Monday, December 11, 2017
ସାହିତ୍ଯ ଚର୍ଚ୍ଚା
ସାହିତ୍ଯ ଚର୍ଚ୍ଚା
ଲେଖକ- ଅରବିନ୍ଦ ରଥ
କିଛି ଗୋଟେ ଦରକାରୀ କାଗଜ ଖୋଜିବାରେ ବ୍ଯସ୍ତ ଥିବା ରାମ ବାବୁଙ୍କୁ, ପୁରୁଣା ଫାଇଲ୍ ରେ ଥିବା କିଛି କାଗଜପତ୍ର ମିଳିଗଲା। ବଡ ଆଗ୍ରହ ସହକାରେ ଦେଖନ୍ତେ, ପିଲା ଦିନର ସବୁ ସ୍ମୃତି ସେଇ ଫାଇଲ ଭିତରେ ଜାକିଜୁକି ହୋଇ ବସିଥିବାର ଦେଖାଦେଲା। ବନ୍ଧାକୋବି ପତ୍ର ଛଡେଇଲା ପରି ଗୋଟିକ ପରେ ଗୋଟିଏ କାଗଜ କାଢି ମନଧ୍ଯାନ ଦେଇ ଦେଖିବାରେ ଲାଗିଲେ। କିଛି ପୁରୁଣା ହାତଲେଖା କବିତା ନଜରରେ ପଡିଗଲା। ପିଲାଦିନର ସେ ସ୍ମୃତି ଗୁଡାକ, ବୋତଲ ଭିତରେ ବନ୍ଦ ଥିବା ଭୁତ, ଠିପି ଖୋଲିଗଲେ ଯେମିତି ଭୁଷ୍ ଭାଷ୍ ହୋଇ ବାହାରି ଯାଏ, ସେମିତି ଛିଟିକି ପଡିଲେ। ସେ ଲେଖାର ପ୍ରତ୍ଯକ ଧାଡି ରାମବାବୁଙ୍କୁ ଟାଣି ନେଇଗଲା ଗାଁଆ ସ୍କୁଲରେ ବିତେଇଥିବା ମିଠାଳିଆ ମୁହୂର୍ତ୍ତ ଆଡକୁ। ସେମିତି ଏକ କବିତା ର କେଇ ଧାଡି ଏହିପରି --
ତୋତେ ଦେଖି ମୋତେ ଲାଗୁଛି ରାଗ
ଆକାଶରେ ଉଡେ ଧବଳ ବଗ ।।
ଏଇ ଗୀତଟି ମାଧ୍ଯମରେ ରାମବାବୁ ନିଜ କୈଶୋର ଅବସ୍ଥାରେ ଗଜୁରି ଉଠୁଥିବା ସଣସଣିଆ ରାଗ ବିଷୟରେ କିଞ୍ଚିତ୍ ଆଭାଷ ଦେଇଥିଲେ ବୋଲି ମନେ ପଡିଗଲା। ତା ସହ ପ୍ରକୃତି ପ୍ରତି ଥିବା ଅନାବିଳ ସ୍ନେହଭାବ ବି ବେଶ୍ ଉକୁଟାଇପାରିଥିଲେ ବୋଲି ଟିକେ ଗର୍ବିତ ହେଲେ। ତାଙ୍କର ଭଲରେ ମନେ ଅଛି, ଗୀତ ଲେଖା ପାଇଁ ସ୍କୁଲରେ ସମ୍ମାନିତ ଓ ପୁରସ୍କୃତ ମଧ୍ଯ ହୋଇଥିଲେ। ପୁରସ୍କାର ରୂପରେ ପାଇଥିବା ନଟରାଜ୍ ପେନସିଲ ଓ ରବର ଆଜି ବି ସେହି ଗୌରବୋଜ୍ଜଳ ଅତୀତକୁ ଜୀବନ୍ତ ରଖିଛି। ଅବଶ୍ଯ ଏ କଥା ଭିନ୍ନ ଯେ ଗୀତଲେଖା ପ୍ରତିଯୋଗିତା ଦିନ ତାଙ୍କର ଏକମାତ୍ର ପ୍ରତିଦ୍ବନ୍ଦୀ ଗେଣ୍ଡୁ ମାହାଳିକ, କୁଣ୍ଡୁଦେବଙ୍କ ରୋଷର ଶିକାର ହୋଇ, ଘର ଭତରେ ବସି ହାତ ଗୋଡ କୁଣ୍ଡେଇବାରେ ନିମଗ୍ନ ଥିଲା। ବିନା ପ୍ରତିଦ୍ବନ୍ଦିତାରେ ରାମବାବୁ ବାଜି ମାରିନେଇ ହେଣ୍ଡୁ ମାରି ଢେର୍ ଦିନ ଯାଏ ବୁଲିଥିଲେ। ସେଇ ପୁରସ୍କାରପ୍ରଦାୟୀନି ଗୀତର ପ୍ରାରମ୍ଭିକ କେଇଧାଡି ମନେ ପଡିଗଲା, ଯାହାକି ଏହିପରି --
ଭିକାରି କୁ ଦେଖ ଲାଗୁଛି ଭୋକ
ସେଥିପାଇଁ ସିଏ ମାଗୁଛିି ଭିକ।। xxxxxxxx
ଏହିି ଗୀତର ମରମ ଭାବଟି ମନେ ପକାଇବାରୁ ଆଖି ଦୁଇଟି ଛଳଛଳ ହୋଇଗଲା। ଭିକାରିିଟିଏ ର ଦୁଃଖରେ ଅଭିଭୁତ ହୋଇ ସେଇ କବିତା ଟି ରଚିତ ହୋଇଥିଲା। ବିଚାରକ ମଣ୍ଡଳୀ ଏତେ ସୁନ୍ଦର ଭାବକୁ ବୁଝି ପାରିଲେ କି ନାହିଁ ଭଗବାନଙ୍କୁ ଜଣା ; କିନ୍ତୁ କବିତା ଉପରେ ନାଲିଆ ନେଳିଆ ସ୍ଯାହିରେ କେତେ ଗୁଡିଏ ପ୍ରଶ୍ନ ଚିହ୍ନ ଅଙ୍କନ କରିପକାଇଥିଲେ। ଏତେ ବାଧାବିଘ୍ନ ସତ୍ତ୍ବେ ରାମବାବୁ ବାଜି ମାରିନେଲେ ଓ ନଟରାଜ ପେନସିଲକୁ ପକେଟ୍ ରେ ପୁରେଇ ଚେଙ୍ଗ ମାଛ ପରି ଡେଇଁଡେଇଁ ଘରକୁ ଗଲେ।
ଆଃ …......କି ମଧୁର ସ୍ମୃ ତି ।
ରାମବାବୁଙ୍କର କବିତା ଲେଖା ବିଷୟକ ଗୌରବୋଜ୍ଜ୍ବଳ ଅତୀତ ପାରହେବାର ପାଖାପାଖି ଚାଳିଶ ବର୍ଷ ହେବଣି। ଅତୀତରେ ପ୍ରଚଣ୍ଡ କବିତ୍ବର ଅଧିକାରୀ ରାମବାବୁ ବୟସର ପାହାଚ ଡେଇଁ ଆଜି ପ୍ରୌଢାବସ୍ଥାରେ ଉପନୀତ। କୋଠାବାଡି ବିଭାଗର ବଡ ଅଫିସର ହିସାବରେ ଖ୍ଯାତ। ଚାକିରିକାଳ ଭିତରେ ଦରମା ବାଦ୍ ଅଦରମା ଜନିତ ଧନପ୍ରାପ୍ତି ବେଶ୍ ସୁଚାରୁ ରୂପେ କରି, କେଇ ଖଣ୍ଡ କୋଠାବାଡି ସହ ଗାଡିଘୋଡା ବି ଅର୍ଜନ କରିସାରିଛନ୍ତି। ସେମିତି କିଛିି ଦାୟୀତ୍ବ ବାକି ନ ଥିଲା। ଏକ ମାତ୍ର ଦାନ୍ତୁରୀ, ଶଶକ ବଦନୀ, ଶ୍ଯାମାଙ୍ଗୀ କନ୍ଯାକୁ ମୋଟାଅଙ୍କର ଯୌତୁକ ଦେଇ ଜନୈକ ସରକାରୀ ବାବୁଙ୍କ ହସ୍ତବନ୍ଧନରେ ବାନ୍ଧି ସାରିଛନ୍ତି। ଦିନ ଥିଲା ସେ ପଇସା ପଛରେ ଗୋଡଉ ଥିଲେ, କିନ୍ତୁ ଏବେ ପଇସା ତାଙ୍କ ପଛେ ଗୋଡଉଛି। କିନଷ୍ଠ ଯନ୍ତ୍ରୀ, ଠିକାଦାର, ସିମେଣ୍ଟ ବାଲା ଇତ୍ଯାଦିଙ୍କ କୃପାରୁ ଲକ୍ଷ୍ମୀଙ୍କ ଦୃଷ୍ଟି ବରାବର ଲାଗି ରହିଛି। ସବୁ ତ ହେଲା, କିନ୍ତୁ ବିଚରା ରାମ ବାବୁଙ୍କର କବି ହେବାର ଓରମାନ ଟା ନ ମେଣ୍ଟିଲେ ଜୀବନ ବରବାଦ ଜାଣ।
ତହିଁ ଆରଦିନ ସକାଳୁ କାଗଜ ଖଣ୍ଡେ ଧରି କଣ ସବୁ ଗାରେଇବାରେ ସେ ଲାଗିଗଲେ। ମନରେ କଣ ଗୋଟେ ଭାବ ଆଣିବେ ସେ ବିଷୟରେ ନିମଗ୍ନ ଥିଲା ବେଳେ ପତ୍ନୀ ବେଲଣା ଦେବୀଙ୍କ କର୍କଶିଆ କଣ୍ଠର ଡାକ ସବୁକିଛି ଚୁରମାର କରିଦେଲା। କ୍ଷୀର ନ ଆଣିଲେ ଚାହା ମିଳିବନି ବୋଲି କହି ମହୁମାଛି ବିନ୍ଧା ମୁହଁ କରି ଶ୍ରୀମତି ରୋଷେଇ ଘରେ ପଶିଲେ। କିଛି କ୍ଷଣ ଭାବନା ରାଜ୍ଯରେ ବୁଡି ରହିଲେ ଆମ କବି ମହାଶୟ। “ଘରେ କ୍ଷୀର ନାହିଁ” ବିଷୟ କୁ ନେଇ ମନେମନେ ଗୀତ ରଚନା କରିବାରେ ଲାଗିଗଲେ।
ଚିନ୍ତା ନାହିଁ ଯଦି ସରିଲା କ୍ଷୀର
ନାଲି ଚାହା ଟିକେ ତିଆରି କର ।।
ସେଇ ଦୁଇ ଧାଡି କାଗଜରେ ଲେଖି ଅତ୍ଯନ୍ତ ଉତ୍ସାହିତ ହୋଇ ପତ୍ନୀଙ୍କୁ ଶୁଣାଇବାକୁ ଦଉଡି ଗଲେ। ରୋଷେଇ ଘର ଦରଜା ପାଖରୁ, ସ୍ବରଚିତ ଗୀତଟି ଗାଇ ଭିତରକୁ ପଶିବାକୁ ଉଦ୍ଯତ ହୁଅନ୍ତେ, ପ୍ରାଣପ୍ରିୟାଙ୍କର ଭୟଙ୍କର ହୁଙ୍କାର ନାଦରେ ହାତରୁ କାଗଜ ଖସେଇ ଦେକାନ କୁ ଦଉଡିଲେ। କେଜାଣି କାହିଁକି ସାରା ଦୁନିଆଟା ସଙ୍ଗୀତମୟ ଲାଗୁଛି। ଆଖି ଯୁଆଡେ ଯାଉଛି ଖାଲି ଗୀତ ଦିଶୁଛି। କାହିଁ କେତେ ଦିନ ରୁ ଭଙ୍ଗା କୂଅ ଭିତରେ ଥିବା ଡାହାଣୀ ଯେମିତି ସୁଯୋଗ ପାଇଲେ ସବାର ହୋଇଯାଏ, ସେମିତି ଭାବରେ ରାମଙ୍କ ଉପରେ କବିତା ସବାର ହୋଇଯାଇଥିଲା। ଘରେ ଗୀତ ଦୁଇ ପଦ ଶୁଣେଇ ତ ଅବସ୍ଥା ଯାହା ହେଲା, ଦୋକାନରେ ଟିକେ କଳା ଦେଖେଇବେ ବୋଲି ବିଚାର କଲେ। ଦୋକାନୀକୁ ଗୀତ ଗାଇ କହିଲେ-
କେତେ କଷ୍ଟକରି ବିକୁଛ କ୍ଷୀର
ଚାରି ପା କ୍ଷୀରରେ ଦୁଇ ପା ନୀର।।
ଏତେ ବଡ ଅଫିସରଙ୍କ ମୁହଁରୁ ଗୀତ ଶୁଣି ଦୋକାନୀ ଟା ଗଦଗଦ ହୋଇ କହିଲା
---- ଯାହା କହିଲେ ଆଜ୍ଞା ପୁରା ଠିକ୍। ଏମିତି କବିତା ମୁଁ ମୋ ଚଉଦ ପୁରୁଷରେ ଶୁଣିନି। ଯେଉଁ ମରମ କଥା କହିଲେ ଶୁଣି ଆତ୍ମା ଖୁସି ହୋଇଗଲା। ରାମବାବୁ ତାଙ୍କ କବିତାର ସଚ୍ଚା ପ୍ରଶଂସକ ପାଇ କୁଲୁକୁଲୁ ହୋଇ ଉଠିଲେ। କୋଡିଏ ଟଙ୍କା ଯାଗାରେ ଶହେ ଟଙ୍କିଆ ନୋଟ୍ ଟେ ବଢେଇ ଦେଇ କହିଲେ – ତୁମ କ୍ଷୀର ପଇସା ରଖ ଓ ମୋ ପରି କବି ର କବିତା ଠିକ୍ ହଜମ କରିପାରିଥିବାରୁ ବାକି ପଇସା ପୁରସ୍କାର ରୂପରେ ରଖ। ଦୋକାନୀର ଦୁଇ ଆଖି ଖୁସିରେ ଟେରା ହୋଇଗଲା। ଏତେ ବଡ ଅଫିସରର ଏପରି ରୂପ ଦେଖି ମନେମନେ ବହେ ହସିଲା। ଆଗାମୀ କାଲି ପାଇଁ ଥୋପ ପକେଇ କହିଲା-- ସାରେ କାଲି ବି ଆସିବେ। ମୁଁ ଅପେକ୍ଷାରେ ଥିବି କବିତା ଶୁଣିବାକୁ।
ଖୁସିରେ ରାମ ବାବୁଙ୍କ ପାଦ ତଳେ ପଡୁ ନ ଥିଲା। ଏତେ ବର୍ଷ ପରେ ବି ତାଙ୍କ ଭିତରେ ଲୁଚି ରହିଥିବା କବିତ୍ବ ଟା ନିର୍ମୂଳି ଲତା ପରି ଅମର ହୋଇରହିଛି। ପତ୍ନୀଙ୍କ ହାତରେ କ୍ଷୀର ପ୍ଯାକେଟ୍ ଟା ସମର୍ପି ଦେଇ ପୁଣି ଟୁକୁରା କାଗଜ ରେ ଗାରେଇବାରେ ଲାଗିଲେ। ଚାହା କପ୍ ଟି ପରଶି ଦେଇ ପୁଣି ଥରେ ଭାବନାରେ କଳା ବିଲେଇ ଚଲେଇ ଦେଲେ ବେଲଣାଦେଇ- -
--ଏ ବେହେଲ ଛାଡ। ତେଣେ ଝିଅ ଖବର ଦେଇଛି ଜ୍ବାଇଁଙ୍କୁ ଧରି ଆସିବ। ପ୍ରଥମାଷ୍ଟମୀଟା ଆଗକୁ ଅଛି। ଦୁଇ ପ୍ରାଣୀଙ୍କୁ ଟିକେ ଭଲମନ୍ଦ ନ ଦେଲେ ଏ ଥର ନିସ୍ତାର ନାହିଁ। ଗଲାଥର ଜ୍ବାଇଁଙ୍କ ସୁନା ଚେନ ଟା ପତଳା ହୋଇଗଲା ବୋଲି ଢେର ଥର ଛିଙ୍କିହେଲେ। ଏଥର ଏମିତି ବଳଦ ମାର୍କା ଚେନଟେ ଦେବ ଯେ ପୁଅର ବେକ ଓହଳି ଯିବ। ଝିଅ ବି କେତେ ଦିନରୁ ହୀରା ହାରଟେ ପାଇଁ ଦିନ କୁ ଦୁଇଥର ସକେଇ ସକେଇ ଫୋନ କରୁଛି । ତା କଥା ଏ ଥର ନ ବୁଝିଲେ ସେ ଆଉ ସମ୍ଭାଳିବା ଅବସ୍ଥାରେ ନାହିଁ। କଣ ଶୁଭୁଛି ନା ନାହିଁ ମ? ସେ କଲମ କାଗଜ ଛାଡି ଘରକଥା କୁ ଧ୍ଯାନ ଦିଅ।
ରାମବାବୁଙ୍କ ମନଟା ଲଙ୍କା ଦହନ ପରି ଜଳି ଉଠିଲା। କେତେ ସୁନ୍ଦର ଭାବନା ଗୁଡା ବେଲଣା ଦେବୀଙ୍କ ପ୍ରହାରରେ ମସ୍ତଷ୍କର ଅଡୁଆ କୋଣରେ ଲୁଚିଗଲେ। ପୁଣି କାହା ଉପରେ ଜାଲ ନ ପକେଇଲେ ଝିଅ ଜ୍ବାଇଁଙ୍କର ଲୁଚାଣିଆ ଦାବୀ ପୂରଣ ହେବାର ଆଶା କ୍ଷୀଣ। ମୁହଁଟାକୁ ଫଣଫଣ କରି ରାମବାବୁ ଘରୁ ବାହାରିଗଲେ। ସ୍ବାମୀଙ୍କର ଏତାଦୃଶ ମୁଖମଣ୍ଡଳ ବେଲଣାଦେଇଙ୍କ ପାଖରେ ସକାଳ ଖରା ପରି ଖୁବ କମ ସମୟରେ ପ୍ରଭାବହୀନ ହୋଇଯାଏ। ବିଭାଘରର ଏତେ ବର୍ଷ ହେଲାଣି ସେ ରାମ ବାବୁଙ୍କର ପଇସା ରୋଜଗାରକୁ ଛାଡି ଅନ୍ଯ କେଉଁ ଭାବ ପ୍ରତି ଗୁରୁତ୍ବ ଦେଲା ପରି ହେଜ ହେଉନି।
ଅଫିସ ଭିତରେ ପଶୁପଶୁ ମଦନା ଠିକାଦାରକୁ ଡକେଇ ବେଲଣା ଦେଇଙ୍କର ଦାବୀ ଗୁଡାକ ବଖାଣି ଦେଇ, ପୁଣି କାଗଜ କଲମ ଧରି ବସିଗଲେ। ମଦନା ବି ଓର ଉଣ୍ଡୁଥିଲା କେମିତି କଣ ଦେଇ ବିଲ୍ ଟା ପାସ୍ କରେଇ ଦେବ। ଲାକ୍ଷାଧିକ ଟଙ୍କାର କଥା। କେରାଣ୍ଡି ଦେଇ ରୋହି ମାରିବାରେ କ୍ଷତି ନାହିଁ ଜାଣି, ରାମବାବୁଙ୍କର ଦାବୀ ଗୁଡା ଯଥାଶିଘ୍ର ପୁରଣ କରିବାର ପ୍ରତିଶୃ ତି ଦେଇ ଅଫିସ ଛାଡିଲା। ଚପରାଶୀ କଫି କପ୍ ଟି ଟେବୁଲ ରେ ରଖି ହାକିମଙ୍କ ନୂଆ ଅବତାର ଆଖି ଫାଡି ଦେଖିଲା। କିଛି ପଚାରିବା ଆଗରୁ ରାମବାବୁଙ୍କର ନୂତନ ଭାବ ଉଦ୍ରେକ ହେଲା।
ରଖି ଦିଅ ହରି କଫି କପ୍ ଟି
ଦେଖୁଛ କାହିଁକି ଆଖି ତରାଟି।।
ଗାଁଆ ରାମଲୀଳା ରେ ହନୁମାନ ପାର୍ଟ କରିଥିବା ଚପରାଶୀ ମହାଧୂର୍ତ୍ତ ଥିଲା। ଉଡିଗଲା ଚଢେଇର ପର ଗଣି ଦେବା ଲୋକ। କାଳ ବିଳମ୍ବ ନ କରି ଆଖିରେ କେଇ ବୁନ୍ଦା ନକଲି ଲୁହ ଢଳଢଳ କରି ଗାଇଲା-
ଆମ ହାକିମଙ୍କ କବିତା ଶୁଣି
ଆତ୍ମାରେ ବାଜିଲା ଝାଞ୍ଜ ଖଞ୍ଜଣି
କେତେ ଭାବ କେତେ ମରମ କଥା
ପ୍ରେମେ ନଇଁ ଯାଏ ଅଧିନ ମଥା ।।
ସୁତୁଲି ବାଣରେ ଦିଆସିିଲି ଛୁଏଁଇ ଦେଲେ ଯେମନ୍ତ ଢୋ କରି ଫାଟେ, ସେମନ୍ତ ରାମ ବାବୁଙ୍କ ହୃଦୟରୁ ପ୍ରେମର ବାଣଟା ଅଫିସ ଦୁଲୁକାଇ ଫାଟି ଉଠିଲା। ଏତେ ଦିନ ପରେ ତାଙ୍କ କବିତାର ଜଣେ ସଚ୍ଚା ପ୍ରଶଂସକ ପାଇ ପାଦ ଭୂଇଁରେ ଲାଗୁ ନ ଥିଲା।
--- ହରି ରେ....ତୋତେ କଣ ମୋ କବିତା ଭଲ ଲାଗିଲା।
--- ହଜୁର୍ ଆପଣଙ୍କୁ ସତ ମୋତେ ମିଛ। ଏପରି କବିତା ଶୁଣି ମୋ ଗାଁଆର ରାମଲୀଳା କଥା ମନେ ପଡିଗଲା। ଆପଣଙ୍କ ଭିତରେ ଏତେ ବିରାଟ କବିଟେ ଅଜଗର ସାପ ପରି ଶୋଇଥିଲା ମୁଁ ଜାଣି ନଥିଲି। କଥାର ଅଡୁଆ ସୁତା ରେ ରାମବାବୁଙ୍କୁ ଗୁଡେଇ ପକେଇଲା ଚପରାଶୀ।
ସମୁଦାୟ କଥାରୁ ରାମ ବୁଝିଲେ ଯେ ସେ ଜଣେ ମହାନ କବି ଯାହାଙ୍କ କବିତ୍ବ ମେଘ ଉହାଡରେ ଚନ୍ଦ୍ରମା ପରି ଲୁଚି ରହିଥିଲା। ଏତେ ଦିନ ପରେ ଜାଣିକି ବାଦଲ ଫାଡି ବାହାରିଛି। ସେଇ ପ୍ରଶଂସାର ଛୁଙ୍କ ମାରିମାରି ଚପରାଶୀଟି କିରାଣିଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ବାସଭବନ ଟି ହାସଲ କରିବାରେ ସଫଳ ହେଲା। ହାକିମଙ୍କ ଖାସକମରା ରୁ ବାହାରି ତିନି ଗୋଡିଆ କାଷ୍ଠାସନରେ ବସି ଢେର ସମୟ ଯାଏ ହସିଲା।
ଘରକୁ ଫେରିଲା ବେଳେ ବହି ଦୋକାନରୁ ଓଡିଶାର ଯୋଗଜନ୍ମା କବି ମାନଙ୍କର କବିତା ବହି କିଣି ରାମବାବୁ ଘର ଆଡେ ମୁହେଁଇଲେ। ପାଖାପାଖି ଦୁଇହଜାର ଟଙ୍କାର ବହି ମୋଟା ମାଟି କାଗଜ ଭିତରେ ଥାକ ମରା ହୋଇ ସଜା ହୋଇଥିଲେ। ବେଲଣା ଦେଇ ଭାବିଲେ ତାଙ୍କ ପାଇଁ କିଛି ଉପହାର ଆସିଥିବ। ସେଇ ଖୁସିରେ ଗାଢ କ୍ଷୀରରେ ସରପକା କଫି କପ୍ ଧରି ମନ୍ଦମନ୍ଦ ହସି ରାମବାବୁଙ୍କ ଆଗରେ ବସିଲେ।
ନିଜ ଆଡୁ କହିଲେ ଯେ, - – - କଣ ପାଇଁ ଏ ଉପହାର ଆଣିଲ। ସବୁ ଜିନିଷ ତ ଅଛି। ପୁଣି କଣ ଦରକାର ଥିଲା।
ଗାଡିଟି ଭୁଲ ବାଟ ଧରିଲାଣି ଜାଣିବା ପରେ ବି ରାମବାବୁଙ୍କ ଚଞ୍ଚୁ ଖୋଲୁ ନ ଥିଲା। ବେଲଣା ଦେଇଙ୍କ ଆଶା ନିରାଶାରେ ପରିବର୍ତ୍ତିତ ହେଲେ ରାମ ବାବୁ ଯେ ରୁଟି ବେଲିଲା ପରି ବେଲି ହୋଇଯିବେ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ତଥାପି ଛେପ ଢୋକି କହିଲେ-
– ବହି ଦୋକାନ କୁ ଯାଇଥିଲି। କିଛି କବିତା ବହି ଆଣି ଆସିଛି। ତୁମର କଣ ଦରକାର ଅଛି କହୁନ? ସାଙ୍ଗେସାଙ୍ଗେ ଆଣି ଦେବି।
ମୁହଁରୁ କଥା ସରିଛି କି ନାହିଁ ମେଜ ଉପରେ ଥୁଆ ଯାଇଥିବା କଫି କପ୍ ଟି ଶୂନ୍ଯ କୁ ଉଠିଗଲା ଓ ହୃଦୟକମ୍ପନକାରୀ ଶବ୍ଦ କରି ବେଲଣାଦେଇ ସେଠାରୁ ଚାଲଗଲେ। ତେଣେ ଶୋଇବା ଘରୁ କେତେ ଜାତି କାନ୍ଦଣାର ସୁଅ ଭାସି ଆସିଲା। ଲହରେଇ, ଦୋହରେଇ, କମ୍ପେଇ, ଧକେଇ ଯେତେ ପ୍ରକାର କାନ୍ଦ ଜାଣିଥିଲେ ସବୁ ପ୍ରକାରେ କାନ୍ଦି ପକେଇଲେ। ପନ୍ଦର ମିନିଟ୍ ଯାଇଛି କି ନାହିଁ ଦୁମ୍ ଦୁମ୍ କରି ବୈଠକଖାନା କୁ ମାଡି ଆସିଲେ। ରାମବାବୁ ନିଶ୍ଚିତ ଥିଲେ ଯେ, କାଲି ସକାଳେ ଅଫିସ୍ ଗଲା ବେଳେ ମୁଣ୍ଡରେ କେନ୍ଦୁ ସଦୃଶ ମାଂସ ପିଣ୍ଡୁଳାଟିଏ ଜନ୍ମ ନେଇଥିବ ବେଲଣାଦେଇଙ୍କ କ୍ରୋଧର ସନ୍ତକ ରୂପେ। ତେଣୁ ସେ ମୁଣ୍ଡରେ ହାତ ଦୁଇଟି ଘୋଡାଇ ବସିଲେ। କିନ୍ତୁ ବାତ୍ଯା ତାର ଗତିପଥ ପରିବର୍ତ୍ତନ କରିନେଲା ଓ ବେଲଣାଦେଇ ଟେଲିଭିଜନ ପରଦାଖୋଲି ଶାଶୁବୋହୁ ଧାରାବାହିକ ଦେଖିବାରେ ନିମଗ୍ନ ହେଲେ। ଏତିକି କ୍ଷଣରେ ସେ କାନ୍ଦ କୁଆଡେ ଚାଲିଗଲା ତାର ଟେର ମିଳିବା କଷ୍ଟ ଥିଲା। ପୁଣି ଲୁଚିଥିବା କବି ଟି ମୁଣ୍ଡ ଟେକିଲା। ଧିର ସ୍ବରରେ ମୁହଁରୁ ବାହାରି ଆସିଲା--
ଆହା କି ନିର୍ଦ୍ଦୟୀ ରାକ୍ଷାସୀ ନାରୀ,
କାହିଁ ଦେଲୁ ମୋର ହୃ ଦୟ ଚିରି।।
ସେଦିନ ରାତିରେ ପାଣିପିଇ ଶୋଇବାକୁ ହେଲା। ରୋଷେଇ ଘରେ ଚଟୁ,ଡଙ୍କି ମାନେ ଆନନ୍ଦରେ ଘୁଙ୍ଗୁଡି ମାରିଲା ବେଳକୁ ରାମବାବୁଙ୍କ ପେଟରେ ମୂଷା ମାନେ ଘୋଡା ଦଉଡ ଆରମ୍ଭ କରିଦେଇଥିଲେ। ସଂନ୍ଧ୍ଯା ବେଳର ଘଟଣାକ୍ରମକୁ ମନେ ପକେଇ ସେ ଜାଣି ସାରିଥିଲେ ଯେ, ଏବେ ଖାଇବାକୁ ମାଗିଲେ କେବଳ ବୋପା ଅଜାଙ୍କର ଚରିତ୍ର ସଂହାର ରୂପକ ଗଞ୍ଜଣା ଛଡା କିଛି ମିଳିବ ନାହିଁ।
ରାମବାବୁ ଜାଣି ସାରିଥିଲେ ତାଙ୍କ ସାହିତ୍ଯ ସାଧନା ପାଇଁ ଘର ଉପଯୁକ୍ତ ସ୍ଥାନ ନୁହେଁ । ଅନ୍ଯକିଛି ବ୍ଯବସ୍ଥା କରିବାକୁ ହେବ। ତା ପର ଦିନ ସକାଳୁ ଝିଅ, ଜ୍ବାଇଁଙ୍କୁ ଦେଖି ମନରେ ଟିକେ ସାହାସ ଆସିଲା। ଅନ୍ତତଃ ପକ୍ଷେ ମାଆ, ଝିଅ ପରଛିଦ୍ର ଗାନରେ ମଗ୍ନ ରହିବେ ଓ ଜ୍ବାଇଁଟି ଜୁଳୁଜୁଳୁ କରି ଟେଲିଭିଜନ୍ ଆଗରେ ବସିଥିବ। ତାକୁ ଭିଡି ନେଇ, ତା ଆଗରେ କବିତା ଗୁଡିକ ଭକଭକ ବାନ୍ତି କରିଦେଲେ କିଛି ଆପତ୍ତି ନାହିଁ।
ସେଇଆ ହେଲା। ଅଫିସ୍ ଘରେ ଦୁଇଟି ଚଉକି ମୁହାଁମୁହିଁ ପଡିଲା। ଶ୍ବଶୁର ଜ୍ବାଇଁଙ୍କୁ ସେଇ ନିଭୃତ କୋଠରୀରେ କିଛି ଗୋଟେ ଗମ୍ଭୀର ଆଲୋଚନାରେ ବ୍ଯସ୍ତ ରହିବା ଦେଖାଗଲା। ଜ୍ବାଇଁ ମହାଶୟ ଦୁଇ ତିନି ଟି କବିତା ଶୁଣି ମୁଣ୍ଡ କୁଣ୍ଡେଇବା ଆରମ୍ଭ କଲେ। ରାମ ବାବୁ ଭାବିଲେ ଶ୍ରୋତା ତାଙ୍କର ପାଣ୍ଡିତ୍ବ ଦେଖି ଆଚମ୍ବିତ। କବିତାର ଛନ୍ଦ ଓ ରଚନା ଦେଖି ଜ୍ବାଇଁ ମହାଶୟ ଶ୍ବଶୁରଙ୍କ ଜ୍ଞାନର କୂଳକିନାରା ପାଉ ନାହାଁନ୍ତି। ଏତେ ଦିନରୁ ଏମିତି ଜଣେ ମହାନ ବ୍ଯକ୍ତିଙ୍କ ସାହଚର୍ଯ୍ଯରୁ ବଞ୍ଚିତ ରହିବା କାରଣରୁ ମୁଣ୍ଡ କୁଣ୍ଡେଇ ନିଜର ଦୁର୍ଭାଗ୍ଯ କୁ ସୂଚେଇ ଦେଉଛନ୍ତି।
ରାମବାବୁଙ୍କ ରଚିତ ଝିଟିପିଟିର ଦୁଃଖ, ବୁଢୀଆଣୀ ଜାଲରେ ପ୍ରଜାପତି, ଚମଛଡା କୁକୁରର ଅଭିମାନ, ମଥାର ସିନ୍ଦୁର ଆଣିଲା ବ୍ଯଥା, ଦେଖେଇଲା ଛଇ କାଣି ବିଲେଇ, ବେଲଣା ଦେବୀଙ୍କ ଗଞ୍ଜଣା କଥା, ଗୋଲାପ ଗଛରେ ଫୁଟିଲା ଗେଣ୍ଡୁ ଅନ୍ଯତମ। କବିତା ଶୁଣିଶୁଣି ଜ୍ବାଇଁଙ୍କ ଅବସ୍ଥା ମରୁଭୂମିରେ ବାଟ ହଜିଯାଇଥିବା ବାଟୋଇପରି ହୋଇସାରିଥିଲା। କିଏ ତାଙ୍କୁ ଉଦ୍ଧାର କରିବ ସେଇ ଚିନ୍ତାରେ ସେ ବୁଡି ରହିଲେ। ଆଉ କାନରେ କବିତାର ପଂକ୍ତି ପଶୁ ନ ଥିଲା। ତାଙ୍କୁ ଲାଗୁଥିଲା ବାହାଘର ଦିନରୁ ଆଜି ଯାଏ ଶ୍ବଶୁରଙ୍କ ପକେଟ୍ ଯେତିକି ଉପାୟରେ ଖାଲି କରିଛନ୍ତି, ତାହାର ପ୍ରତିଶୋଧ ଆଜି ରାମବାବୁ ଗଣିଗଣି ନେଉଛନ୍ତି। କାଳେ ଜ୍ବାଇଁ ବୁଝି ନ ପାରିବେ, ସେଥିପାଇଁ କାନ ପାଖକୁ ଲାଗି ଆସି ରାମବାବୁ ପ୍ରତ୍ଯେକ ପଂକ୍ତିର ଅର୍ଥ ପାଞ୍ଜଳ ଭାବରେ ବୁଝେଇବାରେ ହେଳା କରୁ ନ ଥାନ୍ତି। ପିତୃ ସୁଲଭ ପ୍ରେମରେ ଉଦବୁଦ୍ଧ ହୋଇ ମଝିରେ ମଝିରେ ଜ୍ବାଇଁଙ୍କ କାନ୍ଧରେ ଠେସା ଦେଇ କବିତା ର ଅର୍ଥ ବୁଝିଲେ କି ନାହିଁ ସେ ଜିନିଷ ବି ପଚାରି ବୁଝୁଥାଆନ୍ତି।
କଣ ହେଲା କେଜାଣି ହଠାତ୍ ଜ୍ବାଇଁ ମହାଶୟ ଚଉକି ତଳକୁ ପାଟି ଆଁ କରି ଓଲଟି ପଡିଲେ। ହାଁ ହାଁ କରି ଦେଖିଲା ବେଳକୁ ଚେତା ନାହିଁ। ଟେକି ନେଇ ଶେଯରେ ଶୁଏଇ ଦେଲେ ଜ୍ବାଇଁ ମହାଶୟଙ୍କୁ। ରାମ ବାବୁ ଭାବୁଥିଲେ କେତେ ସୁଧାର ପିଲାଟି। କେତେ କବିତା ଶୁଣିଲା ମନ ଦେଇ। କବିତାର ରସ ଏମିତି ଆସ୍ବାଦନ କଲା ଯେ ତା ଆତ୍ମା କବିତାମୟ ହୋଇଗଲା। ଭାବନା ଗୁଡା ନିହାତି ମନରେ ଝଡ ପରି ବୋହି ଯାଇଥିବ। ବାଳୁତ ପିଲା ଟା , ଭାବନା ର ଏ ବେଗ କୁ ସମ୍ଭାଳିବାର ଶକ୍ତି କାହୁଁ ଆଣିବ। ସେଇଥି ପାଇଁ ଅଚେତ ହୋଇଗଲା ବୋଧେ। କାହାକୁ କିଛି ନ କହି ରୋଷେଇ ଘରେ କଣ ଦିଇଟା ପାଟିରେ ପକେଇ, କାଗଜ କଲମ ଧରି ଉପର ବଖରା କୁ ଚାଲିଗଲେ। ରାତି ରେ କିଛି କାଳଜୟୀ କବିତା ରଚନା କଲେ ସକାଳୁ ପୁଣି ଜ୍ବାଇଁ ଙ୍କୁ ଧରି ସାହିତ୍ଯ ଚର୍ଚ୍ଚାରେ ଲାଗିଯିବେ। କାଲି ଅଫିସ୍ ବନ୍ଦ କରିବାକୁ ହେବ। ଏତେ ଦିନ ପରେ ଜଣେ ଶ୍ରୋତା କୁ ହାତଛଡା କରିବା ମୁର୍ଖାମୀ ହେବ।
ତା ପରଦିନ ସକାଳୁ ତଳକୁ ଆସି ଜାଣିଲେ ଜ୍ବାଇଁଙ୍କର କିଛି ଗୋଟେ ଅତି ଜରୁରୀ କାମ ଥିବାରୁ ତାଙ୍କୁ ଯିବାକୁ ହେଲା। ଏକୁଟିଆ ଲୋକ ହଇରାଣ ହେବେ ବୋଲି ଝିଅ ବି ସକାଳୁସକାଳୁ ଜ୍ବାଇଁଙ୍କ ସାଙ୍ଗେ ଚାଲିଗଲା। ଝିଅ ଗଲା ବେଳକୁ କହିଯାଇଛି, ଆର ଥରକୁ ଆସିଲେ ଚେନ୍ ଓ ହୀରା ହାର ନେବ। ରାମବାବୁ ମୁଣ୍ଡ ସାଉଁଳୁ ସାଉଁଳୁ ଭାବିଲେ - ସବୁ ଲୋକ ଯଦି ଏମିତି କାମରେ ବ୍ଯସ୍ତ ରହିବେ ସାହିତ୍ଯ ଚର୍ଚ୍ଚା ହେବ କେମିତି। ଏତେ ଭଲ ଶ୍ରୋତା ଟା ହାତରୁ ଖସିଗଲା। ପୁଣି କାହାକୁ ଗୋଟେ ଯୋଗାଡ କରିବାକୁ ହେବ। ମୁଣ୍ଡ ଭିତରେ କବିତା ଗୁଡାକ କେରାଣ୍ଡି ମାଛ ପରି ଫକଫକ ଡେଉଁଛନ୍ତି । ତାଙ୍କୁ କାଗଜ ରୂପକ ପୋଖରିରେ ଛାଡି ନ ଦେଲେ ନିସ୍ତାର ନାହିଁ। ଅସମୟରେ ଝିଅ ଜ୍ବାଇଁଙ୍କୁ ବିଦାୟ ଦେଇ ଗଭୀର ମର୍ମାହତ ବେଲଣାଦେଇଙ୍କୁ ଦେଖି ରାମବାବୁଙ୍କ ମୁହଁରୁ ଆପଣା ଛାଏଁ ବାହାରି ଆସିଲା
ହାତୀ ଛୁଆ ପରିି ରୂପ ଯାହାର
କଳେହି ଗୁଣରେ ଏକ ନମ୍ବର
ଖାଦ୍ଯ ଠାରୁ ବେଶି ସୁନାରେ ଲୋଭ
ଜୀବନରେ ତାର ଖାଲି ଅଭାବ
ଏପରି ବେଲଣା ଯା ଭାଗ୍ଯେ ଲେଖା
କାହୁଁ ସେ କରିବ ସାହିତ୍ଯ ଚର୍ଚ୍ଚା।
***************************************************************
Subscribe to:
Post Comments (Atom)
No comments:
Post a Comment