Wednesday, April 11, 2018

କନ୍ଯାଦେଖା


                                   ଲେଖକ- ଅରବିନ୍ଦ ରଥ
ସଇତାନପୁର ର ମକୁରୁ ମହାଜନ ଲଣ୍ଡା ମୁଣ୍ଡଟିକୁ ଆଉଁସି ମଧ୍ଯସ୍ଥିକୁ ପଚାରିଲେ-- ହଇହୋ ମକ୍ରମ ପୁରୋହିତେ, ଏଥର ଝିଅ ଦେଖା ପର୍ବଟା ଭଲରେ ଯିବ ତ। ଗଲା ଥର ତ କେତେ ସପନ ଦେଖେଇଲେ, କିନ୍ତୁ କନ୍ଯାବାପର ଧୋତି କିଣିବାକୁ ବି ପଇସା ଥିଲା ପରି ଲାଗିଲାନି। ସେ ଲୋକର ମୋ  ଘରେ ହଳିଆ ହେବାର ଯୋଗ୍ଯତା ନାହିଁ, ସମୁଦି ହେବାର ସ୍ବପ୍ନ ଦେଖୁଥିଲା କେମିତି ? ମୋ ସ୍ତ୍ରୀ ଆରପାରି କୁ ଗଲା ବୋଲି ସିନା ମୋତେ ଏତେ ହୀନସ୍ତା ହେବାକୁ ପଡୁଛି । ନୋହିଲେ ପୁଅ ପାଇଁ ବୋହୁ ଖୋଜା କାମ ଟା କଣ ମୋତେ ବଳେଇ ଯାଇଥାନ୍ତା ?
ପୋକଖିଆ ଦାନ୍ତ ନିକୁଟି ପୁରୋହିତ ମକ୍ରମ କହିଲା – ଆଜ୍ଞା କଣ କରିବି, ଏତେ ଆଡକୁ ନିଘା ନ ଥିଲା ବୋଲି ଭୁଲ ଟାଏ  ସିନା କରିଦେଲି , ଏଥର ସେପରି ଭୁଲ ହେବ ନାହିଁ। ମୁଁ ସେ ଲୋକ କୁ ହଜାର ଥର କହିଛି। ଆମ ମହାଜନେ ଏମିତି ସେମିତି ଲୋକ ନୁହଁନ୍ତି। ବାପ ଅଜା ଅମଳରୁ ଜମିବାଡି ସବୁ ପୋକ ମାଛି ପରି ତାଙ୍କ ପାଖେ ହାଉଜାଉ ହେଉଛନ୍ତି।  ଜମିଦାରି ପ୍ରଥା ଚାଲିଗଲେ କଣ ହେବ, ଆମ ମହାଜନ ଙ୍କର ଜମିଦାରିଆ ଠାଣି ଆଜି ଯାଏ ସେମିତି କାଏମ ରହିଛି। ଘରେ ଚାକର ବାକର ହଳିଆ ମୂଲିଆ ବାଡଇ କୁଟି ହେଉଛନ୍ତି। ସୁନା ରୂପା ଗହଣା ଗାଣ୍ଠିର ହିସାବ ନାହିଁ। ଆଲମାରୀ ଗୁଡା ଓହଳି ପଡିଛି। ଯେତିକି ସୁନା ଚେନ ଆଲମାରୀରେ ସଜେଇ ରଖା ଯାଇଛି, ସେତିକି ବେକ ନାହିଁ ଝୁଲେଇବାକୁ।  ଆଉ କିଛି କହିବାକୁ ମକ୍ରମ ପାଟି ମେଲା କଲାବେଳକୁ, ମହାଜନେ ଶହେ ଟଙ୍କିଆ ନୋଟ ଖଣ୍ଡିଏ ହାତ ଗୁଞ୍ଜି ଦେଇ କହିଲେ, ଯାହା ହେଉ ଯେତିକି କହିଛ ସେତିକିରେ ଗାଡି ଦଉଡିବ।  କନ୍ଯାଦେଖାର ଦିନ ତାରିଖ ଧାର୍ଯ୍ଯ କରି ମକ୍ରମ ଓଳଗି ହୋଇ ବିଦାୟ ନେଲା।
ମକୁରୁ ମହାଜନଙ୍କ ପୁଅ କୁରୁପା ସେ ଅଞ୍ଚଳର ନାମଜାଦା ପିଲା। ସରସ୍ବତୀ ଙ୍କୁ ବହୁତ ପୂଜା କରି ଯେତିକି ପାଠ ମିଳିଲା, ସେତିକି ବ୍ଯବହାର କରି କେବଳ ଦସ୍ତଖତ ଟିଏ କରି ଜାଣିଲା। ଗୋଟିଏ ଶ୍ରେଣୀରେ ବର୍ଷାଧିକ କାଳ ପାଠ ପଢିବା ପରେ, ଗାଁଆ ମାଷ୍ଟ୍ରଙ୍କ ସୁପାରିଶ କ୍ରମେ କୁରୁପାର ପାଠରେ ଡୋରି ବନ୍ଧାହେଲା।  ମକୁରୁ ବି କହିଲେ, ଯେ ମହାଜନ ପୁଅ କଣ ଏତେଦିନ ଇସ୍କୁଲ ଯିବ। ପଇସା ଫିଙ୍ଗିଲେ ସରସ୍ବତୀ ଦେବୀ ଆସି ପାଠ ବାଟି ପିଏଇ ଦେଇ ଯିବେ। ଏତିକି ଛାର କାମ ପାଇଁ ପିଲା ଟା କଣ ପାଇଁ ବର୍ଷବର୍ଷ ଦହଗଞ୍ଜ ହେବ। ଗେଲବସରିଆ ଏକୋଇର ବଳା ବିଶିକେସନ କୁରୁପା ଧରା କୁ ସରା ମଣିଲା। ବୟସ ବଢିବା ସହ ବଦମାସୀ ବି ବଢିଲା। ମାରପିଟ୍ କରିବା, ଚୋରୀ କରିବା ଆଦି କାମ ରେ ସେ ଅଞ୍ଚଳରେ ବେଶ୍ ନାମ କମେଇଲା। ମହାଜନ ପୁଅ ବୋଲି କେହି ପାଟି ନ ଫିଟେଇ ତାକୁ ଆହୁରି ସାହାସୀ କରିଦେଇଥିଲେ।  ଘରେ ପଇସା ଅଭାବ ନାହିଁ , ତେଣୁ ନିଶ୍ଚିନ୍ତ ହୋଇ କୁରୁପା ଚାରି ଦଉଡି କଟା ହୋଇ ଜୀବନ ବିତଉ ଥିଲା।  କିନ୍ତୁ ମକୁରୁ ପରି କୃପଣ ଲୋକ ପୃଥିବୀରେ ଥିବେ କି ନାହିଁ ସନ୍ଦେହ। ଦିଆସିଲି କାଠି କୁ ବ୍ଲେଡ୍ ରେ ଦୁଇ ଫାଳ କରି ଜଳେଇବା ଲୋକ ସିଏ।  କୃପଣ ଲୋକେ ତ ମାଛ ତେଲ ରେ ମାଛ ଛାଣନ୍ତି କିନ୍ତୁ ମକୁରୁ ମହାଜନ ତୁଚ୍ଛା ପାଣିରେ ମାଛ ଛାଣିଦେବା ଲୋକ।
ନିଜର ଏକମାତ୍ର ଯୋଗ୍ଯ ପୁତ୍ର ପାଇଁ କନ୍ଯା ଯୋଗାଡିବା ପାଇଁ ବିଚରା ଆଣ୍ଠୁ ଗଣ୍ଠି  ଛିଡେଇ ଚେଷ୍ଟା ଚଲେଇଛି। କିନ୍ତୁ  କୁରୁପା ଚରିତ୍ର ର ତେଜ ଏତେ ଜୋର ରେ ଦାଉ ଦାଉ ଜଳୁଥିଲା ଯେ କନ୍ଯାପିତା ମାନେ କନ୍ଯା ଦେବାକୁ ରାଜି ନ ଥିଲେ। ତଥାପି ମକ୍ରମ ପୁରୋହିତ ହାତଗୋଡ ହଲେଇ କିଛି କନ୍ଯା ଯୋଗାଡ କରିଛନ୍ତି। କନ୍ଯାଦେଖା ପର୍ବ ବି ସରିଛି। କିନ୍ତୁ ଯୌତୁକ ଅଙ୍କଟା ଛିଣ୍ଡୁନି ବୋଲି ବରଯାତ୍ରୀ ବାହାରିପାରୁନି।ମହାଜନିଆ ଠାଣିରେ ଚର୍ଚ୍ଚା ପାଇବା ଆଶାରେ ମକୁରୁ ବେଶ ଭୂଷା ହୋଇ ବାହାରେ ସିନା, କିନ୍ତୁ ସବୁ ଦିନ କପାଳ ଲେଖା ସମାନ ନ ଥାଏ। କେଉଁ ଥର କନ୍ଯା ଘର ବରା, ସିଙ୍ଗଡା, ଆଳୁଚପ୍, ମିଠାରେ ଭସେଇଲାଣି ତ କେଉଁ ଦିନ ଲେମ୍ବୁ ସରବତ ପିଇ ଫେରିବାକୁ ପଡିଛି। ତଥାପି ଚେଷ୍ଟା ଚାଲିଛି। କିଛି ଗୋଟେ ତ ହେବ ନିଶ୍ଚୟ।  ଏଥର ମକ୍ରମ ପୁରୋହିତ, କୁକୁରପେଟା ଗ୍ରାମରେ କନ୍ଯା ଘରର ସନ୍ଧାନ ଦେଇଛି। ଝିଅଟି ସୁନ୍ଦର ନ ହେଲେ କଣ ହେବ, ପଇସା ପତ୍ରରେ ବରପାତ୍ର କୁ ପୋତି ଦେବ ବୋଲି ଶୁଣି ମକୁରୁ ମନ ଟା କୁଲୁକୁଲୁ ହୋଇଯାଉଛି। 
କିନ୍ତୁ ସେ କୁକୁରପେଟା ଗାଁଆ ନାମ ଟା ଶୁଣିଲା ପରଠାରୁ ମନ ଟା ଟିକେ ବିଚିକୁଟିଆ ଲାଗୁଛି। ଦୁଇ ମାସ ତଳେ ସେଇ ଗାଆଁରେ ତା ମୁଣ୍ଡ ପଗଡି ଗଡିବା ଅବସ୍ଥା କୁ ପଳେଇ ଆସିଥିଲା।  କନ୍ଯା ଦେଖିବାକୁ ଯିବା ଅବସରରେ, ଗାଁଆର ବିଖ୍ଯାତ ରାଢ ଗୁଡୁମ୍ ବଳିୟାରସିଂହ ଘରକୁ ଯାଇଥିଲା। ବାହାଘର କଥା ଟା ଆରମ୍ଭ ହେବା ଆଗରୁ ମକୁରୁ, ଜାନି ଯଉତୁକ କଥାଟା ଛିଡେଇ ଦେବ ବୋଲି ଭାବିଲା ବେଳକୁ, ସେ କନ୍ଯା ଟା କାଳିସୀ ମାଡିଲା ପରି ନାଚି ଦେଇ ଗଲା। କେତେ ଆଇନ କାନୁନ ପଢେଇ, ପୋଲିସ୍ କୁ ଖବର ଦେବାକୁ ବାହାରିଲା। କହିଲା କଣ ନା, ଯୌତୁକ ନେବା ଓ ଦେବା ଉଭୟ ଅପରାଧ।  ମନରେ ବହେ ଗାଳି ଦେବାକୁ ଇଛା ହେଲେ ବି ମକୁରୁ ଜୋକ ମୁହଁରେ ଲୁଣ ଦେବା ପରି ଚୁପ୍ ହୋଇ ଠିଆ ହୋଇଥିଲା। ପୋଲିସ୍  କଥା ଶୁଣି ତା ଲଣ୍ଡା ମୁଣ୍ଡରୁ ଥପ ଥପ ଝାଳ ନିଗିଡି ଗଲା।  ପାଟି ରେ ଲୁଗା ବିଣ୍ଡା ଦେଇ ସେ ଜାଗାରୁ ଚମ୍ପଟ୍ ମାରିବାକୁ ତର ସହିଲାନି। ପୁଣି ସେଇ ଗାଁଆ କୁ ଯିବାକୁ ହେବ।
ମାଆ ରାହାବଳୀଙ୍କୁ ଦେଶି କୁକୁଡା ଟିଏ ଯାଚନା କରି  ଘରୁ ବାହାରିଲା। ପୁଅ କୁରୁପା ଗାଁଆ ଟାଉଟରଙ୍କ ସହ ଗଞ୍ଜେଇ ସେବନ ରେ ବ୍ଯସ୍ତ ଥିବାର ଦେଖି ,ମକୁରୁ ନିଜ ସାଙ୍ଗରେ ମକ୍ରମ ମହାଜନ ଙ୍କୁ ନେଇ କନ୍ଯାଦେଖା ପର୍ବ ପାଇଁ ପ୍ରସ୍ଥାନ କଲା। ଗାଁଆ ଭିତରେ ଗାଡିଟି ପଶିଲା ବେଳକୁ ଦେଖିଲା କିଏ ଜଣେ ନାରୀ ଗଛ ଉହାଡରୁ ଲୁଚି ତାଙ୍କୁ ଦେଖୁଥିଲା। ମକ୍ରମ କୁ ସେ ବିଷୟରେ ପଚାରିବାରୁ ସେ କହିଲା-- ମହାଜନେ, ଆପଣ ଙ୍କ ବୟସ ପରା ସେଇ ତିରିଶରେ ଅଟକି ଯାଇଛି। କିଏ ଦେଖିଲେ କହିବ କି, ଆପଣଙ୍କୁ ତିନି କୋଡି ପୁରିଲାଣି ବୋଲି। ସେଇ ଯୁବକ ପରି ରୂପ ଦାଉଁ ଦାଉଁ ହୋଇ ଜଳୁଛି। ଲୋକେ ଭାବୁଥିବେ ଆପଣ ବରପାତ୍ର ବୋଲି। ସୁନ୍ଦର ଫୁଲ ପାଖକୁ ମହୁମାଛି ଟାଣି ହୋଇ ଆସିଲା ପରି, ଗାଁଆର ଅଭିଆଡି ଝିଅ ମାନେ ଆପଣଙ୍କୁ ଦେଖି କୁତୁକୁତୁ ହୋଇ ଲୁଚି ଦେଖୁଥିବେ।
କଥାଟା ମକୁରୁ ମହାଜନ ର ଠିକ୍ ମର୍ମରେ ବାଜିଲା। ପାଉଁରୁଟି ପରି ଫୁଲିଲା ଗାଲ ଦୁଇଟାରେ ହାତ ବୁଲେଇ ଟିକେ ଲାଜ ମିଶା ସ୍ବରରେ କହିଲା-- ବୁଝିଲ ପୋରୋହିତେ, ତୁମେ ଆଉ ହବନି। କଥା କୁହାରେ ତୁମକୁ କିଏ ପାରିବ କହିଲ।
ଗାଡି ଟି ଯାଇ କନ୍ଯା ଘର ଦୁଆରେ ଲାଗିଲା। ତରତର ହୋଇ ମକୁରୁ ଘରେ ପଶିଗଲା, କାଳେ ଗୁଡୁମ୍ ବଳିୟାରସିଂହ କାନ ରେ କଥାଟା ପଡିଯିବ ବୋଲି। କନ୍ଯାପିତା ସସମ୍ମାନେ ଦୁଇଜଣଙ୍କୁ ଘରକୁ ପାଛୋଟି ନେଲେ।  ସୋଫାରେ  ବସିଲା ବେଳକୁ ସେ ଦେଖିଲା ଟେବୁଲ୍ ରେ ଭଳି କି ଭଳି ଜଳଖିଆ ଅତି ଯତ୍ନ ରେ ମୁଣ୍ଡ ଟୁଙ୍ଗାରି ଅନେଇଛନ୍ତି।  ତିନି ଚାରି ଜାତି ର ମିଠା ଓ  ବରା, ସିଙ୍ଗଡା, ଆଳୁଚପ୍ ମାନେ ଦୁଇ ଧାଡି ଦାନ୍ତ ମଝିରେ ପେଶୀ ହୋଇଯିବା ଆଶାରେ ଅପେକ୍ଷାରତ। ଆମ୍ବରସ ଦୁଇ ଢୋକ ପିଇ ମକୁରୁ ଗଳା ଝାଡି କହିଲା-- ଆଜ୍ଞା, ମୋ ଘର ବିଷୟରେ ମକ୍ରମ ପୁରୋହିତେ ଉଣା ଅଧିକେ ବଖାଣି ଥିବେ। ତେଣୁ ସେ ବିଷୟରେ କହି ସମୟ ସାରିବା କଣ ପାାଇଁ। ଝିଅ କୁ ଡାକିଲେ ଟିକେ ଦେଖି ଦିଅନ୍ତେ। ଏତିକି କହି ସାରିବା ବେଳକୁ ଟେବୁଲ ରେ ସଜା ହୋଇଥିବା ଜଳଖିଆରୁ ଦୁଇଟା ସିଙ୍ଗଡା କମି ସାରିଥିଲେ।
– ଆଜ୍ଞା, ଆପଣଙ୍କ ବିଷୟରେ ମୁଁ ସବୁ ଶୁଣିଛି। ବହୁତ ବଡ ଲୋକ ଆପଣ। ମୁଁ ଆଜ୍ଞା ଗରୀବ ଲୋକ। ଝିଅ ଟି ମୋର କଲେଜ ରେ ପାଠ ପଢୁଛି। ଘର କାମ ସବୁ ଜାଣିଛି। ସମସ୍ତଙ୍କ ମନ ଜିଣିବାରେ ତାକୁ କେହି ପରିବେନି। ଭଲ ଗୀତ ବି ଗାଏ। କିନ୍ତୁ ରୂପରଙ୍ଗ ଟିକେ ଉଣା ବୋଲି ମନଟି ସଦାବେଳେ ଉଦାସିଆ କରି ରଖୁଛି। ତା ସାଙ୍ଗ ସାଥି ମନେ ହାତ କୁ ଦି ହାତ ହୋଇ ପିଲା ଖେଳେଇଲେଣି, କିନ୍ତୁ ମୋ ଝିଅ......ଏତିକି କହି କନ୍ଯପିତା ଟିକେ ସୁକୁସୁକୁ ହୋଇ କାନ୍ଦି ପକେଇଲେ। କାନ୍ଧରେ ହାତ ପକେଇ ମକୁରୁ କହିଲେ-- ସେ କଥା ଛାଡନ୍ତୁ, ଟିକେ ଝିଅ କୁ ଦେଖିସାରି ମୁଁ  ସାଙ୍ଗେସାଙ୍ଗେ ବାକି କଥା ବିଚାର କରିବି ।
ପରଦା ଆଢୁଆଳରୁ କନ୍ଯାର ମୁହଁ ଟି ଦିଶିଲା। ତାକୁ ଦେଖିଲା ପରେ ମକୁରୁ ମନେ ମନେ କହିଲା-- ଆରେ ଇଏ ତ କୁରୁପା ମାଆ ଠୁ ଢେର ସୁନ୍ଦର।  ରଙ୍ଗ ଟିକେ କମ୍ ହେଲେ କଣ ହେବ ଗଠଣ ଭଲ ଅଛି। କୁରୁପା ର ଅର୍ଘାସୁରିଆ ରୂପ ସହ ଏ କନିଆ ର ଯୋଡି ବେଶ୍ ମାନିବ।  କନ୍ଯାର ବ୍ଯବହାର ବି ଉତ୍ତମ। ଗୋଡ ତଳେ ମୁଣ୍ଡିଆ ମାରି ହାତ ଯୋଡି ମକୁରୁ ଆଗରେ ଛିଡା ହେଲା। ଯାହା ହେଲେ ପାଠ ଶାଠ ପଢିଛି, ବ୍ଯବହାର ନ ଜାଣିବ କେମିତି।
କହିବାକୁ ଗଲେ ମକୁରୁ ମନ କୁ କନିଆଟି ବେଶ୍ ପାଇଲା। ପ୍ଲେଟ୍ ରେ ଥବା ଶେଷ ରସଗୋଲା କୁ ଚାକୁଳାଇଲା ବେଳକୁ କହିଲା-- ଯାହା ହେଉ ଏତେ ଦିନ ପରେ ମୋ ଘରକୁ ଯୋଗ୍ଯ ବୋହୁଟିଏ ମିଳିଲା। ମକ୍ରମ ପୁରୋହିତ ପାଣିପାଗ ଦେଖି  ଜାଣି ପାରିଲା ଯେ କନ୍ଯାଟି ପସନ୍ଦ ହୋଇଛି। ସବୁଠାରୁ ବଡ କଥା ହେଲା ସେମାନେ ପୁଅ ବିଷୟରେ କିଛି ପଚାରିଲେନି। ସେମାନେ ଜାଣିଛନ୍ତି ମହାଜନର ଅଚଳାଚଳ ସମ୍ପତ୍ତି। ବସି ଖାଇଲେ ବି ସରିବନି। ପୁଅ ରୋଜଗାର କରୁ କି ବେକାର ବସୁ ପରବାୟ ନାହିଁ। କନ୍ଯାପିତା ବି  ଝିଅବୋଝ ଉତ୍ତାରିବାରେ ବ୍ଯସ୍ତ, ତେଣୁ ପୁଅ ବିଷୟରେ ବେଶି କିଛି ଛାନଭିନ୍ କଲେ କାଳେ ମହାଜନେ ହାତରୁ ଖସିଯିବେ, ସେଇ ଭୟରେ ତୁନି ପଡି ବସିଲେ।
କନ୍ଯାକୁ ଘର ଭିତରକୁ ବିଦା କରିଦେଇ ମକୁରୁ ଅସଲ ଆଲୋଚନା କୁ ପାଦ ବଢେଇଲା। ଝିଅର ପିତାମାତା ଓଦା ବିଲେଇ ପରି ଜୁଳୁଜୁଳୁ ହୋଇ ତାଙ୍ ମୁହଁ କୁ ଚାହିଁ ବସିଥାନ୍ତି।
– କନ୍ଯା ଟି ପସନ୍ଦ ହେଲା, କିନ୍ତୁ ଦେବା ନେବା ବିଷୟରେ କିଛି କହିଲେନି ଯେ। ମକୁରୁ ଜମିଦାରିଆ ଠାଣି ରେ ପଚାରିଲା।
– ଯାହା କହିବେ ସବୁ ଦେବି ଆଜ୍ଞା। ଗୋଟିଏ ବୋଲି ଝିଅ। ଟଙ୍କା ତିନି ଲକ୍ଷ ସାଙ୍ଗକୁ ସୁନା ଗହଣା,ଗାଡି, ଖଟ,ପଲଙ୍କ, ଟିଭି, ଫ୍ରିଜ୍ ଓ ସବୁ ଘରକରଣା ଜିନିଷ ବି ଦେବି।
ଫାଶରେ ମାଛଟି ଭଲରେ ପଡିବା ଦେଖି ମକୁରୁ ମନେମନେ କୁହାଟ ମାରିବା ଆରମ୍ଭ କରି ଦେଇଥିଲା । କୁରୁପା ପରି ଅଳସୁଆ, ଗଞ୍ଜୋଡ, ନିକମ୍ମା ପିଲା ପାଇଁ ଏମିତି ଝିଅ ଓ ଯୌତୁକ ଢେର ଅଧିକା ଥିଲା। ତଥାପି ମନ ରୁ ଲୋଭ ଛାଡୁଛି କୁଆଡୁ। ମୁହଁ ଟାକୁ ଟିକେ ବିଚିକୁଟିଆ କରି କହିଲା – ଆଜ୍ଞା, ଜମିଦାର ଘରେ ବନ୍ଧୁ ବାନ୍ଧିବେ। ଦର ଟିକେ ବଢେଇଲେ ସିନା ହେବ। ଏତେ କମ୍ ଟଙ୍କାରେ କଣ ଶାଗ ସିଝିବ?
– ମହାଜନେ, ଏତିକି ଦେଲା ବେଳକୁ ମୋର ଦଫାରଫା ଶେଷ ହୋଇଯିବ। ଜମିବାଡି ବିକି ଏତିକି ଯୋଗାଡ କରି ପାରିବି। ଆପଣ ଟିକେ ଦୟା କଲେ ମୋ ପରି ଅକିଞ୍ଚନ ଟି ଉପକୃତ ହୁଅନ୍ତା। କନ୍ଯାମାତା ମଧ୍ଯ ଆଖିରୁ ଲୁହ ଝରେଇ ଦୁଃଖ ପ୍ରକାଶିବାରେ  ଅବହେଳା କଲେନି। ବହୁତ ନେହୁରା ହୋଇ ବିଚରା ଦୁଇଟି ମକୁରୁ ଗୋଡ ତଳେ ପଡିଗଲେ। ତଥାପି ମକୁରୁ ନିଜ ଜିଦ୍ ରେ ଅଟଳ। ମକ୍ରମ ମଝିରେ ଟିକେ ଭଦ୍ରଲୋକି ଦେଖେେଇବାକୁ ବାହାରିଲା ବେଳକୁ, ମକୁରୁ ର ନାଲିଆଖି ଦେଖି ଚୁପ୍ ହୋଇ ବସିଲା। ଶେଷରେ ମକୁରୁ ରୋକଠୋକ୍ ଶୁଣେଇଦେଲା-- ଟଙ୍କା ପାଞ୍ଚ ଲକ୍ଷ ନ ହେଲେ ହବନି। ଯଦି ହଁ କରିବ, ଏଇ ମାସରେ ବାହାଘର ସାରିଦେବି।
ସେତିକି ବେଳେ ଘର ଭିତରକୁ ଝିଅଟିଏ ମୁଣ୍ଡରେ ଓଢଣା ଦେଇ ପଶିଲା। ମକୁରୁ ପ୍ରଶ୍ନିଳ ଆଖିରେ ଦେଖିବାରୁ କନ୍ଯାପିତା କହିଲେ-- ଝିଅର ସାଙ୍ଗ ଆସିଛି।
କଥା ଟାକୁ ନିହାତି ଗୁରୁତ୍ବହୀନ ମନେକରି ମକୁରୁ ଦରକଷାରେ ଲାଗିଲା। ବହୁତ ଅନୁନୟ ବିନୟ ହେବା ପରେ ସାଢେ ଚାରି ଲକ୍ଷ ଟଙ୍କାରେ କଥା ଛିଡିଲା। କାନ୍ଦିକାନ୍ଦି ଫୁଲିଯାଇଥିବା ଆଖି ଚାରିଟି ରେ ଟିକେ ଖୁସି ର ଝଲକ ଦେଖିବାକୁ ମିଳିଲା। ସେତିକି ବେଳକୁ ଝିଅର ଡାକରେ ପିତାମାତା ଭିତରକୁ ଗଲେ। ବିଜୟସୂଚକ ହସରେ ମକ୍ରମ ଆଡକୁ ଦେଖିଲେ ମହାଜନେ।  ଭକ୍ତିରେ ମକ୍ରମ ର ଦୁଇ ହାତ ଯୋଡି ହୋଇଗଲା।କନ୍ଯାପିତା ଆସି କହିଲେ-- ଆଜ୍ଞା, ଝିଅ ଅଳି କରୁଛି। ଆପଣ ମାନେ ଆଜି ଆମ ଘରେ ଖାଇକରି ଯିବେ। ସେତିକି ଶୁଣି ମକୁରୁ  ଛାତି ଭିତରଟା ଖୁସିରେ କୁରୁଳି ଉଠିଲା। ଝିଅ ଟା ସବୁ ଗୁଣ ରେ ପାରଙ୍ଗମ ଜଣା ପଡୁଛି। ତା ଘରର ବୋହୁ ହେବା ପାଇଁ ଯୋଗ୍ଯତମ ପ୍ରାର୍ଥୀନୀ ପରି ଲାଗିଲା ତାକୁ। 
ଝିଅର ମାଆ କହିଲେ -- ନିଜ ହାତରେ ରୋଷେଇ କରି ପରଷି ଦେବାକୁ ଝିଅର ମନ ବ୍ଯାକୁଳ ହୋଇ ଉଠିଛି।  ଅଳ୍ପ ସମୟରେ ରୋଷେଇ ସାରିଦେବ। ଅରୁଆ ଭାତ, ଖାସି ମାଂସ ଝୋଳ, ବିଲାତି ବାଇଗଣ ଖଟା ଓ ପାମ୍ପଡ।  କ୍ଷିରି କରିବାରେ ମୋ ଝିଅ କୁ କେହି ପାରିବେନି।  କେତେ ଯତନ ରେ କ୍ଷିରି ବି ତିଆରି କରୁଛି। ଆପଣ ଟିକେ କଷ୍ଟ କରି ବସିବା ହେଲେ ଆମେ ସମସ୍ତେ ଖୁସି ହୁଅନ୍ତୁ।
ଏମିତି ଅଚାନକ ସୁଖାଦ୍ଯର ବର୍ଷାରେ ଭିଜିବେ ବୋଲି ମକୁରୁ ଓ ମକ୍ରମ ସ୍ବପ୍ନରେ ବି ଭାବି ନ ଥିଲେ। ଖାସି ଝୋଳ କଥା ଶୁଣିଲା ବେଳ ଠୁ ମକୁରୁ ମହାଜନର ଦାନ୍ତ କୁଣ୍ଡେଇ ହେବା ଆରମ୍ଭ ହୋଇଯାଇଥିଲା। ଥଟ୍ଟା କରି ମକ୍ରମ କୁ ପଚାରିଲେ-- କିହୋ ପୁରୋହିତେ, ଆପଣ ତ ଆମିଷ ଖାଇବେନି। ନିରାମିଷ ରେ ଚଳେଇ ଦେବେ, ନା କଣ? ମକ୍ରମ ଭୀଷଣ ପ୍ରତିବାଦ କରି କହିଲେ-- କାହିଁକି ଯେ, ମୁଁ କଣ ହୋମ କରୁଛି ନା ଯଜ୍ଞ ଯେ ଆଇଁଷ ଖାଇବିନି। ଆମର ଭବିଷ୍ଯତରେ ବୋହୁ ମାଆ ରାନ୍ଧଣା ରାନ୍ଧିବେ ଆଉ ମୁଁ ଖାଇବିନି? ସେମିତି କଦାପି ହେବନି, ବିଷ ଦେଲେ ବି ଖାଇଦେବି। ସବୁ ଏକା ସାଙ୍ଗରେ ହସି ଉଠିଲା ବେଳକୁ ରୋଷେଶାଳରେ କନ୍ଯା ଓ ତାର ସାଙ୍ଗ କିଛି ଗୋଟେ ଗମ୍ଭୀର ଆଲୋଚନାରେ ବ୍ଯସ୍ତ ଥିଲେ।
କିଛି ସମୟ ଭିତରେ ଟେବୁଲରେ ଖାଦ୍ଯ ପରଶା ଗଲା। ନଅଙ୍କ ଦୁର୍ଭିକ୍ଷିଆଙ୍କ ପରି ଦୁଇ ଜଣ କାଡୁମାଡୁ କରି ସବୁ କିଛି ଚୋବେଇ, କାମୁଡି ସଫା କରଦେଲେ।  ଖାଇବା ଅନ୍ତେ କ୍ଷିରିର ଶେଷ ବିନ୍ଦୁ ଚାଟିସାରି ହସହସ ମୁହଁରେ ମକୁରୁ କହିଲେ-- ଏବେ ପୁଣି ଦେଖା ହେବ ବିବାହ ବେଦୀରେ। ଯେତିକି କହିଲେ ସେତିକି ରୁ ପାହୁଲାଏ ଯେମିତି ଉଣା ନ ହୁଏ। ନୋହିଲେ ମଙ୍ଗୁଳା ଝିଅଟି କୁ ଘରେ ଧରି ବସିବେ ଆପଣ ମାନେ। ଥଟ୍ଟା ରେ କହିଥିବା କଥାର ଗୁରୁତ୍ବ କୁ କନ୍ଯାପିତା ମାତା ଭଲରେ ଜାଣି ସାରିଥିଲେ, କେବଳ ମୁଣ୍ଡ ହଲେଇ ହଁ କଲେ।
ମକୁରୁ ଓ ପୁରୋହିତଙ୍କୁ ବିଦା କରି କନ୍ଯାପିତା ଲଥ୍ କରି ସୋଫାରେ ବସି ପଡିଲେ। ସେତେ ବେଳକୁ ରୋଷେଇ ଘରୁ ହସର ବନ୍ଯା ଭାସି ଆସୁଥିଲା। କାନ ଡେରିବାରୁ, କଣ ଶୁଣିଲେ କେଜାଣି ସେ ବି ହସି ହସି ବେଦମ୍ ହୋଇଗଲେ।
ଗାଡି କିଛି ବାଟ ଗଡିଲା ପରେ ଫୁଢୁରୁ...... ଫୁଟ୍ ଫୁଟ୍ ହୋଇ କିଛି ଗୋଟେ ଆଓ୍ବାଜ୍ ଶୁଭିଲା। ମକୁରୁ ମହାଜନେ ବିରକ୍ତିରେ ମକ୍ରମ ଆଡକୁ ଦେଖନ୍ତେ ସେ ଦାନ୍ତ ନିକୁଟାଇ କହିଲା-- ଟିକେ ବେଶି ଖାଇ ଦେବାରୁ ବାୟୁଦେବ ନିମ୍ନଗାମୀ ହୋଇଛନ୍ତି। ରାସ୍ତା ଟା ଧକଡ ଚକଡିଆ ଅଛି ତ ତେଣୁ ଆୟତ୍ତ କରି ହେଉନି। ସେତିକି ବେଳକୁ ଗାଡି ଭିତର ଟା ଦୁର୍ଗନ୍ଧରେ ରେ ଫାଟି ପଡିଲା ପରି ଲାଗିଲା। ମକ୍ରମ ସ୍ପଷ୍ଟ ଶୁଣିଲା ମହାଜନଙ୍କ  ଧୋତି ତଳୁ -- ଠୁର୍ ର୍ ର୍ ର୍ … ଟୁସ୍ ର ଶବ୍ଦ। ତା ପରେ ପରେ ଢୁଁ …....ଟୁକ୍ ଟୁକ୍  ପୁର୍ ର୍ ର୍ ର୍ । ଲାଗିଲା ଗାଡି ର ଛାତ ଟା ଉଡିଯିବ। ପାଞ୍ଚ ଦିନରେ ବାସି ମଡା ପରି ଦୁର୍ଗନ୍ଧ। କିନ୍ତୁ ମହାଜନିଆ ଲୋକ, ସେମାନେ ବାୟୁ ଛାଡିଲେ ବି ଅତର ବାସିବାକୁ ବାଧ୍ଯ। ଭିତରୁ ଉକୁଟାଇ ଆସୁଥିବା ବାନ୍ତିଟାକୁ ଯାକିମାଡି ଭିତରେ ପୁରେଇଲା ବେଳକୁ ପୁଣି ଶୁଭିଲା..........ଖୁର୍ ଖୁର୍ ଖୁର୍ ଟୁକ୍ ଠୁକ୍ ଫାର୍ ର୍ ର୍ । ଏଥର ଗନ୍ଧ ଟା ଅସହ୍ଯ। ବିକଳରେ ଗାଡି ରଖିବାକୁ କହିଲା ମକ୍ରମ। ସେତେ ବେଳକୁ  ଦୁଇ ଜଣଙ୍କ ପେଟ ଭିତରେ ଘଡଘଡି ମାରିବା ପରି ଧ୍ବନି ମାନ ଶୁଭିବାକୁ ଆରମ୍ଭ କରିଦେଲାଣି। ଉଭୟ ଜାଣି ସାରିଥିଲେ ଆଉ ବିଳମ୍ବ କଲେ, ପିନ୍ଧା ବସନ ପୀତ ରଙ୍ଗ ଧାରଣ କରିବାର ସମ୍ଭାବନା କୁ ଏଡେଇ ଦିଆ ଯାଇ ନ ପାରେ। ଏକ  ରକମ ଗାଡି ଭିତରୁ ଲମ୍ଫ ପ୍ରଦାନପୂର୍ବକ,  ଲୋକ ଦୁଇ ଟି   ପୋଖରି ମୁହାଁ ହୋଇ ଦଉଡିଲେ।  ପୋଖରି ଭିତରେ ପଶିବା ଓ ବାହାରିବା କାର୍ଯ୍ଯ ଅବାରିତ ଧାରାରେ ଚାଲିଥାଏ। କହିବା ବାହୁଲ୍ଯ, ପୋଖରି ପାଖରେ ଦୁଇଜଣ ମହାପୁରୁଷ ଅନ୍ଯ ଏକ ପୋଖରି ତିଆରିବାରେ ବ୍ଯସ୍ତ ଥିଲେ। ସେପଟରେ ଗୁଡୁମ୍ ବଳିଆରସିଂହ ର ଝିଅ କନ୍ଯା କାନରେ କହିବାର ଶୁଣାଗଲା- ଆଲୋ ମିତ, ସେ ଜୁଲାପ ଶିଶିଟା ଫିଙ୍ଗିବୁନି। ପୁଣି କିଏ ଯୌତୁକ ଲୋଭୀ ରାକ୍ଷାସ ଆସିଲେ କାମରେ ଆସିବ। ତେଣେ ମହାଜନ ଓ ପୁରୋହିତ ପିଚକାରୀ ମାରିବାରେ ନିଶ୍ଚୟ ବ୍ଯସ୍ତ ଥିବେ। ପୋଖରି ଭିତରେ ଶରୀରର ଅର୍ଦ୍ଧାଂଶ ବୁଡାଇ ଦୁଇଟି ବ୍ଯଥିତ ଆତ୍ମା ମନେମନେ ଭାବୁଥିଲେ, ଆଚ୍ଛା କନ୍ଯାଦେଖା ହେଲା ଆଜି।
*********************

No comments:

Post a Comment