Sunday, October 29, 2017

କ୍ଷୁଦ୍ରଗଳ୍ପର କିଛି ପାଖୁଡା


କ୍ଷୁଦ୍ରଗଳ୍ପର କିଛି ପାଖୁଡା

ଲେଖା- ଅରବିନ୍ଦ ରଥ

ହିଂଜଡା
ରାସ୍ତା ଉପରେ ବହୁତ୍ ଲୋକ ଜମା ହୋଇଛନ୍ତି। ଦଳେ ବଜାତ୍ ଟୋକା ଷୋହଳ ବର୍ଷର ଝିଅଟିକୁ ଟଣାଓଟରା କରୁଛନ୍ତି। କାନ୍ଦିକାନ୍ଦି ଝିଅଟିର ଅବସ୍ଥା ଖରାପ। ତା ପାଖରେ ଛିଡା ହୋଇଛି ଅଳ୍ପ ନିଶ ଗଜୁରିଥିବା କୋଡିଏ ବର୍ଷର ଭେଣ୍ଡିଆଟାଏ। ସେମାନଙ୍କ କବଳରୁ ଝିଅଟିକୁ ବଞ୍ଚେଇବ କଣ, ବଲବଲ କରି ଚାହିଁଛି। ଜମିଥିବା ଲୋକ ତାମସା ଦେଖିବାରେ ବ୍ଯସ୍ତ।
–  – ଟୋକା ସହ ମସ୍ତି ଚଲେଇଛୁ ରାସ୍ତା ଉପରେ, ଭାବିଲୁ ଆମେ ସବୁ ମରିଗଲୁ ବୋଲି ନାଁ କଣ? ଆମ ସଂସ୍କୃ ତି କୁ ମାଟି ରେ ମିଶେଇ ଦେବାକୁ ବସିଛୁ। ଏମିତି ପାନେ ଦେବୁ ଯେ ସାରା ଜୀବନ ମନେ ରଖିବୁ। ଆରେ ହେଃ.... ଧର ତାକୁ ଟେକି ନେବା ସେ ପୁରୁଣା ଗୋଦାମ ଘରକୁ। ହିସାବ କିତାବ ସେଇଠି କରିବା।
- - କିନ୍ତୁ ମୁଁ ତ କେବଳ ତା ସହ କଥା ହେଇଥିଲି। ସେ ଆମ ଘର ପାଖରେ ରୁହେ। ଏକୁଟିଆ ଯାଉଥିଲି, ମୋତେ ଦେଖି ସେ ମୋ ସହ କଥା ହେଲା। ମୋର ଦୋଷ କଣ?
 ଗଗନ ଭାଇ ମୋତେ ରକ୍ଷାକର। ମୋ ଘରେ ଟିକେ ଖବର ଦିଅ ପ୍ଲିଜ୍.... ଏତେ ଲୋକ ଅଛ, କିଏ ତ ବଞ୍ଚାଅ ମୋତେ। ଏମାନେ ମୋତେ ଟେକି ନେବେ।
ଗଗନ କିଛି ନ ଜାଣିଲା ପରି ଅଭିନୟ କରିବାରେ ବ୍ଯସ୍ତ। ତା ଆଗରେ କଣ ହେଇଛି ସେ ଯେମିତି କିଛି ଜାଣିି ପାରୁନି।
  ଜମିଥିବା ଲୋକେ ଘଟଣାଟାକୁ ମୋବାଇଲରେ ରେକର୍ଡ କରିବାରେ ବ୍ଯସ୍ତ। ଫେସବୁକ୍  ଓ ହ୍ବାଟସଆପ ପାଇଁ ଭଲ ଭିଡିଓ ଟେ ମିଳିଯିବ।
ସେତିକି ବେଳେ ଧସେଇ ପଶିଲା ଗଙ୍ଗା ମାଇଗୁଲି । ସେ ବଜାତ୍ ଟୋକା ଗୁଡାକୁ ଚାପୁଡା, ବିଧା ମାରି ଚାଲିଲା। ହିଂଜଡା ସହ କିଏ ଲାଗିବ ଭାବି ଟୋକା ଗୁଡା ଯାଗା ଛାଡି ପଳେଇଲେ। ଗଗନ ବୋଲି ପିଲାର ସାର୍ଟ କଲାର ଧରି ଟାଣି ଆଣି କହିଲା---
– - ଆରେ ହେଃ ହିରୋ, ନେ ନେ  ଏଇ ଓଢଣୀ ଟା ମୁଣ୍ଡରେ ପକେଇ ଦେ। ଚୁଡି ନେ ହାତରେ ଗଳେଇଦେ। ଆଜି ଠୁ ନିଜକୁ ପୁରୁଷ କହିବା ଛାଡି ଦେ। ଆଉ ଏଠି ଜମିଥିବା ଲୋକ ମାନେ ତୁମେ ସବୁ ବି ସେଇଆ କର। ତୁମକୁ ପୁରୁଷ ତ କହି ହେବନି, ହିଞ୍ଜଡା ବି କହିଲେ ଆମ ଜାତି ପ୍ରତି ଅପମାନ ହେବ। ନିଜ ଲିଙ୍ଗ କଣ ନିଜେ ବିଚାର କର,କହି ତାଳି ମାରି ଝିଅଟିକୁ ଉଠାଇ ଚଦର ଖଣ୍ଡେ ଘୋଡେଇ ଦେଲା ଗଙ୍ଗା।
****************
ଏସିଡ୍
– – ରୋଜି, ଦେଖିଲୁ ଏ ଡ୍ରେସ୍ ଟା କେମିତି ଲାଗୁଛି। ନୀଳ ରଙ୍ଗ ଟା ତୋ ଦେହରେ ବେଶ୍ ମାନିବ। ବେଶ୍ ଉତ୍ସାହିତ ହୋଇ କହିଲା ମିତା।
– – ତେବେ ଠିକ୍ ଅଛି, ଆମେ ଦୁଇ ଜଣ ଯାକ ନୀଳ ରଙ୍ଗର ଡ୍ରେସ୍ ନେବା। ତୋ ଦେହ ରେ କଉ କମ୍ ମାନିବ କି? ମୁହଁରେ ହସ ଫୁଟେଇ କହିଲା ରୋଜି।
 ଦୁଇ ସାଙ୍ଗ ହସିହସି ଦୋକାନରୁ ଏକା ରଙ୍ଗର ଡ୍ରେସ୍  ଧରି ବାହାରିଲେ।  ରାତି ପାହିଲେ ଗଣେଷ ପୂଜା।
– – ଦିନଟା ଫୁଲ୍ ମସ୍ତିରେ ଯିବ। କାଲି କଲେଜ୍ ରେ ପୁଷ୍ପାଞ୍ଜଳୀ ଦେଇ ସାରି ସିନେମା ଦେଖିବାକୁ ଯିବା। ତାପରେ ହୋଟେଲରେ ଖାଇ ଘରକୁ ଫେରିବା। ମୁଁ ମମି କୁ କହିଦେଇଛି। ରାକା ଭାଇ ମୋତେ ଆଗରୁ କହିଛି ସେ ଆମ ସହ ବୁଲିବ ବୋଲି। କଣ କହୁଛୁ ମିତା?
– – କିଛି ନ କହି ଚୁପ୍ ରହିଲା ସେ।ମନେ ପଡିଗଲା ରୋଜିର ଭାଇ କଥା.....
– – ଶୁଣ୍ ମିତା, ମୋ ଭଉଣୀର ସାଙ୍ଗ ବୋଲି ତୋତେ କିଛି କହୁ ନ ଥିଲି। ମାତ୍ର ତୋ ଫୁଟାଣି ବେଶୀ ବଢିଗଲାଣି। ମୋତେ ଭଲ ନ ପାଇ ସେ ବ୍ରାହ୍ମଣ ଟୋକା ସହ ବୁଲୁଛୁ? ରହ, ତୋ ହିସାବ କିତାବ ବହୁତ୍ ଜଲଦି କରିଦେବି ।
– – ରୋଜି ତୁ ଟିକେ ରୋହନ ସହ କଥା ହେଉଥା। ମୁଁ ଦୋକାନରୁ ଆଇସ୍ କ୍ରିମ ଆଣି ଆସୁଛି। ମିଶି କି ଖାଇବା ଆଉ କଲେଜ୍ ଯିବା। ମିତା ଦୋକାନ ରେ ପଶିଲା।
– – ଆରେ ବଢିଆ ତ, ତୁମ ଦୁଇ ଜଣଙ୍କୁ ଦେଖିଲେ ଦୂରରୁ ଜାଣି ବି ହେବନି। ଦୁଇ ଜଣ ଯାକର ଡ୍ରେସ୍ ତ ପୁରା ଏକା ପରି ହୋଇଛି।କହିଲା ମିତାର ପୁରୁଷ ବନ୍ଧୁ।
– – ଆରେ ଦେଖ୍ , ସେ ଦୋକାନ ଆଗରେ ଟୋକା ଟା ସହ ନୀଳ ଡ୍ରେସ୍ ପିନ୍ଧି  ଯଉ ଝିଅଟା ଗପୁଛି, ସିଧା ତା ମୁହଁରେ ଏ ବୋତଲରେ ଯେତେ ଏସିଡ୍ ଅଛି ଫିଙ୍ଗିବୁ। କାମ ସାରି ସେ ଯାଗା ରୁ ପଳେଇ ମୋତେ ଫୋନ କରି ଜଣାଇବୁ। ମୁଁ  ଏଇଠି ଅପେକ୍ଷା କରିଥିବି।
– – ବାବୁ ଏତିକି ପଇସା ରେ ଏତେ ବଡ କାମ? ଆଉ ଦୁଇ ହଜାର ଦିଅ।
ଆରେ ଦେଖ ଦେଖ ଝିଅଟା ମୁହଁରେ କଣ ଢାଳି ଦେଇ ଲୋକ ଟା ପଳେଇଲା। ଧର ତାକୁ.....।  ସବୁ ଲୋକ ଜମିଗଲେ ସେ ଜାଗାରେ। ମୁହଁରେ ହାତ ରଖି ଯନ୍ତ୍ରଣାରେ ଚିତ୍କାର କରୁଛି ରୋଜି।
ଲୋକଟା ଧରା ପଡିଯିବା ଦେଖି ରାକା ସେ ଯାଗାରୁ ଦଉଡି ପଳେଇବାକୁ ବାହାରିଲା ବେଳେ ଦେଖିଲା  ମିତା ଦୋକାନରୁ ଆଇସକ୍ରିମ୍ ଧରି ବାହାରୁଛି।
---- ରୋଜି କଣ ହେଲା ତୋର? କିଏ ତୋତେ କଣ କରିଦେଲା। ହେ ଭଗବାନ ମୁଁ ଏବେ କଣ କରିବି????ଚିତ୍କାର କରି ଉଠିଲା ମିତା।
ରାକା ମିତାକୁ ଦେଖି ଚମକି ପଡିଲା।
--- ହେ ଭଗବାନ, ତା ମାନେ ମିତା ବଦଳରେ  ମୋ ଭଉଣୀ ...................
************************

                                      ମାଲିକ

ସ୍ତ୍ରୀ ଓ ପିଲାଙ୍କୁ ଧରି ମନୋଜ ହୋଟେଲରେ ବସି ଖାଇବା ପରଶା ହେବାକୁ ଅପେକ୍ଷା କରିଛି।
--ଆରେ ମଉସା ମିନେରାଲ ପାଣି ବୋତଲଟେ ଦିଅ। ଆଉ ଡ୍ରାଏ ପାମ୍ପଡ ୩ ଟା। ଖାଇବା ଆସିବାକୁ ଆଉ କେତେ ସମୟ ଲାଗିବ?
– -  ଆଜ୍ଞା ଦଶ ମିନିଟ୍ ଭିତରେ ପହଞ୍ଚି ଯିବ। କହିଲେ ପାଖାପାଖି ଷାଠିଏ ବର୍ଷର ବ୍ଯକ୍ତି, ଯିଏ ଲୋକ ମାନଙ୍କଠୁ ଖାଇବା ଅର୍ଡର ନେଉଥିଲେ।
– – ଆରେ ତୁମେ ତ ବେଶ୍ ଭଲ ବେଶ ପୋଷାକରେ ଅଛି। କଣ ମାଲିକ ବେଶୀ ପଇସା ଦେଉଛି ନା କଣ? ଦୋକାନ ରେ ତ ଲୋକ  ଫୁଲ୍ , ଭଲ ବେପାର ହେଉଛି ବୋଧେ।
ସ୍ମିତ ହାସ୍ଯ ଦେଲା ଲୋକଟି  …......ସବୁ ସେଇ ଭଗବାନ ଙ୍କ ଇଛା।
ସିଧା ତୁମେ ରୁ ତୁ କୁ ଓହ୍ଲେଇ ଆସିଲା ମନୋଜ।
– ଆରେ ଦେଖ୍ କୁଆଡେ ଗଲା ଖାଇବା। ମୋର  ସିଆଡେ ଆହୁରି କାମ ଅଛି ଯେ।
ଆଛା ଗୋଟେ କଥା କହିଲୁ
– –  ଏଇ ଢାବାର ନାମ ହେଲା “ଦୟା”। କିଛି ଦୂରରେ ଅଛି ଗୋଟେ ପଞ୍ଚ ତାରକା ହୋଟେଲ-- ତାର ନାମ  ବି “ଦୟା”।  କଥା କଣ? କଣ ଗୋଟେ ମାଲିକର ଦୁଇଟା ହୋଟେଲ ନା କଣ?
 ଖାଇବା ଆସି ପହଞ୍ଚି ଗଲା। ଲୋକଟି ବାଢିବାରେ ଲାଗିଲା।
– - ଆରେ ବାଃ, ଭଲ ସ୍ବାଦିଷ୍ଟ ଖାଇବା ତ। ହଉ ଶୁଣ୍ ମୋତେ ତୁ ଚିହ୍ନିଥା। ମୁଁ ସହରକୁ ନୂଆ ଆସିଛି।ଗୋଟେ ବଡ ଷ୍ଟେସନାରୀ ଦୋକାନ ଖୋଲିଛି ବଜାର ଉପରେ। ଆଉ ମ୍ଯାଡାମ୍ ଙ୍କ ବାପ ଘର ଏଇ ପାଖ ଗାଁଆରେ। ତାଙ୍କ ବାପାଙ୍କର ବଡ ଇଟାଭାଟି ଟେ ଅଛି। ଆମେ ଆସିଲେ ତୁ ଆମକୁ ଖାଇବାକୁ ଦେବୁ, ଭଲ ଟିପ୍ସ୍  ବି ମିଳିବ ବୁଝିଲୁ ତ? ମ୍ଯାଡାମ୍ ଙ୍କୁ ଜୁହାରଟେ ପକା। ଆଦେଶ ଦେବା ଭଙ୍ଗୀରେ କହିଲା ମନୋଜ।
ନମସ୍କାର କରି ନୀରବରେ  ହସିଲା ଲୋକଟି।
ମନୋଜ ଫିସଫିସ୍ କରି ସ୍ତ୍ରୀ କୁ କହିଲା-
– ବୁଢା ଟା ପାଗଳ ନା କଣ? ମୁହଁରୁ କଥା ପଦେ ବାହାରୁନି।
ଖାଇବା ସାରି କାଉଣ୍ଟର ପାଖରେ ପହଞ୍ଚିଲା ମନୋଜ୍। ସେ ବୁଢା ସେଇଠି ଠିଆ ହୋଇଛି। କାଉଣ୍ଟର ରେ ପଇସା ଦେଇସାରି ଶହେ ଟଙ୍କିଆ ନୋଟ୍ ଟେ ବଢେଇ ଦେଲା ବୁଢା ହାତକୁ।
– ନାଇଁ ଆଜ୍ଞା, ଆମ ଦୋକାନରେ ଟିପ୍ସ ର ବ୍ଯବସ୍ଥା ନାହିଁ। ଯଦି କିଛି ଦେବାକୁ ଚାହିଁବେ ସେ ହୁଣ୍ଡିରେ ଗଳେଇ ଦିଅନ୍ତୁ। ସେଇ ହୁଣ୍ଡି ପଇସାରେ ମାସକୁ  ଥରେ ଗରୀବ ଲୋକଙ୍କୁ ଖାଇବା ଦିଆଯାଏ।
 ମନୋଜ କୁ ଅପମାନିତ ହେଲା ପରି ଲାଗିଲା। ମୁହଁଟାକୁ ଫୁଲେଇ ହୁଣ୍ଡିରେ ନୋଟ୍ ଟା ଗଳେଇ ଦେଲା।
– ସେତିକି ବେଳେ କାଉଣ୍ଟରରେ ବସିଥିବା ଟୋକାଟା ବୁଢାକୁ ଚାହିଁ କହିଲା –
– ବାପା ,ତୁମେ ଟିକେ କାଉଣ୍ଟରରେ ବସ। ମୁଁ ଆର ହୋଟେଲ କୁ ଯାଉଛି। ଭାଇ ବ୍ଯସ୍ତ ହେଲାଣି। ମୁଁ ଗଲେ ସେ  କୁଆଡେ ଯିବ।
ମନୋଜ ଟିକେ ଠିଆ ହୋଇ ପଡିଲା କିଛି ବୁଝି ନ ପାରି। ସିକ୍ଯୁରିଟି କୁ ପଚାରିଲା --
– ଆରେ ସେ ବୁଢା କିଏ ?
– – ଆଜ୍ଞା, ସେ ବାବୁ ହେଲେ ଆମ ମାଲିକ। ମାନେ ଏଇ ହୋଟେଲ ଆଉ ସେ ପଞ୍ଚ ତାରକା ହୋଟେଲର ମାଲିକ । ଯେତେବେଳେ ଏଇ ହୋଟେଲଟା ଖପରିଲି ଘରରେ ଚାଲିଥିଲା, ସେତେବେଳକୁ ସେ ଲୋକଙ୍କୁ ଖାଇବା ବାଢୁଥିଲେ ….ଆଜିଯାଏ ବି ବାଢୁଛନ୍ତି। ବାବୁ କୁହନ୍ତି ଲୋକମାନଙ୍କୁ ଖାଇବା ବାଢିଲେ ତାଙ୍କୁ ବହୁତ୍ ଶାନ୍ତି ମିଳେ। ଦୁଇପୁଅ ଯେତେ ମନା କଲେ ବି ସେ ନିଜ ଜିଦ୍ ରେ ଅଟଳ। ଦେବତା ପ୍ରତିମ ଲୋକଟିଏ।
ମନୋଜ୍ ର କାନରେ ଖାଲି ବାରମ୍ବାର ପ୍ରତିଧ୍ବନିତ ହେଉଥିଲା ଗୋଟିଏ କଥା--- ସେ ପରା ଆମ ମାଲିକ।
*********************




No comments:

Post a Comment