Tuesday, January 16, 2018

କି ବେଳାରେ କଲି ଚାକିରି





  କି ବେଳାରେ କଲି ଚାକିରି
ଅରବିନ୍ଦ ରଥ

କି  ବେଳାରେ କଲି ଚାକିରି
ରଙ୍ଗୀନି ଜୀବନ କଳାଧଳା ହେଲା 
ରଙ୍ଗ ସବୁ ଗଲା ଉତୁରି,
ସବୁ ସୁଖ ମୋର ଶୁଖି ହେଲେ କଣ୍ଟା
ଲୁହେ  ଗଲା ଗାଲ ବତୁରି
କି ବେଳାରେ କଲି ଚାକିରି।।

ସକାଳରୁ ସଂଞ୍ଜ କେଡେ ଦହଗଞ୍ଜ
କାମ କରିକରି ଥୋବରା,
ତଥାପି ଅକର୍ମା, ଅଳସୁଆ ବୋଲି
ଶୁଣି ଶୁଣି କାନ ବଧିରା ।।
ପଖାଳ କଂସା କୁ ବଡି ଚୁରା ପାଗ
ମନରୁ ଦେଲିଣି ପାଶୋରି
କି ବେଳାରେ କଲି ଚାକିରି।
ଘରଣି ଭାଷାରେ ଚାଲବାଜ ମୁହିଁ
ଘରକଥା କିଛି ବୁଝେନି,
ପିଲା କୁହେ ବାପ  ଜଗତ ମିଛୁଆ
ବଜାର ବୁଲେଇ ନିଏନି।।
ବନ୍ଧୁବାନ୍ଧବ ତ  ବିଚାରନ୍ତି ଭୂତ
କାମ ନିମିତ୍ତ କୁ ଯାଏନି,
ବେଭାର ବୁହାରେ ହେଳା ନାହିଁ ମୋର
ଗଞ୍ଜଣା ତଥାପି କମେନି।।
ମିଳିଲେ ସୁଯୋଗ ସର୍ବେ ମିଳିମିଶି
ଛାଲ ମୋ ଦିଅନ୍ତି ଉତ୍ତାରି
କି ବେଳାରେ କଲି ଚାକିରି।।
ସାଙ୍ଗସାଥୀଗଣ ବିଚାର କରନ୍ତି
ଗରବ ରେ ମୁଁ ଯେ ଫାଟୁଛି,
ଚାକିରି ଟା କରି ଦରମା କୁ ଧରି
ସଂସାରକୁ ତୁଚ୍ଛ ମଣୁଛି।।
ଭଲମନ୍ଦ ତାଙ୍କ ବୁଝି ନ ପାରଇ
ଉଦଗାର କରନ୍ତି ଗରଳ,
ଦେଖିଦେଲେ ମୋତେ  
 ବାକ୍ଯଶର ବିନ୍ଧି 
ବଢାଇ ଦିଅନ୍ତି ଜଞ୍ଜାଳ।।
ବୁଝାଇ ପାରେନି ଅବସ୍ଥା ମୋହର
ପଙ୍କେଲୋଟେ ଜେହ୍ନେ ଶୁକରୀ
କି ବେଳା ରେ କଲି ଚାକିରି  ।।
ଫାଇଲ୍ ନଦୀରେ ପହଁରୁ ଥାଏ ମୁଁ
ନ ଦିଶଇ କୂଳ କିନାରା,
କାମ କରିକରି ଝଡିଲାଣି ଚୁଟି
ମୁଣ୍ଡ ଟି ଦିଶଇ ଟାଙ୍ଗରା।।
ଆଳୁବସ୍ତା ପରି ଲଦି ହୋଇ ବସେ
ତଳେ ଥାଏ କାଠ ଚଉକି,
ଖିଆ,ପିଆ,ଶୁଆ ଅଫିସ ଭିତରେ
ନାହିଁ ମନେ କିଛି ସଉକି।।
ଗଧ ଖଟଣିରେ ହୁଏ ଛଟପଟ
ଆତ୍ମା କାନ୍ଦୁଥାଏ ଗୁମୁରି
କି ବେଳାରେ କଲି ଚାକିରି।।
ମାଗିଦେଲେ ଛୁଟି ଉଡି ଯିବ ଚୁଟି
ମଧ୍ଯ୍ଯାହ୍ନରେ ସୂର୍ଯ୍ଯ ଯିବେ ଅସ୍ତ,
ଶହେ କୈଫୟତ୍ ଦେଇସାରିଲେ ବି
ମିଳିବନି ଛୁଟି ଏହା ସତ୍ଯ।।
ଦୁଇଦିନ ଯଦି ଛୁଟି ନେବ କିଏ
ସଂସାର ର ଚକ ରହିଯିବ,
ସମୁଦ୍ର ଲଙ୍ଘିବ ଆସିବ ପ୍ରଳୟ 
ବଜ୍ରପାତେ ସବୁ ଧ୍ବଂସ ହେବ।।
ଏହି କାରଣରୁ ମିଳେ ନାହିଁ ଛୁଟି
ଏଇ ତ କାହାଣୀ ସବୁରି
କି ବେଳାରେ କଲି ଚାକିରି
*********

No comments:

Post a Comment