Thursday, February 1, 2018
ବାପଲୋ
ଲେଖକ-ଅରବିନ୍ଦ ରଥ
ଆଜି ଯାହା ହେଲେ ବି ଡାକ୍ତରଖାନା ଯିବାକୁ ପଡିବ। ପାଞ୍ଚ ଦିନ ହେବ କାଶିକାଶି ପେଟଟା ସୁକୁଟି ଗଲାଣି। ଏବେ ତ କାଶିଲା ବେଳେ ଆଖି ଡୋଳା ବାହାରକୁ ଆସିଲା ପରି ଲାଗୁଛି। ଘଣ୍ଟାର ସେକେଣ୍ଡ କଣ୍ଟା ସହ ତାଳ ଦେଇ କାଶ ଦେହ,ମନ,ପ୍ରାଣ କୁ ମନ୍ଥି ପକଉଛି।
ପିଣ୍ଡାରେ ବସି ଜମିଦାରେ ଗାଡୁରୁ ଗାଡୁରୁ ହେବାର ଦେଖି ପତ୍ନୀ ବେଙ୍ଗୁଲୀ ଦେଇ ବଡ ସରାଗ ରେ କହିଲେ- ସହରରେ ପରା ଜ୍ବାଇଁ ପୁଅ ଅଛନ୍ତି। ଚାଲ ଦି ପ୍ରାଣୀ ଯିବା, ତୁମ ଦେହ ଦେଖା ସାଙ୍ଗକୁ ଝିଅ ଜ୍ବାଇଁ ଙ୍କୁ ଦେଖି ଆସିବା। ଦିଅଁଦେଖା ସହ କଦଳିବିକା ଏକା ସାଙ୍ଗରେ ହୋଇଯିବ।
ବାପାମାଆ ଙ୍କୁ ଘର ଦୁଆରେ ଦେଖି ଝିଅ ଜ୍ବାଇଁ ବହେ ଖୁସି ହେଲେ। ଝିଅ ଜାଣିଛି ଏ ସୁଯୋଗ ରେ ବାପ ଠୁ ବେଶ୍ ମୋଟା ଅଙ୍କର ଗାନ୍ଧି ମୁଣ୍ଡ ଝଡେଇ ହେବ। ତେଣେ ଜ୍ବାଇଁପୁଅ ମନରେ ବି ଲଡୁ ଫୁଟିଲାଣି। ଶାଶୁଶ୍ବଶୁରଙ୍କୁ ପାଦପୂଜା କରି ସନ୍ତୁଷ୍ଟ କଲେ, ଗାଁଆରେ ଥିବା ଘରବାରି ଜମି ଖଣ୍ଡକ ପାଇବାର ରାସ୍ତା ଆହୁରି ମସୃ ଣ ହୋଇଯିବ। ଜ୍ବାଇଁପୁଅ ସହରରେ କିରାଣି ଚାକିରି କରନ୍ତି। ଖାସ୍ ସରକାରୀ ଚାକିରୀ କୁ ଲୋଭ କରି ମହାଜନେ ନିଜ କିସ୍କିନ୍ଧ୍ଯା ସୁନ୍ଦରୀ, ଟେରୀ, ପୋଲିଓ ଗ୍ରସ୍ତ, ଅମାବାସ୍ଯା ଆକାଶବର୍ଣ୍ଣୀ କନ୍ଯାକୁ ବାହା ଦେଇଥିଲେ । ଟଙ୍କା ପଇସା ର ଅଭାବ ନାହିଁ। ଜମିବାଡି ର ଖାପମାପ ନାହିଁ। ଘରଦ୍ବାର ଯାହାକୁ ଯେତେ। ଗୋଟିଏ ବୋଲିି ଝିଅ କୁ ବାହା ଦେଲା ପରେ କିଛି ଦାୟୀତ୍ବ ବି ନାହିଁ।
ଜ୍ବାଇଁବାବୁ ସବୁ ହିସାବ କିତାବ କରି ବାହା ହୋଇଛନ୍ତି। ବୁଢାବୁଢୀ ଉପରକୁ ଟିକଟ କାଟିଲା ପରେ ସବୁ ସମ୍ପତ୍ତିର ମାଲିକ ସିଏ। ମହାଜନେଙ୍କ ଦେହ କଥା ଜାଣିଲା ପରେ କହିଲେ-
-- ବାପା ଜମା ବ୍ଯସ୍ତ ହେବାର ନାହିଁ। ସହର ର ସବୁଠାରୁ ବଡ ମେଡିକାଲ କୁ ଯିବା। ଆପଣଙ୍କ ପରି ଲୋକ ସାଧାରଣ ସରକାରୀ ମେଡିକାଲର ପିଣ୍ଡା ମାଡିଲେ ଚପଳ ମଇଳା କରିବା ସାର ହେବ। ମୁଁ ଆଜି ବୁଝାସୁଝା କରୁଛି। କାଲି ସକାଳୁ ଆମେ ଯିବା।
ମହାଜନ ଓ ବେଙ୍ଗୁଲୀଦେଇଙ୍କୁ ଅଟୋରେ ଲଦି ଜ୍ବାଇଁବାବୁ “ବାପଲୋ”ମେଡିକାଲରେ ପହଞ୍ଚିଲେ। ମେଡିକାଲ ଦେଖି ମହାଜନଙ୍କ କାଶ ବନ୍ଦ ହୋଇଗଲା। ମେଡିକାଲ ନୁହଁ ତ କାଚ ମହଲ। ଜଗତ ଜାକ ର କାଚ ଖୋସି ହେଇଯାଇଛି। କେତେ ମହଲା ଗଣିଲା ବେଳକୁ ଆଖି ସୂର୍ଯ୍ଯ ଦେବଙ୍କ କିରଣରେ ବିନ୍ଧି ହୋଇଯାଉଛି। କିନ୍ତୁ ନାମ ଟା ବାପଲୋ କାହିଁକି ବୋଲି ପଚାରନ୍ତେ,
ଜ୍ବାଇଁ କହିଲେ-- ମେଡିକାଲର ମାଲିକଙ୍କ ବାପା ଏଇ ଯାଗାରେ ଇହଧାମ ତ୍ଯାଗ କରିଥିଲେ। ମଲା ବେଳକୁ କଷ୍ଟରେ ଖାଲି “ବାପଲୋ” “ବାପଲୋ”ରଡି ଛାଡୁଥିଲେ। ତାଙ୍କ ବାପାଙ୍କ ସହ ସେଇ ଶେଷ ଡାକ କୁ ଅମର କରିବା ପାଇଁ ମେଡିକାଲର ନାମ “ବାପଲୋ” ରଖାଯାଇଛି।
ଭିତରେ ପଶିଲା ବେଳକୁ ଦେହଟା ଜାଡ ମାରିଗଲା। ଚାରିଆଡେ ଏସି ଗୁଡାକ ଆମ୍ବଗଛରେ ଆମ୍ବ ଖୁନ୍ଦିଲା ପରି ବିଚ୍ଛାଡି ହୋଇ ପଡିଛି। ଯାହାକୁ ଦେଖିବ ଧୋବ ଫରଫର ପୋଷାକ ପିନ୍ଧି ଚକଚକିଆ ମାର୍ବଲ ପିଣ୍ଡାରେ ଠାକୁଠାକୁ ଶବ୍ଦ କରି ଚାଲୁଛନ୍ତି। ସବୁ ଭୀଷଣ ବ୍ଯସ୍ତ। ଝିଅ ଡାକ୍ତରମାନଙ୍କ ବେଶର ପଟ୍ଟାନ୍ତର ନାହିଁ। ସାମ୍ପୁକରା କେଶ ସବୁ ଘୋଡା ଲାଞ୍ଜ ପରି ଉଡେଇ ମେଡିକାଲଟିରେ ରକେଟ୍ ପରି ଛୁଟୁଛନ୍ତି। ମହାଜନଙ୍କୁ ସେ ଜାଗା ଟା ଗୋଟେ ଦର୍ଶନୀୟ ସ୍ଥାନ ପରି ଲାଗିଲା।
ଡାକ୍ତରଙ୍କ କୋଠରି ବାହାରେ ଅପେକ୍ଷା କଲା ବେଳକୁ ନାମଫଳକ ଟା ଆଖିରେ ପଡିଲା। ଡାକ୍ତରଙ୍କ ଏତେ ଉପାଧି ଯେ ସେ କାଠ ପଟାରେ ଜାଗା ଧରୁନି। ତଳେ ଆଉଗୋଟେ ଧାଡି କରି ସାନ ଅକ୍ଷରରେ ଲେଖା ଯାଇଛି। ନିହାତି ଭାବରେ ଜଣେ ବିଦ୍ବାନ ଓ ଗୁଣୀ ମଣିଷ ହୋଇଥିବେ। ମହାଜନଙ୍କ ନାମ ଡାକିଲା ବେଳକୁ ଜ୍ବାଇଁ ପୁଅ କହିଲେ-- ଆପଣଙ୍କ ପାଳି ପଡିଲା। ଏବେ ଡାକ୍ତର ଦେଖାଦେଖି କରି କହିବେ କଣ ହୋଇଛି। ମୁଁ ଟିକେ ଅଫିସ୍ ରେ ମୁହଁ ଦେଖେଇ ଦେଇ ଆସୁଛି। କାମ ସରିଗଲେ ଆପଣ ଅପେକ୍ଷା କରିଥିବେ। ମୁଁ ଆସିଲେ ମିଶିକରି ଯିବା। କାଳେ ମେଡିକାଲରେ ମନିପର୍ସଟା ପତଳା ହୋଇଯିବ ସେଇ ଭୟରେ ମହାଜନଙ୍କୁ ଛାଡି ଜ୍ବାଇଁ ଚମ୍ପଟ ମାରିଲେ।
ଡାକ୍ତରଙ୍କୁ ଦେଖି ମହାଜନେ ଘାଇଲା ହୋଇଗଲେ। ଦେଖିଲେ ଲାଗୁଛି ଏଇ କିଛି ଦିନ ହେବ ନାକ ତଳେ ନିଶ ଗଜୁରୁଛି। ମୁହଁଟି ରାଧୁ ଗୁଡିଆର ପାଞ୍ଚ ଟଙ୍କିଆ ବରା ଠାରୁ ଟିକେ ବଡ। ଆଖି ଦୁଇଟି ନେଉଳ ଆଖି ପରି ଢଳଢଳ। ନିଶ ନଥିଲେ କଣ ହେବ କଲି ଗୁଡା ଖଣ୍ଡା ପରି ଗାଲର ଦୁଇ ପଟକୁ ଝୁଲି ରହିଛି। ବେକରେ ହୃଦ୍ କମ୍ପନମାପକାରୀ ଯନ୍ତ୍ର ପକେଇ ଘୂର୍ଣ୍ଣାୟମାନ ଚଉକିରେ ବସି ଜୁଳୁଜୁଳୁ ଚାହିଁଛି। ମହାଜନେ ମନେମନେ ଭାବିଲେ ଯାହା ହେଲେ ଏତେ ବଡ ଡାକ୍ତରଖାନାର ଡାକ୍ତର, ରୂପ ଯାହା ହେଲେ କଣ ଯାଏ ଆସେ। ନିହାତି ଭଲ ଡାକ୍ତର ଟେ ହୋଇଥିବ।
ଛାତି ଓ ପିଠି ଉପରେ ଯନ୍ତ୍ର ପକେଇ ଜୋରରେ ନିଶ୍ବାସ ନେବାକୁ ନିର୍ଦ୍ଦେଶ ଆସିଲା ପରେ, ମହାଜନେ ମଇଁଷି ପରି ସଁ ସଁ ହୋଇ ନିଶ୍ବାସ ନେଲେ। ଡାକ୍ତର ଦାନ୍ତ ଦେଖେଇ ମହାଜନଙ୍କର ବଂଶାବଳୀ ଠାରୁ ଆରମ୍ଭ କରି ସମ୍ପତ୍ତି ତାଲିକାର ତଥ୍ଯ ନେଇଗଲେ।
କହିଲେ-- ବ୍ଯସ୍ତ ହୁଅନ୍ତୁ ନାହିଁ ଆଜ୍ଞା, ଯେଉଁ ରୋଗ ବି ହୋଇଛି ଆମେ ଭଲ କରିଦେବୁ। ଆପଣଙ୍କ ପରି ବଡବଡିଆଙ୍କ ପାଇଁ ଆମ “ବାପଲୋ”ମେଡିକାଲରେ ସବୁ ବ୍ଯବସ୍ଥା ଅଛି। ଯମରାଜ ଙ୍କୁ ଆମ ମେଡିକାଲ ମନା। ସେ ଏଠି ପାଦ ବି ପକେଇ ପାରିବେନି। ଆମେ ତାଙ୍କ ମରଣଫାଶରୁ କେତେ ରୋଗୀଙ୍କୁ ଭିଡି ଓଟାରି ଟାଣି ଆଣିଛୁ ତାର ହିସାବ ନାହିଁ। ଶାନ୍ତିରେ ନିଶ୍ବାସ ମାରିଲେ ମହାଜନେ। ମନଟା ହାଲୁକା ହୋଇଗଲା। ଏତେ ବଡ ଡାକ୍ତର ତାଙ୍କୁ ଆପଣ କହି କେତେ ମିଠା କଥା କହିଲେ ଓ ପ୍ରଶଂସା ବି କଲେ।
ଛେପଢୋକି ମହାଜନ କଣ ରୋଗ ବୋଲି ପଚାରନ୍ତେ ଡାକ୍ତର ତାଙ୍କ ହାତକୁ ଏକ ଚିଠା ବଢେଇ ଦେଲେ। ସେ ଚିଠାରେ ରଚନା ଲେଖା ହୋଇଥିଲା କି କଣ, ଆରମ୍ଭରୁ ଶେଷ ଯାଏ ବାଇଗଣ ମଞ୍ଜି ପରି ଅକ୍ଷରରେ ଖୁନ୍ଦାଖୁନ୍ଦି ହୋଇ କେତେ କଣ ଲେଖା ହୋଇଥିଲା। ବୁଝି ନ ପାରିବାର ମୁହଁ କରି ମହାଜନେ ଡାକ୍ତର ମୁହଁ କୁ ଚାହିଁଲେ।
– ବ୍ଯସ୍ତ ହୁଅନ୍ତୁନି ଆଜ୍ଞା। ଏ ଚିଠାରେ ମୁଁ କଣ ସବୁ ପରୀକ୍ଷା କରାଯିବ ଲେଖିଦେଇଛି। ଟଙ୍କାଜମା କରି ସବୁ ପରୀକ୍ଷା ସାରି ଦିଅନ୍ତୁ। ସନ୍ଧ୍ଯା ବେଳେ ରିପୋର୍ଟ ଆଣି ମୋତେ ଦେଖେଇଲେ ମୁଁ ଓୌଷଧ ଲେଖି ଦେବି।
– କିନ୍ତୁ ଆଜ୍ଞା ମୋର ରୋଗ କଣ ଟିକେ କୁହନ୍ତୁ....
ଡାକ୍ତର କିଛି ନ ଶୁଣିଲା ପରି ବେଲ୍ ଚିପିଲେ। ଆଉ ଜଣେ ରୋଗୀ କବାଟ ଖୋଲି ଧସେଇ ପଶିଲା ଓ ମହାଜନେ ବାଧ୍ଯରେ ବାହାରକୁ ଆସିଲେ। କଣ କରିବେ କିିଛି ଜାଣି ପାରୁନାହାଁନ୍ତି। ସେଇ ସମୟରେ ଜଣେ କୋକିଳକଣ୍ଠୀ ଝିଅ ଆସି ମହାଜନଙ୍କୁ ଏକ ଜାଗାକୁ ଏକ ପ୍ରକାରେ ଭିଡି ନେଲା ଓ ସେ ଚିଠାକୁ ଦେଖିବାରେ ଲାଗିଲା। ମହାଜନଙ୍କ ମୁହଁ କୁ ଚାହିଁ କହିଲା – ମଉସା, ଡାକ୍ତର ଯାହା ପରୀକ୍ଷା ପାଇଁ ଲେଖିଛନ୍ତି, ସେ ସବୁ ବାବଦରେ କୋଡିଏ ହଜାର ଟଙ୍କା ଜମା କରନ୍ତୁ।
– ଏତେ ଟଙ୍କା କଥା ଶୁଣି ମହାଜନଙ୍କ ପାଟି ଆଁ ହୋଇ ରହିଗଲା। କିନ୍ତୁ ଏତେ ପଇସା ର କଣ ପରୀକ୍ଷା ହେବ ?
– ସେ କଥା ମୁଁ ଜାଣିନି, ଜଲଦି ପଇସା ଜମା କରନ୍ତୁ। ଯାହା ବୁଝିବାର ଅଛି ଡାକ୍ତରଙ୍କଠୁ ବୁଝନ୍ତୁ। ଆମ କାମ ହେଲା ପଇସା ନେଇ ପରୀକ୍ଷା କରାଇବା।
ମୁଣ୍ଡକାନ ଆଉଁସି ଟଙ୍କା ଜମା କଲେ ମହାଜନେ। ବେଙ୍ଗୁଲୀ ଦେଇ କିଛିି ବୁଝି ନ ପାରି ଖାଲି ବଲବଲ ହୋଇ ଚାହିଁ ରହିଥାନ୍ତି। ସେ ଝିଅଟି ଜଣେ ପିଲା କୁ ଇସାରା ଦେଲା ପରେ, ଗୋଟେ ଚକଲଗା ଚଉକିରେ ମହାଜନଙ୍କୁ ବସେଇ ପିଲାଟି ମେଡିକାଲ ଭିତରେ ଗାଈ ପରି ଚରିଗଲା। କିଏ ଛୁଞ୍ଚି ଫୋଡି ରକ୍ତ ଟାଣି ନେଉଛି ତ କିଏ ଛାତି, ପେଟ ଉପରେ ମଣ୍ଡିଆ ଜାଉ ପରି ଜିନିଷ ଲଗେଇ ସେମିନ୍ ଟେ ବୁଲେଇ ଦେଉଛି। କିଏ ହାତ ଚାରିପଟେ ପଟିଟେ ବାନ୍ଧି ବେଲୁନ୍ ଫୁଙ୍କିଲା ପରି ପବନ ଠେସି ଚାଲିଛି ତ କିଏ ମହାଜନଙ୍କୁ ଝାଡା,ପରିଶ୍ରା କରେଇ ନମୂନା ସଂଗ୍ରହ କରୁଛି। ସେ ଚକଲଗା ଚଉକିରେ ବସି ମହାଜନେ ମେଡିକାଲର ତଳ ଉପର ଘିରିଘିରି ହୋଇ ବୁଲି ସାରିଲେଣି। କାଶିବାକୁ ବି ତର ନାହିଁ। ସେ ଜାଣି ପାରୁ ନ ଥାନ୍ତି ସାମାନ୍ଯ କାଶ ପାଇଁ ତାଙ୍କ ଦେହଟାକୁ ଦଶହରା ପଡିଆରେ ବାଉଁଶ ପୋତିଲା ପରି କାହିଁକି ଗେଞ୍ଜିଗାଞ୍ଜି ପକଉଛନ୍ତି।
ପେଟରେ ଦାନା ଟେ ବି ପଡିନି। ସକାଳୁ ଉପାସ କରିଛନ୍ତି ମେଡିକାଲ ଆସିବା ପାଇଁ। ବେଙ୍ଗୁଲୀ ଦେଇଙ୍କ ଅବସ୍ଥା ନ କହିବା ଭଲ। ସେ ଘଣ୍ଟାରେ ଚାରିି ଥର କିଛି ନା କିଛି ପାଟିରେ ପକାଇବା ଲୋକ। କିନ୍ତୁ ଆଜି ଖାଡା ଓପାସ। ଶୋଷରେ ତଣ୍ଟି ଶୁଖି ଯାଉଛି। ସେ ରଥ ପଛରେ ଭକ୍ତ ଦଉଡିଲା ପରି ମହାଜନଙ୍କ ପଛରେ ଗୋଡେଇ ହାଲିଆ ହୋଇ ସାରିଲେଣି।
ଏତେ ବେଳ ଯାଏ ଜ୍ବାଇଁ ପୁଅଙ୍କର ସାକ୍ଷାତ ନାହିଁ। କଣ କାମ ପଡି ଯାଇଥିବ ବୋଧେ। ସବୁ ପରୀକ୍ଷା ସାରି ରିପୋର୍ଟ ପାଇଲା ବେଳକୁ ସଞ୍ଜ ବୁଡିବା ଉପରେ ହେଲାଣି। ମେଞ୍ଚେ କାଗଜ ଧରି ମହାଜନେ ପୁଣି ଯାଇ ସେ ଡାକ୍ତରଙ୍କ କୋଠରି ବାହାରେ ଅଧିଆ ପଡିଲେ। ପାଖାପାଖି ଅଧଘଣ୍ଟା ପରେ ଡାକରା ପାଇ ଭିତରକୁ ଗଲା ବେଳକୁ, ଡାକ୍ତର ଗୋଟିଏ ଝିଅ ସହ ହସଗମାତରେ ବ୍ଯସ୍ତ। ଆଖି ନଚେଇ ପଚାରିଲେ
--ସବୁ ପରୀକ୍ଷା ସରିଲା ତ।
ମହାଜନେ ମୁଣ୍ଡଟୁଙ୍ଗାରି ରିପୋର୍ଟତକ ବଢେଇ ଦେଲେ। ପରୀକ୍ଷାହଲରେ ପ୍ରଶ୍ନପତ୍ର ପାଇଲା ପରେ ପିଲେ ଯେମିତି ଆଖି ପୁରେଇ ସବୁ ପଢି ପକାନ୍ତି, ଡାକ୍ତର ଗୋଟେ ନିଶ୍ବାସରେ ସବୁ ପଢିଗଲେ। ମୁହଁ କୁ ପ୍ରସବବେଦନିଆ ନାରୀ ପରି କରି କହିଲେ
-- ସମସ୍ଯା ଗମ୍ଭୀର। ଏତେ ପରୀକ୍ଷା ପରେ ବି ରୋଗ ର ଅସଲ କାରଣଟା ମିଳିଲାନି। ଆପଣ କାଲି ସକାଳେ ଆଉଥରେ ଖାଲି ପେଟରେ ଆସନ୍ତୁ। ଆଉ କିଛି ପରୀକ୍ଷା ବାକି ଅଛି। କାଲି କି କରେଇ ଦେବା। କାଲି ନିହାତି ଜଣା ପଡିଯିବ।
ଟିକେ ତାଗିଦ୍ କଲା ପରି ସୂଚାଇ ଦେଲେ ଯେ – ଅବହେଳା କଲେ ଜୀବନ ପ୍ରତି ବିପଦ ଅଛି। ନିହାତି କିଛି ଗୋଟେ ଗମ୍ଭୀର ରୋଗ ଆପଣଙ୍କୁ ଗ୍ରାସ କରିଛି। ନୋହିଲେ ଏତେ ପରୀକ୍ଷା କଲା ପରେ ବି ସେ ରୋଗ ଟା ଦେହ ରେ କେଉଁ କଣରେ ଲୁଚି ବସିଛି ଜଣା ପଡୁନି କଣ ପାଇଁ। ଆପଣ ନିଶ୍ଚିନ୍ତ ହୋଇ କାଲି କି ଆସନ୍ତୁ। ଆମ “ବାପଲୋ” ହସପିଟାଲ ର ନିୟମ ହେଲା ରୋଗ ଯେତେ ଭିତରେ ଲୁଚିଥାଉ ପଛେ ଆମେ ତାକୁ କାଢି ବାରେ ଅଭ୍ଯସ୍ତ।
ଏତିକି କହି ସେ ପୁଣି ଖୁସି ଗମାତ ରେ ମାତିଲେ।
ମହାଜନେ କିଛିି ପଚାରିବାକୁ ଚାହୁଁ ଥିଲେ, କିନ୍ତୁ ଡାକ୍ତରବାବୁ ମୁହଁଟାକୁ ଧାନଉସୁଆଁ ହାଣ୍ଡିପରି କରି କହିଲେ-- ଏଥର ଆପଣ ଯାଆନ୍ତୁ। ବାକି କଥା କାଲି ଆସିଲାପରେ ହେବେ।
କୋଠରୀ ବାହାରିବା ମାତ୍ରେ ଜଣେ ନହନହକା ପିଲା ଧାଇଁ ଆସି କହିଲା-- ଆଜ୍ଞା ହଜାରେ ଟଙ୍କା ଦିଅନ୍ତୁ। ଡାକ୍ତରଙ୍କ ସହ ସକାଳେ ଓ ସଞ୍ଜବେଳେ କଥା ହେବାର ଫିସ୍ ଟା।
ରାଗରେ ଦାନ୍ତ କଡମଡ କଲେ ବି ମହାଜନଙ୍କ ପାଟି ରୁ ବଚନ ବାହାରୁ ନ ଥିଲା। ବେଙ୍ଗୁଲୀ ଦେଇ ବି ମହାଜନଙ୍କ ବିକଳ ଅବସ୍ଥା ଦେଖି ଆଖି ଦୁଇଟି ପାଣିଚିଆ କରିସାରିଥିଲେ। କିନ୍ତୁ ଉପାୟ କିଛି ନାହିଁ। “ବାପଲୋ” ମେଡିକାଲ୍ ରେ ପଶିଛନ୍ତି ମାନେ ବାପଲୋ ମାଆଲୋ ଡାକିବା ପାଇଁ ବାଧ୍ଯ। ବଡ କଷ୍ଟରେ ଦୁଇଖଣ୍ଡ କଡକଡିଆ ପାଞ୍ଚ ଶହ ଟଙ୍କିଆ ନୋଟ୍ ସେ ପିଲା ହାତ କୁ ବଢେଇ ଦେଲା ବେଳକୁ ଜ୍ବାଇଁ ମହାଶୟ ପହଞ୍ଚିଲେ।
ଜ୍ବାଇଁ କିଛି କହିବା ଆଗରୁ ମହାଜନେ କହିଲେ
– ପୁଅ ଜଣେ ଲୋକ ମୋତେ ଆସି ଖବର ଦେଲା, ଗାଁଆରେ କଣ ଗୋଟେ ବିଷୟ କୁ ନେଇ ଗଣ୍ଡଗୋଳ ହୋଇଛି। ସାଙ୍ଗେସାଙ୍ଗେ ଯିବାକୁ ହେବ। ଆମକୁ ଟିକେ ବସଷ୍ଟାଣ୍ଡରେ ଛାଡି ଦିଅ।ତାଙ୍କ ସାଙ୍ଗକୁ ବେଙ୍ଗୁଲୀଦେଇ ବି ପାଳି ଧରିଲେ।
ଏତେ ବଡ ଶିକାର ହାତ ପାଖରୁ ଖସି ଯିବାର ଦୁଃଖ ସହ୍ଯ କରିବା ଅସମ୍ଭବ ହେଲେ ବି ଜ୍ବାଇଁ ମୁହଁରେ ଏଣ୍ଡୁଅପାଟିଆ ହସ ଉକୁଟାଇ କହିଲେ
-- ଆପଣ ମାନେ ପଳେଇଲେ ଆପଣଙ୍କ ଝିଅର ମନ ଭୀଷଣ ଦୁଃଖହେବ। ଘରକୁ ଚାଲନ୍ତୁ, ତା ପରେ ବିଚାର କରିବେ। ମହାଜନଙ୍କ ରୁକ୍ଷ ମୁହଁ ଦେଖି ତେଲ ମାରିବା ଭଙ୍ଗୀରେ କହିଲେ – ଆଜି ରାତିରେ ଦେଶି କୁକୁଡା ଟିକେ କରିବାକୁ ବ୍ଯବସ୍ଥା କରିଛି। ସକାଳୁ କିଛିି ଖାଇ ନାହାଁନ୍ତି, ତେଣୁ.........
ଜ୍ବାଇଁ ଙ୍କ ତେଲ ପିମ୍ପା କୁ ଅଧାରେ ଢାଳିଦେଇ ମହାଜନ ଟିକେ ଚଢାଗଳାରେ କହିଲେ
– କହିଲି ପରା ଜରୁରୀ କାମ ଅଛି। ବସଷ୍ଟାଣ୍ଡ କୁ ଚାଲ। ସବୁ କାମ ସରିଲା ମୋ ଦେହ ବି ଠିକ୍ ହୋଇଗଲା। ଯାହା ହେଉ ତୁମେ ଏତେ ବୁଝାବୁଝି କରି ମୋତେ ଏଇ ମେଡିକାଲ୍ କୁ ଆଣିଲ। ଯିଏ ବି ନାମକରଣ କରିଛି “ବାପଲୋ” ବୋଲି ପୁରା ଠିକ୍ କରିଛି। ଥରେ ବାହାରକୁ ଆସିଲେ ମୁହଁ ରୁ ସେଇ ଗୋଟିଏ ଡାକ ବାହାରୁଛି “ବାପଲୋ”।
କିଛି ବୁଝି ନ ପାରି ଜ୍ବାଇଁ କାନ କୁଣ୍ଡେଇଲେ ଓ ଶାଶୁ ଶ୍ବଶୁରଙ୍କୁ ନେଇ ବସଷ୍ଟାଣ୍ଡ ଆଡକୁ କ୍ଷେପିଲେ। ସେ ଯାହା ବି ହେଉ କିନ୍ତୁ “ବାପଲୋ” ମେଡିକାଲ ହତା ମାଡିବା ପରେ ମହାଜନଙ୍କ କାଶ ପୁରା ବନ୍ଦ ହୋଇଗଲା।
*********************************
Subscribe to:
Post Comments (Atom)
No comments:
Post a Comment