Saturday, August 4, 2018

ଗାଈର ଆତ୍ମକାହାଣୀ




                                                               ଲେଖକ- ଅରବନ୍ଦ ରଥ


             ସେଦିନ ପିଲା ମାନଙ୍କୁ ଗାଈର ଆତ୍ମ କାହାଣୀ ଲେଖିବା ପାଇଁ ନିର୍ଦ୍ଦେଶ ଦେଇ ଗୁରୁଜୀ କିଛି ଜରୁରୀ କାମରେ ନିମଗ୍ନ ହେଲେ। ନିର୍ଦ୍ଧାରିତ ସମୟ ମଧ୍ଯରେ ପିଲାମାନେ ନିଜ ନିଜର ଖାତା ଗୁରୁଜୀଙ୍କୁ ବଢାଇଲା ବେଳକୁ, ଗଗନ ଆଖିରେ ଲୁହ ଦେଖି କଣ ହୋଇଛି ବୋଲି ଜାଣିବାକୁ ଗୁରୁଜୀ ଚାହିଁଲେ। ସେ କିଛି ନ କହି ଖାତାଟି ବଢାଇ ଦେଇ ଚୁପଚାପ ନିଜ ବସିବା ସ୍ଥାନ କୁ ଫେରିଗଲା। ସବୁ ପିଲା ମାନଙ୍କର ଲେଖା ପଢି ଗୁରୁଜୀ ଖୁସି ହେଲେ। ସବା ଶେଷରେ ଥିଲା ଗଗନର ଖାତା। ସେ ଲେଖିଥିବା ଆତ୍ମ କାହାଣୀଟି ପଢିଚାଲିଲେ ଅତ୍ଯନ୍ତ ମନଯୋଗ ସହକାରେ। କିଛି ସମୟ ପରେ ତାଙ୍କ ଆଖିରୁ ବୋହି ଚାଲିଲା ଧାରଧାର ଲୁହ। ପିଲାମାନେ କଣ ହେଲା ଭାବି ଚାହିଁ ରହିଲେ ତାଙ୍କ ମୁହଁ କୁ। କିଛି ପିଲା ଭାବିଲେ ବୋଧହୁଏ ଗଗନ ଗୁରୁଜୀଙ୍କୁ କିଛି ଆକ୍ଷେପ କଲା ପରି କଥା ଲେଖିଛି, ତେଣୁ ସେ କାନ୍ଦି ପକେଇଲେ। କିଛି କ୍ଷଣ ପରେ ଗୁରୁଜୀ ଗଗନ ପାଖକୁ ଗଲେ ଓ ତାକୁ କୁଣ୍ଢାଇ ଧରି କହିଲେ-- ତୋର ଏହି ଲେଖା ସମସ୍ତଙ୍କ ଆଖି ଖୋଲିଦେବା ପାଇଁ ଯଥେଷ୍ଟରେ ପୁଅ। ତୋତେ ଅନୁରୋଧ କରୁଛି, ତୁ ଲେଖିଥିବା ଗାଈର ଆତ୍ମ କାହାଣୀକୁ ସମସ୍ତଙ୍କ ଆଗରେ ପଢ। ଗୁରୁଜୀ ନିଜେ ଯାଇ ସ୍କୁଲର ବାକି ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଡାକି ଆଣିଲେ। ଗଳା ଝାଡି ଗଗନ ଆରମ୍ଭ କଲା " ଗାଈର ଆତ୍ମ କାହାଣୀ।


ମୁଁ ଗୋଟିଏ ଗାଈ। ମୋ ନାମ ଚାନ୍ଦ। ରଙ୍ଗ ମଚମଚ କଳା କଳା ହେଲେ ମଧ୍ଯ ମୋ ମୁଣ୍ଡରେ ଚାନ୍ଦ ପରି ଗୋଟିଏ ଧଳା ଗୋଲ ଚିହ୍ନ ଅଛି। ସେଇଥିପାଇଁ ମାଲିକ ମୋ ନାମ ଚାନ୍ଦ ଦେଇଛନ୍ତି। ପିଲା ଟି ଦିନରୁ ମୁଁ ବହୁତ ଗେଲ ବସର ହୋଇ ବଢିଛି। ମୋ ମାଆ ନେତ କୁ ମାଲିକ ବହୁତ ଭଲ ପାଉଥିଲେ। ତା ରଙ୍ଗ ତୋଫା ଗୋରା ଥିଲା ଓ ସେ ଦେଖିବାକୁ ବହୁତ ମୋଟାସୋଟା ଥିଲା। ମାଲିକ କହୁଥିଲେ ମୋ ମାଆ କୁଆଡେ ତାଙ୍କ ଗାଁଆରେ ସବୁଠାରୁ ଭଲ ଗାଈ ଥିଲା। ତା କ୍ଷୀରର ସ୍ବାଦ ଅମୃତ ପରିଥିଲା। ଗାଁଆ ଯାକର ପିଲା ମାନେ ମୋ ମାଆର କ୍ଷୀର ପିଇ ବଡ ହୋଇଥିଲେ। ଆମ ପାଇଁ ମାଲିକ ଗୋଟିଏ ସୁନ୍ଦର ଗୁହାଳ କରି ଦେଇଥିଲେ। ଖାଇବା କୁଣ୍ଡରେ ଯେତେ ବେଳେ ଦେଖିଲେ ବି ଅସରନ୍ତି ଖାଇବା ଭରି ରହୁଥିଲା। ପେଜ, ତୋରାଣି, ଚୋକଡ, ପିଡିଆ, କୁଣ୍ଡା, ଛତୁଆ ଏମିତି କେତେ କଣ। କାଳେ ମଶା ଡାଆଁଶ କାମୁଡିବେ ବୋଲି ସବୁଦିନ ସଞ୍ଜ ବେଳେ ଗୁହାଳରେ ଝୁଣା ଦିଆ ଯାଉଥିଲା। ସବୁଜ ଘାସ ଖାଇବାକୁ ମାଆ ଭଲ ପାଉଥିଲା ବୋଲି, ମାଲିକ ତା ପାଇଁ ସବୁଦିନ ବିଲରୁ ଘାସ ବିଡା ବାନ୍ଧି ଆଣୁଥିଲେ। ମାଆ ସହିତ ମୁଁ ଚରିବାକୁ ପଡିଆ କୁ ଯାଉଥିଲି ଓ ଅନ୍ଯ ବାଛୁରୀଙ୍କ ସହ କେତେ ଖେଳ କୌତୁକ କରୁଥିଲି। ମାଲିକଙ୍କ ସାନପୁଅ ସଦାବେଳେ ମୋ ପାଖେପାଖେ ରହୁଥିଲା। କେତେ ବେଳେ ଆଉଁସୁ ଥିଲା ତ କେତେବେଳେ ମୋ ପେଟରେ ମୁଣ୍ଡ ଦେଇ ଶୋଉଥିଲା। ବଣ ଜଙ୍ଗଲ, ନଦୀ, ଝରଣା, ପଡିଆ ଆଦି ସବୁ ଯାଗାକୁ ବୁଲି ଗଲା ବେଳେ ମାଲିକଙ୍କ ପୁଅ ମୋତେ ହିଁ ନେଇ ଯାଉଥିଲା। ତାଙ୍କ ଘର ଭିତରକୁ ମୋର ଅବାଧ ପ୍ରବେଶ ଥିଲା। କେବେ କେମିତି ଘର ଭିତରେ ମୁଁ ମଳତ୍ଯାଗ କରିଦେଲେ ମାଲିକାଣୀ ବଡ ଯତ୍ନରେ ପୋଛି ଦେଉଥିଲେ। ମାଆ ଓ ଘର ଲୋକଙ୍କ ଭଲ ପାଇବା ପାଇ ମୋତେ ଲାଗୁଥିଲା ମୁଁ ସଂସାର ର ସବୁଠାରୁ ଭାଗ୍ଯବାନ ବାଛୁରୀ।


ସମୟ ବିତିଲା, ମୁଁ ବଡ ହେଲି। ମାଆ ଧିରେଧିରେ ବୁଢୀ ହେବାରେ ଲାଗିଲା। ମାଲିକର ଝାଟିମାଟି ଘର ସମୟକ୍ରମେ ଛାତ ଘର ହେଲା। କିନ୍ତୁ ଆମ ଗୁହାଳଟା ଦିନ କୁ ଦିନ ବେଶି ଭଙ୍ଗାରୁଜା ହେଲାପରି ଦିଶିଲା। ବର୍ଷା ହେଲେ ପାଣି ଗଳିଲା ଓ ମଶା ଡାଆଁଶଙ୍କ ପ୍ରଦୁର୍ଭାବ ବଢି ଚାଲିଲା। କଷ୍ଟ ହେଲେ ବି କହିବୁ କାହାକୁ? ଭଗବାନ ତ କଥା କହିବାର ଶକ୍ତି ଦେଇ ନାହାନ୍ତି। ପୂର୍ବରୁ ଆମ ମାନଙ୍କର ଦେଖାରଖା କରିବାକୁ ଆସୁଥିବା ରଘୁ ଗଉଡ, ବୁଢା ହେଲା ପରେ ଆସିବା ବନ୍ଦ କରିଦେଲା। ମାଆଠାରୁ କ୍ଷୀର ଦୁହିଁବା କାମଠାରୁ ଗାଧୋଇ ଦେଇ ଘଷାମଜା କାମ କରୁଥିଲା ସେଇ ରଘୁ, ସେ ନ ଆସିବାରୁ ଆମ ମାନଙ୍କର ଯତ୍ନରେ ଟିକେ ଉଣା ହେଲା ପରି ଲାଗିଲା। ବାହାର ଦୁନିଆରେ କଣ ହେଉଛି ଜାଣିବାର ଚାରା ନ ଥିଲା। କାରଣ ଆମେ ପୂର୍ବ ପରି ଚରିବାକୁ ଯାଉ ନ ଥିଲୁ, କି ସଞ୍ଜ ବେଳେ ଧୂଳି ଉଡେଇ ଗାଁଆ ଦାଣ୍ଡକୁ ମୁଖରିତ କରୁ ନ ଥିଲୁ। କେବେକେବେ ପାଖପଡୋଶୀଙ୍କ ଗାଈ ମାନେ କୁହନ୍ତି, ଲୋକେ ସବୁ ଗଛ ବୃକ୍ଷ କାଟି ସଫା କରିଦେଲେଣି। ଧାନ ବିଲରେ ଘରଦ୍ବାର ହୋଇ ଗଲାଣି, ସବୁଜ ଘାସ ଟିକେ ଖାଇବା ସ୍ବପ୍ନ ଏବେ। ଆମ ଗୁହାଳ ଏବେ ସପ୍ତାହରେ ଥରେ ଦୁଇ ଥର ସଫା ହେଉଛି। ଆଗରୁ ଖତ ନେବା ପାଇଁ ଲୋକେ ମାଲିକ ଘର ଆଗରେ ଭିଡ ଲଗାଉ ଥିଲେ। ଖତରେ ଘଷି କରି ଜାଳ କରୁଥିଲେ, ଚାଷ ଜମିରେ ପକାଉଥିଲେ, ଘର ଲିପୁଥିଲେ ଓ ଏମିତି କେତେ କଣ କାମ କରୁଥିଲେ। କିନ୍ତୁ ଏବେ ତ ସମସ୍ତଙ୍କ ଘରେ ହିଟର ନୋହିଲେ ଗ୍ଯାସ ରେ ରୋଷେଇ ହେଉଛି, ଘଷି କଥା ଲୋକେ ଭୁଲି ଗଲେଣି। ଘର ଲିପା କଥା ନ କହିବା ଭଲ ; ଯୁଆଡେ ଦେଖିବ କେବଳ ଛାତ ଘର, ମାଟି ଘର ଥିଲେ ସିନା ଲୋକେ ଗୋବର ରେ ଘର ଲିପାପୋଛା କରିବେ। ହଁ, କେବଳ ପୂଜା ପାର୍ବଣ ଥିଲେ ଗୋବର କଥା ମନେ ପଡଛି, ନ ହେଲେ ନାହିଁ। ସଦାବେଳେ ଗୁହାଳ ରେ ବନ୍ଧା ହୋଇ ମାଆ ବିରକ୍ତ ହୋଇଯାଇଥିଲା। ଥରେ ଦଉଡି ହୁଗୁଳାଇ ସେ ବାହାରକୁ ଚାଲିଗଲା। ପାଣୁ ସାହୁ ବିଲରେ ପଶି ଛନଛନିଆ ଧାନ ଖାଇବାରେ ଲାଗିଗଲା। ନୃଶଂସ ପାଣୁ ସାହୁ, ମାଆ କୁ ଘଉଡାଇବାରୁ ସେ ନ ଯିବାରୁ ଏକ ଟାଙ୍ଗିଆରେ ମାଆ ଗୋଡକୁ ହାଣିଦେଲା। ସେ ହମ୍ବାରଡି ପକେଇ ଗୁହାଳରେ ପଶିଲା ବେଳକୁ, ମାଲିକ ତା ଅବସ୍ଥା ଦେଖି ଆଶ୍ଚର୍ଯ୍ଯ ହୋଇଗଲେ। ସେତିକି ବେଳେ ପାଣୁ ସେ ଜାଗାକୁ ଆସି କେତେ ଗଣ୍ଡଗୋଳ କଲା ଓ ମାଆକୁ ବିଷ ଦେଇ ମାରିଦେବ ବୋଲି ଧମକ ଦେଲା। ମାଆ କଷ୍ଟରେ ଗଁ ଗଁ ହେଉଥାଏ, ଗୋଡରୁ ରକ୍ତର ଧାର ଛୁଟୁଥାଏ। ମାଲିକ କୁ ପାଣୁ ବେଜ୍ଜିତ୍ କଲା ବୋଲି, ସେ ସବୁ ରାଗ ମାଆ ଉପରେ ଶୁଝାଇଲା। ବଡ ପାଞ୍ଚଣ ବାଡିରେ ନିର୍ଘାତ ମାଡଦେଲା। ମୁଁ ଯେତେ ଚେଷ୍ଟା କଲି ବେକରୁ ଦଉଡି ଖସାଇ ମାଆ ପାଖକୁ ଯାଇ ପାରିଲିନି। ମାଲିକାଣୀ ରାଗି କହିଲେ-- ସେ ଗାଈଟା ବୁଢୀ ହେଲାଣି, ତାକୁ କାହିଁକି ଘରେ ବେକାରରେ ରଖିଛ। ଖାଲି ମାଗଣାରେ ଖାଇ ଘରେ କାଠ ଗଣ୍ଡି ପରି ପଡିଛି। ତା ପାଇଁ ଆଜି ସେ ନୀଚ୍ଚ ଲୋକଟା କେତେ ବେଜ୍ଜିତ୍ କରିଦେଇଗଲା। ଡାକ୍ତର ଡାକିବା ଦରକାର ନାହିଁ। ତା ଖଣ୍ଡିଆ ମନ କୁ ମନ ଭଲ ହେବ, କରିମ୍ ମିଆଁ ସହ ଟିକେ କଥା ହେଉନ, ଯେତକି ପଇସା ଦେଇ ନେବ ନେଇଯାଉ। ସେ ନାଁଆ ଶୁଣି ମୁଁ ଚମକି ପଡିଲି, କାରଣ କରିମ୍ କେତେ ଗାଈଙ୍କୁ ତା ଧାରୁଆ ଛୁରୀରେ କାଟି ଖଣ୍ଡ ଖଣ୍ଡ କରି ବିକ୍ରୀ କରିଦିଏ। ବିଚାରି ମାଆ ମୋର, କେତେ କଷ୍ଟ ପାଇ କେବଳ ବିକଳରେ ମୋ ଆଡକୁ ଚାହିଁ ଲୁହ ଝରାଇଲା। ମୁଁ କିଛି କରି ପାରିଲିନି। ଶେଷରେ ସେଦିନ ରାତିରେ କରିମ୍ ମିଆଁ ମୋ ମାଆ କୁ ଘୋଷାରି ଘୋଷାରି ଗୁହାଳରୁ ଟାଣି ନେଲା। ମୁଁ ମାଆ ପାଖକୁ ଟିକେ ଯାଇ ଘଷି ବି ହୋଇ ପାରିଲିନି। ମୋତେ ଲାଗୁଥିଲା ମାଆ ମୋତେ କହୁଥିଲା ଏ ସ୍ବାର୍ଥପର ଲୋକ ମାନଙ୍କ ପାଖରୁ ଦଉଡି ପଳାଇବା ପାଇଁ। ସେତେବେଳକୁ ମାଲିକ ମାଲିକାଣୀ ହସି ହସି ଟଙ୍କା ଗଣିବାରେ ବ୍ଯସ୍ତ ଥିଲେ। ତା ପରଦିନ ଶୁଣିଲି, ସେଇଦିନ ରାତିରେ ମୋ ମାଆ କୁ କରିମ୍ ମିଆଁ କେଜି ଦରରେ ବିକ୍ରି କରିଦେଇଛି।


ଦିନ ପରେ ଦିନ ବିତ ଚାଲିଲା। ମୁଁ ବଡ ହେଲି, ମାଲିକ ମାଲିକାଣୀଙ୍କ ବୟସ ବି ବଢିଲା। ମୋ ଅବସ୍ଥା ଦିନ କୁ ଦିନ ଦୟନୀୟ ହୋଇ ଚାଲିଥିଲା। ଘର ଭାଗବଣ୍ଟା ହେବା ପରେ ମୋ ଗୁହାଳ ଥିବା ଜାଗା ଟା ସାନ ପୁଅ ଭାଗରେ ପଡିଲା। ଗୁହାଳ ଭାଙ୍ଗି ନିଜ ପାଇଁ ସାନ ପୁଅ ଘର କରିଦେବା ପରେ ,ମୋତେ ଗଛ ମୂଳରେ ବନ୍ଧାଗଲା। ଖରାତରା ରେ ମୁଁ ସେଇ ଗଛ ମୂଳେ ପଡି ରହିଲି। କେବେ କାହାର ମନ ହେଲେ, ମୋ ଆଗରେ ନଡା କିମ୍ବା ଘାସ ଟିକେ ପକେଇ ଦେଉଥିଲେ, ନୋହିଲେ ସାରା ଦିନ ଓପାସ ରହିବାକୁ ପଡୁଥିଲା। ପୁରୁଣା କଥା ମନେ ପଡି ସଦା ବେଳେ ଆଖିରୁ ଲୁହ ବୋହୁଥିଲା, ମାତ୍ର ସେ ଲୁହ କୁ କେହି ଦେଖି ପାରୁ ନ ଥିଲେ। କେବଳ ସାନ ମାଲିକଙ୍କ ପୁଅ ମୋ ପାଖକୁ ଆସୁଥିଲା ଓ କେତେ କଣ ଗପି ଯାଉଥିଲା। ସେ ମୋତେ ବହୁତ ଭଲ ପାଉଥିଲା ଓ ବାପାମାଆଙ୍କ ନାଲି ଆଖି କୁ ନ ଡରି ଲୁଚେଇ ଲୁଚେଇ ମୋତେ ଖାଇବା ମଧ୍ଯ ଦେଉଥିଲା। ମୁଁ ସମସ୍ତଙ୍କ ଉପରେ ବୋଝ ହୋଇ ଯାଉଥିଲି ଦିନ କୁ ଦିନ। ସେଦିନ କରିମ୍ ମିଆଁ ମାଲିକ କୁ କହିଲା ଯେ ପାଖ ବସ୍ତିରେ ବଡ ପର୍ବ ହେବାର ଅଛି। ଯଦି ମାଲିକ ରାଜି ହେବ ମୋତେ ସେ କିଣି ନେବ। ବହୁତ ସମୟ ଯୁକ୍ତି ତର୍କ ପରେ ମାଲିକ ମୋତେ ବିକ୍ରି କରିବାକୁ ରାଜି ହେଲା ଓ କରିମ୍ ତା ପରଦିନ ସକାଳୁ ମୋତେ ନେଇଯିବ ବୋଲି କଥା ଦେଲା। ସେଦିନ ରାତିରେ ମାଲିକର ସାନ ପୁଅ ରାତି ଅଧରେ ଲୁଚି ଛପି ମୋ ପାଖକୁ ଆସିଲା ଓ ବେକରୁ ଦଉଡି ଫିଟାଇ କହିଲା- ଚାଲି ଯା ଚାନ୍ଦ, ଏ ଦୁନିଆ ରେ ମଣିଷ ଆଉ ନାହାଁନ୍ତି, ସମସ୍ତେ ଅସୁର ପାଲଟି ଗଲେଣି। ସାନ ପୁଅ ମୁହଁରେ ମୁହଁ ଘଷି ମୁଁ ଏକା ନିଶ୍ବାସରେ ଦଉଡିଲି। ତହିଁ ଆର ଦିନ ସକାଳୁ ସହରରେ ପହଞ୍ଚି ପରିବା ବଜାର ପାଖକୁ ଗଲି। ସେଠାରେ କେତେ ଗାଈ ମାନେ ଥିଲେ ଓ ପେଟପୁରା ଖାଇବା ମଧ୍ଯ ଥିଲା। ଆରାମ ରେ ସେଠାରେ କିଛିଦିନ ରହିଲି। ଦିନେ ରାତିରେ ଗୋଟେ ବଡ ଟ୍ରକ୍ ରେ କିଛି ଲୋକ ଆସିଲେ ଓ ଶୋଇଥିବା ଗାଈ ମାନଙ୍କ ଭିତରୁ କୋଡିଏ ପଚିଶିଟି ଗାଈ ଟ୍ରକ୍ ରେ ଲଦି ନେଇଗଲେ। ମୁଁ ଦୋକାନ ପଛରେ ଲୁଚି ଯିବାରୁ ରକ୍ଷା ପାଇଗଲି। ଅନ୍ଯ ମାନଙ୍କୁ ପଚାରିବାରୁ ଜାଣିଲି, ସେମାନେ ସବୁ ଗାଈ ଚୋର। ରାତିରେ ଆସି ରାସ୍ତାରେ ଶୋଇ ଥିବା ଗାଈ ମାନଙ୍କୁ ନେଇ ବିକ୍ରୀ କରି ଦିଅନ୍ତି। ମନରେ ଭାବିଲି, ଆମ ଦେହରେ ତେତିଶ କୋଟି ଦେବତାଙ୍କର ବାସ ଥିଲେ କଣ ହେବ, ଜୀବନ ଆମର ସବୁଠାରୁ ଘୃ ଣ୍ଯ। ମୁଁ ରାସ୍ତାରେ ଅନ୍ଯ ଗାଈଙ୍କ ମେଳରେ ଶୋଇଲି, ଲୋକେ ଗାଳି ଦେଲେ, ଛେପ ପକାଇଲେ, ଗରମ ପାଣି ଫୋପାଡିଲେ, କେବେକେବେ ମଟର ସାଇକେଲ ଚଢାଇଲେ, ତଥାପି ଆମେ ସେଇ ରାସ୍ତା କୁ ଛାଡି ଗଲୁନାହିଁ। ଯିବୁ ବା କୁଆଡେ? ଯୁଆଡେ ଦେଖିବ କେବଳ କଂକ୍ରିଟ୍ ଜଙ୍ଗଲ; ନା ଅଛି ଘାସ ପଡିଆ ନା ଜଙ୍ଗଲ। ଆମେ ଯିବୁ କୁଆଡେ, ଖାଇବୁ କଣ, ରହିବୁ କେଉଁଠାରେ କାହାର ଚିନ୍ତା କରିବାକୁ ସମୟ ନାହିଁ। ସବୁ ଦିନ ସକାଳୁ ଦେଖେ ଗାଈ ମାନଙ୍କର ଶବ ମ୍ଯୁନିସିପାଲିଟି ର ମେହେନ୍ତର ଟାଣିଟାଣି ନେବାର। କାହା ଉପରେ ଟ୍ରକ୍ ଚଢି ଯାଇଛି, କିଏ ଖାଇବା ବେଳେ ବ୍ଲେଡ୍ ଗିଳି ଦେଇଛି ତ କିଏ ପଲିଥିନ୍ ଗିଳି ମରିଯାଇଛି। ମୁଁ ମଧ୍ଯ କୌଣସି ଏକ କାରଣରୁ ମରିଯିବି, ସେ କଥା ମୋତେ ଭଲରେ ଜଣା। କରିବି ବା କଣ? ମୋତେ କିଏ ଉଦ୍ଧାର କରିବ, କିଏ ମୋର ଯତ୍ନ ନେବ, କିଏ ମୋତେ ସ୍ନେହ ଆଦର କରିବ ? ଓଡିଆ ଘରର ଗୌରବ ରୂପରେ ଶୋଭା ପାଉଥିବା ଗୋ ମାତା ଯେ ଆଜି ରାସ୍ତାରେ ପଡି ବଞ୍ଚିବା ପାଇଁ ବିକଳ ହୋଇ ଡାକୁଛି, ସେ କଥା କିଏ ବା ଜାଣିବ। ଯେଉଁ ଦୁନିଆ ରେ ରାସ୍ତା ଉପରେ ଝି୍ଅବୋହୁଙ୍କ ଇଜ୍ଜତ୍ ମାଟିରେ ମିଶୁଛି ଓ ମଣିଷ ରକ୍ତରେ ରାସ୍ତା ଲାଲିମା ଧରୁଛି,ସେ ଜାଗାରେ ଆମର ଅସ୍ତିତ୍ବ ବା କଣ? ଏବେ ମୋ ନିଜ ନାଁଆ ମୁଁ ଭୁଲି ଗଲିଣି, ମନେ ରଖିବି ବା କିପରି?ଏତେ ଦିନ ଧରି ମୋତେ କେହି ନାମ ଧରି ଡାକି ନାହାଁନ୍ତି ଯେ.........! ! ଇଶ୍ବର ସମସ୍ତଙ୍କର ମଙ୍ଗଳ କରନ୍ତୁ।


କାନ୍ଦି କାନ୍ଦିି ସେତେ ବେଳକୁ ଗଗନ ଅଥୟ ହୋଇ ସାରିଥିଲା। ଥରଥର କଣ୍ଠରେ କହିଲା


…............ ମୁଁ ହେଲି ଚାନ୍ଦ, ଏହା ମୋର ଆତ୍ମକାହାଣୀ।





                                              ---ସମାପ୍ତ----



No comments:

Post a Comment