜମାଇ ସାରିଛି ସେ ଝିଅର ରକ୍ତ।
ସକାଳେ ଖବର କାଗଜରେ ଆଖି ବୁଲେଇଲା ବେଳକୁ ଦେଖିଲା ବଡ ଅକ୍ଷରରେ ଲେଖା ଯାଇଛି
“ରେଳ ଧାରଣା ରୁ ବାର ବର୍ଷ ଝିଅର ଖଣ୍ଡବିଖଣ୍ଡିତ ଶବ ଉଦ୍ଧାର, ହତ୍ଯା ନା ଆତ୍ମହତ୍ଯା” ।
ମନେମନେ ହସିଲା ଜଗା। ସେ ଭଲରେ ଜାଣିଛି ଯେ, ଏମିତି ଘଟଣା ରେ ପ୍ରମାଣ ଯୋଗାଡ କରିବା ଏତେ ସହଜ ନୁହଁ। ତାପରେ ସେ ଝିଅଟି ଟ୍ରେନ୍ ରେ କଟିବା ପରେ ଏକ ମାଂସ ବୁଜୁଳାରେ ପରିବର୍ତ୍ତିତ ହୋଇ ଯାଇଥିଲା। ତେଣୁ ପ୍ରମାଣ ପାଇବାର ସବୁ ବାଟ ବନ୍ଦ କହିଲେ ଭୁଲ ହେବନି। ଯାହା ହେଉ ତା ବୁଦ୍ଧି ବଳରେ ଗୋଟେ ବିରାଟ ବିପଦରୁ ଉଦ୍ଧାର ପାଇଗଲା।
ଏମିତି କିଛି ଦିନ ବିତି ଗଲା। ଦିନେ ରାତିରେ ଜଗା ଖଟ ଉପରେ ଗଡପଡ ହେଉଥିଲା। ଭୋଲଟେଜ୍ କମ ଥିବା କାରଣରୁ ଫ୍ଯାନ ବି ଠିକରେ ବୁଲୁନି। ଗରମରେ ଜୀବନ ଛାଡି ଯାଉଛି। ରାତି ପାଖାପାଖି ଗୋଟାଏ ହେବ। କାହାର ଚାପା ହସରେ ତା କାନ ରେ ବାଜିଲା। ତାକୁ ସ୍ପଷ୍ଟ ଶୁଭିଲା କିଏ ଜଣେ ହସୁଛି। କିନ୍ତୁ ସେ ରହୁଥିବା ଘରେ ତ ଆଉ କେହି ନାହାଁନ୍ତି। ହସୁଛି କିଏ? କେବଳ ହସୁନି, ତାକୁ ଲାଗିଲା ତରତର ହୋଇ ଘର ଭିତରେ କିଏ ଜଣେ ଚାଲୁଛି।
– କିଏ ସେ। ଆରେ କିଏ ହସୁଛ କହୁନ କଣ ପାଇଁ?
ଅଚାନକ ଘରଟା ଥଣ୍ଡା ଲାଗିଲା। ସତେ ଯେମିତି ଥଣ୍ଡା ପବନ ବୋହିବା ଆରମ୍ଭ ହେଲା।
--- କିଏ ସେଠି ଛିଡା ହୋଇଛି? ଘରକୁ ପଶିଲା କେମିତି।
ରାଗରେ ଜର୍ଜରିତ ହୋଇ ଖଟ ଉପରୁ ଉଠିବାକୁ ଚେଷ୍ଟା କଲା ଜଗା। କିନ୍ତୁ ତା ହାତ ଗୋଡ ହଲୁନି। ଯେତେ ପାଟି କଲେ ବି ପାଟିରୁ କଥା ବାହାରୁନି । ଖଟ ପାଖକୁ ଲାଗି ଛିଡା ହୋଇଛି ଏକ ଛାୟାମୂର୍ତ୍ତି, ମୁହଁ ଦିଶୁନି, କେବଳ ଦିଶୁଛି ଧଳା ଡ୍ରେସ୍। ସେ ଡ୍ରେସ୍ ଟା ରକ୍ତରେ ଭିଜି ଯାଇଛି। କେମିତି ଏକ ପଚା ଗନ୍ଧ ଘର ସାରା ବିଛାଇ ହୋଇ ପଡିଛି। ସେ ମୂର୍ତ୍ତି ଦୁଇ ହାତ କୁ ବଢାଇବାକୁ ଲାଗିଲା। ହାତଟି ଜାଗାଜାଗାରୁ କଟି ଯାଇଛି। ଥପ୍ ଥପ୍ ରକ୍ତ ପଡୁଛି। ହାତ ଦୁଇଟି ଲମ୍ବି ଆସିଲା ଜଗାର ବେକ ପାଖକୁ । କେବଳ ଗଁ ଗଁ ହେବା ଛଡା କିଛି ପାରୁ ନଥିଲା ସେ।
ରୋଷେଇ ଘରେ ଝଣ୍ ଝଣ୍ ହୋଇ ସବୁ ଯାକ ବାସନ ତଳେ ପଡିଗଲା। ଚମକି ଉଠିଲା ଜଗା।
ରୋଷେଇ ଘରକୁ ଗଲା ଦେଖିବା ପାଇଁ, କଣ ପଡିଗଲା ବୋଲି। ଦେଖିଲା ସବୁ ବାସନ କୁସନ ତଳେ ଫିଙ୍ଗି ହୋଇପଡିଛି। ପାଣି ମାଠିଆ ଟା ଭାଙ୍ଗି ଘରସାରା ପାଣି। ହଠାତ୍ ଚମକି ପଡିଲା ସେ। ରୋଷେଇ ଘର ସାରା କାହାର ପାଦର ଚିହ୍ନ ପଡିଛି। ସେ ପାଦ ଚିହ୍ନରେ ରକ୍ତ ର ଦାଗ। ନିଜ ପାଦକୁ ଭଲରେ ନିରେଖି ଦେଖିଲା । କାଇଁ କିଛି ଖଣ୍ଡିଆ ଦାଗ ନାହିଁ ତ। ତେବେ ଏ ରକ୍ତ କାହାର ? ସେଇ ଚିହ୍ନ ପଛରେ ଯାଇ ଦେଖିଲା ତାହା ତା ଖଟ ପାଖରେ ସରି ଯାଇଛି। କଣ ଭାବିଲା କେଜାଣି, ଯାଇ ଦର୍ପଣ ଆଗରେ ଠିଆ ହୋଇ ନିଜ ବେକ ପାଖକୁ ଭଲରେ ନିରେଖି ଦେଖିଲା। ଏ କଣ ? ବେକ ପାଖରେ କାହାର ନଖର ଚିହ୍ନ..... ଗାଲରେ ରକ୍ତର ମୋଟା ଆସ୍ତରଣ। ତା ପିନ୍ଧା ସାର୍ଟରେ ଲାଗିଛି ରକ୍ତ ଦାଗ। ଘର ଭିତର ଟା ଏବେ ବି କେମିତି ଗୋଟେ ପଚା ଗନ୍ଧରେ ଅଶ୍ବସ୍ତିକର ଲାଗୁଛି।
---ନାଃ..... ସେମିତି ହୋଇ ନ ପାରେ। ସେ ରୋଷେଇ ଘରେ ଯାହା ସବୁ ଦେଖିଲା ତାହା ସତ ବୋଲି ବିଶ୍ବାସ କରି ପାରୁ ନ ଥିଲା। ପୁଣି ଥରେ ଯାଇ ପହଞ୍ଚିଲା ରୋଷେଇଘରେ। ଆଶ୍ଚର୍ଯ୍ଯ, ସବୁ ଜିନିଷ ଯେମିତି ଥିଲା ସେମିତି ଅଛି। ମାଠିଆ ଟା ବି ଅଛି ଯଥାସ୍ଥାନରେ। ପାଦ ଚିହ୍ନ କୋଉ ଯାଗାରେ ବି ନାହିଁ। ତେବେ ସେ କଣ ପାଗଳ ହୋଇଯାଉଛି ନା କଣ? ତା ସହ ଏମିତି ସବୁ ହେଉଛି କଣ ପାଇଁ? କଣ ପାଇଁ ସେ ଦେଖୁଛି ଏମିତି ଅବାସ୍ତବ ଜିନିଷ ସବୁ।
ମୁହଁରେ ହେଉଛି ଭୀଷଣ ଯନ୍ତ୍ରଣା। ଲାଗୁଛି ଭିତରେ କିଏ ଗୋଟେ ରାମ୍ପିବିଦାରି ପକଉଛି ତା ମୁହଁ କୁ। ଜୋରରେ କୁଣ୍ଡେଇବାରେ ଲାଗିଲା ସେ ଜାଗାକୁ ଯେଉଁଠି ପଡିଥିଲା ମରି ଯାଇଥିବା ଝିଅର ରକ୍ତ ଛିଟା । ଯାହା କଲେ ବି କଷ୍ଟ କମୁନି। ବାରମ୍ବାର କୁଣ୍ଡେଇ ସେ ଜାଗାଟାକୁ ରକ୍ତାକ୍ତ କରିସାରିଲାଣି ଜଗା।
ଲଥ୍ କରି ଖଟ ଉପରେ ବସି ପଡିଲା ସେ। ସ୍ବପ୍ନ ଓ ବାସ୍ତବତାର ମଝି ଦରିଆରେ ନିଜକୁ ପାଇ ବଡ ଅସହାୟ ମନେ କରିବାକୁ ଲାଗିଲା। କଣ ସବୁ ଚାଲିଛି, କଣ ପାଇଁ ଏମିତି ହେଉଛି। ଭଲରେ କାନେଇବାରୁ ଶୁଣି ପାରିଲା ଗୋଟେ ସାନ ଝିଅର ସ୍ବର, ଯିଏ ହାପି ବାର୍ଥ ଡେ ଗୀତ ଗାଉଛି ଧିର ସ୍ବରରେ। ଏଥର ସବୁ ଶକ୍ତି ଖଟେଇ ଚିତ୍କାର କରି ପଚାରିଲା ଜଗା –
--- ଆରେ କିଏ ସେ । ତାମସା ଚଲେଇଛ ଏଠି ନା କଣ? କିଏ ଅଛି ଏ ଘରେ।
–---- ହିଃ ହିଃ ହିଃ ହିଃ......ମୁଁ ପରା ମା..................ମା …...... .........ମାମା ହାଃ ହାଃ ମା...........ମା........ମାମା
ପୁଣି କହାର ସକେଇ ସକେଇ କାନ୍ଦିବାର ସ୍ବର।
ମୁଣ୍ଡରେ କିଛି ପଶୁ ନ ଥିଲା ଜଗାର। କଣ ସବୁ ଘଟି ଯାଉଛି ଏତେ କମ ସମୟ ଭିତରେ। ଖଟ ଉପରେ ପୁଣି ଚିତ୍ ହୋଇ ପଡିଗଲା । ଆଖିରେ ନିଦର ଚିହ୍ନବର୍ଣ୍ଣ ନାହିଁ। ଶୋଷରେ ତଣ୍ଟି ଶୁଖି ଯାଉଛି। ରୋଷେଇ ଘରକୁ ଯାଇ ପାଣି ଆଣିବାର ସାହାସ ନାହିଁ। କାନ୍ଥ ଘଣ୍ଟାରେ ଦେଖିଲା ସମୟ ଜମା ଗୋଟାଏ। ରାତି ବହୁତ ବାକି ଅଛି। କେମିତି କଟିବ ଏ କାଳରାତ୍ରି ସେଇ କଥା ଭାବିବାରେ ଲାଗିଲା ବେଳକୁ, ପୁଣି କାହାର ଗଁ ଗଁ ଶବ୍ଦ କାନରେ ବାଜିଲା। ଘର ର ଜିନିଷ ପତ୍ର ଯେମିତି କିଏ ରାଗରେ ଫିଙ୍ଗି ଫୋପାଡି ଦେଉଛି। ସେ ଜାଣି ପାରୁଥିଲା କିଏ ଜଣେ ଘର ଭିତରେ ଏପଟ ସେପଟ ହୋଇ ଦଉଡିବାରେ ଲାଗଛି। ନାଃ ଆଉ ସମ୍ଭାଳି ହେବନି। ଗରମ ଓ ଭୟରେ ଝାଳରେ ଗାଧେଇ ସାରିଥିଲା ସେ। ତଥାପି ଚଦର କୁ ମୁହଁ ଉପରେ ଢାଙ୍କି ଲୁଚିବାକୁ ଚେଷ୍ଟା କଲା। ସବୁ କିଛି ନିସ୍ତବ୍ଧ ହୋଇଗଲା କିଛିି ସମୟ ପାଇଁ। ଆଖି ବନ୍ଦ କରି ପଡି ରହିଲା ସେ। ବାହାରେ କୁକୁର ମାନଙ୍କର ଭୁକିବା ଅସମ୍ଭବ ଭାବରେ ବଢି ଯାଇଛି। କିଛି ସମୟ ଭୁକିବା ପରେ ସେମାନେ ସ୍ବର ଲମ୍ବେଇ କାନ୍ଦିବା ଆରମ୍ଭ କଲେ। ମାଆ ବଞ୍ଚିଥିଲା ବେଳେ କହୁଥିଲା ଯଦି କୁକୁର ମାନେ ଏମିତି ରାହା ଧରି କାନ୍ଦିବେ ଜାଣିବ କୌଣସି ଅତୃପ୍ତ ଆତ୍ମା ଆଖପାଖରେ ଅଛି। ତେବେ କଣ, ଏସବୁ କାମ କୌଣସି ଅତୃ ପ୍ତ ଆତ୍ମାର?
ଚଦର ଉପରେ କାହାର ଗରମ ନିଶ୍ବାସ ଅନୁଭବ କଲା ସେ। ବେଳ କୁ ବେଳ ନିଶ୍ବାସ ଗତି ବଢିବାକୁ ଲାଗିଲା । ଚଦରକୁ ମୁହଁ ଉପରୁ ଖସାଇ ଦେଲା ପରେ ଦେଖିଲା ତା ମୁହଁ ପାଖରେ ଦୁଇଟି ଜ୍ବଳନ୍ତ ଆଖି। ସେ ମୁହଁ ରେ ରକ୍ତର ଏକ ମୋଟା ଆସ୍ତରଣ। ଚିତ୍କାର କରି ସେ ଚଦରକୁ ଢାଙ୍କିବାକୁ ଚେଷ୍ଟା କଲା। ମାତ୍ର ବିଫଳ ହେଲା। ନିଜର ସମସ୍ତ ଶକ୍ତି ଲଗାଇ ବିଛଣାରୁ ଉଠି ଡେଇଁ ପଡିଲା ତଳକୁ। ପୁଣି କିଛି କ୍ଷଣର ନୀରବତା। ଜଗା ନିଜ ହୃଦୟର ସ୍ପନ୍ଦନ ଶୁଣି ପାରୁଥିଲା। ଧମନୀରେ ରକ୍ତର ପ୍ରବାହ ଅସମ୍ଭବ ଭାବରେ ବଢି ଯାଇଥିଲା। ଅଚାନକ ଗାଲରେ ବାଜିଲା ଶକ୍ତ ଚାପୁଡା। ଲାଗିଲା ଯେମିତି କିଏ ଜଣେ ପଥରରେ ତା ଗାଲରେ ଲଗେଇଲା ସେଇ ଚାପୁଡା। କେହି ତ ନାହାଁନ୍ତି ତେବେ ଏ ସବୁ କରୁଛି କିଏ?
କିଛି ସମୟ ପରେ ପୁଣି ଶୁଭିଲା ବିକଟାଳ ଚିତ୍କାର। ହାଡ, ମାଂସ ଖଣ୍ଡଖଣ୍ଡ ହୋଇ ତା ଆଖି ଆଗରେ ବିଛେଇ ହୋଇ ପଡିଲା ଘର ସାରା। ଓଃ କି ବିବତ୍ସ ସେ ଦୃ ଶ୍ଯ। ଘୃଣାରେ ଲୋମ ଟାଙ୍କୁରି ଉଠିଲା ତାର। ମୁହଁ ବୁଲେଇଦେଲା କାନ୍ଥ ଆଡକୁ। ଆରେ ଏ କଣ......ତକିଆ ପାଖରେ ପଡିଛି ଗୋଟେ ମଣିଷ ମୁଣ୍ଡ। ମୁଣ୍ଡର ଖପୁରୀ ଜାଗା ଜାଗାରୁ ଉଡି ଯାଇଛି। ଆଖିର ଡୋଳା ବାହାରକୁ ବାହାରି ପଡଛି। ପାଟି ପାଖରୁ କଟି ଯାଇ କେବଳ ଉପର ମାଢିଟି ଅଛି । ଗାଲ ଓ କପାଳର ମାଂସ ଝୁଲି ରହିଛି। ସେ ଅନୁଭବ କଲା କିଏ ଜଣେ ତା ମୁହଁ କୁ ନେଇ ମାଡିଦେଲା ସେଇ ଖପୁରୀ ଟି ଉପରେ। ବାନ୍ତି କରି ଦେଲା ଜଗା ସେଇ ଜାଗାରେ।ବାନ୍ତି ନୁହଁ ତ ସେ କେବଳ ରକ୍ତ ବାନ୍ତି କରୁଛି। ପାଟିରୁ ଝରି ଯାଉଛି ମୁଣ୍ଡାମୁଣ୍ଡା ରକ୍ତ। ନିଜ ରକ୍ତ ଦେଖି ଚମକି ପଡିଲା। ସ୍ବପ୍ନ ଦେଖୁଛି ନା ସତ ଜାଣିବା ପାଇଁ ନିଜକୁ ଚିମୁଟିି ଦେଖିଲା। ନାଁ ସ୍ବପ୍ନ ନୁହଁ, ଯାହା ସବୁ ଘଟି ଯାଉଛି ସବୁ ସତ ଓ ସେ ନିଜେ ତାର ସାକ୍ଷୀ। ତା ମୁଣ୍ଡରେ କିଛି ଗୋଟେ ଜୋରରେ ପଡିଲା। ବୋଧ ହୁଏ ଛାତରେ ଲାଗିଥିବା ଫ୍ଯାନ୍ ଟା ଛିଡି ତା ମୁଣ୍ଡ ଉପରେ ପଡିଲା। ତାକୁ ଲାଗିଲା ସେ ଅଳ୍ପ ସମୟ ଭିତରେ ନିଜର ହୋସ ହରେଇ ଦେବ। ଗଁ ଗଁ ହୋଇ ଚେତା ବୁଡିଗଲା ।
ରେଳ ଧାରଣାରେ ପଡିରହିଥବା ସମୟରେ ତାର ମନେ ପଡିଗଲା ପୁରୁଣା କଥା। ତେବେ ଯାହା ସବୁ ଘଟିଗଲା ସେସବୁର ନାୟିକା ଥିଲା ସେଇ ଝିଅଟି, ଯାହାକୁ ସେ ଅତି ନିର୍ମମ ଭାବରେ ରେଳ ଧାରଣା ଉପରେ ପକାଇ ହତ୍ଯା କରିଥିଲା। ସେ କହିଥିଲା ଫେରିବ ବୋଲି। ତାକୁ ଲାଗିଲା ତାହାର ଆତ୍ମା ହିଁ ଫେରି ଆସିଛି ମୃତ୍ଯୁ ଲୋକରୁ, ଜଗାଠାରୁ ନିଜ ହତ୍ଯାର ପ୍ରତିଶୋଧ ନେବା ପାଇଁ। ପ୍ରଥମ ଥର ପାଇଁ ଜଗା ଅନୁତପ୍ତ ଅନୁଭବ କଲା। ନିଜ ଜନ୍ମଦିନ ପାଳିବାକୁ ବିକଳ ଥିବା ଝିଅଟିକୁ ହତ୍ଯାକରିଥିବାର ପାପ ତାକୁ ଗ୍ରାସ କରିବାକୁ ଲାଗିଲା। ଅଜାଣତରେ ଆଖିରୁ ବୋହି ଆସିଲା ଦୁଇଧାର ଲୁହ। ସେ ଛାୟାମୂର୍ତ୍ତି ଟି ବେଳ କୁ ବେଳ ନିକଟତର ହେଉଛି। କଣ ବା କରି ପାରିବ ଜଗା? କେବଳ ଅପେକ୍ଷା କରିଛି କେତେ ବେଳେ ଟ୍ରେନ ଆସିବ ଓ ତା ଶରୀର କୁ ଛିନ୍ ଭିନ୍ କରିଚାଲିଯିବ।
ସେ ଶୁଣି ପାରିଲା ଦ୍ରୁତ ଗତିରେ ରେଳ ଧାରଣା ଉପରେ ମାଡି ଆସୁଥିବା ଟ୍ରେନ୍ ର ଶବ୍ଦକୁ। କାନ ପାଖରେ ସେ ଛାୟା ମୂର୍ତ୍ତି କହିଲା--
---କହିଥିଲି ନା ଫେରି ଆସିବି। ଦେଖ୍ ଫେରି ଆସିଲି। ମା..........ମା........ମାମା। ହାଃ ହାଃ ହାଃ
କଡମଡ ଶବ୍ଦ କରି ଜଗାର ଖପୁରି ଟା ଟ୍ରେନ ଚକା ତଳେ ପେଶୀ ହୋଇଗଲା। ଟ୍ରେନ ଟି ଚାଲିଗଲା ପରେ ରେଳ ଲାଇନ୍ ରେ ବିଛାଡି ହୋଇ ପଡିଥିଲା ଜଗାର ଖଣ୍ଡବିଖଣ୍ଡିତ ଶବ ଓ ତାର ପାପର କଳା କାରନାମା ସବୁ। ସେ ଜାଗାରୁ ଧିରେ ଧିରେ ଅପସରି ଗଲା ସେ ଛାୟାମୂର୍ତ୍ତିଟି।
xxxxxx
ଜଗାର ଘର ଆଗରେ ଜନସମୁଦ୍ର। ରେଳଲାଇନରେ ପଡିଥିବା ଶବଟା କୁଖ୍ଯାତ ଅପରାଧି ଜଗାର ବୋଲି ଜଣା ପଡିବା ପରେ ଖାନତଲାସୀ ଚାଲିଛି। ଘର ଭିତରର ଅବସ୍ଥା ନ କହିବା ଭଲ। ତକିଆରେ ରକ୍ତର ଦାଗ। କାନ୍ଥସାରା ରକ୍ତାକ୍ତ ଆମ୍ପୁଡା ଦାଗ। ବୋଧ ହୁଏ ଜଗା ନିଜେ ରାମ୍ପିଛି ସେ କାନ୍ଥକୁ। ପୋଲିସ୍ ଜାଣି ସାରିଥିଲା ଯେ ଜଗା ପାଲଟି ଯାଇଥିଲା ମାନସିକ ରୋଗୀ। ଖଟ ଉପରେ ପଡିଛି ଏକ ସ୍କୁଲ ବ୍ଯାଗ୍ ଓ ସ୍କୁଲର ରିପୋର୍ଟ କାର୍ଡ। ଗୋଟେ ଫୋନ ନମ୍ବର ଉପରେ ନାଲି ରଙ୍ଗରେ ଲେଖା ଯାଇଛି “ମାମାର ଫୋନ ନମ୍ବର”। ପାଖରେ ପଡିଥିବା ମୋବାଇଲ ଜାଞ୍ଚରୁ ଜଣା ପଡୁଛି, କିଛି ଦିନ ହେବ ସେ ନମ୍ବରକୁ ଶହେରୁ ଅଧିକ ଥର କଲ୍ କରି କାଟି ଦିଆ ଯାଇଛି। ପୋଲିସ୍ ସେ ନମ୍ବରକୁ କଲ କଲା --
–-ଆରେ କିଏ ତୁମେ.... କଣ କହିବାକୁ ଚାହୁଁଛ... ସବୁ ଦିନ ଫୋନ ଲଗେଇ କାନ୍ଦୁଛ କଣ ପାଇଁ.... କଣ ହୋଇଛି ତୁମର.....କିଛି ତ କୁହ। ସେପଟରୁ ଗୋଟେ ନିଶ୍ବାସରେ କହି ଚାଲିଥିଲେ ସେ ଝିଅଟିର ବାପା।
– - ଆଜ୍ଞା ମୁଁ ପୋଲିସ ଇନ୍ସପେକ୍ଟର କହୁଛି। ଜଣେ ଦାଗୀ ଘରୁ ଆପଣଙ୍କ ଝିଅର ସ୍କୁଲ ବ୍ଯାଗ୍ ଓ ରିପୋର୍ଟ କାର୍ଡ ମିଳିଛି। ତାରି ଫୋନରୁ ହିଁ ଆପଣଙ୍କ ନମ୍ବର କୁ କରା ଯାଇଛି ଅନେକ କଲ୍ । ଯଦି ପାଖରେ ସମୟଥାଏ ଏ ଯାଗା କୁ ଆସିଲେ ଭଲ ହୁଅନ୍ତା।
---- ଓଃ, ତେବେ ସେଇ ସଇତାନ ହିଁ ମୋ ଝିଅର ହତ୍ଯାକାରୀ। ତାକୁ ଜମା ଛାଡନ୍ତୁନି ସାର୍। ତାକୁ ଫାଶୀ ଖୁଣ୍ଟରେ ଝୁଲାଇଲା ପରେ ହିଁ ମୋ ଝିଅର ଆତ୍ମା ଶାନ୍ତି ପାଇବ। ମୁଁ ସାଙ୍ଗେସାଙ୍ଗେ ସେଠାରେ ପହଞ୍ଚୁଛି।
– – ସେତିକି କଷ୍ଟ କରିବାକୁ ପଡିବନି ଆଜ୍ଞା, ଜଗା ନାମକ ସେ ଲୋକ କାଲି ରାତିରେ ହିଁ ରେଳ ଲାଇନରେ ବେକ ଦେଖେଇ ଆତ୍ମହତ୍ଯା କରିଛି।
ପାଖପଡୋଶୀ କୁହାକୁହି ହେଉଥିଲେ
--- କିଛି ଦିନ ହେଲାଣି ଜଗା ଘରୁ ଜମା ବାହାରୁ ନ ଥିଲା। କଣ କରୁଥିଲା କେଜାଣି, ସଦାବେଳେେ ମୁହଁଟାକୁ ଧରି କାନ୍ଦି କହୁଥିଲା – – ଓଃ କି କଷ୍ଟ। କଣ ହୋଇଥିଲା ତା ମୁହଁରେ କେଜାଣି। ସଦା ବେଳେ ତାକୁ ଧୋଇବାରେ ଲାଗିଥିଲା। ସେ ପାଗଳ ହୋଇଯାଇଥିଲା ପୁରା।
ଆଉ ରାତି ହେଲେ କେବଳ ଶୁଭୁଥିଲା ଜଗାର ବିକଳ ଚିତ୍କାର---
–- –-- ମୁଁ ମାରିଦେଲି......ମୋ ଝିଅ କୁ ମାରି ଦେଲି..... ମାମା … ଏ ମାମା ….ମୋ ସୁନା ଟା ପରା---- ମୁଁ ତୋତେ ମାରିଦେଲି???? କଣ ପାଇଁ ମାରିଦେଲି...... ଆସେ ତୋ ଜନ୍ମ ଦିନ ପାଳିବା....... ହାପି ବାର୍ଥ ଡେ ଟୁ ୟୁ.......ହାପି ବାର୍ଥ ଡେ ଟୁ ମା..........................ମା............ମାମା। ତୁ ଯମା ଡରନି ଲୋ ମାଆ, ମୁଁ ବି ଯିବି ତୋ ପାଖକୁ। ମୋତେ କ୍ଷମା କରି ଦେ, କ୍ଷମା କରି ଦେ ପ୍ଲିଜ୍। ଓଃ କି କଷ୍ଟ, ଓଃ ମୋ ମୁହଁ ଟା ଜଳି ଯାଉଛି। ମାମା ସେଦିନ ତୋ ରକ୍ତର ଛିଟା ମୋ ମୁହଁରେ ପଡିଲା ପରେ ଜଳି ଯାଇଛି ମୋ ମୁହଁ ଟା। ମୋତେ ରକ୍ଷାକର।
ନାଁ........ ମୁଁ ଶୋଇପାରିବିନି। ଏ ଶେଯରେ ମୋତେ ନିଦ ହେବନି। ମୁଁ ଶୋଇବି ସେଇ ଶେଯରେ ଯେଉଁଠି ମୋ ମାମା କୁ ଶୁଆଇ ଆରପାରି କୁ ପଠେଇଥିଲି।
*********ସମାପ୍ତ*********
Subscribe to:
Posts (Atom)

