ବନ୍ଦ
ଅରବିନ୍ଦ ରଥ
ଆରେ ରାକା, ତୋତେ ସିଂ ସାହେବ ଡାକିଛନ୍ତି। କଣ ଜରୁରୀ କଥା ଅଛି। ଏତିକି କହି ସିଂ ସାହେବଙ୍କର ଚାକର, ଅପେକ୍ଷା କରି ରହିଲା। କାଠ କବାଟ ଖୋଲି ବାହାରିଲା ରାକା। ରାତି ଅନ୍ଧାର ଠାରୁ ଆହୁରି କଳା ଦିଶୁଥିଲା ତା ଦେହ। ଉଚ୍ଚତା ପାଖାପାଖି ୬ ଫୁଟ୍ ଦୁଇ ଇଞ୍ଚ । କରସତ କରିକରି ତା ହାତ ଗୁଡିକ ଲୁହା ପରି ଶକ୍ତ। ବିଶାଳ ଛାତି ଓ ଚଉଡା କାନ୍ଧ। ଦେଖିଲେ ଲାଗିବ ସତେ କି ଜଣେ ମଲ୍ଲ ଯୋଦ୍ଧା ।
“ଆରେ ସପନି ବାବୁ। ଏତେ ରାତିରେ କୁଆଡେ ଆସିଛ?” ପଚାରିଲା ରାକା, ଭଦ୍ରତାର ସହ। କଣ ଏମିତି ଜରୁରୀ କାମ ପଡିଲା ଯେ ସାହେବ ରାତି ଅଧରେ ମନେ ପକେଇଲେ। ସପନି କହିଲା
-----କଣ ଗୋଟେ ଅତି ଜରୁରୀ କାମ ପଡିଛି ବୋଲି ସାହେବ ଡକେଇ ପଠେଇଲେ। ତୁ ତାଙ୍କ ପାଖକୁ ଗଲେ ସେ କହିବେ।
ରାକା କହିଲା “ ମୋ ସ୍ତ୍ରୀ ର ଦେହ ଖରାପ୍। ସାନ ଝିଅର ବୟସ ଜମା ଦୁଇ। ତା ଦେହରୁ ବି ତାତି ଛାଡୁନି। ସେଇଥି ପାଇଁ ଦୁଇ ଦିନ ହେଲା ଘରୁ କୁଆଡେ ବାହାରକୁ ଯାଇନି। ସାହେବ ଡାକୁଛନ୍ତି ଯଦି ଚାଲ ଯିବା ମାତ୍ର ଟିକେ ଜଲଦି ପଳେଇ ଆସିବା। ପା ଖ ପଡିଶା କେହି ନାହାନ୍ତି ଯତ୍ନ ନେବାକୁ। ଏତିକି କହି ରାକା ସପନି ସହ ଆସିଲା।
ସିଂ ସାହେବ ଆଖପାଖର ସବୁଠାରୁ ବଡ ଧନୀ ଲୋକ। ଘର ନୁହଁ ତ ରାଜ ଉଆସ। ଅସରନ୍ତି ସମ୍ପତ୍ତି। ବେପାର ସାଙ୍ଗକୁ ରାଜନୀତି ବି କରନ୍ତି। ରାକା ତାଙ୍କର ଡାହାଣ ହାତ। ସାହେବ ଆଖପାଖରେ ସୁଧ ବେପାର ବି କରନ୍ତି। ରାକା ଯାଏ ସୁଧ ଓ ମୂଳ ଅସୁଲ କରିବାକୁ। ରାକାର ବିଶାଳ ଶରୀର କୁ ଦେଖି ଅଧା ଲୋକ ପଇସା ଫେରେଇ ଦିଅନ୍ତି। ଆଉ ଯଦି କିଏ କଥା ନ ମାନେ ତେବେ ରାକା ମାଡପିଟ୍ କରିବାକୁ ପଛାଏ ନାହିଁ। ଯେନତେନ ପ୍ରକାରରେ ପଇସା ଆଣେ। ଥାନା ବାବୁ ତ ସାହେବଙ୍କ ଘର ଲୋକ ପରି। ଏତେ ବାଡିଆପିଟା କରି ମଧ୍ଯ ରାକା ନାମରେ କେବେ କେସ୍ ହେବା କଥା କେହି ଜାଣି ନାହାନ୍ତି। ସାହେବର ଯାହା ବି ଜରୁରୀ କାମ ପଡେ ଅାଗ ଖୋଜା ଯାଏ ରାକା କୁ।କାମ ବଦଳରେ ମୋଟା ଅଙ୍କର ପଇସା ପାଏ ସେ। କାମ କଲା ବେଳେ ଭୁଲ୍ ଠିକ ର ହିସାବ କେବେ ରଖିନି। କିଛି କଷ୍ଟ ନାହିଁ ତା ପାଇଁ। ଭୁଜାଲି, ତଲଓ୍ବାର ଚଲାଇବାରେ ଓସ୍ତାଦ୍ । ତା ସାଙ୍ଗକୁ ହାତରେ ସିଂହ ପରି ବଳ। ମାଡପିଟ୍ ହେଲେ ଏକୁଟିଆ ସେ ପଚାଶ୍ ଲୋକଙ୍କୁ ଧୁଳି ଚଟେଇ ଦେବାର ନଜିର ଅଛି।
ରାକା ପହଞ୍ଚି ଦେଖିଲା, ସାହେବ୍ ସୋଫାରେ ଚିନ୍ତାମଗ୍ନ ହୋଇ ବସି ଛନ୍ତି। ଆଗରେ ଠିଆ ହୋଇଛନ୍ତି ତାଙ୍କର ପାଳିତ ଗୁଣ୍ଡା ମାନେ। କିଛି ଗୋଟେ ଗମ୍ଭୀର ଆଲୋଚନା ଚାଲିଛି।
– – --- ଆରେ ରାକା ଆସ୍ , ତୋରି ଅପେକ୍ଷାରେ ଥିଲି ବହୁତ୍ ବଡ କାମ। ପଇସା ପାଇଁ ଚିନ୍ତା ନାହିଁ। କିନ୍ତୁ ବିଫଳ ହେଲେ ସବୁଠୁ ବଡ କ୍ଷତି ମୋର ହେବ। ଇଲେକ୍ସନରେ ଟିକେଟ୍ ବି ମିଳି ନ ପାରେ।
ରାକା ହାତ ଯୋଡି କହିଲା “ ହୁକୁମ କରନ୍ତୁ ହଜୁର୍ । ଆଜି ଯାଏ କିଛି ବି କାମ ରାକାକୁ ବଳେଇ ଯାଇନି। ତେଣୁ ଆପଣ ନିଶ୍ଚିନ୍ତ ରୁହନ୍ତୁ। ଯାହା କହିବେ ସେ କାମ ହେବ। ”
ସାହେବ ମୁହଁରେ ସଇତାନି ହସ।
– – ମୁଁ ଜାଣି ଥିଲି ରାକା ତୁ ସେଇଆ କହିବୁ। ତୋ ମୁହଁରୁ ଏଇ ଦି ପଦ କଥା ଶୁଣିବା ପାଇଁ ଏତେ ରାତିରେ ତୋତେ ଡକେଇଲି। ମନ ଟା ହାଲକା ହୋଇଗଲା। ଏବେ ଶୁଣ୍ କାମ ଟା କଣ।
କାଲି ସକାଳ ଛଅ ରୁ ରାତି ଛଅ ଓଡିଶା ବନ୍ଦ। ବସ୍ , ଟ୍ରକ୍, ଗାଡି, ଦୋକାନ, ସ୍କୁଲ, କଲେଜ୍ ସବୁ ବନ୍ଦ। ଚଢେଇ ଛୁଆ ଉଡିବେନି। ଉପରୁ ଆଦେଶ ଆସିଛି ଏମିତି କରିବା ପାଇଁ। ଯିଏ ନ ମାନିବ ରକ୍ତ ବୋହିବ। ମାରପିଟ୍ କର, ରକ୍ତ ବୁହାଅ, ହରଣଚାଳ କର, ଯାହା କରୁଛ କର ; କିନ୍ତୁ ବନ୍ଦ ସଫଳ ହେବା ଦରକାର। ଯାହା ହେବ ମୁଁ ବୁଝିବି। ରାକା, ତୋ ଉପରେ ରହିଲା ମେଡିକାଲ ଛକ। ବହୁତ ଅଧିକା ଦୋକାନ ବଜାର, ଆଉ ଲୋକଗହଳି ସେଇ ଯାଗାରେ। ଯେତକ ଦୋକାନୀ ସବୁ ମୋ ବିରୋଧି ଗୋଷ୍ଠୀର। ସବୁ ଥର ବଦମାସି କରନ୍ତ ସେମାନେ। ଆମକୁ ସବୁ ଜାଗାରେ ନୀଚା ଦେଖେଇବା ତାଙ୍କର ଅଭ୍ଯାସ। ସେମାନଙ୍କୁ ଏଥର ପାନେ ଦେବାକୁ ପଡିବ। ଯଦି କିଏ ବି କିଛି ବିରୋଧ କରନ୍ତି ସିଧା ଗଣ୍ଡି ରୁ ମୁଣ୍ଡ ଅଲଗା କରି ଦେବୁ। ହାଇକମାଣ୍ଡ ଙ୍କ କଡା ତାଗିଦା ଏଥର। ଯଦି ବନ୍ଦ ବିଫଳ ହୁଏ ,ତେବେ ମୋ ପାଇଁ ପାର୍ଟିର ଟିକେଟ ମଧ୍ଯ ମନା ହୋଇଯିବ। ତୋ ସାଙ୍ଗରେ ଆଉ କେତେ ଜଣଙ୍କୁ ବି ପଠେଇବି। ଯାହା ହତିଆର ଦରକାର ନେ, ବନ୍ଧୁକ, ବୋମା ସବୁ ନେ। ଯାହା ଇଛା କର, କିନ୍ତୁ ବନ୍ଦ ସଫଳ ହେବା ଦରକାର।
ଗୋଟେ କଥା ମନେ ରଖ ରାକା, ଏ ବନ୍ଦ ପାଳିଲା ବେଳେ ରକ୍ତ ଝରିବ ଆଉ ଟଙ୍କା ଉଡିବ। ବୋହିଲା ରକ୍ତ କୁ ମାଟି ପିଇ ଯିବ, ଆଉ ଉଡିଲା ଟଙ୍କାକୁ ତୁମ ମାନଙ୍କର ପକେଟ୍। ଏତିକି କହି ଅଟ୍ଟହାସ୍ଯ କରି ଉଠିଲା ସାହେବ୍ । ରାକା ଧିର ସ୍ବରରେ କହି ଆସୁଥିଲା “ ସାହେବ୍ ମୋ ସ୍ତ୍ରୀ ର ଦେହ ଖରାପ ଅଛି। ମୁଁ..... ନିଜ କଥାକୁ ପୂରଣ କରି ପାରିଲାନି ରାକା। ସାହେବର ଭୟଙ୍କର ଅଟ୍ଟହାସ୍ଯରେ ମିଳାଇ ଗଲା
ନିଜ ଚୌକିରୁ ଉଠିଲା ସାହେବ। ଗୁମାସ୍ତା କୁ ଡାକି କାନରେ କଣ ଫୁସଫୁସ କରି କହିଲେ।
ଗଲା ବେଳକୁ କହିଲେ, ତୁମ ମାନଙ୍କୁ କଣ କରିବାକୁ ହେବ ଗୁମାସ୍ତା ବୁଝାଇ ଦେବ। ଏବେ ସମସ୍ତଙ୍କୁ ଦୁଇ ହଜାର ଟଙ୍କା ମିଳିବ। ପୁଣି କାଲି ସଂନ୍ଧ୍ଯାରେ ବସିବା । ବନ୍ଦ ସଫଳ ହେଲେ କାଲି ରାତିରେ ହେବ ବିରାଟ ଭୋଜି, ଆଉ ଯଦି ବିଫଳ ହେବ …...., ସାହେବର ମୁହଁର ମାଂସପେଶୀ ଶକ୍ତ ହୋଇଗଲା। ସମସ୍ତଙ୍କ ଆଡକୁ ଗାମ୍ଭୀର୍ଯ୍ଯଭରା ଚାହାଁଣୀ ଦେଇ ଚାଲିଗଲା।
ଗୁମାସ୍ତା ସମସ୍ତଙ୍କୁ ପାଖକୁ ଡାକି କହିଲା ହାଇକମାଣ୍ଡଙ୍କ କଡା ତାଗିଦ୍।ବନ୍ଦ ସଫଳ କରିବାକୁ ହେବ। ନୋହିଲେ ପରିଣାମ ଭୟାବହ ବିରୋଧି ଲୋକ ଲାଗିଛନ୍ତି ଏ ବନ୍ଦ ବିଫଳ କରିବାକୁ। ସାହେବ କଣ କହିଲେ ସବୁ ଶୁଣିଲ। ଆଉ କଣ କହିବି। ଯଦି କିଛି ଓଲଟପାଲଟ ହେବ, ସାହେବ କାହାକୁ ଛାଡିବନି। ପାଣି ପରି ଟଙ୍କା ବୁହା ଚାଲିଛି। ପୋଲିସ, ବ୍ଯବସାୟୀ, ଗାଡି ମାଲିକଙ୍କ ପକେଟ କୁ ଯାଉଛି ଥାକଥାକ ଟଙ୍କା। ତଥାପି ସାହାସ କୁଳଉନି। ଟିକେଟ୍ କାଳେ ହାତରୁ ଚାଲି ଯିବ ସେଇ ଭୟରେ ସାହେବ ଆଖିରେ ନିଦ ନାହିଁ। ସବୁ ଯାତି ର ହାତ ହତିଆର, ବୋମା, ବନ୍ଧୁକ ସାହେବ ମଗେଇ ରଖିଛି। ଆଜି ରାତିରେ ସବୁ ଛକରେ ପହଞ୍ଚି ଯିବ ହତିଆର। ଭୋର ଚାରିଟା ବେଳକୁ କାମ ଆରମ୍ଭ। ସବୁ ପହଞ୍ଚି ଯିବ ଛକ ଗୁଡିକରେ। କାଗଜରେ ସମସ୍ତଙ୍କ ନାଁ ଆଉ କାହାକୁ କେଉଁ ଛକ ଦିଆ ଯାଇଛି ଲେଖା ଯାଇଛି। ଏତିକି କହି ସମସ୍ତଙ୍କ ହାତରେ ଦୁଇ ହଜାର ଲେଖାଏ ଧରାଇ ଦେଲା ଗୁମାସ୍ତା। ଗଲା ବେଳକୁ କହିଗଲା ଆମ ଲୋକ ମାନେ ପ୍ରତି ଛକରେ ମୋଟର ସାଇକେଲରେ ବୁଲିବେ। ପ୍ରତି କ୍ଷଣରେ ସାହେବ ନଜର ରଖିବ ତୁମ ଉପରେ। ତେଣୁ ହୁସିଆର ଥିବ। ଫୁସଫସ୍ କରି କହିଗଲା “ ଏଥର ସାହେବ ର ମୁଣ୍ଡକୁ ରକ୍ତ ଚଢି ଯାଇଛି, କିଛି ଭୁଲଭଟକା ହେଲେ କାହାକୁ ବି ଛାଡିବନି। ସିଧା ଶେଷ କରିଦେବ।
ରାକା ଆକାଶକୁ ଚାହିଁଲା। କାଳରାତ୍ରି ପରି ମନେ ହେଲା ତାକୁ। କଳା ଆକାଶରେ ଚିକମିକ୍ କରୁଥିବା ତାରା ମାନଙ୍କୁ ଚାହିଁ ଦୀର୍ଘଶ୍ବାସ ପକେଇଲା। ମନେମନେ ଭାବିଲା କେତେ ଭାଗ୍ଯବାନ ଏ ତାରା ସବୁ। ଦୁନିଆର ଅନ୍ତହୀନ ସମସ୍ଯା ଠାରୁ କେତେ ଦୂରରେ। ନୀରବ, ନିଶ୍ଚିନ୍ତ ଓ ଶାନ୍ତ ସେମାନେ। ଜହ୍ନ ନ ଥିଲା ବେଳେ, ଏଇମାନେ ତ ଚେଷ୍ଟା କରନ୍ତି ପୃଥିବୀ କୁ ଆଲୁଅ ଦେବା ପାଇଁ। ମନେ ପଡିଗଲା ପିଲା ଦିନେ ଶୁଣିଥିବା ଗପ ସବୁ ନିଜ ଜେଜେମାଆ ଠାରୁ। ଜେଜେମା ସଦା ବେଳେ କୁହେ “ ଆରେ ରାକା। ମୁଁ ସଦା ବେଳେ ତୋରି ପାଖରେ ଥିବି। ମଲା ପରେ ଆକାଶରେ ତାରା ହୋଇ ତୋତେ ଦେଖୁଥିବି, କେବେ ବି ଖରାପ ବାଟରେ ଯିବୁନି । ନୋହିଲେ ମୋ ମନ ବହୁତ ଦୁଖ ହେବରେ ପୁଅ।
----------ଆଜି ଜେଜେମା ତାରା ମାନଙ୍କ ଭିତରେ ଥାଇ ଦେଖୁଥିବ ମୋତେ। କଣ ହେଉ ଥିବ ତା ମନର ଅବସ୍ଥା। ମୋ ପରିସ୍ଥିତି ବୁଝୁଥିବ ନା ମୋତେ ଦୋଷ ଦେଉଥିବ। ହଠାତ୍ ଗାଲ ଉପରେ ଅନୁଭବ କଲା କିଛି ଉଷୁମ ଜିନିଷ। ହାତ ମାରିଲା ବେଳକୁ ଆଖିରୁ ଝରି ଆସୁଛି ଧାରଧାର ଲୁହ। ରାକା ବୁଝି ପାରିଲାନି କଣ ପାଇଁ ସେ କାନ୍ଦୁଛି ? ଜେଜେମା ର କଥା ଭାବି, ନା ପରିସ୍ଥିତିର ଚାପରେ, ନାଁ ଆଉ କିଛି ଅବ୍ଯକ୍ତ ବେଦନା।
ବଡବଡ ପାହୁଣ୍ଡ ପକେଇ ସେ ଚାଲିଲା ଘରକୁ। ମଝିରେ ମଝିରେ ଆକାଶକୁ ଚାହିଁ କହୁଥାଏ, ମୁଁ ବି ଯିବି ତୋ ପାଖକୁ , ସେଇ ଆକାଶକୁ। ମୋ ପାଇଁ ଟିକେ ଜାଗା ରଖିଥା। ଘରେ ପହଞ୍ଚି ରାକା ଦେଖିଲା ସ୍ତ୍ରୀ ଶେଯ ଉପରେ ବାନ୍ତି କରି ଅଚେତ ହୋଇ ପଡିଛି। ଝିଅ ତାର ସେଇ ବାନ୍ତି ଉପରେ ଶୋଇ ଶୀତରେ ଥରୁଛି। ସ୍ତ୍ରୀ କୁ ପାଣି ପିଆଇ ସାଷ୍ଟାମ କଲା ସେ। ଝିଅକୁ ସଫା କରି ପାଖରେ ବସି ଧିରେଧିରେ ଆଉଁସିଲା ସ୍ତ୍ରୀ ର ମୁଣ୍ଡକୁ। କବାଟରେ ଶୁଭିଲା ଠକଠକ୍ ଶବ୍ଦ। କବାଟ ଖୋଲି ଦେଖେ ତ ଶାଶୁ ଶ୍ବଶୁର ଆସି ପହଞ୍ଚିଛନ୍ତି। ରାକା ତାଙ୍କୁ ଦେଖି ଖୁସିରେ ଗଦଗଦ୍ ହୋଇଗଲା। କହିଲା ଯାହା ହେଉ ଆପଣ ମାନେ ଆସିଗଲେ। ଭଗବାନ ଆପଣଙ୍କୁ ପଠେଇଲେ ମୋ ପାଖକୁ। ମାଆ ଝିଅଙ୍କ ଦେହ ବହୁତ ଖରାପ। ତାତିରେ ଖଇ ଫୁଟିଯିବ। ଆସନ୍ତା କାଲି ଓଡିଶା ବନ୍ଦ। ନା ଡାକ୍ତର ପାଖକୁ ଯାଇହେବ, ନା ପାଖରେ ଅଛି ବଇଦ।
– ଶ୍ବଶୁର କହିଲେ “ ଆମ ଗାଁ ର ପିଲା ଟିଏ କହିଲା ଯେ ମାଆ ଝିଅ ଙ୍କର ଦେହ ଖରାପ ବୋଲି। ସେଇଥି ପାଇଁ ଆଜି ରାତି ରେ ଚାଲି ଆସିଲୁ। ଗାଡି ମଟର ମିଳିଲାନି। ବୁଢାବୁଢି ଦୁଇ ଜଣ ଚାଲିଚାଲି ପଳେଇ ଆସିଲୁ।”
ରାକା ମନେ ମନେ ତା ଶ୍ବଶୁରଙ୍କୁ ଅଶେଷ କୃତଜ୍ଞତା ଦେଉଥାଏ। ରାକା ନିଜ ଆଡୁ କହିଲା
“ମୋତେ ପାହାନ୍ତିଆରୁ ବାହାରି ଯିବାକୁ ହେବ।ସାହେବଙ୍କର କାମ। ଫେରିଲା ବେଳକୁ କାଲି ରାତି। ସାବିର ଜମା ହୋସ ଆସୁନି।ଝିଅର ଜ୍ବର ଟିକେ କମିଛି। ତଥାପି ଭରସା ନାହିଁ, ପୁଣି ବଢିପାରେ। ଡାକ୍ତରକୁ ଦେଖେଇ ସବୁ ଔଷଧ ଆଣିଛି। ତେଣୁ ବ୍ଯସ୍ତ ହେବାର କିଛି ନାହିଁ।”
ଏତିକି କହି ରାକା ଶ୍ବଶୁର ହାତରେ କିଛି ପଇସା ଧରେଇ ଦେଲା। କହିଲା ଦରକାର ହେଲେ ଖର୍ଚ୍ଚ କରିବେ। କିନ୍ତୁ କାଲିଦିନ ସାରା ଜମା ବି ପଦା କୁ ବାାରିବେନି। ଭୀଷଣ ଗଣ୍ଡଗୋଳ ହେବାର ଆଶଙ୍କା ଅଛି।
ଶ୍ବଶୁର ରାକାର ପିଠି ଥାପୁଡାଇ କହିଲେ “ ତୁମେ ଜମା ବ୍ଯସ୍ତ ହେବନି ପୁଅ, ସବୁ ଠିକ ହୋଇଯିବ।ଆମେ ଆସିଲୁ ପରା ସେଇଥିପାଇଁ। କିନ୍ତୁ ପୁଅ ତୁମେ କୁଆଡେ ଯିବ ଏ ବନ୍ଦ ସମୟରେ?
ସେ କିଛି ଖୋଲି କହି ପାରିଲାନି। ଖଲି ଏତିକି କହିଲା ସାହେବ ପାଖରେ ରହିବାକୁ ହେବ। କାମ କିଛି ନାହିଁ। ମାତ୍ର ଯିବାକୁ ହେବ। ଶ୍ବଶୁର ମୁଣ୍ଡ ହଲାଇ ସମ୍ମତି ଦେଲେ। ବେକା ଲୋ ସେ। ନିରିହ ପ୍ରଶ୍ନ ଟିଏ ପଚାରିଲେ।
“ ଆଚ୍ଛା ପୁଅ ଏ ବନ୍ଦ କଣ ପାଇଁ ହୁଏ। ବନ୍ଦ ହେଲେ ତ ଆମର କ୍ଷତି ହୁଏ ସଦା ବେଳେ। ତେବେ ଲାଭ ହୁଏ କାହାର। ଲୋକ ତ ନାହିଁ ନ ଥିବା ହଇରାଣ ହୁଅନ୍ତି। ଗାଡି ଭାଙ୍ଗେ, ଦୋକାନ ଜଳେେ, ଘର ପୋଡେ, ବନ୍ଦ କରିବା ଲୋକ ମାନେ ମୁହଁରେ କଥା ନ ହୋଇ ଖଣ୍ଡା ତଲଓ୍ବାରରେ କଥା ହୁଅନ୍ତି। ରକ୍ତ ଝରେ, ଝିଅ ବୋହୁଙ୍କ ଇଜ୍ଜତ ମାଟିରେ ମିଶେ। ଗାଡି ମଟର ସବୁ ବନ୍ଦ ହେବାରୁ ନା କୁଆଡେ ଯାଇ ହୁଏ, ନା ଆସି ହୁଏ। ଘରେ କିରାସିନି କି ଚାଉଳ ସରିଗଲେ, ହାତ ଗୋଡ ବାନ୍ଧି ବସିବାକୁ ପଡେ ଭୋକ ଉପାସରେ। କିଛି ନ ମାନି ବାହାରକୁ ବାହାରିଲେ ପଥର ମାଡରେ ମୁଣ୍ଡ ଫାଟିବ, ନ ହେଲେ ଭୁଜାଲି ଚୋଟରେ ବେକ କଟିବ।ତେବେ କଣ ପାଇଁ ଏ ବନ୍ଦ। ” ଏକ ନିଶ୍ବାସରେ କହିଗଲେ ବୁଢା। ପୁଣି କହିଲେ...
---- ଗଲା ବର୍ଷ ରାଧୁ ସାରଙ୍କ ପୁଅକୁ ସାପ କାମୁଡି ଥିଲା। ସେଦିନ ଭାରତ ବନ୍ଦ ଥିଲା। ଚାରିଆଡେ ଖାଲି ଧ୍ବଂସର ତାଣ୍ଡବ। ସେତିକି ବେଳେ ରାଧୁ ଜୀବନ ବିକଳରେ ନିଜ ପୁଅକୁ କାନ୍ଧରେ ପକେଇ ଦଉଡିଲା ଡାକ୍ତରଖାନାକୁ। ଆମେ ଦଉଡିଲୁ ତାଙ୍କ ପଛେପଛେ। କୁଆଡୁ ଆସିଗଲେ ଦଳେ ଗୁଣ୍ଡା, ହାତରେ ତଲଓ୍ବାର ଓ ଠେଙ୍ଗା ଧରି। ଆମେ କିଛି କହିବା ପୂର୍ବରୁ ବାଡେଇ ନେଲେ ଆମ ସମସ୍ତଙ୍କୁ ଗୋରୁ ଗାଈ ପରି।
କହିଲେ “ ତୁମ ଜୀବନ କୁ ଡର ନାହିଁ, ଯେ ବନ୍ଦ ଥିଲା ବେଳେ ବାହାରକୁ ବାହାରୁଛ। ଚୁପଚାପ ଘରକୁ ଫେରି ଯାଅ, ନୋହିଲେ ବେକ କାଟି ରାସ୍ତାରେ ଫିଙ୍ଗି ଦେବୁ। ”
ରାଧୁ କେତେ ନେହୁରା ବିକଳ ହୋଇ କହିଲା ଯେ ତା ପୁଅ କୁ ସାପ କାମୁଡି ଦେଇଛି। ଦେହରେ ଜୀବନ ଅଛି। ଡାକ୍ତର ପାଖକୁ ନେଲେ ପିଲାଟି ବଞ୍ଚିଯିବ। ମାଟିରେ ଗଡି ଗଡି ସେ ଗୁଣ୍ଡାଙ୍କର ଗୋଡହାତ ଧରି କେତେ କାନ୍ଦିଲା। ପୁଅ ପାଟିରୁ ଫେଣ ବାହାରି ଆସୁଥାଏ, ଦେହ ନୀଳ ହୋଇ ଯାଉଥାଏ। ରାଧୁ କହୁଥାଏ, ଆରେ ପିଲେ ତୁମ ମାନଙ୍କୁ ମୁଁ ସ୍କୁଲରେ ପଢେଇଛି। ମୋରି ପିଲା ତୁମେ ମାନେ । ଏ ବୁଢା ମଣିଷଟାକୁ ଏମିି ହନ୍ତସନ୍ତ କରନାହିଁ। ମୋର ସବୁ ଟଙ୍କାପଇସା ନେଇ ଯାଅ। ମୋ ପୁଅଟାକୁ ଟିକେ ଦୟା କର। ଡାକ୍ତର ପାଖକୁ ଗଲେ ବଞ୍ଚିଯିବ ସେ।
ସେଇ ଗୁଣ୍ଡା ଭିତରୁ ଜଣେ କହିଲା--ଡାକ୍ତର ପାଖକୁ ଯିବା କଥା ଭୁଲି ଯା। ଆଜି କେହି କୁଆଡେ ନାହାନ୍ତି। ସବୁ ଆମ ଡର ରେ ଘର ଭିତରେ ତାଲା ପକେଇ ବସିଛନ୍ତି। ତୁ ଏକୁଟିଆ ମରଦପଣିଆ ଦେଖାନି। ଚୁପ୍
ଚାପ୍ ପଳା ଏଠୁ। ଆଉ ଜଣେ ଛିଗୁଲେଇ କହିଲା-- ଆରେ ମିଛ କଥା କହନି ଜମା। ଆଜି ଆମ ପାର୍ଟି ବନ୍ଦ ଡାକରା ଦେଇଛି ମାନେ ସାପ ବି ଗାତରୁ ବାହାରିବନି। ତେବେ ତୋ ପୁଅକୁ ସାପ କାମୁଡିଲା କେମିତି। ଏମିତି କହି ହୋଃ ହୋଃ ଅଟ୍ଟହାସ୍ଯ କଲେ ସବୁ।
ତାଙ୍କ ଭିତରୁ ଜଣେ ଅଳ୍ପ ବୟସର ପିଲା କହିଲା ଆରେ ରାଧୁ ତୋ ପୁଅ ମରିବନି ରେ, ଜମା ଡରନି।
--- ତୋ ତୁଣ୍ଡ ସୁତୁଣ୍ଡ ହେଉ , ମୋ ପୁଅ ଟି ବଞ୍ଚିଯାଉ। କିନ୍ତୁ କେମିତି.. ପଚାରିଲା ରାଧୁ।
ପିଲା ଟା ଆହୁରି ଯୋରରେ ହସି ହସି କହିଲା ଆରେ ଆଜି ଏ ବନ୍ଦ ପାଇଁ ଯମରାଜା ବି ଆସିବନି। ଯଦି ଆସିବ ତାକୁ ଲଙ୍ଗଳା କରି ମଇଁଷି ପିଠିରେ ବସେଇ ନର୍କକୁ ପଠେଇ ଦେବୁ। ଏବେ କହ ତୋ ପୁଅର ପ୍ରାଣ ନେବ କିଏ....
---ଏମିତି ଅନ୍ଯାୟ କରନି , ଭଗବାନ ସହିବେନି। ଯଦି ମୋ ପୁଅର କଣ ହେଇ ଯାଏ ତୁମେ ସବୁ ନର୍କରେ ସଢିବ। ବିକଳ ହୋଇ କହିଲା ରାଧୁ।
ସେଇ ଭିତରୁ ଜଣେ ମୋଟାସୋଟା ଗୁଣ୍ଡା କହିଲା “ ଆବେ ଚୁପ୍ କର, କେତେ ବକବକ ହେଉଛୁ। ପୁଅ ମଲେ ମରିବ। ଆଉ ଗୋଟେ ଜନ୍ମ କରି ଦେବୁ। ଶଳା ଦେଶର ଅବସ୍ଥା ଏଠି କଣ ଜାଣିଛୁ? ସେଇଥି ପାଇଁ ତ ଏ ବନ୍ଦ। ଆଜି ଲୋକେ ନିଶ୍ବାସ ନେଲେ ବି ତାହା ବନ୍ଦ କରିଦେବୁ। ତେବେ ଯାଇ ସରକାର ଶୁଣିବ ଆମ କଥା। ତୋ ପୁଅ କଣ, ଆଜି ଯଦି ହଜାରେ ଲୋକଙ୍କୁ ସାପ କାମୁଡେ, ସବୁ ମରିବେ । ମରୁ ଶଳା, ଶହୀଦ ହେଇଯାଉ ଆମ ବନ୍ଦ ପାଇଁ।
ଏ ସବୁ ଘଟଣା ହେବା ବେଳେ ଅତି ଅଳ୍ପ ଦୂରରେ ପୋଲିସ ଠିଆ ହୋଇ ସବୁ ଦେଖୁଥିଲା। ମାତ୍ର କିଛି ନ ଦେଖିଲା ପରି ଅଭିନୟ କରୁଥିଲା। ସେଇ ଭୁଇଁରେ ପଡିପଡି ପିଲାଟିର ଜୀବନ ଛାଡିଗଲା। ପୁଅର ଶବକୁ କୋଳେଇ ଛାତି ଫଟେଇ କାନ୍ଦିଲା ରାଧୁ। ଆମ ଆଖିରୁ ଧାରଧାର ଲୁହ ଝରି ଯାଉଥାଏ। କଣ ସବୁ ଘଟିଗଲା ଜାଣିବା ଆଗରୁ, ଆଉ ଥୋକେ ଗୁଣ୍ଡା ଆସି ଆମ ସମସ୍ତଙ୍କୁ ବାଡେଇ ବାଡେଇ ଘଉଡେଇ ଦେଲେ।
ସେଇ ଦିନ ଠାରୁ ରାଧୁ ପାଗଳ ହୋଇ ଯାଇଛି। ଗାଁ ଦାଣ୍ଡରେ ବିକଳ ହୋଇ ହାତରେ ପତାକା ଖଣ୍ଡେ ଧରି କହି ବୁଲୁଛି “ ସବୁମରିବ, ଆଜି ପରା ଭାରତ ବନ୍ଦ ଚାଲିଛି। ”
ତା ମାନେ କଣ ବନ୍ଦର ଅର୍ଥ ଲୋକଙ୍କୁ ମାରିବା। ଦରିଦ୍ର ଅସହାୟ ଲୋକର ମଜା ଉଡେଇବା। ବନ୍ଦ ହେଲେ ସବୁ ଠୁ ବେଶୀ କ୍ଷତି ହୁଏ ସାଧାରଣ ଲୋକର। ତେବେ କଣ ପାଇଁ ସେମାନେ ବି ଆଗେଇ ଆସନ୍ତି ଏ ବନ୍ଦ ପାଇଁ। କଣ ଦଶ ବାରଟା ଗୁଣ୍ଡାଙ୍କର ସାମନା ଲୋକେ କରି ପାରନ୍ତିନି। ଏତିକି କହି ବୁଢା ଚୁପ୍ ହୋଇଗଲା। ମୁହଁଟା ଗମ୍ଭୀର ଦିଶିଲା। ରାକାର କାନ୍ଧ ଉପରେ ହାତ ପକେଇ କହିଲା--
ପୁଅ ଆଜିବି ଛାତି ଭିତରଟା ମୋର ଜଳୁଛି। ସେଦିନ ରାଧୁର ପୁଅ ଛଟପଟ ହୋଇ ମାଟିରେ ଗଡିଲା ବେଳେ ମୁଁ ଠିଆ ହୋଇଥିଲି ସେଇ ଗୁଣ୍ଡା ମାନଙ୍କୁ ଡରି। ମନ ହେଉଥିଲା ନିଆଁ ଲଗେଇ ଦେବାକୁ ସେମାନଙ୍କ ଦେହରେ। ଆଜି ଭାବୁଛି ଯେ ମୁଁ ବି ସେଇ ଡରୁଆ ଲୋକମାନଙ୍କ ଭିତରୁ ଜଣେ, ଯିଏ ମାଇଚିଆ ପରି ଠିଆ ହୋଇଥିଲା, ହାତ ଯୋଡି ଗୁଣ୍ଡା ମାନଙ୍କ ସାମ୍ନାରେ। ଆଜି ବି ମନ ଭିତରଟା ଜଳି ପୋଡି ଯାଉଛି ସେ ଘଟଣାଟି ମନେ ପଡିଲେ।ପିଲାଟା ମୋ ଆଗରେ ମରିଗଲା, ମୁଁ କିଛି ବି କରି ପାରିଲିନି। ଏବେ ବି ରାଧୁର ସେ ଚେେହେରାଟା ଜଳଜଳ ହୋଇ ନାଚି ଯାଉଛି ମୋ ଆଗରେ।
ଏତିକି କହି ବୁଢାର ପାଉଁଶିଆ ଆଖି ଯୋଡିକରେ ଲୁହ ଜକେଇ ଆସିଲା। ଲଣ୍ଠନର ଝାପସା ଆଲୁଅରେ ସେ ଲୁହ, ତରଳ ସୁନା ପରି ଚିକଚିକ୍ କରୁଥିଲା।
ରାକାର ଛାତି ଭତରଟା ମନ୍ଥି ହୋଇଗଲା ପରି ଲାଗିଲା। ତା ଆଖି ଆଗରେ ନାଚି ଗଲା ସେ କରି ଥିବା ଅପରାଧର ଲମ୍ବା ତାଲିକା। କେତେ ଲୋକଙ୍କୁ ବାଡେଇଛି, ରକ୍ତ ବୁହାଇଛି ତାର ହିସାବ ନାହିଁ। କାଇଁ ଦିନେ ବି ତା ମନରେ ଏମିତି ଭାବାନ୍ତର ହୋଇ ନାହିଁ। ଜୀବନରେ ପ୍ରଥମ ଥର ପାଇଁ ସେ ଅନୁଭବ କଲା ଯେ ଯେତିକି ରକ୍ତ ସେ ବୁହାଇଛି, ତା ଠାରୁ କାହିଁ କେତେ ଗୁଣ ଅଧିକା ଲୁହ ଝରାଇଛି। ମନ ଭିତରେ କେମିତି ଗୋଟେ ଡରୁଆପଣ ସେ ଅନୁଭବ କଲା। ଯଦି ବନ୍ଦ ସମୟରେ ତା ସ୍ତ୍ରୀ ବା ଝିଅର କିଛି ଅସୁବିଧା ହୁଏ ? କଣ ସେମାନଙ୍କ ଅବସ୍ଥା ବି ରାଧୁ ପୁଅ ପରି ହେବ...
ତା ମନର ବ୍ଯସ୍ତତା ଠଉରାଇ ପାରିଲା ବୁଢା। କହିଲା “ ତୁମେ ଟିକେ ଗଡି ପଡ ପୁଅ। ମୁୁଁ ତୁମକୁ ଉଠେଇ ଦେବି”
ଚୁପଚାପ୍ ରାକା ଗଡି ପଡିଲା ମସିଣା ଉପରେ। ଆଖିରେ ନିଦର ନାମ ଗନ୍ଧ ନାହିଁ। ଆଖି ଆଗରେ ଖାଲି ନାଚୁଛି ଗୋଟେ ବୁଢା ଲୋକର ଚେହେରା ଯିଏ ନିଜ ପୁଅର ଶବ ଧରି କାନ୍ଦୁଛି ଓ କହୁଛି “ ମୋ ପୁଅ କୁ ସାପ ନୁହଁ, ବନ୍ଦ ମାରିଦେଲା। ”
ସ୍ତ୍ରୀ ଦେହରେ ହାତ ପକେଇ ଦେଖିଲା , ତାତି ଟିକେ କମିଛି। ସବୁ ଚିନ୍ତାରୁ ମୁକ୍ତ ହୋଇ ଶୋଇଛି ସେ ଗାଢ ନିଦରେ। ଝିଅ କୁ ଗେଲ କରି କହିଲା
---ମାଆଲୋ ଜଲଦି ଭଲ ହୋଇଯା। ତୋତେ କେତେ ଜାଗା ବୁଲେଇ ନେବି, ଖେଳନା କିଣି ଦେବି।
ମନେମନେ ଭାବିଲା ରାକା। ଯଦି ଏ ସବୁ କାମ ଛାଡି ମେହେନତ କରିବ। ଅନ୍ଯ ଦେହରୁ ରକ୍ତ ନ ଝରାଇ ନିଜ ଦେହରୁ ଝାଳ ବୁହେଇ ପଇସା କମେଇବ, ତେବେ କଣ ସେ ଶାନ୍ତି ପାଇବ। ନାଃ ଆଉ ନୁହେଁ। ଏ ପାାପର ପଙ୍କ ରେ ସେ ଆଉ ଘାଣ୍ଟି ହେବନି। ଆଜି ପରଠାରୁ ସେ ନିଜ ଶିଙ୍ଗରେ ମାଟି ତାଡିବ। ମୂଲ ଲାଗିବ, ପଥର ହାଣିବ, ପେପର ବିକିବ.... କିଛି ବି କରିବ କିନ୍ତୁ ଅନ୍ଯାୟ କରିବ ନାହିଁ।
କେତେ ଥର କଡ ଲେଉଟାଇଲା ପରେ ରାକା ବାହାରକୁ ଆସିଲା। ଚାହିଁଲା ଆକାଶ କୁ। ସକାଳ ହେବାକୁ ଆହୁରି ସମୟ ଅଛି। ଆକାଶରେ ତାରା ମାନଙ୍କର ସମ୍ଭାର। ଭସା ବାଦଲ ସବୁ ତାରା ମାନଙ୍କୁ ଲୁଚେଇ ବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ କିଛି କ୍ଷଣ ପରେ ବାଦଲ ଅପସରି ଯାଉଛି ଓ ତାରା ମାନେ ସେଇ ହସହସ ମୁହଁରେ ଦେଖୁଛନ୍ତି ତାକୁ। ଆକାଶରେ ସୂର୍ଯ୍ଯ ଉଦୟ ହୋଇନାହିଁ କିନ୍ତୁ ତା ମନ ଆକାଶରେ ଆଜି ନୂତନ ସୂର୍ଯ୍ଯ ଉଇଁଲା ପରି ଲାଗୁଛି। ଏ ସୂର୍ଯ୍ଯ ଆଣିଛି ଚେତନାର ନୂଆ ଆଲୋକ। ଯାହା, ତା ମନରେ ଥିବା ପାପ ଅନ୍ଧକାରକୁ ଦୁରେଇ ବାରେ ଲାଗିଛି। ପାପର ବାଦଲକୁ ଅପସାରି ଦେଇ ପୂଣ୍ଯର ତାରା ମାନଙ୍କୁ ପୁଣିଥରେ ଚମକାଇ ବାକୁ ହେବ।
ରାକା ଘରେ ଲୁଚେଇ ରଖିଥିବା ହାତ ହତିଆର ସବୁ କୁ ଆଉ ଥରେ ପରଖି ନେଲା। ତାକୁ ଏବେ ବାହାରିବାକୁ ପଡିବ। ଯୁଦ୍ଧକ୍ଷେତ୍ରକୁ ଗଲା ପରି ବେଶ ବାନ୍ଧିଲା। ମୁଣ୍ଡରେ ପଗଡି ଓ ବଡ ସିନ୍ଦୁର କଲି କପାଳରେ। ରଙ୍ଗ ଛାଡି, ମୁହଁ ଝାପସା ଦିଶୁଥିବା ଜଗନ୍ନାଥଙ୍କର ଫଟୋ କୁ ମୁଣ୍ଡିଆ ମାରିଲା ବେଳକୁ ଶ୍ବଶୁର ଆସି ପହଞ୍ଚିଲେ।
---ପୁଅ ନିଶ୍ଚିନ୍ତ ହୋଇ ଯାଅ। ଜଗନ୍ନାଥ ସବୁ ଠିକ୍ କରିବେ। ସାବି ଆଉ ସାନ ଝିଅ ପାଇଁ ବ୍ଯସ୍ତ ହେବନି। ମୁଁ ତାଙ୍କ ପାଖେପାଖେ ଅଛି।
ରାକା ଲମ୍ବା ପାହୁଣ୍ଡ ପକେଇ ବାହାରିଲା ରାସ୍ତକୁ। ଶେଷ ଥର ପାଇଁ ଚାହିଁଲା ଆକାଶ କୁ।
---- ଜେଜି , ଏଇ ଶେଷ ଥର ପାଇଁ ମୁଁ ଯାଉଛି ଅବାଟରେ। ଆଜି ପରଠାରୁ ଏ ସଇତାନି କାମ ସବୁ ଦିନ ପାଇଁ ବନ୍ଦ କରିଦେବି। ଆଜି ଦିନଟା ମାଫ୍ କରିଦେବୁ।
ଛକରେ ପହଞ୍ଚିଲା ବେଳକୁ ସାହେବର ଅନ୍ଯ ଗୁଣ୍ଡା ମାନେ ବସିଥାନ୍ତି। ଭୀମା, ଶଙ୍କର, ଜଗା ଓ ଆହରିି ଅନେକ। ସମସ୍ତଙ୍କ ନାମରେ ଥିବା ଅପରାଧର ତାଲିକା ବେଶ ଲମ୍ବା। ହତ୍ଯା, ଧର୍ଷଣ, ରାହାଜାନି, ଲୁଟପାଟ୍ ଓ ଆହୁରି ଅନେକ ଅପରାଧର ବରଣମାଳାରେ ସବୁ ସଜେଇ ହୋଇ ଥାଆନ୍ତି।
--- ଆସ ରାକା ଭାଇ, ତୁମ ଅପେକ୍ଷାରେ ଥିଲୁ ସବୁ। ଖେଳ ଆଜି ଜମେଇକି ହେବ। ଦିନରେ ରକ୍ତର ହୋଲି ଆଉ ରାତିରେ ସାହେବ ଘରେ ଦୀପାବଳି।
କିଛି ନ କହି ରାକା ସେମାନଙ୍କ ଆଡେ ଟିକେ ଦେଖିଲା।
“ଖରାପ ଭାବିଲ କି ଭାଇ, ମଜା କରୁଥିଲି ମ”... କହିଲା ଶଙ୍କର।
ଶଙ୍କର ସାହବର ସାର୍ପ ସୁଟର ଭିତରୁ ଜଣେ। ତା ଲକ୍ଷ୍ଯ ଅବ୍ଯର୍ଥ। ବନ୍ଧୁକରୁ ଥରେ ଗୁଳି ଛୁଟିଲେ ଜୀବନ ବଞ୍ଚାଇବାର ଅବକାଶ ବି ମିଳେନି। ସମସ୍ତେ କୁହନ୍ତି ଶଙ୍କର କଥା କମ କୁହେ ଆଉ ଗୁଳି ମାରେ ବେଶି। ତେଣୁ ତାକୁ ଦେଖିଲେ ବଡବଡ ଗୁଣ୍ଡାମାନେ ବି ପ୍ରମାଦ ଗଣନ୍ତି।
--- ସାହେବର କଡା ତାଗିଦ। କାହାକୁ ଜଖମି କରି ଛାଡିବନି। ସିଧା ଶେଷ କରିଦେବ। ଜୀବନ ଥିଲେ ସିନା କହିବ ତାକୁ କିଏ ମାରିଲା ବୋଲି। ତେଣୁ ହାତ ହତିଆର ଧରି ସବୁ ସଜାଗ ରୁହ। କିଏ ବି ବିରୋଧ କଲେ, ଯମପୁର ପଠେଇବାର ବ୍ଯବସ୍ଥା ସାଙ୍ଗେସଙ୍ଗେ କର। କହିଲା ଭୀମା।
ରାକା ନିଜ ମାଂସପେଶୀକୁ ଦୃଢ କରି କହିଲା “ ରାକାର ହାତ ହିଁ ଯଥେଷ୍ଟ। ଥରେ ଯିଏ ୟା କବଜାରେ ପଡିବ ହାଡଗୋଡ ଚୁନା ହୋଇଯିବ।” ଚୁପ୍ ହୋଇଗଲା ଭୀମା।
ଛକରେ କିଛି ଦୋକାନୀ ଆସି ବୁଲାବୁଲି କରୁଥିଲେ। ସାଙ୍ଗେସାଙ୍ଗେ ଭୀମା “ ମାର ଶଳାଙ୍କୁ”କହି ଦଉଡି ଗଲା। ସେମାନେ ଭୟରେ ଛତ୍ରଭଙ୍ଗ ଦେଲେ। ଚିତ୍କାର କରି କହିଲା
– ଆବେ ତୋ ସାଙ୍ଗସାଥୀଙ୍କୁ କହିଦେବୁ ଏ ଛକ କୁ ଯିଏ ଆସିବ ସିଧା ଶେଷ କରିଦେବି।
ରାକା ହସି ପକେଇଲା।
ଚିହିଁକି ଉଠିଲା ଭୀମା। କହିଲା ଆବେ ହସୁଛୁ କଣ ? କଣ ତାମସା ଚାଲିଛି ବୋଲି ଭାବୁଛୁ ନାଁ କଣ?
ରାକା ମୁଣ୍ଡକୁ ପିତ୍ତ ଚଢିଗଲା।
–--ମୁହଁ ସମ୍ଭାଳି କଥାବାର୍ତ୍ତାକର ଭୀମା। ନୋହିଲେ ତୋ ଠୁ ମୁଣ୍ଡ ଗଡେଇବା ଆରମ୍ଭ କରିଦେବି।
ଦୁଇ ଜଣଙ୍କୁ ଅନ୍ଯମାନେ ରଖେଇ ଦେଲେ। ନହେଲେ ଭୟଙ୍କର ମାଡପିଟ୍ ହୋଇ ଯାଇଥାନ୍ତା।
ଭୀମା ସମ୍ଭାଳି ପାରେନି ରାକାକୁ। କାରଣ ସାହେବ ସଦାବେଳେ ରାକା କୁ ଅଧିକ ଗୁରୁତ୍ବ ଦିଏ।
ସଦାବେଳେ ରାକା ବିରୁଦ୍ଧରେ ସାହେବକୁ କୁହେ । ମାତ୍ର ସାହେବ ଜାଣିଛି କିଏ କଣ। ତେଣୁ ରାକା ପାଇଁ ମନରେ ଅଛି ସ୍ବତନ୍ତ୍ର ସ୍ଥାନ।
ସମୟ ଆସି ଆଠଟା। ସାହେବର ଜଣେ ଅନୁଚର ପାଟି କରି କହିଲା। ଭାଇ ମାନେ ଏବେ ଖେଳ ଆରମ୍ଭ ହୋଇଯିବ। ସବୁ ସଜାଗ ରୁହ। ଏତିକି ବେଳକୁ ରାକା ଦେଖିଲା ଦଶ ବାର ଜଣ ଲୋକ ହାତରେ ଖଣ୍ଡା ତଲଓ୍ବାର ଧରି ତାଙ୍କ ଆଡକୁ ମାଡି ଆସୁଛନ୍ତି। ବୁଝିବାକୁ ବାକି ରହିଲାନି ଯେ ଏମାନଙ୍କୁ ଖବର ଦେଇଛନ୍ତି ସେଇ ଦୋକାନୀ ମାନେ ଯେଉଁ ମାନଙ୍କୁ ଭୀମା ଘଉଡେଇ ଥିଲା। ସାହେବର ଗୁଣ୍ଡାମାନେ ହତିଆର ଧରି ପ୍ରସ୍ତୁତ ହୋଇଗଲେ ଯୁଦ୍ଧ ପାଇଁ।
ଦୁଇ ପଟୁ ଚିତ୍କାର କରି ଦଉଡି ଆସିଲେ ପରସ୍ପରକୁ ଆକ୍ରମଣ କରିବା ପାଇଁ।
ଏତିକି ବେଳକୁ କୁଆଡୁ ଥିଲା, ପୋଲିସ ଗାଡି ଆସି ପହଞ୍ଚଗଲା। ପୋଲିସ ଧମକେଇ କହିଲା କିଏ ବି ନିଜ ଜାଗାରୁ ହଲିଲେ ଗୁଳି କରି ଉଡେଇଦେବି।
ସାମନା ପଟୁ ଦଉଡି ଆସୁଥିବା ଲୋକ ମାନେ ଯାଗା ଛାଡି ପଳେଇଲେ।
ସାହେବର ଗୁଣ୍ଡା ମାନେ ହାତଯୋଡି ଗଲେ ପୋଲିସ ପାଖକୁ। ଜଣେ କହିଲା ସାର ଗୁଳି କରିବେ ଯେ ଆଗ ସାହେବ ପଠେଇଥବା ପ୍ରସାଦ ଟିକେ ପାଇ ଦିଅନ୍ତୁ। ପୋଲିସ ମୁହଁରେ କୁଟୀଳ ହସ।
ଇସାରା ପାଇ ରାକା ହାତରେ ଏକ କାଗଜ ଠୁଙ୍ଗା ଧରି ପୋଲିସ ପାଖକୁ ଗଲା। ହାତରୁ ନେଇ ପରଖିନେଲା ପରେ ପୋଲିସ କହିଲା
–- ଆବେ, ତୋ ସାହେବକୁ କହିଦେବୁ ପ୍ରସାଦ ଟିକେ ବେଶି ଦେବ। ନୋହିଲେ ମୋର ଅଧାରୁ ଅଧିକ କର୍ମଚାରୀ ଟିକେ ବି ପ୍ରସାଦ ପାଇବେନି। ସକାଳ ପ୍ରସାଦ ତ ଗଲା। ଏବେ ଦିହି ପହର ଖାଇବା, ସନ୍ଧ୍ଯା ଜଳଖିଆ ଓ ରାତ୍ରୀ ଭୋଜନଟା ବେଶ ଭଲରେ ପଠେଇବାକୁ ମନେ କରି କହିଦେବ। ପୋଲିସ ଗାଡି ଧୂଆଁ ଉଡେଇ ଚାଲିଗଲା। ଶାନ୍ତିରେ ନିଶ୍ବାସ ମାରିଲେ ସାହେବର ଗୁଣ୍ଡା ମାନେ।
ଡାକ୍ତରଖାନା ପିଣ୍ଡାରେ ଲାଗିଥିବା ଘଣ୍ଟାକୁ ଚାହିଁଲା ରାକା। ସମୟ ଆସି ଦଶ ଟା ହେଲା। କେହି କୁଆଡେ ନାହାନ୍ତି। ରାତିରେ ନ ଶୋଇ ଥକା ଲାଗୁଥିଲା। କାନ୍ଥକୁ ଆଉଜି ବସି ପଡିଲା ଟିକେ। ଭାବିଲା କଣ କରୁଥିବେ ତା ସ୍ତ୍ରୀ ଓ ଝିଅ। ରାଧୁର କଥା ମନରୁ ଜମା ଯାଉ ନ ଥାଏ। ଲାଗୁଥାଏ ଯିମିତି ତା ତଣ୍ଟି ପାଖରେ କିଛି ଗୋଟେ ଜାକି ହୋଇ ଯାଇଛି। କାନ୍ଦିଲା ବେଳେ କୋହ ଉଠିଲେ ଯେପରି ଲାଗେ ସେମିତି ଲାଗୁଥିଲା ତାକୁ।
“ଧର ଶାଳି କୁ । ମୁଁହରେ ଏସିଡ୍ ପକା। ଜମା ଛାଡନି ତାକୁ। ” ଏମିତି ପାଟି ଶୁଣି ଉଠ ପଡିଲା ରାକା। ଶୁଭିଲା ଜଣେ ନାରୀର କରୁଣ କାନ୍ଦଣା। କଣ ହୋଇଛି ବୋଲି ଦଉଡି ଗଲା। ଦେଖିଲା ଜଣେ ସ୍ତ୍ରୀ ଲୋକ କାନ୍ଦିକାନ୍ଦି କହୁଛି-
“ମୋତେ ମାରିଦିଅ, ହାଣି ଦିଅ, ଜାଳି ଦିଅ ଯାହା କରୁଛ କର, କିନ୍ତୁ ମୋ ସ୍ବାମୀଙ୍କୁ ବଞ୍ଚେଇ ଦିଅ।”
କାନ୍ଧରେ ବୋହିଛି ଜଣେ ପୁରୁଷ ଲୋକକୁ। ସ୍ତ୍ରୀ ଲୋକଟିର ଦେହରେ ରକ୍ତର ଦାଗ। ମୁଣ୍ଡ ଫାଟି ଯାଇଛି ଓ ଅନକ ଯାଗାରେ କଟା ଦାଗ। ବୋଧେ ତା ଉପରେ ଆକ୍ରମଣ ହୋଇଛି। ପୁରୁଷ ଲୋକଟି ନିସ୍ତେଜ ହୋଇ ପଡିଛି। ତା ଦେହରେ ବି ଆଘାତର ଚିହ୍ନ।
ସ୍ତ୍ରୀ ଲୋକଟି କହୁଥାଏ “ ମନା କଲା ପରେ ବି ଆଜି ବିଲକୁ ଗଲେ। ଘରକୁ ଆସି କହିଲେ ସାପ କାମୁଡି ଦେଲା , ଆଉ ଅଚେତ ହୋଇ ପଡିଗଲେ। ଯେତେ ଡାକିଲେ ବ ଶୁଣୁ ନାହାନ୍ତି। ଦେହରେ ଜୀବନ ଅଛି। ଡାକ୍ତର ଦେଖିଲେ ଭଲ କରିଦେବେ। କି ଅବସ୍ଥା କଲୁ ଲୋ ଦଇବ.....ମୋ ମଥାରୁ ସିନ୍ଦୁର ପୋଛି ଦେବୁନିରେ ଦଇବ।”
ତା କାନ୍ଦ ଦେଖି ପଥର ବି ତରଳି ଯିବ। କିନ୍ତୁ ସାହେବର ଗୁଣ୍ଡା ମାନେ ତ ଅସୁର। ତାଙ୍କ ମନରେ ଭାବାନ୍ତର ନାହିଁ ଟିକେ ବି। ସେଇ ଭିତରୁ ଜଣେ କହିଲା ---
– - ଯଦି ଭଲ ଗତି ଅଛି ପଳା ଏଠୁ, ନହେଲେ ତୋର ଓ ତୋ ସ୍ବାମୀର ମୁଣ୍ଡ ଏଇ ରାସ୍ତା ଉପରେ ଗଡେଇ ଦେବି।
ସବୁ ଘଟଣା ଦେଖି ରାକାର ମୁଣ୍ଡ ଗରମ ହୋଇଗଲା। ମନେ ପଡିଗଲା ରାଧୁ ପୁଅର କଥା। ଶ୍ବଶୁର କହିଥିବା କଥା ଗୁଡା ସବୁ କାନ ପାଖରେ ଶୁଭିବାକୁ ଲାଗିଲା। ପାଦ ତଳେ ଭୂମି ଥରିବାକୁ ଲାଗିଲା। କଣ୍ଠ ବାଷ୍ପରୁଦ୍ଧ ହୋଇଗଲା।
ତାଗିଦ୍ କଲା ପରି ଗୁଣ୍ଡା ମାନଙ୍କୁ କହିଲା, ଛାଡି ଦିଅ ତାକୁ। ଦେଖି ପାରୁନ ସ୍ତ୍ରୀ ଲୋକଟା ଏମିତି କଣ କହୁଛ।
ଏମିତି ଏକ ସୁଯୋଗର ଅପେକ୍ଷାରେ ଥିଲା ଭୀମା। ଚଢା ଗଳାରେ କହିଲା ଆବେ ରାକା, ନିଜ ଔକାତ ଭୁଲନି। ତୋ ଦୟା ତୋ ପାଖରେ ରଖିଥା। ମୋତେ ମନା କରିବାର ଅର୍ଥ ହେଲା ସାହେବ କୁ ମନା କରିବା। ଆଉ ତାର ଫଳ କଣ ହେବ ତୁ ତ ଜାଣିଛୁ। ସାହେବ କାହାକୁ ଛାଡିବନି। ମୋ କାନେକାନେ ସେ କହିଛି, ଯଦି ଆମ ଭିତରୁ କିଏ କାମ କରିବାରେ ଖିଲାପ କରେ ତାକୁ ଶେଷ କରିଦେବା ପାଇଁ। ତୁ କଣ ମୋ ହାତରେ ଶେଷ ହେବା ପାଇଁ ଚାହୁଁଛୁ।
ରାକା କିଛି ନ ଶୁଣି ସ୍ତ୍ରୀ ଲୋକଟିକୁ ପଚାରିଲା “ କଣ ହେଇଛି ୟାର।”
--- ସାପ କାମୁଡି ଦେଇଛି ବାବୁ। ତାକୁ ବଞ୍ଚେଇ ଦିଅ। ବେଶୀ ଡେରି ହେଲେ ଆଉ ଜୀବନ ବଞ୍ଚିବନି। ଏତିକି କହି ସେ ତା ସ୍ବାମୀର ସାପ କାମୁଡା ଜାଗା ଦେଖେଇଲା। ଦାନ୍ତର ଚିହ୍ନ ସହିତ ସ୍ଥାନଟି କଳା ପଡି ଯାଇଥିଲା। ଦେହର ରଙ୍ଗ ଧିରେଧିରେ ନୀଳ ପଡି ଆସୁଥିଲା।
ପଦୁଟିଏ କଥା ନ କହି ରାକା ସେ ଲୋକଟିକୁ ନିଜ କାନ୍ଧକୁ ନେଲା। ଡାକ୍ତରଖାନାର ଗେଟ୍ ପାଖରେ ଚିତ୍କାର କରି କହିଲା
---ଆରେ କିଏ ଅଛ କବାଟ ଖୋଲ। ଡାକ୍ ଡାକ୍ତରକୁ । ନହେଲେ ବୋମା ପକେଇ ଉଡେଇ ଦେବି ଏ ଡାକ୍ତରଖାନା କୁ।
ବୋମା କଥା ଶୁଣି କବାଟ ଖୋଲିଗଲା। ରାକା ସିଧା ଡାକ୍ତର ପାଖକୁ ଯାଇ କହିଲା “ କିଛି ବି କର, କିନ୍ତୁ ୟା ଜୀବନ ବଞ୍ଚାଅ। ନୋହିଲେ ଏଇ ଯାଗାରେ ତୋର ମୁଣ୍ଡ ଗଡେଇ ଦେବି। ରାକାର ଆଖିରେ ନିଆଁ। ଡାକ୍ତର କିଛି ନ କହି ଚିକିତ୍ସାରେ ଲାଗି ପଡିଲେ।
ଗେଟ୍ ବାହାରକୁ ରାକା ଆସି ଗେଟ୍ ରେ ତାଲା ପକେଇ ବସିଲା। ଯାହା ଦେଖିଲା ନିଜ ଆଖିକୁ ବିଶ୍ବାସ କରିପାରିଲାନି। ଗୁଣ୍ଡାମାନେ ସ୍ତ୍ରୀ ଲୋକଟିକୁ ବିବସ୍ତ୍ର କରି ରାସ୍ତାରେ ଚଲାଇ କହୁଥାନ୍ତି--
ଯଦି କିଏ ବି ଆମ କଥା ନ ମାନିବ ତା ଅବସ୍ଥା ୟା ଠୁ ବି ଖରାପ କରାଯିବ। ଭଲମଙ୍ଗଳ ଥିଲେ କେହି ବି ବାହାରକୁ ଆସନି।
ରାକାର ହୃତ୍ ସ୍ପନ୍ଦନ ବଢିଗଲା। କପାଳର ଦୁଇ ପାଖରେ ଥିବା ଶିରା ଧକଧକ କରିବା ଆରମ୍ଭ କଲା। ଠିଆ ହୋଇ କହିଲା “ ଏବେ ଆରମ୍ଭ ହେଲା ଅସଲ ଯୁଦ୍ଧ। ଏକ ଯୋଦ୍ଧା ପରି ଲମ୍ଫ ଦେଲା ଗୁଣ୍ଡା ମାନଙ୍କ ଉପରକୁ। ସ୍ତ୍ରୀ ଲୋକଟି ଦେହରେ ଘୋଡେଇ ଦେଲା କାନ୍ଧରେ ପକେଇ ଥିବା ଗାମୁଛାକୁ। ତାକୁ ନେଇ ଡାକ୍ତରଖାନା ଗେଟ୍ ପାଖରେ ଛାଡି ପୁଣି ଫେରିଲା ଯୁଦ୍ଧ କ୍ଷେତ୍ରକୁ।
ଦଉଡି ଆସିଲା ଭୀମା, ପକେଇଲା ଏକ ଶକ୍ତ ଧକ୍କା ରାକାକୁ। ଘେରିଗଲେ ବାକି ଗୁଣ୍ଡାମାନେ। ଆରମ୍ଭ ହୋଇଗଲା ମାଡ ରାକା ଉପରେ।
କିନ୍ତୁ ଏତେ ସହଜ ନୁହେଁ ରାକାକୁ ହରାଇବା। ନିଜର ସମସ୍ତ ବଳ ଖଟାଇ ଉଠିଲା ରାକା। ଜଣ ପରେ ଜଣକୁ ଟେକି ଫୋପାଡି ଦେଲା ଫୁଟବଲ୍ ପରି। ସଦର୍ପେ ଠିଆ ହୋଇ ଆହ୍ବାନ ଦେଲା ସବୁ ଗୁଣ୍ଡାଙ୍କୁ ସମ୍ମୁଖ ଯୁଦ୍ଧ ପାଇଁ। ଭୀମା ଦଉଡି ଆସିଲା ଏକ ତଲଓ୍ବାର ଧରି ରାକା ପେଟରେ ଭୁଷିବା ପାଇଁ। ମାତ୍ର ରାକା ସେ ଚୋଟରୁ ନିଜକୁ ବଞ୍ଚାଇ ଭୀମା ପେଟରେ ଦେଲା ଏକ ଶକ୍ତ ମୁଥା। ଫୋପାଡି ହୋଇ ପଡିଲା ସେ। ପେଟକୁ ଜାବୁଡି ଭୂଇଁରେ ଗଡିବାକୁ ଲାଗିଲା।
ପଛରୁ ଶୁଭିଲା ସାହେବର ସ୍ବର। ବୋଧେ କିଏ ଖବର ଦେଇଦେଲା ରାକାର କାରନାମା ବିଷୟରେ।
--- ନମକହାରାମ, ମୋ ଲୋକଙ୍କୁ ମାରୁଛୁ। ମୋ କୁକୁର ହୋଇ ମୋତେ କାମୁଡିବାକୁ ବାହାରିଛୁ।
ସାହେବ ହାତରେ ବନ୍ଧୁକ୍।
--ପାଗଳ କୁକୁରର ପାଗଳାମି ଗୁଳି ଦେଇ ଠିକ କରାଯାଏ। ପ୍ରସ୍ତୁତ ହୋଇଯାଆ ମରିବାକୁ।
ଏତିକି କହି ସାହେବ ରାକା କୁ ଗୁଳି କରିବାକୁ ବନ୍ଧୁକ ଉଠାଇଲା।
ଠିକ୍ ସେତିକି ବେଳେ ଶୁଭିଲା ଭୀଷଣ କୋଳାହଳ। ଶହଶହ ଲୋକ ହାତରେ ଠେଙ୍ଗାବାଡି ହାତରେ ଧରି ମାଡି ଆସୁଥାନ୍ତି। ଏକ ସ୍ବରରେ କହୁଥାନ୍ତି –
--- “ବନ୍ଦ ଆଉ ଚଳିବ ନାହିଁ , ଅନ୍ଯାୟ ଆଉ ସହିବୁ ନାହିଁ, ଆନ୍ଦୋଳନକାରୀ ପଳାଇ ଯାଅ, ନୋହିଲେ ମରିବ ସଜାଗ ରୁହ।
କେହି କିଛି ବୁଝିବା ଆଗରୁ ସାହେବ ଓ ତା ଲୋକ ମାନଙ୍କୁ ଟେକି ନେଲେ । ବୁଝିବାକୁ ବାକି ରହିଲାନି ଯେ ବନ୍ଦ ବିରୋଧରେ ବାହାରିଛନ୍ତି ଏ ଲୋକମାନେ।
ରାକା ମନେମନେ କହିଲା ରାଧୁର ଲୁହ ଆଜି ଏ ଆନ୍ଦୋଳନର ରୂପ ନେଇଛି। ସେ ଜନସମୁଦ୍ରର ଆଗକୁ ପଳାଇଗଲା ରାକା। ଏକ ବଡ ଠେଙ୍ଗା ଧରି ବଡ ପାଟିରେ କହିଲା
“ ଭଡାଟିଆ ଗୁଣ୍ଡା ଦୂରେଇ ଯାଅ, ନୋହିଲେ ବୋହିବ ରକ୍ତର ସୁଅ”
ଡାକ୍ତରଖାନାରୁ କର୍ମଚାରୀ ଜଣେ ଦଉଡି ଆସି କହିଲା
– ବାବୁ ସେ ଲୋକଟି ବଞ୍ଚିଗଲା। ସ୍ତ୍ରୀ ଲୋକଟି ବି ଭଲ ଅଛି।
ଏତିକି ଶୁଣି ରାକା କେତେ ଶାନ୍ତି ପାଇଲା ତାହା ଭାଷାରେ ବର୍ଣ୍ଣନା କରିବା କଷ୍ଟ। ଆତ୍ମସନ୍ତୋଷରେ ଭରିଗଲା ତା ମନ।
ଏଥର ଆହୁରି ଉତ୍ସାହର ସହ ରାକା କହିଲା ଏବେ ଏ “ ବନ୍ଦ” କୁ ସବୁ ଦିନ ପାଇଁ ବନ୍ଦ କରିଦେବାକୁ ହେବ। ଆସ ଭାଇମାନେ ଚାରିଆଡେ ଏହି ଆନ୍ଦୋଳନକୁ ଆଗେଇ ନେବା।
ହସି ହସି ଆକାଶକୁ ଚାହିଁ କହିଲା ରାକା--
--- ଜେଜି, ଭାବୁଥିଲି ଆଜି ତୋ ପାଖକୁ ଯାଇଥାନ୍ତି, ମାତ୍ର ଭାଗ୍ଯରେ ନ ଥିଲା। ଆଉ କେତେ ଦିନ ଅପେକ୍ଷା କରିଥା, ତୋ ନାତୁଣୀର ବାହାଘର ସାରିବା ପରେ ଯିବା କଥା ଚିନ୍ତା କରିବି।
*********ସମାପ୍ତ*********
No comments:
Post a Comment