Monday, February 10, 2020

ମୌସୁମୀ

         ମୌସୁମୀ

                 ଲେଖକ- Ⓒଅରବିନ୍ଦ ରଥ

ସେଦିନ ସହର ର ଏକ ବହୁତଳ ପ୍ରାସାଦର ଛାତ ଉପରେ ମୌସୁମୀକୁ ସ୍ବାଗତ କରିବାକୁ ଏକ ପାର୍ଟିର ଆୟୌଜନ ବଡ ଧୁମଧାମ୍ ରେ ଚାଲିଥିଲା।  ବର୍ଷା ବିଷୟକ ନାନା ସୁମଧୂର ସଙ୍ଗୀତ ଉଚ୍ଚଶବ୍ଦ ସୃଷ୍ଟିକାରୀ  ଯନ୍ତ୍ରରୁ ଭାସି ଆସୁଥିଲା। ସୁସଜ୍ଜିତ ଟେବୁଲରେ ଦାମୀ ମଦ ବୋତଲ ସାଙ୍ଗକୁ ନାନା କିସମର ଚାଖଣା ସଜାଇ ରଖା ଯାଇଥିଲା। ମୁକ୍ତ ଆକାଶରେ ବର୍ଷାର ଟିପଟିପ୍ ପାଣିରେ ଭିଜି ଜୀବନର ସବୁ ଦୁଃଖକୁ ଧୋଇ ଦେବାର ଲକ୍ଷରେ, ଧନୀ ପରିବାରର ଯୁବକ,ଯୁବତୀ,ପ୍ରୌଢ ଓ ପ୍ରୌଢା ମାନେ ଅତି ଉତ୍ସାହର ସହ  ଚାହିଁ ରହିଥିଲେ। ମେଘାଚ୍ଛନ୍ନ ଆକାଶରେ ବିଜୁଳିର ଚମକ ଖେଳିବା ସହ  ବର୍ଷାର ମୁକ୍ତାସମ ବିନ୍ଦୁ ମାନ ଧରାପୃଷ୍ଠକୁ ଅବତରଣ କରିବା ଆରମ୍ଭ କରିଦେଲେ। ଛାତ ଉପରେ ଚାଲିଥିବା ପାର୍ଟିରେ ସତେ କି ଚମକ ଖେଳିଗଲା। ସଙ୍ଗୀତର ସ୍ବର ଉଚ୍ଚତର ହେବା ସାଙ୍ଗକୁ ବର୍ଷାପାଣି ରେ ଓଦା ହେବାକୁ ଲାଗିଲେ ସମସ୍ତେ। ବୋତଲରେ ବନ୍ଦୀ ଥିବା ସୁରା, ମୁକ୍ତ ହୋଇ ଉପସ୍ଥିତ ନରନାରୀଙ୍କ ଉଦରଗାମୀ ଓ ତତ୍ପରେ ମସ୍ତିଷ୍କଗାମୀ ହେବାରେ ଲାଗିଲେ। ନାନା ପ୍ରକାର ଉଦ୍ଦଣ୍ଡ ନୃତ୍ଯ ଓ  ବିକଟାଳ ଚିତ୍କାରରେ  ସତେକି ଥରି ଉଠିଲା ମେଦିନୀ। କେହି ଜଣେ ଉଚ୍ଚସ୍ବରରେ କହି ଚାଲିଥିଲେ      " ଆସ ମୌସୁମୀ, ଆମେ ତୁମରି ଅପେକ୍ଷାରେ ଥିଲୁ-- – ଆସ ହେ ମୌସୁମୀ-- – ଆମକୁ ଭିଜାଇ ଦିଅ –-- ରୌଦ୍ରସନ୍ତାପିତ ଦେହ-ପ୍ରାଣ-ମନ କୁ ଶାନ୍ତ କରିଦିଅ ହେ ମୌସୁମୀ”।
ସେହି ପ୍ରାସାଦର ଅନତିଦୂରରେ ଥିବା ଦରଭଙ୍ଗା କୁଡିଆରେ ଭିଜି ଯାଇଥିବା ଜିନିଷପତ୍ର କୁ ସାଉଁଟି ବାରେ ଲାଗିଥିବା ନାଥୁ ବୁଢା, ଆକାଶ କୁ ଚାହିଁ ଥରଥର କଣ୍ଠରେ କହିଚାଲିଥିଲା-- ଏତେ ଦିନ ତ ଡେରି କଲୁ, ଆଉ ଟିକେ ଡେରି ରେ ଆସିଥିଲେ ହୋଇ ନ ଥାଆନ୍ତା?? ଟଙ୍କା ଯୋଗାଡ ହୋଇ ପାରିଲାନି ବୋଲି ଚାଳଟା ଛାଉଣି କରି ପାରିଲିନି। ତୋ ମନରେ ଟିକେ ଦୟା ଆସିଲାନି? ବଜାରରେ ବିକ୍ରି ପାଇଁ ରଖିଥିବା ସବୁ ଜିନିଷକୁ  ଭିଜାଇ ନଷ୍ଟ କରିଦେଲୁ।  ପ୍ରଥମେ "ଫାନି"  ଆସି ସବୁ ଛାରଖାର କରିଦେଲା, ଅଣ୍ଟା ସଳଖି ଛିଡା ହେଲା ବେଳକୁ ତୁ ପୋଡାମୁହିଁ  ଚାଲିଆସିଲୁ।  ଆଉ ଡେରି ନ କରି ମୋ ଘର ର ମାଟି କାନ୍ଥକୁ ଭାଙ୍ଗି ଦେ। ଏଥର ସବୁ କାମ ସାରିଦେଲେ , ଆର ବର୍ଷକୁ ତୋତେ  ନାଥୁବୁଢାର ଘର ଦୁଆର ମାଡିବାକୁ ତୋତେ ଆଉ ପଡିବନି।
ମୌସୁମୀର  ଆଗମନରେ ଆନନ୍ଦ ରେ ଆତ୍ମହରା ହୋଇ ନୃତ୍ଯ କରୁଥିବା ନରନାରୀଙ୍କ  କୋଳାହଳ ଓ ନାଥୁବୁଢାର ଅଭିସମ୍ପାତ୍ ମିଶ୍ରିତ ବିଷୋଦଗାର କୁ ଅଣଦେଖା କରି ବର୍ଷାର ମାତ୍ରା ଧିରେଧିରେ ବଢୁଥିଲା ଓ ରାସ୍ତାରେ ପାଣିର ସ୍ରୋତ  ଫୁଲି  ଚାଲିଥିଲା।
*************

No comments:

Post a Comment