ଲେଖକ- ଅରବିନ୍ଦ ରଥ
ଭୂତପ୍ରେତଙ୍କ ଉପରେ ଚାଲିଥିବା ଆଲୋଚନା ଟା ବେଳ କୁ ବେଳ ଗମ୍ଭୀର ହୋଇ ଚାଲିଥିଲା। ଦୁଇସାଙ୍ଗ ନିଜର ଯୁକ୍ତି ମାଧ୍ଯମରେ ସ୍ବଆଧିପତ୍ଯ ଜାହିର କରିବା ସହିତ ପରସ୍ପରକୁ ହରାଇବାକୁ ଚେଷ୍ଟା କରିଚାଲିଥିଲେ। ରାଜୁ ମତରେ, ଭୂତପ୍ରେତ କୌଣସି ମନଗଢା କାହାଣୀ ନୁହଁ ଓ ଏହାକୁ ପ୍ରମାଣିତ କରିବା ଅବସରରେ, ସେତେ ବେଳକୁ ସେ ମସ୍ତିଷ୍କର ନିଭୃତ କୋଣରେ ଲୁଚି ରହିଥିବା ଅତୀତ ଘଟଣାବଳୀର ସ୍ମୃତି ସମାହାରରେ ବିରାଟ ସ୍ତୁପ ଗଢି ସାରିଥିଲା ଅନ୍ଯପକ୍ଷରେ ଅମିତ୍ ଥଟ୍ଟାତାମସା କରି ରାଜୁକୁ ପୁରୁଣାକାଳିଆ ଅନ୍ଧବିଶ୍ବାସୀ ଲୋକ ବୋଲି କହି ,ଚିଡାଇ ଚାଲିଥିଲା। ସେମାନଙ୍କ କଥାବାର୍ତ୍ତାରେ କିଞ୍ଚିତ୍ ମାତ୍ର ପ୍ରତିକ୍ରିୟା ନ ଦେଖାଇ ମନୋଜ୍ ଚପଚାପ୍ ବସି ରହିଥିଲା। ବେଳ କୁ ବେଳ କଥାବାର୍ତ୍ତାର ତାପମାତ୍ରା ବୃଦ୍ଧି ପାଇବା ଦେଖି ଆଦେଶ ଦେବା ଭଙ୍ଗୀରେ କହିଲା
-- ଆରେ ଭାଇ ସେତିକି ଥାଉ। ଏତେ ଦିନ ପରେ ଆମର ଦେଖା ସାକ୍ଷାତ ହୋଇଛି, ଖିଆପିଆ କରି ମଜାମଜଲିସ୍ କରିବ କଣ, ନିଜ ଭିତରେ ମାଡ ଗୋଳ କରୁଛ? ତୁମର ସେ ଆଲୋଚନା ରେ କିଛି ସମୟ ବିରାମ ଦେଇ, କଣ ଟିକେ ଖାଇ ନିଅ। ସାରା ରାତି ପଡିଛି ଯୁକ୍ତିତର୍କ କରିବା ପାଇଁ, ଏମିତି ଅଧର୍ଯ୍ଯ ହେବାର କିଛି କାରଣ ନାହିଁ।
ରାଜୁ ଆହ୍ବାନ ଦେବା ଭଙ୍ଗୀରେ କହିଲା - - ଅମିତ୍, ଯଦି ତୋ କଥାରେ ଏତେ ଦମ୍ ଅଛି ବୋଲି ଭାବୁଛୁ, ଆଜି ରାତିରେ ସେ ବତୀଘର କୁ ଏକୁଟିଆ ଯାଇ ପାରିବୁ? ଯଦି ହଁ, ତୁ ଯାହା କହିବୁ ମୁଁ କରିବାକୁ ପ୍ରସ୍ତୁତ।
କିଛି ସମୟ ଚିନ୍ତା କରି ଅମିତ୍ କହିଲା-- ଏଇଟା ଗୋଟେ କଥା! !! ବତୀଘର କଣ, ଯଦି କହିବୁ ମଶାଣି କୁ ଯାଇ ସାରାରାତି କଟାଇ ପାରିବି।
କଲେଜ୍ ପଢିବା ଦିନରୁ ଅମିତ୍, ରାଜୁ ଓ ମନୋଜ୍ ଅତି ଘନିଷ୍ଠ ବନ୍ଧୁ। ପଢା ସରିବା ପରେ ନିଜନିଜ ସହର କୁ ଫେରି, ବିଭିନ୍ନ ବୃତ୍ତିରେ ଯୋଗ ଦେଇ ବେଶ୍ ପ୍ରତିଷ୍ଠିତ। ରାଜୁ ଓ ଅମିତ୍ ଦୁଇଜଣ ସଫଳ ବ୍ଯବସାୟୀ-- ମନୋଜ୍ ଏକ ଘରୋଇ କମ୍ପାନୀରେ ଚାକିରି କରେ। କଲେଜ୍ ଛାଡିବା ପରଠାରୁ, ପ୍ରତି ବର୍ଷ ସେମାନଙ୍କର ବନ୍ଧୁମିଳନ କାର୍ଯ୍ଯକ୍ରମର ଆୟୋଜନ ନିହାତି ହୁଏ। ସେଇ ଅବସରରେ ପରସ୍ପରର ଭଲମନ୍ଦ ଜାଣିବା ସହିତ, ବେଶ୍ ହସମଜା ଓ ଖିଆପିଆରେ ସମୟ କଟିଯାଏ। ସମସ୍ତେ ନିଜ ଜଞ୍ଜାଳରେ ଏପରି ମଜ୍ଜି ରୁହନ୍ତି ଯେ, କେହି କାହା ବିଷୟରେ ଜାଣିବାର ବା ବୁଝିବାର ଅବକାଶ ଖୁବ୍ କମ ଜୁଟିଥାଏ। ତେଣୁ ତିନିସାଙ୍ଗ ଏହି ବନ୍ଧୁମିଳନ ଦିବସକୁ ଚାହିଁ ରହିଥାଆନ୍ତି। ଏଥର ଆୟୋଜନର ଟା ମନୋଜ ଭାଗରେ ପଡିଥିଲା। ସେ ବାଛିଥିଲା ସେହି ସ୍ଥାନ, ଯାହା କଲେଜ୍ ପଢିବା ସମୟରେ ସେମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା। ସହରର ଜନଗହଳିରୁ ବହୁତ ଦୂରରେ, ସମୂଦ୍ରକୂଳରେ ଥିବା ବତୀଘର ପାଖ ଡାକବଙ୍ଗଳାରେ ଆୟୋଜନ କରାଯାଇଛି ବୋଲି ଜାଣିବା ପରେ, ଅନ୍ଯ ଦୁଇ ବନ୍ଧୁଙ୍କ ମନରେ ଅସମ୍ଭବ ଉତ୍କଣ୍ଠା ଥିଲା। ଅତୀତରେ ଏହି ବତୀଘର ଥିଲା ସେମାନଙ୍କ ପାଇଁ ବୁଢୀ ଅସୁରୁଣୀ ଗଳ୍ପମାଳାର ପେଡି ପରି। ଘନ ଅନ୍ଧାର ରେ ଦୂରରୁ ବତୀଘରଟି ଏକ ଭୟଙ୍କର ଅଶରିରୀ ପରି ଦୃଶ୍ଯମାନ ହୁଏ। ସମୁଦ୍ରକୂଳର ଜନମାନବ ଶୂନ୍ଯ ଆବହାଓ୍ବାକୁ ପାଦ ତଳେ ଚାପି ବତୀଘରଟି ନିଜର ଶକ୍ତି ଓ ସାମର୍ଥ୍ଯ ଦେଖାଇବା ପରି ଲାଗେ। ବିଶାଳ ବପୁରେ ସେ ସାଇତି ରଖିଥାଏ ଅନେକ ଅକୁହା ଗୋପନ କଥା। ବେଦନା ର କେତେ ଯେ କାହାଣୀ ର ସ୍ରଷ୍ଟା ଥିଲା ଏହି ବତୀଘର ତାର ହିସାବ ନାହିଁ-- ଅଗଣିତ ଆତ୍ମହତ୍ଯା, ହତ୍ଯା ଓ ନାରୀ ଧର୍ଷଣ ପରି ଜଘନ୍ଯ ଘଟଣାବଳୀ ମାନ ସଂଘଟିତ ହୋଇଥିଲା ଏହି ସ୍ଥାନରେ । ଲୋକେ କୁହନ୍ତି , ବତୀଘରେ ଅନେକ ଅତୃପ୍ତ ରକ୍ତ ପିପାଷୁ ଆତ୍ମା ଘୁରି ବୁଲନ୍ତି। ସୁସ୍ଥ ମସ୍ତିଷ୍କଯୁକ୍ତ ବ୍ଯକ୍ତି ମଧ୍ଯ ବତୀଘରେ ପଶିଲେ ନିଜର ସତ୍ତା ହରାଇ ବସନ୍ତି। ସେହି ଆତ୍ମାମାନେ ତାକୁ ନାନା ଯାତନା ଦେଲା ପରେ, ଆତ୍ମହତ୍ଯା କରିବାକୁ ବାଧ୍ଯ କରନ୍ତି, ନଚେତ୍ ହତ୍ଯା କରନ୍ତି। ସେ କଥାରେ କେତେ ସତ୍ଯତା ଅଛି, ତାହା ଜାଣିବାର ଚେଷ୍ଟା କିଞ୍ଚିତ୍ ଲୋକେ କରିଥିଲେ, କିନ୍ତୁ ସେମାନେ ନିଜର ଅନୁଭୂତି ଶୁଣାଇବା ପାଇଁ ଇହ ଜଗତରେ ନାହାଁନ୍ତି। ସମସ୍ତ ଅନୁସନ୍ଧିତ୍ସୁ ମାନଙ୍କର ମୃତ ଶରୀର, ସମୁଦ୍ର ବେଳା ଭୂମିରେ ଲୋଟିବାର ଏକାଧିକ ନଜିର ରହିଛି।ତରୁଣ ବୟସରେ ସେହି ସବୁ ଲୋମହର୍ଷକ ଘଟଣାକୁ ସ୍ବଚକ୍ଷୁରେ ଦେଖିବା ଅବସରରେ ,ମନ ଭିତରେ "ଭୟ " ନାମକ ଭାବନାର ବୀଜ ବପନ କରିଥିଲା ଏହି ବତୀଘର। ସେହି ବୀଜ କାହା ମନରେ ମହାଦ୍ରୁମର ରୂପ ଧାରଣ କରିବାରେ ସକ୍ଷମ ହୋଇ ପାରିଥିଲା ତ, କାହା ମନରୁ ସମ୍ଫୂର୍ଣ୍ଣ ଲୋପ ପାଇ ଯାଇଥିଲା। ରାଜୁ ମନ ଭିତରେ ଭୟ ନାମକ ବୀଜଟି ସବୁଠାରୁ ସୁସ୍ଥସବଳ ଓ ଶକ୍ତିଶାଳୀ ଭାବରେ ବଢିଥିଲା ଓ ତାର ସମଗ୍ର ସତ୍ତାକୁ ଆଚ୍ଛନ୍ନ କରି ରଖିଥିଲା। ନ ବଢିବ ବା କେମିତି ! ସେ ପ୍ରତିଦିନ ସେହି ବୀଜକୁ ଯଥେଷ୍ଟ ଆହାର ଯୋଗାଇ ଚାଲିଥିଲା ଅଜାଣତରେ।
ଡାକବଙ୍ଗଳାଟିର ଅବସ୍ଥା ବିଶେଷ ଭଲ ବୋଲି କୁହାଯାଇ ପାରିବ ନାହିଁ। ମରାମତି ଅଭାବରୁ ତାହା ଦିନ କୁ ଦିନ ଦୟନୀୟ ହୋଇ ଚାଲିଥିଲା। ଜୀର୍ଣ୍ଣଶୀର୍ଣ୍ଣ କାୟା ବିଶିଷ୍ଟ ବଙ୍ଗଳାକୁ ଅନେକ ଦିନ ଧରି କୌଣସି ଅତିଥି ଆସି ନାହାଁନ୍ତି ବୋଲି, ଦେଖିଲେ ଯେ କେହି ବି ଜାଣି ପାରିବ। ଛାତ ଠାଏ ଠାଏ ଭାଙ୍ଗି ଯାଇଛି, ଅଗଣା ଭିତରେ ଅଛି ଏକ ପୁରାତନ ବରଗଛ-- ଯାହାର ବୟସ ବଙ୍ଗଳାଠାରୁ ଢେର୍ ଅଧିକ। ରାତ୍ରିର ଘନ ଅନ୍ଧକାର କୁ ଦୂରୀଭୁତ କରିବା ପାଇଁ ମିଞ୍ଜିମିଞ୍ଜି ଜଳୁଥିବା କେଇ ଗୋଟି ବିଦ୍ଯତ୍ ବତୀର ତେଜ ନିଷ୍ପଭ୍ରପ୍ରାୟ ଥିଲା। ଭିତର ଅବସ୍ଥା ମଧ୍ଯ ତଦ୍ରୁପ-- ବଖରାରେ ପଡିଥିବା କାଠଖଟର ଗୋଡ ଭଗ୍ନପ୍ରାୟ ଓ ଖଟର ସମସ୍ତ ଭାର କେଇଗୋଟି ଚାରି କୋଣିଆ ପଥର ଉପରେ ନ୍ଯସ୍ତଥିଲା। ଖାଇବା ପାଇଁ ପଟା ବାଡା ଯାଇଥିବା ଏକ ଟେବୁଲ୍ ଓ ମଳିଛିଆ ଦିଶୁଥିବା ଚାରିଟି କାଚ ଗିଲାସ ସଜା ଯାଇଥିଲା। ଆଲମାରୀ ର ଅବସ୍ଥା ନ କହିବା ଭଲ-- ଉଈ ମାନଙ୍କ ଦୌରାତ୍ମ୍ଯରୁ ଅର୍ଦ୍ଧାଧିକ ଅଂଶ ଧ୍ବସ୍ତବିଧ୍ବସ୍ତ ହୋଇ ପଡିଥିଲା। ତିନି ଗୋଟି ଭଗ୍ନ କାଠପଟା, ଆଲମାରୀର ପୂର୍ବାବସ୍ଥାକୁ ସୂଚାଇବାରେ ଚେଷ୍ଟିତ ଥିଲେ । ମାନ୍ଧାତା ଅମଳରୁ ଲାଗୁଥିବା ସିଲିଂ ପଙ୍ଖା, ପବନ ଅପେକ୍ଷା କର୍କଶ ସ୍ବରରେ ଘଁ ଘଁ ହେବାରେ ଅଧିକା ମନୋନିବେଶ କରିବା ପରି ମନେ ହେଉଥିଲା। ଯାହାହେଉ ରାଜୁ ଓ ଅମିତ୍ ଆସିବା ପୂର୍ବରୁ, ମନୋଜ୍ ଖାଦ୍ଯ ପାନୀୟ ସହ ମିନେରାଲ ପାଣି ଗୋଟେ ପେଟି ଧରି ଆସିଥିଲା । ଶୀତରାତିର ଆସର ଟା ଜମିବା ପାଇଁ ଯାହା କିଛି ର ଆବଶ୍ଯକତା ଥିଲା, ସେ ସବୁ ଜିନିଷପ୍ରତି ମନୋଜ୍ ବେଶ୍ ସଚେତନ ବୋଲି ବୁଝାପଡୁଥିଲା।
ସହରରେ ନୂଆ କରି ଗଢି ଉଠିଥିବା ଚକମକିଆ ହୋଟେଲମାଳାର ଲୋଭନୀୟ ରୂପକୁ ଅଣଦେଖା କରି, ସମୁଦ୍ରକୂଳରେ ଥିବା ଏ ଜରାଜୀର୍ଣ୍ଣ ବଙ୍ଗଳା ର ଆତିଥ୍ଯ ଗ୍ରହଣ କରିବାକୁ , କୌଣସି ସାଧାରଣ ବୁଦ୍ଧିସମ୍ପର୍ଣ୍ଣ ବ୍ଯକ୍ତି ଆସିବେ, ସେ ଆଶା ମଧ୍ଯ କ୍ଷୀଣ। ଏତଦ୍ ବ୍ଯତୀତ, ସମୁଦ୍ରର ଉତ୍ତାଳ ଜୁଆରର ଘୋରଘର୍ଘର ନାଦ ସାଙ୍ଗକୁ କାଲୁଆ ପବନର ଅବିରାମ ଆଘାତ ସମ୍ଭାଳିବାର କ୍ଷମତା କେତେ ଜଣଙ୍କ ପାଖରେ ବା ଅଛି?! ବଙ୍ଗଳାର ଅନତିଦୂରରେ ଅଛି ଧିବର ମାନଙ୍କର ବସ୍ତି। ରାତିରେ ବସ୍ତିଟି ପୁରୁଷଶୂନ୍ଯ କହିଲେ ଚଳିବ, ସେମାନେ ଚାଲି ଯାଆନ୍ତି ସମୁଦ୍ର ଭିତରକୁ ମାଛ ମାରିବାକୁ ଓ ସକାଳୁ ଫେରନ୍ତି। ତେଣୁ ସେହି ବଙ୍ଗଳାରେ "ନୀରବତା" ର ପ୍ରକୃତ ସଂଜ୍ଞା ମିଳେ ବୋଲି ମନେ ହୁଏ।
ଖାଇ ସାରିବା ପରେ ଅମିତ ଓ ରାଜୁ ଅଳ୍ପ ମଦ୍ଯପାନ କଲେ ଓ ପାଟିରେ ସିଗାରେଟ୍ ଧରି, ପୂର୍ବ ଆଲୋଚନା ଆରମ୍ଭ କରିବା ମାତ୍ରେ ମନୋଜ୍ କହିଲା-- ଆରେ ଭାଇ ମାନେ , କେମିତି ଅଛ, କଣ କରୁଛ, ସେ କଥା ଆଗେ କୁହ। ତା ପରେ ସେ ଭୂତପ୍ରେତ ବିଷୟରେ ଆଲୋଚନା କରିବ। ଏତେ ଦିନ ପରେ ତୁମକୁ ଦେଖି କେତେ ଖୁସି ଲାଗୁଛି ତା'ର ହିସାବ ନାହିଁ। ମୁଁ ତ ଭାବୁଥିଲି ଆସି ପାରିବି କି ନାହିଁ, ଯାହା ହେଉ ଶେଷରେ ତୁମ ମାନଙ୍କ ସହ ଦେଖା ହେଲା।
ଅମିତ୍ ଥଟ୍ଟା କରି କହିଲା, କାଇଁ ଆସି ପାରିବୁନି ବୋଲି ଭାବିଲୁ? କଣ ତୋ ତୋ ବସ୍ ଛୁଟି ଦେବାକୁ ମନା କଲା ନା କଣ? କହିବୁ ଯଦି ତାକୁ ଭଲରେ ପାନେ ଦେବି। ପ୍ରାଇଭେଟ୍ କମ୍ପାନୀର ମାଲିକ ହୋଇ ଏତେ ଫୁଟାଣି !!! ! ଆରେ ତୋ ସାଙ୍ଗ ପାଖରେ ଯେତିକି ଟଙ୍କା ଅଛି ଦଶଟା କମ୍ପାନୀ କିଣିଦେବ। ତୋତେ କହିଲି ମୋ କମ୍ପାନୀରେ କାମ କର, ତୁ ସିନା ଶୁଣିଲେ ହେବ।
– – ନା ରେ ସାଙ୍ଗ ସେକଥା ନୁହଁ ଯେ.....
ତେବେ କଣ ଅସୁବିଧା କହୁନୁ-- ଯଦି କହିବୁ ମୋ ଲୁଗା ଦୋକାନରେ ମ୍ଯାନେଜର୍ କରିଦେବି। ଆରାମ ରେ ରହିବୁ, ନୋହିଲେ ମୋ କାଗଜକଳରେ କାମ କରିବୁ ଯଦି କହ। ସେ ବ୍ଯବସ୍ଥା ବି କରିଦେବି। କହିଲା ରାଜୁ।
ଭାଇମାନେ ତୁମେ ହେଲ ବଡଲୋକ - - ମୋ ଅବସ୍ଥା ତ ଜାଣିଛ। ତୁମ ମାନଙ୍କ ପାଖରେ କାମ କରିବାରେ ଆପତ୍ତି ନାହିଁ, କିନ୍ତୁ ଆମର ଏ ବନ୍ଧୁତ୍ବ ରହିବ ତ? ଯାହା ପାଖରେ ବି କାମ କରିବି କର୍ମଚାରୀ ହୋଇ ରହିବି, ବନ୍ଧୁ ହୋଇ ନୁହଁ। ସେ କଥା ଛାଡ, ମୋର ଅସୁବିଧା କିଛି ନାହିଁ, ହେଲେ ନିହାତି ଜଣାଇବି। ତୁମେ ମାନେ କୁହ ତୁମ ମାନଙ୍କର ଖବର।
ଅମିତ୍ ଓ ରାଜୁ ନିଜ ନିଜର ପ୍ରତିପତ୍ତି ବିଷୟରେ ବଖାଣିବାରେ ଲାଗିଲେ। ଲାଗୁଥିଲା, ସତେକି ସେମାନଙ୍କ ଭିତରେ ପ୍ରତିଯୋଗିତା ଚାଲିଛି। ମଦନିଶା ଧିରେଧିରେ କାମ ଦେଖାଇବା ଆରମ୍ଭ କରିଦେଇଥିଲା। ତେଣୁ ସେମାନେ କଣ ନାହିଁ କଣ ଗପି ଚାଲିଥିଲେ। ମନୋଜ୍ ଚୁପଚାପ ସେମାନଙ୍କ କଥା ଶୁଣୁଥିଲା ; କାରଣ ପ୍ରତିପତ୍ତି ବା ପ୍ରତିଷ୍ଠା, କୌଣସି ବିଷୟରେ ତାର କିଛି କହିବାର ନ ଥିିଲା। ତାର ଦୁଇ ସାଙ୍ଗ ଯେତିକି ଧନୀଥିଲେ ସେ ସେହି ପରିମାଣ ରେ ଗରୀବ ଥିଲା। ଅମିତ୍ ଟିକେ ଚଢା ଗଳାରେ ପଚାରିଲା-- ଆରେ ମନୋଜ୍ ତୋ ଦେହ ଭଲ ନାହିଁ ନା କଣ? ଏମିତି ବସିଛୁ ଯେ ? ହଁ ତୋତେ ପଚାରିବାକୁ ଭୁଲି ଗଲି-- ତୋର ସେ ପୁରୁଣା କାର କୁଆଡେ ଗଲା? ତାକୁ ବି ବିକ୍ରି କରିଦେଲୁ ନା କଣ?
– – କାଇଁ ନାହିଁ ତ! ମୋ ଦେହ ଭଲ ଅଛି। ସେ ଗାଡି ଟା ବାଟରେ ଖରାପ ହୋଇଗଲା ବୋଲି, ଆଉ ଜଣେ ଲୋକ ମୋତେ ଆଣିି ଏଠି ଛାଡି ଦେଇଗଲା। ଆଜିର ଆୟୋଜନ ର ଦାୟିତ୍ବ ପରା ମୋ ଉପରେ, ସେଥିରେ କେମିତି ଅବହେଳା କରିଥାଆନ୍ତି କହିଲୁ !!!
– – ହାଃ ହାଃ , ଆବେ ମନୋଜ୍ ତୁ ଠିକ୍ କହିଛୁ। ଆମ ପରି ବଡବଡିଆ ଲୋକ ତୋ ସାଙ୍ଗ ବୋଲି ଜାଣିଲେ, ଲୋକଙ୍କ ଖାତିର୍ ତୋ ପାଇଁ ବହୁତ୍ ବଢିଯିବ। କେହି ବିଶ୍ବାସ କରିବେନି ଯେ ଦୁଇ ଜଣ କୋଟିପତି ବ୍ଯବସାୟୀ, ଗୋଟେ ଛାର ଲୋକ ସହ, ଏ ଗୁହାଳ ପରି ଡାକବଙ୍ଗଳାରେ ରାତ୍ରୀଯାପନ ପାଇଁ ଆସିଛନ୍ତି ବୋଲି। ଯାଃ, ତୋ ଜୀବନ ସଫଳ ହୋଇଗଲା। ମଦନିଶାରେ ଆଖି ଲାଲ୍ କରି ତାଚ୍ଛଲ୍ଯ କରିବା ଭଙ୍ଗିରେ କହିଲା ରାଜୁ।
ନୀରବରେ ବସି ରହିଲା ମନୋଜ୍। କଥାର ମଙ୍ଗ ବୁଲାଇବାକୁ ନିଜ ଆଡୁ କହିଲା-- ହଁ ରେ ସାଙ୍ଗ, ତୁ ଯାହା କହିଲୁ ସତ। କିନ୍ତୁ ଭୂତପ୍ରତ କୁ ନେଇ ତୁମେ ଯାହା କଥା ହେଉଥିଲ, ସେ ବିଷୟରେ କିଛି ଅଭିଜ୍ଞତା ଅଛି ନା ସେମିତି ଖାଲି ଗପୁଥିଲ?
ଭୁତପ୍ରେତ ନାମ ଶୁଣି ରାଜୁର ଆଖି ରେ ଆଗ୍ରହ ର ଝଲକ ଖେଳିଗଲା। ନିଜକୁ ପ୍ରକୃତିସ୍ଥ କରି କହିଲା- ମନୋଜ୍, ମୋ ଭାଇ ଟା ପରା- - ତୁ ଟିକେ ଅମିତ୍ କୁ ବୁଝା, ସେ କହୁଛି ଭୁତପ୍ରେତ ନାହାଁନ୍ତି ବୋଲି। ଯଦି ନାହାଁନ୍ତି, ସେ ବତୀଘର କୁ ଯାଇ ପ୍ରମାଣ କରୁ।
– – ଯିବି, ମୁଁ ଅଲବତ୍ ଯିବି। କୋଉ ଭୂତ କି ତା ବୋପା ମୋର କିଛି କରି ପାରିବନି। ତୁମେ ଦୁଇ ଜଣ ସାକ୍ଷୀ ରହିଲ। ଯଦି ମୁଁ ବତୀଘରୁ ଯାଇ ଫେରି ଆସିବି, ତୋ କାଗଜକଳଟା ମୋ ନାମରେ କରିଦେବୁ ତ? ଯଦି ହଁ କହିବୁ ମୁଁ ସାଙ୍ଗେସାଙ୍ଗେ ଯିବି। ରାଜୁ ଉଦ୍ଦେଶ୍ଯରେ କହିଲା ଅମିତ୍।
କାଗଜକଳଟା ରାଜୁର ଭାତ ହାଣ୍ଡି କହିଲେ ଅତ୍ଯୁକ୍ତି ହେବ ନାହିଁ। ସବୁଠାରୁ ବେଶି ରୋଜଗାର ହୁଏ ସେଇ କାଗଜ କଳରୁ, ଅମିତ୍ ଏ କଥା ଭଲରେ ଜାଣିଛି। ତେଣୁ ସେ ଏପରି ଏକ ସର୍ତ୍ତ ରଖିଲା। ଅନ୍ଯପକ୍ଷରେ ରାଜୁ ମନରେ ଅମିତ୍ ପ୍ରତି ବଢି ଚାଲିଥିଲା ଅସହିଷ୍ଣ ଭାବ। ଖୁବ୍ କମ୍ ଦିନରେ ଅମିତ୍ ର ବ୍ଯବସାୟରେ ଉନ୍ନତି ଦେଖି , ପୁରୁଣା ବ୍ଯବସାୟୀ ମାନେ ମଧ୍ଯ ପ୍ରମାଦ ଗଣିବା ଆରମ୍ଭ କରିଦେଇଥିଲେ। ରାଜୁ ମନ ଭିତରେ ଚାହୁଁଥିଲା ଅମିତ୍ ର କ୍ଷତି। ଯଦି ଭୂତର ଅସ୍ତିତ୍ବ ପ୍ରମାଣ କରିବା ଅବସରରେ ଅମିତ୍ ର କିଛି ହୋଇଯାଏ, ସେ ନିଷ୍କଣ୍ଟକ ହୋଇ ବ୍ଯବସାୟ କରିବ ବୋଲି ଭାବୁଥିଲା।
ଆଗପଛ ନ ଭାବି କହିଲା--- ବେଶ୍ ସେଇଆ ହେବ। ତୁ ବତୀଘରୁ ଯାଇ ଫେରି ଆସିବା ପରେ, କାଗଜ କଳ କୁ ତୋ ନାମରେ ଲେଖିଦେବି। କିନ୍ତୁ ତୁ ଯଦି ବିଫଳ ହେଲୁ?
– – ଆରେ ମୁଁ ବିଫଳ ହେଲେ, ମୋ ଲାସ୍ କୁ ନେଇ ଘରେ ପହଞ୍ଚାଇ ଦେବୁ। ହାଃ ହାଃ ହାଃ ଅଟ୍ଟହାସ୍ଯ କରି କହିଲା ଅମିତ୍।
କିଛି ସମୟ ମଧ୍ଯରେ ପାଦ ଟଳଟଳ କରି ଅମିତ୍ ହାତରେ ଲଣ୍ଠନ ଧରି ଆଗେଇ ଚାଲିଲା ବତୀଘର ଆଡକୁ। ମନୋଜ୍, ଦେହ ଖରାପ୍ ଲାଗୁଛି କହି, ସେଇ ଖଟ ଉପରେ ପଡି ରହିଲା ଓ ରାଜୁ ବତୀଘରକୁ ନିରୀକ୍ଷଣ କରିବାକୁ ସମୁଦ୍ରକୂଳରେ ଜଗି ରହିଲା।
ସେଦିନ ରାତିରେ ଭୀଷଣ ଶୀତ ପଡିଥାଏ। ସମୁଦ୍ରକୂଳରେ କୁହୁଡି ଜମାଟ ବାନ୍ଧି ଆସୁଥାଏ। ଅମାବାସ୍ଯା ରାତିର ଘନ ଅନ୍ଧକାର ଆକାଶରେ ଚିକମିକ କରୁଥାନ୍ତି ତାରା ମାନେ। ବେଳକୁ ବେଳ ସମୁଦ୍ର ଅଶାନ୍ତ ହୋଇ ଉଠୁଥାଏ ଓ ସୁଉଚ୍ଚ ଲହଡି ମାନ ବେଳାଭୂମିରେ ଧକ୍କା ଖାଇ ପ୍ରଚଣ୍ଡ ଚିତ୍କାର କରୁଥାନ୍ତି। ସମୁଦ୍ରର ଫେନିଳ ଜଳରାଶି ର ବେଳାଭୂମି କୁ ଅବିରତ ଆଗମନ ଓ ପ୍ରତ୍ଯାଗମନ ସହିତ ତାଳ ଦେଇ, ରାଜୁର ହୃତସ୍ପନ୍ଦନ ର ବେଗ ବଢୁଥାଏ ଓ କମୁଥାଏ। ନିଜ ଚର୍ତ୍ତୁଃପାର୍ଶ୍ବରେ ଘଟି ଚାଲିଥିବା ଘଟଣାବଳୀରେ ଭୌତିକ କାଣ୍ଡର ଲେଶମାତ୍ର ସୂଚନା ପାଉ ନ ଥିଲା ଅମିତ୍। ସେ ସଗର୍ବେ ମାଡି ଚାଲିଥିଲା ବତୀଘର ଆଡକୁ। କିଛି ଦୂରରେ ସେ ଦେଖି ପାରିଲା ଗୋଟିଏ ଛାୟା ମୂର୍ତ୍ତି ତା ସାମନାରେ ଧିରେ ଧିରେ ଅଗ୍ରସର ହେଉଛି । କିଛି କ୍ଷଣ ରହି ଭାବିଲା, ନିସ୍ତବ୍ଧ ପ୍ରହରରେ ଏ ନିକାଞ୍ଚନ ଯାଗାରେ କିଏ ହୋଇପାରେ? ବୋଧ୍ ହୁଏ ଚୋର ବା ଖଣ୍ଟ ହୋଇପାରିଥାଏ, କିମ୍ବା କୌଣସି ଧୀବର। ସେ ଯିଏ ବି ହେଉ ମୋର କଣ ଅଛି? ମନେମନେ କହି ଆଗେଇ ଚାଲିଲା । ବତୀଘର ପାଖରେ ପହଞ୍ଚି ଦେଖିଲା ତାର ନଭଶ୍ଚୁମ୍ଭୀ ପ୍ରକାଣ୍ଡ ରୂପ। ମନ ଟିକେ ଦବିଯିବା ପରି ଲାଗିଲା ; ଭୟ ପାଇଁ ନୁହଁ, ବରଂ ଏତେ ଗୁଡିଏ ପାହାଚ କେମିତି ଚଢିବ ସେଇ ଭାବନା ରେ। ତା ସାମନାରେ ଚାଲୁଥିବା ଛାୟାମୂର୍ତ୍ତିଟି ଦୃଶ୍ଯମାନ ହେଉନାହିଁ-- ସେ ନିହାତିି ଗୋଟିଏ ଧିବର ହୋଇଥିବ, ନହେଲେ କୁଆଡେ ସେ ଗଲା। ପୁଣି ଭାବିଲା ରାଜୁ ତାକୁ ପିଛା କରୁନାହିଁ ତ ? ସେ ମହା ଧପାବାଜ୍ ପ୍ରକୃତ୍ତିର ଲୋକ। ବାହାରକୁ ତାର ସାଙ୍ଗ ବୋଲି ଦେଖାଇହେଲେ କଣ ହେବ ; ଗୁପ୍ତ ଶତୃ ଭାବରେ ସଦାବେଳେ କ୍ଷତି କରିବାରେ ଲାଗି ରହିଛି। ଏପରିକି ତା ନାମରେ ଅନ୍ଯ ବ୍ଯବସାୟୀଙ୍କ ସାମନା ରେ ନାନା କୁତ୍ସାରଟନା ମଧ୍ଯ କରୁଛି। ଯଦି ସେ ବାଜି ରେ ଜିତି ଗଲା, କାଗଜକଳ ଟା ତାର ହୋଇଯିବ ଓ ରାଜୁର ଗର୍ବ ଖଣ୍ଡବିଖଣ୍ଡିତ ହୋଇଯିବ। ପୁଣି ଭାବିଲା-- ନାଃ, ରାଜୁ ର ଏତିକି କଲିଜା ନାହିଁ ଯେ, ସେ ବତୀଘର ଯାଏ ଆସିବ।
ପ୍ରଥମ ପାହାଚ ଚଢିଲା ବେଳେ ତା ଶରୀରରେ କମ୍ପନ ସୃଷ୍ଟି ହେଲା। ମନେ ପଡିଗଲା ଅତୀତ ର ଏପରି ଏକ ଗୋପନ କାହାଣୀ ଯାହା ହୃଦୟର ଅତଳ ଗର୍ଭରେ ସମାଧିସ୍ଥ ହୋଇ ରହିଛି କାହିଁ କେତେ ବର୍ଷରୁ। କଲେଜ୍ ରେ ପଢିବା ବେଳେ ନୀତା ନାମକ ଝିଅ କୁ ସେ ପ୍ରେମ ଫାଶରେ ଆବଦ୍ଧ କରିଥିଲା। ଲୋକଲୋଚନରୁ ଦୂରରେ, ଏହି ବତୀଘରେ ହିଁ ତା ସହ ସ୍ଥାପନ କରିଥିଲା ନିଷିଦ୍ଧ ସମ୍ପର୍କ। କିଛି ଦିନ ପରେ ନୀତା ଗର୍ଭବତୀ ବୋଲି ଜାଣିବା ପରେ, ତାକୁ ବିବାହର ପ୍ରତିଶୃତି ଦେଇ ଡାକିଥିଲା ଏଇ ବତୀଘର କୁ। ସିମନ୍ତରେ ସିନ୍ଦୁର ଦେଇ ବତୀଘର ଉପରୁ ସମୁଦ୍ରର ମନୋରମ ଦୃଶ୍ଯ ଦେଖାଇବା ସହ, ସେମାନଙ୍କର ଭବିଷ୍ଯତ ବିଷୟରେ ଦେଇଥିଲା ଅନେକ ପ୍ରତିଶୃତି। ସ୍ବପ୍ନ ରାଜ୍ଯରେ ନୀତା ବିଚରଣ କରୁଥିବା ସମୟରେ ତାକୁ ଧକ୍କା ମାରି ତଳକୁ ଫିଙ୍ଗି ଦେଇଥିଲା ବତୀଘର ଉପରୁ। ଘଟଣା ପରଦିନ, କଲେଜ୍ ର ଝିଅଟିଏ ବତୀଘରୁ ଡେଇଁ ଆତ୍ମହତ୍ଯା କରିଛି ବୋଲି ଖବର ପ୍ରଚାରିତ ହେବା ପରେ , ସାରା କଲେଜ୍ ର ପିଲା ବତୀଘର ପାଖକୁ ଆସିଥିଲେ। ସେମାନଙ୍କ ମଧ୍ଯରେ ଅମିତ୍ ବି ଥିଲା ଓ ସେ ନୀତା କୁ ଦେଖି ବହୁତ କାନ୍ଦିଥିଲା। ପରେ ଜଣା ପଡିଲା, ମୃତ୍ଯୁ ବେଳକୁ ନୀତା ଗର୍ଭବତୀ ଥିଲା। ନିଜ ଉପରୁ ସନ୍ଦେହ ହଟାଇବା ପାଇଁ ଅମିତ୍ ନାନା ଅପପ୍ରଚାର କଲା ବିଚାରି ନୀତା ନାମରେ। ଶେଷରେ ସମସ୍ତେ ଜାଣିଲେ ଯେ, ଅମିତ୍ ର ନିଚ୍ଛକ ଭଲ ପାଇବା କୁ ହତାଦର କରି ନୀତା ଅନ୍ଯ ଲୋକଙ୍କ ସହ ବ୍ଯଭିଚାରରେ ଲିପ୍ତ ଥିଲା ଓ ତାହାର ଉପଯୁକ୍ତ ଦଣ୍ଡ ପାଇଲା। କହିବା ବାହୁଲ୍ଯ, ନୀତା ର ମୃତ୍ଯୁ କୁ ସମସ୍ତେ ଆତ୍ମହତ୍ଯା ବୋଲି ଭାବିଥିଲେ ଓ ତାହା ହତ୍ଯା ହୋଇପାରେ ବୋଲି କେହି କଳ୍ପନା ମଧ୍ଯ କରି ପାରି ନ ଥିଲେ। ସେ କଥା ମନେ ପକାଇ ଅମିତ୍ ଅଟ୍ଟହାସ୍ଯ କଲା।
ଜଣେ ଗର୍ଭବତୀ ନାରୀ କୁ ହତ୍ଯା କରିବା ପରେ ମଧ୍ଯ ସେ କିପରି ସମସ୍ତଙ୍କ ଆଖିରେ ଧୂଳି ଦେଇ, ଘଟଣା କୁ ଲୁଚାଇ ରଖିପାରିଲା ସେ କଥା ଭାବି ବେଶ୍ ରୋମାଞ୍ଚିତ ହେଲା। ଅଚାନକ କାହା ଡାକରେ ଚମକି ଉଠିଲା ସେ। କିଏ....କିଏ.... ବୋଲି ଚିତ୍କାର କଲା। କିନ୍ତୁ ସେ ଡାକ, ବତୀଘର କାନ୍ଥରେ ପ୍ରତିଧ୍ବନିତ ହୋଇ ଫେରି ଆସିଲା, ତା ପାଖକୁ। ଲଣ୍ଠନ ଉପରକୁ କରି ସେ ଦେଖିଲା ଚାରି ଆଡକୁ। ନାଃ ...କେହି କୁଆଡେ ନାହାଁନ୍ତି। ପୁଣି ଭାବିଲା ଏମିତି ଡାକ ଶୁଣିବା ଟା ନୂଆ ନୁହଁ। ନୀତା କୁ ହତ୍ଯା କରିବା ପରଠାରୁ ସେ ଅନେକ ଥର ଶୁଣିଛି ଏମିତି ଆତୁର ଚିତ୍କାର। ନୀତା ଶେଷଥର ପାଇଁ ତାକୁ କହିଥିଲା-- ତୁମେ ଏତେ ବଡ ବିଶ୍ବାସ ଘାତକ ବୋଲି ମୁଁ ଭାବି ପାରୁନି ଅମିତ୍ , ମୋ ଜୀବନ କୁ ତୁମେ ବରବାଦ୍ କରିଦେଲ। ମୋତେ ମାରିଦେଲେ କଥା ସରିଗଲା ବୋଲି ଯଦି ଭାବୁଛ, ତାହା ତୁମର ଭୁଲ ଧାରଣା। ମୁଁ ଫେରିବି ଓ ନିଶ୍ଚୟ ପ୍ରତିଶୋଧ ନେବି। କଥା ସରିବା ପୂର୍ବରୁ ବତୀଘର ଉପରୁ ନୀତା ର ଶରୀର ପବନକୁ ଚିରି ତଳକୁ ଖସି ଚାଲିଥିଲା। ଅମିତ୍ ତା ଘରେ ଅନେକ ଥର ଦେଖିଛି ନୀତା ର ଛାୟାରୂପ, କିନ୍ତୁ ତାହା ଦୁର୍ବଳ ମନର ପ୍ରତିଫଳନ ଭାବି ସେ ହସରେ ଉଡେଇ ଦେଇଛି। ଆଶ୍ଚର୍ଯ୍ଯ-- ଆଜି ଏ ନିକାଞ୍ଚନ ସ୍ଥାନରେ କିଏ ନାମ ଧରି ଡାକୁଛି ତାକୁ? ତେବେ କଣ ନୀତାର ଆତ୍ମା...... ନାଃ ହୋଇ ନ ପାରେ, ଅସମ୍ଭବ।
ଥରଥର ପାଦରେ ସେ ଗୋଟିଏ ପରେ ଗୋଟିଏ ପାହାଚ ଅତିକ୍ରମ କରିବାକୁ ଲାଗିଲା। ତାକୁ ଭୀଷଣ ଅଶ୍ବସ୍ତି ବୋଧ ହେଲାପରି ଲାଗିଲା, ସତେ କି ତାକୁ କିଏ ଉପରକୁ ଟାଣି ନେଉଛି। ମନରେ ଭାବିଲା, ଆଉ ଆଗକୁ ନ ଯାଇ ବଙ୍ଗଳା କୁ ଫେରିଯିବ ଓ ରାଜୁ କୁ କହିବ ଯେ ସେ ବତୀଘର ଉପରୁ ଫେରିଲା। ସେ ବା କଣ ଜାଣିବ? ଭୟରେ ସେ ବତୀଘର ପାଖକୁ ଆସିବାର ପ୍ରଶ୍ନ ଉଠୁନି। ସେତିକି ବେଳକୁ ତା ନଜର ପଡିଲା ଏକ ମଙ୍ଗଳସୂତ୍ର ଉପରେ। ଠାଏ ଠାଏ ଛିଣ୍ଡି ଯାଇଛି ଓ ବହୁତ ପୁରୁଣା ଦେଖା ଯାଉଛି। ନୀତା ବେକରେ ସେ ପିନ୍ଧାଇଥିବା ମଙ୍ଗଳସୂତ୍ର କଥା ଭାବିଲା। ଠିକ୍ ସେହିପରି ଦିଶୁଛି ତ!! ! ନା ହୋଇ ନ ପାରେ- - ପାଖରେ ଧୀବର ବସ୍ତି। କିଏ କେତେ ବେଳେ ଆସିଥିବ, କାହାର ଛଣ୍ଡି ପଡିଯାଇ ଥାଇପାରେ। ତାହା ଯେ ନୀତାର, ସେମିତି କିଛି ବଳିଷ୍ଠ ପ୍ରମାଣ ଆପାତତଃ ନାହିଁ-- ସେ ଆଗକୁ ବଢିଲା।
ପ୍ରତି ଟି ପାହାଚ ଅତିକ୍ରମ କରିବା ସହିତ ସେ ଡାକଟି ସ୍ପଷ୍ଟତର ହେବାରେ ଲାଗୁଥିଲା। ସେ ନିଜେ ଜାଣି ପାରୁ ନ ଥିଲା , ତାହା ମଦର ପ୍ରଭାବ ନା ଦୁର୍ବଳ ମନର ପ୍ରତିଫଳନ ମାତ୍ର। ନାଃ , ଆଗକୁ ଯିବା ମୁର୍ଖାମୀ ହେବ, ତାକୁ ଫେରିବାକୁ ହେବ। କଣ ମିଳିବ ସେ ବାଜି ରୁ, ଯାହା ଭଗବାନ ଦେଇଛନ୍ତି ସେତିକି ଯଥେଷ୍ଟ। ସେ ଫେରିବାକୁ ଚଷ୍ଟା କଲା। ମାତ୍ର ତାର ପାଦ ଦୁଇଟି ଯେମିତି ଯନ୍ତ୍ରବତ୍ ଆଗକୁ ମାଡି ଚାଲିଥିଲେ। ସତେକି ସେମାନେ ଅମିତ୍ ର ନିୟନ୍ତ୍ରଣ ବାହାରେ। ଏବେ ସେ ପାହାଚ ଚଢୁ ନ ଥିଲା ; ବରଂ ଘୋଷାଡି ହୋଇ ଉପରକୁ ଚାଲିଥିଲା।
ଏ କଣ !!! ! କାହାର ଅଟ୍ଟହାସ୍ଯରେ କାନ ପରଦା ଫାଟିଲା ପରି ଲାଗୁଛି। ଚୁଡିର ରୁଣ୍ ଝୁଣ୍ ଶବ୍ଦ ସହ ଗୁଣୁଗୁଣୁ ଗୀତ ଗାଇବାର ଶବ୍ଦ ମଧ୍ଯ ଶୁଭୁଛି। ସମୁଦ୍ରରୁ ବୋହି ଆସୁଥିବା ବରଫ ପରି ଥଣ୍ଡା ପବନ ତା ଗାଲରେ ଚାପୁଡା ପରେ ଚାପୁଡା ମାରିବା ପରି ଲାଗୁଛି। ତେବେ ସେ କଣ ନୀତା ର ଅତୃପ୍ତ ଆତ୍ମା କବଳରେ ପଡିଯାଇଛି ?
ବେଳାଭୂମିର ବାଲି ଉପରେ ବସି ଏକ ଲୟରେ ରାଜୁ ବତୀଘର ଆଡକୁ ଚାହିଁଛି। ଚାହିଁଛି କହିଲେ ଭୁଲ୍ ହେବ, ସେ ପ୍ରତୀକ୍ଷା କରିଛି, କେତେବେଳେ ଅମିତ୍ ବତୀଘର ଉପରୁ ତଳକୁ ପଡିବ। ନିଜକୁ ସେ ପ୍ରସ୍ତୁତ କରୁଛି, କିପରି ଅମିତ୍ ର ଶବକୁ ଧରି ସହରକୁ ଫେରିବ। ମନ ଭିତରେ ଖେଳୁଛି ପୈଶାଚିକ ଆନନ୍ଦ। ପଛ ପଟେ କାହାର ପାଦ ଶବ୍ଦ ଶୁଣି ସେ ଚମକି ପଡିଲା। ଦେଖିଲା ଜଣେ ବୁଢା ଲୋକ ତାକୁ କଣ କହୁଛି। ଲୋକଟିର ମୁହଁ ଦିଶୁନାହିଁ, ଆପାଦମସ୍ତକ ସେ ଗୋଟିଏ ଚଦର ଘୋଡାଇ ଛିଡା ହୋଇଛି। ଚଢା ଗଳାରେ କହିଲା ରାଜୁ-- ଆରେ ଏତେ ରାତିରେ ଏଠି କଣ କରୁଛୁ। ଯା ପଳାଃ ଏଠୁ।
– – ବାବୁ ମୋ ପଇସା ଟା ଦେଲନି ଯେ....!
– – ଆରେ କି ପଇସା ତୋର?ପାଗଳ ଟା କିରେ, ମୁଁ ତୋତେ ଜାଣିନି କି ଚିହ୍ନିନି, କି ପଇସା ଦେବି ?
– – ବାବୁ , ମୋତେ ତୁମେ ଜାଣିନ? ମୁଁ ପରା ମାଧବ, ମୋ ଜମି ଜବରଦସ୍ତି ନେଇ ତୁମ କାଗଜକଳ ଠିଆ କଲ-- ପଇସା ବିି ଦେଲନି। ଶେଷରେ ତୁମ କାଗଜକଳରେ ଶ୍ରମିକ ହୋଇ କାମ କଲି। ସେତିକି ରେ ମନ ଶାନ୍ତ ହେଲାନି ଯେ ମୋ ଝିଅ ବୋହୁଙ୍କ ଇଜ୍ଜତ ନେଲ। ମୁଁ ପ୍ରତିବାଦ କରିବାରୁ, ଗୁଣ୍ଡା ଲଗେଇ ଆମ ପରିବାରକୁ ଜାଳିପୋଡି ଶେଷ କରିଦେଲ।
ରାଜୁର କାନ ପାଖକୁ ବୁଢା ଲାଗି ଆସି କହିଲା--- ଏବେ ମନେ ପଡିଲା ତ? ହେଇ ଦେଖ ତୁମେ କଣ କରିଛ ଆମ ମାନଙ୍କ ସହିତ ; ଏତିକି କହି ବୁଢା ସେ ଚଦରଟି ତଳକୁ ଖସାଇ ଦେଲା। ତା ଦେହ ସାରା ଜଳି ଯାଇଛି, ମାଂସ ଖଣ୍ଡ ଥୋଲାଥୋଲା ହୋଇ ତଳେ ଗଳି ପଡୁଛି। ବୁଢା ପଛ କୁ ଛିଡା ହୋଇଛନ୍ତି ଆଉ ଦୁଇଟି ନାରୀ ମୂର୍ତ୍ତି। ସେମାନଙ୍କ ମୁଣ୍ଡରେ ଗୋଟିଏ ହେଲେ କେଶ ନାହିଁ, ଜଳିପୋଡି ମେଞ୍ଚା ହୋଇଯାଇଛି। ଦେହର ପ୍ରତିଟି ଅଙ୍ଗରୁ ପୋଡା ମାଂସ ଖଣ୍ଡ ଖଣ୍ଡ ହୋଇ ଖସି ପଡୁଛି। ସେ ସ୍ଥାନଟି ପୋଡା ମାଂସ ଗନ୍ଧରେ ଫାଟି ପଡିଲା ପରି ଲାଗୁଛି। ଓଃ କି ବିଭତ୍ସ ଦୃଶ୍ଯ। ତିନିଟି ଛାୟା ମୂର୍ତ୍ତି , ରାଜୁ ଚାରି ପଟରେ ଘେରିଗଲେ ଓ ସେ ଚିତ୍କାର କରି ବାଲି ଉପରେ ପଡିଗଲା।
ବତୀଘର ଉପରୁ ସମୁଦ୍ରର ରୂପ ସ୍ପଷ୍ଟ ଦିଶୁଛି। ତା ସାଙ୍ଗକୁ ଦୂର ସହରରେ ଜଳୁଥିବା ଆଲୋକ ମାଳା , ଜୁଳୁଜୁଳିଆ ପୋକ ପରି ଦିଶୁଛି। ସମୁଦ୍ର ବୁକୁରେ ମାଛ ମାରିବାରେ ବ୍ଯସ୍ତ ଥିବା ଧିବର ମାନଙ୍କର ଡଙ୍ଗାର ଆଲୋକ ମିଞ୍ଜିମିଞ୍ଜି ହୋଇ ଦିଶୁଛି। ମନେ ମନେ ଭାବିଲା ଅମିତ୍, ତା ଦୁଇ ସାଙ୍ଗ ଏମିତି ଦୃଶ୍ଯ ଦେଖିଲେ କେତେ ଖୁସି ହୋଇ ଥାଆନ୍ତେ। କାହାର ସ୍ପର୍ଶରେ ଚମକି ଉଠିଲା ସେ। ଚାରି ଆଡକୁ ବୁଲି ଦେଖିଲା, କେହି କୁଆଡେ ନାହାଁନ୍ତି। ତେବେ ତା ନାମ ଧରି ଡାକୁଥିଲା କିଏ? ସେ ପାଟିକରି ଡାକିଲା-- ଆରେ କିଏ, ଏଠି ତାମସା ଲଗେଇଛୁ? ମୋ ସାଙ୍ଗେ ଥଟ୍ଟା ଖେଳନି କହୁଛି, ନ ହେଲେ ଏ ବତୀଘର ଉପରୁ ତଳକୁ ଫିଙ୍ଗିଦେବି। ଅମିତ୍ ବଡ ଅସହାୟ ଅବସ୍ଥାରେ ବତୀଘର ଉପରୁ ଚିତ୍କାର କରିବା ଆରମ୍ଭ କରିଦେଇଥିଲା। ଉପରୁ ସେ ଦେଖି ପାରୁଥିଲା ବେଳାଭୂମି ଉପରେ ତିନିଟି ଛାୟା ମୂର୍ତ୍ତି, କାହା ଚାରି ପଟରେ ଘେରି ଛିଡା ହୋଇଛନ୍ତି। ନିଜର ସମସ୍ତ ଶକ୍ତି ଖଟାଇ, ସେମାନଙ୍କ ଉଦ୍ଦେଶ୍ଯରେ ଚିତ୍କାର କରି ଡାକିବାକୁ ଲାଗିଲା।
ହାବୁକାଏ ପବନରେ ଦୋହଲିଗଲା ଅମିତ୍ ର ଶରୀର। ଲଣ୍ଠନରୁ କିରାସିନି ସରିବା ଉପରେ- - - ବେଳକୁ ବେଳ ଆଲୋକର ଶିଖା ମଳିନ ପଡିଚାଲିଛି। କେହିଜଣେ ତା କାନ ପାଖରେ ଫିସଫିସ କରି କହିଲା-- ଫିଙ୍ଗି ଦେ, ମୁଁ ତ ସେଇଆ ଚାହୁଁଛି। କିନ୍ତୁ ଏଥର ତୁ ମଧ୍ଯ ବତୀଘର ଉପରୁ ତଳକୁ ଯିବୁ। ତେବେ ଜାଣି ପାରିବୁ ଫିଙ୍ଗିବା ଓ ଫିଙ୍ଗାଯିବା ମଧ୍ଯରେ ପାର୍ଥକ୍ଯ ଟା କଣ---- ହାଃ ହାଃ ହାଃ।
ନୀତା ତୁମେ ସବୁ ଏମିତି କରୁଛ ନା? ଉତ୍ତର ଦିଅ-- ମୋତେ ଏମିତି କଲବଲ କାହିଁକି କରୁଛ? ହଁ, ମୁଁ ତୁମର ଦୋଷୀ, ମୁଁ ମାରିଛି ତୁମକୁ। କଣ କରିଥାନ୍ତି? ଅନ୍ଯ କିଛି ବାଟ ନ ଥିଲା। ତାଜା ରକ୍ତରେ ଜୁଡୁବୁଡୁ ଏକ ନାରୀ ମୂର୍ତ୍ତି ଅମିତ୍ ର ଆଗରେ ଛିଡା ହୋଇଗଲା। ତା ମୁହଁ ଏତେ ବିଭତ୍ସ ଯେ କଳ୍ପନା କରିହେବନାହିଁ। ମୁଣ୍ଡ କୁ ହାତୁଡିରେ ପିଟିଲେ ଯେପରି ଖଣ୍ଡ ବିଖଣ୍ଡିତ ହୋଇଯିବ, ଠିକ୍ ସେପରି ତା ମୁଣ୍ଡ ଫାଟି ହାଡ ବାହାରକୁ ବାହାରି ଆସିଥିଲା। ଆଖି ଡୋଳା ଦୁଇଟି ରଡନିଆଁ ପରି ଜଳୁଥିଲା - - - ସମଗ୍ର ଶରୀର ଥିଲା ହାଡ ଓ ପଚା ମାଂସର ସମାହାର। ଅଶରୀରିର ହାତ ଦୁଇଟି ଅମିତ୍ ର ବେକ ପାଖକୁ ଲମ୍ବି ଆସିଲା। ଠିକ୍ ସେତିକି ବେଳେ ଆବିର୍ଭାବ ହେଲା ସେଇ ତିନୋଟି ଛାୟା ମୂର୍ତ୍ତିଙ୍କର, ଯେଉଁମାନେ ବେଳାଭୂମିରେ ଥିଲେ। " ମୋତେ ରକ୍ଷାକର" ବୋଲି କହି ଅମିତ୍ ସେମାନଙ୍କ ପାଖକୁ ଦୌଡିଗଲା। କିନ୍ତୁ ଯାହା ଦେଖିଲା, ନିଜ ଆଖି କୁ ବିଶ୍ବାସ କରି ପାରିଲାନି। ସେହି ଛାୟାମୂର୍ତ୍ତି ମାନଙ୍କର ଶରୀର ଥିଲା ପୋଡିଯାଇଥିବା ମାଂସ ଓ ହାଡର ସମାହାର। ନୀତା ଓ ସେହି ତିନିଜଣଙ୍କ ବିକଟାଳ ଅଟ୍ଟହାସ୍ଯରେ ବତୀଘରଟି ଦୋହଲିବାରେ ଲାଗିଲା। ମନେ ହେଲା, ଯେ କୌଣସି ସମୟରେ ସମଗ୍ର ବତୀଘର ଟି ଭୁଷୁଡି ପଡିବ। ସେମାନେ ଅଟ୍ଟହାସ୍ଯ କରି ଆଗକୁ ବଢିଲେ ଓ ଅମିତ୍ ର ପାଦ ଧିରେ ଧିରେ ପଛକୁ ଗଲା। ପଛକୁ ବୁଲି ଦେଖିଲା ସେ। ଆଉ ଯଦି ଗୋଟିଏ ପାଦ ପଛକୁ ନିଏ, ସେ ତଳେ ପଡିଯିବ ଓ ତା ଶରୀର ଖଣ୍ଡବିଖଣ୍ଡିତ ହୋଇଯିବ। ସେତିକି ବେଳକୁ ଚାରିଟି ଛାୟାମୂର୍ତ୍ତି କୁ ଏକ ପ୍ରକାର ଠେଲି ଦେଇ, ମନୋଜ ଧସେଇ ପଶିଲା। ମୋ ସାଙ୍ଗକୁ ଛାଡିଦିଅ କହି ସେ ଆଗେଇ ଆସିବା ବେଳକୁ, ଅମିତ୍ ବତୀଘର ଉପରୁ ତଳକୁ ଖସିବା ଆରମ୍ଭ କରିସାରିଥିଲା। କିଛି ସମୟ ଭିତରେ ସେ ଚେତା ହରାଇଦେଲା।
ବେଳାଭୂମିର ବସିଥିଲେ ତିନି ସାଙ୍ଗ,କାହା ପାଟିରୁ ବଚନ ସ୍ଫୁରୁନାହିଁ। ସାହାସ ସଞ୍ଚୟ କରି ଅମିତ୍ କହିଲା-- ଧନ୍ଯବାଦ୍ ସାଙ୍ଗ, ତୁ ନ ଥିଲେ ଆଜି ସେମାନେ ମୋତେ ମାରି ଦେଇଥାଆନ୍ତେ। କିଛି ନ କହି ହସିଲା ମନୋଜ୍। ରାଜୁ ଆକୁଳ କଣ୍ଠରେ କହିଲା-- ତା ମାନେ ତୁ ବତୀଘର ଉପରକୁ ଯାଇଥିଲୁ? ଧେତ୍ ମୋ ଭାଗ୍ଯ ଖରାପ୍। ତୁ ପ୍ରକୃ ତରେ ଏକ ନମ୍ବର ଧୁର୍ତ୍ତ।
ହସିହସି କହିଲା ଅମିତ୍-- ଆରେ ଯାଇଥିଲି ଓ ଭୂତ ମାନଙ୍କ ସହ ଦେଖା ସାକ୍ଷାତ ବି ହେଲା। ସେମାନେ ମୋତେ ଉପରୁ ତଳକୁ ଠେଲିଦେଲେ। ତଥାପି ମୁଁ ତୋ ଆଗରେ ଅଛି। ଏଥର କାଗଜକଳଟା ମୋ ନାମରେ ଲେଖିବା ପାଇଁ ପ୍ରସ୍ତୁତ ହୋଇ ଯା, ରାଜୁ। ଯଦି ମୋ କଥାରେ ବିଶ୍ବାସ ହେଉନି, ମନୋଜ୍ କୁ ପଚାରି ପାରୁ।
ପୂର୍ବ ଆକାଶରେ ସୂର୍ଯ୍ଯ ଉଦୟ ହେବାର ପ୍ରାକ୍ ପ୍ରସ୍ତୁତି ଚଲାଇଥିଲେ। ଧିବରମାନେ ମାଛ ଡଙ୍ଗା ଧରି କୂଳ କୁ ଫେରିବା ଆରମ୍ଭ କରି ସାରିଥିଲେ ଓ ବସ୍ତିର ପିଲାମାନେ ଜାଲରୁ ମାଛ, କଙ୍କଡା ଗୋଟାଇବାରେ ମନଦେଇ ଲାଗିଥିଲେ। ବଡ ମନୋରମ ଦୃଶ୍ଯଥିଲା। ବଙ୍ଗଳା ପାଖରେ ଲୋକ ଗହଳି ଦେଖି, ତିନି ସାଙ୍ଗ ସେ ଆଡକୁ ଅଗ୍ରସର ହେଲେ।
– – ଆରେ କଣ ହୋଇଛି? ବଙ୍ଗଳାରେ ପୋଲିସ୍ ଗାଡି ଲାଗିଛି ଓ ଏତେ ଲୋକ ଜମା ହୋଇଛନ୍ତି ? ଆମ ଜିନିଷପତ୍ର ଅଛି ନା ଚୋରୀ ହୋଇଗଲା ଚାଲ ଦେଖିବା। ସେମାନେ ଆମ କାର୍ ଖୋଲିବାକୁ କାହିଁକି ଚେଷ୍ଟା କରୁଛନ୍ତି? ଏକା ନିଶ୍ବାସରେ କହି ଚାଲିଥିଲା ମନୋଜ୍। ତିନି ଜଣ ବଙ୍ଗଳା ଆଗରେ ପହଞ୍ଚିବା ପରେ ମଧ୍ଯ ତାଙ୍କ ଆଡକୁ କେହି ଦେଖିଲେ ନାହିଁ। ମନୋଜ୍ ଚିତ୍କାର କରି ପୋଲିସ୍ ମାନଙ୍କୁ ପଚାରିଲା--- ଆରେ କଣ ହୋଇଛି, ଘଟଣା ଟା କୁହ। ମୋ ଗାଡି ଭିତରେ କଣ ଅଛି ଯେ ଏମିତି ଦେଖି ପକାଉଛ ? ମୁଁ ଚୋର ନା ତସ୍କର? ତଥାପି ପୋଲିସ୍ ବା ଲୋକମାନଙ୍କର କୌଣସି ପ୍ରତିକ୍ରିୟା ଦେଖିବାକୁ ମିଳିଲାନି। ତିନି ସାଙ୍ଗ ପରସ୍ପରର ମୁହଁ ଚାହିଁ ରହିଥାଆନ୍ତି। ରାଜୁ କହିଲା-- ଆରେ ଭାଇ, ଆମେମାନେ ଅଦୃ ଶ୍ଯ ହୋଇଗଲେ ନା କଣ? ବଢିଆ ମଜା !ତ! !
ସେତିକି ବେଳକୁ ବଙ୍ଗଳାର ବାହାଦୁର ଆସି ପୋଲିସ୍ କୁ କହିଲା-- ମୁଁ ଖବର ଦେଇଥିଲି ଆଜ୍ଞା। କାଲି ଜଣେ ବାବୁ ଆସିଥିଲେ ଓ ମୋତେ କହିଲେ ତାଙ୍କର ଦୁଇସାଙ୍ଗ ଆସିବେ ଓ ବଙ୍ଗଳାରେ ରହିବେ। ସେ ଖାଇବାପତ୍ର ଧରି ଆସିଲେ ଓ ବଙ୍ଗଳାରେ ରଖି, କାର୍ ରେ ପୁଣି ଥରେ କୁଆଡେ ଗଲେ। ବହୁତ ସମୟ ଚାହିଁଲା ପରେ ସେ ନ ଆସିବାରୁ, ବଙ୍ଗଳାର କବାଟ ଆଉଜାଇ ଦେଇ ମୁଁ ଘରକୁ ଚାଲିଗଲି। ତା ପରେ କଣ ହେଲା ମୁଁ ଜାଣିନାହିଁ। କିନ୍ତୁ ଆଜି ସକାଳୁ ଦେଖିଲି , ସେ ବାବୁ ଆସିଥିବା କାର୍ ଟା ପାଖ କେନାଲକୁ ଖସି ପଡିଛି ଓ ତା ଭିତରେ ସେ ବାବୁ ମରି ପଡିଛି। ବେଳାଭୂମି ରେ ପଡିଥିଲା ଆଉ ଦୁଇଟି ଶବ, ସେମାନେ ନିହାତି ସେ ବାବୁର ସାଙ୍ଗ ହୋଇଥିବେ। ଲୋକଙ୍କୁ ଯେତେ ମନା କଲେ ବି ସେମାନେ ସେଇ ବତୀଘର କୁ ଯାଉଛନ୍ତି ଓ ଅଖଞ୍ଜରେ ମରୁଛନ୍ତି।
ବଙ୍ଗଳାର ଅଗଣାରେ ପଡି ରହିଥିଲା ତିନୋଟି ଶବ, ଯାହାଥିଲା ମନୋଜ, ରାଜୁ ଓ ଅମିତ୍ ର। କାକୁସ୍ଥ ସ୍ବରରେ ପଚାରିଲା ରାଜୁ--- ତା ମାନେ ଆମେ କଣ ମରିଯାଇଛେ ? ମନୋଜ୍ ଓ ଅମିତ୍ ଏକ ଲୟରେ ଚାହିଁ ରହିଥିଲେ ସେହି ବତୀଘରକୁ।
–-----

No comments:
Post a Comment