Sunday, October 29, 2017

ଉତ୍ତର

                                                        ଉତ୍ତର
                                                                                 ଲେଖା- ଅରବିନ୍ଦ ରଥ


ଥିଲା ବେଳେ ଭଲ କେହି ନ କହିଲ
ହସି ମୋତେ କଥା ପଦେ,
ସ୍ନେହର ପସରା ମେଲାଇ ମୁଁ ବସି
ଦିନରାତି କେତେ କାନ୍ଦେ।।
କବାଟ କୁ ଚାହିଁ, ଦିନ ରାତି ମୁହିଁ 
ଭାବେ କେ କାଳେ ଆସିବ,
ଜୀବନର ଏଇ ଅନ୍ତିମ ବେଳାରେ
ଦୁଃଖସୁଖ ଟିକେ ହେବ।।
ନିଜ ମନକଥା ଅନ୍ତରରେ ଚାପି
ଦେଖି ସମସ୍ତଙ୍କୁ ହସେ,
ପାରିଲନି ବୁଝି  ମୋ ମନର ବ୍ଯଥା
ଜଳୁଛି ଦୁଃଖ ର ଧାସେ।।
ରୋଗାକ୍ରାନ୍ତ ଏହି ଶରୀରକୁ ଧରି
ଅଛି ଅସହାୟ ହୋଇ,
ଚେଷ୍ଟାକରି ମଧ୍ଯ ପାରୁନାହିଁ ଉଠି
ସେ ଶକ୍ତି ଦେହରେ ନାହିଁ।।
ତୁମ ଖୁସି ପାଇଁ ଜାଳିଛି ନିଜକୁ
ପ୍ରତିଦିନ ପ୍ରତି କ୍ଷଣେ,
ଏତେ ସ୍ବାର୍ଥପର, ଭୁଲିଗଲ ସବୁ 
ପଡୁ ନାହିଁ କିଛି ମନେ !
ତୁମ ପାଇଁ ଏବେ ନିର୍ଜୀବ ବସ୍ତୁ ମୁଁ
ନାହିଁ ମୋର କିଛି ମନ,
କେବଳ ଅକାମୀ ମୁଁ ଏ ଦୁନିଆରେ
ତୁମେ ସବୁ ବ୍ଯସ୍ତତମ।।
ଦୁର୍ବଳ ମୋ ହାତ ଉଠାଇ ମୁଁ ଭାବେ
ସ୍ନେହର ପରଶ ଦେବି,
ମାତ୍ର ତୁମେ ଥାଅ ଏତେ ଦୂରେ ମୋର
ହାତ ମୋ  ପାଏନି  ସେଠି।।
ସବୁ ଦେଇ କରି ନ ପାଇଲି କିଛି
କି ଅବା ପାପ ମୁଁ କଲି,
କହିବକି ଥରେ କାଳିଆ ଠାକୁରେ
ଉତ୍ତର ଚାହିଁ ରହିଲି।।
****** ସମାପ୍ତ********





No comments:

Post a Comment