Friday, October 27, 2017

ପାଳି

                      ପାଳି
                          ଅରବିନ୍ଦ ରଥ


ବାରଣ୍ଡାରେ  ଜାକିଜୁକି ହୋଇ ବସିଛି ବୁଢୀ। ସକାଳୁ ପାଟିରେ ପାଣି   ଟୋପେ  ବି ପଡିିନି। ପୁଅ, ବୋହୁ, ନାତିନାତୁଣି ମାନେ ନିଜ  ଧନ୍ଦାରେ ମାତିଛନ୍ତି। ସକାଳୁ ବଡ ପୁଅ ବୁଢୀ କୁ ଟେକି ଆଣି ସାନ ପୁଅ  ପିଣ୍ଡାରେ ବସେଇ କହିଛି-
– ମାଆ,ଆଜି ଠୁ ମୋ ପାଳି ସରିଲା। ଏଥର ସାନ ର ପାଳି।
ସୂର୍ଯ୍ଯ ଆସି ମୁଣ୍ଡ ଉପରେ ହେଲାଣି। ଭୋକରେ ବୁଢୀର ହଂସା ଉଡି ଯାଉଛି। ପାଣି ଟିକେ ନ ପିଇ ତଣ୍ଟି   ଅଠାଅଠା ଲାଗୁଛି।  ଘର ଭିତରୁ ବୋହୂର ପାଟିଶୁଭୁଛି--
– ମାସ ସରିବାକୁ ଆହୁରି ଦୁଇ ଦିନ ବାକି ଅଛି। ବଡ ଭାଇ ବେଶୀ ଚାଲାକି ଦେଖେଇ ବୁଢୀ କୁ ଆମ ପିଣ୍ଡାରେ ଆଣି ବସେଇ ଦେଇଛି। ଇନ୍ଦ୍ର କହିଲେ ବି ମୋର ଘୁଞ୍ଚିବାର ନାହିଁ। ବୁଢୀର ଜଞ୍ଜାଳ ମୁଁ ଦୁଇ ଦିନ ଆଗରୁ କାଇଁ ମୁଣ୍ଡେଇବି। ମରି ଯାଉ ବୁଢୀ।
…................
ବୁଢୀ  ଆଖିରୁ ଲେଞ୍ଜରା ପୋଛି ଚାହିଁଲା ଘର ଆଗଦେଇ ଲମ୍ବି ଯାଇଥିବା ରାସ୍ତାକୁ। ସବୁ ଲୋକେ ନିଜ କାମରେ ଯେମିତିି ବୁଡି ରହିଛନ୍ତି। କାହା ପାଖରେ ସମୟ ନାହିଁ।  ସେତିକି ବେଳେ ଅଥାନି କ୍ଷୀର ଦେବାକୁ ଆସି କହିଲା-
– ଆଲୋ ବୁଢୀ ଏଠି କଣ ବସିଛୁ। କଣ ଖରା ଖାଉଛୁ ନା କଣ ଯେ।
ହାତ ଠାରି ଡାକିଲା ଅଥାନି କୁ, କଣ କହିବାକୁ ଚାହୁଁଥିଲା। ମାତ୍ର କାମ ଅଛି କହି ଅଥାନି ଚାଲିଗଲା।
ବାପ ଛେଉଣ୍ଡ ପିଲା ଦୁଇଟାକୁ କଲିଜା କାଟି ବଡ କରିଛି । ପର ଘରେ କାମ ପାଇଟି କରି ପେଟରେ ଓଦା କନା ପକେଇ ନିଜ ପିଲାଙ୍କ ତୁଣ୍ଡରେ ଦାନା ଦେଇ ଆସିଛି। ଦିନଦିନ ଧରି ଘରେ ଚୁଲି ଜଳିନି ସତ କିନ୍ତୁ କାହା ଆଗରେ ହାତ  କେବେ ପତେଇନି। ଗିରସ୍ତ ସ୍ବର୍ଗବାସୀ ହେଲା ପରେ ନିଜେ ହଳ କରି ଜମିରେ ସୁନା ଫଳେଇଛି। ତା ବୟସର ମାଇପି ମାନେ ଅଳତା, ସିନ୍ଦୁର ନାଇ ଫେରେକେଟା ମାରି ବୁଲିଲା ବେଳକୁ ସେ ଚୁଲି ମୁଣ୍ଡରେ ବସି ଲିଆ, ମୁଢି ଭାଜିଛି କିଛି ରୋଜଗାର ଆଶାରେ। ଯାନି, ଯାତରା କେବେ ଆସେ କେବେ ଯାଏ ତାର କେବେ ନିଘା ନ ଥାଏ। ତା ପିଲା ଦୁଇଟା ଭଲରେ ହସି ଦେଲେ ତାକୁ ଲାଗେ ଦୁନିଆ ଯାକର ଖୁସି ସେଇଠି ଅଛି।  ଅଳ୍ପ ବୟସରେ ବିଧବା ହେଲା ବୋଲି ଗାଁଆ ଟା ଯାକର ମରଦ ତା ପଛରେ ପଡିଗଲେ। କିଏ କହିଲା ରାଣୀ କରି ରଖିବି ତ କିଏ କହିଲା ମୋ ହାତ ଧର ପାଟରାଣୀ ପରି ଚଳିବୁ। କିନ୍ତୁ ସେ ଅଚଳ ମହାମେରୁ ପରି  କାହା କଥା ନ ଶୁଣି ଭାଗ୍ଯକୁ ଆଦରି ପଡିରହିଲା। ଗିରସ୍ତ ନ ରହିଲେ କଣ ହେଲା ତା ପିଲା ଦୁଇଟା ଦେହରେ ତ ସେଇ ଗିରସ୍ତର ରକତ ଦଉଡୁଛି। ସେଇମାନେ ତ ତା ଆଖିର ତାରା। ପିଲା ଦୁଇଟାକୁ ଆଡେଇ ଦେଇ ନିଜ ସୁଖ ଦେଖିଲେ ନରକରେ ପଡିବନି ସେ? କାହା କୁ ହାତ ନ ପତେଇ ତ ପିଲା ଦୁଇଟାକୁ ଭେଣ୍ଡିଆ କରି ପାରିଛି। ବଡ ପୁଅ ଗାଁ ମୁଣ୍ଡରେ ତେଜରାତୀ ଦୋକାନ କରି ବେଶ ପଇସା ରୋଜଗାର କରୁଛି, ଆଉ ସାନ ଟା ଗୋଟେ ଅଫିସ୍ ରେ ପିଅନ କାମ କରୁଛି।  ପାରୁଥିବା ଯାଏ ଯାହା ପଇସା ରଖିଥିଲା ଖପରିଲି ଘର ଦୁଇ ବଖରା କରି ପାରିଛି। ପିଲା ମାନେ ବି ବାହା ସାହା ହେଇ ଘର ସଂସାର କଲେଣି।  କିନ୍ତୁ ତା ତିଆରି ଘରେ ସେମାନେ ରହୁଛନ୍ତି। ସେତିକି କଣ କମ ବଡ କଥା ?
କିନ୍ତୁ ସେ ନିଆଁଲଗା ଭାଗ୍ଯକୁ କିଏ ବା ଆୟତ୍ତରେ ରଖିବ। ଯୋଉ ପିଲା ଦି’ଟା ମାଆ ମାଆ କହି ପିଛା ଛାଡୁ ନ ଥିଲେ ସେମାନେ ଆଜି ତାକୁ କେତେ ହୀନିମାନ କରୁଛନ୍ତି। ବୟସ ଗଲା ପରେ ରୋଗ ସବୁ ଭୂତ ଡାହାଣି ପରି ଗ୍ରାସି ଗଲେ। ତାର ମଜବୁତିଆ ଦିହ ଟା ଶୁଖି କଣ୍ଟା ହୋଇଗଲାଣି। ଡାକ୍ତର କଣ କୁହେ ସେ ବୁଝି ପାରେନି। ଖାଲି ଏତିକି ଜାଣେ ଯେ ଏତେ କାମ କରିକରି ନିଜ ଯତ୍ନ ନ ନେଇ ଆଜି ଏ ଅବସ୍ଥା। ସେ ଡାକ୍ତର କଣ ଜାଣିବ, ନିଜେ କଷ୍ଟ ନ କରିଥିଲେ ତା ପିଲା ଯୋଡାକ ଆଜି ରାସ୍ତାରେ ଭିକ ମାଗୁ ଥାଆନ୍ତେ। 
ତା ଦିହରେ ସିନା ତାକତ ନାହିଁ କିନ୍ତୁ ସେ ତ ଅକର୍ମଣ୍ଯ ହୋଇଯାଇନି। ଆଜି ବି ସେ ବାସନ ମାଜୁଛି, ଲୁଗା କାଚୁଛି, ବସିବସି ଘର ଝାଡୁ କରୁଛି। ଅଣ୍ଟା ନଇଁ ଗଲେ ବି ସେ ବୋହୁ ମାନଙ୍କ ବରାଦ ଅନୁସାରେ କାମ କରୁଛି। ହଁ ଭୁଲ ଭଟକା ତ ହେଉଛି। ପିଲା ମାନେ ସିନା ନିଜ ରକ୍ତ କିନ୍ତୁ ବୋହୁ ମାନେ କଣ ଛାଡିବେ? ସେମାନେ ଗାଳି ଫଜିତ୍ କରୁଛନ୍ତି। ବେଶୀ ରାଗିଲେ ଠେଲି ବି ଦଉଛନ୍ତି। କିନ୍ତୁ ତାଙ୍କର ଦୋଷ କଣ....ସେମାନେ ବି କେତେ ବ୍ଯସ୍ତ ରହୁଛନ୍ତି। ତାଙ୍କ ଜଞ୍ଜାଳ ରେ ତ  ସେମାନେ ରୁନ୍ଧି ହୋଇ ପଡୁଛନ୍ତି। ତା ପରି ଛାର ମଣିଷ କଥା ସେମାନେ ବା କାଇଁ ମୁଣ୍ଡକୁ ନେବେ।
ସବୁ କାମ କଲେ ବି କାହିଁକି ସେମାନେ ପୁଅ ମାନଙ୍କ ଆଗରେ ବୁଢୀ ନାଁଆରେ ଫେରାଦ କରନ୍ତି ଜମା ଜାଣି ପାରେନି। ଦୁଇ ବୋହୁଙ୍କର କହିବା କଥା ବୁଢୀ କାଳେ ସେମାନଙ୍କୁ ଗୋଡେ ଗୋଡେ ଜଗୁଛି। ବାର କାମ ବରାଦ କରି ହଇରାଣ କରୁଛି। ଖାଇବା ବେଳେ ନାନା ପେଖନା କାଢୁଛି। ପିଲା ମାନଙ୍କୁ ବାରଜାତିଆ ବାଜେ କଥା ଶିଖଉଛି। କି ସୁଖ ପାଆନ୍ତି ସେମାନେ କେଜାଣି....
ପୁଅ  ମାନେ ସେମାନଙ୍କ ଆଗରେ ବୁଢୀ କୁ  ହୀନିମାନିଆ କଲେ। ଆଜି କାଲି ତ ପୁଅମାନେ ବି କହିଲେଣି ଏ ବୁଢୀ ଆଉ ଶାନ୍ତିରେ ରଖେଇ ଦେବନି। ଯେତେବେଳେ ଦେଖିଲେ ଖାଲି ଅଶାନ୍ତି। କିଛି ବୁଝି ନ ପାରି ଜୁଳୁଜୁଳୁ କରି ଚାହେଁ ବୁଢୀ। ତା ବୟସ ତିନି କୋଡି ପନ୍ଦର ହେଲା। ଏ ବୟସରେ ସେ କାହାକୁ କଣ ବା ହଇରାଣ କରି ପାରିବ। ବୟସ ଥିଲା ବେଳେ ତ ଦୁଇ ପିଲା ଙ୍କ ଦିହରେ କେବେ ଟିପ ଟେ ଦେଇନି।
ବିନା କାରଣରେ ଦୁଇ ଭାଇ ଭିନ୍ନେ ହେଲେ। କେତେ କାନ୍ଦି ବୋବେଇ କାକୁତିମିନତି ହେଲା ବୁଢୀ। ତା କଥା କିଏ ବା ଶୁଣିବ। ବୋହୁ ମାନେ ପରା ଏବେ ଘରର ମୁରବୀ। ସବୁ ଜିନିଷ ଭାଗ ହେଇଗଲା। ଶେଷରେ ବୁଢୀ କୁ କିଏ ରଖିବ ସେ ଭାଗ ବି ଛିଡିଗଲା। ଦୁଇ ଜଣଙ୍କ ପାଖରେ ପାଳିପାଳି କରି ରହିବ ବୁଢୀ। ଗଲା ବରଷ ରଜ ବେଳକୁ ଲୋକେ ପିଠାପଣାରେ ବୁଡିଲା ବେଳକୁ ବୁଢୀ ଘରେ ଲାଗିଥିଲା ମହାଭାରତ।  ଯୋଉ ନାଆରେ ବସି ଜୀବନ ଡଙ୍ଗା ପାର କରିବାକୁ ସେ ଭାବିଥିଲା ସେଟା ଭାଙ୍ଗି ଦୁଇ ଖଣ୍ଡ ହେଲା। ଏବେ ଦୁଇ ନାଆରେ ଗୋଡ ରଖି ଚାଲିଛି ସେ। କଥାରେ ଅଛି ଦୁଇ ନାଆରେ ଗୋଡ ରଖିଲେ ବୁଡିବା ଥୟ। ସେ ବା କାହୁଁ ବର୍ତ୍ତିବ।
ସେ ନିଜେ ଜାଣି ସାରିଲାଣି ତା ଜୀବନ ଏବେ ବୋଝ ପାଲଟି ଗଲାଣି ତା ନିଜ ପାଇଁ। କେତେ ବା ଆଉ ଖଟିବ। ନା ଦିହରେ ବଳ ଅଛି ନା ମନରେ ଆଗ୍ରହ। ପିଲା ମାନଙ୍କ ପଛରେ ଜୀବନର ସବୁ ସମୟ ଗଲା। ବନ୍ଧୁବାନ୍ଧବ ବୋଲି କେହିନାହିଁ ତାର। କାହା ସହ ଟିକେ ଦୁଃଖସୁଖ ହେବାକୁ ବି କେହି ନାହିଁ। ନିଜ ସହ ନିଜେ କଥା ହୁଏ। ରାତିରେ ଆଳୁ ଅଖା ଉପରେ ମୁଣ୍ଡ ତଳେ ଇଟା ଦେଇ ଶୋଇଲା ବେଳେ ଭାବେ, କଣ ତା ପିଲା ମାନେ ତା ଦୁଃଖ ଜାଣି ପାରୁନାହାଁନ୍ତି। ଘର ଭିତରେ ପଙ୍ଖା ଲଗେଇ ମଶାରୀ ଟାଣି ଶୋଇଲା ବେଳେ କଣ କେବେ  ବି ଭାବନ୍ତିନି ଆମ ମାଆ କେମିତି ଅବସ୍ଥାରେ ଶୋଇଥିବ।  ସେ ଆଜି ଯାଏ ଜାଣି ପାରେନି ରାତି ରେ ଶୋଇଲା ବେଳେ ଦୁଇ ବୋହୁ ତାକୁ କଣ ପାଇଁ ଗୋଇଠା ମାରି ଦେଇ ଯାଆନ୍ତି। ଆଗ ସେ ଭାବିଲା ବୋଧେ ସେମାନେ ଝୁଣ୍ଟି ପଡିଥିବେ। କିନ୍ତୁ କଣ ସବୁ ଦିନ ସେମାନେ ଝୁଣ୍ଟିବା ପାଇଁ ତାକୁ ହିଁ ବାଛନ୍ତି। ଗଞ୍ଜାରାବ ସହ ବୁଢୀ ଉଠି ବସିବସି ଘର ଝାଡୁକରେ। ସବୁ ଉଠିବା ଆଗରୁ ଏ କାମ ସାରି ନ ଦେଲେ ଖାଇବା ମିଳିବନି।  ବଡ କଷ୍ଟରେ ଗୁରୁଣ୍ଡି ରୋଷେଇ ଘରକୁ ଯାଇ ରାତିର ବାସନ କୁ ସଫା କରିବାକୁ ପଡେ। ନ ହେଲେ ପୁଅ ଗଲା ପରେ ବୋହୁ ସମ୍ପିବ। ଯୋଉ ବସ୍ତାରେ ସେ ଶୋଇଛି ତାକୁ ଲୁଚେଇ ନ ରଖିଲେ ନାତି ଟୋକା ନେଇ ଖେଳିବ। ବୋହୁ ଦେଖିଲେ ନିସ୍ତାର ନାହିଁ।  ଦିହରେ ପାଣି ଟିକେ ଢାଳି ନ ହେଲେ ନାତି ନାତୁଣିଏ କହିବେ ଏ ବୁଢୀ ଦିହରୁ କୁକୁରିଆ ଗନ୍ଧ ବାହାରୁଛି। ୟାକୁ ବାହାରେ ନେଇ ରଖ।
     ମନେ ମନେ ହସି ଦିଏ ବୁଢୀ। କି ଜୀବନ ତାର....କିଏ ବା ତାର ନିଜର।
ଝାଳନାଳ ହୋଇ ପୁଅ ଘରକୁ ଫେରିଲେ ବୁଢୀ ପଚାରେ “ପୁଅ ଭଲରେ ଅଛୁ ତ?”  ସେମାନେ କିଛି କୁହନ୍ତିନି। କେବେକେବେ ରାଗି କୁହନ୍ତି
-- ତୋର କଣ ଗଲା। ତୁ ତ ଖାଇପିଇ ମହା ଆନନ୍ଦରେ ପଡି ରହିଛୁ। ଆମେ ଖଟିଖଟି ଅଧାପ୍ରାଣ ହେଲୁଣି।
ଅଭ୍ଯାସବଶତଃ ପଚାରି ଦିଏ --- ପୁଅ ଖାଇଲୁଣି କି ନାହିଁ।
– କାଇଁ ତୋ ଘମ ପୁରିନି ନା କଣ? କେତେ ଆଉ ତେଣ୍ଡିଲେ ତୋ ପେଟ ପୁରିବ। ଦିନରାତି ଖାଲି ଖାଇବି ଖାଇବି ହେଉଛୁ। ମୋତେ ଖାଇ ଦେ କାମ ସରିବ।
 କିଛି ବୁଝି ପାରେନି ବୁଢୀ। ସେ କଣ ପଚାରିଲା, ଆଉ ପୁଅ କହିଲା କଣ।
  ପଖାଳ ଭାତ, ଶାଗ, ଆମ୍ବୁଲ, ଲଙ୍କାମରିଚ ସହ  ରସୁଣ ଦି କୋଲା  ଖାଇଦେଲେ ତାକୁ ସ୍ବର୍ଗସୁଖ ମିଳେ।  ତୁଣ ତରକାରୀ ରେ ତାର କେବେ ବି ଆଗ୍ରହ ନ ଥିଲା। ଆଇଁଷ ପାଣି ତ ଗିରସ୍ତ ଗଲା ଦିନରୁ ତୁଣ୍ଡରେ ବାଜିନି।  କିନ୍ତୁ ସେତିକି ମିଳିବା ବି ସାତ ସପନ। ରାତିର ବଳକା ରୁଟି ପଟେ ସହ ପାଣି ହେଲା ବୁଢୀର ସକାଳ ଖାଇବା।  କେବେ ମନ ହେଲେ ବୋହୁ ପିମ୍ପୁଡି ବସା ଆଗରେ ଚିନି ଦାନା ଦେଲା ପରି କେତେଟି ଦାନା ଚିନି ପକେଇ ଦିଏ। ଦିହି ପହର ଖାଇବା କେତେ ବେଳେ ମିଳିବ ସେ ଜିନିଷର କିଛି ହିସାବ ନ ଥାଏ। ଯେତେ ବେଳେ ମନହେବ ଗୋଟେ ଚେପା ରସ ଥାଳିଆରେ ଭାତ ତୁଣ ମିଶେଇ ବୋହୁ ଆଗରେ ଆଣି ଥୋଇଦେବ। ଖାଇବା ରଖିଲା ବେଳେ ବୋହୁ କେବେ ବି ଭୁଲେନି କହିବାକୁ--
– ଖାଇ ମର୍।
  ଭୋକ ରେ ଆଉଟୁ ପାଉଟୁ ବୁଢୀ ଜିନିଷର ସୁଆଦ କଣ ନ ବାରି ଏକ ରକମ ଗିଳି ପକାଏ। ନାତି ନାତୁଣୀଏ ଦେଖିଲେ ରହସ୍ଯ କରି କୁହନ୍ତି – ଆସରେ ଦେଖିବ ବୁଢୀ ଅସୁରୁଣୀ କେମିତି ଗେଫୁଛି। ଖାଇଲା ବେଳକୁ କାହା କଥା କାନ ରେ ପଡେନି। କଥାରେ ପରା ଅଛି ପେଟ ଭୋକ ଆଗରେ କେହି ନୁହଁ। ସେଇ ପେଟ ଚାଖଣ୍ଡକ ପାଇଁ ତ ଏତେ ନାଟ।
ସମୟ ଗଡି ଯାଉଛି। ସାନପୁଅ ଘରୁ କେହି ବି ଆସୁନାହାନ୍ତି ତାକୁ ନେବାକୁ। ହଁ କିଏ ବା ଆସିବ ପୁଅ ତ ଅଫିସ୍ ଯାଇ ସାରିଥିବ। ପିଲା ମାନେ ସ୍କୁଲ୍ ପଳେଇବେଣି। ସାନବୋହୁ ଯାହା ଥିବ ଘରେ। ସେ ବା କାହିଁ ବାହାରକୁ ଆସିବ।  ବୁଢୀର ମୁଣ୍ଡ ଝାଇଁ ମାରିବା ଆରମ୍ଭ କଲାଣି।  ପେଟରେ ଦାନା ଟିକେ ପଡିନି, ଶୋଷରେ ଜିଭ ଲେଉଟି ପଡୁଛି।  କେତେ ବେଳ ଯାଏ ସେଇ ପିଣ୍ଡାରେ ବସିବ... ନିଜର ସମସ୍ତ  ଶକ୍ତିି ଖଟେଇ ସାନ ବୋହୁ କୁ ଡାକିଲା। କିନ୍ତୁ ହାୟରେ ବିଧାତା... ସେ ଡାକ ତ ନିଜକୁ ଶୁଭୁନି ସାନବୋହୁ କୁ କଣ ଶୁଭିବ ? ବଡ କଷ୍ଟରେ ହାତରେ ଭରା ଦେଇ ଘୁଷୁରି ଘୁଷୁରି ଯାଇ କବାଟ ପାଖରେ ପହଞ୍ଚି ଡାକ ପକେଇଲା।
ସାନବୋହୁ ତା ଘର ଦୁଆରେ ବୁଢୀ କୁ ଦେଖି ଚମକି ପଡିଲା।
– ଆରେ ମାସ କଣ ସରିଲାଣି ଯେ ମୋ ଘରକୁ ଦଉଡି ଆସିଲ। ଆହୁରି ଦୁଇ ଦିନ ବାକି ଅଛି। ଇଏ ଘରକୁ ଆସିବା ଆଗରୁ ଚାଲିଯାଅ ନୋହିଲେ ସେ ରାଗ ରେ ନିଆଁବାଣ ହୋଇଯିବେ। ଆଜି ଆମ ପୁଅର ଜନ୍ମ ଦିନ। ଘରକୁ ଲୋକବାକ ଆସିବେ। ଘରେ ଯାହା ଖାଇବା ହେବ ମୁଁ ପଠେଇ ଦେବି। କିନ୍ତୁ ଏବେ ଯାଅ ତୁମେ।
ଗୋଟେ ନିଶ୍ବାସରେ ଏତିକି କଥା କହି ସାନ ବୋହୁ ମୁହଁ ଫଣଫଣ କରି ଘର ଭିତରକୁ ପଶିଗଲା।
ମାଆ ଲୋ ପାଣି ଟିକେ ପିଇବି। ବହୁତ୍ ଭୋକ ଲାଗୁଛି। ଚୁଡା ଟିକେ କି ମୁଢି ଟିକେ ଦିଅନ୍ତୁନି......ଆଜି ନାତି ଟୋକା ର ଜନ୍ମଦିନ? କୁଆଡେ ଗଲା ସେ ଚଗଲା। ଏତିକି କହି ମୁଣ୍ଡ ଉଠେଇଲା ବେଳକୁ ତା ଆଗରେ କେହି ବି ନାହାନ୍ତି।
କଣ କରିବ ସେ। କାହା ଆଗେ ଗୁହାରି କରିବ। କିଏ ତାକୁ ପାଣି ମୁନ୍ଦେ ଦେବ, ପେଟକୁ ଦାନା ଟିକେ ଦେବ?
ଆଖି ଆଗରେ ଅନ୍ଧାର ଛାଇ ଗଲା ପରି ଲାଗୁଛି, ମୁଣ୍ଡ ଭିତରଟା କେମିତି ଫାଟିଲା ପରି ଲାଗୁଛି। ଗୁରୁଣ୍ଡି ଗୁରୁଣ୍ଡି ବୁଢୀ ରାସ୍ତା ପାଖରେ ପହଞ୍ଚିଲା।
ରାସ୍ତା ଉପରେ ଅନବରତ ଗାଡି ଚାଲିଛି। କାହାର କାହାକୁ ଦେଖିବାକୁ ବି ସମୟ ନାହିଁ। ଘର ର ପାଚେରୀ କୁ ଆଉଜି ବୁଢୀ ଲୋଚାକୋଚା ହେଇ ବସିଲା।
ବାବୁ....ପାଣି ଟିକେ ଦିଅ। କଣ ଖାଇବାକୁ ଟିକେ ଦିଅ। ମୁଁ କାଲି ଠୁ କିଛି ଖାଇନି....
ବଡ ବିକଳ ହୋଇ ବୁଢୀ ନେହୁରା ହୋଇ ଚାଲିଥିଲା। ସାରା ଜୀବନ କାହା ଆଗରେ ପାତି ହୋଇ ନ ଥିବା ହାତ ଦୁଇଟା ଅନିଚ୍ଛା ସତ୍ତ୍ବେ ଉଠି ରହିଥିଲା କିଛି ମିଳିଯିବା ଆଶାରେ। 
 ପାଟିରୁ ଆଉ କଥା ବାହାରୁନି। ଦିହରେ ବଳ ନାହିଁ ହଲିବା ପାଇଁ। ଖରା ର ତେଜ ବି ବେଳ କୁ ବେଳ ବଢି ଯାଉଛି। ତା ପିଲା ମାନେ ତ ଆଶ୍ରା ଦେଲେନି, କିନ୍ତୁ ଘର ର ସେ ପାଚେରୀ ରେ ଭରା ଦେଇ ଆଶ୍ରୟ ନେଇଛି ବୁଢୀ। ଗୁଣୁଗୁଣୁ ହୋଇ କହିଲା ବୁଢୀ--
– ହେ ଜଗନ୍ନାଥେ ମୋ ପିଲା ମାନଙ୍କୁ ନୀଳଚକ୍ର ଆଢୁଆଳରେ ରଖିବୁ, ତାଙ୍କ ଦୁଃଖ କଷ୍ଟ  ମୋତେ ଦେବୁ , ତାଙ୍କ ମାନଙ୍କ ଦେହରେ ଜୀବନ ଥିବା ଯାଏ, ଦେହରେ କନା ଓ ପେଟ କୁ ଦାନା ଯୋଗାଉଥିବୁ ରେ କାଳିଆ........
ସଜ ପଖାଳରେ ଚିପୁଡା ଯାଇଥିବା ଲେମ୍ବୁର ବାସ୍ନା କୁଆଡୁ ଆସୁଛି। ସଜନା ଶାଗ ସାଙ୍ଗକୁ ଆମ୍ବୁଲ, ରସୁଣ ଓ ମରିଚ ର ଚକଟା ବାସ୍ନା  ନାକ ଭିତରଟାକୁ ମନ୍ଥି ପକଉଛି।  କିଏ ତାକୁ ଖାଇବାକୁ ଦେଲା ନା କଣ?
   ତାକୁ ଝାପସା ଦିଶିଲା ତା ଗେରସ୍ତ  ହସହସ ମୁହଁରେ ଆଗରେ ଠିଆ ହୋଇଛି। ବୁଢୀ ଥରଥର ହାତରେ ମୁଣ୍ଡରେ ଓଢଣା ଦେବାକୁ ଚେଷ୍ଟା କଲା । ଆରେ ଏ କଣ ସେ ହାତ ବଢେଇ ତା ପାଟିରେ ଭାତ ଗୁଣ୍ଡା ଟେ ଦେଉଛି। ଭାରି ଲାଜ ଲାଗିଲା ବୁଢୀ କୁ। କହିଲା
– ଇଏ କି ଛୋପରାମୀ, ଲୋକେ ଦେଖିବେ ଯେ...ରାସ୍ତା ଉପରେ ଏମିତି ସରାଗ କଣ ପାଇଁ ବୋହି ଯାଉଛି ଯେ.....
ଆଖି ଆଗରୁ ତା ଗେରସ୍ତର ଚେହେରା ଟା ଧିରେଧିରେ ଅଦୃଶ୍ଯ ହୋଇଯାଉଛି। ପାଟି କରି ଡାକିବାକୁ ଚେଷ୍ଟା କଲା..... କିନ୍ତୁ ପାଟି ଟା ଖୋଲୁନି ଯାବ ପଡିଯାଇଛି। ମନେ ମନେ କହିଲା ବୁଢୀ
– – ଭାରି ନାଗରିଆ ଢଙ୍ଗ ୟାଙ୍କର, ବଳେ ଆସିବେ ଯେ...
ଧିରେ ଧିରେ ବୁଢୀ କାନ୍ଥ କୁ ଆଉଜି ଗଳି ପଡିଲା।

– ଆରେ ଏ ବୁଢୀ ବାହାରକୁ କେମିତି ଆସିଲା। ବାଟ ଘାଟରେ ଆଉ ମୁହଁ ଦେଖେଇ ହେବନାହିଁ  ୟା ପାଇଁ। ଭିକାରୀଙ୍କ ପରି ରାସ୍ତାରେ ବସିଛି।  ବଡ ପାଟିରେ ଚିତ୍କାର କରି କହିଲା ସାନ ପୁଅ।
ତା ପାଟି ଶୁଣି ବଡପୁଅ ବୋହୁ ବାହାରକୁ ଆସି ପାଟି କରିବା ଆରମ୍ଭ କରିଦେଲେ।
– ତୋ ପାଳି ତୁ ବୁଝିବା କଥା। ଏତେ ପାଠ ପଢଉଛୁ କାହାକୁ?
– ମୋ ପାଳି ନ ଚୋପା। କଣ ମାସ ସରିଲାଣି କି? ବିରକ୍ତିରେ କହିଲା ସାନପୁଅ।
– କି ଚାକିରି କରିଛୁ କେଜାଣି, ଏତିକି ଜାଣିନୁ ଫେବୃ ୟାରୀ ମାସରେ ଅଠେଇଶ ଦିନ ଥାଏ ବୋଲି। ଆଖି ନଚାଇ ବିଜୟ ସୂଚକ ହସଟେ ହସି କହିଲା ବଡ ପୁଅ। ବଡ ବୋହୁ ମୁହଁ କୁ ମୋଡି କହିଲା
– – ଏବେ ହିସାବ ଜାଣିଲ ତ? ତୁମ ମାଆକୁ ପାଛୋଟି ନିଅ ଘରକୁ। ଛଅ ତିଅଣ ନ ଭଜା କରି ଖୁଏଇବ।
ରାଗ କାହା ଉପରେ ଶୁଝେଇବ ଜାଣି ନ ପାରି ଗରଗର ହୋଇ ସାନପୁଅ ବୁଢୀର ହାତକୁ ଧରି ଜୋର ରେ ଟାଣି କହିଲା--
– ତୋତେ ମରଣ ହେଉନି ଯାହା, ଏତେ ହନ୍ତସନ୍ତ କରୁଛୁ ଆମକୁ।
ବୁଢୀ ର ବେକ ଗୋଟେ ପଟକୁ ଢଳି ପଡିଲା। ପାଟିରୁ ଲାଳ ଟିକେ ବୋହି ଗାଲରେ ଲାଗିଛି, ମୁହଁ ରେ ସେମିତି ହସ ଚେନାଏ ଲାଖି ରହିଛି।
ବଡପୁଅ ବୋହୁ ଦୀର୍ଘ ନିଶ୍ବାସ ଛାଡିଲେ ଯାହା ହେଉ ଏ ପାଳି ର ପାଲା ସରିଲା।

*************

No comments:

Post a Comment