ଲେଖକ : ଅରବିନ୍ଦ ରଥ
ସକାଳୁ ସକାଳୁ ରାମଘର ଆଗରେ ଜନସମୁଦ୍ର। ପୋଲିସଗାଡି ଠିଆ ହୋଇଛି। ଆମ୍ବୁଲାନସ୍ ପାଖରେ କିଛି ଲୋକ ଠିଆ ହୋଇଛନ୍ତି। ଧଳାଚାଦର ଘୋଡାଯାଇ ତିନିଟି ରକ୍ତାକ୍ତ ମୃତଶରୀର ସେଇ ଆମ୍ବୁଲାନସ୍ ପାଖରେ ରଖାଯାଇଛି। ଲୋକଙ୍କ ଭିତରେ ଅସମ୍ଭବ ଉତ୍କଣ୍ଠା। ଘଟଣା କଣ ଜାଣିବାକୁ ସମସ୍ତେ ବ୍ଯଗ୍ର। ଭିତରୁ ଶୁଭୁଥାଏ ଏକ ନାରୀର ବୁକୁଫଟା ଚିତ୍କାର। ମୋତେ ଛାଡି ଯାଆନି ରେ ଧନ, ମୋ ଜୀବନ ତୁ.....ଯଦି ତୁ ଚାଲିଯିବୁ, ମୁଁ ଏ ଜୀବନ ଆଉ ଧାରିବି ନାହିଁ। ଏଇ ଶୁଣୁଛ, କିଛି କର। ମୋ ଧନ କୁ ବଞ୍ଚେଇ ଦିଅ।
ଆରେ ଏ ତ କମଳାର ସ୍ବର ପରି ଶୁଭୁଛି। ତେବେ କଣ ରାମର ପୁଅ..........
----------------------------------------------------------------------------
ସେଦିନ ରାତିରେ ଭୟଙ୍କର ବର୍ଷା। ଆକାଶରେ ବିଜୁଳିର ଚମକ ରାତ୍ରିର ଅନ୍ଧକାର ଦୂର କରେଇବା ପାଇଁ ଯଥେଷ୍ଟ ଥିଲା। ବର୍ଷାର ଟୋପା ଗୁଡିକ ତୀର ପରି ଦେହରେ ଭେଦ କରୁଥାଏ । ପାଖ ଗାଁଆକୁ ଯାତ୍ରା ଦେଖିବାକୁ ଯାଇଥିଲେ ବାପପୁଅ। ଯିବା ବେଳକୁ ଆକାଶ ଥିଲା ସମ୍ପୂର୍ଣ୍ଣ ପରିଷ୍କାର। କିନ୍ତୁ କିଛି ସମୟ ଭିତରେ ସବୁ କିଛି ଓଲଟପାଲଟ ହୋଇଗଲା। ଖରାଦିନ ଟାରେ ଏମିତି ବାଦଲଫଟା ବର୍ଷା ହେବ କିଏ ବା ଜାଣି ଥିଲା। ପେଣ୍ଡାଲ ଉପରେ ଯାତ୍ରା ଆରମ୍ଭ ହୋଇଛି କି ନାହିଁ, ଏମିତି କାଚି ଦେଲା ବର୍ଷା ଯେ, କଳାକାର ମାନଙ୍କର ପାଉଡର ବୋଳା ମୁହଁରୁ ସବୁ ରଙ୍ଗ ଉତୁରି ଗଲା। ଯାତ୍ରା ହିରୋଇନ୍ ମାନଙ୍କର ମୁହଁରେ ଲାଗିଥିବା କଜ୍ଜଳ, ପାଉଡର, ଲିପଷ୍ଟିକ୍ ଓ ଆହୁରି କେତେ ସାମଗ୍ରୀ ବର୍ଷା ପାଣିରେ ବତୁରି ବୋହିବାକୁ ଲାଗିଲା। ଉର୍ବଶୀ ପରି ଦିଶୁଥିବା ନାରୀମୂର୍ତ୍ତି ମାନେ କିଛି ସମୟ ଭିତରେ ହିଡିମ୍ବା, ସୃପଣଖା ରୂପ ଧାରଣ କଲେ। ଠିକ ସେହି ସମୟରେ ଜେନେରେଟର ବି ଖରାପ ହୋଇଗଲା। ଅଗତ୍ଯା ଲୋକେ ଛିନଛତର ହୋଇ ଯିଏ ଯୁଆଡେ ପାରିଲେ ଦଉଡିଲେ ବର୍ଷାରୁ ବଞ୍ଚିବା ପାଇଁ।
ରାମ କେତେ ସରାଗ ରେ ପୁଅ କୁ ନେଇ ଯାଇଥିଲା ଯାତ୍ରା ଦେଖିବାକୁ। ସବୁ ଆଶା , ବର୍ଷା ପାଣିରେ ଧୋଇଗଲା। ରାଜୁ - - ବୟସ ଜମା ୧୦ । ଭାରି ଗୁଲୁଗୁଲିଆ ପିଲାଟା- - ତାକୁ ଥରେ ଦେଖିଦେଲେ ମନ ପୁରିଯିବ। ରାମ ର ଏକୋଇର ବଳା ବିଶିକେସନ ସେ। ବାପା, ମାଆ ଓ ପିଲା କୁ ନେଇ ହସଖୁସିର ସଂସାର। ସ୍ତ୍ରୀ କମଳାଟିକେ ମୁଖରା ହେଲେ ବି ତା ଅନ୍ତରରେ ସ୍ନେହର ଝରଣା ଅନବରତ ବୋହୁଥାଏ। ମନେମନେ ହସୁଥିଲା ରାମ। କମଳା ସହ କଳି ଲାଗି ପୁଅକୁ ନେଇ ଆସିଥିଲା ଯାତ୍ରା ଦେଖିବାକୁ। କିନ୍ତୁ ଇନ୍ଦ୍ରଦେବତା ଦାଉ ସାଧିଲେ।
ରାସ୍ତା ଉପରେ ଛୁଟୁଥିଲା ବର୍ଷାପାଣିର ଫୁଆରା। ରାଜୁ ପାଣିରେ ଛପଛପ କରି ଡିଆଁମାରି ଦୌଡୁଥାଏ। ହଠାତ୍ ବୁଦା ଭିତରୁ କିଛି ଶବ୍ଦ ଶୁଣି ସେ ଠିଆ ହୋଇଗଲା । ଭଲ କରି କାନେଇ ଶୁଣିବାରୁ ଶୁଭିଲା ଏକ କୁକୁରର କୁଁ କୁଁ ଶବ୍ଦ।
--- ବାପା, ଆସ ଦେଖିବ , ଏ ବୁଦା ଭିତରୁ କୁକୁରଟେ କୁଁ କୁଁ କରୁଛି।
ରାମ କଥାଟାକୁ ଆଡେଇ ଦେଇ କହିଲା--
– ଆରେ ବର୍ଷାରେ ଭିଜି ଯାଇଥିବ। ସେ ମନ କୁ ମନ ଯିବ, ତାକୁ ଦେଖି କି ଲାଭ। ଚଞ୍ଚଳ ଚାଲେ ଯିବା। ତେଣେ ବୋଉ ଘରେ ବ୍ଯସ୍ତ ହେଉଥିବ।
ରାମ କଥା ନ ଶୁଣି ରାଜୁ ବୁଦା ଭିତରୁ କୋଳେଇ ଆଣିଲା ସେ କୁକୁର ଛୁଆଟିକୁ। ଅଣ୍ଟିରେ ଜାକି କହିଲା
– ଚାଲ ବାପା ଜଲଦି ଘରକୁ ଯିବା।
ରାମ ମନରେ ସେ କୁକୁରକୁ ଦେଖିବାକୁ କୌଣସି ଆଗ୍ରହ ନ ଥିଲା। ଭାବିଲା,ରାଜୁ ସେ କୁକୁର କୁ ଘରେ ପହଞ୍ଚିବା ପରେ ବଳେ ଛାଡିଦେବ। ମଣିଷ ସ୍ପର୍ଶ ପାଇ କୁକୁରଟି ବି ଚୁପ୍ ହୋଇଗଲା। ବାପ,ପୁଅ ଓ କୁକୁର ଛୁଆ ଓଦା ସରସର ହୋଇ ଘରେ ପହଞ୍ଚିଲେ। ଘରେ ପାଦ ନ ଦେଉଣୁ କମଳା ଗରଗର ହୋଇ ବହେ ଶୋଧାବକା କରିଗଲା। ପୁଣି ସେ କୁକୁର ଛୁଆ କୁ ଦେଖି ତା ରାଗ ଆହୁରି ବଢିଗଲା।
ସେ ରାଜୁକୁ କହିଲା କୁକୁର ଛୁଆଟାକୁ ନେଇ ବାହାରେ ଛାଡି ଦେବା ପାଇଁ। କିନ୍ତୁ ରାଜୁର ଏକା ଜିଦି।
-- ସେ ଆମ ଘରେ ରହିବ। ମୋ ସାଙ୍ଗ ମାନେ ସବୁ କୁକୁର ପାଳିଛନ୍ତି। ମୁଁ ବି ୟାକୁ ପାଳିବି। କହି କୁକୁରଟିକୁ ଆଉଁସି ଦେଉଥାଏ।
ଘରେ ଜଳୁଥିବା ଡିବିରି ଆଲୁଅରେ ରାମ ଦେଖିଲା କୁକୁର ଛୁଆଟିକୁ। ରଙ୍ଗ ତାର ସମ୍ପୂର୍ଣ୍ଣ ଧଳା। ଡଉଲଡାଉଲ ମୁହଁଟିରେ ଦୁଇଟି କଳାଆଖି ଖୁବ ମାନୁଥିଲା। ଦେହରେ ନରମ ଗଦି ପରି ଲୋମ। ତା ସାଙ୍ଗକୁ ବେକରେ ଲାଗିଛି ଏକ ନାଲି ରଙ୍ଗର ବେଲ୍ଟ। ଭଲ କରି ନିରେଖି ଦେଖିଲା ସେଇ ବେଲ୍ଟରେ ଝୁଲିଥିଲା ଏକ ଲକେଟ୍ ଓ ସେଥିରେ ଲେଖାଥିଲା “ଟିପୁ”। ନିହାତି କାହାର ପୋଷା କୁକୁର ହୋଇଥିବ। ଦେଖିଲେ ଲାଗୁଛି ପୁରା ଜାତିଆ କୁକୁରଟା। ନିଜ ଅଜାଣତରେ ରାମ, ରାଜୁର ପକ୍ଷ ନେବା ଆରମ୍ଭ କରିଦେଲା। କମଳା କୁ କହିଲା--
– ଓହୋ, ଯଦି ପିଲାଟିର ମନ ଅଛି ତାକୁ ଆମେ ପାଳିବା। ଅସୁବିଧା କଣ? ଆଜି କାଲି ଦୁନିଆରେ କୁକୁରଟେ ସବୁ ଘରେ ଥିବା ନିହାତି ଦରକାର। କିଛି ନହେଲେ ଚୋର ଦାଉରୁ ତ ରକ୍ଷା ମିଳିବ।
କିଛି ନ କହି ମୁହଁ ମୋଡି ଚାଲିଗଲା କମଳା। ବାପା ମାଆ କଣ କଥା ହେଉଛନ୍ତି, ସେ ବିଷୟରେ ନିଘା ନ ଥିଲା ରାଜୁର, ସେ ତ କୁକୁର ସହ ଖେଳିବାରେ ବ୍ଯସ୍ତଥିଲା। ରାମ କୁକୁର ଆଡକୁ ହାତ ବଢେଇଲା ଓ କୁକୁରଟି ସାଙ୍ଗେସାଙ୍ଗେ ହ୍ଯାଣ୍ଡସେକ କରିବାକୁ ବଢାଇଦେଲା ଗୋଟିଏ ଗୋଡ। ବାସ ସେତିକି ରେ ରାମ ପୁରା କୃତ୍ଯକୃତ୍ଯ ହୋଇଗଲା। କହିଲା – ଆଜିଠୁ ତୁ ମୋ ଘରେ ରହିବୁରେ ଟିପୁ। ତୁ ମୋ ଘରର ଗୋଟେ ସଦସ୍ଯ। କଣ ବୁଝୁଥିଲା ଟିପୁ କେଜାଣି, ଲାଙ୍ଗୁଡ ହଲେଇ ରାମଆଡକୁ ବଡ ଆଗ୍ରହ ସହକାରେ ଚାହିଁ ରହିଥିଲା।
ଆରେ ଟିପୁ ତ କିଛି ଖାଇ ନ ଥିବ। ଏତେ ସମୟ ବର୍ଷାରେ ଭିଜି ଯାଇଛି ପରା। ତାକୁ ପୋଛାପୋଛି କରି ଉଷୁମ କ୍ଷୀର ପିଇବାକୁ ଦେଲେ ବୋଧେ ସୁସ୍ଥ ଅନୁଭବ କରିବ। କମଳା କଣ ଭାବିଲା କେଜାଣି ଗୋଟେ ଗିନାରେ ଟିକେ କ୍ଷୀର ଆଣି ଟିପୁ ଆଗରେ ଥୋଇଦେଇ କହିଲା--
– ତୁମ ବାପ ପୁଅଙ୍କ କର୍ମର ଦଣ୍ଡ ଏ ବିଚରା କାହିଁକି ସହିବ। ସେ ଖାଇପିଇ ଥାଉ ଘରେ, ମୋର କଣ ଯାଉଛି।
ରାମ କଣେଇ ଚାହିଁଲା କମଳା ମୁହଁକୁ। ତା ମୁହଁରୁ ଝରି ପଡୁଥିଲା ଗୋଟେ ମାଆର ସ୍ନେହ। ଅଜାଣତରେ କମଳା ଉଠାଇ ନେଲା ଟିପୁ କୁ ନିଜ କୋଳକୁ। ରାମ ଆଡେ ଚାହିଁ କହିଲା-
– ମୁଁ ଯେତେ ବେଳେ ପିଲା ଥିଲି ଏମିତି ଗୋଟେ କୁକୁର ପାଳିଥିଲି। କିନ୍ତୁ ଏ ଟିପୁ, ତା ଅପେକ୍ଷା ଅଧିକ ସୁନ୍ଦର।
କମଳା ହୃଦୟରୁ ଝରି ଆସୁଥିଲା ମମତାର ନିର୍ଝରିଣୀ। ଯାହା ହେଲେ ବି ଟିପୁ ତ ଗୋଟିଏ ଶିଶୁ। ବିପଦରେ ପଡିଥିବା ଶିଶୁ ପାଇଁ ତ ମାଆ ର ପଣତକାନି ସଦାବେଳେ ଖୋଲାଥାଏ। ସେତେବେଳେ ମଣିଷ ବା ପଶୁର ବାଛ ବିଚାର ନ ଥାଏ। ନିଜେ କମଳା ଯୋଗାଡ କରି ଦେଲା ଟିପୁ ପାଇଁ ଏକ ଶେଯ। ଘରେ ପଡିଥିବା ପୁରୁଣା ଚାଦର ଘୋଡାଇ ତା ପିଠି ଥାପୁଡେଇବାରେ ଲାଗିଲା। ଖୁବ୍ କମ ସମୟ ଭିତରେ ଟିପୁ ଶୋଇଗଲା ନିଘୋଡ ନିଦରେ।
---- କିଓ ଶୁଣୁଛ, ରାଜୁ କୁଆଡେଗଲୁ ଜଲଦି ଆସେ। ଡାକ ଛାଡିଲା କମଳା।
ବାପପୁଅ ଦୁଇଜଣ ଦଉଡି ଆସିଲେ କଣ ହୋଇଛି ଜାଣିବା ପାଇଁ। ଦେଖିଲା ବେଳକୁ ଟିପୁ ଦେହରେ ଭୀଷଣ ତାତି,ତା ଆଖିଖୋଲୁନି। ନାଁ ଧରି ଡାକିଲେ ଟିକିଏ ଲାଞ୍ଜ ହଲେଇ ପୁଣି ଶୋଇରହୁଛି। ରାଜୁ କାନ୍ଦିବା ଆରମ୍ଭ କରିଦେଲା। ରାମ କହିଲା ପୁଅକୁ ବ୍ଯସ୍ତ ନ ହେବା ପାଇଁ କହି ଟିପୁ କୁ ନେଇ ପଶୁଡାକ୍ତରଖାନା କୁ ଗଲା।
କିଛି ସମୟ ଭିତରେ ରାମ ଆସିଲା ଟିପୁ କୁ କୋଳରେ କାଖେଇ।
– ଡାକ୍ତର କହିଲେ ବର୍ଷାରେ ଭିଜିଛି ବୋଲି ଜ୍ବର ହୋଇଯାଇଛି। ସେ ଓୌଷଧ ଦେଇଛନ୍ତି। ଆରେ ହଁ, ଡାକ୍ତର ବାବୁ ଟିପୁ କୁ ଦେଖି କହିଲେ, ସେ ଭାରି ଦାମିକା କୁକୁର। କଣ ଲାବ୍ରାଡର ନାଁ କଣ ଗୋଟେ ନାଁଆ କହିଲେ ମୋର ମନେ ପଡୁନି। ଏଇ ଜାତିର କୁକୁର ମାନଙ୍କୁ ପୋଲିସ କୁକୁର କୁହନ୍ତି। ସେମାନଙ୍କର ଶୁଙ୍ଘିବା ଶକ୍ତି ବହୁତ୍ ଅଧିକା। ଆଜି ଯାହା ଶୁଙ୍ଘିବେ ସାରା ଜୀବନ ମନେ ରଖିବେ। ମୋତେ ସେ ପଚାରିଲେ କୋଉଠୁ ଆଣିଲି ବୋଲି। ମୁଁ ମିଛରେ କହିଦେଲି ଯେ ସହର ରେ ରହୁଥିବା ମୋ ସାଙ୍ଗ ରାଜୁ କୁ ଉପହାର ଦେଇଛି।
ଟିପୁର ଗୁଣଗାରିମା ଶୁଣି ବାପମାଆ, ପିଲା ଖୁସିରେ ଗଦଗଦ ହୋଇଯାଉଥିଲେ । ସେଦିନର ବର୍ଷାରାତି ଯେଉଁ ଅମୂଲ୍ଯ ଉପହାରଟି ଦେଲା ତାକୁ କେମିତି ସାଇତି ରଖିବେ ତାହା ଥିଲା ବଡ କାମ।
ରାଜୁ ସେଦିନ ସ୍କୁଲ ଗଲାନି। କମଳା ବି ଟିପୁର ପାଖ ଛାଡି ଯାଉ ନ ଥାଏ। ଦୁଇଦିନ ଭିତରେ ଟିପୁର ଜ୍ବର ଛାଡିଗଲା। ସେଦିନ ସକାଳୁ ଟିପୁ ନିଜେ ଯାଇ କମଳା ଗୋଡରେ ଘଷି ହେବାରୁ ସେ ପଚାରିଲା –
--କିରେ ଟିପୁ କଣ ଭୋକ ଲାଗିଲା ନା କଣ?
ଲାଙ୍ଗୁଡ ହଲେଇଦେଲା ଟିପୁ ଓ ରୋଷେଇଘର ଆଡକୁ ଦଉଡି ଗଲା। କମଳାର ମନ କୁଣ୍ଢେମୋଟ ହୋଇଗଲା। ରାଜୁ ସ୍କୁଲରୁ ଆସି ଖେଳରେ ମାତି ରୁହେ ଟିପୁ ସହ। କମଳା ଥର କୁ ଥର ଖାଇବାକୁ ଦିଏ। କେତେ ବେଳେ ସର ତ କେତେ ବେଳେ କ୍ଷିର। ଖୁବ୍ କମଦିନ ଭିତରେ ଟିପୁ ର ଚେହେରା ବାଗେଇ ଗଲା। ଗୋରାଦେହଟା ତାର ଚକଚକ କରି ଏମିତି ଦିଶିଲା ଯେ ଦେଖିବା ଲୋକ ଦଣ୍ଡେ ଠିଆ ହୋଇଯିବ। ଟିପୁ ବୋଲି ଡାକଦେଲେ ନିମିଷକରେ ଲାଙ୍ଗୁଡ ହଲାଇ ପାଖରେ ସେ ହାଜର ହୋଇଯାଉଥିଲା। କମଳା ବେଳେବେଳେ କହେ –
--ଆରେ ଟିପୁ ସଦା ବେଳେ ତ ଖାଲି ହସିଲୁ, ତୋତେ କଣ ଏ ଜାଗା ଭଲ ଲାଗୁଛି କିରେ?
ଲାଙ୍ଗୁଡ ହଲେଇ ପାଖକୁ ଲାଗିଆସେ ଟିପୁ। କମଳା ଗୋଡରେ ମୁଣ୍ଡ ଘଷି ପକାଏ। ସେ ଘରର ସାନପୁଅ ପାଲଟି ଯାଇଥିଲା । ଭୋକ ଲାଗିଲେ ସିଧା ଯାଇ କମଳା ପାଖରେ ହାଜର ହୋଇଯାଏ। ରାମ ଯଦି ବଗିଚାରେ କିଛ କାମ କରେ ଟିପୁ ସେ ଜାଗାରେ ମଧ୍ଯ ପହଞ୍ଚିଯାଏ। କେତେବେଳେ ରାଜୁ ସହ ବଲ୍ ଖେଳେ ତ କେତେ ବେଳେ ଘାସ ଉପରେ ଶୋଇ ରହି ରାମ କୁ ଦେଖୁଥାଏ।
ରାସ୍ତାରେ ଚାଲିଲା ବେଳେ ଟିପୁର ଠାଣି ଦେଖି ରାଜା ମହାରାଜା ବି ଲାଜେଇଯିବେ। ତା ଚାଲିରେ ରାଜକୀୟତା ଫୁଟି ଉଠୁଥିଲା। ତା ଆଡକୁ ଚାହିଁ ଭୁକୁଥିବା କୁକୁର ମାନଙ୍କୁ କେବଳ ଗୋଟେ ଚାହାଁଣି ରେ ଚୁପ୍ କରାଇ ଦେବାର କ୍ଷମତା ଟିପୁ ପାଖରେ ଥିଲା। ଦୈବାତ୍ କୌଣସି କାରଣରୁ ସେ ଭୁକିବା ଆରମ୍ଭ କଲେ ଗୁରୁଗମ୍ଭୀର ଶବ୍ଦରେ ସମଗ୍ର ଅଞ୍ଚଳ ଥରି ଯାଉଥିଲା ।
ଆଜି ଟିପୁକୁ ତିନି ମାସ ପୁରିଲା। ତିନି ମାସରେ ସେ ଯାହା ରୂପ ଧାରଣ କଲାଣି ଯିଏ ବି ଦେଖିବ ଲୋଭେଇଯିବ। ପିଠି ଉପରର ଲୋମ ଗୁଡାକ ଦେଖିଲେ ଲାଗିବ ଯେମିତି କାଶ୍ମୀରି ଗାଲିଚା ବିଛା ଯାଇଛି। ପିଠି ର ଚମଡା ତଳେ କମଳାର ସ୍ନେହର ପରଶ, ପରସ୍ତ ପରସ୍ତ ହୋଇ ବସିଯାଇଛି। କହିବାର ଅର୍ଥ ହେଲା, ଟିପୁ କୁ ଦେଇଥିବା କ୍ଷୀର,ସର,ଲହୁଣି ଚର୍ବି ଆକାରରେ ଟିପୁର ପିଠିର ଶୋଭାବର୍ଦ୍ଧନ କରୁଛନ୍ତି। ପାଦର ପଞ୍ଝା ଗୁଡିକ ପୁରା ସିଂହ ପଞ୍ଝା ପରି ଦିଶୁଛି। ତା ସାଙ୍ଗକୁ ଅଧା ଲଇଁ ଯାଇଥିବା ମୋଟା ଲାଞ୍ଜଟି ଦେଖିଲେ ଲାଗିବ ସତେ କି ଏକ ବାଳୁତ ଅଜଗର ଝୁଲୁଛି। ବେକରେ ପଡିଥିବା ସେ ବେଲ୍ଟ ଏବେ ବେକରେ ଗଳୁନି। ତା ପାଇଁ ରାମ ବଜାର ରୁ ସୁନ୍ଦର ନାଲିରଙ୍ଗର ପଟି କିଣି ଆଣିଛି। କିନ୍ତୁ ଟିପୁ ଲେଖାଥିବା ଲକେଟ୍ ସେଇ ନୂଆ ପଟିରେ ବି ଶୋଭା ପାଉଛି। ଏବେ ଟିପୁ କେବଳ ରାମ ର ନୁହଁ ବରଂ ସେ ସାହି ର ସମସ୍ତଙ୍କର ଗେଲବସର ଓ ପ୍ରିୟପାତ୍ର। କିଏ ଡାକିଦେଲେ, ଟିପୁ ସେମନାଙ୍କ ଘରକୁ ଯାଏ। କିଏ ବିସ୍କୁଟ୍ ଦିଏ ତ କିଏ ମିଠା। କାହା ଘରେ ଆଇଁଷପାଣି ହେଲେ ସେମାନେ ଡାକି ନିଅନ୍ତି ଟିପୁକୁ। କିନ୍ତୁ ଘରେ ଖାଇବାକୁ ଦେଲାବେଳେ ଯଦି ଟିପୁ ନ ଖାଏ କମଳା କାନ୍ଦି ସକେଇ ସକେଇ କୁହେ, ମୋ ପୁଅ ହୋଇ ତୁ ୟା ତା ଘରେ ଖାଇବୁ, ମୁଁ ତୋତେ ଚାହିଁଚାହିଁ ମରିବି।
କଣ ବୁଝେ ଟିପୁ କେଜାଣି, କମଳାର ପାଖକୁ ଲାଗି ଆସେ। ପାଦକୁ ତାର ଚାଟିଦିଏ। ସତେ ଯେମିତି କିଛି ଭୁଲ କରି ଦେଇଛି। କାନଦୁଇଟା ପଛକୁ କରି କମଳାର ପଛରେ ଲସରପସର ହୁଏ। କାହା ଘରକୁ ଟିପୁ ଯାଉ ସେ କଥା କମଳାର ଜମା ପସନ୍ଦ ହୁଏନି। ରାମ କୁ ଅଭିଯୋଗ କରି କୁହେ-
--- ଏ ଟିପୁ କୁ ତୁମେ ସମ୍ଭାଳ ଏବେ। ଯେତିକି ବଡ ହେଉଛି ସେତିକି ଦୁଷ୍ଟାମୀ ବଢି ଚାଲିଛି। ତାର କଣ ଦରକାର ଥିଲା ସେ ହାଡୁ ଘରେ ଯାଇ ଶୁଖୁଆ ଖାଇବା। ଲୋମ ଝଡିଗଲେ ସେ କଣ ଆସି ବୁଝିବ ନାଁ କଣ। ପଚାର ତାକୁ, କଣ ମୋ ଘରେ ଖାଇବାକୁ ନାହିଁ ଯେ ୟା ତା ଘରେ ପଶି ଖାଇବ। ଏମିତି କଲେ ତା ପାଇଁ ଗୋଟେ ଗୋରୁ ବନ୍ଧା ଚେନ ଆଣି ଦିଅ। ସକାଳୁ ସଞ୍ଜ ଯାଏ ବାନ୍ଧିରଖିବି, ରାତିହେଲେ ଖୋଲିବି। ସବୁ ଫାଜଲାମି ଛାଡି ଯିବ।
ରାମ କିଛି ଉତ୍ତର ନଦେଇ ମୁଣ୍ଡ ଟୁଙ୍ଗାରୁଥାଏ। ରାଜୁ , ଟିପୁ ପାଖରେ ବସି ଶୁଣୁଥାଏ ସବୁ। ଆଉ ଟିପୁ....ସେ ତ ଚୋରଙ୍କ ପରି କାନପଛକୁ କରି ରାଜୁ ପଛରେ ଲୁଚି ଥାଏ। କମଳା ଯଦି କେତେବେଳେ ରାଗିଯାଏ, ଟିପୁର ଆଶ୍ରୟଦାତା ହେଲା ରାଜୁ। ରାମ ଜାଣିଛି, ଟିପୁକୁ ବାନ୍ଧିବା କଥାଟା କେବଳ ପାଣିର ଗାର। କାରଣ ଟିପୁର ସ୍ବାଧିନତା ରେ ଟିକେ ବି ଆଞ୍ଚ ଆସିଲେ ସବୁଠାରୁ ବେଶି ବାଧିବ କମଳାକୁ। ତା ପାଇଁ ରାଜୁ ଓ ଟିପୁ ମଧ୍ଯରେ କିଛି ଅନ୍ତର ନାହିଁ। ସେ କେବେ ଚିନ୍ତା ବି କରିନି ଯେ ଟିପୁ ଗୋଟେ କୁକୁର ବୋଲି।
ଯଦି କେତେ ବେଳେ କେହି ଭୁଲ୍ ରେ ବି ଟିପୁ କୁ କୁକୁର କହିଦେଲେ କଥା ସରିଗଲା ବୋଲି ଜାଣ। ସେଦିନ ସାହି ର ମହାନ୍ତିଆଣି କମଳାଘରକୁ ଆସି କହିଲେ--
– ଆଲୋ କମଳା, ଆମ ଘରେ କାଲି ମାଂସ ହେଇଥିଲା। ସବୁ ଖାଇଲା ପରେ ବି ବଳିଗଲା। ମୋର ମନେ ନାହିଁ ଏତକ ଫ୍ରିଜ୍ ରେ ରଖିବାକୁ। ସବୁ ନଷ୍ଟ ହୋଇଗଲା। ମୁଁ ଭାବିଲି ଫିଙ୍ଗିବି କଣ ପାଇଁ, ତୁମ କୁକୁର କୁ ଦେଇଦେଲେ କେତେ ଖୁସିରେ ଖାଇଦେବ। ପୁରା ଖାସିମାଂସ। ଖାଲି ଯାହା ଟିକେ ଆମ୍ବିଳା ବାସ୍ନା ବାହାରୁଛି। ତୋ କୁକୁର ଭାଗ୍ଯ ଟାଣ୍ । ଆଜି ଖାସି ମାଂସ ତା ଭାଗ୍ଯରେ ଲେଖା।
କମଳା ମୁହଁରୁ ବଚନ ବାହାରୁ ନ ଥିଲା। ସେ କଣ କହିବ ଭାବିପାରୁ ନ ଥାଏ। ମାତ୍ର, ଛାତି ଭିତରଟା ମନ୍ଥି ହୋଇ ଯାଉଥିଲା। କଣ ଭାବି ମହାନ୍ତିଆଣି ଟିପୁ କୁ ଏମିତି କହିଲେ ଓ ତା ପାଇଁ ବାସି ପଚା ଜିନିଷ ଆଣି ଦେବାକୁ ବାହାରିଲେ, ସେଇ କଥା ମନରେ ଆଣି କାନ୍ଦି ପକେଇଲା କମଳା। ସକେଇ କହିଲା ସେ କୁକୁର ନୁହଁ ; ମୋ ପୁଅ.......
ସେ ଏ ବାସି ଜିନିଷ ଖାଇବନି।
ମହାନ୍ତିଆଣି କି ଛାଡିବା ଲୋକ। ତାଚ୍ଛଲ୍ଯ କରି କହିଲା “ ଆରେ ହେଃ, ନ ଦେଖିବା ଲୋକ ଦେଖ, କଇଁଛ କାଢିଛି ବେକ” ଦେଖ ହୋ କୁକୁରପୁଅ ସୁଆଗ। ମୁହଁ କୁ ଲାଜ ନାହିଁ ଯାହା।
ସେ ଆଃ ଚୁଃ ଚୁଃ କରି ଟିପୁ କୁ ଡାକିଲା ଓ କିଛି ଦୂରରେ ସେ ବାସିମାଂସ ତକ ଢାଳିଦେଲା। ଉଦ୍ଦେଶ୍ଯ ଥିଲା କମଳା ସାମନାରେ ଟିପୁ ସେ ଜିନିଷ ଖାଉ। ଯଦି ସେତକ ସେ ଖାଇଦେବ, କମଳାକୁ ଭଲ କରି ଦି ପଦ ଶୁଣେଇ ହେବ।
କୋହ ଭରା ଥରଥର କଣ୍ଠରେ କହିଲା କମଳା--
--- ଦେଖ୍ ଟିପୁ ଯଦି ତୁ ମୋ ପୁଅ ହୋଇଥିବୁ, ଏ ଜାଗା ରୁ ଇଞ୍ଚେ ବି ଘୁଞ୍ଚିବୁନି। ତୋତେ ମୋ ରାଣ।
ଟିପୁ ଲାଗି ଆସିଲା କମଳା ପାଖକୁ। ଗୋଡ ପାଖରେ ଗେଞ୍ଜିହୋଇ ଶୋଇପଡିଲା। ପାଖ ପଡିଶା କିଛିଗୋଟେ ରୋଚକ ଦୃଶ୍ଯର ଆଶାରେ ଗହଳି କରିବା ଆରମ୍ଭ କରି ସାରିଥିଲେ। ମହାନ୍ତିଆଣି ଅନବରତ ଆହାଃ ଚୁଃ ଚୁଃ କରି ଡାକିବାରେ ବ୍ଯସ୍ତଥିଲା। କିନ୍ତୁ, ଅଚଳ ମହାମେରୁ ପରି ସ୍ଥିରଥିଲା ଟିପୁ। ମୁହଁରେ ତାର ଗମ୍ଭୀରତା ସ୍ପଷ୍ଟ ବାରି ହୋଇପଡୁଥିଲା। ଶେଷରେ ସେ ନଛୋଡବନ୍ଧା ସ୍ତ୍ରୀ ଲୋକଟି ତଳେ ପଡିଥିବା ମାଂସରୁ ଖଣ୍ଡେ ଉଠେଇ ଟିପୁ ଆଡକୁ ପକେଇ କହିଲା--
--- ଏ କୁକୁର ବୋଧେ କେବେ ମାଂସ ଖାଇନି, ନହେଲେ ଏମିତି ବୋକାଙ୍କ ପରି ଚାହାଁନ୍ତା କଣ ପାଇଁ?
ସେ ନିଶ୍ଚିତଥିଲା ଟିପୁ ଆଗ୍ରହ ସହକାରେ ମାଂସଟିକୁ ଖାଇଦେବ। କିନ୍ତୁ ସବୁଭାବନାକୁ ଧ୍ବସ୍ତବିଧ୍ବସ୍ତ କରି ମହାନ୍ତିଆଣିକୁ ଚାହିଁ ଉଚ୍ଚସ୍ବରରେ ଭୁକିବାକୁ ଲାଗିଲା ଟିପୁ। ସେ ଭୁକିବା ରେ ଥିଲା କ୍ରୋଧ, ଘୃଣା ଓ ବିରକ୍ତିର ଭାବ। ଘରକୁ ଆସିବା ଦିନରୁ କେବେ ଏମିତି ଭୁକିବାର ଦେଖି ନ ଥିଲା କମଳା। ବେଳ କୁ ବେଳ ଭୁକିବାର ମାତ୍ରା ବଢିବାରେ ଲାଗିଲା। କାଳେ କାମୁଡି ଦେବ ସେ ଭୟରେ ମହାନ୍ତିଆଣି ଯାଗା ଛାଡି ପଳାଇଲା। କମଳାର ମୁହଁ କୁ ଥରେ ଦେଖିଲା ଟିପୁ, ଧିର ପଦକ୍ଷେପରେ ଅଗ୍ରସର ହେଲା ସେ ମାଂସ ପଡିଥିବା ଯାଗାକୁ। ଜମିଥିବା ଲୋକଙ୍କର ଉତ୍କଣ୍ଠା ପହଞ୍ଚିସାରିଥିଲା ଚରମସୀମାରେ। କଣ କରିବ ଟିପୁ? କଣ ସେ ଭୂଇଁରେ ପଡିଥିବା ବାସି ଜିନିଷ ଖାଇବ, କଣ ସେ କମଳାର ତା ପ୍ରତି ଥିବା ଭଲ ପାଇବା କୁ ମାଟିରେ ମିଶେଇଦେବ?
କମଳା ଧିର ସ୍ବରରେ କହିଲା ଟିପୁ........ ମୋ ଧନରେ....ସେ ଜିନିଷ ତୁଣ୍ଡରେ ଦେ ନି।
ଏତିକି କହି ଲଥ୍ ହୋଇ ଭୁଇଁରେ ବସି ପଡିଲା। ଟିପୁ କମଳା ଆଡକୁ ଥରେ ଚାହିଁଲା ଓ ବାଲି ରାମ୍ପି ଘୋଡେଇ ପକାଇଲା ଭୂଇଁରେ ପଡିଥିବା ସେ ବାସି ମାଂସ ସବୁକୁ। ଜମିଥିବା ଲୋକେ ନିଜ ଆଖିକୁ ବିଶ୍ବାସ କରି ପାରୁ ନ ଥିଲେ। ସାହି ପିଲାଏ ସିଟି ହୁଇସିଲ୍ ମାରି ଜାଗାଟାକୁ କମ୍ପାଇ ଦେଲେ। ସିନେମାର ଅତି ସୁନ୍ଦର ଦୃଶ୍ଯ ଦେଖିଲେ ଯେମିତି ମନ କୁ ମନ ତାଳିମାରି ହୋଇଯାଏ, ସେମିତି କିଛି ଲୋକ ତାଳି ମାରିଦେଲେ। ଟିପୁ ଲାଗି ଆସିଲା କମଳା ପାଖକୁ। ତାକୁ କୁଣ୍ଢେଇ ପକେଇ କମଳା ଭୋ ଭୋ କାନ୍ଦି ଉଠିଲା। ସେ କାନ୍ଦ ଥିଲା ମାତୃତ୍ବର, ଅନାବିଳ ସ୍ନେହ ଓ ଭଲ ପାଇବାର। ସେତିକିବେଳେ ରାମ ଓ ରାଜୁ ବଜାର ରୁ ଆସି ପହଞ୍ଚିଲେ। କମଳାର କାନ୍ଦୁରା ମୁହଁ ଦେଖି, କଣ ହୋଇଛି ବୋଲି ରାମ ପଚାରିଲା। ଅଣ୍ଟିରୁ କିଛି ପଇସା କାଢି କମଳା କହିଲା ---ଏବେ ବଜାରକୁ ଯାଇ ମୋ ପୁଅ ପାଇଁ ଖାସି ମାଂସ ଆଣ। ରାଜୁ ବଲବଲ କରି ଚାହିଁ ଥାଏ। କାନ୍ଦୁରା ମୁହଁରେ ହସ ଫୁଟେଇ କମଳା କହିଲା ମୋ ଦୁଇ ପୁଅଙ୍କ ପାଇଁ ଆଣିବ।
ଟିପୁ ପାଇଁ କମଳାର ଭଲ ପାଇବା ଦିନ କୁ ଦିନ ବଢି ଚାଲିଥିଲା। ସେ କେବେ ବି ରାଜୁ ଓ ଟିପୁ ଭିତରେ କିଛି ଫରକ ଦେଖୁ ନ ଥିଲା। ରାଜୁ କୁ ଗାଧେଇ ପାଧେଇ ଖାଇବାକୁ ଦେଇ ସ୍କୁଲ ଛାଡିବା ପରେ ପଡେ ଟିପୁର ପାଳି। ସବୁଦିନ ପରିଷ୍କାର କରି ଗାଧେଇ ପୋଛାପୋଛି କରିଦିଏ କମଳା। ତାପରେ ଗରମ କ୍ଷୀର ସହ ଦଶପଟ ରୁଟି ବାଢିଦିଏ ଅତି ଆଦରରେ। ଟିପୁ ଖାଇ ନ ସରିବାଯାଏ ଯାଗାଛାଡି ଯାଏନି। ଯଦି କେବେ ଟିପୁ ରୁଟି ଖାଇବାକୁ ଅମଙ୍ଗ ହୁଏ , କମଳା ର ଚିନ୍ତା ବଢିଯାଏ। କାଳେ ପେଟରେ କୃମି ହୋଇଥିବ, କାଳେ ଦେହ ଖରାପ ହୋଇଥିବ ଏମିତି କେତେକଣ ଭାବି ମୁହଁ ଶୁଖେଇ ବସେ। ରାମ କୁ ବାଧ୍ଯ କରେ ପଶୁ ଡାକ୍ତରଖାନା କୁ ଯାଇ ବୁଝି ଆସିବା ପାଇଁ। ରାମ ଘନଘନ ଡାକ୍ତରଖାନା ଆସିବା ଦେଖି ଦିନେ ଡାକ୍ତର ହସି କହିଲେ
- – ଆରେ ରାମ , କଣ ନିୟମ ଅଛି ଯେ ଟିପୁ ସବୁ ଖାଇବା ସବୁଦିନ ଶେଷ କରିବ। ତାର ବି ମନ ଅଛି। କେବେ ଇଛା ନ ହେଲେ ଖାଉ ନ ଥିବ। ସେଥିପାଇଁ ବିବ୍ରତ ହେବାର କିଛି ନାହିଁ। ତୁମେ ଟିପୁ କୁ ଯେମିତି ପାଳିଛ , କେଉଁ ବାପାମାଆ ନିଜ ଜନ୍ମକଲା ପିଲାକୁ ଏମିତି ପାଳୁ ନ ଥିବେ। ନିଶ୍ଚିନ୍ତ ରୁହ, ସେ ପୁରା ଠିକ୍ ଅଛି।
ଏତିକି ଶୁଣି ଗର୍ବରେ ଫାଟିଯାଏ ରାମ ର ଛାତି। ଯାହା ହେଉ ଟିପୁ ପାଇଁ ପ୍ରଶଂସା ଟିକେ ତ ପାଉଛି।
ରାତିରେ ଶୋଇଲାବେଳେ ଟିପୁ ଖଟତଳେ ଶୁଏ। ବଡଲୋକଙ୍କ ପରି ଘୁଙ୍ଗୁଡି ବି ମାରେ। ତା ଘୁଙ୍ଗୁଡି ଶୁଣି ହସିପକାଏ କମଳା। – ଦେଖ ମ , ପିଲା ଟା କେତେ ନିଶ୍ଚିନ୍ତରେ ଶୋଇଛି। ଟିପୁ ଶୋଇଲା ବେଳେ ଗୋଡହଲେଇ ଦଉଡିବାପରି ହୁଏ ଅନେକ ସମୟରେ। ରାଜୁ କୁହେ – ଦେଖ ବାପା ଟିପୁ ସ୍ବପ୍ନ ଦେଖୁଛି କେମିତି। ସେ ନହାତି ସ୍ବପ୍ନରେ ମୋ ସହ ଦଉଡା ଦଉଡି ଖେଳୁଥିବ ନା। ମୁଣ୍ଡ ଟୁଙ୍ଗାରେ ରାମ।
ସେ ଭାବେ ଟିପୁ ଆସିବା ଦିନ ଠୁ ତା ଘର ଟା ହସଖୁସିରେ ଭରିଉଠିଛି। ଟିପୁ କଥା ନ କହିପାରିଲେ ବି ତା ଆଖିରେ ସବୁ କଥା କେତେ ସ୍ପଷ୍ଟ ଭାବରେ କହି ଦେଉଛି। ହସକାନ୍ଦ, ରାଗରୂଷା ସବୁ ତ କରୁଛି ସେ। ସତରେ ଟିପୁ କୁ ଛାଡି ଦଣ୍ଡେ ରହିବା ମୁସ୍କିଲ ତା ଘରର ପ୍ରତ୍ଯକ ସଦସ୍ଯ ପାଇଁ। ଅଜାଣତରେ ତା ହାତ ଉଠିଯାଏ ଜଗନ୍ନାଥଙ୍କ ଉଦ୍ଦେଶ୍ଯରେ। ----- ହେ କାଳିଆ ମୋ ଟିପୁ କୁ ଲମ୍ବା ଆୟୁଷ ଦେବୁ। ମୋ ଜୀବ ଥିବା ଯାଏ ସେ ମୋ ଆଗରେ ଏମିତି ଖେଳୁଥାଉ ବୁଲୁଥାଉ। ମୋ ଦ୍ବିତୀୟ ପୁଅ ସେ। ତାକୁ ଘଣ୍ଟ ଘୋଡେଇ ରଖିଥିବୁ ସଦାବେଳେ।
ସେଦିନ ରାମ ବଡଖୁସିରେ ଘରକୁ ଆସିଲା। ହାତରେ ଥିଲା କମଳାପାଇଁ ଶାଢୀ, ରାଜୁ ପାଇଁ ଡ୍ରେସ୍ ଓ ଟିପୁ ପାଇଁ ଗୋଟେ ନୂଆ ଚେନ୍ ଯାହାକୁ ସେ ବେକରେ ଲଗେଇବ। ତା ସହ ମିଠା ପ୍ଯାକେଟ୍ ବି ଆଣିଥିଲା। ଟିପୁ ମୁଣ୍ଡ ଠୁ ଗୋଡ ଯାଏ ଶୁଙ୍ଘି ଦେଇଗଲା । ରାମର ହାତ ଚାଟି ଘରକୁ ସ୍ବାଗତ କଲା। ଟିପୁ ବେକରେ ସୁନ୍ଦରଚେନକୁ ରାମ ଅତି ଯତ୍ନରେ ଝୂଲାଇଦେଇ କହିଲା
– ଆରେ ବାଃ। ପୁରା ରାଜା ପରି ଦିଶୁଛି ଆମ ଟିପୁ ଏ ଚେନରେ। ଏତିକି କହି ପିିଠି ଥାପୁଡେଇ ଦେଲା। ଟିପୁ ଦଉଡି ଗଲା ରୋଷେଇଘରକୁ କମଳା କୁ ତା ନୂଆ ଚେନ୍ ଦେଖେଇବା ପାଇଁ।
--- ଆରେ କମଳା ଆଜି ଧାନ ବିକ୍ରି ବାବଦ କୁ ଥିବା ସବୁ ବକେୟା ଟଙ୍କା ମିଳିଗଲା। ପୁରା ଲକ୍ଷେ ଟଙ୍କା । ଏଇ ନିଅ ଯତ୍ନ ସହକାରେ ଆଲମାରୀ ରେ ଚାବି ପକେଇ ରଖିଦେବ। କାଲି ମୁଁ ବ୍ଯଙ୍କରେ ନେଇ ଡିପୋଜିଟ୍ କରିଦେବି।
– କିନ୍ତୁ ଏତେ ଗୁଡେ ଟଙ୍କା ଘରେ ରହିବ , କିଛି ଅସୁବିଧା ନାହିଁ ତ? ଏ ଚୋର ଗୁଡାକ ଯେମିତି ଉତ୍ପାତ ହେଉଛନ୍ତି ମନରେ ଡର ପଶି ଯାଉଛି। ସେଦିନ ଆମ ଗାଁଆମୁଣ୍ଡରେ ରହୁଥିବା ସ୍କୁଲ ହେଡ୍ ମାଷ୍ଟ୍ର ଘରେ ପଶି ଚୋରମାନେ କଳାକନା ବୁଲେଇ ଦେଲେ। ବ୍ଯସ୍ତ ହୋଇ କହିଲା କମଳା।
– ଆରେ ଡରୁଛ କଣ ମ। ଟିପୁ ଅଛି ପରା। ତାକୁ କଉ ଚୋର ବଳେଇ ଯିବ ନା କଣ? ଆରେ ଟିପୁ ଭଲରେ ଦେଖିଥା, ତୋ ମାଆର ଟଙ୍କା ଏଇ ଆଲମାରୀରେ ଅଛି, ତାକୁ ଭଲରେ ଜଗିଥିବୁ। କହି ହସି ପକେଇଲା ରାମ। ଟିପୁ କଣ ବୁଝିଲା କେଜାଣି ଆଲମାରୀ ପାଖକୁ ଯାଇ ଆଲମାରୀ କୁ ଶୁଙ୍ଘି ପୁଣି ରାମ ପାଖରେ ଆସି ଘଷି ହେଲା। ତାକୁ ଆଉଁସିଲା ବେଳେ ରାମ କହିଲା ମୋ ପୁଅ ସବୁ ବୁଝୁଛି, ଭାରି ଚାଲାକ୍ ସେ।
ନୂଆ ଡ୍ରେସ୍ କୁ ପିନ୍ଧି ରାଜୁ ଆସି ଟିପୁ କୁ କହିଲା ଦେଖି କହିଲୁ କେମିତି ଲାଗୁଛି। ତୋ ଚେନ ଟା ବେଶି ଭଲ ନା ମୋ ଡ୍ରେସ୍ ଟା ଭଲ କହ। କମଳା ଓ ରାମ ହସି ପକେଇଲେ। ଖିଆପିଆ ସରିଲା ପରେ ରାମ ଘରର ଦରଜା ଆଉଥରେ ପରଖି ଦେଖିଲା। ଟିପୁ ଆସି କମଳା ପାଖରେ ଘଷି ହେବାରେ ଲାଗିଲା। ବାରମ୍ବାର ତା ଚେନ ଟା ଦେଖେଇ ଲାଞ୍ଜ ହଲେଇଲା। ରାମ କଣ କିରେ ଟିପୁ, ତୋ ଚେନ ତୋତେ ବେଶି ଭଲ ଲାଗୁଛି ନା? କେତେ ଆଉ ଫୁଲେଇ ହେବୁ ଯେ।
ରାଜୁ କହିଲା “ ବାପା କାଲି ମୁଁ ଟିପୁ କୁ ଧରି ସ୍କୁଲ କୁ ଯିବି। ମୋ ସାଙ୍ଗମାନଙ୍କୁ ତା ନୂଆଚେନ ଦେଖେଇବି। ସେମାନେ ଦେଖିଲେ କେତେ ଖୁସିହେବେ । ଏକାବେଳକେ ହସିଉଠିଲେ ରାମ ଓ କମଳା। ଟିପୁ ସେମାନଙ୍କ କଥା ଶୁଣି ଲାଞ୍ଜ ହଲେଇବାରେ ବ୍ଯସ୍ତଥିଲା। କମଳା ଟିପୁକୁ କୋଳକୁ ଟେକି ନେଇ କହିଲା- -
“ ମୋ ସୁନା ଗୁଲୁଗୁଲିଆ ପୁଅକୁ କାହା ନଜର ନ ଲାଗୁ । ଆରେ ହେଃ, ତୁମେ ମିଠା ଆଣିଥିଲା ପରା। ମୁଁ କାହାକୁ ଦେଇନି, ପୁରା ଭୂଲି ଯାଇଛି, ମୁଁ ଆଣୁଛି ସମସ୍ତେ ଖାଇ ଶୋଇବା।
--- ମିଠା ବଢିଆ ହୋଇଛିି ବାପା, ଟିପୁ କୁ ଆଉ କେତେ ଟା ଦଉନ।
– ନା ରେ ପୁଅ , ଟିପୁ ବେଶି ମିଠା ଖାଇଲେ ତାର କୃମି ହେବ । ଝଡିଯିବ ବିଚରା ଟା। ଆଜି ଏତିକି ଖାଉ, କାଲି ପୁଣି ରୁଟି ଖାଇଲା ବେଳେ ଖାଇବ।
ମହାତୃପ୍ତିରେ ମିଠା ଖାଇ ଟିପୁ ଖଟତଳକୁ ପଶିଗଲା। ତା ଶୋଇବା ସମୟ ହୋଇଯାଇଥିଲା।
ରାମର ଆଖି କେତେବେଳେ ଲାଗି ଯାଇଛି ସେ ଆଡକୁ ନିଘା ନାହିଁ। ବାହାରେ କିଛି ଖସଖସ ଶୁଭିଲା। ଟିପୁ ଭୁକିବା ଆରମ୍ଭ କରିଦେଲା। ରାମ ଧଡପଡ ହୋଇ ଉଠିପଡିଲା। ଦେଖିଲା ଟିପୁ ଘର କବାଟ ପାଖରେ ଠିଆହୋଇ ଜୋରରେ ଭୁକୁଛି। ସେ ଆଉଁସିଦେଲା ଟିପୁକୁ। କହିଲା ଚାଲ ଶୋଇବା , ବୋଧେ ବିଲେଇ ହୋଇଥିବ। କିନ୍ତୁ ଟିପୁ ସେମିତି ଭୁକି ଚାଲିଥାଏ। ରାମ ଚିଡିଯାଇ କହିଲା- – ଆରେ ଏମିତି ଭୁକିବୁ ତ ତୋ ବୋଉ ଆଉ ରାଜୁ ଉଠିପଡିବେ। କିଛି ନାହିଁ କହିଲି ପରା। ଚାଲ ଶୋଇବା। ଏଥରକ ଟିପୁ ଚୁପ୍ ହୋଇଗଲା। ମାତ୍ର ସେ ଭୀଷଣ ବ୍ଯସ୍ତ ହେଲା ପରି ଲାଗୁଥାଏ। ସେଆଡକୁ ରାମ ଗୁରୁତ୍ବ ନ ଦେଇ କହିଲା-- ଶୁଣ୍ ପୁଅ, ମୋତେ ଜୋରରେ ନିଦ ଲାଗିଲାଣି। ମୁଁ ଟିକେ ଶୋଉଛି। ଘର ତୋତେ ଲାଗିଲା । ତୁ ସଜାଗ ଥିବୁ। ଲାଞ୍ଜ ହଲେଇଲା ଟିପୁ।
କିଛିସମୟ ଭିତରେ ଜୋରରେ ଶୋଇପଡିଲା ରାମ। କମଳା ଓ ରାଜୁ ବି ନିଘୋଡ ନିଦରେ ଶୋଇଥିଲେ। କିନ୍ତୁ ଟିପୁ ଆଖିରେ କିନ୍ତୁ ନିଦ ନ ଥିଲା। ସେ କବାଟ ଆଡକୁ ଚାହିଁ ବସିଥିଲା । ସତେ କି ବାହାରେ କିଏ ଅଛି। କବାଟ ଖଟଖଟ୍ ହେଲା। ଟିପୁ ପୁଣି ଭୁକିବା ଆରମ୍ଭକଲା। ଧିରେଧିରେ ଜୋରରେ କବାଟ ଟି ଧଡ୍ ଧଡ୍ ହେଲା। ଟିପୁ ଦଉଡି ଯାଇ ରାମର ଗୋଡ କୁ ଚାଟିଲା। ମାତ୍ର ନିଦରୁ ଉଠିବାକୁ ରାମ ନାରାଜ୍। କମଳା ପାଖକୁ ଯାଇ ତା ଶାଢୀ ଟାଣିଲା। ଦିନସାରା ଖଟି କ୍ଳାନ୍ତହୋଇ ଅଚେତନ ପ୍ରାୟ ଶୋଇଥିଲା କମଳା। ଉପରେ ପଥର ପଡିଲେ ବି ଉଠିବାର ଶକ୍ତି ନାହିଁ। ଦଉଡି ଗଲା ଟିପୁ କବାଟ ପାଖକୁ। ଦେଖିଲା କବାଟ ଠିଆ ମେଲା ହୋଇପଡିଛି। ତିନିଜଣ ଲୋକ ମୁହଁରେ କଳା କନା ବାନ୍ଧି ଠିଆ ହୋଇଛନ୍ତି। ହାତରେ ଅଛି ଭୁଜାଲି। ଟିପୁ ପାଇଁ ପରୀକ୍ଷାର ବେଳ। ସବୁ ଭଲ ପାଇବାର ମୂଲ ତାକୁ ଆଜି ଶୁଝିବାକୁ ହେବ।
ସେମାନେ କିଛି ବୁଝିବା ଆଗରୁ ଟିପୁ ସେମାନଙ୍କୁ ଆକ୍ରମଣ କଲା। ଗୋଟେ ଚୋର ର ଗୋଡ କୁ କାମୁଡି ଧରିଲା ସେ। ଯେତେ ଚେଷ୍ଟାକଲେ ମଧ୍ଯ ଗୋଡ ଖସେଇ ନ ପାରି ସେ ଭୁଜାଲିରେ ମାରିଲା ଏକ ଶକ୍ତ ଚୋଟ। କ୍ଷତାକ୍ତ ଟିପୁ ଭୟଙ୍କର ରାଗିଗଲା ଓ ଚୋରର ଗୋଡକୁ ଅତି ନିର୍ମମ ଭାବେ ଝୁଣିବାରେ ଲାଗିଲା। ଅଳ୍ପ ସମୟ ଭିତରେ ସେ ଚୋର ତଳେ ପଡିଗଲା। ଅନ୍ଯ ଦୁଇଜଣ ହାତରେ ଭୁଜାଲି ଧରି ଟିପୁକୁ ଆକ୍ରମଣ କରି ଶେଷ କରିଦେବାକୁ ମନସ୍ଥ କରି ସାରିଥିଲେ। କିନ୍ତୁ ଟିପୁ.......ଏକ କୁଶଳୀ ଯୋଦ୍ଧାପରି ଟିପୁ ନିଜ କ୍ଷତକୁ ପରବାୟ ନ କରି ସମ୍ମୁଖ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲା।
ସେ ଦୁଇଜଣ ଆକ୍ରମଣ କଲାବେଳେ ଟିପୁ ଘର ଭିତରେ ଦଉଡିବାରେ ଲାଗିଲା। ଘର ଭିତର ଅନ୍ଧାର ଥିବାରୁ ସେମାନେ ଟର୍ଚ୍ଚମାରି ତାକୁ ଖୋଜିବାରେ ଲାଗିଲେ। ହଠାତ୍ ଟିପୁ ସେମାନଙ୍କୁ ପଛ ପଟରୁ ଆକ୍ରମଣ କଲା। ନିଜର ସମସ୍ତ ଶକ୍ତି ଲଗାଇ ଟିପୁ ଜଣେ ଚୋରର ତଣ୍ଟିକୁ କାମୁଡି ଧରିଲା। ବିକଳରେ ଚୋର ଗଁ ଗଁ ହେବାକୁ ଲାଗିଲା। ମାତ୍ର ଟିପୁ କବଳରୁ ସେ ନିଜକୁ ମୁକ୍ତ କରିବାରେ ବିଫଳହେଲା। ତା ତଣ୍ଟିରୁ ଛୁଟିଚାଲିଥିଲା ରକ୍ତଧାର। କିନ୍ତୁ ସେତିକି ସମୟ ଭିତରେ ଅନ୍ଯଚୋର, ଭୁଜାଲି ରେ ଟିପୁ କୁ ଅନବରତ ହାଣିବାରେ ଲାଗିଥିଲା।
ଓଃ, କି ହୃଦୟ ବିଦାରକ ଥିଲା ସେ ଦୃଶ୍ଯ। ଯେଉଁ ଟିପୁ ଦେହରେ କେବେ କଣ୍ଟା ମଧ୍ଯ ଫୁଟି ନ ଥିଲା ତା ଦେହରେ ସୃଷ୍ଟି ହୋଇଚାଲିଥିଲା କ୍ଷତ ପରେ କ୍ଷତ। କିନ୍ତୁ ଅଦମ୍ଯ ସାହାସ ଓ ସହନଶୀଳତାର ପ୍ରତିମୂର୍ତ୍ତି ଟିପୁ, ସେ ଚୋର କୁ କାମୁଡି ଚାଲିଥିଲା ଅନବରତ। ଟିପୁର ଶୁଭ୍ରକୋମଳ ଦେହ ଟି ରକ୍ତସ୍ନାତ ହୋଇ ସାରିଥିଲା ଓ ଶରୀରର ପ୍ରତ୍ଯକ ସ୍ଥାନରେ ଦିଶୁଥିଲା ଗଭୀର କ୍ଷତ। ଭୀଷଣକଷ୍ଟ ଓ ରକ୍ତସ୍ରାବ ହେତୁ ଟିପୁ ଅଚାନକ ତଳେ ଲୋଟି ପଡିଲା।
ସେ ଚୋର ନିଶ୍ଚିତ ହୋଇଗଲା ରେ ଟିପୁର ମୃତ୍ଯୁ ଆସନ୍ନପ୍ରାୟ। ସେ ଧିର ପଦକ୍ଷେପରେ ରାମ ଶୋଇଥିବା ବଖରା ଆଡକୁ ଆଗେଇଲା। କିନ୍ତୁ ଅନ୍ଯ ଦୁଇଚୋରଙ୍କ ମୃତ୍ଯୁ ଦେଖି ସେ କିଛି ମାତ୍ରାରେ ବିଚଳିତ ହୋଇଯାଇଥିଲା । ଶୀଘ୍ର ଚୋରି କରି ନ ପଳାଇଲେ ଅବସ୍ଥା ଭୟାବହ ହେବ,ଏଥିରେ କୌଣସି ସନ୍ଦେହ ନ ଥିଲା।
ରାମ ବେକରେ ଅନୁଭବ କଲା ଏକ ଧାରୁଆ ଅସ୍ତ୍ର। ସେ ଆଖି ଖୋଲିବା ମାତ୍ରେ ଚିତ୍କାର କରିବାକୁ ଚେଷ୍ଟାକଲା, ମାତ୍ର ଚୋର ବେକରେ ଭଜାଲିର ଚାପ ଅଧିକା କରି କହିଲା- - ଚୁପଚାପ ଆଲମାରୀ ଚାବି ଦେଇ ଦେ, ନ ହେଲେ ସମସ୍ତଙ୍କୁ ଶେଷ କରିଦେବି। ରାମ ଚାହୁଁଥିଲା ଚିତ୍କାର କରି ଡାକିଦେବ ଟିପୁ କୁ, କିନ୍ତୁ ସେ ନିରୁପାୟ ଥିଲା। ତକିଆତଳୁ ଚାବି କାଢିଦେଇ ସେ ଚୋର ହାତକୁ ବଢାଇଦେଲା।
ହଠାତ୍ ଟିପୁର ବିକଳ ଚିତ୍କାର ଶୁଭିଲା ଘଟଣା କଣ ହୋଇଛି ବୁଝିବାକୁ ଆଉ ବାକି ରହିଲାନି।
କମଳା ଚମକି ଉଠି ଦେଖିବା ବେଳକୁ, ସେ ଚୋର ଆଲମାରୀ ଖୋଲି ଟଙ୍କା ସବୁକୁ ଏକ ଜରିବ୍ଯାଗରେ ପୁରେଇବାରେ ବ୍ଯସ୍ତଥିଲା। କଣ କରିବ ବୁଝି ନପାରି କମଳା, ଏକ ଢାଳରେ ଚୋର ମୁଣ୍ଡକୁ ଦେଲା ଏକ ମସ୍ତବଡ ପ୍ରହାର। ଏମିତି ଅତର୍କିତ ଆକ୍ରମଣରେ କିଂକର୍ତ୍ତବ୍ଯବିମୁଢ ହୋଇ ଚୋର ତଳେ ବସିପଡିଲା ଓ ରାମ ଏକ ଲାଠିରେ ପିଟିଚାଲିଲା ସେ ଚୋରକୁ।
ଟିପୁର ବିକଳ ସ୍ବର ଶୁଣି କମଳା ଦୌଡିଗଲା। ସେ ଯାହା ଦେଖିଲା ତା ପାଦ ତଳୁ ମାଟି ଖସିଯିବା ପରି ଅନୁଭବ କଲା। ରକ୍ତର ନଦୀରେ ପହଁରୁଥିଲା ବିଚରା ଟିପୁ। ତା ଦେହରେ ସୃଷ୍ଟି ହୋଇ ସାରିଥିଲା ଅନେକ ଗଭୀର କ୍ଷତ ଓ ତା ପାଖରେ ପଡି ରହିଥିଲା ଦୁଇଟି ନିଥର ରକ୍ତାକ୍ତ ଶରୀର। କମଳାର ଆଖିରେ ଛାଇଗଲା ଘୋର ଅନ୍ଧକାର। ଟିପୁର ଏ ଅବସ୍ଥା ତା ଚିନ୍ତାଶକ୍ତି ବାହାରେ ଥିଲା। ଏତିକି ସମୟରେ ତା ସୁନାସଂସାର ନିୟତିର କ୍ରୁର ପରିହାସର ଶିକାର ହୋଇ ଧୁ ଧୁ ହୋଇ ଜଳିବାରେ ଲାଗିଥିଲା। ଟିପୁକୁ କୋଳେଇ ନେଇ ମୁଣ୍ଡ ଆଉଁସିବା ସମୟରେ ଶୁଭିଲା ରାମର ଆର୍ତ୍ତଚିତ୍କାର
--ପୁଅ ଟିପୁ ବଞ୍ଚା ମୋତେ। ଏ ଚୋର ମୋତେ ମାରି ଦେବ, ତୁ ଦଉଡି ଆସ୍।
ଉଠିବାର ଶକ୍ତି ନଥିଲା ଟିପୁର। କିନ୍ତୁ ବଡ କଷ୍ଟରେ ନିଜର ସମସ୍ତଶକ୍ତି ଜୁଟାଇ ଝଡବେଗରେ ରାମ ପାଖକୁ ଦୌଡିଗଲା ଟିପୁ। ସେତେବେଳକୁ ଚୋର ରାମ ବେକକୁ ହାଣିବାକୁ ଉଦ୍ଯତ ହେଉଥିଲା।
ଟିପୁ ସିଧା ଚୋର ଉପରକୁ ଲମ୍ଫଦେଇ ତା ବେକରେ ଝୁଲି ପଡିଲା। ଟିପୁ କବଳରୁ ନିଜକୁ ବଞ୍ଚାଇବାକୁ ଚୋର ପ୍ରାଣମୂର୍ଚ୍ଛା ଉଦ୍ଯମ କରି ବିଫଳ ହେଲା। ଶେଷରେ ସେ ହାତରେ ଧରିଥିବା ଭୁଜାଲି କୁ ଟିପୁ ବେକରେ ବିଦ୍ଧକରି ଭୂଇଁରେ ଲୋଟି ପଡିଲା। କିଛିକ୍ଷଣ ମଧ୍ଯରେ ସେ ଚୋର ମଧ୍ଯ ଆଖି ବୁଜିଦେଲା।
ମାତ୍ର ଟିପୁ........... ସେ ତଳେ ପଡି ରାମ ଆଡକୁ ଲୁହ ଛଳଛଳ ଆଖିରେ ଚାହିଁ ରହିଥିଲା। ତା ଦେହରେ ସୃଷ୍ଟ କ୍ଷତରୁ ରକ୍ତଧାର ବୋହି ଚାଲିଥିଲା ଓ ଶରୀର ନିସ୍ତେଜ ହୋଇ ଆସୁଥିଲା। ଭୀଷଣ କଷ୍ଟରେ ବିଚରା କେବଳ ଗଁ ଗଁ କରୁଥିଲା ଯାହା। କମଳା ପାଗଳଙ୍କ ପରି ବାହୁନି କାନ୍ଦି ଚାଲିଥିଲା। କେମିତି ସେ ଟିପୁକୁ ବଞ୍ଚାଇବ ଭାବି ପାରୁ ନଥିଲା। ପଣତକାନି ଚିରି ଟିପୁଦେହରୁ ରକ୍ତ ପୋଛିବାରେ ଲାଗିଥିଲା। କିନ୍ତୁ ସେ ରକ୍ତନଦୀରୁ ଅନବରତ ଝରି ଚାଲିଥିଲା ରକ୍ତ। କ୍ଷତ ମାନଙ୍କର ଭୀଷଣତା ଦେଖି କମଳା ଓ ରାମର ଦେହ ଶିତେଇ ଉଠିଲା। ଟିପୁ କୁ କୋଳକୁ ଟାଣିନେଇ କମଳା ଭୋ ଭୋ କରି କାନ୍ଦି ରାମକୁ ପଚାରି ଚାଲିଥିଲା
- - “ମୋ ପୁଅ କଣ ମୋତେ ଛାଡି ଯିବ, କଣ ଏଇଥି ପାଇଁ ତାକୁ ଘରକୁ ଆଣିଥିଲ? ”
ରାମ ନିରୁତ୍ତର ଥିଲା। ଯେଉଁ ନିଷ୍ଠୁର ସତ୍ଯ କୁ ସାମନା କରିବାକୁ ଯାଉଥିଲା ସେଥିପାଇଁ ସାହାସ କୁଳାଉଥିଲା ବୋଧେ। ଟିପୁ ପାଖରେ ବାକିଥିଲା ଅଳ୍ପ କେତୋଟି ନିଶ୍ବାସ। ସେତିକି ସରିଗଲେ ସବୁ କିଛି ଶେଷ ହୋଇଯିବ। ଖାଲି ହୋଇଯିବ ତା ଘର। କିଏ ତା ପଛେପଛେ ବିଲ କୁ ଯିବ, କିଏ ରାଜୁ ସହ ଖେଳିବ, କିଏ କମଳାର ପଣତ କାନି ପଛରେ ସଦା ବେଳେ ଲୁଚିବ, କିଏ ମଣିଷଙ୍କ ପରି ସବୁ କଥାରେ ମୁହଁର ଭାବ ଦେଖେଇବ.... ଏମିତି କେତେ ପ୍ରଶ୍ନର ଉତ୍ତର ଖୋଜିବାରେ ସେ ଅକ୍ଷମ ଥିଲା।
ଟିପୁ ଆଖିରୁ ବୋହି ଆସିଥିଲା ଦୁଇଧାର ଲୁହ। ସେ କମଳାକୁ ଚାହିଁ ରହିଥିଲା ଗୋଟିଏ ଲୟରେ। ସେ ଚାହାଁଣୀରେ ଭରି ରହିଥିଲା ଶବ୍ଦର ସମୂଦ୍ର ଯାହା କେବଳ କମଳା ହିଁ ବୁଝି ପାରୁଥିଲା। ଭୀଷଣ ମାନସିକ ଆଘାତରେ ଜର୍ଜରିତ କମଳା ମଧ୍ଯ ବାକଶକ୍ତିବିହୀନ ହୋଇ ଚାହିଁ ରହିଥିଲା ଟିପୁକୁ। କମଳା ମାତୃତ୍ବ ର ହୃଦୟବିଦାରକ ଚିତ୍କାର କୁ ବୋଧେ ଶୁଣି ପାରୁଥିଲା ଟିପୁ। ବହୁ କଷ୍ଟରେ ଟିପୁ କମଳା କୋଳରେ ମୁଣ୍ଡରଖି, ନେଲା ଏକ ଦୀର୍ଘନିଶ୍ବାସ ଓ ଧିର ସ୍ବରରେ କିଛି ଶବ୍ଦକଲା। ବାସ୍....ତାପରେ ସବୁ କିଛି ନୀରବ ହୋଇଗଲା। ରାମ ଓ କମଳାର ହୃଦୟ ଭିତରୁ ବଜ୍ରପାତ ପରି ସ୍ପନ୍ଦନ ସ୍ପଷ୍ଟ ଶୁଭୁଥିଲା,କିନ୍ତୁ ଟିପୁର ଛାତି ଭିତରେ ବିରାଜମାନ କରୁଥିଲା ଶ୍ନଶାନର ନୀରବତା।
ଘର ବାହାରେ ଲୋକମାନଙ୍କର ଗହଳି ଜମି ସାରିଥିଲା। ପୋଲିସ୍ ମଧ୍ଯ ଆସି ପହଞ୍ଚି ସାରିଥିଲା। ଲୋକମାନେ କୁହାକୁହି ହେଉଥିଲେ ସେହି ଡକାୟତ ମାନଙ୍କ ବିଷୟରେ ଯେଉଁମାନେ ସେଦିନ ରାତିରେ ତିନି ଟି ଯାଗାରେ ଘରମାଲିକ ମାନଙ୍କୁ ହାଣି ଡକାୟତି କରିଥିଲେ। ଡକାୟତଙ୍କୁ ମାରି ରାମ ପରିବାରକୁ ବଞ୍ଚାଇବାରେ ଟିପୁର ଭୂମିକା ବିକ୍ଷୟରେ ସମାନେ ଆଲୋଚନା କରି ଚାଲିଥିଲେ।
କିନ୍ତୁ ଘର ଭିତରେ......
କମଳା ଟିପୁର ମୃତ ଶରୀର ଟାକୁ କୋଳରେ ଧରି ବାହୁନି ବାହୁନି କାନ୍ଦି ଚାଲିଥିଲା। ରାମ ଟିପୁର ମୁଣ୍ଡ କୁ ଆଉଁସି କହିଚାଲିଥିଲା - - ଏମିତି ଆମକୁ ଛାଡି ଯାଆନି ରେ ପୁଅ, ଥରେ ଆଖି ଖୋଲି ଦେଖ୍, ସକାଳ ହେଲାଣି ପରା, ଆଜି ମୋ ସାଙ୍ଗରେ ବିଲକୁ ଯିବୁନି?
ରାଜୁ କିଛି ବୁଝି ନ ପାରି ପଚାରି ଚାଲିଥିଲା– - କଣ ହୋଇଛି ଟିପୁର। ସେ ଶୁଣୁନି କଣ ପାଇଁ, ଉଠୁନି କଣ ପାଇଁ? ତା ଦେହରେ ଏତେ ଖଣ୍ଡିଆ କିଏ କଲା?
ରାମ ଟିପୁର ବେକରେ ଝୁଲୁଥିବା ଲକେଟ୍ ରୁ ରକ୍ତର ଛିଟା ଲିଭାଇ ଆଉଥରେ ମନ ଭରି "ଟିପୁ" ନାଁଆ ଟା ଦେଖିନେଲା।
ମୋ ଟିପୁରେ....... ବୋଲି ବିକଳ ଚିତ୍କାର କରି ଚେତା ବୁଡିଗଲା।
*****************ସମାପ୍ତ*******************
No comments:
Post a Comment