ସବୁଦିନ ସେ ପିଲାଟି ବସିଥାଏ ମନ୍ଦିର ପାହାଚରେ ; ବୟସ ଦଶ କି ବା'ର ହେବ। ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲା ପରି ଭଙ୍ଗିରେ ପାଟି କରି ଚାଲିଥାଏ "ମାଳ ନେବ ମାଳ" । ଆଜିକାଲି ର ବ୍ଯସ୍ତତମ ଦୁନିଆ ରେ ସମୟ ବା କାହା ପାଖରେ ଅଛି ! ଫୁଲ ତୋଳି, ମାଳ ତିଆରି କରି ଠାକୁରଙ୍କୁ ଚଢାଇବା ପାଇଁ ଲୋକଙ୍କ ପାଖରେ ସମୟର ଘୋର ଅଭାବ। ତେଣୁ ପିଲାଟି ହାତକୁ ଟଙ୍କା ଦଶଟା ବଢାଇ ଦେଇ, ମାଳଟିଏ କିଣି ଦେବଦର୍ଶନ କାମ ଟା ସାରିଦେଲେ, ବିଶେଷ କ୍ଷତି ନାହିଁ ବୋଲି ସମସ୍ତେ ଭାବିବା ସ୍ବାଭାବିକ୍। ସ୍ବଭାବରେ ମେଳପୀ ପିଲାଟି ସମସ୍ତଙ୍କୁ ବାନ୍ଧି ରଖିଥିଲା ମିଠା କଥା ଓ ଉତ୍ତମ ବ୍ଯବହାରରେ। ତା ନିରିହ ଆଖି ଯୋଡିକରେ ଯେ କେହି ବି ପଢି ପାରିବ, ବାଲ୍ଯ ଚପଳତା ଓ କର୍ତ୍ତବ୍ଯବୋଧତାର ଫେଣ୍ଟାଫେଣ୍ଟି ରଙ୍ଗ। ମଳିଛିଆ ହାପ୍ ସାର୍ଟ ସାଙ୍ଗକୁ ଗୋଟିଏ ରଙ୍ଗ ଛଡା ପ୍ଯାଣ୍ଟ ପିନ୍ଧି ସେ ବସି ରହି ଥାଏ ଗ୍ରାହକଙ୍କ ଅପେକ୍ଷାରେ । ତେବେ ଏ କଥା ଅନସ୍ବୀକାର୍ଯ୍ଯ ଯେ ପିଲାଟିର ଫୁଲଡାଲାରୁ ସବୁ ଫୁଲ ଖୁବ୍ କମ୍ ସମୟ ଭିତରେ ବିକ୍ରି ହୋଇଯାଏ। ନ ହେବ ବା କାହିଁକି-- ସେ ସବୁ ଦିନ ନୂଆ ନୂଆ ତଟକା ଫୁଲର ସମ୍ଭାର ମେଲି ଗ୍ରାହକଙ୍କୁ ଏପରି ନିମନ୍ତ୍ରଣ କରେ ଯେ, ନ କିଣିଲା ଲୋକ ବି ମାଳଟିଏ କିଣିବାକୁ ବାଧ୍ଯ ହେବ । ବଜାର ରୁ କିଣିଲେ ଦାମ ଯାହା ହେବ, ତା ଠାରୁ କମ୍ ମୂଲ୍ଯରେ ପିଲାଟି ଦିଏ; ତେଣୁ ତା ସାମନା ରେ ନିତିଦିନିଆ ଗ୍ରାହକଙ୍କ ଗହଳି ବେଶ୍ ଅଧିକା ଥାଏ।
ସହରକୁ ନୂଆ କରି ଆସିଥିବା ମାଧବ ବାବୁଙ୍କ ଇଶ୍ବର ଭକ୍ତି ସାଧାରଣ ଲୋକଙ୍କ ତୁଳନା ରେ ଅଧିକା କହିଲେ ଅତ୍ଯୁକ୍ତି ହେବନାହିଁ ; ସବୁଦିନ ସେ ମନ୍ଦିରରେ ଦୁଇ ତିନି ଘଣ୍ଟା ବିତାନ୍ତି। ସାଙ୍ଗରେ ଆଣି ଆସନ୍ତି ନାନା କିସମର ଫୁଲମାଳ। ସାଙ୍ଗସାଥୀ ମାନେ ପଚାରିଲେ ଗର୍ବରେ ଛାତି ଫୁଲେଇ କୁହନ୍ତି-- ଆରେ, ଏତେ ପରିଶ୍ରମ କରି ବଗିଚାରେ ଫୁଲଗଛ ଲଗେଇଛି ଯେତେବେଳେ, ଫୁଲ ନ ଫୁଟି ଯିବ କୁଆଡେ। ନିଜ ବଗିଚା ଫୁଲରେ ମାଳ କରି ଠାକୁରଙ୍କୁ ଚଢାଇବାରେ ଯେଉଁ ଆନନ୍ଦ ସେ କଥା ଅନୂଭବୀ ଲୋକ ହିଁ ଜାଣିପାରିବ। ପ୍ରକୃତରେ, ସେ ନିଜ ବଗିଚା ରେ ନାନା କିସମର ଫୁଲଗଛ ଏତେ ଯତ୍ନରେ ବଢାଇଛନ୍ତି ଯେ, ନ ଦେଖିଲା ଲୋକ ବିଶ୍ବାସ କରିପାରିବନି। ଗୋଲାପ,ଜୁଇ,ଜାଇ,ମଲ୍ଲୀ,ହେନା,ଟଗର,ମଧୁମାଳତୀ,ଗେଣ୍ଡୁ,ମନ୍ଦାର ଆଦି ଅନେକ ଫୁଲ ଗଛର ସମ୍ଭାରରେ ତାଙ୍କ ବଗିଚା ଟି ପୁରିଲା ପରି ଲାଗେ। ଗଛ ମାନଙ୍କୁ ନିଜ ପିଲା ପରି ସେ ସ୍ନେହ ଆଦର କରନ୍ତି। ସେମାନଙ୍କ ପାଇଁ ଖତ,ସାର ଓ ନାନା ପ୍ରକାରର ହରମୋନ୍ ଘରେ ଯଥେଷ୍ଟ ପରିମାଣରେ ମହଯୁଦ ଥାଏ। ପାଣି ଦେବା, ଗଛରୁ ଖରାପ ପତ୍ର ଓ ଫୁଲ ଅଲଗା କରିବା, ମାଟି ଖୋସିବା, ପୋକ ଛଡାଇବା ଆଦି କାମରେ ତାଙ୍କର ଅଧିକାଂଶ ସମୟ ବ୍ଯତୀତ ହୁଏ। ପତ୍ନୀ ବି ତାଙ୍କୁ ଏ କାମରେ ଭରପୁର ସହଯୋଗ କରନ୍ତି। କହିବା ବାହୁଲ୍ଯ ଘର ଅପେକ୍ଷା ବଗିଚା ର ଆକାର ଯଥେଷ୍ଟ ବଡଥିଲା ଓ ପତିପତ୍ନୀଙ୍କର ଅର୍ଦ୍ଧାଧିକ ସମୟ ବଗିଚା ରେ କଟୁଥିଲା।
ଏତେ ଫୁଲ ଫୁଟିଲେ କଣ ହେବ, ସ୍ବଭାବରେ ଟିକିଏ କୃପଣ ସ୍ବଭାବର ପରାକାଷ୍ଠା ହେତୁ ସେ ନିଜ ବଗିଚାରୁ ଗୋଟିଏ ପତ୍ର ମଧ୍ଯ କାହାକୁ ଦେବା ସପକ୍ଷରେ ନ ଥିଲେ। ଅତଏବ୍, ପଡୋଶୀ ମାନେ ଯେତେ ବାହାନା ଦେଖାଇ ଫୁଲଟିକେ ମାଗିଲେ ବି, ମାଧବ ବାବୁଙ୍କର କରୁଣାବର୍ଷା ହେବାର ନଜିର ପ୍ରାୟ ନାହିଁ କହିଲେ ଅତ୍ଯୁକ୍ତି ହେବନାହିଁ। ବରଂ ଉପଦେଶ ଦେବା ଛଳରେ ସେ କୁହନ୍ତି--- ମୁଁ ଗଛ ମାନଙ୍କୁ ନିଜ ପିଲା ପରି ସ୍ନେହ ଆଦର କରେ ଓ ସେମାନଙ୍କ ସହ ମୋର ଆତ୍ମା, ଏକ ଅଦୃଶ୍ଯ ରଜ୍ଜୁରେ ବନ୍ଧା। କିପରି ସେମାନଙ୍କୁ କ୍ଷତାକ୍ତ କରି ଆପଣ ମାନଙ୍କ ହାତରେ ଫୁଲ ଦେବି କହିଲେ ଭଲା! ! ପଡୋଶୀ ମାନେ ପ୍ରତ୍ଯୁତ୍ତରରେ କିଛି କହି ନପାରି ମୁଣ୍ଡ ହଲାଇବା ସାର ହୁଏ।
ସେଦିନ ଶରୀର ଅସୁସ୍ଥ ଥିବା କାରଣରୁ ବଗିଚାରୁ ଫୁଲ ତୋଳି ପାରିଲେନି ମାଧବ ଓ ଖାଲି ହାତରେ ମନ୍ଦିରରେ ପହଞ୍ଚିଲେ। ପିଲାଟିି ପାଖରେ ସତେଜ ଫୁଲର ମାଳ ଦେଖି ଲୋଭ ସମ୍ବରଣ କରି ନ ପରି ଦୁଇଟି ମାଳ କିଣିଲେ। ପାଖରେ ଶହେ ଟଙ୍କାର ଖୁଚୁରା ନ ଥିବା ହେତୁ ପିଲା ଟି କହିଲା-- ବାବୁ, ଦର୍ଶନ ସାରି ଆସିଲା ବେଳେ ବାକି ପଇସା ଦେଇଦେବି। ମାଧବଙ୍କ ମନରେ କାହିଁ କେତେ ପ୍ରଶ୍ନ ଉଙ୍କି ମାରୁଥିଲା।
--- ଏ ପିଲା ଏତେ ସୁନ୍ଦର ସୁସ୍ଥ ସବଳ ଓ ସତେଜ୍ ଫୁଲ ପାଉଛି କେଉଁଠାରୁ ? ନିହାତି ଫୁଲ ବେପାରୀ ମାନଙ୍କ ପାଖରୁ କିଣୁ ନ ଥିବ। ତେବେ କଣ ଏମାନେ ଫୁଲ ଚାଷ କରୁଛନ୍ତି ! ମନରେ ସେଇ ପଶ୍ନଟି ବାରବାର ଉଠୁଥିଲା। ପିଲା ପାଖରୁ ବାକିଆ ପଇସା ନେବା ଅବସରରେ ସେ ପ୍ରଶ୍ନବାଣ ଟି ନିକ୍ଷେପ କରି ଉତ୍ତର ଅପେକ୍ଷା ରେ ରହିଲେ। ପିଲା ଟି ଅତି ନିରିହ ଭାବରେ ଉତ୍ତର ଦେଲା
-- ବାବୁ , ମୋତେ ସେ କଥା ଜଣା ନାହିଁ। ମୋ କାମ ହେଲା ଫୁଲମାଳ ଆଣି ମନ୍ଦିରରେ ବିକ୍ରି କରିବା। ବାକି ସବୁ କଥା ମୋ ବାପା ବୁଝନ୍ତି। ତା ସରଳ ବ୍ଯବହାର ଓ ନିରିହପଣ, ମାଧବଙ୍କ ମନକୁ ବେଶ୍ ଛୁଇଁ ଗଲା। କଥାକଥାରେ ସେ ପିଲା ଟି ବିଷୟରେ ସବୁ ତଥ୍ଯ ହାସଲ କରିନେଲେ।
ପିଲାଟି ସହରତଳି ଅଞ୍ଚଳର ବାସିନ୍ଦା। ଘରେ ବାପ ପୁଅ ଦୁଇଜଣ। ମାଆ କାହିଁ କେତେ କାଳରୁ ମରି ଯାଇଛି। ବାପ କୁଲି ମଜୁରି ସାଙ୍ଗକୁ ଫୁଲ ବ୍ଯବସାୟ କରେ। ସେତିକି ଆୟରେ ଦୁଇ ଜଣ କଷ୍ଟେମଷ୍ଟେ ଚଳି ଯାଆନ୍ତି। ପିଲାଟି ସ୍କୁଲରେ ଚତୁର୍ଥ ଶ୍ରେଣୀ ରେ ପଢେ। ମନ୍ଦିରରୁ ବେପାର ସାରି ଫେରିଲା ପରେ, କଣ ଟିକେ ଖାଇଦେଇ ସେ ସ୍କୁଲ ବାହାରି ଯାଏ। ସ୍କୁଲରୁ ଫେରିଲା ପରେ ବାପା ପାଇଁ ରୋଷେଇ କରି ସେ ଖେଳାଖେଳି କରେ। ରାତିରେ ଦୁଇଜଣ ମିଶି ଖାଇବା ପରେ ସେ ଶୋଇ ପଡେ। ପୁଣି ଭୋର ପାଞ୍ଚଟା ବେଳକୁ ହାତରେ ଫୁଲ ଡାଲା ଧରି ମନ୍ଦିରରେ ସେ ହାଜର ହୋଇଯାଏ। ବାପା ଫୁଲ ଆଣେ ଓ ମାଳ ତିଆରି କରିଦିଏ। ତା କାମ ହେଲା କେବଳ ବିକ୍ରି କରିବା।
ତା କଥା ଶୁଣି ମାଧବ ଦୀର୍ଘ ନିଶ୍ବାସ ଛାଡିଲେ। କେତେ ସଂଘର୍ଷ ଭରା ପିଲାଟିର ଜୀବନ, ସେ ବିଷୟରେ ଭାବି ବ୍ଯଥିତ ହେଲେ। ମନେମନେ ତା ବାପା କୁ ଧନ୍ଯବାଦ ଦେଲେ। ଯାହା ହେଉ ମହାନ ଲୋକଟିଏ ହୋଇଥିବ ନିଶ୍ଚୟ ; ନୋହିଲେ ଦାରିର୍ଦ୍ର୍ଯର କଷାଘାତରେ ତିଳ ତିଳ ଜଳିବା ପରେ ମଧ୍ଯ ପିଲାଟିର ଭବିଷ୍ଯତ ପାଇଁ ତାକୁ ପାଠ ପଢାଉଛି-- ତାହା କଣ କମ୍ ବଡ କଥା ?
ଏଥର ସବୁଦିନ ମନ୍ଦର ଗଲା ପରେ ମାଧବ ପିଲା ଟି ସହ କେଇ ପଦ କଥା ହୋଇ ଯାଆନ୍ତି। ତା ପାଖରୁ ଗୋଟେ ଦୁଇଟା ଫୁଲ ମାଳ ନିହାତି କିଣନ୍ତି। କେବେକେବେ ପିଲା ଟି ପଚାରେ-- ବାବୁ, ତୁମେ ତ ଘରୁ ଏତେ ଫୁଲ ଧରି ଆସୁଛ, ପୁଣି ମୋ ପାଖରୁ କାହିଁକି କିଣି ପଇସା ନଷ୍ଟ କରୁଛ ଯେ? ହସି କୁହନ୍ତି ମାଧବ-- ଆରେ ବୋକା ଠାକୁର ଙ୍କ ପାଇଁ ମାଳ କିଣିଲେ କଣ ପଇସା ନଷ୍ଟ ହୁଏ କି? ସେ ପରା ଆମକୁ ସବୁ ଦେଇଛନ୍ତି, ତାଙ୍କୁ କଣ ଆମେ ଟିକେ ଭଲରେ ଫୁଲ ଟିକେ ଚଢେଇ ପାରିବାନି। ତା ଛଡା, ତୁ ସବୁଦିନ ମନ୍ଦିର ବେଢାରେ ବସି ଠାକୁରଙ୍କ ପାଖ ଲୋକ ହୋଇ ଗଲୁଣି। ତୋ ପାଖରୁ ଫୁଲମାଳ ନ ନେଲେ ଠାକୁର ମୋ ଉପରେ ରାଗିବେନି? ଉଭୟ ହସି ଉଠନ୍ତି।
ଦିନ କେତେଟା ଭିତରେ ମାଧବଙ୍କ ମନରେ ପିଲାଟି ପ୍ରତି ଆତ୍ମୀୟତା ବୃଦ୍ଧି ପାଇ ଯାଇଥିଲା। ଚାକିରି ଜୀବନରୁ ଅବସର ନେବା ପରେ ସେ ଏକୁଟିଆ ହୋଇଯାଇଥିଲେ କହିଲେ ଅତ୍ଯୁକ୍ତି ହେବ ନାହିଁ। ପିଲା ମାନେ ବିଦେଶରେ ଚାକିରି କରୁଥିଲେ। ଦୁଇ ତିନି ବର୍ଷରେ ଥରେ ସେମାନଙ୍କ ସହ ଦେଖା ସାକ୍ଷାତ ହେଉଥିଲା। ଘରେ କେବଳ ସେ, ତାଙ୍କ ପତ୍ନୀ ଓ ଫୁଲ ବଗିଚା। ବାସ୍ ସେତିକି ଥିଲା ତାଙ୍କର ସଂସାର। ପିଲାଟି ସହ କିଛି ସମୟ ଗପସପ କଲେ ତାଙ୍କ ମନ ହାଲୁକା ହୋଇଯାଏ। ବୋଧହୁଏ ଏହି କାରଣରୁ ସେ ପିଲାଟି ମାଧବଙ୍କ ଜୀବନ ପରିଧି ଭିତରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରି ସାରିଥିଲା।
ସେଦିନ ସକାଳୁ, ମାଧବ ବିରାଟ ଚିତ୍କାର କରି ପତ୍ନୀ ଙ୍କୁ ଡାକ ପକାଇଲେ। କିଛି ଅଘଟଣ ଆଶଙ୍କାରେ ପତ୍ନୀ ବଗିଚାରେ ପହଞ୍ଚିବା ପରେ ଜାଣିଲେ ସମସ୍ଯାଟା ନିହାତି ଗମ୍ଭୀର। ବିମର୍ଷ ବଦନରେ ମାଧବ କହିଲେ-- ଦେଖୁଛ, କାଲି ରାତି ରେ କିଏ ବଗିଚାରେ ପଶି ଫୁଲ ଚୋରି କରିନେଇଛି। ଏଇ ଗୋଲାପ ଗଛରେ ପଚିଶି ଟା କଢ ହୋଇଥିଲା, ଏବେ ଅଛି ଚଉଦଟା। ଠିକ୍ ସେମିତି ସବୁ ଗଛରୁ ଦଶ ବାରଟା ଫୁଲ ବା କଢ ଚୋରି ହୋଇଛି। କାହାର କାମ ହୋଇ ପାରେ ବୋଲି ମୋ ମୁଣ୍ଡ ଗୋଳମାଳ ହୋଇ ଯାଉଛି। ପତ୍ନୀ ଜାଣିଥିଲେ ଯେ କୌଣସି ସାଧାରଣ ଲୋକ ପକ୍ଷରେ ଗଛରେ କେତେଟା କଢ ଓ କେତେଟା ଫୁଲ ଅଛି ଗଣି ରଖିବା କଷ୍ଟକର ବ୍ଯାପାର। କିନ୍ତୁ ମାଧବଙ୍କ ପାଖରେ ତାହା ନିହାତି ସାଧାରଣ କଥା। ସେ ଫୁଲ କ'ଣ, ଗଛର ପତ୍ର ଗଣି ରଖିବା ପରି ଲୋକ। କିଛି ସନ୍ତୋଷଜନକ ଉତ୍ତର ନ ଦେଇ ପାରି କେବଳ ମାଧବଙ୍କୁ ସମବେଦନା ଦେବା ଭଙ୍ଗୀରେ କହିଲେ
-- କେମିତି ଜାଣିବା କିଏ ନେଲା ବୋଲି? ସକାଳୁ ତ କେତେ ଲୋକ ପ୍ରାତଃ ଭ୍ରମଣରେ ହାତରେ ବାଡି ଧରି ବୁଲୁଛନ୍ତି। ସେଇ ଅବସରରେ କାହା ବଗିଚାରୁ କିଛି ଫୁଲ, କଢ ହରଣଚାଳ କରି ନେଉଛନ୍ତି। ସେ କାର୍ଯ୍ଯ ଯେ ଏକ ପ୍ରକାରର ସାଂଘାତିକ ଚୋରି ବୋଲି ସେମାନେ ମାନିବାକୁ ନାରାଜ। ସେମାନଙ୍କ ମତରେ ଯେଉଁ ଉପାୟରେ ହେଲେ ବି ଫୁଲ ତ ଠାକୁରଙ୍କ ପାଖରେ ଲାଗିବ, ନିଜ ବଗିଚାରୁ ହେଉ ବା ପର ବଗିଚାରୁ, ସେଥିରେ କ'ଣ ଅଛି। ପତ୍ନୀ ଙ୍କ ଉତ୍ତର ଟା କିଛି ମାତ୍ରାରେ ମନର ବେଦନା କୁ ହାଲୁକା କରିଲେ ବି ସମ୍ପୂର୍ଣ୍ଣ ଉପଶମ କରିବାରେ ଅସମର୍ଥ ଥିଲା। ମାଧବ ବଡ ଅସହାୟ ଭାବରେ କହିଲେ-- ହାଏ ରେ କପାଳ, ଏତେ ପରିଶ୍ରମ କରି ଆମେ ଗଛ ଲଗାଇବା, ଯତ୍ନ ନେବା, ଶେଷରେ ନିଲ୍ଲଜ ମାନେ ଆସି ଏପରି ଚୋରି କରିନେବେ !! ! ଚୋରି ଜିନିଷ ଠାକୁରଙ୍କୁ ଭେଟି ଦେଇ ସେମାନେ ପୂଣ୍ଯ ଅର୍ଜନ କରିବେ ବୋଲି ଯାହା ଭାବୁଛନ୍ତି, ତାହା ନିତାନ୍ତ ଭୁଲ୍। ପତ୍ନୀ ଦୀର୍ଘ ନିଶ୍ବାସ ପକାଇ କହିଲେ-- ସେତିକି ବୁଦ୍ଧି ସେମାନଙ୍କ ମୁଣ୍ଡରେ ଥିଲେ, ଏପରି କାମ କରନ୍ତେ କାହିଁକି?
ସେଦିନ ପରଠାରୁ ମାଧବ ଟିକେ ଅଧିକ ସଚେତନ ରହିବାକୁ ଲାଗିଲେ। ବଗିଚା ଚାରିପଟରେ କଣ୍ଟାତାର ବାଡ ବୁଲାଗଲା। ଗଛ କୁଣ୍ଡ ମାନଙ୍କୁ ବଗିଚାର ଭିତର ପଟରେ ରଖା ଗଲା। ସେ ବା କଣ କରିବେ !! -- ପତିପତ୍ନୀଙ୍କ ଶରୀରରେ ହଜାର ରୋଗ। ମାନସିକ ଚିନ୍ତା ଓ ରୋଗ କୁ ପ୍ରତିହତ କରିବାକୁ, ନିଦ ଓୌଷଧ ଅନିବାର୍ଯ୍ଯ ବୋଲି ଡାକ୍ତର କହିବା ପରେ ସେମାନଙ୍କର ସକାଳୁ ଉଠିବା ଅଭ୍ଯାସରେ ବିରାମ ଲାଗିଛି। ବଗିଚାରେ ଜଗୁଆଳୀ ନିଯୁକ୍ତ କରିବାକୁ ମନସ୍ଥ କରି ଲୋକ ଖୋଜିଲେ। ମାତ୍ର କେହି ମଧ୍ଯ ପାଞ୍ଚ ହଜାର ଟଙ୍କାରୁ କମ୍ ଦରମା ରେ ରାଜି ହେଲେ ନାହିଁ। ଅଗତ୍ଯା କୌଣସି ଉପାୟ ନ ପାଇ ନିଜେ କିଛି ସମାଧାନ କାଢିବେ ବୋଲି ସ୍ଥିର କଲେ। ପଡୋଶୀ ଓ ପାଖ ଦୋକାନୀ ମାନଙ୍କୁ ଅନେକ ପଚରା ଉଚୁରା ପରେ ମଧ୍ଯ କିଛି ସୁଫଳ ମିଳିଲାନି। ସମସ୍ତଙ୍କର ସେଇ ଗୋଟିଏ କଥା-- ଏ ଫୁଲଚୋର ମାନେ ସମ୍ଭ୍ରାନ୍ତ ଶ୍ରେଣୀୟ ଚୋର। ସେମାନେ ସକାଳେ ଢିଲା ପାଇଜାମା ଓ ହାତରେ ବାଡି ଧରି ଚାଲନ୍ତି ସତ, କିନ୍ତୁ ଆକାଶରେ ସୂର୍ଯ୍ଯଙ୍କ ଆଗମନ ସହିତ ସେମାନଙ୍କ ରୂପରେ ଡେର ପରିବର୍ତ୍ତନ ଆସିଯାଏ। ଦାମୀ ଗାଡି, ସୌଖିନ ଘଣ୍ଟା ଓ ଅତ୍ଯାଧୁନିକ ବେଶଭୂଷାରେ ସଜ୍ଜିତ ହୋଇ, ସେମାନେ ଧରାପୃଷ୍ଠରେ ଆବିର୍ଭୁତ ହୁଅନ୍ତି। ସେମାନଙ୍କୁ ଧରିବା କଷ୍ଟକର ବ୍ଯାପାର। କଦବା କ୍ବଚିତ୍ କେବେ ଧରା ପଡିଗଲେ, ସେମାନଙ୍କ ପଦପଦବୀର ତେଜର ପ୍ରତାପ ଆଗରେ ଫୁଲଚୋରି ପରି ଗୌଣ କାର୍ଯ୍ଯ ନିଷ୍ପ୍ରଭ ହୋଇଯାଏ। ସବୁଦିଗରୁ ନିରାଶ ହେବା ପରେ ମାଧବଙ୍କ ମନରେ ଭୀଷଣ ଅସନ୍ତୋଷ ଓ ବିରକ୍ତି ଜମାଟ ବାନ୍ଧିବା ଆରମ୍ଭ କରି ଦେଇଥିଲା।
ଦିନ କୁ ଦିନ ସେ ଫୁଲଗଛ ମାନଙ୍କ ପ୍ରତି ଅଧିକ ଯତ୍ନବାନ ହୋଇ ଉଠୁଥିଲେ। ସବୁଠାରୁ ଅଧିକ ଚିନ୍ତିତ ଥିଲେ, ତାଙ୍କ ବଗିଚାରେ ଅତି ଯତ୍ନରେ ବଢାଇଥିବା ବ୍ରହ୍ମକମଳ ଫୁଲ ପାଇଁ। କିଛି ଦିନ ମଧ୍ଯରେ ଗଛରେ ଫୁଲ ଫୁଟିବ। ତାଙ୍କ ବଗିଚାରେ ବ୍ରହ୍ମକମଳ ଫୁଲ ଫୁଟିବ ତାହା କଣ କମ୍ ସୌଭାଗ୍ଯର କଥା। ଫୁଲଟି ଫୁଟିଲେ, ଲୋକଙ୍କ ସୁଅ ଘରକୁ ଛୁଟିବ। ଖବର କାଗଜରେ ଏକ ରୋଚକ ଖବର ଭାବରେ ସେ ଘଟଣା ପ୍ରକାଶିତ ହେବ। ଲୋକେ କହିବେ-- ଆହା, କି ଧାର୍ମିକ ଲୋକ ଆମ ମାଧବ ବାବୁ, ତାଙ୍କ ବାଡିରେ ବ୍ରହ୍ମକମଳ ପରି ଦୁଷ୍ପ୍ରାପ୍ଯ ପୁଷ୍ପ ଫୁଟିଛି। ଫୁଲ ଫୁଟିନି ତ, ସ୍ବୟଂ ଭଗବାନ ତାଙ୍କ ବଗିଚାରେ ଆବିର୍ଭୁତ ହୋଇଛନ୍ତି। କିନ୍ତୁ, ତାଙ୍କର ସୁନେଲି ସ୍ବପ୍ନରେ କୁଠାରଘାତ କରୁଥିଲା ସେହି ଅଜ୍ଞାତ ଫୁଲଚୋର। ମନରେ ଆଶଙ୍କାର ସର୍ପ ଦଂଶନ କରି ଚେତାଇ ଦେଉଥିଲା-- ଯଦି ସେ ଫୁଲଚୋର, ବ୍ରହ୍ମକମଳକୁ ଚୋରି କରିନିଏ ତେବେ କଣ ହେବ?
ଦିନେ ଦୁଇଦିନ ଅନ୍ତରରେ ବଗିଚାରୁ ଫୁଲଚୋରି ହେଉଥିଲା। ଫୁଲଚୋରକୁ ଧରିବା ପାଇଁ ମାଧବ ଙ୍କର ସମସ୍ତ ଚେଷ୍ଟା ବିଫଳ ହୋଇସାରିଥିଲା। ଅନେକ ଥର ଭାବିଲେ ପୋଲିସ୍ ରେ ଖବର ଦେବେ। କିନ୍ତୁ ନାନା ଜଘନ୍ଯ ଅପରାଧ ସଂଘଟିତ ହେବା ପରେ ମଧ୍ଯ ପୋଲିସ୍ ମାନଙ୍କର ନିଷ୍କ୍ରିୟତା କଥା ମନେ ପକାଇ, ପୋଲିସ୍ ପାଖକୁ ଯାଇ କିଛି ଲାଭ ନାହିଁ ବୋଲି ସେ ନିଶ୍ଚିତ ଥିଲେ। କେମିତି ଏ ଦାରୁଣ ସମସ୍ଯାର ସମାଧାନ କରିବେ ସେହି କଥା ଭାବି, ଦିନ କୁ ଦିନ ଉଦବିଗ୍ନ ହୋଇ ଉଠୁଥିଲେ। ଅବସ୍ଥା ଏପରି ହେଲା ଯେ, ଓୌଷଧ ଖାଇବା ପରେ ମଧ୍ଯ ରାତିରେ ଭଲରେ ନିଦ ହେଲାନାହିଁ। ସାରା ରାତି ବାରମ୍ବାର ବାହାରକୁ ଆସି ଫୁଲଗଛ ମାନଙ୍କୁ ତଦାରଖ କରିବା ପରେ ମଧ୍ଯ ଫୁଲଚୋରି ବନ୍ଦ ହେଉ ନ ଥିଲା। ପତ୍ନୀ ବାରମ୍ବାର ବୁଝାଉଥିଲେ ଯେ ଚୋରଟା କିଛି ଫୁଲ ଚୋରି କରୁଛି, ମାତ୍ର ଗଛ ମାନଙ୍କର କ୍ଷତି କରୁନାହିଁ। ସେ ଚୋରି କରିବା ପରେ ମଧ୍ଯ ଗଛରେ ଢେର୍ ଫୁଲ ରହୁଛି। ତେଣୁ ସେ ଚୋରିକଥା କୁ ହେୟଜ୍ଞାନ କରିବା ପାଇଁ।
ମାତ୍ର ଗମ୍ଭୀର ସ୍ବରରେ ମାଧବ ପଚାରନ୍ତି-- ତୁମ କଥା ଠିକ୍ ଯେ, ଯଦି ଚୋର ଟା ମୋ ବ୍ରହ୍ମକମଳ ଫୁଲ ଚୋରି କରିନେବ? ଏହି ପ୍ରଶ୍ନର ଉତ୍ତର ପତ୍ନୀଙ୍କ ପାଖରେ ନ ଥାଏ। ତେଣୁ ସେ ନୀରବ ହୋଇ ରୁହନ୍ତି।
ପିଲା ମାନେ ଫୋନ୍ ରେ ମାଧବଙ୍କୁ ବୁଝାଇବାକୁ ଚେଷ୍ଟା କଲେ ସେ କୁହନ୍ତି-- ତୁମେ ମାନେ ଯଦି କେବେ ଗଛ ଲଗାଇବ, ମୋ ମନର ବେଦନା ବୁଝି ପାରିବ। ଘରୁ ହଜାର କିଲୋମିଟର ଦୂରରେ ରହି ଭାଷଣ ଦେବା ସହଜ, କିନ୍ତୁ ଘରେ ରହି ଏସବୁ ଘଟଣା ପ୍ରତ୍ଯକ୍ଷରେ ଅନୁଭବ କରିବା କଣ, ତାହା କେବଳ ଅନୁଭବୀ ହିଁ ଜାଣି ପାରିବ।
ଫୁଲଚୋରର ଆବିର୍ଭାବ ପରେ ମାଧବଙ୍କ ଜୀବନ ଓଲଟପାଲଟ ହୋଇ ଯାଇଥିଲା। ସେ ମନ୍ଦିର ଯାଉଥିଲେ, ପିଲା ଟି ସହ କଥା ହେଉଥିଲେ, ଦୋକାନ ବଜାର ମଧ୍ଯ ଯାଉଥିଲେ ; କିନ୍ତୁ ସମସ୍ତ ସ୍ଥାନରେ ତାଙ୍କ ମନରେ ସେଇ ଗୋଟିଏ ଚିନ୍ତା ସବାର ହୋଇ ରହୁଥିଲା " କିଏ ସେ ଫୁଲଚୋର, ତାକୁ ଧରିବେ କେମିତି " । ଅତ୍ୟଧିକ ମାନସିକ ଚାପ ପାଇଁ ମାଧବଙ୍କ ଦେହ ଅସୁସ୍ଥ ହୋଇଯାଇଥିଲା। ଡାକ୍ତରଙ୍କ ପରାମର୍ଶ କ୍ରମେ ସେ କିଛଦିନ ଘରେ ରହି ବିଶ୍ରାମ ନେବାକୁ ମନସ୍ଥ କଲେ। ବ୍ରହ୍ମକମଳ ଫୁଟିବାର ସମୟ ମଧ୍ଯ ଆସନ୍ନପ୍ରାୟ। ଦିନେ ଦୁଇ ଦିନ ଭିତରେ ଫୁଲ ଫୁଟିଯିବ। ତାଙ୍କ ମନରେ ଥାଏ ଅସମ୍ଭବ ଉତ୍କଣ୍ଠା। କାହିଁ କେତେ ଦିନରୁ ମନରେ ସ୍ବପ୍ନ ଥିଲା, ତାଙ୍କ ବଗିଚାରେ ଫୁଟିବ ବ୍ରହ୍ମକମଳ। ସେହି ଫୁଲ ହିଁ ପ୍ରମାଣିତ କରିବ ତାଙ୍କର ଗଛ ପ୍ରତି ଥିବା ଅହେତୁକ ଆକର୍ଷଣ ଓ ଧର୍ମାତ୍ମାଭାବକୁ। କିନ୍ତୁ ଫୁଲଚୋର ଯେ ତାଙ୍କ ପଥକୁ କଣ୍ଟକିତ କରିବାକୁ ଦୃଢପ୍ରତିଜ୍ଞ !! ! ଶେଷରେ ନିଷ୍ପତ୍ତି ନେଲେ, ଶୋଇବାଘରର ଖଟକୁ ଝରକାପାଖକୁ ସ୍ଥାନାନ୍ତରିତ କରି ପରଦା ପଛରୁ ବଗିଚା ଉପରେ ନଜର ରଖିବେ। କୌଣସି ପ୍ରକାରେ, ଫୁଲଚୋର ତାଙ୍କର ଉନ୍ନତ ଚୋରଧରା ଉପାୟ ବିଷୟରେ ସୁରାଖ୍ ପାଇବନି ବୋଲି ସେ ଦୃଢ ନିଶ୍ଚିତ ଥିଲେ। ସେଇଆ ହେଲା ; ଝରକା ପାଖକୁ ଲାଗି ଖଟ ପଡିଲା ଓ ପରଦା ଆଢୂଆଳ ରେ ରହି ଜଣେ ପେଶାଦାର ଗୋଇନ୍ଦା ପରି ସେ ବଗିଚା ପ୍ରତି ନଜର ରଖିବାରେ ଲାଗିଲେ। ଖଟ ତଳେ, ପତ୍ନୀଙ୍କ ଅଜାଣତରେ ଲୁଚାଇ ରଖିଲେ ଗୋଟିଏ ଛୋଟିଆ ଶାବଳ। ଦୈବାତ୍ ଚୋରକୁ ଧରିବାରେ ବିଫଳ ହେଲେ, ଏକ ବର୍ଚ୍ଛା ପରି ଶାବଳକୁ ତା ଉପରକୁ ନିକ୍ଷେପ କରିବାକୁ ସେ ନିଷ୍ପତ୍ତି ନେଇ ସାରିଥିଲେ।
ସେଦିନ ରାତିରେ କିଛି ଶବ୍ଦଶୁଣି ସେ ଚମକି ଉଠିଲେ। ପତ୍ନୀ ଶୋଇଥିଲେ ନିଘୋଡ ନିଦରେ, ତାଙ୍କୁ ନ ଉଠାଇ ପରଦା ତଳୁ ନିରିକ୍ଷଣ କଲେ ବଗିଚାକୁ। ଆଶ୍ଚର୍ଯ୍ଯ !! ଦେହରେ ଏକ କଳା ରଙ୍ଗର ଚଦର ଘୋଡାଇ କିଏ ଜଣେ ବଗିଚାରେ ଅସ୍ଥିର ପଦଚାରଣ କରୁଛି ଓ ପ୍ରତ୍ଯକ ଗଛ ପାଖକୁ ଯାଇ ଫୁଲ ତୋଳିବାରେ ଲାଗିଛି। ମନରେ ଆନନ୍ଦ ଓ ପ୍ରତିହିଂସାର ମିଶାମିଶି ତଡିତ୍, ପ୍ରବାହିତ ହେବା ପରି ଲାଗିଲା। ଓଃ, ତେବେ ଇଏ ସେହି ଫୁଲଚୋର! ! ମନ ହେଉଥିଲା ତା ଉପରକୁ ଲମ୍ଫପ୍ରଦାନ କରି ତା ତଣ୍ଟି କଣା କରିଦେବା ପାଇଁ। କିନ୍ତୁ ନିଜ ଶରୀରର ଅବସ୍ଥା ଓ ଶକ୍ତି ବିଷୟରେ ଭାବି ନୀରବ ହୋଇଗଲେ। ଅତି ସନ୍ତର୍ପଣରେ ଖଟ ତଳୁ କାଢିଲେ ସେହି ଶାବଳ ଓ ଧିର ପଦକ୍ଷେପରେ ବଗିଚା ଆଡକୁ ଅଗ୍ରସର ହେଲେ। ସମୟ ପାଖାପାଖି ସାଢେ ତିନିଟା, ଆକାଶରେ ଅନ୍ଧକାର ଜମାଟ ବାନ୍ଧି ରହିଛି- -ବାହାରେ କାଉକୋଇଲି ର ରାବ ନାହିଁ- -ସମସ୍ତ ଜଗତ ଗଭୀର ନିଦ୍ରାରେ ଅଭିଭୂତ। ଯଦି ଏସମୟରେ ଜଣେ ଚୋରି କରିବ କିଏ ବା ଜାଣିବ?
ଲୋକଟି ପଛରେ ଛିଡା ହୋଇ, ସମସ୍ତ ଶକ୍ତି ଲଗାଇ ମାଧବ ଚିତ୍କାର କଲେ-- ଆରେ ବଜ୍ଜାତ୍ ଚୋର ! ଏତେ ଦିନ ଧରି ମୋ ଗଛରୁ ଫୁଲଚୋରି କରୁଛୁ? ଦେଖିବା ଆଜି ତୋତେ କିଏ ବଞ୍ଚାଇବ। ଏତିକି କହି ସେ ଲୋକର ଚଦରକୁ ଟାଣି ଦେଲେ। ଚଦରରେ ସେ ତୋଳି ରଖିଥିବା ଫୁଲସବୁ ତଳେ ବିଛାଡି ହୋଇ ପଡିଗଲା। ମାଧବଙ୍କ ସାମନା ରେ ଛିଡା ହୋଇଥିଲା ଧବଳ ଶ୍ମଶୃଧାରୀ ଜଣେ ବୃଦ୍ଧ। ମୁହଁଟି ଡରରେ ଶେତା ପଡିଯାଇଥିଲା। ଶିରାଳ ହାତ ଦୁଇଟି ଯୋଡି ସେ ଥରଥର କଣ୍ଠରେ କହିଲା-- କ୍ଷମା କରିଦିଅ ବାବୁ। ମୁଁ ଗରିବ ଲୋକ, ଫୁଲ ବିକ୍ରି କରିବାକୁ ଏମିତି କାମ କରୁଛି। ମୋତେ ଛାଡିଦିଅ, ଆଉ କେବେ ଆପଣଙ୍କ ବଗିଚାରେ ପଶିବିନି।
ଲୋକଟିର କ୍ଷମା ଯାଚନା, ମାଧବଙ୍କ ମନରେ ବହୁତ ଦିନରୁ ଜମାଟ ବାନ୍ଧି ଆସିଥିବା କ୍ରୋଧ, ନୈରାଶ୍ଯ ଓ ବିଫଳତା ରୂପକ ବାରୁଦରେ ଅଗ୍ନୀସଂଯୋଗ କରିଦେଲା। ସେ ପୈଶାଚିକ ଅଟ୍ଟହାସ୍ଯ କରି କହିଲେ-- କ୍ଷମା କରିଦେବି !! ! ଚୋର କୋଉଠିକାର। ତୋ ପାଇଁ ମୋ ଆଖିରୁ ନିଦ ହଜିଯାଇଛି, ଦେହ ଖରାପ ହୋଇ ମୁଁ ଶେଯରେ ପଡି ରହୁଛି, ତୋତେ କ୍ଷମା ଦେବି !! ଏତିକି କହି ତା ମୁଣ୍ଡରେ ପକାଇଲେ ଏକ ଶକ୍ତ ପ୍ରହାର। ମୁଣ୍ଡ ଫାଟି ରକ୍ତ ଧାର ବୋହି ଚାଲିଲା ଓ ସେ ଲୋକଟି ମାଧବଙ୍କ ଗୋଡ ତଳେ ପଡି ମୁଣ୍ଡିଆ ମାରିବାକୁ ଲାଗିଲା। ମାତ୍ର କ୍ରୋଧ ଜର୍ଜରିତ ମାଧବ ଲୋକଟିକୁ ପ୍ରହାର ପରେ ପ୍ରହାର କରି ଚାଲିଲେ। କଷ୍ଟରେ ଲୋକ ଟି ଗଁ ଗଁ ହୋଇ ସେ ଯାଗାରୁ ଦୌଡି ପଳାଇବାକୁ ଉଦ୍ଯତ ହେଲା ବେଳକୁ, ମାଧବ ତା ଆଡକୁ ନିକ୍ଷେପ କଲେ ହାତରେ ଧରିଥିବା ଶାବଳ। ତାହା ଲୋକଟିର ପିଠିରେ ନିବଦ୍ଧ ହେଲା ଓ କୌଣସି ମତେ ପଡିଉଠି ସେହି ଅବସ୍ଥାରେ ପାଚେରି ଡେଇଁ ପଳାଇଲା। ସମସ୍ତ ଘଟଣା ସରିବା ବେଳକୁ ପତ୍ନୀ ସେ ଜାଗାରେ ପହଞ୍ଚିଲେ। ମାଧବ ବିଜୟସୂଚକ ହସ ହସି ସମସ୍ତ ବୃତ୍ତାନ୍ତ ସଗର୍ବେ ବର୍ଣ୍ଣନା କରି ଚାଲିଲେ। ପତ୍ନୀ ଧିର ସ୍ବରରେ ପଚାରିଲେ-- ସେ ଲୋକଟାକୁ ତୁମେ ଶାବଳରେ ଏତେ ମାରିଛ ଓ ସେ ଶାବଳ ଭୁଷି ହୋଇଥିବା ଅବସ୍ଥାରେ ଏ ଜାଗାରୁ ଯାଇଛି। ଯଦି ତାର କିଛି ହୋଇଯିବ?
– – କଣ କହୁଛ? ତୁମେ ଭାବୁଛ କି କାଳେ ସେ ମରିଯିବ ବୋଲି। ଆରେ ନାଃ, ଏମିତି କଣ ଲୋକ ମରନ୍ତି। ହେଇ ଦେଖ ମୁଁ କେମିତି ତା ଚୋରିପଣିଆ ଛଡେଇ ଦେଇଛି। ଏତିକି କହି ସେ ଲୋକଟିର ଚାଦରକୁ ଦେଖାଇଲେ। ଚାଦରଟିରେ ଅଗଣିତ କଣା, ଟିକେ ଜୋରରେ ଟାଣିଦେଲେ ଚିରିଯିବା ପରି ଅବସ୍ଥା।
ଘଟଣା ପରଦିନ ମାଧବବାବୁ ଙ୍କ ଦେହରେ ସୁସ୍ଥତା ପରିଲକ୍ଷିତ ହେଲା। ମନରେ ଜମାଟ ବାନ୍ଧିଥିବା ଚିନ୍ତା ସବୁ ଦୂର ହୋଇଯିବା ପରେ, ସେ ପୂର୍ବ ପରି କର୍ମଚଞ୍ଚଳ ହୋଇ ଉଠିଲେ। କହିବା ବାହୁଲ୍ଯ, ସେ ଦିନ ପରଠାରୁ ଫୁଲଚୋରର ଆବିର୍ଭାବ ଆଉ ହେଲା ନାହିଁ। ମାଧବଙ୍କ ମନ୍ଦିର ଯିବା ଯଥାରିତୀ ଚାଲିଲା, କିନ୍ତୁ ସେ ପିଲାଟିକୁ ମନ୍ଦିର ରେ ଦେଖିଲେନି। ଭାବିଲେ ବୋଧେ କୁଆଡେ ସେ ଯାଇଥିବ। ମନେମନେ ସେ ପିଲାଟିକୁ ଖୋଜୁଥିଲେ, ତାଙ୍କର ବୀରତ୍ବ କାହାଣୀ ବଖାଣିବା ପାଇଁ। କାରଣ ପତ୍ନୀଙ୍କର ଆକଟ ମାନି , ଅନ୍ଯ କାହା ଆଗରେ ସେ ଘଟଣା ବିଷୟରେ କହି ନ ଥିଲେ। ଯାହା ହେଲେ ବି, ସେ ଲୋକଟି ପ୍ରତି କରିଥିବା କାର୍ଯ୍ଯବଳୀ ସବୁ ଅପରାଧ ଥିଲା ଏଥିରେ ଦ୍ବିରୁକ୍ତି ନାହିଁ। ସବୁ କାର୍ଯ୍ଯ ଯଥାରିତୀ ଚାଲିଲା, ବଗିଚାରେ ବ୍ରହ୍ମକମଳ ଫୁଟିଲା, ସମ୍ବାଦପତ୍ରରେ ଖବର ପ୍ରକାଶିତ ହେଲା। ପଡୋଶୀ ମାନେ ଓ୍ବାହା ଓ୍ବାହା କଲେ, ମାଧବ ଜଣେ ସଚ୍ଚା ଭକ୍ତ ବୋଲି ସହରରେ ଆଲୋଚନା ମଧ୍ଯ ହେଲା। କେବଳ ଦୁଇଟି ବ୍ଯତିକ୍ରମ ଥିଲା ; ପ୍ରଥମଟି ଥିଲା ପିଲାଟି ମନ୍ଦିରରେ ନ ବସିବା ଓ ଦ୍ବିତୀୟଟି ଫୁଲଚୋରଟି ଅର୍ନ୍ତଧ୍ଯାନ ହୋଇଯିବା। ଦ୍ବିତୀୟ ବ୍ଯତିକ୍ରମର ସ୍ରଷ୍ଟା ସ୍ବୟଂ ମାଧବ ଥିଲେ, ତେଣୁ ସେ ବଷୟରେ ସେ ଚିନ୍ତିତ ନ ଥିଲେ। ମାତ୍ର ପିଲାଟି ନ ଆସିବାର କାରଣ ସେ ଖୋଜି ପାଉ ନ ଥିଲେ। ମନ୍ଦିର ର ଦୋକାନୀ ମାନେ ମଧ୍ଯ କିଛି ତଥ୍ଯ ଦେଇ ପାରୁ ନ ଥିଲେ। ବସ୍ତିରେ ରହୁଥିବା ଜଣେ ଗରିବ ପିଲା ର ଖବର କାହା ପାଖରେ କଣ ପାଇଁ ବା ରହିବ !
ଦିନେ କୌଣସି କାରଣରୁ ମାଧବ ବସ୍ତି ପାଖ ଦେଇ ଯିବା ବେଳେ ସେ ପିଲାଟିକୁ ଦେଖିଲେ। କାନ୍ଧରେ ବଡ ଅଖାବ୍ଯାଗ୍ ଝୁଲାଇ ସେ ଜରି ଓ ପାଣି ବୋତଲ ଗୋଟାଉଥିଲା। ତାଙ୍କୁ ଦେଖି ପାଖକୁ ଖୁସି ରେ ଦଉଡି ଆସି ମୁଣ୍ଡିଆ ମାରିଲା। ପିଲାଟିକୁ ଦେଖି ସେ ମଧ୍ଯ ବେଶ୍ ଉତଫୁଲିତ ହୋଇଗଲେ। ତା ଅନୁରୋଧ କ୍ରମେ ପିଲାଟି ଘରକୁ ଗଲେ। ଘର କହିଲେ ଚାରିଟି ବାଉଁଶ ତାଟି ଉପରେ ଜରି ଟଣା ହୋଇଥିବା ରହିବାର ସ୍ଥାନ। ଭିତରେ ପଡିଛି ଏକ ଚିରା ମସିଣା ଓ ଭଙ୍ଗା ଟିଣ ବାକ୍ସ ଉପରେ ଏକ ଫଟୋ। ସେହି ଫଟୋରେ ଝୁଲୁଛି ଫୁଲମାଳ। ସେ ଫଟୋ ଆଡକୁ ପ୍ରଶ୍ନିଳ ଆଖିରେ ଦେଖିବାରୁ
ପିଲାଟି କହିଲା-- ବାବୁ ମୋ ବାପାକୁ କିଏ ଜଣେ ମାରିଦେଲା। ସେଦିନ ସକାଳୁ ସେ ରକ୍ତାକ୍ତ ହୋଇ ଘରକୁ ଫେରିଲା। ମୁଣ୍ଡରେ ଭୀଷଣ ମାଡ ଓ ଦେହ ସାରା ରକ୍ତ ଓ ପିଠିରେ ଏକ ଶାବଳ ଭୁଷି ହୋଇଥିଲା। ପାଖ ଲୋକଙ୍କୁ ଡାକି ଡାକ୍ତରଖାନା ନେଲା ବେଳକୁ ସେ ବାଟରେ ମରିଗଲା। ସେ ମରିବା ପରେ, ମୁଁ ଆଉ ମନ୍ଦିରରେ ଫୁଲ ବିକୁନି ; ସେ ଫୁଲ ଆଣୁଥିଲା ବୋଲି ସିନା ବିକ୍ରି କରି ଚଳୁଥିଲୁ। ସେ ଗଲା ପରେ ପାଖରେ ଫଟା ଆହୁଲା ବି ନାହିଁ। ଜରି,ବୋତଲ ଗୋଟାଇ ଦିନକୁ ପଚିଶି ଟଙ୍କା ପାଉଛି, ସେତିକି ରେ ଚଳୁଛି। ଏତିକି କହି ପିଲାଟି ସେ ଭଙ୍ଗା ବାକ୍ସରୁ ଗୋଟେ ଶାବଳ କାଢି ମାଧବଙ୍କୁ ଦେଖାଇ କହିଲା-- ହେଇ ଦେଖ ବାବୁ, ସେଦିନ ବାପାଙ୍କ ପିଠିରେ କିଏ ଜଣେ ଏଇ ଶାବଳ ଭୂଷି ଦେଇଥିଲା।
ଶାବଳକୁ ଦେଖି ମାଧବ ଚମକି ପଡିଲେ-- ମନେ ପଡିଗଲା ସେଦିନର ଘଟଣା ସବୁ। ତାଙ୍କୁ ଲାଗିଲା ସମଗ୍ର ପୃଥିବୀ ଘୂର୍ଣ୍ଣାୟମାନ, ସେ ତଳେ ପଡି ଯାଉଯାଉ ରହିଗଲେ।
ପିଲାଟି ପଚାରିଲା କଣ ହେଲା ବାବୁ? ମାଧବ ତାକୁ କୁଣ୍ଢାଇ ଭୋ ଭୋ କାନ୍ଦି କହିଲେ - - ତୁ ଜମାରୁ ବ୍ଯସ୍ତ ହେବୁନି ରେ ପୁଅ, ତୁ ପୁଣି ପାଠ ପଢିବୁ-- ଭଲରେ ଦୁଇ ଗୁଣ୍ଡା ଖାଇବୁ-- ଆଜି ଠାରୁ ମୋ ଘରେ ରହିବୁ, ମୋ ପୁଅ ପରି। ମୋତେ କ୍ଷମା କରିଦେବୁ , ମୁଁ ମହାପାପୀ। ପିଲାଟି କିଛି ବୁଝି ନ ପାରି କେବଳ ବଲବଲ କରି ଚାହିଁ ଥାଏ ମାଧବଙ୍କ ମୁହଁକୁ।
**********ସମାପ୍ତ*********
No comments:
Post a Comment