Monday, July 30, 2018

ଉପହାର

                                                                                            ଲେଖକ- ଅରବିନ୍ଦ ରଥ



– – ମାଆ ଟିକେ ବଜାରକୁ ଯିବି, ଅଳ୍ପ ସମୟରେ ପଳେଇ ଆସିବି। ମୁଁ ଆସିଲା ପରେ ବାକିଆ କାମ ସବୁ ସାରିଦେବି। ଆପଣ ଯମାରୁ ବ୍ଯସ୍ତ ହୁଅନ୍ତୁ ନାହିଁ। ମାଲିକାଣିଙ୍କୁ ଏତିକି କହି ଯଶୋଦା ଅନୁମତି ପାଇଁ ଅପେକ୍ଷା କରି ରହିଲା।

--- ଆରେ ଏତିକି ବେଳକୁ ବଜାର ଯିବା କ'ଣ ଦରକାର୍, ଆଜି ସଂନ୍ଧ୍ଯାରେ ପରା ଘରକୁ ସବୁ ଲୋକେ ଆସିବେ। କେତେ କାମ ଅଛି ଜାଣିଛୁ ତ? ତୋର ବଜାର ଯିବା ଦରକାର କ'ଣ? ସଦାବେଳେ ତ ମୋ ସାଙ୍ଗରେ ଯାଉ, ଆଜି ଏକୁଟିଆ ଯିବାକୁ ମନ ବଳାଇଲୁ କାହିଁକି କହିଲୁ ଟିକେ ! ବିରକ୍ତିଭରା କଣ୍ଠରେ କହିଲେ କମଳା।

ଯଶୋଦା ସେ ଯାଗାରେ ଛିଡା ହୋଇଥିବାର ଦେଖି, ଚିଡିଲା ପରି କହିଲେ – ହେଉ, ଯିବୁ ଯଦି ଯାଆ, କିନ୍ତୁ ଘଣ୍ଟେ ଭିତରେ ଚାଲିଆସିବୁ। ତୁ ଘରେ ଥାଉଥାଉ, ଯଦି ମୁଁ କାମ କରିକରି ମରିବି ତେବେ ତ କଥା ସରିଲା ଜାଣ। ସେ ସୁନାଚେନ୍ କୁ ଭଲ ରେ ଘୋଡେଇ କି ଯିବୁ। ନ ହେଲେ ଆଜି କାଲି ସହର ର ଯାହା ଅବସ୍ଥା, ବେକ ଲଣ୍ଡା କରି ଦେଇ ଯିବେ ତୁ ଜାଣି ମଧ୍ଯ ପାରିବୁନି।

ଅନୁମତି ପାଇଲା ପରେ ମନ ଖୁସିରେ ଯଶୋଦା ବଜାର ଆଡକୁ ମୁହାଁଇଲା।

ସେଦିନ ସଂନ୍ଧ୍ଯାରେ କମଳା ଓ ହରିବାବୁ ସାଂନ୍ଧ୍ଯ ଭ୍ରମଣ କଲା ବେଳକୁ କାହାର କ୍ରନ୍ଦନ ଶୁଣି ଛିଡା ହୋଇଗଲେ। ଦେଖିଲା ବେଳକୁ ଗଛ ମୂଳରେ ଜଣେ ସ୍ତ୍ରୀ ଲୋକ କାନ୍ଦିବାରେ ଲାଗିଛି। ଘଟଣା କ'ଣ ଜାଣିବାକୁ ସେମାନେ ସ୍ତ୍ରୀ ଲୋକଟିର ପାଖକୁ ଯାଇ କଥାବାର୍ତ୍ତା କଲେ। ସେ କାନ୍ଦିକାନ୍ଦି ସବୁ ଘଟଣା କହିଚାଲିଲା।

ପାଖ ଗାଁଆରେ ତା ଘର। ବୟସ ପାଖାପାଖି ଚାଳିଶି ବା ପଇଁଚାଳିଶି ହେବ। ତା ସ୍ବାମୀ ମହାଜନ ଘରେ ମୂଳିଆ ଭାବରେ ଖଟୁଥିଲା। ଅଳ୍ପ ଦିନତଳେ ବିଲରେ ଚାଷ କରୁଥିବା ସମୟରେ ଟ୍ରାକ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଲା। ସ୍ବାମୀ ସ୍ତ୍ରୀ ଦୁଇଜଣ କୌଣସି ମତେ ଅଳ୍ପ ରୋଜଗାରରେ ଚଳି ଯାଉଥିଲେ। ଘରେ ଅର୍ଥର ଅଭାବ ଥିଲା ସତ, କିନ୍ତୁ ଆନନ୍ଦର ପ୍ରାଚୂର୍ଯ୍ଯତା ଥିଲା। ବିଭାଘରର ଏତେ ବର୍ଷ ପରେ ବି ତାର ସନ୍ତାନ ସନ୍ତତି ନ ଥିଲେ। ସ୍ବାମୀ ଚାଲିଯିବା ପରେ ସଂସାରରେ ତାର ନିଜର ବୋଲି କେହି ରହିଲେ ନାହିଁ। ବାପଘର ଛାଡିବା ଦିନରୁ ତା ସ୍ବାମୀ ହିଁ ତାର ଦେବତା ଥିଲା। ସଂସାରରେ ତା ସ୍ବାମୀ ବ୍ଯତୀତ ଅନ୍ଯ କଥା ଚିନ୍ତା କରିବାର ଅବକାଶ ଆସି ନ ଥିଲା। କିନ୍ତୁ ନିୟତିର ଦାରୁଣ ଆଘାତରେ ବିଚାରି ର ସଂସାର ଉଜୁଡି ଗଲା। କାହା ଭରସାରେ ବଞ୍ଚିବ ଭାବିଲା ବେଳକୁ ମହାଜନର ଲୋଲୁପ ଦୃଷ୍ଟିର ଶିକାର ହେଲା। ତା ସ୍ବାମୀ କରିଥିବା ଉଧାର ପଇସା ଶୁଝିବାକୁ ମହାଜନ ବାରମ୍ବାର ଚାପ ପକାଇବା ଆରମ୍ଭ କଲା। ଏପରିକି ଥରେ ଦୁଇଥର ଘର ଭିତରେ ଧସେଇ ମଧ୍ଯ ପଶିଲା। ସାହିପଡିଶା ଲୋକେ ମୁହଁ ବୁଲେଇ କିଛି ନ ଦେଖିଲା ପରି ଅଭିନୟ କଲେ। କାହିଁକି ବା ସେମାନେ କାଦୁଅରେ ପଶି ଗୋଡ ମଇଳା କରିବେ। ତା ସ୍ବାମୀ ବାହାଘର ସମୟରେ ଦେଇଥିବା ପତଳା ସୁନା ଚେନ୍ ଟି ଉପରେ ସମସ୍ତଙ୍କର ନଜର ଲାଖି ରହିଲା। କାରଣ ସେ ଚେନ୍ ଟିକୁ ଛାଡିଦେଲେ ତାର ନିଜର ସମ୍ପତ୍ତି ବୋଲି କିଛି ନ ଥିଲା। ମହାଜନର ପାପ ଅଭିଳାଷ ପୂର୍ଣ୍ଣ ନ ହେବାରୁ ସେ ଯଶୋଦା କୁ ବାଧ୍ଯ କଲା ରୂଣ ଟଙ୍କା ନ ଶୁଝି ପାରିଲେ ସେ ଘର ତାକୁ ଦେଇଦେବା ପାଇଁ। ନେହୁରା ମିନତି ହୋଇ କିଛିଦିନ ବିତିଗଲା। କିନ୍ତୁ ସେଦିନ ମହାଜନ ଲୋକ ଲଗେଇ ଘର ଭିତରୁ ସବୁ ଜିନିଷପତ୍ର କାଢି ତାଲା ପକେଇ ଦେଲା ଓ କହିଲା ପଇସା ଶୁଝିଲେ ଘର ଚାବି ଦେବ । କାଳେ କାହା ଘରେ ଆଶ୍ରା ନେବ ଭାବି, ଲୋକେ ତାଟି କବାଟ ପକେଇଦେଲେ। ପେଟରେ ଦାନା ପକେଇବାକୁ ପଇସା ନାହିଁ। କୁଆଡେ ଯିବ, କ'ଣ କରିବ ବାଟ ଦିଶିଲାନି ତାକୁ। ସତରେ ତା ସଂସାର ଟା ଉଜୁଡି ଯାଇଥିଲା। ଉପାୟ ନ ପାଇ ସେ ଗଛ ମୂଳରେ ବସି ନିଜ ଭାଗ୍ଯ କୁ ନିନ୍ଦିବାରେ ଲାଗିଥିଲା।

ତା କାହାଣୀ ଶୁଣି କମଳା ଓ ହରି ତାକୁ ଘରକୁ ନେଇ ଆସିଲେ। ଘରେ କାମ କରିବାକୁ ଲୋକଟିଏର ଆବଶ୍ୟକତା ଥିଲା। ସେମାନେ ଭାବୁଥିଲେ ଯଶୋଦା ପରି ଜଣେ ଲୋକକୁ ଘରେ ରଖି କାମଧାମ କରାଇଲେ କିଛି ଅସୁବିଧା ନାହିଁ। ସେମିତି ବି ତାର ନିଜର ବୋଲି କେହି ନାହିଁ, ଦୁନିଆ ନଜରରେ ସେ ସମ୍ପୂର୍ଣ୍ଣ ନିରାଶ୍ରୟ। ମନର କଥା ଖୋଲି କହିଲେ କମଳା। ଯଶୋଦା ପାଖରେ ଆପତ୍ତି କରିବାର କୌଣସି ବଳିଷ୍ଠ କାରଣ ନ ଥିଲା। ହରିବାବୁ ମନେମନେ ଭଗବାନଙ୍କୁ ଅଶେଷ ଧନ୍ଯାବାଦ ଦେଉଥିଲେ। କାରଣ କାମ କରିବା ପାଇଁ କୌଣସି ସର୍ତ୍ତ ରଖିବା ବା ଅଧିକା ଟଙ୍କା ମାଗିବାର ସାହାସ ଯେ ଯଶୋଦା ପାଖରେ ନାହିଁ ; ସେ ଠିକ୍ ରେ ଠଉରାଇ ସାରିଥିଲେ। ତଥାପି ଧର୍ମ କୁ ଆଖିଠାର ମାରିବା ପରି କହିଲେ

-- ଦେଖ୍ ମାଆ, ଆଜିଠାରୁ ତୁ ଆମ ଘରେ ରହିବୁ। ପିଲା ମାନେ ସବୁ ବାହାରେ ରୁହନ୍ତି, ଘରେ କେବଳ ଆମେ ବୁଢାବୁଢୀ ଦୁଇଜଣ। ଘରଲୋକ ପରି ଖାଇପିଇ ଆନନ୍ଦରେ ରହିବୁ ଓ ମାଆଙ୍କୁ କାମଧାମରେ ସାହାଯ୍ଯ କରିବୁ। ତାଙ୍କ ଦେହରେ ତ ହଜାରେ ରୋଗ । ମୁଁ ଅଫିସ୍ କାମରେ ସଦାବେଳେ ବ୍ଯସ୍ତ ରୁହେ, ତେଣୁ ଘରକଥା ବୁଝିବାରେ ହେଳା ହୋଇଯାଏ। ଏବେ ଘରର ଯାବତୀୟ ଦାୟିତ୍ବ ତୋତେ ମୁଣ୍ଡାଇବାକୁ ପଡିବ। କଣ ତୁ ରାଜି ତ?

– – ହଁ ବାବୁ ମୋର କୌଣସି ଥିରେ ଆପତ୍ତି ନାହିଁ, ଆପଣ ମାନେ ମୋ ପାଇଁ ଦେବତା। ମୋତେ କୂଳକିନାରା ଦିଶୁ ନ ଥିଲା, ଜୀବନ ହାରିଦେବି ବୋଲି ଭାବୁଥିଲି, ସେତିକି ବେଳେ ତୁମ ମୋତେ ଶରଣ ଦେଲ । ମୋ ଜୀବନ ଥିବା ଯାଏ ଆପଣଙ୍କର ସେବା କରୁଥିବି ବାବୁ। ମୋତେ କେବେ ଘରୁ ତଡି ଦେବନି। ମୋର ନିଜର ବୋଲି କେହି ନାହିଁ। ଏ ଘରୁ ବାହାର କରିଦେଲେ କେବଳ ମଶାଣି କୁ ଯିବି।

– – ସେମିତି କହନି ଲୋ ମାଆ। ତୁ ଭଲରେ ଚଳିଲେ ସାରା ଜୀବନ ଆମ ପାଖରେ ରହିବୁ। ତୋତେ ମାଗଣା ଖଟାଇବୁ ବୋଲି ଭାବିବୁନି, ପ୍ରତି ମାସରେ ତୋତେ ପନ୍ଦରଶହ ଟଙ୍କା ଦରମା ବି ଦେବି।

– – ଟଙ୍କା କଥା କୁହନି ବାବୁ। ମୋର କିଛି ଲୋଡା ନାହିଁ। ଯାହା କାମ ଦେବ ସବୁ କରିବି, ମୋର ଟଙ୍କା ଲୋଡା ନାହିଁ।

– – ସେପରି କହିଲେ ହେବନି ମାଆ, ପ୍ରତି କାମର ମୂଲ୍ଯ ଥାଏ। ତୋତେ ମାଗଣାରେ ଖଟାଇ, ପାପର ଭାଗୀଦାର ହେବାକୁ ମୁଁ ଚାହୁଁନି।

ସେହିଦିନଠାରୁ ଯଶୋଦାର ନୂଆ ଠିକଣା ହୋଇଗଲା ହରିବାବୁଙ୍କର ଘର। ହରିବାବୁ ମନେମନେ ଆଶ୍ବସ୍ତ ଥିଲେ, କାରଣ ଆଜିକାଲି କାମ କରିବାକୁ ଲୋକଟିଏ ପାଇବା କାଠିକର ପାଠ ହୋଇଗଲାଣି। ତା ପରେ କାମ କରିବା ପାଇଁ ଲୋକ ଠିକ୍ କଲେ ତିନି ଚାରି ହଜାର ଟଙ୍କାରୁ କମ୍ ଦେଲେ କେହି ରାଜିହେବେନି। ପୁଣି ସପ୍ତାହରେ ତାଙ୍କର ଛୁଟି ଦରକାର, କାମ ନ କରିବାର ହଜାର ବାହାନା ଖୋଜିବାରେ ସେମାନେ ଉସ୍ତାଦ୍, ମୁହଁରେ ଜବାବ୍ ଦେବାରୁ ଆରମ୍ଭ କରି, କିଛି ନ କହି କାମକୁ ନ ଆସିବା ଜଞ୍ଜାଳ ବି ଅଛି। ସେସବୁ ଦେଖିଲେ ଯଶୋଦାକୁ ପାଇ ସେ ଲାଭରେ ଅଛନ୍ତି। ସେ ସଦାବେଳେ ଘରେ ରହିବ, କାମ କରିବାର ନିର୍ଘଣ୍ଟ ନାହିଁ ବା ବାହାନା ନାହିଁ। ଯେତେବେଳେ ଯାହା ବରାଦ୍ କଲେ ସେ କରିବାକୁ ବାଧ୍ଯ। ଏତେ କାମକୁ ପନ୍ଦରଶହ ଟଙ୍କା କିଛି ବି ନୁହଁ। ତଥାପି କମଳାଙ୍କ ମନରେ ଶାନ୍ତି ନ ଥିଲା। ସେ ହରିଙ୍କୁ କହି ଚାଲିଥିଲେ-- ଅଜଣା ଅଶୁଣା ଲୋକଟାକୁ ଘରେ ଆଶ୍ରୟ ତ ଦେଲେ, ପୁଣି ଟଙ୍କା କାହିଁକି ଦେବା? ସେ ଘରେ ମାଗଣା ରହିବ, ମାଗଣା ଖାଇବ ; ତେବେ ପଇସା ଦେବାର ଆବଶ୍ଯକତା କ'ଣ ଅଛି? ହରି ନୀରବ ରୁହନ୍ତି, କାରଣ ସେ ଜାଣିଛନ୍ତି ସବୁ କଥାରେ ଅଶାନ୍ତି ହେବା ଗୁଣ ଟା କମଳାଙ୍କ ପାଖରେ ଯଥେଷ୍ଟ ଅଧିକ ଅଛି। କମଳାଙ୍କୁ ବୁଝାଇ କୁହନ୍ତି-- ଆଗେ ଦେଖିବା କାମ କେମିତି କରୁଛି। ଯଦି ଠକିବା ଆରମ୍ଭ କରିବ, ଆମେ ତାକୁ ବିଦା କରିଦେବା। ତା ସହ କୋଉ ଚୁକ୍ତିପତ୍ର କରିଛେ ଯେ ଏତେ ଚିନ୍ତା।

ଆସିବା ଦିନରୁ ଯଶୋଦା ମନଦେଇ କାମ କରିବାରେ ଲାଗିଗଲା। ଘରଝାଡୁ, ପୋଛାପୋଛି, ଲୁଗାଧୁଆ, ବାସନ ମଜା, ରୋଷେଇବାସ ଆଦି କାମରେ ସେ କେବେ କମଳାଙ୍କୁ ହାତ ମରେଇବାକୁ ଦିଏ ନାହିଁ। କେବଳ ସେତିକି ନୁହଁ, ଘରକାମ କରି ସାରିବା ପରେ ସେ କମଳାଙ୍କ ସେବା ଶୁଶୃଷା ରେ ଲାଗିଯାଏ। ତାଙ୍କ ଗୋଡଘଷି ଦେବା, ମୁଣ୍ଡରେ ତେଲ ଲଗେଇଦେବା, ଔଷଧ ଦେବା ଆଦି କାମ ମଧ୍ଯ ଯଶୋଦା ହିଁ କରୁଥିଲା। ପାଖ ଦୋକାନ ରୁ ପରିବାପତ୍ର, କ୍ଷୀର ଆଣିବା କାମ ମଧ୍ଯ ତାକୁ ବଳାଉ ନ ଥିଲା। ମନେମନେ ଖୁସିରେ ଫାଟି ପଡୁଥିଲେ ହରି। କାରଣ ତାଙ୍କର ଅଧାଅଧି ଦାୟିତ୍ବ ଯଶୋଦା ହିଁ ସମ୍ଭାଳୁଥିଲା। ସେତିକି କରିବା ପରେ ମଧ୍ଯ କମଳା ସନ୍ତୁଷ୍ଟ ନ ଥିଲେ। ସମୟ ସମୟରେ ବିନା କାରଣରେ ସେ ଯଶୋଦାକୁ ଗାଳିମନ୍ଦ କରୁଥିଲେ। ବାସି ଖାଇବା ଦେବା, ବାରମ୍ବାର ଡାକି ବିନା କାରଣରେ ଘଣ୍ଟାଘଣ୍ଟା ଛିଡା କରାଇବା ଓ ତା ଦାରିର୍ଦ୍ର୍ଯ ବିଷୟରେ କହି ନାନା ଗଞ୍ଜଣା କଥା କହିବାରେ ସେ ଅଶେଷ ଆନନ୍ଦ ପାଉଥିଲେ। କେବେକେବେ ଯଶୋଦା କଷ୍ଟ ସହି ନ ପାରି କାନ୍ଦି ପକାଉଥିଲା, କିନ୍ତୁ ସେ କାହା ଆଗରେ ବା ଦୁଃଖ ଗାଇବ। ଶୁଣିବା ଲୋକ ତ ସାତ ପର କରିଦେଇ ଚାଲିଗଲା। କେବଳ ଭାଗ୍ଯ କୁ ନିନ୍ଦିବା ଛଡା ଅନ୍ଯ କିଛି କରିବାର ବାଟ ନ ଥିଲା।

ସେଦିନ ହରି ଘରକୁ ଆସିବା ବେଳକୁ କମଳାଙ୍କ ଉଗ୍ର ମୂର୍ତ୍ତି ଦେଖି ପ୍ରମାଦ ଗଣିଲେ। ଭୀଷଣ ଚିତ୍କାର କରି କମଳା ଗାଳି ଦେଇ କହୁଥାଆନ୍ତି – – ତୋ ଓୌକାତ୍ ଭୁଲି ଯାଉଛୁ ନା କଣ? ରାସ୍ତା କଡରେ ବୁଲା କୁକୁର ପରି ପଡିଥିଲୁ, ଆମେ ଘରକୁ ଆଣି ରଖିଲୁ ବୋଲି ମୁଣ୍ଡରେ ଚଢିବୁ? ତୁ ଏକା ଘରଟାକୁ ଟେକି ଧରିଛୁ ଆଉ ମୁଁ ନିକମ୍ମା ହୋଇ ବସିଛି? ମହାରଣା ବାବୁ ସ୍ତ୍ରୀ ତୋତେ ଏତେ ପ୍ରଶଂସା କଲା ବେଳକୁ ତୁ କହିପାରିଲୁନି ଯେ ମୁଁ ଘରର ସବୁ କାମ କରୁଛି ବୋଲି? ସେ ମୋ ମୁହଁରେ କହି ଦେଇଗଲା ଯେ, ତୁ ମୋ ଘରକୁ ଆସିବା ପରେ ମୁଁ ନିକମ୍ମା ହୋଇ ମୋଟା ହୋଇଗଲିଣି। ତୁ ତାଟକା ହୋଇ ଶୁଣୁଥିଲୁ କଣ; ତୋ ମାଲିକାଣୀ କୁ ମୋଟୀ କହିଲା ବେଳକୁ ତୁ ଶୁଣିପାରିଲୁ କେମିତି? ତାକୁ ଚାହା ଜଳଖିଆ ଦେବାକୁ କିଏ କହିଥିଲା, ତୋ ବୋପା ପଇସା ଦେଉଛି ଯେ ମନଇଚ୍ଛା ଖର୍ଚ୍ଚ କରିଚାଲିଛୁ। ଯାହା ତ କାମ କରୁଛୁ ଛାଡ, ସେଥିରେ ଦିନକୁ ଚାରି ଓଳି ନ ଖାଇଲେ ପେଟ ଥଣ୍ଡା ହେଉନି। ଖାଇଯା ସବୁ ଖାଇଯା,ମୋତେ ବି ଖାଇଯା। ହରି ଘଟଣା ଟା କଣ ଅନୁମାନ କରି, ପରିସ୍ଥିତି କୁ ଶାନ୍ତ କରିବାରେ ଲାଗିଲେ। ଯଶୋଦା କୁ ସେ ଯାଗାରୁ ଯିବା ପାଇଁ ଇସାରା କରି ସେ କମଳାଙ୍କୁ କୌଣସି ମତେ ବୁଝାଇ ଚୁପ୍ କରାଇଲେ।

ବିଚାରି ଯଶୋଦାର କୌଣସି ଦୋଷ ନ ଥାଇ ମଧ୍ଯ ସେ ଦୋଷୀ ପରି ମସିଣା ଉପରେ ଶୋଇ ଲୁହ ଗଡାଇବାରେ ଲାଗିଥିଲା। ହରିବାବୁଙ୍କର ବିରାଟ ଘର ଥିଲେ ମଧ୍ଯ ତା ପାଇଁ ଅଦରକାରୀ ଜିନିଷ ରଖିବା ପାଇଁ ବ୍ଯବହୃତ ହେଉଥିବା ଘରଟିକୁ ଦିଆ ଯାଇଥିଲା। ସେଇ ସାନ ଘରଟିରେ ଖଣ୍ଡେ ମସିଣା ଉପରେ ବଚାରିର ସମୁଦାୟ ସଂସାର ଥିଲା କହିଲେ ଚଳିବ। ଦିନରାତି ଅକ୍ଳାନ୍ତ ପରିଶ୍ରମ କରି ସେ ମସିଣାଟି ଉପରେ ଗଡି ପଡିଲେ ତାକୁ ସ୍ବର୍ଗସୁଖ ମିଳିବା ପରି ଲାଗୁଥିଲା। ଆଜି ମାଲିକାଣି ତାକୁ କହିଲେ, ସେ ଦିନରେ ଚାରି ଥର ଖାଉଛି, କିନ୍ତୁ ସତକଥା ତା ଛଡା ଆଉ କେହି ଜାଣି ନାହାଁନ୍ତି। ହରିବାବୁ ଅଫିସ୍ ଗଲା ପରେ ମାଲିକାଣୀ ତାଙ୍କର ଅସଲ ସ୍ବରୂପ ଦେଖାନ୍ତି। ନାନା କଟୁ କଥା କହିବା ସହ ଖାଇବା ଦେବାରେ ମଧ୍ଯ ହେଳା କରନ୍ତି। କାଳେ ସେ ରୋଷେଇ ଘରେ କିଛି ଖାଇନେବ ବୋଲି ମାଲିକାଣି ଗୋଡେଗୋଡେ ଜଗି ରହିଥାଆନ୍ତି। ସେ ଖାଇ ସାରିବା ପରେ ଯାହା ବଳି ପଡେ, ସେତିକି ଖାଇବା ଯଶୋଦା ଭାଗ୍ଯରେ ଲେଖା ଥାଏ। ଭୋକ ଲାଗିଲେ ପାଣି ପିଇ ଶୋଇବା ଛଡା ଅନ୍ଯ ଗତି ନାହିଁ। ଏପରିକି ପାଖରେ ପଇସା ନାହିଁ କହି, ହରିବାବୁ ଦେଉଥିବା ଦରମା ପଇସାରୁ ମଧ୍ଯ କିଛି କିଛି ମାଗି ମାଲିକାଣୀ ନେଇଯାଆନ୍ତି ଓ ଫେରାନ୍ତି ନାହିଁ। ବାହାରକୁ ପରିବା ପତ୍ର କିଣିବାକୁ ଯିବା ସମୟରେ ସେ ବିସ୍କୁଟ୍ ବା ମୁଢି କିଣି ନିଜ ପାଖରେ ରଖିଥାଏ। କେବେ ଯଦି ରାତିରେ ଭୋକ ଲାଗେ ସେଇଥିରୁ କିଛି ଖାଇ ନିଏ। କିନ୍ତୁ ସେତିକି ଖାଇବା ବି ତା ଭାଗ୍ଯରେ ସଦାବେଳେ ନ ଥାଏ। ସେ ବଖରା ରେ ଥିବା ମୂଷା ମାନେ ଅନେକ ସମୟରେ ଖାଇବା ଜିନିଷ କୁ ଖାଇଦିଅନ୍ତି। ପିନ୍ଧିବା ପାଇଁ ମାଲିକାଣି ପାଖରେ ଥିବା ଚିରା ଶାଢୀ ତାକୁ ସଦାବେଳେ ମିଳୁଥିଲା। ବହୁତ ଥର ଭାବିଛି, ବଜାର ଯାଇ ଶାଢୀ ଖଣ୍ଡେ ତା ପାଇଁ କିଣି ଆଣିବ ; କିନ୍ତୁ ସବୁ ଥର ମାଲିକାଣୀ ନାଲି ଆଖି ଦେଖାଇ ତାକୁ ମନା କରନ୍ତି।

କେବେକେବେ ରାଗରେ କୁହନ୍ତି-- ବୁଢୀ ହେଲୁଣି, ଆହୁରି ଛୋପରି ଗୁଣ ମନରୁ ଯାଇନି। ତୋତେ ତ ପିନ୍ଧିବା ପାଇଁ ମୁଁ ଶାଢୀ ଦେଉଛି, ପୁଣି କିଣିବା କଣ ଦରକାର ? ନାଗରୀ ସାଜିବାକୁ ତୋ ବୟସ ଆସୁଛି ନା କଣ? ଏମିତି କଥା ଶୁଣିଲେ ଯଶୋଦାର ମନଟା ଭାଙ୍ଗି ପଡେ। ଭାବେ ମାଲିକାଣୀ ସତ କହୁଛନ୍ତି, ସେ ନୂଆ ପିନ୍ଧୁ ବା ପୁରୁଣା କିଏ ବା ଦେଖୁଛି ତାକୁ !

ସବୁଥର ବଜାର ଗଲା ବେଳେ ଯଶୋଦା ସେମାନଙ୍କର ସାଙ୍ଗରେ ଯାଏ। କିନ୍ତୁ ନିଜ ମନ ଅନୁସାରେ ସେ କିଛି କିଣି ପାରେନାହିଁ। କେବଳ ଜିନିଷ ବୋହିବା ପାଇଁ ତାକୁ ଗଧ ପରି ବ୍ଯବହାର କରାଯାଏ। ବାହାରେ ମାଲିକ ମାଲିକାଣୀ ମଉଜ କରି ଖିଆପିଆ କଲା ବେଳେ ସେ ହୋଟେଲ ସାମନା ରେ ଜଗୁଆଳ ପରି ଛିଡା ହୋଇଥାଏ । ଭୋକ ଲାଗିଲେ ଦୋକାନରୁ ବିସ୍କୁଟ ଖାଇ ପାଣି ମୁନ୍ଦେ ପିଇ ପୁଣି ଅପେକ୍ଷା କରିବାରେ ଲାଗିଯାଏ। କେଜାଣି କାହିଁକି, ସେମାନଙ୍କ ମନରେ ଟିକେ ବି ଦୟା ଆସେନି ! କେବେ ଥରେ ତାକୁ ପଚାରି ଦିଅନ୍ତିନି ଯେ ସେ କଣ ଖାଇବ, କଣ କିଣିବ । ଖରାଦିନେ ପାଦ ପୋଡିଗଲା ପରି ରାସ୍ତା ତାତୁଥିଲେ ବି ସେ ଛିଣ୍ଡା ଚପଲ ହଳେ ମାଡି ମୂର୍ତ୍ତି ପରି ଛିଡା ହୋଇ ମାଲିକ ମାଲିକାଣିଙ୍କ ଅପେକ୍ଷାରେ ଥାଏ। ସେମାନେ କେବେ ପଚାରି ଦିଅନ୍ତିନି ଯେ ଏତେ ଖରାରେ ତାକୁ ଶୋଷ ଲାଗୁଛି କି ନାହିଁ। ଶୀତ ଦିନେ ହାଡଭଙ୍ଗା ଶୀତ କାକରରେ, ପିନ୍ଧା ଶାଢୀକୁ ଗୁଡାଇ ଜାକିଜୁକି ହୋଇ ଛିଡା ହେଲା ବେଳକୁ,ମାଲିକ ମାଲିକାଣୀ ଶୀତବସ୍ତ୍ର ପିନ୍ଧି ଆରାମରେ ବୁଲାଚଲା କରୁଥାଆନ୍ତି।

ଯଶୋଦାର ଜୀବନ ଟା ଧିରେଧିରେ ଜଞ୍ଜାଳମୟ ହୋଇ ଚାଲିଥିଲା। ତା ମନରେ ଥରେଥରେ ଭାବନା ଆସେ ; ସେଦିନ ସେ ଏହି ଲୋକ ମାନଙ୍କ କଥା ବିଶ୍ବାସ କରି ଚାଲିଆସି ଠିକ୍ କଲା ନା ଭୁଲ୍। ତାର ସେ ପତଳା ସୁନା ଚେନ୍ ପାଇଁ ବି ନାନା କଥା କହିବାକୁ ମାଲିକାଣୀ ପଛାନ୍ତି ନାହିଁ। ରାଗ ମନରେ କେବେକେବେ କୁହନ୍ତି-- ତୋ ସ୍ବାମୀ ତୋ ଛାଡି ଆରପୁର କୁ ଗଲା, ଏବେ ସେ ସୁନା ଚେନ୍ କୁ କାହିଁକି ବେକରେ ଝୁଲେଇ ବୁଲୁଛୁ। ତୋ ସ୍ବାମୀ ପାଇଁ ତୁ ରାଣୀ ହୋଇ ଥାଇପାରୁ,କିନ୍ତୁ ଏବେ ତୁ ଆମ ଚାକରାଣୀ । କିଏ ଚୋରୀ କରିନେଲେ ମୁଣ୍ଡ ବାଡେଇଲେ ବି କେହି ଶୁଣିବେନି। ସେ ଭଙ୍ଗୀ ଛାଡି କାମଧାମରେ ମନ ଦେ, କି ବେଳାରେ ତୋ ପରି ଗ୍ରହ ଆମ ଘରେ ପଶିଲା ଯେ, ମନରୁ ଶାନ୍ତି ଉଭାନ ହୋଇଗଲା। ମାଲିକାଣୀଙ୍କ ରାଗର କାରଣ ସେ ବୁଝି ପାରେନି। ତା ପରି ଜଣେ ନିରାଶ୍ରୟ ଲୋକ ପାଇଁ କାହିଁକି ଏତେ ଘୃଣା?ଯଦି ଏତେ ରାଗ, ତାକୁ ବାହାର କାହିଁକି କରି ଦେଉନାହାଁନ୍ତି।

ତାଙ୍କର ରାଗ ଆହୁରି ବଢିଯାଏ ଯେତେବେଳେ ପାଖ ପଡୋଶୀ କୁହନ୍ତି-- ବୁଝିଲେ ଆଜ୍ଞା, ଯଶୋଦା ଆସିଲା ପରେ ଆପଣଙ୍କ ଘରର ରୂପ ପୁରା ବଦଳି ଯାଇଛି। ଯେତେବେଳେ ଦେଖିବ ଘର ପରିଷ୍କାର ପରିଚ୍ଛନ୍ନ ରହୁଛି। ଯବକାଚ ପକେଇ ଖୋଜି ଆଣିଲେ ବି ଧୂଳିଟିକେ ପାଇବା କଷ୍ଟ। ପଡୋଶଙ୍କ କଥା ସବୁ କମଳାଙ୍କ ହୃଦୟରେ ତୀର ପରି ନିବଦ୍ଧ ହୁଏ। ବାରମ୍ବାର ମନରେ ସେଇ କଥା ସବୁ ପ୍ରତିଧ୍ବନିତ ହୋଇ ଚାଲିଥାଏ। ସେ ନିଜର ଅସ୍ତିତ୍ବ ପ୍ରତି ସନ୍ଦିହାନ ହୋଇଉଠନ୍ତି ଓ ଭାବନ୍ତି ଦୁନିଆରେ କମଳା ହିଁ ତାଙ୍କର ସବୁଠାରୁ ବଡ ପ୍ରତିଦ୍ବନ୍ଦୀ। ଅନେକ ଥର ସେ ଭାବନ୍ତି ମିଛ ବାହାନା ଦେଖାଇ ଯଶୋଦାକୁ ତଡି ଦେବା ପାଇଁ, କିନ୍ତୁ ସେପରି କିଛି ପରିସ୍ଥିତି ଉପୁଜେ ନାହିଁ। ଯେଉଁଦିନ କୌଣସି ଲୋକ ଯଶୋଦାର ପ୍ରଶଂସା କରେ, ସେଦିନ ରାତିରେ ତାକୁ ଖାଇବାକୁ ମିଳେ ନାହିଁ। ମିଳେ କେବଳ ଅଭିଶାପ ଓ କଟୁବଚନର ଉପହାର। ହରି ସବୁ ଜାଣି ମଧ୍ଯ ନୀରବ ରୁହନ୍ତି। ମନ ଭିତରେ ଭୀଷଣ କ୍ଷତାକ୍ତ ହେବାପରେ ବି ଯଶୋଦାର ବ୍ଯବହାରରେ ସେମାନଙ୍କ ପ୍ରତି କୌଣସି ପରିବର୍ତ୍ତନ ଆସେ ନାହିଁ। କାରଣ ତା ନଜରରେ ମାଲିକ ମାଲିକାଣୀ ହେଲେ ଜୀବନ୍ତ ଭଗବାନ। ସେହିମାନେ ହିଁ ତାକୁ ନୂତନ ଜୀବନଦାନ ଦେଇଛନ୍ତି। ସେମାନଙ୍କର ବିରୁଦ୍ଧରେ ସେ ଚିନ୍ତା ବା କିପରି କରିବ?

ସେଦିନ ହରି ଓ କମଳାଙ୍କର ପଚିଶତମ ବିବାହ ବାର୍ଷିକୀର ଆୟଜନ ଘରେ ଜୋରଦାର ଚାଲିଥିଲା। ପିଲା ମାନେ ମଧ୍ଯ ଆସିଥିଲେ। ସନ୍ଧ୍ଯାବେଳେ ଗୋଟିଏ ଭୋଜିର ଆୟୋଜନ କରା ଯାଇଥିଲା। ବନ୍ଧୁବାନ୍ଧବ, ହରିଙ୍କ ଅଫିସ କର୍ମଚାରୀ ଓ ପାଖପଡୋଶୀ ମାନେ ଆସିବେ। ଯଶୋଦା କୁ ଫୁରସତ୍ ନାହିଁ। ତିନି ଦିନ ହେଲାଣି ସେ ଦଣ୍ଡେ ନିଶ୍ବାସ ନେବାକୁ ଫୁରସତ୍ ପାଇନି। ପିଲାମାନେ କମଳାଙ୍କ ଗୁଣ ନେଇ ଜନ୍ମ ହୋଇଛନ୍ତି। ପାନ ରୁ ଚୂନ ଖସିଲେ ଗାଳି ଦେଇ ତାର ଅବସ୍ଥା ବେହାଲ କରିଦେଉଛନ୍ତି। ସେସବୁ କୁ ଖାତିର ନ କରି ସେ କାମରେ ମାତିଛି। ଘରଦ୍ବାର, ଅଗଣା ଝାଡୁପୋଛା କରି ଚକଚକ କରି ସାରିଛି। ପ୍ରତି ବଖରା ବୁଲିବୁଲି ସବୁ କାମ ସାରିଛି। ରୋଷେଇ ଦାୟିତ୍ବ ତା ଉପରେ। ପାଖାପାଖି ପଚାଶ ଲୋକ ଖାଇବେ। ଦଶ ପ୍ରକାର ଖାଇବା ତିଆରି ହେବ। ପରିବାପତ୍ର ଓ ବାକି ଜିନିଷପତ୍ର କିଣା ସରିଛି। କେବଳ ରୋଷେଇ ହେବ ଯାହା। ତିନିଦିନ ହେଲାଣି ତା ଖାଇବା ପିଇବା ରେ ଠିକଣା ନାହିଁ। ରାତିରେ କିଛି ବଳିଲେ ତ ଖାଇବା ମିଲିବ! ପିଲାମାନେ ଭଲ ଖାଇବାବାଲା ହୋଇଛନ୍ତି, ଯେତେ ବାଢିଲେ ବି ଥାଳି ନିମିଷକରେ ଖାଲି ହୋଇଯାଉଛି। ଶେଷ ଆଶ୍ରା ତା ବଖରା ରେ ଥିବା ମୁଢି ନୋହିଲେ ମୂଷା ଖଣ୍ଡିଆ କରିଦେଇଥିବା ବିସ୍କୁଟ୍। ପିଲା ମାନଙ୍କ ଆଗରେ ମାଲିକାଣୀଙ୍କ କ୍ରୋଧର ବର୍ଷା ତା ଉପରେ ବେଶୀ ହେଉଛି। ବିନା କାରଣରେ ଗାଳିଫଜିତ୍ କରି ସେ ନିଜ ମାଲିକପଣିଆ ଦେଖାଇବାରେ ତିଳେମାତ୍ର ଅବହେଳା କରୁନାହାଁନ୍ତି। କିନ୍ତୁ ସେ ଆଡକୁ ନଜର ନାହିଁ ତାର। ତା ପାଇଁ ଯେଉଁମାନେ ଜୀବନ୍ତ ଇଶ୍ବର ସେମାନଙ୍କର ବିବାହବାର୍ଷିକୀ ହେବ। କେତେ ଖୁସିର ଦିନ। ପାଞ୍ଚ ଲୋକ ଆସିବେ, ଭଲରେ ମୁଠେ ଖାଇକରି ଗଲେ ମାଲିକ ମାଲିକାଣୀଙ୍କୁ ଆଶିର୍ବାଦ ଦେବେ। ସେ ବହୁତ ଦିନରୁ ମନରେ ଭାବିଛି ମାଲିକ ମାଲିକାଣୀଙ୍କୁ କିଛି ଗୋଟେ ଉପହାର ଦେବ। ସେମାନେ ତା ପାଇଁ ଏତେ କରିଛନ୍ତି ଯେ ସଂସାରର ଯେତେ ମୂଲ୍ଯବାନ ଜିନିଷ ଦେଲେ ବି ନିଅଣ୍ଟ ପଡିବ। ମନରେ କେତେ ଆଶା ନେଇ ବଜାର ଯିବାକୁ ବାହାରିଲା ବେଳକୁ ମାଲିକାଣୀଙ୍କ ତାଗିଦା ପଡିଗଲା।

ହାତରେ ଜରିଗୁଡା ପ୍ଯାକେଟ୍ ଟେ ଧରି ଯଶୋଦା ଘରେ ପଶିଲା ବେଳକୁ ମାଲିକାଣୀଙ୍କ ନଜରରେ ପଡିଗଲା। ସେ ଛିଗୁଲାଇ କହିଲେ-- ଆରେ ଦେଖ ପିଲାମାନେ, ଆମର ବିବାହ ବାର୍ଷିକୀ ହେବ, ଆମେ ଜିନିଷପତ୍ର କିଣାକିଣି କରିନୁ, କିନ୍ତୁ ଆମ ଚାକରାଣୀ ବଜାର ବୁଲି ଜିନିଷ କିଣି ଫେରିଲାଣି। କେତେ ପଇସା ରଖିଛୁ ପାଖରେ ଯେ ଜରି ଭର୍ତ୍ତି କରି ଜିନିଷ କିଣି ଆଣିଲୁ ମ ! ପିଲା ମାନଙ୍କର ଟାହିଟାପରା ଭରା ହସ ଓ ମାଲିକାଣୀଙ୍କ କୁତ୍ସାରଟନାରେ ମନ ଭିତର ଟା ଘାଣ୍ଟି ହୋଇଗଲେ ବି ସେ ମୁହଁରେ ହସ ଖେଳେଇ ଛିଡା ହେଲା।

– ଆଲୋ ଯାଆ ଏ ଯାଗାରୁ, ତୋ ଚନ୍ଦ୍ର ବଦନ ଦେଖିବାକୁ କାହାର ଆଗ୍ରହ ନାହିଁ। ଦୁନିଆ ଯାକର କାମ ପଡିଛି, ତୋ ଭଙ୍ଗୀ ଦେଖିବାକୁ ଆମ ପାଖରେ ସମୟ ନାହିଁ। ଜରିଟିକୁ ତା ବଖରା ରେ ରଖି ସେ ରୋଷେଇ ଘରେ ପଶିଲା। ପେଟରେ ଦାନା ପଡିନି, ଶୋଷରେ ତଣ୍ଟି ଶୁଖିଯାଉଛି। ଭୋକରେ ହଂସା ଉଡିଗଲା ପରି ଲାଗୁଛି। କିନ୍ତୁ ଏବେ ଖାଇବା କଥା କହିଲେ ମାଲିକାଣୀ ମାରି ଗୋଡେଇବେ। ମନେମନେ ଭାବିଲା, ପାଣି ଟିକେ ପିଇ କାମ କରିବ। ଏମିତି ତ କେତେ ରାତି କଟିଛି। ସେ ରୋଷେଇ କରିବାରେ ବ୍ଯସ୍ତଥିଲା ବେଳେ ମାଲିକାଣୀ ପଛରୁ ଆସି କହିଲେ

-- ଶୁଣ୍ କୌଣସି ଜିନିଷରେ ମୁହଁ ମାରିବୁନି, ତୋ ପେଟ ତ ସଦାବେଳେ ଜଳି ଯାଉଛି। ଲୋକେ ଖାଇ ସାରିବା ପରେ ତୁ ଖାଇବୁ। ଦିନେ ନ ଖାଇଲେ ଜୀବନ ପଳେଇବନି। ବଡବଡିଆ ଲୋକବାକ ଆସିବେ, ସେମାନଙ୍କ ଆଗକୁ ଆସିଲେ ଗୋଡ ଛୋଟା କରିଦେବି। ସେଇ ରୋଷେଇଘରେ ରହିଥିବୁ।

ଆଖିରୁ ଲୁହ ପୋଛି ମୁଣ୍ଡ ଟୁଙ୍ଗାରି ହଁ ଭରିଲା ସେ।

– – ଉଁଃ କହିଲା ବେଳକୁ ରାଧା ଦେହରେ ବାଧା ପଶି ଯାଉଛି। ସେ ଛୋପରାମୀ ବନ୍ଦ କରି କାମରେ ମନ ଦେ।

ଲୋକ ସବୁ ଆସିଲେଣି। ଅଳ୍ପ ସମୟ ପରେ କେକ୍ କଟାଯିବ ଓ ତା ପରେ ଲୋକମାନେ ଖାଇବେ। ତା ପେଟ ଭିତରଟା ମନ୍ଥି ହୋଇ ଯାଉଛି, ମୁଣ୍ଡ ଝିମଝିମ ହେବା ପରି ଲାଗୁଛି, ସେ ସକାଳୁ କିଛି ଖାଇନି। ଆଖି ସାମନା ରେ ଖାଦ୍ଯର ଭଣ୍ଡାର, କିନ୍ତୁ ସେସବୁ କୁ ଦେଖିବା ବି ମନା। ମନ ଭିତରେ କୋହ ଉଠି ଆସୁଛି। କିନ୍ତୁ ସେ କାନ୍ଦିବନି,ମାଲିକ ମାଲିକାଣୀଙ୍କର କାଳେ ଅଶୁଭ ହେବ !

କେକ୍ କଟା ବୋଧେ ସରିଗଲାଣି। ଲୋକ ମାନେ ଉପହାର ଦେବାକୁ ଆରମ୍ଭ କଲେଣି। ତା ଉପହାର ଟା ରହିଗଲା ଯେ! କେମିତି ଦେବ? ବଡ ସନ୍ତର୍ପଣରେ ସେ ରୋଷେଇଘରୁ ବାହାରି ତା ବଖରା ଆଡକୁ ଗଲା। ଜରି ବ୍ଯାଗ୍ ଟି ଆଣି ମାଲିକ ମାଲିକାଣୀଙ୍କ ସାମନା ରେ ଛିଡାହେଲା, ଦୁଇ ଜଣଙ୍କ ପାଦ ତଳେ ପଡି ମୁଣ୍ଡିଆ ମାରିଲା ଓ ଜିନିଷକୁ ହରିବାବୁଙ୍କ ହାତ କୁ ବଢେଇ ଦେଲା। ସେ ହସିହସି ଜିନିଷ ଟି ଗ୍ରହଣ କଲେ।

– – ମହାରଣା ବାବୁ ସ୍ତ୍ରୀ କହିଲା, କେତେ ସୁଧାର ଲୋକଟି ଦେଖ। ତା ମାଲିକ ମାଲିକାଣୀଙ୍କୁ ଉପହାର ଦେଲା। ମୁଁ କ'ଣ ମିଛ ଟାରେ ତାକୁ ପ୍ରଶଂସା କରେ, ସେ ଗୋଟେ ଖାଣ୍ଟି ହୀରା। ସବୁ ଦେଖ, କେତେ ପରିଶ୍ରମ କରି ଘରଟାକୁ ଚକମକ କରିଛି, ପୁଣି ରୋଷେଇ ବି କରିଛି। ଆଜି ଖାଇବା ଟା ନିହାତି ଅମୃତ ପରି ଲାଗିବ। ତାକୁ ପ୍ରଶଂସା କରିବାକୁ ହେଉ ବା କମଳାଙ୍କୁ ଚିଡାଇବାକୁ ହେଉ, ମହାରଣାବାବୁ ସ୍ତ୍ରୀ ଏତିକି କହି କମଳାଙ୍କ ଆଡକୁ ଦେଖି ଆଖି ମିଟିକା ମାରିଲା।

ସେତିକି ବେଳକୁ ମାଲିକାଣୀଙ୍କ ଝିଅ ଦଉଡି ଆସି କହିଲା – ମାମା, ମୋ ମୋତିମାଳଟା ରୁମ୍ ରେ ରଖିଥିଲି, ଏତେ ଖୋଜିଲିଣି ମିଳୁନି। ତୁ ଦେଖିଛୁ କି?

– ସେ ଘରକୁ ଯଶୋଦା କେତେ ବେଳେ ଯାଇଥିଲା?

– – ସକାଳେ ତ ସେ ଝାଡୁପାଛା କରୁଥିଲା ମୋ ରୁମ୍ ରେ। ତା ପରଠାରୁ ମିଳୁନି ମାଳଟା। କହିଲା ଝିଅ।

କେହି କିଛି ବୁଝିବା ପୂର୍ବରୁ କମଳା ରାଗରେ ଜର୍ଜରିତ ହୋଇ ଯଶୋଦାର ଚୁଟି ଘିଞ୍ଚି କାନ୍ଥରେ ପିଟିଦେଲେ ଓ କହିଲେ-- ଚୋରଣୀ କୁଆଡେ ନେଲୁ ମୋ ଝିଅର ମାଳ କହ। ସବୁ ଚୋରୀ କରୁଛୁ ତୁ ମୋ ଘରୁ। କାହାକୁ କିଛି କହୁନି ବୋଲି ତି ସାହାସ ବଢି ଯାଉଛି? ଆଜି ଯଦି ମୋ ଝିଅର ଜିନିଷ ନ ଦେବୁ ପୋଲିସ୍ ଡାକି ବନ୍ଧେଇଦେବି। ଗାଳି ସହିତ ଅନବରତ ମାରି ଚାଲିଥିଲେ ସେ ଯଶୋଦା କୁ। ବିଚାରି ଦେହରେ ବଳ ଟିକେ ବି ନ ଥିଲା। ସେ ପ୍ରତିବାଦ ମଧ୍ଯ କରି ପାରିଲାନି। କେବଳ ହାତ ଯୋଡି ତଳେ ବସି ରହିଲା। ତା ନୀରବତା କୁ କମଳା ଦୋଷ ସ୍ବୀକାର କରିବାର ସଙ୍କେତ ମନେ କରି ମନଇଚ୍ଛା ମାରିଚାଲିଲେ। ହରିବାବୁଙ୍କ ଆପ୍ରାଣ ଉଦ୍ଯମ ସତ୍ତ୍ବେ ବିଚାରି ତାଙ୍କ କବଳରୁ ବର୍ତ୍ତି ପାରିଲା ନାହିଁ। ରାଗ ସମ୍ଭାଳି ନ ପାରି କମଳା, ମହାରଣା ବାବୁଙ୍କ ସ୍ତ୍ରୀ ଙ୍କୁ ବି ଭଲମନ୍ଦ କରି ଦୁଇପଦ ଶୁଣାଇଦେଲେ। ପାଟି କରି କହିଲେ--- ଆପଣଙ୍କ ପାଇଁ ଏ ଚୋରଣୀ ର ମୁହଁ ଏତେ ବଢିଯାଇଛି। ଯେଉଁ ଲୋକ କୁ ଯେତିକି ରେ ରଖିବା କଥା ତା ଠାରୁ ଅଧିକ ପ୍ରଶ୍ରୟ ଦେଲେ ଏମିତି ଫଳ ହୁଏ।

ବିଚାରି ର ଚୁଟି ଧରି ଘୋଷାରି ଘୋଷାରି ଘରୁ ବାହାର କରିଦେଲେ। ହରି ସବୁ ଦେଖୁଥିଲେ ମଧ୍ଯ କିଛି କରିବାର ଶକ୍ତି ହରାଇ ସାରିଥିଲେ। ଚତୁର୍ଦ୍ଦିଗରେ କେବଳ ନୀରବତା ବିରାଜମାନ କରୁଥିଲା ଓ ସେ ନୀରବତା କୁ କିଞ୍ଚିତ୍ ପରିମାଣରେ ଦୋହଲାଇ ଦେଉଥିଲା ଯଶୋଦାର କରୁଣ ସ୍ବର-- ମୁଁ ଚୋରଣୀ ନୁହଁ ବାବୁ, ମୋତେ ସେମିତି କୁହନାହିଁ। କେତେ ଖୁସି ରେ ଆପଣ ମାନଙ୍କ ପାଇଁ ଉପହାର ଆଣିଥିଲି, ଏମିତି ହେବ ବୋଲି କେବେ ବି ଭାବି ନ ଥିଲି। ମୁଁ ଚାଲି ଯାଉଛି, ଆପଣଙ୍କ ଘରୁ, କିନ୍ତୁ ମୋତେ ଚୋରଣୀ କୁହନ୍ତୁ ନାହିଁ। କମଳା ତା ମୁହଁ କୁ ଏକ ଶକ୍ତ ଗୋଇଠା ମାରିବାରୁ ବିଚାରି ମୁହଁ ମାଡି ତଳେ ପଡିଲା। କଷ୍ଟରେ ଗୁରୁଣ୍ଡି ଗୁରୁଣ୍ଡି ସେ ଯାଗା ରୁ ଚାଲିଗଲା।

ସେ ଚାଲିଗଲା ପରେ ସବୁ ଘରକୁ ଆସି ଦେଖିଲା ବେଳକୁ ପୁଅ ହାତରେ ସେ ମାଳିଟି ଧରି ତା ଭଉଣୀକୁ ଚିଡାଇବାରେ ବ୍ଯସ୍ତ। ଘଟଣା ବୁଝିବାରୁ ଜଣାଗଲା ଯେ ତା ଭଉଣୀ କୁ ଚିଡାଇବା ପାଇଁ ମୋତିମାଳଟିକୁ ପକେଟ୍ ରେ ଲୁଚାଇ ରଖିଥିଲା। ହରି ମୁଣ୍ଡରେ ହାତ ଦେଇ ବସି ପଡି କହିଲେ, ପୁଅରେ ତୁ କଣ କଲୁ ? ଆମେ ମାନେ କେତେ ବଡ ପାପ କରିଦେଲୁ ତୋ ମୁର୍ଖାମୀ ପାଇଁ। ଥରଥର ହାତରେ ସେ ପ୍ଯାକେଟ୍ ଟି ଖୋଲିଲେ। ତା ଭିତରେ କମଳାଙ୍କ ପାଇଁ ଏକ ଦାମୀ ପାଟଶାଢୀ ଓ ହରିଙ୍କ ପାଇଁ ପ୍ଯାଣ୍ଟସାର୍ଟ କପଡାଥିଲା। ଆବେଗଭରା କଣ୍ଠରେ ହରି କହିଲେ-- ଆରେ ଏ ଶାଢୀ ଟି ମୁଁ ସେ ଦୋକାନ ରେ ଦେଖିଥିଲି କିଛିଦିନ ତଳେ। ଦୋକାନୀ ପାଞ୍ଚ ହଜାର କହିବାରୁ ମୁଁ ନ କିଣି ଫେରିଆସିଲି। ତେବେ କଣ ନିଜର ସର୍ବସ୍ବ ଦେଇ ଯଶୋଦା ଆମ ପାଇଁ ଏ ଉପହାର କିଣିଥିଲା, ଅଥଚ ଆମେ ମାନେ ତାକୁ ଗଳାଧକ୍କା ଦେଇ, ଅପମାନିତ କରି, ଚୋରଣୀର ଆଖ୍ଯା ଦେଇ ତଡିଦେଲେ। ସେ ରାସ୍ତାକୁ ଦଉଡିଲେ ଓ ତାଙ୍କ ପଛରେ କମଳା। ବେଶି ଦୂର ଯିବାକୁ ପଡିଲାନି ସେମାନଙ୍କୁ--- ଘରଠାରୁ ଅନତିଦୂରରେ ଏକ ଆମ୍ବ ଗଛରେ ଝୁଲୁଥିଲା ଯଶୋଦା, ପିନ୍ଧିଥିବା ଶାଢୀଟି ବେକରେ ଗୁଡେଇ ହୋଇଥିଲା। ଗଛରୁ ଯଶୋଦାର ମୃତ ଦେହ ତଳକୁ ଆଣିଲା ବେଳେ ହରି ଚିତ୍କାର କରି କହିଲେ-- ଶେଷକୁ ତୋ ସ୍ବାମୀର ଶେଷ ସନ୍ତକ ସେ ସୁନା ଚେନ୍ କୁ ବିକ୍ରିକରି ଆମ ପାଇଁ ଉପହାର ଆଣିଲୁ, କିନ୍ତୁ ଆମେ ତୋତେ ମୃତ୍ଯୁର ଉପହାର ଦେଲୁ?? କମଳା ମୁହଁ ପୋତି ଲୁହ ଗଡାଉଥିଲେ, ତାଙ୍କ ପାଖରେ କହିବା ପାଇଁ ଶବ୍ଦଟିଏ ମଧ୍ଯ ନ ଥିଲା। ବାକି ଲୋକେ ଘୃଣା ଚକ୍ଷୁରେ ଦୁଇ ଜଣଙ୍କୁ ଦେଖି ସେ ଜାଗାରୁ ଚାଲିଯିବାକୁ ଆରମ୍ଭ କରି ସାରିଥିଲେ।

                                                                    --ସମାପ୍ତ---

No comments:

Post a Comment