ଖୁଚୁରା
ଅରବିନ୍ଦ ରଥ
ହାତରେ ଏକ ଟୁକୁରା କାଗଜ ଧରି କୁମୁଦ ବୁଲି ଚାଲିଥିଲା ଗୋଟିଏ ଦୋକାନ ରୁ ଆଉ ଗୋଟେ ଦୋକାନ। ସମସ୍ତଙ୍କୁ ପଚାରି ବୁଝୁ ଥିଲା ସେଇ ଲୋକ ଟି ବିଷୟରେ ଯିଏ ତା ଜୀବନର ସଂଜ୍ଞା ବଦଳେଇ ଦେଇଥିଲା। ଇଏ ସେଇ ଲୋକ ଯାହା ସହ ତାର ନା ଥିଲା ପରିଚୟ ନା କୌଣସି ଚିହ୍ନାଜଣା। ଘଟଣାଟି ଏଇପରି।
କୌଣସି ଏକ ଜରୁରୀ କାମରେ କୁମୁଦ ଯାଇଥିଲା ସହରକୁ। ପାଖରେ ଥିଲା ଯଥେଷ୍ଟ ଟଙ୍କା। ବସ୍ ରୁ ଓହ୍ଲାଇଲା ପରେ ଆଉଥରେ ଦେଖିନେଲା ନିଜ କାଗଜ ପତ୍ର ଓ ଟଙ୍କା। ସବୁ ଠିକ୍ ଅଛି ବୋଲି ଦେଖିବା ପରେ ସେ ନିଶ୍ଚିନ୍ତ ହେଲା। ତାକୁ ଜଲଦି କାମ ସାରି ନିଜ ଘରକୁ ଫେରିବାକୁ ହେବ। ଅଚିହ୍ନା ସହର। କେହି ଜଣା ଶୁଣା ଲୋକ ବି ନାହାନ୍ତି। ତେଣୁ ମନରେ ଭୟ ଆସିବା ସ୍ବାଭାବିକ। ତେଣୁ ସେ ଚଞ୍ଚଳ କାମ ସାରିବାକୁ ବାହାରି ପଡିଲା। ମନରେ ଭାବନା ଥାଏ, କାଳେ ବେଶୀ ଡେରି ହେବ ଫେରିବାକୁ। କିଛି ନ ହେଲେ ହୋଟେଲରେ ରାତି କଟେଇବାକୁ ପଡିବ। ଯେହେତୁ ପାଖରେ ଯଥେଷ୍ଟ ପଇସା ଥାଏ କୁମୁଦର ସେଥି ପାଇଁ ଡର ନ ଥିଲା। ମାତ୍ର ଏ ଅଚିହ୍ନା ସହରରେ ବେଶି ସମୟ ରହିବାକୁ ତାର ମନ ନ ଥିଲା। କୁମୁଦ ଅଫିସରେ ପହଞ୍ଚି ଗଲା। ବୁଝାବୁଝି କରି ଜାଣିଲା ଯେ, ଯେଉଁ ଅଫିସର ପାଖରେ ତାର କାମ ଅଛି ସେ ଡେରିରେ ଆସିବେ। ତେଣୁ ଅପେକ୍ଷା କରିବା ଛଡା ଅନ୍ଯ ଗତି ନାହିଁ। ସକାଳୁ ଘରୁ ଆସିଲା ବେଳେ କାଳେ ଡେରି ହେବ ବୋଲି ଭଲରେ ଖାଇ ପାରି ନ ଥିଲା। ଭବିଲା କଣ ଟିକେ ଖାଇ ଦେଇ ଆସିଲେ ଆଉ ଚିନ୍ତା ନ ଥିବ। ମନିପର୍ସ କୁ ଦେଖିନେଲା ଥରେ। ପାଖରେ ପାଖାପାଖି ଦଶ ହଜାର ଟଙ୍କା ଅଛି। କେବଳ ହଜାର ଟଙ୍କିଆ ନୋଟ ଗୁଡା। ସେ ଜାଣି ଶୁଣି ହଜାର ଟଙ୍କିଆ ନୋଟ ଧରି ଆସି ଥିଲା। କାରଣ ସହରରେ ଚୋରିର ଭୟ। ବଡ ନୋଟ ନେଲେ ପର୍ସଟି ବେଶି ମୋଟା ଦିଶିବନି। ଏମିତି ହେଲେ ସେ ପକେଟମାରଙ୍କ ଠାରୁ ରକ୍ଷା ପାଇଯିବ। ବାକି ଯାହା ଖୁଚୁରା ଥିଲା ବସ୍ ଭଡା ଦେବାରେ ଚାଲି ଗଲା। ଆଜି କାଲି ଯେଉଁ ଦୋକାନ କୁ ଯିବ ସେ ଆଗ ଖୁଚୁରା ମାଗିବେ। ତେଣୁ ପାଖରେ ଦଶ ଟଙ୍କିଆ ନୋଟ୍ ପାଞ୍ଚଟି ରଖିଥିଲା। ଗୋଟେ ହୋଟେଲ୍ ରେ ବସି ଖାଇବା ବରାଦ ଦେଲା। ପେଟ ଭରି ଖାଇ ସାରିଲା ପରେ ବିଲ୍ ଦେଲା ବେଳକୁ ଦେଖିଲା ମୋଟ ୪୫ ଟଙ୍କାର ବିଲ୍। ଦୋକାନ ପିଲା ହାତକୁ ସେଇ ଦଶ ଟଙ୍କିଆ ପାଞ୍ଚଟି ବଢାଇ ଦେଲା। ପିଲା ଟି ବାକି ପଇସା ଫେରସ୍ତ କଲା ବେଳକୁ କହିଲା
.... ବାବୁ ଆପଣ ଏତେ ବଡ ଲୋକ...ମୋ ହାତ ଖର୍ଚ୍ଚ ପାଇଁ କିଛି ଦିଅନ୍ତୁ। ବାବୁ ସମ୍ବୋଧନ ଶୁଣି କୁମୁଦ ମନ ଟା କୁରୁଳି ଉଠିଲା। ସାଙ୍ଗେସାଙ୍ଗେ ବଢାଇ ଦେଲା ପାଞ୍ଚ ଟଙ୍କା ସେ ପିଲା ହାତକୁ। ପିଲାଟି ବି ଖୁସି ହୋଇ ଗଲା। କେତେ ଜୁହାର ପକେଇ ଦେଲା। କହିଲା ବାବୁ ଆଉ ଥରେ ନିହାତି ଆସିବେ ଆମ ହୋଟେଲକୁ। କୁମୁଦ ଏଥର ପୁଣି ଚାଲିଲା ଅଫିସରେ ନିଜ କାମ ସାରିବାକୁ। ବହୁତ୍ ସମୟ ଅପେକ୍ଷା କରିବା ପରେ ଅଫିସରେ ତା କାମ ସରିଲା। ଦେଖିଲା ଘଣ୍ଟାରେ ୬ ଟା ବାଜିଛି। ଭୋକବି ହେଲାଣି। ଅଫିସ୍ ପାଖରେ ଗୋଟେ ସାନ ଜଳଖିଆ ଦୋକାନ। ଗରମ୍ ଗରମ୍ ବରା ଛଣା ହେଉଛି। କୁମୁଦ କହିଲା
“ ଏ ବାବୁ ଗରମ୍ ବରା ଦେଲ..ଘୁଘୁନି ଦେବନି, କେବଳ ଲଙ୍କା ଆଉ ଟିକେ ଳୁଣ ଦେବ।”
ଦୋକାନୀ ଟା ବଡ ଆବାଗିଆ ସ୍ବରରେ ପଚାରିଲା , “ବାବୁୁ ଖୁଚୁରା ପଇସା ଅଛି ତ” ?
କୁମୁଦ କହିଲା ରୁହ ଦେଖେ। ମନି ପର୍ସଟା ପୁରା ଅଣ୍ଡାଳି ଦେଖିଲା କେବଳ ହଜାର ଟଙ୍କିଆ ନୋଟ୍ ଅଛି। କହିଲା ଖୁଚୁରା ନାହିଁ।ଖାଲି ହଜାର ଟଙ୍କିଆ ଗୁଡା ଅଛି।କାଇଁ ମୁଁ ଖାଇ ସାରିଲା ପରେ ପଇସା ଦେଲେ ତୁମେ ମୋତେ ଖୁଚୁରା କରି ଦେବନି କି।
ଦୋକାନୀ ବରା ଦେବା ପାଇଁ ସଜବାଜ ହେଉ ଥିଲା, ମାତ୍ର କୁମୁଦର କଥା ଶୁଣି ତା ମୁହଁ କୁ ଚାହିଁଲା। କର୍କଶ ସ୍ବରରେ ପଚାରିଲା
...ଖୁଚୁରା ଅଛିକି ନାହିଁ କୁହ ମ..ଏତେ ପାଠ ଶୁଣିବାକୁ ସମୟ ନାହିଁ ମୋ ପାଖେ। ଆଜିକାଲି ଯାହାକୁ ଦେଖିଲେ ଖାଲି ହଜାର ଟଙ୍କିଆ ନୋଟ୍ ଦେଖଉଛନ୍ତି। କଉ ଗଛରେ ଫଳୁଛି ନା କଣ ମ....
କୁମୁଦକୁ ବଡ ଅପମାନ ଲାଗିଲା।
କହିଲା ..ବେଶି ବଡ ବଡ କଥା କହନି। ମୋ ପାଖରେ ଯେତିକି ପଇସା ଅଛି ତୋ ଦେକାନ ଟାକୁ ପୁରା କିଣି ଦେବି। ଦୋକାନୀ ଦାନ୍ତ ନିକୁଟି କହିଲା
...ହେଃ ଯାଅମ....ମୋର ଦୋକାନ ବିକିବାର ନାହିଁ। ଆଗ ଦେକାନ ଦେଖ। ବଇନି ସମୟରେ ତୁମ ପରି ଲକ୍ଷ୍ମୀଛଡା ଲୋକଟେ ହାବୁଡରେ ପଡିଲାଣି ଯେ ଆଜି ବେପାର କଣ ହେବ ଜାଣି ହଉନି। ଜଦି ହଜାର ଟଙ୍କିଆ ଧରି ବୁଲୁଛ ଯାଉନ ବଡ ହୋଟେଲରେ ଖାଇବ। ଏ ଦି ଟଙ୍କିଆ ବରା ପାଇଁ କାଇଁ ଏତେ ସରାଗ।
କୁମୁଦର ମୁହଁ ଶୁଖି କଳା ହୋଇଗଲା, ଏମିତି ଅପମାନିତ ହେବ ବୋଲି ସେ ସ୍ବପ୍ନରେ ବି ଭାବି ନ ଥିଲା। ପାଖ ଲୋକମାନେ ବି କୁମୁଦକୁ ଦେଖି ବଡ ତାଚ୍ଛଲ୍ଯ କରି କହିଲେ
...ଦେଖ ଭାଇ ମାନେ ଦେଖ ଏ ମହା ପୁରୁଷଙ୍କୁ...ପାଖରେ ବରା ଖାଇବାକୁ ପଇସା ନାହିଁ, ଇଏ କୁଆଡେ ଦୋକାନଟା କିଣି ପକେଇବେ।
ସେ ଯାଗା ଛାଡି କୁମୁଦ ପଳେଇ ଆସିଲା। ଲଜ୍ଜା ଓ ଅପମାନରେ ତା ମୁହଁ କଳା ପଡି ଯାଇଥିଲା। ଏମିତି ଅବସ୍ଥା ତାର ହେବ ସେ କେବେ ବି ଭାବି ନ ଥିଲା।
ମନରେ କେତେ କଣ ଚିନ୍ତା ଅଡୁଆ ସୁତା ପରି ଗୁଡେଇ ହୋଇ ଯାଉଥିଲା। ନିଜକୁ ଆବିଷ୍କାର କଲା ବସଷ୍ଟାଣ୍ଡରେ। ପଚାରି ବୁଝିଲାଯେ ବସ ଅଛି ରାତି ଦଶଟାରେ। ଏତେ ସମୟ କରିବ କଣ। ବସ୍ କଣ୍ଡକ୍ଟରକୁ କହିଲା ଟିକେ ଖୁଚୁରା କରି ଦେବା ପାଇଁ। ମାତ୍ର ହୋଇ ପାରିଲାନି। ସେ କହିଲା ଯେ --ଆଜ୍ଞା ଲୋକେ ତ ଟିକେଟ୍ କାଟି ନାହାନ୍ତି, ଏତେ ବେଳୁ ଖୁଚୁରା କୁଆଡୁ ଆସିବ? କିନ୍ତୁ ଖୁଚୁରା ହେଲେ ମୁଁ ନିହାତି ଦେବି, ଅପେକ୍ଷା କରନ୍ତୁ।
ଧିରେ ଧିରେ ଭୋକର ମାତ୍ରା ବଢି ଚାଲିଲା। ଦେଖିଲା ପାଖରେ ଥଣ୍ଡାପାଣିର ପାଇପ୍ ଲାଗିଛି। କିଛି ବିଚାର ନକରି ବିକଳରେ ତଣ୍ଟି ଯାଏ ପାଣି ପିଇ ଦେଲା। କିନ୍ତୁ ଭୋକକୁ କଣ ପାଣି ଦ୍ବାରା ଶାନ୍ତ କରା ଯାଇପାରେେ? କିଛି ସମୟ ପରେ ପୁଣି ସେଇ କଷ୍ଟ ତାକୁ କବଳିତ କଲା। ପାଖରେ ଯଥେଷ୍ଟ ପଇସା ଅଛି। କିନ୍ତୁ ଖୁଚୁରା ନାହିଁ ବୋଲି ସେ ନିଜକୁ ଦରିଦ୍ର ମନେ କଲା। ଦୋକାନ ପରେ ଦୋକାନ ଘୁରି ବୁଲିଲା ସେଇ ଗୋଟିଏ ପ୍ରଶ୍ନ କୁ ନେଇ....ଭାଇ ତୁମ ପାଖରେ ହଜାର ଟଙ୍କିଆ ନୋଟ୍ ର ଖୁଚୁରା ହେବ? ଆଉ ସବୁ ଯାଗାରୁ ସେଇ ଏକା ଉତ୍ତର “ନାଁ”। ବେଳକୁ ବେଳ ସେ ଅସ୍ଥିର ହୋଇ ଉଠୁଥାଏ। କଣ କରିବ ମୁଣ୍ଡକୁ କିଛି ବୁଦ୍ଧିବାଟ ଦିଶୁ ନ ଥାଏ। ମନେମନେ ଭାବିଲା ଯାହା ପଇସା ପଡୁ ପଛେ ଗୋଟେ ବଡ ହୋଟେଲରେ ପଶିବ। ସେଠିରେ ସବୁ ଜିନିଷର ମୂଲ୍ଯ ଅଧିକ। ତେଣୁ ଖୁଚୁରା ମିଳି ଯିବ। ସେପରି ଏକ ହୋଟେଲର ଦୁଆର ମୁହଁରେ ଠିଆ ହୋଇ ଯିବ କି ନାହିଁ ଭାବିଲା ବେଳକୁ ମନେ ପଡି ଗଲା ଯେ ତା ଝିଅର ଆଡମିସନ ପାଇଁ ପଇସା ଦରକାର। ମାଆର ଓୌଷଧ, ବାପାଙ୍କ ଚଷମା, ସ୍ତ୍ରୀ ର କାନ ଫୁଲ ଓ ଗାଁ ଘରର ଚାଳ ଛପର...ସବୁ ତ ବାକି ଅଛି।
ବହୁତ୍ ପଇସା ଦରକାର...ଏମିତି ଅବସ୍ଥାରେ ତାର ହୋଟେଲରେ ଯାଇ ଦାମିକା ଖାଦ୍ଯ ଖାଇବା କୌଣସି ଆଡୁ ଯୁକ୍ତିଯୁକ୍ତ ଲାଗୁନି। ଆପେଆପେ ପାଦ ଫେରି ଆସିଲା ପଛକୁ। କିଛି ଉପାୟ ନ ପାଇ ଲଥ୍ କରି ବସି ପଡିଲା ବସଷ୍ଟାଣ୍ଡରେ ପଡି ଥିବା ଏକ ବେଞ୍ଚ ଉପରେ। ଭୋକରେ ମୁଣ୍ଡ ବୁଲେଇ ଦେଉଥାଏ। ଦେହରେ ଜୀବନ ନ ଥିଲା ପରି ଲାଗୁଥାଏ ତାକୁ। ସେ ସକାଳେ ଯାହା ଜଳଖିଆ ଖାଇଥିଲା। ତା ପର ଠାରୁ ପେଟରେ ଦାନାଟିଏ ବି ପଡିନି। କେତେ ସମୟ ତାକୁ ଏମିତି ରହି ବାକୁ ହେବ। ଗାଁ ରେ ପହଞ୍ଚିଲା ବେଳକୁ ରାତି ହୋଇ ଯିବ। ତା ପରେ ଯା। ଯାହା ଗଣ୍ଡେ ଖାଇବ। ସେତେ ବେଳକୁ ଚେତା ରହିଲେ ହେଲା। ବସଷ୍ଟାଣ୍ଡରେ ଅନେକ ଲୋକଙ୍କୁ ଦେଖିଲା। ସେମାନେ କିି ନା କିଛି ଖାଇବାରେ ବ୍ଯସ୍ତ। କିଏ ଜରି ଭିତରୁ କଣ କାଢି ଖାଉଛି, ତ ଆଉ କିଏ ଖାଇବା ଡବା ଧରି ବସିଛି। ଚାରି ଆଡକୁ ଆଖି ବୁଲେଇ ଦେଖିଲା ଯେ ହୋଟେଲରେ ବି ଲୋକ ଗହଳି। ସମସ୍ତେ ଖାଇବାରେ ବ୍ଯସ୍ତ। ଆଶ୍ଚର୍ଯ୍ଯ, ସେ ଆଜି ଯାଏ କେବେ ଲକ୍ଷ୍ଯ କରି ନ ଥିଲା ଯେ ସଦା ବେଳେ କିଏ ନା କିଏ କିଛି ନା କିଛି ଖାଉଛି। ମନେ ପଡି ଗଲା ତାର ସେହି ଅତି ପରିଚିତ କଥା। ଯାହା ସେ ଛୁଆ ଦିନୁ ଶୁଣି ଆସିଛି।
“ ସବୁ ନାଟ ଏଇ ପେଟ ଚାଖଣ୍ଡକ ପାଇଁ”। ସେ ନିଜେ ଅନୁଭବ କଲା ଭୋକର ତୀବ୍ରତା କେତେ ଅଧିକ। ମନ ହେଉଥିଲା, ସବୁ ମଣିଷତ୍ବ ତ୍ଯାଗ କରି କାହାଠୁ ବି ଖାଇବା ଛଡେଇ ନିଜ ଭୋକ ମେଣ୍ଟେଇବ। ପିଲା ଦିନେ ପଢିଥିବା ମିଦାସ୍ ରାଜାଙ୍କ କଥା ମନେ ପଡିଲା ତାର। ରାଜା ଯାହା ଛୁଇଁଲେ ସବୁ ସୁନା ହୋଇଯାଉଥିଲା। ଶେଷରେ ଏପରି ଅବସ୍ଥା ହେଲା ଯେ ଖାଇବା ଜିନିଷରେ ହାତ ମାରୁମାରୁ ଖାଦ୍ଯ ବି ସୁନା ହୋଇଗଲା। ଏତେ ବଡ ଧନୀ ରାଜା ଭୋକଉପାସରେ ପ୍ରାଣତ୍ଯାଗ କଲେ। ଆଜି ତାର ଅବସ୍ଥା ମଧ୍ଯ ପାଖାପାଖି ସେଇପରି।
ଏମିତି ଭାବୁଭାବୁ ପାଖରେ ଜଣେ ବୁଢା ଲୋକ ଆସି ବସିଲା। ହାତରେ ଗଣ୍ଠିଲି ଧରିଛି। ବେଶଭୁଷାରୁ ଜଣା ପଡୁଛି, ବୋଧେ ଜଣେ ଗରୀବ ଶ୍ରେଣୀର ଲୋକ ହୋଇଥିବ।
ପଚାରିଲା ବାବୁ କୁଆଡେ ଯିବ।
ବଡ କଷ୍ଟରେ କୁମୁଦ କହିଲା ଭଗବାନପୁର..
.ସେ ଲୋକଟି ବୋଧେ କୁମୁଦର ଅବସ୍ଥାକୁ ଠଉରେଇ ପାରିଲା।
ପଚାରିଲା ତୁମ ଦେହ ଭଲ ନାହିଁ କି?
କୁମୁଦ କିଛି ନ କହି ଚୁପ୍ ହୋଇ ବସିଲା। କାରଣ କଥା କହିବାର ଶକ୍ତି ବି ନ ଥିଲା ତା ପାଖରେ। ଏମିତି ଚୁପଚାପ କିଛି ସମୟ ଚାଲିଗଲା। ଘଣ୍ଟାରେ ଜମା ୮ ଟା ବାଜିଛି। ଆହୁରି ବହୁତ ସମୟ ବାକି ଅଛି। ଭୋକର ମାତ୍ରା ବଢି ବଢି ଯାଉଛି। ଅଚାନକ୍ କୁମୁଦ ପଚାରିଲା-
..ମଉସା ତୁମ ପାଖରେ ହଜାର ଟଙ୍କାର ଖୁଚୁରା ହେବ। ସକାଳୁ କିଛି ଖାଇନି। ପାଖରେ ଅଛି ଦଶ ହଜାର ଟଙ୍କା। ମାତ୍ର ସବୁ ହଜାର ଟଙ୍କିଆ ନୋଟ୍। କେତେ ଆଡୁ ନିରାଶ ଓ ଅପମାନିତ ହେଲିଣି ଏଇ ଖୁଚୁରା ସକାଶେ। ଏତିକି କହି ସେ ନିଜ ମନି ପର୍ସଟି କାଢି ବୁଢାଲୋକଟିକୁ ଦେଖେଇଲା। ପ୍ରକୃତରେ ସେତେବେଳକୁ କୁମୁଦର ମୁଣ୍ଡ କାମ କରିବା ବନ୍ଦ କରି ଦେଇଥିଲା। କଣ କହୁଛି ସେ ନିଜେ ମଧ୍ଯ ଜାଣି ନ ଥିଲା। କେବଳ ଏତିକି ଜାଣି ଥିଲା ; କିଛି ସମୟ ଭିତରେ କିଛି ନ ଖାଇଲେ ସେ ଚେତା ବୁଡି ଯିବ ସେଇଯାଗାରେ।
ବୁଢା ଲୋକଟି କିଛି ନ ବୁଝିଲା ପରି ଚାହିଁଲା କୁମୁଦକୁ। କହିଲା
…...ବାବୁ ହଜାର ଟଙ୍କିଆ ନୋଟ୍ ମୁଁ କେବେ ଦେଖିନାହିଁ। ତାକୁ ଖୁଚୁରା କଲେ କେତେ ଟଙ୍କା ହେବ ବି ଜାଣି ନାହିଁ। ମୋ ପାଖରେ କୁଆଡୁ ଆସିବ ଖୁଚୁରା। ତା ଉତ୍ତର ଶୁଣି କୁମୁଦ ଚୁପ୍ ହୋଇଗଲା। ଖାଲି ଏତିକି କହିଲା
...ଅଜବ ଏ ସହର, ଅଜବ ଏହାର ଲୋକ....ଛାଡ! ଭାଗ୍ଯରେ ଯାହା ଅଛି ଭୋଗିବାକୁ ହେବ।
ବୁଢା ନିଜ ଗଣ୍ଠିଲି ଭିତରୁ କିଛି ଖୋଜିବାରେ ଲାଗିଲା। କିଛି ସମୟ ପରେ କୁମୁଦ ହାତକୁ ଲୁଚା କୁଚାହୋଇଥିବା କିଛି ନୋଟ୍ ବଢେଇ ଦେଲା। କହିଲା
...ବାବୁ ଦେଖିଲୁ କେତେ ପଇସା ଅଛି। ବସ୍ ରେ ଯିବାକୁ ଆଣିଥିଲି। ତୁ ନେଇ ଯା। ମୁଁ ଆଜି ନ ହେଲେ କାଲି ଯିବି। ସେମିତି କିଛି ଦରକାର ନାହିଁ ଆଜି ଯିବା। ବନ୍ଧୁ ଘରକୁ ଯାଇ ଥାନ୍ତି। ତୁ ଯମା କିଛି ଭାବେନି, ଯାହା ଅଛି ନେଇ ଯା। ପରେ ସୁବିଧା ହେଲେ ମୋତେ ଫେରେଇ ଦେବୁ। ମୋତେ ସବୁ ଏଠି ବଟ ବୁଢା ବୋଲି ଡାକନ୍ତି। ଏଇ ଗାଁ ପାଖ ସ୍କୁଲ ଗେଟ୍ ପାଅରେ ବାଦାମ ବିକେ ମୁଁ। ଯାହାକୁ ପଚାରିବୁ ବଟ ବୁଢା ଘର କେଉଁଠି, ତୋତେ ନେଇ ପହଞ୍ଚେଇ ଦେବେ। ତୁ ଆଗ କିଛି ଖାଇ ଦେ।
କୁମୁଦ ଆଗ ପଛ ବିଚାର ନ କରି ବୁଢା ହାତରୁ ଟଙ୍କା ତକ ନେଇ ଗଣିଲା । ସେଥିରେ ଥିଲା ୯୫ ଟଙ୍କା। କହିଲା ମଉସା ତୁମେ ଏ ହଜାର ଟଙ୍କା ରଖିନିଅ, ମୁଁ ପରେ ଆସି ନେଇ ଯିବି । ମୋ ପାଇଁ ତୁମେ କଣ ପାଇଁ ହଇରାଣ ହେବ। ବୁଢା କହିଲା, ଥାଉ ବାବୁ। ତୁ ଯାଇ ଆଗ ଖାଇନେ। ମୁଁ ଅଛି ଏଇ ସହରରେ। ତୁ ମୋତେ ଏଇ ସହରରେ ପାଇବୁ ଯେବେ ଆସିବୁ। ମୋର ଟଙ୍କା ଦରକାର ନାହିଁ। ମୋ ଘର ଏଇ ପାଖରେ। ମୁଁ ଘରକୁ ପଳେଇବି। ତୁ ଖାଇ ସାରି ଆସେ। ମୁଁ ବସିଛି ଏଇଠି। ତୁ ଆସିଲେ ମୁଁ ଯିବି।
କୁମୁଦ ଏକ ରକମ ଦଉଡି ଗଲା ପାଖ ଦେକାନ କୁ। ସେଠିରେ ମନ ଭରି ଖାଇଲା। କେତେ ଆଶିର୍ବାଦ ଦେଲା ସେ ବୁଢା କୁ ମନେମନେ। ପେଟ ଶାନ୍ତ ହେଲା ପରେ ତାକୁ ସୁସ୍ଥ ଲାଗିଲା। ଦେହରେ ବଳ ବି ଆସିଲା। ହୋଟେଲ୍ ରେ ପଇସା ଦେଇ ସାରି ଦଉଡି ଆସିଲା ସେଇ ବେଞ୍ଚ ପାଖକୁ ଯେଉଁଠାରେ ବୁଢା ତାକୁ ଜୀବନଦାନ ଦେଇ ଥିଲା। ଆସି ଦେଖିଲା ବେଳକୁ ସେଠାରେ ସେ ଲୋକ ଟି ନ ଥିଲା। ବହୁତ୍ ଖୋଜିଲା ପରେ ବି ତାକୁ ଆଉ ପାଇଲାନି। ଏତିକି ବେଳକୁ ବସ୍ ହର୍ଣ୍ଣ ମାରିଲା। ତରତର ହୋଇ ବସ୍ ରେ ଚଢିଗଲା କୁମୁଦ। ତାକୁ ଦେଖି ବସ୍ କଣ୍ଡକ୍ଟର କହିଲା
...ବାବୁ ଖୁଚୁରା ହୋଇଗଲା। ଦିଅ ତୁମ ହଜାର ଟଙ୍କା ମୁଁ ଖୁଚୁରା କରି ଦେଉଛି।
କୁମୁଦ ଚୁପଚାପ ବଢାଇ ଦେଲା ହଜାର ଟଙ୍କା ଓ ତାକୁ ବଦଳାଇ କଣ୍ଡକ୍ଟର ଦେଲା ଦଶଟି ଚକଚକିଆ ଶହେ ଟଙ୍କିଆ ନୋଟ୍। କୁୁମୁଦ ଖୁସିରେ ସେ ନୋଟ୍ ଗୁଡିକୁ ଛାତିରେ ଧରି ପକେଇଲା। କଣ୍ଡକ୍ଟର କିଛି ବୁଝି ନ ପାରି ଚାହିଁ ରହିବା ଦେଖି କୁମୁଦ କହିଲା.....
ଭଲ ହେଲା ଏବେ ଖୁଚୁରା ଦେଲ, ନ ହେଲେ ସେ ମଣିଷ ରୂପୀ ଦେବତାଙ୍କର ଦର୍ଶନ ଆଜି ମିଳି ନ ଥାନ୍ତା। ଆଉ ଡେରି ନ କରି ସେ ଏକ ଟୁକୁରା କାଗଜରେ ଲେଖିଦେଲା “ ବଟ ବୁଢା, ମଣିଷରୁପୀ ଦେବତା”
ଆଜି ସେଇ ଦେବତା କୁ ଖୋଜୁଛି କୁମୁଦ ସହର ସାରା। ମାତ୍ର ବୋକାଟା ଏତିକି ଜାଣିନି ଯେ ଭଗବାନ ଏତେ ସହଜରେ ମିଳନ୍ତି ନାହିଁ ବୋଲି।
###### ସମାାପ୍ତ #######
No comments:
Post a Comment