Wednesday, June 7, 2017

ନ୍ଯାୟ


ନ୍ଯାୟ
ଅରବିନ୍ଦ ରଥ
କାହାଣିର ନାୟକ ରାମ  ତହସିଲ ଅଫିସର କିରାଣି ଭାବରେ ନୁଆ କାମରେ ଯୋଗ ଦେଇଛି। କଳାରେ ସ୍ବାତକ କରି ସାରିବା ପରେ ଘରର ଆବଶ୍ଯକତା ମେଣ୍ଟାଇବା ପାଇଁ ଚାକିରି ଖଣ୍ଡେ ଖୋଜୁ ଖୋଜୁ ସମ୍ବାଦ ପତ୍ରରେ ଦେଖିଲା କିରାଣି ପଦବୀ ନିମନ୍ତେ ବିଜ୍ଞାପନ।  ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଯୋଗ ଦେଲା ଚାକିରିରେ,  ଏଇ ସହରରେ।  ପାଠ ପଢା ସାଙ୍ଗକୁ ଖେଳକୁଦରେ ବି ଆଗୁଆ ରହେ ସଦାବେଳେ। କିନ୍ତୁ ଭାଗ୍ଯରେ ଥିଲା ଏଇ ଚାକିରି, ତେଣୁ ନିଜର ସବୁ ପାରଦର୍ଶିତାକୁ ଆଢୁଆଳରେ ରଖି, ରାମ ହୋଇଗଲା ତହସିଲ ଅଫିସ ର କିରାଣି। ପ୍ରଥମ ଦିନରୁ କେମିତି ଅଡୁଆ ଲାଗିଲା ତାକୁ। ଯୁଆଡେ ଦେଖିବ ଖାଲି ଟଙ୍କାର ପସରା ମେଲି ହୋଇ ଯାଉଛି। ସବୁ ଦିନ ଦେଖେ ଧନୀ, ଗରିବ ସବୁ କିସମ ର ଲୋକ ଅଫିସ୍ କୁ ଆସନ୍ତି। କିଏ କାକୁତି ମିନତି କରି କାମ ହାସଲ କରେ  ତ କିଏ ଧମକ ଚମକ ଦେଇ। ଯେଉଁ ଉପାୟରେ କାମ ହେଲେ ବି ଆଗ ଦରକାର, ଟଙ୍କା ପ୍ରସାଦର ଚଢାଣ ତା ପରେ ଯାଇ ଯେଉଁ କଥା।
ତା ପାଖ ଟେବୁଲ୍ ରେ ବସନ୍ତି ଗଗନ ବାବୁ। ବୟସ ପାଖାପାଖି ୫୨ ହେବ। ଅର୍ଦ୍ଧାଧିକ କେଶ ଧବଳ ବର୍ଣ୍ଣ ଧାରଣ କରି ସାରିଥାଏ। ମାତ୍ର ମୁହଁରେ ଯୁବ ସୁଲଭ ଫୂର୍ତ୍ତି ସଦାବେଳେ ଭରି ରହିଥାଏ। କଥା କହିବାରେ ବାଟୁଳି ବାଜେନି ତାଙ୍କର। କଳେବଳେ କୌଶଳେ କେମିତି ଲୋକଙ୍କ ଠୁ ପଇସା ଟାଣି ହେବ ତାଙ୍କ ଠାରୁ ଭଲ ଆଉ କେହି ଜାଣିବେନି। ଢେର ବର୍ଷ ଚାକିରି କଲେଣି। ମଝିରେ ଭିଜିଲାନସ୍ ଚଢାଉ ରେ ବି ପଡିଛନ୍ତି। ମାତ୍ର ଗୁଣ ଛାଡିବେ କିପରି। ଯେତେ ଯାହା ହେଲେ ବି କାମ ଦରକାର ମାନେ ଆଗ ଟଙ୍କା ନେବେ ତା  ପରେ ଯାଇ ଯାହା କଥା।  ତାଙ୍କ ଟେବୁଲ ଆଗରେ ସବୁଠୁ ବେଶି ଗହଳି। ରାତି ନଅ ଟା ଯାଏ କାମ କରନ୍ତି। ଘରକୁ ଗଲା ବେଳକୁ ତାଙ୍କ ପ୍ଯଣ୍ଟ  ସାର୍ଟ ପକେଟରେ ଖାଲି ଟଙ୍କାର ବଣ୍ଡଲ। ସବୁ ଦେଖେ ରାମ। ବଡ ବ୍ଯତିବ୍ଯସ୍ତ ହୋଇପଡେ। କଣ ଚାଲିଛି ସବୁ ଏଠି। ସରକାରୀ ଅଫିସରେ ଲାଞ୍ଚ କାରବାର ହେବା କଥା ସେ ଜାଣିଥିଲା, ମାତ୍ର ଏମିତିି ଖୁଲମ୍ ଖୁଲ୍ଲା ହେବା ଟା ସହଜରେ ହଜମଯୋଗ୍ଯ ନୁହଁ ଜମା। ମାତ୍ର ସେ କରିବ କଣ। ଚୁପଚାପ୍ ସବୁ ଦେଖେ।
 ସମୟ ଦେଖି ଯୁଗଳ ବାବୁ ଛିଗୁଲେଇ କୁହନ୍ତି ରାମ କୁ
---- ରାମ ବାବୁ, ସବୁ କରିବ ମାତ୍ର ମୋ ଭାଗରେ ଯେମିତିି ହାତ ନ ଦିଅ। ନ ହେଲେ ବଡ ହଇରାଣରେ ପଡିବ। ଏବେ ନୂଆ ଚାକିରିରେ ଯୋଗ ଦେଇଛ। ଆଗ କାମ ଶିଖ ତାପରେ ପଇସାପତ୍ର କଥା ଆଡେ ମୁଣ୍ଡ ଖେଳେଇବ।
ଏତିକି କଥା ସେ ହସିହସି କୁହନ୍ତି, ମାତ୍ର ରାମ ବୁଝିପାରେ ତାଙ୍କ କଥା ର ଅସଲ ଉଦ୍ଦେଶ୍ଯ। ସେ  ପରୋକ୍ଷରେ ଧମକ ଦିଅନ୍ତି ରାମକୁ।
ଅଫିସ୍ ରେ ସବୁ କିଛି ନୂଆ ଲାଗୁଥିଲା ତାକୁ।  କାମ, ଲୋକ, କାମ କରିବାର ଶୈଳୀ, ବ୍ଯବହାର ଓ ପରିବେଶ ସବୁ କିଛି ନୂଆଥିଲା ତା ପାଇଁ। ଯାହା ହେଲେ ବି ତାକୁ ଏଇ ଅଫିସ୍ ରେ ତିଷ୍ଠିବାକୁ ପଡିବ। ଘରେ ଟଙ୍କା ର ଆବଶ୍ଯକତା ଢେର ବେଶି।  ଘରର ଏକ ମାତ୍ର ସଦସ୍ଯା ତା  ମାଆ  ଏବେ ଶଯ୍ଯାଶାୟୀ। ତାଙ୍କରି ଚିକିତ୍ସା ପାଇଁ ବହୁତ ଟଙ୍କାର ଆବଶ୍ଯକତା ରହିଛି।  ତେଣୁ ଯାହାହେଲେ ବି ତାକୁ କାମ କରିବାକୁ ହେବ। ନିଜର ସଚ୍ଚୋଟତା କୁ ପାଥେୟ କରି ଆଗକୁ ଚାଲିବାକୁ ହେବ।
କିଛିଦିନ ଭିତରେ ବେଶ୍ ଭଲଭାବରେ କାମ ଶିଖିଗଲା ପରେ ସବୁ କିଛି  ଭଲ ଲାଗିବାକୁ ଲାଗିଲା। ସବୁ ଦିନ ବହୁତ ପ୍ରକାରର ଲୋକ ତା ପାଖକୁ ଆସୁଥିଲେ। କିଛି ଲୋକ ତ ଆଗରୁ ବର୍ଷବର୍ଷ ଧରି ଦଉଡିଲା ପରେ ବି କାମ ହେଉ ନ ଥିଲା।  ଆଗେ ରାମ ବୁଝି ପାରେନି ଏତେ ଛୋଟ କାମ ପାଇଁ କଣ ପାଇଁ ଲୋକଙ୍କୁ ବାରମ୍ବାର ଦଉଡାଯାଏ ଅଫିସ ମାନଙ୍କୁ, ମାତ୍ର ସେ ଜାଣି ଗଲାଣି ସବୁ ସେଇ ପଇସାର ଖେଳ। ପଇସା ଦେଲେ କାମ ସାଙ୍ଗେସାଙ୍ଗେ ହେବ ନଚେତ କେବେ ହେବ ଜଣା ନାହିଁ। ବହୁତ କମ ଦିନ ଭିତରେ ରାମ ସେ ଅଞ୍ଚଳରେ ସମସ୍ତଙ୍କର ପ୍ରିୟ ହୋଇଗଲା। କେବେ କାହାଠାରୁ ନୂଆ ପଇସାଟିଏ ମଧ୍ଯ ଗ୍ରହଣ କରିନି ସେ। କାମ ପ୍ରତି ନିଷ୍ଠା ଓ ସଚ୍ଚୋଟତା ଦେଖି ଉପର ଅଫିସର ମଧ୍ଯ ରାମ କୁ  ପ୍ରଶଂସା କରନ୍ତି ସମସ୍ତଙ୍କ ଆଗରେ। ସମସ୍ତଙ୍କ ଅଗୋଚରରେ ନୂତନ ଶତୃ  ତିଆରି କରିଦେଇଥିଲା ରାମ। ଗଗନ ବାବୁ ଯେମିତି ହେଲେ ବି ରାମ କୁ   ସେ ଅଫିସରୁ ବାହାର କରିବାକୁ ଚାହୁଁଥିଲେ। କାରଣ ଲୋକମାନେ ଏବେ ତାଙ୍କ ପାଖକୁ ଆସୁ ନ ଥିଲେ କିଛି ବି କାମ ପାଇଁ।  ଏହି କାରଣରୁ ଆୟ ର ସ୍ରୋତ କ୍ଷୀଣ ହେବାରେ ଲାଗିଥିଲା। ତାଙ୍କ  କ୍ରୋଧ ଏତେ ମାତ୍ରାରେ ବଢି ଯାଇଥିଲା ଯେ ସେ ବାଟଘାଟରେ ରାମ ବିଷୟରେ ବିଷୋଦ୍ ଗାର କରିବାରେ ପଛଘୁଞ୍ଚା ଦେଉ ନ ଥିଲେ।
ଦିନେ ରାମ ନିଜ ଟେବୁଲ୍ ରେ ବସି କାମରେ ବ୍ଯସ୍ତ ଥାଏ। ଗଗନ ବାବୁ ଝଡ ପରି ତା ପାଖକୁ ଆସି ଅଶ୍ରାବ୍ଯ ଭାଷାରେ ଗାଳି ଦେବାକୁ ଆରମ୍ଭ କଲେ। ସେ ହଠାତ୍ କିଛି ବୁଝି ପାରିଲାନି। କଣ ହୋଇଛି ବୋଲି ପଚାରିବାରୁ ଗଗନ ବାବୁ ତା ଗାଲକୁ ଦେଲେ ଏକ ଶକ୍ତ ଚାପୁଡା। କ୍ରୋଧ ଓ ଅପମାନରେ ରାମ ର ମୁହଁ ଲାଲ୍ ପଡିଗଲା। ଆଖିରେ ଲୁହ ଜକେଇ ଆସିଲା। ତା  ମନ ହେଉଥିଲା ଗଗନ ବାବୁ କୁ ସେଇ ଯାଗାରେ ଲୁଗା କାଚିଲା ପରି କାଚି ଦେବାକୁ। ମାତ୍ର ନିଜକୁ ସଞ୍ଜତ କରିନେଲା। ପୁଣି ଥରେ ପଚାରିଲା
---ଗଗନ ବାବୁ ମୁଁ ପଚାରୁଛି କଣ ହେଲା ବୋଲି।
–-----ଛେନାଗୁଡ ହେଲା। ତୁ ଶଳା କାଲିକା ପିଲା ବେଶି ଠାଣି ଦେଖଇଛୁ ନାହିଁ ? ଭାରି ନ୍ଯାୟବନ୍ତ ଦେଖେଇ ହଉଛୁ। ତୋତେ ଆଗରୁ କହିଥିିଲି ମୋ ଭାଗରେ କେବେ ହାତ ଦେବୁନି। କଣ ପାଇଁ ସେ ବୁଢି ଲୋକର କାମ କରିଦେଲୁ। ସେ ବୁଢି ମୋତେ ସୁନା ଚେନ ଟେ ଦେବ ବୋଲି କହିଥିଲା। ଆଜି ପଚାରିଲା ବେଳକୁ କହୁଛି ରାମ ବାବୁ ମୋ କାମ କରିଦେଲେ, ତୋତେ କଣ ପାଇଁ ମୁଁ କିଛି ଦେବି। ତୁ ଏ ଗଗନ ଛୋଟରାୟ କୁ ଜାଣିନୁ। ମୁଣ୍ଡଗଣ୍ଡି ଅଲଗା କରି ନଦୀରେ ଫିଙ୍ଗିଦେବି। କୋଉ ବୋପା ତୋ ପିଠିରେ ପଡିବ ଦେଖିବି।
ଏତିକି କହି ଟେବୁଲ ଉପରେ ହାତ ବାଡେଇ ସେ ଜାଗାରୁ ଚାଲିଗଲା ଗଗନ ବାବୁ। ଟେବୁଲରେ ଲଥ୍ କରି ବସିଗଲା ରାମ। କଣ ସବୁ ହେଇଗଲା। ସେ ଜାଣି ପାରିଲା ଘଟଣା ର ସୂତ୍ରପାତ କିପରି ହୋଇଛି। ଗୋଟିଏ ନିତାନ୍ତ ଗରିିବ ବୁଢି ନିଜ ଜମିର ପଟ୍ଟା ପାଇଁ ବହୁତ ଥର ଗଗନ କୁ ଦେଖା କଲା। ମାତ୍ର ଗଗନ କହିଲା ସୁନାଚେନ ଦେଲେ ପଟ୍ଟା ମିଳିବ ନୋହିଲେ ନାହିଁ। ଏ କଥା ଉପର ଅଫିସରଙ୍କ ନଜର କୁ ଆଣିଲା ସେ ବୁଢି। ତେଣୁ ରାମ କୁ ସେ ଫାଇଲ କଥା ବୁଝିବାକୁ ଆଦେଶ ହେଲା। ଦୁଇ ଦିନ ଭିତରେ ସେ କାମ ହୋଇଗଲା। ସେଇ ଘଟଣାରେ ଭୀଷଣ ଭାବେ ରାଗି ଗଲା ଗଗନ। କାରଣ ତା ହାତରୁ ସୁନା ଚେନ୍ ଟେ ଖସିଗଲା।
ଅଫିସର ଜଣେ ସହକର୍ମୀ ରାମ ପିଠି ଥାପୁଡାଇ କହିଲେ
----ମନ ଉଣା କର ନାହିଁ ରାମ। ସେ ଲୋକଟା ନିହାତି ବାଜେ ପ୍ରକୃତିର। ପଇସା ପାଇଁ ସେ କିଛି ବି କରି ପାରେ। କୋଉ ମନ୍ତ୍ରୀର ପାଖ ଲୋକ ବୋଲି ଅଫିସ୍ କୁ ନିଜ ଆଙ୍ଗୁଠିରେ ନଚଉଛି। ଅଫିସର ବି ତା ସହ ଶତ ତା କରିବାର ସାହାସ କରୁ ନାହାଁନ୍ତି। ନ ହେଲେ ମାଲକାନଗିରି ବଦଳି ହୋଇଯିବାର ଭୟ ଅଛି। ସେ ଯାହା ଟଙ୍କା ରୋଜଗାର କରେ ତାର ଭାଗ ମନ୍ତ୍ରୀ ପାଖ କୁ ବି ଯାଏ। ତେଣୁ କେହି ତାର କିଛି କରି ପାରନ୍ତନି। ସେଇ କାରଣ ରୁ ଏତେ ଦିନ ହେଲା ତାକୁ ବଦଳି କରିବାର ସାହାସ କାହାର ବି ନାହିଁ। ପଇସା ପକେଇ ଭିଜିଲାନସ୍ କେଶରୁ ବି ଖଲାସ ହୋଇଗଲା। ତା ପର ଠାରୁ ଆହୁରି ଅଭଦ୍ର ହୋଇ ଯାଇଛି। ଆମର କଣ ଦରକାର ତା ସହ ଲାଗିବା। ପେଟ ପାଇଁ ଚାକିରି କରିଛେ। ଯାହା ହେଲେ ବି ସହିବାକୁ ହେବ।
ରାମ ଧିର ସ୍ବରରେ କହିଲା। ହଁ ଠିକ୍ କଥା। ମାତ୍ର ସେ ଶାସ୍ତି ପାଇବ ନିହାତି । ଆମେ ନ ହେଲେ ବି ଉପରବାଲା ତା କଥା ନିହାତି ବୁଝିବ।
ସେଦିନ ଅଫିସରେ ପଶିଲା ବେଳକୁ ରାମ ଦେଖିଲା ଗଗନ ଜଣେ ବୁଢା ଲୋକ କୁ ଚପଲ ଖୋଲି ପିଟୁଛି। ଲୋକ ଟି କଷ୍ଟରେ ଚିତ୍କାର କରୁଛି, ମାତ୍ର କେହି ଜଣେ ବି ତାକୁ ଉଦ୍ଧାର କରୁ ନାହାନ୍ତି। ଗଗନ କହୁଛି
---ପୋଲିସରେ କହିବୁ ନାଇଁ, ତୋର ଏତେ ସାହାସ। ଦେଖିବା ତୋ କାମ କେମିତି ହବ। ଏ ଅଫିସର ସର୍ବେସର୍ବା ମୁଁ। ମୋ ବିନା ପତ୍ର ବି ହଲିବନି। ଯୋଉ ପୋଲିସ ଆଗରେ ଆପତ୍ତି କଲୁ, ସେ ମୋତେ ନିଜେ ଫୋନ କରି କହିଲା। ଏବେ ଯା, କାହା ପାଖ କୁ ଯିବୁ। ଭଗବାନ କହିଲେ ବି ତୋ କାମ ହବନି।
ବୁଢା ଟି କାନ୍ଦିକାନ୍ଦି କହୁଥାଏ
-----ବାବୁ ମୋ କାମ ଟି କରି ଦିଅ ଯାହା କହିବ ଦେବି। ମୋ ଜମି କୁ ପାଖ ଲୋକ ମଡେଇ ନେଇଛି। ଆପଣ କିଛି ନ କଲେ ମୋ ଶେଷ ସମ୍ପତ୍ତି ଖଣ୍ଡକ ବି ଚାଲିଯିବ। ମୋତେ ମୁଣ୍ଡ ଗୁଞ୍ଜିବାକୁ ବି ଯାଗା ମିଳିବନି। ଏତେ ନିଷ୍ଠୁର ହୁଅନି ବାବୁ। ଭଗବାନଙ୍କୁ ଭୟ କର।
-----ଆବେ ଯା ପଳା ଏଠୁ। କହିଲା କଣ ନା ଭଗବାନ......ଆବେ ମୁଁ ନିଜେ ଭଗବାନ। ମୋର କେହି କିଛି କରିପାରିବେନି। ପଳା ଏଠୁ ନୋହିଲେ ଜୋତା ଖୋଲି ବାଡେଇବି।ଗଗନ ଚିତ୍କାର କରି କହିଲା।
ବୁଢା ଲୋକ ଟି ନିଜ ଗଣ୍ଠିଲି ଉଠାଇ ଆକାଶ ଆଡେ ଚାହିଁ କହିଲା
---ଏବେ ତୁ ବିଚାର କର। ଯଦି ତୁ ପ୍ରକୃତରେ ଥିବୁ ମୋ ଡାକ ନିହାତି ଶୁଣିବୁ।
ଲୋକ ଟି ଅଫିସରୁ ବାହାରିଗଲା। ଗଗନ ସମସ୍ତଙ୍କୁ ଚାହିଁ କହିଲା ଆବେ ନିଜ କାମ କର, କଣ ତାମସା ଦେଖୁଛ ନା କଣ?
ଘଟଣା ଟି ଭୀଷଣ ବ୍ଯଥିତ କଲା ରାମ କୁ। ବୁଢା ଲୋକ ଟିର ଲୁହ ଛଳଛଳ ଆଖି ରେ କେବଳ ଅଭିଶାପ ହିଁ ଥିଲା।
ହଠାତ୍ ବାହାରେ ଭୀଷଣ କୋଳାହଳ ଶୁଭିଲା। ବାହାରକୁ ଦଉଡି ଗଲେ ସମସ୍ତେ। ଦେଖିଲା ବେଳକୁ ବୁଢା ଲୋକଟି ବାରଣ୍ଡାରେ ଚିତ୍ ହୋଇ ପଡିଛି। ପାଟିରୁ ଫେଣ ବାହାରୁଛି। ବିଷ ପିଇ ଦେଇଛି  ବୋଧେ। ଗଗନ ବି ଗଲା ଦେଖିଲା ସେ ଲୋକ କୁ। ମାତ୍ର କୌଣସି ପ୍ରତିକ୍ରିୟା ନ ଥିଲା ତା ମୁହଁରେ। ଆମ୍ବୁଲାନସ ଆସିବା ଆଗରୁ ଲୋକଟିର ପ୍ରାଣବାୟୁ ଉଡି ସାରିଥିଲା। ସବୁ ଜାଣିଥିଲେ ଯେ ଲୋକ ଟିର ମୃ ତ୍ଯୁ ପାଇଁ କେବଳ ଗଗନ ହିଁ ଦାୟୀ। ମାତ୍ର ଗଗନ କହିଲା
---- ଆରେ ଦେଖୁଛ କଣ? ସବୁ ଦିନ ଲକ୍ଷେ ଲୋକ ମରୁଥିବେ ଏମିତି ବିଷ ପିଇ। ବଞ୍ଚି ପାରିଲାନି...... ମରିଗଲା। କଣ ହେଲା ସେଠୁ। ଦୁନିଆ ଧ୍ବଂସ ହୋଇଗଲା ନା କଣ?
ସେଦିନ ପରଠାରୁ ରାମ ମନରେ ଗଗନ ପ୍ରତି ଭୀଷଣ ଘୃଣା  ଭରିଗଲା। ସେ ତାକୁ ଦେଖିବା ପାଇଁ ମଧ୍ଯ ଚାହିଁଲାନି। ତା ମନରେ ଖାଲି ଗୋଟିଏ ପ୍ରଶ୍ନ ବାରବାର ଆସୁଥାଏ। ସତରେ କଣ ଭଗବାନଙ୍କ ସତ୍ତା ଅଛି। ଯଦି ଅଛି ତେବେ ଗଗନ ପରି ଲୋକ ମାନେ କେମିତି ଏତେ ଅନ୍ଯାୟ, ଅନୀତି କରି  ଅୟସରେ ବଞ୍ଚୁଛନ୍ତି।ତା କାନରେ ବାରମ୍ବାର ଗୁଞ୍ଜରିତ ହେଉଥିଲା   ବୁଢା ଲୋକଟିର ଶେଷ କଥା
---ଏବେ ତୁ ବିଚାର କର। ଯଦି ତୁ ପ୍ରକୃ ତରେ ଥିବୁ ମୋ ଡାକ ନିହାତି ଶୁଣିବୁ।
ଦିନ ପରେ ଦିନ ବିତି ଚାଲିଲା। ରାମ ଏବେ ଅଫିସ ର କାମରେ ପାରଙ୍ଗମ ହୋଇଗଲା। ଗଗନ ସହ ଏତେ ବେଶି କଥାବାର୍ତ୍ତା ହେବାର ଆବଶ୍ଯକତା ପଡେନି କେବେ। ନିଜ ଜୀବନ କୁ ନେଇ ସେ ବେଶ୍ ସନ୍ତୁଷ୍ଟ ଥିଲା । ଦରମା ପଇସାରେ ଘର ଚଳାଇବା ସହ ମାଆଙ୍କ ଦେହର ଯତ୍ନ ବି ନେଇପାରୁଥିଲା । ଅଫିସରେ ନୂଆ କରି ଯୋଗ ଦେଇଥିବା ଅଫିସର ରାମକୁ ଅଧିକ ଗୁରୁତ୍ବ ଦେଉଥିଲେ। ସେ ଜାଣି ପାରିଥିଲେ ଯେ ରାମ ଭିତରେ ଜଣେ ବଡ ଅଫିସର ହେବାର ସମସ୍ତ ଯୋଗ୍ଯତା ଅଛି। ଜ୍ଞାନ ସାଙ୍ଗକୁ ଅଭିଜ୍ଞତା ମଧ୍ଯ ଅଛି। ତେଣୁ ସେ ରାମକୁ ସିଭିଲ ସର୍ଭିସ ପରୀକ୍ଷା ଦେବା ପାଇଁ  କହୁଥିଲେ।  ଅଫିସରଙ୍କ କଥା ଅନୁସାରେ ରାମ ମନ ଦେଇ ପଢାପଢି କଲା। ଦିନରେ ଅଫିସରେ କାମ ସୁଚାରୁ ରୂପେ କରି ସାରିବା ପରେ ସାରା ରାତି ବସି ପରୀକ୍ଷା ପାଇଁ  ନିଜକୁ ପ୍ରସ୍ତୁତ କରେ। ଚାହୁଁଚାହୁଁ ପରୀକ୍ଷା ଦିନ ଆସି ପହଞ୍ଚିଲା। ନିଜ ପରିଶ୍ରମ ଓ ଭାଗ୍ଯ ବଳରେ ରାମ ଭାରତୀୟ ପ୍ରଶାସନିକ ସେବା ପାଇଁ ହେଉଥିବା ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲା। ବଣରେ ନିଆଁ ବ୍ଯାପିବା ପରି କଥା ଟି ଚାରିଆଡେ ପ୍ରଚାରିତ ହୋଇଗଲା। ଶୁଭେଚ୍ଛାର ସୁଅ ଛୁଟି ଆସୁଥିଲା। ମାତ୍ର ରାମ ନିଜକୁ ବ୍ଯବସ୍ଥିତ କରି ରଖିଥାଏ। ମୌଖିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ହିଁ  ସେ କିଛି ପାଇବାର ଖୁସି  ମନେଇବ ସେଇ କଥା ଭାବୁଥାଏ।
ସେଦିନ ନିଜ ଅଫିସରଙ୍କୁ ଦେଖା କରିବାକୁ ଗଲା ବେଳେ ଅଫିସରେ ଗଗନ ତାକୁ ଛିଗୁଲେଇ କହିଲା
----- ବାବୁ ରାମ , ଆଉ ସ୍ବପ୍ନ ଦେଖନି। ଆକାଶରୁ ତଳକୁ ଖସି ଆସ। ତୁମ ଭାଗ୍ଯରେ ଏଇ କିରାଣି ଚଉକି ଲେଖା। ଆଇ ଏ ସ୍ ହେବାର ଯୋଗ୍ଯତା ତୁମର ନାହିଁ। ବାହୁତ ଲୋକଙ୍କୁ ଦେଖିଛି , ମୌଖିକ ପରୀକ୍ଷାରେ ମୁହଁ ମାଡି ପଡିବାର। ୟାଙ୍କୁ ଦେଖ, ୟାଙ୍କ ରୂପ ଭେକ ଦେଖ..........ଇଏ  କୁଆଡେ ଆଇ ଏ ସ ହେବେ। ଥୁଃ …...
ନିଜକୁ ଯଥା ସମ୍ଭବ ସଞ୍ଜତ କରି ରାମ କହିଲା
---ଧନ୍ଯବାଦ ଗଗନ ବାବୁ, ଆପଣଙ୍କ ଶୁଭେଚ୍ଛା ପାଇଁ।
ଗଗନ ଚିଡି ଯାଇ କହିଲା
–--ଶଳା ଅଲାଜୁକ ଟା ନା କଣ ମ? ଆବେ ତୋରେ ଶୁଭେଚ୍ଛା ଦେଉନି ଥଟ୍ଟା କରୁଛି। ତୁ ଯଦି କଲେକ୍ଟର କି ଏସ ପି ହେଇ ଯିବୁ, ଆମ ଅଫିସ  ର ମେହେନ୍ତର ବି ରାଷ୍ଟ୍ରପତି ହୋଇଯିବ।
ସେତିକି ବେଳକୁ ରାମର ଅଫିସର ଆସିଲେ ଓ ସମ୍ମାନ ର ସହ ରାମ କୁ ନିଜ ଚାମ୍ବର କୁ ଡାକିନେଲେ।
----ଦେଖ ରାମ , ଆଉ ଅଳ୍ପ ବାଟ। ନିହାତି ତୁମେ ପାଇବ ମୁଁ ଜାଣେ। ତଥାପି ବହୁତ ପରିଶ୍ରମ କରିବାକୁ ହେବ। ମୌଖିକ ପରୀକ୍ଷାରେ ସବୁ ପ୍ରକାରର ପ୍ରଶ୍ନ ପଚରାଯାଏ। ନିଜକୁ ସେଇ ସ୍ତରରେ ପ୍ରସ୍ତୁତ କର।
ରାମ କହିଲା
--- ସାର୍ ଏବେ ତ ମୋତେ ଯାହା ହେଲେ ବି  ଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ହେବ।  ମୋର ସମସ୍ତ ଶକ୍ତି ଲଗେଇ ମୁଁ ପରିଶ୍ରମ କରିବି।
ମୌଖିକ ପରୀକ୍ଷାର ଦିନ ଚାହୁଁଚାହୁଁ ଆସିଗଲା। ରାମ କୁ ପ୍ରଶ୍ନ ପଚରାଗଲା
-----ଆପଣଙ୍କୁ ଯଦି ଏ ପଦବୀ ପାଇଁ ଯୋଗ୍ଯ ବିବେଚିତ କରାଯାଏ ଆପଣ କଣ କରିବେ ସଂକ୍ଷେପରେ କୁହନ୍ତୁ?
ରାମ କହିଲା-
---- ସର୍ବ ପ୍ରଥମେ ମୁଁ  ଦୁର୍ନୀତି କରୁଥିବା ଲୋକଙ୍କୁ ମୂଳପୋଛ କରିବି। ସରକାରୀ ଅଫିସରେ ବସି ନେତାଙ୍କ ଛତ୍ରଛାୟା ତଳେ ରହି ନୀରିହ ଲୋକଙ୍କ ରକ୍ତରେ ନିଜ ପେଟ ପୋଷୁଥିବା ଲୋକ ହେବେ ମୋର ପ୍ରଥମ ଶତୃ ।  ନିଜ ପାଇଁ ଦୁଇ ଓଳି ଖାଇବା ଯୋଗାଡ କରି ପାରୁ ନ ଥିବା ଲୋକ ପାଖରୁ ଲାଞ୍ଚ ନେଇ ସେମାନଙ୍କୁ ବର୍ଷବର୍ଷ ଧରି ସରକାରୀ ଅଫିସ୍ କୁ ଦଉଡାଉଥିବା କର୍ମଚାରୀଙ୍କ ପାଇଁ ଯମ ହୋଇ ମୁଁ ଉଭାହେବି।  ମୋ ଦାୟିତ୍ବ କୁ ଏମିତି ନିଭାଇବି ଯେପରି କି ଜନସାଧାରଣ ଭାବିବେ ଯେ ମୁଁ ଜଣେ ଅଫିସର ନୁହଁ ବରଂ ତାଙ୍କର ବନ୍ଧୁ।ମୁଁ......
ସେତିକି କୁହନ୍ତୁ ରାମ ବାବୁ ଆମେ ତୁମକୁ ଯୋଗ୍ଯତମ ପ୍ରାର୍ଥୀ ଭାବରେ ବିବେଚନା କଲୁ, ଏତିକି କହି ମୌଖିକ ପରୀକ୍ଷାରେ ବସି ଥିବା ପରୀକ୍ଷକ ମାନେ ନିଜ ଆସନରୁ ଠିଆ ହୋଇ କରତାଳି ଦେଲେ।
---ଆମ ଦେଶରେ ତୁମ ପରି ଅଫିସରଙ୍କର ଆବଶ୍ଯକତା ଅଛି। ଆମର ବିଶ୍ବାସ, ତୁମେ ନିହାତି ରୂପରେ ନିଜ ସଂକଳ୍ପରେ ସଫଳକାମ ହେବ। ମାତ୍ର ଏତିକି କହିବ କି, ତୁମ ମନରେ ଏପରି ଭାବନା ଆସିଲା କିପରି? ତୁମ ଉତ୍ତରରୁ ଲାଗୁଛି ଯେ ତୁମେ ଆଜି ସମାଜର ଅବସ୍ଥା ସହ ଅତି ଭଲ ରୂପରେ ପରିଚିତ।
ରାମ କହିଲା
---ମୁଁ ଜଣେ କିରାଣି ଭାବରେ କାର୍ଯ୍ଯରତ। ଜନସାଧାରଣଙ୍କର ସମସ୍ଯା ଓ ତାକୁ ଦୂର କରିବାକୁ ଚେଷ୍ଟା କଲା ବେଳେ ଯେଉଁ ସବୁ ପ୍ରତିବନ୍ଧକ ଆସେ, ସେ ସବୁ ବିଷୟରେ ମୁଁ ଅତି ଭଲ ଭାବରେ ଜ୍ଞାନ ଆହରଣ କରି ସାରିଛି।
ଆମର ଶୁଭେଚ୍ଛା ତୁମ ସହ ଅଛି ରାମ ବାବୁ। ତୁମେ ପରୀକ୍ଷାରେ ଉତ୍ତୀର୍ଣ୍ଣହେଲ।
ସର୍ବ ପ୍ରଥମେ ରାମ ଏ ଖୁସି ଖବର ନିଜ ଅଫିସରଙ୍କୁ ଦେଲା। ଘରକୁ ଯାଇ ମାଆଙ୍କର ଆଶିର୍ବାଦ ନେଲା।
ଖୁବ କମ ଦିନ ମଧ୍ଯରେ ରାମ ଅବସ୍ଥାପିତ ହେଲା କଲେକ୍ଟର ଭାବରେ ସେଇ ଜିଲ୍ଲାରେ ଯେଉଁ ଜିଲ୍ଲା ରେ ସେ କିରାଣି ଭାବରେ କାମ କରୁଥିଲା। କହିବା ବାହୁଲ୍ଯ ବହୁତ ଅନୁରୋଧ କରି  ଛଅ ମାସ ପାଇଁ ସେ ପୋଷ୍ଟିଙ୍ଗ ନେଇଥିଲା ନିଜ ଜିଲ୍ଲାରେ। ଲକ୍ଷ୍ଯ ଥିଲା ଲାଞ୍ଚୁଆ ସଂହାର। ଭାଗ୍ଯ କୁ ଯେତେ ବେଳେ ତାର ପୋଷ୍ଟିଙ୍ଗ ହେଲା ସେତେ ବେଳକୁ ଗଗନ ଲମ୍ବା ଛୁଟିରେ ଥିଲା। ଲୋକଙ୍କ ଠାରୁ ନେଇ ଥିବା ଲାଞ୍ଚ ପଇସାରେ ବିଦେଶ ଭ୍ରମଣ କରିବାକୁ ଚାଲିଯାଇଥିଲା। ସେ ଫେରିବା ପରେ ମଧ୍ଯ ରାମର ଆଇଏସ ହେବାର ଖବର ତାକୁ  କେହି ଦେଇ ନ ଥିଲେ। କାରଣ ସବୁ ଜାଣିଥିଲେ ରାମ ପ୍ରତି ତା ମନରେ କଣ ଭାବନା ଥିଲା।
ଅଫିସ୍ ର ଚେୟାରରେ ବସି ରାମ ଭାବି ଚାଲିଥିଲା ଭବିଷ୍ଯତ ର କର୍ମପନ୍ଥା। ଏବେ ବି ସେ ବୁଢା ଲୋକଟିର ଲୁହ ଛଳଛଳ ଆଖି ତା ସାମନାରେ ଆସି ଯାଉଥିଲା। କାନରେ ପ୍ରତିଧ୍ବନିତ ହେଉଥିଲା ସେଇ କଥା--
ଯଦି ତୁ ପ୍ରକୃ ତରେ ଥିବୁ ବିଚାର କରିବୁ।
ଯେତେବେଳେ ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲା ସର୍ବପ୍ରଥମେ ସେ ବୁଢା ଲୋକଟିର କଥା ଭାବିଥିଲା। ସେ ଲୋକଟି ପ୍ରତି ହୋଇଥିବା ଅନ୍ଯାୟର ପ୍ରତିଶୋଧ ନେବ ସେ। ତାହା ହିଁ ହେବ ତାର ପ୍ରଥମ କାମ।  ସେ ମନସ୍ଥ କଲା ଯେ ଆଗ ଚଢଉ ହେବ ଗଗନ ଉପରେ। ତା ପାଖରୁ ହିଁ ଆରମ୍ଭ ହେବ ଲାଞ୍ଚୁଆ  ସଂହାର  କାର୍ଯ୍ଯକ୍ରମ।
ସେଦିନ ନିଜର କର୍ମଚାରୀ ଓ ପୋଲିସ ମାନଙ୍କୁ ଧରି ରାମ ଗଲା  ସେହି ତହସିଲ ଅଫିସକୁ ଯେଉଁଠାରେ ସେ କାମ କରୁଥିଲା। ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲା ସେ ନ କହିବା ଯାଏ ଅଫିସ ଭିତରକୁ କେହି ନ ଆସିବା ପାଇଁ।
ନିଜର ଚିରାଚରିତ ବେଶପୋଷାକ ପିନ୍ଧି ସେ ପଶିଲା ଅଫିସ୍ ରେ। ତାକୁ ଦେଖି ବାକି କର୍ମଚାରୀ ମାନେ ସଚେତନ ହୋଇଗଲେ, ମାତ୍ର ସମସ୍ତଙ୍କୁ ସେ ଇସାରା ଦେଲା ଚୁପ୍ ହୋଇ ବସିବା ପାଇଁ।  ସେ ବସୁଥିବା ଟେବୁଲ ପାଖକୁ ଯାଇ ବସି ପଡିଲା। ଗଗନ ନିଜ କାମ ରେ ବ୍ଯସ୍ତ। ଚାରି ପାଖରେ ଲୋକ ଭିଡ। ସମସ୍ତେ ଜାଣି ଗଲେ ରାମର ଅଫିସ କୁ ଆସିବାର ଉଦ୍ଦେଶ୍ଯ।
----ଗଗନ ବାବୁ, ନମସ୍କାର କେମିତି ଅଛନ୍ତି? ପଚାରିଲା ରାମ।
ଚଷମା କୁ ତଳକୁ ଖସାଇ ଗଗନ ତାଚ୍ଛଲ୍ଯ କରି କହିଲା
---ଓଃ ଆମ କଲେକ୍ଟର ବାବୁ କି? କି   ଭାଗ୍ଯ ମୋର, ତୁମ ଦର୍ଶନ ମିଳିଲା। ମୁଁ ଭାବିଲି  ପରୀକ୍ଷାରେ ଫେଲ ହେବା ଦୁଃଖ ସହି ନ ପାରି ଆତ୍ମହତ୍ଯା କରି ଦେଲ ବୋଧେ।  ଆରେ ମୁଁ ଜାଣିଥିଲି ଯେତେ ଯାହା କଲେ ବି ତୋର କିଛି ହେବାର ନାହିଁ। ଏଇ କିରାଣି ଚଉକି ତୋ ଭାଗ୍ଯରେ ଲେଖା।  ହଉ ଏବେ ଯଦି ସ୍ବପ୍ନ ଦୁନିଆରୁ ତଳକୁ ଖସିଲଣି କାମ ଆରମ୍ଭ କର।
ଅଫିସର ସବୁ କର୍ମଚାରୀ ମାନେ ପାଟି ଆଁ କରି ଚାହିଁ ଥାନ୍ତି। ମାତ୍ର ରାମ ମୁହଁରେ କିଛି ବି ପ୍ରତିକ୍ରିୟା ପ୍ରକାଶ ନ କରିି କହିଲା--
----ଗଗନ ବାବୁ ଆପଣ ପରା ବିଦେଶ ବୁଲିବାକୁ ଯାଇଥିଲେ। ବହୁତ ଖର୍ଚ୍ଚ ହୋଇଥିବ ନା?
ଗଗନ ଗର୍ବରେ ଛାତି ଫୁଲେଇ କହିଲା ହଁ ଖର୍ଚ୍ଚ ତ ବହୁତ୍ ହେଲା। ମାତ୍ର ପଇସା ମୁଁ ଖର୍ଚ୍ଚ କଲେ ସିନା ମୋତେ ବାଧିବ। ଆମ ସହର ର ମାରଓ୍ବାଡି ସବୁ ଖର୍ଚ୍ଚ ଦେଲା। ଆରେ ଯେଉଁ କାମ ତାର କୋର୍ଟକଚେରୀ ରେ ହେଲାନି ସେ କାମ ଏ ଗଗନ ଛୋଟରାୟ କରିଦେଲା। ଢେର୍ ମାଲ୍ ପକେଇଲି ତା ପାଖରୁ। ନଗଦ ଦଶ ଲକ୍ଷ ଟଙ୍କା ଦେଲା, ତା ସହ ବୁଲିବାର ସମସ୍ତ ଖର୍ଚ୍ଚ ବି ଦେଲା।  ତା ଫାଇଲ ପୁରା ସରିନି। ଆହୁରି ପାଞ୍ଚ ଲକ୍ଷ ଦେଲେ କାମ ହେବ ନ ହେଲେ ସେଇ ଆଲମାରୀ ରେ ପଡିପଡି ସଢି ଯିବ। ମାତ୍ର ତୁମର ଏତେ କଥା ଜାଣିବା କଣ ଦରକାର। କଣ ଭିଜିଲାନସରେ କହିବ ନା କଣ? ଫୋନ  ନମ୍ବର ଅଛି ନା ଦେବି।
 ରାମ ଧିର ସ୍ବରରେ କହିଲା ଗଗନ ବାବୁ ଲାଞ୍ଚ ନେବା ଟା ଅପରାଧବୋଲି ଜାଣି ମଧ୍ଯ କଣ ପାଇଁ ଏମିତି କରୁଛନ୍ତି।
ଏଥର ଗଗନ ରାଗରେ ପାଚି ଲାଲ ପଡିଗଲା। ଚେୟାରରୁ ଉଠି ଚିତ୍କାର କରି କହିଲା
--ଶଳା ଭାଗ୍ ଏଠୁ। ତୁ ମୋତେ ବୁଦ୍ଧି ଶିଖେଇବୁ ନାଇଁ? ସେଦିନ ର ଚାପୁଡା ଭୁଲିଗଲୁ ନା କଣ? ୟା ‘ପ ଚାକିରି କେତେ ଦିନ ହେଇଛି ଯେ ମୋତେ ପାଠ ପଢଉଛୁ। ଖାଲି ଏତିକି ଜାଣିଥା ଯେ ମୋ ଚାରି ପାଖରେ ଯେତିକି ଲୋକ ଅଛନ୍ତି ସମସ୍ତଙ୍କ ଠୁ ମୁଁ ଲାଞ୍ଚ ଖାଇଛି। ଆହୁରି ଖାଇବି। କଉ ଶଳା ମୋର କଣ କରିବ ମୁଁ ଦେଖିବି। ଏତିକି କହି ସେ ରାମ ଆଡକୁ ଝପଟି ଆସିଲା ଆକ୍ରମଣ କରିବା ପାଇଁ।
ରାମ ହସିହସି କହିଲା-
ବିନାଶ କାଳେ ବିପରୀତ ବୁଦ୍ଧି।
ହଠାତ୍ ଅଫିସ ଭିତରକୁ ପଶି ଆସିଲେ ସଶସ୍ତ୍ର ପୋଲିସ ବାହିନୀ। ରାମ ଆଗରେ ଠିଆ ହୋଇ ଧପ୍ ଧପ୍ ସାଲ୍ଯୁଟ୍ ମାରି ଚାଲିଲେ। କିଛି ବୁଝି ପାରିଲାନି ଗଗନ। କିଛି ପୋଲିସ ଆସି ଗଗନ କୁ ମାଡି ବସିଲେ।
ଧିର ପଦକ୍ଷେପରେ ଚାଲିଚାଲି ରାମ ଗଲା ସେହି ଆଲମାରୀ ପାଖକୁ ଯାହା ଗଗନର ଅକ୍ତିଆରରେ ଥିଲା। ସବୁ ଫାଇଲ କାଢି ଗୋଟେ ଜାଗାରେ ରଖି କହିଲା
--ଏ ସମସ୍ତ ଫାଇଲ କୁ ଜବତ କର।
ରାମ ଗଗନ କୁ ଚାହିଁ କହିଲା
---ମୁଁ ଆସିଲା ବେଳେ ମୋତେ ଯାହା ସମ୍ବୋଧନ କଲ ତାହା ଠିକ୍ ଥିଲା। ହଁ    ମୁଁ  ଏବେ ଏହି ଜିଲ୍ଲା ର ଜିଲ୍ଲାପାଳ ରୂପରେ ଅବସ୍ଥାପିତ। ତୁମକୁ ଧନ୍ଯବାଦ ଦେବାକୁ ପଡିବ। ତୁମ ପରି ଜଣେ ଧୂର୍ତ୍ତ ଲାଞ୍ଚୁଆ କୁ ସମସ୍ତଙ୍କ ସାମନାରେ ଉଲଗ୍ନ କରି ଉପଯୁକ୍ତ ଦଣ୍ଡ ଦେବାକୁ ହିଁ ମୁଁ ଆଜି ସାଜିଛି ଜିଲ୍ଲାପାଳ। ତୁମ ପାଖରୁ ମୋ କାର୍ଯ୍ଯର ଶୁଭାରମ୍ଭ ହେଲା।
ଗଗନର ତଣ୍ଟି ଶୁଖି ଯାଉଥାଏ। ଏମିତି ଏକ ଦିନ ସେ ଦେଖିବ ସ୍ବପ୍ନରେ ବି ଭାବି ନ ଥିଲା। ନିଜ  କୃତକର୍ମ  କୁ ସମସ୍ତଙ୍କ ଆଗରେ ସ୍ବୀକାର କରି ସାରିଥିଲା ସେ। ବଞ୍ଚିବାର ସସମସ୍ତ ବାଟ ବନ୍ଦ ହୋଇସାରିଥିଲା।
ଅଫିସରୁ ବାହାରକୁ ଆସି ରାମ ଆକାଶ ଆଡେ ଚାହିଁ ସେଇ ମରିଯାଇ ଥିବା ବୁଢା ଉଦ୍ଦେଶ୍ଯରେ କହିଲା
----ଭଗବାନ ଅଛନ୍ତି ନିହାତି। ଆଉ ସେ ନ୍ଯାୟ କରିଛନ୍ତି।
*************************

No comments:

Post a Comment